Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଚିଲିକାରେ ଧିମା ପଡିଲା ଟୀକାକରଣ: ଆସନ୍ତାକାଲି ମିଳିବ ମାତ୍ର ୧୦୦ ଡୋଜ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଚିଲିକାରେ ମାତ୍ର ୧୦୦ ଗୋଟି ଦ୍ଵିତୀୟ ଡୋଜ ଟୀକା ଦିଆଯିବ।  ଉକ୍ତ ୧୦୦ ଡୋଜ ଟୀକା କେବଳ ଚିଲିକା ବ୍ଲକରେ ଦିଆଯିବ। ବାଣପୁରରେ ଟୀକାକରଣ ବନ୍ଦ ରହିବ। ଏ ନେଇ ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

ଚିଲିକା: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ)

୧- ଭାଲେରି ଉଚ୍ଚ ବିଦ୍ୟାଳୟ, ଚାଷଙ୍ଗରା (ନିମିକ୍ଷେତା ଗ୍ରା.ପ)- ୫୦ ଡୋଜ
୨- ମଣ୍ଡଳପାଟଣା ୟୁଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (କୁମାଣ୍ଡଳ ଗ୍ରା.ପ)- ୫୦ ଡୋଜ

ଚିଲିକାର ସବୁ ଟିକାକେନ୍ଦ୍ରରେ ସକାଳ ୯ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଖୋର୍ଦ୍ଧା: ଟୀକା ଯୋଗୁଁ ବିଦେଶ ଯାତ୍ରା କରିବାରେ ହେଉଛି କି ସମସ୍ୟା, ଜାଣନ୍ତୁ ଦ୍ଵିତୀୟ ଡୋଜ ପାଇଁ କଣ ରହିଛି ବ୍ୟବସ୍ଥା

ଖୋର୍ଦ୍ଧା: ଆପଣ ବିଦେଶକୁ ଚାକିରୀ ଉଦ୍ଦେଶ୍ୟରେ ଯିବା ପାଇଁ ଚାହୁଁଛନ୍ତି କି? ଆପଣ ଟୀକା ନେଇ ପାରିନଥିବାରୁ ବିଦେଶ ଯାତ୍ରା ପାଇଁ ବାଧା ସୃଷ୍ଟି ହେଉଛି କି? ବିଦେଶରେ ଚାକିରୀ କରିଥିବା ଯୁବକମାନଙ୍କ ମଧ୍ୟରେ ବର୍ତ୍ତମାନ ଏଭଳି ସମସ୍ୟା ଉପୁଜୁଛି।

ତେବେ ବିଦେଶଗସ୍ତ କରିବାକୁ ଥିବା ବ୍ୟକ୍ତିଙ୍କ ପାଇଁ ଏବେ ଖୋର୍ଦ୍ଧା ଜିଲ୍ଲାରେ ଟୀକାକରଣରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।

ବିଦେଶଗସ୍ତ ପାଇଁ ଟୀକାକୁ ଅପେକ୍ଷା କରିଥିବା ବ୍ୟକ୍ତି ଯଦି ପ୍ରଥମ ଡୋଜର କୋଭିସିଲ୍ଡ ଟୀକା ନେଇଛନ୍ତି, ତେବେ ଦ୍ଵିତୀୟ ଡୋଜ ନେବା ଲାଗି ତାଙ୍କୁ ଆଉ ୮୪ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ। ପ୍ରଥମ ଡୋଜ ନେଇଥିବା ଲୋକ ଏବେ ୨୮ ଦିନ ପରେ ଦ୍ଵିତୀୟ ଡୋଜ ଟୀକା ନେଇ ବିଦେଶ ଗସ୍ତ କରିପାରିବ।

ସେଥିପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜିଲ୍ଲାବାସୀଙ୍କ ପାଇଁ ପ୍ରାଣନାଥ ସ୍ୱାୟଂଶାସିତ ମହାବିଦ୍ୟାଳୟରେ ସ୍ୱତନ୍ତ୍ର ଟୀକା କେନ୍ଦ୍ର କରାଯାଇଛି। ତେବେ ଉକ୍ତ ଦ୍ଵିତୀୟ ଡୋଜ ଟୀକା ସମୟ ପୂର୍ବରୁ ବିଦେଶକୁ ଯିବା ଉଦ୍ଦେଶ୍ୟରେ ନେବାକୁ ହେଲେ ଆପଣଙ୍କୁ ନିମ୍ନଲିଖିତ କାଗଜପତ୍ରର ନକଲ ଟୀକା କେନ୍ଦ୍ରରେ ଦାଖିଲ କରିବାକୁ ପଡିବ।

୧- ଆଧାର କାର୍ଡ ନକଲ

୨- ଭିସା ଆବେଦନର ନକଲ କିମ୍ବା ଭିସାର ନକଲ

– ପାସପୋର୍ଟ ନକଲ

୪- ଯେଉଁ କମ୍ପାନୀରେ କାମ କରୁଥିବେ ତାର ନିଯୁକ୍ତି ପତ୍ରର ନକଲ

୫- ପ୍ରଥମ ଡୋଜ ଟୀକା ରସିଦ

ଉଲ୍ଲେଖ ଯୋଗ୍ୟ ଯେ, ପ୍ରଥମ ଡୋଜ ଟୀକା ନେବାର ଅତି କମରେ ୨୮ ଦିନ ବିତିଯାଇଥିବା ଲୋକ ଦ୍ଵିତୀୟ ଡୋଜ ପାଇଁ ଯୋଗ୍ୟ ବିବେଚିତ ହେବେ। ଏହି ଟୀକାକରଣରେ ସାମିଲ ହେବା ପାଇଁ ସକାଳ ୯ ଘଟିକାଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେଉଛି। ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମିଶ୍ର ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ମୌସୁମୀ ଅଧିବେଶନ: ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଉଭୟ ଗୃହକୁ କରାଗଲା ମୁଲତବୀ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଗୁରୁବାର ଦିନ ଝଡ଼ ଆରମ୍ଭ ହୋଇଛି। ସଦସ୍ୟମାନଙ୍କ କ୍ରମାଗତ ହଟ୍ଟଗୋଳ ଯୋଗୁଁ ଗୁରୁବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲୋକସଭା ଏବଂ ରାଜ୍ୟସଭାକୁ ମୁଲତବୀ ରଖିବାକୁ ପଡିଥିଲା। ଲୋକସଭାରେ ବିରୋଧୀ ସାଂସଦମାନେ ତିନୋଟି କେନ୍ଦ୍ରୀୟ କୃଷି ଆଇନ ପ୍ରସଙ୍ଗରେ ହଟ୍ଟଗୋଳ ସୃଷ୍ଟି କରିଥିଲେ।

ବାଚସ୍ପତି ଓମ୍ ବିର୍ଲା ବିରୋଧୀଙ୍କ ହଟ୍ଟଗୋଳକୁ ଅନ୍ୟାୟ ବୋଲି କହିଛନ୍ତି ଏବଂ ଗୃହର ମର୍ଯ୍ୟାଦା ବଜାୟ ରଖିବା ମଧ୍ୟ ବିରୋଧୀଙ୍କ ଦାୟିତ୍ୱ ବୋଲି କହିଛନ୍ତି। ଗଣତନ୍ତ୍ରକୁ ସଶକ୍ତ କରିବା ଆମ ସମସ୍ତଙ୍କ ସାମୂହିକ ଦାୟିତ୍ୱ ବୋଲି ସେ କହିଥିଲେ। ଜନସାଧାରଣ ଆମକୁ ହଙ୍ଗାମା ସୃଷ୍ଟି କରିବାକୁ ଏବଂ ପ୍ଲାକାର୍ଡ ଦେଖାଇବାକୁ ପଠାଇ ନାହାଁନ୍ତି। ଗୃହ ମାଧ୍ୟମରେ ଜନସାଧାରଣଙ୍କ ସମସ୍ୟା ସରକାରଙ୍କୁ ଜଣାଇବାକୁ ସେ ସାଂସଦମାନଙ୍କୁ ନିବେଦନ କରିଥିଲେ।

ଜାରି ରହିଥିବା ହଟ୍ଟଗୋଳକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ବିର୍ଲା ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ଯେତେବେଳେ ପୁନର୍ବାର ପ୍ରକ୍ରିୟା ଅପରାହ୍ନ ୧୨ ଟାରେ ଆରମ୍ଭ ହେଲା, ପୁଣିଥରେ ବିରୋଧୀଙ୍କ ହଟ୍ଟଗୋଳ ଆରମ୍ଭ ହେଲା ଏବଂ ପ୍ରକ୍ରିୟାକୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ମୁଲତବୀ ରଖାଗଲା।

ଅପରପକ୍ଷରେ, ୧୧ ଟା ସମୟରେ ରାଜ୍ୟସଭାର କାର୍ଯ୍ୟବାହୀ ଆରମ୍ଭ ହେବା ମାତ୍ରେ ସଦସ୍ୟମାନେ ହଙ୍ଗାମା କରିବା ଆରମ୍ଭ କରିଥିଲେ। ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ବିରୋଧୀ ସଦସ୍ୟମାନଙ୍କୁ ନିବେଦନ କରିଥିଲେ ଯେ, ସେମାନେ ନିଜ ଆସନକୁ ଫେରିଯାଆନ୍ତୁ ଏବଂ ପୋଷ୍ଟର ଉତ୍ତୋଳନ କରନ୍ତୁ ନାହିଁ, କିନ୍ତୁ ବିରୋଧୀମାନେ ଚୁପ ରହିନଥିଲେ। ସଦସ୍ୟମାନଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବୀ ରଖାଯାଇଥିଲା। ମଧ୍ୟାହ୍ନ ୧୨ଟାରେ ରାଜ୍ୟସଭା ବୈଠକ ବେଳେ ପ୍ରଶ୍ନକାଳରେ ହଟ୍ଟଗୋଳ ଜାରି ରହିଥିଲା। ଫଳରେ ରାଜ୍ୟସଭାକୁ ମଧ୍ୟ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅଭିନଵ ଉପାୟରେ ରନ୍ଧନ ଗ୍ୟାସ ଟାଙ୍କି କରୁଥିଲେ ଚୋରୀ: ୨ ଜଣଙ୍କୁ ବାନ୍ଧିଲା ଚାନ୍ଦପୁର ପୋଲିସ

ଚାନ୍ଦପୁର: ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଅଭିନବ ଉପାୟରେ କେତେଜଣ ଦୁର୍ବୃତ୍ତ ରନ୍ଧନ ଗ୍ୟାସ ଟାଙ୍କି ଚୋରୀ କରୁଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ୨ ଟି ଟାଙ୍କି ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଚାନ୍ଦପୁର ପୋଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, ଚାନ୍ଦପୁର ଥାନା ଅନ୍ତର୍ଗତ କଟକ ସହର ଗ୍ରାମରେ ଦୁଇଜଣ ଦୁର୍ବୃତ୍ତ ନିଜକୁ ହିନ୍ଦୁସ୍ତାନ ପେଟ୍ରୋଲିୟମ କଂପାନୀର  କର୍ମଚାରୀ ପରିଚୟ ଦେଇ ମହିଳା ମାନଙ୍କୁ ଗ୍ୟାସ ଟାଙ୍କି ରିଫିଲିଙ୍ଗ୍ ପାଇଁ ମାଗୁଥିଲେ। ଗ୍ୟାସ ରିଫିଲଙ୍ଗ୍ ନକରିଲେ ଗ୍ୟାସ ଖାତା କଟିଯିବ କହି ମହିଳା ମାନଙ୍କୁ ସେମାନେ ପ୍ରବର୍ତ୍ତାଉଥିଲେ। ଫଳରେ ମହିଳାଙ୍କ ଠାରୁ ଉଭୟ ଦୁର୍ବୃତ୍ତ ଟାଙ୍କି ନେବାରେ ସଫଳ ହୋଇଥିଲେ। ପରବର୍ତ୍ତୀ ଅବସ୍ଥାରେ ମହିଳାମାନେ ଯେତେ ବେଳେ ଏହା ଏକ ଚୋରୀ ଘଟଣା ବୋଲି ଜାଣିବାକୁ ପାଇଲେ, ସେମାନେ ତୁରନ୍ତ ନିଜ ସମ୍ପର୍କୀୟଙ୍କୁ ଜଣାଇଲେ।

ତେବେ ଫେରାର ହେବା ବେଳେ ସେହି ଦୁଇଜଣ ଦୁର୍ବୃତ୍ତଙ୍କୁ ସ୍ଥାନୀୟ ଲୋକେ ଧରିବାରେ ସଫଳ ହୋଇଥିଲେ। ପରେ ସେହି ଦୁଇଜଣଙ୍କୁ ଲୋକେ ଚାନ୍ଦପୁର ଥାନାକୁ ହସ୍ତାନ୍ତର କଲେ। ଗିରଫ ୨ ଜଣ ହେଲେ  ରଣପୁର କଙ୍କିଆ ଗ୍ରାମର ବାଟୁଆ ନାୟକ (୨୨ ବର୍ଷ), ରାକେଶ ମହାନ୍ତି (୧୮ ବର୍ଷ) ବୋଲି ଜଣାପଡିଛି। ସେମାନଙ୍କ ନିକଟରୁ ପୋଲିସ୍ ଦୁଇଟି ଗ୍ୟାସ ଟାଙ୍କି ସହ ଗୋଟିଏ ବାଇକ୍ ଜବତ କରି ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ଜାତୀୟ ଖବର

ଜନ୍ତର ମନ୍ତରରେ ଆରମ୍ଭ ହେଉଛି କୃଷି ଆନ୍ଦୋଳନ: ସଂଖ୍ୟାକୁ ନେଇ ପୋଲିସ ଆଉ ଚାଷୀଙ୍କ ମଧ୍ୟରେ ଯୁକ୍ତିତର୍କ

ନୂଆଦିଲ୍ଲୀ: କେନ୍ଦ୍ରର ତିନୋଟି ନୂଆ କୃଷି ଆଇନକୁ ବିରୋଧ କରୁଥିବା କୃଷକମାନେ ଆଜି ଠାରୁ ସଂସଦ ପଦଯାତ୍ରା ଆରମ୍ଭ କରୁଛନ୍ତି। ପ୍ରବଳ ସୁରକ୍ଷା ମଧ୍ୟରେ କୃଷକମାନେ ଜନ୍ତର ମନ୍ତ୍ରରେ ସେମାନଙ୍କର ଆନ୍ଦୋଳନ ଆରମ୍ଭ କରିବେ ଏବଂ ସରକାରଙ୍କ ବିରୋଧରେ ବିକ୍ଷୋଭ କରିବେ। ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲ ୯ ଅଗଷ୍ଟ ପର୍ଯ୍ୟନ୍ତ ପ୍ରତିଦିନ ସର୍ବାଧିକ ୨୦୦ କୃଷକଙ୍କ ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ ପାଇଁ ବିଶେଷ ଅନୁମତି ଦେଇଛନ୍ତି।

ଦିଲ୍ଲୀ ପୋଲିସର ସୂତ୍ରରୁ ପ୍ରକାଶ ଯେ, ପୋଲିସ ସୁରକ୍ଷା ସହିତ ପ୍ରତିଦିନ ଚାରିଟି ବସ୍‌ରେ ୨୦୦ ଚାଷୀଙ୍କ ଏକ ଦଳ ବସ୍‌ରେ ସିଙ୍ଗୁ ସୀମାରୁ ଜନ୍ତର ମନ୍ତରକୁ ଆସିବେ ଏବଂ ସକାଳ ୧୧ ଟାରୁ ୫ଟା ପର୍ଯ୍ୟନ୍ତ ସେଠାରେ ବିରୋଧ କରିବେ। କଂଗ୍ରେସ ସାଂସଦମାନେ କୃଷି ଆଇନ ପ୍ରତ୍ୟାହାର ଦାବିରେ ସଂସଦ ଗୃହ କମ୍ପ୍ଲେକ୍ସରେ ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦର୍ଶନ କରିଛନ୍ତି।

ଅନ୍ୟପକ୍ଷରେ ଦିଲ୍ଲୀ ସୀମାରେ କୃଷକମାନଙ୍କୁ ନେଇ ଯାଉଥିବା ବସ୍‌କୁ ଅଟକାଇ ଦିଆଯାଇଛି। କୃଷକମାନଙ୍କୁ ଅନ୍ୟ ମାର୍ଗରୁ ଆଣିବା ବିଷୟରେ ଦିଲ୍ଲୀ ପୋଲିସ କହୁଥିବାବେଳେ କୃଷକମାନେ ସେମାନଙ୍କୁ ଜିଟି-କର୍ଣ୍ଣଲ ରାସ୍ତାରୁ ଆଣିବା କଥା କହୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬୭ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୫ ହଜାର ୩୦୮ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୭ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୩୦୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୨୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ଵର ଜିଲ୍ଲାରୁ ୮ ଜଣ, ବରଗଡ ଜିଲ୍ଲାରୁ ୭ ଜଣ, ନବରଙ୍ଗପୁର ଜିଲ୍ଲାରୁ ୬ ଜଣ, ଅନୁଗୁଳ, ପୁରୀ, ରାୟଗଡା ଜିଲ୍ଲାରୁ ୫ ଜଣ ଲେଖାଏଁ ଏବଂ ଢେଙ୍କାନାଳ ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି କନ୍ଧମାଳ, ମୟୂରାଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଏଁ, କଳାହାଣ୍ଡି, କେନ୍ଦ୍ରାପଡା ଓ ନୂଆପଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୧ ହଜାର ୯୩୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୩୬ ହଜାର ୯୫୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୯ ହଜାର ୬୨୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୩୦୮ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦେଶର ଏକ ପ୍ରମୁଖ ଖବରକାଗଜ ଗ୍ରୁପ ଉପରେ ଆୟକର ବିଭାଗର ଚଢାଉ

ନୂଆଦିଲ୍ଲୀ, ଆଜି ସକାଳୁ ଦେଶର ପ୍ରମୁଖ ଖବରକାଗଜ ଦୈନିକ ଭାସ୍କର ଗ୍ରୁପର ବିଭିନ୍ନ ଅଫିସରେ ଆୟକର ବିଭାଗ ଚଢାଉ କରିଛି। ଏହି ଗ୍ରୁପର ଥିବା ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ ଏବଂ ମହାରାଷ୍ଟ୍ର କାର୍ଯ୍ୟାଳୟରେ ଏହି ଚଢାଉ ଚାଲିଛି। ଏକ ବିଶେଷ ସୁତ୍ର ଅନୁସାରେ ଏକକାଳିନ ବହୁ ଅଧିକାରୀ ଏହି ଚଢାଉରେ ସାମିଲ ରହିଛନ୍ତି।

ଏହି ଗ୍ରୁପର ପ୍ରକାଶିତ ଖବରକାଗଜ ଦୈନିକ ଭାସ୍କରରେ କୋଭିଡ ସଂପର୍କରେ ଖବର ପ୍ରକାଶିତ କରିବାରେ ଆଗରେ ରହିଛି। ଏଥିରେ କୋଭିଡ ଦ୍ବିତୀୟ ଲହର ରୋକିବାରେ କେନ୍ଦ୍ର ସରକାର କିପରି ବିଫଳ ହେଲେ ସେ ନେଇ ଖବର ପ୍ରକାଶିତ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ୪୧ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୧ ହଜାର ୩୮୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୫୦୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧୨ ଲକ୍ଷ ୫୭ ହଜାର ୭୨୦ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୮ ହଜାର ୯୮୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪ ଲକ୍ଷ ୨୯ ହଜାର ୩୩୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୯ ହଜାର ୩୯୪ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ଜାତୀୟ ଖବର

ଭାରତକୁ ପାକିସ୍ତାନ କରିବା ପାଇଁ କରାଯାଉଛି ପ୍ରୟାସ: ମୋହନ ଭାଗବତ

ନୂଆଦିଲ୍ଲୀ: ଜନସଂଖ୍ୟା ନିୟନ୍ତ୍ରଣ ଉପରେ କିଛି ସାମ୍ପ୍ରତିକ ଆଲୋଚନା ମଧ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତଙ୍କ ଏକ ବିବୃତ୍ତି ସାମ୍ନାକୁ ଆସିଛି। ଆସାମର ଗୁଆହାଟୀରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୋହନ ଭାଗବତ କହିଛନ୍ତି ଯେ, ୧୯୩୦ ମସିହାରୁ ଦେଶରେ ମୁସଲମାନ ଜନସଂଖ୍ୟା ବୃଦ୍ଧି ପାଇଁ ପ୍ରୟାସ କରାଯାଇଛି। ଏହାର କାରଣ ହେଉଛି, ଭାରତକୁ ପାକିସ୍ତାନ ତିଆରି କରିବା ପାଇଁ ପ୍ରୟାସ କରାଯାଉଛି।

ପଞ୍ଜାବ, ସିନ୍ଧ, ଆସାମ, ବଙ୍ଗଳା ଏବଂ ଏହାର ଆଖପାଖ ଅଞ୍ଚଳ ପାଇଁ ଏସବୁ ଯୋଜନା କରାଯାଇଥିଲା, ଯାହା କିଛି ମାତ୍ରାରେ ସେମାନଙ୍କୁ ସଫଳତା ମିଳିଥିଲା।  ମୋହନ ଭାଗବତ କହିଛନ୍ତି ଯେ, ବଙ୍ଗଳାରୁ ସେମାନଙ୍କୁ ଅଧା ମିଳିପାରିପାରିଥିଲା ବେଳେ ଆସାମରେ ସଫଳ ହୋଇପାରିନଥିଲେ। କିନ୍ତୁ ଏବେ ବି ସେମାନଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ପ୍ରୟାସ ଜାରି ରହିଛି।

ସିଏଏ ଭାରତୀୟ ମୁସଲମାନମାନଙ୍କର କୌଣସି କ୍ଷତି କରେ ନାହିଁ: ଭାଗବତ

ଏହି କାର୍ଯ୍ୟକ୍ରମରେ ମୋହନ ଭଗବତ ନାଗରିକତ୍ୱ ସଂଶୋଧନ ଅଧିନିୟମ ଉପରେ ମଧ୍ୟ କହିଥିଲେ। ମୋହନ ଭଗବତ କହିଥିଲେ ଯେ, ଏହି ଆଇନର କୌଣସି ଭାରତୀୟ ମୁସଲମାନର ନାଗରିକତ୍ୱ ବିଲ ସହିତ କୌଣସି ସମ୍ପର୍କ ନାହିଁ। ଏହା କୌଣସି ଭାରତୀୟ ମୁସଲମାନର କ୍ଷତି କରିବ ନାହିଁ।

ଆରଏସଏସ ମୁଖ୍ୟ କହିଛନ୍ତି ଯେ, ଭାରତଠାରୁ ଅଲଗା ହୋଇଥିବା ପାକିସ୍ତାନ ଭଳି ଦେଶ ଏବେ ଅସୁବିଧାରେ ଅଛନ୍ତି। ବ୍ରହ୍ମାଣ୍ଡର କଲ୍ୟାଣ ପାଇଁ ଅଖଣ୍ଡ ଭାରତ ଅତ୍ୟନ୍ତ ଜରୁରୀ। ଭାରତର ଅନେକ ଆହ୍ଵାନକୁ ଦୂର କରିବାର କ୍ଷମତା ଅଛି ଏବଂ ସେହି ଆହ୍ଵାନ ଏବଂ ଅସୁବିଧାକୁ ଦୂର କରିବା ପାଇଁ ବିଶ୍ୱ ଆଗକୁ ବଢୁଛି। ବସୁଧୈବ କୁଟୁମ୍ବକମ୍ ବିଶ୍ଵାସ ସହିତ ଭାରତ ପୁଣିଥରେ ବିଶ୍ୱରେ ସୁଖ ଏବଂ ଶାନ୍ତି ବୃଦ୍ଧି କରିପାରିବ।

ସେ ଆହୁରି କହିଛନ୍ତି ଯେ, ଯେତେବେଳେ ଆମେ ଅଖଣ୍ଡ ଭାରତ ବିଷୟରେ କଥାବାର୍ତ୍ତା କରୁ, ସେତେବେଳେ ଆମର ଲକ୍ଷ୍ୟ ଶକ୍ତି ହାସଲ କରିବା ନୁହେଁ, ବରଂ ଧର୍ମ (ନୀତି) ମାଧ୍ୟମରେ ଏକ ହେବା, ଯାହା ସନାତନ (ଅନନ୍ତ) ଏହା ମାନବିକତା ଏବଂ ଏହାକୁ ହିନ୍ଦୁ ଧର୍ମ କୁହାଯାଏ।

ଆରଏସଏସ ସୂତ୍ର ଅନୁଯାୟୀ, ଗୁଆହାଟୀରେ ରହିବା ସମୟରେ ଭାଗବତ ଆସାମର ବିଭିନ୍ନ ଅଞ୍ଚଳରେ ତଥା ଅରୁଣାଚଳ ପ୍ରଦେଶ, ମଣିପୁର ଏବଂ ତ୍ରିପୁରା ସମେତ ଅନ୍ୟାନ୍ୟ ଉତ୍ତର-ପୂର୍ବ ରାଜ୍ୟରେ ବରିଷ୍ଠ ଆରଏସଏସ ନେତାଙ୍କ ସହ ବୈଠକ କରିବେ। ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ସରକାର ୨୦୨୧ ବିଧାନସଭା ନିର୍ବାଚନରେ ​​ଜିତିବା ପରେ ଭାଗବତଙ୍କ ଏହା ପ୍ରଥମ ଆସାମ ଗସ୍ତ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୧ ହଜାର ୯୪୮ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୯୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୧୨୦ ଜଣ ଚିହ୍ନଟ ହୋଇଥିବା ବେଳେ ୮୨୮ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୧ ହଜାର ୯୩୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୩୬ ହଜାର ୯୫୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୯ ହଜାର ୬୨୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫୨୪୧ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୧ ହଜାର ୯୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୮୦ ଜଣ, କଟକ ଜିଲ୍ଲାରୁ ୨୭୯ ଜଣ, ଅନୁଗୁଳ ଜିଲ୍ଲାରୁ ୮୫ ଜଣ, ବାଲେଶ୍ଵର ଜିଲ୍ଲାରୁ ୯୮ ଜଣ, ବରଗଡ ଜିଲ୍ଲାରୁ ୧୭ ଜଣ, ଭଦ୍ରକ ଜିଲ୍ଲାରୁ ୫୯ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୭ ଜଣ, ବୌଦ୍ଧ ଜିଲ୍ଲାରୁ ୪ ଜଣ, ଦେବଗଡ ଜିଲ୍ଲାରୁ ୫ ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୪ ଜଣ, ଗଜପତି ଜିଲ୍ଲାରୁ ୪ ଜଣ, ଗଞ୍ଜାମ ଜିଲ୍ଲାରୁ ୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୧୩ ଜଣ, ଯାଜପୁର ଜିଲ୍ଲାରୁ ୧୧୫ ଜଣ, ଝାରସୁଗୁଡା ଜିଲ୍ଲାରୁ ୬ ଜଣ, କଳାହାଣ୍ଡି ଜିଲ୍ଲାରୁ ୪ ଜଣ, କନ୍ଧମାଳ ଜିଲ୍ଲାରୁ ୧୯ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୧୨ ଜଣ, କେନ୍ଦୁଝର ଜିଲ୍ଲାରୁ ୨୧ ଜଣ, କୋରାପୁଟ ଜିଲ୍ଲାରୁ ୭ ଜଣ, ମାଲକାନାଗିରି ଜିଲ୍ଲାରୁ ୨୪ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୬୬ ଜଣ, ନବରଙ୍ଗପୁର ଜିଲ୍ଲାରୁ ୯ ଜଣ, ନୟାଗଡ ଜିଲ୍ଲାରୁ ୮୮ ଜଣ, ନୂଆପଡା ଜିଲ୍ଲାରୁ ୨ ଜଣ, ପୁରୀ ଜିଲ୍ଲାରୁ ୮୩ ଜଣ, ରାୟଗଡା ଜିଲ୍ଲାରୁ ୧୮ ଜଣ, ସମ୍ବଲପୁର ଜିଲ୍ଲାରୁ ୨୫ ଜଣ, ସୋନପୁର ଜିଲ୍ଲାରୁ ୧୨ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୪୭ ଜଣ ଏବଂ ଷ୍ଟେଟ ପୁଲରୁ ୯୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଦେଶରେ କରୋନା ସ୍ଥିତି: ଏ ପର୍ଯ୍ୟନ୍ତ କେତେ ଟିକା ଦିଆଯାଇଛି, କେତେ ଲୋକ ସଂକ୍ରାମିତ ହେଲେଣି

ନୂଆଦିଲ୍ଲୀ, ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ 41 କୋଟି 54 ଲକ୍ଷ କୋଭିଡ ଟିକା ଦିଆଯାଇଛି। ଗତ 24 ଘଣ୍ଟା ମଧ୍ୟରେ 34 ଲକ୍ଷ 25,000 ରୁ ଅଧିକ ଟିକା ଦିଆଯାଇଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ମଙ୍ଗଳବାର 36 ହଜାର 977 ରୁ ଅଧିକ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

ସଂକ୍ରମଣରୁ ସୁସ୍ଥ ହାର 97 ଦଶମିକ ତିନି-ଛଅ ପ୍ରତିଶତକୁ ବୃଦ୍ଧି ପାଇଛି। କୋଭିଡ ମହାମାରୀରୁ ତିନି କୋଟି ତିନି ଲକ୍ଷରୁ ଅଧିକ ଲୋକ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି।

ଗତ ଚବିଶ ଘଣ୍ଟା ମଧ୍ୟରେ 42 ହଜାରରୁ ଅଧିକ ନୂତନ ରୋଗୀଙ୍କଠାରେ ସଂକ୍ରମଣ ନିଶ୍ଚିତ ହୋଇଥିଲା। ଦେଶରେ ମୋଟ କୋଭିଡ ରୋଗୀଙ୍କ ସଂଖ୍ୟା ଆହୁରି ଚାରି ଲକ୍ଷ ସାତ ହଜାରକୁ ହ୍ରାସ ପାଇଛି।

ସାପ୍ତାହିକ ପଜିଟିଭିଟି ହାର ପାଞ୍ଚ ପ୍ରତିଶତରୁ ଦୁଇ ଦଶମିକ ଶୂନ ନଅ ପ୍ରତିଶତ ଏବଂ କ୍ରମାଗତ 30 ଦିନ ପାଇଁ ଦୈନିକ ପଜିଟିଭିଟି ହାର ତିନି ପ୍ରତିଶତରୁ ଦୁଇ ଦଶମିକ ଦୁଇ-ସାତ ପ୍ରତିଶତ ତଳେ ରହିଛି।

କୋଭିଡ୍ ନମୁନାଗୁଡିକର ପରୀକ୍ଷଣର ପରିସର କ୍ରମାଗତ ଭାବରେ ବିସ୍ତାର କରାଯାଉଛି ଏବଂ ଏ ପର୍ଯ୍ୟନ୍ତ 44 କୋଟିରୁ 91 ଲକ୍ଷ ନମୁନା ପରୀକ୍ଷା କରାଯାଇଛି।

Categories
ଆଜିର ଖବର ଧର୍ମ

ରାଶିଫଳ: ଜୁଲାଇ 22 ତାରିଖ ଗୁରୁବାର ଦିନ ଏହି ପାଞ୍ଚୋଟି ରାଶି ଉପରେ ଶନିଦେବ କରିଛନ୍ତି କୋପ

ମେଷ- ଆଜି ଏହି ରାଶିର ଲୋକଙ୍କ ପ୍ରଭାବ ଏବଂ ସମ୍ମାନ କାର୍ଯ୍ୟ କ୍ଷେତ୍ରରେ ବୃଦ୍ଧି ପାଇପାରେ। ଆଜି ଆପଣ ଅର୍ଥର ଲାଭ ପାଇବେ। କୌଣସି ଇଚ୍ଛା ପୂରଣ କରି ସୁଖ ପାଇବେ । ପ୍ରେମ ସମ୍ବନ୍ଧରେ ଆଜି ଆପଣଙ୍କୁ ଲାଭ ଦେଇପାରେ । ଆପଣଙ୍କ ଜୀବନସାଥୀ ସହିତ ଆପଣଙ୍କର ସମ୍ପର୍କ ଆଜି ମଧୁର ରହିବ । ଆପଣଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟଗୁଡ଼ିକର ଯତ୍ନ ନିଅନ୍ତୁ । ଆଜି ତୁମର ଦାନ ପାଇଁ ଆଗ୍ରହ ବଢିପାରେ ।

ବୃଷ- ଆଜି କାର୍ଯ୍ୟ ଏବଂ ପାରିବାରିକ ପ୍ରସଙ୍ଗରେ କିଛି ତିକ୍ତତା ଏହି ରାଶିର ଲୋକଙ୍କୁ ବିବ୍ରତ କରିପାରେ । ଚାକିରି ଶ୍ରେଣୀର ଲୋକମାନେ ଆଜି କିଛି ଅତିରିକ୍ତ କାମ ପାଇପାରିବେ । ଆଜି ଆପଣଙ୍କର ଆର୍ଥିକ ଅବସ୍ଥା ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି । ଆଜି ଆପଣଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅ ଏବଂ ବିତର୍କ ପରିସ୍ଥିତିରୁ ନିଜକୁ ଦୂରେଇ ରଖ । ଟଙ୍କା ଖର୍ଚ୍ଚ ହୋଇପାରେ ।

ମିଥୁନ- ଏହି ରାଶିର ଲୋକମାନେ ଆଜି କାର୍ଯ୍ୟ କ୍ଷେତ୍ରର ଅଧିକାରୀଙ୍କଠାରୁ ପ୍ରଶଂସା ପାଇପାରିବେ । ବ୍ୟବସାୟ ସହିତ ଜଡିତ ଲୋକଙ୍କ ପାଇଁ ଆଜି ଦିନଟି ଲାଭଦାୟକ ରହିବ । ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ପାଇଁ ଆଜି ଏକ ଭଲ ଦିନ । ଆଜି ଆପଣ କିଛି ଘରୋଇ କାର୍ଯ୍ୟରେ ବ୍ୟସ୍ତ ହୋଇପାରନ୍ତି । ଟଙ୍କା ବିଷୟରେ ଦିନଟି ଭଲ ରହିଥାଏ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ।

କର୍କଟ-  ଆଜି ଏହି ରାଶିର ଲୋକଙ୍କ ଅସମାପ୍ତ କାର୍ଯ୍ୟ ଶେଷ ହେବ । ଆଜି ଆପଣ କର୍ମକ୍ଷେତ୍ରରେ ଭଲ ସଫଳତା ପାଇପାରିବେ । ଆଜି ଆପଣଙ୍କ ଦୈନନ୍ଦିନ ଜୀବନରେ ଖର୍ଚ୍ଚ ପରିମାଣ ବଢିପାରେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପାରିବାରିକ ଜୀବନ ଭଲ ରହିବ । ଆଜି ଛାତ୍ର ଶ୍ରେଣୀ କଠିନ ପରିଶ୍ରମ ପରେ କାର୍ଯ୍ୟରେ ସଫଳତା ପାଇପାରିବ । ବ୍ୟବସାୟ ଶ୍ରେଣୀକୁ ଆଜି ନିଜ କାର୍ଯ୍ୟରେ ସଜାଗ ରଖିବା ଦ୍ବାରା ଏହା ଯେକୌଣସି କ୍ଷତିରୁ ରକ୍ଷା କରିପାରିବ ।

ସିଂହ- ଏହି ରାଶିର ଲୋକମାନେ ଆଜି ଅର୍ଥର ଲାଭ ପାଇପାରିବେ । ଆପଣ ଆଜି ଆପଣଙ୍କର ସନ୍ତାନଙ୍କ ସମ୍ବନ୍ଧୀୟ ପ୍ରସଙ୍ଗରେ କିଛି ଭଲ ଖବର ପାଇପାରିବେ । କର୍ମକ୍ଷେତ୍ରରେ ପରିସ୍ଥିତି ସ୍ୱାଭାବିକ ରହିବ । ଆଜି ବ୍ୟବସାୟ ଶ୍ରେଣୀ ପାଇଁ କିଛି ଭଲ ଲାଭର ସମ୍ଭାବନା ରହିବ । ଆଜି କାର୍ଯ୍ୟ ବିଷୟରେ ଆପଣଙ୍କର ଆତ୍ମବିଶ୍ୱାସ ଭଲ ରହିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, ମୁଣ୍ଡବିନ୍ଧା ଏବଂ କିଛି ଆଲର୍ଜି ସମସ୍ୟା ହୋଇପାରେ ।

କନ୍ୟା- ଏହି ରାଶିର ଲୋକମାନେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟକଳାପ ବିଷୟରେ ଟିକେ ଉଦାସୀନ ରହିପାରନ୍ତି । ଆଜି ଆପଣ କିଛି ବିଷୟରେ ଚିନ୍ତିତ ରହିପାରିବେ । ଆଜି ଆପଣ କର୍ମକ୍ଷେତ୍ରରେ ଲୋକଙ୍କ କମ୍ ସହଯୋଗ ପାଇବେ । ପିଲାମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ସେମାନଙ୍କ ସହିତ କୌଣସି ବିବାଦରେ ଜଡିତ ହୁଅନ୍ତୁ ନାହିଁ । ଆପଣଙ୍କର ଟଙ୍କା ଭୋଗ ପାଇଁ ଖର୍ଚ୍ଚ ହୋଇପାରେ । ପରିବାର ସଦସ୍ୟଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ରହିବ ।

ତୂଳା- ଏହି ରାଶିର ଲୋକମାନେ ଆଜି ଟଙ୍କା ଏବଂ ଦୈନନ୍ଦିନ କାର୍ଯ୍ୟରେ ଭଲ ଫଳାଫଳ ପାଇପାରିବେ । ଅଧିକାରୀମାନେ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ସହ ସହଯୋଗ କରିବେ । ଆଜି ଆପଣ ଯେ କୌଣସି ଅତିରିକ୍ତ ଉତ୍ସରୁ ଟଙ୍କା ପାଇପାରିବେ । ପିଲାମାନଙ୍କ ସହିତ ଆପଣଙ୍କର ସମ୍ପର୍କ ଦୃଢ ହେବ ଏବଂ ଆପଣ ସେମାନଙ୍କଠାରୁ ଲାଭ ପାଇପାରିବେ । ସ୍ୱାସ୍ଥ୍ୟ ସମ୍ବନ୍ଧରେ କିଛି ଛୋଟ ସମସ୍ୟା ରହିପାରେ । ଆପଣଙ୍କର ଖର୍ଚ୍ଚରେ ଧର୍ଯ୍ୟବାନ ହୁଅନ୍ତୁ ।

ବିଛା- ଏହି ରାଶିର ଲୋକଙ୍କ ଆର୍ଥିକ ଅବସ୍ଥା ଆଜି ବହୁତ ଭଲ ରହିବ । ଆଜି, ଆର୍ଥିକ ଲାଭ ପାଇଁ କରାଯାଇଥିବା ପ୍ରୟାସ ଆପଣଙ୍କୁ ସଫଳତା ଦେଇପାରେ। କୌଣସି ପୁରୁଣା କାର୍ଯ୍ୟ ଆଜି ଆପଣଙ୍କୁ ଲାଭ ଦେଇପାରେ । କାର୍ଯ୍ୟ ଦୃଷ୍ଟିରୁ, ଦିନଟି ଆପଣଙ୍କୁ ସାଧାରଣ ଫଳାଫଳ ଦେବ । ପ୍ରେମ ସଂପର୍କରେ ଦିନଟି ଆପଣଙ୍କ ସପକ୍ଷରେ ରହିବ । ଆପଣ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରସଙ୍ଗରେ ଉନ୍ନତି ଦେଖିବେ ।

 ଧନୁ- ଆଜି ଏହି ରାଶି ଲୋକଙ୍କ ପାଇଁ ଏକ ଶାନ୍ତିପୂର୍ଣ୍ଣ ଦିନ ହୋଇପାରେ । ଆଜି ଆପଣ କର୍ମକ୍ଷେତ୍ରରେ ଆପଣଙ୍କର ସମସ୍ତ କାର୍ଯ୍ୟରେ ସଫଳତା ପାଇବେ । ଆଜି କିଛି ନୂତନ କାର୍ଯ୍ୟ ଆପଣଙ୍କୁ କର୍ମକ୍ଷେତ୍ରରେ ଯୋଗ ଦେଇପାରେ । ଆଜି ଆପଣଙ୍କର ପରିବାର ଏବଂ ବିବାହିତ ଜୀବନ ଭଲ ହେବ। ଆଜି ଆପଣଙ୍କୁ ଟଙ୍କା ଦୃଷ୍ଟିରୁ ଭଲ ଲାଭ ଦେଇପାରେ । ଉଚ୍ଚଶିକ୍ଷା ସମ୍ବନ୍ଧୀୟ ଛାତ୍ରମାନେ ଲାଭ ପାଇପାରିବେ ।

ମକର- ଆଜି ଏହି ରାଶିର ଲୋକମାନେ କାର୍ଯ୍ୟ କ୍ଷେତ୍ର ସହିତ ଜଡିତ କାର୍ଯ୍ୟ ସହିତ ପଳାୟନ କରିପାରନ୍ତି । ପତି-ପତ୍ନୀଙ୍କ ସମର୍ଥନ ଆପଣଙ୍କୁ ଲାଭ ଦେଇପାରେ । ଆଜି ସାଙ୍ଗମାନଙ୍କ ସହଯୋଗ ଆପଣଙ୍କ ପାଇଁ ସହାୟକ ହେବ। ଆଜି ପରିବାର ସଦସ୍ୟଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ରହିବ । ଆଜି ଆପଣ ଆର୍ଥିକ ଲାଭ ପାଇଁ କଠିନ ଚେଷ୍ଟା କରିବେ । ଯାତ୍ରା ବା ଭ୍ରମଣର ସମ୍ବାବନା ରହିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ କାର୍ଯ୍ୟରେ ଅଂଶୀଦାରମାନଙ୍କ ସହିତ ସମନ୍ୱୟ ରକ୍ଷା କରନ୍ତୁ ।

କୁମ୍ଭ- ଏହି ରାଶିର ଲୋକମାନଙ୍କ ପାଇଁ ଆଜି ଏକ ଆରାମଦାୟକ ଏବଂ ଲାଭଦାୟକ ଦିନ ହେବ । ଆଜି, ଦୈନନ୍ଦିନ ଜୀବନରେ ତୁମେ ଭାଇ ଓ ଭଉଣୀମାନଙ୍କଠାରୁ ସମ୍ପୂର୍ଣ୍ଣ ସହଯୋଗ ଏବଂ ଲାଭ ପାଇବ । ଆଜି ଆପଣଙ୍କର ଦୈନନ୍ଦିନ ଆୟ ବୃଦ୍ଧି ପାଇପାରେ । ଆଜି ଆପଣଙ୍କର ପରିବାର ଏବଂ ଦାମ୍ପତ୍ୟ ଜୀବନ ସୁଖଦ ରହିବ । କାର୍ଯ୍ୟରେ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ଛାତ୍ରମାନଙ୍କ ପାଇଁ ଲାଭ ପାଇବା ସମ୍ଭାବନା ରହିବ । 

ମୀନ-  ଏହି ରାଶିର ଲୋକମାନେ ଆଜି ଚାକିରି ଏବଂ ବ୍ୟବସାୟ ସମ୍ବନ୍ଧୀୟ ଭଲ ଖବର ପାଇପାରିବେ । ଆଜି କାର୍ଯ୍ୟକ୍ଷେତ୍ରରେ ଅମଲାତନ୍ତ୍ର ଆପଣଙ୍କ ପକ୍ଷରେ ରହିପାରିବେ ଏବଂ କାର୍ଯ୍ୟ ସମ୍ବନ୍ଧରେ କିଛି ନୂତନ ଦାୟିତ୍ବ ମିଳିପାରିବ। ଆଜି ଆପଣଙ୍କର ଦୈନନ୍ଦିନ ଭୋଗ ବୃଦ୍ଧି କରିବା ସମ୍ଭବ । ପାରିବାରିକ ଜୀବନ ସ୍ୱାଭାବିକ ରହିବ । ଆଜି ଭୁଲ ଖାଦ୍ୟ ଆପଣଙ୍କୁ ସମସ୍ୟା ଦେଇପାରେ ।

Categories
ଆଜିର ଖବର ଧର୍ମ

ଚାଣକ୍ୟ ନୀତି: ଯଦି ଏହି କାର୍ଯ୍ୟ କରୁଛନ୍ତି ତେବେ ଆପଣ ନିହାତି ସ୍ନାନ କରନ୍ତୁ, ନଚେତ ସ୍ବାସ୍ଥ୍ୟ ହେବ ଖରାପ

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ସ୍ନାନ ସହ ଜଡିତ ଅନେକ କଥା କହିଛନ୍ତି। ସେଥିରେ ଆମେ କେଉଁ ସମୟରେ ଗାଧୋଇବା ଉଚିତ ଏବଂ କେଉଁ ସମୟରେ ସ୍ନାନ କରିବା ଉଚିତ୍ ନୁହେଁ।

ତେବେ କେଉଁ କେଉଁ ପରିସ୍ଥିତିରେ ଆମମାନଙ୍କୁ ଗାଧୋଇବା ନିହାତି ଆବଶ୍ୟକ ପଡେ ସେ ସଂପର୍କରେ ଚାଣକ୍ୟ ତଥ୍ୟ ରଖିଛନ୍ତି। ସାଧାରଣତଃ ଆମେ ପ୍ରତିଦିନ ସକାଳେ ସ୍ନାନ କରିଥାଉ, କିନ୍ତୁ ଆଚାର୍ଯ୍ୟଙ୍କ ଅନୁଯାୟୀ, ଯେତେବେଳେ ଆମେ ଏହି ପରିସ୍ଥିତିରେ ଥାଉ, ନିଶ୍ଚିତ ଭାବରେ ଗାଧୋଇବା ଉଚିତ। ଏହା ଯଦି ନ କରାଯାଏ ତେବେ ଆମ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡିପାରେ, କାରଣ ଆମର ଖାଦ୍ୟ ସହିତ ଆମର ଦୈନନ୍ଦିନ କାର୍ଯ୍ୟ ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ।

ଶରୀରକୁ ତେଲରେ ମାଲିସ୍ କରିବା ପରେ ସ୍ନାନ କରନ୍ତୁ – ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଆମ ଶରୀରକୁ ଅଧିକ ପରିମାଣର ତେଲ ଦରକାର, କାରଣ ଏହା ଆମ ଶରୀରକୁ ଚମକଦାର ଏବଂ ସୁସ୍ଥ କରିଥାଏ। ତେଣୁ, ସପ୍ତାହରେ ଗୋଟିଏ ଦିନ ତେଲ ମାଲିସ୍ କରାଯିବା ଆବଶ୍ୟକ। କିନ୍ତୁ ସେହି ସମୟରେ ଏହା ମଧ୍ୟ ମନେ ରଖିବା ଉଚିତ ଯେ ତେଲକୁ ମାଲିସ୍ କରିବା ପରେ ତୁରନ୍ତ ସ୍ନାନ କରାଯିବା ଉଚିତ। ଏହା କରିବା ଦ୍ବାରା, ଆପଣଙ୍କ ଶରୀରରୁ ସମସ୍ତ ମଇଳା ବାହାରକୁ ଆସିବ, ଯାହା ଆପଣଙ୍କ ତ୍ୱଚାକୁ ଉଜ୍ଜ୍ୱଳ ଏବଂ ସୁସ୍ଥ କରିବ। ସ୍ନାନ ନକରି ଘରୁ ବାହାରକୁ ନ ଯିବା ଅଶୁଭ ହେବ।

ମୃତକଙ୍କ ଶେଷ ଯାତ୍ରାରୁ ଫେରିବା ପରେ ସ୍ନାନ କର – ଯଦି କେହି ମରିଯାଇଛନ୍ତି ଏବଂ ତୁମେ ତାଙ୍କ ଅନ୍ତିମ ସଂସ୍କାରକୁ ଯାଉଛ, ତେବେ ସେଠାରୁ ଫେରି ତୁରନ୍ତ ସ୍ନାନ କର। ସ୍ନାନ ନ କରି ଘର ଭିତରେ ମଧ୍ୟ ପ୍ରବେଶ କରିବା ଉଚିତ୍ ନୁହେଁ । ଏହା ପଛର କାରଣ, ଆଚାର୍ଯ୍ୟ କହିଛନ୍ତି ଯେ ଯେତେବେଳେ ଆପଣ ଶବଦାହକୁ ଯାଆନ୍ତି, ସେଠାରେ ଅନେକ ପ୍ରକାରର ଜୀବାଣୁ ଥାଆନ୍ତି ଯାହାକି ଆପଣଙ୍କ ଶରୀରର କୈଣସି ସ୍ଥାନରେ ରହିଥାଏ। ତେଣୁ, ତୁମେ ଆସି ତୁରନ୍ତ ଗାଧୋଇବା ଉଚିତ୍ ଯେପରି ସେହି ଜୀବାଣୁ ଆପଣଙ୍କ ଘରେ ସଂକ୍ରାମଣ ନ ହୁଅନ୍ତି।

ଆମ କେଶ କାଟିବା ପରେ ଗାଧୋଇବା ଆବଶ୍ୟକ – ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଯେତେବେଳେ ଆମେ କେଶ କାଟିବା, ଆମ ଶରୀରରେ ଛୋଟ କେଶ ଝଡ଼ି ପଡି ଥାଏ ଯାହା ସ୍ନାନ ନ କଲେ ବାହାର କରାଯାଇପାରିବ ନାହିଁ। ସେଥିପାଇଁ ଆମେ କେଶ କାଟିବା ପରେ ସ୍ନାନ କରିବା ଜରୁରୀ। ଯାହାଦ୍ୱାରା ଆମର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ସମସ୍ୟା ଆସିବ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ତୃତୀୟ ଲହର ଶିଶୁମାନଙ୍କ ଉପରେ ଅଧିକ ପ୍ରଭାବ ପଡିବାର କିଛି ବୈଜ୍ଞାନିକ ତଥ୍ୟ ନାହିଁ, ବିଶେଷଜ୍ଞ

ନୂଆଦିଲ୍ଲୀ, ଶିଶୁଙ୍କ ଉପରେ କୋଭିଡ-୧୯ର ପ୍ରଭାବ, ସେମାନଙ୍କୁ ସୁରକ୍ଷିତ ରଖିବାର ଆବଶ୍ୟକତା ଏବଂ ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ଟିକାକରଣ ଆଦି ସମେତ ବିଭିନ୍ନ ପ୍ରସଙ୍ଗରେ ନୂଆଦିଲ୍ଲୀସ୍ଥିତ ଲେଡି ହାର୍ଡିଙ୍ଗ ମେଡ଼ିକାଲ କଲେଜର ଶିଶୁ ରୋଗ ବିଭାଗ ନିର୍ଦ୍ଦେଶକ ଡା. ପ୍ରବୀଣ କୁମାରଙ୍କ ସହିତ ଏକ ସାକ୍ଷାତକାର..

ମହାମାରୀ କିଭଳି ଭାବେ ଶିଶୁମାନଙ୍କର ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରିଛି? ଏହାର ଦୀର୍ଘକାଳୀନ ପ୍ରଭାବକୁ ହ୍ରାସ କରିବା ଲାଗି କ’ଣ କରିବାର ଆବଶ୍ୟକତା ରହିଛି?

ମହାମାରୀ ଶିଶୁଙ୍କ ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଇପାରେ। ଗୋଟିଏ ବର୍ଷରୁ ଅଧିକ ସମୟ ଧରି ସେମାନେ ଘର ଭିତରେ ଏକପ୍ରକାର ବନ୍ଦୀ ଜୀବନ ବିତାଉଛନ୍ତି। ଅଧିକନ୍ତୁ, ପରିବାରରେ ଅସୁସ୍ଥତା, ଅଭିଭାବକଙ୍କର ରୋଜଗାର ହ୍ରାସ ଚାପ ବୃଦ୍ଧି କରିଛି। ପିଲାମାନଙ୍କ ଠାରେ ମାନସିକ ହତାଶା (ଦୁଃଖ) କାରଣରୁ ସେମାନେ ଭିନ୍ନ ବ୍ୟବହାର କରିପାରନ୍ତି। କିଛି ପିଲା ନିରବ ହୋଇପାରନ୍ତି ଏବଂ ଅନ୍ୟମାନେ କ୍ରୋଧ ଏବଂ ଅତ୍ୟଧିକ ପ୍ରତିକ୍ରିୟା ପ୍ରକାଶ କରିପାରନ୍ତି।

ସେମାନଙ୍କୁ ଯତ୍ନ ନେଉଥିବା ଲୋକମାନେ ଧର୍ଯ୍ୟ ଧରିବାର ଆବଶ୍ୟକତା ରହିଛି ଏବଂ ପିଲାମାନଙ୍କ ମନୋଭାବକୁ ସେମାନେ ବୁଝିବା ଉଚିତ୍। ଛୋଟ ପିଲାଙ୍କ ମଧ୍ୟରେ ଚାପର ସଙ୍କେତକୁ ଜାଣିବା ଉଚିତ୍। ଏହା ବ୍ୟସ୍ତତା କିମ୍ବା ଦୁଃଖ ହୋଇପାରେ, ଖାଦ୍ୟ ଓ ଶୋଇବା କ୍ଷେତ୍ରରେ ଅନିୟମିତତା, ଧ୍ୟାନ ଓ ଏକାଗ୍ରତାରେ ହ୍ରାସ ଭଳି ସମସ୍ୟା ହୋଇପାରେ। ପରିବାର ଲୋକମାନେ ପିଲାମାନଙ୍କର ଚାପ ଓ ଭୟ ଦୂର କରିବା ଲାଗି ସେମାନଙ୍କୁ ସହଯୋଗ କରିବା ଉଚିତ୍।

ଆପଣ ଭାବୁଛନ୍ତି କି ଭବିଷ୍ୟତର ଲହରୀ ପିଲାମାନଙ୍କୁ ଅଧିକ ଗୁରୁତର ଭାବେ ପ୍ରଭାବିତ କରିବ? ବିଶେଷ କରି ଶିଶୁ ରୋଗୀମାନଙ୍କୁ ଉପଯୁକ୍ତ ଗୁଣବତ୍ତାର ରୋଗୀ ସେବା ଯୋଗାଇ ଦେବା କ୍ଷେତ୍ରରେ କୋଭିଡ-୧୯ର ପରବର୍ତ୍ତୀ ଲହରୀ ପାଇଁ ଦେଶ କିଭଳି ଭାବେ ପ୍ରସ୍ତୁତ ରହିବାର ଆବଶ୍ୟକତା ରହିଛି?

ଆମେ ସମସ୍ତେ ଜାଣିଛୁ, କୋଭିଡ-୧୯ ହେଉଛି ଏକ ନୂଆ ଭୂତାଣୁ ଏବଂ ଏହା ରୂପ ବଦଳାଇ ପାରେ। ଭବିଷ୍ୟତର ଲହରୀ ପିଲାମାନଙ୍କୁ ଅଧିକ ପ୍ରଭାବିତ କରିବ କିମ୍ବା ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଅଧିକ ମାତ୍ରାରେ ଦେଖାଦେବ, ଏସବୁ କେବଳ ଆକଳନ। ଆସନ୍ତା କିଛି ମାସ ମଧ୍ୟରେ ଅଧିକାଂଶ ବୟସ୍କ ଟିକା ନେଇ ସାରିଥିବେ ଏବଂ ବର୍ତ୍ତମାନ ସମୟରେ ପିଲାମାନଙ୍କ ପାଇଁ କୌଣସି ଅନୁମୋଦିତ ଟିକା ନାହିଁ, ଏହି କାରଣରୁ ଭବିଷ୍ୟତର ଲହରୀ ପିଲାମାନଙ୍କୁ ଅଧିକ ମାତ୍ରାରେ ପ୍ରଭାବିତ କରିବ ବୋଲି ଲୋକମାନେ ଭାବୁଛନ୍ତି।

ଆମେ ଜାଣିନାହୁଁ ଯେ ଭୂତାଣୁ ଆଗକୁ କିପରି ବ୍ୟବହାର କରିବ ଏବଂ ଭବିଷ୍ୟତରେ ପିଲାମାନଙ୍କୁ କିଭଳି ଭାବେ ପ୍ରଭାବିତ କରିବ, ତେବେ ଆମକୁ ପିଲାମାନଙ୍କୁ ସଂକ୍ରମଣ ଠାରୁ ଦୂରରେ ରଖାଯିବାର ଆବଶ୍ୟକତା ରହିଛି। ଘରେ ଥିବା ବୟସ୍କମାନେ କୋଭିଡ ଉପଯୁକ୍ତ ବ୍ୟବହାର କରିବା ଉଚିତ୍। ସଂକ୍ରମିତ ହେବା ଏବଂ ସଂକ୍ରମଣ ଖେଳାଇବାର ଆଶଙ୍କା ଥିବାରୁ ସେମାନେ ନିଜକୁ ଜନଗହଳି ଠାରୁ ଦୂରରେ ରଖିବା ଉଚିତ୍।

ଏହାଛଡ଼ା ସମସ୍ତ ବୟସ୍କ ଟିକା ନେବା ଉଚିତ୍, ଯାହା ମଧ୍ୟ ବ୍ୟାପକ ଭାବେ ଶିଶୁମାନଙ୍କୁ ସୁରକ୍ଷିତ ରଖିପାରିବ। ବର୍ତ୍ତମାନ ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା’ଙ୍କ ପାଇଁ ଟିକା ଉପଲବ୍ଧ ହୋଇସାରିଛି। ଏହା ନିଶ୍ଚିତ ଭାବେ ଗର୍ଭରେ ବଢ଼ୁଥିବା ଭ୍ରୂଣ ଏବଂ ନବଜାତ ଶିଶୁକୁ ଏହି ପ୍ରାଣଘାତୀ ସଂକ୍ରମଣରୁ ସୁରକ୍ଷିତ ରଖିପାରିବ।

କୋଭିଡ-୧୯ର ଦ୍ବିତୀୟ ଲହରୀ ପିଲାମାନଙ୍କୁ କିଭଳି ପ୍ରଭାବିତ କରିଛି?

ଦ୍ବିତୀୟ ଲହରୀ ପିଲାମାନଙ୍କୁ ସମାନ ଭାବେ ପ୍ରଭାବିତ କରିଛି। କୋଭିଡ-୧୯ ଏକ ନୂଆ ଭୂତାଣୁ ଏବଂ ଏହା ସମସ୍ତ ବୟସବର୍ଗକୁ ପ୍ରଭାବିତ କରିଥାଏ, କାରଣ ଏହି ଭୂତାଣୁ ବିରୋଧରେ ଆମର ପ୍ରାକୃତିକ ରୋଗ ପ୍ରତିଷେଧକ ଶକ୍ତି ନାହିଁ। ଏନସିଡି/ଆଇଡିଏସପି ଡ୍ୟାଶବୋର୍ଡ ଅନୁଯାୟୀ ପାଖାପାଖି ୧୨ କୋଭିଡ ସଂକ୍ରମିତଙ୍କ ବୟସ ୨୦ ବର୍ଷରୁ କମ୍।
ନିକଟରେ ହୋଇଥିବା ସର୍ବେକ୍ଷଣରୁ ପିଲା ଓ ପ୍ରାପ୍ତ ବୟସ୍କଙ୍କ ଠାରେ ସମାନ ପଜିଟିଭିଟି ହାର ଦେଖିବାକୁ ମିଳୁଛି।

ତେବେ, ଦ୍ବିତୀୟ ଲହରୀ ସମୟରେ ଅଧିକ ସଂଖ୍ୟାରେ ଲୋକ ସଂକ୍ରମିତ ହୋଇଥିବା କାରଣରୁ ପିଲାମାନଙ୍କର ସଂକ୍ରମଣ ହାର ପ୍ରଥମ ଲହରୀ ତୁଳନାରେ ମଧ୍ୟ ଅଧିକ ରହିଥିଲା। ବର୍ତ୍ତମାନ ସୁଦ୍ଧା, ବୟସ୍କଙ୍କ ତୁଳନାରେ ଶିଶୁଙ୍କ ମୃତ୍ୟୁହାର କମ ରହିଛି ଏବଂ ପୂର୍ବରୁ ଦୁରାରୋଗ୍ୟରେ ପୀଡ଼ିତ ଶିଶୁ ମୃତ୍ୟୁର ଶିକାର ହେଉଛନ୍ତି।

ଶିଶୁ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଆପଣ କେଉଁ ସମସ୍ୟା ଭୋଗୁଛନ୍ତି, ବିଶେଷ କରି ଯେଉଁମାନେ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି?

ମୁଖ୍ୟତଃ, କୋଭିଡ ସଂକ୍ରମିତ ଶିଶୁଙ୍କ ପାଇଁ ସମର୍ପିତ ଶଯ୍ୟା ସଂଖ୍ୟା ବୃଦ୍ଧି କରି ଆମେ ପିଲାମାନଙ୍କୁ ଚିକିତ୍ସା ଦେବାରେ ସକ୍ଷମ ହୋଇପାରିଛି। ତେବେ କୋଭିଡର ଦ୍ବିତୀୟ ଲହରୀ ସର୍ବୋଚ୍ଚ ସ୍ତରରେ ଥିବା ସମୟରେ ଆମେ କେତେକ ସମସ୍ୟାର ସମ୍ମୁଖିନ ହୋଇଥିଲୁ, କାରଣ ବହୁସଂଖ୍ୟକ ବରିଷ୍ଠ ଡାକ୍ତର, ରେସିଡେଣ୍ଟ ଡାକ୍ତର, ଷ୍ଟାଫ୍ ନର୍ସ ସଂକ୍ରମିତ ହୋଇଥିଲେ। ଅଧିକ ସଂକ୍ରମିତ ମାମଲା ଚିହ୍ନଟ ହେଉଥିବା ସମୟରେ ଆମେ ସବୁ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାରେ ସମସ୍ୟାର ସମ୍ମୁଖିନ ହେଉଥିଲୁ।

MIS-C କ’ଣ? ଦୟାକରି ଏହାର ସ୍ଥିତି ସମ୍ପର୍କରେ କୁହନ୍ତୁ, MIS-C ଚିକିତ୍ସାରେ କେଉଁ ସମସ୍ୟା ରହିଛି? ଅଭିଭାବକ ଏଥିପ୍ରତି ସଚେତନ ରହିବା ଆବଶ୍ୟକ ବୋଲି ଆଣ ଭାବୁଛନ୍ତି କି?

ଏହାର ଚିକିତ୍ସା ମଲ୍ଟିସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରମ (MIC) ହେଉଛି ଏକ ନୂଆ ସିଣ୍ଡ୍ରମ (ବିବିଧ ଲକ୍ଷଣ ବିଶିଷ୍ଟ ରୋଗ)। ଏହା ସାଧାରଣତଃ ୦-୧୯ ବର୍ଷ ବୟସ୍କ ଶିଶୁ ଏବଂ କିଶୋରଙ୍କ ଠାରେ ଦେଖାଦେଇଥାଏ। କୋଭିଡ ସଂକ୍ରମିତ ଜନସଂଖ୍ୟାରେ କୋଭିଡ-୧୯ ସଂକ୍ରମଣ ଶୀର୍ଷ ଛୁଇଁଥିବା ସମୟର ଦୁଇରୁ ଛଅ ସପ୍ତାହ ମଧ୍ୟରେ ଅଧିକାଂଶ ଏପରି ରୋଗୀ ଚିହ୍ନଟ ହୋଇଥିଲେ।

ଏହାର ତିନି ପ୍ରକାରର କ୍ଲିନିକାଲ କୋର୍ସ ସମ୍ପର୍କରେ ବର୍ଣ୍ଣନା କରାଯାଇଛି : ଲଗାତାର ଜ୍ବର ସହିତ ଶ୍ବାସକ୍ରିୟା ବୃଦ୍ଧି ପାଇବା ଭଳି ସମସ୍ୟା, ପ୍ରେଜେଣ୍ଟେସନ ଓ ଶକ୍ ଭଳି ବର୍ଗୀକୃତ କାଓ୍ବାସାକୀ ରୋଗ, ଇନୋଟ୍ରୋପିକ ଆବଶ୍ୟକତା ଥିବା ଏଲଭି ଅଚଳ ହେବା ସମସ୍ୟା ଏଥିରେ ଦେଖାଦେଇଥାଏ। ଗଓଝ-ଉର ନିଦାନ ପାଇଁ, ଅତ୍ୟାଧୁନିକ ଚିକିତ୍ସାର ଆବଶ୍ୟକତା ରହିଛି। ଏଚଡିୟୁ/ଆଇସିୟୁ ସୁବିଧା ଥିବା ତୃତୀୟକ ସ୍ବାସ୍ଥ୍ୟସେବା ଡାକ୍ତରଖାନାରେ ଏପରି ସମସ୍ତ ସନ୍ଦିଗ୍ଧ ରୋଗୀଙ୍କ ଚିକିତ୍ସା କରାଯିବା ଉଚିତ୍। ଆଗୁଆ ଚିହ୍ନଟ ହୋଇପାରିଲେ, ଏହାର ଚିକିତ୍ସା ସମ୍ଭବ ହୋଇପାରିବ।

Categories
RathJatra ଧର୍ମ ବିଶେଷ ଖବର ରାଜ୍ୟ ଖବର

ବିନା ଭକ୍ତରେ ଶେଷ ହେଲା ଶ୍ରୀଜିୟୁଙ୍କ ସୁନାବେଶ, ବାକି ରହିଲା ଅଧରପଣା ଆଉ ନିଳାଦ୍ରୀବିଜେ

ପୁରୀ, ବିନା ଭକ୍ତରେ ମହାପ୍ରଭୃଙ୍କ ସୁନାବେଶ ସଂପର୍ଣ୍ଣ ହୋଇଛି। ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ନିତି ସଂପର୍ଣ୍ଣ ହୋଇଛି। ପୂଜା ବିଧି ଅନୁସାରେ ଅପରାହ୍ନରେ ଶ୍ରୀଜିୟୁଙ୍କ ସୁନାବେଶ ଆରମ୍ଭ ହୋଇଥିଲା। ଏଥିରେ ଶ୍ରୀଜଗନ୍ନାଥ, ବଡଠାକୁର ବଳଭଦ୍ର ଏବଂ ମା ସୁଭଦ୍ରାଙ୍କୁ ସୁନାବେଶରେ ସଜାଯାଇଥିଲା।

ଏଥିରେ ପଂରପରା ଅନୁସାରେ ମହାପ୍ରଭୁ ଜଗନ୍ନାଥଙ୍କୁ ଶ୍ରୀଭୁଜ, ଶ୍ରୀପୟର, କିରୀଟ, ଓଡ଼ିଆଣୀ, ଚନ୍ଦ୍ର ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ସ୍ୱର୍ଣ୍ଣ ଚକ୍ର, ରୌପ୍ୟ ଶଙ୍ଖ, ହରିଡ଼ା କଦମ୍ବ ମାଳି, ତାବିଜ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା ଅଳଙ୍କାରରେ ସଜେଇ ହୋଇଛନ୍ତି।

ସେହିପରି ବଡ଼ଠାକୁର ବଳଭଦ୍ର ମଧ୍ୟ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳୀ, କୁଣ୍ଡଳ, ଚନ୍ଦ୍ର ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ହଳ ଓ ମୂଷଳ, ବାହାଡ଼ା ମାଳି, ବାଘ ନଖ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମର ପଟିରେ ବେଶ ହୋଇଛନ୍ତି ଏବଂ ଦେବୀ ସୁଭାଦ୍ରାଙ୍କୁ ମଧ୍ୟ ବିରୀଟ, ଓଡ଼ିଆଣୀ, କାନ, ଚନ୍ଦ୍ର ସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ୨ଟି ତଗଡ଼ି ଏବଂ ସେବତୀ ମାଳିରେ ଆଭୂଷିତ କରାଯାଇଛି।

ଏହାପରେ ଗୁରୁବାର ଦିନ ପ୍ରଭୃଙ୍କ ଅଧରପଣା ନିିତି ଅନୁଷ୍ଠିତ ହେବ। ଏଥିରେ ଠାକୁରଙ୍କ ଅଧରକୁ ଛୁଇଁବା ପରି ଉଚ୍ଚତାର ମାଟିହାଣ୍ଡିରେ ପଣାଭୋଗ କରାଯିବ। ଏହାପରେ ସେହି ହାଣ୍ଡିକୁ ରଥ ଉପରେ ଭଙ୍ଗା ଯିବ। ଏହା ପ୍ରଭୃଙ୍କ ରଥ ଉପରେ ଏକ ବିଶେଷ ପୂଜାନିତି। ଅଧର ପଣା ପୂର୍ବରୁ ରଥ ଉପରେ ଶ୍ରୀଜିୟୁଙ୍କ ଯଥାରିତିରେ ପୂଜା କରାଯିବ।

ଆସନ୍ତା 23 ତାରିଖ ଶୁକ୍ରବାରରେ ନିଳାଦ୍ରୀବିଜେ ଉତ୍ସବ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ପ୍ରଶାସନର ସମୟ ନିର୍ଘଣ୍ଟ ଅନୁସାରେ ନିଳାଦ୍ରୀ ବିଜେ ପାଇଁ ପହହଣ୍ଡି ଅପରାହ୍ନ ୪ ଟାରୁ ରାତ୍ରୀ ୧୦ଟା ପଯ୍ୟନ୍ତ ଚାଲିବ। ଏହାପରେ ପ୍ରଭୃଙ୍କ ଚଳିତ ବର୍ଷର ରଥଯାତ୍ରାର ସମାପନ ଘଟିବ।

Categories
ଆଞ୍ଚଳିକ

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ଟିକିରା ନଦୀ ଉଭୟ ପାର୍ଶ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଏବଂ ୟୁଥ୍ ରେଡ୍‌କ୍ରସ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀକୁ ଆଖି ଆଗରେ ରଖି ଅଧ୍ୟକ୍ଷ ସୁଧିର କୁମାର ସାହୁ, ୟୁଥ୍ ରେଡ୍‌କ୍ରସ୍ର ସଂଯୋଜକ ଦେବେଶ କୁମାର ବିଶ୍ୱାଳ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ପୁଷ୍ପାଞଳୀ ରବନା, ଅଧ୍ୟାପିକା ସ୍ୱେତାଶ୍ରୀ ପ୍ରଧାନ, ସଙ୍ଗୀତା ସେଟ୍, ଖେଳ ଶିକ୍ଷକ ଧନଞୟ ମହାକୁଡ, ଲାଇବ୍ରେରୀଆନ୍ ବିଭୂତି ଭୂଷଣ ସାହୁ, ଡେମୋଷ୍ଟେଟର୍ ସୁଦାମ ଚରଣ ସାହୁ ଗୋବିନ୍ଦ ସାହୁ, ସ୍ୱେଚ୍ଛାସେବୀ ମିନକେତନ, ରାକେଶ, ହେମନ୍ତ , ସୁଜାତା, ଲକ୍ଷ୍ମୀ, ଲୁସି, ପ୍ରଦୀପ, ଭୂବନ ପ୍ରମୁଖ ୫୦ ଗୋଟି ନିମ୍ବ ଗଛକୁ ଲଗାଇବା ସହ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। କଲେଜ ତରଫରୁ ଆଗାମୀ ଦିନରେ ବହୁ ଔଷଧିୟ ବୃକ୍ଷ ରୋପଣ କରାଯିବ ବୋଲି ଅଧ୍ୟାପକ ଓ ଅଧ୍ୟାପିକାମାନେ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧ ହଜାର ୯୪୩ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୯୪୩  ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୫୬,  କଟକରୁ ୨୬୩, ଯାଜପୁରରୁ ୨୪୨, ବାଲେଶ୍ବରରୁ ୧୪୩, ମୟୂରଭଞ୍ଜରୁ ୧୦୩, ଭଦ୍ରକରୁ ୯୪, ଜଗତସିଂହପୁରରୁ ୯୧, ସୁନ୍ଦରଗଡରୁ ୭୩, ନୟାଗଡରୁ ୭୦, ଅନୁଗୁଳରୁ ୬୫, ଢେଙ୍କାନାଳରୁ ୬୪, କେନ୍ଦ୍ରାପଡାରୁ ୫୪, କେନ୍ଦୁଝରରୁ ୩୫, ସମ୍ବଲପୁରରୁ ୩୦, ମାଳାକାନାଗିରିରୁ ୨୯, ପୁରୀରୁ ୨୫, କନ୍ଧମାଳରୁ ୨୧, କୋରାପୁଟରୁ ୨୧, ରାୟଗଡାରୁ ୨୧, ନବରଙ୍ଗପୁରରୁ ୧୪, ବରଗଡରୁ ୧୨, ବୌଦ୍ଧରୁ ୧୧, ସୋନପୁରରୁ ୯, ଗଞ୍ଜାମରୁ ୮, ଝାରସୁଗୁଡାରୁ ୮, କଳାହାଣ୍ଡିରୁ ୮, ଗଜପତିରୁ ୬, ଦେବଗଡରୁ ୫, ବଲାଙ୍ଗୀରିରୁ ଜଣେ ଏବଂ ଷ୍ଟେଟ ପୁଲରୁ ୫୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୩୬ ହଜାର ୯୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୯ ହଜାର ୯୮୬ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୭ ହଜାର ୭୪୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୨୪୧ କୁ ବୃଦ୍ଧି ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୋଲିସ କବଜାରେ ଜୀବନ୍ତ ବୋମା, ଗୁଳି ଓ ଦେଶି ବନ୍ଧୁକ ସହ ଅସାମାଜିକ ବ୍ୟକ୍ତି

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ପୋଲିସ ସେହି ଅଂଚଳର ଜଣେ ହାଡକୋର ଅସାମାଜିକ ବ୍ୟକ୍ତି ହେମନ୍ତ ସାହୁ (୨୦) ଙ୍କୁ ଜୀବନ୍ତ ବୋମା, ଗୁଳି ସମେତ ଦେଶୀ ବନ୍ଧୁକ, ଭୂଜାଲି ସହିତ ଗିରଫ କରିଥିବା କଳାହାଣ୍ଡି ପୋଲିସ ଏସପି ଙ୍କ ସୂତ୍ରରୁ ପ୍ରକାଶ।

ଗତ ୨୦ ତାରିଖ ସକାଳେ ମ.ରାମପୁର ଥାନା ପୋଲିସ ନିୟମିତ ପେଟ୍ରୋଲିଂ କରୁଥିବା ସମୟରେ ନିକଟସ୍ଥ ମୋହନଗିରି ପାଜିବାହାଲ ରାସ୍ତାରେ ଓଡି ୦୮ ଏମ ୩୬୩୨ ନମ୍ବର ବାଇକରେ ଜରି ବସ୍ତାରେ କିଛି ଜିନିଷ ବାନ୍ଧି ଯାଉଥିବା ପାଇଥିଲେ। ଅଟକିବାକୁ କହିବାପରେ ସଂପୃକ୍ତ ବ୍ୟକ୍ତି ଦୃତ ଗତିରେ ପଳାଇଯାଉଥିବା ବେଳେ ପୋଲିସ ପକ୍ଷରୁ ତାକୁ କବଜା କରାଯାଇଥିବା ପ୍ରକାଶ।

ସଂପୃକ୍ତ ହେମନ୍ତ ସାହୁଙ୍କ ନାମରେ ମ.ରାମପୁର ଥାନା, ଭବାନୀପାଟଣା ସଦର ଥାନା, ବାଲିଗୁଡା ଥାନା ରେ କେଶ ଥିବାର ଏବଂ ସେ ପୋଲିସର ୱାନଟେଡ ଥିବା ଜଣାପଡିଥିଲା। ସଂପୃକ୍ତ ହେମନ୍ତର ବାଇକରେ ଥିବା ବସ୍ତାରେ ଦେଶୀ ବନ୍ଧୁକ, ଗୁଳି, ବୋମା, ଭୂଜାଲି ତଥା ଦେଶୀ ପାଉଚ ମଦ ପୋଲିସ ଜବତ କରିବା ସହ ହେମନ୍ତକୁ ଗିରଫ କରିଥିବା ଜଣାପଡିଛି।

ହେମନ୍ତର ନାମରେ ମ.ରାମପୁର ଥାନାରେ କେଶ ନଂ.୧୩୦/୨୦୨୧ ଆଇପିସି ଧାରା୩୪୧,୩୨୩,୩୭୯,୫୦୬,୩୪ ଧାରା, କେଶ ନଂ.୭୨/୨୦୨୦ ଆଇପିସି ୨୯୪,୩୨୩,୩୫୩,୫୦୬,୩୪ ଧାରା ତଥା ୨୫ ଅର୍ମସ ଆକ୍ଟ, ଭବାନୀପାଟଣା ଥାନା କେଶ ନଂ. ୯୧/୨୦୧୮ ଆଇପିସି ୪୫୭,୩୮୦ ଧାରା ଓ ବାଲିଗୁଡା ଥାନା କେଶ ନଂ.୧୪୬/୨୦୧୯ ଆଇପିସି ୪୫୨,୩୪୧,୩୨୩,୩୯୨,୩୯୪,୩୫୪,୫୦୬,୩୪ ଆଇପିସି ତଥା ୨୫,୨୭ ଆର୍ମସ ଆକ୍ଟ ଏବଂ ଚାର୍ଜ ସିଟ ନଂ. ୮୧ ତା.୨୬.୦୫ ୨୦୨୦ ରେ କେଶ ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀରେ ଅଘଟଣ: ଶୌଚ ହେବା ଲାଗି ଯାଇଥିବା ବୃଦ୍ଧଙ୍କ ପୋଖରୀରେ ବୁଡି ମୃତ୍ୟୁ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଟାଙ୍ଗୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି।

ସୂଚନା ମୁତାବକ, ହଜାରୀ ସେଠ (୬୮) ନାମକ ଜଣେ ବ୍ୟକ୍ତି ଆଜି ସନ୍ଧ୍ୟା ୭ ଟା ସମୟରେ ଶୌଚ ହେବା ଲାଗି ଟାଙ୍ଗୀ କଲେଜ ନିକଟସ୍ଥ ପୋଖରୀକୁ ଯାଇଥିଲେ। ହେଲେ ଅସାବଧନତା ଯୋଗୁଁ ପୋଖରୀ କୂଳରେ ତାଙ୍କ ଗୋଡ ଖସିଯାଇଥିଲା। ସେ ପୋଖରୀ ଭିତରେ ପଡିଯାଇଥିଲେ। ପାଣି ଭିତରୁ ତାଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଙ୍କୁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଟାଙ୍ଗୀ ପୋଲିସ ଶବକୁ ଜବତ କରି ଆସନ୍ତାକାଲି ବ୍ୟବଚ୍ଛେଦ କରିବ ବୋଲି ଜଣାପଡିଛି। ଏବଂ ଏହି ଘଟଣାରେ କେସ ନଂ ୧୦/୨୧ରେ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି। ଏନେଇ ଟାଙ୍ଗୀ ଥାନା ଆଇଆଇସି ବିଜୟ ମଲିକ ସୂଚନା ଦେଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର

ଭାରତ ବିରୋଧ ଟେଷ୍ଟ ସିରିଜ ପାଇଁ ଘୋଷଣା ହେଲା ଇଂଲଣ୍ଡ ଦଳ: ଏହି ବିପଦଜ୍ଜନକ ବୋଲରଙ୍କୁ ମିଳିଲାନି ସ୍ଥାନ

ନୂଆଦିଲ୍ଲୀ: ଭାରତ ବିପକ୍ଷ ଆଗାମୀ ଟେଷ୍ଟ ସିରିଜର ପ୍ରାରମ୍ଭିକ ଦୁଇଟି ମ୍ୟାଚ୍ ପାଇଁ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି)  ୧୭ ଜଣିଆ ଦଳ ଘୋଷଣା କରିଛି। ଦଳର ଅଧିନାୟକ ଜୋ ରୁଟ୍ ରହିଥିବା ବେଳେ ପେସର ଓଲି ରବିନସନ ଇଂଲଣ୍ଡ ଦଳକୁ ଫେରିଛନ୍ତି। ପେସର୍ ଜୋଫ୍ରା ଆର୍ଚର ଏବଂ କ୍ରିସ୍ ୱକ୍ସ ଆଘାତ ହେତୁ ଦଳରୁ ବାଦ ପଡିଛନ୍ତି। ଇଂଲଣ୍ଡ ଦୁଇଟି ମ୍ୟାଚ୍‌ ପାଇଁ ବେନ୍ ଷ୍ଟୋକ୍ସ, ଜୋସ୍ ବଟଲର୍, ଜନି ବେୟାରଷ୍ଟୋ ଏବଂ ସାମ୍ କୁରାନଙ୍କୁ ଦଳରେ ସାମିଲ କରିଛି। ଏହି ଖେଳାଳିମାନେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଜଡିତ ନଥିଲେ। ଏହି ସିରିଜରେ ଇଂଲଣ୍ଡକୁ ୧-୦ ରେ ପରାସ୍ତ ହେବାକୁ ପଡିଥିଲା।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଅଗଷ୍ଟ ୪ ରୁ ସେପ୍ଟେମ୍ବର ୧୪ ମଧ୍ୟରେ ଖେଳାଯିବ। ଏହି ସିରିଜ୍ ନଟିଂହାମରେ ଆରମ୍ଭ ହେବ। ଦ୍ୱିତୀୟ ଟେଷ୍ଟ ଅଗଷ୍ଟ ୧୨ ରୁ ଖେଳାଯିବ।

ତୃତୀୟ ଟେଷ୍ଟ ଅଗଷ୍ଟ ୨୫ ତାରିଖରୁ ଲିଡସରେ ଖେଳାଯିବ। ଚତୁର୍ଥ ଟେଷ୍ଟ ସେପ୍ଟେମ୍ବର ୨ ତାରିଖରୁ ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ପଞ୍ଚମ ତଥା ଅନ୍ତିମ ଟେଷ୍ଟ ସେପ୍ଟେମ୍ବର ୧୦ ରୁ ମାଞ୍ଚେଷ୍ଟରରେ ଖେଳାଯିବ।

ଇଂଲଣ୍ଡ ଦଳ: ଜୋ ରୁଟ୍ (ଅଧିନାୟକ), ଜେମ୍ସ ଆଣ୍ଡରସନ, ଜନି ବେୟାରଷ୍ଟୋ, ଡୋମ ବେସ, ଷ୍ଟୁଆର୍ଟ ବ୍ରଡ, ରୋରୀ ବର୍ନସ, ଜୋସ ବଟଲର, ଜ୍ୟାକ କ୍ରୋଲେ, ସାମ କୁରାନ, ହସିବ ହମିଦ, ଡାନ ଲରେନ୍ସ, ଜ୍ୟାକ ଲିଚ, ଓଲି ପୋପ, ଓଲି ରବିନସନ, ଡୋମ ସିବଲି, ବେନ ଷ୍ଟୋକ୍ସ, ମାର୍କ ଉଡ।

୨୦ ଜଣିଆ ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ (ଉପ-ଅଧିନାୟକ), ରୋହିତ ଶର୍ମା, ଶୁଭମାନ ଗିଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ରିଷଭ ପନ୍ତ, ଆର ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ଆକ୍ସର ପଟେଲ, ୱାଶିଂଟନ୍ ସୁନ୍ଦର, ଜସପ୍ରୀତ ବୁମ୍ରା, ଇଶାନ୍ତ ଶର୍ମା, ମହମ୍ମଦ ସିରାଜ, ମହମ୍ମଦ ଶାମି, ଶାର୍ଦ୍ଦୁଲ ଠାକୁର, ଉମେଶ ଯାଦବ, କେ.ଏଲ୍ ରାହୁଲ, ରିଦ୍ଧିମାନ ସାହା।

ଷ୍ଟାଣ୍ଡବାଇ ଖେଳାଳୀ- ଅଭିମନ୍ୟୁ ଈଶ୍ବରନ, ପ୍ରସିଦ୍ଧ କୃଷ୍ଣ, ଆବେଶ ଖାନ୍, ଅର୍ଜନ୍ ନାଗସ୍ୱାଲା ଏବଂ କେ.ଏସ୍ ଭରତ।

Categories
ଆଜିର ଖବର ରାଜ୍ୟ ଖବର

ଜାତିଗତ ଜନଗଣନା ଉପରେ ବିଜେପିର ବକ୍ତବ୍ୟ ରାଜ୍ୟର ପଛୁଆବର୍ଗଙ୍କ ପାଇଁ ଅପମାନଜନକ: ସମାଜବାଦୀ ପାର୍ଟି

ଭୁବନେଶ୍ୱର: ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କର ଜାତିଗତ ଜନଗଣନା ଉପରେ ବକ୍ତବ୍ୟ ବିଜେପିର ଦୋମୁହାଁ ନୀତିର ପ୍ରତିଫଳନ ଏବଂ ଓଡ଼ିଶାର ୫୦ଭାଗ ପଛୁଆବର୍ଗଙ୍କ ପାଇଁ ଅପମାନଜନକ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ସମାଲୋଚନା କରାଯାଇଛି।

ପାର୍ଟିର ରାଜ୍ୟ ସଭାପତି ରବି ବେହେରା ବିଜେପିର ଏହି ବକ୍ତବ୍ୟ ଉପରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଜାତିଗତ ଆଧାରରେ ଦଳିତ, ଆଦିବାସୀ, ପଛୁଆବର୍ଗ ଓ ମହିଳାଙ୍କୁ ନେଇ ନିଜର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରୁଥିବା ବେଳେ ରାଜ୍ୟ ବିଜେପିର କର୍ମକର୍ତ୍ତାମାନେ ପଛୁଆବର୍ଗ ରାଜନୀତିକୁ ଗ୍ରହଣ କରିନପାରି ଏହା ଉପରେ ଏଭଳି ବିବୃତ୍ତି ଦେବା ଦୁର୍ଭାଗ୍ୟଜନକ। ବିଜେପି ଦଳର ମଙ୍ଗୁଆଳ ସାଜିଥିବା ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ର ଉଚ୍ଚଶିକ୍ଷା ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଅତୀତରେ ଓଡ଼ିଶା ସରକାର ପଛୁଆବର୍ଗ ସଂରକ୍ଷଣ ଅବିଳମ୍ବେ ଲାଗୁ କରିବା ନେଇ ରାଜ୍ୟ ସରକାରଙ୍କୁ ବାରମ୍ବାର ଘେରିଛନ୍ତି। କିନ୍ତୁ ତାକୁ ଏଡ଼ାଇ ଦେଇ ଆଜି ଭାରତୀୟ ଜନତା ପାର୍ଟି ରାଜ୍ୟରେ ପଛୁଆବର୍ଗ ଜନଗଣନାକୁ ନେଇ ଯେଉଁ ବକ୍ତବ୍ୟ ପ୍ରଦାନ କରିଛି ତାହା ବାସ୍ତବରେ ବିଜେପିର ଦୁର୍ବଳ ଶ୍ରେଣୀ ପ୍ରତି ଥିବା ଅସଲ ଚେହେରାକୁ ପଦାରେ ପକାଇ ଦେଇଛି।

ଏଠାରେ ଉଲ୍ଲେଖଥାଉକି, ୧୯୫୩ ମସିହାରେ ଭାରତବର୍ଷର ସମ୍ବିଧାନର ପ୍ରଥମ ସଂଶୋଧନ ପଛୁଆବର୍ଗଙ୍କ ସ୍ୱାର୍ଥ ପାଇଁ କରାଯାଇ କାକା କାଲେକର କମିଶନ ଗଠନ କରାଯାଇ ପଛୁଆବର୍ଗଙ୍କ ସ୍ୱାର୍ଥରେ ଗଠନ କରାଯାଇଥିଲା। ପୁନଶ୍ଚ ୧୯୭୮ ମସିହାରେ ଜନତା ପାର୍ଟି ସରକାର ସମୟରେ ପଛୁଆବର୍ଗଙ୍କ ସ୍ୱାର୍ଥ ପାଇଁ ମଣ୍ଡଳ କମିଶନ ଗଠନ କରାଯାଇଥିଲା। କିନ୍ତୁ ଦୁଃଖର କଥା ଏହି କମିଶନ ରିପୋର୍ଟ ଦେବାର ୧୦ବର୍ଷ ପରେ କେନ୍ଦ୍ର ସରକାର ଏହାର ସୁପାରିଶକୁ ଆଂଶିକ ଭାବରେ କାର୍ଯ୍ୟକାରୀ କଲେ। ୧୯୯୦ ମସିହା ଅଗଷ୍ଟ ୭ ତାରିଖ ଦିନ ପଛୁଅବର୍ଗଙ୍କୁ କେନ୍ଦ୍ର ଚାକିରୀରେ ୨୭ଭାଗ ସଂରକ୍ଷଣ ଦେବା ପାଇଁ ନୀତିଗତ ନିଷ୍ପତ୍ତି ନିଆଗଲା। ଏହାର ଦୀର୍ଘ ୧୬ବର୍ଷ ପରେ ୨୦୦୬ ମସିହାରେ କେନ୍ଦ୍ରୀୟ ଶିକ୍ଷା ସଂସ୍ଥା ଯଥା ଆଇଆଇଟି, ଆଇଆଇଏମ୍ ଓ ସର୍ବଭାରତୀୟ ମେଡ଼ିକାଲ ଶିକ୍ଷାରେ ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ନାମ ଲେଖାରେ ୨୭ଭାଗ ସଂରକ୍ଷଣ ଦିଆଗଲା।

କିନ୍ତୁ ଦୁଃଖର କଥା ଆଜି ମଧ୍ୟ ୨୦୧୭ ମସିହାରୁ ୨୦୨୦ ମସିହା ମଧ୍ୟରେ ଦେଶରେ ୧୧ହଜାର ୨୭ଜଣ ପଛୁଆବର୍ଗ ଛାତ୍ରଛାତ୍ରୀ ମେଡ଼ିକାଲ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି ବୋଲି ଖୋଦ୍ ଜାତୀୟ ପଛୁଆବର୍ଗ କମିଶନ କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି। ଏହାର ପ୍ରତିକାର ପାଇଁ ଉଦ୍ୟମ କରିବା ପରିବର୍ତ୍ତେ ଜାତିଗତ ଜନଗଣନାକୁ ନେଇ ବିଜେପି ନେତାମାନେ ଯେଉଁଭଳି ବକ୍ତବ୍ୟ ପ୍ରଦାନ କରିଛନ୍ତି ଏହା ତାଙ୍କର ପଛୁଆବର୍ଗ ପ୍ରତି ଥିବା ଅସୂୟା ମନୋଭାବକୁ ଦର୍ଶାଉଛି ବୋଲି ଶ୍ରୀ ବେହେରା ମତ ଦେଇଛନ୍ତି।

ଏପର୍ଯ୍ୟନ୍ତ ଓଡ଼ିଶାରେ ପଛୁଆ ଜାତିର ଯୁବକଯୁବତୀମାନେ ରାଜ୍ୟ ସରକାରଙ୍କ ଚାକିରୀ କ୍ଷେତ୍ରରେ ୧୧.୨୫ ସଂରକ୍ଷଣ ପାଉଥିବା ବେଳେ ମେଡ଼ିକାଲ, ଇଞ୍ଜିନିୟରିଂ ଓ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟର ନାମ ଲେଖାରେ ଆଦୌ ସଂରକ୍ଷଣ ପାଉନାହାଁନ୍ତି। କିନ୍ତୁ ସେଥିପ୍ରତି ବିଜେପି ଆନ୍ତରିକତା ପ୍ରକାଶ ନକରି ଓଲଟି ଜାତିଗତ ଜନଗଣନାକୁ ନେଇ ପ୍ରଶ୍ନ ଉଠାଇବା ଏହି ଜାତିର ସ୍ୱାର୍ଥର ବିଡ଼ମ୍ବନା ମାତ୍ର।

ରାଜ୍ୟ ସରକାର ତୁରନ୍ତ କରୋନା ପରେ ପରେ ଜାତିଗତ ଜନଗଣନାକୁ ରାଜ୍ୟରେ ତ୍ୱରାନ୍ୱିତ କରିବା ସହିତ ଚଳିତ ଶିକ୍ଷାବର୍ଷ ଠାରୁ ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ମେଡ଼ିକାଲ, ଇଞ୍ଜିନିୟରିଂ ସମେତ ଉଚ୍ଚଶିକ୍ଷାରେ ସଂରକ୍ଷଣ ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ଏହା ନହେଲେ ଆଗାମୀ ଦିନରେ ପଛୁଆବର୍ଗର ଛାତ୍ରଛାତ୍ରୀମାନେ ଏକାଠି ହୋଇ ନିଜର ସାମ୍ବିଧାନିକ ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସେ ସତର୍କ କରାଇ ଦେଇଛନ୍ତି।