Categories
ଆଜିର ଖବର ରାଜ୍ୟ ଖବର

ଲଘୁଚାପଜନିତ ବର୍ଷା: ୬ ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ, ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତାର ଆଖପାଖ ଓଡିଶା ଏବଂ ଗାଙ୍ଗିୟ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ଲଘୁଚାପ ସକ୍ରିୟ ହୋଇଛି। ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବା ସହିତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଓଡିଶା ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପ୍ରବଳଋ ଅତି ପ୍ରବଳ ବର୍ଷା ହେବା ଅନୁମାନ କରାଯାଇଛି।

ସେଥିପାଇଁ ୬ ଟି ଜିଲ୍ଲାକୁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେଡ ୱାର୍ଣ୍ଣିଂ ଜାରି କରିଛି। ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, ବରଗଡ଼ ଓ ଅନୁଗୋଳ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ରେଡ ୱାର୍ଣ୍ଣିଂ ଜାରି କରିଛି। ସେହିଭଳି ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ବଲାଙ୍ଗିର, ସୋନପୁର ଓ ବୌଦ୍ଧ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ କରାଯାଇଛି।

ଲଘୁଚାପଜନିତ ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି। ରାଜ୍ୟରେ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ୍ କମିଶନରଙ୍କୁ ଏନେଇ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି।

Categories
ଧର୍ମ ବିଶେଷ ଖବର

ମନ୍ଦିରରେ ଠାକୁର ଦର୍ଶନ ପୂର୍ବରୁ ଘଣ୍ଟି କାହିଁ ବଜାଯାଇଥାଏ ? ଜାଣନ୍ତୁ ଏହାର ଧାର୍ମିକ ତଥା ବିଜ୍ଞାନ କାରଣ

ଭୁବନେଶ୍ବର, ସାଧାରଣତଃ ହିନ୍ଦୁ ଧର୍ମରେ ମନ୍ଦିର ଯାଇ ପୂଜାପଠା କରିବାର ପରଂପରା ରହିଛି। ବିଶେଷ ଦିନମାନଙ୍କରେ ମନ୍ଦିରରେ ଭକ୍ତଙ୍କ ଭିଡ ବେଶୀ ପରିଲକ୍ଷିତ ହୋଇଥାଏ। ତେବେ ଜଣେ ଯେତେବେଳେ ମନ୍ଦିରକୁ ପ୍ରବେଶ କରେ ସେ ପ୍ରଥମେ ଘଣ୍ଟି ବଜେଇ ଥାଏ। ସବୁ ଦେବାଳୟରେ ଠାକୁରଙ୍କ ପୂର୍ବରୁ ଘଣ୍ଟି ବନ୍ଧାଯିବା ବାଧ୍ୟତା ମୂଳକ। ବିନା ଘଣ୍ଟିରେ କୌଣସି ମନ୍ଦିର ପ୍ରତିଷ୍ଠା କରାଯାଏ ନାହିଁ। ସେହିପରି ଘରେ ପୂଜାପାଠ ବେଳେ ବା ଆରତୀ ବେଳେ ଆମେ ନିଶ୍ଚିତ ଘଣ୍ଟି ବଜାଇଥାଉ।

ତେବେ ପୂଜାପାଠ ପୂର୍ବରୁ ଏହି ଘଣ୍ଟି କଣ ପାଇଁ ବଜାଯାଇଥାଏ, ଏଥିରେ କଣ ରହିଛି ଧାର୍ମିକ ତଥା ବୈଜ୍ଞାନିକ କାରଣ ଆସନ୍ତୁ ଜାଣିବା।

ଧାର୍ମିକ କାରଣ

1-ବିଶ୍ବାସ କରାଯାଏ ଯେ ଯେତେବେଳେ ଆମେ କୈଣସି ମନ୍ଦିରରେ ପ୍ରବେଶ କରୁ, ସେତେବେଳ ମନ୍ଦିରରେ ଉପସ୍ଥିତ ଦେବତାଙ୍କ ଅନୁମତି ନେବାକୁ କିମ୍ବା ତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଏକ ଘଣ୍ଟି ବଜାଯାଇଥାଏ।

2-ଏହା ମଧ୍ୟ କୁହାଯାଏ ଯେ ମନ୍ଦିରର ଦେବତାମାନେ ଅନେକ ଥର ନିଦ୍ରା ଯାଇଥାନ୍ତି ଏପରି ପରିସ୍ଥିତିରେ ସେମାନଙ୍କୁ ପ୍ରଥମେ ଘଣ୍ଟି ବଜାଇ ଜାଗ୍ରତ କରି ପୂଜା କରିବା ଉଚିତ୍।

3- ଦେବତାମାନଙ୍କର ସୁଖ ପାଇଁ ଘଣ୍ଟି ମଧ୍ୟ ବଜାଯାଏ। କୁହାଯାଏ ଯେ ଦେବତାମାନେ ଘଣ୍ଟି ଏବଂ ଶଙ୍ଖର ଶବ୍ଦକୁ ପସନ୍ଦ କରିଥାନ୍ତି। ଦେବତାମାନେ ଘଣ୍ଟି ଧ୍ୱନିରେ ସନ୍ତୁଷ୍ଟ ହୁଅନ୍ତି ଏବଂ ଭକ୍ତମାନଙ୍କ ଉପରେ ଆଶୀର୍ବାଦ କରନ୍ତି। ଏହି କାରଣରୁ ମନ୍ଦିରରେ ଘଣ୍ଟି ବଜାଯାଏ। ସେଥିପାଇଁ ମନ୍ଦିର ଭିତରକୁ ଯିବାବେଳେ ଘଣ୍ଟି ଜପ କରିବାକୁ ଭୁଲନ୍ତୁ ନାହିଁ। କିଛି ସମୟ ପାଇଁ ଘଣ୍ଟି ତଳେ ଠିଆ ହୋଇ ଘଣ୍ଟିର ଶଦ୍ଦକୁ ଉପଭୋଗ କରନ୍ତୁ। ବିଶ୍ୱାସ କରାଯାଏ ଯେ ଘଣ୍ଟିର ଶଦ୍ଦ ଆପଣଙ୍କ ଜୀବନରେ ସୁଖଶାନ୍ତି ଆଣିଥାଏ।

ବୈଜ୍ଞାନିକ କାରଣ

1-ବୈଜ୍ଞାନିକମାନେ କହିଛନ୍ତି ଯେ ଘଣ୍ଟି ବଜାଇବା ଦ୍ୱାରା ପରିବେଶରେ ଏକ କମ୍ପନ ସୃଷ୍ଟି ହୁଏ। ବାୟୁମଣ୍ଡଳରେ ଏହି କମ୍ପନର ସଂପ୍ରସାରଣ ହେତୁ ଜୀବାଣୁ ଏପରିକି ମାଇକ୍ରୋ ଅଣୁଜୀବ ଇତ୍ୟାଦି ନଷ୍ଟ ହୋଇଯାଆନ୍ତି। ବାୟୁମଣ୍ଡଳ ଶୁଦ୍ଧ ହୋଇଯାଇ ଥାଏ। ସେସବୁ ସ୍ଥାନରେ ଏକ ସକରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ।

2- ଯେଉଁ ସ୍ଥାନଗୁଡ଼ିକରେ ଘଣ୍ଟି ନିୟମିତ ବାଜିଥାଏ ସେଠାରେ ସକରାତ୍ମକ ଶକ୍ତିର ପ୍ରଭାବ ବେଶୀ ରହିଥାଏ ଏବଂ ନକାରାତ୍ମକତା ଦୂର ହୋଇଥାଏ। ଏହା ସହିତ ଘଣ୍ଟିର ଶବ୍ଦ, ମଣିଷର ମନ ଉପରେ ମଧ୍ୟ ବହୁତ ଗଭୀର ପ୍ରଭାବ ପକାଇଥାଏ।

3-ଘଣ୍ଟି ଶଦ୍ଦ ଶାନ୍ତିର ଏକ ଅନୁଭବ ଦେଇଥାଏ, ଯାହା ଚାପ ସ୍ତରକୁ ବହୁ ପରିମାଣରେ ହ୍ରାସ କରିଥାଏ। ଏହି କାରଣରୁ, ଲୋକମାନେ ଘରର କବାଟ ଏବଂ ଝରକା ଉପରେ ଫେଙ୍ଗସୁଇ ଘଣ୍ଟି ମଧ୍ୟ ସ୍ଥାପନ କରନ୍ତି। ଯାହା ଦ୍ବାରା ଏହାର ଶବ୍ଦଠାରୁ ନକାରାତ୍ମକ ଶକ୍ତି ଦୂରରେ ରହିଥାଏ ଏବଂ ସକରାତ୍ମକ ଶକ୍ତି ଘରେ ପ୍ରବେଶ କରେ।

Categories
ଆଜିର ଖବର ଜାତୀୟ ଖବର

ଘର ବାହୁଡା କରିବେ ବିଜେପି ନେତା ମୁକୁଲ ରୟ!: ଟିଏମସି ମୁଖ୍ୟ କାର୍ଯ୍ଯାଳୟରେ ମମତା ବାନାର୍ଜୀଙ୍କ ସହ ହୋଇପାରେ ଆଲୋଚନା

