Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ ୨୦୨୪’ ଉଦ୍‌ଘାଟିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଜି ଭୁନେଶ୍ୱରସ୍ଥିତ କନଭେନସନ୍‌ ସେଣ୍ଟର୍‌ଠାରେ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ ୨୦୨୪’ ଉଦ୍‌ଘାଟିତ ହୋଇଯାଇଛି। ସମ୍ମିଳନୀ ଅବସରରେ ଶ୍ରୀ ଅନ୍ନର ବହୁଳ ବ୍ୟବହାର ଏବଂ ଏହାର ଗୁଣାତ୍ମକ ଦିଗ ବାବଦରେ ବିଭିନ୍ନ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।

ଏକ ବୈଷୟିକ ଅଧିବେଶନରେ ବିସ୍ମୃତ ଖାଦ୍ୟଶସ୍ୟର ପ୍ରକ୍ରିୟାକରଣ ଓ ମୂଲ୍ୟଯୋଗକୁ ନେଇ ବିସ୍ତୃତ ଆଲୋଚନା। ଏହି ଆଲୋଚନାରେ ବିସ୍ମୃତ ଖାଦ୍ୟକୁ ଲୋକାଭିମୁଖ କରିବା ଉଦ୍ଦେଶ୍ୟରେ ଏହାକୁ କିପରି ନୂତନ ଉପାୟରେ, ନୂତନ ପ୍ରଣାଳୀ ମାଧ୍ୟମରେ ଅଧିକ ଲୋକପ୍ରିୟ କରାଯାଇପାରିବ ସେ ନେଇ ଆଲୋଚନା କରାଯାଇଥିଲା।

ବୈଠକର ମୁଖ୍ୟବକ୍ତା ଭାବେ ଯୋଗଦେଇ ଓୟୁଏଟିର ଅଧ୍ୟାପକ ଡ. ନିହାର ରଞ୍ଜନ ସାହୁ ନୂତନ ପ୍ରକ୍ରିୟାକରଣ ଓ ମୂଲ୍ୟଯୋଗ ଦ୍ୱାରା ବିସ୍ମୃତ ଖାଦ୍ୟକୁ କିଭଳି ପୁଣି ଲୋକପ୍ରିୟ କରାଯାଇପାରିବ ସେ ନେଇ ମତ ରଖିଥିଲେ। ମହାରାଷ୍ଟ୍ରରୁ ଆସିଥିବା ସୃଜନ ସଂସ୍ଥାର ଟିମ୍‌ ଲିଡର ସନ୍ଦୀପ ଭୂଜେଲ ଆତ ଉତ୍ପାଦନରେ ଆଣିଥିବା ବୈପ୍ଲବିକ ପରିବର୍ତ୍ତନ ଓ ନିଜର ଅନୁଭୂତି ସମ୍ପର୍କରେ ଆଲୋଚନା କରିଥିଲେ। ଏମ୍‌. ଏସ୍‌. ସ୍ୱମୀନାଥାନ ରିସର୍ଚ୍ଚ ଫାଉଣ୍ଡେସନର ବୈଜ୍ଞାନିକ ଡ କାର୍ତ୍ତିକ ଚରଣ ଲେଙ୍କା ପୋଷଣୀୟ ଶକ୍ତି ବୃଦ୍ଧିରେ ବିସ୍ମୃତ ଖାଦ୍ୟର ଭୂମିକା ସମ୍ପର୍କରେ ସୂଚନା ଦେଇଥିଲେ। ସେଣ୍ଟ୍ରାଲ ଟୁ୍ୟବର୍‌ କ୍ରª ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଅଧକ୍ଷ ଡ଼. କେ. ଲକ୍ଷ୍ମୀନାରୟଣ ମାଟି ତଳେ ଫଳୁଥିବା ଫସଲ ଯଥା – ମାଟି ଆଳୁ, ପାଳୁଅ, କନ୍ଦମୂଳ, ସାରୁ ଆଦି ଫସଲର ମୂଲ୍ୟଯୋଗ ସମ୍ପର୍କରେ ସୂଚନା ଦେଇଥିଲେ।

ତାଞ୍ଜାଭୁରସ୍ଥିତ ଦି ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫୁଡ୍‌ ଟେକ୍ନୋଲୋଜି, ଏଣ୍ଟ୍ରୋପ୍ରିନୋର୍ସିିପ ଆଣ୍ଡ ମାନେଜ୍‌ମେଣ୍ଟର ସହାୟକ ଅଧ୍ୟାପକ ଡ଼ ଭିନସେଣ୍ଟ ହେମା ବିସ୍ମୃତ ଖାଦ୍ୟର ପୋଷଣୀୟତା ବୃଦ୍ଧି ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରେ ଅନେକ ଚାଷୀ ଯୋଗ ଦଇ ଚାଷକୁ ନେଇ ନିଜ ନିଜ ସମସ୍ୟା ବିଷୟରେ ପଚାରି ବୁଝିଥିଲେ।

ଶେଷରେ ଉପସ୍ଥିତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପର ବୌଦ୍ଧ-ପୁରାଣକଟକ ସେକ୍ସନ ମହାପ୍ରବନ୍ଧକଙ୍କ ଦ୍ୱାରା ନିରୀକ୍ଷଣ

ଭୁବନେଶ୍ୱର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଶନିବାର ଦିନ ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିବା ପାଇଁ ବୌଦ୍ଧ ଏବଂ ପୁରୁଣାକଟକ ମଧ୍ୟରେ ନୂତନ ଭାବେ ନିର୍ମିତ ରେଳ ଲାଇନର ନିରୀକ୍ଷଣ କରିଛନ୍ତି।  ଏହି ନିରୀକ୍ଷଣ ପ୍ରକଳ୍ପର ଠିକ ସମୟରେ ସମାପ୍ତି ସୁନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଓଡିଶାର ଉପାନ୍ତ ତଥା ଆକାଂକ୍ଷୀ ଅଞ୍ଚଳରେ ସଂଯୋଗକୁ ସୁଦୃଢ଼ କରିବାକୁ ପଦକ୍ଷେପ ନିଆଯାଇଅଛି।

ନୀରିକ୍ଷଣର ମୁଖ୍ୟ ଆକର୍ଷଣ:

ଟ୍ରାକ୍ ବିଛାଇବାରେ ଅଗ୍ରଗତି: ନିର୍ମାଣ ୟୁନିଟ୍ ଦ୍ୱାରା ବୌଦ୍ଧ ଏବଂ ପୁରୁଣାକଟକ ମଧ୍ୟରେ ଥିବା ନୂତନ ନିର୍ମିତ ଟ୍ରାକ୍ ରେ ଇଞ୍ଜିନ ଗଡ଼ିବା ଏବଂ ପରୀକ୍ଷଣ ସଫଳତାର ସହିତ ସମାପ୍ତ ହୋଇସାରିଛି।

ପ୍ରକଳ୍ପ ସମାପ୍ତି: ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ମୋଟ 301 କିଲୋମିଟର ଦୈର୍ଘ୍ୟ ମଧ୍ୟରୁ ଆଜି ପର୍ଯ୍ୟନ୍ତ 226 କିଲୋମିଟରର କାର୍ଯ୍ୟ ଶେଷ ହୋଇଛି ଏବଂ ତନ୍ମଧ୍ୟରୁ 199 କିଲୋମିଟର କାର୍ଯ୍ୟକ୍ଷମ ହୋଇସାରିଛି।

ନୂତନ ସେକ୍ସନ ରେପ୍ରକଳ୍ପର ଅଗ୍ରଗତି: ପୁରୁଣାକଟକ ଏବଂ ବୌଦ୍ଧ ମଧ୍ୟରେ 27 କିଲୋମିଟର ଦୂରତା ସମାପ୍ତ ହେବା ସହିତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରାଯାଇଥିଲା।  ପୁରୁଣାକଟକ ଏବଂ ଚମ୍ପାପୁର ମଧ୍ୟରେ ନୂତନ ଭାବେ ନିର୍ମିତ ରେଳ ଷ୍ଟ୍ରେଚରେ 9 ଟି ପ୍ରମୁଖ ସେତୁ, 2 ଟି ରୋଡ୍ ଓଭର ବ୍ରିଜ୍ (ROB), 15 ଟି ରୋଡ୍ ଅଣ୍ଡର ବ୍ରିଜ୍ (RUBs) ଏବଂ 35 ଟି ଛୋଟ ବ୍ରିଜ୍ ଅନ୍ତର୍ଭୁକ୍ତ, ଯାହା ନିରାପତ୍ତା ଏବଂ ଦକ୍ଷ ରେଳ ଚଳାଚଳ ପାଇଁ ସହଜ ଅଟେ।

ଚାଲୁରହିଥିବା ନିର୍ମାଣ ପ୍ରୟାସ: ବଡ ଦୈର୍ଘ୍ୟର ଅଂଶ ଭାବରେ ବୌଦ୍ଧ ଠାରୁ ଚମ୍ପାପୁର ପର୍ଯ୍ୟନ୍ତ ରେଳ ଲାଇନ ସେକ୍ସନରେ ନିର୍ମାଣ କାର୍ଯ୍ୟ ମେ 2024 ରେ ଶେଷ ହୋଇଥିଲା ଏବଂ ଅବଶିଷ୍ଟ ବିଭାଗରେ ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଦ୍ରୁତ ଗତିରେ ଆଗକୁ ବଢୁଛି। ନିର୍ମାଣ କାର୍ଯ୍ୟର ସମାପ୍ତିକୁ ତ୍ୱରାନ୍ୱିତ କରିବାକୁ, ପ୍ରକଳ୍ପର ଉଚ୍ଚାଭିଳାଷୀ ସମୟସୀମାକୁ ପାଳନ କରିବା ସୁନିଶ୍ଚିତ କରି ଏକକାଳୀନ ଉଭୟ ପ୍ରାନ୍ତରୁ କାର୍ଯ୍ୟ ଚାଲୁରହିଛି।

ଅବଶିଷ୍ଟ ବିଭାଗ: ସମୁଦାୟ 301 କିଲୋମିଟର ମଧ୍ୟରୁ ପୁରୁଣାକଟକ ଏବଂ ଦଶପଲ୍ଲା ମଧ୍ୟରେ ଅବଶିଷ୍ଟ 75 କିଲୋମିଟର ରେଳ ସେକ୍ସନ ଯାହା ଘଞ୍ଚ ଜଙ୍ଗଲ ଏବଂ ଅଭୟାରଣ୍ୟ ମଧ୍ୟରେ ଗତିକରୁଛି ସେଥିରେ ଟନେଲ ନିର୍ମାଣର କଠିନ କାର୍ଯ୍ୟ ଅନ୍ତର୍ଭୁକ୍ତ ଅଛି। ଏହି ଟନେଲଗୁଡିକର ସମାପ୍ତି, ପ୍ରକଳ୍ପ ପାଇଁ ଏକ ପ୍ରମୁଖ ସଫଳତା ହେବ ବୋଲି ଆଶା କରାଯାଉଛି।

ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପଦକ୍ଷେପ:

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ପରିବହନ ତଥା ଅର୍ଥନୈତିକ ବିକାଶକୁ ବିଶେଷ ଭାବରେ ଓଡିଶାର ଅଧିକ ଉପାନ୍ତ ତଥା ଆକାଂକ୍ଷା ଅଞ୍ଚଳରେ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛି। ପ୍ରମୁଖ ସହର ମାନଙ୍କ ସହିତ ସଂଯୋଗକୁ ଉନ୍ନତ କରି ଏହି ରେଳ ଲାଇନ ଟ୍ରେନ୍ ଯାତାୟାତକୁ ସୁଗମ କରିବା ସହିତ ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ସହାୟକ ହେବ।

ଶ୍ରୀ ଫୁଙ୍କୱାଲ ତାଙ୍କ ଯାଞ୍ଚ ସମୟରେ ନିର୍ମାଣର ଗତିଧାରା ବଜାୟ ରଖିବା ଏବଂ ସମସ୍ତ ପ୍ରସ୍ତାବିତ ଷ୍ଟେସନରେ ଆବଶ୍ୟକ ଯାତ୍ରୀ ସୁବିଧା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି ମଧ୍ୟ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ କଠିନ ଭୂମି, ବିଶେଷକରି ଟନେଲ ଥିବା ରେଳ ସେକ୍ସନ ମାନଙ୍କରେ ଇଂଜିନିୟରିଂ ଆହ୍ୱାନ ସତ୍ତ୍ୱେ ଏହି ପ୍ରକଳ୍ପ ଠିକ ସମୟରେ ଶେଷ ହେବ।

ପ୍ରକଳ୍ପର ଅଗ୍ରଗତି:

ଏହି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ନିର୍ଦ୍ଧାରିତ ସମୟରେ ସମ୍ପାଦନ କରିବାକୁ ପୂର୍ବତଟ ରେଳପଥ ପ୍ରତିଶୃତିବଦ୍ଧ ଥିବାବେଳେ ଏହା ରେଳ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣରେ କାର୍ଯ୍ୟକାରୀ କରାଯାଉଅଛି। ବୌଦ୍ଧ-ପୁରାଣକଟକ ରେଳ ସେକ୍ସନର ସଫଳ ସମାପ୍ତି ହେଉଛି ଏକ ପ୍ରମୁଖ ପଦକ୍ଷେପ ଏବଂ ସବୁଠାରୁ କଠିନ ପରିବେଶରେ ଜଟିଳ ଭିତ୍ତିଭୂମି ବିତରଣ ପାଇଁ ଇଞ୍ଜିନିୟରିଂ ଚ୍ୟାଲେଞ୍ଜକୁ ଦୂର କରିବାରେ ଭାରତୀୟ ରେଳବାଇର ଉତ୍ସର୍ଗୀକୃତ ପ୍ରଦର୍ଶନ କରୁଅଛି।

