Categories
ଆଜିର ଖବର ରାଜ୍ୟ ଖବର

ଏହି ତାରିଖରୁ ଆରମ୍ଭ ହେବ ଯୁକ୍ତ-୩ ର ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ଯୁକ୍ତ-୩ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏହି ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ସେପ୍ଟେମ୍ବର ୯ ତାରିଖରେ ଏହାର ପ୍ରଥମ କର୍ଟ ଅଫ ତାଲିକା ପ୍ରକାଶ ପାଇବ। ସେହିପରି ଦ୍ୱିତୀୟ କର୍ଟ ଅଫ ତାଲିକା ସେପ୍ଟେମ୍ବର ୨୧ ତାରିଖରେ ପ୍ରକାଶ ପାଇବ। ସାମ୍ସ ପୋର୍ଟାଲ ମାଧ୍ୟମରେ ସେପ୍ଟେମ୍ବର ୯ ରୁ ୧୪ ତାରିଖ ମଧ୍ୟରେ ଆବେଦନ ପାଇଁ ଆବଶ୍ୟକ ଫି ଦାଖଲ କରାଯିବ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର

ଅକ୍ଟୋବର ୨୪ ରେ ଭାରତ-ପାକିସ୍ତାନ ମଧ୍ୟରେ ମହା-ମୁକାବିଲା: ପଢନ୍ତୁ ଟି -୨୦ ବିଶ୍ୱକପର କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଆସନ୍ତା ଟି -୨୦ ବିଶ୍ୱକପ୍‌ର କାର୍ଯ୍ୟସୂଚୀ ଘୋଷଣା କରିଛି। ଅକ୍ଟୋବର ୨୪ ତାରିଖରେ ପାକିସ୍ତାନ ବିରୋଧରେ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ନିଜର ଅଭିଯାନ ଆରମ୍ଭ କରିବ। ଏହି ବିଶ୍ୱକପ୍‌ର ଗ୍ରୁପ୍‌- ୨ରେ ଉଭୟ ଭାରତ ଏବଂ ପାକିସ୍ତାନ ସ୍ଥାନିତ ହୋଇଛନ୍ତି। ଆଇସିସି ଆଜି ଏକ ଡିଜିଟାଲ ଶୋ’ରେ ଟି -୨୦ ବିଶ୍ୱକପ୍‌ର କାର୍ଯ୍ୟସୂଚୀ ଘୋଷଣା କରିଛି। ଏଥି ସହିତ ତାଲିବାନ ନିୟନ୍ତ୍ରଣରେ ଆସିଥିବା ଆଫଗାନିସ୍ତାନ ୨୫ ଅକ୍ଟୋବରରେ ଶାରଜାଠାରେ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳିବ।

ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଅକ୍ଟୋବର ୩୧ ତାରିଖରେ ନ୍ୟୁଜିଲ୍ୟାଣ୍ଡ ଏବଂ ନଭେମ୍ବର ୩ ତାରିଖରେ ଆଫଗାନିସ୍ତାନକୁ ଭେଟିବ।

ଉଲ୍ଲେଖ ଯୋଗ୍ୟ ଯେ, ଅକ୍ଟୋବର ୧୭ ତାରିଖରୁ ନଭେମ୍ବର ୧୪ ତାରିଖ ମଧ୍ୟରେ ୟୁଏଇ ଏବଂ ଓମାନରେ ଟି -୨୦ ବିଶ୍ୱକପ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ନଭେମ୍ବର ୧୦ ତାରିଖରେ ଏବଂ ଦ୍ୱିତୀୟ ସେମିଫାଇନାଲ ନଭେମ୍ବର ୧୧ ତାରିଖରେ ଖେଳାଯିବ। ଟି -୨୦ ବିଶ୍ୱକପ୍‌ର ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୪ ତାରିଖରେ ଖେଳାଯିବ। ନଭେମ୍ବର ୧୫ ତାରିଖ ଟି ଫାଇନାଲ ପାଇଁ ରିଜର୍ଭ ଦିନ ଭାବେ ରଖାଯାଇଛି।

ଅକ୍ଟୋବର ୧୭ ତାରିଖରୁ ଯୋଗ୍ୟତା ପର୍ଯ୍ୟାୟ:

ଉଭୟ ଗ୍ରୁପ୍-୧ ଏବଂ ଗ୍ରୁପ୍-୨ ସମେତ ମୋଟ ଆଠଟି ଦଳ ସୁପର-୧୨ ରେ ସ୍ଥାନ ପାଇ ସାରିଛନ୍ତି। ଏହି ଆଠଟି ଦଳକୁ ଦୁଇଟି ଗୃପ ଯଥା ଗ୍ରୁପ୍ ଏ ଏବଂ ଗ୍ରୁପ୍ ବିରେ ବିଭକ୍ତ କରାଯାଇଛି। ବର୍ତ୍ତମାନ ସୁପର-୧୨ ରେ ପ୍ରବେଶ କରିବାକୁ ପ୍ରଥମ ରାଉଣ୍ଡରେ ଆଠଟି ଦଳ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଖେଳିବାକୁ ପଡିବ। ଏହି ୮ ଟି ଦଳରୁ ୪ ଦୁଇଟି ଗୃପର ଶ୍ରେଷ୍ଠ ୪ ଟି ଦଳ ସୁପର-୧୨ ପାଇଁ ଉନ୍ନୀତ ହେବେ।

ଅକ୍ଟୋବର ୧୭ ତାରିଖରେ ଆୟୋଜକ ଓମାନ ଏବଂ ପାପୁଆ ନ୍ୟୁ ଗିନି (ପିଏନଜି) ମଧ୍ୟରେ ଖେଳାଯିବାକୁ ଥିବା ଗ୍ରୁପ୍ ବି ର ପ୍ରଥମ ଯୋଗ୍ୟତା ମ୍ୟାଚ୍ ସହିତ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ସେହି ଦିନ ଦ୍ୱିତୀୟ ମ୍ୟାଚ୍ ସ୍କଟଲ୍ୟାଣ୍ଡ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବ। ଗ୍ରୁପ୍ ବିରେ, ଆୟର୍ଲାଣ୍ଡ-ନେଦରଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା-ନାମିବିଆ ମଧ୍ୟରେ ମ୍ୟାଚ୍ ଅକ୍ଟୋବର ୧୮ ତାରିଖ ରେ ଆବୁଧାବିରେ ଖେଳାଯିବ।

ବିସିସିଆଇ “ଟି -୨୦ ବିଶ୍ୱକପ୍ ର ଆୟୋଜକ ହେବ। ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ, ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମ ଏବଂ ଓମାନ କ୍ରିକେଟ୍ ଏକାଡେମୀ ଗ୍ରାଉଣ୍ଡରେ ଖେଳାଯିବ।

ଦ୍ୱିତୀୟ ରାଉଣ୍ଡ ସୁପର-୧୨:

ଟି -୨୦ ବିଶ୍ୱକପ ପାଇଁ ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଏବଂ ଆଫଗାନିସ୍ତାନ ସହିତ ଭାରତ ଗ୍ରୁପ -୨ ରେ ସ୍ଥାନ ପାଇଛି। ଯୋଗ୍ୟତା ପର୍ଯ୍ୟାୟ ପରେ ଏଥିରେ ଗ୍ରୁପ୍ ବି ର ବିଜେତା ଦଳ ଏବଂ ଗ୍ରୁପ୍ ଏ ର ରନର୍ ଅପ୍ ଦଳ ଅନ୍ତର୍ଭୁକ୍ତ ହେବ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାର ଦଳ ଗ୍ରୁପ୍ -୧ ରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ପ୍ରଥମ ରାଉଣ୍ଡ ପରେ ଏଥିରେ ଗ୍ରୁପ୍ -ଏ ର ବିଜେତା ଦଳ ଏବଂ ଗ୍ରୁପ୍ -ବି ରନର୍ ଅପ୍ ଦଳ ଅନ୍ତର୍ଭୁକ୍ତ ହେବ।

ଅକ୍ଟୋବର-୨୩ ତାରିଖରୁ ସୁପର-୧୨ ଖେଳାଯିବ। ପ୍ରଥମ ମ୍ୟାଚ୍ ଗ୍ରୁପ୍ -୧ ରେ ଅନ୍ତର୍ଭୁକ୍ତ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ସେହି ଦିନ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ସଂଘର୍ଷ ହେବ।

ଭାରତ ଦଳର କାର୍ଯ୍ୟସୂଚୀ:

ଅକ୍ଟୋବର ୨୪ ତାରିଖ: ଭାରତ ବନାମ ପାକିସ୍ଥାନ
ଅକ୍ଟୋବର ୩୧ ତାରିଖ: ଭାରତ ବନାମ ନ୍ୟୁଜିଲାଣ୍ଡ
ନଭେମ୍ବର ୩ ତାରିଖ: ଭାରତ ବନାମ ଆଫଗାନିସ୍ତାନ
ନଭେମ୍ବର ୫ ତାରିଖ: ଭାରତ ବନାମ କ୍ୱାଲିଫାୟର୍ସ (ଯୋଗ୍ୟତା ପର୍ଯ୍ୟାୟରେ ଗ୍ରୁପ୍ ବି ର ବିଜେତା)
ନଭେମ୍ବର ୮ ତାରିଖ: ଯୋଗ୍ୟତା ବନାମ ଭାରତ (ଯୋଗ୍ୟତା ପର୍ଯ୍ୟାୟରେ ଗ୍ରୁପ୍ ଏରୁ ରନର୍ ଅପ୍ ଦଳ)

ସେମିଫାଇନାଲ ଏବଂ ଅନ୍ତିମ କାର୍ଯ୍ୟସୂଚୀ:

ନଭେମ୍ବର ୧୦ ତାରିଖ: ପ୍ରଥମ ସେମିଫାଇନାଲ
ନଭେମ୍ବର ୧୧ ତାରିଖ : ଦ୍ୱିତୀୟ ସେମିଫାଇନାଲ
ନଭେମ୍ବର ୧୪ ତାରିଖ: ଫାଇନାଲ୍
ନଭେମ୍ବର ୧୫ ତାରିଖ: ଫାଇନାଲ୍ ପାଇଁ ରିଜର୍ଭ ଦିନ

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା ଚାନ୍ଦପୁର ପୋଲିସ

ନୟାଗଡ: ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ପୋଲିସ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ଗତ ଦୁଇ ଦିନ ତଳେ ଚାନ୍ଦପୁର ଥାନା ଚମ୍ପାପେଡି ଗ୍ରାମର ଗୋପୀ ବେହେରା ଉକ୍ତ ଗ୍ରାମର ପର୍ଶୁରାମ ପାଇକରାୟଙ୍କ ବେକକୁ ଛୁରି ଦ୍ୱାରା ଆକ୍ରମଣ କରି ଫେରାର ହୋଇଯାଇଥିଲେ। ପର୍ଶୁରାମ ଭୁବନେଶ୍ୱର ଏମ୍ସ ରେ ଚିକିତ୍ସିତ ହେଉଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଚାନ୍ଦପୁର ପୋଲିସ ଗୋପୀଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି।

