Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ପୂର୍ବତଟ ରେଳପଥର ଘୋଷଣା, ଏହାର ପରିସରରେ ଚାଲିବ ଆଉ ୬ଟି ନୂଆ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ବର, ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରୁ ଏବଂ ଏହା ମଧ୍ୟଦେଇ ଅଧିକ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନେଇଛି | ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ମଧ୍ୟରୁ ୬ ଯୋଡ଼ା ବିଶେଷ ଟ୍ରେନ ଚଳାଚଳ କରିବାକୁ ଥିବାବେଳେ ଏହା ମଧ୍ୟଦେଇ ଏକ ଯୋଡ଼ା ବିଶେଷ ଟ୍ରେନ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ । ଏହା ବ୍ୟତୀତ, ଆହୁରି କିଛି ବିଶେଷ ଟ୍ରେନ୍ ମଧ୍ୟ ନିମ୍ନଲିଖିତ ଅନୁଯାୟୀ ପୂର୍ବତଟ ରେଳପଥ ପରିସୀମାରୁ ସ୍ଥିରୀକୃତ ସମୟ ମଧ୍ୟରେ ନିମ୍ନ ଅନୁଯାୟୀ ଚଳାଚଳ କରିବ …

ଚଳାଚଳ କରିବାକୁ ଥିବା ବିଶେଷ ଟ୍ରେନ

A. 02885/02886 ଭୁବନେଶ୍ୱର-କୃଷ୍ଣରାଜପୁରମ୍ (ବାଙ୍ଗାଲୋର)-ଭୁବନେଶ୍ୱର ହମସଫର ବିଶେଷ ଟ୍ରେନ ଭୁବନେଶ୍ୱରରୁ 14 ଜୁଲାଇ ଠାରୁ ପ୍ରତ୍ୟେକ ବୁଧବାର ଏବଂ କୃଷ୍ଣରାଜପୁରମ୍ରୁ 15 ଜୁଲାଇ ଠାରୁ ପ୍ରତ୍ୟେକ ଗୁରୁବାର ଦିନ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।

B. 08570/08569 ବିଶାଖାପାଟନମ୍-ଭୁବନେଶ୍ୱର-ବିଶାଖାପାଟନମ୍ ଦୈନନ୍ଦିନ ଚଳାଚଳ କରିବାକୁଥିବା ବିଶେଷ ଟ୍ରେନ ବିଶାଖାପାଟନମ୍ରୁ 14 ଜୁଲାଇ ଠାରୁ ଏବଂ ଭୁବନେଶ୍ୱରରୁ15 ଜୁଲାଇ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।

C. 08573/08574 ବିଶାଖାପାଟନମ୍-ଭଗତ କି କୋଠି-ବିଶାଖାପାଟନମ୍ ସ୍ପେଶାଲ୍ ଭାୟା ରାୟାଗଡା ଓ ଟିଟିଲାଗଡ ବିଶାଖାପାଟଣା ଠାରୁ 8 ଜୁଲାଇରୁ ପ୍ରତ୍ୟେକ ଗୁରୁବାର ଦିନ ଏବଂ ଭଗତ କି କୋଠିରୁ 10 ଜୁଲାଇ ଠାରୁ ପ୍ରତ୍ୟେକ ଶନିବାର ଦିନଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।

D. 08572/08571 ବିଶାଖାପାଟନମ୍-ଟାଟା ନଗର-ବିଶାଖାପାଟନମ୍ ସ୍ପେଶାଲ୍ ଭାୟା ଭୁବନେଶ୍ୱର ଓ କେନ୍ଦୁଝର ଗଡ଼ ବିଶାଖାପାଟଣାରୁ 11 ଜୁଲାଇରୁ ପ୍ରତି ରବିବାର ଦିନ ଏବଂ ଟାଟାରୁ 12 ଜୁଲାଇ ଠାରୁ ପ୍ରତ୍ୟେକ ସୋମବାର ଦିନ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।

E. 08564/08563 ବିଶାଖାପାଟନମ୍ବି-ଦିଘା-ବିଶାଖାପାଟନମ୍ ବିଶେଷ ଟ୍ରେନ ବିଶାଖାପାଟଣା ଠାରୁ 8 ଜୁଲାଇରୁ ପ୍ରତ୍ୟେକ ଗୁରୁବାର ଏବଂ ଦିଘା ରୁ 9 ଜୁଲାଇରୁ ପ୍ରତି ଶୁକ୍ରବାର ଦିନ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।

F. 08565/08566 ବିଶାଖାପାଟନମ୍-ନନ୍ଦେଡ୍-ବିଶାଖାପାଟନମ୍ ବିଶେଷ ଟ୍ରେନ ବିଶାଖାପାଟନମ୍ରୁ 10 ଜୁଲାଇ ଠାରୁ ପ୍ରତ୍ୟେକ ମଙ୍ଗଳବାର, ବୁଧବାର ଏବଂ ଶନିବାର ଏବଂ ନନ୍ଦେଡରୁ 11 ଜୁଲାଇ ଠାରୁପ୍ରତ୍ୟେକ ବୁଧବାର, ଗୁରୁବାର ଏବଂ ରବିବାର ଦିନମାନଙ୍କରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।

G. 02609/02610 ସନ୍ତ୍ରାଗାଛି-ତିରୁପତି-ସନ୍ତ୍ରାଗାଛି ବିଶେଷ ଟ୍ରେନ ସନ୍ତ୍ରାଗାଛିରୁ 4 ଜୁଲାଇ ଠାରୁ ପ୍ରତ୍ୟେକ ରବିବାର ଦିନ ଏବଂ ତିରୁପତିରୁ 5 ଜୁଲାଇ ଠାରୁ ପ୍ରତ୍ୟେକ ସୋମବାର ଦିନଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।

ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ

A. 02984/02983 ଅଗରତାଲା-ବାଙ୍ଗାଲୋର କ୍ୟାଣ୍ଟ-ଅଗରତାଲା ସ୍ପେଶାଲ 6 ଜୁଲାଇରୁ 24 ଅଗଷ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ ମଙ୍ଗଳବାର ଦିନ ଅଗରତାଲା ୦୬ଘ.୧୦ମି.ରେ ଛାଡିବ ଏବଂ ବାଙ୍ଗାଲୋର କ୍ୟାଣ୍ଟ ରୁ 9 ଜୁଲାଇରୁ 27 ଅଗଷ୍ଟ ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ଛାଡିବ।

B. 08415/08416 ଭୁବନେଶ୍ୱର-କୃଷ୍ଣରାଜପୁରମ୍-ଭୁବନେଶ୍ୱର ସ୍ପେଶାଲ୍ 7 ଜୁଲାଇ (ବୁଧବାର) ଦିନ ଅପରାହ୍ନ ୧୨ଘ.୧୦ମି.ରେ ଛାଡିବାକୁ ଥିବାବେଳେ ଏହା କୃଷ୍ଣରାଜପୁରମ୍ 9 ଜୁଲାଇ ଦିନ ଅପରାହ୍ନ ୪ଘ.୫୫ମି.ରେ ଛାଡିବ।

C. ବିଜୟନଗରମ ଓ ଟିଟିଲାଗଡ଼ ମାର୍ଗ ଦେଇ 08585/08586 ଖୋର୍ଦ୍ଧା ରୋଡ-ଉଦନା-ଖୋର୍ଦ୍ଧା ରୋଡ ବିସସ ଟ୍ରେନ ଖୋର୍ଦ୍ଧା ରୋଡ଼ ଠାରୁ ଜୁଲାଇ ମାସ ୧୨ ତାରିଖ (ସୋମବାର) ରାତ୍ରି ୮ଘ.୩୦ମି.ରେ ଛାଡି ୧୪ ଜୁଲାଇ, 2021 (ବୁଧବାର) ଦିନ ଭୋର ୩ଘ.୪୦ମି.ରେ ଉଦନାରେ ପହଞ୍ଚିବ। ଫେରିବା ମାର୍ଗରେ ହିଁ ଟ୍ରେନ ଉଦନା ଠାରୁ ୧୪ ଜୁଲାଇ 2021 (ବୁଧବାର) ଦିନ ସକାଳ ୬ ଘଟିକାରେ ଛାଡି ୧୫ ଜୁଲାଇ, 2021 (ଗୁରୁବାର) ଦିନ ଅପରାହ୍ନ ୩ଘ.୪୦ମି.ରେ ଖୋର୍ଦ୍ଧା ରୋଡରେ ପହଞ୍ଚିବ।

D. 08575 ଭୁବନେଶ୍ୱରରୁ ମୁମ୍ବାଇ ଏଲଟିଟି ମଧ୍ୟରେ ଏକ ବିଶେଷ ଟ୍ରେନ ଚଳାଚଳ କରିବ। ଏହି ଟ୍ରେନ୍ ବିଶାଖାପାଟନମ୍-ବିଜୟୱାଡା ଓ ସିକନ୍ଦରାବାଦ ମାର୍ଗଦେଇ ଭୁବନେଶ୍ୱରରୁ 7 ଜୁଲାଇ, 2021 (ବୁଧବାର) ଦିନ ଅପରାହ୍ନ ୪ ଘଟିକାରେ ଛାଡି ଏଲଟିଟି ଠାରେ ଶୁକ୍ରବାର ଭୋର ୪ଘ. ୧୫ମି.ରେ ପହଞ୍ଚିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ସହିତ କମ୍ ସମୟ ମଧ୍ୟରେ ନିର୍ମିତ 12 ଟି ସେତୁ ସେନାରେ ହେଲା ଅନ୍ତର୍ଭୁକ୍ତ

ନୂଆଦିଲ୍ଲୀ, ସ୍ୱଳ୍ପ ସମୟ ମଧ୍ୟରେ ନିର୍ମିତ ପ୍ରଥମ 12 ଟି ସେତୁକୁ ଇଞ୍ଜିନିୟରିଂ କର୍ପସରେ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ସହିତ ସେନା ଅନ୍ତର୍ଭୁକ୍ତ କରିଛି । ଅପ୍ରତ୍ୟାଶିତ ସ୍ଥାନରେ ଶୀଘ୍ର ବ୍ୟବହାର ପାଇଁ ଉଦ୍ଦିଷ୍ଟ ଏହି ସେତୁଗୁଡିକ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଦ୍ୱାରା ଡିଜାଇନ୍ ହୋଇଥିବାବେଳେ ଲାରସେନ୍ ଆଣ୍ଡ ଟୁବ୍ରୋ କମ୍ପାନୀ ଏହାକୁ ନିର୍ମାଣ କରିଛି।

ଏହି ସେତୁ ଆତ୍ମନିର୍ଭରଶୀଳ ଭାରତ ପାଇଁ ଆଉ ଏକ ବଡ ପଦକ୍ଷେପ ବୋଲି ସେନା ମୁଖ୍ୟ ଜେନେରାଲ ଏମ ଏମ ନରେଭାନ କହିଛନ୍ତି। ଏଥିସହିତ ଏହା ଦେଶର ସାମରିକ ଦକ୍ଷତା ବୃଦ୍ଧି କରିବ। ବିଶେଷ କରି ପଶ୍ଚିମ ସୀମାରେ ସାମରିକ କାର୍ଯ୍ୟରେ ଏହି ସେତୁଗୁଡ଼ିକ ବହୁତ ସାହାଯ୍ୟ କରିବ।

ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜି ସତ୍ୟଶ ରେଡ୍ଡୀ କହିଛନ୍ତି ଯେ ଏହି ସେତୁଗୁଡିକ କୋଲାରରେ ପରୀକ୍ଷା କରାଯାଉଛି। ଅନେକ ଘରୋଇ କମ୍ପାନୀ ମଧ୍ୟ ଏହିପରି ସେତୁ ନିର୍ମାଣ ପାଇଁ ଆଗ୍ରହ ଦେଖାଇଛନ୍ତି। ଅଧିକ ସଂଖ୍ୟାରେ ଏହା ନିର୍ମାଣ କରିବା ପାଇଁ ସେମାନଙ୍କୁ ଟେକ୍ନୋଲୋଜି ହସ୍ତାନ୍ତର କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କୋଭିଡ ମାମଲା ବଢୁଥିବା 6ଟି ରାଜ୍ୟକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପଠାଇଲା ସ୍ୱତନ୍ତ୍ର ଦଳ

