Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମହିଳାଙ୍କ ନକଲି ଦସ୍ତଖତ କରି ଲକ୍ଷାଧିକ ଟଙ୍କା ଠକେଇର ପର୍ଦ୍ଦାଫାସ୍: ଅଭିଯୁକ୍ତକୁ ଗିରଫ କଲା ଚାନ୍ଦପୁର ପୋଲିସ

ଚାନ୍ଦପୁର/ନୟାଗଡ: ଜନୈକ ବରିଷ୍ଠ ନାଗରିକଙ୍କ ଆକାଉଣ୍ଟରୁ ନକଲି ଦସ୍ତଖତ କରି ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା। ପୋଲିସର ସହଯୋଗ ଦ୍ୱାରା ଅଭିଯୋଗାକାରୀ ତାଙ୍କର ଠକେଇ ହୋଇଥିବା ଲକ୍ଷାଧିକ ଟଙ୍କା ଫେରିପାଇଛନ୍ତି। ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଏପରି ଘଟଣା ଘଟିଯାଇଛି।

ସୂଚନା ମୁତାବକ ହରିହରପୁର ଗ୍ରାମର ମିନା କୁମାରି ନାୟକଙ୍କ କମାଗୁରୁ ଷ୍ଟେଟ ବ୍ୟାଙ୍କରେ ଏକ ଆକାଉଣ୍ଟ ଅଛି। ନିକଟରେ ଉକ୍ତ ଆକାଉଣ୍ଟରୁ କେହି ଜଣେ ଦୁର୍ବୁତ୍ତ ମିନା କୁମାରୀଙ୍କ ଜାଲ ଦସ୍ତଖତ କରି ୧ ଲକ୍ଷ ୨୦ ହଜାର ଟଙ୍କା ତାଙ୍କ ଖାତାରୁ ଉଠାଇନେଇଥିଲା। ଏ ନେଇ ମିନା କୁମାରୀ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଆଇଆଇସି ରଶ୍ମିରଞ୍ଜନ ଦାସ କେସ ନମ୍ବର ୮୪/୨୧ ରେ ଏକ ଠକେଇ ମାମଲା ରୁଜୁ କରିଥିଲେ। ନୟାଗଡ ଏସପି ଙ୍କ ତତ୍ୱାବଧାନରେ ଆଇଆଇସି ଶ୍ରୀ ଦାସ ଏସଆଇ ଅଞ୍ଜଳି ସା ଙ୍କ ସହଯୋଗରେ ଉକ୍ତ ଘଟଣାର ତଦନ୍ତ ଜାରି ରଖିଥିଲେ।

ତେବେ ଆଜି ଆଇଆଇସି ଏବଂ ଟିମ ସମ୍ପୃକ୍ତ ଦୁର୍ବୁତ୍ତଙ୍କୁ ଠାବ କରିବା ସହ ତାଙ୍କ ନିକଟରୁ ଠକେଇ ହୋଇଥିବା ୧ ଲକ୍ଷ ୨୦ ହଜାର ଟଙ୍କା ଜବତ କରି ଅଭିଯୋଗକାରିଣୀ ମିନା କୁମାରୀଙ୍କୁ ହସ୍ତାନ୍ତର କରିଛନ୍ତି। ପୋଲିସର ତ୍ୱରିତ ପଦକ୍ଷେପ ପାଇଁ ମିନା କୁମାରୀ ଚାନ୍ଦପୁର ଆଇଆଇସିଙ୍କୁ ସାଧୁବାଦ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ପ୍ରଖ୍ୟାତ ସମାଜସେବୀ ଡାକ୍ତର ରାଧାଚରଣ ପଣ୍ଡାଙ୍କ ନାମରେ ନାମିତ ବିଦ୍ୟାଳୟକୁ ନିଶ୍ଚିହ୍ନ କରିବାକୁ ଷଡଯନ୍ତ୍ର!

ସୀତାରାମ ଅଗ୍ରୱାଲ

ବାଲୁଗାଁ: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱଳ୍ପ ଉପସ୍ଥାନ ଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ନିକଟସ୍ଥ ସ୍କୁଲ୍ ସହ ମିଶ୍ରଣ କରାଯାଇଛି। ଯାହାଫଳରେ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଅନେକ ସରକାରୀ ବିଦ୍ୟାଳୟ ସତ୍ତା ହରାଇଥିବା ବେଳେ ସମ୍ପୃକ୍ତି ଅଞ୍ଚଳରେ ଦିନକୁ ଦିନ ବେସରକାରୀ ବିଦ୍ୟାଳୟମାନ ଗଢ଼ିଉଠୁଛି। ସରକାରୀ ବିଦ୍ୟାଳୟରେ ବହି, ଖାତାଠାରୁ ଆରମ୍ଭ କରି ପୋଷାକ ଓ ଖାଦ୍ୟ ଯୋଗାଇ ଦିଆଯାଉଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡ଼ୁନି। ଛାତ୍ରଛାତ୍ରୀମାନେ ବେସରକାରୀ ବିଦ୍ୟାଳୟ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ନଜିର ରହୁଛି।

ରାଜ୍ୟରେ ବରପୁତ୍ରଙ୍କୁ ସମ୍ମାନ ଓ ସ୍ମୃତି ଉଦ୍ଦେଶ୍ୟରେ ବିଭିନ୍ନ ପ୍ରାନ୍ତରେ ଏକାଧିକ ଶିକ୍ଷାନୁଷ୍ଠାନ ସାଙ୍ଗକୁ ବିମାନ ବନ୍ଦର, ଡାକ୍ତରଖାନା ଆଦି ନାମକରଣ କରାଯାଇଛି। ଦେଶ ତଥା ଜାତି ପାଇଁ ଉତ୍ସର୍ଗୀକୃତ ଅବଦାନକୁ ଚିରସ୍ମରଣୀୟ କରିବାକୁ ସରକାରଙ୍କ ଅନୁଦାନକ୍ରମେ ସାରା ରାଜ୍ୟରେ ତଥା ଦେଶରେ ବିଭିନ୍ନ ଅନୁଷ୍ଠାନମାନ ସ୍ଥାପିତ ହୋଇଛି। ସ୍କୁଲ ଓ ଗଣ ଶିକ୍ଷା ବିଭାଗ ବିଦ୍ୟାଳୟମାନଙ୍କ ମିଶ୍ରଣ ଆଳରେ ଅନେକ ନାମୀଦାମୀ ବିଦ୍ୟାଳୟ ବିଲୋପ ହୋଇଯିବା ସାଙ୍ଗକୁ ବିଭିନ୍ନ ବରପୁତ୍ରଙ୍କ ନାମରେ ନାମିତ ବିଦ୍ୟାଳୟଗୁଡ଼ିକ ଧ୍ୱଂସାଭିମୁଖୀ ପାଲଟିଗଲାଣି। ଯାହାକି ବରପୁତ୍ରଙ୍କୁ ଘୋର ଅସମ୍ମାନ ସଦୃଶ।

ଯାହାର ଜ୍ୱଳନ୍ତ ନମୁନା ସ୍ୱରୂପ ଦୀର୍ଘ ୩୧ ବର୍ଷ ଧରି ଆଦର୍ଶ ବିଦ୍ୟାଳୟରେ ପରିମାର୍ଜିତ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ବାଲୁଗାଁ ଠାରେ ଅବସ୍ଥିତ ଡ. ରାଧାଚରଣ ପ୍ରାଥମିକ ବିଦ୍ୟାଳୟ। ଉକ୍ତ ବିଦ୍ୟାଳୟକୁ ବାଲୁଗାଁ ଉଚ୍ଚବିଦ୍ୟାଳୟ ସହିତ ମିଶ୍ରଣ ଆଳରେ ନିଶ୍ଚିହ୍ନ କରିବାକୁ କିଛି ଅଧିକାରୀ କୁଟ ଚକ୍ରାନ୍ତ ଚଳାଇଛନ୍ତି। ଏପରିକି କରୋନା ସମୟରେ ବିଦ୍ୟାଳୟ ବନ୍ଦ ଥିବା ସୁଯୋଗ ନେଇ ବିଦ୍ୟାଳୟର ନାମକୁ ଲିଭାଇଦେବା ସହ ରାସ୍ତାପାଶ୍ୱର୍ରେ ଥିବା ନାମଫଳକଟିକୁ ଉଭାନ କରିଦେଇଛନ୍ତି। ଏହି ପ୍ରତିବାଦରେ ଶିକ୍ଷାବିତ୍ ତଥା ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱାଧୀନ କୁମାର ପଣ୍ଡା ନିଜ ପିତାଙ୍କ ସ୍ମୃତିରେ ଗଢ଼ି ତୋଳିଥିବା ଆଦର୍ଶ ବିଦ୍ୟାଳୟକୁ ଉଜ୍ଜୀବିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍କୁଲ ଓ ଗଣଶିକ୍ଷା ବିଭାଗ, ୫-ଟି ସଚିବ, ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳଙ୍କୁ ଚିଠି ଲେଖି ନ୍ୟାୟ ଭିକ୍ଷା କରିଛନ୍ତି।

ସୂଚନା ମୁତାବକ ୧୯୮୯ରେ ବାଲୁଗାଁ ଠାରେ ଗାନ୍ଧୀବାଦୀ ତଥା ସମାଜସେବୀ ଡାକ୍ତର ରାଧାଚରଣ ପଣ୍ଡାଙ୍କ ସ୍ମୃତିରେ ପୁତ୍ର ଶ୍ରୀ ପଣ୍ଡା ନିଜ ବାସଭବନରେ ଅସହାୟ, ନିରାଶ୍ରୟ, ଗରିବ ଛାତ୍ରୀଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଦୀର୍ଘ ୧୨ ବର୍ଷ ଧରି ନିଜ ପୃଷ୍ଠପୋଷକତାରେ ଚଳାଇବା ପରେ ତାହା ସରକାରୀ ମାନ୍ୟତା ପାଇଥିଲା। ପ୍ରତିଷ୍ଠାତାଙ୍କ ମନୋବଳ, ଶିକ୍ଷକଙ୍କ ଉତ୍ତମ ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ପ୍ରଚେଷ୍ଟାରେ ସମଗ୍ର ଚିଲିକା ବ୍ଲକ୍‌ରେ ଏକ ଆଦର୍ଶ ତଥା ଶେଷ୍ଠ ପ୍ରାଥମିକ ବିଦ୍ୟାଳୟ ଭାବେ ସୁନାମ ଅର୍ଜନ କରିଥିଲା। ଦିନକୁ ଦିନ ଛାତ୍ରଛାତ୍ରୀଙ୍କ ବୃଦ୍ଧିକୁ ନେଇ ବିଦ୍ୟାଳୟର ସ୍ଥାୟୀ ଗୃହ ନିମନ୍ତେ ବାଲୁଗାଁ ହାଇସ୍କୁଲ୍ ନିକଟବର୍ତ୍ତୀ ଏକ ଜମି କିଣି ସେଠାରେ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ଉକ୍ତ ବିଦ୍ୟାଳୟକୁ ବିଭିନ୍ନ ପର୍ଯ୍ୟାୟରେ ଅନେକ ରାଜନେତା ମଧ୍ୟ ଅନୁଦାନ ରାଶି ପ୍ରଦାନ କରିଥିଲେ। ଉକ୍ତ ବିଦ୍ୟାଳୟଟି ସମଗ୍ର ଅଞ୍ଚଳରେ ଖ୍ୟାତି ଲାଭ କରିଥିବା ବେଳେ ଏହାକୁ ନିଶ୍ଚିହ୍ନ କରିବା ପାଇଁ ଅହରହ ଷଡ଼ଯନ୍ତ୍ର ଜାରି ରହିଛି।

ବାଲୁଗାଁ ଉଚ୍ଚ ବିଦ୍ୟାଳୟ ସହ ମିଶ୍ରଣ ଆଳରେ ଦୀର୍ଘ ୩୧ ବର୍ଷ ସୁନାମ ଅର୍ଜନ କରିଥିବା ବିଦ୍ୟାଳୟ ନାମ, ପରିଚୟ ଓ ଅସ୍ତିତ୍ୱ ବିଲୋପ କରି ଅନୁଷ୍ଠାନକୁ ନିଶ୍ଚିହ୍ନ କରିବା ହାଇସ୍କୁଲ୍‌ର ପ୍ରଧାନଶିକ୍ଷକଙ୍କ ଦ୍ୱାରା ଉଦ୍ୟମ କରାଯାଇଛି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି।

