Categories
ଆଜିର ଖବର ଖେଳ ରାଜ୍ୟ ଖବର

ରାଉରକେଲାରେ ୪ ହକି ଅଲିମ୍ପିଆନଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ରାଉରକେଲା: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳରେ ଭାଗ ନେଇଥିବା ସୁନ୍ଦରଗଡ଼ ଜିଲ୍ଲାର ୪ ଜଣ ହକି ତାରକାଙ୍କୁ ରାଉରକେଲାରେ ଭବ୍ୟ ସ୍ୱାଗତ, ସମ୍ବର୍ଦ୍ଧନା ଦିଆଯାଇଛି। ରାଉରକେଲା ମହାନଗର ନିଗମ ଏବଂ ସ୍ମାର୍ଟ ସିଟି ପକ୍ଷରୁ ସ୍ଥାନୀୟ ସିଭିକ୍ ସେଣ୍ଟରଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଲିମ୍ପିଆନ୍ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପଗ୍ରେସ୍ ଏକ୍କା ଏବଂ ନମିତା ଟପ୍ପୋଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଶନିବାର ଦିନ ପୂର୍ବାହ୍ନ ୧୧ଟା ବେଳେ ୪ ଜଣ ହକି ତାରକା ସିଭିକ୍ ସେଣ୍ଟରଠାରେ ପହଞ୍ଚିବା ପରେ ସେମାନଙ୍କୁ ପୋଲିସ୍ ବାହିନୀ ପକ୍ଷରୁ ବ୍ୟାଣ୍ଡ ବଜାଇ ସ୍ୱାଗତ କରାଯାଇଥିଲା। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା, ଓଡ଼ିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ପୂର୍ବତନ ଅଲିମ୍ପିୟାନ ଲାଜରୁସ ବାର୍ଲା ଏବଂ ରାଉରକେଲା ଏସ୍‌ପି ମୁକେଶ ଭାମୁଙ୍କ ସହିତ ଯୁବ ଗୋଷ୍ଠୀ, କ୍ରୀଡ଼ା ପ୍ରେମୀ ଏବଂ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହି ହକି ହିରୋମାନଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ।

“ସୁନ୍ଦରଗଡ଼ ଜିଲ୍ଲାର ଏହି ୪ ଜଣ ହକି ଅଲିମ୍ପିଆନ୍ ଆମ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରି ସେମାନେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ଆଗାମୀ ଦିନରେ ଯେଉଁ ପିଲାମାନେ ହକି ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କ ପାଇଁ ଏହି ୪ ଜଣ ତାରକା ପ୍ରେରଣା ପାଲଟିଛନ୍ତି’, କହିଛନ୍ତି ବିଧାୟକ ସାରଦା ପ୍ରସାଦ ନାୟକ।

“ଖେଳାଳିମାନଙ୍କର ହକି ପ୍ରତି ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ଅନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ସୁନ୍ଦରଗଡ଼ ଜିଲ୍ଲା ସ୍ୱତନ୍ତ୍ର ସ୍ଥାନ ପାଇଛି। ହକି ଖେଳରେ ଆମକୁ ବିଶେଷ ସଫଳତା ମିଳିଛି। ଟୋକିଓ ଅଲମ୍ପିକ୍ସରେ ଭଲ ପ୍ରଦର୍ଶନ କରି ଏହି ୪ ଜଣ ତାରକା ଆଗାମୀ ପିିଢ଼ିର ଖେଳାଳିମାନଙ୍କ ମନରେ ଉତ୍ସାହ ଭରିଛନ୍ତି’, ସମ୍ବର୍ନ୍ଧନା ଉତ୍ସବରେ କହିଛନ୍ତି କମିଶନର ଦିବ୍ୟଜ୍ୟୋତି ପରିଡ଼ା।

ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ କହିଥିଲେ ଯେ, ହକିର ବିକାଶ ପାଇଁ ରାଜ୍ୟ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ଭୁବନେଶ୍ୱର ସହିତ ରାଉରକେଲାଠାରେ ଆୟୋଜନ ହେବାକୁ ଯାଉଛି। ଏଥିପାଇଁ ରାଉରକେଲାର ବିପିୟୁଟି କ୍ୟାମ୍ପସରେ ଅନ୍ତର୍ଜାତୀୟ ସ୍ତରର ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି। ଏହା ସହିତ ତୃଣମୂଳ ସ୍ତରରୁ ପିଲାମାନଙ୍କୁ ହକି ଖେଳ ଲାଗି ପ୍ରସ୍ତୁତ କରିବା ପାଇଁ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଅନ୍ତର୍ଜାତୀୟ ମାନର ଆଷ୍ଟ୍ରୋ ଟର୍ଫ ଷ୍ଟାଡିୟମ କରାଯାଉଛି।

ସ୍ମାର୍ଟ ସିଟି ରାଉରକେଲାରେ ଏଭଳି ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିବାରୁ ୪ ଜଣ ହକି ତାରକା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ । ଆଗାମୀ ଦିନରେ ଲୋକମାନଙ୍କ ଭଲପାଇବାକୁ ଆଧାର କରି ଆହୁରି ଭଲ ପ୍ରଦର୍ଶନ କରିବାକୁ ଉଦ୍ୟମ କରିବେ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ୪ ଅଲିମ୍ପିଆନଙ୍କ କୋଚ୍ ରାଜୁ ସାଇନି, ବିଜୟ କୁମାର ଲାକ୍ରା, ପ୍ରଦୀପ କୁମାର ଷଡ଼ଙ୍ଗୀ, ସିଲଭେଷ୍ଟର ଟପ୍ପୋଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଅନ୍ତର୍ଜାତୀୟ ସ୍ତରର ଖେଳାଳି ଷ୍ଟାନଲି ଭିକ୍ଟର ମିଞ୍ଜ, ସିଲାନନ୍ଦ ଲାକ୍ରା, ନିଲମ ସଞ୍ଜୀବ ଖେସ୍‌, ପଙ୍କଜ କୁମାର ରଜକ, ଜେରମ ଲାକ୍ରା, ରଶ୍ମିତା ମିଞ୍ଜଙ୍କ ସହିତ ରାଉରକେଲାସ୍ଥିତ ବିଭିନ୍ନ କ୍ରୀଡ଼ା ଛାତ୍ରାବାସର କୋଚମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସୁନ୍ଦରଗଡ଼ ଜିଲ୍ଲା ହେଉଛି ଭାରତୀୟ ହକିର ଅନ୍ତୁଡ଼ିଶାଳ। ଏହି ଜିଲ୍ଲାରୁ ଅନେକ ପ୍ରତିଭାବାନ ଖେଳାଳି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି। ତେଣୁ ଏହି କ୍ରୀଡ଼ାର ବିକାଶ ପାଇଁ ଭାରତୀୟ ହକି ଟିମକୁ ଓଡ଼ିଶା ପ୍ରୋତ୍ସାହନ ଦେଇ ଏକ ନୂଆ ପରିଚୟ ପାଇଛି। ଏହି କ୍ରମରେ ସ୍ମାର୍ଟ ସିଟି ରାଉରକେଲାକୁ ଅନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ଦେବା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଦୁର୍ଗାପୂଜାରେ ମୂର୍ତ୍ତିର ଉଚ୍ଚତା ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ ଅଙ୍କୁଶ ଲଗାନଯାଉ: ଭୁବନେଶ୍ୱର ଭସାଣୀ ଉତ୍ସବ ସମିତି

ଭୁବନେଶ୍ୱର: ମହାମାରୀ କରୋନା କମି ଆସିଥିବା ସମୟରେ ଓ ସାରା ରାଜ୍ୟରେ ସ୍ଥିତି ସୁଧୁରି ଥିବାବେଳେ ରାଜ୍ୟ ସରକାର ବହୁ କଟକଣାକୁ କୋହଳ କରିଛନ୍ତି। ଏହି ସମୟରେ ମନ୍ଦିର ଭିତରେ ପ୍ରବେଶକୁ ଅନୁମତି ମଧ୍ୟ ଦେଇଛନ୍ତି। କିନ୍ତୁ ମା’ ଦୁର୍ଗାପୂଜା ପାଇଁ କଟକଣା ଲଗାଇବା ଠିକ୍ ହୋଇନାହିଁ। ମନ୍ଦିରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଢାଞ୍ଚାରେ ଦୁର୍ଗାପୂଜା ମଣ୍ଡପରେ ଭକ୍ତମାନଙ୍କୁ କଟକଣା ମାନି ପ୍ରବେଶ କରିବାକୁ ଅନୁମତି ଦେବା ସହିତ ମା’ ଦୁର୍ଗାଙ୍କ ଉଚ୍ଚତା ଉପରେ କଟକଣା ନ ଲଗାଇବା ପାଇଁ ଭୁବନେଶ୍ୱର ଭସାଣୀ ଉତ୍ସବ ସମିତି ସାମ୍ବାଦିକ ସମ୍ମିଳନୀରେ ଅନୁରୋଧ କରିଛି।

ଏ ନେଇ ଭୁବନେଶ୍ୱର ଭସାଣୀ ଉତ୍ସବ ସମିତି ତରଫରୁ ସହିଦ ନଗର ଦୁର୍ଗାପୂଜା ମଣ୍ଡପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂଜା କମିଟିର କର୍ମକର୍ତ୍ତାମାନେ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ, ପ୍ରତିବର୍ଷ ଭଳି ଚଳିତବର୍ଷ ଦୁର୍ଗାପୂଜାରେ ସ୍ୱାଭାବିକ ଭାବେ ମୂର୍ତ୍ତିର ଉଚ୍ଚତା ନିର୍ମାଣ କରିବା ଏବଂ କୋଭିଡ଼ ନିୟମ ପାଳନ କରି ଶ୍ରଦ୍ଧାଳୁମାନଙ୍କୁ ପୂଜା ମଣ୍ଡପରେ ଦର୍ଶନ କରିବାକୁ ଅନୁମତି ଦେବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି। ସେମାନେ ଦାବି କରିଛନ୍ତି ଯେ, ପୁରୀ ଶ୍ରୀମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିରରେ ଯେଉଁଭଳି ଭାବରେ ଭକ୍ତଙ୍କୁ ଦର୍ଶନ କରିବାର ସୁଯୋଗ ଦିଆଯାଉଛି, ସେହିଭଳି ଚଳିତବର୍ଷ ପ୍ରତ୍ୟେକ ଦୁର୍ଗାପୂଜା ମଣ୍ଡପରେ ଶ୍ରଦ୍ଧାଳୁମାନଙ୍କୁ ଶାନ୍ତି ଶୃଙ୍ଖଳାର ସହିତ ଦର୍ଶନ କରିବାର ସୁଯୋଗ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଭସାଣୀ ଉତ୍ସବ ସମିତିର ସଭାପତି ଡଃ ଜଗନ୍ନାଥ ମହାପାତ୍ର, ସାଧାରଣ ସମ୍ପାଦକ ହରିଶ ପ୍ରସାଦ ରଥ, ଉପସଭାପତି ସୁରେଶ ଚନ୍ଦ୍ର ରାଉତରାୟ ଓ ଦିଲ୍ଲୀପ ଦାଶଶର୍ମା, ସମ୍ପାଦକ ଶିବ ଛୋଟରାୟ, ଝାରପଡ଼ା ଦୁର୍ଗାପୂଜା ସମିତି ସାଧାରଣ ସମ୍ପାଦକ ଧରଣୀଧର ଜେନା, ସହିଦ ନଗର ଦୁର୍ଗାପୂଜା ସମିତିର ଉପଦେଷ୍ଟା ସରୋଜ କୁମାର ପାତ୍ର, କଟକରୋଡ଼ ଦୁର୍ଗାପୂଜା ସମିତି ସଭାପତି ସୁବଳ ବେହେରା ଓ ପ୍ରସନ୍ନ କୁମାର ଦାସ, ପାଳଶୁଣୀ ଦୁର୍ଗାପୂଜା ସମିତିର ଉପସଭାପତି ରମେଶ ଚନ୍ଦ୍ର ସାହୁ, ସତ୍ୟନଗର ଦୁର୍ଗାପୂଜା କମିଟିର ସଭାପତି ରବି ନାରାୟଣ ନାୟକ, ଭୀମଟାଙ୍ଗୀ ଦୁର୍ଗାପୂଜା ସମିତିର କର୍ମକର୍ତ୍ତା ସନତ ମିଶ୍ର, ଚକେଇସିଆଣି ଦୁର୍ଗାପୂଜା ସମିତିର କର୍ମକର୍ତ୍ତା ସୁକାନ୍ତ କୁମାର ଷଡ଼ଙ୍ଗୀ, କେସୁରା ଦୁର୍ଗାପୂଜା ସମିତିର ସଭାପତି ପ୍ରହଲ୍ଲାଦ ପ୍ରଧାନ, ବାଙ୍କୁଆଳ ଦୁର୍ଗାପୂଜା ସମିତିର କର୍ମକର୍ତ୍ତା ନିର୍ମଳ ଲେଙ୍କା, ସହିଦ ନଗର ଦୁର୍ଗାପୂଜା ସମିତିର ସୁଦର୍ଶନ ସାହୁ, ସଚ୍ଚିନନ୍ଦନ ନାୟକ ଓ ଶ୍ରୀନିବାସ ରାଓ ପ୍ରମୁଖ ଯୋଗ ଦେଇ ସାମ୍ବାଦିକ ସମ୍ମିଳନୀରେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ପିତାଙ୍କ ବିରୋଧରେ ଏଫ୍ଆଇଆର୍!: ବ୍ରାହ୍ମଣ ସମାଜକୁ ଦେଇଥିଲେ ଆପତ୍ତିଜନକ ବିବୃତ୍ତି

