Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚାନ୍ଦପୁରରୁ ଜବତ ହେଲା ବ୍ରାଉନ ସୁଗାର, ଜଣେ ଗିରଫ

ଚାନ୍ଦପୁର: ସହର ଛାଡି ଏବେ ଧଳା ଜହର ମାଫିଆ ଗ୍ରାମାଂଚଳ ମୁହାଁ ହୋଇଛନ୍ତି। ସହରରେ ପୋଲିସର ବ୍ୟାପକ ଧରପଗଡ ଜାରି ରହିଥିବାରୁ ଧଳା ଜହର ଵେପାରୀ ଭୟରେ ଗ୍ରାମାଂଚଳ ମୁହାଁ ହେଉଛନ୍ତି। ସେଥିପାଇଁ ଗ୍ରାମାଂଚଳର ଯୁବକଙ୍କୁ ଟାର୍ଗେଟ୍ କରୁଛନ୍ତି। ଆଜି ଜଣେ ଧଳା ଜହର ବେପାରୀକୁ ପୋଲିସ ଗିରଫ କରିବା ସହ ବ୍ରାଉନ ସୁଗାର ଜବତ କରିଛି। ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଂଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଅଂଚଳର ଜଣେ ଯୁବକ ଏକ ସ୍କୁଟିରେ ବ୍ରାଉନ ସୁଗାର ବିକ୍ରି କରୁଥିବା ଚାନ୍ଦପୁର ପୋଲିସ୍ ଜାଣିବାକୁ ପାଇବା ପରେ ତାଙ୍କୁ ଧରିବା ପାଇଁ ପୋଲିସ ପ୍ରସ୍ତୁତି ଆରମ୍ଭ କରିଥିଲା। ଚାନ୍ଦପୁର ଥାନା ଆଇଆଇସି ରଶ୍ମି ରଂଜନ ଦାସଙ୍କ ନେତୃତ୍ଵରେ ମହିଳା ସବ ଇନସପେକ୍ଟର ଅଂଜଳୀ ଶା,ଏ ଏସ୍ ଆଇ ରମେଶ ବେହେରା ପ୍ରମୁଖ ନାକିଠଣ‍ା ଫରେଷ୍ଟ ଚେକ୍ ଗେଟ୍ ନିକଟରେ ଛକି ରହିଥିଲେ।

ଅଭିଯୁକ୍ତ ଆସିବା ମାତ୍ରେ ପୋଲିସ୍ କାବୁ କରୁଥିଲା। ତାଙ୍କ ନିକଟରୁ ୭ ଗ୍ରାମ ବ୍ରାଉନ ସୁଗାର ଜବତ କରିଵା ସହ ସ୍କୁଟିକୁ ମଧ୍ୟ ଜବତ କରିଥିଲା। ଜବତ ଧଳାଜହରର ମୂଲ୍ୟ ୭୦ ହଜାର ଟଙ୍କା ବୋଲି ଜଣା ପଡିଛି। ଗିରଫ ଅଭିଯୁକ୍ତ ପ୍ରକାଶ ନାୟକଙ୍କୁ ଗିରଫ କରି ପୋଲିସ ଅଧିକ ତଦନ୍ତ ଚଳାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସ୍କୁଲରେ ହିନ୍ଦୀ, ସଂସ୍କୃତ, ଶାରୀରିକ ଶିକ୍ଷା ପ୍ରଶିକ୍ଷକଙ୍କ ଚାକିରୀ ପାଇଁ ଘୋଷଣା ହେଲା ପରୀକ୍ଷା ତାରିଖ

ଭୁବନେଶ୍ୱର : ରାଜ୍ୟର ମାଧ୍ୟମିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ହିନ୍ଦୀ, ସଂସ୍କୃତ ଏବଂ ଶାରୀରିକ ଶିକ୍ଷା ପ୍ରଶିକ୍ଷକମାନଙ୍କ ନିଯୁକ୍ତି ନିମନ୍ତେ ଆସନ୍ତା ଅକ୍ଟୋବର ୪ ଓ ୫ ତାରିଖ ଦୁଇଦିନ ଧରି ପରୀକ୍ଷା ଅନୁଷ୍ଠିତ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଉପରୋକ୍ତ ମର୍ମରେ ଏହି ନିଷ୍ପତ୍ତି ନିଆଯାଇଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଯୁକ୍ତି ସଂପର୍କିତ ଆଲୋଚନା ହୋଇଛି । ଗତ ଅଗଷ୍ଟ ୧୩ ତାରିଖରେ ଏହି ସଂକ୍ରାନ୍ତରେ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଥିଲା । ବିଜ୍ଞାପନ ଅନୁସାରେ ଆସନ୍ତା ଅକେଫାବର ୪ ତାରିଖ ଦିନ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଏବଂ ୫ ତାରିଖରେ ଶାରୀରିକ ଶିକ୍ଷା ପ୍ରଶିକ୍ଷକମାନଙ୍କ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହେବ ।

ରାଜ୍ୟର ୨୪ ଗୋଟି ଜିଲ୍ଲାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷାର୍ଥୀମାନଙ୍କ ନିକଟକୁ ଚଳିତ ମାସ ୨୫ ତାରିଖ ସୁଦ୍ଧା ପ୍ରବେଶ ପତ୍ର (ଆଡ୍‌ମିଟ୍‌ କାର୍ଡ) ପଠାଇବାକୁ ସ୍ଥିର କରାଯାଇଛି । ପରୀକ୍ଷା କେନ୍ଦ୍ରଗୁଡ଼ିକରେ କୋଭିଡ୍‌ ମାର୍ଗଦର୍ଶିକାର ଅନୁପାଳନ ସହିତ ସିସିଟିଭି କ୍ୟାମେରାର ବ୍ୟବସ୍ଥା କରିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ରଘୁରାମ ଆୟାରଙ୍କ ସମେତ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

Categories
ଆଜିର ଖବର ଜାତୀୟ ଖବର

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଲେ ବିଜେପି ନେତା ‘ଭବିଷ୍ୟତର ସହଯୋଗୀ’: ପ୍ରତିକ୍ରିୟା ରଖିଲେ ସଞ୍ଜୟ ରାଉତ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିଜେପି ନେତା ‘ଭବିଷ୍ୟତର ସହଯୋଗୀ’ ମନ୍ତବ୍ୟକୁ ନେଇ ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାଉତ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ, ଏହାର ଅର୍ଥ ହେଉଛି ଯେ, ବିଜେପିର କିଛି ଲୋକ ମହା ବିକାଶ ଆଗାଡିକୁ ଆସିପାରନ୍ତି।

ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଉପରେ ସ୍ପଷ୍ଟୀକରଣ ଦେଇ ସଞ୍ଜୟ ରାଉତ କହିଛନ୍ତି ଯେ, “ମୁଖ୍ୟମନ୍ତ୍ରୀ କ’ଣ କହିଛନ୍ତି ତାହା ଆମକୁ ବୁଝିବା ଦରକାର। ସେ ଯାହା କହୁଥିଲେ ତାହା ହେଉଛି ବିଜେପିର କିଛି ଲୋକ ମହା ବିକାଶ ଅଗାଡିରେ ସାମିଲ ହୋଇପାରନ୍ତି। ଆମେ କୌଣସି ସ୍ଥାନକୁ ଯାଉନାହୁଁ।”

ଉଲ୍ଲେଖ ଯୋଗ୍ୟ ଯେ, ଉଦ୍ଧବ ଠାକରେ ବିଜେପି ନେତା ରାଓସାହେବ ଦାନଭେଙ୍କୁ ଭବିଷ୍ୟତର ସହଯୋଗୀ ଭାବରେ ସମ୍ବୋଧନ କରିବା ପରେ ରାଜ୍ୟ ରାଜନୀତିରେ ଉତ୍ତେଜନା ଦେଖାଦେଇଥିଲା। ପ୍ରାୟ ୩ ଦଶନ୍ଧି ଧରି ଦୁଇ ଦଳ ମଧ୍ୟରେ ଏକ ମେଣ୍ଟ ହୋଇଥିଲା ଯାହା ୨୦୧୯ ରେ ଭାଙ୍ଗି ଯାଇଥିଲା।

ମରାଠୱାଡା ସହରର ଔରାଙ୍ଗାବାଦ ସହରରେ ଏକ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ରେଳ ରାଜ୍ୟମନ୍ତ୍ରୀ ରାଓସାହେବ ଦାନଭେ ସମାନ ମଞ୍ଚରେ ଥିଲେ। ଦାନଭେଙ୍କୁ ଦେଖି ଠାକୁର କହିଥିଲେ ଯେ, ଏମାନେ ଆମର ପୂର୍ବ ସହଯୋଗୀ ଥିଲେ ଏବଂ ଯଦି ଆମେ ଭବିଷ୍ୟତରେ ଏକାଠି ହେବୁ, ତେବେ ସେମାନେ ଭବିଷ୍ୟତର ସହଯୋଗୀ ହେବେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆଫଗାନିସ୍ତାନ ଉପରେ ଆଭିମୁଖ୍ୟ ସ୍ପଷ୍ଟ କଲା ଭାରତ, ଏସସିଓ ସମ୍ମିଳନୀରେ କଣ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ତାଜିକିସ୍ତାନର ରାଜଧାନୀ ଦୁଶାମ୍ବେରେ ଆଜି ସାଂଘାଇ ସହଯୋଗ ସଂଗଠନ (ଏସସିଓ) ର ବାର୍ଷିକ ଶିଖର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ, ଯଦି ଆଫଗାନିସ୍ତାନରେ ଅସ୍ଥିରତା ଏବଂ ହିଂସା ଜାରି ରହେ, ତେବେ ଏହା ସମଗ୍ର ବିଶ୍ୱରେ ଆତଙ୍କବାଦୀ ଏବଂ ଉଗ୍ରବାଦୀ ଚିନ୍ତାଧାରାକୁ ଉତ୍ସାହିତ କରିବ। ଅନ୍ୟ ଉଗ୍ରବାଦୀ ଗୋଷ୍ଠୀ ମଧ୍ୟ ହିଂସା ମାଧ୍ୟମରେ କ୍ଷମତା ହାସଲ କରିବା ପାଇଁ ଉତ୍ସାହିତ ହୋଇପାରନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଆଫଗାନିସ୍ତାନରେ ହୋଇଥିବା ବିକାଶ ଦ୍ୱାରା ନିଶା କାରବାର, ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ମାନବ ଚାଲାଣର ଅନିୟନ୍ତ୍ରିତ ପ୍ରବାହ ହୋଇପାରେ। ଏଥି ସହିତ ସେ କହିଛନ୍ତି ଯେ, ମିଳିତ ଭାବେ ଆଫଗାନିସ୍ତାନରେ ମାନବିକ ସହାୟତା ପହଞ୍ଚିବା ନିଶ୍ଚିତ ହେବା ଉଚିତ।

