Categories
ଅପରାଧ ଆଜିର ଖବର ଜାତୀୟ ଖବର

ଦୁର୍ନୀତି ଉପରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଡେପୁଟି ଏସପି ଙ୍କୁ କଲେ କନଷ୍ଟେବଳ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ କାର୍ଯ୍ୟ କରୁଛନ୍ତି। ଦୁର୍ନୀତିରେ ଜଡିତ ଜଣେ ସର୍କଲ ଅଫିସର (ସିଓ) ଙ୍କୁ ପଦାବନତି ଏବଂ ତାଙ୍କୁ ଜଣେ କନଷ୍ଟେବଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି। ଲାଞ୍ଚ ନେବା ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ପ୍ରାଧିକରଣ ଅଧିକାରୀଙ୍କ ବିରୋଧରେ ଏହି କଠୋର ପଦକ୍ଷେପ ନେଇଛନ୍ତି।

ପ୍ରକୃତରେ, ଏହି ମାମଲା ୨୦୨୧ ମସିହାରୁ ଯେତେବେଳେ ରାମପୁରରେ ନିୟୋଜିତ ହୋଇଥିବା ତତ୍କାଳୀନ ଡେପୁଟି ଏସପି ବିଦ୍ୟା କିଶୋର ଶର୍ମାଙ୍କ ବିରୋଧରେ ଲାଞ୍ଚ ମାମଲା ଆସିଥିଲା। ଯାହା ପରେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ବିଦ୍ୟା କିଶୋର ଶର୍ମାଙ୍କ ଉପରେ ଅନୁଶାସନହୀନତା ସହ ସମସ୍ତ ଅଭିଯୋଗ ପାଇଁ ତଦନ୍ତ ଚାଲିଥିଲା। ଏହି ଅନୁସନ୍ଧାନରେ ଦୋଷୀ ସାବ୍ୟସ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ବଡ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଯୋଗୀ ଡେପୁଟି ଏସପି ବିଦ୍ୟା କିଶୋର ଶର୍ମାଙ୍କୁ ଜଣେ କନଷ୍ଟେବଳ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଦୁର୍ନିତି ପାଇଁ ଆଜି ୮ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର, ଜାଣନ୍ତୁ କିଏ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଉ ୮ ଜଣ ସରକାରୀ ଅଧିକାରୀଙ୍କୁ ସେମାନଙ୍କର ଅନୈତିକତା, ଅପାରଗତା ଓ ଦୁର୍ନୀତି ଯୋଗୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏହି ୮ ଜଣଙ୍କୁ ମିଶାଇ ବର୍ତ୍ତମନ ସୁଦ୍ଧା ମୋଟ ୧୩୦ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ବା ଚାକିରୀରୁ ବହିସ୍କାର କରାଗଲା ।

ଏହି ୮ ଜଣଙ୍କ ମଧ୍ୟରୁ ନିମାପଡାର ପୂର୍ବତନ ତହସିଲଦାର ତଥା ସବ୍‌ ରେଜିଷ୍ଟର ଦାୟିତ୍ବରେ ଥିବା ଓ.ଏ.ଏସ୍‌ ଅଧିକାରୀ ଶ୍ରୀ ରାମଚନ୍ଦ୍ର ଜେନାଙ୍କ ବିରୁଦ୍ଧରେ ୩ଟି ଦୁର୍ନୀତି ଅଭିଯୋଗ ରହିଛି। ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତଲାସି କରାଯାଇଥିବା ସମୟରେ ତାଙ୍କ ନିକଟରୁ ଏକାଧିକ ପ୍ୟାନ୍‌ କାର୍ଡ ସହିତ ୫ ଲକ୍ଷ ଟଙ୍କା ଜବତ କରାଯାଇଥିଲା । ଏହାପର ଠାରୁ ସେ ଚାକିରୀରୁ ନିଲମ୍ବିତ ହୋଇଥିଲେ ।

ସେହିପରି ଜଗତସିଂହପୁରର ପୂର୍ବତନ ଡ଼େପୁଟି କଲେକ୍ଟର ଓ.ଏ.ଏସ୍‌ ଅଧିକାରୀ ଶ୍ରୀ ଗୌରାଙ୍ଗ ଚରଣ ମହାନ୍ତିଙ୍କ ବିରୁଦ୍ଧରେ ୭ଟି ଦୁର୍ନୀତି ଅଭିଯୋଗ ଥିଲା । ତାଙ୍କ ନାମରେ ସରକାରୀ ପାଣ୍ଠି ଆତ୍ମସାତ ତଥା ସରକାରୀ ଯୋଜନାର ସୁବିଧା ଆବଣ୍ଟନରେ ଅନିୟମିତତାର ଅଭିଯୋଗ ଥିଲା ।

ସୁନ୍ଦରଗଡ ଲାଠିକଟାର ପୂର୍ବତନ ତହସିଲଦାର ଏବଂ ବର୍ତ୍ତମାନ ବରଗଡର ଅମ୍ବାଭୋନାରେ ବି.ଡି.ଓ ଥିବା ଓ.ଏ.ଏସ୍‌ ଅଧିକାରୀ ଶ୍ରୀ ଆଲଫୋନ୍‌ସ ବିଲୁଙ୍ଗଙ୍କ ନାମରେ ୩ଟି ଦୁର୍ନୀତି ଅଭିଯୋଗ ରହିଛି । ସେ ଜମିର କିସମ ପରିବର୍ତ୍ତନ ତଥା ରାଜସ୍ବ ଆଦାୟ କ୍ଷେତ୍ରରେ ଅନୁଚିତ ଅନୁଗ୍ରହ ପ୍ରଦାନ କରି ସରକାରଙ୍କୁ କ୍ଷତି ପହଞ୍ଚାଇଥିଲେ ।

ସେହିପରି କେନ୍ଦୁଝର ଜଳସେଚନ ବିଭାଗ ବୈତରଣୀ ଡିଭିଜନର ପୂର୍ବତନ ସୁପରିଟେଣ୍ଡିଂ ଇଞ୍ଜିନିୟର ଶ୍ରୀ ବିଧାନ ଚନ୍ଦ୍ର ସାହୁଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ୨୦୨୧ ଅକ୍ଟୋବର ମାସରେ ସେ ବହୁ ପରିମାଣର ଟଙ୍କା ଧରି ଯାଉଥିବାର ଖବର ପାଇ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତାଙ୍କୁ ହଠାତ୍‌ ଯାଞ୍ଚ କରାଯାଇଥିଲା ଏବଂ ତାଙ୍କ ନିକଟରୁ ୧୦ ଲକ୍ଷ ଟଙ୍କା ଜବତ କରିଥିଲା। ଏହାପରେ ତାଙ୍କ ସମ୍ପତ୍ତି ଉପରେ ଚଢଉ କରାଗଲା ବେଳେ ଅନେକ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଥିଲା ।

କଳାହାଣ୍ଡି ଲାଞ୍ଜିଗଡ ବ୍ଲକ୍‌ର ବିଶ୍ବନାଥପୁରଠାରେ ସମନ୍ବିତ ଶିଶୁ ବିକାଶ ଯୋଜନାର ସିଡିପିଓ ଶ୍ରୀମତୀ ମୀନା ପାତ୍ର ୨୦୨୧ ଅକ୍ଟୋବର ୪ ତାରିଖରେ ଦୁଇଟି ସ୍ବୟଂ ସହାୟତା ଗୋଷ୍ଠୀ ଠାରୁ ଛତୁଆ ଯୋଗାଣ ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ, ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢଉ କରି ତାଙ୍କୁ ଧରା ଯାଇଥିଲା । ଭବାନୀପାଟଣାରେ ତାଙ୍କର ଦୁଇଟି କୋଠାଘର ଓ ୬ଟି ପ୍ଲଟ୍‌ ରହିଛି । ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧ କୋଟି ୮୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ସେହିପରି କଳାହାଣ୍ଡି ଥୁଆମୂଳ ରାମପୁର ବ୍ଲକ୍‌ର ସମନ୍ବିତ ଶିଶୁ ବିକାଶ ଯୋଜନାର ସିଡିପିଓ ଶ୍ରୀମତୀ ପୁଷ୍ପାଞ୍ଚଳୀ ରଥ ୨୦୨୧ ଅକ୍ଟୋବର ୨୫ ତାରିଖରେ ଗୋଟିଏ କର୍ମୀ ନିଯୁକ୍ତି ପାଇଁ ୧ ଲକ୍ଷ ଟଙ୍କା ଦାବୀ କରି ଲାଞ୍ଚ ଗ୍ରହଣ କରୁଥିବା ବେଳେ, ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ତାଙ୍କୁ ଧରା ଯାଇଥିଲା । ତଲାସୀ ସମୟରେ ତାଙ୍କ ନିକଟରେ ବହୁ ପରିମାଣର ସମ୍ପତ୍ତି ଠାବ କରାଯାଇଥିଲା । ସେଥିମଧ୍ୟରୁ ବଲାଙ୍ଗୀରରେ ଗୋଟିଏ ଦ୍ବିତଳ ପ୍ରାସାଦ, ଗୋଟିଏ ଟାଟା ନେକ୍‌ସନ କାର୍‌, ୩ଟି ପ୍ଲଟ୍‌ ଏବଂ ତାସହିତ ନିଜର ଓ ପରିବାରର ସଦସ୍ୟଙ୍କ ନାମରେ ଅନେକ ପୁଞ୍ଜି ବିନିଯୋଗ କରାଯାଇଛି।

ଓଡିଶା ଅବକାରୀ ସେବା ଅଧିନରେ କାମ କରୁଥିବା ଦେବଗଡର ପୂର୍ବତନ ଡେପୁଟି ଅବକାରୀ ସୁପରିଟେଣ୍ଡେଣ୍ଟ ଶ୍ରୀ ଅଜିତ କୁମାର ମହାପାତ୍ର ୨୦୨୧ ସେପ୍ଟେମ୍ବର ୨୯ ତାରିଖ ଦିନ ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଧରା ଯାଇଥିଲା । ତଳାସୀ ସମୟରେ ବର୍ତ୍ତମାନ ସୁଦ୍ଧା ତାଙ୍କ ନିକଟରୁ ଧରା ଯାଇଥିବା ସଂପତି ଗୁଡିକ ହେଉଛି (୧) ବ୍ରହ୍ମପୁର ସହରରେ ୬୦ ଲକ୍ଷ ଟଙ୍କା ବିଶିଷ୍ଟ ଏକ ମହଲା ବିଶିଷ୍ଟ କୋଠାଘର, (୨) ବ୍ରହ୍ମପୁର ତହସିଲରେ ତାଙ୍କ ପତ୍ନୀଙ୍କ ନାମରେ ଦୁଇଟି ପ୍ଲଟ ଓ ଅନେକ ସୁନା ଅଳଙ୍କାର ।

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍ରେ କ୍ୟାସିଅର ଭାବରେ କାମ କରୁଥିବା ଶ୍ରୀ ପ୍ରଭାକର ପ୍ରଧାନ ବିଭିନ୍ନ ହିତାଧିକାରୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ । ସେ ସରକାରୀ ଅର୍ଥକୁ ତାଙ୍କ ପତ୍ନୀ ଓ ବନ୍ଧୁବାନ୍ଧବଙ୍କ ଆକାଉଣ୍ଟରେ ଜମା କରିଦେଇଥିଲେ । ତାଙ୍କ ନାମର ଦୁଇଟି ଅଭିଯୋଗ ରହିଛି । ତାଙ୍କ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତରେ ରଖାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିଆସିଛନ୍ତି। ସାଧାରଣ ଜୀବନରେ ସାଧୁତା ଓ ନୈତିକତା ବଜାୟ ରଖିବା ସହ ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଅନୁଯାୟୀ ରାଜ୍ୟ ସରକାର ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଜାରି ରଖିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କୁଆଁରମୁଣ୍ଡା ତହସିଲରେ ଦୁର୍ନୀତି ହେଉଥିବା ଅଭିଯୋଗ: ଜମି ପଟ୍ଟା ପାଇଁ ଲୋକେ ଦେଉଛନ୍ତି ଟଙ୍କା

