Categories
ବିଶେଷ ଖବର ରାଜ୍ୟ ଖବର

BIG BREAKING: ଓଡିଶାରେ ନିଯୁକ୍ତ ହେବେ ୧୧ ହଜାର ୪୫୦ ଜଣ ଶିକ୍ଷକ, ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ଭୁବନେଶ୍ବର, ବେକାରୀମାନଙ୍କ ପାଇଁ ଏକ ଖୁସି ଖବର। ଓଡିଶାରେ ଏକାଥରେ ୧୧ହଜାର ୪୫୦ଟି ଶିକ୍ଷକ ପଦବୀ ପୂରଣ ନିମନ୍ତେ ନିଷ୍ପତି କରାଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ନିଷ୍ପତି ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୨୦୫୫ ହିନ୍ଦୀ, ୧୩୦୪ ସଂସ୍କୃତ ଓ ୧୨୬୦ ଶାରୀରିକ ଶିକ୍ଷକ ନିଯୁକ୍ତ ହେବେ। ପ୍ରଥମ ପର‌୍ୟ୍ୟାୟ ନିଯୁକ୍ତି ପାଇଁ ଆସନ୍ତା ଅଗଷ୍ଟ ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ।

ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ୬୦୬୫ ଜଣ ତାଲିମ ପ୍ରାପ୍ତ ସ୍ନାତକ ଶିକ୍ଷକ ଏବଂ ତେଲୁଗୁ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ତୃତୀୟ ପର୍ଯ୍ୟାୟରେ ୯୪୦ ଜଣ ତାଲିମ ପ୍ରାପ୍ତ ସ୍ନାତକ, କ୍ଲାସିକାଲ ଏବଂ ହିନ୍ଦି ଶିକ୍ଷକ ପଦବୀ ପୁରଣ କରାଯିବ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟରେ ଦୀର୍ଘ ବର୍ଷ ଧରି ଶିକ୍ଷକ ନିଯୁକ୍ତି କରାଯାଉ ବୋଲି ଦାବୀ ହୋଇ ଆସୁଥିଲା। ଏପରିକି ବିଧାନସଭା ସମୟରେ ଶିକ୍ଷକମାନଙ୍କର ନିଯୁକ୍ତି ନେଇ ଆନ୍ଦୋଳନ ମଧ୍ୟ କରାଯାଉଥିଲା। ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ଏହି ବଡ ନିଷ୍ପତି ଗ୍ରହଣ କରିଛନ୍ତି। ଫଳରେ ରାଜ୍ୟରେ ବେକାର ହୋଇ ବସିରହିଥିବା ତାଲିମ ପ୍ରାପ୍ତ ବେକାରୀମାନଙ୍କ ପାଇଁ ନିଯୁକ୍ତିର ବଡ ଆଶା ସଂଚାର ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଅଭିଯୋଗ ପରେ ହେଲା କାର୍ଯ୍ୟାନୁଷ୍ଠାନ: ବିଏସପିରୁ ଆସି ବିଜେପିରେ ସାମିଲ ହୋଇଥିବା ନେତାଙ୍କୁ କରାଗଲା ବହିଷ୍କାର

ଲକ୍ଷ୍ନୌ: ବିଜେପିକୁ ବିଏସପିରୁ ଆସିଥିବା ଜିତେନ୍ଦ୍ର ସିଂ ବବଲୁଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଜିତେନ୍ଦ୍ର ସିଂ ବବଲୁ କିଛି ଦିନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ। ଯାହାକୁ ବିଜେପିର ରୀତା ବହୁଗୁଣା ବିରୋଧ କରିଥିଲେ। ବାସ୍ତବରେ ରୀତା ବହୁଗୁଣାଙ୍କ ଘର ଜିତେନ୍ଦ୍ର ସିଂ ବବଲୁ ପୋଡି ଦେଇଥିବା ଅଭିଯୋଗ ହୋଇଛି। ବବୁଲୁ ସେତେବେଳେ ବିଏସପିରେ ଥିଲେ ଏବଂ ଗତ ସପ୍ତାହରେ ବିଜେପିରେ ଯୋଗ ଦେଇଥିଲେ। ଏବେ ରୀତା ବହୁଗୁଣାଙ୍କ ଅଭିଯୋଗରେ ବିଜେପି ତାଙ୍କୁ ଦଳରୁ ବାହାର କରିଦେଇଛି।

ବହୁ ମାମଲାର ସମ୍ମୁଖୀନ ହୋଇଥିବା ଜିତେନ୍ଦ୍ର ସିଂ ବବଲୁ ମାୟାବତୀ ସରକାରରେ ଜଣେ ବିଏସପିର ଦବଙ୍ଗ ବିଧାୟକ ଥିଲେ। ଅଯୋଧ୍ୟାଠାରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ତାଙ୍କର ଦବଦବା ରହୁଥିଲା। ସେ ମାୟାବତୀଙ୍କ ଅତି ଘନିଷ୍ଠ ନେତାଙ୍କ ମଧ୍ୟରେ ଗଣତି ହେଉଥିଲେ। ମାୟାବତୀଙ୍କ ଦ୍ୱାରା ତାଙ୍କ ଭାଇଙ୍କୁ ଏମଏଲସି କରାଯାଇଥିଲା। ଏହା ଭିତରେ ଏପରି ଘଟଣା ଘଟିଥିଲା ​​ଯେ, ବବଲୁ ସାରା ଦେଶରେ ହେଡଲାଇନରେ ଆସିଥିଲେ। ଲକ୍ଷ୍ନୌରେ ତତ୍କାଳୀନ ରାଜ୍ୟ କଂଗ୍ରେସ ସଭାପତି ରୀତା ବହୁଗୁଣାଙ୍କ ଘର ଜାଳିଦେବାକୁ ଉଦ୍ୟମ ହୋଇଥିଲା। ବବଲୁ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ତାଙ୍କୁ ମଧ୍ୟ ଜେଲ ଯିବାକୁ ପଡିଥିଲା। ରୀତା ବହୁଗୁଣା ବର୍ତ୍ତମାନ ବିଜେପିରେ ଅଛନ୍ତି। ସେ ହେଉଛନ୍ତି ପ୍ରୟାଗରାଜରୁ ଦଳର ଲୋକସଭା ସାଂସଦ।

ଉଲ୍ଲେଖ ଯୋଗ୍ୟ ଯେ, ଅଗଷ୍ଟ ୪ ତାରିଖରେ ଲକ୍ଷ୍ନୌରେ ବିଜେପି ରାଜ୍ୟ ସଭାପତି ସ୍ଵତନ୍ତ୍ର ଦେବ ସିଂ ଜିତେନ୍ଦ୍ର ସିଂଙ୍କୁ ଏକ ବଡ କାର୍ଯ୍ୟକ୍ରମରେ ଦଳରେ ସାମିଲ କରିଥିଲେ। ସେତେବେଳେ ରୀତା ବହୁଗୁଣା ଯୋଶୀ ଆପତ୍ତି କରିଥିଲେ। ଯୋଶୀ ଏହି ବିଷୟରେ ଦଳର ନେତୃତ୍ୱଙ୍କୁ ଅବଗତ କରାଇଥିଲେ। ଗତ ବର୍ଷ ମଧ୍ୟ ବବଲୁଙ୍କୁ ଦଳକୁ ଆଣିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ଦଳର କର୍ମୀଙ୍କ ତୀବ୍ର ବିରୋଧ ଯୋଗୁଁ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ପଡିଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୨୨୩: ସୁସ୍ଥ ହେଲେ ୨୦୪ ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୨୩ ଆକ୍ରାନ୍ତଙ୍କ ମଧ୍ୟରୁ ୫୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୭୧ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨ ହଜାର ୪୯୦ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୨୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୮ ହଜାର ୬୯୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ହଜାର ୮୨୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୯୪୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମରୁଡ଼ି ମୁକାବିଲା ଯୁଦ୍ଧକାଳୀନ ଭିତ୍ତିରେ କର, ଧାନ ବୋନସ୍ ପାଇଁ ପଇସା ରଖ: ଶେଷଦେବ ନନ୍ଦ

ଭୁବନେଶ୍ୱର: ଚାଷୀଙ୍କ ପାଇଁ କେବଳ କୁମ୍ଭୀର କାନ୍ଦଣା କାନ୍ଦ ନାହିଁ। ଦେହ ଓ ମନ ଲଗାଇ କାମ କର। ଲକଡ଼ାଉନ ଓ ସଟଡ଼ାଉନ ସମୟରେ ସମସ୍ତଙ୍କ ଚକା ଜାମ୍ କରି, ମୁହଁରେ ତୁଣ୍ଡି ଲଗାଇ ଖଣିରୁ ଅପର୍ଯ୍ୟାପ୍ତ ଅର୍ଥ ପାଇଛ। ଏପରିକି ସବୁ ବିଭାଗକୁ ଖର୍ଚ୍ଚ ପାଇଁ ପଇସା ମଗାଇ ସାରିଲେଣି। ଅଥଚ ମରୁଡ଼ିରେ ଛଟପଟ ହେଉଥିବା ଚାଷୀଙ୍କ କଥା ସମ୍ପୂର୍ଣ୍ଣ ଭୁଲିଯାଇଛ। ଖଣି ଅର୍ଥରେ ପ୍ରଥମେ ଚାଷୀଙ୍କ ଜମିକୁ ଜଳ ଯୋଗାଇ ମରୁଡ଼ି ମୁକାବିଲା କର।

ସୂଚନାଯୋଗ୍ୟ ଯେ, ସାରା ଓଡ଼ିଶାର ଅଧାରୁ ଅଧିକ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ଯୋଗୁଁ ରୁଆ ପୋତା ହୋଇପାରୁ ନାହିଁ। ରୁଆ ହୋଥିବା ଧାନ ଜଳିଗଲାଣି। ଚାଷ ପ୍ରକ୍ରିୟା ଗଭୀର ଭାବରେ ବ୍ୟାହତ ହୋଇଛି। ଏପରିକି ଚାଷୀଙ୍କ ମୁଣ୍ଡ ଗଡ଼ିଲାଣି। ତଥାପି ସରକାର ଚେତି ନାହାଁନ୍ତି। ଯାଜପୁର, କଟକ, ମୟୁରଭଞ୍ଜ, ଗଞ୍ଜାମ ଯୁଆଡ଼େ ଦେଖ ମରୁଡ଼ି ସ୍ଥିତି। ଅଧା ଓଡ଼ିଶାରେ ମରୁଡ଼ି ସ୍ଥିତି ବୋଲି ପ୍ରମୁଖ ଖବରକାଗଜରେ ସମ୍ବାଦ ପ୍ରକାଶ ପାଇସାରିଛି। ଜୁନ୍‌ର ଶେଷ ଭାଗରୁ ଜଣାଥିଲା ଯେ ଜୁଲାଇରେ ଅନାବୃଷ୍ଟି ହେବ। ତଥାପି ସରକାର ନାହିରେ ତେଲ ପକାଇ ଶୋଇଲେ ଓ ଏଥିଲାଗ କୌଣସି ଉଦ୍ୟମ କଲେନାହିଁ।

