Categories
ଅପରାଧ ବିଶେଷ ଖବର ରାଜ୍ୟ ଖବର

ଜଣାପଡିଲା ଭୁବନେଶ୍ବରର ହତ୍ୟାକାଣ୍ଡର ହତ୍ୟାକାରୀ, ହତ୍ୟାପରେ ମହିଳାଙ୍କ ସ୍ବାମୀଙ୍କୁ କରିଥିଲା ଭିଡିଓ କଲ

ଭୁବନେଶ୍ବର, ଦିନବେଳା ଭୁବନେଶ୍ବରର ହତ୍ୟାକଣ୍ଡର ହତ୍ୟାକାରୀ ଧରାପଡିଛି। ସେ ହେଉଛନ୍ତି ମୃତ ମହିଳାଙ୍କ ନିକଟରେ ମୁମୁର୍ଷ ଅବସ୍ଥାରେ ପଡିଥିବା ଯୁବକ। ତାଙ୍କ ନାମ ହେଉଛି ଜଗନ୍ନାଥ ପ୍ରଧାନ, ଯାଜପୁରରେ ତାଙ୍କ ଘର। ସେ ଦିନବେଳା ମହିଳାଙ୍କ ଘରକୁ ଆସି ଏହି ହତ୍ୟାକାଣ୍ଡ କରିଛି ବୋଲି ସ୍ବୀକାର କରିଛି।

ଭୁବନେଶ୍ବରର ଭୀମ ଟାଙ୍ଗୀରେ ରହୁଥିବା ମହିଳା ପ୍ରିୟଙ୍କା ପ୍ରିୟଦର୍ଶନୀ ସାହୁଙ୍କ ସହିତ ଜଗନ୍ନାଥଙ୍କର ଆଗରୁ ପରିଚୟ ରହିଛି। ହେଲେ କୌଣସି କାରଣରୁ ପ୍ରିୟଦର୍ଶନୀଙ୍କ ସହିତ ତାଙ୍କର ଝଗଡା ହୋଇଥିଲା। ଫଳରେ ସେ ରାଗରେ ତାଙ୍କୁ ଏବଂ ତାଙ୍କର 3 ବର୍ଷର ପୁଅକୁ ହତ୍ୟା କରିବ ବୋଲି ନିଷ୍ପତି କରିଥିଲା।

ସେହି ଅନୁସାରେ ଆଜି ସେ ମହିଳାଙ୍କ ଭୀମଟାଙ୍ଗି ଘରେ ପହଁଚି ମହିଳାଙ୍କ ଉପରେ ଆକ୍ରମଣ କରିଥିଲା। ଏକ ଧାରୁଆ ଛୁରୀରେ ସେ ମହିଳାଙ୍କ ବେକ କାଟି ଦେଇଥିଲା ବୋଲି ସ୍ବୀକାର କରିଛି। ସୌଭାଗ ବସତଃ ମହିଳାଙ୍କ ପୁଅ ଖେଳିବା ପାଇଁ ଘର ମାଲିକଙ୍କ ପାଖକୁ ଚାଲି ଯାଇଥିଲା। ଫଳରେ ସେ ଅଳ୍ପକେ ଏହି ହତ୍ୟାରୁ ବଞ୍ଚିଯାଇଛି।

ମହିଳାଙ୍କୁ ହତ୍ୟାକରିବା ପରେ ଯୁବକ ଜଣଙ୍କ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଠା କରିଛି। ଏହି ସମୟରେ ସେ ଏକ ଫୋନରୁ ମହିଳାଙ୍କ ସ୍ବାମୀଙ୍କ ନିକଟକୁ ଏକ ଭିଡିଓ କଲ କରିଛି। ଏହି ଭିଡିଓ କଲରେ ସେ ତାଙ୍କ ସ୍ତ୍ରୀଙ୍କ ରକ୍ତ ଜୁଡୁବୁଡ ଶରୀରକୁ ଦେଖାଇଛି।

ଏକ ଘରୋଇ କଂପାନୀରେ ଚାକିରୀ କରୁଥିବା ତାଙ୍କ ସ୍ବାମୀ ସ୍ତ୍ରୀଙ୍କ ମୃତ ଦେହ ପଡିଥିବାର ଦେଖି ଭୟଭିତ ହୋଇପଡିଥିଲେ। ତୁରନ୍ତ ସେ ଘର ମାଲିକଙ୍କୁ ଫୋନ କରି ଏହି ଖବର ଜଣାଇଥିଲେ। ଘରର ମାଲିକ ଆସିବା ପରେ ଭିତରପଟୁ କବାଟ ବନ୍ଦ ହୋଇଥିବାର ଦେଖିଲେ। ଏହାପରେ ସେ କବାଟ ଭାଙ୍ଗି ଭିତରକୁ ପଶିବା ପରେ ପ୍ରିୟଙ୍କାଙ୍କର ରକ୍ତ ଜୁଡୁବୁଡ ଶରୀର ଦେଖିଥିଲେ।

ଏହି ଭିତରେ ମହିଳାଙ୍କ ସ୍ବାମୀ ପୋଲିସକୁ ଖବର ଦେବାରୁ ଏୟାରଫିଲଡ ଥାନା ପୋଲିସ ଆସି ମୃତ ଦେହ ଜବତ କରିବା ସହ ପାଖରେ ପଡିଥିବା ଯୁବକଙ୍କୁ ଡାକ୍ତରଖାନା ନେଇଥିଲେ। ତେବେ ହତ୍ୟାକଣ୍ଡ ପଛରେ କଣ ରହିଛି ରହସ୍ୟ ତାହା ପୋଲିସ ତଦନ୍ତ କରୁଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରାଜ୍ୟର ୩.୨୪ କୋଟି କୋଭିଡ ପ୍ରଭାବିତ ଲୋକଙ୍କୁ ମିଳିବ ମାଗଣା ଖାଦ୍ୟଶସ୍ୟ, ଏଫସିଆଇ ର ପ୍ରସ୍ତୁତି

ଭୁବନେଶ୍ବର : ବର୍ତ୍ତମାନର କୋଭିଡ-୧୯ ସଙ୍କଟକୁ ଦୃଷ୍ଟିରେ ରଖି ଭାରତ ସରକାର ଚତୁର୍ଥ ପଯ୍ୟାୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କାଯ୍ୟକାରୀ କରିବା ଲାଗି ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ ଦେଶବ୍ୟାପୀ କୋଭିଡ ପ୍ରଭାବିତ ଲୋକମାନଙ୍କୁ ଜୁଲାଇରୁ ନଭେମ୍ବର ୨୦୨୧ ପର‌୍ୟ୍ୟନ୍ତ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ।

ଏହି ଯୋଜନାର ଅଂଶବିଶେଷ ସ୍ବରୂପ, ଯୋଗ୍ୟ ହିତାଧିକାରୀମାନଙ୍କୁ ମାସିକ ମୁଣ୍ଡପିଛା ୫ କିଗ୍ରା ଲେଖାଏଁ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯିବ। ଏହି ଖାଦ୍ୟ ସହାୟତା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଅନ୍ତର୍ଗତ ମିଳୁଥିବା ମାସିକ ରାସନକୁ ବାଦ୍ ଦେଇ ଏବଂ ଅଧିକ ଆକାରରେ ପ୍ରଦାନ କରାଯିବ।

ଭାରତ ସରକାରଙ୍କ ଘୋଷଣା ମୁତାବକ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମ୍ପ୍ରସାରିତ ଚତୁର୍ଥ ପର‌୍ୟ୍ୟାୟକୁ ସଠିକ୍ ଢଙ୍ଗରେ କାର‌୍ୟ୍ୟକାରୀ କରିବା ଲାଗି ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ର ଓଡ଼ିଶା ଶାଖା ପକ୍ଷରୁ ଆବଶ୍ୟକ ସମ୍ବଳ ପ୍ରସ୍ତୁତ କରାଯାଉଛି। ଏହି ଯୋଜନା ଦ୍ବାରା ସାରା ଦେଶରେ ୮୦ କୋଟି ଲୋକ ଉପକୃତ ହେବାକୁ ଥିବା ବେଳେ ଏଥିରେ ଓଡ଼ିଶାର ୩.୨୪ କୋଟି ହିତାଧିକାରୀ ରହିଛନ୍ତି।

ଭୁବନେଶ୍ବର ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଏଫସିଆଇ ଓଡ଼ିଶା କ୍ଷେତ୍ର ମହାପ୍ରବନ୍ଧକ ନିଶିଥ କୁମାର ପ୍ରଧାନ କହିଛନ୍ତି ଯେ ଏହି ଯୋଜନାରେ ଖାଦ୍ୟ ଶସ୍ୟ କ୍ରୟ, ଭଣ୍ଡାରଣ, ପରିବହନ ଏବଂ ବିତରଣ ପାଇଁ ଆବଶ୍ୟକ ସମସ୍ତ ଖର୍ଚ୍ଚ ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ବହନ କରିବେ। ଏହି ପ୍ରକ୍ରିୟାରେ ଭାରତ ସରକାର ଚାଉଳ କିଲୋପ୍ରତି ୩୯ ଟଙ୍କା ଏବଂ ଗହମ କିଲୋ ପ୍ରତି ୨୮ ଟଙ୍କା ଖର୍ଚ୍ଚ କରିବେ।

ଏହି ଯୋଜନା ଅନ୍ତର୍ଗତ, ପାଖାପାଖି ୧୯୯ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ଦେଶର ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ବିତରଣ କରାଯିବ। ଏଥିପାଇଁ ଭାରତ ସରକାର ଆନୁମାନିକ ୬୭,୪୯୨ କୋଟି ଟଙ୍କା ବ୍ୟୟ କରିବେ ବୋଲି ସେ କହିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଯୋଜନା ଅନ୍ତର୍ଗତ ଓଡ଼ିଶାରେ ଖାଦ୍ୟ ଶସ୍ୟ ଉଠାଣ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଯୋଜନା ଅଧୀନରେ ଆନୁମାନିକ ୭.୦୩ ଲକ୍ଷ ମେଟ୍ରିକ ଟନ ଚାଉଳ ଏବଂ ୧.୦୮ ଲକ୍ଷ ମେଟ୍ରିକ ଟନ୍ ଗହମ ଓଡ଼ିଶାକୁ ଆବଣ୍ଟନ କରାଯାଇଛି। ଏହି ଖାଦ୍ୟଶସ୍ୟ କେନ୍ଦ୍ରୀୟ ପୁଲ୍ ଷ୍ଟକ୍ ଓ ଏଫସିଆଇ ଗୋଦାମରୁ ଓଏସସିଏସି ଲିମିଟେଡ୍ ଦ୍ବାରା ଉଠାଣ କରାଯିବ ବୋଲି ସେ କହିଥିଲେ।