ରାୟପୁର: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ପିତା ନନ୍ଦ କୁମାର ବଘେଲଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହେବ। ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଛନ୍ତି ଯେ, କେହି ଆଇନଠାରୁ ଉର୍ଦ୍ଧ୍ଵରେ ନାହାଁନ୍ତି। ଯଦିଓ ସେ ମୋର ୮୬ ବର୍ଷର ପିତା। ଛତିଶଗଡ ସରକାର ପ୍ରତ୍ୟେକ ଜାତି, ପ୍ରତ୍ୟେକ ଧର୍ମ, ପ୍ରତ୍ୟେକ ଶ୍ରେଣୀ, ପ୍ରତ୍ୟେକ ସମ୍ପ୍ରଦାୟର ଲୋକଙ୍କୁ ସମ୍ମାନ କରନ୍ତି। ପ୍ରକୃତରେ, ମୁଖ୍ୟମନ୍ତ୍ରୀଙ୍କ ପିତା ବ୍ରାହ୍ମଣ ସମାଜ ବିଷୟରେ ଆପତ୍ତିଜନକ କଥା କହିଥିଲେ।

ନନ୍ଦ କୁମାର ବଘେଲଙ୍କ ବିବୃତ୍ତି ପରେ ବ୍ରାହ୍ମଣ ସମାଜ କ୍ରୋଧିତ ହୋଇଛି। ବିରୋଧୀ ଦଳ ବିଜେପି ନନ୍ଦ କୁମାର ବଘେଲଙ୍କ ବିବୃତ୍ତିକୁ ନିରନ୍ତର ନିନ୍ଦା କରୁଛି ଏବଂ ବିରୋଧ କରୁଛି। ବ୍ରାହ୍ମଣ ସମ୍ପ୍ରଦାୟ ମଧ୍ୟ ଖୋଲାଖୋଲି ବିରୋଧ କରୁଛନ୍ତି। ଶନିବାର ଦିନ ଏକ ରାଲିରେ ନନ୍ଦ କୁମାର ବଘେଲଙ୍କ ଚିତ୍ରକୁ ଟାଣି ନିଆଯାଇଥିଲା। ଲୋକମାନେ ନନ୍ଦ କୁମାର ବଘେଲଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଶନିବାର ଛତିଶଗଡରେ ବିଜେପି ବ୍ୟାପାର ଦାୟିତ୍ୱରେ ଥିବା ଡି ପୁରନ୍ଦେଶ୍ୱରୀଙ୍କ ‘ଛେପ’ ବକ୍ତବ୍ୟକୁ କୃଷକଙ୍କ ପ୍ରତି ଅପମାନ ବୋଲି କହିଛନ୍ତି ଏବଂ ବିଜେପି ଠାରୁ କ୍ଷମା ମାଗିବାକୁ ଦାବି କରିଛନ୍ତି। ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ରାଜ୍ୟର ଦକ୍ଷିଣ ଅଞ୍ଚଳର ନକ୍ସଲ ପ୍ରଭାବିତ ବସ୍ତର ଜିଲ୍ଲାରେ ବିଜେପି ଏକ ଚିନ୍ତନ ଶିବୀର ଆୟୋଜନ କରିଥିଲା। ଶିବିରର ଶେଷ ଦିନରେ ଦଳର ରାଜ୍ୟ ଦାୟିତ୍ୱରେ ଥିବା ଡି ପୁରନ୍ଦେଶ୍ୱରୀ ବସ୍ତର ଡିଭିଜନର କର୍ମୀଙ୍କୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ, ଥରେ ବିଜେପି କର୍ମୀମାନେ ଛେପ ପକାଇଲେ ଭୁପେଶ ବଘେଲ ଏବଂ ତାଙ୍କର ସମସ୍ତ କ୍ୟାବିନେଟ ଧୋଇ ହୋଇଯିବ। ପୁରନ୍ଦେଶ୍ୱରୀଙ୍କ ବିବୃତ୍ତି ପରେ ମୁଖ୍ୟମନ୍ତ୍ରୀ ଟାର୍ଗେଟ କରି କହିଛନ୍ତି ଯେ, ବିଜେପିରେ ଯୋଗଦେବା ପରେ ପୁରନ୍ଦେଶ୍ୱରୀଙ୍କ ମାନସିକ ସ୍ଥିତି ଏହି ସ୍ତରକୁ ଆସିଛି।

Categories
ଆଜିର ଖବର ରାଜ୍ୟ ଖବର

ବଡବାହାଳ ଯୁବକ ସଂଘର ଦୁର୍ଗା ମଣ୍ଡପ ବିବାଦ: ଏସଏଚଜି ମହିଳା ଓ କ୍ଲବ୍ ସଦସ୍ୟ ମଧ୍ୟରେ ଟଣାଓଟରା

କନ୍ଦର୍ପ ବେହରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଳକ ବଡବହାଳ ଗ୍ରାମରେ ଥିବା ଯୁବକ ସଂଘର ଏକ ଗୃହକୁ ବ୍ଲକ୍ ପ୍ରଶାସନ ଗ୍ରାମର ଏସ୍.ଏଚଜି ର ମହିଳା ସଦସ୍ୟ ମାନଙ୍କୁ ନେଇ ଯୁବକ ସଂଘ ଓ ମହିଳା ଗ୍ରୁପ୍ ମଧ୍ୟରେ ବିବାଦ ଥମିବାରେ ନାଁ ଧରୁନି।

ପ୍ରକାଶ ଯେ, ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ବ ହେଲା ଉକ୍ତ ଗ୍ରାମର ଯୁବକ ସଂଘ ସଦସ୍ୟ ମାନେ ଦୁର୍ଗାପୂଜା କରିଆସୁଥିବା ବେଳେ ବିଭିନ୍ନ ସମୟରେ ସରକାରୀ ସ୍ତରରୁ ଅନୁଦାନ ଆଣି କାମ କରିଥିଲେ। ଏହି ଗୃହକୁ ପରବର୍ତ୍ତୀ ସମୟରେ ବ୍ଳକ ପ୍ରଶାସନ ପକ୍ଷରୁ ସୂଚନା ଫଳକ ଲଗାଇ ଏସ‌ଏଚଜି ଗୃପର ମହିଳା ସଦସ୍ୟ ମାନଙ୍କୁ ହସ୍ତାନ୍ତର କରାଯାଇଥିବା ଯୁବକ ସଂଘର ସଦସ୍ୟମାନେ ଅଭିଯୋଗ କରିଛନ୍ତି।

ଫଳରେ ବଡବାହାଳ ଗ୍ରାମରେ ଯୁବକ ସଂଘର ସଦସ୍ୟ ଓ ଏସ‌ଏଚଜି ମହିଳା ସଦସ୍ୟା ମାନଙ୍କ ମଧ୍ୟରେ ଟଣା ଓଟରା ଦେଖାଦେଇଛି। ଏନେଇ ଗ୍ରାମରେ ଅସନ୍ତୋଷ ଦେଖାଦେବା ସହ ଯୁବକ ସଂଘର ସଦସ୍ୟ ମାନେ ବ୍ଳକ କର୍ତ୍ତୁପକ୍ଷ ମିଶନ ଶକ୍ତି ଗୃହ ନାମରେ ଅର୍ଥ ହରିଲୁଟ କରିଥିବା ସଙ୍ଘର ସଦସ୍ୟ ମାନେ ପ୍ରକାଶ କରିଛନ୍ତି। ମିଶନ ଶକ୍ତି ଗୃହ ନାମରେ କ୍ଲବ୍ ଘରଟିକୁ ସୂଚନା ଫଳକ ଦେଇ ଅର୍ଥ ଆତ୍ମସାତ୍ କରାଯାଇଥିବା ଅଭଯୋଗ ହେୀଇଛି।

ସୂଚନା ଯୋଗ୍ୟ ଯେ, ରେଢ଼ାଖୋଲ ବ୍ଳକ ବଡବାହାଲ ଗ୍ରାମର ଯୁବକ ସଂଘର ସଦସ୍ୟ ମାନେ ଦୁର୍ଗାପୂଜା ପାଇଁ ବେସରକାରୀ ଜାଗାକୁ ନିରୂପଣ କରି ଗତ ୨୦୦୫ ମସିହାରେ ଦୁର୍ଗା ମଣ୍ଡପ ନିଜସ୍ଵ ପାଣ୍ଠିରୁ ନିର୍ମାଣ କରି ପୂଜାବିଧି କରିଆସୁଛନ୍ତି। ସଂଘ ସଦସ୍ୟ ମାନେ ନିଜ ମଧ୍ୟରେ ଚାନ୍ଦା ଆଦାୟ କରି ଦୁର୍ଗା ମଣ୍ଡପର ଫାଉଣ୍ଡେସନ ପକାଇ ଛ‌ଅ ଫୁଟ ଉଚ୍ଚତା ବିଶିଷ୍ଟ ଘର କାନ୍ଥ ନିର୍ମାଣ କରିଥିଲେ। ଅସଂପୂର୍ଣ୍ଣ ଘରକୁ ପୂଜା ବିଧି କରିବାରେ ଅସୁବିଧା ହେବାରୁ ପୁନର୍ବାର ସଂଘର ସଦସ୍ୟ ମାନେ ବଡବାହାଲ ପଞ୍ଚାୟତ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇ କିଛି ସରକାରୀ ଅନୁଦାନ ମାଗିଥିଲେ।