ନୂଆଦିଲ୍ଲୀ, ଏବେ ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମିବାକୁ ଲାଗିଥିବା ବେଳେ ଓଡ଼ିଶା ସମେତ ୬ଟି ରାଜ୍ୟରେ ସଂକ୍ରମଣ କମୁନାହିଁ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓଡ଼ିଶା ଏବଂ ଅନ୍ୟ ୫ଟି ରାଜ୍ୟକୁ ଟିମ୍ ପଠାଇଛନ୍ତି । ଏହି କେନ୍ଦ୍ରୀୟ ଟିମ୍ କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ ମଣିପୁରକୁ ମଧ୍ୟ ଯାଇଛନ୍ତି।

ଓଡ଼ିଶାକୁ ପଠାଯାଇଥିବା ଟିମର ନେତୃତ୍ୱ ଏଆଇଆଇଏଚ୍ ଆଣ୍ଡ୍ ପିଏଚର ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡ. ଏ ଡାନ୍ ନେଉଛନ୍ତି । କୋଭିଡ ମହାମାରୀର ମୁକାବିଲା ଏବଂ ପରିଚାଳନା ଲାଗି ରାଜ୍ୟଗୁଡ଼ିକ ଉଦ୍ୟମ ଜାରି ରଖିଥିବା ବେଳେ କେନ୍ଦ୍ରୀୟ ଟିମ୍ ଗୁଡ଼ିକ ସେମାନଙ୍କୁ ଏ ବାବଦରେ ସହଯୋଗ ଯୋଗାଇଦେବେ ।

କେନ୍ଦ୍ର ସରକାର ‘ସମ୍ପୂର୍ଣ୍ଣ ସରକାର’ ଏବଂ ‘ସମ୍ପୂର୍ଣ୍ଣ ସମାଜ’ ଦୃଷ୍ଟିକୋଣ ସହିତ ଏହି ବିଶ୍ୱ ମହାମାରୀ ବିରୋଧରେ ଲଢ଼େଇର ନେତୃତ୍ୱ ନେଉଛନ୍ତି । କୋଭିଡ ପରିଚାଳନା ପାଇଁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ପ୍ରୟାସକୁ ମଜଭୁତ କରିବା ସକାଶେ ଜାରି ରହିଥିବା ଉଦ୍ୟମ ଭାବେ କେନ୍ଦ୍ର ସରକାର ସମୟ ସମୟରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ପରିଦର୍ଶନ ନିମନ୍ତେ କେନ୍ଦ୍ରୀୟ ଟିମ ମୁତୟନ କରୁଛନ୍ତି ।

ଏହି କେନ୍ଦ୍ରୀୟ ଟିମ୍ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଅଧିକାରୀମାନଙ୍କ ସହ ଆଲୋଚନା କରୁଛନ୍ତି ଏବଂ ସେମାନଙ୍କ ସମ୍ମୁଖରେ ଆସୁଥିବା ଆହ୍ୱାନ ଓ ପ୍ରସଙ୍ଗକୁ ପ୍ରତ୍ୟକ୍ଷ ଭାବେ ସମୀକ୍ଷା କରି ସୂଚନା ହାସଲ କରୁଛନ୍ତି । ଏହାଦ୍ୱାରା ସେମାନଙ୍କର କାର‌୍ୟ୍ୟକଳାପକୁ ଆହୁରି ମଜଭୁତ କରାଯାଇ ପାରିବ ଏବଂ ଯଦି କିଛି ପ୍ରତିବନ୍ଧକ ବା ବାଧା ରହିଥାଏ, ତାହା ଦୂର ହୋଇପାରିବ ।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଆଜି ଓଡ଼ିଶା ସମେତ କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ ମଣିପୁରରେ ଟିମ୍ ମୁତୟନ କରିଛନ୍ତି । ଏହି ରାଜ୍ୟଗୁଡ଼ିକରେ ଏବେ କୋଭିଡ-୧୯ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ମଣିପୁରକୁ ପଠାଯାଇଥିବା ଟିମର ନେତୃତ୍ୱ ଇଏମଆରର ଅତିରିକ୍ତ ଡିଡିଜି ଓ ନିର୍ଦ୍ଦେଶକ ଡ. ଏଲ୍ ସ୍ୱସ୍ତିଚରଣ ନେଉଥିବା ବେଳେ ଏଆଇଆଇଏଚ୍ ଆଣ୍ଡ୍ ପିଏଚର ପ୍ରଫେସର ଡ. ସଞ୍ଜୟ ସାଧୁଖାନଙ୍କ ନେତୃତ୍ୱରେ ଏକ ଟିମ୍ ଅରୁଣାଚଳ ପ୍ରଦେଶ ପଠାଯାଇଛି ।

ସେହିଭଳି ତ୍ରିପୁରାକୁ ଏଆଇଆଇଏଚ୍ ଆଣ୍ଡ୍ ପିଏଚର ପ୍ରଫେସର ଡ. ଆର୍ ଏନ୍ ସିହ୍ନା ଦିର୍ଙ୍କ ନେତୃତ୍ୱରେ ଟିମ୍ ପଠାଯାଇଥିବା ବେଳେ କେରଳ ପାଇଁ ଆରଓଏଚଏଫଡବ୍ଲ୍ୟୁର ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଜିଆର୍.-୨ ଡ. ରୁଚି ଜୈନଙ୍କ ନେତୃତ୍ୱରେ ଟିମ୍ ମୁତୟନ କରାଯାଇଛି । ଓଡ଼ିଶା ନିମନ୍ତେ ଏଆଇଆଇଏଚ୍ ଆଣ୍ଡ୍ ପିଏଚର ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡ. ଏ ଡାନଙ୍କ ନେତୃତ୍ୱରେ ଟିମ୍ ପଠାଯାଇଥିବା ବେଳେ ଛତିଶଗଡ଼ରେ ଏମସ ରାୟପୁର ସହକାରୀ ପ୍ରଫେସର ଡ. ଦିବାକର ସାହୁଙ୍କ ନେତୃତ୍ୱରେ ଟିମ୍ ମୁତୟନ କରାଯାଇଛି । ମହାମାରୀର ସଫଳ ମୁକାବିଲା ଓ ପରିଚାଳନା ନିମନ୍ତେ ରାଜ୍ୟଗୁଡ଼ିକ ଯେଉଁ ଉଦ୍ୟମ କରୁଛନ୍ତି, ଏହି ଟିମ୍ ଗୁଡ଼ିକ ସେଥିରେ ସହଯୋଗ କରିବେ ।

ଏହି ରାଜ୍ୟଗୁଡ଼ିକୁ ପଠାଯାଇଥିବା ଦୁଇ ସଦସ୍ୟବିଶିଷ୍ଟ ଉଚ୍ଚସ୍ତରୀୟ ଟିମରେ ଜଣେ ଚିକିତ୍ସକ ଓ ଜଣେ ଜନସେବା ବିଶେଷଜ୍ଞ ସାମିଲ ଅଛନ୍ତି । ଏହି ଟିମଗୁଡ଼ିକ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ତୁରନ୍ତ ଗସ୍ତ କରି କୋଭିଡ-୧୯ ପରିଚାଳନା, ବିଶେଷକରି ଟେଷ୍ଟିଙ୍ଗ, ନିରୀକ୍ଷଣ, ନିୟନ୍ତ୍ରଣ ଓ ପରିଚାଳନା ଆଦିର ସାମଗ୍ରିକ କାଯ୍ୟକାରିତାର ତଦାରଖ କରିବେ । ଏହାସହିତ କୋଭିଡ ଉପଯୁକ୍ତ ବ୍ୟବହାର ଓ ଏହାର ପ୍ରବର୍ତ୍ତନ, ହସ୍ପିଟାଲ ଶଯ୍ୟାର ଉପଲବ୍ଧତା, ଉପଯୁକ୍ତ ଲଜିଷ୍ଟିକ୍ସ ଯଥା ଆମ୍ବୁଲାନ୍ସ, ଭେଣ୍ଟିଲେଟର, ମେଡିକାଲ ଅକ୍ସିଜେନ ଆଦି, ଏବଂ ସର୍ବୋପରି କୋଭିଡ-୧୯ ଟିକାକରଣ ଅଗ୍ରଗତିର ମଧ୍ୟ ତଦାରଖ କରିବେ । ଟିମଗୁଡ଼ିକ କୋଭିଡ ସ୍ଥିତିର ତଦାରଖ ସହିତ ପ୍ରତିକାର ପଦକ୍ଷେପ ବାବଦରେ ମଧ୍ୟ ପରାମର୍ଶ ପ୍ରଦାନ କରିବେ ।

କେନ୍ଦ୍ରୀୟ ଟିମ୍ ଗୁଡ଼ିକ ସ୍ଥିତିର ମୂଲ୍ୟାୟନ କରିବେ ଏବଂ ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କୁ ଜନସ୍ୱାସ୍ଥ୍ୟ କାର‌୍ୟ୍ୟକଳାପ ସଂକ୍ରାନ୍ତରେ ପ୍ରତିକାର ପଦକ୍ଷେପ ଆଦି ନେଇ ପରାମର୍ଶ ପ୍ରଦାନ କରିବେ । ଏ ସଂକ୍ରାନ୍ତ ରିପୋର୍ଟର ନକଲଗୁଡ଼ିକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ପ୍ରଦାନ କରାଯିବ ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକାରେ ଫିସିଂ କ୍ୟାଟ୍ ମୃତ: କାରଣ ଅସ୍ପଷ୍ଟ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଚିଲିକାରେ ଗୋଟିଏ ଫିସିଂ କ୍ୟାଟ୍ ମୃତ ହୋଇଥିବା ଖବର ହସ୍ତଗତ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ୍ୟପ୍ରାଣୀ ଅଞ୍ଚଳ ଅନ୍ତର୍ଗତ ସୋରଣ ଚିଲିକା କୂଳରେ ଫିସିଂ କ୍ୟାଟ୍ କୌଣସି କାରଣରୁ ମରି ପଡିଥିବା ଦେଖିବାକୁ ମିଳିଥିଲା। ମତ୍ସ୍ୟଜୀବୀମାନେ ଏହାକୁ ଦେଖି ସୋରଣ ଫରେଷ୍ଟ ବିଟ୍ ହାଉସକୁ ଖବର ଦେଇଥିଲେ। ଖବର ପାଇ ଟାଙ୍ଗୀ ବନ୍ୟପ୍ରାଣୀ ଅଧିକାରୀ ଘଟଣାସ୍ଥଳେ ପହଞ୍ଚି ମୃତ ଫିସିଂ କ୍ୟାଟକୁ ଜବତ କରିଛନ୍ତି।

ତେବେ ଏହି ଫିସିଂ କ୍ୟାଟ୍ ସାଧାରଣତଃ ଜଙ୍ଗଲୀ ବାଘ ଭଳି ଦେଖାଯାଆନ୍ତି। ଏମାନେ ପାଣି ମଧ୍ୟରେ ବସବାସ କରନ୍ତି। କେଉଁ କାରଣରୁ ଏହାର ମୃତ୍ୟୁ ହୋଇଛି ଏନେଇ ସ୍ପଷ୍ଟ ଜଣାପଡିନାହିଁ। ଫିସିଂ କ୍ୟାଟ୍ ର ପଞ୍ଚନାମ ପାଇଁ ପଠାଯିବ ଏବଂ ପଞ୍ଚନାମ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଟାଙ୍ଗି ବନ୍ୟପ୍ରାଣୀ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ବନରକ୍ଷୀ ଲିପିନା ପାଇକରାୟ କେସ ନମ୍ବର ୨/୨୧ ରେ ଏକ ଅପମୃତ୍ୟ ମାମଲା ୠଜୁ କରି ତଦନ୍ତ ଜାରି ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦଶମ ଅଫଲାଇନ ପରୀକ୍ଷା: ୭୦ ପ୍ରତିଶତ ସିଲାବସରୁ ପ୍ରସ୍ତୁତ ହେବ ପ୍ରଶ୍ନ