ଆଫଗାନିସ୍ତାନରେ ସାମ୍ପ୍ରତିକ ପରିସ୍ଥିତି ଆମ ଭଳି ପଡୋଶୀ ଦେଶ ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଇବ। ତେଣୁ, ଏହି ପ୍ରସଙ୍ଗରେ ଆଞ୍ଚଳିକ ଧ୍ୟାନ ଏବଂ ସହଯୋଗର ଆବଶ୍ୟକତା ଅଛି। ବିକାଶ ଏବଂ ମାନବିକ ସହାୟତା ପାଇଁ ଭାରତ ଦୀର୍ଘ ବର୍ଷ ଧରି ଆଫଗାନିସ୍ତାନର ଜଣେ ବିଶ୍ୱସ୍ତ ଅଂଶୀଦାର ଅଟେ। ଭିତ୍ତିଭୂମି ଠାରୁ ଆରମ୍ଭ କରି ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଆମେ ଆମର ଅବଦାନ ରଖିଛୁ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ବି ଆମର ଆଫଗାନିସ୍ତାନ ବନ୍ଧୁମାନଙ୍କୁ ଖାଦ୍ୟ ସାମଗ୍ରୀ, ଔଷଧ ଇତ୍ୟାଦି ବିତରଣ କରିବାକୁ ଆଗ୍ରହୀ। ଆମେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ଯାହାଦ୍ୱାରା ଆଫଗାନିସ୍ତାନରେ ମାନବିକ ସହାୟତା ବାଧାପ୍ରାପ୍ତ ହେବ ନାହିଁ।

ଉଲ୍ଲେଖ ଯୋଗ୍ୟ ଯେ, ଗତ ମାସରେ ଅଗଷ୍ଟ ୧୫ ତାରିଖରେ ତାଲିବାନ ପଞ୍ଜଶୀର ବ୍ୟତୀତ ସମଗ୍ର ଆଫଗାନିସ୍ତାନକୁ କାବୁ କରିଥିଲା। ଏହା ପରେ ତାଲିବାନ ସେପ୍ଟେମ୍ବର ୭ ତାରିଖରେ ସରକାର ଗଠନ କରିବାକୁ ଘୋଷଣା କରିଥିଲା। ତାଲିବାନର କବ୍ଜା ପରେ ହଜାର ହଜାର ଲୋକ ଆଫଗାନିସ୍ତାନ ଛାଡିଛନ୍ତି। ଆଫଗାନିସ୍ତାନ ଏକ ମାନବିକ ସଙ୍କଟର ସମ୍ମୁଖୀନ ହେଉଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ରେକର୍ଡ ସଂଖ୍ୟକ ଟୀକାକରଣ: ଦିଆଗଲା ଦୁଇ କୋଟିରୁ ଅଧିକ ଡୋଜ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଆଜି ଦେଶରେ ରେକର୍ଡ ସଂଖ୍ୟକ ଟୀକାକରଣ ହୋଇଛି। ଅପରାହ୍ନ ୫ ଟା ସୁଦ୍ଧା ଦେଶରେ ଦୁଇ କୋଟିରୁ ଅଧିକ ଡୋଜ କରୋନା ଟିକା ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ବିଜେପି ଦୁଇ କୋଟି ଡୋଜ୍ କରୋନା ଟିକା ଦେବାର ଲକ୍ଷ୍ୟ ରଖିଥିଲା, ଯାହା ଦିନ ଶେଷ ହେବା ପୂର୍ବରୁ ହାସଲ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଟୀକାକରଣରେ ମଧ୍ୟପ୍ରଦେଶ ଆଗରେ ରହିଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କାର୍ଯ୍ୟାଳୟରୁ ଟୁଇଟ୍ କରି ସୂଚନା ଦିଆଯାଇଛି ଯେ, ଅପରାହ୍ନ ୫ ଟା ସୁଦ୍ଧା ୧୭ ଲକ୍ଷ ୯୯ ହଜାର ୧୫୯ ନାଗରିକଙ୍କୁ ଟିକା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୧୯ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୧୫, କଟକରୁ ୬୮, ବାଲେଶ୍ଵରରୁ ୩୩, ସୁନ୍ଦରଗଡରୁ ୨୬, ଜଗତସିଂହପୁରରୁ ୨୩, ପୁରୀରୁ ୨୧, ଯାଜପୁରରୁ ୧୯, ମୟୂରଭଞ୍ଜରୁ ୧୯, କେନ୍ଦ୍ରାପଡାରୁ ୧୮, ବରଗଡରୁ ୧୩, କୋରାପୁଟରୁ ୧୨, ସମ୍ବଲପୁରରୁ ୧୦, ଢେଙ୍କାନାଳରୁ ୯, ନୟାଗଡରୁ ୯, କେନ୍ଦୁଝରରୁ ୮, ଝାରସୁଗୁଡାରୁ ୭, ଦେବଗଡରୁ ୬, ଭଦ୍ରକରୁ ୫, ଅନୁଗୁଳରୁ ୪, ନବରଙ୍ଗପୁରରୁ ୪, ଗଞ୍ଜାମରୁ ୩, କଳାହାଣ୍ଡିରୁ ୩, ନୂଆପଡାରୁ ୩, ସୋନପୁରରୁ ୩, ବଲାଙ୍ଗୀରିରୁ ୨, ମାଲକାନଗିରିରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟ ପୁଲରୁ ୭୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୫ ହଜାର ୫୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୮ ହଜାର ୯୨୬ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୧୮୭ ଜଣ। ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୨୨ ରେ ପହଞ୍ଚିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଭାରତରେ ଓଲା ଇଲେକ୍ଟ୍ରିକ୍ ସ୍କୁଟରର ବମ୍ପର ବିକ୍ରି, ମାତ୍ର ଦୁଇ ଦିନ ମଧ୍ୟରେ ୧, ୧୦୦ କୋଟି ଟଙ୍କାର ବୁକିଂ

ନୂଆଦିଲ୍ଲୀ: ଭାରତରେ ବୁକିଂ ଆରମ୍ଭ ହେବା ମାତ୍ରେ ଓଲା ଇଲେକ୍ଟ୍ରିକ୍ ସ୍କୁଟରକୁ ଏକ ବମ୍ପର ବିକ୍ରି ମିଳିଛି। ଓଲାର ସହ-ପ୍ରତିଷ୍ଠାତା ଭବିଶ ଅଗ୍ରୱାଲଙ୍କ ଅନୁଯାୟୀ, ଏସ୧ ଇଲେକ୍ଟ୍ରିକ୍ ସ୍କୁଟରର ବିକ୍ରି ଦୁଇ ଦିନ ମଧ୍ୟରେ ୧୧୦୦ କୋଟି ଟଙ୍କା ଅତିକ୍ରମ କରିଛି। କିନ୍ତୁ ବର୍ତ୍ତମାନ କମ୍ପାନୀ ବିକ୍ରୟ ବନ୍ଦ କରି ଦେଇଛି, କିନ୍ତୁ ଦୀପାବଳି ସମୟରେ ନଭେମ୍ବର ୧ ତାରିଖରୁ ପୁଣି ବିକ୍ରୟ ଆରମ୍ଭ ହେବ।

ଓଲା ଇଲେକ୍ଟ୍ରିକ୍ ବୁଧବାର ଏହାର ଇଲେକ୍ଟ୍ରିକ୍ ସ୍କୁଟର ବିକ୍ରୟ ଆରମ୍ଭ କଲା, ଯାହା ଦୁଇଟି ପ୍ରକାର ଓଲା ଏସ୧ ଏବଂ ଏସ୧ ପ୍ରୋ ନାମରେ ନାମିତ। କମ୍ପାନୀ ପ୍ରଥମ ଦିନରେ ୬୦୦ କୋଟି ଟଙ୍କା ମୂଲ୍ୟର ସ୍କୁଟର ବିକ୍ରି କରିଥିଲା। ଏକ ଟ୍ଵିଟ୍‌ରେ ଅଗ୍ରୱାଲ କହିଛନ୍ତି, “ଇଭି ଯୁଗର ଦ୍ୱିତୀୟ ଦିନ ପ୍ରଥମ ଦିନ ଅପେକ୍ଷା ଆହୁରି ଭଲ ଥିଲା। ଦୁଇ ଦିନ ମଧ୍ୟରେ ବିକ୍ରି ୧୧୦୦ କୋଟି ଟଙ୍କା ଅତିକ୍ରମ କରିଛି। ନଭେମ୍ବର ୧ ତାରିଖରେ ପୁଣି ବିକ୍ରି ଆରମ୍ଭ ହେବ।” ଇ-ସ୍କୁଟର ପାଇଁ ଗ୍ରାହକମାନଙ୍କ ଉତ୍ସାହ, ପୁରା ଦିନତମାମ ଜାରି ରହିଥିଲା।

ସେ ଆହୁରି ମଧ୍ୟ କହିଛନ୍ତି, “ମୋଟ ଦୁଇ ଦିନ ମଧ୍ୟରେ ଆମେ ୧୧୦୦ କୋଟି ଟଙ୍କାରୁ ଅଧିକ ବିକ୍ରି କରିଛୁ। ଏହା କେବଳ ଅଟୋ ଇଣ୍ଡଷ୍ଟ୍ରିରେ ଅଦ୍ଭୁତପୂର୍ବ ନୁହେଁ, ବରଂ ଏହା ଭାରତୀୟ ଇ- କମର୍ଷରେ ଗୋଟିଏ ଉତ୍ପାଦ ପାଇଁ ଗୋଟିଏ ଦିନ (ମୂଲ୍ୟ ଅନୁଯାୟୀ)ରେ ସର୍ବାଧିକ ବିକ୍ରୟ ଅଟେ। ଏହା ଏକ ଇତିହାସ! ଆମେ ପ୍ରକୃତରେ ଡିଜିଟାଲ୍ ଇଣ୍ଡିଆରେ ବାସ କରୁଛୁ। ”

ଉଲ୍ଲେଖ ଯୋଗ୍ୟ ଯେ, ଓଲା ଇଲେକ୍ଟ୍ରିକ୍ ସ୍କୁଟରର ବିତରଣ ଅକ୍ଟୋବରରୁ ଆରମ୍ଭ ହେବ। ଆଗାମୀ ଦୁଇ ଦିନରେ ବିତରଣ ତାରିଖ ମଧ୍ୟ ଘୋଷଣା କରାଯାଇପାରେ ବୋଲି ବିଶ୍ୱାସ କରାଯାଏ, ଯେଉଁଥିରେ ଏହି ସ୍କୁଟର ଆପଣଙ୍କ ଘରେ କେବେ ପହଞ୍ଚିବ ତାହା ଜଣାପଡିବ।

ଆସନ୍ତୁ ଏହାର ମୂଲ୍ୟ ବିଷୟରେ ଜାଣିବା:

ଓଲା ଇଲେକ୍ଟ୍ରିକ୍ ସ୍କୁଟରର ମୂଲ୍ୟ ବିଷୟରେ କହିବାକୁ ଗଲେ ଏହାର ଏସ୧ ଭାରିଆଣ୍ଟର ଏକ୍ସ-ଶୋ’ରୁମ୍ ମୂଲ୍ୟ ୯୯ ହଜାର ୯୯୯ ଟଙ୍କା ଥିବାବେଳେ ଏସ୧ ପ୍ରୋ ଭାରିଆଣ୍ଟର ମୂଲ୍ୟ ୧ ଲକ୍ଷ ୨୯ ହଜାର ୯୯୯ ଟଙ୍କା ରହିଛି। ଏକ ଟେଷ୍ଟ ଡ୍ରାଇଭ୍ ପରେ ଆପଣ ଓଲା ଇଲେକ୍ଟ୍ରିକ୍ ସ୍କୁଟରର ଅର୍ଡରକୁ ମଧ୍ୟ ବାତିଲ କରିପାରିବେ।

Categories
ଆଞ୍ଚଳିକ

ହ୍ରଦର ଭ୍ରମ ସୃଷ୍ଟି କରୁଛି ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତା: ପ୍ରଶାସନର ନିଦ ଭାଙ୍ଗିବ କେବେ?

