Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀ ଅନ୍ନ ଅଭିଯାନରେ ରାଜ୍ୟ ସ୍ତରରେ ସମ୍ମାନିତ କାର୍ଯ୍ୟକ୍ରମ

ଭୁବନେଶ୍ଵର: ଚଳିତ ନଭେମ୍ବର ମାସ ୧୦ ଓ ୧୧ ତାରିଖରେ ଲୋକ ସେବା ଭବନ ଭୁବନେଶ୍ୱର ଠାରେ ଓଡିଶା ସରକାରଙ୍କ ଦ୍ଵାରା ଆୟୋଜିତ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ -୨୦୨୪ ଆୟୋଜିତ ହୋଇଥିଲା। ଗତ ୨୦୧୭ ମସିହାରୁ ଶ୍ରୀ ଅନ୍ନ ଅଭିଯାନ (ମିଲେଟ ମିଶନ) କାର୍ଯ୍ୟକ୍ରମ କାର୍ଯ୍ୟରତ ଅଛି।

ଉକ୍ତ କାର୍ଯ୍ୟକ୍ରମକୁ ଓଡ଼ିଶାର ବିଭିନ୍ନ ସଙ୍ଗଠନ ,ସ୍ୱୟଂ ସହାୟକ ଗୋଷ୍ଟି, ଏଫ୍ ପି ଓ କାର୍ଯ୍ୟକାରୀ କରୁଛନ୍ତି। ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମକୁ ନୂଆପଡ଼ା ଜିଲ୍ଲାର କୋମନା ବ୍ଲକରେ ସ୍ବେଚ୍ଛାସେବୀ ସଂଗଠନ ସିପିଏସଡବ୍ଲୁ, କେନ୍ଦୁଭଟା ଦ୍ବାରା କୋମନା ବ୍ଲକରେ ୨୦୧୭ ଏବଂ ନୂଆପଡ଼ା ବ୍ଲକରେ ୨୦୨୨ ମସିହାରୁ କାର୍ଯ୍ୟକାରୀ କରୁଅଛି।

କୋମନା ବ୍ଲକର ଉପାନ୍ତ ଅଞ୍ଚଳ ସୁନାବେଡ଼ା ତଥା କୋମନା ବ୍ଲକ ର ୩୨ ଟି ପଞ୍ଚାୟତରେ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପହଞ୍ଚାଇ ପାରିଥିବା ତଥା ଚାଷୀଙ୍କୁ ଉପଯୁକ୍ତ ପ୍ରଣାଳୀରେ ଚାଷ କରି ଲଭାନ୍ଵିତ କରାଇଥିବାରୁ ସାରା ଓଡ଼ିଶାରେ ଶ୍ରେଷ୍ଠ କାର୍ଯ୍ୟକାରୀ ସଂଗଠନ ଭାବରେ ସିପିଏସଡବ୍ଲୁର କାର୍ଯ୍ୟକାରୀ ସମ୍ପାଦକ ବିରଞ୍ଚି ନାରାୟଣ ମହାପାତ୍ରକୁ ଓଡ଼ିଶା ସରକାରର ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ସମ୍ମାନିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ କୃଷି ବିଭାଗର ଅନେକ ଅଧିକାରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ସରକାର ପ୍ରଥମ ମହିଳା ସିଆଇଏସଏଫ ବାଟାଲିୟନକୁ ଅନୁମୋଦନ କରିଛନ୍ତି:  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ)ର ପ୍ରଥମ ମହିଳା ବାଟାଲିୟନକୁ ସରକାର ଅନୁମୋଦନ କରିଛନ୍ତି।

ଅମିତ ଶାହ କହିଛନ୍ତି, ରାଷ୍ଟ୍ର ନିର୍ମାଣର ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ଦୃଢ଼ ପଦକ୍ଷେପ ସ୍ୱରୂପ ମୋଦୀ ସରକାର ସିଆଇଏସଏଫର ପ୍ରଥମ ମହିଳା ବାଟାଲିୟନ ପ୍ରତିଷ୍ଠାକୁ ମଞ୍ଜୁର କରିଛନ୍ତି। ବିମାନବନ୍ଦର ଓ ମେଟ୍ରୋ ରେଳ ଭଳି ଦେଶର ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମିର ସୁରକ୍ଷା ଏବଂ କମାଣ୍ଡୋ ଭାବେ ଭିଆଇପି ସୁରକ୍ଷା ଯୋଗାଇଦେବା ଦାୟିତ୍ବ ମହିଳା ବାଟାଲିୟନ ବହନ କରିବ। ଏହି ନିଷ୍ପତ୍ତି ନିଶ୍ଚିତ ଭାବରେ ଦେଶର ସୁରକ୍ଷାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ଅଧିକ ମହିଳାଙ୍କ ଆକାଂକ୍ଷା ପୂରଣ କରିବ।

କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳରେ ଦେଶ ସେବା କରିବାକୁ ଚାହୁଁଥିବା ମହିଳାମାନଙ୍କ ପାଇଁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ଏକ ପସନ୍ଦ ହୋଇଛି। ବର୍ତ୍ତମାନ ସିଆଇଏସଏଫରେ ମହିଳାଙ୍କ ସଂଖ୍ୟା ୭ ପ୍ରତିଶତରୁ ଅଧିକ ରହିଛି। ମହିଳା ବାଟାଲିୟନ ଯୋଡ଼ିବା ଦ୍ୱାରା ସାରା ଦେଶରେ ଅଧିକ ଆଶାୟୀ ଯୁବତୀମାନେ ସିଆଇଏସଏଫରେ ଯୋଗ ଦେଇ ଦେଶର ସେବା କରିବାକୁ ଉତ୍ସାହିତ ହେବେ। ଏହା ସିଆଇଏସଏଫରେ ମହିଳାମାନଙ୍କୁ ଏକ ନୂଆ ପରିଚୟ ଦେବ।

ସିଆଇଏସଏଫ ମୁଖ୍ୟାଳୟ ନୂଆ ବାଟାଲିୟନର ମୁଖ୍ୟାଳୟ ପାଇଁ ଶୀଘ୍ର ନିଯୁକ୍ତି, ପ୍ରଶିକ୍ଷଣ ଏବଂ ସ୍ଥାନ ଚୟନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଭିଆଇପି ସୁରକ୍ଷା ଏବଂ ବିମାନବନ୍ଦର, ଦିଲ୍ଲୀ ମେଟ୍ରୋ ରେଳ ସୁରକ୍ଷାରେ କମାଣ୍ଡୋ ଭାବରେ ବହୁମୁଖୀ ଭୂମିକା ନିର୍ବାହ କରିବାରେ ସକ୍ଷମ ଏକ ଏଲିଟ୍ ବାଟାଲିୟନ ଗଠନ କରିବା ପାଇଁ ଏହି ପ୍ରଶିକ୍ଷଣ ବିଶେଷ ଭାବରେ ଡିଜାଇନ୍ କରାଯାଇଛି।

୫୩ତମ ସିଆଇଏସଏଫ ଦିବସ ସମାରୋହ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶକ୍ରମେ ସିଆଇଏସଏଫରେ ସମସ୍ତ ମହିଳା ବାଟାଲିୟନ ଗଠନ ପାଇଁ ପ୍ରସ୍ତାବ ଆରମ୍ଭ ହୋଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଳ ଷ୍ଟେସନରୁ ମୋବାଇଲ ଲୁଟେରା ଗିରଫ, ୨ ଚୋରି ମୋବାଇଲ ଜବତ

ବାଲୁଗାଁ: ବୁଧବାର ପୂର୍ବାହ୍ନରେ ଜଣେ ମୋବାଇଲ ଲୁଟେରାକୁ ଗିରଫ କରିଛି ବାଲୁଗାଁ ଆରପିଏଫ। ଖବର ମୁତାବକ ମଙ୍ଗଳବାର ସନ୍ଧ୍ୟାରେ ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ଯାତ୍ରୀ ସୁରକ୍ଷା ଅଭିଯାନରେ ଏକ ଟିମ ରେଳ ଷ୍ଟେସନ ପରିସରରେ ତଦାରଖ କରୁଥିବା ବେଳେ ସନ୍ଦେହ ଜନକ ଭାବେ ଜଣେ ବ୍ୟକ୍ତି ଚଳପ୍ରଚଳ ହେଉଥିବା ଦେଖିବାକୁ ପାଇଥିଲେ। ସମ୍ପୃକ୍ତ ବ୍ୟକ୍ତିକୁ ପଚରାଉଚରା କରିବାରେ ସନ୍ଦେହ ଘନୀଭୂତ ହୋଇଥିଲା।

ସନ୍ଦିଗ୍ଧ ଜଣକ ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ରାଜାପୁର ଗ୍ରାମର ଦୀପକ କୁମାର ସାହୁ ଓରଫ ଦିପୁ (୨୪) ବୋଲି ଜଣାପଡ଼ିଥିଲା। ଦିପୁଙ୍କ ତଲାସି ନେବାରେ ତା’ ନିକଟରୁ ୨ ଟି ଚୋରା ମୋବାଇଲ ଓ ଗୋଟିଏ ଇଅର ବଡ଼ ଜବତ ହୋଇଥିଲା। ଏଥିସହିତ ଏହି ଦୁଇଟି ମୋବାଇଲ ସେ ରେଳ ଯାତ୍ରୀ ମୋବାଇଲ ଚାର୍ଜ କରୁଥିବା ସମୟରେ ଚୋରି କରିଥିବା ସ୍ୱୀକାର କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୨୫ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତଙ୍କ ବିରୋଧରେ ଖୋର୍ଦ୍ଧା ଜିଆରପି ଷ୍ଟେସନରେ କେଶ ନଂ ୧୪୮/୨୪ ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆରପିଏଫ ଆଇଆଇସି ଶ୍ରୀ ମୌର୍ଯ୍ୟ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ପରିଦର୍ଶନ କଲେ ନାକ୍ ଟିମ୍

ବାଣପୁର: ଓଡ଼ିଶାର ବରପୁତ୍ର ଗୋଦାବରୀଶ ମିଶ୍ରଙ୍କ ନାମରେ ନାମିତ ଏକ ପୁରାତନ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟ ଚଳିତ ମାସ ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନାକ୍ କମିଟି ଦ୍ବାରା ପରିଦର୍ଶିତ ହୋଇଛି ଏହି ତିନି ଜଣିଆ କମିଟିରେ ଉତ୍ତରପ୍ରଦେଶ ମା’ ଶାକମ୍ବରୀ ବିଶ୍ଵବିଦ୍ୟାଳୟର କୁଳପତି ଡ଼ ହୃଦୟ ଶଙ୍କର ସିଂ ଅଧ୍ୟକ୍ଷ, ମିଜୋରାମ ଆଇଜଲ୍ ବିଶ୍ଵବିଦ୍ୟାଳୟର ସାଧାରଣ ପ୍ରଶାସନ ବିଭାଗର ମୁଖ୍ୟ ଡ଼ ଲାଲ ରିନ ଲୁଆଙ୍ଗା ସଂଯୋଜକ ଓ ମୁମ୍ବାଇ ସ୍ଥିତ ଗୋରେଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ପତିଭା ଗାଏକୱାଡ ସଦସ୍ୟ ଭାବରେ ଯୋଗଦେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା, ଆଇ କ୍ୟୁ ଏ ସି ସଂଯୋଜକ ଡ଼ ଋତୁସ୍ମିତା ମିଶ୍ରଙ୍କ ସହ ଆଲୋଚନା ପରେ ବିଭିନ୍ନ ବିଭାଗର ମୁଖ୍ୟମାନଙ୍କ ଠାରୁ ବିଭାଗର ପାଠ୍ୟ ଦାନ ସେମିନାର ଆଦି ସମସ୍ତ ବିବରଣୀ ସଂଗ୍ରହ କରିଥିଲେ। ପରେ ପରେ ସମସ୍ତ ବିଭାଗ, ଲବୋରେଟୋରୀ, ଲାଇବ୍ରେରୀ, କାର୍ଯ୍ୟାଳୟ, ଅର୍ଥ ବିଭାଗ, କ୍ରୀଡା ବିଭାଗ, ଏନ ସି ସି, ରେଞ୍ଜର ରୋଭର୍, ରେଡକ୍ରସ, ଏନ୍ ଏ ସେସ ଛାତ୍ରୀ ନିବାସ ଆଦି ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ।