ସରକାର ଚାଷୀଙ୍କ କଥା ନବୁଝି ଅଲମ୍ପିକ୍‌ରେ ମାତି କ୍ରୀଡ଼ାଙ୍ଗନ କରିବା କଥା ଘୋଷଣା କରୁଛନ୍ତି। ସରକାର ସାଂସ୍କୃତିକ ବୈଭବ ଓ କ୍ରୀଡ଼ା ପ୍ରତି ସମ୍ବେଦନଶୀଳ ହୁଅନ୍ତୁ, କିନ୍ତୁ ଅନ୍ନଦାତାଙ୍କ କଥା ବୁଝିବେ କି ନାହିଁ। ସବୁଠାରୁ ଦୁର୍ଭାଗ୍ୟର କଥା ମୁଖ୍ୟମନ୍ତ୍ରୀ ନିଜେ ଦୀର୍ଘଦିନ ଧରି ଜଳସେଚନ ବିଭାଗର ଦାୟିତ୍ୱରେ ଅଛନ୍ତି। ଏହା ସତ୍ତ୍ୱେ ଜଳସେଚନ ପାଇଁ ସେଭଳି ଆଖିଦୃଶିଆ ପଦକ୍ଷେପ ସେ ନେଇନାହାଁନ୍ତି। କରୋନାରେ ଲୋକ ହାତ ବାନ୍ଧି ବସିଛନ୍ତି । ଦୁଇଥର କରୋନା ମାଡ଼ରେ ଚାଷ ଦେଶକୁ ବଞ୍ଚାଇଲା ବୋଲି ସମସ୍ତେ ସ୍ୱୀକାର କରୁଛନ୍ତି ହେଲେ ଚାଷକୁ ବଞ୍ଚାଇବାକୁ ସରକାର ପଦକ୍ଷେପ ନେବା ଯନ୍ତ୍ରଣାଦାୟକ।

ସରକାରଙ୍କ ଖଜଣାଖାନାରେ ଅର୍ଥର ଅଭାବ ନାହିଁ। ତୁରନ୍ତ ସରକାର ମରୁଡ଼ି ମୁକାବିଲା କରିବା ସହିତ ଧାନ କୁଇଣ୍ଟାଲ ପିଛା ୫୦୦ ଟଙ୍କା ଲେଖାଏଁ ବୋନସ ଦେବା ପାଇଁ ଅର୍ଥ ବରାଦ କରନ୍ତୁ ବୋଲି ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି। ଯଦି ଏଥର ମରୁଡ଼ି ହୁଏ, ତେବେ ପୁରୁଣା ରିଲିଫ କୋଡ଼ ନୁହେଁ, ବରଂ ରିଲିଫ କୋଡ଼ ସଂଶୋଧନ କରି କ୍ଷତି ଯେତେ, ଦିଅ ସେତେ ଆଧାରରେ କ୍ଷତିପୂରଣ ଦାବି କରାଯିବ ବୋଲି ଶ୍ରୀ ନନ୍ଦ କହିଛନ୍ତି।

Categories
ଆଜିର ଖବର ବ୍ୟବସାୟ

ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ୍ ପକ୍ଷରୁ ଆମ୍ବ୍ରି ଆଇଏନ୍‌ସିରେ ନିବେଶ ଘୋଷଣା

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ୍ (ଆର୍‌ଏନ୍‌ଇଏସ୍‌ଏଲ୍‌) ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ ନିବେଶକ ଯଥା ପଲସନ୍ ଆଣ୍ଡ୍ କୋ ଆଇଏନ୍‌ସିବିଲ୍ ଗେଟ୍‌ସ ଏବଂ କିଛି ଅନ୍ୟ ନିବେଶକଙ୍କ ସହ ମିଶି ଯୁକ୍ତରାଷ୍ଟ୍ର ଆମେରିକାର ମାସାଚୁସେଟ୍‌ସ ସ୍ଥିତ ଶକ୍ତି ସଂରକ୍ଷଣ (ଷ୍ଟୋରେଜ୍‌) କଂପାନି ଆମ୍ବ୍ରି ଆଇଏନ୍‌ସିରେ ୧୪୪ ନିୟୁତ ଡଲାର ନିବେଶ କରାଯିବା ବିଷୟରେ ଘୋଷଣା କରାଯାଇଛି । ଏହି ନିବେଶ କଂପାନିକୁ ଶକ୍ତି ଷ୍ଟୋରେଜ୍ ବ୍ୟବସ୍ଥା ଦୀର୍ଘମିଆଦୀ ଭିତିରେ ସାରା ବିଶ୍ୱରେ ବାଣିଜ୍ୟିକ ପ୍ରସାର କରିବା ଓ ଆଗକୁ ବଢ଼ାଇବାରେ ସହାୟକ ହେବ। ଆମ୍ବ୍ରିର ଅଗ୍ରାଧିକାର ଷ୍ଟକ୍‌ର ୪୨.୩ ନିୟୁତ ସେୟାରକୁ ଅଧିଗ୍ରହଣ କରିବା ଲାଗି ଆରଏନ୍‌ଇଏସ୍‌ଏଲ୍ ୫୦ ନିୟୁତ ଡଲାର ନିବେଶ କରିବ।

ପେଟେଂଟ୍ ପ୍ରଯୁକ୍ତି ଭିତିକ ଓ ୪ ରୁ ୨୪ ଘଂଟା ପର୍ଯ୍ୟନ୍ତ କାର୍ଯ୍ୟ କରିବା ପାଇଁ ସ୍ୱତନ୍ତ୍ରା ଭାବେ ଡିଜାଇନ୍ କରାଯାଇଥିବା ଆମ୍ବ୍ରିର ଲମ୍ବା ସମୟ ଶକ୍ତି-ସଂରକ୍ଷଣ ବ୍ୟବସ୍ଥା ଗ୍ରୀଡ୍ ସ୍କେଲ୍‌ରେ ସ୍ଥିର ଷ୍ଟୋରେଜ୍ ପ୍ରୟୋଗଗୁଡିକରେ ବୃବହୃତ ଲିଥିୟମ୍ ଆୟନ ବ୍ୟାଟେରି ସହ ଜଡ଼ିତ ଥିବା ବ୍ୟୟଦୀର୍ଘସ୍ଥାୟିତ୍ୱ ଓ ସୁରକ୍ଷାଜନିତ ପ୍ରତିବନ୍ଧକଗୁଡିକୁ ଦୂର କରିବ। ଏହାର ଗୁରୁତ୍ୱପୂର୍ଣ୍ଣ ଶକ୍ତି ସଂରକ୍ଷଣ ସମାଧାନକୁ ସକ୍ଷମ କରିବ ଯାହା ବିଦ୍ୟୁତ୍ ଗ୍ରୀଡ୍ ସହ ସମନ୍ୱିତ ହେଉଥିବା କ୍ରମବର୍ଦ୍ଧିଷ୍ଣୁ ଅକ୍ଷୟ ଶକ୍ତି ପାଇଁ ସହାୟକ ହେବ।

ଭାରତରେ ଏକ ବୃହତ ଆକାରର ବ୍ୟାଟେରି ଉତ୍ପାଦନ କାରଖାନା ସ୍ଥାପନ କରିବା ନେଇ ଆରଏନଇଏସ୍‌ଏଲ୍ ଓ ଆମ୍ବ୍ରି ମଧ୍ୟରେ ଆଲୋଚନା ଜାରି ରହିଛି ଯାହା ଆଗକୁ ବ୍ୟାପକ ହୋଇ ରିଲାଏନ୍ସର ସବୁଜ ଶକ୍ତି ଉଦ୍ୟମ ପାଇଁ ଖର୍ଚ୍ଚକୁ ଆହୁରି ହ୍ରାସ କରିବ।

ଚଳିତ ବର୍ଷ ଜୁନ୍‌ରେ ଅଂଶଧନଧାରୀମାନଙ୍କୁ ସମ୍ବୋଧିତ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ମୁକେଶ ଧୀରୁଭାଇ ଅମ୍ବାନି ଗ୍ରିନ୍ ଏନର୍ଜି ଗିଗା କମ୍ପେ୍ଲକ୍ସ ପ୍ରୋଜେକ୍ଟର ଅଂଶ ସ୍ୱରୂପ ଜାମନଗରରେ ଶକ୍ତି ସଂରକ୍ଷଣ ଲାଗି ସ୍ଥାପନ କରାଯିବାକୁ ଥିବା ଗିଗା ଫ୍ୟାକ୍ଟ୍ରି (କାରଖାନା) ସମ୍ପର୍କିତ ଯୋଜନା ବିଷୟରେ ଘୋଷଣା କରିଥିଲେ। “ଆମେ ନୂଆ ଓ ଉନ୍ନତ ଇଲେକ୍ଟ୍ରୋ-କେମିକାଲ୍ ପ୍ରଯୁକ୍ତିର ସନ୍ଧାନ କରୁଛୁ ଯାହାକୁ ଆମେ ଶକ୍ତି ସଂରକ୍ଷଣ ଲାଗି ବଡ଼ ଧରଣର ଗ୍ରିଡ୍ ବ୍ୟାଟେରି ପାଇଁ ବ୍ୟବହାର କରିପାରିବୁ। ବିଦ୍ୟୁତ ଉତ୍ପାଦନସଂରକ୍ଷଣ ଓ ଗ୍ରିଡ୍ ସଂଯୋଗର ମିଶ୍ରଣ ଜରିଆରେ ଚବିଶ ଘଂଟା ଭରସାଯୋଗ୍ୟ ବିଦ୍ୟୁତ ଉପଲବ୍ଧତା ସୁନିଶ୍ଚିତ କରିବା ନିମନ୍ତେ ଆମେ ବ୍ୟାଟେରି ପ୍ରଯୁକ୍ତି କ୍ଷେତ୍ରରେ ଥିବା ବିଶ୍ୱର ଅଗ୍ରଣୀ ସଂସ୍ଥାଗୁଡ଼ିକ ସହ ସହଯୋଗିତା ସ୍ଥାପନ କରିବୁ ବୋଲି ଶ୍ରୀ ଅମ୍ବାନି ଘୋଷଣା କରିଥିଲେ।’’

