Categories
ଆଜିର ଖବର ଖେଳ ଜାତୀୟ ଖବର

IPL 2024 Auction: ଟ୍ରାଭିସ୍ ହେଡ୍ ହେଲେ ମାଲାମାଲ, ଏତେ କୋଟିରେ କିଣିଲା ​​ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ: 2023 ବିଶ୍ୱକପ ଫାଇନାଲରେ ଭାରତ ବିପକ୍ଷରେ ମ୍ୟାଚ୍ ବିଜୟୀ ଶତକ ହାସଲ କରିଥିବା ଅଷ୍ଟ୍ରେଲିଆର ବିସ୍ଫୋରକ ଓପନର୍ ଟ୍ରାଭିସ୍ ହେଡ୍ ଆଇପିଏଲ୍ 2024 ନିଲାମରେ ବିପୁଳ ପରିମାଣର ଅର୍ଥ ପାଇଛନ୍ତି। ତାଙ୍କୁ କିଣିବା ପାଇଁ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଏକ ଲମ୍ବା ପ୍ରତିଯୋଗୀତା ଚାଲିଥିଲା। ତେବେ ଶେଷରେ ହାଇଦ୍ରାବାଦ ସେମାନଙ୍କ ଦଳରେ ହେଡଙ୍କୁ ଅନ୍ତର୍ଭୁକ୍ତ କରିଛି।

ଟ୍ରାଭିସ୍ ହେଡ୍, ଯାହାଙ୍କର ମୂଳ ମୂଲ୍ୟ 2 କୋଟି ଟଙ୍କା ଥିଲା, ଆଇପିଏଲ୍ 2024 ନିଲାମରେ ସନରାଇଜର୍ସ ହାଇଦ୍ରାବାଦ ଦ୍ୱାରା 6 କୋଟି 80 ଲକ୍ଷ ଟଙ୍କା କ୍ରୟ କରାଯାଇଥିଲା। ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ତାଙ୍କ ପାଇଁ 6 କୋଟିରୁ ଅଧିକ ଟଙ୍କା ଟେଣ୍ଡର କରିଥିଲେ ମଧ୍ୟ ହାଇଦ୍ରାବାଦ ବିପୁଳ ପରିମାଣର ଅର୍ଥ ଦେଇ ସେମାନଙ୍କ ଦଳରେ ହେଡଙ୍କୁ ଅନ୍ତର୍ଭୁକ୍ତ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ନାଳରେ ପଡ଼ି ଦିନ ମଜୁରିଆର ମୃତ୍ୟୁ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅନ୍ତର୍ଗତ ବାସୁଦେବପୁର ନିକଟସ୍ଥ ଛୋଟରାୟ ପୁର ଗ୍ରାମର ଟୁନା ମହାରଣା ନାମକ ଜଣେ ଦିନ ମଜୁରୀଆର ନାଳରେ ପଡ଼ି ଅକାଳ ବିୟୋଗ ଘଟିଛି।

ଘଟଣାରୁ ପ୍ରକାଶ ଯେ, ମୃତ ଟୁନା ପ୍ରତ୍ୟେକ ଦିନ ମଜୁରିଆ ଭାବେ କାମ କରିବା ପାଇଁ ଗାଁ ରୁ ବ୍ରହ୍ମପୁର ଆସୁଥିଲେ। କିନ୍ତୁ ରବିବାର ଦିନ ଗାଁ କୁ ଫେରିଥିଲେ। ଘର ଲୋକେ ତାଙ୍କ ଆସିବା ବାଟ ଚାହିଁଥିବା ବେଳେ ଗତକାଲି ସକାଳୁ ବ୍ରହ୍ମପୁର ସହର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲୀ ଜାତୀୟ ରାଜପଥ ପାର୍ଶ୍ବରେ ଏକ ନାଳରେ ଜନୈକ ବ୍ୟକ୍ତି ର ଶବ ଭାସୁଥିବା ଅବସ୍ଥାରେ ଅଞ୍ଚଳ ଲୋକ ଲାଞିପଲୀ ଫାଣ୍ଡିକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କେରଳରେ ମିଳିଥିବା କରୋନାର ଜେଏନ୍-୧ ଭାରିଆଣ୍ଟ କେତେ ବିପଦପୂର୍ଣ୍ଣ?

ନୂଆଦିଲ୍ଲୀ: କରୋନା ଭୂତାଣୁର ନୂଆ ସବ୍ ଭାରିଆଣ୍ଟ ଜେଏନ୍-୧ ସାମ୍ନାକୁ ଆସିବା ପରେ ଲୋକଙ୍କ ଚିନ୍ତା ବଢ଼ିଯାଇଛି। କେରଳରେ ଏହାର ସକ୍ରିୟ ମାମଲା ସାମ୍ନାକୁ ଆସିଛି। ସେହିପରି କେରଳରେ ସୋମବାର ୧୧୧ ଜଣ ନୂଆ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।କେରଳରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରିଛନ୍ତି। ଏଥିସହିତ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ପାଇଁ ଆଡଭାଇଜରି ଜାରି କରିଛନ୍ତି।

କରୋନାର ଜେଏନ୍-୧ ଭାରିଏଣ୍ଟ କ’ଣ?

ଜେଏନ୍-୧ ଭାରିଆଣ୍ଟ ହେଉଛି ଓମିକ୍ରୋନ୍ ଭାରିଆଣ୍ଟର ଏକ ସବ୍ ଭାରିଆଣ୍ଟ୍‍। ଏହା କୋଭିଡର ନୂଆ ଭାରିଏଣ୍ଟ୍‍ ନୁହେଁ। ଡିସେମ୍ବର ୨୦୨୨ରେ ଲକଜମବର୍ଗରେ ପ୍ରଥମେ ଏହି ଭାରିଆଣ୍ଟ ଦେଖିବାକୁ ମିଳିଥିଲା। ସେବେଠାରୁ ଏହା ବିଶ୍ୱର ୪୦ରୁ ଅଧିକ ଦେଶକୁ ବ୍ୟାପିସାରିଛି। ଜେଏନ୍-୧ ସେହି ପିରୋଲୋ ଭାରିଏଣ୍ଟ୍‍ରୁ ଆସିଛି, ଯାହା ନିଜେ ଓମିକ୍ରୋନ୍ ଭାରିଏଣ୍ଟ୍‍ରୁ ବାହାରିଥିଲା।

ଜେଏନ୍.୧ ଭାରିଆଣ୍ଟର ଲକ୍ଷଣ କ’ଣ?

ଜେଏନ୍.୧ ଭାରିଆଣ୍ଟର ଲକ୍ଷଣ ଅନ୍ୟ ଓମିକ୍ରୋନ୍ ସବ୍-ଭାରିଏଣ୍ଟ୍ ସହ ସମାନ। ଏଥିରେ ଜ୍ୱର, କାଶ, ନିଶ୍ୱାସ ନେବାରେ ଅସୁବିଧା, ଥକାପଣ, ମୁଣ୍ଡ ବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଗଳା ଯନ୍ତ୍ରଣା ଇତ୍ୟାଦି ଅନ୍ତର୍ଭୁକ୍ତ। କେତେକ କ୍ଷେତ୍ରରେ, ଜେଏନ.୧ ଭାରିଏଣ୍ଟ୍‍ ଥିବା ଲୋକମାନଙ୍କର ସ୍ୱାଦ କିମ୍ବା ଗନ୍ଧ ହଜିବା, ବାନ୍ତି କିମ୍ବା ଡାଇରିଆ ଭଳି ଲକ୍ଷଣ ମଧ୍ୟ ହୋଇପାରେ।

ଜେଏନ୍-୧ ଭାରିଆଣ୍ଟ୍‍ କେତେ ସଂକ୍ରାମକ?

ଜେଏନ-୧ ଭାରିଆଣ୍ଟ୍‍ ଓମିକ୍ରୋନର ଅନ୍ୟ ଉପ-ଭାରିଆଣ୍ଟ୍‍ ତୁଳନାରେ ଅଧିକ ସଂକ୍ରାମକ। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଜେଏନ-୧ ଭାରିଆଣ୍ଟର ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ଅନ୍ୟ ଓମିକ୍ରୋନ ସବ୍ ଭାରିଆଣ୍ଟ୍‍ ତୁଳନାରେ ସଂକ୍ରମିତ ହେବାର ସମ୍ଭାବନା ୧.୨ ଗୁଣ ଅଧିକ ଥିଲା।

ଜେଏନ୍-୧ ଭାରିଆଣ୍ଟ୍‍ କେତେ ଗମ୍ଭୀର ରୋଗ ସୃଷ୍ଟି କରୁଛି?

ଏହାଦ୍ୱାରା ହେଉଥିବା ରୋଗ ବିଷୟରେ ଏପର୍ଯ୍ୟନ୍ତ ବିଶେଷ କିଛି ସ୍ପଷ୍ଟ ହୋଇନାହିଁ। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଯେଉଁମାନେ ଏହି ଭାରିଆଣ୍ଟରେ ଅସୁସ୍ଥ ହୁଅନ୍ତି ସେମାନେ ଓମିକ୍ରୋନଠାରୁ ଅଧିକ ଗୁରୁତର ନୁହଁନ୍ତି। ତେବେ ବିଶେଷଜ୍ଞମାନେ ଏବେବି ଏହି ଭାରିଆଣ୍ଟ୍‍ ଉପରେ ଗବେଷଣା ଜାରି ରଖିଛନ୍ତି, ଯାହାଦ୍ୱାରା ଏହା ବିଷୟରେ ଅଧିକ ଜାଣିପାରିବେ।

ଜେଏନ୍‍-୧ ଭାରିଆଣ୍ଟ୍‍କୁ ରୋକିବା ପାଇଁ କ’ଣ କରିବେ?

ଜେଏନ୍-୧ ଭାରିଏଣ୍ଟ୍‍ରୁ ରକ୍ଷା ପାଇବା ପାଇଁ ଅନ୍ୟ ଓମିକ୍ରୋନ ଭଳି ସମାନ ପଦକ୍ଷେପ ନିଆଯାଇପାରେ । ଏଥିରେ ଟୀକା କରଣ ଓ ବୁଷ୍ଟର ଟୀକା ନେବା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ବାରମ୍ବାର ହାତ ଧୋଇବା ଅନ୍ତର୍ଭୁକ୍ତ।

ଜେଏନ୍-୧ ଭାରିଏଣ୍ଟ୍‍ର ସଂକ୍ରମଣକୁ ରୋକିବା ପାଇଁ କ’ଣ କରାଯାଇପାରିବ?

ଜେଏନ୍-୧ ଭାରିଏଣ୍ଟ୍‍ର ସଂକ୍ରମଣକୁ ରୋକିବା ପାଇଁ ସରକାର ଟୀକାକରଣ ଏବଂ ବୁଷ୍ଟର ଡୋଜ୍ ବୃଦ୍ଧି କରିପାରିବେ। ଏଥିସହିତ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବାର ନିୟମ ଲାଗୁ କରିବା ସହିତ ଟେଷ୍ଟିଂ ମଧ୍ୟ ବୃଦ୍ଧି କରାଯାଇପାରିବ।

ଜେଏନ୍-୧ ଭାରିଆଣ୍ଟ୍‍ କେତେ ବିପଜ୍ଜନକ

ବିଶେଷଜ୍ଞଙ୍କ ମତରେ ଜେଏନ୍-୧ର ଲକ୍ଷଣ ବର୍ତ୍ତମାନ ଅଧିକ ଗମ୍ଭୀର ନୁହେଁ ଏବଂ ଏଥିରୁ ବିଶେଷ ବିପଦ ନାହିଁ। କିନ୍ତୁ ଆଗାମୀ ଦିନରେ ଆହୁରି ମ୍ୟୁଟେସନ ଦେଖିବାକୁ ମିଳିବ। ବର୍ତ୍ତମାନ ସୁଦ୍ଧା ମାତ୍ର ଗୋଟିଏ ମାମଲା ସାମ୍ନାକୁ ଆସିଛି। କୋଭିଡ୍ ମାମଲାର ଗତି ମଧ୍ୟ ଧୀରେ ଧୀରେ ଚାଲିଛି। ଏଥିସହିତ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିବ ନାହିଁ। ତେବେ ଭବିଷ୍ୟତ ନେଇ ଏପର୍ଯ୍ୟନ୍ତ ପୂର୍ବାନୁମାନ କରାଯାଇପାରୁନାହିଁ।

ବଢ଼ୁଥିବା କରୋନା ମାମଲାରୁ କେତେ ବିପଦ?

ଜେଏନ୍-୧ ଭାରିଆଣ୍ଟ୍‍ର ଗୋଟିଏ ମାମଲା ସାମ୍ନାକୁ ଆସିଛି, କିନ୍ତୁ ସମଗ୍ର ଦେଶରେ କୋଭିଡ୍ ମାମଲା ବୃଦ୍ଧି ପାଇଛି। ତେବେ ସେମାନେ ଗୁରୁତର ନୁହଁନ୍ତି। ୯୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଘରେ ରହି ସୁସ୍ଥ ହେଉଛନ୍ତି। ରୋଗୀଙ୍କର ସାଧାରଣ ଲକ୍ଷଣ ଦେଖାଯାଏ।

Categories
ଆଜିର ଖବର ଜାତୀୟ ଖବର

‘ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଅଶୁର ଶକ୍ତି ପ୍ରବେଶ କରିଛି’: ସଂସଦରୁ ନିଲମ୍ବନ ସମ୍ପର୍କରେ ବିରୋଧୀଦଳର ନେତା

ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳର ନେତା ଅଧୀର ରଂଜନ ଚୌଧୁରୀ ନିଜକୁ ତଥା ବିରୋଧୀ ଦଳର ସାଂସଦଙ୍କୁ ନିଲମ୍ବନ ପରେ ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି। ଅଧୀର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଅଶୁର ଶକ୍ତି ପ୍ରବେଶ କରିଛି, ସେଥିପାଇଁ ସେ ଏହା କରୁଛନ୍ତି।

ଅଧୀର କହିଛନ୍ତି ଯେ, ଲୋକମାନେ ମୋଦୀ ଜିଙ୍କ ଅହଂକାର ଦେଖୁଛନ୍ତି, ଗତକାଲି ସଂସଦରେ କ’ଣ ଘଟିଛି ଲୋକମାନେ ଦେଖିଛନ୍ତି। ଆମେ ମଧ୍ୟ ବଙ୍ଗଳାରେ ଯୁଦ୍ଧ କରୁଛୁ। ଆଗାମୀ ଦିନରେ ଇଣ୍ଡିଆ ମେଣ୍ଟରେ କ’ଣ ଘଟିବ ତାହା ହାଇ କମାଣ୍ଡ ସ୍ଥିର କରିବେ।

ଉଲ୍ଲେଖ ଯୋଗ୍ୟ ଯେ, ଗୋଟିଏ ଦିନ ପୂର୍ବରୁ ଲୋକସଭାରେ ୪୬ ସାଂସଦଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଆଜି ଆଉ ୪୯ ସାଂସଦଙ୍କୁ ବାଚସ୍ପତି ନିଲମ୍ବିତ କରିଛନ୍ତି। ସେହିଭଳି ରାଜ୍ୟସଭାରୁ ମଧ୍ୟ ୪୬ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବନ କରାଯାଇଛି। ତେବେ ଉଭୟ ଗୃହରୁ ଏପର୍ଯ୍ୟନ୍ତ ମୋଟ ୧୪୧ ଜଣ ସାଂସଦ ନିଲମ୍ବନ ହୋଇଥିବା ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର

ଜ୍ଞାନବାପି ମସଜିଦ ମାମଲାରେ ମୁସଲମାନ ପକ୍ଷକୁ ବଡ଼ ଝଟକା: ଆହ୍ଲାବାଦ ହାଇକୋର୍ଟ ଖାରଜ କଲେ ୫ଟି ଆବେଦନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରଣାସୀରେ ଥିବା ଜ୍ଞାନବାପି ମସଜିଦ ମାମଲା ଏବେବି ଚର୍ଚ୍ଚାର ବିଷୟ ପାଲଟିଛି। ସୋମବାର ଏଏସଆଇ ପକ୍ଷରୁ ଜ୍ଞାନବାପିର ବୈଜ୍ଞାନିକ ସର୍ଭେ ରିପୋର୍ଟ ଜିଲ୍ଲା ଜଜ୍ ଡାକ୍ତର ଅଜୟ କୃଷ୍ଣ ବିଶ୍ୱେଶଙ୍କ ଅଦାଲତରେ ଦାଖଲ କରାଯାଇଛି। ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୧ରେ ହେବ। ସେପଟେ ମଙ୍ଗଳବାର ସମସ୍ତଙ୍କ ନଜର ଏବେ ଆହ୍ଲାବାଦ ହାଇକୋର୍ଟ ଉପରେ ରହିଥିଲା।