ମଧ୍ୟାହ୍ନ ଭୋଜନ ପରେ ପୁରାତନ ଛାତ୍ର ସଂସଦ ତରଫରୁ ସଭାପତି ଜିତେନ୍ଦ୍ର ଭୋଳ ଟିମକୁ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ। ଟିମ୍ ର ସଦସ୍ୟମାନେ ପୁରାତନ ଛାତ୍ର ସଂସଦ, ଅଭିଭାବକ, ମହାବିଦ୍ୟାଳୟର କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ।ମହାବିଦ୍ୟାଳୟ ତରଫରୁ ସେମାନଙ୍କୁ ମୁଖ୍ୟ ଫାଟକ ନିକଟରୁ ସମସ୍ତ କର୍ମଚାରୀ ଛାତ୍ରଛାତ୍ରୀ ମାନଙ୍କଦ୍ୱରା ସମ୍ବର୍ଦ୍ଧିତ କରାଯାଇ ସ୍ବାଗତ କରାଯାଇଥିଲା।ସନ୍ଧ୍ୟାରେ ଛାତ୍ର ଛାତ୍ରୀ ମାନେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶେଷରେ ସେମାନେ ବିବରଣୀ ପ୍ରସ୍ତୁତକରି ଅଧ୍ୟକ୍ଷଙ୍କୁ ପ୍ରଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସକୁ ଜନଜାତି ଗୈାରବ ଦିବସ ଭାବେ ପାଳନ କରିବ ବିଜେପି: ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୫ ତାରିଖ ଦିନ ଭଗବାନ ବିର୍ସା ମୁଣ୍ଡାଙ୍କର ୧୫୦ ତମ ଜନ୍ମଜୟନ୍ତୀକୁ ଜନଜାତି ଗୈାରବ ଦିବସ ଭାବେ ବହୁ ଆଡମ୍ବରରେ ଦେଶବ୍ୟାପୀ ପାଳନ କରାଯିବ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାର ପ୍ରଦେଶର ଜାମୁଇଠାରେ ପୂର୍ବାହ୍ନ ୧୦ଟାରେ ଅନୁଷ୍ଠିତ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ସେହିଦିନ ଦେଶସାରା ଯେଉଁ ୫୦୦ ଜିଲ୍ଲାରେ ଏହା ପାଳିତ ହେବ ଏବଂ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ସେମାନେ ଯୋଡି ହେବେ।

ଓଡିଶାରେ ୨୭ଟି ଜିଲ୍ଲାର ୨୮ଟି ସ୍ଥାନରେ ଏକକାଳୀନ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଆନନ୍ଦ ଉଲ୍ଲାସରେ ସହ ପାଳନ କରାଯିବ। ରାଜ୍ୟର ଦେବଗଡ, ସମ୍ବଲପୁର, ସୁନ୍ଦରଗଡ, କଳାହାଣ୍ଡି, ମାଲକାନଗିରି, ରାୟାଗଡା, ମୟୁରଭଂଜ, କେଉଁଝର ଓ ଗଜପତିରେ ଆଭାସୀ ମାଧ୍ୟମରେ ଭାଇଭଉଣୀମାନେ ୨- Way Communication ରେ ଯୋଡି ହେବେ। ଭୁବନେଶ୍ୱରର ଜନତା ମାଇଦାନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ। ଆଗାମୀ ପୀଢିକୁ ଉତ୍ସାହିତ କରିବା ନିମନ୍ତେ ଜନଜାତି ଗୈାରବ ଦିବସ ପାଳନ କରାଯିବ ବୋଲି ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗଣ୍ଡ ସୁଚନା ଦେଇ କହିଛନ୍ତି ଯେ, ଜନଜାତି ସମାଜ ସହ ଜଡିତ ବିଭିନ୍ନ ସମସ୍ୟା ତଥା ଅନ୍ୟାନ୍ୟ ବିଷୟରେ ରାଜ୍ୟର ୭୬୬୭ ରାଜସ୍ୱ ଗ୍ରାମରେ ଗ୍ରାମସଭା, ପ୍ରଶିକ୍ଷଣ କରାଯାଇ ଆଲୋଚନା କରାଯିବ।

ଏହି ଅବସରରେ ଭଗବାନ ବିିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ, ଫୋଟ ଚିତ୍ରରେ ପୁଷ୍ପାଞ୍ଜଳି ଦିଆଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବା ସହିତ ତାଙ୍କ ପରିବାର ସଦସ୍ୟଙ୍କୁ ସମ୍ମାନିତ ମଧ୍ୟ କରାଯିବ। ପ୍ରତ୍ୟେକ ମଣ୍ଡଳ, ଜିଲ୍ଲା ଓ ପ୍ରଦେଶ ସ୍ତରରେ ଜନଜାତି ସମାଜରେ ପ୍ରଭୁଦ୍ଧଜନ, ବିଶିଷ୍ଟବ୍ୟକ୍ତି ଓ ପ୍ରଭାବୀ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ ମଧ୍ୟ କରାଯିବ। ଏହି ଅବସରରେ ବିଭିନ୍ନ ସ୍ଥାନରେ ସଂଗୋଷ୍ଠୀ ଓ ଭାଷଣ ପ୍ରତିଯୋଗିତା ମଧ୍ୟ କରାଯିବ ବୋଲି ଶ୍ରୀ ଗଣ୍ଡ ସୁଚନା ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ନରସିଂହ ମାଡକାମୀ, ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ସଂପାଦିକା କସ୍ତୁରୀ ମିଶ୍ର ଏବଂ ଧୃବ କାଲୋ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଆଞ୍ଚଳିକ ପୋଷଣ ଅସମାନତାକୁ ଦିଅ ବିଶେଷ ଗୁରୁତ୍ୱ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ମେ ଫେୟାର ଲାଗୁନ୍‌ରେ ଓଡ଼ିଶା ମହିଳା ଓ ଶିଶୁ ବିକାଶ ବିଭାଗ ଓ ୟୁନିସେଫର ସହଭାଗିତାରେ ରାଜ୍ୟସ୍ତରୀୟ ଟେକ ହୋମ୍‌ ରାସନ (ଟିଏଚଆର) କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୯ ଟି ରାଜ୍ୟ ଯଥା – ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ତେଲେଙ୍ଗାନା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଛତିଶଗଡ଼, ଆସାମ ଓ ଝାଡ଼ଖଣ୍ଡର ମହିଳା ଓ ଶିଶୁ କଲ୍ୟାଣ ବିଭାଗର ସଚିବ ତଥା ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ। ଏହା ସହ ମହୀଶୂରସ୍ଥିତ ସିଏଫଟିଆରଆଇ, ହାଇଦରାବାଦର ଏନଆଇଏଚ, ଗୁଜୁରାଟ ମିଳ୍କ ମାର୍କେଟିଙ୍ଗ ଫେଡେରେଶନ(ଅମୂଲ୍‌), ରାଉରକେଲା ଏନଆଇଟି ତଥା ୱାର୍ଲଡ ଫୁଡ ପ୍ରୋଗ୍ରାମ, ୟୁନିସେଫ, ଅଜିମ ପ୍ରେମଜୀ ଫାଉଣ୍ଡେସନ ଭଳି ପ୍ରମୁଖ ସଂସ୍ଥାର ବରିଷ୍ଠ ଅଧିକାରୀ ଓ ବୈଜ୍ଞାନିକଙ୍କ ସମେତ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଅନୁସୂଚିତ ଜନଜାତି ଓ ଅନୁସଚିତ ଜାତି ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ
କରିଥିଲେ।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଓଡ଼ିଶାକୁ କୁପୋଷଣ ମୁକ୍ତ କରିବା ସରକାରଙ୍କ ପ୍ରାଥମିକତା। ବିଭିନ୍ନ ରାଜ୍ୟରୁ ଆସିଥିବା ପୋଷଣ ବିଶେଷଜ୍ଞମାନଙ୍କୁ ସ୍ୱାଗତ କରିବା ସହ ଆଲୋଚନା ଓ ସମାଲୋଚନା ମାଧ୍ୟମରେ ଓଡ଼ିଶାକୁ କୁପୋଷଣ ମୁକ୍ତ କରିବାର ଉପାୟ ବାହାରି ପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଓଡ଼ିଶାର ଆଞ୍ଚଳିକ ପୋଷଣ ଅସମାନତାକୁ ଧ୍ୟାନ ଦେବା ସହ ଛତୁଆର ମାନ ବୃଦ୍ଧି ତଥା ଅନ୍ୟ ବିକଳ୍ପ ଖୋଜିବାକୁ ସେ ବିଭାଗକୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଯୋଗଦେଇ କହିଲେ ଯେ ଓଡ଼ିଶା ଭିଜନ-୨୦୪୭ରେ କୁପୋଷଣମୁକ୍ତ ଓଡ଼ିଶା ଏକ ମୁଖ୍ୟ ବିଷୟବସ୍ତୁ। କୁପୋଷଣକୁ ମୂଳପୋଛ କରିବା ପାଇଁ ଆମକୁ ମିଶନ ମୋଡ୍‌ରେ କାମ କରିବାକୁ ପଡିବ।

ବିଭିନ୍ନ ରାଜ୍ୟର ପୋଷଣ କାର୍ଯ୍ୟକ୍ରମରୁ ଶିଖିବା, ବିକଳ୍ପ ଟେକ ହୋମ୍‌ ରାସନ(ଟିଏଚଆର) ବିଷୟରେ ବିଶ୍ଳେଷଣ କରିବା ସହ ସମ୍ପୃକ୍ତ ରାଜ୍ୟରେ ଗ୍ରହଣ କରାଯାଇଥିବା ସର୍ବୋତ୍ତମ ଅଭ୍ୟାସ ଉପରେ ଆଲୋଚନା କରିବା ଏହି କନକ୍ଲେଭର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ମତପ୍ରକାଶ କରିଛନ୍ତି। ପରସ୍ପରର ଜ୍ଞାନ ବିନିମୟ ଦ୍ୱାରା ଆମେ କୁପୋଷଣ ସହ ଲଢିପାରିବା ବୋଲି ସେ ଦୃଢ ମତ ରଖିଥିଲେ। ଏହି ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗ ତଥା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନର୍ଜୀ କୁପୋଷଣକୁ ଦୂର କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଇଥିବା ସମସ୍ତ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

ଦୁଇଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସେସନ୍‌ ଦ୍ୱାରା ବିଭିନ୍ନ ରାଜ୍ୟର ପୋଷଣ ସମ୍ବନ୍ଧୀୟ କାର୍ଯ୍ୟକାରିତା ବିଷୟରେ ଆଲୋଚନା କରାଯିବ। ବୈଷୟିକ ସଂସ୍ଥା ଯଥା ସିଏଫଟିଆରଆଇ, ଏନଆଇଏନ ଏବଂ ଅମୁଲ କମ୍ପାନୀ ଟେକ ହୋମ୍‌ ରାସନର ଉତ୍ପାଦ, ବଣ୍ଟନ ଏବଂ ତଦାରଖ ପ୍ରକ୍ରିୟାରେ ଅଭିନବ ଶୈଳୀକୁ ଆଲୋକପାତ କରିବା ସହ ଟିଏଚଆରକୁ ଶକ୍ତିଶାଳୀ କରିବା ପାଇଁ ସୁଚିନ୍ତିତ ମତାମତ ଓ ପ୍ରସ୍ତାବ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ଡେପୁଟି କଣ୍ଟ୍ରି ହେଡ ମିସ ନୋଜୋମି ହାଶିମୋଟୋ ଓ ୟୁନିସେଫ ମୁଖ୍ୟ ପୋଷଣ ଅଧିକାରୀ ମିସ ମ୍ୟାରୀ କ୍ଲାଉଡ ଡିସିଲେଟସ୍‌ ଉପସ୍ଥିତ ଥିଲେ। ଓଡ଼ିଶା ସରକାରଙ୍କ ପ୍ରମୁଖ ବିଭାଗ ମଧ୍ୟ ଓଡ଼ିଶାକୁ କୁପୋଷଣ ମୁକ୍ତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଅଂଶଗ୍ରହଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଅତ୍ୟାଧୁନିକ କ୍ୟାନ୍‌ସର ଚିକିତ୍ସା ସମ୍ପର୍କରେ ମିୟୋ କ୍ଲିନିକର ପ୍ରତିନିଧିଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଲୋକସେବା ଭବନ ଠାରେ ଆମେରିକାର ମିୟୋ କ୍ଲିନିକ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ଗବେଷଣା ସଂସ୍ଥାର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡିଶାରେ କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ସବୁଠାରୁ ଆଧୁନିକ ରୋଗ ନିରୂପଣ ଓ ଚିକିତ୍ସା ପଦ୍ଧତିର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି।

ଆଲୋଚନାରୁ ଜଣା ଯାଇଛି ଯେ, କ୍ୟାନ୍‌ସର ଚିକିତ୍ସା ଅତ୍ୟଧିକ ବ୍ୟୟ ସାପେକ୍ଷ ଓ ଅନିଶ୍ଚିତ। ଡି.ଏନ୍.ଏ ଟେଷ୍ଟ ଜରିଆରେ ତୁରନ୍ତ ରୋଗ ନିରୂପଣ ସହିତ କୌଣସି ଏକ ନିର୍ଦ୍ଦିଷ୍ଟ ଚିକିତ୍ସା ପ୍ରଣାଳୀ ଫଳପ୍ରଦ ହେଉଛି ବା ନାହିଁ ତାହା ମଧ୍ୟ ଖୁବ୍ ଶୀଘ୍ର ଜଣାପଡି ପାରିବ। ତେଣୁ ଓଡିଶାରେ ଏହି ନୂତନ ପଦ୍ଧତିର ପ୍ରୟୋଗ ସପକ୍ଷରେ ପ୍ରତିନିଧିମାନେ ମତ ରଖିଥିଲେ। ଏହା ଦ୍ୱାରା ରୋଗ ନିରୂପଣ ଖୁବ୍‌ ଶୀଘ୍ର ସୂଚନା ମିଳିବା ସହିତ ଫଳପ୍ରଦ ଚିକିତ୍ସା ପ୍ରଦାନ କରାଯାଇ ପାରିବ।

ସ୍ୱାସ୍ଥ୍ୟସେବା, ବିଶେଷ କରି କ୍ୟାନ୍‌ସର ଚିକିତ୍ସାକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ମତ ଦେଇ ଏ ସମ୍ପର୍କରେ ବିଧିବଦ୍ଧ ପ୍ରସ୍ତାବ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍. ଉପସ୍ଥିତ ଥିଲେ।

ମିୟୋ କ୍ଲିନିକ ପକ୍ଷରୁ ପ୍ରଫେସର ଦେବ ମୁଖାର୍ଜୀ, ଆମେରିକାସ୍ଥିତ ଏଲିଫାସ୍ ବାୟୋ ସାଇନ୍‌ସେସ୍  ପକ୍ଷରୁ ମିଷ୍ଟର ଚାର୍ଲସ୍ ମିଲର (Mr. Charles Miller from Elephes Bio-Sciences), ଇନ-ଡି.ଏନ୍.ଏ ଲାଇଫ୍ ସାଇନ୍‌ସର (inDNA Life Sciences) ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଡ. ବିରେନ୍ ବାନାର୍ଜୀ ଓ  ଏହାର ପ୍ରତିନିଧି ଦେବୀ ପ୍ରସାଦ ରଥ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନିମାପଡା ଗସ୍ତରେ ଉପ ମୁଖ୍ୟମନ୍ତ୍ରୀ: ବିଭିନ୍ନ କାର୍ଯ୍ୟକ୍ରମରେ ହେଲେ ସାମିଲ

ଭୁବନେଶ୍ଵର: ଆଗାମୀ ଦୁଇ ବର୍ଷ ମଧ୍ୟରେ ଓଡ଼ିଶା କୁପୋଷଣ ମୁକ୍ତ ରାଜ୍ୟ ଭାବେ ବର୍ତମାନର ବିଜେପି ସରକାର ଘୋଷଣା କରିବା ନେଇ ରାଜ୍ୟରେ କାର୍ଯ୍ୟ କରୁଅଛି। ବିଶେଷ କରି ଏ ନେଇ ସ୍ୱତନ୍ତ୍ର ସର୍ଭେ କରାଯାଇଥିବା ବେଳେ ଭିଭିନ୍ନ ସ୍ଥରର କାର୍ଯ୍ୟ ଜାରି ରହିଥିବା ବେଳେ ଖୁବ ଶୀଘ୍ର ସୁଫଳ ମିଳିବାର ଆଶା ରହିଅଛି।

ସେହିପରି ସୁଭଦ୍ରା ଯୋଜନାରେ ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କ ଖାରଜ ନେଇ ବିଭିନ୍ନ ବ୍ଲକକୁ ପଠାଯାଇଥିବା ବେଳେ ପ୍ରାୟ ୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ବ୍ୟାଙ୍କ ଖାତା, ମୋବାଇଲ ନମ୍ବର ଓ ଆଧାର ସହ ସଂଯୋଗିକରଣ ସମସ୍ୟା ଥିବା ଜଣାପଡିଛି।

ତେବେ ଆଗାମୀ ୨୪ ତାରିଖରେ ଆଗାମୀ କିସ୍ତି ପ୍ରଦାନ ହେବାକୁ ଥିବା ବେଳେ ସେଥିରେ ଯେଉଁ ହିତାଧିକାରୀ ନ ପାଇଥିବେ ସେମାନଙ୍କର ପରବର୍ତ୍ତୀ ସମୟରେ ପ୍ରଦାନ ନେଇ ବ୍ୟବସ୍ଥା ଗ୍ରହଣ କରାଯିବ।

ଆଜି ପୁରୀ ଜିଲ୍ଲା ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ଥିବା ସରକାରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ମିଶନ ଶକ୍ତି କାଫେ ଉଦ୍ଘାଟିତ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ଏପରି ସୂଚନା ଦେଇଛନ୍ତି। ମୁଖ୍ୟ ଅତିଥି ଭାବେ ନିମାପଡାରେ ଏହି କାଫେକୁ ଉଦ୍ଘାଟନ ସହ ମିଶନ ଶକ୍ତି କାଫେ ଗୃହ ବୁଲି ଦେଖିବା ପରେ ରୋଗୀ ମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ସୁଶମ ଖାଦ୍ୟ ସହିତ ପ୍ରତ୍ୟେକ ଦିନ ଉଷୁମ ଦୁଗ୍ଧ ଓ ପାଣି ଯୋଗାଇଦିଆଯିବା ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମତ ରଖିଛନ୍ତି।

ପରେ ସେ ନିମାପଡ଼ା ପଞ୍ଚାୟତ ସମିତି ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ବିଜ୍ଞାପିତ ଅଞ୍ଚଳ ପରିଷଦର ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ସେଠାରେ ଆୟୋଜିତ ସମ୍ମିଳନୀରେ ସମୁଦାୟ ୪୧ ଜଣଙ୍କୁ ସେ ଭତ୍ତା ବଣ୍ଟନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ବିଧବା ଭତ୍ତା, ୩୩ ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଏବଂ ଜଣଙ୍କୁ ଦିବ୍ୟାଙ୍ଗ ଭତ୍ତା ପ୍ରଦାନ କରାଯାଇଛି।

ନିମାପଡ଼ା ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ ଆଚାର୍ଯ୍ୟ, ଏନ୍ ଏ ସି ଅଧ୍ୟକ୍ଷା ସସ୍ମିତା ସାହୁ, ସାଂସଦ ପ୍ରତିନିଧି ମିନାଲତା ମହାନ୍ତି,ଉପାଧ୍ୟକ୍ଷ ସନ୍ତୋଷ ଦାଶ ସମେତ ମିଶନ ଶକ୍ତିର ସମସ୍ତ ମା ମାନେ ଉପସ୍ଥିତ ରହିଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

୨୦୨୫ ପାଇଁ ଜାରି ହେଲା ଛୁଟି କ୍ୟାଲେଣ୍ଡର ପର୍ବ ଓ ପ୍ରମୁଖ ଦିବସ ପାଇଁ ୨୬ ଦିନ ସରକାରୀ ଛୁଟି 

ଭୁବନେଶ୍ୱର:୨୦୨୫ ମସିହା ପାଇଁ ରାଜ୍ୟ ସରକାର ଆଜି ସରକାରୀ ଛୁଟି ଦିବସ ଘୋଷଣା କରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୨୦୨୫ କ୍ୟାଲେଣ୍ଡର ବର୍ଷରେ ସରକାରୀ କାର୍ଯ୍ୟାଳୟ ୨୬ ଦିନ ବନ୍ଦ ରହିବ। ବିଭିନ୍ନ ପର୍ବପର୍ବାଣୀ, ଗୁରୁତ୍ୱପୂର୍ଣ୍ଣ ଦିବସ ଥିବାରୁ ଏହି ସଂଖ୍ୟକ ଦିନ ଛୁଟି ମିଳିବ।

ସେହିପରି କର୍ମଚାରୀଙ୍କୁ ୮ ଟି ଇଛାଧୀନ ଛୁଟି ମିଳିବ ସେଥିରୁ ଗୋଟିଏ ଦିନ ଛୁଟି ନେଇପାରିବେ। ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାରରେ ୯ଟି ଛୁଟି ପଡୁଛି। ଉକ୍ତ ଛୁଟି କ୍ୟାଲେଣ୍ଡର ସମସ୍ତ ସରକାରୀ ଅଫିସ୍ ଓ ରେଭିନ୍ୟୁ ଓ ମାଜିଷ୍ଟ୍ରେଟ୍ କୋର୍ଟ ପାଇଁ ଲାଗୁ ହେବ। ୨୬ ଟି ସରକାରୀ ଛୁଟି ଜାନୁଆରୀ ୧୪ ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇ ଡିସେମ୍ବର ୨୫ ଏକ୍ସ-ମାସ୍ ଡେ’ ପର୍ଯ୍ୟନ୍ତ ଜାରି ରହିବ।