କଲିକତା: ତୃଣମୂଳ କଂଗ୍ରେସକୁ ବିଜେପି ନେତା ମୁକୁଲ ରୟ ପୁଣିଥରେ ଫେରିପାରନ୍ତି। ବର୍ତ୍ତମାନ ସେ କଲିକତା ସ୍ଥିତ ଟିଏମସି ମୁଖ୍ୟ କାର୍ଯ୍ଯାଳୟକୁ ଯାଉଥବା ଖବର ମିଳିଛି। ମୁକୁଲ ସେଠାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିପାରନ୍ତି। ଏହାପୂର୍ବରୁ ସେ ମମତାଙ୍କ ସହ ୪ ଥର ଫୋନରେ କଥାବାର୍ତ୍ତା ହୋଇଥିବା ସୂଚନା ରହିଛି। ବିଜେପିରେ ଶୁଭେନ୍ଦୁ ଅଧିକାରୀଙ୍କ ଗୁରୁତ୍ଵ ବଢିବା ପରେ ମୁକୁଲ ଅସନ୍ତୋଷ ବ୍ୟକ୍ତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଲାଗି କେନ୍ଦ୍ରକୁ ଚିଠି ଲେଖିଲେ କୃଷିମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ବର: ଧାନରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଲାଗି କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ରାଜ୍ୟ କୃଷିମନ୍ତ୍ରୀ ଅରୁଣ ସାହୁ ଚିଠି ଲେଖିଛନ୍ତି। ବର୍ତ୍ତମାନ କେନ୍ଦ୍ର ପକ୍ଷରୁ ବୃଦ୍ଧି କରାଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ମାମୁଲି ଅଟେ। ତେଣୁ ଧାନ କ୍ଵିଣ୍ଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଅରୁଣ ଦାବି କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ୯ ତାରିଖରେ ଧାନର ସହାୟକ ମୂଲ୍ୟ ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଥିଲା। ୨୦୧୯-୨୦୨୦ ମସିହାରେ ଥିବା ଧାନର ସହାୟକ ମୂଲ୍ୟ ୧୮୬୮ ଟଙ୍କାକୁ କେନ୍ଦ୍ର ସରକାର ୧୯୪୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଥିଲା। ଏହାସହ ରାଶି, ହରଡ, ବିରି, ବାଜରାର ସର୍ବନିମ୍ନ ସହାୟକ ମୂଲ୍ୟକୁ ମଧ୍ୟ କେନ୍ଦ୍ର ସରକାର ବୃଦ୍ଧି କରିଛି। ରାଶିର କ୍ଵିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୪୫୨ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ବିରି ଓ ହରଡ କ୍ଵିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏନେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ସୂଚନା ଦେଇଛନ୍ତି।

କିନ୍ତୁ ଏହି ବୃଦ୍ଧିରେ ରାଜ୍ୟ ସରକାର ଅସନ୍ତୋଷ ବ୍ୟକ୍ତ କରିବା ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯ ୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବି କରିଛି।

Categories
ଜାତୀୟ ଖବର ବିଶେଷ ଖବର ମତାମତ

ଉତ୍ତରପ୍ରଦେଶ ରାଜନୀତିରେ ହଇଚଇ, ବ୍ରାହ୍ମଣ ଭୋଟକୁ ହାତେଇବା ପାଇଁ ମନ୍ତ୍ରୀ ହେବେ ଦୁଇ ନୂଆ ନେତା

ନୂଆଦିଲ୍ଲୀ, କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତିନ ପ୍ରସାଦ ଖୁବ ଶିଘ୍ର ଉତ୍ତରପ୍ରଦେଶ ସରକାରରେ ସାମିଲ ହେବେ। ଏ ନେଇ ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶ ରାଜନୀତିରେ ଚାଲିଛି ସରଗରମ ଆଲୋଚନା। ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୃହମନ୍ତ୍ରୀ ଅମିତ ସାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବା ପରେ ଏହି ଚର୍ଚ୍ଚା ଯୋର ଧରିଛି।

ପ୍ରକୃତରେ ଆସନ୍ତା ଜୁଲାଇ ମାସରେ ଉତ୍ତର ପ୍ରଦେଶ ବିଧାନ ପରିଷଦର 6 ଟି ଆସନ ଖାଲି ହେଉଛି। ଏହି ଆସନରୁ ଗୋଟିଏ ଜିତିନଙ୍କୁ ଦିଆଯାଇ ବିଧାନ ପରିଷଦକୁ ନିର୍ବାଚିତ କରାଯିବ। ଏହାପରେ ସେ ଯୋଗୀ କ୍ୟାବିନେଟରେ ସ୍ଥାନ ପାଇବେ। ଜିତିନ ପ୍ରସାଦ ବିଜେପିରେ ଯୋଗଦେବା ପରେ ଅମିତ ଶାହା, ରାଜନାଥ ସିଂ ଏବଂ ଯୋଗୀ ଆଦିତ୍ୟନାଥଙ୍କ ଭଳି ବଡ ନେତା ଟୁଇଟ୍ କରି କହିଛନ୍ତି ଯେ ଏହା ୟୁପିରେ ଦଳ ପାଇଁ ବେଶ୍ ଲାଭଦାୟକ ହେବ। ଫଳରେ ଏହି କଳ୍ପନାଜଳ୍ପନା ଆହୁରି ତୀବ୍ର ହେବାରେ ଲାଗିଛି।

ଜିତିନ ପ୍ରସାଦ ବିଜେପିର ଯୋଗଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ରେଳ ମନ୍ତ୍ରୀ ପୀୟୁଷ ଗୋୟଲ। ରାଜନୈତିକ ସମୀକ୍ଷକମାନେ କହିଛନ୍ତି ଯେ ଯୋଗୀ ଆଦିତ୍ୟନାଥ ସରକାର ବ୍ରାହ୍ମଣମାନଙ୍କୁ ଅବହେଳା କରୁଥିବା ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ଜିତିନ ପ୍ରସାଦଙ୍କ ପରି ଜଣେ ବ୍ରାହ୍ମଣ ନେତାଙ୍କ ମାଧ୍ୟମରେ ଦଳ ଏହି ଅଗ୍ରଗାମୀ ଭ୍ରାତୃଭାବର ବିକାଶ ପାଇଁ ଚେଷ୍ଟା କରିପାରିବେ।

ଯୋଗୀ ସରକାରରେ ଅରବିନ୍ଦ କୁମାର ଶର୍ମା ମଧ୍ୟ ସ୍ଥାନ ପାଇବେ

ଜିତିନ ପ୍ରସାଦଙ୍କ ବ୍ୟତୀତ ପୂର୍ବତନ ଆଇଏଏସ୍ ଅରବିନ୍ଦ କୁମାର ଶର୍ମା ମଧ୍ୟ ଯୋଗୀ ସରକାରରେ ସାମିଲ ହେବେ ବୋଲି ଜଣାପଡିଛି। ସେ ବର୍ତ୍ତମାନ ୟୁପି ବିଧାନ ପରିଷଦର ସଦସ୍ୟ ଅଛନ୍ତି। ଶର୍ମାଙ୍କୁ ନେଇ ବର୍ତ୍ତମାନ ଉତ୍ତରପ୍ରଦେଶ ରାଜନୀତିରେ ବେଶ ଗରମ ହୋଇ ଉଠିଛି। କାରଣ ଅରବିନ୍ଦ କୁମାର ଶର୍ମା ଉତ୍ତରପ୍ରଦେଶର ମୂଳ ବାସିନ୍ଦା ଏବଂ ଗୁଜୁରାଟ କ୍ୟାଡରର ଜଣେ ଆଇଏଏସ୍।

ତାଙ୍କୁ ୟୁପି ବିଜେପିରେ ଆଗକୁ ଆଣିବା ପାଇଁ କୁଆଡେ ମୋଦିସାହା ଚାହୁଁଛନ୍ତି ବୋଲି ଚର୍ଚ୍ଚା ଚାଲିଛି। ଯୋଗୀ ଆଦିତ୍ୟନାଥଙ୍କ ଲୋକପ୍ରିୟତାକୁ ଚେକ୍ ଦେବା ପାଇଁ ମୋଦିସାହା ଏହି ଯୋଜନା କରିଛନ୍ତି ବୋଲି ଆଲୋଚନା ଚାଲିଛି। ଏପରିକି ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ନେଇ ମଧ୍ୟ କଳ୍ପନାଜଳ୍ପନା ପ୍ରକାଶ ପାଉଛି।

ଅରବିନ୍ଦ ଶର୍ମା ପ୍ରାୟ କୋଡିଏ ବର୍ଷ ଧରି ଚାକିରି ସମୟରେ ସେ ନରେନ୍ଦ୍ର ମୋଦୀଙ୍କ ବିଶ୍ୱସ୍ତ ଅଧିକାରୀ ଭାବେ ପରିଗଣିତ ହୋଇଛନ୍ତି। ସେ ମୋଦିସାହାଙ୍କ ସହିତ ଗୁଜରାଟରୁ ଦିଲ୍ଲୀ ପର୍ଯ୍ୟନ୍ତ ସାଥିରେ ରହିଛନ୍ତି। ଚଳିତ ବର୍ଷ ଜାନୁଆରୀରେ ତାଙ୍କୁ ଭିଆରଏସ ଦିଆଯାଇଛି। ଏହାପରେ ତାଙ୍କୁ ୟୁପି ବିଧାନ ପରିଷଦକୁ ସଦସ୍ୟ ଭାବେ ପଠାଯାଇଛି।

ଯେଉଁଦିନ ଅରବିନ୍ଦ ଶର୍ମା ଏମଏଲସି ହେଲେ ସେବେଠାରୁ ୟୁପି ବିଜେପିରେ ତାଙ୍କ ଭୂମିକାକୁ ନେଇ ବେଶ୍ ଆଲୋଚନା ଚାଲିଛି। ଶର୍ମା ମଧ୍ୟ ଉତ୍ତର ପ୍ରଦେଶର ବ୍ରାହ୍ମଣ ସମାଜକୁ ଏକାଠି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କେନ୍ଦ୍ରୀୟ ଦଳ ଆଶା ରଖିଛି। ଫଳରେ ନିର୍ବାଚନମୁଖୀ ଉତ୍ତର ପ୍ରଦେଶରେ ବର୍ତ୍ତମାନ ବ୍ରାହ୍ମଣ ସମାଜକୁ ଏକାଠି କରିବା ପାଇଁ ଲାଗି ପଡିଛନ୍ତି ମୋଦିସାହା ଟିମ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ତୈଳ ଦରବୃଦ୍ଧି ପ୍ରତିବାଦ କରି ରାଜ୍ୟର ସମସ୍ତ ପେଟ୍ରୋଲ ଟାଙ୍କି ଆଗରେ ବିକ୍ଷୋଭ କଲା କଂଗ୍ରେସ