ଭୁବନେଶ୍ବର: ୭୦ ପ୍ରତିଶତ ସିଲାବସକୁ ନେଇ ଦଶମ ଅଫଲାଇନ ପରୀକ୍ଷା ଅନୁଷ୍ଠିତ ହେବ। କେବଳ ୭୦ ପ୍ରତିଶତ ସିଲାବସ ଆଧାରରେ ପ୍ରଶ୍ନ ତିଆରି ହେବ। କୋଭିଡ କଟକଣା ଭିତରେ ଦଶମ ଅଫଲାଇନ ପରୀକ୍ଷା କରାଯିବ।

ଜୁଲାଇ ୩୦ ତାରିଖରେ ଏହି ପରୀକ୍ଷା ହେବାକୁ ଥିବା ବେଳେ ଜୁଲାଇ ୫ ରୁ ୧୪ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ଏହି ପରୀକ୍ଷା ଜୁଲାଇ 30 ତାରିଖରୁ ଅଗଷ୍ଟ ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ୧୫ ଦିନ ଭିତରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ପ୍ରସ୍ତୁତି କରାଯାଉଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ ୪୬ ହଜାର ୬୧୭ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୬ ହଜାର ୬୧୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୮୫୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪ ଲକ୍ଷ୫୮ ହଜାର ୨୫୧ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୧୨ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୫ ଲକ୍ଷ ୪୮ ହଜାର ୩୦୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୫ ଲକ୍ଷ ୯ ହଜାର ୩୭୪ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ଜାତୀୟ ଖବର

ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ: ଜଣେ ଯବାନ ସହିଦ, ୪ ଜଣ ଆତଙ୍କିକୁ କରାଗଲା ଘେରାବନ୍ଦୀ

ଶ୍ରୀନଗର: ଆଜି ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଯେଉଁଥିରେ ଜଣେ ଭାରତୀୟ ଯବାନ ସହୀଦ ହୋଇଯାଇଥିବା ବେଳେ ୪ ଜଣ ଆତଙ୍କବାଦୀଙ୍କ ଘେରାବନ୍ଦୀ କରାଯାଇଛି।

ସୂଚନା ମୁତାବକ, ପୁଲୱାମା ଜିଲ୍ଲାର ରାଜପୋରା ଅନ୍ତର୍ଗତ ହଂଜିନ ଗ୍ରାମରେ ଆତଙ୍କବାଦୀମାନେ ଲୁଚି ଥିବାର କୌଣସି ସୂତ୍ରରୁ ଖବର ପାଇଁ ଆଜି ସୁରକ୍ଷା ବାହିନୀ ତଦନ୍ତ ଅଭିଯାନ ଆରମ୍ଭ କରିଥିଲେ। ହଠାତ ଆତଙ୍କବଦୀମାନେ ସୁରକ୍ଷାବାହିନୀଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ। ଯେଉଁଥିରେ ଜଣେ ଯବାନ ଆହତ ହୋଇଥିଲେ। ଫଳରେ ସୁରକ୍ଷା ବାହିନୀଙ୍କ ଦ୍ଵାରା ପାଲଟା ଆକ୍ରମଣ କରାଯାଇଥିଲା।

ସେଠାରେ ୩ ରୁ ୪ ଜଣ ଆତଙ୍କି ମହଜୁଦ ଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ଗୁଳିବିନିମୟ ଜାରି ରହିଥିବା ବେଳେ ସୁରକ୍ଷା ବାହିନୀ ସେହି ଅଞ୍ଚଳକୁ ଘେରାବନ୍ଦୀ କରିଦେଇଛନ୍ତି। ଆହତ ଯବାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କର ଜୀବନ ବଞ୍ଚିପାରିନହିଁ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୪୬ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୪୧୦୮ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୬ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୧୦୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ, ନୟାଗଡ, ପୁରୀ ଜିଲ୍ଲାରୁ ୪ ଜଣ ଲେଖାଏଁ, କଟକ, ଢେଙ୍କାନାଳ, ଗଞ୍ଜାମ, କେନ୍ଦ୍ରାପଡା, ସମ୍ବଲପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଅନୁଗୁଳ, ବାଲେଶ୍ଵର, ବରଗଡ, ଝାରସୁଗୁଡା, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ସୋନପୁର ଓ ଜଗତସିଂହପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୧୬ ହଜାର ୧୦୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୮୦ ହଜାର ୯୯୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୦ ହଜାର ୯୫୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୧୦୮ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୩ ହଜାର ୨୨୨ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୨୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୮୩୮ ଜଣ ଚିହ୍ନଟ ହୋଇଥିବା ବେଳେ ୧୩୮୪ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୧୬ ହଜାର ୧୦୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୮୦ ହଜାର ୯୯୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୦ ହଜାର ୯୫୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୧୦୮ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୩ ହଜାର ୨୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ କଟକ ଜିଲ୍ଲାରୁ ୬୧୯ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୨୨ ଜଣ, ଅନୁଗୁଳ ଜିଲ୍ଲାରୁ ୯୧ ଜଣ, ବାଲେଶ୍ଵର ଜିଲ୍ଲାରୁ ୨୦୮ ଜଣ, ବରଗଡ ଜିଲ୍ଲାରୁ ୨୪ ଜଣ, ଭଦ୍ରକ ଜିଲ୍ଲାରୁ ୧୪୧, ବଲାଙ୍ଗୀରି ଜିଲ୍ଲାରୁ ୨୨, ବୌଦ୍ଧ ଜିଲ୍ଲାରୁ ୧୬, ଦେବଗଡ ଜିଲ୍ଲାରୁ ୭, ଢେଙ୍କାନାଳ ଜିଲ୍ଲାରୁ ୪୧ ଜଣ, ଗଜପତି ଜିଲ୍ଲାରୁ ୯ ଜଣ, ଗଞ୍ଜାମ ଜିଲ୍ଲାରୁ ୨୪ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୧୨ ଜଣ, ଯାଜପୁର ଜିଲ୍ଲାରୁ ୧୯୦ ଜଣ, ଝାରସୁଗୁଡା ଜିଲ୍ଲାରୁ ୯ ଜଣ, କଳାହାଣ୍ଡି ଜିଲ୍ଲାରୁ ୨୫ ଜଣ, କନ୍ଧମାଳ ଜିଲ୍ଲାରୁ ୨୫ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୭୯ ଜଣ, କେନ୍ଦୁଝର ଜିଲ୍ଲାରୁ ୬୪ ଜଣ, କୋରାପୁଟ ଜିଲ୍ଲାରୁ ୫୩ ଜଣ, ମାଲକାନାଗିରି ଜିଲ୍ଲାରୁ ୬୬ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୯୫ ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୩ ଜଣ, ନୟାଗଡ ଜିଲ୍ଲାରୁ ୧୧୪ ଜଣ, ନୂଆପଡା ଜିଲ୍ଲାରୁ ୧୬ ଜଣ, ପୁରୀ ଜିଲ୍ଲାରୁ ୧୮୮ ଜଣ, ରାୟଗଡା ଜିଲ୍ଲାରୁ ୬୧ ଜଣ, ସମ୍ବଲପୁର ଜିଲ୍ଲାରୁ ୩୧ ଜଣ, ସୋନପୁର ଜିଲ୍ଲାରୁ ୧୨ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୬୬ ଜଣ ଏବଂ ଷ୍ଟେଟ ପୁଲରୁ ୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଜାତୀୟ ଚିକିତ୍ସକ ଦିବସରେ କଣ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ?

ନୂଆଦିଲ୍ଲୀ, ଜାତୀୟ ଚିକିତ୍ସକ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଚିକିତ୍ସକ ଗୋଷ୍ଠୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଡାକ୍ତର ବି.ସି. ରାୟଙ୍କ ସ୍ମୃତିରେ ପାଳିତ ଏହି ଦିବସ ଆମ ଚିକିତ୍ସକ ସମାଜର ପ୍ରତୀକ । ଗତ ଦେଢବର୍ଷ ଧରି କରୋନା ବୈଶ୍ୱିକ ମହାମାରୀ ଭଳି ଜଟିଳ ପରିସ୍ଥିତିରେ ସେବା ପାଇଁ ସେ ଡାକ୍ତରମାନଙ୍କୁ ୧୩୦ କୋଟି ଦେଶବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି । ଭାରତୀୟ ଚିକିତ୍ସକ ସଂଘ ପକ୍ଷରୁ ଆଜି ଆୟୋଜିତ ଏକ  ସମାରୋହକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରିବା ଅବସରରେ ସେ ଏହା କହିଛନ୍ତି ।

ବୈଶ୍ୱିକ ମହାମାରୀ କାଳରେ ଡାକ୍ତରମାନଙ୍କ ଅବଦାନର ସ୍ୱୀକୃତି ସ୍ୱରୂପ ସେ ସେମାନଙ୍କ ସେବାର ସ୍ମରଣ ସହ ମାନବତାର ସେବା କରିବା ସମୟରେ ଜୀବନ ଉତ୍ସର୍ଗ କରିଥିବା ଡାକ୍ତରମାନଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । କରୋନା ଯୋଗୁଁ ସୃଷ୍ଟି ହୋଇଥିବା ପ୍ରତ୍ୟେକ ଆହ୍ୱାନର ସମାଧାନ ଆମ ଡାକ୍ତର ଓ ବୈଜ୍ଞାନିକମାନେ ବାହାର କରିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେ କହିଛନ୍ତି ଯେ, ନୂତନ ଓ ଦ୍ରୁତ ସଂକ୍ରମଣଗାମୀ ଭୂତାଣୁର ମୁକାବିଲା ଆମ ଡାକ୍ତରମାନେ ସେମାନଙ୍କ ଅଭିଜ୍ଞତା ଓ ବିଶେଷଜ୍ଞ ଜ୍ଞାନ ଯୋଗୁଁ କରିପାରୁଛନ୍ତି । ବହୁଦିନର ଅବହେଳିତ ମେଡିକାଲ ଭିତ୍ତିଭୂମି ଓ ଜନସାଧାରଣଙ୍କ ବ୍ୟସ୍ତତା ସତ୍ତ୍ୱେ ଅନେକ ଉନ୍ନତ ରାଷ୍ଟ୍ରଙ୍କ ତୁଳନାରେ ଆମର ଏକ ଲକ୍ଷ ପିଛା ସଂକ୍ରମଣ ହାର ବେଶ୍ ଆୟତ୍ତାଧୀନ ରହିଛି । ଜୀବନହାନୀ ସବୁବେଳେ ଯନ୍ତ୍ରଣାଦାୟକ ହେଲେ ମଧ୍ୟ ଅନେକ ଜୀବନ ବଞ୍ଚା ମଧ୍ୟ ଯାଇପାରିଛି । ଏହାର ଶ୍ରେୟ କଠିନ ପରିଶ୍ରମୀ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାମାନଙ୍କୁ ଯୋଗୁଁ ସମ୍ଭବ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସରକାର ସ୍ୱାସ୍ଥ୍ୟସେବାକୁ ମଜବୁତ କରିବା ଉପରେ ମନ୍ତବ୍ୟଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନାର ପ୍ରଥମ ଲହରରେ ସ୍ୱାସ୍ଥ୍ୟସେବା ପାଇଁ ୧୫ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା । ମାତ୍ର ଚଳିତବର୍ଷ ବଜେଟ୍‌ରେ ଏ ବାବଦ ଦୁଇଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ କରାଯାଇଛି ।

ସ୍ୱାସ୍ଥ୍ୟସେବା କମ୍ ଥିବା ଅଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ନିମନ୍ତେ କେଡ୍ରିଟ ଗ୍ୟାରେଣ୍ଟି ଯୋଜନା ଅଧୀନରେ ୫୦ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି । ନୂତନ ଏମ୍ସ ଓ ମେଡିକାଲ କଲେଜମାନ ସ୍ଥାପନ କରାଯାଉଛି । ୨୦୧୪ ମସିହାରେ ଛଅଟି ଏମ୍ସ ଥିବାବେଳେ, ଆଉ ୧୫ଟି ନିମନ୍ତେ କାମ ଆରମ୍ଭ ହୋଇଯାଇଛି । ମେଡିକାଲ କଲେଜ ସଂଖ୍ୟା ଦେଢଗୁଣ ବୃଦ୍ଧି ପାଇଛି ।

ଅଣ୍ଡର ଗ୍ରାଜୁଏଟ୍ ମେଡିକାଲ ସ୍ଥାନ ସଂଖ୍ୟା ଦେଢଗୁଣ ବଢିଥିବାବେଳେ, ସ୍ନାତକୋତ୍ତର ସଂଖ୍ୟା ଶତକଡା ୮୦ଭାଗ ବୃଦ୍ଧି ପାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଡାକ୍ତରମାନଙ୍କ ସୁରକ୍ଷା ଲାଗି ସରକାର ଅଙ୍ଗୀକାରବଦ୍ଧ ବୋଲି ଶ୍ରୀ ମୋଦୀ କହିଛନ୍ତି । ଡାକ୍ତରମାନଙ୍କ ବିରୁଦ୍ଧରେ ହିଂସାକୁ ରୋକିବା ପାଇଁ କଢା ଆଇନ ଅଣାଯାଇଛି । କୋଭିଡ ଯୋଦ୍ଧାଙ୍କ ନିମନ୍ତେ ଏକ ମାଗଣା ବୀମା ଯୋଜନା ମଧ୍ୟ କରାଯାଇଛି ।

ଜନସାଧାରଣଙ୍କୁ ଟିକା ଓ କୋଭିଡ ଆବଶ୍ୟକ ମାର୍ଗଦର୍ଶିକା ପାଳନ କରିବା ପାଇଁ ଉତ୍ସାହିତ କରିବା ଲାଗି ପ୍ରଧାନମନ୍ତ୍ରୀ ଡାକ୍ତରମାନଙ୍କୁ ଆହ୍ୱାନ ଜଣାଇଛନ୍ତି  । ଡାକ୍ତର ଭାଇ ଭଉଣୀମାନଙ୍କୁ ଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ମଧ୍ୟ ନିବେଦନ କରିଛନ୍ତି । ଯୋଗ ଯାହାକି ସ୍ୱାଧୀନତା ପରେ ଗତ ଶତାବ୍ଦୀରେ ହିଁ ଗୁରୁତ୍ୱ ପାଇଥାନ୍ତା, ତାହା ଏବେ ପାଉଛି । କୋଭିଡରୁ ଆରୋଗ୍ୟ ପରେ ଯୋଗର ପ୍ରାମାଣିକ ଉପକାରିତା ତଥ୍ୟ ଉପସ୍ଥାପନ କରିଥିବାରୁ ସେ ଡାକ୍ତରମାନଙ୍କୁ ପ୍ରଶଂସା କରିଥିଲେ । ଭାରତୀୟ ଚିକିତ୍ସକ ସଂଘ (ଆଇଏମ୍‌ଏ) ଏହି ତଥ୍ୟଭିତ୍ତିକ ବିଷୟକୁ ଏକ ମିଶନଭାବେ ଗ୍ରହଣ କରିପାରିବେ କି ବୋଲି ସେ ପଚାରିଥିଲେ । ଯୋଗ ସମ୍ପର୍କୀତ ବିଷୟବସ୍ତୁ ଆନ୍ତର୍ଜାତିକ ପତ୍ରପତ୍ରିକାରେ ମଧ୍ୟ ପ୍ରକାଶ ପାଇପାରିବ ବୋଲି ସେ ପ୍ରସ୍ତାବ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଡାକ୍ତରମାନଙ୍କ ଅଭିଜ୍ଞତାର ନଥିକରଣ ଉପରେ ଗୁରୁତ୍ୱଆରୋପ କରିଛନ୍ତି । ଅଭିଜ୍ଞତା ସହ ରୋଗୀ ଲକ୍ଷଣ ଓ ଉପଚାର ବିଷୟକ ତଥ୍ୟଗୁଡିକର ନଥିକରଣ ବିସ୍ତୃତଭାବେ ହେବା ଦରକାର । ବିଭିନ୍ନ ଔଷଧ ଓ ଉପଚାରର ପ୍ରତିକ୍ରିୟା ଲିପିବଦ୍ଧ ହେଲେ ଏହା ଗବେଷଣା ଦିଗରେ ମଧ୍ୟ ସାହାଯ୍ୟ କରିବ । ଆମର ଡାକ୍ତରମାନେ ଯେତେ ସଂଖ୍ୟକ ରୋଗୀକୁ ସେବା ପ୍ରଦାନ କରିଛନ୍ତି ତାହା ବିଶ୍ୱରେ ବିରଳ ।

ଏବେ ସମଗ୍ର ବିଶ୍ୱ ଏହାକୁ ସ୍ୱୀକାର କରିଥିବା ସହ ବୈଜ୍ଞାନିକ ଅନୁଧ୍ୟାନ ପାଇଁ ଏହାର ଉପଯୋଗ କରିବା ଆବଶ୍ୟକ । ସଅଳ ରୋଗ ନିରୁପଣ ଓ ଟିକାକରଣ କିପରି ସାହାଯ୍ୟକାରୀ ଏ ସମ୍ପର୍କରେ ଆମକୁ ଗଭୀର ଅନୁଧ୍ୟାନ କରିବାକୁ ହେବ। ଗତ ଶତାବ୍ଦୀର ବୈଶ୍ୱିକ ମହାମାରୀ ସମ୍ପର୍କିତ ନଥିପତ୍ର ଉପଲବ୍ଧ ହେଉ ନ ଥିବା ବେଳେ ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟା ଥିବାରୁ ଏବେ ଏହାର ନଥିକରଣ କରାଗଲେ ଏହା ମାନବ ସମାଜ ପାଇଁ ହିତକର ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Categories
ଆଜିର ଖବର ଧର୍ମ

ଚାଣକ୍ୟ ନୀତି: ସାଧାରଣ ଲୋକଟିଏ ତାହାର ଜୀବନ କାଳ ମଧ୍ୟରେ କି ପ୍ରକାରର କର୍ତ୍ତବ୍ୟ କରିବା ଉଚିତ

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ସାଧାରଣ ମଣିଷ ତା ଜୀବନ କାଳ ମଧ୍ୟରେ କଣ କର୍ତ୍ତବ୍ୟ କରିବା ଉଚିତ ତାହା ଉଲ୍ଲେଖ କରିଛନ୍ତି। ତାଙ୍କ ହିସାବରେ ମଣିଷ ସତ୍ ବାଟରେ ଯିବା ପାଇଁ ସତ୍ କର୍ମ କରିବା ଉଚିତ। ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ କେତୋଟି ଉପଦେଶ ଦେଇଛନ୍ତି।

ପ୍ରଥମ କଥା ହେଲା ସତ୍ ପାତ୍ରରେ କନ୍ୟାଦାନ କରିବା ମଣିଷର ବଡ କର୍ତ୍ତବ୍ୟ। ସେହିପରି କନ୍ୟା ଓ ପୁତ୍ରକୁ ଉଚ୍ଚ ଶିକ୍ଷା ପ୍ରଦାନ କରିବା ଉଚିତ। ଝିଅକୁ ଶିକ୍ଷିତା କରି ସତ ପାତ୍ରରେ କନ୍ୟାଦାନ କରିବା ମଣିଷର ବା ପିତାମାତାଙ୍କର ଏକ ବଡ କର୍ତ୍ତବ୍ୟ।

ସେହିପରି ଶତ୍ରୁଙ୍କୁ ବିପଦରେ ପକାଇବା ଏବଂ ମିତ୍ରଙ୍କୁ ସଠିକ ରାସ୍ତା ଦେଖାଇବା ହେଉଛି ମଣିଷର ଭଲ କର୍ତ୍ତବ୍ୟ। ଚାଣକ୍ୟ କହିଛନ୍ତି ଯେ, ଶତ୍ରୁକୁ ଏପରି ବିପଦ ଭିତରେ ପକାଇ ଦିଅନ୍ତୁ ଯେପରି ସେ ସେହି କାମରେ ଲାଗି ରହିବ। ଆପଣଙ୍କ ପଛରେ ଲାଗିବା ପାଇଁ ଆଉ ସମୟ ପାଇବ ନାହିଁ। ଅନ୍ୟପଟେ ମିତ୍ରଙ୍କୁ ମଧ୍ୟ ସଠିକ ମାର୍ଗ ଦର୍ଶନ କରାଇବା ମଣିଷ ଜୀବନରେ ବଡ ଧର୍ମ ଅଟେ।

Categories
ଧର୍ମ ବିଶେଷ ଖବର

ପ୍ରଭୃ ଅଲରାନାଥଙ୍କ ମୁହଁରେ ରହିଛି ଫଟକା ଚିହ୍ନ, ଏହାର କାରଣ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ପୁରୀ, ଶ୍ରୀ ଅଲାରନାଥଙ୍କ କ୍ଷୀରିଭୋଗ ସମ୍ପର୍କରେ ଏକ ସୁନ୍ଦର କିମ୍ବଦନ୍ତୀ ପ୍ରଚଳିତ । ଏକଦା ସେବା କାର୍ଯ୍ୟରେ ନିୟୋଜିତ ଅଲାରନାଥଙ୍କ ପୂଜକ ଶ୍ରୀକେତନ ପଣ୍ଡା କାର୍ଯ୍ୟବଶତଃ ଅନ୍ୟ ଗ୍ରାମକୁ କେତେଦିନ ପାଇଁ ଚାଲିଯାଇଥିଲେ । ଯିବା ପୂର୍ବରୁ ସେ ତାଙ୍କର ନାବାଳକ ପୁତ୍ର ମଧୁସୂଦନକୁ ଠାକୁରଙ୍କ ନିକଟରେ କ୍ଷୀରିଭୋଗ କରିବା ପାଇଁ କହି ଯାଇଥିଲେ ।

ଅଜ୍ଞାନ ବାଳକ ପୂଜା ପଦ୍ଧତି ସମ୍ୱନ୍ଧରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ ସୁଦ୍ଧା କ୍ଷୀରି ହାଣ୍ଡି ଧରି ଠାକୁରଙ୍କ ପାଖରେ ପହଞ୍ଚି ତାର ଚପଳ ବୁଦ୍ଧି ଓ ଭକ୍ତି ସହକାରେ ଆଖି ବନ୍ଦ କରି ଠାକୁରଙ୍କୁ ଆବାହନ କରିବା ପରେ ଦେଖିଲା ହାଣ୍ଡିରେ କିଛି କ୍ଷୀରି ନାହିଁ । ଘରକୁ ଖାଲି ହାଣ୍ଡି ଧରି ଫେରି ତା’ମା ଆଗରେ ସମସ୍ତ ଘଟଣା କହିଲେ ସୁଦ୍ଧା ମା’ର ବିଶ୍ୱାସ ହେଲା ନାହିଁ ।

ବିଲେଇ କ୍ଷୀରି ବୋଧହୁଏ ଖାଇ ଦେଇଥିବ କିମ୍ବା ଅନ୍ୟ କୌଣସି ଅଘଟଣ ଘଟିଥିବ, ଏହି ଆଶଙ୍କାରେ ପୁତ୍ରର ମା’ ରାତ୍ରି ସାରା ଶୋଇ ପାରି ନ ଥିଲେ । ତା ପରଦିନ ପୁଅକୁ କ୍ଷୀରି ହାଣ୍ଡି ସହ ପଠାଇ ବାଳକଟିର ମାଆ ଅଲାରନାଥ ବିଗ୍ରହଙ୍କର ପଶ୍ଚାତ୍ ଭାଗରେ ଲୁଚି ରହିଥିଲେ ।

କ୍ଷୀରି ଖାଇବା ପାଇଁ ବାଳକଟି ଠାକୁରଙ୍କୁ ଆବାହନ କଲା ମାତ୍ରେ, ପ୍ରଭୁ ଅଲାରନାଥ ନଇଁ ପଡ଼ି କ୍ଷୀରି ଖାଉଥିବା ବେଳେ ବାଳକଟିର ମା’ ଭୟରେ ଚିତ୍କାର କରିଥିଲେ। ଗରମ କ୍ଷୀରି ପ୍ରଭୁଙ୍କ ହାତ ଓ ମୁହଁରେ ପଡ଼ି ଫୋଟକା ହୋଇଯାଇଥିଲା । ଅଦ୍ୟାବଧି ଏହାର ସ୍ମୃତି ସ୍ୱରୂପ ସ୍ଥାନୀୟ ପୂଜକମାନେ ବିଗ୍ରହଙ୍କର ମୁହଁରେ ଥିବା ଫୋଟକା ଚିହ୍ନ ଦେଖାଇଥାନ୍ତି ।

ସ୍ଥାନୀୟ ଅଧିବାସୀଙ୍କ ବିଶ୍ୱାସ ଯେ, ପ୍ରଭୁ ଅଲାରନାଥ ସ୍ୱୟଂ କ୍ଷୀରିକୁ ଏଠାରେ ଆଘ୍ରାଣ କରି ଥାଆନ୍ତି, ଯାହାଫଳରେ କି ଏଠାରେ କ୍ଷୀର ଭୋଗ ଅତ୍ୟନ୍ତ ସୁସ୍ୱାଦୁ ଓ ପ୍ରସାଦ ରୂପେ ଭାରତ ବର୍ଷର ସମସ୍ତ ଭକ୍ତମାନଙ୍କ ଗ୍ରହଣୀୟ ହୋଇଛି ।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ: ଜୁଲାଇ 2 ତାରିଖ ଶୁକ୍ରାବରରେ ଏହି ଛଅଟି ରାଶିର ବ୍ୟକ୍ତିମାନେ ପାଇବେ ଖୁସି ଖବର

ମେଷ ରାଶି- ରାଜନୈତିକ ବ୍ୟକ୍ତିମାନେ ସଫଳତାର ଯୋଗ ରହିଛି। ସହଭାଗିତାରେ ନୂତନ ପ୍ରସ୍ତାବ ଗ୍ରହଣ କରାଯିବ। ରୋଜଗାର ବୃଦ୍ଧି ପାଇବ। ଉପହାର ଗ୍ରହଣ କରିବେ। ବ୍ୟବସାୟ ଯାତ୍ରା ସଫଳ ହେବ। ଶତ୍ରୁମାନେ ସକ୍ରିୟ ରହିବେ। ଅହଂକାର ଦୂର କରନ୍ତୁ। ମନୋବଳ ବୃଦ୍ଧି ଚାପକୁ ହ୍ରାସ କରିବ।

ବୃଷ ରାଶି- ଅପଚୟ ଖର୍ଚ୍ଚ ହେବ। ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଚିନ୍ତା ଏବଂ ଟେନସନ ରହିବ। ବ୍ୟବସାୟ ଯୋଜନା କାର୍ଯ୍ୟକାରୀ ହେବ ନାହିଁ। ପରିବାର ଚିନ୍ତିତ ହେବେ। ଆୟଠାରୁ ବ୍ୟୟ ଅଧିକ ହେବ। ଅପରିଚିତ ବ୍ୟକ୍ତିଙ୍କ ଉପରେ ବିଶ୍ୱାସ କରିବା ଦ୍ୱାରା କ୍ଷତି ହୋଇପାରେ।

ମିଥୁନ ରାଶି- ବକେୟା ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ଯାତ୍ରା ସଫଳ ହେବ। ରୋଜଗାର ବୃଦ୍ଧି ପାଇବ। ବିପଦ କାମ କରନ୍ତୁ ନାହିଁ। ନିଶାକୁ ନିୟନ୍ତ୍ରଣ କରନ୍ତୁ। ଲାଭ ହେବାର ସମ୍ଭାବନା। ପତ୍ନୀ ଉପଦେଶ ଦେଉଥିବା ରାସ୍ତାରେ ଗଲେ ଲାଭ ସମ୍ଭାବନା। ଭ୍ରମଣରୁ ଲାଭ। ଯାନ-ଯନ୍ତ୍ରପାତି କ୍ରୟ ସମ୍ଭାବନା। ବ୍ୟବସାୟରେ ବାଧା ଆସିବ।

କର୍କଟ ରାଶି– ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ବ୍ୟବସ୍ଥାରେ ଉନ୍ନତି ହେବ। ସମ୍ମାନ ପାଇବେ। ଆଖି ଯନ୍ତ୍ରଣା ହୋଇପାରେ। ଅଧିକାରୀମାନେ ସହଯୋଗ କରିବେ ନାହିଁ। ଋଣ ନେବାକୁ ପଡିପାରେ। ଆଜି ଭ୍ରମଣ କରନ୍ତୁ ନାହିଁ। ପାରିବାରିକ କାର୍ଯ୍ୟଗୁଡ଼ିକୁ ପ୍ରାଥମିକତା ଦିଅନ୍ତୁ। ଆପଣଙ୍କ ବୁଦ୍ଧି ସାମାଜିକ ସମ୍ମାନ ଲାଭ କରିବ।

ସିଂହ ରାଶି- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ। କୋର୍ଟ କାର୍ଯ୍ୟ ସଫଳ କରାଯିବ। ବ୍ୟବସାୟ ଭଲ କରିବ। ଆଘାତ ଏବଂ ରୋଗରୁ ଦୂରେଇ ରୁହନ୍ତୁ। କାର୍ଯ୍ୟ-ବ୍ୟବସାୟ ଲାଭ କରିବାର ସମ୍ଭାବନା ଅଛି । ବିବାହିତ ଜୀବନରେ ସୁସଙ୍ଗତତା ରହିବ। ସାମାଜିକ ସମାବେଶରେ ଅଂଶଗ୍ରହଣ କରିବେ। ଭଲ ଲାଭଦାୟକ ଫଳାଫଳ ଦେବ।

କନ୍ୟା ରାଶି- ଜୀବନସାଥୀଙ୍କଠାରୁ ସମର୍ଥନ ମିଳିବ। ଯାନ ଏବଂ ଯନ୍ତ୍ରର ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ। ଆର୍ଥିକତାକୁ ଧ୍ୟାନରେ ରଖନ୍ତୁ। ସମ୍ପର୍କୀୟଙ୍କ ସହ ସମ୍ପର୍କ ସୁଦୃଢ ହେବ। ଶତ୍ରୁମାନଙ୍କଠାରୁ ସାବଧାନ ରୁହନ୍ତୁ। ବ୍ୟବସାୟ ଲାଭଦାୟକ ହେବ। ଖର୍ଚ୍ଚ ହ୍ରାସ କରନ୍ତୁ। କରାଯାଇଥିବା କାର୍ଯ୍ୟ ସମାପ୍ତ ହେବ।

ତୂଳା ରାଶି- ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ। ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ। ଆଇନଗତ ପ୍ରତିବନ୍ଧକ ହଟାଯିବ। ଆରାମ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହେବ। ବ୍ୟବସାୟ ଭଲ କରିବ। ଜିନିଷକୁ ସୁରକ୍ଷିତ ରଖନ୍ତୁ। ବ୍ୟବସାୟ ଭଲ ଚାଲିବ।

ବିଛା ରାଶି- ଜମି ଏବଂ ନିର୍ମାଣ ଯୋଜନା ପ୍ରସ୍ତୁତ ହେବ। ରୋଜଗାର ବୃଦ୍ଧି ପାଇବ। ଚାକିରିରେ ଅଧିକାର ବଢିପାରେ। ଅର୍ଥନୈତିକ କାର୍ଯ୍ୟରେ ସଫଳତା ପାଇ ଆପଣ ଖୁସି ହେବେ। ସୁଖୀ ଭବିଷ୍ୟତର ସ୍ୱପ୍ନ ସାକାର ହେବ। ଧାରଣା ସକରାତ୍ମକତା ବୃଦ୍ଧି କରିବ। ବିପଦ କାର୍ଯ୍ୟକୁ ସାହସ କର ନାହିଁ। ବ୍ୟବସାୟରେ ଇଚ୍ଛାଯୁକ୍ତ ଲାଭ ହେବ।

ଧନୁ ରାଶି– ଆପଣ ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରିବେ। ଛାତ୍ର ଶ୍ରେଣୀ ସଫଳତା ହାସଲ କରିବେ। ବ୍ୟବସାୟ ଭଲ କରିବ। ଆପଣ ଭଲ ଲୋକଙ୍କୁ ଭେଟିବ ଯେଉଁମାନେ ଉପକାରକାରୀ ହେବେ। ଯୋଜନା ସଫଳ ହେବ। ଚାକିରିରେ ପଦୋନ୍ନତି ଅଛି। ଅଳସୁଆରୁ ଦୂରେଇ ରୁହନ୍ତୁ। ପରିବାର ଲୋକେ ସାହାଯ୍ୟ କରିବେ।

ମକର ରାଶି– ଦୁଃଖ, ଭୟ, ଚିନ୍ତା ଏବଂ ଅସ୍ଥିରତାର ପରିବେଶ ସୃଷ୍ଟି ହୋଇପାରେ। ଆପଣ ଦୁଃଖଦ ଖବର ପାଇପାରିବେ, ଧର୍ଯ୍ୟବାନ ହୁଅନ୍ତୁ। କାହାକୁ ବିଶ୍ୱାସ ନକରି ଆପଣ କାମ କରନ୍ତୁ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ହସ୍ତକ୍ଷେପରୁ କ୍ଷତି ହେବାର ସମ୍ଭାବନା ଅଛି। ପରିବାରରେ ଉତ୍ତେଜନା ଦେଖାଦେବ। ବ୍ୟବସାୟ ମଧ୍ୟମ ହେବ।

କୁମ୍ଭ ରାଶି- ପ୍ରତିଷ୍ଠା ବୃଦ୍ଧି ପାଇବ। ରୋଜଗାର ବୃଦ୍ଧି ପାଇବ। ଯାତ୍ରା ର ଶୁଭ ସମୟ ସହିତ, ଆପଣ କଠିନ କାର୍ଯ୍ୟରେ ସଫଳତା ପାଇବେ। ସମ୍ପର୍କୀୟଙ୍କ ସହିତ ସମ୍ପତ୍ତି ବିବାଦ ହୋଇପାରେ। ବ୍ୟବସାୟ-ଚାକିରିରେ ଲାଭ ହେବ। କ୍ରନିକ ରୋଗ ଦେଖାଦେଇପାରେ। ପ୍ରୟାସ ସଫଳ ହେବ।

ମୀନ ରାଶି- ଆପଣଙ୍କ ପାଇଁ ଖୁସି ଖବର। ମାନ ବୃଦ୍ଧି ହେବ। ଖୁସି ହେବ। ମନରେ ଉତ୍ସାହ ରହିବ, ଯେଉଁଥିପାଇଁ କାର୍ଯ୍ୟର ଗତି ବଢିବ। ଆପଣଙ୍କ କାର୍ଯ୍ୟ ସମାଜରେ ପ୍ରଶଂସା ପାଇବେ। ସହଭାଗୀତାରେ ଆପଣ ଯେଉଁ ନିଷ୍ପତ୍ତି ନିଅନ୍ତି ତାହା ଲାଭଦାୟକ ହେବ। ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବେ।

Categories
ଆଜିର ଖବର ଜୀବନ ଶୈଳୀ ଧର୍ମ

ପାଦ ଆଙ୍ଗୁଠି ଗଠନରୁ ଜାଣିପାରିବେ ଆପଣଙ୍କ ଭାଗ୍ୟରେ କଣ ଅଛି

ନୂଆଦିଲ୍ଲୀ, ପ୍ରାୟତଃ ଜ୍ୟୋତିଷ ଶାସ୍ତ୍ର ଦ୍ୱାରା ଭବିଷ୍ୟତ ଜାଣିବା ପାଇଁ ଚେଷ୍ଠା କରିଥାନ୍ତି । ସାଧାରଣତଃ ଲୋକମାନେ ସେମାନଙ୍କର ଭବିଷ୍ୟତ ବିଷୟରେ ଜାଣିବାକୁ ବହୁତ ଆଗ୍ରହୀ ଅଟନ୍ତି। ଏପରିକି ସେମାନେ ବିଭିନ୍ନ ପ୍ରକାରର ପ୍ରତିକାର ମଧ୍ୟ କରିଥାନ୍ତି।  କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କର ପାଦ ମଧ୍ୟ ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ । ହଁ, ଆପଣଙ୍କର ପାଦଚିହ୍ନ ମଧ୍ୟ ଆପଣଙ୍କ ଜୀବନ ସହିତ ଜଡିତ ଅନେକ ରହସ୍ୟ ପ୍ରକାଶ କରିଥାଏ, ତେବେ ଆସନ୍ତୁ ଆପଣଙ୍କୁ ଏହିପରି ପାଦଚିହ୍ନ ବିଷୟରେ କହିବା ।