ଏହି ଯୋଜନା ଅନ୍ତର୍ଗତ, ଓଡ଼ିଶାରେ ଖାଦ୍ୟଶସ୍ୟ ବିତରଣ ପାଇଁ ପାଖାପାଖି ୩୦୪୪ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହି ଖର୍ଚ୍ଚ ସମ୍ପୂର୍ଣ୍ଣ ଭାବେ ଭାରତ ସରକାର ବହନ କରିବେ। ଏହାଫଳରେ ରାଜ୍ୟର ପାଖାପାଖି ୩.୨୪ କୋଟି ହିତାଧିକାରୀ ଲାଭବାନ ହେବେ ବୋଲି ପ୍ରଧାନ ସୂଚନା ଦେଇଥିଲେ। ସେ ଆହୁରି କହିଥିଲେ ଯେ ଏଫସିଆଇ ଓଡ଼ିଶା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଚତୁର୍ଥ ପର‌୍ୟ୍ୟାୟ ଅନ୍ତର୍ଗତ ସମସ୍ତ ଆବଶ୍ୟକତାକୁ ପୂରଣ କରିବା ଲାଗି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି, ଏଥିପାଇଁ ଅକ୍ଟୋବର ୩୧, ୨୦୨୧ ସୁଦ୍ଧା ଖାଦ୍ୟଶସ୍ୟ ସମ୍ପୂର୍ଣ୍ଣ ଭାବେ ଉଠାଣ କରାଯିବ।

ପ୍ରଧାନ ଆହୁରି ସୂଚନା ଦେଇଥିଲେ ଯେ ଏହି ଯୋଜନାକୁ ସଫଳତା ପୂର୍ବକ କାର‌୍ୟ୍ୟକାରୀ କରିବା ଲାଗି ଏଫସିଆଇ ଓଡ଼ିଶା ନିଜର ସମସ୍ତ ଗୋଦାମରେ ଯଥେଷ୍ଟ ପରିମାଣର ଖାଦ୍ୟଶସ୍ୟ ମହଜୁଦ କରି ରଖିସାରିଲାଣି ଏବଂ ଉଠାଣ ପାଇଁ ରାଜ୍ୟ ଏଜେନ୍ସିଗୁଡ଼ିକୁ ଖାଦ୍ୟଶସ୍ୟ ଯୋଗାଣ ଆରମ୍ଭ କରିସାରିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ତୃତୀୟ ପର‌୍ୟ୍ୟାୟ ମେ-ଜୁନ ୨୦୨୧ରେ ଘୋଷଣା କରାଯାଇଥିଲା। ଏହା ଅଧୀନରେ ୭୯ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ଦେଶର ପାଖାପାଖି ୮୦ କୋଟି ହିତାଧିକାରୀଙ୍କୁ ବିତରଣ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ତୃତୀୟ ପର‌୍ୟ୍ୟାୟ ଅନ୍ତର୍ଗତ ୨.୮୨ ଲକ୍ଷ ମେଟ୍ରିକ ଟନ ଚାଉଳ ଏବଂ ୪୩୦୦୦ ମେଟ୍ରିକ ଟନ୍ ଗହମ ଓଡ଼ିଶାକୁ ଆବଣ୍ଟନ କରାଯାଇଥିଲା। ଏହି ଖାଦ୍ୟଶସ୍ୟ ବିତରଣ ପାଇଁ ମୋଟ ୧୨୨୦ କୋଟି ଟଙ୍କା ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ବହନ କରିଥିଲେ।

Categories
ଆଜିର ଖବର ଧର୍ମ

ଜୁଲାଇ 6 ତାରିଖ ମଙ୍ଗଳବାରରେ ଏହି ପାଞ୍ଚୋଟି ରାଶି ଉପରେ ରହିବ ଶନିଦେବଙ୍କ ଶୁଭଦୃଷ୍ଟି

ମେଷ –ଯୋଗ ଧ୍ୟାନ ସହିତ ଆପଣ ଦିନ ଆରମ୍ଭ କରିପାରିବେ। ଏହା କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ ଏବଂ ଆପଣ ଦିନସାରା ଶକ୍ତି ପାଇବେ।  ଯଦି ଆପଣ ଜୀବନର ଗାଡିକୁ ଭଲ ଭାବରେ ଚଳାଇବାକୁ ଚାହୁଁଛନ୍ତି, ତେବେ ଆଜି ଆପଣଙ୍କୁ ଅର୍ଥର ଗତିବିଧି ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ। ଆପଣଙ୍କ ସାଥୀଙ୍କ ସଫଳତାକୁ ପ୍ରଶଂସା କରନ୍ତୁ ଏବଂ ତାଙ୍କର ସଫଳତା ଏବଂ ସୁଖକୁ ପାଳନ କରନ୍ତୁ । ଉଦାର ହୁଅ ଏବଂ ଆନ୍ତରିକ ପ୍ରଶଂସା କର। ଆଜି ତୁମର ପ୍ରିୟ ତୁମର ଅସ୍ଥିର ମନୋଭାବ ହେତୁ ତୁମ ସହିତ ସଜାଡ଼ିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ।

ବୃଷ –ଆଜି ଏପରି କାର୍ଯ୍ୟକଳାପରେ ନିୟୋଜିତ ହୁଅନ୍ତୁ, ଯାହା ଆପଣଙ୍କୁ ଆରାମ ଦେଇଥାଏ। ଯଦି ତୁମେ ତୁମର ସୃଜନଶୀଳ ପ୍ରତିଭାକୁ ସଠିକ୍ ଉପାୟରେ ବ୍ୟବହାର କର, ଏହା ଅତ୍ୟନ୍ତ ଲାଭଦାୟକ ହେବ । ତୁମର ନୂତନ ପ୍ରୋଜେକ୍ଟ ପାଇଁ ପିତାମାତାଙ୍କୁ ଆତ୍ମବିଶ୍ୱାସରେ ନେବା ପାଇଁ ବର୍ତ୍ତମାନ ଉପଯୁକ୍ତ ସମୟ । ବିବାହିତ ପ୍ରେମ ସମ୍ପର୍କ ତୁମର ପ୍ରତିଷ୍ଠାକୁ ଖରାପ କରିପାରେ । ତୁମର ସାଥୀମାନେ ଆଜି ଆପଣଙ୍କୁ ଅସାଧାରଣ ଶକ୍ତି ପ୍ରଦାନ କରିବେ, ତେଣୁ ନିଷ୍ପତ୍ତି ନିଅନ୍ତୁ ଯାହା ଆବଶ୍ୟକ ଏବଂ ଭବିଷ୍ୟତରେ ଆପଣଙ୍କୁ ମାର୍ଗଦର୍ଶନ କରିପାରିବ ।

ମିଥୁନ-ଆଜି ସନ୍ଧ୍ୟାରେ ନିଜ ଜୀବନସାଥୀ ସହିତ ଏକ ଚଳଚ୍ଚିତ୍ର, ଥିଏଟର କିମ୍ବା ରେଷ୍ଟୁରାଣ୍ଟରେ ବିତାଇବା ଆପଣଙ୍କୁ ଆରାମ ଦେବ ଏବଂ ଆପଣଙ୍କ ମନକୁ ସତେଜ ରଖିବ। ଆଜି ଆପଣ ବହୁତ ଟଙ୍କା ରୋଜଗାର କରିପାରିବେ, କିନ୍ତୁ ଏହାକୁ ଆପଣଙ୍କ ହାତରୁ ଖସିଯିବାକୁ ଦିଅନ୍ତୁ ନାହିଁ । ସମ୍ପର୍କୀୟ କିମ୍ବା ବନ୍ଧୁମାନେ ଏକ ସୁନ୍ଦର ସନ୍ଧ୍ୟା ପାଇଁ ଘରକୁ ଆସିପାରନ୍ତି । କିଛି ମଜାଦାର ବ୍ୟକ୍ତିଙ୍କୁ ଭେଟିବାର ଏକ ଦୃଢ ସମ୍ଭାବନା ଅଛି । ବ୍ୟବସାୟିକ ନିଷ୍ପତ୍ତି ନେବା ପାଇଁ ଆଜି ଏକ ଭଲ ଦିନ । ଆଜି, ତୁମେ ତୁମର ସମ୍ପର୍କକୁ ସମସ୍ତ ସମ୍ପର୍କ ଏବଂ ସମ୍ପର୍କୀୟଙ୍କଠାରୁ ଦୂରରେ ରଖିବାକୁ ଚାହୁଁଛ ଯେଉଁଠାରେ ତୁମେ ଶାନ୍ତି ପାଇବ ।

କର୍କଟ –ଆଜି, ଆଦର୍ଶଗତ ଟେନସନ ହେତୁ ଜଣଙ୍କୁ ଅସୁସ୍ଥତାର ଶିକାର ହେବାକୁ ପଡିପାରେ। ଆରାମ ଏବଂ ଅନୁଭବ କରିବାକୁ ସାଙ୍ଗ ଏବଂ ପରିବାର ସହିତ କିଛି ସମୟ ବିତାନ୍ତୁ । ଅନ୍ୟମାନଙ୍କୁ ପ୍ରଭାବିତ କରିବା ପାଇଁ ଅତିରିକ୍ତ ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ। ପରିବାର ସଦସ୍ୟମାନେ ଆପଣଙ୍କ ଜୀବନରେ ବିଶେଷ ଗୁରୁତ୍ୱ ପାଇବେ । ତୁମର ସାଥୀ ତୁମ ବିଷୟରେ ଭଲ ଭାବନ୍ତି, ଅନେକ ଥର ସେ ତୁମ ଉପରେ କ୍ରୋଧିତ ହୁଅନ୍ତି। ତାଙ୍କ କ୍ରୋଧରେ କ୍ରୋଧ କରିବା ଅପେକ୍ଷା ତାଙ୍କ କଥା ବୁଝିବା ଭଲ ହେବ । ବ୍ୟବସାୟୀଙ୍କ ପାଇଁ ଏହା ଏକ ଭଲ ଦିନ, କାରଣ ସେମାନେ ଚାହିଦା ବୃଦ୍ଧିରୁ ଉପକୃତ ହେବେ ।

ସିଂହ-ଆଜି, ତୁମର ଖରାପ ମନୋବଳକୁ ଦାମ୍ପତ୍ୟ ଜୀବନରେ ଚାପର କାରଣ ହେବାକୁ ଦିଅ ନାହିଁ । ଏହାକୁ ଏଡାଇବାକୁ ଚେଷ୍ଟା କରନ୍ତୁ, ନଚେତ୍ ଆପଣଙ୍କୁ ପରେ ଅନୁତାପ କରିବାକୁ ପଡିବ । ନିଶ୍ଚିତ ଭାବରେ ଆର୍ଥିକ ସ୍ଥିତିରେ ଉନ୍ନତି ହେବ – କିନ୍ତୁ ସେହି ସମୟରେ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ । ପରିବାର ସଦସ୍ୟଙ୍କ ସହିତ ମତଭେଦ ଦୂର କରି, ତୁମେ ତୁମର ଉଦ୍ଦେଶ୍ୟକୁ ସହଜରେ ପୂରଣ କରିପାରିବ । ତୁମ ପାର୍ଶ୍ୱରୁ ତୁମକୁ ସର୍ବୋତ୍ତମ ଉପାୟରେ ଆଚରଣ କରିବା ଆବଶ୍ୟକ, କାରଣ ଆଜି ତୁମର ପ୍ରିୟ ବ୍ୟକ୍ତି ଖୁବ୍ ଶୀଘ୍ର କ୍ରୋଧିତ ହୋଇପାରନ୍ତି । କାର୍ଯ୍ୟର ବ୍ୟସ୍ତତା ସତ୍ବେ, ଆଜି ଶକ୍ତି ଆପଣଙ୍କୁ କର୍ମକ୍ଷେତ୍ରରେ ଦେଖିବାକୁ ମିଳିବ ।