ଏହାପରେ ପଞ୍ଚାୟତ କର୍ତ୍ତୁପକ୍ଷ ଦୁର୍ଗା ମଣ୍ଡପର ଉନ୍ନତି କରଣ ପାଇଁ ବ୍ଳକ ଅନୁଦାନରୁ ୫୦ ହଜାର ଟଙ୍କା ଅର୍ଥ ଅନୁଦାନ ମଞ୍ଜୁର ହୋଇ ଦୁର୍ଗାପୂଜା ମଣ୍ଡପର ଉନ୍ନତିକରଣ କରାଯାଇଥିଲା। ଯାହାର ସୂଚନା ଫଳକ ବର୍ତ୍ତମାନ ଦେଖିବାକୁ ମିଳୁଛି। ବ୍ଳକ ପ୍ରଶାସନ ପକ୍ଷରୁ ଅନୁଦାନପରେ ମଧ୍ୟ ସଂପୂର୍ଣ୍ଣ ହାଇପାରିଲା ନାହିଁ। ପୁଣି ସଂଘର ସଦସ୍ୟ ମାନେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ଦ୍ବାରସ୍ଥ ହୋଇ ଅସଂପୂର୍ଣ୍ଣ ଘରକୁ ସଂପୂର୍ଣ୍ଣ କରିବା ପାଇଁ ଜଣାଇଥିଲେ।‌ ଏହା ପରେ ବିଧାୟକ ପାଣ୍ଠିରୁ ଦୁର୍ଗା ମଣ୍ଡପର ଉନ୍ନତି କରଣ ପାଇଁ ୧ ଲକ୍ଷ ଟଙ୍କାର ଅନୁଦାନ ମିଳିଥିବା ସଂଘ ପକ୍ଷରୁ କୁହାଯାଇଛି।

ଉକ୍ତ ଅନୁଦାନ ଅର୍ଥରେ ଗୃହ ନିର୍ମାଣ କରି ଘରକୁ ସଂପୂର୍ଣ୍ଣ କରିଥିଲେ ମାତ୍ର ଇତି ମଧ୍ୟରେ ସଂଘର ସଦସ୍ୟମାନେ ବିଭିନ୍ନ ପାଣ୍ଠିରୁ ଅର୍ଥ ଆଣି ସଂପୂର୍ଣ୍ଣ କରିଥିବା ବେଳେ ବ୍ଳକ ପ୍ରଶାସନ ପକ୍ଷରୁ ସେହି ଦୂର୍ଗା ମଣ୍ଡପରେ ଆମ ଗାଁ ଆମ ବିକାଶ ଯୋଜନାରେ ୨ ଲକ୍ଷ ଟଙ୍କା ଅନୁଦାନର କେବଳ ସୂଚନା ଫଳକ ଲଗାଇ କୈାଣସି କାମ ନକରି ଉକ୍ତ ମହିଳା ସଂଘଙ୍କୁ ନାମକୁ ହସ୍ତାନ୍ତର କରାଯାଇଛି।

ଫଳରେ ଉଭୟ ଯୁବକ ସଂଘ ଏବଂ ମହିଳା ସଂଘ ମଧ୍ୟରେ ଟଣାଓଟରା ରହିଛି। ଏହି ପରିପ୍ରେକ୍ଷୀରେ ଉଭୟ ସଂଘର ସଦସ୍ୟମାନେ ପଞ୍ଚାୟତ କାର୍ଯ୍ୟାଳୟର‌ ଦ୍ବାରସ୍ଥ ହୋଇ ନିର୍ମାଣ ସଂପୂର୍ଣ୍ଣ ହୋଇଥିବା ଗୃହକୁ ନେବା ପାଇଁ ଦାବି କରୁଛନ୍ତି।

ଅପର ପକ୍ଷରେ ବ୍ଳକ ପ୍ରଶାସନ ପକ୍ଷରୁ ମିଶନ ଗୃହ ପାଇଁ କୋୖଣସି କାମ ନକରି ଏସ‌ଏଚଜି ମହିଳା ଗୋଷ୍ଠୀକୁ ଉକ୍ତ ଘରର ଚାବି ହସ୍ତାନ୍ତର କରାଯାଇଥିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦୀର୍ଘ ବର୍ଷ ହେଲା ଯୁବକ ସଂଘ ପକ୍ଷରୁ ଉକ୍ତ ଘର ଭିତରେ ପୂଜା ବିଧି ହେଉଥିବା ଦେବାଦେବୀଙ୍କ ଯଜ୍ଞ ମଣ୍ଡପ ଦେଖିବାକୁ ମିଳୁଛି। ଫଳରେ ବ୍ଳକ ପ୍ରଶାସନର ଏପରି କାମକୁ ଲୋକଙ୍କ ମଧ୍ୟରେ ସନ୍ଦେହ ଜାତ ହେଉଛି। ‌

ଏ ସଂକ୍ରାନ୍ତରେ ରେଢ଼ାଖୋଲ ବିଡ଼ିଓ ପରୀକ୍ଷିତ ସାହୁଙ୍କୁ ପଚାରିବାରୁ ଉକ୍ତ ଘରଟି ବ୍ଳକ ପ୍ରଶାସନର ମିଶନ ଶକ୍ତି ଗୃହ ହୋଇଥିବା ସ୍ପଷ୍ଟ କରିଛନ୍ତି। ଏଣୁ ଉକ୍ତ ଘରଟିକୁ ମହିଳା ଏସ‌ଏଚଜି ସଦସ୍ୟା ମାନଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ପ୍ରକାଶ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଟୋକିଓ ପାରାଲିମ୍ପିକ୍ସ: ପାଞ୍ଚଟି ସ୍ୱର୍ଣ୍ଣ ସମେତ ୧୯ ଟି ପଦକ ଜିତି ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି। ଭାରତ ଚଳିତ ପାରାଅଲମ୍ପିକ୍ସ ଗେମ୍ସରେ ପାଞ୍ଚଟି ସ୍ୱର୍ଣ୍ଣ, ଆଠଟି ରୌପ୍ୟ ଏବଂ ୬ ଟି ବ୍ରୋଞ୍ଜ ପଦକ ଜିତିଛି। ଏହି ପରି ଭାବରେ, ପାରାଲିମ୍ପିକ୍ସରେ ୧୯ ଟି ପଦକ ଜିତି ଭାରତ ନିଜର ଶ୍ରେଷ୍ଠ ପ୍ରଦର୍ଶନକୁ ଅତିକ୍ରମ କରିଛି। ରିଓ ଡି ଜେନେରିଓରେ ଭାରତ କେବଳ ଚାରିଟି ପଦକ ଜିତିଥିଲା। ଏଥି ସହିତ, ଟୋକିଓ ପାରାଲିମ୍ପିକ୍ସ ପୂର୍ବରୁ ଭାରତରେ ମାତ୍ର ୧୨ ଟି ପଦକ ଥିଲା, ଯାହା ବର୍ତ୍ତମାନ ୩୧ କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାର ୨ ଶିକ୍ଷକଙ୍କୁ ମିଳିଲା ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର-୨୦୨୧

ନୂଆଦିଲ୍ଲୀ: ଆଜି ସମଗ୍ର ଦେଶ ପବିତ୍ର ଗୁରୁଦିବସ ପାଳନ କରୁଛି। ଏହି ଅବସରରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ଶିକ୍ଷକମାନଙ୍କୁ ସମ୍ମାନିତ କରିଛନ୍ତି। ଦେଶର ବିଭିନ୍ନ ରାଜ୍ୟର ଶିକ୍ଷକମାନକୁ ଭିଡିଓ କନଫରେନ୍ସ ମାଧ୍ୟମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ତେବେ ଓଡିଶାର ଦୁଇଜଣ ଶିକ୍ଷକଙ୍କୁ ରାଷ୍ଟ୍ରପତି ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଥିଲେ। ଭଦ୍ରକ ଜିଲ୍ଲା ସ୍କୁଲର ଶିକ୍ଷକ ଅଶୋକ କୁମାର ଶତପଥୀ ଏବଂ ଗଞ୍ଜାମ ଜିଲ୍ଲା କଣମଣା ଉ.ପ୍ରା ବିଦ୍ୟାଳୟର ଶିକ୍ଷକ ଅଜିତ ସେଠୀଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି। ଏହି ଦୁଇ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର-୨୦୨୧ ସମ୍ମାନରେ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି। ଆଜିର ଏହି ଉତ୍ସବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ ଟିକା ନକଲି ନୁହେଁ ତ? ” ଟୀକାକରଣ ପୂର୍ବରୁ ତଦନ୍ତ ଲାଗି ରାଜ୍ୟକୁ ନିର୍ଦ୍ଦେଶ ଦେଲା କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ, ଲୋକଙ୍କ ନିକଟରେ କରୋନା ଟିକା ପ୍ରୟୋଗ କରିବା ପୂର୍ବରୁ ଏହା ନକଲି କି ନୁହେଁ ତାହା ଯାଞ୍ଚ କରାଯିବା ଉଚିତ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ଏକ ଚିଠି ଲେଖି ରାଜ୍ୟମାନଙ୍କୁ ସତର୍କ କରାଇ ଦେଇଛି। କାରଣ ନିକଟରେ ଦକ୍ଷିଣ ପୂର୍ବ ଏସିଆ ଏବଂ ଆଫ୍ରିକାରେ ଏକ ନକଲି କୋଭିଡଶିଲ୍ଡ ମିଳିଥିଲା, ଏହା ପରେ ଡବ୍ଲୁଏଚଓ ନକଲି ଟିକା ବିଷୟରେ ସଚେତନ କରିଥିଲା।

ବର୍ତ୍ତମାନ ପ୍ରକୃତ ଟିକା ଚିହ୍ନଟ କରିବା ପାଇଁ କେନ୍ଦ୍ର ରାଜ୍ୟମାନଙ୍କୁ ଏକ ବ୍ଲୁ ପ୍ରିଣ୍ଟ ପଠାଇଛି। ଯାହା ଟିକା ପ୍ରକୃତ ନା ନକଲି ତାହା ଚିହ୍ନଟ କରାଯାଇପାରିବ? ଏହି ବ୍ଲୁପ୍ରିଣ୍ଟରେ ଥିବା ପାର୍ଥକ୍ୟକୁ ଚିହ୍ନିବା ପାଇଁ, କୋଭିଶିଲ୍ଡ, କୋଭାକ୍ସିନ ଏବଂ ସ୍ପୁଟନିକ୍- ଭି ଟୀକାକରଣର ଲେବଲ୍, ରଙ୍ଗ, ବ୍ରାଣ୍ଡ ନାମ ବିଷୟରେ ସୂଚନା ପ୍ରଦାନ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଜାତୀୟ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ଦେଶର ଲୋକଙ୍କୁ ୬୮.୪୬ କୋଟି ଟିକା ଟିକା ଦିଆଯାଇଛି। କୋଭିଡ ଟୀକାକରଣ ଉପରେ ୧୧ ଟି ଉତ୍ତର-ପୂର୍ବ ଏବଂ ପାହାଡ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ମଧ୍ୟ କେନ୍ଦ୍ର ସରକାର ନୂତନ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ୬୦ ବର୍ଷରୁ ଅଧିକ ଲୋକଙ୍କୁ ଶୀଘ୍ର ଦ୍ଵିତୀୟ ଡୋଜ ଦିଆଯିବାକୁ କହିଛନ୍ତି। ଅନେକ ରାଜ୍ୟରେ ଟୀକାକରଣର ମନ୍ଥର ଗତିକୁ ନେଇ କେନ୍ଦ୍ର ଅସନ୍ତୋଷ ବ୍ୟକ୍ତ କରିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପଞ୍ଜଶୀରରେ ରକ୍ତାକ୍ତ ଯୁଦ୍ଧ ଜାରି: ୬୦୦ ତାଲିବାନଙ୍କ ମୃତ୍ୟୁ, ୧୦୦୦ ରୁ ଊର୍ଦ୍ଧ୍ଵ କଲେ ଆତ୍ମସମର୍ପଣ