ଆମ୍ବ୍ରି ପକ୍ଷରୁ ଘଂଟା ପ୍ରତି ୧୦ ମେଗାୱାଟ୍‌ରୁ ଆରମ୍ଭ କରି ୨ରୁ ଅଧିକ ଗିଗାୱାଟ୍ ପର୍ଯ୍ୟନ୍ତର ଶକ୍ତି ସଂରକ୍ଷଣ ବ୍ୟବସ୍ଥା ଦରକାର କରୁଥିବା ପ୍ରକଳ୍ପଗୁଡ଼ିକୁ ସୁବିଧା ଯୋଗାଇ ଦିଆଯାଇପାରିବ। କଂପାନି ତରଫରୁ କ୍ୟାଲସିୟମ୍ ଓ ଆଂଟିମୋନି ଇଲେକ୍ଟ୍ରୋଡ୍ ଭିତିକ ସେଲ୍ ଓ କଂଟେନର ଭିତିକ ବ୍ୟବସ୍ଥା ବିକଶିତ କରାଯିବ ଯାହା ଲିଥିୟମ୍ ଆୟନ ବ୍ୟାଟେରି ତୁଳନାରେ ସୁଲଭ ରହିବ ଓ ଯେକୌଣସି ପ୍ରକାର ଜଳବାୟୁ ପରିସ୍ଥିତିରେ କାର୍ଯ୍ୟ କରିବ ଓ ଏଥିପାଇଁ ଅତିରିକ୍ତ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ଦରକାର ପଡ଼ିବନି ଏବଂ ସ୍ୱଳ୍ପ କ୍ଷୟ ସହିତ ୨୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିବ। ଦିନ ବେଳା ସୃଷ୍ଟି ହେଉଥିବା ସୌର ଶକ୍ତିକୁ ସନ୍ଧ୍ୟା ଓ ଅତ୍ୟାବଶ୍ୟକ ସମୟର ଆବଶ୍ୟକତା ଲାଗି ସ୍ଥାନାନ୍ତର କରିବା ଭଳି ଉଚ୍ଚ ବ୍ୟବହାରର ପ୍ରୟୋଗ ଲାଗି ଆମ୍ବ୍ରିର ବ୍ୟବସ୍ଥା ବେଶ ଉପଯୋଗୀ। ଏହି କଂପାନି ୨୦୨୩ ଓ ପରବର୍ତୀ ସମୟ ପାଇଁ ବାଣିଜ୍ୟିକ ପରିଚାଳନା ନିମନ୍ତେ ଗ୍ରାହକ ନିଶ୍ଚିତ କରୁଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

୫୦୦ ଦିନରେ ପ୍ରତାପ ସାହୁଙ୍କ କରୋନା ସେବା: ତୃତୀୟ ଲହର ପାଇଁ ପ୍ରସ୍ତୁତ

ଭୁବନେଶ୍ୱର: ମହାମାରୀ କରୋନାର ପ୍ରଥମ ଲହର ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଲୋକଙ୍କୁ କରୋନା ସେବା ଯୋଗାଇ ଆସୁଥିବା ସମାଜସେବୀ ପ୍ରତାପ ସାହୁ ଇତି ମଧ୍ୟରେ ସେବା କ୍ଷେତ୍ରରେ ୫୦୦ ଦିନ ଅତିକ୍ରମ କରିସାରିବା ପରେ ଏବେ ତୃତୀୟ ଲହର ପାଇଁ ପ୍ରସ୍ତୁତ ହେଉଛନ୍ତି।

ଗତ ୨୦୨୦ ମସିହା ମାର୍ଚ୍ଚ ମାସରୁ ଓଡ଼ିଶାରେ ଦେଖା ଦେଇଥିବା ମହାମାରୀ କରୋନାର ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର ପର୍ଯ୍ୟନ୍ତ ଦୀର୍ଘ ୫୦୦ ଦିନ ଧରି କ୍ରମାଗତ ଭାବେ ଶ୍ରୀଯୁକ୍ତ ସାହୁ ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି। ପ୍ରତିଦିନ ସକାଳ ୬ଟାରୁ ନିଜର ନିତ୍ୟକର୍ମ ସାରି ପ୍ରତାପ ବାହାରି ଯାଇ ବିଭିନ୍ନ ଅଞ୍ଚଳ ବୁଲି ଲୋକମାନଙ୍କୁ ମାଗଣାରେ ମାସ୍କ, ସାନିଟାଇଜର, ସାବୁନ ଯୋଗାଇ ଦେବା ସହିତ କରୋନାରୁ ରକ୍ଷା ପାଇବା ପାଇଁ ସବୁଦିନ ସାବୁନରେ ହାତ ଧୋଇବା ଓ ସାନିଟାଇଜର ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଲୋକଙ୍କୁ ସଚେତନ ମଧ୍ୟ କରିଥାଆନ୍ତି।

ଏହା ସହିତ ବିଭିନ୍ନ ସରକାରୀ, ବେସରକାରୀ ଅଫିସ୍‌, ବସ୍‌ଷ୍ଟାଣ୍ଡ, ରେଲ୍‌ୱେ ଷ୍ଟେସନ, ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ସାନିଟାଇଜ କରି ଲୋକଙ୍କର ପ୍ରଶଂସାର ପାତ୍ର ପାଲଟି ଯାଇଛନ୍ତି ପ୍ରତାପ। ଖାଲି ମଣିଷ ନୁହଁନ୍ତି, ପଶୁ ଓ ପକ୍ଷୀମାନେ ମଧ୍ୟ ମହାମାରୀ କରୋନାରେ ବିଶେଷଭାବେ ପ୍ରଭାବିତ ହୋଇଛନ୍ତି । ତେଣୁ ଲୋକଙ୍କୁ କରୋନା ସେବା ଯୋଗାଇବା ସହିତ ରାଜଧାନୀରେ ବିଭିନ୍ନ ପଶୁ ଓ ପକ୍ଷୀମାନଙ୍କୁ ମଧ୍ୟ ଖାଦ୍ୟ ଯୋଗାଇ ଆସୁଛନ୍ତି।

 

 

 

ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି, ପାରା, କାଉ, ବଣି ଆଦି ପକ୍ଷୀମାନଙ୍କୁ ଚାଉଳ, ଗହମ ଖାଦ୍ୟ ଦେଉଥିବା ବେଳେ କୁକୁରମାନଙ୍କୁ ରନ୍ଧା ଖାଦ୍ୟ ସହିତ ବିସ୍କୁଟ୍ ଓ ପାଉଁରୁଟି ଖାଇବାକୁ ଦେବା, ଶୀତ ଓ ବର୍ଷାରୁ ରକ୍ଷା ପାଇବା ପାଇଁ କୁକୁରମାନଙ୍କ ପାଇଁ ଆଶ୍ରୟ ନାମକ ଏକ ଗୃହ ନିର୍ମାଣ କରିଛନ୍ତି। ମହାମାରୀ କରୋନା ଯୋଗୁ ଲୋକମାନେ ନିଜର ଜୀବନ ଜୀବିକା ହରାଇବା ଫଳରେ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ଲୋକମାନେ ନିଜର ପରିବାର ପ୍ରତିପୋଷଣ କରିବାକୁ ମଧ୍ୟ ଅସମର୍ଥ ହୋଇପଡ଼ିଛନ୍ତି। ଲୋକଙ୍କ ଏହି ଦୁର୍ଦ୍ଦିନ ସମୟରେ ପ୍ରତାପ ସେମାନଙ୍କ ନିକଟରେ ପହଞ୍ôଚ, ସେମାନଙ୍କୁ ଚୁଡ଼ା, ଚାଉଳ, ଚିନି, ଡ଼ାଲି, ତେଲ, ଆଳୁ, ପିଆଜ, ରସୁଣ, ଜିରା, ଲଙ୍କା, ବିସ୍କୁଟ, ଛତୁଆ ଶୁଖିଲା ଖାଦ୍ୟ ପ୍ରଦାନ କରିବା ସହିତ ଗରିବ ଓ ଅସହାୟ ଲୋକଙ୍କ ନିକଟରେ ପହଞ୍ôଚ ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଅନ୍ତି।

ଏଥିସହିତ ଲୋକମାନଙ୍କୁ ଭିଟାମିନ୍ ଔଷଧ, ଚ୍ୟାବନପ୍ରାସ, ହର୍ଲିକ୍ସ, ଚା ଓ କଫି ଯୋଗାଉଥିବାବେଳେ ମହିଳା, ପୁରୁଷ ଓ ଛୋଟ ଛୁଆଙ୍କୁ ନୂତନ ଶାଢୀ, ଲୁଙ୍ଗି ଓ ପୋଷାକ ଆଦି ବଣ୍ଟନ କରିଥାନ୍ତି। ଖାଲି ରାଜଧାନୀ ନୁହେଁ, ଏପରିକ କଟକ, ଖୋର୍ଦ୍ଧା, ପୁରୀ ଆଦି ଅଞ୍ଚଳର ଗାହଁ ଗହଳି ବୁୁଲି ଲୋକଙ୍କୁ ସେବା ଯୋଗାଇବା ସହିତ କରୋନାରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କୁ ସଚେତନ କରାଇଥାନ୍ତି। ପ୍ରତାପଙ୍କର ଏହି ସେବାକାର୍ଯ୍ୟ ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିବା ବେଳେ ଦୈନିକ ଓଡ଼ିଆ ଖବରକାଗଜ ପ୍ରଗତିବାଦୀ ଓ ‘ଜି’ଟିଭି ତରଫରୁ ପ୍ରତାପଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।

ଦ୍ୱିତୀୟ ଲହରର ଭୟ ଲୋକଙ୍କ ମନରୁ ନଯାଉଣୁ ଏବେ ତୃତୀୟ ଲହର ଆସୁଥିବାରୁ, ଏହାକୁ ଆଖିରେ ରଖି ନିଜକୁ ପ୍ରସ୍ତୁତ କରୁଛନ୍ତି ପ୍ରତାପ। ବିଶେଷକରି ତୃତୀୟ ଲହରରେ ଛୋଟ ପିଲାମାନେ ବିଶେଷ ପ୍ରଭାବିତ ହେବେ ବୋଲି ଜଣାପଡ଼ିବା ପରେ ଏହା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ ବୋଲି କୁହନ୍ତି ସମାଜସେବୀ ପ୍ରତାପ ସାହୁ। ମହାମାରୀ କରୋନାର ତୃତୀୟ ଲହରରୁ ପିଲାମାନେ କିପରି ରକ୍ଷା ପାଇବେ, ସେ ନେଇ ଏବେଠାରୁ ପିଲାମାନେ ଓ ତାଙ୍କ ପିତାମାତାଙ୍କୁ ସତର୍କ କରାଇବାକୁ ଲାଗି ପଡ଼ିଛନ୍ତି ଶ୍ରୀଯୁକ୍ତ ସାହୁ।

