Categories
ବିଶେଷ ଖବର ରାଜ୍ୟ ଖବର

ନିଜ ଜାଲରେ ନିଜେ ଫସିଲେ ପ୍ରଦୀପ ପାଣିଗ୍ରାହୀ, ଏବେ ଖାଲି ହେଉଛନ୍ତି ବିଳିବିଳେଇ

ଭୁବନେଶ୍ବର, ଓଡିଶାରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଦୀପ ପାଣିଗ୍ରାହୀଙ୍କ ବୟାନକୁ ପୁଣି ନୂଆ ବିବାଦ ସୃଷ୍ଟି କରିଛି। ନିଜେ ବିବାଦରେ ଛନ୍ଦି ହୋଇ ପ୍ରଦୀପ ଦଳରୁ ବହିଷ୍କୃତ ହେବା ପରେ ଏଭଳି ବୟାନ ଦେବା ପଛରେ କଣ ରହସ୍ୟ ରହିଛି, ତାହା ତାଙ୍କୁ ଜଣା। ହେଲେ ଯେଉଁ ବିବାଦରେ ପ୍ରଦୀପ ପାଣିଗ୍ରାହୀ ଫସିଛନ୍ତି, ତାହା ସାଙ୍ଘାତିକ। ଜନବିରୋଧୀ କାର୍ଯ୍ୟରେ ଲିପ୍ତ ରହିବା ଯୋଗୁ ତାଙ୍କୁ ଦଳରୁ ବିଦା କରାଯାଇଛି।

ଏଥିସହ ଅର୍ଥ ହଡପ ଓ ଦଳ ବିରୋଧୀ କାର୍ଯ୍ୟର ଅଭିଯୋଗ ପ୍ରଦୀପଙ୍କ ନାଁରେ ଆସୁଛି। କରୋନା କାଳରେ ଗଂଜାମ ଜିଲ୍ଲାବାସୀ ଜୀବନ ଜୀବିକାକୁ ନେଇ ଚିନ୍ତାରେ ଥିଲା ବେଳେ ପ୍ରଦୀପ ଚାର୍ଟର ଫ୍ଲାଇଟରେ ବସି ଜୀବନକୁ ଉପଭୋଗ କରୁଥିଲେ, ଅୟସ କରୁଥିଲେ, ସ୍ୱପ୍ନରେ ଭାସୁଥିଲେ। ଜଣେ ବରିଷ୍ଠ ରାଜନେତାଙ୍କ ଏତାଦୃଶ କାର୍ଯ୍ୟକଳାପକୁ ଜନବିରୋଧୀ କୁହାଯିବନି ତ ଆଉ କଣ?

ଯେଉଁ ବିଜେଡି ତାଙ୍କୁ ତିନିଥର ବିଧାୟକ ଓ ମନ୍ତ୍ରୀ କରିଥିଲା, ଏହାର କେଉଁ ମୂଲ୍ୟ ଦେଲେ ପ୍ରଦୀପ? ଟାଟା ଗ୍ରୁପ ସହ ଭାବି ଜାମାତାଙ୍କ ସମ୍ପର୍କ ଯୋଡି କୋଟି କୋଟି ଟଙ୍କା ଖାଇବା କଣ ମିଛ? ଏହା ଜନବିରୋଧୀ ନୁହେଁ କି? ନିଜ ବିଧାନସଭା କ୍ଷେତ୍ରର ଶିକ୍ଷିତ ବେକାରଙ୍କ ନିକଟରୁ ଟାଟା କମ୍ପାନୀରେ ଚାକିରୀ କରାଇଦେବାକୁ କହି ମୋଟା ଅଙ୍କ ଆଦାୟ କରିବା କଣ ଭଲ ନେତାଙ୍କ ଲକ୍ଷଣ! ଏହା କଣ ଜନବିରୋଧୀ ନୁହେଁ କି ?

ଯେଉଁ ମୁଖ୍ୟମନ୍ତ୍ରୀଙ୍କ ଆର୍ଶିବାଦରେ ଉପରକୁ ଉଠିବା ପରେ ସେହି ନବୀନଙ୍କୁ ସମାଲୋଚନା କରି ନିଜକୁ ବଞ୍ଚାଇବା ଉଦ୍ୟମ କରୁଛନ୍ତି ପ୍ରଦୀପ। ତାହା ସୈତାନର ବେଦ ପାଠ ସଦୃଶ। ସେ ଯେଉଁ ଉଦ୍ଦେଶ୍ୟ ରଖି ବୟାନ ଦେଉଛନ୍ତି, ତାହା କେବେ ବି ସଫଳ ହେବ ନାହିଁ,ଏ କଥା ସେ ବୋଧହୁଏ ଜାଣିପାରୁ ନାହାନ୍ତି।

ପ୍ୟାରୀମୋହନ ମହାପାତ୍ରଙ୍କ ଅମଳର ଷଡଯନ୍ତ୍ର ଦ୍ୱାହି ଦେଇ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସଭାଜନ ହେବାକୁ ବୋଧେ ପ୍ରଦୀପଙ୍କ ମସୁଧା। ତେଣୁ ସେ ବୁଲେଇ ବଙ୍କେଇ ବିଜେଡିରେ ଫାଟ ସୃଷ୍ଟି ଉଦ୍ୟମ ଆରମ୍ଭ କରୁଛନ୍ତି। ଗଣମାଧ୍ୟମ ସାମ୍ନାରେ ନିଜ ଭାବି ସମୁଦିଙ୍କୁ ସର୍ବଶ୍ରେଷ୍ଠ ଅଫିସର ବୋଲି କହିବାକୁ ତାଙ୍କୁ ଲାଜ ବି ଲାଗୁନାହିଁ। ସାରା ରାଜ୍ୟ ଜାଣି ଗଲାଣି ଯେ, ଅଭୟକାନ୍ତ ପାଠକ କିଭଳି ରାଜକୋଷ ଲୁଟ କରି ବିଳାସମୟ ଜୀବନ ବିତାଉଥିଲେ। ଜଙ୍ଗଲ ଲୁଟ କରି ଅଭୟକାନ୍ତ ରାଜ୍ୟକୁ ଯେଉଁ କ୍ଷତି ପହଞ୍ଚାଇଛନ୍ତି, ତାହା କ୍ଷମଣୀୟ କି?

ମହାମାରୀ କରୋନା ସମୟରେ ସରକାର ଲୋକଙ୍କ ଜୀବନ ସୁରକ୍ଷିତ ରଖିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିଲା ବେଳେ, ପ୍ରଦୀପଙ୍କ ଭଳି ଜନପ୍ରତିନିଧି କିଭଳି ନିଜ ପରିବାରର ଖୁସି ଚିନ୍ତା କରୁଥିଲେ, ତାହା ପଦାରେ ପଡିଯିବାରୁ ସେ ଭୟଭୀତ ହୋଇ ପଡିଛନ୍ତି। ଲୋକଙ୍କ ବିଶ୍ୱାସରେ ବିଷ ଦେଇ ରାଜ୍ୟକୁ ନର୍କଗାମୀ କରିବା ଚିନ୍ତାରେ ରହିଥିଲେ। ଲୋକଙ୍କ ସେବା କରିବା ବଦଳରେ ସେ ନିଜ ସମ୍ପତ୍ତି କିଭଳି ବଢାଇ ଚାଲି ଥିଲେ,ତାହାର ପ୍ରମାଣ ମିଳି ସାରିଛି।

ଅଧିକ କଣ ସଫେଇ ଦେଇ ନିଜକୁ ସ୍ୱଚ୍ଛ ପ୍ରମାଣ କରିବାକୁ ପ୍ରଦୀପ ଉଦ୍ୟମ କରୁଛନ୍ତି, ତାହା ବିସ୍ମୟ ମନେ ହେଉଛି। ସେ ନିଜ ଜାଲରେ ନିଜେ ପଡିଯାଇଛନ୍ତି। ଏବେ ନିଜକୁ ବଞ୍ଚାଇବେ କି ଭାବି ସମୁଦି ଓ ଜ୍ୱାଇଁଙ୍କୁ ବଞ୍ଚାଇବେ ତାହା କଷ୍ଟକର ବ୍ୟାପାର। କାରଣ ସେ ଯାହା ସଫେଇ ଦେଲେ ବି ରାଇଜସାରା ତାଙ୍କ ଦୁର୍ନାମ ବ୍ୟାପିବ। ଗୋଟେ ଲୋକପ୍ରିୟ ସରକାର ବ୍ରାଣ୍ଡ ନେମ ତାଙ୍କୁ ଏଯାଏ ବିଶିଷ୍ଟ କରିଥିଲା, ଯେଉଁ ଆଧାରରେ ସେ ମହାନ ହୋଇ ପର୍ଯ୍ୟାପ୍ତ ସମ୍ପତ୍ତି ହାତେଇବାକୁ ସମର୍ଥ ହୋଇପାରିଲେ।

ସ୍ୱାଧୀନ ଭାବେ ଥରେ ନିର୍ବାଚନ ଜିଣି ସେ ନିଜ ବିଧାନସଭା ଆସନରୁ ଜିତି ନିଜର ଦକ୍ଷତା ଦେଖାନ୍ତୁ। ସେ ଯେତେ ଯାହା ଲାଭ ହାସଲ କରିଛନ୍ତି ତାହା କେବଳ ବିଜେଡି ଓ ନବୀନଙ୍କ ପାଇଁ। ଏବେ ଯେତେ ଯାହା କହିଲେ ବି ପ୍ରଦୀପ ନିଜ ସ୍ୱାର୍ଥ ସୁରକ୍ଷା ପାଇଁ ବ୍ୟଗ୍ର ବୋଲି ବୁଝିବାକୁ ହେବ। ତେଣୁ ରାଜକୋଷ ଲୁଟ କରି ନିଜକୁ ସତୀ କହିଲେ କିଏ ଶୁଣିବ।

ନବୀନ-ନବୀନ। ଅତିତରେ ତାଙ୍କ ସହ ଯିଏ ବି ବେଇମାନି କରିଛି ସେ ଦଣ୍ଡ ପାଇଛି। କାରଣ ନବୀନଙ୍କ ଭଳି ଜଣେ ନିଃସ୍ୱାର୍ଥପର ମୁଖ୍ୟମନ୍ତ୍ରୀ ଦୁର୍ନୀତିକୁ ବରଦାସ୍ତ କରନ୍ତି ନାହିଁ କି କାହାକୁ ଓଡିଶା ବିରୋଧୀ ହେବାକୁ ସୁଯୋଗ ଦିଅନ୍ତି ନାହିଁ। ଅନେକବାର ଏହାର ପ୍ରମାଣ ମିଳିଛି। ଆଜି ପ୍ରଦୀପ ଗର୍ଜୁଛନ୍ତି ନିଜ ସ୍ୱାର୍ଥ ପାଇଁ, ହେଲେ ଏହା ଯେ ଭବିଷ୍ୟତରେ ପ୍ରଦୀପଙ୍କ ପାଇଁ ଖୁବ ମହଙ୍ଗା ପଡିବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

ଜନବିରୋଧୀ କାର୍ଯ୍ୟର ସଂଜ୍ଞା ବୁଝାଇଲେ ପ୍ରତାପ ଦେବ

ଭୁବନେଶ୍ବର : ଜନ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଗୋପଳପୁରର ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କାର କରାଯାଇଛି। ତେବେ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଲାଗିଥିବା ଜନବିରୋଧୀର ସଂଜ୍ଞା ନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ ଉତ୍ତର ରଖିଛନ୍ତି। ଗଞ୍ଜାମ କରୋନାରେ ଯୁଝୁଥିଲାବେଳେ ପ୍ରଦୀପ ପାଣିଗ୍ରାହୀ ଚାର୍ଟର ବିମାନରେ ଉଡୁଥିଲେ ବୋଲି କହିଛନ୍ତି ପ୍ରତାପ ଦେବ।

ସେ ଥରେ କି ଦୁଇଥର ନୁହେଁ 18 ଥର ଚାର୍ଟର ବିମାନରେ ବୁଲିଥିଲେ ବୋଲି କହିଛନ୍ତି ପ୍ରତାପ ଦେବ । ସେହିପରି ତାଙ୍କର ଭାବୀ ଜ୍ବାଇଁ ଆକାଶ ପାଠକଙ୍କ ଜରିଆରେ 68ଜଣଙ୍କ ଲୋକଙ୍କଠାରୁ ଚାକିରି ନାଁରେ ପଇସା ନିଆଯାଇଥିବା ନେଇ ମଧ୍ୟ ଅଭିଯୋଗ ରହିଛି ।

ତେବେ ଏହି ଘଟଣାର ତଦନ୍ତ ଚାଲିଛି, ଯଦି ଏହା ସତ୍ୟ ହୁଏ, ତେବେ ଏହା ନିଶ୍ଚିତ ଭାବରେ ଜନବିରୋଧୀ କାର୍ଯ୍ୟ ହେବ କି ନାହିଁ ବୋଲି କହିଛନ୍ତି ପ୍ରତାପ ଦେବ । ତାଙ୍କ ବିରୋଧରେ କୌଣସି ଷଡଯନ୍ତ୍ର ହୋଇନାହିଁ, ତଦନ୍ତ ଅନୁସାରେ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ପ୍ରତାପ ଦେବ। ମୁଖ୍ୟମନ୍ତ୍ରୀ ବିନା ପ୍ରମାଣରେ ପଦକ୍ଷେପ ନେବେନି କି ଓଡ଼ିଶାବାସୀ ମୂର୍ଖ ନୁହନ୍ତି ବୋଲି କହିଛନ୍ତି ପ୍ରତାପ ଦେବ ।

ସେହିପରି କରୋନା ସମୟରେ ସାଧାରଣ ଜନତା ହଇରାଣ ହରକତ ହେଉଥିବାବେଳେ ପ୍ରଦୀପ ପାଣିଗ୍ରାହୀ ତାଜ୍‌ ହୋଟେଲ୍‌ ରହି ଅୟସ କରୁଥିଲେ ବୋଲି ସୂଚନା ରହିଛି । ସେ ତାଜ୍‌ରେ ରହିବା ପାଇଁ 84 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

Categories
ବିଶେଷ ଖବର ରାଜ୍ୟ ଖବର

ନବୀନ ପଟ୍ଟନାୟକ ଟାଇଗରକୁ ଛାଡି ନ ଥିଲେ ଶୃଗାଳକୁ ପଚାରେ କିଏ?

ହେମାଙ୍ଗ ପ୍ରସାଦ ରାଉଳ

ଓଡ଼ିଶା ତଥା ଗଞ୍ଜାମ ଜିଲ୍ଲାରେ ବିଜେଡି ଦଳର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ନବୀନ ପଟ୍ଟନାୟକ।  ସେ ଦିନ ତାଙ୍କ ସହ ଯୋଡ଼ି ହୋଇ ରହିଥିଲେ ଗଞ୍ଜାମ ଟାଇଗର ରାମକୃଷ୍ଣ ପଟ୍ଟନାୟକ। କୁହାଯାଏ ଓଡ଼ିଶା ରାଜନୀତିରେ ରାମକୃଷ୍ଣ ପଟ୍ଟନାୟକ ଜଣେ ଅନୁଭବୀ ଏବଂ ଦକ୍ଷ ମଣିଷ। କିନ୍ତୁ ଯେତେବେଳେ ନବୀନ ପଟ୍ଟନାୟକଙ୍କ ରାଜନୀତି ଓ କ୍ଷମତା ପ୍ରତି ବିପଦ ସୃଷ୍ଟି କରିବାରେ ଗଞ୍ଜାମ ର ରାଜନୀତି ଟାଇଗର ପ୍ରମୁଖ ଭୂମିକା ନେବାର ସୂଚନା ଓ ଆଶଙ୍କା ବଢିଲା ସବୁ ଦିନ ପାଇଁ ଅହଂକାରୀ ପ୍ରକୃତିର ରାମ କୃଷ୍ଣ ପଟ୍ଟନାୟକଙ୍କ ରାଜନୈତିକ କ୍ୟାରିୟର କେବଳ ବଳି ପଡିଲାନି ବରଂ ସେ ଓଡ଼ିଶା ରାଜନୀତିରେ ଏକ ପ୍ରକାର ଅସ୍ତ ଗଲେ । ଏହି ଗଞ୍ଜାମ ଜିଲ୍ଲାର ତରୁଣ ପିଢ଼ିର ରାଜନେତା ପ୍ରଦୀପ ପାଣିଗ୍ରାହୀ ଦେଖିବାକୁ ଗଲେ ରାମ କୃଷ୍ଣ ପଟ୍ଟନାୟକଙ୍କ ଅନୁଭବ ଦକ୍ଷତା ଓ କୌଶଳ ଆଗରେ ନିଷ୍ପ୍ରଭ। ପ୍ରଦୀପ ପାଣିଗ୍ରାହୀ ଗୋଟିଏ ସାଙ୍ଘାତିକ ଚରିତ୍ର ଧରି ରାଜନୀତିରେ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିବା ପରିବର୍ତ୍ତେ ଅନେକ ସମୟରେ ଜନ ପ୍ରତିନିଧିର ଅହଙ୍କାରର ଏକ ସ୍ଵର ହୋଇ ଯେଉଁ ମନ୍ଦ ଉଦ୍ଦେଶ୍ୟ ନେଇ ଅନେକ କାହାଣୀ ରଚନା କରିବା ସହ ନିଜ ଅଞ୍ଚଳ ସ୍ବାର୍ଥକୁ ଗୌଣ କରି ପରିବାରର ନିଜ ସ୍ବାର୍ଥ ଦୃଷ୍ଟିରୁ ଦଳରେ ରହି କ୍ଷମତାର ଅପବ୍ୟବହାର କରି ଆସୁଥିଲେ ତାଙ୍କୁ ଉଚିତ୍ ଦଣ୍ଡ ଦିଆଯାଇ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଠିକ୍ ନ୍ୟାୟ ମିଳିଛି କହିଲେ ଅତ୍ୟୁକ୍ତି ହେବନାହିଁ।

