Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୨୧ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୨୧୬୧କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୨୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୨୧ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୧୬୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି

କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ, ଭଦ୍ରକ, କଟକ, ଓ ସୁନ୍ଦରଗଡ ଜିଲ୍ଲାରୁ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ କରୋନାରେ ପ୍ରାଣହାନୀ ଘଟିଛି। ସେହିଭଳି ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୂଆପଡା ଏବଂ  ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୨୦୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୩୧ ହଜାର ୬୫୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯୦ ହଜାର ୩୩୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୧୬୧ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୪ ଲକ୍ଷ ୧ ହଜାର ୭୮ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪ ଲକ୍ଷ ୧ ହଜାର ୭୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪ ହଜାର ୧୮୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୧୮ ଲକ୍ଷ ୯୨ ହଜାର ୬୭୬ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୮ ହଜାର ୨୭୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭୯ ଲକ୍ଷ ୩୦ ହଜାର ୯୬୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୭ ଲକ୍ଷ ୨୩ ହଜାର ୪୪୬ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ସୁନ୍ଦରଗଡରୁ ସର୍ବାଧିକ ଆକ୍ରାନ୍ତ, ଖୋର୍ଦ୍ଧା ଦ୍ବିତୀୟ ଥିବା ବେଳେ କଟକରେ ମଧ୍ୟ ବଢିଲା ସଂଖ୍ୟା

ଭୁବନେଶ୍ବର, ଆଜି ରାଜ୍ୟରୁ ମିଳିଥିବା କରୋନା ପଜେଟିଭି ସଂଖ୍ୟା ଦେଖିଲେ ସୁନ୍ଦରଗଡରେ ସର୍ବାଧିକ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରେ ମୋଟ 1 ହଜାର 9 ଶହ 22 ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ 1510 ଏବଂ କଟକରୁ 1052 ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟାନ୍ୟ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ହେଲା

1. Angul: 560

2. Balasore: 260

3. Bargarh: 428

4. Bhadrak: 83

5. Balangir: 437

6. Boudh: 178

7. Cuttack: 1052

8. Deogarh: 115

9. Dhenkanal: 177

10. Gajapati: 105

11. Ganjam: 341

12. Jagatsinghpur:

134 13. Jajpur: 302

14. Jharsuguda: 421

15. Kalahandi: 402

16. Kandhamal: 92

17. Kendrapada: 145

18. Keonjhar: 231

19. Khurda: 1510

20. Koraput: 122

21. Malkangiri: 70

22. Mayurbhanj: 175

23. Nawarangpur: 419

24. Nayagarh: 204

25. Nuapada: 286

26. Puri: 454

27. Rayagada: 138

28. Sambalpur: 533

29. Sonepur: 210

30. Sundargarh: 1922

31. State Pool: 301

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ଚିହ୍ନଟ ହେଲେ 11 ହଜାର ଆକ୍ରାନ୍ତ, ଗତକାଲିଠାରୁ କମ ରହିଛି

ଭୁବନେଶ୍ବର, ଆଜି ମିଳିଥିବା ରିପୋର୍ଟ ଅନୁସାରେ ରାଜ୍ୟରେ 11 ହଜାର 8 ଶହ 7 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା ଥିଲା 12 ହଜାର 2ଶହ 38। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ତଥ୍ୟ ଅନୁସାରେ କ୍ବାରଣ୍ଟାଇରୁ 6 ହଜାର 6 ଶହ 13 ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ସ୍ଥାନୀୟ ସଂକ୍ରାମକ ସଂଖ୍ୟା ହେଲା 5 ହଜାର ଶହେ 94 ଜଣ। ଯେଉଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ସୂଚନା ଦିଆଯାଇଛି।

Categories
ଧର୍ମ ବିଶେଷ ଖବର

ଆଜି ମେ 8 ତାରିଖ ଶନିବାରରେ ଆଠଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ଦିଅନ୍ତୁ ଧ୍ୟାନ

ମେଷ- ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। କାର୍ଯ୍ୟ ପ୍ରଣାଳୀରେ ଉନ୍ନତି ହେବ। ସାମାଜିକ କାର୍ଯ୍ୟ କରିବାକୁ ପ୍ରେରଣା ପାଇବେ । ସମ୍ମାନ ପାଇବେ । ନୂତନ ବ୍ୟବସାୟ ଚୁକ୍ତି ହୋଇପାରେ । ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ। ଦୁଷ୍ଟମାନଙ୍କଠାରୁ ଦୂରରେ ରୁହନ୍ତୁ । ବିନିଯୋଗରେ ଚତୁରତାର ସହ କାର୍ଯ୍ୟ କରନ୍ତୁ। ନୂତନ ଚାକିରି କରିବାକୁ ସକ୍ଷମ ହେବେ।

ବୃଷ- ବକେୟା ରାଶି ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଲାଭ ସୁଯୋଗ ଆସିବ । ବ୍ୟବସାୟ କାର୍ଯ୍ୟ ଅନୁକୂଳ ଲାଭ ପ୍ରଦାନ କରିବ। ଚାକିରିରେ ଶାନ୍ତି ଏବଂ ସୁଖ ରହିବ। ଶାରୀରିକ କଷ୍ଟ ସମ୍ଭବ ହୋଇପାରେ। ଏକ ଅପ୍ରତ୍ୟାଶିତ ଘଟଣାର ସମ୍ଭାବନା ରହିବ। ଅର୍ଥ ଏବଂ ବିଶ୍ରାମ ସମୟ ଯଥେଷ୍ଟ ହେବ । ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ।

ମିଥୁନ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ । ଆପଣ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପାଇପାରିବେ । କୋର୍ଟ କାର୍ଯ୍ୟରେ ସଫଳତା ହାସଲ ହେବ। ଲାଭ ସୁଯୋଗ ଆସିବ। ବ୍ୟବସାୟ ଲାଭଦାୟକ ହେବ। ଚାକିରିଟି ଭାର ବଢି ପାରେ । କାରବାରରେ ସାବଧାନ ରୁହନ୍ତୁ । କ୍ଳାନ୍ତ ହୋଇଯିବ ।

କର୍କଟ- ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ। ହାତ ଟାଣ ହୋଇଯିବ। ଜଣେ ବ୍ୟକ୍ତିଙ୍କ ସହିତ ଅଯଥାରେ ବିବାଦ ହୋଇପାରେ। ଚିନ୍ତା ଏବଂ ଟେନସନ ରହିବ। ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। ଆପଣଙ୍କର ହୃଦୟ ବିଷୟରେ କାହାକୁ କୁହନ୍ତୁ ନାହିଁ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଗୁରୁଜନମାନଙ୍କ ପରାମର୍ଶ ନିଅନ୍ତୁ । ଉପକୃତ ହେବେ । ଆଘାତ ଏବଂ ରୋଗରୁ ଦୂରେଇ ରୁହନ୍ତୁ।

ସିଂହ- ଛୋଟ ପରିବାର ସଦସ୍ୟ ଅଧ୍ୟୟନ ପାଇଁ ଚିନ୍ତିତ ହୋଇପାରନ୍ତି । ଦୁଷ୍ଟମାନଙ୍କ ପ୍ରତି ସାବଧାନ ରୁହନ୍ତୁ। ସ୍ଥାୟୀ ସମ୍ପତ୍ତି ବୃଦ୍ଧି ପାଇପାରେ । ଏକ ବ୍ୟବସାୟ ବଡ ଡିଲ୍ ବହୁତ ଲାଭ ଦେଇପାରେ । ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ । ସେୟାର ବଜାର ଲାଭଦାୟକ ହେବ । ତତ୍ପରତା ନାହିଁ।