ଭୁବନେଶ୍ୱର, ପେଟ୍ରୋଲ ଓ ଡିଜେଲ ଏବଂ ରନ୍ଧନଗ୍ୟାସର ଦରବୃଦ୍ଧି  ପ୍ରତିବାଦର ଆଜି ପ୍ରଦେଶ କଂଗ୍ରେସ ଦଳ ତରଫରୁ ରାଜ୍ୟର ବିଭିନ୍ନ ପେଟ୍ରୋଲ ଟାଙ୍କି ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଜି  ସକାଳ ୭ ଟା ଠାରୁ ୧୧ ଟା ପର୍ଯ୍ୟନ୍ତ ପେଟ୍ରୋଲ ଟାଙ୍କି ଆଗରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଦଳ ତରଫରୁ ରାଜଧାନୀରେ ୟୁନିଟ-୨ ମାର୍କେଟ ବିଲିଂଡି ପାଖ, ରାମମନ୍ଦିର , କଳ୍ପନା, ବାଣୀବିହାର, ରସୁଲଗଡ଼, ନଖରା, ସାମନ୍ତରାପୁର , ରବିଟକିଜ, ଚନ୍ଦ୍ରଶେଖରପୁର, ପଟିଆ, ସିଆରପି, ଆଇଗିଣିଆ, ୟୁନିଟ-୮ ଡେଲଟା ଛକ ପାଖ ଏବଂ କଳିଙ୍ଗ ଷ୍ଟାଡିମ ଛକ ପାଖ ପେଟ୍ରୋଲ ପମ୍ପ ସମ୍ମୁଖରେ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ ଓ ୧୦ଜଣ ବ୍ଲକ ସଭାପତିଙ୍କ ନେତୃତ୍ୱରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ସ୍ଥିତିକୁ ଦେଖି ୧୭ ପରେ ନିଆଯିବ ନିଷ୍ପତ୍ତି: ସଂକ୍ରମଣ କମୁଥିବା ଜିଲ୍ଲାଗୁଡିକରେ ହୋଇପାରେ ଅନଲକ୍

ଭୁବନେଶ୍ଵର: ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। କେବଳ ଖୋର୍ଦ୍ଧା ଜିଲ୍ଲାକୁ ଛାଡି ଅନ୍ୟ ଜିଲ୍ଲାଗୁଡିକରେ କରୋନା ତଳ ମୁହାଁ ହେବାରେ ଲାଗିଛି। ଯେଉଁ ଜିଲ୍ଲାରେ ସଂକ୍ରମଣ କମିବ, ସେହି ଜିଲ୍ଲାକୁ ଅନଲକ୍ କରାଯାଇପାରେ। ଆସନ୍ତା ୧୭ ପରେ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ସେହିଭଳି ରାଜ୍ୟରେ ଦୈନିକ ସଂକ୍ରମଣ କମୁଛି। ପୂର୍ବରୁ ଗୁରୁତର ରୋଗୀ ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ବଢୁଛି। ପରିସ୍ଥିତି ଅନୁକୂଳ ହେଲେ ଅନଲକ୍ ଉପରେ ନିଷ୍ପତ୍ତି ନିଆଯାଇପାରେ। ଏନେଇ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଖ୍ୟାତ ପରିବେଷବିତ ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ

ଭୁବନେଶ୍ବର, ବିଶିଷ୍ଠ ପରିବେଷବିତ ତଥା ଅର୍ଥନୈତିକ ପ୍ରଫେସର ରାଧାମୋହନଙ୍କ ଆଜି ପରଲୋକ ଘଟିଛି। ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ 78 ବର୍ଷ ବୟସ ହୋଇଥିଲା।

ପ୍ରଫେସର ରାଧାମୋହନ ଜଣେ ପରିବେଷବିତ ଭାବେ ବେଶ ଜଣାଶୁଣା। ସମ୍ଭବ ନାମକ ଏକ ଅନୁଷ୍ଠାନ କରି ରାଜ୍ୟର ପୁରୁଣା ଧାନ ବିହନ ସଂରକ୍ଷଣ କରି ରଖିଥଲେ। ସେ ସବୁବେଳେ ଜୈବିକ ଚାଷ ଉପରେ ଗୁରୁତ୍ବ ପ୍ରଦାନ କରୁଥିଲେ। ଏଥିରେ ତାଙ୍କର ଝିଅ ସାବରମତି ମଧ୍ୟ ବେଶ ସାହାର୍ଯ୍ୟ କରୁଥିଲେ। ସେଥିପାଇଁ ବାପଝିଅଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ସେ ଓଡିଶା ସୂଚନା କମିଶନର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ତାଙ୍କ ବିୟୋଗରେ ବହୁ ବିଶିଷ୍ଠ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସିନିୟର କ୍ୟାଡର ମାଓବାଦୀ ନିହତ: ହିଂସା ଛାଡିବାକୁ ପୋଲିସ ଡିଜି ଅଭୟଙ୍କ ଆହ୍ଵାନ

ଭୁବନେଶ୍ବର: ଆଜି ପୋଲିସ ଗୁଳିରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଛି। ବରଗଡ ଜିଲ୍ଲା ଅନ୍ତର୍ଗତ ପଦମପୁରରେ ଏହି କ୍ୟାଡର ମାଓବାଦୀର ମୃତ୍ୟୁ ହୋଇଛି। ଭଞ୍ଜଗୁଣ୍ଡା ନିକଟ ଝାଞ୍ଜ ସରଂକ୍ଷିତ ଜଙ୍ଗଲରେ ମାଓବାଦୀ-ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଯବାନଙ୍କ ସର୍ଚ୍ଚ ଅପରଶେନ ବେଳେ ମାଓବାଦୀମାନେ ଆକ୍ରମଣ କରିଥିଲେ। ଯାହା ଫଳରେ ଯବାନମାନେ ପାଲଟା ଆକ୍ରମଣ କରି ଏହି ସିନିୟର କ୍ୟାଡର ମାଓବାଦୀକୁ ନିହତ କରିଥିଲେ।

ଘଟଣାସ୍ଥଳରୁ ବିଭିନ୍ନ ମାରଣାସ୍ତ୍ର ସମେତ ଏକେ ୪୭ ଜବତ କରାଯାଇଛି। ନିହତ ମାଓବାଦୀର ପରିଚୟ ଏଯାଏଁ ସ୍ପଷ୍ଟ ହୋଇନି, ଜବାନମାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି। ମାଓବାଦୀମାନେ ହିଂସାର ମାର୍ଗ ଛାଡିବାକୁ ଡିଜି ଅଭୟ ଆହ୍ଵାନ ଦେଇଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ: ଶିଖର ଧୱନ ଅଧିନାୟକ, ଭୁବନେଶ୍ବର କୁମାର ଉପଅଧିନାୟକ

ନୂଆଦିଲ୍ଲୀ: ଆସନ୍ତା ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଶିଖର ଧୱନଙ୍କ ନେତୃତ୍ଵରେ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ଦୃତ ବୋଲର ଭୁବନେଶ୍ଵର କୁମାରଙ୍କୁ ଏହି ସିରିଜ ପାଇଁ ଉପଅଧିନାୟକ ଭାବେ ମନୋନୀତ କରାଯାଇଛି। ଆସନ୍ତା ମାସ ତଥା ଜୁଲାଇ ମାସରୁ ଶ୍ରୀଲଙ୍କାରେ ଭାରତୀୟ ଦଳ ଦିନିକିଆ ଏବଂ ଟି-୨୦ ମ୍ୟାଚ ଖେଳିବ। ଶ୍ରୀଲଙ୍କା ବିପକ୍ଷରେ ଶିଖର ବାହିନୀ ୩ ଟି ଦିନିକିଆ ମ୍ୟାଚ ଏବଂ ୩ ଟି ଟି-୨୦ ମ୍ୟାଚ ଖେଳିବ। ତେବେ ଜୁଲାଇ ୧୩, ୧୬ ଓ ୧୮ ରେ ଦିନିକିଆ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଜୁଲାଇ ୨୧, ୨୩ ଏବଂ ୨୫ ତାରିଖରେ ଟି-୨୦ ମ୍ୟାଚ ଖେଳାଯିବ।

ମନୋନୀତ ଭାରତୀୟ ଦଳ:

ଶିଖର ଧୱନ (ଅଧିନାୟକ), ପୃଥ୍ୱୀ ଶ, ଦେବଦତ ପାଡିକଲ, ଋତୁରାଜ ଗାଏକ୍ୱାଡ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତିଶ ରାଣା, ଈଶାନ କିଶାନ, ସଞ୍ଜୁ ସାମସନ, ୟୁଜଭେନ୍ଦ୍ର ଚହଲ, କେ ଗୋଥାମ, କୃଣାଳ ପାଣ୍ଡ୍ୟା, କୂଲଦୀପ ଯାଦବ, ଭୁବନେଶ୍ୱର କୁମାର (ଉପଅଧିନାୟକ), ଚେତନ ସାକରିଆ, ବରୁଣ ଚକ୍ରବର୍ତ୍ତୀ, ଦୀପକ ଚହର ଓ ନବଦୀପ ସାଇନି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୪୩ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୩୨୧୦ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୩ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୨୧୦ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ, ବରଗଡ, କଟକ ଓ ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ ଲେଖାଏଁ,  ବଲାଙ୍ଗୀରି, ଏବଂ ବୌଦ୍ଧ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବାଲେଶ୍ଵର, ଗଞ୍ଜାମ, ଝାରସୁଗୁଡା, କେନ୍ଦ୍ରାପଡା, ପୁରୀ ଓ ରାୟଗଡା ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଢେଙ୍କାନାଳ, କେନ୍ଦ୍ରାପଡା, କନ୍ଧମାଳ, ନୟାଗଡ  ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୪୨ ହଜାର ୪୬୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୭୨ ହଜାର ୯୭୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୬ ହଜାର ୨୨୬ ଜଣ। ସେହିଭଳି ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୨୧୦ ରେ ପହଞ୍ଚିଛି।

