Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୩୨୭: ସୁସ୍ଥ ହେଲେ ୨୪୬ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୨୭ ଆକ୍ରାନ୍ତଙ୍କ ମଧ୍ୟରୁ ୫୭ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୭୦ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪ ହଜାର ୬୦୦ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୨୪୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୨ ହଜାର ୮୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୧୬୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୫୫୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଦ୍ୟୁତ ଦର ବୃଦ୍ଧି ବିରୋଧରେ ବିକ୍ଷୋଭ କଲେ ରାଜ୍ୟ ବିଜେପିକୁ ମିଳିବ ଲୋକପ୍ରିୟତା ନା ଲୋକହସା !

ଭୁବନେଶ୍ବର, ରାଜ୍ୟରେ ବିଜୁଳି ଦଳ ବୃଦ୍ଧି ଘଟିଛି। ଏହା ଯେ ଖାଉଟିଙ୍କ ଉପରେ ବୋଝ ତାହା ଯେକେହି ସାଧାରଣ ଲୋକ କହିବ। କାରଣ ଏହାଦ୍ବାରା ବିଶେଷ କରି ମଧ୍ୟବିତ ପରିବାର ହଇରାଣ ହେବେ। ତେବେ ଏହାକୁ ନେଇ ରାଜ୍ୟ ବିଜେପି ବିକ୍ଷୋଭ କରୁଛି। ଆସନ୍ତା 16 ତାରିଖରେ ସାତଦିନ ପାଇଁ ସମସ୍ତ ଜିଲ୍ଲା ମୁଖ୍ୟାଳୟର ବିକ୍ଷୋଭ କରିବ। ସାଧାରଣରେ ପ୍ରଶ୍ନ ଉଠୁଛି ଯେ ବିଜେପିର ଦର ବୃଦ୍ଧି ପ୍ରତିବାଦକୁ ଲୋକେ ଗ୍ରହଣ କରିବେ କି ?

ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବରେ ବିଜେପିର ରାଜ୍ୟ ସରକାରଙ୍କ ବିଭିନ୍ନ ନୀତି ଓ ନିଷ୍ପତିକୁ ବିରୋଧ କରିବାର ଅଧିକାର ରହିଛି। ଏହି ଅଧିକାର ସାମ୍ବିଧାନିକ। ସେଥିରେ କାହାରି କିଛି କହିବାର ନାହିଁ। ହେଲେ ବର୍ଷ ବର୍ଷ ଧରି ସାରା ଦେଶବାସୀ ପେଟ୍ରୋଲ ଡିଜେଲ ମୂଲ୍ୟ ବୃଦ୍ଧିରେ ତ୍ରାହିତ୍ରାହି ଡାକୁଛନ୍ତି। ଏପରି ପରିସ୍ଥିତିରେ ରାଜ୍ୟର ବିଦ୍ୟୁତ ଦର ବୃଦ୍ଧିର ପ୍ରତିବାଦରେ ଦଳ ବିକ୍ଷୋଭ କରୁଛି। ଏହା ବିଜେପି ପାଇଁ କେତେ ସଫଳତା ବା ଲୋକପ୍ରିୟତା ଆଣିବ ତାହା ସନ୍ଦେହଜନକ।

ଦେଶରେ ପଟ୍ରୋଲ ଡିଜେଲ କେତେ ବଢିଲା ସେ ବିଷୟରେ ଅଯଥା ଆଲୋଚନା କରିବାର ଆବଶ୍ୟକତା ନାହିଁ। କାରଣ ଦେଶର ପ୍ରତିଟି ସଚେତନ ନାଗରିକ ଏହି ହିସାବ ରଖି ସାରିଲେଣି। ମୋଦି ସରକାର ଆସିବା ବେଳରୁ ଏହି ତେଲ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଆଚ୍ଛେ ଦିନର ନାରା ଦେଉଥିବା ବିଜେପି ସରକାର ଅମଳରେ ପେଟ୍ରୋଲ ଡିଜେଲ ଦର ଶହେ ଟଙ୍କା ଛୁଇଁଲାଣି। ସେମାନଙ୍କର ଭାଗ୍ୟ ଭଲ ଦେଶରେ ବିରୋଧୀ ଦଳ ସକ୍ରିୟ ନ ଥିବାରୁ ଏହାର ପ୍ରତିବାଦ ଜୋରଦାର ହୋଇପାରୁ ନାହିଁ। ନଚେତ କେନ୍ଦ୍ର ସରକାରଙ୍କ ଅବସ୍ଥା କେବେଠାରୁ ଘାଇଲା ହୋଇସାରନ୍ତାଣି।

ତେବେ ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧ କରିବାର କ୍ଷମତା ବିଜେପି କେବେଠାରୁ ହରାଇ ସାରିଛି। ନିଜ ସରକାର ଦର ନିୟନ୍ତ୍ରଣ କରିପାରୁ ନ ଥିବା ବେଳେ ଅନ୍ୟ ଦଳକୁ ଦୋଷ ଦେବା ଅଧିକାର ଆଉ ବିଜେପିର ନାହିଁ। ଜିଲ୍ଲା ସ୍ତରରେ ଦଳ ବିକ୍ଷୋଭ କରି କେବଳ କର୍ମିଙ୍କ ମନୋବଳ ବଢାଇବ ସିନା ଲୋକଙ୍କ ସମର୍ଥନ ହାସଲ କରିପାରିବ ନାହିଁ। ବରଂ ପେଟ୍ରୋଲ ଡିଜେଲ ମୂଲ୍ୟ ବୃଦ୍ଧି ନେଇ ଦଳ ପରୋକ୍ଷରେ ଲୋକଙ୍କ ଶିକାର ହେବ। ଏପରି ବିକ୍ଷୋଭରେ ବିଜେଡିକୁ ଘାଇଲା କରିବା ପାଇଁ ଦଳ କରିଥିବା ଯୋଜନାରେ ବିଫଳ ହେବା ସାର ହେବ।

ବିଜେଡି ସରକାରଙ୍କୁ ଘେରିବାରେ ବିଜେପି ପାଇଁ ଅନେକ କିଛି ପ୍ରସଂଗ ରହିଛି। ବିଜେପି ଚିନ୍ତା ନାୟକମାନେ ସେହିପରି ଉପଦେଶ ଦେବାର ଆବଶ୍ୟକ ରହିଛି। କିନ୍ତୁ ଦଳର ଉପଦେଷ୍ଠାଙ୍କ ଉପଦେଶ ଠିକ ହୋଇପାରୁ ନାହିଁ। ଯୋଜନା ବଦ୍ଧ ଭାବେ ବିଜେଡିକୁ ଆକ୍ରମଣ କରିବାରେ ବିଜେପି ଫେଲ ମାରୁଛି। ପୂର୍ବରୁ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବା ପାଇଁ ନବୀନ ନିବାସକୁ ଯାଇ ଲୋକହସା ହୋଇଥିଲେ। ଠିକ ସେହିପରି ବିଜୁଳି ଦର ବୃଦ୍ଧି ପ୍ରତିବାଦ କରିବା, ଦଳ ପାଇଁ ଲୋକହସା ଛଡା ଆଉ କିଛି ହେବ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀରେ ଟ୍ରେଡ୍ ପ୍ରମାଣ ପତ୍ର ବିନା ଚାଲିଥିଲା ବାଇକ୍ ସୋ ରୁମକୁ ସିଲ କଲେ ପରିବହନ ଅଧିକାରୀ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ନିକଟସ୍ଥ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଦିର୍ଘ ଦିନ ହେଲା ଏକ ବାଇକ୍ ସୋ ରୁମ୍ ଚାଲିଥିଲା। ଭୁବନେଶ୍ୱରର ଏକ ନାମୀ ବାଇକ୍ ବିକ୍ରେତା ସୋ ରୁମ୍ ସହାୟତାରେ ନାଚୁଣୀରେ ବାଇକ୍ ସୋ ରୁମ୍ ଚାଲିଥିଲା। ସେଠାରେ ଗ୍ରାହକମାନଙ୍କୁ ବାଇକ୍ ବିକ୍ରି କରାଯାଉଥିବା ବେଳେ ଭୁବନେଶ୍ୱର ସୋ ରୁମ୍ ସହାୟତାରେ ବିନା ବ୍ୟବସାୟ ଚାଲୁଥିଲା।

କିନ୍ତୁ ଏହି ବାଇକ୍ ସୋ ରୁମ୍ ପାଇଁ  ଖୋର୍ଦ୍ଧା ଜିଲ୍ଲା ପରିବହନ ବିଭାଗ ପକ୍ଷରୁ କୌଣସି  ଟ୍ରେଡ୍  ପ୍ରମାଣ ପତ୍ର  ମିଳି ନଥିଲା। ଏହାର ସୁରାକ୍ ପାଇ ପରି ବହନ ବିଭାଗ ଅଚାନକ ଚଢାଉ କରିଥିଲା। ଖୋର୍ଦ୍ଧା ଜିଲ୍ଲା ଆଂଚଳିକ ପରିବହନ ଅଧୀକାରୀ ପ୍ରଦୀପ ମହାନ୍ତିଙ୍କ ନିର୍ଦ୍ଧେଶରେ ଏହି ଚଢାଉ କରାଯାଇଥିଲା। ଏହି ଚଢାଉରେ  ଜୁନିଅର ଏମଭିଆଇରୁ ରୁପାଲିନ୍  ବାହୁବଳେନ୍ଦ୍ର, ଟ୍ରାଫିକ୍ ଇନସପେକ୍ଟର ଆରକେ ଦୋରା ପ୍ରମୁଖ ସାମିଲ ହୋଇଥିଲେ।

ଉକ୍ତ ଚଢାଉରେ ମୋଟ ୧୯ଟି ବାଇକକୁ ଜବତ କରାଯାଇଥିବା ବେଳେ ସମ୍ପୃକ୍ତ ସୋ’ ରୁମ ମାଲିକଙ୍କୁ ୧ ଲକ୍ଷ ୪ ହଜାର ୫୦୦ ଟଙ୍କା  ଜରିମାନା କରାଯାଇଛି। ଏବଂ ବାଇକ୍ ସୋ ରୁମ୍ ମାଲିକଙ୍କ ନାମରେ ପରି ବହନ ବିଭାଗ ଏକ ମୋକଦ୍ଧମା ରୁଜୁ କରିଥିବା ସୂଚନା ରହିଛି। ଏହା ସହ ମାଲିକଙ୍କ ଠାରୁ ସମସ୍ତ ଜବତ  ଗାଡିର ୧୫ ବର୍ଷ ପର୍ଯ୍ୟନ୍ତ ଟିକସ ଆଦାୟ କରାଯିବ ବୋଲି ଜଣା ପଡିଛି।

Categories
ଆଜିର ଖବର ଜାତୀୟ ଖବର

ରାଜ୍ୟସଭାରେ ବିଜେପିର ନେତା ହେଲେ ପୀୟୂଷ ଗୋଏଲ: ଲୋକସଭାର ନୂଆ ନେତା ଘୋଷଣା କରିବ କଂଗ୍ରେସ

ନୂଆଦିଲ୍ଲୀ: ରାଜ୍ୟସଭାରେ ଭାରତୀୟ ଜନତା ପାର୍ଟିର ସଂସଦୀୟ ଦଳର ନେତା ଭାବେ ପୀୟୂଷ ଗୋଏଲଙ୍କୁ ନିଯୁକ୍ତି ଦିଆଯାଇଛି। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପୀୟୂଷ ଗୋଏଲଙ୍କୁ ବିଜେପି ରାଜ୍ୟସଭାର ନେତା ଭାବେ ନିଯୁକ୍ତି ଦେଇଛି। ତାଙ୍କ ପୂର୍ବରୁ ଧାୱାରଚାନ୍ଦ ଗେହେଲେତ ରାଜ୍ୟସଭାରେ ବିଜେପିର ନେତା ଭାବେ କାର୍ଯ୍ୟ କରୁଥିଲେ। ଧାୱାରଚାନ୍ଦଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିବା ପରେ ପୀୟୂଷଙ୍କୁ ବିଜେପି ଏବେ ଏହି ଦାୟିତ୍ଵ ପ୍ରଦାନ କରିଛି।

ତେବେ ପୀୟୂଷଙ୍କ ରାଜ୍ୟସଭାରେ ଆସନ ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ହେବ। ପୀୟୂଷ ୨୦୧୦ ମସିହାରୁ ରାଜ୍ୟସଭାରେ ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଏହି ପଦବୀ ପାଇଁ ନିର୍ମଳା ସୀତାରମଣଙ୍କ ନାମ ମଧ୍ୟ ଆଲୋଚନା କରାଯାଉଥିଲା। ପୀୟୂଷ ଗୋଏଲ ରାଜ୍ୟସଭାରେ ନେତା ମନୋନୀତ ହେବା ପରେ କେନ୍ଦ୍ର ମନ୍ତ୍ରୀ ନିତୀନ ଗଡକରୀ ତାଙ୍କୁ ଶୁଭକାମନା ଜଣାଇଛନ୍ତି।

ଅପରପକ୍ଷେ ଅଧୀର ରଞ୍ଜନ ଚୌଧୁରୀଙ୍କ ବଦଳରେ କଂଗ୍ରେସର ଲୋକସଭା ନେତା ଭାବେ ନୂଆ ଏକ ନେତାଙ୍କ ନାମ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର: ମହଙ୍ଗା ଭତ୍ତା ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ: କରୋନା ସଙ୍କଟ ଭିତରେ ଆଜି କେନ୍ଦ୍ର ସରକାର ତାହାର କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଦେଇଛି। କେନ୍ଦ୍ର କର୍ମଚାରୀଙ୍କ ପାଇଁ  ମହଙ୍ଗା ଭତ୍ତା ସରକାର ବୃଦ୍ଧି କରିଛି। କେନ୍ଦ୍ରୀୟ କର୍ମଚାରୀଙ୍କ ମହାଙ୍ଗା ଭତ୍ତା ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ସରକାର ବୃଦ୍ଧି କରିଛି। ମୋଟ ୧୧ ପ୍ରତିଶତର ଏକ ବମ୍ପର ବୃଦ୍ଧି  କରିଛି କେନ୍ଦ୍ର ସରକାର।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। କରୋନା ସଙ୍କଟ ଯୋଗୁଁ କେନ୍ଦ୍ର ସରକାର ପକ୍ଷରୁ ଜାନୁୟାରୀ ୧ ତାରିଖ ୨୦୨୦ ମସିହାରୁ ମହଙ୍ଗା ଭତ୍ତା ବନ୍ଦ ଥିଲା। ଏହା ପରେ ଜୁଲାଇ ୧ ତାରିଖ ୨୦୨୧ ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖାଯାଇଥିଲା।

ତେବେ ଜୁଲାଇ ୧ ତାରିଖରୁ ଏହି ମହଙ୍ଗା ଭତ୍ତା କେନ୍ଦ୍ର କର୍ମଚାରୀଙ୍କ ପାଇଁ ଲାଗୁ ହେବା ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଫଳରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଅଶ୍ଵସ୍ତିକର ଖବର ମିଳିଛି।

Categories
ଆଜିର ଖବର ଜାତୀୟ ଖବର

କୌଣସି ବଡ ଚେହେରା ବିନା ନରେନ୍ଦ୍ର ମୋଦୀଙ୍କୁ ପରାସ୍ତ କରିବା କଷ୍ଟ: ଶିବସେନା ସାଂସଦ ସଞ୍ଜୟ ରାଉତ

ନୂଆଦିଲ୍ଲୀ: ଗୋଟିଏ ପଟେ ନିର୍ବାଚନ ରଣିନୀତିକାର ପ୍ରଶାନ୍ତ କିଶୋର ବିରୋଧୀ ଦଳଗୁଡିକୁ ଏକାଠି କରିବାରେ ଲାଗିପଡିଥିବା ବେଳେ ସେପଟେ ଶିବସେନା ସାଂସଦ ତଥା ପ୍ରବକ୍ତା ସଞ୍ଜୟ ରାଉତ ଏକ ବଡ ବୟାନ ଦେଇଛନ୍ତି। ନରେନ୍ଦ୍ର ମୋଦୀଙ୍କୁ ମୁକାବିଲା କରିବା ପାଇଁ ବିରୋଧୀ ଦଳ ପାଖରେ କୌଣସି ଚେହେରା ନାହିଁ ବୋଲି ସଞ୍ଜୟ ରାଉତ କହିଛନ୍ତି। ଯେପର୍ଯ୍ୟନ୍ତ ବିରୋଧୀ ଦଳ ପାଖକୁ କୌଣସି ବଡ ଚେହେରା ଆସିବ ନାହିଁ, ସେପର୍ଯ୍ୟନ୍ତ କୌଣସି ସୁଯୋଗ ନାହିଁ ବୋଲି ଶ୍ରୀ ରାଉତ କହିଛନ୍ତି।

ତେବେ ଶିବସେନା ସାଂସଦ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁକାବିଲା କରିବା ପାଇଁ ଏନସିପି ଅଧ୍ୟକ୍ଷ ଶରଦ ପାୱାର ଉଚିତ ପ୍ରାର୍ଥୀ ଅଟନ୍ତି। ୨୦୨୪ ଲୋକସଭା ନିର୍ବାଚନରେ କୌଣସି ବଡ ଚେହେରା ବିନା ନରେନ୍ଦ୍ର ମୋଦୀଙ୍କୁ ପରାସ୍ତ କରିବା କାଠିକର ପାଠ ହେବ। ତେଣୁ ଶରଦ ପାୱାର ଏହାର ସଠିକ ବିକଳ୍ପ ବୋଲି ଶ୍ରୀ ରାଉତ କହିଛନ୍ତି। ରାହୁଲ ଗାନ୍ଧୀ କଂଗ୍ରେସର ବଡ ନେତା ଅଟନ୍ତି, ହେଲେ ତାଙ୍କ ଠାରୁ ଆହୁରି ବଡ ନେତା ଅଛନ୍ତି ବୋଲି ସଞ୍ଜୟ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଶରଦ ପାୱାର ହେବେ କି ଦେଶର ପରବର୍ତ୍ତୀ ରାଷ୍ଟ୍ରପତି: ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କଲେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: କରୋନା ସଙ୍କଟ ଭିତରେ ଏବେ ଦେଶରେ ରାଜନୈତିକ ହଲଚଲ ମଧ୍ୟ ଆରମ୍ଭ ହୋଇଯାଇଛି। ଆସନ୍ତା ବର୍ଷ କେତୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ସହ ରାଷ୍ଟ୍ରପତି ନିର୍ବାଚନ ମଧ୍ୟ ହେବ। ଏହା ସହ ଏବେଠାରୁ ମଧ୍ୟ ୨୦୨୪ ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡିକ ମଧ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଦେଖାଯାଉଛି। ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଗତକାଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ କରିବା ପରେ ଏହାର ଚର୍ଚ୍ଚା ଜୋର ଧରିଛି।

କୁହାଯାଉଛି କି, ବର୍ତ୍ତମାନ ସବୁ ବିରୋଧୀ ଦଳଗୁଡିକୁ ଏକାଠି କରିବା ପାଇଁ ପ୍ରଶାନ୍ତ କିଶୋର ଲାଗିପଡିଛନ୍ତି। ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଛିଡା କରିବାକୁ ପ୍ରଶାନ୍ତ କିଶୋର ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡିଛି।

ଉଲ୍ଲେଖାଯୋଗ୍ୟ ଯେ, ପଶ୍ଚିମବଙ୍ଗ ନିର୍ବାଚନ ପରେ ଶାରଦ ପାୱାରଙ୍କ ସହ ପ୍ରଶାନ୍ତ କିଶୋର ୩ ଥର ସାକ୍ଷାତ କରିଥିଲେ। ତେବେ ଆସନ୍ତା ବର୍ଷ ୨୦୨୨ ମସିହାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ସମାପ୍ତ ହେଉଛି। ତେଣୁ ତାଙ୍କ ପରେ ଦେଶର ନୂଆ ରାଷ୍ଟ୍ରପତି କିଏ ହେବ ତାହା ନେଇ ଏବେଠୁ ଆଲୋଚନା ଆରମ୍ଭ ହୋଇଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬୫ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୪୭୯୪ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୭୯୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୨୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ ଜିଲ୍ଲାରୁ ୧୦ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭ ଜଣ, ପୁରୀ ଜିଲ୍ଲାରୁ ୬ ଜଣ ଲେଖାଏଁ, ଏବଂ ନବରଙ୍ଗପୁର ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଗଜପତି ଜିଲ୍ଲାରୁ ୩ ଜଣ ଲେଖାଏଁ, ବାଲେଶ୍ଵର, ଗଞ୍ଜାମ, ଝାରସୁଗୁଡା, କନ୍ଧମାଳ, ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଏଁ, ଅନୁଗୁଳ, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୫ ହଜାର ୭୪୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୧୮ ହଜାର ୪୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୨ ହଜାର ୪୯୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୭୯୪ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ ୩୮ ହଜାର ୭୯୨ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୮ ହଜାର ୭୯୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୬୨୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୯ ଲକ୍ଷ ୪୬ ହଜାର ୭୪ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୧ ହଜାର ୪୦୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧ ଲକ୍ଷ ୪ ହଜାର ୭୨୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୩୧ ହଜାର ୩୧୫ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ଜାତୀୟ ଖବର

ପୁଲୱାମା: ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଲେ ଆଉ ୩ ଆତଙ୍କବାଦୀ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ପୁଲୱାମାରେ ସୁରକ୍ଷାବାହିନୀଙ୍କୁ ବଡ ସଫଳତା ମିଳିଛି। ସୁରକ୍ଷାବାହିନୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ସଫା ହୋଇଛନ୍ତି। ମୃତ୍ୟୁବରଣ କରିଥିବା ୩ ଜଣଙ୍କ ମଧ୍ୟରୁ ଜଣେ ପାକିସ୍ଥାନୀ ଆତଙ୍କି ସାମିଲ ଅଛି। ଭାରତୀୟ ଯବାନଙ୍କ ଗୁଳିରେ ପାକିସ୍ଥାନର ଲସ୍କର ଆତଙ୍କି ଅୟାଜ ମୃତ୍ୟୁବରଣ କରିଛି। ଏଥିରେ ଭାରତୀୟ ସୈନ୍ୟ ଏବଂ ସିଆରପିଏଫ ସାମିଲ ଥିଲେ।

ସୂଚନା ଅନୁଯାୟୀ, ପୁଲୱାମା ସହରସ୍ଥିତ ଜିଲ୍ଲା ଚିକିତ୍ସାଳୟ ନିକଟରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ସୁରକ୍ଷାବାହିନୀଙ୍କୁ ମିଳିଥିଲା। ଏହାପରେ ସଂପୂର୍ଣ୍ଣ ଅଞ୍ଚଳକୁ ସୁରକ୍ଷାବାହିନୀ ଘେରାବନ୍ଦି କରିନେଇଥିଲେ। ଏହା ଜାଣିପାରି ଆତଙ୍କବାଦୀମାନେ ସୁରକ୍ଷାବାହିନୀଙ୍କ ଉପରକୁ ଗୁଳି ବର୍ଷଣ କରିଥିଲେ। ଜବାବରେ ସୁରକ୍ଷାବାହିନୀ ଆକ୍ରମଣ ଆରମ୍ଭ କରିଦେଇଥିଲେ। ଏବଂ ୩ ଜଣ ଆତଙ୍କବାଦୀଙ୍କୁ ମୃତ୍ୟୁ ମୁଖରେ ପହଞ୍ଚାଇଥିଲେ। ବର୍ତ୍ତମାନ ସହରରେ କର୍ଫ୍ୟୁ ଲଗାଇ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୨ ହଜାର ୭୪ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୨ ହଜାର ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୧୯୨ ଜଣ ଚିହ୍ନଟ ହୋଇଥିବା ବେଳେ ୮୮୨ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୫ ହଜାର ୭୪୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୧୮ ହଜାର ୪୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୨ ହଜାର ୪୯୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୭୨୯ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୨ ହଜାର ୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୪୩ ଜଣ, କଟକ ଜିଲ୍ଲାରୁ ୨୮୩ ଜଣ, ଅନୁଗୁଳ ଜିଲ୍ଲାରୁ ୫୯ ଜଣ, ବାଲେଶ୍ଵର ଜିଲ୍ଲାରୁ ୧୧୫ ଜଣ, ବରଗଡ ଜିଲ୍ଲାରୁ ୩୮ ଜଣ, ଭଦ୍ରକ ଜିଲ୍ଲାରୁ ୧୧୦ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୧୭ ଜଣ, ବୌଦ୍ଧ ଜିଲ୍ଲାରୁ ୧୨ ଜଣ, ଦେବଗଡ ଜିଲ୍ଲାରୁ ୩ ଜଣ, ଢେଙ୍କାନାଳ ଜିଲ୍ଲାରୁ ୬୧ ଜଣ, ଗଜପତି ଜିଲ୍ଲାରୁ ୩ ଜଣ, ଗଞ୍ଜାମ ଜିଲ୍ଲାରୁ ୫ ଜଣ, ଜଗତସିଂହପୁର ଜିଲ୍ଲାରୁ ୯୯ ଜଣ, ଯାଜପୁର ଜିଲ୍ଲାରୁ ୧୨୦ ଜଣ, ଝାରସୁଗୁଡା ଜିଲ୍ଲାରୁ ୫ ଜଣ, କଳାହାଣ୍ଡି ଜିଲ୍ଲାରୁ ୫ ଜଣ, କନ୍ଧମାଳ ଜିଲ୍ଲାରୁ ୧୯ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୫୮ ଜଣ, କେନ୍ଦୁଝର ଜିଲ୍ଲାରୁ ୪୬ ଜଣ, କୋରାପୁଟ ଜିଲ୍ଲାରୁ ୧୦ ଜଣ, ମାଲକାନାଗିରି ଜିଲ୍ଲାରୁ ୪୭ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୧୫ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୦ ଜଣ, ନୟାଗଡ ଜିଲ୍ଲାରୁ ୫୮ ଜଣ, ନୂଆପଡା ଜିଲ୍ଲାରୁ ୪ ଜଣ, ପୁରୀ ଜିଲ୍ଲାରୁ ୧୩୩ ଜଣ, ରାୟଗଡା ଜିଲ୍ଲାରୁ ୧୬ ଜଣ, ସମ୍ବଲପୁର ଜିଲ୍ଲାରୁ ୩୦ ଜଣ, ସୋନପୁର ଜିଲ୍ଲାରୁ ୯ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୫୬ ଜଣ ଏବଂ ଷ୍ଟେଟ ପୁଲରୁ ୮୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ: ଜୁଲାଇ 14 ତାରିଖ ବୁଧବାରରେ ଛଅଟି ରାଶିର ବ୍ୟକ୍ତି ହେବେ ମାଲମାଲ

ମେଷ – ଆପଣ କଠିନ ପରିଶ୍ରମର ଫଳ ପାଇବେ। ଶକ୍ତି ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ। ବିନିଯୋଗ, ଭ୍ରମଣ ଏବଂ ଚାକିରି ଅନୁକୂଳ ହେବ। ବନ୍ଧୁ ଏବଂ ସମ୍ପର୍କୀୟମାନେ ସହଯୋଗ କରିବେ। ବିରୋଧୀମାନେ ସକ୍ରିୟ ରହିବେ। ଟଙ୍କା ପାଇବା ସହଜ ହେବ । ରିସ୍କ ନେବାକୁ ସାହସ କର। ସୁଖ ବୃଦ୍ଧି ପାଇବ। ପ୍ରଲୋଭିତ ହୁଅ ନାହିଁ।

ବୃଷ – ଅତିଥିମାନେ ଆସିବେ। ଆପଣ ଉତ୍ସାହଜନକ ସୂଚନା ପାଇବେ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଆତ୍ମ ସମ୍ମାନ ବୃଦ୍ଧି ପାଇବ। ରିସ୍କ ନେବାକୁ ସାହସ କର। ବିନିଯୋଗ ଭଲ ହେବ। ଚାକିରିରେ କିଛି ଅସୁବିଧା ହୋଇପାରେ। ବ୍ୟବସାୟ ଭଲ ହେବ। ଘର ବାହାରେ ସୁଖ ମିଳିବ।

ମିଥୁନ- ବ୍ୟବସାୟ ଯାତ୍ରା ସମ୍ପୂର୍ଣ୍ଣ ସଫଳ ହେବ। ରୋଜଗାର ବୃଦ୍ଧି ପାଇବ। ଆୟ ବୃଦ୍ଧି ପାଇବ। ଉପହାର ଗ୍ରହଣ କରାଯାଇପାରେ। ବିନିଯୋଗ ଭଲ ହେବ। ଆପଣ ଚାକିରିରେ ପଦୋନ୍ନତି ପାଇପାରିବେ। ସୁଖ ମିଳିବ। ଅନ୍ୟମାନଙ୍କ ସହିତ ଝଗଡା କର ନାହିଁ। ପରିବାର ସଦସ୍ୟ ଚିନ୍ତିତ ହେବ।

କର୍କଟ – ଖର୍ଚ୍ଚ ବୃଦ୍ଧି ହେତୁ ଟେନସନ ହେବ। ବିବାଦକୁ ଉତ୍ସାହିତ କରନ୍ତୁ ନାହିଁ। କ୍ରନିକ ରୋଗ ଦେଖାଦେଇପାରେ। ଏକ ଜରୁରୀ ଜିନିଷ ନିଖୋଜ ହୋଇପାର। ଅପରିଚିତ ଲୋକଙ୍କୁ ବିଶ୍ୱାସ କର ନାହିଁ। ବିପଦପୂର୍ଣ୍ଣ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ବ୍ୟବସାୟ ଭଲ ହେବ। ସେଠାରେ ଉତ୍ଥାନ-ପତନ ହେବ।

ସିଂହ – ଦେୟ ଫେରସ୍ତ ପାଇଁ ପ୍ରୟାସ ସଫଳ ହେବ। ଭ୍ରମଣ ଲାଭଦାୟକ ହେବ। ଉଚ୍ଚ ପଦାଧିକାରୀମାନେ ଖୁସି ହେବେ। ପ୍ରଗତିର ରାସ୍ତା ଖୋଲାଯିବ। ବିନିଯୋଗ ଭଲ ହେବ। ଅସୁବିଧାରେ ପଡ଼ନ୍ତୁ ନାହିଁ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ବିଳମ୍ବରୁ ଦୂରେଇ ରୁହନ୍ତୁ । ଲାଭ ବୃଦ୍ଧି ପାଇବ। ପରିବାରରେ ସୁଖ ରହିବ।

କନ୍ୟା- ଅର୍ଥନୈତିକ ନୀତିରେ ପରିବର୍ତ୍ତନ ସଫଳ ହେବ, ଯାହା ଭବିଷ୍ୟତରେ ଲାଭ ପାଇବ। ଘର ବାହାରେ ପଚରାଉଚରା କରାଯିବ। ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ। କାମ କରିବାକୁ ପସନ୍ଦ କରିବେ। ଶୀଘ୍ର ଏଡ଼ାନ୍ତୁ। ଆୟ ବୃଦ୍ଧି ପାଇ। ତୁମେ ଭାଇ ଓ ଭଉଣୀମାନଙ୍କର ସମର୍ଥନ ପାଇବ।

ତୁଳା-ତୀର୍ଥଯାତ୍ରା ଯୋଜନା ପ୍ରସ୍ତୁତ ହେବ। ତନ୍ତ-ମନ୍ତ୍ର ପ୍ରତି ଆଗ୍ରହୀ ହେବେ। କୋର୍ଟ ଏବଂ କୋର୍ଟ କାର୍ଯ୍ୟ କରାଯିବ। ଉତ୍ତେଜନାକୁ ନିୟନ୍ତ୍ରଣ କରନ୍ତୁ। ରିସ୍କ ନେବାକୁ ସାହସ କରନ୍ତୁ। ନୂତନ ଆୟର ଉତ୍ସ ମିଳିପାରିବ। ଉଚ୍ଚ ପଦାଧିକାରୀମାନେ କ୍ରୋଧିତ ହୋଇପାରନ୍ତି। ସଜାଗ ରୁହ।

 ବିଛା – ଯାନବାହନ ଏବଂ ଯନ୍ତ୍ରପାତି, ବିଶେଷକରି ମହିଳାମାନଙ୍କ ବ୍ୟବହାରରେ ସାବଧାନ ରୁହନ୍ତୁ। ଅସଙ୍ଗତି କ୍ଷତି ଘଟାଇବ। ଅନ୍ୟମାନଙ୍କଠାରୁ ଆଶା କର ନାହିଁ। ଶୀଘ୍ର ବାଧା ଦେଇପାରେ। ଚିନ୍ତା ଏବଂ ଟେନସନ ହେବ। ବ୍ୟବସାୟ ଭଲ ହେବ। ଆୟ ଏବଂ ବ୍ୟୟ ସମାନ ରହିବ। ଅତ୍ୟଧିକ ଆତ୍ମବିଶ୍ୱାସ କ୍ଷତିଗ୍ରସ୍ତ ହେବ।

ଧନୁ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହଯୋଗରେ ଲାଭ ମିଳିବ। ତୁମେ ତୁମର ଜୀବନସାଥୀଙ୍କଠାରୁ ସମର୍ଥନ ପାଇବ। ରାଜନୈତିକ କାର୍ଯ୍ୟ କରାଯିବ। ସୁଖ ମିଳିବ। ବିନିଯୋଗ ଭଲ ହେବ। ଯାତ୍ରା ଉପଭୋଗ୍ୟ ହେବ। ଚାକିରିରେ ଅଧିକାର ବୃଦ୍ଧି ପାଇପାରେ। ସୁଖ ମିଳିବ। ରିସ୍କ ନିଅ ନାହିଁ।

ମକର- ସମ୍ପତ୍ତି କାର୍ଯ୍ୟ ଲାଭ ଦେବ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ । ଭ୍ରମଣ ଲାଭଦାୟକ ହେବ। ତୁମର କାମ ସଫଳ ପାଇଁ ଚେଷ୍ଠା କର। ବିନିଯୋଗ ଭଲ ହେବ । ଦ୍ୱନ୍ଦ୍ୱ ଥାଇପାରେ। ବ୍ୟବସାୟ ଭଲ ହେବ। ଟଙ୍କା ପାଇବା ସହଜ ହେବ। ତୁମର ପ୍ରିୟ ଲୋକଙ୍କୁ ଠକ ନାହିଁ । ବିଳମ୍ବ କାର୍ଯ୍ୟରୁ ଦୂରେଇ ରୁହନ୍ତୁ ।

କୁମ୍ଭ – ସୃଜନଶୀଳ କାର୍ଯ୍ୟ ସଫଳ ହେବ। ପରୀକ୍ଷା ଏବଂ ପ୍ରତିଯୋଗିତାରେ ଲାଭର ପରିସ୍ଥିତି ସୃଷ୍ଟି ହେବ। ପାର୍ଟୀ ଏବଂ ପିକନିକ୍ ଉପଭୋଗ କରାଯିବ। ବିବେକ ସହିତ କାମ କରନ୍ତୁ । ଉପକୃତ ହେବେ। ବରିଷ୍ଠମାନଙ୍କଠାରୁ ମାର୍ଗଦର୍ଶନ ନିଅ। ଘର ବାହାରେ ସୁଖ ମିଳିବ। ସାମାଜିକ କାର୍ଯ୍ୟରେ ଆଗ୍ରହ ବୃଦ୍ଧି ପାଇବ।

ମୀନ – ବିବାଦକୁ ଉତ୍ସାହିତ କରନ୍ତୁ ନାହିଁ । ଖରାପ ଖବର ଆସିପାରେ। କ୍ରନିକ ରୋଗ ଦେଖାଦେଇପାରେ। ଅନ୍ୟମାନଙ୍କୁ ଆଶା କରିବା ଦୁଃଖର କାରଣ ହେବ। ବିପଦପୂର୍ଣ୍ଣ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ବ୍ୟବସାୟ ଭଲ ହେବ । ଉପକୃତ ହେବେ। ପରିବାର ସଦସ୍ୟ ଚିନ୍ତିତ ହେବେ।

Categories
ଅପରାଧ ଆଜିର ଖବର ସ୍ବାସ୍ଥ୍ୟ

ବଡପୋଖରିଆ ରାସ୍ତାରେ ମାତିଲେ ଲୁଟେରା: ଦୁଇ ମହିଳା କର୍ମଚାରୀଙ୍କ ଠାରୁ ଲୁଟିନେଲେ ସ୍କୁଟି ଆଉ ଟଙ୍କା

ନିରାକାରପୁର: ଘରୋଇ ଫାଇନାନ୍ସ କମ୍ପାନୀର ମହିଳା କର୍ମଚାରୀଙ୍କ ଠାରୁ ଗାଡି ଓ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଖଜୁରୀପଡା ବଡପୋଖରିଆ ରାସ୍ତାରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।

ଅଭିଯୋଗ ମୁତାବକ ଆଜି ସନ୍ଧ୍ୟାରେ ଏକ ଘରୋଇ ଫାଇନାନ୍ସ କମ୍ପାନୀର ଦୁଇ ଜଣ ମହିଳା କର୍ମଚାରୀ ୩ ଟି ମହିଳା ଗ୍ରୃପରୁ ଟଙ୍କା ଆଦାୟ କରି ଏକ ସ୍କୁଟି ଦ୍ୱାରା ଫେରୁଥିବା ବେଳେ ଖଜୁରୀପଡା ବଡପୋଖରୀଆ ରାସ୍ତାରେ ଦୁଇଜଣ ଯୁବକ ଏକ ମୋଟର ସାଇକେଲରେ ଆସି କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ସ୍କୁଟି ସହିତ କଲେକ୍ସନ ହୋଇଥିବା ପାଖାପାଖି ୫୭ ହଜାର ଟଙ୍କା ଲୁଟି ନେଇଛନ୍ତି।

ଏ ନେଇ ମହିଳା କର୍ମଚାରୀ ମାନେ ନିରକାରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଗୁରୁତର ସହ ନେଇ ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ ସଙ୍ଗେ ସଙ୍ଗେ ତଦନ୍ତ ଆରମ୍ଭ କରିଦେଇଛନ୍ତି। ତେବେ ସ୍କୁଟି ଟିକୁ ରାମେଶ୍ୱର ଜଙ୍ଗଲ ନିକଟରୁ ପୋଲିସ ଉଦ୍ଧାର କରିଛି। ଏବଂ ସେହି ସ୍କୁଟିର ଡିକି ଭାଙ୍ଗି ଲୁଟେରା ଟଙ୍କା ଲୁଟିନେଇଛନ୍ତି। ଅଦ୍ୟାବଧି ଘଟଣାର ଛାନ ଭିନ ନିରାକାରପୁର ପୋଲିସ ଜାରି ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଯୌତୁକ ଜନିତ ହତ୍ୟା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କଲା ବାଣପୁର ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମାଳିଗୋବିନ୍ଦ ପୁର ଗ୍ରାମରେ ଏକ ବିବାହିତା ମହିଳାଙ୍କ ଅଭାବନୀୟ ମୃତ୍ୟୁ ଘଟିଛି। ଘଟଣା ପଛରେ ଯୌତୁକ ଜନିତ ହତ୍ୟା ବୋଲି ଝିଅର ପରିବାର ଲୋକେ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଥାନାରେ ଲିଖିତ ଏତଲା ମୁତାବକ ବାଣପୁର ଏନଏସି ଦକ୍ଷ ପ୍ରଜାପତି ସାହି ନିବାସୀ ସୁକାନ୍ତ ନାୟକଙ୍କ ବଡ଼ ଝିଅ ରିଙ୍କି ନାୟକଙ୍କ ମାଳିଗୋବିନ୍ଦ ପୁର ଗ୍ରାମର ସ୍ୱର୍ଗତ ମହେଶ୍ବର ରଣାଙ୍କ ସାନପୁଅ ଟିଟୁ ରଣାଙ୍କ ସହ ଚାରି ବର୍ଷ ତଳେ ବୈଦିକ ରୀତିରେ ବିବାହ ହୋଇଥିଲା। ବିବାହ ସମୟରେ ବରପକ୍ଷର ଦାବି ମୁତାବକ ୩୦ ହଜାର ଟଙ୍କା ସହ ପାଖାପାଖି ୨ ଲକ୍ଷ ଟଙ୍କାର ସୁନା ଗହଣା ସାଙ୍ଗକୁ ଆସବାବପତ୍ର କନ୍ୟାପିତା ପ୍ରଦାନ କରିଥିଲେ।

ତେବେ ଦୀର୍ଘ ଦିନ ଧରି ସ୍ୱାମୀ ଟିଟୁ ରଣା, ଶାଶୁ ପ୍ରମିଳା ବେୱା, ଦେଢଶୁର ବିନାୟକ ରଣା ଏବଂ ଅନ୍ୟ ସଦସ୍ୟମାନେ ରିଙ୍କିକୁ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଅଧିକ ଏକ ଲକ୍ଷ ଟଙ୍କା ଯୌତୁକ ଦାବିରେ ଶଶୁର ଘର ଲୋକ ରିଙ୍କିକୁ ନିର୍ଯାତନା ଦେଉଥିବା ବେଳେ ରିଙ୍କି ଦାମ୍ପତ୍ୟ ସଂସାର ଉଜୁଡିଯିବା ଆଶାରେ ସବୁ ସହିଆସୁଥିଲେ। ତେବେ ଗତ ୧୦ ତାରିଖ ଶନିବାର ରାତି ୧୧ ଘଟିକାରେ ଏକ ଲକ୍ଷ ଟଙ୍କା ଯୌତୁକ ଦେବା ଘଟଣାକୁ କେନ୍ଦ୍ର କରି ରିଙ୍କି ଶୋଇଥିବା ବେଳେ ଶ୍ୱଶୁର ଘର ଲୋକେ ରିଙ୍କିଙ୍କ ଉପରେ କିରୋସିନି ଢାଳି ନିଆଁ ଲଗେଇ ଦେଲେ।

ଖବର ପାଇ ବାପାଘର ଲୋକେ ପହଞ୍ଚି ରିଙ୍କିଙ୍କୁ ତୁରନ୍ତ ବାଣପୁର ମେଡିକାଲ ଆଣିଥିଲେ।ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ପ୍ରଥମେ ଭୁବନେଶ୍ୱର ଏମ୍ସ ଓ ପରେ କଟକ ଏସ ସି ବି କୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ରବିବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ରାତି ଗୋଟାଏ ସମୟରେ ରିଙ୍କିଙ୍କ ମୃତ୍ୟୁ ହୋଇଥିଲା।

ଏହାପରେ ଗତକାଲି ରାତିରେ ଶ୍ୱଶୁର ଘର ଲୋକେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ରିଙ୍କିଙ୍କ ଶବକୁ ମାଳି ଗୋବିନ୍ଦପୁର ଗ୍ରାମ ସ୍ମଶାନରେ ଦାହ କରିଦେଇଛନ୍ତି। ଏ ନେଇ ତାଙ୍କ ମାଆ ରଂଜନା ନାୟକ ବାଣପୁର ଥାନାରେ ଆଜି ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଉକ୍ତ ଘଟଣାକୁ ଗୁରୁତର ସହ ନେଇ ୨୪୬/୨୧ ରେ ଯୌତୁକ ଜନିତ ହତ୍ୟା ମାମଲା ରୁଜ୍ଜୁ କରି ଆଜି ସ୍ୱାମୀ ଟିଟୁ ରଣା, ଦେଢଶୁର ବିନାୟକ ରଣା ଓ ଶାଶୁ ପ୍ରମିଳା ରଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଚଳାଇଛି। ପ୍ରକାଶ ଥାଉକି ରିଙ୍କିଙ୍କ ଏକ ଦେଢ଼ ବର୍ଷର ଶିଶୁପୁତ୍ର ଅଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କର ଆସିଲା ଏକ ବିରଳ ଫଟୋ, ପୁରା ଘରୋଇ ମିଜାଜରେ ବସିଛନ୍ତି ନବୀନ ପଟ୍ଟନାୟକ

ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ବିରଳ ଫଟୋ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ପ୍ରଦାନ କରାଯାଇଛି। ଯେଉଁଥିରେ ନବୀନ ଏକ କଳା ଟିସାର୍ଟ ସହିତ ଧଳା ଲୁଙ୍ଗି ପିନ୍ଧି ବସିଥିବାର ଦେଖାଯାଇଛି। ତାଙ୍କ ପାଖରେ ଛିଡା ହୋଇଛନ୍ତି ତାଙ୍କର ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିୟାନ। ତେବେ ଏହି ଫଟୋଟି ଏଇଥି ପାଇଁ ବିରଳ ବୋଲି କୁହାଯାଉଛି, କାରଣ ଏପରି ଫଟୋ କେବେ କେହି ଦେଖି ନ ଥିଲେ। ପୁରା ଘରୋଇ ମିଜାଜରେ ବସିଛନ୍ତି ନବୀନ।

ଏହି ଘରୋଇ ବେଶରେ ନବୀନ କେତେକ ମନ୍ତ୍ରୀଙ୍କ ସହିତ ଏକ ମଜାଦାର ଆଲୋଚନା କରୁଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ନବୀନ ସବୁବେଳେ ଅଫିସିୟାଲ ବୈଠକ କରିଥାନ୍ତି। ସେତେବେଳେ ନବୀନ ନିଜର ପ୍ରିୟ ପଂଜାବୀ ପିନ୍ଧି ବୈଠକ କରନ୍ତି। ହେଲେ ହଠାତ ଏକ ଖୁସି ମିଜାଜରେ ସେ ମନ୍ତ୍ରୀମାନଙ୍କ ସହିତ ଆଲୋଚନା ମଜି ରହିଛନ୍ତି। ଯାହାକୁ ନେଇ ଅନେକ ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି।

ତେବେ ନବୀନଙ୍କ ଏମିତି ଏକ ଫଟୋ ଏବଂ ଭିଡିଓ ଗତ ନିର୍ବାଚନ ପୂର୍ବରୁ ଏପ୍ରିଲ 5 ତାରିଖ 2019 ମସିହାରେ ପ୍ରଦାନ କରାଯାଇଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀ ସେହି କଳା ଟିସାର୍ଟ ସହିତ ଏକ ଧୂସର ରଂଗର ପ୍ୟାଣ୍ଟ ପିନ୍ଧି ଜଗିଂ କରୁଥିଲେ। ନବୀନ ନିବାସ ଭିତରେ ସକାଳୁ ସକାଳୁ ଏକ୍ସରସାଇଜ କରୁଥିବାର ମଧ୍ୟ ଦେଖାଯାଇଥିଲା। ପୁଣିଥରେ ଏପରି ଘରୋଇ ପୋଷାକରେ ଫଟୋ ବାହାରିବାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚାର ଖୋରାକ ଯୋଗାଇଛି।

Categories
RathJatra ଧର୍ମ ବିଶେଷ ଖବର ରାଜ୍ୟ ଖବର

ଆଡପ ମଣ୍ଡପକୁ ବିଜେ କଲେ ମହାପ୍ରଭୃ, ହେଲେ ଜନ୍ମବେଦୀରେ ବସିଲେ ଏକା ଏକା

ପୁରୀ, ତିନିଠାକୁର ଆଜି ଅପରାହ୍ନରେ ତିନି ରଥରୁ ଆଡପ ମଣ୍ଡପକୁ ବିଜେ କରିଛନ୍ତି। ନଅ ଦିନ ଧରି ସେ ନିଜ ଜନ୍ମ ବେଦୀରେ ରହିବେ। ହେଲେ ଦୁଃଖର କଥା ତିନି ଠାକରୁ ଏକା ଏକା ବସିବେ ସିନେ କୌଣସି ଭକ୍ତଙ୍କୁ ଦେଖିପାରିବେ ନାହିଁ। ଏହା ଉଭୟ ଭକ୍ତ ଏବଂ ଭଗବାନଙ୍କ ପାଇଁ ଏକ ଦୁଃଖଦାୟକ ଘଟଣା ପାଲଟି ଯାଇଛି।

କରୋନା କଟକଣା ପାଇଁ ପୁରୀରେ କର୍ଫୁ ଜାରି କରାଯାଇଛି। ସଂକ୍ରାମଣକୁ ରୋକିବା ପାଇଁ ପୁରୀ ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି। ଏପରିକି ପୁରୀର ସମସ୍ତ ରାସ୍ତାକୁ ମଧ୍ୟ ସିଲ୍ କରି ଦିଆଯାଇଛି। ଫଳରେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଭକ୍ତ ଓ ଭଗବାନଙ୍କ ମଧ୍ୟ  ଦୂରତା ବଢିଯାଇଛି।

ରଥଯାତ୍ରା ଦିନ ତିନି ରଥ ନିର୍ଦ୍ଧାରିତ ସମୟ ପୂର୍ବରୁ ଗୁଣ୍ଡିଚା ମନ୍ଦିର ଆଗରେ ଲାଗିବା ପରେ ସଂଧ୍ୟା ଆଳତି କରାଯାଇଥିଲା। ଏହାପରେ ରଥରେ ଠାକୁରଙ୍କୁ ଭକ୍ତମାନେ ଦର୍ଶନ କରିବା କଥା, ହେଲେ ତାହା କରୋନା ପାଇଁ ହୋଇପାରିଲା ନାହିଁ।

ମଙ୍ଗଳବାର ସଂଧ୍ୟାରେ ତିନିଠାକୁରଙ୍କ ସଂଧ୍ୟା ଆଳତି ପରେ ଆଡପ ମଣ୍ଡପ ବିଜେ ନୀତି ଆରମ୍ଭ ହୋଇଥିଲା। ପ୍ରଥମେ ରଥରୁ ଘୋଡା ବାହାର କରାଯାଇ ଚାରମାଳ ବନ୍ଧାଯାଇଥିଲା। ଏହାପରେ ତିନିଠାକୁର ଗୋଟି ପହଣ୍ଡିରେ ରତ୍ନବେଦୀକୁ ବିଜେ କରିଥିଲେ। ପ୍ରଥମେ ବଡଭାଇ ବଳଭଦ୍ର, ପରେ ଭଉଣୀ ସୁଭଦ୍ରା ଏବଂ ଶେଷରେ ପ୍ରଭୃ କାଳିଆ ଠାକୁର ଜନ୍ମବେଦୀକୁ ବିଜେ କରିଥିଲେ।

ଭକ୍ତ ନ ଥିବାରୁ କେବଳ ସେବକମାନେ ହରିବୋଲ ସହ ଘଣ୍ଟ ତୁରୀ ବଜାଇ ଠାକୁରଙ୍କୁ ବିଜେ କରାଇଥିଲେ। ବିଶ୍ବାସ ରହିଛି ଯେ ଆଡପ ମଣ୍ଡପରେ ଶ୍ରୀଜିୟୁଙ୍କୁ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ। ସେଥିପାଇଁ ଯେଉଁମାନେ ରଥରେ ଠାକୁରଙ୍କୁ ଦର୍ଶନ କରିବାକୁ ସୁଯୋଗ ପାଇ ନ ଥାନ୍ତି, ସେମାନେ ଆଡପ ମଣ୍ଡପ ଦର୍ଶନ କରିଥାନ୍ତି। ହେଲେ ଚଳିତ ବର୍ଷ କରୋନା ସବୁକିଛି ଛାରଖାର କରିଦେଲା।

Categories
ଆଜିର ଖବର ରାଜ୍ୟ ଖବର

ମଟର ସଜାଡୁଥିବା ବେଳେ ବିଦ୍ୟୁତ୍ ଆଘାତରେ ଗଲା ଯୁବକଙ୍କ ଜୀବନ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ସଂଧ୍ୟାରେ ସରାପାଲି ପଂଚାୟତର ଜେମାଜୁରୀ ଗ୍ରାମରେ ଜନୈକ ଯୁବକ ମଟର ସଜାଡୁଥିବା ବେଳେ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିବା ଖବର ହସ୍ତଗତ ହୋଇଛି।

ପ୍ରକାଶ ଯେ, ନାକଟିଦେଉଳ ଥାନା ସରାପାଲି ପଂଚାୟତର ଜେମାଜୁରି ଗ୍ରାମର ମନୋଜ କିସାନ୍‌(୨୪) ନାମକ ଯୁବକ ଗାଧୋଇବା ପାଇଁ ଟୁଲୁ ମୋଟର ଲାଇନରେ ସଂଯୋଗ କରୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଜଣା ପଡିଛି। ଆହତ ମନୋଜ କିସାନକୁ ନାକଟିଦେଉଳ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।

ନାକଟିଦେଉଳ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ମୃତକର ଶବକୁ ବ୍ୟବଚ୍ଛେଦ ପାଇଁ ଆସନ୍ତାକାଲି ରେଢାଖୋଲ ଡାକ୍ତରଖାନାକୁ ପଠାଯିବ ବୋଲି ଜଣା ପଡିଛି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନାଚୁଣୀରୁ ଗୋରୁ ବୋଝେଇ ଗାଡିକୁ ଜବତ କଲା ପୋଲିସ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ବଡ଼ପଦର ଗ୍ରାମ ନିକଟରୁ ଏକ ଗୋରୁ ବୋଝେଇ ଗାଡିକୁ ଜବତ କରିଛି ପୋଲିସ। ସୂଚନା ମୁତାବକ ଆଜି ଅପରାହ୍ନରେ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଏବଂ ଏଏସଆଇ ହାଡିବନ୍ଧୁ ନାୟକ ପାଟ୍ରୋଲିଂ କରୁଥିବା ବେଳେ ଚିଲିକା ବ୍ଲକରୁ ନାଚୁଣୀ ଆଡକୁ ଆସୁଥିବା ଏକ ଗୋରୁ ବୋଝେଇ ପିକ ଅପ ଭ୍ୟାନ (ଓଡ଼ି-୦୨-ଏଭି-୧୧୪୦) ପୋଲିସକୁ ଦେଖି ବଡ଼ପଦର ଗ୍ରାମ ନିକଟରେ ଗାଡିକୁ ଛାଡି ଚାଳକ ଫେରାର ହୋଇଯାଇଥିଲା।

ପୋଲିସ ଉକ୍ତ ଗାଡିକୁ ଜବତ କରିବା ସହ ଚାରି ଗୋଟି ଗୋରୁଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିଥିଲା। ଏବଂ ସମସ୍ତ ଗୋରୁଙ୍କୁ ଜଟଣୀ ଗୋଶାଳାକୁ ହସ୍ତାନ୍ତର କରିଥିଲା। ବାଣପୁର ଥାନାରେ ଏନେଇ କେସ ନମ୍ବର ୨୪୭/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ବୋଲି ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚଳିତ ବର୍ଷ ବୋଲବମ ଯାତ୍ରା ଉପରେ ଲାଗିଲା କଟକଣା: ଏସଆରସି ଜାରି କଲେ ନିର୍ଦ୍ଦେଶନାମା

ଭୁବନେଶ୍ବର: କରୋନା ସଂକ୍ରମଣ ଭୟରେ ଚଳିତ ବର୍ଷ ବୋଲବମ ଯାତ୍ରା ଉପରେ କଟକଣା ଲାଗିଛି। ରାଜ୍ୟସରକାରଙ୍କ ପକ୍ଷରୁ ବୋଲବମ ଯାତ୍ରା ଉପରେ କଟକଣା ଲାଗିଛି। ଗତ ବର୍ଷ ଭଳି ଏଥର ମଧ୍ୟ କୌଣସି ଧାର୍ମିକସ୍ଥଳରୁ କାବାଡିଆମାନେ ଜଳ ଉଠାଇପାରିବେ ନାହିଁ।

ସେହିଭଳି କୌଣସି ଶିବ ମନ୍ଦିରରେ କାଉଡିଆମାନଙ୍କୁ ଜଳାଭିଷେକ ପାଇଁ ବାରଣ କରାଯାଇଛି। ଏନେଇ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ନିର୍ଦ୍ଦେଶନାମା ଜାରି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୨୯୫: ସୁସ୍ଥ ହେଲେ ୩୧୬ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୯୫ ଆକ୍ରାନ୍ତଙ୍କ ମଧ୍ୟରୁ ୫୩ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୪୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪ ହଜାର ୨୭୩ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୩୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୨ ହଜାର ୬୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୧୦୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୫୩୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨ ହଜାର ୬୪୧ ଆକ୍ରାନ୍ତ: କଟକରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨ ହଜାର ୬୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ କଟକରୁ ୪୪୨, ଖୋର୍ଦ୍ଧାରୁ ୩୪୨, ବାଲେଶ୍ବରରୁ ୨୩୬, ଯାଜପୁରରୁ ୧୮୮, ମୟୂରଭଞ୍ଜରୁ ୧୮୬, ପୁରୀରୁ ୧୫୦, ଭଦ୍ରକରୁ ୧୨୫, ଜଗତସିଂହପୁରରୁ ୧୧୭, ନୟାଗଡରୁ ୯୨, କେନ୍ଦ୍ରପଡାରୁ ୮୫, ଅନୁଗୁଳରୁ ୮୨, ଝାରସୁଗୁଡାରୁ ୩୦, ରାୟଗଡାରୁ ୨୬, ସମ୍ବଲପୁରରୁ ୨୬, କନ୍ଧମାଳରୁ ୨୨, ବୌଦ୍ଧରୁ ୧୯, ନବରଙ୍ଗପୁରରୁ ୧୫, ସୋନପୁରରୁ ୧୦, ବରଗଡରୁ ୮, ଗଜପତିରୁ ୭, ନୂଆପଡାରୁ ୭, ଦେବଗଡରୁ ୬, ଗଞ୍ଜାମରୁ ୬, ବଲାଙ୍ଗୀରିରୁ ଏବଂ ଷ୍ଟେଟ ପୁଲରୁ ୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୧୫ ହଜାର ୪୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୩ ହଜାର ୬୭୫ କୁ ବୃଦ୍ଧି ହୋଇଥିବାବେଳେ  ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୦ ହଜାର ୮୫୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୭୨୯ କୁ ବୃଦ୍ଧି ହୋଇଛି।