କନ୍ୟା-ଆଜି ତୁମର ବହୁତ ଶକ୍ତି ସୃଷ୍ଟି ହେବ। କିନ୍ତୁ କାର୍ଯ୍ୟଭାର ତୁମର ଦୁଃଖର କାରଣ ହୋଇପାରେ । ପାରମ୍ପାରିକ ଉପାୟରେ ତୁମର ଡିପୋଜିଟକୁ ବିନିଯୋଗ କଲେ ତୁମେ ଟଙ୍କା ରୋଜଗାର କରିପାରିବ । ଆପଣଙ୍କ ନିକଟତର ଲୋକମାନେ ଆପଣଙ୍କ ବ୍ୟକ୍ତିଗତ ଜୀବନରେ ସମସ୍ୟା ସୃଷ୍ଟି କରିପାରିବେ । ଯାତ୍ରା ଯୋଗୁଁ ପ୍ରେମ ସମ୍ପର୍କ ବୃଦ୍ଧି ପାଇବ । ଆପଣ ଅଫିସରେ କିଛି କାମ ପାଇପାରନ୍ତି, ଯାହା ଆପଣ ସର୍ବଦା କରିବାକୁ ଚାହାଁନ୍ତି । ଆଜି ଆପଣଙ୍କର ଖାଲି ସମୟ ମୋବାଇଲ୍ କିମ୍ବା ଟିଭି ଦେଖିବାରେ ନଷ୍ଟ ହୋଇପାରେ । ଏହା ମଧ୍ୟ ଆପଣଙ୍କ ସାଥୀଙ୍କୁ ଆପଣଙ୍କ ଉପରେ ବିରକ୍ତ କରିବ କାରଣ ଆପଣ ସେମାନଙ୍କ ସହ କଥାବାର୍ତ୍ତା କରିବାକୁ କୌଣସି ଆଗ୍ରହ ଦେଖାଇବେ ନାହିଁ ।

ତୂଳା- ଆଜି ଆପଣ କୌଣସି ଅସୁବିଧାରେ ବିଶ୍ରାମ ନେବାକୁ ସକ୍ଷମ ହେବେ । ଆପଣଙ୍କ ମାଂସପେଶୀକୁ ଆରାମ ଦେବା ପାଇଁ ତେଲ ମାଲିସ୍ କରନ୍ତୁ । ଆଜି ଏକ ପାର୍ଟିରେ ଆପଣ ଏପରି ଜଣେ ବ୍ୟକ୍ତିଙ୍କୁ ଭେଟିପାରନ୍ତି ଯିଏ ଆପଣଙ୍କୁ ଆର୍ଥିକ ଦିଗକୁ ମଜବୁତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇପାରନ୍ତି । ଯଦି ଆପଣ ଏକ ପାର୍ଟୀ କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କର ସର୍ବୋତ୍ତମ ବନ୍ଧୁମାନଙ୍କୁ ଆମନ୍ତ୍ରଣ କରନ୍ତୁ । ଅନେକ ଲୋକ ରହିବେ ଯେଉଁମାନେ ଆପଣଙ୍କୁ ଉତ୍ସାହିତ କରିବେ । ସମ୍ପର୍କ ନଷ୍ଟ କରିବାକୁ ଅନାବଶ୍ୟକ ସନ୍ଦେହ କରନ୍ତୁ ନାହିଁ । ତୁମେ ମଧ୍ୟ ତୁମର ପ୍ରେମିକ ଉପରେ ସନ୍ଦେହ କରିବା ଉଚିତ୍ ନୁହେଁ ।

ବିଛା – ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହା ଆପଣଙ୍କ ପାଇଁ ବହୁତ ଭଲ ଦିନ । ଆପଣ ଆନନ୍ଦ କେବଳ ଆପଣଙ୍କର ଆତ୍ମବିଶ୍ୱାସ ବଢାଇବ । ଆପଣଙ୍କର ଜଣେ ପୁରୁଣା ବନ୍ଧୁ ଆଜି ବ୍ୟବସାୟରେ ଲାଭ ପାଇବା ପାଇଁ ଆପଣଙ୍କୁ ପରାମର୍ଶ ଦେଇପାରିବେ। ଯଦି ଆପଣ ଏହି ପରାମର୍ଶକୁ ଅନୁସରଣ କରନ୍ତି ତେବେ ଆପଣ ନିଶ୍ଚିତ ଭାବରେ ଟଙ୍କା ପାଇବେ । ଆପଣ ଅତିଥିମାନଙ୍କୁ ଖରାପ ବ୍ୟବହାର କରନ୍ତୁ ନାହିଁ । ଆପଣ ଏପରି ଆଚରଣ କେବଳ ଆପଣଙ୍କ ପରିବାରକୁ ଅସନ୍ତୁଷ୍ଟ କରିପାରିବ ନାହିଁ ବରଂ ସମ୍ପର୍କ ମଧ୍ୟରେ ଦୂରତା ମଧ୍ୟ ସୃଷ୍ଟି କରିପାରିବ । ଆପଣ ପ୍ରିୟତମ ଆଜି ବହୁତ ସୁନ୍ଦର କାର୍ଯ୍ୟ ସହିତ କିଛି କରି ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରନ୍ତି ।

ଧନୁ– ଆଜି ଏକ ବ୍ୟାୟାମ ସହିତ ଆପଣଙ୍କର ଦିନ ଆରମ୍ଭ କରନ୍ତୁ। ଏହା ହେଉଛି ସେହି ସମୟ ଯେତେବେଳେ ଆପଣ ନିଜ ବିଷୟରେ ଭଲ ଅନୁଭବ କରିବା ଆରମ୍ଭ କରିପାରିବେ। ଏହାକୁ ନିଜ ନିତ୍ୟକର୍ମରେ ଯୋଡନ୍ତୁ ଏବଂ ଏହାକୁ ନିୟମିତ ରଖିବାକୁ ଚେଷ୍ଟା କରନ୍ତୁ । ଅତିରିକ୍ତ ଆୟ ପାଇଁ ଆପଣଙ୍କର ସୃଜନଶୀଳ ଧାରଣା ବ୍ୟବହାର କରନ୍ତୁ । ବାପାଙ୍କ କଠୋର ଆଚରଣ ଆପଣଙ୍କୁ କ୍ରୋଧିତ କରିପାରେ । କିନ୍ତୁ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଶାନ୍ତ ରୁହନ୍ତୁ । ଏହା ଆପଣଙ୍କ ପାଇଁ ଲାଭଦାୟକ ହେବ । ଏକ ଗଛ ଲଗାନ୍ତୁ । ଆଜି ତୁମର ମନ ଅଫିସ୍ କାର୍ଯ୍ୟରେ ନିୟୋଜିତ ହେବ ନାହିଁ । ଆଜି ଆପଣଙ୍କ ମନରେ କିଛି ଦ୍ୱନ୍ଦ୍ୱ ଦେଖାଯିବ ଯାହା ଆପଣଙ୍କୁ ଏକାଗ୍ର ହେବାକୁ ଦେବ ନାହିଁ।

ମକର –ଆପଣଙ୍କର ଭାବନାକୁ ନିୟନ୍ତ୍ରଣ କରିବା ଏବଂ ଯଥା ଶୀଘ୍ର ଭୟରୁ ମୁକ୍ତି ପାଇବା ଆବଶ୍ୟକ, କାରଣ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ ଏବଂ ଆପଣଙ୍କୁ ଭଲ ସ୍ୱାସ୍ଥ୍ୟ ଉପଭୋଗ କରିବାକୁ ବଞ୍ଚିତ କରିପାରେ । ଟଙ୍କା ସହ ଜଡିତ କୌଣସି ସମସ୍ୟାର ଆଜି ସମାଧାନ ହୋଇପାରିବ ଏବଂ ଆପଣ ଟଙ୍କା ରୋଜଗାର କରିପାରିବେ । ଏକ ଐ ତିହାସିକ କୋଠା ଚାରିପାଖରେ ଏକ ଭ୍ରମଣ ଯୋଜନା କରନ୍ତୁ । ଏହା ଶିଶୁ ଏବଂ ପରିବାର ସଦସ୍ୟଙ୍କୁ ଆବଶ୍ୟକ ସତେଜତା ଦେବ। ଆପଣଙ୍କର ପ୍ରିୟଙ୍କ ଆନ୍ତରିକତା ଉପରେ ସନ୍ଦେହ କରନ୍ତୁ ନାହିଁ । ତୁମର ମନୋଭାବକୁ ସଚ୍ଚୋଟ ଏବଂ ଖୋଲା ରଖ । ଲୋକମାନେ ତୁମର ଦୃଢତା ଏବଂ ଦକ୍ଷତାକୁ ପ୍ରଶଂସା କରିବେ ।

କୁମ୍ଭ-ଆଜି ତୁମେ ଶକ୍ତିରେ ପରିପୂର୍ଣ୍ଣ ହେବ ଏବଂ ଏହା ସମ୍ଭବ ଯେ ହଠାତ୍ ତୁମେ ଅର୍ଥ ଲାଭ ପାଇବ । ଯଦି ତୁମେ ତୁମର ଘରୋଇ ଦାୟିତ୍ବକୁ ଅଣଦେଖା କର, ତେବେ ତୁମ ସହିତ ରହୁଥିବା କିଛି ଲୋକ ବିରକ୍ତ ହୋଇପାରନ୍ତି ।  ତୁମର ହୃଦୟ ଏବଂ ମନ ଏକ ସ୍ମରଣୀୟ ହେବ, କାରଣ ଆଜି ତୁମେ ତୁମର ପ୍ରିୟଙ୍କୁ ଭେଟିବ । ଏକ ନୂତନ ଶିଳ୍ପରେ ଯୋଗଦେବା ଠାରୁ ଦୂରେଇ ରୁହନ୍ତୁ ଯେଉଁଥିରେ ଏକାଧିକ ଅଂଶୀଦାର ଅଛନ୍ତି, ଏବଂ ଆବଶ୍ୟକ ହେଲେ ଆପଣଙ୍କ ନିକଟବର୍ତ୍ତୀ ଲୋକଙ୍କ ମତାମତ ନେବାକୁ ଭୟ କରନ୍ତୁ ନାହିଁ । ଅତୀତରେ ଆପଣ କର୍ମକ୍ଷେତ୍ରରେ ଅନେକ ଅସମାପ୍ତ କାର୍ଯ୍ୟ ଛାଡିଛନ୍ତି, ଯାହା ଆପଣଙ୍କୁ ଆଜି ଦେବାକୁ ପଡିବ ।

ମୀନ-ଆଜି ଧର୍ଯ୍ୟବାନ ହୁଅ, କାରଣ ତୁମର ବୁଝାମଣା ଏବଂ ପ୍ରୟାସ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳତା ଆଣିବ।  ବ୍ୟବସାୟରେ ଲାଭ ଆଜି ଅନେକ ବ୍ୟବସାୟୀଙ୍କ ମୁହଁରେ ଖୁସି ଆଣିପାରେ। ଟେନସନର ସମୟ ରହିବ, କିନ୍ତୁ ପରିବାରର ସହାୟତା ସାହାଯ୍ୟ କରିବ।  ଆଜି ତୁମେ ସବୁଆଡେ ପ୍ରେମ ବିସ୍ତାର କରିବ। ଆଜି ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ସକ୍ରିୟ ଏବଂ ବନ୍ଧୁତ୍ୱପୂର୍ଣ୍ଣ ଦିନ ହେବ। ଲୋକମାନେ ତୁମ ମତାମତ ପାଇଁ ପଚାରିବେ ଏବଂ ତୁମେ ଯାହା କହିବ, ସେମାନେ କୌଣସି ଚିନ୍ତା ନକରି ଏହାକୁ ଗ୍ରହଣ କରିବେ। ଯାତ୍ରା ଆପଣଙ୍କ ପାଇଁ ଉପଭୋଗ୍ୟ ଏବଂ ଅତ୍ୟନ୍ତ ଲାଭଦାୟକ ହେବ। ତୁମର ଜୀବନ ସାଥୀ ଆଜି ତୁମ ପାଇଁ କିଛି ବିଶେଷ କରିବାକୁ ଯାଉଛି।