Categories
ଆଜିର ଖବର ଜାତୀୟ ଖବର

କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୧ ହାଜର ୭୦୨ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୯୧ ହଜାର ୭୦୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୪୦୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୯୨ ଲକ୍ଷ ୭୪ ହଜାର ୮୨୩ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୬୩ ହଜାର ୭୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୭୭ ଲକ୍ଷ ୮୦ ହଜାର ୭୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୧ ଲକ୍ଷ ୨୧ ହଜାର ୬୭୧ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୫ ହଜାର ୨୩୫ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୫ ହଜାର ୨୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୯୫୭ ଜଣ ଚିହ୍ନଟ ହୋଇଥିବା ବେଳେ ୨୨୭୮ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୪୨ ହଜାର ୪୬୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୭୨ ହଜାର ୯୭୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୬ ହଜାର ୨୨୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୧୬୭ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୫ ହଜାର ୨୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୭୨୬ ଜଣ, କଟକ ଜିଲ୍ଲାରୁ ୫୫୭, ଅନୁଗୁଳ ଜିଲ୍ଲାରୁ ୨୭୭ ଜଣ, ବାଲେଶ୍ଵର ଜିଲ୍ଲାରୁ ୩୨୦ ଜଣ, ବରଗଡ ଜିଲ୍ଲାରୁ ୧୧୮ ଜଣ, ଭଦ୍ରକ ଜିଲ୍ଲାରୁ ୨୧୭, ବଲାଙ୍ଗୀରି ଜିଲ୍ଲାରୁ ୪୧, ବୌଦ୍ଧ ଜିଲ୍ଲାରୁ ୮୩, ଦେବଗଡ ଜିଲ୍ଲାରୁ ୧୪, ଢେଙ୍କାନାଳ ଜିଲ୍ଲାରୁ ୧୩୭ ଜଣ, ଗଜପତି ଜିଲ୍ଲାରୁ ୨୩ ଜଣ, ଗଞ୍ଜାମ ଜିଲ୍ଲାରୁ ୭୭ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୪୮ ଜଣ, ଯାଜପୁର ଜିଲ୍ଲାରୁ ୩୯୪ ଜଣ, ଝାରସୁଗୁଡା ଜିଲ୍ଲାରୁ ୨୭ ଜଣ, କଳାହାଣ୍ଡିରୁ ୪୮ ଜଣ, କନ୍ଧମାଳ ଜିଲ୍ଲାରୁ ୩୭ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୨୩୭ ଜଣ, କେନ୍ଦୁଝର ଜିଲ୍ଲାରୁ ୧୧୫ ଜଣ, କୋରାପୁଟ ଜିଲ୍ଲାରୁ ୧୨୭ ଜଣ, ମାଲକାନାଗିରି ଜିଲ୍ଲାରୁ ୫୮ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୨୮୫ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୮୬ ଜଣ, ନୟାଗଡ ଜିଲ୍ଲାରୁ ୧୩୨ ଜଣ, ନୂଆପଡା ଜିଲ୍ଲାରୁ ୧୩ ଜଣ, ପୁରୀ ଜିଲ୍ଲାରୁ ୨୩୪ ଜଣ, ରାୟଗଡା ଜିଲ୍ଲାରୁ ୧୨୯ ଜଣ, ସମ୍ବଲପୁର ଜିଲ୍ଲାରୁ ୬୬ ଜଣ, ସୋନପୁର ଜିଲ୍ଲାରୁ ୩୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୨୫୧ ଜଣ ଏବଂ ଷ୍ଟେଟ ପୁଲରୁ ୧୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
PIB_NEWS ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

କେନ୍ଦ୍ର ସରକାରଙ୍କ ଘୋଷଣା, ଏଣିକି ପୌରାଞ୍ଚଳର ଠିକା, ସାମୟିକ କର୍ମଚାରୀଙ୍କୁ ମିଳିବ ଇଏସ୍‌ଆଇ ସୁବିଧା

ନୂଆଦିଲ୍ଲୀ, ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ପୌରସଂସ୍ଥାଗୁଡିକ କାର୍ଯ୍ୟରତ ଠିକା ଏବଂ ସାମୟିକ କର୍ମଚାରୀଙ୍କୁ କର୍ମଚାରୀ ରାଜ୍ୟ ବୀମା(ଇଏସଆଇ) ବ୍ୟବସ୍ଥାର ଅନ୍ତର୍ଭୁକ୍ତ କରାଯାଇଛି । କେନ୍ଦ୍ର ଶ୍ରମ ଓ ନିଯୁକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଆଜି ଏଠାରେ ଏହି ଘୋଷଣା କରିଛନ୍ତି।

ମନ୍ତ୍ରୀ ଗଙ୍ଗୱାର କହିଛନ୍ତି ଯେ, କର୍ମଚାରା ରାଜ୍ୟ ବୀମା ଆଇନ୧୯୪୮ (ଇଏସଆଇ ଆକ୍ଟ) ଅନୁସାରେ ଦେଶର ସବୁ ପୌରାଞ୍ଚଳର ଚୁକ୍ତିଭିତ୍ତିକ ଓ ସାମୟିକ କର୍ମଚାରୀ ବା ଶ୍ରମିକ ଏହି ସୁବିଧା ପାଇବେ । ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କ ସହ ପରାମର୍ଶକ୍ରମେ ଏହି ସୁବିଧା ଏହି ବର୍ଗର କର୍ମଚାରୀମାନଙ୍କୁ ପ୍ରଦାନ କରିବାକୁ ଇଏସ୍‌ଆଇ କର୍ପୋରେସନକୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ପୃକ୍ତ ଇଏସ୍‌ଆଇ ନିଗମ ନିଜ ନିଜର ଅଧିକାରଭୁକ୍ତ ଅଞ୍ଚଳ ବା ରାଜ୍ୟରେ ଏହି ମର୍ମରେ ଆବଶ୍ୟଭ ବିଜ୍ଞପ୍ତି ପ୍ରକାଶ କରିବେ । କେନ୍ଦ୍ର ସରକାରଙ୍କ ୧୯୪୮ ଇଏସ୍‌ଆଇ ଆଇନ ଅନୁସାରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ପୌର ପରିଷଦ ନିଗମ ଓ ପୌରାଞ୍ଚଳ ଚୁକ୍ତିଭିତ୍ତିକ କର୍ମଚାରୀ, ସାମୟିକ ଶ୍ରମିକଙ୍କ ସହିତ ଏହିସବୁ ପରିଷଦ ସହ ସମ୍ପୃକ୍ତ ହୋଇ କାର୍ଯ୍ୟ କରୁଥିôବା ସଂସ୍ଥା ଓ ପ୍ରତିଷ୍ଠାନର ସମାନ ଧରଣର କର୍ମଚାରୀଙ୍କୁ ମଧ୍ୟ ଇଏସ୍‌ଆଇ ସୁବିଧା ମିଳିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି ।

ଦିଲ୍ଲୀ, ଜାତୀୟ ରାଜଧାନୀ କ୍ଷେତ୍ର ଅଧୀନରେ ଆସୁଥିବାରୁ ଏହା କେନ୍ଦ୍ର ସରକାରଙ୍କ କ୍ଷମତା ପରିସରରେ ରହିଛି। ତେଣୁ ଦିଲ୍ଲୀର ପୌରନିଗମ ବା ପରିଷଦ ବା ମହାନଗର ପାଳିକାର ଚୁକ୍ତିଭିତ୍ତିକ ସାମୟିକ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଏହି ନିୟମ କାର୍ଯ୍ୟକାରୀ କରିବେ। ଏଥିପାଇଁ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ୨୦୨୧ଜୁନ ୭ତାରିଖରେ ଏ ସଂକ୍ରାନ୍ତ ଆବଶ୍ୟକ  ବିଜ୍ଞପ୍ତି ପ୍ରକାଶ କରି ଇଏସ୍‌ଆଇ ନିୟମ ସମ୍ପୃକ୍ତ ବର୍ଗର କର୍ମଚାରୀଙ୍କ ପାଇଁ ଲାଗୁ କରିଛନ୍ତି । ଏହା ଦିଲ୍ଲୀର ସବୁ ପୌରନିଗମ ବା ପରିଷଦ ପାଇଁ ପ୍ରଯୁଜ୍ୟ ।

ମନ୍ତ୍ରୀ ଗଙ୍ଗୱାର କହିଛନ୍ତି ଯେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସରକାର ବହୁ ସଂଖ୍ୟାରେ ଚୁକ୍ତିଭିତିକ ଓ ସାମୟିକ କର୍ମଚାରୀ ନିଯୁକ୍ତ କରୁଛନ୍ତି । ତେବେ ଏହିସବୁ କର୍ମଚାରୀ ନିୟମିତ ହୋଇ ନ ଥିବାରୁ ସେମାନେ ସାମାଜିକ ନିରାପତ୍ତା ବ୍ୟବସ୍ଥାରୁ ବଞ୍ଚିତ ହୋଇ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ତେଣୁ ସେମାନଙ୍କ ଦୁଃଖ ଲାଘବ କରିବାକୁ ସରକାରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଏହା ଫଳରେ ସମ୍ପୃକ୍ତ କର୍ମଚାରୀ ଓ ସେମାନଙ୍କ ପରିବାର ସାମାଜିକ ସୁରକ୍ଷା ପାଇବେ ଏବଂ ଏହି ନିଷ୍ପତି ସମ୍ପୃକ୍ତ ବର୍ଗର ଶ୍ରମିକଙ୍କ ସ୍ୱାର୍ଥ ରକ୍ଷାରେ ବିଶେଷ ସହାୟକ ହେବ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବା ମାତ୍ରେ ସବୁ ପୌରାଞ୍ଚଳ ବା ପରିଷଦର ଚୁକ୍ତିଭିତ୍ତିକ ଓ ସାମୟିକ କର୍ମଚାରୀ ଇଏସ୍‌ଆଇ ଆଇନ ଅନୁସାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଲାଭ କରିବେ । ଏହି ସୁବିଧା ମଧ୍ୟରେ ଅସୁସ୍ଥତାଜନିତ ଲାଭ, ମାତୃତ୍ୱ କାଳୀନସୁବିଧା, ନିର୍ଭରଶୀଳଙ୍କୁ ସୁବିଧା ଯୋଗାଣ, ଶେଷକୃତ୍ୟଜନିତ ସହାୟତା ଆଦି ଅନ୍ତର୍ଭୁକ୍ତ । ଏହା ସହିତ ସମ୍ପୃକ୍ତ କର୍ମଚାରୀ ଦେଶର ୧୬୦ ଇଏସ୍‌ଆଇ ହସ୍‌ପିଟାଲ ଓ ୧୫୦୦ରୁ ଅଧିକ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା ପାରିପାରିବେ ।

Categories
PIB_NEWS ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

୪୭ତମ ଜି-୭ ଶିଖର ସମ୍ମିଳନୀରେ ଭାଗନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଣ କରିବେ ଆଲୋଚନା

