Categories
ଆଜିର ଖବର ଜାତୀୟ ଖବର

ଏମଏସପିରେ ଅତିରିକ୍ତ ଗହମ କିଣି ଅଟା ଦର ନିୟନ୍ତ୍ରଣ କରିବେ ସରକାର

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି ଯେପରି ଏବେ ଖାଦ୍ୟଶସ୍ୟ ଉପରେ ନ ପଡ଼ିବ ସେଥିପାଇଁ ସରକାର ସତର୍କ ଅଛନ୍ତି। ଅଟା ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ସୁଲଭ ଭାରତ ଅଟା ଯୋଗାଣ ବୃଦ୍ଧି କରିବାକୁ ପ୍ରସ୍ତୁତ ହୋଇଛି।
ଏଥିସହିତ ବଫର ଷ୍ଟକକୁ ସୁଦୃଢ଼ କରିବା ପାଇଁ ସରକାର ଉତ୍ତରପ୍ରଦେଶ, ରାଜସ୍ଥାନ ଓ ବିହାରରେ ଗହମ କ୍ରୟ କେନ୍ଦ୍ର ବୃଦ୍ଧି କରିବାକୁ ଯାଉଛନ୍ତି। ନିକଟରେ ଅନୁଷ୍ଠିତ ମନ୍ତ୍ରୀ କମିଟି ବୈଠକରେ ଏ ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବଡ଼ ଚେନ ରିଟେଲର ଏବଂ ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ନାଫେଡ ଏବଂ ଏନସିସିଏଫ ଦ୍ୱାରା କିଲୋ ପିଛା ୨୭.୫୦ ଟଙ୍କାରେ ବିକ୍ରି ହେଉଥିବା ଭାରତ ଅଟାର ଯୋଗାଣ ବୃଦ୍ଧି କରିବାକୁ ସରକାର ଯୋଜନା କରିଛନ୍ତି।

ବଫର ଷ୍ଟକକୁ ସନ୍ତୁଳନ କରିବାକୁ ଚାହୁଁଛି ମନ୍ତ୍ରାଳୟ

ସରକାରୀ ବ୍ରାଣ୍ଡର ଏହି ଅଟା ଯୋଗାଣ ସତ୍ତ୍ୱେ ବଜାରରେ ଅଟା ଦର ବଢ଼ୁନଥିବାରୁ ଏଥିପାଇଁ ଖୋଲା ବଜାର ଉପରେ ମଧ୍ୟ ସରକାରଙ୍କ ନଜର ରହିଛି। ବର୍ତ୍ତମାନ ବଫର ଷ୍ଟକରୁ ବାହାର କରି ଓପନ ମାର୍କେଟ ସେଲ ସ୍କିମ (ଘରୋଇ) ଅଧୀନରେ ବିକ୍ରି ହେଉଥିବା ୩ ଲକ୍ଷ ମେଟ୍ରିକ ଟନ ଗହମର ପରିମାଣ ମଧ୍ୟ ବୃଦ୍ଧି କରାଯିବ ବୋଲି ନିଷ୍ପତ୍ତି ହୋଇଛି। ୨୦୨୩ ଡିସେମ୍ବର ୨୦ରୁ ସପ୍ତାହକୁ ୪ ଲକ୍ଷ ମେଟ୍ରିକ ଟନ ବିକ୍ରି ଲକ୍ଷ୍ୟ ରଖାଯାଇଛି। ଏହି ବିକ୍ରି ବଢ଼ାଇବା ସହ ମନ୍ତ୍ରାଳୟ ଏହାର ବଫର ଷ୍ଟକ୍କୁ ସନ୍ତୁଳିତ କରିବାକୁ ଚାହୁଁଛି।

ପ୍ରଚାର ଦାୟିତ୍ୱ ଏଫସିଆଇକୁ ଦିଆଯାଇଛି

ଏହି ସନ୍ତୁଳନକୁ ଦୃଷ୍ଟିରେ ରଖି ଭାରତୀୟ ଖାଦ୍ୟ ନିଗମ, ନାଫେଡ ଏବଂ ଏନସିସିଏଫ ଦ୍ୱାରା ଗହମ ଉତ୍ପାଦନକାରୀ ରାଜ୍ୟ ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ବିହାରରେ ଚାଷୀଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ଗହମ କିଣିବା ପାଇଁ କ୍ରୟ କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ୨୦୨୪ ଫେବ୍ରୁଆରି ୧୫ତାରିଖରୁ ଧାନ କିଣା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। କୃଷକମାନଙ୍କ ମଧ୍ୟରେ ଏହାର ପର୍ଯ୍ୟାପ୍ତ ପ୍ରଚାର ପାଇଁ ଏଫସିଆଇକୁ ଦାୟିତ୍ୱ ଦିଆଯାଇଛି।

Categories
ବିଶେଷ ଖବର

‘ମୁଁ ନୁହେଁ, ଆମେ’ ସ୍ଲୋଗାନ୍ ମୋଦିଙ୍କୁ ଟକ୍କର ଦେବ ଇଣ୍ଡି ମେଣ୍ଟ: ବିରୋଧୀ ଦଳର ଉଦ୍ଦେଶ୍ୟ ବଖାଣିଲା କଂଗ୍ରେସ

ନୂଆଦିଲ୍ଲୀ: ଡିସେମ୍ବର ୧୯ତାରିଖରେ ଦିଲ୍ଲୀରେ ହେବାକୁ ଥିବା ବିରୋଧୀ ଇଣ୍ଡି ମେଣ୍ଟର ପରବର୍ତ୍ତୀ ବୈଠକ ହେବ। ବୈଠକରେ ମୁଖ୍ୟ ଏଜେଣ୍ଡା ପ୍ରସ୍ତୁତ କରିବା, ଆସନ ବଣ୍ଟନ ଓ ମିଳିତ ରାଲି ଆୟୋଜନ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ରବିବାର ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି, ବିରୋଧୀ ଦଳ ଇଣ୍ଡି ମେଣ୍ଟର ନେତାମାନଙ୍କର ଚତୁର୍ଥ ବୈଠକ ୧୯ ଡିସେମ୍ବର ୨୦୨୩ ମଙ୍ଗଳବାର ଅପରାହ୍ନ ୩ଟାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପରେ ଏହି ବୈଠକ ଅନୁଷ୍ଠିତ ହେଉଛି। ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କଂଗ୍ରେସକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଅପରପକ୍ଷରେ ଭାରତୀୟ ଜନତା ପାର୍ଟି (ବିଜେପି) କହିଛି ଯେ ଲୋକମାନେ ‘ମୋଦୀଙ୍କ ଗ୍ୟାରେଣ୍ଟି’ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଏବଂ ୨୦୨୪ରେ ଲୋକମାନେ ପୁଣିଥରେ ତାଙ୍କ ସରକାରକୁ ନିର୍ବାଚିତ କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟକ୍କର ଦେବା ପାଇଁ ଏକତା ବଜାୟ ରଖି ବିରୋଧୀ ଦଳଗୁଡ଼ିକ ‘ମୁଁ ନୁହେଁ, ଆମେ’ ସ୍ଲୋଗାନ ଦେଇ ଆଗକୁ ବଢ଼ିବାକୁ ଚାହୁଁଛୁ ବୋଲି କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି। ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ ଟକ୍କର ଦେବା ପାଇଁ ବିକଳ୍ପ ସକାରାତ୍ମକ ଏଜେଣ୍ଡା ପ୍ରସ୍ତୁତ କରିବା ଏବେ ବିରୋଧୀଦଳମାନଙ୍କ ଆଗରେ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି। ନିର୍ବାଚନ ଫଳାଫଳ ଏହି ପ୍ରଚାରରେ ଉଠାଯାଇଥିବା ପ୍ରସଙ୍ଗକୁ ପ୍ରତ୍ୟାଖ୍ୟାନ କରିବା ନୁହେଁ। ତେବେ ୨୦୨୪ରେ ବିଜେପିକୁ ଟକ୍କର ଦେବା ପାଇଁ ଦଳ ଚିନ୍ତା କରିବ ବୋଲି ସେ ସ୍ୱୀକାର କରିଛନ୍ତି। ମୋଦୀଙ୍କୁ ଟକ୍କର ଦେବା ପାଇଁ ବିରୋଧୀଦଳମାନେ ଯେଉଁ ସମ୍ଭାବ୍ୟ ସ୍ଲୋଗାନ ଉପରେ କାମ କରିବେ, ସେଥିମଧ୍ୟରୁ ‘ମୁଁ ନୁହେଁ ଆମେ’ ଅନ୍ୟତମ ବୋଲି ସେ କହିଛନ୍ତି।

ବିରୋଧୀ ଦଳମାନଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଇଣ୍ଡି ମେଣ୍ଟ ପାଇଁ ମୁଖ୍ୟ ସକାରାତ୍ମକ ଏଜେଣ୍ଡା ପ୍ରସ୍ତୁତ କରିବା, ଯାହା ସେମାନଙ୍କୁ ବିଜେପିକୁ ଟକ୍କର ଦେବାରେ ସହାୟକ ହେବ ବୋଲି ଦଳୀୟ ନେତା କହିଛନ୍ତି। ଏହି ବୈଠକରେ ବିରୋଧୀ ଦଳମାନେ ଆସନ ବୁଝାମଣା, ମିଳିତ ନିର୍ବାଚନୀ ରାଲି କରିବା ସହ ସେମାନଙ୍କ ପାଇଁ ଏକ ସାଧାରଣ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବେ।

ସୂତ୍ରରୁ ପ୍ରକାଶ ଯେ ଇଣ୍ଡି ମେଣ୍ଟ ଜାତିଭିତ୍ତିକ ଗଣନା, ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ର ଆଇନଗତ ଗ୍ୟାରେଣ୍ଟି ଏବଂ ଶ୍ରମିକମାନଙ୍କ ପାଇଁ ସାମାଜିକ ନିରାପତ୍ତା ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇପାରେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଡିସେମ୍ବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଜାତୀୟ ରାଜଧାନୀରେ ରହିବେ ଏବଂ ଏହି ବୈଠକରେ ଯୋଗ ଦେବାର ସମ୍ଭାବନା ରହିଛି। ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତି ସୁନିଶ୍ଚିତ କରିବା ପାଇଁ କାମ ଚାଲିଛି ବୋଲି ସୂତ୍ରରୁ ପ୍ରକାଶ।

Categories
ବିଶେଷ ଖବର

କଂଶୀରାମଙ୍କଠାରୁ ଆରମ୍ଭ କରି ଆକାଶ ଆନନ୍ଦଙ୍କ ପର୍ଯ୍ୟନ୍ତ, ମାୟାବତୀ ଉତ୍ତରାଧିକାରୀଭାବେ କ’ଣ ହସ୍ତାନ୍ତର କରୁଛନ୍ତି?

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ତାଙ୍କ ଉତ୍ତରାଧିକାରୀଭାବେ ମନୋନୀତ କରିଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ମାୟାବତୀ ଏହି ଘୋଷଣାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରୁଛନ୍ତି । ବହୁଜନ ସମାଜ ପାର୍ଟି ଯେଉଁ ପରିବର୍ତ୍ତିତ ସମୟ ଦେଇ ଗତି କରୁଛି, ସେଥିରେ ମାୟାବତୀଙ୍କ ଏହି ଘୋଷଣା ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ତେବେ ରାଜନୈତିକ ଦୃଷ୍ଟିରୁ ଦଳ ପାଇଁ ସ୍ଥିତି ଏପରି ହୋଇଛି ଯେ, ଏହି ଘୋଷଣାକୁ ରାଜନୈତିକ ମହଲରେ ସେତିକି ଗୁରୁତ୍ୱ ଦିଆଯାଉନାହିଁ । ସାମ୍ପ୍ରତିକ ଯୁଗରେ ଦଳ ନିଜର ମୂଳ ମତଦାତା ଦଳିତମାନଙ୍କ ମଧ୍ୟରେ ବିଶ୍ୱାସ ହରାଇସାରିଛି । ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି, କଂଶୀରାମଙ୍କଠାରୁ ନେତୃତ୍ୱନେବା ପରେ ମାୟାବତୀ ଆକାଶ ଆନନ୍ଦଙ୍କୁ ଉତ୍ତରାଧିକାରୀ ସୂତ୍ରରେ କ’ଣ ହସ୍ତାନ୍ତର କରୁଛନ୍ତି ।

କ୍ରମାଗତଭାବେ ନିର୍ବାଚନ ହାରିବାରେ ଲାଗିଛି ଦଳ

୨୦୦୭ ପରଠାରୁ ଦଳର ନିର୍ବାଚନୀ ପ୍ରଦର୍ଶନ କ୍ରମାଗତଭାବେ ହ୍ରାସ ପାଇବାରେ ଲାଗିଛି । ୨୦୧୧ ୟୁପି ବିଧାନସଭା ନିର୍ବାଚନରେ ଦଳ ୨୦୦୭ରେ ୨୦୬ ଆସନରୁ ୮୦କୁ ଖସି ଆସିଥିଲା । ୨୦୧୭ରେ ବିଏସପିର ପ୍ରଦର୍ଶନ ଆହୁରି ଖସିଯାଇଥିଲା । ଦଳ ମାତ୍ର ୧୯ଟି ଆସନରେ ସୀମିତ ରହିଥିଲା । ଦଳର ଭୋଟ ପ୍ରତିଶତ ପାଖାପାଖି ୪ ପ୍ରତିଶତ ହ୍ରାସ ପାଇ ୨୨ ପ୍ରତିଶତରେ ପହଞ୍ଚିଛି । ୨୦୨୨ରେ ମଧ୍ୟ ସ୍ଥିତିରେ ସୁଧାର ଆସିନଥିଲା । ଦ୍ୱିତୀୟ ଥର ପାଇଁ ବିଜେପି ୟୁପିରେ କ୍ଷମତାକୁ ଆସିବା ପରେ ବିଏସପିର ଆସନ ମାତ୍ର ଗୋଟିଏରେ ସୀମିତ ରହିଛି । ଗୋଟିଏ ପରେ ଗୋଟିଏ ନିର୍ବାଚନ ହାରିବାର ପ୍ରଭାବ ଦଳ ଉପରେ ସ୍ପଷ୍ଟଭାବେ ଦେଖିବାକୁ ମିଳୁଛି । ଗତ ଏକ ଦଶନ୍ଧି ମଧ୍ୟରେ ମାୟାବତୀଙ୍କର ଅନେକ ବିଶ୍ୱସ୍ତ ନେତା ଅନ୍ୟ ଦଳରେ ଯୋଗ ଦେଇଛନ୍ତି । ଏହା ସହ ଦଳର ତୃଣମୂଳ ସ୍ତରର ସଂଗଠନ ଦୁର୍ବଳ ହୋଇପଡ଼ିଛି । ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ପ୍ରଫେସର ଭିକେ ରାୟ କହିଛନ୍ତି ଯେ ଅଧିକାଂଶ ନେତା ଦୀର୍ଘ ଦିନ ଧରି କ୍ଷମତାରୁ ଦୂରରେ ରହିଲେ ନିଜ ରାଜନୈତିକ ଦଳକୁ ମଜବୁତ କରିଥାନ୍ତି । ରାୟଙ୍କ କହିବା ଅନୁଯାୟୀ, ମାୟାବତୀ ସେହି ସୁଯୋଗ ହାତଛଡ଼ା କରିଥିବା ଜଣାପଡ଼ିଛି । ତାଙ୍କ ଦଳ ନିଜର ମୂଳ ମିଶନକୁ ଭୁଲିଯାଇଛି। ପ୍ରଖ୍ୟାତ ଦଳିତ ନେତା କଂଶୀରାମ ନିର୍ଯାତିତ ସମ୍ପ୍ରଦାୟ ପାଇଁ ଲଢ଼ିବା ପାଇଁ ବିଏସପି ଗଠନ କରିଥିଲେ । ଏହାର ଲକ୍ଷ୍ୟ ଥିଲା ସାରା ଦେଶରେ ଦଳିତ ଓ ଗରିବଙ୍କ ନିର୍ବାଚନୀ ସ୍ୱର ହେବା । ସ୍ଥିତି ହେଉଛି ୟୁପି ବାହାରେ ବିଏସପି ସବୁସ୍ଥାନରେ ଦୁର୍ବଳ ଦେଖାଯାଉଛି । ରାଜସ୍ଥାନରେ ବିଏସପି ନିଜର ସ୍ଥିତିକୁ ସାମାନ୍ୟ ସୁଧାରିଥିଲା କିନ୍ତୁ କଂଗ୍ରେସ ତାହାକୁ ନଷ୍ଟ କରିଦେଇଛି ।