ମହାମାରୀ କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ଓଡ଼ିଶାରେ ଅନେକ ଲୋକ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି, ବହୁ ଲୋକ ସଂକ୍ରମିତ ହୋଇ ଏବେ ମଧ୍ୟ ଚିକିତ୍ସିତ ହେଉଛନ୍ତି। କରୋନାର ଏହି କରାଳ ରୂପକୁ ଉପଲବ୍ଧ କରି କିପରି କରୋନାର ତୃତୀୟ ଲହରରେ ପିଲାମାନେ ବିଶେଷ ପ୍ରଭାବିତ ନହେବେ, ସେ ନେଇ ତାଙ୍କର କାର୍ଯ୍ୟ ଜାରି ରଖିବେ ବୋଲି କୁହନ୍ତି ପ୍ରତାପ ସାହୁ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡିର ମିଶ୍ରଣ ପର୍ବ: ଟାଙ୍ଗୀ ଓ ଜଟଣୀର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଓ ଜଟଣୀ ନିର୍ବାଚନ ମଣ୍ଡଳୀର ବିଜେପି ଓ କଂଗ୍ରେସ ଦଳର ଶତାଧିକ କର୍ମକର୍ତ୍ତା ଓ କର୍ମୀ ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ବହୁ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲାପରିଷଦ ସଭ୍ୟ ସାମିଲ ଅଛନ୍ତି।

ଆଜି ମଧ୍ୟାହ୍ନରେ ବିଜେଡି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବ ବିଜେଡିର ବହୁ କର୍ମକର୍ତ୍ତା, ମନ୍ତ୍ରୀ ଓ ବିଧାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ପୌରୋହିତ୍ୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ସମସ୍ତ କଂଗ୍ରେସ ଓ ବିଜେପି ନେତୃବୃନ୍ଦଙ୍କୁ ଦଳକୁ ସ୍ୱାଗତ କରିଥିଲେ।

ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବାକୁ ତଥା ଦଳୀୟ ସଂଗଠନକୁ ମଜଭୁତ କରିବା ପାଇଁ ସାଂଗଠନିକ ସମ୍ପାଦକ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ। ଏଥିରେ ବିଜେଡିର ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ, ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ତଥା ବରିଷ୍ଠ ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ମିଶ୍ର, ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟିକା ପ୍ରମିଳା ମଲ୍ଲିକ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ଚିଲିକା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ଓ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳେଇ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହା ଦ୍ୱାରା ଦଳ ଅଧିକ ସୁଦୃଢ ହେଲା ବୋଲି ମତପ୍ରକାଶ କରିଥିଲେ।

ମିଶ୍ରଣ ପର୍ବରେ ଟାଙ୍ଗୀ ବ୍ଲକର ଜନଜାଗରଣ ମହାମେଣ୍ଟ ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଓ ନିରାକାରପୁର ପଞ୍ଚାୟତ ସମିତି ସଭ୍ୟ ବିପିନ୍ କୁମାର ଜୟସିଂହ, ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଶୁଭମ୍ ଦାସ, ରାମେଶ୍ୱର ସରପଞ୍ଚ ପ୍ରମୋଦ କୁମାର ତ୍ରିପାଠୀ, ବିଜେପିର ୯ନଂ ଜିଲ୍ଲା ପରିଷଦ ଜୋନ ସଭ୍ୟା ମମତା ଜେନା, ଡିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ମମତା ବେହେରା, ରାମେଶ୍ୱର ପଞ୍ଚାୟତ ସମିତି ସଭ୍ୟା ପ୍ରଭାସିନୀ ସ୍ୱାଇଁ, ଉଜ୍ଜଳା ଗୋପୀନାଥପୁର ଗ୍ରାମପଞ୍ଚାୟତ ସରପଞ୍ଚ ମାନକୁସି ସରକାର, ଉଜ୍ଜଳା ଗୋପୀନାଥପୁର ପଞ୍ଚାୟତ ସମିତି ସଭ୍ୟା ସୁପ୍ରିୟା ମାଦଳ, ସୁନ୍ଦରପୁର ଗ୍ରାମ ପଞ୍ଚାୟତ ସଭ୍ୟ ଯୁଧୀଷ୍ଠିର ସାହୁ, ଭୁଷଣ୍ଡପୁର ଗ୍ରାମ ପଞ୍ଚାୟତ ସଭ୍ୟ ରାଜକିଶୋର ନାୟକ, ପୂର୍ବତନ ସରପଞ୍ଚ ପ୍ରଭାକର ରାଉତରାୟ, ପୂର୍ବତନ ପଞ୍ଚାୟତ ସମିତି ସଭ୍ୟ ବିନୋଦ ବିଶ୍ୱାଳ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରଘୁନାଥ ମାଝୀ, ରୀନା ସାମଲ, ପାରୀଓରଡ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ପ୍ରଧାନ, ସରପାରି ପଞ୍ଚାୟତ ସମିତି ସଭ୍ୟ ପ୍ରଶାନ୍ତ ଦାସ, କାଶୀପୁର କୋ-ଅପରେଟିଭ୍ ସୋସାଇଟି ସଭାପତି ଲକ୍ଷ୍ମଣ ନାୟକ, ରାମେଶ୍ୱର କୋ-ଅପରେଟିଭ୍ ସୋସାଇଟି ସଭାପତି ସୁଧାଂଶୁ ଶେଖର ତ୍ରିପାଠୀ, ବସନ୍ତ କୁମାର ରାଉତରାୟ, ପ୍ରଭାସ ଚନ୍ଦ୍ର ମଣ୍ଡଳ, ରାମେଶ୍ୱର ୱାର୍ଡ ସଭ୍ୟ ଜବର ଖାନ, ରାମେଶ୍ୱର ନାଏବ ସରପଞ୍ଚ ଗୀତାଞ୍ଜଳି ଛୋଟରାୟ, ବିଜେପି ୯ନଂ ଜୋନ୍‌ର ମଣ୍ଡଳ ସମ୍ପାଦକ ବିଜୟ ରାଉତରାୟ, ସସ୍ମିତା ବେହେରା, ସରପାରି ଗ୍ରାମ ପଞ୍ଚାୟତର ସରପଞ୍ଚ ଧନେଶ୍ୱର ବେହେରା ଓ ପ୍ରଫୁଲ୍ଲ ସାହୁଙ୍କ ସମେତ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଥିଲେ।

ସେହିପରି ଜଟଣୀ ନିର୍ବାଚନ ମଣ୍ଡଳୀର ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ତଥା ପୂର୍ବତନ ସମିତି ସଭ୍ୟ ସରୋଜ କୁମାର ନାୟକ, ଛତାବର ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ମୋହିନି ନାୟକ, କଂଗ୍ରେସର ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ ବେହେରା, କଂଗ୍ରେସ ୱାର୍ଡ଼ ସଭ୍ୟ ଭାଗିରଥୀ ବେହେରା, ଅପର୍ତ୍ତୀ ସାହୁ, କଂଗ୍ରେସ ଦଳିତ ମହାସଂଘ ସଭାପତି ରଘୁନାଥ ନାୟକ, ପୂର୍ବତନ ୱାର୍ଡ଼ ସଭ୍ୟ ପିଙ୍କୁ ବେହେରା, କଂଗ୍ରେସର ପୂର୍ବତନ ୱାର୍ଡ଼ ସଭ୍ୟ ଭଗବାନ ନାୟକ, ପୁଷ୍ପଲତା ଜେନା, ଗୋବର୍ଦ୍ଧନ ମୁଦୁଲି, ଜ୍ୟୋତ୍ସ୍ନାରାଣୀ ସାହୁ, କଂଗ୍ରେସ ଯୁବ ନେତା ପବିତ୍ର ଲେଙ୍କା, ମଦନପୁର ସମିତି ସଭ୍ୟା ଗୌରୀ ଦେହୁରୀ, କଂଗ୍ରେସ ୱାର୍ଡ଼ ସଭ୍ୟ ରାଧୁ ନାୟକ ଓ କେଦାର ଲେଙ୍କାଙ୍କ ସମେତ ଶତାଧିକ କର୍ମୀ କଂଗ୍ରେସ ଓ ବିଜେପି ଦଳରୁ ଇସ୍ତଫା ଦେଇ ଆଜି ବିଜେଡ଼ିରେ ଯୋଗ ଦେଇଥିଲେ। ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ରାଜ୍ୟ ସମ୍ପାଦକ ଅମରେଶ ଜେନା ଓ ଖୋର୍ଦ୍ଧା ନଗର ବିଜେଡି ସଭାପତି ମହମ୍ମଦ ଆରିଫଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧ ହଜାର ୩୧୯ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୩୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୫୬, କଟକରୁ ୧୪୪, ପୁରୀରୁ ୭୯, ବାଲେଶ୍ବରରୁ ୭୨, ଭଦ୍ରକରୁ ୭୧, କେନ୍ଦ୍ରାପଡାରୁ ୬୬, ଅନୁଗୁଳରୁ ୬୪, ଯାଜପୁରରୁ ୬୩, ଜଗତସିଂହପୁରରୁ ୫୭,  ନୟାଗଡରୁ ୪୭, ସୁନ୍ଦରଗଡରୁ ୨୮, ଢେଙ୍କାନାଳରୁ ୨୭, ମୟୂରଭଞ୍ଜରୁ ୨୪, ସୋନପୁରରୁ ୨୩, କନ୍ଧମାଳରୁ ୧୩, କେନ୍ଦୁଝରରୁ ୧୩, ସମ୍ବଲପୁରରୁ ୧୩, ଦେବଗଡରୁ ୯, ବୌଦ୍ଧରୁ ୮, କଳାହାଣ୍ଡିରୁ ୮, ମାଲକାନଗିରିରୁ ୮, ରାୟଗଡାରୁ ୭, କୋରାପୁଟରୁ ୬, ଗଜପତିରୁ ୫, ବଲାଙ୍ଗୀରିରୁ ୩, ଝାରସୁଗୁଡାରୁ ୩, ନବରଙ୍ଗପୁରରୁ ୩ ଏବଂ ଷ୍ଟେଟ ପୁଲରୁ ୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୭୨ ହଜାର ୭୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୮ ହଜାର ୯୯୭ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯ ହଜାର ୬୬୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୫୬୫ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଅଲମ୍ପିକ ପଦକ ବିଜେତାଙ୍କୁ ହାଇ ଟି ରେ ଆପ୍ୟାୟିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ, ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଶନିବାର ଦିନ ରାଷ୍ଟ୍ରପତି ଭବନରେ ଭାରତୀୟ ଅଲିମ୍ପିକ୍ ପଦକ ବିଜେତାଙ୍କ ସମ୍ମାନରେ ଏକ ହାଇ ଟି ର ଆୟୋଜନ କରିବେ। ରାଷ୍ଟ୍ରପତିଙ୍କ ସଚିବାଳୟ ତରଫରୁ ଏ ନେଇ ସୂଚନା ଦିଆଯାଇଛି।

ଏଥିରେ କୁହାଯାଇଛି ଯେ ରାଷ୍ଟ୍ରପତି ଟୋକିଓ ଅଲିମ୍ପିକ୍ସ 2020 ର ଭାରତୀୟ ବିଜେତାଙ୍କୁ ଅଗଷ୍ଟ 14 ରେ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ‘ହାଇ ଟି’ ରେ ଆୟୋଜନ କରିବେ।  ସୂଚନାଯୋଗ୍ୟ ଯେ ଟୋକିଓ ଅଲିମ୍ପିକ୍ସ -2020 ରେ ଗୋଟିଏ ସ୍ୱର୍ଣ୍ଣ ପଦକ ସମେତ ମୋଟ ସାତୋଟି ପଦକ ଜିତି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରିଛି।

