Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬୫ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୭ ହଜାର ୮୬ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୮୬ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି କଟକ ଜିଲ୍ଲାରୁ ସର୍ବାଧିକ ୧୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଜଗତସିଂହପୁରା ଜିଲ୍ଲାରୁ ୧୧ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୯ ଜଣ, ଢେଙ୍କାନାଳ ଜିଲ୍ଲାରୁ ୭ ଜଣ, ଅନୁଗୁଳ ଓ ବାଲେଶ୍ଵର ଜିଲ୍ଲାରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାରୁ ୩ ଜଣ ଲେଖାଏଁ, ପୁରୀ ଜିଲ୍ଲାରୁ ୨ ଜଣ, ଗଞ୍ଜାମ, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ ଓ ନୟାଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୭ ହଜାର ୧୪୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୮୦ ହଜାର ୪୭୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯ ହଜାର ୫୩୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୮୬ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ହେଲେ ଦେଶର ୧ ନମ୍ବର

ଭୁବନେଶ୍ବର: ପୁଣିଥରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି। ଇଣ୍ଡିଆ ଟୁଡେ ଦ୍ଵାରା କରାଯାଇଥିବା ଏକ ସର୍ଭେରେ ନବୀନ ପଟ୍ଟନାୟକଙ୍କୁ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଲୋକେ ପସନ୍ଦ କରିଛନ୍ତି। କୋଭିଡ ପରିଚାଳନାକୁ ନେଇ ହୋଇଥିବା ଏହି ସର୍ଭେରେ ନବୀନ ପଟ୍ଟନାୟକଙ୍କୁ ଦେଶର ଅଧିକାଂଶ ଲୋକେ ପସନ୍ଦ କରିଛନ୍ତି। ନବୀନ ପଟ୍ଟନାୟକଙ୍କ ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମାଙ୍କୁ ଦ୍ଵିତୀୟ ସର୍ବାଧିକ ଲୋକ ପସନ୍ଦ କରିଛନ୍ତି। ତାଙ୍କ ପଛକୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଲୋକେ ପସନ୍ଦ କରିଛନ୍ତି। ହେମନ୍ତ ସୋରେନ ଦେଶର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ଅଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଦେଶକୁ ମିଳିପାରନ୍ତି ପ୍ରଥମ ମହିଳା ପ୍ରଧାନ ବିଚାରପତି: ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଁ ଏହି ୯ ଟି ନାମକୁ କରାଗଲା ସୁପାରିଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ୯ ଟି ଖାଲି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଗତକାଲି ପ୍ରଧାନ ବିଚାରପତି ଏନ.ଭି ରାମନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଲେଜିୟମର ବୈଠକ ପରେ ୯ ଜଣ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପାରିଶ କେନ୍ଦ୍ରକୁ ପଠାଯାଇଛି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ବିଚାରପତି ଅଛନ୍ତି। ଏଥିସହ ଜଣେ ବରିଷ୍ଠ ଓକିଲଙ୍କୁ ସୁପ୍ରିମକୋର୍ଟରେ ସିଧାସଳଖ ନିଯୁକ୍ତି ପାଇଁ ସୁପାରିଶ କରାଯାଇଛି।

ଯେଉଁମାନଙ୍କର ନାମ କେନ୍ଦ୍ରକୁ ପଠାଯାଇଛି ସେମାନେ ହେଲେ: –

୧- ତେଲେଙ୍ଗାନା ହାଇକୋର୍ଟର ପ୍ରଧାନ ବିଚାରପତି ହିମା କୋହଲି

୨- କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ ବି.ଭି ନାଗରତ୍ନା

୩- ଗୁଜୁରାଟ ହାଇକୋର୍ଟର ଜଜ୍ ବେଲା ତ୍ରିବେଦୀ

୪- ବରିଷ୍ଠ ଆଡଭୋକେଟ୍ ପିଏସ୍ ନରସିଂହଙ୍କୁ ସିଧାସଳଖ ସୁପ୍ରିମକୋର୍ଟର ବିଚାରପତି କରିବାକୁ ସୁପାରିଶ କରାଯାଇଛି।

୫- କର୍ଣ୍ଣାଟକ ହାଇକୋର୍ଟର ପ୍ରଧାନ ବିଚାରପତି ଏସ୍ ଓକା

୬- ଗୁଜୁରାଟ ହାଇକୋର୍ଟର ପ୍ରଧାନ ବିଚାରପତି ବିକ୍ରମ ନାଥ

୭- ସିକ୍କିମ ହାଇକୋର୍ଟର ପ୍ରଧାନ ବିଚାରପତି ଜେ.କେ ମାହେଶ୍ୱରୀ

୮- ଜଷ୍ଟିସ ସିଟି ରବିନ୍ଦ୍ରକୁମାର, କେରଳ ହାଇକୋର୍ଟର ବିଚାରପତି

୯- ମାଡ୍ରାସ ହାଇକୋର୍ଟର ବିଚାରପତି ଏମ.ଏମ ସୁନ୍ଦରେଶ

ଯଦି କେନ୍ଦ୍ର ଏହି ସମସ୍ତ ସୁପାରିଶକୁ ଗ୍ରହଣ କରେ, ତେବେ ଭବିଷ୍ୟତରେ ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ବି.ଭି ନାଗରତ୍ନା ଏବଂ ପିଏସ୍ ନରସିଂହ ଭାରତର ପ୍ରଧାନ ବିଚାରପତି ହୋଇପାରିବେ। ଏପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ କୌଣସି ମହିଳା ପ୍ରଧାନ ବିଚାରପତି ନାହାଁନ୍ତି। ଜଷ୍ଟିସ ନାଗରତ୍ନା ରୂପରେ ଭାରତକୁ ପ୍ରଥମ ମହିଳା ପ୍ରଧାନ ବିଚାରପତି ମିଳିପାରନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ୩୫ ହଜାର ୧୭୮ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୫ ହଜାର ୧୭୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪୦ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୨୨ ଲକ୍ଷ ୮୫ ହଜାର ୯୨୩ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୨ ହଜାର ୫୧୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୪ ଲକ୍ଷ ୮୫ ହଜାର ୯୨୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୬୭ ହଜାର ୪୧୫ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୯୯୩ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୯୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୫୭୮ ଜଣ ଚିହ୍ନଟ ହୋଇଥିବା ବେଳେ ୪୧୫ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୭ ହଜାର ୧୪୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୮୦ ହଜାର ୪୭୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯ ହଜାର ୫୩୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୨୧ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୯୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୧୯ ଜଣ, କଟକ ଜିଲ୍ଲାରୁ ୯୫ ଜଣ, ଅନୁଗୁଳ ଜିଲ୍ଲାରୁ ୧୮, ବାଲେଶ୍ଵର ଜିଲ୍ଲାରୁ ୩୦ ଜଣ, ବରଗଡ ଜିଲ୍ଲାରୁ ୧୦ ଜଣ, ଭଦ୍ରକ ଜିଲ୍ଲାରୁ ୧୨ ଜଣ, ବଲାଙ୍ଗୀର  ଜିଲ୍ଲାରୁ ୧୩ ଜଣ, ବୌଦ୍ଧ ଜିଲ୍ଲାରୁ ଜଣେ, ଦେବଗଡ ଜିଲ୍ଲାରୁ ୪ ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୨ ଜଣ, ଗଞ୍ଜାମ ଜିଲ୍ଲାରୁ ୫ ଜଣ, ଜଗତସିଂହପୁର ଜିଲ୍ଲାରୁ ୫୧ ଜଣ, ଯାଜପୁର ଜିଲ୍ଲାରୁ ୬୦ ଜଣ, ଝାରସୁଗୁଡା ଜିଲ୍ଲାରୁ ୨ ଜଣ, କଳାହାଣ୍ଡି ଜିଲ୍ଲାରୁ ଜଣେ, କନ୍ଧମାଳ ଜିଲ୍ଲାରୁ ୭ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୫ ଜଣ, କେନ୍ଦୁଝର ଜିଲ୍ଲାରୁ ୧୦ ଜଣ, କୋରାପୁଟ ଜିଲ୍ଲାରୁ ଜଣେ, ମାଲକାନଗିରି ଜିଲ୍ଲାରୁ ଜଣେ, ମୟୂରଭଞ୍ଜ ଜିଲ୍ଲାରୁ ୪୨ ଜଣ, ନବରଙ୍ଗପୁର ଜଣେ, ନୟାଗଡ ଜିଲ୍ଲାରୁ ୧୬ ଜଣ, ନୂଆପଡା ଜିଲ୍ଲାରୁ ଜଣେ, ପୁରୀ ଜିଲ୍ଲାରୁ ୨୫ ଜଣ, ରାୟଗଡା ଜିଲ୍ଲାରୁ ୩ ଜଣ, ସମ୍ବଲପୁର ଜିଲ୍ଲାରୁ ୧୧ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୮ ଜଣ ଏବଂ ଷ୍ଟେଟ ପୁଲରୁ ୯୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଗଣଶିକ୍ଷା ବିଭାଗର ବଡ ନିଷ୍ପତି, ସେପ୍ଟେମ୍ବର ୩୦ ସୁଦ୍ଧା ୬୩ ହଜାର ୫୦୦ ଶିକ୍ଷକଙ୍କର ହେବ ପଦୋନ୍ନତି

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷାଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ କହିଛନ୍ତି ଯେ ଏଣିକି ଜିଲ୍ଲା ଶିକ୍ଷା ଅଧିକାରୀମାନେ ସଂପୃକ୍ତ ଜିଲ୍ଲାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକର ସମସ୍ୟାଗୁଡ଼ିକୁ ତଦାରଖ କରିବେ ଏବଂ ବିଭାଗର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଇବା ପାଇଁ ନିଷ୍ପତି ହୋଇଛି।

ସେହିପରି ଆଗାମୀ ସେପେଫମ୍ବର ମାସ ସୁଦ୍ଧା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବିଭିନ୍ନ ବର୍ଗରେ ଥିବା ୬୩ ହଜାର ୫୦୦ ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି କରାଇବେ ବୋଲି ବୈଠକରେ କୁହାଯାଇଛି । ଅନ୍ୟାନ୍ୟ ନିର୍ଦ୍ଦେଶଗୁଡ଼ିକୁ ପ୍ରତିପାଳନ କରିବା ପାଇଁ ବ୍ଲକ୍‌ ଶିକ୍ଷା ଅଧିକାରୀମାନଙ୍କୁ ନେଇ ନିୟମିତ ବୈଠକ କରାଯିବ । ସରକାରଙ୍କ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଲାଭକୁ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ସେମାନଙ୍କର ମୋବାଇଲ୍‌ ନମ୍ବର ସଂଗ୍ରହ କରିବେ । ବିଭିନ୍ନ ସାମାଜିକ ବାର୍ତ୍ତାଗୁଡ଼ିକୁ ନିର୍ଦ୍ଧାରିତ ହୋଡିଙ୍ଗ ମାଧ୍ୟମରେ ସ୍କୁଲର ମୁଖ୍ୟ ସ୍ଥାନମାନଙ୍କରେ ଲଗାଇବେ ବୋଲି କୁହାଯାଇଛି ।

ଆଗାମୀ ସେପେଫମ୍ବର ୧ ତାରିଖରେ ମାଧ୍ୟମିକ ଶିକ୍ଷକ ଚାକିରିରେ ନିଯୁକ୍ତି ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ଯୋଗ୍ୟତା ପରୀକ୍ଷା (ଓଏସ୍‌ଏସ୍‌ଟିଇଟି)କୁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା କରାଯିବ । ଏହାର ଯଥାର୍ଥ ପରିଚାଳନା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଣିକି ନିରନ୍ତର ଭାବରେ ଶିକ୍ଷାର୍ଥୀମାନଙ୍କର ମୂଲ୍ୟାଙ୍କନ ପାଇଁ ୟୁନିଟ୍‌ ଟେଷ୍ଟ କରାଯିବ । ସେଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ସମସ୍ତ ଜିଲ୍ଲା ରିସୋର୍ସ ଗ୍ରୁପ୍‌ ଜରିଆରେ ପ୍ରଧାନଶିକ୍ଷକମାନଙ୍କ ପ୍ରଶିକ୍ଷଣକୁ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ବ୍ଲକ୍‌ ଅନ୍ତର୍ଭୁକ୍ତ ହୋଇଯାଇଛି । ଏଥିରେ ୩୨ ହଜାର ୪୪୭ଟି ବିଦ୍ୟାଳୟ ସାମିଲ ହୋଇଛି । ୧୧୨୩ ହାଇସ୍କୁଲରେ ରୂପାନ୍ତରଣ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଅଛି । ବହୁସଂଖ୍ୟାରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ‘ମୋ ସ୍କୁଲ’ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ସ୍କୁଲଗୁଡ଼ିକର ରକ୍ଷଣାବେକ୍ଷଣ ସହ ମଧ୍ୟାହ୍ନ ଭୋଜନ ଏବଂ ରୋଷେଇ, ବଗିଚାର କାର୍ଯ୍ୟ ପ୍ରାୟ ୧୫ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ପ୍ରଦାନ କରାଯିବ । ସମସ୍ତ ବିଦ୍ୟାଳୟ କୋଠାରେ ଏକ ପ୍ରକାର ରଙ୍ଗ ବ୍ୟବହାର କରାଯିବ । ଇତି ମଧ୍ୟରେ ପ୍ରାୟ ସମସ୍ତ ଆଦର୍ଶ ବିଦ୍ୟାଳୟ ପାଇଁ ଜମି ମିଳିଛି । ତେଣୁ ସବୁଠାରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଆଗେଇ ଚାଲିଛି । ଆଗାମୀ ବର୍ଷଠାରୁ ଆଦର୍ଶ ବିଦ୍ୟାଳୟରେ ଯେପରି ଶତପ୍ରତିଶତ ପିଲା ପାସ୍‌ ହେବେ ସେଥି ପାଇଁ ଅଧ୍ୟକ୍ଷମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

ଏଥର ଏକାଦଶ ଏବଂ ଦ୍ୱାଦଶ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଅଛି ତେଣୁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ବିଧିବଦ୍ଧ ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର କାର୍ଯ୍ୟର ତଦାରଖ କରିବା ସହ ବିଭାଗର ସମସ୍ତ ନିର୍ଦ୍ଦେଶ ପ୍ରତିପାଳନ କରିବେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଯୋଜନା) ଏଥି ପାଇଁ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ ।
ଏସ୍‌ଇଆର୍‌ଟି ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ କରୋନା କାଳରେ ପରୀକ୍ଷାମୂଳକ ଭାବେ ସେମାନଙ୍କ ବାସସ୍ଥାନ ନିକଟରେ ପଢ଼ା ଯାଉଛି ।

Categories
ଆଜିର ଖବର ଧର୍ମ

ରାଶିଫଳ: ଅଗଷ୍ଟ 18 ତାରିଖ ବୁଧବାରରେ ପାଞ୍ଚୋଟି ରାଶିର ଭାଗ୍ୟ ସୂର୍ଯ୍ୟଙ୍କ ପରି ଚମକିବ

ମେଷ  ମେଷ ରାଶିର ଲୋକମାନେ ବ୍ୟବସାୟରେ ଲାଭବାନ ହେବେ । ମିଳିତ ପ୍ରୟାସରେ ଅଧିକ ସଫଳତା ହାସଲ କରାଯାଇପାରେ । ସମ୍ମାନ ବୃଦ୍ଧି ପାଇବ । ତୁମେ ମାନସିକ ଶାନ୍ତି ପାଇବ। ଘରେ ଖୁସିର ପରିବେଶ ରହିବ । ଜୀବନ ସାଥୀ ସହିତ ଆଦର୍ଶଗତ ପାର୍ଥକ୍ୟ ଦୂର ହେବ।

ବୃଷ- କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବା ଦ୍ୱାରା ଭବିଷ୍ୟତରେ ଲାଭ ମିଳିବ । କଠିନ ପରିଶ୍ରମ ଏବଂ ନିଷ୍ଠା ହେତୁ ପରିବାରରେ ସୁଖ ମିଳିବ । ଖାଦ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଅଛି । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ତୁମର ବକ୍ତବ୍ୟକୁ ନିୟନ୍ତ୍ରଣ କର ଏବଂ ଚିନ୍ତା କରି କୁହ ।

ମିଥୁନ- ତୁମେ ମାନସିକ ସୁଖ ପାଇବ । ନୂତନ ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ଥାଇପାରେ । ପ୍ରତିଯୋଗିତାରେ ଆପଣ ସଫଳତା ପାଇପାରିବେ । ଆପଣ ସୃଜନଶୀଳ କାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ ଏବଂ ଆପଣ ଏଥିରେ ସଫଳତା ପାଇପାରିବେ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାରେ ସାବଧାନ ରୁହନ୍ତୁ । ଆପଣ ଏକ ଧାର୍ମିକ ଯାତ୍ରା କରିପାରିବେ ।

କର୍କଟ- କର୍କଟ ରାଶିର ଲୋକଙ୍କ ପାଇଁ ଆଜି ବହୁତ ଭଲ ଦିନ ହେବ । ଘରେ ସୁବିଧାରେ ବୃଦ୍ଧି ଘଟିବ । ଇଚ୍ଛିତ ଆଇଟମ୍ ପାଇବା ସମ୍ଭାବନା ଅଛି । ପରିବାର ସଦସ୍ୟଙ୍କ ସହିତ ଉପଭୋଗ୍ୟ ସମୟ ଅତିବାହିତ କରିବେ । ବ୍ୟବସାୟିକ ଲାଭର ସମସ୍ତ ସମ୍ଭାବନା ଅଛି । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ଭ୍ରମଣରୁ ଦୂରେଇ ରୁହନ୍ତୁ ।

ସିଂହ- କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ହୋଇପାରେ । ଘରେ ସୁଖ ରହିବ । ଏକ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ଏକ ଭଲ ସମୟ । ଆପଣ କିଛି ଭଲ ଖବର ପାଇପାରିବେ । କାର୍ଯ୍ୟ କରିବାକୁ ଅଧିକ ସମୟ ଉତ୍ସର୍ଗ କରିବା ଭବିଷ୍ୟତରେ ଲାଭଦାୟକ ହୋଇପାରେ । ଅଳସୁଆ ହେବା ଦ୍ୱାରା ବହୁତ କ୍ଷତି ହୋଇପାରେ ।

କନ୍ୟା- ହଠାତ୍ ଖର୍ଚ୍ଚ ବୃଦ୍ଧି ହେତୁ ଆପଣ ଚାପ ଅନୁଭବ କରିବେ । ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ତୁମେ ତୁମର ପରିବାର ଏବଂ ସାମାଜିକ ଦାୟିତ୍ବକୁ ଭଲ ଭାବରେ ପୂରଣ କରିବ । ପରିବାର ସହିତ ସମୟ ବିତାଇବ । ପରିବାର ସଦସ୍ୟଙ୍କ ସହିତ ଭ୍ରମଣ ମଧ୍ୟ କରାଯାଇପାରିବ । କାମ ବ୍ୟସ୍ତ ରହିବ । ତୁମର ଖାଦ୍ୟର ଯତ୍ନ ନିଅ । ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ସତର୍କ ରୁହନ୍ତୁ।

ତୂଳା- ତୁମର ଲକ୍ଷ୍ୟ ହାସଲ କରିବାରେ ତୁମେ ସଫଳ ହେବ । ବ୍ୟବସାୟରେ ଭଲ ଲାଭ ହୋଇପାରେ । ସଫଳତା ହୋଇପାରେ । ଶୃଙ୍ଖଳିତ ହେବା ଲାଭଦାୟକ ହେବ । ତୁମର ସ୍ୱାସ୍ଥ୍ୟର ଯତ୍ନ ନିଅ ଏବଂ ବାହାରେ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହ । ପରିବାରର ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ ।

ବିଛା- ଖର୍ଚ୍ଚ ଏବଂ ବିନିଯୋଗ ବୃଦ୍ଧି ପାଇପାରେ । ଭ୍ରମଣ ସମୟରେ ସାବଧାନ ରୁହନ୍ତୁ । ଅପରିଚିତ ବ୍ୟକ୍ତିଙ୍କ ନିକଟତର ହେବାରେ ସାବଧାନ ରୁହନ୍ତୁ । ତୁମେ ସାଙ୍ଗମାନଙ୍କ ସମର୍ଥନ ପାଇବ ଏବଂ ତୁମ ଜୀବନ ସାଥୀଙ୍କଠାରୁ ମଧ୍ୟ ସମର୍ଥନ ପାଇବ । କୈଣସି ପ୍ରକାର ବିବାଦରୁ ଦୂରେଇ ରୁହନ୍ତୁ । ଧାର୍ମିକ କାର୍ଯ୍ୟକଳାପରେ ବୃଦ୍ଧି ହୋଇପାରେ ।

ଧନୁ- ଧନୁ ରାଶି ଲୋକମାନଙ୍କୁ ସେମାନଙ୍କର କ୍ରୋଧକୁ ନିୟନ୍ତ୍ରଣ କରିବାକୁ ପଡିବ । ତିକ୍ତ ଜିନିଷକୁ ଅଣଦେଖା କରିବାକୁ ଚେଷ୍ଟା କରନ୍ତୁ । କର୍ମକ୍ଷେତ୍ରରେ ଟିକିଏ ସତର୍କ ରହିବା ଆବଶ୍ୟକ । ଏକ ଧାର୍ମିକ ସ୍ଥାନ ପରିଦର୍ଶନ କରି ଦାନ କରନ୍ତୁ । ତୁମେ ଭିତର ଶାନ୍ତି ପାଇବ । ବିଚାରାଧୀନ କାର୍ଯ୍ୟ ମଧ୍ୟ ଶୀଘ୍ର ଶେଷ ହେବ।

ମକର- ଆପଣଙ୍କ ପରିବାର ବିଷୟରେ ଚିନ୍ତିତ ହେବେ । ଆର୍ଥିକ ପ୍ରୟାସ ସଫଳ ହେବ । ଘରେ ସୁଖ ଏବଂ ସୌନ୍ଦର୍ଯ୍ୟ ଭାବନା ବୃଦ୍ଧି ପାଇବ । ପଦୋନ୍ନତିର ସମ୍ଭାବନା ଅଛି । ଯଦି କୌଣସି କାର୍ଯ୍ୟରେ କୌଣସି ପ୍ରତିବନ୍ଧକ ଥାଏ, ତେବେ ଧର୍ଯ୍ୟର ସହିତ କାର୍ଯ୍ୟ ସମାପ୍ତ କରିବାକୁ ଚେଷ୍ଟା କରନ୍ତୁ । ଭଲ କାମର ସମ୍ଭାବନା ସୃଷ୍ଟି ହୋଇପାରେ ।

କୁମ୍ଭ – ବ୍ୟବସାୟରେ ଆର୍ଥିକ ଲାଭ ହେବ । ଟଙ୍କା ରୋଜଗାର କରିବାର ସମ୍ଭାବନା ମଧ୍ୟ ରହିପାରେ । ସାଙ୍ଗମାନଙ୍କ ପୂର୍ଣ୍ଣ ସମର୍ଥନ ରହିବ । ପରିବାର ସଦସ୍ୟଙ୍କ ସହିତ ସମୟ ବିତାଇବେ। ବ୍ୟବସାୟିକ ଯାତ୍ରା ମଧ୍ୟ କରାଯାଉଛି । କୌଣସି କାରଣରୁ, ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡିପାରେ ।

ମୀନ- ଆପଣ ଆଇନଗତ କାର୍ଯ୍ୟରେ ସଫଳତା ପାଇବେ । ପରିବାରରେ ସୁଖର ପରିବେଶ ରହିବ । ସ୍ୱାସ୍ଥ୍ୟ ବିଷୟରେ ସତର୍କ ରୁହନ୍ତୁ । ମୌସୁମୀ ରୋଗରୁ ମଧ୍ୟ ସାବଧାନ ରୁହନ୍ତୁ । ପରିବାରର ପ୍ରାଚୀନମାନଙ୍କ ସହିତ ସୁଖ ବଢିପାରେ । ଆପଣଙ୍କୁ ମାନସିକ ଅଶାନ୍ତିର ସାମ୍ନା କରିବାକୁ ପଡିପାରେ । ଆପଣ ସରକାରୀ ଶ୍ରେଣୀରୁ ସହଯୋଗ ପାଇପାରିବେ ।

Categories
ଆଜିର ଖବର ରାଜ୍ୟ ଖବର

ଆପିକଲର ନୂଆ ୱେବ୍‌ସାଇଟ୍‌ ଲୋକାର୍ପିତ କଲେ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

ଭୁବନେଶ୍ୱର, ରାଜ୍ୟରେ କୃଷି ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ବ୍ୟାପକ ସୁଯୋଗ ରହିଛି । ଏହା ଦ୍ୱାରା କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେବା ସହିତ କୃଷକମାନଙ୍କର ଆୟ ବୃଦ୍ଧି ହୋଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଆଜି କୃଷି ଭବନଠାରେ ଓଡ଼ିଶା କୃଷି ପ୍ରୋତ୍ସାହନ ଓ ପୁଞ୍ଜିଲଗାଣ ନିଗମ ଲିମିଟେଡ୍‌ (ଆପିକଲ)ର ନୂତନ ୱବ୍‌ସାଇଟ୍‌କୁ ଲୋକାର୍ପଣ କରିବା ଅବସରରେ ମନ୍ତ୍ରୀ ଡ. ସାହୁ କହିଲେ ଯେ ରାଜ୍ୟ ସରକାର କୃଷକମାନଙ୍କ ଆୟକୁ ବହୁଗୁଣିତ କରିବା ପାଇଁ ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରିଥିବାବେଳେ ରାଜ୍ୟରେ କୃଷି ଓ ଆନୁଷଙ୍ଗିକ କୃଷିଭିତ୍ତିକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଏବଂ କୃଷିଜାତ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରି ବଜାରରେ ବିକି୍ର କରିପାରିଲେ କୃଷକମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ନିମନ୍ତେ ଅଧିକ ମୂଲ୍ୟ ପାଇପାରିବେ ।

କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ଶ୍ରୀ କୃତିବାସ ପାତ୍ର, କୃଷି ଉତ୍ପାଦନ କମିଶନର ଶ୍ରୀ ରାଜକୁମାର ଶର୍ମା, କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଯୋଗଦେଇ ଆପିକଲକୁ ଅଧିକ କ୍ରିୟାଶୀଳ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରାରମ୍ଭରେ ଆପିକଲର ପରିଚାଳନା ନିର୍ଦ୍ଦେଶକ ଡ.ପ୍ରଭାତ କୁମାର ରାଉଳ ଆପିକଲ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ରବି ଋତୁରେ ମେଗା ଲିଫ୍ଟ ଜରିଆରେ ୨୦ ହଜାର ହେକ୍ଟର ଜମିକୁ କରାଯିବ ଜଳସେଚନ

ଭୁବନେଶ୍ୱର, ରାଜ୍ୟ ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ଅପରାହ୍ଣରେ ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ରାଜ୍ୟରେ ବୃହତ୍ ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତା ସଂପର୍କିତ ମାସିକ ସମୀକ୍ଷା ବୈଠକରେ ଯୋଗଦେଇ ପୁରୁଣା ମେଗାଲିଫ୍ଟ ପ୍ରକଳ୍ପର ସ୍ଥିତି ଓ ନୂତନ ମେଗା ଲିଫ୍ଟ ନିର୍ମାଣ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ।
ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ ଜଳ ଯୋଗାଣ କରୁଥିବା ନବନିର୍ମିତ ସୁନ୍ଦରଗଡ ଜିଲ୍ଲାର ବରଗାଁ ଏବଂ ଗଂଜାମ ଜିଲ୍ଲାର କଳିଙ୍ଗଡୋଳା ବୃହତ୍ ଉଠାଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଥିଲେ ।

ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଧିକ ମେଗା ଲିଫ୍‌ଟ ପ୍ରକଳ୍ପ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ପ୍ରମୁଖ ଶାସନ ସଚିବ ବିଭାଗୀୟ ଯନ୍ତ୍ରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଆସନ୍ତା ରବି ଋତୁରେ ମେଗା ଲିଫ୍ଟ ଜରିଆରେ ୨୦ ହଜାର ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ସୁବିଧା ଲକ୍ଷ୍ୟ ରଖାଯାଇଛି ।