ରେଳ ସୁରକ୍ଷା ଆୟୁକ୍ତ (କମିଶନର) (CRS) ଙ୍କ ସଫଳ ନିରୀକ୍ଷଣ ଓ ତାଙ୍କର ଅନୁମତି ପାଇବା ପରେ ଏବଂ ଆନୁସଙ୍ଗିକ ଭିତ୍ତିଭୂମି ତଥା ଯାତ୍ରୀ ସୁବିଧା ଗୁଡିକର କାର୍ଯ୍ୟ ସମାପ୍ତ ହେବା ପରେ ନୂତନ ଭାବେ ନିର୍ମିତ ରେଳ ସେକ୍ସନ ଗୁଡ଼ିକରେ ଟ୍ରେନ୍ ସେବା ଚଳାଇବାକୁ ନିଷ୍ପତ୍ତି ନିଆଯିବ। ନିୟମିତ କାର୍ଯ୍ୟ ପାଇଁ ଟ୍ରାକର ଫିଟନେସ୍ ସୁନିଶ୍ଚିତ କରିବାକୁ ଏକ ହାଲୁକା ଇଞ୍ଜିନ୍ ଟ୍ରାଏଲ୍ ରନ୍ ପୂର୍ବରୁ ପରୀକ୍ଷଣ କରାଯାଇ ଅଛି।

ଏହି ପ୍ରକଳ୍ପ ଅଗ୍ରଗତି ଜାରି ରଖିଥିବାରୁ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ସଂଯୋଗୀକରଣ ବୃଦ୍ଧି ତଥା ଓଡିଶାରେ ଅର୍ଥନୈତିକ ବିକାଶ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ହୋଇ ରହିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଭାରତରେ ଚିକିତ୍ସା ବାବଦ ଅତିରିକ୍ତ ପକେଟ୍ ଖର୍ଚ୍ଚ ହ୍ରାସ: ଅଧିକ ଶସ୍ତା ଓ ସୁଲଭ ହେଉଛି ସାର୍ବଜନୀନ ସ୍ୱାସ୍ଥ୍ୟ ସେବା

ନୂଆଦିଲ୍ଲୀ: ୦୨୧-୨୨ ପାଇଁ ଜାତୀୟ ସ୍ୱାସ୍ଥ୍ୟ ଆକାଉଣ୍ଟ (ଏନଏଚଏ) ତଥ୍ୟରେ ଏକ ସକାରାତ୍ମକ ଧାରା ପ୍ରକାଶିତ ହୋଇଛି । ଦେଶରେ ମୁଖ୍ୟତଃ ସରକାରୀ ପୁଞ୍ଜିନିବେଶ ବୃଦ୍ଧି ଏବଂ ଉନ୍ନତ ସାର୍ବଜନୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା କାରଣରୁ ଚିକିତ୍ସା ବାବଦ ଅତିରିକ୍ତ ପକେଟ୍‌ ଖର୍ଚ୍ଚ ହ୍ରାସ ପାଉଛି। ଏନ୍ଏଚ୍ଏ ତଥ୍ୟ ଅନୁଯାୟୀ, ୨୦୧୪-୧୫ରୁ ୨୦୨୧-୨୨ ମଧ୍ୟରେ ଜିଡିପିର ପ୍ରତିଶତ ହିସାବରେ ସରକାରୀ ସ୍ୱାସ୍ଥ୍ୟ ଖର୍ଚ୍ଚ (ଜିଏଚ୍ଇ) ୧.୧୩%ରୁ ୧.୮୪%କୁ ବୃଦ୍ଧି ପାଇଛି। ଏହାବ୍ୟତୀତ, ସାମଗ୍ରିକ ସରକାରୀ ଖର୍ଚ୍ଚରେ ଜିଏଚଇର ଅଂଶ ୩.୯୪% ରୁ ୬.୧୨% କୁ ବୃଦ୍ଧି ପାଇଛି, ଯାହା ଜନସ୍ୱାସ୍ଥ୍ୟ ପ୍ରତି ଏକ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ । ଏହି ସମୟ ମଧ୍ୟରେ ମୁଣ୍ଡପିଛା ଚିକିତ୍ସା ଖର୍ଚ୍ଚ ୧୧୦୮ ଟଙ୍କାରୁ ତିନି ଗୁଣ ବୃଦ୍ଧି ପାଇ ୩୧୬୯ ଟଙ୍କାରେ ପହଞ୍ଚିଛି।

ଏହି ବୃଦ୍ଧି ଜରିଆରେ ସରକାର ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମିକୁ ସୁଦୃଢ଼ କରିପାରିଛନ୍ତି। ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟ ସହ ଜଡ଼ିତ ସେବାଗୁଡ଼ିକ ଅଧିକ ଶସ୍ତା ଏବଂ ସୁଲଭ ହୋଇଛି ଯାହା ଦ୍ୱାରା ସିଧାସଳଖ ଚିକିତ୍ସା ବାବଦ ଅତିରିକ୍ତ ପକେଟ୍‌ ଖର୍ଚ୍ଚ କମିଛି । କୋଭିଡ୍-୧୯ ମହାମାରୀ ମୁକାବିଲା ପାଇଁ ସରକାରଙ୍କ ପ୍ରତିକାରମୂଳକ ପଦକ୍ଷେପରେ ଏହି ପରିବର୍ତ୍ତନ ଉପରେ ଅଧିକ ଗୁରୁତ୍ୱାରୋପ କରାଯାଇଥିଲା। ଉଭୟ ତତ୍କାଳ ସ୍ୱାସ୍ଥ୍ୟ ଆବଶ୍ୟକତା ପୂରଣ ଏବଂ ଅଣ-ସଂକ୍ରାମକ ରୋଗ (ଏନସିଡି) ବୃଦ୍ଧିର ମୁକାବିଲା ଭଳି ଦୀର୍ଘମିଆଦୀ ସ୍ୱାସ୍ଥ୍ୟ ଆହ୍ୱାନକୁ ଲକ୍ଷ୍ୟ କରି ପୁଞ୍ଜି ନିବେଶ କରାଯାଇଥିଲା।

ଅତିରିକ୍ତ ପକେଟ୍ ଖର୍ଚ୍ଚ (ଓଓପିଇ)

ସ୍ୱାସ୍ଥ୍ୟ ସେବା ନିମନ୍ତେ ଅତିରିକ୍ତ ପକେଟ୍ ଖର୍ଚ୍ଚ (ଓଓପିଇ) ଅର୍ଥ ହେଉଛି ଡାକ୍ତରଙ୍କ ପରାମର୍ଶ ନେବା, ଔଷଧ ଏବଂ ଡାକ୍ତରଖାନାରେ ରହିବା ଭଳି ଚିକିତ୍ସା ସେବା ପାଇଁ ଲୋକମାନେ ସିଧାସଳଖ ନିଜ ପକେଟରୁ ଦେଉଥିବା ଅର୍ଥକୁ ବୁଝାଏ । ଭାରତରେ, ଉଚ୍ଚ ଓଓପିଇ ଦୀର୍ଘ ଦିନ ଧରି ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ହୋଇ ରହିଆସିଛି, ବିଶେଷକରି ନିମ୍ନ ଆୟକାରୀ ପରିବାରମାନଙ୍କ ପାଇଁ ଏହା ବୋଝ ସଦୃଶ। କାରଣ ଏହା ଅନେକଙ୍କୁ ସେମାନଙ୍କ ରୋଜଗାର କିମ୍ବା ସଞ୍ଚୟର ଏକ ବଡ଼ ଅଂଶ ସ୍ୱାସ୍ଥ୍ୟସେବାରେ ଖର୍ଚ୍ଚ କରିବାକୁ ବାଧ୍ୟ କରେ । ଏହି ଆର୍ଥିକ ବୋଝ ପରିବାରଗୁଡ଼ିକୁ ଦାରିଦ୍ର୍ୟ ଭିତରକୁ ଠେଲି ଦେଇପାରେ, ଋଣ ସୃଷ୍ଟି କରିପାରେ ଏବଂ ସେମାନଙ୍କ ପାଇଁ ଖାଦ୍ୟ ଓ ଶିକ୍ଷା ଭଳି ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା କଷ୍ଟସାଧ୍ୟ କରିପାରେ । ଉଚ୍ଚ ଓଓପିଇ ଲୋକମାନଙ୍କୁ ଠିକ୍ ସମୟରେ ଚିକିତ୍ସା ସହାୟତା ନେବାକୁ ନିରୁତ୍ସାହିତ କରିଥାଏ, ଯାହା ଦୀର୍ଘକାଳୀନ ଭାବରେ ଖରାପ ସ୍ୱାସ୍ଥ୍ୟାବସ୍ଥା ଏବଂ ଅଧିକ ଚିକିତ୍ସା ଖର୍ଚ୍ଚର କାରଣ ହୋଇପାରେ । ଏହି ସବୁ ସମସ୍ୟାକୁ ସ୍ୱୀକାର କରି ଭାରତ ସରକାର ଓଓପିଇ କୁ ହ୍ରାସ କରିବା ପାଇଁ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟ ବୀମା ଯୋଜନାରେ ନିଜର ପୁଞ୍ଜିନିବେଶ ବଢ଼ାଉଛନ୍ତି । ସ୍ୱାସ୍ଥ୍ୟସେବାକୁ ଅଧିକ ଶସ୍ତା ଓ ସୁଲଭ କରିବା, ପରିବାରଗୁଡ଼ିକୁ ଆର୍ଥିକ ଅସୁବିଧାରୁ ଦୂରେଇ ରହିବାରେ ସାହାଯ୍ୟ କରିବା ଏବଂ ସାମଗ୍ରିକ ଭାବରେ ଏକ ସୁସ୍ଥ ଜନସଂଖ୍ୟାକୁ ସମର୍ଥନ କରିବା ଏହି ପ୍ରୟାସର ଲକ୍ଷ୍ୟ।

ଚିକିତ୍ସା ବାବଦରେ ଅତିରିକ୍ତ ପକେଟ୍ ଖର୍ଚ୍ଚ (ଓଓପିଇ) ହ୍ରାସର କାରଣ

ସରକାରୀ ସ୍ୱାସ୍ଥ୍ୟ ବ୍ୟୟ (ଜିଏଚଇ) ବୃଦ୍ଧି ପାଇବା : ୨୦୧୪-୧୫ରୁ ୨୦୨୧-୨୨ ମଧ୍ୟରେ ସ୍ୱାସ୍ଥ୍ୟ ଖର୍ଚ୍ଚରେ ସରକାରଙ୍କ ଯୋଗଦାନ ଜିଡିପିର ୧.୧୩%ରୁ ୧.୮୪% କୁ ବୃଦ୍ଧି ପାଇଛି, ଯାହା ଦ୍ୱାରା ସାର୍ବଜନୀନ ସ୍ୱାସ୍ଥ୍ୟସେବା ସୁବିଧା ଏବଂ ସେବା ବୃଦ୍ଧି ହୋଇପାରିଛି । ଏହି ବୃଦ୍ଧି ସ୍ୱାସ୍ଥ୍ୟସେବାକୁ ଅଧିକ ଶସ୍ତା ଏବଂ ସୁଲଭ କରିଥାଏ, ଯାହା ବ୍ୟକ୍ତିବିଶେଷଙ୍କ ପକେଟରୁ ଅତିରିକ୍ତ ଖର୍ଚ୍ଚର ଆବଶ୍ୟକତାକୁ ହ୍ରାସ କରିଥାଏ (ଏନଏଚଏ ୨୦୨୧-୨୨)।

ସାମାଜିକ ସୁରକ୍ଷା ବ୍ୟୟ (ଏସଏସଇ) ସମ୍ପ୍ରସାରଣ: ସରକାରୀ ଅନୁଦାନପ୍ରାପ୍ତ ସ୍ୱାସ୍ଥ୍ୟ ବୀମା ଏବଂ ସାମାଜିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମେତ ସ୍ୱାସ୍ଥ୍ୟସେବା ଉପରେ ସାମାଜିକ ସୁରକ୍ଷା ବ୍ୟୟ ୨୦୧୪-୧୫ରେ ମୋଟ ସ୍ୱାସ୍ଥ୍ୟ ବ୍ୟୟର ୫.୭% ଥିବାବେଳେ ୨୦୨୧-୨୨ରେ ଏହା ୮.୭% କୁ ବୃଦ୍ଧି ପାଇଛି । ଏହି ସମ୍ପ୍ରସାରଣ ବ୍ୟକ୍ତିବିଶେଷଙ୍କୁ ଅକସ୍ମାତ ସ୍ୱାସ୍ଥ୍ୟ ଖର୍ଚ୍ଚରୁ ରକ୍ଷା କରିଥାଏ ଏବଂ ସେମାନଙ୍କର ଓଓପିଇ (ଏନଏଚ୍ଏ ୨୦୨୧-୨୨) ହ୍ରାସ କରିଥାଏ ।

ସରକାରୀ ଅନୁଦାନପ୍ରାପ୍ତ ବୀମା ଯୋଜନାର ଅଭିବୃଦ୍ଧି: ଆୟୁଷ୍ମାନ ଭାରତ ଭଳି କାର୍ଯ୍ୟକ୍ରମ ସହିତ ବିଭିନ୍ନ ରାଜ୍ୟସ୍ତରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଲୋକଙ୍କୁ ବୀମା କଭରେଜ୍ ପ୍ରଦାନ କରିଛି। ଏହା ସ୍ୱାସ୍ଥ୍ୟସେବା ପାଇଁ ବ୍ୟକ୍ତିଗତ ଆର୍ଥିକ ବ୍ୟୟ ଉପରେ ସେମାନଙ୍କର ନିର୍ଭରଶୀଳତାକୁ ହ୍ରାସ କରିଥାଏ ଯାହାକି ଓଓପିଇ (ଏନଏଚଏ ୨୦୨୧-୨୨)ରେ ହ୍ରାସରେ ଯୋଗଦାନ କରିଥାଏ।

