Categories
ଆଞ୍ଚଳିକ

ବାସେଳୀ ପୀଠରେ ୧୬ ତମ ବାର୍ଷିକ ତିନିଦିଆ ଯଜ୍ଞ ଆରମ୍ଭ

କୁଜଙ୍ଗ: କୁଜଙ୍ଗ ପଂଚାୟତ ବଳରାମପୁର ଗ୍ରାମର ମା ବାସେଳୀ ପୀଠରେ ବଳରାମପୁର କର୍ଣ୍ଣଧାର ସମିତି ପକ୍ଷରୁ ୧୬ତମ ବାର୍ଷିକ ଯଜ୍ଞ ଆଜିଠାରୁ ଆରମ୍ଭ ହୋଇଛି। ତିନିଦିନ ଧରି ହେବାକୁ ଥିବା ଏହି ଯଜ୍ଞପାଇଁ ଆଜି ମହାନଦୀରୁ ଜଳପୂର୍ଣ୍ଣ କଳଷ ଏକ ଶୋଭାଯାତ୍ରାରେ କୁଜଙ୍ଗ ବଜାର ପରିକ୍ରମା କରି ଯଜ୍ଞସ୍ଥଳରେ ପହଂଚିବାପରେ ବିଧିବଦ୍ଧ ଭାବେ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଇଥିଲା। କଳସ ଶୋଭାଯାତ୍ରା ସହିତ ଅଗ୍ନି ସ୍ଥାପନ, ସୂର୍ଯ୍ୟପୂଜା, ମଣ୍ଡଳ ପୂଜା, ଅଠର ଅଧ୍ୟାୟ ଆହୂତି, ସୂର୍ଯ୍ୟପୂଜା, ମାଙ୍କ ଉପଚାର ପୂଜା, ଚଣ୍ଡୀ ଆହୂତି, ପୂର୍ଣ୍ଣାହୂତି ଓ ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ରହିଛି।

ଏହି କାର୍ଯ୍ୟରେ ଅରଖିତ ବେହେରା କର୍ତ୍ତାଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ସଭାପତି କ୍ଷେତ୍ରବାସୀ ବେହେରା, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା, କୈଳାଶଚନ୍ଦ୍ର ବେହେରା, କ୍ଷୀରୋଦ ବେହେରା, ପଂଚାନନ ବେହେରା, ମକର ବେହେରା, କୁଳମଣୀ ବେହେରା, ଶ୍ୟାମସୁନ୍ଦର ବେହେରାଙ୍କ ସମେତ ବଳରାମପୁର କର୍ଣ୍ଣଧାର ସମିତିର ସଦସ୍ୟ ଓ ଗ୍ରାମବାସୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଘଟଣା, ୩ ଡାକ୍ତରଙ୍କ ନାମରେ ମାମଲା ରୁଜୁ

କୁଜଙ୍ଗ: କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତକାଲି ରାତିରେ ଡାକ୍ତରଙ୍କ ତୃଟିପୂର୍ଣ୍ଣ ଚିକିତ୍ସା କାରଣରୁ ରୋଗୀର ମୃତ୍ୟୁ ଘଟଣା ଏବେ ରୋଚକ ମୋଡ ନେଇଛି। ଗତକାଲି ଏହି ଘଟଣାରେ ଅଭିଯୋଗ ଆଧାରରେ କାର୍ଯ୍ୟରତ ତିନିଜଣ ଡାକ୍ତରଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଏହି ମାମଲାର ତଦ୍ଦନ୍ତ ଭାର ଗ୍ରହଣ କରିଛନ୍ତି ଖୋଦ ଥାନା ଅଧିକାରୀ ରଶ୍ମୀ ରଞ୍ଜନ ଦାଶ। ଅନ୍ୟ ପକ୍ଷରେ କୁଜଙ୍ଗ ମେଡିକାଲରେ ଏମବିବିଏସ ଡାକ୍ତର ଥିବା ସତ୍ୱେ ସେ କଣ ପାଇଁ ନିଜେ ରୋଗୀର ଚିକିତ୍ସା ନକରି ଆୟୂଷ ଡାକ୍ତରଙ୍କୁ ଏହି ଦାୟିତ୍ୱ ଦେଇ ନିଧଡ଼କ ଭାବେ ବସି ପଡିଥିଲେ ସେ ନେଇ ପ୍ରଶ୍ନ ଉଠୁଛି। ସେହିପରିଭାବେ ତୃଟିପୂର୍ଣ୍ଣ ଚିକିତ୍ସା ଯୋଗୁ ରୋଗୀର ମୃତ୍ୟୁ ହେବା ଜାଣିବାପରେ ମଧ୍ୟ ରୋଗୀଙ୍କ ସମ୍ପର୍କୀୟଙ୍କ ହାତରୁ ପରାମର୍ଶ ଚିଠା ନେଇ ତୁରନ୍ତ କଟକ ରେଫର କରିବା ଆଜି ଘଟଣାକୁ କୁଜଙ୍ଗବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ପ୍ରକାଶ ଯେ, ଜଗନ୍ନାଥ ପୁର ଗ୍ରାମର ୱାର୍ଡସଭ୍ୟ ପିଂଟୁ ରଞ୍ଜନ ନାଥଙ୍କ ଅଭିଯୋଗ ଅନୁଯାୟୀ ଗତକାଲି ଉକ୍ତ ଗ୍ରାମର ଫକୀର ନାଥ(୫୭)ଙ୍କ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଫଳରେ ତାଙ୍କର ସମ୍ପର୍କୀୟ ମାନେ ତୁରନ୍ତ ରାତି ୮.୪୦ ସମୟରେ କୁଜଙ୍ଗ ମେଡିକାଲରେ ଭର୍ତ୍ତି କରାଇଥିଲେ। ତାଙ୍କର ପେଟ ଓ ଛାତିର ଯନ୍ତ୍ରଣା ହେଉଥିବା କଥା ଫକୀର ଡାକ୍ତରଙ୍କୁ କହିଥିଲେ। ମାତ୍ର କାର୍ଯ୍ୟରତ ଡାକ୍ତର କିଛି ନବୁଝି ଏକ ଇଞ୍ଜେକ୍ସନ ଦେଇଥିଲେ। ଫଳରେ ତୁରନ୍ତ ତାଙ୍କ ପାଟି ଓ ନାକରୁ ଫେଣ ବାହାରିବାରୁ ତାଙ୍କର ମଅତ୍ୟୁ ହୋଇଥିଲା। ତୁରନ୍ତ ଡାକ୍ତର ରୋଗୀ ପରାମର୍ଶ ଚିକତ୍ସା ପତ୍ର ଛଡାଇ ନେଇ ଆଉକିଛି ଲେଖିଥିଲେ। ଏବଂ ଧମକ ଦେଇ କହିଥିଲେ ଏହି ମୃତ ଶରୀରକୁ ନେଇ ଗାଁରେ ପୋତି ଦିଅ। ତା ସହିତ ଶବ ବ୍ୟବଛେଦ କରିବାକୁ ଦାବିକଲେ ତୁମ ସମ୍‌ତଙ୍କୁ ଆମେ ତିନିଜଣ ଡାକ୍ତର ମିଛ କେଶରେ ଫସାଇ ଦେଇ ଜେଲ ହାଜାତକୁ ପଠାଇ ଦେବୁ ବୋଲି ପିଂଟୁ ଅଭିଯୋଗରେ ପ୍ରକାଶ କରିଛନ୍ତି।

ଅଭିଯୋଗ ଆଧାରରେ ପୁଲିସ ୫୩୫/୨୩ ସଙ୍ଖ୍ୟାରେ ୩୦୪(ଏ)୩୪ ଆଇପିସି ଧାରାରେ ମାମଲା ରୁଜୁ କରାଯାଇଛି। ଆଜି ମଧ୍ୟାହ୍ନରେ କୁଜଙ୍ଗ ଥାନା ଅଧିକାରୀ ରଶ୍ମୀରଞ୍ଜନ ଦାଶ ମେଡିକାଲ ଯାଇ ଏହି ଘଟଣା ତଦ୍ଦନ୍ତ କରିଛନ୍ତି। ଏବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଗତକାଲି ଏହି ଘଟଣା ଘଟିଥିବାବେଳେ ମେଡିକାଲର ଚିକିତ୍ସାଧିକାରୀ ଡାକ୍ତର ପ୍ରସନ୍ନ କୁମାର ପଣ୍ଡା କାହିଁଙ୍କି ଅନୁପସ୍ଥିତ ଥିଲେ। ସେହିପରିଭାବେ ଜଣେ ଅଭିଜ୍ଞ ଏମବିବିଏସ ଡାକ୍ତର ଥାଉଥାଉ ଜଣେ ଗୁରୁତରରୋଗୀଙ୍କୁ ସେ ଚିକିତ୍ସା ନକରି କଣ ପାଇଁ ଆୟୂଷ ଡାକ୍ତରଙ୍କୁ ଛାଡି ଦେଇଥିଲେ। ଆୟୂଷ ଡାକ୍ତର ମାନେ ମଧ୍ୟ କିପରି ଭାବେ ରୋଗ ନୀରୂପଣ ନକରି ଚିକିତ୍ସା କଲେ ବୋଲି ପ୍ରଶ୍ନ ଉଠୁଛି। ଏହି ଘଟଣାରେ ଅଭିଯୁକ୍ତ ଡାକ୍ତର ମହାକୁଡ ସେ ସଠିକ ସମୟରେ ରୋଗୀକୁ ପରୀକ୍ଷା କରିବା ସହିତ ରୋଗୀକୁ କଟକ ରେଫର କରିଥିଲେ। ମାତ୍ର ରୋଗୀକୁ କଟକ ନେବାକୁ ବିଳମ୍ବ କରିବାରୁ ତାଙ୍କର ମୃତ୍ୟୁ ହୋଇଥିବା କହିଥିଲେ।

ସେହିପରିଭାବେ ଆୟୂଷ ଡାକ୍ତର ମଧ୍ୟ ଏହି ରୋଗୀର ଚିକତ୍ସା କରିବାରେ କୌଣସି ଅସୁବିଧା ନାହିଁ ଓ ଏହି ଘଟଣାର ତଦ୍ଦନ୍ତ କରାଯିବାପରେ ଓ ପୋଷ୍ଟମର୍ଟମ ରିପୋର୍ଟ ଆସିବାପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଚିକତ୍ସାଧିକାରୀ ଡାକ୍ତର ପ୍ରସନ୍ନ କୁମାର ପଣ୍ଡା ପ୍ରକାଶ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ସରକାରଙ୍କ ବଡ ନିଷ୍ପତ୍ତି, ୪ କୋଟିରୁ ୭ କୋଟିକୁ ବୃଦ୍ଧି ହେଲା ବିଧାୟକ ପାଣ୍ଠି

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ବିଧାୟକ ପାଣ୍ଠିକୁ ୪ କୋଟିରୁ ୭ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ଏଥି ସହ ଦିଲ୍ଲୀ ବିଜେପି ବିଧାୟକମାନେ ଏହାକୁ ୧୦ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅନ୍ତର୍ଗତ ଫାଷ୍ଟ୍ ଗେଟ୍ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଛି। ସୁଚନା ଅନୁଯାୟୀ ଜଣାପଡିଛି ଯେ, ବଡ଼ବଜାର ଥାନା ଅନ୍ତର୍ଗତ ଶିତାରାମ ସାହି ବାସିନ୍ଦା ଧରଣୀଧର ବେହେରା କୌଣସି କାମରେ ସହର ବାହାରକୁ ଯାଇ ଘରକୁ ଫେରିବା ସମୟରେ ଉକ୍ତ ସ୍ଥାନରେ ଏକ ଘରୋଇ ଯାତ୍ରୀବାହୀ ବସ୍ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଯାହା ଫଳରେ ଧରଣୀଧର ରାସ୍ତା କଡ଼ରେ ଛିଟିକି ପଡ଼ି ମୁହଁ ମାଡି ପଡ଼ିଯାଇଥିଲା। ଯ’ଦ୍ଵାରା ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗି ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

କିଛି ଲୋକ ବଡ଼ବଜାର ଥାନାକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁଁ ଡାକ୍ତରଖାନାକୁ ପଠାଇବା ସହ ଧକ୍କା ଦେଇଥିବା ବସ୍ ର ଡ଼୍ରାଇଭରକୁ କାବୁ କରି ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଲୋକସଭା ଅନୁପ୍ରବେଶ ମାମଲାରେ ମାଷ୍ଟରମାଇଣ୍ଡର ଆତ୍ମସମର୍ପଣ: ପ୍ରମାଣ ନଷ୍ଟ କରିବାକୁ ୪ ସହଯୋଗୀଙ୍କ ଫୋନ୍ ପୋଡ଼ି

ନୂଆଦିଲ୍ଲୀ: ସଂସଦ ଅନୁପ୍ରବେଶ ମାମଲାର ମାଷ୍ଟରମାଇଣ୍ଡ ଲଳିତ ମୋହନ ଝା ଗୁରୁବାର ବିଳମ୍ବିତ ରାତିରେ ଦିଲ୍ଲୀ ପୁଲିସ ନିକଟନରେ ଆତ୍ମସମର୍ପଣ କରିଛି। ପୁଲିସ ଲଳିତଙ୍କୁ ଗିରଫ କରିଥିଲା। ପୁଲିସ ସୂତ୍ରରୁ ପ୍ରକାଶ ଯେ ସେ ମହେଶ ନାମକ ଜଣେ ବ୍ୟକ୍ତିଙ୍କ ସହ ଦିଲ୍ଲୀର କର୍ତ୍ତବ୍ୟ ପଥ ଥାନାରେ ପହଞ୍ଚିଥିଲେ।

ସଂସଦ ନିକଟରେ ବିକ୍ଷୋଭ ଘଟଣାର ସୁଟିଂ କରିବା ପରେ ଲଳିତ କୁମାର ଏହାକୁ ଇନଷ୍ଟାଗ୍ରାମରେ ଅପଲୋଡ କରି କୋଲକାତାର ଏକ ଏନଜିଓକୁ ପଠାଇଥିଲେ, ଯାହାଦ୍ୱାରା ଏହା ଗଣମାଧ୍ୟମ ନିକଟରେ ପହଞ୍ଚିପାରିବ। ଏହାପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପ୍ରମାଣ ନଷ୍ଟ କରିବା ପାଇଁ ସେ ତାଙ୍କର ସମସ୍ତ ସହଯୋଗୀଙ୍କ ମୋବାଇଲ୍ ଫୋନ୍ ମଧ୍ୟ ନେଇ ଯାଇଥିଲେ, ଯାହାକୁ ସେ ପୋଡ଼ି ଦେଇଥିଲେ।

ଏହାପରେ ଲଳିତ ବସ୍ ଯୋଗେ ରାଜସ୍ଥାନର ନାଗୌରରେ ପହଞ୍ଚିଥିଲେ। ସେଠାରେ ସେ ତାଙ୍କର ଦୁଇ ସାଙ୍ଗଙ୍କୁ ଭେଟି ଏକ ହୋଟେଲରେ ରାତି ବିତାଇଥିଲେ। ପୁଲିସ ତାଙ୍କୁ ଖୋଜୁଥିବା ଜାଣିବା ପରେ ସେ ଜଣେ ବନ୍ଧୁଙ୍କ ସହ ବସ୍ ଯୋଗେ ଦିଲ୍ଲୀ ଫେରିଥିଲେ। ଏଠାରେ ସେ ଆତ୍ମସମର୍ପଣ କରିଥିଲେ। ଏବେ ସେ ପୁଲିସର ସ୍ପେଶାଲ ସେଲ୍ ହେପାଜତରେ ଅଛନ୍ତି।

ସେହିପରି ଶନିବାର କିମ୍ବା ରବିବାର ସଂସଦରେ ସୁରକ୍ଷା ତ୍ରୁଟିର ଦୃଶ୍ୟକୁ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ଟିମ୍ ରିକ୍ରିଏଟ୍ କରିବ। ଏଥିପାଇଁ ସମସ୍ତ ଅଭିଯୁକ୍ତଙ୍କୁ ସଂସଦ ପରିସରକୁ ନିଆଯିବ ବୋଲି ସୂଚନା ମିଳିଛି। ଏହା ସହ ଅଭିଯୁକ୍ତମାନେ କିପରି ସଂସଦ ଭବନରେ ପ୍ରବେଶ କଲେ ଏବଂ ସେମାନେ କିପରି ସେମାନଙ୍କ ଯୋଜନାକୁ କାର୍ଯ୍ୟକାରୀ କଲେ ତାହା ଦିଲ୍ଲୀ ପୋଲିସ ଜାଣିବାକୁ ପାଇବ।

ଲଳିତ ତିଆରି କଲେ ଭିଡିଓ, ଫେସବୁକରେ ସିଧା ପ୍ରସାରଣ କରିବାକୁ ଚାହୁଁଥିଲେ

ସଂସଦରେ ଅନୁପ୍ରବେଶ କରି ଧୂଆଁ ଚାଲାଣ କରୁଥିବା ସମସ୍ତ ଅଭିଯୁକ୍ତ ଭଗତ ସିଂହ ଫ୍ୟାନ୍ସ କ୍ଲବରେ ସାମିଲ ଥିଲେ। ସୋସିଆଲ ମିଡିଆ ଗ୍ରୁପରେ ଏହି ଲୋକମାନେ ନିଜର ଆଦର୍ଶ ପୋଷ୍ଟ କରୁଥିଲେ ଏବଂ ଭର୍ଚୁଆଲ ଭାବରେ ସାକ୍ଷାତ କରୁଥିଲେ। ଏହି କ୍ଲବ ସହ ଅନେକ ରାଜ୍ୟର ଲୋକ ଜଡିତ ଅଛନ୍ତି। ପଞ୍ଚମ ଅଭିଯୁକ୍ତ ଗୁରୁଗ୍ରାମର ବିଶାଲ ଶର୍ମାଙ୍କୁ ହାଜତରେ ରଖି ପଚରାଉଚରା କରାଯାଉଛି। ଅଭିଯୁକ୍ତମାନେ କୌଣସି ଆତଙ୍କବାଦୀ ସଂଗଠନ ସହ ସଂପୃକ୍ତ ନଥିବା ପୁଲିସ କହିଛି। ଏମାନେ ସମସ୍ତେ ପ୍ରାୟ ଦେଢ଼ ବର୍ଷ ଧରି ସଂସଦରେ ଅନୁପ୍ରବେଶ କରିବାକୁ ଷଡ଼ଯନ୍ତ୍ର କରୁଥିଲେ। ଏହାପରେ ସେମାନେ ମଇସୁରରେ ସାକ୍ଷାତ କରିଥିଲେ।

ମାର୍ଚ୍ଚମାସରେ ମନୋରଞ୍ଜନଙ୍କୁ ରେକି କରିବାକୁ କୁହାଯାଇଥିଲା

ପୁଲିସ ସୂଚନା ଅନୁଯାୟୀ, ଲଳିତ ଝା ମନୋରଞ୍ଜନଙ୍କୁ ମାର୍ଚ୍ଚ ମାସରେ ସଂସଦ ଭବନର ରେକି କରିବାକୁ କହିଥିଲେ। ସାଗର ମଧ୍ୟ ଜୁଲାଇରେ ସଂସଦ ଭବନକୁ ଆସିଥିଲେ କିନ୍ତୁ ଭିତରକୁ ଯାଇ ପାରିନଥିଲେ। ମନୋରଞ୍ଜନ ଓ ସାଗର ଦେଖିଲେ ଯେ ଏଠାରେ ଜୋତା ଯାଞ୍ଚ କରାଯାଉନାହିଁ, ତେଣୁ ଜୋତା ଭିତରେ ଧୂଆଁ ଲୁଚାଇ ରଖିଥିଲେ।

ଡିସେମ୍ବର ୧୦ତାରିଖରେ ସମସ୍ତେ ଦିଲ୍ଲୀରେ ପହଞ୍ଚିଥିଲେ, ମନୋରଞ୍ଜନ ବିମାନ ଯୋଗେ ଆସିଥିଲେ। ସେହିପରି ରାଜସ୍ଥାନରୁ ଆଉ ଜଣେ ଦିଲ୍ଲୀରେ ପହଞ୍ଚିବାର ଥିଲା।

ଅମୋଲ ଥାନେରୁ ଇଣ୍ଡିଆ ଗେଟରେ ସମସ୍ତଙ୍କୁ ଆଣିଥିବା ଧୂଆଁ କ୍ୟାନ୍ ବଣ୍ଟନ କରିଥିଲେ। ସଦର ବଜାରରୁ ମଧ୍ୟ ତ୍ରିରଙ୍ଗା କିଣାଯାଇଥିଲା। ସାଗରଙ୍କୁ ଦୁଇଟି ପାସ୍ ମିଳିଥିବାବେଳେ କେବଳ ସାଗର-ମନୋରଞ୍ଜନ ସଂସଦରେ ପ୍ରବେଶ କରିଥିଲେ। ଲକ୍ଷ୍ନୌର ଜଣେ କାରିଗରଙ୍କ ଦ୍ୱାରା ଜୋତାରେ କ୍ୟାନ୍ ଲୁଚାଇବାପାଇଁ ସାଗର ଏକ ଜାଗା ତିଆରି କରିଥିଲେ।

ଲଳିତ ସଂସଦ ବାହାରେ ଅମୋଲ-ନୀଲମଙ୍କ ଧୂଆଁ କ୍ୟାନ୍ ଚଳାଉଥିବାର ଭିଡିଓ ତିଆରି କରି ବଙ୍ଗଳାରେ ଏନଜିଓ ଚଳାଉଥିବା ନୀଳାକ୍ଷଙ୍କ ପାଖକୁ ପଠାଇଥିଲେ। ନୀଳକ୍ଷ ପୋଲିସକୁ କହିଛନ୍ତି ଯେ ଲଳିତ କେବଳ ଏପ୍ରିଲରେ ଏନଜିଓରେ ଯୋଗ ଦେଇଥିଲେ ଏବଂ ନିଜର ନାମ ଗୋପନ ରଖିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ୟବସାୟଙ୍କୁ ଛୁରା ମାଡ କରି ୧ କେଜି ସୁନା ଆଉ ନଗଦ ୨୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଭୁବନେଶ୍ଵର: ରାଉଲକେଲାରେ ଏକ ଅଭାବନୀୟ ଘଟଣା ଘଟିଛି। ରାଉଲକେଲାର ଜଣେ ବ୍ୟବସାୟୀଙ୍କ ଠାରୁ ବଡ ଧରଣର ଲୁଟ ହୋଇଛି। ବ୍ୟବସାୟୀଜଣଙ୍କ କଲିକତାରୁ ସୁନା ନେଇ ରାଉଲକେଲା ଆସୁଥିବା ବେଳେ ଦୁର୍ବୃତ୍ତମାନେ ଛୁରା ମାଡ କରି ଲୁଟିନେଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ ଜଣେ ବ୍ୟବସାୟୀ କଲିକତାରୁ ସୁନା କିଣି ଟ୍ରେନ ଯୋଗେ ରାଉଲକେଲା ଆସୁଥିଲେ। ସେ ରାଉଲକେଲା ଷ୍ଟେସନରେ ଓହ୍ଲାଇ ସ୍କୁଟି ଯୋଗେ ତାଙ୍କ ସହଯୋଗୀ ସହ ବାସନ୍ତୀ କଲୋନୀ ଯାଉଥିଲେ। ହେଲେ ରାସ୍ତାରେ ଲୁଟେରାମାନେ ତାଙ୍କୁ ଛୁରା ମାଡ କରି ତାଙ୍କ ଠାରୁ ସୁନା ସହ ନଗଦ ୨୦ ଲକ୍ଷ ଟଙ୍କା ଲୁଟିନେଇଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

୧୦ ନମ୍ବର ପରି, ୭ ନମ୍ବର ଜର୍ସିର ମଧ୍ୟ ହେଲା ଅବସର, ସଚିନଙ୍କ ପରି ଧୋନିଙ୍କୁ ମଧ୍ୟ ମିଳିଲା ସମ୍ମାନ!

ନୂଆଦିଲ୍ଲୀ: କ୍ରିକେଟ୍ ରୁ ଅବସର ନେବା ପରେ ମହାନ ଭାରତୀୟ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକରଙ୍କ ଜର୍ସି ନମ୍ବର ୧୦ କୁ ଅବସର ଦିଆଯାଇଥିଲା। ବର୍ତ୍ତମାନ ସଦ୍ୟତମ ଖବର ଅନୁଯାୟୀ ବିସିସିଆଇ ପୂର୍ବତନ ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜର୍ସି ନମ୍ବର -୭ କୁ ମଧ୍ୟ ଅବସର ଦେଇଛି।

ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିସିସିଆଇ ମହେନ୍ଦ୍ର ସିଂ ଧୋନିଙ୍କ ଲୋକପ୍ରିୟ ତଥା ଆଇକନ୍ ଜର୍ସି ନମ୍ବର ୭ କୁ ତାଙ୍କ ସମ୍ମାନାର୍ଥେ ଅବସର ଦେଇଛି। ଏହାପୂର୍ବରୁ, ବିସିସିଆଇ ୨୦୧୭ ରେ ସଚିନ ତେନ୍ଦୁଲକରଙ୍କ ଜର୍ସି ନମ୍ବର -୧୦ କୁ ଅବସର ଦେଇଥିଲା।

ରିପୋର୍ଟ ଅନୁଯାୟୀ, ବିସିସିଆଇ ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବିସିସିଆଇ ସମସ୍ତ ଖେଳାଳିଙ୍କୁ ସୂଚନା ଦେଇଛି ଯେ ବର୍ତ୍ତମାନ ନମ୍ବର -୧୦ ସହିତ ନମ୍ବର -୭ ଜର୍ସି ପିନ୍ଧିବାର ବିକଳ୍ପ ସେମାନଙ୍କ ପାଖରେ ରହିବନାହିଁ। ଭାରତୀୟ କ୍ରିକେଟ୍ ଦଳର ବର୍ତ୍ତମାନର ଖେଳାଳି ତଥା ନୂତନ ଆସୁଥିବା ଯୁବ ଖେଳାଳିଙ୍କୁ ମହେନ୍ଦ୍ର ସିଂ ଧୋନିଙ୍କ ଐତିହାସିକ ଜର୍ସି ନମ୍ବର ୭ ବ୍ୟବହାର ନକରିବାକୁ ବିସିସିଆଇ ସୂଚନା ଦେଇଛି। ଭାରତୀୟ କ୍ରିକେଟରେ ତାଙ୍କର ଅବଦାନ ଥିବାରୁ ଧୋନିଙ୍କ ଜର୍ସି ନମ୍ବର ଅବସର ନେବାକୁ ବିସିସିଆଇ ନିଷ୍ପତ୍ତି ନେଇଛି।

ପ୍ରକାଶ ଯୋଗ୍ୟ ଯେ, ମହେନ୍ଦ୍ର ସିଂ ଧୋନି ୨୦୧୯ ଦିନିକିଆ ବିଶ୍ୱକପ୍‌ର ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଧୋନି ସେହି ମ୍ୟାଚରେ ଟିମ୍ ଇଣ୍ଡିଆକୁ ବିଜୟରେ ପହଞ୍ଚାଇବାରେ ସକ୍ଷମ ହୋଇନଥିଲେ ଏବଂ ପ୍ରାୟ ଏକ ବର୍ଷ ପରେ, ଅଗଷ୍ଟ ୧୫ ତାରିଖ ୨୦୨୦ରେ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍ ପାଇଁ ବିଦାୟ ନେଇଥିଲେ।

ଅନ୍ତର୍ଜାତୀୟ କ୍ରିକେଟ୍ ରେ ଧୋନିଙ୍କ ରେକର୍ଡ:

ମହେନ୍ଦ୍ର ସିଂ ଧୋନି ତାଙ୍କ କ୍ୟାରିୟରରେ ମୋଟ ୯୦ ଟି ଟେଷ୍ଟ, ୩୫୦ ଟି ଏକଦିବସୀୟ ଏବଂ ୯୮ ଟି -୨୦ ମ୍ୟାଚ ଖେଳିଛନ୍ତି। ଏହି ଫର୍ମାଟଗୁଡିକରେ ଧୋନି ୪୮୭୬ ରନ୍, ୧୦,୭୭୩ ରନ୍ ଏବଂ ୧୬୧୭ ରନ୍ ସ୍କୋର କରିଥିଲେ। ଏହା ବ୍ୟତୀତ ଧୋନି ୱିକେଟ୍ କିପର ଭାବରେ ଟେଷ୍ଟରେ ୨୫୬ କ୍ୟାଚ୍ ଏବଂ ୩୮ ଷ୍ଟମ୍ପିଂ ନେଇଥିଲେ। ଏଥି ସହିତ ଦିନିକିଆରେ ଧୋନି ୩୨୧ ଟି କ୍ୟାଚ୍ ଏବଂ ୧୨୩ ଷ୍ଟମ୍ପ ଆଉଟ୍ ହୋଇଥିଲେ, କିନ୍ତୁ ଟି -୨୦ ରେ ସେ ୫୭ ଟି କ୍ୟାଚ୍ ଏବଂ ୩୪ ଟି ଷ୍ଟମ୍ପ ଆଉଟ୍ କରିଥିଲେ।

ଧୋନି ଭାରତ ପାଇଁ ସବୁଠାରୁ ସଫଳ ଅଧିନାୟକ ବୋଲି ପ୍ରମାଣିତ ହୋଇଛନ୍ତି ଏବଂ ସେ ହେଉଛନ୍ତି ବିଶ୍ୱର ଏକମାତ୍ର ଅଧିନାୟକ ଯିଏକି ତିନି ପ୍ରମୁଖ ଆଇସିସି ଟୁର୍ଣ୍ଣାମେଣ୍ଟ, ଟି -୨୦ ବିଶ୍ୱକପ, ଦିନିକିଆ ବିଶ୍ୱକପ, ଏବଂ ଚାମ୍ପିଅନ୍ସ ଟ୍ରଫିରେ ବିଜୟୀ ହୋଇଛନ୍ତି। ଏହା ବ୍ୟତୀତ ଧୋନିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ମଧ୍ୟ ଟେଷ୍ଟ ଫର୍ମାଟରେ ଏକ ନମ୍ବର ଦଳ ହୋଇପାରିଛି। ତାଙ୍କ ଅଧିନାୟକତ୍ୱରେ ଏକ ଅବଧି ମଧ୍ୟରେ, ଟିମ୍ ଇଣ୍ଡିଆ ସମସ୍ତ ତିନୋଟି ଫର୍ମାଟରେ ନମ୍ବର -୧ ରେ ଥିଲା। ଧୋନିଙ୍କ ଏହି ଅବଦାନକୁ ସମ୍ମାନ ଦେବା ପାଇଁ ବିସିସିଆଇ ତାଙ୍କ ଜର୍ସି ନମ୍ବର ୭ କୁ ଅବସର ଦେଇଛି।

Categories
ଆଜିର ଖବର ଜାତୀୟ ଖବର

୨ କୋଟି ଟପିଲା ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ନାଗରିକଙ୍କ ଅଂଶଗ୍ରହଣ ସଂଖ୍ୟା 

ନୂଆଦିଲ୍ଲୀ: ଉଲ୍ଲେଖନୀୟ ଜନସମର୍ଥନ ସହିତ, ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଏକ ମାସରୁ କମ୍ ସମୟ ମଧ୍ୟରେ ଅଂଶଗ୍ରହଣକାରୀ ମାନଙ୍କ ସଂଖ୍ୟା ୨ କୋଟି ଅତିକ୍ରମ କରି ଏକ ବୃହତ୍  ମାଇଲଖୁଣ୍ଟରେ ପହଞ୍ଚିଛି। ଜନତାଙ୍କ ଯୋଗଦାନରେ ଏହି ଅଭୂତପୂର୍ବ ବୃଦ୍ଧି ଯାତ୍ରାର ଗଭୀର ପ୍ରଭାବ ଏବଂ ବିକାଶର ସାମୂହିକ ପ୍ରୟାସରେ ଲକ୍ଷ ଲକ୍ଷ ଲୋକଙ୍କୁ ଏକାଠି କରିବାର ଅବିଶ୍ୱସନୀୟ କ୍ଷମତାକୁ ଦର୍ଶାଉଛି।

ଏହି ଯାତ୍ରାର କ୍ରମବର୍ଦ୍ଧିଷ୍ଣୁ ଗତିରୁ ଏହା ଅନୁମାନ କରାଯାଇପାରେ ଯେ , ପ୍ରଥମ କୋଟିଏ ଜନସଂଖ୍ୟା ୨୨ ଦିନରେ ଛୁଇଁଥିବା ବେଳେ ପରବର୍ତ୍ତୀ କୋଟିଏ ପାଇଁ ମାତ୍ର ୭ ଦିନ ଲାଗିଥିଲା । ଦିନକୁ ଦିନ ଏହି ଯାତ୍ରାର ପରିସର ବୃଦ୍ଧି ପାଇବା ସହିତ ଜନସାଧାରଣଙ୍କ ଠାରୁ ସକାରାତ୍ମକ ପ୍ରତିକ୍ରିୟା ମିଳିବା ସହ ଏହାର ଦୃଢ଼ ଗତି ବଜାୟ ରହିଛି।

ଏହି ଯାତ୍ରା ପାଖାପାଖି ୬୦,୦୦୦ ଗ୍ରାମ ପଞ୍ଚାୟତରେ  ପହଞ୍ଚିଛି, ଯାହା ଦେଶର କୋଣ ଅନୁକୋଣରେ ପ୍ରଗତି ଓ ଉନ୍ନତିକୁ ପ୍ରୋତ୍ସାହିତ କରୁଛି। ଅଳ୍ପ ସମୟ ମଧ୍ୟରେ, ୧.୬ କୋଟିରୁ ଅଧିକ ନାଗରିକ ସଂକଳ୍ପକୁ ନେଇ ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ପ୍ରୟାସ କରିବା ଦିଗରେ କାର୍ଯ୍ୟ କରିବାକୁ ସଂକଳ୍ପ ସହ ଏହି ଯାତ୍ରା ନିଜର ଉପସ୍ଥିତି ଜାହିର କରିଛି । ଯାତ୍ରାର ‘ମେରି କାହାନୀ, ମେରି ଜୁବାନୀ’ / ମୋ ମୁହଁରେ, ମୋ କାହାଣୀ’ ଅଭିଯାନର ଏକ ଅଂଶ ଭାବରେ ୧.୩୦ କୋଟିରୁ ଅଧିକ ଲୋକ ସେମାନଙ୍କର ବ୍ୟକ୍ତିଗତ କାହାଣୀ କହିବାର ସୁଯୋଗ ପାଇଛନ୍ତି, ଯାହା ଦେଶବ୍ୟାପୀ ନାଗରିକ ମାନଙ୍କର ବିବିଧ ଅନୁଭୂତି ଏବଂ ଆକାଂକ୍ଷାକୁ ପ୍ରଦର୍ଶିତ କରିଛି।

ଏହି ଯାତ୍ରାର ଅନ୍ୟତମ ମୁଖ୍ୟ ବିଷୟବସ୍ତୁ ଭାବେ ନାଗରିକ ମାନଙ୍କର କଲ୍ୟାଣକୁ ନେଇ ସାରା ଦେଶରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଉଛି ଏବଂ ବର୍ତ୍ତମାନ ସୁଦ୍ଧା ୪୨ ଲକ୍ଷରୁ ଅଧିକ ଲୋକଙ୍କ ସ୍କ୍ରିନିଂ କରାଯାଇଛି।

ଗୋଟିଏ ଦେଶ, ଗୋଟିଏ ଯାତ୍ରା

ସବୁ ଅଞ୍ଚଳରେ ଏହି ଯାତ୍ରା ସରକାରୀ ସେବା ଓ ସହାୟତା ପହଞ୍ଚାଇବା ପାଇଁ ସିଧାସଳଖ ମାଧ୍ୟମ ଭାବେ କାର୍ଯ୍ୟ କରୁଛି, ଏପରିକି ଦୁର୍ଗମ ଅଂଚଳରେ ମଧ୍ୟ ଏହା ପହଞ୍ଚୁଛି। ଅଂଶଗ୍ରହଣ କ୍ଷେତ୍ରରେ ଉତ୍ତରପ୍ରଦେଶ ପ୍ରାୟ ୮୦ ଲକ୍ଷ ଅଂଶଗ୍ରହଣକାରୀ ମାନଙ୍କ ସହ ଅଗ୍ରଣୀ ହୋଇଥିବା ବେଳେ ମହାରାଷ୍ଟ୍ର ୨୯ ଲକ୍ଷରୁ ଅଧିକ ଏବଂ ଗୁଜରାଟ ୨୩ ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀ ମାନଙ୍କ ସହ ତୃତୀୟ ସ୍ଥାନରେ ରହିଛି। ବର୍ତ୍ତମାନ ସୁଦ୍ଧା ଏହା ପଛକୁ ଜାମ୍ମୁ – କଶ୍ମୀର ରହିଥିବା ବେଳେ ଏଠାରେ ୧୬ ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀଙ୍କ ଉତ୍ସାହଜନକ ପ୍ରତିକ୍ରିୟା ରହିଛି। ୧୧ ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀ ମାନଙ୍କ ସହ ଆନ୍ଧ୍ରପ୍ରଦେଶ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି।

ସରକାରୀ ଯୋଜନାର ଶତ ପ୍ରତିଶତ ସଂତୃପ୍ତି

ବିକଶିତ ଭାରତ ସଂକଳ୍ପ ଯାତ୍ରା ହେଉଛି ଏକ ଦେଶବ୍ୟାପୀ ପ୍ରୟାସ ଯାହାର ଉଦ୍ଦେଶ୍ୟ ହେଉଛି ସରକାରଙ୍କ ପ୍ରମୁଖ ପଦକ୍ଷେପ ଗୁଡ଼ିକର ଶତ ପ୍ରତିଶତ ସଂତୃପ୍ତି ହାସଲ କରିବା, ଯାହା ଦ୍ୱାରା ସମସ୍ତ ଉଦ୍ଦିଷ୍ଟ ଉପଭୋକ୍ତା ମାନଙ୍କ ପାଖରେ ଏହାର ଲାଭ ପହଞ୍ଚି ପାରିବ।

ଯାତ୍ରା ସମୟରେ ହାସଲ ହୋଇଥିବା ମାଇଲଖୁଣ୍ଟ ଗୁଡ଼ିକ  ଗୁରୁତ୍ୱପୂର୍ଣ୍ଣ : ୨୯,୦୦୦ ରୁ ଅଧିକ ଗ୍ରାମ ପଞ୍ଚାୟତ ସମ୍ପୂର୍ଣ୍ଣ ପରିସରଭୁକ୍ତ ହୋଇଛନ୍ତି, ଯେଉଁଥିରେ ଆୟୁଷ୍ମାନ କାର୍ଡର ଶତ ପ୍ରତିଶତ  ସଂତୃପ୍ତି ରହିଛି ; ୧୮ ହଜାରରୁ ଅଧିକ  ଗ୍ରାମ ପଞ୍ଚାୟତ ‘ହର ଘର ଜଳ’ ଯୋଜନାରେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି : ୩୪,୦୦୦ରୁ ଅଧିକ ଗ୍ରାମ ପଞ୍ଚାୟତ ଜମି ରେକର୍ଡର ସମ୍ପୂର୍ଣ୍ଣ ଡିଜିଟାଲୀକରଣ ହାସଲ କରିଛନ୍ତି ; ଏବଂ ସ୍ୱଚ୍ଛ ଭାରତ ଅଭିଯାନକୁ ସମର୍ଥନ କରି, ୯,୦୦୦ ରୁ ଅଧିକ ଗ୍ରାମ ପଞ୍ଚାୟତ ଓଡିଏଫ୍ ପ୍ଲସ (ବାହ୍ୟ ମଳ ମୁକ୍ତ) ମଡେଲକୁ ଶତ ପ୍ରତିଶତ ଅନୁପାଳନ ପାଇଁ ମାନଦଣ୍ଡ ପୂରଣ କରିଛନ୍ତି।

ଏକ ପରିବର୍ତ୍ତନକାରୀ ପଦକ୍ଷେପ ସ୍ୱରୂପ, ନଭେମ୍ବର ୧୫ ତାରିଖରେ ଝାଡ଼ଖଣ୍ଡର ଖୁଣ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ସମଗ୍ର ଭାରତରେ ନାଗରିକ ମାନଙ୍କ ସହିତ ଗଭୀର ସମ୍ପର୍କ ସୃଷ୍ଟି କରୁଛି। ଏହି ମହତ୍ୱାକାଂକ୍ଷୀ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସରକାର ଏବଂ ଲୋକ ମାନଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା, ସମ୍ପ୍ରଦାୟକୁ ସଶକ୍ତ କରିବା ଏବଂ ଏକ ସମାବେଶୀ ଏବଂ ବିକଶିତ ଭାରତର ମୂଳଦୁଆ ପକାଇବା।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ସୂର୍ଯ୍ୟ କିରଣରୁ ମିଳିଥାଏ ଭିଟାମିନ୍ ଡି, କିନ୍ତୁ କେଉଁ ସମୟରେ? ଜାଣନ୍ତୁ ଏହାର ସଠିକ୍ ସମୟ ଏବଂ ପଦ୍ଧତି

ଜୀବନଶୈଳୀ: ଶରୀର ପାଇଁ ଭିଟାମିନ୍ ଡି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମସ୍ତିଷ୍କ ସହିତ ଏହା ସ୍ନାୟୁକୁ ମଧ୍ୟ ସକ୍ରିୟ ରଖେ। ଯେଉଁଥିପାଇଁ ଶରୀର ଅନେକ ପ୍ରକାରର ମାନସିକ ଏବଂ ଶାରୀରିକ ରୋଗରୁ ସୁରକ୍ଷିତ ରହିଥାଏ। ଏହି ଆର୍ଟିକିଲ୍ ମାଧ୍ୟମରେ, ଆମେ ଜାଣିବା ଯେ ସୂର୍ଯ୍ୟ କିରଣରୁ ଭିଟାମିନ୍ ଡି ମିଳିଥାଏ କିନ୍ତୁ କେଉଁ ସମୟରେ ସୂର୍ଯ୍ୟ କିରଣ ଅଧିକ ଲାଭଦାୟକ ଅଟେ? ଶରୀର ପାଇଁ ଭିଟାମିନ୍ ଡି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଶରୀରରେ ମେସେଜିଂ ଶକ୍ତି ବୃଦ୍ଧି କରିବାକୁ କାମ କରେ। ଏହି ଭିଟାମିନ୍ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଆପଣ ଅନୁମାନ କରିପାରିବେ ଯେ ଏହା ଶରୀର ପାଇଁ ଏକ ନ୍ୟୁରୋଟ୍ରାନ୍ସମିଟର ପରି କାମ କରେ।

ମସ୍ତିଷ୍କରୁ ଶରୀରର ପ୍ରତ୍ୟେକ ଅଙ୍ଗକୁ ବାର୍ତ୍ତା ପଠାଇବା ପାଇଁ ଭିଟାମିନ୍ ଡି କାମ କରେ। ଏହା ହର୍ମୋନ୍ ସ୍ୱାସ୍ଥ୍ୟକୁ ବଜାୟ ରଖିବା ପାଇଁ ମଧ୍ୟ କାମ କରେ। ଏହି ଭିଟାମିନ୍ ରେ ଅଭାବ ଥିବା ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଭିଟାମିନ୍ ଡି ଶରୀରରେ ଡୋପାମାଇନ୍ ସ୍ତରକୁ ମଧ୍ୟ ପ୍ରଭାବିତ କରିଥାଏ। ଯେଉଁ କାରଣରୁ ଉଦାସୀନତାର ସମସ୍ୟା ହୋଇପାରେ। ଏପରି ପରିସ୍ଥିତିରେ, ଶରୀରରେ ଭିଟାମିନ୍ D ର ଅଭାବକୁ ଚିହ୍ନିବା ଏବଂ ସମୟ ପୂର୍ବରୁ ଏହାର କ୍ଷତିର ଭରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ସୂର୍ଯ୍ୟ କିରଣ ଶରୀରକୁ ଭିଟାମିନ୍ ଡି କିପରି ଯୋଗାଏ?:

ଯେତେବେଳେ ଆମର ଚର୍ମ ସୂର୍ଯ୍ୟକିରଣର ସଂସ୍ପର୍ଶରେ ଆସେ, ଏହା କୋଲେଷ୍ଟ୍ରଲ କଣିକା ସହିତ ମିଶି ଭିଟାମିନ୍ ଡି ରେ ପରିଣତ ହୁଏ। ସୂର୍ଯ୍ୟ କିରଣରୁ ନିର୍ଗତ ଅଲଟ୍ରାଭାଇଓଲେଟ୍ ବି କିରଣ ଭିଟାମିନ୍ ଡି ଗଠନ କରେ। ଏହି ସମୟ ମଧ୍ୟରେ ଟିସୁ ଏହି ସୂର୍ଯ୍ୟ କିରଣକୁ ଅବଶୋଷଣ କରେ। ଭିଟାମିନ୍ ଡି କୋଲେଷ୍ଟ୍ରଲ କଣିକା ସହିତ ମିଶିଥାଏ।

କେଉଁ ସମୟରେ ଆମେ ସୂର୍ଯ୍ୟ କିରଣରୁ ଭିଟାମିନ୍ ଡି ପାଇଥାଉ?:

ସୂଚନା ଅନୁଯାୟୀ ସକାଳେ ଭିଟାମିନ୍ ଡି ଉପଲବ୍ଧ। ଅଲ୍ଟ୍ରାଟୋଇଲେଟ୍ ବି କିରଣ ସକାଳ ୬ ରୁ ୯.୩୦ ମଧ୍ୟରେ ଉପଲବ୍ଧ ହେବ। ଏହା ପରେ ସୂର୍ଯ୍ୟକିରଣରେ ଭିଟାମିନ୍ D ନାହିଁ। ଏହା ପରେ ମଧ୍ୟ ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟକିରଣରେ ବସିଥିଲେ ମଧ୍ୟ ଆପଣଙ୍କୁ କୌଣସି ଲାଭ ମିଳିବ ନାହିଁ।

ଭିଟାମିନ୍ D ପାଇଁ ଏହି ଉପାୟରେ ସୂର୍ଯ୍ୟକିରଣ ନିଅନ୍ତୁ:

ଯଦି ଆପଣ ପ୍ରତିଦିନ ୧୦ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଖରାରେ ବସନ୍ତି, ତେବେ ଆପଣ ସହଜରେ ଭିଟାମିନ୍ ଡି ପାଇପାରିବେ। ଏହା ବ୍ୟତୀତ, ଯଦି ଆପଣ ସପ୍ତାହରେ ୩ ଦିନ ସକାଳ ୬ ରୁ ୯.୩୦ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ନିଅନ୍ତି, ତେବେ ଭିଟାମିନ୍ D ର ଅଭାବ ପୂରଣ ହେବ। ମସ୍ତିଷ୍କ, ନିଦ୍ରା, ଚର୍ମ ଏବଂ କେଶ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଥାଏ। ସକାଳର ସୂର୍ଯ୍ୟ କିରଣର ସଂସ୍ପର୍ଶରେ ଆସିବା ଦ୍ୱାରା ଅନେକ ରୋଗ ହେବାର ଆଶଙ୍କା କମିଯାଏ।

Categories
ଆଜିର ଖବର ରାଜ୍ୟ ଖବର

ଦୁଇଘଣ୍ଟା ପୂର୍ବରୁ ନବମ ଶ୍ରେଣୀ ବାର୍ଷିକ ପାରୀକ୍ଷାର ପ୍ରଶ୍ନପତ୍ର ଇ-ମେଲ୍ ମାଧ୍ୟମରେ ପ୍ରଦାନ ବ୍ୟବସ୍ଥାକୁ ଓଷ୍ଟାର ନାପସନ୍ଦ

ଭୁବନେଶ୍ୱର: ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ମାର୍ଚ୍ଚ ୬ ତାରିଖରେ ଆରମ୍ଭ ହେବାକୁ ଯାଉଥିବାବେଳେ ବୋର୍ଡ଼ କର୍ତ୍ତୃପକ୍ଷ ପ୍ରଶ୍ନପତ୍ର ପ୍ରସ୍ତୁତ କରି ଇ-ମେଲ୍ ମାଧ୍ୟମରେ ବିଦ୍ୟାଳୟ ଆଇଡିକୁ ପରୀକ୍ଷାର ଦୁଇଘଣ୍ଟା ପୂର୍ବରୁ ପଠାଇବା ନିଷ୍ପତ୍ତିକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ତରଫରୁ ନାପସନ୍ଦ କରାଯାଇଛି।

ସୂଚନାଥାଉକି, ଚଳିତ ବର୍ଷ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ଆସନ୍ତା ୨୦୨୪ ମସିହା ମାର୍ଚ୍ଚ ମାସ ୬ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବୋର୍ଡ଼ ପକ୍ଷରୁ ଘୋଷଣା କରାଯାଇଛି। ପରୀକ୍ଷା ପରିଚାଳନା ଦାୟିତ୍ୱ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଉପରେ ନ୍ୟସ୍ତ ଥିଲାବେଳେ ପ୍ରଶ୍ନପତ୍ର ଦାୟିତ୍ୱ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ଼) ନିୟନ୍ତ୍ରଣରେ ରହିଛି। ମାତ୍ର ପ୍ରଶ୍ନପତ୍ର ବୋର୍ଡ଼ ନଛପାଇଲେ ମଧ୍ୟ ବିଷୟ ବସ୍ତୁ ଆଧାରରେ ବୋର୍ଡ଼ କର୍ତ୍ତୃପକ୍ଷ ପ୍ରଶ୍ନ ପ୍ରସ୍ତୁତ କରି ତାହାକୁ ଇ-ମେଲ୍ ଯୋଗେ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ପଠାଇବେ। ପ୍ରଧାନ ଶିକ୍ଷକମାନେ ନିଜ ଆଇଡି ପାସ୍‌ୱାର୍ଡ଼ ବ୍ୟବହାର କରି ପ୍ରଶ୍ନପତ୍ର ଡାଉନ୍‌ଲୋଡ଼୍ କରି ନିଜ ନିଜ ବିଦ୍ୟାଳୟର ପିଲାସଂଖ୍ୟା ଅନୁଯାୟୀ ସେଗୁଡ଼ିକୁ ସେଟ୍ ଆକାରରେ ଜେରକ୍ସ କରି ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀମାନଙ୍କୁ ତାହା ପ୍ରଦାନ କରିବେ। ପରୀକ୍ଷାର ଦୁଇଘଣ୍ଟା ପୂର୍ବରୁ ବୋର୍ଡ଼ କର୍ତ୍ତୃପକ୍ଷ ବିଦ୍ୟାଳୟ ଆଇଡିରେ ପ୍ରଶ୍ନ ପଠାଇବେ।

ପ୍ରଶ୍ନପତ୍ରଗୁଡ଼ିକ ଡାଉନ୍‌ଲୋଡ଼୍ କରିବା ପାଇଁ ବୋର୍ଡ଼ ପକ୍ଷରୁ ନିର୍ଦ୍ଦିଷ୍ଟ ସମୟ ସୀମା ପ୍ରଧାନଶିକ୍ଷକମାନଙ୍କୁ ଦିଆଯାଇଛି। ଧାର୍ଯ୍ୟ ସମୟସୀମା ମଧ୍ୟରେ ପ୍ରଶ୍ନପତ୍ର ଡାଉନ୍‌ଲୋଡ଼ କରିବାକୁ ପଡ଼ିବ । ସମୟ ପୂର୍ବରୁ କିମ୍ବା ପରେ କେହି ଚାହିଁଲେ ମଧ୍ୟ ପ୍ରଶ୍ନପତ୍ର ଡାଉନଲୋଡ଼ କରିପାରିବେ ନାହିଁ ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଛି । ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ବୋର୍ଡ଼ର ଏତାଦୃଶ ନିଷ୍ପତ୍ତିକୁ ନାପସନ୍ଦ କରି କହିଛନ୍ତି – “ଦୁଇଘଣ୍ଟାର ଏହି ସ୍ୱଳ୍ପ ସମୟ ଅବଧି ମଧ୍ୟରେ ପ୍ରଶ୍ନପତ୍ର ଡାଉନଲୋଡ଼ କରିବା ଓ ତାହାକୁ ଜେରକ୍ସ କରି ବିଦ୍ୟାଳୟରେ ପହଞ୍ଚାଇବା ରାଜ୍ୟର ସବୁ ଅଞ୍ଚଳରେ ସମ୍ଭବ ହେବ ନାହିଁ ବୋଲି ଶିକ୍ଷାବିତ୍ତ, ବୁଦ୍ଧିଜିବୀ ଏବଂ ଅଭିଭାବକ ମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କେଉଁଠି ନେଟ୍‌ୱାର୍କ ସମସ୍ୟା, ବିଜୁଳି ସମସ୍ୟାୟ ଓ ଜେରକ୍ସ ସମସ୍ୟା ଇତ୍ୟାଦି ଉପୁଜିବାର ଯଥେଷ୍ଟ ସମ୍ଭାବନା ରହିଛି।’

ରାଜ୍ୟର ଅନେକ ବିଦ୍ୟାଳୟରେ କମ୍ପ୍ୟୁଟର ବ୍ୟବସ୍ଥା ନାହିଁ କି କମ୍ପ୍ୟୁଟର ଶିକ୍ଷକ ମଧ୍ୟ ନାହାନ୍ତି। ସରକାର ସମସ୍ତ ବିଦ୍ୟାଳୟ ଗୁଡ଼ିକୁ ୫ଟି ରେ ଅନ୍ତର୍ଭୁକ୍ତ କରିଥିଲେ ମଧ୍ୟ ଅଧ୍ୟାବଧି ଅନେକ ବିଦ୍ୟାଳୟରେ ବର୍ତ୍ତମାନ ସୁଧା କମ୍ପ୍ୟୁଟର ପହଞ୍ôଚ ନାହିଁ। କେତେକ ସ୍ଥାନରେ ବିଦ୍ୟାଳୟଠାରୁ ବହୁଦୂରରେ ଜେରକ୍ସ, ନେଟ୍‌ୱାର୍କ, କମ୍ପ୍ୟୁଟର, ବିଜୁଳି ଇତ୍ୟାଦି ସୁବିଧା ମିଳିବ ନାହିଁ। ଦୁଇଘଣ୍ଟାର ସମୟ ଅବଧି ମଧ୍ୟରେ ପ୍ରଶ୍ନପତ୍ର ଡାଉନଲୋର୍ଡ଼ ଓ ଜେରସ୍କ କରି ବିଦ୍ୟାଳୟରେ ପହଞ୍ଚିବା ସବୁଠାରେ ସମ୍ଭବ ହେବ ନାହିଁ। ଏଣୁ ବୋର୍ଡ଼ କତ୍ତୃପକ୍ଷ ତୁରନ୍ତ ଏସବୁ ସମସ୍ୟାର ସମାଧାନ କରି ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଓଷ୍ଟା ପକ୍ଷରୁ ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, ନୀଳମଣି ପୁରୋହିତ, ରଞ୍ଜନ କୁମାର ଦାଶ, ବ୍ରଜକିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ବୋର୍ଡ଼ କର୍ତ୍ତୃପକ୍ଷ ତଥା ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସିନେମା

୨୦୨୩ରେ ୩୫ଟି ବିଦେଶୀ ଚଳଚ୍ଚିତ୍ର ପ୍ରକଳ୍ପକୁ ଭାରତରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ଅନୁମତି ଦିଆଯାଇଛି: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତ ବର୍ଷ ନଭେମ୍ବର ମାସ ସୁଦ୍ଧା ୩୫ଟି ବିଦେଶୀ ଚଳଚ୍ଚିତ୍ର ପ୍ରକଳ୍ପକୁ ଭାରତରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ଅନୁମତି ଦିଆଯାଇଛି। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ସଂସଦକୁ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଏକ ତାରକା ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ୨୦୨୨ରେ ଏଭଳି ମଞ୍ଜୁରି ଲାଭ କରିଥିବା ଚଳଚ୍ଚିତ୍ର ସଂଖ୍ୟା ୨୮ ଥିଲା ଏବଂ ୨୦୨୧ରେ ୧୧ଟି ଚଳଚ୍ଚିତ୍ର ପ୍ରକଳ୍ପକୁ ନିର୍ମାଣ ମଞ୍ଜୁରି ଦିଆଯାଇଥିଲା।

ଅଡିଓ-ଭିଜୁଆଲ ସହ-ପ୍ରଯୋଜନା ଚୁକ୍ତି ଅଧୀନରେ ଚଳଚ୍ଚିତ୍ରର ସହ-ପ୍ରଯୋଜନା ପାଇଁ ଏବଂ ଭାରତରେ ବିଦେଶୀ ଚଳଚ୍ଚିତ୍ର ନିର୍ମାଣ ପାଇଁ ପ୍ରୋତ୍ସାହନ ଯୋଜନା ସମ୍ପର୍କରେ ସଂସଦକୁ କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ, ଯାହାକି ୧ ଏପ୍ରିଲ ୨୦୨୨ ଠାରୁ ଲାଗୁ ହୋଇଛି। ଏହାର ଉଦ୍ଦେଶ୍ୟ ହେଉଛି ଭାରତକୁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ନିର୍ମାଣ ପାଇଁ ଏକ ପସନ୍ଦଯୋଗ୍ୟ ଗନ୍ତବ୍ୟସ୍ଥଳୀରେ ପରିଣତ କରିବା ଏବଂ ଏହା ସହ ଜଡ଼ିତ ରୋଜଗାର ସୃଷ୍ଟି କରିବା। ଏଥିସହିତ ବିଦେଶୀ ମୁଦ୍ରା ଆଗମନକୁ ବଢ଼ାଇବା।

ସେ ଆହୁରି କହିଥିଲେ ଯେ ଅଧିକ ଅନ୍ତର୍ଜାତୀୟ ପ୍ରକଳ୍ପକୁ ଆକୃଷ୍ଟ କରିବା ଲାଗି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଏହି ପ୍ରୋତ୍ସାହନ ଯୋଜନାକୁ ପ୍ରସାରିତ ଏବଂ ସରଳ କରାଯାଇଛି। ସେ ଆହୁରି କହିଛନ୍ତି, ୨୦ ନଭେମ୍ବର ୨୦୨୩ରେ ଘୋଷିତ ସଂଶୋଧିତ ପ୍ରୋତ୍ସାହନ ଯୋଜନା ଅନୁଯାୟୀ, ବିଦେଶୀ ଚଳଚ୍ଚିତ୍ର ନିର୍ମାଣର ସମସ୍ତ ଯୋଗ୍ୟ ପ୍ରକଳ୍ପ ଏବଂ ଅଡିଓ ଭିଜୁଆଲ ସହପ୍ରଯୋଜନା ଚୁକ୍ତି ଅଧୀନରେ ନିର୍ମାଣ କରାଯାଉଥିବା ସବୁ ଚଳଚ୍ଚିତ୍ର ଭାରତରେ କରାଯାଇଥିବା ଯୋଗ୍ୟ ଖର୍ଚ୍ଚ ଉପରେ ୩୦% ନଗଦ ପ୍ରୋତ୍ସାହନ ପାଇପାରିବେ। ବିଦେଶୀ ଚଳଚ୍ଚିତ୍ରର ଲାଇଭ୍‌ ସୁଟିଂ ସମୟରେ ୧୫% କିମ୍ବା ଅଧିକ ଭାରତୀୟ କର୍ମଚାରୀଙ୍କୁ ରୋଜଗାର ଦେବା କ୍ଷେତ୍ରରେ ୫% ବୋନସ ମଧ୍ୟ ମିଳିପାରିବ। ଏହାବ୍ୟତୀତ ବିଦେଶୀ ଚଳଚ୍ଚିତ୍ର ସୁଟିଂ ଓ ପୋଷ୍ଟ ପ୍ରଡକ୍ସନ ପାଇଁ ଏଭଳି ଚଳଚ୍ଚିତ୍ର ପ୍ରକଳ୍ପଗୁଡ଼ିକ ଅତିରିକ୍ତ ୫% ରିହାତି ଦାବି କରିପାରିବେ, ଯଦି ସେମାନଙ୍କ ଚଳଚ୍ଚିତ୍ରରେ ଭାରତୀୟ ସଂସ୍କୃତି, ପ୍ରତିଭା ଏବଂ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ପ୍ରୋତ୍ସାହନ ଦେବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭାରତୀୟ ବିଷୟବସ୍ତୁ ରହିଥିବ।

ଶ୍ରୀ ଠାକୁର ସଂସଦରେ ସୂଚନା ଦେଇଥିଲେ ଯେ ବଡ଼ ବଜେଟ୍‌ର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରକଳ୍ପକୁ ଆକୃଷ୍ଟ କରିବା ଲାଗି ଏହି ପ୍ରୋତ୍ସାହନର ସର୍ବାଧିକ ସୀମା ପୂର୍ବରୁ ୨.୫ କୋଟି ଟଙ୍କା ଥିବା ବେଳେ ଏହାକୁ ବଢ଼ାଇ ଏବେ ୩୦ କୋଟି ଟଙ୍କା କରି ଦିଆଯାଇଛି। ଅନ୍ୟପଟେ ପ୍ରୋତ୍ସାହନର ସର୍ବାଧିକ ପ୍ରତିଶତକୁ ୩୦%ରୁ ୪୦% କରି ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ସହରାଞ୍ଚଳରେ ଆରମ୍ଭ ହେଲା ବିକଶିତ ଭାରତ ସଂକଳ୍ପ ଯାତ୍ରା

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଜି ଠାରୁ ଆରମ୍ଭ ହୋଇଛି ବିକଶିତ ଭାରତ ସଂକଳ୍ପ ଯାତ୍ରା। ପ୍ରଥମ ଦିନରେ ବଡ଼ଗଡ଼ ଠାରେ ସଂକଳ୍ପ ଯାତ୍ରା ସଚେତନତା ବାହନ ପହଞ୍ଚିଥିଲା। ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ମଞ୍ଜୁଲତା କହଁର ଯାତ୍ରାକୁ ଶୁଭାରମ୍ଭ କରିଥିଲେ।

ବଡ଼ଗଡ଼ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ବିଏମସି ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଉପ କମିଶନର ମନୋରଞ୍ଜନ ସାହୁ, ରମେଶ ଚନ୍ଦ୍ର ଜେନା, ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଉପ ନିର୍ଦ୍ଦେଶକ ମନୋଜ କୁମାର ଜାଲି, କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କ୍ଷେତ୍ର ପ୍ରଦର୍ଶନୀ ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନା, ପିଆଇବିର ସୂଚନା ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦ ଉପସ୍ଥିତ ଥିଲେ। ଏଥିରେ ଆଧାର ସଂଶୋଧନ ଶିବିର ଓ ପ୍ରଧାନମନ୍ତ୍ରୀ ସ୍ବନିଧି ଶିବିର ଆୟୋଜନ କରାଯାଇ ହିତାଧିକାରୀମାନଙ୍କୁ ସଚେତନ କରାଯାଇଥିଲା। ସ୍ବାସ୍ଥ୍ୟ ଶିବିର ମାଧ୍ୟମରେ ବହୁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଉଜ୍ବଳା ଓ ଆଧାର କାର୍ଡ ହିତାଧିକାରୀମାନେ ସେମାନଙ୍କର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।

ସୂଚନାଯୋଗ୍ୟ ବିକଶିତ ଭାରତ ସଂକଳ୍ପ ଯାତ୍ରାର ତୃତୀୟ ପର୍ଯ୍ୟାୟରେ ଆଜିଠାରୁ ରାଜ୍ୟର ଭୁବନେଶ୍ୱର, କଟକ, ବ୍ରହ୍ମପୁର ଆଦି ସହରରେ ଅଭିଯାନ ଆରମ୍ଭ ହୋଇଛି । କଟକରେ ଏହି ଅଭିଯାନରେ ମେୟର ସୁବାସ ସିଂ ଏବଂ ବିଧାୟକ ମହମ୍ମଦ ମୁକିମ ଯୋଗଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ନଭେମ୍ବର ୧୫ ତାରିଖରେ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଥିଲେ। ହିତାଧିକାରୀଙ୍କ ପାଖରେ କେନ୍ଦ୍ରୀୟ ଯୋଜନାର ଶତ ପ୍ରତିଶତ ଲାଭ ପହଞ୍ଚାଇବା ଏହି ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ।

Categories
ଆଞ୍ଚଳିକ

ନାଚୁଣୀ ମହାବିଦ୍ୟାଳୟ ଆନୁକୁଲ୍ୟରେ ଅନୁଷ୍ଠିତ ବିପର୍ଯ୍ୟୟ ମୁକାବିଲା ସଭା

ନାଚୁଣୀ (ସୀତାରାମ ଅଗ୍ରୱାଲ): ଗୁରୁବାର ୧୨:୦୦ ଘଟିକା ସମୟରେ ନାଚୁଣୀ ନିକଟସ୍ଥ ସିଙ୍ଗିପୁର ପୂଜା ମଣ୍ଡପ ପ୍ରାନ୍ତରରେ ନାଚୁଣୀ ମହାବିଦ୍ୟାଳୟର ଉଦ୍ଭିଦବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଡକ୍ଟର. ପ୍ରଦୀପ୍ତ କୁମାର ରଥଙ୍କ ଆହ୍ବାନ କ୍ରମେ ନାଚୁଣୀ ମହାବିଦ୍ୟାଳୟର ସମସ୍ତ ଛାତ୍ର/ଛାତ୍ରୀ ତଥା ସ୍କାଉଟ୍ ଛାତ୍ର/ଛାତ୍ରୀଙ୍କୁ ନେଇ ଏକ ‘ନବୀନ ଓଡ଼ିଶା- ଉନ୍ନତ ଓଡ଼ିଶା ‘ ପକ୍ଷରୁ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ଏକ ସୁରକ୍ଷା ଓ ନିରାପତ୍ତା ଉପରେ ଆଲୋଚନ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଗଙ୍ଗାଧରପୁରର ଅଗ୍ନିସେବାବାହୀନି କର୍ମଚାରୀ ଓତାଙ୍କର ମୂଖ୍ୟ ଦଳାଇ ସାର୍ ଓ ଟାଙ୍ଗୀ ଅଗ୍ନିସେବା ଅଫିସର୍ ଫାୟରମ୍ୟାନ୍ ଶ୍ରୀଯୁକ୍ତ ବି.କେ ଦାସ ବିଭିନ୍ନ ପ୍ରକାର ସୁରକ୍ଷା ଓ ବିପର୍ଯ୍ୟସ୍ତ କାର୍ଯ୍ୟକ୍ରମ ଉପରେ ବିଭିନ୍ନ ପ୍ରକାର ପ୍ରାକ୍ଟିକାଲ ପରୀକ୍ଷା କରି ଛାତ୍ର ଛାତ୍ରୀ ମାନଙ୍କୁ ଦେଖାଇଥିଲେ।

ଉକ୍ତ ସଭାରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଶିବ ପ୍ରସାଦ ତ୍ରିପାଠୀ ଓ ନାଚୁଣୀ ମହାବିଦ୍ୟାଳୟର ନୋଡାଲ ଅଫିସର୍ ଅଧ୍ୟାପକ ଗୋଲଖ ବିହାରୀ ବାରିକ୍ ‘ନବୀନ ଓଡିଶା – ଉନ୍ନତି ଓଡ଼ିଶା’ ଉପରେ ଯୁବଶକ୍ତି ଓ ନାରୀ ସଶକ୍ତି କରଣର ବିଭିନ୍ନ ଦିଗରେ ଆଲୋକପାତ କରିଥିଲେ। ଉକ୍ତ ସଭାରେ ସିଙ୍ଗିପୁର ଓ ଗଙ୍ଗାଧରପୁର ଗ୍ରାମର ଅନେକ ବ୍ୟକ୍ତି ଉପସ୍ଥିତ ରହିବା ସହିତ, ନାଚୁଣୀ ମହାବିଦ୍ୟାଳୟର ରୋଭର ସୂର୍ଯ୍ୟକାନ୍ତ ସାହୁ, ମିଥୁନ ହରିଚନ୍ଦନ ଏବଂ ଆକାଶ ମୁଦୁଲି ସଭା କାର୍ଯ୍ୟକୁ ସାଫଲ୍ୟ ମଣ୍ଡନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଆଜି ୧୫ ତାରିଖ ଶୁକ୍ରବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ଯାନବାହନ ପ୍ରତି ରୁହନ୍ତୁ ସାବଧାନ

ମେଷ: – ଆଜି, ଆପଣ କଠିନ ପରିଶ୍ରମର ଫଳ ପାଇବେ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ବ୍ୟବସାୟରେ ପୁଞ୍ଜି ବିନିଯୋଗ ହେବ। ଚାକିରିରେ ଲାଭର ଏକ ସ୍ଥିତି ହେବ। ଅସୁସ୍ଥ ହୋଇପାରନ୍ତି। ଦୟାକରି ଭୋକିଲା ବ୍ୟକ୍ତିଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ।

ବୃଷ: – ଆଜି ସୁଖ ସହିତ ଦିନଟି ଆରମ୍ଭ ହେବ। ପିଲାଙ୍କ ପାଖରୁ ଭଲ ଖବର ଆସିବ। ଯେକୈଣସି ଉତ୍ସବରେ ଯୋଗ ଦେଇ ପାରନ୍ତି । ସମ୍ପତ୍ତି ବିବାଦ ଅପରିବର୍ତ୍ତିତ ରହିବ। ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବ। ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିରକ୍ତ କରିପାରେ। ସତର୍କ ରୁହନ୍ତୁ।

ମିଥୁନ: ଆପଣଙ୍କର ମାନସିକତା ଦିନକୁ ଦିନ ନକାରାତ୍ମକ ହୋଇଯାଉଛି। ଠିକ୍ ସମୟରେ ସତର୍କ ରୁହନ୍ତୁ। ତନ୍ତ-ମନ୍ତ୍ର ପ୍ରତି ଆଗ୍ରହୀ ହେବେ। ସାଙ୍ଗମାନଙ୍କ ସାହାଯ୍ୟରେ କାର୍ଯ୍ୟ ସମାପ୍ତ ହେବ। ରାଜନୀତିରେ ତୁମର ସ୍ଥିତି ବୃଦ୍ଧି ପାଇପାରେ, କଠିନ ପରିଶ୍ରମ କରାଯିବ।

କର୍କଟ: – ଆଜି, ଆପଣ ଆପଣଙ୍କର କ୍ୟାରିୟର ପ୍ରତି ସଚ୍ଚୋଟ ଭାବରେ କାମ କରୁନାହଁ। ବ୍ୟବସାୟ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହୋଇପାରେ। ବିଲଡିଂ ଜମି କାର୍ଯ୍ୟରେ ଆଇନଗତ ପ୍ରତିବନ୍ଧକ ଆସିବ। ହ୍ୟାଗଲ୍ କୁ ପ୍ରୋତ୍ସାହିତ କରନ୍ତୁ ନାହିଁ।

ସିଂହ : – ଆଜି ପିଲାମାନଙ୍କର ସ୍ୱାସ୍ଥ୍ୟ ପାଇଁ ଚିନ୍ତା ହେବେ। ପରିବାର ଆପଣଙ୍କ ଭାବନାକୁ ଅଣଦେଖା କରିବ। ପିତାମାତାମାନଙ୍କ ସହିତ ସମୟ ଅତିବାହିତ ହେବ। ଚାକିରିରେ ପ୍ରୟାସ ସଫଳ ହେବ। କର୍ମକ୍ଷେତ୍ରରେ ଆରାମ ମିଳିପାରେ।

କନ୍ୟା : – ଆଜି ସମୟର ଅପବ୍ୟବହାର କରାଯାଉଛି। ଆଚରଣ ଏବଂ ଦୈନ୍ୟନ୍ଦିନ କାର୍ଯ୍ୟରେ ପରିବର୍ତ୍ତନ ଆଣିବା ଜରୁରୀ । ଟଙ୍କା ମିଳିବାର ସମ୍ବାବନା ହେବ। ଆପଣ ଆଜି ଭଲ ଖବର ପାଇବେ। ଚୋରି ଇତ୍ୟାଦିରୁ କ୍ଷତି ସମ୍ଭବ। ବିନିଯୋଗ ଶୁଭ ହେବ । ଚିନ୍ତା ଏବଂ ଚାପ ଆପଣଙ୍କୁ ବ୍ୟଥିତ କରିବ।

ତୂଳା: – ଆଜି ଭୁଲିଯିବାର ଅଭ୍ୟାସ ହେତୁ, ଆପଣ ଆପଣଙ୍କର ପ୍ରିୟ ଲୋକଙ୍କ କ୍ରୋଧ ବହନ କରିବାକୁ ପଡିବ। ବିଦେଶ ଯିବାର ସୁଯୋଗ ରହିବ। ବ୍ୟବସାୟିକ ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଇଚ୍ଛୁକ ହେବେ। ଭ୍ରମଣ-ବିନିଯୋଗ ଏବଂ ଚାକିରି ଲାଭଦାୟକ ହେବ।

ବିଛା : – ଆଜି ଯେ କୌଣସି ମୂଲ୍ୟରେ ଆପଣଙ୍କର କାର୍ଯ୍ୟ ସମ୍ପନ୍ନ କରିବାକୁ ଜିଦ୍ ରହିବ। ଖର୍ଚ୍ଚ ବୃଦ୍ଧି ପାଇବ। ଏକ ଋଣ ନେବାକୁ ପଡିପାରେ। ପରିବାରକୁ କେହି ଭେଟିବାରେ ଅସନ୍ତୋଷ ଦେଖାଦେଇପାରେ। ନିଜ ସାଥୀଙ୍କ ସହିତ ବିବାଦ କରନ୍ତୁ ନାହିଁ ।

ଧନୁ : – ଆଜି କଥାରେ ରାଗିବା ଭଲ କଥା ନୁହେଁ। ଠିକ୍ ସମୟରେ ପରିଚାଳନା କରିବା ଆପଣଙ୍କ ଏବଂ ଆପଣଙ୍କ ପରିବାର ପାଇଁ ଭଲ ହେବ। ଉଲ୍ଲେଖନୀୟ ପୁନରୁଦ୍ଧାର ଉଦ୍ୟମ ସଫଳ ହେବ। ଆପଣ ସାଧୁ ଓ ସାଧୁମାନଙ୍କର ସଂଯୋଗ ପାଇବେ। ଟଙ୍କା ପାଣ୍ଠି ବୃଦ୍ଧି ପାଇବ।

ମକର : – ଆଜି ଆପଣ ନିତ୍ୟ ବ୍ୟବହାର୍ଯ୍ୟ ପରିବର୍ତ୍ତନରୁ ଆରାମ ପାଇବେ। ସମସ୍ତଙ୍କୁ ବ୍ୟକ୍ତିଗତ ସମସ୍ୟା ପ୍ରକାଶ କରନ୍ତୁ ନାହିଁ । ନିର୍ମାଣ କାର୍ଯ୍ୟର ସ୍ଥଗିତ କାର୍ଯ୍ୟ ଗତିଶୀଳ ହେବ। ଏକ ସାଧାରଣ ସମାରୋହରେ ସମ୍ମାନ ମିଳିପାରିବ।

କୁମ୍ଭ : – ଆଜି ଆପଣଙ୍କୁ ନିଜକୁ ଠିକ୍ ପ୍ରମାଣ କରିବାକୁ ପଡିବ। ଅଧ୍ୟୟନ ଏବଂ ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ବୃଦ୍ଧି ପାଇବ। କୈଣସି ଆଶ୍ଚର୍ଯ୍ୟଜନକ ଖବର ମିଳିପାରିବ। ରାଜ୍ୟ ସହାୟତା ପାଇବା ଦ୍ୱାରା କାର୍ଯ୍ୟ ସମାପ୍ତ ହେବ ଏବଂ ଲାଭ ସୁଯୋଗ ମିଳିବ।

ମୀନ : – ଆଜି ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ପରିବାର ସହିତ ବିବାଦ କର ନାହିଁ । କାହାକୁ ଋଣ ଦିଅ ନାହିଁ । ଅତ୍ୟଧିକ ଆତ୍ମବିଶ୍ୱାସ ଅପରିଚିତ ଲୋକଙ୍କୁ କ୍ଷତି ପହଞ୍ଚାଇବ, ସର୍ବୋତ୍ତମ ଫଳାଫଳ ପାଇଁ ଧର୍ଯ୍ୟବାନ ହୁଅନ୍ତୁ ।

Categories
ଆଞ୍ଚଳିକ

ବାଣପୁର: ଆଦର୍ଶ ଶ୍ରେଣୀ ଗୃହର ଶୁଭ ଉଦଘାଟନ

ବାଣପୁର (ସୀତାରାମ ଅଗ୍ରୱାଲ): ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ବ୍ଲକ ସ୍ତରୀୟ ଆଦର୍ଶ ଶ୍ରେଣୀଗୃହର ଶୁଭ ଉଦଘାଟନ ନନ୍ଦପୁର ପଞ୍ଚାୟତର ମାନସିଂହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବାଣପୁର ବ୍ଲକର ଏଫଏଲଏନ ମଡେଲ ସ୍କୁଲ ରୂପେ ପରିଚିତ ମାନସିଂହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଶ୍ରେଣୀଗୃହ ଅନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆଙ୍କ କରକମଳରେ ଉଦଘାଟିତ ହୋଇଛି।

ଡିଆଇଇଟି ଖୋର୍ଦ୍ଧାର ପ୍ରିନସିପାଲ ତାପସ ନାୟକ ମହେଶ ବେହେରା, ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଜାଲି ଏବଂ ବିଆରସିସି ଉକ୍ତ ଉତ୍ସବରେ ଯୋଗ ଦେଇଥିଲେ। ମାନସିଂହ ବିଦ୍ୟାଳୟଟି ଏକ ଜୀବନ୍ତ ବିଦ୍ୟାଳୟ ବୋଲି ପ୍ରକାଶ କରି ଏହାର ସାଜସଜ୍ଜା,ପରିଷ୍କାର ପରିଚ୍ଛନ୍ନତା ଓ ସର୍ବୋପରି ଛାତ୍ରଛାତ୍ରୀ ମାନଙ୍କର ପାଠପଢା ପ୍ରତି ଆଗ୍ରହ ଦେଖି ଅତିଥି ମାନେ ସନ୍ତୋଷ ପ୍ରକାଶ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସହକାରୀ ବୃନ୍ଦ ଏବଂ ସିଆରସିସି ସୂର୍ଯ୍ୟକାନ୍ତ ବେହେରା, ମନୋରଞ୍ଜନ ଖୁଣ୍ଟିଆ,କୈଳାଶ ହୋତା ପ୍ରମୁଖ ଏହାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବାଣପୁର: ଆମ ସଂକଳ୍ପ ବିକଶିତ ଭାରତ ରଥକୁ ସ୍ୱାଗତ 

ବାଣପୁର (ସୀତାରାମ ଅଗ୍ରୱାଲ): ମୋଦି ସରକାରଙ୍କ ସଫଳତାକୁ ପ୍ରତ୍ୟେକ ଲୋକଙ୍କ ପାଖରେ ପହଂଚାଇବା ଭରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲକ୍ଷରେ ‘ଆମ ସଂକଳ୍ପ ବିକଶିତ ଭାରତ’ ରଥ ବାଣପୁର ବ୍ଲକର ସବୁ ପଞ୍ଚାୟତକୁ ଯାତ୍ରା କରୁଛି। ଏହି ପରିପ୍ରେକ୍ଷୀରେ ଆଜି ଉକ୍ତ ରଥକୁ ନନ୍ଦପୁର ପଞ୍ଚାୟତରେ ଜୋରଦାର ସ୍ୱାଗତ କରାଯାଇଛି।  ପଞ୍ଚାୟତର ମହିଳା, ଅଙ୍ଗନବାଡି ସଭ୍ୟଙ୍କ ସହ ସରପଞ୍ଚ ଏବଂ ମୋଦି ଅନୁଗାମୀ ମାନେ ରଥକୁ ସ୍ୱାଗତ କରିଥିଲେ। ବିଭିନ୍ନ ପ୍ରକାର ଝୋଟି ସହ ମୋଦିଙ୍କ ଫୋଟୋରେ ପୁଷ୍ପମାଲ୍ୟ ଦେଇ ହୁଳହୁଳି ଓ ଶଙ୍ଖ ଧ୍ୱନିରେ ସ୍ୱାଗତ କରାଯାଇଥିଲା।

ରଥରେ ପ୍ରକାଶିତ ଏଲଇଡି ମାଧ୍ୟମରେ ମୋଦି ଓ ସରକାରଙ୍କ ସଫଳତାକୁ ଦର୍ଶକ ମାନେ ଦେଖି କେନ୍ଦ୍ର ସରକାରଙ୍କୁ ପ୍ରଂଶସା କରିଥିଲେ। ୪କୋଟି ଲୋକଙ୍କୁ ପକ୍କା ଘର ନିର୍ମାଣ, ୧୦କୋଟି ଲୋକଙ୍କୁ ଉଜ୍ୱଳା ଯୋଜନାରେ ଅନ୍ତର୍ଭୁକ୍ତ,୫୫କୋଟି ଲୋକଙ୍କୁ ମାଗଣାରେ ଚିକିତ୍ସା, ସହ ୧୩୫କୋଟିରୁ ଅଧିକ ନଳ ସଂଯୋଗ, ଏବଂ ଔଷଧ ଉପରେ ୭୫ଶତକଡା ରିହାତି ଭଳି ଯୋଜନା ଗୁଡିକୁ ମୁଖ୍ୟତଃ ରଥ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ନୃସିଂହ ଚରଣ ଜେନା ଓ ଜିଆରଏସ ଜିତୁ ଖଟେଇ ପରିଚାଳନା କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୪୧ କେଜି ଗଞ୍ଜେଇ ଜବତ: କାର ଓ ଚାଲାଣକାରୀ ଗିରଫ

ରଣପୁର: ଭଞ୍ଜନଗରରୁ ଭୁବେନେଶ୍ୱରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ରଣପୁର ପୋଲିସ। ରଣପୁର କୋଟଗଡ଼ ଘାଟି ନିକଟରେ ଚଢ଼ାଉ କରି ଗଞ୍ଜେଇ ଜବତ କଲା ରଣପୁର ପୋଲିସ। ଗୋଟିଏ ଟାଟା ଟିଆଗୋ କାର ସହ ୪୧ କେଜି ଗଞ୍ଜେଇ ଜବତ କରିଛି ରଣପୁର ପୋଲିସ। ଏହାସହ ଚୋରା ଚାଲାଣ ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ରଣପୁର ପୋଲିସ। ଅଭିଯୁକ୍ତର ନାମ ସରୋଜ କୁମାର ସାହୁ, ଘର ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବୋଲି ଜଣା ପଡିଛି।

ଅଭିଯୁକ୍ତ ସରୋଜ ରିତିମତ ଭାବେ ଗଞ୍ଜେଇ ଚୋରା ଚାଲାଣ କରି ଆସୁଥିଲା। ଏ ନେଇ ରଣପୁର ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଥାନା ଅଧିକାରୀଙ୍କ ନିହାର ରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶରେ ସୁନାଖଳା ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକାଶ ମହାନ୍ତି ନେତୃତ୍ୱରେ ସଦଳ ବଳେ କୋଟାଗଡ଼ ଘାଟି ନିକଟ ପାର୍କ ଠାରେ ଛକି ରହିଥିଲା। ସେହି ଠାରୁ ରଣପୁର ପୋଲିସ କାର ସହ ୪୧ ଜବତ ଜବତ କରି ଅଭିଯୁକ୍ତକୁ ଗିରଫ କରିଛି।

ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ଦେଢ଼ ଲକ୍ଷ ହେବ ବୋଲି ଶରଣକୂଳ ଏସ.ଡି.ପି.ଓ ସୁଧାକର ସାହୁ ପ୍ରେସ ମିଟ୍ ରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ପ୍ରେସ ମିଟ୍ ରେ ରଣପୁର ଆଇ.ଆଇ.ସି ନିହାର ରଞ୍ଜନ ମହାନ୍ତି, ସୁନାଖଳା ଫାଣ୍ଡି ଅଧିକାରୀ ପ୍ରତି ପ୍ରକାଶ ମହାନ୍ତି ଓ ଥାନାର ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୁର୍ଗାଦେବୀ ବସରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ଭାବିନିପୁର ଠାରେ ଦୁର୍ଗାଦେବୀ ବସ ଓ ଡି ୦୭ ଭି ୭୭୭୯ କୁ କେହି ଅଜଣା ଦୁର୍ବୃତ୍ତ ଟାୟାର ରେ ନିଆଁ ଲଗାଇବା ସହ ଆଗ ଗ୍ଲାସ କୁ ଭାଙ୍ଗି ଦେଇ ଥିଲେ। ଗ୍ଲାସ ଭାଙ୍ଗିବା ଶବ୍ଦ ଶୁଣି ବସ ରେ ସୋଇଥିବା କଣ୍ଡକ୍ଟର୍ ଓ ହେଲ୍ପର କର୍ମଚାରୀ ଉଠି ଦେଖିଲାବେଳକୁ ଉଠିବା ଜାଣି ଦୁବୃତ୍ତ ମାନେ ଦୌଡି ପଳାଇ ଥିଲେ। କଣ୍ଡକ୍ଟର ଓ ହେଲ୍ପର ନିଆଁ ଲିଭାଇଥିଲେ।
ପରେ କଣ୍ଡକ୍ଟର ଵି. ଶଙ୍କର ପାତ୍ର ବେଗୁନିଆପଡା ଥାନାରେ ଏତଲା ଦେଇଥିଲେ।

ସେହି ଭଳି ଅଙ୍ଗାରଗାଁ ନିକଟରେ ରାତ୍ରି ରହଣି କରୁଥିବା ଦୁର୍ଗାଦେବୀ ବସ ଓ ଡି ୦୭ ଏ ଡି ୬୮୯୯ ବସ ର ବିଭିନ୍ନ କେବୁଲ କାଟିବା ସହ ଭ୍ୟାକୁମ୍ ପାଇପ ରେ ନିଆଁ ଲଗାଇ ଦେଇଥିଲେ। ଏହି ବସ ର କଣ୍ଡକ୍ଟର୍ ବେଗୁନିଆପଡା ଥାନାରେ ଏତଲା ଦେଇଥିଲେ। ଏତଲା କୁ ଭିତ୍ତି କରି ପୋଲିସ ତଦନ୍ତ ଜାରି ରଖିଛି। ତେଣୁ ପୂର୍ବ ଶତ୍ରୁତା ରୁ ହୋଇଥିବା ମାଲିକ ସନ୍ଦେହ କରିଥିବା ବେଳେ ପ୍ରକୃତ କାରଣ ଜଣାପଡ଼ିନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଅର୍ଥ ଭଳି ବିଦ୍ୟୁତ୍ ସଞ୍ଚୟ କରିବା ଆବଶ୍ୟକ: ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ

ଭୁବନେଶ୍ଵର: ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ। ଟାରିଫ୍ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ। ତଥାପି ଭବିଷ୍ୟତକୁ ଦୃଷ୍ଟିରେ ରଖି ଶକ୍ତି ସଂରକ୍ଷଣ କରିବା ନିହାତି ଜରୁରୀ। ଏବେ ଶକ୍ତି ସଂରକ୍ଷଣର ଅନେକ ଅତ୍ୟାଧୁନିକ ରାସ୍ତା ବାହାରିଲାଣି; ସେସବୁକୁ ଗ୍ରହଣ କରି ଶକ୍ତିସଂରକ୍ଷଣ ଓ ଶକ୍ତି ଦକ୍ଷତା କ୍ଷେତ୍ରରେ ଅଗ୍ରଣୀ କରିବାକୁ ପଡ଼ିବ ବୋଲି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି। ଶକ୍ତି ବିଭାଗ ପକ୍ଷରୁ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଦେବ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀଙ୍କୁ ସାମିଲ କରାଯିବା ଉପରେ ଗୁରୁତ୍ଵ ଦେଇଛନ୍ତି। କାରଣ ଛାତ୍ର ଓ ଯୁବଗୋଷ୍ଠୀ ହିଁ କୌଣସି ନୀତି ବା ନିୟମକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରାଇବାର ଯଥାର୍ଥ ଦକ୍ଷତା ରଖନ୍ତି। ଏହା ସହିତ ଅକ୍ଷୟଶକ୍ତିର ବ୍ୟବହାରକୁ ଗୁରୁତ୍ଵ ଦେବା ସହ ଜୀବାଶ୍ମ ଇନ୍ଧନର ବ୍ୟବହାରକୁ କମାଇବା ପାଇଁ ସେ କହିଥିଲେ।

ପାଣି, ବାୟୁ ଓ ଅଗ୍ନି ଭଳି ବିଦ୍ୟୁତ୍ ଜୀବନର ଏକ ଅବିଛେଦ୍ୟ ଅଙ୍ଗ ପାଲଟିସାରିଛି। ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଶକ୍ତି ଚାହିଦା ପ୍ରତି ବର୍ଷ ୧୦ ପ୍ରତିଶତ ହାରରେ ବଢ଼ିବାରେ ଲାଗିଛି। ଯଦିଓ ଶକ୍ତି ଚାହିଦା ମେଣ୍ଟାଇବା ପାଇଁ ରାଜ୍ୟ ସମର୍ଥ କିନ୍ତୁ ଏହି କ୍ରମବର୍ଦ୍ଧିଷ୍ଣୁ ଶକ୍ତି ଚାହିଦା ଉତ୍ପାଦନ, ସଂଚାରଣ ଓ ବିତରଣ ବ୍ୟବସ୍ଥା ପାଇଁ ଏକ ବଡ଼ ଆହ୍ଵାନ ସୃଷ୍ଟି କରିବାରେ ଲାଗିଛି। ଭବିଷ୍ୟତର ଶକ୍ତି ସଂକଟକୁ ଏଡ଼ାଇବା ପାଇଁ ଏବେଠାରୁ ହିଁ ଶକ୍ତି ସଂରକ୍ଷଣକୁ ପ୍ରାଧାନ୍ୟ ଦେବାକୁ ଶ୍ରୀ ଦେବ ଗୁରୁତ୍ଵ ଦେଇଛନ୍ତି। ଅର୍ଥ ସଂଚୟକୁ ଆମେ ଯେପରି ଗୁରୁତ୍ଵ ଦେଉଛେ ସେମିତି ଶକ୍ତି ସଂଚୟ ମଧ୍ୟ କରିବା ଜରୁରୀ ବୋଲି ସେ କହିଥିଲେ।

ବର୍ତ୍ତମାନ ଶକ୍ତି ସଂରକ୍ଷଣ ପାଇଁ ଅନେକ ଅତ୍ୟାଧୁନିକ ରାସ୍ତା ବାହାରିଲାଣି। ଏସବୁକୁ କାମରେ ଲଗାଇବା ଜରୁରୀ। ସରକାରୀ ହେଉ କି ବେସରକାରୀ ପ୍ରତିଷ୍ଠାନରେ ଶକ୍ତି ସଂରକ୍ଷଣ ନୀତି ଗ୍ରହଣ କରାଯିବା ଦରକାର। ମୋସନ ସେନ୍ସର ଟେକ୍ନୋଲୋଜି ବ୍ୟବହାର ଉପରେ ମଧ୍ୟ ମନ୍ତ୍ରୀ ଶ୍ରୀ ଦେବ ଗୁରୁତ୍ଵ ଦେଇଥିଲେ। ଶକ୍ତି ସଂରକ୍ଷଣର କୌଣସି ବିକଳ୍ପ ନାହିଁ ବୋଲି ସେ ତାଙ୍କ ଅଭିଭାଷଣରେ କହିଥିଲେ।

ଅନ୍ୟତମ ଅତିଥି ଭାବେ ଯୋଗଦେଇ ସେଣ୍ଟର ଫର୍ ଏନଭାଇରନମେଣ୍ଟ ଷ୍ଟଡିଜର ନିର୍ଦ୍ଦେଶକ ଡକ୍ଟର କେ ମୁରୁଗେସନ ଯୋଗ ଦେଇ ଜୀବାଶ୍ମ ଇନ୍ଧନ ବ୍ୟବହାର କମାଇବା ଉପରେ ଗୁରୁତ୍ଵ ଦେଇଥିଲେ। ଜୀବାଶ୍ମ ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ ହେଲେ ଶକ୍ତି ସଂରକ୍ଷଣ ଅଭିଯାନର ଆବଶ୍ୟକତା ନିତାନ୍ତ ଜରୁରୀ ବୋଲି ସେ କହିଥିଲେ।

ସ୍ଵାଗତ ଭାଷଣରେ ସର୍ବୋଚ୍ଚ ଯନ୍ତ୍ରୀ ତଥା ପ୍ରମୁଖ ମୁଖ୍ୟ ବିଦ୍ୟୁତ୍ ନିରୀକ୍ଷକ ସୁରେଶ ଚନ୍ଦ୍ର ମହାରଣା ଶକ୍ତି ବିଭାଗ ପକ୍ଷରୁ ଶକ୍ତି ସଂରକ୍ଷଣ ପାଇଁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଶକ୍ତି ସଂରକ୍ଷଣର ଉପାଦେୟତା ବୁଝାଇବା ପାଇଁ ସ୍କୁଲ ପିଲାମାନଙ୍କୁ ଏଥିରେ ସାମିଲ କରାଯାଇଛି। ମୋ ସ୍କୁଲ ଅଭିଯାନ ଅଧୀନରେ ବିଭିନ୍ନ ସ୍କୁଲରେ ଶକ୍ତି କ୍ଲବ ଗଠନ କରାଯାଇଛି। ସେହି ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀ ଏହି କ୍ଲବର ସଦସ୍ୟ ଭାବେ ଶକ୍ତି ସଂରକ୍ଷଣ ଅଭିଯାନରେ ସାମିଲ ହେଉଛନ୍ତି ବୋଲି ସେ କହିଥିଲେ। ଏହା ସହିତ ବିଭିନ୍ନ ସରକାରୀ ପ୍ରତିଷ୍ଠାନ, ଡାକ୍ତରଖାନାରେ ରେ ଶକ୍ତି ସଂରକ୍ଷଣ ପଦକ୍ଷେପ ନିଆଯାଇଛି। ଶକ୍ତି ଦକ୍ଷ ବୈଦୁତିକ ଉପକରଣ ଲଗାଯାଇଛି ବୋଲି ସେ ତାଙ୍କ ଅଭିଭାଷଣରେ କହିଥିଲେ।

ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶକ୍ତି ସଂରକ୍ଷଣ ଓ ଶକ୍ତି ଦକ୍ଷତା କ୍ଷେତ୍ରରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ବିଭିନ୍ନ ସ୍ଵାସ୍ଥ୍ୟ, ଶିଳ୍ପ ଓ ଶିକ୍ଷା ପ୍ରତିଷ୍ଠାନକୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହା ସହିତ ଛାତ୍ରଛାତ୍ରୀମାନଙ୍କୁ ନେଇ ପୂର୍ବାହ୍ନରେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହାକୁ ମନ୍ତ୍ରୀ ଶ୍ରୀ ଦେବ ଶୁଭାରମ୍ଭ କରିଥିଲେ। ଏକ ଡିଜିଟାଲ ସଚେତନତା ରଥ ସହର ପରିକ୍ରମା କରି ଶକ୍ତି ସଂରକ୍ଷଣର ବାର୍ତ୍ତା ପ୍ରଚାର କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସୂଚନା ବିଜ୍ଞାନ ପଦାଧିକାରୀଙ୍କ ପାଇଁ ତ୍ରି-ଦିବସୀୟ ଇ-ଗଭର୍ଣ୍ଣାନ୍ସ ରାଜ୍ୟସ୍ତରୀୟ ସମ୍ମିଳନୀ ଉଦଘାଟିତ

ଭୁବନେଶ୍ୱର: ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନ୍ ଆଇ ସି), ଭୁବନେଶ୍ୱର ଠାରେ ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀ ଏବଂ ସହକାରୀ ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀମାନଙ୍କ ପାଇଁ ତ୍ରି-ଦିବସୀୟ ଇ-ଗଭର୍ଣ୍ଣାନ୍ସ ରାଜ୍ୟସ୍ତରୀୟ ସମ୍ମିଳନୀ ଆଜି ଉଦଘାଟିତ ହୋଇଯାଇଅଛି।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି  ରାଜ୍ୟରେ ଇ-ଶାସନର ସଫଳ ପ୍ରବର୍ତ୍ତନ ପାଇଁ ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ଏନଆଅଇସିର ବିଭିନ୍ନ କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା ରହିଛି। ଜିଲ୍ଲାସ୍ତରରେ ଏନଆଇସି ବହୁତ ଭଲ କାମ କରିଛନ୍ତି। ଜିଲ୍ଲାପାଳମାନଙ୍କ ତତ୍ୱାବଧାନରେ  ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ବହୁ କାର୍ଯ୍ୟ ସଂପାଦନ କରିବାରେ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀମାନେ ଅଗ୍ରଣୀ ଭୂମିକା ନିର୍ବାହ କରିଆସୁଛନ୍ତି। ଏହି ସଫଳତା ଆଧାର ତଥା ଅତୀତର କାର୍ଯ୍ୟ ପଦ୍ଧତିକୁ ବିଶ୍ଲେଷଣ କରି ଆଗାମୀ ଦିନରେ ସୂଚନା ବିଜ୍ଞାନ ଅଧିକାରୀମାନେ ଅଧିକରୁ ଅଧିକ ଭଲ କାର୍ଯ୍ୟ କରିବେ ବୋଲି ସେ ଆଶାବ୍ୟକ୍ତ କରିବା ସହିତ ସୂଚନା ବିଜ୍ଞାନୀମାନଙ୍କୁ  ଉତ୍ସାହିତ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ସୂଚନା ବିଜ୍ଞାନୀମାନଙ୍କର ବୈଷୟିକ ଜ୍ଞାନ କ୍ଷେତ୍ରରେ ଦକ୍ଷତା ରହିଛି। ସବୁବେଳେ କାର୍ଯ୍ୟରେ ଅଭିନବତ୍ୱ ଆଣିବା ସହିତ ରାଜ୍ୟର ଯେଉଁ ପ୍ରକଳ୍ପ କାର୍ଯ୍ୟକାରିତାରେ ଏନଆଇସିର ଭୂମିକା ରହୁଛି, ସେସବୁକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସାରିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଆଇଟି କ୍ଷେତ୍ରରେ ଯୋଗଦାନ କରୁଥିବା ଅଧିକାରୀମାନଙ୍କ ପ୍ରତି ସେ କହିଥିଲେ ଯେ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଉଜ୍ଜ୍ୱଳ ଭବିଷ୍ୟତ ରହିଛି। ନିଷ୍ଠା, ଅଭିଜ୍ଞତାସଂପନ୍ନ ଏବଂ  ଦକ୍ଷତା ରଖୁଥିବା  ଆଇଟି ବୃତ୍ତିଧାରୀ ଅନୁଷ୍ଠାନଗୁଡିକ ପାଇଁ ମୂଳପୁଞ୍ଜି ବୋଲି ସେ ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରମ ତଥା ରାଜ୍ୟ କର୍ମଚାରୀ ରାଜ୍ୟ ବୀମା ବିଭାଗ  କମିଶନର ତଥା ଶାସନ ସଚିବ ସନ୍ଥନାଗୋପାଳନ ଆର. ଯୋଗଦେଇ ନାଗରିକମାନଙ୍କୁ ସେବା ଯୋଗାଇବାରେ ନୂତନ ଜ୍ଞାନ କୌଶଳ ତଥା କୃତିମ ବୁଦ୍ଧିମତା, ବ୍ଳକଚେନ, ଭରଚୁଆଲ ରିଅଲିଟି ଆଦି ଉପରେ ଆଲୋକପାତ କରିଥିଲେ।

ଉପ ମହାନିର୍ଦ୍ଦେଶକ ତଥା ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ଡଃ. ଅଶୋକ କୁମାର ହୋତା ଯୋଗଦେଇ ଓଡିଶାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ପ୍ରକଳ୍ପର କାର୍ଯ୍ୟାନ୍ୱୟନରେ ଏନଆଇସିର ଭୂମିକା ସଂପର୍କରେ ବିଶଦ ଭାବେ ଆଲୋକପାତ କରିଥିଲେ। ଜଗତସିଂହପୁର ଜିଲ୍ଲାରେ ଇ-ଅଫିସ୍ ଜିଲ୍ଲାସ୍ତରରୁ ପଞ୍ଚାୟତସ୍ତର ପର୍ଯ୍ୟନ୍ତ କାର୍ଯ୍ୟାନ୍ଵୟନ, ପୁରୀରେ ହବିଷ୍ୟାଳିମାନଙ୍କ ପାଇଁ କମ୍ପ୍ୟୁଟର ମାଧ୍ୟମରେ ପଞ୍ଜିକରଣ, କଟକର ବାଲିଯାତ୍ରାରେ ସାଧାରଣ ଜନତାଙ୍କ ମଧ୍ୟରେ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସଚେତନତା ଆଦି ପ୍ରଚେଷ୍ଟା ପାଇଁ ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀମାନଙ୍କ ପ୍ରଶଂସନୀୟ ଭୂମିକା ସଂପର୍କରେ ସେ ପ୍ରକାଶ କରିଥିଲେ। ଆସନ୍ତା ତିନି ଦିନରେ କୃଷି, ପରିବହନ, ରାଜସ୍ୱ ଆଦି ବିଭିନ୍ନ ବିଭାଗର ପ୍ରକଳ୍ପ ଉପରେ ବିଭିନ୍ନ ଆଲୋଚନା ରହିଛି ବୋଲି ସେ ସୂଚନା ପ୍ରଦାନ କରିଥିଲେ।

ଏହି ଅବସରରେ ଏନ. ଆଇ. ସି. ଓଡିଶାର ମୁଖ୍ୟ ପ୍ରକଳ୍ପ ଗୁଡିକର ଏକ ବାର୍ଷିକ  କ୍ୟାଲେଣ୍ଡର ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଡଃ. ରାମକୃଷ୍ଣ ଦାଶ, ଏନଆଇସିର  ଉପ ମହାନିର୍ଦ୍ଦେଶକ ଓ ଜୟନ୍ତ  କୁମାର ମିଶ୍ର, ଦକ୍ଷତା ବିକାଶ ବିଭାଗ ମୁଖ୍ୟ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପଣ୍ଡିତ ନୀଳମଣି ବିଦ୍ୟାରନିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଭୁବନେଶ୍ୱର: ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣୀ ପଣ୍ଡିତ ନୀଳମଣି ବିଦ୍ୟାରନିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଜୟଦେବ ବିହାର ଛକସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରନି ସ୍ମୃତି ସଂସଦ, ଭୁବନେଶ୍ୱରଙ୍କ ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଉକ୍ତ କାର୍ଯ୍ୟକ୍ରମରେ ସଂସଦର ସଭାପତି ତଥା ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ତି୍ରପାଠୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ, ବୈଷୟିକ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନର୍ଦ୍ଦେଶକ ସନ୍ତୋଷ କୁମାର ଦାସ ପ୍ରମୁଖ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରିବା ସହ ବିଦ୍ୟାରନିଙ୍କ ସ୍ମୃତିଚାରଣ କରିଥିଲେ।

ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ, ସୂଚନା ଅଧିକାରୀ ପ୍ରମୋଦିନୀ ଟେଟେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବହୁ ବୁଦ୍ଧିଜୀବୀ ଓ ସ୍ମୃତି ସଂସଦର ସମ୍ପାଦକ ଡା. କୃଷ୍ଣକେଶବ ଷଡ଼ଙ୍ଗୀ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।