Categories
ଆଞ୍ଚଳିକ

ଖୋଲିଲା ମା’ଭଗବତୀଙ୍କ ଭିତର ହୁଣ୍ଡି: ସଂଗ୍ରହ ହେଲା ୧ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା

ସୀତାରାମ ଅଗ୍ରୱାଲ

ବାଣପୁର: ମାତ୍ର ତିନିମାସର ବ୍ୟବଧାନ ପରେ ମା’ ଭଗବତୀଙ୍କ ଭିତରକାଠ ହୁଣ୍ଡି ଖୋଲା ଯାଇଛି। ମନ୍ଦିର ପରିଚାଳନା କମିଟିର ସଭାପତି ତହସିଲ୍ ଦାର କୁଞ୍ଜବିହାରୀ ବଡ଼ଜେନା, ସଭ୍ୟ ମଣ୍ଡଳ ଉନ୍ନୟନ ଅଧିକାରୀ ବୁଲ୍‌ବୁଲ୍‌ ବେହେରା, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ସ୍ଥାନୀୟ ଥାନା ଏ.ଏସ୍.ଆଇ., ଏଣ୍ଡା ଓ ମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ମନ୍ଦିର ଶୁଭେଚ୍ଛୁ ବିକ୍ରମ କେଶରୀ ଜେନା, ସୁରେନ୍ଦ୍ର ସାହୁ, ଅକ୍ଷୟ ମିଶ୍ର, ଅଶ୍ଵିନୀ ମିଶ୍ର, ସେବାୟତ ପ୍ରକାଶ ମହାପାତ୍ର, ବସନ୍ତ ନାୟକ ପ୍ରମୁଖଙ୍କ ଉପସ୍ଥିତିରେ ହୁଣ୍ଡି ଖୋଲାଯାଇଥିଲା।

ସମୁଦାୟ ଟ ୧,୩୯,୧୯୩/_ଏକ ଲକ୍ଷ ଅଣଚାଳିଶି ହଜାର ଦୁଇ ଶହ ତେୟାନବେ ଟଙ୍କା ମାତ୍ର ସଂଗ୍ରହ କରାଯାଇ ସ୍ଥାନୀୟ ୟୁକୋ ବ୍ୟାଙ୍କରେ ଜମା ରଖାଯାଇଥିଲା। ଶ୍ରଦ୍ଧାଳୁମାନଙ୍କର ମଙ୍ଗଳ କାମନା କରି ଏହି ଦାନ ଅର୍ଥ ମା’ ଙ୍କ ନୀତିକାନ୍ତି ସେବାରେ ଲାଗିବ ବୋଲି ନିର୍ବାହୀ ଅଧିକାରୀଙ୍କଠାରୁ ପ୍ରକାଶ।

Categories
ଆଞ୍ଚଳିକ

ମା’ ଭଗବତୀଙ୍କ ପୀଠରେ ବାସନ୍ତିକ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ

ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ଠାରୁ ନଅ ଦିନ ବ୍ୟାପି ବାଣପୁରର ଆରାଧ୍ୟ ଦେବୀ ମା’ ଭଗବତୀଙ୍କ ପୀଠରେ ବସନ୍ତ ଋତୁର ନବରାତ୍ରି ଉପଲକ୍ଷେ ବାସନ୍ତିକ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ମା’ଙ୍କ ପୀଠରେ ଉକ୍ତ ଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ଆଜି କଳସ ଯାତ୍ରାରେ ବହୁ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ।

ବାଣପୁରର ସମସ୍ତ ଜନସାଧାରଣଙ୍କ ସହଯୋଗରେ ମହାଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ସକାଳୁ ଶ୍ରଦ୍ଧାଳୁମାନେ ଶ୍ରୀ ଶ୍ରୀ ଦକ୍ଷେଶ୍ୱରଙ୍କ ମନ୍ଦିର ପୁଷ୍କରିଣୀରୁ ରୁ କଳସରେ ଜଳ ଆଣି ବାଣପୁର ପରିକ୍ରମା କରି ମା’ ଭଗବତୀଙ୍କ ମନ୍ଦିରରେ ପହଂଚିଥିଲେ। ଫଳରେ ମା’ ଙ୍କ ପୀଠରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।

ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ମନୋଜ ଅଗ୍ରୱାଲ ଏବଂ ବରିଷ୍ଠ ଆଇନଜିବି ଶ୍ୟାମ ସୁନ୍ଦର ମିଶ୍ର ଉକ୍ତ ଯଜ୍ଞର କର୍ତ୍ତା ଭାବରେ ଉପବିଶନ ହୋଇଛନ୍ତି।

ପ୍ରକାଶଥାଉକି ଯଜ୍ଞର ବିଧିବିଧାନ ଅନୁଯାୟୀ ମଙ୍ଗଳବାର ଅଙ୍କୁରାରୋପଣ ହୋଇଥିବା ବେଳେ ଆଜି ତଥା ବୁଧବାର ଦିନ କଳସ ଯାତ୍ରା ସମାପନ ହୋଇଯାଇଛି। ଗୁରୁବାର ଅଧିବାସ ପର ଠାରୁ ଯଜ୍ଞ ଆରମ୍ଭ ହେବ। ଯଂଜ୍ଞରେ ଦୈନିକ ଚଣ୍ଡୀପାଠ, ରାମଚରିତ ମାନସ ପଠନ, ଭଜନ ଏବଂ ପ୍ରତ୍ୟେହ ମା’ ଭଗବତୀଙ୍କ ବାପଘର ଶ୍ରୀ ଶ୍ରୀ ଶ୍ରୀ ଦକ୍ଷେଶ୍ୱରଙ୍କ ନିକଟରେ ରୁଦ୍ରାଭିଷେକ ଆସନ୍ତା ୩୦ ତାରିଖ ଗୁରୁବାର ପର୍ଯ୍ୟନ୍ତ ଚାଲୁ ରହିବ। ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଶ୍ରଦ୍ଧାଳୁ ମାନଙ୍କୁ ପ୍ରବଚନ ଦେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ମା ଭଗବତୀ ମନ୍ଦିର ଉନ୍ନୟନ ମାଷ୍ଟରପ୍ଲାନ ଅନୁମୋଦନ ପରେ ବାଣପୁରରେ ଖୁସିର ଲହରି

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ତିନି ଗୋଟି ଶକ୍ତିପୀଠ ର ଉନ୍ନତିକରଣ ନିମନ୍ତେ 5T ଉପକ୍ରମରେ ମାଷ୍ଟର ପ୍ଲାନ ଗୁଡିକୁ ଅନୁମୋଦନ କରିଛନ୍ତି। ତନ୍ମଧ୍ୟରୁ ବାଣପୁର ମା’ ଭଗବତୀ ପୀଠ ଅନ୍ୟତମ। ତେବେ ଉକ୍ତ ଖବର ପ୍ରଚାର ହେବାପରେ ବାଣପୁରବାସୀଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି।

ଏହି ପରିପ୍ରେକ୍ଷୀରେ ଆଜି ସକାଳେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକଙ୍କ ନେତୃତ୍ୱରେ ବହୁ ଲୋକ ମା’ ଭଗବତୀଙ୍କ ମନ୍ଦିର ରେ ଏକାଠି ହେବା ସହ ମୁଖ୍ୟମନ୍ତ୍ରୀ, 5T ସଚିବ ଏବଂ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଶ୍ରୀ ନାୟକ ଗଣମାଧ୍ୟମକୁ ସମ୍ବୋଧିତ କରି କହିଥିଲେ କି ଶ୍ରୀ ମଙ୍ଗରାଜ ସାଂସଦ ହେବା ପରେ ପ୍ରଥମେ ମା ଭଗବତୀଙ୍କ ଆଶୀର୍ବାଦ ନେବା ପାଇଁ ଆସିଥିବା ବେଳେ ଭଗବତୀ ମନ୍ଦିର କୁ 5T ଯୋଜନାରେ ସାମିଲ କରିବା ପାଇଁ ବାଣପୁରବାସୀ ଅନୁରୋଧ କରିଥିଲେ। ତାଙ୍କରି ପ୍ରଚେଷ୍ଠାରେ ବର୍ତ୍ତମାନ ଏହା ସଫଳ ରୂପାୟନ ହୋଇପାରିଛି ବୋଲି ଅଧ୍ୟକ୍ଷ ମିଟୁ ନାୟକ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଲେ ଧନ୍ୟବାଦ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। କାରଣ ହେଲା ଆଜି ମୁଖ୍ୟମନ୍ତ୍ରୀ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀ ମନ୍ଦିରର ମାଷ୍ଟର ପ୍ଲାନକୁ ଅନୁମୋଦନ କରିଛନ୍ତି। ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି।

‘ସମୀକ୍ଷା’ କୁ ତାଙ୍କର ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, “ଆଜି ମୋ ନିର୍ବାଚନ ମଣ୍ଡଳୀ ଚିଲିକା ପାଇଁ ଏକ ଐତିହାସିକର ଦିନ। କାରଣ ଆଜି ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀ ମନ୍ଦିରର ଉନ୍ନତି ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନକୁ ମୋର ନେତା ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ।”

ସେ ଆହୁରି କହିଛନ୍ତି ଯେ, “ଏହି ମନ୍ଦିରର ବିକାଶ କାର୍ଯ୍ୟକ୍ରମ 5ଟି ଉପକ୍ରମରେ କରାଯିବ। ସେଥିପାଇଁ 5ଟି ସଚିବ ଭି କେ ପାଣ୍ଡିଆନଙ୍କୁ ମଧ୍ୟ ଧନ୍ୟବାଦ। ବାଣପୁରବାସୀଙ୍କ ବହୁଦିନର ଅପେକ୍ଷାର ଅନ୍ତ ଘଟିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆର୍ଶିବାଦରେ ଭବିଷ୍ୟତରେ ଚିଲିକାର ଆହୁରି ବହୁତ କିଛି ଉନ୍ନତି ହେବ ଏଥିରେ ସନ୍ଦେହ ନାହିଁ।”

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ମା ଭଗବତୀ, ମା ମଙ୍ଗଳା ଓ ମା ଉଗ୍ରତାରାଙ୍କ ପୀଠର ମାଷ୍ଟର ପ୍ଲାନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ

ଭୁବନେଶ୍ୱର: ଓଡିଶା ଯୁଗେ ଯୁଗେ ଏକ ପ୍ରମୁଖ ଶକ୍ତି ପୀଠ ଭାବରେ ପ୍ରସିଦ୍ଧ ଲାଭ କରିଛି। ଓଡିଶାର ବିଭିନ୍ନ ଅଞ୍ଚଳରେ ମା ବିଭିନ୍ନ ରୂପରେ ପୂଜା ପାଇ ଆସୁଛନ୍ତି। ଶକ୍ତି ପୂଜାରେ ଚୈତ୍ର ମାସ ବିଶେଷ ଗୁରୁତ୍ୱ ବହନ କରିଥାଏ। ମାଙ୍କ ର ଚୈତ୍ର ମଙ୍ଗଳବାରକୁ ସାରା ଓଡିଶାର ମହିଳାମାନେ ଅତ୍ୟନ୍ତ ଭକ୍ତି ଓ ନିଷ୍ଠା ର ସହ ପାଳନ କରିଥାନ୍ତି।

ମା ଙ୍କର ଏହି ପବିତ୍ର ମାସ ଅବସରରେ ଆଜି ରାଜ୍ୟର ତିନୋଟି ପ୍ରମୁଖ ଶକ୍ତିପୀଠ, କାକଟପୁରର ମା ମଙ୍ଗଳା, ଭୂଷୁଣ୍ଡପୁର ର ମା ଉଗ୍ରତାରା ଓ ବାଣପୁର ର ମା ଭବବତୀ ପୀଠର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପ୍ରସ୍ତୁତ ମାଷ୍ଟର ପ୍ଲାନକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। 5T ଉପକ୍ରମରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ପୁର୍ତ୍ତ ବିଭାଗର ପର୍ଯ୍ୟଟନ ସ୍ଥଳ ଓ ଐତିହ କିର୍ତ୍ତିରାଜୀର ସମ୍ୱନିତ ବିକାଶ ଯୋଜନାରେ ଏହାକୁ ସାମିଲ କରାଯାଇଛି। ଓଡିଶା ସେତୁ ନିର୍ମାଣ ନିଗମ ଉପରେ ବିକାଶ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।

ପୁରୀ ଜିଲ୍ଲା ର କାକଟପୁରରେ ବିରାଜିତ ମା ମଙ୍ଗଳା ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ। ପଞ୍ଚଦଶ ଶତାବ୍ଦୀରେ ନିର୍ମିତ ମା ମାଙ୍ଗଳାଙ୍କ ପୀଠର ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସହ ଘନିଷ୍ଠ ସଂପର୍କ ରହିଛି। ନବକଳେବର ସମୟରେ ଦଇତାପତି ସେବକମାନେ ମାଙ୍କ ଆଜ୍ଞାକ୍ରମେ ଏଠାରୁ ହିଁ ଦାରୁ ସନ୍ଧାନରେ ଯାଇଥାନ୍ତି। ଚୈତ୍ର ମାସରେ ଝାମୁ ଯାତ୍ରା ମାଙ୍କ ପ୍ରସିଦ୍ଧ ପର୍ବ। 5T ଉପକ୍ରମରେ ଏହି ପ୍ରାଚୀନ ଶକ୍ତିପୀଠର ବିକାଶ ନିମନ୍ତେ ପ୍ରସ୍ତୁତ ମାଷ୍ଟର ପ୍ଲାନ ରେ ମନ୍ଦିରରେ khondalite ପଥର ବିଛାଯିବା ସହିତ ମନ୍ଦିରର ରୋଷଘର ଓ ଜଳ ନିଷ୍କାସନ ବ୍ୟବସ୍ଥାର ସଂସ୍କାର କରାଯିବ।

ଏହା ସହିତ ସେବାୟତ ଭବନ, ଭୋଗ ଦୋକାନ ପ୍ରାଚୀ ନଦୀ କୂଳରେ ମୁଣ୍ଡନ kiosk, ଚନ୍ଦନଘାଟର ବିକାଶ, ଗୋଷ୍ଠୀ ଶୌଚାଳୟ ଆଦିର ବିକାଶ କରାଯିବ। ପୀଠକୁ ଅଧିକ ଆକର୍ଷଣୀୟ କରାଯିବା ପାଇଁ କୋଣାର୍କ ପାର୍ଶ୍ୱ ରାସ୍ତାରେ ଐତିହ ଦ୍ୱାର ନିର୍ମାଣ କରାଯିବ। ଯାତ୍ରୀମାନଙ୍କ ସୁବିଧାପାଇଁ ବିଭିନ୍ନ ପଦକ୍ଷେପ ନେବା ସହିତ ଆଲୋକୀକରଣ, Landscaping ଓ ବୃକ୍ଷରୋପଣ କରାଯିବା ସହିତ ପାର୍କିଙ୍ଗ ସ୍ଥଳର ମଧ୍ୟ ବିକାଶ କରାଯିବ। ଓଡିଶା ସେତୁ ନିର୍ମାଣ ନିଗମ ୧୨ ମାସ ମଧ୍ୟରେ ଏହାକୁ ସଂପୁର୍ଣ୍ଣ କରିବ।