କାବୁଲ: ଆଫଗାନିସ୍ତାନର ପଞ୍ଜଶୀର ଦଖଲ ଉପରେ ତାଲିବାନ ଏବଂ ବିଦ୍ରୋହୀ ବାହିନୀ ମଧ୍ୟରେ ରକ୍ତାକ୍ତ ଯୁଦ୍ଧ ଜାରି ରହିଛି। ଶନିବାର ଦିନ ମଧ୍ୟ ଏକ ରକ୍ତାକ୍ତ ସଂଘର୍ଷ ହୋଇଥିଲା, ଯାହା ପରେ ଅନେକ ତାଲିବାନଙ୍କ ମୃତ୍ୟୁ ଖବର ଆସିଥିଲା। ବିଦ୍ରୋହୀ ବାହିନୀ ଦାବି କରିଛି ଯେ, ଉତ୍ତର-ପୂର୍ବ ପଞ୍ଜଶୀର ପ୍ରଦେଶରେ ପ୍ରାୟ ୬୦୦ ତାଲିବାନଙ୍କର ମୃତ୍ୟୁ ହୋଇଛି ଏବଂ ୧୦୦୦ ରୁ ଅଧିକ ତାଲିବାନ ଯୋଦ୍ଧା ଆତ୍ମସମର୍ପଣ କରିଥିବା ସୂଚନା ରହିଛି।

ବିଦ୍ରୋହୀ ବାହିନୀର ମୁଖପାତ୍ର ଫହିମ ଦାସ୍ତି ଏକ ଟୁଇଟ୍‌ରେ ଲେଖିଛନ୍ତି, “ପଞ୍ଜାଶୀରର ବିଭିନ୍ନ ଜିଲ୍ଲାରେ ୬୦୦ ତାଲିବାନ ନିହତ ହୋଇଛନ୍ତି। ଏକ ହଜାରରୁ ଅଧିକ ତାଲିବାନକୁ ଧରାଯାଇଛି।”

ଆଫଗାନିସ୍ତାନ ବିଦ୍ରୋହୀ ଗୋଷ୍ଠୀ ୬୦୦ ତାଲିବାନଙ୍କୁ ହତ୍ୟା କରିଥିବା ଦାବି କରୁଥିବାବେଳେ ତାଲିବାନ ଦାବି କରିଛି ଯେ ଏହା ପଞ୍ଜଶୀରର ଚାରିଟି ଜିଲ୍ଲାକୁ କବଜା କରିଛି। ତାଲିବାନ ମୁଖପାତ୍ର ବିଲାଲ କରିମି କହିଛନ୍ତି ଯେ, ଆମେ ପଞ୍ଜଶୀର ପ୍ରଦେଶର ସାତୋଟି ଜିଲ୍ଲା ମଧ୍ୟରୁ ଚାରିଟିକୁ କବଜା କରିଛୁ। ଆମେ ବର୍ତ୍ତମାନ ପଞ୍ଜଶୀର ଆଡକୁ ଯାଉଛୁ। ”

ବିଦ୍ରୋହୀ ଦଳର ନେତା ଅମରୁଲ୍ଲା ସାଲେହ ତାଲିବାନ ଏହି ଅଞ୍ଚଳ ଦଖଲ କରିଥିବା ଖବରକୁ ଖଣ୍ଡନ କରିଛନ୍ତି। କିନ୍ତୁ ସେ ସ୍ଵୀକାର କରିଛନ୍ତି ଯେ, ତାଲିବାନର ଫୋନ୍, ଇଣ୍ଟରନେଟ୍ ଏବଂ ବିଦ୍ୟୁତ୍ ସେବା ବନ୍ଦ ହେବା ପରିସ୍ଥିତିକୁ କଷ୍ଟସାଧ୍ୟ କରିଛି। ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ସାଲେହ କହିଛନ୍ତି ଯେ ଉଭୟ ପାର୍ଶ୍ୱର କ୍ଷତି ହୋଇଛି। ସେ କହିଛନ୍ତି, ‘ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଆମେ ଏକ କଠିନ ପରିସ୍ଥିତିରେ ଅଛୁ। ତାଲିବାନ ଦ୍ୱାରା ଆମକୁ ଆକ୍ରମଣ କରାଯାଇଛି। ଆମର ସେନା ଆତ୍ମସମର୍ପଣ କରିବ ନାହିଁ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ୨୪ ଘଣ୍ଟାରେ ୪୨ ହଜାର ୭୬୬ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୨ ହଜାର ୭୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩୦ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୨୯ ଲକ୍ଷ ୮୮ ହଜାର ୬୭୩ ରେ ପହଞ୍ଚିଛି।

ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୦ ହଜାର ୫୩୩ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୧ ଲକ୍ଷ ୩୮ ହଜାର ୯୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୧୦ ହଜାର ୪୮ ଆକ୍ଟିଭ୍‌ କେସ୍ ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ପଞ୍ଚମ ସ୍ଵର୍ଣ୍ଣ: ବ୍ୟାଡମିଣ୍ଟନରେ କୃଷ୍ଣ ନାଗର ପାଇଲେ ପଦକ

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ଭାରତର କୃଷ୍ଣ ନାଗର ପଞ୍ଚମ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଆଜି ବ୍ୟାଡମିଣ୍ଟନର ପୁରୁଷ ସିଙ୍ଗଲ୍ସ (ଏସଏଚ-୬) ଇଭେଣ୍ଟ ଫାଇନାଲରେ ହଂକଂର ଚୁ ମନ କୋଇଙ୍କୁ ୨୧-୧୭, ୧୬-୨୧, ୨୧-୧୭ରେ ପରାସ୍ତ କରି କୃଷ୍ଣ ନାଗର ଭାରତ ସ୍ୱର୍ଣ୍ଣ ଜିତିଛନ୍ତି। ଶନିବାର ଦିନ ଏସଏଲ-୩ ଇଭେଣ୍ଟରେ ପ୍ରମୋଦ ଭଗତ ପୁରୁଷ ଏକକ ଟାଇଟଲ ଜିତିବା ପରେ ଟୋକିଓ ପାରାଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ ଦେଶର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ। ଏହାପୂର୍ବରୁ ରବିବାର ଟୋକିଓ ପାରାଲିମ୍ପିକ୍ସରେ ନୋଏଡା ଡିଏମ୍ ସୁହାସ୍ ଏଲ୍ ୟତିରାଜ ରୌପ୍ୟ ପଦକ ଜିତିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୮୦୫ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୮୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୬୭ ଜଣ ଚିହ୍ନଟ ହୋଇଥିବା ବେଳେ ୩୩୮ ଟି ଲୋକାଲ କେସ୍‌ ରହିଛ। ୮୦୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୧୩୧ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୧ ହଜାର ୫୫୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୯୬ ହଜାର ୩୦୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭ ହଜାର ୧୫୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୪୦ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୫ ଟି ଜିଲ୍ଲାରୁ ୮୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୩୪୬ ଜଣ, କଟକ ଜିଲ୍ଲାରୁ ୯୮, ଅନୁଗୁଳ ଜିଲ୍ଲାରୁ ୧୩, ବାଲେଶ୍ଵର ଜିଲ୍ଲାରୁ ୩୦ ଜଣ, ବରଗଡ ଜିଲ୍ଲାରୁ ୫, ଭଦ୍ରକ ଜିଲ୍ଲାରୁ ୧୪ ଜଣ, ବୌଦ୍ଧ ଜିଲ୍ଲରୁ ୩, ଦେବଗଡ ଜିଲ୍ଲାରୁ ୫ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୧ ଜଣ, ଗଞ୍ଜାମ ଜିଲ୍ଲାରୁ ୬, ଜଗତସିଂହପୁର ଜିଲ୍ଲାରୁ ୧୭ ଜଣ, ଯାଜପୁର ଜିଲ୍ଲାରୁ ୧୯ ଜଣ, ଝାରସୁଗୁଡା ଜିଲ୍ଲାରୁ ୨, କେନ୍ଦ୍ରାପଡା ଜିଲ୍ଲାରୁ ୩୩ ଜଣ, କେନ୍ଦୁଝର ଜିଲ୍ଲାରୁ ୮ ଜଣ, କୋରାପୁଟ ୪ ଜଣ, ମାଲକାନଗିରି ଜିଲ୍ଲାରୁ ୨, ମୟୂରଭଞ୍ଜ ଜିଲ୍ଲାରୁ ୩୭ ଜଣ, ନବରଙ୍ଗପୁର ଜିଲ୍ଲାରୁ ୭, ନୟାଗଡ ଜିଲ୍ଲାରୁ ୧୦ ଜଣ, ପୁରୀ ଜିଲ୍ଲାରୁ ୧୨ ଜଣ, ରାୟଗଡା ଜିଲ୍ଲାରୁ ୨, ସମ୍ବଲପୁର ଜିଲ୍ଲାରୁ ୨୧ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୬ ଜଣ ଏବଂ ଷ୍ଟେଟ ପୁଲରୁ ୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଧର୍ମ

ରାଶିଫଳ: ଆଜି ସେପ୍ଟେମ୍ବର 5 ତାରିଖ ରବିବାରରେ ସାତୋଟି ରାଶିର ଲୋକେ ହେବେ ମାଲେମାଲ

ମେଷ: –ଆଜି କେତେକ ସମସ୍ୟା ଆସିପାରେ । ଭାଗ୍ୟ ଉପରେ ନିର୍ଭର କର ନାହିଁ । କଠିନ ପରିଶ୍ରମ କର। ଆୟ ସ୍ୱାଭାବିକ ହେବ । ପରିବାରର ପରିବେଶ ମଧ୍ୟ ସକାରାତ୍ମକ ରହିବ । ସ୍ୱାସ୍ଥ୍ୟ ଭଲ ହେବ । ପ୍ରେମ ଜୀବନରେ କିଛି ସମସ୍ୟା ହୋଇପାରେ । ବିବାହିତ ଲୋକମାନଙ୍କର ଘରୋଇ ଜୀବନ ପ୍ରେମରେ ପରିପୂର୍ଣ୍ଣ ହେବ ।ଆପଣଙ୍କ ପ୍ରିୟ କିଛି ବିଷୟରେ ଆପଣଙ୍କ ଉପରେ କ୍ରୋଧ ପ୍ରକାଶ କରିପାରନ୍ତି । ଆପଣ ଅନ୍ୟ କୌଣସି ଚାକିରୀ ପାଇଁ ଆବେଦନ କରିବେ ।

