Categories
ଆଞ୍ଚଳିକ

ବାଣପୁର: କରୋନାରେ ମୃତ୍ୟୁବରଣ କରିଥିବା ବନ୍ଧୁଙ୍କୁ ୧ ଲକ୍ଷର ସହାୟତା ରାଶି ଦେଲେ ଗୋଦାବରୀଶ ବିଦ୍ୟାପୀଠର ସହପାଠୀ

ସୀତାରାମ ଅଗ୍ରୱାଲ

ବାଣପୁର: ମହାମାରି କରୋନାର କରାଳରେ ପୀଡିତ ହୋଇ ତା ୦୨/୦୫/୨୧ ରିଖରେ ସବୁଦିନ ପାଇଁ ଚିରନିଦ୍ରାରେ ଶୋଇ ଯାଇଥିଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟସ୍ଥ ଅନ୍ତରକିଆରୀ ଗ୍ରାମର ସରୋଜ ସାମନ୍ତରାୟ।ସ୍ତ୍ରୀ, ପୁଅ ଓ ଝିଅକୁ ଏକାକରି ସେ ଚାଲିଯାଇଥିଲେ। ହେଲେ ପରିବାରର ଏଭଳି ଦୁର୍ଦ୍ଦିନ ସମୟରେ ସରୋଜଙ୍କ ବନ୍ଧୁମାନେ ସହାୟତାର ହାତ ବଢାଇଛନ୍ତି। ସରୋଜଙ୍କ ୧୯୮୪ ମସିହା ବାଣପୁର ଗୋଦାବରୀଶ ବିଦ୍ୟାପୀଠର ସ୍କୁଲ ସହପାଠୀମାନେ, ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ପୂର୍ବରୁ ମାନସିକ ଓ ଶାରୀରିକ ଭାବେ ସାହାଯ୍ୟ କରିଆସିଥିବା ବେଳେ ଆଜି କିଛି ଆର୍ଥିକ ସାହାଯ୍ୟ ମଧ୍ୟ କରିଛନ୍ତି।

ସରୋଜଙ୍କ ସ୍କୁଲ ସହପାଠୀ ମାନେ ଆର୍ଥିକ ସହଯୋଗର ହାତ ବଢାଇ ଏକ ଲକ୍ଷ ଟଙ୍କାର ଫିକ୍ସ ଜମା ରାଶି ବଣ୍ଡ ଆଜି ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ହସ୍ତାନ୍ତର କରିଥିଲେ। ଏହି ମହତ୍କାଂକ୍ଷୀ କାର୍ଯ୍ୟରେ ସୁଶାନ୍ତ ପଟ୍ଟନାୟକ, ଲଷ୍ମୀଧର ପ୍ରଧାନ, ଶ୍ରୀମନ୍ତ ମହାପାତ୍ର, ସୁନୀଲ କୁମାର ନନ୍ଦ, ଧରଣୀଧର ଜାଲି ଓ ଅଶୋକ ପାତ୍ରଙ୍କ ଯୋଗଦାନ ସରାହଣୀୟ ରହିଥିଲା। ୧୯୮୪ ବ୍ୟାଚର ସହପାଠୀମାନେ ପୂର୍ବରୁ ଗଠିତ କରିଥିବା “ସ୍କୁଲ ମେଟ୍ ହ୍ଵାଟ୍ସଆପ ଗ୍ରୁପ” ମାଧ୍ୟମରେ ଏହି ମହତ କାର୍ଯ୍ୟ ସମ୍ପାଦନ ହୋଇଥିବାରୁ ପରସ୍ପର ପରସ୍ପରକୁ କୃତଜ୍ଞତା ଜଣାଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଭାରତୀୟ ପୁରୁଷ ହକି ଦଳର ଦମଦାର ପ୍ରଦର୍ଶନ: ଟୋକିଓ ଅଲମ୍ପିକରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ କଲା ପରାସ୍ତ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍ସରେ ଏକ ଭଲ ଆରମ୍ଭ କରିଛି। ପୁଲ ଏ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୩-୨ରେ ପରାସ୍ତ କରି ଭାରତୀୟ ଦଳ ଏହାର ପ୍ରଥମ ବିଜୟ ହାସଲ କରିଛି। ନ୍ୟୁଜିଲ୍ୟାଣ୍ଡ ଉପରେ ଭାରତକୁ ଏହି ଅଗ୍ରଣୀ ଦେବା ପାଇଁ ରୁପିନ୍ଦର ପାଲ ସିଂ ଏବଂ ହରମାନପ୍ରୀତ ସିଂ ଭାରତ ପାଇଁ ସ୍କୋର କରିଥିଲେ। ଭାରତ ପ୍ରମଥାର୍ଦ୍ଧରେ ନ୍ୟୁଜିଲ୍ୟାଣ୍ଡଠାରୁ ୩-୧ରେ ଅଗ୍ରଣୀ ହାସଲ କରିଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ନ୍ୟୁଜିଲ୍ୟାଣ୍ଡ ଗୋଟିଏ ଗୋଲ ସ୍କୋର କରି ଗୋଲ ସଂଖ୍ୟାକୁ ବୃଦ୍ଧି କରିଥିଲା। କିନ୍ତୁ ଭାରତ ରକ୍ଷଣାତ୍ମକ କ୍ଷେତ୍ରରେ ମଜବୁତ ପ୍ରଦର୍ଶନ କରି ବିରୋଧୀ ଦଳକୁ ଗୋଲ କରିବାରେ ସୁଯୋଗ ଦେଇନଥିଲା। ତେବେ ଭାରତୀୟ ହକି ଦଳ ଆସନ୍ତାକାଲି ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳକୁ ଭେଟିବ। ସେହିପରି ଆଜି ଭାରତୀୟ ମହିଳା ହକି ଦଳ ମଧ୍ୟ ଦ୍ୱିତୀୟ ଦିନରେ ଏହାର ଅଭିଯାନ ଆରମ୍ଭ କରିବ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ମୁଁ ଯେତେବେଳେ ବଡ ହେଉଥିଲି, ସେତେବେଳେ ମୋ ମା’ ଯୌନ ଶିକ୍ଷା ପୁସ୍ତକ ଦେଉଥିଲେ: ଆୟରା ଖାନ

ନୂଆଦିଲ୍ଲୀ: ଆମୀର ଖାନଙ୍କ ଝିଅ ଆୟରା ଖାନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ଏହା ସହିତ, ସେ ତାଙ୍କର ନୂତନ ପୋଷ୍ଟ ମାଧ୍ୟମରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ଆୟରା ଖାନ ବର୍ତ୍ତମାନ ନିଜ ଇନଷ୍ଟାଗ୍ରାମ କାହାଣୀରେ ଏକ ପୋଷ୍ଟ ଲେଖି ପ୍ରକାଶ କରିଛନ୍ତି ଯେ, ଯେତେବେଳେ ସେ ବଡ ହେଉଥିଲେ, ତାଙ୍କ ମା ଏବଂ ଚଳଚ୍ଚିତ୍ର ନିର୍ମାତା ରୀନା ଦତ୍ତା ତାଙ୍କୁ ଯୌନ ଶିକ୍ଷା ଉପରେ ଏକ ପୁସ୍ତକ ଦେଇଥିଲେ। ଆୟରା ଖାନଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ସେ ତାଙ୍କ ପୋଷ୍ଟରେ ଅଗସ୍ତୁ ଫାଉଣ୍ଡେସନକୁ ମଧ୍ୟ ଟ୍ୟାଗ୍ କରିଛନ୍ତି।

ଆୟରା ଖାନ ତାଙ୍କ ପୂର୍ବ ପୋଷ୍ଟରେ ଏହା ପ୍ରକାଶ କରିଥିଲେ, “ମୁଁ ୧୪ ବର୍ଷ ବୟସରେ ଯୌନ ଶୋଷଣର ଶିକାର ହୋଇଥିଲି। ଏସବୁ ବିଷୟରେ ମୁଁ ସେତେବେଳେ ଜାଣିନଥିଲି, କିନ୍ତୁ ଯେତେବେଳେ ମୁଁ ଜାଣିଲି ମୁଁ ଏଥିରୁ ଦୂରେଇ ଯାଇଥିଲି। ହଁ, ଏଥିପାଇଁ ମୁଁ ନିଜକୁ ଖରାପ ଅନୁଭବ କରିଥିଲି।

ଆୟାର ଖାନ ନିଜ କ୍ୟାରିଅରକୁ ଅଭିନୟରେ ନୁହେଁ ବରଂ ନିର୍ଦ୍ଦେଶନାରେ କ୍ୟାରିଅର ଗଢିବାକୁ ଚାହୁଁଛନ୍ତି। ସେଥିପାଇଁ ସେ ପ୍ରସ୍ତୁତି ଜାରି ରଖିଛନ୍ତି। ତାଙ୍କ ନିର୍ଦ୍ଦେଶିତ ପ୍ରଥମ ନାଟକ ‘ଇଉରିପିଡ଼ସ ମେଡିଆ’ ଡିସେମ୍ବର ୨୧୦୯ ରେ ମଞ୍ଚସ୍ଥ ହୋଇଥିଲା। ଏହି ନାଟକରେ ଯୁବରାଜ ସିଂଙ୍କ ପତ୍ନୀ ହାଜେଲ କିଚ ମଧ୍ୟ ନଜର ଆସିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟର: ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଲେ ଦୁଇ ଆତଙ୍କବାଦୀ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ବାନ୍ଦିପୋରାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାବାହିନୀ ମୃତ୍ୟୁ ମୁଖରେ ପହଞ୍ଚାଇଛନ୍ତି। ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀ ଏହି କାର୍ଯ୍ୟକୁ ଆହୁରି ତୀବ୍ର କରିଛି। ଏହାପୂର୍ବରୁ ବାରାମୁଲାର ସୋପୋର ଅଞ୍ଚଳରେ ସୁରକ୍ଷା ବାହିନୀ ଦୁଇଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ।

ଜଣେ ପୋଲିସ୍ ଅଧିକାରୀ ଏନେଇ କହିଛନ୍ତି ଯେ, ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଉତ୍ତର କାଶ୍ମୀରର ବାନ୍ଦିପୋରାର ସୁମ୍ବାଲାର ଅଞ୍ଚଳରେ ଶୋଖବାବା ଜଙ୍ଗଲରେ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିବା ବେଳେ ସୁରକ୍ଷାବାହିନୀ ପାଲଟା ଆକ୍ରମଣ କରିଥିଲେ। ଫଳରେ ଇ ଆକ୍ରମଣରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ।

ନିହତ ଆତଙ୍କବାଦୀଙ୍କ ପରିଚୟ ଏବଂ ସେମାନେ କେଉଁ ଆତଙ୍କବାଦୀ ସଂଗଠନର ବୋଲି ତାହା  ଜଣା ପଡିଛି ବୋଲି ପୋଲିସ ଅଧିକାରୀ କହିଛନ୍ତି। ଅଧିକାରୀ କହିଛନ୍ତି ଯେ, ଅପରେସନ ଏବେ ବି ଜାରି ରହିଛି।

Categories
ଆଞ୍ଚଳିକ

ଚିଲିକାର ବିଶିଷ୍ଟ ସମାଜସେବୀ ତଥା ବାଲୁଗାଁ ଏନଏସିର ପୂର୍ବତନ ଅଧ୍ୟକ୍ଷ ଅଶୋକ ଦାସଙ୍କ ପରଲୋକ

ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ଚିଲିକା ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ଅଶୋକ ଦାସଙ୍କ ପରଲୋକ ହୋଇଯାଇଛି। ଅଶୋକ ଦାସଙ୍କ ୭୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ୧୯୫୧ ମସିହା ଡିସେମ୍ବର ମାସ ୫ ତାରିଖରେ ବାଣପୁର ମାଟିର ବରପୁତ୍ର ସ୍ଵର୍ଗତ ବାମନ ଚରଣ ଦାସଙ୍କ କୋଳରୁ ଜନ୍ମିତ ଅଶୋକ ଚିଲିକା ଅଞ୍ଚଳରେ ଅନେକ ସଂଗଠନ ପାଇଁ କାର୍ଯ୍ୟ କରି ଜନ ସେବା କରୁଥିଲେ।

ଶ୍ରୀ ଦାସଙ୍କ ବିୟୋଗ ଯୋଗୁଁ ଚିଲିକା ଅଞ୍ଚଳ ପାଇଁ ଏକ ବଡ କ୍ଷତି ହୋଇଛି। ସେ ଅଞ୍ଚଳର ଅନେକ ସମାଜ ସେବା କାର୍ଯ୍ୟରେ ପ୍ରତ୍ୟେକ୍ଷ ଭାବେ ଜଡିତ ରହୁଥିଲେ। ଅଶୋକ ମଧ୍ୟ ଜଣେ ଜନପ୍ରିୟ ନେତା ଭାବେ ପରିଚିତ ଥିଲେ। ସେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ବହୁ ବିକାଶ ମୂଳକ କାର୍ଯ୍ୟ କରିଥିଲେ। ଯାହା ଏବେ ବି ଲୋକଙ୍କ ମନରୁ ଲିଭିନି।

ଅଶୋକ ଦାସ ୧୯୯୨ ମସିହାରୁ ୧୯୯୭ ମସିହା ପର୍ଯ୍ୟନ୍ତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ବହୁ ପ୍ରଶଂସା ଲାଭ କରିଥିଲେ। ଆଜି ଭୋର ୩ ଟା ସମୟରେ ନିଜ ବାସ ଭବନରେ ଅଶୋକ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଟୋକିଓ ଅଲମ୍ପିକରେ ଭାରତକୁ ମିଳିଲା ପ୍ରଥମ ପଦକ: ମୀରାବାଈ ଚାନୁ ଜିତିଲେ ରୌପ୍ୟ

ନୂଆଦିଲ୍ଲୀ: ଆଜି ଭାରତ ପାଇଁ ଏକ ଭଲ ଦିନ। କାରଣ ଟୋକିଓ ଅଲମ୍ପିକରେ ଭାରତକୁ ପ୍ରଥମ ସଫଳତା ମିଳିଛି। ଭାରତ ଆଜି ଟୋକିଓ ଅଲମ୍ପିକରେ ପ୍ରଥମ ପଦକ ହାସଲ କରିଛି। ଭାରତୀୟ ଭାରତ୍ତୋଳନ ଖେଳାଳି ମୀରାବାଈ ଚାନୁଙ୍କୁ ରୌପ୍ୟ ପଦକ ହାସଲ ହୋଇଛି। ମହିଳା ୪୯ କିଲୋଗ୍ରାମର ଭାରତ୍ତୋଳନରେ ମୀରାବାଈଙ୍କୁ ରୌପ୍ୟ ପଦକ ମିଳିଛି।

ତାଙ୍କର ଏଭଳି ସଫଳତା ଯୋଗୁଁ ଭାରତ ପାଇଁ ଆଜି ଏକ ଖୁସିର ଦିନ ବୋଲି କୁହାଯିବ। ମୀରାବାଈ ଆଜି ଏହି ପଦକ ଜିତିବା ପରେ ୧୩୫ କୋଟି ଭାରତୀୟ ଗର୍ବ ଅନୁଭବ କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶର ଅନେକ ନେତା ତାଙ୍କୁ ଶୁଭେଚ୍ଛାର ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭାଲୁ ଆକ୍ରମଣରେ ୨ ଆହତ ଆହତ, ବୁର୍ଲା ସ୍ଥାନାନ୍ତର

କନ୍ଦର୍ପ ବେହେରା

ରେଢାଖୋଲ: ଆଜି ସକାଳୁ ସକାଳୁ ବାଟଗାଁ ପଂଚାୟତର ଗଦାଧରପୁର ଗାଁରେ ନିଜ ବିଲକୁ ଚାଷ କାମରେ ଯାଇଥିବା ବେଳେ ୨ ଜଣଙ୍କୁ ଭାଲୁ ଆକ୍ରମଣ କରିଥିବା ବନବିଭାଗ ତରଫରୁ ସୂଚନା ମିଳିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ରେଞ୍ଜ ଅଧିନସ୍ଥ ବାଟଗାଁ ପଂଚାୟତର ଗଦାଧରପୁର ଗ୍ରାମର ରବି ବେହେରା(୫୫), ଏବଂ ସେହି ଗାଁର ସର ବେହେରା (୪୫) ଜମିକୁ ଚାଷ କାମରେ ଯାଇଥିବା ବେଳେ ସେମାନଙ୍କୁ ଗୋଟିଏ ଭାଲୁ ଆସି ଅଚାନକ ଆକ୍ରମଣ କରିିଥିଲା। ସେମାନଙ୍କୁ ଗ୍ରାମବାସୀ ଉଦ୍ଧାର କରି ସଙ୍ଗେ ସଙ୍ଗେ ନାକଟିଦେଉଳ ଡାକ୍ତରଖାନାକୁ ନେଇ ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା  ସୂଚନା ମିଳିଛି। ରବି ବେହେରାଙ୍କର ଜଙ୍ଘରେ ଗଭୀର ଆଘାତ ଲାଗିଥିବା ବେଳେ ସର ବେହେରାଙ୍କର ହାତରେ ମଧ୍ୟ ଆଘାତ ଲାଗିଥିବା ଜଣା ପଡିଛି। ବର୍ତ୍ତମାନ’ ସେମାନଙ୍କ ଅବସ୍ଥା ଠିକ୍ ଥିବା ଜଣା ପଡିଛି। ବନ ବିଭାଗ ତରଫରୁ ସେମାନଙ୍କୁ ସରକାରଙ୍କର ତରଫରୁ ଆବଶ୍ୟକ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ବାଟଗାଁ ଫରେଷ୍ଟର ଅନିଲ୍ କିସାନ୍ ପ୍ରକାଶ କରିଛନ୍ତି।

ସୂଚନା ଯୋଗ୍ୟ ଯେ କିଛି ଦିନ ତଳେ ତା୧୬/୭/୨୦୨୧ ରେ ନାକଟିଦେଉଳ ରେଞ ଅଧିନସ୍ଥ ଅଙ୍ଗାବିରା ଗ୍ରାମର ରାଜା ସ୍ୱାଇଁ ନାମକ ବ୍ୟକ୍ତି ଜଙ୍ଗଲକୁ ଯାଇଥିବା ବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କୁ ଗ୍ରାମବାସୀ ଉଦ୍ଧାର କରି ସଙ୍ଗେ ସଙ୍ଗେ ନାକଟିଦେଉଳ ଡାକ୍ତରଖାନାକୁ ନେଇଥିଲେ। ନାକଟିଦେଉଳ ରେଞର ବାଟଗାଁ ଓ ଜାମୁଜୋରି ପଂଚାୟତରେ ଭାଲୁ ଓ ହାତୀ ମାନଙ୍କର ଉପଦ୍ରବରେ ଲୋକମାନେ ଅତିଷ୍ଠ ହୋଇ ପଡିଥିବା ବେଳେ ବହୁ ଜଣଙ୍କର ଜୀବନ ମଧ୍ୟ ଯାଇଛି । ଜଙ୍ଗଲକୁ ନ ଯିବା ପାଇଁ ବନ ବିଭାଗ ବାରମ୍ବାର ସଚେତନ କରୁଥିଲେ ମଧ୍ୟ ଏଠାକାର ଜନସାଧାରଣ ମାନୁ ନ ଥିବାରୁ ହିଂସ୍ର ଜନ୍ତୁଙ୍କର ଆକ୍ରମଣର ଶିକାର ହେଉଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍‌ର ପ୍ରଥମ ତ୍ରୟମାସ ନିଟ୍ ଲାଭ ୪୫ ପ୍ରତିଶତ ବୃଦ୍ଧି ପାଇ ୩୬୫୧ କୋଟି ଟଙ୍କା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ଟେଲିକମ୍ ଓ ଡିଜିଟାଲ୍ ସେବା ପ୍ରଦାନକାରୀ କମ୍ପାନୀ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ଚଳିତ ଆର୍ଥିକ ବର୍ଷର ୨୦୨୧ ଏପ୍ରିଲ୍‌ରୁ ଜୁନ୍ ପର୍ଯ୍ୟନ୍ତର ପ୍ରଥମ ତ୍ରୟମାସରେ ନିଟ୍ ଲାଭରେ ୪୪.୯% ବୃଦ୍ଧି ସହ ୩୬୫୧ କୋଟି ଟଙ୍କା ନିଟ୍ ଲାଭ ହାସଲ କରିଥିବା କଂପାନି ପକ୍ଷରୁ ଆଜି ଘୋଷଣା କରାଯାଇଥିବା ତ୍ରୟମାସିକ ଆର୍ଥିକ ଫଳାଫଳରୁ ଜଣାପଡ଼ିଛି। ଗତବର୍ଷର ପ୍ରଥମ ତ୍ରୟମାସରେ କଂପାନି ୨୫୧୯ କୋଟି ଟଙ୍କାର ନିଟ୍ ଲାଭ ହାସଲ କରିଥିଲା।

ଯୋଗାଯୋଗ (କନେକ୍ଟିଭିଟି) ବ୍ୟବସାୟରେ ଗ୍ରାହକ ଯୋଡ଼ି ହେବା ଜାରି ରହିଥିବାରୁ ଆଇୟୁସି ସମାୟୋଜିତ ୧୯% ଅଭିବୃଦ୍ଧି ସହ ତ୍ରୟମାସିକ ରାଜସ୍ୱ ୧୮,୯୫୨ କୋଟି ଟଙ୍କା (୨.୫ ବିଲିଅନ୍ ଡଲାର) ହୋଇଛି। ୨୦୨୧ ଜୁନ୍ ୩୦ ସୁଦ୍ଧା ଦେଶରେ ଜିଓର ମୋଟ ଗ୍ରାହକ ସଂଖ୍ୟା ୪୪ କୋଟିକୁ ବୃଦ୍ଧି ପାଇଛି। ଏହି ତ୍ରୟମାସରେ ଇବିଆଇଟିଡିଏ ୮୮୯୨ କୋଟି ଟଙ୍କା (୧.୨ ବିଲିଅନ ଡଲାର) ରହିଛି ଯାହା ଗତବର୍ଷର ପ୍ରଥମ ତ୍ରୟମାସ ଇବିଆଇଟିଡିଏ ତୁଳନାରେ ୨୧.୩% ଅଧିକ। ଏହି ତ୍ରୟମାସରେ ଗ୍ରାହକ ପିଛା ହାରାହାରି ରାଜସ୍ୱ ପ୍ରତି ମାସରେ ପ୍ରତି ଗ୍ରାହକ ପିଛା ୧୩୮.୪ ଟଙ୍କା ରହିଛି।

ଜିଓ ନେଟ୍‌ୱର୍କରେ ମୋଟ ଡାଟା ଟ୍ରାଫିକ୍ ୩୮.୫% ବୃଦ୍ଧି ପାଇଛି ଏବଂ ଏହି ତ୍ରୟମାସରେ ତାହା ୨୦.୩ ବିଲିଅନ ଜିବି ରହିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରତି ମାସରେ ପ୍ରତି ଗ୍ରାହକ ପିଛା ହାରାହାରି ଡାଟା ବ୍ୟବହାର ୧୫.୬ ଜିବିକୁ ବୃଦ୍ଧି ପାଇଥିବା ବେଳେ ପ୍ରତି ମାସରେ ପ୍ରତି ଗ୍ରାହକ ପିଛା ହାରାହାରି ଭଏସ୍ ଉପଯୋଗିତା ୮୧୮ ମିନିଟ୍ ରହିଛି। ଏହି ତ୍ରୟମାସରେ କୋଭିଡ୍ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରଭାବକୁ ହ୍ରାସ କରିବା ଲାଗି ଜିଓ ତରଫରୁ ଅନେକ ଗ୍ରାହକ କୈନ୍ଦ୍ରୀକ ସେବା ଶୁଭାରମ୍ଭ କରାଯାଇଥିଲା ଯେଉଁଥିରେ ସାମିଲ ରହିଛି ଜିଓଫୋନ୍ ବ୍ୟବହାରକାରୀମାନଙ୍କ ଲାଗି ମାଗଣା ଅଫର, ଜରୁରୀକାଳୀନ ଡାଟା ଲୋନ, ହ୍ୱାଟସ୍‌ଆପ୍ ରିଚାର୍ଜ ସୁବିଧା ଏବଂ କୌଣସି ଦୈନିକ ସୀମା ନଥିବା ଫ୍ରିଡମ୍ ପ୍ଲାନ୍। କ୍ଷେତ୍ର ଭିତିରେ କାର୍ଯ୍ୟ କରିବାର ଆହ୍ୱାନ ରହିଥିବା ସତ୍ତ୍ୱେ ନିକଟ ମାସଗୁଡ଼ିକରେ ଗ୍ରାହକ ଯୋଡ଼ିବାରେ ଉନ୍ନତ ଧାରା ଜାରି ରହିଥିବାରୁ ଜିଓଫାଇବର୍‌ର ଏବେ ୩ ନିୟୁତରୁ ଅଧିକ ଘରକୁ ସଂଯୋଗ କରିପାରିଛି।

ଏହି ତ୍ରୟମାସିକ ଫଳାଫଳ ସମ୍ପର୍କରେ ମୁକେଶ ଧିରୁଭାଇି ଅମ୍ବାନି, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ କହିଛନ୍ତି ଯେ, “କରୋନା ମହାମାରୀ ଦ୍ୱିତୀୟ ଲହର ଯୋଗୁଁ ପରିଚାଳନା ପରିବେଶରେ ଅତ୍ୟଧିକ ଆହ୍ୱାନକୁ ସାମ୍ନା କରିବା ସତ୍ୱେ କଂପାନି ଦୃଢ଼ ଅଭିବୃଦ୍ଧି ପ୍ରଦାନ କରିଥିବାରୁ ମୁଁ ଆନନ୍ଦିତ। ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସର ଫଳାଫଳ ରିଲାଏନ୍ସର ବିବିଧ ବ୍ୟବସାୟ ପୋର୍ଟଫୋଲିଓର ସବୁ ସମୟରେ ସହନଶୀଳତାକୁ ପ୍ରତିଫଳିତ କରୁଛି।

ଜିଓ ଟେଲିକମ୍ ଓ ଡିଜିଟାଲ୍ ଶିଳ୍ପର ଅଗ୍ରଣୀ ପରିଚାଳନା ସୂଚୀ ସହ ଆଉ ଏକ ରେକର୍ଡ ତ୍ରୟମାସ ପ୍ରଦର୍ଶନ କରିଛି। ମୁଁ ଜିଓ ପରିବାରର ବିଶ୍ୱସ୍ତ ଗ୍ରାହକମାନଙ୍କ ପ୍ରତି କୃତଜ୍ଞ ଯେଉଁମାନଙ୍କ ସଂଖ୍ୟା ଏହି ତ୍ରୟମାସରେ ଆହୁରି ବୃଦ୍ଧି ପାଇଛି, ଏବଂ ଯାହା ଭାରତର ଏକ ନମ୍ବର ଡିଜିଟାଲ୍ ସଂଯୋଗ ଓ ସେବା ପ୍ରଦାନକାରୀ ଭାବେ ଏହାର ସ୍ଥିତିକୁ ସୁଦୃଢ଼ କରିଛି। ଉତ୍କୃଷ୍ଟ ସେବା ମାନର ସ୍ତରରେ ଉନ୍ନତି ଆଣିବା ଉପରେ ଆମର ନିରନ୍ତର ଗୁରୁତ୍ୱକୁ ସେମାନେ ପସନ୍ଦ କରୁଛନ୍ତି।

ଆମର ଓ୨ସି (ଅଏଲ୍ ଟୁ କେମିକାଲ୍ସ) ବ୍ୟବସାୟରେ ରହିଥିବା ସମନ୍ୱିତ ପୋର୍ଟଫୋଲିଓ ଓ ଉତ୍କୃଷ୍ଟ ଉତ୍ପାଦ ଉପସ୍ଥାପନ ଦକ୍ଷତା ଜରିଆରେ ଆମେ ଆୟ ଦୃଢ଼ କରିପାରିଛୁ। ଆମର ସହଯୋଗୀ ବିପି ସହିତ ଆମେ କେଜି ଡି୬ ରେ ସାଟେଲାଇଟ୍ କ୍ଲଷ୍ଟର କାର୍ଯ୍ୟକ୍ଷମ କରିଛୁ ଓ ଉତ୍ପାଦନରେ ବୃଦ୍ଧି ଜାରି ରଖି ଭାରତର ଗ୍ୟାସ୍ ଉତ୍ପାଦନକୁ ୨୦% ଅବଦାନ ପ୍ରଦାନ କରିଛୁ। ଦେଶର ଉଜ୍ୱର୍ା ସୁରକ୍ଷାରେ ଏହା ହେଉଛି ଏକ ପ୍ରମୁଖ ଯୋଗଦାନ।’’

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ୩୯ ହଜାର ୯୭ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୯ ହଜାର ୯୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୫୪୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧୩ ଲକ୍ଷ ୩୮ ହଜାର ୧୫୯ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୦ ହଜାର ୧୬ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୫ ଲକ୍ଷ ୩ ହଜାର ୧୬୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୮ ହଜାର ୯୭୭ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬୮ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୫ ହଜାର ୪୪୫ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୮ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୪୪୫ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୩୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରୀ ଜିଲ୍ଲାରୁ ୧୧ ଜଣ, ଅନୁଗୁଳ ଜିଲ୍ଲାରୁ ୮ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୭ ଜଣ ଏବଂ କେନ୍ଦୁଝର ଜିଲ୍ଲାରୁ ୬ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ନୂଆପଡା ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୫ ହଜାର ୭୧୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୪୧ ହଜାର ୨୦୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୯ ହଜାର ୧୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ହଜାର ୪୪୫ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୧ ହଜାର ୮୬୪ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୮୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୦୮୨ ଜଣ ଚିହ୍ନଟ ହୋଇଥିବା ବେଳେ ୭୮୨ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୫ ହଜାର ୭୧୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୪୧ ହଜାର ୨୦୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୯ ହଜାର ୧୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫୩୭୭ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୧ ହଜାର ୮୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୯୬ ଜଣ, କଟକ ଜିଲ୍ଲାରୁ ୨୨୧ ଜଣ, ଅନୁଗୁଳ ଜିଲ୍ଲାରୁ ୬୯ ଜଣ, ବାଲେଶ୍ଵର ଜିଲ୍ଲାରୁ ୧୧୪ ଜଣ, ବରଗଡ ଜିଲ୍ଲାରୁ ୨୪ ଜଣ, ଭଦ୍ରକ ଜିଲ୍ଲାରୁ ୬୫ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୫ ଜଣ, ବୌଦ୍ଧ ଜିଲ୍ଲାରୁ ୩ ଜଣ, ଦେବଗଡ ଜିଲ୍ଲାରୁ ୬ ଜଣ, ଢେଙ୍କାନାଳ ଜିଲ୍ଲାରୁ ୮୪ ଜଣ, ଗଜପତି ଜିଲ୍ଲାରୁ ୩ ଜଣ, ଗଞ୍ଜାମ ଜିଲ୍ଲାରୁ ୧୨ ଜଣ, ଜଗତସିଂହପୁର ଜିଲ୍ଲାରୁ ୮୯ ଜଣ, ଯାଜପୁର ଜିଲ୍ଲାରୁ ୧୦୭ ଜଣ, ଝାରସୁଗୁଡା ଜିଲ୍ଲାରୁ ୮ ଜଣ, କଳାହାଣ୍ଡି ଜିଲ୍ଲାରୁ ୭ ଜଣ, କନ୍ଧମାଳ ଜିଲ୍ଲାରୁ ୧୬ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୫୯ ଜଣ, କେନ୍ଦୁଝର ଜିଲ୍ଲାରୁ ୪୪ ଜଣ, କୋରାପୁଟ ଜିଲ୍ଲାରୁ ୭ ଜଣ, ମାଲକାନାଗିରି ଜିଲ୍ଲାରୁ ୧୨ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୫୭ ଜଣ, ନବରଙ୍ଗପୁର ଜିଲ୍ଲାରୁ ୨ ଜଣ, ନୟାଗଡ ଜିଲ୍ଲାରୁ ୬୬ ଜଣ, ନୂଆପଡା ଜିଲ୍ଲାରୁ ୯ ଜଣ, ପୁରୀ ଜିଲ୍ଲାରୁ ୫୯ ଜଣ, ରାୟଗଡା ଜିଲ୍ଲାରୁ ୨୪ ଜଣ, ସମ୍ବଲପୁର ଜିଲ୍ଲାରୁ ୩୪ ଜଣ, ସୋନପୁର ଜିଲ୍ଲାରୁ ୬ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୫୬ ଜଣ ଏବଂ ଷ୍ଟେଟ ପୁଲରୁ ୧୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ରାଜ୍ୟ ଖବର

ଚାଣକ୍ୟ ନୀତି: ଏହି ଶ୍ରେଣୀର ଲୋକଙ୍କୁ ଆପଣ ବେଶୀ ବିଶ୍ବାସ କରନ୍ତି କି?, ତାହେଲେ ହୋଇଯା’ନ୍ତୁ ସାବଧାନ

ନୂଆଦିଲ୍ଲୀ: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ ଲୋକଙ୍କୁ କେବେ ବି ବିଶ୍ବାସ କରିବ ନାହିଁ ତାହାର ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତି ଅନୁସାରେ ଯେଉଁମାନେ ସାକ୍ଷାତରେ ସବୁବେଳେ ମିଠା କଥା କହନ୍ତି ସେମାନଙ୍କୁ ବର୍ଜନ କରନ୍ତୁ। କାରଣ ମିଠା କଥା କହି ଆପଣଙ୍କ ବିଶ୍ବାସକୁ ସେମାନେ ହରଣ କରନ୍ତି। ଆଉ ଠିକ୍ ସମୟରେ ପଛରୁ ଛୁରାଘାତ କରିଥାନ୍ତି। ଏହି ଶ୍ରେଣୀର ଲୋକେ ଆପଣଙ୍କୁ ବିଶ୍ବାସ ଜନ୍ମାଇ ଆପଣଙ୍କର ଗୁପ୍ତ କଥା ହାତେଇ ନିଅନ୍ତି। ପରବର୍ତ୍ତି ସମୟରେ ଆପଣଙ୍କୁ ଅସୁବିଧାରେ ପକାନ୍ତି।

ସେଥିପାଇଁ ମିଷ୍ଟଭାଷୀ ଲୋକଙ୍କଠାରୁ ସବୁବେଳେ ଦୂରେଇ ରହନ୍ତୁ। କଦାପି ସେମାନଙ୍କୁ ବିଶ୍ବାସକୁ ନିଅନ୍ତୁ ନାହିଁ। ହଁ ଆପଣ ତାଙ୍କ ସହିତ ସଂପର୍କ ରଖିପାରନ୍ତି, ହେଲେ ଗଭୀର ସଂପର୍କ ରଖନ୍ତୁ ନାହିଁ। ଏମାନେ ହେଉଛନ୍ତି ପୂର୍ଣ୍ଣ ବିଷ ମାଠିଆ ଉପରେ ଥିବା କିଛି ଅମୃତ ସଦୃଶ୍ୟ।

Categories
ଜୀବନ ଶୈଳୀ ବିଶେଷ ଖବର ସଂସ୍କୃତି

ବଦଳୁଥିବା ସମ୍ପର୍କର ପରିଭାଷା: ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌

ଭୁବନେଶ୍ବର: ଲିଭ୍-ଇନ୍‌-ରିଲେସନ୍‌ସିପ୍‌କୁ ନେଇ ଆଜିର ଯୁବ ସମାଜ ବେଶ୍‌ ସକାରାତ୍ମକ। ରାଇଟ୍‌ ଟୁ ଲାଇଫ୍‌ରେ ସେମାନେ ସ୍ଵାଧୀନ ଭାବେ ନିଜ ଲାଇଫ୍‌ ସହ ବଞ୍ଚିବାରେ ମସ୍‌ଗୁଲ୍‌। ତେବେ ଭାରତ ପରି ଏକ ସଂସ୍କୃତିସମ୍ପନ୍ନ ଦେଶରେ ଏହି ସମ୍ପର୍କକୁ ନେଇ ଏବେବି ଦ୍ଵିଧା ରହିଛି। ପାରମ୍ପରିକ ବିଧିବ୍ୟବସ୍ଥା ତଥା ଆମ ଭାରତୀୟ ସାମାଜିକ ବ୍ୟବସ୍ଥା ଏହି ସମ୍ପର୍କକୁ ଏବେବି ଭିନ୍ନ ଚକ୍ଷୁରେ ଦେଖୁଛି। ଭାରତରେ ସମ୍ପର୍କକୁ ନେଇ ଏକ ଭିନ୍ନ ସଂଜ୍ଞା ନିରୂପଣ କରାଯାଇଥାଏ। ବିଶେଷକରି ପୁଅ ଝିଅର ସର୍ମ୍ପକକୁ ଏଠି ଏକ ମାପକାଠି ଭିତରେ ରଖାଯାଇଥାଏ।

ସୁପ୍ରିମ୍‌କୋର୍ଟଙ୍କ ଦ୍ଵାରା ଲିଭ୍-ଇନ୍‌-ରିଲେସନ୍‌ସିପ୍‌କୁ ଗ୍ରହଣ କରାଯିବା ପରେ ବି ଭାରତୀୟ ସମାଜରେ ଏହାକୁ ସଠିକ୍‌ ରୂପେ ଗ୍ରହଣ କରାଯାଇପାରୁନାହିଁ। ବର୍ତ୍ତମାନର ଯୁବପିଢି ଆଉ ସେ ପୁରୁଣାକାଳିଆ ସଂସ୍କୃତିକୁ ଅନ୍ଧ ଭାବେ ଆପଣେଇବାକୁ ଚାହେଁନାହିଁ। ଏବେର ଯୁବସମାଜ ଜଣକୁ ସଂପୂର୍ଣ୍ଣ ଆପଣେଇବା ଆଗରୁ ଉଭୟ ଉଭୟଙ୍କୁ ପରଖିବାକୁ ପସନ୍ଦ କରୁଛନ୍ତି। ତେବେ ଏହା ଏବେକାର ନିୟମ ନୁହେଁ। ଭାରତରେ ବହୁ ଆଦିବାସୀ ତଥା ଜନଜାତି ସମୁଦାୟରେ ଏହାର ପ୍ରଭାବ ବହୁଳ ଦେଖିବାକୁ ମିଳେ। ସେମାନେ ବିବାହ ପୂର୍ବରୁ ଉଭୟ ଉଭୟଙ୍କୁ ପସନ୍ଦ କରନ୍ତି ଓ ତା’ପରେ ନିଜର ଜୀବନସାଥୀ ବାଛନ୍ତି।  ତା ପରେ ସେମାନେ ତା’ ସହ ଜୀବନ ସାରା ରହି ପାରିବେ କି ନା ସେ ନେଇ ଆରାମରେ ନିଷ୍ପତ୍ତି ନିଅନ୍ତି ।

ତେବେ ଆଜିର ଏଇ ଲିଭ୍‌–ଇନ୍‌–ରିଲେସନ୍‌ସିପ୍‌ରେ ଆଇନତଃ ଏକାଠି ରହିବାର କୌଣସି କଣ୍ଟ୍ରାକ୍ଟରେ ଦସ୍ତଖତ ନ କରି ମଧ୍ୟ ଏକାଠି ରହି ଉଭୟ ଉଭୟଙ୍କୁ ଜାଣିବାର ସୁଯୋଗ ରହିଛି। ଏବଂ ଯଦି କୌଣସି କାରଣବଶତଃ ମନୋମାଳିନ୍ୟ ହୁଏ ଏବଂ ସମାଧାନର ବାଟ ନ ବାହାରେ ତେବେ ସେମାନେ କୋର୍ଟର ଦ୍ଵାରସ୍ଥ ନ ହୋଇ ସେମାନେ ସ୍ଵଇଚ୍ଛାରେ ପରସ୍ପରଠୁ ଅଲଗା ହୋଇ ରହିପାରିବେ। ଏଥିରେ କୌଣସି ପ୍ରକାରର ଧରାବନ୍ଧା ନିୟମ ନ ଥାଏ। କେହି କାହାର ସ୍ଵାଧୀନତା ଉପରେ ହସ୍ତକ୍ଷେପ କରନ୍ତି ନାହିଁ।

ସୁପ୍ରିମକୋର୍ଟରେ ଇନ୍ଦିରା ଶର୍ମା ବନାମ ଭି କେ ଭି ଶର୍ମା ମାମଲାରେ ଏଇ ଲିଭ ଇନ ରିଲେଶନସିପ୍‌କୁ ନେଇ ସୁପ୍ରିମ୍‌କୋର୍ଟ  ଏକାଠି ରହିବାର ସବୁଠୁ ସହଜ ସମ୍ପର୍କ ବୋଲି ଦର୍ଶାଯାଇଥିଲା। ବିବାହିତ ବ୍ୟକ୍ତି ଏବଂ ଜଣେ ଅବିବାହିତ ମହିଳାଙ୍କ ମଧ୍ୟରେ ସହାବସ୍ଥାନ ଏବଂ ଜଣେ ଅବିବାହିତ ବ୍ୟକ୍ତି ସହ ଜଣେ ବିବାହିତ ମହିଳାଙ୍କ ସହାବସ୍ଥାନକୁ ଯଦିଓ ଜଟିଳ ସମ୍ପର୍କର ଆାଖ୍ୟା ଦିଆଯାଇଛି ତଥାପି ଏନେଇ ସୁପ୍ରିମକୋର୍ଟ କୌଣସି ପ୍ରକାରର ଦଣ୍ଡବିଧାନର ପ୍ରାବଧାନ କରିନାହାନ୍ତି। ଜାଣିଶୁଣି ଜଣେ ଅବିବାହିତ ମହିଳା ଏବଂ ଜଣେ ବିବାହିତ ପୁରୁଷ ମଧ୍ୟରେ ସମ୍ପର୍କକୁ ନେଇ ଆଇନତଃ ଦଣ୍ଡବିଧାନ ପ୍ରଣୟନ କରାଯାଇଛି।

ତେବେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନାରୀଟିଏ ଯେଉଁ ପ୍ରକାର ସମ୍ପର୍କରେ ଥାଉ ନା କାହିଁକି ଭାରତୀୟ କୋର୍ଟ ଅନୁଚ୍ଛେଦ ୧୨୫ ଅନୁଯାୟୀ  ନାରୀଙ୍କ ପାଇଁ ଭରଣପୋଷଣର ବ୍ୟବସ୍ଥା କରାଯାଇଛି ।  ସେହିପରି ନାରୀ ଯେଉଁ ସମ୍ପର୍କରେ ରହିଲେ ମଧ୍ୟ ଘରୋଇ ହିଂସା ଆଇନ ଲାଗୁ ହୋଇପାରିବାର ପ୍ରାବଧାନ ରହିଛି। ସେହିପରି ତାଙ୍କଠାରୁ ଜନ୍ମିତ ସନ୍ତାନ ମଧ୍ୟ ଆଇନତଃ ବୈଧ ଏବଂ ଦାୟିତ୍ଵ ଉଭୟ ନେବାକୁ ବାଧ୍ୟତାମୂଳକ କରିଛନ୍ତି କୋର୍ଟ।

ଆମେ ଆମ ସମ୍ପର୍କକୁ କିପରି ରଖିବା ତାହା ସମ୍ପୂର୍ଣ୍ଣ ଭାବରେ ଆମ ଉପରେ ନିର୍ଭର କରେ। ପ୍ରଚଳିତ ବିଧିବ୍ୟବସ୍ଥାରେ ସର୍ମ୍ପକକୁ ସ୍ଵୀକାର କରିବା ପାଇଁ ବାଧ୍ୟ କରାଯାଇଥାଏ। କିନ୍ତୁ ଏହି ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ରେ ସର୍ମ୍ପକ ପାଇଁ କୌଣସି ପ୍ରକାରର ବାଧ୍ୟବାଧ୍ୟକତା ନାହିଁ। ସମ୍ପର୍କ ସହ ନୈତିକତାକୁ ଆମେ ପ୍ରାଧାନ୍ୟ ଦେଇ ପାରିଲେ ଆମ ପାଇଁ ସବୁ ପ୍ରକାର ସମ୍ପର୍କ ସହଜମୟ ହୋଇପାରିବ।

ତେବେ ଲିଭ-ଇନ-ରିଲେଶନସିପରେ ଏକାଠି ରହିବାକୁ ହେଲେ ଏକ ବିସ୍ତୃତ ବୁଝାମଣାର ଆବଶ୍ୟକତା ରହିଛି, ଯାହା ଆମ ଭାରତରେ ପ୍ରାୟତଃ ଦେଖା ଯାଉନାହିଁ। ତଥାପି ସବୁ ସମ୍ପର୍କରେ କିଛି ସକାରାତ୍ମକ ଓ ନକରାତ୍ମକ ପ୍ରଭାବ ରହିଛି। ଯେହେତୁ ଆମର ଯୁବପିଢି ଏହାର ସକାରାତ୍ମକତାକୁ ଆପଣେଇବାକୁ ଆଗଭର ହେଉଛନ୍ତି ସେଥିପାଇଁ ସମାଜ ଏହାକୁ ଧୀରେଧୀରେ ଆପଣେଇ ନେବ ବୋଲି ଆଶା କରାଯାଉଛି।

Categories
ଜୀବନ ଶୈଳୀ ବିଶେଷ ଖବର

ଭୋଜନ ସମୟରେ ଧ୍ୟାନ ରଖନ୍ତୁ ଏହି ସବୁ କଥା, ଜୀବନରେ କେବେ ବି ରହିବନି ଧନର ସମସ୍ୟା

ଭୁବନେଶ୍ବର: ଆମର ଖାଇବା ଶୈଳୀ ଆମର ଆଚରଣକୁ ଦର୍ଶାଇଥାଏ। ଭୋଜନକୁ ସମ୍ମାନ ସହ ଓ ଶ୍ରଦ୍ଧାର ସହ ଗ୍ରହଣ କରିବା ଉଚିତ୍‌। କାରଣ ଶାସ୍ତ୍ରରେ ଅନ୍ନକୁ ଦେବତାଙ୍କ ସ୍ଥାନ ଦିଆଯାଇଛି। ଭୋଜନ ପୂର୍ବରୁ କିଛି ନିୟମ ପାଳନ କରିବା ଅତ୍ୟନ୍ତ ଆବଶ୍ୟକ। ଯେଉଁ ବ୍ୟକ୍ତି ଏହି ସମସ୍ତ ନିୟମର ପାଳନ କରିଥାଏ, ସେ ସର୍ବଦା ସୁସ୍ଥ ରହିବା ସହିତ ତାଙ୍କ ଉପରେ ଦେବତା ପ୍ରସନ୍ନ ରହିଥାନ୍ତି। ହିନ୍ଦୁ ଧର୍ମରେ ଅନ୍ନଙ୍କୁ ଦେବତାଙ୍କର ସ୍ଥାନ ଦିଆଯାଇଛି। ଏବଂ ତାଙ୍କର ଅନାଦାର ଅନସ୍ବୀକାର୍ଯ୍ୟ।

ଯେଉଁ ବ୍ୟକ୍ତି ମୁହଁ – ହାତ ନ ଧୋଇ ତଥା ଅସନା ଜାଗାରେ ବସି କରି ଭୋଜନ କରେ, ସେ ସର୍ବଦା ଖରାପ ଆର୍ଥିକ ସ୍ଥିତିରେ ଗତି କରେ। ତା’ ପାଖେ ସର୍ବଦା ଅନ୍ନର ଅଭାବ ପରିଲକ୍ଷିତ ହେବା ସହିତ ସ୍ବାସ୍ଥ୍ୟ ମଧ୍ୟ ଖରାପ ରହିଥାଏ। ତେଣୁ ସର୍ବଦା ଭୋଜନ ଗ୍ରହଣ ପୂର୍ବରୁ ମୁହଁ ହାତ ଧୋଇ ଭୋଜନ କରିବା ଉଚିତ୍‌। ସେହିପରି ଭୋଜନ ସର୍ବଦା ପରିଷ୍କାରରେ ସ୍ଥାନରେ କରିବା ଉଚିତ୍‌।

ସେହିପରି ଯେଉଁ ବ୍ୟକ୍ତି ସ୍ନାନ ପରେ ଭୋଜନ କରେ, ସେ ସ୍ବାସ୍ଥ୍ୟ ସମସ୍ୟାରୁ ଦୂରରେ ରହିବା ସହିତ ତା’ ସହିତ ସର୍ବଦା ଭଲ ହୋଇଥାଏ।

ବିଛଣାରେ ବା ଚୌକି, ସୋଫାରେ ବସି କରି ଭୋଜନ ଗ୍ରହଣ କରିବାକୁ ଧାର୍ମିକ ଦୃଷ୍ଟିରୁ ଭୁଲ୍‌ ବୋଲି ବିବେଚନା କରାଯାଏ। ଏହି ମୁଦ୍ରାରେ ବସି ଖାଇବା ଦ୍ବାରା ଆମର ଭୋଜନ ଭଲ ରୂପେ ପାଚନ ହୋଇପାରେ ନାହିଁ। ଏହାର ପୋଷକ ତତ୍ତ୍ବ ଆମ ଶରୀରକୁ ମିଳିପାରିନଥାଏ। ତଳେ ବସି ଆରାମରେ ଚକା ପକାଇ ଭୋଜନ ଗ୍ରହଣ କରିବା ଦ୍ବାରା ଏହା ଶୀଘ୍ର ହଜମ ହୋଇଥାଏ, ଏବଂ ଏହା ଦ୍ବାରା ଆମର ସ୍ବାସ୍ଥ୍ୟବସ୍ଥା ଠିକ୍‌ ରହିଥାଏ।

Can eating rice prevent obesity? | Philstar.com

ସେହିପରି କେଉଁ ଦିଗକୁ ମୁହଁ କରି ଭୋଜନ ଗ୍ରହଣ କରିବା, ତାହା ସମ୍ପର୍କରେ ମଧ୍ୟ ଆମ ଶାସ୍ତ୍ରରେସୂଚନା ଦିଆଯାଇଛି। ଭୋଜନ ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ଖାଇବା ଉଚିତ୍‌। ଏହା ଦ୍ବାରା ମନୁଷ୍ୟର ଆୟୁ ଓ ଧନ ବଢିଥାଏ। ତେବେ ଦକ୍ଷିଣ ଦିଗକୁ ମୁହଁ କରି ଖାଇବା ଦ୍ବାରା ପ୍ରେତତ୍ବ ପ୍ରାପ୍ତି ହୋଇଥାଏ। ପଶ୍ଚିମ ଆଡକୁ ମୁହଁ କରି ଖାଇଲେ ମନୁଷ୍ୟ ସର୍ବଦା ରୋଗୀ ରହିଥାଏ।

Categories
ଜୀବନ ଶୈଳୀ ବିଶେଷ ଖବର

ଆଜି ଜୁଲାଇ ୨୪ ତାରିଖ ଶନିବାର, ଏହି ରାଶିର ଲୋକେ ପାଇବେ ଖୁସି ଖବର

ମେଷ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ। ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ। ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଧାର୍ମିକ ଯାତ୍ରା ଆୟୋଜିତ ହେବ। ଆଜି ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ଭୁଲ୍ ଦିଗରେ ଅଛି।

ବୃଷ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ। ଅଫିସରେ କାର୍ଯ୍ୟଭାର ହେତୁ ଆପଣ ଅଧିକ ଥକ୍କା ଅନୁଭବ କରିବେ। ସ୍ଥାନାନ୍ତରଣ ଲାଭଦାୟକ ହେବ ନାହିଁ। ସମ୍ଭବତଃ ଆଧ୍ୟାତ୍ମିକତା ପାଇଁ କିଛି ସମୟ ନିଅନ୍ତୁ।

ମିଥୁନ- ଆଜି ଆପଣଙ୍କର ଦିନ ଆନନ୍ଦ ଏବଂ ଭୋଗରେ ଅତିବାହିତ ହେବ। ବିପରୀତ ଲିଙ୍ଗର ଲୋକଙ୍କୁ ଭେଟିବେ। ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ଏକ ଉପଭୋଗ୍ୟ ରହଣି ହୋଇପାରେ। ଯାନ ଆନନ୍ଦ ପାଇବେ। ନୂତନ ପୋଷାକ କିଣିଲେ ଏବଂ ଏହାକୁ ପିନ୍ଧିବାର ସୁଯୋଗ ପାଇବେ । ଆଜି ପ୍ରଣୟଙ୍କ ପାଇଁ ଏକ ଭଲ ଦିନ। ମିଠା ଖାଦ୍ୟ ମିଳିପାରିବ। ସ୍ୱାସ୍ଥ୍ୟ ଭଲ ହେବ, ଆପଣ ସାମାଜିକ ସମ୍ମାନ ଏବଂ ଖ୍ୟାତି ପାଇବେ। ଆପଣ ସର୍ବୋତ୍ତମ ବିବାହିତ ସୁଖ ପାଇବ। ଗଣେଶଙ୍କ କୃପା ଦିନସାରା ଆପଣଙ୍କ ଉପରେ ରହିବ।

କର୍କଟ- ଆଜି ଆପଣଙ୍କର ଭଲରେ ଦିନ କଟିବ। ଘରେ ଶାନ୍ତି ଏବଂ ଆନନ୍ଦର ପରିବେଶ ରହିବ ଏବଂ ଏକ ସୁଖଦ ସମ୍ପର୍କ ଗଢି ଉଠିବ। ଆପଣ ଯାହା ବି କରନ୍ତି ସେଥିରେ ଆପଣ ଖ୍ୟାତି ଅର୍ଜନ କରିବେ। ସ୍ୱାସ୍ଥ୍ୟ ଭଲ ହେବ। ପରିବାର ସଦସ୍ୟଙ୍କ ସହିତ ଘରେ ସମୟ ବିତାଇବେ। ଚାକିରିରେ ଲୋକଙ୍କୁ ଉପକୃତ କରିବେ। ଆପଣଙ୍କଠାରୁ ସହକର୍ମୀମାନେ ଲାଭବାନ ହେବେ। ମହିଳା ସାଙ୍ଗମାନଙ୍କ ସହିତ ସାକ୍ଷାତ କରି ମନ ଖୁସି ହେବ। ଶତ୍ରୁମାନେ ଜିତିବେ।

ତୂଳା- ଆଜି ଏକ ଖୁସିର ଦିନ ହେବ। ଆଜି ଆପଣ ଅଧିକ କଳ୍ପନାକାରୀ ହେବେ। ସାହିତ୍ୟର ସୃଷ୍ଟି କବିତା ସୃଷ୍ଟିର ପ୍ରେରଣା ହେବ। ପ୍ରିୟଙ୍କ ସହିତ ସାକ୍ଷାତ ଶୁଭ ହେବ, ଫଳସ୍ୱରୂପ ଦିନସାରା ମନ ଖୁସି ରହିବ। ଆପଣ ପିଲାମାନଙ୍କର ଅଗ୍ରଗତି ବିଷୟରେ ଖବର ପାଇବେ। ଛାତ୍ରମାନେ ଅଭ୍ୟାସ କରିବା ପାଇଁ ଏହା ଏକ ଭଲ ସମୟ। ସାଙ୍ଗମାନଙ୍କ ସହିତ ମିଳନ ହେବ, ମହିଳା ବନ୍ଧୁମାନେ ଉପକୃତ ହେବେ। ଆଜି ଆପଣ ଦାନ କାର୍ଯ୍ୟ କରିପାରିବେ।

କନ୍ୟା- ଆଜି ଆପଣଙ୍କ ପାଇଁ ଭଲ ଦିନ ନୁହେଁ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ହେବ ନାହିଁ। ଅନେକ ସମସ୍ୟା ହେତୁ ମନ ବିବ୍ରତ ରହିବ। ଶକ୍ତିର ଅଭାବ ରହିବ। ସମ୍ପର୍କୀୟମାନଙ୍କ ସହିତ ମତଭେଦ ହେବ। ମାଆର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବେ। ଜମି ଓ ଘରର ଦଲିଲ ସୁବିଧାରେ ରଖନ୍ତୁ। ମହିଳା ଏବଂ ଜଳରୁ କ୍ଷତି ହେବାର ଭୟ ରହିବ। ଲୋକଙ୍କୁ ଅପମାନ ନ କରିବାକୁ ବିଶେଷ ଧ୍ୟାନ ଦିଅନ୍ତୁ। ଟଙ୍କା ଅଯୋଗ୍ୟ ହେବ।

ବିଛା- ଆପଣଙ୍କ ଦିନ ଶୁଭ ହେବ। ଭାଇମାନଙ୍କ ସହିତ ଭଲ ସମ୍ପର୍କ ରହିବ ଏବଂ ଘର ସେମାନଙ୍କ ସହିତ ପ୍ରଶ୍ନ ଉପରେ ଆଲୋଚନା କରିବେ। ଏକ ଛୋଟ ଧାର୍ମିକ ସ୍ଥାନ ପରିଦର୍ଶନ କରିବା ଏକ ସଫଳ କାର୍ଯ୍ୟକ୍ରମ ହେବ। ଧନ ଲାଭର ସମ୍ଭାବନା । ବିଦେଶରୁ ଭଲ ଖବର ଆସିବ । ବ୍ୟବହାରିକ ପ୍ରସଙ୍ଗ ହେତୁ ଯାତ୍ରା କରିପାରିବ। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ଏକ ଶୁଭ ଦିନ। ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବ। ପୁଞ୍ଜି ନିବେଶକାରୀଙ୍କ ପାଇଁ ଏହା ଏକ ଭଲ ଦିନ।

ସିଂହ- ଆଜି ସାଧାରଣ ଲାଭର ଦିନ। ଅଯଥା ଖର୍ଚ୍ଚ ବନ୍ଦ କରିବାକୁ ପଡିବ। ବିଶେଷ ଧ୍ୟାନ ଦିଅନ୍ତୁ ଯେ ପରିବାରରେ ଝଗଡ଼ା ନହୁଏ। ପରିବାରର ସଦସ୍ୟଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣାକୁ ଦୂରେଇ ରଖନ୍ତୁ । ଶାରୀରିକ ସମସ୍ୟା ମନରେ ଚିନ୍ତା ଆଣିବ। ଏକ ନକାରାତ୍ମକ ମାନସିକତା ରଖନ୍ତୁ ନାହିଁ। ଅନୈତିକ ପ୍ରବୃତ୍ତିଠାରୁ ଦୂରରେ ରୁହନ୍ତୁ। ଛାତ୍ରମାନଙ୍କ ଶିକ୍ଷଣରେ ବାଧା ଉପୁଜିବ।

ଧନୁ- ଆପଣ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜି ଆପଣ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ସକ୍ଷମ ହେବେ। ଆର୍ଥିକ ଲାଭ ହାସଲ ହେବ। ସ୍ଥାନାନ୍ତରଣର ସମ୍ଭାବନା, ବିଶେଷକରି ଧାର୍ମିକ ଯାତ୍ରା ସମ୍ଭାବନା ଅଛି। ସମ୍ପର୍କୀୟଙ୍କ ଘରେ ଏକ ମଙ୍ଗଳ ପ୍ରସଙ୍ଗରେ ଉପସ୍ଥିତ ହେବାର ଏକ ସୁଯୋଗ ଥାଇପାରେ। ଆପଣ ବିବାହିତ ଜୀବନର ସୁଖ ଏବଂ ଆନନ୍ଦ ପାଇବେ। ଆଜି ଆପଣଙ୍କର ଆଚରଣ ସ୍ୱାଭାବିକ ହେବ। କୈତୁହଳପୂର୍ଣ୍ଣ ଖାଦ୍ୟ ମିଳିପାରିବ। ସାମାଜିକ କ୍ଷେତ୍ରରେ ଖ୍ୟାତି ବୃଦ୍ଧି ପାଇବ।

ମକର- ଆଜି ଆପଣ ସତର୍କ ରହିବାକୁ ସୂଚନା ଆସିଛି। ଆଜି, ବ୍ୟବସାୟିକ କାର୍ଯ୍ୟରେ ସହଯୋଗୀ ହସ୍ତକ୍ଷେପ ବୃଦ୍ଧି ପାଇବ। ଖର୍ଚ୍ଚ ସାଧାରଣ ଅପେକ୍ଷା ଅଧିକ ହେବ। ଧାର୍ମିକ, ସାମାଜିକ କାର୍ଯ୍ୟରେ ଯୋଗଦାନ ବୃଦ୍ଧି ପାଇବ ଏବଂ ଖର୍ଚ୍ଚ ମଧ୍ୟ ହୋଇପାରେ। ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ। ପୁଅ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ପାର୍ଥକ୍ୟ ହୋଇପାରେ। ଆଜି ଆପଣ କଠିନ ପରିଶ୍ରମ କରିବା ପରେ ହିଁ ସଫଳତା ପାଇବେ। ଆପଣ ମାନସିକ ବିଭ୍ରାଟ ଅନୁଭବ କରିବେ। ଦୁର୍ଘଟଣା ପାଇଁ ସାବଧାନ ରୁହନ୍ତୁ।

କୁମ୍ଭ- ଆପଣ ନୂତନ କାର୍ଯ୍ୟ ଆୟୋଜନ ଆରମ୍ଭ କରିବା ପାଇଁ ଆଜି ଶୁଭ ଦିନ। ଚାକିରୀ ଏବଂ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି। ଆପଣ ମହିଳା ସାଙ୍ଗମାନଙ୍କଠାରୁ କାମ ପାଇପାରିବେ। ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ଆଜି ଆପଣଙ୍କ ଉପରେ ଅଛି। ସାମାଜିକ କ୍ଷେତ୍ରରେ ଆପଣଙ୍କର ଖ୍ୟାତି ବୃଦ୍ଧି ପାଇବ। ପତ୍ନୀ ଏବଂ ପୁଅଙ୍କଠାରୁ ଆନନ୍ଦଙ୍କ ଖବର ଆସିବ। ଯେଉଁମାନେ ବିବାହ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବିବାହ ସମୟ ଉପସ୍ଥିତ ହେବ। ଆପଣ ବୁଲିବାକୁ ଯୋଜନା କରିପାରିବେ।

ମୀନ- ଆଜି ଆପଣଙ୍କ ଦିନ ବହୁତ ଶୁଭ ହେବ। ଆପଣ ସଫଳତା ଏବଂ ଉଚ୍ଚ ପଦାଧିକାରୀଙ୍କ ଇଚ୍ଛା ହେତୁ ଆଜି ଆପଣଙ୍କ ପାଇଁ ଖୁସିର ଦିନ ହେବ । ବ୍ୟବସାୟୀମାନେ ବ୍ୟବସାୟରେ ଅଭିବୃଦ୍ଧି ଏବଂ ସଫଳତା ପାଇବେ। ପିତା ଏବଂ ବରିଷ୍ଠମାନେ ଉପକୃତ ହେବେ। ଲକ୍ଷ୍ମୀଦେବୀଙ୍କ ଆଶୀର୍ବାଦ ରହିବ। ପରିବାରରେ ଖୁସିର ପରିବେଶ ରହିବ। ସ୍ୱାସ୍ଥ୍ୟ ଭଲ ହେବ। ସରକାରଙ୍କ ଦ୍ୱାରା ଲାଭ ହେବ। ସମ୍ମାନ ଏବଂ ପଦୋନ୍ନତି ସେଠାରେ ରହିବ। ସାଂସାରିକ ଜୀବନ ସୁଖୀ ହେବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ୧୭ ସାମ୍ବାଦିକ ପରିବାରଙ୍କ ପାଇଁ ଅନୁକମ୍ପା ରାଶି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ୧୭ ସାମ୍ବାଦିକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ମଞ୍ଜୁର କରାଯାଇଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ କର୍ମଜୀବି ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ମଞ୍ଜୁର କରିଛି।

ଏହି ୧୭ଜଣିଆ ତାଲିକାରେ ଭୁବନେଶ୍ବରର ୪ଜଣ, ବଲାଙ୍ଗିରର ୩ଜଣ, ଗଞ୍ଜାମ ଜିଲ୍ଲାର ୭ଜଣ, କଳାହାଣ୍ଡି ଜିଲ୍ଲାର ଜଣେ ଓ ଯାଜପୁର ଜିଲ୍ଲାର ୨ଜଣ ସାମ୍ବାଦିକ ଅଛନ୍ତି। ତେବେ କରୋନାରେ ମୃତ୍ୟୁବରଣ କରିଥିବା ଆଉ କିଛି ସାମ୍ବାଦିକଙ୍କ ପ୍ରସ୍ତାବ ମଧ୍ୟ ବିଭାଗର ବିଚାରଧିନ ରହିଛି। ସେ ବାବଦରେ ଜିଲ୍ଲାସ୍ତରରେ ଅନୁସନ୍ଧାନ ଜାରି ରହିଛି। ଖୁବଶୀଘ୍ର ଯୋଗ୍ୟ ବିବେଚିତ ପ୍ରସ୍ତାବଗୁଡିକୁ ମଞ୍ଜୁର କରାଯାଇ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ପ୍ରକାଶ ଯୋଗ୍ୟ ଯେ, କୋଭିଡ-୧୯ରେ ମୃତ୍ୟୁବରଣ କରିଥିବା ଏହି ୧୭ ଜଣ କର୍ମଜୀବି ସାମ୍ବାଦିକଙ୍କ ପରିବାରବର୍ଗଙ୍କୁ ଅନୁକମ୍ପାମୁଳକ ସହାୟତା ପାଇଁ ମୋଟ ୨ କୋଟି ୫୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨ ହଜାର ୪୪ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨ ହଜାର ୪୪  ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୩୬,  କଟକରୁ ୩୨୧, ବାଲେଶ୍ବରରୁ ୧୨୪, ପୁରୀରୁ ୧୧୩,ଭଦ୍ରକରୁ ୧୧୦, ଯାଜପୁରରୁ ୧୦୫, ମୟୂରଭଞ୍ଜରୁ ୯୮, ଅନୁଗୁଳରୁ ୯୭, ଜଗତସିଂହପୁରରୁ ୮୪, ନୟାଗଡରୁ ୭୫, କେନ୍ଦ୍ରାପଡାରୁ ୭୧, ସୁନ୍ଦରଗଡରୁ ୫୨, ଢେଙ୍କାନାଳରୁ ୪୦, ବରଗଡରୁ ୩୩, କେନ୍ଦୁଝରରୁ ୩୩, ରାୟଗଡାରୁ ୨୭, ମାଳାକାନାଗିରିରୁ ୨୨, କନ୍ଧମାଳରୁ ୨୦, ଝାରସୁଗୁଡାରୁ ୧୪, ବଲାଙ୍ଗୀରିରୁ ୧୧, ବୌଦ୍ଧରୁ ୧୦, ଗଞ୍ଜାମରୁ ୧୦, କୋରାପୁଟରୁ ୯, ନବରଙ୍ଗପୁରରୁ ୯, ସମ୍ବଲପୁରରୁ ୯, ନୂଆପଡାରୁ ୭, ଦେବଗଡରୁ ୫, ଗଜପତିରୁ ୫, କଳାହାଣ୍ଡିରୁ ୫, ସୋନପୁରରୁ ୪ ଏବଂ ଷ୍ଟେଟ ପୁଲରୁ ୮୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୪୧ ହଜାର ୨୦୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୩ ହଜାର ୮୫୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୩୯ ହଜାର ୧୬୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୯ ହଜାର ୨୬୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫ ହଜାର ୩୭୭ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ସ୍ନାତକ ଓ ସ୍ନାତକୋତ୍ତରର ପରୀକ୍ଷା ଏବଂ ଫଳାଫଳ ତାରିଖ ଘୋଷଣା କଲା ଉଚ୍ଚ ଶିକ୍ଷା ବିଭାଗ

ଭୁବନେଶ୍ବର: ଆସନ୍ତା ଅଗଷ୍ଟ ୧୯ ତାରିଖ ସୁଦ୍ଧା  ସମସ୍ତ ମହାବିଦ୍ୟାଳୟରେ ସ୍ନାତକ ଶେଷ ସେମିଷ୍ଟାର ପରୀକ୍ଷା ଶେଷ ହେବ। ସ୍ନାତକ ଶେଷ ସେମିଷ୍ଟାର ପରୀକ୍ଷାର ଫଳାଫଳ ସେପ୍ଟେମ୍ବର ୨୭ ତାରିଖ ସୁଦ୍ଧା ପ୍ରକାଶ ପାଇବ।

ସେହିଭଳି ବିଶ୍ୱବିଦ୍ୟାଳୟରେ ପିଜିରେ ନାମ ଲେଖା ପାଇଁ ଅଗଷ୍ଟ ୨୩ ତାରିଖରୁ ସେପ୍ଟେମ୍ବର ୧ତାରିଖ ମଧ୍ୟରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଅକ୍ଟୋବର ୧୫ ତାରିଖ ସୁଦ୍ଧା ସ୍ନାତକୋତ୍ତର ପ୍ରଥମ ସେମିଷ୍ଟାର ପାଇଁ ନାମଲେଖା ଶେଷ ହେବ। ଏହା ସେପ୍ଟେମ୍ବର ୧ ତାରିଖ ଯାଏଁ ଚାଲିବ।

ସ୍ନାତକୋତ୍ତର ଶେଷ ସେମିଷ୍ଟାର ପିଲାଙ୍କ ପରୀକ୍ଷା ଅଗଷ୍ଟ ୩୧ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ପରୀକ୍ଷା ଫଳ ସେପ୍ଟେମ୍ବର ୨୦ ସୁଦ୍ଧା ପ୍ରକାଶ ପାଇବା ନେଇ ପ୍ରୟାସ କରାଯିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଦୁଇଦିନିଆ ଭାରତ ଗସ୍ତରେ ଆସିବେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ। ସେ ୨୭ ଏବଂ ୨୮ ଜୁଲାଇରେ ଭାରତ ଗସ୍ତ କରିବେ। ବ୍ଲିଙ୍କେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ଏହା ସହ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ମଧ୍ୟ ସେ ସାକ୍ଷାତ କରିବେ। ଆମେରିକାର ବୈଦେଶିକ ସଚିବ ଭାବରେ ଦାୟିତ୍ଵ ଗ୍ରହଣ କରିବା ପରେ ବ୍ଲିଙ୍କେନଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ।

ସେ ବୁଧବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିବେ।

ଆମେରିକାର ବୈଦେଶିକ ବିଭାଗ ଏକ ବିବୃତ୍ତିରେ କହିଛି ଯେ, ଉଚ୍ଚ ସ୍ତରୀୟ ଦ୍ୱିପାକ୍ଷିକ କଥାବାର୍ତ୍ତା ଜାରି ରଖିବା ଏବଂ ଭାରତ-ଆମେରିକାର ବିଶ୍ୱସ୍ତରୀୟ ରଣନୀତିକ ଭାଗିଦାରୀକୁ ମଜବୁତ କରିବା ପାଇଁ ଏହା ଏକ ଭଲ ସୁଯୋଗ।

ଏହି ବିବୃତ୍ତିରେ କୁହାଯାଇଛି ଯେ ଉଭୟ ପକ୍ଷ ଦୃଢ ତଥା ବହୁମୁଖୀ ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ଏବଂ ସେମାନଙ୍କୁ ଆହୁରି ମଜବୁତ କରିବାର ସମ୍ଭାବନା ସମୀକ୍ଷା କରିବେ।

ବିବୃତ୍ତିରେ କୁହାଯାଇଛି ଯେ, କୋଭିଡ-୧୯ ମହାମାରୀରୁ ପୁନରୁଦ୍ଧାର, ଭାରତ-ପ୍ରଶାନ୍ତ ମହାସାଗରୀୟ, ଆଫଗାନିସ୍ତାନ ଏବଂ ମିଳିତ ଜାତିସଂଘରେ ସହଯୋଗ ସମେତ ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ତଥା ବିଶ୍ଵସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ।

ତାଙ୍କ ନୂଆଦିଲ୍ଲୀ ଗସ୍ତ ବ୍ୟତୀତ ବ୍ଲିଙ୍କେନ୍ କୁଏତ ସହର ପରିଦର୍ଶନ କରିବେ। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି ଯେ, ଏହି ଗସ୍ତ ଭାଗିଦାରୀକୁ ମଜବୁତ କରିବା ଏବଂ ସେମାନଙ୍କ ସହଭାଗୀ ପ୍ରାଥମିକତା ଉପରେ ସହଯୋଗକୁ ଦୃଢ କରିବା ପାଇଁ ଆମେରିକାର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୩୧୮: ସୁସ୍ଥ ହେଲେ ୨୩୫ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୬୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୫୬ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭ ହଜାର ୪୮୮ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୨୩୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୪ ହଜାର ୯୫୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୭୯୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୭୧୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା: ୯ ଟି ଜିଲ୍ଲାକୁ ଅରେଞ୍ଜ ଏବଂ ୧୬ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ରାଜ୍ୟରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆସନ୍ତାକାଲି ସକାଳ ୮ ଟା ୩୦ ପର୍ଯ୍ୟନ୍ତ ୯ ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏନେଇ ସତର୍କ ସୁଚାନା ଜାରି କରିଛି।

ନୂଆପଡା, ବଲାଙ୍ଗୀରି, ସୋନପୁର, ବରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ସୁନ୍ଦରଗଡ ଏବଂ କେନ୍ଦୁଝର ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି।

ସେହିଭଳି ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ୧୬ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରପଡା, ଯାଜପୁର, ଭଦ୍ରକ, ବାଲେଶ୍ଵର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବ ନେଇ ସତର୍କ ସୂଚନା ଦିଆଯାଇଛି।