Categories
ଅପରାଧ ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ହିଂସା ଘଟଣା: ଏସଆଇଟି ଗଠନ ପାଇଁ ସିଜେଆଇଙ୍କୁ ଦାବି କଲେ ୨ ହଜାରରୁ ଉର୍ଦ୍ଧ୍ଵ ମହିଳା ଓକିଲ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନ ପରେ ହୋଇଥିବା ହିଂସା ଘଟଣାର ଏକ ନୂଆ ମୋଡ ନେଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଦୁଇ ହଜାରରୁ ଉର୍ଦ୍ଧ୍ଵ ମହିଳା ଆଇନଜୀବୀ ଏହି ହିଂସା ଘଟଣାର ଏସଆଇଟି ଗଠନ ପାଇଁ ନିବେଦନ କରିଛନ୍ତି। ଏହି ଘଟଣା ଉପରେ ପ୍ରଧାନ ବିଚାରପତି ନିଜେ ସଜ୍ଞାନକୁ ନେଇଛନ୍ତି ବୋଲି ମହିଳା ଆଇନଜୀବୀମାନେ କହିଛନ୍ତି।

ସମ୍ପୃକ୍ତ ଆଇନଜୀବୀମାନେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ମହିଳା, ଶିଶୁ ଏବଂ ଦଳିତଙ୍କ ବିରୋଧରେ ମାନବାଧିକାର ସୁରକ୍ଷା ସୁନିଶ୍ଚିତ କରିବା ଉଚିତ। ନିର୍ବାଚନ ପରେ ହୋଇଥିବା ହିଂସା ଯୋଗୁଁ ଅନେକ ଲୋକ ପଡୋଶୀ ରାଜ୍ୟକୁ ପଳାୟନ କରିଛନ୍ତି। ଏହି ମାମଲାରେ ଏତାଲା ରୁଜ୍ଜୁ କରାଯାଇ ସ୍ଵତନ୍ତ୍ର ତଦନ୍ତ ଦଳ ଗଠନ କରାଯିବା ଆବଶ୍ୟକ। ହିଂସା ପରେ ଯେଉଁ ଲୋକ ପଳାୟନ କରିଛନ୍ତି, ସେମାନଙ୍କ ସୁରକ୍ଷା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ। ପଡୋଶୀ ରାଜ୍ୟରେ ଶରଣ ନେଇଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କର ସୁରକ୍ଷା ନିଶ୍ଚିତ କରାଯାଉ।

ସୂଚନା ଅନୁଯାୟୀ, ଦେଶର ୨୮ ଟି ରାଜ୍ୟ ଏବଂ ୮ ଟି କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଦେଶର ୨୦୯୩ ଜଣ ମହିଳା ଓକିଲ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଛନ୍ତି। ହିଂସାର ତଦନ୍ତ ପାଇଁ ଏସଆଇଟି ଗଠନ କରିବା ପାଇଁ ସେମାନେ ଦାବି କରିଛନ୍ତି। ଏଥିପାଇଁ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ବାବଧାନରେ ଏସଆଇଟି ଗଠନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଯେଉଁଥିରେ ନିରପକ୍ଷ ତଦନ୍ତ ହୋଇପାରିବ ଏବଂ ପୀଡିତ ପରିବାରକୁ ତୁରନ୍ତ ନ୍ୟାୟ ମିଳିପାରିବ। ଏତତ ବ୍ୟତୀତ ଏନଆଇଏକୁ ଏହାର ତଦନ୍ତ ଦାୟିତ୍ଵ ଦିଆଯାଉ, ଯ’ଦ୍ୱାରା ଦେଶର ସଂସ୍କୃତି ଏବଂ ଏକତା ଉପରେ ଦେଶବିରୋଧୀ ଆକ୍ରମଣକୁ ଛାନଭିନ କରିପାରିବ।

ଉଲ୍ଲେଖ ଯୋଗ୍ୟ ଯେ, ଗତ ସପ୍ତାହରେ ଏହି ମାମଲା ଭଳି ଏକ ଅଭିଯୋଗ ଉପରେ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରକୁ ଅଦାଲତ ନୋଟିସ ଜାରି କରିଥିଲେ। ଯାହା ଏହାର ଶୁଣାଣି ଆସନ୍ତାକାଲି ହେବ ବୋଲି କୁହାଯାଉଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କରୋନା ସମୟରେ କିନ୍ନରମାନଙ୍କୁ ସହାୟତାର ହାତ ବଢାଇଲେ କେନ୍ଦ୍ର ସରକାର, ଜାଣନ୍ତୁ କଣ ?

ନୂଆଦିଲ୍ଲୀ, ଦେଶ କରୋନା ସହ ଲଢୁଥିବା ସମୟରେ ସମାଜରେ ଥିବା କିନ୍ନରମାନଙ୍କର ଜୀବନ ଜୀବିକା ଗୁରୁତରଭାବେ ପ୍ରଭାବିତ ହୋଇଛି । ବର୍ତ୍ତମାନର ସ୍ଥିତିରେ ସମାଜର ଏହି ସଂଖ୍ୟାନ୍ୟୁନ ଗୋଷ୍ଠୀରେ ଆସୁଥିବା ଲୋକମାନେ ଖାଦ୍ୟ, ସ୍ୱାସ୍ଥ୍ୟସେବା ଭଳି ମୌଳିକ ଆବଶ୍ୟକତା ଯୋଗାଡ କରିବା କ୍ଷେତ୍ରରେ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି । ତେଣୁ ପ୍ରତ୍ୟେକ କିନ୍ନରଙ୍କୁ ଦେଢ ହଜାର ଟଙ୍କାର ଆର୍ଥିକ ସହାୟତା ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।

କିନ୍ନର ଗୋଷ୍ଠୀରେ ଆସୁଥିବା ବ୍ୟକ୍ତିମାନେ ବିଭିନ୍ନ ସମୟରେ ସରକାରଙ୍କୁ ଇ-ମେଲ ଏବଂ ଫୋନକଲ୍ କରି ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କ ଦୟନୀୟ ଅବସ୍ଥା ଜଣାଇବା ସହିତ ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଥିଲେ । ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ କିନ୍ନରମାନଙ୍କ କଲ୍ୟାଣ କ୍ଷେତ୍ରରେ ସାମାଜିକ ସହାୟତା ଦେଉଥିବା କେନ୍ଦ୍ର ସରକାରଙ୍କ ମୂଳ ସଂସ୍ଥା ହୋଇଥିବାରୁ ଜୀବନଜୀବିକା ପାଇଁ ସହାୟତା ବାବଦରେ ପ୍ରତ୍ୟେକ କିନ୍ନରଙ୍କୁ ସେମାନଙ୍କର ଜରୁରୀ ଆବଶ୍ୟକତା ପୂରଣ ପାଇଁ ଦେଢ ହଜାର ଟଙ୍କାର ଆର୍ଥିକ ସହାୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହି ଆର୍ଥିକ ସହାୟତା ସେମାନଙ୍କ ଦୈନନ୍ଦିନ ଜୀବନର ଆବଶ୍ୟକତା ପୂରଣରେ ସହାୟକ ହେବ। କିନ୍ନରମାନଙ୍କ ପ୍ରଗତି ପାଇଁ କାମ କରୁଥିବା ବେସରକାରୀ ସଂଗଠନ ଏବଂ ଗୋଷ୍ଠୀଭିତ୍ତିକ ସଂଗଠନ ଗୁଡିକୁ ମଧ୍ୟ ଏ ସମ୍ପର୍କୀତ ସୂଚନା କିନ୍ନରମାନଙ୍କୁ ଦେବା ପାଇଁ ଅନୁରୋଧ କରାଯାଇଛି ।

ଏହି ଆର୍ଥିକ ସହାୟତା ପାଇବା ପାଇଁ ଆଧାର ସଂଖ୍ୟା, ବ୍ୟାଙ୍କ ଆକାଉଣ୍ଟ ଭଳି କେତେକ ତଥ୍ୟ https://forms.gle/H3BcREPCy3nG6TpH7 ୱେବସାଇଟ୍‌କୁ ଯାଇ ଚଳିତମାସ ୩୧ତାରିଖ ସୁଦ୍ଧା ଆବେଦନ କରିବା ପାଇଁ ଜଣାଇ ଦିଆଯାଇଛି । ଏଥିପାଇଁ ଆବେଦନ ଫର୍ମ ମଧ୍ୟ ସାମାଜିକ ସୁରକ୍ଷା ରାଷ୍ଟ୍ରୀୟ ପ୍ରତିଷ୍ଠାନର ୱେବସାଇଟ୍‌ରେ ମିଳିପାରିବ । ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ଏହା ଏକ ସ୍ୱୟଂକ୍ରିୟ ସଂସ୍ଥା । ଏହି ସୂଚନାକୁ ସର୍ବାଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ବେସରକାରୀ ସଂଗଠନ ଏବଂ ଗୋଷ୍ଠୀଭିତ୍ତିକ ସଂଗଠନଗୁଡିକୁ ଏହି ତଥ୍ୟ ସହିତ ଅନୁରୋଧ କରାଯାଇଛି ।

ଗତବର୍ଷ ମନ୍ତ୍ରଣାଳୟ ପକ୍ଷରୁ ଲକ୍‌ଡାଉନ୍ ସମୟରେ କିନ୍ନରମାନଙ୍କୁ ଆର୍ଥିକ ସହାୟତା ଏବଂ ରେଶନ କିଟ୍ ଦିଆଯାଇଥିଲା । ଦେଶରେ ଥିବା ପ୍ରାୟ ୭ହଜାର କିନ୍ନରଙ୍କ ହିତ ଦୃଷ୍ଟିରୁ ମୋଟ ୯୮.୫୦ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଉଛି ।

ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ କିନ୍ନର ଓ ତୃତୀୟଲିଙ୍ଗୀ ଗୋଷ୍ଠୀରେ ଆସୁଥିବା ବ୍ୟକ୍ତିମାନଙ୍କ ମାନସିକ ସ୍ଥିତିକୁ କରୋନାଜନିତ ପରିସ୍ଥିତିରେ ସୁଦୃଢ କରିବା ପାଇଁ ପରାମର୍ଶ ସେବା ଯୋଗାଇବା ନିମନ୍ତେ ମଧ୍ୟ ମନ୍ତ୍ରଣାଳୟ ଘୋଷଣା କରିଛି । ହେଲପ୍ ଲାଇନ ନମ୍ବର ୮୮୮୨୧୩୩୮୯୭ରୁ ଏହି ପରାମର୍ଶ ନେଇପାରିବ । ଏହି ନମ୍ବର ସୋମବାରଠାରୁ ଶନିବାର ପର‌୍ୟ୍ୟନ୍ତ ଦିନ ୧୧ଟାଠାରୁ ଗୋଟାଏ ପଯ୍ୟନ୍ତ ଏବଂ ଅପରାହ୍ନ ୩ଟାଠାରୁ ୫ଟା ପଯ୍ୟନ୍ତ କାମ କରୁଛି ।

ତୃତୀୟ ଲିଙ୍ଗୀମାନଙ୍କ ମାନସିକ ସ୍ଥିତିକୁ ସୁଦୃଢ କରିବା ପାଇଁ ବୃତ୍ତିଗତ ମନସ୍ତତ୍ୱବିତ୍ ମାନଙ୍କ ଦ୍ୱାରା ପରାମର୍ଶ ଦିଆଯାଉଛି । ଆହୁରି ମଧ୍ୟ କୋଭିଡ-୧୯ ଟିକାଦାନ କେନ୍ଦ୍ରମାନଙ୍କରେ କୌଣସି ବାଛବିଚାର ନ ରଖି କିନ୍ନରମାନଙ୍କୁ ଟିକାଦେବା ସୁଯୋଗ ନିଶ୍ଚିତ କରିବାକୁ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ଏହି ମନ୍ତ୍ରଣାଳୟ ଚିଠି ମାଧ୍ୟମରେ ଅନୁରୋଧ କରିଛି ।

ସେମାନଙ୍କ ମାତୃଭାଷାରେ କିନ୍ନରମାନଙ୍କୁ ଏ ସମ୍ପର୍କରେ ସୂଚନା ଦେବା ପାଇଁ ଜନଚେତନା ସୃଷ୍ଟି କରିବାକୁ ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି । ହରିୟାନା ଏବଂ ଆସାମରେ ଏହି ଗୋଷ୍ଠୀ ଲୋକଙ୍କ ପାଇଁ ସ୍ୱତନ୍ତ୍ର ମୋବାଇଲ ଭ୍ୟାନରେ ଏବଂ ସ୍ୱତନ୍ତ୍ର ଟିକାଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଥିବାରୁ ଏହିଭଳି ସ୍ୱତନ୍ତ୍ର ପଦକ୍ଷେପ ମାଧ୍ୟମରେ କିନ୍ନରମାନଙ୍କୁ ଟିକା ଦେବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି ।

Categories
ଆଜିର ଖବର ଆଞ୍ଚଳିକ

ବାଲୁଗାଁ-ବାଣପୁରରେ ଦିନକରେ ଏକ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ତଣ୍ଡ ଗଣିଲେ ଅମାନିଆ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏବଂ ବାଣପୁର ସହରରେ ଆଜି ତହସିଲ, ଏନଏସି ଏବଂ ପୋଲିସ ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଜିଲ୍ଲାପାଳଙ୍କ ଗସ୍ତ ପରେ ଆହୁରି ଆକ୍ଟିଭ ହୋଇଯାଇଛି ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ। ଉଭୟ ତହସିଲ ଅଞ୍ଚଳରେ ‘ଜିରୋ’ କୋଭିଡ଼ ଲକ୍ଷ୍ୟକୁ ନେଇ ଗତକାଲିଠାରୁ କାମ ଆରମ୍ଭ ହୋଇଯାଇଛି।

ବାଲୁଗାଁ ଏବଂ ବାଣପୁର ସହରରେ କୋଭିଡ ସ୍ଥିତି ଜଟିଳ ଥିବାବେଳେ ଆଜି ଉଭୟ ସହରରୁ ମାତ୍ର ୪ ଜଣ ନୂତନ ପଜିଟିଭ ଚି଼ହ୍ନଟ ହୋଇଛନ୍ତି ଯାହା ପ୍ରଶାସନର ମନୋବଳକୁ ଆହୁରି ବଢ଼ାଇଦେଇଛି। ଉଭୟ ତହସିଲଦାର ଆଜି ସହରରେ କଡା କୋଭିଡ ଏନ୍ଫୋର୍ସମେଣ୍ଟ କରୁଥିବାର ଦେଖାଯାଇଥିଲା।

ତେବେ ଚିଲିକା ତହସିଲ ପକ୍ଷରୁ ବାଲୁଗାଁରୁ ୫ ହଜାର ଟଙ୍କା ଏବଂ ବାଣପୁର ତହସିଲ ଦ୍ୱାରା ବାଣପୁରରୁ ୮ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ମିଳିଛି। ସେହିପରି ଭାବେ ବାଣପୁର ଏବଂ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରି ମଧ୍ୟ ଆଜି ଉଭୟ ସହରରେ ଏନ୍ଫୋର୍ସମେଣ୍ଟ କରୁଥିବାର ଦେଖାଯାଇଥିଲା। ଏନଏସି ଦ୍ୱାରା ବାଲୁଗାଁ ସହରରୁ ୨ ହଜାର ଟଙ୍କା ଏବଂ ବାଣପୁର ସହରରୁ ୨ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି।

ଅନୁରୂପ ଭାବେ ବାଲୁଗାଁ ପୋଲିସ ପକ୍ଷରୁ କୋଭିଡ ଏନ୍ଫୋର୍ସମେଣ୍ଟ ବାବଦକୁ ୧୦ ହଜାର ୨ ଶହ ଟଙ୍କା ଏବଂ ଅମାନିଆ ଗାଡିଚାଳକଙ୍କ ଠାରୁ ୪୧ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବାବେଳେ ବାଣପୁର ପୋଲିସ ପକ୍ଷରୁ କୋଭିଡ଼ ଏନ୍ଫୋର୍ସମେଣ୍ଟ ବାବଦକୁ ୭ ହଜାର ୨ ଶହ ଟଙ୍କା ଏବଂ ଅମାନିଆ ଗାଡିଚାଳକଙ୍କ ଠାରୁ ୫୩ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ଦେଇଛନ୍ତି ଉଭୟ ଆଇଆଇସି।

Categories
ଆଜିର ଖବର ରାଜ୍ୟ ଖବର

ରାଜନଗର ଏବଂ ବାଲିଆପାଳ ମଧ୍ୟବର୍ତ୍ତୀ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବ “ୟାଶ୍‌”- ସିଇସି

ଭୁବନେଶ୍ୱର: ସୋମବାର ଦକ୍ଷିଣ ଓ ଦକ୍ଷିଣ ପୂର୍ବ ପାରାଦ୍ୱୀପ ଠାରୁ ୫୩୦ କି.ମି ଦୂରରେ କେନ୍ଦ୍ରିଭୂତ ହୋଇଥିବା ଘୂର୍ଣ୍ଣିଝଡ “ୟଶ୍‌” ଉତ୍ତର-ଉତ୍ତର ପଶ୍ଚିମ ଦିଗ ଆଡକୁ ମୁହାଁଇବ ଏବଂ ମେ ୨୬ ତାରିଖ ପୂର୍ବାହ୍ନରେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଏବଂ ବାଲେଶ୍ୱର ଜିଲ୍ଲା ବାଲିଆପାଳ ମଧ୍ୟ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ ପରିଚାଳିତ) ପରିବେଶ ଏବଂ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଶା ଉପକୂଳ ଅତିକ୍ରମ କରିବା ସମୟରେ ପବନର ବେଗ ଘଂଟା ପ୍ରତି ୮୦ ରୁ ୧୦୦ କି.ମି ତଥା ତୀବ୍ରତା ୧୨୦ କି.ମି ପର୍ଯ୍ୟନ୍ତ ହୋଇପାରେ ବୋଲି ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି।

ତେବେ ପାଣିପାଗର ବିଭିନ୍ନ ପରିମାପକୁ ବିଚାରକୁ ନେଇ ଜଣାଯାଏ ଯେ ଉପକୂଳ ଅତିକ୍ରମ କରିବା ସମୟରେ ପବନର ବେଗ କମ ରହିପାରେ ବୋଲି ସେ କହିଛନ୍ତି। ସଦ୍ୟତମ ବିଶ୍ଳେଷଣ ଅନୁଯାୟୀ ଏହି ଘୂର୍ଣ୍ଣିଝଡର ଅବସ୍ଥିତି ମଙ୍ଗଳବାର ୫.୩୦ ସୁଦ୍ଧା ପାରାଦ୍ୱୀପରୁ ୧୪୦ କି.ମି ଦୂରରେ ରହିଥିବାବେଳେ ମେ ୨୬ ତାରିଖ ସକାଳ ସୁଦ୍ଧା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିକଟବର୍ତ୍ତୀ ହୋଇ ଚାନ୍ଦବାଲି କିମ୍ବା ଏହାର ନିକଟବର୍ତ୍ତୀ ଅଂଚଳ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ପବନର ବେଗ ମଧ୍ୟ ମେ ୨୬ ତାରିଖ ରାତି ପର୍ଯ୍ୟନ୍ତ ଜାରିରହିବ ବୋଲି ସେ କହିଛନ୍ତି।

