Categories
ଆଜିର ଖବର ରାଜ୍ୟ ଖବର

ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବ ନେଲେ ସତ୍ୟବ୍ରତ ସାହୁ, କଲେ ସମୀକ୍ଷା

ଭୁବନେଶ୍ବର: ଆମେ ସମସ୍ତେ ଆମର ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତିକୁ ଭଲ ପାଇବା ଆବଶ୍ୟକ । ଓଡିଶାର ଉନ୍ନତି ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିବା ସହ ବିଭାଗର ସମସ୍ତ କାର୍ଯ୍ୟ ଓଡିଆ ଭାଷାରେ କରାଯିବା ପାଇଁ ର୍ସବାଧିକ ଗୁରୁତ୍ୱ ଦିଆଯିବାକୁ ବିଭାଗରେ ନୂତନ ଭାବେ ଯୋଗଦାନ କରିଥିବା ଓଡିଆ ଭାଷା, ସାହିତ୍ୟ,ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପ୍ରକାଶ କରିଛନ୍ତି ।

ଏ ସଂର୍ପକରେ ସେ ବିଭାଗୀୟ ସମସ୍ତ ଅଧିକାରୀ ଓ ର୍କମଚାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦଶେ ଓ ପରାର୍ମଶଦେଇଛନ୍ତି ।ଆଜି ପୂର୍ବାହ୍ଣରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଶ୍ରୀ ସାହୁ କାର୍ଯ୍ୟାଳୟରେ ପହଁଚିବା ପରେ ବିଭାଗର ନିର୍ଦ୍ଦଶେକ ଶ୍ରୀ ରଞ୍ଜନ କୁମାର ଦାସଙ୍କ ସମତେ ବିଭାଗ ଅନ୍ର୍ତଗତ ବିଭିନ୍ନ ଶାଖାର ମୁଖ୍ୟମାନେ ଯୋଗଦେଇ ଶ୍ରୀ ସାହୁଙ୍କୁ ସ୍ୱାଗତ କରିଥିଲେ।

ପରେ ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ବିଭାଗର ବିଭିନ୍ନ ଶାଖାର କାର୍ଯ୍ୟାବଳୀ ସଂର୍ପକରେ ଏକ ସମୀକ୍ଷା ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ବିଭାଗକୁ ଅଧିକ ଚଳ ଚଂଚଳ କରିବା ସହିତ ସମସ୍ତ ଅଧିକାରୀ ଓ ର୍କମଚାରୀମାନଙ୍କୁ ନିଷ୍ଠାର ସହିତ କାର୍ଯ୍ୟ ସଂପାଦନ କରିବା, ଯେଉଁ ଦିନର କାମକୁ ସହେି ଦିନ ସାରିବା, ସମସ୍ତେ ଦାୟିତ୍ୱ ସଂପନ୍ନ ଭାବେ କାର୍ଯ୍ୟ ନିର୍ବାହ କରିବାକୁ ପରାର୍ମଶ ଦେଇଛନ୍ତି ।

ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ସମସ୍ତଙ୍କ ସମ୍ମିଳିତ ପ୍ରୟାସରେ ବିଭାଗର ଉନ୍ନତିକୁ ଆହୁରି ଆଗକୁ ନବୋକୁ ଶ୍ରୀ ସାହୁ ସମସ୍ତ ଅଧିକାରୀ ଓ ର୍କମଚାରୀମାନଙ୍କର ସହଯୋଗ କାମନା କରିଥିଲେ ।

ବୈଠକରୁ ଜଣାପଡିଛି ଯେ, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଧାର୍ଯ୍ୟ ଲକ୍ଷ୍ୟ ୫୦ହଜାର ହିତାଧିକାରୀଙ୍କ ମଧ୍ୟରୁ ଏବେ ୩୪ ହଜାର ହିତାଧିକାରୀ ସହାୟତା ପାଉଛନ୍ତି, ଯେଉଁମାନଙ୍କୁ କି ଅନ୍ ଲାଇନ୍ ଯୋଗେ ସମୋନଙ୍କର ବ୍ୟାଙ୍କ ଜମାଖାତାକୁ ଅର୍ଥ ପ୍ରରେଣର ବ୍ୟବସ୍ଥା ହୋଇଛି । ତବେେ ଚୟନ ହୋଇଥିବା ଅବଶିଷ୍ଟ ପ୍ରାୟ ୧୬ ହଜାର ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ ପାଇଁ ତ୍ୱରିତ ବ୍ୟବସ୍ଥା ଗ୍ରହଣକରାଯିବାକୁ ନବୋକୁ ଶ୍ରୀ ସାହୁ ଗୁରୁତ୍ୱ ଦେଇଥିଲେ । ବୈଠକରେ ବିଭାଗରେ ଲାଗୁ କରାଯାଇଥିବା ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା ସଂର୍ପକରେ ଅବଗତ ହୋଇଥିଲେ ।

ବିଭାଗର ବିଭିନ୍ନ ଶାଖା ଯଥା, ଓଡିଶା ସଂଗୀତ ନାଟକ ଏକାଡମେୀ, ଲଳିତ କଳା ଏକାଡମେୀ, ଊର୍ଦ୍ଦୁ ଏକାଡମେୀ, ରାଜ୍ୟ ସଂଗ୍ରହାଳୟ, ଉତ୍କଳ ସଂଗୀତ ମହାବିଦ୍ୟାଳୟ,ଓଡିଶା ସାହିତ୍ୟ ଏକାଡମେୀ, ଓଡିଆ ଭାଷା ପ୍ରତିଷ୍ଠାନ, କଳିଙ୍ଗ ଆର୍ଟ ଗ୍ୟାଲରେୀ, ଖଲିକୋଟସ୍ଥିତ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ, ଭୁବନଶେ୍ୱରସ୍ଥିତ ବିଭୁତି କାନୁନଗୋ କଳା ଓ ଶିଳ୍ପ ମହାବିଦ୍ୟାଳୟ, ଓଡିଶା ରାଜ୍ୟ ଅଭିଲଖୋଗାର, ହରକେୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ଆଦି ବିଭିନ୍ନ ଶାଖାର କାର୍ଯ୍ୟାବଳୀ ଓ ସଗେୁଡିକର ଅଧିକ ଉନ୍ନତିକରଣ ଯୋଜନା ସମତେ ଓଡିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ଜରିଆରେ ପୁରାତନ କୀର୍ତ୍ତୀରାଜିର ସଂରକ୍ଷଣକୁ ସେ ଗୁରୁତ୍ୱ ଦେଇଥିଲେ ।

କୋଭିଡ୍ କଟକଣା ପରିପ୍ରକେ୍ଷୀରେ ୨୦୧୭ ମସିହାରୁ ବଣ୍ଟନ କରାଯାଇପାରିନଥିବା ବିଭିନ୍ନ ଲଖେକ ଲଖେିକାମାନଙ୍କର ପ୍ରକାଶିତ ପୁସ୍ତକଗୁଡିକୁକାର୍ଯ୍ୟକ୍ଷମ ଥିବା ପଂଜୀକୃତ ପାଠାଗାରଗୁଡିକୁ ଶୀଘ୍ର ପଦକ୍ଷପେ ନିଆଯାଇ ବଣ୍ଟନ କରାଯିବା ପାଇଁ ଶ୍ରୀ ସାହୁ ନିର୍ଦ୍ଦଶେ ଦେଇଥିଲେ । ସମସ୍ତେ ସମ୍ମିଳିତ ପ୍ରଚଷେ୍ଟା ପୂର୍ବକ ବିଭାଗର କାର୍ଯ୍ୟକୁ ଅଧିକ ଚଳ ଚଂଚଳ କରି ବିଭାଗର ସୁନାମ ବଜାୟ ରଖିବାକୁ ଶ୍ରୀ ସାହୁ ବୈଠକରେ ଗୁରୁତ୍ୱାରୋପ କରିଥିଲେ ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମନସ୍ୱିନୀ ସାହୁ, ଯୁଗ୍ମ ନିର୍ଦ୍ଦଶେକ ଶ୍ରୀ ସୁବୋଧ କୁମାର ଆଚାର୍ଯ୍ୟଙ୍କ ସମତେ ବିଭାଗ ଅନ୍ର୍ତଗତ ବିଭିନ୍ନ ଶାଖାର ମୁଖ୍ୟମାନେ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଶ୍ରୀ ସାହୁ ରାଜସ୍ୱ ଓ ବିର୍ପଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ଦାୟିତ୍ୱରେ ଥାଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ବୈଠକ, ଦେଲେ ଏହି ନିର୍ଦ୍ଦେଶ

ଭୁବନେଶ୍ୱର: ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କର ଓଡ଼ିଶା ଆଗମନ ନିମନ୍ତେ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥି ପାଇଁ ଆଜି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ସନ୍ତୋଷ ବାଳା ରାଷ୍ଟ୍ରପତିଙ୍କ ଗସ୍ତ ସମ୍ୱନ୍ଧିତ ପ୍ରାଥମିକ ସୂଚନା ଉପସ୍ଥାପନ କରିଥିଲେ।

ରାଷ୍ଟ୍ରପତି ଭବନରୁ ପ୍ରାପ୍ତ ପ୍ରାରମ୍ଭିକ ସୂଚନା ଭିତ୍ତିରେ ଗସ୍ତ କରିବାକୁ ଥିବା ସମସ୍ତ ସ୍ଥାନରେ ନିର୍ଦ୍ଧାରିତ ପ୍ରୋଟୋକଲ୍ ଏବଂ କାର୍ଯ୍ୟକ୍ରମ ନିମନ୍ତେ ଆବଶ୍ୟକ ସମସ୍ତ ବ୍ୟବସ୍ଥା ତୃଟି-ଶୂନ୍ୟ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପୋଲିସ ବିଭାଗ, ପୁରୀ ଜିଲ୍ଲା ପ୍ରଶାସନ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ମୁଖ୍ୟତଃ ରାଷ୍ଟ୍ରପତିଙ୍କ ଗସ୍ତ, ରହଣୀ ଓ ସଭା ଆଦି ସମୟରେ ଗାର୍ଡ ଅଫ୍ ଅନର, ଜାତୀୟ ସଂଗୀତ ବାଦନ, ବାରିକେଡ୍, ନିରାପତ୍ତା, ସ୍ୱାସ୍ଥ୍ୟ ସେବା, ଅଗ୍ନିଶ୍ରମ ସେବା, ଇଣ୍ଟରନେଟ୍ ଓ ଟେଲି ଯୋଗାଯୋଗ, ବୈଷୟିକ ଉପକରଣ, ଟ୍ରାଫିକ୍ ପରିଚାଳନା, ସାଧାରଣ ଆଇନ୍ ଶୃଙ୍ଖଳା, ଗଣମାଧ୍ୟମ ପାଇଁ ଅନୁମତି ଆଦି ବିଷୟରେ ଆଲୋଚନା ହୋଇଥିଲା। ରାଷ୍ଟ୍ରପତି ଗସ୍ତ କରିବାକୁ ଥିବା ପ୍ରତି ସ୍ଥାନରେ ପୋଲିସ୍ ଏବଂ ସଂପୃକ୍ତ ବିଭାଗର ନୋଡାଲ୍ ଅଫିସର ନିୟୋଜିତ କରି ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ କଡ଼ା ନିର୍ଦ୍ଦେଶ ଦେଇଥିଲେ।

ରାଷ୍ଟ୍ରପତିଙ୍କ ନିକଟକୁ ଯିବାକୁ ଥିବା ଏବଂ ତାଙ୍କ ସହ ସିଧାସଳଖ ଯୋଗାଯୋଗ କରୁଥିବା ସମସ୍ତ ବ୍ୟକ୍ତିଙ୍କର ଆର୍.ଟି.ପି.ସି.ଆର୍. ପଦ୍ଧତିରେ କୋଭିଡ଼୍ ପରୀକ୍ଷା ଏବଂ N-5 ମାସ୍କ ପରିଧାନ ନିଶ୍ଚିତ କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ପ୍ରାପ୍ତ ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି ଯେ ଚଳିତ ମାସ ୧୦ ଏବଂ ୧୧ ତାରିଖ ଦୁଇଦିନ ଧରି ରାଷ୍ଟ୍ରପତି ଓଡ଼ିଶାରେ ରହିବେ। ୧୦ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସେଠାରୁ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାତ୍ରା କରିବେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ସିଂହଦ୍ୱାର ନିକଟସ୍ଥ ଉତ୍କଳମଣି ପଣ୍ଡିତ୍ ଗୋପବନ୍ଧୁ ଦାସଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିବେ। ତାପରେ ପୁରୀ ରାଜଭବନକୁ ଯିବେ। ଅପରାହ୍ନରେ ଭୁବନେଶ୍ୱର ଆସି ସହରର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ଉତ୍କଳର ବରପୁତ୍ରମାନଙ୍କ ପ୍ରତିମୁର୍ତ୍ତିମାନଙ୍କରେ ପୁଷ୍ପମାଲ୍ୟ ଓ ଶ୍ରଦ୍ଧାସୁମନ ଅର୍ପଣ କରିବେ।

ପରେ ପରେ ରାଷ୍ଟ୍ରପତି ରାଜଭବନ ଗସ୍ତ କରିବେ ଓ ସେଠାରେ ସିଭିକ୍ ରିସେପନ୍ କାର୍ଯ୍ୟକ୍ରମ ହେବାର ପ୍ରସ୍ତାବ ଅଛି। ୧୦ ତାରିଖ କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ରାଜଭବନରେ ବିଶ୍ରାମ ନେବେ।

ଗସ୍ତର ଦ୍ୱିତୀୟ ଦିନରେ ୧୧ ନଭେମ୍ବର ରାଷ୍ଟ୍ରପତି ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରିବାର ସମ୍ଭାବନା ଅଛି।

ପରେ ପରେ ରାଷ୍ଟ୍ରପତି ଜୟଦେବ ଭବନରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ଭାଷାରେ ଇଞ୍ଜିନିଅରିଂ ପୁସ୍ତକ ସମୂହ, ବିଜ୍ଞାନ ଓ ବୈଷୟିକ ଜ୍ଞାନ ଭାଷାକୋଷ କମିଶନଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ବୈଷୟିକ ଭାଷାକୋଷ, ଏବଂ ବିବିଧ ଭାରତୀୟ ଭାଷାରେ ଜ୍ଞାନ ପୋର୍ଟାଲ୍ “ଇ-କୁମ୍ଭ” ଉନ୍ମୋଚନ କରିବେ। ଦ୍ୱିତୀୟ ଦିନ ଅପରାହ୍ନରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ପାଲାମ ବିମାନ ବନ୍ଦର ଅଭିମୁଖେ ପତ୍ୟାବର୍ତ୍ତନ ଯାତ୍ରା କରିବେ।

ଏହି ବୈଠକରେ ପୋଲିସ୍ ମହା ନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂଶଲଙ୍କ ସମେତ ସଂପୃକ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ଶାସନ ସଚିବ, ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ। ପୁରୀ ଏବଂ ଖୋର୍ଦ୍ଧାର ଜିଲ୍ଲାପାଳ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ଭାଗ ନେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ ଦ୍ବାରା କିଣାଯିବାକୁ ଥିବା ଇଥାନଲ କ୍ରୟ ବ୍ୟବସ୍ଥାକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଇଥାନଲ ଦର ବୃଦ୍ଧିକୁ ଅନୁମୋଦନ କରାଯାଇଛି। ଆଖୁର ବିଭିନ୍ନ କଞ୍ଚାମାଲରୁ ଇଥାନଲ ପ୍ରସ୍ତୁତ ହୋଇଥାଏ। ୧ ଡିସେମ୍ବର ୨୦୨୨ରୁ ୩୧ ଅକ୍ଟୋବର ୨୦୨୩ ମଧ୍ୟରେ ପଡ଼ୁଥିବା ଇଥାନଲ ଯୋଗାଣ ବର୍ଷ (ଇଏସୱାଇ) ୨୦୨୨-୨୩ ସମୟରେ ଆଗାମୀ ୨୦୨୨-୨୩ ଚିନି ଋତୁ ପାଇଁ ଇବିପି କାର୍ଯ୍ୟକ୍ରମ ଅଧୀନରେ ଏହି ଦରବୃଦ୍ଧି କରାଯାଇଛି। ଇଥାନଲ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ ଅଧୀନରେ ରାଷ୍ଟ୍ରାୟତ୍ତ ତୈଳ ବିପଣ କମ୍ପାନୀ (ଓଏମସି) ଦ୍ବାରା ଇଥାନଲ କ୍ରୟ ବ୍ୟବସ୍ଥାକୁ କ୍ୟାବିନେଟ ମଞ୍ଜୁରି ମିଳିଛି।

୧- ସି ହେଭୀ ମୋଲାସେସ (ତରଳ) ମାର୍ଗରେ ଉତ୍ପନ୍ନ ହେଉଥିବା ଇଥାନଲ ଦର ଲିଟର ପିଛା ୪୯.୪୧ ଟଙ୍କାରୁ ଲିଟର ପିଛା ୪୬.୬୬ ଟଙ୍କାକୁ ବୃଦ୍ଧି କରାଯାଇଛି।

୨- ବି ହେଭି ମୋଲାସେସ ମାର୍ଗରେ ଉତ୍ପନ୍ନ ଇଥାନଲ ଦର ଲିଟର ପିଛା ୫୯.୦୮ ଟଙ୍କାରୁ ଲିଟର ପିଛା ୬୦.୭୩ ଟଙ୍କାକୁ ବୃଦ୍ଧି କରାଯାଇଛି।

ଆଖୁ ରସ/ଚିନି/ଚିନି ରସ ମାର୍ଗରେ ଉତ୍ପାଦିତ ହେଉଥିବା ଇଥାନଲ ଦର ଲିଟର ପିଛା ୬୩.୪୫ ଟଙ୍କାରୁ ଲିଟର ପିଛା ୬୫.୬୧ ଟଙ୍କାକୁ ବୃଦ୍ଧି କରାଯାଇଛି।

୧- ଏହା ଅତିରିକ୍ତ, ଜିଏସଟି ଏବଂ ପରିବହନ ଶୁଳ୍କ ମଧ୍ୟ ଦେବାକୁ ପଡ଼ିବ।

ସବୁ ଡିଷ୍ଟିଲେରୀଗୁଡ଼ିକ ଏହି ଯୋଜନାର ଲାଭ ପାଇବା ଲାଗି ସକ୍ଷମ ହେବେ ଏବଂ ଏମାନଙ୍କ ମଧ୍ୟରୁ ଅଧିକାଂଶ ଇବିପି କାର୍ଯ୍ୟକ୍ରମର ପାଇଁ ଇଥାନଲ ଯୋଗାଣ କରିବେ ବୋଲି ଆଶା କରାଯାଉଛି। ଇଥାନଲ ଯୋଗାଣକାରୀମାନଙ୍କୁ ପାରିଶ୍ରମିକ ଦିଆଯିବା ପରେ ଆଖୁ ଚାଷୀଙ୍କ ବକେୟା ପାଉଣା ତୁରନ୍ତ ମିଳିପାରିବ ବୋଲି ଆଶା କରାଯାଉଛି। ଏହା ଆଖୁ ଚାଷୀଙ୍କ ସମସ୍ୟା ଦୂର କରିବାରେ ସହାୟକ ହେବ।

ସରକାର ଇଥାନଲ ମିଶ୍ରିତ ପେଟ୍ରୋ (ଇବିପି) କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି ଯେଉଁଥିରେ ଓଏମସି ବା ତୈଳ ବିପଣନ କମ୍ପାନୀଗୁଡ଼ିକ ପେଟ୍ରୋଲରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଇଥାନଲ ମିଶ୍ରଣ କରୁଛନ୍ତି। ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ଶାସିତ ପ୍ରଦେଶ ଆଣ୍ଡାମାନ ନିକୋବାର ଏବଂ ଲାକ୍ଷାଦ୍ବୀପକୁ ଛାଡ଼ି ଦେଲେ ସାରା ଭାରତରେ କାର୍ଯ୍ୟକାରୀ କରାଯାଉଛି। ବିକଳ୍ପ ଏବଂ ପରିବେଶ ଅନୁକୂଳ ଇନ୍ଧନ ବ୍ୟବହାରକୁ ପ୍ରୋତ୍ସାହନ କରିବା ଲାଗି ୧ ଏପ୍ରିଲ ୨୦୧୯ ଠାରୁ ଇବିପି କାର୍ଯ୍ୟକ୍ରମ ଲାଗୁ ହୋଇଛି। ଇନ୍ଧନ ଆବଶ୍ୟକତା ପୂରଣ ପାଇଁ ଆମଦାନୀ ଉପରେ ନିର୍ଭରଶୀଳତାକୁ କମାଇବା ଏବଂ କୃଷି କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି ମଧ୍ୟ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

୨୦୧୪ ପରଠାରୁ ଇଥାନଲର ପ୍ରଶାସନିକ ମୂଲ୍ୟ ସଂକ୍ରାନ୍ତରେ ସରକାର ବିଜ୍ଞପ୍ତି ଜାରି କରିସାରିଛନ୍ତି। ୨୦୧୮ରେ ପ୍ରଥମ ଥର ପାଇଁ, ଇଥାନଲ ଉତ୍ପାଦନ ଲାଗି ଉପଯୋଗ କରାଯିବାକୁ ଥିବା ଫିଡଷ୍ଟକ୍‌ ଆଧାରରେ ଇଥାନଲର ଭିନ୍ନ ଭିନ୍ନ ମୂଲ୍ୟ ସରକାର ଘୋଷଣା କରିଥିଲେ। ଏହିସବୁ ନିଷ୍ପତ୍ତି ଇଥାନଲର ଯୋଗାଣରେ ଉଲ୍ଲେଖନୀୟ ସୁଧାର ଆଣିଥିଲା। ଏହାର ପରିଣାମସ୍ବରୂପ,  ତୈଳ ବିପଣନ କମ୍ପାନୀମାନେ ଅଧିକ ମାତ୍ରାରେ ଇଥାନଲ କିଣିଥିଲେ। ୨୦୧୩-୧୪ ଇଥାନଲ ଯୋଗାଣ ବର୍ଷରେ ଇଥାନଲ କ୍ରୟ ପରିମାଣ ୩୮ କୋଟି ଲିଟରରୁ ବୃଦ୍ଧି ପାଇ ବର୍ତ୍ତମାନ ୨୦୨୧-୨୨ ଇଥାନଲ ଯୋଗାଣ ବର୍ଷରେ ୪୫୨ କୋଟି ଲିଟରରେ ପହଞ୍ଚିଛି (ଇଏସୱାଇ – ବର୍ତ୍ତମାନ ଇଥାନଲ ଯୋଗାଣ ଅବଧି ଗୋଟିଏ ବର୍ଷର ଡିସେମ୍ବର ପହିଲା ଠାରୁ ଆରମ୍ଭ କରି ପରବର୍ତ୍ତୀ ବର୍ଷର ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଧରାଯାଉଥିଲା)। ସରକାର ନଭେମ୍ବର ୨୦୨୨ ସୁଦ୍ଧା ୧୦% ଇଥାନଲ ମିଶ୍ରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ, ଏହାର ବହୁ ପୂର୍ବରୁ ଜୁନ୍‌ ୨୦୨୨ରେ ଏହି ଲକ୍ଷ୍ୟ ହାସଲ କରାଯାଇ ପାରିଥିଲା।

ଏହାଛଡ଼ା ସରକାର ୨୦୩୦ ସୁଦ୍ଧା ପେଟ୍ରୋଲରେ ୨୦% ଇଥାନଲ ମିଶ୍ରଣ ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ସେହି ନିର୍ଦ୍ଧାରିତ ଲକ୍ଷ୍ୟ ଅବଧିର ସୀମାକୁ ଏବେ ୨୦୨୫-୨୬ ଇଥାନଲ ଯୋଗାଣ ବର୍ଷକୁ କମାଇ ଦେଇଛନ୍ତି ଏବଂ ‘‘ଭାରତରେ ଇଥାନଲ ମିଶ୍ରଣ ପାଇଁ ରୋଡମ୍ୟାପ ୨୦୨୦-୨୫’’କୁ ସାର୍ବଜନୀନ କରାଯାଇଛି।

ନିକଟରେ ଗ୍ରହଣ କରାଯାଇଥିବା ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରେ ସାମିଲ ରହିଛି : ଇଥାନଲ ଡିଷ୍ଟିଲେସନ କ୍ଷମତାକୁ ବାର୍ଷିକ ୯୨୩ କୋଟି ଲିଟରକୁ ବଢ଼ାଇବା; ଇଥାନଲ ଅଭାବ ଥିବା ରାଜ୍ୟରେ ବାର୍ଷିକ ୪୩୧ କୋଟି ଲିଟର କ୍ଷମତା ବିଶିଷ୍ଟ ଘରୋଇ ସଂସ୍ଥା ଦ୍ବାରା ସମର୍ପିତ ଇଥାନଲ ପ୍ଲାଣ୍ଟ ପ୍ରତିଷ୍ଠା କରିବା ଲାଗି ଦୀର୍ଘକାଳୀନ ଅଫ-ଟେକ୍‌ ରାଜିନାମା, ଯାହାଦ୍ବାରା ଆସନ୍ତା ବର୍ଷଗୁଡ଼ିକରେ ୨୫ ହଜାରରୁ ୩୦ ହଜାର କୋଟି ଟଙ୍କାର ନିବେଶ  ଆସିବ ବୋଲି ଅନୁମାନ କରାଯାଉଛି, ରେଳବାଇ ଏବଂ ପାଇପଲାଇନ ଜରିଆରେ ଇଥାନଲ ଏବଂ ଇଥାନଲ ମିଶ୍ରିତ ପେଟ୍ରୋଲର ବହୁମୁଖି ପରିବହନ ବ୍ୟବସ୍ଥା। ଏସବୁ ପଦକ୍ଷେପ ବ୍ୟବସାୟିକ ସୁଗମତାକୁ ବଢ଼ାଇବା ସହିତ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲରେ ସହାୟକ ହୋଇପାରିବ।

ଇଥାନଲ ଉତ୍ପାଦନ ପାଇଁ ଚିନି ହସ୍ତାନ୍ତର କରିବା ଏବଂ ଚିନି ଆଧାରିତ କଞ୍ଚାମାଲ ଯୋଗାଇ ଦେବା ସମେତ ଆଖୁ ଚାଷୀଙ୍କ ବକେୟା ପରିଶୋଧ କରିବା ଲାଗି ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏବେ ଆଖୁ ରସ ଏବଂ ବି ହେଭୀ ମୋଲାସକୁ ଇଥାନଲରେ ପରିବର୍ତ୍ତନ କରାଯିବା କାରଣରୁ ଚିନି ଋତୁ ଆରମ୍ଭରୁ ବହୁ ପରିମାଣରେ ଇଥାନଲ ଉପଲବ୍ଧ ହୋଇପାରୁଛି। ସେହିପରି ଇଥାନଲ ଯୋଗାଣ ବର୍ଷର ଅବଧିକୁ ପୁନଃପରିଭାଷିତ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏଣିକି ଗୋଟିଏ ବର୍ଷର ୧ ନଭେମ୍ବରରୁ ପରବର୍ତ୍ତୀ ବର୍ଷ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଅବଧିକୁ ଇଥାନଲ ଯୋଗାଣ ବର୍ଷ ଭାବେ ଗ୍ରହଣ କରାଯିବ। ୨୦୨୩ ନଭେମ୍ବର ପହିଲା ପରଠାରୁ ଏହି ନିୟମ ଲାଗୁ ହେବ।  ଆହୁରି, ଆଖୁର ଉଚିତ୍‌ ଏବଂ ଲାଭଜନକ ମୂଲ୍ୟ (ଏଫଆରପି) ଏବଂ ଚିନିର ଏକ୍ସ-ମିଲ୍‌ ମୂଲ୍ୟ ପରିବର୍ତ୍ତନ କରାଯାଇଥିବା କାରଣରୁ, ବିଭିନ୍ନ ଆଖୁ ଆଧାରିତ କଞ୍ଚାମାଲରୁ ଉତ୍ପାଦିତ ହେଉଥିବା ଇଥାନଲର ଦର ସଂଶୋଧନ କରିବାର ଆବଶ୍ୟକତା ଦେଖା ଦେଇଛି।

Categories
ଆଜିର ଖବର ଜାତୀୟ ଖବର

ଫସଫେଟ ଓ ପଟାସ ସାର ପାଇଁ ପୋଷକ ତତ୍ତ୍ବ ଆଧାରିତ ସବସିଡି ଦରକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଫସଫେଟ ଓ ପଟାସ ସାର ପାଇଁ ପୋଷକ ତତ୍ତ୍ବ ଆଧାରିତ ସବସିଡି ଦରକୁ ମଞ୍ଜୁରି ମିଳିଛି। ୨୦୨୨-୨୩ ରବି ଋତୁରେ ଏହି ସବସିଡି ଦର ୨୦୨୨ ଅକ୍ଟୋବର ପହିଲା ତାରିଖ ଠାରୁ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଲାଗୁ ହେବ। ପଟାସ ଓ ଫସଫେଟ ସାରରେ ନାଇଟ୍ରୋଜେନ (ଏନ), ଫସଫରସ (ପି), ପଟାସ (କେ) ଏବଂ ସଲଫର (ଏସ) ଆଦି ବିଭିନ୍ନ ପୋଷକ ତତ୍ତ୍ବ ମିଶ୍ରଣ କରାଯିବ। ଏ ସଂକ୍ରାନ୍ତରେ ସାର ବିଭାଗ ପକ୍ଷରୁ ମିଳିଥିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିଛି।

ଆର୍ଥିକ ବ୍ୟୟବରାଦ:

୨୦୨୨-୨୩ ରବି ଋତୁ ପାଇଁ କ୍ୟାବିନେଟ ମୋଟ୍‌ ୫୧ ହଜାର ୮୭୫ କୋଟି ଟଙ୍କାର ସବସିଡି ମଞ୍ଜୁର କରିଛନ୍ତି। ଏଥିରେ ଫ୍ରିଟ୍‌ ବା ମାଲ ଭଡ଼ା ସବସିଡି ଜରିଆରେ ସ୍ବଦେଶୀ ସାରକୁ ଦିଆଯାଉଥିବା ସହାୟତା ସାମିଲ ରହିଛି।

ଲାଭ:

କ୍ୟାବିନେଟଙ୍କର ଏହି ନିଷ୍ପତ୍ତି ଦ୍ବାରା ୨୦୨୨-୨୩ ରବି ଋତୁରେ ସବୁ ଚାଷୀଙ୍କୁ ଶସ୍ତା/ସବସିଡି ଦରରେ ସମସ୍ତ ପିଏଣ୍ଡକେ ସାର ଉପଲବ୍ଧ ହୋଇପାରିବ ଏବଂ ଏହା କୃଷି କ୍ଷେତ୍ରକୁ ମଧ୍ୟ ସହାୟକ ହେବ। ଅନ୍ତର୍ଜାତୀୟ ବଜାରରେ ସାର ଦରରେ ଦେଖା ଦେଇଥିବା ଅସ୍ଥିରତା ଏବଂ କଞ୍ଚାମାଲର ଅଭାବ ସମସ୍ୟାକୁ କେନ୍ଦ୍ର ସରକାର ସବସିଡି ଓ ଅନ୍ୟାନ୍ୟ ସହାୟତା ମାଧ୍ୟମରେ ପ୍ରାୟତଃ ନିୟନ୍ତ୍ରଣ କରି ଆସୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସତର୍କତା ସଚେତନତା ସପ୍ତାହ: ପୂର୍ବତଟ ରେଳପଥ ପକ୍ଷରୁ ଉପଭୋକ୍ତା ଓ ଭାଗିଦାରୀ ମାନଙ୍କ ବୈଠକ

ଭୁବନେଶ୍ବର: ପୂର୍ବ ତଟ ରେଳପଥ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ପାଳନ ଅବସରରେ ଆଜି ଏହାର ମୁଖ୍ୟାଳୟ ରେଳ ସଦନ ଠାରେ “ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତିମୁକ୍ତ ଭାରତ” ସମ୍ବନ୍ଧରେ ଏକ ସେମିନାର ଆୟୋଜନ ହୋଇଯାଇଅଛି ଯେଉଁଠାରେ ଓଡ଼ିଶାର ପୂର୍ବତନ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକ, ଆଇଏଏସ୍ (ଅବସରପ୍ରାପ୍ତ) ଯୋଗଦେଇ କହିଛନ୍ତି ଯେ ଆମର ଦୈନନ୍ଦିନ ଜୀବନରେ ଅଖଣ୍ଡତା ଏବଂ ସଚ୍ଚୋଟତାର ଗୁରୁତ୍ୱାରୋପ କରାଯିବ ଦରକାର। ସେ ଅଖଣ୍ଡତା ସହିତ ଆତ୍ମନିର୍ଭରଶୀଳତାର ସଂଜ୍ଞା, କାର୍ଯ୍ୟକ୍ଷେତ୍ରରେ ଏହାର ପ୍ରଭାବ ଏବଂ ଆମର ଦୈନନ୍ଦିନ ଜୀବନରେ ଏହାକୁ କିପରି ଅନୁସରଣ କରାଯିବ ସେ ବିଷୟରେ ବର୍ଣ୍ଣନା କରିଥିଲେ।

ଏହି ଅବସରରେ ଯୋଗଦେଇ ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ କାର୍ଯ୍ୟ ପରିବେଶରେ ଅଖଣ୍ଡତା ସହ ଆତ୍ମନିର୍ଭରଶୀଳ ହେବା ଏବଂ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ବିଭିନ୍ନ ବିଭାଗର ପ୍ରମୁଖ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ରେଳପଥର ବରିଷ୍ଠ ଉପ ମହାପ୍ରବନ୍ଧକ ତଥା ମୁଖ୍ୟ ସତର୍କତା ଅଧିକାରୀ ସଞ୍ଜୟ କୁମାର ମହାପାତ୍ର ମଧ୍ୟ ଏହି ବିଷୟରେ ସେମାନଙ୍କର ବକୃତା ରଖି କହିଥିଲେ ଯେ ଜଣେ କିପରି ଇଚ୍ଛାଠାରୁ ଉର୍ଦ୍ଧ୍ୱକୁ ଯାଇ ଆତ୍ମନିର୍ଭରଶୀଳ ହୋଇପାରିବ ସେଥିପ୍ରତି ଗୁରୁତ୍ୱାରୋପ କରିବା ଦରକାର ଯାହାଦ୍ୱାରା ଏକ ବିକଶିତ ରାଷ୍ଟ୍ର ପାଇଁ ଏକ ଦୁର୍ନୀତି ମୁକ୍ତ ଭାରତ ଅପରିହାର୍ଯ୍ୟ ହେବ।

ପୂର୍ବରୁ, ପୂର୍ବ ତଟ ରେଳପଥ ପକ୍ଷରୁ ଏହାର ସମସ୍ତ ଭାଗିଦାରୀ, ହିତାଧିକାରୀ ଏବଂ ଯୋଗାଣକାରୀଙ୍କ ସହିତ ଏକ କଥୋପକଥନ ଅଧିବେଶନ ଆୟୋଜନ ହୋଇଯାଇଅଛି ଯାହାଦ୍ୱାରା ଗ୍ରାହକ ମାନଙ୍କ ସହିତ ଉତ୍ତମ ସମ୍ପର୍କ ଆଣିବା ସହ ଉଭୟ ରେଳବାଇ ଏବଂ ଶିଳ୍ପର ପ୍ରଗତିରେ ତଥା ଅଭିବୃଦ୍ଧିରେ ସାହାଯ୍ୟ କରିବା ସହିତ ସେମାନଙ୍କର ମତାମତ, ଅଭିଯୋଗର ସମାଧାନ ଇତ୍ୟାଦି ସମ୍ବନ୍ଧରେ ଆଲୋକପାତ କରାଯାଇଥିଲା। ଏହା ଦ୍ୱାରା ଉଭୟ ରେଳବାଇ ଓ ଶିଳ୍ପ ସଂସ୍ଥା ମାନଙ୍କ ସହିତ ସ୍ୱଚ୍ଛତା ମାଧ୍ୟମରେ କାର୍ଯ୍ୟ ସମ୍ପାଦନ ହୋଇ ପାରିବ ଏବଂ ଉଭୟ ହିତାଧିକାରୀ ଓ ରେଳବାଇର ଅଭିବୃଦ୍ଧିରେ ସହାୟକ ହେବ।

ଆଲୋଚନା ସମୟରେ ହିତାଧିକାରୀଙ୍କ ସହ କାରବାର ଏବଂ ଅଭିଯୋଗକୁ ନ୍ୟାୟପୂର୍ଣ୍ଣ ଏବଂ ପ୍ରଭାବଶାଳୀ ଭାବରେ ସମାଧାନ କରିବାରେ ସ୍ୱଚ୍ଛତା ଉପରେ ପ୍ରାଧାନ୍ୟ ଦିଆଯାଇଥିଲା।  ଏହା ବ୍ୟତୀତ, ଦ୍ରବ୍ୟ ଏବଂ ସେବା କ୍ରୟ କରିବା ସହିତ ଚୁକ୍ତିନାମା କରିବା ସମୟରେ ଅତ୍ୟନ୍ତ ସ୍ୱଚ୍ଛତା ଆଣିବା ପାଇଁ ଗୁରୁତ୍ୱାରୋପ କରାଯାଇଥିଲା।

ବିଭିନ୍ନ ଶିଳ୍ପ ସଂସ୍ଥା ପ୍ରତିନିଧି ମାନଙ୍କ ସହିତ ହିତାଧିକାରୀ ଏବଂ ରେଳ ଉପଭୋକ୍ତା ଯଥା ଇସ୍ପାତ କାରଖାନା, ବନ୍ଦର, ଯୋଗାଣକାରୀ, ବ୍ୟାଙ୍କ ଏବଂ କଣ୍ଟ୍ରାକ୍ଟରଙ୍କ ପ୍ରତିନିଧୀମାନେ ଏହି ଇଣ୍ଟରାକ୍ଟିଭ୍ ଅଧିବେଶନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କର ମୂଲ୍ୟବାନ ମତ ଏବଂ ପରାମର୍ଶ ଉପସ୍ଥାପନ କରିଥିଲେ। ପୂର୍ବତଟ ରେଳପଥ ମୁଖ୍ୟ ସତର୍କତା ଅଧିକାରୀ ତଥା ବରିଷ୍ଠ ଉପ ମହାପ୍ରବନ୍ଧକ ସଞ୍ଜୟ କୁମାର ମହାପାତ୍ର ଏହି ଅଧିବେଶନକୁ ସଭାପତିତ୍ୱ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ମୋଟ ୫୦୦ ହସ୍ପିଟାଲ ହେଲା ତାଲିକାଭୁକ୍ତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସମୀକ୍ଷା କରି ଏହି କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର ପ୍ଲାଟଫର୍ମରେ ଏହି ଯୋଜନା ସଂପର୍କରେ ବହୁତ ଭଲ ପ୍ରତିକ୍ରିୟା ମିଳିଛି। ସାମାଜିକ ସୁରକ୍ଷା କ୍ଷେତ୍ରରେ ଏହା ଏକ ଭଲ ଯୋଜନା ଏବଂ ରାଜ୍ୟର ଲୋକଙ୍କୁ ବିନା ପଇସାରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା କ୍ଷେତ୍ରରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ସେ କହିଥିଲେ।

ସମୀକ୍ଷାରୁ ଜଣାଯାଇଛି ଯେ ରାଜ୍ୟର ୯୬.୫ ଲକ୍ଷ ପରିବାରକୁ ଏହି ଯୋଜନାରେ ସ୍ମର୍ଟ ହେଲ୍ଥ କାର୍ଡ ଯୋଗାଇ ଦିଆଯାଇଛି। ଏହାଦ୍ବାରା ରାଜ୍ୟର ୩.୩୦ କୋଟି ଲୋକ ଉପକୃତ ହେଉଛନ୍ତି। ହିତାଧିକାରୀ ମାନଙ୍କ ଚିକିତ୍ସା ପାଇଁ ଘରୋଇ ହସପିଟାଲ ମାନଙ୍କୁ ତାଲିକାଭୁକ୍ତ କରାଯାଇଛି। ଏଥିରେ ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଦିଆଯାଉଛି ଏବଂ ମହିଳା ହିତାଧିକାରୀଙ୍କ କ୍ଷେତ୍ରରେ ଏହି ସୁବିଧା ୧୦ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ମିଳିପାରୁଛି ।

ବର୍ତ୍ତମାନ ସୁଦ୍ଧା ୫୦୦ଟି ଘରୋଇ ହସପିଟାଲକୁ ତାଲିକାଭୁକ୍ତ କରାଯାଇଛି ଏବଂ ସେଥିମଧ୍ୟରୁ ୯୮ଟି ହସପିଟାଲ ରାଜ୍ୟ ବାହାରେ ଅଛନ୍ତି। ରାଜ୍ୟ ବାହାରେ ଥିବା ହସପିଟାଲ ଗୁଡିକ ମଧ୍ୟରେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଟାଟା ମେମୋରିଆଲ ହସପିଟାଲ, ସିଏମସି ଭେଲୋର, ଶ୍ରୀ ଶଂକର କ୍ୟାନସର ହସପିଟାଲ ବାଙ୍ଗାଲୋର, ନାରାୟଣ ହୃଦୟାଳୟ ହସପିଟାଲ, ଫର୍ଟିସ ହସପିଟାଲ, ଆପୋଲ ହସପିଟାଲ ଇତ୍ୟାଦି ରହିଛନ୍ତି । ୧୭ଟି ରାଜ୍ୟରେ ଏହି ହସପିଟାଲ ଗୁଡିକ  ବିଏସକେୱା ଯୋଜନାରେ ସେବା ଯୋଗାଇ ଦେଉଛନ୍ତି। ସିଏମସି ଭେଲୋରରେ ୭୬ ଜଣ ଓ ଟାଟା ମେମୋରିଆଲ ହସପିଟାଲ ମୁମ୍ବାଇରେ ୯୭୯ ଜଣ ହିତାଧିକାରୀ ଚିକିତ୍ସା ସୁବିଧା ପାଇଛନ୍ତି।

୨୦୨୧ ସେପ୍ଟେମ୍ବର ୧ ରେ ଏହି ଯୋଜନା ଆରମ୍ଭ ହେବା ଠାରୁ ଆଜି ପର‌୍ୟ୍ୟନ୍ତ ୫,୪୫,୩୩୯ ଜଣ ହିତାଧିକାରୀ ୧୨୯୧ କୋଟି ଟଙ୍କାର ଚିକିତ୍ସା ସୁବିଧା ପାଇଛନ୍ତି। ଏଥିମଧ୍ୟରୁ ରାଜ୍ୟ ବାହାର ହସ୍‌ପିଟାଲ ଗୁଡିକରେ ୨୩,୧୧୯ ଜଣ ହିତାଧିକାରୀ ୬୪.୨୫ କୋଟି ଟଙ୍କାର ଚିକିତ୍ସା ସୁବିଧା ପାଇଛନ୍ତି। ଘରୋଇ ହସପିଟାଲ ଗୁଡିକର ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ବହନ କରୁଛନ୍ତି।

ସମୁଦାୟ ୫,୪୫,୩୩୯ ହିତାଧିକାରୀଙ୍କ ମଧ୍ୟରୁ ଅଢେଇ ଲକ୍ଷ ହିତାଧିକାରୀ ପ୍ରତ୍ୟେକ ୫ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଚିକିତ୍ସା ସୁବିଧା ପାଇଥିବା ବେଳେ ୨୨୫ ଜଣ ମହିଳା ରୋଗୀ ପ୍ରତ୍ୟେକ ୫ ଲକ୍ଷ ଟଙ୍କାରୁ ଅଧିକ ଚିକିତ୍ସା ସୁବିଧା ପାଇଛନ୍ତି। ୨୭ ଜଣ ମହିଳା ପ୍ରତ୍ୟେକ ୧୦ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଚିକିତ୍ସା ସୁବିଧା ଗ୍ରହଣ କରିଛନ୍ତି।

ବର୍ତ୍ତମାନ ମାସକୁ ପ୍ରାୟ ୭୩ ହଜାର ରୋଗୀ ତାଲିକାଭୁକ୍ତ ହସପିଟାଲ ଗୁଡିକରେ ଚିକିତ୍ସା ପାଉଥିବା ବେଳେ, ଏଥିପାଇଁ ରାଜ୍ୟ ସରକାର ମାସକୁ ୧୬୫ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।

ବିଭିନ୍ନ ତାଲିକାଭୁକ୍ତ ଡାକ୍ତରଖାନାରେ ଚିକିତ୍ସାଧୀନ ହିତାଧିକାରୀ ମାନଙ୍କ ସହିତ BSKY କର୍ତ୍ତୃପକ୍ଷ ସଂପୂର୍ଣ୍ଣ ଯୋଗାଯୋଗରେ ଅଛନ୍ତି। ରୋଗୀଙ୍କ ସନ୍ତୋଷ ହାର ୯୭ ପ୍ରତିଶତ ରହିଛି ବୋଲି ଜଣାଯାଇଛି । ଏହାସହିତ ରୋଗୀମାନଙ୍କ ଆଡମିଶନ ତଥା ଅନ୍ୟାନ୍ୟ ସହାୟତା ପାଇଁ ଏହି ଘରୋଇ ହସ୍‌ପିଟାଲ ଗୁଡିକରେ ସ୍ବାସ୍ଥ୍ୟମିତ୍ର ମାନଙ୍କୁ ରଖାଯାଇଛି।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ସୋଆରେ ବିଶ୍ୱସ୍ତରୀୟ ଆଥଲେଟ୍ ଲାଓ ଚିନ୍ ମେଙ୍ଗଙ୍କ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର: କ୍ରୀଡା ଓ କ୍ରୀଡାବିତ୍‌ମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ାକୁ ନେଇ ନିଜର କ୍ୟାରିୟର ଗଢ଼ିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ମାଲେସିଆର ପ୍ରଖାତ ଆଥଲେଟ୍ ତଥା ଟ୍ରେନର ଲାଓ ଚିନ୍ ମେଙ୍ଗ। ଏହି ଅବସରରେ ପିରିଓଡାଇଜେସନ ଓ ପ୍ଲାନିଂ ଟ୍ରେନିଂର କର୍ମଶାଳାର ଆୟୋଜନ କରାଯାଇଛି। ବୁଧବାର ଏହି କର୍ମଶାଳାର ଶୁଭାରମ୍ଭ ହୋଇଛି।

ଏହି କର୍ମଶାଳାରେ ବିଭିନ୍ନ ଅନୁଷ୍ଠାନରୁ ଆସିଥିବା କୋଚମାନଙ୍କୁ କିଭଳି କୋଚିଂ ଓ ଟ୍ରେନିଂ ଦିଆଯିବ ସେ ନେଇ ମାଲେସିଆର ଏହି ପ୍ରଖାତ ଟ୍ରେନର ଆଲୋକପାତ କରିଛନ୍ତି। ଗ୍ରାସ ରୁଟର ଖେଳାଳିଙ୍କୁ କିଭଳି ଶାରୀରିକ ଓ ମାନସିକ ସ୍ତରରେ ସଶକ୍ତ କରାଯାଇପାରିବ ଓ ବିନା ଚାପରେ ଖେଳାଳି କିଭଳି ନିଜକୁ ଖାପଖୁଆଇ ପାରିବେ ସେ ନେଇ ଟ୍ରେନିଂ ଦେବେ ଲାଓ ଚିନ୍ ମେଙ୍ଗ।

ଉଦ୍‌ଘାଟନୀ ଉତ୍ସବରେ ସୋଆର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଯୋଗ ଦେଇ କହିଥିଲେ ଯେ କେବଳ ଶିକ୍ଷା ନୁହେଁ, ବରଂ ପ୍ରତ୍ୟେକ ବ୍ୟକ୍ତିଙ୍କର ଶିକ୍ଷା ସହିତ ଶାରୀରିକ ବିକାଶ ହେବା ମଧ୍ୟ ଜରୁରୀ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଉପ-କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କହିଥିଲେ ଯେ ବର୍ତମାନ ରାଜ୍ୟ କ୍ରୀଡା ଦିଗରେ ବେଶ ସଫଳତା ପାଇଛି। ତେଣୁ ଯୁବ ଖେଳାଳିଙ୍କୁ କ୍ରୀଡାରେ ସାମିଲ କରି ସେମାନଙ୍କର ଶାରୀରିକ ଓ ମାନସିକ ବିକାଶ କରିବା ଫଳରେ ଯୁବ ଖେଳାଳିଙ୍କୁ କ୍ରୀଡା ଦିଗରେ ବେଶି ଭଲ ପ୍ରଶିକ୍ଷଣ ଦେଇ ଭଲ ଖେଳାଳି ସୃଷ୍ଟି କରିବାରେ ସହାୟକ ହୋଇପାରିବ।

ସେହିପରି ଅନ୍ୟତମ ଅତିଥି ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ କହିଥିଲେ ଯେ ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ରୂପରେଖ ଦେବା ନିମନ୍ତେ ବିଶ୍ୱବିଦ୍ୟାଳୟରେ କ୍ରୀଡ଼ାକୁ ଅଧିକ ପ୍ରୋତ୍ସାହନ ଦିଆଯିବ।

ଟ୍ରେନର ଲାଓ ଚିନ ମେଙ୍ଗଙ୍କ ପ୍ରଶିକ୍ଷଣ ଆଗାମୀ ଦିନରେ ଓଡିଆ ଖେଳାଳିଙ୍କ ନିମନ୍ତେ ବେଶ ସହାୟକ ହେବ। ଶେଷରେ ସ୍ପୋଟର୍ସ ଅଫିସର ସୁନିତା ବର୍ମା ଏହି କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ୪ ଦିନ ଧରି ଜାରୀ ରହିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ଧାମନଗର ଭୋଟ ଗ୍ରହଣ, ୯୯୭ ପୋଲିସ୍ କର୍ମଚାରୀ, ୪ କମ୍ପାନୀ ସିଏପିଏଫ ନିୟୋଜିତ

ଭୁବନେଶ୍ବର: ଆସନ୍ତାକାଲି ହେବ ଧାମନଗର ଉପନିର୍ଭାଚନର ଭୋଟ ଗ୍ରହଣ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଗତକାଲିଠାରୁ ଭଦ୍ରକ କଲେକ୍ଟର କ୍ୟାମ୍ପସରୁ ଭଦ୍ରକ ଠାରେ ମତଦାନ ପାର୍ଟିଗୁଡିକ ସେମାନଙ୍କ ପୁଲିଂ ବୁଥକୁ ଯିବା ଆରମ୍ଭ କରିସାରିଛନ୍ତି। ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି।

ଗତକାଲି ଗ୍ରାମୀଣ ତଥା ଦୂର ସ୍ଥାନଗୁଡିକରେ ଥିବା ପୁଲିଂ ପାର୍ଟି ବାହାରିଥିଲେ। ସହରୀ ମତଦାନ କେନ୍ଦ୍ର ସମ୍ବନ୍ଧୀୟ ମତଦାନ ଦଳ ଆଜି ପ୍ରେରଣ କରାଯାଇଛି। ପ୍ରତି ବୁଥରେ ୦୪ ଜଣ ପୁଂଲି ଅଧିକାରୀ ନିୟୋଜିତ ହୋଇଛନ୍ତି।

ସମୁଦାୟ ୧୦୦୮ ମତଦାନ ଅଧିକାରୀ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ପ୍ରାୟ ୧୦୦ ମତଦାନ ଅଧିକାରୀ ବା ୨୫ ଟି ଟିମ ରିଜର୍ଭରେ ଅଛନ୍ତ। ମତଦାନ ଅଧିକାରୀମାନେ ଇଭିଏମ୍ ଏବଂ ଭିଭିପିଏଟ୍ ସମ୍ପୃକ୍ତ ବୁଥକୁ ପଠାଯିବା ପୂର୍ବରୁ ସେମାନେ ତୃତୀୟ ରାଉଣ୍ଡ ଏବଂ ଦ୍ୱିତୀୟ ରାଉଣ୍ଡ ରାଣ୍ଡୋମାଇଜେସନ୍ କରିଛନ୍ତି।

ଗତକାଲି ସଂଧ୍ୟା ୬ ଟା ରୁ ନୀରବ ଅବଧି କାର୍ଯ୍ୟକାରୀ ହୋଇଛି। ଗତକାଲି କଲେକ୍ଟର, ଏସ୍ ପି ​​ଏବଂ ରିଟର୍ଣ୍ଣିଂ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସମସ୍ତ ରାଜନୈତିକ ଦଳର କର୍ମୀ, ଷ୍ଟାର ପ୍ରଚାରକ ଏବଂ ପ୍ରାର୍ଥୀ ଯେଉଁମାନେ ଧାମନଗର ଭୋଟର ନୁହଁନ୍ତି, ସେମାନେ ଏହି ସମୟ ମଧ୍ୟରେ ବିଧାନସଭା କ୍ଷେତ୍ର ଛାଡିବେ। ସମସ୍ତ କମ୍ୟୁନିଟି ହଲ୍, ଗେଷ୍ଟ ହାଉସ୍, ହୋଟେଲଗୁଡିକ ଭଲ ଭାବରେ ଯାଞ୍ଚ କରାଯାଉଛି ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି।

ବ୍ୟବହୃତ ହେବାକୁ ଥିବା ସମସ୍ତ ଇଭିଏମ୍ ପ୍ରତିଯୋଗୀ ପ୍ରାର୍ଥୀଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ କମିଶନ କରାଯାଇଛି। ଯଦି କୈଣସି ତ୍ରୁଟିପୂର୍ଣ୍ଣ ଇଭିଏମ୍ କିମ୍ବା ତ୍ରୁଟିପୂର୍ଣ୍ଣ ଇଭିଏମ୍ ମତଦାନ ଦିନ ଆମ ନଜରକୁ ଆସେ ତେବେ ସେକ୍ଟର ଅଫିସର କିମ୍ବା ଟ୍ରେନିଂ ଇଞ୍ଜିନିୟରଙ୍କୁ ତୁରନ୍ତ ପ୍ରେରଣ କରାଯିବ। ଆବଶ୍ୟକ ସ୍ଥଳେ ଇଭିଏମକୁ ସଂପୃକ୍ତ ଅଧିକାରୀଙ୍କ ଅନୁମତି କ୍ରମେ ତାହା ବଦଳାଯାଇପାରିବ। ଇଭିଏମକୁ ସଜାଡିବା ପାଇଁ ହାଇଦ୍ରାବାଦରୁ ୭ ଜଣ ଟ୍ରେନିଂ ଇଞ୍ଜିନିୟର ଧାମନଗରରେ ମହଜୁଦ ଅଛନ୍ତି।

ଆସନ୍ତାକାଲି ୨୫୨ ବୁଥରେ ମତଦାନ ହେବାକୁ ଯାଉଛି। ହେଲେ ସେଥିମଧ୍ୟରୁ ୧୩୪ ବୁଥରେ ନାମକରଣର ପରିବର୍ତ୍ତନ କରାଯାଇଥିବାରୁ ସେଠାରେ ପର୍ଯ୍ୟାପ୍ତ ପ୍ରଚାର ପ୍ରସାର କରାଯାଉଛି। ୧୨୦ ଟି ସ୍ଥାନରେ ଏକକ ବୁଥ୍, ୫୪ ଟି ସ୍ଥାନରେ ଡବଲ୍ ବୁଥ୍, ୦୫ ଟି ସ୍ଥାନରେ ଟ୍ରିପଲ୍ ବୁଥ୍, ୦୧ ଟି ସ୍ଥାନରେ ୪ ଟି ବୁଥ୍ ଏବଂ ୦୧ ଟି ସ୍ଥାନରେ ୫ ଟି ବୁଥ୍ ଅଛି।

ଏହି ପୋଲରେ ପ୍ରାୟ ୨,୩୮,୪୧୭ ଭୋଟର ଅଂଶଗ୍ରହଣ କରୁଛନ୍ତି ଯେଉଁଥିରେ ୧,୨୩,୦୩୮ ପୁରୁଷ, ୧,୧୫,୩୪୬ ମହିଳା ଏବଂ ୩୩ ଉଭୟ ଲିଙ୍ଗି ରହିଛନ୍ତି। ଏହି ନିର୍ବାଚନରେ ମୋଟ ପାଞ୍ଚଜଣ ପ୍ରାର୍ଥୀ ଅବତିର୍ଣ୍ଣ ହୋଇଛନ୍ତି।

ଉପର୍ବାଚନ ପ୍ରକ୍ରିୟା ସମୟରେ ଆଇନ ଶୃଙ୍ଖଳା ଏବଂ ଉପଯୁକ୍ତ ସୁରକ୍ଷା ଉପରେ ନଜର ରଖିବା ପାଇଁ ପୋଲିସ ଅଧୀକ୍ଷକଙ୍କୁ ଦାୟିତ୍ବ ଦିଆଯାଇଛି। ଏହି ମତଦାନ ପାଇଁ ମୋଟ ୯୯୭ ପୋଲିସ୍ କର୍ମଚାରୀ (ଅଧିକାରୀ, ସଶସ୍ତ୍ର ପୋଲିସ, ହାଭିଲଦାର, କନଷ୍ଟେବଳ ଏବଂ ହୋମ ଗାର୍ଡଙ୍କ ସମେତ) ଏବଂ ୦୪ ଟି କମ୍ପାନୀ ସିଏପିଏଫ ନିୟୋଜିତ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜଳସାଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଯାତାୟତ ପାଇଁ ସମସ୍ତଙ୍କୁ ଦିଆଯିବ ସାଇକେଲ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ ସେଣ୍ଟରରେ ଜଳସାଥୀ ମାନଙ୍କ ପାଇଁ ଆୟୋଜିତ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କ ଯାତାୟତର ସୁବିଧା ପାଇଁ ସାଇକେଲ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।

ଜଳସାଥୀ ମାନେ ସରକାରଙ୍କ ଜଳଯୋଗାଣ ବିଭାଗ ଓ ଉପଭୋକ୍ତାମାନଙ୍କ ମଧ୍ୟରେ ସେତୁ ସାଜି ଉଭୟଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବାରେ ସହାୟକ ହୋଇଛନ୍ତି। ସେମାନଙ୍କ କାର୍ଯ୍ୟ ଦକ୍ଷତା ଦ୍ବାରା ଜଳଯୋଗାଣର ଗୁଣବତ୍ତା ଓ ନିର୍ଭରଶୀଳତା ପ୍ରତିପାଦିତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ସହରାଞ୍ଚଳ ପାନୀୟ ଜଳ ଯୋଗାଣ ଓ Water Treatment Plant କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମା ଏବଂ ତୃତୀୟ ଲିଙ୍ଗର ଭଉଣୀ ମାନଙ୍କୁ ଦାୟିତ୍ବ ଦିଆଯାଇଛି। ସେମାନେ ମିଟର ରିଡିଂ, ଜଳର ମାନ ପରୀକ୍ଷା, ନୂତନ ସଂଯୋଗ ଓ ବେନିୟମ ସଂଯୋଗ ଦୂର କରିବା କ୍ଷେତ୍ରରେ କାମ କରୁଛନ୍ତି। ଏଥିପାଇଁ ସେମାନଙ୍କୁ ତାଲିମ ଦିଆଯାଇଛି।

Categories
ବିଶେଷ ଖବର ବ୍ୟବସାୟ

‘ଇନଭେଷ୍ଟ କର୍ଣ୍ଣାଟକ ୨୦୨୨’ ର ଉଦଘାଟନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ କର୍ଣ୍ଣାଟକ ରାଜ୍ୟରେ ଅନୁଷ୍ଠିତ ଅନ୍ତର୍ଜାତୀୟ ନିବେଶକ ବୈଠକ ‘ଇନଭେଷ୍ଟ କର୍ଣ୍ଣାଟକ ୨୦୨୨’  (ନିବେଶ କର୍ଣ୍ଣାଟକ ୨୦୨୨) ର ଉଦଘାଟନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି, ପ୍ରଧାନମନ୍ତ୍ରୀ ଗତକାଲି କର୍ଣ୍ଣାଟକରେ ପାଳନ କରାଯାଇଥିବା ସେମାନଙ୍କର ରାଜ୍ୟୋତ୍ସବ ପାଇଁ ଲୋକ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ , କର୍ଣ୍ଣାଟକ ରାଜ୍ୟ ହେଉଛି ପରମ୍ପରା ଏବଂ ପ୍ରଯୁକ୍ତି ବିଦ୍ୟା, ପ୍ରକୃତି ଏବଂ ସଂସ୍କୃତି, ଚମତ୍କାର ସ୍ଥାପତ୍ୟ ଏବଂ ଜୀବନ୍ତ ଷ୍ଟାର୍ଟ – ଅପ୍ ଗୁଡିକର ମିଶ୍ରଣ। ପ୍ରତିଭା କିମ୍ବା ପ୍ରଯୁକ୍ତି ବିଦ୍ୟାର କଥା ଯେତେବେଳେ ଉଠେ, ସେତେବେଳେ  ‘ବ୍ରାଣ୍ଡ ବେଙ୍ଗାଲୁରୁ’ ମନକୁ ସର୍ବପ୍ରଥମେ ଆସେ। ଏହି ନାମ କେବଳ ଭାରତରେ ନୁହେଁ , ସମଗ୍ର ବିଶ୍ୱରେ ଭଲ ଭାବରେ ପ୍ରତିଷ୍ଠିତ ହୋଇଛି ବୋଲି ଶ୍ରୀ ମୋଦୀ କହିଥିଲେ।

କର୍ଣ୍ଣାଟକରେ ନିବେଶକ ମାନଙ୍କ ବୈଠକର ଆୟୋଜନ ଉପରେ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଏହା ପ୍ରତିଯୋଗୀତାର ତଥା ସହଯୋଗୀ ସଂଘୀୟତାର ଏକ ଉତ୍କୃଷ୍ଟ ଉଦାହରଣ ବୋଲି କହିଥିଲେ। ସେ କହିଥିଲେ ଯେ , ବିନିର୍ମାଣ ଏବଂ ଉତ୍ପାଦନ ମୁଖ୍ୟ ରୂପରେ ରାଜ୍ୟ ସରକାରଙ୍କର ନୀତି ଗୁଡିକ ଦ୍ୱାରା ଏବଂ ନିୟନ୍ତ୍ରଣ ଉପରେ ନିର୍ଭରଶୀଳ ହୋଇଥାଏ। ସେ ଆହୁରି ମଧ୍ୟ କହିଥିଲେ ଯେ,  “ଏହି ଅନ୍ତର୍ଜାତୀୟ ନିବେଶକ ବୈଠକ ମାଧ୍ୟମରେ ରାଜ୍ୟମାନେ ନିର୍ଦ୍ଦିଷ୍ଟ କ୍ଷେତ୍ର ଗୁଡିକୁ ଲକ୍ଷ୍ୟଭୁକ୍ତ କରି ପାରିବେ ଏବଂ ଅନ୍ୟ ଦେଶ ମାନଙ୍କ ସହିତ ଏକ ସହଭାଗୀତା ସୃଷ୍ଟି କରି ପାରିବେ”। ଏହି ବୈଠକରେ ହଜାର ହଜାର କୋଟି ଟଙ୍କାର ଭାଗୀଦାରିତା ହେବାର ଯୋଜନା ରହିଛି, ଯାହାର ପରିଣାମ ସ୍ୱରୂପ ଦେଶର ଯୁବକ ମାନଙ୍କ ନିମନ୍ତେ ନିଯୁକ୍ତିର ସୁଯୋଗ ଅଧିକରୁ ଅଧିକ ହେବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏକ ବିଂଶ ଶତାବ୍ଦୀରେ ବର୍ତ୍ତମାନ ଭାରତ ଯେଉଁ  ସ୍ଥିତିରେ ଅଛି, ସେଥିରୁ ବାହାରି ଭାରତକୁ କେବଳ ଆଗକୁ ବଢ଼ିବାକୁ ପଡିବ। ଗତ ବର୍ଷ ଭାରତରେ ୮୪ ବିଲିୟନ ଡଲାରର ବିଦେଶୀ ପୁଞ୍ଜି ନିବେଶ ହୋଇଥିଲା। ଭାରତ ପ୍ରତି ବିଶ୍ୱ ସ୍ତରୀୟ ଆଶାବାଦୀ ଭାବନା ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଥିଲେ ଯେ,  “ଏହି ସମୟ ହେଉଛି ଅନିଶ୍ଚିତତାର ସମୟ, ତଥାପି ମଧ୍ୟ ଅଧିକାଂଶ ଦେଶ ଭାରତୀୟ ଅର୍ଥନୀତିର ମୂଳ ସିଦ୍ଧାନ୍ତ ଉପରେ ବିଶ୍ୱାସ କରୁଛନ୍ତି। ବିଭାଜନର ଏହି ସମୟ ମଧ୍ୟରେ, ଭାରତ ବିଶ୍ୱ ସହିତ ଆଗକୁ ଆଗକୁ ଗତି କରୁଛି ଏବଂ ବିଶ୍ୱ ସହିତ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଉଛି ବୋଲି ସେ ଟିପ୍ପଣୀ ଦେଇଥିଲେ। ବାଧାପ୍ରାପ୍ତ ଯୋଗାଣ ଶୃଙ୍ଖଳା ସମୟରେ ଔଷଧ ଏବଂ ଟୀକା ଯୋଗାଣ ବିଷୟରେ ଭାରତ ବିଶ୍ୱକୁ ନିଶ୍ଚିତ କରି ପାରିଥିଲା ବୋଲି ସେ କହିଥିଲେ। ବଜାର ପରିପୂର୍ଣ୍ଣତାର ପରିବେଶ ସତ୍ୱେ ଆମର ନାଗରିକ ମାନଙ୍କର ଆକାଂକ୍ଷା ଗୁଡିକ ହେତୁ ଆମର ଘରୋଇ ବଜାର ସୁଦୃଢ଼ ଅଟେ। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ, ବିଶ୍ୱ ସ୍ତରରେ ଦେଖା ଦେଇଥିବା ସଙ୍କଟ ସମୟରେ ମଧ୍ୟ ବିଶେଷଜ୍ଞ ମାନେ, ବିଶ୍ଳେଷକ ମାନେ ଏବଂ ଅର୍ଥନୀତିଜ୍ଞ ମାନେ ଭାରତକୁ ଏକ ଉଜ୍ଜ୍ୱଳ ସ୍ଥାନ ବୋଲି ଉପସ୍ଥାପିତ କରିଥିଲେ। ଶ୍ରୀ ମୋଦୀ କହିିଥିଲେ ଯେ, “ ଆମେ ଦିନକୁ ଦିନ ଭାରତର ଅର୍ଥ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ଆମର ମୌଳିକ ସିଦ୍ଧାନ୍ତ ଗୁଡିକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛୁ।”  ଭାରତୀୟ ଅର୍ଥ ବ୍ୟବସ୍ଥାର ପ୍ରକ୍ଷେପବକ୍ରକୁ ବୁଝିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେ ୯ – ୧୦  ବର୍ଷ ପୂର୍ବର ଦୃଷ୍ଟିକୋଣରେ ପରିବର୍ତ୍ତନ ସମ୍ପର୍କରେ କହିଥିଲେ,  ଯେତେବେଳେ ଦେଶ ନୀତି ଏବଂ କାର୍ଯ୍ୟାନ୍ୱୟନ ସମ୍ବନ୍ଧୀୟ ବିଷୟ ଗୁଡିକ ସହ ସଂଘର୍ଷ କରୁଥିଲା। ସେ ସୂଚିତ କରିଥିଲେ ଯେ  “ନାଲି ଫିତାର ଫାନ୍ଦରେ ନିବେଶକ ମାନଙ୍କୁ ପକାଇବା ପରିବର୍ତ୍ତେ ଆମେ ନିବେଶ ପାଇଁ ଲାଲ୍ ଗାଲିଚାର ପରିବେଶ ସୃଷ୍ଟି କରିଛୁ ଏବଂ ନୂତନ ଜଟିଳ ଆଇନ୍ ତିଆରି କରିବା ପରିବର୍ତ୍ତେ ଆମେ ଏହାକୁ ଯୁକ୍ତିସଙ୍ଗତ କରିଛୁ।”

ପ୍ରଧାନମନ୍ତ୍ରୀ କହିିଥିଲେ ଯେ, “କେବଳ ଦୃଢ଼ ସଂସ୍କାର, ବୃହତ ଭିତ୍ତିଭୂମି ଏବଂ ଶ୍ରେଷ୍ଠ ପ୍ରତିଭା ଦ୍ୱାରା ଏକ ନୂତନ ଭାରତ ନିର୍ମାଣ ସମ୍ଭବ। ଆଜି ସରକାରୀ ସ୍ତରରେ ପ୍ରତ୍ୟେକ କ୍ଷେତ୍ରରେ ଦୃଢ଼ ସଂସ୍କାର କାର୍ଯ୍ୟ କରା ଯାଉଛି। ”  ସେ ଜିଏସ୍‌ଟି, ଆଇବିସି, ବ୍ୟାଙ୍କ ସଂସ୍କାର, ୟୁପିଆଇ, ୧୫୦୦ ପୁରୁଣା ଆଇନ ଗୁଡିକୁ ଶେଷ କରିବା ଏବଂ ୪୦ହଜାର ଅନାବଶ୍ୟକ ନିୟମ ବିଷୟରେ ଉଲ୍ଲେଖ କରିଥିôଲେ। ସେ ଏହା ମଧ୍ୟ କହିଥିଲେ ଯେ ବିଭିନ୍ନ ପ୍ରକାରର କମ୍ପାନୀ ଆଇନ୍ ବ୍ୟବସ୍ଥାର ଅନେକ ପ୍ରାବଧାନକୁ ଅପରାଧ ମୁକ୍ତ କରିବା, ମୁଖହୀନ ଆକଳନ କରିବା, ବିଦେଶୀ ପ୍ରତ୍ୟେକ୍ଷ ପୁଞ୍ଜି ନିବେଶ ପାଇଁ ନୂତନ ଉପାୟ, ଡ୍ରୋନ୍ ନିୟମର ଉଦାରୀକରଣ, ଭୂ – ସ୍ଥାନିକ ଏବଂ ମହାକାଶ କ୍ଷେତ୍ର ଏବଂ ପ୍ରତିରକ୍ଷା କ୍ଷେତ୍ର ଭଳି ଅନେକ ପ୍ରମୁଖ କ୍ଷେତ୍ରରେ ନିଆ ଯାଇଥିବା ପଦକ୍ଷେପ ଅଭୂତପୂର୍ବ ଶକ୍ତି ଆଣିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ ୮ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ବିମାନ ବନ୍ଦର ଗୁଡିକର ସଂଖ୍ୟା ଦ୍ୱିଗୁଣିତ ହୋଇଛି ଏବଂ ୨୦ଟିରୁ ଅଧିକ ସହର ମାନଙ୍କରେ ମେଟ୍ରୋ ସେବାର ବିସ୍ତାର ହୋଇଛି।

ପିଏମ୍ – ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହା କହିଥିଲେ ଯେ, ଏହା ଏକୀଭୂତ ଭିତ୍ତିଭୂମି ବିକାଶ ପାଇଁ ଉଦ୍ଦିଷ୍ଟ ଯୋଜନା। ସେ କହିଥିଲେ ଯେ, କେବଳ ଭିତ୍ତିଭୂମି ବିକାଶ ପାଇଁ ନୁହେଁ , ବରଂ ପୂର୍ବରୁ ରହିଥିବା ଭିତ୍ତିଭୂମି ପାଇଁ ମଧ୍ୟ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଥିବାବେଳେ ଯୋଜନା କାର୍ଯ୍ୟକାରୀ କରିବାରେ ସବୁଠାରୁ ଦକ୍ଷ ମାର୍ଗ ଉପରେ ଆଲୋଚନା କରା ଯାଇଛି। ଶେଷ – ମାଇଲ ପର୍ଯ୍ୟନ୍ତ ସଂଯୋଗ ଏବଂ ଏହାକୁ ବିଶ୍ୱ ସ୍ତରୀୟ କରି ଉତ୍ପାଦ କିମ୍ବା ସେବାରେ ଉନ୍ନତି ଆଣିବାର ଉପାୟ ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ଏହି ଯାତ୍ରାରେ ଯୁବକ ମାନଙ୍କ ଦ୍ୱାରା କରା ଯାଇଥିବା ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ଭାରତର ପ୍ରତ୍ୟେକ କ୍ଷେତ୍ର ଯୁବ ମାନଙ୍କର ଶକ୍ତି ଦ୍ୱାରା ପ୍ରେରିତ ହେଉଛି।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ , “ବିକାଶର ଲକ୍ଷ୍ୟ ଗୁଡିକୁ କେବଳ ପୁଞ୍ଜି ନିବେଶ ଏବଂ ମାନବ ପୁଞ୍ଜି ଉପରେ ଧ୍ୟାନ କେନ୍ଦ୍ରିତ କରି ହାସଲ କରା ଯାଇପାରିବ। ଏହି ଚିନ୍ତାଧାରାକୁ ଆଗକୁ ବୃଦ୍ଧି କରି ଆମେ ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରୁଛୁ। ଆମର ଲକ୍ଷ୍ୟ ହେଉଛି ଉତ୍ପାଦନ ବୃଦ୍ଧି କରିବା ସହିତ ମାନବ ପୁଞ୍ଜିରେ ମଧ୍ୟ ଉନ୍ନତି ଆଣିବା।” ସ୍ୱାସ୍ଥ୍ୟ ସୁନିଶ୍ଚିତ ଯୋଜନା ଗୁଡିକ ସହିତ ଉତ୍ପାଦନ ପ୍ରୋତ୍ସାହନ ; ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ସହିତ ବ୍ୟବସାୟ କରିବାର ସହଜତା; ରାଜପଥ ନେଟୱାର୍କ ସହିତ ଶୌଚାଳୟ ଏବଂ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା; ଭବିଷ୍ୟତର ଭିତ୍ତିଭୂମି ସରଂଚନା ଏବଂ ସ୍ମାର୍ଟ ବିଦ୍ୟାଳୟ ଭଳି ଏକକାଳୀନ କରା ଯାଉଥିବା କାର୍ଯ୍ୟ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଦେଶର ପରିବେଶ ଅନୁକୂଳ ଅଭିବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ,  “ସବୁଜ ଅଭିବୃଦ୍ଧି ଏବଂ ନିରନ୍ତର ଶକ୍ତି ଦିଗରେ ଆମର ପଦକ୍ଷେପ ଅଧିକରୁ ଅଧିକ ନିବେଶକ ମାନଙ୍କୁ ଆକର୍ଷିତ କରିଛି । ଯେଉଁମାନେ ପୃଥିବୀକୁ ମୂଲ୍ୟ ଫେରାଇବାକୁ ଚାହୁଁଛନ୍ତି ଏବଂ ଏହି ପୃଥିବୀ ପ୍ରତି ସେମାନଙ୍କର ଦାୟିତ୍ୱ ପୂରଣ କରିବାକୁ ଚାହୁଁଛନ୍ତି, ସେମାନେ ଅନେକ ଆଶା ସହିତ ଭାରତ ଆଡକୁ ଦେଖୁଛନ୍ତି।”

କର୍ଣ୍ଣାଟକରେ ଡବଲ ଇଞ୍ଜିନ ବିଶିଷ୍ଟ ସରକାରଙ୍କ ଶକ୍ତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ରାଜ୍ୟର ଅନେକ କ୍ଷେତ୍ରର ଦ୍ରୁତ ବିକାଶର ଅନ୍ୟତମ କାରଣ। ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କର୍ଣ୍ଣାଟକ ସହଜ ବ୍ୟବସାୟ କ୍ଷେତ୍ରରେ ଶୀର୍ଷ ମାନ୍ୟତା ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଛି ଏବଂ ଏହାକୁ ପ୍ରତ୍ୟେକ୍ଷ ପୁଞ୍ଜି ନିବେଶ ଦୃଷ୍ଟିରୁ ଶୀର୍ଷ ରାଜ୍ୟ ତାଲିକାରେ ନିଜକୁ ଅନ୍ତର୍ଭୁକ୍ତ କରିବାର ଶ୍ରେୟ ଦିଆ ଯାଇଛି। ସେ ଆହୁରି ମଧ୍ୟ କହିଥିଲେ ଯେ,  “ଫର୍ଚୁନ୍ ୫୦୦ କମ୍ପାନୀ ଗୁଡିକ ମଧ୍ୟରୁ ୪୦୦ଟି କମ୍ପାନୀ ଏଠାରେ ଅଛି ଏବଂ ଭାରତର ୧୦୦ ପ୍ଲସ୍ ୟୁନିକର୍ଣ୍ଣ ମଧ୍ୟରୁ ୪୦ରୁ ଅଧିକ କର୍ଣ୍ଣାଟକରେ ରହିଛି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, କର୍ଣ୍ଣାଟକ ରାଜ୍ୟକୁ ଆଜି ବିଶ୍ୱର ସର୍ବବୃହତ ଟେକ୍ନୋଲୋଜି କ୍ଲଷ୍ଟର ଭାବେ ଗଣା ଯାଉଛି ଯାହା ଶିଳ୍ପ, ସୂଚନା ପ୍ରଯୁକ୍ତି ବିଦ୍ୟା, ଫିନ୍‌ଟେକ୍‌, ବାୟୋଟେକ୍‌, ଷ୍ଟାର୍ଟ – ଅପ୍ ସହିତ ସ୍ଥାୟୀ ଶକ୍ତିର ଘର ଅଟେ। ସେ କହିଛନ୍ତି, “ପ୍ରତ୍ୟେକ କ୍ଷେତ୍ରରେ ବିକାଶର ଏକ ନୂଆ କାହାଣୀ ଲେଖା ଯାଉଛି।” ସେ ଆହୁରି ମଧ୍ୟ କହିଥିଲେ ଯେ କର୍ଣ୍ଣାଟକର ଅନେକ ବିକାଶ ମାନକ କେବଳ ଭାରତର ଅନ୍ୟ ରାଜ୍ୟ ଗୁଡିକୁ ନୁହେଁ , କେତେକ ଦେଶକୁ ମଧ୍ୟ ଆହ୍ୱାନ ଦେଉଛି। ଭାରତର ଉତ୍ପାଦନ କ୍ଷେତ୍ର ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ଜାତୀୟ ସେମିକଣ୍ଡକ୍ଟର ମିଶନ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ସୂଚାଇ ଦେଇଥିଲେ ଯେ ଏଠାରେ ଥିବା ପ୍ରଯୁକ୍ତି ସମ୍ବନ୍ଧିତ ପାରିବେଶିକ ବ୍ୟବସ୍ଥା ଚିପ ଡିଜାଇନ ଏବଂ ଉତ୍ପାଦନକୁ ନୂତନ ଶିଖରରେ ପହଂଚାଇବ।

ଜଣେ ନିବେଶକର ଦୃଷ୍ଟିକୋଣ ସହିତ ଭାରତର ଦୂରଦୃଷ୍ଟି ମଧ୍ୟରେ ରହିଥିବା ସମାନତାକୁ ଚିତ୍ରଣ କରି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ,  ଜଣେ ନିବେଶକ ମଧ୍ୟମ ଏବଂ ଦୀର୍ଘମିଆଦି ଦୂରଦୃଷ୍ଟି ସହିତ ଆଗକୁ ବଢ଼ିଥାଏ, ଭାରତ ନିକଟରେ ମଧ୍ୟ ଏକ ପ୍ରେରଣାଦାୟକ ଦୀର୍ଘମିଆଦୀ ଦୂରଦୃଷ୍ଟି ରହିଛି। ସେ ନାନୋ ୟୁରିଆ, ହାଇଡ୍ରୋଜେନ ଶକ୍ତି, ସବୁଜ ଆମୋନିଆ, କୋଇଲା ଗ୍ୟାସୀକରଣ ଏବଂ ମହାକାଶ ଉପଗ୍ରହର ଉଦାହରଣ ଦେଇ କହିଥିଲେ ଯେ ଆଜି ଭାରତ ବିଶ୍ୱାସର ବିକାଶ ମନ୍ତ୍ର ସହିତ ଆଗକୁ ବଢ଼ୁୁଛି। ସେ ଏହା କହିଥିଲେ ଯେ, ଏହା ହେଉଛି ଭାରତର ଅମୃତ କାଳ ଏବଂ ସ୍ୱାଧୀନତାର ଅମୃତ ମହୋତ୍ସବରେ ଦେଶର ଲୋକମାନେ ଏକ ନୂତନ ଭାରତ ଗଠନ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନକୁ ଶେଷ କରି କହିଥିଲେ ଯେ,  ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ହେବାର ଲକ୍ଷ୍ୟ ସ୍ଥିର କରିଛି ଏବଂ ଏଥି ପାଇଁ ନିବେଶ ଏବଂ ଭାରତର ପ୍ରେରଣା ଏକତ୍ର ହେବା ଉଚିତ୍‌, କାରଣ ଏହା ଫଳରେ ସମାବେଶୀ, ଗଣତାନ୍ତ୍ରିକ ତଥା ଶକ୍ତିଶାଳୀ ଭାରତର ବିକାଶ ସାରା ବିଶ୍ୱରେ ତ୍ୱରାନ୍ୱିତ ହେବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ,  “ଭାରତରେ ନିବେଶର ଅର୍ଥ ହେଉଛି ଅନ୍ତର୍ଭୁକ୍ତିରେ ନିବେଶ କରିବା, ଗଣତନ୍ତ୍ରରେ ନିବେଶ କରିବା, ବିଶ୍ୱ ପାଇଁ ନିବେଶ କରିବା ଏବଂ ଏକ ଉତ୍ତମ, ସ୍ୱଚ୍ଛ ଏବଂ ଏକ ସୁରକ୍ଷିତ ଗ୍ରହ ପାଇଁ ନିବେଶ କରିବା”।

 ପୃଷ୍ଠଭୂମି

ସମ୍ଭାବ୍ୟ ନିବେଶକ ମାନଙ୍କୁ ଆକୃଷ୍ଟ କରିବା ଏବଂ ପରବର୍ତ୍ତୀ ଦଶନ୍ଧି ପାଇଁ ଏକ ବିକାଶ ଯୋଜନା ସ୍ଥିର କରିବା ଏହି ବୈଠକର ଉଦ୍ଦେଶ୍ୟ ରହିଛି। ବେଙ୍ଗାଲୁରୁରେ ୨ ରୁ ୪ ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ୮୦ ରୁ ଅଧିକ ବକ୍ତା ଅଧିବେଶନ ହେବ। ଏହି ବକ୍ତା ମାନଙ୍କ ମଧ୍ୟରେ କୁମାର ମଙ୍ଗଲମ୍ ବିର୍ଲା, ସଜ୍ଜନ ଜିନ୍ଦଲ ଏବଂ ବିକ୍ରମ କିର୍ଲୋସ୍କରଙ୍କ ଭଳି ଅନେକ ବରିଷ୍ଠ ଶିଳ୍ପପତି ମଧ୍ୟ ଅଛନ୍ତି। ଏହା ସହିତ, ତିନି ଶହରୁ ଅଧିକ ପ୍ରଦର୍ଶକ ଏବଂ ଦେଶ ଅଧିବେଶନ ସହିତ ଅନେକ ବ୍ୟବସାୟିକ ପ୍ରଦର୍ଶନୀ ଗୁଡିକ ସମାନ୍ତରାଳ ଭାବରେ ଏଠାରେ ଚାଲିବ। ଦେଶ ଅଧିବେଶନ ଗୁଡିକ ପ୍ରତ୍ୟେକ ଅଂଶୀଦାର ଦେଶ  ଯଥା –  ଫ୍ରାନ୍ସ, ଜର୍ମାନୀ, ନେଦରଲ୍ୟାଣ୍ଡ, ଦକ୍ଷିଣ କୋରିଆ, ଜାପାନ ଏବଂ ଅଷ୍ଟ୍ରେଲିଆ ଦ୍ୱାରା ଆୟୋଜିତ ହେବ – ଯେଉଁଠାରେ ସେମାନଙ୍କ ଦେଶର ଉଚ୍ଚ ମନ୍ତ୍ରୀସ୍ତରୀୟ ଅଧିକାରୀ ଏବଂ ଶିଳ୍ପ ପ୍ରତିନିଧି ମାନେ ଯୋଗ ଦେବେ। ବିଶ୍ୱ ସ୍ତରର ଏହି କାର୍ଯ୍ୟକ୍ରମ କର୍ଣ୍ଣାଟକକୁ ଏହାର ସଂସ୍କୃତିକୁ ସାରା ବିଶ୍ୱକୁ ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରିବ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ କାନ୍ଦି ପକାଇଲେ ଏହି ମହିଳା, ଜାଣନ୍ତୁ କାରଣ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଜଳସାଥୀ ମାନଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ମିଶନ ଶକ୍ତିର କିଛି ମା ମାନେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ପୁରୀର ଶ୍ରୀମତୀ ମହାପାତ୍ର ଓ ଭୁବନେଶ୍ବରର ସୁଜାତା ପଟ୍ଟନାୟକ ପ୍ରମୁଖଙ୍କ ଆଖିରେ ଥିଲା ଆନନ୍ଦର ଅଶ୍ରୁ। କୋହଭରା କଣ୍ଟରେ ସେମାନେ କହିଲେ ଯେ, ଘର ଭିତରେ ଗୃହିଣୀ ହେବା ଛଡା ଆମର ଆଉ କିଛି କରିବାର ଶକ୍ତି ଅଛି ବୋଲି ଆମେ ଜାଣି ନ ଥିଲୁ। ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଆମେ ଏକ ସ୍ବତନ୍ତ୍ର ପରିଚୟ ପାଇପାରିଛୁ। ଜୀବନର ସାର୍ଥକତା ପାଇଛୁ।

ସେହିପରି କଟକ ଓ ଭୁବନେଶ୍ବରରେ Water Treatment Plant ଓ Septage Treatment Plant ପରିଚାଳନା କରୁଥିବା ତୃତୀୟ ଲିଙ୍ଗର ସଦସ୍ୟା ତନୁଶ୍ରୀ ବେହେରା ଓ ମେଘନା ପ୍ରମୁଖ କହିଥିଲେ ଯେ, ଆମ ପରିବାରରେ ବି ଆମର ସମ୍ମାନ ନ ଥିଲା। ଥିଲା କେବଳ ତିରସ୍କାର। ସମାଜ ଆମକୁ ଗ୍ରହଣ କରୁନଥିଲା। ଆଜି ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଆମେ ଆମ ନିଜର ମୂଲ୍ୟ ଅଛି ବୋଲି ଅନୁଭବ କରୁଛୁ। ନିଜର ଏକ ସ୍ବତନ୍ତ୍ର ପରିଚୟ ପାଇପାରିଛୁ। ମୁଖ୍ୟମନ୍ତ୍ରୀଙ୍କୁ କୋଟି କୋଟି ପ୍ରଣାମ।

Categories
ଆଞ୍ଚଳିକ

ବାଣପୁରରେ ବିଜେଡିର ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଅକ୍ଟୋବର ୨ ତାରିଖ ଠାରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ଦିବସ ଥିଲା। ଏହି ଅବସରରେ ଆଜି ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣାଙ୍କ ନେତୃତ୍ୱରେ ବାଣପୁର ବ୍ଲକର ବିଜୁଜନତା ଦଳର ମହିଳା ଏବଂ ପୁରୁଷ କର୍ମୀ ଏକ ବିଶାଳ ପଦଯାତ୍ରା କରିଥିଲେ। ପଦଯାତ୍ରାଟି ବାଣପୁରର ଆରାଧ୍ୟ ଦେବୀ ମା’ ଭଗବତୀଙ୍କ ପୀଠରୁ ଆରମ୍ଭ ହୋଇ ଐତିହାସିକ ପଲଟଣ ପଡିଆ ଠାରେ ସମାପ୍ତ ହୋଇଥିଲା।

ଉକ୍ତ ପଦଯାତ୍ରାରେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ଧର୍ମପତ୍ନୀ ତଥା ଖୋର୍ଦ୍ଧା ଜିଲ୍ଲାର ସୁସଂଗଠିକା ସ୍ଵାଗତିକା ଜଗଦ୍ଦେବ, ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳ ମହିଳା ସଭାନେତ୍ରୀ ଗୀତାଞ୍ଜଳି ପାଟ୍ଟଶାଣୀ, ଯୁବ ଛାତ୍ର ଜନତା ଦଳର ସଭାପତି ବିଶ୍ୱଦୀପ ପ୍ରଧାନ, ଯୁବ ସଂଗଠକ ମନୋଜ ପ୍ରଧାନ, ମାନସ ପ୍ରଧାନ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଆଦି ଯୋଗ ଦେଇଥିଲେ।

Categories
ବିଶେଷ ଖବର

୮୫ଟି ସହରରେ ଶତପ୍ରତିଶତ ପାଇପ ଜଳ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଓଡିଶା ଦେଶର ଏକମାତ୍ର ରାଜ୍ୟ

ହୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ ସେଣ୍ଟରରେ ଜଳସାଥୀ ମାନଙ୍କ ପାଇଁ ଆୟୋଜିତ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କ ଯାତାୟତର ସୁବିଧା ପାଇଁ ସାଇକେଲ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।

ଜଳସାଥୀ ମାନେ ସରକାରଙ୍କ ଜଳଯୋଗାଣ ବିଭାଗ ଓ ଉପଭୋକ୍ତାମାନଙ୍କ ମଧ୍ୟରେ ସେତୁ ସାଜି ଉଭୟଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବାରେ ସହାୟକ ହୋଇଛନ୍ତି। ସେମାନଙ୍କ କାର୍ଯ୍ୟ ଦକ୍ଷତା ଦ୍ବାରା ଜଳଯୋଗାଣର ଗୁଣବତ୍ତା ଓ ନିର୍ଭରଶୀଳତା ପ୍ରତିପାଦିତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ସହରାଞ୍ଚଳ ପାନୀୟ ଜଳ ଯୋଗାଣ ଓ Water Treatment Plant କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମା ଏବଂ ତୃତୀୟ ଲିଙ୍ଗର ଭଉଣୀ ମାନଙ୍କୁ ଦାୟିତ୍ବ ଦିଆଯାଇଛି। ସେମାନେ ମିଟର ରିଡିଂ, ଜଳର ମାନ ପରୀକ୍ଷା, ନୂତନ ସଂଯୋଗ ଓ ବେନିୟମ ସଂଯୋଗ ଦୂର କରିବା କ୍ଷେତ୍ରରେ କାମ କରୁଛନ୍ତି। ଏଥିପାଇଁ ସେମାନଙ୍କୁ ତାଲିମ ଦିଆଯାଇଛି।

ବିକେନ୍ଦ୍ରୀକରଣ ଓ ଜନ ଭାଗିଦାରୀ (Community Partnership) ରାଜ୍ୟ ସରକାରଙ୍କ ସହରାଞ୍ଚଳ ପରିଚାଳନା ମଡେଲର ଦୁଇ ଆଖି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଳସାଥୀ ମାନେ ଏହି ଉଭୟ ଆଖିକୁ ପ୍ରତିନିଧିତ୍ବ କରୁଛନ୍ତି। ୩ ବର୍ଷ ତଳେ ୫-ଟି ଉପକ୍ରମରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଜି ସାରା ଓଡିଶାର ସହରାଞ୍ଚଳରେ ଜଳସାଥୀ ମାନେ ଜଳଯୋଗାଣ କାର୍ଯ୍ୟକ୍ରମକୁ ସଫଳତାର ପରିଚାଳନା କରୁଛନ୍ତି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ୧୧୪ଟି ସହରରୁ ୮୫ଟି ସହରରେ ଶତପ୍ରତିଶତ ପାଇପ ଜଳଯୋଗାଣର ବ୍ୟବସ୍ଥା କରାଯାଇପାରିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୪୦ ଜଣ ଜଳସାଥୀ ୮.୪୦ ଲକ୍ଷ ଉପଭୋକ୍ତାଙ୍କ ଜଳଯୋଗାଣ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏବଂ ଏ ବାବଦରେ ୬୭ କୋଟି ଟଙ୍କା ଜଳକର ଆଦାୟ କରିପାରିଛନ୍ତି । ସେମାନଙ୍କ ଦ୍ବାରା ମିଟର ରିଡିଂ, ଜଳକର ଆଦାୟ ଓ ବେନିୟମ ପାଇପ ସଂଯୋଗ ଦୂର କରିବା କାର୍ଯ୍ୟରେ ବହୁତ ଉନ୍ନତି ଆସିଛି ବୋଲି ସେ କହିଥିଲେ।

ଜଳସାଥୀ କାର୍ଯ୍ୟକ୍ରମ ସଫଳତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମିଶନ ଶକ୍ତି ଗୋଷ୍ଠୀଙ୍କୁ ସମ୍ପତ୍ତି କର ଆଦାୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଦ୍ବାରା ସହରାଞ୍ଚଳରେ ରାଜସ୍ବ ବୃଦ୍ଧି ହେବା ସହିତ ମିଶନ ଶକ୍ତି ମା ମାନଙ୍କର ଆର୍ଥିକ ଅଭିବୃଦ୍ଧି ସହିତ ସଶକ୍ତିକରଣ ହୋଇପାରିବ ବୋଲି ସେ କହିଛନ୍ତି।

ରାଜ୍ୟ ସରକାରଙ୍କ ଡ୍ରିଙ୍କ ଫ୍ରମ ଟ୍ୟାପ୍‌ କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ମାନର ପାନୀୟ ଜଳ ଦିନରାତି ୨୪ ଘଣ୍ଟା ଯୋଗାଇ ଦିଆଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି କାର୍ଯ୍ୟକ୍ରମ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଓ ଅନୁକରଣୀୟ ହୋଇପାରିଛି। ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ଓ ଜଳସାଥୀ କାର୍ଯ୍ୟକ୍ରମକୁ ଜାତୀୟ ସ୍ତରରେ ପ୍ରାଥମିକତା ଦିଆଯାଇ ଅମୃତ ୨.୦ କାର୍ଯ୍ୟକ୍ରମରେ ସବୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଜାଗା ମିଶନ ଓ ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ପରି କାର୍ଯ୍ୟକ୍ରମ ଓଡିଶାର ସହରାଞ୍ଚଳ ପାଇଁ ଏକ ସଫଳତାର କାହାଣୀ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଳସାଥୀ ପରି ଜନଭାଗିଦାରୀ କାର୍ଯ୍ୟକ୍ରମ ବିନା ଏହା ସଫଳ ହୋଇପାରି ନଥାନ୍ତା।

ମିଶନ ଶକ୍ତିର ବିଭିନ୍ନ ଗୋଷ୍ଠୀ ଓ ଜଳସାଥୀ ମାନଙ୍କ ସହିତ ଭାଗିଦାରୀ ପାଇଁ ରାଜ୍ୟ ସରକାର ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଜନଭାଗିଦାରୀ କାର୍ଯ୍ୟକ୍ରମ ଦ୍ବାରା ପ୍ରଶାସନିକ ବ୍ୟବସ୍ଥାରେ ନାଗରିକ ମାନେ ଉତ୍କୃଷ୍ଟ ସେବା ପାଇପାରିଥାନ୍ତି ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଏକ ସଶକ୍ତ ଓଡିଶା ଗଠନ ଦିଗରେ ଆମକୁ ଆଗେଇ ନେବ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଉଷା ଦେବୀ କହିଲେ ଯେ ମା ମାନଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଆଜି ସଫଳତାର ସହ କାର୍ଯ୍ୟକାରୀ ହୋଇଛି। ମହିଳା ସଶକ୍ତିକରଣ ଦିଗରେ ଏହା ଏକ ଅନନ୍ୟ ଉଦାହରଣ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାତନନ ସ୍ବାଗତ ଭାଷଣ ଦେଇ କହିଲେ ଯେ ରାଜ୍ୟର ସହରାଞ୍ଚଳର ୯୭ ଭାଗ ଲୋକ ଏବେ ପାଇପ ଜଳ ପାଇପାରୁଛନ୍ତି। ରାଜ୍ୟର ୮୫ଟି ସହରରେ ଶତପ୍ରତିଶତ ପାଇପ ଜଳଯୋଗାଣ ହୋଇଥିବା ବେଳେ, ବାକି ୨୦ଟି ସହରରେ ଡିସେମ୍ବର ୨୦୨୩ ସୁଦ୍ଧା ପାଇପ ଜଳର ବ୍ୟବସ୍ଥା ସଂପୂର୍ଣ୍ଣ ହେବ ବୋଲି ସେ କହିଥିଲେ। ବିଭାଗୀୟ ସ୍ବତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର

POK କୁ ଫେରାଇ ଆଣିବା ପାଇଁ ସେନା ପ୍ରସ୍ତୁତ, କେବଳ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା: ଚିନାର କର୍ପସ କମାଣ୍ଡର

ଶ୍ରୀନଗର: ପାକିସ୍ତାନ ଅଧିକୃତ କାଶ୍ମୀରକୁ ମୁକ୍ତ କରିବା ପାଇଁ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ସରକାରଙ୍କ ଆଦେଶକୁ ଅପେକ୍ଷା କରିଛି। ଏହି ସୂଚନା ନିଜେ ଚିନାର କର୍ପସର କମାଣ୍ଡର ଲେଫ୍ଟନେଣ୍ଟ ଜେନେରାଲ୍ ଏଡିଏସ୍ ଓଜଲା ପ୍ରଦାନ କରିଛନ୍ତି। ସେ ମଙ୍ଗଳବାର ଦିନ (ଅକ୍ଟୋବର ୨ ତାରିଖ) କହିଛନ୍ତି ଯେ, ପିଓକେ ଉପରେ ରାଜନାଥ ସିଂଙ୍କ ସଙ୍କେତ ପରେ ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଲେଫ୍ଟନେଣ୍ଟ ଜେନେରାଲ ଏଡିଏସ୍ ଓଜଲା କହିଛନ୍ତି ଯେ, ‘ଭାରତୀୟ ସେନା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଏବଂ ସରକାରଙ୍କ ନିର୍ଦ୍ଦେଶରେ କୌଣସି କାର୍ଯ୍ୟ ପାଇଁ ଆମେ ପ୍ରସ୍ତୁତ।

ସୋମବାର ଦିନ (ଅକ୍ଟୋବର ୩୧) ଶ୍ରୀନଗରରେ ଚାଲିଥିବା ‘ଶୌର୍ଯ୍ୟ ଦିବସ’ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ ଯେ, ଆମେ ଉତ୍ତର ଦିଗକୁ ଚାଲିବା ଆରମ୍ଭ କରିଛୁ, ଆମର ଯାତ୍ରା ସମାପ୍ତ ହେବ, ଯେତେବେଳେ ଫେବୃଆରୀ ୨୨ ତାରିଖ ୧୯୯୪ରେ ଭାରତୀୟ ସଂସଦ ଦ୍ଵାରା ସର୍ବସମ୍ମତି କ୍ରମେ ପାରିତ ପ୍ରସ୍ତାବକୁ ଗିଲଗିତ-ବାଲ୍ଟିସ୍ତାନରେ ପହଞ୍ଚିବା ପରେ କାର୍ଯ୍ୟକାରୀ କରିବା। ”

ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତ୍ତିରେ କମାଣ୍ଡିଂ ଅଫିସର ଶ୍ରୀନଗରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ଆଲୋଚନା କରିଥିଲେ। ସେ କହିଥିଲେ ଯେ, “ଯେତେବେଳେ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନିଅନ୍ତି, ସେତେବେଳେ ଆଦେଶ ଆସିବ ଏବଂ ଏପରି ପରିସ୍ଥିତିରେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଥାଉ। ଆମର ପାରମ୍ପାରିକ ଶକ୍ତି ବ୍ୟତୀତ ଆମେ ମଧ୍ୟ ଆଧୁନିକ ଭାବରେ ନିଜକୁ ମଜବୁତ କରୁଛୁ, ଯାହା ଦ୍ଵାରା ଆମେ ଏଭଳି ପରିସ୍ଥିତିର ପଛକୁ ଫେରିବାକୁ ପଡିବ ନାହିଁ।”

ସେ ଆହୁରି ମଧ୍ୟ କହିଥିଲେ ଯେ, ଗତ ୭୫ ବର୍ଷ ମଧ୍ୟରେ ଭାରତୀୟ ସେନାର ଦକ୍ଷତାକୁ ନବୀକରଣ କରାଯାଇଛି। ଆମର ପ୍ରସ୍ତୁତି ବହୁତ ଭଲ ସ୍ତରରେ ଅଛି ଏବଂ ଯେତେବେଳେ ବି ଏହାକୁ ପ୍ରଦର୍ଶନ କରାଯିବା ଆବଶ୍ୟକ ପଡିବ, ସେତେବେଳେ ଆପଣ ଏକ ଭିନ୍ନ ପ୍ରଭାବ ଦେଖିବେ। ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଜେନେରାଲ ଓଜଲା କହିଥିଲେ ଯେ, ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି, କିନ୍ତୁ ଏବେ ବି ଅନୁପ୍ରବେଶ କରିବାକୁ ଚେଷ୍ଟା କରାଯାଉଛି, କିନ୍ତୁ ଆମର ସୀମା ରକ୍ଷା କରିବାକୁ ଭାରତୀୟ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ।

ଅସ୍ତ୍ରବିରତି ଉଲ୍ଲଂଘନ ଘୋଷଣା ଏବଂ ଧାରା ୩୭୦ ରଦ୍ଦ ହେବା ପରେ ପରିସ୍ଥିତିକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ଜେନେରାଲ ଓଜଲା କହିଥିଲେ ଯେ, ଉପତ୍ୟକାରେ ୩୨ ବର୍ଷ ମଧ୍ୟରେ ସର୍ବନିମ୍ନ ଅନୁପ୍ରବେଶ ସହ ଶାନ୍ତି ଫେରାଇ ଆଣିବା ଦୃଷ୍ଟିରୁ ଏହା ଏକ ବହୁତ ଭଲ ବର୍ଷ ହୋଇଛି। ଚଳିତ ବର୍ଷ ଅକ୍ଟୋବର ମାସ ପର୍ଯ୍ୟନ୍ତ, କେବଳ ଆଠ ଜଣ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, ସେଥିମଧ୍ୟରୁ ତିନିଜଣଙ୍କୁ ସଫା କରିଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ହୃଦଘାତର ଏକ ମାସ ପୂର୍ବରୁ ଶରୀରରେ ଦେଖାଯାଏ ଏହି ଲକ୍ଷଣ, କରନ୍ତୁ ନାହିଁ ଅଣଦେଖା

ସ୍ୱାସ୍ଥ୍ୟ ଟିପ୍ସ: ହୃଦଘାତ ବିଷୟରେ ପ୍ରାୟତଃ କୁହାଯାଏ ଯେ ଏହା ସର୍ବଦା ହଠାତ୍ ଘଟେ। ଏଥି ସହିତ, ଡାକ୍ତର ଏବଂ ବିଶେଷଜ୍ଞମାନେ କହିଛନ୍ତି ଯେ, ଅଧିକାଂଶ ହୃଦଘାତରେ ହଠାତ୍ କିଛି ହୁଏ ନାହିଁ। ବରଂ, ହାର୍ଟ ଆଟାକ୍ ଲକ୍ଷଣର କିଛି ଦିନ ପୂର୍ବରୁ ଶରୀରରେ ଏପରି କିଛି ଲକ୍ଷଣ ଦେଖାଯାଏ, ଯାହାକୁ ଆମେ ଗମ୍ଭୀରତାର ସହ ନେଉନାହୁଁ। ଅଧିକାଂଶ ଲୋକ ଏହି ଛୋଟ ଲକ୍ଷଣକୁ ଅଣଦେଖା କରନ୍ତି। ଉଦାହରଣ ସ୍ୱରୂପ, ଅତ୍ୟଧିକ ଅମ୍ଳତା ରହିବା। ଖାଦ୍ୟ ହଜମ ଣହେବା। ହୃଦୟ ଜଳିବା, ପିଠିର ଗୋଟିଏ ପାର୍ଶ୍ୱରେ କ୍ରମାଗତ ଯନ୍ତ୍ରଣା, ଏହିପରି ଅନେକ ରୋଗର ସାମାନ୍ୟ ଲକ୍ଷଣ ହୋଇପାରେ ଏବଂ ଏହା ଆପଣଙ୍କ ଜୀବନ ନେଇପାରେ।

ହୃଦଘାତର ଏକ ମାସ ପୂର୍ବରୁ ଶରୀରରେ ଏହିପରି ଲକ୍ଷଣ ଦେଖାଯାଏ:

ଅନୁସନ୍ଧାନ ଅନୁଯାୟୀ, ନିଶ୍ୱାସ ପ୍ରଶ୍ୱାସ, ଦୁର୍ବଳତା, ରାତିରେ ଝାଳ ବୋହିବା, ମୁଣ୍ଡ ବୁଲାଇବା ଏବଂ ବାନ୍ତି ହୃଦଘାତର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ। ସେହି ସମୟରେ, ଅଧିକାଂଶ ପୁରୁଷଙ୍କର ଛାତି ଯନ୍ତ୍ରଣା, ନିଶ୍ଵାସ ପ୍ରଶ୍ଵାସରେ ସମସ୍ୟା।

‘ହାର୍ଭାର୍ଡ ହେଲ୍ଥ’ର ଅନୁସନ୍ଧାନ ଅନୁଯାୟୀ,’ ଯଦି କିଛି ମହିଳା କ୍ରମାଗତ ଭାବରେ କ୍ଲାନ୍ତ, ବିବ୍ରତ, ନିଦ୍ରା କିମ୍ବା ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟାରେ ଥାଆନ୍ତି, ତେବେ ଏହା ହୃଦଘାତର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ। ‘ ଏହି ଲକ୍ଷଣଗୁଡିକ ପ୍ରତି ଧ୍ୟାନ ଦେଇ ଏହାର ତୁରନ୍ତ ଚିକିତ୍ସା କରାଯାଇପାରିବ ଏବଂ ହୃଦଘାତକୁ ରୋକାଯାଇପାରିବ।

ହାର୍ଭାର୍ଡ ହେଲ୍ଥ ଅନୁଯାୟୀ, ଯେଉଁ ମହିଳାମାନେ ଛାତି ଯନ୍ତ୍ରଣା, ନିଶ୍ୱାସ ପ୍ରଶ୍ୱାସ, ଥକାପଣ, ଥଣ୍ଡା ଝାଳ, ମୁଣ୍ଡ ବୁଲାଇବା ଏବଂ ବାନ୍ତି ଭଳି ଲକ୍ଷଣ ଅନୁଭବ କରନ୍ତି, ସେମାନେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ

ଜିମ୍ବାୱେର ସେମିଫାଇନାଲ ଆଶା ଧୂଳିସାତ, ୫ ୱିକେଟରେ ପରାସ୍ତ କଲା ନେଦରଲ୍ୟାଣ୍ଡ

ନୂଆଦିଲ୍ଲୀ: ଆଜି ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୨ ମ୍ୟାଚରେ ନେଦରଲ୍ୟାଣ୍ଡ ଜିମ୍ବାୱେକୁ ୫ ୱିକେଟରେ ପରାସ୍ତ କରିଛି। ପ୍ରଥମେ ଜିମ୍ବାୱେ ବ୍ୟାଟିଂ କରି ୧୧୭ ରନ୍ ସଂଗ୍ରହ କରିଥିଲା, ଏହାର ଜବାବରେ ନେଦରଲ୍ୟାଣ୍ଡ ମାତ୍ର ୫ ୱିକେଟ୍ ହରାଇ ଟାର୍ଗେଟ ପୂରଣ କରିଥିଲା। ଏହି ପରାଜୟ ପରେ ଜିମ୍ବାୱେର ସେମିଫାଇନାଲରେ ପ୍ରବେଶ କରିବାର ଆଶା ମଧ୍ୟ ଶେଷ ହୋଇଯାଇଛି।

ଜିମ୍ବାୱେ ଅଧିନାୟକ କ୍ରେଗ ଇରୱିନ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଡିଲେଡ୍ ଓଭାଲରେ ଏହି ଗ୍ରାଉଣ୍ଡରେ ନେଦରଲ୍ୟାଣ୍ଡର ବୋଲରମାନେ ପାୱାରପ୍ଲେରେ ଶକ୍ତିଶାଳୀ ବୋଲିଂ କରି ଜିମ୍ବାୱେର ସର୍ବୋଚ୍ଚ ଅର୍ଡରକୁ ଆଉଟ କରିଥିଲେ। ପ୍ରଥମ ୬ ଓଭରରେ ଜିମ୍ବାୱେ ମାତ୍ର ୨୦ ରନ୍ କରିତିନୋଟି ୱିକେଟ୍ ହରାଇଥିଲା। ଏଠାରୁ ସିନ ୱିଲିୟମ୍ସ (୨୮) ଏବଂ ସିକନ୍ଦର ରଜା (୪୦) ଇନିଂସକୁ ଆଗକୁ ନେଇଥିଲେ।

ତେବେ ଏହି ଦୁଇଜଣଙ୍କ ବ୍ୟତୀତ ଅନ୍ୟ କୌଣସି ଜିମ୍ବାୱେ ବ୍ୟାଟ୍ସମ୍ୟାନ୍ ଡବଲ୍ ଫିଗରକୁ ଛୁଇଁ ପାରିନଥିଲେ ଏବଂ ୧୯.୨ ଓଭରରେ ୧୧୭ ରନ୍ କରି ପୁରା ଦଳ ଆଉଟ୍ ହୋଇଥିଲେ। ମିକ୍ରନ୍ ନେଦରଲ୍ୟାଣ୍ଡ ପାଇଁ ସର୍ବାଧିକ ୩ ୱିକେଟ୍ ନେଇଥିଲେ। ବସ୍ ଡି ଲିଡେ, ୱାନ୍ ବିକ୍ ଏବଂ ଗ୍ଲୋଭର ମଧ୍ୟ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।