ସୁନ୍ଦରଗଡ: ରାଜ୍ୟ ସରକାର ରାଜସ୍ୱ ସେବା କ୍ଷେତ୍ରରେ ଅନେକ ଗୁଡିଏ ସଂସ୍କାର ମୂଳକ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ବିଭାଗ ପକ୍ଷରୁ ବିବିଧ ପ୍ରମାଣ ପତ୍ର ଠାରୁ ଆରମ୍ଭ କରି ଅନଲାଇନ ଯୋଗେ ଖଜଣା ପୈଠ ଠାରୁ ଅନେକ ଗୁଡିଏ ଜନହିତକର ପଦକ୍ଷେପମାନ ଗ୍ରହଣ କରିଛନ୍ତି।

ଅନଲାଇନ ସେବା କିପରି ସଠିକ୍ ଭାବେ କାର୍ଯ୍ୟ କରିବ ସେଥି ପ୍ରତି ଅଧିକ ଯତ୍ନବାନ୍ ହେବା ସାଙ୍ଗକୁ ଏହା କିପରି ଜନସାଧରଣଙ୍କୁ ସେବା ଯୋଗାଇ ପାରିବ ତାକୁ ଦୃଷ୍ଟିରେ ରଖି ଅନେକ ସମୟରେ ସମୀକ୍ଷା ମଧ୍ୟ କରାଯାଉଥିବା ଦେଖିବାକୁ ମିଳିଛି। କିନ୍ତୁ କେତେକ ସ୍ଥଳେ ଏହା ମଧ୍ୟ ଦେଖା ଯାଉଛି ଯେ, ବାରମ୍ବାର ସମୀକ୍ଷା କଲେ ମଧ୍ୟ କେତେ ତହସିଲରେ ଅନଲାଇନ ସେବା ସମ୍ପୂର୍ଣ୍ଣ ଫେଲ୍ ମାରିଲା ଭଳି ଜଣାପଡ଼ୁଛି।

ଏହାର ସ୍ପଷ୍ଟ ଉଦାହରଣ ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ତହସିଲରେ ଦେଖିବାକୁ ମିଳିଛି। କର୍ମଚାରୀମାନଙ୍କର କମ୍ପ୍ୟୁଟର ଜ୍ଞାନର ଅଭାବ ହେଉ କିମ୍ବା କାର୍ଯ୍ୟ କରିବାରେ ଆନ୍ତରିକତା ଅଭାବ ଯୋଗୁଁ ସେଠାରେ ଅନଲାଇନ ସେବା ଫେଲ ମାରିଲା ଭଳି ଜଣାପଡ଼ୁଛି।

ଯଦ୍ୱାରା ନୂତନ ଭାବେ କାର୍ଯ୍ୟରେ ଯୋଗଦାନ କରିଥିବା କେତେକ ଅମିନ ଫିଲ୍ଡ କାର୍ଯ୍ୟ କରିବା ପରିବର୍ତ୍ତେ ଅଫିସ୍ ରେ ରହି କର୍ମଚାରୀଙ୍କ କାମ କରୁଥିବାର ଦୃଷ୍ଟି ଗୋଚର ହେଉଛି। ଏହାସହିତ ଲୋକେ ନିଜ ଜମି ପଟ୍ଟା ପାଇଁ ତହସିଲ୍ ବାରଣ୍ଡା ଦୋୖଡି ଦୋୖଡି ନୟାନ୍ତ ହୋଇପଡ଼ିଥିବା ଅଭିଯୋଗ ହେଉଛି।

ବାରମ୍ବାର ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଅପତ୍ତି ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହେଉଛି। ସରକାରଙ୍କ ନୂତନ ରେଜିଷ୍ଟ୍ରେସନ୍ ନିୟମ ଅନୁସାରେ ଜଣେ ବ୍ୟକ୍ତି ଜମି ପଞ୍ଜୀକୃତ ହେବା ଦିନ ଠାରୁ ସାତ ଦିନ ମଧ୍ୟରେ ପଟ୍ଟା ପାଇବାର ବ୍ୟବସ୍ଥା ରହିଛି। କିନ୍ତୁ କାର୍ଯ୍ୟାଳୟର କେତେକ କର୍ମଚାରୀ ମାନେ କିଛି ଦଲାଲ୍ ଙ୍କୁ ହାତକରି ମୋଟା ଅଙ୍କର ଅର୍ଥ ଆଦାୟ କରି ପଟ୍ଟା ପ୍ରଦାନ କରୁଥିବା ଅଭିଯୋଗ ହେଉଛି।

ଯଦି କେହି ଦାବି ମୁତାବକ ଅର୍ଥ ଦେଉନାହାନ୍ତି ତେବେ ତାଙ୍କୁ କାଗଜ ପତ୍ରର ବାହାନା ଦଖାଇ ହଇରାଣ କରୁଥିବା ଅଭିଯୋଗ ହେଉଛି। ଅନେକ ସମୟରେ ତହସିଲର ଅନେକ କର୍ମଚାରୀ ଲୋକଙ୍କୁ ସେବା ଯୋଗାଇବା ପରିବର୍ତ୍ତେ ପରସ୍ପର ଉପରେ କାଦୁଅ ଫିଙ୍ଗା ଫିଙ୍ଗି ହେଉଥିବା ପରିଲକ୍ଷିତ ହେଉଛି।

କାର୍ଯ୍ୟାଳୟରେ କେତେକ କର୍ମଚାରୀ ଦୀର୍ଘଦିନ ହେଲା ଅନ୍ୟତ୍ର ବଦଳି ନ ହୋଇ ଏକ ପ୍ରକାର ଏକଛତ୍ରବାଦ ଶାସନ କଲା ଭଳି କୁହାଯାଉଛି। ତେଣୁ ଜିଲ୍ଲାପାଳ ଏହାକୁ ଅତି ଗମ୍ଭୀରତା ସହ ନେଇ କର୍ତ୍ତବ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ କରାଯାଉଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁରରେ ଆଉ ଏକ ଦୁର୍ନୀତିର ଗୁମର ଖୋଲିଲା: ବିଧବା ଭତ୍ତା ପାଉଛନ୍ତି ମୃତ ମହିଳା

ସୀତାରାମ ଅଗ୍ରୱାଲ

ବାଣପୁର: ମୃତ ବ୍ୟକ୍ତି ପାଉଛନ୍ତି ବିଧବା ଭତ୍ତା। ପ୍ରସଙ୍ଗଟି ଟିକେ ଅଜବ ଲାଗୁଥିଲେ ମଧ୍ୟ ଏହା ସତ। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ତୋରସିଂହ ପଞ୍ଚାୟତରେ ଏପରି ଏକ ମହା ଦୁର୍ନୀତି ନଜରକୁ ଆସିଛି।

ସୂଚନା ମୁତାବକ ତୋରସିଂହ ପଞ୍ଚାୟତ ରୋପଡ଼ା ଗ୍ରାମର ହେମଲତା ବେୱାଙ୍କ ମୃତ୍ୟୁ ବହୁ ମାସ ପୂର୍ବରୁ ହୋଇଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ ମାସିକ ବିଧବା ଭତ୍ତା ମିଳୁଥିବାର ଅଭିଯୋଗ ହେଉଛି। ତେବେ ଏଠି ପ୍ରଶ୍ନ ଉଠୁଛି ଜଣେ ମୃତକ ବ୍ୟକ୍ତିଙ୍କୁ ବିଧବା ଭତ୍ତା କିପରି ମିଳୁଛି ଏବଂ ଭତ୍ତା ନେଉଛି କିଏ?

ହସ୍ତଗତ ତଥ୍ୟ ମୁତାବକ ଚଳିତ ମାସ ୧୮ ତାରିଖରେ ମୃତ ହେମଲତା ବେୱାଙ୍କୁ ବିଧବା ଭତ୍ତା ଟଙ୍କା ମିଳିଛି। ତେବେ ନିୟମ ମୁତାବକ ଯଦି ପଞ୍ଚାୟତରେ କୌଣସି ହିତାଧିକାରୀଙ୍କ ମୃତ୍ୟୁ ହୁଏ ତେବେ ଉକ୍ତ ପଞ୍ଚାୟତର ସରପଞ୍ଚ ଏବଂ ପିଇଓ ଏବାବଦରେ ତଦନ୍ତ କରି ସଙ୍ଗେସଙ୍ଗେ ସମ୍ପୃକ୍ତ ହିତାଧିକାରୀ ପାଉଥିବା ସମସ୍ତ ସରକାରୀ ସୁବିଧାକୁ ବନ୍ଦ କରିଥାନ୍ତି।

ଦ୍ଵିତୀୟତଃ ଭତ୍ତା ଟଙ୍କା ପାଇବା ପୂର୍ବରୁ ସମ୍ପୃକ୍ତ ହିତାଧିକାରୀଙ୍କୁ ପଞ୍ଚାୟତର ସରପଞ୍ଚ ଏବଂ ପିଇଓ ଉଭୟେ ଚି଼ହ୍ନଟ କରି ଭତ୍ତା କାର୍ଡ ଏବଂ ସ୍ଵାକ୍ଷର ଯାଞ୍ଚ କରିବେ। ଏହାପରେ ମିଳିତଭାବେ ସ୍ଵାକ୍ଷର କଲା ପରେ ହିତାଧିକାରୀଙ୍କୁ ପଇସା ମିଳିଥାଏ। ତେବେ ତୋରସିଂହ ପଞ୍ଚାୟତରେ ଏପରି ଜଘନ୍ୟ କାମ ଚାଲିଛି କିପରି? ମାସ ମାସ ଧରି ହିତାଧିକାରୀଙ୍କ ମୃତ୍ୟୁ ପରେ ବି ସରକାରୀ କର୍ମଚାରୀମାନେ ସେମାନଙ୍କ ଭତ୍ତା ଟଙ୍କା କିପରି ଅନ୍ୟକୁ ପ୍ରଦାନ କରୁଛନ୍ତି।

ଏତେ ସବୁ ଦୁର୍ନୀତି ହେଲାପରେ ବି କିପରି ସରପଞ୍ଚ ଜାଣିପାରୁନାହାନ୍ତି? କିପରି ପିଇଓ ମହାଶୟ ଏପରି ଦୁର୍ନୀତି କରିବାକୁ ସାହସ ପାଉଛନ୍ତି? ଏଠି ପିଇଓ, ଜି ଆର ଏସ୍ ଏବଂ ସରପଞ୍ଚଙ୍କ କାର୍ଯ୍ୟଦକ୍ଷତା ଏବଂ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେବେ ଏ ବିଷୟ ନେଇ ପିଇଓ ଅମୃତ କୁମାର ବେହେରାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନଥିଲା। ଜିଆରଏସ୍ ଜ୍ୟୋତି ପ୍ରକାଶ ଦାସଙ୍କୁ ଯୋଗାଯୋଗ କରିବାରୁ ଏହା ଭୁଲରେ ହୋଇଯାଇଛି ବୋଲି ସେ ସ୍ୱୀକାର କରିଛନ୍ତି। ତେବେ ବାଣପୁର ବିଡ଼ିଓ ଡ଼. ଶୁଭଶ୍ରୀ ତ୍ରିପାଠୀଙ୍କୁ ଏବିଷୟ ନେଇ ଦୃଷ୍ଟି ଆକର୍ଷଣ କରାଯିବାରୁ ନିକଟରେ ସେ ଏପରି ଅଭିଯୋଗ ପାଇଛନ୍ତି ଏବଂ ଏବାବଦକୁ ଉଭୟ ପିଇଓ ଏବଂ ଜି ଆର ଏସ୍ ଙ୍କୁ ସେ ଲିଖିତ ଆକାରରେ ସ୍ପଷ୍ଟୀକରଣ ମାଗିଛନ୍ତି।