ସୂଚନାଯୋଗ୍ୟ, ଜ୍ଞାନବାପି ସମ୍ପର୍କିତ ୫ଟି ଆବେଦନର ଶୁଣାଣି ଆହ୍ଲାବାଦ ହାଇକୋର୍ଟରେ ଚାଲିଛି। ଜଷ୍ଟିସ ରୋହିତ ରଞ୍ଜନ ଅଗ୍ରୱାଲଙ୍କୁ ନେଇ ଗଠିତ ଏକକ ଖଣ୍ଡପୀଠ ଡିସେମ୍ବର ୮ରେ ସମସ୍ତ ୫ଟି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ମଙ୍ଗଳବାର ସକାଳେ ଜଷ୍ଟିସ ଅଗ୍ରୱାଲ ଏହି ୫ଟି ମାମଲାରେ ରାୟ ଶୁଣାଇଛନ୍ତି। ମୁସଲମାନ ପକ୍ଷ ପକ୍ଷରୁ ଦାଖଲ ହୋଇଥିବା ଆବେଦନକୁ ସେ ଖାରଜ କରିଦେଇଛନ୍ତି। ଆହ୍ଲାବାଦ ହାଇକୋର୍ଟରେ ଦାଖଲ ହୋଇଥିବା ୫ଟି ଆବେଦନ ମଧ୍ୟରୁ ୩ଟି ୧୯୯୧ମସିହାରେ ବାରଣାସୀ କୋର୍ଟରେ ଦାୟର ହୋଇଥିବା ମାମଲାର ବିଚାରଯୋଗ୍ୟତା ସହ ଜଡ଼ିତ ଥିଲା। ଏଏସଆଇ ସର୍ଭେ ବିରୋଧରେ ଆଉ ଦୁଇଟି ପିଟିସନ ଦାଖଲ ହୋଇଥିଲା। ଏବେ ଏହି ୫ଟି ଆବେଦନ ଖାରଜ ହୋଇଯାଇଛି।

ହାଇକୋର୍ଟରୁ ମୁସଲମାନ ପକ୍ଷକୁ ବଡ ଝଟକା

ଆହ୍ଲାବାଦ ହାଇକୋର୍ଟ ମୁସଲମାନ ପକ୍ଷକୁ ବଡ଼ ଝଟକା ଦେଇଛନ୍ତି। ବାରାଣସୀର ଜ୍ଞାନବାପି ଓ କାଶୀ ବିଶ୍ୱନାଥ ମନ୍ଦିର ମଧ୍ୟରେ ମାଲିକାନା ବିବାଦ ମାମଲାରେ ଆହ୍ଲାବାଦ ହାଇକୋର୍ଟ ରାୟ ଶୁଣାଇଛନ୍ତି। ମୁସଲମାନ ପକ୍ଷର ସମସ୍ତ ୫ଟି ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ୧୯୯୧ମସିହାରେ ହିନ୍ଦୁ ପକ୍ଷଦ୍ୱାରା ଦାୟର ମାମଲାର ରାୟ ପ୍ରକାଶ ପାଇଛି। ୧୯୯୧ରେ ବାରଣାସୀ କୋର୍ଟରେ ଦାୟର ହୋଇଥିବା ମାମଲାର ବିଚାର ଯୋଗ୍ୟତାକୁ ଚ୍ୟାଲେଞ୍ଜ କରାଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିଭିଲ କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହେବ। ଏଏସଆଇ ସର୍ଭେକୁ ନେଇ ଦାୟର ହୋଇଥିବା ମାମଲା ଖାରଜ ହେବା ପରେ ଜିଲ୍ଲା ଅଦାଲତରେ ମାମଲାର ଶୁଣାଣି ହେବ।

୧୯୯୧ ଆଇନର କାର୍ଯ୍ୟକାରିତା ନେଇ ନିଷ୍ପତ୍ତି

୧୯୯୧ ମସିହାରେ ଭଗବାନ ଆଦି ବିଶ୍ୱେଶ୍ୱର ବିରାଜମାନଙ୍କ ଭକ୍ତମାନେ ବାରଣାସୀ ଜିଲ୍ଲା ଅଦାଲତରେ ଏକ ପିଟିସନ ଦାଖଲ କରିଥିଲେ। ଏଥିରେ ଜ୍ଞାନବାପି ମସଜିଦ ଉପରେ ହିନ୍ଦୁ ପକ୍ଷଦ୍ୱାରା ଦାବି କରାଯାଇଥିଲା। ବିବାଦୀୟ ପରିସରକୁ ହିନ୍ଦୁମାନଙ୍କୁ ହସ୍ତାନ୍ତର କରିବାକୁ ଦାବି ହୋଇଥିଲା। ସେଠାରେ ପୂଜା ଅଧିକାର ଲୋଡ଼ାଯାଇଥିଲା। କୋର୍ଟରେ ଏହି ମାମଲା ଚାଲିଥିବା ନେଇ ଲଗାତାର ପ୍ରଶ୍ନ ଉଠିଛି। ଏବେ ବାରଣାସୀ କୋର୍ଟ ଏହି ମାମଲାର ଶୁଣାଣି କରିପାରିବେ କି ନାହିଁ ତାହା ହାଇକୋର୍ଟ ଆଜିର ରାୟରେ ନିଷ୍ପତ୍ତି ନେବେ। ଏହି ମାମଲାର ବିଚାରଯୋଗ୍ୟତାକୁ ନେଇ ମୁସଲିମ ପକ୍ଷ ପ୍ରଶ୍ନ ଉଠାଇଛନ୍ତି। ବାସ୍ତବରେ ମୁସଲମାନ ପକ୍ଷ ୧୯୯୧ର ପୂଜାସ୍ଥଳୀ ଆଇନକୁ ଉଦାହରଣ ଦେଇ ଆଦି ବିଶ୍ୱେଶ୍ୱର ମହାଦେବଙ୍କ ଆବେଦନର ଶୁଣାଣି ହୋଇନାହିଁ ବୋଲି ଦାବି କରୁଛନ୍ତି।

ମୁସଲମାନ ପକ୍ଷ ପକ୍ଷରୁ ଜ୍ଞାନବାପି ମସଜିଦର ଇନ୍ତେଜାମିଆ କମିଟି ପକ୍ଷରୁ ୩ଟି ଏବଂ ୟୁପି ସୁନ୍ନି ସେଣ୍ଟ୍ରାଲ ଓ୍ଵାକଫ ବୋର୍ଡ ପକ୍ଷରୁ ୨ଟି ପିଟିସନ ଦାଖଲ କରାଯାଇଥିଲା। ଶୁଣାଣି ପରେ ଡିସେମ୍ବର ୮ତାରିଖରେ ଚତୁର୍ଥ ଥର ପାଇଁ ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ। ମଙ୍ଗଳବାର କୋର୍ଟ ଏହାର ରାୟ ଶୁଣାଇଛନ୍ତି। ସେହିପରି ଏଏସଆଇ ଅଧୀକ୍ଷକ ଅବିନାଶ ମହାନ୍ତିଙ୍କ ନେତୃତ୍ୱରେ ଏଏସଆଇ ଟିମ୍ ବାରଣାସୀ ଜିଲ୍ଲା କୋର୍ଟରେ ୧୫୦୦ ପୃଷ୍ଠାର ସର୍ଭେ ରିପୋର୍ଟ ଦାଖଲ କରିଛନ୍ତି।

Categories
ବିଶେଷ ଖବର

ସୁରକ୍ଷା ଉଲ୍ଲଂଘନକୁ ନିନ୍ଦା କରାଯିବା ଉଚିତ, କିନ୍ତୁ କିଛିଦଳ ଏହାକୁ ସମର୍ଥନ କରୁଛନ୍ତି: ମୋଦୀ

ନୂଆଦିଲ୍ଲୀ: ସଂସଦ ପାଠାଗାର ପରିସରରେ ଭାରତୀୟ ଜନତା ପାର୍ଟି (ବିଜେପି) ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗ ଦେଇଥିଲେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ସଂସଦ ପରିସରରେ ଅନୁପ୍ରବେଶ ଘଟଣାକୁ ନିନ୍ଦା କରିବା ଉଚିତ, କିନ୍ତୁ କିଛିଦଳ ଏହାକୁ ସମର୍ଥନ କରୁଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଦଳଗୁଡ଼ିକର ଏହି ଆଚରଣ ସୁରକ୍ଷା ତ୍ରୁଟି ପରି ଭୟଙ୍କର। ସେ ଆହୁରି ମଧ୍ୟ କହିଛନ୍ତି ଯେ ଇଣ୍ଡି ମେଣ୍ଟ ଲକ୍ଷ୍ୟ ଆମ ସରକାରକୁ ହଟାଇବା ହୋଇଥିବାବେଳେ ଆମ ସରକାରଙ୍କ ଲକ୍ଷ୍ୟ ହେଉଛି ଏହି ଦେଶ ପାଇଁ ଏକ ଉନ୍ନତ ଭବିଷ୍ୟତ ସୃଷ୍ଟି କରିବା।

ଏହା ପୂର୍ବରୁ ଡିସେମ୍ବର ୭ରେ ବିଜେପି ଏକ ସଂସଦୀୟ ଦଳ ବୈଠକ ଆୟୋଜନ କରିଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ ମନ୍ତ୍ରୀ-ନେତା ଉପସ୍ଥିତ ଥିଲେ। ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ତିନିଦିନ ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା, ତେଣୁ ବୈଠକ ଆରମ୍ଭରେ ନେତାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତିନିଟି ରାଜ୍ୟରେ ବିପୁଳ ବିଜୟ ପାଇଁ ସ୍ୱାଗତ କରିଥିଲେ।

ଡିସେମ୍ବର ୭ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିଜେପିର ବିଜୟ ପାଇଁ କର୍ମୀମାନଙ୍କୁ ଶ୍ରେୟ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ତିନିଟି ରାଜ୍ୟରେ ଭଲ ବିଜୟ ହାସଲ କରିଛୁ ଏବଂ ତେଲେଙ୍ଗାନା ଏବଂ ମିଜୋରାମରେ ଆମର ଶକ୍ତି ବୃଦ୍ଧି ପାଇଛି। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ତାମିଲନାଡୁ-ଆନ୍ଧ୍ରପ୍ରଦେଶରେ ବାତ୍ୟା ମିଚାଉଙ୍ଗଦ୍ୱାରା ହୋଇଥିବା କ୍ଷୟକ୍ଷତି ବିଷୟରେ ମଧ୍ୟ କହିଥିଲେ। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ମୋତେ ମୋଦୀ କୁହନ୍ତୁ, ମୋଦୀଜୀ ନୁହେଁ।

Categories
ବିଶେଷ ଖବର

ଆଜି ସ୍ମାର୍ଟ ଇଣ୍ଡିଆ ହାକାଥନ ର ଗ୍ରାଣ୍ଡ ଫିନାଲେରେ ଅଂଶଗ୍ରହଣକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତି ସାଢ଼େ ୯ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୩ର ଗ୍ରାଣ୍ଡ ଫିନାଲେରେ ଅଂଶଗ୍ରହଣକାରୀମାନଙ୍କ ସହ ମତ ବିନିମୟ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରିବେ ।

ପ୍ରଧାନମନ୍ତ୍ରୀଙ୍କ ଯୁବ ନେତୃତ୍ୱାଧୀନ ବିକାଶର ଦୃଷ୍ଟିକୋଣ ଅନୁଯାୟୀ ସ୍ମାର୍ଟ ଇଣ୍ଡିଆ ହାକାଥନ୍ (ଏସ୍‌ଆଇଏଚ୍) ହେଉଛି ସରକାରଙ୍କ ମନ୍ତ୍ରଣାଳୟ ଏବଂ ବିଭାଗ, ଶିଳ୍ପ ଏବଂ ଅନ୍ୟାନ୍ୟ ସଂଗଠନର ଜଟିଳ ସମସ୍ୟାର ସମାଧାନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଏକ ମଞ୍ଚ ପ୍ରଦାନ କରିବା ପାଇଁ ଏକ ଦେଶବ୍ୟାପୀ ପଦକ୍ଷେପ । ୨୦୧୭ରେ ଶୁଭାରମ୍ଭ ହୋଇଥିବା ସ୍ମାର୍ଟ ଇଣ୍ଡିଆ ହାକାଥନ୍ ଯୁବ ଉଦ୍ଭାବକମାନଙ୍କ ମଧ୍ୟରେ ବ୍ୟାପକ ଲୋକପ୍ରିୟତା ହାସଲ କରିଛି। ଗତ ପାଞ୍ଚଟି ସଂସ୍କରଣରେ, ବିଭିନ୍ନ ଡୋମେନ୍‌ରେ ଅନେକ ଅଭିନବ ସମାଧାନ ଉଭା ହୋଇଛି ଏବଂ ପ୍ରତିଷ୍ଠିତ ଷ୍ଟାର୍ଟଅପ୍ ଭାବରେ ଉଭା ହୋଇଛି।

ଚଳିତ ବର୍ଷ ଡିସେମ୍ବର ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ଏସ୍‌ଆଇଏଚ୍‌ର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ। ଏସଆଇଏଚ ୨୦୨୩ରେ ୪୪,୦୦୦ ଟିମରୁ ୫୦,୦୦୦ରୁ ଅଧିକ ଆଇଡିଆ ମିଳିଥିଲା, ଯାହା ଏସଆଇଏଚର ପ୍ରଥମ ସଂସ୍କରଣ ତୁଳନାରେ ପ୍ରାୟ ସାତ ଗୁଣ ଅଧିକ । ଦେଶର ୪୮ଟି ନୋଡାଲ ସେଣ୍ଟରରେ ହେବାକୁ ଥିବା ଗ୍ରାଣ୍ଡ ଫିନାଲେରେ ୧୨ ହଜାରରୁ ଅଧିକ ପ୍ରତିଯୋଗୀ ଓ ୨୫୦୦ରୁ ଅଧିକ ପ୍ରଶିକ୍ଷକ ଅଂଶଗ୍ରହଣ କରିବେ। ମହାକାଶ ପ୍ରଯୁକ୍ତିବିଦ୍ୟା, ସ୍ମାର୍ଟ ଶିକ୍ଷା, ବିପର୍ଯ୍ୟୟ ପରିଚାଳନା, ରୋବୋଟିକ୍ସ ଏବଂ ଡ୍ରୋନ, ଐତିହ୍ୟ ଓ ସଂସ୍କୃତି ଇତ୍ୟାଦି ବିଭିନ୍ନ ବିଷୟବସ୍ତୁ ଉପରେ ସମାଧାନ ପ୍ରଦାନ କରିବା ପାଇଁ ଚଳିତ ବର୍ଷ ଗ୍ରାଣ୍ଡ ଫିନାଲେ ପାଇଁ ମୋଟ ୧୨୮୨ଟି ଦଳ ଚୟନ କରାଯାଇଛି।

ଅଂଶଗ୍ରହଣକାରୀ ଦଳମାନେ ୨୫ ଜଣ କେନ୍ଦ୍ର ମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ୫୧ଟି ବିଭାଗ ଦ୍ୱାରା ଉପସ୍ଥାପନ କରାଯାଇଥିବା ୨୩୧ଟି ସମସ୍ୟା ବିବରଣୀ (୧୭୬ଟି ସଫ୍ଟୱେର ଏବଂ ୫୫ଟି ହାର୍ଡୱେୟାର)ର ମୁକାବିଲା ଓ ସମାଧାନ ପ୍ରଦାନ କରିବେ। ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୨୩ ପାଇଁ ମୋଟ ପୁରସ୍କାର ୨ କୋଟି ଟଙ୍କାରୁ ଅଧିକ, ଯେଉଁଥିରେ ପ୍ରତ୍ୟେକ ବିଜେତା ଦଳକୁ ପ୍ରତି ସମସ୍ୟା ବିବରଣୀ ପିଛା ୧ ଲକ୍ଷ ଟଙ୍କା ଲେଖାଏଁ ନଗଦ ପୁରସ୍କାର ପ୍ରଦାନ କରାଯିବ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଚାଣକ୍ୟ ନୀତି: ଆପଣ ପୃଥିବୀରେ ଥିଲେ ମଧ୍ୟ ସ୍ବର୍ଗ ସୁଖ ଲାଭ କରି ପାରିବେ, ଜାଣନ୍ତୁ କିପରି

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ସ୍ବର୍ଗ ସୁଖ ଲାଭ କରୁଥିବା ବ୍ୟକ୍ତିଙ୍କ ସଂପର୍କରେ ଉଲ୍ଲେଖ କରିଛନ୍ତି। ତାଙ୍କ ମତରେ ପୃଥିବୀରେ ବାସ କରୁଥିବା ଲୋକେ ସ୍ବର୍ଗ ସୁଖ ମଧ୍ୟ ପାଇଥାନ୍ତି। ତେବେ ସମସ୍ତେ ନୁହଁନ୍ତି। କିଛି ଲୋକ ଅଛନ୍ତି ଯେଉଁମାନେ ଏହି ଭାଗ୍ୟଶାଳୀ ଗୋଷ୍ଠୀରେ ଆସୁଛନ୍ତି।

ଚାଣକ୍ୟ ନୀତିରେ ରହିଛି ଯେ ଯାହାଙ୍କ ସନ୍ତାନର ପିତୃଭକ୍ତି ରହିଛି, ଯାହାର ଦାମ୍ପତ୍ୟ ଜୀବନ ମଧୁର ଅଛି, ଯିଏ ନିଜ ଧନସଂପତ୍ତିରେ ସନ୍ତୁଷ୍ଠ ଅଛି ସେ ସ୍ବର୍ଗ ସୁଖ ଲାଭ କରିପାରିବ। ଅର୍ଥାତ ଆପଣଙ୍କର ପିଲାମାନେ ଯଦି ଦୁଷ୍ଟ ନ ହୋଇ ପିତୃଭକ୍ତ ହେବେ ତେବେ ଆପଣଙ୍କର କୌଣସି ଚିନ୍ତା ରହିବ ନାହିଁ। ସେହିପରି ଆପଣଙ୍କ ଧର୍ମପତ୍ନୀଙ୍କ ସହିତ ଯଦି ଭଲ ସଂପର୍କ ଅଛି ତେବେ ସୁଖରେ ରହିବେ। କାରଣ ପତିପତ୍ନୀ ମଧ୍ୟରେ ଯଦି ଅପଡ ହେଲା ତେବେ ସେହି ଘରେ ସବୁବେଳେ କଳିଝଗଡା ଲାଗି ରହିବ।

ସେହିପରି ସଂପତ୍ତି ପ୍ରତି ଯଦି ଲୋଭ ରହିଲା ତେବେ ଆପଣଙ୍କର ସୁଖ ଚାଲିଗଲା ବୋଲି ଭାବି ନିଅନ୍ତୁ। କାରଣ ସଂପତ୍ତି ଲୋଭ ହିଁ ଦୁଃଖର ଅନ୍ୟତମ କାରଣ। ସେଥିପାଇଁ ଭଗବାନ ଯେତିକି ସଂପତ୍ତି ଦେଇଛନ୍ତି ବା ଦେଉଛନ୍ତି ତାହାକୁ ନେଇ ସନ୍ତୁଷ୍ଠ ରୁହନ୍ତୁ। ଅସତ୍ ଉପାୟରେ ସଂପତ୍ତି ଅର୍ଜନ କଲେ ପରିମାଣ ବଢିପାରେ ହେଲେ ସୁଖ ରହିବ ନାହିଁ।

Categories
ବିଶେଷ ଖବର

ଇଣ୍ଡି ମେଣ୍ଟ ବୈଠକ ପୂର୍ବରୁ କଂଗ୍ରେସ ଉପରେ ବୟାନ ଦେଲେ ଦିଦି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଭେଟିବେ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଣ୍ଡି ମେଣ୍ଟର ବୈଠକରେ ଯୋଗ ଦେବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ୪ ଦିନିଆ ଦିଲ୍ଲୀ ଗସ୍ତରେ ଆସିଥିବା ମମତା ବାନାର୍ଜୀ ଗଣମାଧ୍ୟମକୁ କହିଛନ୍ତି ଯେ ସେ ଇଣ୍ଡି ମେଣ୍ଟର ବୈଠକରେ ଯୋଗ ଦେବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ କଂଗ୍ରେସର ଦୁଇଟି ଆସନ ରହିଛି। ବାମପନ୍ଥୀ ଦଳମାନେ ଇଣ୍ଡି ମେଣ୍ଟରେ ସାମିଲ ହେବାର ପ୍ରଶ୍ନରେ ମମତା ବାନାର୍ଜୀ ଅନ୍ୟ ଦଳ ବିଷୟରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି। କଂଗ୍ରେସ ସହ ମେଣ୍ଟ କରିବାକୁ ସେ ପ୍ରସ୍ତୁତ ଅଛନ୍ତି କି ବୋଲି ପଚରାଯିବାରୁ ସେ କହିଛନ୍ତି ଯେ ସେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ଏବଂ ମୁମ୍ବାଇ ବୈଠକରେ ବାମପନ୍ଥୀ ଦଳଗୁଡ଼ିକର ଦୃଷ୍ଟି ଆକର୍ଷଣ ହେବା ପରେ ମମତା ବାନାର୍ଜୀ ଗଣମାଧ୍ୟମ ସହ କଥାବାର୍ତ୍ତା କରିବାକୁ ଅଟକି ନ ଥିଲେ ଏବଂ କୋଲକାତା ଚାଲିଯାଇଥିଲେ। ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ପରେ ଯେତେବେଳେ ଇଣ୍ଡି ମେଣ୍ଟର ବୈଠକ ସାମ୍ନାକୁ ଆସିଥିଲା, ସେତେବେଳେ ମମତା ବାନାର୍ଜୀ କହିଥିଲେ ଯେ ସେ ଏ ବିଷୟରେ ଅବଗତ ନୁହଁନ୍ତି। ତାଙ୍କର ଏକ ପୂର୍ବ କାର୍ଯ୍ୟସୂଚୀ ରହିଛି। ସେ ଯୋଗ ଦେଇପାରିବେ ନାହିଁ। ଏହାପରେ ଇଣ୍ଡି ମେଣ୍ଟର ବୈଠକ ବାତିଲ କରାଯାଇ ଡିସେମ୍ବର ୧୯ ତାରିଖ ଧାର୍ଯ୍ୟ କରାଯାଇଥିଲା।

୧୫ ମାସ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ଦିଦି

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀ ଗସ୍ତରେ ଇଣ୍ଡି ମେଣ୍ଟ ବୈଠକର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମମତା ବାନାର୍ଜୀଙ୍କ ବୈଠକ ପୂର୍ବାହ୍ନ ୧୧ଟାରେ ସଂସଦରେ ହେବ। ମମତା ବାନାର୍ଜୀ ଶେଷଥର ପାଇଁ ୨୦୨୨ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ଏଭଳି ପରିସ୍ଥିତିରେ ସେ ଏକ ବର୍ଷରୁ ଅଧିକ ସମୟ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବୈଠକରେ ମମତା ବାନାର୍ଜୀ ପଶ୍ଚିମବଙ୍ଗର ବକେୟା ପାଣ୍ଠି ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଏହାବ୍ୟତୀତ ମମତା ବାନାର୍ଜୀ ନୂଆ ବଙ୍ଗ ଭବନରେ ନିଜ ଦଳର ସାଂସଦମାନଙ୍କ ସହ ବୈଠକ କରିବେ।

ବାମପନ୍ଥୀ ଦଳକୁ ନେଇ ମମତା ଅସନ୍ତୁଷ୍ଟ

ଦିଲ୍ଲୀରେ ନିଜର କାର୍ଯ୍ୟସୂଚୀ ବିଷୟରେ ମମତା କହିଛନ୍ତି, ଡିସେମ୍ବର ୧୯ରେ ମୁଁ ଇଣ୍ଡି ମେଣ୍ଟର ବୈଠକରେ ଯୋଗ ଦେବି। ଡିସେମ୍ବର ୨୦ ତାରିଖ ପୂର୍ବାହ୍ନ ୧୧ଟାରେ ମୁଁ କିଛି ସାଂସଦଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବି ଏବଂ ତା’ପରେ ଫେରିଯିବି। ପଶ୍ଚିମବଙ୍ଗରେ ମମତା ଇଣ୍ଡି ମେଣ୍ଟରେ ବାମପନ୍ଥୀ ଦଳଗୁଡ଼ିକୁ ବିଶେଷ ଗୁରୁତ୍ୱ ଦେବାକୁ ରାଜି ନୁହଁନ୍ତି। କଂଗ୍ରେସକୁ ନେଇ ସେ ଯେଉଁଭଳି ବୟାନ ଦେଇଛନ୍ତି, ଏଥିରୁ କେଉଁଠି ନା କେଉଁଠି ମମତା ବାନାର୍ଜୀ ସଙ୍କେତ ଦେଇଛନ୍ତି ଯେ ପଶ୍ଚିମବଙ୍ଗରେ କଂଗ୍ରେସକୁ ଅଧିକ ମେଣ୍ଟର ଆବଶ୍ୟକତା ରହିଛି। ଇଣ୍ଡି ମେଣ୍ଟର ବୈଠକ ପୂର୍ବରୁ ମମତା ବାନାର୍ଜୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

Categories
ବିଶେଷ ଖବର

ବାରଣାସୀରେ ୧୯,୧୫୦ କୋଟିରୁ ଅଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଉତ୍ତର ପ୍ରଦେଶର ବାରଣାସୀ ଠାରେ ୧୯,୧୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ପ୍ରାୟ ୧୦,୯୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନ୍ୟୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ନଗର – ନ୍ୟୁ ଭାଉପୁର ଉତ୍ସର୍ଗୀକୃତ ମାଲ ପରିବହନ କରିଡର ପ୍ରକଳ୍ପର ଉଦଘାଟନ ସହ ଅନ୍ୟାନ୍ୟ ରେଳ ପ୍ରକଳ୍ପ ଅନ୍ତର୍ଭୁକ୍ତ । ବାରଣସୀ – ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍‌, ଦୋହରିଘାଟ – ମାଉ ମେମୁ ଟ୍ରେନ୍ ଏବଂ ନବନିର୍ମିତ ଉତ୍ସର୍ଗୀକୃତ ମାଲ ପରିବହନ କରିଡରରେ ଏକ ଯୋଡ଼ା ଲଙ୍ଗ୍ ହାଉଲ୍ ମାଲବାହୀ ଟ୍ରେନ୍‌କୁ ସେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ବନାରସ ଲୋକୋମୋଟିଭ୍ ୱାର୍କସ ଦ୍ୱାରା ନିର୍ମିତ ୧୦,୦୦୦ତମ ଲୋକୋମୋଟିଭ୍‌କୁ ମଧ୍ୟ ସେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସେ ୩୭୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଦୁଇଟି ଆରଓବି ସହ ଗ୍ରୀନ୍ ଫିଲ୍ଡ ଶିବପୁର – ଫୁଲୱାରିଆ – ଲହରତାରା ରାସ୍ତାକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିବା ଅନ୍ୟ ପ୍ରମୁଖ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ୨୦ଟି ରାସ୍ତାର ସୁଦୃଢ଼ୀକରଣ ଓ ପ୍ରଶସ୍ତୀକରଣ , କୈଥି ଗ୍ରାମର ସଙ୍ଗମ ଘାଟ ରାସ୍ତା ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଆବାସିକ କୋଠା, ପୁଲିସ ଲାଇନ୍ ଓ ପିଏସି ଭୁଲନପୁରରେ ଦୁଇଟି ୨୦୦ ଓ ୧୫୦ ଶଯ୍ୟା ବିଶିଷ୍ଟ ବହୁମହଲା ବ୍ୟାରାକ୍ କୋଠା, ୯ଟି ସ୍ଥାନରେ ସ୍ମାର୍ଟ ବସ୍ ଆଶ୍ରୟସ୍ଥଳୀ ଓ ଅଲାଇପୁରରେ ୧୩୨ କିଲୋୱାଟ୍ ସବ୍‌ଷ୍ଟେସନ ନିର୍ମାଣ କରାଯାଇଛି । ସେ ସ୍ମାର୍ଟ ସିଟି ମିଶନ ଅଧୀନରେ ୟୁନିଫାଏଡ୍ ଟୁରିଷ୍ଟ ପାସ୍ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ ।

ପ୍ରାୟ ୪୦୦୦ କୋଟି ଟଙ୍କା ବ୍ୟୟରେ ଚିତ୍ରକୁଟ ଜିଲ୍ଲାରେ ୮୦୦ ମେଗାୱାଟ ବିଶିଷ୍ଟ ସୌର ପାର୍କ, ୧୦୫୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ମିର୍ଜାପୁର ଠାରେ ନୂତନ ପେଟ୍ରୋଲିୟମ ତୈଳ ଟର୍ମିନାଲ ନିର୍ମାଣ, ୯୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବାରଣାସୀ – ଭଦୋହି ଜାତୀୟ ରାଜପଥ ୭୩୧ ବି (ପ୍ୟାକେଜ-୨)ର ପ୍ରଶସ୍ତୀକରଣ , ଜଳ ଜୀବନ ମିଶନ ଅଧୀନରେ ୨୮୦ କୋଟି ଟଙ୍କା ବ୍ୟୟରେ ୬୯ଟି ଗ୍ରାମୀଣ ପାନୀୟ ଜଳ ଯୋଜନା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରକଳ୍ପ ସମେତ ୬୫୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦେବ ଦୀପାବଳିରେ ସର୍ବାଧିକ ଦୀପ ପ୍ରଜ୍ଜ୍ୱଳନ କରି ଗିନିଜ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଥିବାରୁ ବାରଣାସୀର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଯଦିଓ ସେ ଏହି ଦୃଶ୍ୟକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିବା ପାଇଁ ଉପସ୍ଥିତ ନଥିଲେ, ତଥାପି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଦେଶରୁ ଆସିଥିବା ବିଶିଷ୍ଟ ବ୍ୟକ୍ତି ଏବଂ ପର୍ଯ୍ୟଟକ ମାନଙ୍କ ସମେତ ବାରଣାସୀ ଗସ୍ତ କରୁଥିବା ଲୋକମାନେ ତାଙ୍କୁ ଏସମ୍ପର୍କରେ ସୂଚନା ଦେଉଥିଲେ ଏବଂ ବାରଣାସୀ ଏବଂ ଏହାର ନାଗରିକ ମାନଙ୍କ ପ୍ରଶଂସା ଶୁଣି ସେ ଅନୁଭବ କରିଥିବା ଗର୍ବ ବିଷୟରେ ଉଲ୍ଲେଖ କରିଥିଲେ । “ଯେତେବେଳେ କାଶୀର ନାଗରିକ ମାନଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଏ ସେତେବେଳେ ମୋତେ ଅତ୍ୟନ୍ତ ଗର୍ବ ଅନୁଭବ ହୋଇଥାଏ”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହା ସହିତ ସେ ମଧ୍ୟ କହିଥିଲେ ଯେ, ଭଗବାନ ମହାଦେବଙ୍କ ଭୂମିର ସେବା ପ୍ରତି ସମର୍ପଣ କେବେ ବି ଯଥେଷ୍ଟ ହୋଇପାରିବ ନାହିଁ ।

ପାଖାପାଖି ୨୦,୦୦୦ କୋଟି ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସରେ ସମାନ ବିଶ୍ୱାସ ରହିଥିବା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, “କାଶୀ ସମୃଦ୍ଧ ହେଲେ ୟୁପି (ଉତ୍ତର ପ୍ରଦେଶ) ସମୃଦ୍ଧ ହୁଏ ଏବଂ ୟୁପି ସମୃଦ୍ଧ ହେଲେ ଦେଶ ସମୃଦ୍ଧ ହୁଏ” । ବାରଣାସୀର ଗ୍ରାମ ଗୁଡ଼ିକରେ ଜଳ ଯୋଗାଣ, ବିଏଚୟୁ ଟ୍ରମା ସେଣ୍ଟରର କ୍ରିଟିକାଲ କେୟାର ୟୁନିଟ୍‌, ସଡ଼କ, ରେଳବାଇ, ବିମାନବନ୍ଦର, ବିଜୁଳି, ସୌର ଶକ୍ତି, ଗଙ୍ଗାର ବିଭିନ୍ନ ଘାଟ ଏବଂ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରକୁ ଜଳ ଯୋଗାଣ ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ ଏହା ଏହି ଅଞ୍ଚଳରେ ବିକାଶର ଗତିକୁ ଆଗକୁ ବଢ଼ାଇବ । ସେ ଗତକାଲି ସନ୍ଧ୍ୟାରେ କାଶୀ – କନ୍ୟାକୁମାରୀ ତାମିଲ ସଙ୍ଗମମ୍ ଟ୍ରେନ୍ ଏବଂ ବାରଣାସୀ – ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ ଦୋହରିଘାଟ – ମାଉ ମେମୁ ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଆଜିର ବିକାଶମୂଳକ ପ୍ରକଳ୍ପ ଗୁଡିକ ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ।

“ସମଗ୍ର ଦେଶ ସହିତ କାଶୀ ବିକଶିତ ଭାରତର ସଂକଳ୍ପ ପାଇଁ ପ୍ରତିଶ୍ରୁତିବଦ୍ଧ”, ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିବା ସହିତ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ବିକଶିତ ଭାରତ ସଂକଳ୍ପ ଯାତ୍ରା ହଜାର ହଜାର ଗ୍ରାମ ଏବଂ ସହରରେ ପହଞ୍ଚିଛି ଯେଉଁଠାରେ କୋଟି କୋଟି ନାଗରିକ ଏହା ସହିତ ଯୋଡ଼ି ହେଉଛନ୍ତି । ଶ୍ରୀ ମୋଦୀ ବାରଣାସୀରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେବା ବିଷୟରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ଭିବିଏସୱାଇ ଭ୍ୟାନକୁ ଲୋକମାନେ ‘ମୋଦୀ କି ଗ୍ୟାରେଣ୍ଟି କି ଗାଡି’ ବୋଲି ସମ୍ବୋଧନ କରୁଛନ୍ତି । “ସରକାରୀ ଯୋଜନାର ଲାଭ ପାଇବାକୁ  ହକ୍‌ଦାର ଥିବା ସମସ୍ତ ଯୋଗ୍ୟ ନାଗରିକ ମାନଙ୍କୁ ଅନ୍ତର୍ଭୁକ୍ତ କରିବା ସରକାରଙ୍କ ଲକ୍ଷ୍ୟ”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ସରକାର ଏହା ମାଧ୍ୟମରେ ନାଗରିକଙ୍କ ନିକଟରେ ପହଞ୍ଚୁଛନ୍ତି, ଅନ୍ୟ ଉପାୟରେ ନୁହେଁ ।  “ମୋଦୀ କି ଗ୍ୟାରେଣ୍ଟି କି ଗାଡି ଏକ ସୁପରହିଟ୍‌”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ପୂର୍ବରୁ ବଞ୍ଚିତ ଥିବା ହଜାର ହଜାର ହିତାଧିକାରୀ ମାନଙ୍କୁ ବାରଣାସୀରେ ଭିବିଏସ୍‌ୱାଇ ସହିତ ଯୋଡାଯାଇଛି । ସେ ଆୟୁଷ୍ମାନ କାର୍ଡ, ମାଗଣା ରାସନ କାର୍ଡ, ପକ୍କା ଘର, ଜଳ ସଂଯୋଗ ଏବଂ ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ଭଳି ସୁବିଧାର ଉଦାହରଣ ଦେଇଥିଲେ ଯାହା ଭିବିଏସୱାଇ ସମୟରେ ମଧ୍ୟ ଉପଲବ୍ଧ କରାଯାଇଥିଲା ।

୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସଂକଳ୍ପକୁ ଏହି ବିଶ୍ୱାସ ଦୃଢ଼ କରିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଭିବିଏସୱାଇ ଅନ୍ୟ କୌଣସି ଜିନିଷ ଅପେକ୍ଷା ଲୋକଙ୍କ ମଧ୍ୟରେ ଅଧିକ ବିଶ୍ୱାସ ସୃଷ୍ଟି କରିଛି” । ପ୍ରଧାନମନ୍ତ୍ରୀ ଅଙ୍ଗନବାଡ଼ି ପିଲାଙ୍କ ଆତ୍ମବିଶ୍ୱାସରେ ଅତ୍ୟନ୍ତ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଭିବିଏସୱାଇ ଗସ୍ତ ସମୟରେ ଜଣେ ହିତାଧିକାରୀ ତଥା ଲକ୍ଷପତି ଦିଦି ଶ୍ରୀମତୀ ଚନ୍ଦା ଦେବୀଙ୍କ ସହ ତାଙ୍କର ବାର୍ତ୍ତାଳାପକୁ ମଧ୍ୟ ପ୍ରଶଂସା କରିଥିଲେ । ଭିବିଏସୱାଇ ବିଷୟରେ ତାଙ୍କର ଶିକ୍ଷଣ ଅଭିଜ୍ଞତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଭିବିଏସୱାଇ ହେଉଛି ସର୍ବସାଧାରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକ ମାନଙ୍କ ପାଇଁ ଏକ ଭ୍ରାମ୍ୟମାଣ ବିଶ୍ୱବିଦ୍ୟାଳୟ” ।

ସହରର ସୌନ୍ଦର୍ଯ୍ୟକରଣର ଉପକାରିତା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଆସ୍ଥା ଓ ପର୍ଯ୍ୟଟନର କେନ୍ଦ୍ର ଭାବେ କାଶୀର ଗୌରବ ଦିନକୁ ଦିନ ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି । ମରାମତି ପରେ କାଶୀ ବିଶ୍ୱନାଥ ଧାମରେ ୧୩ କୋଟିରୁ ଅଧିକ ଶ୍ରଦ୍ଧାଳୁ ଦର୍ଶନ କରିଥିବାରୁ ପର୍ଯ୍ୟଟନ କ୍ଷେତ୍ର ନିଯୁକ୍ତିର ନୂଆ ସୁଯୋଗ ସୃଷ୍ଟି କରୁଛି ବୋଲି ସେ ସୂଚନା ଦେଇଛନ୍ତି । ବିଦେଶ ଯିବା ପାଇଁ ଯୋଜନା କରିବା ପୂର୍ବରୁ ଦେଶ ଭିତରେ ଥିବା ୧୫ଟି ଗନ୍ତବ୍ୟସ୍ଥଳ ପରିଦର୍ଶନ କରିବା ପାଇଁ ଲାଲକିଲ୍ଲା ପ୍ରାଚୀରରୁ ତାଙ୍କର ଉପଦେଶ ବିଷୟରେ ସେ ଲୋକଙ୍କୁ ମନେ ପକାଇଥିଲେ । ଲୋକମାନେ ଘରୋଇ ପର୍ଯ୍ୟଟନକୁ ଆପଣାଉଥିବାରୁ ସେ ମଧ୍ୟ ସନ୍ତୋଷ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ସ୍ମାର୍ଟ ସିଟି ମିଶନ ଅଧୀନରେ ୟୁନିଫାଇଡ୍ ଟୁରିଷ୍ଟ ପାସ୍ ବ୍ୟବସ୍ଥା ଏବଂ ସହର ବିଷୟରେ ସୂଚନା ପ୍ରଦାନ କରିବା ପାଇଁ ପର୍ଯ୍ୟଟନ ୱେବସାଇଟ୍ ‘କାଶୀ’ ର ଶୁଭାରମ୍ଭ କରିବା ସମେତ ପର୍ଯ୍ୟଟନ ସୁବିଧାରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ । ଗଙ୍ଗା ଘାଟ, ଅତ୍ୟାଧୁନିକ ବସ୍ ଆଶ୍ରୟସ୍ଥଳୀ, ବିମାନବନ୍ଦର ଓ ରେଳ ଷ୍ଟେସନରେ ସୁବିଧା ପାଇଁ ନବୀକରଣ କାର୍ଯ୍ୟ ଆରମ୍ଭ କରିବାକୁ ସେ ଉଲ୍ଲେଖ କରିଥିଲେ ।

ରେଳବାଇ ସମ୍ବନ୍ଧୀୟ ପ୍ରକଳ୍ପ ଗୁଡିକ ବିଷୟରେ ବିସ୍ତୃତ ବିବରଣୀ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବ ଏବଂ ପଶ୍ଚିମ ମାଲ ପରିବହନ କରିଡରର ଲୋକାର୍ପଣ, ନ୍ୟୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ନଗର – ନ୍ୟୁ ଭାଉପୁରର ଉଦଘାଟନ ବିଷୟରେ କହିଥିଲେ । ସ୍ଥାନୀୟ କାରଖାନାରେ ନିର୍ମିତ ୧୦,୦୦୦ତମ ରେଳ ଇଞ୍ଜିନ କାର୍ଯ୍ୟକ୍ଷମ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ସୌର ଶକ୍ତି କ୍ଷେତ୍ରରେ ଡବଲ ଇଞ୍ଜିନ ସରକାରଙ୍କ ପ୍ରୟାସକୁ ମଧ୍ୟ ସେ ଉଲ୍ଲେଖ କରିଥିଲେ । ଚିତ୍ରକୁଟରେ ୮୦୦ ମେଗାୱାଟ ସୌର ଶକ୍ତି ପାର୍କ ଉତ୍ତର ପ୍ରଦେଶରେ ବିଦ୍ୟୁତ ଯୋଗାଣ ପାଇଁ ଆମର ପ୍ରତିବଦ୍ଧତାର ଏକ ଉଦାହରଣ ବୋଲି ସେ କହିଛନ୍ତି । ଦେଓରାଇ ଏବଂ ମିର୍ଜାପୁରରେ ପେଟ୍ରୋଲ ଡିଜେଲ, ବାୟୋ – ସିଏନ୍‌ଜି ଏବଂ ଇଥାନଲ ପ୍ରକ୍ରିୟାକରଣ କ୍ଷେତ୍ରରେ ରାଜ୍ୟରେ ପେଟ୍ରୋଲିୟମ ଉତ୍ପାଦର ଆବଶ୍ୟକତା ପୂରଣ ହେବ ।

ପ୍ରଧାନମନ୍ତ୍ରୀ ବିକଶିତ ଭାରତର ପ୍ରାଥମିକତା ଭାବରେ ନାରୀ ଶକ୍ତି, ଯୁବ ଶକ୍ତି, କୃଷକ ଏବଂ ଗରିବ ଲୋକ ମାନଙ୍କର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ।  “ଏଗୁଡିକ ମୋ ପାଇଁ କେବଳ ଚାରିଟି ଜାତି ଏବଂ ସେମାନଙ୍କୁ ମଜବୁତ କରିବା ଦ୍ୱାରା ଦେଶ ସୁଦୃଢ଼ ହେବ”, ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ଏହି ବିଶ୍ୱାସ ସହିତ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର କୃଷକ ମାନଙ୍କର କଲ୍ୟାଣକୁ ପ୍ରାଥମିକତା ଦେଇଛନ୍ତି ଏବଂ ପିଏମ୍ କିଷାନ ସ୍ୱନିଧି ଭଳି ଯୋଜନା ଯାହା ମାଧ୍ୟମରେ କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩୦,୦୦୦ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି, କିଷାନ କ୍ରେଡିଟ୍ କାର୍ଡ, ପ୍ରାକୃତିକ ଚାଷ ଉପରେ ଗୁରୁତ୍ୱ ଏବଂ କିଷାନ ଡ୍ରୋନ ଯୋଜନା ଯାହା ସାର ସିଞ୍ଚନକୁ ସହଜ କରିବ ଇତ୍ୟାଦି ବିଷୟରେ ଉଲ୍ଲେଖ କରିଛନ୍ତି । ସେ ନମୋ ଡ୍ରୋନ ଦିଦି କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ସ୍ପର୍ଶ କରିଥିଲେ ଯେଉଁଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡିତ ମହିଳା ମାନଙ୍କୁ ତାଲିମ ପ୍ରଦାନ କରାଯିବ ।

ଆଗାମୀ ଆଧୁନିକ ବନାସ ଦୁଗ୍ଧ କାରଖାନା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବନାସ ଡାଏରୀ ୫୦୦ କୋଟି ଟଙ୍କାରୁ ଅଧିକ ବିନିଯୋଗ କରୁଛି ଏବଂ ଦୁଗ୍ଧ ପଶୁସମ୍ପଦ ବୃଦ୍ଧି ପାଇଁ ଏକ ଅଭିଯାନ ଚଳାଇଛି, ବନାରସର କୃଷକ ମାନଙ୍କ ପାଇଁ ବନାସ ଡାଏରୀ ଏକ ବରଦାନ ସାବ୍ୟସ୍ତ ହେବ । ଲକ୍ଷ୍ନୌ ଓ କାନପୁରରେ ବନାସ ଡାଏରୀ କାରଖାନା କାର୍ଯ୍ୟ କରୁଛି । ଚଳିତ ବର୍ଷ ବନାସ ଡାଏରୀ ଉତ୍ତର ପ୍ରଦେଶର ୪ ହଜାରରୁ ଅଧିକ ଗ୍ରାମର କୃଷକ ମାନଙ୍କୁ ଏକ ହଜାର କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛି । ଆଜିର ଏହି କାର୍ଯ୍ୟକ୍ରମରେ ବନାସ ଡାଏରୀ ଉତ୍ତର ପ୍ରଦେଶର ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟରେ ୧୦୦ କୋଟିରୁ ଅଧିକ ଟଙ୍କା ଲାଭାଂଶ ଆକାରରେ ଜମା କରିଛି ।

ବକ୍ତବ୍ୟ ଶେଷ କରି ପ୍ରଧାନମନ୍ତ୍ରୀ ଦୋହରାଇ ଥିଲେ ଯେ ବାରାଣସୀରେ ବିକାଶର ଧାରା ସମଗ୍ର ଅଞ୍ଚଳକୁ ନୂତନ ଉଚ୍ଚତାକୁ ନେଇଯିବ । ସେ ଏହା ମଧ୍ୟ ଦର୍ଶାଇଥିଲେ ଯେ ପୂର୍ବାଂଚଳ କ୍ଷେତ୍ର ଅନେକ ଦଶନ୍ଧି ଧରି ଅବହେଳିତ ହୋଇଥିଲେ ମଧ୍ୟ ମୋଦି ଏବେ ମହାଦେବଙ୍କ ଆଶୀର୍ବାଦରେ ଏହାର ସେବାରେ ନିୟୋଜିତ ଅଛନ୍ତି । କିଛି ମାସ ମଧ୍ୟରେ ସାଧାରଣ ନିର୍ବାଚନର ଆଗମନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୋଦି ତୃତୀୟ ପାଳିରେ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତିରେ ପରିଣତ କରିବାର ପ୍ରତିଶ୍ରୁତି ଦେଇଛନ୍ତି । ଯଦି ମୁଁ ଆଜି ଦେଶକୁ ଏହି ଗ୍ୟାରେଣ୍ଟି ଦେଉଛି, ତେବେ ଏହା ମଧ୍ୟ ଆପଣ ସମସ୍ତଙ୍କ ପାଇଁ, କାଶୀରେ ରହୁଥିବା ମୋର ସମସ୍ତ ପରିବାର ସଦସ୍ୟଙ୍କ ପାଇଁ । ଆପଣମାନେ ସର୍ବଦା ମୋ ସହିତ ଠିଆ ହୋଇଥାନ୍ତି ଏବଂ ମୋର ସଂକଳ୍ପକୁ ସୁଦୃଢ଼ କରନ୍ତି” ବୋଲି ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ।

ଏହି ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀମାନେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଗତ ୯ ବର୍ଷ ମଧ୍ୟରେ , ପ୍ରଧାନମନ୍ତ୍ରୀ ବାରଣାସୀର ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରିବା ଏବଂ ବାରଣାସୀ ଏବଂ ଆଖପାଖ ଅଞ୍ଚଳରେ ରହୁଥିବା ଲୋକ ମାନଙ୍କ ପାଇଁ ସହଜ ଜୀବନଧାରଣକୁ ବୃଦ୍ଧି କରିବା ଉପରେ ବିଶେଷ ଧ୍ୟାନ ଦେଇଛନ୍ତି । ଏହି ଦିଗରେ ଆଉ ଏକ ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀ ପାଖାପାଖି ୧୯,୧୫୦ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକର ଲୋକାର୍ପଣ କରିଥିଲେ ଓ ଶିଳାନ୍ୟାସ କରିଥିଲେ ।

ପାଖାପାଖି ୧୦,୯୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନ୍ୟୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ନଗର -ନ୍ୟୁ ଭାଉପୁର ଉତ୍ସର୍ଗୀକୃତ ଫ୍ରେଟ୍ କରିଡର ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଥିଲେ । ଉଦଘାଟନ ହେବାକୁ ଥିବା ଅନ୍ୟ ରେଳ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ବାଲିଆ – ଗାଜିପୁର ସିଟି ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ଇନ୍ଦାରା – ଦୋହରିଘାଟ ରେଳ ଲାଇନ୍ ଗେଜ୍ ରୂପାନ୍ତରଣ ପ୍ରକଳ୍ପ ସମେତ ଅନ୍ୟାନ୍ୟ ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ନବନିର୍ମିତ ଉତ୍ସର୍ଗୀକୃତ ମାଲ ପରିବାହୀ କରିଡରରେ ବାରଣାସୀ – ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍‌, ଦୋହରିଘାଟ – ମାଉ ମେମୁ ଟ୍ରେନ୍ ଏବଂ ଏକ ଯୋଡ଼ା ଲମ୍ବା ହଲ୍ ମାଲବାହୀ ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ବନାରସ ଲୋକୋମୋଟିଭ୍ ୱାର୍କସ ଦ୍ୱାରା ନିର୍ମିତ ୧୦,୦୦୦ତମ ଲୋକୋମୋଟିଭ୍‌କୁ ମଧ୍ୟ ସେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ପ୍ରଧାନମନ୍ତ୍ରୀ ୩୭୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଦୁଇଟି ଆରଓବି ସହିତ ଗ୍ରୀନ୍ ଫିଲ୍ଡ ଶିବପୁର – ଫୁଲୱାରିଆ – ଲହରତାରା ରାସ୍ତାକୁ ଉଦଘାଟନ କରିଥିଲେ । ଏହା ଦ୍ୱାରା ବାରଣାସୀ ସହରର ଉତ୍ତର ଏବଂ ଦକ୍ଷିଣ ଭାଗ ମଧ୍ୟରେ ଟ୍ରାଫିକ ଯାତାୟତ ସହଜ ହେବ ଏବଂ ପର୍ଯ୍ୟଟକଙ୍କ ପାଇଁ ସୁବିଧା ବୃଦ୍ଧି ପାଇବ । ପ୍ରଧାନମନ୍ତ୍ରୀ ଉଦଘାଟନ କରୁଥିବା ଅନ୍ୟ ପ୍ରମୁଖ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରହିଛି ୨୦ଟି ରାସ୍ତାର ସୁଦୃଢ଼ୀକରଣ ଓ ପ୍ରଶସ୍ତୀକରଣ କାର୍ଯ୍ୟ , କୈଥି ଗ୍ରାମର ସଙ୍ଗମ ଘାଟ ରାସ୍ତା ଏବଂ  ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଆବାସିକ କୋଠା ନିର୍ମାଣ ।

ଏହାବ୍ୟତୀତ ପୁଲିସ କର୍ମଚାରୀଙ୍କ ଆବାସ ଆବଶ୍ୟକତାକୁ ପୂରଣ କରିବା ପାଇଁ ପୁଲିସ ଲାଇନ୍ ଓ ପିଏସି ଭୁଲନପୁରରେ ୨୦୦ ଓ ୧୫୦ ଶଯ୍ୟା ବିଶିଷ୍ଟ ଦୁଇଟି ବହୁମହଲା ବ୍ୟାରାକ୍ କୋଠା, ୯ଟି ସ୍ଥାନରେ ନିର୍ମିତ ସ୍ମାର୍ଟ ବସ୍ ଆଶ୍ରୟସ୍ଥଳୀ ଓ ଅଲାଇପୁରରେ ନିର୍ମିତ ୧୩୨ କିଲୋୱାଟ୍ ସବ୍‌ଷ୍ଟେସନକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଥିଲେ ।

ସ୍ମାର୍ଟ ସିଟି ମିଶନ ଅଧୀନରେ ପର୍ଯ୍ୟଟକଙ୍କ ବିସ୍ତୃତ ସୂଚନା ପାଇଁ ଏକ ୱେବସାଇଟ୍ ଏବଂ ୟୁନିଫାଏଡ୍ ଟୁରିଷ୍ଟ ପାସ୍ ବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଥିଲେ । ଏହି ୟୁନିଫାଇଡ୍ ପାସ୍ ରେ ଶ୍ରୀ କାଶୀ ବିଶ୍ୱନାଥ ଧାମ, ଗଙ୍ଗା କ୍ରୁଜ୍ ଏବଂ ସାରନାଥଙ୍କ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ\’ ପାଇଁ ଏକକ ପ୍ଲାଟଫର୍ମ ଟିକେଟ୍ ବୁକିଂ କରାଯିବ, ଯେଉଁଥିରେ ସମନ୍ୱିତ କ୍ୟୁଆର୍ କୋଡ୍ ସେବା ଉପଲବ୍ଧ ହେବ ।

ପ୍ରଧାନମନ୍ତ୍ରୀ ୬୫୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଅକ୍ଷୟ ଶକ୍ତି ସମ୍ପଦର ଉତ୍ପାଦନ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଚିତ୍ରକୁଟ ଜିଲ୍ଲାରେ ପ୍ରାୟ ୪୦୦୦ କୋଟି ଟଙ୍କା ବ୍ୟୟରେ ଏକ ୮୦୦ ମେଗାୱାଟ ସୌର ପାର୍କର ଶିଳାନ୍ୟାସ କରିଥିଲେ । ପେଟ୍ରୋଲିୟମ ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବା ପାଇଁ ସେ ମିର୍ଜାପୁର ଠାରେ ୧୦୫୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ହେବାକୁ ଥିବା ଏକ ନୂତନ ପେଟ୍ରୋଲିୟମ ତୈଳ ଟର୍ମିନାଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

୯୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବାରଣାସୀ – ଭଦୋହି ଜାତୀୟ ରାଜପଥ ୭୩୧ ବି (ପ୍ୟାକେଜ-୨) ର ପ୍ରଶସ୍ତୀକରଣ ; ଜଳ ଜୀବନ ମିଶନ ଅଧୀନରେ ୨୮୦ କୋଟି ଟଙ୍କା ବ୍ୟୟରେ ୬୯ଟି ଗ୍ରାମୀଣ ପାନୀୟ ଜଳ ଯୋଜନା; ବିଏଚ୍‌ୟୁ ଟ୍ରମା ସେଣ୍ଟରରେ ୧୫୦ ଶଯ୍ୟା କ୍ଷମତା ବିଶିଷ୍ଟ କ୍ରିଟିକାଲ କେୟାର ୟୁନିଟ୍ ନିର୍ମାଣ; ୮ଟି ଗଙ୍ଗା ଘାଟର ପୁନଃନିର୍ମାଣ କାର୍ଯ୍ୟ, ଦିବ୍ୟାଙ୍ଗ ଆବାସିକ ମାଧ୍ୟମିକ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ପୁଣି ବଢିଲା ଚିନ୍ତା: କେରଳରେ ଗୋଟିଏ ଦିନରେ ୧୧୧ କରୋନା ମାମଲା

ନୂଆଦିଲ୍ଲୀ: କେରଳରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଉଛି। କେବଳ ସୋମବାର ଦିନ କୋଭିଡ-୧୯ ର ୧୧୧ ଟି ନୂଆ ମାମଲା ଚିହ୍ନଟ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୧,୬୩୪ କୁ ବୃଦ୍ଧି ପାଇଛି।

ଏହା ବ୍ୟତୀତ କେରଳର କରୋନା କାରଣରୁ ଜଣେ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି। ଏହା ସହିତ ଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ କରୋନା ଭାଇରସ ଯୋଗୁଁ ମୃତ୍ୟୁ ସଂଖ୍ୟା ୭୨ ହଜାର ୫୩ କୁ ବୃଦ୍ଧି ପାଇଛି। ଏହି ସମୟରେ କେନ୍ଦ୍ର ସରକାର ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ଏବଂ ସତର୍କ ରହିବାକୁ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଆଜି ଡିସେମ୍ବର ୧୯ ତାରିଖ, ପାଞ୍ଚୋଟି ରାଶି ପାଇଁ ରହିଛି ଧନ ବର୍ଷା, ଜାଣନ୍ତୁ ମଙ୍ଗଳବାରର ରାଶିଫଳ

ମେଷ- ବ୍ୟବସାୟ ଆଶା କରାଯାଉଥିବା ସଫଳତା ହାସଲ କରିବାର ସମ୍ଭାବନା ଅଧିକ। ଆୟ ବୃଦ୍ଧି ପାଇବ। ମଜା ଏବଂ ମଜାଦାର ଧାରା ଦିନସାରା ଜାରି ରହିବ। ଆଜି ଆପଣ ଘର ସାଜସଜ୍ଜାରେ ନୂତନତା ଆଣିବେ । ଆଜି ଘର ସଜାଇବା ପାଇଁ ବ୍ୟବସ୍ଥା ମଧ୍ୟ ପରିବର୍ତ୍ତନ ହେବ। ଯାନବାହାନର ଆନନ୍ଦ ମଧ୍ୟ ମିଳିବ। ସାମାଜିକ ପ୍ରସଙ୍ଗରେ ବାହାରକୁ ଯିବାର ସମ୍ଭାବନା ରହିବ। ଏକ ମନୋରମ ସ୍ଥାନରେ ରହିବାକୁ ଉପଭୋଗ କରନ୍ତୁ ।

ବୃଷ- ଆଜି ଆପଣ ବ୍ୟବସାୟର ବିକାଶ ପାଇଁ ଅଧିକ ଧ୍ୟାନ ଦେବେ। ନୂତନ ଯୋଜନା ଏବଂ ଚିନ୍ତାଧାରାର ନୂତନତ୍ୱ ସହିତ ବ୍ୟବସାୟ ପ୍ରଗତି ଆଡକୁ ଗତି କରିବ। ତଥାପି, ସଫଳତା ବିଳମ୍ବ ହୋଇପାରେ । ମଧ୍ୟାହ୍ନ ଭୋଜନ ପରେ ଏକ ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି ହେବ। ସମାନ କାମ ପାଇଁ ବାହାରକୁ ଯିବାର ସମ୍ଭାବନା ମଧ୍ୟ ଥାଇପାରେ । ପଦୋନ୍ନତି ହୋଇପାରେ । ଆପଣଙ୍କ କାର୍ଯ୍ୟରେ ଉଚ୍ଚ ପଦାଧିକାରୀମାନେ ମଧ୍ୟ ଖୁସି ହେବେ। ପିତା ଏବଂ ବୟସ୍କମାନଙ୍କଠାରୁ ଲାଭ ହେବାର ଆଶା ଅଛି ।

ମିଥୁନ- ମନରୁ ନକାରାତ୍ମକ ଚିନ୍ତାଧାରାକୁ ହଟାଇ ଆପଣ ନିରାଶାରୁ ବାହାରି ଆସିବେ। ଅନୈତିକ କାର୍ଯ୍ୟଗୁଡ଼ିକ ଚିନ୍ତାର କାରଣ ହୋଇପାରେ । ତେଣୁ ଯଦି ସମ୍ଭବ ସେସବୁରୁ ଦୂରରେ ରୁହନ୍ତୁ । କୌଣସି ସ୍ଥାନାନ୍ତରଣର ହେବାର ଅଛି ହେଲେ ଭଲ । ମଧ୍ୟାହ୍ନ ଭୋଜନ ପରେ ଭଲ ଟ୍ରେଣ୍ଡ ଅଛି । ତେଣୁ ମଧ୍ୟାହ୍ନ ପରେ ମାନସିକ ସ୍ଥିତି ହ୍ରାସ ପାଇବ । ଲେଖା କିମ୍ବା ସାହିତ୍ୟିକ ପ୍ରବୃତ୍ତି ପ୍ରତି ବିଶେଷ ଆଗ୍ରହ ରହିବ । ବ୍ୟବସାୟରେ ବିକାଶ ସହିତ ନୂତନ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେବ। ତଥାପି, ଆପଣଙ୍କୁ ଉଚ୍ଚ ପଦାଧିକାରୀଙ୍କ ସହ ଯୁକ୍ତିତର୍କ କରିବାକୁ ପଡିବ ନାହିଁ ।

କର୍କଟ- ମନ ଆନନ୍ଦ ଏବଂ ମଜା ସହିତ ଆନନ୍ଦିତ ହେବ। ଏହି ଧାରାରେ, ସାଙ୍ଗମାନଙ୍କ ଉପଭୋଗ ମନୋରଂଜନର ଉପଭୋଗକୁ ଦ୍ୱିଗୁଣିତ କରିବ। ମଧ୍ୟାହ୍ନ ଭୋଜନ ପରେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଗାଡି ଚଳାଇବା ସମୟରେ ଯତ୍ନ ନିଅନ୍ତୁ ଏବଂ ଆପଣଙ୍କ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ମନେରଖନ୍ତୁ ଯେ ବକ୍ତବ୍ୟ ଆକ୍ରମଣାତ୍ମକ ନୁହେଁ । ଏକ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ଭଲ ଦିନ ନୁହେଁ।

ସିଂହ- ଆପଣଙ୍କର ଅଧ୍ୟକ୍ଷତାରେ ବୃତ୍ତିଗତ ଲୋକମାନେ ବୃତ୍ତିଗତ ଭାବରେ ଉପକୃତ ହେବେ। ଧନ ପାଇବା ପାଇଁ ଦୃଢ ସମ୍ଭାବନା ଅଛି । ଆୟ ହେତୁ ଆର୍ଥିକ ଦୃଷ୍ଟିରୁ ସୁଧ ପେରସ୍ତ ହେବ। ସେୟାର ଇତ୍ୟାଦି ମାଧ୍ୟମରେ ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି। ଆର୍ଥିକ ସଙ୍କଟ ଦୂର ହେବ । ଭଲ ପୋଷାକ ଏବଂ ଭଲ ଖାଦ୍ୟ ଆପଣଙ୍କ ମନକୁ ଖୁସି ରଖିବ । ସ୍ୱଳ୍ପ ରହଣି କିମ୍ବା ପର୍ଯ୍ୟଟନର ଭ୍ରମଣ ଯୋଗ ଅଛି।

କନ୍ୟା-ପୋଷାକ ସପିଂ ଆପଣଙ୍କ ପାଇଁ ଉତ୍ସାହଜନକ ଏବଂ ଉପଭୋଗ୍ୟ ହେବ । କଳା ପ୍ରତି ତୁମର ଆଗ୍ରହ ବିଶେଷ ହେବ। ବ୍ୟବସାୟରେ ବିକାଶ ହେତୁ, ମନରେ ସୁଖ ରହିବ । ବ୍ୟବସାୟରେ ସମୟ ଅନୁକୂଳ ହେବ। ପ୍ରତିଯୋଗୀମାନେ ଜିତିବେ ।

ତୂଳା-ଆଜି ଆପଣଙ୍କ ପାଇଁ ମଧ୍ୟମ ଫଳପ୍ରଦ ହେବ । ପ୍ରକୃତ ସମ୍ପତ୍ତି ଦଲିଲଗୁଡ଼ିକର ଯତ୍ନ ନିଅନ୍ତୁ । ମା’ଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ । ଧ୍ୟାନ ଦିଅନ୍ତୁ ଯେ ପରିବାରରେ କୈଣସି ବିବାଦ ହେବ ନାହିଁ । କିନ୍ତୁ ମଧ୍ୟାହ୍ନ ପରେ ସୁସ୍ଥ ଅନୁଭବ କରିବେ। ସୃଜନଶୀଳ ପ୍ରବୃତ୍ତି ପ୍ରତି ଧ୍ୟାନ ଦେବ । ଛାତ୍ରମାନଙ୍କ ପାଇଁ ସମୟ ଅନୁକୂଳ ଅଟେ ।

ବିଛା- ଘରୋଇ ଜୀବନରେ ଜଟିଳ ପ୍ରଶ୍ନର ସମାଧାନ ହେବ । ଏହା ସହିତ, ଆପଣ ପ୍ରକୃତ ସମ୍ପତ୍ତି ସହିତ ଜଡିତ କାର୍ଯ୍ୟ ସହିତ ମୁକାବିଲା କରିବାକୁ ପାଇବେ । ଭାଇଭଉଣୀଙ୍କ ସହିତ ସମ୍ପର୍କରେ ରହିବ । ମଧ୍ୟାହ୍ନ ଭୋଜନ ପରେ କାର୍ଯ୍ୟରେ ଅସୁବିଧା ବୃଦ୍ଧି ପାଇବ । ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଚିନ୍ତା ଅନୁଭବ କରିବେ । ସାମାଜିକ କ୍ଷେତ୍ରରେ ପର୍ଯ୍ୟାପ୍ତ ପରିମାଣରେ ମିଳିବ । ପରିବାର ସଦସ୍ୟଙ୍କ ସହିତ ପାର୍ଥକ୍ୟ ହୋଇପାରେ । ଟଙ୍କା କ୍ଷତିର ରାଶି ।

ଧନୁ- ଆଜି, ମନ ଆଧ୍ୟାତ୍ମିକ ଚିନ୍ତାଧାରା ଏବଂ ପ୍ରବୃତ୍ତିରେ ନିୟୋଜିତ ହେବ । ତଥାପି, ଛାତ୍ରମାନେ ପଢିବା ଏବଂ ଲେଖିବାରେ ଏକାଗ୍ରତା ବଜାୟ ରଖିବା ଆବଶ୍ୟକ । ମଧ୍ୟାହ୍ନ ଭୋଜନ ପରେ, ଚିନ୍ତା କମାଇବା ପାଇଁ ସମାଧାନ ଖୋଜି ମାନସିକ ଶାନ୍ତି ଅନୁଭବ କରିବେ। ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବ । ପ୍ରତିଯୋଗୀଙ୍କ ଇଚ୍ଛା ସଫଳ ହେବ ନାହିଁ।

ମକର- ଆଜି ପ୍ରତ୍ୟେକ କାର୍ଯ୍ୟ ବିନା ବାଧାରେ ସଂପୂର୍ଣ୍ଣ ହେବ । ଘରୋଇ ଜୀବନରେ ଅତ୍ୟଧିକ ସୁସ୍ଥ୍ୟ ପରିବେଶ ରହିବ । ଆପଣ ଆଧ୍ୟାତ୍ମିକ ପ୍ରବୃତ୍ତି ପାଇଁ ଆଗ୍ରହୀ ହେବେ। ମଧ୍ୟାହ୍ନ ପରେ, ଆପଣଙ୍କ ମନରେ ନକାରାତ୍ମକ ଚିନ୍ତାଧାରାର ଆକ୍ରମଣ ହେତୁ, ନିରାଶାର ମେଘ ଦେଖାଯିବ । ନିଷ୍ପତ୍ତି ଶକ୍ତିର ଅଭାବ ରହିବ । ଘରୋଇ କାମ ପଛରେ ଟଙ୍କା ଖର୍ଚ୍ଚ କରିବାର ସମ୍ଭାବନା ଅଛି । ପୁଞ୍ଜି ବିନିଯୋଗ ପାଇଁ ଷ୍ଟକ୍ ମାର୍କେଟ୍ ଆପଣଙ୍କ ପାଇଁ ଅନୁକୂଳ ହେବ ।

କୁମ୍ଭ କୋର୍ଟ କାର୍ଯ୍ୟରେ ସଫଳତା ମିଳିବ। ପରୋପକାରୀ କାର୍ଯ୍ୟ ପଛରେ ଟଙ୍କା ଖର୍ଚ୍ଚ ହେବ। ଭଗବାନଙ୍କୁ ଉପାସନା କରିବା ଆପଣଙ୍କ ମନରେ ଶାନ୍ତି ଆଣିବ । ମଧ୍ୟାହ୍ନ ପରେ ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ସହଜରେ ସମାପ୍ତ ହେବ । ପାରିବାରିକ ଜୀବନରେ ସମନ୍ୱୟ ରହିବ । ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ।

ମୀନ-ବିବାହ କରିବାକୁ ଯୋଗ ଫିଟିବ। ବାଣିଜ୍ୟିକ କ୍ଷେତ୍ରରେ ମଧ୍ୟ ଲାଭ ହେବ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ହୁଏତ କିଛି ସୁନ୍ଦର ସ୍ଥାନରେ ରହିବାକୁ ପଡିପାରେ । ସାଙ୍ଗମାନେ ମଧ୍ୟ ଉପକୃତ ହେବେ । ମଧ୍ୟାହ୍ନ ଭୋଜନ ପରେ, ଆପଣ କୈଣସି କାରଣରୁ ମାନସିକ ସ୍ତରରେ ଚିନ୍ତିତ ହେବେ । ଧାର୍ମିକ କାର୍ଯ୍ୟ ପଛରେ ଟଙ୍କା ଖର୍ଚ୍ଚ ଅଧିକ ରହିବ। ଖର୍ଚ୍ଚ ପରିମାଣ ଆୟଠାରୁ ଅଧିକ ହେବ । ପରିବାରରେ ଶାନ୍ତିପୂର୍ଣ୍ଣ ପରିବେଶ ରହିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ହ୍ଵାଟ୍ସଆପ୍ କଲ୍ କରିବା ପାଇଁ ଟଙ୍କା ଦେବାକୁ ପଡ଼ିବ କି?: ସରକାରଙ୍କ ନିକଟରେ ଅଭିଯୋଗ କରିଥିଲା ଜିଓ

ନୂଆଦିଲ୍ଲୀ: ଶୀତ କାଳୀନ ଅଧିବେଶନରେ ଭାରତ ସରକାର ଟେଲିକମ୍ୟୁନିକେସନ୍ ବିଲ-୨୦୨୩ ଆଗତ କରିଛନ୍ତି। ଏଥିରେ ଅନେକ ବଡ଼ ପରିବର୍ତ୍ତନ ହୋଇଛି। ସେହିପରି ନେଟଫ୍ଲିକ୍ସ ଓ ପ୍ରାଇମ ଭିଡିଓ ଭଳି ଆପକୁ ନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ ଏପର୍ଯ୍ୟନ୍ତ ଅନେକ ଚର୍ଚ୍ଚା ହୋଇଥିଲା। ସୋମବାର ସଂସଦରେ ଟେଲିକମ୍ ବିଲ୍ ଆଗତ ହୋଇଛି। ଟେଲିକମ୍ ସେବାରେ ଓଟିଟି ସଂଜ୍ଞା ଅନ୍ତର୍ଭୁକ୍ତ ହୋଇନାହିଁ।

ଏହାପରେ ସାଟେଲାଇଟ୍ ସ୍ପେକ୍ଟ୍ରମକୁ ନେଇ ସରକାର କ’ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି ତାହା ସ୍ପଷ୍ଟ ହୋଇଛି। ଏହାଦ୍ୱାରା ଟେଲିକମ୍ ନିୟାମକମାନଙ୍କୁ ଦିଆଯାଇଥିବା କ୍ଷମତା ବଜାୟ ରହିବ। ପୂର୍ବ ବିଲରେ ହ୍ଵାଟ୍ସଆପ୍ ଏବଂ ସ୍କାଇପ୍ ଭଳି ଭିଡିଓ କଲିଂ ପ୍ରୋଗ୍ରାମରେ ଏହି ସଂଜ୍ଞା ସ୍ଥିର କରାଯାଇଥିଲା। କିନ୍ତୁ ଏବେ ସେହି ସଂଜ୍ଞାକୁ ହଟାଇ ଦିଆଯାଇଛି। ଏହାଦ୍ୱାରା ଆପ୍ସକୁ ବହୁତ ଫାଇଦା ମିଳିବ।

ଜରିମାନା ମଧ୍ୟ ହ୍ରାସ କରାଯାଇଛି

ଏଥିସହ ଟେଲିକମ୍ କମ୍ପାନିଗୁଡ଼ିକ ପାଇଁ ଜରିମାନାରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏବେ କମ୍ପାନିଗୁଡ଼ିକୁ ସର୍ବାଧିକ ୫ କୋଟି ଜରିମାନା ଦେବାକୁ ପଡ଼ିବ। ଅପରପକ୍ଷରେ କମ୍ପାନିଗୁଡ଼ିକ ଉପରେ ୫୦ କୋଟି ପର୍ଯ୍ୟନ୍ତ ଜରିମାନା ଆଦାୟ କରିବାର ବ୍ୟବସ୍ଥା ରହିଛି। କିନ୍ତୁ ଏଥିରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସେହି ଅନୁଯାୟୀ ଟେଲିକମ୍ କମ୍ପାନିଗୁଡ଼ିକୁ ଅନେକ ଆଶ୍ୱସ୍ତି ଦିଆଯାଇଛି।

ମାଗଣା ହ୍ଵାଟ୍ସଆପ୍ କଲିଂ

ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ପୂର୍ବରୁ କହିଥିଲେ ଯେ ଓଟିଟି ଯୋଗାଯୋଗ ଏବଂ ଉପଗ୍ରହ ଆଧାରିତ ସେବା ଅଡିଓ ଏବଂ ଭିଡିଓ କଲ୍ ପ୍ରଦାନ କରୁଥିବାରୁ ସେମାନଙ୍କୁ ଏହା ବନ୍ଦ କରିବାକୁ ପଡ଼ିବ ଏବଂ ଏଥିପାଇଁ କୌଣସି ଶୁଳ୍କ ନିଆଯାଏ ନାହିଁ। ଏଥିପାଇଁ ସେମାନେ ସ୍ପେକ୍ଟ୍ରମ୍ ଫି’ ଏବଂ ଲାଇସେନ୍ସ ଫି’ ମଧ୍ୟ ଦେଉନାହାନ୍ତି। କମ୍ ସ୍ପଷ୍ଟତା କାରଣରୁ ନେଟଫ୍ଲିକ୍ସ, ପ୍ରାଇମ୍ ଏହି ପ୍ରସଙ୍ଗ ଉଠାଇଥିଲା। ତେବେ ଏ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଅର୍ଥାତ୍ ବର୍ତ୍ତମାନ କୌଣସି ଶୁଳ୍କ ନାହିଁ ଏବଂ ଆପଣ ସମାନ ଢଙ୍ଗରେ ହ୍ୱାଟସଆପ୍ ମାଗଣା କଲିଂର ମଜା ନେଇପାରିବେ।

Categories
ବିଶେଷ ଖବର

ଶୀତ ଅଧିବେଶନ: ୯୨ ବିରୋଧୀ ସାଂସଦ ନିଲମ୍ବିତ, ଆସନ୍ତାକାଲି ଇଣ୍ଡି ମେଣ୍ଟ ବୈଠକରେ କ’ଣ ରହିବ ରଣନୀତି

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ବାଧା ସୃଷ୍ଟି କରିଥିବାରୁ ଆଜି ୭୮ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଏହି ୭୮ ଜଣ ସାଂସଦଙ୍କୁ ଶୀତକାଳୀନ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ସାଂସଦମାନଙ୍କ ମଧ୍ୟରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ଡିଏମକେ ସାଂସଦ ଟିଆର ବାଲୁ, ଟିଏମସିର ସୌଗତ ରାୟ ଏବଂ ଉଭୟ ଗୃହର ଅନେକ ନେତା ଅଛନ୍ତି। ଏହି ସାଂସଦମାନଙ୍କୁ ନିଲମ୍ବିତ କରିବା ପୂର୍ବରୁ ଗୁରୁବାର ହଙ୍ଗାମା ଯୋଗୁଁ ୧୪ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା।

କଂଗ୍ରେସ ସାଂସଦ ତଥା ଲୋକସଭାରେ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଏହି ୧୪ ଜଣ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ରବିବାର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖିଛନ୍ତି। ଅଧିର ରଞ୍ଜନ ଚୌଧୁରୀଙ୍କୁ ମଧ୍ୟ ଶୀତ ଅଧିବେଶନର ଅବଶିଷ୍ଟ ଅବଧି ପାଇଁ ନିଲମ୍ବିତ କରାଯାଇଛି। ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ଏହା ହେଉଛି ସଂସଦର ଶେଷ ପୂର୍ଣ୍ଣକାଳୀନ ଅଧିବେଶନ ଏବଂ ଆଉ ୪ ଦିନ ବାକି ଅଛି। ଉଭୟ ଶାସକ ଦଳ ଓ ବିରୋଧୀ ଖଣ୍ଡପୀଠର ନିଜସ୍ୱ ଯୁକ୍ତି ରହିଛି। ଏଭଳି ସ୍ଥିତିରେ ବିରୋଧୀଙ୍କ ରଣନୀତି କ’ଣ ରହିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଲୋକସଭା ନିର୍ବାଚନ ଓ ଉଭୟ ମୁହାଁମୁହିଁ

ଏଥର ଶୀତ ଅଧିବେଶନରେ ନିଲମ୍ବିତ ଶବ୍ଦ ଅଧିକ ଶୁଣିବାକୁ ମିଳୁଛି। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଶ୍ନ ଉଠୁଥିଲା, ଗତ ପୂର୍ଣ୍ଣାଙ୍ଗ ଅଧିବେଶନ ବିନା ବାଧାରେ ଗୃହ ଚାଲିବାକୁ ଅନୁମତି ଦେବ କି ? ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବହିଷ୍କାର ସହ ୧୯ ଦିନିଆ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିଲା। ଯାହା ପରେ ବିରୋଧୀ ସାଂସଦମାନେ ଏହାକୁ ନେଇ ଜୋରଦାର ହୋହଲ୍ଲା କରିଥିଲେ। ବିଧାନସଭା ନିର୍ବାଚନ ଫଳାଫଳର ପରଦିନ ଗୃହ ଆରମ୍ଭ ହୋଇଥିଲା ଏବଂ ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲେ ଯେ ସେ ଆଶା କରନ୍ତି ଯେ ସେ ଗୃହ ଭିତରେ ପରାଜୟର କ୍ରୋଧ ପ୍ରକାଶ କରିବେ ନାହିଁ। ଏଭଳି ସ୍ଥିତିରେ ଚଳିତ ଅଧିବେଶନରେ ଝଡ଼ତୋଫାନ ହେବ ବୋଲି ଆକଳନ କରାଯାଇଥିଲା। ଡିସେମ୍ବର ୧୩ରେ ସଂସଦରେ ସୁରକ୍ଷା ତ୍ରୁଟି ପରେ ଏହି ମାମଲା ଉଗ୍ରରୂପ ଧାରଣ କରିଛି। ଏବେ ଉଭୟ ଶାସକ ଦଳ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି।

ବିରୋଧୀଙ୍କ ରଣନୀତି କ’ଣ ରହିବ, ବିଜେପି ବୈଠକରେ କ’ଣ ଉଠିବ ପ୍ରସଙ୍ଗ

ଏହି ଅଧିବେଶନରେ ଏପର୍ଯ୍ୟନ୍ତ ୯୨ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଛି ଏବଂ ଇତି ମଧ୍ୟରେ ମଙ୍ଗଳବାର ଦିଲ୍ଲୀରେ ବିରୋଧୀ ଦଳ ଇଣ୍ଡି ମେଣ୍ଟର ଏକ ବୈଠକ ହେବାକୁ ଯାଉଛି। ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ପରେ ଏହି ବୈଠକ ହେବାକୁ ଯାଉଛି। ଏହି ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିନଥିବାରୁ ମେଣ୍ଟ ସହଯୋଗୀମାନେ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ। ମେଣ୍ଟର ଏକତାକୁ ନେଇ ଅନେକ ପ୍ରଶ୍ନ ଉଠୁଥିବାବେଳେ ଏହି ବୈଠକ ହେବାକୁ ଯାଉଛି ଏବଂ ସେସବୁ ପ୍ରସଙ୍ଗ ସହିତ ଲୋକସଭା ନିର୍ବାଚନ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ ବୋଲି ବିଶ୍ୱାସ କରାଯାଉଛି। ଏହା ପୂର୍ବରୁ ସଂସଦର ଶୀତକାଳୀନ ଅଧିବେଶନରେ ବିରୋଧୀ ଦଳର ସାଂସଦମାନଙ୍କୁ ନିଲମ୍ବନ ପ୍ରସଙ୍ଗ ଏହି ବୈଠକରେ ଉଠିପାରେ। ଏହି ସମଗ୍ର ପ୍ରସଙ୍ଗରେ ବିରୋଧୀଙ୍କ ରଣନୀତି କ’ଣ ରହିବ ସେ ନେଇ ଆଲୋଚନା ସମ୍ଭବ।

ଉଭୟ ଶାସକ ଦଳ ଓ ବିରୋଧୀଙ୍କ ନିଜସ୍ୱ ଯୁକ୍ତି ରହିଛି

ସାଂସଦଙ୍କ ନିଲମ୍ବନ ଓ ହଙ୍ଗାମା ପଛରେ ଉଭୟ ଶାସକ ଦଳ ଓ ବିରୋଧୀଙ୍କ ନିଜସ୍ୱ ଯୁକ୍ତି ରହିଛି। ଗୋଟିଏ ପଟେ ସଂସଦରେ ସୁରକ୍ଷା ତ୍ରୁଟିକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ଗୃହରେ ବୟାନ ଦିଅନ୍ତୁ ବୋଲି ବିରୋଧୀ ଦାବି କରୁଛନ୍ତି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତବ୍ୟ ସତ୍ତ୍ୱେ ଅଚଳାବସ୍ଥା ଥମିବାର ନାଁ ନେଉନାହିଁ। ଏହାର ପ୍ରଭାବ ସୋମବାର ଦେଖିବାକୁ ମିଳିଥିଲା। ଏହି ନିଲମ୍ବନ ଉପରେ ବିରୋଧୀ ସାଂସଦମାନେ କହିଛନ୍ତି ଯେ ସରକାର ଏକଛତ୍ରବାଦକୁ ଓହ୍ଲାଇଛନ୍ତି। ଗୃହରେ ବାଧା ଉପୁଜିବାରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଶାସକ ଦଳ ପକ୍ଷରୁ କୁହାଯାଇଛି। ବିରୋଧୀମାନେ ବାରମ୍ବାର ହୋହଲ୍ଲା କରୁଛନ୍ତି। ସରକାର ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ଏବେବି ତଦନ୍ତ ଜାରି ରହିଛି। ଏସବୁ ଜାଣି ବିରୋଧୀ ଜାଣିଶୁଣି ସଂସଦ ଚାଲିବାକୁ ଦେଉନାହାନ୍ତି।

ସାଧାରଣତଃ ଦେଖିବାକୁ ମିଳିଛି ଯେ ଲୋକସଭା ନିର୍ବାଚନ ପୂର୍ବରୁ ଗତ ଅଧିବେଶନରେ ପ୍ରବଳ ହଙ୍ଗାମା ହେଉଛି, ଯେଉଁକାରଣରୁ ସଂସଦର କାର୍ଯ୍ୟଧାରା ଠିକ୍ ଭାବେ ଚାଲିପାରୁନାହିଁ। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ୨୦୧୮ରେ ଶୀତ କାଳୀନ ଅଧିବେଶନରେ ଅଧିକ ହଙ୍ଗାମା ହୋଇଥିଲା। ସେତେବେଳେ ସଂସଦ ମାତ୍ର ୭୪ ଘଣ୍ଟା ଚାଲିପାରୁଥିଲା। ଏବେ ପୁଣି ଥରେ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଆକ୍ରମଣାତ୍ମକ ମନୋଭାବ ଅବଲମ୍ବନ କରୁଥିବାବେଳେ ଶାସକ ଦଳ ମଧ୍ୟ ସମାନ ମନୋଭାବରେ ଦେଖିବାକୁ ମିଳୁଛି।

Categories
ବିଶେଷ ଖବର

ଏବିଭିପିର ବିଜେପିର ତିନି ନୂଆ ମୁଖ୍ୟମନ୍ତ୍ରୀ, ଆଶ୍ଚର୍ଯ୍ୟ କରିଦେବ ଆରଏସଏସର ବଡ଼ ନେତାଙ୍କ ତାଲିକା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଘୋଷଣା ହେବାର କିଛିଦିନ ପୂର୍ବରୁ ମୋହନ ଯାଦବ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପ୍ରତିଷ୍ଠା ଦିବସର ୭୫ତମ ବାର୍ଷିକୀରେ ଯୋଗଦେବା ପାଇଁ ଜାତୀୟ ରାଜଧାନୀ ଆସିଥିଲେ। ଏବିଭିପିରେ ବିଜେପି ଓ ଆରଏସଏସ ନେତାଙ୍କ ଦୃଢ଼ ଭିତ୍ତିଭୂମି ରହିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କଠାରୁ ଆରମ୍ଭ କରି କଂଗ୍ରେସ ଶାସିତ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ପର୍ଯ୍ୟନ୍ତ ଏହି ନେତାମାନଙ୍କ ମଧ୍ୟରୁ ଅଧିକାଂଶ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଛାତ୍ର ଶାଖା ଏବିଭିପି ସହିତ ଛାତ୍ର ରାଜନୀତିରେ ଦିନ କାଟିଛନ୍ତି।

ଏବିଭିପିରୁ କେନ୍ଦ୍ରମନ୍ତ୍ରୀ

ବିଜେପିର ପ୍ରମୁଖ ପଦବୀରେ ଥିବା ଏବିଭିପି ଛାତ୍ର କର୍ମୀଙ୍କ ତାଲିକାରେ ରାଜନାଥ ସିଂହ, ନୀତିନ ଗଡକରୀ, ଧର୍ମେନ୍ଦ୍ର ପ୍ରଧାନ, ଭୁପେନ୍ଦ୍ର ଯାଦବ, ଜି କିଶନ ରେଡ୍ଡୀ, ଗଜେନ୍ଦ୍ର ଶେଖାୱତ, କିରଣ ରିଜିଜୁ, ଭି ମୁରଲୀଧରନଙ୍କ ସମେତ ପ୍ରାୟ ଏକ ଡଜନ କେନ୍ଦ୍ରମନ୍ତ୍ରୀ ରହିଛନ୍ତି। ସେହିଭଳି ସୁନୀଲ ବଂଶଲ (ପୂର୍ଣ୍ଣକାଳୀନ ଆରଏସଏସ ପ୍ରଚାରକ), ବିଜେପି ସଂଗଠନର ସାଧାରଣ ସମ୍ପାଦକ ବିନୋଦ ତାୱଡେ ଏବଂ ରାଷ୍ଟ୍ରୀୟ ସମ୍ପାଦକ ଆଶା ଲାକ୍ରା ଓ ଓପି ଧନକର ଏବିଭିପିରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ।

ଏବିଭିପି ପୃଷ୍ଠଭୂମିର ମୁଖ୍ୟମନ୍ତ୍ରୀଙ୍କ ତାଲିକା ମଧ୍ୟ ଛୋଟ ନୁହେଁ

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଭାବେ ପୁଷ୍କର ଧାମୀ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଭାବେ ଦେବେନ୍ଦ୍ର ଫଡନାଭିସ ଏବଂ ନିକଟରେ ନିଯୁକ୍ତ ହୋଇଥିବା ତିନିଜଣ ମୁଖ୍ୟମନ୍ତ୍ରୀ- ରାଜସ୍ଥାନରେ ଭଜନ ଲାଲ ଶର୍ମା, ମଧ୍ୟପ୍ରଦେଶରେ ମୋହନ ଯାଦବ ଏବଂ ଛତିଶଗଡ଼ରେ ବିଷ୍ଣୁ ଦେଓ ସାଇଙ୍କ ସମେତ ରାଜ୍ୟ ମୁଖ୍ୟ, ସମସ୍ତେ ଏବିଭିପିରୁ ସେମାନଙ୍କର ରାଜନୈତିକ ଆରମ୍ଭ କରିଛନ୍ତି। ଶିବରାଜ ସିଂହ ଚୌହାନ, ଜୟରାମ ଠାକୁର, ବିଜୟ ରୁପାନି, ତୀରଥ ସିଂ ରାୱତ ଏବଂ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ ସମେତ ଅନେକ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ଏବିଭିପିରୁ ରାଜନୀତିକୁ ଆସିଛନ୍ତି। ଏବିଭିପି କର୍ମୀଙ୍କ ଉତ୍‍ଥାନ ସଂଘ ଭିତରେ ମଧ୍ୟ ଦେଖିବାକୁ ମିଳୁଛି। ଆରଏସଏସର ଏକ ବଡ଼ ଚେହେରା ହେବା ପୂର୍ବରୁ ଏହାର କାର୍ଯ୍ୟନିର୍ବାହୀ ମୁଖ୍ୟ ଦତ୍ତାତ୍ରେୟ ହୋସବଲେ ଛାତ୍ର ସଂଗଠନ ଏବିଭିପିରେ ୩୦ ବର୍ଷ ବିତାଇଥିଲେ।

ଆରଏସଏସ ଏବଂ ସହଯୋଗୀ ସଂଗଠନ ଉପରେ ମଧ୍ୟ ଏବିଭିପିର ଆଧିପତ୍ୟ ରହିଛି
ସଂଘର ପ୍ରଚାର ମୁଖ୍ୟ ସୁନୀଲ ଆମ୍ବେକର, ବିଶ୍ୱ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର, ଆରଏସଏସର ସହ-ପ୍ରଭାରୀ ରମେଶ ଆପ୍ପା ଜୀ ଏବଂ ବିଭିନ୍ନ ୟୁନିଟର କର୍ମକର୍ତ୍ତାମାନେ ମଧ୍ୟ ଏବିଭିପିରୁ ନିଜର ସାର୍ବଜନୀନ ଜୀବନ ଆରମ୍ଭ କରିଥିଲେ। ଖାଲି ସେତିକି ନୁହେଁ, ନଡ୍ଡା, ପ୍ରଧାନ, ତାୱଡେ, ରୂପାନୀ, ଜୟରାମଙ୍କ ସମେତ ଅନେକ ବିଜେପି ନେତାଙ୍କ ପତ୍ନୀ ମଧ୍ୟ ଏବିଭିପିର। ଆଶ୍ଚର୍ଯ୍ୟର କଥା ହେଉଛି, ଏବିଭିପିରେ ନିୟୋଜିତ ବରିଷ୍ଠ କେନ୍ଦ୍ରୀୟ କର୍ମକର୍ତ୍ତାଙ୍କ ପରାମର୍ଶକ୍ରମେ ଏହି ବିବାହଗୁଡ଼ିକ ମଧ୍ୟରୁ ଅଧିକାଂଶର ସମାଧାନ ହୋଇଥିଲା ବୋଲି ଛାତ୍ର ସଂଗଠନର କର୍ମକର୍ତ୍ତାମାନେ କହିଛନ୍ତି।

ବିଜେପି-ଆରଏସଏସ ବାହାରେ ବି ଏବିଭିପିର ଆଧିପତ୍ୟ ରହିଛି

ଏବିଭିପିର ପ୍ରଭାବ କେବଳ ବିଜେପି ଏବଂ ଆରଏସଏସରେ ସୀମିତ ନାହିଁ, ଏହା ଶିକ୍ଷା ଜଗତରେ ବହୁତ ପଅଭାବଶାଳୀ ହୋଇଛି – ବିଭିନ୍ନ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତିଠାରୁ ଆରମ୍ଭ କରି ଶିକ୍ଷା ସମ୍ବନ୍ଧୀୟ ନୀତି, ବିଶେଷକରି ମୋଦୀ ସରକାରଙ୍କ ଅଧୀନରେ ପ୍ରସ୍ତୁତ ନୂତନ ଶିକ୍ଷା ନୀତିକୁ ଏବିଭିପିରୁ ପ୍ରଫେସର ଥିବା ବ୍ୟକ୍ତିମାନେ ପ୍ରସ୍ତୁତ କରିଛନ୍ତି। ଏବିଭିପିର ବଢୁଥିବା ପ୍ରଭାବ ସମ୍ପର୍କରେ ପଚରାଯିବାରୁ ବିଜେପି ନେତା ବିନୟ ସହସ୍ରବୁଦ୍ଧେ କହିଛନ୍ତି ଯେ ଛାତ୍ର ସଂଗଠନ ଛାତ୍ର ଜୀବନକୁ ଅବଗତ କରାଇଥାଏ ଏବଂ ଯୁବମନକୁ ଶୃଙ୍ଖଳା, ସାମାଜିକ ଜୀବନ ବିଷୟରେ ପ୍ରଶିକ୍ଷଣ ଦେଇଥାଏ ଏବଂ ସମାଜ ପାଇଁ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିଥାଏ। ଏହା ଲୋକମାନଙ୍କୁ ନିର୍ବାଚନ ଲଢ଼ିବା ଭଳି କାର୍ଯ୍ୟରେ ସାମିଲ ହେବାକୁ ପ୍ରେରଣା ଦେଇଥାଏ ଯେଉଁଥିରେ ସଂଘର ଅନ୍ୟାନ୍ୟ ଅନୁବନ୍ଧିତ ସଂଗଠନ ସାଧାରଣତଃ ସମ୍ପୃକ୍ତ ନୁହଁନ୍ତି।

Categories
ଆଜିର ଖବର ରାଜ୍ୟ ଖବର

୧୭ ତମ ଦେବଦାସୀ ଅନ୍ତଃରାଷ୍ଟ୍ରୀୟ ନୃତ୍ୟ ମହୋତ୍ସବର ପ୍ରଥମ ସନ୍ଧ୍ୟା: ସମ୍ମାନିତ ହେଲେ ସାତ ପ୍ରଖ୍ୟାତ ନୃତ୍ୟଶିଳ୍ପୀ

ଭୁବନେଶ୍ୱର: ଦେବଦାସୀ ନୃତ୍ୟମନ୍ଦିର ଦ୍ୱାରା ଆୟୋଜିତ ତିନି ଦିନିଆ ୧୭ ତମ ଦେବଦାସୀ ଅନ୍ତଃରାଷ୍ଟୀୟ ନୃତ୍ୟ ମହୋତ୍ସବ ଓ ନବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆଜି ଭଂଜକଳାମଣ୍ଡପ ଠାରେ ଆରମ୍ଭ ହୋଇଛି। କୁଚିପୁଡ଼ି, ଭାରତନାଟ୍ୟମ, ଓଡିଶୀ, କଥାକଲି ଭଳି ପ୍ରଖ୍ୟାତ ଶାସ୍ତ୍ରୀୟ ନୃତ୍ୟର ପ୍ରତିଷ୍ଠିତ ସାତଜଣ ନୃତ୍ୟଶିଳ୍ପୀଙ୍କୁ ଦେବଦାସୀ ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ କରାଯାଇଛି।

ଆଜି ସନ୍ଧ୍ୟାରେ କୁଚିପୁଡ଼ି, କଥାକ, କଥାକଲି, ଓଡିଶୀ, ଭାରତନାଟ୍ୟମ ଆଦି ଦେଶର ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟରେ ପ୍ରସିଦ୍ଧି ଲlଭ କରିଥିବା ନୃତ୍ୟ ଶିଳ୍ପୀଙ୍କ ନୃତ୍ୟରେ ବିଭୋର ହୋଇଥିଲେ ଦର୍ଶକ। ଦୀର୍ଘ ୧୭ ବର୍ଷ ହେଲା ଦେବଦାସୀ ନୃତ୍ୟ ମନ୍ଦିର ନୃତ୍ୟ କଳା ଓ ଭାରତୀୟ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଅନେକ କାର୍ଯ୍ୟକ୍ରମ ବିଭିନ୍ନ ସମୟରେ ଆୟୋଜିତ କରିଆସୁଛି। ଦେବଦାସୀ ନୃତ୍ୟ ମନ୍ଦିରର ପ୍ରତିଷ୍ଠାତା ମନୋଜ ଜେନାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଆଜି ସନ୍ଧ୍ୟାରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ପ୍ରସନ୍ନ ପଟ୍ଟଶାଣୀ, ଜାତୀୟ ମାନବାଧିକାର କମିଶନ କୋର ସଦସ୍ୟ ମନୋଜ ଜେନା, ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ, ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, ଡ୍ୟାନ୍ସ ଇଣ୍ଡିଆ ମାଗାଜିନ ସମ୍ପାଦକ ବିକ୍ରମ ଗୌଡ଼, ସାଇ ଭେଙ୍କଟେଶ, ବିଜୟ ନନ୍ଦ ଆଦି ଉପସ୍ଥିତ ରହି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।

ନୃତ୍ୟ, କଳା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଜଗବନ୍ଧୁ ଜେନାଙ୍କ ପ୍ରଚେଷ୍ଟାକୁ ସମସ୍ତ ଅତିଥି ପ୍ରଶଂସା କରିଥିଲେ। ପ୍ରତିଷ୍ଠିତ କଥାକ ନୃତ୍ୟଶିଳ୍ପୀ ପାରିମିତା ମୈତ୍ର, ମୋହିନୀ ଅର୍କାମ ନୃତ୍ୟ ଶିଳ୍ପୀ ଚିତ୍ରା ସୁକୁମାରାନ, ମାହାରୀ ନୃତ୍ୟ ଶିଳ୍ପୀ ରୂପଶ୍ରୀ ମହାପାତ୍ର, ଓଡିଶୀ ରେ ସୁଜାତା ନାୟକ ଆଦିଙ୍କୁ ଦେବଦାସୀ ରାଷ୍ଟ୍ରୀୟ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଓଡିଶୀ ଗୁରୁ ଦେବମିତା ସାହୁ ଓ ନାୟିକା ନୀଳପଦ୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଂଜୁଙ୍ଗର ରାଜାଙ୍କ ନେତୃତ୍ୱରେ କ୍ୟାମେରୁନ୍‌ର ପ୍ରତିନିଧି ମଣ୍ଡଳୀଙ୍କର ସୋଆ ପରିଦର୍ଶନ

ଭୁବନେଶ୍ୱର: ବାଂଜୁଙ୍ଗର ରାଜା ଡକ୍ଟର ହୋନର୍ ଜୋମୋ କାମ୍‌ଗାଙ୍କ ନେତୃତ୍ୱରେ କ୍ୟାମେରୁନ୍‌ର ଏକ ତିନି ଜଣିଆ ପ୍ରତିନିଧି ଦଳ ଦୁଇ ଦିନିଆ ସୋଆ ଗସ୍ତରେ ଆସି ବିଶ୍ୱବିଦ୍ୟାଳୟ ପରିଚାଳିତ ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌ ସମ୍ପର୍କରେ ଜ୍ଞାନ ଆହରଣ କରିଛନ୍ତି। ରାଜାଙ୍କ ସହିତ ଜର୍ମାନୀର ହାମ୍‌ବର୍ଗ ସ୍ଥିତ ଇନ୍‌ଟରନ୍ୟାସ୍‌ନାଲ୍ ଟ୍ରିବ୍ୟୁନାଲ୍ ଫର୍ ଦ ଲ ଅଫ୍ ଦ ସି ‘ର ବିଚାରପତି ପ୍ରଫେସର (ଡକ୍ଟର) ମୌରିସ୍ କେଙ୍ଗନେ କାମ୍‌ଗା ଓ କ୍ୟାମେରୁନ୍ ଦୁଆଲା ସ୍ଥିତ ହାନ୍‌ସିଆଟିକ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍‌ ଆଣ୍ଡ ଆପ୍ଲାଏଡ୍ ସାଇନ୍‌ସେସ୍ (ହିଟାସ୍‌)ର ପ୍ରମୁଖ ପ୍ରତିଷ୍ଠାତା ଇନୋସେଂଟ ଟାକ୍‌ଟୋ ଫୋଟ୍‌ସୋ ସୋଆ ପରିଦର୍ଶନରେ ଆସିଥିଲେ।

ଏହି ପ୍ରତିନିଧି ଦଳ ସୋଆର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍ସ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍‌ ହସ୍ପିଟାଲ୍ ଓ କର୍ପୋରେଟ ହସ୍ପିଟାଲ୍ ସମ୍ ଅଲ୍ଟିମେଟ ମେଡିକେୟାର ବୁଲି ଦେଖିଥିଲେ। ପରବର୍ତ୍ତୀ ସମୟରେ ସେମାନେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।

ହସ୍ପିଟାଲ୍ ଦୁଇଟି ଖୁବ୍ ଉଚ୍ଚକୋଟୀର ଏବଂ ଏହିଭଳି ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌ର ଆବଶ୍ୟକତା ଦୁଆଲାରେ ଥିବା ବେଳେ ଆମେ ମଧ୍ୟ ଏକ ପ୍ରକଳ୍ପ ଆରମ୍ଭ କରିବାର ଯୋଜନା କରିବୁ ବୋଲି ଶ୍ରୀ ଫୋଟ୍‌ସୋ କହିଥିଲେ।

ଗତ ଫେବୃଆରୀ ମାସରେ ସୋଆ ଏବଂ ହିଟାସ୍ ମଧ୍ୟରେ କ୍ୟାମେରୁନ୍‌ର ଛାତ୍ରଛାତ୍ରୀଙ୍କୁ ସୋଆରେ ପ୍ରଶିକ୍ଷଣ ଓ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।

ଏହି ଅବସରରେ ବାଂଜୁଙ୍ଗର ରାଜା ଡକ୍ଟର କାମ୍‌ଗା କହିଥିଲେ ଯେ କ୍ୟାମେରୁନ୍‌ରେ ଏକ ମେଡିକାଲ୍ କଲେଜ ଆରମ୍ଭ କରିବା ନେଇ ସୋଆର ସହଯୋଗ ଆବଶ୍ୟକ। ସେହିପରି ଚିକିତ୍ସା ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ନିମନ୍ତେ କ୍ୟାମେରୁନ୍‌ର ରୋଗୀମାନେ ସୋଆ ପରିଚାଳିତ ହସ୍ପିଟାଲଗୁଡ଼ିକୁ ଆସିବା ନେଇ ସେ ଗୁରୁତ୍ୱ ଦେଇଥିଲେ।

ପ୍ରଫେସର ନନ୍ଦ କହିଥିଲେ ଯେ ପ୍ରତିନିଧିମାନେ ସୋଆର ବିଭିନ୍ନ ଅନୁଷ୍ଠାନ ବୁଲିବା ସହିତ ଏହା କିଭଳି ଭାବେ ପରିଚାଳିତ ସେ ବିଷୟରେ ଜ୍ଞାନ ଆହରଣ କରିଥିଲେ। ସକାଳେ ପ୍ରତିନିଧି ଦଳ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ ପରିଦର୍ଶନରେ ଯାଇଥିଲେ।

ସେଠାରେ ଆସିଷ୍ଟାଂଟ ପ୍ରଫେସର ଥିବା ପ୍ରଫେସର ସଂଦୀପ୍ତା ପାଢ଼ୀଙ୍କ ଦ୍ୱାରା ଲିଖିତ ‘ସରୋଗେସି ଇନ୍ ଏ ଗ୍ଲୋବାଲାଇଜ୍‌ଡ ୱର୍ଲ୍ଡ’ ପୁସ୍ତକକୁ ବାଂଜୁଙ୍ଗ୍‌ର ରାଜା ଉନ୍ମୋଚିତ କରିଥିଲେ। ସେଠାରେ ପ୍ରଫେସର ମରିସ୍ କାମ୍‌ଗା “ଏବିସି ଅଫ୍ ଦି ଇନଟରନ୍ୟାସ୍‌ନାଲ୍ ଲ ଅଫ୍ ଦି ସି” ପ୍ରସଙ୍ଗରେ ଏକ ବକ୍ତବ୍ୟ ରଖିଥିଲେ। ଏଥିରେ ଶିକ୍ଷାନୁଷ୍ଠାନର ଡିନ୍‌
ପ୍ରଫେସର ଏସ୍‌. ଏ. କେ.ଆଜାଦଙ୍କ ସହିତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ସୋଆ ଇନ୍‌ଟରନ୍ୟାସ୍‌ନାଲ୍ ରିଲେସନ୍ସ ଓ ଆଉଟରିଚ୍ ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଅତିଥି ପରିଚୟ ଦେବା ସହିତ ପ୍ରତିନିଧି ଦଳଙ୍କୁ ପରିଦର୍ଶନରେ ସକ୍ରିୟ ସହାୟତା ଯୋଗାଇଥିଲେ। ରବିବାର ଦିନ ଡେଲିଗେସନ୍ ସୋଆରେ ଅଧ୍ୟୟନରତ କ୍ୟାମେରୁନ୍ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡ ଦ୍ଵାରା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଜି ବାଳକୃଷ୍ଣପୁର ଠାରେ କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡ ଓ କେନ୍ଦ୍ରୀୟ ଶ୍ରମିକ ସଂଗଠନ ହିନ୍ଦ୍ ମଜଦୂର ସଭା ଗଞ୍ଜାମ ଜିଲ୍ଲାର ମିଳିତ ଅନୁକୁଲ୍ୟରେ ଏକ ପ୍ରଶିକ୍ଷଣ ଶିବିର ଲାଞ୍ଜିଆ ସମିତି ସଭ୍ୟ ତଥା ଆମ୍ବଗଡ ସମବାୟ ସେବା ସମିତି ସଭାପତି କାହ୍ନୁ ଚରଣ ପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡର ଆଞ୍ଚଳିକ ନିର୍ଦ୍ଦେଶକ ଏମ.ଏ ଅଖତର ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରମିକଙ୍କ ହିତ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ପଠାଉଥିବା ଟଙ୍କା କିପରି ପାଇବେ, କହିବା ସହ କେନ୍ଦ୍ର ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଇ-ଶ୍ରମ କାର୍ଡ ଦ୍ଵାରା ବିନା ମୂଲ୍ୟରେ ଦୁଇ ଲକ୍ଷ ଟଙ୍କାର ବିମା ସହାୟତା ସରକାର ଯୋଗାଉଥିବା ସେ ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡର ବରିଷ୍ଠ ଶିକ୍ଷା ଅଧିକାରୀ ଦିଲୀପ କୁମାର ଶତପଥୀ ଯୋଗଦେଇ ଶ୍ରମିକ ମାନେ ବିଭିନ୍ନ କାର୍ଡ କରିବା ସହ ତାର ସଦୁପଯୋଗ କରି ଜନ୍ମ ଠାରୁ ମୃତ୍ୟ ପର୍ଯ୍ୟନ୍ତ ମିଳୁଥିବା ବିଭିନ୍ନ ସହାୟତା ରାଶି କିପରି ପାଇବେ ସେ ଉଲ୍ଲେଖ କରିଥିଲେ। ମୁଖ୍ୟ ବକ୍ତା ଭାବେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ହିନ୍ଦ୍ ମଜଦୂର ସଭାର ଗଞ୍ଜାମ ଜିଲ୍ଲା ସଂଯୋଜକ ସତ୍ୟ ନାରାୟଣ ତ୍ରୀପାଠୀ ଶ୍ରମିକଙ୍କ ପାଇଁ ସରକାର କିଭଳି ନିଜକୁ ସେମାନଙ୍କ ଅତି ନିକଟତର ହେବେ ସେଥିପାଇଁ ପ୍ରତି ବ୍ଲକରେ ଜଣେ ଲେଖାଏ ସହାୟକ ଶ୍ରମ ଅଧିକାରୀ ନିଯୁକ୍ତି ଦେଇଛନ୍ତି। ସେ ବିଷୟରେ କହିବା ସହ ନିର୍ମାଣ ଶ୍ରମିକ ମାନେ ସେମାନଙ୍କ ପରିଚୟ ପତ୍ର ଠାରୁ ଆରମ୍ଭ କରି ଜନ୍ମ ସହାୟତା, ଶିକ୍ଷା ସହାୟତା, ବାହାଘର ସହାୟତା, ମୁତ୍ୟୁ କାଳୀନ ସହାୟତା ଭଳି ଅନେକ ସହାୟତା ମିଳୁଥିବା ତାଙ୍କ ବକ୍ତବ୍ୟ ଉଲ୍ଲେଖ କରିଥିଲେ।

ଏହି କାର୍ଯ୍ଯକ୍ରମରେ ଦୁଇ ଶହରୁ ଉର୍ଦ୍ଧ୍ବ ବିଭିନ୍ନ ଶ୍ରେଣୀୟ ଶ୍ରମିକ ଭାଇ ଭଉଣୀ ମାନେ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ। ପୂର୍ବତନ ସରପଂଚ ନରସିଂହ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶୁଭମ ପାଇକ,ରାଜେଶ ଡାକୁଆ, ପଦ୍ମ ଚରଣ ଗୌଡ, କୁଞ୍ଜ ବିହାରୀ ଗୌଡ ଓ ଅନନ୍ତ ରାମ ସାହୁ ପ୍ରମୁଖ କାର୍ଯକ୍ରମକୁ ସହାୟତା କରିଥିଲେ।

Categories
ଆଞ୍ଚଳିକ

ଅଁଳାଇ ପୀଠରେ ବିଜେଡି କର୍ମୀ ସମାବେଶ: ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ପାଇଁ ନେଲେ ସଂକଳ୍ପ

ଖୋର୍ଦ୍ଧା: ୨୦୨୪ ନିର୍ବାଚନ ଯେତିକି ପାଖେଇ ଆସୁଛି ଜଟଣୀ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଉଷ୍ମତା ସେତିକି ବଢ଼ିଚାଲିଛି। ତାରି ଭିତରେ ଆଜି ସମାଜସେବୀ, ଆଇନୀଜୀବୀ ଅର୍ଜୁନ ପରିଡାଙ୍କ ନେତୃତ୍ୱରେ ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧ ନମ୍ବର ଜୋନ ଟାଙ୍ଗିଆପଡା ପଞ୍ଚାୟତ ଉଇଲକିଶନ ନଗର ଅଁଳାଇ ଦେବୀଙ୍କ ପୀଠରେ ବିଜେଡି ଦଳ ପକ୍ଷରୁ ଏକ ବିରାଟ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ୧ ହଜାରରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ କର୍ମୀ ଏହି ସମାବେଶରେ ଯୋଗ ଦେଇଥିଲା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ଶ୍ରୀ ପରିଡା ସଂକଳ୍ପ କରାଇଥିଲେ।

ସେହିପରି ମହିଳା କର୍ମୀମାନଙ୍କୁ ନେଇ ଏକ ପଦଯାତ୍ରା କରାଯାଇଥିଲା ବେଳେ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ପରେ ଶ୍ରୀ ପରିଡା ରାଜ୍ୟ ସରକାରଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କରିଥିବା ସମସ୍ତ ଯୋଜନା କହିବା ସହିତ ନବୀନ ଓଡିଶାରେ ବିଭିନ୍ନ ଗ୍ରାମ ଓ ସହରରେ ହେଉଥିବା ନୂତନ ଓ ରୁପାନ୍ତିକରଣ କାର୍ଯ୍ୟ, ମହିଳା ଶସକ୍ତି କରଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଓ ୫-ଟି ଦ୍ୱାରା ହେଉଥିବା ବିକାଶ କାର୍ଯ୍ୟ ଉପରେ କର୍ମୀଙ୍କୁ କହିଥିଲେ।

ସେହିପରି ଚଳିତ ଥର ଜଟଣୀରେ ବିଜେଡି ଓ ଶଙ୍ଖ ଚିହ୍ନକୁ ଘରେ ଘରେ ପହଞ୍ଚେଇବାକୁ ପ୍ରତି ବୁଥ ସ୍ତରରେ ଏକ ୫ ଜଣିଆ କମିଟି ଗଠନ କରାଯାଇଥିଲା। ଯେଉଁମାନେ କି ଦଳର ଯୋଜନାକୁ ପ୍ରତି ଘରେ ପହଞ୍ଚେଇବେ।

ଏହି ସମାବେଶରେ ପୂର୍ବତନ ବରିଷ୍ଠ ସମିତି ସଭ୍ୟ ସନ୍ତୋଷ ରଣା, ପୂର୍ବତନ ସରପଞ୍ଚ କଲ୍ୟାଣୀ ଦଳେଇ, ୱାର୍ଡ ସଭ୍ୟ ଲଳିତ ମୋହନ ସ୍ୱାଇଁ, ନାଏବ ସରପଞ୍ଚ ସୁଦର୍ଶନ ପ୍ରଧାନ, ମଙ୍ଗୁଳି ହରିଚନ୍ଦନ, ବିମ୍ବାଧର ବରାଳ, ଲକ୍ଷ୍ମୀଧର ସାମନ୍ତରାୟ, ଅର୍ଜୁନ ଲେଙ୍କା, ତ୍ରିନାଥ ବିଶ୍ୱାଳ, ଶରତ ସାହୁ, ମମତା ସାହୁ, ପ୍ରଫୁଲ ଭଟ, ପ୍ରଶାନ୍ତ ବିଶ୍ୱାଳ, ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ଶେଷରେ ପବିତ୍ର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସିଟି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ଵାରା ବିଶାଳ ସଚେତନତା ଶୋଭାଯାତ୍ରା

ଭୁବନେଶ୍ୱର: ଶିରିପୁର ସ୍ଥିତ ସିଟି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦିନ କ୍ରୀଡା ଓ ଯୁବସେବା ପକ୍ଷରୁ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ସଚେତନତା ମୂଳକ ଏକ ବିଶାଳ ଶୋଭାଯାତ୍ରା ବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ କରାଯାଇଥିଲା। ଏହି ଶୋଭାଯାତ୍ରାକୁ ସ୍ଥାନୀୟ କର୍ପୋରେଟର ବିନୟିନୀ ଜେନା ଓ ବିଦ୍ୟାଳୟର ଅଧ୍ୟକ୍ଷା ରଶ୍ମିତା କୁମାରୀ ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି ଶୋଭାଯାତ୍ରାଟି ବିଦ୍ୟାଳୟରୁ ଆରମ୍ଭ ହୋଇ ସୌଭାଗ୍ୟ ନଗର, ନୂଆ ସାହି, ସବର ସାହି, ଓୟୁଏଟି, ସିରିପୁର ଦେଇ ଯାତ୍ରା କରିଥିଲା। ନୋଡାଲ ଅଫିସର ପୁଷ୍ପାଞ୍ଜଳି ମହାପାତ୍ର ଓ ସଂଯୋଜିକା ସୁରଭି ପଟ୍ଟନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିଥିଲେ। ବିଦ୍ୟାଳୟର ଅନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଏହି ଶୋଭାଯାତ୍ରା ରେ ସହଯୋଗ କରିଥିଲେ।

Categories
ବିଶେଷ ଖବର

ସଂଖ୍ୟାଲଘୁ ଧାର୍ମିକ ସ୍ଥଳ ଖାନୱାରେ ଜଳଯୋଗାଣର ସୁବ୍ୟବସ୍ଥା ପାଇଁ ୨ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଧାମନଗରରେ ଥିବା ମୁସଲମାନ ସମ୍ପ୍ରଦାୟର ପ୍ରସିଦ୍ଧ ଧାର୍ମିକ ସ୍ଥଳ ଖାନୱାରେ ଏକ ପାଣି ଟାଙ୍କୀ ସହିତ ଜଳଯୋଗାଣର ସୁବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ଧାମନଗର ଗସ୍ତ ଅବସରରେ ଖାନୱାର ଏକ ପ୍ରତିନିଧି ଦଳ ତାଙ୍କୁ ଭେଟି ଏ ବିଷୟରେ ଅନୁରୋଧ କରିଥିଲେ। ଶ୍ରୀ ପାଣ୍ଡିଆନ ଏହି ଅନୁରୋଧ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। ସେମାନଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପାଣି ଟାଙ୍କୀ ଓ ଜଳଯୋଗାଣ ସୁବିଧା ପାଇଁ ଟଙ୍କା ମଞ୍ଜୁର କରିଛନ୍ତି।

ସୂଚନାଯୋଗ୍ୟ ଯେ  ପୀରବାବା ହୁଜୁର ମୁଜାହିଦ ଏ ମିଲାତପେଙ୍କ ଅନୁଗାମୀମାନେ ପ୍ରତିଦିନ ବହୁ ସଂଖ୍ୟାରେ ଖନୱାକୁ ଆସିଥାନ୍ତି। ପୀରବାବା ହୁଜୁର ମୁଜାହିଦଙ୍କ ଉର୍ସ ଉତ୍ସବ ସମୟରେ ଏଠାରେ ବିଶେଷ ଭିଡ ପରିଲକ୍ଷିତ ହୋଇଥାଏ। ସେଠାରେ ଜଳଯୋଗଣରେ ଉନ୍ନତି ହେବା ଦ୍ୱାରା ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ, ଉର୍ସ ମୁଜାହିଦ ଏ ମିଲାତ କମିଟିର ସଦସ୍ୟମାନଙ୍କ ସମେତ ୨ ଲକ୍ଷ ଭକ୍ତ ଉପକୃତ ହେବେ। ସେମାନଙ୍କ ଅସୁବିଧାର ତୁରନ୍ତ ସମାଧାନ ହୋଇଥିବାରୁ ଧାମନଗର ଅଞ୍ଚଳର ମୁସଲମାନ ଭାଇ ଓ ଭଉଣୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇବା ସହିତ ଗଭୀର କୃତଜ୍ଞତା ବ୍ୟକ୍ତ କରିଛନ୍ତି।