୫ ରାଜ୍ୟର ବିଧାନସଭା ନିର୍ବାଚନରେ ଝଟକା

ନିକଟରେ ୫ଟି ରାଜ୍ୟର ନିର୍ବାଚନରେ ଦଳର ପ୍ରଦର୍ଶନ ମଧ୍ୟ ବିଶେଷ ଉତ୍ସାହଜନକ ନୁହେଁ । ଦଳ ରାଜସ୍ଥାନରେ ଗତଥର ୬ଟି ଆସନ ଜିତିଥିବାବେଳେ ଏଥର ମାତ୍ର ୨ଟି ଆସନରେ ବିଜୟୀ ହୋଇଛି । ୨୦୧୮ ତୁଳନାରେ ଏଥର ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନାରେ ବିଏସପିର ଭୋଟ ପ୍ରତିଶତ ହ୍ରାସ ପାଇଛି । ରାଜସ୍ଥାନରେ ୨୦୧୮ରେ ବିଏସପିର ଭୋଟ ପ୍ରତିଶତ ୪.୦୨ ପ୍ରତିଶତ ଥିବାବେଳେ ଏଥର ତାହା ୧.୮୨ ପ୍ରତିଶତକୁ ଖସି ଆସିଛି । ମଧ୍ୟପ୍ରଦେଶରେ ମଧ୍ୟ ବିଏସପିକୁ ଝଟକା ଲାଗିଛି । ବିଏସପି ଗୋଣ୍ଡୱାନା ଗଣତନ୍ତ୍ର ପାର୍ଟି ସହ ମେଣ୍ଟ କରି ୧୭୮ଟି ବିଧାନସଭା ଆସନରେ ଲଢ଼ିଥିଲା । ଏଭଳି ସ୍ଥିତିରେ ସହଯୋଗୀ ଦଳ ଗୋଟିଏ ଆସନ ପାଇଥିଲେ ମଧ୍ୟ ବିଏସପି ଖାଲି ହାତରେ ରହିଥିଲା । ଦଳର ଭୋଟ ପ୍ରତିଶତ ମଧ୍ୟ ୨୦୧୮ରେ ୫ ପ୍ରତିଶତ ଥିବାବେଳେ ୩.୩୧ ପ୍ରତିଶତକୁ ଖସି ଆସିଛି । ୨୦୧୮ରେ ବିଏସପି ୨ଟି ଆସନରେ ବିଜୟୀ ହୋଇଥିଲା । ଏବଂ ମତଦାନ ହାର ୫.୦୧ ଥିଲା । ସେହିଭଳି ଛତିଶଗଡ଼ରେ ମଧ୍ୟ ଦଳର ପ୍ରଦର୍ଶନ ଖରାପ ରହିଥିଲା । ଦଳ ୫୩ଟି ଆସନରେ ପ୍ରାର୍ଥୀ ଦେଇଥିବାବେଳେ ସମସ୍ତଆସନରେ ପରାଜୟ ବରଣ କରିଥିଲା । ଭୋଟ ମଧ୍ୟ ମାତ୍ର ୨ ପ୍ରତିଶତକୁ ଖସି ଆସିଛି । ୨୦୧୮ ନିର୍ବାଚନରେ ଛତିଶଗଡ଼ରେ ବିଏସପି ୨ଟି ଆସନରେ ବିଜୟୀ ହୋଇଥିବାବେଳେ ଭୋଟ ପ୍ରତିଶତ ୩.୦୯ ପ୍ରତିଶତ ଥିଲା । ତେଲେଙ୍ଗାନାରେ ମଧ୍ୟ ଦଳର ଖାତା ଖାଲି ପଡ଼ିଛି । ଏଭଳି ସ୍ଥିତିରେ ବିଏସପିର ରାଷ୍ଟ୍ରୀୟ ଦଳର ସ୍ଥିତି ମଧ୍ୟ ବିପଦରେ ପଡ଼ିଛି ।

ରାଜ୍ୟରେ ଦୁର୍ବଳ ସଂଗଠନ

ଦଳିତ ରାଜନୀତିର ଚେହେରା କୁହାଯାଉଥିବା ମାୟାବତୀ ଏବେ ପୂର୍ବ ଭଳି ମଜବୁତ ସ୍ଥିତିରେ ନାହାନ୍ତି । ଦଳର ସବୁଠାରୁ ବଡ଼ ଆଧାର ରାଜ୍ୟ ୟୁପିରେ ଦଳର ସଂଗଠନ ଦୁର୍ବଳ ହୋଇଛି । ଏହି କାରଣରୁ ଦଳ ୨୦୦୭ ପରଠାରୁ ୟୁପିରେ କ୍ଷମତା ଦଖଲ କରିବାରେ ସକ୍ଷମ ହୋଇନାହିଁ । ଏହାବ୍ୟତୀତ ମଧ୍ୟପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ଦିଲ୍ଲୀ ସମେତ ଉତ୍ତର ଭାରତର ରାଜ୍ୟଗୁଡ଼ିକରେ ଦଳୀୟ ସଂଗଠନର ଅବସ୍ଥା ଖରାପ ରହିଛି । ଏଭଳି ସ୍ଥିତିରେ ମାୟାବତୀଙ୍କ ପାଖରେ ଇତିହାସର ମାନ୍ୟତା ବ୍ୟତୀତ ଅନ୍ୟକିଛି ଠୋସ୍ ସ୍ଥିତି ନାହିଁ । ଦଳ ନିଜର ମୂଳ ଦଳିତ ଭୋଟରଙ୍କୁ ମଧ୍ୟ ଏକାଠି ରଖିବାରେ ବିଫଳ ହୋଇଛି । କ୍ଷମତାରୁ ଦୂରେଇ ରହିବା ପରେ ମାୟାବତୀ ନିଜ ପ୍ରତିମୂର୍ତ୍ତି ନିର୍ମାଣ ଓ ଦଳ ବିରୋଧରେ ଦୁର୍ନୀତିର ସାଂଘାତିକ ଅଭିଯୋଗର ସମ୍ମୁଖୀନ ହୋଇଥିଲେ ।

ମାୟାବତୀଙ୍କ ସୋସିଆଲ ଇଞ୍ଜିନିୟରିଂ

ମାୟାବତୀ ଭାରତୀୟ ରାଜନୀତିରେ ଆମୂଳଚୂଳ ପରିବର୍ତ୍ତନ ଆଣିଥିଲେ । ସେ ପ୍ରଥମେ ଏକ ମେଣ୍ଟ ଗଠନ କରିବାରେ ସଫଳ ହୋଇଥିଲେ ଯେଉଁଥିରେ ସାମାଜିକ ଗୋଷ୍ଠୀର ମେଣ୍ଟ ଥିଲା । ମାୟାବତୀଙ୍କର ବ୍ରାହ୍ମଣ ଓ ଦଳିତମାନଙ୍କର ସାମାଜିକ ଇଞ୍ଜିନିୟରିଂର ଅତୁଳନୀୟ ମିଶ୍ରଣ ଥିଲା । ତାଙ୍କ ସାମାଜିକ ପୁନର୍ଗଠନର ଉଦ୍ଦେଶ୍ୟ କେବଳ ଅତିରିକ୍ତ ଭୋଟ ହାସଲ କରିବା ନୁହେଁ ବରଂ ତାଙ୍କର କୌଣସି ପ୍ରତିଦ୍ୱନ୍ଦ୍ୱୀ ଯେପରି ସେମାନଙ୍କର ପାରମ୍ପରିକ ଭୋଟ ବ୍ୟାଙ୍କକୁ ବଜାୟ ରଖିପାରିବେ ନାହିଁ ତାହା ସୁନିଶ୍ଚିତ କରିବା ମଧ୍ୟ ଥିଲା । ସେ ସପାରୁ ମୁସଲମାନ, ବିଜେପିରୁ ଉଚ୍ଚ ଜାତିର ଏବଂ ଅଜିତ ସିଂହଙ୍କ ଆରଏଲଡିରୁ ଜାଟମାନଙ୍କ ସମର୍ଥନ ପାଇବାରେ ସମର୍ଥ ହୋଇଥିଲେ । ସତୀଶ ମିଶ୍ରଙ୍କୁ ମାୟାବତୀ ଦଳର ପ୍ରଥମ ବ୍ରାହ୍ମଣ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକଭାବେ ନିଯୁକ୍ତ କରିଥିଲେ । ଅଗଷ୍ଟ ୨୦୦୩ରେ ସତୀଶ ମିଶ୍ର ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପରାମର୍ଶ ଦେଇଥିଲେ । ଅଦାଲତରେ ସେ କେବଳ ମାୟାବତୀଙ୍କୁ ସଫଳତାର ସହ ରକ୍ଷା କରିନଥିଲେ ବରଂ ବ୍ରାହ୍ମଣମାନଙ୍କୁ ମାୟାବତୀଙ୍କ ନିକଟତର କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବିଏସପିର ହାତୀକୁ ଉଚ୍ଚ ଜାତିର ହିନ୍ଦୁମାନଙ୍କ ପାଇଁ ଗଣେଶଭାବେ ଚିହ୍ନିତ କରାଯାଇଥିଲା । ତେବେ ବର୍ତ୍ତମାନ ବିଏସପିର ଏହି ସୋସିଆଲ ଇଞ୍ଜିନିୟରିଂ ଲୋପ ପାଇଥିବା ଜଣାପଡ଼ିଛି ।

ସେତେବେଳେ ବିଏସପି ଶକ୍ତିଶାଳୀ ଥିଲା

ବିଏସପି ଏକଦା (୨୦୦୭) ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଏବଂ ତୃତୀୟ ବୃହତ୍ତମ ରାଜନୈତିକ ଦଳ ଥିଲା । ମେଣ୍ଟ ରାଜନୀତି ସମୟରେ ମାୟାବତୀ ଦଳିତ ନେତାଭାବେ ନେତୃତ୍ୱ ନେଉଥିଲେ । ତାଙ୍କର ଅଭିଳାଷ ସବୁବେଳେ ସ୍ପଷ୍ଟ ଥିଲା । ଜଣେ ସରକାରୀ କର୍ମଚାରୀଙ୍କ ଝିଅ ମାୟାବତୀ ୧୯୮୪ରେ ତାଙ୍କ ଗୁରୁ କଂଶୀରାମଙ୍କ ସହ ରାଜନୀତିରେ ପ୍ରବେଶ କରିଥିଲେ । ସେହି ବର୍ଷ ସେ ମୁଜାଫରନଗରରୁ ଲୋକସଭା ଆସନ ପାଇଁ ପ୍ରଥମ ନିର୍ବାଚନ ଲଢ଼ିଥିଲେ । ତେବେ ଏହି ନିର୍ବାଚନରେ ମାୟାବତୀଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ମୁଲାୟମ ସିଂହ ଯାଦବଙ୍କ ସହାୟତାରେ ୧୯୯୫ରେ ସେ ପ୍ରଥମ ଥର ପାଇଁ ୟୁପିର ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ରାଜନୈତିକ କ୍ୟାରିୟରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ ହୋଇଥିଲା । ତେବେ ଏହି ମେଣ୍ଟ ମାତ୍ର ୪ ମାସ ଚାଲିଥିଲା ।

ବିଜେପି ସହିତ ବିଏସପିର ମେଣ୍ଟ

ମାୟାବତୀ ମଧ୍ୟ ତାଙ୍କ କଠୋର ପ୍ରତିଦ୍ୱନ୍ଦ୍ୱୀ ବିଜେପି ସହ ହାତ ମିଳାଇବାକୁ ପଛାଇ ନ ଥିଲେ । ୧୯୯୭ରେ ସେ ପ୍ରଥମ ଥର ପାଇଁ ବିଜେପି ସହ ହାତ ମିଳାଇଥିଲେ । ଏହି କାରଣରୁ ସେ ଚାହୁଁଥିଲେ ଯେ ୟୁପି ମୁଲାୟମଙ୍କ ଶାସନର ଗୁଣ୍ଡାଗିରିରୁ ମୁକ୍ତି ପାଇବ । ତାଙ୍କ ଗୁରୁ କଂଶୀରାମ ଖୋଲାଖୋଲିଭାବେ କହିଥିଲେ ଯେ ଏହା ଏକ ସ୍ୱଳ୍ପକାଳୀନ ବ୍ୟବସ୍ଥା ଥିଲା । ସେ ଠିକ୍ କହିଥିଲେ କିନ୍ତୁ ଏହା ଶେଷଥର ନୁହେଁ ଯେ ହାତୀକୁ ୟୁପିରେ ପଦ୍ମର ସମର୍ଥନ ମିଳିଥିଲା । ମାୟାବତୀ ବିଜେପି ସହ ମେଣ୍ଟ କରି ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ୨୦୦୨ରେ ସେ ପୁଣି ଥରେ ବିଜେପି ସହାୟତାରେ ସିଂହାସନରେ ବସିଥିଲେ କିନ୍ତୁ ତାଜ କରିଡର ଦୁର୍ନୀତି ଯୋଗୁଁ ୧୮ ମାସ ମଧ୍ୟରେ ଇସ୍ତଫା ଦେଇଥିଲେ । ୨୦୦୭ରେ ୟୁପିରେ ବିଏସପି ୨୦୬ଟି ଆସନରେ ବିଜୟୀ ହୋଇଥିଲା । ସେତେବେଳେ ଦଳର ୨୧ ଜଣ ଲୋକସଭା ସାଂସଦ ଥିଲେ । ମୁଲାୟମଙ୍କ ଏକମାତ୍ର ବିକଳ୍ପଭାବେ ନିଜକୁ ଉପସ୍ଥାପନ କରି ୨୦୦୭ରେ ୩୦ ପ୍ରତିଶତରୁ ଅଧିକ ଭୋଟ ପାଇ ରାଜ୍ୟରେ ନିର୍ଣ୍ଣାୟକ ବିଜୟ ହାସଲ କରିଥିଲେ ।

ମତଦାତାଙ୍କ ମନରୁ ଭୟ ଦୂର କଲେ ମାୟାବତୀ

ବିଏସପି କ୍ଷମତାକୁ ଆସିବା ପରେ ଏସ୍ ସି/ଏସ୍ ଟି ଅତ୍ୟାଚାର ନିବାରଣ ଆଇନକୁ କଡ଼ାକଡ଼ିଭାବେ କାର୍ଯ୍ୟକାରୀ କରାଯାଇଥିଲା । ପୂର୍ବରୁ ଥାନାରୁ ଫେରାଇ ଦିଆଯାଉଥିବା ଏବଂ ଏତଲା ଦେବାକୁ ଡରୁଥିବା ଅଭିଯୋଗକାରୀମାନେ ଏବେ ନିଜ ଉପରେ ଭରସା ରଖିଛନ୍ତି । ଅର୍ଥାତ୍ ଦଳିତ ଆଇଏଏସ, ଆଇପିଏସ ଏବଂ ଅନ୍ୟ ସରକାରୀ କର୍ମଚାରୀମାନେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଅଧିକ ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଥିଲେ । ବିଏସପି ସରକାର ମଧ୍ୟ ଦଳିତଙ୍କ ସପକ୍ଷରେ ଜମି ସଂସ୍କାର ଆଣିଥିଲେ । କେବଳ ୧୯୯୭ରେ ବିଏସପି ଶାସନ କାଳରେ ୮୧,୫୦୦ ଦଳିତଙ୍କୁ ଜମି ସଂସ୍କାର ମାଧ୍ୟମରେ ୫୨,୦୦୦ ଏକରରୁ ଅଧିକ ଜମି ଦିଆଯାଇଥିଲା । ଆମ୍ବେଦକର ଗ୍ରାମ ଯୋଜନା, ଯାହା ମୁଖ୍ୟତଃ ଦଳିତ ଗ୍ରାମ ଏବଂ ଦଳିତ ଅଞ୍ଚଳରେ ଭିତ୍ତିଭୂମି ବୃଦ୍ଧି ପାଇଁ ଉଦ୍ଦିଷ୍ଟ ଥିଲା, ୟୁପିରେ ଗ୍ରାମୀଣ ଦଳିତମାନଙ୍କ ଅବସ୍ଥାରେ ମଧ୍ୟ ଏକ ବଡ଼ ପରିବର୍ତ୍ତନ ଆଣିଥିଲା । ହେଲେ ଏବେ ଏସବୁ ଇତିହାସ ପାଲଟିଛି ।

ଆକାଶ ଆନନ୍ଦକୁ ଉତ୍ତରାଧିକାରୀସୂତ୍ରରେ କ’ଣ ମିଳୁଛି ?