କନ୍ୟା- ଶାରୀରିକ ଯନ୍ତ୍ରଣା ସମ୍ଭବ। ଆଘାତ ଏବଂ ରୋଗରୁ ଦୂରେଇ ରୁହନ୍ତୁ । ଆରାମ ଉପାୟରେ ଖର୍ଚ୍ଚ ହେବ। ଲେଖା ଏବଂ ପଢିବାରେ ସମୟ ଅତିବାହିତ ହୋଇପାରେ । ସଫଳତା ପାଇବେ । ଭ୍ରମଣ ଚିତ୍ତାକର୍ଷକ ହୋଇପାରେ । ସୁସ୍ୱାଦୁ ଖାଦ୍ୟ ଉପଭୋଗ ହେବ । ଆପଣ ଜଣେ ଦକ୍ଷ ବ୍ୟକ୍ତିଙ୍କ ସମର୍ଥନ ପାଇବେ।

ତୂଳା- ଶତ୍ରୁତା ବଢି ପାରେ। କଥାବାର୍ତ୍ତାରେ ନିୟନ୍ତ୍ରଣ ଆବଶ୍ୟକ। କୁମାରୀମାନଙ୍କ ପାଇଁ ବୈବାହିକ ପ୍ରସ୍ତାବ ଆସିପାରେ। ଶାରୀରିକ ସମସ୍ୟା ହୋଇପାରେ। କୋର୍ଟ କାର୍ଯ୍ୟରେ ସୁସଙ୍ଗତତା ରହିବ । ଲାଭ ସୁଯୋଗ ବୃଦ୍ଧି ପାଇବ। ଚାକିରିରେ ଅଧସ୍ଥନମାନଙ୍କର ସହାୟତା ପାଇବେ । ଟଙ୍କା ସହଜ ହେବ। ଲଜ୍ଜିତ ହୁଅନ୍ତୁ ନାହିଁ ।

ବିଛା-  ଦାୟିତ୍ୱବୋଧ ବୃଦ୍ଧି ପାଇବ । ଭାବିବା ପରେ ସଫଳତା ମିଳିବ । ସୁଯୋଗକୁ ହାତ ଛଡା କରିବାକୁ ଦିଅନ୍ତୁ ନାହିଁ । ପୁନରୁଦ୍ଧାର ପାଇଁ ଦାୟିତ୍ବ ବଢିବ । ବ୍ୟବସାୟ ଯାତ୍ରା ସଫଳ ହେବ । ବ୍ୟବସାୟ ଭଲ କରିବ । ଖୁସି ହେବେ । ଆଘାତ ଏବଂ ରୋଗରୁ ଦୂରେଇ ରୁହନ୍ତୁ । କ୍ରୋଧ, ଉତ୍ତେଜନା ଉପରେ ସଂଯମ ରଖନ୍ତୁ । ପରିବାର ସଦସ୍ୟଙ୍କ ସହିତ ପାର୍ଥକ୍ୟ ହୋଇପାରେ।

ଧନୁ- କ୍ରନିକ ରୋଗ ସମସ୍ୟା ସୃଷ୍ଟି କରିପାରେ । ଜଣେ ବ୍ୟକ୍ତିଙ୍କ ସହିତ ଅନାବଶ୍ୟକ ବିବାଦ ସମ୍ଭବ । ଦୁଃଖ ରହିବ। ମନରେ ଏକ ଦ୍ୱନ୍ଦ୍ୱ ଦେଖାଯିବ । ଦୁଃଖଦ ଖବର ଦୂରରୁ ଆସିପାରେ। ଆବଶ୍ୟକ ଜିନିଷ ନିଖୋଜ ହୋଇପାରେ। ଚିନ୍ତା ଏବଂ ଟେନସନ ରହିବ । ଶୀଘ୍ର ନିଷ୍ପତ୍ତି ନିଅ ନାହିଁ ।

ମକର- ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ । ବ୍ୟବସାୟ ଯାତ୍ରାରେ ଉପକୃତ ହେବେ । ଅପ୍ରତ୍ୟାଶିତ ଲାଭ ହୋଇପାରେ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି । କାରବାରରେ ତତ୍ପର ହୁଅନ୍ତୁ ନାହିଁ। ଷ୍ଟକ୍ ମାର୍କେଟ୍ ଇତ୍ୟାଦିରେ ବୁଦ୍ଧିମାନ ଭାବରେ ନିଷ୍ପତ୍ତି ନିଅନ୍ତୁ ।

କୁମ୍ଭ – କୈଣସି ଆଇନଗତ କ୍ରମରେ ପଡ଼ନ୍ତୁ ନାହିଁ । କଥାବାର୍ତ୍ତା ଉପରେ ସଂଯମତା ରଖନ୍ତୁ। ମସ୍ତିଷ୍କ ଯନ୍ତ୍ରଣା ହୋଇପାରେ । ଦୂରରୁ ସୁସମାଚାର ଗ୍ରହଣ କରାଯିବ । ଅତିଥିମାନେ ଘରେ ପହଞ୍ଚିବେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ନିଷ୍ପତ୍ତି ନେବାର କ୍ଷମତା ବୃଦ୍ଧି ପାଇବ। ଟଙ୍କା ହାସଲ ସହଜ ହେବ । ବିନିଯୋଗ ଲାଭଜନକ ରହିବ ।

ମୀନ- ଯାନ, ଯନ୍ତ୍ର ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ଶାରୀରିକ କ୍ଷତି ଏବଂ ଯନ୍ତ୍ରଣା ସମ୍ଭବ । ପୁରୁଣା ରୋଗ ପାଇଁ ଖର୍ଚ୍ଚ ହେବ । ନିଜ ନିଜ ବ୍ୟକ୍ତିଙ୍କ ସହିତ ଏକ ବିବାଦୀୟ ପରିସ୍ଥିତ ସୃଷ୍ଟି ହୋଇପାରେ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ବ୍ୟବସାୟ ଭଲ କରିବ । ଆୟ ରହିବ। ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଠିକୁ ୧୦ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର: ସମଗ୍ର ବିଶ୍ୱ “ କରୋନା” ବା କୋଭିଡ୍‌- ୧୯ ଭୂତାଣୁ ଦ୍ୱିତୀୟ ଲହର ବିରୁଦ୍ଧରେ ଯୁଦ୍ଧ କରୁଛି। ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ କୋଭିଡ ମୁକାବିଲାକୁ ଶାଣିତ କରାଯାଇଛି। ଏହି ଘଡିସନ୍ଧି ମୁହୂର୍ତ୍ତରେ କରୋନାର ମୁକାବିଲା ଓ ମାନବିକତା ଗତିବିଧିକୁ କ୍ରିୟାଶୀଳ କରି ରଖିବା ଉଦ୍ଦେଶ୍ୟରେ ଓଡିଶା କ୍ଷୁଦ୍ରଶିଳ୍ପ ନିଗମ (OSIC) ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି “କୋଭିଡ୍–୧୯” କୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରି ସରକାରଙ୍କୁ ସହଯୋଗର ହାତ ବଢ଼େଇଛନ୍ତି। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ ଏବଂ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ସାହାଣୀ ଏହି ରାଶିର ଚେକ୍‌ ପ୍ରଦାନ କରିଛନ୍ତି।

ଏହି ଅବସରରେ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଓ ଦୂରଦର୍ଶୀ କୋଭିଡ୍ ପରିଚାଳନା ଯୋଗୁଁ ଓଡ଼ିଶାରେ କୋଭିଡ ମହାମାରୀ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। କୋଭିଡ୍ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅନେକ ରାଜ୍ୟଠାରୁ ଭଲ ସ୍ଥିତିରେ ଅଛି। ଏହି ସାମ୍ପ୍ରତିକ ପରିସ୍ଥିତିରେ ସାମାଜିକ ଦୂରତ୍ୱକୁ ଯଥାସମ୍ଭବ ପାଳନ କରି ନିଜ ଘରେ ନିଜକୁ ଆବଦ୍ଧ ରଖି ନିଜର ଆତ୍ମୀୟସ୍ୱଜନ ଓ ପରିବାରବର୍ଗଙ୍କୁ ବିଶ୍ୱ ମହାମାରୀ କରୋନା ରୁ ସୁରକ୍ଷିତ ରଖିବାକୁ ଶ୍ରୀ ଚିନ୍ମୟ ସାହୁ ବିନମ୍ର ଅନୁରୋଧ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୩ଦିନ ନିଖୋଜ ପରେ ଯୁବକର ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ସାନଖଇରମାଲ ଖିତି ଗଉଡ଼ଙ୍କ ପୁଅ ସୁଦାମ ଗଉଡ଼ ଓରଫ ରାହୁଲ ଗତ ୪ ତାରିଖ ଦିନ ସନ୍ଧ୍ୟାରୁ ନିଖୋଜ ଥିବା ଯୁବକର ମୃତ ଦେହ ଆଜି ନିଜ ଗାଁ ସାନଖଇରମାଲ ନିକଟସ୍ଥ ଏକ ଚାଷ ଜମିରୁ ଉଦ୍ଧାର କରାଯାଇଛି।

ମୃତ ଯୁବକଙ୍କ ବାପା ଖିତି ଗଉଡ଼ଙ୍କ (୪୨) ସୂଚନା ଅନୁସାରେ ସାନ ପୁଅ ସୁଦାମ ଗଉଡ଼ ଓରଫ ରାହୁଲ ନାମକ (୧୭) ବର୍ଷୀୟ ଯୁବକ ଗତ ୪ ତାରିଖ ଘରେ ରାତ୍ରି ଭୋଜନସାରି ଘରୁ ପଦାକୁ ଚାଲି ଆସିଥିଲେ। ଘରକୁ ଫେରିବାରେ ଅତ୍ୟଧିକ ବିଳମ୍ବ ହେବା ଯୋଗୁଁ, ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା।

ନିଖୋଜ ହେବାର ୨୪ ଘଣ୍ଟା ପରେ, ପରିବାର ଲୋକେ ଗତକାଲି କର୍ଲାପଡ଼ା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଆଜି ପୂର୍ବାହ୍ନ ୯ ଟା ସମୟରେ ସାନଖଇରମାଲ ଗ୍ରାମର ଜନୈକ ଗ୍ରାମବାସୀ, ଗ୍ରାମ ନିକଟରେ ନିର୍ମାଣ କରାଯାଉଥିବା ପୋଖରୀ କାମ ତଦାରଖ ପାଇଁ ଯିବା ସମୟରେ ଦୁର୍ଗନ୍ଧ ଅନୁସରଣ କରି ପୋଖରୀ ନିକଟରେ ଥିବା ଖାତରେ ଅଜଣା ବ୍ୟକ୍ତିର ଶବ ଦେଖିବାକୁ ପାଇଥିଲେ।

ଏହି ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇବା ପରେ, ଗ୍ରାମବାସୀ ଏହା ନିଖୋଜ ସୁଦାମ ଗଉଡ଼ ବୋଲି ଜାଣିବାକୁ ପାଇଥିଲେ। ଗ୍ରାମବାସୀ ତୁରନ୍ତ କର୍ଲାପଡ଼ା ଫାଣ୍ଡିରେ ଏହା ସମ୍ପର୍କରେ ସୂଚନା ଦେବାପରେ, ଭବାନୀପାଟଣା ସଦରଥାନା ଅଧିକାରୀ ପ୍ରଦୀପ ଧରୁଆ କେଶ ନମ୍ବର ୧୫୧/୨୦୨୧ ଅନୁସାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। କଳାହାଣ୍ଡି ଜିଲ୍ଲାରେ ସନ୍ଧାନୀ କୁକୁର ନଥିବା ଯୋଗୁଁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଅନୁରୋଧ କ୍ରମେ ରାୟଗଡା ଜିଲ୍ଲାରୁ ସନ୍ଧାନୀ କୁକୁର ଅଣାଯାଇ ତଦନ୍ତ ଜାରି ରଖିଛନ୍ତି।

ତେବେ କିଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି, ଗତକାଲି ରାତିରେ କିଛି ବ୍ୟକ୍ତି ସାନଖଇରମାଲ ଗାଁରେ ଲାଗିଥିବା ସମସ୍ତ ଷ୍ଟ୍ରିଟ ଲାଇଟ ଭାଙ୍ଗି ଦେବା ଓ ବିଜୁଳି ଟ୍ରାନ୍ସଫର୍ମରରେ ତାର ପକାଇ ଫ୍ୟୁଜ କରିଦେଇଥିଲେ। ଏଣୁ ଏହି ଘଟଣା ଆହୁରି ରହସ୍ୟମୟ ହେବା ସହିତ କେହି ଜାଣି ଶୁଣି ଏଭଳି କରି, ଶବଟିକୁ ଏଠାରେ ଆଣି ଫିଙ୍ଗି ଦେଇଥିବା ସନ୍ଦେହ କରୁଛନ୍ତି। ଶବ ଟିକୁ ବ୍ୟବଚ୍ଛେଦ ପାଇଁ ଭବାନୀପାଟଣା ଜ଼ୀଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଗଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଇଏନ୍‌ଏସ୍ ଚିଲିକାର କୋଭିଡ୍ କେୟାର ସେଣ୍ଟରକୁ ଲୋକାର୍ପିତ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଉପଖଣ୍ଡରେ କରୋନା ଦ୍ରୁତ ଗତିରେ କାୟା ବିସ୍ତାର କରି ଚାଲିଛି। ତାକୁ ଯଦି ଲକ୍ଷ୍ୟ କରିବା ବର୍ତ୍ତମାନ ଜିଲ୍ଲାରେ ଯେତିକି କୋଭିଡ କେୟାର ସେଣ୍ଟର ଅଛି ତାହା ଆଗାମୀ ଦିନରେ ପର୍ଯ୍ୟାପ୍ତ ହେବନାହିଁ ବୋଲି ପୂର୍ବାନୁମାନ କରିସାରିଛି ଜିଲ୍ଲା ପ୍ରଶାସନ। ତେଣୁ ଆଜି ଅପରାହ୍ନରେ ଭାରତୀୟ ନୌସେନାର ପ୍ରାରମ୍ଭିକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଆଇଏନ୍‌ଏସ୍ ଚିଲିକା ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଆନୁଷ୍ଠାନିକ ଭାବେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ଼ କେୟାର ସେଣ୍ଟରର ଲୋକାର୍ପଣ କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅଧୀନସ୍ଥ ବଡ଼କୁଳ ନିକଟରେ ଅବସ୍ଥିତ ଆଇଏନ୍‌ଏସ୍ ଚିଲିକା ବେସ ମଧ୍ୟରେ ପ୍ରଶିକ୍ଷାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଆବାସ ଗୃହରେ କରୋନା ଆକ୍ରାନ୍ତ ରୋଗୀମାନଙ୍କ ପାଇଁ ୧୫୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ କୋଭିଡ଼ କେୟାର ସେଣ୍ଟରର ଆୟୋଜନ କରାଯାଇଛି। ତାହା ସହ ଅମ୍ଳଜାନ ଆବଶ୍ୟକ କରୁଥିବା ରୋଗୀଙ୍କ ପାଇଁ ଆଇଏନ୍‌ଏସ୍ ଚିଲିକାର ବେସ ମଧ୍ୟରେ ଥିବା ନିଭାରିଣୀ ହସ୍ପିଟାଲ ଠାରେ ଅତିରିକ୍ତ ୧୫ ଶଯ୍ୟା ଉପଲବ୍ଧର ବ୍ୟବସ୍ଥା କରାଯାଇଛି।

ଜିଲ୍ଲା ମେଡିକାଲ୍ ତରଫରୁ ୩ଜଣ ଡାକ୍ତର ୫ଜଣ ପାରାମେଡିକାଲ୍ ଷ୍ଟାଫଙ୍କ ମିଳିତ ସ୍ୱତନ୍ତ୍ର ଟିମ୍ ର ତତ୍ୱାବଧାନ ରେ ଉକ୍ତ ଚିକିତ୍ସା ଯୋଗାଇ ଦିଆଯିବ। ଏହି କୋଭିଡ୍ କେୟାର ସେଣ୍ଟର ୨୪ ଘଣ୍ଟିଆ କାମ କରିବ ଓ ଏହି କେୟାର ସେଣ୍ଟରରେ ଟାଙ୍ଗୀ ବ୍ଲକ୍, ଚିଲିକା ନିର୍ବାଚନ ମଣ୍ଡଳୀର ଯେଉଁ ମାନଙ୍କର ନିଜ ଘରେ ସଙ୍ଘରୋଧ ରହିବା ବ୍ୟବସ୍ଥା ନାହିଁ, ସେଭଳି କୋଭିଡ଼ ଆକ୍ରାନ୍ତ ରୋଗୀମାନେ ଏହି କେୟାର ସେଣ୍ଟରରେ ଉପକୃତ ହେବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏଭଳି ମହାମାରୀ ସଙ୍କଟ ସମୟରେ ଆଇଏନ୍‌ଏସ୍ ଚିଲିକାର ଉକ୍ତ ସହଯୋଗ ନା କେବଳ ଖୋର୍ଦ୍ଧା ଜିଲ୍ଲାର କୋଭିଡ ଆକ୍ରାନ୍ତଙ୍କ ଉନ୍ନତ ଚିକିତ୍ସାରେ ସହାୟକ ହେବ ବରଂ ସେମାନଙ୍କ ମନୋବଳ ବଢାଇବରେ ସହାୟ ମଧ୍ୟ ହେବ ବୋଲି ଜିଲ୍ଲାପାଳ କହିଥିଲେ। ତତ ସହିତ ଅଧିକ ଲକ୍ଷଣ ଥିବା ବ୍ୟକ୍ତି ଏବଂ ଏକାଧିକ ରୋଗରେ ପୀଡିତ ଥିବା ବୟସ୍କ ବ୍ୟକ୍ତିମାନେ ମଧ୍ୟ ଡାକ୍ତରଙ୍କ ପରାମର୍ଶ କ୍ରମେ ଉକ୍ତ କୋଭିଡ଼ କେୟାର ସେଣ୍ଟର ରେ ଚିକିତ୍ସିତ ହୋଇପାରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଆଇଏନ୍‌ଏସ୍ ଚିଲିକାର ଉକ୍ତ ପଦକ୍ଷେପ ଦ୍ୱାରା ଉଭୟ ସାମରିକ ଏବଂ ବେସାମାରିକ ବିଭାଗ ମିଳିମିଶି କୋଭିଡ଼କୁ ପ୍ରତିହିତ କରିବାରେ ସହାୟକ ହେବେ ବୋଲି ଜିଲ୍ଲାପାଳ ଆଶା କରିଛନ୍ତି।

ଅପରପକ୍ଷରେ ଏଭଳି ଆପତ୍ତକାଳୀନ ପରିସ୍ଥିତିରେ ଆମେ ଜିଲ୍ଲା ପ୍ରଶାସନର ପ୍ରସ୍ତାବକୁ ଗ୍ରହଣ କରି ନିଜକୁ ସମାଜ କଲ୍ୟାଣରେ ନିୟୋଜିତ କରିବାର ସୁଯୋଗ ପାଇଛୁ ବୋଲି ଆଇଏନ୍‌ଏସ୍ ଚିଲିକା ମୁଖ୍ୟ କମୋଡର ଏନ. ପି ପ୍ରଦୀପ ମତପ୍ରକାଶ କରିଥିଲେ। ସେହିପରି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ ଉକ୍ତ କୋଭିଡ କେୟାର ସେଣ୍ଟର ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦିଆଯାଇଛି ବୋଲି ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତି ଥିବା ଅତିଥି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ବିଶ୍ୱ ରଞ୍ଜନ ପତି ସୂଚନା ଦେଇଥଲେ।

ଉକ୍ତ ଲୋକାର୍ପଣ ଉତ୍ସବ ରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ), ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ, ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆଦି ଉପସ୍ଥିତ ଥିଲେ। ତେବେ ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ ଆକ୍ରାନ୍ତ ବ୍ୟକ୍ତି ମାନେ ଆଇଏନ୍‌ଏସ୍ ଚିଲିକାର କୋଭିଡ଼ କେୟାର ସେଣ୍ଟରରେ ଚିକିତ୍ସିତ ହୋଇପାରିବେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପ୍ ର ଫାଇନାଲ ମ୍ୟାଚ: ଘୋଷଣା ହେଲା ଭାରତୀୟ ଦଳ, ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ମ୍ୟାଚ ଏବଂ ଇଂଲଣ୍ଡ ବିରୋଧରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ପାଇଁ ୨୦ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସ୍ପିନର କୁଳଦୀପ ଯାଦବକୁ ଏହି ଦଳରେ ସ୍ଥାନ ମିଳିନାହିଁ। ଏହି ଦୁଇ ଖେଳାଳି ଗତ ଇଂଲଣ୍ଡ ସିରିଜରେ ସ୍ଥାନ ପାଇଥିଲେ। ଚାରି ମ୍ୟାଚ ବିଶିଷ୍ଟଏହି ସିରିଜରେ ହାର୍ଦ୍ଦିକ ଗୋଟିଏ ମ୍ୟାଚ ଖେଳିନଥିବା ବେଳେ କୁଳଦୀପଙ୍କୁ ଦ୍ଵିତୀୟ ମ୍ୟାଚରେ ସୁଯୋଗ ମିଳିଥିଲା।

କିନ୍ତୁ ସେହି ମ୍ୟାଚରେ କୁଳଦୀପଙ୍କ ପ୍ରଦର୍ଶନ ଭଲ ନଥିଲା। ଇଂଲଣ୍ଡ ବିରୋଧରେ ଖେଳାଯାଇଥିବା ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ହାର୍ଦ୍ଦିକଙ୍କୁ ବୋଲିଂ ସୁଯୋଗ ମିଳିନଥିଲା। ଏହାପରେ ଆଇପିଏଲରେ ମଧ୍ୟ ପାଣ୍ଡ୍ୟା ବୋଲିଂ କରିନଥିଲେ। କିନ୍ତୁ ଅଧିକ ଚାପ ଯୋଗୁଁ ପାଣ୍ଡ୍ୟାଙ୍କୁ ବୋଲିଂ ସୁଯୋଗ ଦିଆଯାଉନାହିଁ  ବୋଲି ଭାରତୀୟ ଦଳର ଅଧିନାୟକ ବିରାଟ କୋହିଲି କହିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ ନକରିବା ମହଙ୍ଗା ପଡିଲା। ଯାହା ଫଳରେ ତାଙ୍କୁ ଆଗାମୀ ସିରିଜ ପାଇଁ ମନୋନୀତ କରାଗଲା ନାହିଁ ବୋଲି କୁହାଯାଉଛି।

ମନୋନୀତ ୨୦ ଜଣିଆ ଭାରତୀୟ ଦଳ:

ବିରାଟ କୋହଲୀ (ଅଧିନାୟକ), ଅଜିଙ୍କ୍ୟ ରାହାନେ (ଉପଅଧିନାୟକ), ରୋହିତ ଶର୍ମା, ଶୁବମାନ ଗିଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ଵର ପୂଜାରା, ହନୁମା ବିହାରୀ, ଋଷଭ ପନ୍ତ, ଆର. ଅଶ୍ଵିନୀ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଜସପ୍ରିତ ବୁମରା, ଇଶାନ୍ତ ଶର୍ମା, ମୋହମ୍ମଦ ସିରାଜ, ମୋହମ୍ମଦ ଶାମି, ଶ୍ରାଦ୍ଦୁଳ ଠାକୁର, ଉମେଶ ଯାଦବଙ୍କୁ ମନୋନୀତ କରାଯାଇଛି। ଏହାସହ ଫିଟ୍ ହେବା ପରେ କେଏଲ ରାହୁଲ ଏବଂ ଋଦ୍ଦିମାନ ସାହଙ୍କୁ ଦଳରେ ସାମିଲ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୦୪୮: ସୁସ୍ଥ ହେଲେ ୮୪୮ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୦୪୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୯୭ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧ ହଜାର ୪୯୬ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୮୪୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୪୧ ହଜାର ୧୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦ ହଜାର ୬୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୭୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦଶମ ପରୀକ୍ଷା ମୂଲ୍ୟାୟନ ପାଇଁ ବିକଳ୍ପ ପଦ୍ଧତିକୁ ମାଧ୍ୟମିକ ଶିକ୍ଷା ପରିଷଦର ଅନୁମୋଦନ

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ ଦଶମ ପରୀକ୍ଷା ମୂଲ୍ୟାୟନ ପାଇଁ ବିକଳ୍ପ ପଦ୍ଧତିକୁ ଅନୁମୋଦନ ଦେଇଛି। ଛାତ୍ରଛାତ୍ରୀଙ୍କ ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ମୂଲ୍ୟ ଆଧାରରେ ଦଶମ ବୋର୍ଡ ପରୀକ୍ଷା ମୂଲ୍ୟାୟନ ହେବ। ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ମୂଲ୍ୟକୁ ବିଚାରକୁ ନିଆଯିବ ସହ ଦଶମର ଅଭ୍ୟାସ ପରୀକ୍ଷା ମୂଲ୍ୟକୁ ମଧ୍ୟ ବିଚାର କରାଯିବ। ନବମ ଶ୍ରେଣୀର ୪୦ ପ୍ରତିଶତ ଏବଂ ଦଶମ ଶ୍ରେଣୀର ୬୦ ପ୍ରତିଶତ ମୂଲ୍ୟକୁ ଗୁରୁତ୍ଵ ଦିଆଯିବ। ଦଶମ ଅଭ୍ୟାସ ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀଙ୍କ ପାଇଁ ନବମ ପରୀକ୍ଷା ଆଧାରରେ ମୂଲ୍ୟାୟନ ହେବ। ଦଶମରେ କେବଳ ଗୋଟିଏ ପରୀକ୍ଷା ଦେଇଥିଲେ ନବମର ୭୦ ପ୍ରତିଶତ ମାର୍କକୁ ଗୁରୁତ୍ଵ ଦିଆଯିବ।

ତେବେ ପରୀକ୍ଷା ଫଳ ପ୍ରସ୍ତୁତି ପାଇଁ ୨୭୬୬ ଟି ସ୍କୁଲକୁ ମେଣ୍ଟର ସ୍କୁଲ ଭାବେ ଘୋଷଣା କରାଯାଇଛି। ମେଣ୍ଟର ସ୍କୁଲର ପ୍ରଧାନ ଶିକ୍ଷକ ସବୁ ସ୍କୁଲର ମାର୍କ ଅପଲୋଡ କରିବାକୁ ଅନୁମତି ମିଳିଛି। ବିଷୟ ଅନୁସାରେ ଛାତ୍ରଛାତ୍ରୀଙ୍କ ସର୍ବାଧିକ ନମ୍ବର ଅପଲୋଡ କରାଯିବ। ମେ’ ୨୪ ରୁ ୩୧ ତାରିଖ ମଧ୍ୟରେ ପ୍ରଧାନ ଶିକ୍ଷକମାନେ ନାରକ ଅପଲୋଡ କରିବେ।

ପରୀକ୍ଷା ଫଳ ପ୍ରକାଶ ପରେ ଯଦି କୌଣସି ଛାତ୍ରଛାତ୍ରୀ ମୂଲ୍ୟାୟନରେ ଅସନ୍ତୁଷ୍ଟ ହେବେ, ତେବେ ସେମାନେ ପରୀକ୍ଷା ଦେଇପାରିବେ। କୋଭିଡ ସ୍ଥିତି ସୁଧୁରିଲା ପରେ ଛାତ୍ରଛାତ୍ରୀ ଲିଖିତ ପରୀକ୍ଷା ଦେଇପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ଶିମିଳିପାଳରେ ବାଇକ୍ ଦୁର୍ଘଟଣା: ଦୁଇ ଗୁରୁତର, ଜଣେ ଆହତ

କନ୍ଦର୍ପ ବେହେରା
ରେଢ଼ାଖୋଲ: ରେଢ଼ାଖୋଲ ଥାନା ଶିମିଳିପାଳରେ ବାଇକ୍ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଗୁରୁତର ଆହତ ହେବା ସହ ଆଉ ଜଣେ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି।

ଆଜି ଅପରାହ୍ନ ପ୍ରାୟ ୨ ଟା ସମୟରେ ରେଢ଼ାଖୋଲରୁ ନାକଚିଦେଉଳକୁ ବାଇକ୍ ରେ ଫେରୁଥିବା ବେଳେ ଶିମଳିପାଳ ଠାରେ ଭାରସାମ୍ୟ ହରାଇ ଲୁହା ବାରିକେଟ୍ ରେ ପିଟି ହୋଇ ତଳେ ପଡ଼ିଯାଇଥିଲେ। ଆହତମାନେ ହେଲେ ନାକଟିଦେଉଳ ଗ୍ରାମର ପପୁ କୁରେଶୀ (୩୭), ଶେହଜାଦ ଅଳ୍ଲି କୁରେଶୀ ( ୩୨) ଗୁରୁତର ଆହତ ଓ କାଦର ହାସନ (୨୫) ସାମାନ୍ୟ ଆହତ ହୋଇଅଛନ୍ତି।

ଘଟଣା ସ୍ଥଳରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରି ଥିଲେ। ପପୁ କୁରେଶୀ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୮ ହଜାର ୪୦୧ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮ ହଜାର ୪୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୮୨୫, ସୁନ୍ଦରଗଡରୁ ୯୩୧, କଟକରୁ ୪୮୧, ନବରଙ୍ଗପୁରରୁ ୩୪୬, ଝାରସୁଗୁଡାରୁ ୩୪୩, ଅନୁଗୁଳରୁ ୩୨୨, ମୟୂରଭଞ୍ଜରୁ ୩୦୮, ସମ୍ବଲପୁରରୁ ୩୦୭, ନୂଆପଡ଼ାରୁ ୨୯୭, ପୁରୀରୁ ୨୮୭, ବରଗଡରୁ ୨୭୦, ଯାଜପୁରରୁ ୨୪୦, ବଲାଙ୍ଗୀରିରୁ ୨୩୪, କେନ୍ଦୁଝରରୁ ୨୩୪, ଗଞ୍ଜାମରୁ ୨୨୨, ବାଲେଶ୍ବରରୁ ୨୦୦, ଗଜପତିରୁ ୧୫୭, ରାୟଗଡାରୁ ୧୪୭, କଳାହାଣ୍ଡିରୁ ୧୨୩, ନୟାଗଡରୁ ୧୨୦, ସୋନପୁରରୁ ୧୧୨, ଜଗତସିଂହପୁରରୁ ୧୦୯, ଦେବଗଡରୁ ୯୬, କେନ୍ଦ୍ରାପଡାରୁ ୮୫, କୋରାପୁଟରୁ ୭୬, ଭଦ୍ରକରୁ ୬୭, କନ୍ଧମାଳରୁ ୫୩, ମାଲକାନାଗିରିରୁ ୨୬, ଢେଙ୍କାନାଳରୁ ୨୫, ବୌଦ୍ଧରୁ ୨୦ ଏବଂ ଷ୍ଟେଟ ପୁଲରୁ ୩୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୪ ଲକ୍ଷ ୩୧ ହଜାର ୬୫୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୧୨ ହଜାର ୪୦୦ କୁ ବୃଦ୍ଧି ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୬ ହଜାର ୯୫୦ ଜଣ। ସେହିଭଳି ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୧୪୦ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୧ ଯାଏଁ ଏହି ଜିଲ୍ଲାରେ ହେବ ଝଡବର୍ଷା ସହ ବଜ୍ରପାତ: ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଆସନ୍ତା ୧୧ ତାରିଖ ଯାଏଁ ରାଜ୍ୟର ଅନେକ ଜିଲ୍ଲାରେ ଝଡବର୍ଷା ସହ ବଜ୍ରପାତ ନେଇ ଆଶଙ୍କା କରାଯାଇଛି। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏନେଇ ଅନୁମାନ କରିଛି। ତେବେ ଏହାକୁ ଦେଖି ପ୍ରଭାବିତ ଜିଲ୍ଲାଗୁଡିକ ପାଇଁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏସଆରସି ସତର୍କ କରିଛନ୍ତି।