ଯଦି ଏପରି ଅନିୟମିତତା ହୋଇଥିବାର ପ୍ରମାଣିତ ହୁଏ ତେବେ ନିଶ୍ଚିତ ରୂପେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆମ ପ୍ରତିନିଧିଙ୍କୁ ପ୍ରତିଶୃତି ଦେଇଛନ୍ତି। ତେବେ ବାଣପୁର ବ୍ଲକରେ ଏଭଳି ଦୁର୍ନୀତି ବାରମ୍ବାର ଦେଖିବାକୁ ମିଳୁଥିବା ବେଳେ ମୃତ ହିତାଧିକାରୀଙ୍କ ରାସନ କାର୍ଡ ଏବଂ ଭତ୍ତା ଖାତା ଟିକନିଖ ଭାବେ ଯାଞ୍ଚ କରାଯାଉ ବୋଲି ବିଡିଓଙ୍କୁ ସାଧାରଣରେ ଦାବି ହେଉଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କାର୍ଯ୍ୟାନୁଷ୍ଠାନ ଭୟରେ ଚିଲିକାରେ ରାତିଅଧିଆ ରାସ୍ତା କାମ କଲେ ଜିଆରଏସ୍‌

ସୀତାରାମ ଅଗ୍ରଓ୍ବାଲ

ଚିଲିକା: କାର୍ଯ୍ୟାନୁଷ୍ଠାନ ଭୟରେ ରାତାରାତି ଅନ୍ଧାରରେ କାମ ସାରିଦେଲେ। ଏଠି ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ହରିପୁର ପଞ୍ଚାୟତ ଅନ୍ତର୍ଗତ ପରବଳ ଗ୍ରାମ କଥା। ପରବଳ ଅଙ୍ଗନବାଡି କେନ୍ଦ୍ରରୁ ମା ଉତ୍ତରାୟିଣି ମନ୍ଦିର ଯାଏଁ ଅନୁମୋଦିତ ହୋଇଥିବା ମୋରମ ରୋଡ଼ ପାଇଁ ଆସିଥିବା ୨ ଲକ୍ଷ ଅର୍ଥରାଶିରୁ କିପରି ବିନା କାମରେ ୭୬ ହଜାର ୭୯୭ ଟଙ୍କା ଉଠାଯାଇଛି ତାହା ପ୍ରମାଣ ସହ ଗତ ଦୁଇଦିନ ତଳେ ସମୀକ୍ଷା ସମେତ ଅନ୍ୟ ଗଣମାଧ୍ୟମରେ ଏନେଇ ଏକ ଖବର ପ୍ରସାରଣ କରାଯାଇଥିଲା।

ଖବର ପ୍ରସାରିତ ହେବାପରେ ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଭୟରେ ଜନୈକ ଜି.ଆର.ଏସ ଦୁଇ ରାତି ହେଲା ଲୁଚା ଚୋରାରେ ଉକ୍ତ ରୋଡରେ ଜେସିବି ଏବଂ ଟ୍ରାକ୍ଟର ଦ୍ୱାରା ମାଟିପକାଉଥିବାର ସୂଚନା ମିଳିଛି। ତେବେ ଆମ ପ୍ରତିନଧି ଗତକାଲି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତଙ୍କୁ ଏ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ପଚାରିବାରୁ ଆଜି ସମ୍ପୃକ୍ତ ସ୍ଥଳ ପରିଦର୍ଶନ ପାଇଁ ତଦନ୍ତକାରୀ ଦଳ ହରିପୁର ପଞ୍ଚାୟତ ଆସିବେ ବୋଲି ସୂଚନା ଦେଇଥିଲେ।

ଅପରପକ୍ଷରେ ତଦନ୍ତକାରୀ ଦଳ ଆସିବା ପୂର୍ବରୁ ଚୋରାରେ ସମ୍ପୃକ୍ତ ରୋଡ଼ରେ ମାଟି ପକାଇ ସରକାରଙ୍କ ସମ୍ମୁଖରେ ଭଦ୍ର ସାଜିବାକୁ ପାରୁପର୍ଯ୍ୟନ୍ତ ଚେଷ୍ଟା ଚଳାଇଛନ୍ତି ଜି.ଆର.ଏସ ସନ୍ତୋଷ ଜେନା। ତେବେ ଦୁର୍ନୀତି ସମ୍ପର୍କରେ ଖବର ପ୍ରସାରଣ ହେବା ପରେ ଜିଆରଏସ୍‌ ମହୋଦୟ କାର୍ଯ୍ୟ କରିବା ପାଇଁ ତତ୍ପର ହେବା ଭଲ କଥା। କିନ୍ତୁ ଦୁର୍ନୀତିକୁ ଲୁଚାଇବାକୁ ଯାଇ ଆଉ ଏକ ଦୁର୍ନୀତି କରିବା ବଡ଼ ଅପରାଧ। ଜିଆରଏସ୍‌ ମହୋଦୟ ନିଜ କର୍ତ୍ତବ୍ୟକୁ ବୁଝି ଦାୟିତ୍ବ ସମ୍ପାଦନ କରିବା ଉଚିତ୍‌।

ଅପରପକ୍ଷରେ ତଦନ୍ତକାରୀ ଦଳ ଅଥବା ପିଡି ମହୋଦୟ ସମ୍ପୃକ୍ତ କାମକୁ ସଠିକ୍‌ ଭାବରେ ଅନୁସନ୍ଧାନ କରି ସତ୍ୟକୁ ସାମ୍ନାକୁ ଆଣିବେ ବୋଲି ଆମର ଆଶା। ଖୋର୍ଦ୍ଧା ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଜିଲ୍ଲାପାଳ ମହୋଦୟ ଉକ୍ତ କାର୍ଯ୍ୟର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଦଣ୍ଡ ଦେବେ ବୋଲି ସ୍ଥାନୀୟବାସୀ ଆଶା ପ୍ରକଟ କରିଛନ୍ତି।

Categories
ଆଞ୍ଚଳିକ

ଔଷଧ ବିକଳରେ ତାଟିଆ କାମୁଡ଼ିବା ନ୍ୟାୟ..! ଦୁର୍ନୀତିକୁ ଲୁଚାଇବାକୁ ଯାଇ ତହସିଲ୍‌ଦାରଙ୍କୁ ଟାର୍ଗେଟ୍‌

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଅନେକ ଦିନ ବ୍ୟବଧାନରେ ଆଜି କୁକୁଡ଼ାଖଣ୍ଡି ବ୍ଲକ୍ ପରିସର ମଧ୍ୟରେ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ତତ୍ତ୍ୱାବଧାନରେ ଏହି ବୈଠକ ଅନୁଷ୍ଠିତ ହୋଇଛି। କରୋନା ମହାମାରୀଠାରୁ କୌଣସି ପ୍ରକାର ବୈଠକ ହୋଇନଥିବାବେଳେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉକ୍ତ ବ୍ଲକ୍‌ରେ ଅତି ନିମ୍ନମାନର ଏବଂ ବାଟମାରଣା ହୋଇଥିବାକୁ ନେଇ ବହୁ ଦୁର୍ନୀତି ପଦାକୁ ଆସିଛ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ କୁକୁଡ଼ାଖଣ୍ଡି ବ୍ଲକ୍‌ର ଦୁର୍ନିତର ଗନ୍ତାଘରକୁ ନେଇ ଉପସ୍ଥାପନ କରାଯାଇଥିଲା। କିନ୍ତୁ ଆଜିର ଏହି ସମିତି ବୈଠକରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ କିମ୍ବା ଏହାର ଦୁର୍ନୀତି ଏବଂ ବାଟମାରଣାକୁ ନେଇ କୌଣସି ଆଲୋଚନା ହୋଇନଥିବାବେଳେ କିଛି ସରପଞ୍ଚ ସ୍ଥାନୀୟ ତହସିଲ୍‌ଦାରଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇଥିଲେ। ଯାହାକି ଏହା ଏକ ଶସ୍ତା ରାଜନୀତି କହିଲେ କିଛି ଭୁଲ୍ ହେବ ନାହିଁ।

ଏଠାରେ ଆଉ ଗୋଟିଏ କଥା ଦେଖିବାକୁ ମିଳିଲା ଯେ, ଅନେକ ଦିନ ବ୍ୟବଧାନରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ପାଇଁ ସମିତି ବୈଠକରେ ଯୋଗ ଦେଇଥିଲେ। ଏଠାରେ ସୂଚନାଥାଉକି କୁକୁଡ଼ାଖଣ୍ଡି ବ୍ଲକ୍ ମୁଖ୍ୟତଃ ମାନ୍ୟବର ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ଗଡ଼ କହିଲେ ଭୁଲ୍ ହେବ ନାହିଁ। କୁକୁଡ଼ାଖଣ୍ଡି ବ୍ଲକ୍‌ର କିଛି ଅଂଚଳ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ। ଏହି ପରିପ୍ରେକ୍ଷୀରେ ଗୋପାଳପୁର ବିଧାୟକ ସମିତି ବୈଠକକୁ ଯାଇ ବିଭିନ୍ନ କାର୍ଯ୍ୟକୁ ନେଇ ସମୀକ୍ଷା କରିବା ଏହା ଏକ ଅଡ଼ୁଆ ସୂତା କହିଲେ ଚଳିବ ବୋଲି କୁକୁଡ଼ାଖଣ୍ଡି ବ୍ଲକ୍‌ର କିଛି ବୁଦ୍ଧିଜୀବୀ ଏବଂ କିଛି ରାଜନେତା ମତ ରଖିଛନ୍ତି। ଆଜିର ଏହି ବୈଠକରେ ଗୋପାଳପୁର ବିଧାୟକଙ୍କ ସହ କୁକୁଡ଼ାଖଣ୍ଡି ବିଡ଼ିଓ ଗଦାଧର ପାତ୍ର, ତହସିଲ୍‌ଦାର ଇପ୍‌ସିତା ମିଶ୍ର, ଏବିଡ଼ିଓ ବିଜୟ କୁମାର ପ୍ରଧାନ, ଯୋଗାଣ ଅଧିକାରୀ ଜି. ପ୍ରସାଦ କୁମାର ରାଓ, ଜିପିଓ କାହ୍ନୁଚରଣ ବେହେରା ଏବଂ କୁକୁଡ଼ାଖଣ୍ଡି ବ୍ଲକ୍‌ର ବିଭିନ୍ନ ବିଭାଗର ଅଫିସରମାନେ ଯୋଗ ଦେଇଥିଲେ। ଏବଂ କିଛି ହାତଗଣତି ସରପଞ୍ଚ, ସମିତିସଭ୍ୟମାନେ ଦେଖିବାକୁ ମିଳିଥିଲା।

ଏଠାରେ ସୂଚନାଥାଉକି କୁକୁଡ଼ାଖଣ୍ଡି ବ୍ଲକ୍ ଦୁର୍ନୀତିର ପିଛା ଛାଡ଼ୁନାହିଁ। କୁକୁଡ଼ାଖଣ୍ଡି ବ୍ଲକ୍ ଅଧିନରେ ଥିବା ପ୍ରତ୍ୟେକ ପଞ୍ଚାୟତ ବର୍ତ୍ତମାନ ଦୁର୍ନୀତିରେ ଉବୁଟୁବୁ। ଏହି କ୍ଷେତ୍ରରେ ମଧ୍ୟ ବିଜେଡ଼ିର ଗୋଷ୍ଠୀ କନ୍ଦଳ ମଧ୍ୟ ସ୍ପଷ୍ଟ ହୋଇଥିବା ବାରି ହୋଇ ପଡ଼ୁଥିଲା। ଏହି ବୈଠକରେ କୌଣସି ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ଏବଂ ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ବିଭିନ୍ନ ଦୁର୍ନୀତିକୁ ନେଇ କୌଣସି ଆଲୋଚନା ହୋଇନଥିବା ବେଳେ ମୁଖ୍ୟତଃ କୁକୁଡ଼ାଖଣ୍ଡି ତହସିଲ୍‌ଦାରଙ୍କ କାର୍ଯ୍ୟକଳାପକୁ ନେଇ ସ୍ୱର ଉତ୍ତୋଳନ କରିବା କେତେଦୂର ଯଥାର୍ଥ ତଥା ଦୁର୍ଭାଗ୍ୟଜନକ ଅଟେ।

ସୂଚନାଥାଉକି କୁକୁଡ଼ାଖଣ୍ଡି ତହସିଲ୍‌ଦାର ଜଣେ କର୍ତ୍ତବ୍ୟନିଷ୍ଠା ଅଧିକାରିଣୀ ରୂପେ ପରିଚିତ। ସେ ପୂର୍ବରୁ ପୁରୁଷୋତ୍ତମପୁର ତହସିଲ୍‌ଦାର ରୂପେ କାର୍ଯ୍ୟରତ ଥିବାବେଳେ ତାଙ୍କର କାର୍ଯ୍ୟକଳାପକୁ ଏବଂ ପାରଦର୍ଶିତାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଆଲୋଚନା ହୋଇଥିଲା। ସେ କିଛି ଦିନ ବ୍ରହ୍ମପୁର ମହାନଗର ନିଗମରେ ମଧ୍ୟ କିଛି ଦିନ କାର୍ଯ୍ୟ କରିଥିଲେ। ବର୍ତ୍ତମାନ ସେ କୁକୁଡ଼ାଖଣ୍ଡି ତହସିଲ୍‌ଦାର ହେବା ପରେ ମୁଖ୍ୟତଃ ମାଫିଆ ଏବଂ ଗୁଟ୍‌ଖା, ମଦ, ବାଲି, ଇଟା, ପଥର ବ୍ୟବସାୟୀମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ତଳେ ଦିନେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତତ୍‌କାଳୀନ ସବ୍ କଲେକ୍ଟର ଏବଂ କୁକୁଡ଼ାଖଣ୍ଡି ତହସିଲ୍‌ଦାରଙ୍କ ତତ୍ତ୍ୱାବଧାନରେ ବିିଭିନ୍ନ ନକଲି ମଦଭାଟି, କୋଟିଏ ଟଙ୍କାର ଗୁଟ୍‌ଖା କାରଖାନା ଚଢ଼ାଉ ହୋଇଥିବାକୁ ନେଇ ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଥିଲା। ଯାହାକି ତାଙ୍କର କାର୍ଯ୍ୟକଳାପକୁ ନେଇ ସମଗ୍ର ଜିଲ୍ଲାବାସୀ ପ୍ରଶଂସା କରିଥିଲେ।

ଯାହାଫଳରେ ମାଫିଆମାନେ କୌଣସି ବାଟନପାଇ ତାଙ୍କ ବିରୋଧରେ ଚକ୍ରାନ୍ତ କରିବା ଆରମ୍ଭ କରିଥିଲେ। ଯାହାକି ଆଜି ତାହା ହାଟରେ ଯାଇ ବାଟରେ ପଡ଼ିଲା। କାରଣ ମୁଖ୍ୟତଃ ଆଜିର ଏହି ସମିତି ବୈଠକରେ କୌଣସି ବିଷୟରେ ଆଲୋଚନା ହେବା ତ ଦୂରର କଥା ଆକ୍ରୋଶ ଭାବରେ ତହସିଲ୍‌ଦାରଙ୍କ କାର୍ଯ୍ୟକଳାପକୁ ନେଇ ଅଙ୍ଗୁଳି ନିକ୍ଷେପ କରାଯାଇଥିଲା। ଯାହାକୁ ବୁଦ୍ଧିଜୀବୀମାନେ ନିନ୍ଦା କରିଛନ୍ତି। ତହସିଲ୍‌ଦାରଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଏମ୍‌ଜିଏନ୍‌ଆର୍‌ଜିଏସ୍‌, ଇନ୍ଦିରାବାସ ଯୋଜନା, ମୋ କୁଡ଼ିଆ, ଅଙ୍ଗନାୱାଡ଼ି କାର୍ଯ୍ୟ ଉପରେ ହେଉଥିବା ବାଲି ପଥର ଇଟା ଗାଡ଼ିକୁ ତହସିଲ୍‌ଦାର ସିଜ୍ କରି ଫାଇନ୍ ପକାଉଥିବାକୁ ନେଇ ହୋ ହାଲ୍ଲା କରାଯାଇଥିଲା।

କିନ୍ତୁ ଇପ୍‌ସିତା ମିଶ୍ର ଏହାର ଜବାବ ଦେଇ କହିଥିଲେ ଯେ, କୌଣସି ଗରିବ ଲୋକର ଏବଂ କୌଣସି ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଗାଡ଼ିକୁ ସିଜ୍ କରାଯାଇନାହିଁ। ଯଦି ଆପଣମାନଙ୍କ ପାଖରେ କୌଣସି ତଥ୍ୟ ଅଛି ତେବେ ପ୍ରଦାନ କରନ୍ତୁ। ଯାହାଫଳରେ ସମସ୍ତେ ନୀରବ ହୋଇଯାଇଥିଲେ। ମୁଖ୍ୟତଃ ସେ ଯେଉଁମାନେ ଚୋରାଚାଲାଣ ଏବଂ ମାଫିଆମାନଙ୍କର କାର୍ଯ୍ୟକଳାପକୁ ଉପରେ ତୀକ୍ଷ୍ମ ଦୃଷ୍ଟି ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି ଉକ୍ତ ବୈଠକରେ ସୂଚାଇଥିଲେ। କିନ୍ତୁ ଏହାକୁ କୌଣସି ମଂଚାସୀନ ବ୍ୟକ୍ତିବିଶେଷ ଗୁରୁତର ଭାବେ ନେଇନଥିଲେ। ସେମାନେ ଏକ ଜିଦ୍‌ରେ ଅଟଳ ତହସିଲ୍‌ଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଯାହାକି ଏହା ଏକ ହୀନ ଚକ୍ରାନ୍ତ ଏବଂ ଶସ୍ତା ରାଜନୀତି ବୋଲି ଅଂଚଳରେ ଚର୍ଚ୍ଚା ଜୋର୍ ଧରିଛି।

ମୁଖ୍ୟତଃ ଏହି ପରିପ୍ରେକ୍ଷୀରେ ଖୋଦ୍ ସୂର୍ଯ୍ୟ ପାତ୍ର କୌଣସି ମତ ରଖିନାହାନ୍ତି କିମ୍ବା ଏହି ସଂକ୍ରାନ୍ତରେ ଅନ୍ୟ ଗୋଷ୍ଠୀ ଏହାକୁ ତୀବ୍ର ନିନ୍ଦା କରିଛନ୍ତି ଏବଂ ତହସିଲ୍‌ଦାରଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଶଂସା କରିଛନ୍ତି। ଏଠାରେ ସୂଚନାଥାଉକି ବାରମ୍ବାର ଗଣମାଧ୍ୟମରେ ବିିଭିନ୍ନ ଦୁର୍ନୀତିକୁ ନେଇ ଖବର ପ୍ରକାଶ ପାଉଥିଲେ ସୁଦ୍ଧା ଏଭଳିକି କିଛି କାର୍ଯ୍ୟକୁ ନେଇ ବ୍ରହ୍ମପୁର ଭିଜିଲାନସ ଅଫିସରେ କିଛି ବ୍ୟକ୍ତି ଦ୍ୱାରସ୍ଥ ହୋଇଛନ୍ତି।

ଏହି କ୍ଷେତ୍ରରେ ସ୍ଥାନୀୟ ବିଡ଼ିଓ ଗଦାଧର ପାତ୍ର ଏବଂ ବ୍ଲକ୍ ଚେୟାରମ୍ୟାନ କାମାକ୍ଷା ପ୍ରସାଦ ପାତ୍ର ଉକ୍ତ ଦୁର୍ନୀତିକୁ ନେଇ କୌଣସି ମୁହଁ ନ ଖୋଲିବାକୁ ନେଇ ସଂଦେହ ଦୃଢ଼ୀଭୂତ ହୋଇଛି। ଏଥିପାଇଁ କୁକୁଡ଼ାଖଣ୍ଡି ବ୍ଲକ୍‌ର ବିଭିନ୍ନ କାର୍ଯ୍ୟକଳାପକୁ ନେଇ ଜିଲ୍ଲାପାଳ, ପିଡ଼ି ଡ଼ିଆର୍‌ଡ଼ିଏ ପ୍ରତ୍ୟେକ ଦୃଷ୍ଟି ଦେବାକୁ ଅଂଚଳରେ ଦାବି ହୋଇଛି ଏବଂ ଉକ୍ତ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଭିଜିଲାନସ ତଦନ୍ତ ଯଦି କରାଯାଏ ତେବେ ବହୁତ ତଥ୍ୟ ପଦାକୁ ଆସିବ ବୋଲି କୁକୁଡ଼ାଖଣ୍ଡି ବ୍ଳକ୍‌ର ବହୁ ବୁଦ୍ଧିଜୀବୀ ମତ ରଖିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଦୁର୍ନୀତିରେ ଉବୁଟୁବୁ କୁକୁଡ଼ାଖଣ୍ଡି ବ୍ଲକ୍‌ ୩ ଲକ୍ଷର କାର୍ଯ୍ୟ ପାଇଁ ୩୦ ହଜାର ପିସି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ରାଜ୍ୟ ସରକାର ପିସି କାରବାରକୁ ବନ୍ଦ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଥିବାବେଳେ ଗଂଜାମ ଜିଲ୍ଲାରେ ଏହା ବନ୍ଦ ହେବାର ନାମ ହିଁ ନେଉନାହିଁ। ପ୍ରତ୍ୟେକ ଉନ୍ନତିମୂଳକ କାର୍ଯ୍ୟ ପାଇଁ ପିସି ନଦେଲେ ସଂପୃକ୍ତ ଯନ୍ତ୍ରୀମାନେ ବିଲ୍ କରୁନଥିବା ନେଇ ଖବର ସବୁବେଳେ ଶୁଣିବାକୁ ମିଳୁଛି। ସବୁସ୍ଥାନରେ ୧୦ ପ୍ରତିଶତରୁ ୧୫ ପ୍ରତିଶତ ପିସି କାରବାର ହେଉଥିବା ଅଭିଯୋଗ ହେଉଛି। ମୁଖ୍ୟମନ୍ତ୍ରୀଙ୍କ ୫-ଟିରେ ଏହି ପିସି କାରବାରକୁ ସଂପୂର୍ଣ୍ଣ ନିଧେ କରାଯାଇଥିଲେ ମଧ୍ୟ ଏହା ଦୁଇଦିନିଆ ଭାଗବତ ପରି ହୋଇଛି। ଗଂଜାମ ଜିଲ୍ଲାର ଗୁଡ଼ମାଠିଆ ବ୍ଲକ୍ ଭାବେ ପରିଚିତ କୁକୁଡ଼ାଖଣ୍ଡିରେ ପ୍ରତ୍ୟେକ ଉନ୍ନୟନମୂଳକ କାର୍ଯ୍ୟରେ ବହୁ ପରିମାଣରେ ପି.ସି. କାରବାର ହେଉଛି।

ଏହିଭଳି ଏକ ଅଭିଯୋଗ ଆଣିଛନ୍ତି ୧୦ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଏଲ୍‌.ମୋହନ ରାଓ। ସେ ଅଭିଯୋଗ କରିଛନ୍ତି ଯେ, ନିଜ ଜିଲ୍ଲା ପରିଷଦ ପାଣ୍ଠିରୁ ଗୁରୁଣ୍ଠି ଗ୍ରାମର ଦଣ୍ଡପାଟଣା ସାହିରେ ଫେବାର ରାସ୍ତା ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଥିବାବେଳେ ଉକ୍ତ ଗ୍ରାମର ଟି. ଫକୀର ପାତ୍ରଙ୍କୁ କାର୍ଯ୍ୟ ଦେଖାଶୁଣା କରିବା ଦାୟିତ୍ୱ ଦେଇଥିଲେ। କାର୍ଯ୍ୟଶେଷ ହେବା ପରେ ବିଲ୍ ହୋଇଥିବା ଅର୍ଥରାଶି ମାଗିବାକୁ ଗଲା ପରେ ସିକୁରିଟି ୧୮ ହଜାର ଟଙ୍କା ଏବଂ କମିଶନର ୩୦ ହଜାର ଟଙ୍କା କନିଷ୍ଠ ଯନ୍ତ୍ରୀ ମହୋଦୟ କାଟିଦେଇଥିବା ଅଭିଯୋଗ କରିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ। ଟି. ଫକୀର ପାତ୍ର କାହିଁକି ଏତେଟଙ୍କା କାଟୁଛନ୍ତି ବୋଲି ପଚାରିବାରେ ଯନ୍ତ୍ରୀ କହିଥିଲେ ଏହି ପିସି କେବଳ ମୋର ନୁହେଁ ବ୍ଲକ୍‌ର ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ଏଥିରେ ଭାଗିଦାର ଅଛନ୍ତି ବୋଲି କନିଷ୍ଠ ଯନ୍ତ୍ରୀ କହିଥିବା ନେଇ ସେ ଅଭିଯୋଗ କରିଛନ୍ତି ଏବଂ ଗୋଟିଏ ହାତଲେଖା କାଗଜରେ ସମସ୍ତ ହିସାବ କରି ବଳକା ଟଙ୍କା ଚେକ୍ ଆକାରରେ ଫକୀର ପାତ୍ରଙ୍କୁ ପ୍ରଦାନ କରିଦେଇଛନ୍ତି। ଏନେଇ ଫକୀର ଜିଲ୍ଲା ପରିଷଦ ଏଲ୍ ମୋହନ ଦାସଙ୍କୁ ଜଣାଇବା ପରେ ଶ୍ରୀ ଦାସ ଏହି ଘଟଣାର ଭିଜିଲାନସ ତଦନ୍ତ ଦାବି କରିଛନ୍ତି। ଏହି ବିଭାଗ ସଂପୂର୍ଣ୍ଣ ରୂପେ ଦୁର୍ନୀତିରେ ଜଡ଼ିତ।

ତେଣୁ ନିରପେକ୍ଷ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ଦାବି କରିଛନ୍ତି। ଆଗାମୀ ଦିନରେ ବ୍ଲକ୍ ପ୍ରଶାସନ ଯଦି କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନନେଇ ପିସି କାରବାର ଚାଲୁ ରଖେ ତେବେ ବ୍ଲକ୍ ଘେରାଉ ସହ ରାଜରାସ୍ତା ଅବରୋଧ କରାଯାଇ ପ୍ରତିବାଦ କରାଯିବ। ଏନେଇ ଯନ୍ତ୍ରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ସରକାର ପିସି କାରବାରକୁ ନେଇ ରୋକ ଲଗାଇଥିବା ବେଳେ ଗଂଜାମ ଜିଲ୍ଲା ରାଜ୍ୟର ପ୍ରଥମ ଜିଲ୍ଲା ଯେଉଁଠାରେ କି ପିସି ବିନା କୌଣସି ଉନ୍ନୟନମୂଳକ କାର୍ଯ୍ୟ ହେଉନଥିବା ନଜିର ରହିଛି। ଖାସ୍ କରି ଗଂଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ୍ ଏବଂ ଖଲିକୋଟ, ପୁରୁଷୋତ୍ତମପୁର, ରଙ୍ଗେଇଲୁଣ୍ଡା, ଦିଗପହଣ୍ଡି, ପୋଲସରା, ବେଗୁନିଆପଡ଼ା ଆଦି ଅଂଚଳରେ ଏହା ଚରମ ସୀମାରେ ପହଞ୍ଚିଯାଇଛି।

ଏହି ପିସି କାରବାର ଯୋଗୁଁ ନିମ୍ନରୁ ଅତି ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇ ଆସୁଛି। ଖାସ୍ କରି କୁକୁଡ଼ାଖଣ୍ଡି ବ୍ଲକ୍‌ର ଦୁର୍ନୀତି ଚରମ ସୀମାରେ ପହଞ୍ଚି ଯାଇଥିଲେ ମଧ୍ୟ ବାରମ୍ବାର ବିଭିନ୍ନ ପଂଚାୟତରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା ବିଡ଼ିଓ କିମ୍ବା ଜିଲ୍ଲାପାଳ, ପିଡ଼ି ଡ଼ିଆର୍‌ଡ଼ିଏ ଏହାକୁ ଗୁରୁତ୍ୱ ଦେଉନଥିବାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋସ ବୃଦ୍ଧି ପାଉଛି। କାରଣ ଉକ୍ତ ବ୍ଲକ୍‌ଟି ଗୋଟିଏ ବିଜେଡ଼ିର ଆଗଧାଡ଼ିର ନେତାଙ୍କ ଛତ୍ରଛାୟା ତଳେ। କୁକୁଡ଼ାଖଣ୍ଡି ବ୍ଲକ୍‌ର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକୁ ଯଦି ଭିଜିଲାନସ ତଦନ୍ତ ସାପେକ୍ଷ କରାଯାଏ ତେବେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ଅଂଚଳର ବୁଦ୍ଧିଜୀବୀ ମତ ରଖିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଷ୍ଟ୍ରିଟ୍ ଲାଇଟ୍ ଲଗାଇବାରେ ଦୁର୍ନୀତି: ଭିଜିଲାନସ ବିଭାଗର ତଦନ୍ତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପୁରୁଷୋତ୍ତମପୁର ବ୍ଲକ୍‌ର ବିଭିନ୍ନ ପଂଚାୟତରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବାରେ ଅନିୟମିତତା ହୋଇଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ଏହିକ୍ରମରେ ବ୍ରହ୍ମପୁର ଭିଜିଲାନସ ବିଭାଗର ଏକ ଟିମ୍ ପରିଦର୍ଶନ କରି ଏହି ଦୁର୍ନୀତିର ଅନୁଧ୍ୟାନ କରିଥିଲେ।

ସୂଚନାଯୋଗ୍ୟ ଏହି ବ୍ଲକ୍‌ର କେଏନ୍‌ପୁର ପଂଚାୟତର ବିଭିନ୍ନ ଗ୍ରାମରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ୨୦ ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା। କିନ୍ତୁ ପଞ୍ଚାୟତର ନିର୍ବାହୀ ଯନ୍ତ୍ରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏଥିରେ ଦୁର୍ନୀତି ହୋଇଥିଲା। କେତେକ ସ୍ଥାନରେ ପୋଲ ପୋତି ଷ୍ଟ୍ରିଟ ଲାଇଟ୍ ଲଗାଇବା ବଦଳରେ ଗ୍ରାମରେ ଥିବା ପୋଲ ଉପରେ ଲଗାଯାଇଛି। କେତେକେ ଗ୍ରାମରେ କିଛି ବି ଲଗାଯାଇନାହିଁ।

ଏହିଭଳି ଅନ୍ୟାନ୍ୟ ପଂଚାୟତରେ ମଧ୍ୟ ହୋଇଥିବା ନେଇ ଅଭିଯୋଗ ହୋଇଛି। କେ.ଏନ୍‌ପୁର ପଂଚାୟତର କିଛି ୱାର୍ଡ଼ସଭ୍ୟ ଏହି ଦୁର୍ନୀତି ନେଇ ଜିଲ୍ଲାପାଳ, ଭିଜିଲାନସ ବିଭାଗ ଏବଂ ହାଇକୋର୍ଟରେ ମାମଲା ଦାୟର କରିବା ପରେ ଭିଜିଲାନସକୁ ଏହି ତଦନ୍ତ ପାଇଁ ନିର୍ଦ୍ଦେଶ ଆସିଥିଲା। ଭିଜିଲାନସ ଅଧିକାରୀମାନେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ସହ ନିଜେ ପ୍ରତ୍ୟକ୍ଷ ଭାବେ ସବୁ ଦେଖିଥିଲେ। ଅନ୍ୟ ପଞ୍ଚାୟତଗୁଡ଼ିକରେ ମଧ୍ୟ ଏଭଳି ଦୁର୍ନୀତି ହୋଇଥିବାରୁ ସବୁ ପଂଚାୟତକୁ ତଦନ୍ତ କରାଗଲେ ବହୁ ତଥ୍ୟ ପଦାକୁ ଆସିବ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜୁନାଗଡ ଆରଏମସିରେ ହୋଇଥିବା ଦୁର୍ନୀତି ସଂପର୍କରେ ତଦନ୍ତ ଦାବୀ କରିବାରୁ ଧର୍ମଗଡ ଉପଜିଲ୍ଲାପାଳଙ୍କ ଧମକ ଅଭିଯୋଗ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଜୁନାଗଡ ନିୟନ୍ତ୍ରିତ ବଜାର କମିଟି ( ଆରଏମସି) ରେ ହୋଇଥିବା ଦୁର୍ନୀତିର ତଦନ୍ତ କରିବାକୁ ଦାବୀ କରିବାରୁ ଆଏମସି ଅଧ୍ୟକ୍ଷ ତଥା ଧର୍ମଗଡ ଉପଜିଲ୍ଲାପାଳ ଅଭିଯୋଗକାରୀଙ୍କୁ ଧମକପୂର୍ଣ୍ଣ ଚିଠି ଦେଇଥିବା ଜଣାପଡିଛି। ଦୁର୍ନୀତିଗ୍ରସ୍ତ ହିସାବ ରକ୍ଷକଙ୍କୁ ସୁରକ୍ଷା ଦେବାକୁ ଯାଇ ଧର୍ମଗଡ ଉପଜିଲ୍ଲାପାଳ କୌଣସି ଆପତ୍ତି ଅଭିଯୋଗ ଶୁଣିବାକୁ ରାଜିନଥିବା ଅଭିଯୋଗ ହେଉଛି।

ଧର୍ମଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପତ୍ର ସଂଖ୍ୟା ୧୬୧୧ ତା.୧୬.୦୫.୨୦୨୦ ରେ ସାଂପ୍ରତିକ କୋଭିଡ-୧୯ ସ୍ଥିତିରେ କୌଣସି ବିଷୟରେ ପତ୍ରାଳାପ ନକରିବାକୁ ଅଭିଯୋଗକାରୀଙ୍କୁ ନିର୍ଦ୍ଦେଶ ଦେବା ସହିତ ଆଗାମୀ ଦିନରେ ଯଦିଓ ସେଭଳି ଅଭିଯୋଗ ପତ୍ର ଦାଖଲ କଲେ ବିପର୍ଯ୍ୟୟ ପରିଚାଳାନା ଆଇନର ଧାରା ୫୧-୬୦ ତଥା କୋଭିଡ-୧୯ ରେଗୁଲେସନ ଆଇନ ୨୦୧୦ ଏବଂ ଆଇପିସି ୧୮୮ ଧାରାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକପୂର୍ଣ୍ଣ ଚିଠି ଦେଇଥିବା ଜଣାପଡିଛି। ଅଭିଯୋଗକାରୀଙ୍କ ପକ୍ଷରୁ ନିଜର ସୁରକ୍ଷା ପାଇଁ ଏସଂପର୍କରେ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆପତ୍ତି କରିଥିବା ପ୍ରକାଶ।

ଅଭିଯୋଗରୁ ଜଣାପଡେ ଯେ, ଜୁନାଗଡ ଆରଏମସିରେ ବିଗତ ତିନି ବର୍ଷ ମଧ୍ୟରେ ବ୍ୟାପକ ଅନିୟମିତତା ଏବଂ ଆର୍ଥିକ ହେରାଫେରୀ ହେଉଥିବା ଅଭିଯୋଗ ହୋଇଆସୁଥିଲା। ସଂପାଦକ ଦାୟୀତ୍ୱରେ ଥିବା ହିସାବ ରକ୍ଷକ ବିନା କୌଣସି ଟେଣ୍ଡରକଲ ନୋଟିସ ରେ କୋଟୀ କୋଟୀ ଟଙ୍କାର ସାମଗ୍ରୀ କିଣିବା ସହିତ ମଣ୍ଡି ମାନଙ୍କରେ ସିସିଟିଭି, ୱେବ୍ରିଜ ସ୍ଥାପନ କରାଇ ବ୍ୟାପକ କିକବେକ କରିଥିବା ଅଭିଯୋଗ ହୋଇଥିଲା। କୋଡିଏ ଜଣ ସ୍ଥାୟୀ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ଏବଂ କମିଟୀ ରେଜୁଲେସନ ଏବଂ ଓସାମାବୋର୍ଡର ବାରଣ ସତ୍ତ୍ୱେ ବ୍ୟାପକ କିକବେକ କରାଯାଇ ଆହୁରି କୋଡିଏ ଜଣ ଅସ୍ଥାୟୀ କର୍ମଚାରୀ ନିଯୁକ୍ତି ଦିଆଯାଇ କାମ ନଥିଲେ ମଧ୍ୟ ବର୍ଷତମାମ ସେମାନଙ୍କୁ ନିୟମିତ ଦରମା ଦିଆଯାଉଥିଲା।

ପ୍ରାୟ ୨୫ କୋଟୀ ଟଙ୍କାର ଉନ୍ନୟନ ମୂଲକ କାର୍ଯ୍ୟ ପାଇଁ କିଛି ନିର୍ଦ୍ଧିଷ୍ଟ ଠିକାଦାରଙ୍କୁ ସୁହାଇବା ଭଲି ପ୍ଲାନ ଏଷ୍ଟିମେଟ କରାଯାଇ ଭାଗୁଆଳିରେ ତରବରିଆ ବାବେ ସରକାରୀ ଗୋଚର ଜମିରେ କାର୍ଯ୍ୟ ସଂପାଦନ କରିଦିଆଗଲା। ଜୁନାଗଡ ନୂତନ ମାର୍କେଟୟାର୍ଡରେ ଥିବା ଗୋଦାମ ଗୃହ ମରାମତି ନାମରେ ବ୍ୟାପକ ଅର୍ଥ ହେରାଫେରୀ କରାଯାଇଥିବା ବେଳେ ଅଫିସ ଚତୁର୍ପାଶ୍ୱରେ ଥିବା ପୁରୁଣା ବାଉଣ୍ଢ୍ରୀୱାଲ ମାତ୍ର ତିନି ଫୁଟ ଉଠାଇ ଦେଇ ସମୁଦାୟ ବିଲ କରିନିଆଯାଇଥିବାଅଭିଯୋଗ ହୋଇଥିଲା। ଏପରିକି ଟାଇପିଷ୍ଟ ଚାକିରୀ ପାଇବାକୁ ଜାଲିଆତି କରି ଟାଇପ ଶିକ୍ଷା ସାର୍ଟିଫିକେଟ ଦାଖଲ କରି ଟାଇପିଷ୍ଟ ଭାବେ ଚାକିରୀ ପାଇଥିବା ଓ ପରବର୍ତ୍ତୀ ସମୟରେ ହିସାବ ରକ୍ଷକ ହୋଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। କମିଟୀ ସଭ୍ୟ ମାନେ ହିଁ ଷ୍ଟଡିଟୁରରେ ଯିବାର ନିୟମ ଥିବା ବେଳେ ସଂପାଦକ ଦାୟୀତ୍ୱରେ ଥିବା ହିସାବ ରକ୍ଷକ ନିଜ ମନଇଚ୍ଛା ଦିନ ଧାର୍ଯ୍ୟ କରି ସଭ୍ୟ ମାନଙ୍କ ସହିତ ନିଜ ପସନ୍ଦ ର କର୍ମଚାରୀ ମାନଙ୍କୁ ଷ୍ଟଡିଟୁରରେ ନେଇଥିବା ଅଭିଯୋଗ ହେବା ସହିତ ସପ୍ତମ ବେତନ କମିଶନ ଅନୁଯାୟୀ ଚଂଚକତା କରି କିକବେକ ମାଧ୍ୟମରେ କର୍ମଚାରୀ ମାନଙ୍କୁ ସମୁଦାୟ ବକେୟା ଦରମା ପ୍ରଦାନ କରିଦେଇଥିବା ଅଭିଯୋଗ ହୋଇଥିଲା। ଏପରିକି ମାନ୍ୟବର ମନ୍ତ୍ରୀଙ୍କ ଡାକରା ଥିବା ମିଥ୍ୟା ତଥ୍ୟ ଅଧ୍ୟକ୍ଷଙ୍କ ନିକଟରେ ଉପସ୍ଥାପନ କରି ନିଜସ୍ୱ କାମ ପାଇଁ ଅନ୍ୟତ୍ର ଯାଇଥିବା ଅଭିଯୋଗ ମାନ ହୋଇଥିଲା। ସିସିଡିଟିଏଫ ଯୋଜନାରେ ଆରଏମସି ପକ୍ଷରୁ ପୁରୁଣା ଖଳାକୁ ଦେଖାଇ ଦିଆଯାଇ ଲକ୍ଷ ଲକ୍ଷ ଟଙ୍କାର ଫଲସ ବିଲ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏସବୁ ସଂପର୍କରେ ବିଭିନ୍ନ ସ୍ତରରେ ଅଭିଯୋଗ ହେବାପରେ କର୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ କଳାହାଣ୍ଡି ଆରଏମଓ ଜୁନାଗଡ ଆରଏମସିରେ ତଦନ୍ତ କରି ଅଭିଯୋଗର ସତ୍ୟାସତ୍ୟ ଜାଣିବା ପରେ ତୁରନ୍ତ ସଂପୃକ୍ତ ହିସାବ ରକ୍ଷକଙ୍କୁ ସଂପାଦକ ପଦବୀରୁ ହଟାଇବା ପାଇଁ ମତାମତ ଦେଇଥିବା ବେଳେ ସେହି ତଦନ୍ତ ରିପୋର୍ଟକୁ ଚପାଇ ଦିଆଯାଇଥିଲା।

ଏସବୁ ଘଟଣା ସଂପର୍କରେ ବିଭିନ୍ନ ସୂତ୍ରରେ ଆଲୋଚନା ହେଉଥିବା ଜାଣି ଜୁନାଗଡ ସହରର ଜନୈକ ବୁଦ୍ଧିଜୀବି ତ୍ରୀଲୋକ୍ୟନାଥ ପାଣିଗ୍ରାହୀ ଘଟଣାସବୁର ସତ୍ୟାସତ୍ୟ ଜାଣିବା ପାଇଁ ଆରଟିଆଇ ମାଧ୍ୟମରେ ସୂଚନା ପାଇବା ପାଇଁ ଦରଖାସ୍ତ ସବୁ ଦାଖଲ କରିଥିଲେ। ସଂପାଦକ ଦାୟୀତ୍ୱରେ ଥିବା ହିସାବ ରକ୍ଷକ ନିଜକୁ ବଂଚାଇବାକୁ ଯାଇ ଚଂଚକତାର ସହିତ ଅନେକ ଦରଖାସ୍ତର ସୂଚନା ଦେଇନଥିବା ବେଳେ ଅନେକ ଦରଖାସ୍ତର ଆଂଶିକ ସୂଚନା ଦେଇ ହଇରାଣ କରୁଥିଲେ। ଏସବୁ ସଂପର୍କରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଦାଖଲ କଲେ ତାହା ଧର୍ମଗଡ ଉପଜିଲ୍ଲାପାଳଙ୍କ ପାଖକୁ ତଦନ୍ତ ପାଇଁ ଆସୁଥିଲେ ହେଁ ଉପଜିଲ୍ଲାପାଳ ଅଫିସରେ ତାହା ଚାପି ହୋଇଯାଉଥିଲା। ଏପରିକି ଓସାମା ବୋର୍ଡ, କଳାହାଣ୍ଡି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ମଧ୍ୟ ବେଖାତିର କରି ସଂପୃକ୍ତ ହିସାବ ରକ୍ଷକ କୌଣସି ସୂଚନା ଠିକ ଭାବରେ ଦେଉନଥିଲେ। ଫଳତଃ ଦରକାସ୍ତକାରିଙ୍କ ପକ୍ଷରୁ ଆରଏମସି ଅଧ୍ୟକ୍ଷ ତଥା ଧର୍ମଗଡ ଉପଜିଲ୍ଲାପାଳଙ୍କ ପାଖରେ ଅପିଲ ଦାଖଲ କରିଥିଲେ। ଅଦ୍ୟାବଧି କୌଣସି ଗୋଟିଏ ଅପିଲର ମଧ୍ୟ ଶୁଣାଣି କରାଯାଇନଥିବା ପ୍ରକାଶ। ଏଭଲି ଅନେକ ଗୁରୁତର ଅଭିଯୋଗ ହେବାପରେ ଓସାମା ବୋର୍ଡ ପକ୍ଷରୁ ଜୁନାଗଡ ଆରଏମସି ପାଇଁ ନୂତନ ସଂପାଦକ ନିଯୁକ୍ତି କରାଯାଇଥିବା ଜଣାପଡିଛି। ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଆରଏମସିର ବିଭିନ୍ନ କାର୍ଯ୍ୟରେ ସଂପୃକ୍ତ ହିସାବ ରକ୍ଷକଙ୍କୁ ଭରସା କରୁଥିବା ଏପରିକି ଭିଡିଓ କନଫରେନ୍ସ ମିଟିଂ ମାନଙ୍କୁ ମଧ୍ୟ ସଂପୃକ୍ତ ହିସାବ ରକ୍ଷକଙ୍କୁ ଧରି ଯାଉଥିବା ଅଭିଯୋଗ ହେଉଛି। ମୁଖିଗୁଡା ଆରଏମସିରେ ନିୟମିତ ଭାବେ ବୈଠକ ହେଉଥିବା ବେଳେ ଉପଜିଲ୍ଲାପାଳ ଉଦ୍ଦେଶ୍ୟ ମୂଳକ ଭାବେ ଜୁନାଗଡ ଆରଏମସି କମିଟୀ ବୈଠକ ଡାକୁନଥିବା ଅଭିଯୋଗ ହୋଇଛି। ଏସବୁ ସଂପର୍କରେ ଏବଂ ଆରଟିଆଇ ଅପିଲ ଗୁଡିକର ଶୁଣାଣୀ କରାଯାଇ ନିୟମ ଅନୁଯାୟୀ ଆଦେଶ ଦେବାପାଇଁ ଦରକାସ୍ତକାରୀ ଲିଖିତ ଭାବେ ଉପଜିଲ୍ଲାପାଳଙ୍କ ପାଖରେ ଆପତ୍ତି କରିଆସୁଥିଲେ। ସଂପୃକ୍ତ ହିସାବ ରକ୍ଷକଙ୍କୁ ସୁରକ୍ଷା ଦେବାକୁ ଯାଇ ଦରଖାସ୍ତକାରୀଙ୍କୁ ଏଭଲି ଧମକ ଦେଇ ଚପାଇ ଦେବାର ଉଦ୍ୟମ କରାଯାଇଥିବା କୁହାଯାଉଛି। ଧର୍ମଗଡ ଉପଜିଲ୍ଲାପାଳ ଜୁନାଗଡ ଆରଏମସି ଅଧ୍ୟକ୍ଷ ହିସାବରେ ପ୍ରତିମାସକୁ ଆଲାଉନ୍ସ ନେଉଥିବା ସହିତ ଅଫିସିଆଲ ଟୁର ପାଇଁ ଆରଏମସି ପାଣ୍ଠିରୁ ବୋଲେରୋ ଗାଡି, ଅଫିସ, ପିଅନ ଯୋଗାଇ ଦିଆଯାଇଥିବା ବେଳେ ଆରଏମସିର ଦୁର୍ନୀତି ସଂପର୍କରେ ଅଧ୍ୟକ୍ଷଙ୍କୁ ଅଭିଯୋଗ କଲେ ଉପଜିଲ୍ଲାପାଳ ହିସାବରେ ଧମକ ଦେଉଥିବା ଘଟଣା କେବଳ ଦୁର୍ନୀତିକୁ ଚପାଇଦେବାର ଉଦ୍ୟମ ହୋଇଥାଇପାରେ ବୋଲି ଦରଖାସ୍ତକାରୀ ମୂଖ୍ୟମନ୍ତ୍ରୀଙ୍କୁ ନିଜର ସୁରକ୍ଷା ପାଇଁ ଆବେଦନ କରିଥିବା ଜଣାପଡିଛି।

Categories
ଆଞ୍ଚଳିକ

ବାଣପୁରରେ ଆବାସ ଯୋଜନାରେ ଦୁର୍ନୀତି: ପ୍ରଧାନମନ୍ତ୍ରୀ ଆବାସ କରେଇବା ପାଇଁ ଲାଞ୍ଚ ମାଗୁଛନ୍ତି କୁଜିନେତା

ସୀତାରାମ ଅଗ୍ରୱାଲ

ବାଣପୁର: ଗରିବଙ୍କ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଘର ନଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଉଛି। କିନ୍ତୁ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିବା ନେଇ କୁଜି ନେତାମାନେ ଲାଞ୍ଚ ମାଗୁଥିବାର ଅଭିଯୋଗ ହେଉଛି। ଏପରି ଏକ ଅଭିଯୋଗ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରୁ ଆସିଛି।

ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ତୁମୁରାପୁଟ ପଞ୍ଚାତର ରତନପୁର ଗ୍ରାମ ନିବାସୀ ସୁକାନ୍ତ ବେହେରା ଜଣେ ଦିନ ମଜୁରିଆ। ମା’ ବାପା ଓ ପିଲାପିଲିଙ୍କୁ ନେଇ ସମୁଦାୟ ୬ ପ୍ରାଣୀ କୁଟୁମ୍ବ ତାଙ୍କର। ଅଭାବ ଅସୁବିଧାରେ ଜୀବନ ବଞ୍ଚୁଥିବାବେଳେ ମୁଣ୍ଡ ଗୁଞ୍ଜିବା ପାଇଁ ତାଙ୍କ ଘରେ ପକ୍କା ଘରଟେ ନାହିଁ। ବର୍ତ୍ତମାନ ବର୍ଷାଋତୁ ଆସି ଯାଇଥିବା ବେଳେ ଟିକେ ବର୍ଷା ହେଲେ ଭଙ୍ଗା କୁଡ଼ିଆ ଘରେ ପାଣି ଭର୍ତ୍ତି ହୋଇଯାଉଛି। ଘରର ଉପର ଭାଗରେ ପାଲ ପଡ଼ିଥିବା ବେଳେ ଆଉ ଅନ୍ୟ ସ୍ଥାନ ସବୁ ଖୋଲା ଅଛି।

ସୁକାନ୍ତ ଓ ତାଙ୍କ ସ୍ତ୍ରୀ ରୀନା ବେହେରା ଦୀର୍ଘ ୩ ବର୍ଷ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ସରପଞ୍ଚଙ୍କ କାର୍ଯ୍ୟାଳୟ ଓ ବାଣପୁର ବ୍ଲକ ଅଫିସ ଧାଉଁଥିବା ବେଳେ କିଛି ସୁଫଳ ମିଳୁନି। ସେ ମଇ ୨୯, ୨0୧୭ ରେ ପ୍ରଥମ ଆବେଦନ କରିଥିବା ବେଳେ ଆଜି ସୁଦ୍ଧା ପାଖାପଖି ଚାରି ଥର ଆବେଦନ କରିସାରିଲେଣି ଏବଂ ବାରମ୍ବାର ସରକାରୀ ଅଧିକାରୀ ଘର ନିରୀକ୍ଷଣ ପାଇଁ ଆସି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିଶ୍ଚିତ ପାଇବ ବୋଲି ଆଶ୍ୱାସନା ଦେଇ ଚାଲି ଯାଉଛନ୍ତି। କିନ୍ତୁ ଗାଁ ର କୁଜିନେତା ମାନେ ସରପଞ୍ଚଙ୍କ ନାମରେ ଆବାସ ଯୋଜନା କରାଇଦେବା ପାଇଁ ୨୦୦୦୦ ଟଙ୍କା ଲାଞ୍ଚ ମାଗୁଥିବାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ରୀନା। ଦଳୀୟ ଭିତ୍ତିରେ ଆବାସ ଯୋଜନା ବଣ୍ଟା ହେଉଛି ବୋଲି ଅଭିଯୋଗ ଆଣିଛନ୍ତି।

ଇତି ମଧ୍ୟରେ ସେ ସରପଞ୍ଚ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଲକ ଅଧ୍ୟକ୍ଷା ସମସ୍ତଙ୍କୁ ତାଙ୍କ ଦୁଃଖ ଶୁଣେଇଲା ପରେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ପରିବାର ରୋଜଗାର ଶୂନ୍ୟ ଥିବାରୁ ବାଧ୍ୟ ହୋଇ ରିନାଙ୍କ ସ୍ୱାମୀ ସୁକାନ୍ତ କିଛି ମାସ ତଳେ ସୁଦୂର କେରଳ ଯାଇ ଦାଦନ ଖଟୁଥିଲେ ଏବଂ ବର୍ତ୍ତମାନ କରୋନା ମହାମାରୀ ଲାଗି ନିଜ ଗ୍ରାମକୁ ଫେରିଛନ୍ତି। ହେଲେ ୬ ପ୍ରାଣୀ କୁଟୁମ୍ବର ପରିବାର ଚଲେଇବା ତାଙ୍କ ଲାଗି ଏବେ କଷ୍ଟକର ହୋଇପଡିଛି।

ରାଜ୍ୟ ସରକାର ମହିଳାଙ୍କୁ ଯଥେଷ୍ଟ ସମ୍ମାନ ଦେଉଥିବାର ଡିଣ୍ଡିମ ପିଟୁଥିବାବେଳେ ଜଣେ ମହିଳା ହିସାବରେ ସେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହୋଇସାରିଲେଣି କିନ୍ତୁ ତାଙ୍କ ଅଭିଯୋଗକୁ ଶୁଣିବା ଦୂରର କଥା ତାଙ୍କୁ ଦଳୀୟ ଭିତ୍ତିରେ  ବ୍ୟବହାର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ରୀନା। ସରକାର ଯଥା ଶୀଘ୍ର ଏଭଳି ଏକ ଗରିବ ପରିବାରଙ୍କୁ ବିନା ଲାଞ୍ଚରେ ଇନ୍ଦିରା ଆବାସ ଯୋଜନା କରାଇଦେବା ପାଇଁ ନିବେଦନ କରିଛନ୍ତି ରୀନା।

Categories
ଆଞ୍ଚଳିକ

ବାଣପୁର ପ୍ରଶାସନର ଅଜବ ନୀତି: ଦୁର୍ନୀତି ବିରୋଧରେ ମୁହଁ ଖୋଲିଲେ ଦିଆଯାଉଛି ଥାନାରେ ଏତଲା

ସୀତାରାମ ଅଗ୍ରଓ୍ବାଲ

ବାଣପୁର: କ୍ବାରେଣ୍ଟିନ୍‌ ସେଣ୍ଟରରେ ଅବ୍ୟବସ୍ଥାର ଖବର ସାମ୍ନାକୁ ଆସୁଛି। ଏନେଇ ପ୍ରବାସୀ ମାନେ ଅଭିଯୋଗ କରିବା ସହ ଧାରଣା ମଧ୍ୟ ଦେଉଛନ୍ତି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ନାଚୁଣୀ କ୍ବାରେଣ୍ଟିନ୍‌ ସେଣ୍ଟର ଅବ୍ୟବସ୍ଥାକୁ ନେଇ ଏକ ଚର୍ଚ୍ଚାର ଘଟଣା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ ନାଚୁଣୀଠାରେ ଥିବା ଏକ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ବ୍ୟାପକ ଅବ୍ୟବସ୍ଥା ନେଇ ପ୍ରବାସୀଙ୍କ ଅଭିଯୋଗ କ୍ରମେ ଜନୈକ ଗଣମାଧ୍ୟମର ସମ୍ପାଦକ ଏନେଇ ସମ୍ପୃକ୍ତ କ୍ବାରେଣ୍ଟାଇନ୍‌ ସେଣ୍ଟରର ଦାୟିତ୍ବରେ ଥିବା ନୋଡାଲ୍‌ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ସମ୍ପୃକ୍ତ ନୋଡାଲ୍‌ ଅଫିସର ଜଣକ ଏ ସମ୍ପର୍କରେ ସେ କିଛି କହିପାରିବେ ନାହିଁ, ଏନେଇ ବିଡିଓଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ। କ୍ବାରେଣ୍ଟାଇନ୍‌ ସେଣ୍ଟରର ଦାୟିତ୍ବ ନୋଡାଲ୍‌ ଅଫିସରଙ୍କ ଅଧୀନରେ ରହୁଥିବାବେଳେ ସେ ନିଜ ଦାୟିତ୍ବକୁ ଅତି ହାଲୁକା ଭାବରେ ଗ୍ରହଣ କରୁଥିବାର ଦେଖାଯାଉଛି। ପରବର୍ତ୍ତୀ ସମୟରେ ଏନେଇ ତାଙ୍କୁ ଅଧିକ ପଚରାଯିବାରୁ ସେ ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥା ପ୍ରତି ସଙ୍ଗୀନ ଅଭିଯୋଗ କରିଛନ୍ତି। ଉକ୍ତ ସଂସ୍ଥାର ସମ୍ପାଦକ ଜଣକ ଫୋନ୍‌ ମାଧ୍ୟମରେ ତାଙ୍କୁ ଦୁର୍ବ୍ୟବହାର କରିବା, ଜାତିକୁ ଆକ୍ଷେପ କରିବା ସହିତ ମାରିବାକୁ ଧମକ ଦେଇଥିବାର ଅଭିଯୋଗ କରିଛନ୍ତି ନୋଡାଲ୍‌ ଅଫିସର୍‌।

ଏଠାରେ ପ୍ରଶ୍ନ ଉଠୁଛି ଯେ, କ୍ବାରେଣ୍ଟିନ୍‌ରେ ପ୍ରବାସୀଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଦେବା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କାର ଅନୁଦାନ ମଧ୍ୟ ଦିଆଯାଉଛି। କିନ୍ତୁ ସରକାରୀ କର୍ମଚାରୀମାନେ ନିଜକୁ ସର୍ବେସର୍ବା ଭାବି ଏହାର ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। ଯାହା ଫଳରେ ପ୍ରବାସୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କ୍ବାରେଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀଙ୍କୁ ସାନିଟାଇଜର୍‌ ଦିଆଯାଉନଥିବାବେଳେ ପରିଷ୍କାର ପରିଚ୍ଛନ୍ନ ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉନାହିଁ ବୋଲି ପ୍ରବାସୀମାନେ ଅଭିଯୋଗ କରିଛନ୍ତି। ଏପରିକି କ୍ବାରେଣ୍ଟିନ୍‌ ସେଣ୍ଟରରେ ଶୌଚାଳୟ ନଥିବାର ପ୍ରବାସୀମାନେ ଅଭିଯୋଗ କରିଛନ୍ତି। ଏପରି ବିଭିନ୍ନ ପ୍ରକାରର ସମସ୍ୟାକୁ ନେଇ ଯଦି କୌଣସି ସରକାରୀ କର୍ମଚାରୀଙ୍କୁ ପଚରାଯାଉଛି, ତେବେ ସେମାନେ ଏହାର ଉତ୍ତର ଦେବା ପରିବର୍ତ୍ତେ ପାଲଟା ଅଭିଯୋଗ କରୁଛନ୍ତି। ସମ୍ପ୍ରତି ରାଜ୍ୟରେ କରୋନା ସ୍ଥିତିକୁ ନେଇ ସରକାର ବେଶ୍‌ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାବେଳେ ସମ୍ପୃକ୍ତ କର୍ମଚାରୀମାନେ ଏପ୍ରକାର ଅବହେଳା ପ୍ରଦର୍ଶନ କରିବା କେତେଦୂର ଯୁକ୍ତିଯୁକ୍ତ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛୁ।

Categories
ବିଶେଷ ଖବର

ଦୁର୍ନୀତି ବିରୋଧୀ ସ୍ଵର, କେବଳ ଛଳନା

କେଦାର ମିଶ୍ର

ଦୁର୍ନୀତି କାରଣରୁ ଦେଶର ଅର୍ଥନୈତିକ ବୈଷମ୍ୟ ଓ ଶୋଷଣ ବଢୁଛି,  ଏକଥା ସମସ୍ତେ ଜାଣନ୍ତି। ସ୍ଵାଧୀନତାର ସତୁରୀ ବର୍ଷ ପରେ ଭାରତର ରାଜନୀତିରେ ଦୁର୍ନୀତି ଏକ ପ୍ରମୁଖ ଆଲୋଚନାର ବିଷୟ ହୋଇଥିଲେ ମଧ୍ୟ ଦୁର୍ନୀତି ବିରୋଧରେ ଠୋସ ପଦକ୍ଷେପ ନେବାକୁ କୌଣସି ରାଜନୈତିକ ଶକ୍ତି କେବେହେଲେ ଚେଷ୍ଟା କରିନାହାନ୍ତି। ଦେଶର ଶାସନ କ୍ଷମତାରେ ସର୍ବାଧିକ ସମୟ ରହିଥିବା କଂଗ୍ରେସ ଦଳକୁ ଦୁର୍ନୀତିର ଭଣ୍ଡାରଘର ବୋଲି କହି ଅଣକଂଗ୍ରେସ ଶକ୍ତି କ୍ଷମତା ହାସଲ କରିଛନ୍ତି। ହେଲେ କ୍ଷମତା ହାତେଇଲା ପରେ ଅଣ କଂଗ୍ରେସ ଶକ୍ତି ଗୁଡିକ କଂଗ୍ରେସର ରାସ୍ତା ଇ ବାଛିଛନ୍ତିଅଶି ଦଶକରେ କଂଗ୍ରେସ ବୋଫର୍ସ ଦୁର୍ନୀତି ଲାଗି ନିନ୍ଦିତ ହୋଇଥିବା ବେଳେ ଆଜି ମୋଦୀ ସରକାର ରାଫାଲେ ଦୁର୍ନୀତିର ଜାଲରେ ଫସି ଯାଇଛି। ଏକଦା ଜରୁରୀକାଳୀନ ପରିସ୍ଥିତି ସମୟର ଦୁର୍ନୀତି ଓ ଏକଛତ୍ରବାଦ ବିରୋଧୀ ଆଂଦୋଳନର ନେତୃତ୍ଵ ନେଇଥିବା ଜୟପ୍ରକାଶ ନାରାୟଣଙ୍କ ଚେଲା ଚାମୁଣ୍ଡା ମାନେ ପରବର୍ତ୍ତୀ ସମୟରେ ନିଜେ ଦୁର୍ନୀତି ଓ ଏକଛତ୍ରବାଦର ମଞ୍ଜ ପାଲଟିଛନ୍ତି। ଲାଲୁ ଯାଦବ, ରାମ ବିଳାଶ ପାଶ୍ୱାନ., ନୀତିଶ କୁମାର ମୁଲାୟମ ସିଂ ଯାଦବ, ଅରୁଣ ଜେଟଲି ପ୍ରମୁଖ ତାର ଉଦାହରଣକଂଗ୍ରେସ ଦୁର୍ନୀତି ବିରୋଧରେ କହୁ କହୁ ଏଇ ନେତାମାନେ ନିଜେ କେତେବେଳେ କଂଗ୍ରେସଠୁ ଅଧିକ ସ୍ଵେଚ୍ଚାଚାରୀ ଓ ଦୁର୍ନୀତିଗ୍ରସ୍ତ ହୋଇପଡିଛନ୍ତି, ତାହା ସେମାନେ ବି ବୁଝିପାରିନାହାନ୍ତି 

ତେବେ ୨୦୧୨/୧୩ ମସିହାରେ ଆନ୍ନା ହଜାରେଙ୍କ ନେତୃତ୍ବରେ ସବୁଠୁ ବଡ ଦୁର୍ନୀତି ବିରୋଧୀ ଅଭିଯାନକୁ ଆମେ ଦେଖିଲୁ। ଦିଲ୍ଲୀର ରାମଳୀଳା ମଇଦାନଠାରେ “ମେରା ନେତା ଚୋର ହୈ” ବୋଲି ଚିତ୍କାର କରି ହଜାର ହଜାର ଜନସାଧାରଣ ଯେଉଁ ଆନ୍ଦୋଳନ କରିଥିଲେ, ସେ ଆନ୍ଦୋଳନକୁ ଚତୁରତାର ସହିତ ସରକାର ବିରୋଧୀ ଅସ୍ତ୍ର ଭାବରେ ପ୍ରୟୋଗ କରି ଭାରତୀୟ ଜନତା ପାର୍ଟି ୨୦୧୪ ନିର୍ବାଚନରେ କ୍ଷମତା ଦଖଲ କଲା। କ୍ଷମତା ପରିବର୍ତ୍ତନ ସହିତ ଦୁର୍ନୀତି ବିରୋଧୀ ଅଭିଯାନର ମଧ୍ୟ ମୃତ୍ୟୁ  ଘଟିଲା । ଏପରିକି ଯେଉଁ ଲୋକପାଳ ଗଠନ ଲାଗି ଏତେ ତୁମ୍ଭି ତୋଫାନ ହୋଇଥିଲା, ପାଞ୍ଚ ବର୍ଷ ଭିତରେ ସେ ଲୋକପାଳ ବ୍ୟବସ୍ଥା ହାୱାରେ ଉଡିଗଲାଦୁର୍ନୀତି ବିରୋଧୀ ସବୁ ଅନୁଷ୍ଠାନ ଗତ ଚାରିବର୍ଷ ଭିତରେ କେବଳ କାଗଜ ବାଘ ହୋଇ ବସିରହିଛନ୍ତିମନମୋହନ ସିଂ ସରକାର ସମୟରେ ସବୁଠୁ ସକ୍ରିୟ ଥିବା ସିବିଆଇ ଆଜି ସରକାରୀ ଗୁଣ୍ଡା ର ଭୂମିକା ତୁଲାଉଛିସିଭିସି, ମହା ଲେଖାକାର, ପ୍ରବର୍ତ୍ତନ ବିଭାଗ ଓ ଆୟକର ବିଭାଗ ଏବେ କେବଳ ରାଜନୈତିକ ବିରୋଧୀଙ୍କୁ ଜବତ କରିବା ଲାଗି ଲାଠିଆଳ ହୋଇ କାମ କରୁଛନ୍ତିତେଣୁ କଂଗ୍ରେସ ଅମଳର ସବୁ ଦୁର୍ନୀତି ଏବେ ଅଦାଲତରେ ଫସର ଫାଟିଯାଉଥିବା ବେଳେ ବିଜେପି ସରକାର ବେଲଗାମ ଦୁର୍ନୀତିର ଅଭିଷେକ କରୁଛନ୍ତିତମ ବୋଫର୍ସ ଖରାପ ହେଲେ ଆମ ରାଫାଲେ ବଢିଆ ଯୁକ୍ତିରେ ଆଜିର ରାଜନୀତି ଚାଲିଛି

ଓଡିଶା କ୍ଷେତ୍ରରେ ମଧ୍ୟ ସମାନ କଥା। ଦେଶ ସ୍ଵାଧୀନ ହେବାପରେ ଜଣେ ଅତ୍ୟନ୍ତ ସଚ୍ଚୋଟ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ନେତୃତ୍ଵ ପାଇଥିବା ଓଡିଶା ପରବର୍ତ୍ତୀ କାଳରେ ଦୁର୍ନୀତିର ପେଣ୍ଠ ଭାବେ ଦୁର୍ନାମ ଅର୍ଜିଥିଲାଏକଦା ଓଡିଶାର ମୁଖ୍ୟମନ୍ତ୍ରୀମାନଙ୍କ ବିରୋଧରେ ମୁଧଲକର କମିଶନ, ସରଜୁ ପ୍ରସାଦ କମିଶନ, ଶାହ କମିଶନ, ଖାନ୍ନା କମିଶନ ଭଳି ବହୁ ତଦନ୍ତକାରୀ ବ୍ୟବସ୍ଥା ଗ୍ରହଣ କରାଯାଇଥିଲାସେଥିରୁ କିଛି କମିଶନ କେତେକଙ୍କୁ ଅଭିଯୁକ୍ତ ଭାବରେ ଦଣ୍ଡିତ କରିବାର ସୁପାରିଶ ମଧ୍ୟ କରିଥିଲେହେଲେ ଆଇନର ଗଲାବାଟ ଦେଇ ବଡ ମୁଣ୍ଡ ମାନେ ବିଭିନ୍ନ ବାଟରେ ଖସିଗଲେଅଶି ଦଶକରୁ ଓଡିଶାରେ ଦୁର୍ନୀତି ଏକ ଗ୍ରହଣୀୟ ନୀତି ପାଲଟିଗଲା। ଆଜି ବି ସେ ଧାରା ବଳବତ୍ତର ରହିଛି।

ଆଜି ଯେତେବେଳେ ଓଡିଶା ସରକାର ବିରୋଧରେ ଦୁର୍ନୀତି ପ୍ରସଙ୍ଗ ଉଠୁଛି, ଲୋକେ ପ୍ରଥମେ ଦେଖୁଛନ୍ତି, ଅଭିଯୋଗକାରୀ କିଏ? ଓଡିଶାର ଚର୍ଚ୍ଚିତ ଖଣି ଦୁର୍ନୀତି ପ୍ରସଙ୍ଗରେ ଜଷ୍ଟିସ ଏମବି ଶାହ ଯେଉଁ ରିପୋର୍ଟ ଦେଇଥିଲେ, ତାକୁ କେନ୍ଦ୍ରର ମୋଦୀ ସରକାର ଡଷ୍ଟବିନ କୁ ଫୋପାଡି ଦେଇଛନ୍ତିସେହିପରି ଚିଟଫଣ୍ଡ ଦୁର୍ନୀତି ମାମଲାରେ କେବଳ ସୁଆଙ୍ଗ ଦେଖେଇବା ଛଡା କେନ୍ଦ୍ରର ସିବିଆଇ ଅଧିକ କିଛି କରିନାହିଁତେଣୁ ବିଜେପି ଓଡିଶାରେ ଯେତେବେଳେ ଦୁର୍ନୀତି ବା ପିସି କଥା ଉଠାଉଛି, ସେଠି ଲୋକ ବିଜେପି ନିଜ ମୁହଁ ଦର୍ପଣରେ ପ୍ରଥମେ ଦେଖୁ ବୋଲି ଭାବିବା ସ୍ଵାଭାବିକଅପର ପକ୍ଷରେ କଂଗ୍ରେସ, ଯେତେ ଅଧିକ କ୍ଷମତାରୁ ଦୂରରେ ଥିଲେ ମଧ୍ୟ, ଦୁର୍ନୀତିର ଛିଟା ତାଙ୍କ ଦେହରୁ ଛାଡୁନାହିଁବିଜୁ ଜନତା ଦଳ ଭିତରୁ ଯେଉଁ ନେତାମାନେ ତଡା ଖାଇ ଆସୁଛନ୍ତି, ସେମାନେ କେବେ କେମିତି ସରକାର କୁ ଘାଇଲା କରିବାକୁ ଦୁର୍ନୀତି ପ୍ରସଙ୍ଗ ଉଠାଉଛନ୍ତି ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତଙ୍କ ପରି ନେତା ବିଜେଡି ଶିବିରରେ ୧୮ ବର୍ଷ ରହି ସବୁ ମଲାଇ ଖାଇ ସାରିଲା ପରେ ଦୁର୍ନୀତି ବିରୋଧରେ କହିବାଟା ଲୋକଙ୍କୁ ପ୍ରଭାବିତ କରିପାରୁନି

ଏସବୁର ଅନ୍ତିମ ପରିଣତି ହେଉଛି, ଦୁର୍ନୀତି ଆମ ରାଜନୀତିରେ ଏବେ ଏକ ଚଳନୀୟ ବ୍ୟବସ୍ଥା ହୋଇଯାଇଛିଯିଏ ଦୁର୍ନୀତି ବିରୋଧରେ କହୁଛି ତାକୁ ମାଉଁସ ଖଣ୍ଡେ ଫୋପାଡିଦେଲେ ସେ ଚୁପମୁହଁ ରେ ହାଡ ଜାକି କୁକୁର ଭୁକିପାରିବ ନାହିଁ। ତେଣୁ ହାଡଖଣ୍ଡେ ପାଇବା ଲାଗି ଦୁର୍ନୀତି ବିରୋଧୀ ଅଭିଯାନ ସହ ଲୋକେ ଆଉ ନିଜକୁ ସାମିଲ କରୁନାହାନ୍ତି। ଆଜିର ତାରିଖରେ ଦୁର୍ନୀତି ବିରୋଧରେ କହିବା, ସବୁଠୁ ବଡ ଛଳନା ଓ ନିର୍ବାଚନୀ ରାଜନୀତିରେ ଏହାର କୌଣସି ପ୍ରଭାବ ପଡିବାର ନାହିଁ