ସାର୍ବଜନୀନ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ଶ୍ରମଶକ୍ତି ଉପରେ ଗୁରୁତ୍ୱ : ଜନସ୍ୱାସ୍ଥ୍ୟ ଭିତ୍ତିଭୂମିରେ ପୁଞ୍ଜିନିବେଶ ବୃଦ୍ଧି, ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରଶିକ୍ଷଣ ଏବଂ ସ୍ୱାସ୍ଥ୍ୟସେବା ସୁବିଧାର ବିକାଶ, ବିଶେଷକରି ଗ୍ରାମୀଣ ଓ ଅବହେଳିତ ଅଞ୍ଚଳରେ ସେବା ଉପଲବ୍ଧତା ଓ ସାମର୍ଥ୍ୟରେ ଉନ୍ନତି ଆଣିବା କାରଣରୁ ଓଓପିଇ ବୋଝ (ଏନଏଚ୍ଏ ୨୦୨୧-୨୨) ହ୍ରାସ ପାଇଛି ।

ଅଣ ସଂକ୍ରାମକ ରୋଗ ପାଇଁ ଲକ୍ଷ୍ୟବଦ୍ଧ (ଏନସିଡି) କାର୍ଯ୍ୟକ୍ରମ : ଏନସିଡିର ସଂଖ୍ୟା ବୃଦ୍ଧି ସହିତ, ସରକାର ଏହି ଦୀର୍ଘମିଆଦୀ ଅସୁସ୍ଥତାର ପରିଚାଳନା ଓ ପ୍ରତିରୋଧ ପାଇଁ ଲକ୍ଷ୍ୟ ଆଧାରିତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ରୋଗୀଙ୍କ ଉପରେ ଏପରି ଚିକିତ୍ସା ସେବା ପାଇଁ ବ୍ୟକ୍ତିଗତ ଭାବରେ ପଇଠ ହେଉଥିବା ଖର୍ଚ୍ଚ ବୋଝ ହ୍ରାସ (ଏନଏଚଏ ୨୦୨୧-୨୨) ପାଇଛି।

କୋଭିଡ୍୧୯ ମୁକାବିଲା ଏବଂ ଦୀର୍ଘମିଆଦୀ ସ୍ୱାସ୍ଥ୍ୟ ରଣନୀତି: ମହାମାରୀ ଏକ ଦୃଢ଼ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲା, ଯାହା ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶକୁ ଆଗେଇ ନେଇଥିଲା। ଏହାର ମୁକାବିଲା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ଏକ ତତ୍କାଳ ଆବଶ୍ୟକତାକୁ ପୂରଣ କରିବା ସହିତ, ସୁଲଭ ସ୍ୱାସ୍ଥ୍ୟସେବା ବିକଳ୍ପ ପାଇଁ ଏକ ଭିତ୍ତିଭୂମି ସ୍ଥାପନ କରିଛି ଯାହା ଦୀର୍ଘକାଳୀନ ଭାବରେ ଓଓପିଇକୁ ହ୍ରାସ କରିବା ଜାରି ରଖିଛି (ଏନଏଚଏ ୨୦୨୧-୨୨)।

ଭାରତର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ପାଇଁ ଓଓପିଇ ହ୍ରାସର ପ୍ରଭାବ

ଉନ୍ନତ ସ୍ୱାସ୍ଥ୍ୟସେବା ଉପଲବ୍ଧତା: ଓଓପିଇ ହ୍ରାସ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଲଭ କରିଛି। ଏହା ବିଶେଷକରି ଗ୍ରାମାଞ୍ଚଳର ବ୍ୟକ୍ତିବିଶେଷଙ୍କୁ ବିନା ଆର୍ଥିକ ଚିନ୍ତାରେ ଚିକିତ୍ସା ସେବା ପାଇବାକୁ ଉତ୍ସାହିତ କରୁଛି । ଫଳରେ ବିଭିନ୍ନ ସାମାଜିକ-ଆର୍ଥିକ ଗୋଷ୍ଠୀ (ଏନ୍ଏଚ୍ଏ ୨୦୨୧-୨୨)ରେ ସ୍ୱାସ୍ଥ୍ୟସେବାର ଅଧିକ ସମାନ ଉପଲବ୍ଧତା ହୋଇପାରୁଛି।

ସୁଦୃଢ଼ ସାର୍ବଜନୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା: ଓଓପିଇ ହ୍ରାସ ଏକ ବିସ୍ତୃତ ଜନସଂଖ୍ୟା ପାଇଁ ଭିତ୍ତିଭୂମି ଆବଶ୍ୟକତାକୁ ପୂରଣ କରିବା, ସ୍ୱାସ୍ଥ୍ୟସେବା ସମ୍ବଳକୁ ଅଧିକ ସମାନ ଭାବରେ ବଣ୍ଟନ କରିବା ଏବଂ ବର୍ଦ୍ଧିତ ଚାହିଦାକୁ ପରିଚାଳନା କରିବା ପାଇଁ ସାମଗ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସକ୍ଷମ ହୋଇପାରିଛି ।

ଉତ୍ତମ ସ୍ୱାସ୍ଥ୍ୟ ପରିଣାମ ଏବଂ ରୋଗ ନିରାକରଣ: ଯେହେତୁ ବ୍ୟକ୍ତିବିଶେଷମାନେ ପ୍ରତିଷେଧକ ଚିକିତ୍ସା ବହନ କରିପାରନ୍ତି, ସେମାନେ ଚିକିତ୍ସାରେ ବିଳମ୍ବ କରିବାର ସମ୍ଭାବନା କମ୍ ଥାଏ । ଏହି ସକ୍ରିୟ ଆଭିମୁଖ୍ୟ ରୋଗର ଗମ୍ଭୀରତାକୁ ହ୍ରାସ କରିପାରେ, ସ୍ୱାସ୍ଥ୍ୟ ଫଳାଫଳରେ ଉନ୍ନତି ଆଣିପାରେ ଏବଂ ସ୍ୱାସ୍ଥ୍ୟ ପ୍ରଣାଳୀ ଉପରେ ସାମଗ୍ରିକ ସ୍ୱାସ୍ଥ୍ୟସେବା ବୋଝକୁ ସମ୍ଭାବ୍ୟ ଭାବରେ ହ୍ରାସ କରିପାରେ (ଏନ୍ଏଚ୍ଏ ୨୦୨୧-୨୨)।

ପାରିବାରିକ ଆର୍ଥିକ ସ୍ଥିରତା ବୃଦ୍ଧି: ଚିକିତ୍ସା ବାବଦରେ ପାରିବାରିକ ଆୟରୁ କମ୍‌ ଖର୍ଚ୍ଚ ହେଉଥିବା କାରଣରୁ ଅଧିକାଂଶ ପରିବାର, ବିଶେଷକରି ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନେ ସେମାନଙ୍କର ଆର୍ଥିକ ସ୍ଥିରତାରେ ଉନ୍ନତି ଆଣି ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ନିଜ ପାଣ୍ଠି ବିନିଯୋଗ କରିବାକୁ ସକ୍ଷମ ହୋଇପାରିବେ (ଏନଏଚଏ ୨୦୨୧-୨୨)।

ସ୍ୱାସ୍ଥ୍ୟସେବାରେ କର୍ମଚାରୀଙ୍କ ଅଂଶଗ୍ରହଣ ପାଇଁ ପ୍ରୋତ୍ସାହନ: ଉନ୍ନତ ସରକାରୀ ପାଣ୍ଠି ସହିତ, ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଏବଂ ପ୍ରଶିକ୍ଷଣ ଦେଇପାରିବେ, ଯାହା ବିଶେଷକରି ଅବହେଳିତ ଅଞ୍ଚଳରେ ସେବା ପ୍ରଦାନରେ ଉନ୍ନତି ଆଣିଥାଏ । ଉଭୟ ନିୟମିତ ଏବଂ ଜରୁରୀକାଳୀନ ସ୍ୱାସ୍ଥ୍ୟ ଆବଶ୍ୟକତାକୁ ମୁକାବିଲା କରିବା ପାଇଁ ପ୍ରଶିକ୍ଷିତ କର୍ମଚାରୀ ଗୁରୁତ୍ୱପୂର୍ଣ୍ଣ (ଏନଏଚଏ ୨୦୨୧-୨୨)।

ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରସାର ପାଇଁ ପ୍ରୋତ୍ସାହନ: ଓଓପିଇର ହ୍ରାସ ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପାଣ୍ଠିକୁ ସୁଦୃଢ କରିବା ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରସାର ନିମନ୍ତେ ଭାରତର ଦୀର୍ଘମିଆଦୀ ଲକ୍ଷ୍ୟ ସହିତ ସମନ୍ୱିତ ରହିଛି । ନିରନ୍ତର ପୁଞ୍ଜିନିବେଶ ସହିତ, ଦେଶ ଏପରି ଏକ ବ୍ୟବସ୍ଥାର ନିକଟତର ହୋଇଛି ଯେଉଁଠାରେ ସ୍ୱାସ୍ଥ୍ୟସେବା ଉପଲବ୍ଧତା ଏକ ସୁବିଧା ପରିବର୍ତ୍ତେ ଏକ ଅଧିକାର ପାଲଟିଛି (ଏନଏଚଏ ୨୦୨୧-୨୨) ।

ଓଓପିଇ ହ୍ରାସ ଏକ ରୂପାନ୍ତରଣକାରୀ ପରିବର୍ତ୍ତନ, ଯାହା ଏକ ଅଧିକ ସମାବେଶୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ପ୍ରତି ଭାରତର ପ୍ରତିବଦ୍ଧତାକୁ ଚିହ୍ନିତ କରିଥାଏ। ଯେହେତୁ ସରକାର ସ୍ୱାସ୍ଥ୍ୟସେବାରେ ପୁଞ୍ଜିନିବେଶ ଜାରି ରଖିଛନ୍ତି, ଭବିଷ୍ୟତରେ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଅଧିକ ପ୍ରସାରିତ ହେବାର ସମ୍ଭାବନା ରହିଛି ଯେଉଁଠାରେ ଆୟ ନିର୍ବିଶେଷରେ ସମସ୍ତେ ଗୁଣାତ୍ମକ ଚିକିତ୍ସା ସେବା ପାଇପାରିବେ। ଏହି ପରିବର୍ତ୍ତନ କେବଳ ଆର୍ଥିକ ରିହାତି ଆଣିବ ନାହିଁ ବରଂ ଭାରତର ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ସ୍ଥିରତାକୁ ମଧ୍ୟ ବୃଦ୍ଧି କରିବ। ଏଥିସହିତ ଏକ ସୁସ୍ଥ ଏବଂ ଆର୍ଥିକ ସ୍ତରରେ ଅଧିକ ସ୍ଥିର ଜନସଂଖ୍ୟାକୁ ପ୍ରୋତ୍ସାହିତ କରିବ।

ଆୟୁଷ୍ମାନ ଭାରତ ଭଳି କାର୍ଯ୍ୟକ୍ରମ ଏବଂ ବିଭିନ୍ନ ରାଜ୍ୟସ୍ତରୀୟ ବୀମା ଯୋଜନା ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବାକୁ ଅଧିକ ଉପଲବ୍ଧ କରିଛି। ବ୍ୟକ୍ତିଗତ ସଞ୍ଚୟରୁ ଖର୍ଚ୍ଚ ନ କରି ବ୍ୟକ୍ତିବିଶେଷଙ୍କୁ ଚିକିତ୍ସା ସେବା ପାଇବାରେ ସକ୍ଷମ କରିବାରେ ଏହି ପଦକ୍ଷେପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ଯାହାକି ଓଓପିଇର ସାମଗ୍ରିକ ହ୍ରାସରେ ଉଲ୍ଲେଖନୀୟ ଯୋଗଦାନ ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ଜୟୀ ରାଜଗୁରୁଙ୍କ ଉପରେ ଅଧିକ ଗବେଷଣା ଓଡ଼ିଶା ଇତିହାସ ପାଇଁ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଏ ଜାତି ହେଉଛି ବୀର ଜାତି, ଏହି ପବିତ୍ର ଓଡ଼ିଶା ମାଟି ଅନେକ ବୀର ପୁରୁଷଙ୍କୁ ଜନ୍ମ ଦେଇଛି। ଖ୍ରୀଷ୍ଟପୂର୍ବ ସମୟରୁ ଆରମ୍ଭ କରି ଇଂରେଜ ଶାସନ ପର୍ଯ୍ୟନ୍ତ ଓଡ଼ିଆ ଜାତି ବିଭିନ୍ନ ସମୟରେ ନିଜର ବୀରତ୍ୱର ପ୍ରଦର୍ଶନ କରି ଆସିଛି। ସାରା ଦେଶ ଯେତେବେଳେ ଇଂରେଜମାନଙ୍କ ଅଧୀନକୁ ଆସିଯାଇଥିଲା, ସେତେବେଳେ ଏ ମାଟିର ବୀର ଜୟୀ ରାଜଗୁରୁ ଇଂରେଜମାନଙ୍କ ବିରୋଧରେ ଯେଉଁ ରଣହୁଙ୍କାର ଦେଇଥିଲେ ତାହା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଛି। ତେଣୁ ଜୟୀ ରାଜଗୁରୁଙ୍କ ଜୀବନୀ ଓ ବୀରତ୍ୱ ଉପରେ ଅଧିକ ଗବେଷଣା ଓଡ଼ିଶା ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି।

ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ, ଓଡ଼ିଶାର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ମହାନ ବିପ୍ଳବୀ ଶହୀଦ ଜୟୀ ରାଜଗୁରୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ସାରା ଦେଶ ଯେତେବେଳେ ଇଂରେଜମାନଙ୍କ ଦ୍ୱାରା ଶାସିତ ହୋଇ ଅତ୍ୟାଚାରର ଶିକାର ହେଉଥିଲା ସେତେବେଳେ ଏହି ଖୋର୍ଦ୍ଧା ମାଟିରୁ ବିଦ୍ରୋହର ସ୍ପୁଲିଙ୍ଗ ନିର୍ଗତ ହୋଇଥିଲା। ଏ ଜାତିର ବୀର ପାଇକମାନଙ୍କୁ ଏକାଠି କରି ଜୟୀ ରାଜଗୁରୁ ଇଂରେଜମାନଙ୍କ ବିରୋଧରେ ଯେଉଁ ସଂଗ୍ରାମ ଆରମ୍ଭ କରିଥିଲେ ତାହା ସାରା ଇଂରେଜ ଶାସନକୁ ହତବାକ୍ କରିଦେଇଥିଲା। ତେଣୁ ଏହି ବୀରତ୍ୱର ଗାଥାକୁ ଯୁବପିଢ଼ି ପଢ଼ିବା ଜରୁରୀ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍ ତଥା ପ୍ରାକ୍ତନ ଶିକ୍ଷା ପ୍ରଶାସକ ଡ. ପ୍ରଫୁଲ୍ଲ କୁମାର ରଥ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଜୟୀ ରାଜଗୁରୁଙ୍କୁ ଜଣେ ବିଶିଷ୍ଟ ଦେଶଭକ୍ତ, ରାଜଭକ୍ତ ଓ ଜାତିଭକ୍ତ ବୋଲି କହିବା ସହ ତାଙ୍କଠାରେ ତ୍ୟାଗୀ ଓ ଯୋଗୀର ଅପୂର୍ବ ସମନ୍ୱୟ ଘଟିଥିଲା ବୋଲି ମତବ୍ୟକ୍ତ କରିଥିଲେ। ଦୂରଦୃଷ୍ଟି ଓ ଯୁଦ୍ଧକୌଶଳ ତାଙ୍କୁ ପ୍ରକୃତ ବୀର ଆଖ୍ୟା ପ୍ରଦାନ କରିଛି ବୋଲି ସେ କହିଥିଲେ।

ସେହିପରି ବିଶିଷ୍ଟ ଶିକ୍ଷାବିତ୍ ତଥା ଐତିହାସିକ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଇଂରେଜମାନଙ୍କୁ ଏ ମାଟିରୁ ତଡ଼ିବା ପାଇଁ ଯେଉଁ ଜାତୀୟତା ଜନ୍ମଲାଭ କରିଥିଲା ତାହାର ନେତୃତ୍ୱ ନେଇଥିଲେ ବିପ୍ଳବୀ ଜୟୀ ରାଜଗୁରୁ। ତାଙ୍କ ସମୟରେ ଯେଉଁ ସଂଗ୍ରାମ ଆରମ୍ଭ ହୋଇଥିଲା ତାହା ହିଁ ଥିଲା ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ସେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ ପକ୍ଷରୁ ‘ଜୟୀ ରାଜଗୁରୁଙ୍କ ଜୀବନୀ’ ସଂପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ମାନ୍ୟବର ଶ୍ରୀଯୁକ୍ତ ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର ଉଦ୍ଘାଟନ କରିଥିବାବେଳେ ଏଥିରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରଥମ ନିର୍ଦ୍ଦେଶକ ଡ. କୈଳାଶ ଚନ୍ଦ୍ର ଟିକାୟତରାୟ, ପ୍ରାକ୍ତନ ପ୍ରଶାସକ ଦିଗମ୍ବର ମହାନ୍ତି, ଐତିହାସିକ ଡ. ବିନୋଦିନୀ ଦାଶ, ଶିକ୍ଷାବିତ୍ ପ୍ରଫେସର ପ୍ରସନ୍ନ କୁମାର ଜେନାଙ୍କ ସମେତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଗବେଷକ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ଜୟୀ ରାଜଗୁରୁଙ୍କ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ବୈଷୟିକ ସ୍ୱାଗତ ଭାଷଣ ଦେଇଥିବାବେଳେ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ, ଓଡ଼ିଶାର ସମ୍ପାଦକ ଜଟାଧାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସକାଳେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏଜି ଛକସ୍ଥିତ ଶହୀଦ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ନିର୍ଦ୍ଦେଶକ ସରୋଜ କୁମାର ସାମଲ, ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ଲୋକସଂପର୍କ ଅଧିକାରୀ ଜିତେନ୍ଦ୍ରୀୟ ଜେନା, ପ୍ରମୋଦିନୀ ଟେଟେଙ୍କ ସମେତ ବରିଷ୍ଠ ଅଧିକାରୀ, ଅନ୍ୟ ମାନ୍ୟଗଣ୍ୟ ବକ୍ତି ଓ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ରେଢ଼ାଖୋଲ ପ୍ରେସ କ୍ଲବର କାର୍ଯ୍ୟକାରିଣୀ ବୈଠକ: ସଭାପତି ହେଲେ ରମାକାନ୍ତ ମହାନନ୍ଦ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ପ୍ରେସ କ୍ଲବର କାର୍ଯ୍ୟକାରିଣୀ ବୈଠକ ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଚମ୍ପାଳୀ ବନବିଭାଗ ନର୍ସରୀ ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରେଢ଼ାଖୋଲ ଉପଖଣ୍ଡ ଅଞ୍ଚଳର ପ୍ରେସ କ୍ଲବର ସାମ୍ବାଦିକ ସଦସ୍ୟ ମାନେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକାରିଣୀ ବୈଠକରେ ସଂଗଠନ କୁ ସୁଦୃଢ କରିବା ସହ ଆଗକୁ ସଂଗଠିତ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ପ୍ରେସ କ୍ଲବ୍ ର ନୃତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ପ୍ରେସ କ୍ଲବ୍ ର ସଭାପତି ରମାକାନ୍ତ ମହାନନ୍ଦ, ଉପସଭାପତି ପ୍ରସନ୍ନ ପ୍ରଧାନ, ସମ୍ପାଦକ ତପନ କୁମାର ବିଶ୍ବାଳ, ସହ ସମ୍ପାଦକ ଶଙ୍କର ପୃଷ୍ଟି, କୋଷାଧ୍ୟକ୍ଷ ଯଶବନ୍ତ ନାରାୟଣ ସାହୁ ପ୍ରମୁଖ ଙ୍କୁ ମନୋନିତ କରାଯାଇଥିଲା।

ଏହି ବୈଠକରେ ବରିଷ୍ଟ ସାମ୍ବାଦିକ ରବିନ୍ଦ୍ର ପ୍ରଧାନ, ଜୟନ୍ତ ଖଡିରତ୍ନ, ରୋହିତ ଭୋଇ, ଶରତ ପ୍ରଧାନ, ସୁଶାନ୍ତ କୁମାର ନାଗ, ସୁଧୀର ସୁନା, କନ୍ଦର୍ପ ବେହେରା, ଅରୁଣ କୁମାର ପ୍ରଧାନ,ଅନିଲ ପୃଷ୍ଟି, ସରୋଜ ସାହୁ, ବିଦ୍ୟାଧର ମାଝୀ, ଲିଙ୍ଗରାଜ ପ୍ରଧାନ, ଗଜାନନ ଭେସରା, ମଦନ ବେହେରା ପ୍ରମୁଖ ସହ ନୂତନ ଭାବେ ରଶ୍ମି ରଞ୍ଜନ ଖଡ଼ିରତ୍ନ ଓ ସନ୍ତୋଷ ବଘାର ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଏନଏସି କର୍ତ୍ତୃପକ୍ଷଙ୍କ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ, ହାଇକୋର୍ଟର ପୁନଃ ଦ୍ୱାରସ୍ଥ ହେଲେ ଆବେଦନକାରୀ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନା ଓଡିଶା ଉଚ୍ଚ ନ୍ୟାୟାଳୟଙ୍କୁ ଅଦାଲତ ଅବମାନନା ମାମଲା ନମ୍ବର ୧୮୫୬୮/୨୦୨୪ ରେ କିଛି ବିଭ୍ରାନ୍ତିକର ତଥ୍ୟ ଦେଇଥିବାରୁ ତାହାକୁ ପ୍ରତିବାଦ କରି ଆବେଦନକାରୀ ଆଇନଜୀବୀ ସୀତାରାମ ଅଗ୍ରୱାଲ ପୁନଶ୍ଚ ଉଚ୍ଚ ନ୍ୟାୟାଳୟରେ ଏକ ମଧ୍ୟବର୍ତ୍ତିକାଳୀନ ପିଟିସନ ଆଗତ କରିଛନ୍ତି।

ସୂଚନା ଥାଉକି ଚଳିତ ବର୍ଷ ଜାନୁଆରୀ ୯ ତାରିଖରେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ବିଚାରପତି ବିଭୁ ପ୍ରସାଦ ରାଉତରାୟ, ଆବେଦନକାରୀ ଆଇନଜୀବୀ ଶ୍ରୀ ଅଗ୍ରୱାଲ ଦାୟର କରିଥିବା ରିଟ ପିଟିସନ (୪୧୮୧୮/୨୦୨୩) ର ଶୁଣାଣି କରି ୩ ମାସ ମଧ୍ୟରେ ଆଇନ ଅନୁଯାୟୀ ଆବେଦନକାରୀଙ୍କ ସମସ୍ୟାର ସମାଧାନ କରିବାକୁ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଣି କାଦମ୍ବିନୀ ଜେନାଙ୍କୁ ନିର୍ଦ୍ଦେଶ ଦେଇଥିଲେ l ତେବେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁଯାୟୀ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶ୍ରୀମତୀ ଜେନା ନିର୍ଦିଷ୍ଟ ସମୟସିମା ମଧ୍ୟରେ ଆବେଦନକାରୀଙ୍କ ସମସ୍ୟାର ସମଧାନ ନକରିଥିବାରୁ ଆବେଦନକାରୀ ଆଇନଜୀବୀ ଶ୍ରୀ ଅଗ୍ରୱାଲ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶ୍ରୀମତୀ ଜେନାଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ।

ତେବେ ଉକ୍ତ ଅଦାଲତ ଅବମାନନା ମାମଲାରୁ ନିଜକୁ ବଞ୍ଚାଇବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶ୍ରୀମତୀ ଜେନା ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କୁ କିଛି ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିଥିବାରୁ ଏହାକୁ ପ୍ରତିବାଦ କରି ଆବେଦନକାରୀ ଆଇନଜୀବୀ ଶ୍ରୀ ଅଗ୍ରୱାଲ ପୁନଶ୍ଚ ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଉକ୍ତ ମଧ୍ୟବର୍ତ୍ତିକାଳୀନ ପିଟିସନ ରୁଜୁ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଉକ୍ତ ମାମଲାକୁ ବରିଷ୍ଠ ଆଇନଜୀବୀ ଜୟଦେବ ବେହେରା ପରିଚାଳନା କରୁଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଟିମ୍ ଇଣ୍ଡିଆରୁ କେ.ଏଲ୍ ରାହୁଲଙ୍କ କଟିବ ଟିକେଟ?, ଜାଣନ୍ତୁ ଏହି ତିନୋଟି ବଡ଼ କାରଣ

ନୂଆଦିଲ୍ଲୀ: ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ନଭେମ୍ବର ୨୨ ତାରିଖରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହେଉଛି, କିନ୍ତୁ ପ୍ରଶ୍ନ ହେଉଛି ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ତାଙ୍କ ସ୍ଥାନ ବଜାୟ ରଖିବେ କି? କେଏଲ ରାହୁଲ ଅଷ୍ଟ୍ରେଲିଆ ବିପକ୍ଷରେ ସୁଯୋଗ ପାଇବେ କି? ପରିସଂଖ୍ୟାନ ଦର୍ଶାଏ ଯେ, କେ.ଏଲ୍ ରାହୁଲଙ୍କ ସାମ୍ପ୍ରତିକ ଫର୍ମ ଅତ୍ୟନ୍ତ ନୈରାଶ୍ୟଜନକ। ନିକଟରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଫ୍ଲପ୍ ସୋ ପରେ ସେ ଅଷ୍ଟ୍ରେଲିଆ ଏ ବିପକ୍ଷରେ ନିରାଶ କରିଛନ୍ତି। ଏଭଳି ପରିସ୍ଥିତିରେ କେଏଲ ରାହୁଲଙ୍କୁ ଟିମ୍ ଇଣ୍ଡିଆରୁ ହଟାଯିବ ବୋଲି ନିଶ୍ଚିତ ଭାବେ ବିବେଚନା କରାଯାଏ। ସେହି ୩ ଟି କାରଣ ଜାଣିବା, ଯେଉଁଥିପାଇଁ କେ.ଏଲ୍ ରାହୁଲ ଭାରତୀୟ ଦଳରୁ ଓହରି ଯାଇପାରନ୍ତି।

ଜଣେ ବ୍ୟାଟ୍ସମ୍ୟାନ୍ ଭାବରେ କ୍ରମାଗତ ବିଫଳ ହେବା:

ଜଣେ ବ୍ୟାଟ୍ସମ୍ୟାନ୍ ଭାବେ କେ.ଏଲ୍ ରାହୁଲ ନିରନ୍ତର ନିରାଶ କରୁଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଫ୍ଲପ୍ ସୋ ପରେ କେ.ଏଲ୍ ରାହୁଲ ଅଷ୍ଟ୍ରେଲିଆ ଏ ବିପକ୍ଷରେ ଶସ୍ତାରେ ପ୍ୟାଭିଲିୟନକୁ ଫେରିଥିଲେ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଫ୍ଲପ୍ ସୋ ପରେ ଭାରତୀୟ ପ୍ରଶଂସକମାନେ ଆଶା କରୁଥିଲେ ଯେ, କେ.ଏଲ୍ ରାହୁଲ ନିଶ୍ଚିତ ଭାବରେ ଅଷ୍ଟ୍ରେଲିଆ ଏ ବିପକ୍ଷରେ ଫର୍ମକୁ ଫେରିବେ, କିନ୍ତୁ ଆଶା ଧୂଳିସାତ ହୋଇଯାଇଛି। କେ.ଏଲ୍ ରାହୁଲଙ୍କ ଫର୍ମ ଯେପରି ଚାଲିଛି ତାହା ବିଚାରକୁ ନେଇ ବିଶ୍ଵାସ କରାଯାଏ ଯେ, କେଏଲ ରାହୁଲଙ୍କୁ ଭାରତୀୟ ଦଳରୁ ଡ୍ରପ କରାଯାଇପାରେ।

ଧ୍ରୁଭ ଜୁରେଲ କେ.ଏଲ୍ ରାହୁଲଙ୍କ ଟେନସନକୁ ବଢାଇଲେ!:

ଗୋଟିଏ ପଟେ କେ.ଏଲ୍ ରାହୁଲ ନିରନ୍ତର ନିରାଶ କରୁଥିବାବେଳେ ଅନ୍ୟ ପଟେ ଯୁବ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଧ୍ରୁଭ ଜୁରେଲ କ୍ରମାଗତ ଭାବରେ ନିଜର ଯାଦୁ ବିସ୍ତାର କରୁଛନ୍ତି। ଇଂଲଣ୍ଡ ବିପକ୍ଷ ଡେବ୍ୟୁ ସିରିଜରେ ଏକ ଚମତ୍କାର ଇନିଂସ ଖେଳିବା ପରେ ଧ୍ରୁଭ ଜୁରେଲ ବର୍ତ୍ତମାନ ଅଷ୍ଟ୍ରେଲିଆ ଏ ବିପକ୍ଷରେ ନିଜର ପ୍ରତିଭା ପ୍ରମାଣ କରିଛନ୍ତି। ଏହି ଖେଳାଳି ଅଷ୍ଟ୍ରେଲିଆର କଠିନ ପିଚରେ ନିଜକୁ ପ୍ରମାଣିତ କରିଛନ୍ତି। ବିଶ୍ୱାସ ରହିଛି ଯେ, ବର୍ତ୍ତମାନ ଭାରତୀୟ ଦଳ ପରିଚାଳନା ଋଷଭ ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର ଭାବରେ କେ.ଏଲ୍ ରାହୁଲଙ୍କ ବଦଳରେ ଧ୍ରୁଭ ଜୁରେଲଙ୍କ ନିକଟକୁ ଯାଇପାରିବେ।

ନିକଟରେ ରୋହିତ ଶର୍ମା ଏବଂ ଯଶସ୍ୱୀ ଜୟସ୍ଵାଲ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଭାରତ ପାଇଁ ଓପନିଂ କରିଥିଲେ। ଏଥି ସହିତ ରୋହିତ ଶର୍ମା ଏବଂ ଯଶସ୍ୱୀ ଜୟସ୍ଵାଲ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଆଉ ଥରେ ଓପନିଂ ଦେଖିବାକୁ ମିଳିପାରେ। ଯେତେବେଳେ କି, ଶୁଭମନ୍ ଗିଲ୍ ନମ୍ବର -୩ ରେ ଲଗାତାର ବ୍ୟାଟିଂ କରୁଛନ୍ତି। ଏଭଳି ପରିସ୍ଥିତିରେ କେଏଲ ରାହୁଲଙ୍କ ପାଇଁ ଖେଳାଳି ଏକାଦଶରେ ସ୍ଥାନ ପାଇବା ସହଜ ହେବ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ସଜେଇ ହେଉଛି ବାଣପୁରର ଗୋଦାବରୀଶ ମହାବିଦ୍ୟାଳୟ, ଦୀର୍ଘ ୧୮ ବର୍ଷ ପରେ ଆସୁଛି ‘ନାକ’ ଟିମ

ବାଣପୁର: ସଜେଇ ହେଉଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ପୁରାତନ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟ। ଦୀର୍ଘ ୧୮ ବର୍ଷ ପରେ ମହାବିଦ୍ୟାଳୟ ପରିଦର୍ଶନକୁ ଆସିବ ‘ନାକ’ ଟିମ। ଚଳିତ ୧୨ ଏବଂ ୧୩ ତାରିଖରେ ଦୁଇ ଦିନଆ ଗସ୍ତରେ ଆସି ମହାବିଦ୍ୟାଳୟର ଭିତ୍ତିଭୂମି, ଶିକ୍ଷାର ଗୁଣବତ୍ତା, ପ୍ରଶାସନିକ ବ୍ୟବସ୍ଥା ଓ ଛାତ୍ରଛାତ୍ରୀଙ୍କ ଶିକ୍ଷା ନିମନ୍ତେ ଉପଲବ୍ଧ ଥିବା ବିଭିନ୍ନ ସୁବିଧା ଗୁଡିକ ପରଖିବ ଏହି ଟିମ। ସେମାନଙ୍କ ରିପୋର୍ଟ ଆଧାରରେ ମହାବିଦ୍ୟାଳୟକୁ ମିଳିବ ନାକ୍‌ ଗ୍ରେଡ୍।

ତେବେ ନାକ୍‌ ଟିମ୍ ଗସ୍ତକୁ ଦୃଷ୍ଟିରେ ରଖି ମହାବିଦ୍ୟାଳୟରେ ପ୍ରସ୍ତୁତି ଜୋରଦାର ଚାଲିଛି। ଏଥିପାଇଁ ସ୍ବତନ୍ତ୍ର କମିଟି ଗଠନ କରାଯାଇ ଦାୟିତ୍ବ ଦିଆଯାଇଛି। ବିଶେଷକରି ଚଳିତ ବର୍ଷ ଯୁଦ୍ଧକାଳୀନ ଭିତ୍ତିରେ ନୂତନ ଭାବେ ଗଠିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂଘକୁ ପଞ୍ଜିକୃତ କରାଯାଇଛି।

ଉକ୍ତ ସଂଘର ସଭାପତି ଜିତେନ୍ଦ୍ର ଭୋଳ, ଉପ ସଭାପତି ଅମରେନ୍ଦ୍ର ରଣସିଂହ, ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତା, ନାକ ଟିମ କୋଡ଼ିନେଟର ଡ଼ ସୁର ପ୍ରସାଦ ନରେନ୍ଦ୍ର ସିଂ ବର୍ମା, ମୁଖ୍ୟ କିରାଣୀ ଦୁର୍ଯ୍ୟୋଧନ ସାହୁଙ୍କ ସମେତ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ମାନେ ନାକ ଟିମ ଗସ୍ତକୁ ଦୃଷ୍ଟିରେ ରଖି ମହାବିଦ୍ୟାଳୟକୁ କିପରି ଉନ୍ନତ ଗ୍ରେଡ୍ ମିଳିବ ସେ ଦିଗରେ ଅହରହ କାର୍ଯ୍ୟ ଜାରି ରଖିଛନ୍ତି।

ତେବେ ଗୋଦାବରୀଶ ମହାବିଦ୍ୟାଳୟକୁ ଉନ୍ନତମାନର ନାକ ଗ୍ରେଡ଼ ମିଳିବାପାଇଁ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସମସ୍ତ ସହଯୋଗ ଜାରି ରଖିଛନ୍ତି ଆଇନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ। ଏଥିନିମନ୍ତେ ମାନ୍ୟବର ମନ୍ତ୍ରୀଙ୍କୁ ମହାବିଦ୍ୟାଳୟ କର୍ମକର୍ତ୍ତା ଓ ପୁରାତନ ଛାତ୍ର ସଂଘ କୃତଜ୍ଞତା ଜଣାଇଛନ୍ତି।

ସୂଚନାଯୋଗ୍ୟ, ୧୯୬୩ ମସିହାରେ ସ୍ଥାପିତ ଉକ୍ତ ମହାବିଦ୍ୟାଳୟ ରାଜ୍ୟର ଏକ ପ୍ରମୁଖ ମହାବିଦ୍ୟାଳୟ ହୋଇଥିବାବେଳେ ଏଠାରେ ବର୍ତ୍ତମାନ ପାଖାପାଖି ୨ହଜାର ୬୦୦ ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି। ତେବେ ଶେଷଥର ପାଇଁ ୨୦୦୬ ମସିହାରେ ଉକ୍ତ ମହାବିଦ୍ୟାଳୟକୁ ନାକ ଟିମ ପରିଦର୍ଶନରେ ଆସି ଏହାକୁ ‘ବି’ ଗ୍ରେଡ଼ ପ୍ରଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ଓ ଖାଦ୍ୟମେଳା ପଦର୍ଶନୀ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ପରିସରରେ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ଓ ଖାଦ୍ୟମେଳା ପଦର୍ଶନୀ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବି ନାରାୟଣ ସେନାପତିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ରୂପେ ଜୟଦେବ ନିର୍ବାଚନ ମଣ୍ଡଳୀ ବିଧାୟକ ନବକିଶୋର ମଲ୍ଲିକ, ସମ୍ମାନୀତ ଅତିଥି ରୂପେ ଜିଲାପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂ, ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଖୋର୍ଦ୍ଧା ପୌରାଧ୍ୟକ କନକ ଲଷ୍ମୀ ମହାନ୍ତି ପ୍ରମୁଖ ଯୋଗ ଦେଇ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।

ବିଶେଷ କରି ଏହି ମାଣ୍ଡିଆ ହେଉଛି ବହୁ ପୁରାତନ ହିତକାରୀ ଖାଦ୍ୟ। ଏହା ଶରୀର ପାଇଁ ଲାଭଦାୟକ ହୋଇଥିବା ବେଳେ ରୋଗପ୍ରତିରୋଧ ଶକ୍ତି ବୃଦ୍ଧି କରିବାରେ ମାଣ୍ଡିଆର ଅନେକ ମହତ୍ତ୍ୱ ରହିଛି। ତେଣୁ ଏହାକୁ ଖୋର୍ଦ୍ଧା ଜିଲ୍ଲାରେ କିଭଳି ଅଧିକ ପରିମାଣରେ ଚାଷ ଓ ବ୍ୟବହାର କରାଯିବ ଏହା ଉପରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ଜୟଦେବ ବିଧାୟକ ଶ୍ରୀ ମଲ୍ଲିକ ଜିଲ୍ଲା ପ୍ରଶାସନ କୁ ଅନୁରୋଧ କରିଥିଲେ।

ସେହିପରି ରାଜ୍ୟ ସରକାର ଏହି ମାଣ୍ଡିଆ ଚାଷ ଓ ବ୍ୟବହାରକୁ ଗୁରୁତ୍ୱ ଦେଇଥିଲା ବେଳେ ଏଥିରେ ଚାଷୀ ମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେଉଛନ୍ତି। ଫଳରେ ଖୋର୍ଦ୍ଧା ଜିଲ୍ଲାରେ ଅନେକ ଚାଷୀ ଆଗ୍ରହୀ ଅଛନ୍ତି। ଆଗାମୀ ଦିନରେ ସେମାନଙ୍କୁ ତାଙ୍କର ପ୍ରକୃତ ପାରିଶ୍ରମିକ ଦିଆଯିବା ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା ଚାଲିଛି ବୋଲି ଜିଲ୍ଲାପାଳ ଚଞ୍ଚଳ ରାଣା କହିଥିଲେ।ସେହିପରି ଅନ୍ୟତମ ଅତିଥି ମାନେ ମାଣ୍ଡିଆ ର ଉପକାରୀତା ଓ ପୂର୍ବ କାଳ ରେ ତାହାର ବ୍ୟବହାର ଉପରେ ମତ ରଖିଥିଲେ।

ଏହି ଅବସରେ ଭୁବନେଶ୍ୱର ବ୍ଲକ ରାଧାରାଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ଟାଙ୍ଗି ବ୍ଲକର ପବିତ୍ର ମୋହନ ଭୁଜବଳ ମାଣ୍ଡିଆ ଚାଷ ଓ ମାଣ୍ଡିଆକୁ ବ୍ୟବହାର କରି କିଭଳି ଲାଭବାନ ହୋଇପାରିଛନ୍ତି ତାହା ଉପରେ ଅନୁଭୂତି କହିଥିଲେ।

ସେହିପରି ମାଣ୍ଡିଆ ଉପରେ ହୋଇଥିବା ବକ୍ତୃତା ଓ ପ୍ରବନ୍ଧ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲା ବେଳେ ମାଣ୍ଡିଆର ବ୍ୟବହାର ଓ ତାହାର ଚାଷ ପ୍ରଣାଳୀ ଉପରେ ନୃତ୍ୟ ମାଧ୍ୟମରେ ଲୋକ ଙ୍କୁ ସଚେତନତା କରାଯାଇଥିଲା।

ଭୁବନେଶ୍ୱର ବ୍ଲକ କୃଷି ବିଭାଗର ବିଟିଏମ ସୁନିତା ମହାପାତ୍ରଙ୍କ ସଂଯୋଜନାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୨୦୦ରୁ ଉର୍ଦ୍ଧ୍ବ ଚାଷୀ ଉପସ୍ଥିତ ଥିଲା ବେଳେ ଜିଲ୍ଲାର କୃଷି ବିଭାଗ ଏଡିଓ ପ୍ରଦୀପ୍ତ କୁମାର ପଣ୍ଡା, ଭୁବନେଶ୍ୱର ଏଡିଓ ମନୋରଞ୍ଜନ ରାଉଳ, ଟାଙ୍ଗି ବ୍ଲକ ମନୋରଞ୍ଜନ ମିଶ୍ର,ସହକାରୀ କୃଷି ଅଧିକାରୀ ମଧୁସ୍ମିତା ଶତପଥୀ, ପଲ୍ଲବୀ ସାହୁ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ପିପିଲି ଚାନ୍ଦୁଆ ଶିଳ୍ପର ସଂରକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ: ପୁରୀ ସାଂସଦ ଡାଃ ସମ୍ବିତ ପାତ୍ର

ପୁରୀ: ପୁରୀର ଐତିହ୍ୟ ପିପିଲି ଚାନ୍ଦୁଆ ଶିଳ୍ପର ପୁନରୁଦ୍ଧାର ଏବଂ ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ଏକ ବ୍ୟାପକ ପଦକ୍ଷେପ ଘୋଷଣା କରିଛନ୍ତି। ପୁରୀ ଲୋକସଭା ସାଂସଦ ଡାଃ ସମ୍ବିତ ପାତ୍ରଙ୍କ ଦ୍ୱାରା ଲୋକସଭାରେ ଉଠାଯାଇଥିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ରୀୟ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ସେଖାୱତ ଏହି ଘୋଷଣା କରିଛନ୍ତି।

ଏହି ପଦକ୍ଷେପ ଅନ୍ତର୍ଗତ:

– ସମସ୍ତ ସାତଟି ଆଞ୍ଚଳିକ ସାଂସ୍କୃତିକ କେନ୍ଦ୍ର (ZCC) ଚାନ୍ଦୁଆ ଶିଳ୍ପର ସଂରକ୍ଷଣରେ ସକ୍ରିୟ ଭୂମିକା ନେବେ

– ରାଷ୍ଟ୍ରୀୟ ସାଂସ୍କୃତିକ ମହୋତ୍ସବ (RSM)ରେ ଚାନ୍ଦୁଆ ଶିଳ୍ପୀମାନଙ୍କୁ ବିଶେଷ ସ୍ଥାନ

– ଶିଳ୍ପୀମାନଙ୍କୁ ଆର୍ଥିକ ସହାୟତା

– ନୂତନ ବଜାର ସୁଯୋଗ ସୃଷ୍ଟି

– ଯୁବ ପିଢ଼ିଙ୍କୁ ଏହି ପାରମ୍ପରିକ ଶିଳ୍ପରେ ତାଲିମ ଓ ନିଯୁକ୍ତି

୧୨ ଶତାବ୍ଦୀରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ସହ ଜଡ଼ିତ ଏହି ଐତିହାସିକ ଶିଳ୍ପକଳା ତା’ର ସୂକ୍ଷ୍ମ କାରୁକାର୍ଯ୍ୟ ଏବଂ ଜୀବନ୍ତ ରଙ୍ଗ ପାଇଁ ବିଶ୍ୱ ପ୍ରସିଦ୍ଧ। ବାର୍ଷିକ ରଥଯାତ୍ରା ସମେତ ବିଭିନ୍ନ ଧାର୍ମିକ ଉତ୍ସବରେ ଏହି ଶିଳ୍ପର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି।

“ଆମର ଏହି ଅମୂଲ୍ୟ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ କେନ୍ଦ୍ର ସରକାରଙ୍କର ଏହି ପଦକ୍ଷେପ ଯୁଗାନ୍ତକାରୀ,” ବୋଲି ଡାଃ ପାତ୍ର ମତ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣ ତିଆରି ବେଳେ ବିସ୍ଫୋରଣ, ସ୍ୱାମୀ-ସ୍ତ୍ରୀ ଗୁରୁତର 

ନୟାଗଡ଼: ବାଣ ତିଆରି କରୁଥିବା ବେଳେ ବିସ୍ଫୋରଣ ହୋଇଛି। ଯେଉଁଥିରେ ଦମ୍ପତି ଗୁରୁତର ହୋଇଛନ୍ତି। ଗୁରୁତର ସ୍ୱାମୀ-ସ୍ତ୍ରୀଙ୍କୁ ପ୍ରଥମେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରିବା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ ନୟାଗଡ଼ ଜିଲା ଶରଣକୂଳ ଥାନା ଅନ୍ତର୍ଗତ ଗୋଲଗାଁରେ ଏହି ଅଘଟଣ ଘଟିଛି। ଶରଣକୁକ ଥାନା ଗୋଲଗାଁରେ ବାଣ ତିଆରି କରୁଥିବା ବେଳେ ବିସ୍ଫୋରଣ ଘଟି ଦମ୍ପତି ଗୁରୁତର ଆହତ ହୋଇଛନ୍ତି, ଆହତ ମାନେ ହେଲେ ନିଶାମଣି ସେଠୀ ଓ ସଂସାରୀ ସେଠ। ଘରବାରି ପଟେ ବେଆଇନ ଭାବେ ବାଣ ତିଆରି କରୁଥିବା ବେଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ନିଶାମଣିଙ୍କ ଦୁଇ ହାତ ପୋଡ଼ି ଯାଇଥିବା ବେଳେ ସଂସାରୀଙ୍କର ଦେହ ପୋଡ଼ି ଯାଇଛି, ଉଭୟଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରିବା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ତେବେ ବାଣ ବିସ୍ଫୋରଣ ନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ଶରଣକୁଳ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଗକୁ କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ବାଣ ବ୍ୟବସାୟ ପାଇଁ ଉଭୟ ଦମ୍ପତି ବେଆଇନ ଭାବେ ବାଣ ତିଆରି କରୁଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ମଣ୍ଡିରେ ଧାନ ସଂଗ୍ରହ ଅଭିଯାନ ନେଇ ପ୍ରସ୍ତୁତି ବୈଠକ 

ଖଡିଆଳ: ଶ୍ରୀଜି ମଣ୍ଡପ ଠାରେ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ମଣ୍ଡିରେ ଧାନ ସଂଗ୍ରହ ଅଭିଯାନ ସାଙ୍ଗକୁ ସଦସ୍ୟତା ଅଭିଯାନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ସଭାରେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ଯୋଗ ଦେଇ ରାଜ୍ୟରେ କୃଷକଙ୍କ ଉତ୍ପାଦିତ ଧାନ କୁ ସରକାର ସଂଗ୍ରହ କରି ସମ୍ମାନର ସହ ୪୮ ଘଣ୍ଟା ମଧ୍ୟରେ ତାଙ୍କ ଧାନ ଟଙ୍କା ବ୍ୟାଙ୍କ୍ ଖାତାରେ ଜମା ହେବ ବୋଲି ପ୍ରକାଶ କରିଥିଲେ। ଧାନ ମଣ୍ଡିରେ କଟଣୀ ଛ ବନ୍ଦ ହେବା ସହ କୃଷକ ମୋର୍ଚ୍ଚା କର୍ମୀ ମାନେ ମଣ୍ଡି ଜଗି ଚୌକିଦାର ଦାୟିତ୍ବ ନିର୍ବାହ କରିବେ ବୋଲି ପ୍ରକାଶ କରିଛନ୍ତି।

ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ପୁଳିନ ପ୍ରକାଶ କୁହାନ, ରାଜ୍ୟ ସମ୍ପାଦକ ପ୍ରଶାନ୍ତ କୁମାର ସ୍ବାଇଁ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସଭାପତି ଦେବ ଦେବ ସିଂ ଦେଓ,ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଗୋବର୍ଦ୍ଧନ ସାହୁ, ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁଶାନ୍ତ ବିଶି, ବରିଷ୍ଠ ଚାଷୀ ସଂଜୟ ତିୱାରୀ, ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ବଲାଙ୍ଗୀର ଗସ୍ତ

ବଲାଙ୍ଗୀର: କୃଷି ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ବଲାଙ୍ଗୀର ଗସ୍ତରେ ଆସି କଣ୍ଟାବାଞ୍ଜି ଠାରେ ଗୋପାଷ୍ଟମୀ ଉପଲକ୍ଷେ ଗୋପାଳ ଗୋଶାଳା ଠାରେ ଯୋଗଦେଇ ବର୍ତ୍ତମାନ ଯୁଗରେ ଗୋପାଳନ ନିତାନ୍ତ ଆବଶ୍ୟକ ଗୋମାତା ସେବା କରିବା ଦ୍ୱାରା ନିଜକୁ ଶାନ୍ତି ମିଳିଥାଏ। ପରେ ଗାଈକୁ ଘାସ ଖାଇବାକୁ ଦେଇଥିଲେ।

ଅନ୍ୟପକ୍ଷରେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ, ବଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗ ଦେଇଥିଲେ। ପରେ କଣ୍ଟାବାଞ୍ଜି ଆରଏମସିଠାରେ ଏକ ଆଳୁ ମିଶନ ସରକାରୀ ଚାଷୀଙ୍କୁ ଆଳୁ ମଞ୍ଜି ବଣ୍ଟନ କରିଥିଲେ। ଏବଂ ଓଡିଶାରେ ଆଳୁ ମିଶନ ଦ୍ୱାରା ଓଡିଶାରେ ଖାଉଟିଙ୍କ ପାଇଁ ଆଳୁ ସମସ୍ୟା ଦୂର କରାଯାଇ ପାରିବ ଓ ଚାଷୀ ମାନେ ମଧ୍ୟ୍ୟ ସ୍ୱାବଲମ୍ବୀ ହୋଇପାରିବେ ବୋଲି ବକ୍ତ୍ୟବ୍ୟ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ନିଖିଳ କୁମାର ଡାଇରେକ୍ଟର ଉଦ୍ୟାନ ବିଭାଗ ଓଡିଶା, ହିରସିକେଶ ଖିଲାରୀ ଏସ ପି ବଲାଙ୍ଗୀର, ଉପଜ଼ିଲ୍ଲାପାଳ ଟିଟିଲାଗଡ଼, DDH ବଲାଙ୍ଗୀର ପ୍ରମୁଖ ଯୋଗ ଦେଇ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ପାତାଳି ଶ୍ରୀକ୍ଷେତ୍ରଠାରୁ ପୁରୀ ଶ୍ରୀକ୍ଷେତ୍ରକୁ ଏକ ଭବ୍ୟ କାଳିଆ ତୁଳସୀ ରଥ ଯାତ୍ରା ଆରମ୍ଭ 

ସୁବର୍ଣ୍ଣପୁର: ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳାଭୂମି ସୁବର୍ଣ୍ଣପୁରର ପାତାଳି ଶ୍ରୀକ୍ଷେତ୍ରଠାରୁ ପୁରୀ ଶ୍ରୀକ୍ଷେତ୍ରକୁ ଏକ ଭବ୍ୟ କାଳିଆ ତୁଳସୀ ରଥ ଯାତ୍ରା କରିଛି। ପାତାଳି ଶ୍ରୀକ୍ଷେତ୍ରଠାରୁ ବାହାରିଥିବା କାଳିଆ ତୁଳସୀ ରଥ ଜଗନ୍ନାଥ ସଡକରେ ବିନିକା, ସୁବର୍ଣ୍ଣପୁର, ବୌଦ୍ଧ, ଦଶପଲ୍ଲା ଓ ନୟାଗଡ ଦେଇ ପୁରୀ ଶ୍ରୀକ୍ଷେତ୍ରକୁ ବଡ ଏକାଦଶୀ ତିଥିରେ ପହଂଚିବାର କାର୍ଯ୍ୟକ୍ରମ ଥିବାବେଳେ ଯାତ୍ରାପଥରେ ଶ୍ରଦ୍ଧାଳୁ ଭକ୍ତଙ୍କ ପାଖରୁ ତୁଳସୀ ସଂଗ୍ରହ କରୁଛି।

ବିଗତ ୫ବର୍ଷ ଧରି ଚାଲିଥିବା ତୁଳସୀ ଯାତ୍ରାରେ ଏବର୍ଷ ସୁବର୍ଣ୍ଣପୁର ଜିଲ୍ଲାରୁ ସଂଗୃହୀତ ୩୨ ଝୁଡି ତୁଳସୀ ଏହି ରଥରେ ପ୍ରେରଣ ହୋଇଛି। ଯାତ୍ରାପଥରେ ଶ୍ରଦ୍ଧାଳୁ ଭକ୍ତମାନେ ତୁଳସୀ, ଦୟଣା ଓ ଫୁଲ ଦାନ କରିଥିବାବେଳେ ବିଭିନ୍ନ ସ୍ଥାନରେ ତୁଳସୀ ରଥକୁ ହରିବୋଲ ହୁଲହୁଲିରେ ସ୍ବାଗତ ସହ ଆଳତୀ ଦିଆଯାଇଛି। ପୁରୀ ଶ୍ରୀକ୍ଷେତ୍ର ସହ ପାତାଳି ଶ୍ରୀକ୍ଷେତ୍ର, ସୁବର୍ଣ୍ଣପୁରକୁ ଶ୍ରୀଜଗନ୍ନାଥଙ୍କ ସାଂସ୍କୃତିକ ସଂହତି ସ୍ଥାପନରେ ଏହି ତୁଳସୀ ଯାତ୍ରା ଏକ ଆଧ୍ୟାତ୍ମିକ ରଜ୍ଜୁ ହେବ ବୋଲି ଆୟୋଜକମାନେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚଳିତ ରବିରେ ଦିଆଯିବ ୯୦୦୦ କୋଟିର ଋଣ