ବୃଷ: – ଆପଣ ମାନସିକ ଚାପରୁ ମୁକ୍ତି ପାଇବେ । ଆୟ ବୃଦ୍ଧି ପାଇବ । ଖର୍ଚ୍ଚ ହ୍ରାସ ପାଇବ। ଘର ଜୀବନ ସ୍ନେହପୂର୍ଣ୍ଣ ହେବ । ଭବିଷ୍ୟତ ବିଷୟରେ ତୁମେ ତୁମର ସାଥୀ ସହିତ ଏକ ବଡ ଯାତ୍ରା ଯୋଜନା କରିପାରିବ । ପ୍ରେମ ଜୀବନ ବିତାଉଥିବା ଲୋକମାନେ ଆଜି ମଧ୍ୟ ବହୁତ ଖୁସି ସମୟ ପାଇବେ । କାର୍ଯ୍ୟ ସହିତ କଠିନ ପରିଶ୍ରମ କରିବାକୁ ଧ୍ୟାନ ଦେବାକୁ ପଡିବ ।

ମିଥୁନ: – ହୃଦୟ ଜଣେ ଚମତ୍କାର ବ୍ୟକ୍ତିଙ୍କୁ ଭେଟି ଖୁସି ହେବ କିମ୍ବା ସେମାନଙ୍କୁ ଫୋନରେ ଯୋଗାଯୋଗ କରାଯିବ । ଆପଣଙ୍କ ବ୍ୟବସାୟରେ ଲାଭ ହେବ । କାର୍ଯ୍ୟ ସହିତ ତୁମେ ଭଲ ଫଳାଫଳ ପାଇବ । ତୁମେ ଖୁସି ହେବ । ଘର ଜୀବନ ଖୁସି ହେବ । ପ୍ରେମ ଜୀବନ ବିତାଉଥିବା ଲୋକଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣ ଅନ୍ୟମାନଙ୍କ ସ୍ୱାର୍ଥ ବିଷୟରେ ଚିନ୍ତା କରିପାରିବେ ।

କର୍କଟ: –ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହେବ। ସେହିପରି ଭାଗ୍ୟ ମଧ୍ୟ ଦୁର୍ବଳ ରହିବ, ଯେଉଁଥିପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ଯଦି ଆପଣ କୌଣସି ବ୍ୟବସାୟ କରନ୍ତି, ତେବେ ଆଜି ଏଥିରେ ଏକ ସାଧାରଣ ଦିନ ହେବ ।  ତୁମେ ତୁମର ପ୍ରତିପକ୍ଷଙ୍କୁ ମଧ୍ୟ ପ୍ରାଧାନ୍ୟ ଦେବ। ତୁମେ ଚାକିରିରେ ଭଲ ଫଳାଫଳ ପାଇବ । ଆପଣଙ୍କ ଶଶୁରଘରର ଲୋକଙ୍କ ସହିତ ଏକ ବାର୍ତ୍ତାଳାପ ହେବ । କାର୍ଯ୍ୟ ସଂପର୍କରେ ପରିସ୍ଥିତି ସ୍ୱାଭାବିକ ହେବ ।

ସିଂହ : – ଆଜି ଆପଣଙ୍କ ପାଇଁ ଏକ ଅନୁକୂଳ ଦିନ ହେବ । ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ । କାର୍ଯ୍ୟରେ ସଫଳତା ମିଳିବ । ପାରିବାରିକ ଜୀବନ ଖୁସି ହେବ । ଘରୋଇ ଜୀବନରେ ସୁଖ ମିଳିବ । ଜୀବନ ସାଥୀ ସହିତ ସମ୍ପର୍କ ଭଲ ହେବ । ଯେଉଁମାନେ କାହାକୁ ଭଲ ପାଆନ୍ତି, ସେମାନଙ୍କ ପାଇଁ କମ୍ ସମସ୍ୟା ହେବ । ଅଧ୍ୟୟନରେ ଅସୁବିଧା ହେବ । ତୁମେ ତୁମର ପ୍ରତିପକ୍ଷଙ୍କ ଉପରେ ବିଜୟୀ ହେବ । ଆଜି ତୁମର ସ୍ୱାସ୍ଥ୍ୟ ଭଲ ରହିବ।

କନ୍ୟା: –ଆଜି ଆପଣଙ୍କ ପାଇଁ ବହୁତ ପରିମାଣରେ ଅନୁକୂଳ ହେବ । ଆପଣ ମାନସିକ ଚାପରୁ ମୁକ୍ତି ପାଇବେ । ଛାତ୍ରମାନେ ଅଧ୍ୟୟନରେ ଆଗ୍ରହ ପ୍ରକାଶ କରିବେ । ବିବାହିତ ଲୋକମାନଙ୍କର ଘରୋଇ ଜୀବନ ସୁଖରେ ପରିପୂର୍ଣ୍ଣ ହେବ । ରୋମାନ୍ସ ବୃଦ୍ଧି ପାଇବ, ପ୍ରେମ ଜୀବନ ବିତାଉଥିବା ଲୋକମାନେ ମଧ୍ୟ ଆଜି ଭଲ ଫଳାଫଳ ପାଇବେ । କାର୍ଯ୍ୟ ସହିତ କଠିନ ପରିଶ୍ରମ ପରେ ଭଲ ଫଳାଫଳ ହାସଲ ହେବ । ଘରୋଇ ଜୀବନ ପ୍ରତି ଧ୍ୟାନ ଦେବେ ଏବଂ କିଛି ବଡ ଖର୍ଚ୍ଚ ମଧ୍ୟ ହୋଇପାରେ ।

ତୂଳା: –ଖର୍ଚ୍ଚ ବୃଦ୍ଧି ପାଇବ । ଆୟ ସ୍ୱାଭାବିକ ହେବ । ଆର୍ଥିକ ବୋଝ  ବୃଦ୍ଧି ପାଇବ, ପରିବାର ସଦସ୍ୟ ଆପଣଙ୍କୁ ସାହାଯ୍ୟ କରିବେ । ଘରୋଇ ଜୀବନରେ ସାବଧାନ ରୁହନ୍ତୁ । ଜୀବନ ସାଥୀ କ୍ରୋଧିତ ହୋଇପାରେ । ଯେଉଁମାନେ ଏକ ପ୍ରେମ ଜୀବନ ବିତାଉଛନ୍ତି, ସେମାନଙ୍କ ପ୍ରିୟଙ୍କ ସହ କଥା ହୋଇ ସାକ୍ଷାତ କରି ବହୁତ ଖୁସି ହେବେ । ପ୍ରେମ ଜୀବନ ଶକ୍ତିଶାଳୀ ହେବ ।

ବିଛା: – ମାନସିକ ଟେନସନ ରହିପାରେ, ଯାହାକୁ ଏଡ଼ାଇବା ପାଇଁ ଯାହା ଆପଣଙ୍କୁ ନିଜେ ଚେଷ୍ଟା କରିବାକୁ ପଡ଼ିବ । ଯାତ୍ରା କରିବା ପାଇଁ ଦିନଟି ଭଲ ନୁହେଁ । ଘରର ବରିଷ୍ଠମାନଙ୍କ ଆଶୀର୍ବାଦ ପାଇବେ। କାର୍ଯ୍ୟରେ ସଫଳତା ମିଳିବ । ଘରୋଇ ଜୀବନରେ ସମସ୍ୟା ହୋଇପାରେ । ଯେଉଁମାନେ ପ୍ରେମ ଜୀବନରେ ଅଛନ୍ତି ସେମାନଙ୍କ ପାଇଁ ଆଜି ଏକ ଭଲ ଦିନ ହେବ । ତୁମେ ତୁମର ପ୍ରିୟଙ୍କ ସହିତ ବହୁତ କଥାବାର୍ତ୍ତା କରିବ ଏବଂ ସେମାନଙ୍କ ସହିତ କିଛି କିଣାକିଣି କରିବ ।

ଧନୁ: –  ଆଜି ଏହି ରାଶିର ଲୋକଙ୍କ ପାଇଁ ଏକ ଭଲ ଦିନ ହେବ । ଦିନଟି ସୁବିଧାରେ ଅତିବାହିତ ହେବ ଏବଂ କେତେକ ଗୁପ୍ତ କାର୍ଯ୍ୟରେ ମଧ୍ୟ ଟଙ୍କା ଖର୍ଚ୍ଚ କରିବେ । ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ କୌଣସି ଅସୁବିଧା ହେବ ନାହିଁ, ତଥାପି ଆପଣ ନିଶ୍ଚିତ ଭାବରେ ଚିନ୍ତିତ ହେବେ । ଆଜି ଘରୋଇ ଜୀବନ ପାଇଁ ଏକ ଭଲ ଦିନ ହେବ, ଯେଉଁମାନେ ପ୍ରେମ ଜୀବନ ବିତାଉଛନ୍ତି ସେମାନଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିବ।

ମକର: –  ତୁମେ ତୁମର ପ୍ରତିପକ୍ଷଙ୍କୁ ମଧ୍ୟ ପ୍ରାଧାନ୍ୟ ଦେବ ଏବଂ ତୁମେ ଚାକିରିରେ ଭଲ ଫଳାଫଳ ପାଇବ । ଯଦି ଆପଣ କୌଣସି ବ୍ୟବସାୟ କରନ୍ତି, ତେବେ ଆଜି ଏଥିରେ ଏକ ସାଧାରଣ ଦିନ ହେବ । ଆପଣଙ୍କ ଶଶୁରଘରର ଲୋକଙ୍କ ସହିତ ଏକ ବାର୍ତ୍ତାଳାପ ହେବ । ଭାଗ୍ୟ ଦୁର୍ବଳ ରହିବ, ଯେଉଁଥିପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। କାର୍ଯ୍ୟ ସଂପର୍କରେ ପରିସ୍ଥିତି ସ୍ୱାଭାବିକ ହେବ। ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହେବ ।

କୁମ୍ଭ: –   ଯଦିଓ କିଛି ଚ୍ୟାଲେଞ୍ଜ ଆସିବ, ତେବେ ଆପଣ ଖୁସିରେ ସେମାନଙ୍କୁ ସାମ୍ନା କରିବେ। ପ୍ରେମ ଦୃଷ୍ଟିରୁ ଆଜି ଏକ ଭଲ ଦିନ ହେବ ଏବଂ ଆପଣଙ୍କ ପ୍ରିୟଙ୍କ ସହିତ ରୋମାନ୍ସ ପାଇଁ ସୁଯୋଗ ମିଳିବ। ବିବାହିତ ଲୋକମାନଙ୍କର ଘରୋଇ ଜୀବନ ସ୍ୱାଭାବିକ ହେବ। ଆଜି ଆପଣ କାର୍ଯ୍ୟ ସଂପର୍କରେ କିଛି ସମସ୍ୟାର ସମ୍ମୁଖୀନ ହେବେ । ଭାଗ୍ୟ ଉପରେ ନିର୍ଭର କର ନାହିଁ । ଆଜି ଆପଣ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଭଲ ହେବେ କାରଣ ସ୍ୱାସ୍ଥ୍ୟ ଦୃଢ ହେବ ।

ମୀନ : –ମାନସିକ ସ୍ତରରେ ଆପଣ ଦୁର୍ବଳ ଅନୁଭବ କରିବେ ଏବଂ ସ୍ୱାସ୍ଥ୍ୟ ମଧ୍ୟ ବିଚଳିତ ହୋଇପାରେ । ଅସନ୍ତୁଳିତ ଖାଦ୍ୟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ତୁମର ଖାଦ୍ୟର ଯତ୍ନ ନିଅ । କାର୍ଯ୍ୟରେ ସଫଳତା ପାଇବାରେ ବିଳମ୍ବ ହୋଇପାରେ । ଆୟ ବୃଦ୍ଧି ପାଇବ । ପ୍ରେମ ଜୀବନ ପାଇଁ ଦିନଟି ଅନୁକୂଳ ହେବ ଏବଂ ଜୀବନ ସାଥୀ ଆପଣଙ୍କ ଜୀବନରେ ଲାଭ ପାଇଁ ବାଟ ଖୋଲିବ । ତୁମର ସମ୍ପର୍କରେ ସୁଖ ରହିବ । ବାହାର ଲୋକଙ୍କଠାରୁ କିଛି ଲାଭ ହେବ ।

