Categories
ଜାତୀୟ ଖବର ଧର୍ମ ବିଶେଷ ଖବର

ଅଯୋଧ୍ୟା କାମର ସମୀକ୍ଷା କଲେ ପ୍ରଧାନମନ୍ତୀ, ବିଶ୍ବ ପର୍ଯ୍ୟଟନ ସ୍ଥଳ କରିବାକୁ ନିଆଗଲା ନୂଆ ନିଷ୍ପତି

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟାର ବିକାଶ ଯୋଜନା ସମୀକ୍ଷା କରିଛନ୍ତି। ଏହି ଅବସରରେ ଉତ୍ତର ପ୍ରଦେଶର ସରକାରଙ୍କ ଅଧିକାରୀମାନେ ଏକ ଉପସ୍ଥାପନା କରିଥିଲେ ଯେଉଁଥିରେ ଅଯୋଧ୍ୟା ବିକାଶର ବିଭିନ୍ନ ଦିଗକୁ ପ୍ରଦର୍ଶିତ କରାଯାଇଥିଲା। ଅଯୋଧ୍ୟାର ବିକାଶ ପରିକଳ୍ପନା ଏକ ଆଧ୍ୟାତ୍ମିକ କେନ୍ଦ୍ର, ବିଶ୍ବ ପର୍ଯ୍ୟଟନ କେନ୍ଦ୍ର ଏବଂ ଦୀର୍ଘସ୍ଥାୟୀ ସ୍ମାର୍ଟ ସିଟି ରୂପରେ କରାଯାଉଛି।

ଅଯୋଧ୍ୟାକୁ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଆଗାମୀ ଓ ପ୍ରସ୍ତାବିତ ଭିତ୍ତିଭୂମି ପ୍ରକଳ୍ପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ବୈଠକରେ ବିମାନ ବନ୍ଦର, ରେଳ ଷ୍ଟେସନର ସମ୍ପ୍ରସାରଣ, ବସ୍ ଷ୍ଟେସନ, ସଡ଼କ ଓ ରାଜପଥ ଭଳି ବିଭିନ୍ନ ମୌଳିକ ଭିତ୍ତିଭୂମି ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଆଗାମୀ ଦିନରେ ନିର୍ମାଣ ହେବାକୁ ଥିବା ଗ୍ରୀନଫିଲ୍ଡ ଟାଉନସିପ୍ ବିଷୟରେ ବିସ୍ତାର ପୂର୍ବକ ବିଚାରବିମର୍ଶ କରାଯାଇଥିଲା, ଯେଉଁଥିରେ ଶ୍ରଦ୍ଧାଳୁମାନଙ୍କ ରହିବା ଲାଗି ସୁବିଧା, ଆଶ୍ରମ, ମଠ, ହୋଟେଲ ଏବଂ ବିଭିନ୍ନ ରାଜ୍ୟଗୁଡ଼ିକର ଭବନ ନିମନ୍ତେ ସ୍ଥାନ ସାମିଲ ରହିଛି। ଏଠାରେ ପର‌୍ୟ୍ୟଟନ ସହାୟତା କେନ୍ଦ୍ର ଓ ବିଶ୍ବସ୍ତରୀୟ ସଂଗ୍ରହାଳୟ ମଧ୍ୟ ନିର୍ମାଣ କରାଯିବ।
ସରଯୁ ନଦୀ ଏବଂ ଏହାର ଘାଟଗୁଡ଼ିକର ଆଖପାଖରେ ମୌଳିକ ଭିତ୍ତିଭୂମିର ବିକାଶ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ସରଯୁ ନଦୀରେ ପରିଭ୍ରମଣ ପରିଚାଳନା (କ୍ରୁଜ୍ ଅପରେସନ) ଏକ ନିୟମିତ ସୁବିଧା ଭାବେ ପ୍ରଦାନ କରାଯିବ।

ସାଇକେଲ ଚାଳକ ଓ ପାଦରେ ଚାଲିବାକୁ ଥିବା ଲୋକମାନଙ୍କ ପାଇଁ ଯଥେଷ୍ଟ ସ୍ଥାନ ଉପଲବ୍ଧତା ସୁନିଶ୍ଚିତ କରି ସହର ବିକଶିତ କରାଯିବ। ସ୍ମାର୍ଟ ସିଟିର ମୌଳିକ ଭିତ୍ତିଭୂମି ଉପଯୋଗ କରି ଆଧୁନିକ ଉପାୟରେ ଯାତାୟାତ ପରିଚାଳନା ମଧ୍ୟ କରାଯିବ।
ପ୍ରଧାନମନ୍ତ୍ରୀ ଅଯୋଧ୍ୟାକୁ ଏକ ଏପରି ସହର ଭାବେ ବର୍ଣ୍ଣନା କରିଥିଲେ ଯାହା ପ୍ରତ୍ୟେକ ଭାରତୀୟମାନଙ୍କ ସାଂସ୍କୃତିକ ଚେତନାରେ ଅଙ୍କିତ ହୋଇ ରହିଛି। ସେ କହିଥିଲେ ଯେ ଅଯୋଧ୍ୟା ଆମ ଶ୍ରେଷ୍ଠ ପରମ୍ପରା ଏବଂ ଆମର ବିକାଶମୂଳକ ପରିବର୍ତ୍ତନକୁ ପ୍ରକଟ କରିବା ଉଚିତ୍।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଯୋଧ୍ୟା ଉଭୟ ଆଧ୍ୟାତ୍ମିକ ଓ ଭବ୍ୟ ସହର। ଏହି ସହରର ମାନବୀୟ ଲୋକାଚାର ଭବିଷ୍ୟତର ମୌଳିକ ଭିତ୍ତିଭୂମି ସହିତ ମେଳ ଖାଇବା ଉଚିତ୍, ଯାହାକି ପର‌୍ୟ୍ୟଟକ ଓ ତୀର୍ଥଯାତ୍ରୀମାନଙ୍କ ସହିତ ସମସ୍ତଙ୍କ ପାଇଁ ଲାଭକାରୀ ହୋଇଥିବ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଗାମୀ ପିଢ଼ି ସେମାନଙ୍କ ଜୀବନରେ ଅତିକମରେ ଥରେ ଅଯୋଧ୍ୟା ବୁଲି ଆସିବା ଲାଗି ଇଚ୍ଛାବ୍ୟକ୍ତ କରିବା ଉଚିତ୍।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିକଟ ଭବିଷ୍ୟତରେ ଅଯୋଧ୍ୟାରେ ବିକାଶ କାର‌୍ୟ୍ୟ ଜାରି ରହିବ। ଏଥିସହିତ ଅଯୋଧ୍ୟାରେ ପ୍ରଗତିକୁ ନୂତନ ଦିଗ ଦେବା ସମୟ ଏବେ ଆସିଯାଇଛି। ସେ କହିଥିଲେ ଯେ ଅଯୋଧ୍ୟାର ପରିଚୟ ଉତ୍ସବ ପାଳନ କରାଯାଉ ଏବଂ ଅଭିନବ ଉପାୟ ସହିତ ଏହାର ସାଂସ୍କୃତିକ ଜୀବନ୍ତତାକୁ ବଜାୟ ରଖାଯାଉ, ସେଥିପାଇଁ ଆମେ ସାମୂହିକ ପ୍ରୟାସ କରୁଛୁ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେପରି ଭାବେ ଭଗବାନ ଶ୍ରୀରାମଙ୍କ ନିକଟରେ ଲୋକମାନଙ୍କୁ ପାଖକୁ ଆଣିବାର କ୍ଷମତା ରହିଥିଲା, ସେହିପରି ଅଯୋଧ୍ୟାର ବିକାଶ କାମ ସୁସ୍ଥ ଜନ ଭାଗିଦାରୀ ଭାବନା ନେଇ ପରିଚାଳିତ ହେବା ଉଚିତ୍, ବିଶେଷ କରି ଯୁବକମାନଙ୍କ ଦ୍ବାରା। ସେ ଏହି ସହରର ବିକାଶରେ ପ୍ରତିଭାଶାଳୀ ଯୁବକମାନଙ୍କ କୌଶଳର ଲାଭ ଉଠାଇବାକୁ ଆହ୍ବାନ କରିଥିଲେ।

ବୈଠକରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କେଶବ ପ୍ରସାଦ ମୋର‌୍ୟ୍ୟ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ଦିନେଶ ଶର୍ମା ଓ ଉତ୍ତର ପ୍ରଦେଶ ସରକାରଙ୍କ ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର

କରୋନା ଟିକା ସହ ପରୀକ୍ଷାକୁ ମଧ୍ୟ ବଢାଇବାର ଆବଶ୍ୟକ ବୋଲି ସମୀକ୍ଷା ବୈଠକରେ କହିଲେ ମୋଦି

ନୂଆଦିଲ୍ଲୀ, ଦେଶରେ ଟିକାକରଣ କାର୍ଯ୍ୟକ୍ରମର ପ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ଏଥିରେ ସାମିଲ ହୋଇଥିବା ଅଧିକାରୀମାନେ ମୋଦୀଙ୍କୁ ଦେଶରେ ଟିକାକରଣର ସଦ୍ୟତମ ସ୍ଥିତି ଓ ପ୍ରଗତି ସମ୍ପର୍କରେ ଅବଗତ କରାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଏ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରି ଏହି ଅଧିକାରୀମାନେ ବିଭିନ୍ନ ଆୟୁ ବର୍ଗର ଲୋକମାନଙ୍କୁ କେତେ ମାତ୍ରାରେ ଟିକାକରଣ କରାଯାଇଛି ସେ ସମ୍ପର୍କରେ ଅବଗତ କରାଇଥିଲେ ।

ଏହା ସହିତ ସ୍ୱାସ୍ଥ୍ୟ କର୍ମୀ, ଛାମୁଆ ଯୋଦ୍ଧା ଏବଂ ବିଭିନ୍ନ ରାଜ୍ୟର ସାଧାରଣ ନାଗରିକମାନଙ୍କୁ କେତେ ସଂଖ୍ୟାରେ ଟିକାକରଣ କରାଯାଇଛି ତାହା ପ୍ରଧାନମନ୍ତ୍ରୀଙ୍କୁ ସୂଚାଯାଇଛି । ଏହି ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଆଗାମୀ ମାସମାନଙ୍କରେ ଟିକା ଯୋଗାଣ ସମ୍ପର୍କରେ ଅବଗତ କରାଇଛନ୍ତି ଏବଂ ଏହାର ଉତ୍ପାଦନ ବୃଦ୍ଧି ନିମନ୍ତେ ସରକାର ଗ୍ରହଣ କରୁଥିବା ପଦକ୍ଷେପ ବିଷୟରେ ମଧ୍ୟ ସୂଚୀତ କରିଛନ୍ତି ।

ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ଯେ ଗତ ୬ ଦିନ ମଧ୍ୟରେ ଦେଶରେ ୩.୭୭ କୋଟି ଲୋକଙ୍କୁ ଟିକା ଦିଆଯାଇଛି ଯାହାକି ମାଲେସିଆ, ସାଉଦି ଆରବ ଏବଂ କାନାଡ଼ାର ମୋଟ ଜନସଂଖ୍ୟା ଠାରୁ ସୁଦ୍ଧା ଅଧିକ। ସମୀକ୍ଷା ବୈଠକରେ ଆହୁରି ଆଲୋଚନା କରାଯାଇଥିଲା ଯେ ଦେଶର ୧୨୮ଟି ଜିଲ୍ଲାରେ ୪୫+ ବର୍ଷରୁ ଅଧିକ ଆୟୁବର୍ଗର ୫୦%ରୁ ଅଧିକ ନାଗରିକଙ୍କୁ ଟିକାକରଣ କରାଯାଇସାରିଛି ଏବଂ ୧୬ଟି ଜିଲ୍ଲାରେ ୪୫+ ଆୟୁ ବର୍ଗର ଲୋକଙ୍କ ଟିକାଦାନ ମାତ୍ରା ୯୦%ରୁ ମଧ୍ୟ ଅଧିକ ହୋଇସାରିଛି ।

ଦେଶରେ ଟିକାକରଣର ମାତ୍ରାରେ ଘଟିଥିବା ବୃଦ୍ଧିରେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିବା ସହ ଏହି ମାତ୍ରାକୁ ଜାରି ରଖିବା ଜରୁରି ବୋଲି ପରାମର୍ଶ ଦେଇଛନ୍ତି । ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ସୂଚନା ଅନୁସାରେ ଲୋକମାନଙ୍କ ନିକଟରେ ଟିକାକରଣ ନିମନ୍ତେ ପହଞ୍ଚିବା ସକାଶେ ଅଭିନବ ଉପାୟମାନ ଅବଲମ୍ବନ ନିମନ୍ତେ ସେମାନେ ଏବେ ରାଜ୍ୟ ସରକାରମାନଙ୍କ ସହ ପରାମର୍ଶ କରୁଛନ୍ତି । ଅଭିନବ ଏନଜିଓ ତଥା ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନମାନଙ୍କୁ ଏହି କାର‌୍ୟ୍ୟରେ ସାମିଲ କରିବା ସକାଶେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ ରାଜ୍ୟମାନଙ୍କ ସହିତ ଘନିଷ୍ଠ ସହଯୋଗ ରକ୍ଷା ପୂର୍ବକ ଏହା ସୁନିଶ୍ଚିତ କରାଯିବା ଜରୁରି ଯେ ଟେଷ୍ଟିଂ ମାତ୍ରା ଯେଭଳି ହ୍ରାସ ନ ପାଏ । କାରଣ ଯେକୌଣସି କ୍ଷେତ୍ରରେ ସଂକ୍ରମଣକୁ ଆୟତ୍ତ କରିବା ସକାଶେ ଟ୍ରାକିଂ ଏବଂ କଣ୍ଟେନମେଣ୍ଟ ଏକାନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

ଏହି ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତିଯେ କୋୱିନ୍ ପ୍ଲାଟଫର୍ମ ପ୍ରତି ଏବେ ବିଶ୍ୱବ୍ୟାପୀ ଆଗ୍ରହ ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତିଯେ ଯେଉଁସବୁ ରାଷ୍ଟ୍ରମାନେ କୋୱିନ୍ ଭଳି ଭାରତର ଉନ୍ନତ ପ୍ରଯୁକ୍ତି ସାମର୍ଥ୍ୟ ପ୍ରତି ଆଗ୍ରହ ପ୍ରକଟ କରିଛନ୍ତି ସେମାନଙ୍କୁ ସହାୟତା ଯୋଗାଇ ଦିଆଯିବା ଆବଶ୍ୟକ।

Categories
ଧର୍ମ ବିଶେଷ ଖବର

ଗୋଟିଏ ପଟେ ଶ୍ରୀଜିୟୁ ଅଣସର ଘରେ, ଏପଟେ ରଥଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ

ପୁରୀ, ଗୋଟିଏ ପଟେ ଶ୍ରୀଜିୟୁ ଅନସରରେ ଅଛନ୍ତି। ହେଲେ ପ୍ରଭୁଙ୍କ ରଥଯାତ୍ରା ପାଇଁ ରଖଖଳାରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ସାଧାରଣତଃ ତିନିରଥରେ ଖପୁରୀ ଏବଂ ପାରା ଭାଡ଼ି କୁ ମିଶାଇ ମୋଟ ୧୩ ପରସ୍ତ ପଟଳ ପଡିଥାଏ, ସେଥି ମଧ୍ୟରୁ ବର୍ତ୍ତମାନ କେବଳ ତିନି ରଥରେ ‘ବଡ ଧାରା ପଟଳ’ ପଡ଼ିଅଛି। ବାକି ୧୨ ପରସ୍ତ ପୋଟଳ ଗୁଡିକୁ ଜକିଆ କଣ୍ଟା ଵାଡ଼ିଆ ଯାଇ ପ୍ରସ୍ତୁତ କରାଯାଇଛି, ସମସ୍ତ ପୋଟଳ ରଥ ଉପରେ ସେଟିଙ୍ଗି ପୂର୍ବରୁ ପୋଟଳ ଗୁଡିକର ଚାରି ପାର୍ଶ୍ୱରେ ବାଗିଆ କଣ୍ଟା ବସି ପୋଟଳ ଫିଟିଙ୍ଗ କରାଯିବ ।

ତିନିରଥର ଦୁଇଟି ଲେଖାଁଏ କଳସ ପେଣ୍ଡି ନିର୍ମାଣ ସହ ସେଥିରେ ୧୬ ଟି ଲେଖାଏଁ ୩୨ଟି ବିନ୍ଧ ଖୋଦେଇ ସରି ଥିଲା, ଆଜି ୩୨ ଟି ଲେଖାଁଏ ପାଖୁଡା ନିର୍ମାଣ ସରି କଳସ ପେଣ୍ଡିରେ ଫିଟିଙ୍ଗ କରାଯାଇଛି,ସେଥିରେ ଆଲ୍ୟୁମିନିଅମ ଚଦର ପଡି ରଙ୍ଗ କାର୍ଯ୍ୟ ହେବ । ତିନିରଥର ୧୨ ଟି ଲଖୋଁଏ ‘କଣି ଫାଉଡା’ ନିର୍ମାଣ ଶେଷ ହୋଇଛି । ଏହି ‘କଣି ଫାଉଡା’ ତିନିରଥ ଭୁଇଁର ଛକାଠି କୋଣଗୁଡିକରେ ସେଟିଙ୍ଗ ହୋଇ ଏହାର ଚାରି ପାର୍ଶ୍ୱରେ ବତା ବା ପତଳା କାଠ ବଟନ ପକାଯାଇ ଥାଏ, ରଥରେ କନା ପଡିଲା ବେଳେ ରଥର ଗୋଲାକାର ସେଫ୍ ଆସିବା ସହ ରଥ କନା ଚିରି ନ ଥାଏ।

ତିନିରଥର ୫ ଟି ଲେଖାଏଁ ‘ଶାରୀକ ନିର୍ମାଣ ଶେଷ ହୋଇଅଛି । ଏହି ଶାରୀକ ଉପରେ ଶ୍ରୀ ବିଗ୍ରହ ମାନଙ୍କ ପ୍ରଭା ଫିଟିଙ୍ଗ ହୋଇଥାଏ । ଶ୍ରୀବିଗ୍ରହମାନେ ପହଣ୍ଡି ହୋଇ ରଥକୁ ଆସିଲା ପରେ ରୁନ୍ଧା କାର୍ଯ୍ୟରେ ଏହି ଶାରୀକ ସହାୟକ ହୋଇଥାଏ । ତିନି ରଥର ବେଦି ଚାରିପାର୍ଶ୍ୱର ସମ୍ମୁଖ ଭାଗକୁ ଛାଡି ତାଗ ବା ବଟନ ପଡିଥିଲା ସେଥିରେ ରଥର ପଛ ଭାଗ ଏବଂ ଦକ୍ଷିଣ ପାର୍ଶ୍ୱରେ ପଟା ପଡ଼ିଅଛି ।

ଏଥିସହ ଆଜି ତିନି ରଥର ପ୍ରଥମ ଭୁଇଁ କଇଁଚିରେ ୮/୨ ସାଇଜର ୧୬ ଫୁଟ ଲମ୍ବ ‘ଅନ୍ଧାରି ତାଗ’ ଦୁଇଟିକୁ କାପ କରାଯାଇ ସେଟିଙ୍ଗ କରାଯାଇଅଛି । ଏହା କଇଁଚି ସହ ଭୁଇଁ ଶେଣି,ଭୁଇଁ ଖମ୍ବୀ ଏବଂ ପାଖୁଡାକୁ ବାନ୍ଧି ରଖିବାରେ ସହାୟକ ହୋଇଥାଏ । ଏହା ମୂଳ ଭୁଇଁ କଇଁଚି ର ଉଭୟ ପାର୍ଶ୍ୱରୁ ସେଟିଙ୍ଗ କରାଯାଇ ଅଛି।

ତିନିରଥର ରୂପକାର ସେବକମାନେ ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ ସହ ତିନିରଥ ପଟାଗୁଜଗୁଡିକରେ ସିଂହ ବିରାଳ, ଗଜ ବିରାଳ ନର ବିରାଳ ରୂପ ଖୋଦେଇ ଜାରୀ ରଖିଛନ୍ତି। ଦୋଳବେଦୀ ଅସ୍ଥାଇ କମାର ଶାଳରେ ଓଝା ସେବକମାନେ ତିନି ରଥର କନକ ମୁଣ୍ଡି ସେଟିଙ୍ଗ ପାଇଁ ‘ବାହୁଟ ଫାଳୀଆ’ କଣ୍ଟା ୧୨ଟି ‘କାଣ୍ଡୁଚି ନାଟ ‘ କଣ୍ଟା ରୁ ୧୨ଟି ତିନି ରଥ ପାଇଁ ୨୪ଗୋଟି ଲଖୋଁଏ ନିର୍ମାଣ କରିବା ସହ ପୋଟଳ ଫିଟିଙ୍ଗ ପାଇଁ ଗୋଡି ଛାଲ ପୋଟଳ କଣ୍ଟା, ବାଗିଆ ପୋଟଳ କଣ୍ଟା, ପ୍ରତି ରଥ ପାଇଁ ୩୦୦ ଲେଖାଁଏ ଉକ୍ତ କଣ୍ଟା
ନିର୍ମାଣ ଶଷେ ର୍ପଯ୍ୟାୟରେ ପହଁଚିଛି।

Categories
ଆଜିର ଖବର ଜାତୀୟ ଖବର

ଲକ୍ଷାଧିକ ଟଙ୍କାର ଲାଞ୍ଚକୁ ପ୍ରତ୍ୟାଖାନ କରି ଗୃହରକ୍ଷୀ ଜବତ କଲେ ୧୨ କୋଟିର ନିଶାଦ୍ରବ୍ୟ: ମୁଖ୍ୟମନ୍ତ୍ରୀ ଦେଲେ ଏଭଳି ପୁରଷ୍କାର

ଗୌହାଟି: ଜଣେ ଗୃହରକ୍ଷୀ (ହୋମ ଗାର୍ଡ଼) ନିଜର ସଚ୍ଚୋଟତା ଏବଂ ସାହାସର ଉଦାହରଣ ଦେଖାଇ ଚର୍ଚ୍ଚାକୁ ଆସିଛନ୍ତି। ଡ୍ରଗ କାରୋବର ମାମଲାରେ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଲାଞ୍ଚକୁ ସେ ପ୍ରତ୍ୟାଖାନ କରିବା ସହ ୧୨ କୋଟି ଟଙ୍କାର ନିଶା ଦ୍ରବ୍ୟ ଜବତ କରିଛନ୍ତି। ଏଭଳି ସାହସିକତା ଏବଂ ସଚ୍ଚୋଟତା ଯୋଗୁଁ ରାଜ୍ୟର ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ଏକ ବଡ ପୁରଷ୍କାର ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ, ଆସାମର କାର୍ବୀ ଆଙ୍ଗଲୋଙ୍ଗ ଜିଲ୍ଲାରେ ଜୁନ ୨୧ ତାରିଖ ଦିନ କର୍ତ୍ତବ୍ୟରତ ବୋରସିଂ ବେ ନାମକ ଗୃହ ରକ୍ଷୀଙ୍କୁ ନିଶା ବ୍ୟବସାୟୀମାନେ ଲକ୍ଷାଧିକ ଟଙ୍କାର ଲାଞ୍ଚ ଦେଇଥିଲେ। କିନ୍ତୁ ବୋରସିଂ ଏତେ ମୋଟା ଅଙ୍କର ଲାଞ୍ଚକୁ ପ୍ରତ୍ୟାଖାନ କରିବା ସହ ୧୨ କୋଟି ଟଙ୍କାର ନିଶା ଦ୍ରବ୍ୟକୁ ଜବତ କରିଥିଲେ।

ଏହାପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ତାଙ୍କ ଉପରେ ଖୁସି ହୋଇ ପୁରଷ୍କାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜ୍ୟ ପୋଲିସ ସେବାରେ ନିଯୁକ୍ତି ଦେଇଛନ୍ତି। ଗୃହରକ୍ଷୀ ମୁଖ୍ୟତଃ ପୋଲିସକୁ ସହାୟତା କରିବା ପାଇଁ ଏକ ପଦବୀ ଅଟେ। ହେଲେ ଏହି ସାହାସିକତା ପାଇଁ ତାଙ୍କୁ ପୋଲିସ କନଷ୍ଟେବଳ ପଦବୀରେ ନିଯୁକ୍ତି ଦେବା ପାଇଁ ଆସାମ ସରକାର ନିଷ୍ପତ୍ତି ନେଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡିର ନୂଆ ପର୍ଯ୍ୟବେକ୍ଷକ ତାଲିକାରୁ ସ୍ପଷ୍ଟ ଯେ, ନବୀନ କାହାକୁ କଲେ ବିଶ୍ବାସ କାହାକୁ ନୁହେଁ

ଭୁବନେଶ୍ବର, ବିଜେଡିର ୩୦ଟି ଜିଲ୍ଲା ପାଇଁ ୩୦ ଜଣ ନୂଆ ପର୍ଯ୍ୟବେକ୍ଷକଙ୍କ ତାଲିକା ପ୍ରକାଶ ପାଇଛି। ଏଥିସହିତ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କ ତାଲିକା ମଧ୍ୟ ଆସିଛି। ଏହାକୁ ତର୍ଯ୍ୟମା କଲେ ସ୍ପଷ୍ଟ ଜଣାପଡୁଛି ଯେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବେଶ୍ ମାପିଚୁପି ନିଷ୍ପତି ଗ୍ରହଣ କରିଛନ୍ତି। କାରଣ ଏହି ପର‌୍ୟ୍ୟବେକ୍ଷକମାନେ ଆଗାମୀ ପଞ୍ଚାୟତ ତଥା ପୌର ନିର୍ବାଚନର ମୁଖ୍ୟ କର୍ଣ୍ଣଧାର ସାଜିବେ। ସେଥିପାଇଁ ଦଳ ତରଫରୁ ପୁରୁଣା ପର‌୍ୟ୍ୟବେକ୍ଷକଙ୍କୁ ହଟାଇ ନୂଆ ଟିମ ଗଠନ କରିଛନ୍ତି।

ନୂଆ ତାଲିକାରେ କାହାକୁ ବେଶୀ ଭରସାକୁ ନେଲେ ନବୀନ

ନୂଆ ପର୍ଯ୍ୟବେକ୍ଷକ ତାଲିକୁ ଅନୁଧ୍ୟାନ କଲେ ଜଣାପଡିଛି ନବୀନ ପୂର୍ବପରି ଯାଜପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଉପରେ ବିଶ୍ବାସ ରଖିଛନ୍ତି। ପ୍ରଣବଙ୍କୁ ଦୁଇଟି ବିବାଦୀୟ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି। ସେ ଦୁଇଟି ହେଲା ମୟୁରଭଂଜ ଏବଂ କେଉଁଝର। ଦଳର ସଂଗଠନ ସଂପାଦକ ଥିବା ପ୍ରଣବ ପୂର୍ବପରି ନିଜର ସ୍ଥିତି ଜାହିର କରିବାରେ ସକ୍ଷମ ହୋଇଛନ୍ତି।

ସେହିପରି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଉପରେ ନବୀନ ଭରସା କରିଛନ୍ତି। ସୌମ୍ୟ ବିଧାୟକ ହୋଇ ଆସିବା ପରେ ତାଙ୍କୁ ସେପରି ଦଳୀୟ କାର୍ଯ୍ୟରେ ନିୟୋଜିତ କରାଯାଉ ନ ଥିଲା। ହେଲେ ଏଥର ତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି। ତାଙ୍କ ହାତରେ ରହିଛି ସାତୋଟି ଜିଲ୍ଲା।

ବିଜେଡିର ନୂଆ ପର୍ଯ୍ୟବେକ୍ଷଙ୍କ ପୁରା ତାଲିକା ପଢିବା ପାଇଁ ଏହାକୁ କ୍ଲିକ କରନ୍ତୁ

ସେହିପରି ପୁରୀରୁ ହାରିଥିବା ବିଜେଡି ନେତା ମହେଶ୍ବର ମହାନ୍ତିଙ୍କୁ ମଧ୍ୟ ଏଥର ଦଳୀୟ ପଦବୀ ମିଳିଛି। ପ୍ରଣବ ପ୍ରକାଶ ଦାସ ଯେଉଁ ଦୁଇ ଜିଲ୍ଲାର ପର୍ଯ୍ୟବେକ୍ଷକ ଅଛନ୍ତି, ମହେଶ୍ବରଙ୍କୁ ସେହି ଦୁଇ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି। ଅନ୍ୟପକ୍ଷରେ ବୌଦ୍ଧ ପାଇଁ ସୌଭାଗ୍ୟ ନାୟକ,  ଢେଙ୍କାନାଳ ପାଇଁ ବିଜୟ ନାୟକ, କେନ୍ଦ୍ରାପଡା ପାଇଁ ଦେବାଶିଷ ସାମନ୍ତରାୟ, ସମ୍ବଲପୁର ପାଇଁ ନଳିନୀକାନ୍ତ ପ୍ରଧାନ ଏବଂ ସୁନ୍ଦରଗଡ ପାଇଁ ପ୍ରୀତିରଂଜନ ଘଢାଇଙ୍କୁ ମିଳିଛି ଦଳୀୟ କ୍ଷମତା।

ଏହି ତାଲିକାରେ ନବୀନ କାହାକୁ ବିଶ୍ବାସକୁ ନେଲେ ନାହିଁ

ଏହି ନୂଆ ପର୍ଯ୍ୟବେକ୍ଷକ ତାଲିକାକୁ ତର୍ଯ୍ୟମା କଲେ ଏକ ଆଶ୍ଚର୍ଯ୍ୟ ଜନକ କଥା ଦେଖିବାକୁ ମିଳିଛି। ତାହା ହେଲା ନବୀନ ଏଥର ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କୁ କୌଣସି ଜିଲ୍ଲା କିମ୍ବା ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନେଇ ନାହାଁନ୍ତି। ଏହି ଦୁଇ ନେତା ନବୀନଙ୍କ ବେଶ ପାଖ ହୋଇଥିଲେ ମଧ୍ୟ ଦଳୀୟ କାର୍ଯ୍ୟରୁ ଏହି ଦୁଇଜଣଙ୍କୁ ଅନ୍ତର କରିଛନ୍ତି। ପୂର୍ବରୁ ପିପିଲି ଉପନିର୍ବାଚନରେ ସଂଜୟଙ୍କୁ ମଧ୍ୟ ଦାୟିତ୍ବ ମିଳି ନ ଥିଲା। ହେଲେ ପରବର୍ତ୍ତି ସମୟରେ ତାଙ୍କୁ ସାମିଲ କରାଯାଇଥିଲା।

ସେହିପରି ପୁଷ୍ପେନ୍ଦ୍ର ସିଂହଦେଓ ଏବଂ କଳିକେଶ ସିଂହଦେଓଙ୍କୁ ମଧ୍ୟ କୌଣସି ଦାୟିତ୍ବ ଦିଆଯାଇ ନାହିଁ। ଦଳର ପ୍ରମୁଖ ପ୍ରଚାର ଆକର୍ଷଣ ସାଜିଥିବା ଅନୁଭବ ମହାନ୍ତି ଦଳ କେବେଠାରୁ ଅନ୍ତର କରିସାରିଛି। ପୂର୍ବରୁ ତିନୋଟି ଉପନିର୍ବାଚନରେ ମଧ୍ୟ ଅନୁଭବଙ୍କ ନାମ ନ ଥିଲା। ଏଥର ମଧ୍ୟ ସେ ବାଦ ପଡିଛନ୍ତି। ବିଜେଡି ସାଂସଦ ହିସାବରେ ନବୀନ କେବଳ ସୁବାସ ସିଂ ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପରେ ଭରସା କରିଛନ୍ତି। ଆଉ କାହାକୁ ଏହି ଦଳୀୟ କାର୍ଯ୍ୟରେ ନିୟୋଜିତ କରି ନାହାଁନ୍ତି।

ଦଳର ଭିତିରିଆ ଖବର ଅନୁସାରେ ଏହି ପର୍ଯ୍ୟବେକ୍ଷକଙ୍କୁ କୁଆଡେ ଅଖଣ୍ଡ କ୍ଷମତା ପ୍ରଦାନ କରାଯିବ। ଯେପରି ସେମାନେ ପଞ୍ଚାୟତ ଏବଂ ପୌର ନିର୍ବାଚନକୁ ଭଲ ଭାବେ ମୁକାବିଲା କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ବିଏମସି ନେଲା ବଡ ପଦକ୍ଷେପ: ଜୁଲାଇ ୧ ଯାଏଁ ଭୁବନେଶ୍ବରରେ ଆଉ ଦୁଇଟି ହାଟକୁ ଦେଲା ବନ୍ଦ ନିର୍ଦ୍ଦେଶ

ଭୁବନେଶ୍ବର: କରୋନା କଟକଣା ଉଲ୍ଲଂଘନ ଯୋଗୁଁ ଭୁବନେଶ୍ବର ୟୁନିଟ-୧ ହାଟକୁ ବନ୍ଦ କରିବା ପାଇଁ ବିଏମସି ନିର୍ଦ୍ଦେଶ ଦେଇଥିଲା। କେବଳ ପରିବା ହାଟକୁ ଛାଡି ଅନ୍ୟ ସବୁ ହୋଲସେଲ ଏବଂ ରିଟେଲ ଦୋକାନ ଉପରେ ବିଏମସି କଟକଣା ଜାରି କରିଥିଲା। ୟୁନିତି-୧ ହାଟର ଭିତର ଦୋକାନ ଖୋଲିବା ଉପରେ ପ୍ରତିବନ୍ଧ ଲଗାଯାଇଥିଲା।

ହେଲେ ଆଜି ଆଉ ଦୁଇଟି ହାଟକୁ ବିଏମସି ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି। ବାପୁଜୀନଗର ମାର୍କେଟ ଏବଂ ୪ ନମ୍ବର ମାଛ ମାର୍କେଟକୁ ବନ୍ଦ ରଖିବା ପାଇଁ ବିଏମସି ନିର୍ଦ୍ଦେଶ ଦେଇଛି। କରୋନା ସଂକ୍ରମଣକୁ ଦେଖି ବିଏମସି ଏଭଳି ନିଷ୍ପତ୍ତି ନେଇଛି। ତେବେ ଏହି ସମସ୍ତ ହାଟକୁ ଜୁଲାଇ ୧ ତାରିଖ ଯାଏଁ ବନ୍ଦ ରଖିବା ପାଇଁ ବିଏମସି ନିର୍ଦ୍ଦେଶ ଦେଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆସୁଛି କରୋନାର ତୃତୀୟ ଲହର!: ଯୁବପିଢୀ ଓ ଶିଶୁମାନଙ୍କୁ ଯଥାଶୀଘ୍ର ଟୀକାକରଣରେ କରାଯାଉ ସାମିଲ

ସୁବାସ କୁମାର ତାରଣିଆଁ

ବର୍ତ୍ତମାନ ସାରା ବିଶ୍ୱ କରୋନାର ଦ୍ୱିତୀୟ ଲହର ସହ ସଂଘର୍ଷ ଜାରି ରଖିଛି। କରୋନାର ଦ୍ୱିତୀୟ ଲହର ପ୍ରଥମ ଲହର ଅପେକ୍ଷା ଅଧିକ ଘାତକ ସାବ୍ୟସ୍ତ ହୋଇଛି। ସଂକ୍ରମଣ ଶୀର୍ଷ ସ୍ଥାନରେ ପହଞ୍ôଚଛି। ଏହି ଭୟବହତା ଲୋକଙ୍କ ମନରୁ ଦୂର ନହେଉଣୁ, କରୋନାର ତୃତୀୟ ଲହର ପ୍ରବେଶ ଅବଶ୍ୟମ୍ଭାବୀ ବୋଲି କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ଡ. କେ. ବିଜୟ ରାଘବନ ସତର୍କ କରାଇ ଦେଇଛନ୍ତି।

କରୋନାର ତୃତୀୟ ଲହର କେବେ ପ୍ରବେଶ କରିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ତେବେ ଏଥିଲାଗି ଏବେଠାରୁ ପ୍ରସ୍ତୁତ ଓ ସତର୍କ ରହିବାକୁ ପରାମର୍ଶ ଦେବା ସହିତ ଏଥିରେ ଅବହେଳା କଲେ ଘାତକ ସାବ୍ୟସ୍ତ ହୋଇପାରେ ବୋଲି ରାଘବନ ଚେତାବନୀ ଦେଇଛନ୍ତି। କରୋନା ମୁକାବିଲା ନିମନ୍ତେ ବର୍ତ୍ତମାନ ଚାଲିଥିବା ଅନୁସନ୍ଧାନ ଜାରି ରହିବା ଉଚିତ।

ଏଥିସହିତ ନୂଆ ଷ୍ଟ୍ରେନ୍ ବିରୋଧରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଲାଗି ଟୀକାର ନବୀକରଣ ନିତାନ୍ତ ଜରୁରୀ। ନଚେତ ଏଥିପାଇଁ ବହୁ ମୂଲ୍ୟ ଦେବାକୁ ପଡ଼ିପାରେ। ବର୍ତ୍ତମାନ କୋଭିଡ଼ର ଦ୍ୱିତୀୟ ଲହରରେ ଭାରତରେ ସଂକ୍ରମଣ ସଂଖ୍ୟା ଶୀର୍ଷରେ ପହଞ୍ଚିଛି। ଦୈନିକ ପାଖାପାଖି ୪ ଲକ୍ଷରୁ ଉର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହେଉଥିଲା ବେଳେ ୩ ହଜାରରୁ ଉର୍ଦ୍ଧ୍ୱ ମୃତ୍ୟୁବରଣ କରୁଥିଲେ। ଏବେ ବିଶ୍ୱରେ ଦୈନିକ ସଂକ୍ରମିତଙ୍କ ମଧ୍ୟରୁ ହାରାହାରି ୫୦ ପ୍ରତିଶତ କେବଳ ଭାରତରେ ଚିହ୍ନଟ ହେଉଥିଲେ। କିନ୍ତୁ ବର୍ତ୍ତମାନ ଏହାର ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି। ଏବେ ଦେଶରେ ଦୈନିକ ୫୦ ହଜାର ଲୋକ ଆକ୍ରାନ୍ତ ହେଉଥିବା ସରକାରୀ ତଥ୍ୟରୁ ସୂଚନା ମିଳୁଛି।

ତେବେ ସରକାରଙ୍କ ଦ୍ୱାରା ସଂଗୃହିତ ତଥ୍ୟ ଠାରୁ ବାସ୍ତବ ସଂଖ୍ୟା ତା’ଠାରୁ ଢେର ଅଧିକ ବୋଲି ଶୁଣିବାକୁ ମିଳୁଛି। ଯଦିଓ ଦେଶରେ ଏବେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି, କିନ୍ତୁ ମୃତୁୃ୍ୟ ସଂଖ୍ୟାରେ ରୋକ ଲଗାଯାଇ ପାରିନାହିଁ ଏବଂ ବିପଦ ସମ୍ପୂର୍ଣ୍ଣ ଟଳିନି। ହୁଏତ ପୁଣି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ, ଏହାକୁ ଏଡ଼ାଇ ହେବନାହିଁ। କରୋନାର ତୃତୀୟ ଲହର ଆସନ୍ତା ସେପ୍ଟେମ୍ବର କିମ୍ବା ଅକ୍ଟୋବର ମାସରେ ପ୍ରବେଶ କରିପାରେ ବୋଲି ଆଶଙ୍କା କରାଯାଉଛି। ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ, ମାସ୍କ ପିନ୍ଧି, ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ସଚେତନ ହେବାକୁ ପଡ଼ିବ।

କରୋନା ମହାମାରୀ ଦ୍ୱିତୀୟ ଲହର ଆଗକୁ ଆହୁରି ଘାତକ ରୂପ ଧାରଣ କରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟସଂଗଠନ ‘ହୁ’ ସତର୍କ କରାଇ ଦେଇଥିଲେ ଯାହା ବାସ୍ତବରେ ପରିଣତ ହୋଇସାରିଛି। ଚଳିତବର୍ଷ କରୋନାର ଦ୍ୱିତୀୟ ବର୍ଷ ଚାଲିଥିବାରୁ ଏବର୍ଷ ଆହୁରି ଅନେକ ଲୋକ ବିଶ୍ୱବ୍ୟାପୀ ପ୍ରାଣ ହରାଇବାର ସମ୍ଭାବନା ରହିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୧ ଲକ୍ଷ ୮୨ ହଜାର ୧୭୩ କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୪ ହଜାର ୪୯୩ କୁ ବୃଦ୍ଧି ପାଇଛି।

ସେହିପରି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୯୭ ହଜାର ୬୨କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ହଜାର ୮୪୭ କୁ ବୃଦ୍ଧି ପାଇଛି। କରୋନାର ଏହି ସଙ୍କଟମୟ ପରିସ୍ଥିତିରେ ଏ ସମ୍ପର୍କିତ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରି ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା କରିବା ଲାଗି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ହସ୍ପିଟାଲରେ ଅମ୍ଲଜାନ ଏବଂ ଅଗ୍ନି ସୁରକ୍ଷା ଉପରେ ଗୁରୁତ୍ୱ ଦେବା ସହିତ ସ୍ୱାଭାବିକ ଅବସ୍ଥା ଫେରିବା ଯାଏ ଟୀକାକରଣ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ଼ ସ୍ଥିତି ସମୀକ୍ଷା କରିବା ଅବସରରେ କହିଛନ୍ତି। ଟୀକାକରଣ କାର୍ଯ୍ୟକ୍ରମ ସବୁଠାରୁ ଗୁରତ୍ୱପୂର୍ଣ୍ଣ ବୋଲି କହିବା ସହ ଏଥିରେ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା କରିବା, ବୟସ୍କ, ମହିଳା ଓ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ଯତ୍ନ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

କରୋନାର ଦ୍ୱିତୀୟ ଲହରରେ ଦେଶବ୍ୟାପୀ ଡ଼ାକ୍ତରଖାନାରେ ଶଯ୍ୟାର ଘୋର ଅଭାବ, ଆବଶ୍ୟକ ସଂଖ୍ୟକ ଆଇସିୟୁର ସଙ୍କଟ ଏବଂ ଅମ୍ଲଜାନର ଘୋର ସଙ୍କଟ ଦେଖା ଦେଇଥିବାରୁ ଡ଼ାକ୍ତରଖାନା ଗୁଡ଼ିକରେ ଚିକିତ୍ସାଧୀନ ରୋଗୀ ପ୍ରାଣ ହରାଉଛନ୍ତି। ଏପରି ଅମ୍ଲଜାନର ଅଭାବ ହେତୁ ବହୁ ଡ଼ାକ୍ତରଖାନା ସଂକ୍ରମିତଙ୍କୁ ଚିକିତ୍ସା କରିବାକୁ ମନା କରିଦେଉଛନ୍ତି। ଫଳରେ ଚିକିତ୍ସା ନ ପାଇ ମୃତସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ମୃତ୍ୟୁ ସଂଖ୍ୟା ଏତେ ପରିମାଣରେ ବୃଦ୍ଧି ପାଉଛି ଯେ, ଶ୍ମଶାନର ଅଭାବ ପରିଲକ୍ଷିତ ହୋଇଛି। ଶ୍ମଶାନ ଅଭାବରୁ କରୋନା ମୃତକଙ୍କୁ ନଦୀରେ ଭସାଇ ଦିଆଯାଉଛି।

ଅପରପକ୍ଷରେ କରୋନାର ଦ୍ୱିତୀୟ ଲହର ଯୁବପିଢିଙ୍କୁ ଅଧିକ ପରିମାଣରେ ସଂକ୍ରମିତ କରୁଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ପ୍ରତିଶତ ହେଉଛନ୍ତି ଯୁବଗୋଷ୍ଠୀ। ସାଧାରଣତଃ ବୟସ୍କଙ୍କ ତୁଳନାରେ ଯୁବପିଢିଙ୍କଠାରେ କରୋନାର ପ୍ରବଣତା କମ୍ ଥିବାର ଜଣାପଡ଼ିଛି। କିନ୍ତୁ କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ଯୁବପିଢିଙ୍କ ଠାରେ ୫ ସପ୍ତାହ ପର୍ଯ୍ୟନ୍ତ ଶାରୀରିକ ଜଟିଳତା ଦେଖାଦେଉଥିବା ଜଣାପଡ଼ିଛି। ଶ୍ୱାସକ୍ରିୟା, ଯକୃତ, ଫୁସ୍‌ଫୁସ୍ ଗୁରୁତର ଭାବେ ପ୍ରଭାବିତ ହେଉଛି ଏବଂ ସେମାନେ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହେଉଛନ୍ତି। କରୋନା ଭୂତାଣୁ ବାରମ୍ବାର ରୂପ ପରିବର୍ତ୍ତନ କରୁଛି। ଏଥିପାଇଁ ବିଶ୍ୱର ସମସ୍ତ ବୈଜ୍ଞାନିକମାନେ ଏହି ଭୂତାଣୁର ପ୍ରକରଣକୁ ନେଇ ତର୍ଜମା କରିବା ସହିତ ଏହାକୁ ସଠିକ୍ ଭାବେ ଚିହ୍ନଟ କରିବା ପାଇଁ ପ୍ରୟାସ ଦରକାର ଏବଂ ଏହାକୁ ମୁକାବିଲା କରିବା ପାଇଁ ଗବେଷଣା ଏବେଠୁ ଜାରି ରଖିବାକୁ ପଡ଼ିବ।

ଏବେ ଦେଖାଯାଉଛି ଯେ, ଶିଶୁମାନେ ଅଧିକ କରୋନାରେ ସଂକ୍ରମିତ ହେଉଛନ୍ତି। ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ନିଶ୍ଚିତଭାବେ ସଂକ୍ରମଣ ବହୁତ ଅଧିକ ରହିଛି। କାରଣ ପ୍ରଥମ ଲହରରେ ଶିଶୁମାନଙ୍କ ସଂକ୍ରମଣ ୨ରୁ ୩ ପ୍ରତିଶତ ରହିଥିବା ବେଳେ ଦ୍ୱିତୀୟ ଲହରରେ ଏହା ୧୦ରୁ ୧୫ ପ୍ରତିଶତକୁ ବୃଦ୍ଧି ପାଇଛି। ପ୍ର୍ରାୟତଃ ୧୦ ବର୍ଷରୁ କମ୍ ଶିଶୁମାନଙ୍କ ଭିତରେ ସମୁଦାୟ ସଂକ୍ରମିତ ହାର ତୁଳନାରେ ୫ ପ୍ରତିଶତରୁ କମ୍ ଥିଲା ଯାହା ବର୍ତ୍ତମାନ୧୦ରୁ ୧୫ ପ୍ରତିଶତରେ ପହଞ୍ଚିଛି। ଫଳରେ ଶିଶୁମାନଙ୍କ ପ୍ରତି ବିପଦ ଘନେଇବାରେ ଲାଗିଛି।

ତେଣୁ ବର୍ତ୍ତମାନ ସରକାର ଶିଶୁମାନଙ୍କ ସୁରକ୍ଷା ପାଇଁ ଅଧିକ ଯତ୍ନବାନ ହେବା ଦରକାର। ରାଜ୍ୟରେ ଶିଶୁମାନଙ୍କୁ କରୋନାରୁ ବିପଦମୁକ୍ତ କରିବା ପାଇଁ ଏବେଠୁ ବଳିଷ୍ଠ ପଦକ୍ଷେପ ନେବା ଦରକାର। ଶିଶୁ ବିଶେଷଜ୍ଞମାନଙ୍କୁ ନେଇ ସୁଚିନ୍ତିତ ଯୋଜନା ପ୍ରଣୟନ କରିବା ଜରୁରୀ ହୋଇପଡ଼ିଛି। ଏଥିପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯଥେଷ୍ଟ ଗୁରୁତ୍ୱ ଦେବା ଦରକାର।

କରୋନାର ଏଭଳି ତାଣ୍ଡବ ସମୟରେ ସାମାଜିକ ଦୂରତ୍ୱ ନୁହେଁ, ବରଂ ଶରୀରିକ ଦୂରତ୍ୱ ରଖିବା ଦରକାର। ପ୍ରଥମ ଲହରରେ ଶିଶୁମାନଙ୍କ କ୍ଷେତ୍ରରେ ଘାତକ କରୋନା ହେବା ବା ଡ଼ାକ୍ତରଖାନାରେ ଭର୍ତ୍ତି ହେବା କମ୍ ଦେଖା ଦେଇଥିଲା, ହେଲେ ଏଥର କିନ୍ତୁ ଦ୍ୱିତୀୟ ଲହରରେ ଶିଶୁ ଅଧିକ ଆକ୍ରାନ୍ତ ହେଉଛନ୍ତି। ବୟସ୍କ ଓ ଶିଶୁ ଆକ୍ରାନ୍ତଙ୍କ କ୍ଷେତ୍ରରେ ଲକ୍ଷଣ କିନ୍ତୁ ଭିନ୍ନ ଭିନ୍ନ ରହିଛି। ଯେମିତି ଜ୍ୱର, ଗଳା ଦରଜ ହେବା, ମୁଣ୍ଡ ବିନ୍ଧିବା, ଗୋଡ଼ହାତ ଘୋଳାବିନ୍ଧା ହେବାର ନଜିର ରହିଛି।

ପୂର୍ବରୁ ସାରା ବିଶ୍ୱରେ ଯେତେସବୁ ଅସାଧ୍ୟ ରୋଗ ଦେଖାଦେଇଥିଲା, ସେ ସମୟରେ ଏଭଳି ପରିବେଶ ଓ ପରିସ୍ଥିତି କେବେ ସୃଷ୍ଟି ହୋଇନଥିଲା, ଯେମିତି ବର୍ତ୍ତମାନ ମହାମାରୀ କରୋନା ସମୟରେ ଘଟୁଛି। ସମୟ ଏପରି ହୋଇଛି କରୋନା ପାଇଁ ଛୁଆଁ ଅଛୁଆଁ ଭେଦଭାବ ସୃଷ୍ଟି ହୋଇଛି। କରୋନା ରୋଗୀଟିଏ ମୃତ୍ୟୁବରଣ କଲେ ତାକୁ କାନ୍ଧ ଦେବାକୁ କେହି ରାଜି ହେଉନାହାଁନ୍ତି। ସାହି ପଡ଼ିଶାଙ୍କ କଥା ତ ଛାଡ଼, ଖୋଦ ରକ୍ତ ସମ୍ପର୍କର ଭାଇ, ବନ୍ଧୁ କୁଟମ୍ବ ମଧ୍ୟ ମୁହଁ ଫେରାଇ ନେଉଛନ୍ତି। ଫଳରେ କରୋନା ରୋଗୀଟିର ଅନ୍ତିମ ସଂସ୍କାର ପାଇଁ ଘଣ୍ଟା ଘଣ୍ଟା, ଦିନ, ଦିନ ଶବ ପଡ଼ିରହୁଛି। କରୋନାର କରୁଣ ଦୃଶ୍ୟ ଏବଂ ଏଥିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ଡ଼ାକ୍ତର, ସାମ୍ବାଦିକ, ସ୍ତମ୍ଭକାର, ସମାଜସେବୀ କରୋନା ଯୋଦ୍ଧା ଏବଂ ସମାଜରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କ ଶୋକ ଖବର ପ୍ରତିଦିନ ଶୁଣି ଶୁଣି ଜୀବନ ପ୍ରତି ବିତୁଷ୍ଣାଭାବ ଆସିଲାଣି।

ଆସନ୍ତା ସେପ୍ଟେମ୍ବର, ଅକ୍ଟୋବର ସୁଦ୍ଧା କରୋନାର ତୃତୀୟ ଲହର ପ୍ରବେଶ କରିବାର ଯଥେଷ୍ଟ ଯମ୍ଭାବନା ରହିଛି ବୋଲି ପୂର୍ବରୁ ଉଲ୍ଲେଖ କରାଯାଇଛି। କରୋନାର ତୃତୀୟ ଲହରରେ ଶିଶୁ ଓ କିଶୋରମାନେ ଅଧିକ ପ୍ରଭାବିତ ହେବେ ବୋଲି ସୂଚନା ଦିଆଯାଇଛି। କାରଣ ଶିଶୁ ଓ କିଶୋରମାନେ ପ୍ରଭାବିତ ହେଲେ ସେମାନଙ୍କ ପରିବାର ପ୍ରଭାବିତ ହେବାର ଆଶଙ୍କା ରହିଛି। ଶିଶୁମାନଙ୍କୁ ସଂକ୍ରମିତ ହେଲେ ସେମାନଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରିବାକୁ ହେବ ଏବଂ ସେମାନଙ୍କ ସହିତ ପିତାମାତା ମଧ୍ୟ ଡ଼ାକ୍ତରଖାନା ଯିବେ। ଯାହାଫଳରେ ପୁରା ପରିବାରକୁ ପ୍ରଭାବିତ ବେହାର ଆଶଙ୍କାକୁ ଏଡ଼ାଇ ହେବ ନାହିଁ। ତେଣୁ ତୃତୀୟ ଲହର ଆସିବା ପୂର୍ବରୁ ଯୁବପିଢୀ ଓ ଶିଶୁମାନଙ୍କୁ ଯଥାଶୀଘ୍ର ଟୀକାକରଣରେ ସାମିଲ କରାଯିବା ଆବଶ୍ୟକ।

ଏଥିପାଇଁ ବୈଜ୍ଞାନିକ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଯୋଜନା ପ୍ରସ୍ତୁତ କରି ଉପଯୁକ୍ତ ବ୍ୟବସ୍ଥା କରିବା ଦରକାର, ଡ଼ାକ୍ତରଖାନାରେ ଆବଶ୍ୟକୀୟ ଶଯ୍ୟା ବୃଦ୍ଧି କରିବା, ପର୍ଯ୍ୟାପ୍ତ ପରିମାଣରେ ଅମ୍ଲଜାନ ସଂରକ୍ଷିତ ରଖିବା, ଆଇସିୟୁ ସଂଖ୍ୟାକୁ ବଢାଇବା ସହିତ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ସହ ଅଧିକ ସଂଖ୍ୟକ ଡ଼ାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରିବା ଲାଗି ପଦକ୍ଷେପ ଦେବାକୁ ପଡ଼ିବ। ବର୍ତ୍ତମାନ ଠାରୁ ଏସବୁ କ୍ଷେତ୍ରରେ ପ୍ରସ୍ତୁତ ରହିଲେ, ତେବେ ଯାଇ କରୋନାର ତୃତୀୟ ଲହରକୁ ସଫଳତାର ସହ ମୁକାବିଲା କରିହେବ।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ଓ ବିଜେପି ବସ୍ତିବାସିନ୍ଦାଙ୍କ ଥଇଥାନ ବିରୋଧୀ: ଓଡ଼ିଶା ବସ୍ତି ସଂଘର୍ଷ ସମିତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ କ୍ରମେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗତକାଲି ୭୦ ହଜାର ବସ୍ତିବାସିନ୍ଦାମାନଙ୍କୁ ଜମି ପଟ୍ଟା ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ବିଜେପି ଓ କଂଗ୍ରେସ ଘୋର ବିରୋଧ କରୁଥିବାରୁ ଏହାକୁ ଓଡ଼ିଶା ବସ୍ତି ସଂଘର୍ଷ ସମିତିର ରାଜ୍ୟ ସଭାପତି ପ୍ରତାପ ସାହୁ ତୀବ୍ର ବିରୋଧ କରିଛନ୍ତି।

ଶ୍ରୀଯୁକ୍ତ ସାହୁ କହିଛନ୍ତି ଯେ, ବିଜେପି ଓ କଂଗ୍ରେସ ଯେଉଁଭଳି ଭାବରେ ବସ୍ତିବାସିନ୍ଦାଙ୍କ ଥଇଥାନ ଉପରେ ହୀନ ଟିପ୍ପଣୀ ଦେଇଛନ୍ତି ତାହା ଗରିବ ବସ୍ତିବାସିନ୍ଦାଙ୍କ ପ୍ରତି ଏକ ଉପହାସ ସଦୃଶ। ଜମି ପଟ୍ଟା ଯୋଗାଇ ଦେବା ପାଇଁ ଓଡ଼ିଶା ବସ୍ତି ସଂଘର୍ଷ ସମିତି ଦୀର୍ଘ ୨୦ ବର୍ଷ ଧରି ରାଜ୍ୟ ସରକାରଙ୍କ ନିକଟରେ ନିବେଦନ କରି ଆସୁଥିଲେ ଯାହା ଏବେ ପୂରଣ ହେବାକୁ ଯାଉଛି।

କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ରାଜ୍ୟ ସରକାର ଗୋଟିଏ ପଟେ ବସ୍ତିବାସିନ୍ଦାମାନଙ୍କୁ ଥଇଥାନ କରିବାକୁ ପଦକ୍ଷେପ ନେଉଥିବା ବେଳେ ବିଜେପି ଓ କଂଗ୍ରେସ ତାହାକୁ ବିରୋଧ କରିବା ଏକ ଦୁର୍ଭାଗ୍ୟର ବିଷୟ ବୋଲି ବସ୍ତିବାସିନ୍ଦାମାନେ କହିଛନ୍ତି। ଆଗକୁ ବସ୍ତିବିରୋଧୀ ଏହି ଦୁଇ ପ୍ରମୁଖ ରାଜନୈତିକ ଦଳକୁ ଉଚିତ ଜବାବ ଦିଆଯିବ ବୋଲି ଶ୍ରୀଯୁକ୍ତ ସାହୁ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରର ନୂଆ କୃଷି ଆଇନ ବାତିଲ୍ ଦାବିରେ ରାଜଭବନ ଘେରାଉ

ଭୁବନେଶ୍ୱର: କେନ୍ଦ୍ର ସରକାରର ନୂତନ କୃଷି ଆଇନ୍ ବାତିଲ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ରାଘଭବନ ଘେରାଉ ଡ଼ାକରାକୁ ସମର୍ଥନ ଜଣାଇ ଆଜି ‘ଆମ ଅଧିକାର’ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରବଳ ବର୍ଷା ଓ ପ୍ରତିକୂଳ ପାଗ ସତ୍ତ୍ୱେ, କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଆମ ଅଧିକାର ପକ୍ଷରୁ ଏଜି ଛକରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରିଥିଲା।

କୃଷି ଓ କୃଷକ ବିରୋଧୀ କଳା ଆଇନ ବିରୋଧୀ ପ୍ଲାକାର୍ଡ଼ ଓ ବ୍ୟାନର ଧରି କର୍ମକର୍ତ୍ତାମାନେ ରାଜଭବନ ସମ୍ମୁଖରେ ବିକ୍ଷୋଭ କରିଥିଲେ। ସଂଗଠନର ରାଜ୍ୟ ଅବାହାକ ଅମିୟ ପାଣ୍ଡବ, ସାଧାରଣ ସମ୍ପାଦକ ଗଣେଶ ଦାଶ, ସଞ୍ଜୟ କୁମାର ପରିଡ଼ା, ବିଶ୍ୱଭୂଷଣ ମହାପାତ୍ର ଓ ଶଙ୍କର ବେହେରା ପ୍ରମୁଖଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଜଭବନ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ୍ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ। ଏହି ଆଇନ ପ୍ରତ୍ୟାହାର ନହେବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଗଠନର ନେତୃବୃନ୍ଦ ଘୋଷଣା କରିଛନ୍ତି।

Categories
ଆଜିର ଖବର ଜୀବନ ଶୈଳୀ ରାଜ୍ୟ ଖବର ସ୍ବାସ୍ଥ୍ୟ

ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସନ୍ତୁଳନ ଶାନ୍ତି ଆଣିଦିଏ: ସୋଆ କୁଳପତି

ଭୁବନେଶ୍ଵର: ଶିକ୍ଷାଗତ ଯୋଗ୍ୟତା ଓ ଆର୍ଥିକ ସ୍ଵଚ୍ଛଳତା ନୁହେଁ ମାତ୍ର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସନ୍ତୁଳନ ହିଁ ମନୁଷ୍ୟ କୁ ଶାନ୍ତି ଆଣିଦିଏ।

ଏହା କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ଵବିଦ୍ୟାଳୟର କୁଳପତି ତଥା ପ୍ରଖ୍ୟାତ ସ୍ନାୟୁ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ର।

ସମ୍ମାନଜନକ ସୋଆ ପାକ୍ଷିକ ବକ୍ତୃତା ଶୃଙ୍ଖଳାରେ ଶନିବାର ଦିନ “ସୁସ୍ଥ ସମାଜ ପାଇଁ ଆଧ୍ୟାତ୍ମିକତା” ପ୍ରସଙ୍ଗରେ ନିଜର ମତ ରଖି ଏହା କହିଛନ୍ତି ପ୍ରଫେସର ମହାପାତ୍ର।

ପ୍ରଫେସର ମହାପାତ୍ର ସ୍ଵାସ୍ଥ୍ୟ କ’ଣ, ସୁସ୍ଥ ସମାଜ କାହାକୁ କହିବା ଏବଂ ଆଧ୍ୟାତ୍ମିକତାର ଏହାକୁ ଗଢ଼ିବାରେ ଭୂମିକା କଣ ସେ ବିଷୟରେ ମତ ରଖିଥିଲେ।

ବର୍ତ୍ତମାନ ସହ ୧୯୦୦ ମସିହାର ମୁଣ୍ଡପିଛା ଆୟର ତୁଳନା କଲେ ଆମେ ଜାଣିବା ତାହା କେତେ ଗୁଣ ବଢ଼ିଛି। କିନ୍ତୁ ସେହି ଅନୁପାତରେ ଜନ ଜୀବନର ସୁଖ ଓ ଶାନ୍ତି ବଢ଼ିଛି କି? ବଜାର ଭିତ୍ତିକ ଶିକ୍ଷା ବ୍ୟକ୍ତିର ବାହାରଟାକୁ ସଜାଇବାରେ ସକ୍ଷମ ହୋଇଛି। କିନ୍ତୁ ତା’ର ଅନ୍ତରର ଦାରିଦ୍ର୍ୟତା ବଢ଼ି ଚାଲିଛି । ଶଙ୍ଖ ମଲମଲ ଶଯ୍ୟା ନିଦ୍ରାର ଗ୍ୟାରେଣ୍ଟି ଦିଏନି, ଯଦିଓ ଏହା ଏକ ଆତ୍ମ ସନ୍ତୋଷ ଭାବ ଆଣିଦିଏ। ଶାରିରୀକ ସ୍ତରରେ ସୁସ୍ଥତା ଅତି ସ୍ଥୂଳ ପର୍ଯ୍ୟାୟର। ପ୍ରକୃତ ଶାନ୍ତି ପାଇଁ ଲୋଡ଼ା ଶାରିରୀକ, ମାନସିକ ଓ ଆଧ୍ୟାତ୍ମିକ ସନ୍ତୁଳନ।

‘ଆହେ ଦୟାମୟ’ ପ୍ରାର୍ଥନାର ଉଦାହରଣ ଦେଇ ସେ କହିଲେ ଯେ ପିଲାବେଳୁ ଉତ୍ତମ ଚିନ୍ତା, ସତ୍ ସଙ୍ଗ, ଉଚିତ କର୍ମ, ପରୋପକାର, ସାଧୁତା ଓ ସାହସିକତା ଆଦି ଗୁଣର ଅଭ୍ୟାସ ହିଁ ପ୍ରକୃତ ଶିକ୍ଷାର ଭିତ୍ତିଭୂମି।

ଶ୍ରୋତୃବର୍ଗ ପ୍ରଫେସର ମହାପାତ୍ରଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ୟୁନିଭର୍ସିଟି ଆଉଟରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଅତିଥି ପରିଚୟ ଦେବା ସହିତ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଏନଏସଏସ ପ୍ରୋଗ୍ରାମ ଅଫିସର ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।ଏହି ୱେବିନାର ଉଭୟ ଗୁଗୁଲମିଟ ଓ ୟୁଟିଉବରେ ପ୍ରସାରିତ ହୋଇଥିଲା ଓ ୨୫୦ ରୁ ଅଧିକ ଛାତ୍ରଛାତ୍ରୀ, ସ୍ଵେଚ୍ଛାସେବୀ, ପ୍ରୋଗ୍ରାମ ଅଫିସର ଏବଂ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୩୭୪: ସୁସ୍ଥ ହେଲେ ୩୮୯ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୭୪ ଆକ୍ରାନ୍ତଙ୍କ ମଧ୍ୟରୁ ୭୭ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୯୭ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮ ହଜାର ୮୬୨ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୩୮୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୮୬ ହଜାର ୯୨୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୪୮୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୪୩୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩ ହଜାର ୬୮୨ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୬୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୪୬, ଅନୁଗୁଳରୁ ୩୯୭, କଟକରୁ ୩୫୫, ଯାଜପୁରରୁ ୨୯୮, ବାଲେଶ୍ବରରୁ ୨୯୫, ପୁରୀରୁ ୧୯୫, ଭଦ୍ରକରୁ ୧୭୮, ନୟାଗଡରୁ ୧୭୧, ମୟୂରଭଞ୍ଜରୁ ୧୫୫, ଜଗତସିଂହପୁରରୁ ୧୧୫, କେନ୍ଦ୍ରାପଡାରୁ ୧୦୯, ରାୟଗଡାରୁ ୯୪, ମାଲକାନାଗିରିରୁ ୯୩, ସୁନ୍ଦରଗଡରୁ ୮୨, କୋରାପୁଟରୁ ୭୯, ଢେଙ୍କାନାଳରୁ ୭୮, ନବରଙ୍ଗପୁରରୁ ୪୭, ସୋନପୁରରୁ ୪୬, ବରଗଡରୁ ୪୫, କନ୍ଧମାଳରୁ ୪୫, କେନ୍ଦୁଝରରୁ ୪୫, କଳାହାଣ୍ଡିରୁ ୪୦, ବୌଦ୍ଧରୁ ୩୭, ସମ୍ବଲପୁରରୁ ୩୨, ବଲାଙ୍ଗୀରିରୁ ୨୮, ଗଞ୍ଜାମରୁ ୨୭, ନୂଆପଡାରୁ ୨୬, ଗଜପତିରୁ ୨୫, ଦେବଗଡରୁ ୨୦, ଝାରସୁଗୁଡାରୁ ୧୫ ଏବଂ ଷ୍ଟେଟ ପୁଲରୁ ୬୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୬୩ ହଜାର ୮୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୭ ହଜାର ୬୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୬୦ ହଜାର ୧୪୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୩ ହଜାର ୧୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୮୪୭ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଆଞ୍ଚଳିକ

ଟାଙ୍ଗୀରେ ନୂତନ ତହସିଲଦାର ଭାବେ କାର୍ଯ୍ୟଭାର ସମ୍ଭାଳିଲେ ଯୁବ ଓଏଏସ୍: ଯୋଗ ଦେବା ପରେ ଆରମ୍ଭ କଲେ କାର୍ଯ୍ୟାନୁଷ୍ଠାନ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲରେ ନୂତନ ତହସିଲଦାର ଭାବେ ନିକଟରେ ଯୋଗ ଦେଇଛନ୍ତି ଯୁବ ଓଏଏସ୍ ଅଧିକାରୀ ସ୍ମୃତିରଞ୍ଜନ ଶତପଥୀ। ୨୦୧୬ ବ୍ୟାଚର ଉକ୍ତ ଓଏଏସ୍ ଅଧିକାରୀ ପୂର୍ବରୁ ଗଜପତି ଜିଲ୍ଲା ଅନ୍ତର୍ଗତ ଆର ଉଦୟଗିରିରେ ତହସିଲଦାର ଭାବେ କାର୍ଯ୍ୟରତ ଥିବା ବେଳେ ଟାଙ୍ଗୀ ହେଉଛି ତାଙ୍କର ଦ୍ଵିତୀୟ କର୍ମଭୂମି। ଆର ଉଦୟଗିରିରେ କର୍ତ୍ତବ୍ୟନିଷ୍ଠ ଭାବେ ନିଜ ଦାଇତ୍ୱ ତୁଲାଇବା ସହ ସୁଚାରୁରୂପେ ସହରରେ କୋଭିଡ ମ୍ୟାନେଜମେଣ୍ଟ ମଧ୍ୟ କରିପାରିଛନ୍ତି ଉକ୍ତ ଅଧିକାରୀ।

ତେବେ ଟାଙ୍ଗୀ ଏକ ଗୁରୁତ୍ୱପୂର୍ଣ୍ଣ ତହସିଲ ହୋଇଥିବାବେଳେ ଉକ୍ତ ଅଞ୍ଚଳରେ କୋଭିଡ ପରିଚାଳନାକୁ ପ୍ରାଥମିକତା ଦେବା ସହ ଅଞ୍ଚଳରେ ହେଉଥିବା ବେଆଇନ ଖଣିଜ ଦ୍ରବ୍ୟ ଚାଲାଣକୁ ରୋକିବା ଦିଗରେ ଦୃଢ ପଦକ୍ଷେପ ଗୁଡିକ ଗ୍ରହଣ କରିବେ ବୋଲି ତହସିଲଦାର ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି।

ତେବେ ନୂତନ ଭାବେ ଟାଙ୍ଗୀ ତହସିଲଦାର ଭାବେ ଯୋଗ ଦେବା ପରେ ଶ୍ରୀ ଶତପଥୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛନ୍ତି। ଗତକାଲି ରାତିରେ ତହସିଲଦାର ଶ୍ରୀ ଶତପଥୀ ନିରାକାରପୁର ଅଞ୍ଚଳରୁ ପାଞ୍ଚ ଗୋଟି ଖଣିଜଦ୍ରବ୍ୟ ବୋଝେଇ ଟ୍ରକ ଜବତ କରିବା ସହ ଜରିମାନା ବାବଦରେ ସେମାନଙ୍କ ନିକଟରୁ ୧ ଲକ୍ଷ ୧୫ ହଜାର ଟଙ୍କା ଆଦାୟ କରିଥିବାର ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଅସୁସ୍ଥ ଅନୁଭବ କଲେ ନକଲି ଟୀକା ନେଇଥିବା ସାଂସଦ ମିମୀ ଚକ୍ରବର୍ତ୍ତୀ: ଅଭିଯୁକ୍ତ ଉପରେ ଲାଗିପାରେ ହତ୍ୟା ଉଦ୍ୟମ କେସ୍

କଲିକତା: କଲିକତାରେ ପାଖାପାଖି ତିନୋଟି ଟୀକାକରଣ ଶିବିର ଆୟୋଜନ କରି ନକଲି ଟୀକା ଦେଇଥିବା ଦେବଞ୍ଜନ ଦେବଙ୍କ ଉପରେ ଏବେ ହତ୍ୟା ଉଦ୍ୟମ ଅଭିଯୋଗ ଲାଗିପାରେ। ଅଭିଯୁକ୍ତଙ୍କ ନାମରେ ଧାରା ୩୦୭ ଯୋଡିବା ପାଇଁ ଅଦାଲତରେ କଲିକତା ପୋଲିସ ଅପିଲ କରିଛି।

ପୋଲିସ କହିବା ଅନୁଯାୟୀ, କରୋନା ଟୀକା ବଦଳରେ ଦେବଞ୍ଜନ ଦେବ ଆଣ୍ଟିବାୟୋଟିକ ଆମୀକାସିନର ଇଂଜେକସନ ଲୋକଙ୍କୁ ଲଗାଇଦେଇଥିଲେ। ଏହି ଇଂଜେକସନ ଲଗାଇବା ପୂର୍ବରୁ ଲୋକଙ୍କର ଏଲର୍ଜୀ ଅଛି କି ନାହିଁ, ତାହା ସେ ଯାଞ୍ଚ କରିନଥିଲେ। ଏହା ଲୋକଙ୍କ ପାଇଁ ବିପଦଜନକ ହୋଇପାରେ। ଅଭିନେତ୍ରୀରୁ ସାଂସଦ ହୋଇଥିବା ମିମୀ ଚକ୍ରବର୍ତ୍ତୀ ମଧ୍ୟ ଏଭଳି ନକଲି ଟୀକାର ଶିକାର ହୋଇଥିଲେ। ସେ ଏହି ନକଲି ଟୀକାକରଣ ଶିବିର ବିଷୟରେ ପ୍ରଥମେ ଲୋକଙ୍କ ସାମ୍ନାକୁ ଆଣିଥିଲେ।

ବର୍ତ୍ତମାନ ସୂଚନା ଅନୁଯାୟୀ, ଏହି ଇଂଜେକସନ ନେବା ପରେ ତୃଣମୂଳ ସାଂସଦ ମିମୀ ଚକ୍ରବର୍ତ୍ତୀ ଅସୁସ୍ଥ ଅନୁଭବ କରୁଛନ୍ତି। ସାଂସଦଙ୍କ ଗ୍ଲାଡ ବ୍ଳାଡରର ସମସ୍ୟା ହୋଇପାରେ ବୋଲି ପ୍ରାରମ୍ଭିକ ତଦନ୍ତରୁ ଡାକ୍ତର ସୂଚନା ଦେଇଛନ୍ତି। କିନ୍ତୁ ନକଲି ଟୀକା ଯୋଗୁଁ ତାଙ୍କର ଏହି ସମସ୍ୟା ଉପୁଜିଥିବା କହିବା ନିଶ୍ଚିତ ନୁହେଁ। ସ୍ୱାସ୍ଥ୍ୟ ପରୀକ୍ଷା ପରେ କାରଣ ସ୍ପଷ୍ଟ ହେବ ବୋଲି ମିମୀଙ୍କ କାର୍ଯ୍ଯାଳୟର ଡାକ୍ତର କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆସିଗଲା ଡିଜିଟାଲ ସୁନା, ଏଥର ଘରେ ବସି କିଣିପାରିବେ ବ୍ରାଣ୍ଡିଂ ସୁନା ଗହଣା, ଜାଣନ୍ତୁ କିପରି

ଭୁବନେଶ୍ବର, ବର୍ତ୍ତମାନ ଡିଜିଟାଲ ଯୁଗରେ ସମସ୍ତ କଥା ଡିଜିଟାଲ ମାଧ୍ୟମରେ ହେଉଛି। ଯେତେବେଳେ ଡାକ୍ତର ଅନଲାଇନରେ ରୋଗୀ ଦେଖୁଛନ୍ତି ସେତେବେଳେ ସୁନା ଅଳଙ୍କାର କାହିଁକି ଡିଜିଟାଲି କିଣା ନ ଯିବ। ବର୍ତ୍ତମାନ ସମସ୍ତେ ଘରେ ବସିବା ଏବଂ କରୋନା କଟକଣା ପାଇଁ ଦୋକାନ ବଜାର ବନ୍ଦ ରହିଥିବାରୁ ସମସ୍ତ ବେପାର ମାନ୍ଦା ହୋଇଛି। ଏପରିକି ସୁନା ଅଳଙ୍କାର ବେପାର ମଧ୍ୟ ଠପ ହୋଇଯାଇଛି।

ଏପରି ଅବସ୍ଥାକୁ ଧ୍ୟାନରେ ରଖି ଦେଶର ବ୍ରାଣ୍ଡେଡ ତାନିସ୍କ ତରଫରୁ ଆସିଛି ଏକ ନୂଆ ସୁଯୋଗ। ତାହା ହେଲା ଆପଣ ଘରେ ବସି ମଧ୍ୟ ସମସ୍ତ ପ୍ରକାରର ସୁନା ଗହଣା କଣିପାରିବେ। ସେଥିପାଇଁ ଟାଟା କଂପାନୀର ଏହି ତାନିସ୍କ ଆଣିଛି ଡିଜିଟାଲ ସୁନା ବା ଡିଜିଟାଲ ଗୋଲ୍ଡ ବ୍ୟବସ୍ଥା। ଫଳରେ ଆପଣ ଘରେ ବସି ନାମିଦାମି ସୁନା ଗହଣା କିଣିପାରିବେ। ଏପରିକି ତାହାକୁ ସମୟ ପଡିଲେ ବିକ୍ରି ମଧ୍ୟ କରିପାରିବ।

ତେବେ ଏଥିପାଇଁ ପ୍ରଥମେ ଆପଣଙ୍କୁ ତାନିସ୍କର ୱେବସାଇଟକୁ  tanishq.co.in ଲଗଅନ କରିବାକୁ ପଡିବ। ଏହି ଆଇଡି ଲଗଅନ କରିବା ପରେ ଆପଣ ଆପଣଙ୍କର ସମସ୍ତ ବିବରଣୀ ଦେଇ ପ୍ରଥମେ ରେଜିଷ୍ଟ୍ରେସନ କରାଯିବ। ଏଥିରେ KYC ମଧ୍ୟ ପୁରଣ କରିବାକୁ ପଡିବ। ଫଳରେ ଆପଣ ସ୍ବତନ୍ତ୍ର ଭାବେ ୟୁଜର ଆଇଡି ଏବଂ ପାସ ୱାର୍ଡ ପ୍ରଦାନ କରାଯିବ। ସେଥିରେ ଆପଣ କିଣିବିକା ଏପରିକି ଏକ୍ସଚେଞ୍ଜ ମଧ୍ୟ କରିପାରିବେ।

ଆପଣ ସୁନା ଗହଣା କିଣିବା ପାଇଁ ହେଲେ  BUY, ବିକ୍ରି କରିବା ପାଇଁ ହେଲେ SELL ବଟମ ଦବାଇବାକୁ ପଡିବ। ଏହାପରେ କିଣିବା ପାଇଁ ହେଲେ ଆପଣ ବିଭିନ୍ନ ଅଳଙ୍କାରର ଡିଜାଇନ କଂପୁଟର ସ୍କ୍ରିନରେ ପାଇପାରିବେ। ଆପଣ ଯେଉଁଦିନ ଏହା କିଣିବେ ସେହିଦିନ ଯାହା ଦର ଥିବ ସେହି ଦରରେ କିଣିପାରିବେ।

ତେବେ ଏଥିରେ ଆପଣ ଡିଜିଟାଲ ଗୋଲ୍ଡରୁ କିଣିଥିବା ସୁନା ଗହଣା ଚାହିଁଲେ ଘରକୁ ଆଣି ପାରିବେ। ନଚେତ ଏହି ସୁନା ଆପଣଙ୍କ ନାମରେ ସୋରୁମରେ ଗଚ୍ଛିତ ହୋଇ ରହିବ। ଆପଣ ଯତେବେଳେ ଚାହିଁବେ ଦୋକାନକୁ ଯାଇ ତାହା ହାସଲ କରିପାରିବେ। ଯଦି କିଛିଦିନ ପରେ ଆପଣ ଚାହିଁବେ ତେବେ ତାହାକୁ ଅନଲାଇନରେ ମଧ୍ୟ ବିକ୍ରି କରିପାରିବେ।

ଏହି ଅନଲାଇନ ବ୍ୟବସ୍ଥାରେ ଅତିକମରେ ଜଣେ ଚାହିଁଲେ ଶହେ ଟଙ୍କାର ମଧ୍ୟ ସୁନା କିଣିପାରିବ ବୋଲି କଂପାନୀ ତରଫରୁ କୁହାଯାଇଛି। ଆପଣ ଏହି ସୁନାକୁ ତନସ୍କର ଦେଶରେ ଥିବା 350ଟି ସୋରୁମରେ ବଦଳ ମଧ୍ୟ କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଟୀକା ଯୋଗାଣର ଅନୁପାତ ପରିବର୍ତ୍ତନ ପାଇଁ କେନ୍ଦ୍ରକୁ ଦାବି କଲେ ସ୍ୱାସ୍ଥ୍ୟମନ୍ତ୍ରୀ: ୯୫:୫ ପ୍ରତିଶତର ଦେଲେ ଫର୍ମୁଲା

ଭୁବନେଶ୍ବର: କୋଭିଡ ଟୀକା ଯୋଗାଣର ଅନୁପାତ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାର ନିକଟରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଦାବି କରିଛନ୍ତି। ସରକାରୀ ଓ ଘରୋଇ ହସ୍ପିଟାଲକୁ ଦିଆଯାଉଥିବା ଟୀକାର ଅନୁପାତ ପରିବର୍ତ୍ତନ ପାଇଁ ଶ୍ରୀ ଦାସ ଦାବି କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ନବ ଦାସ ଚିଠି ଲେଖି ଦାବି ଜଣାଇଛନ୍ତି। ସରକାରୀ ହସ୍ପିଟାଲକୁ ୯୫ ପ୍ରତିଶତ ଟୀକା ଯୋଗାଣ କରିବା ସହ ଘରୋଇ ହସ୍ପିଟାଲକୁ ମାତ୍ର ୫ ପ୍ରତିଶତ ଟୀକା ଦେବା ପାଇଁ ଶ୍ରୀ ଦାସ କହିଛନ୍ତି।

ରାଜ୍ୟରେ ଘରୋଇ ହସ୍ପିଟାଲ ସଂଖ୍ୟା ବହୁତ କମ ରହିଛି। ତେଣୁ ଘରୋଇ ହସ୍ପିଟାଲକୁ ୫ ପ୍ରତିଶତ ଟୀକା ଦେବାକୁ କହିଥିବା ବେଳେ ରାଜ୍ୟ ସରକାରଙ୍କୁ ୯୫ ପ୍ରତିଶତ ଟୀକା ଦେବା ପାଇଁ ସେ ଦାବି କରିଛନ୍ତି। କିନ୍ତୁ କେନ୍ଦ୍ର ସରକାର ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ଟୀକା ଯୋଗାଇବା ପାଇଁ ପୂର୍ବରୁ ଘୋଷଣା କରିଛି।

Categories
ଆଜିର ଖବର ରାଜ୍ୟ ଖବର

ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା: ରାଜ୍ୟରେ ୨୦ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ବର: ରାଜ୍ୟରେ ୨୦ ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ଆସନ୍ତାକାଲି ସକାଳ ୮ ତା ୩୦ ଯାଏଁ ୨୦ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଦିଆଯାଇଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦ୍ଵାରା ୨୦ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ଵର, କେନ୍ଦୁଝର, ମୟୂରଭଞ୍ଜ ଏବଂ ସୁନ୍ଦରଗଡ ଜିଲ୍ଲାକୁ ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରାଯାଇଛି।

ସେହିଭଳି ଆସନ୍ତାକାଲି ସକାଳ ୮ ଟା ୩୦ ମିନିଟ ଠାରୁ ୨୮ ତାରିଖ ସକାଳ ୮ ଟା ୩୦ ଯାଏଁ ୧୭ ଟି ଜିଲ୍ଲାରେ ବଜ୍ରପାତ ନେଇ ସତର୍କ କରାଯାଇଛି। ମାଲକାନାଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ଵର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବଜ୍ରପାତ ନେଇ ଅନୁମାନ କରାଯାଇଛି।

ତେବେ ୩୦ ତାରିଖ ସକଳ ୮ ଟା୩୦ ମିନିଟରୁ ୧ ତାରିଖ ସକାଳ ୮ ଟା ୩୦ ଯାଏଁ ୩ ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆଶଙ୍କା କରାଯାଇଛି। ଭଦ୍ରକ, ବାଲେଶ୍ଵର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର ପକ୍ଷରୁ ଆକଳନ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଡେପୁଟେସରେ ଶିକ୍ଷକ ଓ କିରାଣୀ: ଡଇଁଚା ବାପୁଜୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ମରୁଡି

କନ୍ଦର୍ପ ବେହେରା
ରେଢାଖୋଲ: ସରକାର ଶିକ୍ଷା ବିଭାଗ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କୈାଣସି ବିଦ୍ୟାଳୟରେ ଶିକ୍ଷକ ଅଭାବ ରହିବ ନାହିଁ ବୋଲି ଡିଣ୍ଡିମ ମଧ୍ୟ ପିଟୁଛନ୍ତି। ଉନ୍ନତ ମାନର ଶିକ୍ଷା ପାଇଁ ଶିକ୍ଷକମାନଙ୍କୁ ଉନ୍ନତ ମାନର ତାଲିମ ମଧ୍ୟ ଦିଆଯାଇ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଶିକ୍ଷାର ମାନ ଦିନକୁ ଦିନ ବଦଳି ଯାଉଛି। କେଉଁଠି ଶିକ୍ଷକ ନାହାନ୍ତି ତ ଆଉ କେଉଁଠି ପିଅନ ଓ କିରାଣୀ ଅଭାବ ପରିଲକ୍ଷିତ ହେଉଛି। ସରକାର ଏଥିପ୍ରତି ଟିକିଏ ବି ଧ୍ୟାନ ଦେଉ ନାହାନ୍ତି ବୋଲି ଅଭିଯୋଗ ମଧ୍ୟ ହେଉଛି।

ସେମିତି ଏକ ବିଦ୍ୟାଳୟ ରହିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଡଇଁଚା ଗ୍ରାମରେ ଥିବା ବାପୁଜୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ। ଦିନକୁ ଦିନ ଶିକ୍ଷକ ପଦବୀ ଖାଲି ପଡିବାରେ ଲାଗିଛି। ସରକାର ମଡେଲ ସ୍କୁଲ ଭାବରେ ଘୋଷଣା ମଧ୍ୟ କରିସାରିଛନ୍ତି। ପ୍ରଶାସନୀକ ଅଧିକାରୀମାନେ ଗସ୍ତ ପରେ ଗସ୍ତ ଏଇ ବିଦ୍ୟାଳୟକୁ କରୁଛନ୍ତି। ହେଲେ ଶିକ୍ଷକ ଅଛନ୍ତି ନା ନାହିଁ ସେ ଉପରେ ଧ୍ୟାନ ନାହିଁ। ଖାଲି ଘର, ଖେଳ ପଡିଆ ଆଦିକୁ ଗୁରୁତ୍ୱର ସହ ନେଇ ଅଧିକାରୀ ମାନେ ତୋଫାନୀ ଗସ୍ତ କରୁଛନ୍ତି।

ପ୍ରଶାସନୀକ ଅଧିକାରୀମାନେ କାହିଁକି ଏଇ ବିଦ୍ୟାଳୟକୁ ବିଷ ଚକ୍ଷୁରେ ଦେଖୁଛନ୍ତି ତାହା ଏଠାକାର ଅଭିଭାବକମାନେ ଜାଣି ପାରୁ ନାହାନ୍ତି। ରାତା ରାତି ବଦଳି ପାଲା, ଡେପୁଟେସନ୍ ପାଲା ଏଠି ଚାଲେ।

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପତ୍ର ସଂଖ୍ୟା ଏସ୍ ବି ପି –ଏ -୩୭୪ ନ୪୪୩୩ (ତା ୨୫/୩/୨୦୨୧ ) ଓ ବ୍ଲକ୍ ଶିକ୍ଷା ଅଧିକାରୀ ନାକଟିଦେଉଳଙ୍କ ପତ୍ର ସଂଖ୍ୟା ୬୯୭/୦୭/୦୪/୨୦୨୧ ଅନୁଯାୟୀ ଗତ ୮ ଅପ୍ରେଲ ୨୦୨୧ ରେ ଶିକ୍ଷୟତ୍ରୀ ସଂଧ୍ୟାରାଣୀ ବିଶିଙ୍କୁ ଶିକ୍ଷା ବିଭାଗର ଅଧିକାରୀମାନେ ଏଠାରୁ ରେଢାଖୋଲ ବ୍ଲକ୍ ବାରବାଙ୍କ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନରେ ପଠାଇଦେଇଛନ୍ତି। ବାରବାଙ୍କର ଏହି ବିଦ୍ୟାଳରେ ୮ ଜଣ ଶିକ୍ଷକ ଥିବା ବେଳେ ଡଇଁଚା ନୋଡାଲ ଉଚ୍ଚ ବିଦ୍ୟାଳୟରୁ କାହିଁକି ଜଣେ ଶିକ୍ଷୟତ୍ରୀକୁ ଡେପୁଟେସନରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀ ପଠାଇଲେ ତାହା ସନ୍ଦେହ ହେଉଛି।

ଡଇଁଚା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହ ବାପୁଜୀ ଉଚ୍ଚ ବିଦ୍ୟାଳୟ କେବେଠୁ ମିଶ୍ରଣ ହେଲାଣି। ସରକାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢାଇବା ପାଇଁ ୪ ଜଣ ଶିକ୍ଷକ ନିଯୁକ୍ତି ଦେଇଥିଲେ। ଗତ ବର୍ଷ ୨ ଜଣ ଶିକ୍ଷକ ଥିଲେ। ହେଲେ ଆଉ ଜଣେ ଶିକ୍ଷୟତ୍ରୀକୁ ଅନ୍ୟତ୍ର ଡେପୁଟେସରେ ପଠାଇ ଦେବା ଯୋଗୁଁ ବର୍ତ୍ତମାନ ନେଟ୍ ମାଧ୍ୟମରେ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଛି। ସରକାର ଏବେ ଇଂଟରନେନ୍ ମାଧ୍ୟମରେ ପାଠ ପଢା ପାଇଁ ପ୍ରତି ବିଦ୍ୟାଳକୁ ଚିଠି ମଧ୍ୟ କରିଛନ୍ତି। ହେଲେ ଡଇଁଚା ବାପୁଜୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ଅନ୍ ଲାଇନ୍ ପାଠ ପଢାରେ ଘୋର ବ୍ୟାଘାତ ସୃଷ୍ଟି ହୋଇଛି।

ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାପୁଜୀ ଉଚ୍ଚ ବିଦ୍ୟାଳୟରେ ମିଶିଯିବା ଦିନଠୁ ଶିକ୍ଷକ ମରୁଡି ରହିଛି। ପ୍ରଶାସନୀକ ଅଧିକାରୀମାନେ ମନ ଇଚ୍ଛା କିଛି ଟଙ୍କା ପାଇ ଡେପୁଟେସରେ ପଠାଉଥିବା ଅଭିଯୋଗ ହେଉଛି। ଏପରିକି ନେତାମାନଙ୍କୁ ହାତ କରି ଶିକ୍ଷକ ମାନେ ବଦଳୀ ପାଲା କରୁଛନ୍ତି। ଡଇଁଚା ବାପୁଜୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରତି ପ୍ରଶାସନୀକ ଅଧିକାରୀମାନେ ଏତେ ହିନମନ୍ୟତା କାହିଁକି ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ଅଭିଭାବକଙ୍କ ମହଲରେ।

ସୂଚନା ଯୋଗ୍ୟ ଯେ, ଏଠାରେ କିରାଣୀ ଭାବରେ କାମ କରୁଥିବା ମଦନ ମୋହନ ପ୍ରଧାନଙ୍କୁ ମଧ୍ୟ ଶିକ୍ଷା ବିଭାଗର ଅଧିକାରୀମାନେ ୨୦୧୭ ମସିହା ମାର୍ଚ୍ଚ ମାସରୁ ନାକଟିଦେଉଳ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଡେପୁଟେସନରେ ପଠାଇଛନ୍ତି। ଏଠାରେ ହାଇସ୍କୁଲର ସମସ୍ତ ଅଫିସ୍ କାମ କିରାଣୀ କରିବା ପରିବର୍ତ୍ତେ ଶିକ୍ଷକମାନେ ନିୟୋଜିତ ହେଉଛନ୍ତି। ଯା ଫଳରେ ଶିକ୍ଷକ ମାନେ ପାଠ ପଢାରେ ମଧ୍ୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ହିନ୍ଦି ଆମର ରାଷ୍ଟ୍ରଭାଷା ହୋଇଥିବା ବେଳେ ଆଗରୁ ଏଠାରେ ଜଣେ ହିନ୍ଦିି ଶିକ୍ଷକ ଥାଇ ହିନ୍ଦି ପାଠ ପଢାଉ ଥିଲେ। ହେଲେ ଏଠାରେ ବହୁ ବର୍ଷ ହେଲା ହିନ୍ଦି ଶିକ୍ଷା ଦାନରେ ମଧ୍ୟ ବାଧା ପ୍ରାପ୍ତ ହୋଇଛି। ଯା ଫଳରେ ହିନ୍ଦି ପାଠ ପଢିବାରେ ପିଲାମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଶିକ୍ଷୟତ୍ରୀ ସଂଧ୍ୟାରାଣୀ ବିଶିକୁ ଶିଘ୍ର ଫେରାଇ ଆଣିବା କିମ୍ବା ତାଙ୍କ ବଦଳରେ ଆଉ ଜଣେ ଶିକ୍ଷକକୁ ଶିଘ୍ର ନିଯୁକ୍ତି ଦେବାକୁ ଅଭିଭାବକ ମାନେ ଦାବୀ କରିଛନ୍ତି।

ଆଗାମୀ ଦିନରେ ଶିକ୍ଷକ ଅଭାବକୁ ପୂରଣ ନ କଲେ ମୋ ସ୍କୁଲ ଅଭିଯାନ, ଏସ୍‌ଏମ୍‌ଡିସି ଓ ଏସ୍‌ଏମ୍‌ସିର ସମସ୍ତ ସଭ୍ୟ ସଭ୍ୟା ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରିବେ ବୋଲି ପ୍ରକାଶ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଲ୍ଫା, ବିଟା ହେଉ ଅବା ଗାମା-ଡେଲ୍ଟା, ଏହି ଚାରି ଭ୍ୟାରିଏଣ୍ଟ ଉପରେ ପ୍ରଭାବ ପକାଉଛି କୋଭିସିଲ୍ଡ ଆଉ କୋଭାକ୍ସିନ: ସରକାର

ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଭ୍ୟାରିଏଣ୍ଟ ଡେଲ୍ଟା ପ୍ଲସ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି। ଡେଲ୍ଟା ପ୍ଲସ ଭ୍ୟାରିଏଣ୍ଟ ଦେଶରେ ତୃତୀୟ ଲହରୀ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି। ତେବେ ଏହା ଭିତରେ ଲୋକଙ୍କୁ କେନ୍ଦ୍ର ସରକାର ଏକ ଆଶ୍ବସ୍ତିକର ଖବର ଦେଇଛନ୍ତି। କୋଭିଡ-୧୯ର ସାର୍ସ-ସିଓଭି-୨ ର ଆଲ୍ଫା, ବୀଟା, ଗାମା ଏବଂ ଡେଲ୍ଟା ଭ୍ୟାରିଏଣ୍ଟ ବିରୋଧରେ ଦୁଇ ଟୀକା କୋଭିସିଲ୍ଡ ଏବଂ କୋଭାକ୍ସିନ ଠିକ କାମ କରୁଛି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ହେଲେ ବର୍ତ୍ତମାନ ଦେଖାଯାଇଥିବା ଡେଲ୍ଟା ପ୍ଲସ ଭ୍ୟାରିଏଣ୍ଟ ବିରୋଧରେ ଏହି ଦୁଇ ଟୀକା କେତେ କାମ କରିବ, ତାହା ପରୀକ୍ଷା କରାଯାଉଛି। ଏହା ଉପରେ ଟୀକା କେତେ ପ୍ରଭାବ ପକାଉଛି, ତାହାର ପରୀକ୍ଷଣ ଏବେ ଲ୍ୟାବରେ କରାଯାଉଛି। ଆଗାମୀ ୭ ରୁ ୧୦ ଦିନ ମଧ୍ୟରେ ଏହାର ପରିଣାମ ଆସିଯିବ ବୋଲି ଆଶା କରାଯାଉଛି। ଏନେଇ ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ୧୨ ଟି ଦେଶରେ ଡେଲ୍ଟା ପ୍ଲସ ଭ୍ୟାରିଏଣ୍ଟ ଦେଖାଦେଇଛି। ସେହିଭଳି ଭାରତରେ ୧୦ ଟି ରାଜ୍ୟରେ ୪୮ ଟି ଡେଲ୍ଟା ପ୍ଲସ ଭ୍ୟାରିଏଣ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର

ବିଜେଡ଼ି ପକ୍ଷରୁ ୩୦ ଜିଲ୍ଲା ପାଇଁ ନିଯୁକ୍ତି ହେଲେ ୬ ବରିଷ୍ଠ ପର୍ଯ୍ୟବେକ୍ଷକ

ଭୁବନେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ୩୦ ଜିଲ୍ଲା ପାଇଁ ୬ ଜଣ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି କରାଯାଇଛି। ଦଳର ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଜଣଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ପୂର୍ବର ସମସ୍ତ ନିର୍ଦ୍ଦେଶକୁ ବାତିଲ କରାଯାଇ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି।

ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ୭ ଟି ଜିଲ୍ଲା ଦାୟିତ୍ଵ ଦିଆଯାଇଥିବା ବେଳେ ଦେବୀ ମିଶ୍ରଙ୍କୁ ୬ ଟି ଜିଲ୍ଲା, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୬ ଟି, ବିକ୍ରମ ଆରୁଖଙ୍କୁ ୫ ଟି, ନିରଞ୍ଜନ ପୂଜାରୀ ୪ଟି ଏବଂ ମହେଶ୍ଵର ମହାନ୍ତିଙ୍କୁ ୨ ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ଵ ନ୍ୟସ୍ତ କରାଯାଇଛି।

 

Categories
ଆଜିର ଖବର ଆଞ୍ଚଳିକ

ଚିଲିକା ନିର୍ବାଚନମଣ୍ଡଳୀରେ ମାଟ୍ରିକ ଫଳ ପ୍ରକାଶ: ବାଜି ମାରିଲେ ଛାତ୍ରୀ, ପଢନ୍ତୁ ଏ-୧ରେ କୃତକାର୍ଯ୍ୟ ହୋଇଥିବା ତାଲିକା

ସୀତାରାମ ଅଗ୍ରୱାଲ

ଚିଲିକା: ବହୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଗତକାଲି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ।  ତେବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ, ଏନଏସି ଏବଂ ଚିଲିକା ବ୍ଲକ ଓ ବାଲୁଗାଁ ଏନଏସିରେ ପାସ ହାର ସନ୍ତୋଷଜନକ ରହିଛି। ବାଣପୁର ବ୍ଲକ ଏବଂ ଏନଏସି ରେ ପାସ ହାର ଶତକଡା ୯୮.୬୧ ପ୍ରତିଶତ ରହିଥିବା ବେଳେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ରେ ଏହା ଶତକଡା ୯୯.୦୮ ପ୍ରତିଶତ ରହିଛି।

ଅନୁରୂପ ଭାବେ ବାଣପୁର ବ୍ଲକ ଏବଂ ଏନଏସି ରେ ଏ-୧ ଗ୍ରେଡ଼ରେ ୬ ଜଣ, ଏ-୨ ଗ୍ରେଡ଼ରେ ୮୮ ଜଣ, ବି-୧ ଗ୍ରେଡ଼ରେ ୨୫୪ ଜଣ ଏବଂ ବି-୨ ଗ୍ରେଡ଼ରେ ୩୬୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ରେ ଏ-୧ ଗ୍ରେଡ଼ରେ ୪ ଜଣ, ଏ-୨ ଗ୍ରେଡ଼ରେ ୫୦ ଜଣ, ବି-୧ ଗ୍ରେଡ଼ରେ ୧୭୦ ଜଣ ଏବଂ ବି-୨ ଗ୍ରେଡ଼ରେ ୩୦୬ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ବାଣପୁର ବ୍ଲକ ଏବଂ ଏନଏସି ରେ ଅନ୍ତରକିଆରୀ ସ୍ଥିତ ନାରାୟଣ ମାନସିଂହ ଉଚ୍ଚ ବିଦ୍ୟାଳୟର ଦେବାଂଶୀ ଜେନା ୫୫୫ ମାର୍କ ରଖି ଟପର ହୋଇଥିବାବେଳେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସିରେ ହରିପୁର ଶାସନର ଲକ୍ଷ୍ମୀଧର ସରକାରୀ ଉଚ୍ଚ ବିଦ୍ୟାଳୟର କାବେରୀ ଦଳାଇ ୫୫୨ ମାର୍କ ରଖି ଟପର ହୋଇଛନ୍ତି।

ବାଣପୁର ବ୍ଲକ ଓ ଏନଏସି ଏ-୧ ଗ୍ରେଡ଼ ପାଇଥିବା ଛାତ୍ରଛାତ୍ରୀ:

୧- ଦେବାଂଶୀ ଜେନା, ନାରାୟଣ ମାନସିଂହ ଉଚ୍ଚ ବିଦ୍ୟାଳୟ, ଅନ୍ତରକିଆରୀ- ୫୫୫ ମାର୍କ

୨- ଆଶିଷ ସାହୁ, ନାରାୟଣ ମାନସିଂହ ଉଚ୍ଚ ବିଦ୍ୟାଳୟ, ଅନ୍ତରକିଆରୀ- ୫୪୬ ମାର୍କ

୩- ତାରିଣୀ ପ୍ରସାଦ ମିଶ୍ର, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବାଣପୁର- ୫୪୧ ମାର୍କ

୪- ସୁନିତା ନାୟକ, ନାରାୟଣ ମାନସିଂହ ଉଚ୍ଚ ବିଦ୍ୟାଳୟ, ଅନ୍ତର କିଆରୀ- ୫୪୦ ମାର୍କ

୫- ଶୁଭସ୍ମିତା ସେଣ, ପତିତପାବନ ବାଣୀ ବିଦ୍ୟା ମନ୍ଦିର, ଗମ୍ଭାରୀମୁଣ୍ଡା- ୫୪୦ମାର୍କ

୬- ଶୁଭଶ୍ରୀ ଶୁଭସ୍ମିତା, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବାଣପୁର- ୫୪୦

ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସିରେ ଏ-୧ ଗ୍ରେଡ଼ ପାଇଥିବା ଛାତ୍ରଛାତ୍ରୀ:

୧- କାବେରୀ ଦଳାଇ, ଲକ୍ଷ୍ମୀଧର ସରକାରୀ ଉଚ୍ଚ ବିଦ୍ୟାଳୟ, ହରିପୁର ଶାସନ- ୫୫୨ ମାର୍କ

୨- ପାୟଲ ଜେନା, ପିଏସ ନୋଡାଲ ଉଚ୍ଚ ବିଦ୍ୟାଳୟ, ଆଙ୍କୁଲାଚଟି- ୫୪୫ ମାର୍କ

୩- ଶୁଭଶ୍ରୀ ସାହୁ, ଅରବିନ୍ଦ ଶିକ୍ଷା କେନ୍ଦ୍ର, କାଳୁପଡ଼ାଘାଟ- ୫୪୨ ମାର୍କ

୪- ସନ୍ତୋଷ ସେଣ, ଏସଏଲଡ଼ିଏମ ବିଦ୍ୟାପୀଠ, ବିରିବାଡ଼ି- ୫୪୦ ମାର୍କ