Categories
ଆଜିର ଖବର ଜାତୀୟ ଖବର

BREAKING NEWS: ଦିଲ୍ଲୀ ସମେତ କେତେକ ସ୍ଥାନରେ ମୃଦୁ ଭୂମିକମ୍ଫ, ଲୋକେ ଭୟଭିତ

ନୂଆଦିଲ୍ଲୀ, ଦିଲ୍ଲୀ ହରିୟାନା ସମେତ କେତେକ ସ୍ଥାନରେ ଆଜି ରାତି 10 ଟା 36ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ ଲୋକେ ଭୟଭିତ ହୋଇପଡିଛନ୍ତି। ଏହି ଭୂକମ୍ପର କେନ୍ଦ୍ର ସ୍ଥଳ ହରିୟାନାର ଉତ୍ତର ଦିଗର 10 କିଲୋମିଟର ଦୂରରେ ଥିବା ଝାଜ୍ଜାରରେ ସୃଷ୍ଟି ହୋଇଛି ବୋଲି ଜଣାପଡିଛି। ଏହାର ତୀବ୍ରତା 3.7 ଥିଲା। ଗତକିଛି ମାସ ତଳେ ମଧ୍ୟ ଦିଲ୍ଲୀରେ ଏହିପରି ମୃଦୁ ଭୂକମ୍ଫ ଅନୁଭୂତ ହୋଇଛି।
Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ବାଲୁଗାଁ: ଦଲାଲଙ୍କ କବଜାରେ ଟୀକା କେନ୍ଦ୍ର, ରାତିସାରା ଉଜାଗର ରହି ମଧ୍ୟ ହତାସରେ ଫେରୁଛନ୍ତି ଲୋକେ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ସମଗ୍ର ଦେଶ ତଥା ରାଜ୍ୟ ମହାମାରୀ କରୋନାରେ ଆତଙ୍କିତ। ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡିକରେ ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍ ସାଙ୍ଗକୁ ସପ୍ତାହାନ୍ତ ସଟଡ଼ାଉନ ଜାରି ରହିଛି।  ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱ ରକ୍ଷା କରିବା, ସଦାସର୍ବଦା ମାସ୍କ ପରିଧାନ ଏବଂ ସାନିଟାଇଜର୍ ବ୍ୟବହାର ନିମନ୍ତେ ଜନସଚେତନ କରାଯାଉଛି। ବର୍ତ୍ତମାନ ପରିସ୍ଥିତିରେ କୋଭିଡ୍ ମହାମାରୀରୁ ନିବୃତ୍ତ ରହିବା ପାଇଁ ଏକମାତ୍ର ବିଶଲ୍ୟକରଣୀ ରୂପେ ଟିକାକରଣ ଅପରିହାର୍ଯ୍ୟ ହୋଇପଡ଼ିଛି।

ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନ ବିଭିନ୍ନ ପର୍ଯ୍ୟାୟରେ ବୟୋଜ୍ୟେଷ୍ଠ, ଦିବ୍ୟାଙ୍ଗଙ୍କ ସମେତ ୧୮ରୁ ୪୪ ବର୍ଷ ମଧ୍ୟରେ ନାଗରିକଙ୍କ ଟିକାକରଣ ବ୍ୟବସ୍ଥା କରାଯାଇଛି। ମାତ୍ର ଦୈନନ୍ଦିନ ଅହେତୁକ ଜନସମାଗମକୁ ଲକ୍ଷ୍ୟ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଟିକାକରଣ କେନ୍ଦ୍ରମାନ ଖୋଲାଯାଇଥିବା ବେଳେ ଏହାର ବ୍ୟତିକ୍ରମ ଭାବେ ଟୀକା କେନ୍ଦ୍ର ଗୁଡିକରେ ସ୍ଥାନୀୟ ଦଲାଲ୍‌ଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି।

ସୂଚନା ମୁତାବକ ଚିଲିକା ବ୍ଲକର ନାଗରିକମାନଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପୂର୍ବରୁ ଟିକା ଦିଆଯାଉଥିବା ବେଳେ ଜନସାଧାରଣଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବାଲୁଗାଁ ଉଚ୍ଚ ବିଦ୍ୟାଳୟ ସମେତ ଆଖପାଖ ଅଞ୍ଚଳର ବିଭିନ୍ନ ସରକାରୀ ବିଦ୍ୟାଳୟ, ଉପ ସ୍ୱାସ୍ଥ୍ୟ କେନ୍ଦ୍ର, ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ମାନଙ୍କରେ ଟିକାକରଣ ସୁଚାରୁରୂପେ ପରିଚାଳନା କରିବା ପାଇଁ ସ୍ଥାନୀୟ ପ୍ରଶାସନ ଅହରହ ଉଦ୍ୟମ ଜାରି ରଖିଛି।

ତେବେ ଚିଲିକା ବ୍ଲକର କେତେକ ଟୀକା କେନ୍ଦ୍ରରେ ସ୍ଥାନୀୟ କିଛି ଦଲାଲ୍ ନିଜର ସମ୍ପର୍କୀୟ ତଥା ଟୀକା ନେବାକୁ ଅପେକ୍ଷାରେ ଥିବା ନାଗରିକମାନଙ୍କ ଠାରୁ ହାତଗୁଞ୍ଜା ନେଇ ଟିକାକରଣ କରାଉଥିବା ସାଧାରଣରେ ଅଭିଯୋଗ ହେଉଛି। ଏସବୁ ଦୁର୍ନୀତି ପ୍ରଶାସନର ନାକତଳେ ହେଉଥିବା ବେଳେ ପ୍ରଶାସନ ଏହାର ଟେର ନପାଇବା ଦୁଃଖଦାୟକ।

ସାରା ରାତି ଉଜାଗର ହୋଇ ଅପେକ୍ଷାରତ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କେତେଗୋଟି ଦଲାଲଙ୍କ ଲାଗି ପ୍ରଶାସନକୁ ବଦନାମ ହେବାକୁ ପଡୁଛି। ଅନୁରୂପ ଭାବେ ଟିକାକରଣ କେନ୍ଦ୍ରଗୁଡିକରେ ସାମାଜିକ ଦୂରତା, ମାସ୍କ ପରିଧାନ ଆଦିରେ ଘୋର ଅନିୟମିତତା ମଧ୍ୟ ଦେଖାଯାଉଛି ଯାହାଦ୍ୱାରା କରୋନାରୁ ମୁକ୍ତି ପାଇବା ବଦଳରେ ଜନତା କରୋନାକୁ ଆମନ୍ତ୍ରଣ କରୁଛନ୍ତି। ପ୍ରଶାସନ ଏ ଦିଗରେ ଯଥାଶୀଘ୍ର ଏବଂ ଯଥାସମ୍ଭବ ପଦକ୍ଷେପ ନେବା ସହ ଟୀକା କେନ୍ଦ୍ର ଗୁଡ଼ିକକୁ ଦଲାଲିମୁକ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

ଅନ୍ନପୂର୍ଣ୍ଣା ଦିବସ ଉପଲକ୍ଷେ ବାଣପୁର ଜରାନିବାସର ଅନ୍ତେବାସୀଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିଲା ରୋଟାରୀ କ୍ଳବ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର-ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଦୁଇ ଦିନ ବ୍ୟାପି ‘ସେବା ଦିବସ’ର ଆଜି ଉଦଯାପନ ହୋଇଯାଇଅଛି। ଗତକାଲି ସଂଗଠନ ପକ୍ଷରୁ ଅନ୍ନପୂର୍ଣ୍ଣା ଦିବସ ପାଳନ ଉପଲକ୍ଷେ ବାଣପୁର ସବ ଜେଲ ନିକଟସ୍ଥ ଜରାନିବାସର ଅନ୍ତେବାସୀ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା।

ଅନୁରୂପ ଭାବେ ଆଜି ଅଲାଇଡିହସ୍ଥିତ ପଦ୍ମଚରଣ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷ ରୋପଣ କରାଯାଇ ବନ ମହୋତ୍ସବ ସପ୍ତାହ ମଧ୍ୟ ପାଳନ କରାଯାଇଅଛି। ଉକ୍ତ ଦୁଇ ଗୋଟି କାର୍ଯ୍ୟକ୍ରମରେ ଚଳିତ ବର୍ଷର ସଭାପତି ଗୋପାଳ ଚନ୍ଦ୍ର ନାୟକ, ସଂପାଦକ ସଚ୍ଚିଦାନନ୍ଦ ସେଠୀ, ପ୍ରାକ୍ତନ ସଭାପତି ପ୍ରଫେସର ବିଜୟ କୁମାର ନନ୍ଦ, ଓମ ପ୍ରକାଶ ଅଗ୍ରୱାଲ, ସରୋଜିନୀ ଦାଶ, ପ୍ରବୀଣ କୁମାର ଜେନା, ଧୀରେନ୍ଦ୍ରନାଥ ପାତ୍ର, ରବିନାରାୟଣ ନାୟକ, ଜଗଦୀଶ ପ୍ରସାଦ ଲାଖୋଟିଆଙ୍କ ସମେତ ସଦସ୍ୟ ରବି ନାରାୟଣ ପାଲ, ହିମାଂଶୁ ପାତ୍ର, ଶ୍ୟାମସୁନ୍ଦର ପୃଷ୍ଟି, ନନ୍ଦକିଶୋର ମିଶ୍ର ପ୍ରମୂଖ ଯୋଗଦେଇଥିଲେ।

ରୋଟାରି କ୍ଲବର ଉକ୍ତ କାର୍ଯ୍ୟକୁ ବାଣପୁର ବାଲୁଗାଁ ଅଞ୍ଚଳର ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଏଣିକି ରାଜ୍ୟ ସରକାରଙ୍କ ସୂଚନା ଅଧିକାରୀମାନେ ଡିଜିଟାଲ ମିଡିଆ ସହ ତାଳ ଦେଇ କରିବେ କାମ

ଭୁବନେଶ୍ୱର, ବୈଷୟିକ ଜ୍ଞାନକୌଶଳର ବିକାଶ ସହ ତାଳ ଦେଇ ସୂଚନା ଅଧିକାରୀମାନେ ନିଜକୁ ପ୍ରସ୍ତୁତ କରି ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ଉପଯୁକ୍ତ ସୂଚନା ପ୍ରଦାନ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ପରାମର୍ଶ ଦେଇଛନ୍ତି ।