Categories
ଅପରାଧ ଆଞ୍ଚଳିକ

କୁହୁଡି: ସୋରଣ ଗ୍ରାମରେ ଅବକାରୀ ଓ ପୋଲିସର ମିଳିତ ଚଢ଼ାଉ, ମହିଳାଙ୍କ ସମେତ ତିନି ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା କୁହୁଡି ଫାଣ୍ଡି ଅନ୍ତର୍ଗତ ସୋରଣ ଗ୍ରାମର ଏକାଧିକ ସ୍ଥାନରେ ଅବକାରୀ ବିଭାଗ ଏବଂ କୁହୁଡି ଫାଣ୍ଡି ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ। ଉକ୍ତ ଚଢ଼ାଉରେ ସମୁଦାୟ ୯୫ ଲିଟର ଆସ୍କା ଫଟି ଜବତ ହୋଇଥିବା ବେଳେ ୨୨ ଲିଟର ଦେଶୀ ମଦ ଜବତ ହୋଇଥିଲା।

ଅନୁରୂପ ଭାବେ ୩ ଜଣ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛନ୍ତି ଯେଉଁଥିରେ ଜଣେ ମହିଳା ଅଭିଯୁକ୍ତ ଅଛନ୍ତି। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଅବକାରୀ ବିଭାଗ ପିଆର ନମ୍ବର ୫୫, ୫୬ ଏବଂ ୫୭ ରେ ତିନି ଗୋଟି ମାମଲା ରୁଜୁକରି କୋର୍ଟଚାଲାଣ କରିଥିବାର ସୂଚନା ମିଳିଛି।

ଉକ୍ତ ଚଢ଼ାଉରେ ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତ, ବାଲୁଗାଁ ଅବାକରୀ ସବ ଇନ୍ସପେକ୍ଟର ମନୋଜ ବାରିକ ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ।

Categories
ଆଞ୍ଚଳିକ

ଜଗତସିଂହପୁର ସଦର ମହକୁମାରେ ଆଜାଦି କା ଅମୃତ ମହୋତ୍ସବ ପାଳିତ

ରମେଶ ମହାନ୍ତି
ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲା ସଦରମହକୁମା ଠାରେ ଜିଲ୍ଲା ପ୍ରଶାସନ ଓ ନେହେରୁ ଯୁବକେନ୍ଦ୍ର ମିଳିତ ଆନୁକୁଲ୍ୟରେ ଆଜାଦି କା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଆଜାଦି କା ଅମୃତ ମହୋତ୍ସବରେ ସମସ୍ତଙ୍କୁ ସୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଦେଶ ସ୍ୱାଧୀନତା ପାଇଁ ଅନେକ ବରପୁତ୍ର ମାନେ ବଳିଦାନ ଦେଇଥିବା ବେଳେ ଅନେକ ଯୁବକ ସାମିଲ ହୋଇ ବ୍ରିଟିଶ୍ ବିରୁଦ୍ଧରେ ସଂଗ୍ରାମ କରିଥିଲେ।

ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଯୋଗଦେଇ ଭାରତର ମ ହାନ ସ୍ୱାଧୀନତା ସଂଗ୍ରାମୀ ବରପୁତ୍ର ମାନଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଯୁବବର୍ଗଙ୍କୁ ଆହ୍ବାନ ଦେଇଥିଲେ। ଏହି ଉତ୍ସବରେ ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ,ଜିଲ୍ଲା କ୍ରିଡା ଅଧିକାରୀଣୀ ବିଶ୍ୱ ବିଜୟିନୀ ପଟ୍ଟନାୟକ ,ଆଦିକବି ସାରଳା ଦାସ ମହାବିଦ୍ୟାଳୟର ପୂର୍ବତନ ଏନ୍.ଏସ୍.ଏସ୍ ପ୍ରୋଗ୍ରାମ ଅଫିସର ଅଶୋକ କୁମାର ପରିଡ଼ା, ଏସ୍.ଭି.ଏମ୍ ,ଏନ୍.ଏସ୍.ଏସ୍ ପ୍ରୋଗ୍ରାମ ଅଫିସର ଜିତୁ ପ୍ରସାଦ ମଲ୍ଲିକ ,ପୂର୍ବତନ ପୌରପାଳ ମଧୁସୂଦନ ସାହୁ ,ବିଜୟ ଲକ୍ଷ୍ମୀ ମହାପାତ୍ର ,ଗୋବିନ୍ଦ ଓଝା ,ଏନ୍.ଏସ୍.ଏସ୍ ର ଛାତ୍ରଛାତ୍ରୀ ,ନେହେରୁ ଯୁବକେନ୍ଦ୍ରର ସଭ୍ୟ ସଭ୍ୟା ଓ ଗ୍ରାମାଞ୍ଚଳର ଯୁବକ ଯୁବତୀ ମାନେ ଉପସ୍ଥିତ ଥିଲେ। ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ସ୍ଥାନୀୟ ଗାନ୍ଧୀଛକ ଠାରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।

ଗାନ୍ଧିଛକ ଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ମାଲ୍ୟାର୍ପଣ କରିବା ପରେ ଏହି ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ। ପରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ,ପ୍ରାଣକୃଷ୍ଣ ପଢିହାରୀ ଓ ମାଳତୀ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବାବା ସାହେବ ଆମ୍ବେଦକର ,ମଧୁବାବୁ, ନବକୃଷ୍ଣ ଚୌଧୁରୀ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ ଆୟୋଜିତ ଉତ୍ସବରେ ପୂର୍ବତନ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଅଧ୍ୟକ୍ଷତା କରି ଦେଶକୁ ସ୍ୱାଧୀନତା ଆଣିଥିବା ବରପୁତ୍ର ମାନଙ୍କର ସ୍ମୃତିଚାରଣ କରିଥିଲେ।

ଶେଷରେ ନେହେରୁ ଯୁବକନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ନିଖିଲ କୋକୁଲା ଧନ୍ୟବାଦ ଅର୍ପଣ କରିଥିଲେ। ନେହେରୁ ଯୁବକେନ୍ଦ୍ରର ସହକାରୀ ପବିତ୍ର ମୋହନ ସୁବୁଦ୍ଧି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ସ୍ଵର୍ଣ୍ଣ ପଦକ ବିଜେତା ପ୍ରମୋଦଙ୍କ ସହ ଭିଡ଼ିଓ କନଫରେନ୍ସରେ କଥା ହୋଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଭାରତ ପାଇଁ ଏକ ସଫଳତାର ଦିନ। ଓଡିଆ ପୁଅ ତଥା ୱାର୍ଲ୍ଡ ନମ୍ବର-୧ ପାରା-ସଟଲର ପ୍ରମୋଦ ଭଗତ ଟୋକିଓ ପାରାଲିମ୍ପିକ୍ସ ଗେମ୍ସରେ ସ୍ଵର୍ଣ୍ଣ ପଦକ ଜିତି ଓଡିଶା ପାଇଁ ଗୌରବ ଆଣିଛନ୍ତି। ବ୍ୟାଡ୍‌ ମିଣ୍ଟନରେ ସ୍ଵର୍ଣ୍ଣ ପଦକ ଜିତିବା ପ୍ରଥମ ଭାରତୀୟ ଭାବେ ସେ ସଫଳତା ଅର୍ଜ୍ଜନ କରିଛନ୍ତି।

ସ୍ଵର୍ଣ୍ଣ ପଦକ ଜିତିବା ପରେ ପ୍ରମୋଦଙ୍କ  ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ କଥା ବାର୍ତ୍ତା ହୋଇଛି। ପ୍ରମୋଦଙ୍କ ଏହି ସଫଳତା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି। ଅପରପକ୍ଷେ ଓଡିଶାରେ ଖେଳକୁ ପ୍ରୋତ୍ସାହିତ ଏବଂ ଖେଳାଳିମାନଙ୍କୁ ସମର୍ଥନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରମୋଦ ଧନ୍ୟବାଦ ଜଣାଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଏକକ ବ୍ୟାଡମିଣ୍ଟନର ଫାଇନାଲରେ ଜିତି ପ୍ରମୋଦ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ବ୍ରିଟେନ ଖେଳାଳି ଡାନିଆନ୍ ବାଥେଲଙ୍କୁ ୨୧-୧୪ ଏବଂ ୨୧-୧୭ ରେ ପରାସ୍ତ କରି ପ୍ରମୋଦ ଫାଇନାଲରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି।

Categories
ଜାତୀୟ ଖବର ଜୀବନ ଶୈଳୀ ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଶରୀର ପାଇଁ ରାମବାଣ ଲେମ୍ବୁ ଚା’: ଏହାକୁ ପିଇବା ଦ୍ଵାରା ଚର୍ବି ହ୍ରାସ ହେବା ସହ କର୍କଟ କୋଷ ଗଠନକୁ ରୋକିଥାଏ

ଭୁବନେଶ୍ବର: ପେଟର ଚର୍ବିକୁ ଶୀଘ୍ର ହ୍ରାସ କରିବା ପାଇଁ ଲେମ୍ବୁ ଚା’ କୁ ରାମବାଣ ବୋଲି ବିବେଚନା କରାଯାଏ। ଯଦି ଆପଣ ମୋଟା ନୁହଁନ୍ତି କିନ୍ତୁ ଆପଣଙ୍କ ପେଟ ବାହାରେ, ତେବେ ଏହି କ୍ଷେତ୍ରରେ ଲେମ୍ବୁ ଚା’ ଆପଣଙ୍କ ପେଟର ଚର୍ବିକୁ ହ୍ରାସ କରିପାରେ। ଏହା ବ୍ୟତୀତ ଲେମ୍ବୁ ଚା’ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ।

କିପରି ଲେମ୍ବୁ ଚା’ ତିଆରି କରିବେ ଏବଂ ଏହାକୁ ପିଇବାର ଲାଭ କ’ଣ-

ଲେମ୍ବୁ ଚା’ ପାଇଁ ଉପାଦାନ-

୧- ଚାମଚ ଲେମ୍ବୁ ରସ

୨- ୨ ଚାମଚ ମହୁ

୩- ଚା’ ବ୍ୟାଗ୍

ଲେମ୍ବୁ ଚା କିପରି ପ୍ରସ୍ତୁତ କରିବେ?:

ଲେମ୍ବୁ ଚା’ ତିଆରି କରିବା ପାଇଁ ଗରମ ପାଣିରେ ମହୁ ଏବଂ ଲେମ୍ବୁ ରସ ମିଶାନ୍ତୁ। ଅନ୍ୟ ପଟେ, ଯଦି ଆପଣ ତାଜା ଲେମ୍ବୁ ବ୍ୟବହାର କରୁଛନ୍ତି, ତେବେ ଆପଣ ଅଧା ଲେମ୍ବୁ ନେଇପାରିବେ। ମହୁ ଢାଳି ଭଲ ଭାବରେ ଏହି ମିଶ୍ରଣକୁ ମିଶାନ୍ତୁ। ଏହା ପରେ, ଆପଣ ଏହାକୁ ଛାଣି ପିଇପାରିବେ।

ଲେମ୍ବୁ ଚା ପିଇବାର ଲାଭ କଣ?:

ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ ମିଳିଥାଏ ଯାହା ଆମ ଶରୀରର ହଜମ ପ୍ରକ୍ରିୟାକୁ ସଠିକ୍ ଭାବରେ ବଜାୟ ରଖେ। ତେଣୁ ଆପଣ ପ୍ରତିଦିନ ସକାଳେ ଲେମ୍ବୁ ଚା’ ପିଇପାରିବେ।
ଏଥି ସହିତ, ଲେମ୍ବୁ ଚା’ରେ ଫ୍ଲାଭୋନାଏଡ ନାମକ ଏକ ରାସାୟନିକ ପଦାର୍ଥ ମିଳିଥାଏ, ଯାହା ଆମ ଶରୀରର ଧମନୀରେ ଜମାଟ ବାନ୍ଧିବାକୁ ଦେଇନଥାଏ। ଯାହା ହୃଦଘାତର ଆଶଙ୍କା ହ୍ରାସ କରିଥାଏ।

ଲେମ୍ବୁ ଚା ମଧ୍ୟ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୁଢୀ କରିଥାଏ। ଲେମ୍ବୁ ଚା’ ପିଇବା ଦ୍ୱାରା ଆପଣଙ୍କ ଶରୀରରେ ଥଣ୍ଡା ଏବଂ ଫ୍ଲୁ ଭଳି ସମସ୍ୟା ମଧ୍ୟ ନଥାଏ। ଲେମ୍ବୁ ଚା’ରେ ଅନେକ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଅଛି। ଯାହା ଆମ ଶରୀରରେ କର୍କଟ କୋଷ ଗଠନକୁ ରୋକିଥାଏ।

Categories
ଆଜିର ଖବର ଜାତୀୟ ଖବର

ଟିଏମସିରେ ଯୋଗ ଦେଲେ ବିଜେପି ବିଧାୟକ ସୁମନ ରୟ: ପ୍ରକାଶ କଲେ ଦଳ ଛାଡିବାର କାରଣ

କଲିକତା: ପଶ୍ଚିମବଙ୍ଗର କାଳିଆଗଞ୍ଜ ବିଧାନସଭା ଆସନରୁ ଭାରତୀୟ ଜନତା ପାର୍ଟିର ବିଧାୟକ ସୁମନ ରୟ ବିଜେପିକୁ ବିଦାୟ ଦେଇ ଟିଏମସିରେ ଯୋଗ ଦେଇଛନ୍ତି। କୋଲକାତାରେ ମନ୍ତ୍ରୀ ତଥା ଟିଏମସି ନେତା ପାର୍ଥା ଚାଟାର୍ଜୀଙ୍କ ଉପସ୍ଥିତିରେ ସୁମନ ରୟ ଦଳରେ ଯୋଗ ଦେଇଥିଲେ।

ଟିଏମସିରେ ଯୋଗଦେବା ପରେ ସୁମନ ରୟ ରୟ କହିଛନ୍ତି, “କିଛି ପରିସ୍ଥିତି ଯୋଗୁଁ ମୋତେ କାଳିଆଗଞ୍ଜରୁ ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିଥିଲା। କିନ୍ତୁ ମୋର ପ୍ରାଣ ଓ ହୃଦୟ ଟିଏମସିର ଅଟେ। ମୁଁ ପୁଣି ଦଳରେ ଯୋଗ ଦେଇଛି ଯାହା ଦ୍ଵାରା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉଦ୍ୟମକୁ ସମର୍ଥନ କରିପାରିବିଛି। ମୁଁ କ୍ଷମା ମାଗୁଛି, ଯେଉଁ ସମୟରେ ଦଳରେ ଅନୁପସ୍ଥିତ ଥିଲି।”

Categories
ଆଜିର ଖବର ରାଜ୍ୟ ଖବର

ଇଡ଼କୋର ଜମି ବ୍ୟାଙ୍କକୁ ଶିଳ୍ପ ପ୍ରତିଷ୍ଠା ପାଇଁ ହସ୍ତାନ୍ତର କରିବୁ ନାହିଁ: ତହସିଲଦାରଙ୍କୁ ଦାବବିପତ୍ର ଦେଲେ ଗ୍ରାମବାସୀ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କଦଳିଗଡ ପଞ୍ଚାୟତ ଅନ୍ତର୍ଗତ ଡିମିରିମୁଣ୍ଡା ଓ ସାମସିଂହା ଗ୍ରାମ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଇଡ଼କୋ ଜମି ବ୍ୟାଙ୍କକୁ ଗ୍ରାମବାସୀମାନେ ଦୃଢ଼ ବିରୋଧ କରୁଛନ୍ତି। ଏଣୁ ଉକ୍ତ ଗ୍ରାମବାସୀମାନଙ୍କର ଜମିକୁ କୌଣସି ବିନିମୟରେ ଇଡ଼କୋର ଜମି ବ୍ୟାଙ୍କକୁ ଶିଳ୍ପ ପ୍ରତିଷ୍ଠା ପାଇଁ ପାଇଁ ହସ୍ତାନ୍ତର କରିବୁ ନାହିଁ ବୋଲି ଅଭିଯୋଗ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଡିମିରିମୁଣ୍ଡା ଓ ସାମସିଂହା ଗ୍ରାମବାସୀ ରେଢାଖୋଲ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଡିମିରିମୁଣ୍ଡା ଗ୍ରାମର ଖାତା ନମ୍ବର-୫୨, ପ୍ଲଟ ନଂ-୩୭୯,୪୪୦,୪୪୨,୧୨୪୮, ଖାତା ନଂ-୫୪, ପ୍ଲଟ ନଂ-୫୩୯, ୫୪୮,୫୫୩ ମୋଟ ୯୬.୮୮ଡିସିମିଲ ଜମି ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଇଡ଼କୋ ଜମି ବ୍ୟାଙ୍କକୁ ହସ୍ତାନ୍ତରକୁ ଦୃଢ ବିରୋଧ କରାଯାଇଛି।

ଗ୍ରାମର ଗୋଚର ପ୍ଲଟ ନଂ-୩୭୯,ଏରିଆ-୭ଏକର.୬୩ ଡିସମିଲ, ପ୍ଲଟ ନଂ-୪୪୨, ଏରିଆ ୧୯ ଏକର୦୫ ଡ଼ିସିମିଲ, ପ୍ଲଟ ନଂ ୧୨୪୮ ଏରିଆ ୨୬ ଏକର୭୩ ଡ଼ିସିମିଲ ଜମି ଗୃହ ପାଳିତ ପଶୁ ଯଥା ଗାଈ, ଛେଳି, ମେଣ୍ଢା, ମଇଁଷି ଇତ୍ୟାଦିଙ୍କ ଚାରଣ ଭୂମି ଭାବରେ ବ୍ୟବହାର ହେଉଅଛି। ପ୍ଲଟ ନଂ ୪୪୦କୁ ଗ୍ରାମର ଛାତ୍ର ଛାତ୍ରୀମାନେ ଖେଳ ପଡିଆ ଭାବରେ ବ୍ୟବହାର କରି ଆସୁଛନ୍ତି।ଉକ୍ତ ପ୍ଲଟର ଜମି ଖେଳ ପଡିଆ ଭାବରେ ସଂରକ୍ଷିତ ଅଛି।

ସେହିପରି ପ୍ଲଟ ନଂ ୫୩୯ ,୫୪୮ ଓ ୫୫୩ ଜମିରେ ଉକ୍ତ ଗ୍ରାମବାସୀଙ୍କ ଉଦ୍ୟମ ଓ ସୁରକ୍ଷାରେ ଏକ ସବୁଜ, ସୁନ୍ଦର ପ୍ରାକୃତିକ ଜଙ୍ଗଲ ସୃଷ୍ଟି ହୋଇଅଛି। ଯାହାକି ପ୍ରାକୃତିକ ପରିବେଶର ସୁରକ୍ଷା କବଚ ଭାବେ କାମ କରୁ ଅଛି ଏବଂ ଶାଳ, ପିଆଶାଳ ମୂଲ୍ୟବାନ ଗଛ ଓ ମୂଲ୍ୟବାନ ଔଷଧିୟ ବୃକ୍ଷ ରହିଅଛି। ଏହି ଜମିରୁ କେନ୍ଦୁପତ୍ର, ମହୁଲ ଆଦି ସଂଗ୍ରହ କରି ଗ୍ରାମମାନଙ୍କର ଲୋକେ ଜୀବିକା ନିର୍ବାହ କରିଥାନ୍ତି। ଗ୍ରାମର ଉନ୍ନତି ମୂଳକ କାମ କଲେଜ, ଡାକ୍ତରଖାନା, ଗ୍ରାମ୍ୟ ପାର୍କ ପ୍ରତିଷ୍ଠା ନିମନ୍ତେ ବ୍ୟବହାର ପାଇଁ ରହିଛି।

ତେଣୁ ସେହି ଜମିକୁ ଶିଳ୍ପ ପ୍ରତିଷ୍ଠା ପାଇଁ ଇଡ଼କୋ ଜମି ବ୍ୟାଙ୍କକୁ ହସ୍ତାନ୍ତର କରାଗଲେ ଗ୍ରାମବାସୀଙ୍କ ଗୃହ ପାଳିତ ପଶୁମାନଙ୍କର ଚାରଣ ଭୂମି ଧ୍ୱଂସ , ଖେଳ ପଡିଆ ନଷ୍ଟ,ଓ ପ୍ରାକୃତିକ ଜଙ୍ଗଲ ଧ୍ୱଂସ ହେବ।ସାଧାରଣ ଗରିବ ଲୋକଙ୍କର ଜୀବନ ଜୀବିକା ଉଜୁଡି ଯିବ। ଏପରିକି ଗ୍ରାମର ସାମଜିଜ , ସାଂସ୍କୃତିକ, ଅର୍ଥନୈତିକ ,ପରିବେଶ ବିକାଶରେ ବାଧାପ୍ରାପ୍ତ ହେବ। ଗ୍ରାମର ଏହି ଜମିକୁ କୌଣସି ବିନିମୟରେ ଇଡ଼କ ଜମି ବ୍ୟାଙ୍କକୁ ଶିଳ୍ପ ପ୍ରତିଷ୍ଠା ପାଇଁ ହସ୍ତାନ୍ତର କରିବୁ ନାହିଁ ବୋଲି ପ୍ରକାଶ କରିଛନ୍ତି।ଏଣୁ ଡିମିରିମୁଣ୍ଡା ଗ୍ରାମର ୯୬ ଏକର ୮୮ ଡ଼ିସିମିଲ ପରିମିତ ଜମି ଯଥା ଗୋଚର, ଖେଳପଡ଼ିଆ, ଜଙ୍ଗଲ , ସର୍ବସାଧାରଣଙ୍କ ଜାଗାକୁ ଶିଳ୍ପ ପ୍ରତିଷ୍ଠା ପାଇଁ ଇଡ଼କୋର ଜମି ବ୍ୟାଙ୍କକୁ ହସ୍ତାନ୍ତର ନିଷ୍ପତ୍ତି ସମ୍ପୂର୍ଣ୍ଣ ବାତିଲ କରାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

ଦାବିପତ୍ର ପ୍ରଦାନ ପରିପ୍ରେକ୍ଷୀରେ ୱାର୍ଡ ସଭ୍ୟ ସଞ୍ଜୀବ କୁମାର ପ୍ରଧାନ, ଦାମିନି ମୁଣ୍ଡା, ସରତ କୁମାର ପ୍ରଧାନ, ଚମ୍ପାବତୀ ପ୍ରଧାନ, ଶିବରାମ ସାହୁ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରି ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଡାକ୍ତରଙ୍କ ଆପ୍ରାଣ ଉଦ୍ୟମରେ ସୁସ୍ଥ ହେଲେ ଗୁରୁତର କୋଭିଡ ସଂକ୍ରମିତ