Categories
ଆଜିର ଖବର ରାଜ୍ୟ ଖବର

ପଶ୍ଚିମ ଓଡିଶା ବିକାଶ ପରିଷଦକୁ ସ୍ବୟଂଶାସିତ କରିବା ପାଇଁ ବିଜେପିର ରାଜଭବନ ଆଗରେ ବିକ୍ଷୋଭ

ଭୁବନେଶ୍ବର, ପଶ୍ଚିମ ଓଡିଶା ବିକାଶ ପରିଷଦକୁ ସ୍ବୟଂ ଶାସିତ କରିବା ପାଇଁ ଆଜି ବିଜେପି ତରଫରୁ ଦାବୀ କରାଯାଇଛି। ଏ ନେଇ ବିଜେପି ରାଜଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଏଥିସହିତ ଦଳର ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଏକ ଦାବୀ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି।

ଦଳ ଦାବୀ କରିଛି ଯେ, ପଶ୍ଚିମ ଓଡିଶା ବିକାଶ ପରିଷଦ ବର୍ତ୍ତମାନ ସାଇନ ବୋର୍ଡ ସଂସ୍ଥା ଭାବେ କାର୍ଯ୍ୟ କରୁଛି। ଏହା ସରକାରୀ ଦଳର ଏହ ସଂସ୍ଥା ହୋଇଛି। ଯେଉଁ ଉଦ୍ଦେଶ୍ୟରେ ଏହାର ପରିକଳ୍ପନା କରାଯାଇଥିଲା ତାହା ପୂରଣ ହୋଇପାରୁ ନାହିଁ। ଏହାର ମୁଖ୍ୟ କାର୍ଯ୍ୟାଳୟ ତୁରନ୍ତ ଭୁବନେଶ୍ବରରୁ ହଟାଇ ସେହି ଜିଲ୍ଲାରେ କରାଯାଉ ବୋଲି ଦଳ ଦାବୀ କରିଛି। ସରକାର ତୁରନ୍ତ ଏହି ସଂସ୍ଥାକୁ ରାଜନୈତିକ ମୁକ୍ତ କରି ସ୍ବୟଂଶାସିତ ସଂସ୍ଥା ଭାବେ ଘୋଷଣା କରନ୍ତୁ ବୋଲି ଦଳ ଦାବୀ କରିଛି।

 

Categories
ଆଞ୍ଚଳିକ

ରାସ୍ତା ନିର୍ମାଣ ଠିକ୍ ସ୍ଥାନରେ ହୋଇ ନ ଥିବା ଅଭିଯୋଗ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବ୍ଲକ୍ ଘୋଷରାମାଳ ପଂଚାୟତର କ୍ଷେତ୍ରପୁର ଗ୍ରାମରେ ଠିକ୍ ସ୍ଥାନରେ ରାସ୍ତା ନର୍ମାଣ ହୋଇ ନ ଥିବାରୁ ଗ୍ରାମବାସୀ ଆଜି ନାକଟିଦେଉଳ ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି।

ଅଭିଯୋଗରୁ ଅନୁଯାୟୀ, ନାକଟିଦେଉଳ ବ୍ଲକ୍ ଘୋଷରାମାଳ ପଂଚାୟତର କ୍ଷେତ୍ରପୁର ଗ୍ରାମରେ ୧,୯୦,୦୦୦ ଟଙ୍କା ବିନମୟରେ ଏକ କଂକ୍ରିଟ ରାସ୍ତା ନିର୍ମାଣ ହୋଇଛି। ଗ୍ରାମବାସୀଙ୍କ ଅଭିଯୋଗ ହେଲା ଯେ, କ୍ଷେତ୍ରପୁର ଗ୍ରାମର ଗୁଡିଘର ପାଖରେ ଏହି ରାସ୍ତା ନିର୍ମାଣ ନ ହୋଇ ଅଙ୍ଗନଓାଡି କେନ୍ଦ୍ର ପାଖରେ ହୋଇଛି। ଗୁଡିଘର ପଡାରେ ରାସ୍ତା ହେବା ସଂପର୍କରେ ସୂଚନା ଫଳକରେ ସୂଚନା ଲେଖାଯାଇଥିବା ବେଳେ ଅନ୍ୟଏକ ପଡାରେ କେମିତି ରାସ୍ତା ହେଲା ସେ ସଂପର୍କରେ ଗ୍ରାମବାସୀ ଆଜି ନାକଟିଦେଉଳ ବିଡଓଙ୍କ ଠାରେ ଅଭିଯୋଗ କରିଛନ୍ତି। ବିଡିଓଙ୍କ ଅନୁପସ୍ଥିତିରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭେଟି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଗ୍ରାମର ପ୍ରଦୀପ ଖାଖା, ମନୋନିକା କିସ୍ପଟା, ଗରଟି ବାର୍ଲା, ସଲମି ବାରଲା, ସିପରିଆନ୍ ଲାକଡା ପ୍ରମୁଖ ବହୁ ଗ୍ରାମବାସୀ ଦସ୍ତଖତ ସମ୍ବଳିତ ଅଭିଯୋଗ ପତ୍ରରେ ରହିଛି।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଏନଆରସି ଲାଗୁ କରିବାକୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ (NRC) ଲାଗୁ କରିବାକୁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି। ସଂସଦରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ଜନସଂଖ୍ୟା ରେଜିଷ୍ଟର (NPR) କୁ ଅପଡେଟ୍ କରିବା କାର୍ଯ୍ୟ ଚାଲିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏନଆରସି ସମ୍ବନ୍ଧରେ ଦେଶବ୍ୟାପୀ ପ୍ରଦର୍ଶନ ପ୍ରଦର୍ଶନ କରାଯାଇଥିଲା।

ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଏଭଳି ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଜନଗଣନା ୨୦୨୧ରେ ପଚରାଯାଇଥିବା ଏକ ପ୍ରଶ୍ନରେ ସେ କହିଛନ୍ତି ଯେ, ବର୍ତ୍ତମାନ ଜାତି ସଂଖ୍ୟା ପ୍ରକାଶ କରିବାକୁ କୌଣସି ପ୍ରସ୍ତାବ ନାହିଁ। ଆଗାମୀ ଜନଗଣନା ପ୍ରଥମ ଡିଜିଟାଲ ଜନଗଣନା ହେବ। ତଥ୍ୟ ସଂଗ୍ରହ ପାଇଁ ଏକ ମୋବାଇଲ୍ ଆପ୍ ଏବଂ ଜନଗଣନା ପୋର୍ଟାଲ୍ ପ୍ରସ୍ତୁତ କରାଯାଇଛି।

ଅନ୍ୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଗୃହମନ୍ତ୍ରୀ କହିଛନ୍ତି ଯେ, ଅଗଷ୍ଟ ୨୦୧୯ ପରଠାରୁ ଜାମ୍ମୁ କାଶ୍ମୀର ବାହାରେ କେବଳ ଦୁଇଜଣ ଲୋକ ସମ୍ପତ୍ତି କ୍ରୟ କରିଛନ୍ତି। ବର୍ତ୍ତମାନ ଜମ୍ମୁ କାଶ୍ମୀରରେ ଜମି କିଣିବାରେ ବାହାର ଲୋକ କିମ୍ବା ସରକାର କୌଣସି ପ୍ରକାରର କଠିନ ପ୍ରକ୍ରିୟାର ସମ୍ମୁଖୀନ ହେଉନାହାଁନ୍ତି।

ଅନ୍ୟପକ୍ଷରେ ଲୋକସଭାରେ ଓବିସି ସହ ଜଡିତ ସଂଶୋଧନ ବିଲକୁ କଂଗ୍ରେସ ସମର୍ଥନ କରିଛି। ଏଥି ସହିତ କଂଗ୍ରେସ କହିଛି ଯେ ସଂରକ୍ଷଣର ୫୦ ପ୍ରତିଶତ ସୀମା ହଟାଇବାକୁ କେନ୍ଦ୍ର ସରକାର ବିଚାର କରିବା ଉଚିତ। ଯାହା ଦ୍ଵାରା ମହାରାଷ୍ଟ୍ରର ମରାଠା ସମ୍ପ୍ରଦାୟ ଏବଂ ଅନ୍ୟାନ୍ୟ ରାଜ୍ୟର ଲୋକମାନେ ଏହାର ଲାଭ ପାଇପାରିବେ। କଂଗ୍ରେସ ନେତା ତାଙ୍କ ଦଳର ସରକାର ସମୟରେ ଓବିସି, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ କରାଯାଇଥିବା କାର୍ଯ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନାକଟିଦେଉଳରୁ ଭୁବନେଶ୍ୱରକୁ ସରକାରୀ ବସ୍ ସେବା ଆରମ୍ଭ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ଠାରୁ ନାକଟିଦେଉଳରୁ ଭୂବନେଶ୍ୱରକୁ ଏକ ସରକାରୀ ବସ୍ ଚାଲିବା ଆରମ୍ଭ ହୋଇଥିବାରୁ ଅଂଚଳବାସୀ ମଧ୍ୟରେ ଆନନ୍ଦ ଖେଳିଯାଇଛି।

ମାନ୍ୟବର ମୂଖ୍ୟମନ୍ତ୍ରୀ ଓ ବିଧାୟକଙ୍କ ଉଦ୍ୟମରେ ଏହି ସରକାରୀ ବସ୍ ସେବା ଆରମ୍ଭ ହୋଇଛି। ନାକଟିଦେଉଳ ବାସୀଙ୍କର ଗମନା ଗମନକୁ ଆଖିଆଗରେ ରଖି ମାନ୍ୟବର ବିଧାୟକ ଇଂ ରୋହିତ ପୂଝାରୀଙ୍କ ଉଦ୍ୟମକୁ ଅଂଚଳବାସୀ ପ୍ରଶଂସା କରିଛନ୍ତି। ଭବିଷ୍ୟତରେ ଏହା କିସିଣ୍ଡାରୁ ରୁ ଭୂବନେଶ୍ୱରକୁ ଯିବାକୁ ଦାବୀ ହେଉଛି। ଏହି ବସ୍ ସେବା ଯୋଗୁଁ ନାକଟିଦେଉଳର ବାସିନ୍ଦା ମାନେ ସିଧା ସଳଖ ରାଜଧାନୀ ସହ ଯୋଡି ହେବେ। ସକାଳ ୪.୩୦ ରୁ ନାକଟିଦେଉଳରୁ ଛାଡିବ ଏବଂ ସଂଧ୍ୟା ୪.୩୦ ରେ ଭୂବନେଶ୍ୱରରୁ ଛାଡିବ ବୋଲି ଜଣା ପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଚିକିତ୍ସା କରିଥିଲେ ଭୁବନେଶ୍ୱର ଡାକ୍ତର

