Categories
ଆଜିର ଖବର

ନାରୀ ଶକ୍ତିର ବିଜୟ: ବିକଶିତ ଭାରତ ସଂକଳ୍ପ ଯାତ୍ରାର ପରିବର୍ତ୍ତନକାରୀ କାହାଣୀ

ନୂଆଦିଲ୍ଲୀ: ମହିଳା ସଶକ୍ତିକରଣ ଉଦ୍ଦେଶ୍ୟରେ ଭାରତ ସରକାର ବିଭିନ୍ନ ପଦକ୍ଷେପକୁ କାର୍ଯ୍ୟକାରୀ କରିବାରେ ସକ୍ରିୟ ଭାବରେ ନିୟୋଜିତ ଅଛନ୍ତି । ମିଶନ ପୋଷଣ, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (ପିଏମ୍‌ଏମ୍‌ଭିୱାଇ) ଏବଂ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ପରି ପ୍ରମୁଖ ଯୋଜନା ଗୁଡିକ ସମଗ୍ର ଦେଶରେ ମହିଳା ମାନଙ୍କର ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ସମର୍ପଣ ମନୋଭାବକୁ ସୂଚିତ କରିଥାଏ ।

ଝାଡ଼ଖଣ୍ଡର ଖୁଣ୍ଟିରୁ ୨୦୨୩ ନଭେମ୍ବର ୧୫ ରେ ଜନଜାତୀୟ ଗୌରବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ସରକାରୀ ଯୋଜନା ଗୁଡ଼ିକର ଲାଭ ସମସ୍ତ ନାଗରିକ , ବିଶେଷ କରି ମହିଳା ମାନଙ୍କ ପାଖରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।

ସ୍ଥାନୀୟ ଭାଷାରେ ସୂଚନାରେ ସଜ୍ଜିତ ଏହି ଯାତ୍ରା ପାଇଁ ସ୍ୱତନ୍ତ୍ର ଭାବେ ସଜ୍ଜିତ ଆଇଇସି ଭ୍ୟାନ୍ ମହିଳା ମାନଙ୍କ ମଧ୍ୟରେ ସମ୍ମାନ, ଆତ୍ମବିଶ୍ୱାସ ବୃଦ୍ଧି କରୁଛି ଏବଂ ସାମଗ୍ରିକ କଲ୍ୟାଣ ବୃଦ୍ଧି କରିବାରେ ସହାୟକ ହେଉଛି, ଯାହା ସାମାଜିକ ପ୍ରଗତି ପାଇଁ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।

ଏହି ଯାତ୍ରା ସମୟରେ ବିଭିନ୍ନ ଯୋଜନାରେ ଯୋଗ୍ୟ ହିତାଧିକାରୀ ମାନଙ୍କର ନାମ ପଞ୍ଜୀକରଣ ପାଇଁ ଅଭିନବ ‘ଅନ ସ୍ପଟ୍ ରେଜିଷ୍ଟ୍ରେସନ୍‌’ (ସେହି ସ୍ଥାନରେ ପଞ୍ଜୀକରଣ) ଅଭିଯାନ ଚାଲିଛି । ଏହି ସକ୍ରିୟ ଆଭିମୁଖ୍ୟର ଉଦ୍ଦେଶ୍ୟ ହେଉଛି ଲୋକ ମାନଙ୍କୁ ଉପଲବ୍ଧ କରାଯାଉଥିବା ଯୋଜନା ଗୁଡିକର ପରିସର ଏବଂ ସେମାନଙ୍କ ସହ ଜଡ଼ିତ ଲାଭ ବିଷୟରେ ସଚେତନ କରିବା, ଯୋଗ୍ୟ ବ୍ୟକ୍ତି ମାନଙ୍କୁ ସମ୍ପୃକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଏବଂ ସେଥିରୁ ସେମାନେ ଲାଭ ଉଠାଇବା ପାଇଁ ଉତ୍ସାହିତ କରିବା ।

ଏହି ଯାତ୍ରା ସମୟରେ ସରକାର “ସ୍ୱାସ୍ଥ୍ୟ ବାଳକ ସ୍ପର୍ଦ୍ଧା (ଏସ୍‌ବିଏସ୍‌)” ମଧ୍ୟ ଆୟୋଜନ କରୁଛନ୍ତି । ପୋଷଣ ପ୍ରତି ସକାରାତ୍ମକ ଆଭିମୁଖ୍ୟ ଉପରେ ଗୁରୁତ୍ୱ ଦେଇ ଗୋଷ୍ଠୀ ନିୟୋଜନକୁ ଉନ୍ନତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ସୁସ୍ଥ ପିଲାମାନଙ୍କୁ ସ୍ୱୀକୃତି ପ୍ରଦାନ କରେ ଏବଂ ସମ୍ମାନିତ କରେ ।

ଭିବିଏସ୍‌ୱାଇର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି “ମେରି କହାନୀ ମେରି ଜୁବାନୀ (ଏମ୍‌କେଏମ୍‌ଜେଡ୍‌)” / ମୋ ମୁହଁରେ ମୋ କାହାଣୀ’ ପଦକ୍ଷେପ, ଯେଉଁଠାରେ ହିତାଧିକାରୀମାନେ ସେମାନଙ୍କର ବ୍ୟକ୍ତିଗତ ଅନୁଭୂତି ବାଣ୍ଟିଥାନ୍ତି ଏବଂ ସେମାନଙ୍କ ଜୀବନ ଉପରେ ସରକାରୀ ଯୋଜନା ଗୁଡିକର ପରିବର୍ତ୍ତନକାରୀ ପ୍ରଭାବ ଉପରେ ଉଲ୍ଲେଖ କରିଥାନ୍ତି । ଆସନ୍ତୁ ନଜର ପକାଇବା ଏଭଳି କିଛି କାହାଣୀ ଉପରେ :

ଅରୁଣାଚଳ ପ୍ରଦେଶର ଜୋବରଙ୍ଗ ଓ ରିଙ୍ଗୟାଙ୍ଗ ଗ୍ରାମ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମୟରେ ପୋଷଣ ଅଭିଯାନର ହିତାଧିକାରୀ କର୍ମା ଦେଚିନ୍ ‘ମେରି କହାନୀ ମେରି ଜୁବାନୀ’ ଜରିଆରେ ନିଜର କାହାଣୀ ବାଣ୍ଟିଥିଲେ । ସେ କହିଛନ୍ତି ଯେ ଅଙ୍ଗନୱାଡି କର୍ମୀମାନେ ପ୍ରତି ମାସରେ ଗସ୍ତ କରି ପିଲାମାନଙ୍କୁ ସ୍ତନ୍ୟପାନ କରିବାର ଗୁରୁତ୍ୱ ବିଷୟରେ ଅବଗତ କରାଇବା, ସେମାନଙ୍କର ବୃଦ୍ଧି ମାପିବା ଏବଂ ସେମାନଙ୍କୁ ରାସନ ମଧ୍ୟ ପ୍ରଦାନ କରନ୍ତି ।

ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (ପିଏମ୍‌ଏମ୍‌ଭିୱାଇ)ର ହିତାଧିକାରୀ ପଞ୍ଜାବର ପଠାନକୋଟର କୋଟ ଭଟ୍ଟିଆନ ଗ୍ରାମର ଶ୍ରୀମତୀ ଇନ୍ଦୁ ଏହି ଯୋଜନା ଅଧୀନରେ ଆର୍ଥିକ ସହାୟତା ପାଇବାର ଅଭିଜ୍ଞତା ସମ୍ପର୍କରେ ନିଜର କାହାଣୀ ବାଣ୍ଟିଥିଲେ । ସେ କହିଛନ୍ତି ଯେ ଏହା ତାଙ୍କର ପ୍ରଥମ ଗର୍ଭଧାରଣ ଏବଂ ତାଙ୍କୁ ଆର୍ଥିକ ସହାୟତା ମିଳିଛି ଯାହା ପାଇଁ ସେ ଭାରତ ସରକାରଙ୍କୁ କୃତଜ୍ଞତା ଜଣାଉଛନ୍ତି ।

ଏହା ବ୍ୟତୀତ , ମହାରାଷ୍ଟ୍ରର ଧରାଶିବ ଜିଲ୍ଲାର ଆମ୍ବେଜାଭାଲଗେ ଗ୍ରାମର ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (ପିଏମ୍‌ଏମ୍‌ଭିୱାଇ) ର ଅନ୍ୟ ଜଣେ ହିତାଧିକାରୀ ରେଶମା ସାବଲେ ବର୍ଣ୍ଣନା କରିଛନ୍ତି ଯେ ଏହି ଯୋଜନା ଅଧୀନରେ ଦିଆଯାଉଥିବା ସହାୟତା ତାଙ୍କୁ ପୁଷ୍ଟିକର ଖାଦ୍ୟ ପାଇବାରେ କିପରି ସାହାଯ୍ୟ କରିଛି ।

କର୍ଣ୍ଣାଟକର ହାଭେରି ଜିଲ୍ଲାର ଡମ୍ବରମାଟ୍ଟୁର ଗ୍ରାମର ଶ୍ରୀମତୀ ନିବେଦିତା କେବି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ସେ ଉପକୃତ ହୋଇଛନ୍ତି ଏବଂ ଅଙ୍ଗନୱାଡିରେ ଦିଆଯାଉଥିବା ପୁଷ୍ଟିକର ଖାଦ୍ୟ ଯୋଗୁଁ ତାଙ୍କ ପିଲାମାନେ ସୁସ୍ଥ ହୋଇ ବଢ଼ୁଛନ୍ତି ।