ଖୋର୍ଦ୍ଦା ଜିଲ୍ଲା ବାଣପୁରର ମା ଭବବତୀଙ୍କ ପୀଠକୁ ପ୍ରତିଦିନ ହଜାର ହଜାର ଭକ୍ତ ମାଙ୍କ ଦର୍ଶନ ଓ ପୂଜା ପାଇଁ ଆସିଥାନ୍ତି। ମାଙ୍କ ପୀଠରେ ଦଶହରା ପର୍ବ ବିପୁଳ ଉତ୍ସାହ ମଧ୍ୟରେ ପାଳନ କରାଯାଇଥାଏ। ନବମ ଶତାବ୍ଦୀରେ ନିର୍ମିତ ମାଙ୍କ ମନ୍ଦିର ର ବିକାଶ ପାଇଁ 5T ଉପକ୍ରମରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ସିଂହଦ୍ୱାରଠାରୁ ଆରମ୍ଭ କରି ପରିକ୍ରମା, ଘାଟ, ଯାତ୍ରା ପଡିଆ, ଯାତ୍ରୀ ସୁବିଧା ତଥା ଜଗନ୍ନାଥ ମନ୍ଦିର ର ବିକାଶ ପାଇଁ ଏଥିରେ ସ୍ୱତନ୍ତ୍ର ଫୋକସ ରଖାଯାଇଛି। ଏହା ସହିତ ବହୁମୁଖୀ ହଲ, ରାସ୍ତା ଓ ନଦୀଘାଟ ଆଦିର ବିକାଶ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ରାଜ୍ୟ ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ ତତ୍ତ୍ୱାବଧାନରେ ଓଡିଶା ସେତୁ ନିର୍ମାଣ ନିଗମ ୨୪ ମାସ ମଧ୍ୟରେ ଏହି କାର୍ଯ୍ୟ ସଂପାଦନ କରିବ।

ଖୋର୍ଦ୍ଦା ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ହେଉଛି ଭୁଷୁଣ୍ଡପୁରର ମା ଉଗ୍ରତାରାଙ୍କ ପୀଠ। ୧୩୫୨ ଖ୍ରୀଷ୍ଟାବ୍ଦରେ ନିର୍ମିତ ମା ଉଗ୍ରତାରାଙ୍କ ପୀଠ ଭକ୍ତମାନଙ୍କ ବିଶ୍ୱାସ ର କେନ୍ଦ୍ର ହୋଇ ରହି ଆସିଛି । ଏହି ପୀଠର ବିକାଶ ପାଇଁ ପ୍ରସ୍ତୁତ ଯୋଜନାରେ ମନ୍ଦିରର ବିକାଶ ସହ arrival plaza, ଯାତ୍ରୀ ଙ୍କ ସୁବିଧା, parking landscaping, picnic spot, ଯାତ୍ରା ପଡିଆ ସହିତ ପୋଖରୀ ର ମଧ୍ୟ ପୁନରୁଦ୍ଧାର କରାଯିବ। ଓଡିଶା ସେତୁ ନିର୍ମାଣ ନିଗମ ଦ୍ଵାରା ୧୮ ମାସ ମଧ୍ୟରେ କାମ ଶେଷ କରାଯିବ। ଏହି ତିନି ଗୋଟି ପୀଠର ବିକାଶ ଯୋଜନା କୁ ଅନୁମୋଦନ କରିବା ସହ ନିର୍ଦ୍ଧାରିତ ସମୟରେ କାମ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେବାୟତ ମାନଙ୍କ ସହ ମଧ୍ୟ ଆଲୋଚନା କରି ଯୋଜନା ସଂପର୍କରେ ସେମାନଙ୍କ ମତାମତ ନେଇଥିଲେ । ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ (5T) ଶ୍ରୀ ଭି.କେ. ପାଣ୍ଡିଆନ ବିଭିନ୍ନ ସମୟରେ ଏହି ପୀଠ ମାନଙ୍କୁ ଯାଇ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ବିକାଶ ସଂପର୍କରେ ଆଲୋଚନା କରିଥିଲେ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଉପସ୍ଥିତ ଥିଲେ ଓ ପୂର୍ତ୍ତ ବିଭାଗ ର ପ୍ରମୁଖ ଶାସନ ସଚିବ ଶ୍ରୀ ଭି.ଭି. ଯାଦବ ଉପସ୍ଥାପନା ରଖିଥିଲେ । ତିନି ପୀଠର ସେବାୟତମାନେ ସଂପୃକ୍ତ ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ବୈଠକରେ ଯୋଗ ଦେଇଥିଲେ । ସେବାୟତମାନେ ସେମାନଙ୍କ ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ ।

Categories
ଆଞ୍ଚଳିକ ଧର୍ମ

ଆସନ୍ତା ୨୨ ରୁ ମା’ ଭଗବତୀଙ୍କ ପୀଠରେ ବାସନ୍ତିକ ନବରାତ୍ରି ବିଶ୍ଵଶାନ୍ତି ମହାଯଜ୍ଞ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁରର ଆରାଧ୍ୟ ଦେବୀ ମା’ ଭଗବତୀଙ୍କ ପୀଠରେ ବସନ୍ତ ଋତୁର ନବରାତ୍ରି ଉପଲକ୍ଷେ ବାସନ୍ତିକ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଅଛି। ଉକ୍ତ ବିଶ୍ଵଶାନ୍ତି ମହାଯଜ୍ଞ ଆସନ୍ତା ୨୨ ତାରିଖ ବୁଧବାର ଠାରୁ ନଅ ଦିନ ଧରି ଚାଲିବ। ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ମା’ଙ୍କ ପୀଠରେ ଏହି ଯଜ୍ଞ ଅନୁଷ୍ଠିତ ହେଉଛି। ବାଣପୁରର ସମସ୍ତ ଜନସାଧାରଣଙ୍କ ସହଯୋଗରେ ମା’ ଭଗବତୀ ବାସନ୍ତିକ ମହାଯଜ୍ଞ କମିଟିର ସଦସ୍ୟମାନେ ଉକ୍ତ ଯଜ୍ଞର ସମସ୍ତ ପ୍ରସ୍ତୁତି ପର୍ବ ଶେଷ ପର୍ଯାୟରେ ପହଞ୍ଚିଛି ବୋଲି କମିଟି ସଦସ୍ୟ ସଞ୍ଜୟ କୁମାର ମହାପାତ୍ର (ଫୁକୁ) ମତପ୍ରକାଶ କରିଛନ୍ତି।

ତତସହିତ ମା’ ଭଗବତୀଙ୍କ ମନ୍ଦିର ପ୍ରାଙ୍ଗଣରେ ହେବାକୁ ଥିବା ଉକ୍ତ ଯଜ୍ଞକୁ ଏଣ୍ଡାଉମେଣ୍ଟ କମିଶନର ଅନୁମତି ପ୍ରଦାନ କରିଛନ୍ତି। ଯଜ୍ଞର ବିଧିବିଧାନ ଅନୁଯାୟୀ ମଙ୍ଗଳବାର ଅଙ୍କୁରାରୋପଣ, ବୁଧବାର କଳସ ଯାତ୍ରା ଏବଂ ଗୁରୁବାର ଅଧିବାସ ପର ଠାରୁ ଯଜ୍ଞ ଆରମ୍ଭ ହେବ। ଦୈନିକ ଚଣ୍ଡୀପାଠ, ରାମଚରିତ ମାନସ ପଠନ, ଭଜନ ଏବଂ ପ୍ରତ୍ୟେହ ମା’ ଭଗବତୀଙ୍କ ବାପଘର ଶ୍ରୀ ଶ୍ରୀ ଶ୍ରୀ ଦକ୍ଷେଶ୍ୱରଙ୍କ ନିକଟରେ ରୁଦ୍ରାଭିଷେକ ଆସନ୍ତା ୩୦ ତାରିଖ ଗୁରୁବାର ପର୍ଯ୍ୟନ୍ତ ନବ ଦିନ ଧରି ଚାଲୁ ରହିବ।

ମା’ ଙ୍କ ପୀଠରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ଲକ୍ଷ୍ୟରେ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଶ୍ରଦ୍ଧାଳୁମାନଙ୍କୁ ପ୍ରବଚନ ଦେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଏହି ନବରାତ୍ରି ଯଜ୍ଞ ନିମନ୍ତେ ବାଣପୁର ଓ ପ୍ରବାସୀ ବାଣପୁର ଜନସାଧାରଣ ଆର୍ଥିକ ସହଯୋଗ କରୁଥୁବାର କହିଛନ୍ତି ଶ୍ରୀ ମହାପାତ୍ର। ଅଧିକରୁ ଅଧିକ ଶ୍ରଦ୍ଧାଳୁ ମା’ଙ୍କର ଏହି ମହାଯଜ୍ଞରେ ସାମିଲ ହୋଇ ଆଶୀର୍ବାଦ ଲାଭ କରିବାକୁ କମିଟି ପକ୍ଷରୁ ନିବେଦନ କରାଯାଇଛି।

ତତସହିତ ଉକ୍ତ ବାସନ୍ତିକ ବିଶ୍ଵଶାନ୍ତି ମହାଯଜ୍ଞ ମା’ ଭଗବତୀଙ୍କ ପିଠରେ ପ୍ରତ୍ୟେକ ବର୍ଷ ଅନୁଷ୍ଠିତ ହେବା ନେଇ ଆଶା ରଖିଛି କମିଟି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଦୋଳ ପୁନେଇରେ ବାପଘର ଦୁଆରେ ତୋରାଣୀ ପିଇଲେ ମା’ ଭଗବତୀ

ସୀତାରାମ ଅଗ୍ରୱାଲ

ବାଣପୁର: ସମଗ୍ର ଓଡ଼ିଶାର ପୁରପଲ୍ଲୀରେ ଦୋଳପୂର୍ଣ୍ଣମୀ, ହୋଲି ମହା ଆଡ଼ମ୍ବରରେ ପାଳିତ ହେଉଥିବାବେଳେ ଭଗବତୀ ପୀଠ ବାଣପୁରରେ ନିଆରା ଢଙ୍ଗରେ ପାଳିତ ହୁଏ ଦୋଳପର୍ବ।ଶ୍ରୀକ୍ଷେତ୍ର ଓ ଗଡ଼ଜାତ ମାନଙ୍କରେ ଶ୍ରୀ ଜଗନ୍ନାଥଙ୍କ ପ୍ରତୀକ ଦୋଳଗୋବିନ୍ଦ ଏହି ଯାତ୍ରାର ପୁରଧା ଭାବରେ ଚାଚେରୀ ଖିଆ ଓ ଅବିର ସହିତ ଦୋଳି ଖେଳରେ ଅଂଶଗ୍ରହଣ କରୁଥିବାବେଳେ ଏଠାରେ ମା’ ଭଗବତୀଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀ ଫାଲଗୁନ ଶୁକ୍ଳ ଏକାଦଶୀଠାରୁ ଚୈତ୍ର କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ୬ ଦିନ ଧରି ବାଣପୁରର ଅଚ୍ୟୁତରାଜପୁର, ଶ୍ରୀନିବାସପୁର, ତୁଳସୀ ଦେଇପୁର ପରି ବ୍ରାହ୍ମଣ ଶାସନ, କଠିନାହାକ ସେବାୟତ ଓ ଶେଷରେ ବାପଘର ଭାବେ ପରିଚିତ ପରିଛା ସାଆନ୍ତଙ୍କ ଦୁଆରେ ଉଭାହୋଇ ଶୁଧପୁତ ଭାବରେ ପ୍ରସ୍ତୁତ ଶଙ୍କୁଡ଼ି, ନିଶଙ୍କୁଡି ନୈବେଦ୍ୟ ଲାଗି ହୋଇ ପ୍ରାଚୀନ କାଳରୁ ପ୍ରଚଳିତ ବାପ ଘର ସ୍ନେହସୋହାଗର ପୁନେଇ ଖିଆ ପରମ୍ପରାର ପ୍ରତୀକ ତୋରାଣି ପିଇ ଭାରଥୁର ଧରି ମନ୍ଦିର ପ୍ରତ୍ୟାଗମନ କରିବାର ଏହି ଅନନ୍ୟ ପରମ୍ପରା ଅନ୍ୟତ୍ର ଦେଖିବାକୁ ମିଳେନାହିଁ।

ଏଥିପାଇଁ ଦୋଳପୂର୍ଣ୍ଣମୀରେ ବାପ ଘରୁ ଝିଅ ଘରକୁ ଶାଢୀ, ଚୁଡ଼ି, ଅଳତା, ସିନ୍ଦୁର, ଡାଲା ବାଉଁଶିଆ, ମୁଆଁ ଉଖୁଡ଼ା, ଚଣାଖଜା ପିଠା, ଭାର ଯିବାର ପରମ୍ପରା ଅନୁସାରେ ପ୍ରଚଳିତ କିମ୍ବଦନ୍ତୀକୁ ବିଶ୍ୱାସ କରି ମା’ ଭଗବତୀଙ୍କୁ ମଧ୍ୟ ନିଜର କନ୍ୟା ଭାବରେ ଗ୍ରହଣ କରି ପରିଛା ସାଆନ୍ତ ମା’ଙ୍କୁ ସବୁ ପ୍ରଦାନ କରିଥାନ୍ତି। ବରଷକୁ ଥରେ ଥାଟ ପଟୁଆର ବାଜାରୋଷଣୀରେ ନିଜ ଦୁଆରେ ମା’ଙ୍କ ଉପସ୍ଥିତିକୁ ନିଜର କନ୍ୟା ଭାବରେ ଭାବବିହ୍ୱଳର ସହିତ ସାଦରେ ଗ୍ରହଣ କରି ଶଙ୍କୁଡିରେ ମା’ଙ୍କ ପାଇଁ ପ୍ରିୟ ଖେଚଡ଼ି, ମାଛମହୁର, ମାଛ ଭଜା, ବଳି ପୋଡା, ଖିରି କାକରା, ମଣ୍ଡା, ଏଣ୍ଡୁରି ପ୍ରସ୍ତୁତ କରିବା ସହିତ ନିଶଙ୍କୁଡିରେ ଖଇ ମୁଆଁ, ଚଣା, ଫେଣିଶାକର, ଫଳ ମୂଳ ଇତ୍ୟାଦି ବଢାଯାଇ ଭୋଗ ଲାଗି ହୁଏ।

ମା’ଙ୍କ ସହିତ ଚନ୍ଦ୍ରଶେଖରଦେବ, ଗୋପୀନାଥଦେବ, ରଙ୍କ ନାଥ ଦେବ, ରଘୁନାଥ ଦେବ, ଏବଂ ବାଲୁଗାଁର ଆରାଧ୍ୟ ଠାକୁର ଉମାମହେଶ୍ଵର ଦେବ ମିଳିତ ଭାବରେ ଦୋଳପର୍ବରେ ସାମିଲ ହୋଇ ପରିଛାଙ୍କ ଦୁଆରେ ଭୋଗ ଲାଗି ପରେ ବିଷର ପାଟଣାଠାରେ ଅଗିରା ପୋଡ଼ିରେ ଅଂଶଗ୍ରହଣ କରି ମନ୍ଦିରକୁ ଫେରିବା ପରେ ଦୋଳିରେ ବିଜେ କରି ଦୋଳି ଖେଳନ୍ତି।

ପରମ୍ପରା ଅନୁସାରେ ମନ୍ଦିରଖଡ଼ି ରତ୍ନ ପାଞ୍ଜିଆ ମା’ଙ୍କ ଦୋଳମଣ୍ଡପରେ ନୂତନ ବର୍ଷର ପାଞ୍ଜି ପଠନ କରିବା ପରେ ଦୋଳପର୍ବ ସମାପନ ହୁଏ। ଚଳିତ ବର୍ଷମା’ଙ୍କ ଏହି ଯାତ୍ରାରେ ଅବିର ଖେଳ ସହିତ ମା’ଙ୍କ ପ୍ରସାଦ ପାଇବା ପାଇଁ ପରିଛାଙ୍କ ଦୁଆରେ ଅଗଣିତ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଧନୁସଂକ୍ରାନ୍ତିରେ ମା’ ଭଗବତୀଙ୍କ ପୀଠରେ ଲାଗି ହେଲା ଧନୁମୁଆଁ

ସୀତାରାମ ଅଗ୍ରୱାଲ

ବାଣପୁର: ପବିତ୍ର ଧନୁ ସଂକ୍ରାନ୍ତିରୁ ଧନୁ ରାଶିରେ ସୂର୍ଯ୍ୟଙ୍କ ଚଳନ ଆରମ୍ଭ। ଦକ୍ଷିଣାୟନ ଗତି। ଧନୁରୁ ମକର ପର୍ଯ୍ୟନ୍ତ ମା’ଙ୍କ ପାଖରେ ଲାଗି ହୁଏ ଧନୁ ମୁଆଁ। ଏହା ଓଡ଼ିଶାର କୃଷିଭିତ୍ତିକ ପର୍ବ। ଚାଷି ଭାଇଙ୍କର ଧାନ ଅମଳର ସମୟ। ନିଜ ଜମିରୁ ଆଦାୟ ଶସ୍ୟ ଧାନ ଫସଲରେ ମୁଆଁ ତିଆରି କରି ଦେବା ଦେବୀଙ୍କୁ ଅର୍ପଣ କରିବାର ପର୍ବ। ପ୍ରତି ଓଡ଼ିଆଙ୍କ ଘରେ ମନ୍ଦିରରେ ମୁଆଁ ଭୋଗ।

ମା’ ଭାଗବତୀଙ୍କ ପୀଠରେ ମଧ୍ୟ ଲାଗି ହେଲା ନୁଆଁ ଧାନରୁ ପ୍ରସ୍ତୁତ ଲିଆ, ଗୁଡ଼, ନଡ଼ିଆ ଗୁଆଘିଅ, କାଜୁମସଲାରେ ଶୁଦ୍ଧ ପୂତ ଭାବରେ ପ୍ରସ୍ତୁତ ମୁଆଁ। ମା’ଙ୍କ ଜମିରୁ ଅମଳ ନୂଆଁ ଧାନର ଲିଆରୁ ମଧୁବୈଶ୍ୟ ସେ ବାୟତମାନଙ୍କ ଦ୍ଵାରା ଏହି ମୁଆଁ ପ୍ରସ୍ତୁତ ହୋଇ ଲାଗି ହେବାର ପରମ୍ପରା ଥିବାବେଳେ ତାହା କାଳକ୍ରମେ ବନ୍ଦ ହୋଇଯାଇଥିବାରୁ ଏଣ୍ଡ।ଓମେଣ୍ଟ ତରଫରୁ ଏହାକୁ ପ୍ରସ୍ତୁତ କରାଯାଇ ମା’ଙ୍କ ପାଖରେ ଲାଗି କରାଗଲା ପରେ ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।

ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ ମାଜଣା, ମହାପ୍ରସାଦ ଅର୍ପଣ, ବଲ୍ଲଭ ସାଥିରେ ଚାରୋଟି ଧନୁମୁଆଁ ନେଇ ପାଳିଆ ମାଳି ସେବକମାନେ ପରିଚ୍ଛା ସାମନ୍ତଙ୍କୁ ବଢେଇଲା ପରେ ଘଣ୍ଟା ଘଣ୍ଟ କାହାଳୀ ବାଜି ମା’ଙ୍କୁ ଧୂପ କରାଯାଇ ଆଳତି ବଢିଥିଲା। ତାପରେ ସର୍ବସାଧାରଣ ଦର୍ଶନ ଓ ଭୋଗ ଲାଗି ହୋଇ ଖେଚଡ଼ି ଡାଲି ଧୂପ ପରେ ଅନ୍ନ, ଡାଲି, ମହୁର, ଖିରୀ, ଏଣ୍ଡୁରୀ ଭୋଗ ହୋଇ ଦିବା ପହୁଡ଼ ପଡ଼ିଥିଲା।

ଧନୁସଂକ୍ରାନ୍ତିରେ ମା’ଙ୍କ ଦର୍ଶନ ପାଇଁ ପୀଠ ରେ ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଶାନ୍ତି ଶୃଙ୍ଗଳା ପାଇଁ ଏଣ୍ଡ।ଓମେଣ୍ଟ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଆସିବେ ୫ଟି ସଚିବ ଭିକେ ପାଣ୍ଡିଆନ!: ପ୍ରଶାସନ ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି

ସୀତାରାମ ଅଗ୍ରୱାଲ

ବାଣପୁର: ୫ଟି ସଚିବ ଭିକେ ପାଣ୍ଡିଆନ କୁଆଡେ ବାଣପୁର ଗସ୍ତରେ ଆସୁଛନ୍ତି ବୋଲି ଚିଲିକା ନିର୍ବାଚନ ମଣ୍ଡଳୀରେ ଚାଲିଛି ଚର୍ଚ୍ଚା। ସେଥିପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ପ୍ରଶାସନ ଏପରି ପ୍ରସ୍ତୁତି ଦେଖି ସମସ୍ତେ ଅନୁମାନ କରିଛନ୍ତି ଯେ ୫ଟି ସଚିବ ବାଣପୁର ଆସୁଥିବାରୁ ଯୁଦ୍ଧ କାଳୀନ ଭିତ୍ତିରେ ଏପରି କାମ ହେଉଛି।

ସୂଚନା ଥାଉକି ୫ଟି ସଚିବ ଭିକେ ପାଣ୍ଡିଆନ ରାଜ୍ୟର ପ୍ରମୁଖ ମନ୍ଦିର ଗୁଡ଼ିକ ପରିଦର୍ଶନ କରି ତାକୁ ନୂତନ ରୂପରେଖ ଦେଉଥିବା ବେଳେ ଆଜି ପର୍ଯ୍ୟନ୍ତ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପିଠ ଖୋର୍ଦ୍ଧା ଜିଲ୍ଲା ବାଣପୁର ମା’ ଭଗବତୀ ପିଠ ଏଥିରୁ ବଞ୍ଚିତ ହୋଇଛି। ଏଯାବତ ୫ଟି ସଚିବଙ୍କ ଶୁଭ ଦୃଷ୍ଟି ଉକ୍ତ ମନ୍ଦିର ଉପରେ ପଡ଼ିନଥିବା ବେଳେ ଭକ୍ତ, ବୁଦ୍ଧିଜୀବୀ ଓ ସେବାୟତଙ୍କ ମନରେ ଏ ନେଇ କ୍ଷୋଭ ପ୍ରକାଶ ପାଇଛି। ବିଭିନ୍ନ ଗଣମାଧ୍ୟମ ମଧ୍ୟ ଏ ନେଇ ଏକାଧିକ ଖବର ପରିବେଷଣ କରିଛନ୍ତି।

ଚର୍ଚ୍ଚା ଅନୁଯାୟୀ ଖୁବ ଶୀଘ୍ର ୫ଟି ସଚିବ ଭିକେ ପାଣ୍ଡିଆନ ବାଣପୁର ମା’ ଭଗବତୀ ମନ୍ଦିର ପରିଦର୍ଶନକୁ ଆସି ଏହାର ଉନ୍ନତି ପାଇଁ ମେଗା ଯୋଜନା ଘୋଷଣା କରିବେ। ପ୍ରଶାସନର ତତ୍ପରତାରୁ ଏହାର ପୂର୍ବାଭାସ ମିଳିଛି। ବିଗତ ଦୁଇ ଦିନ ହେବ ସ୍ଥାନୀୟ ପ୍ରଶାସନର ନିଦ ହଜିଯାଇଛି। କୋଉଠି ରାତାରାତି ରୋଡ ମରାମତି କରାଯାଉଛି ତ ଆଉ କୋଉଠି ଅଚଳ ଷ୍ଟ୍ରିଟ ଲାଇଟକୁ ସଙ୍ଗେସଙ୍ଗେ ବଦଳାଯାଉଛି। ଏପରିକି ଭଗବତୀ ମନ୍ଦିର ପରିସର ଏବଂ ଏହାର ଚତୁଃପାର୍ଶ୍ୱ ବର୍ତ୍ତମାନ ଚକାଚକ ଦିଶୁଛି।

୫ଟି ସଚିବଙ୍କ ଗସ୍ତ ପୁର୍ବରୁ ଭଗବତୀ ମନ୍ଦିରକୁ ସାଜସଜ କରିବା ପାଇଁ ତହସିଲ, ଏନଏସି ଏବଂ ପୂର୍ତ୍ତବିଭାଗ ଲାଗିପଡିଛନ୍ତି। ବାଲୁଗାଁ-ବାଣପୁର ମୁଖ୍ୟ ରାସ୍ତା ନନ୍ଦପୁର ଛକରୁ ବିଷରପାଟଣା ଛକ ପର୍ଯ୍ୟନ୍ତ ଥିବା ଖାଲଖମା ପିଚୁ ରୋଡ଼କୁ ପୂର୍ତ୍ତବିଭାଗ ଦୁଇ ରାତି ହେଲା ଯୁଦ୍ଧକାଳିନ ଭିତ୍ତିରେ ମରାମତି କରି ଚକାଚକ କରିଛି। ଏପରିକି ଉକ୍ତ ରୋଡରେ ପୁର୍ବରୁ ଥିବା ସମସ୍ତ ସ୍ପିଡ଼ ବ୍ରେକର (ହମ୍ପସ) କୁ ରାତାରାତି ଉଡାଇଦିଆଯାଇଛି।

ସେହିପରି ମା’ ଭଗବତୀ ମନ୍ଦିର ପରିସରରେ ଥିବା ଜନସୁବିଧା କେନ୍ଦ୍ରଟି ବଣବୁଦା ହୋଇ ପଡ଼ିଥିବା ବେଳେ ବର୍ତ୍ତମାନ ତାହା ବଗିଚା ରୁପ ନେଇଛି। ମନ୍ଦିର ପଛ ପାର୍ଶ୍ଵରେ ଥିବା ଶୌଚାଳୟକୁ ଏନଏସି ପକ୍ଷରୁ ଚିତ୍ର କରାଯାଇ ନୂଆ ରୂପ ଦିଆଯାଇଛି।

ତହସିଲଦାର, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ଭଗବତୀ ମନ୍ଦିରରେ ଡେରା ପକାଇଥିବା ବେଳେ ଘନଘନ ତଦାରଖ ଜାରି ରହିଛି।  ଅପରପକ୍ଷେ ଏନଏସି ଅଧ୍ୟକ୍ଷ ମଧ୍ୟ ଶ୍ରୀ ପାଣ୍ଡିଆନଙ୍କ ଗସ୍ତ ପୁର୍ବରୁ ନିଜ ଟିମ ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତଦାରଖ କରୁଛନ୍ତି।

ତେବେ ଯାହା ହେଉ ଉକ୍ତ ଗସ୍ତକୁ ନେଇ ଖୁସି ଅଛନ୍ତି ବାଣପୁରବାସୀ। ମା’ ଙ୍କ ମନ୍ଦିର ମେଗା ଯୋଜନାରେ ସାମିଲ ହେବା ପରେ ବାଣପୁର ମା’ ଭଗବତୀ ମନ୍ଦିରର ଖ୍ୟାତି ଆହୁରି ବଢିବା ସହ ଅଞ୍ଚଳର ବିକାଶ ହେବ ବୋଲି ଆଶା କରାଯାଉଛି।

ତେବେ ପାଣ୍ଡିଆନଙ୍କ ଗସ୍ତ ପୁର୍ବରୁ ବହୁ ପ୍ରତିକ୍ଷିତ ଦାବି ଯଥା ବାଣପୁରକୁ ସବ ଡିଭିଜନ ମାନ୍ୟତା, ଏନଏସିରେ ଡ୍ରେନେଜ ସମସ୍ୟା, ଗୋଦାବରୀଶ ମହାବିଦ୍ୟାଳୟକୁ ସରକାରୀ ଓ ଅଟୋନମସ୍ ମାନ୍ୟତା ଆଦି ମୁଣ୍ଡ ଟେକୁଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ପ୍ରଥମାଷ୍ଟମୀରେ ପରୁଆଁ ହେଲେ ମା’ ଭଗବତୀ

ସୀତାରାମ ଅଗ୍ରୱାଲ

ବାଣପୁର: ପ୍ରଥମାଷ୍ଟମୀରେ ସାଧାରଣତଃ ଘରର ପ୍ରଥମ ସନ୍ତାନଙ୍କୁ ପୂଜା କରାଯାଇଥାଏ।ଘରର ବଡ଼ ପୁଅ ବା ବଡ଼ ଝିଅ ମାମୁଁ ଘରୁ ଆସିଥିବା ନବବସ୍ତ୍ର ପରିଧାନ କରି ବନ୍ଦାପନା ହୋଇ ବିଭିନ୍ନ ସ୍ଵାଦିଷ୍ଟ ପିଠାପଣା ଖାଇବା ପରମ୍ପରା ଓଡ଼ିଶାର ଏକ ପ୍ରଧାନ ପରମ୍ପରା। ସେହିପରି ମା’ ଭଗବତୀ ମଧ୍ୟ ଏହି ଦିନ ପଢୁଆଁ ହୋଇଥାନ୍ତି। ମା’ ଭଗବତୀଙ୍କ ରିତିନୀତିରେ ଏହି ପ୍ରଥମାଷ୍ଟମୀ ଏକ ମହତ ରଖେ। ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତି ପ୍ରଥମାଷ୍ଟମୀରେ ପଢୁଆଁ ହେଲା ପରି ଶକ୍ତିକ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀ ମଧ୍ୟ ପ୍ରଥମାଷ୍ଟମୀ ଦିନ ପଢୁଆଁ ହୋଇଥାନ୍ତି।

ମା’ଙ୍କ ପିତ୍ରାଳୟରୁ ଆସିଥିବା ନବବସ୍ତ୍ର ପରିଧାନ କରି ନୂଆ ଚାଉଳ, ନୂଆ ବିରି, ନଡ଼ିଆ, ଗୁଡ଼ରେ ପ୍ରସ୍ତୁତ ଏଣ୍ଡୁରି ପିଠା ସହ ନାନାଦି ନୈବେଦ୍ୟ ଗ୍ରହଣ କରିବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି। ଦେବୀଙ୍କର ମାନବୀୟ ଲୀଳାର ଆଜିର ଏହି ପରମ୍ପରା ଦେବୀ ଭଗବତୀ ପୀଠରେ ଅନନ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ।

ଆଜି ପ୍ରତ୍ୟୁଷରୁ ମା’ଙ୍କ ଦ୍ଵାର ପିଠା, ଅଙ୍ଗରାଗ, ମାଜଣା, ମହାପ୍ରସାଦ ଅର୍ପଣ, ମଙ୍ଗଳ ଆଳତୀ ବଲ୍ଲଭ ପରେ ମାଙ୍କୁ ପିତା ଦକ୍ଷ ପ୍ରଜାପତିଙ୍କ ଘରୁ ଆସିଥିବା ନବପାଟବସ୍ତ୍ରରେ ବେଶ କରାଯାଇ ସାଧାରଣ ଦର୍ଶନ କରାଯାଇଥିଲା। ପରେ ଖେଚେଡି, ଡାଲି, ଏଣ୍ଡୁରି ରେ ଧୁପ କରାଯାଇ ଆରତି ବଢିଥିଲା।

ଆଜି ମା’ଙ୍କ ନିମନ୍ତେ ଅଷ୍ଟମୀ ଭାର ସହିତ ନୂତନ ବସ୍ତ୍ର ମା’ଙ୍କ ଛତିଶାସେବକ ଦଣ୍ଡ ସେଣା ଦକ୍ଷପ୍ରଜାପତି ମନ୍ଦିରରୁ ଏଣ୍ଡାଓମେଣ୍ଟ ଦ୍ୱାରା ପ୍ରସ୍ତୁତ ଭାର ନେଇ ମନ୍ଦିରରେ ପହଞ୍ଚାଇଥିଲେ। କାରଣ ମା’ ଭଗବତୀ ଦକ୍ଷପ୍ରଜାପତିଙ୍କ କନ୍ୟା ଭାବରେ ପୁରାଣରେ ବର୍ଣ୍ଣିତ ଅଛି। ଅନୁରୂପ ଭାବେ ବାଣପୁରର ଆରାଧ୍ୟ ଦେବତା ଶ୍ରୀ ରଙ୍କନାଥ ଦେବ ଏବଂ ଚରଣ ଚକାଦେବଙ୍କ ପିଠରେ ମଧ୍ୟ ପ୍ରଥମାଷ୍ଟମୀ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି।

Categories
ଆଞ୍ଚଳିକ

ବାଣପୁରରେ ବିଜେଡିର ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଅକ୍ଟୋବର ୨ ତାରିଖ ଠାରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ଦିବସ ଥିଲା। ଏହି ଅବସରରେ ଆଜି ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣାଙ୍କ ନେତୃତ୍ୱରେ ବାଣପୁର ବ୍ଲକର ବିଜୁଜନତା ଦଳର ମହିଳା ଏବଂ ପୁରୁଷ କର୍ମୀ ଏକ ବିଶାଳ ପଦଯାତ୍ରା କରିଥିଲେ। ପଦଯାତ୍ରାଟି ବାଣପୁରର ଆରାଧ୍ୟ ଦେବୀ ମା’ ଭଗବତୀଙ୍କ ପୀଠରୁ ଆରମ୍ଭ ହୋଇ ଐତିହାସିକ ପଲଟଣ ପଡିଆ ଠାରେ ସମାପ୍ତ ହୋଇଥିଲା।

ଉକ୍ତ ପଦଯାତ୍ରାରେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ଧର୍ମପତ୍ନୀ ତଥା ଖୋର୍ଦ୍ଧା ଜିଲ୍ଲାର ସୁସଂଗଠିକା ସ୍ଵାଗତିକା ଜଗଦ୍ଦେବ, ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳ ମହିଳା ସଭାନେତ୍ରୀ ଗୀତାଞ୍ଜଳି ପାଟ୍ଟଶାଣୀ, ଯୁବ ଛାତ୍ର ଜନତା ଦଳର ସଭାପତି ବିଶ୍ୱଦୀପ ପ୍ରଧାନ, ଯୁବ ସଂଗଠକ ମନୋଜ ପ୍ରଧାନ, ମାନସ ପ୍ରଧାନ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଆଦି ଯୋଗ ଦେଇଥିଲେ।

Categories
DurgaPujaNews ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ପର୍ବ ଗୃହରୁ ଭଉଣୀମାନଙ୍କୁ ମେଲାଣୀ ଦେଲେ ମା’ ଭଗବତୀ

ବାଣପୁର: ଦୀର୍ଘ ୧୭ ଦିନର ପାର୍ବଣ ପୂଜା ପରେ ଗତକାଲି ନିଶାର୍ଦ୍ଧରେ ଭଉଣୀମାନଙ୍କୁ ସ୍ଵମନ୍ଦିରକୁ ମେଲାଣୀ ଦେଇଛନ୍ତି ମା’ ଭଗବତୀ। ବର୍ଷର ବିଭିନ୍ନ ଋତୁରେ ସୂର୍ଯ୍ୟଙ୍କ ଗତି ଅନୁସାରେ ବିଭିନ୍ନ ଦିଗକୁ ଯାତ୍ରା କରି ଭଉଣୀମାନଙ୍କୁ ପାର୍ବଣଉତ୍ସବ ପାଇଁ ଆମନ୍ତ୍ରଣ କରିଥାନ୍ତି ମା’। ସେହି ଅନୁସାରେ ଚୈତ୍ର ଶୁକ୍ଳ ଅଶୋକାଷ୍ଟମୀ ଦିନ ଦକ୍ଷିଣ ଦିଗ ରକ୍ଷା କାରିଣୀଭାଲେରୀ ପାହାଡ଼ ଖୋଲରେ ପୂଜିତା ମା’ନାରାୟଣୀଙ୍କୁ ଆମନ୍ତ୍ରଣ ପାଇଁ ଗତିଶ୍ଵର ମହାଦେବଙ୍କ ପୀଠକୁ ଯାତ୍ରା କରି ଅଶୋକ ଫୁଲ, ପଇଡ଼ ସହ କାକରା ପିଠା ନୈବେଦ୍ୟ ଗ୍ରହଣ କରି ନାରାୟଣିଙ୍କ ଆଜ୍ଞାମାଳ ସହ ନିଶାର୍ଦ୍ଧରେ ମନ୍ଦିରକୁ ଫେରନ୍ତି ମା’।

ସେହି ଦିନଠାରୁ ଆରମ୍ଭ ହୁଏ ଶକ୍ତିପୀଠ ବାଣପୁରରେ ଶାରଦୀୟ ପାର୍ବଣ ପ୍ରସ୍ତୁତି। ମହା ବିଷ୍ଣୁବ ସଂକ୍ରାନ୍ତି ଓଡ଼ିଆ ନବ ବର୍ଷରେ ମା’ ଭଗବତୀ ଉତ୍ତର ଦିଗରକ୍ଷାକାରୀଣି ଐତିହାସିକ ସୋଲରୀ ପାହାଡ଼ ପାଦ ଦେଶରେ ବିରାଜିତା ଭଉଣୀ ଶିଦ୍ଧେଶ୍ଵରୀଙ୍କ ମନ୍ଦିରରେ ତାପରେ ନିଶାର୍ଦ୍ଧରେ ପହଞ୍ଚି ଚୁଡ଼ା ଗୁଡ଼ ଖାଇ ସେଠାରୁ ଆଜ୍ଞାମାଳ ନେଇ ଫେରିବା ବାଟରେ ଭାଟ ପଡ଼ା ଦଳବେହେରାଙ୍କ ଦୁଆରେ ପନ୍ତି ଭୋଗ ଖାଇ ମନ୍ଦିରକୁ ଫେରନ୍ତି ମା’।

ତାପରେ ଭାଦ୍ରବ ଶୁକ୍ଳ ଲଳିତା ସପ୍ତମୀରେ ପୂର୍ବଦିଗ ରକ୍ଷା କାରିଣୀ ଚିଲିକା ମଧ୍ୟରେ ବିରାଜିତା ଭଉଣୀ କାଳିଜାଇଙ୍କ ନିକଟକୁ ନୌବିହାର କରି ପାର୍ବଣ ପୂଜାପାଇଁ ଆଜ୍ଞାମାଳ ନେଇ ଫେରିବା ବାଟରେ ସାମନ୍ତରାଙ୍କ ଦୁଆରେ ଖିରି କାକରା ଓ ଅନ୍ତରକିଆରୀ ଗାଁରେ ପନ୍ତି ଭୋଗ ଖାଇ ମନ୍ଦିରକୁ ଫେରି ଶୟନ କରନ୍ତି।

ଶେଷରେ ଆଶ୍ଵିନ ମହାଳୟା ଅମାବାସ୍ୟା ନିଶାର୍ଦ୍ଧରେ ପଶ୍ଚିମ ଦିଗ ରକ୍ଷା କାରିଣୀ ବରବରା ମାଳ ଘଞ୍ଚ ଅରଣ୍ୟ ବାସିନୀ ବଡ଼ ଭଉଣୀ ବିରିଜାଇଙ୍କ ସାଥିରେ ଖେଚଡ଼ି ଓ ଖଇଙ୍ଗା ଶୁଖୁଆ ମହୁର ଖାଇ ଭଉଣୀଙ୍କୁ ସାଥିରେ ଧରି ପର୍ବ ଗୃହକୁ ଯାତ୍ରା କରିବା ବାଟରେ ଭଉଣୀ ବଙ୍କାଡ଼ଗଡ଼ ରାଜାଙ୍କ ଗଡ଼ଦେବୀ କନକ ଦୁର୍ଗା ଓ ବୁଢି ଠାକୁରାଣୀଙ୍କ ସହିତ ଭେଟ ହୋଇ ସାତବଖରା ଶାରଦୀୟ ପର୍ବ ଗୃହରେ ଅମାବାସ୍ୟାଠାରୁ ଦଶହରା ପର୍ଯ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପୂଜା ପାଇ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦିଅନ୍ତି।

ସପ୍ତମାତୃକାଙ୍କ ପୂଜାସ୍ଥଳୀ ଶକ୍ତିପୀଠ ବାଣପୁର ଦୀର୍ଘ ଅଠର ଦିନ ଧରି ଚଳଚଞ୍ଚଳ, ଉତ୍ସବମୁଖର ହୋଇ ଉଠେ ମା’ଙ୍କ ଆବାହନ, ସଂସ୍ଥାପନ ଓ ପୂଜନର ମହାମନ୍ତ୍ରରେ। ଓଡ଼ିଶାର କୋଣ ଅନୁକୋଣରୁ ଛୁଟି ଆସନ୍ତି ଅଗଣିତ ଶ୍ରଦ୍ଧାଳୁ ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠର ଏହି ନିଆରା ଶାରଦୀୟ ପର୍ବ ପରମ୍ପରାକୁ ଉପଭୋଗ କରି ମା’ଙ୍କ ପ୍ରସାଦଖେଚଡ଼ି, ଡାଲି, ମାଛ ମହୁର ଖିରି, କାକରା, ଏଣ୍ଡୁରି, କାନ୍ତି, ଖଜା, ମାଠ ପୁଳି, ସରପୁଳି, ଶାଳିଆପତର ଗଜାମୁଆଁ ଖାଇବା ପାଇଁ।

ଶେଷଦିନ ଦଶମୀ ତିଥି ନିଶାର୍ଦ୍ଧରେ ମା’ ଭଉଣୀମାନଙ୍କୁ ମେଲାଣୀ ଦେଇଛନ୍ତି। ନିଯୋଗୀ ସେବାୟତମାନେ ମା’ଙ୍କ ସହିତ କନକ ଦୁର୍ଗା ଓ ବିରିଜାଇଙ୍କୁ ସାଥିରେ ନେଇ ସ୍ଵମନ୍ଦିରକୁ ଯିବା ବାଟରେ ଜଗନ୍ନାଥଙ୍କ ପ୍ରତୀକ ଶ୍ରୀ ରଙ୍କନାଥ ମଧ୍ୟ ଏହି ଯାତ୍ରାରେ ସାମିଲ ହୋଇ ମାତୃ ଶକ୍ତିଙ୍କୁ ସମ୍ମାନ ଜଣାଇ ମା’ଙ୍କ ମନ୍ଦିର ସିଂହ ଦ୍ଵାର ପାଖକୁ ବିଜେ କରିଥିଲେ। ସେଠାରେ ପରବ ପୂଜକ ଶାକ୍ତ ପଣ୍ଡିତ ବାମନ ଚରଣ ଦାଶ ଓ ସମସ୍ତ ସେବାୟତ ଘଣ୍ଟଘଣ୍ଟା କାହାଳୀ ଢ଼େ।ଲ ବାଦ୍ୟ, ଆଲଟ ଚାମରରେ ମା’ଙ୍କୁ ସ୍ଵାଗତ କରି ପଞ୍ଚ ପୋଚାରରେ ପୂଜନ ପରେ ଆରତି ବନ୍ଦାପନା କରି ହୋମାଗ୍ନି ସ୍ପର୍ଶ ପରେ ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ।

ସେଠାରେ ବଡ଼ସିଂହାର ଧୂପସାରି ଭଉଣୀ ବିରିଜାଇ ଓ କନକଦୁର୍ଗାଙ୍କୁ ମନ୍ଦିରରେ ଛାଡ଼ି ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ବିଜେ କରିବା ବାଟରେ ଶ୍ରୀରଘୁନାଥ ଦେବଙ୍କ ମନ୍ଦିରରେ ପ୍ରସ୍ତୁତ ଅଧରମୁଆଁ ଭୋଗ ଖାଇ ନିଶାର୍ଦ୍ଧର ଶେଷଭାଗରେ ସ୍ଵସ୍ଥାନକୁ ପ୍ରବେଶ କରିଥିଲେ। କନକ ଦୁର୍ଗା ମା’ ଭଗବତୀଙ୍କ ମନ୍ଦିରରେ କୁମାର ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅବସ୍ଥାନ କରିବେ। ଏହି ଦିନ ଶାରଦୀୟ ପର୍ବରେ ନରବଳି ସେବା କରିଥିବା ମା’ଙ୍କ ପରମ ସେବକ ନରବଳିର ପ୍ରତୀକ ବଳିଜେନାଙ୍କ ସହିତ କନକଦୁର୍ଗାଙ୍କ କଉଡି ଖେଳ ହେବ। ଖେଳରେ ହାରି ବଳିଜେନା ପୁଣି ଆଗାମୀ ବର୍ଷ ଶାରଦୀୟ ପର୍ବରେ ସେବା କରିବାକୁ ସଂକଳ୍ପ କରି ନିଶାର୍ଦ୍ଧରେ ଅଣବାଟରେ ନିଜ ଘରକୁ ଫେରିବେ।

ଚଳିତ ବର୍ଷ ମା’ଙ୍କ ଶାରଦୀୟ ପର୍ବ ଶାନ୍ତି ଶୃଙ୍ଖଳା, ଆନନ୍ଦ ଉଲ୍ଲାସର ସହିତ ସମାପନ ହୋଇଥିବାରୁ ସମସ୍ତଙ୍କ ସହଯୋଗ ପାଇଁ ମନ୍ଦିର ପ୍ରଶାସନ ତରଫରୁ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ବାଣପୁର ଜନସାଧାରଣଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରି ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି।

Categories
DurgaPujaNews ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଆସନ୍ତାକାଲି ଧୁମଧାମରେ ଅନୁଷ୍ଠିତ ହେବ ବାଣପୁର ଭେଟ ଅମାବାସ୍ୟା: ଜାଣନ୍ତୁ ସମୟ ସାରଣୀ

ବାଣପୁର: ଆଶ୍ଵିନ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ ଓ ଦେବୀ କନକ ଦୂର୍ଗାଙ୍କ ସହସ୍ରକୁମ୍ଭାଭିଷେକ ହୋଇ ପାର୍ବଣର ଏହି ପ୍ରଥମାର୍ଦ୍ଧ ପୂଜା ଆରମ୍ଭ ହୋଇଥାଏ। ଏହା ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିଥାଏ। ମହାଳୟା ଅମାବାସ୍ୟାର ମଧ୍ୟରାତ୍ରରେ ମା’ ଭଗବତୀଙ୍କ ବିଜୟ ପ୍ରତିମା କାଠି ଠାକୁରାଣୀ ଓ ଦେବୀ ବିରାଜାଇଙ୍କ ଦାରୁ ପ୍ରତିମାଙ୍କ ଭେଟ ଉତ୍ସବ ଅନୁଷ୍ଠିତ ହୋଇଥାଏ।

ବାଣପୁରରେ ରାଜା ଶାସନ ଚାଲିଥିବା ବେଳେ ପ୍ରଥମାର୍ଦ୍ଧ ପୂଜା ରାଜ ନଅରରେ ଅନୁଷ୍ଠିତ ହେଉଥିଲା। ମା’ ଭଗବତୀଙ୍କ ବିଜୟ ପ୍ରତିମା କାଠି ଠାକୁରାଣୀ ପ୍ରତ୍ୟେହ ସାୟଂ କାଳରେ ଶ୍ରୀ ଦକ୍ଷେଶ୍ୱର ମନ୍ଦିରରୁ ବାହାରି ରାଜ ନଅରକୁ ଯାତ୍ରା କରୁଥିଲେ। ସେଠାରେ ଦେବୀ କନକ ଦୁର୍ଗାଙ୍କସହ ମିଳିତ ହୋଇ ପୂଜା ପାଉଥିଲେ। ତେଣୁ ଏହି ପ୍ରଥମାର୍ଦ୍ଧ ପୂଜାକୁ ଏଠାରେ ଭିତରପୂଜା କୁହାଯାଇଥାଏ।

ପ୍ରଥମାର୍ଦ୍ଧ ପୂଜା ରାଜ ନଅରରେ ହେଉଥିବା ବେଳେ ମହାଳୟାର ଏହି ଭେଟ ଉତ୍ସବ ବାଣପୁରର ଜନପଦ ଏବଂ ରାଜନଅର ମଧ୍ୟ ସ୍ଥଳରେ ଅନୁଷ୍ଠିତ ହେଉଥିଲା। ସେଥିପାଇଁ ସେହିଠାରେ ଥିବା ଗ୍ରାମର ନାମ ଭେଟେଶ୍ୱର ହେବା ସହ ସେଠାରେ ବିରାଜିତ ଦେବ ଦେବ ମହାଦେବଙ୍କ ନାମ ଶ୍ରୀ ଭେଟିନାଥ ଦେବ ହୋଇଛି ବୋଲି ଐତିହାସିକମାନେ କହିଛନ୍ତି। କିନ୍ତୁ ଘଟଣା କ୍ରମେ ବାଣପୁର ରାଜା ପାରିକୁଦ ଠାରେ ଅବସ୍ଥାନ କରିବା ପରେ ଏହି ପ୍ରଥମାର୍ଦ୍ଧ ପୂଜା ବର୍ତ୍ତମାନ ମା’ ଭଗବତୀଙ୍କ ମନ୍ଦିର ବେଢାରେ ନିର୍ମିତ ସ୍ୱତନ୍ତ୍ର ପୂଜା ଗୃହରେ ଅନୁଷ୍ଠିତ ହେଉଛି। ଏବଂ ପବିତ୍ର ଭେଟ ଉତ୍ସବ ବାଣପୁର ବଜାରରେ କରାଯାଉଛି। ଏହି ପବିତ୍ର ଭେଟ ଉତ୍ସବ ହେଉଥିବା ଅମାବାସ୍ୟାକୁ ବାଣପୁର ଅଂଚଳରେ ଭେଟ ଅମାବାସ୍ୟା କୁହାଯାଏ। ଆସନ୍ତାକାଲି ଏହି ଭେଟ ଉତ୍ସବ ଅବା ଭେଟ ଅମାବାସ୍ୟା ଅନୁଷ୍ଠିତ ହେବାକୁ ଥିବା ବେଳେ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସହ ଦେଖିବାକୁ ମିଳିଛି। ତେବେ ଆସନ୍ତାକାଲି ସନ୍ଧ୍ୟା ୮.୩୦ ରୁ ୯.୩୦ ଘଟିକା ମଧ୍ୟରେ ଉକ୍ତ ପବିତ୍ର ଭେଟ ଅମାବାସ୍ୟା ଉତ୍ସବ ଅନୁଷ୍ଠିତ ହେବ ବୋଲି ଦେବୋତ୍ତର କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। କୋଭିଡ କଟକଣା ଉଠିଯାଇଥିବା ହେତୁ ଆସନ୍ତାକାଲି ଭେଟ ଅମାବାସ୍ୟା ରେ ପ୍ରବଳ ଜନସମାଗମ ହେବ ବୋଲି ଅନୁମାନ କରାଯାଉଛି।

ଅନୁରୂପ ଭାବେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ବାଣପୁର ବଜାରରେ ଆସନ୍ତାକାଲି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ କହିଛନ୍ତି। ସେହିପରି ଭାବେ ଭକ୍ତ ମାନେ ଶୃଙ୍ଖଳାର ସହ ଉକ୍ତ ପବିତ୍ର ଉତ୍ସବ କୁ ଉପଭୋଗ କରିବା ପାଇଁ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ଅପିଲ କରିଛନ୍ତି।

ଭେଟ ଉତ୍ସବ ପରେ ଦେବୀ ବିରଜାଈ ଶ୍ରୀଦକ୍ଷେଶ୍ୱର ମନ୍ଦିର ସ୍ଥିତ ସାତବଖରା ଗୃହକୁ ବିଜେ କରିବାବେଳେ କାଠି ଠାକୁରାଣୀ ମା’ ଭଗବତୀଙ୍କ ମନ୍ଦିରକୁ ଯାତ୍ରା କରିଥାନ୍ତି। ପ୍ରଥମାର୍ଦ୍ଧ ପୂଜା ବା ଭିତର ପୁଜା ଶେଷ ହେବା ପରେ ଆଶ୍ଵିନ ଶୁକ୍ଲ ପ୍ରତିପଦା ଠାରୁ ସାତବଖରା ଗୃହରେ ଅନୁଷ୍ଠିତ ହେଉଥିବା ଉତରାର୍ଦ୍ଧ ପୂଜା ବା ବାହାର ପୂଜା ଆଶ୍ୱିନ ଶୁକ୍ଲ ଅଷ୍ଟମୀରେ ବା ମହାଷ୍ଟମୀ ଯାଏଁ ଚାଲିଥାଏ।

Categories
DurgaPujaNews ଧର୍ମ ବିଶେଷ ଖବର ସଂସ୍କୃତି

ମା’ ଭଗବତୀ ମନ୍ଦିରରେ ବଳି ପ୍ରଥା ଓ ତାହାର କିମ୍ବଦନ୍ତୀ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଦିବ୍ୟରଂଜନ ପରିଡା

ଲୋକକଥା ଓ କିମ୍ବଦନ୍ତୀର ସହର ଆମ ବାଣପୁର। ଯେଉଁ ଭୂଖଣ୍ଡ ଉପରେ ଆମେ ଛିଡା ହେଇଛେ, କେତେ ଇତିହାସର କଥାସବୁ ତା ଭିତରେ ଲୁପ୍ତଭାବେ ସାଇତା ରହିଛି, ଆମେ କଳ୍ପନା ବି କରିପାରିବାନି। ଭାଲେରୀ, ଘଣ୍ଟଶିଳା, ସୋଲରୀ, ମାମୁଁଭଣଜା, ବରକନ୍ୟା ଓ ଶୂଳିଆ ପାହାଡ ପରି ଅନେକ ପାହାଡର ପଥର ଦେହରେ ଲୁପ୍ତ ରହିଛି ଆମର ଇତିହାସ।

ସତ୍ୟ, ତ୍ରେତୟା, ଦ୍ବାପର ପରେ ଆମେ କଳିଯୁଗର ବସତି ସ୍ଥାପନ କରିଛେ। ଆମର ଗୋଟିଏ ଯୁଗ ପୂର୍ବ ଅର୍ଥାତ୍ ଦ୍ବାପର ଯୁଗର ପ୍ରବଳ ପ୍ରତାପୀ ଶିବଭକ୍ତ ବାଣାସୁରର ବଣଘେରା ରାଜ୍ୟ ବାଣପୁରରେ ଯେଉଁ ସୋଲରୀ ପାହାଡ ଅଛି, ଗବେଷଣାରୁ ଅନେକ ଆଚମ୍ବିତ କଲାପରି ତଥ୍ୟ ମିଳେ। ଅଦ୍ଭୁତଭାବରେ ସେଠାରେ ପାହାଡ ଉପରେ ପୋଖରୀ ଦେଖିବାକୁ ମିଳେ। ଆଉ ସେଠାରେ ଥିବା ରହସ୍ୟମୟୀ ଅଭେଦ୍ୟ ଗୁମ୍ଫାରୁ ବାଣାସୁର ସମ୍ପର୍କରେ ଆହୁରି ଠୋସ୍ ପ୍ରମାଣ ମିଳିବାର ଆଶଙ୍କା କରାଯାଉଛି। ଜଣେ ଶୈବ ହେଇଗଲେ ଆପେ ଶାକ୍ତ ହେବାକୁ ଇଚ୍ଛା ଜାଗ୍ରତ ହୁଏ। କାରଣ ଶକ୍ତି ବିନା ଶିବ ଯେ ଶବ! ତେଣୁ ଶିବପୂଜା ସଙ୍ଗେସଙ୍ଗେ ବାଣାସୁର ମାଆ ଭଗବତୀଙ୍କୁ ଆରାଧନା କରୁଥିବାର କିମ୍ବଦନ୍ତୀ ରହିଛି।

ଚତୁର୍ଦ୍ଦଶ ଶତାବ୍ଦୀର କଥା। ସେତେବେଳର ରାଜା ଜଗନ୍ନାଥ ହରିଚନ୍ଦନ ବାଣପୁରକୁ ଶାସନ କରୁଥାଆନ୍ତି। ସେତେବେଳେ ଆମର ଏ ଭଗବତୀଙ୍କ ମନ୍ଦିର କିମ୍ବା କଳାମୁଗୁନିପଥରର ପ୍ରତିମା ନଥିଲା। କାଳକ୍ରମେ ମନ୍ଦିର ଭାଙ୍ଗି ପ୍ରତିମାଟି ମାଟିରେ ପୋତି ହେଇ ରହିଥିଲା। ରାଜକାର୍ଯ୍ୟ ପାଇଁ ଦେବୀ ଆଶୀର୍ବାଦ ଅବଶ୍ୟମ୍ଭାବୀ। ତେଣୁ ଆଦିଶକ୍ତି ଭଗବତୀ ରାଜାଙ୍କୁ ସ୍ବପ୍ନାଦେଶ ଦେଇ ପୁନଶ୍ଚ ବାଣପୁରରେ ନିଜର ଲୀଳାଖେଳା କରିବାକୁ ମନ ବଳେଇଲେ। ଅବଶ୍ୟ ପରେ ଏକ ତପସ୍ବୀ ସାଧୁଙ୍କ ସଙ୍କେତ ପାଇବା କ୍ଷଣି ରାଜା ଭଗବତୀ ମୁର୍ତ୍ତିଟି ଉଦ୍ଧାରକରି ମନ୍ଦିର ତୋଳି ମାଆଙ୍କୁ ସ୍ଥାପନା କରାଇଲେ।

ଆଶ୍ବିନମାସରେ ମାଆଙ୍କର ଷୋଡଶ ଉପଚାର ପୂଜାରେ ନରବଳି ପକେଇବାର ଏକ ଅନ୍ଧଭାବନା ରାଜାଙ୍କ ମନରେ ଆସିବା କ୍ଷଣି ସେ ଏକ ଅତ୍ୟନ୍ତ ଗରିବ ପରିବାରର ସହମତି କ୍ରମେ କିଛି ଧନ ଓ ଜମି ପ୍ରଦାନ କରି ନରବଳିର ପ୍ରଥା ଆରମ୍ଭ କରିଥିଲେ। ପ୍ରତିବର୍ଷ ଭଗବତୀଙ୍କ ଶାରଦୀୟ ଉପଚାରରେ ଗୋଟିଏ ପୁରୁଷର ବଳି ପଡିବ ବୋଲି କଥା ହେଇଥିଲା। ସମୟକ୍ରମେ ଉକ୍ତ ପରିବାର ପୁରୁଷ ଶୂନ୍ୟ ହେବାକୁ ବସିଲା। ଶେଷକୁ ମାତ୍ର ପୁରୁଷ ଛୁଆଟେ ବାକି ଥିଲା। ସେ ବର୍ଷ ମଧ୍ୟ ଭଗବତୀଙ୍କ ଶାରଦୀୟ ପୂଜାରେ ନରବଳିର ଆବଶ୍ୟକତା ଥିଲା। ହେଲେ କୋଉ ଜନ୍ମକଲା ମାଆ ସହିବ ତା ପୁଅର ଗଣ୍ଡିରୁ ମୁଣ୍ଡକୁ ଅଲଗା କରାଯାଉ ବୋଲି! ତେଣୁ ପୂଜାର ଅବ୍ୟବହିତ ପୂର୍ବ ରାତିରେ ସେ ମାଆଟି ଛୁଆଟିକୁ ସାଙ୍ଗରେ ଧରି ବଣ ଜଙ୍ଗଲ ରାସ୍ତାରେ ଖଲ୍ଲିକୋଟ ରାଜ୍ୟକୁ ଯିବାକୁ ମନସ୍ଥ କଲା।

ରଣପୁରକୁ ଲାଗି ବାଣପୁର ଓ ବାଣପୁରକୁ ଲାଗି ଖଲ୍ଲିକୋଟ ରାଜ୍ୟ ରହିଥାଏ। ଏ ସବୁ ରାଜ୍ୟର ସୀମାନ୍ତକୁ ପାହାଡମାନେ ବିଚ୍ଛିନ୍ନ କରୁଥିଲେ ଯାହା। ଏପଟେ ସନ୍ତାନର ମନର କଥା ବୁଝୁଥିବା ଭଗବତୀ ବ୍ୟଥିତ ହେଲା। ନିଜ ପୀଠରେ ଏ ଅନ୍ଧବିଶ୍ବାସ ପାଇଁ ପ୍ରତିବର୍ଷ ଜଣକର ଜୀବନ ଯାଉଛି। ଆଉ ଆଜି କଅଁଳା ଛୁଆଟିର ଜୀବନ ବଞ୍ଚେଇବାକୁ ଗୋଟେ ମାଆ ଆଉ ଗୋଟେ ମାଆକୁ ଡାହାଣୀ ସମ୍ବୋଧନ କରି ଭତ୍ସନା କରୁଛି। ଆଉ ଧୈର୍ଯ୍ୟଧରି ମନ୍ଦିରରେ ରହିପାରିଲାନି ଭଗବତୀ। ଏକ ନବଯୌବନା ଯୁବତୀର ବେଶ ଧରି ଉକ୍ତ ମାଆପୁଅଙ୍କ ରାସ୍ତାରେ ଆସିଲା। ସେତେବେଳକୁ ସେମାନେ ଭାଲେରୀ ପାହାଡର ପାଦଦେଶରେ ଥିବା ଛତ୍ରଗଡ ଜଙ୍ଗଲରାସ୍ତାରେ ପହଞ୍ଚିସାରିଥାଆନ୍ତି। ଆଉ କିଛି ରାସ୍ତା ଅତିକ୍ରମ କଲା ପରେ ଆରମ୍ଭ ହେବ ଖଲ୍ଲିକୋଟ ରାଜ୍ୟର ସୀମା।

ଜନାକୀର୍ଣ୍ଣ କଣ୍ଟକିତ ରାସ୍ତାରେ ମାଆଟି ପୁଅକୁ କୋଳେଇ କାନ୍ଦିକାନ୍ଦି ଆଗକୁ ବଢୁଥାଏ। ଯୁବତୀଟିକୁ ସେ ରାସ୍ତାରେ ଦେଖି ମାଆଟି ଡରିସାରିଥିଲା। ହେଲେ ଅସାମାନ୍ୟା ସୌନ୍ଦର୍ଯ୍ୟର ଅଧିକାରିଣୀ ସେ ଯୁବତୀର ଦେହର ଆଭା ଆଉ ତା ମିଠା କଥାରେ ସେ ଦୀର୍ଘଶ୍ବାସଟେ ମାରି ସବୁ କଥା ତା’ ଆଗରେ କହିଲା। ଯୁବତୀଟି ସେ ଛୁଆଟିର ମୁଣ୍ଡକୁ ଆଉଁସି ଅଭୟ ଦେଲାପରି ମନେମନେ ହସୁଥାଏ। ଏଥର ଆଉ ସମ୍ଭାଳି ରହିପାରିଲାନି ଯୁବତୀରୂପି ଭଗବତୀ। ଏତେବାଟର ଚାଲିବା ଫଳରେ ମୁଣ୍ଡବିନ୍ଧା ଯୋଗୁଁ ମୁଣ୍ଡଟି ଟିକିଏ ଚିପିଦେବାକୁ ସେ ମାଆକୁ ଅନୁରୋଧ କଲା। ହେଲେ ଇଏ କ’ଣ ! ମୁଣ୍ଡଟି ଚିପିବା ସମୟରେ ସେ ମାଆଟି ଯାହା ଦେଖିଲା, ତା’ ପାଦ ତଳୁ ମାଟି ଖସିଗଲା ପରି ଲାଗିଲା।

ଯୁବତୀଟିର ମୁଣ୍ଡରେ ଏକାଧିକ ଆଖି! ଛିଟିକିପଡି ନିଜ ଛୁଆକୁ ଜାବୁଡି ଧରିଲା ମାଆଟି। ଅଳ୍ପହସି ମାଆ ସ୍ବୟଂ ସେଠାରେ ପ୍ରକଟ ହେଲା। ଆଉ ସେ ଛୁଆଟିକୁ ଅଭୟ ଦେଇ ସେ ବାଣପୁରରେ ପ୍ରସିଦ୍ଧ ହେଇ ଭଗବତୀର ମହିମା ବିସରଣ କରିବ ବୋଲି ବର ପ୍ରଦାନ କରି ସେଠାରୁ ଉଭେଇଗଲା।

ସେହିଦିନଠାରୁ ବାଣପୁରରେ ନରବଳିପରି କୁତ୍ସିତ ପ୍ରଥାର ବିଲୋପ ହେଲା। ଆଉ ବଳିପ୍ରଥାରୁ ମୁକ୍ତି ପାଇଥିବା ପିଲାଟିର ନାଆଁ ହେଲା ‘ବଳିଜିଣା’। ପ୍ରତିବର୍ଷ ଶାରଦୀୟ ଉତ୍ସବର ଷୋଡଶ ଉପଚାରରେ ବଳି ବେକରେ ଭଗବତୀର ଆଜ୍ଞାମାଳଟେ ପଡିବା କ୍ଷଣି ସେ ମୂର୍ଚ୍ଛାଯାଏ। ଆଉ ସେହି ସମୟରେ ମାଆ ତା’ ସନ୍ତାନର ଗର୍ବ ଅହଙ୍କାର ପରି ଖରାପ ସ୍ବଭାବସବୁର ବଳି ଗ୍ରହଣ କରେ। ପରେ ସେ ସତେଜ ହେଇ ଆଗପରି ସ୍ବାଭାବିକ ହୁଏ।

ଆଜି ମଧ୍ୟ ଦଶହରାରେ ସେହି ବଳି ଜେନାର ପୁରଷ ଦାୟାଦମାନେ ସେହି ନୀତିକୁ ମାନି ଭଗବତୀ ନିକଟରେ ନିଜକୁ ସମର୍ପଣ କରୁଛନ୍ତି। ଆଉ ସେହି ସମୟରେ ତାଙ୍କ ପରିବାର ମୃତ ବ୍ୟକ୍ତିର ଶୋକ କରିବା ସହ ପତ୍ନୀ ବିଧବା ବେଶରେ ରୁହନ୍ତି।

ବି.ଦ୍ର – କୌଣସି ନୀରିହ ଜୀବନ୍ତ ପ୍ରାଣୀର ବଳି କେବେବି ଜଣେ ଶକ୍ତିସ୍ବରୂପା ମାଆ ଚାହେଁନି। ଆମମାନଙ୍କର ଅଜ୍ଞାନତା କାରଣରୁ ପରମ୍ପରା ଆଳରେ ଆମେ ଏମିତି କରୁ। ଯଦି ବଳି ଦେବାର ଅଛି, ତେବେ ନିଜ ଭିତରର ଥିବା ଆତ୍ମବଡିମା, ଗର୍ବ, ଅହଙ୍କାର, ପରଶ୍ରୀକାତରତା ପରି ଖରାପ ଗୁଣସମୂହର ଦିଅ।

ଦିବ୍ୟରଂଜନ ପରିଡା, ଓଡଗାଁ, ବାଣପୁର, ଖୋର୍ଦ୍ଧା

ଯୋଗାଯୋଗ ନଂ- ୯୯୩୮୬୮୪୭୦୬

Categories
DurgaPujaNews ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଶୟନରୁ ଉଠିଲେ ମା’ ଭଗବତୀ: ଶହସ୍ରାକୁମ୍ଭାଭିଷେକ ପରେ ଶାରଦୀୟ ପର୍ବ ଆରମ୍ଭ

ସୀତାରାମ ଅଗ୍ରୱାଲ

ବାଣପୁର: ପବିତ୍ର ମୁଳାଷ୍ଟମୀ ଶହସ୍ର କୁମ୍ଭବରଣ ଦେବୀ ଉତ୍ଥାପନ ଅଷ୍ଟମୀର ମାହେନ୍ଦ୍ର ବେଳାରେ ପର୍ବପୂଜକ ଓ ମନ୍ଦିର ପୁରୋହିତଙ୍କ ମଙ୍ଗଳାଚରଣ ମନ୍ତ୍ର ପଠନ, ନିଯୋଗୀ ସେବକଙ୍କ ଜୟ ଜୟକାର ଧ୍ଵନୀ, “ଉଠମା, ମଙ୍ଗଳମୟୀ, ଜଗତ ଜନନୀ, ସଂସାରର ମଙ୍ଗଳ ପାଇଁ ନିଦ୍ରା ପରିତ୍ୟାଗ କରିବା ହେଉ ମା’ ଭଗବତୀ, ଡାକ ସହିତ ଶୁଭଶଙ୍ଖ, ଘଣ୍ଟ କାହାଳୀ, ମଙ୍ଗଳବାଦ୍ୟର ନିନାଦରେ ମା’ ଶୟନରୁ ଉଠିଛନ୍ତି।

ଶାରଦୀୟ ପର୍ବର ପ୍ରଥମ ଦିବସରେ ଉଛୁଳି ପଡୁଛି ମନ୍ଦିର ବେଢା। ପର୍ବପୂଜକ ମନ୍ଦିର ପୁରୋହିତ ପ୍ରଥମେ ମା’ଙ୍କୁ କଦଳୀ ବୃକ୍ଷ, ଆମ୍ର ତୋରଣ ଆଛାଦିତ ସ୍ନାନ ମଣ୍ଡପରେ ବିଜେ କରାଇବା ପରେ ବରୁଣ ଆବାହନ ସଂସ୍ଥାପନ କରି ଚନ୍ଦନ, ଅଗରୁ, କର୍ପୁର, ଅତର ମିଶ୍ରିତ ସୁବାଷିତ ଶହସ୍ର କୁମ୍ଭ ଜଳରେ ସ୍ନାନ କରାଇ ରାଜା ଙ୍କ ଦ୍ଵାରା ପ୍ରଦତ୍ତ ପାଟବସ୍ତ୍ର ଓ ପରିଛା ସାମନ୍ତଙ୍କ ଆଭୁଷଣ ପରିଧାନ ପରେ ଷୋଡଶ ଉପଚାରରେ ପୂଜା କରି ଆଳତି ବନ୍ଦାପନା ସାରି ସିଂହାସନରେ ବିଜେ କରାଇ ନୈବେଦ୍ୟ ଅର୍ପଣ କରିଥିଲେ। ଏଣେ ମା’ଙ୍କ ଚଳନ୍ତି ପ୍ରତିମା ସ୍ତମ୍ୱେଶ୍ୱରୀ କାଠି ଠାକୁରାଣୀଙ୍କୁ କାଠି ନାହାକ ରଙ୍ଗବେରଙ୍ଗର ପାଟବସ୍ତ୍ରରେ ସୁସଜ୍ଜିତ କରି ବନଦୁର୍ଗା ବେଶରେ ସଜେଇବା ପରେ ମା’ ଙ୍କୁ ସେବକମାନେ ଘଣ୍ଟା କାହାଳୀ ମଙ୍ଗଳ ବାଦ୍ୟର ତାଳେ ତାଳେ ଅଗଣିତ ଭକ୍ତଙ୍କ ଗହଣରେ ନୃତ୍ୟ କରି କରି ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରରୁ ନିଜ ମନ୍ଦିର ବେଢ଼ା ଭିତର ପର୍ବଗୃହକୁ ବିଜେ କରାଇଥିଲେ। ପରେ ଭଉଣୀ କନକ ଦୁର୍ଗାଙ୍କ ସହିତ ବଳିଜେନା ସେବକ ପର୍ବଗୃହକୁ ବିଜେ କଲା ପରେ ମଧ୍ୟରାତ୍ରରେ ପର୍ବ ପୂଜା ଆରମ୍ଭ ହେଇଥିଲା।

ରାଜା ସାହେବ ସନ୍ତୋଷ କୁମାର ମାନସିଂହ ମର୍ଦ୍ଦରାଜ, ପରିଚାଳନା କମିଟିର ସଭାପତି ସ୍ଥାନୀୟ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ସ୍ଥାନୀୟ ଥାନାଧିକାରୀ ଜୟପ୍ରକାଶ ପରିଡ଼ା, କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ, ବିଧାୟକ ପ୍ରତିନିଧି ବିକ୍ରମ କେଶରୀ ଜେନା, ପର୍ବ ପୁରୋହିତ ବାମନ ଚରଣ ଦାଶ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
DurgaPujaNews ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ମା’ଭଗବତୀଙ୍କ ଶାରଦୀୟ ପର୍ବ ଅନୁକୂଳ: ଗୁଆ ଚାଉଳ ଦେଇ ବ୍ରାହ୍ମଣବରଣ କଲେ ରାଜା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠରେ ଶାରଦୀୟ ପର୍ବ ଆରମ୍ଭ ପାଇଁ ସମସ୍ଥ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଚଳିତ ଆଶ୍ଵିନ କୃଷ୍ଣ ଅଷ୍ଟମୀ ଶନିବାର କନ୍ୟା ସଂକ୍ରାନ୍ତି ଦିନ ଦେବୀ ଶୟନରୁ ଉଠିବେ। ଏହି ଦିନକୁ ମୁଳାଷ୍ଟମୀ କୁହାଯାଏ। ପ୍ରଚଳିତ ପ୍ରାଚୀନ ପରମ୍ପରା ଅନୁସାରେ ସପ୍ତମୀ ଦିନ ବଙ୍କାଡଗଡର ରାଜପରିବାର ଅଧୁନା କୃଷ୍ଣପ୍ରସାଦଗଡ଼ର ରାଜା ସନ୍ତୋଷ କୁମାର ମାନସିଂହ ମର୍ଦ୍ଦରାଜ ମା’ଭଗବତୀଙ୍କ ମନ୍ଦିର ପୁରୋହିତ ଓ ସେବାୟତଙ୍କୁ ବାଲୁଗାଁଠାରେ ଥିବା ନିଜ ଉଆସରେ ବ୍ରାହ୍ମଣବରଣି କରି ଶକ୍ତି ପୂଜାର ବିଧି ବିଧାନ ସଂପର୍ଣ୍ଣ କରିବାକୁ ଗୁଆ ଚାଉଳ ପଇତା ମନ୍ତୁରାଇ ପୁରୋହିତଙ୍କୁ ପ୍ରଦାନ କରିବା ସହିତ ମା’ଭଗବତୀଙ୍କ ପର୍ବ ପ୍ରସାଧନ ନିମନ୍ତେ ନୂତନ ପାଟବସ୍ତ୍ର ସହିତ ଚୁଡି ,ଚନ୍ଦନ, ଅଗୁରୁ, ଅତର , ପୁଷ୍ପମାଲ୍ୟ ସହିତ ନୈବେଦ୍ୟ ଅର୍ପଣ କରିଥିଲେ। ମା’ଙ୍କ ଶାରଦୀୟ ଷୋଳ ପର୍ବ ଶୃଙ୍ଖଳିତ ଭାବରେ ପାଳିତ ହେବା ପାଇଁ ରାଜା ସାହେବ ପ୍ରାର୍ଥନା କରିବା ସହିତ ରାଜ୍ୟର ଜନ ସାଧାରଣଙ୍କ ମଙ୍ଗଳ ନିମନ୍ତେ ମା’ଙ୍କ ଆଶୀର୍ବାଦ କାମନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ମନ୍ଦିର ପୁରୋହିତ ଶାରଦା ପ୍ରସାଦ ସାମନ୍ତରାୟ, ମା’ଙ୍କ ଆଜ୍ଞାବିଜେ ସେବକ ଭାସ୍କର ନାୟକ, ପାଳିଆ ମାଳି ସେବକ ସୁଧାକର ଭୋପା, ସୁରେନ୍ଦ୍ର ନାୟକ, କାଠି ନାହାକ ପ୍ରତିନିଧି ଗଣେଶ ନାୟକ, ଲିଟନ ଭୋପା, ଦେବୋତ୍ତର କାର୍ଯ୍ୟାଳୟର କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ ଓ ବିଧାୟକ ପ୍ରତିନିଧି ବିକ୍ରମ କେଶରୀ ଜେନା ଉପସ୍ଥିତ ରହି ମା’ଙ୍କ ପାଖରେ ପ୍ରଦୀପ ପ୍ରଜ୍ଵଳନ ସହିତ ଆଜ୍ଞାମାଳ କରି ଏହାକୁ ଶୁଭାରମ୍ଭ କରିଥିଲେ।

Categories
DurgaPujaNews ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଶୟନରେ ଥାଇ ପାର୍ଶ୍ଵପରିବର୍ତ୍ତନ କଲେ ମା’ ଭଗବତୀ

ସୀତାରାମ ଅଗ୍ରୱାଲ

ବାଣପୁର: ଜନ୍ମାଷ୍ଟମୀରେ ଧରାବତରଣ କରି ଶୁକ୍ଳ ଅଷ୍ଟମୀଠାରୁ ଜଗତର କଲ୍ୟାଣକାରିଣୀ ରାଜରାଜେଶ୍ଵରୀ, ଯୋଗମାୟା ମା’ଭଗବତୀ ଶୟନରେ ଅଛନ୍ତି। ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀରେ ମା’ଙ୍କ ପାର୍ଶ୍ଵ ପରିବର୍ତ୍ତନ। ପ୍ରତ୍ୟୁଷରୁ ଦ୍ଵାର ଫିଟା ହୋଇ ଦୈନିକ ନୀତିକାନ୍ତି ଘଣ୍ଟକାହାଳି ନବାଜି ହେଉଥିବାବେଳେ ସଂଧ୍ୟା ପରେ ମଙ୍ଗଳାର୍ପଣ କରି ମା’ଙ୍କୁ ଚନ୍ଦନ, କର୍ପୁର, ଅଗୁରୁ, ହଳଦୀ, ଅତର ମିଶ୍ରିତ ସୁବାଷିତ ଜଳରେ ସ୍ନାନ କରାଯାଇ ପଞ୍ଚାମୃତ ପରେ ନବବସ୍ତ୍ର ପରିଧାନ କରାଇ ଖଟୁଲିରେ ବସାଯାଇଥିଲା।

ପରିଚ୍ଛା ସାମନ୍ତ ଅଷ୍ଟମୀଠାରୁ ସ୍ଥାପିତ ହୋଇଥିବା କୁମ୍ଭକୁ ପଞ୍ଚାମୃତ କରି ବରୁଣ ଆବାହନ ପରେମା’ଙ୍କୁ ମହାପ୍ରସାଦ ଅର୍ପଣ କରିଥିଲେ। ପରେ ଘଣ୍ଟ କାହାଳୀ ସହ ଆଳତୀ ଅର୍ପଣ କରାଯାଇ ଷୋଡ଼ଶ ଉପଚାରରେ ନୈବେଦ୍ୟ ଅର୍ପଣ ପରେ ମା’ଙ୍କୁ ବନ୍ଦାପନା କରି ଦକ୍ଷିଣ ଦିଗକୁ ମୁଖ କରି ଖଟ ଶେଜରେ ପୁନର୍ବାର ଶୟନ କରାଇ ଆଲଟଚାମର ପଡ଼ିଥିଲା।

ପ୍ରକାଶ ଆଉ କି ଅଷ୍ଟମୀରୁ ଶୟନ ଆରମ୍ଭରେ ମା’ ଉତ୍ତରଦିଗକୁ ମୁଖ କରି ଶୟନ କରନ୍ତି। ଏହା ମା’ ଭଗବତୀଙ୍କର ମାନବୀୟ ଲୀଳାର ନିଛକ ପରମ୍ପରା। ଆଶ୍ଵିନ କୃଷ୍ଣ ଅଷ୍ଟମୀ ମୂଳାଷ୍ଟମୀଠାରୁ ଦେବୀ ଉତ୍ ଥାପନ ପରେ ଷୋଡଶ ଦିନାତ୍ମକ ଶାରଦୀୟ ପର୍ବ ଅନୁଷ୍ଠିତ ହେବ।

Categories
DurgaPujaNews ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଷଷ୍ଠୀଦେବୀ ଭାବରେ ପୂଜା ପାଇଲେ ମା’ ଭଗବତୀ: ଶାରଦୀୟ ପର୍ବ ଆରମ୍ଭ

ସୀତାରାମ ଅଗ୍ରୱାଲ

ବାଣପୁର: ଓଡିଶାର ଶକ୍ତିପୀଠମାନଙ୍କରେ ଆଶ୍ୱିନ ମୂଳାଷ୍ଟମୀଠାରୁ ଶାରଦୀୟ ପର୍ବ ଆରମ୍ଭ ହେଉଥିବାବେଳେ ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠରେ ଭାଦ୍ରବ ଶୁକ୍ଳ ଷଷ୍ଠି ଠାରୁ ଶାରଦୀୟ ପର୍ବ ଆରମ୍ଭ ହେଉଥିବାର ପରମ୍ପରା କାହିଁ ପ୍ରାଚୀନ କାଳରୁ ପ୍ରଚଳିତ ହୋଇଆସୁଛି। ଭାଗ୍ୟର ଦେବୀ ଷଠୀ ମା’ଙ୍କୁ ଘରେ ଘରେଏହି ଦିନ ପୂଜାର୍ଚ୍ଚନା କରାଯାଉଥିବାବେଳେ ମା’ଙ୍କ ପୀଠରେ ଭଗବତୀଙ୍କୁ ଭାଗ୍ୟର ଦେବୀ ଭାବରେ ବିଶ୍ୱାସ କରାଯାଇ ସଂମ୍ପୁର୍ଣ୍ଣ ନିଆରା ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଏ।

ପ୍ରତ୍ୟୁଷରୁ ଦ୍ଵାର ଫିଟା, ମା’ଙ୍କ ଅଙ୍ଗରାଗ ମାଜଣା, ମହାପ୍ରସାଦ ଅର୍ପଣ, ବେଶ, ପରେ ଚଳନ୍ତି ପ୍ରତିମା କାଠି ଠାକୁରାଣୀ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରରୁ ବନଦୁର୍ଗା ବେଶରେ ଘଣ୍ଟ ଘଣ୍ଟା, କାହାଳୀ , ମର୍ଦ୍ଦଳ, କରତାଳ, ଢୋଲ ମହୁରୀ, ବାଦ୍ୟର ତାଳେ ତାଳେ, ଚାମର ଆଲଟ, ଛତ୍ର ତରାଶ ସହିତ ଛତିଶା ସେବାୟତଙ୍କ ଗହଣରେ ମନ୍ଦିରକୁ ବିଜେ କରିଥିଲେ। ପରେ ପରିଛା ସାମନ୍ତଙ୍କ ଦ୍ୱାରା ଷଷ୍ଠୀ ଦେବୀଙ୍କୁ ଆବାହନ, ସଂସ୍ଥାପନ, ସହସ୍ର କୁମ୍ଭାଭିଷେକ, ବଲ୍ଲଭ ମଙ୍ଗଳାର୍ପଣ, ବଜ୍ର ସୂତ୍ରଧାରଣ, ଶଙ୍କୁଡ଼ି ଧୁପରେ ଖେଚ଼ଡ଼ି,ଡାଲି, ମାଛ ମହୁର, ଆମ୍ବିଳ, ଶାଗ, ମାଛ ଗୁଣ୍ଡି ଭଜା, ମଣ୍ଡା, ଖିରି,ଏଣ୍ଡୁରୀ ଇତ୍ୟାଦି ଲାଗି ହେବାପରେ ଆଳତି ହୋଇ ଦିବା ପହୁଡ଼ ହୋଇ ମା’ ସଂଧ୍ୟାରେ ଖଜା, ସରପୁଳି, ମାଠପୁଳି, କାକରା, କାନ୍ତି ଧୁପବଢି ବଡ଼ସିଂହାର ପରେ ପିତ୍ରାଳୟକୁ ଫେରିଥିଲୋ ମା’କାଠି ଠାକୁରାଣୀ ମଧ୍ୟାହ୍ନରେ ମନ୍ଦିରକୁ ବିଜେ କଲା ପରେ ହିଁ ବାଣପୁର ଅଞ୍ଚଳରେ ଘରମାନଙ୍କରେ ଷଷ୍ଠି ଓଷା ପାଳନ କରାଯିବାର ବିଧି ପରମ୍ପରା ଚ଼ଳିଆସୁଛି।

ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲାବେଳେ ସଭାପତି ସ୍ଥାନୀୟ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ଥାନାଧିକାରୀ ଜୟପ୍ରକାଶ ପରିଡ଼ା, କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ବିଧାୟକ ପ୍ରତିନିଧି ବିକ୍ରମ କେଶରୀ ଜେନା, କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ମାଁ ଙ୍କ ଶୋଭାଯାତ୍ରାକୁ ପରିଚାଳନା କରିଥିଲେ। ମାଁ ଙ୍କୁ ଦର୍ଶନ କରିବା ପାଇଁ ଅଗଣିତ ଭକ୍ତଙ୍କ ସମାଗମ ହୋଇଥିଲା।

Categories
DurgaPujaNews ଧର୍ମ ବିଶେଷ ଖବର ରାଜ୍ୟ ଖବର

ମା’ଭଗବତୀଙ୍କ ପୀଠରେ ଜନ୍ମାଷ୍ଟମୀ: ଧରାବତରଣ କଲେ ଦେବୀ ଓ ଶ୍ରୀକୃଷ୍ଣ

ସୀତାରାମ ଅଗ୍ରୱାଲ

ବାଣପୁର: ଶ୍ରୀକ୍ଷେତ୍ରପରି ଭଗବତୀ କ୍ଷେତ୍ର ବାଣପୁର ଠାରେ ମା’ ଭଗବତୀଙ୍କ ପିତ୍ରାଳୟ ଭାବରେ ପରିଚିତ ପ୍ରାଚୀନ ଶୈବ ପୀଠ ଶ୍ରୀ ଦକ୍ଷେଶ୍ଵର ମହାଦେବଙ୍କ ମନ୍ଦିରରେ ଏକତ୍ର ପାଳିତ ହୋଇଯାଇଛି ଶ୍ରୀକୃଷ୍ଣ ଓ ଦେବୀ ଭଗବତୀଙ୍କ ଜନ୍ମନୀତି । କେବଳ ବିଷ୍ଣୁ ମନ୍ଦିରମାନଙ୍କରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହେଉଥିବାର ପରମ୍ପରା ଚଳି  ଆସୁଥିବା ବେଳେ ବାଣପୁରର ଶୈବ ପୀଠ ଶ୍ରୀ ଦକ୍ଷେଶ୍ଵର ମହାଦେବଙ୍କ ମନ୍ଦିରରେ ଚନ୍ଦ୍ରଶେଖର, ଗୋପାଳକୃଷ୍ଣ ଓ ଦେବୀ ଭଗବତୀ ଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀଙ୍କୁ ନେଇ ସଂପୂର୍ଣ୍ଣ ନିଆରା ଢଙ୍ଗରେ ପାଳିତ ହୁଏ ଜନ୍ମାଷ୍ଟମୀର ସମସ୍ତ ପରମ୍ପରା।