ଏବେ ମୌଳିକ କଥା ହେଉଛି ମାୟାବତୀ ବଂଶବାଦ ରାଜନୀତିରେ ନୂଆ ଉତ୍ତରାଧିକାରୀଙ୍କୁ କ’ଣ ହସ୍ତାନ୍ତର କରୁଛନ୍ତି । ଏହାର ଉତ୍ତର ହେଉଛି ମାୟାବତୀ ଏକ ଦୁର୍ବଳ ସଂଗଠନର ଚ୍ୟାଲେଞ୍ଜକୁ ଭବିଷ୍ୟତର ନେତାଙ୍କ ହାତରେ ହସ୍ତାନ୍ତର କରୁଛନ୍ତି, ୟୁପିର ଖରାପ ସ୍ଥିତି ଏବଂ ଉତ୍ତର ଭାରତରେ ଦଳର ମରିଯାଇଥିବା ଭିତ୍ତିଭୂମିକୁ ହସ୍ତାନ୍ତର କରୁଛନ୍ତି । ଗୋଟିଏ ପରେ ଗୋଟିଏ ନିର୍ବାଚନରେ ପରାଜୟ ପରେ ବିଏସପିର ଜାତୀୟ ଦଳର ମାନ୍ୟତା ମଧ୍ୟ ବିପଦରେ ପଡ଼ିଛି । ଏଭଳି ସ୍ଥିତିରେ ଦଳର ମୂଳ ଦଳିତ ଭୋଟରଙ୍କ ମଧ୍ୟରେ ଦଳର ବିଶ୍ୱାସକୁ ସୁଦୃଢ଼ କରିବା ପାଇଁ ନୂଆ ଉତ୍ତରାଧିକାରୀଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ରହିବ । ଏହା ସହ ଦଳର ନେତାମାନଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ସେମାନେ ପୂର୍ବ ମୁଖିଆଙ୍କ ଭୁଲରୁ ଶିଖିଥିବା ଦେଖାଇବାକୁ ପଡ଼ିବ ।

Categories
ଆଜିର ଖବର ଖେଳ ଜାତୀୟ ଖବର

ପ୍ରଥମ ଖେଲୋ ଇଣ୍ଡିଆ ପାରା ଗେମ୍ସ ୨୦୨୩କୁ ଉଦ୍‌ଘାଟନ କରିବେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର

ଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ନୂଆଦିଲ୍ଲୀରେ ଖେଲୋ ଇଣ୍ଡିଆ ପାରା ଗେମ୍ସ ୨୦୨୩କୁ ଉଦ୍‌ଘାଟନ କରିବେ।

ଡିସେମ୍ବର ୧୦ ରୁ ୧୭ ତାରିଖ ମଧ୍ୟରେ ନୂଆଦିଲ୍ଲୀର ତିନୋଟି ସ୍ଥାନରେ ହେବାକୁ ଥିବା ଏହି କ୍ରୀଡ଼ାରେ ୩୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ସର୍ଭିସେସ୍ ସ୍ପୋର୍ଟ୍ସ ବୋର୍ଡର ୧୪୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରୁଛନ୍ତି।

ଉଦ୍‌ଘାଟନୀ ଉତ୍ସବ ଇନ୍ଦିରା ଗାନ୍ଧୀ ସ୍ପୋର୍ଟସ କମ୍ପେ୍ଲକ୍ସସ୍ଥିତ କେଡି ଯାଦବ ଇଣ୍ଡୋର ହଲ୍‌ରେ ଅନୁଷ୍ଠିତ ହେବ। ଏହି ସମାରୋହରେ ଦିଲ୍ଲୀ ପୁଲିସ ବ୍ୟାଣ୍ଡ୍ ଭବ୍ୟ ପରିବେଷଣ କରିବା ପରେ ‘ୱି ଆର୍ ୱାନ୍‌’ ଗ୍ରୁପ୍‌ର ନୃତ୍ୟ କଳାକାରମାନେ ‘ମିଟି ମେଁ ମିଲ୍ ଜାୱା’ ଏବଂ ‘ବନ୍ଦେ ମାତରମ୍‌’ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିବେ।

ଉଦ୍‌ଘାଟନୀ ସମାରୋହରେ କ୍ରୀଡା ସଙ୍ଗୀତ ଟ୍ରାକ୍‌ରେ ଦର୍ଶକ ମାନେ ଝୁମିବେ ଏବଂ ‘ଇଭୋଲ୍ୟୁସନ୍ ଅଫ୍ ପାରା ଗେମ୍ସ’ (ପାରା କ୍ରୀଡାର ବିକାଶ) ବିଷୟବସ୍ତୁ ଉପରେ ଏକ ଏଲ୍‌ଇଡି ନୃତ୍ୟ ପରିବେଷଣ ଦର୍ଶକଙ୍କୁ ଆକର୍ଷିତ କରିବ। ଉଦ୍‌ଘାଟନୀ ସମାରୋହରେ ସାଇ ଅଧିକାରୀ ମାନଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ପ୍ରଦର୍ଶନ ମଧ୍ୟ କରାଯିବ।

ସାଂସ୍କୃତିକ କାର୍ଯ୍ୟକ୍ରମ ‘ୟୁନାଇଟେଡ୍ ବାଇ ସ୍ପୋର୍ଟସ’ (କ୍ରୀଡା ମାଧ୍ୟମରେ ଏକଠି ହେବା) ପରିବେଷଣ ସହିତ ଶେଷ ହେବ ଏବଂ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଏକ ସ୍ୱତନ୍ତ୍ର ବାର୍ତ୍ତା ମଧ୍ୟ ରହିବ।

ଖେଲୋ ଇଣ୍ଡିଆ ପାରା ଗେମ୍ସ ଆୟୋଜନ କରିବା ପଛରେ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ହେଉଛି ସମସ୍ତ ପାରା ଆଥଲେଟ୍ (ଶାରୀରିକ ଭିନ୍ନକ୍ଷମ କ୍ରୀଡାବିତ୍‌) ମାନଙ୍କୁ ସଶକ୍ତ କରିବା। ଶାରୀରିକ ଭିନ୍ନକ୍ଷମ ମାନଙ୍କର କଲ୍ୟାଣ ପାଇଁ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଆରମ୍ଭ କରିଛନ୍ତି। ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ, ଜବାହରଲାଲ ନେହରୁ ଷ୍ଟାଡିୟମ ଏବଂ କର୍ଣ୍ଣି ସିଂହ ସୁଟିଂ ରେଞ୍ଜ ଭଳି ତିନୋଟି ସ୍ଥାନରେ ଉଦ୍‌ଘାଟନୀ ଖେଲୋ ଇଣ୍ଡିଆ ପାରା ଗେମ୍ସ ଆୟୋଜନ କରାଯାଉଛି। ଆଥଲେଟିକ୍ସ, ସୁଟିଂ, ତୀରନ୍ଦାଜି, ଫୁଟବଲ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ ଓ ଭାରୋତ୍ତୋଳନ ଭଳି ୭ଟି ପାରା କ୍ରୀଡ଼ାରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଶୀତଲ ଦେବୀ, ଭାବିନା ପଟେଲ, ଅଶୋକ, ପ୍ରମୋଦ ଭଗତଙ୍କ ଭଳି ଭାରତର ଅନେକ ଶୀର୍ଷ ସ୍ତରର ଅନ୍ତର୍ଜାତୀୟ ପାରା ତାରକା କ୍ରୀଡାବିତ୍ ଏଥିରେ ଅଂଶଗ୍ରହଣ କରିବେ।

ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ଓ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ବିପୁଳ ସଫଳତା ପରେ ଏବେ ଖେଲୋ ଇଣ୍ଡିଆ ପାରା ଗେମ୍ସ ଆୟୋଜନ କରାଯାଉଛି ଏବଂ ପ୍ରଥମ ଥର ପାଇଁ ଖେଲୋ ଇଣ୍ଡିଆ ପାରା ଗେମ୍ସ ଆୟୋଜନକୁ ନେଇ ରାଜଧାନୀରେ ଉତ୍ସବର ବାତାବରଣ ସୃଷ୍ଟି ହୋଇଛି। ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି କ୍ରୀଡ଼ା ମହୋତ୍ସବ ସମନ୍ୱିତକରଣର ପ୍ରତୀକ ହେବା ସହ ମାନବୀୟ ମର୍ଯ୍ୟାଦାକୁ ପାଳନ କରିବ।

Categories
ଆଞ୍ଚଳିକ

ମହାତ୍ମାଗାନ୍ଧୀ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ

ରେଢାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ସ୍ଥିତ ମହାତ୍ମାଗାନ୍ଧୀ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ ଉପରମୁଣ୍ଡା ସତୀଘାଟଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ନିର୍ଦ୍ଦେଶକ ପଦ୍ମ ଲୋଚନ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକୋତ୍ସବରେ ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପକ ଡଃ.ପ୍ରଶାନ୍ତ କୁମାର ଦାଶ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କ ସାମଗ୍ରିକ ବିକାଶରେ ପରିବାର ଓ ବିଦ୍ୟାଳୟ ପରିବେଶର ଭୂମିକା ସଂପର୍କରେ ଆଲୋଚନା କରିଥିଲେ।ଅନୁଷ୍ଠାନର ଭାଇସ୍ ଚେୟାରମ୍ୟାନ ନନ୍ଦ କିଶୋର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ।

ଏହି ଅବସରରେ କୃତି ଛାତ୍ର ଛାତ୍ରୀମାନଙ୍କ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପ୍ରଧାନ ଶିକ୍ଷକ ତୁଳସୀ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ରୋଜାଲିନ ବିଶି, ପୁଷ୍ପାଞ୍ଜଳୀ ଧଳ, ବିକାଶ ପ୍ରଧାନ ଓ ଅଭିଭାବକଗଣ ସହଯୋଗ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ମାନୁ ଥପା ଧନ୍ୟବାଦ ଅର୍ପଣ କରିଥିଲେ।

Categories
EDUCATION ଆଜିର ଖବର ରାଜ୍ୟ ଖବର

ଓଷ୍ଟା ଦ୍ୱାରା ଆୟୋଜିତ ମେଧା ଅନ୍ୱେଷଣ ପରୀକ୍ଷା ଅନୁଷ୍ଠିତ

କଟକ: ରବିବାର ଦିନ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଆନୁକୁଲ୍ୟରେ ରାଜ୍ୟବ୍ୟାପୀ ୨୯ଟି ଜିଲ୍ଲା ର ୧୦୫ଟି ପରୀକ୍ଷା କେନ୍ଦ୍ର ରେ ଓଷ୍ଟା ମେଧା ଅନ୍ୱେଷଣ ପରୀକ୍ଷା ସୁରୁଖୁରୁରେ ସମାହିତ ହୋଇଯାଇଛି। ସମଗ୍ର ରାଜ୍ୟର ନବମ ଶ୍ରେଣୀରେ ପଢୁଥିବା ଯୋଗ୍ୟ ବିବେଚିତ ୯୫୯୭ ଜଣ ଛାତ୍ରଛାତ୍ରୀ ଏହି ମେଧା ଅନ୍ୱେଷଣ ପରୀକ୍ଷା ରେ ଅଂଶ ଗ୍ରହଣ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଷ୍ଟମ ଶ୍ରେଣୀରେ ୬୦% ରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା  ଦେବା ପାଇଁ ଯୋଗ୍ୟ ଅଟନ୍ତି । ଉକ୍ତ ପରୀକ୍ଷାରେ ସାହିତ୍ୟ, ଇଂରାଜୀ, ଗଣିତ, ସାଧାରଣ ଜ୍ଞାନ, ସାମାଜିକ ବିଜ୍ଞାନ, ମାନସିକ ଦକ୍ଷତା ଆଦି ବିଷୟରେ ମୋଟ୍ ୧୦୦ ଗୋଟି ବହୁଗୁଣିତ ମନୋନୀତ (ଗଙ୍କକ୍ଷଗ୍ଧସକ୍ଟ୍ରକ୍ଷର ଉଷକ୍ଟସମର) ପ୍ରଶ୍ନ ରହିଥାଏ।

ପ୍ରକାଶ ଥାଉକି ଏହି ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଶ୍ରେଷ୍ଠ ୧୦୦ ଜଣ କୃତୀ ଛାତ୍ରଛାତ୍ରୀଙ୍କ ଫଳାଫଳ ଆଗାମୀ ରାଜ୍ୟସ୍ତରୀୟ ଶିଶୁମେଳା ଅବସରରେ ପ୍ରକାଶ କରାଯିବ ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ ଓଷ୍ଟା ପରିସରକୁ ଡାକି ସମ୍ବର୍ଦ୍ଧିତ କରାଯିବା ସହିତ ବୃତ୍ତି ରାଶି ୩୦୦୦ ଟଙ୍କା ଲେଖାଁଏ ପ୍ରଦାନ କରାଯିବ।

ପ୍ରିୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଓଷ୍ଟାର ଏହି ଲୋକାଭିମୁଖୀ ମେଧା ଅନ୍ୱେଷଣ କାର‌୍ୟ୍ୟକ୍ରମ ସଫଳତାର ସହ ସଂପନ୍ନ ହୋଇଥିବାରୁ ଓଷ୍ଟାର ସମସ୍ତ ପଦାଧିକାରୀ, ଜିଲ୍ଲା ସଂପାଦକ, ବ୍ଲକ୍ ସଂପାଦକ, ଓଷ୍ଟାର ଅନ୍ୟାନ୍ୟ କର୍ମକର୍ତ୍ତା, ପରୀକ୍ଷା କେନ୍ଦ୍ର ପରିଚାଳକ ଏବଂ ପରୀକ୍ଷାରେ ସହଯୋଗ କରିଥିବା ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କୁ ଓଷ୍ଟା ପକ୍ଷରୁ ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, ନୀଳମଣି ପୁରୋହିତ, ରଞ୍ଜନ କୁମାର ଦାଶ, ବ୍ରଜକିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ପ୍ରଣବ କୁମାର ଜେନା ପ୍ରମୁଖ କୃତଜ୍ଞତା ଜ୍ଞାପନ କରିବା ସହ ସାଧୁବାଦ ଜଣାଇଛନ୍ତି। ପରିଶେଷରେ ସମସ୍ତ ପରିକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛୁ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଆଜି ୧୧ ତାରିଖ ସୋମବାରରେ ଏହି ରାଶିର ବ୍ୟକ୍ତିମାନେ ଜାଣନ୍ତୁ ସେମାନଙ୍କର ଭାଗ୍ୟ ସଂଖ୍ୟା କେତେ

ମେଷ- ବ୍ୟବସାୟ ଅଭିବୃଦ୍ଧି ପାଇଁ ବିଦେଶ ଭ୍ରମଣର ଲକ୍ଷଣ ଅଛି, ଯାହା ଶେଷରେ ଲାଭଦାୟକ ହେବ। କମିଶନ ଆଧାରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଏହି ସପ୍ତାହ ଅତ୍ୟନ୍ତ ଲାଭଦାୟକ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ତୁମେ ତୁମର ସାଥୀଙ୍କ ସହିତ ସମୟ ବିତାଇବାକୁ ଏକ ସୁଯୋଗ ପାଇବ, ଯାହା ତୁମ ମନକୁ ସପ୍ତାହ ସାରା ସତେଜ ରଖିବ। ଭାଗ୍ୟ ସଂଖ୍ୟା: ୫ ଭାଗ୍ୟ ରଙ୍ଗ: ସବୁଜ।