ଭୁବନେଶ୍ୱର: ଭାରତ ସ୍ୱାଧୀନ ହେବା ପରେ ପ୍ରଥମ ଥର ପାଇଁ ଇତିହାସ ସୃ୍‌ଷ୍ଟି କରି ଗତ ସପ୍ତାହରେ ଟୋକିଓ ଠାରେ ଅଲିମ୍ପିକ୍ ଟ୍ରାକ୍ ଇଭେନ୍‌ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଜାଭେଲିନ୍ ଷ୍ଟାର ନୀରଜ ଚୋପ୍ରାଙ୍କୁ ଚାରିବର୍ଷ ତଳେ ଭୁବନେଶ୍ୱରର ଜଣେ ସ୍ପୋର୍ଟସ ମେଡିସିନ୍ ଓ ସର୍ଜରୀ ବିଶେଷଜ୍ଞ ଚିକିତ୍ସା କରିଥିଲେ। ୨୦୧୭ ଜୁଲାଇ ମାସରେ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଥିବା ଏସିଆନ୍ ଆଥଲେଟିକ୍ ଚାମ୍ପିଅନ୍‌ସିପ୍‌ରେ ଚୋପ୍ରା
ଭାଗ ନେଇଥିବା ବେଳେ ତାଙ୍କ ଦକ୍ଷିଣ କାନ୍ଧରେ ଯନ୍ତ୍ରଣା ହେଉଥିବାରୁ ଏକ ସନ୍ଧ୍ୟାରେ ନିଜର ଜଣେ ବନ୍ଧୁଙ୍କ ସହ ଅର୍ଥୋପେଡିକ୍ ଓ ସ୍ପୋର୍ଟସ୍ ମେଡିସିନ୍ ବିଶେଷଜ୍ଞ ଡାକ୍ତର (ମେଜର) ସାର୍ଥକ ପଟ୍ଟନାୟକଙ୍କ କ୍ଲିନିକ୍‌କୁ ଆସିଥିଲେ।

ମୁଁ ଏହି ଯୁବ ଆଥଲେଟ୍‌ଙ୍କର ଚିକିତ୍ସା କରିଥିଲି ଏବଂ ତାଙ୍କର ଏହି ଯନ୍ତ୍ରଣା ମୁଖ୍ୟତଃ ମାଂସପେଶୀ ଜନିତ ଥିଲା ବୋଲି ଜଣାପଡିଥିଲା। ଖୁବ୍ ଯତ୍ନର ସହ ଓ ଉଚିତ୍ ପଦ୍ଧତିରେ ତାଙ୍କର ଏହି ସମସ୍ୟାର ଚିକିତ୍ସା କରାଯାଇଥିଲା ବୋଲି ମେଜର ପଟ୍ଟନାୟକ କହିଛନ୍ତି। ତାଙ୍କ ବନ୍ଧୁଙ୍କର ମଧ୍ୟ ଚିକିତ୍ସା କରିଥିଲେ ଡାକ୍ତର ପଟ୍ଟନାୟକ। ଡାକ୍ତର ପଟ୍ଟନାୟକ ବର୍ତମାନ ସମ୍‌
ଅଲ୍ଟିମେଟ୍ ମେଡିକେୟାରର ଆର୍ଥୋ୍ରସ୍କୋପି, ସ୍ପୋର୍ଟସ୍ ମେଡିସିନ୍ ଓ ସର୍ଜରୀ ବିଭାଗର ସିନିୟର୍ କନ୍‌ସଲଟାଂଟ ଭାବେ କାର୍ଯ୍ୟରତ ଅଛନ୍ତି।

ଏହି ଖେଳାଳୀ ଜଣକ ଖୁବ୍ ମିଷ୍ଟଭାଷୀ, ଭଦ୍ର ଓ ମାର୍ଜିତ ବ୍ୟବହାର ସମ୍ପନ୍ନ ଜଣାପଡିଥିଲେ। ମୁଁ ଭାରତୀୟ ସେନାବାହିନୀର ଜଣେ ଅବସରପ୍ରାପ୍ତ ଅଧିକାରୀ ବୋଲି ଜାଣି ସେ ଖୁବ୍ ଖୁସି ହୋଇଯାଇଥିଲେ ବୋଲି ଡାକ୍ତର ପଟ୍ଟନାୟକ କହିଛନ୍ତି। ଜୁଲାଇ ୬ ରୁ ୯ ତାରିଖ ୨୦୧୭ରେ ଆୟୋଜିତ ଏହି ଚାମ୍ପିଅନ୍‌ସିପ୍‌ରେ ଚୋପ୍ରା ପୁରୁଷ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକହାସଲ କରିଥିଲେ। ଚୋପ୍ରା ଜାଭେଲିନ୍‌କୁ ୮୫.୨୩ ମିଟର ଦୂରକୁ ଫିଙ୍ଗି କାତାରର ଅହମ୍ମଦ ବାଦେର ମଗୋରଙ୍କୁ ହରାଇ ଚାମ୍ପିଅନ୍‌ସିପ୍ ରେକର୍ଡ ସୃଷ୍ଟି କରିଥିଲେ।

ଚଳିତ ଅଲିମ୍ପିକ୍ସରେ ସେ ଗୋଲ୍ଡ ମେଡାଲ୍ ହାସଲ କରିବା ନେଇ ମୁଁ ଖୁବ୍ ଗର୍ବ ଅନୁଭବ କରୁଛି। ଚାରି ବର୍ଷ ତଳର ତାଙ୍କର ମୋ ସହ ଥିବା ସ୍ମୃତିକୁ ସବୁବେଳେ ମନେ ପକାଇବି। ସେ ଆଗକୁ ମଧ୍ୟ ଏହିଭଳି ବିଜୟ ହାସଲ କରି ଦେଶ ପାଇଁ ଗୌରବ ଆଣନ୍ତୁ ବୋଲି ଡାକ୍ତର (ମେଜର) ପଟ୍ଟନାୟକ କହିଛନ୍ତି।

ଡାକ୍ତର (ମେଜର) ପଟ୍ଟନାୟକ ବିଶେଷ ଭାବରେ ଜଣେ ଲିଗାମେଂଟ ଓ କାର୍ଟିଲେଜ୍ ରିକନ୍‌ଷ୍ଟ୍ରିକ୍ସନ୍ ସର୍ଜରୀ, ସୋଲ୍‌ଡର୍‌ ଆର୍ଥ୍ରୋସ୍କୋପି ଏବଂ ସ୍ପୋର୍ଟସ ସର୍ଜରୀ ବିଶେଷଜ୍ଞ ଏବଂ ସେ ୟୁଏସ୍‌ଏର ପେନ୍‌ସିଲ୍‌ଭାନିଆର ସ୍ପୋର୍ଟସ ମେଡିସିନ୍ ବିଭାଗରୁ ଫେଲୋସିପ୍ ମଧ୍ୟ ଗ୍ରହଣ କରିଛନ୍ତି।

ସେ ହିପ୍ ଆର୍ଥ୍ରୋସ୍କୋପି ଓ ସ୍ପୋର୍ଟସ ମେଡିସିନ୍‌ରେ ସ୍ପେନ୍‌ର କ୍ଲିନିକା ମୋମ୍ପିଆ ଓ ସାଉଥ ଆଫ୍ରିକାର ସ୍ପୋର୍ଟସ୍ ସାଇନ୍ସ ଇନ୍‌ଷ୍ଟିଚ୍ୟୁଟ୍‌ରୁ ମଧ୍ୟ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଟିକିରା ନଦୀରେ ଗାଧୋଉଥିବା ବେଳେ ଯୁବକ ମୃତ୍ୟୁ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ଭୋରରୁ ବାଟଗାଁ ନିକଟସ୍ଥ ଟିକିରା ନଦୀରେ ସ୍ନାନ କରୁଥିବା ବେଳେ ଜଣେ ଯୁବକ ମୃତ୍ୟୁବରଣ କରଥିବା ଜଣା ପଡିଛି।

ପ୍ରକାଶ ଯେ, ନାକଟିଦେଉଳ ଥାନା ବାଟଗାଁ ଗ୍ରାମର ଝସକେତନ ଦେହୁରୀ (୩୦) ନାମକ ଯୁବକ କୁଞାମୁରା ଶିବ ମନ୍ଦିର ରେ ମନସ୍କାମନା ପୂରଣ ପାଇଁ କିଛି ଦିନ ହେଲା ଅଧିଆ ପଡିଥିଲେ। ଆଜି ଭୋରରୁ ସେ ସ୍ନାନ କରିବା ପାଇଁ ଟିକିରା ନଦୀ କୂଳକୁ ଯାଇଥିବା ବେଳେ ନଦୀରେ ଭାସି ଯାଇଥିଲେ। ଗାଁ ଲୋକେ ସଙ୍ଗେ ସଙ୍ଗେ ପୋଲିସ, ଦମକଳ ବାହିନୀକୁ ଖବର ଦେଇଥିଲେ। ପୋଲିସ୍ ଓ ଦମକଳ ବାହିନୀ ଯାଇ ଶବ କୁ ଉଦ୍ଧାର କରିଥିଲେ।

ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ରେଢାଖୋଲ ଡାକ୍ତରଖାନାକୁ ପଠାଇଥିବା ଜଣା ପଡିଛି। ମୃତ ପରିବାରକୁ ସରକାରଙ୍କ ତରଫରୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି। ସେପଟେ ନାକଟିଦେଉଳ ତହସିଲ୍‌ଦାର ପଚାରିବାରୁ ମୁଁ ଏହାର ତଦନ୍ତ ଆର.ଆଇକୁ କରିବାକୁ କହିଛି ଏବଂ ମୁଁ ଏହାର ତଦନ୍ତ କଲାପରେ ସରକାରଙ୍କ ନିୟମ ଅନୁଯାୟୀ ସହଯୋଗ ମିଳିବ ବୋଲି ତହସିଲ୍‌ଦାର ସୁକାନ୍ତ ନାଏକ ପ୍ରକାଶ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ ଘୋଷଣା: ଏଣିକି ଠିକଣା ପ୍ରମାଣ ପତ୍ର ବିନା ପ୍ରବାସୀ ଶ୍ରମିକମାନେ ଗ୍ୟାସ ସଂଯୋଗ ପାଇବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ମହୋବା ଜିଲ୍ଲାରୁ ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା’ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ବର୍ତ୍ତମାନ ପ୍ରବାସୀ ଶ୍ରମିକମାନେ ଠିକଣା ପ୍ରମାଣ ବିନା ଗ୍ୟାସ ସଂଯୋଗ ପାଇବେ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବୁନ୍ଦେଲଖଣ୍ଡ ସମେତ ୟୁପି ତଥା ଅନ୍ୟାନ୍ୟ ରାଜ୍ୟରୁ ଆମର ଅନେକ ସାଥି ନିଜ ଗାଁ ଛାଡି ରୋଜଗାର ପାଇଁ ଅନ୍ୟ ରାଜ୍ୟକୁ ଯାଆନ୍ତି। କିନ୍ତୁ ସେଠାରେ ସେମାନେ ଠିକଣା ପ୍ରମାଣ ପତ୍ର ସମସ୍ୟାର ସମ୍ମୁଖୀନ ହୁଅନ୍ତି। ତେବେ ଉଜ୍ଜ୍ଵଳା ୨.୦ ଯୋଜନା ସେହିଭଳି ଲକ୍ଷ ଲକ୍ଷ ପରିବାରକୁ ସର୍ବାଧିକ ସହଯୋଗ ପ୍ରଦାନ କରିବ।