କର୍ଣ୍ଣାଟକର ନୟାମତି ତାଲୁକର ଚଟନହଲ୍ଲୀ ଗ୍ରାମର ଶ୍ରୀମତୀ ସଙ୍ଗୀତା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଅଧୀନରେ ତାଙ୍କର ପ୍ରଥମ ପ୍ରସବ ପାଇଁ ତାଙ୍କୁ ୫,୦୦୦ ଟଙ୍କା ମିଳିଥିଲା । ସେ କହିଥିଲେ ଯେ ଆଶା କର୍ମୀମାନେ ପ୍ରତି ମାସରେ ପୁଷ୍ଟିକର ଖାଦ୍ୟ ପ୍ରଦାନ କରନ୍ତି ଏବଂ  ସଂସ୍ଥାଗତ ପ୍ରସବରେ ସାହାଯ୍ୟ କରନ୍ତି ।

ବିକଶିତ ଭାରତ ସଂକଳ୍ପ ଯାତ୍ରା ଯେତିକି ଆଗକୁ ବଢ଼ୁଛି, ଏହି ମହିଳାଭିତ୍ତିକ କଲ୍ୟାଣକାରୀ ଯୋଜନା ନାରୀ ଶକ୍ତିର ସଶକ୍ତିକରଣ ପାଇଁ ସରକାରଙ୍କ ସମର୍ପଣର ଏକ ଉଜ୍ଜ୍ୱଳ ପ୍ରମାଣ ପାଲଟିଛି।

Categories
ଆଜିର ଖବର ଜାତୀୟ ଖବର

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଉଛି- ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଉଛି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ୍‌. ସିନ୍ଧିଆ କହିଛନ୍ତି । ଯାତ୍ରୀଙ୍କ ସୁରକ୍ଷା ପାଇଁ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (ବିସିଏଏସ୍) ସମସ୍ତ ବିମାନବନ୍ଦରରେ ସତର୍କତା ଅବଲମ୍ବନ କରୁଥିବା ବେଳେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଡିଜିସିଏ ବେସାମରିକ ବିମାନ ଚଳାଚଳ ଆବଶ୍ୟକତା (ସିଏଆର) ଜାରି କରିଥିବା ସେ ସୂଚନା ଦେଇଛନ୍ତି ।

କୌଣସି ଯାତ୍ରୀଙ୍କ ସହ ଜଡ଼ିତ ଘଟଣାରେ ନିୟମରୁ ବିଚ୍ୟୁତି ସମ୍ପର୍କରେ ମନ୍ତ୍ରଣାଳୟକୁ କୌଣସି ସୂଚନା ମିଳିବା ମାତ୍ରେ ସମ୍ପୃକ୍ତ ଏୟାରଲାଇନ୍ସ କିମ୍ବା ବିମାନବନ୍ଦରକୁ ଏହାର ଜବାବ ତଲବ କରାଯାଇଥାଏ । ଯଦି ବିମାନ ବନ୍ଦର କିମ୍ବା ଏୟାରଲାଇନ୍ସ ଦ୍ୱାରା କୌଣସି ଭୁଲ ରହିଥିବା ପ୍ରମାଣିତ ହୁଏ, ତେବେ ମନ୍ତ୍ରଣାଳୟ ସେମାନଙ୍କ ବିରୋଧରେ ଜରିମାନା ଲାଗୁ କରାଯାଏ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି ।

ଗତକାଲି ରାଜ୍ୟସଭାରେ ପଚରାଯାଇଥିବା ଏକ ତାରକା ପ୍ରଶ୍ନର ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସିନ୍ଧିଆ ଏହା କହିଛନ୍ତି । ସେ ଆହୁରି ସୂଚନା ଦେଇଛନ୍ତି ଯେ, ସ୍ୱାଧୀନତା ପରେ ୬୫ ବର୍ଷ ପର୍ଯ୍ୟନ୍ତ ଦେଶରେ ମାତ୍ର ୭୪ଟି ବିମାନ ବନ୍ଦର କାର୍ଯ୍ୟକ୍ଷମ ରହିଥିଲା, କିନ୍ତୁ ଏବେ ୧୪୯ଟି ବିମାନବନ୍ଦର/ହେଲିପୋର୍ଟ/ୱାଟର ଏରୋଡ୍ରମ୍ କାର୍ଯ୍ୟକ୍ଷମ ରହିଛି ।  ଉଡ଼ାନ ଯୋଜନା ପାଇଁ ପ୍ରଦାନ କରାଯାଇଥିବା ଭୟାବିଲିଟି ଗ୍ୟାପ୍ ପାଣ୍ଠି ୧.୩ କୋଟି ଲୋକଙ୍କୁ ବିମାନରେ ଯାତ୍ରା କରିବାରେ ସାହାଯ୍ୟ କରିଛି। ୨୦୩୦ ସୁଦ୍ଧା ଭାରତରେ ୪୨ କୋଟି ଲୋକ ବିମାନରେ ଯାତ୍ରା କରିବେ ବୋଲି ଆଶା କରାଯାଉଛି ଏବଂ ଏଥିପାଇଁ ସମସ୍ତ ସୁବିଧା ଯୋଗାଇ ଦେବାକୁ କେନ୍ଦ୍ର ସରକାର ପ୍ରୟାସ କରୁଥିବା ସେ କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନୂଆଦିଲୀରେ ‘ଗ୍ଲୋବାଲ ବାୟୋ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଓଡ଼ିଶା

ନୂଆଦିଲ୍ଲୀ: ନୂଆଦିଲ୍ଲୀର ପ୍ରଗତି ମଇଦାନର ଭାରତ ମଣ୍ଡପମରେ ଚାଲିଛି ତିନିଦିନିଆ ‘ଗ୍ଲୋବାଲ ବାୟୋ-ଇଣ୍ଡିଆ ୨୦୨୩’ ଭାରତ ସରକାରଙ୍କ ବିଜ୍ଞାନ ଓ କାରିଗରି କୌଶଳ ମନ୍ତ୍ରାଳୟ ଅଧୀନରେ ଥିବା ବାୟୋଟେକ୍ନୋଲୋଜି ବିଭାଗ ଏବଂ ବାୟୋଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାନ୍ସ କାଉନସିଲ (ବିଆଇଆରଏସି) ପକ୍ଷରୁ ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ କରାଯାଉଛି। ଏହା ୬ ତାରିଖ ଯାଏଁ ଚାଲିବ।

ଏହି କାର୍ଯ୍ୟକ୍ରମରେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଭାରତର ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତକୁ ନେଇ ବୈଷୟିକ ସମ୍ମିଳନୀ ଓ ପ୍ରଦର୍ଶନୀ ଆୟୋଜନ କରାଯାଉଛି। ଏଥିରେ ସାମିଲ ହୋଇ ଓଡ଼ିଶା, ରାଜ୍ୟର ଅନନ୍ୟ ଜୈବ ସମ୍ବଳ ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଥିବା ବିପୁଳ ସମ୍ଭାବନାକୁ ପ୍ରଦର୍ଶନ କରୁଛି। ଆଗାମୀ ଦିନରେ ବାୟୋଟେକ୍ନୋଲୋଜି କ୍ଷେତ୍ର ବିଶ୍ୱ ଅର୍ଥନୀତିକୁ ବିଶେଷ ଭାବେ ପ୍ରଭାବିତ କରିବାକୁ ଯାଉଛି। ଏହି ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓଡ଼ିଶାର ‘ବାୟୋ-ଅର୍ଥନୀତି’କୁ ସମୃଦ୍ଧ କରିବ।

ଗ୍ଲୋବାଲ ବାୟୋ-ଇଣ୍ଡିଆ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ସାମିଲ ହୋଇଛି। ଏଠାରେ ଚାଲିଥିବା ପ୍ରଦର୍ଶନୀରେ ରାଜ୍ୟର ୧୦ଟି ପ୍ରମୁଖ ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପ୍ ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲଏସ) ଏବଂ କିଟ୍ ଟିବିଆଇ ଭଳି ଇନକ୍ୟୁବେଟରରେ ରହିଥିବା ଉଦ୍ୟୋଗ। ଏହି ଷ୍ଟାର୍ଟଅପଗୁଡ଼ିକୁ ନେଇ ଖୋଲାଯାଇଥିବା ସ୍ୱତନ୍ତ୍ର ଓଡ଼ିଶା ପାଭିଲିୟନକୁ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଥିଲେ।

ଏହି ଅବସରରେ ଆୟୋଜିତ ପ୍ଲେନାରି ଅଧିବେଶନରେ ଯୋଗଦେଇ ମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡା କହିଥିଲେ ଯେ, ‘‘ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପ ଯୋଗୁଁ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶା ଆଜି ବିଶେଷ ସଫଳତା ହାସଲ କରିପାରିଛି। ରାଜ୍ୟରେ ଥିବା ବ୍ୟାପକ ଜୈବ ସମ୍ପଦ, ଜଳ ଏବଂ ସାମୁଦ୍ରିକ ସମ୍ପଦ ବାୟୋଟେକ୍ନୋଲୋଜିର ପରିସରକୁ ସମୃଦ୍ଧ କରିଛି। ଏହାସହିତ ରାଜ୍ୟ ସରକାରଙ୍କ ଅନୁକୂଳ ଶିଳ୍ପନୀତି, ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ଆଦି ଏହି କ୍ଷେତ୍ରକୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ନେଇଛି।

ସେ ଆହୁରି କହିଥିଲେ ଯେ, ଓଡ଼ିଶା ମିଲେଟ୍ସ ମିଶନ ଅଧୀନରେ ପୁଷ୍ଟିଶସ୍ୟ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ଆଗାମୀ ଦିନରେ ପୁଷ୍ଟିଶସ୍ୟକୁ ବାୟୋଟେକ୍ନୋଲୋଜି ନୀତି ପରିସରଭୁକ୍ତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି।

ବାୟୋଟେକ୍ନାଲୋଜି ଶିଳ୍ପର ପ୍ରସାର ଲାଗି ବିଭିନ୍ନ ରାଜ୍ୟ ଆଣିଥିବା ସ୍ୱତନ୍ତ୍ର ନୀତି ତଥା ନିବେଶ କାର୍ଯ୍ୟକ୍ରମକୁ ନେଇ ‘ଗ୍ଲୋବାଲ ବାୟୋ-ଇଣ୍ଡିଆ’ର ପ୍ରଥମ ଦିନରେ ଏକ ବିଶେଷ ଅଧିବେଶନ ହୋଇଥିଲା। ଏହି ସମ୍ମିଳନୀରେ ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ୍ ଯୋଗଦେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ବିଷୟରେ କହିଥିଲେ।

‘‘ବାୟୋଟେକ୍ନୋଲୋଜି କ୍ଷେତ୍ରକୁ ଓଡ଼ିଶା ସରକାର ବିଶେଷ ଗୁରୁତ୍ୱ ଦେଇ ଆସୁଛନ୍ତି। ରାଜ୍ୟରେ ଥିବା ବିଭିନ୍ନ ଟେକ୍ନୋଲୋଜି ଇନକ୍ୟୁବେଟର ମାଧ୍ୟମରେ ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପଗୁଡ଼ିକୁ ପ୍ରୋତ୍ସାହନ ଦିଆଯାଉଛି। ସେହିପରି ଭୁବନେଶ୍ୱର ନିକଟସ୍ଥ ଅନ୍ଧାରୁଆଠାରେ ସ୍ୱତନ୍ତ୍ର ବାୟୋଟେକ୍ ପାର୍କ ନିର୍ମାଣ କରାଯାଉଛି। ଆଗାମୀ ଦିନରେ ସେଠାରୁ ଟିକା ଉତ୍ପାଦନ ହେବ ଏହାସହିତ ରାଜ୍ୟ ସରକାର ଯେଉଁ ସଂଶୋଧିତ ବାୟୋଟେକ୍ନୋଲୋଜି ନୀତି ଆଣିବାକୁ ଯାଉଛନ୍ତି, ତାହା ଏ କ୍ଷେତ୍ରର ଦ୍ରୁତ ବିକାଶ ପାଇଁ ବିଶେଷ ସହାୟକ ହୋଇପାରିବ’’, କହିଛନ୍ତି ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ୍।

ସୋମବାର ଦିନ ଓଡ଼ିଶା ପାଭିଲିୟନ ବୁଲି ଦେଖିଥିଲେ ଭାରତୀୟ ବାୟୋଟେକ୍ନାଲୋଜି ଜଗତର ପରିଚିତ ବ୍ୟକ୍ତିତ୍ୱ ତଥା ବାୟୋକନ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷା କିରଣ ମଜୁମଦାର ସ’। ସେ ଓଡ଼ିଶାରୁ ଆସିଥିବା ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପଗୁଡ଼ିକୁ ଦେଖିବା ସହ ଏହି କ୍ଷେତ୍ରରେ ଓଡ଼ିଶାର ଅଗ୍ରଗତିକୁ ନେଇ ପ୍ରଶଂସା କରିଥିଲେ।

ଗ୍ଲୋବାଲ ବାୟୋ ଇଣ୍ଡିଆ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗ ପକ୍ଷରୁ ଯୁଗ୍ମ ସଚିବ ପୂଜା ମିଶ୍ର, ଉପନିର୍ଦ୍ଦେଶକ (ବାୟୋଟେକ୍ନୋଲୋଜି) ଡକ୍ଟର ଶଶିକାନ୍ତ ଦାଶ, ବରିଷ୍ଠ ବୈଜ୍ଞାନିକ ଲକ୍ଷ୍ମୀନାରାୟଣ ପାଢ଼ୀ, ବିସିକେଆଇସିର ଅଧ୍ୟକ୍ଷ ଡକ୍ଟର ମୃତ୍ୟୁଞ୍ଜୟ ସୁଆର ପ୍ରମୁଖ ଯୋଗ ଦେଇଛନ୍ତି। ଭୁବନେଶ୍ୱର ସିଟି ନଲେଜ ଇନୋଭେସନ କ୍ଲଷ୍ଟର (ବିସିକେଆଇସି) ଏହି କାର୍ଯ୍ୟକ୍ରମ ଲାଗି ବିଭାଗ ସହିତ ନଲେଜ ପାର୍ଟନର୍ ଭାବେ ଯୋଡ଼ି ହୋଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଉଚ୍ଚଶିକ୍ଷା ଓ ଗବେଷଣା ଅନୁଷ୍ଠାନର ଅଧ୍ୟାପକ ଓ ଗବେଷକମାନେ ଯୋଗ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଜାତୀୟ ଶିକ୍ଷା ନୀତିକୁ ସଫଳ କରିବା ଉପରେ ସମସ୍ତଙ୍କୁ ପ୍ରଚେଷ୍ଟା କରିବାକୁ ଆହ୍ୱାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତର ପୁରାତନ ଜ୍ଞାନ ପରମ୍ପରା ଦର୍ଶନ, ଗଣିତ, ଜ୍ୟୋତିର୍ବିଜ୍ଞାନ, ଔଷଧ ଓ ସାହିତ୍ୟ ଭଳି ବିବିଧ କ୍ଷେତ୍ରରେ ଏକ ବିଶାଳ ଓ ବିବିଧ ଭଣ୍ଡାର। ପିଢ଼ି ପିଢ଼ି ଧରି ସଂରକ୍ଷିତ ଓ ପ୍ରସାରିତ ଏହି ଜ୍ଞାନ ସଭ୍ୟତାକୁ ରୂପ ଦେବା ସହ ମାନବ ଇତିହାସ ଏବଂ ବିଶ୍ୱ ଉପରେ ଗଭୀର ପ୍ରଭାବ ପକାଇଛି ବୋଲି ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦର ଜ୍ଞାନ ଭାରତୀ ଭିଜିଟର୍ସ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପୁରାତନ ଭାରତ ବିଜ୍ଞାନ, ଗଣିତ, ଜ୍ୟୋତିର୍ବିଜ୍ଞାନ ଏବଂ ସ୍ଥାପତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସହିତ ଗଭୀର ଭାବରେ ଜଡ଼ିତ ସଂସ୍କୃତି, ପରମ୍ପରା ଏବଂ ମୂଲ୍ୟବୋଧର ସମୃଦ୍ଧ ସଂସ୍କୃତି ଭାବରେ ଠିଆ ହୋଇଛି। ଏହାର ଉଦାହରଣ ଦେଇ ଉଜ୍ଜୟିନୀ ସ୍ଥିତ ଡୋଙ୍ଗଲା ଗ୍ରାମ, ସୁଶ୍ରୁତ ସଂହିତା, ଶୂନ ଓ ଡେସିମିଲ, ଖଜୁରାହ ମନ୍ଦିର, କୋଣାର୍କ ମନ୍ଦିରର ବୈଜ୍ଞାନିକ ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ କେନ୍ଦ୍ରମନ୍ତ୍ରୀ। ସେ କହିଛନ୍ତି ଯେ ପ୍ରାଚୀନ ସ୍ଥଳଗୁଡ଼ିକର ଭବ୍ୟତା ବ୍ୟତୀତ ଭାରତର ସମୃଦ୍ଧ ଐତିହ୍ୟର ପ୍ରମାଣ ରହିଛି। କେବଳ ସ୍ଥାପତ୍ୟ ଦୃଷ୍ଟିରୁ ନୁହେଁ ବରଂ ଗଣତାନ୍ତ୍ରିକ ଆଦର୍ଶର ଅଗ୍ରଣୀ ଭାବରେ ମଧ୍ୟ। ଶତାବ୍ଦୀ ପୂର୍ବେ ଭାରତ ଏକ ଅତ୍ୟାଧୁନିକ ପଞ୍ଚାୟତ ବ୍ୟବସ୍ଥାକୁ ଗ୍ରହଣ କରିଥିଲା। ଏହି ବ୍ୟବସ୍ଥାରେ ଏକ ଶାସନ ମଡେଲ୍ ଏବଂ ନିର୍ବାଚନର ପ୍ରାରମ୍ଭିକ ରୂପ ପ୍ରଦର୍ଶିତ ହୋଇଥିଲା। ଏହି ଐତିହାସିକ ରତ୍ନଗୁଡ଼ିକ ଭାରତର ସର୍ବପୁରାତନ ସଭ୍ୟତା ଏବଂ ଗଣତନ୍ତ୍ରର ଜନନୀ ଭାବରେ ଦିଆଯାଇଥିବା ମାନ୍ୟତାକୁ ଦୃଢିଭୂତ କରେ। ସାଂସ୍କୃତିକ ଗଭୀରତା ଏବଂ ବୌଦ୍ଧିକ ଦକ୍ଷତାର ଏହି ମିଶ୍ରଣ ପ୍ରାଚୀନ ଭାରତର ସ୍ଥାୟୀ ଐତିହ୍ୟ – ଭାରତୀୟ ଜ୍ଞାନ ବ୍ୟବସ୍ଥାକୁ ବ୍ୟାଖ୍ୟା କରେ।

ଜାତୀୟ ଶିକ୍ଷା ନୀତି ଅଧୀନରେ, ଶିକ୍ଷା ମନ୍ତ୍ରଣାଳୟରେ ନବଗଠିତ ଭାରତୀୟ ଜ୍ଞାନ ବ୍ୟବସ୍ଥା ଅଧୀନରେ ଭାରତର ପୁରାତନ ଜ୍ଞାନକୁ ପ୍ରୋତ୍ସାହିତ ଏବଂ ପୁନର୍ଜୀବିତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ସମଗ୍ର ଭାରତରେ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନରେ ଭାରତୀୟ ଜ୍ଞାନ ବ୍ୟବସ୍ଥା କେନ୍ଦ୍ର ପ୍ରତିଷ୍ଠା, ଭାରତୀୟ ଜ୍ଞାନ ବ୍ୟବସ୍ଥାଭିତ୍ତିକ ଗବେଷଣା ଏବଂ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା, ବିଦ୍ୟାଳୟ ପାଠ୍ୟକ୍ରମରେ ଭାରତୀୟ ଜ୍ଞାନ ବ୍ୟବସ୍ଥାକୁ ଯୋଡିବା ଓ ଭାରତୀୟ ଜ୍ଞାନ ବ୍ୟବସ୍ଥା ପାଇଁ ଶିକ୍ଷାଦାନ ଏବଂ ଶିକ୍ଷଣ ସମ୍ବଳର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ଭାରତର ପ୍ରାଚୀନ ଜ୍ଞାନ କେବଳ ଅତୀତର ଅବଶେଷ ନୁହେଁ; ଏହା ଏକ ଜୀବନ୍ତ ପରମ୍ପରା ଯାହା ଆମ ଦେଶ ଏବଂ ବିଶ୍ୱ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାର ଶକ୍ତି ରଖିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହାବ୍ୟତିତ ଶିକ୍ଷା ପ୍ରଶାସନିକ କ୍ଷେତ୍ରରେ ନବସୃଜନ ଏବଂ ଭଲ ପଦକ୍ଷେପ ପାଇଁ ୨୦୨୦-୨୧ ଏବଂ ୨୦୨୧-୨୨ ବର୍ଷ ପାଇଁ ଜାତୀୟ ପୁରସ୍କାର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ । ବ୍ଲକ ଓ ଜିଲ୍ଲା ସ୍ତରରେ ଶିକ୍ଷା ଅଧିକାରୀଙ୍କୁ ନବସୃଜନ ଏବଂ ବେଷ୍ଟ ପ୍ରାକ୍ଟିସେସ ପାଇଁ ପୁରସ୍କୃତ କରିଥିଲେ । ଜାତୀୟ ଶିକ୍ଷା ନୀତି ଉପରେ ଆଲୋଚନା କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମେ ନବସୃଜନ ଓ ବେଷ୍ଟ ପ୍ରାକ୍ଟିସ ବା ସର୍ବୋତ୍ତମ ଅଭ୍ୟାସକୁ ଗୁରୁତ୍ୱ ଦେବା ଦରକାର । ଦେଶର ୧ କୋଟି ଶିକ୍ଷକଙ୍କ କାପାସିଟି ବଲଡିଂ ବଢାଇବା ପାଇଁ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦେବା ପାଇଁ ନିପାକୁ ପରାମର୍ଶ ଦେଇଥିଲେ । ଜାତୀୟ ଶିକ୍ଷା ନୀତିକୁ ସଫଳ କରିବା ଉପରେ ସମସ୍ତଙ୍କୁ ପ୍ରଚେଷ୍ଟା କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ମୃତ୍ତିକା ସ୍ବାସ୍ଥ୍ୟ ନେଇ ତୁରନ୍ତ ପଦକ୍ଷେପ ନେବାକୁ ବୈଜ୍ଞାନିକ ମାନଙ୍କ ଆହ୍ୱାନ

ଭୁବନେଶ୍ୱର: ଦଶନ୍ଧି ଦଶନ୍ଧି ଧରି ମୃତ୍ତିକାର ଅବହେଳା ଫଳରେ ଉପଲବ୍ଧ ହୋଇଥିବା ସମସ୍ୟା ଆଜି ମାନବ ଜାତିକୁ ଚିନ୍ତାରେ ପକାଇଛି ବୋଲି ‘ବିଶ୍ୱ ମୃତ୍ତିକା ଦିବସ’ ପାଳନ ଅବସରରେ ମଙ୍ଗଳବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ବକ୍ତାମାନେ ମତ ପ୍ରକାଶ କରିବା ସହ ମୃତ୍ତିକା ସୁରକ୍ଷା ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନସେସ (ଆଇଏଏସ୍‌) ଓ ଇଣ୍ଡିଆନ ସୋସାଇଟି ଅଫ ସୈଲ ସାଇନ୍ସ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃଷି ଜମି ପରିଚାଳନାରେ ଅନିୟମିତତା ଏବଂ ଶିଳ୍ପାୟନ ଯୋଗୁଁ ମୃତ୍ତିକାର ଉତ୍ପାଦନ କ୍ଷମତା ହ୍ରାସ ପାଉଥିବା ସଂପର୍କରେ ଅଲୋଚନା ହୋଇଥିଲା ।

ପୃଥିବୀ ତିଷ୍ଠି ରହିବା ନିମନ୍ତେ ମୃତ୍ତିକା ଓ ଜଳର ନିବିଡ ସଂପର୍କ ଗୁରୁତ୍ୱପୂର୍ଣ୍ଣ ଓ ଏହା ଗୋଟିଏ ମୁଦ୍ରାର ଦୁଇପାର୍ଶ୍ଵ ସଦୃଶ । ଏହି ସଂପର୍କ ହିଁ କୃଷିର ମୂଳଦୁଆ ବୋଲି ସୋଆର ସେଂଟର ଫର୍ କ୍ଳାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚର ର ନିର୍ଦ୍ଦେଶକ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା କହିଥିଲେ।

ମୃତ୍ତିକାର ଅବକ୍ଷୟ ପୃଥିବୀର ଜଳ ସଂପଦ ଉପରେ ମଧ୍ୟ ଅତ୍ୟଧିକ ଚାପ ପକାଇଥାଏ । ପୃଥିବୀର ମୋଟ ଜଳର ୯୭.୩ ପ୍ରତିଶତ ସମୁଦ୍ର ହୋଇଥିବାରୁ ଏହା ବ୍ୟବହାର ଯୋଗ୍ୟ ନୁହେଁ। ଅବଶିଷ୍ଟ ୨.୭ ପ୍ରତିଶତ ମଧୁର ଜଳ ଏବଂ ସେଥିମଧ୍ୟରୁ ମାତ୍ର ୦.୦୭ ପ୍ରତିଶତ ବ୍ୟବହାରଯୋଗ୍ୟ ଓ ବରଫ ଗ୍ଲେସିଅର୍ ଭାବେ ରହିଛି ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ କୃଷକ ଓ ଆଇଏଏସ୍‌ର କୃଷି ବୈଜ୍ଞାନିକଙ୍କ ମଧ୍ୟରେ ଏ ସମ୍ପର୍କରେ ଆଲୋଚନା ମଧ୍ୟ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଏବଂ ଆଇଏଏସ୍‌ର ମୃତ୍ତିକା ବିଜ୍ଞାନ ଓ କୃଷି ରସାୟନ ବିଭାଗର ମୁଖ୍ୟ ପ୍ରଫେସର ଦୀନବନ୍ଧୁ ଜେନା ମଧ୍ୟ ଉପସ୍ଥିତ ଥିଲେ ।

ଭାରତରେ ଉପଲବ୍ଧ ମଧୁର ଜଳର ୮୦ ପ୍ରତିଶତ କୃଷି କାର୍ଯ୍ୟରେ ବ୍ୟବହୃତ ହୋଇଥାଏ ବୋଲି ପ୍ରଫେସର ପଣ୍ଡା କହିଥିଲେ । ବାରମ୍ବାର ପାଣିପାଗ ଜନିତ ଉତ୍କଟ ସମସ୍ୟା ସୃଷ୍ଟି ହେବା ଫଳରେ ପ୍ରତିକୂଳ ଜଳବାୟୁରେ ବିକଶିତ ହୋଇ ପାରୁଥିବା ଫସଲ ର ବିକାଶ ଆବଶ୍ୟକ ବୋଲି ସେ କହିଥିଲେ।

ଉପଯୁକ୍ତ ଜଳ ସଂରକ୍ଷଣ ପଦକ୍ଷେପ ତଥା ବର୍ଷା ଜଳ ସଂରକ୍ଷଣ କରି ମୃତ୍ତିକାର ଆଦ୍ରତା ବୃଦ୍ଧି ତଥା ଭୂତଳ ଜଳକୁ ରିଚାର୍ଜ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ମୃତିକା ସ୍ୱାସ୍ଥ୍ୟ ଏବଂ ଜଳର ଗୁଣବତା ବଜାୟ ରଖିବାର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇ ପ୍ରଫେସର ନନ୍ଦ କହିଥିଲେ ଯେ ମାନବ ଜାତି ମୃତ୍ତିକା, ଜଳ ଓ ବାୟୁ କୁ ଉପହାର ଭାବେ ପାଇଛି ମାତ୍ର ସେଥିପାଇଁ କୃତଜ୍ଞ ହେବା ଶିଖିନାହିଁ । ପ୍ରତି ମୁହୂର୍ତ୍ତରେ ଆମେ ବାୟୁକୁ ନିଶ୍ୱାସ ନେବାପାଇଁ ଆବଶ୍ୟକ କରୁ, ଭୂମି ଆମକୁ ଖାଦ୍ୟ ଯୋଗାଏ ଏବଂ ତୃଷା ନିବାରଣ ନିମନ୍ତେ ଜଳ ଆବଶ୍ୟକ ହୁଏ। ଏହା ଆମ ପାଇଁ ଉପହାର ଅଟେ। ଆମେ ଯେଉଁଠାରେ ରହୁଛୁ ସେହି ପୃଥିବୀର ଯତ୍ନ ନେବାକୁ ଶିଖିବା ଆବଶ୍ୟକ ବୋଲି ସେ କହିଥିଲେ । ପ୍ରଫେସର ନନ୍ଦ କହିଥିଲେ ଯେ ଅଧିକାଂଶ ସହରରେ ବାୟୁର ଗୁଣବତା ନିମ୍ନମୁଖୀ ହେବା ଚିନ୍ତାର ବିଷୟ।

ପୃଥିବୀକୁ ବଂଚାଇବା ପାଇଁ ମାଟି ଓ ଜଳାଶୟ ର ଯତ୍ନ ନେବା ନିମନ୍ତେ ସମସ୍ତେ ଯତ୍ନବାନ ହେବା ଜରୁରୀ ବୋଲି ପ୍ରଫେସର ଦାସ କହିଥିଲେ।