ନୂଆଦିଲ୍ଲୀ, ବ୍ରିଟେନ୍‍ ପ୍ରଧାନମନ୍ତ୍ରୀ ବୋରିସ୍‍ ଜନସନଙ୍କ ଆମନ୍ତ୍ରଣକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍‍ ୧୨ ଓ ୧୩ ତାରିଖ ଦିନ ୪୭ତମ ଜି-୭ ଶିଖର ସମ୍ମିଳନୀର ଆଉଟରିଚ୍‍ ଅଧିବେଶନରେ ଭର୍ଚୁଆଲ୍‍ ମୋଡ଼ରେ ଅଂଶଗ୍ରହଣ କରିବେ । ବ୍ରିଟେନ୍‍ ଏବେ ଜି-୭ ସଂଗଠନର ଅଧ୍ୟକ୍ଷ ଅଛି ଏବଂ ବ୍ରିଟେନ୍‍ ପ୍ରଧାନମନ୍ତ୍ରୀ ଜନସନ୍‍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଅଷ୍ଟ୍ରେଲିଆ, କୋରିଆ ଗଣତନ୍ତ୍ର ଏବଂ ଦକ୍ଷିଣ ଆଫ୍ରିକାକୁ ଏହି ସମ୍ମିଳନୀରେ ଅତିଥି ରାଷ୍ଟ୍ର ରୂପେ ଭାଗ ନେବାକୁ ଆମନ୍ତ୍ରଣ ଜଣାଇଛନ୍ତି । ଏହି ବୈଠକ ହାଇବ୍ରିଡ଼୍‍ ମୋଡ଼ରେ ଅନୁଷ୍ଠିତ ହେବ ।

ଚଳିତ ବର୍ଷ ଏହି ସମ୍ମିଳନୀର ଶୀର୍ଷକ “ପୁଣି ଥରେ ଉତ୍ତମ ନିର୍ମାଣ କରିବା” ବୋଲି ରଖାଯାଇଛି ଏବଂ ବ୍ରିଟେନ୍‍ ଅଧ୍ୟକ୍ଷ ରାଷ୍ଟ୍ର ଭାବେ ଏଥିପାଇଁ ଚାରିଟି ପ୍ରମୁଖ କ୍ଷେତ୍ରକୁ ଚୟନ କରିଛି । ସେଗୁଡ଼ିକ ହେଲା, କରୋନା ମହାମାରୀ ପରବର୍ତ୍ତୀ ସମୟରେ ବୈଶ୍ୱିକ ରିକଭରୀ ପାଇଁ ଗୁରୁତ୍ୱ ପ୍ରଦାନ କରିବା ଯଦ୍ୟପି ଭବିଷ୍ୟତର ଯେକୌଣସି ମହାମାରୀ ନିମନ୍ତେ ସହନଶୀଳ ପନ୍ଥା ଅନୁସରଣ କରିବା; ମୁକ୍ତ ଓ ଉତ୍ତମ ବାଣିଜ୍ୟ କାରବାର ପନ୍ଥା ଆପଣାଇବା ସହିତ ଭବିଷ୍ୟତର ଆର୍ଥିକ ସମୃଦ୍ଧି ନିମନ୍ତେ ପ୍ରୟାସ କରିବା; ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱର ଜୈବବିବିଧତାର ସଂରକ୍ଷଣ; ଏବଂ ସହଭାଗୀ ମୂଲ୍ୟବୋଧ ଓ ମୁକ୍ତ ସମାଜ ଗଠନ ନିମନ୍ତେ ଗୁରୁତ୍ୱର ସହ କାର‌୍ୟ୍ୟ କରିବା ।

ଏହି ସମ୍ମିଳନୀରେ ଭାଗ ନେଉଥିବା ନେତୃବର୍ଗ ଏହିସବୁ ପ୍ରସଙ୍ଗ ଉପରେ ସେମାନଙ୍କର ମତ ବିନିମୟ କରିବା ସହିତ ମହାମାରୀ ପରେ ବୈଶ୍ୱିକ ରିକଭରୀ ପାଇଁ ଭବିଷ୍ୟତ କାର‌୍ୟ୍ୟପନ୍ଥା ନିରୂପଣ କରିବା ତଥା ସ୍ୱାସ୍ଥ୍ୟ ଓ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ୱର ସହ ଆଲୋଚନା କରିବାର ଆଶା କରାଯାଏ ।

ଚଳିତ ଥରକୁ ମିଶାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ ଜି-୭ ବୈଠକରେ ଯୋଗ ଦେଉଛନ୍ତି । ଫ୍ରାନ୍ସର ଅଧ୍ୟକ୍ଷତା ସମୟରେ ୨୦୧୯ ମସିହାରେ ଭାରତକୁ ବେଆରିଜ୍‍ ଶିଖର ସମ୍ମିଳନୀକୁ “ଗୁଡୱିଲ୍‍ ପାର୍ଟନର” ଭାବେ ଆମନ୍ତ୍ରଣ କରାଯାଇଥିଲା ଏବଂ ପ୍ରଧାନମନ୍ତ୍ରୀ ମୋଦୀ ସେହି ବୈଠକରେ “ଜଳବାୟୁ, ଜୈବବିବିଧତା ଓ ମହାସାଗର” ଏବଂ “ ଡିଜିଟାଲ ପରିବର୍ତ୍ତନ” ଅଧିବେଶନରେ ଅଂଶଗ୍ରହଣ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ସଂସ୍କୃତି ବିଭାଗରେ ପାଳିତ ହେଲା ଆନ୍ତର୍ଜାତୀୟ ଅଭିଲେଖାଗାର ଦିବସ

ଭୁବନେଶ୍ୱର, ଚଳିତ ବର୍ଷ ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଅବଲମ୍ବନପୂର୍ବକ ଅନ୍‌ଲାଇନ୍‌ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଏହି ଦିବସଟି ପାଳନ କରାଯାଇଛି । ଏହି ଦୃଶ୍ୟଶ୍ରାବ୍ୟ କାର୍ଯ୍ୟକ୍ରମରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିଲେଖାଗାର ହେଉଛି ଚଳନ୍ତି ଇତିହାସର ଗନ୍ତାଘର ବୋଲି କହିଥିଲେ ।

ଦଲିଲ୍‌ ଦସ୍ତାବିଜ୍‌, ବହିପତ୍ର, ଚିଠିପତ୍ର, ଫାଇଲ୍‌ ଆଦି ପରି ପ୍ରାମାଣିକ ତଥ୍ୟ ଏବଂ କାଗଜପତ୍ରଗୁଡ଼ିକ ଅଭିଲେଖାଗାରରୁ ମିଳିଥାଏ । ତେଣୁ ଏହା ଛାତ୍ରଛାତ୍ରୀ, ଗବେଷକ, ବୁଦ୍ଧିଜୀବୀ ଏବଂ ସଚେତନ ଜନସାଧାରଣଙ୍କ ପାଇଁ ଏକ ନିର୍ଭରଯୋଗ୍ୟ ଏବଂ ମହତ୍ତ୍ୱପୂର୍ଣ୍ଣ ଗନ୍ତବ୍ୟସ୍ଥଳ । ସେଥିପାଇଁ ଅଭିଲେଖାଗାରକୁ ସଶକ୍ତ କରିବା ନିମନ୍ତେ ସବୁ ମହଲରୁ ସହଯୋଗର ଆବଶ୍ୟକତା ରହିଛି ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଲେ ଯେ ଅଭିଲେଖାଗାର ହେଉଛି ଗୋଟିଏ ସଭ୍ୟତା ଓ ସଂସ୍କୃତିର ପ୍ରବକ୍ତା । ଇତିହାସର ପୁନରୁଦ୍ଧାର ସହିତ ସମକାଳୀନ ପ୍ରସଙ୍ଗ ତଥା ଭବିଷ୍ୟତର ନିର୍ଘଣ୍ଟ ପ୍ରସ୍ତୁତିରେ ଅଭିଲେଖାଗାରର ବଡ଼ ଭୂମିକା ରହିଛି । ବର୍ତ୍ତମାନର ଯୁଗ ହେଉଛି ସୂଚନା ବା ତଥ୍ୟର ଯୁଗ ।ଏହି ସୂଚନା ବା ତଥ୍ୟର ଅନ୍ୟତମ ଭଣ୍ଡାର ହେଉଛି ଅଭିଲେଖାଗାର ।

ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍‌ ସୁଲେମାନ୍‌ ଅଲ୍ଲୀ ଏହି ଦୃଶ୍ୟଶ୍ରାବ୍ୟ ସଭାରେ ପ୍ରାରମ୍ଭିକ ଭାଷଣରେ ପ୍ରତି ନାଗରିକଙ୍କୁ ଜଣେ ଜଣେ ଅଭିଲେଖାବିତ୍‌ ହେବା ପାଇଁ ଆହ୍ୱାନ ଦେବା ସହ ବିଶ୍ୱର କୋଣ-ଅନୁକୋଣରେ ଥିବା ସମସ୍ତ ଅଭିଲେଖବିତ୍‌ଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

୧୦୦୦ କୋଟି ଟଙ୍କାରେ ପହଞ୍ଚିବ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟ, ନିଆଗଲା ଭିନ୍ନ ପଦକ୍ଷେପ

ଭୁବନେଶ୍ୱର,  ଆଜି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟ ଓ କାର୍ଯ୍ୟକାରିତା ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଭର୍ଚୁଆଲ୍‌ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ନିଗମର ବିଭିନ୍ନ ବିଭାଗର କାର୍ଯ୍ୟକାରିତା ଉପରେ ଆଲୋଚନା କରି ପ୍ରମୁଖ ଶାସନ ସଚିବ ବ୍ୟବସାୟର ଗୁଣାତ୍ମକ ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ବିଭାଗ ତରଫରୁ ଯାହାସବୁ ସହଯୋଗ ଆବଶ୍ୟକ ତାହା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ନିଗମର ବିଟୁମିନ୍‌ ବ୍ୟବସାୟରେ ତ୍ୱରିତ ଅଭିବୃଦ୍ଧି ଆଣିବା ପାଇଁ ମଧ୍ୟ ପୂର୍ତ୍ତ ସଚିବ କିଷନ୍‌ କୁମାର ଏବଂ ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ବର୍ତ୍ତମାନ ବିଟୁମିନ୍‌ ବ୍ୟବସାୟ ପ୍ରାୟ ୨୦ କୋଟି ଟଙ୍କା ଥିବାବେଳେ ଏହାକୁ ୧୫୦ କୋଟି ଟଙ୍କାରେ ପହଞ୍ଚାଇବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । କୃଷି ନିର୍ଦ୍ଦେଶକ ମୁଥୁକୁମାରଙ୍କ ସହ ଭର୍ଚୁଆଲ୍‌ ମାଧ୍ୟମରେ କଥା ହୋଇ ନିଗମକୁ ରାଜ୍ୟରେ ଆବଶ୍ୟକ ହେଉଥିବା କୃଷି ଯନ୍ତ୍ରପାତିର ଅନ୍ତତଃ ପକ୍ଷେ ୨୫ ପ୍ରତିଶତ କ୍ଷୁଦ୍ର ଶିଳ୍ପ ନିଗମ ଜରିଆରେ ଯୋଗାଇଦେବା ପାଇଁ ଅନୁରୋଧ କରିଥିଲେ ।