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଏହି ଜିଲ୍ଲାଗୁଡିକରେ ଆସନ୍ତାକାଲି ସକାଳ ୮:୩୦ ପର୍ଯ୍ୟନ୍ତ ଝଡବର୍ଷା ସହ ବଜ୍ରପାତ ହେବ ବୋଲି ଅନୁମାନ କରାଯାଇଛି। ଏହି ସମୟରେ ଉକ୍ତ ଜିଲ୍ଲାଗୁଡିକରେ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ମଧ୍ୟ ଆଶଙ୍କା କରାଯାଇଛି।

କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଅନୁଗୁଳ, ଦେବଗଡ଼, କଟକ, ଭଦ୍ରକ, ବାଲେଶ୍ୱର, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଜିଲ୍ଲାକୁ ୮ ତାରିଖରୁ ୯ ତାରିଖ ସକାଳ ୮ଟା ୩୦ ଯାଏଁ ସତର୍କ ସୂଚନା ଦିଆଯାଇଛି। ଏହି ଜିଲ୍ଲାଗୁଡିକରେ ଝଡବର୍ଷା ସହ ବଜ୍ରପାତ ହେବା ନେଇ ଆଶଙ୍କା କରାଯାଇଥିବେଳେ ଏହି ସମୟରେ ପବନର ବେଗ ୪୦ ରୁ ୫୦ କିଲୋମିଟର ରହିବ ବୋଲି ଅନୁମାନ କରାଯାଇଛି ଏବଂ ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ କୁଆପଥର ବର୍ଷା ନେଇ ସତର୍କ କରାଯାଇଛି।

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ବୌଦ୍ଧ, ସୋନପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜରେ ୯ ତାରିଖରୁ ୧୦ ତାରିଖ ସକାଳ ୮ଟା ୩୦ ଯାଏଁ କାଳବୈଶାଖୀ ସମ୍ଭାବନା ରହିଛି। କନ୍ଧମାଳ, ବୌଦ୍ଧ, ସୋନପୁର ଓ ଅନୁଗୁଳ ଜିଲ୍ଲାରେ କୁଆପଥର ବର୍ଷା ହୋଇପାରେ। ଏହି ସମୟରେ ଘଣ୍ଟାପ୍ରତି ପବନ ୩୦ରୁ ୪୦ କିମି ବେଗରେ ବହିପାରେ।

ସେହିଭଳି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, ଗଞ୍ଜାମ, କନ୍ଧମାଳ, ନୂଆପଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲ୍ଲାକୁ ୧୦ ତାରିଖରୁ ୧୧ ସକାଳ ୮ଟା ୩୦ ଯାଏଁ ଝଡବର୍ଷା ସହ ବଜ୍ରପାତ ନେଇ ସତର୍କ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ନଭିମୁମ୍ବାଇ ମହାନଗର ନିଗମକୁ ଓଡିଶା ଭବନ ଭଡା ଛାଡ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର, କୋଭିଡ଼ ମହାମାରୀର ମୁକାବିଲା ପାଇଁ ମୁମ୍ବାଇ ରେ ରୋଗୀ ଙ୍କୁ ସେବା ଯୋଗାଉଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ମାନଙ୍କ ସନ୍ ଗରୋଧ ନିମନ୍ତେ ନାଭି ମୁମ୍ବାଇ ମହାନଗର ନିଗମ ସେଠାରେ ଥିବା ଓଡ଼ିଶା ଭବନକୁ ୨୦୨୦ ଅପ୍ରେଲରୁ ବ୍ୟବହାର କରିଆସୁଥିଲେ ।

ଏହାର ଭଡ଼ା ବାବଦ ଦେୟ ଦୁଇ କୋଟି ଷୋହଳ ହଜାର ଟଙ୍କା ଥିବା ବେଳେ , ମହାମାରୀ ର ଏ ବିପଦ ସମୟରେ ମାନଵିକତା ତଥା ମୁମ୍ବାଇ ର ଜନସାଧାରଣଙ୍କ ପ୍ରତି ସଦିଛ୍ଛା ପୂର୍ଣ୍ଣ ମନୋଭାବ ପ୍ରଦର୍ଶନ ପୂର୍ବକ ଓଡ଼ିଶା ଭବନ ଭଡା ଦେୟକୁ ସମ୍ପୂର୍ଣ୍ଣ ଛାଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ ଗୁରୁତର କୋଭିଡ଼ ରୋଗୀଙ୍କ ଚିକିତ୍ସା ନିମନ୍ତେ ଓଡ଼ିଶା ମହାରାଷ୍ଟ୍ର କୁ ଜରୁରୀ ଭିତ୍ତି ରେ ଗତ ପନ୍ଦର ଦିନ ହେଲା ଅକ୍ସିଜେନ ମଧ୍ୟ ଯୋଗାଉଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବରରେ ପହଞ୍ଚିଲା ୨ ଲକ୍ଷ କୋଭିସିଲ୍ଡ ଟୀକା ଡୋଜ: ଅପେକ୍ଷାରତ ଲୋକଙ୍କୁ ମିଳିବ ପ୍ରାଥମିକତା

ଭୁବନେଶ୍ବର: ଆଜି ଭୁବନେଶ୍ଵରରେ ୨ ଲକ୍ଷ କୋଭିସିଲ୍ଡ ଟୀକା ଡୋଜ ପହଞ୍ଚିଛି। ଦ୍ଵିତୀୟ ଡୋଜ ଅପେକ୍ଷାରେ ଥିବା ୪୫ ବର୍ଷର ବର୍ଗର ଲୋକଙ୍କୁ ପ୍ରଥମେ ଏହି ଟୀକା ମିଳିବ।

ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟରେ ମୋଟ ୪୫ ବର୍ଷରୁ ଉର୍ଦ୍ଧ୍ଵ ବର୍ଗରେ ମୋଟ ୧ କୋଟି ୧୬ ଲକ୍ଷ ଲୋକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୪୩ ଲକ୍ଷ ୫୫ ହଜାର ଲୋକ ପ୍ରଥମ ଡୋଜ ନେଇଥିବା ବେଳେ ୨୩ ଲକ୍ଷ ୪୩ ହଜାର ଲୋକ ଦ୍ଵିତୀୟ ଡୋଜ ପାଇଁ ଅପେକ୍ଷାରତ ଅଛନ୍ତି। ଏଯାବତ ୫ ଲକ୍ଷ ୯୬ ହଜାର ଲୋକ ଦ୍ଵିତୀୟ ଡୋଜ ନେଇସାରିଲେଣି। ପାଖାପାଖି ୧୭ ଲକ୍ଷ ଲୋକ ଦ୍ଵିତୀୟ ଡୋଜ ନେବାକୁ ଅପେକ୍ଷାରେ ଅଛନ୍ତି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ତିର୍ତ୍ତୋଲରେ ଚାଲିଛି ନକଲି ଚୋରା ମଦ କାରବାର: ମଦ ମୃତ୍ୟୁ ଆଶଙ୍କା

ରମେଶ ମହାନ୍ତି

ଜଗତସିଂହପୁର: ଚଳିତ ଲକଡାଉନରେ ଜଗତସିଂହପୁର ଜିଲ୍ଲାରେ ସରକାରୀ ସ୍ୱୀକୃତି ପ୍ରାପ୍ତ ମଦଦୋକାନ ଗୁଡିକ ବନ୍ଦ ରହିଥିବା ବେଳେ ଚୋରା ମଦ ବେପାରୀ ମାନେ ସକ୍ରିୟ ହୋଇ ଉଠିଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦୃତ ଗତିରେ ବୃଦ୍ଧି ପାଉଥିବା ଭୟାବହ କରୋନା ମହାମାରୀର ଦ୍ୱିତୀୟ ଲହରୀକୁ ଚୋରା ମଦ ବେପାରୀଙ୍କ ଖାତିର ନାହିଁ।

ସୂଚନାନୁଯାୟୀ ଗତବର୍ଷ ଲକଡାଉନ ସମୟରେ ତିର୍ତ୍ତୋଲ ଅଞ୍ଚଳର ଚୋରା ମଦ ବେପାରୀମାନେ ମଦର ଧାର୍ଯ୍ୟ ମୁଲ୍ୟ ଠାରୁ ତିନି ଚାରି ଗୁଣା ଚଢା ଦାମରେ ବିକ୍ରିକରି ମାଲେମାଲ୍ ହୋଇଥିବା ବେଳେ ଚଳିତ ଲକଡାଉନରେ ପୁଣି ଆରମ୍ଭ ହୋଇଗଲାଣି ଚୋରା ମଦର ବହୁଳ କାରବାର। ଲକଡାଉନ ଚାଲିଥିବା ବେଳେ ତିର୍ତ୍ତୋଲ ଅଞ୍ଚଳର ବିଭିନ୍ନ ଗାଁ ଗହଳି ଛକ ବଜାରରେ ଛତୁ ଫୁଟିଲା ପରି ଚୋରା ମଦ ବେପାର ଚାଲିଥିବା ଦେଖିବାକୁ ମିଳୁଛି। ଏମିତିକି ତିର୍ତ୍ତୋଲ ଅଞ୍ଚଳରେ ଏବେ ନକଲି ମଦର ଯୋରଦାର କାରବାର ଚାଲିଥିବା ଚର୍ଚ୍ଚା ହେଉଛି।

ତିର୍ତ୍ତୋଲ ବଜାର ଠାରେ ଅବକାରୀ ବିଭାଗର କାର୍ଯ୍ୟାଳୟ ଥିଲେ ମଧ୍ୟ ନିକଟସ୍ଥ ତିର୍ତ୍ତୋଲ ଲକବଜାରରେ ନିଧଡକ ଭାବେ ଚାଲିଛି ଚୋରା ମଦ କାରବାର। ଏପରିକି କଟକ-ପାରାଦ୍ବୀପ ମୁଖ୍ୟ ରାସ୍ତାର ବାଲିପାଟଣା ବଜାରରେ ନକଲି ମଦ ବିକ୍ରି ହେଉଥିବା ଚର୍ଚ୍ଚା ହେଉଛି। ଉକ୍ତ ବଜାର ନିକଟରେ ଥିବା ଜନବସତି ବାଟରେ ଚୋରା ମଦ ଗୋଦାମ ଥିବା କୁହାଯାଉଥିବା ବେଳେ ବିଭିନ୍ନ ବ୍ରାଣ୍ଡର ଚୋରାମଦ ସର୍ବସମ୍ମୁଖରେ ନିଧଡକ ଭାବେ ବିକ୍ରି ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଲକଡାଉନ୍ ଯୋଗୁଁ ଛକ ବଜାର ବ୍ୟବସାୟୀ ମାନେ ଏକରକମ ହାତ ବାନ୍ଧି ଘରେ ବସିଥିବା ବେଳେ ଅପରପକ୍ଷରେ ଚୋରା ମଦ ବେପାରୀ ମାନଙ୍କର ପୁଷମାସ ଚାଲିଛି ବୋଲି କୁହାଯାଉଛି। ମଦ ବୋତଲ ଉପରେ ବିଭିନ୍ନ ବ୍ରାଣ୍ଡର ଷ୍ଟିକର ଲଗାଯାଇ ନକଲି ମଦ ବିକ୍ରି ହେଉଥିବା ତିର୍ତ୍ତୋଲ ଅଞ୍ଚଳରେ ଏବେ ଯୋରଦାର ଚର୍ଚ୍ଚା ହେଉଥିବା ବେଳେ ଅବକାରୀ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଲକଡାଉନ୍ ସମୟରେ ତିର୍ତ୍ତୋଲ ଅଞ୍ଚଳରେ ନକଲି ଚୋରାମଦ କାରବାର ଚର୍ଚ୍ଚା ହେଉଥିବା କଥାଟା ଯଦି ସତ ହୋଇଥାଏ ତେବେ ଆଗାମୀ ଦିନରେ ମଦମୃତ୍ୟୁ ଆଶଙ୍କା ସହିତ ଭୟାବହ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାରେ ଆଖି ବୁଜିଲେ ଆଉ ଜଣେ ବିଜେପି ବିଧାୟକ

ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ଜଣେ ବିଧାୟକଙ୍କ ପ୍ରାଣହାନୀ ଘଟିଛି। ଆଉ ଜଣେ ବିଜେପି ବିଧାୟକଙ୍କ କରୋନାରେ ନିଧନ ହୋଇଛି। ଉତ୍ତରପ୍ରଦେଶ ସଲୋନ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦଳ ବାହାଦୁର କୋରୀଙ୍କ ପରଲୋକ ହୋଇଯାଇଛି। କିଛି ଦିନ ତଳେ ବାହାଦୁର କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ପ୍ରାଣହାନୀ ଘଟିଛି।

ଏହା ପୂର୍ବରୁ ଔରେୟାର ବିଜେପି ବିଧାୟକ ରମେଶ ଦିବାକର, ଲକ୍ଷ୍ନୌ ପଶ୍ଚିମରୁ ବିଧାୟକ ସୁରେଶ ଶ୍ରୀବାସ୍ତବ, ବରେଲୀର ନବବଗଞ୍ଜ ବିଧାୟକ କେଶର ସିଂହଙ୍କ ମଧ୍ୟ କରୋନାରେ ମୃତ୍ୟୁ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଏମକେ ଷ୍ଟାଲିନ ହେଲେ ତାମିଲନାଡୁର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ: ଶପଥ ପାଠ କରାଇଲେ ରାଜ୍ୟପାଳ

ଚେନ୍ନାଇ: ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ଆଜି ତାମିଲନାଡୁର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଚେନ୍ନାଇ ସ୍ଥିତ ରାଜଭବନରେ ଷ୍ଟାଲିନଙ୍କୁ ରାଜ୍ୟପାଳ ବନବାରିଲାଲ ପୁରୋହିତ ଶପଥ ପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ କ୍ୟାବିନେଟକୁ ଆସୁଥିବା ୩୩ ମନ୍ତ୍ରୀଙ୍କୁ ମଧ୍ୟ ରାଜ୍ୟପାଳ ଶପଥ ପାଠ କରାଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଚଳିତ ତାମିଲନାଡୁ ବିଧାନସଭା ନିର୍ବାଚନରେ ଏଆଇଡିଏମକେକୁ ହରାଇ ଡିଏମକେ ଶାସନ କ୍ଷମତାକୁ ଆସିଛି। ଷ୍ଟାଲିନଙ୍କ ନେତୃତ୍ଵରେ ଡିଏମକେ ଷଷ୍ଠ ଥର ପାଇଁ ତାମିଲନାଡୁରେ କ୍ଷମତାକୁ ଆସିଛି। ଡିଏମକେ ୨୦୦୬-୨୦୧୧, ୧୯୯୬-୨୦୦୧, ୧୯୮୯-୯୧, ୧୯୭୧-୭୬ ଏବଂ ୧୯୬୭-୭୧ ପର୍ଯ୍ୟନ୍ତ ତାମିଲନାଡୁରେ ସରକାର ଗଠନ କରିଥିଲା।

ତେବେ ଏହି ନିର୍ବାଚନରେ ତାମିଲନାଡୁ ବିଧାନସଭା ମୋଟ ୨୩୪ ଟି ଆସନରୁ ଡିଏମକେ ମେଣ୍ଟକୁ ୧୫୯ ଟି ଆସନ ମିଳିଛି। ଯେଉଁଥିରେ ଡିଏମକେ ୧୩୩ ଟି ଆସନ ପାଇଥିବା ବେଳେ କଂଗ୍ରେସକୁ ୧୮ ଟି ଆସନ, ବିସିକେ ଦଳକୁ ୪ ଟି ଏବଂ ସିପିଏମ, ସିପିଆଇକୁ ୨ ଟି ଲେଖାଏଁ ଆସନ ମିଳିଛି। ସେହିଭଳି ବିରୋଧୀ ଦଳ ଏଆଇଡିଏମକେ ମେଣ୍ଟକୁ ମୋଟ ୭୫ ଟି ଆସନ ମିଳିଛି। ୭୫ ଆସନ ମଧ୍ୟରୁ ଏଆଇଡିଏମକେକୁ ୬୬ ଟି ଆସନ ମିଳିଥିବା ବେଳେ ପିଏମକେକୁ ୫ ଟି ଆସନ ଏବଂ ବିଜେପିକୁ ୪ ଟି ଆସନ ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ହାତୀ ଆକ୍ରମଣରେ ଚାଷୀ ମୃତ, ଜଣେ ଆହତ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ରେଞ୍ଜ ଅଧିନସ୍ଥ ଲୁହାପଙ୍କ ପଂଚାୟତର ଜରିପାଣି ଗ୍ରାମରେ ଜନୈକ ବ୍ୟକ୍ତି ଜଙ୍ଗଲକୁ ହଜିଯାଇଥିବା ବଳଦ ଖୋଜିବାକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡି ମୃତ୍ୟୁ ବରଣ କରିଥିବା ଖବର ହସ୍ତଗତ ହୋଇଛି।

ଖବରରୁ ପ୍ରକାଶ ଯେ, ଅନୁଗୋଳ ଜିଲ୍ଲା ମହୁଲମାଳ ଗ୍ରାମର ଧନେଶ୍ୱର ଦେହୁରୀଙ୍କ ବଳଦ ହଜିଯାଇଥିଲା। ସେମାନେ ବହୁ ଖୋଜାଖୋଜି କରିଥିଲେ ହେଲେ ନିଜ ଅଂଚଳରେ ନ ମିଳିବାରୁ ରାହାସ ମିର୍ଦ୍ଧା ଙ୍କ ସହ ସମ୍ବଲପୁର ଜିଲ୍ଲା ରେଢାଖୋଲ ବନାଂଚଳର ଲୁହାପଙ୍କ ପଂଚାୟତର ଜରିପାଣି ଗ୍ରାମ ଜଙ୍ଗଲକୁ ଗତକାଲି ସକାଳ ୭ ଟାରେ ପହଂଚି ଖୋଜାଖୋଜି କରୁଥିଲେ। ସେମାନେ ଜଙ୍ଗଲରେ ବଳଦ ଖୋଜୁଥିବା ସମୟରେ ହାତୀ ହାବୁଡରେ ପଡିଯାଇଥିଲେ ଧନେଶ୍ୱର ଦେହୁରୀ ଓ ରାହାସ ମିର୍ଦ୍ଧା। ହାତୀଟି ଧନେଶ୍ୱରଙ୍କୁ ଦଳି ଚକଟି ଦେଇ ମାରି ଦେଇଥିଲା। ଘଟଣା ସ୍ଥଳରେ ହିଁ ଧନେଶ୍ୱରଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କ ସାଥିରେ ଯାଇଥିବା ରାହାସ ମିର୍ଦ୍ଧା ଆହତ ହୋଇ ଜରିପାଣି ଗାଁକୁ କୌଶଳ କ୍ରମେ ପଳାଇ ଆସି ଗାଁ ବାଲାଙ୍କୁ କହିଥିଲେ। ଗାଁ ବାଲା ସଙ୍ଗେ ସଙ୍ଗେ ଜଙ୍ଗଲ ବିଭାଗକୁ ଫୋନ୍ କରି ଜଣାଇଥିଲେ। ଜଙ୍ଗଲ ବିଭାଗ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିଥିବା ଜଣା ପଡିଛି। ମୃତ ବ୍ୟକ୍ତିକୁ ସରକାର କ୍ଷତିପୂରଣ ଦେବାକୁ ସାଧାରଣରେ ଦାବୀ ହେଉଛି। ରେଢାଖୋଲ ସବ୍‌ଡିଭିଜନରେ ବହୁ ଜଣଙ୍କୁ ଅତୀତରେ ହାତୀ ଆକ୍ରମଣ କରି ମାରିଦେଇଥିବା ଜଣା ପଡିଛି।

ସୂଚନା ଯୋଗ୍ୟ ଯେ, ନିକଟ ଅତୀତରେ ରେଢାଖୋଲ ଉପଖଣ୍ଡ ନାକଟିଦେଉଳି ବ୍ଲକ୍ ବାଟଗାଁ ପଂଚାୟତ ବସାଲଇ ଗ୍ରାମର ଗରିଆଟୁପା ଖମଣ ଜଙ୍ଗଲରେ ଗ୍ରାମର ବିରଂଚି ବାଦୀ(୬୦) ନାମକ ବୃଦ୍ଧକୁ ହାତୀ ଦଳି ଦେଇଥିଲା। ଗତ ବର୍ଷ ଜୁନ୍ ୨୦ ତାରିଖରେ ବିନ୍ଧପୁର ଗ୍ରାମର ଓାର୍ଡ ସଭ୍ୟ ସୁରେଶ ପ୍ରଧାନଙ୍କୁ ହାତୀ ଆକ୍ରମଣ କରିଥିଲା। ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା ହେଲେ ତାଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିଲା, ବାଟଗାଁ ପଂଚାୟତର ହିନ୍ତସରା ଗ୍ରାମର ପ୍ରମିଳା ଦେହୁରୀ (୬୨)ଙ୍କୁ ହାତୀ ମାରିଦେଇଥିବା ବେଳେ, ଗତ ତା ୨୩/୫ /୨୦୨୦ ରେ ବେଠୀଆବେନୀ ଗ୍ରାମର ପତ୍ର ତୁଳାଳି ଦମୟନ୍ତୀ ଦେହୁରୀ(୬୫)ଙ୍କୁ ହାତୀ ଦଳୀଦେଇଥିଲା। ୨୦୧୪ ରେ ଚଡଚଡି ଗ୍ରାମର ବୃଦ୍ଧା ଜଣଙ୍କୁ, ୨୦୧୫ ରେ ଅଙ୍ଗାବିରା ଗ୍ରାମରେ ଜଣେ ଯୁବକଙ୍କୁ, ୨୦୧୬ ରେ ପ୍ରତାପପୁର ଗ୍ରାମରେ ଜଣେ ବୃଦ୍ଧଙ୍କୁ,୨୦୧୯ ରେ ବିନ୍ଧପୁର ଗ୍ରାମରେ ଜଣେ ବୃଦ୍ଧା, ୨୦୧୯ରେ ଡାହିମାଳ ଗ୍ରାମରେ ମଧ୍ୟ ଜଣେ ବୃଦ୍ଧଙ୍କୁ ହାତୀ ମାରିଦେଇଥିଲା।

ଏମିତି ବାରମ୍ବାର ରେଢାଖୋଲ ଅଂଚଳରେ ହାତୀ ହାବୁଡରେ ପଡି ବହୁ ଧନ ଜୀବନ ଯାଉଥିବାର ନଜିର ରହିଛି। ଦିକୁ ଦିନ ଜଙ୍ଗଲ ଧ୍ୱଂସ ପାଇବା ଫଳରେ ହାତୀମାନେ ଗାଁ ଆଡକୁ ମାଡି ଆସୁଛନ୍ତି। ଦନ୍ତା ହାତୀକୁ ଘଉଡାଇବାକୁ ବନ ବିଭାଗ ଚେଷ୍ଟା ଚଳାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୧୯ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୨୧୪୦କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୧୯ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୧୪୦ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି

ଖୋର୍ଦ୍ଧା ଓ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ ଏବଂ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି। ସେହିଭଳି ଅନୁଗୁଳ, ବଲାଙ୍ଗୀରି, କଟକ, ଦେବଗଡ, ଗଜପତି, ଝାରସୁଗୁଡା ଏବଂ କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୧୨ ହଜାର ୪୦୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୨୩ ହଜାର ୨୫୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୬ ହଜାର ୯୫୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୧୪୦ କୁ ବୃଦ୍ଧି ହୋଇଛି।