ସାମାଜିକ ଗଣମାଧ୍ୟମର ପରିଚାଳନା ଏବଂ ବ୍ୟବହାର ସଂପର୍କରେ ସୂଚନା ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟ ବାବଦରେ ସବିଶେଷ ତଥ୍ୟ ସଂଗ୍ରହ, ବରିଷ୍ଠ ଅଧିକାରୀମାନଙ୍କ ସହିତ ପରାମର୍ଶ କ୍ରମେ ସଫଳ କାହାଣୀ ପ୍ରସ୍ତୁତି ସାଙ୍ଗକୁ ଆଧୁନିକ ସୂଚନା-ପ୍ରଯୁକ୍ତି ଉପକରଣର ବ୍ୟବହାର ଆପଣେଇବାକୁ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଥିଲେ । ସରକାରଙ୍କ ଲୋକକଲ୍ୟାଣମୂଳକ କାର୍ଯ୍ୟକ୍ରମଗୁଡ଼ିକର ବ୍ୟାପକ ପ୍ରଚାର ଓ ପ୍ରସାରଣ ଉପରେ ସୂଚନା ଅଧିକାରୀମାନେ ଗୁରୁତ୍ୱ ଦେବାକୁ  ସଚିବ ଉଲ୍ଲେଖ କରିଥିଲେ ।

ବିଭାଗୀୟ କାର୍ଯ୍ୟକୁ ଆଖି ଆଗରେ ରଖି ସମ୍ବାଦ ପରିବେଷଣ ଏବଂ ବିଭାଗକୁ କ୍ରିୟାଶୀଳ କରିବାରେ ସୂଚନା ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତି୍ରପାଠୀ କହିଥିଲେ । ବିଗତ ଦିନର ଅଭିଜ୍ଞତାକୁ ନେଇ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ବିଭିନ୍ନ ସମସ୍ୟାର ସମାଧାନ ଏବଂ ପ୍ରମୁଖ ଶାସନ ସଚିବଙ୍କ ପରାମର୍ଶ ଅନୁଯାୟୀ ସୂଚନା ଅଧିକାରୀମାନେ କାର୍ଯ୍ୟ କରିବେ ବୋଲି ଆଶାପ୍ରକାଶ କରିଥିଲେ ।

ପ୍ରମୁଖ ଶାସନ ସଚିବ ବିଭିନ୍ନ ବିଭାଗର ସୂଚନା ଅଧିକାରୀମାନଙ୍କ ସହ ମତ ବିନିମୟ କରିଥିଲେ । ଏହି ଅବସରରେ ଯୁଗ୍ମ ନିର୍ଦ୍ଦେଶକ ପ୍ରମୋଦ କୁମାର ମଲ୍ଲିକ ଏବଂ ସୁରେନ୍ଦ୍ର କୁମାର ପରିଡ଼ାଙ୍କ ସହ ସମସ୍ତ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩ ହଜାର ୩୨୬ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୩୨୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୪୦, କଟକରୁ ୫୨୮, ଯାଜପୁରରୁ ୨୫୬, ବାଲେଶ୍ବରରୁ ୨୨୦, ପୁରୀରୁ ୨୧୦, ଭଦ୍ରକରୁ ୧୫୭, ମୟୂରଭଞ୍ଜରୁ ୧୫୩, ଜଗତସିଂହପୁରରୁ ୧୫୨, ନୟାଗଡରୁ ୧୫୦, କେନ୍ଦ୍ରାପଡାରୁ ୧୩୦, କେନ୍ଦୁଝରରୁ ୧୧୨, ମାଲକାନାଗିରିରୁ ୭୮, ଅନୁଗୁଳରୁ ୭୧, ସୁନ୍ଦରଗଡରୁ ୬୬, କୋରାପୁଟରୁ ୫୧, ଢେଙ୍କାନାଳରୁ ୪୬, ରାୟଗଡାରୁ ୪୧, ବୌଦ୍ଧରୁ ୩୨, କନ୍ଧମାଳରୁ ୩୨, ନବରଙ୍ଗପୁରରୁ ୩୧, ସମ୍ବଲପୁରରୁ ୨୮, ସୋନପୁରରୁ ୨୭, ବରଗଡରୁ ୨୬, ବଲାଙ୍ଗୀରିରୁ ୨୨, ଗଜପତିରୁ ୨୨, କଳାହାଣ୍ଡିରୁ ୧୬, ଗଞ୍ଜାମରୁ ୧୪, ଝାରସୁଗୁଡାରୁ ୯, ଦେବଗଡରୁ ୩, ନୂଆପଡାରୁ ୩ ଏବଂ ଷ୍ଟେଟ ପୁଲରୁ ୧୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୯୪ ହଜାର ୧୦୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୪ ହଜାର ୬୯୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୯୦ ହଜାର ୭୭୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୯ ହଜାର ୬୨୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୨୪୭ କୁ ବୃଦ୍ଧି ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଯୁବକକୁ ଟାଙ୍ଗିଆରେ ହାଣି ହତ୍ୟାଘଟଣା: ୬ ଅଟକ, ମୁଖ୍ୟ ଅଭିଯୁକ୍ତ ଫେରାର

କନ୍ଦର୍ପ ବେହେରା
ରେଢାଖୋଲ: ଗତକାଲି ରାତି ୮ଟାରେ ରେଢାଖୋଲ ଥାନା ତଣ୍ଡାବିରା ଗାଁରେ ଜମି ବାଡି କଳହକୁ ନେଇ ଜଣେ ଯୁବକକୁ ସଂଘବଦ୍ଧ ଭାବରେ ଟାଙ୍ଗିଆରେ ହାଣି ନୃଶଂସ ଭାବରେ ହତ୍ୟା କରିଥିବା ଜଣା ପଡିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ , ରେଢାଖୋଲ ଥାନା ଡଇଁଚା ପଂଚାୟତ ତଣ୍ଡାବିରା ଗ୍ରାମର ନିଲୁ ସାହୁ (୨୮) ରାତି ପ୍ରାୟ ୮ ଟାରେ ନିଜ ଘର ପାଖରେ ଥିବା ବେଳେ ତାଙ୍କ ବଂଶର ଭାଇମାନେ ଆସି ତାଙ୍କୁ ସଂଘବଦ୍ଧ ଭାବରେ ଠେଙ୍ଗାରେ ମାଡ ମାରିବା ସହ ଏକ ଟାଙ୍ଗିଆରେ ହାଣି ହତ୍ୟା କରି ଫେରାର୍ ହୋଇ ଯାଇଥିଲେ । ପୋଲିସ୍ ଖବର ପାଇ ତଣ୍ଡାବିରା ଗ୍ରାମକୁ ଯାଇ ୬ ଜଣକୁ ଆଣି ଅଟକ ରଖିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ରେଢାଖୋଲ ଥାନାଧିକାରୀ ପ୍ରକାଶ କରିଛନ୍ତି।

ତିନୋଟି ପରିବାର ମଧ୍ୟରେ ବହୁଦିନ ହେଲା ଜମିବାଡି କୁ ନେଇ ବିବାଦ ଲାଗି ରହିଥିଲା। ମୃତ ନିଲୁ ସାହୁକୁ ହତ୍ୟା କରିବାକୁ ଷଡଯନ୍ତ୍ର କେବେଠୁ ଚାଲିଥିଲା ବୋଲି ଜଣା ପଡିଛି। ନିଲୁ ସାହୁର ବଂଶର କେତେଜଣ ମିଶି ତାଙ୍କୁ ହତ୍ୟା କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି। ରାସ୍ତା ଉପରେ ରାତି ସାରା ଶବ ପଡିରହିଥିବା ବେଳେ ପୋଲିସ୍ ସକାଳ ପର୍ଯ୍ୟନ୍ତ ଜଗି ରହିଥିଲା। ସମ୍ବଲପୁରରୁ ସାଇନଟିଫିକ୍ ଟିମ୍ ଆସି ଏହାର ତଦନ୍ତ କରି ଫେରି ଯାଇଛନ୍ତିି। ମୃତ ନିଲୁ ସାହୁର ଶବ ବ୍ୟବଚ୍ଛେଦ ପାଇଁ ରେଢାଖୋଲ ପଠାଯାଇଛି । ମୁଖ୍ୟ ଅଭିଯୁକ୍ତ ଫେରାର୍ ଥିବା ବେଳେ ପୋଲିସ୍ ୬ ଜଣକୁ ଅଟକ ରଖି ଏହାର ତଦନ୍ତ କରୁଥିବା ଥାନାଧିକାରୀ ପ୍ରକାଶ କରିଛନ୍ତି।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଚିଲିକାରେ ଟୀକାକରଣ: ଆସନ୍ତାକାଲି ଦିଆଯିବ ୧ ହଜାର ୩୫୦ ଡୋଜ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ୧ ହଜାର ୩୫୦ ଲୋକଙ୍କୁ ଟୀକା ଦିଆଯିବ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା:

ବାଣପୁର-

୧୮ରୁ ୪୪ ବର୍ଷ ବର୍ଗର ନାଗରିକ (ପ୍ରଥମ ଡୋଜ) ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ)

୧- ବାଣପୁର ମାଇନର ସ୍କୁଲ- ୨୦୦ ଡୋଜ (କେବଳ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକଙ୍କ ପାଇଁ ଉଭୟ ପ୍ରଥମ ଏବଂ ଦ୍ଵିତୀୟ ଡୋଜ )

୨- ସହିଦ କୃତିବାସ ଭବନ, ପଲଟନ ପଡିଆ- ୨୦୦ ଡୋଜ (୧୮ରୁ ୪୪ ବର୍ଷ ବର୍ଗର ନାଗରିକ, ପ୍ରଥମ ଡୋଜ)

୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ

୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ

୫- ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ଡୋଜ

୬- ହଳନ୍ଦା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ

ବାଣପୁରର ସବୁ ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଚିଲିକା:

୧- ବାଲୁଗାଁ ଉଚ୍ଚ ବିଦ୍ୟାଳୟ- ୧୫୦ ଡୋଜ
୨- ଛତ୍ରଗଡ ପ୍ରାଥମିକ ବିଦ୍ୟାଳୟ , ଡୁଙ୍ଗମାଳ ଗ୍ରା.ପ– ୧୦୦ ଡୋଜ
୩-ମାଣ୍ଡିଆମେରୁ ପ୍ରାଥମିକ ବିଦ୍ୟାଳୟ, ବଉଳାବନ୍ଧ ଗ୍ରା.ପ – ୧୦୦ ଡୋଜ
୪- ବାଲିନାସି ପ୍ରାଥମିକ ବିଦ୍ୟାଳୟ,କଳକଳେଶ୍ୱର ଗ୍ରା. ପ – ୧୦୦ ଡୋଜ
୫- ବିରିବାଡ଼ି ବାତ୍ୟା ଆଶ୍ରୟସ୍ଥଳୀ, ବିରିବାଡି ଗ୍ରା.ପ– ୧୦୦ ଡୋଜ

ପ୍ରଥମ ପର୍ଯ୍ୟାୟ– ୧୮ରୁ ୪୪ ବର୍ଷ ନାଗରିକ ମାନଙ୍କ ଟୀକାକରଣ, ସମୟ– ସକାଳ ୯ ରୁ ମଧ୍ୟାହ୍ନ ୧୨ ଘଟିକା

ଦ୍ଵିତୀୟ ପର୍ଯ୍ୟାୟ- ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ ମାନଙ୍କ ଟୀକାକରଣ (ଉଭୟ ଡୋଜ), ସମୟ- ଅପରାହ୍ନ ୧ ରୁ ୪ ଘଟିକା

କିପରି ନେବେ:

ଟୀକା କେନ୍ଦ୍ରରେ ସିଧାସଳଖ ନିଜର ଆଧାର କାର୍ଡ ନମ୍ବର ଏବଂ ପଞ୍ଜିକୃତ ମୋବାଇଲ ନମ୍ବର ଦେଇ ଟୀକା ନେଇପାରିବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାର ଗୃହନିର୍ମାଣ ସଫଳତାକୁ ବଦନାମ ପାଇଁ ବିଜେପିର ଉଦ୍ୟମ କରୁଛି ବୋଲି କହିଲା ବିଜେଡି

ଭୁବନେଶ୍ବର, ଓଡିଶାରେ ହତାଶ ହୋଇପଡିଥିବା ନିଜର ଦଳର କର୍ମୀମାନଙ୍କ ମନୋବଳ ବଢାଇବା ରାଜ୍ୟ ବିଜେପି ସଭାପତିଙ୍କ ପାଇଁ କେତେ କଷ୍ଟକର ତାହା ଆମେ ଜାଣିଛୁ । ଆଜି ତାଙ୍କର ସାମ୍ବାଦିକ ସମ୍ମିଳନୀ ହେଉଛି ଏଭଳି ହତୋତ୍ସାହିତ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଆଉ ଗୋଟିଏ ଦୁର୍ବଳ ପ୍ରୟାସ, ଯେଉଁମାନେ ପଶ୍ଚିମବଙ୍ଗରେ ନିଜ ଦଳର ପରାଜୟ ଏବଂ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ସହିତ ଅନ୍ୟ ରାଜ୍ୟରେ ଦେଖା ଦେଇଥିବା ସାଙ୍ଗଠନିକ ସମସ୍ୟାକୁ ନେଇ ଅତ୍ୟନ୍ତ ନିରାଶ ହୋଇ ପଡିଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ସେମାନଙ୍କର ଆଉ ନିଜ ଉପରେ ବିଶ୍ୱାସ ନାହିଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର କହିଛନ୍ତି ଯେ ଗୋଟିଏ ପଟେ ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଶ୍ରୀ ମହାନ୍ତିଙ୍କ ଦଳ ନେତୃତ୍ୱରେ କେନ୍ଦ୍ରରେ ପରିଚାଳିତ ସରକାର ଓଡିଶାକୁ ପୁରସ୍କୃତ କରୁଥିବାବେଳେ ଅନ୍ୟପଟେ ମହାନ୍ତି ଗ୍ରାମାଞ୍ଚଳ ଗୃହ ର୍ନିମାଣ କ୍ଷେତ୍ରରେ ଓଡିଶାର ସଫଳ କାର୍ଯ୍ୟକୁ ବଦନାମ କରିବାକୁ ଉଦ୍ୟମ ଚଳାଇଛନ୍ତି । ଏହା ହେଉଛି ଗୋଟିଏ ହାତ କ’ଣ କରୁଛି ତାହା ଅନ୍ୟ ହାତ ଜାଣିନଥିବା ଭଳି କଥା ।

ଆମେ ଆଶା କରୁଛୁ ଯେ ବିଜେପିର ଜ୍ଞାନ ଉଦୟ ହେବା ସହିତ ସେମାନେ ଏଭଳି ଭିତ୍ତିହୀନ ଅଭିଯୋଗ ଆଣି ଓଡିଶାକୁ ବଦନାମ କରିବା ପରିବର୍ତ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଶଂସିତ ଓଡିଶାର ଗ୍ରାମୀଣ ଗୃହ ବିକାଶ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦେବେ । ମିଥ୍ୟା ଅଭିଯୋଗ ଆଣି ଓଡିଶାକୁ ବଦନାମ ଉଦ୍ୟମ କରୁଥିବା ବିଜେପିକୁ ଓଡିଶାବାସୀ କେବେ ହେଲେ କ୍ଷମା କରିବେ ନାହିଁ ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହଛନ୍ତି ।

ବିଜେଡି ମୁଖପାତ୍ର ମହାନ୍ତି କହିଛନ୍ତି ଯେ ଯେଉଁ ଗରିବ ଲୋକମାନେ ସେମାନଙ୍କ ମୁଣ୍ଡ ଉପରେ ଛାତଟିଏ ପାଇବା ପାଇଁ ଅପେକ୍ଷା କରିଛନ୍ତି ଶସ୍ତା ରାଜନୀତି ଦ୍ୱାରା ସେମାନଙ୍କୁ ଘର ପାଇବାରୁ ବଞ୍ଚିତ ଉଦ୍ୟମ କରୁଥିବା ବିଜେପିକୁ କେବେ ହେଲେ ସେମାନେ କ୍ଷମା କରିବେ ନାହିଁ । ଏହା ଆହୁରି ଦୁର୍ଭାଗ୍ୟଜନକ ଯେ କେବିକେ ଅଞ୍ଚଳ ଏବଂ ଆଦିବାସୀ ବହୁଳ ଜିଲ୍ଲା ଗୁଡିକରେ ବିଶେଷ ଭାବରେ ଘର ତିଆରିକୁ ବନ୍ଦ କରିଦିଆଯାଇଛି ।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସକୁ ଧକ୍କା, ମମତାଙ୍କ ଦଳରେ ଯୋଗଦେଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ

କୋଲକାତା, କଂଗ୍ରେସକୁ ଜବରଦସ୍ତ ଝଟକା ଲାଗିଛି। ଦଳର ପୂର୍ବତନ ସାଂସଦ ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜି ଆଜି ଟିଏମସିରେ ସାମିଲ ହୋଇଛନ୍ତି। ଦିବଂଗତ ପ୍ରଣବ ମୁଖାର୍ଜୀ କଂଗ୍ରେସର ଜଣେ ଟାଣୁଆ ତଥା ବରିଷ୍ଠ ନେତା ଥିଲେ। ସେ ସବୁବେଳେ କଂଗ୍ରେସରେ ରହି ରାଜନୀତି କରୁଥିଲ। କିନ୍ତୁ ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ କଂଗ୍ରେସ ତ୍ୟାଗ କରି ଟିଏମସିରେ ଯୋଗଦେଇଛନ୍ତି।

ଅଭିଜିତଙ୍କ ପାଇଁ କୋଲକାତାରେ ଟିଏମସି ତରଫରୁ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଟିଏମସିର ବରିଷ୍ଠ ନେତା ସୁଦୀପ ବନ୍ଦୋପାଧ୍ୟୟ ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ଅଭିଜିତ ବିଧିବଦ୍ଧ ଭାବେ ମମତାଙ୍କ ଟିଏମସିରେ ସାମିଲ ହୋଇଛନ୍ତି।

କଂଗ୍ରେସ ଟିକେଟରୁ ଅଭିଜିତ ଜଙ୍ଗିପୁରରୁ ଲୋକସଭାକୁ ଯାଇଥିବା ବେଳେ ନଲହାଟିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପଶ୍ଚିମବଂଗ ବିଧାନସଭା ନିର୍ବାଚନରେ ଟିଏମସି ତାହାର ଶକ୍ତି ପ୍ରଦର୍ଶନ ପରେ ଏବେ ବିଭିନ୍ନ ନେତା ଦଳପ୍ରତି ଆକୃଷ୍ଟ ହେବାରେ ଲାଗିଛନ୍ତି।

Categories
RathJatra ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ଆଶ୍ଚର୍ଯ୍ୟ ହେବେ ଶହେ ବର୍ଷ ତଳର ରଥଯାତ୍ରାରେ ମଧ୍ୟ ଭକ୍ତଙ୍କ ସଂଖ୍ୟା ହ୍ରାସ ପାଇଁ ହୋଇଥିଲା ପ୍ରଚେଷ୍ଠା

ଭୁବନେଶ୍ବର, ଗତ ବର୍ଷ ଏବଂ ଚଳିତ ବର୍ଷ ଶ୍ରୀମନ୍ଦିର ଇତିହାସରେ ରଥଯାତ୍ରା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। କରୋନା ସଂକ୍ରାମଣ ପାଇଁ ଗତ ବର୍ଷ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ଆୟୋଜିତ ହୋଇଥିଲା। ଚଳିତ ବର୍ଷ ମଧ୍ୟ ସେହିପରି ବିନା ଭକ୍ତରେ ରଥଯାତ୍ରା କରିବା ପାଇଁ ନିଷ୍ପତି କରାଯାଇଛି। ରଥଯାତ୍ରା ଦିନ ପୁରୀରେ କର୍ଫୁ ଲଗାଯିବାର ମଧ୍ୟ ସମ୍ଭାବନା ରହିଛି। ଏହିପରି ଘଟଣା ରଥଯାତ୍ରା ଇତିହାସରେ କେବେ ବି ହୋଇ ନ ଥିଲା।

ତେବେ ଠିକ୍ ଶହେ ବର୍ଷ ତଳେ, ଅର୍ଥାତ 1920 ମସିହାରେ ଏହିପରି ଏକ ମହାମାରୀ ସମୟରେ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା। ସେ ସମୟରେ ଉପକୂଳ ଓଡିଶାରେ ହଇଜା ମହାମାରିର ପ୍ରକୋପ ବୃଦ୍ଧି ପାଇଥିଲା। ସେତେବେଳେ ଝାଡାବାନ୍ତିରେ ହଜାର ହଜାର ଲୋକ ମୃତ୍ୟୁବରଣ କରୁଥିଲେ। ମୁଖ୍ୟତଃ ଏହି ରୋଗ ଡିଆଁ ରୋଗ ହୋଇଥିବାରୁ ତାକୁ ନିୟନ୍ତ୍ରଣ କରିବା ପ୍ରଶାସନ ପାଇଁ ସହଜ ନ ଥିଲା।

ଯେତେବେଳେ ରଥଯାତ୍ରା ପାଖେଇଲା ସେତେବେଳେ ବ୍ରିଟିସ ପ୍ରଶାସକଙ୍କର ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଥିଲା। କାରଣ ଶ୍ରୀଜୀୟୁଙ୍କୁ ରଥରେ ଦେଖିବା ପାଇଁ ହଜାର ହଜାର ଭକ୍ତ ଏକାଠି ହେବେ। ଫଳରେ ଏହି ମହାମାରି ନିଶ୍ଚିତ ଭାବେ ଏକ ବିସ୍ପୋରଣ ପରିସ୍ଥିତି ସୃଷ୍ଟି କରିବ ବୋଲି ସମସ୍ତେ ଆଶାଙ୍କା କରିଥିଲେ। ଏ ନେଇ ସେତେବେଳେ ଉଚ୍ଚ କର୍ତ୍ତୁପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ହେଲେ ସେତେବେଳେ କୌଣସି ଟିଭି ରେଡିଓ ପରି ପ୍ରଚାର ମାଧ୍ୟମ କିଛି ନ ଥିବାରୁ ଭକ୍ତଙ୍କୁ ମନା କରିବାର କୌଣସି ସୁବିଧା ହୋଇପାରି ନ ଥିଲା।

ଫଳରେ ବ୍ରିଟିସରମାନେ ଭକ୍ତମାନଙ୍କୁ ପୁରୀ ନ ଯିବା ପାଇଁ ରାସ୍ତାରେ ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ନିଯୁକ୍ତ କରିଥିଲେ। ହେଲେ ତାଙ୍କ କଥା କେହି ଶୁଣିଲେ ନାହିଁ। ଆଶ୍ଚର୍ଯ୍ୟର କଥା ସେ ବର୍ଷ ରଥଯାତ୍ରାରେ ପୂର୍ବ ବର୍ଷ ଅପେକ୍ଷା ଅଧିକ ଭକ୍ତଙ୍କର ସମାଗମ ହୋଇଥିଲା।

ଏହାକୁ ନେଇ ସେତେେବଳେ ଉତ୍କଳ ଦୀପିକାରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ତାହା ହେଲା – ସିଭିଲ କର୍ତ୍ତୃପକ୍ଷଙ୍କ ନିଷେଧ ସତ୍ତ୍ୱେ ରଥଯାତ୍ରା ଦର୍ଶନାଭିଳାଷୀ ଯାତ୍ରୀଙ୍କର ପରିମାଣ ଆଶାତୀତ ବୃଦ୍ଧି ହୋଇଥିଲା ଏବଂ ସମୟେ ସମୟେ ସ୍ପେଶିଆଲ ଟ୍ରେନ ମଧ୍ୟ ଆସିଥିଲା। ଦେଖୁ ଦେଖୁ ସହର ଓ ସାହିମାନଙ୍କରେ ଥିବା ସାନ ବଡ ପକ୍କା ଘର, ଧର୍ମଶାଳା ଓ ଗୁଣ୍ଡିଚା ପାଖ ଟିଣଘର ମାନ ଯାତ୍ରୀପୂର୍ଣ୍ଣ ହୋଇଥିଲା।“ (ପୁରୀ ରଥଯାତ୍ରା, ୨୬, ଜୁନ,୧୯୨୦, ଉତ୍କଳ ଦୀପିକା)

ବର୍ତ୍ତମାନର କରୋନା ପରି ଶହେ ବର୍ଷ ତଳେ କଲେରା ମହାମାରି ମଧ୍ୟ ରଥଯାତ୍ରା ପରିଚାଳନା ନେଇ ତତକାଳିନ ପ୍ରଶାସନକଙ୍କର ମୁଣ୍ଡବିନ୍ଧା କରିଦେଇଥିଲା।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆଉ ସପ୍ତାହେ ବାକି ରହିଲା ପ୍ରଭୃଙ୍କ ରଥଯାତ୍ରା, ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ପୁରୀ, ଆଉ ମାତ୍ର ସପ୍ତାହଟିଏ ବାକି ରହିଲା ପ୍ରଭୃଙ୍କ ରଥଯାତ୍ରା। ଆସନ୍ତା 12 ତାରିଖରେ ତିନିଠାକୁର ରତ୍ନ ସିଂହାସନ ତ୍ୟାଗ କରି ରଥାଋଢ ହେବେ। ଯିବେ ନିଜ ଜନ୍ମସ୍ଥାନ ଶ୍ରୀଗୁଣ୍ଡିଚା ମନ୍ଦିର। ଆଉ କମ ସମୟ ଥିବାରୁ ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି।

ବର୍ତ୍ତମାନ ରଥ ଖଳାଠାରେ, ତିନି ରଥର କଳସ ଉଠି, ଓଲଟ ଶୁଆ ସଂଯୋଗ ହୋଇଛି ଓ ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ଏବଂ ବେଦୀ ପାର୍ଶ୍ୱ ପଟା ତଳେ ହଂସ ପଟା ବାଡ଼ିଆ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଅଛି । ଏଥିସହ ତିନି ରଥର ବିଜେ ଚକା, ଯେଉଁଠି ଶ୍ରୀବିଗ୍ରହ ମାନେ ବିଜେ କରିଥାନ୍ତି, ତାହାର ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଚାଞ୍ଚଲ୍ୟ : ରାଜଧାନୀରେ ଦିନ ଦିପହରରେ ମହିଳାଙ୍କୁ ବିଭତ୍ସ ହତ୍ୟା

ଭୁବନେଶ୍ୱର, ରାଜଧାନୀର ଏୟାର ଫିଲଡ଼ ଥାନା ଅନ୍ତର୍ଗତ ଭୀମଟାଙ୍ଗି ଫେଜ -୧ ରେ ରହୁଥିବା ଜଣେ ମହିଳାଙ୍କୁ ବିଭସ୍ଛ ଭାବେ କୌଣସି ଧାରୁଆ ଅସ୍ତ୍ରରେ ହତ୍ୟା କରିଯାଇଛି। ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତ ଶରୀରକୁ ଏୟାର ଫିଲଡ଼ ଥାନା ପୋଲିସ ଘର ଭିତରୁ ଜବତ କରିଛି। ସେହି ଘର ଭିତରୁ ଅନ୍ୟ ଜଣେ ଗୁରୁତର ଭାବେ ଆହତ ଯୁବକଙ୍କୁ ମଧ୍ୟ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମୃତ ମହିଳାଙ୍କୁ ତାଙ୍କ ସ୍ୱାମୀ ରାକେଶ ସାହୁ ଚିହ୍ନଟ କରିଛନ୍ତି,। ମୃତ ମହିଳାଙ୍କ ନାମ ହେଉଛି ପ୍ରିୟଦର୍ଶିନୀ ସାହୁ ବୋଲି ଜଣାପଡିଛି। ଘଟଣା ସ୍ଥଳରେ ଏୟାର ଫିଲଡ଼ ଥାନା ଅଧିକାରୀ, ଏସିପି, ତଥା ଭୁବନେଶ୍ୱର ଡିସିପି ପହଂଛି ତଦନ୍ତ ଆରମ୍ଭ କରିସାରିଲେଣି। ସାଇଣ୍ଟିଫିକ ଟିମ ମଧ୍ୟ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଛାତ୍ରଛାତ୍ରୀମାନେ ସହଜରେ ପଢିବା ଓ ଗଣିବା ପାଇଁ ଆରମ୍ଭ ହେଲା ନୂଆ ଅଭିଯାନ”ନିପୁଣ ଭାରତ”

ନୂଆଦିଲ୍ଲୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ଆଜି ‘ନିପୁଣ ଭାରତ’କୁ ଉଦଘାଟନ କରିଛନ୍ତି, ଯାହାକି ପଢିବା ଦକ୍ଷତା ଏବଂ ଗଣତି କୌଶଳ ବୁଝିବା ପାଇଁ ଏକ ଭିନ୍ନ ପଦକ୍ଷେପ। ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କ ମଧ୍ୟରେ ପଢିବା, ଲେଖିବା ଏବଂ ଗଣିବା କୈଶଳ ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି।

ନିପୁଣ ଭାରତ ଆରମ୍ଭ କରି ଶ୍ରୀ ପୋଖରିଆଲ କହିଛନ୍ତି ଯେ ଏହି ପଦକ୍ଷେପ ନୂତନ ଶିକ୍ଷା ନୀତିର ଏକ ଦୃଢ ସ୍ତମ୍ଭ ହେବ। ସେ କହିଛନ୍ତି ଯେ ଏହି ପଦକ୍ଷେପ ପ୍ରାଥମିକ ଶିକ୍ଷା ସମୟରେ ପିଲାମାନଙ୍କ ମଧ୍ୟରେ ଶିକ୍ଷଣ ଏବଂ ଗଣନ କୌଶଳକୁ ମାଗଣା ବିକାଶରେ ସହାୟକ ହେବ। ସେ କହିଛନ୍ତି ଯେ ଏହି ମାଧ୍ୟମରେ ଛାତ୍ରଛାତ୍ରୀମାନେ ସହଜରେ କିପରି ଗଣନା କାର୍ଯ୍ୟ କରିପାରିବେ ତାହା ଶିକ୍ଷା ପ୍ରଦାନ କରାଯିବ।

ନିପୁଣ ଭାରତକୁ ଏକ ଚମତ୍କାର ପଦକ୍ଷେପ ବୋଲି ବର୍ଣ୍ଣନା କରି ରାଜ୍ୟ ଶିକ୍ଷା ମନ୍ତ୍ରୀ ସଞ୍ଜୟ ଧୋଟ୍ରେ କହିଛନ୍ତି ଯେ ଏହି ପଦକ୍ଷେପ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ବିଦ୍ୟାଳୟ ଶିକ୍ଷାର ଭବିଷ୍ୟତକୁ ବଦଳାଇଦେବ। ଏହା ପିଲାମାନଙ୍କ ମଧ୍ୟରେ ଏକ ଦୃଢ ମୂଳଦୁଆ ପକାଇବ ଏବଂ ଭବିଷ୍ୟତରେ ଉଚ୍ଚଶିକ୍ଷା କରିବାରେ ସେମାନଙ୍କୁ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

ଜାତୀୟ ଶିକ୍ଷା ନୀତି 2020 ର କାର୍ଯ୍ୟକାରିତା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଦ୍ୱାରା ଆରମ୍ଭ ହୋଇଥିବା ନିପୁଣ ଭରତ ଏହି ପର୍ଯ୍ୟାୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆଜି କାର୍ଯ୍ୟକ୍ରମ ସମୟରେ ନିପୁଣ ଭାରତ ଉପରେ କ୍ଷୁଦ୍ର ଭିଡିଓ, ଗୀତ ଏବଂ କାର୍ଯ୍ୟକାରିତା ନିର୍ଦ୍ଦେଶାବଳୀ ପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ତଥା ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ଅନୁଷ୍ଠାନର ମୁଖ୍ୟମାନେ ଯୋଗ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋୱିନ୍ ଗ୍ଲୋବାଲ ସମ୍ମିଳନୀକୁ ସମ୍ବୋଧିତ କରିବେ, ଜାଣନ୍ତୁ ଏହା କଣ

ନୂଆଦିଲ୍ଲୀ, ଭାରତ ଆଜି ବିଭିନ୍ନ ଦେଶରୁ ସ୍ୱାସ୍ଥ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ଡୋମେନର ପ୍ରତିନିଧୀଙ୍କ ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ କରୁଛି। ଭର୍ଚୁଆଲ୍ ମାଧ୍ୟମରେ COVID-19 ଟୀକାକରଣ ଡିଜିଟାଲ ପ୍ଲାଟଫର୍ମର ସଫଳତା ଅଭିଜ୍ଞତା ପ୍ରଦାନ କରାଯିବ।

ଟୀକାକରଣ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର କରିବାକୁ ଚାହୁଁଥିବା ଯେକୈଣସି ଦେଶକୁ କୋ-ୱିନ୍ ପ୍ଲାଟଫର୍ମ ଯୋଗାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କୋୱିନ ଗ୍ଲୋବାଲ ସମ୍ମିଳନୀ ଅପରାହ୍ନ 3 ଟାରୁ ଆରମ୍ଭ ହେବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀରେ ଏକ ବିଶେଷ ବାର୍ତ୍ତା ପ୍ରଦାନ କରିବେ। ଏହି ସମ୍ମିଳନୀକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଉଦ୍ଘାଟନ କରିବେ।

ଭର୍ଚୁଆଲ୍ ସମ୍ମିଳନୀରେ କାନାଡା, ମେକ୍ସିକୋ, ନାଇଜେରିଆ, ପାନାମା ଏବଂ ଉଗାଣ୍ଡା ସମେତ ପ୍ରାୟ 50 ଟି ଦେଶର ସ୍ୱାସ୍ଥ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞମାନେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। କୋୱିନ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର କରିବାକୁ କୌଣସି ଦେୟ କିମ୍ବା ଲାଇସେନ୍ସ ଦେୟ ଆବଶ୍ୟକ ହେବ ନାହିଁ।

