Categories
ଆଞ୍ଚଳିକ

ପୁରୁଣା ବ୍ରହ୍ମପୁର ମଣ୍ଡଳ ତରଫରୁ ବିଜେପିର ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ଶିବିର

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ପୁରୁଣା ବ୍ରହ୍ମପୁର ମଣ୍ଡଳ ତରଫରୁ ମଣ୍ଡଳ ସଭାପତି ବିନାୟକ ରଥଙ୍କ ପୌରୋହିତ୍ୟରେ ଗଂଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଓ ବରିଷ୍ଠ ନେତା କାହ୍ନୁଚରଣ ପତିଙ୍କ ଉପସ୍ଥିତିରେ ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।

ଏଥିରେ ବିଜେପିର ଇତିହାସ ସଂପର୍କରେ ବାଳକୃଷ୍ଣ ସାମନ୍ତରାୟ, ଆମର ଦାୟିତ୍ୱ ସମ୍ବନ୍ଧରେ ରାଜେଶ ସାହୁ, ଭାରତର ବୈଚାରିକ ମୁଖ୍ୟଧାରା ସମ୍ବନ୍ଧରେ ମହନ୍ତ ଚିନ୍ମୟାନନ୍ଦ, ବ୍ୟକ୍ତିତ୍ୱ ବିକାଶ ସମ୍ବନ୍ଧରେ ଗଙ୍ଗାଧର ଶତପଥୀ, ଅନ୍ତ୍ୟୋଦୟ ସମ୍ବନ୍ଧରେ ମଦନ ମୋହନ ପାତ୍ର, ସାମାଜିକ ଗଣମାଧ୍ୟମର ପ୍ରଭାବୀ ଉପଯୋଗ ସଂପର୍କରେ ସିଦ୍ଧାନ୍ତ ଗଙ୍ଗଦେବ, ଆତ୍ମନିର୍ଭରଶୀଳତା ଉପରେ ନିରଞ୍ଜନ ପାଣିଗ୍ରାହୀ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। କାର୍ଯ୍ୟକ୍ରମକୁ ପ୍ରଭାତ କିରଣ ଷଡ଼ଙ୍ଗୀ ସଂଯୋଜନା କରିଥିବାବେଳେ ଶିବ ଶଙ୍କର ଶତପଥୀ ମଂଚ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମନ୍ତ୍ରୀଙ୍କ ଇସ୍ତଫା ଦାବି, ରାସ୍ତାକୁ ଓହ୍ଲାଇଲା ବିଜେପି

ଭୁବନେଶ୍ୱର: ନୟାଗଡ଼ ପରୀ ହତ୍ୟା ମାମଲାକୁ ନେଇ ଏବେ ଅଡ଼ୁଆରେ କୃଷିମନ୍ତ୍ରୀ ଅରୁଣ ସାହୁ । ଏହି ମାମଲାକୁ ନେଇ ବିଧାନସଭା ହୁଲସ୍ତୁଲ ହେଉଥିବାବେଳେ ବିରୋଧୀ ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବିରେ ଅଡ଼ିବସିଛନ୍ତି ।  ବିଧାନସଭା ଭିତରେ ଓ ବାହାରେ ବି ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବି ଜୋର ଧରିଛି ।  ଏହି ପରିପ୍ରେକ୍ଷୀରେ ପରୀକୁ ନ୍ୟାୟ ଦାବିରେ ବିଜେପି ରାଜରାସ୍ତାକୁ ଓହ୍ଲାଇଛି ।  ବିଜେପି କର୍ମୀମାନେ ରାଜ୍ୟ କାର୍ୟ୍ୟାଳୟରୁ  ଏକ ଶୋଭାଯାତ୍ରାରେ ବାହାରି ବିଧାନସଭା ଅଭିମୁଖେ ବାହାରିଥିବା ଜଣାଯାଇଛି ।  ପରୀକୁ ନ୍ୟାୟ ଓ ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ଦାବିରେ ବିକ୍ଷୋଭ କରାଯାଇଛି ।  ଏହି ମାମଲାର ସିବିଆଇ କିମ୍ବା ଏସଆଇଟି ତଦନ୍ତ କରାଯିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି । ସେହିପରି ଏହି ମାମଲାରେ ଯୁବ କଂଗ୍ରେସ ମଧ୍ୟ ରାସ୍ତାକୁ ଓହ୍ଲାଇଛି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କଲା ବିଜେପି: ଜାଣନ୍ତୁ ବୈଜୟନ୍ତ ପଣ୍ଡା ଓ ସମ୍ବିତ ପାତ୍ରଙ୍କୁ ମିଳିଲା କେଉଁ ରାଜ୍ୟ ଦାୟିତ୍ଵ

ନୂଆଦିଲ୍ଲୀ/ଭୁବନେଶ୍ବର: ବିଜେପି ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ କରାଯାଇଛି। ଓଡିଶା ସମେତ ଛତିଶଗଡ, ଦିଲ୍ଲୀ, ଆସାମ, ଆନ୍ଧ୍ରପ୍ରଦେଶ, ମଣିପୁର, ବିହାର, ଅରୁଣାଚଳ ପ୍ରଦେଶ ଓ ଆଣ୍ଡାମନ ନିକୋବର ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ କରାଯାଇଛି। ବିଜେପି ଓଡିଶା ପାଇଁ ନୂତନ ପ୍ରଭାରୀ ଭାବେ ଡି ପୁରନ୍ଦେଶ୍ୱରୀଙ୍କୁ ଦାୟିତ୍ଵ ଦେଇଛି।

ଅରୁଣ ସିଂହଙ୍କ ବଦଳରେ ପୁରନ୍ଦେଶ୍ୱରୀ ଓଡିଶା ବିଜେପିର ପ୍ରଭାରୀ ଦାୟିତ୍ଵ ନେବେ। ବିଜୟପାଲ ସିଂହ ତୋମରଙ୍କୁ ମଧ୍ୟ ଓଡ଼ିଶା ବିଜେପିର ସହ-ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଘୋଷଣା କରିଛନ୍ତି। ଓଡ଼ିଶା ସହ ଛତିଶଗଡ଼ ରାଜ୍ୟର ପ୍ରଭାରୀ ଭାବେ ମଧ୍ୟ ଡି ପୁରନ୍ଦେଶ୍ୱରୀଙ୍କୁ ନିଯୁକ୍ତ କରାଯାଇଛି।