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ରାଜ୍ୟର ଏକ ନମ୍ବର ଜିଲ୍ଲା ଭାବେ ବୋଲାଉଥିବାବେଳେ ଜିଲ୍ଲାର ଶେଷସୀମାରେ ଅବସ୍ଥିତ ବାଣପୁର ସତେ ଯେମିତି ଜିଲ୍ଲାର ଗୁରୁତ୍ୱପୂର୍ଣ ଅଙ୍ଗ ରୂପେ ପରିଗଣିତ ନହେଲା ପରି ଲାଗୁଛି। ବାଣପୁର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଏକାଧିକ ଗମ୍ଭୀର ସମସ୍ୟା ଲାଗିରହିଥିଲେ ସୁଦ୍ଧା ସତେ ଯେମିତି ପ୍ରଶାସନ ଏହାକୁ ଦେଖି ଆଖି ବୁଜିଦେଇଛି।

ବାଣପୁରରେ ଜିଲ୍ଲା ତଥା ରାଜ୍ୟର ବୃହତ ଡ୍ୟାମ ଶାଳିଆ ଡ୍ୟାମ ଅବସ୍ଥିତ ହୋଇଥିବାବେଳେ ଏଥି ନିମନ୍ତେ ଶାଳିଆ ଜଳସେଚନ ବିଭାଗ କାମ କରୁଛି। ବନ୍ୟା ଜଳ ନିଷ୍କାସନ ପାଇଁ ବିଭିନ୍ନ ସ୍ଥାନରେ କେନାଲ ନିର୍ମାଣ କରାଯାଇଥିବାବେଳେ ବର୍ତ୍ତମାନ ପୂର୍ତ୍ତବିଭାଗ ଅଧୀନରେ ଥିବା ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତାରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟିହୋଇଛି। ନନ୍ଦପୁର ଛକ ଠାରୁ ମେଘାମ୍ବରୀ ମନ୍ଦିର ନିକଟସ୍ଥ ଟୀକା କେନ୍ଦ୍ର ଯାଏଁ ମୁଖ୍ୟ ରାସ୍ତାରେ ଉକ୍ତ କେନାଲ ପାଣି ପ୍ରବାହିତ ହେବା ଯୋଗୁଁ ହଜାର ହଜାର ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସୂଚନା ମୁତାବକ ଦୀର୍ଘ ଚାରି ଦିନ ଲଗାଣ ବର୍ଷା ହେବା ଫଳରେ ଶାଳିଆ ନଦୀରୁ ଆସୁଥିବା ବନ୍ୟାଜଳ ନିଷ୍କାସନ ପାଇଁ କେନାଲ ମଧ୍ୟକୁ ପ୍ରବାହିତ ହୋଇ ବର୍ତ୍ତମାନ ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତାରେ ଜମା ହେଉଛି। ତେବେ ଏ ସମସ୍ୟା ଆଜିର ନୁହଁ। ଦୀର୍ଘ ୧୫ ବର୍ଷ ହେଲା ଉକ୍ତ ରାସ୍ତାରେ ଏହିପରି ସମସ୍ୟା ଲାଗିରହିଛି। ପାଖାପାଖି ୩ ଫୁଟ ପାଣି ଉକ୍ତ ରାସ୍ତାରେ ଲହଡି ମାରୁଛି। ତଥାପି ସ୍ଥାନୀୟ ପ୍ରଶାସନ ଏବଂ ଜଳସେଚନ ବିଭାଗର ନିଷ୍କ୍ରିୟତା ଲାଗି ଏପରି ସମସ୍ୟା ପ୍ରତିବର୍ଷ ହେଉଥିବାର ଜନସାଧାରଣ ମାନେ ଅଭିଯୋଗ କରିଛନ୍ତି।

ଉକ୍ତ ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଯାନବାହାନ ଓ ଜନସାଧାରଣ ମାନେ ବାଣପୁର ଏବଂ ବାଲୁଗାଁକୁ ଯାତାୟାତ କରିଥାନ୍ତି। ତେବେ ଜଳ ଜମିବା ଯୋଗୁଁ ଉକ୍ତ ରାସ୍ତାଟି ଏକ ହ୍ରଦର ଭ୍ରମ ସୃଷ୍ଟି କରୁଛି। ଯାହାଫଳରେ ଏକାଧିକ ଛୋଟ ମୋଟ ଦୁର୍ଘଟଣା ଘଟୁଛି। ଏପରିକି ମେଘାମ୍ବରୀ ମନ୍ଦିର ନିକଟରେ ଥିବା ଟୀକାକେନ୍ଦ୍ର ଭିତରେ ମଧ୍ୟ କେନାଲ ପାଣି ପଶିଯାଇଛି। ଯାହାଫଳରେ ଟୀକାଦାନ ବାଧାପ୍ରାପ୍ତ ହେଉଛି।

ତେବେ ଏ ନେଇ ଶାଳିଆ ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇ. ଵାଲା ରାଜୁଙ୍କୁ ପଚାରିବାରୁ ଉକ୍ତ ସମସ୍ୟା ଦୀର୍ଘ ୧୩ ବର୍ଷ ହେଲା ଲାଗିରହିଥିବାର କହିଛନ୍ତି। ଏବଂ ସରକାରୀ ନାଳ ନର୍ଦମାଗୁଡିକୁ କିଛି ନ୍ୟସ୍ତସ୍ୱାର୍ଥ ଲୋକ ଜୋର ଜବରଦସ୍ତ ମାଡିବସିଥିବାରୁ ଜଳ ନିଷ୍କାସନ ହୋଇପାରୁନାହିଁ ବୋଲି ସେ କହିଛନ୍ତି।

ଅନୁରୂପ ଭାବେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଜଳ ନିଷ୍କାସନ ପାଇଁ ମେଘାମ୍ବରୀ ମନ୍ଦିର ନିକଟରେ ଏକ ଶଙ୍ଖ ନିର୍ମାଣ କରାଯାଇଥିବାବେଳେ ତାହାର ଉଚ୍ଚତା କମ ଥିବାରୁ ନଦୀ ଜଳ ରାସ୍ତା ଉପରକୁ ପ୍ରବାହିତ ହେଉଛି। ତେବେ ଯଦି ଆଉ ଦୁଇଟି ନୂତନ ବ୍ରିଜ ତିଆରି ହେବ ତେବେ ଏ ସମସ୍ୟା ସମାଧାନ ହୋଇପାରିବ ବୋଲି କହିଛନ୍ତି। ଅପରପକ୍ଷରେ ଜଳସେଚନ ବିଭାଗ ଦ୍ୱାରା ଜଳ ନିଷ୍କାସନ ପାଇଁ ସବୁପ୍ରକାର ଉଦ୍ୟମ କରାଯାଇଥିବାବେଳେ ତାହା ଏକରକମ ଫେଲ ମାରିଛି।

ତେବେ ଏ ନେଇ ଜଳସେଚନ ବିଭାଗ ଖୋର୍ଦ୍ଧା ଜିଲ୍ଲା ନିର୍ବାହୀ ଯନ୍ତ୍ରୀ ସୁବ୍ରତ ଦାସଙ୍କୁ ଯୋଗାଯୋଗ କରାଯିବାରୁ ସେ ଉକ୍ତ ସମସ୍ୟା ବିଷୟରେ ଅବଗତ ଥିବାର କହିଛନ୍ତି ଏବଂ ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବେ ବୋଲି କହିଛନ୍ତି। ଅନୁରୂପ ଭାବେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ନାୟକଙ୍କୁ ପଚାରିବାରୁ ଆଗକୁ ଏଥିନିମନ୍ତେ ନୂତନ ବ୍ରିଜ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିବାର ସୂଚନା ଦେଇଛନ୍ତି। ବାଣପୁର ତହସିଲଦାରଙ୍କୁ ଏ ନେଇ ପଚାରିବାରୁ ସେ ଏହାଉପରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିବାର ସୂଚନା ଦେଇଛନ୍ତି।

ଏଠି ପ୍ରଶ୍ନ ଉଠୁଛି ଯଦି ଜଳସେଚନ ବିଭାଗ ଅବଗତ ଅଛି ଯେ, ସରକାରୀ ଜାଗା ସ୍ଥାନୀୟ ବାସିନ୍ଦାମାନେ ଜବରଦଖଲ କରିଛନ୍ତି, ତେବେ ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ କଣ ପାଇଁ ନିଆଯାଉନାହିଁ। କଣ ପାଇଁ ଏତେ ବର୍ଷ ହେଲା ଚୁପ ବସିଛି ଜଳସେଚନ ବିଭାଗ। ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଏବଂ ଜଳସେଚନ ବିଭାଗ ପରସ୍ପରକୁ କାଦୁଅ ଫିଙ୍ଗାଫିଙ୍ଗି ହେଉଥିବାବେଳେ ଏଥିରେ ବଳି ପଡୁଛନ୍ତି ନିରୀହ ଜନସାଧାରଣ।