ଏହା ଦ୍ୱାରା କୃଷି ଯନ୍ତ୍ରପାତିରେ ନିଗମ ପ୍ରାୟ ୫୦ କୋଟି ଟଙ୍କାର ବ୍ୟବସାୟ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଓଡ଼ିଶାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ଏବଂ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକୁ ବିକି୍ର କରାଇବା ପାଇଁ ପ୍ରାଥମିକତା ଦେବା ସହ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟକୁ ଆସନ୍ତା ଆର୍ଥିକ ବର୍ଷ ସୁଦ୍ଧା ୧୦୦୦ କୋଟି ଟଙ୍କାରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଯୋଜନାକୁ ଫଳପ୍ରଦ କରିବାକୁ ମଧ୍ୟ  ସାହୁ ନିର୍ଦ୍ଦେଶ ଦେଇଥିଲେ ।

ଚଳିତ ବର୍ଷ ନିଗମ ପାଇଁ ସରକାର ବଜେଟ୍‌ରେ ଆର୍ଥିକ ବ୍ୟବସ୍ଥା କରିଥିବା ବିଷୟ ସେ ଉଲ୍ଲେଖ କରିଥିଲେ । ସମୀକ୍ଷା ବୈଠକରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଶ୍ରୀ ଚିନ୍ମୟ କୁମାର ସାହୁ ଜଣାଇଥିଲେ ଯେ ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରାୟ ୬୧୫ କୋଟି ଟଙ୍କାର ବ୍ୟବସାୟ ସର୍ବକାଳୀନ ରେକର୍ଡ କରିଛି, ଯାହାକି ପୂର୍ବବର୍ଷ ତୁଳନାରେ ପ୍ରାୟ ୧୭% ଅଧିକ ।

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ସାମଗ୍ରୀର ମାନ ବୃଦ୍ଧି ତଥା ସେମାନଙ୍କର ବ୍ୟବସାୟର ଅଭିବୃଦ୍ଧି ପାଇଁ ଏକ ପ୍ଲାଟଫର୍ମ ଯୋଗାଇବା ପାଇଁ ନିଗମର ଆଗାମୀ ଯୋଜନା ସମ୍ବନ୍ଧରେ ସେ ଆଲୋକପାତ କରିଥିଲେ । ଏହି ସମୀକ୍ଷା ବୈଠକରେ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍‌ ଆଲାମ୍‌, ଏମ୍‌ଏସ୍‌ଏମ୍‌ଇ ବିଭାଗ ଅତିରିକ୍ତ ସଚିବ ଉଦୟନାରାୟଣ ଦାସ, ସ୍ୱତନ୍ତ୍ର ସଚିବ ମନ୍ମଥ ବିଶ୍ୱାଳ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ସାହାଣି ଏବଂ ନିଗମର ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ : ଜୁନ 11 ତାରିଖ ଶୁକ୍ରବାରରେ ଛଅଟି ରାଶିର ବ୍ୟକ୍ତି ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

ମେଷ – ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ। ଅଫିସରେ କାର୍ଯ୍ୟଭାର ହେତୁ ଆପଣ ଅଧିକ ଥକ୍କା ଅନୁଭବ କରିବେ। ସ୍ଥାନାନ୍ତରଣ ଲାଭଦାୟକ ହେବ ନାହିଁ। ସମ୍ଭବତଃ ଆଧ୍ୟାତ୍ମିକତା ପାଇଁ କିଛି ସମୟ ନିଅନ୍ତୁ।

ବୃଷ – ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ। ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ। ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଧାର୍ମିକ ଯାତ୍ରା ଆୟୋଜିତ ହେବ। ଆଜି ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ଭୁଲ୍ ଦିଗରେ ଅଛି।

ମିଥୁନ – ଆଜି ଆପଣଙ୍କର ଭଲରେ ଦିନ କଟିବ। ଘରେ ଶାନ୍ତି ଏବଂ ଆନନ୍ଦର ପରିବେଶ ରହିବ ଏବଂ ଏକ ସୁଖଦ ସମ୍ପର୍କ ଗଢି ଉଠିବ। ଆପଣ ଯାହା ବି କରନ୍ତି ସେଥିରେ ଆପଣ ଖ୍ୟାତି ଅର୍ଜନ କରିବେ। ସ୍ୱାସ୍ଥ୍ୟ ଭଲ ହେବ। ପରିବାର ସଦସ୍ୟଙ୍କ ସହିତ ଘରେ ସମୟ ବିତାଇବେ। ଚାକିରିରେ ଲୋକଙ୍କୁ ଉପକୃତ କରିବେ। ଆପଣଙ୍କଠାରୁ ସହକର୍ମୀମାନେ ଲାଭବାନ ହେବେ। ମହିଳା ସାଙ୍ଗମାନଙ୍କ ସହିତ ସାକ୍ଷାତ କରି ମନ ଖୁସି ହେବ। ଶତ୍ରୁମାନେ ଜିତିବେ।

କର୍କଟ –ଆଜି ଆପଣଙ୍କର ଦିନ ଆନନ୍ଦ ଏବଂ ଭୋଗରେ ଅତିବାହିତ ହେବ । ବିପରୀତ ଲିଙ୍ଗର ଲୋକଙ୍କୁ ଭେଟିବେ। ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ଏକ ଉପଭୋଗ୍ୟ ରହଣି ହୋଇପାରେ। ଯାନ ଆନନ୍ଦ ପାଇବେ। ନୂତନ ପୋଷାକ କିଣିଲେ ଏବଂ ଏହାକୁ ପିନ୍ଧିବାର ସୁଯୋଗ ପାଇବେ । ଆଜି ପ୍ରଣୟଙ୍କ ପାଇଁ ଏକ ଭଲ ଦିନ। ମିଠା ଖାଦ୍ୟ ମିଳିପାରିବ । ସ୍ୱାସ୍ଥ୍ୟ ଭଲ ହେବ, ଆପଣ ସାମାଜିକ ସମ୍ମାନ ଏବଂ ଖ୍ୟାତି ପାଇବେ। ଆପଣ ସର୍ବୋତ୍ତମ ବିବାହିତ ସୁଖ ପାଇବ। ଗଣେଶଙ୍କ କୃପା ଦିନସାରା ଆପଣଙ୍କ ଉପରେ ରହିବ।

ସିଂହ – ଆଜି ଆପଣଙ୍କ ପାଇଁ ଭଲ ଦିନ ନୁହେଁ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ହେବ ନାହିଁ । ଅନେକ ସମସ୍ୟା ହେତୁ ମନ ବିବ୍ରତ ରହିବ। ଶକ୍ତିର ଅଭାବ ରହିବ। ସମ୍ପର୍କୀୟମାନଙ୍କ ସହିତ ମତଭେଦ ହେବ। ମାଆର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବେ। ଜମି ଓ ଘରର ଦଲିଲ ସୁବିଧାରେ ରଖନ୍ତୁ। ମହିଳା ଏବଂ ଜଳରୁ କ୍ଷତି ହେବାର ଭୟ ରହିବ। ଲୋକଙ୍କୁ ଅପମାନ ନ କରିବାକୁ ବିଶେଷ ଧ୍ୟାନ ଦିଅନ୍ତୁ। ଟଙ୍କା ଅଯୋଗ୍ୟ ହେବ।

କନ୍ୟା ଆଜି ଏକ ଖୁସିର ଦିନ ହେବ। ଆଜି ଆପଣ ଅଧିକ କଳ୍ପନାକାରୀ ହେବେ। ସାହିତ୍ୟର ସୃଷ୍ଟି କବିତା ସୃଷ୍ଟିର ପ୍ରେରଣା ହେବ। ପ୍ରିୟଙ୍କ ସହିତ ସାକ୍ଷାତ ଶୁଭ ହେବ, ଫଳସ୍ୱରୂପ ଦିନସାରା ମନ ଖୁସି ରହିବ। ଆପଣ ପିଲାମାନଙ୍କର ଅଗ୍ରଗତି ବିଷୟରେ ଖବର ପାଇବେ। ଛାତ୍ରମାନେ ଅଭ୍ୟାସ କରିବା ପାଇଁ ଏହା ଏକ ଭଲ ସମୟ। ସାଙ୍ଗମାନଙ୍କ ସହିତ ମିଳନ ହେବ, ମହିଳା ବନ୍ଧୁମାନେ ଉପକୃତ ହେବେ। ଆଜି ଆପଣ ଦାନ କାର୍ଯ୍ୟ କରିପାରିବେ।

ତୂଳା – ଆଜି ସାଧାରଣ ଲାଭର ଦିନ। ଅଯଥା ଖର୍ଚ୍ଚ ବନ୍ଦ କରିବାକୁ ପଡିବ। ବିଶେଷ ଧ୍ୟାନ ଦିଅନ୍ତୁ ଯେ ପରିବାରରେ ଝଗଡ଼ା ନହୁଏ। ପରିବାରର ସଦସ୍ୟଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣାକୁ ଦୂରେଇ ରଖନ୍ତୁ। ଶାରୀରିକ ସମସ୍ୟା ମନରେ ଚିନ୍ତା ଆଣିବ। ଏକ ନକାରାତ୍ମକ ମାନସିକତା ରଖନ୍ତୁ ନାହିଁ । ଅନୈତିକ ପ୍ରବୃତ୍ତିଠାରୁ ଦୂରରେ ରୁହନ୍ତୁ । ଛାତ୍ରମାନଙ୍କ ଶିକ୍ଷଣରେ ବାଧା ଉପୁଜିବ।

ବିଛା – ଆପଣଙ୍କ ଦିନ ଶୁଭ ହେବ। ଭାଇମାନଙ୍କ ସହିତ ଭଲ ସମ୍ପର୍କ ରହିବ ଏବଂ ଘର ସେମାନଙ୍କ ସହିତ ପ୍ରଶ୍ନ ଉପରେ ଆଲୋଚନା କରିବେ। ଏକ ଛୋଟ ଧାର୍ମିକ ସ୍ଥାନ ପରିଦର୍ଶନ କରିବା ଏକ ସଫଳ କାର୍ଯ୍ୟକ୍ରମ ହେବ। ଧନ ଲାଭର ସମ୍ଭାବନା। ବିଦେଶରୁ ଭଲ ଖବର ଆସିବ। ବ୍ୟବହାରିକ ପ୍ରସଙ୍ଗ ହେତୁ ଯାତ୍ରା କରିପାରିବ। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ଏକ ଶୁଭ ଦିନ। ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବ। ପୁଞ୍ଜି ନିବେଶକାରୀଙ୍କ ପାଇଁ ଏହା ଏକ ଭଲ ଦିନ।