ପ୍ରଚଳିତ ବିଧି ଅନୁସାରେ ଅଷ୍ଟମୀର ପ୍ରତ୍ୟୁଷରୁ ଦେବା ଦେବୀଙ୍କ ମନ୍ଦିର ଦ୍ଵାର ଫିଟା, ଅଙ୍ଗରାଗ (ମାଜଣା ପରେ ମହାପ୍ରସାଦ ଲାଗି, ବଲ୍ଲଭ ମଙ୍ଗଳାର୍ପଣ, ବେଶ ପରେ ସାଧାରଣ ଦର୍ଶନ,ଶଙ୍କୁଡ଼ି ଧୂପ , ଦିବା ପହୁଡ଼, ପରେ ସଂଧ୍ୟାରେ ନିଶଙ୍କୁଡ଼ି, ଆଳତୀ କରାଯାଇଥିଲା। ପରେ ପରିଚ୍ଛା ସାମନ୍ତଙ୍କ ଦ୍ଵାରା ଗୁରୁଣ୍ଡି ଗୋପାଳ ଏବଂ ମା’ଙ୍କୁ ପଞ୍ଚାମୃତରେ ସ୍ନାନ କରାଯାଇ ନବବସ୍ତ୍ର ପରିଧାନ ପରେ ସିଂହାସନରେ ବସାଯାଇଥିଲା ।ପଲେଇ ସେବକମାନେ ଜନ୍ମ ବିଧି ପାଇଁ ଆବଶ୍ୟକୀୟ କାଣ୍ଡିଆ କୁଣ୍ଡା, ଅଙ୍ଗାର, ଶିମ୍ଵପତ୍ର,କୁଶ, ପାଳରେ ତିଆରି ଏନ୍ତୁଡି, ଇତ୍ୟାଦି ଯୋଗାଇ ଦେଇଥିଲେ।

ମଧ୍ୟରାତ୍ରରେ ପରିଛା ସାମନ୍ତ, ପାଳିଆମାଳି ଖଡ଼ି ରତ୍ନ ଙ୍କ ଦ୍ଵାରା ନିର୍ଦ୍ଧାରିତ ଜନ୍ମ ସମୟ ପରେ ନିଶବ୍ଦରେ ଗୋପାଳକୃଷ୍ଣଙ୍କୁ ନେଇ ମନ୍ଦିର ବେଢାରେ ଥିବା ବାମ୍ଫି ନିକଟରେ ଆଗରୁ ତିଆରି ହୋଇଥିବା ନାଭିକଟା ମଣ୍ଡପରେ କୁଶ ସାହାଯ୍ୟରେ ନାଭିକଟାନୀତି ସଂପର୍ଣ୍ଣ କରି କାଳ୍ପନିକ ଯମୁନା ନଦୀରେ ସ୍ନାନ କରାଇ ମନ୍ଦିର ମଧ୍ୟକୁ ଆଣିବା ପରେ ଆସନରେ ବସାଇଥିଲେ । ପରେ କଟନାଭି ସ୍ଥାନରୁ ନିର୍ଗତ ରକ୍ତକୁ ବନ୍ଦକରିବା ସହିତ ଯନ୍ତ୍ରଣା ର ଉପଷମ ପାଇଁ ପରିଛା ସାମନ୍ତ ଗୋପାଳଙ୍କ ନାଭିରେ ଶିମ୍ବ ପତ୍ରର ର ରସ ସ୍ଥାପନ କରିଥିଲେ ।

ଏଣେ ପଲେଇ ସେବକଙ୍କ ଦ୍ୱାରା କାଣ୍ଡିଆ କୁଣ୍ଡା, ଅଙ୍ଗାର ଓ ପାଳ ବିଡାରୁ ପ୍ରସ୍ତୁତ ଏନ୍ତୁଡି ନିଆଁରେ ଶ୍ରୀଗୋପାଳଙ୍କୁ ସେକାଯିବା ପରେ ଶ୍ରୀ ଚନ୍ଦ୍ରଶେଖର, ଶ୍ରୀ ଗୁରୁଣ୍ଡି ଗୋପାଳ ଏବଂ ମା’ ଭଗବତୀଙ୍କୁ ନବବସ୍ତ୍ର ପରିଧାନ କରାଇର ଆସନ ଉପରେ ବସାଇଥିଲେ। ପରେ ତିନୋଟି ଥାଳିରେ ଖଇ, ନଡ଼ିଆ କୋରା,ରାଶିକୋରା ଇତ୍ୟାଦି ନୈବେଦ୍ୟ ଏକତ୍ର ମଣୋହି କରାଇ ଆଳତି ପରେ ବଡ଼ସିଂହାର ନୀତିକାନ୍ତି ସାରି ଜନ୍ମବିଧି ଶେଷ ହୋଇ ପହୁଡ଼ ପଡ଼ିଥିଲା।

ପଣ୍ଡିତମାନଙ୍କ ମତରେ ଏଠାରେ ଚନ୍ଦ୍ରଶେଖରଙ୍କୁ ବଳରାମ, ଦେବୀ ଭଗବତୀଙ୍କୁ ବିଜୁଳିକନ୍ୟା ଏବଂ ଗୁରୁଣ୍ଡି ଗୋପାଳଙ୍କୁ ଭଗବାନ ଶ୍ରୀକୃଷ୍ଣ ଭାବରେ ଏକତ୍ର ପୂଜା କରାଯିବାର ପରମ୍ପରା ସଂପୂର୍ଣ୍ଣ ନିଆରା ଢ଼ଙ୍ଗରେ କାହିଁ କେଉଁ କାଳରୁ ଚଳି ଆସୁଛି। ଅବଶ୍ୟ ଦେବା ଦେବୀଙ୍କର ମାନବୀୟ ଲୀଳାର ପ୍ରତୀକ ଏଥିରୁ ଅନେକ ନୀତିକାନ୍ତି ଧୀରେ ଧୀରେ ବନ୍ଦ ହୋଇଯିବାକୁ ବସିଲାଣି।

ଏହାକୁ ପରିଛା ସାମନ୍ତ ପ୍ରକାଶ ମହାପାତ୍ର, ପାଳିଆ ମାଳି ସୁନୀଲ ମହାପାତ୍ର, ଶଙ୍କର ନାୟକ ଓ ପଲେଇ ସେବକ ମାନେ ସଂପାଦନ କରିଥିବା ବେଳେ ମନ୍ଦିର ପ୍ରଶାସନ ତରଫରୁ ସମସ୍ଥ ପ୍ରକାର ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା। ଏହି ଜନ୍ମ ଉତ୍ସବକୁ ଦେଖିବା ପାଇଁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମା’ ଭଗବତୀ ପାଳିଲେ ଗହ୍ମାପୂର୍ଣ୍ଣିମା ପର୍ବ

ସୀତାରାମ ଅଗ୍ରୱାଲ

ବାଣପୁର: ଶ୍ରୀକ୍ଷେତ୍ର ପରି ଶକ୍ତି କ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ମନ୍ଦିରରେ ମଧ୍ୟ ବାରମାସରେ ତେର ଯାତ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି। ତନ୍ମଧ୍ୟରୁ ବର୍ଷାଋତୁର ଧାରା ଶ୍ରାବଣର ପୂର୍ଣ୍ଣିମା ତିଥିରେ ମା’ଙ୍କ ଗହ୍ମାପର୍ବ ଅତ୍ୟନ୍ତ ଆନନ୍ଦଦାୟକ ଓ ଅନ୍ୟାନ୍ୟ ମନ୍ଦିର ଠାରୁ ସଂପୂର୍ଣ୍ଣ ନିଆରା।

ପୂର୍ଣ୍ଣମୀ ଦିନ ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ, ମହାପ୍ରସାଦ ଅର୍ପଣ, ବଲ୍ଲଭ, ମଙ୍ଗଳ ଆଳତି, ବେଶରେ ସର୍ବସାଧାରଣ ଦର୍ଶନ, ଦିବା ବାର ଘଟିକାରେ ଧୁପ ପରେ ଦିବା ପହୁଡ, ପରେ ସଂଧ୍ୟା ନିଶଙ୍କୁଡି, ଖେଇ କାନ୍ତି ସରପୁଳି ଭୋଗ ପରେ ମା’ଙ୍କ ବିଜେ ପ୍ରତିମା ସ୍ତମ୍ୱେଶ୍ୱରୀ କାଠି ଠାକୁରାଣି,ଚନ୍ଦ୍ରଶେଖର ଗୋପିନାଥଙ୍କ ସହ ଘଣ୍ଟା, ଘଣ୍ଟ, କାହାଳି,ଆଲଟ, ଚାମର, ଛତ୍ର ତରାସରେ ସେବାୟତମାନଙ୍କ ସହ ପୂର୍ବ ଦିଗକୁ ଯାତ୍ରା କରିଥିଲେ।

ବାଣପୁର ସହରର ବିଷରପାଟଣା ଛକରେ ପୂର୍ବରୁ ପଲେଇ ସେବାୟତମାନଙ୍କ ଦ୍ଵାରା ବାଲିରେ ବେଦି କରାଯାଇ ଆସନ ପକାଯାଇଥିଲା। ମା’ ଚନ୍ଦ୍ରଶେଖର ଓ ଗୋପୀନାଥଙ୍କ ସହ ଉକ୍ତ ବେଦି ଉପରେ ଉପବେଶନ କଲା ପରେ ପରିଚ୍ଛା ସାମନ୍ତଙ୍କ ଦ୍ଵାରା ଷୋଡ଼ଷ ଉପଚାରରେ ପୂଜା କରାଯାଇ ଶାକର ନଡ଼ିଆପାତି ନୈବେଦ୍ୟ ଅର୍ପଣ ପରେ ଆଳତୀ ବନ୍ଦାପନା ବଢିଥିଲା।

ଶେଷରେ ପୂର୍ବରୁ ପଲେଇ ସେବକମାନଙ୍କ ଦ୍ଵାରା ଅଣାଯାଇଥିବା ବାଛୁରି ଛୁଆଟିକୁ ଫୁଲ ଚନ୍ଦନରେ ବନ୍ଦାପନା କରାଯାଇ ଘଣ୍ଟା କାହାଳି ଶବ୍ଦରେ ବାଲି ବେଦି ଉପରକୁ ଡିଆଁଇ ଗହ୍ମାଡ଼ିଆ ପର୍ବ ଶେଷ ହୋଇଥିଲା। ଏହି ପର୍ବକୁ ଉପଭୋଗ କରିବାପାଇଁ ଅଗଣିତ ଶ୍ରଦ୍ଧାଳୁଙ୍କ ଜୟଧ୍ଵନୀରେ ପରିସର ଆଧ୍ୟାତ୍ମିକମୟ ହୋଇ ଉଠିଥିଲା। ସେଠାରୁ ଫେରିବା ବାଟରେ ପରିଛା ସାମନ୍ତଙ୍କ ଦୁଆରେ ଦୁଆରେ ମଣ୍ଡା କାକରା ଭୋଗ ଖାଇ ମା’ ମନ୍ଦିରକୁ ଫେରିଥିଲେ। ଏହାକୁ ଦେଖିବା ପାଇଁ ବହୁ ଜନସମାଗମ ହୋଇଥିଲା।

Categories
ଆଞ୍ଚଳିକ

ଆଜାଦି କି ଅମୃତ ମହୋତ୍ସବ ପାଳନ କଲା ନିରାକାରପୁର ସାମ୍ବାଦିକ ସଂଘ ଓ ଶାଳିଆ ପ୍ରେସ କ୍ଳବ

ଚିଲିକା: ସାରା ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ‘ଆଜାଦି କି ଅମୃତ ମହୋତ୍ସବ’ ପାଳନ କରୁଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସାମ୍ବାଦିକ ସଂଘ ଏବଂ ବାଲୁଗାଁସ୍ଥିତ ଶାଳିଆ ପ୍ରେସ କ୍ଲବର ମିଳିତ ଆନୁକୂଲ୍ୟରେ ଉକ୍ତ କାର୍ଯ୍ୟକ୍ରମ ପାଳନ କରାଯାଇଛି। ପ୍ରଥମେ ନିରାକାରପୁର ସାମ୍ବାଦିକ ମାନେ ଶ୍ରୀରାମ ମନ୍ଦିର ପରିସରରୁ ବାଣପୁର ଅଭିମୁଖେ ତ୍ରିରଙ୍ଗା ପତାକା ଧରି ଏକ ବାଇକ ଶୋଭାଯାତ୍ରାରେ ବାହାରିଥିଲେ। ନିରାକାରପୁର ଠାରେ ଟାଙ୍ଗୀ ରେଞ୍ଜର ଦେବାଶିଷ ଭୋଇ ପ୍ରଥମେ ଜାତୀୟ ପତାକା ଦେଖାଇ ଉକ୍ତ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ।

ଶୋଭାଯାତ୍ରାଟି ବାଲୁଗାଁ ପହଞ୍ଚିବା ପରେ ଶାଳିଆ ପ୍ରେସ କ୍ଲବର ସଦସ୍ୟମାନେ ଏଥିରେ ସାମିଲ ହୋଇ ଅଜାଦି କି ଅମୃତ ମହୋତ୍ସବର ନାରା ଦେଇ ବାଲୁଗାଁ ଓ ବାଣପୁର ସହର ପରିକ୍ରମା କରିଥିଲେ ଏବଂ ପରିଶେଷରେ ମା’ ଭଗବତୀ ମନ୍ଦିର ଦର୍ଶନ କରି ଶୋଭାଯାତ୍ରାକୁ ସମାପନ କରିଥିଲେ। ପରବର୍ତ୍ତୀ ସମୟରେ ବଡ଼କୁଳସ୍ଥିତ ରାମେଶ୍ୱର ମନ୍ଦିରରେ ସମସ୍ତ ସାମ୍ବାଦିକମାନେ ପହଞ୍ଚି ଏକ ସଭାର ଆୟୋଜନ କରିଥିଲେ।

ଉକ୍ତ ସଭାରେ ବାଲୁଗାଁ ଅଶୋକନଗରର ସ୍ୱର୍ଣ୍ଣ ପଦକଧାରୀ କ୍ରିଷ୍ଣା ଶିକାରୀଙ୍କୁ ଉଭୟ ସଂଘ ତରଫରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଉଭୟ ସଂଘର ସଭାପତି ଏବଂ ଅନ୍ୟ ସଦସ୍ୟମାନେ ପରିଚାଳନା କରିଥିଲେ।