Categories
ଆଜିର ଖବର ରାଜ୍ୟ ଖବର

ଆଜି ପ୍ରକାଶ ପାଇବ ଅଫଲାଇନ ମାଟ୍ରିକ ଫଳ: ୧୫ ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା

ଭୁବନେଶ୍ବର: ଆଜି ଅଫଲାଇନ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ୧୫ ହଜାର ୧୩୬ ଜଣ ଛାତ୍ରଛାତ୍ରୀ ଅଫଲାଇନ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେମାନଙ୍କର ପରୀକ୍ଷା ଫଳ ଆଜି ଅପରାହ୍ନ ସାଢେ ୩ ଟାରେ ପ୍ରକାଶ ପାଇବ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

ଉଲ୍ଲେଖ ଯୋଗ୍ୟ ଯେ, କରୋନା ଯୋଗୁଁ ରାଜ୍ୟରେ ମାଟ୍ରିକ ପରୀକ୍ଷାକୁ ବାତିଲ କରାଯାଇଥିଲା। ହେଲେ ପୂର୍ବ ପରୀକ୍ଷାକୁ ଦେଖି ଗଣଶିକ୍ଷା ବିଭାଗ ମାଟ୍ରିକ ଛାତ୍ରଛାତ୍ରୀଙ୍କ ଫଳ ମୂଲ୍ୟାୟନ କରିଥିଲା। ହେଲେ ପରୀକ୍ଷା ଫଳରେ ଅନେକ ଛାତ୍ରଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରି ଅଫଲାଇନ ପରୀକ୍ଷା ଦେଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ୟୁକ୍ରେନର ଯାତ୍ରୀବାହୀ ବିମାନକୁ ଆଫଗାନିସ୍ତାନରୁ କରାଗଲା ଅପହରଣ

କାବୁଲ: ଆଫଗାନିସ୍ତାନରେ ଏକ ୟୁକ୍ରେନର ବିମାନକୁ ଅପହରଣ କରାଯାଇଛି। ବିମାନଟି ଅପହରଣ ହୋଇଥିବା ୟୁକ୍ରେନର ଡେପୁଟି ବୈଦେଶିକ ମନ୍ତ୍ରୀ ଦାବି କରିଛନ୍ତି। ଦାବି ହେଉଛି ଯେ, ୟୁକ୍ରେନ ବିମାନ ନିଜ ଲୋକଙ୍କୁ ଆଫଗାନିସ୍ତାନରୁ ସ୍ଥାନାନ୍ତର କରିବାକୁ ଆସିଥିଲା। ବିମାନଟି ଅପହରଣ ପରେ ଇରାନକୁ ନିଆଯାଇଛି ବୋଲି ଦାବି କରାଯାଇଛି। ବିମାନରେ ମୋଟ ୮୩ ଜଣ ଯାତ୍ରୀ ଥିବା ସୂଚନା ରହିଛି।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଚିଲିକାରେ ଆସନ୍ତାକାଲି ୧ ହଜାର ୭୧୦ ନାଗରିକ ନେବେ ଟୀକା: ବାଣପୁରର ଦୁଇଟି ନୂଆ କେନ୍ଦ୍ରରେ କରାଗଲା ବ୍ୟବସ୍ଥା

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ଆସନ୍ତାକାଲି (ଅଗଷ୍ଟ ୨୫ ତାରିଖ) ରେ ୧ ହଜାର ୭୧୦ ଜଣ ନାଗରିକଙ୍କ ପାଇଁ ଟୀକା ବ୍ୟବସ୍ଥା ହୋଇଥିବାବେଳେ ବାଣପୁରର ୫ ଟି ଟୀକା କେନ୍ଦ୍ରରେ ସବୁ ବର୍ଗର ନାଗରିକମାନେ ଅନଲାଇନ ସ୍ଲଟ ବୁକିଂ କରି ଟୀକା ନେଇପାରିବେ। ଏ ନେଇ ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରର କେଉଁ କେନ୍ଦ୍ରରେ କେତେ ଟୀକା ଏବଂ କିପରି ନେବେ:

ଅନଲାଇନ (ବୁକିଂ ସମୟ ଆଜି ଅପରାହ୍ନ ୪ ଟା ୩୦ ରୁ ଆରମ୍ଭ)

୧- ଟିକିରାଇ ୟୁଜିଏମଇ ବିଦ୍ୟାଳୟ:

୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ- ୭୦ ଟି ପ୍ରଥମ ଡୋଜ ଏବଂ ୩୦ ଟି ଦ୍ଵିତୀୟ ଡୋଜ

୨- କୃତିବାସ ଭବନ:

ପ୍ରଥମ ଡୋଜ- ୮୦ (କେବଳ ୧୮-୪୪ ବର୍ଷୀୟ ନାଗରିକ), ଗର୍ଭବତୀ ମହିଳା – ୨୦ ଟି ପ୍ରଥମ ଡୋଜ

୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୫- ହଳନ୍ଦା ଉପ ସ୍ୱାସ୍ଥ୍ୟ କେନ୍ଦ୍ର – ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୧୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

ଅଫଲାଇନ ଟୀକାକରଣ:

୬- ଭାପୁର ବାତ୍ୟା ଆଶ୍ରୟସ୍ଥଳୀ- ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୭- ପୁଞ୍ଜିଆମା ବାତ୍ୟା ଆଶ୍ରୟସ୍ଥଳୀ- ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୮- ନୀଳାଦ୍ରିପ୍ରସାଦ ଉପ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ:

– ୮୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୯- ନନ୍ଦପୁର ( ମେଘାମ୍ବରୀ ମନ୍ଦିର ପାଖ ଗୃହ)– ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୧୦- ଓଡଗାଁ ବିଦ୍ୟାଳୟ– ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

ତେବେ ବାଣପୁରର ସମସ୍ତ ଟୀକାକେନ୍ଦ୍ରରେ ସକାଳ ୮.୩୦ରୁ ଟୀକାକରଣ ଆରମ୍ଭ ହେବ।

ଚିଲିକା: ସବୁ ବର୍ଗର ନାଗରିକ (ଉଭୟ ଡୋଜ, ଅଫଲାଇନ)

୧- ବାଲୁଗାଁ ଏନଏସି ଅଡ଼ିଟୋରିଅମ ହଲ୍– ୧୫୦ ଡୋଜ

୨- ଇଞ୍ଜନପୁର ୟୁପି ସ୍କୁଲ (ଅଠରବାଟିଆ ଗ୍ରାପ)– ୧୩୦ ଡୋଜ

୩- ହରିପୁର ନୂଆ ପଞ୍ଚାୟତ ଗୃହ (ହରିପୁର ଗ୍ରାପ)- ୧୨୦ ଡୋଜ

୪- ଜରିପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ଜରିପଡା ଗ୍ରାପ)- ୧୫୦ ଡୋଜ

୫- ସୋରଣ ପ୍ରାଥମିକ ବିଦ୍ୟାଳୟ(ସୋରଣ ଗ୍ରାପ)- ୧୫୦ ଡୋଜ

– ଚିଲିକାର ସବୁ ଟିକାକେନ୍ଦ୍ରରେ ଟୀକାକରଣ ସମୟ- ସକାଳ ୯ ଘଟିକାରୁ ଅପରାହ୍ନ ୧ ଘଟିକା (ପ୍ରଥମ ଡୋଜ)

– ସେହିଭଳି ଅପରାହ୍ନ ୨ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଦ୍ଵିତୀୟ ଡୋଜ ଟୀକା ଦେବା ପାଇଁ ସମୟ ନିର୍ଦ୍ଧାରଣ କରଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଓବିସି ପ୍ରସଙ୍ଗରେ ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ: ୫୦ ପ୍ରତିଶତ ସଂରକ୍ଷଣ ସୀମା ହଟାଇବାକୁ ଦାବି

ଭୁବନେଶ୍ବର: ଆଜି ଓବିସି ପ୍ରସଙ୍ଗରେ ବିଜେଡ଼ି ଏକ ସାମ୍ବାଦିକ ସମ୍ମିଳନୀ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ପକ୍ଷରୁ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରାଯାଇଛି। ଏହା ଦ୍ଵାରା ପଛୁଆବର୍ଗଙ୍କ ପ୍ରକୃତ ସଂଖ୍ୟା ଜଣାପଡିବ। ପଛୁଆବର୍ଗଙ୍କ ପ୍ରକୃତ ସଂଖ୍ୟା ଜାଣିଲେ ସେମାନଙ୍କ ବିକାଶ କରାଯାଇପାରିବ। ଏହା ସହିତ ୫୦ ପ୍ରତିଶତ ସଂରକ୍ଷଣ ସୀମାକୁ ହଟାଇବା ପାଇଁ ବିଜେଡ଼ି ଦାବି କରିଛି। ବିଭିନ୍ନ ବର୍ଗର ଜନସଂଖ୍ୟା ଅନୁପାତରେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଭିନ୍ନ ଅଟେ। ଓଡିଶାରେ ୫୪ ପ୍ରତିଶତ ଲୋକ ଓବିସି ଥିବା ବେଳେ ୪୦ ପ୍ରତିଶତ ଲୋକ ଏସସି/ଏସଟି ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାତିଭିତ୍ତିକ ଜନଗଣନା ପ୍ରସ୍ତାବକୁ ଅନେକ ରାଜ୍ୟ ମଧ୍ୟ ସମର୍ଥନ କରୁଛି।

ସେହିଭଳି ଏନଡିଏର ଅଂଶୀଦାର ଦଳ ମଧ୍ୟ ଜାତିଭିତ୍ତିକ ଜନଗଣନା ସପକ୍ଷରେ ଅଛନ୍ତି। ଦାବି ପୂରଣ ନହେବା ଯାଏଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ ଜାରି ରହିବ। ସେଥିପାଇଁ ବିଜେପି ନେତା ମାନେ ଏହା ଉପରେ ବିଚାର କରନ୍ତୁ। ବିଜେପି ନେତାମାନଙ୍କ ଏହି ମାମଲାରେ ନୀରବ ରହିବା ପଛୁଆବର୍ଗ ପ୍ରତି ସେମାନଙ୍କର ମନୋଭାବ କଣ ରହିଛି ଜଣାପଡୁଛି। ଆଜି ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଏବଂ ଅରୁଣ କୁମାର ସାହୁ ଏନେଇ ଦାବି କରିବା ସହ ଓଡିଶାର ବିଜେପି ନେତାଙ୍କ ଆଭିମୁଖ୍ୟକୁ ନେଇ ସମାଲୋଚନା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ଘର ସାମ୍ନାରେ ଅଶାନ୍ତ ପରିବେଶ, ବିଜେପି ଓ ଶିବସେନା କର୍ମୀମାନେ ହେଲେ ମୁହାଁମୁହିଁ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାରକୁ ନେଇ ବିଜେପି ଏବଂ ଶିବସେନା ମଧ୍ୟରେ ବିବାଦ ଲାଗି ରହିଛି। କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଏବଂ ବିଜେପି ବିରୋଧରେ ଶିବସେନା କର୍ମୀମାନେ ବିଭିନ୍ନ ସ୍ଥାନରେ ବିରୋଧ କରୁଛନ୍ତି। ଶିବ ସୈନିକମାନେ ମୁମ୍ବାଇର ଜୁହୁରେ ନାରାୟଣ ରାଣେଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି।

ପ୍ରଦର୍ଶନ ସମୟରେ ପୋଲିସ ଯୁବ ଶିବ ସୈନିକମାନଙ୍କୁ ଅଟକାଇବା ପାଇଁ ଉଦ୍ୟମ କରିଥିଲା, କିନ୍ତୁ ଏହା ସତ୍ତ୍ୱେ ବିକ୍ଷୋଭକାରୀମାନେ ନାରାୟଣଙ୍କ ଘର ନିକଟରେ ପହଞ୍ଚି ଯାଇଥିଲେ। ଏହି ସମୟରେ ରାଣେଙ୍କ ସମର୍ଥକ ଏବଂ ଯୁବ ଶିବ ସୈନିକଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା। ଉଭୟ ପାର୍ଶ୍ୱରୁ ପଥର ଫିଙ୍ଗା ଯାଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡୁଥିଲା। କିନ୍ତୁ ଏହା ସତ୍ତ୍ୱେ ଉଭୟ ପକ୍ଷର କର୍ମକର୍ତ୍ତାମାନେ ହଙ୍ଗମା କରିବାରକୁ ଲାଗିଥିଲେ। ନାରାୟଣ ରାଣେଙ୍କ ଘରେ ଶିବ ସୈନିକ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ।

ଏଥିସହିତ ଶିବସେନା କର୍ମଚାରୀମାନେ ନାଶିକରେ ଥିବା ବିଜେପି କାର୍ଯ୍ୟାଳୟକୁ ଭଙ୍ଗାରୁଜା କରିଛନ୍ତି। ସାଙ୍ଗଲିରେ ରାଣେଙ୍କ ପୋଷ୍ଟରରେ ଶିବ ସୈନିକ କାଳି ଫିଙ୍ଗିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପାଇଁ ନାଶିକ ପୋଲିସ ମଧ୍ୟ ନାରାୟଣ ରାଣେଙ୍କ ବିରୋଧରେ ଗିରଫ ନିର୍ଦ୍ଦେଶ ଜାରି କରିଛି। ଅଭିଯୋଗ ହୋଇଛି ଯେ ଜନ ଆଶୀର୍ବାଦ ଯାତ୍ରା ସମୟରେ ନାରାୟଣ ରାଣେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୁକମା ଜଙ୍ଗଲରେ ଜବାନଙ୍କ ଦ୍ଵାରା ଜାରି ରହିଛି ଏନକାଉଣ୍ଟର: ଦୁଇ ନକ୍ସଲ ନିହତ

ରାୟପୁର: ଛତିଶଗଡର ମାଓବାଦୀ ପ୍ରଭାବିତ ସୁକମା ଜଙ୍ଗଲରେ ନକ୍ସଲ ଏବଂ ଜବାନଙ୍କ ମଧ୍ୟରେ ଏକ ଭୀଷଣ ମୁକାବିଲା ଚାଲିଛି। ଖବର ଅନୁଯାୟୀ ସୁକମା ଜିଲ୍ଲାର କୋଣ୍ଟା ବ୍ଲକର ଗୋମପାଦ ଜଙ୍ଗଲରେ ଏହି ଏନକାଉଣ୍ଟର ଚାଲିଛି। ଏପର୍ଯ୍ୟନ୍ତ ଦୁଇଜଣ ନକ୍ସଲଙ୍କୁ ହତ୍ୟା କରାଯାଇଛି।

ଖବର ଅନୁଯାୟୀ, ଏହି ଏନକାଉଣ୍ଟର ସକାଳ ୫ ଟାରୁ ଚାଲିଛି। ଏନକାଉଣ୍ଟର ମଧ୍ୟରେ ପୋଲିସ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଏଥିରେ ଜଣେ ନକ୍ସଲ କମାଣ୍ଡରଙ୍କ ମୃତ୍ୟୁ ଖବର ମଧ୍ୟ ରହିଛି। ଅଗଷ୍ଟ ୧୬ ତାରିଖରେ ଛତିଶଗଡର ବିଜାପୁର ଜିଲ୍ଲାରେ ନକ୍ସଲ କମାଣ୍ଡର କୁଞ୍ଜମଙ୍କ ଆତ୍ମସମର୍ପଣ ମଧ୍ୟ ମାଓବାଦୀଙ୍କ ପାଇଁ ଏକ ବଡ଼ ଝଟକା।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ପ୍ରାୟ ୧.୫ କୋଟି ମୋବାଇଲ୍ ଗ୍ରାହକଙ୍କ ସହିତ ଓଡ଼ିଶା ବଜାରରେ ନିଜର ୧ ନମ୍ବର ସ୍ଥାନ ଅଧିକ ସୁଦୃଢ କଲା ଜିଓ

ଭୁବନେଶ୍ୱର: ଓଡ଼ିଶାରେ ସର୍ବାଧିକ ପସନ୍ଦଯୋଗ୍ୟ ଏବଂ ୧ ନମ୍ବର ଡିଜିଟାଲ ସେବା ଯୋଗାଣକାରୀ ଭାବରେ ନିଜର ନେତୃତ୍ୱ ସ୍ଥାନକୁ ଅଧିକ ସୁଦୃଢ କରି ରିଲାଏନ୍ସ ଜିଓ ରାଜ୍ୟରେ ୨୦୨୧ ଜୁନ୍ ମାସରେ ସର୍ବାଧିକ ୨.୫୩ ଲକ୍ଷ ନୂଆ ଗ୍ରାହକ ଯୋଗ କରିଥିବା ଭାରତର ଦୂର ସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାଯାଇଛି। ଏଥିସହିତ ଓଡ଼ିଶରେ ରିଲାଏନ୍ସ ଜିଓର ମୋଟ ଗ୍ରାହକ ସଂଖ୍ୟା ପାଖାପାଖି ୧.୫ କୋଟିରେ ପହଞ୍ଚିଛି, ଯାହା ରାଜ୍ୟରେ କୌଣସି ଗୋଟିଏ ଅପରେଟରଙ୍କ କ୍ଷେତ୍ରରେ ସର୍ବାଧିକ ଏବଂ ଓଡ଼ିଶାରେ ମୋଟ ଗ୍ରାହକ ବଜାରରେ ରିଲାଏନ୍ସ ଜିଓର ଅଂଶ ୪୩%ରୁ ଅଧିକ ରହିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଜିଓ ସମଗ୍ର ରାଜ୍ୟରେ ତାହାର ସମ୍ପୂର୍ଣ୍ଣ ୪ଜି ମୋବାଇଲ ନେଟୱର୍କକୁ ସମ୍ପ୍ରସାରିତ କରୁଛି ଏବଂ ରାଜ୍ୟରେ ଏପର୍ଯ୍ୟନ୍ତ ଟେଲିଯୋଗାଯୋଗ ସେବାର ଲାଭ ପାଇପାରିନଥିବା ଦୁର୍ଗମ ଅଞ୍ଚଳଗୁଡିକୁ ସଂଯୁକ୍ତ କରୁଛି। ଏହାଦ୍ୱାରା ଜନସାଧାରଣଙ୍କ ବିଶେଷକରି ଛାତ୍ରଛାତୀଙ୍କ ପାଇଁ ଖୁସି ଆଣିଦେଉଛି ଏବଂ କନ୍ଧମାଳ, ଗଜପତି, ଝାରସୁଗୁଡା, ରାୟଗଡା, କୋରାପୁଟ, କେନ୍ଦୁଝର ଏବଂ ସୁନ୍ଦରଗଡ ଆଦି ଜିଲ୍ଲାର ଭୌଗୋଳିକ ଦୃଷ୍ଟିରୁ ଜଟିଳ ଅଞ୍ଚଳଗୁଡିକର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଅନ୍‌ଲାଇନ କ୍ଲାସରେ ଯୋଗଦେଇପାରୁଛନ୍ତି। ଜିଓ ମଧ୍ୟ ନିକଟରେ ସର୍ବଭାରତୀୟ ନିଲାମ ପ୍ରକ୍ରିୟାରେ ହାସଲ କରିଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମକୁ ସମଗ୍ର ଓଡ଼ିଶାରେ ମୁତୟନ କରିବା କାର୍ଯ୍ୟ ସଫଳତାର ସହିତ ଶେଷ କରିଛି ଏବଂ ତାହାଦ୍ୱାରା ରାଜ୍ୟରେ ନେଟୱର୍କ, ବେଗ ଏବଂ ଗ୍ରାହକ ଅନୁଭୂତି ଅଧିକ ସମୃଦ୍ଧ ହୋଇଛି।

୨୦୨୧ ଜୁନ୍ ମାସ ପାଇଁ ଟ୍ରାଇ ପକ୍ଷରୁ ପ୍ରକାଶିତ ସଦ୍ୟତମ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ଜୁନ୍ ମାସରେ ଓଡ଼ିଶାରେ ସର୍ବାଧିକ ୨,୫୨,୮୭୮ ଗ୍ରାହକ ଯୋଗ କରିଥିବାବେଳେ ଏହା ପଛକୁ ଏୟାରଟେଲ୍ ୧,୧୩,୩୪୨ ଗ୍ରାହକ ଯୋଗ କରିଛି । ସେହି ସମୟରେ ବିଏସଏନଏଲ ମାତ୍ର ୧୨,୦୯୦ ଗ୍ରାହକ ଯୋଗ କରିଥିବାବେେ. ସେହି ସମାନ ମାସରେ ଭୋଡାଫୋନ ଆଇଡିଆ ୬୪,୨୯୩ ଗ୍ରାହକ ହରାଇଛି। ରାଜ୍ୟରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ଜୁନ୍ ମାସରେ ୩,୧୩,୯୧୭ ବୃଦ୍ଧିପାଇ ୨୦୨୧ ଜୁନ୍ ୩୦ ସୁଦ୍ଧା ୩.୪୮ କୋଟିରେ ପହଞ୍ଚିଥବା ଟ୍ରାଇ ପ୍ରଦତ୍ତ ତଥ୍ୟରୁ ଜଣାଯାଇଛି।

ଋାଷ୍ଟ୍ରୀୟ ସ୍ତରରେ ମଧ୍ୟ ଜିଓ ୨୦୨୧ ଜୁନ୍ ମାସରେ ଗ୍ରାହକ ଯୋଗ କରିବାରେ ନିଜର ଆଧିପତ୍ୟ ବଜାୟ ରଖି ସର୍ବାଧିକ ୫.୫ ନିୟୁତ ଗ୍ରାହକ ଯୋଗ କରିଥିବା ଟ୍ରଇ ପ୍ରକାଶ କରିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ରିଲାଏନ୍ସ ଜିଓ ୧ ନମ୍ବର ଡିଜିଟାଲ ସେବା ଯୋଗାଣକାରୀ ଏବଂ ଏହାର ରାଜ୍ୟରେ ସର୍ବାଧିକ ସଂଖ୍ୟକ ଗ୍ରାହକ ସହିତ ରାଜ୍ୟରେ ଦୂରସଂଚାର କ୍ଷେତ୍ରରେ ଆୟ ହେଉଥିବା ମୋଟ ରାଜସ୍ୱରେ ୫୦%ରୁ ଅଧିକ ଅଂଶ ରହିଛି। ଜିଓ ନିଜର ସର୍ବବୃହତ ଟ୍ରୁ-୪ଜି ନେଟୱର୍କ, ଏପର୍ଯ୍ୟନ୍ତ ଅସଂଯୁକ୍ତ ଥିବା ଅଞ୍ଚଳଗୁଡିକୁ ଦ୍ରୁତ ସମ୍ପ୍ରସାରଣ ଏବଂ ସୁଲଭ ମୂଲ୍ୟ ସହିତ ତ୍ରୁଟିଶୂନ୍ୟ ହାଇ-ସ୍ପିଡ ଇଂଟରନେଟ ସେବା ପାଇଁ ଗତ କିଛିବର୍ଷ ଧରି ପ୍ରତି ମାସରେ ନିରନ୍ତର ଭାବରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଗ କରିଆସୁଛି। ଜିଓ ତାହାର ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବରର ମଧ୍ୟ ଦ୍ରୁତ ସମ୍ପ୍ରସାରଣ କରିଛି ଏବଂ ଏହା ରାଜ୍ୟରେ ୨୭ଟି ପ୍ରମୁଖ ସହର ଓ ନଗରରେ ମୁଖ୍ୟ ଅଂଚଳଗୁଡିକରେ ଉପଲବ୍ଧ ହେଉଛି ତଥା ଦ୍ରୁତ ଗତିରେ ରାଜ୍ୟର ଅନ୍ୟାନ୍ୟ ସହର ଓ ନଗରଗୁଡିକୁ ସମ୍ପ୍ରସାରଣ ଜାରି ରଖିଛି।

ଟ୍ରାଇ ପକ୍ଷରୁ ୨୦୨୧ ଜୁନ୍ ମାସ ପାଇଁ ପ୍ରକାଶିତ ଓୟାର୍‌ଲାଇନ ଗ୍ରାହକ ତଥ୍ୟ ଅନୁଯାୟୀ ୨୦୨୧ ଜୁନ୍ ୩୦ ସୁଦ୍ଧା ରାଜ୍ୟରେ ଜିଓର ୬୩,୬୪୫ ଜିଓଫାଇବର ଗ୍ରାହକ ରହିଥିବା ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ୨୫ ହଜାର ୪୬୭ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୫ ହଜାର ୪୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୪ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୨୪ ଲକ୍ଷ ୭୪ ହଜାର ୭୭୩ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୫ ହଜାର ୧୧୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୭ ଲକ୍ଷ ୨୦ ହଜାର ୧୧୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୧୯  ହଜାର ୫୫୧ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୬୨୫ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୬୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୬୬ ଜଣ ଚିହ୍ନଟ ହୋଇଥିବା ବେଳେ ୨୫୯ ଟି ଲୋକାଲ କେସ୍‌ ରହିଛ। ୬୨୫ ଆକ୍ରାନ୍ତଙ୍କ ମଧ୍ୟରୁ ୮୮ ଜଣ ୦ ରୁ ୧୮ ବର୍ଷ ବର୍ଗର ପିଲାମାନେ ଆକ୍ରାନ୍ତ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨ ହଜାର ୩୨୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୮୬ ହଜାର ୩୩୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮ ହଜାର ୪୪୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୪୨୩ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୨୬ ଟି ଜିଲ୍ଲାରୁ ୬୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୨୧୪ ଜଣ, କଟକ ଜିଲ୍ଲାରୁ ୫୬ ଜଣ, ଅନୁଗୁଳ ଜିଲ୍ଲାରୁ ୧୮, ବାଲେଶ୍ଵର ଜିଲ୍ଲାରୁ ୫୦ ଜଣ, ବରଗଡ ଜିଲ୍ଲାରୁ ୬, ଭଦ୍ରକ ଜିଲ୍ଲାରୁ ୮ ଜଣ, ଦେବଗଡ ଜିଲ୍ଲାରୁ ୯ ଜଣ, ଢେଙ୍କାନାଳ ଜିଲ୍ଲାରୁ ୬ ଜଣ, ଗଜପତି ଜିଲ୍ଲାରୁ ୨, ଗଞ୍ଜାମ ଜିଲ୍ଲାରୁ ୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୩୮ ଜଣ, ଯାଜପୁର ଜିଲ୍ଲାରୁ ୩୪ ଜଣ, ଝାରସୁଗୁଡା ଜିଲ୍ଲାରୁ ୩, କଳାହାଣ୍ଡି ଜିଲ୍ଲାରୁ ୩ ଜଣ, କନ୍ଧମାଳ ଜିଲ୍ଲାରୁ ୨, କେନ୍ଦ୍ରାପଡା ଜିଲ୍ଲାରୁ ୯ ଜଣ, କେନ୍ଦୁଝର ଜିଲ୍ଲାରୁ ୧୮ ଜଣ, କୋରାପୁଟ ଜିଲ୍ଲାରୁ ୧୧, ମାଲକାନଗିରି ଜିଲ୍ଲାରୁ ୧, ମୟୂରଭଞ୍ଜ ଜିଲ୍ଲାରୁ ୭ ଜଣ, ନୟାଗଡ ଜିଲ୍ଲାରୁ ୧୦ ଜଣ, ନୂଆପଡା ଜିଲ୍ଲାରୁ ୧, ପୁରୀ ଜିଲ୍ଲାରୁ ୨୯ ଜଣ, ରାୟଗଡା ଜିଲ୍ଲାରୁ ୧୨ ଜଣ, ସମ୍ବଲପୁର ଜିଲ୍ଲାରୁ ୧୮ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୬ ଜଣ ଏବଂ ଷ୍ଟେଟ ପୁଲରୁ ୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ

ଓଡିଆ ମନୋରଂଜନ ଜଗତରେ ସୃଷ୍ଟି ହେବ ହଇଚଇ, ଷ୍ଟାର ଟିଭି ଆଣୁଛି ଦୁଇଟି ନୂଆ ଓଡିଆ ଚ୍ୟାନେଲ

ନୂଆଦିଲ୍ଲୀ, ଓଡିଶା ମନୋରଂଜନ ଜଗତରେ ଆସିଛୁ ଆଉ ଏକ ବଡ ବିପ୍ଲବ। ତାହା ହେଲା ଦେଶର ନାମଜାଦା ମନୋରଂଜନ ଧର୍ମି ଟିଭି କଂପାନୀ ‘ଷ୍ଟାର ଇଣ୍ଡିଆ’ ଓଡିଶାରେ ଖୋଲୁଛି ଦୁଇଟି ନୂଆ ଚ୍ୟାନେଲ। ତାହାର ନାମ ହେଲା ‘ଷ୍ଟାର କିରଣ’ ଏବଂ ‘ଷ୍ଟାର କିରଣ ଏଚଡି’। ଏହି ଦୁଇଟି ଚ୍ୟାନେଲକୁ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ତରଫରୁ ଲାଇସେନସ ପ୍ରଦାନ କରାଯାଇଛି।

ଷ୍ଟାର ଟିଭି ବର୍ତ୍ତମାନ ବିଶ୍ବର ନାମଜାଦା ଟେଲିଭିଜନ କଂପାନୀ ଡିଜିନ୍ ଦ୍ବାରା ପରିଚାଳିତ ହେଉଛି। ଏହି କଂପାନୀକୁ ଚାରୋଟି ଚ୍ୟାନେଲ ପାଇଁ ଲାଇସେନସ ମିଳିଛି। ଓଡିଶା ପାଇଁ ଏହି ଦୁଇଟି ସହିତ ଷ୍ଟାର ସ୍ପୋର୍ଟସ ୱାନ ତେଲୁଗୁ ଏବଂ ଷ୍ଟାର ଗୋଲ୍ଡ ଫାମିଲି ଲାଇସେନସ ହାସଲ କରିଛି।

ଏହି ଦୁଇଟି ଚ୍ୟାନେଲ ପାଇଁ ଲାଇସେନସ ମିଳିବା ପୂର୍ବରୁ କଂପାନୀ ଏହାର ପ୍ରସ୍ତୁତି ଆରମ୍ଭ କରିସାରିଛି। ଏ ନେଇ କଂପାନୀର କୋଲକାତା ଏବଂ ମୁମ୍ବାଇ ଅଧିକାରୀମାନେ ଦୁଇଥର ଓଡିଶା ଆସି ଓଡିଆ ଟେଲିଭିଜନ ପ୍ରଯୋଜକଙ୍କ ସହିତ ଆଲୋଚନା କରି ସାରିଲେଣି। କଣ ଏବଂ କି ପ୍ରକାରର ନୂଆ ନୂଆ କାର୍ଯ୍ୟକ୍ରମ ଓ ଧାରାବାହିକ ହେବ ସେ ନେଇ ବୈଠକ ହୋଇ ସାରିଛି। ଫଳରେ କଂପାନୀ ଏକ ବ୍ୟବସାୟିକ ଢଙ୍ଗରେ ଚ୍ୟାନେଲ ଆରମ୍ଭ କରିବା ବୋଲି ଜଣାପଡିଛି।

ବର୍ତ୍ତମାନ ଓଡିଶାରେ ପାଞ୍ଚୋଟି ମନୋରଂଜନ ଧର୍ମି ଚ୍ୟାନେଲ ପ୍ରସାରଣ ହେଉଛି। ସେଗୁଡିକ ହେଲା ଜୀ ସାର୍ଥକ, ତରଙ୍ଗ ଟିଭି, ମଞ୍ଜରୀ ଟିଭି, କଲରସ ଓଡିଆ ଏବଂ ସିଦ୍ଧାର୍ଥ ଟିଭି। ସେଥିମଧ୍ୟରୁ କେବଳ ଜୀ ସାର୍ଥକ ଏବଂ କଲରସ ଓଡିଆ ହେଉଛି ଜାତୀୟ ସ୍ତରର ମନୋରଂଜନ ଧର୍ମି ଚ୍ୟାନେଲ। ଓଡିଶାରେ ଷ୍ଟାରର ଏହି ଦୁଇଟି ନୂଆ ଚ୍ୟାନେଲର ପ୍ରସାରଣ ଆରମ୍ଭ ହେଲେ ଏହି ସଂଖ୍ୟା ସାତ ହେବ।

ଦୀର୍ଘବର୍ଷ ଧରି ଓଡିଶାର ମନୋରଂଜନ ବଜାରରେ ଜୀ ସାର୍ଥକ ଏବଂ ତରଙ୍ଗ ଟିଭି ସେମାନଙ୍କ ଆଧିପତ୍ୟ ବିସ୍ତାର କରି ରହିଛନ୍ତି। ଅନ୍ୟ ଚ୍ୟାନେଲଗୁଡିକ ସେହିପରି ଆକର୍ଷଣୀୟ କାର୍ଯ୍ୟକ୍ରମ ଦେବାରେ ବିଫଳ ହୋଇଛନ୍ତି। କଲରସ ଓଡିଆ ଭାରତର ନାମଜାଦା ଭାୟାକମ-18 କଂପାନୀର ହୋଇଥିଲେ ମଧ୍ୟ କର୍ତ୍ତୁପକ୍ଷ ଓଡିଆ ଚ୍ୟାନେଲ ପ୍ରତି ସେମିତି ଗୁରୁତ୍ବ ପ୍ରଦାନ କରୁ ନାହଁନ୍ତି। ଫଳରେ ଓଡିଆ ଦର୍ଶକଙ୍କୁ ନୂଆନୂଆ କାର୍ଯ୍ୟକ୍ରମ ଦେବାରେ ଏହି ଚ୍ୟାନେଲଟି ମଧ୍ୟ ବିଫଳ ହୋଇଛି। ସେହିପରି ଓଡିଶା ମିଡିଆ ଜଗତର ନାମାଜାଦା ବ୍ୟକ୍ତିତ୍ବ ସୌମ୍ୟରଂଜନ ପଟ୍ଟନାୟକଙ୍କ ଦ୍ବାରା ପରିଚାଳିତ ମଂଜରୀ ଟିଭି ମଧ୍ୟ ଭଲ ପ୍ରଦର୍ଶନ କରିପାରୁ ନାହିଁ।

ଓଡିଶାର ମନୋରଂଜନ ଶିଳ୍ପର ଅନ୍ୟତମ ପ୍ରମୁଖ ବ୍ୟକ୍ତିତ୍ବ ସୀତାରାମ ଅଗ୍ରୱାଲା ମଧ୍ୟ ନୂଆ ଚ୍ୟାନେଲ ବଜାରକୁ ଆଣିଛନ୍ତି। ଯାହାର ନାମ ରହିଛି ସିଦ୍ଧାର୍ଥ ଟିଭି। ପୂର୍ବରୁ ସୀତାରାମ ସାର୍ଥକ ଟିଭି ପ୍ରତିଷ୍ଠା କରି ବେଶ୍ ଲୋକପ୍ରିୟ କରାଇ ପାରିଥିଲେ। ଯାହା ପରବର୍ତ୍ତି ସମୟରେ ଜୀ ଏଣ୍ଟରଣ୍ଟେନମେଣ୍ଟ କଂପାନୀକୁ ବିକ୍ରି କରିଦେଲେ। ବର୍ତ୍ତମାନ ଏହା ‘ଜୀ ସାର୍ଥକ’ ଭାବେ ପ୍ରସାରଣ ହେଉଛି। ତେବେ ସୀତାରାମଙ୍କ ସିଦ୍ଧାର୍ଥ ଟିଭି ନୂଆ ଭାବେ ବଜାର ପ୍ରବେଶ କରିଥିବାରୁ ଏହା ଲୋକପ୍ରିୟତା ହାସଲ କରିବା ଅପେକ୍ଷାରେ ରହିଛି।

ତେବେ ଏସବୁ ପ୍ରତିଯୋଗୀତା ଭିତରେ ଷ୍ଟାର କିରଣ ନିଶ୍ଚିତ ଭାବେ ଓଡିଶା ମନୋରଂଜନ ବଜାରରେ ହଇଚଇ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ଷ୍ଟାର କିରଣ ଏଚଡି ଚ୍ୟାନେଲ ଓଡିଶା ବଜାର ପାଇଁ ଏକ ନୂଆ ଇତିହାସ ସୃଷ୍ଟି କରିବ। କାରଣ ବର୍ତ୍ତମାନ ଜାତୀୟ ତଥା ଅନେକ ଆଞ୍ଚଳିକ ଭାଷାରେ ଏଚଡି ବା ହାଇ ଡେଫିନେସନ ଚ୍ୟାନେଲ ରହିଥିଲେ ମଧ୍ୟ ଓଡିଶାରେ ଏହା ନାହିଁ। ଷ୍ଟାର କିରଣ ଏଚଡି ଚ୍ୟାନେଲ ନିଶ୍ଚିତ ଭାବେ ଓଡିଶା ଦର୍ଶକଙ୍କୁ ଏକ ନୂଆ ସ୍ବାଦ ପ୍ରଦାନ କରିବ।

(ଏଥିରେ ବ୍ୟବହାର କରାଯାଇଥିବା ଫଟୋଟି ସୋସିଆଲ ମିଡିଆରୁ ସଂଗ୍ରହ କରାଯାଇଛି। ଏହା କଂପାନୀ ଘୋଷିତ ଲୋଗୋ ନୁହେଁ)

Categories
ଆଜିର ଖବର ଧର୍ମ

ରାଶିଫଳ: ଅଗଷ୍ଟ 24 ତାରିଖ ମଙ୍ଗଳବାରରେ ସାତୋଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଖୋଲିଲା

ମେଷ : ଜୀବନସାଥୀଙ୍କ ଉପରେ ପାରସ୍ପରିକ ଦୟା ରହିବ ।  ଶୀଘ୍ର ଟଙ୍କା ନଷ୍ଟ ହୋଇପାରେ। ବ୍ୟବସାୟ ବୃଦ୍ଧି ପାଇବ। ଚାକିରିରେ ଶାନ୍ତି ରହିବ। ବିନିଯୋଗ ଲାଭଦାୟକ ହେବ। କାମ ଶିଘ୍ର ସରିଯିବ। ଘର ବାହାରେ ସୁଖ ଏବଂ ଶାନ୍ତି ରହିବ । ମନର ଅସ୍ଥିରତାକୁ ନିୟନ୍ତ୍ରଣ କରନ୍ତୁ । ଆଇନଗତ ପ୍ରତିବନ୍ଧକ ହଟାଇବା ପରେ ପରିସ୍ଥିତି ଅନୁକୂଳ ହେବ।

ବୃଷ : ଅଂଶୀଦାରମାନଙ୍କ ସହଯୋଗକୁ ଠିକ୍ ସମୟରେ ପାଇ ଖୁସି ହେବେ । ଚାକିରିରେ ଆପଣ ଅଧସ୍ତନଙ୍କ ସମର୍ଥନ ପାଇବେ । ବ୍ୟବସାୟ ଭଲ ହେବ । ସ୍ଥିର ସମ୍ପତ୍ତି କ୍ରୟ ଏବଂ ବିକ୍ରୟ ଏକ ବଡ଼ ଲାଭ ଦେଇପାରେ । ପ୍ରତିଦ୍ୱନ୍ଦ୍ୱିତା ହେବ । ଆୟ ବୃଦ୍ଧି ପାଇବ । ଆଘାତ ଏବଂ ରୋଗ ବାଧା ଦେଇପାରେ । ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ ।

ମିଥୁନ : ବୈଦ୍ଧିକ କାର୍ଯ୍ୟ ସଫଳ ହେବ । ଆପଣ ଜଣେ ଜ୍ଞାନୀ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପାଇବେ। ଚାକିରିରେ ସୁସଙ୍ଗତତା ରହିବ । ପାର୍ଟି ଏବଂ ପିକନିକ୍ ଯୋଜନା କରାଯିବ। ସାଙ୍ଗମାନଙ୍କ ସହିତ ଭଲ ସମୟ ଅତିବାହିତ ହେବ । ସୁସ୍ବାଦୁ ଖାଦ୍ୟ ଉପଭୋଗ କରନ୍ତୁ । ତୁମର ବକ୍ତବ୍ୟକୁ ନିୟନ୍ତ୍ରଣ କର । ଶତ୍ରୁମାନେ ସକ୍ରିୟ ରହିବେ । ପତିପତ୍ନୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ ।

କର୍କଟ : ବ୍ୟବସାୟରେ କୈଣସି ସନ୍ତୋଷ ରହିବ ନାହିଁ । ଅଂଶୀଦାରମାନଙ୍କ ସହିତ ପାର୍ଥକ୍ୟ ହୋଇପାରେ । ବିପଦପୂର୍ଣ୍ଣ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ବ୍ୟସ୍ତ ହୁଅ ନାହିଁ । ଘର ବାହାରେ ଅଶାନ୍ତି ଦେଖାଯିବ। କାର୍ଯ୍ୟ ବାଧାପ୍ରାପ୍ତ ହେବ । ଚାକିରିରେ ଆୟ ଏବଂ କାର୍ଯ୍ୟ ଭାର ହ୍ରାସ ପାଇବ । ଅନାବଶ୍ୟକ ଲୋକମାନେ ଯୁକ୍ତି ଭିତରକୁ ଯାଇପାରନ୍ତି । ଦୁଃଖଦ ଖବର ପାଇ ନକାରାତ୍ମକତା ବୃଦ୍ଧି ପାଇବ ।

ସିଂହ : ଆପଣ ସାଙ୍ଗମାନଙ୍କ ସହିତ ସହଯୋଗ କରିବାକୁ ସମର୍ଥ ହେବେ। ଋଣରେ ହ୍ରାସ ଘଟିବ । ତୃପ୍ତି ହେବ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ବ୍ୟବସାୟ ସୁରୁଖୁରୁରେ ଚାଲିବ । ଆପଣ ଆପଣଙ୍କର ପ୍ରଭାବ ବୃଦ୍ଧି କରିପାରିବେ । ଚାକିରିରେ ସୁସଙ୍ଗତତା ରହିବ । ବିନିଯୋଗ ଭଲ ହେବ । ବିପଦପୂର୍ଣ୍ଣ ଏବଂ ବନ୍ଧକ କାର୍ଯ୍ୟ କରନ୍ତୁ ନାହିଁ । ପ୍ରୟାସ ସଫଳ ହେବ । କୈଣସି ବଡ କାମର ସମସ୍ୟା ଦୂର ହେବ ।

କନ୍ୟା : ସହକର୍ମୀମାନେ ଆପଣଙ୍କୁ କାର୍ଯ୍ୟରେ ସାହାଯ୍ୟ କରିବେ । ବ୍ୟବସାୟରେ ତତ୍ପର ହୁଅନ୍ତୁ ନାହିଁ । ଆଘାତ ଏବଂ ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ । ଲାଭ ସୁଯୋଗ ଆସିବ । ଘର ବାହାରେ ପରିସ୍ଥିତି ଅନୁକୂଳ ହେବ। ସୁଖର ପରିବେଶ ରହିବ । ଜିନିଷଗୁଡିକ ସହଜ ରଖନ୍ତୁ। ଦୂରରୁ ସୁସମାଚାର ଗ୍ରହଣ କରାଯିବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ ।

ତୂଳା : ତୁମ ଜୀବନ ସାଥୀଠାରୁ ସମର୍ଥନ ପାଇବେ । ବ୍ୟବସାୟ ଯାତ୍ରା ସଫଳ ହେବ । ଅପ୍ରତ୍ୟାଶିତ ଲାଭର ସମ୍ଭାବନା ଅଛି । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । ବ୍ୟବସାୟ ଭଲ ହେବ । ଚାକିରିରେ ଅଧିକାର ବୃଦ୍ଧି ପାଇପାରେ । ଜୁଆ ଖେଳ, ବେଟିଂ ଏବଂ ଲଟେରୀର ଜାଲରେ ପଡ଼ନ୍ତୁ ନାହିଁ । ବିନିଯୋଗ ଭଲ ହେବ । ପ୍ରଲୋଭିତ ହୁଅ ନାହିଁ । ଉତ୍ତେଜନାକୁ ନିୟନ୍ତ୍ରଣ କରନ୍ତୁ ।

ବିଛା : ଆୟରେ ନିଶ୍ଚିତତା ରହିବ । ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ । ଯଦି କୌଣସି ବ୍ୟବସ୍ଥା ନାହିଁ, ତେବେ ଅସୁବିଧା ହେବ । ବ୍ୟବସାୟ ହ୍ରାସ ପାଇବ । ଚାକିରିରେ ବିବାଦ ହୋଇପାରେ । ଅଂଶୀଦାରମାନଙ୍କ ସହିତ ପାର୍ଥକ୍ୟ ହୋଇପାରେ । ତୁମେ କ୍ଳାନ୍ତ ଅନୁଭବ କରିବ । ଆଶା କରାଯାଉଥିବା କାର୍ଯ୍ୟରେ ବାଧା ଆସିବ । ଚିନ୍ତା ଏବଂ ଟେନସନ ହେବ ।

ଧନୁ : ବିନା ପ୍ରଶ୍ନରେ କାହାକୁ ପରାମର୍ଶ ଦିଅନ୍ତୁ ନାହିଁ । ଦେୟ ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ । ବ୍ୟବସାୟ ଯାତ୍ରା ଅନୁକୂଳ ହେବ । ସେଠାରେ ଟଙ୍କା ରହିବ । ରିସ୍କ ନେବାକୁ ସାହସ କର । ଅଜ୍ଞାତ ଭୟ ଏବଂ ଚିନ୍ତା ରହିବ । ଯାତ୍ରା ସଫଳ ହେବ । ଆଖି ଯନ୍ତ୍ରଣା ହୋଇପାରେ । କାରବାରରେ ସାବଧାନ ରୁହନ୍ତୁ ।

ମକର : ପ୍ରତିଷ୍ଠା ବୃଦ୍ଧି ପାଇବ । ସୁଖର ମାଧ୍ୟମ ସଂଗ୍ରହ ହେବ । ଚାକିରିରେ ପ୍ରାଧାନ୍ୟ ରହିବ। ଆୟର ଉତ୍ସ ବୃଦ୍ଧି ପାଇପାରେ । ବ୍ୟବସାୟ ଲାଭଦାୟକ ହେବ । ବିନିଯୋଗ ଭଲ ହେବ । ଘର ବାହାରେ ସହଯୋଗ ଏବଂ ସୁଖରେ ବୃଦ୍ଧି ଘଟିବ । ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। କାର୍ଯ୍ୟ କ୍ଷେତ୍ରରେ ଉନ୍ନତି କରିବ । ସାମାଜିକ କାର୍ଯ୍ୟ କରିବାକୁ ଇଚ୍ଛା ଜାଗ୍ରତ ହେବ ।

କୁମ୍ଭ : ଲାଭ ପାଇଁ ସୁଯୋଗ ଆସିବ । ସୁଖର ପରିବେଶ ରହିବ । ଆପଣ ଅଧସ୍ତନମାନଙ୍କ ସମର୍ଥନ ପାଇବେ । ଏକ ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ଆସିପାରେ । ଅନ୍ୟର କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ପୂଜାପାଠ ଏବଂ ସତସଙ୍ଗରେ ଆଗ୍ରହ ରହିବ । ସେଠାରେ ଶାନ୍ତି ହେବ। କୋର୍ଟର କାର୍ଯ୍ୟ ଅନୁକୂଳ ହେବ ।

ମୀନ : ବ୍ୟବସାୟ ଭଲ କରିବ । ବନ୍ଧୁ ଏବଂ ସମ୍ପର୍କୀୟମାନେ ସାହାଯ୍ୟ କରିବେ । ଆୟ ଜାରି ରହିବ । ରିସ୍କ ନିଅ ନାହିଁ । କ୍ରୋଧ ଏବଂ ଉତ୍ତେଜନାକୁ ନିୟନ୍ତ୍ରଣ କରନ୍ତୁ । ବିବାଦକୁ ଉତ୍ସାହିତ କରନ୍ତୁ ନାହିଁ । ପୁରୁଣା ରୋଗ ଅବରୋଧର କାରଣ ହେବ । ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ ହେବ । ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ଅସାବଧାନ ହୁଅନ୍ତୁ ନାହିଁ । ଏକ ଛୋଟ ଭୁଲ ସମସ୍ୟାକୁ ବଢାଇପାରେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାର ରେଳ ବିକାଶର ବିସ୍ତୁତ ସମୀକ୍ଷା କରି ନୂଆଦିଲ୍ଲୀ ଫେରିଗଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର, ଓଡିଶା ପରିଦର୍ଶନ ସମାପ୍ତ କରି ନୂଆଦିଲ୍ଲୀ ଯିବା ପୂର୍ବରୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକଙ୍କ ସହିତ ଭୁବନେଶ୍ୱର ଠାରେ ସମୀକ୍ଷା କରି ବନ୍ଦର ଏବଂ ଶିଳ୍ପସଂସ୍ଥା ଗୁଡିକୁ ରେଳ ସଂଯୋଗ ସମ୍ବନ୍ଧରେ ସମୀକ୍ଷା କରିଥିଲେ।

ପୂର୍ବରୁ ବଲାଙ୍ଗୀର ଏବଂ ଭବାନୀପାଟଣା ଗସ୍ତ ସମୟରେ ରେଳମନ୍ତ୍ରୀ ରେଳ ଅଧିକାରୀଙ୍କ ସହ ପ୍ରକଳ୍ପ ଗୁଡିକର ସମୀକ୍ଷା କରି କହିଛନ୍ତି ଯେ ରାଜ୍ୟରେ ଚାଲିଥିବା ରେଳ ପ୍ରକଳ୍ପକୁ ଶୀଘ୍ର ନିର୍ମାଣ କାର୍ଯ୍ୟ ପାଇଁ ପ୍ରାଥମିକତା ଦିଆଯାଉଛି।

ଖୋର୍ଦ୍ଧା ରୋଡ୍-ବାଲାଙ୍ଗୀର ରେଳ ଲାଇନ ପାଇଁ କାର୍ଯ୍ୟ ଉଭୟ ପାର୍ଶ୍ୱରୁ ନିର୍ମାଣ କାର୍ଯ୍ୟ କରାଯାଉଅଛି ଯାହାକି ଦ୍ରୁତଗତିରେ ନିର୍ମାଣ ହୋଇ ଶୀଘ୍ର ସମାପ୍ତ ହୋଇପାରିବ। ବିଛୁପାଲ୍ଲୀରୁ ସୋନପୁର ଏବଂ ମହିପୁରରୁ ନୂଆଗାଁ ଦଶପଲ୍ଲା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଆମକୁ ସମସ୍ତ ସଂସ୍ଥା ମାନଙ୍କର ସହଯୋଗ ଆବଶ୍ୟକ।

ବଲାଙ୍ଗୀର-ନୁଆପଡା ରେଳ ଲାଇନ ଉପରେ ଏକ ଦାବି ଉପରେ ବୈଷ୍ଣବ କହିଛନ୍ତି ଯେ ଏହାର ଉପଯୁକ୍ତ ସ୍ତରରେ ସମୀକ୍ଷା କରାଯିବ ଏବଂ ଏହା ଉପରେ ସମ୍ଭାବ୍ୟତାକୁ ଦୃଷ୍ଟିରେ ରଖି ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ, ନର୍ଲାରେ ଲୋକୋ ମରାମତିକୁ ପ୍ରାଥମିକତା ଦିଆଯିବ।

ରେଳମନ୍ତ୍ରୀ ମଧ୍ୟ ବଲାଙ୍ଗୀର ରେଳ ଷ୍ଟେସନରେ ଟ୍ରାକମ୍ୟାନଙ୍କ ସହ କଥାବାର୍ତ୍ତା କରି ବିଭିନ୍ନ ପ୍ରତିକୂଳ ପରିବେଶରେ ସେମାନଙ୍କର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ରେଳ ମନ୍ତ୍ରୀ ମଧ୍ୟ ବଲାଙ୍ଗୀର ଷ୍ଟେସନ ଠାରେ ମହିଳା ଅପେକ୍ଷା କକ୍ଷକୁ ଯାଞ୍ଚ କରି ଯାତ୍ରୀ ପରିଷେବା ଯାଞ୍ଚ କରିବା ସହିତ ଷ୍ଟେସନ ମାଷ୍ଟରଙ୍କ ସହ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ, ପ୍ଲଟ ଫର୍ମ ୩ ର ଅପର ପାର୍ଶ୍ୱରେ ଥିବା ଜମି ବିଷୟରେ ପଚାରିଥିଲେ ଏବଂ ଅନ୍ୟାନ୍ୟ ସୁବିଧା ସମୀକ୍ଷା କରିଥିଲେ।

୨ୟ ଶ୍ରେଣୀ ଅପେକ୍ଷା ଗୃହରେ ଶୌଚାଳୟ ଯାଞ୍ଚ କରିବା ଏବଂ ଷ୍ଟେସନରେ ପରିଷ୍କାର ପରିଚ୍ଛନ୍ନତା ଉପରେ ମନ୍ତ୍ରୀ ଷ୍ଟେସନ କର୍ତ୍ତୃପକ୍ଷଙ୍କୁ ସ୍ୱଚ୍ଛତା ପାଇଁ ପ୍ରଶଂସା କରିଥିଲେ। ଏହା ବ୍ୟତୀତ ସେ ଷ୍ଟେସନରେ ଚା ’ଷ୍ଟଲ ଏବଂ ଅନ୍ୟାନ୍ୟ ଷ୍ଟଲଗୁଡ଼ିକୁ ମଧ୍ୟ ଯାଇ ନିରୀକ୍ଷଣ କରିବା ସହିତ ଷ୍ଟେସନରେ ସେମାନଙ୍କ ଷ୍ଟଲ ସନ୍ନିକଟ ଅଞ୍ଚଳକୁ ସଫା ରଖିବା ସେମାନଙ୍କର ଦାୟିତ୍ ବୋଧ ରହିବା ଉଚିତ ବୋଲି ସେମାନଙ୍କୁ ବୁଝାଇଥିଲେ। ରେଳମନ୍ତ୍ରୀ ମଧ୍ୟ ବେଞ୍ଚରେ ବସିଥିବା ଲୋକଙ୍କ ସହ ପ୍ରତ୍ୟକ୍ଷ ଭାବେ ଯୋଗାଯୋଗ କରି ସେମାନଙ୍କଠାରୁ ଟ୍ରେନ ଓ ଯାତ୍ରୀ ପରିଷେବା ସମ୍ବନ୍ଧରେ ମତାମତ ନେଇଥିଲେ।

ଓଡ଼ିଶାର ପଛୁଆ ଅଞ୍ଚଳ ଯଥା ରାୟଗଡା, କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲା ସହିତ ଅନୁନ୍ନତ ଓ ପଛୁଆ ଅଞ୍ଚଳ ଗସ୍ତର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ ବୈଷ୍ଣବ କହିଛନ୍ତି ଯେ ସେ କେବିକେ ଅଞ୍ଚଳ ବୁଲି ଦେଖି ବିଭିନ୍ନ ସମସ୍ୟା ପ୍ରତି ଅବଗତ ହେବା ଏବଂ ଏହି ଅଞ୍ଚଳର ବିକାଶ ଦିଗରେ କିଭଳି ଭାବେ ସମାଧାନ କରାଯାଇପାରିବ ସେଥିପ୍ରତି ଦୃଷ୍ଟି ରଖି ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶୃତି ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଇଏନଏସ ଚିଲିକା ପରିଦର୍ଶନ କଲା ପ୍ରତିରକ୍ଷା ସଂପର୍କିତ ସଂସଦୀୟ ସ୍ଥାୟୀ କମିଟି

ସୀତାରାମ ଅଗ୍ରୱାଲ

ଚିଲିକା: ସଂସଦର ଷ୍ଟାଣ୍ଡିଂ କମିଟି ଅଫ ଡିଫେନ୍ସ (ଏସସିଓଡ଼ି ) ଆଜି ଭାରତୀୟ ନୌସେନାର ପ୍ରତିଷ୍ଠିତ ପ୍ରାରମ୍ଭିକ ନାବିକ ତାଲିମ ଅନୁଷ୍ଠାନ ଆଇଏନଏସ ଚିଲିକା ପରିଦର୍ଶନ କରିଛନ୍ତି। ପ୍ରତିରକ୍ଷା ନିମନ୍ତେ ପ୍ରତିରକ୍ଷା ନୀତିର ତଦାରଖ ତଥା ପ୍ରତିରକ୍ଷା ମନ୍ତ୍ରାଳୟ ନିଷ୍ପତ୍ତି ଗ୍ରହଣ ଉଦ୍ଦେଶ୍ୟରେ ଭାରତୀୟ ସଂସଦ ଦ୍ୱାରା ଗଠିତ ସଂସଦର ମନୋନୀତ ସଦସ୍ୟଙ୍କ ଏକ ବିଭାଗ ସମ୍ବନ୍ଧୀୟ ଷ୍ଟାଣ୍ଡିଂ କମିଟି ହେଉଛି ଉକ୍ତ ‘ସଂସଦୀୟ ଷ୍ଟାଣ୍ଡିଂ କମିଟି ଅଫ ଡିଫେନ୍ସ’।

ଏକ ମିଳିତ ବିଶ୍ୱସନୀୟ ତଥା ଯୁଦ୍ଧ ପ୍ରସ୍ତୁତ ନୌସେନାର ବୃହତ ଲକ୍ଷ୍ୟ ହାସଲ ଦିଗରେ ସ୍ଥାପିତ ଉନ୍ନତ ପ୍ରଶିକ୍ଷଣ ସୁବିଧା ଉପରେ ଏକ ପ୍ରେରଣା ସହିତ ଭାରତୀୟ ନୌସେନାର ସାଂପ୍ରତିକ ବିକାଶର ସମୀକ୍ଷା କରିବାକୁ ଏହି ଟିମ୍ ଲକ୍ଷ ନେଇ ଆସିଥିଲା। ଆଇଏନଏସ ଚିଲିକା ହେଉଛି ଭାରତୀୟ ନୌସେନାର ଏକମାତ୍ର ପ୍ରାରମ୍ଭିକ ଟ୍ରେନିଂ ପ୍ରତିଷ୍ଠାନ, ଯାହାକି ବାର୍ଷିକ ୬୬୦୦ରୁ ଅଧିକ ସାମୁଦ୍ରିକ ଯୋଦ୍ଧାଙ୍କୁ ନିଯୁକ୍ତି ଦେଇଥାଏ।

ଏସସିଓଡ଼ି ଅଧ୍ୟକ୍ଷ ତଥା ମାନ୍ୟବର ସାଂସଦ ଜୁଏଲ ଓରାମଙ୍କ ନେତୃତ୍ୟରେ କମିଟିକୁ ଅତ୍ୟାଧୁନିକ କୌଶଳର ବୈଷୟିକ ପ୍ରଗତି ଦୃଷ୍ଟିରୁ ପ୍ରତିରକ୍ଷା କର୍ମଚାରୀଙ୍କ ପାଇଁ ପ୍ରଶିକ୍ଷଣର ନବୀକରଣ ବିଷୟରେ ଏସସିଓଡ଼ି କୁ ଅବଗତ କରାଇବା ପାଇଁ ଏକ ଉପସ୍ଥାପନା କରାଯାଇଥିଲା। ଯୁଗ୍ମ ସଚିବ (ନୌସେନା) ଏମଓଡ଼ି ଏବଂ ମୁଖ୍ୟ କର୍ମଚାରୀ ଅଧିକାରୀ(ତାଲିମ୍), ମୁଖ୍ୟାଳୟ ସାଉଥ ନାଭାଲ କମାଣ୍ଡ,କୋଚି ସହିତ କମାଣ୍ଡିଙ୍ଗ ଅଫିସର ଆଇଏନଏସ ଚିଲିକାଙ୍କ ସହ କମିଟି ସଦସ୍ୟଙ୍କ ଆଲୋଚନା ପରେ ଏହି ଉପସ୍ଥାପନା କରାଯାଇଥିଲା।

ମାତୃଭୂମି ପାଇଁ ନିଜ ଜୀବନକୁ ବାଜି ଲଗାଇ ସର୍ବୋଚ୍ଚ ବଳିଦାନ ଦେଇଥିବା ଆଇଏନଏସ ଚିଲିକାର ଦୃଷ୍ଟାନ୍ତ ମୂଳକ ଆଲୁମିନିକୁ ସ୍ମରଣ କରି ଏସସିଓଡ଼ି ସଦସ୍ୟ ମାନେ ଯୁଦ୍ଧ ସ୍ମାରକ ‘ପ୍ରେରଣା ସ୍ଥଳ’ରେ ପତିତ ନାବିକ ମାନଙ୍କୁ ପ୍ରଣାମ କରିଥିଲେ। ପରେ ସେମାନେ ବିଭିନ୍ନ ତାଲିମ ସୁବିଧା, ଏବଂ ପ୍ରଶିକ୍ଷାର୍ଥୀମାନଙ୍କ ରହିବା ସ୍ଥାନ ପରିଦର୍ଶନ କରିଥିଲେ। ସାମୁଦ୍ରିକ ଯୋଦ୍ଧା ହେବାପାଇଁ କ୍ୟାଡ଼େଟ ମାନଙ୍କୁ ତାଲିମ ଦେବାରେ ଭାରତୀୟ ନୌସେନା ଦ୍ୱାରା ନିଆଯାଇଥିବା ପ୍ରୟାସକୁ ଏସସିଓଡ଼ି ସଦସ୍ୟମାନେ ପ୍ରଶଂସା କରିଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜମ୍ମୁ କାଶ୍ମୀର: ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଲେ ଆଉ ଦୁଇ ଆତଙ୍କି

ଶ୍ରୀନଗର: ଜମ୍ମୁ କାଶ୍ମୀର ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି। ଶ୍ରୀନଗରର ଆଲୋଚି ବାଗ ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ଗୁଳିରେ ଦୁଇଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି। ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (କାଶ୍ମୀର) ବିଜୟ କୁମାର କହିଛନ୍ତି ଯେ, ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନର ବରିଷ୍ଠ କମାଣ୍ଡର ଲଶ୍କର/ଟିଆରଏଫ୍ ଅବ୍ବାସ ଶେଖ ଏବଂ ତାଙ୍କ ସହଯୋଗୀ (ଡେପୁଟି) ଶାକିବ ମଞ୍ଜୁରଙ୍କୁ ହତ୍ୟା କରାଯାଇଛି। ଏହି ଅଞ୍ଚଳରେ ସେମାନଙ୍କ ଉପସ୍ଥିତି ବିଷୟରେ ଆମେ ଅବଗତ ଥିଲୁ। ସାଦା ୟୁନିଫର୍ମରେ ଥିବା ପୋଲିସ କର୍ମଚାରୀମାନେ ତୁରନ୍ତ ଏହି ଅଞ୍ଚଳକୁ ଘେରି ରହି ଆତଙ୍କବାଦୀଙ୍କୁ ଚ୍ୟାଲେଞ୍ଜ କରିଥିଲେ।

କୁମାର କହିଛନ୍ତି ଯେ, “ଅବ୍ବାସ ଶେଖଙ୍କ ନିର୍ଦ୍ଦେଶରେ ଶାକିବ ମଞ୍ଜୁର ଅନେକ ହତ୍ୟା କରିଥିଲା। ସେମାନେ ଏହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲେ। ”ଯୁବକମାନଙ୍କୁ ଅସ୍ତ୍ରଶସ୍ତ୍ର ଧରିବା ପାଇଁ ପ୍ରବର୍ତ୍ତାଉଥିବାରୁ ଅଞ୍ଚଳର ଲୋକମାନେ ଅସନ୍ତୋଷ ପ୍ରକାଶ କରୁଥିଲେ।

ଏହି ସମୟରେ ଶ୍ରୀନଗରରେ ଆତଙ୍କ ସହ ଜଡିତ ଆଉ ଏକ ଘଟଣା ଘଟିଥିଲା। ଯେଉଁଠାରେ ଆତଙ୍କବାଦୀମାନେ ପୁରୁଣା ଶ୍ରୀନଗରର ଇଦଗାହ ​​ଅଞ୍ଚଳରେ ଗ୍ରେନେଡ ସାହାଯ୍ୟରେ ସିଆରପିଏଫ ବଙ୍କର ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ଯବାନ ଆହତ ହୋଇଥିଲେ।

ତେବେ ଅଗଷ୍ଟ ୨୧ତାରିଖରେ ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ତିନି ଜଣ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ଡ.ମୋହନ ଭାଗବତଙ୍କ ୫ ଦିନିଆ ଓଡିଶା ଗସ୍ତ

ଭୁବନେଶ୍ୱର, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ ୫ ଦିନିଆ ଓଡିଶା ଗସ୍ତରେ ଆସି ୨୪ ତାରିଖ ଦିନ ରାତିରେ ଭୁବନେଶ୍ୱରରେ ପହଁଚିବେ । ସେ ପାଂଚ ଦିନିଆ ଓଡିଶା କାର୍ଯ୍ୟକ୍ରମ ସାରି ଅଗଷ୍ଟ ୨୯ ତାରିଖ ଦିନ ଓଡିଶାରୁ ପ୍ରତ୍ୟାବର୍ତନ କରିବେ ବୋଲି ସଂଘର ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ରବିନାରାୟଣ ପଣ୍ଡା ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ, ଡ. ଭାଗବତ ତାଙ୍କ ପ୍ରବାସ ସମୟରେ ଓଡିଶାର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସାକ୍ଷାତ କରିବେ । ଅଗଷ୍ଟ ୨୬ ତାରିଖ ଦିନ ପୁରୀ ଯାଇ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହିତ ଗୋବର୍ଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରିବେ । ଏହା ପରେ ସଂଘର ବିଭିନ୍ନ ବୈଠକରେ ଯୋଗଦେବେ ।

ଏହି ବୈଠକରେ ସାଧାରଣତଃ ସାଂଗଠନିକ ବିଷୟ ଉପରେ ଧ୍ୟାନ ଦିଆଯିବ । ଏଥି ସହିତ କରୋନା ସଂକ୍ରମଣରେ ପୀଡିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସ୍ୱୟଂସେବକମାନଙ୍କ ଦ୍ୱାରା କରାଯାଇଥିବା ରାଜ୍ୟବ୍ୟାପୀ ସେବା କାର୍ଯ୍ୟର ସମୀକ୍ଷା କରାଯିବ । ତଥା ସମ୍ଭାବ୍ୟ ତୃତୀୟ ଲହର ପ୍ରଭାବକୁ ଆକଳନ କରିବା ସହିତ, ଏଥିପାଇଁ ଆବଶ୍ୟକ କାର୍ଯ୍ୟ ଯୋଜନା ଉପରେ ବିଚାର କରାଯିବ । ଏହି ପରିପ୍ରେକ୍ଷୀରେ ଆବଶ୍ୟକ ପ୍ରଶିକ୍ଷଣ (ତାଲିମ) ଏବଂ ପ୍ରସ୍ତୁତି ଉପରେ ମଧ୍ୟ ବିଚାର କରାଯିବ । କୋଭିଡ-୧୯ ନିୟମ ପାଳନ ପୂର୍ବକ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କରୋନା କାରଣରୁ କୌଣସି ସାଧାରଣ ସଭା ଅନୁଷ୍ଠିତ ହେବ ନାହିଁ ।

Categories
ଆଜିର ଖବର ରାଜ୍ୟ ଖବର

ଫରୱାର୍ଡ଼ ବ୍ଲକ ତରଫରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର: ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସର ବର୍ଦ୍ଧିତ ଦରକୁ ଅବିଳମ୍ବେ ପ୍ରତ୍ୟାହାର କରିବା, ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା, ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଘରୋଇକରଣ ବନ୍ଦ କରିବା, କୋଭିଡ଼ କ୍ଷତିଗ୍ରସ୍ତଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ କରିବା, ସମ୍ବିଧାନ, ଗଣତନ୍ତ୍ର ଓ ଧର୍ମନିରପେକ୍ଷର ସୁରକ୍ଷା କରିବା, କୃଷି ଓ କୃଷକ ବିରୋଧୀ ତିନିଗୋଟି କଳା କୃଷି ଆଇନକୁ ସମ୍ପୂର୍ଣ୍ଣ ବାତିଲ କରିବା, ସମସ୍ତଙ୍କୁ ମାଗଣା କୋଭିଡ଼ ଭ୍ୟାକ୍ସିନ ପ୍ରଦାନ କରିବା, ରାଫେଲ ଓ ପେଗାସେସ ଘଟଣାର ଜଏଣ୍ଟ ପାର୍ଲ୍ୟାମେଣ୍ଟାରୀ କମିଟି ଦ୍ୱାରା ତଦନ୍ତ କରାଇବା, ସମସ୍ତ ବେକାର ଯୁବକଙ୍କୁ କର୍ମନିଯୁକ୍ତି ନଚେତ ବେକାରୀ ଭତ୍ତା ପ୍ରଦାନର ବ୍ୟବସ୍ଥା କରିବା ଦାବିରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ତରଫରୁ ରାଜଭବନ ସମ୍ମୁଖରେ ପ୍ରତିବାଦ, ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।

ଫରୱାର୍ଡ଼ ବ୍ଲକର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ବିକ୍ଷୋଭରେ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ରାଜ୍ୟନେତା ସର୍ବେଶ୍ୱର ମିଶ୍ର, ଜିତେନ୍ଦ୍ରୀୟ ବେହେରା, ରାଜୀବ ଖାଡ଼େଙ୍ଗା, ନାରାୟଣ ଡ଼ାଳୁଆ, ସୁଶିଲ ଥାନପତ, ସୋମାନଥ ଖିଲ, ବେଣୁଥର ହରିଚନ୍ଦନ, ଆଲୋକ ମହାପାତ୍ର, ମୁନା ନାୟକ, ମହିଳା ନେତ୍ରୀ ମଧୁଛନ୍ଦା ପଟ୍ଟନାୟକ, ବନଲତା ବେହେରା, ଭାନୁମତୀ କାଣ୍ଡି ପ୍ରମୁଖ ନେତୃତ୍ୱ ନେଇଥିଲେ।

କେନ୍ଦ୍ର ସରକାର ଶାସନ କ୍ଷମତାକୁ ଆସିବା ପରେ ବିଭିନ୍ନ ଜନବିରୋଧୀ କାର୍ଯ୍ୟ କରି ଭାରତବର୍ଷର ସାଧାରଣ ମଣିଷର ଜୀବନଯାତ୍ରାକୁ ଦୁର୍ବିସୟ କରିସାରିଲେଣି। ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡ଼ିକର ଆକାଶଛୁଆ ଦରଦାମ ବୃଦ୍ଧି ଫଳରେ ଜନଗଣ ଅକଥନୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସମସ୍ତ କ୍ଷେତ୍ରରେ ବିଫଳ କେନ୍ଦ୍ରର ମୋଦି ସରକାର ଶାସନ କ୍ଷମତାରେ ରହିବାର ନୈତିକତା ହରାଇ ସାରିଲେଣି ବୋଲି ନିଜ ବକ୍ତବ୍ୟରେ ବକ୍ତାମାନେ ଅଭିଯୋଗ କରିଥିଲେ।

ପରେ ବିକ୍ଷୋଭସ୍ଥଳରୁ ଏକ ପ୍ରତିନିଧି ମଣ୍ଡଳୀ ରାଜଭବନ ଯାଇ ମହାମହୀମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Categories
ଆଞ୍ଚଳିକ

ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲ ପକ୍ଷରୁ ଡ଼ାକ୍ତରଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, କରୋନାର ସଙ୍କଟମୟ ସମୟରେ ଦେବଦୂତ ଭଳି କାର୍ଯ୍ୟ କରିଥିବା ବରିଷ୍ଠ ଡ଼ାକ୍ତର କର୍ଣ୍ଣେଲ ବିରଞ୍ଚି ନାରାୟଣ ପାଣିଙ୍କୁ ଗତକାଲି ରକ୍ଷାବନ୍ଧନର ପବିତ୍ର ଅବସରରେ ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଉତ୍ତରୀୟ ଓ ବ୍ୟାଚ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ସେ ଭାବବିହ୍ୱଳ ହୋଇ କହିଥିଲେ ଯେ, ଭଗବାନ ଆମକୁ ଯେଉଁ ବିଦ୍ୟାରେ ପ୍ରବୀଣ କରିଛନ୍ତି, ତାହାକୁ ଆମେ କେବଳ ପ୍ରୟୋଗ କରିଛୁ । ସମସ୍ତ ଡ଼ାକ୍ତରଙ୍କର ନିଷ୍ଠାପର ଉଦ୍ୟମକୁ ସେ ପ୍ରଶଂସା
କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ଆରତୀ ଜ୍ଞାନେନ୍ଦ୍ର, ଶ୍ରୀମତୀ ବିୟୋତପ୍ରଜ୍ଞା ତ୍ରିପାଠୀ, ଶ୍ରୀମତୀ ବିଜ୍ଞାନ ପ୍ରଜ୍ଞା ତ୍ରିପାଠୀ, ଶ୍ରୀମତୀ ନନ୍ଦିନୀ ଜେନା, ବିଜୟ କୁମାର ଜେନା ଓ ଶ୍ରୀମତୀ ଅତସୀ ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମଟି ୨୪, କୋକିଳା କଟେଜ, ସୁନ୍ଦରପଦାଠାରେ ଅନୁଷ୍ଠିତ ହୋଇଥିଲା । ଶେଷରେ ଫ୍ୟାଶନ ଡ଼ିଜାଇନର ସବ୍ୟସାଚୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ: ଭୁବନେଶ୍ୱରର ବିଭିନ୍ନ ରାସ୍ତା ଏବଂ ଡ୍ରେନେଜ ସମସ୍ୟାର ସମାଧାନ ଦାବି

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି, ଭୁବନେଶ୍ୱର, ଶ୍ରୀକୃଷ୍ଣ ମଣ୍ଡଳ ସଭାପତି ଅଞ୍ଜନ ନାଥଙ୍କ ନେତୃତ୍ୱରେ ଆଜି ଦିବା ୧୧ ଘଟିକା ସମୟରେ ଜୟଦେବ ବିହାର ଛକଠାରୁ ଶହ ଶହ ସଂଖ୍ୟାର ବିଜେପି କାର୍ଯ୍ୟକର୍ତ୍ତାମାନେ ମେ ଫେୟାର ହୋଟେଲ ଛକ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୱାର୍ଡ଼ ନଂ-୨୭ ଅଞ୍ଚଳରେ ବିଜୁ ପଟ୍ଟନାୟକ କଲେଜ ଛକ ଠାରୁ ନେଇ ମେ ଫେୟାର ହୋଟେଲ ଛକ ପର୍ଯ୍ୟନ୍ତ ରାସ୍ତାରେ ବିଭିନ୍ନ ଜାଗାରେ ଖାଲ ହୋଇଅଛି। ଯାହାଫଳରେ କି ପ୍ରତିଦିନ ସେହି ରାସ୍ତାରେ ଯାଉଥିବା ବାଟୋଇମାନେ ସେହି ଖାଲରେ ପଡ଼ି କ୍ଷତବିକ୍ଷତ ହେଉଛନ୍ତି।

ତା ସହିତ ଏକାମ୍ର କାନନ ପାର୍କ ପାଖରୁ ଜୟଦେବ ବିହାର ଛକ ପର୍ଯ୍ୟନ୍ତ ମୁଖ୍ୟ ଡ୍ରେନେଜ ବିଭିନ୍ନ ଜାଗାରେ ଅଣଚଉଡ଼ା ହୋଇଯିବା ହେତୁ ଲେନ୍‌-୩ ଏବଂ ଲେନ୍‌-୪ ଅଞ୍ଚଳରେ ରହୁଥିବା ବାସିନ୍ଦାମାନଙ୍କ ଘର ଭିତରେ ପାଣି ପଶିଯାଉଛି। ଯାହାଫଳରେ କି ଲେନ୍‌-୩, ଲେନ୍‌-୪ରେ ରହୁଥିବା ବାସିନ୍ଦାମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲେନ୍‌-୩, ଲେନ୍‌-୪ରେ ରହୁଥିବା ବରିଷ୍ଠ ନାଗରିକମାନେ ବିଏମ୍‌ସି ଠାରୁ ଆରମ୍ଭ କରି ବିଧାୟକ, ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବରେ ଜଣାଇଛନ୍ତି।

ଉପର ଲିଖିତ ସମସ୍ୟାଗୁଡ଼ିକୁ ନେଇ ପୂର୍ବରୁ ଭାରତୀୟ ଜନତା ପାର୍ଟି, ଭୁବନେଶ୍ୱର ଶ୍ରୀକୃଷ୍ଣ ମଣ୍ଡଳ ମଧ୍ୟ ଆନ୍ଦୋଳନ କରିଥିଲେ। ଯଦି ଏହି ସମସ୍ୟାର ସମାଧାନ କରାନଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।

ଏହି ସଭାରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତି ବାବୁ ସିଂ, ଉତ୍ତର ନିର୍ବାଚନ ମଣ୍ଡଳୀର ନେତା ତଥା ରାଜ୍ୟ ପ୍ରବକ୍ତା ଦିଲ୍ଲିପ ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ଦିଲ୍ଲିପ ବେହେରା, ଅଭିଷେକ ଆଚାର୍ଯ୍ୟ, ହିମାଂଶୁ ଛୋଟରାୟ, ପ୍ରମୋଦିପ ସିଦ୍ଦିକ ଖାନ୍‌, ବଟକୃଷ୍ଣ ରାଉତ, ସୁଧାଂଶୁ ସାମଲ ପ୍ରମୁଖ କାର୍ଯ୍ୟକର୍ତ୍ତା ବକ୍ତବ୍ୟ ରଖିଥିଲେ। ଶେଷରେ ମଣ୍ଡଳ ସାଧାରଣ ସମ୍ପାଦକ ସ୍ୱପ୍ନେନ୍ଦୁ ମହାନ୍ତି ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

Categories
ଜୀବନ ଶୈଳୀ ବିଶେଷ ଖବର ରାଜ୍ୟ ଖବର

ଯଦି ଆପଣଙ୍କ ସାଥୀଙ୍କ ଏହି ସବୁ ଅଭ୍ୟାସ ଅଛି, ତେବେ ନିଅନ୍ତୁ ନାହିଁ ବିବାହ କରିବାର ନିଷ୍ପତ୍ତି

ନୂଆଦିଲ୍ଲୀ: ଦୀର୍ଘ ସମୟ ଧରି ସମ୍ପର୍କ ରଖିବା ପରେ ପ୍ରେମୀଯୁଗଳ ବିବାହ କରିବାକୁ ସ୍ଥିର କରନ୍ତି। ଯଦି ଆପଣ ମଧ୍ୟ ପ୍ରେମ ସଂପର୍କରେ ଅଛନ୍ତି ଏବଂ ଆପଣ ମଧ୍ୟ ନିଜ ସାଥୀଙ୍କୁ ବିବାହ କରିବା ପାଇଁ ଆଗ୍ରହ ରଖିଛନ୍ତି। କିଛି ଜିନିଷ ଅଛି ଯାହା ବିବାହ ପୂର୍ବରୁ ଆପଣଙ୍କୁ ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନଚେତ୍ ବିବାହ ପରେ ଆପଣଙ୍କୁ ଅସୁବିଧା ହୋଇପାରେ।

କୌଣସି ଏକ ଭଲ କଥା ପାଇଁ ଯଦି ଜଣେ ସାଥି ବାଧା ଦେଇଥାଏ, ତେବେ ତାହା ଭଲ କଥା। କିନ୍ତୁ ବିନା କାରଣରେ କୌଣସି କଥାକୁ ବୁଝି ଯଦି ଜଣେ ସାଥୀ ଅନ୍ୟକୁ ବାରମ୍ବାର ବାଧା ଦିଏ କିମ୍ବା ଓଲଟା ପ୍ରତିକ୍ରିୟା କରେ, ତେବେ ତାହା ଆଦୌ ଭଲ ହୋଇନଥାଏ। ଏଭଳି ସମସ୍ୟା ବାରମ୍ବାର ହେଉଥିଲେ, ଏହା ଭବିଷ୍ୟତରେ ଅନେକ ଅସୁବିଧା ସୃଷ୍ଟି କରିପାରେ। ଯଦି ଜଣେ ସାଥି ଅନ୍ୟ ସାଥି ଉପରେ ସନ୍ଦେହ କରି ପ୍ରତ୍ୟେକ ଘଟଣା ଉପରେ ନଜର ରଖେ, ତେବେ ଶୀଘ୍ର ବିବାହର ନିଷ୍ପତ୍ତି ନିଅନ୍ତୁ ନାହିଁ।

ଯଦି ଜଣେ ସାଥୀ ଭ୍ରମଣ କରିବାକୁ ପସନ୍ଦ କରେ, ପାର୍ଟୀ କରିବାକୁ ପସନ୍ଦ କରେ, କିନ୍ତୁ ବିବାହ ପ୍ରସଙ୍ଗରେ ଦ୍ୱନ୍ଦ୍ୱରେ ପଡେ, ତେବେ ବିବାହର ନିଷ୍ପତ୍ତି ନେବା ପୂର୍ବରୁ ଚିନ୍ତା କରିବା ଉଚିତ୍। ଯଦିଓ କୌଣସି ମଣିଷ ଏକା ଭଳି ନୁହଁନ୍ତି, କିନ୍ତୁ ଯଦି ଦୁହେଁ ପ୍ରତ୍ୟେକ ଜିନିଷରେ ପରସ୍ପରର ବିପରୀତ, ତେବେ ବିବାହ ପରବର୍ତ୍ତୀ ଜୀବନରେ କଳହ ଝଗଡା ସମ୍ଭାବନା ଥାଏ, ତେଣୁ ବିବାହ ପୂର୍ବରୁ ଚିନ୍ତା କରିବା ଆବଶ୍ୟକ।

Categories
ବିଶେଷ ଖବର ରାଜ୍ୟ ଖବର

୫-ଟି ରେ ସ୍କୁଲ ରୂପାନ୍ତରଣ, ଦ୍ବିତୀୟ ପର୍ଯ୍ୟାୟରେ ହିଞ୍ଜିଳିର ଆଉ ୧୦ଟିକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୦ଟି ରୂପାନ୍ତରୀତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ୫ଟି ପର୍ଯ୍ୟାୟରେ ୫୦ଟି ସ୍କୁଲର ଲୋକାର୍ପଣ କରାଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି ଯେ ଆମର ଓଡିଶାର ପିଲାମାନେ ପ୍ରତିଭାରେ କାହା ଠାରୁ କମ୍ ନୁହନ୍ତି। ସେମାନଙ୍କ ପାଖରେ ଭରପୁର ସମ୍ଭାବନା ରହିଛି। ସୁଯୋଗ ପାଇଲେ ସେମାନେ ଇତିହାସ ସୃଷ୍ଟି କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ପ୍ରସଙ୍ଗରେ ହକି ଖେଳର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ହକି ଖେଳରେ ଆମର ପ୍ରଚୁର ସମ୍ଭାବନା ଥିଲା। ଯେତେବେଳେ ସେମାନଙ୍କୁ ପ୍ରୋତ୍ସାହନ ମିଳିଲା, ସେମାନେ ଦୀର୍ଘ ୪୧ ବର୍ଷ ପରେ ଅଲମ୍ପିକରେ ମେଡାଲ ଜିତି ଆମ ପାଇଁ ଗୌରବ ଆଣିଲେ। ଓଡିଶା ସରକାର ହକିକୁ ପ୍ରାୟୋଜିତ କରୁଛି। ଓଡିଶାର ଦୁଇ ଜଣ ଖେଳାଳୀ ଦେଶପାଇଁ ଖେଳି ଆମର ମର୍ଯ୍ୟାଦା ବଢାଇଛନ୍ତି। ତେଣୁ ସବୁ କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା ଉପରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଗୁରୁତ୍ବ ଆରୋପ କରିଥିଲେ।

ଆଜି ଲୋକାର୍ପିତ ହୋଇଥିବା ବିଦ୍ୟାଳୟ ଗୁଡିକ ହେଉଛି

(୧) ବୃନ୍ଦାବନ ନାୟକ ସ୍ମୃତି ବିଦ୍ୟାପୀଠ, ଶାସନ ଆମ୍ବଗାଁ ପଞ୍ଚାୟତ
(୨) କୁମାରପାଣି ହାଇସ୍କୁଲ, କୁମାରପାଣି ପଞ୍ଚାୟତ
(୩) ସରକାରୀ ୟୁଜି ହାଇସ୍କୁଲ, ସାପୁଆପଲ୍ଲୀ, ଦାରୁଭଦ୍ର ପଞ୍ଚାୟତ
(୪) ଲାଞ୍ଜିଆପଲ୍ଲୀ ହାଇସ୍କୁଲ, ଧନତରା ପଞ୍ଚାୟତ
(୫) ଗ୍ରାମପଞ୍ଚାୟତ ହାଇସ୍କୁଲ, ଶାହାପୁର ପଞ୍ଚାୟତ
(୬) କରଡ଼କଣା ହାଇସ୍କୁଲ, କରଡକଣା ପଞ୍ଚାୟତ
(୭) ଭଗବତୀ ବିଦ୍ୟାପୀଠ, ବୁରୁପଦ ପଞ୍ଚାଯତ
(୮) ସହିଦ୍‌ ହାଇସ୍କୁଲ, ଟକରଡା ପଞ୍ଚାୟତ
(୯) ମା କାଳୀ ହାଇସ୍କୁଲ, କୁଳାଗଡା ପଞ୍ଚାୟତ
(୧୦) ଜେ.ସି.ସି. ହାଇସ୍କୁଲ, ଭାବନ୍ଧ ପଞ୍ଚାୟତ

ପିଲାମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ହେଉଛି ସମସ୍ତଙ୍କ ଜୀବନର ଶ୍ରେଷ୍ଠ ସମୟ। ଏହି ରୂପାନ୍ତର ତୁମ ମାନଙ୍କ ପାଇଁ । ତୁମମାନଙ୍କ ଭବିଷ୍ୟତ ପାଇଁ ଏବଂ ତୁମମାନଙ୍କୁ ଶ୍ରେଷ୍ଠ ଗଢିବା ପାଇଁ ଏହା ଅନେକ ସୁଯୋଗ ସୃଷ୍ଟି କରିବ । ୫-ଟି କାର୍ଯ୍ୟକ୍ରମ ଏହି ରୂପାନ୍ତରୀକରଣ ରେ କିପରି ପ୍ରମୁଖ ଭୂମିକା ନେଇଛି ସେ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ 5Tର ପ୍ରତ୍ୟେକ ନୀତିର ପ୍ରୟୋଗ ବିଦ୍ୟାଳୟ ରୂପାନ୍ତରଣ କୁ ସଫଳ କରିଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟରେ ଆଗ୍ରହ ସୃଷ୍ଟି କରିଛି। ଅତିଥି ଭାବରେ ଯୋଗ ଦେଇଥିବା ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ ଓ ବିଧାୟକ ମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିରୁ ଆରମ୍ଭ ହୋଇଥିବା ସ୍କୁଲ ମାନଙ୍କର ଏ ରୂପାନ୍ତରଣ ଓଡ଼ିଶାର ଶିକ୍ଷା ଇତିହାସ ରେ ଏକ ଗୌରବ ମୟ ଅଧ୍ୟାୟ ଯୋଡ଼ି ପାରିଛି।

ମନ୍ତ୍ରୀ ଓ ବିଧାୟକମାନେ ସେମାନଙ୍କ ଅଞ୍ଚଳରେ ଏହି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ କିପରି ଭଲ ଭାବରେ କାର୍ଯ୍ୟକାରୀ ହେବ, ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହାସହିତ ସ୍ଥାନୀୟ ଜନସାଧାରଣଙ୍କୁ ସାମିଲ କରି ଗଞ୍ଜାମରେ ଯେପରି ସଫଳତା ମିଳିଛି, ଅନ୍ୟ ସବୁ ଜିଲ୍ଲାରେ ମଧ୍ୟ ସେହିପରି ଲୋକଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ପରିଶେଷରେ ଜନସାଧାରଣ ରୂପାନ୍ତରଣ ହୋଇଥିବା ସ୍କୁଲ ଗୁଡିକର ଯତ୍ନ ନିଜ ସଂପତ୍ତି ପରି ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏହି ଅବସରରେ ୧୦ଟି ଯାକ ସ୍କୁଲରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଯୋଗ ଦେଇଥିଲେ ମନ୍ତ୍ରୀମଣ୍ଡଳର ସଦସ୍ୟ ,ବିଧାୟକଗଣ, ସରପଞ୍ଚ, ପଞ୍ଚାୟତ ସଦସ୍ୟ, ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ।

କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ୫-ଟି ସଚିବ ଭି କେ ପାଣ୍ଡିଆନ୍ । ଗଞ୍ଜାମ ଜିଲ୍ଳାପାଳ ସ୍ଵାଗତ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଗଞ୍ଜାମ ର ଛାତ୍ରଛାତ୍ରୀ ଅଭିଭାବକ ଓ ସାଧାରଣ ଲୋକଙ୍କ ମନରେ ବିପୁଳ ଉତ୍ସାହ ସୃଷ୍ଟି କରିଛି।

ମୀରା ସ୍ବାଇଁ ତୃପ୍ତି ମୟୀ ମହାରଣା, ଶଙ୍କର ଜେନା ,ସ୍ମୃତି ମୟୀ ପ୍ରଧାନ , ରେଶମା ଦାସ, ସୁଇଟି ତ୍ରିପାଠୀ, ପାୟଲ ଗୌଡ଼ ଓ ରୁଦ୍ର ନାରାୟଣ ଶତପଥୀ ପ୍ରମୁଖ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନେ ଏହା ସେମାନଙ୍କ ଆତ୍ମବିଶ୍ବାସ ବୃଦ୍ଧି ରେ ସହାୟକ ହେବ ବୋଲି ମତ ଦେଇ ଆନନ୍ଦ ପ୍ରକାଶ କରିଥିଲେ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ

ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ପ୍ରତାପ ଜେନା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମନ୍ତ୍ରୀ ଅଶୋକ ପଣ୍ଡା ମନ୍ତ୍ରୀ, ରଘୁନନ୍ଦନ ଦାସ ଓ ବିଧାୟକ ମାନେ ଯୋଗ ଦେଇ ହିଞ୍ଜିଳି ବିକାଶ ସମ୍ପର୍କରେ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଲୋକସେବା ଭବନରୁ ମୋ ସ୍କୁଲର ଅଧ୍ୟକ୍ଷ ସସ୍ମିତା ବାଗଚୀ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀ ମାନେ ଯୋଗଦେଇ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧ ହଜାର ୩୨ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୩୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୯୩, କଟକରୁ ୧୩୪, ବାଲେଶ୍ବରରୁ ୬୬, ଜଗତସିଂହପୁରରୁ ୪୧, ସମ୍ବଲପୁରରୁ ୩୯, ମୟୂରଭଞ୍ଜରୁ ୩୭, ଅନୁଗୁଳରୁ ୩୦, ଯାଜପୁରରୁ ୨୩, ସୁନ୍ଦରଗଡରୁ ୨୩, କେନ୍ଦ୍ରାପଡାରୁ ୨୨, ଭଦ୍ରକରୁ ୨୦, ନୟାଗଡରୁ ୨୦, ବରଗଡରୁ ୧୯, ରାୟଗଡାରୁ ୯, କଳାହାଣ୍ଡିରୁ ୭, ନୂଆପଡାରୁ ୬, ଦେବଗଡରୁ ୫, ଗଞ୍ଜାମରୁ ୫, କନ୍ଧମାଳରୁ ୫, କେନ୍ଦୁଝରରୁ ୫, ଝାରସୁଗୁଡାରୁ ୪, ବୌଦ୍ଧରୁ ୩, ମାଲକାନଗିରିରୁ ୩, ବଲାଙ୍ଗୀରିରୁ ୨, କୋରାପୁଟରୁ ୨, ନବରଙ୍ଗପୁରରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୯୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୮୬ ହଜାର ୩୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧ ହଜାର ୬୯୮ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭ ହଜାର ୮୮୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୪୨୬ କୁ ବୃଦ୍ଧି ହୋଇଛି।