ଧନୁ – ଆଜି ଆପଣ ସତର୍କ ରହିବାକୁ ସୂଚନା ଆସିଛି। ଆଜି, ବ୍ୟବସାୟିକ କାର୍ଯ୍ୟରେ ସହଯୋଗୀ ହସ୍ତକ୍ଷେପ ବୃଦ୍ଧି ପାଇବ। ଖର୍ଚ୍ଚ ସାଧାରଣ ଅପେକ୍ଷା ଅଧିକ ହେବ। ଧାର୍ମିକ, ସାମାଜିକ କାର୍ଯ୍ୟରେ ଯୋଗଦାନ ବୃଦ୍ଧି ପାଇବ ଏବଂ ଖର୍ଚ୍ଚ ମଧ୍ୟ ହୋଇପାରେ। ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ। ପୁଅ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ପାର୍ଥକ୍ୟ ହୋଇପାରେ। ଆଜି ଆପଣ କଠିନ ପରିଶ୍ରମ କରିବା ପରେ ହିଁ ସଫଳତା ପାଇବେ। ଆପଣ ମାନସିକ ବିଭ୍ରାଟ ଅନୁଭବ କରିବେ। ଦୁର୍ଘଟଣା ପାଇଁ ସାବଧାନ ରୁହନ୍ତୁ।

ମକର – ଆପଣ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜି ଆପଣ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ସକ୍ଷମ ହେବେ। ଆର୍ଥିକ ଲାଭ ହାସଲ ହେବ। ସ୍ଥାନାନ୍ତରଣର ସମ୍ଭାବନା, ବିଶେଷକରି ଧାର୍ମିକ ଯାତ୍ରା ସମ୍ଭାବନା ଅଛି। ସମ୍ପର୍କୀୟଙ୍କ ଘରେ ଏକ ମଙ୍ଗଳ ପ୍ରସଙ୍ଗରେ ଉପସ୍ଥିତ ହେବାର ଏକ ସୁଯୋଗ ଥାଇପାରେ। ଆପଣ ବିବାହିତ ଜୀବନର ସୁଖ ଏବଂ ଆନନ୍ଦ ପାଇବେ। ଆଜି ଆପଣଙ୍କର ଆଚରଣ ସ୍ୱାଭାବିକ ହେବ। କୈତୁହଳପୂର୍ଣ୍ଣ ଖାଦ୍ୟ ମିଳିପାରିବ। ସାମାଜିକ କ୍ଷେତ୍ରରେ ଖ୍ୟାତି ବୃଦ୍ଧି ପାଇବ।

କୁମ୍ଭ – ଆଜି ଆପଣଙ୍କ ଦିନ ବହୁତ ଶୁଭ ହେବ। ଆପଣ ସଫଳତା ଏବଂ ଉଚ୍ଚ ପଦାଧିକାରୀଙ୍କ ଇଚ୍ଛା ହେତୁ ଆଜି ଆପଣଙ୍କ ପାଇଁ ଖୁସିର ଦିନ ହେବ। ବ୍ୟବସାୟୀମାନେ ବ୍ୟବସାୟରେ ଅଭିବୃଦ୍ଧି ଏବଂ ସଫଳତା ପାଇବେ। ପିତା ଏବଂ ବରିଷ୍ଠମାନେ ଉପକୃତ ହେବେ। ଲକ୍ଷ୍ମୀଦେବୀଙ୍କ ଆଶୀର୍ବାଦ ରହିବ। ପରିବାରରେ ଖୁସିର ପରିବେଶ ରହିବ। ସ୍ୱାସ୍ଥ୍ୟ ଭଲ ହେବ। ସରକାରଙ୍କ ଦ୍ୱାରା ଲାଭ ହେବ। ସମ୍ମାନ ଏବଂ ପଦୋନ୍ନତି ସେଠାରେ ରହିବ। ସାଂସାରିକ ଜୀବନ ସୁଖୀ ହେବ।

ମୀନ – ଆପଣ ନୂତନ କାର୍ଯ୍ୟ ଆୟୋଜନ ଆରମ୍ଭ କରିବା ପାଇଁ ଆଜି ଶୁଭ ଦିନ। ଚାକିରୀ ଏବଂ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି। ଆପଣ ମହିଳା ସାଙ୍ଗମାନଙ୍କଠାରୁ କାମ ପାଇପାରିବେ। ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ଆଜି ଆପଣଙ୍କ ଉପରେ ଅଛି। ସାମାଜିକ କ୍ଷେତ୍ରରେ ଆପଣଙ୍କର ଖ୍ୟାତି ବୃଦ୍ଧି ପାଇବ। ପତ୍ନୀ ଏବଂ ପୁଅଙ୍କଠାରୁ ଆନନ୍ଦଙ୍କ ଖବର ଆସିବ। ଯେଉଁମାନେ ବିବାହ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବିବାହ ସମୟ ଉପସ୍ଥିତ ହେବ। ଆପଣ ବୁଲିବାକୁ ଯୋଜନା କରିପାରିବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରବାହିତ ଜଳକୁ ସଂରକ୍ଷଣ ପାଇଁ ନଦୀ ଭିତରେ ନିର୍ମାଣ ହେବ ଜଳାଶୟ, ଆରମ୍ଭ ହେଲା ଟେଣ୍ଡର ପକ୍ରିୟା

ଭୁବନେଶ୍ୱର, ରାଜ୍ୟରେ ପ୍ରବାହିତ ବଡ ବଡ ନଦୀରୁ ସମୁଦ୍ରକୁ ବୋହିଯାଉଥିବା ଜଳକୁ ସଂରକ୍ଷଣ କରି ରଖିବା ନିମନ୍ତେ ନଦୀ ଭିତରେ କେତେକ ସ୍ଥାନରେ ବଡ ବଡ ଅନ୍ତଃ ନଦୀ ଜଳାଶୟ ( ଇନ୍‌ଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକ୍‌ଚର) ନିର୍ମାଣ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ଯୋଜନା ରହିଛି । ଏହି ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଏକ ସମୀକ୍ଷା ବୈଠକ ଜଳ ସଂପଦ ବିଭାଗ ତରଫରୁ ଭର୍ଚୁଆଲ ବ୍ୟବସ୍ଥାରେ ଅନୁଷ୍ଠିତ ହୋଇଯାଇଛି ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ବୈଠକରେ ଅଧ୍ୟକ୍ଷତା କରି ଏହିସବୁ ଅନ୍ତଃନଦୀ ଜଳାଶୟ ନିର୍ମାଣ ସଂପର୍କରେ କାର୍ଯ୍ୟ ଅଗ୍ରଗତି ନେଇ ସ୍ଥିତି ସମୀକ୍ଷା କରିଥିଲେ । ସମୀକ୍ଷାରୁ ଜଣାଯାଇଛି ଯେ, ପ୍ରଥମ ପର୍ଯ୍ୟାୟରେ ୨୦୨୧- ୨୨ ଆର୍ଥିକ ବର୍ଷରେ ୩୦ଟି ଅନ୍ତଃ ନଦୀ ଜଳାଶୟ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ଅନୁମୋଦନ ରହିଥିବା ବେଳେ ତନ୍ମଧ୍ୟରୁ ୧୪ଟିର ନିର୍ମାଣ ସକାଶେ ଟେଣ୍ଡର ପାଇଁ ପ୍ରକ୍ରିୟା ଜାରି ରହିଛି ।

୪ଟି ପ୍ରକଳ୍ପର ନିର୍ମାଣ ପାଇଁ ଜଳ ବିଜ୍ଞାନ ସମ୍ବନ୍ଧୀୟ (ହାଇଡ୍ରୋଲୋଜିକାଲ) ଅନୁଧ୍ୟାନ ପୂର୍ବକ ଚଳିତ ଜୁନ୍ ୧୫ ଓ ଆଉ ୪ଟି ପାଇଁ ଜୁନ୍ ୩୦ ସୁଦ୍ଧା ନକ୍ସା ବା ଡିଜାଇନ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୫ଟି ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ବିଭିନ୍ନ ନଦୀରେ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ (ଆକ୍ସିସ୍‌) ହେବ, ଏଥି ନିମନ୍ତେ ବିଭାଗୀୟ ସଂପୃକ୍ତ କ୍ଷେତ୍ରସ୍ତରୀୟ ଅଧିକାରୀ ଚୂଡାନ୍ତ ବିବରଣୀ ଦେବେ ।

ସେହିଭଳି ଆଉ ୩ଟି ପ୍ରକଳ୍ପ ପାଇଁ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ବୈଷୟିକ ଟିମ୍ ସହିତ ଅନୁଧ୍ୟାନ କରି ଜୁନ୍ ୩୦ ସୁଦ୍ଧା ବିବରଣୀ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି। ଆଗାମୀ ଦିନରେ ଅଧିକ ଅନ୍ତଃନଦୀ ଜଳାଶୟ ନିର୍ମାଣ କରାଯିବାକୁ ଥିବାରୁ ନିର୍ଦ୍ଧାରିତ ସମୟ ଅନୁସାରେ ପ୍ରକଳ୍ପ ଶେଷ କରିବା ପାଇଁ କାର୍ଯ୍ୟ ତଦାରଖ ଓ ସମନ୍ୱୟ ରଖାଯିବା ନିମନ୍ତେ ପ୍ରମୁଖ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ ।

ଏହି ପରିପ୍ରେକ୍ଷୀରେ ସେଚ ସଦନ ସ୍ଥିତ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୁଖ୍ୟ ଯନ୍ତ୍ରୀ, ସଂଗ୍ରହଣ(ପ୍ରୋକ୍ୟୁରମେଣ୍ଟ) ଓ ରାଜୀବ ଭବନ ସ୍ଥିତ ଜଳସଂପଦ ବିଭାଗ ମୁଖ୍ୟ କାର୍ଯ୍ୟାଳୟରେ ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ-୧ଙ୍କୁ ନୋଡାଲ ଅଧିକାରୀଭାବେ କାର୍ଯ୍ୟ କରିବା ନେଇ ନିଷ୍ପତି ନିଆଯାଇଛି ।

ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ଅନ୍ତଃ ନଦୀ ଜଳାଶୟ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଜଳ ସଂପଦ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଅର୍ଚ୍ଚନା ପଟ୍ଟନାୟକ, ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଜ୍ୟୋତିର୍ମୟ ରଥ, ସର୍ବୋଚ୍ଚ ଯନ୍ତ୍ରୀ, ଯୋଜନା ଓ ନକ୍ସାଙ୍କନ ଇଂ. ଧୀରେନ୍ କୁମାର ସାମଲଙ୍କ ସମେତ ବିଭାଗୀୟ ଅନ୍ୟ ବରିଷ୍ଠ ପଦାଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

Categories
ଧର୍ମ ବିଶେଷ ଖବର ସଂସ୍କୃତି

ରଜରେ କାହିଁକି ପୋଡାପିଠା ଖିଆ ଯାଇଥାଏ, ତାହା ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ବର, ରାଜ ନାମଟି ଉଚ୍ଚାରଣ କରିବା ମାତ୍ରେ ଆଖି ଆଗକୁ ଝଲସି ଆସି ପୋଡପିଠା ଆଉ ତାହାର ବାସ୍ନା। କାରଣ ଏହି ପୋଡପିଠା କେବଳ ରଜରେ ହିଁ କରାଯାଇଥାଏ। ପୋଡପିଠା ଆଉ ପାନଖିଆ ହେଉଛି ରଜର ଏକ ସ୍ବତନ୍ତ୍ର ପରଂପରା।

ତେବେ ସାଧାରଣରେ ପ୍ରଶ୍ନ ଉଠେ ଯେ, ରଜ ସମୟରେ କଣ ପାଇଁ ପୋଡପିଠା କରାଯାଏ। ଏହି ସମୟରେ କଣ ପାଇଁ ସମସ୍ତେ ପୋଡପିଠା ଖାଇବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ଏହାର ଉତ୍ତର ଜାଣିବାକୁ ହେଲେ ଓଡିଶାର ମହାନ ପ୍ରାଚୀନ ସଂସ୍କୃତି ଏବଂ ଆୟୁର୍ବେଦ ଶାସ୍ତ୍ରକୁ ଯିବାକୁ ପଡିବ।

ଓଡିଆ ଖାଦ୍ୟ ପ୍ରଣାଳୀରେ ପୋଡପିଠା ହେଉଛି ଏକ ଗରିଷ୍ଠ ବା ଗୁରୁ ଖାଦ୍ୟ ବୋଲି ଗ୍ରହଣ କରାଯାଇଛି। କାରଣ ଏହା ଚାଉଳ ଚୁନାର ଯନ୍ତା କରାଯାଇ ପିଠା ପ୍ରସ୍ତୁତ କରାଯାଇଥାଏ। ଏହି ନିଆଁରେ ବହୁ ସମୟ ଧରି ଘାଣ୍ଟିବାକୁ ପଡିଥାଏ। ଏହି ପିଠାକୁ ହାଣ୍ଡିରେ କିମ୍ବା ହଣ୍ଡାରେ ରଖି ଯନ୍ତିବା ଭାରୀ କଷ୍ଟ ଦାୟକ କାମ। ଏହାପରେ ପୁଣି ତାକୁ ଗୋଟିଏ ରାତି ନିଆଁରେ ପୋଡା ଯାଇଥାଏ। ଏଥିରେ ଗୁଡ ନଡିଆ ସହିତ କାଜୁ ପ୍ରଭୃତି ଜିନିଷ ପକାଯାଇଥାଏ।

ତେବେ ଏହି ଗରିଷ୍ଠ ଖାଦ୍ୟ ରଜ ସମୟରେ ଖାଇବାର କାରଣ ରହିଛି। ତାହା ହେଲା ରଜ ସମୟରେ ପ୍ରାୟତଃ ବର୍ଷାର ଆଗମନ ହୋଇଥାଏ। ତା ପୂର୍ବରୁ ଧରାପୃଷ୍ଠ ଖରାରେ ସିଝି ଗରମ ରହିଥାଏ। ସିଝା ମାଟି ଉପରେ ବର୍ଷା ପଡିଲେ ପ୍ରକୃତିରେ ଏକ ଭିନ୍ନ ପ୍ରକାରର ପରିବେଷ ସୃଷ୍ଟି ହୋଇଥାଏ। ଠିକ୍ ଏହି ସମୟରେ ମଣିଷର ହଜମ ଶକ୍ତି ବୃଦ୍ଧି ପାଇଥାଏ। ତାହାକୁ ମୁକିବିଲା କରିବା ପାଇଁ ପୋଡପିଠା ପରି ଗରିଷ୍ଠ ଖାଦ୍ୟକୁ ଆମର ପୂର୍ବପୁରୁଷମାନେ ବ୍ୟବହାର କରି ଆସୁଛନ୍ତି।

ଏହି ସମୟରେ ଜଗତର ନାଥ ଜଗନ୍ନାଥ ମଧ୍ୟ ପୋଡପିଠା ପରି ଗରିଷ୍ଠ ଖାଦ୍ୟକୁ ଗ୍ରହଣ କରିଥାନ୍ତି। ଆଷାଢ ମାସରେ ହେଉଥିବା ରଥଯାତ୍ରା ସମୟରେ ପୋଡପିଠା ଭୋଗ ଲାଗି କରିବା ପ୍ରଥା ରହିଛି। ଯେତେବେଳେ ତିନିଠାକରୁ ଗୁଣ୍ଡିଚା ଘରୁ ମନ୍ଦିରକୁ ଫେରନ୍ତି ସେତେବେଳେ ମାଉସୀମା ମନ୍ଦିରରେ ପୋଡପିଠା ଭୋଗ ପରଂପରା ରହିଛି। ତେଣୁ ବର୍ଷାର ଆଗମନରେ ପ୍ରଭୃ ମଧ୍ୟ ଏହି ଗରିଷ୍ଠ ଖାଦ୍ୟ ଗ୍ରହଣ କରିଥାନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ବିଜୟ ସାହୁଙ୍କ ପରଲୋକ ପରେ ବସିଲା ପ୍ରଥମ ଆଦର୍ଶ ବିଦ୍ୟାଳୟ ବୈଠକ, ନିଆଗଲା ଏହି ନିଷ୍ପତି

ଭୁବନେଶ୍ୱର, ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଜାରି ରହିଥିବା ନିର୍ମାଣ କାର୍ଯ୍ୟ ବାବଦରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରୁ ଜଣାପଡ଼ିଛି ଯେ ଭୁବନେଶ୍ୱରରର ଅନ୍ଧାରୁଆଠାରେ ନିର୍ମାଣାଧୀନ ମଡେଲ ଆଦର୍ଶ ବିଦ୍ୟାଳୟର ପାଚେରୀ କାନ୍ଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ପୂର୍ଣ୍ଣାଙ୍ଗ କାର୍ଯ୍ୟ ୨୦୨୨ ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଓଡ଼ିଶାର ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୫୦୦ ଜଣ ମେଧାବୀ ବିଦ୍ୟାର୍ଥୀଙ୍କୁ ମେଡିକାଲ, ଇଂଜିନିୟରିଂ ଏବଂ ଅନ୍ୟ ପ୍ରବେଶିକା ପରୀକ୍ଷା ପାଇଁ ଏଠାରେ ପ୍ରଶିକ୍ଷଣ ଦିଆଯିବ । ଏହା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ସ୍ୱର୍ଗତ ବିଜୟ କୁମାର ସାହୁଙ୍କର ଏକ ଅଭିଳଷିତ ପ୍ରକଳ୍ପ ଥିଲା ଏବଂ ପ୍ରମୁଖ ଶାସନ ସଚିବ ଆଗାମୀ ଶିକ୍ଷାବର୍ଷରୁ ଏଠାରେ ଶିକ୍ଷାରମ୍ଭ କରି ସଂଗଠନର ଉପଦେଷ୍ଟାଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ପ୍ରଦର୍ଶନ କରିବାକୁ କହିଥିଲେ ।

ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ଟାଟା ଷ୍ଟିଲ୍‌ ଦ୍ୱାରା ଜାରି ରହିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟର ସମୀକ୍ଷା କରାଯିବା ସହ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି କାର୍ଯ୍ୟଗୁଡ଼ିକ ସଂପୂର୍ଣ୍ଣ କରିବା ପାଇଁ ନିବେଦନ କରାଯାଇଥିଲା । ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଏବଂ ବରଗଡ଼ର ଜିଲ୍ଲାପାଳମାନଙ୍କୁ ଜମିଜମା ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ସହ ଜମିର ମାଲିକାନା ନିର୍ବାହୀ ଯନ୍ତ୍ରୀମାନଙ୍କୁ ହସ୍ତାନ୍ତର କରିବାକୁ କୁହାଯାଇଥିଲା ।

କେଉଁଝର, ଯାଜପୁର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାମାନଙ୍କରେ ବିଦ୍ୟାଳୟଗୁଡ଼ିକର ଉନ୍ନତିକରଣ ପାଇଁ ଓମ୍‌ବାଡ୍‌ସ ପାଣ୍ଠିରେ ନିର୍ମିତ ହେଉଥିବା ହଷ୍ଟେଲ, ପଚୋରୀ କାନ୍ଥ, ସାଇକେଲ ଷ୍ଟାଣ୍ଡ, ଗମନାଗମନ ରାସ୍ତା ଆଦି ବାବଦରେ ମଧ୍ୟ ସମୀକ୍ଷା କରାଯାଇଥିଲା । ସମସ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ଏହି ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ଅନୁରୋଧ କରାଯାଇଥିଲା ।

ଏହି ସମୀକ୍ଷା ବୈଠକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା, ପୂର୍ତ୍ତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ, ଆର୍‌ଡବ୍ଲୁ୍ୟଏସ୍‌ଏସ୍‌ର ମୁଖ୍ୟ ଯନ୍ତ୍ରୀ, ଟାଟା ଷ୍ଟିଲ୍‌ ଲିମିଟେଡ୍‌ର ପ୍ରତିନିଧି, ଓବିସିସିର ପରିଚାଳନା ନିର୍ଦ୍ଦେଶକ, ବିଭାଗୀୟ ଅତିରିକ୍ତ ସଚିବ, ଅନ୍ୟ ସମସ୍ତ ସଂପୃକ୍ତ ର୍ନିବାହୀ ଯନ୍ତ୍ରୀ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ ।