Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନବାବ ମଲିକଙ୍କୁ ବଡ ଆଶ୍ଵସ୍ତି: ସୁପ୍ରିମକୋର୍ଟରୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଆଜି ଅର୍ଥ ହେରଫେର ମାମଲାରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନବାବ ମଲିକଙ୍କୁ ସୁପ୍ରିମକୋର୍ଟ ଦୁଇମାସ ଜାମିନ ପ୍ରଦାନ କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି କୋର୍ଟ ମଲିକଙ୍କୁ ଏହି ଜାମିନ ଦେଇଛନ୍ତି।

ସୂଚନା ଅନୁଯାୟୀ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ନବାବ ମଲିକଙ୍କୁ ଜାମିନ ପ୍ରଦାନକୁ ଇଡି ବିରୋଧ କରି ନାହିଁ। ଅର୍ଥ ହେରଫେର ମାମଲାରେ ମଲିକ ଫେବୃଆରୀ ୨୦୨୨ ରୁ ଜେଲରେ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସିଆରସିଏସଙ୍କ ଡିଜିଟାଲ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ରର ପୁଣେ ଠାରେ କେନ୍ଦ୍ରୀୟ ସମବାୟ ସମିତି ନିବନ୍ଧକ (ସିଆରସିଏସ)ଙ୍କ ଡିଜିଟାଲ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, କେନ୍ଦ୍ର ସମବାୟ ରାଷ୍ଟ୍ର ମନ୍ତ୍ରୀ ବି.ଏଲ ବର୍ମାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ଶାହ କହିଥିଲେ, ମହାରାଷ୍ଟ୍ରରୁ ହିଁ ସମବାୟ ସଂସ୍କୃତି ସାରା ଦେଶରେ ବିସ୍ତାରିତ ହୋଇଥିଲା ଏବଂ ମହାରାଷ୍ଟ୍ରର ସମବାୟ ମଡେଲ ଦେଶରେ ସମବାୟ ଆନ୍ଦୋଳନକୁ ଆଗେଇ ନେଉଛି। ସେ କହିଥିଲେ, ଯଦି ଆମେ ଆଜି ସମବାୟ ଆନ୍ଦୋଳନର କ୍ରମ ବିକାଶକୁ ଦେଖିବା ତା’ହେଲେ ଏହା ଗୁଜରାଟ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ବିଶେଷ ଭାବେ ବିକଶିତ ହୋଇଥିବା ଦେଖିବାକୁ ମିଳିବ । ପୂର୍ବରୁ ଏହି କ୍ଷେତ୍ର ବମ୍ବେ ରାଜ୍ୟ ଅଧୀନରେ ଥିଲା। ତେଣୁ  କେନ୍ଦ୍ରୀୟ ସମବାୟ ସମିତି ନିବନ୍ଧକ (ସିଆରସିଏସ)ଙ୍କ ଡିଜିଟାଲ ପୋର୍ଟାଲର ଶୁଭାରମ୍ଭ କାର୍ଯ୍ୟ ମହାରାଷ୍ଟ୍ରରୁ ଆରମ୍ଭ କରାଯିବାର ବିଶେଷ ପ୍ରାସଙ୍ଗିକତା ରହିଛି । ଶ୍ରୀ ଶାହା କହିଥିଲେ, ବିଭିନ୍ନ ବହୁମୁଖ ସମବାୟ ସମିତିକୁ ପରିଚାଳନା କରୁଥିବା କେନ୍ଦ୍ରୀୟ ନିବନ୍ଧକ (ସିଆରସିଏସ)ଙ୍କ କାର୍ଯ୍ୟ ଆଜି ଠାରୁ ସମ୍ପୂର୍ଣ୍ଣ ଡିଜିଟାଲ ହେଲା । ନୂଆ ଶାଖା ଖୋଲିବା, ଅନ୍ୟ ରାଜ୍ୟକୁ ସମ୍ପ୍ରସାରଣ କିମ୍ବା ଅଡିଟିଂ ଭଳି ସମବାୟ ସମିତିଗୁଡ଼ିକର ସବୁ କାର୍ଯ୍ୟ ଏବେ ଅନଲାଇନରେ ହେବ ।

କେନ୍ଦ୍ର ସମବାୟ ମନ୍ତ୍ରୀ କହିଥିଲେ, ଅନେକ ଚିନ୍ତା କରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘‘ସହକାର ସେ ସମୃଦ୍ଧି’’ ବିଚାର ଉପସ୍ଥାପନ କରିଥିଲେ । ଗତ ୯ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର କୋଟି କୋଟି ଗରିବ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ଦିଗରେ କାର୍ଯ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଗରିବ ଓ ବଞ୍ଚିତ ମାନଙ୍କୁ ଆବାସ, ବିଦ୍ୟୁତ ସଂଯୋଗ, ଶୁଦ୍ଧ ପାନୀୟ ଜଳ, ଗ୍ୟାସ ସିଲିଣ୍ଡର, ଶୌଚାଳୟ, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା, ମୁଣ୍ଡ ପିଛା ମାସିକ ୫ କିଲୋଗ୍ରାମ ଲେଖାଏଁ ଖାଦ୍ୟଶସ୍ୟ ମାଗଣାରେ ଯୋଗାଇ ଦେଉଛନ୍ତି । ଦେଶର କୋଟି କୋଟି ଲୋକ ପୂର୍ବରୁ ବ୍ୟାଙ୍କ ସେବାରୁ ବଞ୍ଚିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କ ପାଇଁ ବ୍ୟାଙ୍କ ଏକାଉଣ୍ଟ ଖୋଲିବା ଜରିଆରେ ଗରିବ ଲୋକଙ୍କୁ ଦେଶର ଅର୍ଥବ୍ୟବସ୍ଥା ସହ ଯୋଡ଼ିପାରିଛନ୍ତି । ସେ କହିଥିଲେ, ଯଦି ଦେଶର ଗରିବ ଲୋକଙ୍କ ପାଖରେ ଏକ ଉଦ୍ୟୋଗ ଆରମ୍ଭ କରିବା ଲାଗି ପୁଞ୍ଜିର ଅଭାବ ରହିଛି ତା’ହେଲେ ସମବାୟ ଆନ୍ଦୋଳନ ହିଁ ଏକମାତ୍ର ମାର୍ଗ ଯାହା ଜରିଆରେ ଅନେକ ଲୋକ ଅଳ୍ପ ପୁଞ୍ଜି ସହିତ ଏକତ୍ରିତ ହୋଇ ଏକ ବଡ଼ ଉଦ୍ୟୋଗ ପ୍ରତିଷ୍ଠା କରିପାରିବେ।

ଶ୍ରୀ ଶାହା କହିଥିଲେ ଯେ, ‘‘ସହକାରସେ ସମୃଦ୍ଧି’’ର ଅର୍ଥ ହେଉଛି ଗରିବ ଲୋକଙ୍କ ଜୀବନରେ ସୁଧାର ଆଣିବା, ସେମାନଙ୍କୁ ଦେଶର ଆର୍ଥିକ ବିକାଶ ଯୋଗଦାନ ଦେବା ପାଇଁ ମଞ୍ଚ ଯୋଗାଇ ଦେବା ଏବଂ ସମବାୟ ଜରିଆରେ ସେମାନଙ୍କ ଜୀବନଧାରଣ ମାନରେ ସୁଧାର ଆଣିବା । ଏହି ଉଦ୍ଦେଶ୍ୟ ନେଇ ଶ୍ରୀ ମୋଦୀ ସମବାୟ ମନ୍ତ୍ରଣାଳୟ ଗଠନ କରିଥିବା ସେ କହିଥିଲେ । ଶ୍ରୀ ଶାହା କହିଥିଲେ, ଆଜି ଶୁଭାରମ୍ଭ କରାଯାଇଥିବା ପୋର୍ଟାଲ ଦ୍ୱାରା ଦେଶର ୧୫୫୫ ବହୁମୁଖୀ ସମବାୟ ସମିତି ଲାଭବାନ ହେବେ ଏବଂ ଏସବୁ ୧୫୫୫ ସମବାୟ ସମିତି ମଧ୍ୟରୁ କେବଳ ୪୨% ମହାରାଷ୍ଟ୍ରରେ ଅଛନ୍ତି । ଏହା ମହାରାଷ୍ଟ୍ରରେ ସମବାୟ ଆନ୍ଦୋଳନର ସାମର୍ଥ୍ୟକୁ ଦର୍ଶାଉଛି। ଅନୁରୂପ ଭାବେ ମୋଦୀ ସରକାର ସବୁ ରାଜ୍ୟର ସମବାୟ ସମିତି ନିବନ୍ଧକଙ୍କ କାର୍ଯ୍ୟାଳୟଗୁଡ଼ିକୁ କମ୍ପ୍ୟୁଟରୀକରଣ କରିବାକୁ ଯାଉଛନ୍ତି ଯାହାକି ଦେଶବ୍ୟାପୀ ରହିଥିବା ୮ ଲକ୍ଷ ସମବାୟ  ସମିତିଗୁଡ଼ିକର ଯୋଗାଯୋଗକୁ ସହଜ କରିବ ବୋଲି ସେ କହିଥିଲେ ।

କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ କହିଥିଲେ, ଆଧୁନିକତା, ପାରଦର୍ଶିତା ଓ ଉତ୍ତରଦାୟିତ୍ୱ ବିନା ଦେଶରେ ସମବାୟ ଆନ୍ଦୋଳନ ଆଗକୁ ବଢ଼ିପାରିବ ନାହିଁ । ସେ କହିଥିଲେ ଯେ, ଅଧିକ ସମବାୟ ପ୍ରତି ଗ୍ରହଣୀୟତା ବଢ଼ାଇବାକୁ  ହେଲେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ହେବ ଏବଂ ପାରଦର୍ଶିତା ଆଣିବାକୁ ହେବ । ଅମୁଲ, ଇଫକୋ ଏବଂ କ୍ରିଭକୋ ଭଳି ସମବାୟର ଅନେକ ସଫଳ କାହାଣୀ ଭାରତ ସାରା ଦୁନିଆକୁ ଦେଖାଇଛି । ବର୍ତ୍ତମାନ ଏସବୁକୁ ଆଗେଇ ନେଇ ଆମକୁ ସମବାୟ ଆନ୍ଦୋଳନକୁ ଏକ ନୂଆ ଗତି ଦେବାକୁ ହେବ ।

ଶ୍ରୀ ଶାହା କହିଥିଲେ ଯେ ନିକଟରେ ବହୁମୁଖୀ ସମବାୟ ସମିତି ଆଇନରେ ସଂଶୋଧନ ଅଣାଯାଇଛି । ଏହି ଆଇନ ଅଧୀନରେ ଆମେ ନିର୍ବାଚନୀ ସଂସ୍କାର କାର୍ଯ୍ୟକାରୀ କରିଛୁ, ସମବାୟ ପ୍ରଶାସନ ପାଇଁ ନୂଆ ନିୟମ ନିର୍ଦ୍ଧାରଣ କରିଛୁ, ଆର୍ଥିକ ଶୃଙ୍ଖଳା ଓ ପାଣ୍ଠି ପାଇଁ ବ୍ୟବସ୍ଥା କରିଛୁ, ବ୍ୟବସାୟିକ ସୁଗମତା ପାଇଁ ବ୍ୟବସ୍ଥା କରିଛୁ, ନିର୍ବାଚନ ଆୟୋଗଙ୍କ ଭଳି ଏକ ନିରପେକ୍ଷ ସଂସ୍ଥା ସମବାୟ ନିର୍ବାଚନ ପାଇଁ କାର୍ଯ୍ୟ କରିବ, ପରିଷଦ ପରିଚାଳନା ପାଇଁ ନିୟମିରେ ପରିବର୍ତ୍ତନ କରାଯାଇଛି, ପାରଦର୍ଶିତା ଆଣିବା ଲାଗି ପରିଷଦ ନିର୍ଦ୍ଦେଶକ ଓ କର୍ମଚାରୀଙ୍କ ମଧ୍ୟରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରାଯାଇଛି । ବହୁମୁଖୀ ସମବାୟ ସମିତି ଆଇନ, ୨୦୨୨ ସମବାୟ ସମିତିଗୁଡ଼ିକର ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବା ସହିତ ପ୍ରିୟାପ୍ରୀତି ତୋଷଣକୁ ସମାପ୍ତ କରିବ ଯାହାଫଳରେ ଯୁବ ପ୍ରତିଭା ସମବାୟ ଆନ୍ଦୋଳନରେ ସାମିଲ ହୋଇପାରିବେ ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶାହା କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ନିରନ୍ତର ମାର୍ଗଦର୍ଶନ ଫଳରେ ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକୁ ଅଧିକ ବ୍ୟବହାର୍ଯ୍ୟ କରିବା ଲାଗି ଅନେକ କାର୍ଯ୍ୟ କରାଯାଉଛି । ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ ୩ ଲକ୍ଷ ନୂଆ ପ୍ରାଥମିକ କୃଷି ସମବାୟ ସମିତି ପ୍ରତିଷ୍ଠା କରି ମୋଦୀ ସରକାର ସମବାୟ ଆନ୍ଦୋଳନକୁ ପ୍ରତ୍ୟେକ ଗ୍ରାମରେ ପହଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି । ଗତ ୭୦ ବର୍ଷ ମଧ୍ୟରେ ଦେଶରେ ୯୩ ହଜାର ପ୍ରାଥମିକ କୃଷି ସମବାୟ ସମିତି ନିର୍ମାଣ ହୋଇଥିବା ବେଳେ ଆସନ୍ତା ୫ ବର୍ଷ ମଧ୍ୟରେ ୩ ଲକ୍ଷ ନୂଆ ପ୍ରାଥମିକ କୃଷି ସମବାୟ ସମିତି ନିର୍ମାଣ କରାଯିବ । ମୋଦୀ ସରକାରଙ୍କ ଦ୍ୱାରା ଦେଶର ସବୁ ପ୍ରାଥମିକ କୃଷି ସମବାୟ ସମିତିର କମ୍ପ୍ୟୁଟରୀକରଣ କାମ ଶେଷ କରାଯାଇଛି ବୋଲି ଶ୍ରୀ ଶାହା କହିଥିଲେ। ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକ ଏବେ ଜନ ସେବା କେନ୍ଦ୍ର (ସିଏସସି) ଭାବେ ପରିଣତ ହୋଇ ବିଭିନ୍ନ ପ୍ରକାର କାର୍ଯ୍ୟ କରିପାରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ ବିଶ୍ୱର ସର୍ବବୃହତ ଓ ବହୁମୁଖୀ ଭଣ୍ଡାରଣ ଯୋଜନାକୁ ମଞ୍ଜୁର କରିଛନ୍ତି । ବର୍ତ୍ତମାନ ଜିଇଏମ ପ୍ଲାଟଫର୍ମର ଲାଭ ମଧ୍ୟ ସମବାୟ ସଂସ୍ଥାଗୁଡ଼ିକୁ ମିଳୁଛି ।

ବର୍ତ୍ତମାନ ସୁଦ୍ଧା ୯୫% ଜାତୀୟ ସମବାୟ ଡେଟାବେସ ତିଆରି କାମ ଶେଷ ହୋଇଛି । ଆମେ ଏକ ନୂଆ ସମବାୟ ନୀତି ଆଣିବାକୁ ଯାଉଛୁ । ଆମେ ଏକ ସମବାୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯାଉଛୁ ଯାହା ମାଧ୍ୟମରେ ସମବାୟର ବୈଷୟିକ ଶିକ୍ଷା ଏବଂ ଏହାର ସମସ୍ତ ବିଭାଗକୁ ଯୋଡ଼ାଯାଇପାରିବ । ସେ କହିଥିଲେ ଯେ ଶ୍ରୀ ମୋଦୀ ୩ଟି ନୂଆ ବହମୁଖି ସମବାୟ ସମିତି ଗଠନ କରିଛନ୍ତି । ଗୋଟିଏ ସମିତି ବହୁମୁଖି ଜୈବିକ ଉତ୍ପାଦ ବିକ୍ରି ପାଇଁ ପ୍ରତିଷ୍ଠା କରାଯାଇଛି ଯାହାକି ‘ଭାରତବ୍ରାଣ୍ଡ’ ନାମରେ ପ୍ରାକୃତିକ କୃଷି ଉତ୍ପାଦ ବିକ୍ରି କରୁଛି । ଏହାର ସମ୍ପୂର୍ଣ୍ଣ ଲାଭ ଚାଷୀଙ୍କ ଏକାଉଣ୍ଟକୁ ଯାଉଛି । ଏହି ୩ଟି ନୂଆ ବହମୁଖି ସମବାୟ ସମିତି ଦ୍ୱାରା ଦେଶର ୧୦ କୋଟି ଚାଷୀ ଲାଭବାନ ହେଉଛନ୍ତି ଏବଂ ଏଗୁଡ଼ିକ ଆଗାମୀ ଦିନରେ କୋଟି ଚାଷୀଙ୍କ ସମୃଦ୍ଧି ନିମନ୍ତେ ମାର୍ଗ ପ୍ରଶସ୍ତ କରିବ ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶାହା କହିଥିଲେ, ପୂର୍ବରୁ ସମବାୟ ସଂସ୍ଥାଗୁଡ଼ିକ ପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଉଥିଲା କିନ୍ତୁ ଏବେ ସମବାୟ ସଂସ୍ଥାଗୁଡ଼ିକୁ କର୍ପୋରେଟ୍‌ ସଂସ୍ଥା ଭଳି ସୁବିଧାସୁଯୋଗ ମିଳିପାରୁଛି । ଆୟକରରେ ରହିଥିବା ଦୋହରା ଟିକସ ବ୍ୟବସ୍ଥାକୁ ମଧ୍ୟ ଉଚ୍ଛେଦ କରାଯାଇଛି । ଅନେକ ବର୍ଷ ଧରି ପଡ଼ିରହିଥିବା ଚିନି କଳଗୁଡ଼ିକର ବିଭିନ୍ନ ସମସ୍ୟାକୁ ମୋଦୀ ସରକାର ସମାଧାନ କରିଛନ୍ତି ।  ଚାଷୀଙ୍କ ଲାଭ ଉପରେ ସରକାର ଟିକସ ଲାଗୁ କରି ପାରିବେ ନାହିଁ, ସମବାୟ କ୍ଷେତ୍ର ପାଇଁ ସରକାର ଏହି ନୀତି ଆପଣାଇଛନ୍ତି । ଅର୍ଥ ମନ୍ତ୍ରଣାଳୟ ଏହି ନିଷ୍ପତ୍ତିକୁ ଗ୍ରହଣ କରିବା ସମବାୟ କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପୂର୍ବରୁ କେବର ସହରାଞ୍ଚଳ ସମବାୟ ବ୍ୟାଙ୍କକୁ ଗୃହ ଋଣ ପ୍ରଦାନ କରିବାର କ୍ଷମତା ଥିଲା ଏବେ ଗ୍ରାମୀଣ ସମବାୟ ବ୍ୟାଙ୍କଗୁଡ଼ିକୁ ଏ ସୁବିଧା ମିଳିଛି । ଏବେ ସହରାଞ୍ଚଳ ସମବାୟ ବ୍ୟାଙ୍କକୁ ଭ୍ରାମ୍ୟମାଣ ବ୍ୟାଙ୍କ ସେବା ଯୋଗାଇ ଦେବାର ଅନୁମତି ମିଳିଛି । ସରକାରୀ ବ୍ୟାଙ୍କ ଭଳି ସହରାଞ୍ଚଳ ସମବାୟ ବ୍ୟାଙ୍କକୁ ମଧ୍ୟ ନୂଆ ଶାଖା ଖୋଲିବା ଲାଗି ଅନୁମତି ପ୍ରଦାନ କରାଯିବା ସହିତ ଏକକାଳୀନ ସେଟଲମେଣ୍ଟ ଅଧିକାର ଦିଆଯାଇଛି ।

ଶ୍ରୀ ଅମିତ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ଏବଂ ବିଶ୍ୱର ତୃତୀୟ ବୃହତ ଅର୍ଥବ୍ୟବସ୍ଥା ରୂପରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସମବାୟ କ୍ଷେତ୍ର ଏ ଦିଗରେ ଯୋଗଦାନ ସେବା ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଉଚିତ୍‌ । ଶ୍ରୀ ମୋଦୀଙ୍କର ‘‘ସହକାର୍‌ ସେ ସମୃଦ୍ଧି’’ ସଂକଳ୍ପକୁ ସାକାର କରିବା ଦିଗରେ, ସମବାୟ ମନ୍ତ୍ରଣାଳୟ ଏହି ଡିଜିଟାଲ ପୋର୍ଟାଲ ଶୁଭାରମ୍ଭ ସହିତ ଏକ ନୂଆ ଯାତ୍ରା ଆରମ୍ଭ କରିଥିବା ସେ କହିଥିଲେ ।

Categories
ବିଶେଷ ଖବର

ମହାରାଷ୍ଟ୍ରର ପୁଣେ ଠାରେ ଲୋକମାନ୍ୟ ତିଳକ ଜାତୀୟ ପୁରସ୍କାର ଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ପୁଣେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ମହାରାଷ୍ଟ୍ରର ପୁଣେ ଠାରେ ଲୋକମାନ୍ୟ ତିଳକ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଲୋକମାନ୍ୟ ତିଳକଙ୍କ ପରମ୍ପରାକୁ ସମ୍ମାନ ଜଣାଇବା ପାଇଁ ୧୯୮୩ ମସିହାରେ ତିଳକ ସ୍ମାରକ ମନ୍ଦିର ଟ୍ରଷ୍ଟ ଦ୍ୱାରା ଏହି ପୁରସ୍କାର ଗଠନ କରା ଯାଇଥିଲା। ପ୍ରଧାନମନ୍ତ୍ରୀ ନମାମି ଗଙ୍ଗା ପ୍ରକଳ୍ପକୁ ନଗଦ ପୁରସ୍କାର ରାଶି ଦାନ କରିଛନ୍ତି।

ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ପରେ ଲୋକମାନ୍ୟ ତିଳକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଲୋକମାନ୍ୟ ତିଳକଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଏହା ତାଙ୍କ ପାଇଁ ଏକ ବିଶେଷ ଦିନ ବୋଲି କହିଥିଲେ । ଏହି ଅବସରରେ ନିଜର ଭାବନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଲୋକମାନ୍ୟ ତିଳକଙ୍କ ପୁଣ୍ୟ ତିଥି ଏବଂ ଆନ୍ନା ଭାଉ ଶେଠଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଲୋକମାନ୍ୟ ତିଳକ ଜୀ ହେଉଛନ୍ତି ଭାରତର ସ୍ୱାଧୀନତା ସଂଗ୍ରାମର ‘ତିଳକ’ । ସେ ସମାଜର ଉନ୍ନତି ଦିଗରେ ଆନ୍ନା ଭାଉ ଶେଠଙ୍କ ଅସାଧାରଣ ତଥା ଅଦ୍ୱିତୀୟ ଅବଦାନ ଉପରେ ମଧ୍ୟ ଆଲୋକପାତ କରିଥିଲେ । ଛତ୍ରପତି ଶିବାଜୀ, ଛାପକର ବ୍ରଦର, ଜ୍ୟୋତିବା ଫୁଲେ ଏବଂ ସାବିତ୍ରୀବାଇ ଫୁଲେଙ୍କ ଭୂମିକୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଦଗଡୁସେଠ ମନ୍ଦିରରେ ଆଶୀର୍ବାଦ ଭିକ୍ଷା କରିଥିଲେ ।

ପ୍ରଧାନମନ୍ତ୍ରୀ ଆଜି ଲୋକମାନ୍ୟ ତିଳକଙ୍କ ସହିତ ସିଧାସଳଖ ସଂଯୁକ୍ତ ସ୍ଥାନ ଏବଂ ଅନୁଷ୍ଠାନ ଦ୍ୱାରା ତାଙ୍କୁ ପ୍ରଦାନ କରାଯାଇଥିବା ସମ୍ମାନକୁ ‘ଅବିସ୍ମରଣୀୟ’ ବୋଲି ବର୍ଣ୍ଣନା କରିଥିଲେ । ପ୍ରଧାନମନ୍ତ୍ରୀ କାଶୀ ଏବଂ ପୁଣେ ମଧ୍ୟରେ ଥିବା ସମାନତା ଗୁଡିକ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ, ଉଭୟ ସ୍ଥାନ ବୃତ୍ତିର କେନ୍ଦ୍ର ଅଟନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ଜଣେ ପୁରସ୍କାର ଗ୍ରହଣ କରେ, ସେତେବେଳେ ତାର ଦାୟିତ୍ୱ ବୃଦ୍ଧି ପାଇଥାଏ, ବିଶେଷ ଭାବରେ ଯେତେବେଳେ ଲୋକମାନ୍ୟ ତିଳକଙ୍କ ନାମ ପୁରସ୍କାର ସହିତ ସଂଲଗ୍ନ ହୁଏ ସେତେବେଳେ ଏହା ବହୁତ ଅଧିକ ହୋଇଥାଏ ।

ପ୍ରଧାନମନ୍ତ୍ରୀ ଭାରତର ୧୪୦ କୋଟି ନାଗରିକ ମାନଙ୍କ ଉଦ୍ଦେଶ୍ୟରେ ଲୋକମାନ୍ୟ ତିଳକ ପୁରସ୍କାର ଉତ୍ସର୍ଗ କରିଛନ୍ତି । ସେ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ସରକାର ସେମାନଙ୍କର ସ୍ୱପ୍ନ ଏବଂ ଆକାଂକ୍ଷାକୁ ହାସଲ କରିବାରେ ସାହାଯ୍ୟ କରିବା ପାଇଁ କୌଣସି ଦିଗକୁ ଛାଡ଼ିବେ ନାହିଁ । ନମାମି ଗଙ୍ଗେ ପ୍ରକଳ୍ପକୁ ନଗଦ ପୁରସ୍କାର ରାଶି ଦାନ କରିବା ନିମନ୍ତେ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , ଭାରତର ସ୍ୱାଧୀନତା ପାଇଁ ଲୋକମାନ୍ୟ ତିଳକଙ୍କ ଅବଦାନ କେବଳ କିଛି ଶବ୍ଦ କିମ୍ବା କିଛି କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ହୋଇ ପାରିବ ନାହିଁ , କାରଣ ସ୍ୱାଧୀନତା ସଂଗ୍ରାମ ସହତ ଜଡିତ ଥିବା ସମସ୍ତ ନେତା ତଥା ଘଟଣାରେ ତାଙ୍କର ପ୍ରଭାବ ସ୍ପଷ୍ଟ ରହିଥିଲା । ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ “ ଏମିତିକି ବ୍ରିଟିଶ ମାନଙ୍କୁ ମଧ୍ୟ ତାଙ୍କୁ‘ ଭାରତୀୟ ଅଶାନ୍ତିର ପିତା ’ ବୋଲି ଡାକିବାକୁ ପଡୁଥିଲା । ଶ୍ରୀ ମୋଦୀ ଦର୍ଶାଇଛନ୍ତି ଯେ , ଲୋକମାନ୍ୟ ତିଳକ ତାଙ୍କର ‘ସ୍ୱରାଜ ମୋର ଜନସିଦ୍ଧ ଅଧିକାର’ ଦାବି ସହିତ ସ୍ୱାଧୀନତା ସଂଗ୍ରାମର ଦିଗ ବଦଳାଇ ଦେଇଥିଲେ । ଭାରତୀୟ ପରମ୍ପରାକୁ ବ୍ରିଟିଶ ମାନେ ପୁରୁଣାକାଳିଆ ପ୍ରଥା ବୋଲି ଯେଭଳି ନାମିତ କରୁଥିଲେ ତାହାକୁ ସେ ଭୁଲ ବୋଲି ପ୍ରମାଣ କରିଥିଲେ । ମହାତ୍ମା ଗାନ୍ଧୀ ନିଜେ ତାଙ୍କୁ ଆଧୁନିକ ଭାରତର ସ୍ଥପତି ବୋଲି କହିଥିଲେ ।

ଲୋକମାନ୍ୟ ତିଳକଙ୍କ ଅନୁଷ୍ଠାନ ନିର୍ମାଣ କ୍ଷମତାକୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଲାଲା ଲଜପତ ରାୟ ଏବଂ ବିପିନ ଚନ୍ଦ୍ର ପାଲଙ୍କ ସହ ତାଙ୍କର ସହଯୋଗ ଭାରତର ସ୍ୱାଧୀନତା ସଂଗ୍ରାମର ଏକ ସୁବର୍ଣ୍ଣ ଅଧ୍ୟାୟ । ପ୍ରଧାନମନ୍ତ୍ରୀ ତିଳକଙ୍କ ଖବରକାଗଜ ଏବଂ ସାମ୍ବାଦିକତାର ବ୍ୟବହାରକୁ ମଧ୍ୟ ମନେ ପକାଇଲେ । କେସରୀ ଏବେ ମଧ୍ୟ ମହାରାଷ୍ଟ୍ରରେ ପ୍ରକାଶିତ ଏବଂ ପଢ଼ା ଯାଇଥାଏ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, “ଏହି ସବୁ ଲୋକମାନ୍ୟ ତିଳକଙ୍କ ଦୃଢ଼ ଅନୁଷ୍ଠାନ ନିର୍ମାଣର ପ୍ରମାଶ ଅଟେ ।”

ଅନୁଷ୍ଠାନ ନିର୍ମାଣରୁ ଆଗକୁ ବଢ଼ି, ପ୍ରଧାନମନ୍ତ୍ରୀ ମଧ୍ୟ ତିଳକଙ୍କ ପରମ୍ପରା ଗୁଡିକର ପୃଷ୍ଠପୋଷକତା ଉପରେ ଆଲୋକପାତ କରିଥିଲେ ଏବଂ ଛତ୍ରପତି ଶିବାଜୀଙ୍କ ଆଦର୍ଶ ପାଳନ କରିବା ପାଇଁ ଗଣପତି ମହୋତ୍ସବ ଏବଂ ଶିବ ଜୟନ୍ତୀ ଆରମ୍ଭ ବିଷୟରେ ଉଲ୍ଲେଖ କରିଥିଲେ । “ଏହି ଆୟୋଜନ ଭାରତକୁ ଏକ ସାଂସ୍କୃତିକ ସୂତ୍ରରେ ବାନ୍ଧି ରଖିବା ସହିତ ପୂର୍ଣ୍ଣ ସ୍ୱରାଜର ସଂପୂର୍ଣ୍ଣ ଧାରଣା ଦେଇଥିଲା । ଏହା ହେଉଛି ଭାରତର ବିଶେଷତା ଯେଉଁଠାରେ ନେତାମାନେ ସ୍ୱାଧୀନତା ଭଳି ବଡ଼ ଲକ୍ଷ୍ୟ ପାଇଁ ଲଢ଼ିଥିଲେ ଏବଂ ସାମାଜିକ ସଂସ୍କାରର ଅଭିଯାନ ମଧ୍ୟ ଚାଲୁ କରିଥିଲେ ବୋଲି ସେ କହିଛନ୍ତି ।

ଦେଶର ଯୁବବର୍ଗଙ୍କ ଉପରେ ଲୋକମାନ୍ୟ ତିଳକଙ୍କ ବିଶ୍ୱାସ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ବୀର ସଭରକରଙ୍କର ତିଳକଙ୍କୁ ମାର୍ଗଦର୍ଶନ କରାଇବା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ ଏବଂ ଲଣ୍ଡନରେ ଦୁଇଟି ବୃତ୍ତି , ଛତ୍ରପତି ଶିବାଜୀ ବୃତ୍ତି ଏବଂ ମହାରଣା ପ୍ରତାପ ବୃତ୍ତି ଚଳାଉଥିବା ଶ୍ୟାମଜୀ କୃଷ୍ଣ ବର୍ମାଙ୍କୁ ତାଙ୍କର ସୁପାରିଶ କଥା ଉଲ୍ଲେଖ କରିଥିଲେ । ପୁଣେରେ ନ୍ୟୁ ଇଂଲିଶ ବିଦ୍ୟାଳୟ, ଫର୍ଗୁସନ୍ କଲେଜ ଏବଂ ଡେକାନ୍ ଏଜୁକେସନ୍ ସୋସାଇଟି ପ୍ରତିଷ୍ଠା ସେହି ଦର୍ଶନର ଏକ ଅଂଶ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବ୍ୟବସ୍ଥା ନିର୍ମାଣରୁ ଅନୁଷ୍ଠାନ ନିର୍ମାଣ, ଅନୁଷ୍ଠାନ ନିର୍ମାଣରୁ ବ୍ୟକ୍ତି ନିର୍ମାଣ ଏବଂ ବ୍ୟକ୍ତି ନିର୍ମାଣରୁ ରାଷ୍ଟ୍ର ନିର୍ମାଣ ଏକ ଦେଶର ଭବିଷ୍ୟତ ପାଇଁ ଏକ ରୋଡମ୍ୟାପ ପରି ହୋଇଥାଏ ଏବଂ ଦେଶ ଏହି ରୋଡମ୍ୟାପକୁ ଏକ ପ୍ରଭାବଶାଳୀ ଢଙ୍ଗରେ ଅନୁସରଣ କରୁଛି ।”

ଲୋକମାନ୍ୟ ତିଳକଙ୍କ ସହ ମହାରାଷ୍ଟ୍ରର ଲୋକ ମାନଙ୍କ ମଧ୍ୟରେ ଥିବା ବିଶେଷ ବନ୍ଧନ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୁଜରାଟର ଲୋକମାନେ ମଧ୍ୟ ତାଙ୍କ ସହ ସମାନ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ସେହି ସମୟକୁ ମନେ ପକାଇଲେ ଯେତେବେଳେ ଲୋକମାନ୍ୟ ତିଳକ ଅହମ୍ମଦାବାଦର ସାବରମତି ଜେଲ୍‌ରେ ପ୍ରାୟ ଦେଢ଼଼ ମାସ ବିତାଇ ଥିଲେ ଏବଂ ସୂଚନା ଦେଇଥିଲେ ଯେ ୧୯୧୬ ମସିହାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସମେତ ୪୦,୦୦୦ ରୁ ଅଧିକ ଲୋକ ତାଙ୍କୁ ସ୍ୱାଗତ କରିଥିଲେ ଏବଂ ତାଙ୍କ ବିଚାର ଶୁଣିବା ପାଇଁ ଆସିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାଷଣର ପ୍ରଭାବ କାରଣରୁ ସର୍ଦ୍ଦାର ପଟେଲ ଅହମ୍ମଦାବାଦ ପୌରପାଳିକା ନେତୃତ୍ୱ ନେଉଥିବା ସମୟରେ ଅହମ୍ମଦାବାଦ ଠାରେ ଲୋକମାନ୍ୟ ତିଳକଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି, “ସର୍ଦ୍ଦାର ପଟେଲଙ୍କ ଭିତରେ ଜଣେ ଲୋକମାନ୍ୟ ତିଳକଙ୍କ ଦୃଢ଼ତାର ପରିଚୟ ପାଇ ପାରିବ । ଭିକ୍ଟୋରିଆ ଗାର୍ଡେନରେ ଏହି ପ୍ରତିମୂର୍ତ୍ତିର ଅବସ୍ଥାନ ବିଷୟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ , ବ୍ରିଟିଶମାନେ ୧୮୯୭ ମସିହାରେ ରାଣୀ ଭିକ୍ଟୋରିଆର ହୀରକ ଜୟନ୍ତୀ ଉତ୍ସବକୁ ସ୍ମରଣ କରିବା ପାଇଁ ଏହି ଭୂମି ପ୍ରସ୍ତୁତ କରିଥିଲେ ଏବଂ ଲୋକମାନ୍ୟ ତିଳକଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ଭଳି ଏକ ବୈପ୍ଳବିକ କାର୍ଯ୍ୟ ଉପରେ ସର୍ଦ୍ଦାର ପଟେଲ ଗୁରୁତ୍ୱାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ବ୍ରିଟିଶମାନଙ୍କ ପ୍ରତିରୋଧର ସମ୍ମୁଖୀନ ହେବା ପରେ ମଧ୍ୟ ଯେ ଏହି ମୂର୍ତ୍ତି ୧୯୨୯ ମସିହାରେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ଏଡି ପ୍ରତିମୂର୍ତ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ଏକ ଉଜ୍ଜ୍ୱଳ ପ୍ରତିମୂର୍ତ୍ତି, ଯେଉଁଠି ତିଳକ ଜୀ ଅରାମଦାୟକ ମୁଦ୍ରାରେ ବସି ରହି ସ୍ୱାଧୀନ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ବିଷୟରେ ଚିନ୍ତା କରୁଥିବା ଭଳି ଅନୁଭୂତ ହୋଇଥାଏ । “ଦାସତ୍ୱ କାଳରେ ମଧ୍ୟ ସର୍ଦ୍ଦାର ସାହେବ ଭାରତର ପୁତ୍ରଙ୍କୁ ସମ୍ମାନ ଦେବା ପାଇଁ ସମଗ୍ର ବ୍ରିଟିଶ ନିୟମକୁ ଆହ୍ୱାନ କରିଥିଲେ” ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ , ସରକାର ଯେତେବେଳେ କୌଣସି ଏକ ରାସ୍ତାର ନାମ ବିଦେଶୀ ଲୁଣ୍ଠନକାରୀଙ୍କ ନାମ ପରିବର୍ତ୍ତେ ଭାରତୀୟ ବ୍ୟକ୍ତିତ୍ୱ ମାନଙ୍କ ନାମକୁ ବଦଳାଇବାକୁ ଚେଷ୍ଟା କରୁଛନ୍ତି ସେତେବେଳେ କିଛି ଲୋକ ହଙ୍ଗାମା କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଗୀତା ଉପରେ ଲୋକମାନ୍ୟ ତିଳକଙ୍କ ବିଶ୍ୱାସ ଉପରେ ମଧ୍ୟ ମତ ବ୍ୟକ୍ତ କରିଥିଲେ । ସୁଦୂର ମାଣ୍ଡଲେ କାରାଗାରରେ ମଧ୍ୟ ଲୋକମାନ୍ୟ ଗୀତା ଉପରେ ଅଧ୍ୟୟନ ଜାରି ରଖିଥିଲେ ଏବଂ ଗୀତା ରହସ୍ୟ ଆକାରରେ ଏକ ଅମୂଲ୍ୟ ଉପହାର ଦେଇଥିଲେ ।

ସମସ୍ତଙ୍କ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି କରିବା ପାଇଁ ଲୋକମାନ୍ୟଙ୍କ ସାମର୍ଥ୍ୟ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ । ସ୍ୱାଧୀନତା, ଇତିହାସ ଏବଂ ସଂସ୍କୃତିର ଲଢ଼େଇ ଭିତରେ ତିଲକ ଲୋକଙ୍କ ଆତ୍ମବିଶ୍ୱାସକୁ ପୁନଃ ସ୍ଥାପନ କରିଥିଲେ । ଲୋକ, ଶ୍ରମିକ ଏବଂ ଉଦ୍ୟୋଗୀ ମାନଙ୍କ ଉପରେ ତାଙ୍କର ବିଶ୍ୱାସ ଥିଲା । ସେ କହିଛନ୍ତି, “ତିଳକ ଭାରତୀୟ ମାନଙ୍କ ମଧ୍ୟରେ ହୀନମନ୍ୟତାର ଧାରାକୁ ଭାଙ୍ଗି ସେମାନଙ୍କ ଦକ୍ଷତା ଦେଖାଇ ଥିଲେ” ।

ଅବିଶ୍ୱାସର ପରିବେଶରେ ଦେଶର ବିକାଶ ସମ୍ଭବ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେ ପୁଣେର ଜଣେ ଭଦ୍ରଲୋକ ଶ୍ରୀ ମନୋଜ ପୋଚାଟ ଜି’ ଙ୍କ ଏକ ଟ୍ୱିଟ୍ ସମ୍ପର୍କରେ ମନେ ପକାଇଥିଲେ, ଯିଏ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ତାଙ୍କୁ ୧୦ ବର୍ଷ ପୂର୍ବେ ପୁଣେ ଗସ୍ତ ବିଷୟରେ ମନେ ପକାଇଥିଲେ । ତିଳକ ଜୀ’ ଙ୍କ ଦ୍ୱାରା ପ୍ରତିଷ୍ଠିତ ଫର୍ଗୁସନ୍ କଲେଜରେ ସେହି ସମୟରେ ଭାରତରେ ହୋଇଥିବା ବିଶ୍ୱାସ ନିଅଂଟ ବିଷୟରେ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ । ବିଶ୍ୱାସ ନିଅଂଟ ପ୍ରସଙ୍ଗ ଉଠାଇଥିବାରୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇବା ସହ ଦେଶ ବିଶ୍ୱାସ ନିଅଂଟରୁ ଅଧିକ ବିଶ୍ୱାସ ଆଡକୁ ଯାଉଛି ବୋଲି କହିଛନ୍ତି ।

ଗତ ୯ ବର୍ଷ ମଧ୍ୟରେ ହୋଇଥିବା ପ୍ରମୁଖ ପରିବର୍ତ୍ତନ ଗୁଡିକରେ ପ୍ରଧାନମନ୍ତ୍ରୀ ଏହି ଅଧିକ ବିଶ୍ୱାସର ଉଦାହରଣ ଦେଇଛନ୍ତି । ଏହି ବିଶ୍ୱାସର ପରିଣାମ ସ୍ୱରୂପ ଭାରତ ୫ମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି ବୋଲି ସେ ଉଲ୍ଲେଖ କରିଛନ୍ତି । ସେ ଦେଶର ନିଜ ଉପରେ ବିଶ୍ୱାସ ବିଷୟରେ ମଧ୍ୟ କହିଥିଲେ ଏବଂ ଭାରତରେ ପ୍ରସ୍ତୁତ କରୋନା ଟୀକା ଭଳି ସଫଳତା ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁଥିରେ ପୁଣେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।

ସେ ମଧ୍ୟ ଭାରତୀୟଙ୍କ କଠିନ ପରିଶ୍ରମ ଏବଂ ଅଖଣ୍ଡତା ଉପରେ ବିଶ୍ୱାସର ଚିହ୍ନ ଭାବରେ ମୁଦ୍ରା ଯୋଜନା ଅଧୀନରେ ବନ୍ଧକମୁକ୍ତ ଋଣ ବିଷୟରେ କହିଥିଲେ । ସେହିଭଳି, ଅଧିକାଂଶ ସେବା ବର୍ତ୍ତମାନ ମୋବାଇଲରେ ଉପଲବ୍ଧ ଏବଂ ଲୋକମାନେ ସେମାନଙ୍କର ତଥ୍ୟ ଗୁଡ଼ିକୁ ସ୍ୱ- ପ୍ରମାଣୀକରଣ କରି ପାରିବେ । ସେ ଆହୁରି ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ , ଏହି ବାଣିଜ୍ୟ ଅଧଶେଷ କାରଣରୁ ସ୍ୱଚ୍ଛତା ଅଭିଯାନ ଏବଂ ବେଟି ବଚାଓ – ବେଟି ପଢ଼ାଓ ଏକ ଜନ ଆନ୍ଦୋଳନରେ ପରିଣତ ହୋଇ ଯାଇଛି । ଏସବୁ ଦେଶରେ ଏକ ସକାରାତ୍ମକ ବାତାବରଣ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି ।

ଯେତେବେଳେ ପ୍ରଧାନମନ୍ତ୍ରୀ ଲାଲ୍ କିଲ୍ଲାରୁ ତାଙ୍କ ସମ୍ବୋଧନ ସମୟରେ ଗ୍ୟାସ ଉପରେ ମିଳୁଥିବା ରିହାତି ଛାଡି ପାରିବେ ବୋଲି ଆହ୍ୱାନ ଦେଇଥିଲେ, ତାହା ପରେ ଲକ୍ଷ ଲକ୍ଷ ଲୋକ ଗ୍ୟାସ ସବସିଡି ଛାଡି ଦେଇଥିବା ସମ୍ପର୍କରେ ସେ ମନେ ପକାଇଥିଲେ । ସେ ସୂଚନା ଦେଇଛନ୍ତି ଯେ ଅନେକ ଦେଶ ଉପରେ ଏକ ସର୍ଭେ କରାଯାଇଥିଲା ଯେଉଁଥିରେ ଜଣା ପଡିଛି, ଭାରତରେ ସରକାରଙ୍କ ଉପରେ ସର୍ବାଧିକ ବିଶ୍ୱାସ ରହିଛି । ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଯେ ଜନସାଧାରଣଙ୍କ ବିଶ୍ୱାସ ବୃଦ୍ଧି ଭାରତର ଲୋକଙ୍କ ପାଇଁ ପ୍ରଗତିର ମାଧ୍ୟମ ପାଲଟିଛି ।

ସମ୍ବୋଧନକୁ ସମାପ୍ତ କରି ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ସ୍ୱାଧୀନତାର ୭୫ ବର୍ଷ ପରେ ଦେଶ ଅମୃତ କାଳକୁ କର୍ତ୍ତବ୍ୟ କାଳ ଭାବରେ ଦେଖୁଛି , ଯେଉଁଠାରେ ପ୍ରତ୍ୟେକ ନାଗରିକ ଦେଶର ସ୍ୱପ୍ନ ଏବଂ ସଂକଳ୍ପକୁ ଦୃଷ୍ଟିରେ ରଖି ନିଜ ସ୍ତରରୁ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ସେଥିପାଇଁ ଆଜି ବିଶ୍ୱ ମଧ୍ୟ ଭାରତରେ ଭବିଷ୍ୟତକୁ ଦେଖୁଛି କାରଣ ଆଜିର ଆମର ପ୍ରୟାସ ସମଗ୍ର ମାନବିକତା ପାଇଁ ଏକ ନିଶ୍ଚିତତା ପାଲଟିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନାଗରିକମାନେ ନିଶ୍ଚିତ ଭାବରେ ଏକ ଦୃଢ଼ ତଥା ସମୃଦ୍ଧ ଭାରତର ସ୍ୱପ୍ନକୁ ଲୋକମାନ୍ୟ ତିଳକଙ୍କ ଚିନ୍ତାଧାରା ଏବଂ ଆଶୀର୍ବାଦର ଶକ୍ତିରେ ପରିଣତ କରିବେ । ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଲୋକମାନ୍ୟ ତିଳକଙ୍କ ଆଦର୍ଶ ସହିତ ଲୋକଙ୍କୁ ଯୋଡିବାରେ ହିନ୍ଦ ସ୍ୱରାଜ ସଂଗଠନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଚାଲିବ ।

ଏଡି କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ରମେଶ ବ୍ୟାସ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ସଂସଦର ସଦସ୍ୟ ଶ୍ରୀ ଅଜିତ ପାୱାର, ତିଳକ ସ୍ମାରକ ଟ୍ରଷ୍ଟର ସଭାପତି ଡଃ ଦୀପକ ତିଳକ, ତିଳକ ସ୍ମାରକ ଟ୍ରଷ୍ଟର ଉପ ସଭାପତି ଡଃ ରୋହିତ ତିଳକ ଏବଂ ତିଳକ ସ୍ମାରକ ଟ୍ରଷ୍ଟର ଟ୍ରଷ୍ଟି ଶ୍ରୀ ସୁଶୀଲ କୁମାର ସିନ୍ଦେ ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଲୋକମାନ୍ୟ ତିଳକଙ୍କ ପରମ୍ପରାକୁ ସମ୍ମାନ ଜଣାଇବା ପାଇଁ ୧୯୮୩ ମସିହାରେ ତିଳକ ସ୍ମାରକ ମନ୍ଦିର ଟ୍ରଷ୍ଟ ଦ୍ୱାରା ଏହି ପୁରସ୍କାର ଗଠନ କରାଯାଇଥିଲା । ଜାତିର ପ୍ରଗତି ଏବଂ ବିକାଶ ପାଇଁ କାର୍ଯ୍ୟ କରିଥିବା ଏବଂ ଯାହାର ଅବଦାନ କେବଳ ଉଲ୍ଲେଖନୀୟ ଏବଂ ଅସାଧାରଣ ହୋଇଥିବ , ସେହିଭଳି ଲୋକ ମାନଙ୍କୁ ଏହା ପ୍ରଦାନ କରାଯାଇଥାଏ । ଏହା ପ୍ରତି ବର୍ଷ ଅଗଷ୍ଟ ୧ ରେ – ଲୋକମାନ୍ୟ ତିଳକଙ୍କ ମୃତ୍ୟୁ ବାର୍ଷିକୀରେ ପ୍ରଦାନ କରାଯାଇଥାଏ ।

ପ୍ରଧାନମନ୍ତ୍ରୀ ଏହି ପୁରସ୍କାରର ୪୧ ତମ ପ୍ରାପ୍ତକର୍ତ୍ତା ହୋଇଛନ୍ତି । ଏହା ପୂର୍ବରୁ ଡଃ ଶଙ୍କର ଦୟାଲ ଶର୍ମା, ଶ୍ରୀ ପ୍ରଣବ ମୁଖାର୍ଜୀ, ଶ୍ରୀ ଅଟଳ ବିହାରୀ ବାଜପେୟୀ, ଶ୍ରୀମତୀ ଇନ୍ଦିରା ଗାନ୍ଧୀ, ଡଃ ମନମୋହନ ସିଂହ, ଶ୍ରୀ ଏନ୍ ଆର୍ ନାରାୟଣ ମୂର୍ତ୍ତି, ଡଃ ଶ୍ରୀଧରନ୍‌ଙ୍କ ଭଳି ପ୍ରମୁଖ ବ୍ୟକ୍ତି ବିଶେଷଙ୍କୁ ଏହା ପ୍ରଦାନ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ରର ଶାହପୁରରେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ଜୀବନ ହାନି ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଶାହପୁରରେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ଜୀବନ ହାନି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ ପିଏମଏନଆରଏଫରୁ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ ନିମନ୍ତେ ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ, ‘ମହାରାଷ୍ଟ୍ରର ଶାହପୁରରେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ମର୍ମାହତ। ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ମୋର ସମବେଦନା। ଆହତ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା କରୁଛୁ। ଏନଡିଆରଏଫ୍ ଏବଂ ସ୍ଥାନୀୟ ପ୍ରଶାସନ ଦୁର୍ଘଟଣାସ୍ଥଳରେ କାର୍ଯ୍ୟ କରୁଛନ୍ତି ଏବଂ ପୀଡ଼ିତଙ୍କୁ ସମସ୍ତ ସହାୟତା ନିଶ୍ଚିତ କରିବା ଦିଗରେ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି।’

Categories
ଆଜିର ଖବର ଜାତୀୟ ଖବର

ସେତୁ ନିର୍ମାଣ ସମୟରେ ମହାରାଷ୍ଟ୍ରରେ ବଡ ଦୁର୍ଘଟଣା, କ୍ରେନ୍ ଏବଂ ସ୍ଲାବ ପଡ଼ି ୧୭ ମୃତ

ମୁମ୍ବାଇ: ସେତୁ ନିର୍ମାଣ ସମୟରେ ମହାରାଷ୍ଟ୍ରର ଥାନେରେ ଏକ ବଡ ଦୁର୍ଘଟଣା ହୋଇଛି। କ୍ରେନ୍ ଏବଂ ସ୍ଲାବ ପଡି ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣାରେ ଥାନାର ଶାହାପୁର ନିକଟରେ ଏକ ଗର୍ଡର ଲଞ୍ଚିଂ ମେସିନ୍ ଖସିଯିବା ପରେ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ସମୃଦ୍ଧି ଏକ୍ସପ୍ରେସ ରାଜପଥର ତୃତୀୟ ପର୍ଯ୍ୟାୟ ନିର୍ମାଣରେ ଏହି ମେସିନ୍ ବ୍ୟବହାର କରାଯାଉଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କ ଆଘାତ ସମ୍ପର୍କରେ ମଧ୍ୟ ସୂଚନା ରହିଛି। ଅନେକ ଲୋକ ଏବେବି ପୋତି ହୋଇ ରହିଥିବା ଆଶଙ୍କା ରହିଛି। ଘଟଣାସ୍ଥଳରେ ଏନଡିଆରଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ସୂଚନା ପ୍ରଦାନ କରି ଏନଡିଆରଏଫ କହିଛି ଯେ, ସୁରକ୍ଷା ବ୍ୟବସ୍ଥା ଅଭାବରୁ ଏଠାରେ ଶ୍ରମିକମାନେ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ପନ୍ଦରଟି ମୃତଦେହ ଶାହପୁର ଉପଜିଲ୍ଲା ଡାକ୍ତରଖାନାକୁ ଅଣାଯାଇଛି। ୩ ରୁ ୪ ଜଣ ଜଣ ଆହତ ହୋଇଛନ୍ତି। ମୃତକମାନଙ୍କ ବ୍ୟତୀତ ଅନେକ ଲୋକ ଆବର୍ଜନା ତଳେ ଫସିଥିବାର ଆଶଙ୍କା ରହିଛି। ଗର୍ଡର୍ ମେସିନ୍ କୁ ସଂଯୋଗ କରୁଥିବା କ୍ରେନ୍ ଏବଂ ସ୍ଲାବ୍ ୧୦୦ ଫୁଟ ଉଚ୍ଚତାରୁ ଖସିଯିବାରୁ ବଡ଼ ଦୁର୍ଘଟଣା ଘଟିଛି। ମୃତକଙ୍କ ମୃତଦେହ ସହିତ ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜୟପୁର ଏକ୍ସପ୍ରେସ ଟ୍ରେନରେ ଆଖିବୁଜା ଗୁଳି ଚାଲଣା: ଜଣେ ଏଏସଆଇ ଏବଂ ୨ ଯାତ୍ରୀଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରର ପାଲଘରର ଜୟପୁର ଏକ୍ସପ୍ରେସ ଟ୍ରେନରେ ଆଖିବୁଜା ଗୁଳି ଚାଲଣା ହେବାର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କୁ ଗୁଳି କରାଯାଇଛି। ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ତିନି ଜଣଙ୍କ ମଧ୍ୟରେ ଜଣେ ଏଏସଆଇ ଏବଂ ଦୁଇ ଜଣ ଯାତ୍ରୀ ଅଛନ୍ତି।

ଆଜି ସକାଳ ପ୍ରାୟ ୫ ଟାରେ ଏହି ଘଟଣା ଘଟିଛି। ପାଲଘର ଏବଂ ମୁମ୍ବାଇ ମଧ୍ୟରେ ଦହିସରରେ ଏହି ଗୁଳି ଚାଲଣା ହୋଇଛି। ଗୁଳି ଚଳାଇଥିବା ପୋଲିସ କନଷ୍ଟେବଳ ମୀରା ରୋଡ ନିକଟରେ ଧରାପଡିଛନ୍ତି। କୁହାଯାଉଛି ଯେ, କନଷ୍ଟେବଳ ମାନସିକ ଚାପରେ ପୀଡିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଦୁଇଟି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୬ ମୃତ୍ୟୁ, ୨୦ ରୁ ଅଧିକ ଗୁରୁତର

ମୁମ୍ବାଇ: ମହାରାଷ୍ଟ୍ରର ବୁଲଢାନାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇଟି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ, ରାତି ପ୍ରାୟ ୨.୩୦ ସମୟରେ ମଲକାପୁରର ନାନ୍ଦୁର ନାକା ଫ୍ଲାଏ ଓଭର ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଯେଉଁଠାରେ ସେମାନେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ସମ୍ପର୍କୀୟଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ବିଦ୍ରୋହ ପରେ ଜୁନିଅର ପାୱାରଙ୍କ ବଢୁଛି ଶକ୍ତି!, ଶରଦ ପାୱାରଙ୍କ ଶିବିରରେ ହଲଚଲ

ମୁମ୍ବାଇ: ମହାରାଷ୍ଟ୍ରରେ ଅଜିତ ପାୱାରଙ୍କ ବିଦ୍ରୋହ ପରେ ବର୍ତ୍ତମାନ ବିଧାୟକଙ୍କ ପକ୍ଷ ବଦଳିବା ଖେଳ ଆରମ୍ଭ ହୋଇଛି। ଶରଦ ପାୱାର କ୍ୟାମ୍ପ ଏହାର ବିଦ୍ରୋହୀ ବିଧାୟକଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି ଏବଂ ସେମାନଙ୍କୁ ଶାନ୍ତ କରିବାକୁ ଉଦ୍ୟମ ଚାଲିଥିବାବେଳେ ଅଜିତ ପାୱାର ମଧ୍ୟ ଅବଶିଷ୍ଟ ବିଧାୟକମାନଙ୍କୁ କ୍ଷମତାକୁ ଆସିବାକୁ ଆମନ୍ତ୍ରଣ କରୁଛନ୍ତି। ତଥାପି, ଛୋଟ ପାୱାରଙ୍କ ହାତରେ ଅଧିକ ଶକ୍ତି ଦୃଶ୍ୟମାନ ହେଉଛି। ଏହି ସମୟରେ, ଶରଦ ପାୱାର କ୍ୟାମ୍ପର ଅନ୍ୟ ଜଣେ ବିଧାୟକ ପକ୍ଷ ପରିବର୍ତ୍ତନ କରିବାକୁ ସୂଚାଇ ଦେଇଛନ୍ତି। ବିଧାୟକ ରାଜେନ୍ଦ୍ର ଶିଙ୍ଗନେ କହିଛନ୍ତି ଯେ, ଯଦି ଅଜିତ ପାୱାର ବୁଲଢାଣା ଜିଲ୍ଲା ବ୍ୟାଙ୍କକୁ ସାହାଯ୍ୟ କରନ୍ତି, ତେବେ ମୁଁ ତାଙ୍କୁ ସମର୍ଥନ କରିପାରିବି।

ଶିଙ୍ଗନେଙ୍କ ବ୍ୟତୀତ ମକରନ୍ଦ ପାଟିଲ ମଧ୍ୟ ଜୁଲାଇ ୫ ତାରିଖରେ ଅନୁଷ୍ଠିତ ବୈଠକରେ ଶରଦ ପାୱାରଙ୍କ ସାଥିରେ ଥିଲେ, ସେ ଏବେ ଅଜିତ ପାୱାରଙ୍କ ସହ ଅଛନ୍ତି ବୋଲି ଘୋଷଣା କରିଛନ୍ତି। ଅର୍ଥାତ୍ ପୁତୁରା ଅଜିତ ପାୱାର କ୍ରମାଗତ ଭାବରେ ଦାଦାଙ୍କ ପରିବାରରେ ଫାଟ ସୃଷ୍ଟି କରୁଛନ୍ତି। ଏମାନଙ୍କ ବ୍ୟତୀତ ଏନସିପି ନେତା କିରଣ ଲାହମେଟେ ମଧ୍ୟ ଶରଦ ପାୱାରଙ୍କ ସଭାରେ ହାଜର ହୋଇଥିଲେ, କିନ୍ତୁ ସେ ମଧ୍ୟ ଅଜିତ ପାୱାରଙ୍କୁ ଭେଟିଛନ୍ତି। ଯାହା ପରେ ବିଶ୍ୱାସ କରାଯାଏ ଯେ ଅଜିତ ପାୱାର ଏହି ଡିଲକୁ ନଷ୍ଟ କରିଛନ୍ତି ଏବଂ ସେ ମଧ୍ୟ ଏହି ବିଧାୟକମାନଙ୍କୁ ନିଜ ପକ୍ଷକୁ ଟାଣି ଆଣିବେ।

ସେହିଭଳି ସମସ୍ତ ବିଧାୟକଙ୍କୁ ମନାଇବା ଏବଂ ସେମାନଙ୍କୁ ନିଜ ଆଡକୁ ଟାଣିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି। ନାଶିକର ଦେବଲାଲିର ବିଧାୟକ ସରୋଜ ଅହିରେ ଏବେ ବି ଡାକ୍ତରଖାନାରେ ଅଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ସେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ନାହାଁନ୍ତି। ସୁପ୍ରିୟା ସୁଲେ ତାଙ୍କୁ ଭେଟିଥିବାବେଳେ ଛଗନ ଭୁଜବଲ ମଧ୍ୟ ତାଙ୍କ ଅବସ୍ଥା ବିଷୟରେ ଜାଣିବା ପାଇଁ ପହଞ୍ଚିଥିଲେ।

ସେପଟେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ବିଧାୟକଙ୍କ ପକ୍ଷ ବଦଳାଇବାକୁ ନେଇ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ଏବଂ ଏନସିପି ନେତାଙ୍କ ‘ଦୁର୍ନୀତି’ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ମନେ ପକାଇ ଦେଇଛନ୍ତି। ନାଶିକ୍ ଜିଲ୍ଲାର ୟେବଲା ଠାରେ ଏକ ରାଲିକୁ ସମ୍ବୋଧିତ କରି ପାୱାର କହିଛନ୍ତି ଜେ, “ପ୍ରଧାନମନ୍ତ୍ରୀ ମୋଦୀଙ୍କର ସମସ୍ତ ସରକାରୀ ଯନ୍ତ୍ରପାତି ଅଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଣ୍ଡିତ କରିବା ଉଚିତ୍ ବୋଲି ସେ ଦାବି କରିଛନ୍ତି।”

Categories
ଆଜିର ଖବର ଜାତୀୟ ଖବର

ବ୍ରେକ୍ ଫେଲ ହେତୁ ଢାବାରେ ଧକ୍କା ଦେଲା ଟ୍ରକ୍, ୯ ମୃତ, ୨୦ ରୁ ଅଧିକ ଆହତ

ମୁମ୍ବାଇ: ମହାରାଷ୍ଟ୍ରର ଧୁଲେରେ ଏକ ବଡ଼ ଦୁର୍ଘଟଣାର ଖବର ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ମୁମ୍ବାଇ-ଆଗ୍ରା ରାଜପଥରେ ବ୍ରେକ୍ ଫେଲ ହେତୁ ଏକ ଟ୍ରକ୍ ଢାବା ଭିତରକୁ ପସିଯାଇଥିଲା। ଆଜି ସକାଳେ ଘଟିଥିବା ଏହି ଦୁର୍ଘଟଣାରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସର ସୂଚନାନୁସାରେ ମୃତ୍ୟୁ ସଂଖ୍ୟା ବଢିପାରେ।

Categories
ବିଶେଷ ଖବର

ଅଜିତ ପାୱାରଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ରର ନମ୍ବର ଗେମ୍ କ’ଣ? ବିଜେପିର ଦୁଇ ହାତରେ ଲଡୁ

ମୁମ୍ବାଇ: ମହାରାଷ୍ଟ୍ରର ରାଜନୀତିରେ ଏକ ନୂଆ ଝଡ ସୃଷ୍ଟି ହୋଇଛି। ଶିବସେନାର ଏକନାଥ ସିନ୍ଦେ, ଏନସିପିକୁ ଦୁଇ ଭାଗରେ ବିଭକ୍ତ କରି ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ପଦବୀ ସମ୍ଭାଳିଛନ୍ତି। କୁହାଯାଉଛି ଯେ, ଏହି ଖେଳ ଏପରି ଭାବରେ ଖେଳାଯାଇଥିଲା ଯେ, ରାଜନୀତିର ଜଣେ ଅଭିଜ୍ଞ ଖେଳାଳି ଶରଦ ପାୱାର ଏ ବିଷୟରେ କୌଣସି ସୂଚନା ପାଇ ନଥିଲେ। ମୋଟାମୋଟି ଭାବେ, ଶିବସେନା ପରେ ଏନସିପିରେ ବିଭାଜନରୁ କେବଳ ଗୋଟିଏ ଦଳକୁ ବଡ଼ ଲାଭ ମିଳିଛି ଏବଂ ସେଇଟା ହେଉଛି ବିଜେପି। ଆଗାମୀ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପରେ ଏହା ବିଜେପି ପାଇଁ ଏକ ଲାଭଜନକ ଚୁକ୍ତି ଭାବେ ବିବେଚନା କରାଯାଉଛି। ଅଜିତ ପାୱାରଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ରର ନମ୍ବର ଖେଳ କେତେ ବଦଳିଛି ଆସନ୍ତୁ ଜାଣିବା…..

ବିଜେପିକୁ ମିଳିଲା ଶକ୍ତି:

ସମସ୍ତ ରାଜ୍ୟ ପରି ମହାରାଷ୍ଟ୍ରରେ ମଧ୍ୟ ବିଜେପି ଆଞ୍ଚଳିକ ଦଳର ସହାୟତାରେ କ୍ଷମତାକୁ ଆସିବା ପାଇଁ କାର୍ଯ୍ୟ କରିଥିଲା। ବର୍ତ୍ତମାନ ପରିସ୍ଥିତି ଏପରି ଯେ, ବିଜେପି ସବୁଠାରୁ ଶକ୍ତିଶାଳୀ ସ୍ଥିତିରେ ଦେଖାଯାଉଛି ଏବଂ ଅନ୍ୟ ସମସ୍ତ ଦଳ ଖରାପ ଭାବରେ ଛିନ୍ନଛତ୍ର ହୋଇଯାଇଛନ୍ତି। ବିଶେଷ କଥା ହେଉଛି ଯଦି ଅଯୋଗ୍ୟତା ଖଣ୍ଡା ସିନ୍ଦେ ଦଳ ଉପରେ ଝୁଲି ରହିଥାଏ ଏବଂ ସରକାର ପାଇଁ କୌଣସି ବିପଦ ଥାଏ, ତେବେ ଅଜିତ ପାୱାରଙ୍କ ସହାୟତାରେ ବିଜେପି ନିଜ ସରକାର ବଜାୟ ରଖିପାରିବ।

ଏହା ହେଉଛି ବିଜେପିର ନମ୍ବର ଗେମ୍:

ନମ୍ବର ଗେମ୍ ବିଷୟରେ କହିବାକୁ ଗଲେ, ବିଜେପିର ମହାରାଷ୍ଟ୍ରରେ ସ୍ୱାଧୀନ ଏବଂ ଛୋଟ ଦଳ ସମେତ ମୋଟ ୧୨୬ ବିଧାୟକ (ନିଜସ୍ୱ ୧୦୫) ଅଛନ୍ତି। ଯେଉଁଥିରେ ଶିନ୍ଦେ ଶିବିରର ୪୦ ଜଣ ବିଧାୟକ ଯୋଗ ଦେବା ପରେ ଏହି ସଂଖ୍ୟା ୧୬୬ ହୋଇଯାଇଛି। ଏଥି ସହିତ ଅଜିତ ପାୱାରଙ୍କ ସହ ୩୦ ଜଣ ବିଧାୟକ ମଧ୍ୟ ଏହି ମିଳିତ ମଞ୍ଚରେ ଯୋଗ ଦେଇଛନ୍ତି। ଏହି କ୍ଷେତ୍ରରେ, ଏହି ସଂଖ୍ୟା ୧୯୬ ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ସିନ୍ଦେ ଦଳକୁ ହଟାଇଲେ ମଧ୍ୟ ଅଜିତ ପାୱାର ଏବଂ ତାଙ୍କ ସମର୍ଥକ ବିଧାୟକଙ୍କ ସହ ବିଜେପି ୧୫୬ (୧୨୬ + ୩୦) ସଂଖ୍ୟାରେ ରହିବ। ଏହାର ଅର୍ଥ ସଂଖ୍ୟାଗରିଷ୍ଠତା ଅପେକ୍ଷା ୧୧ ଜଣ ଅଧିକ ବିଧାୟକ ରହିବେ। ଏଭଳି ପରିସ୍ଥିତିରେ ଅଜିତ ପାୱାରଙ୍କ ବିଦ୍ରୋହ ବିଜେପି ପାଇଁ ବଡ ଲାଭଦାୟକ ହେବ।

ବାକି ଦଳଗୁଡିକରେ କେତେ ବିଧାୟକ ଅଛନ୍ତି?:

୨୮୮ ସଦସ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସର ମୋଟ ୪୪ ଜଣ ବିଧାୟକ ଅଛନ୍ତି। ଅନ୍ୟପକ୍ଷରେ, ଶିବସେନାର ୫୬ ଜଣ ବିଧାୟକଙ୍କ ମଧ୍ୟରୁ ୪୦ ଜଣ ବିଧାୟକ ଏକନାଥ ସିନ୍ଦେଙ୍କ ସହ ଯାଇଛନ୍ତି, ତେଣୁ ଶିବସେନାର ମାତ୍ର ୧୬ ଜଣ ବିଧାୟକ ବାକି ରହିଛନ୍ତି। ବର୍ତ୍ତମାନ NCP ର ମୋଟ ୫୩ ବିଧାୟକଙ୍କ ମଧ୍ୟରୁ ୩୦ ଜଣ ବିଧାୟକ ପକ୍ଷ ପରିବର୍ତ୍ତନ କରିଛନ୍ତି। ଏଭଳି ପରିସ୍ଥିତିରେ ଏନସିପିର ସଂଖ୍ୟା ୨୩ କୁ ହ୍ରାସ ପାଇଛି। କୁହାଯାଉଛି ଯେ, ଅଜିତ ପାୱାରଙ୍କ ସାଥିରେ ୪୦ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି। ଏଭଳି ପରିସ୍ଥିତିରେ ଏନସିପି ସଂଖ୍ୟା ଆହୁରି ହ୍ରାସ ହୋଇପାରିବ। ସାମ୍ପ୍ରତିକ ପରିସ୍ଥିତିରେ, ଯଦି ତିନୋଟି ଦଳର ସଂଖ୍ୟା (ଶିବସେନା, କଂଗ୍ରେସ ଏବଂ ଏନସିପି) ଯୋଗ କରାଯାଏ, ତେବେ ବର୍ତ୍ତମାନ କେବଳ ୮୩ ଜଣ ବିଧାୟକ MVA ମେଣ୍ଟରେ ଦେଖାଯାଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ରର ଘଟଣାକ୍ରମକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କଲେ କପିଲ ସିବଲ

ନୂଆଦିଲ୍ଲୀ: ରାଜ୍ୟସଭା ସଦସ୍ୟ କପିଲ ସିବଲ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବରିଷ୍ଠ ବରିଷ୍ଠ କଂଗ୍ରେସ ନେତା ସମାଲୋଚନା କରିଛନ୍ତି। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାର ମହାରାଷ୍ଟ୍ର ସରକାରରେ ଯୋଗଦେବାକୁ ନେଇ ସେ କଟାକ୍ଷ କରି କହିଛନ୍ତି ଯେ, ବୋଧହୁଏ ଏହି ‘ଗଣତନ୍ତ୍ରର ଜନନୀ’ ସେ (ମୋଦୀ) ଆମେରିକା ସଂସଦରେ ଉଲ୍ଲେଖ କରିଛନ୍ତି।

ଏକ ବଡ ରାଜନୈତିକ ଘଟଣାକ୍ରମରେ ବରିଷ୍ଠ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାର ଆଜି ଏକନାଥ ସିନ୍ଦେ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବରେ ଯୋଗ ଦେଇଛନ୍ତି। ରାଜ୍ୟ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ତାଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାବେଳେ ଅନ୍ୟ ଆଠଜଣ ଏନସିପି ନେତା ସରକାରରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।

ଏକ ଟୁଇଟ୍‌ରେ ସିବଲ ଅନ୍ୟ ଏନସିପି ନେତାଙ୍କ ସହ ଅଜିତ ପାୱାରଙ୍କ ଶପଥ ଗ୍ରହଣ ବିଷୟରେ କହିଥଲେ ଯେ, ମୁଁ ଭାବୁଛି ଏହା ହେଉଛି ଗଣତନ୍ତ୍ରର ମାତା ମୋଦୀ ଜି ଆମେରିକାର କଂଗ୍ରେସକୁ ଦେଇଥିବା ସମ୍ବୋଧନରେ ଉଲ୍ଲେଖ କରିଥିଲେ। ମୋଦୀ ଗତ ମାସରେ କହିଥିଲେ ଯେ, ଗଣତାନ୍ତ୍ରିକ ଭାବନାର ବିକାଶରେ ଭାରତ ଗଣତନ୍ତ୍ରର ଜନନୀ ଅଟେ।

Categories
ଆଜିର ଖବର ଜାତୀୟ ଖବର

ଏନସିପି ଭାଙ୍ଗି ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ହେଲେ ଅଜିତ ପାୱାର, ଏବେ କ’ଣ କରିବେ ଶରଦ ପାୱାର?

ମୁମ୍ବାଇ: ମହାରାଷ୍ଟ୍ରର ବଳିଷ୍ଠ ନେତା ଶରଦ ପାୱାର, ଯିଏକି ନିଜର ରାଜନୈତିକ ନିଷ୍ପତ୍ତିରେ ଭାରତୀୟ ରାଜନୀତିର ବଡ ବଡ ନେତାମାନଙ୍କୁ ପରାସ୍ତ କରିଥିଲେ, ଏବେ ପୁତୁରା ଅଜିତ ପାୱାର ତାଙ୍କ ଶୈଳୀରେ ଜବାବ ଦେଇଛନ୍ତି। ଏବଂ ଏପରି ଏକ ଜବାବ ଦେଇଛନ୍ତି ଯେ, ସୋନିଆ ଗାନ୍ଧୀଙ୍କ ବିରୁଦ୍ଧରେ ବିଦ୍ରୋହ କରି ଏନସିପି ଗଠନ କରିଥିବା ଶରଦ ପାୱାରଙ୍କ ଦଳ ଏବେ ଭାଙ୍ଗି ଯାଇଛି, ଏବେ ତାଙ୍କର ରାଜନୈତିକ ଶକ୍ତିର ସମାପ୍ତି ମଧ୍ୟ ଦେଖାଯାଉଛି।

ବର୍ତ୍ତମାନ ଅଜିତ ପାୱାର ଏକନାଥ ସିନ୍ଦେଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏବଂ ଏନସିପିର ଆହୁରି ୯ ଜଣ ବିଧାୟକ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଏନସିପିର ଭବିଷ୍ୟତ କ’ଣ ହେବ ଏବଂ ଶରଦ ପାୱାର ଏହି ପାର୍ଟିକୁ ପୁଣିଥରେ ଠିଆ କରାଇ ପାରିବେ କି ନାହିଁ, ତାହା ଏବେ ଦେଖିବା ବାକି ରହିଛି।

Categories
ଆଜିର ଖବର ଜାତୀୟ ଖବର

ଆଦିତ୍ୟ ଠାକରେ ଏବଂ ସଞ୍ଜୟ ରାଉତଙ୍କ ସହଯୋଗୀଙ୍କ ଉପରେ ଇଡିର କାର୍ଯ୍ୟାନୁଷ୍ଠାନ, ୧୦ ଟି ସ୍ଥାନରେ ଚଢାଉ

ମୁମ୍ବାଇ: ମହାରାଷ୍ଟ୍ରରେ ଆଜି ଇଡି ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କୁହାଯାଉଛି ଯେ ଇଡି ମୁମ୍ବାଇର ଅନେକ ସ୍ଥାନରେ ଚଢାଉ କରିଛି। ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ ଘନିଷ୍ଠ ସହଯୋଗୀ ସୁରଜ ଚହ୍ଵାନଙ୍କ ବ୍ୟତୀତ ସଞ୍ଜୟ ରାଉତଙ୍କ ଘନିଷ୍ଠ ସହଯୋଗୀ ସୁଜିତ ପାଟକରଙ୍କ ଉପରେ ଇଡି ଚଢାଉ କରିଥିବା ସୂଚନା ସାମ୍ନାକୁ ଆସିଛି। ତଥାପି ନାମଗୁଡ଼ିକ ଏପର୍ଯ୍ୟନ୍ତ ଇଡି ଦ୍ୱାରା ନିଶ୍ଚିତ ହୋଇନାହିଁ।

କୋଭିଡ ସମୟରେ, ଲାଇଫଲାଇନ କମ୍ପାନୀ ଅଧୀନରେ ହୋଇଥିବା ଦୁର୍ନୀତିକୁ ନେଇ ଇଡି ଏକ ମାମଲା ରୁଜୁ କରିଥିଲା। ଆଦିତ୍ୟ ଏବଂ ରାଉତଙ୍କ ୧୦ ଟି ସ୍ଥାନରେ ଇଡିର ଚଢାଉ ଚାଲିଛି। ମୁମ୍ବାଇ, ପୁଣେ ସମେତ ଅନେକ ସହରରେ ଚଢାଉ ଜାରି ରହିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସୋସିଆଲ ମିଡିଆରେ ଔରଙ୍ଗଜେବଙ୍କ ଫଟୋ, ହିନ୍ଦୁତ୍ୱ ସଂଗଠନର ବିରୋଧ ପରେ ପୋଲିସର ଲାଠିଚାର୍ଜ

ନୂଆଦିଲ୍ଲୀ: ମହାରାଷ୍ଟ୍ରର କୋହ୍ଲାପୁରରେ ଔରଙ୍ଗଜେବଙ୍କ ଛବି କିଛି ଯୁବକଙ୍କ ହ୍ଵାଟସ୍ ଆପ୍ ଷ୍ଟାଟସକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଜି କର୍ମୀମାନଙ୍କୁ ହିନ୍ଦୁ ସଂଗଠନ କୋହ୍ଲାପୁରର ଛତ୍ରପତି ଶିବାଜୀ ମହାରାଜ ଛକରେ ଏକାଠି ହେବାକୁ ଆହ୍ଵାନ ଦେଇଥିଲେ। ଯେତେବେଳେ ହିନ୍ଦୁ ସଂଗଠନର ଲୋକମାନେ ସେଠାରେ ଏକାଠି ହେବାକୁ ଲାଗିଲେ, ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲା।

ସଂଗଠନର ଲୋକଙ୍କୁ ପୋଲିସ ଲାଠି ଚାର୍ଜ କରିଥିଲା ଏବଂ ସେଠାରୁ ଘଉଡାଇ ଦେଇଥିଲା। କୋଲହାପୁରରେ ଏକ ତିକ୍ତ ପରିସ୍ଥିତି ଉପୁଜିଛି। ୧୯ ତାରିଖ ପର୍ଯ୍ୟନ୍ତ ସହରର ଯେକୌଣସି ସ୍ଥାନରେ ଲୋକଙ୍କ ସମାବେଶକୁ ଜିଲ୍ଲା ପ୍ରଶାସନ ବାରଣ କରିଛି। ଏହି ମାମଲାରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି। ଉଭୟ ଲୋକ ଏହି ପୋଷ୍ଟ ତିଆରି କରି ଏହାକୁ ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ଏହା ସହିତ ଆଇଜି ଏବଂ ଏସପି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

କୋହ୍ଲାପୁର ଘଟଣାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା କରିବା ସରକାରଙ୍କ ଦାୟିତ୍ଵ ଅଟେ। ଶାନ୍ତି ବଜାୟ ରଖିବା ପାଇଁ ମୁଁ ଜନସାଧାରଣଙ୍କୁ ମଧ୍ୟ ନିବେଦନ କରୁଛି। ପୋଲିସର ତଦନ୍ତ ଚାଲିଛି ଏବଂ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, ଯେଉଁମାନେ ଔରଙ୍ଗଜେବଙ୍କୁ ପ୍ରଶଂସା କରନ୍ତି ସେମାନଙ୍କ ପାଇଁ ମହାରାଷ୍ଟ୍ରରେ କ୍ଷମା ପ୍ରାର୍ଥନା ନାହିଁ। ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଆହୁରି ମଧ୍ୟ, ଏହା ଆମର ସାମୂହିକ ଦାୟିତ୍ଵ ଅଟେ ଯେ ଲୋକମାନେ ମଧ୍ୟ ଶାନ୍ତି ବଜାୟ ରଖିବେ, ଯେପରି କୌଣସି ଅଘଟଣ ଘଟିବ ନାହିଁ।

Categories
ଆଜିର ଖବର

ମହାରାଷ୍ଟ୍ରର ସ୍ୱଚ୍ଛ ମୁଖ ଅଭିଯାନର ‘ସ୍ମାଇଲ୍ ଆମ୍ବାସାଡର’ ହେଲେ ସଚିନ ତେନ୍ଦୁଲକର

ମୁମ୍ବାଇ: କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଆଜି ମହାରାଷ୍ଟ୍ରର ସ୍ୱଚ୍ଛ ମୁଖ ଅଭିଯାନର ‘ସ୍ମାଇଲ୍ ଆମ୍ବାସାଡର’ ହୋଇଛନ୍ତି। ଏହା ମୌଖିକ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ସହିତ ଜଡିତ ଏକ ଅଭିଯାନ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଆଜି ତେନ୍ଦୁଲକରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ସଚିନ ତେନ୍ଦୁଲକର ଆସନ୍ତା ପାଞ୍ଚ ବର୍ଷ ପାଇଁ ଏହି ଅଭିଯାନର ‘ବ୍ରାଣ୍ଡ ଆମ୍ବାସାଡର’ ହେବେ।

ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ, ସଚିନ ତେନ୍ଦୁଲକର ସମ୍ପୂର୍ଣ୍ଣ ମାଗଣା ଚୁକ୍ତି ସ୍ୱାକ୍ଷର କରିଛନ୍ତି, ଏଥିପାଇଁ ତାଙ୍କୁ ବିଶେଷ ଧନ୍ୟବାଦ। ଏହି ଅଭିଯାନ ପାଇଁ ସଚିନ ତେନ୍ଦୁଲକର ହେଉଛନ୍ତି ଉପଯୁକ୍ତ ବ୍ୟକ୍ତି। ପାଟିର ସ୍ବଚ୍ଛତା ବୃଦ୍ଧି କରିବା ଆମର ପ୍ରୟାସ।

ଅନ୍ୟପକ୍ଷରେ, ଏହି ଅଭିଯାନ ସଂପର୍କରେ ସଚିନ ତେନ୍ଦୁଲକର କହିଛନ୍ତି ଯେ, ମୁଁ ଯେତେବେଳେ ଛୋଟ ଥିଲି, ମୁଁ ଅନେକ ଖେଳ ଖେଳୁଥିଲି, କିନ୍ତୁ କ୍ରିକେଟ୍ ପ୍ରତି ସବୁଠାରୁ ଅଧିକ ଆଗ୍ରହ ଥିଲା। ମୋର ବୟସ ବଢିବା ସହିତ ଫିଟନେସ ପ୍ରତି ସଚେତନତା ବୃଦ୍ଧି ହେଲା। କାରଣ ଏହା ବିନା ମୋର ଲକ୍ଷ୍ୟ ପହଞ୍ଚିପାରିବ ନାହିଁ। ଆଜିର ଯୁଗରେ ଫିଟନେସ୍ ଆବଶ୍ୟକ, କିନ୍ତୁ କେବଳ ଭଲ ଦେଖାଯିବା ଭଲ ନୁହେଁ, ମାନସିକ ସୁସ୍ଥତା ଏବଂ ପାଟିରେ ସ୍ୱଚ୍ଛତା ମଧ୍ୟ ଏଥିରେ ଆସିଥାଏ। କେବଳ ଏତିକି ନୁହେଁ, ୫୦ ପ୍ରତିଶତ ପିଲାଙ୍କଠାରେ ଦାନ୍ତ ରୋଗ ଦେଖାଯାଏ, ଯାହା ଜୀବନକୁ ପ୍ରଭାବିତ କରିଥାଏ, କିନ୍ତୁ କେହି ଏଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ। ଏହା ପିଲାମାନଙ୍କର ଆତ୍ମବିଶ୍ୱାସକୁ ପ୍ରଭାବିତ କରିଥାଏ। ଯେତେବେଳେ ମୁଁ ଶୁଣେ ଯେ, ତମାଖୁ ଏବଂ ଗୁଟଖା ପରି ଦ୍ରବ୍ୟ ନିଷେଧ, କିନ୍ତୁ ତଥାପି ସେଗୁଡ଼ିକ ଉପଲବ୍ଧ।

ବ୍ୟୟଜ୍ୟେଷ୍ଠମାନେ ଯେଉଁମାନେ ଆମର ଅଭିଭାବକ, ଗୁରୁ କିମ୍ବା ଶିକ୍ଷକ ଏବଂ ଗାଇଡ୍ ଅଟନ୍ତି ସେମାନେ ମଧ୍ୟ ତମାଖୁ ଖାଇବା ପିଇଥିବାର ଦେଖାଯାଏ, ଯାହାର ଫଳାଫଳ କର୍କଟ ଏବଂ ଅନ୍ୟାନ୍ୟ ରୋଗ ଅଟେ। ଯେତେବେଳେ ମୁଁ ଭାରତ ପାଇଁ ଖେଳିବା ଆରମ୍ଭ କଲି, ସେତେବେଳେ ମୋତେ ଅନେକ ବିଜ୍ଞାପନ ମିଳିଲା, କିନ୍ତୁ ମୋ ବାପା ମୋତେ ତମାଖୁ ବିଜ୍ଞାପନ ନକରିବାକୁ କହିଥିଲେ, ତେଣୁ ମୁଁ ତାହା କରି ନାହିଁ।

ସ୍ଵଚ୍ଛ ମୁଖ ଅଭିଯାନ୍ ହେଉଛି ଏକ ଜାତୀୟ ଅଭିଯାନ ଯାହାକି ଭାରତୀୟ ଦନ୍ତ ସଂଘ ଦ୍ୱାରା ପାଟିର ସ୍ୱଚ୍ଛତାକୁ ସୃଦୁଢ କରିବା ଏବଂ ଏହାର ଗୁରୁତ୍ୱ ବିଷୟରେ ଲୋକଙ୍କୁ ଶିକ୍ଷା ଦେବା ପାଇଁ ଆରମ୍ଭ କରାଯାଇଥିଲା। ଏହି ଅଭିଯାନ ଅଧୀନରେ ପ୍ରଚାରିତ ପାଞ୍ଚଟି ପ୍ରମୁଖ ବାର୍ତ୍ତା ମଧ୍ୟରେ ବ୍ରଶ୍ କରିବା, ପାଟି ଧୋଇବା, ପରିଷ୍କାର ଖାଦ୍ୟ ଖାଇବା, ସିଗାରେଟ୍ ଟାଣିବା ଠାରୁ ଦୂରେଇ ରହିବା ଏବଂ ବର୍ଷକୁ ଅତି କମରେ ଦୁଇଥର ଦନ୍ତ ଚିକିତ୍ସକଙ୍କୁ ଦେଖା କରିବା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଭାଇରାଲ୍ ଭିଡିଓରେ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ସଂଘର୍ଷ, ୪୫ ଗିରଫ, ୩୦୦ ଲୋକଙ୍କ ନାମରେ କେସ୍

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଅକୋଲା ଘଟଣାରେ ଏପର୍ଯ୍ୟନ୍ତ ୪୫ ଜଣଙ୍କୁ ଗିରଫ କରାଯାଇଛି। ୩୦୦ ଲୋକଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଛି। ଗତକାଲି ସନ୍ଧ୍ୟା ଠାରୁ ଆଜି ରାତି ୧୨ ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିଛି, ଏହି କାରଣରୁ ଅମ୍ରାବତୀ ବିଶ୍ୱବିଦ୍ୟାଳୟ ଅଧୀନରେ କିଛି ପରୀକ୍ଷା ସ୍ଥଗିତ ରଖାଯାଇଛି। ବର୍ତ୍ତମାନ ପରିବେଶ ଶାନ୍ତ ଅଛି। ପୋଲିସର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି, ଯାହାଙ୍କ ପାଇଁ ସରକାରୀ ଅନୁଦାନ ଘୋଷଣା କରାଯାଇଛି। ସେଠାରେ ୨ ଜଣ ପୋଲିସ କର୍ମୀ ଏବଂ ୬ ଜଣ ଆହତ ହୋଇଛନ୍ତି। ମାର୍କେଟଗୁଡିକ ସମ୍ପୂର୍ଣ୍ଣ ବନ୍ଦ ରହିଛି।

ଶନିବାର ରାତିରେ ଦଙ୍ଗାକାରୀମାନେ ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରୁଥିଲେ, ସେତେବେଳେ ପୋଲିସ ତିନି ରାଉଣ୍ଡ ପ୍ଲାଷ୍ଟିକ ଗୁଳି ଚଳାଇଥିଲା, ଯାହାର ଭିଡିଓ ସାମ୍ନାକୁ ଆସିଛି। ଏହି ଖବର ଅତିରିକ୍ତ ଏସପି ମୋନିକା ରାଉତଙ୍କ ଦ୍ୱାରା ନିଶ୍ଚିତ ହୋଇଛି।

ପ୍ରକାଶ ଯେ, ଅକୋଲା ସହରରେ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ହେତୁ ଦୁଇ ଜଣ ପୋଲିସଙ୍କ ସମେତ ଆଠ ଜଣ ଆହତ ହୋଇଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ୍ ନୀମା ଅରୋରା ସହରର ଚାରିଟି ପୋଲିସ୍ ଷ୍ଟେସନ୍ ଅଞ୍ଚଳରେ ଅପରାଧିକ ପ୍ରକ୍ରିୟା (CrPC) ର ଧାରା ୧୪୪ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପୋଲିସ ଅଧୀକ୍ଷକ ସନ୍ଦୀପ ଘୁଗେ କହିଛନ୍ତି ଯେ, ଏକ ଧାର୍ମିକ ପୋଷ୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବା ପରେ ଏହି ହିଂସା ଘଟିଛି। ଅତିରିକ୍ତ ପୋଲିସ ଅଧୀକ୍ଷକ (ଏଏସପି) ମୋନିକା ରାଉତ କହିଛନ୍ତି ଯେ, ଉଭୟ ଗୋଷ୍ଠୀ ପରସ୍ପର ଉପରେ ପଥର ଫିଙ୍ଗିଥିଲେ। ଏହି ସମୟରେ କିଛି ଗାଡି ମଧ୍ୟ ନଷ୍ଟ ହୋଇଯାଇଥିଲା। ଶ୍ରୀମତୀ ରାଉତ କହିଛନ୍ତି ଯେ, ଦଙ୍ଗାକାରୀଙ୍କୁ ଘଉଡାଇବା ପାଇଁ ପୋଲିସ ଲୁହବୁହା ଗ୍ୟାସ ସେଲ ବ୍ୟବହାର କରିଥିଲା ​​ଏବଂ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛି।

ଗୁଗେ କହିଛନ୍ତି ଯେ, “ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୮ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଦୁଇଜଣ ପୋଲିସ କର୍ମୀ ଅଛନ୍ତି, ଯେଉଁମାନେ ଦଙ୍ଗାକାରୀଙ୍କ ଦ୍ୱାରା ପଥର ଫିଙ୍ଗିବା ସମୟରେ ଆହତ ହୋଇଥିଲେ।” ସ୍ଥାନୀୟ ପ୍ରଶାସନ କହିଛି ଯେ, ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ଅକୋଲା ଜିଲ୍ଲାର ଅଭିଭାବକ ମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଶାନ୍ତି ବଜାୟ ରଖିବା ପାଇଁ ଫଡନାଭିସ୍ ଲୋକଙ୍କୁ ନିବେଦନ କରିଛନ୍ତି।

ଏହି ଘଟଣା ପରେ ସହରରେ ସୁରକ୍ଷା କଡାକଡି କରାଯାଇଛି ବୋଲି ଶ୍ରୀମତୀ ରାଉତ କହିଛନ୍ତି। ସେ କହିଛନ୍ତି ଯେ, ଅକୋଲା ସହରରେ ଅମରାବତୀରୁ ରାଜ୍ୟ ରିଜର୍ଭ ପୋଲିସର ଏକ ହଜାର ଯବାନ ନିୟୋଜିତ ହୋଇଛନ୍ତି। ଭୟଭୀତ ନହେବାକୁ ଏବଂ କୌଣସି ଗୁଜବକୁ ବିଶ୍ଵାସ ନକରିବାକୁ ରାଉତ ନାଗରିକମାନଙ୍କୁ ନିବେଦନ କରିଛନ୍ତି।

Categories
ବିଶେଷ ଖବର

ମହାରାଷ୍ଟ୍ରର ସିନ୍ଦେ ସରକାରଙ୍କୁ ଆଶ୍ଵସ୍ତି!: ବିଧାୟକଙ୍କ ଅଯୋଗ୍ୟତା ଉପରେ ସୁପ୍ରିମକୋର୍ଟ ଦେଲେ ଏଭଳି ନିଷ୍ପତ୍ତି

ନୂଆଦିଲ୍ଲୀ: ଦୀର୍ଘ ସମୟ ଅପେକ୍ଷା ପରେ ଆଜି ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିଛି। ଏହି ନିଷ୍ପତ୍ତି ପରେ ସିନ୍ଦେ ଗୋଷ୍ଠୀକୁ ଏକ ବଡ଼ ଆଶ୍ଵସ୍ତି ମିଳିଛି। ବିଧାୟକଙ୍କ ଅଯୋଗ୍ୟତା ଉପରେ ନିଷ୍ପତ୍ତି ନିଆଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ ଶବ୍ଦରେ କହିଛନ୍ତି। ଏଥିପାଇଁ ବାଚସ୍ପତିଙ୍କୁ ଶୀଘ୍ର ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି। କୋର୍ଟ କହିଛନ୍ତି ଯେ, ଉଦ୍ଧବ ଠାକରେ ଫ୍ଲୋର ଟେଷ୍ଟର ସମ୍ମୁଖୀନ ହୋଇନାହାଁନ୍ତି, ତେଣୁ ତାଙ୍କୁ ପୁନଃସ୍ଥାପିତ କରାଯାଇପାରିବ ନାହିଁ।

ଗଣତନ୍ତ୍ର ଅନୁଯାୟୀ ଦଳରୁ ହ୍ଵିପ ଅଲଗା କରିବା ଠିକ୍ ହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଦଳ ହିଁ ଜନସାଧାରଣଙ୍କଠାରୁ ଭୋଟ୍ ଲୋଡିଥାଏ। କିଏ ହ୍ଵିପ ହେବ ତାହା କେବଳ ବିଧାୟକମାନେ ସ୍ଥିର କରିପାରିବେ ନାହିଁ। ଦଳ ବିଧାୟକଙ୍କ ବୈଠକରେ ଉଦ୍ଧବ ଠାକରେଙ୍କୁ ନେତା ବିବେଚନା କରାଯାଇଥିଲା। ଜୁଲାଇ ୩ ତାରିଖରେ ବାଚସ୍ପତି ଶିବସେନାର ନୂତନ ହ୍ଵିପକୁ ଅନୁମୋଦନ କରିଥିଲେ। ଏହିପରି ଦୁଇ ନେତା ଏବଂ ୨ ଟି ହ୍ଵିପ ହୋଇଯାଇଥିଲା। ବାଚସ୍ପତି ଏକ ନିରପେକ୍ଷ ଅନୁସନ୍ଧାନ କରି ନିଷ୍ପତ୍ତି ନେବା ଉଚିତ୍।

ମ୍ବିଧାନ ଅନୁଯାୟୀ ରାଜ୍ୟପାଳ କାର୍ଯ୍ୟ କରିବା ଉଚିତ୍। ଯଦି ସରକାର ଏବଂ ବାଚସ୍ପତି ଅବିଶ୍ୱାସ ପ୍ରସ୍ତାବ ଉପରେ ଆଲୋଚନାକୁ ସ୍ଥଗିତ ରଖିବାକୁ ଚେଷ୍ଟା କରନ୍ତି, ତେବେ ରାଜ୍ୟପାଳ ନିଷ୍ପତ୍ତି ନେଇପାରିବେ। କିନ୍ତୁ ଏହି ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ବିଧାୟକମାନେ ଲେଖିଥିବା ଚିଠିରେ ସେମାନେ MVA ସରକାର ହଟାଇବାକୁ ଚାହୁଁଛନ୍ତି ବୋଲି କହି ନାହାଁନ୍ତି। କେବଳ ତାଙ୍କ ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ। କୋର୍ଟ କହିଛନ୍ତି ଯେ, କୌଣସି ଦଳରେ ଅସନ୍ତୋଷ ଫ୍ଲୋର ଟେଷ୍ଟର ଆଧାର ହେବା ଉଚିତ ନୁହେଁ। ରାଜ୍ୟପାଳଙ୍କୁ ଯାହା ପ୍ରସ୍ତାବ ମିଳିଥିଲା, ତାହା ସ୍ପଷ୍ଟ ହୋଇନଥିଲା। ବିଧାୟକମାନେ ଏକ ନୂତନ ଦଳ ଗଠନ କରୁଛନ୍ତି ନା କୌଣସି ଦଳରେ ମିଶ୍ରଣ କରୁଛନ୍ତି ତାହା ଜଣା ପଡିନଥିଲା।

ଅଯୋଗ୍ୟତା ଉପରେ କୌଣସି ନିଷ୍ପତ୍ତି ନେବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ପ୍ରସଙ୍ଗରେ ଶୀଘ୍ର ନିଷ୍ପତ୍ତି ନେବାକୁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଦାଲତ କହିଛନ୍ତି ଯେ, ଦଳରେ ବିଭାଜନ ଅଯୋଗ୍ୟତା କାର୍ଯ୍ୟକୁ ଏଡ଼ାଇବା ପାଇଁ ଆଧାର ହୋଇପାରିବ ନାହିଁ। ପୁନର୍ବାର ଉଦ୍ଧବଙ୍କୁ ପୁନଃସ୍ଥାପିତ କରିପାରିବେ ନାହିଁ।

ବାସ୍ତବରେ, ଗତ ବର୍ଷ ଏକନାଥ ସିନ୍ଦେ ଦଳର ବିଦ୍ରୋହ ପରେ ଶିବସେନାକୁ ଦୁଇଟି ଦଳରେ ବିଭକ୍ତ କରାଯାଇଥିଲା। ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, ଏହା ପରେ ତତ୍କାଳୀନ ରାଜ୍ୟପାଳ ଭଗତ ସିଂ କୋଶୟାରି ଏକନାଥ ସିନ୍ଦେଙ୍କୁ ସରକାର ଗଠନ ପାଇଁ ଡାକିଥିଲେ। ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ୧୬ ଜଣ ବିଧାୟକଙ୍କ ସଦସ୍ୟତାର ବୈଧତାକୁ ଉଦ୍ଧବ ଠାକରେ ଗୋଷ୍ଠୀ ଚ୍ୟାଲେଞ୍ଜ କରିଥିଲେ, ଯାହା ଉପରେ ଆଜି ନିଷ୍ପତ୍ତି ନିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ସିନେମା

‘ଦ କେରଳ ଷ୍ଟୋରି’ କୁ ଟିକସମୁକ୍ତ କଲେ ମଧ୍ୟପ୍ରଦେଶ ସରକାର, ବର୍ତ୍ତମାନ ମହାରାଷ୍ଟ୍ରରେ ମଧ୍ୟ ହେଲା ଦାବି

ନୂଆଦିଲ୍ଲୀ: ବହୁ ବିବାଦ ମଧ୍ୟରେ ‘ଦ କେରଳ ଷ୍ଟୋରି’ ଶୁକ୍ରବାର ଦିନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ରିଲିଜ୍ ପୂର୍ବରୁ ଅନେକ ରାଜନୈତିକ ଦଳ ଏବଂ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଏହି ଚଳଚ୍ଚିତ୍ରକୁ ଦୃଢ ବିରୋଧ କରିଥିଲେ ଏବଂ ନିଷେଧାଦେଶ ଦାବି କରିଥିଲେ, ପ୍ରେକ୍ଷାଳୟରେ ଦର୍ଶକ ଏହି ଫିଲ୍ମକୁ ଭଲ ପ୍ରତିକ୍ରିୟା ଦେଇଛନ୍ତି। ଏହା ସହିତ ‘ଦ କେରଳ ଷ୍ଟୋରି’ ର ଆରମ୍ଭଅତ୍ୟନ୍ତ ଭଲ ହୋଇଛି। ଏଥି ସହିତ ମହାରାଷ୍ଟ୍ରର ନାଶିକର “ହିନ୍ଦୁ ସକଲ ସମାଜ” ର ସଦସ୍ୟମାନେ ଫିଲ୍ମ ଟ୍ୟାକ୍ସ ମୁକ୍ତ କରିବାକୁ ଦାବି କରିଛନ୍ତି।

ହିନ୍ଦୁ ସକଲ ସମାଜ ଗୋଷ୍ଠୀ ଲଭ ଜିହାଦ ବିରୋଧରେ ସ୍ଲୋଗାନ ଦେଇଥିଲେ ଏବଂ ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ଧର୍ମଘଟ କରିଥିଲେ। ସେମାନେ ବିଶ୍ୱାସ କରନ୍ତି ଯେ, ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରି’ ଲଭ୍ ଜିହାଦର ସମସ୍ତ ପ୍ରକ୍ରିୟା ଲୋକଙ୍କ ସାମ୍ନାରେ ଉପସ୍ଥାପନ କରିବ ଏବଂ ଏହି ଚଳଚ୍ଚିତ୍ର ଦେଖିବା ଦ୍ୱାରା ହିନ୍ଦୁ ସମାଜର ଝିଅମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବ। ଏହା ଅଧୀନରେ ନାଶିକର ସକଲ ହିନ୍ଦୁ ସମାଜ ପକ୍ଷରୁ ଜିଲ୍ଲା କଲେକ୍ଟରଙ୍କୁ ଫିଲ୍ମ ଟ୍ୟାକ୍ସ ମୁକ୍ତ କରିବାକୁ ଅନୁରୋଧ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ରରେ ଏବେ ନିର୍ବାଚନ ହେଲେ ଏମଭିଏ ପାଇବ କେତେ ଆସନ?: ଜାଣନ୍ତୁ କ’ଣ କହିଲେ ରାଉତ

ମୁମ୍ବାଇ: ଶିବସେନା (ଉଦ୍ଧବ ବାଲ ଠାକରେ) ନେତା ସଞ୍ଜୟ ରାଉତ ମଙ୍ଗଳବାର ଦାବି କରିଛନ୍ତି ଯେ, ଯଦି ଆଜି ମହାରାଷ୍ଟ୍ରରେ ନିର୍ବାଚନ ହୁଏ ତେବେ ମହା ବିକାଶ ଅଘାଡି (MVA) ଅତି କମରେ ୪୦ ଟି ଲୋକସଭା ଆସନ ଏବଂ ୧୮୦ ରୁ ୧୮୫ ଟି ବିଧାନସଭା ଆସନ ପାଇବ। ସୂଚନାଯୋଗ୍ୟ ଯେ, ଏମଭିଏମ୍‌ରେ ଶିବସେନା (ୟୁବିଟି) ଏବଂ କଂଗ୍ରେସ ଏବଂ ଏନସିପି ମଧ୍ୟ ଅଛନ୍ତି।

ଏଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ରାଉତ ଦାବି କରିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଜାତୀୟ ସ୍ତରରେ ଅତି କମରେ ୧୧୦ ଟି ଆସନ (ଲୋକସଭା) ହରାଇବ। ସେ କହିଛନ୍ତି ଯେ, “ଏହା ପଦ୍ମର ଋତୁ ନୁହେଁ। ମୁଁ ଆଜି ବଜାରରେ କୌଣସି ପଦ୍ମ ଦେଖୁନାହିଁ। ବଜାରରେ ଆହୁରି ଅନେକ ପ୍ରକାରର ଫୁଲ ଅଛି ଏବଂ ଶୀଘ୍ର ଆପଣ ସେଗୁଡ଼ିକ ମଧ୍ୟରୁ ଅନେକ ଦେଖିବେ।

ଏନସିପି ନେତା ଅଜିତ ପାୱାରଙ୍କ ବିଷୟରେ ହୋଇଥିବା କଳ୍ପନାଜଳ୍ପନା ଉପରେ ରାଉତ କହିଛନ୍ତି ଯେ, ଦଳରୁ ଅଲଗା ହେବାର ଖବର ମିଥ୍ୟା ବୋଲି ସାମ୍ବାଦିକମାନଙ୍କୁ ସ୍ପଷ୍ଟ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଟିଣ ଘର ଉପରେ ନିମ୍ବ ଗଛ ପଡ଼ି ୭ ମୃତ, ୨୩ ଆହତ

ମୁମ୍ବାଇ: ମହାରାଷ୍ଟ୍ରର ଅକୋଲା ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବାସ୍ତବରେ ରବିବାର ସନ୍ଧ୍ୟାରେ ବାବା ଜୀ ମହାରାଜ ମନ୍ଦିର ସମ୍ମୁଖରେ ପ୍ରସାଦ ବଣ୍ଟନ ଆରମ୍ଭ ହୋଇଥିଲା। କିନ୍ତୁ ଏହି ସମୟ ମଧ୍ୟରେ ପ୍ରବଳ ଝଡ ପବନ ଓ ବର୍ଷା ଯୋଗୁଁ ଏକ ବିରାଟ ନିମ୍ବ ଗଛ ଟିଣ ଘର ଉପରେ ପଡ଼ିଗଲା। ଅନେକ ଭକ୍ତ ଏହି ଟିଣ ଘର ତଳେ ଠିଆ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଏହାର ତଳେ ଦବିହୋଇ ରହିଯାଇଥିଲେ।

ସୂଚନା ଅନୁଯାୟୀ, ୩୫ ରୁ ୪୦ ଭକ୍ତଙ୍କୁ ଗଛ ତଳେ ଦବି ଯାଇଥିଲେ। ଯେଉଁଥିରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି। ଯାହାର ଚିକିତ୍ସା ଅକୋଲା ମେଡିକାଲ କଲେଜରେ ଚାଲିଛି। ତେବେ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ଲୋକ ଏବଂ ବାଲାପୁର ପୋଲିସ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଟିଣ ଘରେ ତଳେ ପୋତି ହୋଇଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସ୍ଥାନୀୟ ହିନ୍ଦୁ ମୁସଲମାନ ସମସ୍ତ ଧର୍ମର ଲୋକମାନେ ଗଛ କାଟିଥିଲେ। ପୋତି ହୋଇ ରହିଥିବା ଲୋକଙ୍କୁ ଗ୍ୟାସ କଟର ସାହାଯ୍ୟରେ ଟିଣ ଘରୁ ବାହାର କରାଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଜିଲ୍ଲାପାଳ, ଏସପି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ମୃତକଙ୍କ ପ୍ରତ୍ୟେକ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହ ସମସ୍ତ ଆହତଙ୍କ ଉପଯୁକ୍ତ ଚିକିତ୍ସା ସରକାରୀ ଖର୍ଚ୍ଚରେ କରାଯିବା ଉଚିତ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନଠାରୁ ସୂଚନା ନେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ବଢୁଥିବା କରୋନା ମାମଲା ସମ୍ବନ୍ଧରେ ସତର୍କତା, ୬ ଟି ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଉଛି। ଏହା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୬ ଟି ରାଜ୍ୟକୁ ଚିଠି ଲେଖିଛନ୍ତି। ମହାରାଷ୍ଟ୍ର, ଗୁଜୁରାଟ, ତେଲେଙ୍ଗାନା, ତାମିଲନାଡୁ, କେରଳ ଏବଂ କର୍ଣ୍ଣାଟକକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଚିଠି ଲେଖିଛନ୍ତି। ଏଥିରେ କୁହାଯାଇଛି ଯେ, ଗତ କିଛି ମାସ ମଧ୍ୟରେ କରୋନା ମାମଲାରେ ହ୍ରାସ ଘଟିଥିଲା, କିନ୍ତୁ ଗତ ଏକ ସପ୍ତାହରୁ ମାମଲା ପୁଣି ବଢିବାରେ ଲାଗିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ, ବଢୁଥିବା କରୋନା ମାମଲାକୁ ନିୟନ୍ତ୍ରଣ କରିବା ଉପରେ ରାଜ୍ୟ ସରକାର ଧ୍ୟାନ ଦେବା ଉଚିତ୍। ରାଜ୍ୟ ସରକାରମାନେ ରଣନୀତି ଅନୁଯାୟୀ ପରୀକ୍ଷା, ଚିକିତ୍ସା, ଟ୍ରାକ୍, ଟୀକାକରଣ ରଣନୀତି ଅନୁସରଣ କରିବା ଉଚିତ୍। ଦେଶ ବିଷୟରେ କହିବାକୁ ଗଲେ, ଗୋଟିଏ ଦିନରେ ୭୫୪ ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏପର୍ଯ୍ୟନ୍ତ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ କୋଟି ୪୬ ଲକ୍ଷ ୯୨ ହଜାର ୭୧୦ କୁ ବୃଦ୍ଧି ପାଇଛି। ପ୍ରାୟ ଚାରିମାସ ପରେ ଦେଶରେ ଗୋଟିଏ ଦିନରେ ୭୦୦ ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଯାହା ପରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୪ ହଜାର ୬୨୩ କୁ ବୃଦ୍ଧି ପାଇଛି।