ଯଦି ତୁରନ୍ତ ବାଣପୁର-ବାଲୁଗାଁ ମୁଖ୍ୟ ରାସ୍ତାରୁ ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାନଯାଏ ତେବେ ଜନସାଧାରଣ ଆନ୍ଦୋଳନପାଇଁ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି। ସେହିପରି ଭାବେ ସ୍ଥାନୀୟ ପ୍ରଶାସନ ଦ୍ୱାରା ଆସନ୍ତାକାଲି ମେଘାମ୍ବରୀ ମନ୍ଦିର ନିକଟସ୍ଥ କଲ୍ୟାଣ ମଣ୍ଡପରେ ଟୀକାକରଣ ବ୍ୟବସ୍ଥା କରାଯାଇଥିବାବେଳେ ଜଳବନ୍ଦୀ ଲାଗି ଏହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଆସନ୍ତାକାଲି ବାଣପୁରରେ ପାଖାପାଖି ୨ ହଜାର ଟୀକା: ଜାଣନ୍ତୁ କେଉଁ କେନ୍ଦ୍ର ପାଇଁ ରହିଛି କେତେ ଡୋଜ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଆସନ୍ତାକାଲି (ସେପ୍ଟେମ୍ବର ୧୮ ତାରିଖ) ରେ ୧ ହଜାର ୯ ଶହ ଜଣ ନାଗରିକଙ୍କ ପାଇଁ ଟୀକା ବ୍ୟବସ୍ଥା ହୋଇଅଛି। ଏ ନେଇ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରର କେଉଁ କେନ୍ଦ୍ରରେ କେତେ ଟୀକା ଏବଂ କିପରି ନେବେ:

ଅନଲାଇନ (ବୁକିଂ ସମୟ ଆଜି ଅପରାହ୍ନ ୪ ଟା ୩୦ ରୁ ଆରମ୍ଭ)

୧- କୃତିବାସ ଭବନ- (ସମୟ ସକାଳ ୯ ରୁ ୩ ):

-୬୦ ଟି ପ୍ରଥମ ଡୋଜ, ୩୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୨- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର– (ସମୟ ସକାଳ ୮.୩୦ ରୁ ୧):

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୩- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- (ସମୟ ସକାଳ ୮.୩୦ ରୁ ୧):

-୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

ଅଫଲାଇନ ଟୀକାକରଣ:

୪- ହଳନ୍ଦା ଉପ ସ୍ୱାସ୍ଥ୍ୟ କେନ୍ଦ୍ର – (ସମୟ ସକାଳ ୯ ରୁ ୪):

-୭୫ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୫ ଡୋଜ

୫– ପୁଞ୍ଜିଆମା ବାତ୍ୟା ଆଶ୍ରୟସ୍ଥଳୀ- (ସମୟ ସକାଳ ୯ ରୁ ୧ ଟା):

– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୬- ନଛିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ତୋରସିଂହ ଗ୍ରାପ)- (ସମୟ ଅପରାହ୍ନ ୧.୩୦ ରୁ ୫)

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୭– ନୀଳାଦ୍ରିପ୍ରସାଦ ଉପ ସ୍ୱାସ୍ଥ୍ୟ କେନ୍ଦ୍ର– (ସମୟ ସକାଳ ୯ ରୁ ୪)

– ୭୫ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୫ ଡୋଜ

୮- ଓଡଗାଁ ବିଦ୍ୟାଳୟ– (ସମୟ ସକାଳ ୮.୩୦ ରୁ ୧):

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୯- ଖଣତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ– (ସମୟ ସକାଳ ୮.୩୦ ରୁ ୧):

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୧୦- ଭାପୁର ବାତ୍ୟା ଆଶ୍ରୟସ୍ଥଳୀ– (ସମୟ ସକାଳ ୮.୩୦ ରୁ ୧ ଟା):

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୧୧- ମାଣିକପୁର ବାତ୍ୟା ଆଶ୍ରୟସ୍ଥଳୀ– (ସମୟ ଅପରାହ୍ନ ୧.୩୦ ରୁ ୫ ଟା):

– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୧୨- ନନ୍ଦପୁର (ମେଘାମ୍ବରି ମନ୍ଦିର ପାଖ)- (ସମୟ ସକାଳ ୮.୩୦ ରୁ ୧ ଟା):

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୧୩- ଗାଲୁଆ ଗ୍ରାମ ପଞ୍ଚାୟତ (ଭୀମପୁର ଉ.ପ୍ରା ବିଦ୍ୟାଳୟ)– (ସମୟ ଅପରାହ୍ନ ୧.୩୦ ରୁ ୫ ଟା):

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୧୪- ଭୁଷକାପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ଭବାନୀପୁର ଗ୍ରାପ)- (ସମୟ ଅପରାହ୍ନ ୧.୩୦ ରୁ ୫ ଟା):

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୧୫- ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ (ଶିକ୍ଷକ, ଶିକ୍ଷୟିତ୍ରୀ)- (ସମୟ ଅପରାହ୍ନ ୧.୩୦ ରୁ ୫ ଟା):

– ଉଭୟ ଡୋଜ – ୧୦୦

୧୬- ମୋରାମୋରି ପଞ୍ଚାୟତ କାର୍ଯ୍ୟାଳୟ- (ସମୟ ଅପରାହ୍ନ ୧.୩୦ ରୁ ୫ ଟା):

– ୭୫ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୫ ଡୋଜ

୧୭- ଆୟତ୍ତପୁର ପଞ୍ଚାୟତ କାର୍ଯ୍ୟାଳୟ- (ସମୟ ଅପରାହ୍ନ ୧.୩୦ ରୁ ୫ ଟା):

– ୭୫ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୫ ଡୋଜ

୧୮- ବଜାର ସାହି କମ୍ୟୁନିଟି ସେଣ୍ଟର(ୱାର୍ଡ-୮,ବାଣପୁର ଏନଏସି)- (ସମୟ ଅପରାହ୍ନ ୧.୩୦ ରୁ ୫ ଟା):

– ୬୦ ଟି ପ୍ରଥମ ଡୋଜ, ୩୦ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୧୯- ବିଷରପାଟଣା କମ୍ୟୁନିଟି ସେଣ୍ଟର (ୱାର୍ଡ-୭ , ବାଣପୁର ଏନଏସି)- (ସମୟ ସକାଳ ୮.୩୦ ରୁ ୧ ଟା):

– ୬୦ ଟି ପ୍ରଥମ ଡୋଜ, ୩୦ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିର୍ମାଣ କଲେ ଭିନ୍ନ ଧରଣ ବାଲୁକା କଳା

ପୁରୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 71 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏ ନେଇ ଆଜି ସାରା ବିଶ୍ବରୁ ଶୁଭେଚ୍ଛାର ବାର୍ତ୍ତା ଆସିବାରେ ଲାଗିଛି। ଏହି ଜନ୍ମଦିନରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି। ସେହି ବାଲୁକା କଳାରେ ସେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ସୁଦର୍ଶନ ବାଲି ଏବଂ ଶାମୁକାରେ ତିଆରି କରିଛନ୍ତି ମୋଦିଙ୍କ ଏକ ଭିନ୍ନ ଧରଣର କଳା। ସେ ବାଲୁକା ସ୍ଥାପତ୍ୟ ଉପରେ ଶାମୁକା ଖୋଳପାକୁ ବ୍ୟବହାର କରି ବେଶ ଆକର୍ଷଣୀୟ କରିପାରିଛନ୍ତି। ଏଥିରେ ସୁଦର୍ଶନ ପ୍ରାୟ 2035 ଟି ଶାମୁକା ବ୍ୟବହାର କରିଛନ୍ତି। ଏଥିସହିତ ସେ ଏହି ସ୍ଥାପତ୍ୟରେ  “ହାପି ବାର୍ଥ ଡେ ମୋଦି ଜୀ” ବୋଲି ଲେଖିଛନ୍ତି। ଏହି ବାଲୁକାକଳା ବର୍ତ୍ତମାନ ପୁରୀ ବେଳାଭୂମିରେ ପର୍ଯଟକଙ୍କୁ ଆକୃଷ୍ଟ କରିପାରିଛି।

Categories
ଜାତୀୟ ଖବର ବିଶେଷ ଖବର

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ, ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜନ୍ମ ଦିନ। ଆଜି ମୋଦୀଙ୍କୁ 71 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେ 1950 ମସିହା ସେପ୍ଟେମ୍ବର 17 ତାରିଖରେ ଗୁଜୁରାଟରେ ଜନ୍ମ ଗ୍ରହଣ କରିଥିଲେ। ପିଲାଟି ଦିନରୁ ତାଙ୍କର ଉଦମ୍ୟ ତଥା ପରିଶ୍ରମ ପାଇଁ ଆଜି ସେ ବିଶ୍ବରେ ଜଣେ ପ୍ରତିଷ୍ଠିତ ନେତା ଭାବରେ ପ୍ରତିଷ୍ଠା ହାସଲ କରିଛନ୍ତି।

ତାଙ୍କର ଜନ୍ମଦିନରେ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଶତ୍ରୁମିତ୍ର ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶିବସେନା ନେତା ସଂଜୟ ରାଉତ ତାଙ୍କୁ ଟୁଇଟ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, “ହାପି ବାର୍ଥ ଡେ ଟୁ ମାଇଁ ଡିଅର ମୋଦିଜୀ।” ଶରଦ ପାୱାର ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲା ମଧ୍ୟ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି।

ସେହିପରି ରାହୁଳ ଗାନ୍ଧୀ ମଧ୍ୟ ତାଙ୍କ ଟୁଇଟରରେ ହାପି ବାର୍ଥ ଡେ ଟୁ ମୋଦୀ ଜୀ ବୋଲି ମଧ୍ୟ ଲେଖିଛନ୍ତି। ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ କରି ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟ ଏବଂ ଦଳୀୟ ନେତାମାନେ ମଧ୍ୟ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଛନ୍ତି। ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମୋଦୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ସହିତ ଦୀର୍ଘ ଜୀବନ କାମନା କରିଛନ୍ତି। ସେହିପରି ନିତିନ ଗଡକରୀ, ଅମିତ ସାହା, ରାଜନାଥ ସିଂ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ପାଇଁ ପାର୍ଟି କର୍ମକର୍ତ୍ତମାନେ ପ୍ରାୟ 5 କୋଟି ପୋଷ୍ଟକାର୍ଡ ଶୁଭେଚ୍ଛା ବାର୍ତ୍ତା ଜଣା ତାଙ୍କ ପାଖକୁ ପଠାଇଥିବାର ଜଣାପଡିଛି। ସେହିପରି ବିଭିନ୍ନ ରାଜ୍ୟ ବିଜେପି ତରଫରୁ ରକ୍ତଦାନ ଶିବିର, ମାଗଣା ସ୍ବାସ୍ଥ୍ୟ ସେବା, ରୋଗୀଙ୍କୁ ଫଳ ବଣ୍ଟନ ଏବଂ ପ୍ରଦର୍ଶନୀର ଆୟୋଜନ ମଧ୍ୟ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ୨୪ ଘଣ୍ଟାରେ ୩୪ ହଜାର ୪୦୩ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୪ ହଜାର ୪୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୨୦ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩୩ ଲକ୍ଷ ୮୧ ହଜାର ୭୨୮ ରେ ପହଞ୍ଚିଛି।

ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୪ ହଜାର ୨୪୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୫ ଲକ୍ଷ ୯୮ ହଜାର ୪୨୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୩୯ ହଜାର ୫୬ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଉ ୪ ଜଣଙ୍କର ପ୍ରାଣ ନେଲା କରୋନା, ମୋଟ ମୃତ୍ୟୁ ସଂଖ୍ୟା ହେଲା ୮ ହଜାର ୧୨୨

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୪ ଜଣଙ୍କର ପ୍ରାଣ ନେଇଛି କରୋନା।  ସେମାନଙ୍କ ମଧ୍ୟରୁ ଭଦ୍ରକ, କଟକ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୨୨ ରେ ପହଞ୍ଚିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୮ ହଜାର ୯୨୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୪ ହଜାର ୮୪୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୯୦୬ ଜଣ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ତହସିଲ ଏବଂ ଉପ-ଜିଲ୍ଲାପାଳଙ୍କ ଅଫିସକୁ ସିଲ୍ କଲା ବିଏମସି

ଭୁବନେଶ୍ଵର: ଭୁବନେଶ୍ବର ତହସିଲ ଏବଂ ଉପ-ଜିଲ୍ଲାପାଳଙ୍କ ଅଫିସକୁ ବିଏମସି ସିଲ୍ କରିଛି। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଉଭୟ ଅଫିସକୁ ବିଏମସି ସିଲ୍ କରିଛି। ଲଗାତର କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ବିଏମସି ଏହି ନିଷ୍ପତ୍ତି ନେଇଛି। ଉପ-ଜିଲ୍ଲାପାଳଙ୍କ ଅଫିସରୁ ୪ ଜଣ କର୍ମଚାରୀ କରୋନାରେ ସଂକ୍ରମଣ ହୋଇଥିବା ବେଳେ ତହସିଲ ଅଫିସରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଉଭୟ ଅଫିସକୁ ଯିବା ପାଇଁ ବାରଣ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କ ରୋଚକ କାହାଣୀ: ରାସ୍ତା ନିର୍ମାଣ ଲାଗି ଶ୍ୱଶୁର ଘରେ ମଧ୍ୟ ଚଳାଇଥିଲେ ବୁଲଡୋଜର

ନୂଆଦିଲ୍ଲୀ: ନିଜର କାର୍ଯ୍ୟ ପାଇଁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଚର୍ଚ୍ଚାରେ ଅଛନ୍ତି। ଗଡକରୀ ଗତକାଲି ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ସମୀକ୍ଷା କରି ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି ଅବସରରେ ଅଧିକାରୀମାନଙ୍କୁ ତାଗିଦ କରିବା ସହ ଏକ ରୋଚକ କାହାଣୀ ବର୍ଣ୍ଣନା କରିଛନ୍ତି। ଏହି ସମୟରେ ସେ କହିଥିଲେ ଯେ, ମୁଁ ଥରେ ପତ୍ନୀଙ୍କୁ ନ ଜଣାଇ ଶ୍ୱଶୁର ଘରେ ବୁଲଡୋଜର ଚଳାଇଥିଲି।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ନିତିନ ଗଡକରୀ କହିଛନ୍ତି, “ଯେତେବେଳେ ମୁଁ ନବ ବିବାହିତ ଥିଲି, ସେତେବେଳେ ମୋ ଶ୍ୱଶୁରଙ୍କ ଘର ରାସ୍ତା ମଝିରେ ଆସୁଥିଲା। ମୁଁ ପତ୍ନୀଙ୍କୁ ନ ଜଣାଇ ଶ୍ୱଶୁରଙ୍କ ଘରେ ବୁଲଡୋଜର ଚଲାଇ ରାସ୍ତା ନିର୍ମାଣ କରିଥିଲି।

ଏକ ପ୍ରଶ୍ନର ଉତ୍ତରରେ ଗଡକରୀ କହିଛନ୍ତି, ଯଦି ଆପଣ ଭଲ ସେବା ଚାହୁଁଛନ୍ତି, ତେବେ ଆପଣଙ୍କୁ ଏଥିପାଇଁ କିଛି ଅର୍ଥ ଦେବାକୁ ପଡିବ। ଯଦି ଆପଣ ଏକ ଶୀତତାପ ନିୟନ୍ତ୍ରିତ ହଲରେ ଏକ କାର୍ଯ୍ୟକ୍ରମ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏଥିପାଇଁ ଭଡା ଦେବାକୁ ପଡିବ। ଅନ୍ୟଥା, ଆପଣ ଖୋଲା ପଡ଼ିଆରେ ମଧ୍ୟ ବିବାହର ଆୟୋଜନ କରିପାରିବେ। ”

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ (ଡିଏମଇ) ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଯାତ୍ରା ସମୟକୁ ୨୪ ଘଣ୍ଟାରୁ ୧୨ ଘଣ୍ଟାକୁ ହ୍ରାସ କରିବ। ଏହି ଆଠ ଲେନ ବିଶିଷ୍ଟ ଏକ୍ସପ୍ରେସୱେ ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଗୁଜୁରାଟ ଦେଇ ଯିବ।

ଜାତୀୟ ରାଜଧାନୀ-ଦିଲ୍ଲୀରେ ଟ୍ରାଫିକ ଜାମ୍ ଏବଂ ବାୟୁ ପ୍ରଦୂଷଣ ସମସ୍ୟାକୁ ହ୍ରାସ କରିବା ପାଇଁ ସଡକ ମନ୍ତ୍ରଣାଳୟ ୫୩ ହଜାର କୋଟି ଟଙ୍କା ମୂଲ୍ୟର ୧୫ ଟି ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛି ବୋଲି ଗଡକରୀ ସୂଚନା ଦେଇଛନ୍ତି। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଦେଶର ଦୀର୍ଘତମ ଏକ୍ସପ୍ରେସୱେ ହେବ। ଏକ୍ସପ୍ରେସୱେରେ ଯାନବାହନ ପାଇଁ ସର୍ବନିମ୍ନ ଗତି ସୀମା ଘଣ୍ଟା ପ୍ରତି ୧୦୦ କିଲୋମିଟର ହେବ। ସଡକ ମନ୍ତ୍ରଣାଳୟ ଏହାକୁ ଘଣ୍ଟା ପ୍ରତି ୧୨୦ କିଲୋମିଟରକୁ ବୃଦ୍ଧି କରିବାକୁ ଚିନ୍ତା କରୁଛି।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଲେ ରାହୁଲ ଗାନ୍ଧୀ, ଜାଣନ୍ତୁ କଣ କହିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ୭୧ ତମ ଜନ୍ମଦିନ ପାଳନ କରୁଛନ୍ତି। ଦେଶର ସମସ୍ତ ନେତା ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି।

ରାହୁଲ ଗାନ୍ଧୀ ଟ୍ୱିଟରରେ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା, ମୋଦୀ ଜୀ।

ଉଲ୍ଲେଖ ଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଅବସରରେ ବିଜେପି ୨୦ ଦିନିଆ ଦେଶବ୍ୟାପୀ ଅଭିଯାନ ଯୋଜନା କରିଛି। ଯାହା ଆଜିଠାରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖରେ ଶେଷ ହେବ। ଏଥି ସହ କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନକୁ ‘ଜାତୀୟ ବେକାରୀ ଦିବସ’ ଭାବରେ ପାଳନ କରୁଛି।

ବିଜେପିର ଏହି ୨୦ ଦିନିଆ ଅଭିଯାନ ପଛର କାରଣ ହେଉଛି ଆଜିଠାରୁ ୨୦ ଦିନ ପରେ ଅର୍ଥାତ୍ ଅକ୍ଟୋବର ୭ ତାରିଖ ଦିନ (୨୦ ବର୍ଷ ପୂର୍ବେ) ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ମୋଦୀ ଶପଥ ଗ୍ରହଣ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ବିଜେପି ଏହି ଅଭିଯାନକୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଚଳାଇବାକୁ ନିଷ୍ପତ୍ତି ନେଇଛି। ଏଥି ସହ ବିଜେପି ଏକ ଚାରିଜଣିଆ କମିଟି ଗଠନ କରିଛି, ଯାହା ଦଳୀୟ କର୍ମୀଙ୍କ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରିବ। ତେବେ ଏହି କମିଟି କୈଳାସ ବିଜୟଭର୍ଗିଆଙ୍କ ଦ୍ୱାରା ପରିଚାଳିତ ହେଉଛି। ଏହି ଅଭିଯାନ ଅଧୀନରେ ରକ୍ତଦାନ ଶିବିର, ମୋଦୀଙ୍କ ଜୀବନୀ ଉପରେ ପ୍ରଦର୍ଶନୀ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କୁହାଯାଉଛି। ଏହା ସହିତ ଦଳର ସମସ୍ତ କାର୍ଯ୍ୟାଳୟରୁ ଲକ୍ଷ ଲକ୍ଷ ଡାକ କାର୍ଡ ପଠାଯିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୬୨୮ କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୬୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୬୭ ଜଣ ଚିହ୍ନଟ ହୋଇଥିବା ବେଳେ ୨୬୧ ଟି ଲୋକାଲ କେସ୍‌ ରହିଛ। ୬୨୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୯୬ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୮ ହଜାର ୯୨୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୪ ହଜାର ୮୪୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୯୦୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୧୨ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୩ ଟି ଜିଲ୍ଲାରୁ ୬୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୨୯୧ ଜଣ, କଟକ ଜିଲ୍ଲାରୁ ୭୨, ଅନୁଗୁଳ ଜିଲ୍ଲାରୁ ୫, ବାଲେଶ୍ଵର ଜିଲ୍ଲାରୁ ୨୨ ଜଣ, ବରଗଡ ଜିଲ୍ଲାରୁ ୭, ଭଦ୍ରକ ଜିଲ୍ଲାରୁ ୭ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୧, ଦେବଗଡ ଜିଲ୍ଲାରୁ ୧, ଢେଙ୍କାନାଳ ଜିଲ୍ଲାରୁ ୫, ଗଜପତି ଜିଲ୍ଲାରୁ ୨, ଗଞ୍ଜାମ ଜିଲ୍ଲାରୁ ୧, ଜଗତସିଂହପୁର ଜିଲ୍ଲାରୁ ୨୬ ଜଣ, ଯାଜପୁର ଜିଲ୍ଲାରୁ ୧୯ ଜଣ, ଝାରସୁଗୁଡା ଜିଲ୍ଲାରୁ ୩, କେନ୍ଦ୍ରାପଡା ଜିଲ୍ଲାରୁ ୯ ଜଣ, କେନ୍ଦୁଝର ଜିଲ୍ଲାରୁ ୨, କୋରାପୁଟ ଜିଲ୍ଲାରୁ ୧୬, ମୟୂରଭଞ୍ଜ ଜିଲ୍ଲାରୁ ୨୨ ଜଣ, ନୟାଗଡ ଜିଲ୍ଲାରୁ ୭ ଜଣ, ପୁରୀ ଜିଲ୍ଲାରୁ ୯ ଜଣ, ରାୟଗଡା ଜିଲ୍ଲାରୁ ୪, ସମ୍ବଲପୁର ଜିଲ୍ଲାରୁ ୮, ସୁନ୍ଦରଗଡ ଜିଲ୍ଲାରୁ ୨୩ ଏବଂ ଷ୍ଟେଟ ପୁଲରୁ ୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଚିହ୍ନଟ ହେବେ ଜାଲ ସାର୍ଟିଫିକେଟ୍‌ଧାରୀ ଶିକ୍ଷକ, ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର :  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା ଓ ବ୍ଲକ୍‌ ଶିକ୍ଷାଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା କ୍ୟାରିୟର କାଉନ୍‌ସେଲିଂ ପୋର୍ଟାଲର ବ୍ୟାପକ ଉପଯୋଗ ଉପରେ ଗୁରୁତ୍ୱାରୋପ କରି ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ କହିଲେ ଯେ କୃତୀ ଛାତ୍ରଛାତ୍ରୀମାନଙ୍କୁ ସଠିକ୍‌ ମାର୍ଗରେ ନିୟନ୍ତ୍ରଣ କରାଗଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଲକ୍ଷ୍ୟ ପୂରଣ ହେବ ।

ଜିଲ୍ଲା ଶିକ୍ଷା ଅଧିକାରୀମାନେ ସଂପୃକ୍ତ ଜିଲ୍ଲାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକର ସମସ୍ୟାଗୁଡ଼ିକୁ ତଦାରଖ କରିବା ସହିତ ବିଭାଗର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଇବେ । ‘ମୋ ସ୍କୁଲ’ ଅଭିଯାନରେ ଉଚ୍ଚ ମାଧ୍ୟମିକ ରୂପାନ୍ତରଣ ନିମନ୍ତେ ପାଖାପାଖି ୭୫୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ କିଛି ପ୍ରକଳ୍ପର କାର୍ଯ୍ୟ ସଂପନ୍ନ ହୋଇଛି । ଉଚ୍ଚବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରକଳ୍ପମାନଙ୍କର ରକ୍ଷଣାବେକ୍ଷଣ ପାଇଁ ପ୍ରମୁଖ ଶାସନ ସଚିବ ଗୁରୁତ୍ୱଦେଇ କହିଲେ ଯେ ଏହିସବୁ ରକ୍ଷଣାବେକ୍ଷଣ କାର୍ଯ୍ୟ ପୁରାତନ ଛାତ୍ରଛାତ୍ରୀ ଓ ଅନ୍ୟ ଅଂଶୀଦାରଙ୍କ ସହଯୋଗରେ କାର୍ଯ୍ୟକାରୀ କରାଯିବ ।

ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପରାମର୍ଶଦାତା ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ଶ୍ରୀ ଉପେନ୍ଦ୍ର ପ୍ରସାଦ ତ୍ରିପାଠୀ ଉପସ୍ଥିତ ରହି ଆଦର୍ଶ ବିଦ୍ୟାଳୟ ଉପରେ ଦିଗ୍‌ଦର୍ଶନ ଦେଇଥିଲେ।
ଏହି ଅବସରରେ ପ୍ରାଥମିକ ଶିକ୍ଷକମାନଙ୍କୁ ପଦୋନ୍ନତି ପ୍ରଦାନ, ଧନ୍ଦାମୂଳକ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ, ଏଚ୍‌ଟି ବିଦ୍ୟାଳୟଗୁଡ଼ିକରେ ସୌରଶକ୍ତିର ବ୍ୟାପକ ବ୍ୟବହାର, ରୂପାନ୍ତରିତ ସ୍କୁଲରେ ସଂଯୋଜନ ମାଧ୍ୟମରେ ବିଭିନ୍ନ ବିକାଶ କାର୍ଯ୍ୟକ୍ରମକୁ ଗୁରୁତ୍ୱ ପ୍ରଦାନ ଆଦି ବିଷୟ ଉପରେ ଆଲୋଚନା ହୋଇଥିଲା ।

ବୈଠକରେ ନାସ୍‌(ଏନ୍‌ଏଏସ୍‌) ପରୀକ୍ଷା ପାଇଁ ଛାତ୍ରୀଛାତ୍ରୀଙ୍କ ପ୍ରସ୍ତୁତି, ଓମ୍‌ବାଡ୍‌ସି ଏବଂ ଜିଲ୍ଲା ଖଣିଜ ପାଣ୍ଠିର ଉପଯୋଗ, ଦୀର୍ଘଦିନ ଧରି ଅନୁପସ୍ଥିତ ଥିବା କର୍ମଚାରୀ ଓ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଦି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ହାଇସ୍କୁଲର ପ୍ରଧାନ ଶିକ୍ଷକ ଏବଂ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷମାନେ ନିଜେ ନିୟମିତ ଶିକ୍ଷା ରୁଟିନ୍‌ ଅନୁଯାୟୀ ଶିକ୍ଷାଦାନ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଏଣିକି ଉଚ୍ଚ ମାଧ୍ୟମିକ ସ୍କୁଲମାନଙ୍କରେ ଇ-ପାଠଶାଳା ଏବଂ ଇ-ମୂଲ୍ୟାୟନର ବ୍ୟାପକତା, ଶିକ୍ଷାର ଭିତ୍ତିଭୂମି ସୁଦୃଢ଼, ଡିଜିଟାଲ୍‌ ଶିକ୍ଷା ଏବଂ ଜାଲ ଶିକ୍ଷକମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆଦି କାର୍ଯ୍ୟ ଉପରେ ପ୍ରମୁଖ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ ।

ଏହି ବୈଠକରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ବିଭାଗୀୟ ବରିଷ୍ଠ ପଦାଧିକାରୀବୃନ୍ଦ ପ୍ରମୁଖ ଉପସ୍ଥିତ ଥିବାବେଳେ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଭର୍ଚୁଆଲ୍‌ ମାଧ୍ୟମରେ ଯୋଗଦେଇଥିଲେ ।

Categories
ଆଜିର ଖବର ଧର୍ମ

ଆଜି ପ୍ରଭୃ ବିଶ୍ବକର୍ମାଙ୍କ ପୂଜା, ଜାଣନ୍ତୁ ଏହି ଦିନ ଠାକୁରଙ୍କୁ ଭକ୍ତିପୂତ ଭାବେ କଣ କହି ପ୍ରାର୍ଥନା କରାଯାଏ

Viswakarma Puja: ବିଶ୍ୱକର୍ମା ପୂଜାକୁ ବିଶ୍ୱକର୍ମା ଦିବସ ବା ଜୟନ୍ତୀ ମଧ୍ୟ କୁହାଯାଏ। ବିଶ୍ୱକର୍ମା ପୂଜା ପ୍ରତିବର୍ଷ ସେପ୍ଟେମ୍ବର ମାସରେ ପଡିଥାଏ। ଚଳିତ ବର୍ଷ ଏହା 17 ତାରିଖ ଶୁକ୍ରବାର ଦିନ ପଡିଛି। ଏହି ଦିନ ଭାରତର ପ୍ରାୟ ସବୁ ସ୍ଥାନରେ ପ୍ରଭୃ ବିଶ୍ବକର୍ମାଙ୍କ ପୂଜା କରାଯାଏ। ଇତିହାସ ଅନୁଯାୟୀ ଭଗବାନ ବିଶ୍ୱକର୍ମାଙ୍କୁ ଦେବଶିଳ୍ପୀ ଅର୍ଥାତ୍ ଦେବତାମାନଙ୍କର ସ୍ଥପତି ଭାବରେ ପୂଜା କରାଯାଏ। ତାଙ୍କୁ ମଧ୍ୟ ତ୍ରିଲୋକ ବା ତ୍ରିପକ୍ଷ ଯୁଗର ନିର୍ମାଣକର୍ତ୍ତା ଭାବରେ ବିବେଚନା କରାଯାଏ।

ଏହା ସହିତ ବିଶ୍ୱକର୍ମା ମଧ୍ୟ ଉଡ଼ୁଥିବା ରଥ, ପ୍ରାସାଦ ଏବଂ ଦେବତାମାନଙ୍କର ଅସ୍ତ୍ରଶସ୍ତ୍ର ନିର୍ମାଣ କରିଥିଲେ। ଏପରିକି ବିଶ୍ୱାସ କରାଯାଏ ଯେ ଇନ୍ଦ୍ରଙ୍କ ମହାନ ଅସ୍ତ୍ର ଯାହା ଋଷି ଦଧିଚିଙ୍କ ହାଡରୁ ନିର୍ମିତ ହୋଇଥିଲା, ତାହା ମଧ୍ୟ ବିଶ୍ୱକର୍ମା ଦ୍ବାରା ତିଆରି କରାଯାଇଥିଲା।

କେବଳ ସ୍ୱର୍ଗ ନୁହେଁ ବରଂ ସେ ଏହି ସମଗ୍ର ସୃଷ୍ଟିର ସ୍ଥାପତ୍ୟ ଭାବରେ ବିବେଚନା କରାଯାଏ। ସେ ସତ୍ୟ ଯୁଗରେ ସୁବର୍ଣ୍ଣ ଲଙ୍କାର ସୃଷ୍ଟିକର୍ତ୍ତା ଭାବରେ ବିବେଚିତ ହୋଇଥିଲେ। ଯେଉଁଠାରେ ଅସୁର ରାଜା ରାବଣ ରହୁଥିଲେ। ତ୍ରେତୟା ଯୁଗରେ ଦ୍ୱାରୀକା, ଯେଉଁଠାରେ ଶ୍ରୀକୃଷ୍ଣ ଥିଲେ, ଦ୍ୱାପୁର ଯୁଗର ହାସ୍ତିନାପୁର ଯାହା ପାଣ୍ଡବ ଏବଂ କୌରବଙ୍କ ରାଜ୍ୟ ଥିଲା। ତାହା ମଧ୍ୟ ବିଶ୍ବକର୍ମାଙ୍କ ଦ୍ବାରା ନିର୍ମାଣ କରାଯାଇଥିଲା ବୋଲି ବିଭିନ୍ନ ପୁରାଣରେ ବର୍ଣ୍ଣନା କରାଯାଇଛି।