ବୃଷ- ଲଭ୍ ଲାଇଫରେ ତୁମେ ତୁମର ସାଥୀଙ୍କ ସହିତ ସମୟ ବିତାଇବାକୁ ଏକ ସୁଯୋଗ ପାଇବ। ଆପଣଙ୍କ ଇଚ୍ଛା ପୂରଣ କରିବା ପାଇଁ ଆପଣଙ୍କ ପରିବାର ଆପଣଙ୍କ ସମର୍ଥନରେ ଠିଆ ହେବେ। କିଛି ଲୋକ ଏହି ସପ୍ତାହରେ ଆର୍ଥିକ ସ୍ବାଧୀନ ହେବେ। କୈଣସି ସ୍ୱାସ୍ଥ୍ୟ ସମସ୍ୟା ହେବ ନାହିଁ। ପ୍ରେମ ସଂପର୍କରେ ମଧୁରତା ବୃଦ୍ଧି ହେବାର ସମ୍ଭାବନା ଅଛି। ଭାଗ୍ୟ ସଂଖ୍ୟା: ୨ ଭାଗ୍ୟ ରଙ୍ଗ: ହଳଦିଆ।

ମିଥୁନ- ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଭେଟିବାର ସମ୍ଭାବନା ଅଛି, ଯିଏ ଆପଣଙ୍କ କ୍ୟାରିୟର ପାଇଁ ଲାଭଦାୟକ ପ୍ରମାଣିତ ହେବେ। ବୃତ୍ତିଗତ ଜୀବନରେ ଭଲ ନେଟୱାର୍କିଙ୍ଗ୍ ସାହାଯ୍ୟରେ, ତୁମେ ତୁମର ଲକ୍ଷ୍ୟ ଆଡକୁ ଯିବାରେ ସଫଳ ହେବ। ଅସୁବିଧା ସମୟରେ ତୁମର ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ସାହାଯ୍ୟ କରି ତୁମେ ପ୍ରଶଂସିତ ହେବ। ଏହି ସପ୍ତାହରେ ଦୀର୍ଘ ଯାତ୍ରା ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ଅଟେ। ଭାଗ୍ୟ ସଂଖ୍ୟା: ୩ ଭାଗ୍ୟ ରଙ୍ଗ: ମେରୁନ୍।

କର୍କଟ- ପରିବାରର ଗୁରୁଜନମାନେ ତୁମେ କରୁଥିବା ସମସ୍ତ କାର୍ଯ୍ୟରେ ସାହାଯ୍ୟ କରିବ। ତୁମେ ତୁମର ସାମାଜିକ ଭିତରେ ଆକର୍ଷଣର କେନ୍ଦ୍ର ହୋଇ ରହିବ। ଏହି ସପ୍ତାହରେ ଆପଣ ଏକ ଦୀର୍ଘ ସମୟ ପରେ ଏକ ସାଥୀ ସହିତ ଏକାକୀ ସମୟ ଅତିବାହିତ କରିବାର ସୁଯୋଗ ପାଇବେ। ଆର୍ଥିକ ଅବସ୍ଥା ସନ୍ତୋଷଜନକ ରହିବ। ଆଗ୍ରହକୁ ଅନୁସରଣ କରିବା ପାଇଁ ତୁମର ବ୍ୟସ୍ତବହୁଳ ଜୀବନ ଶୈଳୀରୁ ସମୟ ବାହାର କରିବା ଆବଶ୍ୟକ ହେବ। ଭାଗ୍ୟ ସଂଖ୍ୟା: ୧ ଭାଗ୍ୟ ରଙ୍ଗ: ବାଇଗଣୀ।

ସିଂହ- ତୁମର ସଂଗଠିତ କାର୍ଯ୍ୟ ଶୈଳୀ ଏବଂ କର୍ମକ୍ଷେତ୍ରରେ ଦକ୍ଷତାର ସହିତ କାର୍ଯ୍ୟ ପାଇଁ ତୁମେ ସମ୍ମାନ ପାଇବ। ଉଦାରତାରେ କରାଯାଇଥିବା କୌଣସି ଭଲ କାର୍ଯ୍ୟ ପାଇଁ ତୁମେ ସମାଜରେ ପ୍ରଶଂସିତ ହେବ। ଯଦି ବନ୍ଧୁମାନଙ୍କୁ ଦୀର୍ଘ ସମୟ ପାଇଁ ସମୟ ଦିଆଯାଇ ନ ଥାଏ ତେବେ ଖରାପ ସମ୍ପର୍କରେ ଉନ୍ନତିର ଲକ୍ଷଣ ଦେଖାଦେଇଛି। ପ୍ରେମ ଜୀବନ ଉତ୍ସାହରେ ପରିପୂର୍ଣ୍ଣ ହେବ। ପାରିବାରିକ ବିବାଦରୁ ଦୂରରେ ରହିବାର ଆବଶ୍ୟକତା ଅଛି। ଭାଗ୍ୟ ସଂଖ୍ୟା: ୧୧ ଭାଗ୍ୟ ରଙ୍ଗ: ଘନନୀଳ।

କନ୍ୟା- ଭଲ ପ୍ରଦର୍ଶନ ସହିତ ଛାତ୍ରମାନେ ସେମାନଙ୍କର ଶିକ୍ଷକ ଏବଂ ବୟସ୍କମାନଙ୍କ ହୃଦୟ ଜିତିବାକୁ ସକ୍ଷମ ହେବେ। କିଛି ଲୋକଙ୍କ ପାଇଁ ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ଅଛି। ପରିବାର ସହିତ ବାହାରକୁ ଯିବା ଆନନ୍ଦଦାୟକ ହେବ। ସାମାଜିକ ପରିବେଷରେ ତୁମେ କିଛି ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟକୁ ଆମନ୍ତ୍ରିତ ହେବ। ଏହି ସପ୍ତାହରେ ପ୍ରେମ ଜୀବନକୁ ଆକର୍ଷଣୀୟ କରିବା ପାଇଁ ତୁମର ପ୍ରୟାସର ଶୀଘ୍ର ଏକ ସକରାତ୍ମକ ଫଳାଫଳ ପାଇବ। ଭାଗ୍ୟ ସଂଖ୍ୟା: ୨୨ ଭାଗ୍ୟ ରଙ୍ଗ: ବାଇଗଣି।

ତୂଳା- ଲଭ୍ ଲାଇଫ୍ ଆପଣଙ୍କୁ ଉତ୍ସାହିତ କରିବ। ବୃତ୍ତିଗତ ଜୀବନରେ ସହକର୍ମୀମାନଙ୍କ ସହ ମିଶି କାମ କରିବା ଆପଣଙ୍କ ଆଗ୍ରହରେ ରହିବ। ଏହି ସପ୍ତାହରେ, ଆବଶ୍ୟକତା ଅନୁଯାୟୀ ଏକ ନୂତନ ବିନିଯୋଗ ବିକଳ୍ପ ଆପଣଙ୍କୁ ଉପସ୍ଥାପିତ ହେବାର ସମ୍ଭାବନା ଅଛି। ସାମାଜିକ କାର୍ଯ୍ୟରେ କାହାର ସମ୍ବେଦନଶୀଳତା ଆପଣଙ୍କୁ ଅସନ୍ତୁଷ୍ଟ କରିପାରେ। ଆର୍ଥିକ ଦୃଷ୍ଟିରୁ ଏହି ସପ୍ତାହ ଆପଣଙ୍କ ପାଇଁ ଅନୁକୂଳ ହେବ। ଏକ ସନ୍ତୁଳିତ ଖାଦ୍ୟ ଏବଂ ନିୟମିତ ବ୍ୟାୟାମ ହେଉଛି ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତିର ଏକମାତ୍ର ଲକ୍ଷଣ। ଭାଗ୍ୟ ସଂଖ୍ୟା: ୬ ଭାଗ୍ୟ ରଙ୍ଗ: କମଳା।

ବିଛା- ଅତ୍ୟଧିକ ଆତ୍ମବିଶ୍ୱାସ ବୃତ୍ତିଗତ ଜୀବନରେ ଆପଣଙ୍କ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ। ବହୁତ ସମୟ ପରେ, ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସମ୍ଭାବନା ଅଛି। ପରିବାରର କାହାର ସ୍ୱାସ୍ଥ୍ୟ ଖରାପ ହେବା ଫଳରେ ଘରେ ଉତ୍ତେଜନା ସୃଷ୍ଟି ହୋଇପାରେ। କୌଣସି ପୁରୁଣା ପାର୍ଥକ୍ୟ ହେତୁ ବିବାହିତ ଜୀବନ ବିଚଳିତ ହୋଇପାରେ। ପ୍ରେମ ଜୀବନରେ ଛୋଟ ସମସ୍ୟା ହେବାର ସମ୍ଭାବନା ଅଛି, ଯାହାକୁ ସାଥୀଙ୍କ ସହ ମିଶି ସମାଧାନ କରିବାକୁ ପଡିବ। ଭାଗ୍ୟ ସଂଖ୍ୟା: ୮ ଭାଗ୍ୟ ରଙ୍ଗ: ଧୂସର।

ଧନୁ- ପ୍ରେମ ସମ୍ପର୍କର ବିବାହରେ ପରିଣତ ହେବାର ଲକ୍ଷଣ ଅଛି। ଆର୍ଥିକ ଦୃଷ୍ଟିରୁ, ଆପଣ ଆପଣଙ୍କର ଆୟ ବୃଦ୍ଧି କରିବାକୁ କଠିନ ଚେଷ୍ଟା କରିବେ। ଏକ ନିୟନ୍ତ୍ରିତ ଖାଦ୍ୟ ଏବଂ ସକ୍ରିୟ ଜୀବନଶୈଳୀ ଅନୁସରଣ କରି, ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ। ଆପଣ କର୍ମକ୍ଷେତ୍ରରେ ସବୁଠାରୁ ବଡ ସମସ୍ୟାକୁ ଦକ୍ଷତାର ସହିତ ସମାଧାନ କରିବାରେ ସକ୍ଷମ ହେବେ। ପୈତୃକ ସମ୍ପତ୍ତି ସମ୍ବନ୍ଧୀୟ ବିଷୟଗୁଡ଼ିକରେ ଆପଣ ଉପକୃତ ହେବେ ବୋଲି ସଙ୍କେତ ଅଛି। ଭାଗ୍ୟ ସଂଖ୍ୟା: ୩ ଭାଗ୍ୟ ରଙ୍ଗ: ହଳଦିଆ।

ମକର – ଆପଣଙ୍କ ଦ୍ବାରା ଦିଆଯାଇଥିବା ପରାମର୍ଶଗୁଡିକ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ବୟସ୍କମାନଙ୍କୁ ପ୍ରଭାବିତ କରିବ, ଯାହା ଦର୍ଶାଏ ଯେ ଆପଣଙ୍କ କମ୍ପାନୀ ମଧ୍ୟ ଉପକୃତ ହେବ। ପରୀକ୍ଷାରେ ଭଲ ଫଳାଫଳ ଛାତ୍ରମାନଙ୍କ ପାଇଁ ଇଚ୍ଛାକୃତ ଚାକିରି ପାଇବାରେ ଲାଭଦାୟକ ପ୍ରମାଣିତ ହେବ। ଏହି ସପ୍ତାହରେ ଆପଣଙ୍କର ଆର୍ଥିକ ଅବସ୍ଥା ସନ୍ତୋଷଜନକ ରହିବ। ଅସୁବିଧା ସମୟରେ ସ୍ୱାମୀ କିମ୍ବା ସ୍ତ୍ରୀ ଆପଣଙ୍କ ସହିତ ଠିଆ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। ପ୍ରେମ ସଂପର୍କରେ ଘନିଷ୍ଠତା ବୃଦ୍ଧି ହେବାର ଲକ୍ଷଣ ଅଛି । ଭାଗ୍ୟ ସଂଖ୍ୟା: ୯ ଭାଗ୍ୟ ରଙ୍ଗ: କଇଁଚ।

କୁମ୍ଭ- ବୃତ୍ତିଗତ ଜୀବନରେ ଏକ ନୂତନ ପ୍ରୋଜେକ୍ଟ କରିବାକୁ, ଆପଣଙ୍କୁ ସଜାଇବାକୁ ପଡିବ। ପରିବାରର ଗୁରୁଜନମାନଙ୍କ ପରାମର୍ଶରେ କାର୍ଯ୍ୟ କରି ଆପଣ ଜୀବନରେ ସଫଳତା ପାଇବେ। ଏହି ସପ୍ତାହରେ, କାହାର ଅସହିଷ୍ଣୁ ଜିନିଷ ଆପଣଙ୍କୁ ବିଭ୍ରାନ୍ତ କରିପାରେ। କୈତୁହଳପ୍ରଦ ବ୍ୟକ୍ତିଙ୍କ ସହିତ ତୁମର ଘନିଷ୍ଠତା ବୃଦ୍ଧି କରିବାର ଲକ୍ଷଣ ଅଛି। ଏକ ଉତ୍ସାହୀ ପ୍ରେମ ଜୀବନ ଆରମ୍ଭ ହେବାର ଅନେକ ସମ୍ଭାବନା ଅଛି। ଭାଗ୍ୟ ସଂଖ୍ୟା: ୧ ଭାଗ୍ୟ ରଙ୍ଗ: ଗୋଲାପୀ।

ମୀନ- ଏହି ସପ୍ତାହ ଛାତ୍ର ତଥା ବୃତ୍ତିଗତ କ୍ଷେତ୍ରରେ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ। କର୍ମକ୍ଷେତ୍ରରେ ଆପଣଙ୍କର ଭଲ ପ୍ରଦର୍ଶନ ଏବଂ ଦକ୍ଷତା ଆପଣଙ୍କ ବୟସ୍କମାନଙ୍କୁ ଆକର୍ଷିତ କରିବ। ଟଙ୍କା ପ୍ରସଙ୍ଗରେ ତୁମର ଚିନ୍ତିତ ବିନିଯୋଗ ତୁମର ଆର୍ଥିକ ସ୍ଥିତିକୁ ଅଧିକ ଶକ୍ତିଶାଳୀ କରିବ। ଖାଦ୍ୟ ନିୟନ୍ତ୍ରଣ ଏବଂ ବକ୍ତବ୍ୟରେ ନିୟନ୍ତ୍ରଣ ରଖିବାର ଆବଶ୍ୟକ ରହିଛି। ଭାଗ୍ୟ ନମ୍ବର- ୪ ଭାଗ୍ୟ ରଂଗ-ନୀଳ।

Categories
ଆଜିର ଖବର ଜାତୀୟ ଖବର

ପାଟନାରେ ପୂର୍ବାଞ୍ଚଳ ପରିଷଦର ୨୬ତମ ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

ପାଟନା: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ବିହାରର ରାଜଧାନୀ ପାଟନାଠାରେ ପୂର୍ବାଞ୍ଚଳ ପରିଷଦର ୨୬ତମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମେତ ଝାଡ଼ଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାରର ବରିଷ୍ଠ ମନ୍ତ୍ରୀମାନେ ଯୋଗ ଦେଇଥିଲେ। ବୈଠକରେ ଆନ୍ତଃରାଜ୍ୟ ପରିଷଦ ସଚିବାଳୟର ସଚିବ, ସଦସ୍ୟ ରାଜ୍ୟ ଗୁଡ଼ିକର ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ସରକାର ଓ କେନ୍ଦ୍ର ମନ୍ତ୍ରଣାଳୟ ତଥା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ପୂର୍ବାଞ୍ଚଳ ଦେଶର ସାଂସ୍କୃତିକ ରାଜଧାନୀ ହୋଇଥିବାରୁ ପ୍ରାଚୀନ କାଳରୁ ଅନେକ ପ୍ରମୁଖ ଶିକ୍ଷାନୁଷ୍ଠାନର କେନ୍ଦ୍ରସ୍ଥଳୀ ଭାବେ ରହିଆସିଛି। ପୂର୍ବାଞ୍ଚଳରେ ଶିକ୍ଷା କ୍ଷେତ୍ରରେ ଅନେକ ପରୀକ୍ଷଣ କରାଯାଇଛି ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାରେ ମଧ୍ୟ ପୂର୍ବାଞ୍ଚଳର ପିଲାମାନେ ସବୁଠାରୁ ସଫଳ ହେଉଛନ୍ତି ବୋଲି ସେ କହିଥିଲେ। ଗୃହମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବାଞ୍ଚଳ ସମଗ୍ର ଦେଶର ଶିଳ୍ପ ବିକାଶର ଭିତ୍ତିପ୍ରସ୍ତର ସ୍ଥାପନ କରିଛି ଏବଂ ସ୍ୱାଧୀନତା ପୂର୍ବରୁ ଏବଂ ପରେ ଦେଶର ପୁନଃବିକାଶରେ ଏହି ଅଞ୍ଚଳର ଅନେକ ଦେଶପ୍ରେମୀ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ଏହି ଅଞ୍ଚଳ ଖଣିଜ ସମ୍ପଦ ଏବଂ ଜଳରେ ସମୃଦ୍ଧ। ବିହାର, ଓଡ଼ିଶା, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଭଳି ପୂର୍ବାଞ୍ଚଳ ରାଜ୍ୟ ସମଗ୍ର ଦେଶର ଆବଶ୍ୟକତା ପାଇଁ ପ୍ରାୟ ସମସ୍ତ ଖଣିଜ ସମ୍ପଦ ଯୋଗାଇ ଦେଇଛନ୍ତି।

ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୯ ବର୍ଷ ମଧ୍ୟରେ ସହଯୋଗୀ ସଂଘୀୟ ଭାବନାକୁ ସୁଦୃଢ଼ କରିବା ପାଇଁ ଏକ ଦୂରଦୃଷ୍ଟି ଦେଇଛନ୍ତି ଏବଂ ଏହାକୁ ସାକାର ମଧ୍ୟ କରିଛନ୍ତି । ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଆଞ୍ଚଳିକ ପରିଷଦ ବୈଠକ ସଂଖ୍ୟା ବୃଦ୍ଧିର ତଥ୍ୟ ଦେଇ ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୨୦୦୪ରୁ ମେ ୨୦୧୪ ମଧ୍ୟରେ ଆଞ୍ଚଳିକ ପରିଷଦ ଏବଂ ସେମାନଙ୍କର ଷ୍ଟାଣ୍ଡିଂ କମିଟିର ସମୁଦାୟ ବୈଠକ ସଂଖ୍ୟା ମାତ୍ର ୨୫ ଥିଲା ଏବଂ ପ୍ରତିବର୍ଷ ହାରାହାରି ୨.୭ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ୨୦୧୪ ଜୁନ୍ ମାସରୁ ଗତ ୯ ବର୍ଷ ମଧ୍ୟରେ କୋଭିଡ୍-୧୯ ମହାମାରୀ ସତ୍ତ୍ୱେ ଆଞ୍ଚଳିକ ପରିଷଦ ଓ ସେମାନଙ୍କ ଷ୍ଟାଣ୍ଡିଂ କମିଟିର ସମୁଦାୟ ୫୬ଟି ବୈଠକ ଅନୁଷ୍ଠିତ ହୋଇଛି ଏବଂ ପ୍ରତିବର୍ଷ ହାରାହାରି ୬.୨ଟି ବୈଠକ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ଆଞ୍ଚଳିକ ପରିଷଦର ୪ଟି ବୈଠକ ଓ ଷ୍ଟାଣ୍ଡିଂ କମିଟିର ୫ଟି ବୈଠକକୁ ମିଶାଇ ମୋଟ ୯ଟି ବୈଠକ ଅନୁଷ୍ଠିତ ହୋଇଛି। ସେ କହିଛନ୍ତି, ବୈଠକ ସଂଖ୍ୟା ଦ୍ୱିଗୁଣିତ ହେବା ପ୍ରଧାନମନ୍ତ୍ରୀ ମୋଦୀ ଟିମ୍ ଇଣ୍ଡିଆ ବିଚାରକୁ ପ୍ରତିଫଳିତ କରୁଛି।

ପାଖାପାଖି ୩ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଉଦବୋଧନ ଦେଇ ଗୃହମନ୍ତ୍ରୀ କହିଛନ୍ତି, ଆଞ୍ଚଳିକ ପରିଷଦର ବୈଠକରେ ୧୧୫୭ଟି ସମସ୍ୟାର ସମାଧାନ ହୋଇଛି। ଆଞ୍ଚଳିକ ପରିଷଦର ବୈଠକରେ ରାଜନୈତିକ ଦଳଗୁଡିକ ଉପରେ ମତଭେଦକୁ ବାଦ୍ ଦେଇ ଉଦାର ଭାବରେ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରାଯିବା ଉଚିତ ବୋଲି ସେ କହିଛନ୍ତି। ଆଞ୍ଚଳିକ ପରିଷଦର ବୈଠକର ଏଜେଣ୍ଡାରେ ଜାତୀୟ ଗୁରୁତ୍ୱ ବହନ କରୁଥିବା ଅନେକ ପ୍ରସଙ୍ଗକୁ ମଧ୍ୟ ସାମିଲ କରାଯାଇଛି ବୋଲି ଶ୍ରୀ ଶାହ କହିଛନ୍ତି। ପୋଷଣ ଅଭିଯାନ ମାଧ୍ୟମରେ ପିଲାମାନଙ୍କ ମଧ୍ୟରେ ପୁଷ୍ଟିହୀନତା ଦୂର କରିବା, ସ୍କୁଲ ପିଲାଙ୍କ ପାଠପଢ଼ା ଛାଡ଼ିବା ହାର ହ୍ରାସ କରିବା, ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ସରକାରୀ ଡାକ୍ତରଖାନାଗୁଡ଼ିକର ସମ୍ପୃକ୍ତି, ମହିଳା ଓ ଶିଶୁଙ୍କ ବିରୋଧରେ ଦୁଷ୍କର୍ମ ମାମଲାର ତ୍ୱରିତ ତଦନ୍ତ ଏବଂ ସମାଧାନ ପାଇଁ ଫାଷ୍ଟଟ୍ରାକ୍ ସ୍ପେଶାଲ କୋର୍ଟ (କାର୍ଯ୍ୟକାରୀ କରିବା, ପ୍ରତ୍ୟେକ ଗାଁର ୫ କିଲୋମିଟର ମଧ୍ୟରେ ବ୍ୟାଙ୍କ/ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଶାଖାଗୁଡ଼ିକର ସୁବିଧା, ଦେଶରେ ୨ ଲକ୍ଷ ପ୍ରାଥମିକ କୃଷି ଋଣ ସମିତି (ପ୍ୟାକ୍ସ) ପ୍ରତିଷ୍ଠା ଏବଂ ଦେଶର ସମସ୍ତ ବର୍ତ୍ତମାନର ପ୍ୟାକ୍ସକୁ ସୁଦୃଢ଼ କରିବା ଆଦି ବିଷୟରେ ଆଲୋଚନା ହୋଇଛି। ପ୍ରତି ତିନି ମାସରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ସ୍ତରରେ ଏହି ସବୁ ପ୍ରସଙ୍ଗର ସମୀକ୍ଷା ହେବା ଦରକାର। ଖଣି ଖନନ, କେତେକ ସାମଗ୍ରୀରେ କେନ୍ଦ୍ରୀୟ ଆର୍ଥିକ ସହାୟତା, ଭିତ୍ତିଭୂମି ନିର୍ମାଣ, ଜମି ଅଧିଗ୍ରହଣ ଓ ଜମି ହସ୍ତାନ୍ତର, ଜଳ ବଣ୍ଟନ, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନାର କାର୍ଯ୍ୟକାରିତା, ରାଜ୍ୟ ପୁନର୍ଗଠନ ଓ ଆଞ୍ଚଳିକ ସ୍ତରର ସାଧାରଣ ହିତ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିଲା।

ଏହି ବୈଠକରେ ୪ଟି ରାଜ୍ୟ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶା ଶ୍ରେଷ୍ଠ କାର୍ଯ୍ୟ ପଦ୍ଧତି ସମ୍ପର୍କରେ ଭଲ ଉପସ୍ଥାପନା କରିଥିଲେ। ଏହି ଶ୍ରେଷ୍ଠ କାର୍ଯ୍ୟ ପଦ୍ଧତି ଅନ୍ୟ ରାଜ୍ୟମାନଙ୍କୁ ସକାରାତ୍ମକ ପଦକ୍ଷେପ ନେବାକୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି। ହାଜିପୁର-ସାଗୌଲି ନୂଆ ରେଳ ଲାଇନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ପ୍ରାୟ ଶେଷ ହୋଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ସେହିପରି ପଶ୍ଚିମବଙ୍ଗରେ ନବଦ୍ୱୀପ ଘାଟ-ନବଦ୍ୱୀପ ଧାମ ନୂଆ ରେଳଲାଇନ ପ୍ରକଳ୍ପ (୧୫ କିଲୋମିଟର) ପାଇଁ ଜମି ଅଧିଗ୍ରହଣ ଆରମ୍ଭ ହୋଇଛି। ଏହାବ୍ୟତୀତ କୃଷ୍ଣନଗର-ନବଦ୍ୱୀପ-ଘାଟ ଗେଜ୍ ରୂପାନ୍ତରଣ (୧୨.୨ କିଲୋମିଟର) ସମ୍ପୂର୍ଣ୍ଣ ଫେଜ୍ ଅର୍ଥାତ୍ କୃଷ୍ଣନଗର-ଅମଘାଟା (୮.୩୦ କିଲୋମିଟର)ରେ କାମ ଆରମ୍ଭ ହୋଇଛି।

ବିହାରରେ ହୋଇଥିବା ଜାତିଭିତ୍ତିକ ଜନଗଣନା ସମ୍ପର୍କରେ ଗୃହ ଓ ସମବାୟ ମନ୍ତ୍ରୀ କହିଛନ୍ତି, ଯେତେବେଳେ ତାଙ୍କ ଦଳ ବିହାରରେ କ୍ଷମତାରେ ଅଂଶୀଦାର ଥିଲା ସେତେବେଳେ ସେ ଜାତିଭିତ୍ତିକ ଜନଗଣନାକୁ ସମର୍ଥନ କରିଥିଲେ ଏବଂ ରାଜ୍ୟପାଳ ମଧ୍ୟ ଏହି ବିଲକୁ ଅନୁମୋଦନ କରିଥିଲେ। ଜାତିଭିତ୍ତିକ ଜନଗଣନାକୁ ନେଇ କିଛି ସମସ୍ୟା ରହିଛି ଏବଂ ରାଜ୍ୟ ସରକାର ଏହାର ସମାଧାନ କରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଜାତିଭିତ୍ତିକ ସର୍ବେକ୍ଷଣରେ ବାଧା ସୃଷ୍ଟି କରିବାକୁ କେନ୍ଦ୍ର ସରକାରଙ୍କର କୌଣସି ଉଦ୍ଦେଶ୍ୟ ନଥିଲା ବୋଲି ସେ କହିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଆଞ୍ଚଳିକ ପରିଷଦ ବୈଠକର ଭୂମିକା ଉପଦେଷ୍ଟାଙ୍କ ଭଳି ହୋଇଥିଲେ ମଧ୍ୟ ଗୃହମନ୍ତ୍ରୀ ଭାବରେ ସାଢ଼େ ଚାରି ବର୍ଷର ଅଭିଜ୍ଞତା ଆଧାରରେ ସେ କହିପାରିବେ ଯେ ପରିଷଦ ଏବଂ ଏହାର ଷ୍ଟାଣ୍ଡିଂ କମିଟିର ବୈଠକକୁ ଗୁରୁତ୍ୱ ଦେଇ ଅନେକ ସମସ୍ୟାର ସମାଧାନ କରିବାରେ ଆମେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛୁ । ଜୁନ୍ ୧୭, ୨୦୨୩ରେ ଅନୁଷ୍ଠିତ ଷ୍ଟାଣ୍ଡିଂ କମିଟିର ତ୍ରୟୋଦଶ ବୈଠକରେ ସମୁଦାୟ ୪୮ଟି ପ୍ରସଙ୍ଗ ଉପରେ ଗଭୀର ଭାବରେ ଆଲୋଚନା ହୋଇଥିବା ବେଳେ ସେଥିମଧ୍ୟରୁ ସଦସ୍ୟ ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ଓ କେନ୍ଦ୍ରର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ପାରସ୍ପରିକ ସହମତିରେ ସମୁଦାୟ ୨୮ଟି ପ୍ରସଙ୍ଗର ସମାଧାନ କରାଯାଇଥିଲା। ଆଜିର ବୈଠକରେ ମୋଟ ୨୧ଟି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପ୍ୟାକେଜିଂରେ ଝୋଟର ବାଧ୍ୟତାମୂଳକ ବ୍ୟବହାର ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱୀକାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଟ୍ ବର୍ଷ ୨୦୨୩-୨୪ ପାଇଁ ପ୍ୟାକେଜିଂରେ ଝୋଟର ବାଧ୍ୟତାମୂଳକ ବ୍ୟବହାର ନିଷ୍ପତ୍ତିକୁ ସ୍ୱୀକାର କରିଛନ୍ତି। ଏହି ନିଷ୍ପତ୍ତି ଝୋଟ ଶିଳ୍ପକୁ ପୁନର୍ଜୀବିତ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।

ଏହା ମଧ୍ୟ ଆମ କାରିଗର ଏବଂ କୃଷକମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି।

ଏ ବାବଦରେ ଅଧିକ ବିବରଣୀ ତଳେ ମିଳିପାରିବ।

କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଏକ୍ସ ପୋଷ୍ଟରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଏହି ନିଷ୍ପତ୍ତି ଝୋଟ ଶିଳ୍ପକୁ ପୁନର୍ଜୀବିତ କରିବାରେ ସହାୟକ ହେବ! ଏହା ମଧ୍ୟ ଆମ କାରିଗର ଏବଂ କୃଷକମାନଙ୍କ ପାଇଁ ଏକ ପ୍ରମୁଖ ଉତ୍ସ।’

Categories
ଆଜିର ଖବର ଜାତୀୟ ଖବର

ନୂଆ ଗୀତ ‘କାଶୀ ସ୍ତୁତି’ ପାଇଁ ଗାୟକ କୈଳାସ ଖେର୍‌ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ନୂଆ ଗୀତ ‘କାଶୀ ସ୍ତୁତି’ ପାଇଁ ଗାୟକ କୈଳାସ ଖେର୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି।

ଅମର ତଥା ଅକ୍ଷୟ କାଶୀର ମହିମାକୁ ପ୍ରଣାମ କରିଛନ୍ତି ଏବଂ କହିଛନ୍ତି, ଭକ୍ତି ଭାବରେ ଭରା ଏହି ଗୀତର ପ୍ରସ୍ତୁତି ବେଶ ମନମୋହକ।

କୈଳାସ ଖେରଙ୍କ ଏକ୍ସ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ଅମର-ଅବିନାଶୀ’ କାଶୀର ଗୌରବକୁ ବାରମ୍ବାର ନମନ! ଭକ୍ତିରେ ଭରା ଆପଣଙ୍କ ଏହି ପ୍ରସ୍ତୁତି ମନ ମୋହିଲା ଭଳି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜବତ ନୋଟ୍ ଗୁଡ଼ିକୁ ଗଣିବା ପାଇଁ ମଗା ଗଲା ଅଧିକ ମେସିନ୍: ବଢିଲା କର୍ମଚାରୀଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଆୟକର ବିଭାଗ ଝାଡଖଣ୍ଡରୁ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ଘରେ ଚଢାଉ କରି ୩୦୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଛି। ଜବତ ହୋଇଥିବା ନଗଦ ଗଣନାକୁ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ, ଆୟକର ବିଭାଗ ଆଜି ଅଧିକ ନୋଟ୍ ଗଣନା ମେସିନ୍ ପାଇଁ ନିର୍ଦ୍ଦେଶ ଦେଇଛି।

ସବୁଠୁ ବଡ ଅପରେସନ୍:

ଆଇଟି ଅଧିକାରୀଙ୍କ କହିବାନୁସାରେ, ଧୀରଜ ସାହୁଙ୍କ ନିକଟରୁ ଜବତ ହୋଇଥିବା ନଗଦ ପ୍ରାୟ ୩୦୦ କୋଟି ଟଙ୍କା ହେବାର ସମ୍ଭାବନା ରହିଛି, ଯାହା ଏପର୍ଯ୍ୟନ୍ତ କୌଣସି ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ହୋଇଥିବା ଏକ ଅପରେସନରେ ସର୍ବାଧିକ ଜବତ ଟଙ୍କା।

ପ୍ରଥମେ ଜବତ ହୋଇଥିବା ନଗଦ ଗଣିବା ପାଇଁ ବ୍ୟାଙ୍କ କର୍ମଚାରୀଙ୍କ ସହ ୩୦ରୁ ଅଧିକ ଅଧିକାରୀ ଜଡିତ ଥିଲେ। ଜବତ ହୋଇଥିବା ନଗଦ ଗଣନାକୁ ଶୀଘ୍ର ସମାପ୍ତ କରିବାକୁ ଆଇଟି ବିଭାଗ ପ୍ରାୟ ୪୦ ଟି ବଡ ଏବଂ ଛୋଟ ମେସିନ ତଥା ଅଧିକ କର୍ମଚାରୀଙ୍କୁ ଡାକିଛି। ସେପଟେ ଏତେ ପରିମାଣର ନଗଦ ଟଙ୍କା ଜବତ ହେବା ପରେ କଂଗ୍ରେସ ନିଜ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କଠାରୁ ଦୂରେଇ ଯାଇଛି।