ସେହିପରି ଭାବେ ୨୦୦୯ ମସିହାରେ ଜଣେ ବ୍ୟକ୍ତିଙ୍କୁ ଏକାଧିକ ଦୁର୍ବୁତ୍ତ ମାନେ ହତ୍ୟା କରି ଏକ କୂଅରେ ଫୋପାଡିଦେଇଥିଲେ। ଉକ୍ତ ମାମଲାରେ ଫେରାର ଥିବା ଉପେନ୍ଦ୍ର ପୁର ଗ୍ରାମର ସିନ୍ଧୁ ସାଗର ଜେନାଙ୍କୁ ଗତକାଲି ରାତିରେ ଚାନ୍ଦପୁର ପୋଲିସ ଗିରଫ କରିଛି।  ଏହି ଗିରଫ ଅଭିଯାନରେ ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ, ଏସଆଇ ଅଞ୍ଜଳି ସା, ଏଏସଆଇ ରମେଶ ବେହେରା ଆଦି ସାମିଲ ଥିଲେ।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଆସନ୍ତାକାଲି ଚିଲିକାରେ ୧ ହଜାର ୧୫୦ ଜଣ ନାଗରିକ ନେବେ ଟୀକା: ଜାଣନ୍ତୁ କେଉଁ କେନ୍ଦ୍ରରେ ମିଳିବ କେତେ ଡୋଜ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ରେ ଆସନ୍ତାକାଲି (ଅଗଷ୍ଟ ୧୮ ତାରିଖ) ରେ ୧ ହଜାର ୧୫୦ ଜଣ ନାଗରିକଙ୍କ ପାଇଁ ଟୀକା ବ୍ୟବସ୍ଥା ହୋଇଥିବାବେଳେ ବାଣପୁରର ପାଞ୍ଚ ଗୋଟି ଟୀକା କେନ୍ଦ୍ରରେ ସବୁ ବର୍ଗର ନାଗରିକମାନେ ଅନଲାଇନ ସ୍ଲଟ ବୁକିଂ କରି ଟୀକା ନେଇପାରିବେ। ଏ ନେଇ ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରର କେଉଁ କେନ୍ଦ୍ରରେ କେତେ ଟୀକା ଏବଂ କିପରି ନେବେ:

ଅନଲାଇନ (ବୁକିଂ ସମୟ ଆଜି ଅପରାହ୍ନ ୪ ଟା ୩୦ ରୁ ଆରମ୍ଭ)

୧- ଟିକିରାଇ ୟୁଜିଏମଇ ବିଦ୍ୟାଳୟ– ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ- ୬୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳା(ଅଫଲାଇନ) ୧୦ ଟି ଡୋଜ

୨- କୃତିବାସ ଭବନ- ପ୍ରଥମ ଡୋଜ- ୮୦ (କେବଳ ୧୮-୪୪ ବର୍ଷୀୟ ନାଗରିକ)

୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ

– ୬୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ସବୁ ବର୍ଗର ନାଗରିକ:

– ୬୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୫ – ପୁଞ୍ଜିଆମା ବାତ୍ୟା ଆଶ୍ରୟସ୍ଥଳୀ- ସବୁ ବର୍ଗର ନାଗରିକ:

– ୬୦ ଟି ପ୍ରଥମ ଡୋଜ, ୧୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

ଅଫଲାଇନ ଟୀକାକରଣ:

୬ – ଭାପୁର ବାତ୍ୟା ଆଶ୍ରୟସ୍ଥଳୀ- ସବୁ ବର୍ଗର ନାଗରିକ:

– ୫୦ ଟି ପ୍ରଥମ ଡୋଜ, ୩୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୭- ନୀଳାଦ୍ରିପ୍ରସାଦ ଉପ ସ୍ୱାସ୍ଥ୍ୟ କେନ୍ଦ୍ର – ସବୁ ବର୍ଗର ନାଗରିକ:

– ୬୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୮- ହଳନ୍ଦା ଉପ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ:

– ୬୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

ତେବେ ବାଣପୁରର ସମସ୍ତ ଟୀକାକେନ୍ଦ୍ରରେ ସକାଳ ୮.୩୦ରୁ ଟୀକାକରଣ ଆରମ୍ଭ ହେବ।

ଚିଲିକା: ସବୁ ବର୍ଗର ନାଗରିକ (ଉଭୟ ଡୋଜ, ଅଫଲାଇନ)

୧- ଏନଏସି ଅଡ଼ିଟୋରିଅମ ହଲ୍(ବାଲୁଗାଁ ଏନଏସି )– ୧୫୦ ଡୋଜ

୨- ୟୁଵାଜ୍ୟୋତି ଉଚ୍ଚ ବିଦ୍ୟାଳୟ (କୁମଣ୍ଡଳ ଗ୍ରାପ)– ୧୫୦ ଡୋଜ

୩ – ଇଞ୍ଜନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ଅଠରବାଟିଆ ଗ୍ରାପ)- ୧୫୦ ଡୋଜ

– ଚିଲିକାର ସବୁ ଟିକାକେନ୍ଦ୍ରରେ ଟୀକାକରଣ ସମୟ- ସକାଳ ୯ ଘଟିକାରୁ ଅପରାହ୍ନ ୧ ଘଟିକା (ପ୍ରଥମ ଡୋଜ)

– ସେହିଭଳି ଅପରାହ୍ନ ୨ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଦ୍ଵିତୀୟ ଡୋଜ ଟୀକା ଦେବା ପାଇଁ ସମୟ ନିର୍ଦ୍ଧାରଣ କରଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ୨୫ ହଜାର ୧୬୬ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୫ ହଜାର ୧୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩୭ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୨୨ ଲକ୍ଷ ୫୦ ହଜାର ୬୭୯ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୨ ହଜାର ୭୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୪ ଲକ୍ଷ ୪୮ ହଜାର ୭୫୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୬୯ ହଜାର ୮୪୬ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬୮ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୭ ହଜାର ୨୧ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୮ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୨୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି କଟକ ଜିଲ୍ଲାରୁ ସର୍ବାଧିକ ୧୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ, ଜଗତସିଂହପୁରା ଜିଲ୍ଲାରୁ ୮ ଜଣ ଲେଖାଏଁ, ଯାଜପୁର ଜିଲ୍ଲାରୁ ୭ ଜଣ, ବାଲେଶ୍ଵର, କେନ୍ଦ୍ରାପଡା ଜିଲ୍ଲାରୁ ୬ ଜଣ ଲେଖାଏଁ, ଢେଙ୍କାନାଳ, ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ପୁରୀ, ରାୟଗଡା ଜିଲ୍ଲାରୁ ୩ ଜଣ ଲେଖାଏଁ, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୬ ହଜାର ୧୫୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୭୯ ହଜାର ୪୦୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯ ହଜାର ୬୭୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୨୧ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୭୨୦ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୭୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୨୧ ଜଣ ଚିହ୍ନଟ ହୋଇଥିବା ବେଳେ ୨୯୯ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୬ ହଜାର ୧୫୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୭୯ ହଜାର ୪୦୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯ ହଜାର ୬୭୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୮୮୭ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୯ ଟି ଜିଲ୍ଲାରୁ ୭୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୨୭୯ ଜଣ, କଟକ ଜିଲ୍ଲାରୁ ୯୧ ଜଣ, ଅନୁଗୁଳ ଜିଲ୍ଲାରୁ ୧୫, ବାଲେଶ୍ଵର ଜିଲ୍ଲାରୁ ୧୯ ଜଣ, ବରଗଡ ଜିଲ୍ଲାରୁ ୨ ଜଣ, ଭଦ୍ରକ ଜିଲ୍ଲାରୁ ୨୨ ଜଣ, ବଲାଙ୍ଗୀର  ଜିଲ୍ଲାରୁ ୪ ଜଣ, ବୌଦ୍ଧ ଜିଲ୍ଲାରୁ ଜଣେ, ଦେବଗଡ ଜିଲ୍ଲାରୁ ୫ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୫ ଜଣ, ଗଞ୍ଜାମ ଜିଲ୍ଲାରୁ ୫ ଜଣ, ଜଗତସିଂହପୁର ଜିଲ୍ଲାରୁ ୩୩ ଜଣ, ଯାଜପୁର ଜିଲ୍ଲାରୁ ୨୮ ଜଣ, ଝାରସୁଗୁଡା ଜିଲ୍ଲାରୁ ୩ ଜଣ, କଳାହାଣ୍ଡି ଜିଲ୍ଲାରୁ ୫ ଜଣ, କନ୍ଧମାଳ ଜିଲ୍ଲାରୁ ୯ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୨ ଜଣ, କେନ୍ଦୁଝର ଜିଲ୍ଲାରୁ ୧୧ ଜଣ, ମାଲକାନଗିରି ଜିଲ୍ଲାରୁ ୪ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୨୯ ଜଣ, ନବରଙ୍ଗପୁର ଜଣେ, ନୟାଗଡ ଜିଲ୍ଲାରୁ ୧୮ ଜଣ, ନୂଆପଡା ଜିଲ୍ଲାରୁ ୨ ଜଣ, ପୁରୀ ଜିଲ୍ଲାରୁ ୧୬ ଜଣ, ରାୟଗଡା ଜିଲ୍ଲାରୁ ୮ ଜଣ, ସମ୍ବଲପୁର ଜିଲ୍ଲାରୁ ୬ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୧ ଜଣ ଏବଂ ଷ୍ଟେଟ ପୁଲରୁ ୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର

ଦେଶରେ ଗ୍ରୀନ ହାଇଡ୍ରୋଜେନ୍ ଶକ୍ତି ବ୍ୟବହାର ପାଇଁ ପଦକ୍ଷେପ, ଲୋକଙ୍କ ମତ ମାଗିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ଶକ୍ତି ମନ୍ତ୍ରଣାଳୟ ଚିଠା ବିଦ୍ୟୁତ୍‍ (ସବୁଜ ଶକ୍ତି ମୁକ୍ତ ବ୍ୟବହାର ମାଧ୍ୟମରେ ଅକ୍ଷୟ ଶକ୍ତି ପ୍ରୋତ୍ସାହନ) ଅଧିନିୟମ, ୨୦୨୧ ଜାରି କରିଛି । ସେମାନେ ଏହାକୁ ଶକ୍ତି ମନ୍ତ୍ରଣାଳୟର ୱେବସାଇଟ୍ – https://powermin.gov.in ରେ ପକାଇବା ସହିତ ୩୦ ଦିନ ମଧ୍ୟରେ ମତାମତ ଲୋଡିଛନ୍ତି ।

ସବୁଜ ଶକ୍ତିର ଖରିଦ ଏବଂ ବ୍ୟବହାର ସହିତ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ବାହାରୁଥିବା ବର୍ଜ୍ୟବସ୍ତୁର ବ୍ୟବହାର ପାଇଁ ଏହି ଅଧିନିୟମରେ ପ୍ରସ୍ତାବ ରହିଛି । ଅଧିନିୟମର ନିମ୍ନଲିଖିତ ଉପ-ଶିରୋନାମା ଅଛି, ଯେଉଁଥିରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି: ଅକ୍ଷୟ ଶକ୍ତି କ୍ରୟ ବାଧ୍ୟତାମୂଳକ (ଆରପିଓ); ସବୁଜ ଶକ୍ତି ଖୋଲା ବ୍ୟବହାର; ନୋଡାଲ୍ ଏଜେନ୍ସିଗୁଡିକ; ସବୁଜ ଶକ୍ତି ଖୋଲା ବ୍ୟବହାର ଅନୁମୋଦନ ପ୍ରକ୍ରିୟା; ବ୍ୟାଙ୍କିଂ ଏବଂ କ୍ରସ୍ ସବସିଡି ସରଚାର୍ଜ ।

ଶୁଳ୍କ ସମ୍ବନ୍ଧରେ ଏହି ଚିଠା ନିୟମାବଳୀ ପ୍ରସ୍ତାବ ଦେଇଛି ଯେ ସବୁଜ ଶକ୍ତି ପାଇଁ ଶୁଳ୍କ ଉପଯୁକ୍ତ ଆୟୋଗ ଦ୍ୱାରା ସ୍ଥିର କରାଯିବ, ଯାହା ଅକ୍ଷୟ ଶକ୍ତିର ହାରାହାରି ପୁଲଡ୍ କ୍ରୟ ମୂଲ୍ୟ, କ୍ରସ୍ ସବସିଡି ଦେୟ (ଯଦି ଥାଏ) ଏବଂ ସେବା ଦେୟ ଅର୍ନ୍ତଭୁକ୍ତ ହେବ । ସବୁଜ ଶକ୍ତି ଯୋଗାଇବା ପାଇଁ ବଣ୍ଟନ ଲାଇସେନ୍ସର ସମସ୍ତ ଖର୍ଚ୍ଚ ବହନ ହୋଇପାରେ ।

ସବୁଜ ଶକ୍ତି ହାଇଡ୍ରୋଜେନ୍ ସମ୍ବନ୍ଧୀୟ ଚିଠା ଅଧିନିୟମ ଅନୁଯାୟୀ “ଗ୍ରୀନ୍ ହାଇଡ୍ରୋଜେନ୍‌” ହେଉଛି ହାଇଡ୍ରୋଜେନ୍ ଯାହା ଅକ୍ଷୟ ଉତ୍ସରୁ ବିଦ୍ୟୁତ୍‍ ବ୍ୟବହାର କରି ଉତ୍ପାଦିତ ହୁଏ । ଶିଳ୍ପ ସମେତ ବାଧ୍ୟତାମୂଳକ ସଂସ୍ଥା ସବୁଜ ହାଇଡ୍ରୋଜେନ କ୍ରୟ କରି ଅକ୍ଷୟଶକ୍ତି କ୍ରୟ ବାଧ୍ୟତାମୂଳକ ମଧ୍ୟ ପୂରଣ କରିପାରିବ । ଅକ୍ଷୟଶକ୍ତି ଉତ୍ସରୁ ଏକ ମେଗାୱାଟ ବିଦ୍ୟୁତରୁ ଉତ୍ପାଦିତ ସବୁଜ ହାଇଡ୍ରୋଜେନ ସହିତ ସମାନତାକୁ ବିଚାର କରି ସବୁଜ ହାଇଡ୍ରୋଜେନର ପରିମାଣ ଗଣନା କରାଯିବ । ଏହି ନିୟମଗୁଡିକ କେନ୍ଦ୍ର ଆୟୋଗ ଦ୍ୱାରା ସୂଚିତ କରାଯିବ ।

ଏହି ଚିଠା ଅଧିନିୟମରେ ସବୁଜ ଶକ୍ତି ମୁକ୍ତ ବ୍ୟବହାର ପାଇଁ ମାର୍ଗଦର୍ଶିକା ଲାଗି ମଧ୍ୟ ପ୍ରସ୍ତାବ ଦିଆଯାଇଛି, ଯେଉଁଥିରେ ଦର୍ଶାଯାଇଛି ଯେ ସବୁଜ ଶକ୍ତି ବ୍ୟବହାର କରିବାକୁ ଚାହୁଁଥିବା ଗ୍ରାହକଙ୍କୁ ସବୁଜ ଶକ୍ତି ଖୋଲା ବ୍ୟବହାର ପ୍ରଦାନ କରିବାକୁ କ୍ଷମତାପନ୍ନ ଆୟୋଗ ନିୟମାବଳୀ କରିବେ । ସବୁଜ ଶକ୍ତି ମୁକ୍ତ ବ୍ୟବହାର ପାଇଁ ସମସ୍ତ ଆବେଦନଗୁଡିକ ସର୍ବାଧିକ ୧୫ ଦିନ ମଧ୍ୟରେ ଅନୁମୋଦିତ ହେବ ।

ସର୍ତ୍ତ ରହିଛି ଯେ କେବଳ ଏହିପରି ଗ୍ରାହକ, ଯେଉଁମାନେ ୧୦୦ କିଲୋୱାଟ କିମ୍ବା ତା’ଠାରୁ ଅଧିକ ଭାର ପାଇଁ ଚାହିଦା ମଞ୍ଜୁର କରିଛନ୍ତି, ସେମାନେ ସବୁଜ ଶକ୍ତି ମୁକ୍ତ ବ୍ୟବହାର ଅଧୀନରେ ବିଦ୍ୟୁତ ପାଇବାକୁ ଯୋଗ୍ୟ ହେବେ । ସବୁଜ ଶକ୍ତି ମୁକ୍ତ ବ୍ୟବହାର ଅଧୀନରେ ସବୁଜ ଶକ୍ତି ଉତ୍ପାଦନକାରୀ ବିଦ୍ୟୁତ୍‍ ଗ୍ରାହକମାନଙ୍କ ପାଇଁ କୌଣସି ବିଦ୍ୟୁତ ଯୋଗାଣ ସୀମା ରହିବ ନାହିଁ ।

ଏଥିପାଇଁ ଉପଯୁକ୍ତ ସର୍ତ୍ତ, ଯେପରିକି ସର୍ବନିମ୍ନ ସଂଖ୍ୟକ ସମୟ ବ୍ଲକ ଯାହା ପାଇଁ ଗ୍ରାହକ ଖୋଲା ବ୍ୟବହାର ମାଧ୍ୟମରେ ବିଦ୍ୟୁତ ବ୍ୟବହାରର ପରିମାଣ ପରିବର୍ତ୍ତନ କରିବେ ନାହିଁ, ଯାହା ଦ୍ୱାରା ବିତରଣ ଲାଇସେନ୍ସ ପ୍ରାପ୍ତ ସଂସ୍ଥାଙ୍କ ଆବଶ୍ୟକତା ମଧ୍ୟରେ ବଡ଼ ପରିବର୍ତ୍ତନକୁ ଏଡାଇ ଦିଆଯାଇପାରିବ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଭୁବନେଶ୍ବରରେ ପହଁଚିବେ ଉଭୟ ମହିଳା ଓ ପୁରୁଷ ହକି ଦଳ, ନବୀନ କରିବେ ସମ୍ବର୍ଦ୍ଧନା

ଭୁବନେଶ୍ୱର, ଟୋକିଓ ଅଲମ୍ପିକ୍ସରେ ଖେଳିଥିବା ଉଭୟ ପୁରୁଷ ଓ ମହିଳା ହକି ଦଳ ଆଜି ଓଡିଶା ଆସିବେ।  ଅପରାହ୍ନ ୧୧ଟା୧୦ରେ  ଭୁବନେଶ୍ୱର ବିମାନ ବନ୍ଦରରେ ଦଳର ସମସ୍ତ ସଦସ୍ୟ ପହଁଛିବେ। ବିମନ ବନ୍ଦରରେ ସମସ୍ତଙ୍କୁ ଓଡିଶା ସରକରାଙ୍କ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା କରାଯିବ। ବିମାନ ବନ୍ଦରରୁ ସେମାନଙ୍କୁ ୨ଟି ସ୍ୱତନ୍ତ୍ର ବସରେ ହୋଟେଲ ସାଣ୍ଡି ଟାୱାରକୁ ନିଆଯିବ।

କୋଭିଡ କଟକଣା ଯୋଗୁଁ ସମସ୍ତଙ୍କର  ଆରଟିପିସିଆର ଟେଷ୍ଟ କରାଯିବ ବୋଲି ଜଣାପଡିଛି। ସେଠାରେ ମଧ୍ୟାହ୍ନଭୋଜନ ପରେ ଖେଳାଳିମାନେ ବିଶ୍ରାମ ନେବେ। ଏହାପରେ ୩ଟାରୁ ୩ଟା୩୦ ପର୍ଯ୍ୟନ୍ତ ପ୍ରେସମିଟର ଆୟୋଜନ କରାଯିବ।

୪ଟା୨୫ରେ ଖେଳାଳି ଏବଂ ସମ୍ମାନିତ ବ୍ୟକ୍ତିମାନେ କଳିଙ୍ଗ ଷ୍ଟାଡିୟମକୁ ଯିବେ । ସନ୍ଧ୍ୟା ୫ଟା ୫ଟା୩୦ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଖେଳାଳିମାନଙ୍କ ଫଟୋଶୁଟ କରାଯିବ । ୬ ଟା ୩୦ରେ ଲୋକସେବା ଭବନରେ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହେବ । ଶେଷରେ ରାତ୍ର ୮ଟାରେ ହକି ଷ୍ଟାଡିୟମରେ ନୈଶ୍ୟ ଭୋଜିର ଆୟୋଜନ କରାଯିବ।

ଓଡିଶା ଭାରତୀୟ ହକି ଟିମର ପ୍ରାୟୋଜକ ରହିଛି । ଅଲମ୍ପିକ୍ସରେ ଭଲ ପ୍ରଦର୍ଶନ ପରେ ସମସ୍ତଙ୍କୁ ଓଡିଶା ଆସିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିମନ୍ତ୍ରଣ କରିଥିଲେ ।

Categories
ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର

ଲର୍ଡସ୍‌ରେ ଇଂଲଣ୍ଡ ବିପକ୍ଷରେ ଭାରତର ଐତିହାସିକ ବିଜୟ

ନୂଆଦିଲ୍ଲୀ, ଲର୍ଡସ ଗ୍ରାଉଣ୍ଡରେ ଇତିହାସ ରଚିଲା ଭାରତ। ଦ୍ରୁତ ବୋଲରଙ୍କ ବଳରେ ଭାରତ ଇଂଲଣ୍ଡକୁ ୧୫୧ ରନରେ ପରାସ୍ତ କରିଛି । ଏଥିସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି।

ମ୍ୟାଚ୍‌ର ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ମ୍ୟାଚ୍‌ରେ ଇଂଲଣ୍ଡର ପଲ୍ଲା ଭାରି ରହିଥିଲା। ପଞ୍ଚମ ଦିନରେ ବାଜି ଓଲଟିଲା। ଶେଷ ଦିନରେ ଭାରତ ମହମ୍ମଦ ଶାମିଙ୍କ ୫୬ ଏବଂ ବୁମରାଙ୍କ ୩୪ ରନ ବଳରେ ୮ ଓ୍ଵିକେଟ୍ ହରାଇ ୨୯୮ ରନ କରି ଇନିଂସ ଘୋଷଣା କରିଥିଲା।

