Categories
ଆଜିର ଖବର ଜାତୀୟ ଖବର

୭୭ତମ ସ୍ୱାଧୀନତା ଦିବସ ପାଳନ ପାଇଁ ଶେଷ ହେଲା  ସମସ୍ତ ପ୍ରସ୍ତୁତି 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୭ତମ ସ୍ୱାଧୀନତା ଦିବସ ଉତ୍ସବ ପାଳନର ନେତୃତ୍ୱ ନେବ। ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାର ପ୍ରାଚୀର ଉପରୁ ଜାତୀୟ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦେଶବାସୀଙ୍କୁ ଉଦ୍ବୋଧନ ଦେବା ସହିତ ଏହି ଜାତୀୟ ଉତ୍ସବ ପାଳନର ଶୁଭାରମ୍ଭ କରିବେ। ଚଳିତବର୍ଷର ସ୍ୱାଧୀନତା ଦିବସରେ ଗତ କିଛି ବର୍ଷ ଧରି ପାଳିତ ହୋଇ ଆସୁଥିବା ଆଜାଦି କା ଅମୃତ ମହୋତ୍ସବର ଉଦ୍ଯାପନ ହେବ।

୨୦୨୧ ମାର୍ଚ୍ଚ ୧୨ରେ ଏହି ମହୋତ୍ସବ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗୁଜରାଟର ସାବରମତି ଆଶ୍ରମରୁ ଆରମ୍ଭ ହୋଇଥିଲା। ଏହି ଅମୃତ ମହୋତ୍ସବର ଉଦ୍ଯାପନ ସହିତ ଆରମ୍ଭ ହେବ ‘ଅମୃତକାଳ’ । ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଯେଉଁ ସ୍ୱପ୍ନ ଦେଖିଛନ୍ତି ଏହି ଅମୃତକାଳରେ ତାହାକୁ ସାକାର କରିବାକୁ ଉଦ୍ୟମ ଆରମ୍ଭ ହେବ । ୭୭ତମ ସ୍ୱାଧୀନତା ଦିବସକୁ ପାଳନ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ଏହି ଉତ୍ସବକୁ ଅଧିକ ସଂଖ୍ୟାରେ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି ।

ସ୍ୱତନ୍ତ୍ର ଅତିଥି- ଦେଶର ବିିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଏବଂ ସେମାନଙ୍କ ପତି/ପତ୍ନୀଙ୍କୁ ୭୭ତମ ସ୍ୱାଧୀନତା ଦିବସ ଉତ୍ସବ ଦେଖିବାକୁ ନିମନ୍ତ୍ରଣ କରାଯାଇଛି । ସେମାନେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ଲାଲକିଲ୍ଲାର ଉତ୍ସବ ସ୍ଥଳରେ ଉପସ୍ଥିତ ରହିବେ । ସରକାରଙ୍କ ‘ଜନ ଭାଗିଦାରୀ’ ପ୍ରୟାସରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ସ୍ୱତନ୍ତ୍ର ଅତିଥିଙ୍କ ମଧ୍ୟରେ ଅଛନ୍ତି ଦେଶର ୬୬୦ପ୍ରାଣବନ୍ତ ଗ୍ରାମର ୪୦୦ରୁ ଅଧିକ ସରପଞ୍ଚ, କୃଷକ ଉତ୍ପାଦକ ସଂଗଠନ ଯୋଜନାର ୨୫୦ ପ୍ରତିନିଧି, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୫୦ହିତାଧିକାରୀ, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାର ୫୦ଲାଭାର୍ଥୀ, ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଓ ନୂଆ ସଂସଦ ଭବନ ନିର୍ମାଣର ୫୦ଜଣ ଶ୍ରମଯୋଗୀ ନିର୍ମାଣ ଶ୍ରମିକ, ୫୦ଜଣ ଖଦୀ କର୍ମୀ, ୫୦ଜଣ ସୀମାନ୍ତ ସଡକ ନିର୍ମାଣରେ ନିୟୋଜିତ କର୍ମୀ, ଅମୃତ ସରୋବର ଯୋଜନା ଓ ହର୍ ଘର୍ ଜଲ୍ ଯୋଜନାରେ ସମ୍ପୃକ୍ତ ୫୦ଜଣ ଲେଖାଏଁ ବ୍ୟକ୍ତି, ୫୦ଜଣ କରି ପ୍ରାଥମିକ ସ୍କୁଲ ଶିକ୍ଷକ, ନର୍ସ ଓ ମତ୍ସ୍ୟଜୀବୀ । ଏହି ସ୍ୱତନ୍ତ୍ର ଅତିଥିଙ୍କ ମଧ୍ୟରୁ କେତେକଙ୍କୁ ସେମାନଙ୍କ ଦିଲ୍ଲୀ ଅବସ୍ଥାନ କାଳରେ ଜାତୀୟ ଯୁଦ୍ଧ ସ୍ମାରକ ବୁଲି ଦେଖିôବା ସହିତ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଜୟ ଭଟ୍ଟଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟସୂଚୀ ଚୂଡାନ୍ତ ହୋଇସାରିଛି । ପ୍ରତ୍ୟେକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ୭୫ଦମ୍ପତିଙ୍କୁ ସେମାନଙ୍କ ପାରମ୍ପରିକ ବେଶ ପୋଷାକ ପରିଧାନ କରି ଲାଲକିଲ୍ଲା ଉତ୍ସବ ଉପଭୋଗ କରିବାର ସୁଯୋଗ ମଧ୍ୟ ଦିଆଯାଇ ଯଥାବିଧି ନିମନ୍ତ୍ରଣ କରାଯାଇଛି ।

ସେଲଫି ପଏଣ୍ଟସ୍:- ମୋଟ ୧୨ଟି ସେଲ୍ଫି ପଏଣ୍ଟ ପ୍ରସ୍ତୁତ କରାଯାଇଛି । ଏହାର ପୃଷ୍ଠଭୂମିରେ ରହିଛି ସରକାରଙ୍କର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସନ୍ତକ । ଏଥିରେ ଜାତୀୟ ଯୁଦ୍ଧ ସ୍ମାରକ, ଇଣ୍ଡିଆ ଗେଟ୍, ବିଜୟ ଚୌକ, ନୂଆଦିଲ୍ଲୀ ରେଳଷ୍ଟେସନ, ପ୍ରଗତି ମଇଦାନ, ରାଜଘାଟ, ଜାମା ମସ୍ଜିଦ୍, ମେଟ୍ରୋ ଷ୍ଟେସନ୍ସ, ରାଜୀବ ଚୌକ ମେଟ୍ରୋ ଷ୍ଟେସନ, ଦିଲ୍ଲୀ ଗେଟ୍ ମେଟ୍ରୋ ଷ୍ଟେସନ, ଆଇଟିସ ମେଟ୍ରୋ ଗେଟ୍, ନୌବତ ଖାନା ଓ ଶୀଶ୍ଗଞ୍ଜ ଗୁରୁଦ୍ୱାରା ଏଥିରେ ସ୍ଥାନ ପାଇଛି ।

ଏଥିରେ ସ୍ଥାନୀତ ସ୍କିମ୍/ ପ୍ରୟାସ ମଧ୍ୟରେ ରହିଛି ଗ୍ଲୋବାଲ ହୋପ୍, ଭ୍ୟାକ୍ସିନ ଓ ଯୋଗ, ଉଜ୍ଜ୍ୱଳା ଯୋଜନା, ମହାକାଶ ଶକ୍ତି, ଡିଜିଟାଲ ଇଣ୍ଡିଆ, ସ୍କିଲ ଇଣ୍ଡିଆ, ଷ୍ଟାର୍ଟ ଅପ୍ ଇଣ୍ଡିଆ, ସ୍ୱଚ୍ଛ ଭାରତ, ସଶକ୍ତ ଭାରତ, ନୟା ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଜଳ ଜୀବନ ମିଶନ ।

ଏହି ଉତ୍ସବର ଅଂଶବିଶେଷର ସ୍ୱରୂପ ଏକ ଅନ୍ଲାଇନ ସେଲଫି କଣ୍ଟେଷ୍ଟ (ପ୍ରତିଯୋଗିତା) ଆୟୋଜିତ ହେବ । ମାଏଁ ଗଭ୍ ପୋର୍ଟାଲରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ପ୍ରତିଯୋଗିତାକୁ ଅଗଷ୍ଟ ୧୫ରୁ ୨୦ଯାଏ ଆୟୋଜନ କରିବ । ଲୋକମାନେ ନିର୍ଦ୍ଧାରିତ ସେଲଫି ପଏଣ୍ଟରେ ଏକ ବା ଏକାଧିକ ସ୍ଥାନରେ ସେଲ୍ଫି ନେଇ ମାଏଁ ଗଭ୍ ପ୍ଲାଟଫର୍ମରେ ତାହାକୁ ଅପ୍ଲୋଡ କରି ପ୍ରତିଯୋଗିତାରେ ସାମିଲ ହୋଇପାରିବେ । ପ୍ରତ୍ୟେକ ଇନ୍ଷ୍ଟାଲେସନ (ଅଧିଷ୍ଠାନ)ରୁ ଜଣେ ଲେଖାଏଁ ଏମିତି ୧୨ଜଣ ବିଜେତାଙ୍କୁ ଅନ୍ଲାଇନ ସେଲ୍ଫି କଣ୍ଟେଷ୍ଟରେ ବଛାଯିବ । ପ୍ରତ୍ୟେକ ବିଜେତାଙ୍କୁ ୧୦ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ ।

ଇ-ନିମନ୍ତ୍ରଣ- ସବୁ ସରକାରୀ ନିମନ୍ତ୍ରିତ ଅତିଥିମାନଙ୍କୁ ଆମନ୍ତ୍ରଣ ପୋର୍ଟାଲ ମାଧ୍ୟମରେ ଇ-ନିମନ୍ତ୍ରଣ ପତ୍ର ପ୍ରେରଣ କରାଯାଇଛି । www.aamantran.mod.gov.in ମାଧ୍ୟମରେ ୧୭,୦୦ ଇ -ନିମନ୍ତ୍ରଣ ପତ୍ର ଇତିମଧ୍ୟରେ ପଠାସାରିଲାଣି ।

ଉତ୍ସବ:-ଲାଲକିଲ୍ଲାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ,ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଭୟ ଭଟ୍ଟ, ପ୍ରତିରକ୍ଷା ସଚିବ ଶ୍ରୀ ଗିରଧର ଅର୍ମାନେ ସ୍ୱାଗତ କରିବେ । ଏହାପରେ ପ୍ରତିରକ୍ଷା ସଚିବ ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲୀ ଏରିଆର ଜେନେରାଲ ଅଫିସର କମାଣ୍ଡିଂ (ଜିଓସି) ଲେପ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କ ସହ ପରିଚୟ କରାଇ ଦେବେ । ଏହା ପରେ ଜିଓସି ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ ମଞ୍ଚକୁ ପାଛୋଟି ନେବେ । ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ସେନାର ତିନି ବାହିନୀ ଓ ଦିଲ୍ଲୀ ପୁଲିସ ପକ୍ଷରୁ ଗାର୍ଡ ଅଫ ଅନର (ଅଭିବାଦନ) ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ଏହି ଗାର୍ଡ ଅଫ୍ ଅନରକୁ ପରିଦର୍ଶନ କରିବେ ।

ପ୍ରଧାନମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଗାର୍ଡ ଅଫ ଅନରରେ ଜଣେ ଲେଖାଏଁ ସାମରିକ ଅଧିକାରୀ ଓ ୨୫ଯବାନ ରହିବେ । ଏଥିରେ ଜଳ, ସ୍ଥଳ ଓ ଆକାଶ ବାହିନୀ ସମେତ ଦିଲ୍ଲୀ ପୁଲିସକୁ ଅନ୍ତର୍ଭୁକ୍ତ କରାଯାଇଛି ।ଏଥର ଏହି ଗାର୍ଡ ଅଫ ଅନର ସେବା ଭାରତୀୟ ସ୍ଥଳସେନାର ନେତୃତ୍ୱରେ ଅନୁଷ୍ଠିତ ହେଉଛି । ମେଜର ବିକାଶ ସଙ୍ଗୱାନ ଗାର୍ଡ ଅଫ ଅନରରେ ନେତୃତ୍ୱ ନେବେ ।

ସେନା କଣ୍ଟିନେଣ୍ଟର ମେଜର ଇନ୍ଦ୍ରଜିତ ସଚିନ, ନୌସେନା କଣ୍ଟିନେଣ୍ଟର ଲେପ୍ଟନାଣ୍ଟ କମାଣ୍ଡର ଏମ୍.ଭି ରାହୁଲ ରାମନ ଓ ବାୟୁ ସେନାର ସ୍କ୍ୱାର୍ଡନ ଲିଡର ଆକାଶ ଗଙ୍ଗହାସ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ପ୍ରଦାନର ନେତୃତ୍ୱ ନେବେ । ଦିଲ୍ଲୀ ପୁଲିସ କଣ୍ଟିନେଣ୍ଟର ଗାର୍ଡ ଅଫ ଅନର ଅତିରିକ୍ତ ଡିସିପି ସନ୍ଧ୍ୟା ସ୍ୱାମୀଙ୍କ ନେତୃତ୍ୱରେ ପ୍ରଦାନ କରାଯିବ ।

ଗାର୍ଡ ଅଫ ଅନର ପରିଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଳାର ପ୍ରାଚୀର ଉପରକୁ ଯାତ୍ରା କରିବେ । ସେଠାରେ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଜୟ ଭଟ୍ଟ, ଚିଫ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଅନିଲ ଚୌହାନ, ସ୍ଥଳସେନା ମୁଖ୍ୟ ଜେନେରାଲ୍ ମନୋଜ ପାଣ୍ଡେ, ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ଓ ବାୟୁ ସେନାର ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭି.ଆର ଚୌଧୁରୀ ସ୍ୱାଗତ ଜଣାଇବେ । ଲାଲକିଲା ପ୍ରାଚୀର ଉପରେ ଜାତୀୟ ପତାକା ଉତ୍ତୋଳନ କରିବାରେ ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲୀ ଜିଓସି ସାହାଯ୍ୟ ସହଯୋଗ କରିବେ । ଅତିିରିକ୍ତ ଭାବେ ମେଜର ନନ୍ଦିତା ନାୟାର ଓ ଜସ୍ମିନ କୌର ଏଥିରେ ସହଯୋଗ ଯୋଗାଇବେ

ଜାତୀୟ ତ୍ରିରଙ୍ଗା ଉତ୍ତୋଳନ ପରେ ଏହାକୁ ରାଷ୍ଟ୍ରୀୟ ସଲାମ ପ୍ରଦାନ କରାଯିବ । ସେନାର ବାଦ୍ୟ ପରିବେଷଣ ସହିତ ଜାତୀୟ ସଙ୍ଗୀତ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । ସେନାର ବାଦ୍ୟ କାର୍ଯ୍ୟକ୍ରମକୁ ନାଏବ ସୁବେଦାର ଜତିନ୍ଦର ସିଂହ ପରିଚାଳନା କରିବେ । ତ୍ରିରଙ୍ଗା ଉତ୍ତୋଳନ ପରେ ଏହାକୁ ୨୧ ତୋପ ସଲାମୀ ପ୍ରଦାନ କରାଯିବ । ଏହି କାମ ୮୭୧୧ ôଫିଲ୍ଡ ବ୍ୟାଟେରୀ ପରିଚାଳନା କରିବ ଏବଂ ନାଏବ ସବେଦାର ଅନୁପ ସିିଂହ ଏହାର ନେତୃତ୍ୱ ନେବେ ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ହେବା ପର ଦୁଇ ଧ୍ରୁବ-୩ ହେଲିକୋପ୍ଟର ଯୋଗେ ସଭାସ୍ଥଳରେ ପୁଷ୍କ ବୃଷ୍ଟି କରାଯିବ । ତାଙ୍କ ଭାଷଣ ଶେଷ ହେବାପରେ ଏନ୍ସିସି ପକ୍ଷରୁ ଜାତୀୟ ସଂଗୀତ ଗାନ କରାଯିବ । ଦେଶର ବିଭିନ୍ନ ସ୍କୁଲରୁ ଏଥିପାଇଁ ୧୧୦୦ ଏନ୍ସିସି କ୍ୟାଡେଟ୍କୁ ମନୋନୀତ କରାଯାଇଛି । ଉତ୍ସବର ଅଂଶସ୍ୱରୂପ ଏନ୍ସିସି କ୍ୟାଡେଟମାନେ ପାରମ୍ପରିକ ପୋଷାକରେ ଜ୍ଞାନପଥରେ ବସିବେ ଏବଂ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରଯାଇଛି । ଏହାଛଡା ଲାଲକିଲ୍ଲାରେ ଯେଉଁ ଫୁଲ ସଜ୍ଜା ହେବ ସେଥିରେ ଜି-୨୦ର ଚିହ୍ନ(ଲୋଗୋ) ଏଥର ରହିବ ।

Categories
ଆଜିର ଖବର ଜାତୀୟ ଖବର

ନୂଆଦିଲ୍ଲୀରେ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବେ ଓଡ଼ିଶାରୁ ଦୁଇ ମତ୍ସ୍ୟଜୀବୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବା ଲାଗି ଦେଶର କୋଣଅନୁକୋଣରୁ ପ୍ରାୟ ୧,୮୦୦ ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଆସନ୍ତା ୧୫ ତାରିଖରେ ନୂଆଦିଲ୍ଲୀର ଲାଲକିଲ୍ଲା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦବୋଧନ ସମାରୋହରେ ଏସବୁ ସ୍ୱତନ୍ତ୍ର ଅତିଥିମାନଙ୍କୁ ଦେଖିବାକୁ ମିଳିବ।

ଚଳିତ ବର୍ଷ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ହେଉଛି। ତେଣୁ ଏଥରର ସ୍ୱାଧୀନତା ଦିବସ ସମାରୋହକୁ ସ୍ମରଣୀୟ କରିବା ଲାଗି ଭାଇବ୍ରେଣ୍ଟ ଗ୍ରାମ ଯୋଜନାର ସରପଞ୍ଚ, ଶିକ୍ଷକ, ନର୍ସ, ମତ୍ସ୍ୟଜୀବୀ, ଚାଷୀ, ନୂଆଦିଲ୍ଲୀର ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପରେ କାମ କରିଥିବା ଶ୍ରମଯୋଗୀ, ଖଦୀ ଶ୍ରମିକ, ଜାତୀୟ ପୁରସ୍କାର ବିଜେତା ଶିକ୍ଷକ, ସୀମା ସଡ଼କ ସଂଗଠନର ଶ୍ରମିକ, ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀ, ତଥା ଅମୃତ ସରୋବର ପ୍ରକଳ୍ପ ଏବଂ ହର ଘର ଜଲ ପ୍ରକଳ୍ପରେ ସହାୟତା କରିଥିବା ଲୋକମାନଙ୍କୁ ନିମନ୍ତ୍ରଣ କରାଯାଇଛି। ନିମନ୍ତ୍ରିତ ଅତିଥିମାନେ ସେମାନଙ୍କ ଜୀବନସାଥୀଙ୍କ ସହ ଚଳିତ ବର୍ଷ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ସମାରୋହରେ ଉପସ୍ଥିତ ରହିବେ।

ଓଡ଼ିଶାର ଦୁଇ ଜଣ ମତ୍ସ୍ୟଜୀବୀଙ୍କୁ ଚଳିତ ବର୍ଷ ସ୍ୱାଧୀନତା ଦିବସ ସମାରୋହରେ ଅଂଶଗ୍ରହଣ କରିବା ଲାଗି ନିମନ୍ତ୍ରଣ ମିଳିଛି। ସେମାନେ ହେଲେ ଗଞ୍ଜାମ ଜିଲ୍ଲା ଛତ୍ରପୁରର କାଣ୍ଡା ଆଲାୟା ଏବଂ କେ ସରସ୍ୱତୀ। ଏହାବ୍ୟତୀତ ଅମୃତ ସରୋବର ଯୋଜନାରେ ସହଯୋଗ କରିଥିବା ହିତାଧିକାରୀ ବଲାଙ୍ଗିର ଜିଲ୍ଲାର ଯାଜ୍ଞସେନୀ ପଟେଲ, ଗଞ୍ଜାମର ସାବିତ୍ରୀ ଦାସ, କୋରାପୁଟର ଅକ୍ଷୟ କୁମାର ଜୟଫୁଲାଙ୍କୁ ମଧ୍ୟ ନୂଆଦିଲ୍ଲୀ ଆସିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ନିମନ୍ତ୍ରଣ ମିଳିଛି।

ଓଡ଼ିଶାରୁ ନିମନ୍ତ୍ରିତ ହୋଇଥିବା ଆଉ ଜଣେ ସ୍ୱତନ୍ତ୍ର ଅତିଥି ହେଲେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ସୁନାବେଡ଼ାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ ତଥା ଚାଷୀ ଯୁବରାଜ ଛତ୍ରିଆ। କେନ୍ଦ୍ର ସରକାରଙ୍କ ଠାରୁ ନିମନ୍ତ୍ରଣ ପାଇ ଜାତୀୟସ୍ତରର ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ମିଳିଥିବାରୁ ହିତାଧିକାରୀମାନେ ଖୁସି ବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ସ୍ୱାଧୀନତା ଦିବସ ପୂର୍ବରୁ ଜିଲ୍ଲା ପ୍ରଶାସନର ଖସଡ଼ା ପ୍ରସ୍ତୁତ, ପ୍ରତି ଘରେ ଉଡ଼ିବ ତ୍ରିରଙ୍ଗା

ସ୍ୱାଧୀନତା ଦିବସ ପୂର୍ବରୁ ଜିଲ୍ଲା ପ୍ରଶାସନର ଖସଡ଼ା ପ୍ରସ୍ତୁତ କରାଯାଇଛି। ଆଜି ଦଶଟି ବ୍ଲକ ବିଡ଼ିଓଙ୍କ ସହ ଜିଲ୍ଲାପାଳଙ୍କ ଆଭାସୀ ବୈଠକ କରାଯାଇଛି। ଚାଳିଶ ଅମୃତ ସରବୋରରେ ଜାତୀୟ ପତାକା ଉତ୍ତୋଳନ ହେବ। ମେରୀ ମାଟି ମେରୀ ଦେଶ କାର୍ଯ୍ୟକ୍ରମରେ ପ୍ରତି ଅମୃତ ପୋଖରୀରେ ୭୫ ଚାରା ଲାଗିବ। ପ୍ରତି ଘରେ ଉଡ଼ିବ ତିରଙ୍ଗା, ମଧୁ ବାବୁ ପେନସନ ଯୋଜନା ଓ ମୋ ଘର ପାଇଁ ସଚେତନତା କରାଯିବ।

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସମାନ ହଲରେ ଆଜି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକ ର ବିଡ଼ିଓ ମାନଙ୍କ ସହ ଏକ ଆଭାସୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି।  ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ପ୍ରତି ଘରେ ଜାତୀୟ ପତାକା ଉଡ଼ିବ। ଏଥିପାଇଁ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ସଚେତନତା ସୃଷ୍ଟି କରିବେ।

ଜିଲାରେ ଅମୃତ ସରବୋର ଯୋଜନା ରେ ଅନ୍ତର୍ଭୂକ୍ତ ୪୦ ଟି ଅମୃତ ସରବୋର କୂଳରେ ତ୍ରିରଙ୍ଗା ପତାକା ଉତ୍ତୋଳନ ହେବ। ଭାରତ ସ୍ୱାଧୀନତା ପାଇବାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ ହେଉଥିବା ମେରୀ ଦେଶ ମେରୀ ମାଟି କାର୍ଯ୍ୟକ୍ରମ।

ଏହି ଅମୃତ ସରବୋର କୂଳରେ ୭୫ ଟି ଲେଖାଏଁ ଚାରା ରୋପଣ କରାଯିବ। ଏପରିକି ଏହି ୪୦ ଅମୃତ ସରବୋର ବ୍ୟତୀତ ଯଦି କୌଣସି ପଞ୍ଚାୟତ ରେ ବଡ଼ ପୋଖରୀ ଥିବ ସେଠାରେ ମଧ୍ୟ ୭୫ ଲେଖାଏଁ ଚାରା ରୋପଣ କରାଯିବ। ଜଙ୍ଗଲ ବିଭାଗ ପକ୍ଷରୁ ଚାରା ଯୋଗାଇ ଦିଆଯିବ।

ସେହିପରି ବିଡ଼ିଓ ମାନଙ୍କ ସହ ଆଲୋଚନା କରି ପ୍ରତି ବ୍ଲକ ମୁଖ୍ୟାଳୟ ଓ ପଞ୍ଚାୟତ ମାନଙ୍କ ରେ ମଧୁବାବୁ ପେନସନ ଯୋଜନା ପାଇଁ ସ୍ୱତନ୍ତ୍ର ସହାୟତା କେନ୍ଦ୍ର (ହେଲପ ଡେ଼କ୍ସ ) କରାଯିବ। ନିହାତି ବୟସ୍କ ଗରିବ, ବିଧବା, ଭିନ୍ନକ୍ଷମ, ସ୍ୱାମୀ ପରିତକ୍ତା ମହିଳା ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଭତ୍ତା ଆବେଦନ କରିବାରେ ସହାୟତା କରିବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ପରାମର୍ଶ ଦେଇଥିଲେ।

ମୋ ଘର ଯୋଜନାରେ ଘର ପାଇଁ ଯେତିକି ଦରଖାସ୍ତ ଆସିଛି ତାହାର ଯୋଗ୍ୟ ହିତାଧିକାରୀ ଚୟନ କରି ତୁରନ୍ତ ବ୍ୟାଙ୍କ ମାନଙ୍କୁ ପଠାଇବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ।

ଏହି ବୈଠକ ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବାଦଲ ମହାନ୍ତି, ଡିପିଏମ ବିବେକ ବେଉରା, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ସୂଚନା ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖାରବେଳ ଭବନ ଠାରେ ସ୍କିଲ୍ଡ ଇନ୍ ଓଡିଶାର ପ୍ରଦର୍ଶନୀ ତଥା ବିକ୍ରୟ କେନ୍ଦ୍ରର ଶୁଭାରମ୍ଭ

ଭୁବନେଶ୍ବର: ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଭୁବନେଶ୍ୱର ଆନୁକୂଲ୍ୟରେ ଆଇଟିଆଇ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଖାରବେଳ ଭବନ ପରିସରରେ ଏକ ପ୍ରଦର୍ଶନୀ-ତଥା ‐ ବିକ୍ରୟର ଶୁଭାରମ୍ଭ କରାଯାଇଛି। ସୋମବାର ପୂର୍ବାହ୍ନରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଊଷା ପାଢୀଙ୍କ ଉପସ୍ଥିତିରେ ପ୍ରଦର୍ଶନୀକୁ ଉଦ୍ଘାଟନ କରାଯାଇଥିଲା।

ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ଶ୍ରୀ ତ୍ରିପାଠୀ କହିଲେ ଯେ ଆଟିଆଇ ତାଲିମପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ସ୍ୱୀକୃତି ଏବଂ ଆୟ ସୃଷ୍ଟିର ସୁଯୋଗ ପ୍ରଦାନ କରିବା ସହିତ ଏହି କାର୍ଯ୍ୟକ୍ରମ ସାରା ରାଜ୍ୟରେ ବିସ୍ତାର କରିବାକୁ ଯୋଜନା କରାଯାଇଛି। କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ସ୍କିଲ୍-ଇନ୍-ଓଡିଶା ବ୍ରାଣ୍ଡକୁ ଲୋକପ୍ରିୟ କରିବା ଏବଂ ପ୍ରଯୁକ୍ତି ବିଦ୍ୟା ଯୋଗାଇବା। ପ୍ରଦର୍ଶନୀ ପଛରେ ଥିବା ଅନନ୍ୟ ଧାରଣାକୁ ଶ୍ରୀ ତ୍ରିପାଠୀ ପ୍ରଶଂସା କରିବା ସହ “ସ୍କିଲ୍ ଇନ୍ ଓଡିଶା” ନାମରେ ଏହି ସ୍ୱୀକୃତିପ୍ରାପ୍ତ ବ୍ରାଣ୍ଡର ସ୍ଥିତିକୁ ମଜଭୁତ କରିବାକୁ ଆଉଟଲେଟ୍ ଗୁଡିକୁ ବୃଦ୍ଧି କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

ପ୍ରମୁଖ ଶାସନ ସଚିବ ଶ୍ରୀମତୀ ପାଢୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ସ୍କିଲ୍ଡ-ଇନ୍-ଓଡିଶା ହେଉଛି ଏକ ପରିବର୍ତ୍ତନଶୀଳ ଯାତ୍ରା, ଯାହା ରାଜ୍ୟରେ ଯୁବ ସାମର୍ଥ୍ୟକୁ ବ୍ୟବହାର କରୁଛି।  କୁଶଳୀ-ଓଡିଶା ଯୁବକମାନେ ଆଜି ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଛନ୍ତି, ସିଙ୍ଗାପୁର ଏବଂ ଦୁବାଇରେ ଆନ୍ତର୍ଜାତୀୟ ପ୍ରତିଭା ସହିତ କାର୍ଯ୍ୟ କରୁଛନ୍ତି। ୭ ରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଦର୍ଶନୀରେ ଓଡିଶାର ଆଇଟିଆଇ ଛାତ୍ରଛାତ୍ରୀମାନେ ସେମାନଙ୍କର ବିଭିନ୍ନ ପ୍ରତିଭା ଏବଂ କାରିଗରୀ ପ୍ରଦର୍ଶନ କରିବେ।

ଏହି ପ୍ରଦର୍ଶନୀର ଥିମ ହେଲା “ବର୍ଜ୍ୟବସ୍ତୁରୁ ସମ୍ପଦ”। ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁ ବ୍ୟବହାର କରାଯାଇ ସେଥିରୁ ସୁନ୍ଦର ଓ ଆକର୍ଷଣୀୟ ଉତ୍ପାଦ ପ୍ରସ୍ତୁତ କରି କିପରି ଅର୍ଥ ଉପାର୍ଜନ କରା ଯାଇପାରିବ, ତାହା ହିଁ ପ୍ରଦର୍ଶନୀର ମୂଳ ଲକ୍ଷ୍ୟ। କୁଶଳୀ-ଓଡ଼ିଶା କେବଳ ଯୁବକମାନଙ୍କୁ ଦକ୍ଷ ନୁହେଁ ବରଂ ଓଡିଶାରେ ପରିବର୍ତ୍ତନର ମାର୍ଗ ବିସ୍ତାର କରୁଛି ବୋଲି ଶ୍ରୀମତୀ ପାଢୀ କହିବା ସହ ଏଭଳି ପ୍ରଦର୍ଶନୀ ବିଭିନ୍ନ ସ୍ଥାନରେ ଆଗାମୀ ଦିନରେ ଆୟୋଜନ କରାଯିବ ବୋଲି ମତବ୍ୟକ୍ତ କରିଥିଲେ।

ଆଜିର ଏହି ପ୍ରଦର୍ଶନୀରେ ବର୍ଜ୍ୟବସ୍ତୁ ଯଥା ଗାଡି, ମୋଟର ସାଇକେଲ, ସାଇକେଲ ଆଦିର ଯନ୍ତ୍ରାଂଶ ବଲ, ବିୟରିଙ୍ଗ, ଚେନ କ୍ରାଙ୍କ, ନଟବୋଲ୍ଟ , କମ୍ପ୍ୟୁଟର କି ବୋର୍ଡ ଆଦି ବ୍ୟବହାର କରାଯାଇ ଗାନ୍ଧଜୀ, ସୁଭାଷ ଚନ୍ଦ୍ର ବୋଷଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି, ଘୋଡା, ପେଙ୍ଗୁଇନ ଓ ମାଛ ଆଦି ପ୍ରଦର୍ଶିତ କରା ଯାଇଛି। ସୁନ୍ଦର,ନିକ୍ଷୁଣ ଓ ଆକର୍ଷଣୀୟ କାଠ ଓ ହସ୍ତତନ୍ତ ଉତ୍ପାଦ, ଘର ସାଜସଜ୍ଜା, ଅଫିସ୍ ଷ୍ଟେସନାରୀ, ଚିତ୍ରକଳା ଏବଂ ବେକେରି ଭଳି ବିଭିନ୍ନ ସାମଗ୍ରୀ ତିଆରି କରି ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଏହି ପ୍ରଦର୍ଶନୀ ୫ ଦିନ ଧରି ଚାଲିବ।

ଏହି ଉଦ୍ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବୈଷୟୀକ ଶିକ୍ଷା ଓ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ରେଘୁ ଜି ଙ୍କ ସମେତ ବିଭିନ୍ନ ଆଇଟିଆଇ କଲେଜର ଅଧ୍ୟକ୍ଷ୍, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଆଇକନିକ ସପ୍ତାହ ପାଳନ କରିବ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବା ଏବଂ ଭାରତର ନାଗରିକ, ସଂସ୍କୃତି ଓ ସଫଳତାର ସମୃଦ୍ଧଶାଳୀ ଇତିହାସର ସ୍ମୃତିଚାରଣ କରିବା ଲାଗି ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଦେଇଥିବା ଅଭିଭାଷଣରେ ନିଜ ଐତିହ୍ୟ ଓ ପରମ୍ପରାକୁ ନେଇ ଗର୍ବ ଅନୁଭବ କରିବା ଲାଗି ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ଆହ୍ବାନ କରିଥିଲେ। ଭାରତର ସମୃଦ୍ଧ ଏବଂ ଗୌରବଶାଳୀ ଇତିହାସ ରହିଛି, ଯେଉଁଥିରେ ଅଭୂତପୂର୍ବ ସାହସ, ବୀରତ୍ୱ, ବଳିଦାନ, ତପସ୍ୟା, ଯୁଦ୍ଧ ଏବଂ ବିଜୟୀ ନାୟକମାନଙ୍କର କାହାଣୀ ପରିପୂର୍ଣ୍ଣ ହୋଇଛି। ମା’ ଭାରତୀର ସେପରି ଜଣେ ମହାନ ସୁପୁତ୍ର ଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଯାହାଙ୍କର ସ୍ୱାଧୀନତା ଆନ୍ଦୋଳନରେ ଅମୂଲ୍ୟ ଯୋଗଦାନ ରହିଥିଲା ଏବଂ ସେ ଅନେକ ପିଢ଼ିର ଭାରତୀୟଙ୍କୁ ଅନୁପ୍ରାଣିତ କରିବା ସହିତ ଦେଶବାସୀଙ୍କ ମନରେ ଗୌରବର ଭାବନା ସୃଷ୍ଟି କରିଥିଲା।

ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମବାର୍ଷିକୀ ପାଳନ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅମୃତ ମହୋତ୍ସବ ଆଇକନିକ କାର୍ଯ୍ୟକ୍ରମ ସପ୍ତାହ ୧୭ରୁ ୨୩ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ପାଳନ କରାଯିବ। ସ୍ୱାଧୀନତା ଆନ୍ଦୋଳନରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଯୋଗଦାନ ଏବଂ  ତାଙ୍କ ଜୀବନୀ ଉପରେ ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମ ଏହି ଅବସରରେ ଆୟୋଜନ କରାଯିବ। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ୨୩ ଜାନୁଆରୀ ୨୦୨୩ରେ ଆଣ୍ଡାମାନ ନିକୋବାର ଦ୍ୱୀପ ସମୂହର ପୋର୍ଟବ୍ଲେୟାର ଠାରେ ଆୟୋଜିତ ହେବାକୁ ଥିବା ଭବ୍ୟ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ଏବଂ କେନ୍ଦ୍ରୀ ପୁଲିସ ସଂଗଠନ ସମେତ ଆଣ୍ଡାମାନ ଓ ନିକୋବାର ଦ୍ୱୀପସମୂହ, ମଣିପୁର, ନାଗାଲାଣ୍ଡ, ଗୁଜରାଟ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ ସହଯୋଗରେ ବିଭିନ୍ନ ସ୍ଥାନରେ ନେତାଜୀଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏସବୁ ସ୍ଥାନ ନେତାଜୀଙ୍କ ଜୀବନ ଓ କାର୍ଯ୍ୟ ସହ ଜଡ଼ିତ। ଜାନୁଆରୀ ୧୭ ତାରିଖରେ ମଣିପୁରର ମନ୍ତ୍ରୀପୁଖରୀ, କେଥାଲମାନବୀ, କାଙ୍ଗୱାଇ, ମୋଇରାଙ୍ଗ ଏବଂ ନାମ୍ବେଲରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଜାନୁଆରୀ ୧୮ ତାରିଖରେ ନାଗାଲାଣ୍ଡ କୋହିମାସ୍ଥିତ ରୁଜାଝୋ ଏବଂ ଚେସେଜୁ ଗ୍ରାମରେ, ଜାନୁଆରୀ ୧୯ ତାରିଖରେ ଗୁଜରାଟର ହରିପୁରା, ବର୍ଦୋଲି ଏବଂ ସୁରତ ଠାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଓଡ଼ିଶାର କଟକ ଠାରେ ଜାନୁଆରୀ ୨୦ ତାରିଖରେ ଏବଂ ଜାନୁଆରୀ ୨୧ ତାରିଖରେ କୋଲକାତା ଠାରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଆଇକନିକ ସପ୍ତାହ ଅବସରରେ ଏସବୁ ସ୍ଥାନରେ ଭାରତର ସ୍ୱାଧୀନତାରେ ନେତାଜୀଙ୍କର ଅମୂଲ୍ୟ ଯୋଗଦାନକୁ ଆଧାର କରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି।

ଜନଭାଗିଦାରୀ ଭାବନାକୁ ନେଇ ଏସବୁ କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଜନସାଧାରଣଙ୍କୁ ସାମିଲ କରାଯିବ, ଯାହାଫଳରେ ଦେଶର ନାଗରିକମାନେ ଆମର ଜାତୀୟ ନାୟକଙ୍କ ଠାରୁ ପ୍ରେରଣା ଲାଭ କରିପାରିବେ ଏବଂ ସେମାନଙ୍କ ଆଦର୍ଶକୁ ଅନୁସରଣ କରିବେ।

ଆଣ୍ଡାମାନ ଓ ନିକୋବାର ଦ୍ୱୀପସମୂହରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଭାରତ ସ୍ୱାଧୀନତା ଲାଭ କରିବାର ଯଥେଷ୍ଟ ପୂର୍ବରୁ ୩୧.୧୨.୧୯୪୩ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପ୍ରଥମ ଥର ପାଇଁ ଏହି ସ୍ଥାନରେ ତ୍ରିରଙ୍ଗା ପତାକା ଉଡ଼ାଇଥିଲେ।

ଭାରତର ସ୍ୱାଧୀନତା ଆନ୍ଦୋଳନରେ ନେତାଜୀଙ୍କ ଯୋଗଦାନ ଏବଂ ତାଙ୍କ ଜୀବନୀର ସ୍ମୃତିଚାରଣ କରିବା ଉଦ୍ଦେଶ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆଇକନିକ ସପ୍ତାହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହା ତାଙ୍କର ଉଚ୍ଚ ବିଚାରକୁ ସ୍ମରଣ କରିବା ଏବଂ ଆମର ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀରୁ ପ୍ରେରଣା ଲାଭ କରିବା ଲାଗି ସବୁ ଦେଶବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ।

Categories
ଆଜିର ଖବର ରାଜ୍ୟ ଖବର

ଦୈନିକ ସମ୍ବାଦପତ୍ର ‘ପ୍ରଗତିବାଦୀ’ର ୫୦ ବର୍ଷ ଓ ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ସମାରୋହରେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସ୍ୱାଧୀନତା ଦିବସ ଅବସରରେ ଆଗାମୀ ୨୫ ବର୍ଷ ପାଇଁ ଦେଶବାସୀଙ୍କୁ ଦାୟିତ୍ୱ ଓ କର୍ତ୍ତବ୍ୟର କଥା କହିଛନ୍ତି। ଦାୟିତ୍ୱ ନେଲେ ହିଁ ଅନେକଙ୍କ ଅଧିକାର ସୁରକ୍ଷିତ ରହିବ। ଜଣେ ବ୍ୟକ୍ତି ଦାୟିତ୍ୱ ନେଲେ ୫ ଜଣଙ୍କ ଅଧିକାର ସୁରକ୍ଷିତ ରହିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମଙ୍ଗଳବାର ଭୁବନେଶ୍ୱର ଠାରେ ଦୈନିକ ସମ୍ବାଦପତ୍ର ‘ପ୍ରଗତିବାଦୀ’ର ୫୦ ବର୍ଷ ଓ ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସ୍ୱର୍ଗତ ବଳଙ୍କ ୯୦ତମ ଜୟନ୍ତୀ ଅବସରରେ ତାଙ୍କ ଫଟୋଚିତ୍ରରେ  ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପ୍ରଗତିବାଦୀ ଅନୁଷ୍ଠାନକୁ ଓଡ଼ିଆ ସାମ୍ବାଦିକତା ଜଗତରେ ୫୦ ବର୍ଷର ଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ଆହ୍ୱାନ ଅନୁସାରେ ଆମ ସମସ୍ତଙ୍କୁ ଦାୟିତ୍ୱ ନେବାକୁ ହେବ। ଦାୟିତ୍ୱ ନେବା ବହୁତ ବଡ଼ କଥା ନୁହେଁ। ବରଂ ଛୋଟ ଛୋଟ କଥାରେ ମଧ୍ୟ ଦାୟିତ୍ୱର କଥା ରହିଛି। ଲାଇଟ୍ ଓ ପଙ୍ଖା ବନ୍ଦ କରି ବିଦ୍ୟୁତ ଅପଚୟକୁ ରୋକିବା କିମ୍ବା ପାଣି ଟ୍ୟାପ୍ ବନ୍ଦ କରି ଜଳ ସଂରକ୍ଷଣ କରିବାର ଦାୟିତ୍ୱ ନେଲେ ହିଁ ଅନେକ ଲୋକଙ୍କ ଅଧିକାର ସୁରକ୍ଷିତ ହୁଏ।

ପ୍ରାୟ ୧୩ ବର୍ଷ ପରେ ୨୦୩୬ରେ ଭାଷାଭିତ୍ତିକ ରାଜ୍ୟ ଭାବରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ। ୨୦୪୭ ସୁଦ୍ଧା ୨୫ ବର୍ଷ ପରେ ଭାରତକୁ ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେବ। ଆଗାମୀ ୧୩ ଓ ୨୫ ବର୍ଷ ପାଇଁ ଆମର ଦାୟିତ୍ୱ କଣ ରହିବ ଓ ଓଡ଼ିଶାର ଚିତ୍ର କଣ ହେବ ଏ ଦିଗ ଉପରେ କଳ୍ପନା କରିବା ଦରକାର  ଏହି ସମୟରେ ସାମାଜିକ ଦାୟିତ୍ୱ କଣ ହେବ ଓ ଓଡ଼ିଶାର ଅର୍ଥନୀତି କେଉଁ ଅବସ୍ଥାରେ ଥିବ, ଚାଷ କ୍ଷେତ୍ରର ଭିତ୍ତିଭୂମି ଓ ଯୁବକର ସ୍ୱପ୍ନ କଣ ରହିବ, ଏହା ଆଧାରରେ ସଂକଳ୍ପ ନେବାକୁ ପଡ଼ିବ।

ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ପରିଚୟ। ସେହିପରି ସନ୍ଥ କବି ଭୀମ ଭୋଇଙ୍କ ଲିଖିତ “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ ,ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ” କାଳଜୟୀ ଉକ୍ତି ଜାତିସଂଘର ପ୍ରାଚୀରରେ ଲେଖା ହୋଇଛି। ଏହି ବିଚାର, ପୃଥିବୀରେ ଓଡ଼ିଆ ଜାତି ଓ ଜନଜୀବନର ଲୋକକଥାର ପ୍ରସ୍ପୁଟିତର ପ୍ରତିଫଳନ। ଏଥିରୁ ଓଡିଆ ଜାତିର ମୌଳିକ କ୍ଷମତାର ଗଭୀରତା ଅନୁମେୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଓଡ଼ିଆ ସମାଜର ପ୍ରବାଦ ପୁରୁଷ, ମୂଲ୍ୟବୋଧଭିତ୍ତିକ ସାମ୍ବାଦିକତା ଓ ରାଜନୀତିର ପ୍ରତୀକ ଭାବେ ଜଣାଶୁଣା ସ୍ୱର୍ଗତ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳ ସାମାଜିକ, ରାଜନୈତିକ ଏବଂ ସାମ୍ବାଦିକତା ଜଗତର ମୂଲ୍ୟବୋଧର ପ୍ରତୀକ ଥିଲେ। ପର୍ଯ୍ୟାବରଣର ସୁରକ୍ଷା, ଗରିବ ଲୋକଙ୍କୁ ତାଙ୍କ ହକ୍ ଓ ଅଧିକାର ପ୍ରଦାନ କରିବା ଏବଂ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ ତାଙ୍କ ବିଚାର ଉଚ୍ଚକୋଟ୍ଟୀର ଥିଲା। ଏହିପରି ଭାବରେ ଓଡ଼ିଆ ସ୍ୱାଭିମାନକୁ ନିଜ ଦୃଷ୍ଟିରେ ପରିପ୍ରକାଶ କରିବାରେ ସେ ନୂଆ ବେଞ୍ଚମାର୍କ ସ୍ଥାପନ କରିଥିଲେ। ତାଙ୍କ ଜୟନ୍ତୀ ଅବସରରେ ସ୍ୱର୍ଗତ ବଳଙ୍କ ଦ୍ୱାରା ସ୍ଥାପିତ ବେଞ୍ଚମାର୍କ ଆଧାରରେ ଆମେ ଓଡ଼ିଆ ଲୋକମାନେ ଆଗକୁ ବଢିବା ପାଇଁ ଦାୟିତ୍ୱ ନେବା ସହ ପରିଶ୍ରମ କରିବା ଦରକାର।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଛାତ୍ର ସଂଗଠନ ଦାୟିତ୍ୱରେ ଥିବା ସମୟରେ ସ୍ୱର୍ଗତ ବଳଙ୍କୁ ଭେଟିବାର ସୁଯୋଗ ମିଳିଥିଲା। ଉଭୟଙ୍କ ବୈଚାରିକ ଅସହମତ ସତ୍ତ୍ୱେ ସେ ମୋତେ ବହୁତ ସ୍ନେହ ଓ ଆଦର କରିଥିଲେ। ପ୍ରଦ୍ୟୁମ୍ନ ବଳଙ୍କ ଦ୍ୱାରା ପ୍ରତିଷ୍ଠିତ ‘ପ୍ରଗତିବାଦୀ’ ଗୋଟିଏ ବିଚାର ଓ ଦୃଷ୍ଟିକୋଣକୁ ପ୍ରତିନିଧିତ୍ୱ କରେ। କେବଳ ପ୍ରଶଂସା ନୁହେଁ ବରଂ ଏକ ସମାଲୋଚକ ଭାବେ ଖବର ପ୍ରକାଶିତ କରେ। କାରଣ, ସମାଲୋଚନା ଦ୍ୱାରା ହିଁ ଜଣେ ବ୍ୟକ୍ତି କିମ୍ବା ଅନୁଷ୍ଠାନର ଉତ୍କୃଷ୍ଟତା ସାଧିତ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ସ୍ୱାଧୀନତାର ୭୫ ବର୍ଷ ଯାତ୍ରା ଅବସରରେ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ‘ଅମୃତ ସଂକଳନ’କୁ କେନ୍ଦ୍ରମନ୍ତ୍ରୀ ଉନ୍ମୋଚନ କରିବା ସହ ଏହି ପତ୍ରିକା ଯୁବପିଢିଙ୍କୁ ପ୍ରେରିତ କରିବାରେ ନିଶ୍ଚୟ ସହାୟକ ହେବ ବୋଲି କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ବିଦାୟ ନେଲା ଅହିଂସା ରଥ, ବାଣ୍ଟିଲା ଶାନ୍ତି ଓ ମୈତ୍ରୀର ବାର୍ତ୍ତା

ଖୋର୍ଦ୍ଧା: ଚଳିତ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ହୋଇ ଥିବା ଅହିଂସା ରଥ ଆଜି ଖୋର୍ଦ୍ଧା ଜିଲ୍ଲାରୁ ବିଦାୟ ନେଇଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୨ ଗୋଟି ଗାଡି କୁ ଅହିଂସା ରଥ ଭାବେ ସଜ୍ଜିତ କରାଯାଇ ବିଶାଳ ଭିଡିଓ ୱ।ଲ ଜରିଆରେ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀମାନଙ୍କ ଜୀବନୀକୁ ପ୍ରଦର୍ଶନ କରାଯାଇଥିଲା। ରାଜ୍ୟର ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ଜୀବନୀ, ଆଦର୍ଶ ଉପରେ ଆଧାରିତ ସୁନ୍ଦର ଫିଲ୍ମ ଏଥିରେ ପ୍ରଦର୍ଶିତ କରାଯାଇଥିଲା।

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ରଥକୁ ଖୋର୍ଦ୍ଧା ଜିଲ୍ଲାକୁ ହସ୍ତାନ୍ତର କରାଯିବା ପରେ ଖୋରଧା ଉପଖଣ୍ତର ବାଲୁଗାଁ, ବାଣପୁର ବିଜ୍ଞାପିତ ଅଞ୍ଜଳ, ବାଣପୁର, ଚିଲିକା, ଟାଙ୍ଗି, ବୋଲଗଡ, ବେଗୁନିଆ ବ୍ଲକ ବୁଲି ସାରିବା ପରେ ଏହି ରଥ ଆଜି ଖୋରଧା ବ୍ଲକ ଓ ପୌରସଂସ୍ଥା ଅଞ୍ଚଳରେ ପହଞ୍ଚିଥିଲା। ଆଜି ପ୍ରଥମେ ଖୋରଧା ବ୍ଲକର ପୁବୁସାହି ଓ ଏନ୍. ତାପଙ୍ଗ ପଞ୍ଚାୟତରେ ଯୋରଦାର ସ୍ବାଗତ କରାଯାଇଥିଲା। ସେଠାରେ ବିଡିଓ କ୍ଷିରାବ୍ଧୀ ତନୟା ସାହୁ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ପ୍ରିୟଦର୍ଶିନୀ, ଜନ ପ୍ରତିନିଧି, ଆଶା, ଅଙ୍ଗନୱାଡି କର୍ମୀ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜିବୀ ପ୍ରମୁଖ ଉପସ୍ଥିତ ଥିଲ ।

ଏହି ରଥ ପରେ ଅପରାହ୍ନରେ ଖୋରଧା ପୌରସଂସ୍ଥାର ବକ୍ସି ଜଗବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଜିବା ପରେ ଯୋରଦାର ସ୍ୱାଗତ କରିଯାଇଥିଲା। ପାଇକ, ଘୋଡାନାଚ, ବାଘନୃତ୍ୟ, ଓଡିଶୀ ନୃତ୍ୟ ମାଧ୍ୟମରେ ସ୍ବାଗତ କରାଯିବା ସହ ଏକ ବିଶାଳ ରାଲି ବାହାରି ସ୍କୁଲ ହତା ମଧ୍ୟକୁ ଉକ୍ତ ରଥକୁ ପାଛୋଟି ନିଆଯାଇଥିଲା। ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜିବୀ, ପୌର କର୍ମଚାରୀ ପ୍ରମୁଖ ଏହାକୁ ସ୍ବାଗତ କରିଥିଲେ। ପରେ ଏହି ରଥକୁ ଖୋରଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ତହସିଲଦାର ତଥା ପୌର ନିର୍ବାହୀ ଅଧିକାରୀ ଇପସିତ ସାହୁ, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରେଇ, ବ୍ଲକ ଶିକ୍ଷାଧିକାରୀ ସନ୍ଧ୍ୟାରାଣୀ ରାଉତ ପ୍ରମୁଖ ବିଦାୟ ଦେଇଥିଲେ। ଏହି ରଥ ପରେ ମକୁନ୍ଦପ୍ରସାଦ ଦେଇ ଭୁବନେଶ୍ବର ଫେରିଯାଇଥିଲା। ଏଥିସହ ଏହି ରଥ ୪ ଦିନ ଧରି ଶାନ୍ତି ମୈତ୍ରୀର ବାର୍ତ୍ତା ମଧ୍ୟ ବଣ୍ଟନ କରିଥିଲା।

ସୂଚନା ଯୋଗ୍ୟ ଜିଲ୍ଲାର ସମସ୍ତ ବ୍ଲକରେ ସ୍ବାଗତ କାର୍ଯ୍ୟକ୍ରମରେ ସାମିଲ ପ୍ରତ୍ୟେକ ହାତରେ ତ୍ରିରଙ୍ଗା ପତାକା ଧରି ରଥକୁ ବିପୁଳ ସ୍ୱାଗତ କରିଥିଲେ। ଛାତ୍ରଛାତ୍ରୀ ମାନେ ଉତ୍ସାହର ସହ ଦେଶାତ୍ମବୋଧକ ସଂଗୀତ ତାଳରେ ନୃତ୍ୟ ପରିବେଷଣ କରିଥିବା ଦେଖାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ “ସମ୍ବର୍ଦ୍ଧିତ ହେଲେ ୪୬ଜଣ କୃତୀ ପ୍ରତିଯୋଗୀ

ଭୁବନେଶ୍ୱର: ଦେଶ ଏବେ ପାଳନ କରୁଛି ସ୍ୱାଧୀନତା ୭୫ ବର୍ଷ ପୂର୍ତି ଉତ୍ସବ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅଗଣିତ ସ୍ୱାଧୀନତା ସଂଗ୍ରାମୀଙ୍କର ତ୍ୟାଗପୂତ ବଳିଦାନ ଫଳରେ ଆମକୁ ମିଳିଥିବା ସ୍ୱାଧୀନତା ଓ ଭାରତର ଗଣତନ୍ତ୍ର ପ୍ରତି ସଂପ୍ରତି ଆହ୍ୱାନ ସୃଷ୍ଟି ହୋଇଛି। ମହାମନିଷୀ ମାନଙ୍କର ଅବଦାନକୁ ନ୍ୟୁନ କରିବାପାଇଁ ଏବେ ଅପଚେଷ୍ଟା ଚାଲିଛି। ହେଲେ ଏ ଜାତି ସେ ମହାପୁରଷ ମାନଙ୍କର ବଳିଦାନକୁ କେବେବି ଭୁଲି ପାରିବ ନାହିଁ ବୋଲି ପ୍ରଦେଶ କଂଗ୍ରେସ କମିଟି ତରଫରୁ ଆୟୋଜିତ ଏକ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

ପିସିସି ପକ୍ଷରୁ ୭୬ତମ ବର୍ଷ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ବିଭାଗରେ ଯଥା ପ୍ରବନ୍ଧ, ବିର୍ତକ ଓ ସ୍ପଷ୍ଟ ପେଂଟିଙ୍ଗ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୩୫୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ଯୋଗ୍ୟ ବିବେଚିତ ହୋଇଥିବା ୪୬ ଜଣ କୃତି ପ୍ରତିଯୋଗୀଙ୍କୁ ଆଜି ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା।

ପିସିସି ତାଲିମ ବିଭାଗ ମୁଖ୍ୟ ଶ୍ରୀ ଶୁଭେନ୍ଦୁ ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ,ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ବରିଷ୍ଠ କଂଗ୍ରେସ ନେତା କିଶୋର ଜେନା ପ୍ରମୁଖ ଉଦ୍‌ବୋଧନ ଦେଇ କଷ୍ଟଲବ୍ଧ ସ୍ୱାଧୀନତା ସୁରକ୍ଷା ଦାୟୀତ୍ୱ ଭବିଷ୍ୟତ ବଂଶଧରଙ୍କ ହାତରେ ବୋଲି କହିବା ସହ ଏହାର ମର୍ଯ୍ୟାଦା ରକ୍ଷାପାଇଁ ଆହ୍ୱାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଡ. ଲଲାଟେନ୍ଦୁ ମହାପାତ୍ର, ବିସ୍ମୟ ମହାପାତ୍ର, ଦୀପକ ସାହୁ ଓ ଗିରିଜା ଶଙ୍କର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମିହିର ଆଚାର୍ଯ୍ୟଙ୍କୁ ଶ୍ରେଷ୍ଟ ସ୍ୱେଚ୍ଛାସେବୀ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ଓ ନିରଞ୍ଜନ ଲେଙ୍କା ଦେଶାତ୍ମକବୋଧକ ସଂଗୀତ ଗାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀରେ ପାଳିତ ହେଲା ସ୍ୱାଧୀନତା ଦିବସ, ମୁଖ୍ୟ ଅତିଥୀ ଭାବେ ଯୋଗ ଦେଲେ ସାଂସଦ ମାନସ ମଙ୍ଗରାଜ

ଟାଙ୍ଗୀ: ୭୫ ତମ ସ୍ୱାଧୀନତା ଦିବସ ପୂର୍ତ୍ତି ଅବସରରେ ସାରା ଦେଶରେ ପାଳିତ ହେଉଛି ଆଜାଦି କି ଅମୃତ ମହୋତ୍ସବ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନିରାକାରପୁରରେ ପାଳିତ ହୋଇଯାଇଛି ୭୬ ତମ ସ୍ୱାଧୀନତା ଦିବସ ସମାରୋହ।

ଉକ୍ତ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ଜିଲା ପରିଷଦ ଉପାଧକ୍ଷ ଗୋପୀନାଥ ମହାରଣା, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ଟାଙ୍ଗୀ ବିଡିଓ ଐଶର୍ଯ୍ୟା ସାମନ୍ତରାୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ମୁଖ୍ୟ ଅତିଥୀ ଶ୍ରୀ ମଙ୍ଗରାଜ ସ୍ଥାନୀୟ ଅଞ୍ଚଳର କୃତି ପ୍ରତିଭା, ମେଧା ଛାତ୍ରଛାତ୍ରୀ, ବରିଷ୍ଠ ଶତାୟୁ ନାଗରିକ, ଶିଳ୍ପପତିଓ ସାମ୍ବାଦିକମାନଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସ୍ଥାନୀୟ ନିରାକାରପୁରବାସୀଙ୍କ ପକ୍ଷରୁ ମଧ୍ୟ ଅନୁରୂପ ଭାବେ ସାଂସଦ ଶ୍ରୀ ମଙ୍ଗରାଜଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପହାର ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ନିରାକାରପୁର ବାସୀଙ୍କର ଉନ୍ନତି ପାଇଁ ମାନ୍ୟବର ସାଂସଦ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ବିପିନ ବିହାରୀ ଜୟ ସିଂ, ଯୁବ ନେତା ଶୁଭମ୍ ଦାସ ଓ ପ୍ରଭାତ ଲେଙ୍କା ପ୍ରମୁଖ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଣପୁର କୋର୍ଟରେ ସ୍ୱାଧୀନତା ଦିବସ ପାଳିତ, ଆଇନଜୀବୀଙ୍କ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଓ ଦୀପଦାନ

ସୀତାରାମ ଅଗ୍ରୱାଲ

ବାଣପୁର: ସାରା ଦେଶ ଆଜି ପାଳୁଛି ୭୬ ତମ ସ୍ୱାଧୀନତା ଦିବସ। ତେବେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ହୋଇଥିବାରୁ ଆଜାଦି କି ଅମୃତ ମହୋତ୍ସବ ମଧ୍ୟ ପାଳନ କରୁଛି ସମଗ୍ର ଦେଶ।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର କୋର୍ଟ ପରିସରରେ ଧୁମଧାମରେ ପାଳିତ ହୋଇଯାଇଛି ସ୍ୱାଧୀନତା ଦିବସ। କୋର୍ଟ ପରିସରରେ ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିବା ସହ ନିଜର ଅଭିଭାଷଣ ରଖିଥିଲେ।

ଏହାପରେ ବାଣପୁର ଓକିଲ ସଂଘର ସଭାପତି ପ୍ରଭାତ ପଟ୍ଟଯୋଶୀ ଏବଂ ସମ୍ପାଦକ ଜଗନ୍ନାଥ ଭୋଳ ନିଜର ଅଭିଭାଷଣ ରଖିଥିଲେ। ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଶେଷ ହେବା ପରେ ସମସ୍ତ ଆଇନଜୀବୀ ମାନେ କୋର୍ଟ ପରିସରରୁ ତ୍ରିରଙ୍ଗା ପତାକା ସହ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରି ସମଗ୍ର ସହର ପରିକ୍ରମା କରି ପରିଶେଷରେ ମା’ ଭଗବତୀ ମନ୍ଦିର ଠାରେ ଶୋଭାଯାତ୍ରାକୁ ଶେଷ କରିଥିଲେ।

ମନ୍ଦିର ପରିସରରେ ୭୫ ଗୋଟି ଦୀପଦାନ କରିବା ସହ ସାରା ଦେଶବାସୀଙ୍କ ପାଇଁ ଆଇନଜୀବୀ ମାନେ ମଙ୍ଗଳ ମନାସିଥିଲେ। ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାଧୀନତା ଦିବସରେ ଆଇନଜୀବୀମାନଙ୍କ ପକ୍ଷରୁ ଏପରି ଅଭିନବ ପ୍ରୟାସ ପ୍ରଥମ ଥର ଲାଗି ହାତକୁ ନିଆଯାଇଛି।

ଉକ୍ତ କାର୍ଯ୍ୟକ୍ରମକୁ ଆଇନଜୀବୀ ରଞ୍ଜନ କୁମାର ବେଦମତ୍ତା, ସଂଘ ଉପସଭାପତି ପଦ୍ମଜା ପଟ୍ଟନାୟକ ଏବଂ ଅନ୍ୟ ସଦସ୍ୟ ମାନେ ପରିଚାଳନା କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

‘ଅହିଂସା ରଥ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲା ପରିକ୍ରମା ପାଇଁ ହେଲା ତାରିଖ ଘୋଷଣା

ଭୁବନେଶ୍ୱର : ଆଜି ରାଜଧାନୀ ଭୁବନେଶ୍ୱରର ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ୭୬ତମ ପବିତ୍ର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାରାରାଜ୍ୟରେ ପରିକ୍ରମା କରିବାକୁ ଥିବା ଭ୍ରାମ୍ୟମାଣ ଭିଡ଼ିଓ ରଥ ଅଭିଯାନ ‘ଅହିଂସା ରଥ’ର ଶୁଭାରମ୍ଭ କରିଛନ୍ତି।

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ମହାତ୍ମାଙ୍କ ବାର୍ତ୍ତା ସହ ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ମହାନ ଅବଦାନ ସଂପର୍କରେ ସୂଚନା ପ୍ରଦାନ କରୁଥିବା ଅହିଂସା ରଥ ରାଜ୍ୟର ସମସ୍ତ ଜିଲ୍ଲା ପରିକ୍ରମା କରିବ। ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ‘ଅହିଂସା ମଣିଷର ସବୁଠୁ ବଡ଼ ଶକ୍ତି। ମଣିଷ ନିଜର ବୁଦ୍ଧିମତା ବଳରେବିକାଶ କରିଥିବା ସବୁଠାରୁ ଶକ୍ତିଶାଳୀ ବିଧ୍ୱଂସୀ ମାରଣାସ୍ତ୍ର ଅପେକ୍ଷା ଆହୁରି ବେଶୀ ଶକ୍ତିଶାଳୀ।’ ଏହି ଅହିଂସା ରଥଗୁଡ଼ିକରେ ସ୍ଥାନିତ ହୋଇଛି।

ଏଥିସହ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଭିଭାଷଣ ‘ଦାରିଦ୍ର୍ୟ ଓ ସାମାଜିକ ଅବିଚାର ସବୁଠାରୁ ବଡ଼ ହିଂସା। ଯେ ପର୍ଯ୍ୟନ୍ତ ଦାରିଦ୍ର୍ୟ ରହିଥିବ, ସେ ପର୍ଯ୍ୟନ୍ତ ସ୍ୱାଧୀନତାର ମୂଲ୍ୟ ଅର୍ଥହୀନ। ଦାରଦ୍ର୍ୟ ଦୂରୀକରଣ ଯେକୌଣସି ସରକାର ପାଇଁ ସବୁଠାରୁ ବଡ଼ ଆହ୍ୱାନ। ଅହିଂସା ବିନା ଏହା ହାସଲ କରାଯାଇ ପାରିବ ନାହିଁ । ପ୍ରଗତି ପାଇଁ ଶାନ୍ତି ଅପରିହାର୍ଯ୍ୟ। ଜାତି, ଧର୍ମ, ବର୍ଣ୍ଣ ଭିତ୍ତିରେ ସମାଜକୁ ବିଭକ୍ତ କରୁଥିବା ଶକ୍ତିର ପରାଜୟରେ ହିଁ ପ୍ରକୃତ ପ୍ରଗତି ହାସଲ କରାଯାଇପାରିବ।’ ମଧ୍ୟ ୪ଟି ଯାକ ଅହିଂସା ରଥରେ ସ୍ଥାନିତ ହୋଇଛି।

ଗାନ୍ଧିଜୀ ଓ ଓଡ଼ିଶା ଶୀର୍ଷକ ଚଳଚ୍ଚିତ୍ର ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ‘ଅହିଂସା ରଥ’ ମାଧ୍ୟମରେ ପ୍ରଚାରିତ ହେବ। ଏହା ଛଡ଼ା ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଉତ୍କଳମଣି ଗୋପବନ୍ଧୁ ଦାସ, ଶହୀଦ ଲକ୍ଷ୍ମଣ ନାୟକ, ସ୍ୱାଧୀନତା ସଂଗ୍ରାମୀ ରଘୁ ଦିବାକର, ଦେଶର ସର୍ବକନିଷ୍ଠ ଶହୀଦ ବାଜିରାଉତଙ୍କ ଜୀବନାଦର୍ଶ ସଂପର୍କିତ ପ୍ରମାଣିକ ଚଳଚ୍ଚିତ୍ର ଏହି ଚାରୋଟି ଅହିଂସା ରଥର ଭିଡ଼ିଓ ୱାଲ୍‌ରେ ପ୍ରଦର୍ଶିତ ହେବ। ଏହା ମାଧ୍ୟମରେ ରାଜ୍ୟବାସୀ ସ୍ୱାଧୀନତା ସଂଗ୍ରାମରେ ଏହି ବରପୁତ୍ରମାନଙ୍କ ବହୁମୂଲ୍ୟ ଅବଦାନ ସଂପର୍କରେ ଅବଗତ ହୋଇପାରିବେ।

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ସ୍ଥଳରୁ ଏଲ୍‌ଇଡ଼ି ଭିଡ଼ିଓ ୱାଲ୍‌ରେ ସଜ୍ଜିତ ୪ଟି ରଥ ସମଗ୍ର ରାଜ୍ୟ ପରିକ୍ରମା ନିମନ୍ତେ ଯାତ୍ରା ଆରମ୍ଭ କରିଛି। ପ୍ରତି ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚିବା ପରେ ଏହି ରଥଗୁଡ଼ିକ ଜିଲ୍ଲାର ବିଭିନ୍ନ ବ୍ଲକ୍‌ ଗସ୍ତ କରିବ। ଏହି ଅବସରରେ ଜିଲ୍ଲା ଓ ବ୍ଲକ୍‌ସ୍ତରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଏଥିରେ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ, ସ୍ଥାନୀୟ ଲୋକପ୍ରତିନିଧି, ସାଧାରଣ ଜନତା ଯୋଗଦେବେ। ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଆଜିଠାରୁ ଆରମ୍ଭ ହୋଇଥିବା ଏହି ଅହିଂସା ରଥ ପରିକ୍ରମା କାର୍ଯ୍ୟକ୍ରମ ଅକେଫାବର ୨ ତାରିଖ ଦିନ ପର୍ଯ୍ୟନ୍ତ ଚାଲିବ।

ଜନସାଧାରଣ, ବିଶେଷ କରି ଛାତ୍ରଛାତ୍ରୀଙ୍କୁ ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀଙ୍କ ଅବଦାନ ସଂପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରସ୍ତୁତ ଏହି ରଥଗୁଡ଼ିକ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ, ଭୁବନେଶ୍ୱରଙ୍କ ପକ୍ଷରୁ ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ପରିକ୍ରମା କରିବ। ପରେ ଅଗଷ୍ଟ ୧୬ରେ ପୁରୀରେ ପହଞ୍ଚି ସେଠାରେ ଏହି ରଥଗୁଡ଼ିକ ୪ ଦିନ ପର୍ଯ୍ୟନ୍ତ ପୁରୀ ସଦର ମହକୁମା ଏବଂ ଜିଲ୍ଲା ଅଧୀନସ୍ଥ ବିଭିନ୍ନ ବ୍ଲକ୍‌ ପରିକ୍ରମା କରିବ।

ସେହିପରି ଅଗଷ୍ଟ ୨୦ରୁ ୨ ଦିନ ପର୍ଯ୍ୟନ୍ତ ନୟାଗଡ଼ ଜିଲ୍ଲା ଏବଂ ଏହାର ସମସ୍ତ ବ୍ଲକ୍‌ ଅଞ୍ଚଳ, ଅଗଷ୍ଟ ୨୨ରୁ ୩ ଦିନ ପର୍ଯ୍ୟନ୍ତ ଫୁଲବାଣୀ ଜିଲ୍ଲା ଓ ଏହାର ସମସ୍ତ ବ୍ଲକ୍‌ ଅଞ୍ଚଳ, ଅଗଷ୍ଟ ୨୫ରୁ ୨ ଦିନ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲା, ୨୭ ଅଗଷ୍ଟରୁ ୩ ଦିନ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲା, ସେପେଫମ୍ବର ୧ ତାରିଖରୁ ୨ ଦିନ ପର୍ଯ୍ୟନ୍ତ ନୂଆପଡ଼ା ଜିଲ୍ଲା, ସେପ୍ଟେମ୍ବର ୩ ତାରିଖରୁ ୪ ଦିନ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା, ସେପେଫମ୍ବର ୭ ତାରିଖରୁ ୩ ଦିନ ପର୍ଯ୍ୟନ୍ତ ନବରଙ୍ଗପୁର ଜିଲ୍ଲା ପରିକ୍ରମା କରିବ।

ସେହିପରି ସେପ୍ଟେମ୍ବର ୧୦ ତାରିଖରୁ ୩ ଦିନ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲା, ସେପ୍ଟେମ୍ବର ୧୩ ତାରିଖରୁ ୪ ଦିନ ପାଇଁ କୋରାପୁଟ ଜିଲ୍ଲା, ସେପ୍ଟେମ୍ବର ୧୭ ତାରିଖରୁ ୪ ଦିନ ପର୍ଯ୍ୟନ୍ତ ରାୟଗଡ଼ା ଜିଲ୍ଲା, ସେପ୍ଟେମ୍ବର ୨୧ ତାରିଖରୁ ୨ ଦିନ ପାଇଁ ପାରଳାଖେମୁଣ୍ଡି ଜିଲ୍ଲା, ସେପ୍ଟେମ୍ବର ୨୩ ତାରିଖରୁ ୫ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା, ସେପ୍ଟେମ୍ବର ୨୮ ତାରିଖରୁ ୪ ଦିନ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ଏବଂ ଏହା ଅନ୍ତର୍ଗତ ସମସ୍ତ ବ୍ଲକ୍‌ ଅଞ୍ଚଳ ପରିଦର୍ଶନ କରିବ।

ଅକ୍ଟୋବର ୨ ତାରିଖ ଦିନ ଏହି ରଥ ଭୁବନେଶ୍ୱର ଫେରିବା ସହ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ବିଭିନ୍ନ ସ୍ଥାନରେ ପରିକ୍ରମା କରିବ।

Categories
ଆଜିର ଖବର ଜାତୀୟ ଖବର

ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର:  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସ୍ୱାଧୀନତା ଦିବସ ଅବସରରେ ନୂଆଦିଲ୍ଲୀ ସ୍ଥିତ ନିଜ ସରକାରୀ ବାସଭବନ ପ୍ରାଙ୍ଗଣରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

ପରିବାର ସଦସ୍ୟ ଏବଂ ଦେଶର ଯବାନଙ୍କ ସହ ଶ୍ରୀ ପ୍ରଧାନ ଆଜିର ଦିବସକୁ ପାଳନ କରିଛନ୍ତି। ଦେଶବାସୀଙ୍କୁ ୭୬ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ସେ କହିଛନ୍ତି ଆମର ତ୍ରିରଙ୍ଗା ସର୍ବଦା ଉଚ୍ଚରେ ଉଡ଼ୁ। ଅମୃତ କାଳରେ ସବୁ ସୁଯୋଗକୁ ହାତେଇବା ସହ ବିକଶିତ ଭାରତ ପାଇଁ ସମସ୍ତେ ନିଜ ସମ୍ଭାବ୍ୟ ଉପାୟରେ ସବୁ ପ୍ରକାର ଉଦ୍ୟମ କରିବାକୁ ଦେଶବାସୀଙ୍କୁ ଟ୍ୱିଟ୍ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି।

Categories
ବିଶେଷ ଖବର

ନୀତୀଶ କୁମାରଙ୍କ ବଡ ଘୋଷଣା: ୧୦ ଲକ୍ଷ ଚାକିରି ସହିତ ୨୦ ଲକ୍ଷ ଲୋକଙ୍କୁ ମିଳିବ ନିଯୁକ୍ତି

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପାଟନାରେ ଐତିହାସିକ ଗାନ୍ଧୀ ମୈଦାନରୁ ସ୍ୱାଧୀନତାର ୭୫ ତମ ବାର୍ଷିକୀ ଅବସରରେ ଏକ ବଡ଼ ଘୋଷଣା କରିଛନ୍ତି। ସେ ରାଜ୍ୟରେ ୧୦ ଲକ୍ଷ ଲୋକଙ୍କୁ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି। ଏହା ସହିତ ୨୦ ଲକ୍ଷ ଲୋକଙ୍କୁ ରୋଜଗାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଘୋଷଣା ସହିତ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳକୁ ଏକ ଜବାବ ଦେବାକୁ ଚେଷ୍ଟା କରିଛନ୍ତି, ଯିଏକି ଗତ ଏକ ସପ୍ତାହ ଧରି ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କଠାରୁ ୧୦ ଲକ୍ଷ ଲୋକଙ୍କୁ ଚାକିରି ଦେବା ଘୋଷଣା ଉପରେ ଉତ୍ତର ମାଗିଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ବର୍ତ୍ତମାନ ଆମେ ଏକାଠି ହୋଇଛୁ ଏବଂ ଚାହୁଁଛୁ ଯେ ରାଜ୍ୟର ଯୁବକମାନଙ୍କୁ ସର୍ବାଧିକ ସରକାରୀ ଚାକିରୀ ଦିଆଯାଉ। ସେ କହିଛନ୍ତି ଯେ, ଆମର ଚିନ୍ତାଧାରା ମଧ୍ୟ ବର୍ତ୍ତମାନ ଗୋଟିଏ।

ଉଲ୍ଲେଖ ଯୋଗ୍ୟ ଯେ, ୨୦୨୦ର ବିହାର ବିଧାନସଭା ନିର୍ବାଚନରେ ​​ତେଜସ୍ୱୀ ଯାଦବ ସରକାର ଗଠନ ହେବା ମାତ୍ରେ ପ୍ରଥମ କ୍ୟାବିନେଟରେ ୧୦ ଲକ୍ଷ ଲୋକଙ୍କୁ ଚାକିରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Categories
ବିଶେଷ ଖବର

୭୬ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ

ନୂଆଦିଲ୍ଲୀ: ଆସନ୍ତାକାଲି ସାରା ଦେଶରେ ସ୍ଵାଧୀନତା ଦିବସ ପାଳନ କରାଯିବ। ଏହାକୁ ନେଇ ସମଗ୍ର ଦେଶ ଉତ୍ସବ ମୁଖର ହୋଇଉଠିଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନକ୍ରମେ ସମଗ୍ର ଦେଶରେ ହର ଘର ତ୍ରିରଙ୍ଗା ଅଭିଯାନ ଜାରି ରହିଛି। ଦେଶର ନାଗରିକମାନେ ନିଜ ନିଜ ଘରେ ତ୍ରିରଙ୍ଗା ଉଡାଇ ଦେଶ ଭକ୍ତର ଭାବନାକୁ ଆଗେଇ ନେଉଛନ୍ତି। ତେବେ ସ୍ବାଧିନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ ଦେଇଛନ୍ତି। ଆସନ୍ତୁ ଜାପଢିବା ରାଷ୍ଟ୍ରପତିଙ୍କ ସଂପୂର୍ଣ୍ଣ ଅଭିଭାଷଣ….

ଛ’ସ୍ତରୀ ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶରେ ଏବଂ ଦେଶ ବାହାରେ ରହୁଥିବା ସମସ୍ତ ଭାରତୀୟଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଆପଣମାନଙ୍କୁ ସମ୍ବୋଧିତ କରି ମୁଁ ଅତ୍ୟନ୍ତ ଆନନ୍ଦିତ। ଭାରତ ଏକ ସ୍ୱାଧୀନ ରାଷ୍ଟ୍ରଭାବେ ୭୫ ବର୍ଷ ପୂରଣ କରୁଛି। ଅଗଷ୍ଟ ୧୪ ତାରିଖ “ଦେଶ ବିଭାଜନ ବିଭୀଷିକା ସ୍ମରଣ ଦିବସ” ଭାବେ ପାଳିତ ହେଉଛି। ସାମାଜିକ ସଦଭାବର ପ୍ରୋତ୍ସାହନ, ଏକତା ରକ୍ଷା ଓ ଜନତାଙ୍କ ସଶକ୍ତୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏହି ଦିବସ ପାଳନର ଉଦ୍ଦେଶ୍ୟ।

ଆସନ୍ତା କାଲିର ଦିନଟିରେ ଆମେ ଉପନିବେଶବାଦୀ ଶାସନର ଶୃଙ୍ଖଳରୁ ମୁକ୍ତ ହୋଇ ଆମ ଭାଗ୍ୟର ପୁନନିର୍ମାଣ ନିଷ୍ପତ୍ତି ନେଇଥିଲୁ। ଆମେ ସମସ୍ତେ ସେହି ମହାନ ଦିବସଟିକୁ ପାଳନ କରିବା ବେଳେ ସ୍ୱାଧୀନ ଭାରତ ପାଇଁ ଅତୁଳନୀୟ ତ୍ୟାଗ ସ୍ୱୀକାର କରିଥିବା ଏବଂ ପ୍ରାଣବଳୀ ଦେଇଥିବା ଅଗଣିତ ନରନାରୀଙ୍କ ନିକଟରେ ନତମସ୍ତକ। ସେମାନଙ୍କ ପାଇଁ ସ୍ୱାଧୀନ ଭାରତରେ ବଞ୍ଚିବାକୁ ଆଜି ଆମେ ସମର୍ଥ ହୋଇଛୁ।

ଏହା କେବଳ ଆମ ପାଇଁ ଉତ୍ସବ ପାଳନର ଅବସର ନୁହେଁ, ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ବିଶ୍ୱର ପ୍ରତ୍ୟେକଙ୍କ ନିମନ୍ତେ ଏହା ଏକ ମହାର୍ଘ୍ୟ ଦିନ। ଭାରତ ଯେତେବେଳେ ସ୍ୱାଧୀନତା ଲାଭ କଲା, ସେତେବେଳେ ଅନେକ ଆନ୍ତର୍ଜାତିକସ୍ତରର ନେତା ଓ ବିଶେଷଜ୍ଞ ଭାରତରେ ଗଣତାନ୍ତ୍ରିକ ସରକାରର ସଫଳତା ଘେନି ସନ୍ଦେହ ପ୍ରକଟ କରିଥିଲେ। ଏଥିପାଇଁ ସେମାନେ ଅନେକ କାରଣ ଦେଖିଥିଲେ ଯାହା ସେମାନଙ୍କ ସଂଶୟ ବଢ଼ାଇଥିଲା। ସେହି ସମୟରେ ଗଣତନ୍ତ୍ର କେବଳ ଆର୍ଥିକ ଦୃଷ୍ଟିରୁ ଅଗ୍ରସର ଦେଶମାନଙ୍କ ମଧ୍ୟରେ ସୀମିତ ଥିଲା। ଭାରତ ଦୀର୍ଘକାଳର ବିଦେଶୀ ଶାସନରେ ଶୋଷିତ ହୋଇ ଦାରିଦ୍ର୍ୟ ଓ ଅଶିକ୍ଷା ମଧ୍ୟରେ ବୁଡି ରହିଥିଲା। ଆମେ ଭାରତବାସୀ ସେହି ସଂଶୟବାଦୀଙ୍କୁ ଭୁଲ ପ୍ରମାଣିତ କରିପାରିଥିଲୁ। ଭାରତ ମାଟିରେ ଗଣତନ୍ତ୍ର କେବଳ ଚେର ମାଡି ନାହିଁ, ଏହା ମଧ୍ୟ ସମୃଦ୍ଧ ହୋଇଛି।

ବିଶ୍ୱର ଅନେକ ସୁପ୍ରତିଷ୍ଠିତ ଗଣତାନ୍ତ୍ରିକ ରାଷ୍ଟ୍ରରେ ମହିଳାମାନେ ଭୋଟ ଦେବାର ଅଧିକାର ପାଇବାକୁ ଦୀର୍ଘକାଳ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ। ଭାରତ, କିନ୍ତୁ ଏହାର ସାଧାରଣତନ୍ତ୍ର ଗଠନ କାଳରୁ ସାର୍ବଜନୀନ ସାବାଳକ ଭୋଟ ଅଧିକାର ବ୍ୟବସ୍ଥା ପ୍ରବର୍ତ୍ତନ କରି ପୁରୁଷଙ୍କ ସହିତ ମହିଳାଙ୍କୁ ମତଦାନର ଅଧିକାର ପ୍ରଦାନ କରିଥିଲା। ଅତଏବ ଆଧୁନିକ ଭାରତର ନିର୍ମାତାମାନେ ଦେଶର ପ୍ରତ୍ୟେକ ସାବାଳକ ନାଗରିକଙ୍କୁ ରାଷ୍ଟ୍ର ନିର୍ମାଣର ସମ୍ମିଳିତ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ସୁଯୋଗ ପ୍ରଦାନ କରିଥିଲେ। ତେଣୁ ଗଣତନ୍ତ୍ରର ବାସ୍ତବ କ୍ଷମତା ଆବିଷ୍କାର କରିବାରେ ସମଗ୍ର ବିଶ୍ୱକୁ ଦିଗଦର୍ଶନ ଦେବାର ଶ୍ରେୟ ଭାରତକୁ ଯାଏ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।

ଏହା ତତ୍କାଳୀୟ ନଥିଲା ବୋଲି ମୁଁ ବିଶ୍ୱାସ କରେ। ସଭ୍ୟତାର ଆରମ୍ଭରୁ ଏହି ମାଟିର ସାଧୁସନ୍ଥଗଣ ମାନବତାର ଯେଉଁ ବିଚାର ଓ ଦୃଷ୍ଟି ବିକଶିତ କରିଥିଲେ ସେଥିରେ ସାର୍ବଜନୀନ ସମାନତା ଗୁରୁତ୍ୱ ପାଇଥିଲା। ଏହି ସମାନତା ବାସ୍ତବରେ ଏକତା। ମହାନ ମୁକ୍ତି ସଂଗ୍ରାମ ଏବଂ ମହାତ୍ମା ଗାନ୍ଧିଙ୍କ ଭଳି ନେତା ଆଧୁନିକ ସମୟ ପାଇଁ ଆମ ପ୍ରାଚୀନ ମୂଲ୍ୟବୋଧକୁ ପୁନଃ ଆବିଷ୍କାର କରିଥିଲେ। ତେଣୁ ଆମ ଗଣତନ୍ତ୍ରରେ ଭାରତୀୟ ବୈଶିଷ୍ଟ୍ୟ ରହିଛି ଓ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଗାନ୍ଧିଜୀ ବିକେନ୍ଦ୍ରୀକରଣ ଏବଂ ଲୋକଙ୍କୁ କ୍ଷମତା ପ୍ରଦାନର ଦୃଢ଼ ସମର୍ଥକ ଥିଲେ।

ଗତ ୭୫ ସପ୍ତାହ ଧରି ଆମ ଦେଶ ଆମକୁ ସ୍ୱାଧୀନତା ଦେଇଥିବା ମହାନ ବିଚାର ଓ ଆଦର୍ଶର ସ୍ମୃତିଚାରଣ କରିଆସୁଛି। ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଛି। ଦାଣ୍ଡିଯାତ୍ରାର ସ୍ମୃତିକୁ ପୁନଃ ଜାଗରିତ କରିବା ପାଇଁ ତାହାର ଏକ ପୁନରାବୃତ୍ତି କରାଯାଇ ୨୦୨୧ ମାର୍ଚ୍ଚରେ ଆମେ “ଆଜାଦୀର ଅମୃତ ମହୋତ୍ସବ” ପାଳନ ଆରମ୍ଭ କରିଥିଲୁ। ଏପରି ଏକ ଉତ୍ସବ ଆୟୋଜନ କରି ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇଥିବା ଆମର ଏକ ଯୁଗାନ୍ତକାରୀ ଘଟଣା ଓ ସଂଗ୍ରାମକୁ ସ୍ମରଣ କରିବା ସହିତ ଆମେ ଏହା ସହିତ ଜଡିତ ମୁକ୍ତିସଂଗ୍ରାମୀ ଓ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛୁ। ଏହି ଉତ୍ସବ ଭାରତର ଜନତାଙ୍କ ପାଇଁ ଉତ୍ସର୍ଗୀକୃତ। ଆତ୍ମନିର୍ଭର ଭାରତ ନିର୍ମାଣର ସଂକଳ୍ପ ମଧ୍ୟ ଏହି ମହୋତ୍ସବର ଅଂଶ ବିଶେଷ। ଜନତାଙ୍କ ଦ୍ୱାରା ହାସଲ କରାଯାଇଥିବା ସଫଳତା ଆଧାରରେ ‘ଆତ୍ମନିର୍ଭର ଭାରତ’ ନିର୍ମାଣର ପ୍ରୟାସ ଆରମ୍ଭ ହୋଇଛି। ଦେଶର ବିଭିନ୍ନ ଭାଗରେ ଏହି ଅବସରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସବୁ ବୟସର ଲୋକେ ଆଗ୍ରହର ସହିତ ସାମିଲ ହୋଇଛନ୍ତି। “ହର ଘର ତିରଙ୍ଗା ଅଭିଯାନ” ସହିତ ଏହି ମହା ଉତ୍ସବ ଆଗେଇ ଚାଲିଛି। ଦେଶର କୋଣ ଅନୁକୋଣରେ ଭାରତୀୟ ତ୍ରିରଙ୍ଗା ଧ୍ୱଜା ଫରଫର ହୋଇ ଉଡୁଛି। ଏବେ ସମଗ୍ର ଦେଶରେ ସ୍ୱାଧୀନତା ଆନ୍ଦୋଳନର ଉତ୍ସାହ ଓ ଚେତନାର ଯେଉଁ ପୁନଃ ପ୍ରକାଶ ଘଟିଛି ତାହା ଦେଖିଥିଲେ ଆମ ସହିଦମାନେ ଅବଶ୍ୟ ଉଲ୍ଲସିତ ହୋଇଥାନ୍ତେ।

ଆମ ଗୌରବୋଜ୍ଜ୍ୱଳ ମୁକ୍ତି ସଂଗ୍ରାମ ଦେଶର ବିରାଟ ଭୂଖଣ୍ଡର ବିଭିନ୍ନ ପ୍ରାନ୍ତରେ ସଂଘଟିତ ହୋଇଥିଲା। ମୁକ୍ତି ସଂଗ୍ରାମୀମାନେ ଅତ୍ୟନ୍ତ ସାହସର ସହିତ ଏହି ଲଢ଼େଇ ଲଢ଼ିଥିଲେ। ଅନେକ ମହାନ ମୁକ୍ତିସଂଗ୍ରାମୀ ନିଜର ଦାୟୀତ୍ୱ ସଫଳତାର ସହ ନିର୍ବାହ କରି ନୂତନ ପିଢ଼ିକୁ ଜାଗରଣର ଆଲୋକବର୍ତ୍ତିକା ହସ୍ତାନ୍ତର କରିଥିଲେ। ସେମାନେ ଯେଉଁ ବୀରତ୍ୱ ପ୍ରଦର୍ଶନ କରିଥିଲେ ତାହାର ଲେସମାତ୍ର ଚିହ୍ନ ଛାଡିଯାଇନଥିଲେ। ଏହି ପ୍ରକ୍ରିୟାରେ ଅନେକ ବୀର, ମୁକ୍ତିସଂଗ୍ରାମୀ ବିସ୍ମୃତ ହୋଇଯାଇଛନ୍ତି। ସେମାନଙ୍କ ଜୀବନୀ ଓ କାର୍ଯ୍ୟାବଳୀ ବିଷୟରେ କୌଣସି ସୂଚନା ମିଳେନାହିଁ। ବିଶେଷ କରି ଦେଶର କୃଷକ ଓ ଆଦିବାସୀ ସମୁଦାୟଙ୍କ ମଧ୍ୟରେ ଏଭଳି ଅଧିକ ସଂଗ୍ରାମୀ ଓ ବୀର ବିସ୍ମୃତ ହୋଇଛନ୍ତି। ଅତଏବ ନଭେମ୍ବର ୧୫କୁ “ଜନଜାତୀୟ ଗୌରବ ଦିବସ” ଭାବେ ପାଳନ କରିବାକୁ ସରକାର ଗତବର୍ଷ ଯେଉଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ତାହା ସ୍ୱାଗତଯୋଗ୍ୟ। ଆମର ଆଦିବାସୀ ବୀର ମୁକ୍ତିସଂଗ୍ରାମୀମାନେ କେବଳ ସ୍ଥାନୀୟ ବା ଆଞ୍ଚଳିକ ସ୍ତରରେ ପ୍ରସିଦ୍ଧ ନୁହଁନ୍ତି, ସେମାନେ ସମଗ୍ର ଦେଶକୁ ଅନୁପ୍ରେରିତ କରନ୍ତି।

ଭାରତ ଭଳି ଏକ ପ୍ରାଚୀନ ଦେଶ ପାଇଁ ୭୫ ବର୍ଷ ଅତିକ୍ରମ କରିବା, ଆଖିର ପଲକ ପକାଇବା ଭଳି ସମୟ। ତେବେ ବ୍ୟକ୍ତି ହିସାବରେ ଆମ ପାଇଁ ଏହା ଏକ ଯୁଗ, ଗୋଟେ ସମଗ୍ର ଜୀବନକାଳ। ଆମ ଗହଣରେ ଥିବା ବରିଷ୍ଠ ନାଗରିକମାନେ ସେମାନଙ୍କ ଜୀବନ କାଳରେ ନାଟକୀୟ ପରିବର୍ତ୍ତନ ଦେଖିଛନ୍ତି। ସ୍ୱାଧୀନତା ଲାଭ ପରେ ସବୁ ପିଢ଼ି କିପରି କଠୋର ପରିଶ୍ରମ କରିଛି ତାହା ସେମାନେ ଦେଖିବାକୁ ପାଇଛନ୍ତି ଏବଂ ଆମେ କିପରି ବଡବଡ ଆହ୍ୱାନ ଓ ସମସ୍ୟାର ସମ୍ମୁଖୀନ ହୋଇ ନିଜେ ନିଜର ଭାଗ୍ୟ ନିଅନ୍ତା ହୋଇ ପାରିଛନ୍ତି ସେମାନେ ତାହା ଦେଖିଛନ୍ତି। ଏହି ପ୍ରକ୍ରିୟାରେ ଆମେ ପାଇଥିବା ଶିକ୍ଷା ଆମକୁ ରାଷ୍ଟ୍ରରେ ପରବର୍ତ୍ତୀ ଯାତ୍ରାକାଳ ‘ଅମୃତ କାଳ’ ପାଇଁ ବିଶେଷ ସାହାଯ୍ୟ କରିବ। ସ୍ୱାଧୀନତାର ଏକଶତ ବର୍ଷ ପୂର୍ତ୍ତି ପାଇଁ ଆମକୁ ଆସନ୍ତା ୨୫ ବର୍ଷ ବା ‘ଅମୃତ କାଳ’ ନିମନ୍ତେ ପ୍ରସ୍ତୁତ ହେବାକୁ ପଡିବ।

୨୦୪୭ ସୁଦ୍ଧା ଆମେ ଆମ ମୁକ୍ତି ସଂଗ୍ରାମୀମାନଙ୍କର ସ୍ୱପ୍ନକୁ ସଂପୂର୍ଣ୍ଣ ଭାବେ ସାକାର କରିପାରିବା। ବାବା ସାହେବ ଆମ୍ବେଦକରଙ୍କ ନେତୃତ୍ୱରେ ଯେଉଁମାନେ ସମ୍ବିଧାନ ପ୍ରଣୟନ କରିଥିଲେ ସେମାନଙ୍କ ଦୂରଦୃଷ୍ଟି ଓ ଲକ୍ଷ୍ୟକୁ ପୂର୍ଣ୍ଣାଙ୍ଗ ରୂପ ଦେଇପାରିବା। ଆମେ ଆତ୍ମନିର୍ଭର ଭାରତ ନିର୍ମାଣ ପଥେ ଏବେ ଅଗ୍ରସର। ଆମେ ସେହି ଭାରତ ନିର୍ମାଣ କରିବାରେ ପ୍ରୟାସୀ ଯାହା ନିଜର ସମ୍ପୂର୍ଣ୍ଣ ସାମର୍ଥ୍ୟକୁ ବିନିଯୋଗ କରିପାରିବ।

ନିକଟ ଅତୀତରେ ବିଶେଷ କରି କୋଭିଡ ପରବର୍ତ୍ତୀ ସମୟରେ ଏକ ଉତଥାନମୁଖୀ ନୂଆ ଭାରତକୁ ସମଗ୍ର ବିଶ୍ୱ ଦେଖିବାକୁ ପାଇଛି। ମହାମାରୀ ମୁକାବିଲାରେ ଆମ ଉଦ୍ୟମ ସର୍ବତ୍ର ଚର୍ଚିତ ଓ ପ୍ରଶଂସିତ। ଦେଶରେ କରୋନା ମହାମାରୀ ଟିକା ତିଆରି କରି ମାନବ ଇତିହାସର ସର୍ବବୃହତ ଟିକାଦାନ ଅଭିଯାନ ଆମେ ଭାରତରେ ଆରମ୍ଭ କରିଛୁ। ଟିକା ପ୍ରଦାନ କ୍ଷେତ୍ରରେ ଗତ ମାସରେ ଆମେ ୨୦୦ କୋଟି ସଂଖ୍ୟା ଅତିକ୍ରମ କରିଛୁ। ମହାମାରୀ ମୁକାବିଲାରେ ଆମର ସଫଳତା ଅନେକ ବିକଶିତ ଦେଶଙ୍କଠାରୁ ଅଧିକ ଭଲ। ଏହି ସଫଳତା ପାଇଁ ଆମେ ଆମର ବୈଜ୍ଞାନିକ, ଡାକ୍ତର, ସେବିକା, ପାରାମେଡିକ୍ସ ତଥା ଟିକାଦାନରେ ସଂପୃକ୍ତ କର୍ମଚାରୀମାନଙ୍କ ନିକଟରେ କୃତଜ୍ଞ।

ମହାମାରୀ ସମଗ୍ର ବିଶ୍ୱର ଜନଜୀବନ ଓ ଅର୍ଥନୀତିକୁ ଉଜାଡି ଦେଇଛି। ଏବେ ସମଗ୍ର ବିଶ୍ୱ ବିଗିଡି ଯାଇଥିବା ଅର୍ଥନୀତିକୁ ସୁଧାରିବା ପାଇଁ ସଂଗ୍ରାମ କରୁଥିବା ବେଳେ ଭାରତ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଆପଣାର ଅର୍ଥନୀତିକୁ ଠିକଣାବାଟକୁ ଆଣି ଅଭିବୃଦ୍ଧି ପଥେ ଆଗେଇ ଚାଲିଛି। ଭାରତ ଏବେ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରେ ଅନ୍ୟତମ। ଭାରତର ଷ୍ଟାର୍ଟଅପ ପରିତନ୍ତ୍ରର ସ୍ଥିତି ବିଶ୍ୱରେ ବହୁ ଉପରେ। ଆମ ଦେଶରେ ଷ୍ଟାର୍ଟଅପ ଗୁଡିକର ସଫଳତା ବିଶେଷ କରି ୟୁନିକର୍ଣ୍ଣର ସଂଖ୍ୟା ବୃଦ୍ଧି ଭାରତର ଶିଳ୍ପ ପ୍ରଗତିର ଜ୍ୱଳନ୍ତ ଉଦାହରଣ। ବୈଶ୍ୱିକ ଧାରାକୁ ଭାଙ୍ଗି ଭାରତର ଅର୍ଥନୀତିକ ଅଭିବୃଦ୍ଧିକୁ ବଢ଼ାଇବାର ଶ୍ରେୟ ଆମ ସରକାର ଏବଂ ନୀତି-ନିର୍ମାତା ପାଇବାକୁ ହକଦାର। ଗତ କେଇ ବର୍ଷ ମଧ୍ୟରେ ଦେଶରେ ଭୌତିକ ଓ ଡିଜିଟାଲ ଭିତ୍ତିଭୂମି ନିର୍ମାଣରେ ଅଭୂତପୂର୍ବ ବିକାଶ ଘଟିଛି।

ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ମାଧ୍ୟମରେ ଜଳ, ସ୍ଥଳ ଓ ଆକାଶ ପଥରେ ସମଗ୍ର ଦେଶ ଯୋଡି ହୋଇଯାଇଛି। ଏହା ଫଳରେ ସମଗ୍ର ଦେଶରେ ପରିବହନ ସୁବିଧା ଉଲ୍ଲେଖନୀୟ ଭାବେ ବଢ଼ିଛି। ଆମ ଅଭିବୃଦ୍ଧି ସଫଳତାର ପଛରେ ରହିଛନ୍ତି ଦେଶର ଶ୍ରମିକ, କୃଷକ ଓ ଉଦ୍ୟୋଗୀମାନେ। କୃଷକ ଶ୍ରମିକଙ୍କ କଠୋର ଶ୍ରମ ଏବଂ ଉଦ୍ୟୋଗୀୀମାନଙ୍କ ବ୍ୟାବସାୟିକ ବିଚକ୍ଷଣତା ଦେଶ ପାଇଁ ଧନ ସମ୍ପଦ ସୃଷ୍ଟି କରୁଛି। ଆହୁରି ଆନନ୍ଦର ବିଷୟ ହେଲା ଅଭିବୃଦ୍ଧି ସମାବେଶୀ ହୋଇଛି ଏବଂ ଆଞ୍ଚଳିକ ବୈଷମ୍ୟ ହ୍ରାସ ପାଉଛି।

ଏହା କେବଳ ଆରମ୍ଭ ମାତ୍ର। ଦୀର୍ଘମିଆଦି ଅଭିବୃଦ୍ଧି ହାସଲ ଓ ଆର୍ଥିକ ପ୍ରଗତି ପାଇଁ ଅନେକ ଅର୍ଥନୀତିକ ସଂସ୍କାର ଓ ସରକାରୀ ନୀତି କାର୍ଯ୍ୟକାରୀ ହେଉଛି। ଉଦାହରଣ ସ୍ୱରୂପ ଡିଜିଟାଲ ଇଣ୍ଡିଆ, ଜ୍ଞାନ ଅର୍ଥନୀତିର ଆଧାରଶୀଳା ତିଆରି କରୁଛି। ‘ଜାତୀୟ ଶିକ୍ଷା ନୀତି’ ପରବର୍ତ୍ତୀ ପିଢ଼ିର ଶିଳ୍ପ ବିପ୍ଳବ ପାଇଁ ନୂଆ ଲୋକଶକ୍ତି ତିଆରି କରିବାକୁ ଉଦ୍ଦିଷ୍ଟ। ଏହି ଶିକ୍ଷାନୀତି ଯେଉଁ ନୂଆ ଶିକ୍ଷିତ ପିଢ଼ି ସୃଷ୍ଟି କରିବ ସେମାନେ ବିକାଶ ସହିତ ଆମ ଐତିହ୍ୟକୁ ପୁନଃ ସଂଯୋଜିତ କରିବେ।

ଅର୍ଥନୀତିକ ସଫଳତା ମଧ୍ୟ ଜୀବନକୁ ସହଜ ଓ ସୁଗମ କରିବାର ବାଟ ଦେଖାଉଛି। ଅର୍ଥନୀତିକ ସଂସ୍କାର ସହିତ ନିର୍ଭୁଲ ଭାବେ ଅଭିନବ କଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମକୁ ସଂଶ୍ଳିଷ୍ଟ କରାଯାଇଛି। ନିଜର ଘର ଖଣ୍ଡିଏ ପାଇବା ଗରିବଙ୍କର ଆଉ ସ୍ୱପ୍ନ ହୋଇ ରହିନାହିଁ। ଅଧିକରୁ ଅଧିକ ବାସହୀନଙ୍କ ପାଇଁ ଏହା ଏକ ବାସ୍ତବତାରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳତା ଏହି ପରିପ୍ରେକ୍ଷୀରେ ପ୍ରଶଂସନୀୟ। ସେହିଭଳି ‘ଜଳ ଜୀବନ ମିଶନ’ ମାଧ୍ୟମରେ ‘ହରଘର ଜଲ୍’ ଯୋଜନାରେ ସବୁ ଘରକୁ ଟ୍ୟାପ ପାଣି ଯୋଗାଇ ଦିଆଯାଉଛି।

ଏହିସବୁ ଯୋଜନା ଓ ଅନ୍ୟାନ୍ୟ ଅନୁରୂପ କାର୍ଯ୍ୟକ୍ରମ ମାଧ୍ୟମରେ ନିର୍ଦ୍ଦିଷ୍ଟ ଭାବେ ଗରିବଙ୍କ ସହିତ ସମସ୍ତଙ୍କୁ ମୌଳିକ ସୁବିଧାସୁଯୋଗ ଯୋଗାଇ ଦେବାକୁ ଲକ୍ଷ୍ୟ ରଖି ସରକାର କାମ କରୁଛନ୍ତି। ଦରିଦ୍ର, ବଞ୍ଚିତ, ଅବହେଳିତ ଓ ଅଭାବୀ ଲୋକଙ୍କ ପ୍ରତି ଏବେ ଅଧିକ ସହାନୁଭୂତି ଓ ଗୁରୁତ୍ୱ ପ୍ରଦାନ କରାଯାଉଛି। ଆମର କେତେକ ଜାତୀୟ ମୂଲ୍ୟବୋଧକୁ ସମ୍ବିଧାନରେ ସ୍ଥାନିତ କରାଯାଇ ତାହାକୁ ନାଗରିକଙ୍କ ମୌଳିକ କର୍ତ୍ତବ୍ୟ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି। ମୁଁ ସବୁ ନାଗରିକଙ୍କୁ ଅନୁରୋଧ କରୁଛି ସେମାନେ ନିଜର ମୌଳିକ କର୍ତ୍ତବ୍ୟ ବିଷୟରେ ଅବଗତ ହୋଇ ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତୁ। ଏହା ଦ୍ୱାରା ଆମ ଦେଶ ନୂଆ ଶିଖର ଛୁଇଁପାରିବ।

ଆମେ ସ୍ୱାସ୍ଥ୍ୟସେବା, ଶିକ୍ଷା, ଅର୍ଥନୀତି ସହିତ ଆହୁରି ଅନେକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଦେଖୁଛୁ । ଏହି ପରିବର୍ତ୍ତନ ପ୍ରକ୍ରିୟାର ମୂଳରେ ରହିଛି ସୁଶାସନର ଲକ୍ଷ୍ୟ। ଯେତେବେଳେ ‘ଦେଶ ଆଗ’ ବିଚାରରେ କାମ ହେଉଛି, ତାହାର ପ୍ରଭାବ ନିଶ୍ଚିତ ଭାବେ ପ୍ରତ୍ୟେକ ନିଷ୍ପତ୍ତି ଓ ପ୍ରତ୍ୟେକ କ୍ଷେତ୍ରରେ ପଡିବା ସ୍ୱଭାବିକ। ଏହା ମଧ୍ୟ ବିଶ୍ୱରେ ଭାରତର ସ୍ଥିତି ଉପରେ ପ୍ରଭାବ ପକାଉଛି।

ଭାରତ ଏବେ ଯେଉଁ ନୂଆ ଆତ୍ମବିଶ୍ୱାସ ପାଉଛି ତାହା ଆସୁଛି ତାହାର ଯୁବଶକ୍ତି, ଚାଷୀକୁଳ ଓ ମହିଳାବର୍ଗଙ୍କଠାରୁ। ସେମାନଙ୍କର ଉତ୍ସାହ ଓ ଶକ୍ତି ଭାରତକୁ ବେଗଗାମୀ କରାଉଛି। ଲିଙ୍ଗଗତ ଅସମାନତା ହ୍ରାସ ପାଉଛି ଏବଂ ମହିଳାମାନେ ଅନେକ ପ୍ରତିବନ୍ଧକ ଅତିକ୍ରମ କରି ଆଗକୁ ବଢ଼ୁଛନ୍ତି। ସାମାଜିକ ଓ ରାଜନୀତିକ ପ୍ରକ୍ରିୟାରେ ସେମାନଙ୍କ କ୍ରମବର୍ଦ୍ଧିଷ୍ଣୁ ଅଂଶଗ୍ରହଣ ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ତୃଣମୂଳ ସ୍ତରରେ ପଞ୍ଚାୟତିରାଜ ଅନୁଷ୍ଠାନରେ ଏବେ ଆମ ଦେଶରେ ୧୪ ଲକ୍ଷରୁ ଅଧିକ ନିର୍ବାଚିତ ମହିଳା ପ୍ରତିନିଧି ରହିଛନ୍ତି।

ଆମ ଝିଅମାନେ ଦେଶର ସବୁଠୁ ବଡ ଆଶା। ସେମାନଙ୍କ ମଧ୍ୟରୁ କେତେକ ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ଜିଣି ଦେଶ ପାଇଁ ଗୌରବ ଆଣିଛନ୍ତି। ଏହା ଅବଶ୍ୟ ସତ୍ୟ ଯେ ଭାରତର କ୍ରୀଡାବିତମାନେ ବିଭିନ୍ନ ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରି ଦେଶକୁ ଗର୍ବିତ କରୁଛନ୍ତି ଏହି ସବୁ ପଦକ ବିଜୟୀ କ୍ରୀଡାବିତମାନଙ୍କ ମଧ୍ୟରୁ ଏକ ବଡ ଭାଗ ସମାଜର ସୁବିଧାସୁଯୋଗରୁ ବଞ୍ଚିତ ଶ୍ରେଣୀ ଓ ବର୍ଗରୁ ଆସିଛନ୍ତି। ଲଢ଼ୁଆ ଯୁଦ୍ଧ ବିମାନର ବୈମାନିକ ହେବାଠାରୁ ମହାକାଶ ବିଜ୍ଞାନୀ ହେବା ପର୍ଯ୍ୟନ୍ତ ଆମ ଝିଅମାନେ ସଫଳତାର ନୂଆ ଉଚ୍ଚତା ଛୁଇଁଛନ୍ତି।

ସ୍ୱାଧୀନତା ଦିବସ ପାଳନ ସହିତ ଆମେ ଆମର ଭାରତୀୟତାକୁ ମଧ୍ୟ ପାଳନ କରୁଛୁ। ଆମ ଦେଶ ବିବିଧତାରେ ପରିପୂର୍ଣ୍ଣ। ଏହା ସତ୍ତ୍ୱେ ଆମ ଭିତରେ କିଛି ସାଧାରଣ କଥା ଓ ସମାନତା ରହିଛି। ଏହି ସାଧାରଣ ସୂତ୍ର ଆମକୁ ଏକତା ସୂତ୍ରରେ ବାନ୍ଧିରଖି ଏକ ଭାରତ, ଶ୍ରେଷ୍ଠ ଭାରତ, ଚେତନାରେ କାମ କରିବାକୁ ଅନୁପ୍ରେରିତ କରୁଛି।

ଭାରତ ଏବେ ଅତ୍ୟନ୍ତ ମନୋରମ ଦେଶ। ଏହାର ପର୍ବତମାଳା, ନଦନଦୀ, ହ୍ରଦ, ଜଙ୍ଗଲ, ପଶୁପକ୍ଷୀ ଏହାକୁ ଦର୍ଶନୀୟ କରିଛନ୍ତି। ଅତଏବ ପରିବେଶ ପ୍ରତି ଯେତେବେଳେ ବିପଦ ଆସୁଛି ସେତେବେଳେ ଆମକୁ ତାହାର ମୁକାବିଲା କରି ଭାରତର ସୌନ୍ଦର୍ଯ୍ୟ ରକ୍ଷା କରିବାକୁ ଅଙ୍ଗୀକୃତ ହେବାକୁ ପଡିବ। ଜଳ, ମୃତ୍ତିକା ଓ ଜୈବ ବିବିଧତାର ସଂରକ୍ଷଣ ଆମ ପିଲାମାନଙ୍କ ପାଇଁ ଆମର ଏକ ଦାୟୀତ୍ୱ। ପ୍ରକୃତିମାତାର ଯତ୍ନ ଓ ସୁରକ୍ଷା ଭାରତୀୟ ସଂସ୍କୃତିର ଅଂଶ ବିଶେଷ। ଆମେ ଆମର ପାରମ୍ପରିକ ଜୀବନଶୈଳୀ ମାଧ୍ୟମରେ ଅବଶିଷ୍ଟ ବିଶ୍ୱକୁ ବାଟ ଦେଖାଇପାରିବା। ଯୋଗ ଓ ଆୟୁର୍ବେଦ ବିଶ୍ୱକୁ ଭାରତର ଅମୂଲ୍ୟ ଉପହାର। ଉଭୟର ଲୋକପ୍ରିୟତା ବିଶ୍ୱବ୍ୟାପୀ ବୃଦ୍ଧି ପାଉଛି।

ଆମେ ଆମ ଜୀବନରେ ଯାହା ସବୁ ପାଇଛୁ, ତାହା ଆମକୁ ଆମର ପ୍ରିୟ ଦେଶ ଯୋଗାଇଛି। ଅତଏବ ଦେଶର ନିରାପତ୍ତା, ପ୍ରଗତି ଓ ସମୃଦ୍ଧି ପାଇଁ ଆମେ ପ୍ରତିଦାନରେ ସବୁକିଛି ଦେବାପାଇଁ ଶପଥ ନେବା ଉଚିତ। ଏକ ଗୌରବୋଜ୍ୱଳ ଭାରତ ନିର୍ମାଣ ଦ୍ୱାରା ଆମ ସ୍ଥିତି ଅର୍ଥପୂର୍ଣ୍ଣ ଓ ଯଥାର୍ଥ ହେବ। କନ୍ନଡ ଭାଷା ମାଧ୍ୟମରେ ଭାରତୀୟ ସାହିତ୍ୟକୁ ସମୃଦ୍ଧି କରିଥିବା ପ୍ରଖ୍ୟାତ ଜାତୀୟ କବି କୁବେମ୍ପୁ ଲେଖିଥିଲେ-
“ନାନୁ ଅଲିୱେ, ନିନୁ ଅଲିୱେ
ନମ୍ମ ଏଲୁବୁଗାଲ ମେଲେ
ମୁଦୁବୁଡୁ- ମୁଦୁବୁଡୁ
ନବଭାରତଡ ଲିଲେ”
ଅର୍ଥାତ – ‘ମୁଁ ଚାଲିଯିବି, ତୁମେ ମଧ୍ୟ
ମାତ୍ର, ଆମ ଅସ୍ଥି ଉପରେ ନବ ଭାରତର ମହାନ ଗାଥା ଲେଖାଯିବ’
ମାତୃଭୂମି ଏବଂ ଏହାର ନାଗରିକମାନଙ୍କ ପାଇଁ ପ୍ରାଣୋତ୍ସର୍ଗ କରିବାକୁ ଏହା ଥିଲା ଏହି ମହାନ ଜାତୀୟ କବିଙ୍କର ଦେଶବାସୀଙ୍କୁ ଆହ୍ୱାନ  ୨୦୪୭ର ନୂଆ ଭାରତର ନିର୍ମାଣ କରିବାକୁ ଯାଉଥିବା ଦେଶର ଯୁବସମାଜକୁ ମୋର ବିଶେଷ ଅନୁରୋଧ ସେମାନେ ଏହି ଆଦର୍ଶକୁ ଅନୁସରଣ କରନ୍ତୁ।

ଉଦବୋଧନ ଶେଷ କରିବା ପୂର୍ବରୁ ମୁଁ ଦେଶର ସଶସ୍ତ୍ରବାହିନୀ, ବିଭିନ୍ନ ଦେଶରେ ଥିବା ଦୂତାବାସର ଅଧିକାରୀ ଓ କର୍ମଚାରୀ ଏବଂ ବିଦେଶରେ ରହି ନିଜର ମାତୃଭୂମିକୁ ଗୌରବାନ୍ୱିତ କରିବାକୁ ଚେଷ୍ଟିତ ପ୍ରବାସୀ ଭାରତୀୟମାନଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଉଛି। ଆପଣମାନଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଜିଓ ପକ୍ଷରୁ ନୂଆ ସୁବିଧା ଓ ଅଫର ସହ ସ୍ୱାଧୀନତାର ୭୫ତମ ବର୍ଷ ପାଳନ

ଭୁବନେଶ୍ୱର: ଦେଶ ସ୍ୱାଧୀନତାର ୭୫ତମ ବର୍ଷ ପାଳନ କରିବା ପାଇଁ ତିନି ସ୍ୱତନ୍ତ୍ର ଅଭିଯାନ ସହ ଜିଓ ପକ୍ଷରୁ ଜିଓ ସ୍ୱାଧୀନତା ଦିବସ ଅଫର ଘୋଷଣା କରାଯାଇଛି ଯାହା ଭାରତୀୟଙ୍କୁ ଜିଓ ଡିଜିଟାଲ୍ ଜୀବନର ନୂତନ ଲାଭ ପ୍ରଦାନ କରିବ। ଏହି ଅଭିଯାନଗୁଡ଼ିକରେ ସାମିଲ ରହିଛି ଏକ “ହର ଘର ତ୍ରିରଙ୍ଗା, ହର ଘର ଜିଓଫାଇବର’ ଅଭିଯାନ ଯାହା ସହ ପୋଷ୍ଟପେଡ୍ ମନୋରଂଜନ ବୋନାଞ୍ଜା ପ୍ଲାନ୍‌ରେ ମାଗଣାରେ ୧୫ ଦିନର ଅତିରିକ୍ତ ଲାଭ, ୨୯୯୯ ଟଙ୍କା ରିଚାର୍ଜ ପ୍ଲାନ୍‌ରେ ୩୦୦୦ ଟଙ୍କା ମୂଲ୍ୟର ଲାଭ ସହ ଜିଓ ସ୍ୱାଧୀନତା ଦିବସ ଅଫର ଏବଂ ୭୫୦ ଟଙ୍କାରେ ଏକ ସ୍ୱତନ୍ତ୍ର ୯୦ ଦିନିଆ ଅସୀମିତ ପ୍ଲାନ୍ ମଧ୍ୟ ସାମିଲ ରହିଛି।

୨୦୨୨ ଅଗଷ୍ଟ ୧୨ରୁ ୧୬ ତାରିଖ ମଧ୍ୟରେ ଜିଓଫାଇବର୍ ପୋଷ୍ଟପେଡ୍ ମନୋରଂଜନ ବୋନାଞ୍ଜା ପ୍ଲାନ୍ ସହ ଯେଉଁମାନେ ଏକ ନୂଆ ଜିଓଫାଇବର ସଂଯୋଗ କିଣିବେ ସେହି ସମସ୍ତ ନୂଆ ଗ୍ରାହକଙ୍କ ପାଇଁ ଜିଓଫାଇବର ସ୍ୱାଧୀନତା ଦିବସ ଅଫର “ହର ଘର ତ୍ରିରଙ୍ଗା, ହର ଘର ଜିଓ ଫାଇବର’ ଉପଲବ୍ଧ ହେବ। ନୂତନ ସଂଯୋଗକୁ ସକ୍ରିୟ କରିବା ସମୟରେ ଯେଉଁ ପ୍ଲାନ୍ ଚୟନ କରାଯାଇଥିବ ଅତିରିକ୍ତ ୧୫ ଦିନ ପାଇଁ ନୂଆ ଗ୍ରାହକଙ୍କ ପାଇଁ ସେହି ଲାଭ ମାଗଣାରେ ଉପଲବ୍ଧ ହେବ। ୪୯୯ ଟଙ୍କା, ୫୯୯ ଟଙ୍କା, ୭୯୯ ଟଙ୍କା ଓ ୮୯୯ ଟଙ୍କାର ପ୍ଲାନ୍ ସହ ୬ ମାସ କିମ୍ବା ୧୨ ମାସ ଅବଧିର ପ୍ଲାନ୍‌ର ପୋଷ୍ଟପେଡ୍ ମନୋରଂଜନ ବୋନାଞ୍ଜା ଅଫର ଚୟନ କରୁଥିବା ନୂଆ ଜିଓଫାଇବର ଗ୍ରାହକଙ୍କ ପାଇଁ ଏହି ଅଫର ପ୍ରଯୁଜ୍ୟ ଅଟେ।

ମୋବାଇଲ୍ ବ୍ୟବହାରକାରୀମାନଙ୍କ ଲାଗି ଜିଓ ପକ୍ଷରୁ ୨୯୯୯ ଟଙ୍କାର ବାର୍ଷିକ ରିଚାର୍ଜ ପ୍ଲାନ୍‌ରେ “ଜିଓ ସ୍ୱାଧୀନତା ଦିବସ ଅଫର’ ଘୋଷଣା କରାଯାଇଛି ଯାହା ସହିତ ରହିଛି ଅତିରିକ୍ତ ୭୫ ଜିବିର ହାଇ ସ୍ପିଡ୍ ଡାଟା, ଆଇକ୍ସିଗୋ, ନେଟ୍‌ମେଡ୍‌ସ ଓ ଆଜିଓର ରିହାତି କୁପନ୍ ଭାବେ ୩୦୦୦ ଟଙ୍କା ମୂଲ୍ୟର ଅତିରିକ୍ତ ଲାଭ। ୨୯୯୯ ଟଙ୍କିଆ ପ୍ଲାନ୍‌ରେ ମିଳୁଥିବା ଦୈନିକ ୨.୫ ଜିବି ହାଇ ସ୍ପିଡ୍ ଡାଟା, ଡିଜ୍‌ନି+ହଟ୍‌ଷ୍ଟାର୍‌ର ମାଗଣା ଏକ ବର୍ଷିଆ ମୋବାଇଲ୍ ସବ୍‌ସ୍କ୍ରିପ୍‌ସନ୍‌, ମାଗଣା ଅସୀମିତ ଭଏସ୍ କଲ୍‌, ଦୈନିକ ୧୦୦ ଏସ୍‌ଏମ୍‌ଏସ୍ ଓ ଜିଓ ଆପ୍‌ର ମାଗଣା ସବ୍‌ସ୍କ୍ରିପନ୍ ବାଦ ଏହି ଲାଭ ମିଳିବ।

ସେହିପରି, ନୂଆ “୭୫୦ ଟଙ୍କିଆ ଅସୀମିତ’ ପ୍ଲାନ୍‌ରେ ୯୦ ଦିନର ବୈଧତା ରହିଛି ଓ ଅସୀମିତ ଡାଟା-ଦୈନିକ ୨ ଜିବିର ହାଇସ୍ପିଡ୍ ଡାଟା ପରେ ୬୪ କେବିପିଏସ୍‌ର ଅସୀମିତ ଡାଟା, ଅସୀମିତ ଭଏସ୍ କଲ୍‌, ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌, ଜିଓ ଆପ୍‌ର ମାଗଣା ସବ୍‌ସ୍କ୍ରିପ୍‌ସନ୍ ଏବଂ ଅତିରିକ୍ତ ୧୦୦ ଏମ୍‌ବି ହାଇସ୍ପିଡ୍ ଡାଟା ସମେତ ଏକ ସାମଗ୍ରିକ ଲାଭର ପ୍ୟାକେଜ୍ ଏହା ପ୍ରଦାନ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ସ୍ୱାଧୀନତା ଦିବସ ପାଳନ ଉପରେ ଲାଗିଲା କଟକଣା: ହେବେନି ପରେଡ୍

ଭୁବନେଶ୍ୱର: ଚଳିତ ବର୍ଷ ସ୍ୱାଧୀନତା ଦିବସ ପରେଡ୍ ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ଏଥର ମଧ୍ୟ କୋଭିଡ କଟକଣା ଭିତରେ ସ୍ୱାଧୀନତା ଦିବସ ପାଳିତ ହେବ। ଚଳିତ ବର୍ଷ ସ୍ୱାଧୀନତା ଦିବସ ପରେଡ୍ ରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଭାଗ ନେଇପାରିବେ ନାହିଁ। ରାଜ୍ୟ ସ୍ତରୀୟ ପରେଡ୍‌ରେ ୩ଟି କଣ୍ଟିଜେଣ୍ଟ ସାମିଲ ହେବେ। ଓଏସଏପି, ଓଡ୍ରାଫ୍ ଓ ବିଏସଏଫ୍ ପରେଡରେ ସାମିଲ ହେବେ। ଏନେଇ ୩ ଦିନ ପ୍ରାକ୍ଟିସ୍ ହେବ। ପ୍ରଦର୍ଶନୀ ପଡିଆରେ ୧୧, ୧୨ ଓ ୧୩ ତାରିଖରେ କଣ୍ଟିଜେଣ୍ଟ ଅଭ୍ୟାସ ହେବ।

ତେବେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କୋଭିଡ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ସାମାଜିକ ଦୂରତା ଉପରେ ଗୁରୁତ୍ଵ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ହର ଘର ତିରଙ୍ଗା ଅଭିଯାନ: ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ସବୁଦିନ ଖୋଲା ରହିବ ଡାକ ଘର

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ୨୦୨୨ ପୂର୍ବରୁ ପଡ଼ୁଥିବା ସବୁ ସରକାରୀ ଛୁଟି ଦିନ ସହିତ ସବୁଦିନ ଦେଶର ସବୁ ଡାକ ଘର ଖୋଲା ରହିବ। ହର ଘର ତିରଙ୍ଗା (ପ୍ରତି ଘରେ ତ୍ରିରଙ୍ଗା) ଅଭିଯାନ ଅନ୍ତର୍ଗତ ଜାତୀୟ ପତାକା ବିକ୍ରି ଏବଂ ବିତରଣ ସୁବିଧା ଯୋଗାଇ ଦେବା ନିମନ୍ତେ ଡାକ ଘର ଖୋଲା ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି।

ଏହି ଗଣ ଅଭିଯାନକୁ ସମର୍ଥନ ଯୋଗାଇ ଦେବା ଲାଗି ସବୁ ଡେଲିଭରୀ ପୋଷ୍ଟ ଅଫିସ ସମେତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଡାକ ଘରଗୁଡ଼ିକ ସବୁଦିନ ଖୋଲା ରହିବ।

ଡାକ ଘର ଗୁଡ଼ିକରେ ଅତି କମରେ ଗୋଟିଏ କାଉଣ୍ଟର ଜରିଆରେ ୭, ୯ ଏବଂ ୧୪ ଅଗଷ୍ଟ ୨୦୨୨ରେ ପଡ଼ୁଥିବା ସରକାରୀ ଛୁଟି ଦିବସରେ ଜାତୀୟ ପତାକା ବିକ୍ରି ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ସବୁ ଡେଲିଭରୀ ପୋଷ୍ଟ ଅଫିସରେ ଜାତୀୟ ପତାକା ବିତରଣ ନିମନ୍ତେ ମଧ୍ୟ ବିଶେଷ ବ୍ୟବସ୍ଥା କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ୭୫ତମ ସ୍ୱାଧୀନତା ଦିବସ ପାଳନ

ଭୁବନେଶ୍ୱର: ଗତ ଦୁଇ ବର୍ଷ ମଧ୍ୟରେ ସାରା ବିଶ୍ୱରେ ମଣିଷ ସାମାଜିକ, ଆର୍ଥିକ ଓ ମାନସିକ ସ୍ତରରେ ଦୁର୍ବଳ ହୋଇଯାଇଛି। କରୋନା ମହାମାରୀ ମାନବ ଜାତିକୁ ଦୋହଲାଇ ଦେଇଛି। ଭାରତରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ତେଣୁ ୭୫ ବର୍ଷରେ ପାଦ ଦେଇଥିବା ସ୍ୱାଧୀନ ଭାରତର ନାଗରିକ ମାନେ ପରିସ୍ଥିତିର ସଠିକ ମୁକାବିଲା କରିବା ନିମନ୍ତେ କୋଭିଡ ନିୟମ ଠିକ୍ ଭାବେ ପାଳନ କରିବା ଜରୁରୀ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୭୫ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମତବ୍ୟକ୍ତ କରିଛନ୍ତି କୁଳପତି ତଥା ବିଶିଷ୍ଟ ସ୍ନାୟୁ ଶଲ୍ୟ ବିଶେଷଜ୍ଞ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର।

ସୋଆ ମୁଖ୍ୟ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଫେସର ମହାପାତ୍ର ପତାକା ଉତୋଳନ କରି ଭାରତର ସ୍ୱାଧୀନତା ସଂଗ୍ରାମ ଉପରେ ଆଲୋକପାତ କରିଥିଲେ। କୁଳପତିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥାଇ ଜାତୀୟ ସଂଗୀତ ଗାନ କରିଥିଲେ।

ପ୍ରଫେସର ମହାପାତ୍ର ଭାରତର ଇତିହାସ ସମ୍ପର୍କରେ ବଖାଣିବା ସହ ୭୪ ବର୍ଷ ତଳେ ୨୦୦ ବର୍ଷର ଇଂରାଜୀ ଶାସନ କବଳରୁ ଦେଶ କିଭଳି ମୁକ୍ତ ହୋଇ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ପୁର୍ନଜନ୍ମ ନେଲା ସେ ସମ୍ପର୍କରେ କହିଥିଲେ।

ତେବେ ସ୍ୱାଧୀନ ଭାରତରେ ଅସାମାଜିକ ତତ୍ୱ ଏବେ ଭି ଭରି ରହିଛନ୍ତି। ତେଣୁ ଆମକୁ ମାନସିକ ଓ ଆର୍ଥିକ ସ୍ତରରେ ସ୍ୱାଧୀନ ହେବା ସହ ମାନବିକତାର ମୂଲ୍ୟବୋଧକୁ ପ୍ରାଧାନ୍ୟ ଦେବା ଆବଶ୍ୟକ ବୋଲି ସେ କହିଥିଲେ।

ଅନ୍ୟମାନଙ୍କଧ୍ୟରେ ସୋଆ ଉପଦେଷ୍ଟାମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ସୋଆ ସଭାପତିଙ୍କର ପ୍ରମୁଖ ଉପଦେଷ୍ଟା ପ୍ରଫେସର ଡି.ପି. ରାୟ, ସୋଆ ରେଜିଷ୍ଟ୍ରାର୍ ପ୍ରଫେସର ବିଭୂତି ଭୁଷଣ ପ୍ରଧାନ, ଜଏଂଟ ରେଜିଷ୍ଟ୍ରାର ଭୀଷ୍ମ ଚରଣ ଦାସ, ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ, ଚିଫ ଭିଜିଲାନ୍ସ ଅଫିସ ତଥା ନିର୍ଦ୍ଦେଶକ (ରିସୋର୍ସ)ଯୁଗଳକିଶୋର ଦାସ ଓ ନିର୍ଦ୍ଦେଶକ, ବିଶ୍ୱବିଦ୍ୟାଳୟ ଆଉଟ୍‌ରିଚ୍ ପ୍ରୋଗ୍ରାମ୍ ପ୍ରଫେସର ନଚିକେତା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ବ୍ୟାପକ ବର୍ଗର ଇଲେକ୍‌ଟ୍ରୋନିକ୍ସ ଉତ୍ପାଦରେ ନୂତନ ଶ୍ରେଣୀର ଆକର୍ଷଣୀୟ ଅଫର ପ୍ରଦାନ କରୁଛି ରିଲାଏନ୍‌ସ ଡିିଜିଟାଲ୍

ନୂଆଦିଲ୍ଲୀ/ଭୁବନେଶ୍ଵର: ସ୍ୱାଧୀନତା ଦିବସ ଅବସରରେ ରିଲାଏନ୍‌ସ ଡିିଜିଟାଲ୍ ଏହାର ଡିଜିଟାଲ୍ ଇଣ୍ଡିଆ ସେଲ କୁ ଆହୁରି ବଡ଼ କରିଛି ଓ ଏଥିରେ ଅନେକ ଗୁଡ଼ିଏ ଆକର୍ଷଣୀୟ ଅଫର ଓ ରିହାତି ପ୍ରଦାନ କରାଯାଉଛି। ଏହି ସେଲ୍ ରିଲାଏନ୍‌ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋରରେ ଲାଇଭ୍ ହେବ ଓ ଏହା ମଧ୍ୟ  www.reliancedigital.inରେ ଉପଲବ୍ଧ ହେବ।

ଗ୍ରାହକମାନେ ଅଗଷ୍ଟ ୧୬ ପର୍ଯ୍ୟନ୍ତ ଏଚଡିଏଫସି ବ୍ୟାଙ୍କ କାର୍ଡ଼ ଓ ଇଏମଆଇ କାରବାରରେ ଟ.୩୦୦୦ ଟଙ୍କା ପର୍ଯ୍ୟନ୍ତ ୧୦% ଇନ୍‌ଷ୍ଟାଂଟ ଡିସକାଉଂଟ ପାଇପାରିବେ। ଅଗଷ୍ଟ ୩୧ ପର୍ଯ୍ୟନ୍ତ ପେଟିଏମ୍ ରେ ସର୍ବନିମ୍ନ ଟ୍ରାନ୍‌ଜାକ୍‌ସନ ଟ.୯,୯୯୯/- ରେ ୱାଲେଟ୍ କ୍ୟାସବ୍ୟାକ୍‌ ଟ.୫୦୦ ମିଳିପାରିବ। ଗ୍ରାହକମାନେ ମଧ୍ୟ ଜେଷ୍ଟ ମନି ମାଧ୍ୟମରେ ଟ.୧୦,୦୦୦ ରୁ ଅଧିକ କ୍ରୟ କ୍ଷେତ୍ରରେ ନୋ କଷ୍ଟ ଇଏମଆଇ+ ୧୦% କ୍ୟାସବ୍ୟାକ୍‌ଞ୍ଚ ଟ.୫୦୦୦ ପର୍ଯ୍ୟନ୍ତ ପାଇପାରିବେ। ଏହି ସୁବିଧା ଗୁଡ଼ିକ ସହିତ ବ୍ୟାପକ ଶ୍ରେଣୀ ଯଥା ଟେଲିଭିଜନଲାପଟପ୍‌ମୋବାଇଲ୍ ଫୋନ୍ ଓ ଗୃହ ଉପକରଣରେ ଅନେକ ସ୍ୱତନ୍ତ୍ର ଅଫର ମଧ୍ୟ ଉପଲବ୍ଧ ରହିଛି।

ଟେଲିଭିଜନରେ ଗ୍ରାହକମାନେ ବ୍ୟାପକଶ୍ରେଣୀୟ ସ୍ମାର୍ଟ ଟିଭିକୁ ବାଛି ପାରିବେ ଯାହାର ମୂଲ୍ୟ ଟ.୧୩,୯୯୦/- ରୁ ଆରମ୍ଭ। ସାନସୁଇ ୫୦-ଇଂଚ ଅଲ୍‌ଟ୍ରା ଏଚଡି ସ୍ମାର୍ଟ ଏଲଇଡି ଟିଭି ୪୩-ଇଂଚ ଭାରିଆଂଟର ମୂଲ୍ୟରେ ଉପଲବ୍ଧ ରହିଛି ଯାହାକି ମାତ୍ର ଟ.୨୯,୯୯୦/-। ଆଉ ମଧ୍ୟ ଟିସିଏଲ୍ ୫୫-ଇଂଚ ଅଲ୍‌ଟ୍ରା ଏଚଡି ସ୍ମାର୍ଟ ଟିଭି ର ସ୍ୱତନ୍ତ୍ର ମୂଲ୍ୟ ହେଉଛି ଟ.୪୪,୯୯୦/- ଓ ଏଥିରେ ରହିଛି ଟ.୧୯,୯୯୦ ମୂଲ୍ୟର ମାଗଣା ଜେବିଏଲ୍ ସାଉଣ୍ଡ ବାର୍।

ଅନେକ ଗୁଡ଼ିଏ ଲାପଟପ୍ ମଧ୍ୟ ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ ରହିଛି ଯାହାର ମୂଲ୍ୟ ଟ.୧୬,୯୯୯/- ରୁ ଆରମ୍ଭ ଓ ଏଥିରେ ଟ.୧୭,୯୯୦/- ପର୍ଯ୍ୟନ୍ତ ଲାଭ ମିଳିପାରିବ। ୧୬ ଜିବି ରାମ୍ ସହିତ ପାୱାରଫୁଲ୍ ଗେମିଂ ଲାପଟପ୍ ଟ.୬୪,୯୯୯ ରୁ ଆରମ୍ଭ ହେଉଛି। ଲିନୋଭୋ ଏମ୮ ୩୨ ଜିବି ଟାବଲେଟ୍ ର ସ୍ୱତନ୍ତ୍ର ମୂଲ୍ୟ ହେଉଛି ଟ.୧୧,୪୯୯।

ମୋବାଇଲ୍ ଫୋନ୍ ମଧ୍ୟରେ ସବୁଠାରୁ ଲୋକପ୍ରିୟ ୱାନପ୍ଲସ୍ ନର୍ଡ଼ ୨ ସ୍ମାର୍ଟଫୋନ୍ ଅତୁଳନୀୟ ମୂଲ୍ୟ ଟ.୨୯,୯୯୯/- ରେ ଉପଲବ୍ଧ ରହିଛି। ବ୍ରାଣ୍ଡ ନୂଆ ସ୍ମାର୍ଟୱାଚ୍ ଫାୟାର ବୋଲ୍‌ଟ ଅଗ୍ନି ଓ ଏସପିଓ୨ ବୈଶିଷ୍ଟ୍ୟ ସହିତ ସ୍ୱତନ୍ତ୍ର ଭାବରେ ଡିଜିଟାଲ୍ ଇଣ୍ଡିଆ ସେଲରେ ଉପଲବ୍ଧ ହେବ ଯାହାର ସ୍ୱତନ୍ତ୍ର ମୂଲ୍ୟ ରହିଛି ଟ.୨୬୯୯/-। ଆଉମଧ୍ୟଗ୍ରାହକମାନେ ଟ.୭୯୯୯/- ମୂଲ୍ୟର ଟ୍ରୁ ଓୟାରଲେସ୍ ବିଟି ଇୟରଫୋନକୁ ବଛା ବଛା ଫୋନ୍ ଉପରେ ପାଇ ପାରିବେ।

ଅନ୍ୟାନ୍ୟ ଇଲେକ୍‌ଟ୍ରୋନିକ୍ ସାମଗ୍ରୀ ଗୁଡ଼ିକ ଉପରେ ମଧ୍ୟ ଆକର୍ଷଣୀୟ ଅଫର ରହିଛି। ଏଲଜିସାମସଙ୍ଗହୁଇର୍ଲପୁଲ୍ ପକ୍ଷରୁ ଫ୍ରଷ୍ଟ ଫ୍ରି ରେଫ୍ରିଜରେଟର ଟ.୨୩,୯୯୦/- ର ଆରମ୍ଭ ମୂଲ୍ୟରେ ଉପଲବ୍ଧ  ଓ ଏଥିରେ ରହିଛି ଟ.୩୮୫୦/- ମୂଲ୍ୟର ମାଗଣା ଉପହାର। ଟପ-ଲୋଡ୍ ୱାସିଂ ମେସିନ୍  ଟ.୧୨,୯୯୦/- ର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ରହିଛି ଓ ଏଥି ସହିତ ଟ. ୧୯୯୦/-ର ମାଗଣା ଉପହାର ମିଳୁଛି। ଆଉ ମଧ୍ୟ କୁକଟପ୍ କମ୍ବୋ (ରିକନେକ୍ଟ ୩ ବର୍ଣ୍ଣର କୁକଟପ୍‌+ ୫୦୦ ଡବ୍ଲୁ ମିକ୍ସର + ଇଲେକ୍‌ଟ୍ରିକ୍ କେଟିଲ୍‌) ଅଫରରେ ଟ.୪୪୯୯/- ରେ ଉପଲବ୍ଧ । ୱାଟର ପ୍ୟୁରିଫାୟରର କ୍ରୟ କ୍ଷେତ୍ରରେଗ୍ରାହକମାନେ ଟ.୧୯୯୯/-ର ମାଗଣା ଇଲେକ୍‌ଟ୍ରିକ୍ କେଟିଲ୍ ପାଇପାରିବେ।

ଡିଜିଟାଲ୍ ଇଣ୍ଡିଆ ସେଲ୍ ଅନୁଭୂତିକୁ ସହଜିଆ ଫାଇନାନ୍ସ ଓ ଇଏମଆଇ ବିକଳ୍ପ ସହିତ ଆହୁରି ଆକର୍ଷଣୀୟ କରାଯାଇଛି। ଗ୍ରାହକମାନେ ମଧ୍ୟ ଇନଷ୍ଟା ଡେଲିଭରି (୩ ଘଂଟାରୁ କମ୍ ସମୟ ମଧ୍ୟରେ ଡେଲିଭରି) ଓ ନିକଟତମ ଷ୍ଟୋରରୁ ଷ୍ଟୋର ପିକ-ଅପ୍‌ ବିକଳ୍ପ ପାଇପାରିବେ। ସମସ୍ତ ଷ୍ଟୋର ଓ ଡେଲିଭରି ପାର୍ଟନରମାନେ କଠୋର ଭାବରେ କୋଭିଡ-ସୁରକ୍ଷା ପଦକ୍ଷେପର ଅନୁପାଳନ କରୁଛନ୍ତି ଓ ଏହାର ଗ୍ରାହକ ତଥା କର୍ମଚାରୀଙ୍କ ପ୍ରତି ଯତ୍ନବାନ ରହିଛନ୍ତି।

*ସମସ୍ତ ଅଫର ଓ ମୂଲ୍ୟରେ ସର୍ତ୍ତ ଓ ବ୍ୟବସ୍ଥାବଳୀ ଲାଗୁ ହେବ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଇନ୍ଦିରା ଗାନ୍ଧୀ ବିମାନବନ୍ଦରକୁ ବୋମାରେ ଉଡେଇ ଦେବାକୁ ମିଳିଲା ଚେତାବନୀ: ସୁରକ୍ଷା ବୃଦ୍ଧି କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରକୁ ବୋମାରେ ଉଡେଇ ଦେବାକୁ ଧମକ ମିଳିଛି। ଆତଙ୍କବାଦୀ ସଂଗଠନ ଅଲ କାଏଦା ନାମରେ ଏହି ଧମକ ମିଳିଛିଛି। ଇମେଲ ମାଧ୍ୟମରେ ଦିଲ୍ଲୀ ପୋଲିସକୁ ଏହି ଚେତାବନୀ ବାର୍ତ୍ତା ପଠାଯାଇଛି। ସ୍ୱାଧୀନତା ଦିବସ ପୂର୍ବରୁ ଏହି ଧମକ ପାଇବା ପରେ ଦିଲ୍ଲୀ ପୋଲିସ ସତର୍କ ହୋଇପଡିଛି। ଦିଲ୍ଲୀ ପୋଲିସର ସୂଚନାନୁସାରେ, ଇମେଲରେ ଲେଖାଯାଇଛି ଯେ ଏକ ଦମ୍ପତି ବୋମା ବିସ୍ଫୋରଣ କରିବେ ଏବଂ ରବିବାର ଦିନ ଅଲ କାଏଦା ଏହି ବିସ୍ଫୋରଣ କରିବ। ଏହାପୂର୍ବରୁ ମାର୍ଚ୍ଚ ମାସରେ ମଧ୍ୟ ସମାନ ଧମକ ଆସିଥିଲା। ଇମେଲ ପରେ ଆଇଜି ବିମାନ ବନ୍ଦରରେ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ଅନୁସନ୍ଧାନକାରୀ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ କରାଯାଇଛି।

ସ୍ୱାଧୀନତା ଦିବସ (ଅଗଷ୍ଟ ୧୫) ସଂପର୍କରେ ରାଜଧାନୀ ଦିଲ୍ଲୀରେ ଏକ କଡା ସୁରକ୍ଷା ବ୍ୟବସ୍ଥା ଅଛି। ଲାଲକିଲ୍ଲା ପାଇଁ ଅପ୍ରତ୍ୟାଶିତ ସୁରକ୍ଷା ମଧ୍ୟ କରାଯାଇଛି। ସେଠାରେ ଅନେକ ସ୍ଥାନରେ ବ୍ୟାରିକେଡ୍ କରାଯାଇଛି। ଲାଲକିଲ୍ଲାର ସୁରକ୍ଷା ସମ୍ପର୍କରେ ଦିଲ୍ଲୀ ପୋଲିସ ପୂର୍ବରୁ କହିଥିଲା ​​ଯେ, କିଛି ଖାଲିସ୍ତାନୀ ଉପଦ୍ରବ ବିଶୃଙ୍ଖଳା ସୃଷ୍ଟି କରିପାରେ। ଏଭଳି ପରିସ୍ଥିତିରେ ସୁରକ୍ଷା କ୍ଷେତ୍ରରେ କୌଣସି ଅସୁବିଧା ନାହିଁ। ଅସୁରକ୍ଷିତ ସ୍ଥାନରେ ଏଣ୍ଟ୍ରି ଡ୍ରୋନ୍ ସିଷ୍ଟମ ମଧ୍ୟ ସକ୍ରିୟ କରାଯାଇଛି।