ତେବେ ଏହାର ମଡେଲ୍ ଘଂଟାକୁ ଘଂଟା ପରିବର୍ତ୍ତନ ହେଉଥିବାରୁ ବାତ୍ୟାର ସଠିକ୍ ଆକଳନ କରିବା କଷ୍ଟକର ହେଉଛି ବୋଲି ସେ କହିଛନ୍ତି। ଏହି ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ସେହି ସ୍ଥାନରେ ପରିବର୍ତ୍ତନ ହୋଇପାରେ ବୋଲି କହିବା ସହ ସୋମବାର ଅପରାହ୍ନରୁ ଉପକୂଳବର୍ତ୍ତୀ ଅଂଚଳରେ ପବନର ବେଗ ଘଂଟା ପ୍ରତି ୩୫ ରୁ ୫୦ କି.ମି ହେବ ବୋଲି ଡ. ସାହୁ କହିଛନ୍ତି।

ସେହିପରି ମଙ୍ଗଳବାର ସକାଳୁ ଜଗତସିଂହପୁର ଅଂଚଳରେ ପବନର ବେଗ ବଢ଼ିବାର ସମ୍ଭାବନା ଥିବାବେଳେ ମେ ୨୬ ତାରିଖ ଅପରାହ୍ନରୁ କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱରରେ ପବନର ବେଗ ବଢ଼ିବ। ଏହି ଘୂର୍ଣ୍ଣିଝଡ ଓଡ଼ିଶା ଉପକୂଳ ଅତିକ୍ରମ କରିଯିବା ପରେ ପବନର ବେଗ କମିବ ବୋଲି ସେ କହିଛନ୍ତି।

ସୋମବାର ଅପରାହ୍ନରୁ ମଙ୍ଗଳବାର ପୂର୍ବାହ୍ନ ପର୍ଯ୍ୟନ୍ତ ସାମାନ୍ୟରୁ ମଧ୍ୟମ ବର୍ଷା ଜାରି ହେବାକୁ ଥିବାବେଳେ କେନ୍ଦ୍ରାପଡା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ, ଢ଼େଙ୍କାନାଳ ଏବଂ କେନ୍ଦୁଝର ପ୍ରଭୃତି ଜିଲ୍ଲାରେ ମଙ୍ଗଳବାର ଅପରାହ୍ନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ପଶ୍ଚିମରୁ ଉତ୍ତରାଂଚଳକୁ ପ୍ରବାହିତ ହେଉଥିବା ପବନ ଖୁବ୍‌ ଶକ୍ତ ଏବଂ ଏହା ବଙ୍ଗଳା ଦେଶ ଏବଂ ପୂର୍ବ ପଶ୍ଚିମବଙ୍ଗ ସମେତ ଓଡ଼ିଶାର ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ୨୫ ତାରିଖ ରାତିରୁ ପ୍ରଭାବ ପକାଇବ ବୋଲି ଡ. ସାହୁ କହିବା ସହ ଘୂର୍ଣ୍ଣିଝଡ ଘନୀଭୂତ ହେବାବେଳେ ପବନର ବେଗ ମଧ୍ୟ ଅତୀ ତୀବ୍ର ହେବବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧ ହଜାର ୬୧୪ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୧ ହଜାର ୬୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୪୦୭, ସୁନ୍ଦରଗଡରୁ ୧୨୦୬, କଟକରୁ ୧୧୮୦, ଅନୁଗୁଳରୁ ୭୦୩, ସମ୍ବଲପୁରରୁ ୫୫୨, ବରଗଡରୁ ୪୧୨, ବଲାଙ୍ଗୀରିରୁ ୪୦୦, ପୁରୀରୁ ୩୮୯, ମୟୂରଭଞ୍ଜରୁ ୩୮୮, କଳାହାଣ୍ଡିରୁ ୩୭୫, ଯାଜପୁରରୁ ୩୪୯, ଝାରସୁଗୁଡାରୁ ୩୪୬, ନବରଙ୍ଗପୁରରୁ ୩୪୫, ବାଲେଶ୍ବରରୁ ୩୦୩, ଭଦ୍ରକରୁ ୨୯୮, ଢେଙ୍କାନାଳରୁ ୨୮୨, ଜଗତସିଂହପୁରରୁ ୨୬୪, ନୟାଗଡରୁ ୨୫୯, ସୋନପୁରରୁ ୨୩୯, ଗଞ୍ଜାମରୁ ୨୩୧, କୋରାପୁଟରୁ ୧୯୯, ନୂଆପଡାରୁ ୧୮୭, ବୌଦ୍ଧରୁ ୧୮୫, କେନ୍ଦ୍ରାପଡାରୁ ୧୪୮, କେନ୍ଦୁଝରରୁ ୧୩୮, ରାୟଗଡାରୁ ୧୩୨, ଦେବଗଡରୁ ୧୦୭, ଗଜପତିରୁ ୧୦୪, କନ୍ଧମାଳରୁ ୧୦୨, ମାଲକାନାଗିରିରୁ ୧୦୦ ଏବଂ ଷ୍ଟେଟ ପୁଲରୁ ୨୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୬ ଲକ୍ଷ ୧ ହଜାର ୨୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩ ହଜାର ୪୪୧ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୧୧ ହଜାର ୨୬୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୫୧୬ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଆଞ୍ଚଳିକ

ଚିଲିକା: ଜାଣନ୍ତୁ ଆଜିର କରୋନା ଅପଡେଟ୍ ଓ ଆସନ୍ତାକାଲି ପାଇଁ ଟୀକାକରଣ ବ୍ୟବସ୍ଥା

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ଗତକାଲି କରୋନା ସ୍ଥିତି ଉପରମୁହାଁ ଥିବା ବେଳେ ଆଜି ତଳ ମୁହାଁ ହୋଇଛି। ଯାହା ଲୋକଙ୍କୁ ସାମାନ୍ୟ ଆଶ୍ଵସ୍ତି ମିଳିଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାକି ଗତକାଲିର ସଂଖ୍ୟାଠାରୁ ଅଧା।

ଚିହ୍ନଟ ହୋଇଥିବା ୩୦ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୧୨ ଜଣ, ବାଲୁଗାଁ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୩୮ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୨୦ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୧୫ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୫୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୨୧ ଜଣ, ଚିଲିକା ବ୍ଲକରେ ୧୨୬ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୪୨ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ଆସନ୍ତାକାଲି କେବଳ ବାଣପୁରରେ ଟୀକାକରଣ ପ୍ରକ୍ରିୟା ଚାଲୁ ରହିବ। ବାଣପୁର, ଗମ୍ଭାରୀମୁଣ୍ଡା, ସୁନାଖେଳା ଏବଂ ନୀଳାଦ୍ରିପ୍ରସାଦରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ୧୦୦ଜଣ ନାଗରିକ ମାନଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ।

ସାମ୍ଭାବ୍ୟ ବାତ୍ୟା ପାଇଁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ସମସ୍ତ କେନ୍ଦ୍ରରେ ଟୀକାକରଣ ପ୍ରକ୍ରିୟା ବନ୍ଦ ରହିବ ବୋଲି ବାଲୁଗାଁ ମେଡିକାଲ ଅଧିକାରୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ତିନି ଦିନ ପାଇଁ ୩ ଟି ଜିଲ୍ଲାରେ ବନ୍ଦ ରହିବ ଟୀକାକରଣ: ଅନ୍ୟ ୩ ଟି ଜିଲ୍ଲାର ପ୍ରଶାସନ ସ୍ଥିତି ଦେଖି ନେବ ନିଷ୍ପତ୍ତି

ଭୁବନେଶ୍ବର: ବାତ୍ୟାକୁ ନେଇ ୩ ଟି ଜିଲ୍ଲାରେ ତିନି ଦିନ ପାଇଁ ଟୀକାକରଣ ବନ୍ଦ ରହିବ। ୨୫, ୨୬ ଏବଂ ୨୭ ତାରିଖରେ ୩ ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିବ। ବାଲେଶ୍ଵର, ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାରେ କୋଭିଡ ପରୀକ୍ଷା ସହ ଟୀକାକରଣ ମଧ୍ୟ ବନ୍ଦ ରହିବ।

ସେହିଭଳି ଆଉ ୩ ଟି ଜିଲ୍ଲାରେ ସ୍ଥିତି ଦେଖି ଜିଲ୍ଲାପାଳ ଟୀକାକରଣ ଏବଂ କୋଭିଡ ପରୀକ୍ଷା ଉପରେ ନିଷ୍ପତ୍ତି ନେବେ। କେନ୍ଦ୍ରାପଡା, ଜଗତସିଂହପୁର ଏବଂ କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ ସ୍ଥିତି ଦେଖି ନିଷ୍ପତ୍ତି ନେବାକୁ କୁହାଯାଇଛି। ଏନେଇ ଏସିଏସ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

 ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୯୦୫: ସୁସ୍ଥ ହେଲେ ୧୦୨୧ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୯୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୯୦୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୭୬୦ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୯ ହଜାର ୯୦୨ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୧୦୨୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୫୫ ହଜାର ୮୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨ ହଜାର ୭୩୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୧୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲକୁ ଏନଏବିଏଚ ମାନ୍ୟତା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲକୁ ସମ୍ମାନଜନକ ନ୍ୟାସନାଲ ଆକ୍ରେଡିସନ ବୋର୍ଡ ଫର ହସ୍ପିଟାଲ୍ସ ଆଣ୍ଡ ହେଲଥକେୟାର ପ୍ରୋଭାଇଡର୍ସ (ଏନଏବିଏଚ) ସ୍ୱୀକୃତି ପ୍ରାପ୍ତ ହୋଇଛି।

ଗତ ମେ ୧୩ ତାରିଖରୁ ଲାଗୁ ହୋଇଥିବା ଏହି ସ୍ୱୀକୃତି ଆସନ୍ତା ୪ ବର୍ଷ ଯାଏଁ ବଳବତ୍ତର ରହିବ। ଏନଏବିଏଚ ହେଉଛି କ୍ୱାଲିଟି କାଉନସିଲ ଅଫ ଇଣ୍ଡିଆର ଏକ କନଷ୍ଟିଚ୍ୟୁଏଂଟ ବୋର୍ଡ ଅଟେ। ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ଦ୍ୱିତୀୟ ଥର ପାଇଁ ଏହି ଏନଏବିଏଚ ମାନ୍ୟତା ହାସଲ କରିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

କରୋନା ଆକ୍ରାନ୍ତଙ୍କ ପାଇଁ ରେଳବାଇର ସହୟତା, ପଠାଗଲା ୧୦୦ ରୁ ଉର୍ଦ୍ଧ ଅକ୍ସିଜେନ ଏକ୍ସପ୍ରେସ

ଭୁବନେଶ୍ବର, ମହାମାରୀ ସମୟରେ ଅମ୍ଳଜାନ ଅଭାବ ଥିବା ରାଜ୍ୟମାନଙ୍କୁ ପର‌୍ୟ୍ୟାପ୍ତ ପରିମାଣର ଅମ୍ଳଜାନ ସହାୟତା ଏବଂ ରିଲିଫ୍ ଯୋଗାଇବା ପାଇଁ ଭାରତୀୟ ରେଳବାଇ ଦେଶର ବିଭିନ୍ନ ପ୍ରାନ୍ତରୁ ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ୍ ଚଳାଚଳ କରୁଅଛି। ଜାତୀୟ ପରିବହନକାରୀ ଭାରତୀୟ ରେଳବାଇ ଦ୍ୱାରା ଏପର‌୍ୟ୍ୟନ୍ତ ୧୫୦୦୦ ଟନ ଅମ୍ଳଜାନ ପରିବହନ କରାଯାଇଛି।

କୋଭିଡ଼୧୯ ସଂକ୍ରମଣ ଯୋଗୁଁ ସଙ୍କଟାପନ୍ନ ପରିସ୍ଥିତିରେ ପୂର୍ବ ତଟ ରେଳପଥ ରୋଗୀ ମାନଙ୍କ ଜୀବନ ରକ୍ଷା ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ତରଳ ମେଡିକାଲ ଅମ୍ଳଜାନ (LMO) ପରିବହନ କରିବା କ୍ଷେତ୍ରରେ ଏକ ଅଗ୍ରଣୀ ରେଳପଥ ହୋଇ ପାରିଛି। ଆଜି ପର‌୍ୟ୍ୟନ୍ତ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ବିଭିନ୍ନ ଷ୍ଟିଲ ପ୍ଲାଣ୍ଟରୁ ଦେଶର ବିଭିନ୍ନ ରାଜ୍ୟକୁ ପ୍ରାୟ ୨୨୫୨ ଟନ ତରଳ ମେଡିକାଲ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପରିବହନ କରି ସାରିଲାଣି।

ଭାରତୀୟ ରେଳବାଇ ଦ୍ୱାରା ପ୍ରଥମ ଅମ୍ଳଜାନ ଏକ୍ସପ୍ରେସ ଚଳାଚଳ ଠାରୁ ତଥା ୨୨ ଏପ୍ରିଲ, ୨୦୨୧ ରୁ ଆରମ୍ଭ ହୋଇଥିଲା ଯେତେବେଳେ ରାଷ୍ଟ୍ରିୟ ଇସ୍ପାତ ନିଗମ ଲିମିଟେଡ୍, ବିଶାଖାପାଟନମ୍ ରୁ ମହାରାଷ୍ଟ୍ର ର ନାସିକକୁ ଅମ୍ଳଜାନ ପରିବହନ କରାଯାଇଥିଲା।

ବର୍ତ୍ତମାନ ପର‌୍ୟ୍ୟନ୍ତ ପୂର୍ବତଟ ରେଳପଥ ନିଜ ପରିସୀମା ମଧ୍ୟରୁ ପ୍ରାୟ ୧୦୬ ଟି ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ୍ ପରିଚାଳନା କରିଛି, ସେଥିମଧ୍ୟରୁ ୩୫ ଟି ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ୍ ତରଳ ମେଡିକାଲ୍ ଅମ୍ଳଜାନ ଧାରଣ କରି ଏହାର ପରିସୀମା ମଧ୍ୟରୁ ଦେଶର ବିଭିନ୍ନ ରାଜ୍ୟକୁ ପରିବହନ କରାଯାଇଅଛି। ଦକ୍ଷିଣ ପୂର୍ବ ରେଳପଥ ଏବଂ ପୂର୍ବ ରେଳପଥରୁ ୩୩ ଟି ଅମ୍ଳଜାନ ଭର୍ତ୍ତି ଏକ୍ସପ୍ରେସ ଟ୍ରେନ୍ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ପରିଚାଳିତ ହୋଇଅଛି।

ଦୁର୍ଗାପୁର, ଟାଟାନଗର, ଏବଂ ରାଉରକେଲା ରୁ ସିକନ୍ଦରାବାଦ, ଚେନ୍ନାଇ ଏବଂ ବାଙ୍ଗାଲୋର ଅଭିମୁଖେ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ତରଳ ମେଡିକାଲ ଅକ୍ସିଜେନ ଏକ୍ସପ୍ରେସ ଯାତାୟାତ କରୁଅଛି। ଏହା ବ୍ୟତୀତ, ତରଳ ମେଡିକାଲ ଅକ୍ସିଜେନ ଭରିବା ପାଇଁ ବିଭିନ୍ନ ଲୋଡିଂ ପଏଣ୍ଟରେ ପହଞ୍ଚିବା ପାଇଁ ପ୍ରାୟ ୩୮ ଟି ଖାଲି ଅମ୍ଳଜାନ ଏକ୍ସପ୍ରେସ ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଚଳାଚଳ କରିଅଛି।

ପୂର୍ବତଟ ରେଳପଥ ଦ୍ୱାରା ୫୪୫.୩୧ ଟନ୍ ତରଳ ମେଡିକାଲ ଅକ୍ସିଜେନ ମହାରାଷ୍ଟ୍ରକୁ, ୮୪୨.୪ ଟନ୍ ଦିଲ୍ଲୀ ଏବଂ ହରିୟାଣାକୁ, ୧୧୭.୯ ଟନ୍ କେରଳକୁ, ୫୦୫.୪୪ ଟନ୍ ତେଲେଙ୍ଗାନାକୁ, ୧୨୦ ଟନ୍ ତାମିଲନାଡୁକୁ ଏବଂ ୧୨୦.୯୮ ଟନ୍ କର୍ଣ୍ଣାଟକକୁ ପରିବହନ କରାଯାଇଅଛି।

ବିଭିନ୍ନ ରାଜ୍ୟକୁ ଯାଉଥିବା ସମସ୍ତ ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନର କର୍ମଚାରୀ ମାନଙ୍କ ସହିତ ସହାୟକ ସଦସ୍ୟଙ୍କ ପାଇଁ ଖାଦ୍ୟ ପ୍ୟାକେଟ ଏବଂ ପାଣି ବୋତଲ ଯୋଗାଉଛି ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଯୋଗାଇଦିଆଯାଉଅଛି। ଏହି ସଦସ୍ୟଙ୍କ ବ୍ୟତୀତ ଟ୍ରେନରେ ପରିବହନ ହେଉଥିବା ରୋଡ୍ ଯାନଗୁଡିକର କର୍ମଚାରୀମାନଙ୍କୁ ମଧ୍ୟ ପୂର୍ବତଟ ରେଳପଥ ପକ୍ଷରୁ ଏହାର ପରିସୀମା ମଧ୍ୟରେ ବିଶେଷ ଧ୍ୟାନ ଦିଆଯାଉଅଛି।

ଅନୁଗୁଳ ସ୍ଥିତ ଟାଟା ଭୂଷଣ ଲିମିଟେଡ ଓ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ଏବଂ କଳିଙ୍ଗ ନଗର ସ୍ଥିତ ଟାଟା ଷ୍ଟିଲ ଲିମିଟେଡ ଭଳି ଇସ୍ପାତ କାରଖାନା ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଅମ୍ଳଜାନ ବୋଝେଇ ଓ ପରିବହନ କ୍ଷେତ୍ରରେ ପ୍ରମୁଖ ଅବଦାନ ରଖିଛନ୍ତି। ବର୍ତ୍ତମାନ ପର‌୍ୟ୍ୟନ୍ତ, ୧୨୪ ଟ୍ୟାଙ୍କରରେ ଲୋଡ୍ ହୋଇଥିବା ୩୧ ଟି ଅକ୍ସିଜେନ ଏକ୍ସପ୍ରେସ ଟ୍ରେନ୍ ଏହି ମହାମାରୀରେ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ବିଭିନ୍ନ ରାଜ୍ୟକୁ ତରଳ ମେଡିକାଲ ଅକ୍ସିଜେନ ଯୋଗାଇବାରେ ବ୍ୟବହାର କରାଯାଇଅଛି। ବର୍ତ୍ତମାନ ପର‌୍ୟ୍ୟନ୍ତ, ୧୪୦ ଟ୍ୟାଙ୍କରରେ ଲୋଡ୍ ହୋଇଥିବା ୩୫ ଅମ୍ଳଜାନ ଏକ୍ସପ୍ରେସ ଟ୍ରେନ୍ ଏହି ମହାମାରୀରେ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ପୂର୍ବତଟ ରେଳ ପ୍ରାଧିକରଣରୁ ବିଭିନ୍ନ ରାଜ୍ୟକୁ LMO ଯୋଗାଇବା ପାଇଁ ବ୍ୟବହାର କରିଛନ୍ତି।

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଅକ୍ସିଜେନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନର ସୁରକ୍ଷିତ ଚଳାଚଳ ଏବଂ ଏହି ଟ୍ରେନଗୁଡ଼ିକୁ ଶୀଘ୍ର ଗନ୍ତବ୍ୟ ସ୍ଥାନ ଗୁଡିକରେ ପହଞ୍ଚାଇବା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରାଯିବା ସହିତ ଏହି ଅଞ୍ଚଳକୁ ଗ୍ରୀନ କରିଡର ଘୋଷଣା କରାଯାଇଅଛି।ଏହା ବ୍ୟତୀତ, ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଦେଶର ବିଭିନ୍ନ ଷ୍ଟିଲ୍ ପ୍ଲାଣ୍ଟଗୁଡିକରୁ ଗନ୍ତବ୍ୟ ସ୍ଥାନକୁ ପରିବହନ କରାଯାଉଥିବା ଅମ୍ଳଜାନ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ମଧ୍ୟ ନିରାପଦ ଚଳାଚଳକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ମୁକାବିଲାରେ ପ୍ରଶାସନକୁ ସହଯୋଗ କରନ୍ତୁ, ଡବଲ ମାସ୍କ ପିନ୍ଧନ୍ତୁ, ରାଜ୍ୟବାସୀଙ୍କୁ ନବୀନଙ୍କ ନିବେଦନ

ଭୁବନେଶ୍ବର, ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର। ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା । ଆସୁଥିବା ବାତ୍ୟା ପରିପ୍ରେକ୍ଷୀରେ ଲୋକମାନଙ୍କ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଆଜି ସତର୍କ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେ କହିଛନ୍ତି ଯେ ଆମେ ଏକା ସମୟରେ ଦୁଇଟି ବଡ ବିପଦର ସାମ୍‌ନା କରୁଛୁ – କୋଭିଡ ଓ ବାତ୍ୟା ୟଶ । ତେଣୁ ସମସ୍ତେ ପ୍ରଶାସନକୁ ସ୍ଥାନାନ୍ତରରେ ସହଯୋଗ କରନ୍ତୁ ଓ ଡବଲ ମାସ୍କ ପିନ୍ଧନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଲୋକଙ୍କୁ ନିରାପଦ ସ୍ଥାନରେ ପହଞ୍ଚାଇବା ଆମର ଲକ୍ଷ୍ୟ। ତେଣୁ ସମସ୍ତେ ବାତ୍ୟା ଆଶ୍ରୟସ୍ଥଳ ତଥା ପକ୍କା ଘର ଆଦି ନିରାପଦ ସ୍ଥାନକୁ ଚାଲିଆସିବା ପାଇଁ ସେ ଅନୁରୋଧ କରିଛନ୍ତି । କୋଭିଡ ପାଇଁ ପ୍ରଶାସନ ଗତ ଦୁଇ ମାସ ଧରି ଚାପରେ ଅଛି । ତେଣୁ ବାତ୍ୟାର ମୁକାବିଲା ପାଇଁ ଜନସାଧାରଣ ସ୍ଥାନାନ୍ତର ରେ ପ୍ରଶାସନକୁ ପୁରା ସହଯୋଗ କରିବା ପାଇଁ ସେ ନିବେଦନ କରିଛନ୍ତି । ଯେହେତୁ ଏବେ କୋଭିଡ ସମୟ, ତେଣୁ ଆମକୁ ଅଧିକ ସାବଧାନ ରହିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଅନୁରୋଧ କରି ଆହୁରି କହିଛନ୍ତି ଯେ ଆପଣମାନେ ବାତ୍ୟା ଆଶ୍ରୟସ୍ଥଳ ବା ପକ୍କା ଘର, ଯେଉଁଠାରେ ବି ଥାଆନ୍ତୁ, ଦୁଇଟି ମାସ୍କ ଏକ ସମୟରେ ପିନ୍ଧନ୍ତୁ। ବର୍ତ୍ତମାନ ପରିସ୍ଥିତିରେ ଗୋଟିଏ ନୁହେଁ, ଦୁଇଟି ମାସ୍କ ପିନ୍ଧିବା ଆମ ସ୍ବାସ୍ଥ୍ୟ ପାଇଁ ଖୁବ ଜରୁରୀ। ଡବଲ ବିପଦ ପାଇଁ ଡବଲ ମାସ୍କ। ତା ସହିତ ସାବୁନ ଓ ସାନିଟାଇଜରରେ ହାତ ମଧ୍ୟ ଧୋଇବା ପାଇଁ ସେ ନିବେଦନ କରିଛନ୍ତି।

ସାରା ମାନବ ଜାତି ବର୍ତ୍ତମାନ ଏକ କଷ୍ଟକର ସମୟ ଦେଇ ଗତି କରୁଛି ଏବଂ ଗତ ଏକ ବର୍ଷରୁ ଅଧିକ ସମୟ ଧରି କୋଭିଡ ବିରୁଦ୍ଧରେ ଆମର ଲଢେଇ ଜାରି ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବାତ୍ୟା ୟଶ ବର୍ତ୍ତମାନ ଆମ ପାଇଁ ଆହୁରି ଏକ ବଡ ବିପଦ ଭାବରେ ଦେଖା ଦେଇଛି । ଏକ ସମୟରେ ଦୁଇ ଦୁଇଟି ବଡ ବିପଦ ବାତ୍ୟା ଓ କୋଭିଡ ର ମୁକାବିଲା ଆମକୁ କରିବାକୁ ହେବ ।

ଗତ ବର୍ଷ ମେ ମାସରେ ମଧ୍ୟ ଆମେ କୋଭିଡ ସହ ବାତ୍ୟା ଅମ୍ଫନ ର ସାମନା କରିଥିଲେ ଏବଂ ଲୋକଙ୍କ ସହଯୋଗରେ ଆମେ ସଫଳତାର ସହ ସେ ପରିସ୍ଥିତିର ମୁକାବିଲା କରିଥିଲେ ବୋଲି ସେ ମନେପକାଇ ଦେଇଥିଲେ।

ବାତ୍ୟା ଓଡିଶା ପାଇଁ ନୂଆ ନୁହେଁ, ତଥାପି ଆମକୁ ସତର୍କ ରହିବାକୁ ହେବ। ସାମାନ୍ୟ ହେଳା ବଡ ବିପଦ ସୃଷ୍ଟି କରିପାରେ ବୋଲି ସେ ସତର୍କ କରିଥିଲେ। ସରକାର ବାତ୍ୟା ଓ କୋଭିଡ ଦୁଇଟି ଯାକ ପରିସ୍ଥିତିର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଜନସାଧାରଣଙ୍କ ସହଯୋଗ ହିଁ ଆମର ପ୍ରସ୍ତୁତିକୁ ଆହୁରି ମଜବୁତ କରିବ ବୋଲି ସେ ଆଶାପ୍ରକାଶ କରିଥିଲେ।

ଜନସାଧାରଣଙ୍କୁ ଆହୁରି ସତର୍କ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବାତ୍ୟା ସମୟରେ ଓ ବାତ୍ୟା ପରେ ଆମେ କୋଭିଡ ପାଇଁ ଅଧିକ ସାବଧାନ ରହିବାକୁ ହେବ । ଆବଶ୍ୟକତାକୁ ଦେଖି ମିଶନ୍ ଶକ୍ତି ଗୋଷ୍ଠୀ ଜରିଆରେ ଲୋକଙ୍କୁ ମାସ୍କ ଯୋଗାଇବା ପାଇଁ ସେ କଲେକ୍ଟର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଥିଲେ।

ପ୍ରାକୃତିକ ବିପର‌୍ୟ୍ୟୟ ସମୟରେ ଓଡିଶା ସବୁବେଳେ ଭଲ କାମ କରିଆସିଛି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ବିପଦ ସମୟରେ ସାଧାରଣଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ପ୍ରତିନିଧି ବନ୍ଧୁମାନେ ଓ ନାଗରିକ ସମାଜର ବନ୍ଧୁମାନେ ସମସ୍ତେ ସରକାରଙ୍କୁ ପୁରା ସହଯୋଗ ଦେଇ ଆସିଛନ୍ତି । ତେଣୁ ଏଥର ମଧ୍ୟ, ଆମେ ସମସ୍ତେ ମିଶି ଏ ଦୁଇ ବିପଦ ବିରୁଦ୍ଧରେ ଏକାଠି ଲଢିବା ଓ ନିଶ୍ଚୟ ଜିତିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ବାସ ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀ ପୁଣି ଥରେ ସମସ୍ତଙ୍କୁ ଦୁଇଟି ମାସ୍କ ପିନ୍ଧିବା ପାଇଁ ଅନୁରୋଧ କରିଥିଲେ। ବାତ୍ୟା ଆଶ୍ରୟସ୍ଥଳରେ ଓ ଘରେ ପିନ୍ଧିବା ସହିତ ବାତ୍ୟା ଗଲା ପରେ ମଧ୍ୟ ଦୁଇଟି ମାସ୍କ ପିନ୍ଧିବା ଜାରି ରଖିବାକୁ ସେ ଅନୁରୋଧ କରିଥିଲେ । ପରିଶେଷରେ ଏହି ଦୁଇ ଲଢେଇରେ ବିଜୟ ପାଇଁ ପ୍ରଶାସନକୁ ପୁରା ସହଯୋଗ ଦେବାକୁ ସେ ନିବେଦନ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଇଏଏସଙ୍କ ସହିତ ପାଞ୍ଚ ଆଇପିଏସଙ୍କୁ ମଧ୍ୟ ଦିଆଗଲା ବାତ୍ୟା ପ୍ରଭାବିତ ଜିଲ୍ଲା ଦାୟିତ୍ବ

ଭୁବନେଶ୍ବର, ପାଞ୍ଚ ଜଣ ବରିଷ୍ଠ ଆଇଏସଙ୍କ ପରି ବରିଷ୍ଠ ଆଇପିଏସଙ୍କୁ ମଧ୍ୟ ପ୍ରଭାବିତ 5ଟି ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ଏ ନେଇ ପୋଲିସ ମହାନିର୍ଦ୍ଦେଶକଙ୍କ ଅଫିସରୁ ଏକ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ସେମାନେ ପ୍ରଭାବିତ ଜିଲ୍ଲାରେ କିପରି ବାତ୍ୟା ମୁକାବିଲା କରିବେ ସେ ନେଇ ତଦାରଖ କରିବେ।

ବିଜ୍ଞପ୍ତି ଅନୁସାରେ ଯେଉଁମାନଙ୍କୁ ପାଞ୍ଚୋଟି ଜିଲ୍ଲା ଦାୟିତ୍ବ ଦିଆଯାଇଛି ସେମାନେ ହେଲେ

1- କେନ୍ଦ୍ରାପଡା- ଜେ.ଏନ ପଙ୍କଜ, ପୋଲିସ ଡିଆଇଜି

2-ଜଗତସିଂହପୁର- ଅମିତାଭ ଠାକୁର, ଆଇଜି ପୋଲିସ

3-ଭଦ୍ରକ- ଅମିତେନ୍ଦ୍ର ନାଥ ସିହ୍ନା, ଆଇଜି ପୋଲିସ

4- ବାଲେଶ୍ବର- ଦୀପ୍ତେଶ ପଟ୍ଟନାୟକ, ଆଇଜି ପୋଲିସ

5- ମୟୁରଭଂଜ- ଅନିରୁଦ୍ଧ ସିଂହ, ଡିଆଇଜି ପୋଲିସ

ପୂର୍ବରୁ ସରକାର ପାଞ୍ଚ ଟି ଜିଲ୍ଲାକୁ ୫ ଜଣ ଆଇଏଏସଙ୍କୁ ଦାୟିତ୍ଵ ଦେଇଛନ୍ତି। ହେମନ୍ତ ଶର୍ମା,ଆଇଏଏସ ଙ୍କୁ କେନ୍ଦ୍ରାପଡା ଦାୟିତ୍ଵ ଦିଆଯାଇଥିବା ବେଳେ ଶାଶ୍ଵତ ମିଶ୍ରଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ଵ ଦିଆଯାଇଛି।

ସେହିଭଳି ଭଦ୍ରକ ଜିଲ୍ଲା ପାଇଁ ବୀର ବିକ୍ରମ ଯାଦବଙ୍କୁ ଦାୟିତ୍ଵ ମିଳିଥିବା ବେଳେ ବାଲେଶ୍ଵର ଜିଲ୍ଲା ପାଇଁ ବିଶାଳ କୁମାର ଦେବ ଏବଂ ମୟୂରଭଞ୍ଜ ଜିଲ୍ଲା ପାଇଁ ସୁରେଶ କୁମାର ବଶିଷ୍ଠଙ୍କୁ ରାଜ୍ୟ ସରକାର ଦାୟିତ୍ଵ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅନୁଭବ ହେଲା ବାତ୍ୟାର ପୂର୍ବ ସଙ୍କେତ, ଆରମ୍ଭ ହେଲା ବିଭିନ୍ନ ସ୍ଥାନରେ ବର୍ଷା ସହିତ କୋହଲା ପବନ

ଭୁବନେଶ୍ବର, ଆଜି ମଧ୍ୟାହ୍ନରୁ ଭୁବନେଶ୍ବର କଟକ ସମେତ ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। ମୁଖ୍ୟତଃ ଉପକୂଳବର୍ତ୍ତି ଜିଲ୍ଲାମାନଙ୍କରେ ଆଜି ମଧ୍ୟାହ୍ନରୁ କଳାହାଣ୍ଡିଆ ମେଘ ଆସି ଅନ୍ଧାର କରିଦେଇଛି। କିଛି ସମୟ ପରେ ବର୍ଷା ସହିତ କୋହଲା ପବନ ମଧ୍ୟ ପ୍ରବାହିତ ହେବାରେ ଲାଗିଛି।

ପାଣିପାଗ ବିଭାଗ ଅନୁସାରେ ଆଜି ଉପକୂଳ ଜିଲ୍ଲାର ସମସ୍ତ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ଏହା ହେଉଛି ବାତ୍ୟା ୟଶ୍ ଆସିବାର ପୂର୍ବ ସଙ୍କେତ। ଏଥିସହିତ ଏହି ଅଞ୍ଚଳରେ ପବନ ମଧ୍ୟ ପ୍ରବାହିତ ହେଉଛି। ତେବେ ଏହି ବର୍ଷା ଧିରେ ଧିରେ ପ୍ରବଳ ଆକାରକୁ ଧାରଣ କରିବ ବୋଲି ଅନୁମାନ କରାଯାଇଛି। ତେବେ ବାଲେଶ୍ବର ପାରାଦ୍ବୀପ ପ୍ରଭୃତି ସ୍ଥାନରେ ଏହି ବର୍ଷା ପ୍ରବଳ ହୋଇଥିବାର ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଳମ୍ବ ନ କରି ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତରିତ କର, ଜିଲ୍ଲାପାଳଙ୍କୁ ଜରୁରୀ ନିର୍ଦ୍ଦେଶ ଦେଲେ ଏସଆରସି

ଭୁବନେଶ୍ବର, ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ଶିଘ୍ର ସ୍ଥାନାନ୍ତରିତ କର। କୌଣସି ବିଳମ୍ବ ନ କରି ଏହି ନେଇ ପଦକ୍ଷେପ ନିଅ। ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏହିପରି ଏକ ଜରୁରୀ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ଏହି ଜରୁରୀ ବାର୍ତ୍ତାରେ ଏସଆରସି ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ ଜେନା ଏହାକୁ ଗୁରୁତର ସହ ନେବାକୁ କହିଛନ୍ତି। ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଏହି ସ୍ଥାନାନ୍ତରିତ ପକ୍ରିୟା ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ମଙ୍ଗଳବାରରେ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ କୁହାଯାଇଥିଲା। ହେଲେ ବର୍ତ୍ତମାନ ବାତ୍ୟାର ପ୍ରଭାବକୁ ଦେଖି ଏହି ନିର୍ଦ୍ଦେଶରେ ପରିବର୍ତ୍ତନ କରାଯାଇଛି। ସେହି ପରିବର୍ତ୍ତନ ଅନୁସାରେ ଆଜି ତୁରନ୍ତ ସ୍ଥାନାନ୍ତରିତ ପକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟା ରୂପ ନେଇଛି। ଗତ ୬ ଘଣ୍ଟା ଯାଏଁ ସମୁଦ୍ର ଭିତରେ ଏହା ଗତି କରି ନ ଥିବା ବେଳେ ବର୍ତ୍ତମାନ ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି।

ତେବେ ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ୟସ୍ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି। ପାରାଦୀପ ଏବଂ ସାଗର ଦୀପ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବା ନେଇ ଅନୁମାନ କରାଯାଇଛି। ଏନେଇ ପାଣିପାଗ ବିଜ୍ଞାନୀ ରାଜେନ୍ଦ୍ର ଜେନାମଣି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟା ଯୋଗୁଁ ୧୦ଟି ଜିଲ୍ଲାରେ ଲକଡାଉନ କଟକଣାକୁ କୋହଳ କରାଯାଇଛି। ୧୦ ଟି ଜିଲ୍ଲାରେ କଟକଣାକୁ ୨ ଘଣ୍ଟା ପାଇଁ କୋହଳ କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ କଟକଣାକୁ କୋହଳ କରାଯାଇଛି।

ଆଜି ଏବଂ ଆସନ୍ତାକାଲି ପାଇଁ କଟକଣାକୁ କୋହଳ କରାଯାଇଛି। ସକାଳ ୭ ଟା ରୁ ଦିନ ୧ ଟା ପର୍ଯ୍ୟନ୍ତ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ। ପୂର୍ବରୁ ଏହି କଟକଣାକୁ ଦିନ ୧୧ ଟା ପର୍ଯ୍ୟନ୍ତ ରଖାଯାଇଥିଲା। ଏନେଇ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ଯାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବାତ୍ୟା ମୁକାବିଲା: ୫ ଆଇଏଏସ ଅଧିକାରୀଙ୍କୁ ୫ଟି ଜିଲ୍ଲା ଦାୟିତ୍ଵ

ଭୁବନେଶ୍ବର: ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସେଥିପାଇଁ ଅଧିକ ପ୍ରଭାବିତ ହେଉଥିବା ୫ ଟି ଜିଲ୍ଲାକୁ ୫ ଜଣ ଆଇଏଏସଙ୍କୁ ଦାୟିତ୍ଵ ଦିଆଯାଇଛି। ଆଇଏଏସ ଅଧିକାରୀ ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା ଦାୟିତ୍ଵ ଦିଆଯାଇଥିବା ବେଳେ ଶାଶ୍ଵତ ମିଶ୍ରଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ଵ ଦିଆଯାଇଛି।

ସେହିଭଳି ଭଦ୍ରକ ଜିଲ୍ଲା ପାଇଁ ବୀର ବିକ୍ରମ ଯାଦବଙ୍କୁ ଦାୟିତ୍ଵ ମିଳିଥିବା ବେଳେ ବାଲେଶ୍ଵର ଜିଲ୍ଲା ପାଇଁ ବିଶାଳ କୁମାର ଦେବ ଏବଂ ମୟୂରଭଞ୍ଜ ଜିଲ୍ଲା ପାଇଁ ସୁରେଶ କୁମାର ବଶିଷ୍ଠଙ୍କୁ ରାଜ୍ୟ ସରକାର ଦାୟିତ୍ଵ ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ବାତ୍ୟା ପୂର୍ବରୁ ଆକାଶରେ ଦେଖା ଦେଲା ଏକ ଅଭୁତ ଦୃଶ୍ୟ, ଲୋକେ ଦେଖି ହେଲେ ଆଶ୍ଚର୍ଯ୍ୟ

Sun Halo: ଆଜି ଆଇଟି ସହର ବାଙ୍ଗାଲୁର ଆକାଶରେ ଦେଖାଦେଇଛି ଏକ ଅଭୁତ ଦୃଶ୍ୟ। ଏହି ଦୃଶ୍ୟ ଦେଖିବା ପାଇଁ ସହରର ଲୋକେ ବାହାରକୁ ଆସି ଉପଭୋଗ କରିବାକୁ ଲାଗିଲେ। ଏହି ଅଭୁତ ଦୃଶ୍ୟଟି ହେଉଛି ଯେ, ଆଜି ଠିକ୍ ମଧ୍ୟାହ୍ନରେ ବାଙ୍ଗାଲୁର ଆକାଶରେ ସୂର୍ଯ୍ୟଙ୍କର ଚାରିପଟେ ଏକ ବଳୟ ଦେଖିବାକୁ ମିଳିଥିଲା। ତେବେ ଏହି ସାଧାରଣ ବଳୟ ନ ଥିଲା। ଇନ୍ଦ୍ରଧନୁ ପରି ରଂଗୀନ ବଳୟ ଥିଲା। ପ୍ରାୟ 22 ଡିଗ୍ରୀ ପରଧିର ଏହି ବଳୟ ଭିତରେ ସୂର୍ଯ୍ୟ ରହିଥିଲେ।

ସୂର୍ଯ୍ୟ ଠିକ୍ ମୁଣ୍ଡ ଉପରେ ଥିବା ବେଳେ ଏହି ବଳୟ ସୃଷ୍ଟି ହୋଇଥିଲା। ସାଧାରଣତଃ ବର୍ଷା ହେଲେ ଇନ୍ଦ୍ରଧନୁ ଦେଖାଦେଇଥାଏ। ମାତ୍ର ବାଙ୍ଗାଲୁରରେ ଆଜି ସକାଳୁ ପାଗ ଶୁଖିଲା ଅଛି। ହେଲେ ଆକାଶରେ ଠାଏଁ ଠାଏଁ  ମେଘ ରହିଛି। କିନ୍ତୁ ସୂର୍ଯ୍ୟଙ୍କୁ ଘୋଡାଇ ହେବା ପରି ମେଘ ନ ଥିଲା।

ଏହିପରି ବଳୟ ବେଶ କିଛି ସମୟ ଧରି ବାଙ୍ଗାଲୁର ଆକାଶରେ ପରିଲକ୍ଷିତ ହୋଇଥିଲା। ଲୋକମାନେ ବାହାରକୁ ଆସି ମୋବାଇଲିରେ ଫଟୋ ନେବାରେ ଲାଗିଥିଲେ। ଫଳରେ ଆଜି ସୋସିଆଲ ମିଡିଆରେ ଏହି ଘଟଣା ପୁରା ଛାଇ ହୋଇ ରହିଛି। ଇଂରାଜୀ Halo ନାମରେ ଏହି ଭାଇରାଲ ହେବାରେ ଲାଗିଛି।

ତେବେ ବିଶେଷଜ୍ଞଙ୍କ କହିବା କଥା ହେଲା ଯେ, ଏହା ମେଘ ଏବଂ ସୂର୍ଯ୍ୟ କିରଣ ଦ୍ବାରା ସୃଷ୍ୟି ହୋଇଥାଏ। ଯାହାକୁ ଇଂରାଜୀରେ Sun Halo ବୋଲି କୁହାଯାଇଥାଏ। ଓଡିଆରେ ଏହା ପ୍ରଭାମଣ୍ଡଳ ବୋଲି କୁହାଯାଏ। ତେବେ ଏହା ବର୍ଷା ଦିନେ ବା ବର୍ଷା ହେବା ବେଳେ ପରିଲକ୍ଷିତ ହେବା କଥା। ଅନ୍ୟପକ୍ଷରେ ଏହି ପ୍ରଭାମଣ୍ଡଳ ଥଣ୍ଡା ଦେଶରେ ସାଧାରଣ କଥା। ମାତ୍ର ବାଙ୍ଗାଲୁରରେ ଏପରି ଦେଖାଯିବା ନିଶ୍ଚିତ ଭିନ୍ନତା ରହିଛି।

ନିକଟରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଧିରେ ଧିରେ ସ୍ଥଳଭାଗ ଆଡକୁ ମୁହାଁବାରେ ଲାଗିଛି। ଆସନ୍ତା 26 ତାରିଖରେ ଏହା ସ୍ଥଳ ଭାଗ ଛୁଇଁବ। ଏହି ଖବର ସାରା ଦେଶରେ ହଇଚଇ ସୃଷ୍ଟି କରିବାରେ ଲାଗିଛି। ଏପରି ସମୟରେ ଏହି ପ୍ରଭାମଣ୍ଡଳ ଦେଖାଦେବା ନେଇ ଲୋକମାନେ ଭିନ୍ନ ଭିନ୍ନ କଥା ଆଶଙ୍କା କରିବାରେ ଲାଗିଛନ୍ତି। ତେବେ ବିଶେଷଜ୍ଞଙ୍କ ଅନୁସାରେ ବାତ୍ୟା ସହିତ ଏହି ପ୍ରଭାମଣ୍ଡଳର କୌଣସି ସଂପର୍କ ନାହିଁ ।

Categories
ଆଜିର ଖବର ରାଜ୍ୟ ଖବର

କରୋନା କଟକଣାକୁ ଫୁ’: ବିବାହ କାର୍ଯ୍ୟରେ ଶତାଧିକ ଲୋକ, ନାଗୀନ୍ ନୃତ୍ୟ କଲେ ସୁକିନ୍ଦା ତହସିଲଦାର

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ଅଞ୍ଚଳରେ କରୋନା କଟକଣାକୁ ଫୁ କରି ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାରଙ୍କ ନାଗିନ୍ ନୃତ୍ୟକୁ ନେଇ ଏବେ ଜୋରଦାର ଚର୍ଚ୍ଚା। କରୋନା ମହାମାରୀକୁ ନେଇ ସମଗ୍ର ବିଶ୍ୱ ଆତଙ୍କିତ ଥିବା ବେଳେ ରାଜ୍ୟ ସରକାର କରୋନା ମହାମାରୀର ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ରାଜ୍ୟରେ ଶକ୍ତ କଟକଣା ଜାରି କରିଛନ୍ତି। ଲକଡାଉନ, ସର୍ଟଡାଉନ ସହ ବିବାହ, ବ୍ରତ, ଭୋଜିଭାତ ଓ ଜନସମାବେଶ ଉପରେ ବିଭିନ୍ନ କଟକଣା ଜାରି କରାଯାଇଛି। ମାତ୍ର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଜଗନ୍ନାଥପୁରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।

ଜଗନ୍ନାଥପୁର ଗ୍ରାମରେ ଗତ ଶୁକ୍ରବାର ରାତିରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।ବିବାହ ଉତ୍ସବରେ ୨୫ଜଣଙ୍କ ପରିବର୍ତ୍ତେ ଶତାଧିକ ଲୋକ ସାମିଲ ହୋଇଥିଲେ। ବାଜାବାଣ ଫୁଟାଇ ଶତାଧିକ ବରଯାତ୍ରୀ ଦଳ ବେଫିକର ଭାବେ ଶୋଭାଯାତ୍ରା କରିଥିଲେ। ଏହି ବରଯାତ୍ରୀ ଦଳରେ କେତେକ ହାଇପ୍ରୋଫାଇଲ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ସାମିଲ ଥିବା ଦେଖିବାକୁ ମିଳିଥିଲା। ଏଥିରେ ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ବୁଲବୁଲ ବେହେରାଙ୍କୁ ବିଭିନ୍ନ ଭାବଭଙ୍ଗିରେ ଖୋଲମ୍ ଖୋଲା ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା।

କେତେକ ପ୍ରଶାସନିକ ପଦପଦବୀରେ ଥିବା ବ୍ୟକ୍ତିମାନଙ୍କ ସହ ସୁକିନ୍ଦା ତହସିଲଦାର କରୋନା କଟକଣା ନିୟମର ଧଜିଆ ଉଡାଇ ନୃତ୍ୟ କରୁଥିବା ଭିଡିଓ ଭାଇରାଲ ହୋଇଛି। ସାମାଜିକ ଦୁରତା, ମାକ୍ସ ପରିଧାନ କଥାକୁ ପଛରେ ପକାଇ କନ୍ୟା ଘର ଆଗରେ କରୋନା କଟକଣାକୁ ଫୁ କରି ଧୂମଧାମରେ ନାଚଗୀତରେ ମସଗୁଲ ଥିବା ଦେଖିବାକୁ ମିଳିଥିଲା।ଜଗନ୍ନାଥପୁର ବଜାର ଠାରୁ ବରଯାତ୍ରୀ ଦଳ ପାଖାପାଖି ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ବାଜାବାଣ, ଡିଜେ ବଜାଇ ଶୋଭାଯାତ୍ରା କରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହୋଇଥିଲା। ଖବର ପାଇ ତିର୍ତ୍ତୋଲ ପୋଲିସର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଥିଲେ। ମାତ୍ର କୌଣସି ଅଦୃଶ୍ୟ ଚାପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଫେରିଆସିଥିବା ଚର୍ଚ୍ଚା ହୋଇଛି।

ସାଧାରଣ ଲୋକ ନିୟମ ଭାଙ୍ଗିଲେ ରାସ୍ତାଘାଟରେ ପୋଲିସ ମାଡମାରି ଗାଳିଗୁଲଜ କରି ଜୋରିମାନା ଆଦାୟ କରୁଥିବା କୁହାଯାଉଥିବା ବେଳେ ବେଆଇନ ବିବାହ ଉତ୍ସବରେ ଚୁପ ରହିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି? ଏହାର ଉଚ୍ଚସ୍ତରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ବଡ ସଫଳତା: ଉଦ୍ଧାର ହେଲେ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ୪୫ଟି ଗୋରୁ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ଏକ ବଡ ସଫଳତା ମିଳିଛି। ବେଆଇନ ଗୋରୁ ଚାଲାଣ କରୁଥିବା ଏକ କଣ୍ଟେନରକୁ ପୋଲିସ ଜବତ କରିଛି। ସେଥିରେ ୪୫ ଟି ଗୋରୁଙ୍କୁ ପୋଲିସ ଉଦ୍ଧାର କରିବା ସହ ଡ୍ରାଇଭରକୁ ଗିରଫ କରିଛି।

ସୂଚନା ମୁତାବକ, କୌଣସି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ଏବଂ ଟିମ୍ ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଛପି ରହିଥିଲେ। ତେବେ ପାଖାପାଖି ରାତି ୨ ଟା ସମୟରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଦୀକ୍ଷିତପଡ଼ାରୁ ଏକ ଗାଈ, ଷଣ୍ଢ ବୋଝେଇ କଣ୍ଟେନର ବାହାରି କୋଲକାତାର ଏକ କଂସେଇଖାନା ଅଭିମୁଖେ ଯାଉଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପୋଲିସ ଦ୍ୱାରା ଧରା ପଡିଥିଲା।

ଗାଡ଼ି ଡ୍ରାଇଭରକୁ ପୋଲିସ ଗିରଫ କରିବା ସହ ତାଙ୍କ ବିରୁଦ୍ଧରେ କେସ ନମ୍ବର ୨୧୧/୨୧ ରେ ମାମଲା ରୁଜୁ କରିଛି। ଗାଡ଼ି ଡ୍ରାଇଭର ଜଣଙ୍କ ଧାମନଗର ଅଞ୍ଚଳର ଶେଖ ହାଇଦର ବୋଲି ଜଣାପଡିଛି। ଅପରପକ୍ଷରେ ଉଦ୍ଧାର ହୋଇଥିବା ୪୫ ଟି ଗୋରୁଙ୍କୁ ସିଜୁଆ ସ୍ଥିତ ପିପୁଲ ଫର ଆନିମଲ ନାମକ ଏକ ସାମାଜିକ ଅନୁଷ୍ଠାନର ଜିମ୍ମା ଦିଆଯାଇଥିବାର ସୂଚନା ଦେଇଛନ୍ତି ଆଇଆଇସି ଶ୍ରୀ ପଟ୍ଟନାୟକ। ଉକ୍ତ ରେଡରେ ଖୋର୍ଦ୍ଧା ଟାଉନ ଥାନା ଏସଆଇ ବିଜୟ ବେହେରା, ପଦ୍ମଲୋଚନ ବେହେରା ଏବଂ ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀ ଦିଗବିଜୟ ବିଶ୍ୱାଳ ଆଦି ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସଟଡାଉନ ରାତିରେ ଲୁଟେରା ହେଲେ ସକ୍ରିୟ: ଟାଙ୍ଗୀରେ ଏଟିଏମ ମେସିନ୍ ଭାଙ୍ଗି ଟଙ୍କା ଲୁଟିବାକୁ କଲେ ଉଦ୍ୟମ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଗତକାଲି ସଟଡାଉନ ରାତିରେ ଲୁଟେରାମାନେ ସକ୍ରିୟ ହୋଇଥିବା ଦେଖାଯାଇଛି। ଏଟିଏମ ମେସିନ୍ ଭାଙ୍ଗି ଟଙ୍କା ଲୁଟିନେବାକୁ ଲୁଟେରା ଉଦ୍ୟମ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କାଳୁପଡାଘାଟ ଗଣେଶ ବଜାରରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ସଟ୍ ଡାଉନ ଯୋଗୁଁ ଲୋକେ ଘରେ ରହିଥିବା ବେଳେ ବଜାର ଘାଟ ଶୁନ୍ ଶାନ୍ ଥିଲା। ଏହାର ସୁଯୋଗ ନେଇ ଗତକାଲି ବିଳମ୍ବିତ ରାତିରେ କାନାଡା ବ୍ୟାଙ୍କ୍ ର ଏଟିଏମ ମେସିନ୍ କୁ ଲୁଟେରା ମାନେ ଭାଙ୍ଗି ଦେଇଥିଲେ। ହେଲେ ମେସିନ୍ ରୁ ଟଙ୍କା ନେବାରେ ସେମାନେ ବିଫଳ ହୋଇଥିଲେ।

ସକାଳୁ ସକାଳୁ ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି ଉକ୍ତ ଏଟିଏମରୁ ଟଙ୍କା ଉଠାଇବାକୁ ଯିବା ସମୟରେ ଘଟଣା ସଂପର୍କରେ ଜାଣିବାକୁ ପାଇଥିଲେ।

ତେବେ ସି ସି ଟିଭି ଫୁଟେଜ୍ ରୁ ଏହି ଘଟଣାରେ ସମ୍ପୃକ୍ତ ଥିବା ଲୁଟେରାମାନଙ୍କ ପରିଚୟ ମିଳିପାରିବ ବୋଲି କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: ଆଜି ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇପାରନ୍ତି।

ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ତିନୋଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ସାମ୍ଭାବ୍ୟ ବାତ୍ୟାକୁ ନେଇ ଆଲୋଚନା କରିବେ। ଆନ୍ଧ୍ରପ୍ରଦେଶ, ଓଡିଶା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀମାନଙ୍କ ସହ ଗୃହମନ୍ତ୍ରୀ ଆଲୋଚନା କରିବେ। ଏହାସହ ପ୍ରାଭାବିତ ହେଉଥିବା କେନ୍ଦ୍ରଶାସିତ ଅଞ୍ଚଳର ଉପ-ରାଜ୍ୟପାଳଙ୍କ ସହ ଅମିତଶାହ ଆଲୋଚନା କରିବେ।

Categories
ଆଜିର ଖବର ରାଜ୍ୟ ଖବର

ବାତ୍ୟା ଅପଡେଟ୍: ୨୬ ତାରିଖ ମଧ୍ୟାହ୍ନରେ ଲ୍ୟାଣ୍ଡଫଲ କରିବ ‘ୟସ୍’

ଭୁବନେଶ୍ବର: ବଙ୍ଗୋପସାଗରରେ ସକାଳ ୫ ଟା ୩୦ରେ ସୃଷ୍ଟ ଲଘୁଚାପ ବାତ୍ୟା ରୂପ ନେଇଛି। ଗତ ୬ ଘଣ୍ଟା ଯାଏଁ ସମୁଦ୍ର ଭିତରେ ଏହା ଗତି କରିନ ଥିବା ବେଳେ ବର୍ତ୍ତମାନ ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି।

ତେବେ ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ୟସ୍ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି। ପାରାଦୀପ ଏବଂ ସାଗର ଦୀପ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବା ନେଇ ଅନୁମାନ କରାଯାଇଛି। ଏନେଇ ପାଣିପାଗ ବିଜ୍ଞାନୀ ରାଜେନ୍ଦ୍ର ଜେନାମଣି ସୂଚନା ଦେଇଛନ୍ତି।