ସେ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ମୋର ଶ୍ରମିକ ସାଥିମାନେ ଠିକଣାର ପ୍ରମାଣ ପତ୍ର ପାଇଁ କେଉଁ ଆଡେ ବୁଲିବା ଆବଶ୍ୟକ ପଡିବ ନାହିଁ। ଆପଣମାନଙ୍କର ସଚ୍ଚୋଟତା ଉପରେ ସରକାରଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ଆପଣମାନଙ୍କୁ କେବଳ ଆପଣଙ୍କର ଠିକଣାର ଆତ୍ମ-ଘୋଷଣା ଦେବା, ଅର୍ଥାତ୍ ନିଜେ ଲେଖିକି ଦେବା ଦ୍ୱାରା ଆପଣମାନେ ଏକ ଗ୍ୟାସ୍ ସଂଯୋଗ ପାଇବେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉଜ୍ଜ୍ଵଳା ଯୋଜନାରେ ଭଉଣୀମାନଙ୍କର ସ୍ୱାସ୍ଥ୍ୟ, ସୁବିଧା ଏବଂ ସଶକ୍ତିକରଣର ଏହି ରିଜୋଲ୍ୟୁସନକୁ ଗୁରୁତ୍ୱ ଦିଆଯାଇଛି। ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ୮ କୋଟି ଗରିବ, ଦଲିତ, ବଞ୍ଚିତ, ପଛୁଆ, ଆଦିବାସୀ ପରିବାରକୁ ମାଗଣା ଗ୍ୟାସ ସଂଯୋଗ ଦିଆଯାଇଥିଲା। ଆମେ ଦେଖିଛୁ କରୋନା ଅବଧିରେ ଏହା କେତେ ଲାଭ କରିଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବର୍ତ୍ତମାନ ଦେଶ ମୌଳିକ ସୁବିଧା ପୂରଣ କରି ଏକ ଉତ୍ତମ ଜୀବନର ସ୍ୱପ୍ନକୁ ପୂରଣ କରିବା ଦିଗରେ ଗତି କରୁଛି। ଆମକୁ ଆସନ୍ତା ୨୫ ବର୍ଷ ମଧ୍ୟରେ ଏହି ସାମର୍ଥ୍ୟକୁ ବହୁଗୁଣିତ କରିବାକୁ ପଡିବ। ଏକତ୍ର ଆମକୁ ଏକ ଦକ୍ଷ ତଥା ଦକ୍ଷ ଭାରତର ଏହି ସଂକଳ୍ପକୁ ପ୍ରମାଣ କରିବାକୁ ପଡିବ। ଏଥିରେ ଭଉଣୀମାନେ ଏକ ବିଶେଷ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା’ର ପ୍ରଥମ ପର୍ଯ୍ୟାୟରେ ଉତ୍ତରପ୍ରଦେଶର ଗରିବ ପରିବାରକୁ ମୋଟ ଏକ କୋଟି ୪୭ ଲକ୍ଷ ୪୩ ହଜାର ୮୬୨ ଏଲପିଜି ସଂଯୋଗ ମାଗଣାରେ ଯୋଗାଇ ଦିଆଯାଇଛି। ଉଜ୍ଜ୍ଵଳା ଯୋଜନାର ପ୍ରଥମ ପର୍ଯ୍ୟାୟରେ ରହିଯାଇଥିବା ଏବଂ ଏହି ଯୋଜନା ଅଧୀନରେ ନଥିବା ଗରିବ ପରିବାରମାନେ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଲାଭ ପାଇବେ।

ଉଜ୍ଜ୍ଵଳା ଯୋଜନା ୨୦୧୬ ମସିହାରେ ଆରମ୍ଭ ହୋଇଥିଲା। ଏହା ଅଧୀନରେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପରିବାରର ପାଞ୍ଚ କୋଟି ମହିଳାଙ୍କୁ ମାଗଣା ଏଲପିଜି ସଂଯୋଗ ଯୋଗାଇବାକୁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଜନ୍ତର ମନ୍ତ୍ରରରେ ବିବାଦୀୟ ସ୍ଲୋଗାନ ମାମଲାରେ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟଙ୍କ ସମେତ ୬ ଗିରଫ

ନୂଆଦିଲ୍ଲୀ: ଜନ୍ତର ମନ୍ତ୍ରର ନିକଟରେ ଉତ୍ତେଜନାମୂଳକ ସ୍ଲୋଗାନ ମାମଲାରେ ଅଶ୍ୱିନୀ ଉପାଧ୍ୟାୟଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି। ଅଶ୍ୱିନୀ ଉପାଧ୍ୟାୟ, ବିନୋଦ ଶର୍ମା, ଦୀପକ ସିଂ, ଭିନେଟ କ୍ରାନ୍ତି, ପ୍ରୀତ ସିଂ ଏବଂ ଦୀପକଙ୍କୁ ଦିଲ୍ଲୀ ପୋଲିସ ଆନୁଷ୍ଠାନିକ ଭାବେ ଗିରଫ କରିଛି।

ସେମାନଙ୍କ ବିରୋଧରେ ମୁସଲମାନ ବିରୋଧୀ ସ୍ଲୋଗାନ ଦେଇଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ସୋମବାର ଦିଲ୍ଲୀ ପୋଲିସ ଏ ବାବଦରେ ଏକ ମାମଲା ରୁଜୁ କରିଛି। ରବିବାର ଦିନ ଜନ୍ତର ମନ୍ତ୍ରରରେ ‘ଭାରତ ଜୋଡୋ ଆନ୍ଦୋଳନ’ ଦ୍ୱାରା ଆୟୋଜିତ ଏହି ପ୍ରଦର୍ଶନରେ ଶତାଧିକ ଲୋକ ଅଂଶଗ୍ରହଣ କରିଥିଲେ।

ତେବେ ଅଶ୍ୱିନୀ ଉପାଧ୍ୟାୟ ମୁସଲିମ ବିରୋଧୀ ସ୍ଲୋଗାନ ଘଟଣାରେ ସମ୍ପୃକ୍ତ ଥିବା କଥାକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, “ଭିଡିଓର ଯାଞ୍ଚ ପାଇଁ ମୁଁ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ ଦାଖଲ କରିଛି। ଯଦି ଭିଡିଓଟି ପ୍ରାମାଣିକ ତେବେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ମୁଁ ଜାଣେ ନାହିଁ ସେମାନେ କିଏ। ମୁଁ ସେମାନଙ୍କୁ କେବେ ଦେଖି ନାହିଁ କିମ୍ବା ନା ଦେଖିଛି। ମୁଁ ତାଙ୍କୁ କେବେବି ଭେଟି ନାହିଁ କିମ୍ବା ତାଙ୍କୁ ସେଠାରେ ଡ଼ାକି ନାହିଁ। ଯେତେଦିନ ପର୍ଯ୍ୟନ୍ତ ମୁଁ ସେଠାରେ ଥିଲି, ସେ ସେଠାରେ ଦେଖା ନଥିଲେ। ଯଦି ଭିଡିଓଟି ନକଲି, ତେବେ ଭାରତ ଜୋଡୋ ଆନ୍ଦୋଳନଙ୍କୁ ବଦନାମ କରିବା ପାଇଁ ପ୍ରୟାସ କରାଯାଉଛି। ”

ଭାଇରାଲ ଭିଡିଓରେ ଯନ୍ତର ମନ୍ତ୍ରରରେ ବିରୋଧ ପ୍ରଦର୍ଶନ ବେଳେ ଏକ ଗୋଷ୍ଠୀ ଉତ୍ତେଜକ ସ୍ଲୋଗାନ ଦେଇ ମୁସଲମାନମାନଙ୍କୁ ଧମକ ଦେଉଥିବାର ନଜର ଆସିଥିଲା। ଡେପୁଟି କମିଶନର ପୋଲିସ (ନୂଆଦିଲ୍ଲୀ) ଦୀପକ ଯାଦବ କହିଛନ୍ତି ଯେ, ଆମ ପାଖରେ ଏକ ଭିଡିଓ ଅଛି ଏବଂ ଆମେ ଏହାର ଅନୁସନ୍ଧାନ କରୁଛୁ। ଆଇନର ସମ୍ପୃକ୍ତ ବିଭାଗ ଅଧୀନରେ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି। “

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ରାଜ୍ୟ ଖବର ସଂସ୍କୃତି

ଯଶ ସମ୍ମାନ ପାଇବା ପାଇଁ ଧାରଣ କରନ୍ତୁ ଏହି ରତ୍ନ, ଜାଣନ୍ତୁ କାହା ପାଇଁ ଏହା ଶୁଭ ଓ କାହା ପାଇଁ ଅଶୁଭ