ଏଥିସହିତ ଉକ୍ତ ବିଦ୍ୟାଳୟର କୋଠା ଓ ଫାଟକ ଉପରେ ଥିବା ବିଦ୍ୟାଳୟର ନାମକୁ ଲିଭାଇ ଦିଆଯିବା ସହ ରାସ୍ତାପାଶ୍ୱର୍ରେ ଥିବା ନାମଫଳକ ଗେଟ୍‌କୁ ଉଭାନ କରିଦିଆଯାଇଛି। ଏପରିକି ବିଦ୍ୟାଳୟର ସମସ୍ତ କାଗଜପତ୍ର ମନଇଚ୍ଛା ହାଇସ୍କୁଲ୍ କାର୍ଯ୍ୟାଳୟକୁ ନିଆଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କୁ ବାଲୁଗାଁ ହାଇସ୍କୁଲ୍‌ର ପରିଚୟପତ୍ର ମଧ୍ୟ ଦିଆଯାଇଥିବାର ଅଭିଯୋଗ ହୋଇଛି।

ଏପରି ଉଦ୍ୟମ କରିବା କେତେଦୂର ଯଥାର୍ଥ? ଉକ୍ତ ଘଟଣାକୁ ନେଇ ସମଗ୍ର ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରାଯାଇଥିଲା ବେଳେ ଓଡ଼ିଶାର ବରପୁତ୍ର ଭାବେ ପରିଚିତ ରାଧାଚରଣ ପଣ୍ଡାଙ୍କ ସ୍ମୃତିକୁ ବଜାୟ ରଖି ଗଢ଼ି ଉଠିଥିବା ଅନୁଷ୍ଠାନ ପ୍ରତି ଅନ୍ୟାୟକୁ ସାଧାରଣରେ ପ୍ରତିବାଦ କରିଆସୁଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ ନ କରିବା ଅତ୍ୟନ୍ତ ଦୁଖଦାୟକ।

ରାଜ୍ୟରେ ବରପୁତ୍ରଙ୍କ ନାମରେ ଅନେକ ଅନୁଷ୍ଠାନମାନ ରହିଥିଲେ ମଧ୍ୟ ଚିଲିକା ବ୍ଲକ୍ ବାଲୁଗାଁ ଠାରେ ଅବସ୍ଥିତ ଡ. ରାଧାଚରଣ ପ୍ରାଥମିକ ବିଦ୍ୟାଳୟ ବିଲୋପ ହୋଇଯିବା ଓ ଅସ୍ତିତ୍ୱ ବିଲୋପ କରି ଅନୁଷ୍ଠାନକୁ ନିଶ୍ଚିହ୍ନ କରିବା କେତେ ଦୁର ଗ୍ରହଣୀୟ ବୋଲି ପ୍ରତିଷ୍ଠାତା ଶ୍ରୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ୫-ଟି ସଚିବ, ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳ, ଜନ ପ୍ରତିନିଧି ଏବଂ ଅନ୍ୟାନ୍ୟ ଉଚ୍ଚ ପଦାଧିକାରୀଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରିଣୀ ଏ ଦିଗରେ ତୁରନ୍ତ ତଦନ୍ତ କରି ବିହିତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।

Categories
ବିଶେଷ ଖବର ରାଜ୍ୟ ଖବର

ଗରିବ ଲୋକଙ୍କ ପାଖରେ ପହଞ୍ଚିଲା ୨୦୦୪ କୋଟି ଟଙ୍କାର କୋଭିଡ ସହାୟତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ଆଜି ରାଜ୍ୟରେ କୋଭିଡର ସ୍ଥିତି, ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ କୋଭିଡ ସହାୟତା ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କିଛି ସପ୍ତାହ ହେଲା ରାଜ୍ୟରେ ପଜିଟିଭିଟି ହାର କମିଥିଲେ ମଧ୍ୟ, କେତେକ ଜିଲ୍ଲାରେ ସଂକ୍ରମଣ ସ୍ଥିତିରେ ଆହୁରି ଉନ୍ନତି ଆସିବାକୁ ବାକି ଅଛି । ଯଦିଓ ପରିସ୍ଥିତି ନିୟନ୍ତ୍ରଣାଧୀନ, ତଥାପି ଆତ୍ମସନ୍ତୋଷ ନୁହେଁ, ଅଧିକ ସତର୍କତା ହିଁ ଆମକୁ ସୁରକ୍ଷିତ ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ଲୋକମାନେ ଯେପରି ଅଯଥାରେ ଗହଳି ନ କରିବେ, ତାକୁ ଦୃଷ୍ଡିରେ ରଖି କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବିଶେଷଜ୍ଞମାନଙ୍କର ମତକୁ ଉଦ୍ଧାର କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯଦି ଅଗଷ୍ଟ ଶେଷ ବେଳକୁ ତୃତୀୟ ଲହରୀ ଆସେ, ସେଥିପାଇଁ ଆମକୁ ଏହାର ପୂର୍ଣ୍ଣ ପ୍ରସ୍ତୁତିର ସହ ମୁକାବିଲା କରିବାକୁ ହେବ । ସ୍ବାସ୍ଥ୍ୟସେବା ରାଜ୍ୟ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ସୁଦୃଢୀକରଣ ସହିତ ମାନବସମ୍ବଳ ବିନିଯୋଗ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ଲୋକମାନେ ଯେପରି ବିନା କୌଣସି ଅସୁବିଧାରେ ସ୍ବାସ୍ଥ୍ୟ ସେବା ପାଇପାରିବେ, ସେ ଦିଗରେ ଜିଲ୍ଲା ପ୍ରଶାସନର ଗୁରୁ ଦାୟିତ୍ବ ରହିଛି । ପ୍ରତି ଜୀବନ ମୂଲ୍ୟବାନ। ଏହା ହେଉଛି ରାଜ୍ୟ ସରକାରଙ୍କର ସ୍ବାସ୍ଥ୍ୟ ନୀତିର ଆଧାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ତେଣୁ ଜିଲ୍ଲା ହସ୍‌ପିଟାଲ ଠାରୁ ଆରମ୍ଭ କରି ସିଏଚସି ସ୍ତର ପର୍ଯ୍ୟନ୍ତ ଯେଭଳି ସ୍ବାସ୍ଥ୍ୟସେବାରେ କୌଣସି ଅସୁବିଧା ନ ହୁଏ, ସେଥିପାଇଁ ଥାନା ଆଇଆଇସିଙ୍କ ଠାରୁ ଆରମ୍ଭ କରି ବିଡିଓ, ଏସ୍‌.ଡି.ପି.ଓ, ସବ୍‌କଲେକ୍ଟର, ଏସ୍‌.ପି ଓ ଜିଲ୍ଲାପାଳ ସମସ୍ତେ ଏହାକୁ ସେମାନଙ୍କର ମୂଳ ଦାୟିତ୍ବର ଅଂଶଭାବରେ ଜ୍ଞାନ କରି ଯତ୍ନବାନ ହେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

କୋଭିଡର ଦ୍ବିତୀୟ ଲହର ସମୟରେ ମୁଖ୍ୟମନ୍ତ୍ରୀ ଗରିବ ଲୋକଙ୍କ ପାଇଁ ବିଶେଷତଃ ଛୋଟ ଚାଷୀ, ନିର୍ମାଣ ଶ୍ରମିକ, ମନେରେଗା ଶ୍ରମିକ, ଆଦିମ ଜନଜାତି ପରିବାର, ଅନୁସୁଚିତ ଜାତି, ଜନଜାତି ଛାତ୍ରଛାତ୍ରୀ ଓ ମିଶନ ଶକ୍ତିର ମା ମାନଙ୍କ ଠାରୁ ଆରମ୍ଭ କରି ଷ୍ଟ୍ରୀଟ ଭେଣ୍ଡର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କୋଭିଡ ସହାୟତା ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କର ୧୦ଟି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ଏହି ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ କରାଯାଇଛି। ଏପର୍ଯ୍ୟନ୍ତ ଉପରୋକ୍ତ ବର୍ଗର ଲୋକମାନଙ୍କୁ ୨୦୦୪ କୋଟି ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଇଛି ବୋଲି ବୈଠକରୁ ଜଣାଯାଇଛି।

ବୈଠକରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଶିକ୍ଷକ ତଥା ସ୍କୁଲର କର୍ମଚାରୀମାନଙ୍କ ଟିକାକରଣ ଉପରେ ଗୁରୁତ୍ବାରୋପ କରିଥିଲେ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ବୈଠକରେ ଅବଗତ କରିଥିଲେ। ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର ପି.କେ. ଜେନା ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା କାର୍ଯ୍ୟକାରୀତା ସଂପର୍କରେ ଉପସ୍ଥାପନା ରଖିଥିଲେ। ବୈଠକରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରୀତା ସଂପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ।

ଏହି ବୈଠକରେ ପୋଲିସ ମହାନିର୍ଦ୍ଦେଶକ, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ, ଜିଲ୍ଲାପାଳ, ଏସ୍‌.ପି ପ୍ରମୁଖ ଉପସ୍ଥିତ ଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଅନ୍ତିମ ଦିନିକିଆ: ଶ୍ରୀଲଙ୍କା ବିରୋଧରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଲା ଭାରତ

ନୂଆଦିଲ୍ଲୀ: ସିରିଜର ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ ଆଜି କଲମ୍ବୋରେ ଟିମ୍ ଇଣ୍ଡିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ଆଜି କ୍ଳିନ ସୁଇପ ଉଦ୍ଦେଶ୍ୟରେ ଟିମ୍ ଇଣ୍ଡିଆ ପଡିଆକୁ ଓହ୍ଳାଇବ। ଉଭୟ ଓପନିଂ ମ୍ୟାଚ୍ ଜିତି ସିରିଜ୍ ଜିତିଥିବା ଟିମ୍ ଇଣ୍ଡିଆର ଅଧିନାୟକ ଶିଖର ଧାୱନ ସମଗ୍ର ଦଳର ମନବଳକୁ ଦୃଢ କରିଛନ୍ତି। ତୃତୀୟ ଏବଂ ଅନ୍ତିମ ଦିନିକିଆରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।

ଅନ୍ୟପକ୍ଷରେ ଶ୍ରୀଲଙ୍କା ତୃତୀୟ ମ୍ୟାଚ୍ ଜିତି ସମ୍ମାନ ରଖିବାକୁ ଚେଷ୍ଟା କରିବ। ଶ୍ରୀଲଙ୍କାର ସବୁଠାରୁ ବଡ ସମସ୍ୟା ହେଉଛି ଅଧିନାୟକତ୍ୱରେ ଅଭିଜ୍ଞତାର ଅଭାବ। ଆଜିର ମ୍ୟାଚ ପାଇଁ ଅଧିନାୟକ ଶିଖର ଧାୱନ ଟିମ୍ ଇଣ୍ଡିଆର ଖେଳୁଥିବା ଏକାଦଶରେ ପରିବର୍ତ୍ତନ କରିଛନ୍ତି। ଏହି ମ୍ୟାଚ ପାଇଁ ୬ ଜଣ ଖେଳାଳିଙ୍କୁ ପରିବର୍ତ୍ତନ କରାଯାଇଛି।

ଭାରତୀୟ ପ୍ଲେଇଙ୍ଗ ଏକାଦଶ:
ଶିଖର ଧାୱନ (ଅଧିନାୟକ), ପୃଥ୍ବୀ ଶ’, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ (ୱିକେଟ କିପର), ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ନିତୀଶ ରାଣା, କୃଷ୍ଣପ୍ପା ଗୌତମ, ରାହୁଲ ଚହର,  ନବଦୀପ ସାଇନି, ଚେତନ ସାକାରୀୟା

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରମନ୍ତ୍ରୀ ଡା. ଏଲ୍ ମୁରୁଗାନଙ୍କ ପିତାମାତା ଏବେ ବି କରୁଛନ୍ତି କୃଷି କାର୍ଯ୍ୟ ଏବଂ ପାଳନ୍ତି ମେଣ୍ଢା

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ଆରମ୍ଭରେ କ୍ୟାବିନେଟରେ ପରିବର୍ତ୍ତନ ଆଣିଥିଲେ ଯାହା ବହୁ ଚର୍ଚ୍ଚାର ବିଷୟ ହୋଇଥିଲା। ଅନେକ ମନ୍ତ୍ରୀଙ୍କୁ ପଦୋନ୍ନତି ମିଳିଥିବା ବେଳେ ଅନେକଙ୍କୁ ମନ୍ତ୍ରୀ ପଦବୀରୁ ବହିଷ୍କାର କରଯାଇଥିଲା। ବିଭିନ୍ନ ରାଜ୍ୟର ନେତାମାନଙ୍କୁ ମଧ୍ୟ ଟିମ୍ ମୋଦିରେ ସ୍ଥାନ ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ମୋଦୀ ମନ୍ତ୍ରୀମଣ୍ଡଳରେ ଡା. ଏଲ୍ ମୁରୁଗାନ୍ ସାମିଲ ହୋଇଥିଲେ। ତାମିଲନାଡୁର ଡାକ୍ତର ଏଲ୍ ମୁରୁଗାନଙ୍କୁ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଭାବେ ଦାୟିତ୍ଵ ମିଳିଛି। ତେବେ ଏଥିରେ ତାଙ୍କ ପିତାମାତାଙ୍କ ଜୀବନ ଉପରେ କୌଣସି ପ୍ରଭାବ ପକାଇ ନାହିଁ। ବର୍ତ୍ତମାନ ତାମିଲନାଡୁର ନାମାକ୍କାଲ ସହରଠାରୁ ୧୫ କିଲୋମିଟର ଦୂରରେ ଥିବା କୋନୁର ଗ୍ରାମରେ ମନ୍ତ୍ରୀଙ୍କ ପିତା ମାତା ରହୁଛନ୍ତି।

ପୁଅ ମନ୍ତ୍ରୀ ହେବା ସତ୍ତ୍ୱେ କେନ୍ଦ୍ର ମନ୍ତ୍ରୀ ମୁରୁଗାନଙ୍କ ମା’ ଏବେ ମଧ୍ୟ ଅନ୍ୟ ଶ୍ରମିକଙ୍କ ସହ କ୍ଷେତରେ କାମ ଜାରି ରଖିଥିବାବେଳେ ତାଙ୍କ ପିତା ଲୋଗାନାଥମ୍ ପୂର୍ବପରି ମେଣ୍ଢା ପାଳୁଛନ୍ତି। ଦିଲ୍ଲୀ ଯିବାକୁ କୌଣସି ଯୋଜନା ନାହିଁ ଏବଂ ଏଠାରେ କଠିନ ପରିଶ୍ରମ କରି ରୋଜଗାର କରି ଖୁସି ଅଛନ୍ତି ବୋଲି ମନ୍ତ୍ରୀଙ୍କ ପିତା ମାତା କହିଛନ୍ତି।

କେନ୍ଦ୍ର ମନ୍ତ୍ରୀଙ୍କ ପିତାମାତା ଏକ ଛୋଟ ଘରେ ରୁହନ୍ତି। ଘର ଛାତ ଉପରେ ଥିବା ଖୁଣ୍ଟରେ ବିଜେପି ପତାକା ଲାଗିଥିବା ଦେଖିବାକୁ ମିଳୁଛି।

ଡା. ମୁରୁଗାନ୍ ଗ୍ରାମ ବିଦ୍ୟାଳୟରୁ ତାଙ୍କର ପ୍ରାରମ୍ଭିକ ଅଧ୍ୟୟନ କରିଥିଲେ ଏବଂ ପରବର୍ତ୍ତୀ ଅଧ୍ୟୟନ ପାଇଁ ଜିଲ୍ଲାର ପାରାମାଥୀ ସହରକୁ ଯାଇଥିଲେ। ଏହା ପରେ ସେ ଚେନ୍ନାଇରୁ ଆଇନ ଡିଗ୍ରୀ ହାସଲ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ପ୍ରବଳ ହଟ୍ଟଗୋଳ ଯୋଗୁଁ ସୋମବାର ପର୍ଯ୍ୟନ୍ତ ଲୋକସଭାକୁ କରାଗଲା ମୁଲତବୀ: ତୃଣମୂଳ ସାଂସଦଙ୍କୁ ନିଲମ୍ବନ କଲେ ବାଚସ୍ପତି

ନୂଆଦିଲ୍ଲୀ: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଏପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନ  ସୂଚାରୁ ରୂପେ ଚାଲିପାରିନାହିଁ। ଗୁରୁବାର ପରେ ଆଜି ମଧ୍ୟ ବିରୋଧୀ ସାଂସଦଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହକୁ ମୁଲତବୀ କରିବାକୁ ପଡ଼ିଲା। ଲୋକସଭାକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ ସମେତ ବିଭିନ୍ନ ଦଳର ସଦସ୍ୟଙ୍କ ବିରୋଧ ଯୋଗୁଁ ରାଜ୍ୟସଭାକୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ତୃଣମୂଳ କଂଗ୍ରେସ ସାଂସଦ ଶାନ୍ତନୁ ସେନଙ୍କୁ ଗତକାଲିର ଖରାପ ଆଚରଣ ପାଇଁ ରାଜ୍ୟସଭାରୁ ବାଚସ୍ପତି ଏମ ଭେଙ୍କେୟା ନାଇଡୁ ନିଲମ୍ବିତ କରିଛନ୍ତି। ଚଳିତ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ଶାନ୍ତନୁଙ୍କୁ ରାଜ୍ୟସଭାରୁ ନିଲମ୍ବନ କରାଯାଇଛି। ଫଳରେ ୧୨ ଟା ପରେ ଏହି କାରଣରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ତେଣୁ ରାଜ୍ୟସଭାର କାର୍ଯ୍ୟକୁ ପୁନର୍ବାର ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬୯ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୫ ହଜାର ୩୭୭ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୯ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୩୭୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୨୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ଵର ଜିଲ୍ଲାରୁ ୧୧ ଜଣ, ସମ୍ବଲପୁର ଜିଲ୍ଲାରୁ ୭ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୬ ଜଣ, ବରଗଡ ଜିଲ୍ଲାରୁ ୫ ଜଣ ଲେଖାଏଁ ଏବଂ ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବଲାଙ୍ଗୀରି, ଝାରସୁଗୁଡା, କନ୍ଧମାଳ, ରାୟଗାଡା ଜିଲ୍ଲାରୁ ୨ ଜଣ ଲେଖାଏଁ, ଢେଙ୍କାନାଳ, ନୂଆପଡା ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୩ ହଜାର ୮୫୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୩୯ ହଜାର ୧୬୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୯ ହଜାର ୨୬୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୩୭୭ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ୩୫ ହଜାର ୩୪୨ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୫ ହଜାର ୩୪୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪୮୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧୨ ଲକ୍ଷ ୯୩ ହଜାର ୬୨ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୯ ହଜାର ୪୭୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪ ଲକ୍ଷ ୬୮ ହଜାର ୭୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୫ ହଜାର ୫୧୩ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୧ ହଜାର ୯୧୭ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୯୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୧୦୯ ଜଣ ଚିହ୍ନଟ ହୋଇଥିବା ବେଳେ ୮୦୮ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୩ ହଜାର ୮୫୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୩୯ ହଜାର ୧୬୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୯ ହଜାର ୨୬୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫୩୦୮ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୧ ହଜାର ୯୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୧୮ ଜଣ, କଟକ ଜିଲ୍ଲାରୁ ୨୫୬ ଜଣ, ଅନୁଗୁଳ ଜିଲ୍ଲାରୁ ୯୧ ଜଣ, ବାଲେଶ୍ଵର ଜିଲ୍ଲାରୁ ୮୪ ଜଣ, ବରଗଡ ଜିଲ୍ଲାରୁ ୧୯ ଜଣ, ଭଦ୍ରକ ଜିଲ୍ଲାରୁ ୫୫ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୧୦ ଜଣ, ବୌଦ୍ଧ ଜିଲ୍ଲାରୁ ୭ ଜଣ, ଦେବଗଡ ଜିଲ୍ଲାରୁ ଜଣେ, ଢେଙ୍କାନାଳ ଜିଲ୍ଲାରୁ ୩୭ ଜଣ, ଗଜପତି ଜିଲ୍ଲାରୁ ୧୬ ଜଣ, ଗଞ୍ଜାମ ଜିଲ୍ଲାରୁ ୭ ଜଣ, ଜଗତସିଂହପୁର ଜିଲ୍ଲାରୁ ୯୨ ଜଣ, ଯାଜପୁର ଜିଲ୍ଲାରୁ ୮୭ ଜଣ, ଝାରସୁଗୁଡା ଜିଲ୍ଲାରୁ ୯ ଜଣ, କଳାହାଣ୍ଡି ଜିଲ୍ଲାରୁ ୬ ଜଣ, କନ୍ଧମାଳ ଜିଲ୍ଲାରୁ ୨୫ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୭୩ ଜଣ, କେନ୍ଦୁଝର ଜିଲ୍ଲାରୁ ୩୩ ଜଣ, କୋରାପୁଟ ଜିଲ୍ଲାରୁ ୧୦ ଜଣ, ମାଲକାନାଗିରି ଜିଲ୍ଲାରୁ ୧୨ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୬୯ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୦ ଜଣ, ନୟାଗଡ ଜିଲ୍ଲାରୁ ୭୬ ଜଣ, ନୂଆପଡା ଜିଲ୍ଲାରୁ ୫ ଜଣ, ପୁରୀ ଜିଲ୍ଲାରୁ ୧୧୮ ଜଣ, ରାୟଗଡା ଜିଲ୍ଲାରୁ ୧୧ ଜଣ, ସମ୍ବଲପୁର ଜିଲ୍ଲାରୁ ୧୫ ଜଣ, ସୋନପୁର ଜିଲ୍ଲାରୁ ୬ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୫୦ ଜଣ ଏବଂ ଷ୍ଟେଟ ପୁଲରୁ ୧୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଧର୍ମ

ରାଶିଫଳ: ଜୁଲାଇ 23 ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶି ଉପରେ ମହାଦେବଙ୍କ ରହିଛି ଆର୍ଶିବାଦ

ମେଷ :- କମ୍ ପରିଶ୍ରମ ଦ୍ୱାରା ସଫଳତା ହାସଲ ହେବ। ଲାଭ ସୁଯୋଗ ଆସିବ। ରୋଜଗାର ବୃଦ୍ଧି ପାଇବ। ଆପଣ ସାଙ୍ଗମାନଙ୍କୁ ସାହାଯ୍ୟ କରିପାରିବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ବ୍ୟବସାୟ ଲାଭଦାୟକ ହେବ। ସେୟାର ବଜାରରେ ବୁଦ୍ଧିମାନ ଭାବରେ ବିନିଯୋଗ କରନ୍ତୁ। ଯନ୍ତ୍ରଣା, ଭୟ, ଚିନ୍ତା ଏବଂ ଟେନସନର ପରିବେଶ ସୃଷ୍ଟି ହୋଇପାରେ । ଅସଦାଚରଣ ହେତୁ କ୍ଷତି ହେବ।

ବୃଷ :-  ଦୁଷ୍ଟ ଲୋକମାନଙ୍କ ପ୍ରତି ସାବଧାନ ରୁହନ୍ତୁ, ସେମାନେ କ୍ଷତି କରିପାରିବେ। ପତିପତ୍ନୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ। ଖରାପ ଖବର ଯେ କୌଣସି ସ୍ଥାନରୁ ଆସିପାରେ। ରିସ୍କ ନେବାକୁ ସାହସ କର। ଆୟ ଜାରି ରହିବ। ଭାଇମାନଙ୍କର ସମର୍ଥନ ପାଇବେ। ବିନିଯୋଗ ଭଲ ହେବ। ଆସନ୍ତାକାଲି ପାଇଁ ଆଜିର କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ। ବିବେକ ବ୍ୟବହାର କରନ୍ତୁ। ଉପକୃତ ହେବ।

ମିଥୁନ- ଶୀଘ୍ର କୌଣସି କାରବାର କରନ୍ତୁ ନାହିଁ । ଆଜିର ଦିନଟି ଭଲ ଆକାରରେ କଟିବ। ଅପଚୟ ଖର୍ଚ୍ଚ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଅପ୍ରତ୍ୟାଶିତ ଲାଭ ହୋଇପାରେ। ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି। ସହଭାଗୀମାନେ ସମର୍ଥନ ପାଇବେ । ବ୍ୟାଟିଂ ଏବଂ ଲଟେରୀର ଜାଲରେ ପଡ଼ନ୍ତୁ ନାହିଁ। ଚାକିରିରେ ଅଧିକାର ବୃଦ୍ଧି ପାଇବ। ଘର ବାହାରେ ଖୁସିର ପରିବେଶ ରହିବ।

କର୍କଟ- ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ମୂଲ୍ୟବାନ ସାମଗ୍ରୀ ତୁମ ସହିତ ରଖ। ପତି-ପତ୍ନୀଙ୍କ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ ହେବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଚିନ୍ତା ଏବଂ ଚାପ ବୃଦ୍ଧି ପାଇବ। ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ଉପରେ ଅନ୍ଧବିଶ୍ୱାସ ରଖନ୍ତୁ ନାହିଁ। ଖରାପ ସମୟ ଚାଲିଯାଇଛି। ନକାରାତ୍ମକତା ରହିବ। ବ୍ୟବସାୟ ଭଲ ହେବ। ଆୟରେ ନିଶ୍ଚିତତା ରହିବ।

ସିଂହ- ଶତ୍ରୁମାନେ ଶାନ୍ତ ରହିବେ। ଲାଭ ପାଇଁ ସୁଯୋଗ ଆସିବ। ବ୍ୟବସାୟ ଯାତ୍ରା ଲାଭଦାୟକ ହେବ। ଦେୟ ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ଆପଣ ସାଙ୍ଗମାନଙ୍କ ସମର୍ଥନ ପାଇବେ। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା ହେବ। ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି। ବିନିଯୋଗ ଭଲ ହେବ। ଅଧିକାରୀମାନେ ଚାକିରିରେ ଖୁସି ହେବେ। ଭାଗ୍ୟ ତୁମ ସହିତ ରହିବ।

କନ୍ୟା :- ଶିଶୁ ପକ୍ଷରୁ ସ୍ୱାସ୍ଥ୍ୟ ଏବଂ ଅଧ୍ୟୟନ ସମ୍ବନ୍ଧୀୟ ଚିନ୍ତାଧାରା ରହିବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ତୁରନ୍ତ କୈଣସି ଲାଭ ହେବ ନାହିଁ । କାର୍ଯ୍ୟ ଶୈଳୀରେ ପରିବର୍ତ୍ତନ ହୋଇପାରେ। ବ୍ୟବସାୟ ଲାଭଦାୟକ ହେବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ଷ୍ଟକ୍ ମାର୍କେଟ୍ ଏବଂ ମ୍ୟୁଚୁଆଲ୍ ଫଣ୍ଡ ଅନୁକୂଳ ଲାଭ ଦେବ।

ତୂଳା- ଥକ୍କା ଏବଂ ଦୁର୍ବଳତା ରହିପାରେ । ଆଜିର ଦିନଟି ଭଲ ଆକାରରେ କଟିବ। ଧାର୍ମିକ କାର୍ଯ୍ୟକଳାପରେ ଆଗ୍ରହ ରହିବ । ଏକ ଧାର୍ମିକ ରୀତିନୀତିରେ ଅଂଶଗ୍ରହଣ କରିବାର ସୁଯୋଗ ଆସିପାରେ । ଆଇନଗତ ପ୍ରତିବନ୍ଧକ ହଟାଇବା ପରେ ପରିସ୍ଥିତି ଅନୁକୂଳ ହେବ। ଲାଭ ସୁଯୋଗ ଆସିବ । ସୁଖର ମାଧ୍ୟମ ମିଳିପାରିବ । ଟଙ୍କା ପାଇବା ସହଜ ହେବ।

ବିଛା:- ପ୍ରେମ ସଂପର୍କରେ ଶୀଘ୍ର ଯାଅ ନାହିଁ । ବିବାଦ ହୋଇପାରେ। ନକାରାତ୍ମକତା ରହିବ। ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ଅସାବଧାନ ହୁଅନ୍ତୁ ନାହିଁ । ଯୁବକ ଓ ଯୁବତୀଙ୍କ ବିଶେଷ ଯତ୍ନ ନିଅନ୍ତୁ । ବିବାଦକୁ ଉତ୍ସାହିତ କରନ୍ତୁ ନାହିଁ । ଆତ୍ମ ସମ୍ମାନ କ୍ଷତିଗ୍ରସ୍ତ ହୋଇପାରେ। କାରବାରରେ ସାବଧାନ ରୁହନ୍ତୁ । ଆୟରେ ନିଶ୍ଚିତତା ରହିବ।

ଧନୁ : ଆଇନଗତ ବାଧା ସମ୍ଭବ। ଥଟ୍ଟା ଠାରୁ ଦୂରେଇ ରୁହନ୍ତୁ। ବିରୋଧୀମାନେ ସକ୍ରିୟ ରହିବେ। ଯେକୈଣସି ପ୍ରକାରେ ଟଙ୍କା କ୍ଷତି ହୋଇପାରେ। ତୁମେ ତୁମର ଜୀବନସାଥୀଙ୍କଠାରୁ ସମର୍ଥନ ପାଇବ। ଆଇନଗତ ପ୍ରତିବନ୍ଧକକୁ ହଟାଇ ଲାଭର ପରିସ୍ଥିତି ସୃଷ୍ଟି ହେବ। ଘର ବାହାରେ ଖୁସିର ପରିବେଶ ରହିବ। ବ୍ୟବସାୟ ଭଲ ହେବ। ଲାଭ ବୃଦ୍ଧି ପାଇବ।

ମକର : ଏପରି କୈଣସି କାର୍ଯ୍ୟ କର ନାହିଁ ଯାହା ଅପମାନଜନକ ଅଟେ। ଆଜି ଦିନଟି ଭଲ ଆକାରରେ କଟିବ। ଚିନ୍ତା ଏବଂ ଟେନସନ ହେବ। ସୁଖର ମାଧ୍ୟମ ଉପରେ ଖର୍ଚ୍ଚ ହେବ। ସ୍ଥିର ସମ୍ପତ୍ତିରେ ବୃଦ୍ଧି ହେବାର ସମ୍ଭାବନା ଅଛି। ସମ୍ପତ୍ତି କାର୍ଯ୍ୟ ବଡ ଲାଭ ଦେଇପାରେ। ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ। ଚାକିରିରେ ସୁଖ ଏବଂ ଶାନ୍ତି ରହିବ। ବୁଦ୍ଧିମାନ ଭାବରେ ଆପଣଙ୍କର ବିନିଯୋଗ ପ୍ରବେଶ କରନ୍ତୁ।

କୁମ୍ଭ- ଆଖି ରୋଗ ଏବଂ ଆଘାତ ହେବାର ସମ୍ଭାବନା ରହିଛି। କାରବାରକୁ ଶୀଘ୍ର କର ନାହିଁ । ଏକ ଆକର୍ଷଣୀୟ ଯାତ୍ରା ଯୋଜନା କରାଯାଇପାରେ। ଏକ ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ । ତୁମର ପ୍ରିୟ ଖାଦ୍ୟ ଉପଭୋଗ କରିବ । ଭଲ ସମୟ ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କ ସହିତ ବିତାଇବ। ବ୍ୟବସାୟ ଅନୁକୂଳ ହେବ। ରିସ୍କ ନିଅ ନାହିଁ ।

ମୀନ: ଆଜି ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ବ୍ୟବସାୟ ଭଲ ହେବ। ପଇସା ଦ୍ରୁତ ଗତିରେ ଆସିବ। ରିସ୍କ ନିଅ ନାହିଁ । ଯନ୍ତ୍ରଣା, ଭୟ, ଚିନ୍ତା ଏବଂ ଟେନସନର ପରିବେଶ ସୃଷ୍ଟି ହୋଇପାରେ। ବିପଦପୂର୍ଣ୍ଣ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ତୁମର ବକ୍ତବ୍ୟକୁ ନିୟନ୍ତ୍ରଣ କର। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ଦୁଃଖଦ ଖବର ଗ୍ରହଣ କରାଯାଇପାରେ। ଆଶା କରାଯାଉଥିବା କାର୍ଯ୍ୟରେ ବିଳମ୍ବ ହେତୁ ହତାଶ ହେବେ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ହେବେ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି

ଭୁବନେଶ୍ବର, ଉତ୍କଳ ବିଶ୍ବବିଦ୍ୟାଳୟର ବରିଷ୍ଠ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ହେବେ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି। ଏ ନେଇ ଆଜି କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ନିଯୁକ୍ତି ପ୍ରଦାନ କରିଛନ୍ତି। ସେ 4 ବର୍ଷ ପାଇଁ ଏହି ପଦବୀରେ କାର୍ଯ୍ୟ କରିବେ।

ପ୍ରଫେସର ତ୍ରିପାଠୀ ଉତ୍କଳ ବିଶ୍ବବିଦ୍ୟାଳୟର ପର୍ସନାଲ ମ୍ୟାନଜମେଣ୍ଟ ଆଣ୍ଡ ଇଣ୍ଡଷ୍ଟ୍ରିୟାଲ ରିଲେସନସ ବିଭାଗରେ କାର୍ଯ୍ୟ କରୁଛନ୍ତି। ସେ ଏହି କ୍ଷେତ୍ରରେ ପ୍ରାୟ 10ଟି ପୁସ୍ତକ ରଚନା କରିଛନ୍ତି। ତାଙ୍କ ଅଧିନରେ ଏ ପର୍ଯ୍ୟନ୍ତ 17 ଜଣ ପିଏଚଡି ଏବଂ 40 ଜଣ ଏମଫିଲ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ବିଶାଖାପାଟନମ୍-ଗୁଣୁପୁର, ଅଗରତାଲା-ବାଙ୍ଗାଲୋର କ୍ୟାଣ୍ଟ ସ୍ପେସିଆଲ୍ ଟ୍ରେନ ଏହି ତାରଖରୁ ଚାଲିବ

ଭୁବନେଶ୍ବର, ରେଳ ବାଇର ନିଷ୍ପତି ଅନୁସାରେ ବିଶାଖାପାଟନମ୍-ଗୁଣୁପୁର, ଅଗରତାଲା-ବାଙ୍ଗାଲୋର କ୍ୟାଣ୍ଟ ସ୍ପେସିଆଲ୍ ଟ୍ରେନ ଚଳାଚଳ କରିବ। ସେହି ଅନୁସାରେ ଉଭୟ ଟ୍ରେନ ପାଇଁ ନିମ୍ନ ତାରିଖ ଧାର୍ଯ୍ୟ କରାଯାଇଛି।

୦୮୫୨୨/୦୮୫୨୧ ବିଶାଖାପାଟନମ୍-ଗୁଣୁପୁର-ବିଶାଖାପାଟନମ୍ ବିଶେଷ ଟ୍ରେନ ଉଭୟ ଦିଗରୁ ୨୭ ଜୁଲାଇ, ୨୦୨୧ ଠାରୁ ପରବର୍ତ୍ତୀ ପରାମର୍ଶ ପଯ୍ୟନ୍ତ ଚଳାଚଳ କରିବ। ଏହି ଟ୍ରେନ୍ ବିଶାଖାପାଟନମରୁ ଭୋର ୫ଘ.୩୫ମି.ରେ ଛାଡି ଗୁଣୁପୁରରେ ଅପରାହ୍ନ ୧୨ଘ.୨୦ମି.ରେ ପହଞ୍ଚିବ। ସେହିଭଳି ଏହା ଗୁଣୁପୁରରୁ ଅପରାହ୍ନ ୧ଘ.୩୫ମି.ରେ ଛାଡି ବିଶାଖାପାଟନମ ରେ ରାତ୍ରି ୮ଘ.୪୫ମି.ରେ ପହଞ୍ଚିବ।

୦୫୪୮୮/୦୫୪୮୭ ଅଗରତାଲା-ବାଙ୍ଗାଲୋର କ୍ୟାଣ୍ଟ-ଅଗରତାଲା ଏସି ସ୍ପେସିଆଲ ୩୧ ଜୁଲାଇ, ୨୦୨୧ ଅଗରତାଲାରୁ ଏବଂ ୩ ଅଗଷ୍ଟ, ୨୦୨୧ ଠାରୁ ବାଙ୍ଗାଲୋର କ୍ୟାଣ୍ଟରୁ ଛାଡି ପରବର୍ତ୍ତୀ ପରାମର୍ଶ ପର‌୍ୟ୍ୟନ୍ତ ଚଳାଚଳ କରିବ। ଏହି ଟ୍ରେନ୍ ପ୍ରତ୍ୟେକ ଶନିବାର ଦିନ ସକାଳ ୬ଘ.୧୦ମି.ରେ ଅଗରତାଲାରୁ ଛାଡି ବାଙ୍ଗାଲୋର କ୍ୟାଣ୍ଟ ଅଭିମୁଖେ ଯାତ୍ରା କରିବ ଏବଂ ବାଙ୍ଗାଲୋର କ୍ୟାଣ୍ଟରୁ ପ୍ରତ୍ୟକ ମଙ୍ଗଳବାର ଦିନ ପୂର୍ବାହ୍ନ ୧୦ଘ.୧୫ମି.ରେ ଛାଡି ଅଗରତାଲା ଅଭିମୁଖେ ଯାତ୍ରା କରିବ।

ଏହି ଟ୍ରେନ ଉଭୟ ଦିଗରୁ ଅଗରତାଲା ଏବଂ ବାଙ୍ଗାଲୋର କ୍ୟାଣ୍ଟ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ୍, ବିଶାଖାପାଟନମ୍ ଏବଂ ଦୁଭାଡା ଷ୍ଟେସନ ମାନଙ୍କ ଠାରେ ରହଣି କରିବ ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଶେଷ ହେଲା ଅଧରପଣା ନୀତି, ଆସନ୍ତାକାଲି ଶ୍ରୀମନ୍ଦିର ଫେରିବେ ତିନିଠାକୁର

ପୁରୀ, ଆଜି ମହାସମାରୋହରେ ସଂପର୍ଣ୍ଣ ହୋଇଛି ତିନିଠାକୁରଙ୍କ ଅଧରପଣା ନୀତି। ତିନିଠାକରୁଙ୍କ ଅଧରକୁ ଛୁଇଁବା ପରି ମାଟି ହାଣ୍ଡିରେ ପଣା ଭୋଗ କରାଯାଇଥାଏ। ଏହି ଭୋଗପରେ ସେହି ମାଟି ହାଣ୍ଡିକୁ ରଥ ଉପରେ ଭାଙ୍ଗି ଦିଆଯାଏ। ସାଧାରଣତଃ ଠାକୁର ଶ୍ରୀମନ୍ଦିରକୁ ଫେରିବା ପୂର୍ବରୁ ଚଣ୍ଡିଚାମୁଣ୍ଡା ସହିତ ପାର୍ଶ୍ବ ଦେବାଦେବୀଙ୍କୁ ପଣାଦେଇ ସନ୍ତୁଷ୍ଠ କରିବା ପାଇଁ ସେହି ପଣା ଭୋଗକୁ ରଥରେ ଉପରେ ଭାଙ୍ଗି ସେମାନଙ୍କୁ ପ୍ରଦାନ କରାଯାଇଥାଏ।

ଏହି ମାଟିହାଣ୍ତିଗୁଡିକ ବଡ଼ ଓଡ଼ିଆ ମଠ, ରାଘବ ଦାସ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ପଣାକୁ ଭୋଗ କରାଯାଇଥାଏ । ପାଣିଆ ଆପଟ ସେବାୟତମାନେ ଛାଉଣୀ ମଠ କୂଅରୁ ପାଣି ଆଣିବା ପରେ ଛେନା, କଦଳୀ, କ୍ଷୀର, ଗୋଲମରିଚ, ସର, କର୍ପୂର ଓ ଜାଇଫଳ ଗୁଣ୍ତ ଇତ୍ୟାଦି ମିଶାଇ ସୁଆର ସବାୟତମାନେ ପଣା ପ୍ରସ୍ତୁତ କରିଥାନ୍ତି।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଭୁବନେଶ୍ବରର ଓକାକ୍‌ ଟାୱାରରେ ଥିବା ସମସ୍ତ ତଥ୍ୟ ହାସଲ ପାଇଁ ଶୁଭାରମ୍ଭ ହେଲା ଏକ ସ୍ବତନ୍ତ୍ର ଆପ୍

ଭୁବନେଶ୍ୱର, ରାଜ୍ୟ ସରକାରଙ୍କ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ୱେବ୍‌ଭିତ୍ତିକ ଓକାକ୍‌ ଟାୱାର ମ୍ୟାନେଜ୍‌ମେଣ୍ଟ ଆପ୍‌ର ଶୁଭାରମ୍ଭ ହୋଇଛି । ଏହା ଦାପ୍ତରିକ କାର୍ଯ୍ୟ ପରିଚାଳନାରେ ତ୍ରୁଟିହୀନ ସେବା ଯୋଗାଇଦେବ । ଦପ୍ତର ପରିଚାଳନା, କମ୍ପାନୀମାନଙ୍କୁ ସ୍ଥାନ ଆବଣ୍ଟନ, ବିଭିନ୍ନ ଦେୟ ସଂଗ୍ରହ, ସବ୍‌ସିଡି ପରିଚାଳନା ଓ ଆପତ୍ତି-ଅଭିଯୋଗର ସମାଧାନ ପରି ବିଭିନ୍ନ ଦାପ୍ତରିକ କାର୍ଯ୍ୟକଳାପ ନିମନ୍ତେ ଏହା ସ୍ୱୟଂକ୍ରିୟ ସେବା ପ୍ରଦାନ କରିବ ।

କ୍ରୀଡ଼ା ଓ ଯୁବସେବା, ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ  ତୁଷାରକାନ୍ତି ବେହେରା ଏହି ଆପ୍‌ର ଶୁଭାରମ୍ଭ କରି ସରକାରଙ୍କ ପ୍ରଶାସନିକ ପରିଚାଳନା ନିମନ୍ତେ ୫-‘ଟି’ ଉପକ୍ରମରେ ରହିଥିବା ସ୍ୱଚ୍ଛତାକୁ ଏହା ଗୁରୁତ୍ୱ ଦେବ ବୋଲି ପ୍ରକାଶ କରିଛନ୍ତି । ବିଭିନ୍ନ ଅଫିସ୍‌ ପରିଚାଳନା ବ୍ୟବସ୍ଥାରେ ଏହି ଆପ୍‌ ତା’ର ପାରଦର୍ଶୀ ସହଯୋଗ ବିସ୍ତାର କରିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଆଶା ପ୍ରକଟ କରିବା ସହିତ ଓକାକ୍‌ ଟାୱାରରୁ କାର୍ଯ୍ୟକରୁଥିବା ବିଭିନ୍ନ ଆଇଟି କମ୍ପାନୀଗୁଡ଼ିକର ଆସ୍ଥା ବୃଦ୍ଧିରେ ଏହି ୱେବ୍‌ଭିତ୍ତିକ ଆପ୍‌ ସହାୟକ ହେବ ବୋଲି ଉଲ୍ଲେଖ କରିଛନ୍ତି ।

ପୂର୍ବରୁ ଅନେକ ପ୍ରଶାସନିକ କାର୍ଯ୍ୟରେ ଆବଶ୍ୟକ ହେଉଥିବା ଜଟିଳ ପ୍ରକ୍ରିୟାକୁ ପ୍ରତିହତ କରି ଏହି ଓକାକ୍‌ ଟାୱାର ମ୍ୟାନେଜ୍‌ମେଣ୍ଟ ଆପ୍‌ ସେଗୁଡ଼ିକୁ ସ୍ୱୟଂକି୍ରୟ କରିବ । ବର୍ତ୍ତମାନ ଏହି ଆପ୍‌ ଜରିଆରେ ସ୍ଥାନ ପରିଚାଳନା, ସ୍ଥାନ ଆବଣ୍ଟନ, ଆର୍ଥିକ ଦେୟ ହିସାବ, ମାସିକ ଆବଶ୍ୟକତାର ଉପଲବ୍ଧି, ଅନ୍‌ଲାଇନ୍‌ ଦେୟପ୍ରଦାନ ସୁବିଧା, ସବ୍‌ସିଡି ପରିଚାଳନା, ଓକାକ୍‌ ତଥା ଅନ୍ୟମାନଙ୍କ ମଧ୍ୟରେ ଡିଜିଟାଲ ଯୋଗାଯୋଗ ଏବଂ ଅନ୍‌ଲାଇନ ଆପତ୍ତି-ଅଭିଯୋଗ ପରିଚାଳନା ଇତ୍ୟାଦି ସ୍ୱୟଂକ୍ରିୟ ହୋଇପାରିବ ।

ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ସଚିବ ଶ୍ରୀ ମନୋଜ ମିଶ୍ର ଏହି ଅବସରରେ କହିଛନ୍ତି ଯେ ଏହି ଆପ୍‌ ଫଳରେ ଏକ ବ୍ୟସ୍ତବହୁଳ ପରିବେଶରେ ଉପଯୁକ୍ତ ସୁବିଧା ସହିତ ସେବାଯୋଗାଣର ଏକ ସମର୍ଥ ପାରିପାଶ୍ୱର୍କ ସ୍ଥିତି ସୃଷ୍ଟି ହୋଇପାରିବ । ଇ-ଗଭର୍ଣ୍ଣାନ୍ସ ମାଧ୍ୟମରେ ଏକ ସ୍ୱଚ୍ଛ ପ୍ରଶାସନିକ ବ୍ୟବସ୍ଥା ନିମନ୍ତେ ଓକାକ୍‌ ଟାୱାର ମ୍ୟାନେଜ୍‌ମେଣ୍ଟ ଆପ୍‌ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ।

Categories
ଜାତୀୟ ଖବର ବିଶେଷ ଖବର

ପେଗାସସ୍ ମାମଲା ନେଇ ରାଜ୍ୟସଭାରେ ଉତ୍ତର ରଖିଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ, ନିର୍ଦ୍ଦିଷ୍ଟ କିଛି ଲୋକଙ୍କ ଫୋନ ତଥ୍ୟ ଚୋରି ଲାଗି ସ୍ପାଏୱେର୍ ପେଗାସସର କଥିତ ଉପଯୋଗ” ନେଇ ଗଣମାଧ୍ୟମରେ ୧୮ ଜୁଲାଇ ୨୦୨୧ରେ ପ୍ରକାଶ ପାଇଥିବା ଖବର ସଂକ୍ରାନ୍ତରେ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭାରେ ଦେଇଥିବା ବିବୃତି ଦେଇଛନ୍ତି।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ “ନିର୍ଦ୍ଦିଷ୍ଟ କିଛି ଲୋକଙ୍କ ଫୋନ ତଥ୍ୟ ଚୋରି ଲାଗି ସ୍ପାଏୱେର୍ ପେଗାସସର କଥିତ ଉପଯୋଗ ନେଇ ଗଣମାଧ୍ୟମରେ ୧୮ ଜୁଲାଇ ୨୦୨୧ରେ ପ୍ରକାଶ ପାଇଥିବା ଖବର ସଂକ୍ରାନ୍ତରେ ଆଜି ରାଜ୍ୟସଭାରେ ଯାହା ବିବୃତି ରଖିଲେ ତାହାର ଅବିକଳ ଓଡିଆ ରୂପାନ୍ତର ହେଲା..

“ମାନନୀୟ ଅଧ୍ୟକ୍ଷ ମହୋଦୟ,

ମୁଁ କିଛି ଲୋକମାନଙ୍କର ଫୋନ ତଥ୍ୟ ଚୋରି ଲାଗି ସ୍ପାଏୱେର୍ ପେଗାସସର ଦୁରୂପଯୋଗ ସହ ଜଡ଼ିତ ଖବର ସଂକ୍ରାନ୍ତର ବିବୃତି ଦେବା ଲାଗି ଛିଡ଼ା ହୋଇଛି। ୧୮ ଜୁଲାଇ, ୨୦୨୧ରେ ଏକ ୱେବ ପୋର୍ଟାଲରେ ଅତ୍ୟନ୍ତ ଚାଞ୍ଚଲ୍ୟକର ଖବର ପ୍ରକାଶ ପାଇଥିଲା। ଏହି ଖବର ମାଧ୍ୟମରେ ଅନେକଗୁଡ଼ିଏ ଗମ୍ଭୀର ଅଭିଯୋଗ ଅଣାଯାଇଛି।

ମାନନୀୟ ଅଧ୍ୟକ୍ଷ ମହୋଦୟ,

ଗଣମାଧ୍ୟମରେ ଏହି ଖବର ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଆସିଛି। ଏହାକୁ କେବଳ ମାତ୍ର ଏକ ସଂଯୋଗ ବୋଲି କୁହାଯାଇପାରିବ ନାହିଁ। ପୂର୍ବରୁ ମଧ୍ୟ ଏପରି ଭାବେ ପେଗାସସ ସ୍ପାଏୱେରର ହ୍ବାଟ୍ସଆପରେ ଦୂରୁପଯୋଗ ସଂକ୍ରାନ୍ତରେ ଦାବି କରାଯାଇଥିଲା। ଏହି ଦାବିର କୌଣସି ତଥ୍ୟାତ୍ମକ ଆଧାର ନଥିଲା ଏବଂ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସମେତ ସମସ୍ତ ସ୍ଥାନରେ ସମ୍ପୃକ୍ତ ପକ୍ଷ ଏହାକୁ ଖାରଜ କରି ଦେଇଥିଲେ। ୧୮ଜୁଲାଇ ୨୦୨୧ରେ ଏ ସଂକ୍ରାନ୍ତରେ ପ୍ରକାଶ ପାଇଥିବା ଖବର ଭାରତର ଗଣତନ୍ତ୍ର ଏବଂ ଏହାର ସୁଦୃଢ଼ ସଂସ୍ଥାଗୁଡ଼ିକର ଗରିମାକୁ କ୍ଷତିଗ୍ରସ୍ତ କରିବା ଉଦ୍ଦେଶ୍ୟରେ ପ୍ରକାଶିତ କରାଯାଇଛି।

ଏହି ଖବରକୁ ବିସ୍ତୃତ ଭାବେ ପଢ଼ିନଥିବା ଲୋକମାନଙ୍କୁ ଆମେ ଦୋଷ ଦେଇପାରିବା ନାହିଁ। ମୁଁ ସଦନର ସମସ୍ତ ସମ୍ମାନିତ ସଦସ୍ୟମାନଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ ଏହି ପ୍ରସଙ୍ଗରେ ସମସ୍ତ ତଥ୍ୟ ଓ ତର୍କକୁ ସେମାନେ ଗଭୀର ଭାବେ ଯାଞ୍ଚ କରନ୍ତୁ। ଏହି ଖବରର ଆଧାରରେ ଏକ ଡାଟାବେସ ରହିଛି ଯାହା ପାଖରେ କଥିତ ଭାବେ ୫୦ ହଜାର ଫୋନ ନମ୍ବରରୁ ଲିକ୍ ହୋଇଥିବା ଡାଟା ରହିଛି। ଅଭିଯୋଗ କରାଯାଉଛି ଯେ ଏହି ଫୋନ ନମ୍ବରଗୁଡ଼ିକ ଯେଉଁ ବ୍ୟକ୍ତିମାନଙ୍କର, ସେମାନଙ୍କ ଉପରେ ନଜର ରଖାଯାଉଛି। କିନ୍ତୁ ରିପୋର୍ଟରେ ଏହା କୁହାଯାଇଛି ଯେ :

ଡାଟାବେସ୍ ଫୋନ ନମ୍ବର ମିଳିବା ଫଳରେ ଫୋନ ପେଗାସସ ସ୍ପାଇୱେର ଦ୍ବାରା ପ୍ରଭାବିତ ହୋଇଛି କିମ୍ବା ଏହା ଉପରେ କୌଣସି ସାଇବର ଆକ୍ରମଣ ହୋଇଛି ବୋଲି ପ୍ରମାଣିତ ହେଉ ନାହିଁ।

କୌଣସି ଫୋନର ବୈଷୟିକ ବିଶ୍ଳେଷଣ କରାନଯାଇ ସେଥିରେ ସାଇବର ଆକ୍ରମଣର ପ୍ରୟାସ ସଫଳ ହୋଇଛି କି ନାହିଁ କହିବା ଠିକ୍ ହେବ ନାହିଁ।

ସେଥିପାଇଁ ଏହି ରିପୋର୍ଟ ସ୍ବତଃ ଏହା ପ୍ରମାଣିତ କରୁଛି ଯେ ଡାଟା ବେସ୍ରେ ଫୋନ ନମ୍ବର ମିଳିବାର ଅର୍ଥ ସେମାନଙ୍କ ଉପରେ କୌଣସି ପ୍ରକାରର ଗୁପ୍ତ ନଜର ଯେ ରଖାଯାଇଛି ତାହା ପ୍ରମାଣିତ କରୁନାହିଁ।

ମାନନୀୟ ଅଧ୍ୟକ୍ଷ ମହୋଦୟ,

ଏ ସଂକ୍ରାନ୍ତରେ ଏହି ଜ୍ଞାନକୌଶଳର ମାଲିକାନା ଥିବା ଏନଏସଓର ବୟାନ ଉପରେ ମଧ୍ୟ ଧ୍ୟାନ ଦିଆଯିବା ଆବଶ୍ୟକ। ଏହି ସଂସ୍ଥା ପକ୍ଷରୁ କୁହାଯାଇଛି ଯେ :

ଏନଏସଓ ଗ୍ରୁପ୍ ଏହା ବିଶ୍ବାସ କରିଥାଏ ଯେ ଆପଣମାନେ କରିଥିବା ଦାବି-ଏଚଏଲଆର ଲୁକଅପ୍ ସର୍ଭିସେସ ଭଳି ମୌଳିକ ସୂଚନାରୁ ତଥ୍ୟ ଲିକ୍ ହେବା-ଏକ ତ୍ରୁଟିପୂର୍ଣ୍ଣ ବ୍ୟାଖ୍ୟା ଉପରେ ଆଧାରିତ। ସୂଚୀଭୁକ୍ତ ଉପଭୋକ୍ତାମାନେ ପେଗାସସ୍ କିମ୍ବା ଏନଏସଓର ଅନ୍ୟ କୌଣସି ଉତ୍ପାଦର ଶିକାର ହେବା ସହିତ ଏହାର କୌଣସି ସମ୍ପର୍କ ନାହିଁ।

ଏହି ସେବା ଯେକୌଣସି ବ୍ୟକ୍ତିଙ୍କୁ ଯେକୌଣସି ସମୟରେ ଉପଲବ୍ଧ, ଯାହାର ସାଧାରଣ ପ୍ରୟୋଗ ସରକାରୀ ସଂସ୍ଥା ଏବଂ ଘରୋଇ କମ୍ପାନୀଗୁଡ଼ିକ ସାରା ବିଶ୍ବରେ କରୁଛନ୍ତି। ଗୋପନୀୟ ଭାବେ ନଜର ରଖାଯିବା କିମ୍ବା ଏନଏସଓ ସହିତ ନିଶ୍ଚିତ ଭାବେ ଏହି ତଥ୍ୟର କୌଣସି ସମ୍ପର୍କ ନାହିଁ। ତେଣୁ ଗୁପ୍ତ ଭାବେ ନଜର ରଖାଯିବା ଲାଗି ଏହି ତଥ୍ୟ ଉପଯୋଗ କରାଯିବା ଦାବି ସମ୍ପୂର୍ଣ୍ଣ ଭାବେ ଆଧାରହୀନ ଅଟେ।

ଏନଏସଓ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ଯେଉଁ ଦେଶଗୁଡ଼ିକର ନାମ ପେଗାସସର ଉପଭୋକ୍ତା ସୂଚୀରେ ଦର୍ଶାଯାଇଛି, ସେଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଭୁଲ ଏବଂ ଏଗୁଡ଼ିକ ମଧ୍ୟରୁ ଅନେକ ଦେଶ ସେମାନଙ୍କର ଉପଭୋକ୍ତା ନୁହନ୍ତି। ଏଥିରେ ଏହା ମଧ୍ୟ କୁହାଯାଇଛି ଯେ ଏହାର ଅଧିକାଂଶ ଉପଭୋକ୍ତା ହେଉଛନ୍ତି ପାଶ୍ଚାତ୍ୟ ରାଷ୍ଟ୍ର।

ତେଣୁ ଏହା ସ୍ପଷ୍ଟ ଯେ ଏନଏସଓ ପକ୍ଷରୁ ପ୍ରକାଶିତ ଖବରରେ କରାଯାଇଥିବା ଦାବିଗୁଡ଼ିକୁ ଖଣ୍ଡନ କରାଯାଇଛି।

ମାନନୀୟ ଅଧ୍ୟକ୍ଷ ମହୋଦୟ,

ଭାରତରେ ଗୁପ୍ତ ନଜର ରଖାଯିବା ସଂକ୍ରାନ୍ତରେ ଏକ ନିର୍ଦ୍ଧାରିତ ପ୍ରୋଟୋକଲ ରହିଛି। ବିରୋଧୀ ଦଳରେ ଥିବା ମୋର ସହଯୋଗୀ ଏବଂ ଯେଉଁମାନେ ଅନେକ ବର୍ଷ ଧରି ସରକାରରେ ଥିଲେ, ସେମାନେ ନିଶ୍ଚିତ ଭାବେ ଏହି ପ୍ରୋଟୋକଲ ସମ୍ପର୍କରେ ସୂଚନା ପାଇଥିବେ। ସେମାନେ ଅନେକ ବର୍ଷ ଧରି ସରକାରରେ ଥିଲେ, ସେଥିପାଇଁ ସେମାନେ ଏହା ଜାଣିଥିବେ ଯେ କୌଣସି ପ୍ରକାରରେ କାହା ଉପରେ ନଜର ରଖାଯିବା, ଆଇନଗତ ନିୟନ୍ତ୍ରଣ ବିନା ସମ୍ଭବ ନୁହେଁ।

ଭାରତରେ ଏକ ନିର୍ଦ୍ଧାରିତ ପ୍ରକ୍ରିୟା ରହିଛି, ଯାହା ମାଧ୍ୟମରେ ଇଲେକ୍ଟ୍ରୋନିକ୍ସ ବାର୍ତ୍ତାଗୁଡ଼ିକୁ ଆଇନଗତ ଭାବେ ପ୍ରତିରୋଧ (ଇଣ୍ଟରସେପ୍ସନ) କରାଯାଇଥାଏ ଏବଂ ଏହା କେବଳ ଜାତୀୟ ସୁରକ୍ଷା ଭଳି କାରଣ, ବିଶେଷ କରି କୌଣସି ସାର୍ବଜନୀନ ବିପତ୍ତି କିମ୍ବା ଜନ ସୁରକ୍ଷା ବିଷୟରେ, ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ସଂସ୍ଥା ଦ୍ବାରା କରାଯାଇଥାଏ।

ଇଲେକ୍ଟ୍ରୋନିକ୍ସ ବାର୍ତ୍ତାଗୁଡ଼ିକର ଆଇନଗତ ପ୍ରତିରୋଧ ଅନୁରୋଧ ଭାରତୀୟ ଟେଲିଗ୍ରାଫ ଆଇନ, ୧୮୮୫ର ଧାରା ୫(୨) ଏବଂ ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ର ଧାରା ୬୯ ଅନ୍ତର୍ଗତ କରାଯାଇଥାଏ। ନଜର ରଖାଯିବା କିମ୍ବା ପ୍ରତିରୋଧର ସମସ୍ତ ମାମଲା କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ବାରା ଅନୁମୋଦିତ କରାଯାଇଥାଏ। ଆଇଟି (ପ୍ରୋସିଜ୍ୟୋର ଆଣ୍ଡ ସେଫ୍ଗାର୍ଡସ ଫର ଇଣ୍ଟରସେପ୍ସନ, ମନିଟରିଂ ଆଣ୍ଡ ଡିକ୍ରିପ୍ସନ ଅଫ ଇନଫରମେସନ) ନିୟମାବଳୀ, ୨୦୦୯ ବଳରେ ଏହି କ୍ଷମତା ରାଜ୍ୟ ସରକାରଙ୍କ କ୍ଷମତାପ୍ରାପ୍ତ ଅଧିକାରୀମାନଙ୍କୁ ମଧ୍ୟ ପ୍ରଦାନ କରାଯାଇଛି।

କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ସମିତି ରୂପରେ ଏଠାରେ ନିରୀକ୍ଷଣର ଏକ ନିର୍ଦ୍ଧାରିତ ବ୍ୟବସ୍ଥା ରହିଛି। ରାଜ୍ୟ ସରକାରଙ୍କ ସ୍ତରରେ ଏପରି ବିଷୟର ନିରୀକ୍ଷଣ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ସମିତି କରିଥାଏ। ଯେଉଁ ଲୋକମାନେ ଏପରି ଘଟଣାରେ ପୀଡ଼ିତ, ସେମାନଙ୍କୁ ନ୍ୟାୟ ଦେବା ଲାଗି ଆଇନଗତ ବ୍ୟବସ୍ଥା ରହିଛି।
ସେହିପରି କୌଣସି ପ୍ରକାରରେ କାହା ଉପରେ ନଜର ରଖାଯିବା କିମ୍ବା ପ୍ରତିରୋଧ କରାଯିବା କାର‌୍ୟ୍ୟ ଆଇନଗତ ପ୍ରକ୍ରିୟା ମାଧ୍ୟମରେ କରାଇବା ଲାଗି ଏହି ପ୍ରକ୍ରିୟାରେ ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥା ଏବଂ ସଂସ୍ଥାଗୁଡ଼ିକ ସମୟର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ମାନନୀୟ ଅଧ୍ୟକ୍ଷ ମହୋଦୟ, ଶେଷରେ, ମୁଁ କହିବାକୁ ଚାହୁଁଛି ଯେ :

● ଏହି ରିପୋର୍ଟର ପ୍ରକାଶକ କହିଛନ୍ତି ଯେ, ରିପୋର୍ଟରେ ଦିଆଯାଇଥିବା ଫୋନ ନମ୍ବର ଉପରେ ନଜର ରଖାଯାଉଥିଲା ବୋଲି କୁହାଯାଇପାରିବ ନାହିଁ।
● ଯେଉଁ କମ୍ପାନୀର ଜ୍ଞାନକୌଶଳକୁ କଥିତ ଭାବେ ଦୁରୂପଯୋଗ କରାଯାଉଥିବା କୁହାଯାଉଛି, ସେହି କମ୍ପାନୀ ମଧ୍ୟ ଏହି ଦାବିକୁ ସ୍ପଷ୍ଟ ଭାବେ ଖାରଜ କରିଛି।
● ଦୀର୍ଘ ସମୟ ଧରି ଦେଶରେ ପ୍ରତିଷ୍ଠିତ ଆଇନଗତ ପ୍ରକ୍ରିୟା ଏହା ସୁନିଶ୍ଚିତ କରୁଛି ଯେ କୌଣସି ପ୍ରକାରର ବେଆଇନ ନଜର ରଖାଯିବା ସମ୍ଭବ ନୁହେଁ।

ମାନନୀୟ ଅଧ୍ୟକ୍ଷ ମହୋଦୟ,

ଏହି ବିଷୟକୁ ତର୍କସଙ୍ଗତ ଦୃଷ୍ଟିକୋଣରୁ ଦେଖିଲେ ଏହା ଜଣାପଡ଼ୁଛି ଯେ ଏପରି ଚାଞ୍ଚଲ୍ୟକର ବିଷୟର କୌଣସି ସତ୍ୟତା ନାହିଁ।
ଧନ୍ୟବାଦ, ମାନନୀୟ ଅଧ୍ୟକ୍ଷ ମହୋଦୟ।”

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ ଲାଗି ପ୍ରଦାନ କରାଯିବ ୬,୩୨୨ କୋଟି ଟଙ୍କା

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ସ୍ୱତନ୍ତ୍ର ଇସ୍ପାତ (ସ୍ପେସିଆଲିଟି ଷ୍ଟିଲ୍) ଲାଗି ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ଯୋଜନାର ଅବଧି ବର୍ଷ ୨୦୨୩-୨୪ ଠାରୁ ୨୦୨୭-୨୮ ପର‌୍ୟ୍ୟନ୍ତ ପାଞ୍ଚ ବର୍ଷ ଲାଗି ହେବ। ୬୩୨୨ କୋଟି ଟଙ୍କାର ବଜେଟ ବ୍ୟୟବରାଦ ସହିତ ଏହି ଯୋଜନା ଫଳରେ ପାଖାପାଖି ୪୦,୦୦୦କୋଟି ଟଙ୍କାର ନିବେଶ ହେବ ଏବଂ ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ ଲାଗି ୨୫ ମିଲିୟନ ଟନ୍ କ୍ଷମତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହି ଯୋଜନା ଫଳରେ ପାଖାପାଖି ୫,୨୫,୦୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ଏବଂ ଏଥିମଧ୍ୟରୁ ୬୮,୦୦୦ ପ୍ରତ୍ୟକ୍ଷ ନିଯୁକ୍ତି ହେବ।

ସ୍ୱତନ୍ତ୍ର ଇସ୍ପାତକୁ ଲକ୍ଷ୍ୟ ବର୍ଗ ଆକାରରେ ଚୟନ କରାଯାଇଛି କାରଣ ୨୦୨୦-୨୧ରେ ଉତ୍ପାଦନ ହୋଇଥିବା ୧୦୨ ମିଲିୟନ ଟନ୍ ଇସ୍ପାତ ମଧ୍ୟରୁ ଦେଶରେ ମୂଲ୍ୟ-ବର୍ଦ୍ଧିତ ଇସ୍ପାତ/ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ ପରିମାଣ ମାତ୍ର ୧୮ ମିଲିୟନ ଟନ୍ ଥିଲା। ଏହା ବ୍ୟତୀତ, ସେହି ବର୍ଷ ୬.୭ ମିଲିୟନ ଟନ୍ ଇସ୍ପାତ ଉତ୍ପାଦନ ହୋଇଥିବା ବେଳେ ସେଥିମଧ୍ୟରୁ ୪ ମିଲିୟନ ଟନ୍ ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ ହୋଇଥିଲା, ଯାହାଫଳରେ ପାଖାପାଖି ୩୦,୦୦୦ କୋଟି ଟଙ୍କାର ବିଦେଶୀ ମୁଦ୍ରା ବ୍ୟୟ କରିବାକୁ ପଡ଼ିଥିଲା।

ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇ, ଭାରତ ଇସ୍ପାତର ମୂଲ୍ୟ ଶୃଙ୍ଖଳାରେ ଉନ୍ନତି କରିବ ଏବଂ କୋରିଆ ଓ ଜାପାନ ଭଳି ଉନ୍ନତ ଇସ୍ପାତ ନିର୍ମାଣକାରୀ ଦେଶର ସମକକ୍ଷ ହୋଇପାରିବ। ଆଶା କରାଯାଉଛି ଯେ ୨୦୨୬-୨୭ ଶେଷ ସୁଦ୍ଧା ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ ୪୨ ମିଲିୟନ ଟନ୍‌ରେ ପହଞ୍ଚିବ। ଏହାଫଳରେ ପାଖାପାଖି ୨.୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ସ୍ୱତନ୍ତ୍ର ଇସ୍ପାତ ଉତ୍ପାଦନ ଏବଂ ଉପଯୋଗ ଭାରତରେ ହୋଇପାରିବ। ଅନ୍ୟଥା ଏହାକୁ ବିଦେଶରୁ ଆମଦାନୀ କରାଯାଇଥାନ୍ତା।

ଅନୁରୂପ ଭାବେ, ସ୍ୱତନ୍ତ୍ର ଇସ୍ପାତ ରପ୍ତାନି ପରିମାଣ ବର୍ତ୍ତମାନର ୧.୭ ମିଲିୟନ ଟନ୍‌ରୁ ବୃଦ୍ଧି ପାଇ ପାଖାପାଖି ୫.୫ ମିଲିୟନ ଟନ୍ ହୋଇଯିବ, ଯାହାଫଳରେ ୩୦,୦୦୦ କୋଟି ଟଙ୍କାର ବିଦେଶୀ ମୂଦ୍ରା ପ୍ରାପ୍ତ ହୋଇପାରିବ। ଏହି ଯୋଜନାର ଲାଭ ବଡ଼ ଭାଗୀଦାର ଅର୍ଥାତ୍ ସମନ୍ବିତ ଇସ୍ପାତ ପ୍ଲାଣ୍ଟ ଏବଂ କ୍ଷୁଦ୍ର ଭାଗିଦାର (ଦ୍ୱିତୀୟ ଇସ୍ପାତ ଭାଗୀଦାର), ଉଭୟଙ୍କୁ ମିଳିପାରିବ।

ସ୍ୱତନ୍ତ୍ର ଇସ୍ପାତ ଏକ ମୂଲ୍ୟବର୍ଦ୍ଧିତ ଇସ୍ପାତ ଅଟେ ଯେଉଁଥିରେ ସାଧାରଣ ଭାବେ ପ୍ରସ୍ତୁତ ହୋଇଥିବା ଇସ୍ପାତକୁ ଉଚ୍ଚ ମୂଲ୍ୟବର୍ଦ୍ଧିତ ଇସ୍ପାତରେ ପରିବର୍ତ୍ତିତ କରିବା ଲାଗି ସେଥିରେ କୋଟିଂ, ପ୍ଲେଟିଂ, ହିଟ୍ ଟ୍ରିଟମେଣ୍ଟ ଜରିଆରେ ପ୍ରଭାବ ପକାଯାଏ। ଏହାର ଉପଯୋଗ ଅଟୋ ମୋବାଇଲ କ୍ଷେତ୍ର, ସ୍ୱତନ୍ତ୍ର କ୍ୟାପିଟାଲ ଉତ୍ପାଦ ଆଦି ବ୍ୟତୀତ ବିଭିନ୍ନ ରଣନୈତିକ ପ୍ରୟୋଗ ଯେପରିକି ପ୍ରତିରକ୍ଷା, ମହାକାଶ, ଇନ୍ଧନ, ଆଦି କ୍ଷେତ୍ରରେ କରାଯାଏ।
ପିଏଲଆଇ ଯୋଜନାରେ ସ୍ୱତନ୍ତ୍ର ଇସ୍ପାତର ପାଞ୍ଚଟି ଶ୍ରେଣୀକୁ ଚୟନ କରାଯାଇଛି, ସେଗୁଡିକ ହେଲା
କ. କୋଟେଡ୍/ପ୍ଲେଟେଡ୍ ଇସ୍ପାତ ଉତ୍ପାଦ
ଖ. ହାଇ ଷ୍ଟ୍ରେନ୍ଥ/ୱିୟର ରେଜିଷ୍ଟାଣ୍ଟ ଷ୍ଟିଲ
ଗ. ସ୍ପେଶିଆଲିଟି ରେଲ୍
ଘ. ଆଲୟ ଷ୍ଟିଲ ଉତ୍ପାଦ ଏବଂ ଷ୍ଟିଲ ୱୟର
ଙ. ଇଲେକ୍ଟ୍ରିକଲ ଷ୍ଟିଲ୍

ଏହି ଉତ୍ପାଦ ଶ୍ରେଣୀରୁ ଆଶା କରାଯାଉଛି ଯେ ଏହି ଯୋଜନା ପୂରଣ ହେବା ପରେ ଭାରତ ଏପିଆଇ ଗ୍ରେଡ ପାଇପ, ହେଡ୍ ହାର୍ଡେନ୍‌ଡ୍ ରେଳ, ଇଲେକ୍ଟ୍ରିକାଲ ଷ୍ଟିଲ (ଟ୍ରାନ୍ସଫର୍ମର ଏବଂ ବିଦ୍ୟୁତ ଉପକରଣରେ ଆବଶ୍ୟକ) ଭଳି ଉତ୍ପାଦର ଉତ୍ପାଦନ କରିବା ଆରମ୍ଭ କରିଦେବ। ବର୍ତ୍ତମାନ ଏଗୁଡ଼ିକର ଅତ୍ୟନ୍ତ ସୀମିତ ପରିମାଣରେ କିମ୍ବା ଆଦୌ ଉତ୍ପାଦନ ହେଉନାହିଁ।

ପିଏଲଆଇ ପ୍ରୋତ୍ସାହନର ତିନୋଟି ସ୍ଲାବ୍ ରହିଛି, ନିମ୍ନ ସ୍ଲାବ ୪% ଏବଂ ସର୍ବୋଚ୍ଚ ସ୍ଲାବ ୧୨% ଅଟେ, ଏହାର ଇଲେକ୍ଟ୍ରିକାଲ ଷ୍ଟିଲ (ସିଆରଜିଓ) ଲାଗି ବ୍ୟବସ୍ଥା କରାଯାଇଛି। ସ୍ୱତନ୍ତ୍ର ଇସ୍ପାତ ପାଇଁ ପିଏଲଆଇ ଯୋଜନାରୁ ଅନେକ ଗୁଡ଼ିଏ ଲାଭ ମିଳିପାରିବ, ଯେପରିକି ଏଥିପାଇଁ ଆବଶ୍ୟକ ମୂଳ ଇସ୍ପାତକୁ ଦେଶ ଭିତରେ ତରଳା ଯିବ ଏବଂ ଢଳାଯିବ, ଯାହାର ଅର୍ଥ ହେଉଛି ସ୍ୱତନ୍ତ୍ର ଇସ୍ପାତ ନିର୍ମାଣ ଲାଗି ଉଦ୍ଦିଷ୍ଟ କଞ୍ଚା ମାଲ (ପ୍ରସ୍ତୁତ ଇସ୍ପାତ) ଭାରତରେ ହିଁ ପ୍ରସ୍ତୁତ କରାଯିବ। ଯାହାଫଳରେ ଦେଶ ଭିତରେ ହିଁ ଆରମ୍ଭରୁ ଶେଷ ପର‌୍ୟ୍ୟନ୍ତ ଏହି ସ୍ୱତନ୍ତ୍ର ଇସ୍ପାତର ସମସ୍ତ ଉତ୍ପାଦନ ପ୍ରକ୍ରିୟା ସମ୍ପାଦନକୁ ପ୍ରୋତ୍ସାହନ ମିଳିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨ ହଜାର ୨୧୦ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨ ହଜାର ୨୧୦  ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୮୪,  କଟକରୁ ୩୧୮, ବାଲେଶ୍ବରରୁ ୧୭୩, କେନ୍ଦ୍ରପଡାରୁ ୧୩୧, ପୁରୀରୁ ୧୨୭,

ମୟୂରଭଞ୍ଜରୁ ୧୧୨, ଭଦ୍ରକରୁ ୯୮, ସୁନ୍ଦରଗଡରୁ ୯୪, ଯାଜପୁରରୁ ୯୨, ଅନୁଗୁଳରୁ ୮୮, ଜଗତସିଂହପୁରରୁ ୮୦, ନୟାଗଡରୁ ୬୩, ଢେଙ୍କାନାଳରୁ ୪୪, କେନ୍ଦୁଝରରୁ ୩୦, ମାଳାକାନାଗିରିରୁ ୨୮, କନ୍ଧମାଳରୁ ୨୫, ରାୟଗଡାରୁ ୨୨, ସମ୍ବଲପୁରରୁ ୧୯, ବଲାଙ୍ଗୀରିରୁ ୧୭, କୋରାପୁଟରୁ ୧୭, ଗଜପତିରୁ ୧୩, ବୌଦ୍ଧରୁ ୧୦, ଗଞ୍ଜାମରୁ ୧୦, ନବରଙ୍ଗପୁରରୁ ୧୦, ସୋନପୁରରୁ ୮, ଝାରସୁଗୁଡାରୁ ୭, କଳାହାଣ୍ଡିରୁ ୬, ବରଗଡରୁ ୫, ଦେବଗଡରୁ ୩, ନୂଆପଡାରୁ ଜଣେ ଏବଂ ଷ୍ଟେଟ ପୁଲରୁ ୭୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୩୯ ହଜାର ୧୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୧ ହଜାର ୯୩୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୩୬ ହଜାର ୯୫୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୯ ହଜାର ୬୨୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୩୦୮ କୁ ବୃଦ୍ଧି ହୋଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜିନ୍ସ ପିନ୍ଧିବା ହେଲା କାଳ: ୧୭ ବର୍ଷର ଝିଅକୁ ପିଟିପିଟି ହତ୍ୟା କଲେ ସମ୍ପର୍କୀୟ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାରେ ଜିନ୍ସ ପିନ୍ଧିବାରୁ ଜଣେ ୧୭ ବର୍ଷର ନାବାଳିକାକୁ ପିଟିପିଟି ହତ୍ୟା କରାଯାଇଛି। ଅଭିଯୋଗ ହୋଇଛି ଯେ ଝିଅର ଜେଜେବାପା ତାଙ୍କୁ ଜିନ୍ସ ବଦଳାଇବାକୁ କହିଥିଲେ କିନ୍ତୁ ଝିଅ ଏଥିରେ ରାଜି ହୋଇନଥିଲେ। କ୍ରୋଧିତ ଜେଜେବାପା ତାଙ୍କୁ ହତ୍ୟା କରିବାକୁ ପୁଅମାନଙ୍କୁ ଆଦେଶ ଦେଇଥିଲେ। ଫଳରେ ବାପାଙ୍କ ଆଦେଶ ମାନି ତାଙ୍କୁ ହତ୍ୟା କରି ପୁଅମାନେ ନଦୀରେ ଫିଙ୍ଗିଦେଲେ। କିନ୍ତୁ ତାଙ୍କ ମୃତଦେହ ନଦୀରେ ପଡ଼ି ନଥିଲା ଏବଂ ଲୁହା ବ୍ରିଜର ଏକ କୋଣରେ ଅଟକି ଯାଇ ଝୁଲି ରହିଥିଲା। ସକାଳେ ଯାତ୍ରୀମାନେ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ।

ସୂଚନା ଅନୁଯାୟୀ, ରାତି ପ୍ରାୟ ୭.୩୦ ସମୟରେ ଝିଅଟି ଗାଧୋଇବା ପରେ  ଜିନ୍ସ ପିନ୍ଧିଥିଲା। ଜେଜେବାପା ତାଙ୍କୁ ଦେଖି ବିରକ୍ତ ହୋଇ ତୁରନ୍ତ ପୋଷାକ ବଦଳାଇବାକୁ ତାଙ୍କୁ ନିର୍ଦ୍ଦେଶ ଦେଲେ। ହେଲେ ଝିଅଟି ଜିନ୍ସ ବଦଳାଇବା ପାଇଁ ମନା କରିଦେଇଥିଲା। ଫଳରେ  ଜେଜେବାପା ଏହାକୁ ସହ୍ୟ କରିପାରିନଥିଲେ ଏବଂ ପୁଅମାନଙ୍କୁ ହତ୍ୟା କରିବାକୁ କହିଥିଲେ।

ଝିଅର ମା ଶକୁନ୍ତଳାର ଅଭିଯୋଗ ଅନୁଯାୟୀ, ମୋ ଝିଅକୁ ଠେଙ୍ଗାରେ ସେମାନେ ମନ ଇଚ୍ଛା ମାରିଥିଲେ। ଯେତେବେଳେ ତାହାର ମୃତ୍ୟୁ ହୋଇଥିଲା, ସେତେବେଳେ ସେମାନେ ଗୋଟିଏ ଗାଡିରେ ଲଦି ଡାକ୍ତରଖାନକୁ ଚିକିତ୍ସା ପାଇଁ ନେଉଛନ୍ତି ବୋଲି କହିଥିଲେ। ଗାଡିରେ ବସିବା ମାତ୍ରେ ମୋତେ ସେମାନେ ଗାଡିରୁ ଠେଲି ଦେଇଥିଲେ। ପରେ ସେମାନେ ବ୍ରିଜରେ ଝିଅକୁ ଫିଙ୍ଗି ଦେଇଥିଲେ।

ତେବେ ଝିଅର ବାପା ଲୁଧିଆନାରେ କାମ କରନ୍ତି। ଖବର ପାଇ ସେ ତୁରନ୍ତ ଘରକୁ ଆସିଥିଲେ। ଏହି ଘଟଣାରେ ପୋଲିସ ୧୦ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ବରହମପୁରା ଛକ ନିକଟରେ ୨ କାର ମୁହାଁମୁହିଁ ଧକ୍କା ଜଣେ ମୃତ ୫ ଆହତ

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର – କଟକ ୫୫ ନମ୍ବର ଜାତୀୟ ରାଜପଥର ଚାରମାଳ ଥାନା ଅନ୍ତର୍ଗତ ବରହପୁରା ଛକ ନିକଟରରେ ଦୁଇ କାର ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇ ଥିବା ବେଳେ ୫ ଜଣ ଆହତ ହୋଇଛନ୍ତି।

ସୂଚନା ଯୋଗ୍ୟ ଯେ ସମ୍ବଲପୁର କଟକ ୫୫ ନଂ ଜାତୀୟ ରାଜପଥ ଚାରମାଳ ଥାନା ଅନ୍ତର୍ଗତ ବରହମପୁରା ଛକ ଠାରେ ବୌଦ୍ଧରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଇନୋଭା ଗାଡ଼ି ନଂ ଓଡ଼ି ୦୫ ଏଏସ ୪୪୬୬ ବିଶିଷ୍ଟ ଗାଡି ବିପରୀତ ଦିଗରୁ ଆସୁଥିବା ବେଲପାହାଡ଼ରୁ ରେଢ଼ାଖୋଲ ସହର ନିକଟସ୍ଥ ଡିମିରିକୁଦାକୁ ଆସୁଥିବା ମାରୁତି ୮୦୦ କାର ସହ ମୁହାଁମୁହିଁ ଧକ୍କା ହେବା ଫଳରେ ବେଲପାହାଡ଼ ସ୍କୁଲ ପଡ଼ାର ମୋନରମା ଦାସ(୪୫) ଙ୍କ ମୃତ୍ୟୁ ହୋଇଯାଇଛି। ଏଥିରେ ରୁପେଶ ଦାସ, ଅଜିତ ଦାସ, ପାଲ ଦାସ, ଧୀର ଦାସ, ଓ ଇନୋଭା ଗାଡ଼ି ର ଡ୍ରାଇଭର ଚନ୍ଦନ ମହାନ୍ତି ଆହତ ହୋଇ ଚାରମାଳ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ଚାରମାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ମୋନରମା ଦାସଙ୍କୁ ରେଢ଼ାଖୋଲ ଡାକ୍ତରଖାନାକୁ ଆଣି ଶବ ବ୍ୟବଚ୍ଛେଦ କରି ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୩୭୯: ସୁସ୍ଥ ହେଲେ ୨୪୮ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୭୯ ଆକ୍ରାନ୍ତଙ୍କ ମଧ୍ୟରୁ ୭୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩୦୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭ ହଜାର ୧୭୦ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୨୪୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୪ ହଜାର ୭୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୭୨୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୬୯୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମିନି ଟ୍ରକ୍‌ରୁ ୨୩୦ କେଜି ଗଞ୍ଜେଇ ଜବତ: ଡ୍ରାଇଭର ସହ ୩ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ପୋଲିସ୍ ପୁରୁଣାଗଡ ଛକ ଠାରେ ଗାଡି ଚେକିଙ୍ଗ ଓ ନାକା ଡ୍ୟୁଟି କରୁଥିବା ସମୟରେ ୨ ଟି ଗାଡିରୁ ୨୩୦ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଗତକାଲି ସଂଧ୍ୟାରେ ରେଢାଖୋଲ ସହର ନିକଟସ୍ଥ ପୁରୁଣାଗଡ ଛକରେ ସବଇନ୍ସପେକ୍ଟର ସୈାମ୍ୟରଂଜନ ମାହାଳିକଙ୍କ ନେତୃତ୍ୱରେ ନାକାଡ୍ୟୁଟି ଚାଲିଥିବା ବେଳେ ସଂଧ୍ୟା ପ୍ରାୟ ୭ ଟାରେ ବୈାଦ୍ଧ ପଟୁ ଧୂସର ରଙ୍ଗର ଏକ ୭୦୮ ମିନି ଟ୍ରକ (ଓଆର୍ ୦୨ବିକେ୩୭୪୮)କୁ ପୋଲିସ୍ ଅଟକାଇ ଥିଲା। ଗାଡଟିକୁ ଚେକିଙ୍ଗ କରୁଥିବା ବେଳେ ଗାଡିର ଆଭ୍ୟନ୍ତରିଣ ସ୍ଥାନରୁ ୧୫୩ ପ୍ୟାକେଡ୍ (୨୩୦କେଜି) ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିଲା ଏବଂ ଗଞ୍ଜେଇ ଗାଡିକୁ ପାଇଲଟିଙ୍ଗ କରି ଆଣୁଥିବା ଏକ ସୁଇଟ୍ ଡିଜାର କାରକୁ (ଓଡି ୦୨ ଏଏଲ୍‌୦୩୯୭) ମଧ୍ୟ ପୋଲିସ୍ ଧରିବାରେ ସଫଳ ହୋଇଛି। ଏଥିସହ ନଗଦ ୧୦୧୫୦୦ଟଙ୍କା, ୪ ଟି ବିଭିନ୍ନ ମଡେଲ୍‌ର ମୋବାଇଲ୍ ଜବତ କରିଛି ପୋଲିସ୍। ମାଜିଷ୍ଟେଟ୍ ଦାୟିତ୍ୱରେ ରେଢାଖୋଲ ଅତିରିକ୍ତ ତହସିଲ୍‌ଦାର୍ ଅମୂଲ୍ୟ ବାଘ ଉପସ୍ଥିତ ଥିଲେ।

ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ପିଙ୍କୁ ସାହୁ(୨୯)ଧନଖାଣ୍ଡି, ବୈାଦ୍ଧ, ଛବିଦାସ (୪୦) ପୁରୀ ଜିଲ୍ଲା ନିମାପଡାର ସକଡା ଗ୍ରାମ,ଏବଂ ନିରଞନ ସାହୁ (୪୦) ପୁରୀ ଜିଲ୍ଲା ନିମାପଡା ତଳତାନଳା ଗ୍ରାମର ବୋଲି ଜଣା ପଡିଛି। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ରେଢାଖୋଲ କେସ୍ ନଂ ୧୨୯ ତା ୨୨/୭/୨୦୨୦ ୟୁ/ଏସ ୨୦(ବି) (ଆଇଆଇ)(ସି)ଏନ୍‌ଡିପିଏସ୍ ଆକ୍ଟ ରେ କେସ ରୁଜୁ ହୋଇଥିବା ଜଣା ପଡିଛି।

ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆଙ୍କ ନିର୍ଦ୍ଦେଶରେ ସବଇନ୍ସପେକ୍ଟର ସୈାମ୍ୟରଞନ ମାହାଳିକ, ବୈଭବମାଳା ସ୍ୱାଇଁ, ହାବିଲଦାର ଜି.ଚନ୍ଦ୍ର ପ୍ରଧାନ, କେ.ଏସ୍ ପଣ୍ଡା, ଆର୍ ମହାନନ୍ଦ, ବି. ଧରୁଆ ପ୍ରମୁଖ ସାମିଲ୍ ହୋଇଥିଲେ।