ପ୍ରଫେସର ଜେନା ପରିବେଶ ସୁରକ୍ଷା ନିମନ୍ତେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଥାଇଲାଣ୍ଡର ରାଜା ଭୂମିବଲ୍ ଆଦୁଲ୍ୟଦେଜ୍ ଙ୍କ ଜନ୍ମଦିନ ଅବସରରେ ଡିସେମ୍ବର ୫ ତାରିଖ କୁ ବିଶ୍ୱ ମୃତ୍ତିକା ଦିବସ ଭାବେ ପାଳନ କରାଯାଇଥାଏ ବୋଲି କହିଥିଲେ ।

ଉର୍ବର ଜମି ଭିତିଭୂମି ବିକାଶ ପାଇଁ ବ୍ୟବହୃତ ହେଉଥିବାରୁ କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବା ପାଇଁ ଉପଲବ୍ଧ ଚାଷ ଜମି ଉପରେ ଅଧିକ ଚାପ ପଡୁଛି । ସେଥିପାଇଁ ଆଜି ଆମେ ଏହି ସମସ୍ୟା ସହିତ ଯୁଝୁଛୁ ବୋଲି ସେ କହିଥିଲେ।

ସୋଆର ଦିଷ୍ଟିଙ୍ଗୁଇଶଡ ପ୍ରଫେସର ୟୁ ସି ମହାନ୍ତି ଏବଂ ଆଇଏଏସ୍ ର ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Categories
ଆଞ୍ଚଳିକ

ବାଲୁଗାଁ ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ: ବିପୁଳ ପରିମାଣର ମଦ ସହ ୩ ଅଭିଯୁକ୍ତ ଗିରଫ

ବାଣପୁର /ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଣପୁର, ବାଲୁଗାଁ ଓ ନାଚୁଣୀ ଅଞ୍ଚଳରେ ବାଲୁଗାଁ ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ କରି ବିପୁଳ ପରିମାଣର ଚୋରା ଦେଶୀମଦ ସହ ତିନିଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ସୂଚନା ମୁତାବକ ଆଜି ଚଢ଼ାଉ କରି ବାଣପୁର କୋଷରଡ଼ା ଗ୍ରାମର ପ୍ରଫୁଲ୍ଲ ଶବର (୨୫)ଙ୍କ ଠାରୁ ୬୦ ଲିଟର, ବାଲୁଗାଁ ଅଞ୍ଚଳ ଲମ୍ବୋଦରପୁର ଗ୍ରାମର ବିକ୍ରମ ସିଂ (୩୫) ଙ୍କ ଠାରୁ ୩୦ଲିଟର, ବାଣପୁର ଅଞ୍ଚଳ କୁଲେଇ ଗ୍ରାମର ଲିଲି ମହାରଥୀ (୪୩)ଙ୍କ ଠାରୁ ୩୦ଲିଟର ସମୁଦାୟ ୧୨୦ଲିଟର ମଦ ଜବତ କରାଯାଇଛି।

ଅଭିଯୁକ୍ତ ମାନଙ୍କ ନାମରେ ୧୫୯/୧୬୦/୧୬୧ ରେ ଭିନ୍ନ ଭିନ୍ନ ମୋକଦମା କରାଯାଇଥିବା ଅବକାରୀ ଅଧିକାରୀ ବି ମନୋଜ କୁମାର କହିଛନ୍ତି। ତେବେ ଆଗକୁ ଏହିଭଳି ଚୋରା ମଦ କାରବାର କରୁଥିବା ବ୍ୟକ୍ତିଙ୍କ ଉପରେ ଜୋରଦାର ଚଢ଼ାଉ କରାଯିବ ବୋଲି ଅବକାରୀ ଅଧିକାରୀ କହିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ଧାନ ବେଙ୍ଗଳା ମେସିନ ତଳେ ଚାପି ହୋଇ ଯୁବ ଚାଷୀ ମୃତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ବାଲୁଗାଁ ଥାନା ଅନ୍ତର୍ଗତ ଶିଖରପଦର ଗ୍ରାମରେ ଏକ ଅଘଟଣ ଘଟିଯାଇଛି। ଖବର ମୁତାବକ ଆଜି ସକାଳେ ଶିଖରପଦର ଗ୍ରାମର ରଘୁନାଥ ପଲେଇ (୪୩) ବେଙ୍ଗଳା ପକାଇବା ପାଇଁ ନିଜ ଧାନ କ୍ଷେତକୁ ଯାଇଥିଲେ। ଧାନ ବେଙ୍ଗଳା ମେସିନରେ ଗୋଟିଏ କ୍ଷେତରୁ ଧାନ ଅମଳ ସାରି ସେହି ଗାଡ଼ିରେ ଅନ୍ୟ କ୍ଷେତକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ବିଲ ମଧ୍ୟରେ ଗାଡିଟି ଓଲଟି ପଡିଥିଲା। ଯାହାଫଳରେ ଉକ୍ତ ମେସିନ ତଳେ ରଘୁନାଥ ଚାପି ହୋଇଯାଇଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ବାଲୁଗାଁ ପୋଲିସ ଡାକ୍ତରଖାନାରେ ପହଞ୍ଚି ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବା ନେଇ ଥାନା ଅଧିକାରୀ ଜୟ ପ୍ରକାଶ ପରିଡା କହିଛନ୍ତି।

Categories
ବିଶେଷ ଖବର

ମୁଖ୍ୟମନ୍ତ୍ରୀ ମକା ମିଶନର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ: ଫସଲ ଉତ୍ପାଦନରେ ୫୧ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ୫-ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷଙ୍କ ଭି.କେ. ପାଣ୍ଡିଆନ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମକା ମିଶନର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିବା ସହିତ ଜନଅଭିଯୋଗ ଶୁଣାଣି ଭିତ୍ତିରେ ପାନ ଚାଷୀ, କିଆଫୁଲ ଚାଷୀ ଓ ଲେମନ୍‌ଗ୍ରାସ ଚାଷୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ। ସମୀକ୍ଷାରୁ ଜଣା ଯାଇଛି ଯେ ମୁଖ୍ୟମନ୍ତ୍ରୀ ମକା ମିଶନ କାର୍ଯ୍ୟକ୍ରମ ପାଇଁ ଆରମ୍ଭ ହୋଇଥିବା କ୍ଷେତ୍ର ପ୍ରଦର୍ଶନରେ ଉତ୍ସାହଜନକ ଅଗ୍ରଗତି ପରିଲକ୍ଷିତ ହୋଇଛି ଏବଂ ଫସଲ ଉତ୍ପାଦନରେ ଶତକଡା ୫୧ ପ୍ରତିଶତ ବୃଦ୍ଧି ଘଟିଛି। ଏଥି ସହିତ ମକାର ସଂଗ୍ରହ ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ନଭେମ୍ବର ଶେଷ ସୁଦ୍ଧା ୪୪,୭୩୦ କୁଇଣ୍ଟାଲ ମକା ଏଫ.ପି.ଓ ଦ୍ୱାରା ସଂଗ୍ରହ କରାଯାଇଛି।

ମକା ଚାଷୀ ଯେପରି ଉଚିତ୍ ମୂଲ୍ୟ ପାଇପାରିବେ ସେଥିପାଇଁ ଅଧିକ ଏଫ.ପି.ଓ ଗଠନ ସହିତ ସେମାନଙ୍କ ଜରିଆରେ ସଂଗ୍ରହ ଜାରି ରଖିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି। ଆହୁରି ମଧ୍ୟ ଚାଷୀ ଯେପରି ଅଧିକ ମୂଲ୍ୟ ପାଇବେ ସେଥିପାଇଁ ଅଧିକରୁ ଅଧିକ ଘରୋଇ ବ୍ୟବସାୟୀଙ୍କୁ ଏଥିରେ ସଂପୃକ୍ତ କରିବା ପାଇଁ ନିଷ୍ପତି ନିଆଯାଇଛି। ଏହା ସହିତ ଏଫ.ପି.ଓ ର ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ନିଷ୍ପତି ହୋଇଛି। ଓର୍‌ମାସ୍‌ ମଧ୍ୟ ମକାର ପ୍ରାଥମିକ ପ୍ରକ୍ରିୟାକରଣ ଓ ମାର୍କେଟିଂରେ ସହଯୋଗ କରିବ ବୋଲି ବୈଠକରୁ ଜଣାଯାଇଛି।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଶେଷ ସୁଦ୍ଧା ୧୫ଟି ଏଫ.ପି.ଓ ଗଠନ କରାଯିବ ଏବଂ ଏଥି ମଧ୍ୟରୁ ୧୩ଟି ଗଠିତ ହୋଇସାରିଛି। କେବଳ ମହିଳାମାନଙ୍କୁ ନେଇ ୪ଟି ଏଫ.ପି.ଓ ଗଠନ କରାଯାଇଛି। ମିଶନର ପ୍ରଥମ ବର୍ଷରେ ୨୦ ହଜାର ମେଟ୍ରିକ ଟନ୍ ମକା ସଂଗ୍ରହ ଓ ମାର୍କେଟିଂ ଲକ୍ଷ୍ୟ ରଖାଯାଇଛି।

ରାଜ୍ୟରେ ମକା ମିଶନ ଜରିଆରେ ନବରଙ୍ଗପୁର, କୋରାପୁଟ, ଗଜପତି ଓ ନୂଆପଡା ଜିଲ୍ଲାରେ ମକା ମିଶନ କାର୍ଯ୍ୟକାରୀ କରାଯାଉଛି। ଏହି ମିଶନରେ ଚାଷୀମାନଙ୍କ ସହିତ ଆମର ମିଶନ ଶକ୍ତିର ମା’ମାନେ ମଧ୍ୟ ଅଂଶଗ୍ରହଣ କରୁଛନ୍ତି।

ସେହିପରି ୫-ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ଅନୁଷ୍ଠିତ ଜନଅଭିଯୋଗ ଶୁଣାଣିରେ ମିଳିଥିବା ପାନ ଚାଷୀ, କିଆଫୁଲ ଚାଷୀ ଓ ଲେମନ୍‌ ଗ୍ରାସ ଚାଷୀମାନେ ସେମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ତଦନୁଯାୟୀ, ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ପାନ ଚାଷୀ, କିଆଫୁଲ, ଓ ଲେମନ୍‌ ଗ୍ରାସ ଚାଷୀଙ୍କ କଲ୍ୟାଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଘୋଷଣା କରିଥିଲେ। ପାନ ଚାଷୀଙ୍କ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଣ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ସେହିପରି ଆପିକଲ୍ ଜରିଆରେ କିଆଫୁଲ ପ୍ରୋସେସିଂ ୟୁନିଟ୍ କରିବା ପାଇଁ ମଧ୍ୟ ଘୋଷଣା କରାଯାଇଥିଲା। ଯାହାଦ୍ୱାରା ଉଭୟ ପାନ ଚାଷୀ ଓ କିଆଫୁଲ ଚାଷୀ ଉପକୃତ ହୋଇପାରିବେ। କୋରାପୁଟରେ ଲେମନ୍‌ ଗ୍ରାସ୍‌ ଚାଷର ବିଶେଷ ଆଦର ରହିଥିବାରୁ ସେଠାରେ ଏହାକୁ ଅଧିକ ବ୍ୟାପକ କରିବା ପାଇଁ Horticulture Mission Plus ଅଧିନରେ ୮୪ ହଜାର ଟଙ୍କା ଏବଂ NHM ରେ ୧୬ ହଜାର ଟଙ୍କା ଏହିପରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ନିଷ୍ପତି ହୋଇଥିଲା।

ଆଜିର ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ସହାୟତାଗୁଡିକୁ ୨୬ ଜାନୁୟାରୀ ୨୦୨୪ ପୂର୍ବରୁ ଆରମ୍ଭ କରିବା ପାଇଁ ନିଷ୍ପତି ହୋଇଥିଲା। ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା  ସୁରେଶ କୁମାର ମହାପାତ୍ର, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ ଓ ସମବାୟ ସଚିବଙ୍କ ସମେତ ନବରଙ୍ଗପୁର, ଗଞ୍ଜାମ, ପୁରୀ ଓ କୋରାପୁଟର ଜିଲ୍ଲାପାଳ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ନୁହେଁ ୧୭ ରେ ହେବ ଇଣ୍ଡିଆ ମେଣ୍ଟରେ ବୈଠକ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ନୀତୀଶ କୁମାରଙ୍କ ଅସନ୍ତୋଷ ମଧ୍ୟରେ ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ଯାଦବ ଆଜି କହିଛନ୍ତି ଯେ, ଡିସେମ୍ବର ୧୭ ତାରିଖରେ ଇଣ୍ଡିଆ ମେଣ୍ଟର ବୈଠକ ଅନୁଷ୍ଠିତ ହେବ। ଏହାପୂର୍ବରୁ ଏହି ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବାର ଥିଲା। କଂଗ୍ରେସ ଦ୍ଵାରା ଏହି ସଭା ଆୟୋଜନ କରାଯାଇଥିଲା।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସମେତ ବହୁ ନେତା ଏହି ବୈଠକରେ ଯୋଗଦେବାକୁ ରାଜି ହୋଇନଥିଲେ, ପରେ ଏହାକୁ ସ୍ଥଗିତ ରଖାଯାଇଥିଲା।

ବାତ୍ୟା ଯୋଗୁଁ ଷ୍ଟାଲିନ ଏହି ସଭାରେ ଯୋଗ ଦେବାକୁ ମନା କରିଦେଇଥିଲେ:

ସୂଚନାନୁସାରେ, ତାମିଲନାଡୁର ସାଇକ୍ଲୋନିକ୍ ଷ୍ଟର୍ମ ମିଚୋଙ୍ଗ କାରଣରୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ବୈଠକରେ ଯୋଗଦେବାକୁ ମନା କରିଦେଇଥିଲେ। ଏଥିସହିତ ନୀତୀଶ କୁମାରଙ୍କ ଅସୁସ୍ଥତା ହେତୁ ବୈଠକରୁ ଦୂରେଇ ରହିବାକୁ କହିଥିଲେ।

ମମତାଙ୍କ ଘରେ ବିବାହ ସମାରୋହ:

ଏଥି ସହିତ, ଯଦି ଆମେ ମମତା ବାନାର୍ଜୀଙ୍କ ବିଷୟରେ କଥା ହେବା, ତେବେ ତାଙ୍କ ଘରେ ଏକ ବିବାହ କାର୍ଯ୍ୟକ୍ରମ ଅଛି, ଯେଉଁଥିପାଇଁ ସେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଏହା ବ୍ୟତୀତ ଅଖିଳେଶ ଯାଦବ ଏବଂ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଏହି ବୈଠକରେ ଯୋଗ ଦେବାକୁ ମନା କରିଥିଲେ।

ସୂଚନାଯୋଗ୍ୟ ଯେ ଇଣ୍ଡିଆ ଆଲାଇନ୍ସର ଶେଷ ବୈଠକ ଶିବସେନା (ୟୁବିଟି) ସଭାପତି ଉଦ୍ଧବ ଠାକରେଙ୍କ ଦ୍ୱାରା ଆୟୋଜିତ ହୋଇଥିଲା। ଏହି ବୈଠକରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପାଞ୍ଚଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ଏହି ବୈଠକରେ ଏକ ସମନ୍ୱୟ କମିଟି ଗଠନ କରାଯାଇଥିଲା। ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ​​ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏକ ପ୍ରସ୍ତାବ ମଧ୍ୟ ଉପସ୍ଥାପିତ ହୋଇଥିଲା।

Categories
ଆଞ୍ଚଳିକ

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ସ୍ଥାନୀୟ ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର, ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ମହାସମାରୋହରେ ପାଳନ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ ନର୍ଲା ଭୁପିନ୍ଦର ସିଂ ଯୋଗଦେଇ ଥିଲେ। ସଭା ପ୍ରାରମ୍ଭରେ ଦୀପ ପ୍ରଜ୍ଜ୍ଵଳନ ପରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶ୍ଵେଶର ସାହୁ ଏହି ଦିବସର ମହତ୍ତ୍ଵ ତଥା କୃଷି ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ମୃତ୍ତିକା ସ୍ୱାସ୍ଥ୍ୟ ସମ୍ପର୍କିତ ଯୋଜନା ଉପରେ ଆଲୋକପାତ କରିଥିଲେ।

ସଭାରେ ବିଧାୟକ ଭବାନୀପାଟଣାଙ୍କର ପ୍ରତିନିଧି ମନୋଜ ସାହୁ, ଭବାନୀପାଟଣା ବ୍ଲକ ଆତ୍ମା ଅଧ୍ୟକ୍ଷ, ଉଦ୍ୟାନ ଉପ ନିର୍ଦ୍ଦେଶକ କିଶୋର ମହାଲିଂ, କୃଷି ବିଜ୍ଞାନ କେନ୍ଦ୍ରର ତଥା ଆଞ୍ଚଳିକ ଗବେଷଣା କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକଗଣ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। କୃଷି ବିଭାଗ ତରଫରୁ ଅନୁଷ୍ଠିତ ପୋଷ୍ଟର ପ୍ରତିଯୋଗିତା ରେ ସଫଳ ହୋଇଥିବା ଗଣନାଥପୁର ଉନ୍ନୀତ ସରକାରୀ ହାଇସ୍କୁଲ ର ୬ ଜଣ କୃତୀ ଛାତ୍ରଛାତ୍ରୀମାନଙ୍କୁ ସଭାରେ ଟ୍ରଫି ଓ ମାନ୍ୟପତ୍ର ପ୍ରଦାନ କରାଯାଇଥିଲା।

ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର ପରିସରରେ ଇଫକୋ, କରମଣ୍ଡଳ ଓ ପାରାଦୀପ ଫସଫେଟ ଲିମିଟେଡ ସାରା କମ୍ପାନୀ ତରଫରୁ ଷ୍ଟଲ ର ବ୍ୟବସ୍ଥା କରାଯାଇଥିଲା। ଏହି ସଭାରେ ଭବାନୀପାଟଣା ବ୍ଲକ କୃଷି ଅଧିକାରୀ, କୃଷି କର୍ମଚାରୀ ମାନେ ସାହାଯ୍ୟ ସହଯୋଗ ପ୍ରଦାନ କରି ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ।

Categories
ବିଶେଷ ଖବର

୨୦୨୪ ରେ ବିଜେପି କେମିତି ଜିତିବ ୪୦୦ରୁ ଅଧିକ ଲୋକସଭା ଆସନ?

ନୂଆଦିଲ୍ଲୀ: ତିନିଟି ରାଜ୍ୟରେ ବିପୁଳ ବିଜୟ ପରେ ବିଜେପି ଲୋକସଭା ନିର୍ବାଚନ ପାଇଁ ସ୍ଲୋଗାନ ସୃଷ୍ଟି କରିଛି ଏବଂ ପରବର୍ତ୍ତୀ ସମୟରେ ୪୦୦ ଅତିକ୍ରମ କରିଛି। ବିଜେପି ନେତାମାନେ ଆଶା କରୁଛନ୍ତି ଯେ ବିରୋଧୀ ମେଣ୍ଟ ଭାରତର ନିର୍ବାଚନୀ ପ୍ରସଙ୍ଗ ତିନୋଟି ରାଜ୍ୟରେ ଯେପରି ଦେଖିବାକୁ ମିଳିଛି, ଏହା ଅନ୍ୟ ହିନ୍ଦୀ ଭାଷୀ ରାଜ୍ୟରେ ଲାଭବାନ ହୋଇପାରିବ। ଲୋକସଭା ନିର୍ବାଚନକୁ ଆଉ ପାଖାପାଖି ୫ ମାସ ବାକି ରହିଛି। ଯେଉଁ ତିନିଟି ରାଜ୍ୟରେ ବିଜେପି ୬୫ଟି ଲୋକସଭା ଆସନରେ ଥିବା ବିଧାନସଭା ଆସନରେ ବିଜୟୀ ହୋଇଛି ସେଥିମଧ୍ୟରୁ ଏବେ ବିଜେପିର ୬୧ଟି ଆସନ ରହିଛି। ହିନ୍ଦୀ ଭାଷୀ ରାଜ୍ୟ ବିହାର, ୟୁପି, ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ଦିଲ୍ଲୀ, ଝାଡ଼ଖଣ୍ଡ, ହରିୟାଣା, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ୧୯୩ଟି ଆସନ ରହିଛି। ଏହିସବୁ ରାଜ୍ୟରେ ବିଜେପିର ୧୭୭ ଟି ଆସନ ରହିଛି। ଭାରତୀୟ ଜନତା ପାର୍ଟି ପାଇଁ ଚ୍ୟାଲେଞ୍ଜ ହେଉଛି କେବଳ ଏହି ରାଜ୍ୟଗୁଡ଼ିକରେ ନିଜର ଆସନ ବଜାୟ ରଖିବା ନୁହେଁ ବରଂ ଏହାର ସଂଖ୍ୟା ମଧ୍ୟ ବୃଦ୍ଧି କରିବା। ୧୧ଟି ରାଜ୍ୟରେ ସିଟ୍ ବୃଦ୍ଧିର ସମ୍ଭାବନା କମ୍ ରହିଛି। ଯଦି ଆମେ ବିଧାନସଭା ନିର୍ବାଚନର ପ୍ରଭାବକୁ ଆକଳନ କରିବୁ, ତେବେ ବିଜେପି ୟୁପି ଏବଂ ବିହାରରେ ସର୍ବାଧିକ ଆସନ ଜିତିପାରିବ। କିନ୍ତୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇଁ ଦଳକୁ ପଶ୍ଚିମବଙ୍ଗ, ଆସାମ, ମହାରାଷ୍ଟ୍ର ଓ ଗୁଜରାଟରେ ୨୦୧୯ର ପ୍ରଦର୍ଶନର ପୁନରାବୃତ୍ତି କରିବାକୁ ପଡ଼ିବ। ୨୦୧୯ ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରେ ୧୮, ମହାରାଷ୍ଟ୍ରରେ ୨୩ ଏବଂ ଗୁଜୁରାଟର ସମସ୍ତ ୨୬ ଆସନରେ ବିଜୟୀ ହୋଇଥିଲା।

୨୦୨୪ରେ ୪୦୦+ ରାସ୍ତା ବିଜେପି ପାଇଁ ସହଜ ନୁହେଁ

ଗତ ଦୁଇଟି ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ଚେହେରା ସାହାଯ୍ୟରେ ମଇଦାନକୁ ଓହ୍ଲାଇଛି ବିଜେପି। ଏହି କାରଣରୁ ତାଙ୍କୁ ଲଗାତାର ଦୁଇଥର ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମଧ୍ୟ ମିଳିଥିଲା। କିନ୍ତୁ ମୋଦି ଲହର ସତ୍ତ୍ୱେ ଅନେକ ବଡ଼ ବଡ଼ ରାଜ୍ୟ ଅଛି ଯେଉଁଠି ବିଜେପି ଖାତା ମଧ୍ୟ ଖୋଲିନଥିଲା। ଯଦି ବିଜେପି କଶ୍ମୀରଠାରୁ ଆରମ୍ଭ କରି ବିହାର ପର୍ଯ୍ୟନ୍ତ ଉତ୍ତର ଭାରତର ସମସ୍ତ ଆସନରେ ବିଜୟୀ ହୁଏ, ତା’ହେଲେ ବିଜେପିକୁ ୨୪୫ଟି ଆସନ ମିଳିବ। ଭାରତୀୟ ରାଜନୀତିରେ ଏଭଳି ଚମତ୍କାର ସମ୍ଭବ ନୁହେଁ। ୪୦୦ ସଂଖ୍ୟା ଅତିକ୍ରମ କରିବାକୁ ହେଲେ କେରଳ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶରେ ଦଳକୁ ୧୦ରୁ ୧୦ଟି ଆସନ ଦରକାର, ଯାହା ସହଜ କାମ ନୁହେଁ। ଏହିସବୁ ରାଜ୍ୟର ମୋଟ ୧୧୮ ଟି ଆସନ ମଧ୍ୟରୁ ବିଜେପି ପାଖରେ ମାତ୍ର ୪ଟି ଆସନ ରହିଛି, ଯାହାକୁ ତେଲେଙ୍ଗାନାରେ ମିଳିଛି।

୨୦୨୪ ଲୋକସଭା ନିର୍ବାଚନରେ କର୍ଣ୍ଣାଟକରେ ମଧ୍ୟ ବିଜେପି ଏକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରେ। ଗତ ସାଧାରଣ ନିର୍ବାଚନରେ ବିଜେପି ଦକ୍ଷିଣ ରାଜ୍ୟର ୨୮ଟି ଆସନରୁ ୨୫ଟିରେ ବିଜୟୀ ହୋଇଥିଲା। ଏଥର ଦଳ ଜେଡିଏସ୍ ସହ ନିର୍ବାଚନୀ ଚୁକ୍ତି କରିଛି। ବୁଝାମଣା ଯୋଗୁଁ ବିଜେପିକୁ ଜେଡିଏସକୁ ୪ଟି ଆସନ ଦେବାକୁ ପଡ଼ିବ। ଅର୍ଥାତ୍ ଭଲ ପ୍ରଦର୍ଶନ ପାଇଁ ତାଙ୍କୁ ସମସ୍ତ ୨୪ଟି ଆସନ ଜିତିବାକୁ ପଡ଼ିବ, ଯାହା ସହଜ ନୁହେଁ।

କର୍ଣ୍ଣାଟକରେ କ୍ଷମତା ପରିବର୍ତ୍ତନ ପରେ ରାଜ୍ୟ ରାଜନୀତିରେ କଂଗ୍ରେସର ହସ୍ତକ୍ଷେପ ବୃଦ୍ଧି ପାଇଛି। ଏହାବ୍ୟତୀତ ବିହାରରେ ମହାମେଣ୍ଟରେ ସାମିଲ ଥିବା ଆରଜେଡି ଓ ଜେଡିୟୁ ପାଖରେ ମଧ୍ୟ ଶକ୍ତି ରହିଛି। ବିଜେପି ପାଇଁ ମଧ୍ୟ ନିଜର ଆସନ ବଢ଼ାଇବା ଏକ ଚ୍ୟାଲେଞ୍ଜ ରହିଛି। ୨୦୧୪ ନିର୍ବାଚନରେ ବିଜେପି ଏକାକୀ ୨୨ଟି ଆସନ ଜିତିପାରିଥିଲା।

୨୦୨୪ ଲୋକସଭା ନିର୍ବାଚନରେ ବିଜେପି କେତେ ଆସନ ଜିତିବ

ରାଜ୍ୟ ମୋଟ ଆସନ ବିଜେପି (୨୦୧୯) ୨୦୨୪ରେ ଆବଶ୍ୟକ

ଉତ୍ତରପ୍ରଦେଶ ୮୦ ୬୨ ୭୨ (+୧୦)
ମହାରାଷ୍ଟ୍ର ୪୮ ୨୩ ୪୦ (+୧୭)
ବିହାର ୪୦ ୧୭ ୩୫ (+୧୭)
ଆନ୍ଧ୍ରପ୍ରଦେଶ ୨୫ ୦ (+୧୦)
ତାମିଲନାଡୁ ୩୯ ୦ (+୧୦)
ପଶ୍ଚିମବଙ୍ଗ ୪୨ ୧୮ ୩୦ (+୧୨)
ମଧ୍ୟପ୍ରଦେଶ ୨୯ ୨୮ ୨୯ (+୧)
କର୍ଣ୍ଣାଟକ ୨୮ ୨୫ ୨୨
ଗୁଜରାଟ ୨୬ ୨୬ ୨୬
ରାଜସ୍ଥାନ ୨୫ ୨୪ ୨୫ (+୧)
ଓଡ଼ିଶା ୨୧ ୮ ୧୫ (+୭)
କେରଳ ୨୦ ୦ (+୧୦)
ତେଲେଙ୍ଗାନା ୧୭ ୪ ୮(+୪)
ଆସାମ ୧୪ ୯ ୧୨(+୩)
ଝାଡ଼ଖଣ୍ଡ ୧୪ ୧୧ ୧୨ (+୧)
ପଞ୍ଜାବ ୧୩ ୨ ୨
ଛତିଶଗଡ଼ ୧୧ ୯ ୧୧ (+୨)
ହରିୟାଣା ୧୦ ୧୦ ୧୦
ଦିଲ୍ଲୀ ୭ ୭ ୭
ଜମ୍ମୁ-କଶ୍ମୀର ୫ ୩ ୩
ଉତ୍ତରାଖଣ୍ଡ ୫ ୫ ୫
ହିମାଚଳ ପ୍ରଦେଶ ୪ ୪ ୪
ଅରୁଣାଚଳ ପ୍ରଦେଶ ୨ ୨ ୨
ଗୋଆ ୨ ୧ ୨ (+୧)
ତ୍ରିପୁରା ୨ ୨ ୨
ମଣିପୁର ୨ ୧ ୧
ମେଘାଳୟ ୨ ୦ +୧
ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ୧ ୦ ୦
ଚଣ୍ଡିଗଡ଼ ୧ ୧ ୧
ଲଦାଖ ୧ ୧ ୧
ଦାଦ୍ରା ଓ ନଗର ହାଭେଲି, ଦାମନ ଓ ଦିଉ ୨ ୧ ୧
ନାଗାଲାଣ୍ଡ ୧ ୦ +୧
ପଣ୍ଡିଚେରୀ ୧ ୦ +୧
ମିଜୋରାମ ୧ ୦ +୧
ଲାକ୍ଷାଦ୍ୱୀପ ୧ ୦ +୧
ସିକ୍କିମ୍ ୧ ୦ +୧

ପୂର୍ବ ଭାରତରେ କମ୍ ଆସନ ଅଛି, କିନ୍ତୁ ବିଜେପି ପାଇଁ ଅଧିକ ଚ୍ୟାଲେଞ୍ଜ

ଓଡ଼ିଶାରୁ ବିଜେପିର ମାତ୍ର ୮ ଜଣ ଲୋକସଭା ସାଂସଦ ଥିବାବେଳେ ବିଜେଡିର ୧୨ଟି ଆସନ ରହିଛି। ଏହି ପୂର୍ବ ରାଜ୍ୟରେ ମଧ୍ୟ ବିଜେପିର ସମ୍ପ୍ରସାରଣର ପ୍ରଚୁର ସମ୍ଭାବନା ରହିଛି, କିନ୍ତୁ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଆଗରେ ଅଧିକ ଆଶା କରିବା ସହଜ ନୁହେଁ।

ପଶ୍ଚିମବଙ୍ଗରେ ମଧ୍ୟ ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ବିଜେପିକୁ ୯ ଟି ଆସନର ପୁରୁଣା ରେକର୍ଡକୁ ଅତିକ୍ରମ କରିବାକୁ ପଡ଼ିବ। ଆନ୍ଧ୍ରପ୍ରଦେଶ, କେରଳ ଓ ତାମିଲନାଡୁରେ ବିଜେପି ଖାତା ଖୋଲିନାହିଁ। ଏହା ପୂର୍ବରୁ ଏନଡିଏର ସହଯୋଗୀ ଏଆଇଏଡିଏମକେ ସେଠାରୁ ଅଲଗା ହୋଇଯାଇଥିଲା। ଉତ୍ତର-ପୂର୍ବରାଜ୍ୟର ମୋଟ ୨୫ଟି ଲୋକସଭା ଆସନମଧ୍ୟରୁ ବିଜେପି ୧୧ଟି ଅଞ୍ଚଳରେ ଦଖଲ କରିଛି। ଆଞ୍ଚଳିକ ଦଳଗୁଡ଼ିକର ଦୃଢ଼ ଉପସ୍ଥିତିକୁ ଦେଖିଲେ ବିଜେପି କେତେ ଆସନ ପାଇବ ତାହା ଦେଖିବାକୁ ବାକି ରହିଲା। ୪୦୦ ସଂଖ୍ୟା ଅତିକ୍ରମ କରିବାକୁ ହେଲେ ଭାରତୀୟ ଜନତା ପାର୍ଟିକୁ ସମସ୍ତ ୨୫ଟି ଆସନଜିତିବାକୁ ପଡ଼ିବ। ଏହାବ୍ୟତୀତ ବିଜେପିକୁ ନିଜେ ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଓ କର୍ଣ୍ଣାଟକର ଆସନକୁ ବିରୋଧୀଙ୍କ ହାତକୁ ଯିବାରୁ ବଞ୍ଚାଇବାକୁ ପଡ଼ିବ।

ପଞ୍ଜାବ ଓ ହିମାଚଳରେ ମଧ୍ୟ ସମୀକରଣ ବଦଳିଯାଇଛି

୨୦୨୪ ପୂର୍ବରୁ ବିଜେପିକୁ ଅନେକ ଚ୍ୟାଲେଞ୍ଜ ଦେଇ ଗତି କରିବାକୁ ପଡ଼ିବ। ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ସହ ଶିରୋମଣି ଅକାଳୀ ଦଳର ଚ୍ୟାଲେଞ୍ଜ ରହିବ। ଧାରା- ୩୭୦ ଉଚ୍ଛେଦ ପରେ କଶ୍ମୀରରେ ପ୍ରଥମ ଥର ପାଇଁ ନିର୍ବାଚନ ହେବ। ହିମାଚଳରେ କଂଗ୍ରେସ ସରକାର କ୍ଷମତାକୁ ଆସିଛି। କର୍ଣ୍ଣାଟକ ବିଜେପି ହାତରୁ ଚାଲିଯାଇଛି। ବିହାରରେ ନୀତୀଶ କୁମାରଙ୍କ ସହ ମେଣ୍ଟ ଭାଙ୍ଗିଯାଇଛି। ନୂଆ ସହଯୋଗୀ ଦଳର ଶକ୍ତି ସମଗ୍ର ରାଜ୍ୟରେ ନାହିଁ। ମହାରାଷ୍ଟ୍ରରେ ସହଯୋଗୀ ଦଳ ବଦଳିଯାଇଛି। ମହାରାଷ୍ଟ୍ରରେ ବିଜେପି ଏନସିପି (ଅଜିତ ପାୱାର ଗୋଷ୍ଠୀ) ଏବଂ ଶିବସେନା (ସିନ୍ଦେ ଗୋଷ୍ଠୀ) ସହ ମେଣ୍ଟ କରି ନିର୍ବାଚନ ଲଢ଼ିବ। ୪୮ ଟି ଆସନ ଥିବା ମହାରାଷ୍ଟ୍ରରେ ବିଜେପିକୁ ସହଯୋଗୀ ଦଳମାନଙ୍କ ସହ ଆସନ ବାଣ୍ଟିବାକୁ ପଡ଼ିବ। ୟୁପିରେ ମଧ୍ୟ ବିଜେପି ନୂଆ ସହଯୋଗୀ ଦଳ ଚୟନ କରିଛି।

୨୦୧୯ ନିର୍ବାଚନରେ ବିଜେପି ୩୦୩ଟି ଆସନରେ ବିଜୟୀ ହୋଇଥିଲା। ଯଦି ୨୦୨୪ ନିର୍ବାଚନରେ ଏହା ୧୦ ପ୍ରତିଶତ ଆସନ ବୃଦ୍ଧି କରେ, ତେବେ ମୋଦି ମ୍ୟାଜିକ୍ ଅଛି ବୋଲି ବିଚାର କରାଯିବ। ଏଥିପାଇଁ କର୍ଣ୍ଣାଟକ ବ୍ୟତୀତ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକରେ ବିଜେପିକୁ ୭୦ଟି ଆସନ ପାଇବାକୁ ପଡ଼ିବ।

Categories
ଆଜିର ଖବର ରାଜ୍ୟ ଖବର

ରାସ୍ତା ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଷାଣୀ ନୁଆ ଗାଁ ଥାନା ଅନ୍ତର୍ଗତ ଆମ୍ବ ମାର୍କେଟ ନିକଟରେ ଏକ ପିକ୍ ଅପ୍ ଭ୍ୟାନ ଧକ୍କାରେ ଗୁରୁତର ଆହତ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ପାଟପୁର ଥାନା ଅନ୍ତର୍ଗତ ମହାନଳା ଗ୍ରାମର ସରୋଜ କୁମାର ଦାସ ବୋଲି ଜଣାପଡିଛି। ସେ ବ୍ରହ୍ମପୁର ସହରରେ ଦିନ ମଜୁରିଆ ଭାବେ କାମ ସାରି ନିଜ ଗାଁ କୁ ଫେରୁଥିବା ବେଳେ ନିକଟସ୍ଥ ଏକ ଆପାର୍ଟମେଣ୍ଟ ନିକଟରେ ପିକ୍ ଅପ୍ ଭ୍ୟାନ ଧକ୍କା ଦେଇ ଘଟଣାସ୍ଥଳରୁ ଭ୍ୟାନ ଚାଳକ ଫେରାର୍ ହୋଇ ଯାଇଥିଲେ।

ଖବର ପାଇ ଟ୍ରାଫିକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବା ସହ ସରୋଜଙ୍କ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

କରଣି ସେନା ସଭାପତିଙ୍କ ହତ୍ୟାକାଣ୍ଡ ମାମଲା: ସିସିଟିଭି ଫୁଟେଜରେ କଏଦ ହେଲା ଆକ୍ରମଣର ଚିତ୍ର

ନୂଆଦିଲ୍ଲୀ: ଜୟପୁରରେ ଆକ୍ରମଣକାରୀମାନେ ଶ୍ରୀ ରାଷ୍ଟ୍ରିୟ ରାଜପୁତ କରଣି ସେନାର ଜାତୀୟ ସଭାପତି ସୁଖଦେବ ସିଂ ଗୋଗାମେଡିଙ୍କୁ ହତ୍ୟା କରିଥିଲେ। ଏହି ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି।

ହତ୍ୟାକାରୀମାନେ ସିସିଟିଭି ଫୁଟେଜରେ ଗୁଳି ଚଳାଉଥିବା ବେଳେ ସିସିଟିଭି ଫୁଟେଜରେ କଏଦ ହୋଇଛି। ଆକ୍ରମଣକାରୀମାନେ ତାଙ୍କ ଉପରେ ଆକ୍ରମଣ କରୁଥିବାବେଳେ ସୁଖଦେବ ସିଂ ଗୋଗାମେଡି ବସିଥିଲେ। ଏହି ଘଟଣା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଜୟପୁର ପୋଲିସ କମିଶନର କହିଛନ୍ତି ଯେ, ବାହାରୁ ତିନି ଜଣ ଲୋକ ଆସିଥିଲେ। ତାଙ୍କୁ ଭେଟିବା ପାଇଁ କହିଥିଲେ। ୧୦ ମିନିଟ୍ କଥାବାର୍ତ୍ତା ପରେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଗୁଳି ବିନିମୟରେ ସୁଖଦେବ ସିଂଙ୍କ ଅଙ୍ଗରକ୍ଷୀ ମଧ୍ୟ ଆହତ ହୋଇଛନ୍ତି। ନବୀନ ସିଂ ଶେଖୱାତ ନାମକ ଆକ୍ରମଣକାରୀଙ୍କ କ୍ରସ ଫାୟରିଂରେ ମୃତ୍ୟୁ ଘଟିଛି।