ଏହି ପ୍ରସଙ୍ଗରେ କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଟ୍ୱିଟରରେ କହିଛନ୍ତି ଯେ, “ସାଂସଦ ଧୀରଜ ସାହୁଙ୍କ ବ୍ୟବସାୟ ସହ ଭାରତୀୟ ଜାତୀୟ କଂଗ୍ରେସର କୌଣସି ସମ୍ପର୍କ ନାହିଁ।

Categories
ଆଜିର ଖବର ଜାତୀୟ ଖବର

୨୦୨୫ରୁ ସମସ୍ତ ଟ୍ରକରେ ବାଧ୍ୟତାମୂଳକ ହେବ ଏସି କ୍ୟାବିନ, ସଡକ ପରିବହନ ମନ୍ତ୍ରଣାଳୟର ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: ଦେଶରେ ଟ୍ରକର ଅବସ୍ଥା ଖରାପ ଥିବାରୁ ଭାରତ ସରକାର ସମସ୍ତ ଟ୍ରକରେ ଏସି କ୍ୟାବିନକୁ ବାଧ୍ୟତାମୂଳକ କରିଛନ୍ତି। ସଡକ ପରିବହନ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଛି ଯେ, ୨୦୨୫ ରୁ ସମସ୍ତ ନୂତନ ଟ୍ରକରେ କାରଖାନା ସ୍ଥାପିତ ଏସି କ୍ୟାବିନ ରହିବ। ଡ୍ରାଇଭରଙ୍କ ପାଇଁ ଏସି କ୍ୟାବିନ୍ ରହିବା ବାଧ୍ୟତାମୂଳକ ହେବ। ଗତ ପାଞ୍ଚ ବର୍ଷ ମଧ୍ୟରେ ଅନେକ ଚେଷ୍ଟା ପରେ ସରକାର ଶେଷରେ କାର୍ଯ୍ୟକାରୀ ତାରିଖ ସ୍ଥିର କରିଛନ୍ତି। ଅକ୍ଟୋବର ୧ ତାରିଖ ୨୦୨୫ ରେ କିମ୍ବା ପରେ ଉତ୍ପାଦିତ ସମସ୍ତ ଏନ୨ ଏବଂ ଏନ୩ ବର୍ଗ ଟ୍ରକର କ୍ୟାବିନରେ ଏୟାର କଣ୍ଡିସନର ବ୍ୟବସ୍ଥା ସ୍ଥାପନ କରାଯିବ ବୋଲି ଶୁକ୍ରବାର ରାତିରେ ଜାରି କରାଯାଇଥିବା ଏକ ଗେଜେଟ ବିଜ୍ଞପ୍ତିରେ ମନ୍ତ୍ରଣାଳୟ କହିଛି।

ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ଏୟାର କଣ୍ଡିସିନର ସିଷ୍ଟମ ସହିତ ସଜ୍ଜିତ କ୍ୟାବିନଗୁଡିକର ପରୀକ୍ଷା ବିଜ୍ଞପ୍ତି ଅଟୋମୋବାଇଲ୍ ମାନକ ଅନୁଯାୟୀ ହେବ। ଏଥିରେ ଏନ୨ ଏବଂ ଏନ୩ ବର୍ଗର ବାଣିଜ୍ୟିକ ଯାନ ଅନ୍ତର୍ଭୂକ୍ତ ହେବ।

Categories
ଜାତୀୟ ଖବର ବିଶେଷ ଖବର

ଛତିଶଗଡର ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁ ଦେବ ସାୟ, ହୋଇଛନ୍ତି ଚାରିଥର ସାଂସଦ, ତିନିଥର ବିଧାୟକ

ଭୁବନେଶ୍ଵର: ଛତିଶଗଡର ଲୋକମାନେ ଗତ ଏକ ସପ୍ତାହ ଧରି ନୂତନ ମୁଖ୍ୟମନ୍ତ୍ରୀ ନାମ ଘୋଷଣାକୁ ଅପେକ୍ଷା କରିଥିଲେ। ଆଜି ଅପେକ୍ଷାର ଅନ୍ତ ଘଟିଛି, ଯେତେବେଳେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଷ୍ଣୁଦେବ ସାଇ ବିଜେପି ବିଧାୟକ ଦଳ ବୈଠକରେ ନିର୍ବିରୋଧ ଚୟନ କରାଯାଇଛି। ରାଜ୍ୟରେ ବିଜେପି ନିଜ ପାଇଁ ଏକ ବଡ ଆଦିବାସୀ ଚେହେରା ଖୋଜୁଥିଲା ଏବଂ ବିଷ୍ଣୁଦେବ ସାୟ (୫୯) ରୂପରେ ସେମାନଙ୍କର ସନ୍ଧାନ ଶେଷ ହୋଇଥିଲା। ଶ୍ରୀ ସାୟଙ୍କର ୩୦ ବର୍ଷରୁ ଅଧିକ ରାଜନୈତିକ ଅଭିଜ୍ଞତା ରହିଛି ଏବଂ ତାଙ୍କର ସରଳ ପ୍ରକୃତି ହେତୁ ବିଜେପି ନେତାଙ୍କ ମଧ୍ୟରେ ତାଙ୍କର ଭଲ ଖ୍ୟାତି ରହିଛି। ସଂଗଠନରେ ଭଲ ପ୍ରଭାବ ଥିବା ବିଷ୍ଣୁଦେବ ସାୟ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ସହ ଅତି ନିକଟତର ବୋଲି ବିବେଚନା କରାଯାଏ।

ନିର୍ବାଚନ ଫଳାଫଳ ବାହାରିବା ପରେ ଅନେକ ଚେହେରା ବିଷୟରେ ଆଲୋଚନା ଚାଲିଥିଲା ​​ଯେଉଁଥିରେ ଆଦିବାସୀ ଏବଂ ଅଣ-ଆଦିବାସୀ ଚେହେରା ଅନ୍ତର୍ଭୁକ୍ତ ଥିଲା। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରେଣୁକା ସିଂ, ବିଜେପି ରାଜ୍ୟ ସଭାପତି ଅରୁଣ ସାଓ, ଗୋମତି ସାୟ ଏବଂ ପୂର୍ବତନ ମନ୍ତ୍ରୀ ଲତା ଉସେଣ୍ଡିଙ୍କ ବିଷୟରେ ବହୁତ ଚର୍ଚ୍ଚା ହୋଇଥିଲା, କିନ୍ତୁ ଆଜି ବିଷ୍ଣୁଦେବ ସାୟଙ୍କ ଉପରେ ମୋହର ଲାଗିଥିଲା।

ବିଧାୟକ ଭାବରେ ଏହା ବିଷ୍ଣୁଦେବ ସାୟଙ୍କର ତୃତୀୟ କାର୍ଯ୍ୟକାଳ। ଏଥର ସେ କୁନକୁରୀରେ କଂଗ୍ରେସର ଉଦ ମିଞ୍ଜଙ୍କୁ ପରାସ୍ତ କରିଛନ୍ତି। ବିଷ୍ଣୁ ଦେବ ୮୭୬୦୪ ଭୋଟ ପାଇଥିବାବେଳେ ମିଞ୍ଜ ୬୨୦୬୩ ଭୋଟ ପାଇଥିଲେ। ଶ୍ରୀ ସାୟ ୧୯୯୦ ରୁ ରାଜନୀତିରେ ଅଛନ୍ତି। ୧୯୯୦ରେ ସେ ୟୁନାଇଟେଡ୍ ମଧ୍ୟପ୍ରଦେଶରେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ।

ଶ୍ରୀ ସାୟ ଚାରିଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ୨୦୧୪ ରୁ ୨୦୧୯ ମଧ୍ୟରେ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ମଧ୍ୟ ଥିଲେ। ଏହି ସମୟ ମଧ୍ୟରେ ସେ ବିଭିନ୍ନ ସମୟରେ ଇସ୍ପାତ, ଖଣି ଏବଂ ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ​​ସେ ଟିକେଟ୍ ପାଇନଥିଲେ, କିନ୍ତୁ ଦଳ ତାଙ୍କ ଉପରେ ଭରସା ଦେଖାଇ ଜୁନ୍ ୨୦୨୦ ରେ ଛତିଶଗଡର ରାଜ୍ୟ ସଭାପତି ଭାବରେ ନିଯୁକ୍ତ କରିଥିଲେ, ଯାହା ଉପରେ ସେ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ରହିଥିଲେ। ଏହାପୂର୍ବରୁ ସେ ୨୦୧୦ ଏବଂ ୨୦୧୪ ରେ ଛତିଶଗଡର ରାଜ୍ୟ ସଭାପତି ମଧ୍ୟ ରହିଥିଲେ।

ନୂତନ CM ଙ୍କ ବ୍ୟକ୍ତିଗତ ଜୀବନ:

ବିଷ୍ଣୁ ସାୟଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ତାଙ୍କ ପରିବାରରେ ତାଙ୍କ ପତ୍ନୀ କୌଶଲ୍ୟା ସାଇ, ପୁଅ ଟିଡି ସାୟ ଏବଂ ଝିଅ ଏନ ସାୟ ଏବଂ ସ୍ମୃତି ସାୟ ଅଛନ୍ତି। ଶ୍ରୀ ସାୟ ତାଙ୍କ ସହକର୍ମୀଙ୍କ ମଧ୍ୟରେ ଜଣେ ଭଦ୍ର ରାଜନେତା ଭାବରେ ଜଣାଶୁଣା। ସେ ମୁଖ୍ୟମନ୍ତ୍ରୀ ହେବାର ଘୋଷଣା ପରେ ବିଜେପି ନେତା ନାରାୟଣ ଚନ୍ଦେଲ କହିଛନ୍ତି ଯେ, ସେ ବହୁତ ଶାନ୍ତ, ସରଳ ଏବଂ ନମ୍ର। ଏପରି ଏକ ଚେହେରା ଅଛି ଯାହାକୁ କେହି ବିରୋଧ କରିପାରିବେ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ଡିସେମ୍ବର ୧୧ରେ ‘ବିକଶିତ ଭାରତ@୨୦୪୭: ଭଏସ୍ ଅଫ୍ ୟୁଥ୍‌’ ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୧, ୨୦୨୩ ପୂର୍ବାହ୍ନ ସାଢ଼େ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ‘ବିକଶିତ ଭାରତ @୨୦୪୭: ଭଏସ୍ ଅଫ୍ ୟୁଥ୍‌’ ର ଶୁଭାରମ୍ଭ କରିବେ। ସାରା ଦେଶର ରାଜଭବନ ମାନଙ୍କରେ ଆୟୋଜିତ କର୍ମଶାଳାରେ ପ୍ରଧାନମନ୍ତ୍ରୀ ବିଶ୍ୱବିଦ୍ୟାଳୟର କୁଳପତି, ଅନୁଷ୍ଠାନ ମୁଖ୍ୟ ଏବଂ ଅଧ୍ୟାପକ ମାନଙ୍କୁ ସମ୍ବୋଧିତ କରିବେ, ଯାହା ଏହି ପଦକ୍ଷେପର ପ୍ରତୀକ ହେବ।

ଦେଶର ବିଭିନ୍ନ ଜାତୀୟ ଯୋଜନା ପ୍ରଣୟନ, ପ୍ରାଥମିକତା ଏବଂ ଲକ୍ଷ୍ୟ ପ୍ରାପ୍ତ କରିବା କ୍ଷେତ୍ରରେ ଦେଶର ଯୁବକ ମାନଙ୍କୁ ସକ୍ରିୟ ଭାବରେ ସାମିଲ କରିବା ହେଉଛି ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ । ଏହି ଦୃଷ୍ଟିକୋଣ ଅନୁଯାୟୀ, ‘ବିକଶିତ ଭାରତ @୨୦୪୭: ଭଏସ୍ ଅଫ୍ ୟୁଥ୍‌’ ଅଭିଯାନ ଦେଶର ଯୁବକ ମାନଙ୍କୁ ବିକଶିତ ଭାରତ @୨୦୪୭  ପରିକଳ୍ପନାରେ ନିଜ ବିଚାରର ଯୋଗଦାନ କରିବା ପାଇଁ ଏକ ମଂଚ ପ୍ରଦାନ କରିବ। ଏହି କର୍ମଶାଳା ବିକଶିତ ଭାରତ @୨୦୪୭ ପାଇଁ ଯୁବପିଢ଼ିଙ୍କୁ ସେମାନଙ୍କ ଚିନ୍ତାଧାରା ଏବଂ ପରାମର୍ଶ ବାଣ୍ଟିବା ନିମନ୍ତେ ନିୟୋଜିତ କରିବାର ପ୍ରକ୍ରିୟା ଆରମ୍ଭ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ହେବ।

ସ୍ୱାଧୀନତାର ୧୦୦ ତମ ବର୍ଷ, ଅର୍ଥାତ୍ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ବିକଶିତ ଭାରତ@୨୦୪୭ ଅଭିଯାନର ଲକ୍ଷ୍ୟ ରହିଛି। ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ପ୍ରଗତି, ପରିବେଶ ନିରନ୍ତରତା ଏବଂ ସୁଶାସନ ସମେତ ବିକାଶର ବିଭିନ୍ନ ଦିଗକୁ ଏହି ଦୃଷ୍ଟିକୋଣରେ ଅନ୍ତର୍ଭୁକ୍ତ କରାଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି -୨୦ ମ୍ୟାଚ୍, ଜାଣନ୍ତୁ କେବେ, କେଉଁଠାରେ ଏବଂ କିପରି ଦେଖିବେ ମ୍ୟାଚ୍

ନୂଆଦିଲ୍ଲୀ: ଆଜି ୩ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚ୍ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଡର୍ବାନ୍ ଗ୍ରାଉଣ୍ଡରେ ଉଭୟ ଦଳ ମୁହାଁମୁହିଁ ହେବେ। ଏଥି ସହିତ, ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭.୩୦ ରେ ଆରମ୍ଭ ହେବ। ଭାରତୀୟ ଦଳ ସୁର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଥିବାବେଳେ ଦକ୍ଷିଣ ଆଫ୍ରିକା ଦଳ ଏଡେନ ମାର୍କ୍ରାମଙ୍କ ନେତୃତ୍ୱରେ ଖେଳିବ। ଡର୍ବାନ୍ ୱିକେଟ୍ କିପରି ହେବ? ଏହି ୱିକେଟରେ ବ୍ୟାଟ୍ସମ୍ୟାନ୍ ସ୍କୋର ସହଜରେ ରନ୍ କରିବେ ନା ବୋଲରମାନେ ଆତଙ୍କ ସୃଷ୍ଟି କରିବେ?

ବାସ୍ତବରେ, ପରିସଂଖ୍ୟାନ ଦର୍ଶାଏ ଯେ ଡର୍ବାନ୍ ପିଚ୍ ରେ ବ୍ୟାଟ୍ସମ୍ୟାନ୍ ସ୍କୋର ସହଜରେ କରିଥା’ନ୍ତି। ଏହି ପିଚରେ ହାରାହାରି ସ୍କୋର ହେଉଛି ୧୭୦ ରନ୍। ଏହି ସଂଖ୍ୟା ବୋଲରମାନଙ୍କ ପାଇଁ ଭଲ ନୁହେଁ। ଏହା ବ୍ୟତୀତ ଟସ୍ ଜିତିଥିବା ଦଳ ପ୍ରଥମେ ଫିଲ୍ଡିଂ କରିବାକୁ ଚାହୁଁଛି। ଅତୀତର ରେକର୍ଡ ଅନୁଯାୟୀ, ପଛରେ ବ୍ୟାଟିଂ କରିବା ସହଜ ଅଟେ। ଅର୍ଥାତ୍ ଟସ୍ ଜିତିଥିବା ଅଧିନାୟକ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇପାରନ୍ତି। ଏଥି ସହିତ ବୋଲରମାନେ ଏହି ୱିକେଟ୍ ଉପରେ ବାଉନ୍ସ ପାଆନ୍ତି, ଯାହା ବ୍ୟାଟ୍ସମ୍ୟାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇପାରେ।

ଆପଣ କେବେ, କେଉଁଠାରେ ଏବଂ କିପରି ଲାଇଭ୍ ଷ୍ଟ୍ରିମିଂ ଏବଂ ପ୍ରସାରଣ ଦେଖିପାରିବେ?:

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହି ଟି -୨୦ ସିରିଜର ପ୍ରଥମ ମ୍ୟାଚ୍ ଡର୍ବାନରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭.୩୦ ରେ ଆରମ୍ଭ ହେବ। ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ଭାରତୀୟ ପ୍ରଶଂସକମାନେ ସିଧା ପ୍ରସାରଣ ଦେଖିପାରିବେ। ଏହା ବ୍ୟତୀତ ଡିଜେନି ପ୍ଲସ୍ ହଟଷ୍ଟାରରେ ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍ ମ୍ୟାଚ୍ ର ଲାଇଭ୍ ଷ୍ଟ୍ରିମିଂ ହେବ। ଏଡିଜନି ପ୍ଲସ୍ ହଟଷ୍ଟାରରେ ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ଅନେକ ଭାଷାରେ ଭାରତୀୟ ପ୍ରଶଂସକମାନେ ଏହି ମ୍ୟାଚ୍ ଉପଭୋଗ କରିପାରିବେ।

ଭାରତର ସମ୍ଭାବ୍ୟ ଏକାଦଶ ଖେଳାଳି:

ଯଶସ୍ୱୀ ଜୟସ୍ଵାଲ, ଶୁଭମାନ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ରିଙ୍କୁ ସିଂ, ଜିତେଶ ଶର୍ମା (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ମୁକେଶ କୁମାର, ରବି ବିଷ୍ନୋଇ, ମହମ୍ମଦ ସିରାଜ ଏବଂ ଅର୍ଶଦୀପ ସିଂ।

Categories
ଆଜିର ଖବର ରାଜ୍ୟ ଖବର

ସିଆରପିଏଫ୍‌ ଦ୍ୱାରା ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ଵର: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ତହସଲି ବେଲଘର ଥାନା ଅନ୍ତର୍ଗତ ନକ୍ସଲ ପ୍ରଭାବିତ ଉପାନ୍ତ ଅଞ୍ଚଳ ଭଦ୍ରନିଗି, ଗୋଚ୍ଛାଗୁଡ଼ା, ନୂଆଗାଁ, ସିରିକି, ସର୍ଲାଘାଟି, ମାର୍ଡିଘାଟି ଗ୍ରାମରେ ସିଆରପିଏଫ୍‌ ୧୨୭ ବାଟାଲିଅନ, ବାଲିଗୁଡ଼ା ପକ୍ଷରୁ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ସ୍ଥାନୀୟ ଲୋକମାନଙ୍କୁ ମାଗଣା ଔଷଧ ବିତରଣ କରାଯାଇଥିଲା। ଏଥିସହିତ ଶୀତ ଦିନ ପାଇଁ ସେମାନଙ୍କୁ କମ୍ବଳ ଓ ସୌର ଲଣ୍ଠନ ପ୍ରଦାନ କରାଯାଇଥିଲା। ସାମାଜିକ ବାର୍ତ୍ତା ନେଇ ଗ୍ରାମବାସୀ, ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଏହି ଅବସରରେ ୧୨୭ ବାଟାଲିୟନ ବେଲଘର କମାଣ୍ଡାଣ୍ଟ, ଅନ୍ୟ ଅଧିକାରୀ ଓ କର୍ମଚାରୀ, ବିଶିଷ୍ଟ ନାଗରିକମାନେ ଉପସ୍ଥିତ ଥିଲେ। ସିଆରପିଏଫ କମାଣ୍ଡାଣ୍ଟ ଗଣମାଧ୍ୟମକୁ ସମ୍ବୋଧିତ କରି ମାଓ ପ୍ରଭାବିତ ଅଞ୍ଚଳରେ ଆଦିବାସୀ ଲୋକଙ୍କ ପାଇଁ ରହିଥିବା ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ। ଜନସମ୍ପର୍କ ଶିବିରରେ ୩୦୦ରୁ ଅଧିକ ସ୍ଥାନୀୟ ଲୋକ ଯୋଗ ଦେଇ ଲାଭ ନେଇଥିଲେ ଏବଂ ସିଆରପିଏଫର ଏପରି କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ମୁଖ୍ୟଧାରାରେ ଯୋଗ ଦେବା ପାଇଁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଯୋଜନା ଓ ଲାଭ ସମ୍ପର୍କରେ ସ୍ଥାନୀୟ ଯୁବକମାନଙ୍କୁ କମାଣ୍ଡାଣ୍ଟ ସୂଚନା ଦେଇଥିଲେ। ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ଭାଗରେ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସେ କହିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଗେଶ୍ୱର ଧାମ ମୁଖ୍ୟ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା ଧମକ: ଗିରଫ ହେଲା ଅଭିଯୁକ୍ତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଛତରପୁର ପୋଲିସ ଇଣ୍ଟରପୋଲ ସାହାଯ୍ୟ ନେଇ ଇ-ମେଲ ମାଧ୍ୟମରେ ବାଗେଶ୍ୱର ଧାମ ମୁଖ୍ୟ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କୁ ଗିରଫ କରିଛି। ପୋଲିସ କହିଛି ଯେ, ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ସହ ଜଡିତ ଥିବା ଦାବି କରୁଥିବା ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ମାଗିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହି ବ୍ୟକ୍ତିଙ୍କୁ ବିହାରର ରାଜଧାନୀ ପାଟନାଠାରୁ ଗିରଫ କରାଯାଇଛି।

ପୋଲିସର ସୂଚନାନୁସାରେ, ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ଧମକ ଦେଇଥିବା ଅଭିଯୁକ୍ତ ବିହାରର ନାଳନ୍ଦା ଜିଲ୍ଲାର ଶଙ୍କରଡିହ ଅଞ୍ଚଳର ବାସିନ୍ଦା। ଅଭିଯୁକ୍ତ ନକଲି ଇମେଲ ଆଇଡିରୁ ବାଗେଶ୍ୱର ଧାମର ଅଫିସିଆଲ ଇମେଲ ଆଇଡିକୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ପଠାଇଥିଲେ। ଇମେଲ ପରେ, ଅକ୍ଟୋବର ୨୦ ତାରିଖ ୨୦୨୩ ରେ ବମିଠା ପୋଲିସ ଷ୍ଟେସନରେ ଆଇପିସିର ଧାରା ୩୮୭ ଏବଂ ୫୦୭ ଅନୁଯାୟୀ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

ଅକ୍ଟୋବର ୨୨ ତାରିଖ ୨୦୨୩ ରେ ସେହି ବ୍ୟକ୍ତିଙ୍କଠାରୁ ଆଉ ଏକ ମେଲ୍ ଗ୍ରହଣ କରାଯାଇଥିଲା, ଯାହାର ପୋଲିସ୍ ଇଣ୍ଟରପୋଲ ସାହାଯ୍ୟରେ ଆଇପି ଅନୁସନ୍ଧାନ କରିଥିଲା, ଶେଷରେ ଅଭିଯୁକ୍ତକୁ ଗିରଫ କରିଥିଲା।

Categories
ଆଜିର ଖବର ଜାତୀୟ ଖବର

ଜ୍ଞାନବାପୀ ମାମଲାରେ ପୂର୍ବତନ ଆବେଦନକାରୀ ହରିହର ପାଣ୍ଡେଙ୍କ ଦେହାନ୍ତ

ନୂଆଦିଲ୍ଲୀ: ୧୯୯୧ ରେ ବାରାଣାସୀରେ ଥିବା ପ୍ରାଚୀନ ଜ୍ଞାନବାପୀ ମସଜିଦ ହଟାଇବା ପାଇଁ ତିନିଜଣ ଆବେଦନକାରୀଙ୍କ ମଧ୍ୟରୁ ହରିହର ପାଣ୍ଡେ ଅନ୍ୟତମ। ଆଜି ତାଙ୍କର ଦେହାନ୍ତ ହୋଇଯାଇଛି। ହରିହର ପାଣ୍ଡେଙ୍କୁ ୭୭ ବର୍ଷ ବୟସ ହୋଇଥିଲା, ଯିଏକି ବାରାଣାସୀର ସାର୍ ସୁନ୍ଦର ଦାସ ହସ୍ପିଟାଲ୍ ବିଏଚୟୁରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି ଘଟଣା ପରେ ତାଙ୍କ ପରିବାର ସଦସ୍ୟ ତଥା ବାରାଣାସୀର ସାଧୁମାନଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି। କାଶୀଙ୍କ ସାଧୁମାନେ ହରିହର ପାଣ୍ଡେଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଫାଷ୍ଟଟ୍ରାକ୍ କୋର୍ଟରେ ବିଚାରାଧୀନ ୨.୪୩ ଲକ୍ଷ ପୋକ୍ସୋ ମାମଲା: ମାତ୍ର ୩% ମାମଲାରେ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଦେଶରେ ୨,୪୩,୦୦୦ ପୋକ୍ସୋ (ଯୌନ ଅପରାଧରୁ ଶିଶୁ ସୁରକ୍ଷା) ମାମଲା ବିଚାରାଧୀନ ରହିଛି। ୨୦୨୨ରେ ମାତ୍ର ୩ ପ୍ରତିଶତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଯଦି କୌଣସି ନୂଆ ମାମଲା ସାମ୍ନାକୁ ନ ଆସେ ତେବେ ଏହି ମାମଲାଗୁଡ଼ିକର ସମାଧାନ ପାଇଁ ଅଦାଲତକୁ ୯ ବର୍ଷ ସମୟ ଲାଗିବ।

ଫାଷ୍ଟଟ୍ରାକ୍ କୋର୍ଟ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ବିଚାରାଧୀନ ପୋକ୍ସୋ ମାମଲାର ରିପୋର୍ଟ ପ୍ରକାଶ କରିଛନ୍ତି। ପ୍ରକାଶିତ ରିପୋର୍ଟରେ ଏହି ଦାବି କରାଯାଇଛି। ଭାରତୀୟ ଶିଶୁ ସୁରକ୍ଷା ପାଣ୍ଠି (ଆଇସିପିଏଫ୍) ସଂଗଠନ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଆଇନ ମନ୍ତ୍ରାଳୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଏବଂ ନ୍ୟାସନାଲ କ୍ରାଇମ ରିପୋର୍ଟ ବ୍ୟୁରୋ (ଏନସିଆରବି)ର ତଥ୍ୟକୁ ବ୍ୟବହାର କରାଯାଇଛି। ୨୦୨୩ ଜାନୁଆରି ସୁଦ୍ଧା ୨ ଲକ୍ଷ ୬୮ ହଜାର ୩୮ଟି ମାମଲା ରୁଜୁ ହୋଇଥିବାବେଳେ ସେଥିରୁ ମାତ୍ର ୮୯୦୯ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।

ବର୍ଷକୁ ମାତ୍ର ୨୮ଟି ମାମଲାରେ ଦୋଷୀ ସାବ୍ୟସ୍ତ

୨୦୧୯ରେ କେନ୍ଦ୍ର ସରକାର ଫାଷ୍ଟଟ୍ରାକ୍ ସ୍ପେଶାଲ କୋର୍ଟ ଯୋଜନାକୁ ଆଗକୁ ବଢ଼ାଇଥିଲେ, ଯେଉଁଥିରେ ବର୍ଷକ ମଧ୍ୟରେ ପୋକ୍ସୋ ମାମଲାର ସମାଧାନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏଥିପାଇଁ କେନ୍ଦ୍ର ସରକାର ୧୯୦୦ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିଥିଲେ।

ଅଧ୍ୟୟନରୁ ଜଣାପଡିଛି ଯେ ପ୍ରତ୍ୟେକ ଫାଷ୍ଟଟ୍ରାକ୍ କୋର୍ଟ ପ୍ରତି ୪ ମାସରେ ୪୧-୪୨ଟି ମାମଲା ଏବଂ ପ୍ରତିବର୍ଷ ୧୬୫ଟି ମାମଲାର ସମାଧାନ କରିବା କଥା, କିନ୍ତୁ ପ୍ରତିବର୍ଷ ମାତ୍ର ୨୮ଟି ମାମଲାର ସମାଧାନ ହେଉଛି।

ପରିସ୍ଥିତିରେ କିପରି ସୁଧାର ଆସିବ?

ଆଇସିପିଏଫର ପ୍ରତିଷ୍ଠାତା ତଥା କୈଳାସ ସତ୍ୟାର୍ଥୀଙ୍କ ପୁଅ ଭୁବନ ରିଭୁ କହିଛନ୍ତି ଯେ ପୋକ୍ସୋ ଆକ୍ଟ କୁ ଏପରି କରାଯିବା ଉଚିତ ଯେପରି ପ୍ରତ୍ୟେକ ପୀଡ଼ିତ ଶିଶୁଙ୍କୁ ନ୍ୟାୟ ମିଳିପାରିବ।

ଏହି ସ୍ଥିତିରେ କିପରି ସୁଧାର ଆସିପାରିବ ସେ ନେଇ ରିପୋର୍ଟରେ ବର୍ଣ୍ଣନା କରାଯାଇଛି

– ପୋକ୍ସୋ ମାମଲାର ଡ୍ୟାସବୋର୍ଡ ୱେବ୍ ପୋର୍ଟାଲରେ ରହିବା ଉଚିତ।

– ଫାଷ୍ଟଟ୍ରାକ୍ କୋର୍ଟ ସଂଖ୍ୟା ବୃଦ୍ଧି କରାଯାଉ।

– ପୀଡ଼ିତା ଓ ତାଙ୍କ ପରିବାରକୁ ସୁରକ୍ଷା ଦିଆଯିବା ଦରକାର, ଯାହାଦ୍ୱାରା ସେମାନେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାରେ ପଛରେ ନ ପଡ଼ିବେ।

Categories
ବିଶେଷ ଖବର

ନିର୍ବାଚନ ଜିତିବା ପାଇଁ ଫର୍ମୁଲା ସ୍ପଷ୍ଟ କଲେ ପ୍ରଧାନମନ୍ତ୍ରୀ ମୋଦି, କ’ଣ ହେବ ‘ହ୍ୟାଟ୍ରିକ୍’ ରଣନୀତି?