ଭୁବନେଶ୍ୱର: ଚଳିତ ୨୦୨୪-୨୫ ବର୍ଷର ରବିଋତୁ ପାଇଁ ୯୦୦୦ କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଯୋଜନା କରାଯାଉଛି। ଏନେଇ ରାଜ୍ୟ ସମବାୟ ସମିତି ସମୂହର ନିବନ୍ଧନ ବିଭାଗକୁ ଚିଠି ଲେଖିଛନ୍ତି। ଚଳିକ ବର୍ଷ ୯୦୦୦ କୋଟି ଟଙ୍କା ଋଣ ପ୍ରଦାନ କରିବାକୁ ଅଟକଳ ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ଅନୁମୋଦନ ଦେବାକୁ ଅନୁରୋଧ କରିଛନ୍ତି ନିବନ୍ଧକ।

ଗତ ଅକ୍ଟୋବର ୧ ତାରିଖରୁ ରାଜ୍ୟରେ ରବି ଋତୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ଗତ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଚାଷୀ ଅଧିକ ପରିମାଣରେ ଋଣ ନେଇଥିବାରୁ ଚଳିତ ବର୍ଷ ଏହାକୁ ୯ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।

ଏନେଇ ସବିଶେଷ ବିବରଣୀ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ସମବାୟ ସମିତି ସମୂହର ନିବନ୍ଧକଙ୍କୁ ପଠାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଚଳିତ ରବି ଋତୁରେ ବରଗଡ଼ ଜିଲ୍ଲାକୁ ସର୍ବାଧିକ ୭୩୦ କୋଟି ଟଙ୍କା ଋଣ ଦେବାକୁ ଲକ୍ଷ୍ୟ ରଖାଯାଇଛି।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାକୁ ୭୨୫ କୋଟି, ସୁନ୍ଦରଗଡ଼ ଜିଲ୍ଲାକୁ ୬୫୦ କୋଟି, ଯାଜପୁର ଜିଲ୍ଲାକୁ ୫୫୫ କୋଟି, ବାଲେଶ୍ୱର ଓ ଖୋର୍ଦ୍ଧାକୁ ୪୫୦ କୋଟି ଲେଖାଏଁ ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଋଣ ପ୍ରଦାନ ଯୋଜନାରେ କୃଷକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ନେଇପାରିବେ। ସେହିପରି ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ଚାଷୀଙ୍କୁ ୨ ପ୍ରତିଶତ ସୁଧ ପରିଶୋଧ କରିବାକୁ ପଡ଼ିବ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଗୋପାଳ ଜୀଉ ମନ୍ଦିରରେ ପବିତ୍ର ଅଁଳା ନବମୀ ଅବସରରେ ଶ୍ରୀରାଧାଙ୍କ ପାଦ ଦର୍ଶନ ଅନୁଷ୍ଠିତ 

ପୁରୀ: ଆଜି କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ନବମୀ ତିଥିରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଗୋପାଳ ଜୀଉ ମନ୍ଦିରରେ ପବିତ୍ର ଅଁଳା ନବମୀ ଅବସରରେ ଶ୍ରୀରାଧାଙ୍କ ପାଦ ଦର୍ଶନ ଅନୁଷ୍ଠିତ ହେଉଅଛି। ରାତ୍ର ପ୍ରାୟ ୧ଟାରୁ ନୀତି ନିର୍ଘଣ୍ଟ ଅନୁଯାୟୀ ମନ୍ଦିରର ଦ୍ୱାରଫିଟା ଯାଇ ମଙ୍ଗଳ ଆଳତି ନୀତି ପରେ ଦୈନନ୍ଦିନ ନୀତି ଅନୁଷ୍ଠିତ ହୋଇଥିଲା।

ଆଜି ସାକ୍ଷୀ ଗୋପୀନାଥଙ୍କର ସ୍ୱତନ୍ତ୍ର ନଟବର ବେଶ ଅନୁଷ୍ଠିତ ହୋଇଥିବା ବେଳେ ସକାଳୁ ସକାଳୁ ଭୋଗ ନୀତି ଶେଷ କରାଯାଇ ସର୍ବ ସାଧାରଣ ଦର୍ଶନ ଅନୁଷ୍ଠିତ ହେଉଥିବା ଜଣାପଡିଅଛି। ବର୍ଷକ କରେ ଥରେ ଶ୍ରୀରାଧା ଆଜି ଓଡିଆଣୀ ବେଶରେ ସଜ୍ଜିତ ହୋଇଥିବା ହେତୁ ରାଧା ଙ୍କର ପାଦ ଦର୍ଶନର ସୌଭାଗ୍ୟ ପ୍ରାପ୍ତି ନେଇ ଦୂର ଦୁରନ୍ତାରୁ ଲକ୍ଷାଧିକ ଭକ୍ତଙ୍କର ସମାଗମ ସାକ୍ଷୀଗୋପାଳରେ ଦେଖିବାକୁ ମିଳିଅଛି।

ବିଶ୍ଵାସ ରହିଆଛି ଆଜିର ଦିନରେ ମା ରାଧାଙ୍କୁ ଦର୍ଶନ କଲେ ମହିଳା ମାନେ ସୈାଭାଗ୍ୟବତୀ ହେବାର ସୁଯୋଗ ପାଇବା ସହ ପରିବାରର ମଙ୍ଗଳ ହୋଇଥାଏ। ଏଥି ସହିତ ଆଜି ହାବିଷ୍ୟାଳି ମା’ ମାନେ ମଧ୍ୟ ଅଁଳା ଗଛ ମୂଳରେ ପୂଜାର୍ଚ୍ଚନା କରିବା ର ନିଆରା ପରମ୍ପରା ମଧ୍ୟ ରହିଅଛି।ଏହି ରାଧା ପାଦ ଦର୍ଶନ ନେଇ ବ୍ୟାପକ ଭିଡକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ବ୍ୟାରିକେଡ ମାଧ୍ୟମରେ ଭକ୍ତ ଓ ଶ୍ରଦ୍ଧାଳୁ ସାକ୍ଷୀ ଗୋପୀନାଥ ମନ୍ଦିରରେ ପ୍ରବେଶ କରୁଅଛନ୍ତି।ସେପଟେ ଭକ୍ତ ମାନଙ୍କର ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିବା ପରିଲକ୍ଷିତ ହୋଇଅଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭିଜିଲାନ୍ସ ବିଭାଗ ଜାଲରେ ଡାକ୍ତର ଏବଂ ଫାର୍ମାସିଷ୍ଟ

କୋରାପୁଟ: ଜିଲ୍ଲା ଜୟପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଗତ ଶୁକ୍ରବାର ପୂର୍ବାହ୍ନରେ ବୈପାରୀଗୁଡା ସଦର ମହକୁମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କାର୍ଯ୍ୟାଳୟ ଉପରେ ଚଢାଉ କରାଯାଇ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ବିଶ୍ବଜିତ ଭୁୟାଁ ଏବଂ ଫାର୍ମାସିଷ୍ଟ ଉତ୍ତମ ମହାକୁଡଙ୍କୁ ଗିରଫ କରିଥିଲେ।

ଏହିପରି ଗତକାଲି ଅଭିଯୁକ୍ତ ଡାକ୍ତରଙ୍କ ବୈପାରୀଗୁଡା ସରକାରୀ କାର୍ଯ୍ୟାଳୟ ,ଭଡାରେ ସୂତ୍ରରେ ରହୁଥିବା ବାସଭବନ ଏବଂ ତାଙ୍କ ପୈତୃକ କଟକ ଜିଲ୍ଲା ନିଆଳି ଥାନା ଅଞ୍ଚଳ ଗ୍ରାମରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଯାଞ୍ଚ ବେଳେ ବୈପାରୀଗୁଡା ବାସଭବନରୁ ୨ ଲକ୍ଷ ୧୨ ହଜାର ଟଙ୍କ ଉଦ୍ଧାର କରାଯାଇଥିବା ନେଇ ଜୟପୁର ଭିଜିଲାନ୍ସ ଏସ.ପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ ନିଜ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହିପରି ଦୁଇ ଗିରଫ ଅଭିଯୁକ୍ତଙ୍କ ଗୃହରେ ଯାଞ୍ଚ ଜାରୀ ରହିଛି, ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତିର ଯାଞ୍ଚ ଏବଂ ଅନ୍ୟାନ୍ୟ କୌଣସି ସଂସ୍ଥାରେ ଅର୍ଥବିନୀଯୋଗ ନେଇ ମଧ୍ୟ ତଦନ୍ତ ଜାରୀ ରହିଛି।

ଏହିପରି ଅଭିଯୁକ୍ତ ଡାକ୍ତର ତଥା ଭାରପ୍ରାପ୍ତ ଗୋଷ୍ଠି ସ୍ବାସ୍ଥ୍ୟ ଅଧିକାରୀଙ୍କ ବିରୋଧରେ ଦୁର୍ନିତୀ ନେଇ ଅଭିଯୋଗ ରହିଥିବା ବେଳେ ବିଭିନ୍ନ ଗଣମାଧ୍ୟମରେ ତାଙ୍କ ବିରୁଦ୍ଧରେ ଖବରପ୍ରକାଶିତ ହୋଇଥିଲା ଏହାପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ଉପରେ କଡା ଦୃଷ୍ଟି ରଖାଯାଇଥିଲା ବୋଲି ଭିଜିଲାନ୍ସ ଏସପି ଶ୍ରୀ ଦ୍ବିବେଦୀ ସୂଚନା ଦେଇଛନ୍ତି। ଉଭୟଙ୍କ କୋର୍ଟରେ ହାଜର କରିବା ପରେ ସେମାନଙ୍କ ଜାମିନ ଆବେଦନ ଖାରଜ କରାଯାଇ ଜେଲ ହାଜତକୁ ପଠାଯାଇଥିବା ନେଇ ସୂଚନା ପ୍ରାପ୍ତ ହୋଇଛି।

ପ୍ରକାଶ ଯେ, ବୈପାରୀଗୁଡା ଉକ୍ତ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ନର୍ସିଂ ଅଧିକାରୀ ପିଙ୍କି ବାଲାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କର ଦରମାର ବକୟା ଟଙ୍କା ପ୍ରଦାନ କରିବା ନେଇ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା. ଭୁୟାଁ ୪୦ ହଜାର ଟଙ୍କା ଲାଞ୍ଚ ଦେବାକୁ ଦାବୀ କରିଥିଲେ। ଏହିପରି ଉକ୍ତ ଗୋଷ୍ଠୀ କେନ୍ଦ୍ରର ଅଭିଯୁକ୍ତ ଫାର୍ମାସିଷ୍ଟ ଉତ୍ତମ ଓରଫ ମୁନ୍ନାଙ୍କ ଜରୀୟାରେ ୪୦ ହଜାର ଟଙ୍କା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିସରର ଲାଞ୍ଚନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଚଢଉ ଦଳ ଦ୍ବାରା ଧରାପଡିଥିଲେ। ଏହିପରି ତାଙ୍କୁ ପଚରାଉଚରା ପରେ ଉକ୍ତ ଟଙ୍କା ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଏବଂ ଡାକ୍ତର ଭୁୟାଁଙ୍କ ନିର୍ଦ୍ଦେଶକ୍ରମେ ନେଉଥିବା ନେଇ ପ୍ରକାଶ କରିଥିଲେ।

ଉକ୍ତ ୪୦ ହଜାର ଲାଞ୍ଚ ଟଙ୍କା ଫାର୍ମାସିଷ୍ଟଙ୍କ ପକେଟରୁ ଉଦ୍ଧାର କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ଡାକ୍ତରଙ୍କୁ ପଚରାଉଚରା ବେଳେ ଉକ୍ତ ଟଙ୍କା ତାଙ୍କ ନିର୍ଦ୍ଦେଶରେ ଫାର୍ମାସିଷ୍ଟ ଗ୍ରହଣ କରିଥିଲେ ବୋଲି ସ୍ବୀକାର କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଗଞ୍ଜାମରେ ସୁରତ ଓଡିଆ ଟେକ୍ସଟାଇଲ୍ ଶିଳ୍ପ ପାର୍କ ନିର୍ମାଣ ପାଇଁ ଆଲୋଚନା 

ଛତ୍ରପୁର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସାମନ୍ତପଲ୍ଲୀ ଠାରେ ମା’ ତାରାତାରିଣୀ ଟେକ୍ସଟାଇଲ୍ ସହଯୋଗରେ ସୁରତ ଓଡିଆ ଟେକ୍ସଟାଇଲ୍ ଶିଳ୍ପ ପାର୍କ ନିର୍ମାଣ ପାଇଁ ଶିଳ୍ପଦ୍ୟୋଗୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ଗଞ୍ଜାମ ଜିଲ୍ଲାର ଟେକ୍ସଟାଇଲ୍ ଶିଳ୍ପଦ୍ୟୋଗୀମାନଙ୍କ ମଧ୍ୟରୁ ସିତାରାମ ପାଣିଗ୍ରାହୀ, ଶିଶିର ପାଣିଗ୍ରାହୀ, ରାଧାଶ୍ୟାମ ପାଣିଗ୍ରାହୀ, ଜିତେନ୍ଦ୍ର ପାଣିଗ୍ରାହୀ ଓ ନିରଞ୍ଜନ ମହାରଣା ଏକ ପ୍ରତିନିଧି ଦଳ ସୁରତ ଗସ୍ତ କରି ସେଠାକାର ଓଡିଆ ଟେକ୍ସଟାଇଲ୍ ଶିଳ୍ପ ଦ୍ୟୋଗୀଙ୍କ ସହିତ ଆଲୋଚନା କରିଛନ୍ତି।