କେନ୍ଦୁଝର ଜିଲ୍ଲାରେ ୧୪ଟି ବୃହତ୍ ଉଠାଜଳସେଚନ ପ୍ରକଳ୍ପ ଓମବାଡିସି ପାଣ୍ଠିରୁ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିବା ବେଳେ ଆବଶ୍ୟକ ବୈଷୟିକ ଅନୁମୋଦନ ପରେ ସେସବୁକୁ ନିର୍ମାଣ କରାଯିବ ବୋଲି ବୈଠକରୁ ଜଣାଯାଇଛି । ବୈଠକରେ ସର୍ବୋଚ୍ଚ ଯନ୍ତ୍ରୀ( ଯୋଜନା ଓ ନକ୍ସାଙ୍କନ) ଇଂ. ବିଜୟ କୁମାର ମିଶ୍ର, ମୁଖ୍ୟ ଯନ୍ତ୍ରୀ(ମେଗା ଲିଫ୍ଟ) ଇଂ ଚିନ୍ମୟ ରାଉତ, ବିଭାଗୀୟ ଅନ୍ୟ ବରିଷ୍ଠ ପଦାଧିକାରୀ ଓ ଯନ୍ତ୍ରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ କମ୍‌ ବର୍ଷା ଯୋଗୁଁ ସମ୍ଭାବ୍ୟ ଫସଲ କ୍ଷତିର ମୁକାବିଲା ନିମେନ୍ତ ଯୁଗ୍ମ-ମନ୍ତ୍ରୀସ୍ତରୀୟ ବୈଠକ

ଭୁବନେଶ୍ୱର, ଚଳିତ ଖରିଫରେ ରାଜ୍ୟରେ କମ୍‌ ବର୍ଷା ହୋଇଥିବା ପରିପ୍ରେକ୍ଷୀରେ ସମ୍ଭାବ୍ୟ ଫସଲ କ୍ଷତିକୁ ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ନିମନ୍ତେ ଆଜି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ସମବାୟ ବିଭାଗର ମନ୍ତ୍ରୀସ୍ତରୀୟ ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏବଂ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

ଯେଉଁସବୁ ସ୍ଥାନରେ କମ୍‌ ବୃଷ୍ଟିପାତ ହୋଇଛି, ସେଠାରେ ଉଠାଜଳସେଚନ ପ୍ରକଳ୍ପ ସାହାଯ୍ୟରେ ଜଳସେଚନ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହିତ ସମସ୍ତ ଉଠାଜଳସେଚନ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ବୃହତ୍‌ ଓ ମଧ୍ୟମ ଜଳସେଚନ ପାଇଁ କେନାଲ ଜଳ ନିଷ୍କାସନ ଉପରେ ବୈଠକରେ ଗୁରୁତ୍ୱ ଦଆଯାଇଛି। କୃଷି, ସମବାୟ ଓ ଜଳସଂପଦ ବିଭାଗର କ୍ଷେତ୍ର ଅଧିକାରୀମାନେ ମିଳିତ ଭାବେ ଚାଷଜମି ଅନୁଧ୍ୟାନ କରି କଣ୍ଟିଜେଣ୍ଟ ପ୍ଲାନ୍‌ ପ୍ରସ୍ତୁତ ସହ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

କ୍ଷେତ୍ର ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ଧାନ ଫସଲର ସଦ୍ୟତମ ସ୍ଥିତି ସଂପର୍କରେ ନିୟମିତ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟକୁ ଅବଗତ କରାଇବା ପାଇଁ କୁହାଯାଇଛି । ବୈଠକରେ ମନ୍ତ୍ରୀ ଡ.ସାହୁ କହିଲେ ଯେ ପ୍ରଭାବିତ କ୍ଷେତ୍ରଗୁଡ଼ିକରେ ସେପେଫମ୍ବର ମାସରେ ପ୍ରାକ୍‌ରବିରେ ଅଣଧାନ ଓ ବିକଳ୍ପ ଚାଷ କରିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେବା ଆବଶ୍ୟକ । ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନିୟମିତ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କ ସହ ସମନ୍ୱୟ ବୈଠକ କରି କାର୍ଯ୍ୟପନ୍ଥା ଗ୍ରହଣ କରିବା ନିମନ୍ତେ ମନ୍ତ୍ରୀ ଡ.ସାହୁ ପରାମର୍ଶ ଦେଇଛନ୍ତି ।

ବୈଠକରେ ସମବାୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ଫସଲବୀମା ଯୋଜନାରେ ଅଧିକରୁ ଅଧିକ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ, ଯେପରି ଫସଲ କ୍ଷତି ହେଲେ କ୍ଷତି ଭରଣା କରାଯାଇପାରିବ । ଏଥି ସହିତ ବୀମା କମ୍ପାନୀ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀମାନେ ଯେପରି ତୁରନ୍ତ କ୍ଷତିପୂରଣ ପାଇପାରିବେ ସେଥି ନିମନ୍ତେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ସମବାୟ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ଅଧିକ ଫସଲ ଋଣ ପ୍ରଦାନ ନିମନ୍ତେ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଏତଦ୍‌ବ୍ୟତୀତ କୃଷି ଶ୍ରମଜୀବୀମାନଙ୍କୁ ଏମ୍‌ଜିଏନ୍‌ଆର୍‌ଜିଏରେ କର୍ମସଂସ୍ଥାନ ଯୋଗାଇଦେଇ ରୋଜଗାରକ୍ଷମ କରାଯିବାକୁ ପଦକ୍ଷେପ ନିଆଯିବ ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ବୈଠକରେ କୃଷି ଓ ସଂପୃକ୍ତ ବିଭାଗର ସମସ୍ତ କର୍ମଚାରୀ ମୁଖ୍ୟ ଦପ୍ତରରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିବା ସହିତ ଚାଷୀମାନଙ୍କୁ ଆବଶ୍ୟକ କୃଷି ଉପଦେଶ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିଅଣ୍ଟିଆ ବର୍ଷା ପରିପ୍ରେକ୍ଷୀରେ ଚାଷୀମାନଙ୍କ ନିମନ୍ତେ ଆଡ୍‌ଭାଇଜାରି ଜାରି କରାଯାଇଛି ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠଙ୍କ ସମେତ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ.ଏମ୍‌. ମୁଥୁକୁମାର, ସମବାୟ ସମିତି ସମୂହର ରେଜିଷ୍ଟ୍ରାର ଶ୍ରୀ ସୁଶାନ୍ତ କୁମାର ବାରିକ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗୋପବନ୍ଧୁ ଶତପଥୀ, ଜଳସଂପଦ ବିଭାଗର ଯନ୍ତ୍ରୀମୁଖ୍ୟ ତଥା ସ୍ୱତନ୍ତ୍ର ଶାସନ ସଚିବ ଅସୀମ କୁମାର ମହାପାତ୍ର, ମହାନଦୀ-କାଠଯୋଡ଼ି ସିଷ୍ଟମର ମୁଖ୍ୟଯନ୍ତ୍ରୀ ଭକ୍ତଚରଣ ମହାନ୍ତି, ମେଗା ଲିଫଫ ଇରିଗେସନ୍‌ର ମୁଖ୍ୟଯନ୍ତ୍ରୀ ଚିନ୍ମୟ ରଂଜନ ରାଉତ, ଓୟୁଏଟିର ଡିନ୍‌ ସଂପ୍ରସାରଣ ପ୍ରଫେସର ପି.ଜେ. ମିଶ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Categories
PIB_NEWS ଆଜିର ଖବର ଖେଳ ଜାତୀୟ ଖବର

କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ବିଶ୍ୱଯୁବ ତୀରନ୍ଦାଜୀ ଚାମ୍ପିୟନସିପ ବିଜେତାଙ୍କୁ ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ, ପୋଲାଣ୍ଡର ଓରେକ୍ଲାଠାରେ ଅନୁଷ୍ଠିତ ବିଶ୍ୱ ଯୁବ ତୀରନ୍ଦାଜୀ ପ୍ରତିଯୋଗିତାରେ ଭାରତର ଆଠଟି ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ପାଞ୍ଚଟି ବ୍ରୋଞ୍ଚ ସମେତ ମୋଟ ୧୫ଟି ପଦକ ହାସଲ କରିଛି। ସେହି ଉପଲକ୍ଷେ ଆଜି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ବିଶ୍ୱ ଯୁବ ତୀରନ୍ଦାଜୀ ଚାମ୍ପିୟନସିପ୍‌ର ବିଜେତାମାନଙ୍କ ସହ ମତବିନିମୟ କରିବା ସହ ସେମାନଙ୍କ ବିଜୟ ଯୋଗୁଁ  ଦେଶ ଗର୍ବିତ ବୋଲି କହି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

ସ୍ୱର୍ଣ୍ଣପଦକ ବିଜୟୀଙ୍କ ମଧ୍ୟରେ ଅଛନ୍ତି କ୍ୟାଡେଟ କମ୍ପାଉଣ୍ଡ ମହିଳାଦଳ, କ୍ୟାଡେଟ କମ୍ପାଉଣ୍ଡ ପୁରୁଷ ଦଳ, କନିଷ୍ଠ ରିଜର୍ଭ ପୁରୁଷ ଦଳ, କ୍ୟାଡେଟ ରିଜର୍ଭ ପୁରୁଷ ଦଳ ଏବଂ ଜୁନିୟର ରିଜର୍ଭ ମିକ୍ସ ଦଳ । କନିଷ୍ଠ ରିଜର୍ଭ ପୁରୁଷ ମିକ୍ସ ଦଳ ଏବଂ କୋମଳିକା ବାରି ଜୁନିୟର ରିକର୍ଭ  ମହିଳା ବ୍ୟକ୍ତିଗତ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ବ୍ୟକ୍ତିଗତ ଓ ମିକ୍ସଡ ଡବଲ୍ସ ପ୍ରତିଯୋଗିତାରେ ଦୁଇଟି ସ୍ୱର୍ଣ୍ଣପଦକ ଜିତିଥିବା କୋମଳିକା ୨୦୧୯ ବିଶ୍ୱ କ୍ୟାଡେଟ ଚାମ୍ପିୟନସିପରେ ମଧ୍ୟ ପଦକ ଜିତିଛନ୍ତି । ଟାରଗେଟ ଅଲିମ୍ପିକ ପୋଡିୟମ ସ୍କିମ୍ କୋର ଟିମର କୋମଳିକା ମଧ୍ୟ ଟାଟା ଏକାଡେମୀର  କ୍ରୀଡାବିତ୍  । ଏନଟିପିସି ମହିଳା ଜୁନିୟର ତୀରନ୍ଦାଜୀ ଜାତୀୟ ଚାମ୍ପିୟନ ଡେରାଡୁନ ୨୦୨୧ ମାର୍ଚ୍ଚରେ କୋମଳିକା ଚାମ୍ପିୟନ ହୋଇଥିଲେ । ଖେଲୋ ଇଣ୍ଡିଆ କ୍ରୀଡାରୁ ଆର୍ବିଭାବ କୋମଳିକା ଖେଲୋ ଇଣ୍ଡିଆ ୨୦୧୯, ୨୦୨୦ ଓ ଗତବର୍ଷ ବିଶ୍ୱ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ମଧ୍ୟ ଅସାଧାରଣ ପ୍ରଦର୍ଶନ କରିଥିଲେ ।

ରୌପ୍ୟ ବିଜୟୀଙ୍କ ମଧ୍ୟରେ ଅଛନ୍ତି ପ୍ର୍ରିୟା ଗୁଜ୍ଜର । ସେ କ୍ୟାଡେଟ କମ୍ପାଉଣ୍ଡ ବ୍ୟକ୍ତିଗତ ଖେଳରେ ବିଜୟୀ ହୋଇଥିବା ବେଳେ ସାକ୍ଷୀ ଚୌଧୁରୀ କମ୍ପାଉଣ୍ଡ ଜୁନିୟର ବ୍ୟକ୍ତିଗତ (ପୁରୁଷ ଓ ମହିଳା) ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ । ବ୍ରୋଞ୍ଚପଦକ ବିଜୟୀ ହେଲେ ପ୍ରଣୀତ କୌର, ରିଷଭ ଯାଦବ, ମଞ୍ଜରୀ ମନୋଜ, ଆଲନ ଏବଂ ବିଶାଲ ଚଙ୍ଗମାଇ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସିଲ୍‌ଭର ଗାନ୍ଧୀଙ୍କୁ ପ୍ରଶଂସା ପତ୍ର ପଠାଇଲେ କେନ୍ଦ୍ର ସ୍ୱଚ୍ଛଭାରତ ଓ ଜଳଶକ୍ତି ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ସିଲ୍‌ଭର ଗାନ୍ଧୀ ଭାବେ ପରିଚିତ ମୋହନ ମହାପାତ୍ର ଦୀର୍ଘଦିନ ଧରି ଦେଶରେ ଶାନ୍ତି ପ୍ରତଷ୍ଠା ପାଇଁ ପଦଯାତ୍ରା ଚଳାଇ ଆସୁଛନ୍ତି। ଗତ ୭୫ତମ ସ୍ୱାଧୀନତା ଦିବସରୁ ନିଜ ପଦଯାତ୍ରା ଆରମ୍ଭ କରି ବନାରସରୁ ଆରମ୍ଭ କରି ଦୀର୍ଘ ୮୦୦ କିଲୋମିଟର ପଦଯାତ୍ରା କରି ଅକ୍ଟୋବର ୨ ତାରିଖରେ ଦିଲ୍ଲୀରେ ପହଞ୍ଚି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରଖିଛନ୍ତି।

ସିଲ୍‌ଭର ଗାନ୍ଧୀଙ୍କ ଏପରି ଉଦ୍ୟମକୁ ପ୍ରଶଂସା କରି କେନ୍ଦ୍ର ସ୍ୱଚ୍ଛଭାରତ ଓ ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱତ ଓଡ଼ିଶା ମନ୍ତ୍ରୀ ପ୍ରତାପ ଜେନାଙ୍କ ମଧ୍ୟମରେ ଏକ ଚିଠି ପ୍ରଦାନ କରିଛନ୍ତି। ତେଣୁ ସିଲ୍‌ଭର ଗାନ୍ଧୀଙ୍କ ଉପରେ ରାଜ୍ୟ ସରକାରଙ୍କ ନଜର ପଡ଼ିଲେ, ସେ ଆଗକୁ ପଦଯାତ୍ରା ବଜାୟ ରଖିବେ ବୋଲି ସିଲଭର ଗାନ୍ଧୀଙ୍କ କୋଚ ଲିମ୍‌କା ୟୁନିକ୍ ଇଣ୍ଡିଆ ୱାଲର୍ଡ଼ ରେକର୍ଡ଼କାରୀ, ଗାନ୍ଧିବାଦୀ, ଭୁବନେଶ୍ୱର, ପ୍ରଚାରକ, ମୁଖ୍ୟମନ୍ତ୍ରୀଙ୍କ ଅହିଂସା ରଥ ମୁଖ୍ୟ ଅଶୋକ କୁମାର ସାହୁ କହିଛନ୍ତି।

ଏଠାରେ ପ୍ରକାଶଯୋଗ୍ୟ ଯେ ପୂର୍ବରୁ ସିଲ୍‌ଭର ଗାନ୍ଧୀଙ୍କ ଉପରେ ଏକ ହିନ୍ଦୀ ଚଳଚ୍ଚିତ୍ର ନର୍ମାଣ ହୋଇ ପ୍ରଧାମନ୍ତ୍ରୀଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରପଡା ଜିଲ୍ଲାର ଖରସ୍ରୋତା ନଦୀ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କଲେ ବିଜେପି ଟିମ୍

ଭୁବନେଶ୍ୱର, ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ଖରସ୍ରୋତା ନଦୀ ଅଂଚଳ ବୁଲି  ସ୍ଥିତି ନିରୀକ୍ଷଣ କରିଛନ୍ତି । ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା ଓ ଅନୀତା ଶୁଭଦର୍ଶୀନି, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ରାଜ୍ୟ ମୁଖପାତ୍ର ଡ.ଯତୀନ ମହାନ୍ତି, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦଳଗୋବିନ୍ଦ ନାୟକ, ଭୂବନ ମୋହନ ଜେନା, ବିଷ୍ନୁ ଦାଶ, ଅଲେଖ ଜେନା, ଜିଲ୍ଲା ସଭାପତି କିଶୋର ପଣ୍ଡାଙ୍କ ସମେତ ବହୁ ନେତୃବୃନ୍ଦ ସାମିଲ ଥିଲେ ।

ଯେଉଁ ପ୍ରକଳ୍ପ ଆଳରେ ଖରସ୍ରୋତା ନଦୀରୁ ପାଣି ଅନ୍ୟ ଜିଲ୍ଲାକୁ ନେବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି, ତାହା ସଂପୂର୍ଣ୍ଣ ଅବାଂଚିତ ବୋଲି ପୃଥୀରାଜ କହିଛନ୍ତି । ରାଜ୍ୟ ସରକାର କେନ୍ଦ୍ରାପଡା ଜିଲ୍ଲାରୁ ପାଣି ଚୋରୀ କରି ଯେଉଁ ଭଳି ଭାବେ ବିଭିନ୍ନ ଓ ବିବିଧ ସୁତ୍ର ଥିବା ସତ୍ୱେ ଭଦ୍ରକ ଜିଲ୍ଲାକୁ ପାଣି ଦେବା ଅତ୍ୟନ୍ତ ଦୁର୍ଭାଗ୍ୟ ଓ ଚିନ୍ତାଜନକ ବୋଲି ସେ କହିଛନ୍ତି ।

ରାଜ୍ୟ ସରକାର ଯଦି ବାସ୍ତବରେ ଲୋକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଉଛନ୍ତି, ତାହେଲେ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ଜନଶୁଣାଣୀ ଜରିଆରେ ପ୍ରକଳ୍ପ କାର୍ଯ୍ୟ କରିବା ଉଚିତ୍ । ମାତ୍ର ରାଜ୍ୟ ସରକାର ତାକୁ ନକରି ବର୍ବରୋଚିତ ଭାବେ ଶକ୍ତି ପ୍ରଦର୍ଶନ କରି ସାଧାରଣ ଲୋକଙ୍କୁ ଗିରଫ କରିବା ଅତ୍ୟନ୍ତ ନିନ୍ଦନୀୟ । ରାଜ୍ୟ ସରକାର ସର୍ବପ୍ରଥମେ ସାଧାରଣ ଜନତାଙ୍କ ଦାବୀକୁ ସମ୍ମାନ ଜଣାଇବା ଉଚିତ୍ ବୋଲି ଶ୍ରୀ ହରିଚନ୍ଦନ ଦାବୀ କରିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀର: ଆତଙ୍କବାଦୀଙ୍କ ଗୁଳିରେ ବିଜେପି ନେତା ଜାଭେଦ୍ ଅହମ୍ମଦ ଦାରଙ୍କ ପ୍ରାଣହାନୀ

ଶ୍ରୀନଗର: ଆଜି ଜମ୍ମୁ କାଶ୍ମୀରର କୁଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ବିଜେପି ନେତାଙ୍କ ମୃତ୍ୟୁ ହୋଇଛି। ଆକ୍ରମଣକାରୀମାନେ ଦକ୍ଷିଣ କାଶ୍ମୀର ଜିଲ୍ଲାର ବ୍ରଜଲୁ ଜାଗିର ଅଞ୍ଚଳରେ ବିଜେପି ନେତା ଜାଭେଦ୍ ଅହମ୍ମଦ ଦାରଙ୍କ ବାସଭବନ ନିକଟରେ ଅପରାହ୍ନ ପ୍ରାୟ ୪.୩୦ ସମୟରେ ଗୁଳି ଚଳାଇଥିଲେ। ଫଳରେ ଦାରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳକୁ ଘେରି ରହିଥିବା ବେଳେ ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ସେହିଭଳି ଅଗଷ୍ଟ ୯ ତାରିଖରେ ମଧ୍ୟ ଆତଙ୍କବାଦୀମାନେ କୁଲଗାମରେ ବିଜେପିର କିସାନ ଜିଲ୍ଲା ୟୁନିଟର ସଭାପତି ଗୁଲାମ ରସୁଲ ଦାରଙ୍କୁ ମଧ୍ୟ ହତ୍ୟା କରିଥିଲେ।

ରାଜନୈତିକ ଦଳ ଗୁଡିକ ଦାରଙ୍କ ହତ୍ୟାକୁ ନିନ୍ଦା କରିଛନ୍ତି। ଜାମ୍ମୁ କାଶ୍ମୀର ବିଜେପି ଟୁଇଟ୍ କରି କହିଛି ଯେ, ଜାଭେଦ୍ ଅହମ୍ମଦ ଦାରଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ ନିନ୍ଦା କରୁଛି, ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ରକ୍ଷା କରାଯିବ ନାହିଁ। ଭଗବାନ ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ଏହି ଶୋକସନ୍ତପ୍ତ ପରିବାରକୁ ଶକ୍ତି ଦିଅନ୍ତୁ।

Categories
ଆଜିର ଖବର ଜାତୀୟ ଖବର

ପେଗାଶସ୍ ଗୁପ୍ତଚର ମାମଲାରେ କେନ୍ଦ୍ର ସରକାରକୁ ନୋଟିସ ଜାରୀ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ଚଳିତ ସଂସଦ ଅଧିବେସନରେ ପେଗାଶସ ଗୁପ୍ତଚର ମାମଲା ହାଙ୍ଗମା ସୃଷ୍ଟି କରିଥିବା ବେଳେ ବର୍ତ୍ତମାନ ଏହି ମାମଲା କୋର୍ଟରେ ପହଁଚିଛି। ଆଜି ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଏନ ଭି ରମଣାଙ୍କ ବେଞ୍ଚ ଏହାର ଶୁଣାଣି କରି କେନ୍ଦ୍ରକୁ ନୋଟିସ ଜାରୀ କରିଛନ୍ତି। ଏହି ବେଞ୍ଚ କହିଛନ୍ତି ଯେ, ଯେଉଁ ଅଭିଯୋଗ ଆସିଛି ତାହାର ଜବାବ କେନ୍ଦ୍ର ସରକାର ରଖିବା ଆବଶ୍ୟକ।

ଦେଶର ସୁରକ୍ଷା ସଂପର୍କିତ ଉପରେ ବେଞ୍ଚ କୌଣସି ତଥ୍ୟ ମାଗୁ ନାହିଁ। ହେଲେ ସାଧାରଣ ନାଗରିକମାନେ ଯେଉଁ ଅଭିଯୋଗ କରିଛନ୍ତି ତାହା ଉପରେ କେନ୍ଦ୍ର ଜବାବ ରଖୁ ବୋଲି କୋର୍ଟ କହିଛନ୍ତି। ଏହି ମାମଲାର ପରବର୍ତ୍ତି ଶୁଣାଣି ଆଉ 10 ଦିନ ପରେ ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି।

Categories
ଖେଳ ବିଶେଷ ଖବର ରାଜ୍ୟ ଖବର

BREAKING: ଭାରତୀୟ ହକି ପାଇଁ ଆହୁରି 10 ବର୍ଷ ପ୍ରାୟୋଜକ ହେବ ଓଡିଶା, ନବୀନଙ୍କ ଘୋଷଣା

ଭୁବନେଶ୍ୱର:  ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅଲିମ୍ପିକ୍ ହକି ହିରୋମାନଙ୍କ ପାଇଁ ଅନୁଷ୍ଠିତ ଏକ ସମାରୋହରେ ଟୋକିଓ ଅଲିମ୍ପିକ୍ସରେ ନିଜର ଚମତ୍କାର ପ୍ରଦର୍ଶନ ସହିତ ଇତିହାସ ରଚନା କରିଥିବା ଭାରତୀୟ ଜାତୀୟ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ସେମାନଙ୍କର ସଫଳତା ଏବଂ ବିଶ୍ବର ଶ୍ରେଷ୍ଠ ଦଳ ହେବାର ସମ୍ଭାବନାକୁ ସ୍ୱୀକୃତି ଦେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଓଡିଶା ଆଉ 10 ବର୍ଷ ପର୍ଯ୍ୟନ୍ତ ଭାରତୀୟ ହକି ଦଳକୁ ପ୍ରାୟୋଜିତ କରିବ।

ଫଳରେ ଓଡିଶା 2033 ପର୍ଯ୍ୟନ୍ତ ଏହାର ପ୍ରାୟୋଜକ ରହିବ। ବର୍ତ୍ତମାନର ଚୁକ୍ତି ଅନୁସାରେ ଓଡିଶା 2023 ପର୍ଯ୍ୟନ୍ତ ପ୍ରାୟୋଜକ ଥିଲା। ହେଲେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏହାର ସମୟସୀମା ଆହୁରି ବୃଦ୍ଧି ଘଟିଲା। ଏହାକୁ ନେଇ ଭୁବନେଶ୍ବରରେ ଉପସ୍ଥିତ ଥିବା ଉଭୟ ମହିଳା ଓ ପୁରୁଷ ହକି ଖେଳାଳୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଥିଲା। ଏପରିକି ହକି ଇଣ୍ଡିଆର ଆୟୋଜକମାନେ ମଧ୍ୟ ନବୀନଙ୍କ ଏହି ଘୋଷଣାକୁ ସ୍ବାଗତ କରିଥିଲେ।

ଆଜି ଭୁବନେଶ୍ବରର ଲୋକସେବା ଭବନ ପ୍ରେକ୍ଷାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ହକି ଖେଳାଳୀଙ୍କୁ ଅଭିନନ୍ଦନ କରିଥିଲେ। ମୁଖ୍ୟମନ୍ତ୍ରୀ କ୍ୟାପଟେନ ରାନୀ ରାମପାଲ ଏବଂ ମହିଳା ଦଳକୁ ଅଭିନନ୍ଦନ ଜଣାଇବା ସହ କ୍ୟାପଟେନ, ମନପ୍ରୀତ ସିଂ ଏବଂ ପୁରୁଷ ଦଳକୁ ମଧ୍ୟ ବ୍ରୋଞ୍ଜ ମେଡାଲ ଭାରତ ପାଇଁ ଏକ ସୁନାଠାରୁ କମ୍ ନୁହେଁ ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ପ୍ରତ୍ୟେକ ଖେଳାଳିଙ୍କୁ 10 ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ସହାୟତା କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ 5 ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ସମ୍ମାନ ଏବଂ କୃତଜ୍ଞତାର ଏକ ଟୋକନ୍ ଭାବରେ, ପ୍ରତ୍ୟେକ ଦଳ ଖେଳାଳିଙ୍କ ଦ୍ୱାରା ଅଟୋଗ୍ରାଫ୍ ହୋଇଥିବା ଏକ ଫ୍ରେମ୍ ହୋଇଥିବା ଜର୍ସିକୁ ହକି ଇଣ୍ଡିଆ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦିଆଯାଇଥିଲା।

ଏହି ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ଟୋକିଓରେ ତୁମର ଅକ୍ଲାନ୍ତ ​​ସଂଗ୍ରାମ ଦ୍ୱାରା ତୁମେ ଆମ ସମସ୍ତଙ୍କୁ ଗର୍ବିତ କରିଛ।  ଭାରତୀୟ ହକିର ପୁନର୍ଜୀବନ ପାଇବା ସହ ଭାରତ ପାଇଁ ଏହା ଗଭୀର ଭାବପ୍ରବଣ ମୁହୂର୍ତ୍ତ ଥିଲା।

ପ୍ରାୟ ଚାରି ଦଶନ୍ଧି ଧରି ହକି ପ୍ରଶଂସକମାନେ ଅଲିମ୍ପିକ୍ସରେ ଭାରତ ପଦକ ହାସଲ କରୁ ବୋଲି ଆଗ୍ରହ ସହ ଅପେକ୍ଷା କରିଥିଲେ।  ହକି ଦଳର ମ୍ୟାଚ୍ ଦେଖିବା ପାଇଁ ସମଗ୍ର ଦେଶ ଯେପରି ସିଧାପ୍ରସାରଣ ଦେଖିଥିଲେ ସେଥିରୁ ସ୍ପଷ୍ଟ ଯେ ବିଭିନ୍ନ  କ୍ରୀଡା ମଧ୍ୟରେ ହକିରେ କିଛି ଅଧିକ ସ୍ବତନ୍ତ୍ରତା ଅଛି।

କୋଭିଡ ମହାମାରୀର ସଙ୍କଟ ସମୟରେ ଦଳ କୋଟି କୋଟି ଭାରତୀୟଙ୍କ ମୁହଁରେ ହସ ଆଣିଛି। ନବୀନ କହିଛନ୍ତି, ଆମେ ଓଡିଶାରେ ଆନନ୍ଦିତ ଯେ ହକି ଇଣ୍ଡିଆ ସହ ଆମର ସହଭାଗିତା ଦେଶ ପାଇଁ ଏହି ମହତ୍ ସଫଳତା ହାସଲ କରିଛି।  ମୁଁ ବିଶ୍ୱାସ କରେ, ଓଡିଶା ଏବଂ ହକି ଓତଃପ୍ରାତ ଭାବେ ଜଡିତ ରହିଛି।

ଆମେ ହକି ଇଣ୍ଡିଆ ସହିତ ଆମର ସହଭାଗିତା ସବୁବେଳେ ଜାରି ରଖିବୁ। ଆଉ 10 ବର୍ଷ ପାଇଁ ଓଡିଶା ଭାରତୀୟ ହକି ଦଳକୁ ସମର୍ଥନ କରିବ।  ଏହା ଭାରତୀୟ ହକିର ଏକ ନୂତନ ଯୁଗର ପ୍ରଚାର କରିବ ଏବଂ ଦେଶର ଗୌରବ ଫେରାଇ ଆଣିବ ବୋଲି ନବୀନ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚାଷୀ ମୁଣ୍ଡରେ ଚଡକ: ଜମି ଫାଟି ଆଁ, ଆଗାମୀ ୫ ଦିନ ମଧ୍ୟରେ ବର୍ଷା ନହଲେ ସ୍ଥିତି ହେବ ସାଂଘାତିକ

କନ୍ଦର୍ପ ବେହେରା
ରେଢାଖୋଲ: ଚଳିତ ବର୍ଷ ବର୍ଷାର ଅନିୟମିତତା ଯୋଗୁଁ ନାକଟିଦେଉଳ ବ୍ଲକର ୧୪ ଟି ପଂଚାୟତରେ ମରୁଡି ଦେଖା ଯିବାର ସଂଭାବନ ରହିଛି। ଜୁନ୍ ମାସ ଯାଇ ଅଗଷ୍ଟ ସରିବାକୁ ବସିଲାଣି ହେଲେ ଯେତିକି ପରିମାଣର ବର୍ଷା ହେବା କଥା ହୋଇ ନାହିଁ। ବ୍ଲକର କିସିଣ୍ଡା, ପାଣିମୋରା, ଗିରଶ୍ଚନ୍ଦ୍ରପୁର, ସରାପାଲି, ଡଇଁଚା, ଶିମିଳିପାଳ, ଘୋଷରାମାଳ, ବଳମ୍, ବାଟଗାଁ ଆଦି ପଂଚାୟତରେ ଚାଷୀମାନେ ଚାଷ ବେଉଷଣ କରିପାରି ନାହାନ୍ତି କି ଧାନ ରୋପଣ କରିପାରି ନାହାନ୍ତି। ଜମି ଫାଟି ଆଁ କରିଛି।

ଜମିରେ ପାଣି ମୁନ୍ଦାଏ ମଧ୍ୟ ନାହିଁ। ଚାଷୀ ମୁଣ୍ଡରେ ଚଡକ ପଶିଛି। ଆଗାମୀ ୫ ଦିନ ମଧ୍ୟରେ ବର୍ଷା ନ ହେଲେ ମରୁଡି ହେବାର ସଂଭାବନାକୁ ଏଡାଇ ଦିଆ ଯାଇ ନ ପାରେ। ଧାନ ଗଛ ଗୁଡିକ ପାଣି ଅଭାବରୁ ମରିଯିବା ସହ ଧାନ ଗଛ ସବୁ ହଳଦିଆ ଦିଶିଲାଣି। ବହୁ ସ୍ଥାନରେ ତଳି ପଡିଛି ବର୍ଷା ଅଭାବରୁ। କୃଷି ବିଭାଗ ଏ ଦିଗରେ ବିହୀତ ପଦକ୍ଷେପ ନେବା ପାଇଁ ଦାବୀ କରିଛନ୍ତି ନାକଟିଦେଉଳ ବ୍ଲକ ର ଚାଷୀମାନେ। ୩୧/୭/୨୦୨୧ ପର୍ଯ୍ୟନ୍ତ କୃଷିବୀମାର ଅବଧି ଥିବା ବେଳେ ସଚେତନତାର ଅଭାବରୁ କୃଷି ବୀମାରୁ ବଂଚିତ ହୋଇଛନ୍ତି ବହୁ ଚାଷୀ। ସରକାର କୃଷିବୀମା ତାରିଖକୁ ବୃଦ୍ଧି କରିବାକୁ ଚାଷୀ ମାନେ ଦାବୀ ମଧ୍ୟ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ବୈଜ୍ଞାନିକ ଡକ୍ଟର ବାସୁଦେବ ବେହେରାଙ୍କୁ ମିଳିଲା ଜାତୀୟ ପୁରସ୍କାର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ବୈଜ୍ଞାନିକ ଡକ୍ଟର ବାସୁଦେବ ବେହେରାଙ୍କୁ ୨୦୧୯ ମସିହା ପାଇଁ ଡକ୍ଟର ଜେ.ଭେଙ୍କଟେଶ୍ୱରଲୁ ପୁରସ୍କାର ପ୍ରଦାନ କରାଯାଇଛି। ଶୁଷ୍କାଂଚଳ କୃଷି ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତ୍ୟେକ ବର୍ଷ ଏହି ପୁରସ୍କାର ହାଇଦରାବାଦ ସ୍ଥିତ ଭାରତୀୟ ଶୁଷ୍କାଂଚଳ କୃଷି ସଂଗଠନ ଦ୍ୱାରା ପ୍ରଦାନ କରାଯାଇଥାଏ।

ଏହି ଉପଲକ୍ଷେ ସୋମବାର ହାଇଦ୍ରାବାଦ ସ୍ଥିତ କେନ୍ଦ୍ରୀୟ ଶୁଷ୍କାଂଚଳ କୃଷି ଗବେଷଣା ପ୍ରତିଷ୍ଠାନ ଓ ଭାରତୀୟ ଶୁଷ୍କାଂଚଳ କୃଷି ସଂଗଠନର ମିଳିତ ଆନୁକୂଲ୍ୟରେ “ଶୁଷ୍କାଂଚଳ କୃଷିରେ ଖାଦ୍ୟ ଓ ପୁଷ୍ଟି ନିରାପତା ପାଇଁ ସମସ୍ୟା ଓ ସୁଯୋଗ” ଉପରେ କର୍ମଶାଳା ଆୟୋଜନ କରାଯାଇଥିଲା। ଅପରାହ୍ଣରେ ପୁରସ୍କାର ପ୍ରଦାନ ଉତ୍ସବ ଉଭୟ ହାଇଦ୍ରାବାଦ ଓ ଭୁବନେଶ୍ୱରରେ ପ୍ରକୃତ ତଥା ଆଭାସି ବ୍ୟବସ୍ଥାରେ ଆୟୋଜିତ ହୋଇଥିଲା।

ସୋଆ ବିଶ୍ୱବିଦ୍ୟାଳୟର କୃଷି ବିଜ୍ଞାନ ପ୍ରତିଷ୍ଠାନରେ ଆୟୋଜିତ ଏହି ଉତ୍ସବରେ ଉପକୁଳପତି ପ୍ରଫେସର ପି.କେ. ନନ୍ଦ, ଅଧ୍ୟକ୍ଷ ପ୍ରଫେସର ବି.କେ ସାହୁ, ପିଜି ଅଧ୍ୟକ୍ଷ ପ୍ରଫେସର. ପ୍ରେମାନନ୍ଦ ମହାପାତ୍ର, ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ, ଭାରତୀୟ ମୃତିକା ଓ ଜଳ ସଂରକ୍ଷଣ ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ଡ. ପି.କେ. ମିଶ୍ର, ଓୟୁଏଟିର ବୈଜ୍ଞାନିକ ଡ. ଦିଲ୍ଲିପ କୁମାର ବସ୍ତିଆ ଓ ଡ. ସୁବ୍ରତ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ହାଇଦ୍ରାବାଦରେ ଆୟୋଜିତ ଉତ୍ସବରେ, କେନ୍ଦ୍ରୀୟ ଶୁଷ୍କାଂଚଳ କୃଷି ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ଭି.କେ. ସିଂହ, ବୈଜ୍ଞାନିକ ଡ. ଜି. ରବିନ୍ଦ୍ରାଚାରୀ ଓ ଡ. ମହମ୍ମଦ ଓସମାନ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଉତ୍ସବରେ ଡ. ବାସୁଦେବ ବେହେରା ତାଙ୍କର ଗବେଷଣା କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ପରିଶେଷର ଡ. ବେହେରାଙ୍କୁ ପଦକ, ମାନପତ୍ର ଓ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ପ୍ରାୟ ୧୦୦୦ ବୈଜ୍ଞାନିକ ଓ ଛାତ୍ରଛାତ୍ରୀ ଆଭାସି ବ୍ୟବସ୍ଥାରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧ ହଜାର ୬୪ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୮୬, ଜଗତସିଂହପୁରରୁ ୮୭, ବାଲେଶ୍ବରରୁ ୭୧, କଟକରୁ ୬୩, ପୁରୀରୁ ୫୦, ଯାଜପୁରରୁ ୪୩, ଅନୁଗୁଳରୁ ୪୦, ଭଦ୍ରକରୁ ୩୯, ନୟାଗଡରୁ ୨୮, ଢେଙ୍କାନାଳରୁ ୨୫, ମୟୂରଭଞ୍ଜରୁ ୨୫, କେନ୍ଦ୍ରାପଡାରୁ ୨୨, କେନ୍ଦୁଝରରୁ ୨୦, ସୁନ୍ଦରଗଡରୁ ୧୧, ବରଗଡରୁ ୯, କନ୍ଧମାଳରୁ ୯, ସମ୍ବଲପୁରରୁ ୯, କୋରାପୁଟରୁ ୬, ମାଲକାନାଗିରିରୁ ୬, ଦେବଗଡରୁ ୫, ଗଜପତିରୁ ୫, ଗଞ୍ଜାମରୁ ୫, ରାୟଗଡାରୁ ୫, ଝାରସୁଗୁଡାରୁ ୪, ସୋନପୁରରୁ ୪, କଳାହାଣ୍ଡିରୁ 2, ବୌଦ୍ଧରୁ ୧ ଏବଂ  ଏବଂ ଷ୍ଟେଟ ପୁଲରୁ ୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୮୦ ହଜାର ୪୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୬ ହଜାର ୧୫୩ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮ ହଜାର ୬୦୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୨୧ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ପୁରୀ-ଦୁର୍ଗ ଏବଂ ଭୁବନେଶ୍ୱର-ନୟାଗଡ଼ ଟାଉନ ସ୍ବତନ୍ତ୍ର ଟ୍ରେନ ସେବା ପୁନଃ ଚଳାଚଳ

ଭୁବନେଶ୍ବର, ଯାତ୍ରୀମାନଙ୍କ ସୁବିଧା ପାଇଁ, ପୁରୀ-ଦୁର୍ଗ-ପୁରୀ ସ୍ପେଶାଲ ଏବଂ ଭୁବନେଶ୍ୱର-ନୟାଗଡ଼ ଟାଉନ-ଭୁବନେଶ୍ୱର ସ୍ପେଶାଲର ସେବା ପୁନଃ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି।

୦୮୪୨୫/୦୮୪୨୬ ପୁରୀ-ଦୁର୍ଗ-ପୁରୀ ସ୍ପେଶାଲ୍ ପୁରୀରୁ ୨୧ ଅଗଷ୍ଟ, ୨୦୨୧ ଠାରୁ ଏବଂ ଦୁର୍ଗ ରୁ ୨୨ ଅଗଷ୍ଟ, ୨୦୨୧ ଠାରୁ ପରବର୍ତ୍ତୀ ପରାମର୍ଶ ପର‌୍ୟ୍ୟନ୍ତ ଚଳାଚଳ କରିବ।

ସେହିପରି ୦୮୪୨୩/୦୮୪୨୪ ଭୁବନେଶ୍ୱର-ନୟାଗଡ଼ ଟାଉନ୍-ଭୁବନେଶ୍ୱର ସ୍ପେଶାଲ୍ ୩୧ ଅଗଷ୍ଟ, ୨୦୨୧ ଠାରୁ ଭୁବନେଶ୍ୱରରୁ ଏବଂ ସେପ୍ଟେମ୍ବର ମାସ ପହିଲା ଠାରୁ ନୟାଗଡ଼ ଟାଉନ୍ ଠାରୁ ପରବର୍ତ୍ତୀ ପରାମର୍ଶ ପର‌୍ୟ୍ୟନ୍ତ ଚଳାଚଳ କରିବ।

ଏହି ଟ୍ରେନ ଦ୍ବୟ ପାଇଁ ନିର୍ଧାରିତ ଷ୍ଟେସନ ଓ ସମୟ ସାରଣୀ ଅପରିବର୍ତ୍ତିତ ରହିବ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ରାଜ୍ୟ ଖବର ସ୍ବାସ୍ଥ୍ୟ

ଦହିର ବ୍ୟବହାର ଓଜନ ହ୍ରାସ କରିବା ପାଇଁ ଉପଯୋଗୀ, ଏହାକୁ ଖାଇବା ପାଇଁ ଜାଣନ୍ତୁ ସଠିକ୍ ଉପାୟ

ନୂଆଦିଲ୍ଲୀ: ଦହି ଏକ ଏଭଳି ଖାଦ୍ୟ, ଯାହା ଅଧିକାଂଶ ଭାରତୀୟ ଲୋକ ଏହାକୁ ମୁଖ୍ୟ ଖାଦ୍ୟ ରୂପେ ବ୍ୟବହାର କରିଥାନ୍ତି। ଦହିକୁ ରାଇତା ଠାରୁ ଆରମ୍ଭ କରି ଗ୍ରେଭି ଏବଂ ଛାସ ପର୍ଯ୍ୟନ୍ତ ସବୁଥିରେ ବ୍ୟବହୃତ କରାଯାଏ। ଦହିର ମଲ୍ଟି-ଡାଇମେନ୍ସିଆଲ୍ ଗୁଣ ଅନେକ ରୋଷେୟାଙ୍କୁ ପିଢୀରୁ ପିଢୀ ପର୍ଯ୍ୟନ୍ତ ଧ୍ୟାନ ଆକର୍ଷଣ କରିଛି। ଦହି ଖାଇବାର ଅନେକ ଲାଭ ଅଛି, ଯାହା ଏହାକୁ ପୁଷ୍ଟିକର ବିଶେଷଜ୍ଞ ଏବଂ ଫିଟନେସ୍ ପ୍ରେମୀମାନଙ୍କ ପାଇଁ ସବୁଠାରୁ ପ୍ରିୟ ସୁପର ଫୁଡ୍ ହୋଇଥାଏ। ଦହି ହେଉଛି ଗୁରୁତ୍ୱପୂର୍ଣ୍ଣ ଭିଟାମିନ୍ ଏବଂ ଖଣିଜ ପଦାର୍ଥ ଯେପରିକି କ୍ୟାଲସିୟମ୍, ଭିଟାମିନ୍ ବି-୨, ଭିଟାମିନ୍ ବି -୧୨, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ପରିପୂର୍ଣ୍ଣ ଥାଏ।

ଏହା ଅନ୍ତସ୍ଥ ମାଇକ୍ରୋବିଓମ୍ ଯଥା ଅନ୍ତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ। ଦହି ହାଡର ସ୍ୱାସ୍ଥ୍ୟ, ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ, କୋଲେଷ୍ଟ୍ରଲକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ଏବଂ ଉଚ୍ଚ ରକ୍ତଚାପକୁ ହ୍ରାସ କରିଥାଏ। ଏହା ବ୍ୟତୀତ ଏହାର ଥଣ୍ଡା ଗୁଣ ମଧ୍ୟ ଅଛି। କେବଳ ଏତିକି ନୁହେଁ, ଏକ ପାତ୍ର ଦହି ମଧ୍ୟ ଏକ କିମ୍ବା ଦୁଇ ପାଉଣ୍ଡ ଓଜନ କାଟିବାରେ ସାହାଯ୍ୟ କରିଥାଏ।

ହଜମ କରିବାରେ ସାହାଯ୍ୟ କରେ:

ଦହି ପ୍ରୋବାୟୋଟିକ୍ ଉପାଦାନରେ ଭରପୂର, ଯାହା ହଜମ କରିବାରେ ସାହାଯ୍ୟ କରିଥାଏ ଏବଂ ପେଟର ସମସ୍ୟାଣକୁ ହ୍ରାସ କରିଥାଏ। ଖରାପ ହଜମ ହେବା ଦ୍ଵାରା ଓଜନ ବୃଦ୍ଧି ହୋଇପାରେ, ଯେହେତୁ ଆମେ ଆମର ପୁଷ୍ଟିକର ଖାଦ୍ୟକୁ ସଠିକ୍ ଭାବରେ ଗ୍ରହଣ କରିପାରୁ ନାହୁଁ। ଯଦି ଆମ ଶରୀରରୁ ବର୍ଜ୍ୟବସ୍ତୁ ସଂପୂର୍ଣ୍ଣ ରୂପେ ବାହାର କରାଯାଇ ନଥାଏ, ତେବେ ଏହା ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ।

ଦହିରେ ଭରପୂର ପ୍ରୋଟିନ ଥାଏ:

ଏକ ଦୁଗ୍ଧଜାତ ଦ୍ରବ୍ୟ ହୋଇଥିବାରୁ ଦହି ପ୍ରୋଟିନରେ ଭରପୂର ଅଟେ। ପ୍ରୋଟିନ୍ ଆପଣଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକିଲା ଅନୁଭବ କରିବାକୁ ଦିଏ ନାହିଁ, ଏହି ଉପାୟରେ ଆପଣ ଚର୍ବିଯୁକ୍ତ ଖାଦ୍ୟ ଖାଇବା ବନ୍ଦ କରନ୍ତି। ଦହି ଏକ ଭରପୂର ଖାଦ୍ୟ। ଦହିରେ ପ୍ରାୟ ୭୦-୮୦ ପ୍ରତିଶତ କେବଳ ଜଳ ଥାଏ।

ଦହିରେ କ୍ୟାଲସିୟମ ଭରପୂର ଥାଏ:

ଦହିରେ କ୍ୟାଲସିୟମ ମଧ୍ୟ ଭରପୂର ଥାଏ। ଏଥିରୁ ଏହା ମଧ୍ୟ ଆକଳନ କରାଯାଇପାରେ ଯେ ୧୦୦ ଗ୍ରାମ ଦହିରେ ପ୍ରାୟ ୮୦ ମିଗ୍ରା କ୍ୟାଲସିୟମ ମିଳିଥାଏ। ଦହିରେ ଅଧିକ କ୍ୟାଲସିୟମ ଥିବା ପଦାର୍ଥ କେବଳ ଆପଣଙ୍କ ହାଡ ଏବଂ ଦାନ୍ତକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରେ ନାହିଁ ବରଂ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ। ଅନୁସନ୍ଧାନ ଦାବି କରେ ଯେ କ୍ୟାଲସିୟମ୍ ତୁମର ମେଟାବୋଲିଜିମ୍ କୁ ତ୍ୱରାନ୍ୱିତ କରିପାରିବ ଏବଂ ଆପଣ ଚାହୁଁଥିବା ସର୍ବଦା ପତଳା ଅଣ୍ଟା ପାଇବାରେ ସାହାଯ୍ୟ କରିବ।