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତର ଓ ଅନ୍ୟ ସହଯୋଗୀ ଷ୍ଟାଫ୍‌ମାନଙ୍କର ଅବିରତ ପ୍ରଚେଷ୍ଟା ଫଳରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ଜଣେ କୋଭିଡ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସଂକ୍ରମିତ ଜଣଙ୍କର ସ୍ନାୟୁଜନିତ ପାରାଲିସିସ୍ ହୋଇଯାଇଥିବା ବେଳେ ପ୍ରାୟ ଦୀର୍ଘ ଚାରି ମାସ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି।

୪୫ ବର୍ଷ ବୟସ୍କ ଆରତ ସେଠୀ ନାମକ ବ୍ୟକ୍ତି ଗତ ମେ ମାସ ୧୧ ତାରିଖରେ ଯେତେବେଳେ କୋଭିଡ ମହାମାରୀର ଦ୍ୱିତୀୟ ଲହର ଶୀର୍ଷରେ ଥିଲା ସେତେବେଳେ ସେ କୋଭିଡ ସଂକ୍ରମିତ ହୋଇ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଦୀର୍ଘ ଏକ ମାସ କାଳ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ସେ ଗତ ଜୁନ୍ ୮ ତାରିଖରେ କୋଭିଡରୁ ମୁକ୍ତ ହୋଇ ଅଧିକ ଚିକିତ୍ସା ନିମନ୍ତେ ସମ୍ ହସ୍ପିଟାଲ୍‌ର ନ୍ୟୁରୋସାଇନ୍‌ସ ଆଇସିୟୁରେ ଭର୍ତ୍ତି ହୋଇଥିଲେ।

ତାଙ୍କ ଶରୀରରେ ସ୍ନାୟୁଜନିତ ପାରାଲିସିସ୍ ଦେଖାଦେଇଥିବା ବେଳେ ତାଙ୍କୁ ନ୍ୟୁରୋ କ୍ରିଟିକାଲ୍ କେୟାର ବିଭାଗର ମୁଖ୍ୟ ଡଃ ଈଶ୍ୱର ବେହେରା ଓ ମେଡିସିନ୍ ବିଭାଗର ପ୍ରଫେସର ଡଃ ଚନ୍ଦନ ଦାସ ଚିକିତ୍ସା ଆରମ୍ଭ କରିଥିଲେ। ତାଙ୍କର କୋଭିଡ ପରବର୍ତ୍ତୀ ପଲମୋନାରୀ ଫାଇବ୍ରୋସିସ୍ ଏବଂ କ୍ୱାଡ୍ରିପାରେସିସ୍ (ସମସ୍ତ ୪ଟି ଅଂଗରେ ମାଂସପେଶୀ ଦୁର୍ବଳ ହେବା) ଭଳି ସମସ୍ୟା ଦେଖାଦେଇଥିଲା ଏବଂ ତାଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ତୁରନ୍ତ ଭେଂଟିଲେଟର ଲଗାଯାଇଥିଲା। ଶ୍ୱାସପ୍ରଶ୍ୱାସ ନେବା ନିମନ୍ତେ ତାଙ୍କ ଶରୀରରେ ଟ୍ରାକିଓଷ୍ଟୋମି ମଧ୍ୟ କରାଯାଇଥିଲା।

ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଂପୂର୍ଣ୍ଣ ବିଗିଡିଯାଇଥିଲା। ତାଙ୍କର ସୁସ୍ଥ ହେବାର ଲକ୍ଷଣ ମଧ୍ୟ ଖୁବ୍ ଧୀର ଥିଲା ବୋଲି ଡଃ ବେହେରା କହିଛନ୍ତି। ନିୟମିତ ପରୀକ୍ଷା ନୀରିକ୍ଷା ଓ ଚିକିତ୍ସା ଯୋଗୁଁ ସେ ଧୀରେ ଧୀରେ ସୁସ୍ଥ ହେବାକୁ ଆରମ୍ଭ କରିଥିଲେ। ତେବେ ତାଙ୍କ ଶରୀରରେ ପାରାଲିସିସ୍‌ର ପ୍ରଭାବ ରହିଥିଲା।

ଦୀର୍ଘ ୪ ମାସ ପରେ ଶନିବାର ସେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛନ୍ତି ମାତ୍ର ତାଙ୍କର ଘରେ ଅଧିକ ଯତ୍ନ ଏବଂ ଫିଜିଓଥେରାପିର ଆବଶ୍ୟକତା ରହିଛି ବୋଲି ଡଃ ବେହେରା କହିଛନ୍ତି।

ରୋଗୀ ଜଣଙ୍କର ଅବସ୍ଥା ଖୁବ୍ ଗୁରୁତର ହୋଇପଡ଼ିଥିବା ବେଳେ ତାଙ୍କର ଫୁସ୍‌ଫୁସ୍ ଅଧିକ ମାତ୍ରାରେ ନଷ୍ଟ ହୋଇଯାଇଥିଲା ଏହି ସବୁ ସତ୍ୱେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ହସ୍ପିଟାଲ୍ ନିମନ୍ତେ ଏକ ବଡ ସଫଳତା ଏବଂ ଏହା ଏକ ଚମତ୍କାର ବୋଲି ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଧାନ ବିକ୍ରି କରି ଠକେଇର ଶିକାର ହେଲେ ଚାଷୀ: ୪ ଲକ୍ଷ ଟଙ୍କାର ଧାନ ନେଇ ବେପାରୀ ଫେରାର

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅର୍ନ୍ତଗତ ବଡ଼ମାଳ ଅଞ୍ଚଳର ୮ ଜଣ ଚାଷୀ ଠକାମୀର ଶିକାର ହୋଇଥିବା ଅଭିଯୋଗ ହୋଇଛି। ୪ ଲକ୍ଷ ଟଙ୍କାର ଧାନ ନେଇ ବେପାରୀ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ୬ ମାସ ହେଲା ବେପାରୀ ଧରାଛୁଆଁ ଦେଉନଥିବା କୁହାଯାଉଛି।

ଅଭିଯୋଗ ଅନୁଯାୟୀ, ଖରିଫ ଋତୁରେ ବଡ଼ମାଳ ଅଞ୍ଚଳ ଚାଷୀ ସୀତାରାମ ଥାପା, ଦୀନବନ୍ଧୁ ସାହୁ, ବାବୁଲାଲ ରଣା, କଳ୍ପତରୁ ଷଣ୍ଢ, ମଣି ସେଠୀ, ଶୁକଦେବ ପ୍ରଧାନ, ବତିଷ୍ଟ ସାହୁ, ଓ ସୁବାଷ ସାହୁ ମଣ୍ଡିରେ ଧାନ ବିକ୍ରି କରି ବଳକା ଧାନକୁ ବରଗଡ଼ ଜିଲ୍ଲା ଗୋଡଭଗାର ଜଣେ ବ୍ୟକ୍ତିକୁ ୬ ମାସ ହେବ ଧାନ ବିକ୍ରି କରିଥିଲେ। ଧାନ ନେଲା ପରେ ବେପାରୀ ଜଣକ ଧରାଛୁଆଁ ଦେଉ ନ ଥିଲା। ବାରମ୍ବାର ଚାଷୀମାନେ ତାଙ୍କ ପାଖକୁ ଯାଇ ନିରାଶ ହୋଇ ଫେରିଥିଲେ। ବାଧ୍ୟ ହୋଇ ଚାଷୀ ପୋଲିସର ଆଶ୍ରୟ ନେଇଥିଲେ।

ଏହା ପରେ ବେପାରୀ ଜଣକ ଚାଷୀଙ୍କ ନାଁରେ ପାଖାପାଖି ୪ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ। ହେଲେ ଚେକ୍ ଗୁଡ଼ିକ ବାଉଁଶ ହୋଇ ଯାଇଥିଲା। ତା ପରେ ବେପାରୀକୁ ଜଣାଇବାରୁ ସେ ୧୫ ଦିନ ମଧ୍ୟରେ ଟଙ୍କା ଫେରେଇବାକୁ କହି କୋର୍ଟରେ ଚୁକ୍ତିନାମା ମଧ୍ୟ କରିଥିଲେ।

ଚୁକ୍ତିନାମା ଅବଧି ପୂରଣ ହେବା ପରେ ବେପାରୀର ଖବର ମିଳୁନାହିଁ। ଫୋନ କଲ୍ ବନ୍ଦ ଥିବାବେଳେ ଠିକଣା ଦେଇ ଥିବା ଘରେ ମଧ୍ୟ ରହୁ ନାହାନ୍ତି। ତେଣୁ ବାଧ୍ୟ ହୋଇ ଚାଷୀ ପୁଣି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଓଡିଆ ପୁଅ ରଚିଲେ ଇତିହାସ: ଟୋକିଓ ପାରାଲିମ୍ପିକ୍ସ ଗେମ୍ସରେ ଜିତିଲେ ସ୍ଵର୍ଣ୍ଣ

ନୂଆଦିଲ୍ଲୀ: ପାରାଲିମ୍ପିକ୍ସ ଗେମ୍ସରେ ଓଡିଆ ପୁଅ ପ୍ରମୋଦ ଭଗତ ଇତିହାସ ରଚିଛନ୍ତି। ଟୋକିଓ ପାରାଲିମ୍ପିକ୍ସ ଗେମ୍ସରେ ସ୍ଵର୍ଣ୍ଣ ପଦକ ଜିତି ପ୍ରମୋଦ ଇତିହାସ ରଚିଛନ୍ତି। ଏକକ ବ୍ୟାଡମିଣ୍ଟନର ଫାଇନାଲରେ ଜିତି ପ୍ରମୋଦ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ବ୍ରିଟେନ ଖେଳାଳିଙ୍କୁ ପରାଜିତ କରି ଫାଇନାଲରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି।

ୱାର୍ଲ୍ଡ ନମ୍ବର-୧ ପାରା-ସଟଲର ପ୍ରମୋଦ ଭାଗବତ ଫାଇନାଲରେ ଡାନିଆନ୍ ବାଥେଲଙ୍କୁ ୨୧-୧୪ ଏବଂ ୨୧-୧୭ ରେ ପରାସ୍ତ କରିଛନ୍ତି। ସେ ପୂର୍ବରୁ ମାତ୍ର ୩୬ ମିନିଟ ଧରି ଚାଲିଥିବା ସେମିଫାଇନାଲରେ ଜାପାନର ଡାଏସୁକେ ଫୁଜିହାରାଙ୍କ ବିପକ୍ଷରେ ୨୧-୧୧ ଏବଂ ୨୧-୧୬ ରେ ଜିତିଥିଲେ।

ସେହିପରି ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏକକ ଶ୍ରେଣୀ ବ୍ୟାଡମିଣ୍ଟନ୍ ଇଭେଣ୍ଟରେ ଭାରତର ମନୋଜ ସାର୍କ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ସେ ବ୍ରୋଞ୍ଜ ପଦକ ପଦକ ଜିତିଛନ୍ତି। ସିଧାସଳଖ ଖେଳରେ ଜାପାନର ଡେସୁକେ ଫୁଜିହାରାଙ୍କୁ ୨୨-୨୦ ଏବଂ ୨୧-୧୩ ରେ ପରାସ୍ତ କରି ମନୋଜ ବ୍ରୋଞ୍ଜ ପଦକ ହାସଲ କରିଥିଲେ।