ନୂଆଦିଲ୍ଲୀ: ନିକଟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି ଯେ ‘ମୋଦୀ ଗ୍ୟାରେଣ୍ଟି’ର ଯୋଗ୍ୟତା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କହିଛନ୍ତି। କିଛି ରାଜନୈତିକ ଦଳ ‘ମିଥ୍ୟା ଘୋଷଣା’ କରି କିଛି ଲାଭ ପାଇବେ ନାହିଁ ବୋଲି ବୁଝିପାରୁ ନାହାନ୍ତି। ‘ବିକାଶ ଭାରତ ସଂକଳ୍ପ ଯାତ୍ରା’ର ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ନିର୍ବାଚନ ଜିତିବା ପୂର୍ବରୁ ଲୋକଙ୍କ ହୃଦୟ ଜିତିବା ଜରୁରୀ। ଲୋକଙ୍କ ବୁଦ୍ଧିକୁ ଅଣଦେଖା କରିବା ଠିକ୍ ନୁହେଁ। ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଯଦି ସେମାନେ ସ୍ୱାର୍ଥପରତା ପରିବର୍ତ୍ତେ ସେବାକୁ ପ୍ରାଧାନ୍ୟ ଦେଇଥାନ୍ତେ, ତେବେ ଦେଶର ଏକ ବିଶାଳ ଜନସଂଖ୍ୟା ବଞ୍ଚିତ, ଅସୁବିଧା ଏବଂ ଦୁଃଖରେ ବଞ୍ଚିନଥାନ୍ତେ। ଆମ ସରକାର ମା’-ବାପ ସରକାର ନୁହେଁ, ବରଂ ପିତାମାତାଙ୍କ ସେବା କରୁଥିବା ସରକାର। ପିଲାଟିଏ ଯେମିତି ନିଜ ପିତାମାତାଙ୍କ ସେବା କରିଥାଏ, ସେହିଭଳି ଏହି ମୋଦି ଆପଣଙ୍କ ସେବା କରିବା ପାଇଁ କାମ କରନ୍ତି।

ମୋ ପାଇଁ ସବୁ ଗରିବ ଭିଆଇପି

ମୋଦି ଗରିବ, ଗରିବଙ୍କ ପାଇଁ ଚିନ୍ତା କରନ୍ତି, ଯେଉଁମାନଙ୍କ ପ୍ରତି କେହି ଚିନ୍ତା କରନ୍ତି ନାହିଁ ସେମାନଙ୍କ ପାଇଁ ମୋଦି ଅଛନ୍ତି। ଯେଉଁମାନଙ୍କ ପାଇଁ କାର୍ଯ୍ୟାଳୟର ଦ୍ୱାର ବନ୍ଦ ଥିଲା, ସେମାନଙ୍କର ଯତ୍ନ ମୋଦି ନେଉନାହାନ୍ତି ବରଂ ସେମାନଙ୍କୁ ପୂଜା କରନ୍ତି। ମୋ ପାଇଁ ପ୍ରତ୍ୟେକ ଗରିବ ଜଣେ ଭିଆଇପି, ପ୍ରତ୍ୟେକ ମା’ ଝିଅ, ଭଉଣୀ ଜଣେ ଭିଆଇପି, ପ୍ରତ୍ୟେକ କୃଷକ ଜଣେ ଭିଆଇପି, ପ୍ରତ୍ୟେକ ଯୁବକ ଜଣେ ଭିଆଇପି। କିନ୍ତୁ ପ୍ରଶ୍ନ ଉଠୁଛି, ଯେଉଁମାନେ ଆମକୁ ବିରୋଧ କରୁଛନ୍ତି ସେମାନଙ୍କୁ ଦେଶ କାହିଁକି ବିଶ୍ୱାସ କରୁନାହିଁ।

ନିର୍ବାଚନ ଜିତିବା ପୂର୍ବରୁ ଲୋକଙ୍କ ହୃଦୟ ଜିତିବା ଜରୁରୀ

କିଛି ରାଜନୈତିକ ଦଳ ମିଥ୍ୟା ଘୋଷଣା କରି କିଛି ହାସଲ କରିପାରିବେ ନାହିଁ ବୋଲି ବୁଝିପାରୁନାହାନ୍ତି। ସୋସିଆଲ ମିଡିଆରେ ନୁହେଁ, ଲୋକଙ୍କ ମଧ୍ୟରେ ଯାଇ ନିର୍ବାଚନ ଜିତାଯାଏ। ନିର୍ବାଚନ ଜିତିବା ପୂର୍ବରୁ ଲୋକଙ୍କ ହୃଦୟ ଜିତିବା ଜରୁରୀ। ଲୋକଙ୍କ ବୁଦ୍ଧିକୁ ଅଣଦେଖା କରିବା ଠିକ୍ ନୁହେଁ। ଯଦି ବିରୋଧୀ ଦଳମାନେ ରାଜନୈତିକ ସ୍ୱାର୍ଥ ବଦଳରେ ସେବା ଭାବନାକୁ ସର୍ବୋପରି ରଖିଥାଆନ୍ତେ, ସେବାକୁ ନିଜର ଚାକିରି ଭାବରେ ବିବେଚନା କରିଥାନ୍ତେ, ତେବେ ଦେଶର ଏକ ବିଶାଳ ଜନସଂଖ୍ୟା ବଞ୍ଚିତ, ଅସୁବିଧା ଓ ଦୁଃଖରେ ରହିନଥାନ୍ତା।

ମୋଦିଙ୍କ ଗ୍ୟାରେଣ୍ଟିର ଦମ୍‍ ରହିଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଏବେବି ବ୍ୟାପକ ଆଲୋଚନା ଚାଲିଛି। ଏହି ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି ଯେ ମୋଦିଙ୍କ ଗ୍ୟାରେଣ୍ଟିର ଦମ୍‍ ରହିଛି। ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଭରସା କରିଥିବା ସମସ୍ତ ଭୋଟରଙ୍କ ନିକଟରେ ମୁଁ କୃତଜ୍ଞ। ‘ବିକାଶ ଭାରତ ସଂକଳ୍ପ ଯାତ୍ରା’କୁ ଅସହାୟଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ ମହାନ ମାଧ୍ୟମ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଖୁବ୍ କମ୍ ସମୟ ମଧ୍ୟରେ ୧.୨୫ କୋଟିରୁ ଅଧିକ ଲୋକ ‘ମୋଦି ଗ୍ୟାରେଣ୍ଟି’ ଗାଡ଼ିରେ ପହଞ୍ଚି ଏହାକୁ ସ୍ୱାଗତ କରିଛନ୍ତି, ଏହା ସହ ଯୋଡ଼ି ହେବାକୁ ଚେଷ୍ଟା କରିଛନ୍ତି ଏବଂ ଏହାକୁ ସଫଳ କରିବା ପାଇଁ କାର୍ଯ୍ୟ କରିଛନ୍ତି।

ପୂର୍ବ ସ୍ଥିତି ବଦଳିଯାଇଛି

ପ୍ରଧାନମନ୍ତ୍ରୀ କହିଛନ୍ତି, ପୂର୍ବରୁ ଯେଉଁ ଭିକ୍ଷାବୃତ୍ତି ହେଉଥିଲା, ଏବେ ତାହା ଦୂର ହୋଇଯାଇଛି। ସରକାର ଅଭାବୀଲୋକଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କୁ ସୁବିଧା ଦେବା ପାଇଁ ପଦକ୍ଷେପ ନେଇଥିଲେ। ସେଥିପାଇଁ ଆଜି ଲୋକେ କହୁଛନ୍ତି- ମୋଦିଙ୍କ ଗ୍ୟାରେଣ୍ଟି ଅର୍ଥ ପୂରଣର ଗ୍ୟାରେଣ୍ଟି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ମୋଦି କି ଗ୍ୟାରେଣ୍ଟି’ ଗାଡ଼ି ଆସିବା ପରେ ଉଜ୍ଜ୍ୱଳା ଯୋଜନାରେ ପ୍ରାୟ ୧ ଲକ୍ଷ ନୂଆ ହିତାଧିକାରୀ ମାଗଣା ଗ୍ୟାସ୍ ସଂଯୋଗ ପାଇଁ ଆବେଦନ କରିଛନ୍ତି। ଏହି ଯାତ୍ରା ସମୟରେ ଘଟଣାସ୍ଥଳରେ ୩୫ ଲକ୍ଷରୁ ଅଧିକ ଆୟୁଷ୍ମାନ କାର୍ଡ ମଧ୍ୟ ଦିଆଯାଇଛି।

‘ମୋଦି ଗ୍ୟାରେଣ୍ଟି’ର ଉତ୍ସାହ ପ୍ରତ୍ୟେକ ଗାଁରେ ଦେଖିବାକୁ ମିଳୁଛି

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ନିରନ୍ତର ଚେଷ୍ଟା କରୁଛନ୍ତି ଯେ ଯେତେବେଳେ ମୋଦିଙ୍କ ଦ୍ୱାରା ଗ୍ୟାରେଣ୍ଟି ଦିଆଯାଇଥିବା ଗାଡି ଆସିବ, ଗାଁର ପ୍ରତ୍ୟେକ ବ୍ୟକ୍ତି ସେହି ଗାଡ଼ି ନିକଟରେ ପହଞ୍ଚିବେ, ସେତେବେଳେ ହିଁ ପ୍ରତ୍ୟେକ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବୁ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୋଦି ଗ୍ୟାରେଣ୍ଟି ଥିବା ଗାଡ଼ିକୁ ନେଇ ପ୍ରତ୍ୟେକ ଗାଁରେ ଯେଉଁ ଉତ୍ସାହ ଦେଖିବାକୁ ମିଳୁଛି ତାହା ଦେଖି ନିଜେ ଆଶ୍ଚର୍ଯ୍ୟ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ କୌଣସି ନା କୌଣସି ଯୋଜନାରେ ଦେଶର କୋଟି କୋଟି ପରିବାର ନିଶ୍ଚିତଭାବେ ଉପକୃତ ହୋଇଛନ୍ତି ବୋଲି ସେ କହିଛନ୍ତି। ଏବଂ ଯେତେବେଳେ ଏହି ଲାଭ ମିଳିଥାଏ, ବିଶ୍ୱାସ ବଢ଼ିଥାଏ। ଜୀବନ ବଞ୍ଚିବାର ନୂଆ ଶକ୍ତି ରହିଛି।

ମହିଳାମାନଙ୍କୁ ବଡ଼ ଜାତି ବୋଲି କୁହାଯାଏ

ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମହିଳାମାନଙ୍କୁ ବିଭାଜନକାରୀ ରାଜନୀତି ବିରୋଧରେ ସତର୍କ କରାଇଥିଲେ। ସେ କହିଛନ୍ତି ଯେ ସେମାନେ ଏକ ବଡ଼ ‘ଜାତି’ ଯିଏ ଏକାଠି ଯେକୌଣସି ଚ୍ୟାଲେଞ୍ଜର ମୁକାବିଲା କରିପାରିବେ। ସେ କହିଛନ୍ତି ଯେ ସମସ୍ତ ମହିଳା ଏକାଠି ରହିବା ଉଚିତ। ଆଜିକାଲି କିଛି ଲୋକ ମହିଳାଙ୍କ ମଧ୍ୟରେ ଫାଟ ସୃଷ୍ଟି କରୁଛନ୍ତି। ସବୁ ମହିଳାଙ୍କର ଏକ ଜାତି ଥାଏ, ଯାହା ଏତେ ବଡ଼ ଯେ ସେମାନେ ଯେକୌଣସି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରନ୍ତି। ଶାସକ ବିଜେପି ଅନେକ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିଛି। କେତେକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଅନେକ ବିଧାନସଭା ନିର୍ବାଚନରେ ମହିଳାମାନେ ଦଳକୁ ଅଧିକ ଉତ୍ସାହର ସହ ଭୋଟ ଦେଇଛନ୍ତି।

କ’ଣ ଦେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି?:

ଜାତିଭିତ୍ତିକ ଜନଗଣନା ପାଇଁ ଜୋର ଦେଉଥିବା କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳମାନେ ମୋଦିଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରୁଛନ୍ତି। ପ୍ରଧାନମନ୍ତ୍ରୀ ଗତ କିଛିଦିନ ଧରି କ୍ରମାଗତଭାବେ ଗୁରୁତ୍ୱାରୋପ କରି ଆସୁଛନ୍ତି ଯେ ଗରିବ, ମହିଳା, ଯୁବକ ଏବଂ କୃଷକମାନେ ତାଙ୍କ ପାଇଁ ଚାରିଟି ବୃହତ୍ତମ ଜାତି ଏବଂ ସେମାନଙ୍କର ପ୍ରଗତି ସହିତ ଭାରତର ବିକାଶ ହେବ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାମ, ହ୍ରାସ ହୋଇପାରେ ଆୟୁଷ

ଗରୁଡ ପୁରାଣ: ଗରୁଡ ପୁରାଣ ହେଉଛି ହିନ୍ଦୁ ଧର୍ମର ଏକ ଗୁରୁତ୍ୱପୂର୍ଣ୍ଣ ଶାସ୍ତ୍ର, ଯାହାକି ୧୮ ମହାପୁରାଣ ମଧ୍ୟରୁ ଅନ୍ୟତମ। ଗରୁଡ ପୁରାଣରେ ଜନ୍ମ, ମୃତ୍ୟୁ ଏବଂ ମୃତ୍ୟୁ ପର ଅବସ୍ଥା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଏଥିରେ ଭଗବାନ ବିଷ୍ଣୁ ଏବଂ ପକ୍ଷୀ ଗରୁଡଙ୍କ ମଧ୍ୟରେ ବାର୍ତ୍ତାଳାପ ବର୍ଣ୍ଣନା କରାଯାଇଛି। ସାଧାରଣତଃ ସମ୍ପର୍କୀୟଙ୍କ ମୃତ୍ୟୁ ପରେ ୧୩ ଦିନ ଘରେ ଗରୁଡ ପୁରାଣ ପାଠ କରାଯାଏ। ଜୀବନ ସହ ଜଡିତ ରହସ୍ୟମୟ ଜିନିଷ ଗରୁଡ ପୁରାଣରେ ବର୍ଣ୍ଣନା କରାଯାଇଛି, ଯାହା ଜାଣିବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ଜୀବନକୁ ସରଳ ଏବଂ ସହଜ କରିଥାଏ।

ସ୍ୱର୍ଗ, ନର୍କ, ପାପ, ଗୁଣ, ଜ୍ଞାନ, ବିଜ୍ଞାନ, ନୀତି, ନିୟମ ଏବଂ ଧର୍ମ ସହିତ ଜଡିତ ଜିନିଷଗୁଡିକ ମଧ୍ୟ ଗରୁଡ ପୁରାଣରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଗରୁଡ ପୁରାଣ ଅନୁଯାୟୀ, ଏପରି କିଛି କାର୍ଯ୍ୟ ଅଛି, ଯାହା କରିବା ଦ୍ଵାରା ଜଣେ ବ୍ୟକ୍ତିଙ୍କ ବୟସ କମିଯାଏ। ଯଦି ଆପଣ ମଧ୍ୟ ଏହି ଭୁଲ୍ କରନ୍ତି ତେବେ ସାବଧାନ ରୁହନ୍ତୁ।

ଏହି ଭୁଲଗୁଡ଼ିକ ଦ୍ୱାରା ବୟସ କମିଯାଏ:

ବିଳମ୍ବରେ ଉଠିବା: ଗରୁଡ ପୁରାଣ ଅନୁଯାୟୀ ସୂର୍ଯ୍ୟ କିରଣ କିମ୍ବା ବିଳମ୍ବରେ ଉଠିବା ମାନବ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। ଅବଶ୍ୟ, ଆଜିକାଲି ବାସ୍ତୁବାଦୀ ଜଗତରେ ଲୋକଙ୍କ ଦୈନନ୍ଦିନ କାର୍ଯ୍ୟ ବିଶୃଙ୍ଖଳିତ ହୋଇଛି ଏବଂ ଶୋଇବା ଏବଂ ଉଠିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ନାହିଁ । କିନ୍ତୁ ବିଳମ୍ବରେ ଉଠିବା କେବଳ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଭୁଲ ନୁହେଁ, ଏହା ମନୁଷ୍ୟର ବୟସକୁ ମଧ୍ୟ ହ୍ରାସ କରିଥାଏ। କାରଣ ବିଳମ୍ବରେ ଉଠିବା ପରେ ସକାଳେ ସତେଜ ବାୟୁ ଉପଲବ୍ଧ ହୁଏ ନାହିଁ, ଯେଉଁ କାରଣରୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଏ ଏବଂ ବ୍ୟକ୍ତି ଅନେକ ରୋଗରେ ଘେରି ରହିଥାଏ।

ବାସୀ ମାଂସ ଖାଇବା: ଗରୁଡ ପୁରାଣ ଅନୁଯାୟୀ, ବାସୀ ମାଂସ ଖାଇବା ବିଷ ଭଳି। ଏହା ଆପଣଙ୍କ ବୟସ ହ୍ରାସ କରେ। ଦୀର୍ଘ ଦିନର ମାଂସରେ ବିପଜ୍ଜନକ ଜୀବାଣୁ ପ୍ରବେଶ କରନ୍ତି, ଯାହା ରୋଗ ସୃଷ୍ଟି କରିଥାଏ।

ସୂର୍ଯ୍ୟୋଦୟ ପରେ ଶାରୀରିକ ସମ୍ପର୍କ ରଖିବା: ଗରୁଡ ପୁରାଣ ଅନୁଯାୟୀ, ପୁରୁଷ ଏବଂ ମହିଳା ସକାଳେ କିମ୍ବା ସୂର୍ଯ୍ୟୋଦୟ ପରେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ନୁହେଁ। ଏହା ଶରୀରକୁ ଦୁର୍ବଳ କରିପାରେ।

ସୂର୍ଯ୍ୟାସ୍ତ ପରେ ଦହୀ ଖାଇବା: ସୂର୍ଯ୍ୟାସ୍ତ ପରେ ଦହି ଖାଇବା ଉଚିତ୍ ନୁହେଁ। ରାତିରେ ଦାହୀ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଆହୁରି ମଧ୍ୟ, ରାତିରେ କ୍ଷୀର ପିଇବା ପରେ କିମ୍ବା ପୂର୍ବରୁ ଦହୀ ଖାଇବା ଉଚିତ୍ ନୁହେଁ।