Categories
ଆଜିର ଖବର ରାଜ୍ୟ ଖବର

ଜୁନ ୨୯ରେ ହେବ ଆସନ୍ତା ବଜେଟ୍‌ ଅଧିବେଶନ ନେଇ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୨ ତାରିଖରୁ ଆରମ୍ଭ ହେବାକୁ ଥିବା ବଜେଟ୍‌ ଅଧିବେଶନର ସୁପରିଚାଳନା ପାଇଁ ଚଳିତ ମାସ ୨୯ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ବଜେଟ ଅଧିବେଶନର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସଂପାଦିତ କରିବା ପାଇଁ ସବୁ ଦଳର ନେତୃମଣ୍ଡଳୀଙ୍କଠାରୁ ସହଯୋଗ କାମନା କରାଯିବ ବୋଲି ବାଚସ୍ପତି ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି।

ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ସଂକ୍ରମଣ ଦେଖାଦେଲାଣି । ସର୍ବଦଳୀୟ ବୈଠକରେ ଏ ବିଷୟରେ ମଧ୍ୟ ଆଲୋଚନା କରାଯିବ ବୋଲି ବାଚସ୍ପତି ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧଦିବସ ପାଳିତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପରିସରରେ ଓଡ଼ିଶାର ବରପୁତ୍ର ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧଦିବସ ଆଜି ପୂର୍ବାହ୍ନରେ ପାଳିତ ହୋଇଯାଇଛି । ଓଡ଼ିଶା ବିଧାନସଭାର ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ, ରାଜ୍ୟ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ନିର୍ଦ୍ଦେଶକ (ଗବେଷଣା) ଶ୍ରୀ କୃପାସିନ୍ଧୁ ମିଶ୍ର ପ୍ରମୁଖ ପାରଳା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ଭାଷାଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ଗଠନରେ ପାରଳା ମହାରାଜାଙ୍କ ଅବଦାନ ଅତୁଳନୀୟ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସେ ଜଣେ ମୁଖ୍ୟ ପୁରୋଧା ଥିଲେ। ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷିର ବିକାଶ ପାଇଁ ସେ ଅନେକ ଉତ୍ତମ ପଦକ୍ଷେପ ଗ୍ରହଣ କରିଥିଲେ । ରାଜାଙ୍କ ଜନ୍ମ ପ୍ରଜାମାନଙ୍କ ସେବା ପାଇଁ ବୋଲି ସେ କହୁଥିଲେ।

ଏହି ବାକ୍ୟରୁ ସେ ଜଣେ ଅତ୍ୟନ୍ତ ପ୍ରଜାବତ୍ସଳ ରାଜା ଥିଲେ ବୋଲି ସ୍ପଷ୍ଟ ପ୍ରମାଣିତ ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି। ଉପନିର୍ଦ୍ଦେଶକ (ଗବେଷଣା) ଶ୍ରୀ ଶିବପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କଣ୍ଠଶିଳ୍ପୀମାନେ ପାରଳା ମହାରାଜାଙ୍କ ଜୀବନୀ ଉପରେ ପର୍ଯ୍ୟବେଷିତ ସୁମଧୁର ସଂଗୀତ ପରିବେଷଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭା ବିଦ୍ୟୁତ ଓ ଶକ୍ତି ବିଭାଗ ଗୃହ କମିଟିର ପ୍ରଥମ ବୈଠକ

ଭୁବନେଶ୍ୱର: ବିଧାନସଭା ବିଦ୍ୟୁତ ଓ ଶକ୍ତି ବିଭାଗ ଗୃହ କମିଟିର ପ୍ରଥମ ବୈଠକରେ ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ର ଅଧ୍ୟକ୍ଷତା କରି ଗ୍ରାମାଞ୍ଚଳ ବିଦ୍ୟୁତ ସମସ୍ୟା ସୁଧାର ଉପରେ ଗୁରୁତ୍ୱାରୋପ କରିବା ସହିତ ବିଦୁ୍ୟତ ଉତ୍ପାଦନରେ ଓଡ଼ିଶା ଏକ ବଳକା ରାଜ୍ୟ ହୋଇଥିବାରୁ ରାଜ୍ୟବାସୀ ନିରବଚ୍ଛିନ୍ନ ବିଦ୍ୟୁତସେବା ପାଇବା ତାଙ୍କର ନ୍ୟାର୍ଯ୍ୟ ଅଧିକାର ବୋଲ ସେ ପ୍ରକାଶ କରିଛନ୍ତି ।

ବିଗତ ଦିନମାନଙ୍କରେ ବିଭାଗ କ୍ଷତି କରୁଥିଲା । କିନ୍ତୁ ଏ ବର୍ଷ ଦକ୍ଷିଣ ଓଡ଼ିଶା ସମେତ ସବୁ ଅଞ୍ଚଳରେ ଲାଭ ହୋଇଛି । ତେଣୁ ଆଗାମୀ ଦିନରେ ବିଦୁ୍ୟତ ଦେୟ ନିଶ୍ଚିତ ଭାବରେ କମିବ ଏବଂ ରାଜ୍ୟବାସୀ ଉପକୃତ ହେବେ । ସଂପ୍ରତି ୩୩/୧୧ କେଭି କ୍ଷମତାସଂପନ୍ନ ସବ୍‌ଷ୍ଟେସନ୍‌ଗୁଡ଼ିକର କେନ୍ଦ୍ରୀୟ ତଦାରଖ କରାଯାଉଛି । ତା’ଠାରୁ କମ ଶକ୍ତିସଂପନ୍ନ ସବ୍‌ଷ୍ଟେସନ୍‌ଗୁଡ଼ିକୁ କେନ୍ଦ୍ରୀୟ ତଦାରଖ କରାଯାଇପାରିଲେ ଗ୍ରାମାଞ୍ଚଳ ବିଦୁ୍ୟତ ସମସ୍ୟାର ଆଶୁ ସମାଧାନ କରାଯାଇପାରିବ ।

ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବାଚସ୍ପତି ଡଃ. ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଶକ୍ତି ଉତ୍ପାଦନ, ବଣ୍ଟନ, ଉନ୍ନତିକରଣ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ ପୂର୍ବବତ୍‌ ୪ଟି ସବ୍‌କମିଟି ତୁରନ୍ତ ଗଠନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ବାରମ୍ବାର ବିଜୁଳି କାଟ, ଲୋ-ଭୋଲ୍‌ଟେଜ୍‌, ଗ୍ରାମାଞ୍ଚଳରେ ଟ୍ରାନ୍ସଫର୍ମର ସ୍ଥାପନା ଓ ବିଜୁଳିବତି ସମସ୍ୟା ଉପରେ ସଦସ୍ୟମାନେ ବୈଠକରେ ବିସ୍ତୃତ ଆଲୋଚନା କରିଥିଲେ ।

ରାଜ୍ୟବାସୀଙ୍କ ସହଯୋଗ ଫଳରେ ବିଦୁ୍ୟତ ବିଭାଗ କ୍ଷତିରୁ ଲାଭକୁ ଆସିପାରିଛି ଏବଂ ବିଦୁ୍ୟତ ଓ ଶକ୍ତି କ୍ଷେତ୍ରରେ ଆଖିଦୃଶିଆ ସ୍ଥିରତା ଆସିଛି, ଦୁର୍ଘଟଣା କମିଛି, କର୍ମନିଯୁକ୍ତି ବଢ଼ିଛି, ଏହାର ପ୍ରଶଂସା କରାଯିବା ଉଚିତ । ଏହା ଦ୍ୱାରା କର୍ମଚାରୀ ଏବଂ ସଂସ୍ଥାର କାର୍ଯ୍ୟଦକ୍ଷତା ବୃଦ୍ଧିପାଇବ ବୋଲି ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ(ରାଷ୍ଟ୍ର) ମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟ ଶଙ୍କର ମିଶ୍ର ଉଲ୍ଲେଖ କରିଛନ୍ତି ।

ଅନେକ ସମୟରେ ବିଦୁ୍ୟତ ଯୋଗାଣକୁ ନେଇ ବିଦ୍ୟୁତ ଉତ୍ପାଦନ କରୁଥିବା ଶିଳ୍ପସଂସ୍ଥା ଓ ବିଦୁ୍ୟତ ପ୍ରଦାନକାରୀ ସଂସ୍ଥା ମଧ୍ୟରେ ଅସମ୍ମତି ଦେଖାଯାଉଛି । ଏହି ସମସ୍ୟାର ସମାଧାନ ପାଇଁ ଆବଶ୍ୟକୀୟ ଦସ୍ତାବିଜ୍‌ ସହିତ ବିଦୁ୍ୟତ ଓ ଶକ୍ତି ବିଭାଗ ଉପକମିଟି ନିକଟରେ ଉପସ୍ଥାପନା କରିବାକୁ ବରିଷ୍ଠ ବିଧାୟକ ତଥା ବିରୋଧୀ ଦଳର ନେତା ଶ୍ରୀ ନରସିଂହ ମିଶ୍ର ପରାମର୍ଶ ଦେଇଛନ୍ତି । ଏହା ସହିତ ବିଜୁଳି କାଟ ସମ୍ବନ୍ଧୀୟ ସଠିକ୍‌ ଓ ସବିଶେଷ ତଥ୍ୟ ଉପକମିଟିକୁ ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ଲୋକମାନଙ୍କର ସବୁଠାରୁ ଅଧିକ ଆବଶ୍ୟକ ସମୟରେ ବିଦୁ୍ୟତ କାଟ କରିବା ଉଚିତ ନୁହେଁ ବୋଲି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରକାଶ କରିବା ସହିତ ସମସ୍ତ ଜିଲ୍ଲାର ମୁଖ୍ୟତଃ ଗ୍ରାମାଞ୍ଚଳରେ ପୂର୍ବନିର୍ଦ୍ଧାରିତ ବିଦୁ୍ୟତ ଖୁଣ୍ଟି, ତାର ବିଛାଇବା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ କେତେଦୂର ଅଗ୍ରଗତି କଲାଣି ସେ ସଂପର୍କିତ ତଥ୍ୟ ପ୍ରଦାନ କରିବାକୁ ସେ ପରାମର୍ଶ କରିଛନ୍ତି ।

ପାଖାପାଖି ୪୪୦ ମେଗାୱାଟ୍‌ କ୍ଷମତା ସଂପୂର୍ଣ୍ଣ ଦରଲିପାଲି ପ୍ରକଳ୍ପରୁ ବିଦୁ୍ୟତ ଉତ୍ପନ୍ନ ନହେବା, ଅନେକ ପ୍ରଚେଷ୍ଟା ସତ୍ତେ୍ୱ ସେବା ଅଦଳବଦଳ କରି ବିଦୁ୍ୟତ ସଂଗ୍ରହ କରାଯାଇ ନପାରିବା ଓ ଦୁଇଟି ଶିଳ୍ପସଂସ୍ଥା ପୂର୍ବନିର୍ଦ୍ଧାରଣଠାରୁ କମ୍‌ ବିଦୁ୍ୟତ ପ୍ରଦାନ କରିବା ଯୋଗୁଁ ଅନିଚ୍ଛା ସତ୍ତେ୍ୱ ବିଜୁଳି କାଟ କରାଯାଉଥିଲା । ବିଦୁ୍ୟତ ଓ ଶକ୍ତି ବିଭାଗର ଉନ୍ନତିକରଣ ପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ପାଖାପାଖି ୫୬୦୦ କୋଟି ଟଙ୍କା ବ୍ୟୟ ଅଟକଳ ନିର୍ଦ୍ଧାରଣ କରାଯାଇଛି । ଓଡ଼ିଶା ସରକାର ଫେଜ୍‌-୪ରେ ୧୭୯୯.୭୩ କୋଟି ଟଙ୍କା ବ୍ୟୟରେ ଡିସେମ୍ବର ୨୦୨୩ ସୁଦ୍ଧା ୯୯ଟି ୩୩/୧୧ କେଭି ସବ୍‌ଷ୍ଟେସନ୍‌ ଓ ସହଯୋଗୀ ତାର ବିଛାଇବା ଏବଂ ୬୪ଟି ୩୩ କେଭି ସହଯୋଗୀ ତାର ବିଛାଇବା କାର୍ଯ୍ୟ ସମାପ୍ତ କରି ଲୋ-ଭୋଲ୍‌ଟେଜ୍‌ ସମସ୍ୟା ସମାଧାନ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି ।

୨୦୨୦/୨୧ ଆର୍ଥିକ ବର୍ଷରେ ୨୦୫ଟି ବିଦୁ୍ୟତଜନିତ ଦୁର୍ଘଟଣା ହୋଇଥିବାବେଳେ ୨୦୨୧/୨୨ରେ ଏହା ୧୬୧କୁ ହ୍ରାସ ପାଇଛି । ଟାଟା ପାୱାର (ମଧ୍ୟ) ବର୍ଷକୁ ୬୦୦ ଥରରେ ୪୨୪ ଘଣ୍ଟା ବିଦୁ୍ୟତ କାଟୁଛି ଏବଂ ଟାଟା ପାୱାର (ଦକ୍ଷିଣ) ବର୍ଷକୁ ୨୩୩ ଥରରେ ୧୫୫ ଘଣ୍ଟା ବିଦୁ୍ୟତ କାଟ କରୁଛି ।

ସୂଚନାଯୋଗ୍ୟ ଯେ, ବିଦୁ୍ୟତ ଓ ଆନୁଷଙ୍ଗିକ ଦେୟ ବାବଦରେ ୨୦୨୦/୨୧ ଆର୍ଥିକ ବର୍ଷରେ ୩୧୫୦ କୋଟି ଟଙ୍କା ରାଜସ୍ୱ ଆଦାୟ ଲକ୍ଷ୍ୟ ଥିଲାବେଳେ ୩୯୩୯.୦୮ କୋଟି ଟଙ୍କା ଆଦାୟ ହୋଇଥିଲା । ୨୦୨୧/୨୨ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ ୩୩୦୦ କୋଟି ଟଙ୍କା ଥିଲା ଏବଂ ୩୭୧୬.୯୯ କୋଟି ଟଙ୍କା ଆଦାୟ ହୋଇଛି । ସେହିପରି ୨୦୨୨/୨୩ ବର୍ଷ ପାଇଁ ୩୦୦୦ କୋଟି ଟଙ୍କା ରାଜସ୍ୱ ଆଦାୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ୨୦୨୧/୨୨ ଆର୍ଥିକ ବର୍ଷରେ ବିଦୁ୍ୟତ ସଂଯୋଗୀକରଣ ଓ ଆନୁଷଙ୍ଗିକ ବାବଦରେ ୫୫,୮୩୫ଟି ଆବେଦନ ଆସିଥିଲାବେଳେ ୪୩୮୦୩ଟି ଆବେଦନ ମଞ୍ଜୁର, ୩୦୨୯ଟି ଆବେଦନ ଅଗ୍ରାହ୍ୟ ଏବଂ ୯୦୦୩ଟି ପ୍ରକ୍ରିୟା ଅବସ୍ଥାରେ ଅଛି ।

ଉପବାଚସ୍ପତି ରଜନୀକାନ୍ତ ସିଂହ, ବରିଷ୍ଠ ବିଧାୟକ ଅନନ୍ତ ଦାସ, ଶ୍ରୀକାନ୍ତ ସାହୁ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ଟାଟା ପାୱାର ଦକ୍ଷିଣ, ଉତ୍ତର, ପଶ୍ଚିମ ଓ ମଧ୍ୟ କର୍ତ୍ତୃପକ୍ଷ, ଓପିଜିସି, ଓଇଆର୍‌ସି, ଓଏଚ୍‌ପିସି, ଓପିଟିସିଏଲ୍‌ ଏବଂ ବିଭାଗୀୟ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ପରିସରରେ ପାରଳା ମହାରାଜାଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୦ତମ ଜୟନ୍ତୀ ଅବସରରେ ଓଡ଼ିଶା ବିଧାନସଭା ପରିସରରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ର, ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ଉତ୍କଳ ସମ୍ମିଳନୀର ସଭାପତି ପ୍ରଫେସର ଅଦେ୍ୱତ କୁମାର ପାତ୍ର, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ନିର୍ଦ୍ଦେଶକ(ଗବେଷଣା) ଶ୍ରୀ କୃପାସିନ୍ଧୁ ମିଶ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଭାରତର ପ୍ରଥମ ରାଜ୍ୟ ଭାବେ ଭାଷାଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ଗଠନରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ନବଉତ୍କଳ ଗଠନ ହେଲା ପରେ ୧୯୩୭ ଅପ୍ରେଲ ୧ ତାରିଖରେ ସେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଗୁରୁଦାୟିତ୍ୱ ବହନ କରିଥିଲେ । ପରେ ୧୯୪୧ ମସିହା ନଭେମ୍ବର ମାସଠାରୁ ୧୯୪୪ ମସିହା ଜୁନ ମାସ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ନାରୀଶିକ୍ଷାର ଉନ୍ନତି, ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ଥାପନା, ପୂର୍ଣ୍ଣାଙ୍ଗ ସ୍ୱତନ୍ତ୍ର ଓଡ଼ିଶା ଗଠନ, ଓଡ଼ିଆ ଭାଷାର ପ୍ରଚାରପ୍ରସାର, କୃଷି, ସ୍ୱାସ୍ଥ୍ୟ ଓ ଶିଳ୍ପର ବିକାଶ ପାଇଁ ବିବିଧ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଥିଲେ ।

ସେ ନବଉତ୍କଳର ଅନ୍ୟତମ ନିର୍ମାତା ଥିଲେ ବୋଲି ବାଚସ୍ପତି ଓ ଅନ୍ୟ ଅତିଥିମାନେ ପ୍ରକାଶ କରିଥିଲେ । ପାରଳା ମହାରାଜାଙ୍କ ତ୍ୟାଗ ଏବଂ ଓଡ଼ିଶା ପ୍ରତି ଥିବା ଭଲପାଇବା ତାଙ୍କୁ ଚିରସ୍ମରଣୀୟ କରି ରଖିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ନ୍ୟାୟାଳୟ, କାର୍ଯ୍ୟାଳୟ ଓ ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ଆନ୍ତରିକ ଭାବରେ ବ୍ୟବହୃତ ହେଲେ ହିଁ ଏ ଭାଷା ସମୃଦ୍ଧ ହେବ ଏବଂ ବରପୁତ୍ରମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କଣ୍ଠଶିଳ୍ପୀମାନେ କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ମୃତିରେ ପ୍ରେରଣାଦାୟୀ ସଂଗୀତ ପରିବେଷଣ କରିଥିଲେ । ଯୁଗ୍ମ ନିର୍ଦ୍ଦେଶକ (ଗବେଷଣା) ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ବିଧାନସଭାର ବିରୋଧୀ ଦଳର ନେତା ହେଲେ ଅଖିଳେଶ ଯାଦବ, ବିଜେପି ବିରୋଧରେ ସମ୍ଭାଳିବେ ନେତୃତ୍ଵ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭାରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଭାରତୀୟ ଜନତା ପାର୍ଟି ବିରୋଧରେ ଦାୟିତ୍ୱ ଗ୍ରହଣ କରିବେ। ଆଜି ଅନୁଷ୍ଠିତ ଦିଧାୟକ ଦଳରେ ବୈଠକରେ ସେ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଅଖିଲେଶ ଯାଦବ ଚଳିତ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚନ ଲଢିଥିଲେ। ସେ ଏହି ନିର୍ବାଚନରେ କରହଲ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ପୁନଃ ସ୍ଥାପିତ ହେବ ପୁରୁଣା ପେନ୍ସନ୍ ବ୍ୟବସ୍ଥା: ବିଧାନସଭାରେ ଘୋଷଣା କଲେ ଭୁପେଶ ବଘେଲ

ରାୟପୁର: ଛତିଶଗଡର ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନ୍ସନ୍ ବ୍ୟବସ୍ଥା ପୁନଃ ସ୍ଥାପିତ ହେବ। ବିଧାନସଭାରେ ବଜେଟ୍ ଉପସ୍ଥାପନ କରୁଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଏହା ଘୋଷଣା କରିଛନ୍ତି। ବଜେଟ୍ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ବଜେଟରେ ମୁଁ ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନ୍ସନ୍ ଯୋଜନା ପୁନଃ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଛି। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମ୍ଭାବ୍ୟ ନୂତନ ନିଯୁକ୍ତି ସୃଷ୍ଟି ପାଇଁ ଛତିଶଗଡ ରୋଜଗାର ମିଶନ ପାଇଁ ୨ କୋଟି ଟଙ୍କା ଦିଆଯିବ। ଭୁପେଶ ବଘେଲ କହିଛନ୍ତି ଯେ, ରାଜୀବ ଗାନ୍ଧୀ ଭୁମିହୀନ କୃଷି ଶ୍ରମିକ ନ୍ୟାୟ ଯୋଜନା ପାଇଁ ବର୍ଷକୁ ଆସନ୍ତା ବର୍ଷ ଠାରୁ ୬ ହଜାରରୁ ୭୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ରାଜସ୍ଥାନ: ଚାରି ବିଜେପି ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବିତ, କଂଗ୍ରେସକୁ ତୀବ୍ର ଟାର୍ଗେଟ କଲା ବିରୋଧୀ

ଜୟପୁର: ରାଜସ୍ଥାନ ବିଧାନସଭାରେ ଆଜି ମୁଖ୍ୟ ବିରୋଧୀ ବିଜେପି ସ୍ଲୋଗାନ ଦେଇ ହଙ୍ଗମା ସୃଷ୍ଟି କରିଛି। ଯେଉଁଥିରେ ରାଜ୍ୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (REET) ୨୦୨୧ ରେ ହୋଇଥିବା ଅନିୟମିତତା ଘଟଣାର ସିବିଆଇ ଯାଞ୍ଚ କରିବାକୁ ବିଜେପି ଦାବି କରିଛି। ହଙ୍ଗମା ଯୋଗୁଁ ଗୃହକୁ ବାଚସ୍ପତି ୪ ଥର ମୁଲତବୀ କରିଛନ୍ତି। ଏବଂ ଚାରିଜଣ ବିଜେପି ବିଧାୟକଙ୍କୁ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବିତ କରାଯାଇଛି।

ବିଜେପି ବିଧାୟକମାନେ ଗୃହ ଆରମ୍ଭରୁ ରାଜ୍ୟ ଶିକ୍ଷକ ଯୋଗ୍ୟତା ପରୀକ୍ଷାର ଅନିୟମିତତାକୁ ନେଇ ବିଭିନ୍ନ ସ୍ଲୋଗାନ ଏବଂ ହଙ୍ଗମା କରିଥିଲା। ଏହି କାରଣରୁ ଗୃହ କାର୍ଯ୍ୟକୁ ଚାରିଥର ମୁଲତବୀ କରିବାକୁ ପଡିଥିଲା। ଯେତେବେଳେ ଗୃହ କାର୍ଯ୍ୟ ଆରମ୍ଭ ହେଲା, ସେତେବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧାରିୱାଲ ବିଜେପିର ୪ ଜଣ ବିଧାୟକଙ୍କୁ ନିଲମ୍ବିତ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ସିପିଆଇ (ଏମ) ବିଧାୟକ ବଲୱାନ ପୁନିଆଙ୍କ ଅଭିଭାଷଣକୁ ବାଧା ଦେଇଥିବା ଯୋଗୁଁ ବିଜେପି ବିଧାୟକ ରାମଲାଲ, ମଦନ ଦିଲୱର, ଅବିନାଶ ଗେହଲୋତ ଏବଂ ଚନ୍ଦ୍ରବାନ୍ ସିଂ ଆକ୍ୟାଙ୍କୁ ଗୃହର ଅବଶିଷ୍ଟ ସମୟରୁ ନିଲମ୍ବିତ କରାଯାଉ ବୋଲି ମନ୍ତ୍ରୀ ପ୍ରସ୍ତାବ ରଖିଥିଲେ।

ଧ୍ୱନି ମତ ଦ୍ୱାରା ଗୃହରେ ଏହି ପ୍ରସ୍ତାବ ପାରିତ ହୋଇଥିଲା। ଅଧ୍ୟକ୍ଷ ରାଜେନ୍ଦ୍ର ପ୍ୟାରୀ କହିଛନ୍ତି ଯେ, ବିରୋଧୀ ଦଳର ଏପରି ଲଜ୍ଜାଜନକ ଆଚରଣ ସେ କେବେ ଦେଖି ନାହାଁନ୍ତି ଏବଂ ସେ ଉପରୋକ୍ତ ଚାରିଜଣ ବିଜେପି ବିଧାୟକଙ୍କୁ ବାହାରକୁ ଯିବାକୁ କହିଛନ୍ତି। ଏହା ପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ବିତର୍କ ଜାରି ରହିଲା। ତେବେ ବିଜେପି ବିଧାୟକମାନେ ସେମାନଙ୍କ ସ୍ଲୋଗାନ ଓ ଉତ୍ତେଜନା ଜାରି ରଖିଥିଲେ।

ଏଥିସହିତ ବିଜେପି ରାଜ୍ୟ ସଭାପତି ତଥା ବିଧାୟକ ସତୀଶ ପୁନିଆ ଟୁଇଟ୍ କରି କହିଛନ୍ତି ଯେ, ଆଜି ଶାସକ ଦଳ ଗୃହର ଦିନକୁ କଳଙ୍କିତ କରିଛି ଏବଂ REET ପରୀକ୍ଷାରେ ସିବିଆଇ ତଦନ୍ତ ଦାବିରେ ଗଣତାନ୍ତ୍ରିକ ବିରୋଧ କରୁଥିବା ବିଜେପି (ବିରୋଧୀ) ସଦସ୍ୟଙ୍କୁ ହଟାଇ ଦେଇଛି। ମନ୍ତ୍ରୀଙ୍କ ଉପସ୍ଥିତିରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ବନ୍ଦ ନେଇ ରାଜଭବନରେ ଅଭିଯୋଗ କଲା ରାଜ୍ୟ ବିଜେପି

ଭୁବନେଶ୍ବର: ରାଜ୍ୟବାସୀଙ୍କ ସ୍ଵାର୍ଥ ସମ୍ବଳିତ ବିଷୟ ଓ ମୌଳିକ ଦାବୀକୁ ବିଧାନସଭାରେ ଆଲୋଚନା କରିବାକୁ ବିରୋଧୀ ଦଳକୁ ସୁଯୋଗ ମିଳିଲା ନାହିଁ। ବାଚସ୍ପତି ଷୋଡଶ ବିଧାନସଭାର ସମସ୍ତ ଆଠଟି ଅଧିବେସନକୁ ସ୍ଥିରୀକୃତ ଧାର୍ଯ୍ୟ ପୂର୍ବରୁ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଛନ୍ତି । ଏହାକୁ ନେଇ ରାଜଭବନରେ ଫେରାଦ ହେଲା ରାଜ୍ୟ ବିଜେପି।

ଦୀର୍ଘଦିନ ଧରି ବିଧାନସଭା ଅଚଳ ହେବା ଦ୍ବାରା ବାଚସ୍ପତି ଗତକାଲି ଗୃହକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି। ଏହାକୁ ନେଇ ବିରୋଧୀ ବିଜେପି ରାଜଭବନ ଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ପରିସରରେ ପୋଲିସ ବିରୋଧରେ ବିକ୍ଷୋଭ କଲେ ବିଜେପି ବିଧାୟକ

ଭୁବନେଶ୍ବର: ଆଜି ଗୃହ ମୁଲତବି ହେବା ପରେ ବିଜେପି ବିଧାୟକମାନେ ବାହାରେ ଧାରଣା ଦେଇଛନ୍ତି। ଗତକାଲି ପୋଲିସ ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ମରଣାତ୍ମକ ଆକ୍ରମଣ କରିବା ବିରୋଧରେ ବିଜେପି ବିଧାୟକମାନେ ଏହି ପ୍ରତିବାଦ କରିଛନ୍ତି।

ଆଜି ଗୃହ ଆରମ୍ଭ ହେବା ପରେ ପୂର୍ବ ପରି ବିରୋଧୀଙ୍କ ହାଙ୍ଗାମା ଜାରି ରହିଲା। ଫଳରେ ବାଚସ୍ପତି ପ୍ରଥମେ ୧୧ ଟା ୩୦ ଏବଂ ପରେ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଗୃହ ମୁଲତବି କରିଛନ୍ତି। ଏହାପରେ ବିଜେପି ବିଧାୟକମାନେ ଗୃହ ବାହାରକୁ ଆସି ପ୍ଲାକାର୍ଡ ଧରି ବିକ୍ଷୋଭ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରବଳ ହଟଗୋଳ ସତ୍ତ୍ୱେ ବିଧାନସଭାରେ ଖର୍ଚ୍ଚ ଦାବି ପାରିତ

ଭୁବନେଶ୍ଵର: ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ସତ୍ତ୍ୱେ ବିଧାନସଭାରେ ଖର୍ଚ୍ଚ ଦାବି ପାରିତ ହୋଇଛି। ମନ୍ତ୍ରୀ ପ୍ରତାପ ଜେନା ଖର୍ଚ୍ଚ ଦାବି ଉପସ୍ଥାପନ କରିଛନ୍ତି। ଖର୍ଚ୍ଚ ଦାବି ଉପସ୍ଥାପନ ବେଳେ ମନ୍ତ୍ରୀଙ୍କ ସାମ୍ନାରେ ବିରୋଧୀଙ୍କ ଦ୍ଵାରା ପ୍ରବଳ ହଟ୍ଟଗୋଳ କରାଯାଇଛି। ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ମୁଖରେ କଂଗ୍ରେସ ନେତା ତାରା ବାହିନୀପତି ଘଣ୍ଟ ପିଟି ବିରୋଧ କରିଥିଲେ। ଏହିସମୟରେ ପ୍ରବଳ ହୋ-ହଲ୍ଲା, ପାଟିତୁଣ୍ଡ ହେବ ସହ ବିରୋଧୀମାନେ ବାଚସ୍ପତିଙ୍କ ଉପରକୁ ପ୍ଲାକାର୍ଡ ମଧ୍ୟ ଫିଙ୍ଗିଥିଲେ। କିନ୍ତୁ ଏହା ଭିତରେ ଖର୍ଚ୍ଚ ଦାବି ପାରିତ ହୋଇଛି।

ପାନୀୟ ଜଳଯୋଗାଣ ପାଇଁ ୧୨୫ କୋଟି ଟଙ୍କାର ବ୍ୟବସ୍ଥା ହୋଇଥିବା ବେଳେ ନଳକୂପ ପାଇଁ ୪୧ କୋଟି ୬୬ ଲକ୍ଷ, ଗ୍ରାମୀଣ ହାଟର ବିକାଶ ପାଇଁ ୫୦ କୋଟି, ରାସ୍ତାର ଆଲୋକିକରଣ ପାଇଁ ୬୫ କୋଟି ୬୬ ଲକ୍ଷ, ସବୁଦିନିଆ ରାସ୍ତାର ସଂଯୋଗୀକରଣ ପାଇଁ ୯୭ କୋଟି ୬୯ ଲକ୍ଷ, ପ୍ରମୁଖ ସମ୍ପତ୍ତି ରକ୍ଷଣାବେକ୍ଷଣ ପାଇଁ ୫୮ କୋଟି ୩୩ ଲକ୍ଷ, ପ୍ରାଥମିକ ସ୍କୁଲ ରକ୍ଷାଣବକ୍ଷଣ ପାଇଁ ୫୨ କୋଟି, ଜିଲ୍ଲାସ୍ତରୀୟ ଡାଟା ସେଣ୍ଟର ପ୍ରତିଷ୍ଠା ପାଇଁ ୨୫ କୋଟି, ଜଳଭଣ୍ଡାର ସଂରକ୍ଷଣ ଏବଂ ଉନ୍ନତିକରଣ ପାଇଁ ୨୦ କୋଟି ୮୩ ଲକ୍ଷ ଟଙ୍କା ବ୍ୟବସ୍ଥା କରାଯାଇଛି। ଖର୍ଚ୍ଚ ଦାବି ପାରିତ ହେବା ପରେ ଆସନ୍ତାକାଲି ସକାଳ ୧୦ ଟା ୩୦ ଯାଏଁ ଗୃହକୁ ମୁଲତବୀ ରଖାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଆଜି ବିଧାନସଭା ଭିତରେ ପଶିଗଲେ ଜଣେ ପୂଜାରୀ, ସୁରକ୍ଷା କର୍ମି ହେଲେ ବାଉଳା

ଭୁବନେଶ୍ବର: ଆଜି ବିଧାନସଭା ଆରମ୍ଭ ବେଳେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ହଠାତ ବିଧାନସଭା ଗୃହ ଭିତରକୁ ଜଣେ ବ୍ରାହ୍ମଣ ପଶିଗଲେ। ସୁରକ୍ଷା କର୍ମି ଟିକିଏ ହଡବଡେଇ ଗଲେ। କାରଣ ହଠାତ୍ ସେମାନେ ଏହି ବ୍ରାହ୍ମଣଙ୍କୁ ଚିହ୍ନିପାରିଲେ ନାହିଁ। କିଛି ମୁର୍ହୁତ ପରେ ଜାଣିଲେ ଯେ ସେ ହେଉଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି।

ଆଜି କଂଗ୍ରେସ ବିଧାୟକ ଏକ ଅଭିନବ ଢଙ୍ଗରେ ବିଧାନସଭାରେ ପ୍ରତିବାଦ କରିବାକୁ ଆସିଥିଲେ। ସେ ବ୍ରାହ୍ମଣ ବା ପୂଜାରୀ ବେଶଧାରଣ କରି ବିଧାନସଭାରେ ପ୍ରବେଶ କରିଥିଲେ। ତାଙ୍କର ସହିକ କଥା ହେଲା ଯେ, ଏହି ପବିତ୍ର ଗୃହ ଅପବିତ୍ର ହୋଇଯାଇଛି। ତେଣୁ ତାହାକୁ ପୂଜାପାଠ କରି ପବିତ୍ର କରାଯିବ। ସେଥିପାଇଁ ସେ ପୂଜା କରିବା ପାଇଁ ଆସିଛନ୍ତି।

ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟକୁ ଉଠି ଆସି ମମିତା ମେହେରଙ୍କ ନ୍ୟାୟ ଦାବୀ କରିଥିଲେ। ପୂଜକ ବେଶରେ ଥିବା ବିଧାୟକ ତାରା ପ୍ରସାଦ ବାହିନୀପତି ବିଧାନସଭା ଗୃହରେ ପୂଜାର୍ଚ୍ଚନା କରିବା ସହ ତୁଳସୀ, ଗୋମୂତ୍ର, ଗଙ୍ଗାଜଳ ଛିଞ୍ଚିଥିଲେ।

ସେହିପରି ବିଧାୟକ ମହମ୍ମଦ ମୋକ୍କିମ ନମାଜ ପଢିଥିବା ବେଳେ ବିଧାୟକ ଏସ ରାଜନ ଏକ୍କା ବାଇବେଲ ଗ୍ରନ୍ଥ ପାଠ କରିଥିଲେ ଏବଂ ବିଧାୟକ ସନ୍ତୋଷ ସିଂହ ସାଲୁଜା ଶିଖ ଧର୍ମ ଗ୍ରନ୍ଥ ପାଠ କରିଥିଲେ। ଅନ୍ୟ ବିଧାୟକ ମାନେ ଘଣ୍ଟ ବଜେଇ ଓ ପ୍ଲା କାର୍ଡ ପ୍ରଦର୍ଶନ କରି ଅଭିନବ ଉପାୟରେ ମମିତାଙ୍କୁ ନ୍ୟାୟ ଦେବା ପାଇଁ ଗୃହରେ ପ୍ରତିବାଦ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଶେଷରେ ମମିତା ମେହେର ହତ୍ୟା ଘଟଣାରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କଣ କହିଲେ

ଭୁବନେଶ୍ବର: ଦୀର୍ଘ ନିରବତା ପରେ ଶେଷରେ ମମିତା ହତ୍ୟା ଘଟଣାରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ବିଧାନସଭାରେ ମମିତା ହତ୍ୟା ଘଟଣାରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଯେ ଏହି ଘଟଣାଟି ଏକ ବଡ ସମ୍ବେଦେନଶୀଳ ଘଟଣା। ଓଡିଶା କନ୍ୟା ମମିତା ହତ୍ୟା ଘଟଣାରେ ଯେଉଁମାନେ ଜଡିତ ସେମାନେ ନିଶ୍ଚିତ ଦଣ୍ଡ ପାଇବେ। ହେଲେ ଏପରି ଏକ ସମ୍ବେଦେନଶୀଳ ଘଟଣାରେ ଅଯଥା ରାଜନୀତି କରାଯାଉଛି ବୋଲି ନବୀନ ବିବୃତି ରଖିଛନ୍ତି।

ଏକ ଦୀର୍ଘ ଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ହତ୍ୟା ଘଟଣାରେ ଜଣେ ଅବସରପ୍ରାପ୍ତ ବିଚାରପତି ନିଯୁକ୍ତ ହୋଇଛନ୍ତି। ତଦନ୍ତ କରିବା ପାଇଁ ଉଚ୍ଚ ନ୍ୟାୟାଳୟକୁ ଜଣେ ବିଚାରପତିଙ୍କୁ ନିଯୁକ୍ତ କରିବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଥିଲେ। ସେହି ଅନୁସାରେ ଏହି ଘଟଣା ଜଣେ ନିରପେକ୍ଷ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ତଦନ୍ତ ହେବ। ଆମର ନ୍ୟାୟିକ ତଦନ୍ତ ପ୍ରତି ବିଶ୍ବାସ ରହିଛି। ବିରୋଧୀମାନେ ମଧ୍ୟ ମଧ୍ୟ ସେଥିରେ ବିଶ୍ବାସ କରି ତଦନ୍ତକୁ ଅପେକ୍ଷା କରିବା ଉଚିତ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିରୋଧୀ ଦଳ ଜଣେ ନିର୍ବାଚିତ ପ୍ରତିନିଧୀଙ୍କୁ ତାଙ୍କର ଅଧିକାରକୁ କାର୍ଯ୍ୟକାରୀ କରିବା ପାଇଁ ସୁଯୋଗ ଦେଉ ନାହାଁନ୍ତି। ନବୀନ ଦିବ୍ୟଶଙ୍କର ନାମ ନ ନେଇ କହିଲେ ଯେ, ସେହି ବିଧାୟକଙ୍କୁ ବିଧାନସଭାରେ ତାଙ୍କ କାମ କରିବା ପାଇଁ ପ୍ରତିରୋଧ କରୁଛନ୍ତି। ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହା ଠିକ ନୁହେଁ ବୋଲି ନବୀନ ତାଙ୍କ ବିବୃତିରେ କହିଛନ୍ତି।

ସେ କହିଛନ୍ତି ଯେ, ପୂର୍ବରୁ ଅନେକ ଘଟଣା ସିବିଆଇ ତଥା ଅନ୍ୟ ସଂସ୍ଥା ତଦନ୍ତ କରିଛନ୍ତି। ସେହିପରି ରାଜ୍ୟ ପୋଲିସ ମଧ୍ୟ ବହୁ ଘଟଣା ତଦନ୍ତ କରିଛି। ହେଲେ କେଉଁଠାରେ ହେଲେ ମଧ୍ୟ ରାଜ୍ୟ ପୋଲିସ ତାହାର ବିଫଳତା ପ୍ରକାଶ କରି ନାହିଁ। ତେଣୁ ବିରୋଧୀଙ୍କୁ ମୁଁ ପ୍ରତିଶୃତି ଦେଉଛି ଯେ, ମୋ ସରକାର ସଠିକ ତଦନ୍ତ କରି ମେହେର ପରିବାରକୁ ନ୍ୟାୟ ପ୍ରଦାନ କରିବ।

ଶେଷରେ ନବୀନ କହିଛନ୍ତି ଯେ ବିରୋଧୀ ଦଳକୁ ମୁଁ ଅନୁରୋଧ କରୁଛି ଯେ, ଏପରି ଏକ ସମ୍ବେଦନଶୀଳ ଘଟଣାରେ ରାଜନୀତି ନ କରି ଗୃହରେ ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତୁ। ଯଦି ବିରୋଧୀଙ୍କ ପାଖରେ ଏହି ଘଟଣା ସହିତ କୌଣସି ପ୍ରମାଣ ଅଛି ତେବେ କୋର୍ଟରେ ଦାଖଲ କରନ୍ତୁ। ହେଲେ ଗୃହ କାର୍ଯ୍ୟରେ ସଂପୂର୍ଣ୍ଣ ସହଯୋଗ କରନ୍ତୁ ବୋଲି ନବୀନ ବିରୋଧୀ ଦଳଙ୍କୁ ଅନୁରୋଧ କରିଛନ୍ତି। ( ଏଥିରେ ଥିବା ଫଟୋଟି ଏକ ପୁରୁଣା ଫଟୋ)

Categories
ଆଜିର ଖବର ରାଜ୍ୟ ଖବର

ତିନିଦିନ ଧରି ଚାଲିପାରୁ ନାହିଁ ବିଧାନସଭା, ଆଜି ମଧ୍ୟ ଅପରାହ୍ନ 4 ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ବର: ତିନିଦିନ ଧରି ବିଧାନସଭାର ଶୀତକାଳିନ ଅଧିବେସନ ଠିକରେ ଚାଲିପାରୁ ନାହିଁ। ବିରୋଧୀ ଦଳ ବାରମ୍ବାର ମମିତା ମେହେର ହତ୍ୟା ଘଟଣା ଏବଂ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀ କରି ଗୃହରେ ହଟ୍ଟଗୋଳ କରୁଛନ୍ତି। ଫଳରେ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବି ଘୋଷଣା କରୁଛନ୍ତି।

ଆଜି ସକାଳୁ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି 11ଟା 30 ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ। ଏହାପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସେହିପରି ହଟ୍ଟଗୋଳ ବଜାଇ ରହିଲା। ଫଳରେ ବାଚସ୍ପତି ଅପରାହ୍ନ 4 ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭାରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ, ପଞ୍ଚାୟତିରାଜ ବିଭାଗକୁ ଅଧି ଗୁରୁତ୍ଵ

ଭୁବନେଶ୍ବର: ଓଡିଶା ବିଧାନସଭାରେ ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। କିନ୍ତୁ ଏହି ହଟ୍ଟଗୋଳ ମଧ୍ୟରେ ରାଜ୍ୟ ସରକାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧୯ ହଜାର ୮୩୩ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି। ଏଥିରେ ପଞ୍ଚାୟତିରାଜ ବିଭାଗକୁ ଅଧିକ ଗୁରୁତ୍ଵ ଦିଆଯାଇଛି। ଏହି ବିଭାଗକୁ ସର୍ବାଧିକ ୩ ହଜାର ୬୨୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ତେବେ ସ୍ୱାସ୍ଥ୍ୟ ବିଭାଗକୁ ୨ ହଜାର ୩୧୦ କୋଟି ଟଙ୍କା ବଜେଟ ଉପସ୍ଥାପିତ ହୋଇଥିବା ବେଳେ ଶକ୍ତି ବିଭାଗ ପାଇଁ ୨ ହଜାର ୧୪୩ କୋଟି ଟଙ୍କା ବ୍ୟବରାଦ କରାଯାଇଛି। ଏହା ଭିତରେ ବିରୋଧୀଙ୍କ ହୋ-ହଲ୍ଲା ଯୋଗୁଁ ଗୃହ କାର୍ଯ୍ୟକୁ ମୁଲତବୀ କରାଯାଇଛି। ଆସନ୍ତାକାଲି ସକାଳ ୧୦ ଟା ୩୦ ଯାଏଁ ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଗୃହ ଭିତରେ ଶୋକ ପ୍ରସ୍ତାବ, ବାହାରେ ହୋ ହାଲ୍ଲା, ଆଜିର ବିଧାନସଭାର ଶୀତ ଅଧିବେସନ

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ। ତେବେ ଏହି ଅଧିବେସନ ଆରମ୍ଭରୁ କଂଗ୍ରେସ ବିଧାୟକ ଗେଟ ମୁହଁରେ ରହି ମନ୍ତ୍ରୀ ଦିବ୍ୟଶଙ୍କର ଇସ୍ତଫା ଦାବୀ କରିଥିଲେ। ଦିବ୍ୟଶଙ୍କରଙ୍କୁ ଗୃହ ଭିତରକୁ ନ ଛାଡିବା ପାଇଁ ସେମାନେ ସ୍ଲୋଗାନ ଦେବାରେ ଲାଗିଥିଲେ। ହାତରେ ପ୍ଲାକାର୍ଡ ଧରି ଗେଟ ମୁହଁରେ କଂଗ୍ରେସ ବିଧାୟକ ବସି ରହଥିଲେ। ପରେ ବିଧାନସଭା ଆରମ୍ଭ ହେବାପରେ ସେମାନେ ଗୃହ ଭିତରକୁ ଯାଇଥିଲେ।

ସେପଟେ ଦିନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଦିବଂଗତ ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରା, ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁ, ପୂର୍ବତନ ବିଧାୟକ ରାମରାୟ ମୁଣ୍ଡା, ସହିଦ ସୀତାରାମ ମୁର୍ମୁ ଓ ପ୍ରାଣବଳୀ ଦେଇଥିବା କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରି ସ୍ମୃତିଚାରଣ କରିଥିଲେ।

ଏହାପରେ ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଦିବଂଗତଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିବା ପରେ ଅମର ଆତ୍ମାର ସଦଗତି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ନୀରବ ପ୍ରାର୍ଥନା ପରେ ଦିବଂଗତଙ୍କ ସ୍ମୃତିରେ ବାଚସ୍ପତି ଅପରାହ୍ନ ୫ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମହିଳାଙ୍କ ଉପରେ ବୃଦ୍ଧି ପାଉଥିବା ନିର୍ଯ୍ୟାତନାକୁ ନେଇ ବିଧାନସଭାରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ ସରକାର: କଂଗ୍ରେସ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଛି। ମୁଖପାତ୍ର ପଦ୍ମାକର ଗୁରୁ ଓ ପ୍ରଦେଶ ମହିଳା କଂଗ୍ରେସ କମିଟି ସଭାନେତ୍ରୀ ବନ୍ଦିତା ପରିଡ଼ା ସାମ୍ବାଦିକଙ୍କୁ ସମ୍ବୋଧିତ କରିଥିଲେ।

ରାଜ୍ୟରେ ମହିଳା ଓ ଶିଶୁ ନିଖୋଜ ଉପରେ ବଢ଼ୁଥିବା ନିର୍ଯ୍ୟାତନା, ଅପହରଣ, ଅପରାଧି, ବଳାତ୍କାର, ଗଣବଳାତ୍କାର ଓ ହତ୍ୟାକୁ ନେଇ ରାଜ୍ୟସାରା ଆଲୋଡ଼ନ ସୃଷ୍ଟି ହେଉଥିବା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଦାବିଷ୍ଣୁ ସାଜି ଚୁପ୍ ରହିବା ମହିଳାଙ୍କ ଲାଗି ଚରମ ଅପମାନ ବୋଲି ମୁଖପାତ୍ର ପଦ୍ମାକର ଗରୁ କହିଛନ୍ତି। ସଂପ୍ରତି ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ପ୍ରସଙ୍ଗ କମ୍ରଶ ରାଜ୍ୟ ବାତାବରଣକୁ ଅତିଶୟ ପ୍ରଭାବିତ କରବାକୁ ନେଇ ଜନସାଧାଣଙ୍କର ଆକ୍ରୋଶକୁ ମୁଖ୍ୟମନ୍ତ୍ରୀ ବୁଝି ନପାରିବା ଅତ୍ୟନ୍ତ ପୀଡ଼ାଦାୟକ ଅଟେ। କିଛି ବର୍ଷ ଧରି ମୁଖ୍ୟମନ୍ତ୍ରୀ ହାତଗଣତି ୪ ଜଣଙ୍କର କଥାରେ ପଡ଼ି ରାଜ୍ୟର ତଥା ରାଜ୍ୟବାସୀଙ୍କର ଭାବନାକୁ ଯେପରି କୁଠାରଘାତ କରୁଛନ୍ତି। ତାହା ସର୍ବଦା ଗ୍ରହଣୀୟ ନୁହେଁ। ସତେଯେପରି ବିଜୁଜନତା ଦଳ ଏବେ ବବି ଜନତା ଦଳରେ ପରିଣତ ହୋଇଛି।

ମୁଖ୍ୟମନ୍ତ୍ରୀ ବବି, ପାଣ୍ଡିଆନ, ପ୍ରତାପ ଓ ଦିବ୍ୟଶଙ୍କରଙ୍କ ଠାରୁ ଦୂରେଇ ନ ରହିଲେ ରାଜ୍ୟବାସୀ ଅଣ୍ଡା, ଝଣ୍ଡା ଆଉ ଲଣ୍ଡାର ଫଣ୍ଡାରେ ତାଙ୍କୁ ଓ ମନ୍ତ୍ରୀମାନଙ୍କଚ ଓଡ଼ିଶାବାସୀ ସାରା ଓଡ଼ିଶାରେ ବିରୋଧ କରିବେ। ସତେଯେପରି ଏହି ୪ଜଣଙ୍କ ଲାଗି ନବୀନବାବୁ ନିଜର ଭାବ ମୂର୍ତୀକୁ ବଂଚେଇବା ଅପେକ୍ଷା ସେମାନଙ୍କୁ ସୁରକ୍ଷା ଦେବାକୁ ବେଶି ଶ୍ରେୟ ନେଉଛନ୍ତି । ଏହି ୪ଜଣଙ୍କ ମିଥ୍ୟା ଜାଲରେ ମୁଖ୍ୟମନ୍ତ୍ରୀ ଫସିଯିବା ରାଜ୍ୟବାସୀଙ୍କ ଲାଗି ଆଦୌ ଶୁଭଙ୍କର ନୁହେଁ।

ଦୈନିକ ଆଠଜଣ ମହିଳା ରାଜ୍ୟରେ ନିର୍ଯ୍ୟାତନାର ଶିକାର ହେବା ଓ ଆମ ରାଜ୍ୟ ଅପରାଧରେ ସାରା ଦେଶରେ ୨ୟ ସ୍ଥାନ ଅଧିକାର କରିବା, ସାଇବର ଅପରାଧରେ ଓଡ଼ିଶା ଦେଶରେ ପ୍ରଥମସ୍ଥାନ ଅଧିକାର କରିବା ପବିତ୍ର ଜଗନ୍ନାଥ ଧାମକୁ ଅପରାଧିଙ୍କ ଚରାଭୂଇଁ ସଜେଇ ଦେଇଛି। ନାରୀ ଜାତିର ସମ୍ମାନ, ସ୍ୱାଭିମାନ ସୁରକ୍ଷା ଓ ଭବିଷ୍ୟତ ଆଜି ବିପନ୍ନ ଅବସ୍ଥାରେ। ଅପରାଧିଙ୍କୁ ସଜା ଦେବାରେ ରାଜ୍ୟ ବହୁ ପଛରେ।

ସେଥିଲାଗି ବିଧାନସଭା ଭିତରେ ଓ ବାହାରେ କଂଗ୍ରେସ ଦଳ ପ୍ରତିବାଦ ଓ ବିପ୍ଳବ ଜାରି ରଖିବ ବୋଲି ପିସିସି ମୁଖପାତ୍ର ପଦ୍ମାକର ଗୁରୁ ମତବ୍ୟକ୍ତ କରିଥିଲେ। ଆଗାମୀ ବିଧାନସଭାରେ ସରକାର ଏକ ସ୍ୱେତପତ୍ର ଦାଖଲ କରନ୍ତୁ ବୋଲି ମୁଖପାତ୍ର ଶ୍ରୀଯୁକ୍ତ ଗୁରୁ ଦୃଢ଼ ଦାବୀ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡ଼ା ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର

୧୩ଟି ରାଜ୍ୟର ବିଧାନସଭା ଓ ଲୋକସଭା ଆସନ ପାଇଁ ଚାଲିଛି ଭୋଟ ଗଣତି

ନୂଆଦିଲ୍ଲୀ : ଦେଶର ୧୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଥିବା ଲୋକସଭା ଓ ବିଧାନସଭ ନିର୍ବାଚନର ଭୋଟ ଗଣତି ଆଜି ସକାଳ ୮ ଟାରୁ ଆରମ୍ଭ ହୋଇଛି। ଏଥିରେ ତିନିଟି ଲୋକସଭା ଆସନ ଏବଂ ୨୯ ଟି ବିଧାନସଭା ଆସନ ରହିଛି। ଗତ ଅକ୍ଟୋବର ୩୦ ତାରିଖରେ ଏହି ସମସ୍ତ ଆସନରେ ଉପନିର୍ବାଚନ ହୋଇଥିଲା ।

ଯେଉଁ ତିନୋଟି ଲୋକସଭା ଆସନରେ ଉପନିର୍ବାଚନ ହୋଇଥିଲା ସେଗୁଡିକ ହେଉଛି ଦାଦ୍ରି ନଗର ହାବେଳି, ହିମାଚଳ ପ୍ରଦେଶର ମଣ୍ଡି ଓ ମଧ୍ୟ ପ୍ରଦେଶର ଖାଣ୍ଡଓ୍ବା । ସେହିପରି ବିଧାନସଭାରେ ଆସାମର ୫ଟି, ପଶ୍ଚିମବଙ୍ଗରେ ୪ଟି, ମଧ୍ୟ ପ୍ରଦେଶ, ହିମାଚଳ ପ୍ରଦେଶ ଓ ମେଘାଳୟର ୩ ଲେଖାଏଁ ଆସନ ରହିଛି।

ସେହିପରି  ବିହାର, କର୍ଣ୍ଣାଟକ ଓ ରାଜସ୍ଥାନରେ ୨ ଲେଖାଏଁ ଆସନରେ ମଧ୍ୟ ଉପନିର୍ବାଚନ ହୋଇଥିଲା। ଏଥି ସହ ଆନ୍ଧ୍ର ପ୍ରଦେଶ, ହରିଆଣା, ମହାରାଷ୍ଟ୍ର, ମିଜୋରାମ, ନାଗାଲାଣ୍ଡ ଓ ତେଲେଙ୍ଗାନା ରାଜ୍ୟର ଗୋଟିଏ ଲେଖାଏଁ ଆସନରେ ଉପନିର୍ବାଚନ କରାଯାଇଥିଲା। ବର୍ତ୍ତମାନ ଶାନ୍ତି ଶୃଙ୍ଖଳାର ସହିତ ଭୋଟ ଗଣତି ଚାଲିଥିବା ଜଣାପଡିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଏଣିକି ବିଧାନସଭାର ଦୈନନ୍ଦିନ କାର୍ଯ୍ୟରେ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ପାଇଁ ନିଆଗଲା ନିଷ୍ପତ୍ତି

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଦୈନନ୍ଦିନ କାର୍ଯ୍ୟରେ ଉନ୍ନତ ବୈଷୟିକ ଜ୍ଞାନକୌଶଳର ବ୍ୟାପକ ଉପଯୋଗ ଉପରେ ଏକ ବୈଠକ ଆଜି ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତିଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ଉକ୍ତ ବୈଠକରେ ଏ ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥିଲା ।

ବିଧାନସଭାରେ ଆଲୋଚନା ହେଉଥିବା ସମସ୍ତ ପ୍ରସଙ୍ଗକୁ ଇଂରାଜୀ ଭାଷାରୁ ଓଡ଼ିଆ ଭାଷାକୁ ଏବଂ ଓଡ଼ିଆ ଭାଷାରୁ ଇଂରାଜୀ ଭାଷାକୁ ଅନୁଦିତ କରାଯିବାର ବ୍ୟବସ୍ଥା ଗ୍ରହଣ କରାଯିବ । ଓସ୍ୱାସର ସହଯୋଗରେ ବିଧାନସଭାରେ ନେଭା କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ କରାଯିବ ଏବଂ ବିଧାନସଭାର ସମସ୍ତ ବିବରଣୀ ଜନସାଧାରଣଙ୍କୁ ଉପଲବ୍ଧ ହେବ ।

ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ବିଭିନ୍ନ ପ୍ରସଙ୍ଗ ଉପରେ ସାମ୍ୱାଦିକଙ୍କ ସହ ସାକ୍ଷାତ ଏବଂ ମତାମତ ରଖିବା ନିମନ୍ତେ ବିଧାନସଭା ପରିସରରେ ଏକ ମିଡିଆ ପ୍ରକୋଷ୍ଠ ତୁରନ୍ତ ପ୍ରତିଷ୍ଠା ପାଇଁ ମଧ୍ୟ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ । ଆଗାମୀ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଏହାର ସମସ୍ତ ନିର୍ମାଣ କାର୍ଯ୍ୟ ସାରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ପୂର୍ତ୍ତ ବିଭାଗ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଦୁର୍ଗା ପ୍ରସାଦ ମିଶ୍ର, ସଂସଦୀୟ ବ୍ୟାପର ବିଭାଗ ଯୁଗ୍ମ ସଚିବ ମନୋଜ କୁମାର ପଟ୍ଟନାୟକ, ବରିଷ୍ଠ ବୈଷୟିକ ଅଧିକାରୀ ସରିତା ସାହୁ, ବୈଜ୍ଞାନିକ ଦିଲ୍ଲୀପ କୁମାର ମାନ୍ଧାତା, ବିଧାନସଭା ଯୁଗ୍ମ ସଚିବ ଦେବାନନ୍ଦ ଦୋରା ପ୍ରମୁଖ ଯୋଗ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଘର କିଣାବିକା ପାଇଁ ଆସିଲା ନୂଆ ନିୟମ, ଭାରତୀୟ ଷ୍ଟାମ୍ପ ଆକ୍ଟ ସଂଶୋଧନ ବିଲ୍‌ ୨୦୨୧ ପାରିତ

ଭୁବନେଶ୍ୱର:  ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଭାରତୀୟ ଷ୍ଟାମ୍ପ ଆଇନ ୧୮୯୯ର ସଂଶୋଧନ ଆଜି ବିଧାନସଭାରେ ପାରିତ ହୋଇଛି । ଏହା ଫଳରେ ରାଜ୍ୟରେ ରିୟଲ ଇଷ୍ଟେଟ୍‌ ବୃଦ୍ଧିରେ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ ଏବଂ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସୁଲଭ ଦରରେ ଘର ମିଳିପାରିବ । ଏହି ସଂଶୋଧିତ ବ୍ୟବସ୍ଥା ଅନୁସାରେ ସ୍ଥାବର ସଂପତ୍ତିର ବିକ୍ରି ଚୁକ୍ତିନାମା, ଡେଭଲପ୍‌ମେଣ୍ଟ ଚୁକ୍ତି, ନିର୍ମାଣ ଚୁକ୍ତି ଏବଂ ପାୱାର ଅଫ୍‌ ଆଟର୍ଣ୍ଣି ପ୍ରଦାନ ନିମନ୍ତେ ୨ ପ୍ରତିଶତ ଷ୍ଟାମ୍ପ ଆଦାୟ କରାଯିବ।

ଯେତେବେଳେ ନିର୍ଦ୍ଦିଷ୍ଟ ସଂପତ୍ତି ଉପରେ ଯଦି ଜଣେ ବ୍ୟକ୍ତି ଡେଭଲପ୍‌ମେଣ୍ଟ ଚୁକ୍ତି ଏବଂ ପାୱାର ଅଫ୍‌ ଆଟର୍ଣ୍ଣି ସଂପାଦନ କରନ୍ତି ଏବଂ  ଡେଭଲପମେଣ୍ଟ ଚୁକ୍ତି ନିମନ୍ତେ ୨ ପ୍ରତିଶତ ଷ୍ଟାମ୍ପଡ୍ୟୁୟଟି ନିଆଯାଇଥାଏ ତେବେ ପାୱାର ଅଫ୍‌ ଆଟର୍ଣ୍ଣି ଉପରେ କେବଳ ମାତ୍ର ଏକ ହଜାର ଟଙ୍କା ଆଦାୟ କରାଯିବ। ଏହା ଫଳରେ ରାଜ୍ୟରେ ରିୟଲ ଇଷ୍ଟେଟ୍‌ ପ୍ରକଳ୍ପ ବାବଦରେ ହେଉଥିବା ଖର୍ଚ୍ଚ କମି ଯାଇପାରିବ ଏବଂ ଇଚ୍ଛୁକ କ୍ରେତାମାନେ ସୁଲଭ ଦରରେ କିଣି ପାରିବେ ଏବଂ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇପାରିବ।

ସୁତରାଂ, ରାଜ୍ୟରେ ନିର୍ମାଣ ଶିଳ୍ପର ବିକାଶ, ନିଯୁକ୍ତି ସୁଯୋଗ ବୃଦ୍ଧି ଏବଂ ବିଭିନ୍ନ ଗୃହ କିମ୍ବା ଆପାର୍ଟମେଣ୍ଟଗୁଡ଼ିକର ବିକ୍ରିର ବୃଦ୍ଧି ଘଟିବା ସହିତ ଜିଏସ୍‌ଟି, ଷ୍ଟାମ୍ପଡୁ୍ୟଟି ଓ ରେଜିଷ୍ଟ୍ରେସନ୍‌ ଫି ପରି ପ୍ରତ୍ୟକ୍ଷ କରଗୁଡ଼ିକ ଆଦାୟ ଫଳରେ ଅଧିକ ରାଜସ୍ୱ ସଂଗ୍ରହ କରାଯାଇପାରିବ। ପରିବାର ମଧ୍ୟରେ ପିତା, ମାତା, ପତିପନ୍ତ୍ରୀ, ପୁତ୍ର, କନ୍ୟା, ଭାଇ ଓ ଭଉଣୀମାନଙ୍କୁ ସ୍ଥାବର ସଂପତ୍ତିର ବିକ୍ରୟ କିମ୍ବା ହସ୍ତାନ୍ତରଣ ପାଇଁ ପାୱାର ଅଫ୍‌ ଆଟର୍ଣ୍ଣି ପ୍ରଦାନ କଲାବେଳେ ମାତ୍ର ଏକ ହଜାର ଟଙ୍କା ଅସୁଲ କରାଯାଉଥିବାବେଳେ ଏବେ ବୋହୂ, ନାତି, ନାତୁଣି, ଜେଜେବାପା ଓ ଜେଜେମାଙ୍କୁ ମଧ୍ୟ ଏହି କାରବାର ପାଇଁ ପରିବାର ସଦସ୍ୟ ଭାବରେ ବିବେଚନା କରାଯିବ।

ପଂଜୀକୃତ ହୋଇଥିବା କାଗଜାତ୍‌ର ପ୍ରମାଣୀକୃତ ନକଲ ନିମନ୍ତେ ପୂର୍ବରୁ ୧୦ ଟଙ୍କା ଆଦାୟ ହେଉଥିବାବେଳେ ତାହାକୁ ବୃଦ୍ଧି କରାଯାଇ ୧୦୦ ଟଙ୍କା କରାଯାଇଛି । ବହୁ ପ୍ରତୀକ୍ଷିତ ଏହି ବିଧେୟକ ଆଜି ବିଧାନସଭାରେ ପାରିତ ହେବା ପରେ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ତଥା ରାଜସ୍ୱ ବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ ।

ପ୍ରଚଳିତ ଭାରତୀୟ ଷ୍ଟାମ୍ପ ଆକଫ ଅନୁଯାୟୀ କୌଣସି ସ୍ଥାବର ସଂପତ୍ତିର ଦଖଲ ନେବା ପାଇଁ ଚୁକ୍ତିନାମା ସଂପାଦନ କରିବା, ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟ ବ୍ୟକ୍ତିଙ୍କୁ ଅଧିକାର ପ୍ରଦାନ କରିବାକୁ ପାୱାର ଅଫ୍‌ ଆଟର୍ଣ୍ଣି ଦେବା ଇତ୍ୟାଦି କାରବାର ନିମନ୍ତେ ରାଜ୍ୟରେ ସଂପତ୍ତିର ବଜାରଦରକୁ ଭିତ୍ତିକରି ୫ ପ୍ରତିଶତ ଷ୍ଟାମ୍ପ ଡୁ୍ୟଟି ଦେବାକୁ ହେଉଛି ।

ଅନୁରୂପ ଭାବରେ ରିୟଲ ଇଷ୍ଟେଟ୍‌ର ପ୍ରମୋଟର ବା ଡେଭଲପରମାନଙ୍କୁ ଦୁଇ ପ୍ରକାରର କାଗଜାତ ପ୍ରସ୍ତୁତ କରିବାକୁ ପଡ଼ୁଛି ।ଜମି ମାଲିକଙ୍କ ଜମି ଉପରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ପରେ ଜନସାଧାରଣଙ୍କୁ ବିକ୍ରୟ ନିମନ୍ତେ ପ୍ରମୋଟର ବା ଡେଭଲପରଙ୍କୁ ସଂପୂର୍ଣ୍ଣ ଅଧିକାର ଦେଇ ଗୋଟିଏ ପାୱାର ଅଫ୍‌ ଆଟର୍ଣ୍ଣି ଏବଂ ମାଲିକାନା ଥିବା ଜମି ମାଲିକଙ୍କ ଜମିରେ ଆବାସ ବା ବ୍ୟବସାୟିକ ଗୃହ ନିର୍ମାଣ ତଥା ଜମିର ଆବଶ୍ୟକୀୟ ଉନ୍ନତି ପାଇଁ ଜମି ମାଲିକଙ୍କ ସହ ଗୋଟିଏ ଚୁକ୍ତିନାମା କରିବାକୁ ପଡ଼ୁଛି । ସେଲ୍‌ ଡିଡ୍‌ ସହ ସମତାଳରେ ଏଥିପାଇଁ ୫ ପ୍ରତିଶତ ଷ୍ଟାମ୍ପ ଡୁ୍ୟଟି ନିଆଯାଉଛି।

ଫଳରେ ଉନ୍ନତ ଜମି ଓ ଗୃହ ପାଇଁ ଜନସାଧାରଣଙ୍କ ଉପରେ ଏପରି ଷ୍ଟାମ୍ପଡୁ୍ୟଟି ଆର୍ଥିକ ବୋଝ ହେଉଛି । ବିକ୍ରୟ ଚୁକ୍ତିନାମା ଓ ପାୱାର ଅଫ୍‌ ଆଟର୍ଣ୍ଣି ସଂପାଦନ ନିମନ୍ତେ ପଡ଼ୁଥିବା ଷ୍ଟାମ୍ପଡୁ୍ୟଟି ଫଳରେ ରାଜ୍ୟରେ ସ୍ଥାବର ସଂପତ୍ତିର କାରବାର ବୃଦ୍ଧିରେ ପ୍ରତିକୂଳ ପ୍ରଭାବ ପଡ଼ୁଛି ।

ଉଚ୍ଚମୂଲ୍ୟର ଷ୍ଟାମ୍ପଡୁ୍ୟଟି ଯୋଗୁଁ ଅନେକ ସମୟରେ ଜନସାଧାରଣ ପଂଜୀକରଣକୁ ଆଡ଼େଇ ଯାଉଥିବାର ଲକ୍ଷ୍ୟ କରାଯାଉଛି । ଗତ ୭ ବର୍ଷ ମଧ୍ୟରେ ବିଭିନ୍ନ ସଂପତ୍ତି ଦଖଲ ଉପରେ ୦.୦୨% ବିକ୍ରି ଚୁକ୍ତିନାମା ଓ ୦.୧୪ ପ୍ରତିଶତ ପାୱାର ଅଫ୍‌ ଆଟର୍ଣ୍ଣି ପଂଜୀକୃତ ହୋଇଥିବାର ଲକ୍ଷ୍ୟ କରାଯାଇଛି । ବର୍ତ୍ତମାନ ନୂଆ ଆଇନ ଅନୁସାରେ ଏଥିରେ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି।

Categories
ବିଶେଷ ଖବର ରାଜ୍ୟ ଖବର

ଗୃହ ଭିତରେ ବିରୋଧୀଙ୍କ ହଟ୍ଟଗୋଳ, ବାଚସ୍ପତିଙ୍କ ଚ୍ୟାମ୍ବର ଘେରାଉ, ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମୁଲତବି

ଭୁବନେଶ୍ବର: ଆଜି ବିଧାନସଭାରେ ବିରୋଧୀ କଂଗ୍ରେସ ଏବଂ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଚାଲିପାରି ନାହିଁ। ଏପରିକି ଆଜି ପ୍ରଶ୍ନକାଳ ମଧ୍ୟ ଚାଲିପାରି ନାହିଁ। ଖଣି ଦୁର୍ନିତି ପ୍ରସଂଗକୁ ଆଲୋଚନା ପାଇଁ କଂଗ୍ରେସ ପ୍ରସ୍ତାବ ଆଣିଥିଲା। ହେଲେ ବାଚସ୍ପତି ଅନୁମତି ଦେଇ ନ ଥିଲେ। ଫଳରେ କଂଗ୍ରେସ ବିଧାୟକମାନେ ଗୃହ ଭିତରେ ହଟ୍ଟଗୋଳ କରିଥିଲେ।

ସେହିପରି ବିଜେପି ମଧ୍ୟ ବିଭିନ୍ନ ପ୍ରସଂଗ ନେଇ ସରକାରଙ୍କ ବିରୋଧରେ ନାରାବାଜି କରି ଗୃହ ମଧ୍ୟରେ ହଟ୍ଟଗୋଳ କରିଛି। ଉଭୟ ବିଜେପି ଏବଂ କଂଗ୍ରେସ ହଟ୍ଟଗୋଳ କରିବାରୁ ପ୍ରଶ୍ନକାଳ ଚାଲିପାରି ନ ଥିଲା। ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ନିକଟରେ ଆସି ହୋହାଲ୍ଲା କରିବାରୁ ବାଚସ୍ପତି ପ୍ରଥମେ ୧୧ ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଥିଲେ।

ଏହାପରେ ବିରୋଧୀ ସଭ୍ୟମାନେ ବାଚସ୍ପତିଙ୍କ ଚ୍ୟାମ୍ବରକୁ ଯାଇ ଘେରାଉ କରିଥିଲେ ବୋଲି ବିଜେପି ସଦସ୍ୟ କହିଛନ୍ତି। ଏପରି ବିଶୃଙ୍ଖଳା ଭିତରେ ପୁଣିଥରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ପୂର୍ବପରି ସଭ୍ୟମାନେ ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟକୁ ମୁଲତବି ଘୋଷଣା କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଗଣେଷ ପୂଜା ଗାଇଡ ଲାଇନକୁ ନେଇ ଗୃହରେ ହୋହାଲ୍ଲା, ବାଚସ୍ପତିଙ୍କ ରୁଲିଂ ଦାବି କଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର: ଆଜି ବିଧାନସଭାର ପ୍ରଶ୍ନକାଳ ପରେ ମୂର୍ତ୍ତି ଉଚ୍ଚତା ବୃଦ୍ଧି ଓ ତିନି ପାର୍ଶ୍ୱରୁ ପରଦା ହଟାଇବା ପ୍ରସଂଗକୁ କଂଗ୍ରେସ ଉତଥାପନ କରିଛି। ପୂଜା କଟକଣାକୁ ନେଇ କଂଗ୍ରେସ ବିଧାୟକଙ୍କ ଗୃହରେ ହୋହାଲ୍ଲା କରିଛନ୍ତି । ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟ ପ୍ରତିବାଦ କରିବାରୁ ବାଚସ୍ପତି ୧୦ମିନିଟ ପାଇଁ ଗୃହକୁ ମୂଲତବୀ ରଖିଥିଲେ।

ରାଜ୍ୟ ସରକାର କରୋନା ପାଇଁ ଗଣେଷ ପୂଜା ନିମନ୍ତେ ସ୍ବତନ୍ତ୍ର ଗାଇଡ ଲାଇନ ଜାରୀ କରିଛନ୍ତି। ଯାହାକୁ ନେଇ ଗୃହ ଭିତରେ ଏବଂ ବାହାରେ ମଧ୍ୟ ପ୍ରତିବାଦ କରାଯାଉଛି । କରୋନା କଟକଣାକୁ କୋହଳ କରାଯାଇଥିବା ବେଳେ କାହିଁକି ପୂଜା ବେଳେ ଏମିତି କଟକଣା ରଖାଯାଇଛି ବୋଲି କଂଗ୍ରେସ ବିଧାୟକମାନେ ପ୍ରଶ୍ନ କରିଥିଲେ।

କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଥିଲେ ଯେ, ସରକାରଙ୍କ ଗାଇଡ଼ଲାଇନ ରେ ଧର୍ମୀୟ ଭାବନାକୁ କୁଠାରଘାତ କରାଯାଇଛି। ପରଦା ହଟାଇବା ସହିତ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ପାଇଁ ସେ ଦାବି କରିଛନ୍ତି। କେବଳ କଟକ ନୁହେଁ ସାରା ଓଡିଶାରୁ ଏହି କଟକଣା ହଟାଇବାକୁ ବାଚସ୍ପତିଙ୍କ ରୁଲିଂ ଦାବି କଲେ ମୋକିମ । ଏହାକୁ ଜଟଣୀ ବିଧାୟକ ସୁର ରାଉତରାୟ ମଧ୍ୟ ସମର୍ଥନ କରିଥିଲେ। ( ଫାଇଲ ଫଟୋ)