Categories
ଆଜିର ଖବର ରାଜ୍ୟ ଖବର

ମାଓ ଦମନ ପାଇଁ ଡିଜିପିଙ୍କ ଉପସ୍ଥିତିରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ

ଭୁବନେଶ୍ଵର: କନ୍ଧମାଳ ଜିଲ୍ଲାରେ ପହଞ୍ଚି ଡିଜିପି ୱାଇବି ଖୁରାନିଆ ନକ୍ସଲ ବିରୋଧ ଅଭିଯାନକୁ କଡାକଡି କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏଥିରେ କନ୍ଧମାଳ ଜିଲ୍ଲା ପୋଲିସ ,ପ୍ରଶାସନ ସହ ବିସ୍ତୃତ ଆଲୋଚନା କରିଛନ୍ତି। କନ୍ଧମାଳ ଜିଲ୍ଲା ସହ ରାୟଗଡ଼ା, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାର ଏସପିଙ୍କ ସହ ବିଏସଏଫ, ସିଆରପିଏଫ୍, ଇଣ୍ଟେଲିଜେନ୍ସ ବ୍ୟୁରୋଙ୍କ ସହ ରୁଦ୍ଧ ଦ୍ଵାର ବୈଠକ କରିଥିଲେ। ଡିଜିପିଙ୍କ ଗସ୍ତ ନେଇ କନ୍ଧମାଳରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଛତିଶଗଡ଼ରେ ମାଓ ଅପରେସନକୁ ଜୋରଦାର କରାଯିବା ପରେ ଏବେ ଆତ୍ମଗୋପନ ପାଇଁ ଓଡ଼ିଶା ତଥା କନ୍ଧମାଳ ଜିଲ୍ଲା ମୁହାଁ ହୋଇଛନ୍ତି ମାଓବାଦୀ ମାନେ। ଏଥିସହ କନ୍ଧମାଳ ଜିଲ୍ଲାରେ କେକେବିଏନ ଓ ବିଜିଏନ ଦୁଇ ଗୋଷ୍ଠୀ ମାଓବାଦୀ ରହିଛନ୍ତି। ଆସନ୍ତା ଦିନ ଗୁଡିକରେ ମାଓବାଦୀଙ୍କ କୌଣସି ବିଶୃଙ୍ଖଳାକୁ ସହ୍ୟ ନ କରିବା ସହ ସମ୍ପୂର୍ଣ୍ଣ ମାଓ ଦମନ ଅଭିଯାନକୁ କଡାକଡି କରାଯାଇ ସମ୍ପୂର୍ଣ୍ଣ ମାଓ ମୁକ୍ତ ଅଞ୍ଚଳରେ ପରିଣତ କରାଯିବ।

ଏହି ବୈଠକରେ ଆଇପିଏସ୍ ଅମିତ୍ କୁମାର, ଏ ଏନ୍ ସିହ୍ନା, ଜେ ଏନ୍ ପଙ୍କଜ, ଅଖି ଲେଶ୍ଵର ସିଂ, ସାର୍ଥକ ଷଡଙ୍ଗୀ, ସଂଜୟ କୁମାର ସିଂ, ବଲରାମ ବେହେରା ଏବଂ ପାଞ୍ଚ ଜିଲ୍ଲାର ଏସପି ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ। କନ୍ଧମାଳ ଜିଲ୍ଲାପାଳଙ୍କ ସହ ଡିଏଫଓ , ବୌଦ୍ଧ ଉପ ଜିଲ୍ଲାପାଳ , ପ୍ରମୁଖ ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

 ନୂଆପଡ଼ାକୁ ୧୨ ଜଣିଆ ପ୍ରଶାସନିକ ସେବାର ପ୍ରତିନିଧି ଦଳଙ୍କ ପରିଦର୍ଶନ

ଭୁବନେଶ୍ଵର: ନୂଆପଡା ଜିଲ୍ଲାକୁ ୧୨ ଜଣିଆ ପ୍ରଶାସନିକ ସେବାରେ ତାଲିମ୍ ନେଉଥିବା ପ୍ରତିନିଧି ଦଳ ପରିଦର୍ଶନ କରିଛନ୍ତି। ନୂଆପଡ଼ା ବ୍ଲକର ଧରମବନ୍ଧା ଏବଂ କୋମନା ବ୍ଲକର ସମରସିଂ ଗ୍ରାମପଞ୍ଚାୟତ ବୁଲି ଦେଖିଥିଲେ। ସରକାରୀ ଯୋଜନା ସଫଳ ରୂପାୟନର ବିଭିନ୍ନ ଦିଗ ଉପରେ ବୁଲି ଦେଖିବା ସହ ସ୍ୱଚ୍ଛ ଭାରତ ମିଶନ ରେ ସଫେଇ କରିଥିଲେ। ପଞ୍ଚାୟତ ପ୍ରତିନିଧି ଏବଂ ହିତାଧିକାରୀଙ୍କୁ ସାକ୍ଷାତ କରି ତାଙ୍କ ଲାଭ ନେଇଥିବା ବିଭିନ୍ନ ଯୋଜନା ଉପରେ ବୁଝିଥିଲେ।

ସେହିପରି ଯୋଜନା ରେ ଅର୍ନ୍ତଭୁକ୍ତ ହୋଇନଥିବା ନାଗରିକଙ୍କୁ ସାକ୍ଷାତ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଛାତ, ଶ୍ରମିକଙ୍କୁ କାମ ଯୋଗାଣ, ତରବୋର୍ଡ ଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଆନୁସଙ୍ଗିକ ବ୍ୟବସ୍ଥା ଏବଂ ଚିକିତ୍ସା ସୁବିଧା ନେଇ ଆଲୋଚନା କରିଥିଲେ। ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ସହ ନିଜ ଆଗାମୀ ଭବିଷ୍ୟତରେ ଏହା କାର୍ଯ୍ୟକାରୀ ହେବା ନେଇ ପ୍ରକାଶ କରିଛନ୍ତି।

ଏହି ଗସ୍ତରେ ଜିଲ୍ଲା ସ୍ତରୀୟ ଅଧିକାରୀ ଏପିଡି ଡି କେ ବେହେରା, ପ୍ରଭୂଦତ୍ତ ବାବୁ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ସହ ଅନେକ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଜନା କାର୍ଯ୍ୟକାରିତା ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ରରୁ ଫେରିଲେ ଆଇଏଏସ୍ ଅଧିକାରୀ ସଞ୍ଜୀବ ମିଶ୍ର, ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଓଡିଶା କ୍ୟାଡର୍ ଆଇଏଏସ୍ ଅଧିକାରୀ ସଞ୍ଜୀବ କୁମାର ମିଶ୍ର ଓଡିଶା ଫେରିବେ। ଶ୍ରୀ ମିଶ୍ରଙ୍କୁ ଓଡିଶା ଫେରାଇ ନେବା ପାଇଁ ଆଜି ଭାରତ ସରକାରଙ୍କ କାର୍ମିକ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଶ୍ରୀ ମିଶ୍ର ଏବେ କେନ୍ଦ୍ରରେ ନ୍ୟାସନାଲ ରିକ୍ୟୁଟ୍‌ମେଣ୍ଟ ଏଜେନ୍ସିର ସଚିବ ତଥା ପରୀକ୍ଷା ନିୟନ୍ତ୍ରକ ଭାବେ କାର୍ଯ୍ୟ କରୁଛନ୍ତି। ଓଡିଶା ପ୍ରତ୍ୟାବର୍ତ୍ତନ କରିବା ପରେ ରାଜ୍ୟ ସରକାର ତାଙ୍କୁ ନିଯୁକ୍ତି ପ୍ରଦାନ କରିବେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଦିଲ୍ଲୀର ବିପଜ୍ଜନକ ବାୟୁ ପ୍ରଦୂଷଣ ସ୍ତର ମଧ୍ୟରେ ପଞ୍ଜାବ-ହରିୟାଣାରେ ନଡ଼ା ଜଳୁଥିବା ଚିତ୍ର ଜାରି କଲା ନାସା

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ବାୟୁ ଗୁଣବତ୍ତା ବର୍ତ୍ତମାନ ବହୁତ ଖରାପ। ଉତ୍ତର ଭାରତର ଏହି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଶେଷ ଏହବା ସହିତ ତାପମାତ୍ରା ହ୍ରାସ ପାଉଥିବାରୁ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଆହ୍ଵାନପୂର୍ଣ୍ଣ। ଏହି ସମୟରେ ଆମେରିକାର ଏଜେନ୍ସି ନାସା ଉପଗ୍ରହ ଚିତ୍ରରେ ପଞ୍ଜାବ ଏବଂ ହରିୟାଣାରେ ବ୍ୟାପକ ନିଆଁ ଲାଗିଥିବାର ଘଟଣା ଚିହ୍ନଟ କରିଛି।

ସୂଚନାଯୋଗ୍ୟ ଯେ, ପଞ୍ଜାବ ଏବଂ ହରିୟାଣାରେ ନଡ଼ା ଜଳିବା ଭଳି ଘଟଣା ମୁଖ୍ୟତଃ ଦିଲ୍ଲୀ ଏନସିଆରରେ ବାୟୁ ପ୍ରଦୂଷଣ ପାଇଁ ଦାୟୀ। ନଡ଼ା ଜଳିବା ବନ୍ଦ କରିବା ପାଇଁ ଅନେକ ଉଦ୍ୟମ ସତ୍ତ୍ୱେ, ଏହି ବର୍ଷ ମଧ୍ୟ ନଡ଼ା ଜଳିବା ଭଳି ଘଟଣା ସାଧାରଣ ଅଟେ। ଦିଲ୍ଲୀର ଅତ୍ୟଧିକ ପ୍ରଦୂଷଣ ମଧ୍ୟରେ ନାସାର ଜୀବନ୍ତ ଅଗ୍ନି ମାନଚିତ୍ରରେ ପଞ୍ଜାବ ଏବଂ ହରିୟାଣାରେ ବ୍ୟାପକ ନିଆଁ ଜଳୁଥିବା ଦେଖାଯାଇଛି ଏବଂ ଏହି ଅଞ୍ଚଳରେ ବହୁ ପ୍ରଦୂଷଣ ହେଉଛି।

ପ୍ରତିବର୍ଷ ପରି, ଚଳିତ ବର୍ଷ ମଧ୍ୟ ଅକ୍ଟୋବର ଶେଷରେ ଏବଂ ନଭେମ୍ବରର ପ୍ରଥମ ସପ୍ତାହରେ ନାସା ଉପଗ୍ରହଗୁଡ଼ିକ ସିନ୍ଧୁ-ଗଙ୍ଗା ସମତଳ ଅଞ୍ଚଳରେ ନିଆଁ ଏବଂ ଧୂଆଁ ଚିହ୍ନଟ କରିଛି। ପଞ୍ଜାବ, ଉତ୍ତର ଭାରତ ଏବଂ ଏପରିକି ପାକିସ୍ଥାନ ପରି ଜନବହୁଳ ଅଞ୍ଚଳ ବିଶେଷ ଭାବରେ ନଡ଼ା ଜଳିବା ଦ୍ୱାରା ପ୍ରଭାବିତ ହୋଇଛି। ପଞ୍ଜାବର କୃଷକମାନେ ଗହମ ଅମଳ ପାଇଁ କ୍ଷେତ ପ୍ରସ୍ତୁତ କରିବାକୁ ପ୍ରାୟତଃ ଧାନର ଅବଶିଷ୍ଟ ଅଂଶ ଜାଳି ଦିଅନ୍ତି। ଯଦିଓ ଏହା ଏକ ଶସ୍ତା ପଦ୍ଧତି, କିନ୍ତୁ ଏହା ବହୁ ପ୍ରଦୂଷଣର କାରଣ ହୋଇଥାଏ।

କେନ୍ଦ୍ରୀୟ ପ୍ରଦୂଷଣ ଏବଂ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ ସର୍ବଶେଷ ତଥ୍ୟ ବିଷୟରେ କହିବାକୁ ଗଲେ ଆଜି ସକାଳ ୬ ଟା ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ ୩୪୯ ପଏଣ୍ଟରେ ରହିଛି। ଗାଜିଆବାଦରେ ୨୭୬, ଗ୍ରେଟର ନୋଏଡା ରେ ୨୮୯ ଏବଂ ନୋଏଡା ରେ ୨୬୯ ରହିଛି। ଦିଲ୍ଲୀର ଆୟା ନାଗର ବର୍ତ୍ତମାନ ସର୍ବାଧିକ ୪୦୬ ର AQI ରହିଛି। ପାଣିପାଗ ବିଭାଗ ଅନୁଯାୟୀ, ରାଜଧାନୀ ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ AQI ସ୍ତର ୩୦୦ ରୁ ଅଧିକ ଏବଂ ୪୦୦ ମଧ୍ୟରେ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

+୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ଏବିସି ଆଇଡି

ଭୁବନେଶ୍ୱର: ସ୍ନାତକରେ ନୂତନ ଜାତୀୟ ଶିକ୍ଷାନୀତି (ଏନ୍‌ଇପି) ଲାଗୁ ହେବାପରେ ଛାତ୍ରଛାତ୍ରୀଙ୍କ ଏକାଡେମିକ୍ ବ୍ୟାଙ୍କ୍ କ୍ରେଡିଟ୍ ବା ଏବିସି ଆଇଡି ଖୋଲିବାକୁ ପ୍ରାଥମିକତା ଦିଆଯାଇଛି। ଆସନ୍ତା ୨୫ତାରିଖ ସୁଦ୍ଧା +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଏବିସି ଆଇଡି ଖୋଲିବାକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦଶାଳୟ ପକ୍ଷରୁ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କୁ ମଙ୍ଗଳବାର ନିର୍ଦ୍ଦେଶ ଦିଆଯାଇଛି।

ସରଳ ଭାବେ ରାଜ୍ୟରେ ଏନ୍‌ଇପି ଲାଗୁ କରିବାକୁ ଏହା ଗୁରୁତ୍ୱପୂର୍ଣ୍ଣ ଓ ବାଧ୍ୟତାମୂଳକ ବୋଲି ଦର୍ଶାଯାଇଛି। ସମସ୍ତ ୫ଟି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦଶାଳୟ ସେମାନଙ୍କ ଅଧିନରେ ଥିବା ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ଏନେଇ ଅବଗତ କରିଥିବା ଜଣାପଡ଼ିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ଝାଡ଼ଖଣ୍ଡର ୪୩ ଟି ଆସନ ପାଇଁ ମତଦାନ ଜାରି, ଅପରାହ୍ନ ୧ ସୁଦ୍ଧା ୪୬.୩% ଭୋଟ୍

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ ଜାରି ରହିଛି। ୧୫ ଟି ଜିଲ୍ଲାର ୪୩ ଟି ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି। ଏହି ନିର୍ବାଚନରେ ବିଜେପି ଏବଂ କଂଗ୍ରେସ-ଜେଏମଏମ ମେଣ୍ଟ ମଧ୍ୟରେ ମୁଖ୍ୟ ପ୍ରତିଯୋଗିତା ହେଉଛି। ଏହି ନିର୍ବାଚନରେ ​​ସ୍ଥିର ହେବ ଯେ, ହେମନ୍ତ ସୋରେନ ଝାଡ଼ଖଣ୍ଡରେ ପୁନର୍ବାର କ୍ଷମତାକୁ ଆସିବେ ନା ବିଜେପି ବାଜି ମାରିବ।

ପରବର୍ତ୍ତୀ ପର୍ଯ୍ୟାୟ ନଭେମ୍ବର ୨୦ ତାରିଖରେ ୩୦ ଟି ଆସନ ପାଇଁ ଅନୁଷ୍ଠିତ ହେବ। ୪୩ ଟି ସିଟ୍ ମଧ୍ୟରୁ ଯେଉଁଠାରେ ଭୋଟ୍ ନିଆଯାଉଛି, ସେଠାରେ ୧୭ ଟି ସାଧାରଣ ବର୍ଗ, ୨୦ ଟି ଏସଟି ଏବଂ ୬ ଟି ଏସସି ସିଟ୍ ଅଛି। ଭୋଟ୍ ପାଇଁ ୨୦,୨୮୧ ସ୍ଥାନରେ ମୋଟ ୨୯୫୬୨ ମତଦାନ ବୁଥ୍ ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରୁ ୫୦୪୨ ବୁଥ ସହରାଞ୍ଚଳରେ ଏବଂ ୨୪୫୨୦ ବୁଥ ଗ୍ରାମାଞ୍ଚଳରେ ଅଛି। ୪୩ ଟି ଆସନ ମଧ୍ୟରୁ ୨୯ ଟି ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ଭାବେ ଘୋଷଣା କରାଯାଇଛି। ଏଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ଆଜି ପ୍ରଥମ ପର୍ଯ୍ୟାୟରେ ୬୮୩ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି, ସେଥିମଧ୍ୟରୁ ୬୦୯ ଜଣ ପୁରୁଷ, ୭୩ ଜଣ ମହିଳା ଏବଂ ଜଣେ ତୃତୀୟ ଲିଙ୍ଗ ଅଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟି -20, ଜାଣନ୍ତୁ ପିଚ୍ ରିପୋର୍ଟ ଏବଂ ମ୍ୟାଚ୍ ପୂର୍ବାନୁମାନ

ନୂଆଦିଲ୍ଲୀ: ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟି -20 ଖେଳାଯିବ। ସେଞ୍ଚୁରିଅନର ସୁପରସ୍ପୋର୍ଟ ପାର୍କରେ ଉଭୟ ଦଳ ମୁହାଁମୁହିଁ ହେବେ। ଭାରତୀୟ ସମୟ ଅନୁଯାୟୀ, ଏହି ମ୍ୟାଚ୍ ରାତି 8:30 ରେ ଆରମ୍ଭ ହେବ। ମ୍ୟାଚର ଟସ୍ 8 ଟା ସମୟରେ ହେବ। 4 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ 1-1 ରେ ବରାବର ଅଛି। ଏଭଳି ପରିସ୍ଥିତିରେ ଆଜି ଜିତୁଥିବା ଦଳ ସିରିଜ କବଜା କରିବାକୁ ସହଜ ହେବ।

ଭାରତୀୟ ଦଳ ସିରିଜର ପ୍ରଥମ ଟି -20 କୁ 61 ରନରେ ଜିତି ନେଇଥିଲା। ଏହା ପରେ ଟିମ୍ ଇଣ୍ଡିଆ ମଧ୍ୟ ଦ୍ୱିତୀୟ ଟି -20 ରେ ବିଜୟର ନିକଟତର ହୋଇଥିଲା, କିନ୍ତୁ ଶେଷରେ ଜେରାଲ୍ଡ କୋଏଟଜି ଏବଂ ଟ୍ରଷ୍ଟନ୍ ଷ୍ଟବ୍ସ ଖେଳ ବୁଲାଇ ଦକ୍ଷିଣ ଆଫ୍ରିକାକୁ ହାରିଯାଇଥିବା ମ୍ୟାଚ୍ ଜିତାଇଥିଲେ। ଏଭଳି ପରିସ୍ଥିତିରେ ସିରିଜ୍ ୧-୧ ରେ ବରାବର ହୋଇଛି।

ଭାରତ ବନାମ ଦକ୍ଷିଣ ଆଫ୍ରିକା ତୃତୀୟ ଟି -20 ପିଚ୍ ରିପୋର୍ଟ:

ସେଞ୍ଚୁରିଅନର ସୁପରସ୍ପୋର୍ଟ ପାର୍କର ପିଚ୍ ଦ୍ରୁତ ବୋଲରମାନଙ୍କ ପାଇଁ ଉପଯୁକ୍ତ। ଦ୍ରୁତ ବୋଲରମାନେ ଏହି ପିଚରେ ଭଲ ବାଉନ୍ସ ପାଆନ୍ତି। ଗତ କିଛି ବର୍ଷ ମଧ୍ୟରେ ସେଞ୍ଚୁରିଅନ୍ ପିଚ୍ ପୂର୍ବ ଅପେକ୍ଷା ଅଧିକ ଗତି ଏବଂ ବାଉନ୍ସ ଦେଖିଛି। ଦ୍ରୁତ ବୋଲରମାନେ ଏହି ପିଚରେ ଆତଙ୍କ ସୃଷ୍ଟି କରିପାରନ୍ତି। ଟସ୍ ଜିତିଥିବା ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇପାରେ।

ଭାରତ ବନାମ ଦକ୍ଷିଣ ଆଫ୍ରିକା ତୃତୀୟ ଟି -20 ମ୍ୟାଚ୍ ପୂର୍ବାନୁମାନ:

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ମ୍ୟାଚ୍ ଏକପାଖିଆ ଥିଲା, କିନ୍ତୁ ଦ୍ୱିତୀୟ ଟି -20 ରେ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ଆଜିର ମ୍ୟାଚ୍ ମଧ୍ୟ ରୋମାଞ୍ଚକର ପରିପୂର୍ଣ୍ଣ ହେବ। ଆମର ମ୍ୟାଚ୍ ପୂର୍ବାନୁମାନ ମିଟର କହୁଛି ଯେ, ଏହି ମ୍ୟାଚ୍ ଏକ କଡା ପ୍ରତିଯୋଗିତା ହେବ। ଯଦିଓ, ଦକ୍ଷିଣ ଆଫ୍ରିକା ଦଳର ବିଜୟର ସମ୍ଭାବନା ଟିକେ ଅଧିକ, କିନ୍ତୁ ଭାରତୀୟ ଖେଳାଳିମାନେ ପୁଣି ଥରେ ଚମତ୍କାର ପ୍ରଦର୍ଶନ କରିପାରନ୍ତି।

ଭାରତ ଏବଂ ଦକ୍ଷିଣ ଆଫ୍ରିକାର ସମ୍ଭାବ୍ୟ ଖେଳାଳି ଏକାଦଶ:

ସଞ୍ଜୁ ସାମସନ (ୱିକେଟ୍ କିପର), ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ରିଙ୍କୁ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ, ରବି ବିଷ୍ନୋଇ, ବରୁଣ ଚକ୍ରବର୍ତ୍ତୀ, ଆଭେଶ ଖାନ ଏବଂ ଅର୍ଶଦୀପ ସିଂ।

ରେଜା ହେଣ୍ଡ୍ରିକ୍ସ, ରିଆନ୍ ରିକେଲଟନ୍, ଆଡେନ ମାର୍କ୍ରାମ (ଅଧିନାୟକ), ଟ୍ରିଆଷ୍ଟ ଷ୍ଟବ୍ସ, ହେନ୍ରିଚ୍ କ୍ଲାସେନ୍ (ୱିକେଟ୍ କିପର), ଡେଭିଡ ମିଲର, ମାର୍କୋ ଜାନସେନ୍, କେଶବ ମହାରାଜ, ଆଣ୍ଡିଲ ସିମେଲେନେ, ଗେରାଲ୍ଡ କୋଏଟେଜୀ ଏବଂ ନାକାବାୟୋମଜି ପିଟର।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଚିକିତ୍ସାରେ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅର୍ନ୍ତଗତ ଡିଆଁଡେଇଁ ଗ୍ରାମର ସୁନେଲୀ ନାୟକ ନାମ୍ନୀ ଜଣେ ମହିଳା ପ୍ରସବ ବେଦନା ଯୋଗୁଁ ଛତ୍ରପୁର ଉପକଣ୍ଠ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ମହିଳାଙ୍କ ପରିସ୍ଥିତି ଗୁରୁତର ହେବାରୁ ଦାୟିତ୍ଵରେ ଥିବା ଡ଼ାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ।

ପୀଡିତା ମହିଳା ପ୍ରସବ ବେଦନାରେ ଛଟପଟ ହୋଇ ପ୍ରବଳ ରକ୍ତସ୍ରାବ ସହିତ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ପରବର୍ତ୍ତୀ ସମୟରେ ସୁନେଲୀଙ୍କ ରକ୍ତସ୍ରାବ ବନ୍ଦ ନହେବାରୁ ପରିବାର ଲୋକଙ୍କୁ ରକ୍ତ ଆଣିବା କହିଥିଲେ। ସୁନେଲୀଙ୍କ ସ୍ବାମୀ ପ୍ରଶାନ୍ତ ନାୟକ ଡାକ୍ତରଖାନା ପରିସରରେ ଥିବା ରକ୍ତ ଭଣ୍ଡାରରୁ ରକ୍ତ ଆଣି ଦେଇଥିଲେ ଓ ରକ୍ତ ଦେବାର କିଛି ସମୟପରେ ସୁନେଲୀଙ୍କ ମୃତ୍ୟୁ ଘଟିଥିଲା।

ଏହି ଭଳି ପରିସ୍ଥିତିରେ ଚିକିତ୍ସାରେ ଅବହେଳା ଓ ରକ୍ତ ବଦଳ ଯୋଗୁଁ ସୁନେଲୀଙ୍କ ମୃତ୍ୟୁ ଘଟିଛି ବୋଲି ପରିବାର ଲୋକେ ଓ ସ୍ବାମୀ ପ୍ରଶାନ୍ତ ଅଭିଯୋଗ କରିଥିଲେ। ଯାହା ଫଳରେ ଡ଼ାକ୍ତରଖାନା ପରିସରରେ କିଛି ସମୟ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ସମୟ ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ଅନ୍ୟପକ୍ଷରେ ରକ୍ତ ଠିକ ଦିଆଯାଇଛି ଓ ଅତ୍ୟଧିକ ରକ୍ତ ସ୍ରାବ ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟିଛି ବୋଲି ଡାକ୍ତରଖାନା ଅଧ୍ୟକ୍ଷ ଡ଼ଃ ସୁଚିତ୍ରା ଦାସ ବିବୃତ୍ତି ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରେଳ ସୁରକ୍ଷା ସଚେତନତା

ବାଲୁଗାଁ: ମଙ୍ଗଳବାର ପୂର୍ବାହ୍ନରେ ରେଳ ସୁରକ୍ଷା ବଳ ପକ୍ଷରୁ ଖଲ୍ଲିକୋଟ ଷ୍ଟେସନ ନିକଟ କେଶପୁର ଉଚ୍ଚବିଦ୍ୟାଳୟ ଓ ଗୁରାପଲ୍ଲୀ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ରେଳ ସୁରକ୍ଷା ନିମିତ୍ତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଗତ କିଛି ଦିନ ମଧ୍ୟରେ ରେଳ ଟ୍ରାକ ହେଉ ଅବା ପ୍ଲାଟଫର୍ମ ମଧ୍ୟରେ ଯାତ୍ରୀମାନଙ୍କ ବିପଦପୂର୍ଣ୍ଣ ଭାବେ ରେଳ ଧାରଣା ଅତିକ୍ରମ କରିବା ଅଥବା ଅସାବଧାନତା ବଶତଃ ରେଳ ଦୁର୍ଘଟଣାର ଶିକାର ହୋଇ ଏକାଧିକ ଜୀବନ ହାନି ଘଟିଥିବା ନଜିର ରହିଛି।

ଏଭଳି ଅଘଟଣକୁ ଏଡ଼ାଇବା ନେଇ ବାଲୁଗାଁ ଆରପିଏଫ ଅଧୂକାରୀ ଜିତେନ୍ଦ୍ର ମୌର୍ଯ୍ୟ ଏବଂ ଉପନିରୀକ୍ଷକ କେସି ସାହୁଙ୍କ ତତ୍ତ୍ଵାବଧାନରେ ରେଳଯାତ୍ରୀଙ୍କ ସମେତ ସାଧାରଣ ଜନତାଙ୍କ ସୁରକ୍ଷା ନିମିତ୍ତ ବିଭିନ୍ନ ସଚେତନ ମୂଳକ ବାର୍ତ୍ତା ପ୍ରଦାନ କରାଯାଇଥିଲା।ଯାହାକି ଅନାୟାସରେ ରେଳ ଧାରଣା ଅତିକ୍ରମ ନକରିବା, ଚଳନ୍ତା ଟ୍ରେନ ଉପରକୁ ପଥର ନ ଫିଙ୍ଗିବା, ରେଳ ଫାଟକ ପଡ଼ିଥ‌ିବା ସମୟରେ ଅବାଧ ପ୍ରବେଶ ନକରିବା, ରେଳ ଟ୍ରାକରେ ମଳ ତ୍ୟାଗ ନକରିବା, ଗଳା ରାସ୍ତା ଦେଇ ରେଳ ଟ୍ରାକ ଅତିକ୍ରମ ନକରିବା, ରେଳ ପରିସର ସମେତ ଆଖପାଖ ଅଞ୍ଚଳ ପରିଷ୍କାର ରଖିବା ନେଇ ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରେଳ ସୁରକ୍ଷା ବଳ କର୍ମଚାରୀଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

“ସୁଭଦ୍ରା” ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ ସଂପର୍କିତ ସମୀକ୍ଷା ବୈଠକ

ଭୁବନେଶ୍ୱର: ଆଗାମୀ ନଭେମ୍ବର ୨୪ ତାରିଖରେ “ସୁଭଦ୍ରା” ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ହିତାଧିକାରୀଙ୍କୁ ଅର୍ଥ ମିଳିବ। ଏହି ପର୍ଯ୍ୟାୟରେ ପ୍ରାୟ ୨୦ ଲକ୍ଷ ହିତାଧିକାରୀଙ୍କୁ ଅର୍ଥ ପ୍ରେରଣ  ପାଇଁ ବ୍ୟବସ୍ଥା କରାଯାଉଥିବା ସଂପର୍କରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଥିଲେ। ଏହି ପରିପ୍ରେକ୍ଷୀରେ ହିତାଧିକାରୀଙ୍କ  ଆକାଉଣ୍ଟକୁ କିପରି ଅର୍ଥ ଯିବ, ସେଥିପାଇଁ ପ୍ରସ୍ତୁତି ଓ ସୁବ୍ୟବସ୍ଥା ସଂପର୍କରେ ଏକ ସମୀକ୍ଷା ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ  ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନ୍ୟମାନଙ୍କ  ମଧ୍ୟରେ  ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଯୋଗଦେଇଥିବା ବେଳେ ସମସ୍ତ ଜିଲ୍ଲାରୁ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ବିଡିଓମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।

ପଞ୍ଜୀକରଣ କରିଥିବା ଅଥଚ ବ୍ୟାଙ୍କ ଏବଂ ଆଧାର ସଂଯୋଗୀକରଣ ଜନିତ ସମସ୍ୟା ଯୋଗୁଁ  ବାଦ ପଡିଥିବା ହିତାଧିକାରୀମାନଙ୍କର ସମସ୍ୟାକୁ ସମାଧାନ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ଏନ୍‌ସିପିଆଇ (ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ) ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଅର୍ଥ ପ୍ରେରଣବେଳେ ଯେଉଁମାନଙ୍କର ତୃଟି ଦେଖା ଦେଇଥିଲା, ତାହାକୁ ଅନୁଧ୍ୟାନ କରାଯିବ। ଏଥିପାଇଁ ହିତାଧିକାରୀଙ୍କ ନିମନ୍ତେ ବ୍ଲକସ୍ତରରେ ବିଡିଓଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଯାଞ୍ଚ କମିଟି, ପୌରାଂଚଳରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଯାଞ୍ଚ କମିଟି ଏବଂ ମହାନଗର ନିଗମରେ ମୁନିସିପାଲ କମିଶନରଙ୍କ ଅଧ୍ୟକ୍ଷତାରେ ଯାଞ୍ଚ କମିଟି ଦ୍ୱାରା ଆବେଦନ ଯାଞ୍ଜ ପରେ ଦରଖାସ୍ତଗୁଡ଼ିକୁ  ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଯାଂଚ ଓ ଅନୁମୋଦନ ପରେ ହିତାଧିକାରୀଙ୍କ ତାଲିକା ବିଭାଗକୁ ସରକାରଙ୍କ ଅନୁମୋଦନ ନିମନ୍ତେ ପଠାଯିବା ନେଇ ମାନକ ନିର୍ଦ୍ଧାରଣ ପଦ୍ଧତି (ଏସଓପି) ସ୍ଥିର କରାଯାଇଛି। ହିତାଧିକାରୀଙ୍କୁ ସହାୟତା ପାଇଁ ସମସ୍ତ ଜିଲ୍ଲାରେ  ସୁଭଦ୍ରା ହେଲ୍‌ପ ଡେସ୍କମାନ  କାର୍ଯ୍ୟ କରୁଛି। କ୍ଷେତ୍ରସ୍ତରରେ ଯାଂଚ ଟିମ୍ ମାନେ  ଆବେଦନଗୁଡିକୁ ଯାଂଚ କରିବେ।

ଯାଂଚ ପ୍ରକ୍ରିୟା ଯେପରି ସ୍ୱଚ୍ଛ ଓ ନିରପେକ୍ଷ ରହିବ ସେଥିପ୍ରତି ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି। ଯେପରି କୌଣସି ଜଣେ  ବି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ଅର୍ଥ ପାଇବାରୁ ବଂଚିତ ନ ହୁଅନ୍ତି, ସେଥିପାଇଁ ରାଜ୍ୟ ସରକାର  ଗୁରୁତ୍ୱ ଦେଇଛନ୍ତି। ଅଦ୍ୟାବଧି ୧ କୋଟି ୩ ଲକ୍ଷ ୬୨ ହଜାର ୩୭୭ ଟି ସୁଭଦ୍ରା ଆବେଦନ ଗ୍ରହଣ କରାଯାଇଥିବା ବେଳେ ପ୍ରଥମ ଓ ୨ୟ ପର୍ଯ୍ୟାୟରେ ପ୍ରାୟ ୬୦ ଲକ୍ଷ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ  ପ୍ରଥମ କିସ୍ତି ସହାୟତା ରାଶି ପ୍ରଦାନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଏ ସବୁ ଜିନିଷକୁ ପର୍ସରେ ରଖିବା ଦ୍ଵାରା କେବେ ବି ହେବ ନାହିଁ ଧନର ଅଭାବ

ଭୁବନେଶ୍ଵର: ଯଦି କଠିନ ପରିଶ୍ରମ କରିବା ପରେ ବି ଆପଣଙ୍କ ଜୀବନରେ ସର୍ବଦା ଧନର ଅଭାବ ରହୁଛି। ତେବେ ଆପଣ ଏକ ଉପାୟ ଦ୍ଵାରା ଏଥିରେ ମୁକ୍ତି ପାଇପାରିବେ। ଆପଙ୍କ ପର୍ସରେ ଆପଣ ଏମିତି କିଛି ଜିନିଷ ରଖନ୍ତୁ ଯଦ୍ୱାରା ଆପଣଙ୍କୁ କେବେ ବି ଧନର କମି ରହିବନି।

ତେବେ ଆସନ୍ତୁ ଜାଣିବା ପର୍ସରେ ଏମିତି କଣ ରଖିଲେ ଧନ ପ୍ରାପ୍ତି ହେବ –

୧-ଧନର ଅଭାବ ଦୂର କରିବା ପାଇଁ ଶୁକ୍ରବାର ଦିନ ପାଞ୍ଚ ଗୋମତୀ ଚକ୍ର ଓ ଏକ ହଳଦୀକୁ ନେଇ ଏକ ଲାଲ କପଡାରେ ବାନ୍ଧି ଦିଅନ୍ତୁ। ଏଇ ପୁଟୁଳିକୁ ମାତା ଲକ୍ଷ୍ମୀଙ୍କ ମୃତ୍ତି ପାଖରେ ରଖିପୂଜା କରନ୍ତୁ। ଏହାପରେ ଏହାକୁ ପର୍ସରେ ରଖି ଦିଅନ୍ତୁ। ଏହାକୁ ରଖିବା ଦ୍ଵାରା ଆପଣଙ୍କୁ କେବେ ବି ଧନର ଅଭାବ ହେବ ନାହିଁ।

୨-ହଳଦିଆ ରଙ୍ଗ ର ଏକ କପଡାରେ ପାଞ୍ଚଟି ହଳଦିଆ କଉଡି ରଖି ଏହାକୁ ଗଣ୍ଠି ବାନ୍ଧି ଦିଅନ୍ତୁ। ଏହାପରେ ଏଇ ପୋଟଳିକୁ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ନୁଙ୍କ ପାଖରେ ରଖି ଏହାର ପୂଜା କରନ୍ତୁ। ଏହାପରେ ଏହାକୁ ପର୍ସରେ ରଖନ୍ତୁ। ଏହା ଦ୍ଵାରା ଆପଣଙ୍କ ଜୀବନରେ କେବେ ବି ଧନର ଅଭାବ ରହିବ ନାହିଁ।

୩-ଧଳା ରଙ୍ଗର ପଥର ଓ କମଳା ବୀଜକୁ ନେଇ କୌଣସି ଏକ ଶୁକ୍ରବାର ଦିନ ନିଜ ପର୍ସରେ ରଖନ୍ତୁ। ଏପରି କରିବା ଦ୍ଵାରା ଆପଣଙ୍କ ଜୀବନରେ ଧନ ସମ୍ବନ୍ଧୀୟ ସମସ୍ୟା ରହିବ ନାହିଁ।
ଶୁକ୍ରବାର ଦିନ ଏକ ଛୋଟ ଶ୍ରୀଯନ୍ତ୍ରର ପୂଜା କରିକି ଏହାକୁ ନିଜ ପର୍ସରେ ରଖନ୍ତୁ। ଏହାଦ୍ବାରା ଆପଣଙ୍କୁ କେବେ ବି ଧନ ର ଅଭାବ ପରିଲକ୍ଷିତ ହେବ ନାହିଁ। 

Categories
ଆଜିର ଖବର ଜାତୀୟ ଖବର ସିନେମା

ଆଇଏଫ୍ଏଫ୍ଆଇରେ ଆଇସିଏଫଟି-ୟୁନେସ୍କୋ ଗାନ୍ଧୀ ପଦକ: ଶାନ୍ତି ଓ ମାନବିକତାକୁ ସିନେମା ଜରିଆରେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ର ୫୫ତମ ସଂସ୍କରଣରେ ସମ୍ମାନଜନକ ଆଇସିଏଫଟି-ୟୁନେସ୍କୋ ଗାନ୍ଧୀ ପଦକ ପାଇଁ ଆନୁଷ୍ଠାନିକ ଭାବେ ମନୋନୀତ ଚଳଚିତ୍ର ଗୁଡିକୁ ଉନ୍ମୋଚନ କରାଯାଇଛି, ଯାହା (ଇଣ୍ଟରନ୍ୟାସନାଲ୍ କାଉନ୍ସିଲ୍ ଫର୍ ଫିଲ୍ମ, ଟେଲିଭିଜନ ଆଣ୍ଡ ଅଡିଓଭିଜୁଆଲ୍ କମ୍ୟୁନିକେସନ୍ (ଆଇସିଏଫ୍ଟି) ପ୍ୟାରିସ୍ ଏବଂ ମିଳିତ ଜାତିସଂଘ ଶିକ୍ଷା, ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ (ୟୁନେସ୍କୋ)ର ମିଳିତ ସହଯୋଗରେ ପ୍ରସ୍ତୁତ କରାଯାଇଛି । ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ବିଶେଷକରି ଅହିଂସା, ସହିଷ୍ଣୁତା ଏବଂ ସାମାଜିକ ସୌହାର୍ଦ୍ଦ୍ୟକୁ ପ୍ରତିଫଳିତ କରୁଥିବା ଚଳଚ୍ଚିତ୍ରଗୁଡ଼ିକୁ ଏହି ଉତ୍ସବରେ ସ୍ଥାନିତ କରାଯାଇଛି।

ଚଳିତ ବର୍ଷ ୧୦ଟି ଉଲ୍ଲେଖନୀୟ ଚଳଚ୍ଚିତ୍ରକୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି, ଯେଉଁଥିରେ ପ୍ରତ୍ୟେକ ଭିନ୍ନ ଭିନ୍ନ ଅଞ୍ଚଳ, ସଂସ୍କୃତି ଏବଂ ଶୈଳୀର ପ୍ରତିନିଧିତ୍ୱ କରିଥିଲେ ମଧ୍ୟ ଗାନ୍ଧୀବାଦୀ ନୀତି ପ୍ରତି ସେମାନଙ୍କର ପ୍ରତିବଦ୍ଧତା ଦ୍ୱାରା ଏକତ୍ରିତ ହୋଇଛନ୍ତି। ଏଥିରେ ଇସାବେଲ ଡାନେଲ (ଫିପ୍ରେସସିଆଇ – ଇଣ୍ଟରନ୍ୟାସନାଲ ଫେଡେରେସନ୍ ଅଫ୍ ଫିଲ୍ମ କ୍ରିଟିକ୍ସର ସମ୍ମାନିତ ସଭାପତି), ସର୍ଗେ ମାଇକେଲ (ସିଆଇସିଟି-ଆଇସିଏଫଟିର ଉପାଧ୍ୟକ୍ଷ), ମାରିଆ କ୍ରିଷ୍ଟିନା ଇଗ୍ଲେସିଆସ୍ (ୟୁନେସ୍କୋର ସାଂସ୍କୃତିକ କ୍ଷେତ୍ର କାର୍ଯ୍ୟକ୍ରମର ପୂର୍ବତନ ମୁଖ୍ୟ), ଡ. ଅହମ୍ମଦ ବେଦଜାଉଇ (ଆଲଜେୟର୍ସ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲର କଳାତ୍ମକ ନିର୍ଦ୍ଦେଶକ) ଏବଂ ଜୁୟାନ୍ ହୁନ୍ (ପ୍ଲାଟଫର୍ମ ଫର୍ କ୍ରିଏଟିଭିଟି ଆଣ୍ଡ ଇନୋଭେସନ୍, ସିଆଇସିଟି-ଆଇସିଏଫଟି ଯୁବ ଶାଖା)ଙ୍କ ଭଳି ବିଶିଷ୍ଟ ବ୍ୟକ୍ତିତ୍ୱ ସାମିଲ ଅଛନ୍ତି। ନୈତିକ ଗଭୀରତା, କଳାତ୍ମକ ଉତ୍କର୍ଷତା ଏବଂ ଦର୍ଶକଙ୍କୁ, ବିଶେଷ କରି ଯୁବବର୍ଗଙ୍କୁ ଯୋଡ଼ିବା ଏବଂ ଶିକ୍ଷିତ କରିବାର କ୍ଷମତା ଆଧାରରେ ଏହି ଚଳଚ୍ଚିତ୍ରଗୁଡ଼ିକର ମୂଲ୍ୟାଙ୍କନ କରାଯିବ ।

ଆଇସିଏଫଟି ୟୁନେସ୍କୋ ଗାନ୍ଧୀ ପଦକ ୨୦୨୪ ପାଇଁ ମନୋନୀତ ହୋଇଛନ୍ତି:

କ୍ରସିଂ

ଇସ୍ତାନବୁଲର କିନ୍ନର ସମ୍ପ୍ରଦାୟକୁ ନେଇ ଏକ ମର୍ମନ୍ତୁଦ ନାଟକ ଉପସ୍ଥାପନକରିଛନ୍ତି ସ୍ୱିଡେନ୍ ନିର୍ଦ୍ଦେଶକ ଲେଭାନ୍ ଆକିନ୍ । ଏହି ଚଳଚ୍ଚିତ୍ରରେ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଲିଆଙ୍କ ତାଙ୍କ ଝିଆରୀ ଟେକଲାଙ୍କୁ ଖୋଜିବା ପାଇଁ ଯାତ୍ରା ମାଧ୍ୟମରେ ଶ୍ରେଣୀ, ଲିଙ୍ଗ ଏବଂ ଯୌନତା ବିଷୟବସ୍ତୁକୁ କେନ୍ଦ୍ରୀଭୂତ କରାଯାଇଛି। ସମ୍ପର୍କ ଏବଂ ରୂପାନ୍ତର ଉପରେ ଗୁରୁତ୍ୱାରୋପ କରି ଏହି ଚଳଚ୍ଚିତ୍ରଟି ବର୍ଲିନ୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୪ରେ ଟେଡି ଜୁରି ପୁରସ୍କାର ଜିତିଥିଲା ।

ରାଣାଙ୍କ ପାଇଁ

ବୁସାନ୍ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ୨୦୨୪ରେ ପ୍ରିମିୟର ହୋଇଥିବା ଇରାନୀ ଚଳଚ୍ଚିତ୍ର ନିର୍ମାତା ଇମାନ ୟାଜଦିଙ୍କ ପ୍ରଥମ ଚଳଚ୍ଚିତ୍ରରେ ଜଣେ ଦମ୍ପତି ନିଜ ଝିଅର ହୃଦୟ ପ୍ରତିରୋପଣ ପାଇଁ ସଂଘର୍ଷ କରୁଥିବାର ହୃଦୟ ବିଦାରକ କାହାଣୀକୁ ଅନୁସରଣ କରି ପ୍ରେମ, କ୍ଷତି ଏବଂ ଡାକ୍ତରୀ ପସନ୍ଦର ନୈତିକତା ଉପରେ ଗଭୀର ପ୍ରଶ୍ନ ଉଠାଇଛି।

ପାଠ ଶିଖିବା (ଫିକେଟ ପୋଣ୍ଟ)

ହଙ୍ଗେରିର ନିର୍ଦ୍ଦେଶକ ବାଲିଣ୍ଟ ଜିମଲରଙ୍କ ଏକ ଶକ୍ତିଶାଳୀ ପଦାର୍ପଣ, ଲେସନ୍ ଲର୍ଣ୍ଣିଂ ହଙ୍ଗେରିର ଶିକ୍ଷାଗତ ସଙ୍କଟକୁ ଏକ ଅସୁବିଧାଗ୍ରସ୍ତ ପିଲାଙ୍କ ଆଖିରେ ସମାଲୋଚନା କରିଥିଲେ। ଏହାର ତୀବ୍ର ସାମାଜିକ ମନ୍ତବ୍ୟ ପାଇଁ ପ୍ରଶଂସିତ ଏହି ଚଳଚ୍ଚିତ୍ରଟି ଲୋକାର୍ନୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ, ୨୦୨୪ରେ ପ୍ରଶଂସିତ ହୋଇଥିଲା ।

ପୋଲ୍ ପୋଟ୍ ସହିତ ବୈଠକ (ରେଣ୍ଡେଜ୍-ଭୋସ୍ ଆଭେକ୍ ପୋଲ୍ ପୋଟ୍)

ଏଲିଜାବେଥ ବେକରଙ୍କ “ଯେତେବେଳେ ଯୁଦ୍ଧ ଶେଷ ହୋଇଥିଲା” ରୁ ଅନୁପ୍ରାଣିତ ହୋଇ କାମ୍ବୋଡିଆ ଚଳଚ୍ଚିତ୍ର ନିର୍ମାତା ରିଥି ପାନହଙ୍କ ଏକ ପ୍ରତିଫଳିତ ନାଟକ । ୧୯୭୮ କାମ୍ବୋଡିଆରେ ପୋଲ ପୋଟସ୍‍ ଶାସନର ଭୟାବହତାକୁ ସାମ୍ନା କରୁଥିବା ତିନି ଜଣ ଫ୍ରାନ୍ସ ସାମ୍ବାଦିକଙ୍କୁ ନେଇ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଏହା କାନ୍ସ ୨୦୨୪ରେ ପ୍ରଦର୍ଶିତ ହୋଇଥିଲା ଏବଂ ଏହାର ଭାବନାତ୍ମକ ଗଭୀରତା ଏବଂ ଐତିହାସିକ ସଠିକତା ପାଇଁ ପ୍ରଶଂସିତ ହୋଇଥିଲା ।

ସତୁ – ଇୟର ଅଫ୍‍ ଦି ରାବିଟ୍‍

ଲାଓସରେ ଆୟୋଜିତ ରେନଡ୍ୟାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୪ରୁ ଜୋଶୁଆ ଟ୍ରିଗ୍ ପୁରସ୍କାର ବିଜେତା ଡେବ୍ୟୁ କରିଛନ୍ତି। ଏକ ପରିତ୍ୟକ୍ତ ଶିଶୁ ନିଜ ମା’କୁ ଖୋଜୁଥିବାର ଏହି ମାର୍ମିକ କାହାଣୀ ବଞ୍ଚିବା, ବନ୍ଧୁତା ଏବଂ ସ୍ଥିରତା ବିଷୟରେ ଅନୁସନ୍ଧାନ କରେ ।

ଟ୍ରାନ୍ସମାଜୋନିଆ

ଦକ୍ଷିଣ ଆଫ୍ରିକାର ଚଳଚ୍ଚିତ୍ର ନିର୍ମାତା ପିଆ ମାରାଇସ୍ ବ୍ରାଜିଲ ଆମାଜନ ଉପରେ ଆଧାରିତ ଏକ ଡ୍ରାମାକୁ ଜୀବନ୍ତ କରିଛନ୍ତି। ଏହି ଚଳଚ୍ଚିତ୍ରଟି ନିଜ ଆଦିବାସୀ ସମ୍ପ୍ରଦାୟକୁ ବେଆଇନ ଗଣ୍ଡଗୋଳରୁ ରକ୍ଷା କରିବା ପାଇଁ ଲଢୁଥିବା ଜଣେ ଚିକିତ୍ସିକାଙ୍କ ଉପରେ ଆଧାରିତ, ଯେଉଁଥିରେ ପରିବେଶ ଏବଂ ସାମାଜିକ ନ୍ୟାୟର ସଂଯୋଗକୁ ଦର୍ଶାଯାଇଛି । ଏହା ଲୋକାର୍ନୋ ଏବଂ ଟରୋଣ୍ଟୋ ଫିଲ୍ମ ଫେଷ୍ଟିଭାଲ ୨୦୨୪ରେ ପ୍ରଦର୍ଶିତ ହୋଇଥିଲା ।

ଉନସିଙ୍କେବୁଲ୍‍ (ସିଙ୍କେଫ୍ରି)

୧୯୮୧ ଆରଏଫ୨ ଟ୍ରାଜେଡି ଉପରେ ଆଧାରିତ ଖ୍ରୀଷ୍ଟିଆନ ଆଣ୍ଡରସନଙ୍କ ଏକ ରୋମାଞ୍ଚକର ଡେନିସ୍ ଚଳଚ୍ଚିତ୍ର । ବିପର୍ଯ୍ୟୟରେ ତାଙ୍କ ପିତାଙ୍କ ସମ୍ପୃକ୍ତି ବିଷୟରେ ହେନରିକ୍ ଙ୍କ ଅନୁସନ୍ଧାନ ପରେ ଦୁଃଖ, ଦୋଷ ଏବଂ ପାରିବାରିକ ଗତିଶୀଳତା ବିଷୟରେ ଏକ ଗଭୀର ଅନୁସନ୍ଧାନ ପ୍ରଦାନ କରାଯାଇଛି।

ଆମର ବସ୍

ନନ୍ଦିତା ରାୟ ଓ ଶିବପ୍ରସାଦ ମୁଖାର୍ଜୀଙ୍କ ଏକ ହୃଦୟସ୍ପର୍ଶୀ ବଙ୍ଗଳା ଚଳଚ୍ଚିତ୍ର, ଯେଉଁଥିରେ କିମ୍ବଦନ୍ତୀ ଅଭିନେତ୍ରୀ ରାଖୀ ଗୁଲଜାର ୨୦ ବର୍ଷ ପରେ ଫେରିଛନ୍ତି। ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିବା ମା’ ଓ ପୁଅଙ୍କ ହୃଦୟସ୍ପର୍ଶୀ କାହାଣୀ ଏବଂ ପରିବାର ଓ ଅଭିଳାଷର ଜଟିଳତାକୁ ଅନୁସନ୍ଧାନ କରୁଥିବା କଥା ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି।

ଜୁଇଫୁଲ୍‍

ଆସାମୀୟ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା ଯଦୁମଣି ଦତ୍ତଙ୍କ ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ରରେ ଉତ୍ତର-ପୂର୍ବ ଭାରତରେ ହିଂସାତ୍ମକ ସୀମା ବିବାଦ ମଧ୍ୟରେ ଦୁଇ ମା’ଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦର୍ଶାଯାଇଛି। ଏହି ଚଳଚ୍ଚିତ୍ରରେ ସଂଘର୍ଷ, କରୁଣା ଏବଂ ମାତୃତ୍ୱର ବ୍ୟକ୍ତିଗତ ଏବଂ ସାମାଜିକ ଦିଗକୁ ଅନୁସନ୍ଧାନ କରାଯାଇଛି ।

ଶ୍ରୀକାନ୍ତ

ତୁଷାର ହିରାନନ୍ଦାନୀଙ୍କ ନିର୍ଦ୍ଦେଶିତ ଏହି ବାୟୋଗ୍ରାଫିକାଲ ଡ୍ରାମାରେ ରାଜକୁମାର ରାଓ ଏବଂ ଆଲାୟା ଏଫ ଅଭିନୟ କରିଛନ୍ତି । ଏହା ଜଣେ ଦୃଷ୍ଟିହୀନ ଉଦ୍ୟୋଗୀ ଶ୍ରୀକାନ୍ତ ବୋଲାଙ୍କ ପ୍ରେରଣାଦାୟକ ସତ୍ୟ କାହାଣୀକୁ ଅନୁସରଣ କରେ ଯିଏ ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରି ଏମଆଇଟିରେ ଯୋଗ ଦେଇ ବ୍ୟବସାୟ ଜଗତରେ ସଫଳ ହୋଇଥିଲେ ।

ଆଇସିଏଫଟି ୟୁନେସ୍କୋ ଗାନ୍ଧୀ ପଦକ ବିଷୟରେ

୪୬ତମ ଆଇଏଫ୍ଏଫ୍ଆଇ ଅବସରରେ ଆରମ୍ଭ ହୋଇଥିବା ଆଇସିଏଫଟି-ୟୁନେସ୍କୋ ଗାନ୍ଧୀ ପଦକରେ କେବଳ ଉଚ୍ଚ କଳାତ୍ମକ ଓ ସିନେମାଗତ ମାନଦଣ୍ଡ ନାହିଁ ବରଂ ସମାଜର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନୈତିକ ପ୍ରତିଫଳନକୁ ପ୍ରୋତ୍ସାହିତ କରୁଥିବା ଚଳଚ୍ଚିତ୍ରଗୁଡ଼ିକୁ ସମ୍ମାନିତ କରାଯାଇଛି। ସିନେମାର ପରିବର୍ତନ ଶକ୍ତି ମାଧ୍ୟମରେ ମାନବିକତାର ଅଂଶୀଦାର ମୂଲ୍ୟବୋଧକୁ ଗଭୀର ଭାବରେ ବୁଝିବା ପାଇଁ ଏହି ପୁରସ୍କାର ସୃଷ୍ଟି କରାଯାଇଥିଲା ।

ଆଇସିଏଫଟି ୟୁନେସ୍କୋ ଗାନ୍ଧୀ ପଦକ କେବଳ ଏକ ପୁରସ୍କାର ନୁହେଁ; ଏହା ପ୍ରେରଣା, ଶିକ୍ଷିତ ଏବଂ ଏକଜୁଟ ହେବା ପାଇଁ ଚଳଚ୍ଚିତ୍ରର ଶକ୍ତିର ଏକ ଉତ୍ସବ । ଆଇସିଏଫଟି-ୟୁନେସ୍କୋ ଗାନ୍ଧୀ ପଦକ ବିଜେତାଙ୍କୁ ଗୋଆରେ ଆଇଏଫ୍ଏଫ୍ଆଇ ୨୦୨୪ର ସମାପନୀ ସମାରୋହରେ ଘୋଷଣା କରାଯିବ, ଯେଉଁଠାରେ ପୁରସ୍କାର ପ୍ରାପ୍ତଙ୍କୁ ସାର୍ଟିଫିକେଟ୍ ଏବଂ ଆଇକନିକ୍ ଗାନ୍ଧୀ ମେଡାଲରେ ସମ୍ମାନିତ କରାଯିବ।