୧୧୮ ରନ୍ ଲକ୍ଷ୍ୟର ଜବାବରେ ନେଦରଲ୍ୟାଣ୍ଡ ଏକ ଭଲ ଆରମ୍ଭ କରିଥିଲା। ଷ୍ଟିଫେନ୍ ମାଇବର୍ଗ (୮) ଙ୍କ ପ୍ରାରମ୍ଭିକ ପତନ ପରେ ମ୍ୟାକ୍ସ ଓ’ଡାଡ୍ ୪୭ ବଲରୁ ୫୨ ରନ୍ ସଂଗ୍ରହ କରିଥିଲେ ଏବଂ ଟପ୍ କୁପୁର୍ ୨୯ ବଲରୁ ୩୨ ରନ୍ ସ୍କୋର କରି ନେଦରଲ୍ୟାଣ୍ଡକୁ ବିଜୟର ନିକଟତର କରିଥିଲେ। ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ୍ ପାଇଁ ୬୩ ରନ୍ ର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଥିଲା। କୁପୁର୍ ଙ୍କ ଆଉଟ ପରେ ମ୍ୟାକ୍ସ ଦଳକୁ ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ୍ ମାନଙ୍କ ସହ ଛୋଟ ଭାଗିଦାରୀ କରି ବିଜୟର ଦ୍ୱାରସ୍ଥ ହୋଇଥିଲେ। ତେବେ ଶେଷରେ ନେଦରଲ୍ୟାଣ୍ଡ ୧୮ ତମ ଓଭରରେ ୫ ୱିକେଟ ହରାଇ ବିଜୟ ପଞ୍ଜିକରଣ କରିପାରିଥିଲା।

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ର: ଉପ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କୁ Y+ ସୁରକ୍ଷା

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସଙ୍କ ସୁରକ୍ଷାକୁ ଅଧିକ ଜୋରଦାର କରାଯାଇଛି। ଅମୃତା ଫଡନାଭିସ୍ ପୂର୍ବରୁ X ବର୍ଗର ସୁରକ୍ଷା ପାଇଛନ୍ତି। ସୁରକ୍ଷା ସମ୍ବନ୍ଧିତ ଆଶଙ୍କା (ଧମକ) ହେତୁ ଏହାକୁ Y + କୁ ଉନ୍ନତ କରାଯାଇଛି। ଏହା ସହିତ ତାଙ୍କୁ ଟ୍ରାଫିକ୍ କ୍ଲିୟରାନ୍ସ ଭେଇକିଲର ସୁବିଧା ଯୋଗାଇଦେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି, ଯାହାଦ୍ୱାରା ଯେକୌଣସି ସ୍ଥାନରେ ଟ୍ରାଫିକ୍ ସମ୍ବନ୍ଧୀୟ ସୁରକ୍ଷା ମଧ୍ୟ ସୁନିଶ୍ଚିତ ହୋଇପାରିବ। ଟ୍ରାଫିକ୍ କ୍ଲିୟରାନ୍ସ ବାହାନ ଯାତ୍ରା ସମୟରେ ପାଇଲଟ୍ ବାହାନ ଭାବରେ କାର୍ଯ୍ୟ କରିଥାଏ। ମହାରାଷ୍ଟ୍ରର ଗୃହ ବିଭାଗ ଏ ବାବଦରେ ନିଷ୍ପତ୍ତି ନେଇଛି।

ଅମୃତା ଫଡନାଭିସ୍ ଙ୍କୁ Y + ବର୍ଗର ସୁରକ୍ଷା ମିଳିବା ସହିତ ତାଙ୍କ ସୁରକ୍ଷା ପାଇଁ ଏସକର୍ଟ ଗାଡି ସହିତ 5 ଜଣ ପୋଲିସ କର୍ମଚାରୀଙ୍କୁ ଘଣ୍ଟା ଘଣ୍ଟା ନିୟୋଜିତ କରାଯିବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୁମ୍ବାଇ ପୋଲିସର ସୁରକ୍ଷା ଏବଂ ସୁରକ୍ଷା ବିଭାଗ ଏ ସମ୍ପର୍କରେ ଟ୍ରାଫିକ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛି। ତେବେ ଅମୃତା ଫଡନାଭିସ୍ ବର୍ତ୍ତମାନ ସମୟରେ ଟ୍ରାଫିକ୍ କ୍ଲିୟରାନ୍ସ ଗାଡି ବ୍ୟବହାର କରିବା ଆରମ୍ଭ କରି ନାହାଁନ୍ତି। ରିପୋର୍ଟ ଅନୁଯାୟୀ ପୋଲିସ୍ ଅଧିକାରୀ କହିଛନ୍ତି ଯେ, ସାଧାରଣତଃଟ୍ରାଫିକ୍ କ୍ଲିୟରାନ୍ସ ଯାନର ସୁବିଧା କେବଳ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କୁ ଦିଆଯାଏ।

ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହାବିକାଶ ଅଘାଡି ସରକାର ତତ୍କାଳୀନ ବିରୋଧୀ ଦଳର ନେତା ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀଙ୍କୁ ଏସକର୍ଟ ସହିତ X ବର୍ଗର ସୁରକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଠାକରେ ସରକାରଙ୍କ ପତନ ପରେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଏକ ନୂତନ ସରକାର ଗଠନ କରାଯାଇଥିଲା। ଏହାର କିଛି ଦିନ ପରେ ସିନ୍ଦେ ସରକାର ମହାବିକାଶ ଅଘାଡିର ଅନେକ ନେତାଙ୍କ ସୁରକ୍ଷା ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

କେଜ୍ରିୱାଲ ସରକାରଙ୍କ ବଡ ନିଷ୍ପତ୍ତି, ଏବେ ଏହି ଶ୍ରମିକମାନଙ୍କୁ ପ୍ରତିମାସରେ ମିଳିବ ପାଞ୍ଚ ହଜାର

ନୂଆଦିଲ୍ଲୀ: ଏମସିଡି ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ଘୋଷଣା କରିଛନ୍ତି। ନିର୍ମାଣ କାର୍ଯ୍ୟ ବନ୍ଦ ଦ୍ୱାରା ପ୍ରଭାବିତ ଶ୍ରମିକମାନଙ୍କୁ ମାସିକ ପାଞ୍ଚ ହଜାର ଟଙ୍କା ସହାୟତା ଦିଆଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ସେ ଏକ ଟୁଇଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

ଏହି ଟୁଇଟରେ ସେ ଲେଖିଛନ୍ତି ଯେ, ପ୍ରଦୂଷଣକୁ ଦୃଷ୍ଟିରେ ରଖି ସମଗ୍ର ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ସମୟ ମଧ୍ୟରେ ପ୍ରଭାବିତ ଶ୍ରମିକମାନଙ୍କୁ ମାସିକ ୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ମୁଁ ଶ୍ରମ ମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ନିର୍ଦ୍ଦେଶ ଦେଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦୁର୍ନୀତି ଉପରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଡେପୁଟି ଏସପି ଙ୍କୁ କଲେ କନଷ୍ଟେବଳ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ କାର୍ଯ୍ୟ କରୁଛନ୍ତି। ଦୁର୍ନୀତିରେ ଜଡିତ ଜଣେ ସର୍କଲ ଅଫିସର (ସିଓ) ଙ୍କୁ ପଦାବନତି ଏବଂ ତାଙ୍କୁ ଜଣେ କନଷ୍ଟେବଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି। ଲାଞ୍ଚ ନେବା ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ପ୍ରାଧିକରଣ ଅଧିକାରୀଙ୍କ ବିରୋଧରେ ଏହି କଠୋର ପଦକ୍ଷେପ ନେଇଛନ୍ତି।

ପ୍ରକୃତରେ, ଏହି ମାମଲା ୨୦୨୧ ମସିହାରୁ ଯେତେବେଳେ ରାମପୁରରେ ନିୟୋଜିତ ହୋଇଥିବା ତତ୍କାଳୀନ ଡେପୁଟି ଏସପି ବିଦ୍ୟା କିଶୋର ଶର୍ମାଙ୍କ ବିରୋଧରେ ଲାଞ୍ଚ ମାମଲା ଆସିଥିଲା। ଯାହା ପରେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ବିଦ୍ୟା କିଶୋର ଶର୍ମାଙ୍କ ଉପରେ ଅନୁଶାସନହୀନତା ସହ ସମସ୍ତ ଅଭିଯୋଗ ପାଇଁ ତଦନ୍ତ ଚାଲିଥିଲା। ଏହି ଅନୁସନ୍ଧାନରେ ଦୋଷୀ ସାବ୍ୟସ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ବଡ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଯୋଗୀ ଡେପୁଟି ଏସପି ବିଦ୍ୟା କିଶୋର ଶର୍ମାଙ୍କୁ ଜଣେ କନଷ୍ଟେବଳ କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଟି-୨୦ ବିଶ୍ୱକପ୍‌ ଅପଡେଟ: ପାଣିପାଗକୁ ନେଇ ଖୁସି ଖବର, ରାହୁଲ-ରୋହିତଙ୍କ ଉପରେ ନଜର

ନୂଆଦିଲ୍ଲୀ: ଭାରତୀୟ ଦଳ ଆଜି ଟି-୨୦ ବିଶ୍ୱକପ୍‌ର ଚତୁର୍ଥ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ। ସେମିଫାଇନାଲ ଦୌଡରେ ରହିବାକୁ ହେଲେ ଯେକୌଣସି ମୂଲ୍ୟରେ ଭାରତକୁ ଏହି ମ୍ୟାଚ୍ ଜିତିବାକୁ ପଡିବ। ଭାରତ ଏପର୍ଯ୍ୟନ୍ତ ୩ ଟି ମ୍ୟାଚ ମଧ୍ୟରୁ ୨ ଟି ଜିତିଛି। ଦଳ ୪ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି।

ଅନ୍ୟପକ୍ଷରେ ବାଂଲାଦେଶ ମଧ୍ୟ ୩ ଟି ମ୍ୟାଚରେ ୨ ଟି ମ୍ୟାଚରେ ଜିତି ୪ ପଏଣ୍ଟ ହାସଲ କରିଛି। କିନ୍ତୁ ନେଟ୍ ରନ୍ ହାର ଯୋଗୁଁ ଭାରତ ପଛରେ ବାଂଲାଦେଶ ତୃତୀୟ ସ୍ଥାନରେ ଅଛି। ଏଭଳି ପରିସ୍ଥିତିରେ ବାଂଲାଦେଶ ଏପର୍ଯ୍ୟନ୍ତ ନକ୍ଆଉଟ୍ ରାଉଣ୍ଡରୁ ବାହାରି ନାହିଁ। ବାଂଲାଦେଶ ମଧ୍ୟ ଏହି ମ୍ୟାଚ ଜିତି ସେମିଫାଇନାଲ ଆଶା ଉଜ୍ଜୀବିତ ରଖିବାକୁ ସଂପୂର୍ଣ୍ଣ ପ୍ରୟାସ କରିବ। ଉଭୟ ଦଳ ପାଇଁ ଏହା କର ବା ମର ପରିସ୍ଥିତି। ଆଡିଲେଡରେ ବର୍ତ୍ତମାନ ପାଗ ସ୍ପଷ୍ଟ ହୋଇଛି। କିନ୍ତୁ ଗତକାଲି ସେଠାରେ ବର୍ଷା ହୋଇଥିଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ନିଜ ମାଟିରେ ଓଡିଆ ଝିଅଙ୍କୁ ଦେଖିବାକୁ ସମସ୍ତଙ୍କ ଅପେକ୍ଷା

ଭୁବନେଶ୍ବର: ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପରେ ପ୍ରଥମ ଥର ପାଇଁ ଓଡଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଆସନ୍ତା ୧୦ ତାରିଖରେ ରାଷ୍ଟ୍ରପତି ମୁର୍ମୁ ଭୁବନେଶ୍ବରରେ ପହଞ୍ଚିବେ। ସେହିଦିନ ସେ ଭୁବନେଶ୍ବରର ରାଜଭବନରେ ଅବସ୍ଥାନ କରିବାର କାର୍ଯ୍ୟକ୍ରମ ରହିଛି।

ଏହାପରେ ୧୧ ତାରିଖରେ ସେ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିବେ। ଦର୍ଶନ ସାରି ସେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ରାଷ୍ଟ୍ରପତି ଭବନରୁ ଓଡିଶା ରାଜଭବନକୁ ସୂଚନା ପ୍ରଦାନ କରାଯାଇଛି। ସେ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ହେଉଛି ଓଡିଶାକୁ ତାଙ୍କର ପ୍ରଥମ ଗସ୍ତ।

ତେବେ ଏହି ଦୁଇ ଦିନିଆ ଗସ୍ତରେ ସେ କେବଳ ପୁରୀରେ ଶ୍ରୀଜୀୟୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତିତ ଅନ୍ୟ କାର୍ଯ୍ୟକ୍ରମ କିଛି ନାହିଁ ବୋଲି ଜଣାପଡିଛି। ଦ୍ରୌପଦୀ ମୁର୍ମୁ ଜୁଲାଇ 25 ତାରିଖରେ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ସେହି ହିସାବରେ ତାଙ୍କର ରାଷ୍ଟ୍ରପତି ହେବାର ଶହେ ଦିନ ପୁରଣ ହୋଇଯାଇଛି।

ଦାୟିତ୍ବ ଗ୍ରହଣ କରିବା ପରେ ବର୍ତ୍ତମାନ ସୁଦ୍ଧା ସେ 5 ଟି ରାଜ୍ୟ ଏବଂ ଗୋଟିଏ ବିଦେଶ ଗସ୍ତ କରି ସାରିଛନ୍ତି। ଯେଉଁ ରାଜ୍ୟଗୁଡିକ ଗସ୍ତ କରିଛନ୍ତି ସେଗୁଡିକ ହେଲା ଗୁଜୁରାଟ, ଚଣ୍ଡିଗଡ଼ , ତ୍ରିପୁରା, ଆସାମ , ଉତ୍ତରପ୍ରଦେଶ। ଗୁଜୁରାଟ ଗସ୍ତ ସମୟରେ ଲୁଣ ପ୍ରସଙ୍ଗକୁ ନେଇ ବେଶ ଚର୍ଚ୍ଚାକୁ  ଆସିଥିଲେ ରାଷ୍ଟ୍ରପତି।

ତାଙ୍କର ଶହେ ଦିନ କାର୍ଯ୍ୟ ମଧ୍ୟରେ ଯେଉଁ ସବୁ ପ୍ରମୁଖ ଘଟଣା ଥିଲା ସେଥିରେ ସେ ଭାରତ ପକ୍ଷରୁ ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେହିପରି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ୟୁ ୟୁ ଲଳିତଙ୍କୁ ସେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

ସେହିପରି ଭୁବନେଶ୍ୱର ସମେତ ଦେଶର 8 ଟି ଆଇଆଇଟି ନିର୍ଦ୍ଦେଶକଙ୍କୁ  ଏହି ଶହେ ଦିନ ମଧ୍ୟରେ ନିଯୁକ୍ତି ଦେଇଛନ୍ତି। ଏହା ସହିତ 65 ଜଣ ହାଇକୋର୍ଟ ବିଚାରପତିଙ୍କୁ ମଧ୍ୟ ନିଯୁକ୍ତ କରିଛନ୍ତି।  ନିକଟରେ ସେ ଜାତିସଂଘ ଆତଙ୍କବାଦ ସୁରକ୍ଷା ପରିଷଦର ଆତଙ୍କବାଦ ନିରୋଧୀ  କମିଟି ର ମୁଖ୍ୟମାନଙ୍କୁ ରାଷ୍ଟ୍ରପତି ଭବନରେ ସମ୍ବୋଧିତ କରିଥିଲେ।

ସେ ରାଷ୍ଟ୍ରପତି ହେବା ପରେ କେବେ ଓଡିଶା ଆସିବେ ସେ ନେଇ ଓଡିଶାବାସୀ ଅପେକ୍ଷା କରିଥିଲେ। ସେହି ଅପେକ୍ଷାର ବର୍ତ୍ତମାନ ଅନ୍ତ ହେବାକୁ ଯାଉଛି। କାରଣ ଓଡିଆ ଝିଅ ରାଷ୍ଟ୍ରପତି ହେବା ପରେ ସେ ନିଜ ରାଜ୍ୟକୁ ଫେରୁଛନ୍ତି। ଯାହା ସମସ୍ତଙ୍କୁ ନିଶ୍ଚିତ ଭାବେ ଖୁସି କରିବ। ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ଓଡିଶା ମାଟିରେ ଦେଖିବାକୁ ସମସ୍ତେ ଇଚ୍ଛା ପ୍ରକାଶ କରିଛନ୍ତି।