ଭଗବାନ ବିଶ୍ବକର୍ମାଙ୍କୁ ଚାରିଆଡେ ବେଶ୍ ଭକ୍ତିପୂତ ଭାବେ ପାଳନ କରାଯାଏ | ଏହି ପୂଜାରେ ସ୍ଥପତି ତଥା “ଭଗବାନ ବିଶ୍ୱକର୍ମା” ପୂଜା ପାଆନ୍ତି। ଏହି ଦିନ ସମସ୍ତ ମେସନ୍, ବୁଣାକାର, କାରିଗର ଯେଉଁମାନେ ଲୁହା ଏବଂ ଅନ୍ୟାନ୍ୟ ଧାତୁରୁ ଜିନିଷ ତିଆରି କରନ୍ତି, ଇଞ୍ଜିନିୟର୍, ମେସନ୍, ଶ୍ରମିକ, କାରିଗର, ହାର୍ଡୱେର୍, ଇଲେକ୍ଟ୍ରିକାଲ୍, ଟେକ୍ନିସିଆନ୍, ଡ୍ରାଇଭର, କାର୍ପେଣ୍ଟର, ୱେଲଡର୍, ମେକାନିକ୍, ସମସ୍ତ ଶିଳ୍ପୀ ଘରର ଲୋକମାନେ ପୂଜା କରନ୍ତି। ଏହି ପୂଜା ମହାନ ପରଂପରା ସହିତ ପାଳନ କରାଯାଏ।

ସମସ୍ତେ ସକାଳେ ସ୍ନାନ କରନ୍ତି ଏବଂ ଭଗବାନ ବିଶ୍ୱକର୍ମାଙ୍କ ଫଟୋ ପୂଜା ସ୍ଥାନରେ ରଖନ୍ତି। ଏହା ଉପରେ ଫୁଲଗୁଡ଼ିକ ସଜ୍ଜିତ। ଧୂପ, ଦୀପ, ଧୂପ ବାଡ଼ି ଦ୍ୱାରା ସାଧନଗୁଡ଼ିକ ପୂଜା କରାଯାଏ। ତା’ପରେ ପ୍ରସାଦଙ୍କୁ ଅର୍ପଣ କରିବା ପରେ, ହାତରେ ଫୁଲ ଏବଂ ଅକ୍ଷତ ନେଇ ସେ ଭଗବାନ ବିଶ୍ୱକର୍ମାଙ୍କ ବିଷୟରେ ଧ୍ୟାନ କରନ୍ତି।

ଏହି ପୂଜାରେ ସମସ୍ତ କର୍ମଚାରୀ ନୂତନ ତଥା କୁଶଳୀ କାରିଗରୀ, ଭଗବାନ ବିଶ୍ୱକର୍ମାଙ୍କ ଠାରୁ ବାସ୍ତୁ ଜ୍ଞାନ ମାଗନ୍ତି ଏବଂ କୁହନ୍ତି ଯେ ହସ୍ତଶିଳ୍ପ କରିବା ସମୟରେ କୌଣସି ବିଲଡିଂ, କୋଠା ନିର୍ମାଣ କରିବା ସମୟରେ କୌଣସି ଦୁର୍ଘଟଣା ଘଟିବ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ବୃଦ୍ଧି ପାଇଲା ଉତ୍କଳ ଆଲୁମିନାର ଉତ୍ପାଦନ କ୍ଷମତା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦଘାଟନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡାର କାଶୀପୁରସ୍ଥିତ ଉତ୍କଳ ଆଲୁମିନା ରିଫାନାରୀ ସମ୍ପ୍ରସାରଣ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ସମ୍ପ୍ରସାରଣ ସହିତ, ଉତ୍କଳ ଆଲୁମିନାର ଉତ୍ପାଦନ କ୍ଷମତା ବାର୍ଷିକ 1.5 ମିଲିୟନ୍ ଟନ୍ ରୁ 2 ମିଲିୟନ୍ ଟନ୍ କୁ ବୃଦ୍ଧି କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କରୋନା ମହାମାରୀର ପ୍ରତିକୂଳ ପ୍ରଭାବରୁ ଓଡିଶାର ଅର୍ଥନୀତି ପଛକୁ ଫେରି ଆସୁଛି ଏବଂ ଆମେ ମୁଖ୍ୟ ସ୍ରୋତକୁ ଫେରିଛୁ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ କରୋନା ମହାମାରୀର ପ୍ରଭାବ ସତ୍ତ୍ୱେ ନିବେଶକମାନେ ଓଡିଶାରେ ସେମାନଙ୍କର ପ୍ରକଳ୍ପର ସମ୍ପ୍ରସାରଣ କରୁଛନ୍ତି। ମହାମାରୀ ପରଠାରୁ ଆମେ 4.5 ଲକ୍ଷ କୋଟିରୁ ଅଧିକ ଟଙ୍କା ବିନିଯୋଗକୁ ଆକର୍ଷିତ କରିପାରୁଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଚଳିତ ବର୍ଷ ଜୁଲାଇରେ ରାଜ୍ୟର ଜିଏସଟି ସଂଗ୍ରହ ମଧ୍ୟ ପୂର୍ବ ବର୍ଷର ଏହି ସମୟରେ 54 ପ୍ରତିଶତ ଅଭିବୃଦ୍ଧି ପଞ୍ଜିକୃତ କରିଛି।

ଓଡ଼ିଶାର ବିକାଶରେ ଆଦିତ୍ୟ ବିର୍ଲା ଗୋଷ୍ଠୀ ଦ୍ୱାରା ସକରାତ୍ମକ ଭୂମିକା ଗ୍ରହଣ କରି ସିଏମ୍ କହିଛନ୍ତି ଯେ ଧାତୁ, ସିମେଣ୍ଟ, ଆର୍ଥିକ ସେବା, ବସ୍ତ୍ର ପରି ସେକ୍ଟରଗୁଡିକରେ ଏହାର ଅର୍ଥପୂର୍ଣ୍ଣ ଉପସ୍ଥିତି ସହିତ ଶିଳ୍ପ ବିକାଶର ଯାତ୍ରାରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହି ସମ୍ପ୍ରସାରଣ ଆଦିତ୍ୟ ବିର୍ଲା ଗୋଷ୍ଠୀ ଏବଂ ଓଡିଶା ମଧ୍ୟରେ ଦୀର୍ଘ ଦିନର ସମ୍ପର୍କର ଏକ ପ୍ରମାଣ। ବିଶେଷକରି ଓଡିଶାର ଆଦିବାସୀ ଅଞ୍ଚଳରେ ଏହି ସଂପ୍ରସାରଣ ଓଡିଶାର ଶିଳ୍ପ ଅର୍ଥନୀତିର ଅଭିବୃଦ୍ଧିରେ ସହାୟକ ହେବ ବୋଲି ସିଏମ୍ ବିଶ୍ୱାସ ପ୍ରକାଶ କରିଛନ୍ତି।

ଉତ୍କଳ ଆଲୁମିନା 1993 ମସିହାରେ ରାୟାଗଡାଠାରେ 8 ହଜାର 600 କୋଟି ଟଙ୍କା ବିନିଯୋଗରେ ପ୍ରତିଷ୍ଠା କରାଯାଇ ଥିଲା। ଏହି ସମ୍ପ୍ରସାରଣ ପାଇଁ 1500 କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହି ନୂତନ ୟୁନିଟ୍ ପାଇଁ 500 ରୁ ଅଧିକ ଲୋକ ନିଯୁକ୍ତି ପାଇଛନ୍ତି। ଆଦିତ୍ୟ ବିର୍ଲା ଗ୍ରୁପ୍ ଓଡିଶାରେ 12,000 ରୁ ଅଧିକ ଲୋକଙ୍କୁ ନିୟୋଜିତ କରିଛି ଯାହାକି ଏହାର ବିଶ୍ବ ସ୍ତରୀୟ ଶ୍ରମିକଙ୍କ 10 ପ୍ରତିଶତରୁ ଅଧିକ ଅଟେ। ଶିଳ୍ପମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଏସଟି, ମନ୍ତ୍ରୀ ଜଗନ୍ନାଥ ସାରାକା ଏବଂ ହିଣ୍ଡାଲକୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସତୀଶ ପାଇ ମଧ୍ୟ ଏହି ଅବସରରେ ଯୋଗ ଦେଇଥିଲେ।

ଭର୍ଚୁଆଲ୍ ମୋଡ୍ ମାଧ୍ୟମରେ ଆଦିତ୍ୟ ବିର୍ଲା ଗ୍ରୁପର ଚେୟାରମ୍ୟାନ୍ କୁମାର ମଙ୍ଗଲମ୍ ବିର୍ଲା କହିଛନ୍ତି ଯେ ଆଦିତ୍ୟ ବିର୍ଲା ଗ୍ରୁପ୍ ପାଇଁ ଓଡିଶା ସର୍ବାଧିକ ପୁଞ୍ଜି ବିନିଯୋଗ ସ୍ଥାନ ଭାବରେ ଉଭା ହୋଇଛି। ସେ ଓଡିଶାର ବିକାଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିକୁ ପ୍ରଶଂସା କରିବା ସହ ଅଲିମ୍ପିକ୍ସରେ ଭାରତୀୟ ହକିର ସଫଳତାରେ ଓଡିଶା ସରକାରଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। ରାଜ୍ୟର ବିକାଶ କାହାଣୀରେ ଗର୍ବିତ ଅଂଶୀଦାର ଭାବରେ ତାଙ୍କର ଭୂମିକା ଉପରେ ସେ ଖୁସି ବ୍ୟକ୍ତ କରିଛନ୍ତି।

ଏହି କାର୍ଯ୍ୟକ୍ରମକୁ CM (5-T) ସଚିବ ଶ୍ରୀ ଭି କେ ପାଣ୍ଡିଆନ୍। ଶିଳ୍ପ ବିଭାଗର ମୁଖ୍ୟ ସଚିବ ଶ୍ରୀ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ହିଣ୍ଡାଲକୋ ମୁଖ୍ୟ ବି.ସି. ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ, ଲକ୍ଷ୍ମୀପୁର ବିଧାୟକ ଶ୍ରୀ ପ୍ରଭୁ ଜାନି, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ଏବଂ ଉନ୍ନୟନ କମିଶନର ପ୍ରଦୀପ ଜେନା ଉପସ୍ଥିତ ଥିଲେ।

Categories
ଆଜିର ଖବର ଧର୍ମ

ରାଶିଫଳ: ସେପ୍ଟେମ୍ବର 17 ତାରିଖ ଶୁକ୍ରବାରରେ ଛଅଟି ରାଶି ପାଇଁ ରହିଛି ବିପଦ, ରୁହନ୍ତୁ ସାବଧାନ

ମେଷ : ତୁମେ ତୁମର ଜୀବନ ସାଥୀଙ୍କଠାରୁ ସମର୍ଥନ ପାଇବ। ବ୍ୟବସାୟ ବୃଦ୍ଧି ପାଇବ। ଅଧିକାରୀମାନେ ଚାକିରିରେ ଖୁସି ହେବେ। କ୍ରନିକ୍ ରୋଗ ବାଧା ସୃଷ୍ଟି କରିପାରେ। ପାରିବାରିକ ଚିନ୍ତା ରହିବ। ଦୁର୍ଘଟଣାର ସମ୍ଭାବନା ରହିବ। ଶତ୍ରୁ ଭୟ ହେବ। ଆଇନଗତ ବାଧା ଦୂର ହେବ।

ବୃଷ : ସ୍ଥଗିତ କାର୍ଯ୍ୟଗୁଡ଼ିକ ଆରମ୍ଭ ହେବ। ଘର ବାହାରେ ସମସ୍ତ ଆବଶ୍ୟକୀୟ କାର୍ଯ୍ୟ ସମାପ୍ତ ହେବ। ଅନ୍ୟମାନଙ୍କ କାର୍ଯ୍ୟ ପାଇଁ ଦାୟିତ୍ବ ନିଅ ନାହିଁ। ତୁମର ବକ୍ତବ୍ୟକୁ ନିୟନ୍ତ୍ରଣ କର। ଆଶା ବିଳମ୍ବ ହୋଇପାରେ। ଚିନ୍ତା ଏବଂ ଟେନସନ ହେବ। ସହଭାଗୀମାନଙ୍କ ସହିତ ପାର୍ଥକ୍ୟ ସମ୍ଭବ। ବ୍ୟବସାୟ ଭଲ ହେବ। ସମୟ ଚାଲିଯାଇଛି। ଯାନ ଏବଂ ଯନ୍ତ୍ରର ବ୍ୟବହାରରେ ସତର୍କ ରୁହନ୍ତୁ। ଟିକିଏ ଅସାବଧାନତା ଅଧିକ କ୍ଷତି କରିପାରେ।

ମିଥୁନ : ଚାକିରିରେ ଅଧିକାର ବୃଦ୍ଧି ପାଇପାରେ। ତୁମେ ସାନ ଭାଇମାନଙ୍କ ସମର୍ଥନ ପାଇବ। ସୁଖ ମିଳିବ। ଏକତ୍ରିତ ପାଣ୍ଠି ବୃଦ୍ଧି ପାଇବ। ପ୍ରଲୋଭିତ ହୁଅ ନାହିଁ। ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ। ପତି-ପତ୍ନୀଙ୍କ ସହ ମତଭେଦ ହୋଇପାରେ। ଏକ ସ୍ଥିର ସମ୍ପତ୍ତି କିଣିବା ଏବଂ ବିକ୍ରୟ କରିବାର ଯୋଜନା ହୋଇପାରେ। ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ଆପଣ ସଫଳତା ପାଇବେ। ବ୍ୟବସାୟ ବୃଦ୍ଧି ପାଇବ।

କର୍କଟ : ଆପଣ ପ୍ରିୟ ଖାଦ୍ୟ ଉପଭୋଗ କରିବେ। କାରବାରରେ ସାବଧାନ ରୁହନ୍ତୁ। ଶତ୍ରୁମାନେ ପରାସ୍ତ ହେବେ। ବିବାଦକୁ ଉତ୍ସାହିତ କରନ୍ତୁ ନାହିଁ । ଭୟ ହେବ। ପ୍ରଲୋଭିତ ହୁଅ ନାହିଁ। ଲାଭ ସୁଯୋଗ ଆସିବ। ଛାତ୍ର ଶ୍ରେଣୀ ସଫଳତା ହାସଲ କରିବେ। ବ୍ୟବସାୟରେ ଅଧିକ ଲାଭ ହେବ। ଯାତ୍ରା ଉପଭୋଗ୍ୟ ହେବ। ଏକ କାର୍ନିଭାଲରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ।

ସିଂହ : କରାଯାଉଥିବା କାର୍ଯ୍ୟରେ ବାଧା ଉପୁଜିପାରେ। ଅନ୍ୟମାନଙ୍କଠାରୁ ଆଶା କର ନାହିଁ। ବ୍ୟବସାୟ ଭଲ ହେବ। ଆୟରେ ନିଶ୍ଚିତତା ରହିବ। ଅଧସ୍ତନମାନଙ୍କ ସହିତ ମତଭେଦ ହୋଇପାରେ। ଅସଙ୍ଗତି କ୍ଷତି ଘଟାଇବ। ପାରିବାରିକ ସମସ୍ୟା ବୃଦ୍ଧି ପାଇବ। ଚିନ୍ତା ଏବଂ ଟେନସନ ରହିବ। ଦୂରରୁ ଖରାପ ଖବର ଗ୍ରହଣ କରାଯାଇପାରେ। ବିବାଦକୁ ଉତ୍ସାହିତ କରନ୍ତୁ ନାହିଁ।

କନ୍ୟା : ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ମୂଲ୍ୟବାନ ସାମଗ୍ରୀ ତୁମ ସହିତ ରଖ। ଅଧିକାରୀମାନେ ଚାକିରିରେ ଖୁସି ହେବେ। କିଛି ବଡ କାମ କରିବାକୁ ଯୋଜନା ହେବ। ବ୍ୟବସାୟ ଲାଭଦାୟକ ହେବ। ଭାଇମାନଙ୍କ ସମର୍ଥନ ପାଇବେ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ସୁଖ ମିଳିବ। ଅତୀତରେ କରାଯାଇଥିବା ପ୍ରୟାସର ଲାଭ ଆପଣ ଅମଳ କରିବା ଆରମ୍ଭ କରିବେ। ଆପଣ ସାଙ୍ଗମାନଙ୍କୁ ସାହାଯ୍ୟ କରିପାରିବେ।

ତୂଳା : ରିସ୍କ ନେବାକୁ ସାହସ କରିବ। ଭୋଗର ମାଧ୍ୟମ। ସମସ୍ତେ ଏକାଠି ହେବେ। ଶକ୍ତି ବୃଦ୍ଧି ପାଇବ। ଅତିଥିମାନେ ଘରେ ପହଞ୍ଚିବେ। ଦୂରରୁ ସୁସମାଚାର ଗ୍ରହଣ କରାଯିବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସେଠାରେ ଖର୍ଚ୍ଚ ହେବ। ଆପଣ ଯେକୈଣସି ପାରିବାରିକ ଘଟଣାର ଅଂଶ ହୋଇପାରନ୍ତି। ବିନିଯୋଗ ଭଲ ହେବ। ବ୍ୟବସାୟ ଭଲ ହେବ। ସୁଖ ମିଳିବ। ଶତ୍ରୁମାନେ ପରାସ୍ତ ହେବେ।

ବିଛା : ବ୍ୟବସାୟ ଯାତ୍ରା ସଫଳ ହେବ। ଚାକିରିରେ ତୁମେ ଏକ ଉଚ୍ଚ କର୍ତ୍ତୃପକ୍ଷଙ୍କ ସୁଖ ପାଇବ। ଆୟ ବୃଦ୍ଧି ପାଇବ। ବିନିଯୋଗ ଭଲ ହେବ। ସହଭାଗୀମାନେ ସମର୍ଥନ ପାଇବେ। କାରବାରକୁ ଶୀଘ୍ର କର ନାହିଁ। ଶାରୀରିକ ଯନ୍ତ୍ରଣା ହେତୁ ବାଧା ସମ୍ଭବ। ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ। ଅପ୍ରତ୍ୟାଶିତ ଲାଭ ହୋଇପାରେ।

ଧନୁ : ତୁମର ବକ୍ତବ୍ୟକୁ ନିୟନ୍ତ୍ରଣ କର। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ। ଆଶା କରାଯାଉଥିବା କାର୍ଯ୍ୟ ବିଳମ୍ବ ହେବ। ଆୟରେ ନିଶ୍ଚିତତା ରହିବ। ବ୍ୟବସାୟ ଭଲ ହେବ। ପ୍ରଲୋଭିତ ହୁଅ ନାହିଁ। ଲାଭ ବୃଦ୍ଧି ପାଇବ। ଭ୍ରମଣ ସମୟରେ ସାବଧାନ ରୁହନ୍ତୁ। ଶୀଘ୍ର କ୍ଷତି ଘଟାଇବ। ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ। ଚିନ୍ତା ଏବଂ ଟେନସନ ହେବ। ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ।

ମକର : ବ୍ୟବସାୟ ଯାତ୍ରା ସଫଳ ହେବ। କାହାର ଆଚରଣ ଦ୍ୱାରା ଆତ୍ମ ସମ୍ମାନ କ୍ଷତିଗ୍ରସ୍ତ ହୋଇପାରେ। ଲାଭ ସୁଯୋଗ ଆସିବ। ଚାକିରିରେ ସୁସଙ୍ଗତତା ରହିବ। ବ୍ୟବସାୟ ବୃଦ୍ଧି ପାଇବ। ଏକ ବଡ଼ ପ୍ରତିବନ୍ଧକ ଆସିପାରେ। ରୟାଲଟି ମିଳିବ। ଶୀଘ୍ର କାମ କଲେ ତାହା ନଷ୍ଟ କରିବ। ଦେୟ ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ।

କୁମ୍ଭ : ସଫଳତା ସବୁ ଦିଗରୁ ଆସିବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ବ୍ୟବସାୟ ବୃଦ୍ଧି ପାଇବ। ଆୟ ବୃଦ୍ଧି ପାଇବ। ଘରେ ସୁଖ ରହିବ। ଧନ ପାଇଁ ଖର୍ଚ୍ଚ ହୋଇପାରେ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ, ଯାହାର ଲାଭ ତୁରନ୍ତ ଉପଲବ୍ଧ ହେବ ନାହିଁ। ସାମାଜିକ କାର୍ଯ୍ୟ କରିବାକୁ ଆଗ୍ରହୀ ହେବେ। ପ୍ରତିଷ୍ଠା ବୃଦ୍ଧି ପାଇବ। ଶାରୀରିକ ଯନ୍ତ୍ରଣା ସମ୍ଭବ। ଚିନ୍ତା ଏବଂ ଚାପ ଜିତିବ।

ମୀନ : ବ୍ୟବସାୟ ଲାଭଦାୟକ ହେବ। ଚାକିରିରେ ଶାନ୍ତି ରହିବ। ବିନିଯୋଗ ଭଲ ହେବ। ଆପଣ ଜଣେ ବରିଷ୍ଠ ବ୍ୟକ୍ତିଙ୍କ ସମର୍ଥନ ପାଇବେ। ସେଠାରେ ଅସ୍ଥିରତା ଦେଖାଯିବ। ଆଘାତ ଏବଂ ରୋଗରୁ ଦୂରେଇ ରୁହନ୍ତୁ। ବୁଦ୍ଧିମାନ ଭାବରେ କାର୍ଯ୍ୟ କର। ଲାଭ ବୃଦ୍ଧି ପାଇବ। ତୁମେ ସମ୍ମାନ ପାଇବ। ସୁଖ ମିଳିବ। ପୂଜାପାଠରେ ଆଗ୍ରହ ରହିବ। କୋର୍ଟ କାର୍ଯ୍ୟ କରାଯିବ। ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ବୃଦ୍ଧି ପାଇବ।