ପ୍ରଥମ ଇନିଂସରେ ୨୭ ରନରେ ଅଗ୍ରଣୀ ହାସଲ କରିଥିବାରୁ ଇଂଲଣ୍ଡ ସମ୍ମୁଖରେ ୨୭୨ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ଲାଗୁଥିଲା ମ୍ୟାଚ୍ ଡ୍ର ହୋଇଯିବ। କାରଣ ଖେଳ ଆଉ ଦୁଇ ସେସନ ବାକି ରହିଥିଲା। କିନ୍ତୁ ପରେ ଯାହା ଘଟିଲା ତାହା ଇତିହାସ ହୋଇ ରହିଗଲା।

ଇଂଲଣ୍ଡ ଭାରତର ଦ୍ରୁତ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରିନପାରି ୧୨୦ ରନରେ ଅଲଆଉଟ୍ ହୋଇଛି। ଭାରତ ପକ୍ଷରୁ ମହମ୍ମଦ ସିରାଜ, ଯଶପ୍ରୀତ ବୁମରାଙ୍କ ଘାତକ ବୋଲିଂ କରି ଭାରତକୁ ଅବିଶ୍ଵସନୀୟ ବିଜୟ ଦେଇଛନ୍ତି। ସିରାଜ ୪, ବୁମରା ୩, ଇଶାନ୍ତ ୨ ଓ ଶାମି ୧ ଓ୍ଵିକେଟ୍ ନେଇ ଦଳକୁ ଜିତାଇଛନ୍ତି।

Categories
ଆଜିର ଖବର ଧର୍ମ

ରାଶିଫଳ: ଜାଣନ୍ତୁ ଅଗଷ୍ଟ 17 ତାରିଖ ମଙ୍ଗଳବାର ସଂକ୍ରାନ୍ତିରେ ଆପଣଙ୍କ ଭାଗ୍ୟରେ କଣ ରହିବ

ମେଷ :- ବୟସ୍କ ଲୋକମାନେ ସାହାଯ୍ୟ କରିବେ। ଅପ୍ରତ୍ୟାଶିତ ଲାଭ ହେବ। ଆଜି ଏକ ଯାତ୍ରାର ସମ୍ଭାବନା ହେବ। ବ୍ୟବସାୟ କିମ୍ବା ବ୍ୟକ୍ତିଗତ କାର୍ଯ୍ୟ ଏକ ମନୋରମ ଯାତ୍ରା ଆଡକୁ ନେଇପାରେ। ପଢିବାକୁ ଆଗ୍ରହ ବୃଦ୍ଧି ପାଇବ। ଅନ୍ୟମାନଙ୍କ ସହିତ ଗଣ୍ଡଗୋଳ କରନ୍ତୁ ନାହିଁ। ଆର୍ଥିକ ଅବସ୍ଥା ଭଲ ହେବ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ।

ବୃଷ :- ତୁମର ଗୁରୁତ୍ବପୂର୍ଣ୍ଣ ଜିନିଷକୁ ସୁରକ୍ଷିତ ରଖ। ରିସ୍କ ନିଅ ନାହିଁ । ନୂତନ ସମ୍ପର୍କ ବିଷୟରେ ସତର୍କ ରୁହନ୍ତୁ। ଭୁଲ୍ କରିବା ଦ୍ବାରା ବିରୋଧୀମାନେ ବୃଦ୍ଧି ପାଇବେ। ବ୍ୟବସାୟ କ୍ଷେତ୍ରର ଅଭିବୃଦ୍ଧି ଏବଂ ବିସ୍ତାର ହେବ। ଆପଣ ଏକ ଉପହାର ପାଇପାରିବେ। ପିଲାମାନଙ୍କର ଚିନ୍ତା ଦୂର ହେବ। ଅପ୍ରତ୍ୟାଶିତ ଖର୍ଚ୍ଚ ହେବ । ଟେନସନ ହେବ। ଅନ୍ୟମାନଙ୍କ ସହିତ ଝଗଡା କର ନାହିଁ।

ମିଥୁନ :-  ବ୍ୟବସାୟ ଯାତ୍ରା ସଫଳ ହେବ। ରୋମାନ୍ସରେ ସଫଳତା ମିଳିବ, ସୁଖ ମିଳିବ। ଅଟକାଯାଇଥିବା ଟଙ୍କା ମିଳିପାରିବ। ବିନିଯୋଗ ଭଲ ହେବ। ଆପଣ ନିଜ ଉଦ୍ୟମ ଦ୍ୱାରା ଲୋକପ୍ରିୟତା ଏବଂ ସମ୍ମାନ ପାଇବେ। ସ୍ଥଗିତ କାର୍ଯ୍ୟକୁ ଠିକ୍ ସମୟରେ ସମାପ୍ତ କରି ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ବ୍ୟବସାୟ ଲାଭଜନକ ହେବ, ନୂତନ ଯୋଜନା ପ୍ରସ୍ତୁତ ହେବ।

କର୍କଟ :- ରୋଜଗାର ବୃଦ୍ଧି ପାଇବ। ସତର୍କତାର ସହିତ କାମ କରନ୍ତୁ। ଶିଶୁର ଆଚରଣ ସାମାଜିକ ପ୍ରତିଷ୍ଠା ହ୍ରାସ କରିପାରେ। ବୟସ୍କ ଲୋକମାନେ ସାହାଯ୍ୟ କରିବେ। ସ୍ଥଗିତ କାର୍ଯ୍ୟଗୁଡ଼ିକରେ ଗତି ହେବ। ସମସ୍ତଙ୍କ ସହିତ ଭଲ ଆକାରରେ ରୁହ। ଆଜି ବ୍ୟବସାୟରେ ନୂତନ ଚୁକ୍ତି କର ନାହିଁ । ଆର୍ଥିକ ସଙ୍କଟ ଦେଖାଦେବ।

ସିଂହ :- ବିନିଯୋଗ ଶୁଭ ହେବ। ବାହ୍ୟ ସାହାଯ୍ୟରେ କାର୍ଯ୍ୟ କରାଯିବ। ଭଗବାନଙ୍କ ପ୍ରତି ଆଗ୍ରହ ବୃଦ୍ଧି ପାଇବ। କାର୍ଯ୍ୟର ସୁସଙ୍ଗତତା ରହିବ। ଆପଣ ବୃତ୍ତିଗତ ଉତ୍କର୍ଷର ଲାଭ ପାଇବେ। ରୋମାନ୍ସରେ ସଫଳତା ମିଳିବ, ପାରସ୍ପରିକ ସମ୍ପର୍କକୁ ଗୁରୁତ୍ୱ ଦିଅ। ପୁଞ୍ଜି ସଂଗ୍ରହ ବିଷୟରେ ଆଲୋଚନା ହେବ। ତନ୍ତ-ମନ୍ତ୍ର ପ୍ରତି ଆଗ୍ରହ ବୃଦ୍ଧି ପାଇବ। ଯାତ୍ରା ଉପଭୋଗ୍ୟ ହେବ।

କନ୍ୟା :- ଅନ୍ୟମାନଙ୍କ ଉପରେ ବିଶ୍ୱାସ କ୍ଷତି ଦେବ। କାର୍ଯ୍ୟରେ ବାଧା ସୃଷ୍ଟି ହେବ। ପତ୍ନୀଙ୍କଠାରୁ ନିଶ୍ଚିତତା ପାଇବେ। ନିଜର ନିଷ୍ପତ୍ତି ଲାଭଦାୟକ ହେବ। ମାନସିକ ସନ୍ତୁଷ୍ଟ, ସୁଖ ରହିବ। ନୂତନ ଚିନ୍ତାଧାରା, ଯୋଜନା ଉପରେ ଆଲୋଚନା ହେବ। ଅନ୍ୟମାନଙ୍କୁ କପି କରନ୍ତୁ ନାହିଁ। ବିପଦପୂର୍ଣ୍ଣ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଶୀଘ୍ର କ୍ଷତି ଘଟାଇବ।

ତୂଳା :- ବ୍ୟବସାୟ ଭଲ କରିବ। ଉପକୃତ ହେବେ। ବ୍ୟବସାୟ ଭଲ କରିବ। କାର୍ଯ୍ୟରେ ବିଳମ୍ବ ଚିନ୍ତାର କାରଣ ହେବ। ମାନସିକ ଚିନ୍ତା ହେବ। ପାରିବାରିକ ଜୀବନ ସନ୍ତୋଷଜନକ ହେବ। ଘର ବାହାରେ ସୁଖ ମିଳିବ। ବିବାହ ପ୍ରସ୍ତାବ ଗ୍ରହଣ କରାଯାଇପାରେ।

ବିଛା :- ସୁଖ ରହିବ। ଆପଣ ବ୍ୟବସାୟରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସମ୍ପତ୍ତିର ବଡ କାରବାର ବଡ ଲାଭ ଦେଇପାରେ। ପ୍ରଗତିର ରାସ୍ତା ଖୋଲାଯିବ। କାର୍ଯ୍ୟର ସମ୍ପ୍ରସାରଣ ପାଇଁ ଯୋଜନା ପ୍ରସ୍ତୁତ ହେବ। ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ପଢିବାକୁ ଆଗ୍ରହ ବୃଦ୍ଧି ପାଇବ।

ଧନୁ :-  ସୁଖ ମିଳିବ। ଆଜି ଟଙ୍କା ରହିବ। ରୋଜଗାରରେ ଅଗ୍ରଗତି ଏବଂ ଲାଭର ସମ୍ଭାବନା ଅଛି। ଆପଣ ଲାଭଦାୟକ ଖବର ପାଇବେ। ପ୍ରେମ-ସମ୍ପର୍କରେ ସଫଳତା ମିଳିବ। ପାର୍ଟି ଏବଂ ପିକନିକ୍ ଉପଭୋଗ କରାଯିବ। ବୈଦ୍ଧିକ କାର୍ଯ୍ୟ ସଫଳ ହେବ। ସାମାଜିକ ଏବଂ ରାଜନୈତିକ ଖ୍ୟାତି ବୃଦ୍ଧି ପାଇବ। ବ୍ୟବସାୟ ଭଲ କରିବ।

ମକର :- କଠିନ ପରିଶ୍ରମ ଅଧିକ ହେବ। ଗୃହ ସମସ୍ୟା ସମାଧାନ ହେବ। ଅଳସୁଆ ହୁଅ ନାହିଁ, କାମ ଠିକ୍ ସମୟରେ ହେବ ନାହିଁ । ବ୍ୟବସାୟିକ ଚିନ୍ତାଧାରା ରହିବ। ଶିଶୁର ଆଚରଣ ଯୋଗୁଁ ଅସୁବିଧା ହେବ। ସମବେଦନା ଖବର ଥାଇପାରେ। କାମ କରିବା ଭଳି ଅନୁଭବ କରିବେ ନାହିଁ। ବିବାଦରୁ ଦୂରେଇ ରୁହନ୍ତୁ।

କୁମ୍ଭ :- ଆୟ ବୃଦ୍ଧି ପାଇବ। ଏକ ଉପଭୋଗ୍ୟ ଯାତ୍ରା ହେବ। ସୁଖ ମିଳିବ। ସହଯୋଗୀମାନେ ସାହାଯ୍ୟ କରିବେ ନାହିଁ । ଖର୍ଚ୍ଚ କାଟିବାକୁ ଚେଷ୍ଟା କରନ୍ତୁ। ପରିବାରରେ ସୁଖର ପରିବେଶ ରହିବ। ଘର ବାହାରେ ପଚରାଉଚରା କରାଯିବ। କାର୍ଯ୍ୟ ସମାପ୍ତ ହେବ। ଆପଣଙ୍କୁ ବ୍ୟବସାୟରୁ ବାହାରକୁ ଯିବାକୁ ପଡିପାରେ।

ମୀନ:- ସୁଖ ମିଳିବ। ରିସ୍କ ନିଅ ନାହିଁ। ଉପକୃତ ହେବେ। ପଦ୍ଧତିରେ ବିଶ୍ୱସନୀୟତା ବଜାୟ ରଖନ୍ତୁ। ଆର୍ଥିକ ସୁସଙ୍ଗତତା ରହିବ। ଅଟକି ରହିଥିବା ଟଙ୍କା ସଂଗ୍ରହ କରାଯିବ। ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବେ। ଭଲ ଖବର ପାଇବେ। ସରକାରଙ୍କ ପକ୍ଷରୁ ଲାଭ ହେବାର ସମ୍ଭାବନା ଅଛି। ନୂତନ ଯୋଜନା ଆରମ୍ଭ ହେବ।

Categories
ବିଶେଷ ଖବର ରାଜ୍ୟ ଖବର

୫ଟି ସଚିବଙ୍କ ଦୁଇ ଦିନିଆ ଗଞ୍ଜାମ ଗସ୍ତ, ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ଭିଡିଓ କଲରେ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍ ୧୫ ଓ ୧୬ ତାରିଖ ଦୁଇ ଦିନ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ ଗସ୍ତ କରି ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କଲ୍ ଯୋଗେ ଶାସନ ଆମ୍ଵ ଗାଁର ବୃନ୍ଦାବନ ସ୍ମୃତି ବିଦ୍ୟାପୀଠ ର ଛାତ୍ରଛାତ୍ରୀ ମୀରା ସ୍ବାଇଁ ଓ ଦୀପକ ଦଳାଇଙ୍କ ସହ କଥା ହୋଇ ସ୍କୁଲ ରୂପାନ୍ତରୀକରଣ କାମ ସମ୍ପର୍କରେ ପିଲା ତଥା ଅଭିଭାବକ ମାନଙ୍କ ମତାମତ ଲୋଡିଥିଲେ । ସେମାନେ ସ୍କୁଲ ରୂପାନ୍ତରୀକରଣ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପର ଉଚ୍ଚ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ ।

ପାଣ୍ଡିଆନ ପ୍ରଥମେ ହିଞ୍ଜିଳି ଓ ଶେରଗଡରେ ଥିବା ୩୯ଟି ହାଇସ୍କୁଲରେ ୫ଟି କାଯ୍ୟକ୍ରମ ଅଧିନରେ ଚାଲିଥିବା ରୂପାନ୍ତରୀକରଣ କାମ ପଯ୍ୟବେକ୍ଷଣ କରିଥିଲେ। ଏହି ଅବସରରେ ସେ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀ, ଅଭିଭାବକ, ସ୍କୁଲ ପରିଚାଳନା କମିଟିର ସଦସ୍ୟ ଏବଂ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହିତ ଏହି ଉନ୍ନତ ଶିକ୍ଷାଦାନ ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ।

ଏହି ସ୍ମାର୍ଟ କ୍ଲାସ ରୁମ୍ କାଯ୍ୟକ୍ରମରେ ସ୍କୁଲ ଗୁଡିକରେ ଇ-ଲାଇବ୍ରେରୀ, ଆଧୁନିକ ପରୀକ୍ଷାଗାର, Hygenic toilet, ସ୍ବଚ୍ଛ ପାନୀୟ ଜଳ ବ୍ୟବସ୍ଥା, ଖେଳପଡିଆ ଓ ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମକୁ ୫-ଟି ସଚିବ ପର୍ଯ୍ୟବେକ୍ଷଣ କରି ଅଗ୍ରଗତିର ସମୀକ୍ଷା କରିଥିଲେ। ପାଣ୍ଡିଆନଙ୍କ ସମୀକ୍ଷାରୁ ଜଣାଯାଇଛି ଯେ ହିଞ୍ଜିଳି ଓ ଶେରଗଡର ୩୯ଟି ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ କାମ ସଂପୂର୍ଣ୍ଣ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅଗଷ୍ଟ ୨୧ ତାରିଖରୁ ଏହାକୁ ପର୍ଯ୍ୟାୟକ୍ରମେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ ।

ସୂଚନାଯୋଗ୍ୟ ଯେ ସାରା ରାଜ୍ୟରେ ୧୦୭୨ଟି ସ୍କୁଲରେ ସ୍ମାର୍ଟ କ୍ଲାସ ରୁମର ବିକାଶ କରାଯାଉଛି। ଏଥିରେ ପିଲାଙ୍କ ପାଇଁ କମ୍ପୁଟର ବ୍ୟବସ୍ଥା ସହିତ ଉନ୍ନତ ଲାବୋରେଟୋରୀ, ଲାଇବ୍ରେରୀ ଓ ଅନ୍ୟାନ୍ୟ ସୁବିଧା କରାଯାଉଛି ।

ଏହାପରେ ୫ଟି ସଚିବ ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ଗସ୍ତ କରି ମନ୍ଦିର ଓ ଏହାର ପାରିପାର୍ଶ୍ବିକ ବିକାଶ କାମ ପର୍ଯ୍ୟବେକ୍ଷଣ କରିଥିଲେ। ମନ୍ଦିରର ପ୍ରସାଦ ସେବନ ହଲ୍‌, Interpetation Complex, ଦୀପଘର, ସ୍ନାନ ମଣ୍ଡପ, ଯଜ୍ଞ ମଣ୍ଡପ ଆଦି ପର୍ଯ୍ୟବେକ୍ଷଣ କରିଥିଲେ ଏବଂ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କରିଥିଲେ। ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ପରାମର୍ଶ ଦେଇ ସେ ଅଧିକାରୀମାନଙ୍କୁ ମନ୍ଦିର ବିକାଶ କାର୍ଯ୍ୟକୁ ନଭେମ୍ବର ୨୦୨୧ ସୁଦ୍ଧା ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ପରେ ପାଣ୍ଡିଆନ ପୁରୁଷୋତ୍ତମପୁର ଆଇ.ଟି.ଆଇ ପରିଦର୍ଶନ କରି ସେଠାରେ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ପିଲାମାନଙ୍କୁ ଶିକ୍ଷାଦାନ ପଦ୍ଧତିରେ ବିଭିନ୍ନ ଆଧୁନିକ ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ଏହି ଆଇ.ଟି.ଆଇରେ ପାଠ ପଢୁଥିବା ୯୦ ପ୍ରତିଶତ ପିଲା ଚାକିରୀ ପାଉଥିବାରୁ ସେମାନେ ଆଇ.ଟି.ଆଇ ଗୁଡିକର ଉନ୍ନତ ଶିକ୍ଷାଦାନ ବ୍ୟବସ୍ଥା ପାଇଁ ଧନ୍ୟବାଦ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ, ଜିଲ୍ଲାର ଏସ୍‌.ପି ଓ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ପେଟ୍ରୋଲ, ଡିଜେଲ ଉପରେ କେନ୍ଦ୍ର ସରକାର ହ୍ରାସ କରିବେ କି ଏକ୍ସାଇଜ୍ ଡ୍ୟୁଟି? ଅର୍ଥମନ୍ତ୍ରୀ ଦେଲେ ଏଭଳି ଉତ୍ତର

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପେଟ୍ରୋଲ ଏବଂ ଡିଜେଲ ଉପରେ ଅଧିକ ମୂଲ୍ୟ ହ୍ରାସ କରିବା ଲାଗି ଏକ୍ସାଇଜ୍ ଶୁଳ୍କ ହ୍ରାସ କରିବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି ଯେ ଅତୀତରେ ଇନ୍ଧନ ଉପରେ ଦିଆଯାଇଥିବା ବୃହତ ସବସିଡି ବଦଳରେ ଦିଆଯାଉଥିବା ପେମେଣ୍ଟରେ ତାଙ୍କ ହାତ ବନ୍ଧା ହୋଇଛି।

ସୀତାରମଣ କହିଛନ୍ତି ଯେ, ୟୁପିଏ ସରକାର ୧.୪୪ ଲକ୍ଷ କୋଟି ଟଙ୍କା ମୂଲ୍ୟର ତୈଳ ବଣ୍ଡ ଜାରି କରି ଇନ୍ଧନ ମୂଲ୍ୟ ହ୍ରାସ କରିଛନ୍ତି। ପୂର୍ବ ୟୁପିଏ ସରକାର ପରି ମୁଁ କୌଶଳ କରିପାରିବି ନାହିଁ। ତୈଳ ବଣ୍ଡ ଯୋଗୁଁ ଆମ ସରକାର ଭାରସାମ୍ୟ ହରାଇଛନ୍ତି, ତେଣୁ ଆମେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିବାକୁ ସକ୍ଷମ ନୁହଁ।

ସେ କହିଛନ୍ତି ଯେ, ଲୋକମାନେ ଚିନ୍ତିତ ହେବା ଠିକ୍। ଯେପର୍ଯ୍ୟନ୍ତ କେନ୍ଦ୍ର ଏବଂ ରାଜ୍ୟମାନେ ଏହାର ସମାଧାନ ନକରନ୍ତି, ଏହାର କୌଣସି ସମାଧାନ ସମ୍ଭବ ନୁହେଁ। ସୀତାରମଣ କହିଛନ୍ତି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ଏହି ତୈଳ ବଣ୍ଡ ପାଇଁ ସରକାର ୬୦ ହଜାର କୋଟିରୁ ଅଧିକ ସୁଧ ପ୍ରଦାନ କରିଛନ୍ତି ଏବଂ ୧.୩୦ ଲକ୍ଷ କୋଟି ଟଙ୍କା ଏପର୍ଯ୍ୟନ୍ତ ବକେୟା ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମକୁ ୨୦୨୬ ସୁଦ୍ଧା ୩୭ ହଜାର କୋଟି ଟଙ୍କା ସୁଧ ଦେବାକୁ ପଡିବ।

ଉଲ୍ଲେଖ ଯୋଗ୍ୟ ଯେ, ଦେଶର ଅଧିକାଂଶ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି। ରାଜଧାନୀ ଦିଲ୍ଲୀରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ୧୦୧ ଟଙ୍କା ୮୪ ପଇସା ରହିଛି। ଏଥିସହିତ ଡିଜେଲ ଲିଟର ପିଛା ୮୯ ଟଙ୍କା ୮୭ ପଇସା ମୂଲ୍ୟରେ ବିକ୍ରି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ‘ଇ-ସ୍ୱାସ୍ଥ୍ୟ’ ସେବା ଆରମ୍ଭ, ଲୋକଙ୍କ ପାଇଁ ମାଗଣାରେ ୭୬ ପ୍ରକାର ଡାକ୍ତରୀ ପରୀକ୍ଷା ସୁବିଧା

ସୁନ୍ଦରଗଡ଼: ପବିତ୍ର ସ୍ୱାଧୀନତା ଦିବସ ଅବସରରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ତିନୋଟି ନୂଆ ଜନକଲ୍ୟାଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ବିକାଶ ଭବନଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟ ତଥା ଶ୍ରମିକଙ୍କ ସୁରକ୍ଷା ଲାଗି ଏହି କାର୍ଯ୍ୟକ୍ରମଗୁଡ଼ିକୁ ଲୋକାର୍ପଣ କରିଛନ୍ତି।

ସୁନ୍ଦରଗଡ଼ର ସହରରୁ ଗାଁ ପର୍ଯ୍ୟନ୍ତ ଲୋକଙ୍କୁ ମାଗଣାରେ ଡାକ୍ତରୀ ପରୀକ୍ଷା ସେବା ଯୋଗାଇଦେବା ପାଇଁ “ଇ-ସ୍ୱାସ୍ଥ୍ୟ”, ବ୍ଲକ ସ୍ତରରେ ଫିଜିଓଥେରାପି ଏବଂ ବିଭିନ୍ନ ଆଧୁନିକ ଥେରାପି ଲାଗି ‘ସମନ୍ୱିତ ଭୌତିକ ଚିକିତ୍ସା’ ସହ ଜିଲ୍ଲାର ଶ୍ରମିକମାନଙ୍କ ନିରାପତ୍ତା ଓ ସ୍ୱାସ୍ଥ୍ୟରକ୍ଷା ଲାଗି ସ୍ୱତନ୍ତ୍ର ‘ସୁରକ୍ଷା କିଟ୍‌’ ବ୍ୟବସ୍ଥା ଆରମ୍ଭ କରାଯାଇଛି। ସେହିପରି ଶିଶୁଙ୍କ ପୋଷଣ ପାଇଁ ଅଙ୍ଗନବାଡ଼ି ମାଧ୍ୟମରେ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ସ୍ପିରୁଲିନାଯୁକ୍ତ ଚିକି ଓ ଚିନି ଏବଂ ମାଣ୍ଡିଆ ଲଡୁ ମିକ୍ସ ବଣ୍ଟନ କାର୍ଯ୍ୟକ୍ରମର ୧ ବର୍ଷ ପୂର୍ତ୍ତି ପାଳନ କରାଯାଇଛି।

“ସ୍ପିରୁଲିନା ଓ ମାଣ୍ଡିଆ ଲଡୁ – ଜିଲ୍ଲାରେ ପିଲାଙ୍କ ପୋଷଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିବା ଏହି ଦୁଇଟି ପୁଷ୍ଟିକର ଖାଦ୍ୟର ସଫଳତା ଆମର ଉତ୍ସାହ ବଢ଼ାଇଛି। ଶିଶୁମାନଙ୍କଠାରେ ଅପପୁଷ୍ଟି ରୋକିବାରେ ଏହା ବିଶେଷ ସହାୟକ ହୋଇପାରିଛି। ଏହାଛଡ଼ା ‘ଇ-ସ୍ୱାସ୍ଥ୍ୟ’ ଏବଂ ଫିଜିଓଥେରାପି ଭଳି ଗୁରୁତ୍ୱପୂର୍ଣ୍ଣ ସେବା ଏବେ ସାଧାରଣ ଲୋକଙ୍କ ପାଇଁ ବିଶେଷ ଉପକାରୀ ହୋଇପାରିବ। ମୁଖ୍ୟତଃ ସହରାଞ୍ଚଳରେ ମିଳୁଥିବା ବିଭିନ୍ନ ସ୍ୱାସ୍ଥ୍ୟସେବା ଓ ସୁବିଧା କିଭଳି ଗ୍ରାମାଞ୍ଚଳରେ ଲୋକଙ୍କ ପାଖରେ ପହଞ୍ôଚପାରିବ, ସେଥିପାଇଁ ଆମେ ଏହି ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିଛୁ”, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

‘ଇ-ସ୍ୱାସ୍ଥ୍ୟ’ – ଗୋଟିଏ ନମୁନାରୁ ୭୬ ପ୍ରକାର ପରୀକ୍ଷା:

ସୁନ୍ଦରଗଡ଼ ଜିଲ୍ଲାରେ ‘ଇ-ସ୍ୱାସ୍ଥ୍ୟ’ ସେବା କାର୍ଯ୍ୟକାରୀ ହେବା ଦ୍ୱାରା ଏବେ ଜିଲ୍ଲାବାସୀ ମାଗଣାରେ ବିଭିନ୍ନ ପ୍ରକାର ଡାକ୍ତରୀ ପରୀକ୍ଷା କରିପାରିବେ। ଡିଜିଟାଲ୍ ଟେକ୍ନୋଲୋଜିର ବ୍ୟବହାର କରି ହିତାଧିକାରୀମାନଙ୍କ ରକ୍ତ ଓ ମୂତ୍ରର ନମୁନାରୁ ୭୬ ପ୍ରକାର ପରୀକ୍ଷାର ରିପୋର୍ଟ ମିଳିପାରିବ। ସେହିପରି ରୋଗୀଙ୍କ ଉଚ୍ଚତା, ଓଜନ, ରକ୍ତଚାପ, ରକ୍ତ ଶର୍କରା, ଇସିଜି ପରୀକ୍ଷା କରି ରେକର୍ଡ଼ କରାଯିବ। ଜିଲ୍ଲାର ୧୨ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଏଥିପାଇଁ ‘ଲ୍ୟାବ୍‌-ଇନ୍‌-ଦ-ବ୍ୟାଗ୍‌’ ସୁବିଧା ରହିବ। ଏହାଛଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ନମୁନା ସଂଗ୍ରହ କେନ୍ଦ୍ର କରାଯାଇ ଲୋକଙ୍କୁ ଏହି ସେବା ସହିତ ଯୋଡ଼ାଯିବ।

‘ଇ-ସ୍ୱାସ୍ଥ୍ୟ’ ଡିଜିଟାଲ ସେବା ମାଧ୍ୟମରେ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମର ଡାଟା ଡିଜିଟାଇଜେସନ ମଧ୍ୟ କରାଯିବ। ଏହାଦ୍ୱାରା ଗର୍ଭବତୀ ମା’ମାନଙ୍କର ମେଡିକାଲ ହିଷ୍ଟ୍ରି ରେକର୍ଡ଼ ହେବା ସହ ସେମାନଙ୍କର ଚିକିତ୍ସା ଲାଗି ଆବଶ୍ୟକ ବେଳେ ସେହି ସୂଚନା ତୁରନ୍ତ ମିଳିପାରିବ। ସ୍ୱତନ୍ତ୍ର ପୋର୍ଟାଲ ଏବଂ ମୋବାଇଲ୍ ଆପ୍ ମାଧ୍ୟମରେ ଏହି ଡିଜିଟାଲ ଡାଟା ପରିଚାଳନା କରାଯିବ।

ବ୍ଲକ୍ ସ୍ତରରେ ଫିଜିଓଥେରାପି ଓ ଅନ୍ୟ ଆଧୁନିକ ଥେରାପି:

ଜୀବନ ଶୈଳୀ ସମସ୍ୟା, ବିଭିନ୍ନ ଜଟିଳ ରୋଗର ପ୍ରଭାବ, ଦୁର୍ଘଟଣାଜନିତ ସମସ୍ୟା, ଅପରେସନ ପୂର୍ବ ଓ ପରବର୍ତ୍ତୀ ଅବସ୍ଥା, ବାର୍ଦ୍ଧକ୍ୟ ଏବଂ ପିଲାଙ୍କ ଭିତରେ ବିଭିନ୍ନ ଜନ୍ମଗତ ସମସ୍ୟା ଆଦି କାରଣରୁ ଲୋକଙ୍କୁ ଫିଜିଓଥେରାପି, ଅର୍ଲି ଇଣ୍ଟରଭେନସନ ଥେରାପି, ସ୍ପିଚ୍ ଥେରାପି, ବିହେଭିୟର ଥେରାପି ଏବଂ ଲର୍ଣ୍ଣିଂ ଥେରାପି ଭଳି ସ୍ୱତନ୍ତ୍ର ଚିକିତ୍ସାର ଆବଶ୍ୟକତା ପଡ଼ିଥାଏ। କିନ୍ତୁ, ଗ୍ରାମାଞ୍ଚଳରେ ଏଥିପାଇଁ ଚିକିତ୍ସା ମିଳି ନଥାଏ। କିନ୍ତୁ ଏବେ ସମନ୍ୱିତ ଭୌତିକ ଚିକିତ୍ସା ସେବା ଆରମ୍ଭ କରାଯିବା ଫଳରେ ସୁନ୍ଦରଗଡ଼ ଜିଲ୍ଲାର ୧୧ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ୧୫୦ରୁ ଅଧିକ ଗାଁର ଲୋକଙ୍କୁ ଏହି ସେବା ମାଗଣାରେ ଯୋଗାଇ ଦିଆଯିବ।

ଶ୍ରମିକଙ୍କ ନିରାପତ୍ତା ପାଇଁ ସ୍ୱତନ୍ତ୍ର ସୁରକ୍ଷା କିଟ୍‌:

ଜିଲ୍ଲାର ଖଣି ଖାଦାନ, କଳ କାରଖାନା, ନିର୍ମାଣ ଏବଂ ଅନ୍ୟ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ନିରାପତ୍ତା ପାଇଁ ଏକ ସ୍ୱତନ୍ତ୍ର କିଟ୍ ବ୍ୟବସ୍ଥା କରାଯାଇଛି। ଏହି କିଟ୍‌ରେ ଜୋତା ଏବଂ ମୋଜା, ଚଷମା, ହେଲମେଟ୍‌, ନାଇଲନ୍ ଏବଂ ରବରରେ ତିଆରି ହ୍ୟାଣ୍ଡ୍‌ଗ୍ଲୋଭ୍‌ସ୍‌, ଗମ୍ ବୁଟ୍‌, କାନକୁ ସୁରକ୍ଷିତ ରଖିବା ପାଇଁ ଇୟର ପ୍ଲଗ୍‌, ଧୂଳି ଓ ଧୂଆଁରୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ମାସ୍କ, ସେଫ୍‌ଟି ହାର୍‌ନେସ୍ ଓ ଜ୍ୟାକେଟ୍ ସହ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ରହିଛି।

ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୧୫ ହଜାରରୁ ଅଧିକ ଶ୍ରମିକଙ୍କୁ ମାଗଣାରେ ଏହି ସୁରକ୍ଷା କିଟ୍ ପ୍ରଦାନ କରାଯିବ। ଆଜି କାର୍ଯ୍ୟକ୍ରମରେ ୧୦ ଜଣ ଶ୍ରମିକଙ୍କୁ ସୁରକ୍ଷା କିଟ୍ ଏବଂ ଲାଠିକଟା ଓ ଲହୁଣୀପଡ଼ାର ୨ଜଣ ବୋଟ୍‌ମ୍ୟାନ୍‌ଙ୍କୁ ଲାଇଫ୍ ଜ୍ୟାକେଟ୍ ପ୍ରଦାନ କରାଯାଇଛି।

ସ୍ୱତନ୍ତ୍ର ପୋଷଣ କାର୍ଯ୍ୟକ୍ରମକୁ ବର୍ଷେ ପୂରିଲା:

ସୁନ୍ଦରଗଡ଼ ଜିଲ୍ଲାରେ ଶିଶୁଙ୍କ ପୁଷ୍ଟି ସାଧନ ପାଇଁ ଚାଲିଥିବା ସ୍ପିରୁଲିନା ଚିକି ଓ ଚିନି ଏବଂ ମାଣ୍ଡିଆ ଲଡୁ ମିକ୍ସ ବଣ୍ଟନ କାର୍ଯ୍ୟକ୍ରମକୁ ଏକ ବର୍ଷ ପୂରିଛି। ଏହି ପୋଷଣ କାର୍ଯ୍ୟକ୍ରମରେ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ୭ ମାସରୁ ୨ ବର୍ଷର ଶିଶୁଙ୍କୁ ସ୍ପିରୁଲିନା ଚିନି ଏବଂ ୨ରୁ ୬ ବର୍ଷର ପିଲାଙ୍କୁ ସ୍ପିରୁଲିନା ଚିକି ଖାଇବାକୁ ଦିଆଯାଉଛି। ସ୍ପିରୁଲିନା ମାଧ୍ୟମରେ ଜିଲ୍ଲାର ୧ ଲକ୍ଷ ୪୨ ହଜାରରୁ ଅଧିକ ଶିଶୁ ଏବଂ ମାଣ୍ଡିଆ ଲଡୁ ଦ୍ୱାରା ୬୩ ହଜାରରୁ ଅଧିକ ଶିଶୁଙ୍କ ପୁଷ୍ଟି ସାଧନ ପାଇଁ କାର୍ଯ୍ୟକ୍ରମ ଜାରି ରହିଛି।

କର୍ଣ୍ଣାଟକସ୍ଥିତ ସ୍ପିରୁଲିନା ଫାଉଣ୍ଡେସନର ଅଧ୍ୟକ୍ଷ ମହେଶ ଆର୍‌.ଭି. ରବିବାର ଦିନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ପିରୁଲିନାର ପ୍ରସାର ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଉଦ୍ୟମର ପ୍ରଶଂସା କରିଛନ୍ତି। ଶିଶୁଙ୍କ ଶାରୀରିକ ବିକାଶ ସହ ମାନସିକ ଓ ବୌଦ୍ଧିକ ଅଭିବୃଦ୍ଧି ପାଇଁ ଏହା ଅତ୍ୟନ୍ତ ଉପାଦେୟ ବୋଲି ସେ କହିଥିଲେ। ବର୍ତ୍ତମାନ ବାହାର ରାଜ୍ୟରୁ ସ୍ପିରୁଲିନା ଚିକି ଓ ଚିନି ଅଣାଯାଉଛି। ତେବେ ଜିଲ୍ଲାରେ ମିଶନ ଶକ୍ତିର ମା’ମାନଙ୍କ ଦ୍ୱାରା ସ୍ପିରୁଲିନା ଚିକି ପ୍ରସ୍ତୁତ କରାଯିବ। ଏଥିପାଇଁ ସୁନ୍ଦରଗଡ଼ ସଦର ବ୍ଲକରେ କରାଯାଇଥିବା ଚିକି ପ୍ରସ୍ତୁତି ୟୁନିଟ୍‌ରେ ଏସ୍‌ଏଚ୍‌ଜି ମହିଳାମାନଙ୍କୁ ତାଲିମ୍ ଦିଆଯାଉଛି। ଏହି ସବୁ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

ଏହି ଅବସରରେ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ସୁଆଦିଆ ଖାଦ୍ୟ ପ୍ରଦର୍ଶନୀକୁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ବୁଲି ଦେଖିଥିଲେ। ସେହିପରି ପୋଷଣ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଭୂମିକା ପାଇଁ ବିଭିନ୍ନ ଏସ୍‌ଏଚ୍‌ଜିର ମା’ମାନଙ୍କୁ ସମ୍ମାନିତ କରାଯାଇଥିଲା। ଟାଙ୍ଗରପାଲି ବ୍ଲକ୍‌ରୁ ଆସିଥିବା ୪ ଜଣ ଅଙ୍ଗନବାଡ଼ି ଶିଶୁ ଗୀତ ଓ ନୃତ୍ୟ ମାଧ୍ୟମରେ ମାଣ୍ଡିଆ ଲଡୁ ଓ ସ୍ପିରୁଲିନାର ଉପକାରିତାର ବାର୍ତ୍ତା ଦେଇଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାମଚନ୍ଦ୍ର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ର ଏବଂ ଡିଏମ୍‌ଏଫ୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୨୧୧: ସୁସ୍ଥ ହେଲେ ୨୨୭ ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୬୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୫୦ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪ ହଜାର ୬୦ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୧୮୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୯ ହଜାର ୯୬୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ହଜାର ୯୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୯୭୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧ ହଜାର ୧୬୭ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୧୬୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୮୦, କଟକରୁ ୧୫୧, ଜଗତସିଂହପୁରରୁ ୭୪, ପୁରୀରୁ ୬୯, ବାଲେଶ୍ବରରୁ ୫୮, ଯାଜପୁରରୁ ୫୬, ନୟାଗଡରୁ ୫୨, ମୟୂରଭଞ୍ଜରୁ ୩୫, କେନ୍ଦ୍ରାପଡାରୁ ୩୧, ଅନୁଗୁଳରୁ ୨୬, ରାୟଗଡାରୁ ୨୦, ସୁନ୍ଦରଗଡରୁ ୧୯, କେନ୍ଦୁଝରରୁ ୧୮, ଭଦ୍ରକରୁ ୧୬, ଢେଙ୍କାନାଳରୁ ୧୬, କନ୍ଧମାଳରୁ ୧୬, ମାଲକାନାଗିରିରୁ ୯, ବରଗଡରୁ ୭, କୋରାପୁଟରୁ ୬, ବଲାଙ୍ଗୀରିରୁ ୫, ଝାରସୁଗୁଡାରୁ ୪, ଗଜପତିରୁ ୩, ଗଞ୍ଜାମରୁ ୩, ସମ୍ବଲପୁରରୁ ୩, ବୌଦ୍ଧରୁ ୨, ନୂଆପଡାରୁ ୨, ସୋନପୁରରୁ ୨, ଦେବଗଡରୁ ୧, କଳାହାଣ୍ଡିରୁ ୧ ଏବଂ  ଏବଂ ଷ୍ଟେଟ ପୁଲରୁ ୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୭୯ ହଜାର ୪୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୫ ହଜାର ୪୩୩ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯ ହଜାର ୨୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୯୫୩ କୁ ବୃଦ୍ଧି ହୋଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଉଜବେକିସ୍ତାନରେ ଦୁର୍ଘଟଣାଗ୍ରସ୍ତ ହେଲା ଆଫଗାନିସ୍ତାନ ସାମରିକ ବିମାନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଚାଲିଥିବା ସଙ୍କଟ ମଧ୍ୟରେ ଉଜବେକିସ୍ତାନରେ ଏକ ଆଫଗାନିସ୍ତାନ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଛି। ଏହା ପରେ ଉଜବେକିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଆଫଗାନିସ୍ତାନ ସୈନ୍ୟବାହିନୀର ଚିହ୍ନ ଧାରଣ କରିଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଉଜବେକିସ୍ତାନ ଗଣମାଧ୍ୟମର ରିପୋର୍ଟରେ କୁହାଯାଇଛି ଯେ, ରବିବାର ସନ୍ଧ୍ୟାରେ ଦେଶର ଦକ୍ଷିଣ ପୂର୍ବରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ସ୍ଥାନ ଆଫଗାନିସ୍ତାନ ସୀମାଠାରୁ ବେଶୀ ଦୂରରେ ନୁହେଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନରେ ସ୍ଵତନ୍ତ୍ର ସତର୍କ ଯାଞ୍ଚ ଅଭିଯାନ: ୫ କେଜିରୁ ଊର୍ଦ୍ଧ୍ଵ ଗଞ୍ଜେଇ ଜବତ, ଜଣେ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଗତକାଲି ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଥାନା ଅଧିକାରୀ ମହେଶ୍ଵର ଚଣ୍ଡରାୟଙ୍କ ତତ୍ଵାବଧାନରେ ବାଲୁଗାଁ ରେଳ ଷ୍ଟେସନରେ ନିଶାଦ୍ରବ୍ୟର ଚୋରା ଚାଲାଣ, ଅସାମାଜିକ କାର୍ଯକଳାପ ଏବଂ କୋଭିଡ଼ ନିୟମ ଉଲଂଘନ ବିରୁଦ୍ଧରେ ଏକ ସ୍ଵତନ୍ତ୍ର ସତର୍କ ଯାଞ୍ଚ ଅଭିଯାନ କରାଯାଇଥିଲା। ଉପନିରୀକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏଏସଆଇ ଜୟକୁମାର ସିକେ, ପ୍ରଧାନ ଆରକ୍ଷୀ ଲୋକନାଥ ବେହେରା, ଆରକ୍ଷୀ ଡି॰ ଇଂ ରାଓ, ଆରକ୍ଷୀ ଅଲେଖ ବେହେରା ଆଦି ବାଲୁଗାଁ ରେଳ ଷ୍ଟେସନ ଏବଂ ସମସ୍ତ ଯାତ୍ରୀବାହୀ ଗାଡିର ଖାନତଲାସି କରିଥିଲେ।

ଯାଞ୍ଚ ସମୟରେ ଆରପିଏଫ ଟିମ ଷ୍ଟେସନର ଦକ୍ଷିଣ ଭାଗରେ ଜଣେ ଯୁବକଙ୍କୁ ସନ୍ଦେହଜନକ ଅବସ୍ଥାରେ ଗୋଟାଏ କଳା ରଙ୍ଗର ବ୍ୟାଗ ସହ ବୁଲୁଥିବାର ଦେଖି ତାଙ୍କୁ ପଚରାଉଚରା କରିଥିଲା। ହଠାତ ଯୁବକ ଜଣକ ଏଥିରେ ବିଚଳିତ ହୋଇ ଉକ୍ତ ସ୍ଥାନରୁ ଖସି ପଳାଇବାକୁ ଚେଷ୍ଟା କରିଥିବା ବେଳେ ଆରପିଏଫ ଟିମ ଉକ୍ତ ଯୁବକଙ୍କୁ କାବୁ କରିନେଇଥିଲା।

ଆରପିଏଫ ସହାୟକ ସୁରକ୍ଷା ଅଧିକ୍ଷକ ସଞ୍ଜୟ କୁମାର ସିଂହଙ୍କ ନିର୍ଦ୍ଦେଶ କ୍ରମେ ସଂନ୍ଦିଗ୍ଧ ବ୍ୟାଗଟିର ତଲାସି କରାଯାଇଥିଲା ଏବଂ ଉକ୍ତ ଯୁବକଙ୍କ ଠାରୁ ୫ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା।

ତଦନ୍ତ ପରେ ଯୁବକ ଜଣକ ବାଣପୁର ଥାନା ଅନ୍ତର୍ଗତ ଦକ୍ଷପ୍ରଜାପତି (ମାଳିସାହି) ର ରୀତିକ ରୋଶନ ମହାପାତ୍ର ବୋଲି ଜଣାପଡ଼ିଛି। ଜେରା ସମୟରେ ସେ ସ୍ଥାନୀୟ ଅଞ୍ଚଳର କିଛି ଅସମାଜିକ ଯୁବକ ମାନଙ୍କ ସହଯୋଗରେ ବିଜୟୱାଡା ଦେଇ ସୁରାଟକୁ ରେଳ ଯୋଗେ ନିଶାଦ୍ରବ୍ୟ ଚୋରାଚାଲାଣ କରୁଥିବାର ସ୍ୱୀକାର କରିଥିଲେ।

ଆରପିଏଫ ଥାନା ଅଧିକାରୀମାନେ ଏହି ଗଞ୍ଜେଇ ଜବତ କରିବାସହ ସମ୍ପୃକ୍ତ ଯୁବକଙ୍କ ବିରୁଦ୍ଧରେ ଖୋର୍ଦ୍ଧା ରୋଡ଼ ଜିଆରପିରେ ଆଜି ଏନଡିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୬୦/୨୧ ରେ ଏକ ମାମଲା ରୁଜୁକରୀ ତଦନ୍ତ ଜାରିରଖିଥିବାର ବାଲୁଗାଁ ଆରପିଏଫ ଥାନା ଅଧିକାରୀ ମହେଶ୍ଵର ଚଣ୍ଡରାୟ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୋଲିସ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଡ଼ିଜିପିଙ୍କ ନିକଟରୁ ପଦକ ପାଇଲେ ବାଣପୁର ଥାନା ଏସଆଇ

ସୀତାରାମ ଅଗ୍ରୱାଲ

ବାଣପୁର: ଭଲକାମ ପାଇଁ ଓଡିଶା ଡ଼ିଜିପିଙ୍କ ଠାରୁ ପଦକ ଏବଂ ପ୍ରଶଂସାପତ୍ର ପାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାର ଏସଆଇ ରାଜକିଶୋର ବେହେରା। ସ୍ୱାଧୀନତା ଦିବସ ଅବସରରେ ଓଡିଶା ପୋଲିସର ବିଭିନ୍ନ ୟୁନିଟର ସମୁଦାୟ ୬୬ ଜଣ ପୋଲିସ ଅଧିକାରୀଙ୍କ ସମେତ ୭ ଜଣ ସହିଦ କୋଭିଡ ଯୋଦ୍ଧାଙ୍କୁ ଡ଼ିଜିପି ଅଭୟ ପଦକ ଏବଂ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି।

ରବିବାର ଦିନ ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପୋଲିସ ଅଧିକାରୀମାନଙ୍କୁ ସମ୍ମାନିତ କରିଛନ୍ତି ଡ଼ିଜିପି। ରାଜକିଶୋର ବେହେରା ଜଣେ ଦକ୍ଷ ପୋଲିସ ଅଧିକାରୀ ହୋଇଥିବାବେଳେ ବିଗତ ଏକ ବର୍ଷର ରହଣି ମଧ୍ୟରେ ବାଣପୁର ଥାନାର ଏକାଧିକ ଜଟିଳ ଅପରାଧିକ ମାମଲା ଗୁଡିକର ସମାଧାନ କରିବା ଦିଗରେ ସଫଳ ହୋଇପାରିଛନ୍ତି।

ନିଜର ଦକ୍ଷତା ଲାଗି ସମଗ୍ର ଖୋର୍ଦ୍ଧା ଜିଲ୍ଲାରୁ କେବଳ ଉକ୍ତ ଯୁବ ଅଧିକାରୀ ଜଣକ ଡ଼ିଜିପିଙ୍କ ନିକଟରୁ ପଦକ ପାଇବାକୁ ସକ୍ଷମ ହୋଇପାରିଛନ୍ତି। ତେବେ ଶ୍ରୀ ବେହେରା ନିଜର ଉକ୍ତ ସଫଳତାର ଶ୍ରେୟ ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଏବଂ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କୁ ପ୍ରଦାନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ଓଡିଶା ବିଧାନସଭାର ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଚିଠି ହୋଇଛି।

ଏହି ଅଧିବେଶନରେ ମୋଟ ୮ ଦିନ କାର୍ଯ୍ୟ ଚାଲିବ। ୮ ଦିନ ମଧ୍ୟରୁ ୭ ଦିନ ଅଫିସିଆଲ ବିଜିନେସ ପାଇଁ କାର୍ଯ୍ୟ ନିର୍ଘଣ୍ଟ କରାଯାଇଛି। ପ୍ରାଇଭେଟ ମେମ୍ବର୍ସ ବିଜିନେସ ପାଇଁ ୩ ତାରିଖ ଦିନଟିକୁ ଧାର୍ଯ୍ୟ କରାଯାଇଛି। କେବଳ ସେପ୍ଟେମ୍ବର ୫ ତାରିଖ ରବିବାର ଦିନ ଅଧିବେଶନ ବନ୍ଦ ରହିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଓଲା ଇଲେକ୍ଟ୍ରିକ୍ ଲଞ୍ଚ କଲା ସ୍କୁଟର S1 ଏବଂ S1 ପ୍ରୋ: ଜାଣନ୍ତୁ ଉଭୟ ମଡେଲର ବୈଶିଷ୍ଟ୍ୟ

ନୂଆଦିଲ୍ଲୀ: ଓଲା ଇଲେକ୍ଟ୍ରିକ୍ ଶେଷରେ ବହୁ ପ୍ରତୀକ୍ଷିତ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିଛି। କମ୍ପାନୀ ରବିବାର ଦିନ ଏହାର ଇଲେକ୍ଟ୍ରିକ୍ ସ୍କୁଟରକୁ ଦୁଇଟି ପ୍ରକାର – ଓଲା S1 ଏବଂ ଓଲା S1 ପ୍ରୋ ନାମରେ ଲଞ୍ଚ କରିଛି। ଏହି ସ୍କୁଟରଗୁଡିକ ଗ୍ରାହକମାନଙ୍କ ପାଇଁ ସେପ୍ଟେମ୍ବରରୁ ବିକ୍ରୟ ପାଇଁ ଉପଲବ୍ଧ ହେବ, ଯେଉଁମାନେ ରାଇଡ୍ ଏଗ୍ରିଗେଟର୍ କମ୍ପାନୀରୁ ଏହି ଗାଡି କିଣିବାକୁ ଚାହୁଁଛନ୍ତି। ସେପ୍ଟେମ୍ବରରୁ ସେମାନେ ବୁକ୍ କରିପାରିବେ। ଏହା ପରେ ଅକ୍ଟୋବରରୁ ବିତରଣ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଏହି ସ୍କୁଟରରେ ଦୁଇ ପ୍ରକାର ବ୍ୟାଟେରୀ ବିକଳ୍ପ ଦିଆଯାଇଛି। ଓଲା S1 ର 2.98kWh ବ୍ୟାଟେରୀ ଅଛି। ସେହିପରି ଓଲା S1 ପ୍ରୋରେ 3.97kWh ବ୍ୟାଟେରୀ ଅଛି। ଉଭୟ ମଡେଲଗୁଡିକ 8.5kW ର ଶିଖର ଶକ୍ତି ପାଇବେ।

ଜାଣନ୍ତୁ ଉଭୟ ମଡେଲର ବୈଶିଷ୍ଟ୍ୟ:

ଓଲା S1 2.98kWh ବ୍ୟାଟେରୀ ଦ୍ୱାରା ଚାଳିତ ଯାହା କମ୍ପାନୀ ଅନୁଯାୟୀ 121 କିଲୋମିଟର ପରିସର ଏବଂ 90 କିଲୋମିଟରର ସର୍ବୋଚ୍ଚ ବେଗ ଦେଇଥାଏ। କମ୍ପାନୀ ଦାବି କରିଛି ଯେ ଓଲା S1 3.6 ସେକେଣ୍ଡରେ 0 ରୁ 40 କିଲୋମିଟର ପର୍ଯ୍ୟନ୍ତ ତ୍ୱରାନ୍ୱିତ ହୋଇପାରିବ। ଓଲାର ଇଲେକ୍ଟ୍ରିକ୍ ସ୍କୁଟରରେ ବିଭିନ୍ନ ରାଇଡିଂ ମୋଡ୍ ଦିଆଯାଇଛି। S1 ର ଦୁଇଟି ରାଇଡିଂ ମୋଡ୍ ଅଛି – ସାଧାରଣ ଏବଂ ସ୍ପୋର୍ଟ୍ସ।

ଯଦି ଆପଣ ଏକ ଇ-ଯାନ ଚଲାନ୍ତି, ତେବେ ଆପଣ ନିଜ ପକେଟରେ ଆରାମ ପାଇବେ, ପଞ୍ଜୀକରଣ ପ୍ରମାଣପତ୍ର ଦେୟର ଅସୁବିଧାରୁ ମୁକ୍ତି ପାଇବେ।

Ola S1 Pro ରେ 3.97kWh ବ୍ୟାଟେରୀ ଅଛି। ଏହାକୁ ଏକ ‘ଇଚ୍ଛାଧୀନ କାର୍ଯ୍ୟଦକ୍ଷତା ଅପଗ୍ରେଡ୍ ଆକ୍ସେସୋରିଜ୍’ ପ୍ରଦାନ କରି କମ୍ପାନୀ ଦାବି କରିଛି ଯେ ଏହି ମଡେଲ୍ ପରିସର 181 କିଲୋମିଟର ଏବଂ ସର୍ବୋଚ୍ଚ ବେଗ 115 କିଲୋମିଟର ଦେଇଥାଏ। କମ୍ପାନୀ 3 ସେକେଣ୍ଡରେ 0 ରୁ 40 କିଲୋମିଟର ତ୍ୱରାନ୍ୱିତ କରିବାକୁ ଦାବି କରିଛି। ଏହାର ତିନୋଟି ଭିନ୍ନ ରାଇଡିଂ ମୋଡ୍ ଅଛି – ସାଧାରଣ, ସ୍ପୋର୍ଟ୍ସ ଏବଂ ହାଇପର।

ଓଲା S1 ପାଞ୍ଚଟି ରଙ୍ଗରେ ଉପଲବ୍ଧ ଥିବାବେଳେ ଓଲା S1 ପ୍ରୋ 10 ଟି ରଙ୍ଗରେ ବଜାରକୁ ଆସିବ।