ଓଡିଶା ଗଞ୍ଜାମ କବିସୂର୍ଯ୍ୟନଗର ସାମନ୍ତପଲ୍ଲୀ ଗ୍ରାମ ଠାରେ ମା ତାରାତାରିଣୀ ଟେକ୍ସଟାଇଲ୍ ଅଧୀନରେ ୫୦୦ ଶହ ଭରଣ ଜମି ରହିଛି। ଗୁଜରାଟର ସୁରତ ମଡେଲର ବିଭିନ୍ନ ନୂତନ ବୟନ ଶିଳ୍ପସ୍ଥାପନ କରିବା ପାଇଁ ସହମତି ଜଣାଇଛନ୍ତି। ଭବିଷ୍ୟତରେ ଓଡିଶାକୁ ମଧ୍ୟ ଏକ ଟେକ୍ସଟାଇଲ୍ ହବ୍ କରିବା ପାଇଁ ଓଡିଶା ସରକାର ଓ କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହଯୋଗ ଲୋଡାଯିବାକୁ ଆଲୋଚନା ବୈଠକରେ ସ୍ଥିର ହୋଇଥିଲା।

ଗଞ୍ଜାମ ଜିଲ୍ଲାର ଟେକ୍ସଟାଇଲ୍ ଶିଳ୍ପଦ୍ୟୋଗୀ ଓ ସୁରତ ଓଡିଆ ଟେକ୍ସଟାଇଲ୍ ଶିଳ୍ପଦ୍ୟୋଗୀ ମିଳିତ ଭାବେ ଖୁବ୍ ଶୀଘ୍ର ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷତ କରି ଆଲୋଚନା କରିବେ ବୋଲି ନିଷ୍ପତି ନିଆଯାଇଛି। ସୁରତ ଓଡିଆ ଟେକ୍ସଟାଇଲ୍ ଶିଳ୍ପଦ୍ୟୋଗୀ ମୁକେନ୍ଦ୍ର ଦେଓ, ଅଭିମନ୍ୟୁ ଜେନା, ଶ୍ରୀକାନ୍ତ ରାଉତ, ମନୋଜ ପାଢୀ, ଅଭିମନ୍ୟୁ ମଣ୍ଡଳ, ସୁଦର୍ଶନ ଜେନା, ପର୍ଶୁରାମ ନାହାକ, କବିରାଜ ନାହାକ, ଭାବଗ୍ରାହୀ ପଣ୍ଡା, ପ୍ରଦୀପ ଦଳାଇ ଓ ବିରେନ୍ ସ୍ୱାଇଁ ପ୍ରମୁଖ ଆଲୋଚନାରେ ଉପସ୍ଥିତ ଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି -୨୦: ଜାଣନ୍ତୁ ପିଚ୍ ରିପୋର୍ଟ ଏବଂ ମ୍ୟାଚ୍ ପୂର୍ବାନୁମାନ

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ଖେଳାଯିବ। ଗକେବରହାସ୍ଥିତ ସେଣ୍ଟ ଜର୍ଜ ପାର୍କ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ଭାରତୀୟ ସମୟ ଅନୁଯାୟୀ, ଏହି ମ୍ୟାଚ୍ ସନ୍ଧ୍ୟା ୭:୩୦ ରେ ଆରମ୍ଭ ହେବ। ମ୍ୟାଚ୍‌ର ଟସ୍‌ ସାତଟା ବେଳେ ହେବ।

ଭାରତୀୟ ଦଳ ପ୍ରଥମ ଟି -୨୦ ରେ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ୬୧ ରନରେ ପରାସ୍ତ କରିଥିଲା। ଏଭଳି ପରିସ୍ଥିତିରେ ଆଜି ସୂର୍ଯ୍ୟକୁମାରବାହନୀ ଦ୍ୱିତୀୟ ଟି -୨୦ ଜିତି ସିରିଜ ପରାଜୟର ଆଶଙ୍କା ଦୂର କରିବାକୁ ଚାହୁଁଛନ୍ତି। ଏଥି ସହିତ ସିରିଜରେ ୦-୧ ଗୋଲରେ ଆଗୁଆ ଥିବା ଦକ୍ଷିଣ ଆଫ୍ରିକା ଦଳ ମଧ୍ୟ ଆଜି କୌଣସି ମୂଲ୍ୟରେ ବିଜୟ ପଞ୍ଜିକରଣ କରିବାକୁ ଚାହୁଁଛି।

ଭାରତ ବନାମ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ର ପିଚ୍ ରିପୋର୍ଟ:

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି -୨୦ ମ୍ୟାଚ୍ ସେଣ୍ଟ ଜର୍ଜ ପାର୍କ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଏଭଳି ପରିସ୍ଥିତିରେ ଏଠାରେ ବଡ଼ ସ୍କୋର ମଧ୍ୟ ଦେଖାଯିବ, କିନ୍ତୁ ଆଜିର ମ୍ୟାଚ୍ ସମୟରେ ପ୍ରବଳ ପବନ ବହିବ ଏବଂ ଆକାଶ ମେଘୁଆ ରହିବ। ଏଭଳି ପରିସ୍ଥିତିରେ ଦ୍ରୁତ ବୋଲରମାନେ ପିଚ୍‌ରୁ ସାହାଯ୍ୟ ପାଇବାର ସମସ୍ତ ସମ୍ଭାବନା ରହିଛି। ଖେଳାଳି ଏକାଦଶରେ ଉଭୟ ଦଳ ଅତିରିକ୍ତ ଦ୍ରୁତ ବୋଲରଙ୍କୁ ଅନ୍ତର୍ଭୁକ୍ତ କରିପାରନ୍ତି।

ପାଣିପାଗ ରିପୋର୍ଟ:

Accuweather ର ରିପୋର୍ଟ ଅନୁଯାୟୀ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି -୨୦ ରେ ବର୍ଷା ବ୍ୟାଘାତ ସୃଷ୍ଟି କରିପାରେ। ମ୍ୟାଚ୍ ସମୟରେ ୧୧ ପ୍ରତିଶତ ବର୍ଷା ହେବାର ସମ୍ଭାବନା ଅଛି। ପାଣିପାଗ ରିପୋର୍ଟ ଅନୁଯାୟୀ ମ୍ୟାଚ୍ ମଧ୍ୟ ବିଳମ୍ବରେ ଆରମ୍ଭ ହୋଇପାରେ। ମ୍ୟାଚ୍ ସମୟରେ ତାପମାତ୍ରା ୧୭ ଡିଗ୍ରୀ ସେଲସିୟସରୁ ୧୫ ଡିଗ୍ରୀ ମଧ୍ୟରେ ରହିବ ବୋଲି ଆଶା କରାଯାଉଛି। ମ୍ୟାଚର ଦ୍ୱିତୀୟ ଇନିଂସରେ ବର୍ଷା ହେବାର ସମ୍ଭାବନା ରହିଛି।

ପୂର୍ବାନୁମାନ:

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ମ୍ୟାଚ୍ ଏକପାଖିଆ ହୋଇଥିଲେ ମଧ୍ୟ ଆଜିର ମ୍ୟାଚ୍ ରୋମାଞ୍ଚକର ହେବ। ଆମର ମ୍ୟାଚ୍ ପୂର୍ବାନୁମାନ ମିଟର କହୁଛି ଯେ, ଏହି ମ୍ୟାଚ୍ ଏକ କଡା ପ୍ରତିଯୋଗିତା ହେବ। ଆଜି ଦକ୍ଷିଣ ଆଫ୍ରିକା ଦଳର ବିଜୟର ସମ୍ଭାବନା ଟିକିଏ ଅଧିକ, କିନ୍ତୁ ଭାରତୀୟ ଖେଳାଳିମାନେ ପୁଣି ଥରେ ଚମତ୍କାର ପ୍ରଦର୍ଶନ କରିପାରନ୍ତି।

ଭାରତ ଏବଂ ଦକ୍ଷିଣ ଆଫ୍ରିକାର ସମ୍ଭାବ୍ୟ ଖେଳାଳି ଏକାଦଶ:

ସଞ୍ଜୁ ସାମସନ (ୱିକେଟ୍ କିପର), ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ରିଙ୍କୁ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ, ରବି ବିଶ୍ନୋଇ/ ୟଶ ଦୟାଲ, ବରୁଣ ଚକ୍ରବର୍ତ୍ତୀ, ଆବେଶ ଖାନ ଏବଂ ଅର୍ଶଦୀପ ସିଂ।

Categories
ଆଜିର ଖବର ଜାତୀୟ ଖବର

କାରକୁ ଧକ୍କା ଦେଲା ଟ୍ୟାଙ୍କର୍, ମର୍ମନ୍ତୁଦ ଦୁର୍ଘଟଣାରେ ବାପା, ପୁଅଙ୍କ ସମେତ ୩ ମୃତ

ନୂଆଦିଲ୍ଲୀ: ଆଜି ସକାଳେ ଉତ୍ତରପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଠାରେ ଦ୍ରୁତ ଗତିରେ ଆସୁଥିବା ଟ୍ରଲର ନିୟନ୍ତ୍ରଣ ହରାଇ କାରକୁ ପଛପଟୁ ଧକ୍କା ଦେଇଛି। ଏହି ଦୁର୍ଘଟଣା ଏତେ ଶକ୍ତିଶାଳୀ ଥିଲା ଯେ କାରର ପଛ ଭାଗ ଖଣ୍ଡ ଖଣ୍ଡ ହୋଇଯାଇଛି। ଏହି ଦୁର୍ଘଟଣାରେ ବାପା ଏବଂ ପୁଅଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି।

ଆଜି ସକାଳ ପ୍ରାୟ ୭.୩୦ ସମୟରେ ଲକ୍ଷ୍ନୌ- ଆଗ୍ରା ଏକ୍ସପ୍ରେସୱେ ନମ୍ବର ୨୮୬ କିଲୋମିଟରରେ ଏହି ଦୁର୍ଘଟଣା ଘଟିଛି। ଯେତେବେଳେ ଗାଜିଆବାଦରେ ରହୁଥିବା ବାପା ଏବଂ ପୁଅ ସ୍କର୍ପିଓ କାରରେ ବିହାରର ଗୟା ଆଡ଼କୁ ଯାଉଥିଲେ, ସେତେବେଳେ ଏକ ଟ୍ରେଲର ସେମାନଙ୍କ କାରକୁ ପଛରୁ ଉନ୍ନାଓରେ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ କାରରେ ଯାତ୍ରା କରୁଥିବା ବାପା ଏବଂ ପୁଅଙ୍କ ସମେତ ତିନି ଜଣ ଗୁରୁତର ଆହତ ହୋଇଥିଲେ।

ଦୁର୍ଘଟଣା ପରେ ବହୁ ସଂଖ୍ୟକ ଲୋକ ଘଟଣାସ୍ଥଳରେ ଏକାଠି ହୋଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା ​​ଏବଂ ଯାତ୍ରୀମାନଙ୍କ ସାହାଯ୍ୟରେ ଆହତମାନଙ୍କୁ କାର ଭିତରୁ ବାହାରକୁ ନିଆଯାଇଥିଲା, ପରେ ସେମାନଙ୍କୁ ତୁରନ୍ତ ଲକ୍ଷ୍ନୌର ଲୋକ ବାନ୍ଧୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିଲା। କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ଡାକ୍ତରମାନେ ତିନିଜଣଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଦୁର୍ଘଟଣାରେ ସ୍କର୍ପିଓରେ ଯାତ୍ରା କରୁଥିବା ସଞ୍ଜୟ କୁମାର ସିଂ, ତାଙ୍କ ପୁଅ ସୌରଭ ଏବଂ ଗୌରବ କୁମାରଙ୍କ ମୃତ୍ୟୁ ଘଟିଛି। ପୋଲିସ ଏହି ତିନିଜଣଙ୍କ ମୃତଦେହକୁ ଗିରଫ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ମୃତକଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ଏହି ଘଟଣାରେ ହସନଗଞ୍ଜ ପୋଲିସ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି। ଟ୍ରେଲରକୁ ପୋଲିସ ଜବତ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଖୁବ ଶୀଘ୍ର ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହେବ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର: ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟରେ ଖୁବ ଶୀଘ୍ର ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହେବ। ଯ’ଦ୍ଵାରା କି ପ୍ରାଥମିକ ସ୍ତରରେ ଛାତ୍ର ଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇପାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ କରିଛନ୍ତି।

ନବରଙ୍ଗପୁର ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ ଏହି ସୂଚନା ଦେବା ସହ ବିକଶିତ ଭାରତ ବିକଶିତ ଓଡିଶା ଗଠନ ବିଦ୍ୟାଳୟ ସ୍ତରରୁ ହିଁ ଆରମ୍ଭ ହେବ, ଉତ୍ତମ ବ୍ୟକ୍ତି ନିର୍ମାଣ ହେଲେ ହିଁ ଉତ୍ତମ ରାଷ୍ଟ୍ର ଗଠନ ହେବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇଛନ୍ତି।

ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ଜିଲ୍ଲାର ଲୋକ କଳାର ବିବିଧତାକୁ ନେଇ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏ

ହି କାର୍ଯ୍ୟକ୍ରମରେ ବିଧାୟକ ଗୌରୀ ଶଙ୍କର ମାଝୀ, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମ ଲାଲ ନାୟକ ଙ୍କ ସମେତ ଜିଲ୍ଲା ର ପ୍ରମୁଖ ଉପସ୍ଥିତ ଥିଲେ।