ଭୁବନେଶ୍ବର: ରତ୍ନଗୁଡିକ ସେମାନଙ୍କ ଚମତ୍କାରୀ ଗୁଣ ଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବ ଉପରେ ପ୍ରଭାବ ପକାଇଥାନ୍ତି। ଜ୍ୟୋତିଷଙ୍କ ରତ୍ନ ଶାଖାରେ ମାଣିକଙ୍କୁ ସୂର୍ଯ୍ୟଙ୍କ ରତ୍ନ ରୂପେ ଗଣାଯାଇଥାଏ। ଏହି ମାଣିକରେ ସୂର୍ଯ୍ୟଙ୍କ ଗୁଣ ବିଦ୍ୟମାନ ଥାଏ। ମାଣିକ ପୂରା ଗାଢ ଗୋଲାପି ରଙ୍ଗର ହୋଇଥିବାବେଳେ ଆଉ କେଉଁ ମାଣିକ ପୂରା ଗାଢ ଖଇରିଆ ରଙ୍ଗର ହୋଇଥାଏ। ମାଣିକ ଏକ ଶକ୍ତିଶାଳୀ ରତ୍ନ। ଏହାକୁ ଧାରଣକରିବା ଦ୍ବାରା କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍‌ ରହିଥାଏ। ଏହାଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବରେ ସକାରାତ୍ମକ ପରିବର୍ତ୍ତନ ହୋଇଥାଏ। ମାଣିକ ଧାରଣ କରିବା ଦ୍ବାରା ବ୍ୟକ୍ତିର ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସ ଦୃଢ ହୋଇଥାଏ। ଆନ୍ତରିକ ସକାରାତ୍ମକ ଶକ୍ତି ଓ ଇମ୍ୟନୁଟି ମଧ୍ୟ ବଢିଥାଏ। ଏହାଦ୍ବାରା ସାମାଜିକ ପ୍ରତିଷ୍ଠା, ଯଶ ଓ ସମ୍ମାନ ପ୍ରାପ୍ତି ହୋଇଥାଏ। ଏହି ରତ୍ନକୁ ଧାରଣ କରିବା ଦ୍ବାରା ନେତୃତ୍ବ ନେବାର ଶକ୍ତି ବୃଦ୍ଧି ହୋଇଥାଏ। ସବୁ ପରିସ୍ଥିତିକୁ କିପରି ଠିକ୍‌ ରୂପେ ସାମ୍ନା କରିବପାରିବେ ସେ ଦକ୍ଷତା ମଧ୍ୟ ବୃଧ୍ଧି ହୋଇଥାଏ। ଭୟମୁକ୍ତ ହେବା ସହିତ ପ୍ରତିଭା ପ୍ରଦର୍ଶନରେ ବେଶ୍‌ ଲାଭଦାୟକ ରହିଥାଏ ମାଣିକ୍‌। ମାଣିକ ଧାରଣ ଦ୍ବାରା ଆଖି ସମସ୍ୟା ଯେପରିକି ଦୃଷ୍ଟି ସମସ୍ୟା, ହୃଦରୋଗ, ବାଳ ଝଡିବା ଓ ହାଡ ସମସ୍ୟା ଆଦିରୁ ମଧ୍ୟ ମୁକ୍ତି ମିଳିବା ସହିତ ସକାରାତ୍ମକ ପରିଣାମ ମିଳିଥାଏ।

ତେବେ ସୂର୍ଯ୍ୟ ଶୁଭକାରକ ଗ୍ରହ ପାଇଁ ମାଣିକ ପିନ୍ଧାଯାଏ ତାହା ନୁହେଁ, ମାଣିକ ଏକ ସକାରାତ୍ମକ ରତ୍ନ। ଏହାକୁ ଧାରଣ କରିବା ପୂର୍ବରୁ ଜ୍ୟୋତିଷଙ୍କର ପରାମର୍ଶ ନେଇଯିବାର ଆବଶ୍ୟକତା ରହିଛି। ସାମାନ୍ୟତଃ ମେଷ, ସିଂହ, ବିଛ ଓ ଧନୁ ଲଗ୍ନ ପାଇଁ ଏହି ମାଣିକ ଧାରଣ କରିବା ଅତ୍ୟନ୍ତ ଶୁଭ। କକର୍ଟ ଲଗ୍ନର ବ୍ୟକ୍ତିଙ୍କ ପାଇଁ ଏହା ମଧ୍ୟମ ଧରଣର ଫଳ ଦେଇଥାଏ। ସେହିପରି ମରକ ଓ କନ୍ୟା ଲଗ୍ନରବ୍ୟକ୍ତିଙ୍କ ପାଇଁ ମାଣିକ ଧାରଣ କରିବା ହାନିକାରକ ହୋଇଥାଏ।

କିପରି କରିବେ ଧାରଣ

ମାଣିକକୁ ତମ୍ବା କିମ୍ବା ସୁନା ମୁଦିରେ ବନାଇପାରିବେ। ଏହାକୁ ଡାହାଣ ହାତର ଅନାମିକା ଆଙ୍ଗୁଠିରେ ରବିବାର ଦିନ ପିନ୍ଧିବା ଉଚିତ୍‌। ଏହା ବ୍ୟତୀତ ଆପଣ ଚାହିଁଲେ ଏହାର ପଦକ ମଧ୍ୟ ପକେଇପାରିବେ। ମାଣିକ ଧାରଣ କରିବା ପୂର୍ବରୁ ପ୍ରଥମେ ଏହାକୁ କ୍ଷୀର କିମ୍ବା ଗଙ୍ଗାଜଳରେ ଅଭିଷେକ କରିବା ସହିତ ଧୂପ-ଦୀପ ଜଲାଇ ସୂର୍ଯ୍ୟ ମନ୍ତ୍ର ଜପ କରିବା ଆବଶ୍ୟକ। ପୂର୍ବଦିଗ ଆଡକୁ ମୁଖ କରି ଏହି ମାଣିକକୁ ଧାରଣ କରିବା ଦରକାର। ମାଣିକ ଧାରଣ କରିବା ପାଇଁ ଓଁ ଘୃଣି : ସୂର୍ଯ୍ୟାୟ ନମଃ ମନ୍ତ୍ରକୁ ତିନି ମାଳା ଜପ କରନ୍ତୁ ବିଶେଷ ଲାଭ ମିଳିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀ ସୁରକ୍ଷା ବିମା ଯୋଜନାରେ ମାସିକ ୧ ଟଙ୍କା ବିନିଯୋଗ କରି ୨ ଲକ୍ଷ ପର୍ଯ୍ୟନ୍ତ ବୀମା ପାଆନ୍ତୁ, ଜାଣନ୍ତୁ ଏହାର ପ୍ରକ୍ରିୟା

ନୂଆଦିଲ୍ଲୀ: ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ବୀମା ଗୁରୁତ୍ୱପୂର୍ଣ୍ଣ ଅଟେ। କିନ୍ତୁ ଦେଶର ଏକ ବୃହତ ଜନସଂଖ୍ୟା ପାଇଁ ବୀମାର ଉଚ୍ଚ ପ୍ରିମିୟମ ଦେବା କଷ୍ଟକର। ସେଥିପାଇଁ ଆର୍ଥିକ ଦୁର୍ବଳ ଲୋକଙ୍କୁ ବୀମା ସୁବିଧା ଦେବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଆରମ୍ଭ କରିଛନ୍ତି। ଏଥିରେ ବୀମାଭୁକ୍ତ ବ୍ୟକ୍ତିଙ୍କୁ ଏକ ମାସରେ କେବଳ ଏକ ଟଙ୍କା ବୀମା ଦେବାକୁ ପଡିବ। ଅର୍ଥାତ୍ ବାର୍ଷିକ ପ୍ରିମିୟମକୁ ମାତ୍ର ୧୨ ଟଙ୍କା ଦେବାକୁ ପଡିବ।

ଏହି ବୀମା ଯୋଜନା କ’ଣ?

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ହେଉଛି ଏକ ପ୍ରକାର ଦୁର୍ଘଟଣାଜନିତ ବୀମା। ଏଥିରେ ବାର୍ଷିକ ମାତ୍ର ୧୨ ଟଙ୍କା ଦେୟ ଉପରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମାଭୁକ୍ତ ହୋଇଛି। ଦୁର୍ଘଟଣାରେ ବୀମାଭୁକ୍ତ ବ୍ୟକ୍ତିଙ୍କ ମୃତ୍ୟୁ କିମ୍ବା ଅକ୍ଷମତା କ୍ଷେତ୍ରରେ, ଏହି ରାଶି ମିଳିବ।

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାର ପଞ୍ଜିକରଣ ପ୍ରକ୍ରିୟା:

ଆପଣ ନିକଟସ୍ଥ ଏକ ବ୍ୟାଙ୍କରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ପାଇଁ ପଞ୍ଜୀକରଣ କରିପାରିବେ। ଏହା ବ୍ୟତୀତ, ଆପଣ ଏକ ବୀମା ଏଜେଣ୍ଟ ମାଧ୍ୟମରେ ଏହି ଯୋଜନାର ଲାଭ ମଧ୍ୟ ନେଇପାରିବେ।

ପ୍ରତିବର୍ଷ ଏହି ପଲିସି ନବୀକରଣ ହୁଏ:

ଏହି ଯୋଜନାର ଅବଧି ଏକ ବର୍ଷ ଅଟେ। ଏହି ଦେୟ ପାଇଁ ପ୍ରତିବର୍ଷ ମେ ମାସରେ କରାଯାଏ। ଆପଣଙ୍କୁ ଏହି ଯୋଜନାକୁ ପ୍ରତିବର୍ଷ ନବୀକରଣ କରିବାକୁ ପଡିବ। ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ବୀମାଭୁକ୍ତ ବ୍ୟକ୍ତିଙ୍କ ମୋଟ ଅକ୍ଷମତା କ୍ଷେତ୍ରରେ ୨ ଲକ୍ଷ ଏବଂ ଆଂଶିକ ଅକ୍ଷମତା କ୍ଷେତ୍ରରେ ୧ ଲକ୍ଷ ଟଙ୍କା ମିଳିବ।

ଏହି ଯୋଜନାର ଲାଭ ଉଠାଇବାକୁ ହେଲ ଏହି ଯୋଗ୍ୟତା ଆବଶ୍ୟକ:

୧୮ ରୁ ୭୦ ବର୍ଷ ବୟସର ଲୋକମାନେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାର ଲାଭ ଉଠାଇ ପାରିବେ। ଏହି ଯୋଜନାର ଲାଭ ଉଠାଇବା ପାଇଁ ଏକ ସଞ୍ଚୟ ଖାତା ରହିବା ବାଧ୍ୟତାମୂଳକ। ଯଦି ପ୍ରିମିୟମ ରିହାତି ସମୟରେ ବ୍ୟାଙ୍କ ଆକାଉଣ୍ଟରେ ପ୍ରିମିୟମ ରାଶି ଉପଲବ୍ଧ ନଥାଏ କିମ୍ବା ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହୋଇଯାଏ ତେବେ ପଲିସି ରଦ୍ଦ ହୋଇଯାଏ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ୨୮ ହଜାର ୨୦୪ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୮ ହଜାର ୨୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧୯ ଲକ୍ଷ ୯୮ ହଜାର ୨୫୮ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୮ ହଜାର ୬୮୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୧ ଲକ୍ଷ ୮୦ ହଜାର ୯୬୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୮୮ ହଜାର ୫୦୮ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬୪ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୬ ହଜାର ୫୬୫ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୪ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୫୬୫ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୦ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ୮ ଜଣ, ବାଲେଶ୍ବରରୁ ୬ ଜଣ, କନ୍ଧମାଳରୁ ୪ ଜଣ, କଟକ, ଯାଜପୁର, ମୟୂରଭଞ୍ଜ, ନୟାଗଡ ଓ ପୁରୀରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଅନୁଗୁଳ, ଦେବଗଡ, ଝାରସୁଗୁଡା ଜିଲ୍ଲାରୁ ୨ ଜଣ ଲେଖାଏଁ, ବଲାଙ୍ଗୀରି, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୮ ହଜାର ୯୯୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୭୧ ହଜାର ୩୯୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୦ ହଜାର ୯୮୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୫୬୫ କୁ ବୃଦ୍ଧି ହୋଇଛି।