ପ୍ରଥମ ପାଦ ଅନୁଯାୟୀ-

ଯଦି ଆପଣଙ୍କର ପାଦର ଆକୃତି କିମ୍ବା ପାଦର ଚିହ୍ନ ପ୍ରଥମ ଚିତ୍ର ଅନୁଯାୟୀ, ତେବେ ଆପଣଙ୍କର ପାଦର ଗଠନ ବହୁତ ସମତଳ । ଯଦି ଆପଣ ଜଣେ ମହିଳା, ଏହାର ଅର୍ଥ ହେଉଛି ଆପଣ ଅତି ସରଳ ଏବଂ ପ୍ରକୃତିରେ ଅତି ନିର୍ଦ୍ଦୋଷ । ଏହା ସହିତ ଆପଣ  ବହୁତ ସଚ୍ଚୋଟ ଏବଂ ଅତି ଦ୍ରୁତ । କିନ୍ତୁ ଆପଣଙ୍କର ଭାଗ୍ୟ ପ୍ରତ୍ୟେକ ଥର ଆପଣଙ୍କୁ ସମର୍ଥନ କରେ ନାହିଁ । ଯେଉଁଥିପାଇଁ ଆପଣଙ୍କର ଆର୍ଥିକ ଅବସ୍ଥା ମଧ୍ୟ ବହୁତ ଦୁର୍ବଳ। ଯଦି ଆପଣ ଜଣେ ପୁରୁଷ ଏବଂ ଆପଣଙ୍କର ପାଦଚିହ୍ନ ଏହି ଚିତ୍ର ସହିତ ସମାନ, ତେବେ ଏହି ପ୍ରକାରର ପୁରୁଷମାନେ ବହୁତ ପରିଶ୍ରମୀ । କିନ୍ତୁ ଯେତେବେଳେ ଏହି ଲୋକମାନେ କଠିନ ପରିଶ୍ରମ କରିବାକୁ ଆବଶ୍ୟକ କରନ୍ତି, ସେତେବେଳେ ଏହି ଲୋକମାନେ ଚିନ୍ତିତ ହୁଅନ୍ତି ।

ଦ୍ୱିତୀୟ ପାଦ ଅନୁଯାୟୀ-

ଯଦି ଆପଣଙ୍କର ପାଦଚିହ୍ନ କିମ୍ବା ପାଦର ଆକୃତି ଏହିପରି କିମ୍ବା ସାମାନ୍ୟ ବ୍ୟବଧାନ ଅଛି, ତେବେ ଏହି ଲୋକମାନେ କଠିନ ପରିଶ୍ରମ କଲେ, ସେମାନେ ନିଜ ଜୀବନରେ ସଫଳତା ହାସଲ କରନ୍ତି । ଏପରି ଲୋକମାନେ ବିଭିନ୍ନ କାର୍ଯ୍ୟରେ ଜିତନ୍ତି, ସେମାନେ ସାଧାରଣତଃ ପ୍ରକୃତି ଦ୍ୱାରା ବହୁତ ମିଠା । ଏହି ଲୋକମାନେ ପ୍ରାୟତଃ କଠିନ ପରିଶ୍ରମ କରନ୍ତି ଏବଂ ନିଜ ଜୀବନରେ ଆବଶ୍ୟକ କରୁଥିବା ସମସ୍ତ ଜିନିଷ ପାଇଥା’ନ୍ତି । କିନ୍ତୁ ଏହି ଲୋକମାନଙ୍କର କେବଳ ଗୋଟିଏ ଖରାପ ଅଭ୍ୟାସ ଅଛି। ଏହି ଲୋକମାନେ ବହୁତ ଅଳସୁଆ ।

ତୃତୀୟ ପାଦ ଅନୁଯାୟୀ-

ଯଦି ଆପଣଙ୍କର ପାଦଚିହ୍ନ ଏହିପରି କିଛି ଅଟେ, ତେବେ ଏହି ପ୍ରକାରର ପାଦ ହେଉଛି ସବୁଠାରୁ ଉପଯୁକ୍ତ ପ୍ରକାର ।  ଏହି ପ୍ରକାରର ବ୍ୟକ୍ତି ବହୁତ ଭାଗ୍ୟବାନ ଏବଂ ଏହି ଲୋକମାନେ ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ମଧ୍ୟ ଆଗରେ ଅଛନ୍ତି । ଏହି ଲୋକମାନେ କାହାକୁ ପ୍ରଣାମ କରିବାକୁ ପସନ୍ଦ କରନ୍ତି ନାହିଁ । କେବଳ ଏତିକି ନୁହେଁ, ସେମାନେ ମଧ୍ୟ ଅତ୍ୟନ୍ତ ତୀକ୍ଷ୍ଣ ଏବଂ ଶିକ୍ଷିତ ଏବଂ ସେମାନେ ନିଜ ଜୀବନରେ ସର୍ବାଧିକ ସଫଳତା ହାସଲ କରନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ତୈଳଦର ବୃଦ୍ଧି ପ୍ରତିବାଦରେ ଥାଳି ଖଞ୍ଜଣି ବଜାଇ ପ୍ରତିବାଦ କରିବ ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର, କେନ୍ଦ୍ରର ବିଜେପି ନେତୃତ୍ୱ ମୋଦି ସରକାରଙ୍କ ଦୂରଦର୍ଶିତାର ଅଭାବ ଯୋଗୁଁ ସାରା ଦେଶରେ କରୋନା ମହାମାରୀ ଥମିବାର ନାଁ ନେଉ ନାହିଁ। ଏପରି ସମୟରେ କେନ୍ଦ୍ର ସରକାର କ୍ରମାଗତ ଭାବେ ୨ ମାସ ମଧ୍ୟରେ ୨୯ ଥର ତୈଳଦର ଆଶାତୀତ ବୃଦ୍ଧି କରିଛନ୍ତି। ଫଳରେ ଦେଶରେ ପ୍ରାୟ ୧୫୦ ସହରରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ୧୦୦ ଟଙ୍କା ପାର ହୋଇଛି । ଏହାର ପ୍ରତିବାଦରେ କଂଗ୍ରେସ ଆସନ୍ତା  ଜୁଲାଇ ୭ ତାରିଖ ବୁଧବାର ୧୦ଟାରେ ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥାଳି,ଖଞ୍ଜଣି ବଜେଇ, ପ୍ଲାକାର୍ଡ଼, ବ୍ୟାନର ଓ ପତାକା ସହ ଦିବା ୧ ଘଟିକା ପର୍ଯ୍ୟନ୍ତ ପେଟ୍ରୋଲ ବିକ୍ଷୋଭ କରିବ।

ଏଆଇସିସି ନିର୍ଦେଶ ମୁତାବକ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆସନ୍ତା ମାସ ୭ ଜୁଲାଇ ବୁଧବାର ଠାରୁ ୧୭ ଜୁଲାଇ ଶନିବାର ପର‌୍ୟ୍ୟନ୍ତ ରାଜ୍ୟ ବ୍ୟାପି ବିଭିନ୍ନ କାର‌୍ୟ୍ୟକ୍ରମ ଜରିଆରେ ଆନ୍ଦୋଳନ କରିବାପାଇଁ ନିଷ୍ପତି କରାଯାଇଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

୯ ତାରିଖ ଶୁକ୍ରବାର ଦିନ ୧୦ଟାରେ ଜିଲ୍ଲା ସଦର ମହକୁମା ସମେତ ଜିଲ୍ଲା ଅନ୍ତର୍ଗତ ପୌରପରିଷଦ, ଏନ୍‌.ଏ.ସିରେ ସମସ୍ତ ବିଧାୟକ, ସାଂସଦ, ବିଧାୟକ ଓ ସାଂସଦ ପ୍ରାର୍ଥୀ, ପିସିସି, ଏଆଇସିସି ସଭ୍ୟଗଣ, ପ୍ରାକ୍ତନ ମନ୍ତ୍ରୀ, ସାଂସଦ, ବିଧାୟକ, କଂଗ୍ରେସ ନେତୃମଣ୍ଡଳୀ ଓ କର୍ମକର୍ତା ମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଦୁରଦର୍ଶୀ ନିଷ୍ପତିକୁ କଡ଼ା ବିରୋଧ କରି ସରକାରଙ୍କ ଜନମାରଣ ନୀତିକୁ ଜନସାଧାରଣଙ୍କୁ ଅବଗତ କରାଇବା ନିମେନ୍ତ ସାଇକେଲରେ ପ୍ଲାକାର୍ଡ଼ ଓ ପତକା ଲଗାଇ ଅନ୍ୟୁନ ୫ କିଲୋମିଟର ସମୁହ ଯାତ୍ରା କରିବାକୁ ପଟ୍ଟନାୟକ ନିବେଦନ କରିଛନ୍ତି ।

ସେହିପରି ପିସିସି ପକ୍ଷରୁ ଜୁଲାଇ ୧୪ ତାରିଖ ବୁଧବାର ଦିବା ୧୦ ଘଟିକାରୁ ଏକ ସାଇକେଲ ଯାତ୍ରା ଭୁବନେଶ୍ୱରସ୍ଥ କଂଗ୍ରେସ ଭବନରୁ ଆରମ୍ଭ ହୋଇ ମାଷ୍ଟର କ୍ୟାଂଟିନ, ରାମମନ୍ଦିର, ବିଗ୍‌ବଜାର, ପାନ୍ଥ ନିବାସ, କଳ୍ପନା ଛକ, ରାଜମହଲ, ବିମାନ ବନ୍ଦର ଟ୍ରାଫିକ ଦେଇ କ୍ୟାପିଟାଲ ହସପିଟାଲ ପର‌୍ୟ୍ୟନ୍ତ ଯିବ । ଏହି ଅବସରରେ ଦଳର କାର‌୍ୟ୍ୟକାରୀ ସଭାପତିଗଣ, ସମସ୍ତ ବିଧାୟକ, ସାଂସଦ, ବରିଷ୍ଠ ନେତୃମଣ୍ଡଳୀ, ପିସିସି ଓ ଏଆଇସିସି ସଭ୍ୟଗଣ, ପିସିସିର ପ୍ରାକ୍ତନ ପଦାଧିକାରୀଗଣ, ପ୍ରାକ୍ତନ ମନ୍ତ୍ରୀ, ସାଂସଦ ଓ ବିଧାୟକଗଣ, ରାଜ୍ୟ ଛାମୁଆ ସଂଗଠନ, ବିଭାଗ ଓ ପ୍ରକେଷ୍ଠାର ମୁଖ୍ୟ ଓ କର୍ମକର୍ତାମାନଙ୍କୁ ସାଇକେଲ ଯାତ୍ରାରେ ନିଜକୁ ସାମିଲ ହୋଇ ଉଭୟ ସରକାରଙ୍କର ଜନମାରଣ ନୀତିକୁ ପର୍ଦ୍ଦାଫାଶ କରିବାକୁ ପଟ୍ଟନାୟକ ବିଶେଷ ଅନୁରୋଧ କରିଛନ୍ତି ।

ସେହିପରି କେନ୍ଦ୍ର ସରକାରଙ୍କ ତୈଳ ଦରର ଅହେତୁକ ମୂଲ୍ୟବୃଦ୍ଧିର ପ୍ରତିବାଦରେ ଆସନ୍ତା ଜୁଲାଇ ୧୭ ତାରିଖ ଶନିବାର ତୃଣମୂଳ ସ୍ତରର କାର‌୍ୟ୍ୟକର୍ତାଙ୍କ ଠାରୁ ଆରମ୍ଭ କରି ରାଜ୍ୟର ବରିଷ୍ଠ ନେତୃମଣ୍ଡଳୀଙ୍କ ପର‌୍ୟ୍ୟନ୍ତ ଦଳର ସମସ୍ତ ଛାମୁଆ ସଂଗଠନ, ବିଭାଗ, ପ୍ରକୋଷ୍ଠର ନେତା ଓ କର୍ମୀମାନେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରେ ପ୍ରାତଃ ୯ ଘଟିକାରୁ ଦିବା ୧୧ଟା ୩୦ ମି. ପର‌୍ୟ୍ୟନ୍ତ ଗ୍ରାହକ ମାନଙ୍କର ପ୍ରତିକ୍ରିୟା ଓ ଦସ୍ତଖତ ସଂଗ୍ରହ କରିବାକୁ ସଭାପତି ଅନୁରୋଧ କରିଛନ୍ତି । ଉପରୋକ୍ତ ସମସ୍ତ କାର‌୍ୟ୍ୟକ୍ରମକୁ କୋଭିଡ-୧୯ର ନୀତିନିୟମକୁ ପାଳନ କରି ସମସ୍ତ କାର‌୍ୟ୍ୟକ୍ରମକୁ ସଫଳ କରିବାକୁ ସଭାପତି ବିଶେଷ ଅନୁରୋଧ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଭାରତୀୟ ରେଳବାଇରେ ଫ୍ରେଟ୍ ଲୋଡିଂରେ ଶୀର୍ଷ ସ୍ଥାନ ହାସଲ କଲା ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ

ଭୁବନେଶ୍ବର, କୋଭିଡ-୧୯ର ଦ୍ଵିତୀୟ ଲହର ବୃଦ୍ଧି ପରିପ୍ରେକ୍ଷୀରେ ପ୍ରତିକୁଳ ପରିସ୍ଥିତି ସତ୍ତ୍ୱେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଜୁନ୍ ୨୦୨୧ ମସିହାରେ ମାଲ ପରିବହନରେ ଭାରତୀୟ ରେଳବାଇ ରେ ଶୀର୍ଷ ସ୍ଥାନ ହାସଲ କରିଛି। ଜୁନ୍ -୨୦୨୧ ରେ ଏହି ମଣ୍ଡଳ ୧୨.୭୪ ମିଲିୟନ୍ ଟନ୍ ମାଲ ପରିବହନ କରିଛି, ଯାହା ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ସମୁଦାୟ ମାଲ ପରିବହନ ଲୋଡିଂ ଅର୍ଥାତ୍ ୧୧୨.୬୬ ମିଲିୟନ୍ ଟନ୍ ର ୧୧% ଏବଂ ପୂର୍ବ ତଟ ରେଳ ଜୋନ୍ ଦ୍ୱାରା ପରିଚାଳିତ ମୋଟ ୧୯.୧୧ ମିଲିୟନ୍ ଟନ୍ ଲୋଡିଙ୍ଗର ୬୭% ।

ଖୋର୍ଦ୍ଧା ରୋଡ଼ ମଣ୍ଡଳ ଗତ ବର୍ଷ ତୁଳନାରେ ଅର୍ଥାତ୍ ଜୁନ୍ ୨୦୨୦ ରେ ୨.୫୨ ମିଲିୟନ୍ ଟନ୍ ଲୋଡିଂକୁ ଅତିକ୍ରମ କରିଛି। ଜୁନ୍ ୨୦୨୧ ରେ, ତାଳଚେର, ପାରାଦୀପ, ଧାମରା, ନୟାଗଡ଼, ମେରାମଣ୍ଡଳି, ସୁକିନ୍ଦା, ବୁଢାପଙ୍କ ଇତ୍ୟାଦି ବିଭିନ୍ନ ଲୋଡିଂ ପଏଣ୍ଟରୁ ମଣ୍ଡଳ ଦ୍ଵାରା ଦୈନିକ ହାରାହାରି ୧୧୫ ରେକ୍ ମାଲ ପରିବହନ କରାଯାଇଥିଲା। ବିଭିନ୍ନ ପାୱାର ହାଉସ୍, ଉତ୍ପାଦନକାରୀ କମ୍ପାନୀ, ଉତ୍ପାଦନ ୟୁନିଟ୍ ଏବଂ ଇଣ୍ଡଷ୍ଟ୍ରିଜ୍ ପାଇଁ ବିଭିନ୍ନ ଦ୍ରବ୍ୟ ଯଥା କୋଇଲା, ଲୁହାପଥର, ସାର, ପେଟ୍ରୋଲିୟମ ପଦାର୍ଥ କଞ୍ଚାମାଲ ଇତ୍ୟାଦି ପରିବହନ କରାଯାଇଛି।

ଜୁନ୍ ୨୦୨୧ ମସିହାରେ, ଖୋର୍ଦ୍ଧା ରୋଡ଼ ମଣ୍ଡଳ ଜିନ୍ଦଲ ସାଇଡିଙ୍ଗ, ସୁକିନ୍ଦା ଠାରୁ ୩୭ ଟି ଏବଂ ନାଲକୋ ସାଇଡିପ୍ସ, ବୁଢାପଙ୍କ ଠାରୁ, ୧୧ ଟି ରେକ୍ ଲୋଡ୍ କରି, ସର୍ବଶ୍ରେଷ୍ଠ ଲୋଡିଂ ପଞ୍ଜିକରଣ କରିଛି।ଏହା ବ୍ୟତୀତ, ଡିଭିଜନ୍ ଜୁନ୍ ୨୦୨୧ ରେ ଜଗନ୍ନାଥପୁର ଗୁଡସ୍ ସେଡରେ ୩୨ ଟି ରେକ୍ ଅନଲୋଡ୍ କରିବାର ରେକର୍ଡ ମଧ୍ୟ ସୃଷ୍ଟି କରିଛି। କୋଭିଡ-୧୯ ର ଦ୍ଵିତୀୟ ଲହରରେ ବୃଦ୍ଧି ଯୋଗୁଁ ପ୍ରତିକୁଳ ଅବସ୍ଥା ଏବଂ କମ୍ କାଯ୍ୟଶକ୍ତି ସତ୍ତ୍ୱେ ଏହା ହାସଲ କରାଯାଇଛି।

କୋଭିଡ-୧୯ ର ଦ୍ୱିତୀୟ ଲହର ସମୟରେ ଡିଭିଜନ୍ ୨୭୯୯ ଟନ୍ ତରଳ ମେଡିକାଲ୍ ଅମ୍ଳଜାନକୁ ନିଜ ଅଧୀନରେ ଥିବା ବିଭିନ୍ନ ଇସ୍ପାତ କାରଖାନାରୁ ବିଭିନ୍ନ ରାଜ୍ୟକୁ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ପଯ୍ୟାପ୍ତ ଅମ୍ଳଜାନ ପରିବହନ କରିଛି।

ପୂର୍ବ ତଟ ରେଳବାଇ ର ଜେନେରାଲ୍ ମ୍ୟାନେଜର ବିଦ୍ୟା ଭୂଷଣଙ୍କ ଏବଂ ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ, ଶଶି କାନ୍ତ ସିଂହଙ୍କ ଉତ୍ତମ ମାର୍ଗଦର୍ଶନ ଏହି ପ୍ରଦର୍ଶନକୁ ସମ୍ଭବ କରିପାରିଛି। ସକରାତ୍ମକ ମନୋଭାବ ଏବଂ ନିରନ୍ତର କଠିନ ପରିଶ୍ରମ ସହିତ ସଠିକ୍ ଚିନ୍ତାଧାରା ଏହି ଡିଭିଜନର ଚିହ୍ନ ଅଟେ। ଡିଭିଜନର ବ୍ୟବସାୟ ବିକାଶ ୟୁନିଟ୍ (ବିଡିୟୁ) ଲୋଡିଂ ପାଇଁ ନୂତନ ପନ୍ଥା ଆକର୍ଷିତ କରିବାରେ ଏକ ପ୍ରମୁଖ ସ୍ଥାନ ପାଲଟିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଉଦଘାଟିତ ହେଲା ୧୫ଟି ଫାଷ୍ଟ ଟ୍ରାକ୍‌ କୋର୍ଟ, ଜାଣନ୍ତୁ କେଉଁ ଜିଲ୍ଲାରେ ହେଲା ସ୍ଥାପନ

ଭୁବନେଶ୍ୱର, ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ରାଜ୍ୟରେ ୧୫ଟି ଫାଷ୍ଟ ଟ୍ରାକ୍‌ କୋର୍ଟ ଭର୍ଚୁଆଲ୍‌ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି । ଏହି କୋର୍ଟଗୁଡ଼ିକୁ ପକ୍‌ସୋ ଆଇନ୍‌ ଏବଂ ଦୁଷ୍କର୍ମ ସମ୍ବନ୍ଧୀୟ ମାମଲାଗୁଡ଼ିକର ବିଚାର କରିବେ ।

ଏହି ୧୫ଟି ଫାଷ୍ଟ ଟ୍ରାକ୍‌ କୋର୍ଟ କଟକ, ବାଲେଶ୍ୱର, ଭଦ୍ରକ, ବଲାଙ୍ଗୀର, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କେନ୍ଦ୍ରପଡ଼ା, ଖୋର୍ଦ୍ଧା, କୋରାପୁଟ, କନ୍ଧମାଳ, ରାୟଗଡ଼ା, ସମ୍ବଲପୁରରେ କାର୍ଯ୍ୟ କରିବ ଏବଂ ଜଗତସିଂହପୁର ସିଭିଲ୍‌ ଜଜ୍‌ଙ୍କ ଅଧୀନରେ ଏରସମାଠାରେ ଜୁନିଅର ଡିଭିଜନ୍‌ ତଥା ଜୁଡ଼ିସିଆଲ୍‌ ମାଜିଷ୍ଟ୍ରେଟ୍‌ ଫାଷ୍ଟ ଟ୍ରାକ୍‌ କୋର୍ଟ ଖୋଲା ଯାଇଥିବା ବେଳେ ଗଞ୍ଜାମ ସିଭିଲ୍‌ ଜଜ୍‌ଙ୍କ ଅଧୀନରେ ପୋଲସରାଠାରେ ଜୁନିଅର ଡିଭିଜନ୍‌ ତଥା ଜୁଡ଼ିସିଆଲ୍‌ ମାଜିଷ୍ଟ୍ରେଟ୍‌ ଫାଷ୍ଟ ଟ୍ରାକ୍‌ କୋର୍ଟ ଖୋଲାଯିବ ।

ଏହି ଉଚ୍ଚସ୍ତରୀୟ ବୈଠକରେ ଉଚ୍ଚନ୍ୟାୟାଳୟର ଜଜ୍‌ କୁମାରୀ ସଂଜୁ ପଣ୍ଡା, ଶ୍ରୀ ଏସ୍‌.କେ. ମିଶ୍ର, ଶ୍ରୀ ସି.ଆର୍‌. ଦାସ, ଶ୍ରୀ ବିଶ୍ୱଜିତ ମହାନ୍ତି, ଡ. ବି.ଆର୍‌. ଷଡଙ୍ଗୀ, ଶ୍ରୀ ଏସ୍‌. ପୂଜାରୀ, ଶ୍ରୀ ବିଶ୍ୱନାଥ ରଥ, ଶ୍ରୀ ଏସ୍‌.କେ. ସାହୁ, ଶ୍ରୀ କେ. ଆର୍‌. ମହାପାତ୍ର, ଶ୍ରୀ ବି.ପି. ରାଉତରାୟ ଏବଂ  ଶ୍ରୀ ଏସ୍‌.କେ. ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଫସଲବୀମା ସପ୍ତାହ ଅବସରରେ ଜନସଚେତନତା ବୃଦ୍ଧି ପାଇଁ ବାହାରିଲା ପ୍ରଚାର ଗାଡି

ଭୁବନେଶ୍ବର, ଫସଲବୀମା ସପ୍ତାହ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ପ୍ରଚାର ଓ ପ୍ରସାର ଏବଂ ଚାଷୀମାନଙ୍କ ମଧ୍ୟରେ ଜନସଚେତନତା ବୃଦ୍ଧି ନିମନ୍ତେ ଫସଲବୀମା ଯୋଜନା ପ୍ରଚାର ଗାଡ଼ିକୁ ଆଜି କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ୧୦ଟି ଆକାଂକ୍ଷୀ ଜିଲ୍ଲାର ୧୦ଟି ପଛୁଆ ବ୍ଲକ୍‌ରେ ଚାଷୀମାନଙ୍କୁ ଅଧିକ ସଚେତନ କରିବା ପାଇଁ ୨ଟି ପ୍ରଚାର ଗାଡ଼ିର ବ୍ୟବସ୍ଥା କରାଯାଇଛି । ପ୍ରଥମ ଗାଡ଼ିଟି ଭୁବନେଶ୍ୱରରୁ ବାହାରି ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିର ବ୍ଲକ୍‌ଗୁଡ଼ିକ ପରିକ୍ରମା କରିବ।

ଦ୍ୱିତୀୟ ଗାଡ଼ିଟି ଢେଙ୍କାନାଳରୁ ଯାତ୍ରା ଆରମ୍ଭ କରି ଢେଙ୍କାନାଳ ସମେତ ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାର ବ୍ଲକ୍‌ରେ ପ୍ରଚାର କାର୍ଯ୍ୟ କରିବ । ଫସଲ ବୀମା ଯୋଜନା ସମ୍ବନ୍ଧରେ ଚାଷୀମାନଙ୍କୁ ଅଧିକ ସଚେତନ କରିବା ନିମନ୍ତେ ଚଳିତ ବର୍ଷ ଜୁଲାଇ ମାସ ୧ରୁ ୭ ତାରିଖ ପର୍ଯ୍ୟନ୍ତ ‘ଫସଲବୀମା ସପ୍ତାହ’ ପାଳନ କରାଯାଉଛି ।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ନିକଟରେ ବିଦ୍ୟୁତ ଖୁଣ୍ଟକୁ ଧକ୍ଜା ଦେଲା ବାଇକ୍: ଆରୋହୀ ମୃତ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଜଣେ ବାଇକ ଆରୋହୀ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍ଜା ଦେବାରୁ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ନିକଟସ୍ଥ ବଡପଦର ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ଅନୁଯାୟୀ, କବି ବରାଡ ନାମକ ଜଣେ ବ୍ୟକ୍ତି ନିଜ ବାଇକ୍ ରେ ଵଡ ପଦରରୁ ବାହାରି ନାଚୁଣୀ ଆସୁଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇବାରୁ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଯାଇଥିଲା। ଫଳରେ ତାଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଥିଲା।

ଖବର ପାଇ ସ୍ଥାନୀୟ ଲୋକେ ଆମ୍ବୁଲାନସ ସହାୟତାରେ କବିଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ଜଟିଳ ଥିବାରୁ ମେଡିକାଲରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। ଖବର ଲେଖା ହେବା ଯାଏଁ ଟାଙ୍ଗୀ ହସ୍ପିଟାଲରେ ମୃତ ଦେହ ପଡିରହିଥିବା ବେଳେ ନାଚୁଣୀ ଫାଣ୍ଡିକୁ ଶବ ହସ୍ତାନ୍ତର କରିବା ପାଇଁ ସ୍ଥାନୀୟ ପୋଲିସ୍ ଖବର ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

କୃଷକ ଆନ୍ଦୋଳନରୁ ନଜର ହଟାଇବାକୁ ବିଜେପିର କୁମ୍ଭୀର କାନ୍ଦଣା: ବିଜେଡି

ଭୁବନେଶ୍ୱର: ଦୀର୍ଘ ଏକବର୍ଷରୁ ଅଧିକ ସମୟ ଧରି ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ ଓ ହରିଆନାରେ ସେମାନଙ୍କ ଦଳ ବିରୁଦ୍ଧରେ ଚାଲିଥିବା କୃଷକ ଆନ୍ଦୋଳନରୁ ସାଧାରଣ ଲୋକଙ୍କ ନଜର ହଟାଇବା ପାଇଁ ଓଡିଶା ବିଜେପି ଏବଂ ତାଙ୍କ ଦଳର ନେତା ପୃଥ୍ୱୀରାଜ ହରିଚନ୍ଦନ ଆଜି ପୁଣିଥରେ କେତେକ ମିଥ୍ୟା ଓ ଭିତ୍ତିହୀନ ବିବୃତ୍ତି ଦେଇଛନ୍ତି। କୃଷକଙ୍କ ପାଇଁ ବିଜେପିର ଏହା କୁମ୍ଭୀର କାନ୍ଦଣା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି।

ବିଜେପି ନେତାଙ୍କୁ ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ କେନ୍ଦ୍ରରେ ଶାସନ କରୁଥିବା ତାଙ୍କରି ଦଳ ବର୍ତ୍ତମାନ ସୁଦ୍ଧା ଧାନକିଣା ସବସିଡ୍‍ ଆକାରରେ ବାକିଥିବା ୬୬୨୦ କୋଟି ଟଙ୍କା ଓଡିଶାକୁ ଦେଉନଥିବା ପ୍ରସଙ୍ଗକୁ ଶ୍ରୀ ହରିଚନ୍ଦନ ଘୋଡାଇବାକୁ ଚେଷ୍ଟା କରୁଛନ୍ତି। ଏଥି ସହିତ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାର ଓଡିଶାରୁ ୧୦ ଲକ୍ଷ ମେଟ୍ରିକ ଟନ୍‍ ଚାଉଳ ନଉଠାଇବା ଘଟଣାକୁ ମଧ୍ୟ ସେ ଲୁଚାଇବାକୁ ଅପଚେଷ୍ଟା କରୁଥିବା ଶ୍ରୀ ମହାନ୍ତି କହିଛନ୍ତି।

ବିଜେପି ନେତା ଏହା ମଧ୍ୟ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ଯେ ତାଙ୍କ ଦଳ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‍ଏସ୍‍ପି) ୧.୫ ଗୁଣା ବୃଦ୍ଧି କରିନାହିଁ ଯାହାକି ଦଳୀୟ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା କିମ୍ବା ସେମାନେ ସ୍ୱାମୀନାଥନ କମିଶନ ରିପୋର୍ଟ ସୁପାରିଶକୁ ବି ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ କରିନାହାନ୍ତି।

ରାଜନୈତିକ ଦୃଷ୍ଟିରୁ ଗଣମାଧ୍ୟମରେ ତିଷ୍ଠି ରହିବା ପାଇଁ ଏଭଳି ବିବୃତ୍ତି ଦେବା ରାଜ୍ୟ ବିଜେପି ନେତାଙ୍କର ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। ବିଜେପିର ଏଭଳି ବିବୃତ୍ତି କୃଷକମାନଙ୍କ ପାଇଁ କେବଳ କୁମ୍ଭୀର କାନ୍ଦଣା ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସନ୍ଧାନୀ କୁକୁର ଆଣି ଚୋର ଧରିବାକୁ ଆସିଥିଲା ତିର୍ତ୍ତୋଲ ପୋଲିସ: ଗାଁ ଦାଣ୍ଡରେ ହେଲା ମରଣାନ୍ତକ ଆକ୍ରମଣ

ରମେଶ ମହାନ୍ତି
ଜଗତସିଂହପୁର: ଯୋଉ ସମାଜରେ ଅସାମାଜିକ ବ୍ୟକ୍ତି ପୋଲିସକୁ ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ମରଣାନ୍ତକ ଆକ୍ରମଣ କରିବାକୁ ପଛାଉ ନାହିଁ ସେଠି ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏମିତି ଏକ ଜଘନ୍ୟ ଘଟଣା ଆଜି ଦେଖିବାକୁ ମିଳିଛି ରାହାମା ଅଞ୍ଚଳରେ।

ସନ୍ଧାନୀ କୁକୁର ନେଇ ଚୋର ଧରିବାକୁ ଯାଇଥିବା ତିର୍ତ୍ତୋଲ ପୋଲିସକୁ ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ମରଣାନ୍ତକ ଆକ୍ରମଣ କରିଛି ବହୁ କେସ୍ ରେ ସଂପୃକ୍ତ ରହି ଚୋରା ମାଦକଦ୍ରବ୍ୟ ବେପାର କରୁଥିବା ଏକ ଅସାମାଜିକ ବ୍ୟକ୍ତି। ଉକ୍ତ ଅଭିଯୁକ୍ତ ବ୍ୟକ୍ତି ନାଁରେ ତିର୍ତ୍ତୋଲ ଥାନାରେ ପୂର୍ବରୁ ଅନେକ ଗୁଡିଏ ମାମଲା ଦୋକାନ ଘରପୋଡି, ପିକ ଆଇରନ ଚୋରି ସହ ଏମିତିକି ହତ୍ୟା ଉଦ୍ୟମ ମାମଲା ମଧ୍ୟ ରହିଥିବା ଜଣାପଡିଛି। ପୂର୍ବରୁ ଏତେ ଗୁଡ଼ିଏ ଗୁରୁତର ଅଭିଯୋଗ ଥିଲେ ମଧ୍ୟ ଏଭଳି ଜଣେ ଦୁର୍ଦାନ୍ତ ଅପରାଧି ଆଜି ପର୍ଯ୍ୟନ୍ତ ବାହାରେ ବୁଲୁଛି କିପରି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଯାହା ଫଳରେ ଆଜି ପୋଲିସ୍ ଉପରେ ମଧ୍ୟ ମରଣାନ୍ତକ ଆକ୍ରମଣ କରିବାକୁ ପଛାଇନାହିଁ ଏହି ଅଭିଯୁକ୍ତ। ଏହି ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଉଥିବା ବେଳେ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଏହି ଦୁର୍ଦାନ୍ତ ଅପରାଧିକୁ ଆଇନ୍ ଅନୁଯାୟୀ କଠୋର ଦଣ୍ଡ ଦିଆଯିବାକୁ ସାଧାରଣରେ ଦାବି ହେଉଛି।

ସୂଚନାନୁଯାୟୀ ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାଇଲୋ ପଞ୍ଚାୟତ ତେରମାଣପୁର (ବାଲିସାହି) ଗାଁ ଅଞ୍ଚଳରେ ଗତ ୧୫ଦିନ ମଧ୍ୟରେ ଲଗାତାର ଅନେକ ସ୍ଥାନରେ ଚୋରି ହୋଇଥିବା ଅଭିଯୋଗ ହେଉଥିବା ବେଳେ ଗତକାଲି ପୁଣି ତୋଟାସାହି ଗ୍ରାମଦେବତୀ ମନ୍ଦିରରୁ ଚୋରି ହେବାରୁ ଗ୍ରାମବାସୀଙ୍କ ପକ୍ଷରୁ ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଥିଲା। ଆଜି ତିର୍ତ୍ତୋଲ ପୋଲିସ୍ ଚୋର ଧରିବା ପାଇଁ ସନ୍ଧାନୀ କୁକୁର ଆଣି ବାଲିସାହି ଗ୍ରାମରେ ତଦନ୍ତ କରୁଥିବା ବେଳେ ଦିନ ପାଖାପାଖି ୨ଟା ବେଳେ ସନ୍ଧାନୀ କୁକୁର ରତ୍ନାକର ବରାଳଙ୍କ ଘର ଆଡକୁ ଯିବାକ୍ଷଣି ତାଙ୍କର ପୁଅ ନନ୍ଦ କିଶୋର ବରାଳ (୩୫)ହଠାତ୍ ଘରୁ ବାହାରି ଆସି ପୋଲିସକୁ ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ମରଣାନ୍ତକ ଆକ୍ରମଣ କରି ସେଠାରୁ ଫେରାର୍ ହୋଇଯାଇଥିଲା। ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ସମୟରେ ତିର୍ତ୍ତୋଲ ଥାନାର ଏସ୍ ଆଇ ଧରିତ୍ରୀ ଜେନା ଓ କନଷ୍ଟେବଳ ସ୍ମୃତି ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିବାବେଳେ ଏଥିରେ ସ୍ମୃତି ରଞ୍ଜନ ମହାପାତ୍ର ଗୁରୁତର ଆହତ ହୋଇଥିବା ଜଣାପଡିଛି।

ସୂଚନାନୁଯାୟୀ ଗତ ୧୫ଦିନ ମଧ୍ୟରେ ଉକ୍ତ ବାଲିସାହି ଗ୍ରାମର ଅଙ୍ଗନବାଡି କେନ୍ଦ୍ରରୁ ତାଲା ଭାଙ୍ଗି ଚୋରି ଓ ସାଇଲୋ ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରି ହେବା ସହିତ ଲଗାତାର ଅନେକ ଚୋରି ହେଇଚାଲିଥିବା ଅଭିଯୋଗ ହୋଇଛି। ଗତକାଲି ଉକ୍ତ ଗ୍ରାମର ଗ୍ରାମଦେବତୀ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ପାଇବା ପରେ ଆଜି ତିର୍ତ୍ତୋଲ ପୋଲିସ୍ ସନ୍ଧାନୀ କୁକୁର ନେଇ ଚୋର ଧରିବା ପାଇଁ ଯାଇଥିବା ବେଳେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛି।