Categories
ଆଜିର ଖବର ଜାତୀୟ ଖବର

କୋଇଲା ମନ୍ତ୍ରଣାଳୟ ଅଧୀନରେ ମହାନଦୀ କୋଲଫିଲ୍ଡ ଲିମିଟେଡ୍ ର ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ବହୁମୁଖୀ ଯୋଗାଯୋଗ ସୁବିଧା ପ୍ରଦାନ ଏବଂ ଦକ୍ଷତା ବୃଦ୍ଧି କରି ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବା ପାଇଁ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର ନୀତି ଅନୁରୂପ, କୋଇଲା ମନ୍ତ୍ରଣାଳୟ କୋଇଲାର ଦକ୍ଷ ଉତ୍ତୋଳନକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ବ୍ୟାପକ ଭିତ୍ତିଭୂମି ସମ୍ପ୍ରସାରଣ କରିଛି। କୋଇଲା ଉତ୍ପାଦନ କ୍ଷେତ୍ରରେ ରେଳ ନେଟୱର୍କକୁ ବଢ଼ାଇବା ଉଦ୍ଦେଶ୍ୟରେ ସିଆଇଏଲ, ଆଇଆର୍ସିଓଏନ୍ ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ‘‘ମହାନଦୀ କୋଲ୍ ରେଲ୍ ଲିମିଟେଡ୍’’ ଗଠିତ ହୋଇଛି। ଅତିରିକ୍ତ ରେଳ ଲାଇନ୍ ବିଛାଇବା, ବର୍ତ୍ତମାନର ରେଳ ଲାଇନର ଦୋହରୀକରଣ, ରେଳ-ଓଭର-ରେଲ (ଆରଓଆର), ୱାଇ-କର୍ଭସ ଇତ୍ୟାଦି ପାଇଁ ସିଆଇଏଲ୍ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପ ପାଇଁ ପାଣ୍ଠି ପ୍ରଦାନ କରିଛି।

ବିଭିନ୍ନ ସହାୟକ ସଂସ୍ଥାରେ ସିଆଇଏଲ୍ ପ୍ରଥମ ମାଇଲ୍ ସଂଯୋଗ (ଏଫ୍ଏମ୍ସି) ପ୍ରକଳ୍ପ ନିର୍ମାଣ କରି ପିଟ୍-ହେଡ୍ରୁ ରେଳ ଲୋଡିଂ ପଏଣ୍ଟ୍ ପର୍ଯ୍ୟନ୍ତ ଯାନ୍ତ୍ରିକ କୋଇଲା ପରିବହନ ଭିତ୍ତିଭୂମି ସ୍ଥାପନ କରିବାକୁ ଯୋଜନା କରିଛି। ସମସ୍ତ ବୃହତ ଖଣି ପାଇଁ ସମୁଦାୟ ୧୦୦ରୁ ଅଧିକ ଏଫ୍ଏମ୍ସି ପ୍ରକଳ୍ପ ଯୋଜନା କରାଯାଇଛି। ଗୋଟିଏ ପଟେ ଏହି ପ୍ରକଳ୍ପଗୁଡ଼ିକ ଲୋଡିଂ ଦକ୍ଷତାରେ ଉନ୍ନତି ଆଣିବା, ଲୋଡିଂ ସମୟ ହ୍ରାସ କରିବା ସହିତ ଅନ୍ୟପଟେ ନିର୍ଗମନ ଏବଂ ପ୍ରଦୂଷଣ ହ୍ରାସ କରିବାରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଫେବ୍ରୁଆରୀ, ୨୦୨୪ରେ ଓଡ଼ିଶାରେ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍)ର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ଉଦ୍ଘାଟନ କରିବେ। ସେଥିମଧ୍ୟରୁ ଅନୁଗୁଳ ଜିଲ୍ଲା ତାଳଚେର କୋଲଫିଲ୍ଡରେ ୩୩୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଭୁବନେଶ୍ୱରୀ ଫେଜ୍-୧ ପ୍ରକଳ୍ପ ରେକ୍ ଲୋଡିଂ ସମୟକୁ ପାଖାପାଖି ୫୦ ମିନିଟ୍କୁ ହ୍ରାସ କରିବ, ପରିବେଶ ଅନୁକୂଳ ପରିବହନ ଆରମ୍ଭ କରିବ, ସବୁଜ ଗୃହ ବାଷ୍ପ ନିର୍ଗମନ ହ୍ରାସ କରିବ ଏବଂ କୋଇଲା ପରିବହନ ଖର୍ଚ୍ଚ ହ୍ରାସ କରିବ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହେଉଛି ଲାଜକୁରା ରାପିଡ୍ ଲୋଡିଂ ସିଷ୍ଟମ (ଆରଏଲଏସ), ଯାହା ପ୍ରାୟ ୩୭୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । କୋଇଲାର ଗୁଣବତ୍ତା ଏବଂ ଯୋଗାଣ ବୃଦ୍ଧି କରିବା, ପାଖାପାଖି ୫୦ ମିନିଟ୍ ଲୋଡିଂ ସମୟ ହାସଲ କରିବା, ପରିବେଶ ଅନୁକୂଳ ପରିବହନ, ସବୁଜ ଗୃହ ବାଷ୍ପ ନିର୍ଗମନକୁ ହ୍ରାସ କରିବା ଏବଂ ସାମଗ୍ରିକ କୋଇଲା ପରିବହନ ଖର୍ଚ୍ଚ ହ୍ରାସ କରିବା ପାଇଁ ଏହି ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି। ଏହି ପ୍ରୟାସ କେବଳ ପରିବେଶ ପ୍ରଭାବକୁ ଯଥେଷ୍ଟ ହ୍ରାସ କରିବ ନାହିଁ ବରଂ ସ୍ଥାନୀୟ ଯୁବବର୍ଗଙ୍କ ପାଇଁ ମୂଲ୍ୟବାନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିଥାଏ।

ଏହି ମାଇଲଖୁଣ୍ଟ ପ୍ରକଳ୍ପଗୁଡ଼ିକ ବ୍ୟତୀତ ପ୍ରଧାନମନ୍ତ୍ରୀ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ୫୫୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଇବ୍ ଭ୍ୟାଲି ୱାଶେରୀକୁ ମଧ୍ୟ ଉଦଘାଟନ କରିବେ । ଏହି ପ୍ରକଳ୍ପ ଗୁଣବତ୍ତା ପାଇଁ କୋଇଲା ପ୍ରକ୍ରିୟାକରଣରେ ଏକ ଆଦର୍ଶ ପରିବର୍ତ୍ତନ, ଅଭିନବତା ଓ ସ୍ଥାୟୀତ୍ୱକୁ ସୂଚାଇବା ଏବଂ କୋଇଲା ଗୁଣବତ୍ତା ମାନକ ବୃଦ୍ଧି କରିବା ସହିତ ସ୍ୱଚ୍ଛ ତଥା ଅଧିକ ଦକ୍ଷ ଶକ୍ତି ସମାଧାନ ପାଇଁ ଭାରତର ଦୃଷ୍ଟିକୋଣ ସହ ସମନ୍ୱିତ ହେବ ।

ଏହାବ୍ୟତୀତ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍) ଦ୍ୱାରା ୮୭୮ କୋଟି ଟଙ୍କା ନିବେଶରେ ନିର୍ମିତ ଝାରସୁଗୁଡ଼ା-ବରପାଲି-ସର୍ଡେଗା ରେଳ ଲାଇନ୍ ଫେଜ୍-୧ର ୫୦ କିଲୋମିଟର ଲମ୍ବ ଦ୍ୱିତୀୟ ରେଳ ଲାଇନକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି ସମ୍ପ୍ରସାରଣ ରେଳ ଭିତ୍ତିଭୂମିକୁ ଯଥେଷ୍ଟ ବୃଦ୍ଧି କରିବ, ନିରବଚ୍ଛିନ୍ନ ପରିବହନ ସୁବିଧା ଯୋଗାଇ ଦେବ ଏବଂ ଦକ୍ଷ କୋଇଲା ଯୋଗାଣ ଶୃଙ୍ଖଳା ସୁନିଶ୍ଚିତ କରିବ ।

ପ୍ରାୟ ୨୧୪୫ କୋଟି ଟଙ୍କାର ମିଳିତ ନିବେଶ ସହିତ ଏହି ପ୍ରୟାସ ଏକ ନିରନ୍ତର ଏବଂ ଦକ୍ଷ ଶକ୍ତି ଯୋଗାଣ ପାଇଁ କୋଇଲା ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର କୋଇଲା ଶିଳ୍ପକୁ ଉଲ୍ଲେଖନୀୟ ଲାଭ ପ୍ରଦାନ କରିବା ସହ ଦେଶର ଶକ୍ତି ସୁରକ୍ଷାରେ ସହାୟକ ହେବ ବୋଲି ଆଶା କରାଯାଉଛି।

Categories
ଆଞ୍ଚଳିକ

ସୂଚନା ଅଧିକାରୀ କର୍ମୀଙ୍କୁ ଆକ୍ରମଣ କଲେ ସରପଞ୍ଚଙ୍କ ସ୍ବାମୀ: ଥାନାରେ ଅଭିଯୋଗ

ଖୋର୍ଦ୍ଧା: ସୂଚନା ଅଧିକାର ଆଇନରେ ତଥ୍ୟ ମାଗି ମାଡ ଖାଇଲେ ଯୁବକ ଆଉ ମାଡ ମାରିଲେ ଖୋଦ ସରପଂଚଙ୍କ ସ୍ବାମୀ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ଶଗଡଭଙ୍ଗା ପଚାଂୟତରୁ ଏହିଭଳି ସାଙ୍ଘାତିକ ଅଭିଯୋଗ ଆସିଛି।

ସୂଚନା ଅନୁଯାୟୀ ଗତ ୧୬ ତାରିଖରେ ପଂଚାୟତରେ ଚାଲିଥିବା ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟ ସମ୍ପର୍କରେ ସେହି ଗ୍ରାମର ସନ୍ତୋଷ କୁମାର ବେହେରା ତଥ୍ୟ ମାଗିଥିଲେ। ତେବେ ସୂଚନା ଅଧିକାର ଆଇନରେ କାହିଁକି ତଥ୍ୟ ମାଗିଛୁ କହି ଗତକାଲି ରାତିରେ ସନ୍ତୋଷଙ୍କୁ ସରପଞ୍ଚଙ୍କ ସ୍ୱାମୀ ଦୁର୍ଗା ଚରଣ ସ୍ୱାଇଁ ମାଡ଼ ମାରିଥିବା ଆଜି ସନ୍ତୋଷଙ୍କ ବାପା ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଫାଣ୍ଡିରେ ଅଭିଯୋଗ କରିଛନ୍ତି।

ସରପଞ୍ଚଙ୍କ ସ୍ୱାମୀ ସନ୍ତୋଷଙ୍କ ସାର୍ଟ ଚିରି ଛାତିକୁ ଆକ୍ରମଣ କରିଥିବାରୁ ସେ ଅସୁସ୍ଥ ହୋଇ ପ୍ରଥମେ ବୋତଳମା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି ହୋଇଥିଲେ, କିନ୍ତୁ ସେଠାରୁ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ଆଜି ସନ୍ତୋଷଙ୍କ ଏକ୍ସରେ କରାଯାଇଥିବା ବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା କହିଛନ୍ତି।

ସେପଟେ କାହିଁକି ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଲେ ଆକ୍ରମଣ କରାଯାଉଛି ଏବଂ ଏଭଳି ଆକ୍ରମଣକୁ ନିନ୍ଦା କରିଛନ୍ତି ସେହି ପଂଚାୟତର ସମାଜସେବୀ ବିବେକାନନ୍ଦ ପଟ୍ଟନାୟକ। ସେହିପରି ଆମ ଓଡ଼ିଶା ନବୀନ ଓଡିଶା କାମରେ ସ୍ୱଚ୍ଛତା ରହୁନଥିବା ବେଳେ ଧରା ପଡିଯିବା ଭୟରେ ଏଭଳି ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି।

ସେହିପରି ବେଗୁନିଆ ନିର୍ଚାଚନ ମଣ୍ଡଳୀରେ ଆମ ଓଡ଼ିଶା ନବୀନ ଓଡିଶା କାମକୁ ଅନେକ ସ୍ଥାନରେ ଦଳୀୟ ଭିତିରେ କର୍ମୀଙ୍କୁ ଦିଆହେଉଥିବା ବେଳେ ସରପଂଚଙ୍କ ବିନା ଜାଣତରେ କାର୍ଯ୍ୟ ହେଉଥିବା ବୋଲଗଡ ବ୍ଲକ ଧଳାପଥର ସରପଂଚ ନାରାୟଣ ସାହୁ ଅଭିଯୋଗ କରିଛନ୍ତି।

ସରପଞ୍ଚ ନାରାୟଣ ସାହୁଙ୍କ କହିବା ଅନୁଯାୟୀ ପଚାଂୟତକୁ ଆମେ ଲୋକମାନଙ୍କ ଦ୍ବାରା ପ୍ରତ୍ୟକ୍ଷ ଭାବେ ଭୋଟ ପାଇଁ ନିର୍ବାଚିତ ହେଲୁ, କିନ୍ତୁ ସରକାର ଅନେକ ଲୋକାଭିମୁଖୀ ଯୋଜନା କରୁଥିବା କହୁଛନ୍ତି କିନ୍ତୁ ବାସ୍ତବରେ ତାହା ଆମେ ଜାଣିପାରୁନୁ । ତାହା ଆମକୁ ଅନ୍ଧାର ରେ ରଖି କାର୍ଯ୍ୟ କରାଯାଉଛି। କେଉଁ ପ୍ରକଳ୍ପରେ କେତେ ଟଙ୍କା ବିନିଯୋଗ ହେଉଛି ତାହାର ସୂଚନା ବ୍ଲକ ଆମକୁ ଦେଉନି।

ସେହିଭଳି ଘଟଣା ସମ୍ପର୍କରେ ବେଗୁନିଆ ବିଡିଓ ଲକ୍ଷ୍ମୀଧର ସାହୁ କହିଛନ୍ତି। କୌଣସି ଅଭିଯୋଗ ଆମ ପାଖକୁ ଆସି ନାହିଁ, ଯଦି କୌଣସି ଅଭିଯୋଗ ଆସେ ତେବେ ଘଟଣାର ତଦନ୍ତ କରାଯିବ ବୋଲି ବିଡିଓ କହିଛନ୍ତି।

ସେହିପରି ଶଗଡ଼ଭଙ୍ଗା ପଂଚାୟତର ସନ୍ତୋଷ ବେହେରା ସୂଚନା ଆଇନରେ ମାଗିଥିବା ତଥ୍ୟ ଆମେ ନିର୍ଦ୍ଧାରିତ ସମୟରେ ପ୍ରଦାନ କରିବୁ।

Categories
ଆଞ୍ଚଳିକ

ଛତ୍ରପୁର: ପଲ୍ଲୀଶ୍ରୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବିଶ୍ଵ ଆଦ୍ରଭୂମି ଦିବସ ପାଳିତ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ତାମ୍ପରାଠାରେ ବିଶ୍ଵ ଆଦ୍ରଭୂମି ଦିବସ ପାଳିତ ହୋଇଯାଇଛି। କେଏନସିଏଫ, ଜାପାନଙ୍କ ସହାୟତାରେ ଉକ୍ତ ଦିବସ ତାମ୍ପରା ରାମଶର ସାଇଟ ଠାରେ ପାଳନ କରାଯାଇଛି।

ଏଥିରେ ସ୍ଥାନୀୟ ଅଞ୍ଚଳର ମହିଳା, ମତ୍ସ୍ୟଜୀବୀ, ଚାଷୀ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ପ୍ରଥମେ ତାମ୍ପରା କୂଳ ପରିଦର୍ଶନ କରି ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କରାଯାଇଥିଲା।

ଏହି ଅବସରରେ ତାମ୍ପରା ହ୍ରଦର ଗୁରୁତ୍ଵ ଉପରେ ପଲ୍ଲୀଶ୍ରୀର ସମ୍ପାଦକ ଦୂର୍ଗା ପ୍ରସାଦ ଦାଶ ଆଲୋଚନା କରିଥିଲେ।

ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ମହିଳା ମା’ ମାନଙ୍କ ମଧ୍ୟରେ ଝୋଟି ପ୍ରତିଯୋଗୀତା କରାଯାଇଥିଲା।

ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ସଦସ୍ୟମାନେ ଜୈବ ବିବିଧତାକୁ ସୁରକ୍ଷା ଦେବା ଓ ଆଦ୍ରଭୂମିକୁ ପ୍ଲାଷ୍ଟିକ ଠାରୁ ଦୂରେଇ ରଖିବା ପାଇଁ ଏକ ଶପଥ ପାଠ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ପଲ୍ଲୀଶ୍ରୀ ଅନୁଷ୍ଠାନ ପକ୍ଷରୁ ଜିତେନ୍ଦ୍ରିୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ପଲ୍ଲୀଶ୍ରୀ ଅନୁଷ୍ଠାନର ପ୍ରଫୁଲ୍ଲ କୁମାର ସାହୁ, ୱାଡି କାଶୀନାଥ ଓ ସନ୍ତୋଷ କୁମାର ଜେନା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଦୁଇ ଦିନିଆ ବିମର୍ଶ

ଭୁବନେଶ୍ୱର: ଆସନ୍ତା ଫେବୃଆରି ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିଭର୍ସିଟି ପକ୍ଷରୁ ରବିବାର ଏବଂ ସୋମବାର ଦୁଇ ଦିନ ଧରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ବିମର୍ଶ ଆୟୋଜିତ ହେବ।

ଫେବୃଆରି ୪ ଓ ୫ ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୋଆର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବ ।

ଫେବୃଆରି ୪ ତାରିଖ ଦିନ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ କୃଷି, କୃଷକ ସଶକ୍ତିକରଣ, ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଓ ବିଶିଷ୍ଟ ସାହିତ୍ୟିକ ଶ୍ରୀ ରାସବିହାରୀ ବେହେରା ଉଦ୍‌ଘାଟକ ଭାବେ ଯୋଗ ଦେବେ। ଏହି ଅବସରରେ ପ୍ରଶାସକ, ବୁଦ୍ଧିଜୀବି ଓ ଦୈନିକ ସମ୍ବାଦପତ୍ର ‘ସକାଳ’ର ସମ୍ପାଦକ ଶ୍ରୀ ଉମାକାନ୍ତ ମିଶ୍ର ଏବଂ ମାନବ ଶିକ୍ଷାବିତ୍ ଓ ଗବେଷକ ଶ୍ରୀ ଜଗନ୍ନାଥ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ । ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ ।

ପ୍ରଥମ ଦିନର କାର୍ଯ୍ୟକ୍ରମରେ ଶ୍ରୀକ୍ଷେତ୍ରର ଅଭିନୟ କଳା ବିମର୍ଶ, ଶ୍ରୀଜଗନ୍ନାଥ ଚେତନା-ଦର୍ଶନ ଓ ବାସ୍ତବତା, ଓଡ଼ିଆ ସାହିତ୍ୟ ସର୍ଜନରେ ଶ୍ରୀଜଗନ୍ନାଥ ଚେତନା, ସାରୋଳଦାସ ସାହିତ୍ୟ ବିମର୍ଶ, ବଳରାମ ଦାସ ସାହିତ୍ୟ ବିମର୍ଶ, ଜଗନ୍ନାଥ ଦାସ ସାହିତ୍ୟ ବିମର୍ଶ, ମଧ୍ୟକାଳୀନ ସାହିତ୍ୟର ବିଷୟ ବୈଚିତ୍ର‌୍ୟ, ମଧ୍ୟକାଳୀନ ସାହିତ୍ୟରେ ବର୍ଣ୍ଣନା ବୈଚିତ୍ର‌୍ୟ, ଓଡ଼ିଆ ପୁରାଣ ଓ ସାହିତ୍ୟ ବିମର୍ଶ, ସନ୍ଥ ସାହିତ୍ୟ ବିମର୍ଶ ଓ ଭକ୍ତି – ପ୍ରୀତି ଚେତନା ବିମର୍ଶ ଅନ୍ତର୍ଭୁକ୍ତ ।

ସେହିପରି ଦ୍ୱିତୀୟ ଦିନ ଜନଜାତି ନାଚ ଓ ଗୀତ, ଜନଜାତି କଥା ଓ ଗାଥା, ଜନଜାତି ଭାଷା, ଓଡ଼ିଆ ବର୍ଣ୍ଣ ଓ ଲିପି ବିମର୍ଶ, ବ୍ୟାକରଣ ବିମର୍ଶ, ଓଡ଼ିଆ ଅଭିଧାନ ବିମର୍ଶ, ପରମ୍ପରା ଓ ଆଧୁନିକତା, ଓଡ଼ିଆ ପାରମ୍ପରିକ ସଂଗୀତ, ଓଡ଼ିଆ ପାରମ୍ପରିକ ଅଭିନୟ କଳା, ଓଡ଼ିଆ ପାରମ୍ପରିକ ଚିତ୍ରକଳା, ଓଡ଼ିଆ ଶ୍ରାବ୍ୟକାବ୍ୟରେ ଆଧୁନିକତା, ଓଡ଼ିଆ କଥାକାବ୍ୟରେ ଆଧୁନିକତା ଓ ଓଡ଼ିଆ ଦୃଶ୍ୟକାବ୍ୟରେ ଆଧୁନିକତା ଭଳି ବିଷୟବସ୍ତୁ ଉପରେ ଆଲୋଚନା ହେବ ।

ଫେବୃଆରି ୫ ତାରିଖ ଦିନ ଆୟୋଜିତ ହେବାକୁ ଥିବା ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡ଼ିଆ ଔପନ୍ୟାସିକ, ଆଲୋଚକ, ସ୍ତମ୍ଭକାର ଓ ଶିକ୍ଷାବିତ୍ ଶ୍ରୀ ବିଭୁତି ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯିବ ।

Categories
ଆଞ୍ଚଳିକ

ଉପ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ବାଣପୁର ବ୍ଲକ ଫାଟକରୁ ଖୋଲିଲା ତାଲା: ପ୍ରତ୍ୟାହୃତ ହେଲା ଆନ୍ଦୋଳନ

ବାଣପୁର (ସୀତାରାମ ଅଗ୍ରୱାଲ): ଗତ କାଲିଠାରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ପଡ଼ିଥିବା ତାଲା ଉପ ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠିଙ୍କ ହସ୍ତକ୍ଷେପ ପରେ ଆଜି ମଧ୍ୟାହ୍ନରେ ଖୋଲିଛି। ପ୍ରକାଶଥାଉ କି ବାଣପୁର ବିଡ଼ିଓଙ୍କ ମନଇଚ୍ଛା ଛୁଟି ନେବା ଏବଂ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ଓ ଅବହେଳା କରିବା ଅଭିଯୋଗରେ ବ୍ଲକ ଅଧ୍ୟକ୍ଷଙ୍କ ସମେତ ବହୁ ସରପଞ୍ଚ ଓ ସମିତିସଭ୍ୟ ମାନେ ବ୍ଲକ ମୁଖ୍ୟ ଫାଟକରେ ତାଲା ପକାଇ ଗୁରୁବାର ଠାରୁ ଆନ୍ଦୋଳନ ଜାରି ରଖିଥିଲେ।

ଆଜି ଆନ୍ଦୋଳନ ଜାରି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ଉପ ଜିଲ୍ଲାପାଳ ଶ୍ରୀ ସେଠୀ, ବିଡ଼ିଓ ଶୀତଲ ଅଗ୍ରୱାଲ, ବାଲୁଗାଁ ଏସ୍ଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ବାଣପୁର ଆଇଆଇସି ରମେଶ କୁମାର ଦେବତା ଆନ୍ଦୋଳନ ସ୍ଥଳରେ ପହଞ୍ଚି ନିର୍ବାଚିତ ଜନପ୍ରତିନିଧିଙ୍କୁ ବୁଝାସୁଝା କରି ଫାଟକ ଖୋଲି ବ୍ଲକ ଅଫିସ ଭିତରେ ଆଲୋଚନା କରିବାକୁ କହିଥିଲେ। କିନ୍ତୁ ବ୍ଲକ ବାହାରେ ଆଲୋଚନା କରିବାକୁ ସମସ୍ତେ ଅଡ଼ି ବସିଥିଲେ।

ଶେଷରେ ଉପ ଜିଲ୍ଲାପାଳଙ୍କ ନିଷ୍ପତ୍ତି କ୍ରମେ ତହସିଲ ଅଫିସ ଆଇବିରେ ଦୀର୍ଘ ୧ଘଣ୍ଟା ଧରି ରୁଦ୍ଧଦ୍ୱାର ବୈଠକ ହୋଇଥିଲା। ବୈଠକ ପରେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଆନ୍ଦୋଳନ ପ୍ରତ୍ୟାହୃତ ହେବା ନେଇ ସୂଚନା ଦେବା ସହ ଆମର ଥିବା ସମସ୍ତ ଅଭିଯୋଗକୁ ଉପ ଜିଲ୍ଲାପାଳ ଗ୍ରହଣ କରିବା ସହ ବିଡ଼ିଓଙ୍କୁ ତାଗିଦ କରିଛନ୍ତି।

ଆଗକୁ ସରପଞ୍ଚ ଓ ସମିତିସଭ୍ୟମାନଙ୍କୁ ମିଳିତ ଭାବେ ନେଇ କାମ କରିବାକୁ ବିଡ଼ିଓ ପ୍ରତିଶୃତି ଦେଇଥିବାରୁ ବ୍ଲକ ତାଲା ଖୋଲା ଯାଇଥିବା ଅଧ୍ୟକ୍ଷ ଶ୍ରୀ ରଣସିଂହ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସର ରାଜ୍ୟ ନିର୍ବାଚନ କକ୍ଷ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ ଲଲାଟେନ୍ଦୁ ଶତପଥୀ

ଭୁବନେଶ୍ଵର: ଆଜି ଓଡିଶା ପ୍ରଦେଶ କଂଗ୍ରେସ ପାଇଁ ନିର୍ବାଚନ କକ୍ଷ ଘୋଷଣା କରାଯାଇଛି। ଏଆଇସିସି ତରଫରୁ ବରିଷ୍ଠ ନେତା ପଞ୍ଚାନନ କାନୁନଗୋଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିବା ବେଳେ ଲଲାଟେନ୍ଦୁ ଶତପଥୀ (ଚିକୁ) ଙ୍କୁ ରାଜ୍ୟ କଂଗ୍ରେସ ନିର୍ବାଚନ ଉପାଧ୍ୟକ୍ଷ ଦାଇତ୍ୱ ଦିଆଯାଇଛି।

ସେହିଭଳି ତରୁଣକାନ୍ତ ମିଶ୍ର, ଜିନେଶ ଦାସ, ପ୍ରକାଶ ମିଶ୍ର, ସଞ୍ଜୟ ତ୍ରିପାଠୀ ଓ ଦିଗନ୍ତ ଦେଙ୍କୁ ସଂଯୋଜକ ଦାୟିତ୍ଵ ମିଳିଛି। ଏନେଇ ଓଡିଶା ପ୍ରଭାରୀ ଡା. ଅଜୟ କୁମାର ଘୋଷଣା କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟ କଂଗ୍ରେସ ନିର୍ବାଚନ ଉପାଧ୍ୟକ୍ଷ ଭାବେ ମନୋନୀତ ହୋଇଥିବା ଲଲାଟେନ୍ଦୁ ଶତପଥୀ ଗତକାଲି କଂଗ୍ରେସରେ ସାମିଲ ହୋଇଥିଲେ। ଏହା ପୂର୍ବରୁ ଲଲାଟେନ୍ଦୁ ଭାରତୀୟ ଜନତା ପାର୍ଟିର ଆଇଟି ଓ ସୋସିଆଲ ମିଡ଼ିଆ କନଭେନର, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ଓ ମେଡ଼ିଆ ପ୍ୟାନେଲିଷ୍ଟ ଭଳି ଗୁରୁ ଦାଇତ୍ୱ ନିର୍ବାହ କରୁଥିଲେ। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ଦଳ ଉପରେ ଅସନ୍ତୋଷ ହୋଇ ସ୍ଵାଧୀନ ପ୍ରାର୍ଥୀ ଭାବେ ସେ ବିଧାନସଭା ନିର୍ବାଚନ ଲଢିଥିଲେ।

ତେବେ ଲଲାଟେନ୍ଦୁଙ୍କୁ ଆଜି କଂଗ୍ରେସ ପକ୍ଷରୁ ଏକ ବଡ ଦାୟିତ୍ଵ ମିଳିଥିବାରୁ ତାଙ୍କର ପ୍ରଶଂସକମାନେ ଖୁସି ବ୍ୟକ୍ତ କରିଛନ୍ତି।

Categories
ଆଞ୍ଚଳିକ

ସିଡିଏ ପକ୍ଷରୁ ବିଶ୍ବ ଆର୍ଦ୍ରଭୂମି ଦିବସ ପାଳିତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଶୁକ୍ରବାର ପୂର୍ବାହ୍ନରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ଚିଲିକା ବ୍ଳଜ ଅନ୍ତର୍ଗତ ସମାଜସେବା ଅନୁଷ୍ଠାନ “ଶାରିଆ ଭଗବାନ ମହତ୍ଵ ଟ୍ରଷ୍ଟ” ମିଳିତ ଆନୁକୂଲ୍ୟରେ ବଡ଼କୁଳ ସ୍ଥିତ ଆର୍ଦ୍ରଭୂମି ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ବିଶ୍ଵ ଆର୍ଦ୍ରଭୂମି ଦିବସ ପାଳିତ ହୋଇଯାଇଛି। ପରିବେଶବିତ୍ ଧନେଶ୍ଵର ବିଧାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିଲିକା ବନ୍ୟପ୍ରାଣୀ ଡ଼ିଏଫଓ ଅମ୍ଳାନ ନାୟକ, ମୁଖ୍ୟ ବକ୍ତା ଭାବେ ଘୁମୁସର ମଣ୍ଡଳର ଜିଲ୍ଲା ଅଧିକାରୀ ବିନୋଦ ଆଚାର୍ଯ୍ୟ, ଆମନ୍ତ୍ରିତ ଅତିଥି ଭାବେ ବନ୍ୟପ୍ରାଣୀ ଏସସିଏଫ ରଶ୍ମି ଚୌଧୁରୀ, ସାରିଆ ଭଗବାନ ମହତ୍ଵ ମେମୋରିଆଲ ଟ୍ରଷ୍ଟ ସମ୍ପାଦକ କୁନା ମହତ୍ତ୍ଵ ପ୍ରମୁଖ ଯୋଗଦେଇ ଚିଲିକା ସୁରକ୍ଷା, ପକ୍ଷୀ ସୁରକ୍ଷା, ସ୍ୱଚ୍ଛ ପରିବେଶ ସହିତ ଦିବସ ପାଳନ ତାତ୍ପର୍ଯ୍ୟ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ସ୍ଥାନୀୟ କଳାକାର ମାନେ ନୃତ୍ୟ, ଗୀତ ଓ କ୍ଷୁଦ୍ର ନାଟକ ପରିବେଷଣ ମାଧ୍ୟମରେ ମରାଳ ମାଳିନୀ ନିଳାମ୍ବୁ ଚିଲିକା ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ବାଣ୍ଟିଥିଲେ। ଏହି ଅବସରରେ ଉଦ୍ଭିଦବିଜ୍ଞାନ ବିଭାଗ ଅଧ୍ୟାପକ ଡଃ ପ୍ରଦୀପ୍ତ କୁମାର ରଥ,ସମାଜସେବୀ ବସନ୍ତ କୁମାର ହରିଚନ୍ଦନ, ପ୍ରଦୋଷ କୁମାର ଦାସ, ପରିବେଶ ପ୍ରେମୀ ଅଶୋକ କୁମାର ପଣ୍ଡା, ସୁଧୀର କୁମାର ବେହେରା, ସ°ଗ୍ରାମ କୁମାର ରଣା, ମୃତ୍ୟୁଞ୍ଜୟ ରଥଙ୍କ ସମେତ ପରିବେଶ ସୁରକ୍ଷା ପାଇଁ ଅବଦାନ ରଖିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଚିଲିକାର ଜୈବ ବିବିଧତା ଉପରେ ପ୍ରଶିକ୍ଷଣ ନେବାକୁ ଆସିଥିବା ସୁଦୂର ତାମିଲନାଡୁ ଓ ରାଜସ୍ଥାନର ବନ୍ୟପ୍ରାଣୀ ବିଭାଗୀୟ ଅଧିକାରୀମାନଙ୍କ ସମେତ ସିଡିଏ କର୍ମଚାରୀ, ମତ୍ସ୍ୟଜୀବୀ, କାଳିଜାଇ ମୋଟର ବୋଟ ଆସୋସିଏସନର କର୍ମକର୍ତ୍ତା, ସମାଜସେବୀମାନେ ଉପସ୍ଥିତ ଥିଲେ।ଶେଷରେ କାର୍ଯ୍ୟକ୍ରମରେ ଭାଗ ନେଇଥିବା କୁନିକୁନି କଳାକାରମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

Categories
ଆଞ୍ଚଳିକ

ଚିଲିକା ବିଧାୟକଙ୍କ ଉପସ୍ଥିତିରେ ଖୋଲିଲା ଶ୍ରୀ ଶ୍ରୀ ଊମାମହେଶ୍ୱର ଦେବଙ୍କ ହୁଣ୍ଡି, ଏକ ଲକ୍ଷରୁ ଉର୍ଦ୍ଧ୍ଵ ଦାନ ଅର୍ଥ ସଂଗ୍ରହ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ବାଲୁଗାଁ ଅଞ୍ଚଳର ଆରାଧ୍ୟ ଶୈବପୀଠ ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ଗମ୍ଭୀର ହୁଣ୍ଡି ଖୋଲାଯାଇଛି। ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ମନ୍ଦିର ଟ୍ରଷ୍ଟି ବୋର୍ଡ ସଦସ୍ୟ, ମନ୍ଦିର କମିଟି ସଦସ୍ୟ ଓ ସେବାୟତଙ୍କ ଉପସ୍ଥିତିରେ ମନ୍ଦିର ଭିତର ହୁଣ୍ଡି ଖୋଲାଯାଇଥିଲା। ଏଥିରୁ ସମୁଦାୟ ଦାନ ଅର୍ଥ ୧,୦୩୯୨୦ ଟଙ୍କା ସଂଗୃହିତ କରାଯାଇ ମନ୍ଦିର ଜମା ଖାତାରେ ଜମା କରାଯିବା ସହ ଉକ୍ତ ଅର୍ଥ ମନ୍ଦିର ଉନ୍ନତି କାର୍ଯ୍ୟରେ ଲଗାଯିବା ନେଇ ବିଧାୟକ ଶ୍ରୀ ଜଗଦ୍ଦେବ କହିଛନ୍ତି।

ସୂଚନା ଥାଉକି ଦୀର୍ଘ ଦୁଇ ବର୍ଷ ପୂର୍ବେ ଭିତର ହୁଣ୍ଡି ଖୋଲାଯାଇଥିବା ବେଳେ ସେଥିରୁ ଶ୍ରଦ୍ଧାଳୁଙ୍କ ଦାନ ୧,୦୮୩୫୦ ଟଙ୍କା ମିଳିଥିଲା।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ଏନଡିଏକୁ ଜେଡିୟୁ ଆସିବା ପରେ ବଦଳିଲା ପୂରା ସମୀକରଣ: ଆସନ ବଣ୍ଟନ ପାଇଁ ଆସିପାରେ ନୂଆ ଫର୍ମୁଲା

ନୂଆଦିଲ୍ଲୀ: ବିହାରରେ ଜେଡିୟୁ ଏନଡିଏରେ ସାମିଲ ହେବା ପରେ ବିଜେପି ପୁଣିଥରେ କ୍ଷମତାକୁ ଆସିଛି। କିନ୍ତୁ ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ଆସନ ବଣ୍ଟନକୁ ନେଇ ବିଜେପିର ସମସ୍ୟା ବଢ଼ିବାରେ ଲାଗିଛି। ସୂତ୍ରରୁ ପ୍ରକାଶ ଯେ ଏନଡିଏରେ ଆସନ ବଣ୍ଟନର ଗାଣିତିକ ଫର୍ମୁଲା ଖୋଜିବା ପାଇଁ ପଦକ୍ଷେପ ମଧ୍ୟ ଆରମ୍ଭ ହୋଇଛି।

କୁହାଯାଉଛି ଯେ ବିଜେପି ଓ ଜେଡିୟୁ ପ୍ରମୁଖ ସହଯୋଗୀ ଦଳ। କିନ୍ତୁ ଅନ୍ୟ ୪ଟି ସହଯୋଗୀ ଦଳକୁ ସମ୍ମାନଜନକ ଆସନ ଦେବା ପାଇଁ ପ୍ରସ୍ତୁତି ଚାଲିଛି, ଯାହାଫଳରେ ମେଣ୍ଟ ମଜବୁତ ରହିବ। ବାସ୍ତବରେ ଯେତେବେଳେ ଜେଡିୟୁକୁ ଏନଡିଏରେ ସାମିଲ କରାଯାଇନଥିଲା ସେତେବେଳେ ସହଜରେ ଏହି ଆସନ ବଣ୍ଟନ ହେବ ବୋଲି ଆଶା କରାଯାଉଥିଲା, କିନ୍ତୁ ଜେଡିୟୁ ଆସିବା ପରେ ସମୀକରଣ ବଦଳିଯାଇଛି।

ଏପରି ହୋଇପାରେ ଏନଡିଏରେ ଆସନ ବୁଝାମଣା

ତେବେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ କୌଣସି ସହଯୋଗୀ ଦଳକୁ ଅସହଜ ହେବାକୁ ଦେବାକୁ ରାଜି ନୁହଁନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଏନଡିଏରେ ସାମିଲ ଥିବା ସମସ୍ତ ଦଳର ନେତା ଉପସ୍ଥିତ ଥିଲେ। ଯଦି ସୂତ୍ରକୁ ବିଶ୍ୱାସ କରାଯାଏ ତେବେ ବିହାରରେ ଲୋକସଭା ନିର୍ବାଚନରେ ଜେଡିୟୁ ବିଜେପି ତୁଳନାରେ କମ ଆସନ ପାଇପାରେ। ବିହାରରେ ମୋଟ ୪୦ଟି ଲୋକସଭା ଆସନ ରହିଛି। ସେଥିମଧ୍ୟରୁ ବିଜେପି ୧୭ରୁ ୧୮ଟି ଆସନରେ ଲଢ଼ିବାକୁ ଚାହୁଁଛି। ସେହିପରି ଜେଡିୟୁକୁ ୧୪ରୁ ୧୫ଟି ଆସନ ଦିଆଯାଇପାରେ। ବର୍ତ୍ତମାନ ବିଜେପିର ୧୭ ଓ ଜେଡିୟୁର ୧୬ ସାଂସଦ ଅଛନ୍ତି।

ଏଲଜେପିର ଉଭୟ ଗୋଷ୍ଠୀକୁ ମିଳିପାରେ ଆସନ

ଏଲଜେପିର ଦୁଇ ଗୋଷ୍ଠୀ ଚିରାଗ ପାଶୱାନ ଏବଂ ପଶୁପତି କୁମାର ପାରସଙ୍କ ଦଳରେ ମଧ୍ୟ ୬ ଜଣ ସାଂସଦ ଅଛନ୍ତି। ଉଭୟ ଦଳ ମଧ୍ୟରେ ଆସନ ବୁଝାମଣା ଆନୁପାତିକ ହେବାର ସମ୍ଭାବନା ରହିଛି। ଜିତନ ରାମ ମାଝୀଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଏବଂ ଉପେନ୍ଦ୍ର କୁଶୱାହାଙ୍କ ଆରଏଲଏସପି ମଧ୍ୟ ଏନଡିଏରେ ସାମିଲ ହୋଇଥିବାରୁ ସେମାନେ ମଧ୍ୟ ୩ରୁ ୪ଟି ଆସନ ପାଇପାରନ୍ତି।

Categories
ଜାତୀୟ ଖବର ବିଶେଷ ଖବର

କମଲ ହାସନଙ୍କ ପରେ ଲୋକସଭା ନିର୍ବାଚନ ପୂର୍ବରୁ ଦଳ ଗଠନ କଲେ ସାଉଥ ଅଭିନେତା ବିଜୟ

ଚେନ୍ନାଇ: ଆଉ ଜଣେ ଅଭିନେତା ଦେଶର ରାଜନୀତିରେ ପ୍ରବେଶ କରିଛନ୍ତି। ଦକ୍ଷିଣର ଜଣାଶୁଣା କଳାକାର ଥାଲାପତି ବିଜୟ ଶୁକ୍ରବାର (୨ ଫେବ୍ରୁଆରି ୨୦୨୪) ରାଜନୈତିକ ଦଳର ନାମ ଘୋଷଣା କରିଛନ୍ତି। ତାଙ୍କ ଦଳର ନାମ ହେଉଛି ତାମିଲଗା ଭେଟ୍ରି କାଜାମ୍।
ଅଭିନେତା ବିଜୟଙ୍କ ଦ୍ୱାରା ଜାରି ବିବୃତିରେ ୨୦୨୪ ଲୋକସଭା ନିର୍ବାଚନକୁ ନେଇ ମଧ୍ୟ କିଛି ସ୍ପଷ୍ଟ କରାଯାଇଛି । ତାଙ୍କ ଦଳ ୨୦୨୪ ନିର୍ବାଚନ ଲଢ଼ିବ ନାହିଁ ବୋଲି କୁହାଯାଇଛି। ଏହି ସମୟରେ ତାଙ୍କ ଦଳ କାହାକୁ ସମର୍ଥନ କରିବ ନାହିଁ। ସାଧାରଣ ଓ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ପାଇଁ ଦଳ ଏହି ନିଷ୍ପତ୍ତି ନେଇଛି।

ବିଜୟ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ବଡ଼ ନାମ। ତାମିଲ ବ୍ୟତୀତ ବିଜୟ ଆହୁରି ଅନେକ ଭାରତୀୟ ଭାଷାର ଫିଲ୍ମରେ ମଧ୍ୟ କାମ କରିଛନ୍ତି। ବିଜୟ ତାଙ୍କ ପ୍ରଶଂସକ ଏବଂ ଗଣମାଧ୍ୟମରେ ‘ଥାଲାପଥି’ (କମାଣ୍ଡର) ଭାବରେ ମଧ୍ୟ ପରିଚିତ। ସେ ତାମିଲ ସିନେମାରେ ସର୍ବାଧିକ ଆୟ କରୁଥିବା ଅଭିନେତାମାନଙ୍କ ମଧ୍ୟରେ ପରିଗଣିତ ହୁଅନ୍ତି। ସାରା ବିଶ୍ୱରେ ତାଙ୍କର ପ୍ରଶଂସକ ଅଛନ୍ତି।

ତେଲୁଗୁ ଦେଶମ ପାର୍ଟି ଆନ୍ଧ୍ରପ୍ରଦେଶରେ ଆନ୍ନା ଏବଂ ଏନଟିଆର ନାମରେ ଜଣାଶୁଣା ଏନଟି ରାମା ରାଓଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ସେ ୭ ବର୍ଷ ମୁଖ୍ୟମନ୍ତ୍ରୀ ରହିଥିଲେ। ଏହାବ୍ୟତୀତ ଆନ୍ନାଦୁରାଇ ମଧ୍ୟ ଅଭିନୟ କରି ଏକ ରାଜନୈତିକ ଦଳ ଗଠନ କରିଥିଲେ। ସେ ତାମିଲନାଡୁର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ଭିଏନ୍ ଜାନକୀ ନାମରେ ପରିଚିତ ଅଭିନେତ୍ରୀ ଜାନକୀ ରାମଚନ୍ଦ୍ରନ୍ ମଧ୍ୟ ରାଜନୀତିରେ ପ୍ରବେଶ କରି ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସ୍ୱାମୀ ତଥା ମୁଖ୍ୟମନ୍ତ୍ରୀ ଏମଜି ରାମଚନ୍ଦ୍ରନଙ୍କ ମୃତ୍ୟୁ ପରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏମଜିଆର ନାମରେ ଜଣାଶୁଣା ରାମଚନ୍ଦ୍ରନ ୧୯୭୭ରୁ ୧୯୮୭ ମଧ୍ୟରେ ଲଗାତାର ୧୦ ବର୍ଷ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଥିଲେ। ଆମ୍ମା ନାମରେ ଜଣାଶୁଣା ଜୟଲଳିତା ରାଜନୀତିରେ ଆସିବା ପୂର୍ବରୁ ତାମିଲ ଫିଲ୍ମରେ ମଧ୍ୟ କାମ କରିଥିଲେ। ଏକଦା ତାମିଲ ଚଳଚ୍ଚିତ୍ରରେ ସ୍କ୍ରିପ୍ଟ ରାଇଟର ଭାବରେ କାମ କରିଥିବା ଏମ କରୁଣାନିଧି ୫ ଥର ତାମିଲନାଡୁର ମୁଖ୍ୟମନ୍ତ୍ରୀ ଥିଲେ।

କମଲ ହାସନ ୨୦୧୮ ଫେବୃୟାରୀରେ ରାଜନୈତିକ ଦଳ ମକ୍କଲ ନିଧି ମୈୟମ୍ ପାର୍ଟି ଗଠନ କରିଥିଲେ। ତେଲୁଗୁ ସୁପରଷ୍ଟାର ଚିରଞ୍ଜୀବୀ ୨୦୦୮ରେ ପ୍ରଜା ରାଜ୍ୟମ ପାର୍ଟି ନାମରେ ନିଜର ଦଳ ଗଠନ କରିଥିଲେ। ୨୦୦୯ ବିଧାନସଭା ନିର୍ବାଚନରେ ଦଳ ୧୮ଟି ଆସନରେ ବିଜୟୀ ହୋଇଥିଲା। ରଜନୀକାନ୍ତ ୨୦୧୭ ଡିସେମ୍ବରରେ ତାଙ୍କ ଦଳ ରଜନୀ ମନ୍ଦରରେ ଘୋଷଣା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

କେନ୍ଦ୍ରାପଡ଼ା ଲୋକସଭା: ପ୍ରମୁଖ ୩ ଦଳରେ ପ୍ରାର୍ଥୀ ସଂକଟ

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ। ଏହା ପୂର୍ବରୁ ରାଜ୍ୟରେ ଲୋକସଭାରେ କିଏ କେଉଁଠୁ ପ୍ରାର୍ଥୀ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଚର୍ଚ୍ଚା ଅନୁସାରେ ଆଗାମୀ ନିର୍ବାଚନରେ କେନ୍ଦ୍ରାପଡ଼ା, ଲୋକସଭା ଆସନରେ ନୂଆ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।

ପ୍ରଥମେ ଅଣ କଂଗ୍ରେସ ଗଡ଼ କୁହାଯାଉଥିବା କେନ୍ଦ୍ରପଡ଼ା ଲୋକସଭା ଆସନରୁ କେବଳ ୧୯୫୨ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଜିତିଥିବାବେଳେ ଏହି ଆସନରେ ୧୭ ଥର ଅଣକଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏଠାରୁ ସୁରେନ୍ଦ୍ରନାଥ ଦ୍ୱିବେଦୀ ଓ ବିଜୁ ପଟ୍ଟନାୟକ ୩ଥର ଲେଖାଏଁ ଲଢ଼ି ବିଜୟୀ ହୋଇଥିବାବେଳେ ରିବ ରାୟ, ପ୍ରଭାତ ସାମନ୍ତରାୟ ଓ ବୈଜୟନ୍ତ ପଣ୍ଡା ୨ଥର ଲେଖାଏଁ ଏହି ଆସନରୁ ବିଜୟୀ ହୋଇଛନ୍ତି।

ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର ଓ ମହାକାଳପଡ଼ା ବିଧାନସଭାକୁ ନେଇ ଗଠିତ କେନ୍ଦ୍ରାପଡ଼ା ଲୋକସଭା ଆସନରେ ୨୦୧୪ ନିର୍ବାଚନରେ ବୈଜୟନ୍ତ ପଣ୍ଡା (୬,୦୧,୫୭୪ ଖଣ୍ଡ ଭୋଟ) ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ (୩,୯୨,୪୬୬ ଖଣ୍ଡ ଭୋଟ)ଙ୍କୁ ୨ଲକ୍ଷ ୯ ହଜାର ୧୦୮ ଭୋଟରେ ହରାଇ ବିଜୟୀ ହୋଇଥିଲେ। ଏହାର ପରବର୍ତ୍ତୀ ନିର୍ବାଚନ ୨୦୧୯ରେ ବୈଜୟନ୍ତ (୪,୪୪୭,୪୫୬ ଭୋଟ) ବିଜେପି ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି (୬,୨୮, ୯୩୯ଭୋଟ)ଙ୍କଠାରୁ ୧ଲକ୍ଷ ୫୨ହଜାର ୫୮୪ଖଣ୍ଡ ଭୋଟରେ ହାରିଯାଇଥିଲେ।

ଏହି ଆସନରେ ୨୦୧୪ ନିର୍ବାଚନରେ ବିଜେଡି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିବାବେଳେ ବିଜେପି ପ୍ରାର୍ଥୀ ବିଷ୍ଣୁ ଦାଶ ମାତ୍ର ୧ଲକ୍ଷ ୧୮ହଜାର ୭୦୭ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ। ୨୦୧୯ରେ ବୈଜୟନ୍ତ ପଣ୍ଡା ବିଜେପିରୁ ଲଢ଼ିବାରୁ ପ୍ରତିଦ୍ୱନ୍ଦ୍ୱୀତା ବିଜେଡି ଓ ବିଜେପି ମଧ୍ୟରେ ହୋଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକଙ୍କ ପୂର୍ବର ଭୋଟ ସଖ୍ୟା ୧ଲକ୍ଷ ୧୩ ହଜାର ୮୪୧କୁ ହ୍ରାସ ପାଇବା ସହିତ ତୃତୀୟ ସ୍ଥାନକୁ ଖସି ଆସିଥିଲେ।

କିନ୍ତୁ ଆଗାମୀ ନିର୍ବାଚନରେ ଶାସକ ବିଜୁ ଜନତା ଦଳର ସାଂସଦ ଅନୁଭବ ମହାନ୍ତି ବହୁ ବିବାଦରେ ଛନ୍ଦି ହୋଇଯାଇଥିବାରୁ ଦଳ ତାଙ୍କୁ ଆଉ ପ୍ରାର୍ଥୀ କରିବାର ସମ୍ଭାବନା ନାହିଁ। ଦ୍ୱିତୀୟ ସ୍ଥାନରେ ଥିବା ବୈଜୟନ୍ତ ପଣ୍ଡାଙ୍କୁ ବିଜେପି ୮୦ଟି ଲୋକସଭା ଆସନ ଥିବା ଗୁରୁତ୍ୱପୂର୍ଣ୍ଣ ଉତ୍ତରପ୍ରଦେଶର ପ୍ରଭାରୀ କରିଛି। ବର୍ତ୍ତମାନ ବୈଜୟନ୍ତ ପଣ୍ଡା ଦଳର ଶୀର୍ଷ ନେତୃତ୍ୱଙ୍କ ଭରଷା ହାସଲ କରିଥିବାରୁ ତାଙ୍କୁ ଉତ୍ତର ପ୍ରଦେଶ ଦାୟିତ୍ୱ ବୁଝିବା ପାଇଁ ସ୍ୱାଧୀନ ଭାବରେ ଛାଡ଼ି ଦିଆଯାଇଛି। ତେଣୁ ସେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରୁନାହାନ୍ତି ବୋଲି ସ୍ପଷ୍ଟ ହୋଇଯାଇଛି। ସେହିପରି ବିଗତ ଦୁଇଟି ନିର୍ବାଚନ ଲଢ଼ି ପରାଜିତ ହୋଇଥିବା କଂଗ୍ରେସ ପ୍ରାର୍ଥୀଙ୍କୁ ଦଳ ଆଉ ପ୍ରାର୍ଥୀ କରିନପାରେ ବୋଲି କଂଗ୍ରେସ ମହଲରେ ଚର୍ଚ୍ଚା ହେଉଛି। ତେଣୁ ଆଗାମୀ ନିର୍ବାଚନରେ ୩ଟିଯାକ ରାଜୈତିକ ଦଳ ନୂଆ ମୁହଁ ନେଇ ନିର୍ବାଚନ ଲଢ଼ିବ ବୋଲି ସ୍ପଷ୍ଟ ହୋଇଯାଇଛି। କିନ୍ତୁ କିଏ ପ୍ରାର୍ଥୀ ହେବେ ତାହା ଏବେଠାରୁ ଜଣାପଡ଼ିନାହିଁ।

ସମ୍ଭାବ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡିରୁ ଆଳି ବିଧାୟକ ତଥା ମନ୍ତ୍ରୀ ପ୍ରତାପ କେଶରୀ ଦେବ, କିଶନ ନଗର ବିଧାୟକ ପ୍ରତାପ ଜେନାଙ୍କ ନାମ ଆଲୋଚନା ହେଉଛି। ମନ୍ତ୍ରୀ ପ୍ରତାପ କେଶରୀ ଦେବ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଅନିଚ୍ଛା ପ୍ରକାଶ କରିଥିବା ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି। ଅପରପକ୍ଷରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଅନେକ ବିବାଦରେ ଛନ୍ଦି ହୋଇପଡ଼ିଥିବାରୁ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ସନ୍ଦେହ ରହିଛି।

କଂଗ୍ରେସରୁ କିଏ ପ୍ରର୍ଥୀ ହେବ ସେ ନେଇ ଦଳ ପକ୍ଷରୁ ନେତା ଖୋଜା ଚାଲିଛି। ଯଦି ଜଣେ ଗ୍ରହଣୀୟ ନେତା ନ ମିଳନ୍ତି ତେବେ ଦଳ ପୁଣି ଥରେ ଧରଣୀଧର ନାୟକଙ୍କୁ ପ୍ରାର୍ଥୀ କରିପାରେ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି।

ପ୍ରାର୍ଥୀ ଖୋଜାରେ ବିଜେପି ସବୁଠାରୁ ପଛରେ ପଡ଼ିଯାଇଛି। ବୈଜୟନ୍ତ ପଣ୍ଡାଙ୍କୁ ଦଳ ଉତ୍ତରପ୍ରଦେଶ ଦାୟିତ୍ୱ ଦେବାପରେ କିଏ ବିଜେପି ପ୍ରାର୍ଥୀ ହେବ ତାହା ଦଳୀୟ ନେତାଙ୍କର ମୁଣ୍ଡ ବିନ୍ଧାର କାରଣ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଶ୍ରୀକାନ୍ତ ଜେନା ବିଜେପିରେ ଯୋଗ ଦେଇ ପ୍ରାର୍ଥୀ ହୋଇପାରନ୍ତି ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଅନ୍ୟ ଜଣେ ଖାଲିସ୍ତାନୀ ଆତଙ୍କବାଦୀକୁ କାନାଡାରେ ଟାର୍ଗେଟ: ନିଜ୍ଜରର ସହଯୋଗୀଙ୍କ ଘର ଉପରକୁ ଗୁଳି

ନୂଆଦିଲ୍ଲୀ: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରର ସହଯୋଗୀଙ୍କ ଘରକୁ ଟାର୍ଗେଟ କରାଯାଇଛି। ନିଜ୍ଜର ସହଯୋଗୀଙ୍କ ଘର ଉପରକୁ ଗୁଳି କରାଯାଇଛି। ଏହି ଆକ୍ରମଣ ଏକ ସମୟରେ ଘଟିଛି, ​​ଯେତେବେଳେ ନିଜ୍ଜର ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ବିବାଦ ଦେଖାଦେଇଛି। ଗତ ବର୍ଷ ଜୁନ୍ ୧୮ ତାରିଖରେ ବ୍ରିଟିଶ କଲମ୍ବିଆ ପ୍ରଦେଶର ସରେ ସହରର ଗୁରୁଦ୍ୱାର ବାହାରେ ଖାଲିସ୍ତାନୀ ଆତଙ୍କବାଦୀ ନିଜ୍ଜରଙ୍କୁ ହତ୍ୟା କରାଯାଇଥିଲା।

କାନାଡିଆନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯେଉଁ ଘରେ ଗୁଳି ଚାଳନା କରାଯାଇଛି, ତାହା ସିମରନଜିତ ସିଂଙ୍କର ଅଟେ। କାନାଡିଆନ ସମୟ ଅନୁଯାୟୀ ଗୁରୁବାର ସକାଳେ ଏହି ଆକ୍ରମଣ ହୋଇଛି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ଘର ବାହାରେ ପାର୍କିଂ ହୋଇଥିବା କାର ଉପରେ ବୁଲେଟ୍ ଦାଗରେ ଭରି ଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ରେଞ୍ଜ ବରବରା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ: କାରଣ ଅସ୍ପଷ୍ଟ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେଞ୍ଜ ବରବରା ସେକ୍ସନ ଖରିଆପଲ୍ଲୀ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଡ଼ି ଏଫ ଓ ପୂର୍ଣ୍ଣିମା ପଣ୍ଡିଆନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏ ନେଇ ଡ଼ିଏଫଓ ଶ୍ରୀମତୀ ପାଣ୍ଡିଆନଙ୍କୁ ପଚାରିବାରୁ ଦନ୍ତା ହାତୀର ବୟସ ଆନୁମାନିକ ୨୫-୩୦ ବର୍ଷ ହେବ ଏବଂ ଘଟଣାର ତଦନ୍ତ ଜାରି ରହିଥିବାର କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଝାଡଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ହେଲେ ଚମ୍ପଇ ସୋରେନ୍, ଶପଥ ଗ୍ରହଣ କରାଇଲେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍

ନୂଆଦିଲ୍ଲୀ: ଚମ୍ପଇ ସୋରେନ ଝାଡଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେ ଆଜି ରାଜ ଭବନରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ଅନ୍ୟ ଅନେକ ନେତା ମଧ୍ୟ ଶପଥ ନେଇଛନ୍ତି। ଏହି ଶପଥ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ କଂଗ୍ରେସ ନେତା ଆଲାମଗିର ଆଲାମ ଏବଂ ସତ୍ୟନାଥ ଭୋକ୍ତା ମଧ୍ୟ ଅଛନ୍ତି। ରାଞ୍ଚିର ରାଜ ଭବନରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସମୟରେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ପାଠ କରାଇଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଚମ୍ପଇ ସୋରେନ୍ ଜେଏମ୍ଏମ୍ ଉପାଧ୍ୟକ୍ଷ ଥିଲେ। କିନ୍ତୁ ହେମନ୍ତ ସୋରେନଙ୍କ ଗିରଫଦାରୀ ଖବର ମଧ୍ୟରେ ତାଙ୍କ ନାମ ନୂତନ ମୁଖ୍ୟମନ୍ତ୍ରୀ ପାଇଁ ସହମତ ହୋଇଥିଲା, କେବଳ ପରେ ଏହା ସ୍ପଷ୍ଟ ହୋଇଗଲା ଯେ ହେମନ୍ତ ସୋରେନଙ୍କ ଅନୁପସ୍ଥିତିରେ ଚମ୍ପଇ ରାଜ୍ୟର କ୍ଷମତା ପରିଚାଳନା କରିବେ। ବର୍ତ୍ତମାନ ସେ ଆନୁଷ୍ଠାନିକ ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ଚମ୍ପଇ ସୋରେନଙ୍କ କ୍ୟାବିନେଟରେ ଆଲାମଗିର ଆଲାମ ଏବଂ ସତ୍ୟନାଥ ଭୋକ୍ତା ମଧ୍ୟ ଯୋଗ ଦେଇଛନ୍ତି। ଦୁହେଁ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଚମ୍ପଇ ସୋରେନଙ୍କୁ ତାଙ୍କର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ୧୦ ଦିନ ସମୟ ଦିଆଯାଇଛି। ଅର୍ଥ ହେରଫେର ମାମଲାରେ ହେମନ୍ତ ସୋରେନ ଗିରଫ ହେବାର ୨୪ ଘଣ୍ଟାରୁ ଅଧିକ ସମୟ ପରେ ରାଜ୍ୟପାଳ ତାଙ୍କୁ ଗୁରୁବାର ବିଳମ୍ବିତ ରାତିରେ ଶପଥ ଗ୍ରହଣ କରିବାକୁ ନିମନ୍ତ୍ରଣ କରିଥିଲେ। ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପରେ ଚମ୍ପଇ ସୋରେନ ତାଙ୍କ କ୍ୟାବିନେଟକୁ ବିସ୍ତାର କରିବେ ବୋଲି ସୂଚନା ମଧ୍ୟ ସାମ୍ନାକୁ ଆସିଛି। ଏଥର ଅନେକ ନୂଆ ଚେହେରା କ୍ୟାବିନେଟରେ ଅନ୍ତର୍ଭୁକ୍ତ ହୋଇପାରନ୍ତି।

Categories
ଆଜିର ଖବର ଜାତୀୟ ଖବର ସିନେମା

ମାତ୍ର ୩୨ ବର୍ଷ ବୟସରେ ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କ ଦେହାନ୍ତ, ଗର୍ଭାଶୟ କର୍କଟ କାରଣରୁ ମୃତ୍ୟୁ

ନୂଆଦିଲ୍ଲୀ: ବିବାଦୀୟ ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କ ମୃତ୍ୟୁ ଖବର ଆସୁଛି। ଅଭିନେତ୍ରୀଙ୍କ ମୃତ୍ୟୁ ଖବର ପୁନମ୍ ଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି। ପୁନମ୍ ଙ୍କ ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି। ପୁନମ୍ ପାଣ୍ଡେଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା।

ପୁଣମ ପାଣ୍ଡେଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର ହୋଇଥିବା ଏହି ପୋଷ୍ଟରେ ଲେଖା ଅଛି, “ଆଜି ସକାଳେ ଆମ ପାଇଁ କଷ୍ଟକର। ଆମେ ଅତ୍ୟନ୍ତ ଦୁଃଖର ସହିତ ଜଣାଉଛୁ ଯେ, ଗର୍ଭାଶୟ କର୍କଟ ହେତୁ ଆମେ ଆମର ପ୍ରିୟ ପୁନମ୍ ଙ୍କୁ ହରାଇଛୁ।

ପୁନମ୍ ପାଣ୍ଡେ କିଏ?

ପୁଣମ୍ ପାଣ୍ଡେ ଜଣେ ଅତି ପ୍ରସିଦ୍ଧ ମଡେଲ୍ ଥିଲେ। ୨୦୧୧ କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ ପୂର୍ବରୁ ଯେତେବେଳେ ସେ ଏକ ଭିଡିଓ ବାର୍ତ୍ତାରେ ପ୍ରତିଶୃତି ଦେଇଥିଲେ ଯେ, ଭାରତ ଯଦି ଫାଇନାଲ୍ ମ୍ୟାଚ୍ ଜିତେ ତେବେ ସେ ପୋଷାକ ଖୋଲିଦେବେ। ଏହି ଦାବି ସହିତ ସେ ପ୍ରଥମ ଥର ପାଇଁ ବିବାଦ ଭିତରକୁ ଆସିଥିଲେ। ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ପୁନମ୍ ପାଣ୍ଡେଙ୍କୁ ଶେଷ ଥର ପାଇଁ କଙ୍ଗନା ରଣାୱାତଙ୍କ ରିଆଲିଟି ସୋରେ ଦେଖିବାକୁ ମିଳିଥିଲା।

Categories
ଆଜିର ଖବର ଜାତୀୟ ଖବର

କେବଳ ହେମନ୍ତ ସୋରେନ୍ ନୁହଁନ୍ତି … ଏହି ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀଙ୍କ ଉପରେ ମଧ୍ୟ ଇଡି ର ନଜର

ନୂଆଦିଲ୍ଲୀ: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଏହାର କିଛି ସମୟ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଛି। ଅର୍ଥ ହେରଫେର ମାମଲାରେ ସୋରେନଙ୍କୁ ଗିରଫ କରାଯାଇଛି। ସେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ଅନ୍ୟତମ ସହଯୋଗୀ ଥିଲେ। ତେବେ ସେ ଏକମାତ୍ର ମୁଖ୍ୟମନ୍ତ୍ରୀ ନୁହଁନ୍ତି ଯିଏ ଇଡି ନଜରରେ ଅଛନ୍ତି। ହେମନ୍ତ ସୋରେନଙ୍କ ବ୍ୟତୀତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି, ଯାହାଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସି ଅନୁସନ୍ଧାନ କରୁଛନ୍ତି। ଏଥିମଧ୍ୟରୁ ଦିଲ୍ଲୀରୁ କେରଳ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନାମ ରହିଛି।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପାଞ୍ଚଟି ସମନ ପଠାଇଛି ଇଡି:

କେନ୍ଦ୍ରୀୟ ଏଜେନ୍ସି ଇଡି ଦ୍ୱାରା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ତଦନ୍ତ ଚାଲିଛି। ଅନୁସନ୍ଧାନ ସମ୍ପର୍କରେ ଜେରା ପାଇଁ ଇଡି ତାଙ୍କୁ ଏପର୍ଯ୍ୟନ୍ତ ୫ ଟି ସମନ ପଠାଇଛି, ଯେଉଁଥିରେ ସେ ହାଜର ହୋଇନାହାଁନ୍ତି। କେଜ୍ରିୱାଲଙ୍କ ଗିରଫଦାରୀ ବିଷୟରେ ଗୁଜବ ମଧ୍ୟ ସମୟ ସମୟରେ ଚର୍ଚ୍ଚା ହେଉଛି। ବାସ୍ତବରେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଇଡି ତଦନ୍ତ କରୁଛି।

ମୁଖ୍ୟମନ୍ତ୍ରୀ ବିଜୟନ-ଜଗନମୋହନଙ୍କ ଅନୁସନ୍ଧାନ କରୁଛି ଇଡି

କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ବିରୋଧରେ ଅର୍ଥ ହେରଫେର ମାମଲା ମଧ୍ୟ ଇଡି ଅନୁସନ୍ଧାନ କରୁଛି। ସିପିଏମ୍ ନେତାଙ୍କ ବିରୋଧରେ ୧୯୯୫ ମସିହାରେ ହୋଇଥିବା ମାମଲାରେ ଇଡି ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁଯାୟୀ ତଦନ୍ତ କରୁଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା YSRCP ମୁଖ୍ୟ YS ଜଗନମୋହନ ରେଡ୍ଡୀ ମଧ୍ୟ ଇଡି ସ୍କାନରରେ ଅଛନ୍ତି। ଭାରତ ସିମେଣ୍ଟର ଆର୍ଥିକ ପ୍ରସଙ୍ଗରେ ତାଙ୍କ ବିରୋଧରେ ଇଡି ର ତଦନ୍ତ ଚାଲିଛି।

ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ରେଭନ୍ତ ରେଡ୍ଡୀ ମଧ୍ୟ ଇଡି ତାଲିକାରେ ଅଛନ୍ତି:

ନିକଟରେ ତେଲେଙ୍ଗାନାରେ କଂଗ୍ରେସ ପାର୍ଟି ସରକାର ଗଠନ ହୋଇଛି ଏବଂ ରେଭନ୍ତ ରେଡ୍ଡୀ ପ୍ରଥମ ଥର ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମନି ଲଣ୍ଡରିଂ ମାମଲାରେ ମଧ୍ୟ ସେ ଇଡି ରାଡ଼ାରରେ ଅଛନ୍ତି। ଅର୍ଥ ହେରଫେର ମାମଲାରେ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ବିରୋଧରେ ମଧ୍ୟ ଇଡି ତଦନ୍ତ କରୁଛି। କଂଗ୍ରେସର ବରିଷ୍ଠ ନେତା ତଥା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡା ଏବଂ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ବିରୋଧରେ ପୃଥକ ମାମଲାରେ ମଧ୍ୟ ତଦନ୍ତ ଚାଲିଛି।

Categories
ଆଜିର ଖବର ଜାତୀୟ ଖବର

ଭଡ଼ାଘରେ, ଅନଧିକୃତ କଲୋନୀରେ ବାସ କରୁଥିବେ ଲୋକଙ୍କ ପାଇଁ ସରକାର ଆରମ୍ଭ କରିବେ ଯୋଜନା: ଅର୍ଥ ମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ ଉପସ୍ଥାପନ କରି ଅର୍ଥ ଓ ବାଣିଜି୍ୟକ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଯେଉଁ ମଧ୍ୟବିତ୍ତ ଶ୍ରେଣୀର ବ୍ୟକ୍ତି ଯେଉଁମାନେ ଭଡ଼ାଘରେ, ସହର ତଳି ବସ୍ତି କିମ୍ବା ଚାଲ ଅନଧିକୃତ କଲୋନୀରେ ବାସ କରୁଥିବେ ସେମାନଙ୍କୁ ନିଜସ୍ୱ ଘର କିଣିବାକୁ କିମ୍ବା ତିଆରି କରିବା ପାଇଁ ସରକାର ଏକ ଯୋଜନା ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି।

ପିଏମ ଆବାସ ଯୋଜନା (ଗ୍ରାମୀଣ)ର ସଫଳତା ଉପରେ ଆଲୋକପାତ କରି କେନ୍ଦ୍ର ଅର୍ଥ ମନ୍ତ୍ରୀ କହିଛନ୍ତି ଯେ କୋଭିଡର ଆହ୍ୱାନ ସତ୍ତ୍ୱେ ଯୋଜନା ତ୍ୱରାନ୍ୱିତ ହେବା ଅବ୍ୟାହତ ରହିଥିଲା ଓ ସରକାର ଧାର୍ଯ୍ୟ ଲକ୍ଷ୍ୟ ତିନି କୋଟି ଆବାସ ସମ୍ପୂର୍ଣ୍ଣ କରିବାର ପାଖାପାଖି ପହଂଚିଛନ୍ତି। ପରିବାର ସଂଖ୍ୟା ଦୃଷ୍ଟିରୁ ସରକାର ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦୁଇ କୋଟିରୁ ଅଧିକ ଘର ନିର୍ମାଣ କରି ଚାହିଦାପୂରଣ କରିବେ ବୋଲି ସେ ପ୍ରକାଶ କରିଛନ୍ତି।

ସରକାର ଏକ ସର୍ବାଙ୍ଗୀଣ, ସର୍ବଜନାଦୃତ ଓ ସାମଗ୍ରିକ ବିକାଶ କରି ଭାରତକୁ ୨୦୪୭ ସୁଦ୍ଧା ବିକଶିତ ଭାରତରେ ପରିଣତ କରିବା ନିମନ୍ତେ ଏକ ବିକାଶମୂଳକ ଆଭିମୁଖ୍ୟ ନେଇ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆଜି ମଧ୍ୟ ଇଡି ଆଗରେ ହାଜର ହେବେ ନାହିଁ ଅରବିନ୍ଦ କେଜ୍ରିୱାଲ: କହିଲେ ୫ମ ସମନ ମଧ୍ୟ ବେଆଇନ

ନୂଆଦିଲ୍ଲୀ: ଇଡି ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜେରା ପାଇଁ ଡକାଇଛି। ଇଡି ଦ୍ୱାରା ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ନିକଟକୁ ପଠାଯାଇଥିବା ଏହା ହେଉଛି ପଞ୍ଚମ ସମନ। ପୂର୍ବରୁ ପଠାଯାଇଥିବା ଚାରିଟି ସମନ ଉପରେ ମଧ୍ୟ ଅରବିନ୍ଦ କେଜ୍ରିୱାଲ ଇଡି ଆଗରେ ହାଜର ହୋଇନଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଅରବିନ୍ଦ କେଜ୍ରିୱାଲ ଇଡିର ପଞ୍ଚମ ସମନ ସମୟରେ ମଧ୍ୟ ଉପସ୍ଥିତ ହେବେ ନାହିଁ। ପୂର୍ବ ପରି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମଧ୍ୟ ଏହି ସମନକୁ ବେଆଇନ ବୋଲି କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଝଟକା: ଆବେଦନ ଶୁଣିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଝଟକା ଲାଗିଛି। ତାଙ୍କ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଛନ୍ତି। କୋର୍ଟ କହିଛନ୍ତି ଯେ, ଜମି ସମ୍ବନ୍ଧୀୟ ମାମଲାରେ ଗିରଫ ହେବା ବିରୋଧରେ ହେମନ୍ତ ଆବେଦନ କରିବା ଉଚିତ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବଜେଟ ୨୦୨୪ ବିଶେଷ ଖବର

ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ଦ୍ୱିପାକ୍ଷିକ ନିବେଶ ଚୁକ୍ତି ସ୍ୱାକ୍ଷରକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଗୁରୁବାର ଭାରତ ସରକାର ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ସରକାରଙ୍କ ମଧ୍ୟରେ ଦ୍ୱିପାକ୍ଷିକ ନିବେଶ ଚୁକ୍ତି ସ୍ୱାକ୍ଷର ଏବଂ ଅନୁମୋଦନକୁ ମଞ୍ଜୁରି ଦେଇଛି।

ଏହି ଚୁକ୍ତିରେ ନିବେଶକ ବିଶେଷକରି ବଡ଼ ନିବେଶକଙ୍କ ଭରସା ବୃଦ୍ଧି ପାଇବାର ଆଶା ରହିଛି, ଯାହା ଫଳରେ ବିଦେଶୀ ନିବେଶ ଏବଂ ବିଦେଶୀ ପ୍ରତ୍ୟକ୍ଷ ନିବେଶ (ଓଡିଆଇ) ଲାଗି ସୁଯୋଗ ବଢ଼ିବ ଓ ନିଯୁକ୍ତି ସୃଷ୍ଟି ଦିଗରେ ସକାରାତ୍ମକ ପ୍ରଭାବ ପଡ଼ିବ ।

ଏହି ମଞ୍ଜୁରି ଯୋଗୁ ଭାରତରେ ନିବେଶ ବଢ଼ିବାର ଆଶା ରହିଛି । ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା, ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ, ରପ୍ତାନି ବୃଦ୍ଧି ଆଦି ଦ୍ୱାରା ଆତ୍ମନିର୍ଭର ଭାରତର ଲକ୍ଷ୍ୟ ହାସଲ ଦିଗରେ ଏହା ସହାୟକ ହେବ।

Categories
ଆଜିର ଖବର ଜାତୀୟ ଖବର

ଏହି ବଜେଟ୍ କେବଳ ଏକ ଅନ୍ତରୀଣ ବଜେଟ୍ ନୁହେଁ ବରଂ ଏକ ସମାବେଶୀ ଏବଂ ଅଭିନବ ବଜେଟ୍: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଉପସ୍ଥାପିତ ବଜେଟକୁ “କେବଳ ଏକ ଅନ୍ତରୀଣ ବଜେଟ ନୁହେଁ ବରଂ ଏକ ସମାବେଶୀ ଏବଂ ଅଭିନବ ବଜେଟ” ବୋଲି କହି ପ୍ରଶଂସା କରିଛନ୍ତି । ଏହି ବଜେଟ୍ ନିରନ୍ତରତାର ସହ ଆତ୍ମବିଶ୍ୱାସ ବହନ କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବଜେଟ୍ ବିକଶିତ ଭାରତର ସମସ୍ତ ସ୍ତମ୍ଭ- ଯୁବକ, ଗରିବ, ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ନିର୍ମଳାଙ୍କ ବଜେଟ୍ ହେଉଛି ଦେଶର ଭବିଷ୍ୟତ ନିର୍ମାଣ ପାଇଁ ବଜେଟ୍। ଏହି ବଜେଟରେ ୨୦୪୭ ସୁଦ୍ଧା ବିକଶିତ ଭାରତର ଭିତ୍ତିଭୂମିକୁ ସୁଦୃଢ଼ କରିବାର ଗ୍ୟାରେଣ୍ଟି ଦିଆଯାଇଛି।

ଏହି ବଜେଟ୍ ଯୁବ ଭାରତର ଆକାଂକ୍ଷାର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ବଜେଟରେ ନିଆଯାଇଥିବା ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ଆଲୋକପାତ କରି ସେ କହିଛନ୍ତି, ଗବେଷଣା ଓ ଉଦ୍ଭାବନ ପାଇଁ ୧ ଲକ୍ଷ କୋଟି ଟଙ୍କାର ପାଣ୍ଠି ଘୋଷଣା କରାଯାଇଛି । ଏହାବ୍ୟତୀତ ସେ ବଜେଟରେ ଷ୍ଟାର୍ଟଅପ୍ ଗୁଡ଼ିକ ପାଇଁ ଟିକସ ଛାଡ଼ ବୃଦ୍ଧି ଉପରେ ଆଲୋକପାତ କରିଥିଲେ।

ବିତ୍ତୀୟ ନିଅଣ୍ଟକୁ ନିୟନ୍ତ୍ରଣରେ ରଖି ଚଳିତ ବଜେଟରେ ମୋଟ ବ୍ୟୟ ଐତିହାସିକ ବୃଦ୍ଧି ପାଇ ୧୧,୧୧,୧୧୧ କୋଟି ଟଙ୍କାରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଅର୍ଥନୀତିଜ୍ଞଙ୍କ ଭାଷାରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହା ଏକ ପ୍ରକାର ମଧୁର ସ୍ଥାନ। ଏହା ଦ୍ୱାରା ଭାରତରେ ଏକବିଂଶ ଶତାବ୍ଦୀର ଆଧୁନିକ ଭିତ୍ତିଭୂମି ସୃଷ୍ଟି ହେବା ସହ ଯୁବକମାନଙ୍କ ପାଇଁ ଲକ୍ଷ ଲକ୍ଷ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି। ବନ୍ଦେ ଭାରତ ମାନର ୪୦,୦୦୦ ଅତ୍ୟାଧୁନିକ ବଗି ନିର୍ମାଣ କରି ସାଧାରଣ ଯାତ୍ରୀବାହୀ ଟ୍ରେନରେ ଲଗାଇବା ଘୋଷଣା ବିଷୟରେ ମଧ୍ୟ ସେ ସୂଚନା ଦେଇଥିଲେ ଯାହା ଦେଶର ବିଭିନ୍ନ ରେଳ ମାର୍ଗରେ କୋଟି କୋଟି ଯାତ୍ରୀଙ୍କ ଆରାମ ଏବଂ ଯାତ୍ରା ଅନୁଭୂତିକୁ ଆହୁରି ବଢ଼ାଇବ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆମେ ଏକ ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିଛୁ, ତାହା ହାସଲ କରୁଛୁ ଏବଂ ତା’ପରେ ନିଜ ପାଇଁ ଆହୁରି ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିଛୁ। ଗରିବ ଓ ମଧ୍ୟବିତ୍ତଙ୍କ କଲ୍ୟାଣ ପାଇଁ ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଆମେ ଗାଁ ଓ ସହରରେ ୪ କୋଟିରୁ ଅଧିକ ଘର ନିର୍ମାଣ କରିଛୁ ଓ ଆହୁରି ୨ କୋଟି ଘର ନିର୍ମାଣ ଲକ୍ଷ୍ୟ ରଖିଛୁ । ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମହିଳାଙ୍କ ମଧ୍ୟରେ ୨ କୋଟି ‘ଲକ୍ଷପତି’ ସୃଷ୍ଟି କରିବା ଆମର ଲକ୍ଷ୍ୟ ଥିଲା। ଏବେ ୩ କୋଟି ‘ଲକ୍ଷପତି’ ଦିଦି ତିଆରି କରିବାକୁ ଲକ୍ଷ୍ୟ ରଖାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦୀ ଆୟୁଷ୍ମାନ ଭାରତ ଯୋଜନାରେ ଗରିବଙ୍କୁ ଉଲ୍ଲେଖନୀୟ ସହାୟତା, ଅଙ୍ଗନବାଡି ଏବଂ ଆଶା କର୍ମୀଙ୍କୁ ଏହାର ଲାଭ ପ୍ରଦାନ ପାଇଁ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଏହି ବଜେଟରେ ଗରିବ ଏବଂ ମଧ୍ୟବିତ୍ତଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରି ସେମାନଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ରୁଫ୍ ଟପ୍ ସୋଲାର ଅଭିଯାନ ବିଷୟରେ ସେ ଉଲ୍ଲେଖ କରିଥିଲେ ଯେଉଁଠାରେ ୧ କୋଟି ପରିବାର ମାଗଣା ବିଜୁଳି ପାଇବେ ଏବଂ ସରକାରଙ୍କୁ ଅତିରିକ୍ତ ବିଜୁଳି ବିକ୍ରି କରି ବାର୍ଷିକ ୧୫,୦୦୦ରୁ ୧୮,୦୦୦ ଟଙ୍କା ଆୟ କରିବେ ।

ପ୍ରଧାନମନ୍ତ୍ରୀ ଆଜି ଘୋଷଣା କରାଯାଇଥିବା ଆୟକର ଛାଡ଼ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ ଯାହା ମଧ୍ୟବିତ୍ତ ବର୍ଗର ପ୍ରାୟ ୧ କୋଟି ନାଗରିକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ । ବଜେଟରେ କୃଷକ କଲ୍ୟାଣ ପାଇଁ ନିଆଯାଇଥିବା ପ୍ରମୁଖ ନିଷ୍ପତ୍ତି ବିଷୟରେ ଶ୍ରୀ ମୋଦୀ ନାନୋ ଡିଏପିର ବ୍ୟବହାର, ପଶୁସମ୍ପଦ ପାଇଁ ନୂତନ ଯୋଜନା, ପିଏମ ମତ୍ସ୍ୟ ସମ୍ପଦ ଯୋଜନାର ସମ୍ପ୍ରସାରଣ ଏବଂ ଆତ୍ମନିର୍ଭର ତୈଳ ବୀଜ ଅଭିଯାନର ସମ୍ପ୍ରସାରଣ ବିଷୟରେ ଉଲ୍ଲେଖ କରିଥିଲେ ଯାହା କୃଷକମାନଙ୍କ ଆୟ ବୃଦ୍ଧି କରିବ ଏବଂ ଖର୍ଚ୍ଚ ହ୍ରାସ କରିବ । ଐତିହାସିକ ବଜେଟ୍ ଉପରେ ସମସ୍ତ ନାଗରିକଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଶେଷ କରିଥିଲେ।