ରାମକୃଷ୍ଣ ପଟ୍ଟନାୟକ ଟାଇଗର ଥିଲେ କିନ୍ତୁ କେବେ ଶୃଗାଳ ହୋଇ ନ ଥିଲେ। କିନ୍ତୁ ଗୋଟିଏ ଶୃଗାଳ ଆଜି ବିଜେଡ଼ିରେ ରହି ଟାଇଗରର ରୂପ ଧରି କେତେବଳେ କର୍ମୀଙ୍କୁ ପୁଣି କେତେବେଳେ ପଦାଧିକାରୀଙ୍କୁ ଅତି ଖରାପ୍ ବ୍ୟବହାର ଦେଖେଇ ଆସୁଥିଲେ। ନିର୍ବାଚନ ମଣ୍ଡଳୀରେ ଅନେକ ସମୟରେ ନିଜ ଲୋକଙ୍କୁ ଯେଉଁ ଖରାପ୍ ବ୍ୟବହାର ଦେଖେଇ ଆସୁଥିଲେ ସେ ସବୁ ଥିଲା ବଡ଼ ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ। ଓଡିଶା ଜଙ୍ଗଲ ଓ ପରିବେଶ ବିଭାଗର ଭ୍ରଷ୍ଟ ଅଫିସର୍ ଅଭୟ ପାଠକଙ୍କ ପୁତ୍ର ଆକାଶ ସହ ଝିଅ ବିବାହ ଦେବା ପାଇଁ ବହୁ ଆଗରୁ ଯୋଜନା କରି ପ୍ରଦୀପ ପାଣିଗ୍ରାହୀ କ୍ଷମତାର ଅପବ୍ୟବହାର କରି ଆସୁଥିଲେ ଅନେକ ଦିନ ଧରି। ଗୋଟିଏ ଉଦ୍ଧତ ଚରିତ୍ରର ଶୃଗାଳ ଆଜି ନିଜ କରିଥିବା ଅପକର୍ମ ପାଇଁ ଉତ୍ତରଦାୟୀ ଅଟେ। ଅତୀତରେ ଟାଇଗର କୁ ନବୀନ ପଟ୍ଟନାୟକ ଫିଙ୍ଗି ଦିଆଯାଇଥିବା ବେଳେ ଶୃଗାଳର ସ୍ଥାନ କେଉଁଠି ରହିବ? ଜନ ପ୍ରତିନିଧି ଯଦି ଜନ ବିରୋଧୀ କାର୍ଯ୍ୟ ସମ୍ପାଦନ କରିବାକୁ ସାହାସ କରେ ତା କୁ ଦଣ୍ଡ ନ ଦେଲେ ରାଜ ଧର୍ମ ମଧ୍ୟ ପଥ ଭ୍ରଷ୍ଟ ହେବ।

Categories
ବିଶେଷ ଖବର

ଉପନିର୍ବାଚନ ୨୦୨୦: ବାଜି ମାରିଲା ବିଜେଡି

ଭୁବନେଶ୍ବର: ରାଜ୍ୟର ଦୁଇ ଉପନିର୍ବାଚନରେ ବିଜେଡି ବାଜି ମାରିଛି। ଉଭୟ ତିର୍ତ୍ତୋଲ ଓ ବାଲେଶ୍ବର ସଦରରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ନେଇ ଅନୌପଚାରିକ ଭାବେ ସିଏଇଓ ସୂଚନା ଦେଇଛନ୍ତି। ହେଲେ ଏନେଇ ରିଟର୍ନିଙ୍ଗ ଅଫିସର ବିଦ୍ଧିବଦ୍ଧ ଭାବେ ଫଳ ଘୋଷଣା କରିବେ ବୋଲି ସିଏଇଓ କହିଛନ୍ତି।

ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୪୧ ହଜାର ୭୦୩ ଭୋଟ୍‌ ଅଧିକ ପାଇଥିବା ବେଳେ ବାଲେଶ୍ବରରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାଶ ୧୩ ହଜାର ୩୯୫ ଭୋଟ୍ ଅଧିକ ପାଇଛନ୍ତି।

ବିଷ୍ଣୁ ଦାସଙ୍କ ମୃତ୍ୟୁ ପରେ ତିର୍ତ୍ତୋଲ ଆସନ ପାଇଁ ବିଜେଡି ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଥିଲା। ୨୦୧୯ ନିର୍ବାଚନରେ ବିଜେଡି ବିଷ୍ଣୁ ଚରଣ ଦାସଙ୍କୁ ପ୍ରାର୍ଥୀ କରିଥିଲା। ବିଷ୍ଣୁ ଚରଣ ଦାସ ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇଙ୍କ ଠାରୁ ୩୫ ହଜାର ୪୪୮ ଖଣ୍ଡ ଭୋଟ୍‌ ପାଇଁ ନିର୍ବାଚିତ ହୋଇଥିଲେ। ତେବେ ତାଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି ତାଙ୍କ ପୁତ୍ର ବିଜୟ ଶଙ୍କର ଦାସ।

ଅପରପକ୍ଷରେ ଜିତିଥିବା ଆସନରେ ବିଜେପିକୁ ନିରାଶ ହେବାକୁ ପଡିଛି। ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ମୃତ୍ୟୁ ପରେ ବାଲେଶ୍ବର ସଦର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ନିରାଶ ହେବାକୁ ପଡିଛି। ଏଠାରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାଶ ୧୩ ହଜାର ୩୯୫ ଭୋଟ୍‌ରେ ବିଜୟୀ ହୋଇଛନ୍ତି।

୨୦୧୯ ନିର୍ବାଚନରେ ମଦନ ମୋହନ ଦତ୍ତ ଭାରତୀୟ ଜନତା ପାର୍ଟିରୁ ପ୍ରାର୍ଥୀ ଭାବରେ ବାଲେଶ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିଥିଲେ। ସେ ଏହି ନିର୍ବାଚନରେ ମୋଟ୍‌ ୭୪ ହଜାର ୮୧୫ ଖଣ୍ଡ ଭୋଟ୍‌ ପାଇଁ ବିଜୟୀ ହୋଇଥିଲ। ତେବେ ତାଙ୍କର ମୃତ୍ୟୁ ପରେ ବିଜେଡି ଏଠାରେ ସ୍ବରୂପ ଦାଶଙ୍କୁ ପ୍ରାର୍ଥୀ କରିଥିଲା। ଅପରପକ୍ଷରେ ମଦନ ମୋହନ ଦତ୍ତଙ୍କ ପୁତ୍ର ମାନସ ଦତ୍ତଙ୍କୁ ବିଜେପି ଏଠାରେ ପ୍ରାର୍ଥୀ କରିଥିବାବେଳେ ବିଜେପିକୁ ନିରାଶ ହେବାକୁ ପଡିଛି।

ବିଜେଡିରେ ସାଙ୍ଗଠାନିକ ସ୍ଥିତି ଓ ଦଳୀୟ ନୀତି ଯୋଗୁଁ ବିଜେଡି ନିଜର ଜୟଯାତ୍ରା ଜାରିରଖିଛି। ତିର୍ତ୍ତୋଲ ଆସନଟି ପୂର୍ବରୁ ବିଜେଡିର ଥିବାବେଳେ ସେଠାରେ ସେ ସ୍ଥିତି ଦୃଢ କରିଛି। ତେବେ ବାଲେଶ୍ବର ସଦରରେ ବିଜେପିଠାରୁ ଆସନ ଛଡାଇ ନେଇଛି ବିଜେଡି। ବାଲେଶ୍ବର ସଦରରେ ଦଳୀୟ କନ୍ଦଳ ଥିବା ସତ୍ତ୍ବେ ବିଜେଡି ସେହି ଆସନରେ ବାଜିମାତ୍‌ କରିପାରିଛି।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡିରୁ ସସ୍‌ପେଣ୍ଡ ହେଲେ ଜୀବନ ପ୍ରଦୀପ ଦାସ

ଭୁବନେଶ୍ବର : ବାଲେଶ୍ୱର ଉପ ନିର୍ବାଚନ ପରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କୁ ନିଲମ୍ବନ କରିଛି ବିଜେଡି । ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ରହିଥିବା କାରଣରୁ ଜୀବନ ପ୍ରଦୀପଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଚଳିତ ଉପ ନିର୍ବାଚନ ପୂର୍ବରୁ ଦଳୀୟ ଟିକଟ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ଉପ ନିର୍ବାଚନ ସମାପ୍ତ ହେବାର ଦୁଇ ଦିନ ମଧ୍ୟରେ ଜୀବନ ପ୍ରଦୀପ ଦାସଙ୍କୁ ଦଳ ନିଲମ୍ବନ କରିଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଲମ୍ବନ କରିବା ସହିତ ସମସ୍ତ ଦଳୀୟ ଦାୟିତ୍ୱରୁ ତୁରନ୍ତ କାଢିବା ନିମନ୍ତେ ନିଦେ୍ର୍ଧଶ ଦିଆଯାଇଛି ।

ବାଲେଶ୍ବରର ସଦରର ଉପନିର୍ବାଚନ ସମୟରେ ବିଜେଡି  ବାଲେଶ୍ବର ସଦର ଉପନିର୍ବାଚନ ସମୟରେ ଉଭୟ ରବୀନ୍ଦ୍ର ଜେନା ଓ ଜୀବନ ପ୍ରଦୀପ ଦାସଙ୍କ ମଧ୍ୟରେ ଅନ୍ତଃକନ୍ଦଳ ସ୍ପଷ୍ଟ ବାରି ହୋଇପଡୁଥିଲା । ତେବେ ନିର୍ବାଚନ ପରେ  କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।  2019 ନିର୍ବାଚନରେ ମଧ୍ୟ ସେ ଦଳ ତରଫରୁ ପ୍ରାର୍ଥୀ ହୋଇଥିଲେ। ହେଲେ ବିଜେପି ନେତା ମଦନମୋହନ ଦତ୍ତ ତାଙ୍କୁ ପାଖାପାଖି 13 ହଜାର ଭୋଟରେ ହରାଇ ଦେଇଥିଲେ। ମଦନ ମୋହନ ଦତ୍ତଙ୍କ ମୃତ୍ୟୁ ପରେ ସେହି ଆସନ ପାଇଁ ବିଜେଡି ସ୍ବରୂପ ଦାସଙ୍କୁ ପ୍ରାର୍ଥୀ କରିଥିଲା ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ତିର୍ତ୍ତୋଲ ପଞ୍ଚାୟତର ବିଜେଡି ବୈଠକକୁ ଆସିଲେନି ଦଳୀୟ ସରପଞ୍ଚ

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ସ୍ଥିତ ଆନନ୍ଦମଣ୍ଡପ ଠାରେ ତିର୍ତ୍ତୋଲ ପଞ୍ଚାୟତ ବିଜେଡିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମହାକାଳପଡ଼ା ବିଧାୟକ ତଥା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ, ଜନ୍ମେଜୟ ଲେଙ୍କା, ବିଜେଡିର ଜିଲ୍ଲା ସଭାପତି ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ପାରାଦ୍ଵୀପ ବିଧାୟକ ସମ୍ବିତ ରାଉତରାୟ ପ୍ରମୁଖ ଅତିଥିଭାବେ ଯୋଗଦେଇଥିବା ବେଳେ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ପ୍ରବୀର ରାୟ, ତିର୍ତ୍ତୋଲ ପଞ୍ଚାୟତ ବିଜେଡି ସଭାପତି ଦେବେନ୍ଦ୍ର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିବା ଦେଖିବାକୁ ମିଳିଥିଲା।

ଉକ୍ତ ବୈଠକରେ ତିର୍ତ୍ତୋଲ ପଞ୍ଚାୟତର ବହୁ ବିଜେଡି କର୍ମୀ ଯୋଗଦେଇଥିବା ବେଳେ ଉକ୍ତ ପଞ୍ଚାୟତର ଶାସକ ଦଳର ସରପଞ୍ଚ କିନ୍ତୁ ଏଥିରେ ଯୋଗଦେଇ ନଥିଲେ। ନିକଟସ୍ଥ ତିର୍ତ୍ତୋଲ ବଜାରରେ ସରପଞ୍ଚ ଉପସ୍ଥିତ ଥିବା କୁହାଯାଉଥିବା ବେଳେ ଉକ୍ତ ବୈଠକରେ କେଉଁ କାରଣରୁ ଯୋଗଦେଇ ନଥିଲେ ଯାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଉକ୍ତ ବୈଠକରେ ଯୋଗଦେଇଥିବା ତାଙ୍କ ସମର୍ଥକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା କୁହାଯାଉଥିବା ବେଳେ ଏହାକୁ ନେଇ ଏବେ ତିର୍ତ୍ତୋଲ ଅଞ୍ଚଳରେ ଯୋରଦାର ଚର୍ଚ୍ଚା ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଅଫିସ୍‌ ସିଲ୍‌ ହେବା ପରେ ଅପରାଜିତାଙ୍କ ପ୍ରତିକ୍ରିୟା : କେବେ ସିଲ୍‌ ହେବ ବିଜେଡି ପାର୍ଟି ଅଫିସ୍‌

ଭୁବନେଶ୍ବର : ସାଂସଦ ଅପରାଜିତାଙ୍କ ଅଫିସ୍‌ ସିଲ୍‌ ହେବା ପରେ ଅପରାଜିତା ଏନେଇ ପ୍ରତିକ୍ରିୟା ରଖିଛନ୍ତି । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ବିଜେଡି ପାର୍ଟି ଅଫିସ୍‌ କେବେ ସିଲ୍‌ ହେବ ସେନେଇ ପ୍ରଶ୍ନ କରିଛନ୍ତି । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିବେ ବୋଲି କହିଛନ୍ତି । ନିୟମ ଭାଙ୍ଗୁଥିବା ବିଜେଡି ନେତାଙ୍କ କେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ସରକାର 15 ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁବୋଲି କହିଛନ୍ତି ଅପରାଜିତା । ଅଫିସ୍‌ ସିଲ୍‌ ହେବା ପରେ ଅଫିସ୍‌ସାମ୍ନାରେ ବାହାରେ ବସି ପ୍ରେସ୍‌ମିଯ୍‌ କରିଛନ୍ତି ଅପରାଜିତା । ଏହି ଅବସରରେ 17ଟି ଫଟୋ ଏବଂ ଗୋଟିଏ ଭିଡିଓ ଦେଖାଇଛନ୍ତି ଅପରାଜିତା । ବିଜେଡି ଅଫିସ୍‌, ମହାରଥୀଙ୍କ ଶେଷକୃତ୍ୟ ଗହଳିର ଫଟୋ ଦେଖାଇଛନ୍ତି । ମହାରଥୀଙ୍କ ଶେଷ ଦର୍ଶନଙ୍କ ଯାଇଥିବା ମନ୍ତ୍ରୀ ସମୀର ଦାଶ ମାସ୍କ ପିନ୍ଧିନଥିଲେ । ସେହିପରି ତିର୍ତ୍ତୋଲ ବିଜେଡି ମିଟିଂରେ ନେତାଙ୍କ ସହ ତିନିଶହ ଲୋକ ମାସ୍କ ପିନ୍ଧିନଥିଲେ ବୋଲି କହିଛନ୍ତି ଅପରାଜିତା । ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ତେବେ  ଆକ୍ରୋଶ ମୂଳକ ମନୋଭାବ ରଖାନଯାଉ ବୋଲି କହିଛନ୍ତି ଅପରାଜିତା ।  7ମାସରେ 2/3ଟି ଭର୍ଚୁଆଲ ମିଟିଂ କରି ଶାସନ ଚାଲିପାରିବ ନାହିଁ । ଲୋକଙ୍କ ପାଇଁ ସବୁବେଳେ କାମ କରିବାକୁ ଇଚ୍ଛା ରଖିଛି ତେଣୁ କୌଣସି ବାଧା ବିକାଶ କାମକୁ ଅଟକାଇପାରିବ ନାହିଁ ବୋଲି କହିଛନ୍ତି ଅପରାଜିତା । ଜନ୍ମଦିନରେ ଜଣେ ମହିଳାଙ୍କ ଅନୁରୋଧରେ 2 ମିନିଟ୍‌ ପାଇଁ ମାସ୍କ ଖସାଇଥିଲେ ବୋଲି କହିଛନ୍ତି ଅପରାଜିତା ।ପ୍ରଧାନମନ୍ତ୍ରୀ ତାଙ୍କ ଆଦର୍ଶ,  କଦାପି କୋଭିଡ୍‌ ଆଇନ ଭଙ୍ଗ କରିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି ଅପରାଜିତା ।

ସୂଚନାଯୋଗ୍ୟ, ସାଂସଦ ଅପରାଜିତାଙ୍କ ନାଁରେ କୋଭିଡ୍‌ ଯୋଦ୍ଧା ଅଭିଯୋଗ ଆଣିବା ପରେ ତାଙ୍କ ଅଫିସ୍‌କୁ ବିଏମ୍‌ସ୍‌ ତରଫରୁ ସିଲ୍‌ କରାଯାଇଛି । କାର୍ଯ୍ୟାଳୟରେ କୋଭିଡ୍ ନିୟମ ଉଲଂଘନ ଜନ୍ମଦିନ ପାଳନ କରିଥିଲେ ସାଂସଦ ବୋଲି ଅଭିଯୋଗ ହୋଇଥିଲା ।

Categories
ବିଶେଷ ଖବର ରାଜ୍ୟ ଖବର

କରୋନା ପାଗ ଦେଖି ପଗଡି ଭିଡିଲା ବିଜୁ ଜନତା ଦଳ, ବିରୋଧୀ ଦଳ ଚୁପ୍

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର. ଏବେ ସାରା ବିଶ୍ବରେ ଯେପରି କରୋନା ଭୟ ଘାରିଛି, ସେହିପରି ଓଡିଶାରେ ମଧ୍ୟ ତାହା ଅନୁଭୂତ ହେଉଛି। ତେବେ ସାଧାରଣ ଲୋକଙ୍କୁ ସିନା କୋଭିଡ19 ଭୟ ହେଲେ ନେତାଙ୍କୁ ନୁହେଁ। ବର୍ତ୍ତମାନ ନେତାଙ୍କୁ କୋଭିଡଠାରୁ ଆହୁରି ଭୟ ଲାଗିଲାଣି ଭୋଟ। କାରଣ ବର୍ତ୍ତମାନ ରାଜ୍ୟରେ ନିର୍ବାଚନ ଋତୁ ପାଖେଲାଣି। ଏପଟେ କୋଭିଡ ସେପଟେ ନିର୍ବାଚନ, କାହାକୁ କଣ କରିବେ ସେ ନେଇ ଚିନ୍ତାରେ ନେତା।

ବର୍ତ୍ତମାନ ଓଡିଶାର ଦୁଇଟି ଉପନିର୍ବାଚନର ଋତୁ ଆରମ୍ଭ ହୋଇଯାଇଥିବା ବେଳେ ତାପରେ ଆସିବ ନଗର ନିର୍ବାଚନ। ଏହା ପରେ ପରେ ପଞ୍ଚାୟତ ନିର୍ବାଚନ ପାଖେଇବ। ସେଥିପାଇଁ ରାଜନୈତିକ ଦଳଗୁଡିକ ଏବେଠାରୁ ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି। କାରଣ ନଗର ନିର୍ବାଚନ ବେଳେ ପ୍ରମୁଖ ଭୁବନେଶ୍ବର ଓ କଟକ ପରି ମହାନଗରର ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ।

ତେବେ ଏହି କୋଭିଡ ମହାମାରୀ ସମୟରେ ରାଜନୈତି ଫାଇଦା କିଏ ହାସଲ କରୁଛି ବୋଲି ଯଦି ପ୍ରଶ୍ନ ପଚରାଯାଏ ତେବେ ବିଜେଡି ବୋଲି କହିହେବ। କାରଣ ବର୍ତ୍ତମାନ ବିଜେଡି ରାଜ୍ୟରେ ବେଶ୍ ଶକ୍ତିଶାଳୀ ଥିଲେ ମଧ୍ୟ ସେ ପ୍ରଚାର ପ୍ରସାର ସହ ଜନସେବା କରିବାରେ ପଛ ଘୁଞ୍ଚା ଦେଉ ନାହିଁ। ବିରୋଧୀ କଂଗ୍ରେସ ଓ ବିଜେପି କରୋନାରେ ସରକାର କଣ ଦୁର୍ନିତି କରୁଛନ୍ତି ବୋଲି ରଡି କରିବାରେ ଲାଗିଛନ୍ତି। ଠିକ୍ ସେତିକି ବେଳେ ବିଜେଡି ସେପଟେ ଗାଁ ଗାଁ ବୁଲି ଲୋକଙ୍କୁ ମାସ୍କ ଓ ସାନିଟାଇଜର ବାଣ୍ଟିବାରେ ବ୍ୟସ୍ତ।

ପାଗ ଦେଖି କେଉଁ କୈଶଳ ଆପଣେଇ ହେବା ତାହା ବିଜେଡିକୁ ବେଶ୍ ଭଲ ଭାବରେ ଜଣା ଅଛି। ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀରୁ ବିଜେଡି ଆରମ୍ଭ କରିଛି ତାହାର ପଦଯାତ୍ରା। ମୁଖ୍ୟତଃ ପୂର୍ବ ପଦଯାତ୍ରାଗୁଡିକରେ ବିଜେଡି ସରକାରଙ୍କ ସଫଳତାର ପ୍ରଚାର ପ୍ରସାର କରାଇଥାଏ। ହେଲେ ଏଥର ପରିସ୍ଥିତି ଦେଖି ଦଳ ତାହାର ରଣନୀତି ବଦଳାଇ ଦେଇଛି।

ଏଥର କରୋନା ବେଳେ ଲୋକଙ୍କୁ ସାହାର୍ଯ୍ୟ କରିବା ମନୋବୃତି ନେଇ ଏହି ପଦଯାତ୍ରା କରିଛି। ଏଥିରେ ବିଧାୟକ, ମନ୍ତ୍ରୀ ଏବଂ କର୍ମିମାନେ ଗାଁ ଗାଁକୁ ବୁଲି ମାସ୍କ ବାଣ୍ଟିବେ, ସାମାଜିକ ଦୂରତା ଏବଂ ହାତ ଧୋଇବା ପ୍ରଭୃତି କାମ କରିବା ପାଇଁ ସଚେତନ କରାଇବେ। ଏପରି ସୁନ୍ଦର ଯୋଜନା ନେଇ ବିଜେଡି ଏହି ବିପଦ ସମୟରେ ଲୋକଙ୍କ ପାଖରେ ଛିଡା ହେବା ନିଶ୍ଚିତ ସ୍ବାଗତ ଯୋଗ୍ୟ। ଏପରି ପଦଯାତ୍ରାକୁ କେଉଁ ବିରୋଧୀ ଦଳ ବିରୋଧ କରିବାକୁ ସାହାସ କରିବେ।

ସେଥିପାଇଁ କୁହାଯାଏ ପାଗ ଦେଖି ପଗଡି ବାନ୍ଧେ ବିଜୁ ଜନତା ଦଳ

 

Categories
ବିଶେଷ ଖବର ରାଜ୍ୟ ଖବର

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଦଳଡିଆଁ: କଂଗ୍ରେସ ଛାଡି ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ସହ ବହୁନେତା

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ଉପନିର୍ବାଚନ ପାଇଁ ଏବେଠୁ ଚାଲିଲାଣି ଦଳଡିଆଁ।କଂଗ୍ରେସର ହାତଛାଡି ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କ ସମେତ ପୂର୍ବତନ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ,ସରପଞ୍ଚ, ସମିତିସଭ୍ୟଙ୍କ ସହ ଅନେକ ଆଗଧାଡ଼ିର ନେତା ଆଜି ବିଜେପିରେ ମିଶିଥିବାରୁ ତିର୍ତ୍ତୋଲ କଂଗ୍ରେସକୁ ଲାଗିଛି ଏକ ବଡ ଝଟକା।

ଆଜି ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ଏଥିରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର କଂଗ୍ରେସ ଦଳର ବହୁ ଆଗଧାଡ଼ିର ନେତାଙ୍କ ସହ ବିଜେଡିର ମଧ୍ୟ କିଛି ନେତା ବିଧିବଦ୍ଧ ଭାବେ ବିଜେପି ଦଳରେ ଯୋଗଦେଇଥିଲେ ।ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ କଂଗ୍ରେସ ଦଳରୁ ଦୁଇଥର ବିଧାୟକ ପ୍ରାର୍ଥୀ ହୋଇଥିବା ରାଜକିଶୋର ବେହେରା, ତିର୍ତ୍ତୋଲ ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ୍ତ ନାୟକ (ଦିପୁ) କଂଗ୍ରେସ, ତିର୍ତ୍ତୋଲ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ତଥା ବର୍ତ୍ତମାନ ବିରିତୋଳ ପଞ୍ଚାୟତର ସରପଞ୍ଚ ରୁକସାନା ବେଗମ, ବିରିତୋଳ ପଞ୍ଚାୟତର ନାୟବ ସରପଞ୍ଚ ଅବଦୁଲ କାଦିର୍ ଖାନ୍,ମୁଳସିଂ ପଞ୍ଚାୟତର ସରପଞ୍ଚ ଅନ୍ନପୂର୍ଣ୍ଣା ବିଶ୍ୱାଳ, ମୁଳସିଂ ପଞ୍ଚାୟତର ସମିତି ସଭ୍ୟ ଜ୍ୟୋତିର୍ମୟୀ ମହାନ୍ତି, ମୁଳସିଂ ପଞ୍ଚାୟତର ପୂର୍ବତନ ସରପଞ୍ଚ ମିନତି ଦଳେଇ ,ମୁଳସିଂ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଶରତ ମଲ୍ଲ, ଜଗନ୍ନାଥପୁର ପଞ୍ଚାୟତର ସମିତି ସଭ୍ୟ ସଂଯୁକ୍ତା ଜେନା, କନିମୁଳ ପଞ୍ଚାୟତର ସମିତି ସଭ୍ୟ ରାଣୀ ଚାପେୟା ,କଟରା ପଞ୍ଚାୟତ ପୂର୍ବତନ ସରପଞ୍ଚଙ୍କ ପ୍ରତିନିଧି ଅଶୋକ ମଲ୍ଲିକଙ୍କ ସମେତ ଆଗଧାଡ଼ିର ଅନେକ ନେତା ବିଜେପିରେ ମିଶିଥିଲେ।

ଏଥିସହିତ ବିରିଡ଼ି ବ୍ଲକର ଏସି,ଏସଟି ସେଲ୍ କଂଗ୍ରେସ ସଭାପତି ଟୁଟୁ ମଲ୍ଲିକ, ପୂର୍ବତନ ବିଧାୟକ କୈଳାଶ ମଲିକ,ବିରିଡି ବସନ୍ଦରା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ସ୍ମିତା ଜେନା, ବିରିଡ଼ି ମଙ୍ଗୁଳି ପଞ୍ଚାୟତର ପୂର୍ବତନ ସରପଞ୍ଚ ସନ୍ତୋଷ ଭୂୟାଁ, ଅଲାଣ୍ଡୋ ପଞ୍ଚାୟତର ଯୁବ କଂଗ୍ରେସ ସଭାପତି ସନ୍ତୋଷ ସ୍ୱାଇଁ, ପ୍ରମୁଖ ବିଜେପି ଦଳରେ ମିଶିବା ସହିତ ରଘୁନାଥପୁର ବ୍ଲକ ଛପଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଲେଖ ନାୟକ, ବରାଗୋଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିମଳ ଜେନା, ତରିକୁନ୍ଦ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ରାଉତଙ୍କ ସମେତ ବହୁ ଆଗଧାଡ଼ିର ନେତା ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ବିଜେପି ଦଳରେ ମିଶିଥିଲେ।

କଂଗ୍ରେସ ଦଳର ଆଗଧାଡ଼ିର ନେତା ମାନେ ହାତ ଛାଡି ଯେପରି ଭାବେ ବିଜେପିକୁ କୁଦା ମାରୁଛନ୍ତି ଏଥିରୁ ଲାଗୁଛି ଏଥର ତିର୍ତ୍ତୋଲ ଉପନିର୍ବାଚନର ରଣକ୍ଷେତ୍ରରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଉପ ନିର୍ବାଚନ ପ୍ରସ୍ତୁତି, ତିର୍ତ୍ତୋଲର ବିଜେଡି ନେତା ଅଶ୍ବନୀ ଦାସଙ୍କ ଉପରୁ ଉଠିଲା ନିଲମ୍ବନ ଆଦେଶ

ଭୁବନେଶ୍ବର, ଆଜି ବିଜୁ ଜନତା ଦଳ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳିର ବରିଷ୍ଠ ନେତା ଅଶ୍ବନୀ କୁମାର ଦାସଙ୍କ ଉପରୁ ନିଳମ୍ବନ ଆଦେଶ ଉଠାଇ ନେଇଛି। ଆଜି ଏ ନେଇ ବିଜୁ ଜନତା ଦଳ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ବିଜେଡି ସଭାପତି ନବୀନ ପଟ୍ଟନାୟକ ତିର୍ତ୍ତୋଳ ନିର୍ବାଚନ ମଣ୍ଡଳିର ଅଶ୍ବନୀ ଦାସଙ୍କ ଉପରୁ ନିଳମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଛାତ୍ର ଜୀବନରୁ ରାଜନୀତିର ମୂଳଦୁଆ ଆରମ୍ଭ କରିଥିବା ମନ୍ଦାକିନୀଙ୍କୁ ମିଳିଲା ରାଜ୍ୟ ବିଜେଡିର ସମ୍ପାଦିକା ଦାୟିତ୍ୱ

ରମେଶ ମହାନ୍ତି

ଜଗତସିଂହପୁର : ଘର ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଚିତିରା ପଞ୍ଚାୟତରେ,
ସେ ରାଜଧାନୀର ଏକାମ୍ର ମହାବିଦ୍ୟାଳୟରୁ ସମ୍ପାଦକ ଭାବେ ନିର୍ବାଚିତ ହୋଇ ରାଜନୀତି ଜୀବନ ଆରମ୍ଭ କରି ସମାଜ ସେବାକୁ ବ୍ରତ କରିଥିବା ନାରୀନେତ୍ରୀ ମନ୍ଦାକିନୀ କରଙ୍କ ଉପରେ ବିଜୁ ଜନତା ଦଳର ଗୁରୁ ଦାୟିତ୍ୱ ଦେଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ ।

ତାଙ୍କୁ ରାଜ୍ୟ ବିଜୁ ଜନତା ଦଳ ସମ୍ପାଦିକା ଏବଂ ଅତିରିକ୍ତ ରାଜ୍ୟ ଛାତ୍ର ସଙ୍ଗଠନ ଦାୟିତ୍ୱ ମିଳିଛି । ରାଜ୍ୟରେ ଛାତ୍ର,ଛାତ୍ରୀ ମାନଙ୍କ ସଙ୍ଗଠନକୁ ମଜଭୁତ କରିବାକୁ ମନ୍ଦାକିନୀ ଅଣ୍ଟା ଭିଡିବେ ।ଛାତ୍ର ଜୀବନରୁ ନେତୃତ୍ବ ନେବାର ଆଭାସ ବାରି ହେଉଥିଲା ତାଙ୍କର । ୨୦୦୬ରେ ଏକାମ୍ର ମହାବିଦ୍ୟାଳୟ ରେ ସାଧାରଣ ସମ୍ପାଦିକା ଭାବେ ନିର୍ବାଚିତ ହୋଇ ମହାବିଦ୍ୟାଳୟର ଭଲମନ୍ଦ ଓ ଛାତ୍ର ଛାତ୍ରୀଙ୍କର ସୁବିଧା ଅସୁବିଧା ନେଇ ମହାବିଦ୍ୟାଳୟର କତୃପକ୍ଷଙ୍କ ନଜରକୁ ଆଣୁଥିଲେ ମନ୍ଦାକିନୀ । ଭୁବନେଶ୍ବରର ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ପ୍ରମୁଖ ଭୂମିକା ନିଭାଇ ଛାତ୍ର ରାଜନିତୀରେ ରାଜନୈତିକ ମୂଳଦୁଆ ଥାପିଥିଲେ ସେ । ଅଣ କଂଗ୍ରେସ ପରିବାରରୁ ଆସିଥିବା ମନ୍ଦାକିନୀ କଂଗ୍ରେସ ଓ ବିଜେପି ପ୍ରତି ବିମୁଖ ରହିଥିଲେ । ଏଥିମଧ୍ୟରେ ବିଜୁ ଜନତା ଦଳରେ ନିଜସ୍ୱ ଛାତ୍ର ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ପରେପରେ ରାଜ୍ୟ ଯୁବ ବିଜେଡ଼ି ଉପସଭାନେତ୍ରି ହୋଇ ରାଜ୍ୟ ପାଇଁ ବିଜେଡ଼ି ରାଜନୀତିରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିସାରିଛନ୍ତି । ତାଙ୍କର ତିକ୍ଷ୍ଣ ରାଜନୈତିକ କୁଶଳତା, ଲୋକପ୍ରିୟ ଜନସମ୍ପର୍କ ଓ ଓଜସ୍ବିନୀ ବକ୍ତୃତା ତାଙ୍କୁ ଦଳରେ ସ୍ବତନ୍ତ୍ର ଜାଗା ଦେଇପାରିଛି ।

ମନ୍ଦାକିନୀଙ୍କ ରାଜନୈତିକ ଚାତୁରୀରେ ଭରଷାକରି ପ୍ରଥମେ ୨୦୧୬ ମସିହାରେ ନୟାଗଡ଼ ଜିଲ୍ଲାର ଏକ ଉପନିର୍ବାଚନରେ ଦଳ ତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଥିଲା । ନିଜର ପରାକାଷ୍ଠାରେ ସେ ଦଳର ଗୁରୁଦାୟିତ୍ୱ ସଠିକ ଭାବେ ତୁଲାଇ ଥିବାରୁ ଦଳ ତାଙ୍କ ଉପରେ ଆସ୍ଥା ସ୍ଥାପନ କରିଥିଲା । ପୁଣି ତାଙ୍କୁ ଜିଲ୍ଲାପରିଷଦ ଉପନିର୍ବାଚନ ବେଳେ ଜଟଣୀରେ ତାଙ୍କୁ ଦାୟିତ୍ଵ ଦେଇଥିଲେ ଦଳର ସୁପ୍ରିମୋ । ସେତେବେଳେ ମୋଦି ହାୱା ସାରା ରାଜ୍ୟରେ ଚାଲିଥିବା ବେଳେ ସେ ତାଙ୍କର ଦକ୍ଷତା ବଳରେ ଦଳୀୟ ପ୍ରାଥିକୁ ବିପୁଳ ବ୍ୟବଧାନରେ ବିଜୟୀ କରାଇବାରେ ସକ୍ଷମ ହୋଇଥିଲେ । ସେହିପରି ଉପକୂଳ ଓଡ଼ିଶାର ପାରାଦୀପ ଏନ୍ ଏସ୍ ସି ନିର୍ବାଚନରେ ତାଙ୍କୁ ଗୁରୁଦାୟିତ୍ଵ ଦିଆଯାଇଥିଲା। ଯାହା ଫଳରେ ସେ ନବୀନଙ୍କ ପ୍ରିୟଭାଜନ ହୋଇପାରିଥିଲେ ।ଏଥିସହିତ ବିଜୁ ଜନତା ଦଳର ସ୍ବତନ୍ତ୍ର କାର୍ଯ୍ୟକ୍ରମ “ହକ୍ ମାଗୁଛି ଓଡିଶା” ପାଇଁ ତାଙ୍କୁ ଖୋର୍ଦ୍ଧା ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଥିଲା ଦଳ । ପରେ ସାଧାରଣ ନିର୍ବାଚନ ପୂର୍ବରୁ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଧାରିତ ହାଲୋଗ୍ରମ୍ ପରିବେଷଣ ରାଜ୍ୟ ସଂଯୋଜକ ଭାବେ ଦାୟିତ୍ଵ ନେସ୍ତ କରାଯାଇଥିଲା ।ଜିଲ୍ଲାର ବରିଷ୍ଠ ନେତୃତ୍ବ ମାନଙ୍କ ସହିତ ଦଳିୟ କାର୍ଯ୍ୟର ନେତୃତ୍ବ ନେବାର ଦକ୍ଷତା ପ୍ରଦର୍ଶନ କରିଥିଲେ ସେ ।

୨୦୧୯ ସାଧାରଣ ନିର୍ବାଚନରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ତାଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ପ୍ରଦାନ କରାଯାଇଥିଲା । ମହିଳା ସ୍ବୟଂସହାୟୀକା ଗୋଷ୍ଠି ମାନଙ୍କୁ ଏକାଠି କରି ମହିଳା ମାନଙ୍କୁ ଦଳ ମୁହାଁ କରିବାରେ ଅନ୍ୟ ରାଜନୈତିକ ଦଳ ମାନଙ୍କର ଆଖିରୁ ନିଦ କାଢି ନେଇଥିଲେ ମନ୍ଦାକିନୀ । ଅନ୍ୟ ରାଜନୈତିକ ଦଳର ସଂଗଠନକୁ ଚୁରମାର କରି ବିଜେଡିରେ ସାମିଲ କରାଇ ଦଳ ସପକ୍ଷରେ ମହିଳା ମାନଙ୍କ ସମର୍ଥନର ଅନ୍ତସ୍ରୋତ ପ୍ରବାହ କରି ସମସ୍ତ ନିର୍ବାଚନ ମଣ୍ଡଳୀରେ ମହିଳା ମାନଙ୍କ ପ୍ରିୟପାତ୍ର ହୋଇପାରିଥିଲେ ସେ । ଅନ୍ୟଦଳର ଗଡରେ ଗଡମା ବାନ୍ଧି ଅଗ୍ନି ସଂଯୋଗ କରି ଦଳକୁ ଛିନଛତ୍ର କରି ଗଡ ଜୟକରିବାରେ ମାହିର । ସେତେବେଳେ ବିଧାୟକ ପ୍ରାର୍ଥି ବିଷ୍ଣୁ ଦାସ ଅସୁସ୍ଥ ସତ୍ତ୍ଵେ ମନ୍ଦାକିନୀ ନିଜେ ବିଜେଡ଼ିକୁ ବିପୁଳ ସମର୍ଥନ ଜୁଟାଇବାରେ ସକ୍ଷମ ହୋଇଥିଲେ ।
ଯାହା ଫଳରେ ବିଜେଡ଼ି ତାଙ୍କୁ ନିଜର କୋର କମିଟିକୁ ନେଇଥିଲା ।
ନିଜର ଚର୍ଚ୍ଚିତ ରାଜନୈତିକ କ୍ୟାରିୟରର ମୂଳଦୁଆ ମଜଭୁତ କରିଥିବା ନାରୀନେତ୍ରୀ ମନ୍ଦାକିନୀଙ୍କ ଉପରେ ଦଳ ପୁଣି ଆସ୍ତା ପ୍ରକଟ କରିଛି । ତାଙ୍କୁ ଆଉ ନିର୍ବାଚନ ମଣ୍ଡଳୀରେ ସୀମାବଦ୍ଧ ନକରି ଦଳ ତାଙ୍କୁ ରାଜ୍ୟ ଦାୟିତ୍ୱ ଦେଇଛି । ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକ ରାଜ୍ୟରେ ବିଭିନ୍ନ ଦଳିୟ ନେତୃତ୍ବ ବଣ୍ଟନ କରିଥିବା ବେଳେ ମନ୍ଦାକିନୀଙ୍କୁ ମିଳିଛି ରାଜ୍ୟ ବିଜୁ ଜନତା ଦଳର ସମ୍ପାଦିକା ପଦବୀ ପରେ ଅତିରିକ୍ତ ରାଜ୍ୟର ଏକମାତ୍ର ମହିଳା ହିସାବରେ ଛାତ୍ର ସଙ୍ଗଠନ ଦାୟିତ୍ଵ ମିଳିଛି । ଏହି ପଦବୀରେ ରହି ସେ ସାରା ରାଜ୍ୟର ଛାତ୍ର,ଛାତ୍ରୀ ମାନଙ୍କର ବିକାଶ ପାଇଁ ଅଣ୍ଟା ଭିଡ଼ିବେ ବୋଲି ସେ କହିଛନ୍ତି ।
ଯାହା ଫଳରେ ସାରା ରାଜ୍ୟରୁ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟୁ ଥିବା ଦେଖିବାକୁ ମିଳୁଛି ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡିରେ ନୂଆ 36 ସାଧାରଣ ସମ୍ପାଦକ, ନଜର ପକାନ୍ତୁ କାହାକୁ କେଉଁ ଦାୟିତ୍ବ

ଭୁବନେଶ୍ବର, ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଦଳର 36 ଜଣ ନେତାଙ୍କୁ ରାଜ୍ୟସ୍ତରୀୟ ସାଧାରଣ ସମ୍ପାଦକ ପଦରେ ନିଯୁକ୍ତି ଦେଇଛନ୍ତି। ଏମାନଙ୍କୁ ବିଭିନ୍ନ ବିଭାଗର ଦାୟିତ୍ବ ଦିଆଯାଇଛି। ଆସନ୍ତୁ ନଜର ପକାଇବା କାହାକୁ ମିଳିଛି କେଉଁ ଦାୟିତ୍ବ।

ସୁଶାନ୍ତ ସିଂହ(ସଶକ୍ତ ଓଡ଼ିଶା),

ଚନ୍ଦ୍ରସାରଥୀ ବେହେରା(ତଫସିଲଭୁକ୍ତ ଜାତି ସଶକ୍ତିକରଣ),

ମନୋହର ରନ୍ଧାରୀ(ସଶକ୍ତ ଓଡ଼ିଶା),

ପୂର୍ଣ୍ଣଚନ୍ଦ୍ର ସ୍ବାଇଁ(ସାମାଜିକ କଲ୍ୟାଣ),

ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ(ତଫସିଲଭୁକ୍ତ ଜାତି ସଶକ୍ତିକରଣ),

ଜଗନ୍ନାଥ ସାରକା(ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର),

ମହମ୍ମଦ ଆୟୁବ ଖାଁ(ସଂଖ୍ୟାଲଘୁ ବ୍ୟାପାର),

ଦେବେଶ ଆଚାର୍ଯ୍ୟ( ଓଡ଼ିଶା ମୋ ପରିବାର)

ଉମାକାନ୍ତ ସାମନ୍ତରାୟ(ସାମାଜିକ କଲ୍ୟାଣ),

ବ୍ୟୋମକେଶ ରାୟ(ଛାତ୍ର ବ୍ୟାପାର),

ଅନନ୍ତ ନାରାୟଣ ଜେନା(ସଶକ୍ତ ଓଡ଼ିଶା),

ରାଜଶ୍ରୀ ମଲ୍ଲିକ( ମହିଳା ସଶକ୍ତିକରଣ),

ପ୍ରିୟଦର୍ଶୀ ମିଶ୍ର(କଳା, ସଂସ୍କୃତି, ମାନବ ସମ୍ବଳ ବିକାଶ),

ଧୃବ ଚରଣ ସାହୁ( ପରିବେଶ),

ପ୍ରଣବ କୁମାର ବଲବନ୍ତରାୟ(ଯୁବ ବ୍ୟାପାର),

ରାଜେଶ୍ହରୀ ପାଣିଗ୍ରାହୀ(ଆଞ୍ଚଳିକ ବିକାଶ),

ରାଜୀବ ଲୋଚନ ପାତ୍ର(ସାମାଜିକ କଲ୍ୟାଣ),

ସୁଧୀର କୁମାର ସାମଲ ( ଓଡ଼ିଶା ମୋ ପରିବାର),

ଡଃ ସସ୍ମିତ ପାତ୍ର ( ଓଡ଼ିଶା ମୋ ପରିବାର),

ବିକ୍ରମ ପଣ୍ଡା ( ଓଡ଼ିଶା ମୋ ପରିବାର),

ଯୋଗେଶ ସିଂହ(ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର),

ଶ୍ରୀମତି ବାସନ୍ତୀ ହେମ୍ବ୍ରମ୍ (ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର)

ବିଜୟ କୁମାର ନାୟକ( ଆଞ୍ଚଳିକ ବିକାଶ),

ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର(ମହିଳା ସଶକ୍ତିକରଣ),

ଶ୍ରୀମତୀ ଗୀତା ବସ୍ତିଆ(ମହିଳା ସଶକ୍ତିକରଣ),

ଶ୍ରୀମୟୀ ଶ୍ବେତା ସ୍ନିଗ୍ଧା ମିଶ୍ର( ମହିଳା ସଶକ୍ତିକରଣ),

ପ୍ରଫୁଲ୍ଲ ସିଂହ( ସାମାଜିକ କଲ୍ୟାଣ),

ଦେବାଶୀଷ ମାରାଣ୍ଡି(ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର),

ମାନସ ମଙ୍ଗରାଜ( ଗଣମାଧ୍ୟମ ବ୍ୟାପାର),

ଜନ୍ମଜେୟ ଲେଙ୍କା(କଳା, ସଂସ୍କୃତି, ମାନବ ସମ୍ବଳ ବିକାଶ),

ବିଶ୍ବଜିତ ମହାନ୍ତି(ସଶକ୍ତ ଓଡ଼ିଶା),

ସତ୍ୟବ୍ରତ ପାତ୍ର(କଳା, ସଂସ୍କୃତି, ମାନବ ସମ୍ବଳ ବିକାଶ),

ଶାରଦା ପ୍ରସନ୍ନ ଜେନା(କଳା, ସଂସ୍କୃତି, ମାନବ ସମ୍ବଳ ବିକାଶ)

ଶ୍ରୀମତୀ ଗୀତାଞ୍ଜଳି ସେଠୀ(ତଫସିଲଭୁକ୍ତ ଜାତି ସଶକ୍ତିକରଣ),

ପ୍ରମୋଦ କିଶୋର ଜେନା(ପରିବେଶ),

ଶ୍ୟାମ ପ୍ରସାଦ ବେହେରା(ଆଞ୍ଚଳିକ ବିକାଶ)

Categories
ଆଜିର ଖବର ଆଞ୍ଚଳିକ

କଳାହାଣ୍ଡି ଗସ୍ତରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ , ସଂଗଠନ ମଜବୁତ କରିବା ଉପରେ ଗୁରୁତ୍ୱ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି, ରାଜ୍ୟ ଶାସକ ଦଳ ବିଜେଡିର ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଦଳୀୟ ସଂଗଠନ ଉପରେ ଗୁରୁତ୍ୱ ଦେଇଛନ୍ତି। ଆଗାମୀ ଦିନରେ ବିଜେଡି ସଂଙ୍ଗଠନକୁ ମଜବୁତ କରିବା ପାଇଁ ଖସଡା ପ୍ରସ୍ତୁତ କରିବା ସହ ନିର୍ବାଚିତ ପ୍ରତିନିଧି ତଥା ସ୍ଥାନୀୟ ନେତାମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି।

ମଙ୍ଗଳବାର ଦିନ ସକାଳେ ଜୁନାଗଡ ବିଧାୟକ ତଥା ଶକ୍ତି ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସହିତ ଜୁନାଗଡ ଇନଡୋର ଷ୍ଟାଡିୟମ ପରିଦର୍ଶନ କରିଥିଲେ। ସେଠାରେ ଉପସ୍ଥିତ ଜୁନାଗଡ ସହରର ବିଭିନ୍ନ ବର୍ଗର ନେତାଙ୍କ ସହିତ ଆଲୋଚନା କରିଥିଲେ। ସେଠାରୁ ଫେରି ସତ୍ୟମ ସିନେମା ହଲ ପାଖରେ ବିଜେଡି ଜିଲ୍ଲା ମୂଖ୍ୟ କାର୍ଯ୍ୟାଳୟକୁ ଉଦଗାଟନ କରିଥିଲେ।

ରାଜ୍ୟସଭା ସଦସ୍ୟ ସୂଜିତ କୁମାର, ଧର୍ମଗଡ ବିଧାୟକ ମୌଷଧି ବାଗ ଓ ଲାଂଜିଗଡ ବିଧାୟକ ପ୍ରଦୀପ ଦିଶାରୀଙ୍କ ସମେତ ମହିଳା ବିଜେଡି ସଭାପତି କଲ୍ୟାଣୀ ନାଏକ, ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ଉପସଭାପତି ଭବାନୀ ଶଙ୍କର ମିଶ୍ର,  ପ୍ରଦୀପ ମୁଣ୍ଡ,  ଜିତେନ୍ଦ୍ର ମହାନ୍ତି,  ଛାତ୍ର ବିଜେଡି ସଭାପତି ଅବିନାଶ ଠାକୁର, ସଂଗୀତ ନାଟକ ଏକାଡେମୀ ସଂପାଦକ ପ୍ରବୋଧ ରଥ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଚିତରଂଜନ ମଣ୍ଡଳ ପ୍ରମୂଖଙ୍କ ଉପସ୍ଥିତିରେ ସାଂଗଠନିକ ବ୍ୟବସ୍ଥା ଉପରେ ଆଲୋଚନା କରିବା ସହିତ ଆଗାମୀ ପୌର ଓ ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୃତ ରହିବାକୁ ତାଗିଦ କରିଥିବା ଜଣାପଡିଛି। ଏଥି ସହିତ ଜାତୀୟ ରାଜପଥ କଡରେ ଥିବା ରିଷିଗାଁ ପାଖରେ ପ୍ରଣବ ପ୍ରକାଶ ଦାସ ଜିଲ୍ଲା କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ମାସ୍କ ନପିନ୍ଧିବା ଏକ ବିଡମ୍ବନା: ବିଜେଡି

ଭୁବନେଶ୍ବର, କୋଭିଡ ସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ କରିବା ସମୟରେ ବିଜେପି ମୁଖପାତ୍ର ନିଜେ ମାସ୍କ ପରିଧାନ ନକରିବା ହେଉଛି ଏକ ବିଡମ୍ବନା। ଏଭଳି ଆଚରଣ ଖୋଦ୍ କେନ୍ଦ୍ର ସରକାର ଓ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା କୋଭିଡ ମାର୍ଗଦର୍ଶିକାର ଉଲ୍ଲଂଘନ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି। ସେ କହିଛନ୍ତି ଯେ, କେବଳ ବିନା ମାସ୍କ ନୁହେଁ ବିଜେପି ନେତାମାନେ ସାମ୍ବାଦିକ ସମ୍ମିଳନୀରେ ଯେଭଳି ଲାଗି ଲାଗି ବସିଥିଲେ ତାହା ମଧ୍ୟ କୋଭିଡ ମାର୍ଗଦର୍ଶିକାରେ ଥିବା ସାମାଜିକ ଦୂରତ୍ବ କଟକଣାକୁ ଉପହାସ କରୁଛି।

ସେ କହିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ କରୋନା କଟକଣା ମାନିବା ପାଇଁ ଅନୁରୋଧ ସତ୍ତ୍ବେ ଯେତେବେଳେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଖୋଲାଖୋଲି ଭାବେ ନିୟମ ଉଲ୍ଲଂଘନ କରୁଛନ୍ତି, ସେତେବେଳେ କରୋନା ପରିଚାଳନା ସଂକ୍ରାନ୍ତରେ କହିବା ପାଇଁ ବିଜେପିର ନୈତିକତା ନାହିଁ।

ଓଡ଼ିଶାରେ ବିଜେପି ନେତାମାନେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପୂର୍ବରୁ ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜୁରାଟ, ଉତ୍ତରପ୍ରଦେଶର ସ୍ଥିତି ଦେଖିବାକୁ ଶ୍ରୀ ମହାନ୍ତି କହିଛନ୍ତି। କରୋନାକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି। ଏଣୁ ଏପରି ରାଜନୀତିରୁ ବିରତ ରହିବାକୁ ସେ ରାଜ୍ୟ ବିଜେପିକୁ ପରାମର୍ଶ ଦେଇଛନ୍ତି।

Categories
ଆଜିର ଖବର

ମୋଦି ସରକାରର ୧୦୦ଦିନରେ ଓଡିଶାକୁ ୧୬ ହଜାର ୬୦୫ କୋଟି ଟଙ୍କା ଦେଲେ, ଭଲ କଥା, ହେଲେ କାରଣ କଣ ରାଜନୀତି କି?

ସମୀକ୍ଷା ବ୍ୟୁରୋ

ଜାହାଜ ଚଳାଚଳ ଏବଂ ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟା ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ସେ ମୋଦି ୨.୦ ସରକାରର ୧୦୦ ଦିନର ଓଡିଶାକୁ କଣ ଅଜାଡିଛନ୍ତି ତାହାର ହିସାବ ଦେଇଛନ୍ତି । ଏଥିରେ ସେ କହିଛନ୍ତି ଯେ, ଫନି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଓଡ଼ିଶାକୁ ସର୍ବାଧିକ ସହାୟତା ସ୍ୱରୂପ ୪,୬୭୮.୨୨ କୋଟି ଟଙ୍କାର ମଞ୍ଜୁରି ପ୍ରଦାନ କରାଯାଇଛି । ଫନି ଓଡ଼ିଶାକୁ ଛୁଇଁବା ପୂର୍ବରୁ ୩୪୦ କୋଟି ଟଙ୍କାର ଅଗ୍ରୀମ ସହାୟତା ପ୍ରଦାନ କରାଯାଇଥିଲା । ପରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ବାତ୍ୟା ବିଧ୍ୱଂସିତ ଅଂଚଳ ପରିଦର୍ଶନ କରିବା ପରେ ତୁରନ୍ତ ୧୦୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ । ପରେ ୩୩୩୮.୨୨ କୋଟି ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରାଯାଇଥିଲା କମ୍ପେନସେଟୋରି ଆଫୋରଷ୍ଟେସନ ଫଣ୍ଡ ମ୍ୟାନେଜମେଂଟ ଆଣ୍ଡ ପ୍ଲାନିଂ ଅଥୋରିଟି ବା କାମ୍ପା ଅନୁଦାନ ଅନ୍ତର୍ଗତ ଓଡ଼ିଶାକୁ ୫୯୩୩.୯୮ କୋଟି ଟଙ୍କାର ସର୍ବକାଳୀନ ସର୍ବାଧିକ ଅନୁଦାନ ରାଶି ପ୍ରଦାନ କରାଯାଇଛି । କେନ୍ଦ୍ର ବଜେଟ ୨୦୧୯-୨୦ରେ ଓଡ଼ିଶା ପାଇଁ ରେଳବାଇ କ୍ଷେତ୍ରରେ ୫୯୯୩ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଓଡିଶା ସହିତ ଦେଶରେ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ବନ୍ଧରେ ମଧ୍ୟ ମନ୍ତ୍ରୀ ତାଙ୍କ ହସିବାରେ କହିଥିଲେ । ଏଥିରେ ସାମିଲ ରହିଛି ଜମ୍ମୁ-କାଶ୍ମୀର ଓ ଲଦାଖ ଅଧିବାସୀଙ୍କ ଉନ୍ନତି ପାଇଁ ଧାରା ୩୭୦ ଓ ୩୫ (କ)ର ଉଚ୍ଛେଦ, ସୀମାରେ କାର୍ଯ୍ୟ କରୁଥିବା ସୁରକ୍ଷା କର୍ମୀମାନଙ୍କ ପାଇଁ ଶତକଡ଼ା ୩ ପ୍ରତିଶତ ସଂରକ୍ଷଣ ସୁବିଧା, ରାଜକୋଷକୁ ସମୃଦ୍ଧ କରିବା ପାଇଁ ଅର୍ଥନୈତିକ ସଂସ୍କାର, ତିନି ତଲାକର ଉଚ୍ଛେଦ, ଛୋଟ ପିଲାମାନଙ୍କୁ ଯୌନଶୋଷଣ କରୁଥିବା ବ୍ୟକ୍ତିଙ୍କୁ ମୃତ୍ୟୁ ଦଣ୍ଡ, ସଂସଦ ଅଧିବେଶନର କାର୍ଯ୍ୟକ୍ଷମତା ବୃଦ୍ଧି, ଭିତ୍ତିଭୂମି ଓ ସାମାଜିକ କ୍ଷେତ୍ରରେ ନିବେଶ ବୃଦ୍ଧି, ବ୍ୟବସାୟୀକ ସୁଗମତା ପାଇଁ, ଜିଏସଟି ଓ ଆୟକର ଦାଖଲ ପ୍ରକ୍ରିୟାରେ ସରଳତା ଓ ସ୍ୱଚ୍ଛତା, ଜଳଶକ୍ତି ଅଭିଯାନ, ସମସ୍ତ ଗୃହକୁ ବିଜୁଳି ଯୋଜନା, ଗ୍ୟାସ ସଂଯୋଗ ପାଇଁ ଉଜ୍ଜ୍ୱଳା ଯୋଜନା, ଆୟୁଷ୍ମାନ ଭାରତ, ଜନ ଔଷଧି କେନ୍ଦ୍ର, ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ଏବଂ ଛୋଟ ବିକ୍ରେତା ମାନଙ୍କ ପାଇଁ ସାମାଜିକ ସୁରକ୍ଷା, କୃଷକମାନଙ୍କୁ ଆର୍ଥିକ ସହାୟତା, ଆଇନ କ୍ଷେତ୍ରରେ ସଂସ୍କାର, ପ୍ରତିରକ୍ଷା କ୍ଷେତ୍ରର ସଶକ୍ତିକରଣ ଏବଂ ତଫସିଲ ଭୁକ୍ତ ଜନଜାତିଙ୍କ ସଶକ୍ତିକରଣ।

ସେହିପରି ଗତ ନିର୍ବାଚନୀ ଇସ୍ତାହାରରେ ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଥିଲା ମୋଦୀ ୨.୦ ସରକାରଙ୍କ ପ୍ରଥମ ୧୦୦ ଦିନରେ ଏହା ସବୁ ପୂରଣ କରାଯାଇଛି ବୋଲି ମଧ୍ୟ କହିଲେ । ଦେଶର ପ୍ରତ୍ୟେକ କୃଷକଙ୍କ ବ୍ୟାଙ୍କ ଖାତାରେ ୬୦୦୦ ଟଙ୍କା ଲେଖାଏଁ ଜମା କରିବା ଲାଗି ଆମେ ନିଷ୍ପତ୍ତି ନେଇଛୁ । କାର୍ଯ୍ୟରୁ ଅବସର ନେଇଥିବା ପ୍ରତ୍ୟେକ କୃଷକଙ୍କ ଲାଗି ମାସିକ ୩୦୦୦ ଟଙ୍କା ପେନସନ ପ୍ରଦାନ କରାଯିବାର ନିଷ୍ପତି ନିଆଯାଇଛି । ସରକାର ମଧ୍ୟ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ଏବଂ ଛୋଟ ବ୍ୟବସାୟୀଙ୍କ ଲାଗି ପେନସନ ସୁବିଧା କରିଛନ୍ତି । ସମାଜର ଗରିବ କୃଷକ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବ୍ୟକ୍ତିମାନଙ୍କର ଜୀବନଧାରଣରେ ସରଳତା ଆଣିବା ଲାଗି ଏହି ସରକାର ସଂକଳ୍ପବଦ୍ଧ । ସୁବିଧାରେ ଏବଂ ଶସ୍ତାରେ ଔଷଧ ପ୍ରଦାନ କରିବା ଲାଗି ଦେଶବ୍ୟାପୀ ୫୫୦୦ ଜନଔଷଧୀ କେନ୍ଦ୍ର ଖୋଲାଯାଇଛି । ଖୁବ ଶୀଘ୍ର ଆଉ ୩୦୦ଟି ନୂତନ କେନ୍ଦ୍ର ଖୋଲାଯିବା ଲାଗି ବ୍ୟବସ୍ଥା କରାଯାଉଛି,” ବୋଲି ମନ୍ତ୍ରୀ ମାଣ୍ଡଭିୟା କହିଛନ୍ତି ।

ଅର୍ଥନୈତିକ ମନ୍ଥରତା ସମ୍ବନ୍ଧୀୟ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ମାଣ୍ଡଭିୟା କହିଥିଲେ ଯେ, “ଏହି ମନ୍ଥରତା କ୍ଷଣସ୍ଥାୟୀ । ବର୍ତ୍ତମାନ ସମଗ୍ର ବିଶ୍ୱରେ ଅର୍ଥନୈତିକ ଅସ୍ଥିରତା ଜାରି ରହିଛି । ମାତ୍ର ଭାରତ ଉପରେ ଏହାର ପ୍ରଭାବ ଖୁବ କମ ପଡିଛି । ଭାରତୀୟ ଅର୍ଥନୀତିର ଭିତ୍ତିଭୂମି ସୁଦୃଢ଼ । ମୁଁ ଆଶା ପ୍ରକାଶ କରୁଛି କି ଚଳିତ ବର୍ଷ ଶେଷ ବେଳକୁ ଭାରତୀୟ ଅର୍ଥନୀତିରେ  ସୁଧାର ଆସିବ । ତେବେ ମାଣ୍ଡଭିୟାଙ୍କ ଅର୍ଥନୀତି ଉତ୍ତର କେତେଦୂର ସତ ହେବ ତାହା ସମୟ କହିବ।

ତେବେ ସାଧାରଣରେ ପ୍ରଶ୍ନ ଉଠେ ଯେ, ମୋଦି ୨.୦ ବେଳେ କଣ ପାଇଁ ଓଡିଶାକୁ ଅନୁଦାନ ଢାଳିଲେ। ଏହାର କିଛି କାରଣ ରହିଛି ନା ଖୁସିରେ ଦେଲେ। ଓଡିଶାକୁ ଅଧିକ ଅନୁଦାନ ଆସୁ, ସେଥିରେ କାହାର କିଛି କହିବାର ନାହିଁ। ବରଂ ଖୁସି ହେବାର ଆବଶ୍ୟକ। ଆଉ ଏହାକୁ ନେଇ ରାଜନୀତି କରିବାର ମଧ୍ୟ ନାହିଁ। କିନ୍ତୁ ବର୍ତ୍ତମାନର ରାଜନୈତିକ ପାଣିପାଗରେ ଏପରି ଅନୁଦାନ କେଉଁଠି ନା କେଉଁଠି ବିଜେପି ବିଜେଡି ମଧ୍ୟରେ ଥିବା ଅଘୋଷିତ ମେଣ୍ଟ ଆଡକୁ ଚାଲିଯାଉଛି। କାରଣ ପୂର୍ବ ସରକାରରେ ମୋଦି ଓଡିଶାକୁ ଆବହେଳା କରୁଛନ୍ତି ବୋଲି ବିରୋଧୀଙ୍କ ବଡ ଅଭିଯୋଗ ଥିଲା। ହେଲେ ବର୍ତ୍ତମାନ ଏହି ‘ଅବହେଳା’ ଶଦ୍ଦଟି ଯେପରି ଓଡିଶା ରାଜନୈତିକ ଅଭିଧାନରୁ କୁଆଡେ ହଜିଯାଇଛି।

Categories
ବିଶେଷ ଖବର

ସବୁଥର ପରି ଏଥର ମଧ୍ୟ ବିଜୟ ମହାପାତ୍ର ନିଜ ଯୁଦ୍ଧରେ ଏକାକୀ ଓ ଅସହାୟ

କେଦାର ମିଶ୍ର 

ସବୁଥର ପରି ଏଥର ମଧ୍ୟ ବିଜୟ ମହାପାତ୍ର ନିଜ ଯୁଦ୍ଧ ଏକୁଟିଆ ହିଁ ଲଢୁଛନ୍ତି। ତାଙ୍କ ସହିତ ତାଙ୍କୁ ଟିକଟ ଦେଇଥିବା ଦଳ ନାହିଁ କିମ୍ବା ନିର୍ବାଚନ ଜିଣିବା ଲାଗି ଯେଉଁ ଶକ୍ତି ଓ ସମ୍ବଳ ଲୋଡା, ତାହା ବି ନାହିଁ। ବିଜେପି ପ୍ରାର୍ଥୀ ଭାବରେ ସେ ପାଟକୁରା ନିର୍ବାଚନ ଲଢୁଥିଲେ ମଧ୍ୟ ତାଙ୍କୁ ଜିତାଇ ଆଣିବାକୁ ତାଙ୍କ ଦଳର ଏକ ପ୍ରଭାବଶାଳୀ ଗୋଷ୍ଠୀ ଚାହୁଁନାହାନ୍ତି। କେବଳ ନିଜସ୍ଵ ସଂଗଠନ ଓ ଲୋକପ୍ରିୟତା ଆଧାରରେ ବିଜୟ ମହାପାତ୍ର ଯାହା ଭୋଟ ପାଇବେ, ତାଠୁ ଅଧିକ କିଛି ହେବାର ସମ୍ଭାବନା ଆଉ ନାହିଁ। ଗତ ଏପ୍ରିଲ ମାସରେ ନିର୍ବାଚନ ହୋଇଥିଲେ ବିଜୟ ମହାପାତ୍ର ବିଜେଡି ପ୍ରାର୍ଥୀଙ୍କୁ କଡା ଟକ୍କର ଅବଶ୍ୟ ଦେଇଥାନ୍ତେ। ଯଦିଓ ପାଟକୁରା ଜିତିବା ବିଜୟଙ୍କ ଲାଗି ଏତେ ସହଜ ନୁହେଁ, ତଥାପି ତାଙ୍କ ସପକ୍ଷରେ କିଛିଟା ସହାନୁଭୁତି ସେତେବେଳେ ରହିଥିଲା। ପାଟକୁରାର ବିଧାୟକ ବେଦପ୍ରକାଶ ଅଗ୍ରୱାଲାଙ୍କ ମୃତ୍ୟୁ ଓ ତା ପରବର୍ତ୍ତୀ ଘଟଣାକ୍ରମ ବିଜୟଙ୍କ ରାଜନୈତିକ ସ୍ଥିତିକୁ ଅଧିକ ଦୁର୍ବଳ କରିଦେଇଛି। ସେତେବେଳେ ବିଜେପି ଓ ବିଜେଡି ଭିତରେ ପ୍ରବଳ ମୁକାବିଲାମୂଳକ ପରିସ୍ଥିତି ରହିଥିଲା। ଆଜି କେନ୍ଦ୍ର ଓ ରାଜ୍ୟରେ ବିଜେପି ବିଜେଡି ସରକାର ହୋଇ ସାରିଲା ପରେ ଏବେ ଦୁଇ ଦଳ ମଧ୍ୟରେ ବୁଝାମଣା ହେଲା ଭଳି ଲାଗୁଛି। ରାଜ୍ୟସଭାରେ ବିଜେଡି ବିଜେପିକୁ ଗୋଟେ ଆସନ ବିନା କାରଣରୁ ଛାଡିଦେବା ପରେ ଉଭୟ ଦଳ ଯେ ପରଷ୍ପରର ସହଯୋଗୀ ଭାବରେ କାମ କରୁଛନ୍ତି, ଏକଥା ଅବୁଝା ହୋଇ ରହିନାହିଁ।

ବିଜୟଙ୍କ ଲାଗି ଏବେ ଅସଲ ଆହ୍ଵାନ ବିଜେଡି ତରଫରୁ ଆସୁନାହିଁ। ବିଜେଡି ପାଖରେ ନିଜକୁ ସହଯୋଗୀ ଭାବରେ ପରିଚିତ କରାଇବାକୁ ବ୍ୟାକୁଳ ବିଜେପି ହିଁ ବିଜୟଙ୍କର ଅସଲ ସମସ୍ୟା। ଦିଲ୍ଲୀ ଓ ଭୁବନେଶ୍ବରରେ କୋଳାକୋଳି ହେଉଥିବା ବିଜେଡି-ବିଜେପି ପାଟକୁରାରେ କେବଳ ନାମକୁ ମାତ୍ର ପରଷ୍ପର ବିରୋଧରେ ଲଢିବେ। ପାଟକୁରା ବିଧାନସଭା ଉପ ନିର୍ବାଚନରେ ବିଜେଡି କୁ ସୁହାଇଲା ଭଳି ନୀରବତା ବିଜେପି ଅବଲମ୍ବନ କରିବ। ହେଲେ ବିଜୟଙ୍କର ମୂଳ ପରିଚୟ ହେଉଛି ସେ ନବୀନ ବିରୋଧୀ। ବିଜେପି ବିଜେଡି ସହିତ ବୁଝାମଣା କାଲେ ମଧ୍ୟ ବିଜୟଙ୍କୁ ବିଜେଡି ବିରୋଧରେ ଲଢିବାକୁ ପଡିବ। ତେବେ ସେ କାହା ଭରସାରେ ଏ ଲଢେଇ ଲଢିବେ? ଗତ ୨୦ ବର୍ଷ ଧରି ରାଜନୀତିରେ ସେ ପରାସ୍ତ ହୋଇ ଆସୁଛନ୍ତି। ଯେଉଁମାନେ ତାଙ୍କର ବିଶ୍ଵସ୍ତ ଥିଲେ ସେମାନେ ତାଙ୍କୁ ଛାଡି ଯାଇ ସାରିଲେଣି। ନିର୍ବାଚନର ୮ ମାସ ଆଗରୁ ସେ ଯେତେବେଳେ ବିଜେପି ରୁ ଇସ୍ତଫା ଦେଲେ ସେତେବେଳେ ବିଜେପି କହିଥିଲା- ବିଜୟଙ୍କ ଡିଏନଏ ରେ ଗୋଷ୍ଠିକନ୍ଦଳର ପ୍ରବୃତ୍ତି ରହିଛି। ବିଜେଡି କିମ୍ବା ବିଜେପି କେହି ତାଙ୍କୁ ନିଜ ଶିବିରକୁ ନେବାଲାଗି ସେତେବେଳେ ପ୍ରସ୍ତୁତ ନଥିଲେ।

ତେବେ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦେବା ପରେ  ନିଜ ଲାଭକୁ ଆଖି ଆଗରେ ରଖି ସେ ବିଜୟ ମହାପାତ୍ରଙ୍କୁ ପୁଣିଥରେ ବିଜେପିକୁ ଫେରାଇ ଆଣିଥିଲେ। ବିଜୟଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ତୁଳନାରେ ବୈଜୟନ୍ତଙ୍କ ନିଜ ହିସାବ ସେ ନିଷ୍ପତ୍ତିରେ ବେଶି କାମ କରିଥିଲା। ଲୋକସଭା ନିର୍ବାଚନରେ ପାଟକୁରାରୁ ବିଜେପିକୁ ଆଗ ତୁଳନାରେ କିଛିଟା ଅଧିକ ଲାଭ ମିଳିଥିଲା। ତଥାପି ସେଠାରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ବୈଜୟନ୍ତଙ୍କଠାରୁ ୬୦୦୦ ରୁ ଅଧିକ ଭୋଟରେ ଆଗୁଆ ରହିଥିଲେ। ଏହି ପୃଷ୍ଠଭୂମିରେ ଆଜି ମଧ୍ୟ ପାଟକୁରାରେ ବିଜେଡି ହାରିବା ଭଳି ସ୍ଥିତି ନାହିଁ। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲାଙ୍କ ପ୍ରତି ସ୍ଵାଭାବିକ ଭାବରେ କିଛିଟା ସହାନୁଭୁତି ରହିଛି। ୧୧୨ ଆସନ ପାଇ ରାଜ୍ୟରେ ବିଜେଡି ସରକାର ପୁନଃ ସ୍ଥାପିତ ହୋଇଥିବାରୁ ଏହାର ପ୍ରଭାବ ପାଟକୁରା ରେ ନିଶ୍ଚୟ ପଡିବ। ବିଜୟ ଜିତିଲେ, ତାଙ୍କୁ ବିଜେପି ଭିତରେ ସେମିତି କିଛି ସମ୍ମାନଜନକ ସ୍ଥାନ ମିଳିବାର ନାହିଁ। ସବୁଠୁ ବଡ କଥା ହେଉଛି, ବିଜେଡି ବିଜେପି ପରଷ୍ପରର ସହଯୋଗୀ ହୋଇଥିବାରୁ ବିଜୟଙ୍କୁ ଆଉ ବିରୋଧୀ ବୋଲି ବିଧାନସଭାକୁ ପଠାଇବାର ଆଉ କୌଣସି କାରଣ ଭୋଟରଙ୍କ ପାଖରେ ନାହିଁ।

ନିର୍ବାଚନୀ ଗଣିତ ଦୃଷ୍ଟିରୁ ମଧ୍ୟ ବିଜୟଙ୍କ ସପକ୍ଷରେ ପାଟକୁରା ନାହିଁ। ଗତ ଚାରୋଟି ଯାକ ସାଧାରଣ ନିର୍ବାଚନରେ ପାଟକୁରାରୁ ବିଜେଡି ପ୍ରାର୍ଥୀମାନେ ପ୍ରାୟ 50% ଭୋଟ ପାଇ ଜିତି ଆସୁଛନ୍ତି। ବିଜେଡ଼ିର ବିଜୟ ବ୍ଯବଧାନ ମଧ୍ୟ ବହୁତ ବେଶି। ଗରଦପୁର ଅଞ୍ଚଳରେ ବିଜୟ ମହାପାତ୍ରଙ୍କ ଭଲ ପ୍ରଭାବ ରହିଥିବା ବେଳେ ଡେରାବିଶ ଓ ମାର୍ଶାଘାଇ ରେ ବିଜେଡି ପ୍ରଭାବ ଅଧିକ। ବର୍ତ୍ତମାନ ସ୍ଥିତିରେ ବିଜୟଙ୍କ ତ୍ରିଶଙ୍କୁ ଅବସ୍ଥା। ଆସନ୍ତା ୨୦ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ତାଙ୍କୁ ବିଜେପିର ନୈତିକ ସମର୍ଥନ ବ୍ୟତୀତ ଅଧିକ କିଛି ମିଳିବାର ନାହିଁ। ବିଜେପି ଭିତରେ ରହିଥିବା ଧର୍ମେନ୍ଦ୍ର ପ୍ରଧାନ ବିରୋଧୀ କିଛି ନେତା କେବଳ ବିଜୟଙ୍କ ପାଇଁ ପ୍ରଚାର କରିବେ। ଏପରିକି ପାଟକୁରାର ବିଜେପି ନେତା ଓ କର୍ମୀମାନେ ମଧ୍ୟ ବିଜୟଙ୍କ ସପକ୍ଷରେ ଆନ୍ତରିକତାର ସହିତ ଛିଡା ହେବାକୁ ନାରାଜ।

ଏମିତି ପରିସ୍ଥିତିରେ ସବୁଥର  ପରି ଏଥର ମଧ୍ୟ ବିଜୟ ମହାପାତ୍ର ନିଜ ଲଢେଇ ଏକୁଟିଆ ହିଁ ଲଢିବେ।

 

Categories
ବିଶେଷ ଖବର

ବଡ କାର, ମୋଟା ସୁନାଚେନ ଓ ଦାମୀ ଘଣ୍ଟା ନ ପିନ୍ଧିଲେ ବିଜେଡି ବିଧାୟକଙ୍କ ଗାନ୍ଧୀଗିରି ସଫଳ ହୋଇଯିବ କି?

କେଦାର ମିଶ୍ର 

କିଛି ବର୍ଷ ତଳେ ଭୁବନେଶ୍ୱର ଚାରି ନମ୍ବର ସ୍ଥିତ ବିଧାୟକ କଲୋନୀରେ ବୁଲୁ ବୁଲୁ ଗୋଟେ ଲମ୍ବା କାର ଉପରେ ନଜର ପଡିଥିଲା। ଆଖି ଝଲସେଇ ଦେଲା ଭଳି ସେ କାରଟିକୁ ଦେଖି ତାର ଦାମ କେତେ ହୋଇଥିବ ବୋଲି ଆମେ ଗୁଗୁଲ ରେ ଖୋଜିଲୁ। ଗୁଗୁଲର ଉତ୍ତର ଆସିଲା ଏହି ମୋଡ଼େଲର ସର୍ବନିମ୍ନ ମୂଲ୍ୟ କୋଟିଏ ପଚିଶ ଲକ୍ଷ ଟଙ୍କା। ଓଡିଶାର କିଏ ସେ ବିଧାୟକ ଯେ କୋଟିଏ ପଚିଶ ଲକ୍ଷ ଟଙ୍କାର ଗାଡି ଚଢୁଛନ୍ତି, ଏ କୌତୁହଳ ମନକୁ ଆସିବା ସ୍ଵାଭାବିକ। ତେବେ ଖବର ମିଳିଲା ଯେ ଗାଡିର ମାଲିକ ଜଣେ ପ୍ରାକ୍ତନ ରାଜା। ଦକ୍ଷିଣ ଓଡିଶାର ଏକ ରାଜା ପରିବାରରୁ ଆସି ବିଧାୟକ ହୋଇଥିବା ଏହି ବ୍ୟକ୍ତିଙ୍କର ରାଜକୀୟ ସଉକି ମରି ନଥିଲା। ଏମିତି ଆମର ବହୁ ବିଧାୟକ ଅଛନ୍ତି, ଯେଉଁମାନେ କି ଗୋଟେ ଗୋଟେ ଛୋଟମୋଟ ରାଜା ବା ରାଣୀ। ଅନେକ ତ ପୁରୁଣା ରାଜା ପରିବାରରୁ ଆସିଛନ୍ତି, ତେଣୁ ସେମାନଙ୍କ ଭିତରେ ସାମନ୍ତବାଦୀ ବିଳାସର ମୋହ ସ୍ଵାଭାବିକ ଭାବରେ ରହିଛି। ଆଉ କିଛି ବାରମ୍ବାର କ୍ଷମତା ପାଇବା ଫଳରେ ନିଜକୁ ରାଜା ବୋଲି ଭାବି ନେଇଛନ୍ତି। ଏହି ନେତାମାନେ ଅସଲରେ ଗଣତାନ୍ତ୍ରିକ ଶାସନରେ ଯେ ସାଧାରଣ ଲୋକଙ୍କର ପ୍ରତିନିଧି ଏକଥା ତାଙ୍କର ମନେ ନଥାଏ। ତେବେ ଏମିତି ରାଜକୀୟ ବିଧାୟକ କେବଳ ଶାସକ ଦଳରେ ଅଛନ୍ତି, ତା ନୁହେଁ। ଏମାନେ ସବୁ ଦଳରେ, ସବୁ ରାଜ୍ୟରେ ଓ ସବୁ କ୍ଷେତ୍ରରେ ଅଛନ୍ତି।

ଦୁଇ ଦିନ ତଳେ ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ମୁଖିଆ ନବୀନ ପଟ୍ଟନାୟକ ତାଙ୍କର ବିଧାୟକମାନଙ୍କୁ ଡାକି ଏକ ବୈଠକରେ ରୋକଠୋକ ଶୁଣାଇଦେଲେ ଯେ ଲୋକ ପ୍ରତିନିଧିମାନେ ବଡ କାର, ମୋଟା ସୁନାଚେନ ଓ ଦାମୀ ଘଣ୍ଟାର ମୋହ ଛାଡନ୍ତୁ। ଲୋକଙ୍କ ପାଖକୁ ଯାଆନ୍ତୁ ଓ ସରଳ ଜୀବନ ବଞ୍ଚନ୍ତୁ। କଥାଟି ନିହାତି ପ୍ରାସଙ୍ଗିକ। ଯେହେତୁ ନିଜେ ନବୀନ ପଟ୍ଟନାୟକ ଦାମୀ କାର ଓ ବ୍ରାଣ୍ଡେଡ ଲୁଗା ବ୍ୟବହାର କରନ୍ତି ନାହିଁ କିମ୍ବା ତାଙ୍କର ଆଚରଣରେ କେବେହେଲେ ସାମନ୍ତବାଦୀ ପ୍ରଭାବ ନଥାଏ, ତେଣୁ ତାଙ୍କ ଦଳର ନେତାମାନେ ସ୍ଵାଭାବିକ ଭାବରେ ସେହି ଆଦର୍ଶକୁ ଅନୁକରଣ କରିବା କଥା। ଏ କଥା ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ପଡିଲା କାହିଁକି? ୨୦ ବର୍ଷର ଶାସନ ପରେ ବିଜେଡି ନେତାଙ୍କ ଭିତରେ କ୍ଷମତାର ଅହଂକାର ଯେ ଆସିନାହିଁ, ସେକଥା କହିହେବା ନାହିଁ। ବିଜେଡି ର ଅନେକ ମନ୍ତ୍ରୀ ଓ ବିଧାୟକ ଅଛନ୍ତି ଯେଉଁମାନେ ନବୀନ ବାବୁଙ୍କ ଠିକ ଓଲଟା ଜୀବନ ପସନ୍ଦ କରନ୍ତି। କିଛି ପୂର୍ବତନ ନେତାଙ୍କ ପୁଅ ଓ ଝିଅ, ଯେଉଁମାନେ ନୂଆ ବିଧାୟକ ହୋଇଛନ୍ତି ସେମାନଙ୍କ ବେକ ଓ ହାତ ଗୋଟେ ଗୋଟେ ଟ୍ରେଜେରି ଭଳି ଲାଗେ। ଏମାନେ ଦାମୀ ବ୍ରାଣ୍ଡରୁ ତଳକୁ ଖସି ପାରିବେ ନାହିଁ। ନବୀନ ଏମାନଙ୍କୁ ପରୋକ୍ଷରେ ତାଗିଦ କରିନାହାନ୍ତି ତ!

କିଛି ବର୍ଷ ତଳେ ଦିଲ୍ଲୀର ଜଣେ ବିଶିଷ୍ଟ ସାମ୍ବାଦିକା ବିଜେଡ଼ିର ଜଣେ ଲୋକସଭା ସାଂସଦଙ୍କ ସାକ୍ଷାତ୍କାର ନେବାକୁ ଆସିଥିଲେ। ସାଂସଦ ଜଣେ ପୁରୁଣା ରାଜା ପରିବାରର ଲୋକ। ତାଙ୍କୁ ଦେଖି ସମ୍ବାଦିକଙ୍କର ପ୍ରଥମ ପ୍ରଶ୍ନ ଥିଲା- ଆରେ ବାଃ, ଆପକା ସବକୁଛ ବ୍ରାଣ୍ଡେଡ ହୈ। ପୋଷାକ, ଘଣ୍ଟା, ଜୋତା, ଚଷମା ଓ ମୋବାଇଲକୁ ମିଶେଇଦେଲେ ଜଣେ ଜଣେ ଲୋକ ୫୦ ଲକ୍ଷ ଟଙ୍କାର ଆଭୂଷଣ ପିନ୍ଧୁଛନ୍ତି। ଏହାକୁ ଆମେ ସାଧାରଣ ଜୀବନରେ ଗ୍ରହଣ ମଧ୍ୟ କରୁଛେ। ହେଲେ ଏଠି ମୂଳ ପ୍ରସଙ୍ଗ ଭିନ୍ନ। ମୁଖ୍ୟମନ୍ତ୍ରୀ ତାଗିଦ କଲାପରେ ହୁଏତ ବିଧାୟକମାନେ ଭୟରେ ସେସବୁ ପିନ୍ଧି ନ ପାରନ୍ତି। ଭୟରେ ବିଳାସ ଛାଡିବା ଓ ସ୍ଵାଭାବିକ ଭାବରେ ସରଳ ଜୀବନ ବଞ୍ଚିବା, ଦୁଇଟି ଭିନେ କଥା। ନବୀନ ବାବୁ ତାଙ୍କର ପାଞ୍ଚ ତାରକା ଜୀବନକୁ ଛାଡି ଦିଲ୍ଲୀରୁ ଆସିବା ପରେ କେବେହେଲେ ଆଉ ପଛକୁ ଲେଉଟି ଚାହିଁ ନାହାନ୍ତି। ଧଳା-ଢିଲା ପୋଷାକ ଓ ଶସ୍ତା ଚପଲ ତାଙ୍କ ଜୀବନର ଅଂଶ ହୋଇ ରହି ଯାଇଛି।

ନବୀନ ବାବୁ ଓ ତାଙ୍କ ଦଳର ନେତାଙ୍କ ଭିତରେ ଜୀବନ ଦର୍ଶନର ସାମ୍ୟ ଅବଶ୍ୟ ନାହିଁ। ସେଥିଲାଗି ବିଜେଡ଼ିର ବହୁ ନେତା ସୁଯୋଗ ପାଇଲେ ନବୀନଙ୍କୁ ବିରକ୍ତିମିଶା ଗାଳି କରିଥାନ୍ତି। (ହେଲେ ଖୋଲାଖୋଲି କିଛି କହିବାର ହାଡ କାହା ଜିଭରେ ନାହିଁ) ରାଜନୀତି  ବିଳାସ ନୁହେଁ ବରଂ ଲୋକସେବା, ଏକଥା ନବୀନ ବାବୁଙ୍କୁ ବୁଝାଇବାକୁ ପଡିଲା କାହିଁକି? ଦଳର ବିଧାୟକମାନେ ଲୋକସେବାର ଆଦର୍ଶରେ ନାହାନ୍ତି ବୋଲି ନବୀନଙ୍କ ପାଖରେ ଖବର ରହିଛି ନିଶ୍ଚୟ। ଏହାକୁ ଏକ ପ୍ରକାର ସତର୍କ ଘଣ୍ଟି ବୋଲି କୁହାଯାଇପାରେ। ୨୦୧୯ ନିର୍ବାଚନ ପୂର୍ବରୁ ଯେତେବେଳେ ବିଜେଡିର ଏକ ଆଭ୍ୟନ୍ତରୀଣ ରିପୋର୍ଟରୁ ଜଣାପଡିଥିଲା ଯେ, ନବୀନଙ୍କ ଲୋକପ୍ରିୟତା ବଜାୟ ରହିଥିଲେ ମଧ୍ୟ ଅନେକ ସାଂସଦ ଓ ବିଧାୟକଙ୍କ ବିରୋଧରେ ପ୍ରବଳ ଜନମତ ରହିଛି। ସେତେବେଳେ ହିଁ ଏ କଥା ନିଷ୍ପତ୍ତି ହୋଇଥିଲା ଯେ, ନୂଆ ବିଧାୟକ ଓ ସାଂସଦଙ୍କ ଉପରେ ଦଳର ମୁଖିଆ ତୀକ୍ଷ୍ନ ନଜର ରଖିବେ। ତାରି ଭିତରେ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ ଆସିଲା। ସରୋଜଙ୍କୁ ଦଳ ତରଫରୁ କୌଣସି ସମର୍ଥନ ମିଳିଲା ନାହିଁ। ସରୋଜଙ୍କ ମାଧ୍ୟମରେ ବାକି ବିଧାୟକମାନଙ୍କୁ ମଧ୍ୟ ବାର୍ତ୍ତା ଦିଆଗଲା ଯେ ବାହୁବଳି ଆଚରଣ ଦେଖାଇଲେ ନବୀନ ବାବୁ କାହାକୁ ଛାଡିବେ ନାହିଁ।

ପରିଶେଷରେ ନିଜେ ନବୀନ ବାବୁ ବିଧାୟକମାନଙ୍କୁ ଡାକି ନିଜର ମତ ସ୍ପଷ୍ଟ ଭାବରେ ଜଣାଇ ଦେଇଛନ୍ତି। ଏବେ ବିଧାୟକମାନଙ୍କ ଜୀବନ ଧାରଣ ଓ ଆଚରଣ ପ୍ରସଙ୍ଗରେ ଲୋକେ ଅନ୍ତିମ ବିଚାରକ ହେବେ। ଦଳ ମୁଖିଆଙ୍କ ଉପଦେଶ/ତାଗିଦକୁ ଲୋକ ପ୍ରତିନିଧିମାନେ କେତେଦୂର ଅନୁପାଳନ କରୁଛନ୍ତି, ତାକୁ ଲୋକେ ଦେଖିବେ ଓ ଦେଖେଇଦେବେ!!

 

Categories
ଆଜିର ଖବର

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସସ୍ମିତ ପାତ୍ର ଏବଂ ଅମର ପଟ୍ଟନାୟକ, କହିଲେ ଆରମ୍ଭ ହେଲା ନୂଆ ଇନିଂସ୍

ଆଜି ବିଜେଡିର ଦୁଇ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏବଂ ଅମର ପଟ୍ଟନାୟକ ଶପଥ ନେଇଛନ୍ତି। ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ସସ୍ମିତ ପାତ୍ର ଏବଂ ଅମର ପଟ୍ଟନାୟକ ନିଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସସ୍ମିତ ବିଜେଡିର ମୁଖପାତ୍ର ଥିବା ବେଳେ ଅମର ଦଳର ଆଇଟି ସେଲର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଚଳିତ ଥର ରାଜ୍ୟସଭାର ତିନୋଟି ଆସନ ଖାଲି ହୋଇଥିଲା। ଏହି ତିନୋଟି ଆସନରେ ବିଜେଡି ଦୁଇ ଜଣ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ଜଣେ ପ୍ରାର୍ଥୀ ଦେଇଥିଲା। ବିଜେପି ତରଫରୁ ପୂର୍ବତନ ଆଇଏଏସ ଅଫିସର ତଥା ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜେପେୟୀଙ୍କ ବ୍ୟକ୍ତିଗତ ସଚିବ ଅଶ୍ବନୀ ବୈଷ୍ଣବ ପ୍ରାର୍ଥୀ କରିଥିଲା। ଅଶ୍ବନୀଙ୍କୁ ବିଜେଡି ସମର୍ଥନ କରିଥିଲା। ଫଳରେ ସେ ମଧ୍ୟ ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ସେ ପୂର୍ବରୁ ସାଂସଦ ଭାବେ ଶପଥ ନେଇ ସାରିଥିଲେ। ଶପଥ ନେବା ପରେ ସସ୍ମିତ କହିଛନ୍ତି ଯେ, ବର୍ତ୍ତମାନ ରାଜନୈତିକ କ୍ୟାରିୟରରେ ଏକ ନୂଆ ଇନିଂସ ଆରମ୍ଭ ହେଲା। ଓଡିଶାର ସମସ୍ୟା ରାଜ୍ୟସଭାରେ ଉପସ୍ଥାପନା କରି ଉନ୍ନତି କରିବା କାର୍ଯ୍ୟରେ ଲାଗିବି ବୋଲି ସସ୍ମିତ କହିଛନ୍ତି।

Categories
ବିଶେଷ ଖବର

ବାତ୍ୟା ବେଳେ ବି ରାଜନୀତି ଜରୁରୀ ! ବାତ୍ୟା ଆଖିରେ ପାଟକୁରା ଓ ବେଚାରା ନିର୍ବାଚନ ଅଧିକାରୀ

 କେଦାର ମିଶ୍ର

ନିର୍ବାଚନ ସରୁ ସରୁ ଓଡିଶାର ସାମାଜିକ ପରିମଣ୍ଡଳ ଟିକେ ଶାନ୍ତ ରହିବା ବୋଲି ଆମେ ବିଚାର କରୁଥିଲୁ। ହେଲେ ଠିକ ସେଇ ସମୟରେ ଗୋଟେ ଦିଗରୁ ଭୟଙ୍କର ବାତ୍ୟା “ଫନୀ” ଓଡିଶା ଉପକୂଳକୁ ମାଡି ଆସୁଛି ଓ ବାତ୍ୟାକୁ କେନ୍ଦ୍ର କରି ଓଡିଶା ରାଜନୀତିର ଘୂର୍ଣ୍ଣି ଆହୁରି ଭୟଙ୍କର ଲାଗୁଛି। ଆପାତତଃ ଶାନ୍ତିପୂର୍ଣ୍ଣ ଭାବରେ ଓଡିଶାର ଚାରୋଟି ଯାକ ପର୍ୟାୟ ନିର୍ବାଚନ ସମାହିତ କରିଥିବାରୁ ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଧନ୍ୟବାଦ ପାଇବା ପରିବର୍ତ୍ତେ ଭାରତୀୟ ଜନତା ପାର୍ଟି ଓ ଏହାର ସଦା କ୍ରୋଧିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଶର ଶିକାର ହୋଇଛନ୍ତି। ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଜଣେ ଭ୍ରଷ୍ଟ ଅଧିକାରୀ ବୋଲି ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି। ଏ ପ୍ରକାର ଅଭିଯୋଗର ଆଧାର କଣ, ସେ କଥା କାହାକୁ ଜଣାନାହିଁ। ଓଡିଶା ଯେତେବେଳେ ଏକ ବିରାଟ ପ୍ରାକୃତିକ ବିପର୍ୟୟକୁ ମୁକାବିଲା କରିବାକୁ ଯାଉଛି ସେତେବେଳେ ଏ ପ୍ରକାର ରାଜନୈତିକ ଆକ୍ଷେପ ପ୍ରତି ଆକ୍ଷେପ ବଡ ଦୁର୍ଭାଗ୍ୟଜନକ। ନିର୍ବାଚନ ଏବେ ସରିଯାଇଛି। ଆସନ୍ତା ୧୯ ତାରିଖରେ ପାଟକୁରା ଉପ ନିର୍ବାଚନ ହେବା କଥା। ତାକୁ ନେଇ ଏ ସବୁ ନାଟକ।

ଭୟଙ୍କର ବାତ୍ୟା “ଫନୀ” ଓଡିଶା ଉପକୂଳରେ କେଉଁଠି ସ୍ଥଳଭାଗ ଛୁଇଁବ ସେ କଥା ଏଯାଏ ସ୍ପଷ୍ଟ ହୋଇନି। ତେବେ ପୁରୀରୁ ଦୀଘା ମଝିରେ ଏହା କେଉଁଠି ହେଲେ ସ୍ଥଳଭାଗକୁ ପ୍ରବେଶ କରିପାରେ। ବାତ୍ୟା ମୁକାବିଲା ବର୍ତ୍ତମାନ ସମୟର ସବୁଠୁ ବଡ ଚିନ୍ତା। ସେତେବେଳେ ପାଟକୁରା ନିର୍ବାଚନ ହେବା ନହେବା, ଖୁବ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ନୁହେଁ। ତେବେ ପାଟକୁରାକୁ ନେଇ ଗତ ମାସେ ହେଲା ଅନେକ ରୋଚକ ରାଜନୈତିକ ମୋଡ ଆସିଛି। ପ୍ରଥମେ ବିଜୟ ମହାପାତ୍ର ବର୍ଷାଧିକ କାଳ ବିଜେପିଠାରୁ ଅଭିମାନ କରି ଦୂରରେ ରହିଲେ। ତାଙ୍କୁ ବିଜେପି ପୁରୁଣା ଆସବାବ ଭଳି ବ୍ୟବହାର କରୁଛି ବୋଲି କହି ସେ ବିଜେପିରୁ ଇସ୍ତଫା ଦେଇ ଚାଲିଆସିଥିଲେ। ତେବେ ହଠାତ ତାଙ୍କର ମାନଭଞ୍ଜନ ହେଲା। ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦାନ କରିବା ପରେ ସେ ପ୍ରଥମେ ବିଜୟଙ୍କୁ ନିଜ ପାଖକୁ ନେଇ ଆସିଲେ। ପୁରୁଣା ଆସବାବ ପୁଣି ଥରେ ନିଜ ଜାଗାକୁ ଫେରି ଆସିଲା। ତେବେ ପୁରୁଣା ଜାଗା କହିଲେ, ସେଇ ପାଟକୁରା। ବିଜୟଙ୍କୁ ବିଜେପି ପାଟକୁରାର ପ୍ରାର୍ଥୀ କଲା।

ବିଜୟଙ୍କ ପ୍ରତିଦ୍ବନ୍ଦ୍ବୀ ଭାବରେ ବିଜେଡି ନିଜର ବର୍ଷିୟାନ ନେତା ବେଦପ୍ରକାଶ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିଲା। ତେବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଲାପରେ ବେଦୁ ବାବୁଙ୍କ ଦେହାନ୍ତ ହେଲା। ଆମ ଜାଣିବାରେ ବେଦ ପ୍ରକାଶ ଅଗ୍ରୱାଲାଙ୍କ ଦେହାନ୍ତକୁ ଆମେ  ଆମ ସମୟର ସବୁଠୁ ବଡ ରାଜନୈତିକ ମୃତ୍ୟୁ ବୋଲି କହିପାରିବା। ବିଜେପି ଓ ବିଜୟ ଅଭିଯୋଗ କଲେ ଯେ ଜାଣିଶୁଣି ନିର୍ବାଚନ ଘୁଞ୍ଚାଇବାକୁ ଏଠାରେ ବେଦ ପ୍ରକାଶ ଅଗ୍ରୱାଲାଙ୍କୁ ବିଜେଡି ଟିକଟ ଦେଇଥିଲା। ଏହାର ସିଧା ଅର୍ଥ ହେଉଛି, ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ମତେ ବୋଧହୁଏ ଯମରାଜା ବେଦପ୍ରକାଶଙ୍କୁ ଇହ ଧାମରୁ ନେଇଗଲେ! ବିଜୟଙ୍କୁ ହଇରାଣ କରିବା ଲାଗି ଖୋଦ ଯମରାଜ ମଧ୍ୟ ନବୀନଙ୍କ ସହ ଷଡଯନ୍ତ୍ରରେ ସାମିଲ ବୋଲି ଆମେ ମାନିବାକୁ ବାଧ୍ୟ!

ତେବେ ଯମରାଜା ତାଙ୍କ କାମ କରିବା ପରେ ଏବେ ଇନ୍ଦ୍ର ମଧ୍ୟ ନବୀନଙ୍କ ସହ ମିଶି ବିଜୟ ଓ ବିଜେପି ବିରୋଧରେ ଷଡଯନ୍ତ୍ର ଆରମ୍ଭ କରିଛନ୍ତି। ପାଟକୁରା ନିର୍ବାଚନ ଆସନ୍ତା ମେ ୧୯ ରେ ହେବା ପୂର୍ବରୁ ଏବେ ବାତ୍ୟା “ଫନୀ” ଆସି ପହଞ୍ଚି ଯାଇଛି। ବାତ୍ୟାକୁ ଆଳ କରି ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ ବିଜେଡି ଦରଖାସ୍ତ କରିଛି ଓ ଏହା ବିରୋଧରେ ବିଜେପି ଠିଆ ହୋଇଛି। ଶେଷ ନିଷ୍ପତ୍ତି ନିର୍ବାଚନ କମିଶନ ନେବେ। ହେଲେ ସାଧାରଣ ଓଡିଆ ଭାବରେ ଆମର ପ୍ରଶ୍ନ ହେଲା, ଆଜ୍ଞାମାନେ! ୧୪୬ ଟି ବିଧାନସଭା ନିର୍ବାଚନ ସରି ତ ଗଲାଣି। ବାତ୍ୟାର କ୍ଷୟକ୍ଷତି ଭିତରେ ଆଉ ଗୋଟେ ବିଧାନସଭା ନିର୍ବାଚନ ଯଦି କିଛି ଦିନ ଘୁଞ୍ଚିଯାଏ, ତାହେଲେ କଣ ବା ଅସୁବିଧା ହେବ କି ? ହୁଏତ ଏଥିଲାଗି ଶାସକ ଦଳ ଟିକେ ଅଧିକ ସମୟ ପାଇଯିବ। ତେବେ ମେ ୨୩ ପରେ ବିଜେଡି କଣ ଶାସକ ଦଳ ହୋଇ ରହିବ ବୋଲି ବିଜେପି ମାନି ନେଇ ସାରିଛି ?

ଅସଲ କଥା ହେଉଛି, ଏ ସମ୍ପର୍କିତ ଚୂଡାନ୍ତ ନିଷ୍ପତ୍ତି ନିର୍ବାଚନ କମିଶନ ନେବେ। ତା ପୂର୍ବରୁ ପୂର୍ବରୁ ବିଜେପିର ବିଳିବିଳା ବଡ ଅରୁଚିକର ଲାଗୁଛି। ନିର୍ବାଚନ କମିଶନଙ୍କୁ ଭେଟି ଧର୍ମେନ୍ଦ୍ର କହିଛନ୍ତି- “ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ରାଜ୍ୟରେ ନିର୍ବାଚନ ଆଚରଣ ବିଧି କଟକଣା ହଟାଇବା ନେଇ ମୁଖ୍ୟଶାସନ ସଚିବଙ୍କ ସ୍କ୍ରିନିଂ କମିଟି ତରଫରୁ ଅନୁରୋଧ କରାଯାଇଥିଲା। ଯାହାକୁ କମିଶନ ଗ୍ରହଣ କରି ନିର୍ବାଚନ ଆଚରଣ ବିଧି କୋହଳ କରିଛନ୍ତି। ସମ୍ଭାବ୍ୟ ପ୍ରାକୃତିକ ଦୁର୍ବିପାକ ପରିପ୍ରେକ୍ଷୀରେ କେବଳ ବାତ୍ୟା ମୁକାବିଲା ଜନିତ ଆବଶ୍ୟକୀୟ ପଦକ୍ଷେପ ପାଇଁ ନିର୍ବାଚନ ଆଚରଣ ବିଧିକୁ କୋହଳ କରାଯାଇଥିବା ମୁଖ୍ୟ ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି। କିନ୍ତୁ ଆଚରଣ ବିଧି ହଟିବା ଆଳରେ ରାଜ୍ୟର ବିଜେଡି ସରକାର ୧୦୦୦ କୋଟି ଟଙ୍କାର ମିଛ ବିଲ୍ ଅନୁମୋଦନ କରି ଦଳୀୟ କର୍ମୀଙ୍କୁ ମାଲେମାଲ୍ କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି। ରାଜ୍ୟରେ ନିର୍ବାଚନ ସରିଛି। ଜନାଦେଶ ବିଜେପି ସପକ୍ଷରେ ଯାଇ ସାରିଛି। ନବୀନବାବୁ ଦୀର୍ଘ ୧୯ ବର୍ଷ ଧରି ଓଡି଼ଶାକୁ ଲୁଟ୍ କରିଛନ୍ତି, ଆଉ ଓଡ଼ିଶା ଲୋକଙ୍କ ଝାଳବୁହା ଅର୍ଥକୁ ତାଙ୍କୁ ଲୁଟ୍ କରିବାକୁ ଦିଆଯାଇ ପାରିବ ନାହିଁ।

ଏ କଥାର କିଛି ଅର୍ଥ ସତରେ ଅଛି କି ? ବାତ୍ୟା ସମୟରେ ୧୧ ଟି ଜିଲ୍ଲାରୁ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧି ହଟାଇ ଦେଇଛନ୍ତି। ବାତ୍ୟା ସହାୟତା ଓ ରିଲିଫ କାମ ଲାଗି ତାହା ଜରୁରୀ। ତେବେ ଏଥିରୁ ହଜାରେ କୋଟି ବିଜେଡି ସରକାର କେମିତି ଓ କେଉଁ ବାଗରେ ହଡପ କରିବେ, ଆମେ ତାହା ବୁଝି ପାରୁନାହୁଁ ? ତା ପରେ ମନ୍ତ୍ରୀଙ୍କ କଥା ମୁତାବକ ଯଦି ତାଙ୍କ ସରକାର ଆସୁଛି, ତାହେଲେ ଏ ସରକାର ଯଦି କିଛି ଗଫଲତି କରେ, ତାର ବିଲ ଅଟକା ଯାଇପାରିବ ଓ ଦୋଷୀମାନଙ୍କୁ ବନ୍ଧା ଯାଇପାରିବ।

ଦୁର୍ଦ୍ଦିନ ସମୟରେ ସବୁ ରାଜନୈତିକ ଦଳ ହାତକୁ ହାତ ମିଳାଇ ଏବେ ଲୋକଙ୍କ ସେବା କରିବାର ସମୟ ଆସିଛି। ନିର୍ବାଚନ ସରିଗଲାଣି। ଭାଷଣ ଓ ବୟାନବାଜିରେ ଜନମତ ଆଉ ପ୍ରଭାବିତ ହେବାର ନାହିଁ। ଏବେ ଅନ୍ତତଃ ରାଜନୀତିରେ ମଣିଷପଣିଆ କିଛି ତ ରହୁ !

( ଆଶ୍ଚର୍ଯ୍ୟ, ମୋବାଇଲ ସ୍କ୍ରିନକୁ ଘଷି ଚାଲିଲେ ବାହାରୁଛି ଖବର ପରେ ଖବର, ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ୍ )

Categories
ଆଜିର ଖବର

ବୈଜୟନ୍ତଙ୍କ ବିରୋଧରେ ବିଜେଡିର ଅଭିଯୋଗ, ପ୍ରଚାର ବନ୍ଦ ଥିବାବେଳେ ସେ ଡିଜିଟାଲ ମାଧ୍ୟମରେ ପ୍ରଚାର କରୁଛନ୍ତି କିପରି ?

ରାତିପାହିଲେ କେନ୍ଦ୍ରପଡା ନିର୍ବାଚନ ହେଲେ ଏ ପର୍ଯ୍ୟନ୍ତ ବିଜେଡି ବିଜେପି ମଧ୍ୟରେ ଛକାପଞ୍ଚା ଶେଷ ହେଉ ନାହିଁ। ବିଳମ୍ବିତ ସମୟରେ ବିଜେଡି, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି। ଦଳ ତରଫରୁ ସସ୍ମିତ ପାତ୍ର, ଲେନିନ ମହାନ୍ତି ଏବଂ ସୁଲତା ଦେଓ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ପ୍ରଚାର ବନ୍ଦ ଥିବା ବେଳେ କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଡିଜିଟାଲ ମିଡିଆରେ ପ୍ରଚାର କରୁଛନ୍ତି। ଅଭିଯୋଗ ଅନୁଯାୟୀ ବୈଜୟନ୍ତ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ତାଙ୍କୁ ଭୋଟ ଦେବା ପାଇଁ ଅପିଲ କରୁଛନ୍ତି। ଏପରିକି ଏକ ନିର୍ଦ୍ଦିଷ୍ଠ ମୋବାଇଲ ନମ୍ବରରୁ ଲୋକଙ୍କ ପାଖକୁ ଫୋନ କଲ ଆସୁଛି ଯେ, ବୈଜୟନ୍ତ ପଣ୍ଡାଙ୍କୁ ପଦ୍ମଫୁଲରେ ଭୋଟ ଦିଅନ୍ତୁ। ନିର୍ବାଚନ ଆଚରଣ ବିଧି ଅନୁସାରେ କୌଣସି ପ୍ରାର୍ଥୀ ଭୋଟ ଗ୍ରହଣର 48 ଘଣ୍ଟା ପୂର୍ବରୁ କିଛି ବି ପ୍ରଚାର କରିପାରିବେ ନାହିଁ। ହେଲେ ବୈଜୟନ୍ତ କିପରି ପ୍ରଚାର କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଏହା ଉପରେ ପଦକ୍ଷେପ ନିଅନ୍ତୁ ବୋଲି ଦଳ ଦାବୀ କରିଛି।

Categories
ବିଶେଷ ଖବର

ନିର୍ବାଚନ ପ୍ରଚାର, ସ୍ଲୋଗାନ ଯୁଦ୍ଧ ଓ ଓଡିଶାର ଆଗାମୀ ରାଜନୈତିକ ଚିତ୍ର- କେତୋଟି ଛୋଟ ଛୋଟ କାହାଣୀ

କେଦାର ମିଶ୍ର

ଆମ ରାଜ୍ୟରେ ନିର୍ବାଚନ ପ୍ରଚାର ସରିଛି। ନିର୍ବାଚନ ଘୋଷଣା ହେବା ପରର ଦେଢମାସ ଓ  ତା ପୂର୍ବର ତିନିମାସ, ଏମିତି ସାଢେ ଚାରି ମାସ ଧରି ରାଜନୈତିକ ଦଳମାନଙ୍କର ପ୍ରଚାର ସର୍କସ ଆମେ ଦେଖି ଆସିଛୁ। ଆଜିଠୁ ଆଉ ଆମ ଦାଣ୍ଡରେ ଜୋର ଜୋର ଚିତ୍କାର କରି ପ୍ରଚାର ଗାଡି ବୁଲିବାର ନାହିଁ। ସକାଳୁଆ ଖବର କାଗଜରେ ଲୋଭନୀୟ ପ୍ରତିଶୃତିର ମାୟାଜାଲ ଆଉ ବାହାରିବାର ନାଇଁ। ଲେଜର ବସ, ରୋଡ ସୋ, ଗାଳି ଗୁଲଜ, ଭାଇରାଲ ଭିଡିଓ, ଯୋଜନା ଘୋଷଣାର ଯୁଦ୍ଧ ଓ ପରସ୍ପରକୁ ନୀଚ କରି ଦେଖେଇବାର ରାଜନୀତି ଆଜିଠୁ କମିଯିବ। ଅନ୍ତତଃ ମେ ମାସ ୨୩ ତାରିଖ ଯାଏ ଟିକେ ଶାନ୍ତି। ଅନ୍ୟ  ରାଜ୍ୟମାନଙ୍କରେ ଆଉ ତିନୋଟି ଥାକରେ ନିର୍ବାଚନ ସରିବା ପର୍ୟନ୍ତ ଆମେ ଓଡିଶାରେ ଅନୁମାନ, ଆକଳନ ଓ ମିଶାଣ ଫେଡାଣ ଲାଗି ପ୍ରାୟ ୨୫ ଦିନ ସମୟ ପାଇବୁ। ଏବେ କୁହାଯାଇପାରେ, ରାଜନେତାଙ୍କ ଲାଗି ଏବେ ଛୁଟିର ସମୟ। ସେଇ ଛୁଟିର ସମୟ ଭିତରେ ନିର୍ବାଚନ ପ୍ରଚାରର କିଛି ଛୋଟ ଛୋଟ କାହାଣୀ ମନେ ପକେଇବା ଆସନ୍ତୁ।

କାହାଣୀ -୧ ; ପୋଡା ଟ୍ରାନ୍ସଫର୍ମର

ଏ ନିର୍ବାଚନରେ ସବୁଠୁ କଡା ଓ ବିଷାକ୍ତ ଭାଷା ଶୁଣିବାକୁ ମିଳିଥିଲା ବିଜେପି ସଭାପତି ଅମିତ ଶାହଙ୍କ ମୁହଁରୁ। ଶାହ ଯେତେଥର ଓଡିଶା ଆସିଲେ, ସେତେଥର କହିଲେ ଯେ ନବୀନ ସରକାର ଏକ ପୋଡା ଟ୍ରାନ୍ସଫର୍ମର ଓ ତାକୁ ଓପାଡି ସମୁଦ୍ରରେ ଫିଙ୍ଗିଦେବା ଦରକାର। ଶାହଙ୍କ କଥାରେ ତେଜ ଥିଲା, ହେଲେ ସରକାରକୁ ଓପାଡି ଫୋପାଡି ଦେବାକୁ ସେ ଯେଉଁ “ମିଶନ ୧୨୦+” ର ସ୍ଲୋଗାନ ଦେଇଥିଲେ, ସେଟା ଆଉ ନିର୍ବାଚନ ସମୟରେ ଶୁଣିବାକୁ ମିଳିନଥିଲା। ତେବେ କାହାଣୀ ରେ ସବୁଠୁ ବଡ ଟୁଇଷ୍ଟ ଆସିଥିଲା, ଯେତେବେଳେ ଖୋଦ ପ୍ରଧାନମନ୍ତ୍ରୀ ତାଙ୍କ ଅନୁଗତ ସଭାପତିଙ୍କୁ ଅନୁସରଣ କରି “ନବୀନ ସରକାର କା ଜାନା ତୟ ହୈ” ବୋଲି କହିଥିଲେ। ଗଣତନ୍ତ୍ରରେ ପ୍ରଧାନମନ୍ତ୍ରୀ ଓ ଶାସକ ଦଳର ସଭାପତିଙ୍କ ଭାଷଣରେ ମର୍ଯାଦାର ଅପମୃତ୍ୟୁ, ଏ କାହାଣୀର ସାରାଂଶ ବୋଲି ଆମେ କହି ପାରିବା।

କାହାଣୀ-୨; ଆପନ ମାନେ ଖୁସି ତ !

ପ୍ରଥମେ ପୁରୁଷ ବିଶ୍ଵ କପ ହକି ର ଉଦ୍ଘାଟନ ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବେତ ଜନତାଙ୍କୁ ପଚାରିଥିଲେ- ଆପନ ମାନେ ଖୁସି ତ! ବାସ, ସେଇଠୁ ସେ କଥା ପଦକ, ନିର୍ବାଚନୀ ସ୍ଲୋଗାନ ପାଲଟିଗଲା। ମୁଖ୍ୟମନ୍ତ୍ରୀଙ୍କ ଖଣ୍ଡି ଓଡିଆରେ (ଆଜି ବି ୧୯ ବର୍ଷର ଶାସନ ପରେ ତାଙ୍କ ମୁହଁ ରେ ସେଇ ଖଣ୍ଡି ଓଡିଆ ରହିଛି) ସେ କଥା ପଦକ ନିର୍ବାଚନ ପରିବେଶର ସବୁଠୁ ବଡ ସ୍ଲୋଗାନ ହୋଇ ରହିଗଲା। କେହି କେହି ତାକୁ ବିଦୃପ କଲେ, ସୋସିଆଲ ମିଡିଆରେ ତାକୁ ନେଇ ଜୋକ୍ସ ତିଆରି ହେଲା, କିନ୍ତୁ ସବୁଠି ଶୁଣାଗଲା- ଆପନ ମାନେ ଖୁସି ତ! ଏ ଖୁସି ରେ ଟଙ୍କିକିଆ ଚାଉଳ, କାଳିଆ ଯୋଜନା, ମିଶନ ଶକ୍ତି ଓ ଆହୁରି ଅନେକ କାହାଣୀ ରହିଥିଲା। ତେବେ ସେ ଖୁସି ସତ କି ମିଛ, ତାହା ମେ ୨୩ ରେ ଜଣା ପଡିଯିବ।

କାହାଣୀ-୩; ବେଇମାନ ଓ ସ୍ବାଭିମାନ

ବିଜେଡ଼ିରୁ ବହିଷ୍କୃତ ହେବା ପରେ କେନ୍ଦ୍ରାପଡାର ଲୋକସଭା ସଦସ୍ୟ ବୈଜୟନ୍ତ ପଣ୍ଡା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିତରେ ଯେଉଁ ବ୍ୟକ୍ତିଗତ କଟୁତା ଦେଖିବାକୁ ମିଳିଥିଲା, ତାହା ଥିଲା ଏ ନିର୍ବାଚନର ସବୁଠୁ ଅରୁଚିକର କାହାଣୀ। ନିର୍ବାଚନର ଅନ୍ତିମ ପର୍ଯାୟ ଆସିଲା ବେଳକୁ ବୈଜୟନ୍ତ ବାବୁ ନିଜର ସ୍ଵର୍ଗତ ପିତା ବଂଶୀଧର ପଣ୍ଡା ଓ କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ମଧ୍ୟ ଏଇ ଝଗଡା ଭିତରକୁ ଟାଣି ଆଣିଥିଲେ। ବିଜୁ ବାବୁ ବଂଶୀ ପଣ୍ଡାଙ୍କ ଦୟାରେ ନିଜ ଘର ବଞ୍ଚାଇଥିଲେ ବୋଲି କହି ବୈଜୟନ୍ତ ବହୁ ତଳ ସ୍ତରକୁ ଖସି ଆସିଥିଲେ। ସେହିପରି ନବୀନ ବାବୁ ଆଜି ପର୍ଯନ୍ତ ରାଜନୀତିରେ କେବେ କାହା ବିରୋଧରେ କହିନଥିବା ବେଳେ ପ୍ରଥମଥର ଲାଗି ସେ ଖୋଲାଖୋଲି ବୈଜୟନ୍ତଙ୍କୁ ବେଇମାନ ବୋଲି କହିଥିଲେ, ଯାହାକି ତାଙ୍କ ବ୍ୟକ୍ତିତ୍ବର ପରିପନ୍ଥୀ ବୋଲି କୁହାଯାଇପାରେ।

କାହାଣୀ-୪: ମେ ୨୬ ଲାଗି ନିମନ୍ତ୍ରଣ ପତ୍ର   

ନିର୍ବାଚନ ସରିନି, ଫଳ ବାହାରିବାକୁ ଆହୁରି ୨୫ ଦିନ ବାକି ଅଛି। ହେଲେ ବିଜେଡି ଓ ବିଜେପି ତରଫରୁ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣକୁ ଆସିବା ଲାଗି ନିମନ୍ତ୍ରଣ ବଣ୍ଟା ସରିଲାଣି। ବିଜେପିର ତ ମୁଖ୍ୟମନ୍ତ୍ରୀ ପାର୍ଥୀ ଘୋଷଣା ହୋଇନି। ହେଲେ ଧର୍ମେନ୍ଦ୍ର ପ୍ରଧାନ ମନେ ମନେ ମୁଖ୍ୟମନ୍ତ୍ରୀ ହୋଇ ସାରିଲେଣି। କେନ୍ଦ୍ରାପଡା ସଭାରେ ପ୍ରଧାନମନ୍ତ୍ରୀ ଯେତେବେଳେ କହିଲେ ଯେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ପଦରୁ ଯିବା ନିଧାର୍ୟ, ତାରି ଉତ୍ତରରେ ଏକ ବିଦ୍ରୁପାତ୍ମକ ଉତ୍ତର ରଖି ନବୀନ ବାବୁ କହିଲେ ଯେ ମୁଁ ମୋର ଶପଥ ଗ୍ରହଣ ସମାରୋହକୁ ମୋଦୀଙ୍କୁ ନିମନ୍ତ୍ରଣ କରୁଛି। କଥାଟି ସେତିକି ମାତ୍ର। ସତ କହିବାକୁ ଗଲେ ମେ ୨୩ ପରେ ମୋଦୀ ଯେ ପ୍ରଧାନମନ୍ତ୍ରୀ ହୋଇ ରହିବେ ବା ନବୀନ ବାବୁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ, ତାର ଗ୍ୟାରେଣ୍ଟି କେହି ଦେଇ ପାରିବେ ନାଇଁ। ଏ ପ୍ରକାର ନିମନ୍ତ୍ରଣ ପତ୍ର ଦେଖିଲେ ଲାଗୁଛି, ସତରେ ଆମ ରାଜନୀତିର ସ୍ତର କେତେ ତଳକୁ ଖସି ସରିଲାଣି। ଏଠି ନିର୍ବାଚନ ପ୍ରକ୍ରିୟା ଓ ସମ୍ବିଧାନ ଉପରେ ବୋଧହୁଏ କାହାର ଆଉ ଭରସା ନାହିଁ।

ତେବେ ଏ ସବୁ କାହାଣୀ ଭିତରେ ଆମର କାହାଣୀ ହେଲା, ଯିଏ ବି ସରକାର ଗଢୁ, ଆମର କାମ ହେଲା ସେ ସରକାର ଉପରେ ସତର୍କ ପ୍ରହରୀର ନଜର ରଖିବା ଓ ଆମେ ସେଥିଲାଗି ବଦ୍ଧ ପରିକର।

(ମୋବାଇଲରେ ଚଟାପଟ୍ ଖବର ପଢିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ମୋବାଇଲ ଆପ, ଏହାପରେ ସ୍କ୍ରିନକୁ ଘଷି ଘଷି ପଢିଚାଲନ୍ତୁ ଖବର ପରେ ଖବର)