COVID 19 ଟୀକାକରଣ ଅଭିଯାନର ଯୋଜନା, କାର୍ଯ୍ୟାନ୍ୱୟନ, ମନିଟରିଂ ଏବଂ ମୂଲ୍ୟାଙ୍କନ ପାଇଁ କୋ-ୱିନ୍ ପ୍ଲାଟଫର୍ମ ସର୍ବସାଧାରଣ ପ୍ରଶ୍ନର ସମାଧାନ ତଥା ପରିଚାଳନାରେ ଅତ୍ୟନ୍ତ ଉପଯୋଗୀ ପ୍ରମାଣିତ ହୋଇଛି। କୋ-ୱିନ୍ ପ୍ଲାଟଫର୍ମ ଜନସାଧାରଣଙ୍କୁ ବିଭିନ୍ନ ସ୍ତରର ଟୀକାକରଣ, ପଞ୍ଜୀକରଣ ସୁବିଧା, ଯୋଜନା ଏବଂ ସ୍ଥାନ ଚୟନ ଏବଂ ଟୀକାକରଣ ପାଇଁ ସମୟ ଅନ୍ତର୍ଭୂକ୍ତ କରି ବିଭିନ୍ନ ସୁବିଧା ପ୍ରଦାନ କରିଥାଏ।

ଡିଜିଟାଲ୍ ସଂକ୍ଷରିତ COVID ଟୀକାକରଣ ପ୍ରମାଣପତ୍ର ପ୍ରଦାନ କରିବାର ସୁବିଧା ମଧ୍ୟ କୋୱିନ ପ୍ଲାଟଫର୍ମରେ ଉପଲବ୍ଧ। ତଥ୍ୟ ଅନୁସାରେ କୋ-ୱିନ୍ ଡିଜିଟାଲ୍ ପ୍ଲାଟଫର୍ମରେ ଏପର୍ଯ୍ୟନ୍ତ 36 କୋଟିରୁ ଅଧିକ ପଞ୍ଜିକରଣ କରାଯାଇଛି।

Categories
ଆଞ୍ଚଳିକ

ବାଣପୁର, ବାଲୁଗାଁ ଓ ଟାଙ୍ଗୀରେ ପାଳନ ହେଲା ୭୨ତମ ବନ ମହୋତ୍ସବ

ସୀତାରାମ ଅଗ୍ରୱାଲ

ଚିଲିକା/ଟାଙ୍ଗୀ : ଓଡିଶା ସରକାରଙ୍କ ବନବିଭାଗ ଦ୍ୱାରା ସାରା ରାଜ୍ୟରେ ଜୁଲାଇ ପ୍ରଥମ ସପ୍ତାହକୁ ବନ ମହୋତ୍ସବ ରୂପେ ପାଳନ କରାଯାଉଛି। ତେବେ ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା କୋଭିଡ଼ କଟକଣା ଅନୁଯାୟୀ ପାଳନ କରାଯାଇଛି ୭୨ତମ ବନ ମହୋତ୍ସବ।

ଏହି ପରିପ୍ରେକ୍ଷୀରେ ଗତକାଲି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ଅଗ୍ନିଶମ ସେବା କେନ୍ଦ୍ର ଏବଂ ଆଜି ବାଲୁଗାଁ ଅଗ୍ନିଶମ ସେବା କେନ୍ଦ୍ର, ନାରାୟଣୀ ବିଦ୍ୟାପୀଠ, ଅରାଙ୍ଗ ଓ ବିଷ୍ଣୁଡିହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇ ପାଳନ କରାଯାଇଛି ୭୨ତମ ବନ ମହୋତ୍ସବ।

ଟାଙ୍ଗୀ ଅଗ୍ନିଶମ କେନ୍ଦ୍ରରେ ଅଗ୍ନିଶମ ଅଧିକାରୀ ଅବିନାଶ ପୃଷ୍ଟି ଏବଂ ଟାଙ୍ଗୀ ବନବିଭାଗ କର୍ମଚାରୀଙ୍କ ସହଯୋଗରେ ଉକ୍ତ ମହୋତ୍ସବ ପାଳନ କରାଯାଇଥିବା ବେଳେ ବାଲୁଗାଁ ଅଗ୍ନିଶମ କେନ୍ଦ୍ରରେ ଅଗ୍ନିଶମ ଅଧିକାରୀ ନିତ୍ୟାନନ୍ଦ ଜେନା, ବାଲୁଗାଁ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ବନପାଳ ଅଜୟ କୁମାର ମହାରଣା, ବନରକ୍ଷୀ ସ୍ବର୍ଣ୍ଣପ୍ରଭା ମହାପାତ୍ର ଏବଂ ଅନ୍ୟାନ୍ୟ ଅଗ୍ନିଶମ କର୍ମଚାରୀଙ୍କ ସହଯୋଗରେ ପାଳିତ ହୋଇଛି ଉକ୍ତ ମହୋତ୍ସବ।

ସେହିପରି ଭାବେ ନାରାୟଣୀ ବିଦ୍ୟାପୀଠ, ଅରାଙ୍ଗ ଏବଂ ବିଷ୍ଣୁଡିହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି, ବାଲୁଗାଁ ବନପାଳ ପ୍ରଦୀପ୍ତ କୁମାର ମହାନ୍ତି, ବରବରା ବନପାଳ ଅକ୍ଷୟ କୁମାର ନାୟକ, ବାଲୁଗାଁ ବନରକ୍ଷୀ ତ୍ରିଲୋଚନ ବେହେରା, ନୀଳାଦ୍ରିପ୍ରସାଦ ଗ୍ରାମ ପଞ୍ଚାୟତ ସରପଞ୍ଚ, ବିଷ୍ଣୁଡିହ ଗ୍ରାମ ପଞ୍ଚାୟତ ସରପଞ୍ଚ ଏବଂ ଉଭୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ୭୨ତମ ବନ ମହୋତ୍ସବ ପାଳିତ ହୋଇଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ମୋଦି ମମତାଙ୍କ ନିକଟକୁ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ପଠାଇଲେ ଆମ୍ବ, ରାଜନୈତିକ ମହଲରେ ଚର୍ଚ୍ଚା

ନୂଆଦିଲ୍ଲୀ, ନିକଟରେ ପଶ୍ଚିମବଂଗ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଟିଏମସି ନେତ୍ରୀ ମମତା ବାନାର୍ଜିଙ୍କ ମଧ୍ୟରେ ଚାଲିଥିଲା କଡା ଟକ୍କର। ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ଏବେବି କୋଲକାତା ରାଜନୀତି ଗରମ ରହିଛି। ଏପରି କ୍ଷେତ୍ରରେ ଆସିଛି ଏକ ନୂଆ ଖବର। ଯେଉଁ ଖବର ଜାତୀୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

ସେହି ଖବରଟି ହେଲା ଯେ, ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ସେଖ୍ ହାସିନା ଉଭୟ ପ୍ରଧାନମନ୍ତ୍ରୀ ଏବଂ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଛନ୍ତି ଉପହାର। ଆଉ ତାହା ହେଲା ବାଙ୍ଗଲାଦେଶୀୟ ଦେଶୀ ଆମ୍ବ। ସୂଚନା ଅନୁସାରେ ଉଭୟଙ୍କ ନିକଟକୁ ହାସିନା ପ୍ରାୟ 26 କ୍ବିଣ୍ଟାଲ ବା 2600 କିଲୋଗ୍ରାମର ଆମ୍ବ ପଠାଇଛନ୍ତି।

ଏହି ଆମ୍ବ ନାମ ହେଉଛି ହରିଭଙ୍ଗା , ଯାହା ଏକ ବିରଳ ପ୍ରକାରର ଆମ୍ବ। ଏହା ବାଙ୍ଗଲାଦେଶର ରଂଗପୁରା ଜିଲ୍ଲାରେ ବିଶେଷ ଭାବେ ହୋଇଥାଏ। ଏହି ଆମ୍ବକୁ 260ଟି କାର୍ଟୁନରେ ଭର୍ତ୍ତି କରି ଟ୍ରକରେ ପଠାଯାଇଛି। ଗତକାଲି ରବିବାରରେ ବାଙ୍ଗଲାଦେଶ ଭାରତ ସୀମାରେ ଥିବା ବିନାପୁଲ ଚେକିଂ ଗେଟ ପାର ହେବା ପରେ ଏହା ଜଣାପଡିଥିଲା।

ଏହି ଆମ୍ବ ଟ୍ରକ ସିଧା କୋଲକାତାରେ ଥିବା ବାଙ୍ଗଲାଦେଶ ହାଇ କମିସନରଙ୍କ ଅଫିସରେ ପହଁଚିଥିଲା। ସେଠାରେ ହାଇକମିଶନର ମହମ୍ମଦ ସାମୁୟାଲ କ୍ୟୁଦାର ଏହାକୁ ଗ୍ରହଣ କରିଥିଲେ। ସେ ତୁରନ୍ତ କୋଲକାତାସ୍ଥିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏବଂ ନୂଆଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନକୁ ପଠାଇଛନ୍ତି।

କୌଣସି ଦେଶର ପ୍ରଧାନମନ୍ତ୍ରୀ ଅନ୍ୟ ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀଙ୍କୁ କିଛି ଉପହାର ଦେବା ଏକ ଭଲ ପରଂପରା। କାରଣ ଏହା ଦ୍ବାରା ଉଭୟ ଦେଶ ମଧ୍ୟରେ ବନ୍ଧୁତ୍ବର ସଂପର୍କ ସୁଦୃଢ ହୋଇଥାଏ। ପୂର୍ବରୁ ଏହି ପରଂପରା ଅନେକ ଦେଶରେ ମଧ୍ୟ ଘଟଛି।

ହେଲେ ମୋଦି ମମତାଙ୍କ ମଧ୍ୟରେ ଯେପରି ଅହିନକୁଳ ସଂପର୍କ ସେଥିରେ ଏପରି ଉପହାରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଉଭୟ ମମତା ମୋଦିଙ୍କ ମଧ୍ୟରେ ସଂପର୍କ ଯୋଡିବାରେ ସେଖ୍ ହାସିନ ମଧ୍ୟସ୍ଥତା କରିବେ କି ବୋଲି ମଧ୍ୟ ପ୍ରଶ୍ନ ଉଠିଛି। ( ଏଥିରେ ବ୍ୟବହାର ହୋଇଥିବା ଫଟୋଟି ଏକ ପୁରୁଣା ଫଟୋ)

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ ୩୯ ହଜାର ୩୯୬ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୯ ହଜାର ୩୯୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୭୨୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୫ ଲକ୍ଷ ୮୫ ହଜାର ୨୨୯ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨ ହଜାର ୭୨୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୭ ଲକ୍ଷ ୪୩୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୮୨ ହଜାର ୭୧ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୫୨ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୪୨୪୭ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୫୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୫୨ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୨୪୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ, ଗଞ୍ଜାମ, କଳାହାଣ୍ଡି, ପୁରୀ, ସୁନ୍ଦରଗଡ ଜିଲ୍ଲାରୁ ୫ ଜଣ ଓ କେନ୍ଦ୍ରାପଡା ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି କଟକ, କନ୍ଧମାଳ, ନୟାଗଡ ଓ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଏଁ, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଝାରସୁଗୁଡା, କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୪ ହଜାର ୬୯୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୯୦ ହଜାର ୭୭୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୯ ହଜାର ୬୨୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୨୪୭ କୁ ବୃଦ୍ଧି ହୋଇଛି।