ସୂଚନା ଯୋଗ୍ୟ ଯେ, ଡି. ପୁରନ୍ଦେଶ୍ୱରୀ ୨୦୧୯ ମସିହାରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଏହାପୂର୍ବରୁ ସେ ୨୦୧୪ ମସିହାରେ ବାପତ୍ଲା ଆସନରୁ ନିର୍ବାଚନ ଲଢ଼ି ଲୋକସଭାକୁ ଯାଇଥିଲେ। ଏହି ସମୟରେ ସେ କେନ୍ଦ୍ରରେ ରାଷ୍ଟ୍ରମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଥିଲେ। ବର୍ତ୍ତମାନ ସେ ବିଜେପିର ସାଧାରଣ ସମ୍ପାଦକ ଅଛନ୍ତି।

ସେହିପରି ଦୁଇ ଓଡ଼ିଆ ନେତା ବୈଜୟନ୍ତ ପଣ୍ଡା ଓ ଡାକ୍ତର ସମ୍ବିତ ପାତ୍ରଙ୍କୁ ମଧ୍ୟ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି। ବୈଜୟନ୍ତଙ୍କୁ ଦିଲ୍ଲୀ ଓ ଆସାମର ପ୍ରଭାରୀ କରାଯାଇଥିବାବେଳେ ସମ୍ବିତ ପାତ୍ର ମଣିପୁରର ପ୍ରଭାରୀ ଦାୟିତ୍ୱ ସମ୍ଭାଳିବେ। ଏହାସହ ସତ୍ୟା କୁମାରଙ୍କୁ ଆଣ୍ଡାମାନ ଓ ନିକୋବରର, ବି ମୁରଲୀଧରନଙ୍କୁ ଆନ୍ଧ୍ରପ୍ରଦେଶର, ଦିଲ୍ଲୀପ ସୌକିୟାଙ୍କୁ ଅରୁଣାଚଳ ପ୍ରଦେଶର ଏବଂ ଭୁପେନ୍ଦ୍ର ଯାଦବଙ୍କୁ ବିହାରର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ମଣିପୁରରେ ବିଜେପିର ବାଜିମାତ୍‌

ମଣିପୁର :ବିହାର ବିଧାନସଭା ସହିତ ଦେଶରେ ଅନେକ ସ୍ଥାନରେ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି । ଆଜି ମଣିପୁରରେ ବାଜିମାତ୍‌ କରିଛି ବିଜେପି ।  ବିଜେପି ଦେଇଥିବା ସମସ୍ତ 4ଟି ବିଧାନସଭା କ୍ଷେତ୍ରରେ ଜିତାପଟ ହାସଲ କରିଛି । ମଣିପୁରରେ ପ୍ରଚାର ଦାୟିତ୍ବ ତୁଲାଇଥିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ମଣିପୁର ବିଧାନସଭାର 4ଟି ଯାକ ଆସନ ଅକ୍ତିଆର କଲା ବିଜେପି । ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ସିଂଘଟ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଗିନସୁହାନଉ ବିଜୟୀ ହୋଇଛନ୍ତି । ଏହାସହ ଓଇନମ ଲୁଖୋଇ ୱାଙ୍ଗୋଇ ଆସନରୁ ବାଜିମାତ କରିଛନ୍ତି । ନଭେମ୍ବର 7ରେ ମଣିପୁରରେ 5ଟି ଆସନ ପାଇଁ ଉପନିର୍ବାଚନ ହୋଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ତୁଟୁନି ଦଳୀୟ କନ୍ଦଳ : ତିର୍ତ୍ତୋଲ ବିଜେପି କାର୍ଯ୍ୟାଳୟରେ ଅସନ୍ତୁଷ୍ଟଙ୍କ ଭଙ୍ଗାରୁଜା : ୨ ଗିରଫ

ରମେଶ ମହାନ୍ତି

ଜଗତସିଂହପୁର : ତିର୍ତ୍ତୋଲ ବିଜେପିର ଦଳୀୟ କନ୍ଦଳକୁ ନେଇ ସବୁଠି ଚର୍ଚ୍ଚା। ଘରେ ନ ପଶୁଣୁ ଚାଳ ବାଜିଲାଣି ବୋଲି କୁହାଯାଉଛି। ସୂଚନାନୁଯାୟୀ ଗତକାଲି ସଂନ୍ଧ୍ୟା ପ୍ରାୟ ସାଢ଼େ ୭ଟା ୮ଟା ବେଳେ ତିର୍ତ୍ତୋଲ ଆନନ୍ଦମଣ୍ଡପ ସ୍ଥିତ ବିଜେପି କାର୍ଯ୍ୟାଳୟରେ ବୈଠକ ଚାଲିଥିବା ବେଳେ ୪ଜଣ ଯୁବକ ହଠାତ୍ ମଣ୍ଡପ ଭିତରେ ପଶି ଗାଳିଗୁଲଜ କରିବା ସହିତ ରାଜ୍ୟ ବିଜେପି ଉପସଭାପତି ଭୃଗୁବକ୍ସି ପାତ୍ରଙ୍କ ରୁମ୍ କବାଟକୁ ଗୋଇଠା ମାରିଥିଲେ ପରେ ବୈଠକ ସ୍ଥଳକୁ ଯାଇ ଚେୟାର ଟେବୁଲ୍ ଭଙ୍ଗାରୁଜା କରିଥିବା କୁହାଯାଉଛି। ଏଥିସହିତ ଉକ୍ତ ମଣ୍ଡପର ମ୍ୟାନେଜରକୁ ଗାଳିଗୁଲଜ କରାଯାଇଥିବା ଅଭିଯୋଗ ହୋଇଛି।  ଉକ୍ତ ଘଟଣାକୁ ନେଇ ଗତକାଲି ରାତିରେ ଆନନ୍ଦମଣ୍ଡପ ପକ୍ଷରୁ ମଣ୍ଡପର ମ୍ୟାନେଜର ତିର୍ତ୍ତୋଲ ଥାନାରେ ଅଭିଯୋଗ କରିବା ପରେ ୪ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଗିରଫ ହୋଇଥିବା ଉକ୍ତ ଦୁଇ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି। ଏମାନେ ଅସନ୍ତୁଷ୍ଟ ବିଜେପି କର୍ମୀ ବୋଲି କୁହାଯାଉଛି।

ସୂଚନାନୁଯାୟୀ କିଛିଦିନ ପୂର୍ବେ ଉକ୍ତ ୪ଜଣଙ୍କ ମଧ୍ୟରୁ ଜଣେ ଯୁବକ ଉକ୍ତ ମଣ୍ଡପ ସ୍ଥିତ ବିଜେପି କାର୍ଯ୍ୟାଳୟରେ ପଶି ଗାଳିଗୁଲଜ କରିବା ସହିତ ମଣ୍ଡପ ସମ୍ମୁଖରେ ଥୁଆ ହୋଇଥିବା ଭୃଗୁ ବକ୍ସି ପାତ୍ରଙ୍କ ଗାଡିକୁ ଆକ୍ରମଣ କରିଥିବା ଚର୍ଚ୍ଚାର ବିଷୟ ହୋଇଥିଲା। ଏନେଇ ନେଇ ମଣ୍ଡପ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ସେ ଗିରଫ ହୋଇ କୋର୍ଟ ଚାଲାଣ ହେବା ସହିତ ପରେ କୋର୍ଟରୁ ଜାମିନରେ ଆସିଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କରି ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର:  ରାଜ୍ୟର ଦୁଇ ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ସରିଥିବାବେଳେ ଏବେ ପ୍ରଚାର ଚାଲିଛି । ଏବେ ତିର୍ତୋଲ ଓ ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଚାଲିଛି ପ୍ରଚାର । ବାଲେଶ୍ବର ଓ ତିର୍ତ୍ତୋଲରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କରିଛି ବିଜେପି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଦୁଇ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏନେଇ ସେ ଆଜି ସିଇଓଙ୍କ ନିକଟରେ ଫେରାଦ ହୋଇ ଦୁଇ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।  ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ୱେସ୍କୋ ସହଯୋଗରେ ବିଜୁଳି ସଂଯୋଗ ଦେଉଛନ୍ତି । ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଭୋଟ ଦେଲେ ସବୁ ସୁବିଧା ମିଳିବ ବୋଲି କହୁଛନ୍ତି । ଖାଲି ସେତିକି ନୁହେଁ ରାସନ କାର୍ଡ ସହ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ମଧ୍ୟ କହୁଥିବା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି। ସମ୍ପୃକ୍ତ  ଦୁଇ ମନ୍ତ୍ରୀ ଭୋଟରଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲେଖାଶ୍ରୀ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ତିର୍ତ୍ତୋଲ ଓ ବାଲେଶ୍ବର ସଦର ଲାଗି ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଆସନ୍ତା ନଭେମ୍ବର ତିନି ତାରିଖରେ ଭୋଟ ଓ ନଭେମ୍ବର 10 ତାରିଖରେ ଭୋଟଗଣତି ହେବ ।  ଉଭୟ ଦୁଇ ଆସନରେ  ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଛି ।

Categories
ଆଜିର ଖବର ରାଜ୍ୟ ଖବର

ବିଜେପିର ତିର୍ତ୍ତୋଲ ଅଫିସ୍ ଉଦଘାଟନ ଓ ମିଶ୍ରଣ ପର୍ବରେ ମହାଭାରତ: ଭଣ୍ଡୁର୍ ହେଲା ସଭା

ରମେଶ ମହାନ୍ତି

ଜଗତସିଂହପୁର : ତିର୍ତ୍ତୋଲ ଉପନିର୍ବାଚନର ତାତି ଦିନକୁ ଦିନ ବୃଦ୍ଧି ପାଇବା ସହିତ ଦଳୀୟ କନ୍ଦଳ ମଧ୍ୟ ବଢୁଥିବା ଦେଖିବାକୁ ମିଳୁଛି ।ବୁଧବାର ଦିନ ତିର୍ତ୍ତୋଲ ବ୍ଲକ ଆନନ୍ଦ ମଣ୍ଡପ ଠାରେ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ଦଳୀୟ ମିଶ୍ରଣ ପର୍ବ ଓ ଦଳୀୟ କାର୍ଯ୍ୟାଳୟ ଉଦଘାଟନ ସଭାରେ ମହାଭାରତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ଯାହାକି ଅଧାରୁ ସଭା ଭଣ୍ଡୁର୍ ହେବା ସହ ରାଜ୍ୟ ଉପସଭାପତି ଓ ପ୍ରଭାରୀ ସଭାଛାଡି ପଳାଇଥିଲେ ବୋଲି କୁହାଯାଉଛି।

ସୂଚନାନୁଯାୟୀ ବୁଧବାର ଦିନ ତିର୍ତ୍ତୋଲ ସ୍ଥିତ ଆନନ୍ଦମଣ୍ଡପ ଠାରେ ବିଜେପି ଦଳ ପକ୍ଷରୁ ନୂତନ ଅଫିସ୍ ଉଦଘାଟନ ଓ ମିଶ୍ରଣପର୍ବ ନିମନ୍ତେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭା ଆରମ୍ଭ ହେବା କ୍ଷଣି କିଛି ଦଳୀୟ ଯୁବକ ହୋ ହାଲ୍ଲା କରିବା ସହିତ ଦଳୀୟ ନେତାମାନେ ତାଙ୍କପ୍ରତି ଅନ୍ୟାୟ କରିଛନ୍ତି, ବିଗତ ଦିନରେ ଦଳ ପକ୍ଷରୁ କର୍ମୀମାନଙ୍କୁ ଅଣଦେଖା କରାଯିବା ଓ ନବନିଯୁକ୍ତ ଜିଲ୍ଲା ପ୍ରଭାରୀଙ୍କୁ ଘୋର୍ ବିରୋଧକରି ହଙ୍ଗାମା କରିଥିଲେ। ଉପସ୍ଥିତ କିଛି ଦଳୀୟ କର୍ମୀଙ୍କ ହଙ୍ଗାମା ଯୋରଦାର୍ ହେବାରୁ ହାତାହାତି ଯାଏ ମଧ୍ୟ କଥାଯାଇଥିବା କୁହାଯାଉଛି। ଅପରପକ୍ଷରେ କିଛି ବିଜେପି କର୍ମୀଙ୍କ କହିବାନୂଯାୟୀ ଦଳ ପକ୍ଷରୁ ତାଙ୍କୁ ଅଣଦେଖା କରାଯାଉଥିଲା ଯାହାକି ତିର୍ତ୍ତୋଲ ବିଜେପିରୁ ଦୁଇଥର ବିଧାୟକ ପ୍ରାର୍ଥୀ ହୋଇଥିବା ରମାକାନ୍ତ ଭୋଇ ମଙ୍ଗଳବାର ଦିନ ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେଇଥିବା ନେଇ କିଛି କର୍ମୀଙ୍କ ମଧ୍ୟରେ ଏପରି ଅସନ୍ତୋଷର ନିଆଁ ସୃଷ୍ଟି ହୋଇଥିବା କୁହାଯାଉଛି। ତିର୍ତ୍ତୋଲ ବିଜେପିର ଏପରି ଘଟଣାକୁ ସାଧାରଣରେ ନାପସନ୍ଦ କରାଯିବା ସହିତ ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିଲାଣି ବୋଲି କୁହାଯାଉଛି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ଉପସଭାପତି ତଥା ତିର୍ତ୍ତୋଲ ବ୍ଲକ ପର୍ଯ୍ୟବେକ୍ଷଣ ଭୃଗୁ ବକ୍ସିପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ପ୍ରଭାରୀ ଶାରଦା ପ୍ରଧାନ, କଟକ ସଦର ବିଜେପି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ରାଜ୍ୟ ସମ୍ପାଦକ ଓ ବିରିଡ଼ି ବ୍ଲକ ପର୍ଯ୍ୟବେକ୍ଷକ ଦିଲ୍ଲୀପ ମଲ୍ଲିକ, କଟକ ଜିଲ୍ଲା ବିଜେପି ସଭାପତି ତଥା ରଘୁନାଥପୁର ବ୍ଲକ ପର୍ଯ୍ୟବେକ୍ଷକ ପ୍ରକାଶ ବେହେରା, ପାରାଦ୍ଵୀପ ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

 ଶଙ୍ଖ ଛାଡି ପଦ୍ମ ଧରିଲେ ବାଲେଶ୍ଵର ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ

ବାଲେଶ୍ଵର: ଉପନିର୍ବାଚନ ଯେତିକି ନିକଟ ହେଉଛି ନେତାମାନଙ୍କର ଦଳ ଡିଆଁ ସେତିକି ବଢୁଛି। ଏହି ଧାରାରେ ଯୋଡି ହୋଇଛନ୍ତି ବାଲେଶ୍ଵର ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ। ସେ ବିଜେଡ଼ି ଛାଡି ବିଜେପିରେ ସାମିଲ ହୋଇଛନ୍ତି। ବିଧିବଦ୍ଧ ଭାବେ ଦଳ ଛାଡି ବିଜେପିରେ ସାମିଲ ହେଲେ ନାରାୟଣ। କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ସାଂସଦ ବିଶ୍ଵେଶ୍ବର ଟୁଡୁଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଲେ ନାରାୟଣ। ବିଜେଡି ଉପରୁ ଆସ୍ଥା ହରେଇଥିବାରୁ ଦଳ ଛାଡିଥିବା କହିଲେ ନାରାୟଣ।

Categories
ଆଜିର ଖବର ରାଜ୍ୟ ଖବର

ତିର୍ତ୍ତୋଲ ରାଜନୀତିର ଦଳଡିଆଁ: ବିଜେପି ଛାଡିଲେ ରମାକାନ୍ତ ଭୋଇ

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ଉପନିର୍ବାଚନର ସମୟ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳର ରାଜନୈତିକ ନେତା ମାନଙ୍କର ଦଳଡିଆଁ ସେତିକି ବଢିବାରେ ଲାଗିଛି। ବିଜେପି ଦଳରୁ ଦୁଇଥର ବିଧାୟକ ପ୍ରାର୍ଥୀ ହୋଇଥିବା ରମାକାନ୍ତ ଭୋଇ ଆଜି ବିଜେପି ଛାଡିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ସେ ତିର୍ତ୍ତୋଲ ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ। ତେବେ ଦଳ ତାଙ୍କୁ ଅଣଦେଖା କରିଥିବା ଅଭିଯୋଗ ଆଣି ସେ ଦଳ ଛାଡିଥିବା ସୂଚନା ମିଳିଛି। ତିର୍ତ୍ତୋଲ ଉପନିର୍ବାଚନ ନେଇ ରାଜନୈତିକ ମାହୋଲ ସରଗରମ ଥିବା ବେଳେ ରମାକାନ୍ତ ଦଳ ଛାଡିବା ଚର୍ଚ୍ଚାର ବିଷୟ ପାଲଟିଛି। କିଛି ଦିନ ତଳେ ତିର୍ତ୍ତୋଲ ଆସନରୁ ଦୁଇଥର କଂଗ୍ରେସ ପ୍ରାର୍ଥୀ ହୋଇଥିବା ରାଜକିଶୋର ବେହେରା କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ରାଜକିଶୋର ବେହେରା କିମ୍ବା ହରିହର ବେହେରାଙ୍କୁ ତିର୍ତ୍ତୋଲ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ କରିବାର ସମ୍ଭାବନା ରହିଥିବା ଆଶଙ୍କା କରି ଦଳର ଏଭଳି ରଣନୀତିକୁ ନେଇ ରମାକାନ୍ତ ଭୋଇ ଅସନ୍ତୁଷ୍ଟ ଥିଲେ ବୋଲି କୁହାଯାଉଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ବିଧାନସଭା ନିର୍ବାଚନରେ ଶାସକ ଦଳ ବିଜେଡି ପକ୍ଷରୁ ବିଷ୍ଣୁ ଦାସ ପ୍ରାୟ ୯୩,୭୭୪ ଭୋଟ୍ ପାଇଥିଲେ। ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଭାବେ ବିଜେପିର ରମାକାନ୍ତ ଭୋଇ ୫୩,୫୮୧ ଖଣ୍ଡ ଭୋଟ୍ ପାଇଥିଲେ। ପ୍ରାୟ ୪୦,୪୭୭ ଖଣ୍ଡରୁ ଅଧିକ ଭୋଟ୍ ବ୍ୟବଧାନରେ ବିଷ୍ଣୁ ଦାସ ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ ୨୦୧୯ ନିର୍ବାଚନରେ ତିର୍ତ୍ତୋଲରେ ଦ୍ବିତୀୟ ସ୍ଥାନରେ ଥିଲେ ରମାକାନ୍ତ ଭୋଇ। ରାଜକିଶୋର ବିଜେପିକୁ ଆସିବା ପରଠାରୁ ସେ ଅସନ୍ତୁଷ୍ଟ ଥିବା ଜଣାପଡିଛି।

ଗତ କିଛି ଦିନ ହେବ ରମାକାନ୍ତ କିଛି ବିଜେଡି ନେତାଙ୍କ ସଂପର୍କରେ ଥିଲେ ବୋଲି ଶୁଣିବାକୁ ମିଳୁଥିଲା। ତେବେ ସେ ବିଜେପି ଛାଡିବା ପରେ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ହେଲେ ରମାକାନ୍ତ ଏ ନେଇ କିଛି ସ୍ପଷ୍ଟ କରିନାହାନ୍ତି। ସେ କେଉଁ ଦଳକୁ ଯିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କୋଟକଣା-ବାନାମ୍ବର ବ୍ରିଜ୍ ନିର୍ମାଣ ଦାବିକରି ଗୋଟିଏ ମଞ୍ଚରେ କଂଗ୍ରେସ ଓ ବିଜେପିର ସାମ୍ବାଦିକ ସମ୍ମିଳନୀ

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ସ୍ଥିତ କୋଟକଣା ଛକଠାରେ ଆଜି କଂଗ୍ରେସ ଓ ବିଜେପି ଦୁଇ ଦଳର ନେତା ଗୋଟିଏ ମଞ୍ଚରେ ଏକାଠି ହୋଇ କଟକ-ପାରାଦ୍ବୀପ ରାସ୍ତା ନିକଟସ୍ଥ କୋଟକଣାରୁ ବାନାମ୍ବର ଘାଟ ମହାନଦୀ ଉପରେ ଏକ ବ୍ରିଜ୍ ନିର୍ମାଣ କରିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସରକାରଙ୍କୁ ଦାବି କରିଛନ୍ତି।

କୋଟକଣା-ବାନାମ୍ବର ସେତୁ କମିଟିର ଆବାହକ ତଥା କନିମୁଳ ପଞ୍ଚାୟତର ସରପଞ୍ଚ ବେଦଦ୍ୟୁତି ପୁଷ୍ଟିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ବାଦିକ ସମ୍ମିଳନୀରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରୁ ଦୁଇଥର ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ପ୍ରଫେସର ରମାକାନ୍ତ ଭୋଇ, କଂଗ୍ରେସ ଦଳରୁ ଏଥର ତିର୍ତ୍ତୋଲର ବିଧାୟକ ପ୍ରାର୍ଥୀ ହେବେ ବୋଲି କୁହାଯାଉଥିବା ହିମାଂଶୁ ଭୂଷଣ ମଲ୍ଲିକ, ସ୍ଥାନୀୟ ତରଜଙ୍ଗା ପଞ୍ଚାୟତର ସରପଞ୍ଚ ବସନ୍ତ କୁମାର ସେଠୀ ପ୍ରମୁଖ ଯୋଗଦେଇ କୋଟକଣା-ବାନାମ୍ବର ସେତୁ ନିର୍ମାଣକୁ ସରକାର କ’ଣ ପାଇଁ ଅଣଦେଖା କରୁଛନ୍ତି ବୋଲି ପ୍ରଶ୍ନ ଉଠାଇବା ସହିତ ସରକାରଙ୍କୁ କଡା ସମାଲୋଚନା କରିଥିଲେ।

ଏଥିସହିତ ତିର୍ତ୍ତୋଲ ଓ ତାରପୁର ଠାରେ ୨ଟି ସ୍ଥାନରେ ମହାନଦୀ ଉପରେ ବ୍ରିଜ୍ ରହିଥିବା ବେଳେ ଏହାର ମଝିରେ କୋଟକଣା-ବାନାମ୍ବର ଠାରେ ଏକ ବ୍ରିଜ୍ ନିର୍ମାଣ କରିବା ପାଇଁ ବହୁଦିନରୁ ଦାବୀ ହୋଇ ଆସୁଥିଲେ ମଧ୍ୟ ଅନ୍ୟତ୍ର ୨ଟି ସ୍ଥାନରେ ତିର୍ତ୍ତୋଲ-ପୋଷଲ ଓ ଜଇପୁର-କଟିକଟା ଠାରେ ମହାନଦୀ ଉପରେ ବ୍ରିଜ୍ ନିର୍ମାଣ କରାଯିବା ପାଇଁ ରାଜ୍ୟ ସରକାରଙ୍କ ଘୋଷଣାକୁ ଏହି ସାମ୍ବାଦିକ ସମ୍ମିଳନୀରେ ସ୍ୱାଗତ କରାଯାଇଥିବା ବେଳେ କୋଟକଣା-ବାନାମ୍ବର ବ୍ରିଜ୍ ନିର୍ମାଣକୁ ଅଣଦେଖା କରାଯାଉଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଅପରପକ୍ଷରେ ଆସନ୍ତା କାଲି ଦିନ ୧୨ଟା ୧୫ମିନିଟ୍ ସମୟରେ ଭିଡିଓ କନଫରେନ୍ସ ମାଧ୍ୟମରେ ତିର୍ତ୍ତୋଲ-ପୋଷଲ ମହାନଦୀ ବ୍ରିଜ୍ ଓ ଜଇପୁର-କଟିକଟା ମହାନଦୀ ବ୍ରିଜ୍ ଉଦଘାଟନ ହେବା ସମୟରେ ଏହି କୋଟକଣା-ବାନାମ୍ବର ମହାନଦୀ ବ୍ରିଜ୍ ନିର୍ମାଣ ପାଇଁ ଘୋଷଣା କରିବାକୁ ଦାବି କରାଯାଇଥିବା ବେଳେ ଅନ୍ୟପକ୍ଷରେ ଯଦି ଏହି ଘୋଷଣା କରାନଯାଏ ତେବେ ଗୋଟିଏ ଦିନ ପରେ ୨୯ତାରିଖ ଦିନ ସକାଳ ୮ଟାରେ ଏହି କୋଟକଣା ଠାରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଏକତ୍ରିତ ହୋଇ କଟକ-ପାରାଦିପ ରାସ୍ତାରୋକ୍ କରିବେ ଏବଂ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ବସିରହିବେ ବୋଲି ଚେତାବନୀ ଦେଇଛନ୍ତି।

ଏମିତିକି ଏହି ୨ଟି ବ୍ରିଜ୍ ନିର୍ମାଣ କରାଯିବ ବୋଲି ପୂର୍ବରୁ ଘୋଷଣା ନକରି ଏବେ ଉପନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବ୍ରିଜ୍ ନିର୍ମାଣ କରାଯିବାକୁ ଘୋଷଣା ହୋଇଛି ବୋଲି ଅଭିଯୋଗ କରାଯିବା ସହିତ ଉକ୍ତ ୨ଟି ବ୍ରିଜ୍ ସହିତ କୋଟକଣା-ବାନାମ୍ବର ବ୍ରିଜ୍ ନିର୍ମାଣକୁ ଘୋଷଣା କରିବା ପାଇଁ ଦାବୀ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଦଳଡିଆଁ: କଂଗ୍ରେସ ଛାଡି ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ସହ ବହୁନେତା

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ଉପନିର୍ବାଚନ ପାଇଁ ଏବେଠୁ ଚାଲିଲାଣି ଦଳଡିଆଁ।କଂଗ୍ରେସର ହାତଛାଡି ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କ ସମେତ ପୂର୍ବତନ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ,ସରପଞ୍ଚ, ସମିତିସଭ୍ୟଙ୍କ ସହ ଅନେକ ଆଗଧାଡ଼ିର ନେତା ଆଜି ବିଜେପିରେ ମିଶିଥିବାରୁ ତିର୍ତ୍ତୋଲ କଂଗ୍ରେସକୁ ଲାଗିଛି ଏକ ବଡ ଝଟକା।

ଆଜି ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ଏଥିରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର କଂଗ୍ରେସ ଦଳର ବହୁ ଆଗଧାଡ଼ିର ନେତାଙ୍କ ସହ ବିଜେଡିର ମଧ୍ୟ କିଛି ନେତା ବିଧିବଦ୍ଧ ଭାବେ ବିଜେପି ଦଳରେ ଯୋଗଦେଇଥିଲେ ।ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ କଂଗ୍ରେସ ଦଳରୁ ଦୁଇଥର ବିଧାୟକ ପ୍ରାର୍ଥୀ ହୋଇଥିବା ରାଜକିଶୋର ବେହେରା, ତିର୍ତ୍ତୋଲ ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ୍ତ ନାୟକ (ଦିପୁ) କଂଗ୍ରେସ, ତିର୍ତ୍ତୋଲ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ତଥା ବର୍ତ୍ତମାନ ବିରିତୋଳ ପଞ୍ଚାୟତର ସରପଞ୍ଚ ରୁକସାନା ବେଗମ, ବିରିତୋଳ ପଞ୍ଚାୟତର ନାୟବ ସରପଞ୍ଚ ଅବଦୁଲ କାଦିର୍ ଖାନ୍,ମୁଳସିଂ ପଞ୍ଚାୟତର ସରପଞ୍ଚ ଅନ୍ନପୂର୍ଣ୍ଣା ବିଶ୍ୱାଳ, ମୁଳସିଂ ପଞ୍ଚାୟତର ସମିତି ସଭ୍ୟ ଜ୍ୟୋତିର୍ମୟୀ ମହାନ୍ତି, ମୁଳସିଂ ପଞ୍ଚାୟତର ପୂର୍ବତନ ସରପଞ୍ଚ ମିନତି ଦଳେଇ ,ମୁଳସିଂ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଶରତ ମଲ୍ଲ, ଜଗନ୍ନାଥପୁର ପଞ୍ଚାୟତର ସମିତି ସଭ୍ୟ ସଂଯୁକ୍ତା ଜେନା, କନିମୁଳ ପଞ୍ଚାୟତର ସମିତି ସଭ୍ୟ ରାଣୀ ଚାପେୟା ,କଟରା ପଞ୍ଚାୟତ ପୂର୍ବତନ ସରପଞ୍ଚଙ୍କ ପ୍ରତିନିଧି ଅଶୋକ ମଲ୍ଲିକଙ୍କ ସମେତ ଆଗଧାଡ଼ିର ଅନେକ ନେତା ବିଜେପିରେ ମିଶିଥିଲେ।

ଏଥିସହିତ ବିରିଡ଼ି ବ୍ଲକର ଏସି,ଏସଟି ସେଲ୍ କଂଗ୍ରେସ ସଭାପତି ଟୁଟୁ ମଲ୍ଲିକ, ପୂର୍ବତନ ବିଧାୟକ କୈଳାଶ ମଲିକ,ବିରିଡି ବସନ୍ଦରା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ସ୍ମିତା ଜେନା, ବିରିଡ଼ି ମଙ୍ଗୁଳି ପଞ୍ଚାୟତର ପୂର୍ବତନ ସରପଞ୍ଚ ସନ୍ତୋଷ ଭୂୟାଁ, ଅଲାଣ୍ଡୋ ପଞ୍ଚାୟତର ଯୁବ କଂଗ୍ରେସ ସଭାପତି ସନ୍ତୋଷ ସ୍ୱାଇଁ, ପ୍ରମୁଖ ବିଜେପି ଦଳରେ ମିଶିବା ସହିତ ରଘୁନାଥପୁର ବ୍ଲକ ଛପଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଲେଖ ନାୟକ, ବରାଗୋଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିମଳ ଜେନା, ତରିକୁନ୍ଦ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ରାଉତଙ୍କ ସମେତ ବହୁ ଆଗଧାଡ଼ିର ନେତା ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ବିଜେପି ଦଳରେ ମିଶିଥିଲେ।

କଂଗ୍ରେସ ଦଳର ଆଗଧାଡ଼ିର ନେତା ମାନେ ହାତ ଛାଡି ଯେପରି ଭାବେ ବିଜେପିକୁ କୁଦା ମାରୁଛନ୍ତି ଏଥିରୁ ଲାଗୁଛି ଏଥର ତିର୍ତ୍ତୋଲ ଉପନିର୍ବାଚନର ରଣକ୍ଷେତ୍ରରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବିଜେପିର ସହାୟ ଆପ୍ ସହଯୋଗରେ କରୋନା ମୃତକଙ୍କ ଦାହସଂସ୍କାର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ଅଗଷ୍ଟ ମାସ ୧୫ ତାରିଖରେ କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କ ସେବା ନିମନ୍ତେ ଏକ ଆପ୍ ସହାୟ ଜାରୀ କରାଯାଇଥିଲା। ଏହି ଆପ୍ ଜରିଆରେ ସାଧାରଣ ଲୋକ ନିଃଶୁଳ୍କ ଡ଼ାକ୍ତରୀ ପରାମର୍ଶ, ଔଷଧ ବିତରଣ, ଆମ୍ବୁଲାନସ ସେବା ସହ ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରାଯାଇଛି। ଆଙ୍କୁଲି ଗ୍ରାମର ୩୮ ନଂ ୱାର୍ଡ଼ର ଅକ୍ଷୟ ପଟ୍ଟନାୟକଙ୍କ ଟାଟା କୋଭିଡ଼୍ ହସ୍ପିଟାଲ୍‌ରେ ମୃତ୍ୟୁ ଘଟିଥିଲା। ମୃତଙ୍କ ପରିବାର ଲୋକ ଏହି ଆପ୍‌ରେ ମହାପ୍ରୟାଣ ଟିମ୍ ସହ ଯୋଗାଯୋଗ କରିଥିଲେ। ସଂଗେ ସଂଗେ ଏହି ଟିମ୍ ଟାଟା କୋଭିଡ଼୍ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ଜାଣିବାକୁ ପାଇଲେ ଯେ ବହୁତ ଅର୍ଥ ଖର୍ଚ୍ଚ ହୋଇଥିଲେ ମଧ୍ୟ ଶବ ଦାହ ପାଇଁ କର୍ମଚାରୀର ଅଭାବ ରହିଛି। ତେଣୁ ସହାୟ ମହାପ୍ରୟାଣ ଟିମ୍‌ର ସଦସ୍ୟ ଏନ୍‌. ରାଜେନ୍ଦ୍ର କୁମାର, କିରଣ କୁମାର ସାହୁ, ମଧୁସୂଦନ ସାହୁ, ଶିବଶଙ୍କର ନାୟକ, ତୁମ୍ବେଶ୍ୱର ନାୟକ, ରବିନ୍ କୁମାର ସାହୁ, ସନ୍ତୋଷ ବେହେରା ପ୍ରମୁଖ ଶ୍ମଶାନରେ ଉପସ୍ଥିତ ରହି ଦାହ କରିଥିଲେ। ସହାୟ ଆପ୍‌ର ସଂଯୋଜକ ଶିବପ୍ରସାଦ ପାତ୍ର ସଂଯୋଜନା କରିଥିଲେ। କାର୍ଯ୍ୟକର୍ତ୍ତାଙ୍କ ଏହି ସେବାକୁ ଜିଲ୍ଲା ସଭାପତି ବିଭୂତି ଜେନା ଭୂୟଶୀ ପ୍ରଶଂସା କରିଛନ୍ତି।

Categories
ଆଞ୍ଚଳିକ

ଅସହାୟଙ୍କୁ ସହାୟତାର ହାତ ବଢାଇଲା ଗଞ୍ଜାମ ଜିଲ୍ଲା ବିଜେପି

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ବର୍ତ୍ତମାନ କରୋନା ମହାମାରୀ ସାରା ବିଶ୍ୱକୁ ଘାଇଲା କରିଥିବା ବେଳେ ଆମ ଦେଶ ଓ ରାଜ୍ୟ ଏଥିରୁ ବାଦ ପଡିନାହିଁ। ଆମ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସେହିଭଳି ରାଜ୍ୟ ମଧ୍ୟ କରୋନା ଆକ୍ରାନ୍ତରେ ସେଞ୍ଚୁରି ମାରିସାରିଲାଣି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶ ଓ ରାଜ୍ୟରେ ଲକ ଡାଉନ ଜାରି ରହିଥିବା ବେଳେ ଏବେ ଏହାର ପ୍ରଭାବ ଦିନ ମଜୁରିଆ, ଅସହାୟ ଓ ଗରିବ ଶ୍ରେଣୀର ଲୋକଙ୍କ ଉପରେ ପଡିଛି। ତେବେ ସେମାନଙ୍କ ପେଟର ଭୋକକୁ ଦେଖି ରାଜ୍ୟ ସରକାର ବହୁ ଯୋଜନା କରିଛନ୍ତି। ରାସନ କାର୍ଡ ଧାରୀ ମାନଙ୍କୁ ଆଗୁଆ ୩ ମାସର ରାସନ ସାମଗ୍ରୀ ପ୍ରଦାନ କରୁଛନ୍ତି। ତେବେ ସେଥିରେ ବଳି ପଡୁଛନ୍ତି ରାସନ କାର୍ଡ ରୁ ବାଦ ପଡିଥିବା ଲୋକେ। ଏଭଳି ଅବସ୍ଥାରେ ଏବେ ସେମାନଙ୍କ ନିକଟରେ ପହଂଚି ପେଟକୁ ଆହାର ଯୋଗାଇଦେବା ପାଇଁ ଅଣ୍ଟା ଭିଡ଼ିଛି ଗଂଜାମ ଜିଲ୍ଲା ବିଜେପି।

ବ୍ରହ୍ମପୁର ସହରର ବିଭିନ୍ନ ୱାର୍ଡରେ ବିଜେପି ପକ୍ଷରୁ ଅସହାୟ ଓ ରାସନ କାର୍ଡରୁ ବଂଚିତ ଥିବା ଲୋକଙ୍କୁ ଅତ୍ୟାବଶ୍ୟକ ରାସନ ସାମଗ୍ରୀ ପ୍ରଦାନ କରାଯାଉଛି। ଏଥି ସହ କରୋନାକୁ ମୁକାବିଲା କରିବା ନେଇ ପ୍ରତ୍ୟେକଟି ନିୟମାବଳୀକୁ ମାନି ଅର୍ଥାତ ମାସ୍କ ବ୍ୟବହାର ବାଧ୍ୟତାମୂଳକ, ସମାଜିକ ଦୂରତା ପ୍ରତି ଗୁରୁତ୍ୱ, ସାନିଟାଇଜର ହାତକୁ ଭଲ ଭାବେ ସଫା କରିବା ଇତ୍ୟାଦି ନେଇ ଲୋକଙ୍କୁ ସଚେତନ କରାଯାଉଛି। ସେହିଭଳି ଆଜି ବିଜେପି ପକ୍ଷରୁ ପୁରୁଣା ବ୍ରହ୍ମପୁର ସ୍ଥିତ ଆଗା ସାହି ଠାରେ ଅସହାୟ ଓ ରାସନ କାର୍ଡରୁ ବାଦ ପଡିଥିବା ଲୋକଙ୍କୁ ରାସନ ସାମଗ୍ରୀ ବିଜେପି ପକ୍ଷରୁ ପ୍ରଦାନ କରାଯାଇଥିଲା। ପ୍ରତ୍ୟକ ଦିନ ଭିଭିନ୍ନ ୱାର୍ଡ ସ୍ତରରେ ୨୦୦ରୁ ୩୦୦ ଜଣ ବ୍ୟକ୍ତି ଙ୍କୁ ଏହି ଘରୋଇ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଉଛି। ଆଜିର ଏହି ସାମଗ୍ରୀ ବଣ୍ଟନ ରେ ଗଂଜାମ ଜିଲ୍ଲା ବିଜେପି ସଭାପତି ବିଭୁତି ଭୂଷଣ ଜେନା, ପୂର୍ବତନ ବିଜେପି ଜିଲ୍ଲା ସଭାପତି କାହ୍ନୁ ଚରଣ ପତି, ବିନାୟକ ରଥ, ପ୍ରଭାତ ଷଡଙ୍ଗୀ, କମଳ, ଚନ୍ଦନ ସାହୁ, ଭାବଗ୍ରାହୀ ପାଳ, ବିଘନେଶ୍ୱର ନାୟକ, ଏନ ରାଜେନ୍ଦ୍ର, କିରଣ ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ସାମାଜିକ ଦୂରତା ବଜାଇ ରଖି ରାସନ ସାମଗ୍ରୀ ବଣ୍ଟନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ନିର୍ବାଚନ: ଭୋଟ ପୂର୍ବରୁ ହନୁମାନଙ୍କ ଶରଣ ପଶିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ

ନୂଆଦିଲ୍ଲୀ- ଆଜି ସକାଳୁ ଦିଲ୍ଲୀର 70ଟି ଆସନ ପାଇଁ ଭୋଟଗ୍ରହଣ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ସବୁଦଳ ନିଜନିଜ ସପକ୍ଷରେ ଭୋଟ ଗୋଟାଇବା ପାଇଁ ଲାଗିପଡିଛନ୍ତି। ତେବେ ଭୋଟଗ୍ରହଣ ପୂର୍ବରୁ ବିଭିନ୍ନ ଦଳର ନେତାମାନେ ମନ୍ଦିର ଯାଇ ଭଗବାନଙ୍କ ନିକଟରେ ଶରଣ ପଶିଛନ୍ତି। ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜରୀୱାଲ ନୂଆଦିଲ୍ଲୀର ଏକ ସର୍ବପୁରାତନ ହନୁମାନ ମନ୍ଦିରକୁ ଯାଇ ପୂଜାଅର୍ଚ୍ଚନା କରିଥିଲେ।

କେଜରୀୱାଲ ସ୍ତ୍ରୀଙ୍କ ସେହି ମନ୍ଦିରରେ ଦୀର୍ଘ ସମୟ ରହି ପୂଜା କରିଥିଲେ। ଠିକ ସେହିପରି ଦିଲ୍ଲୀର ବିଜେପି ମୁଖ୍ୟ ମନୋଜ ତିୱାରୀ ମଧ୍ୟ ଗତକାଲି ଅନ୍ୟ ଏକ ହନୁମାନ ମନ୍ଦିରକୁ ଯାଇ ପୂଜା ଅର୍ଚ୍ଚନା କରିଥିଲେ। ପ୍ରଚାର ବନ୍ଦ ଥିବାରୁ ମନୋଜ ଭୋଟ ପ୍ରଚାର କରି ନ ଥିଲେ ମଧ୍ୟ ଭୋଟ ଦେବା ପାଇଁ ସମସ୍ତଙ୍କୁ ଅପିଲ କରିଥିଲେ।

Categories
ଫଟୋ ଖବର

ଭାରତରେ ଗେରୁଆ ଦଳର ଗତ ବର୍ଷ ସହିତ ଚଳିତ ବର୍ଷର ଡିସେମ୍ବର ସୁଦ୍ଧା ସ୍ଥିତିର ଏକ ତୁଳନାତ୍ମକ ଚିତ୍ର

Infographics: Lotus shrinks further. (IANS Infographics) ଭାରତରେ ଗେରୁଆ ଦଳର ଗତ ବର୍ଷର ସ୍ଥିତି ସହିତ ଚଳିତ ବର୍ଷର ଡିସେମ୍ବର ସୁଦ୍ଧା ସ୍ଥିତିର ଏକ ତୁଳନା

Categories
ବିଶେଷ ଖବର

ସବୁଥର ପରି ଏଥର ମଧ୍ୟ ବିଜୟ ମହାପାତ୍ର ନିଜ ଯୁଦ୍ଧରେ ଏକାକୀ ଓ ଅସହାୟ

କେଦାର ମିଶ୍ର 

ସବୁଥର ପରି ଏଥର ମଧ୍ୟ ବିଜୟ ମହାପାତ୍ର ନିଜ ଯୁଦ୍ଧ ଏକୁଟିଆ ହିଁ ଲଢୁଛନ୍ତି। ତାଙ୍କ ସହିତ ତାଙ୍କୁ ଟିକଟ ଦେଇଥିବା ଦଳ ନାହିଁ କିମ୍ବା ନିର୍ବାଚନ ଜିଣିବା ଲାଗି ଯେଉଁ ଶକ୍ତି ଓ ସମ୍ବଳ ଲୋଡା, ତାହା ବି ନାହିଁ। ବିଜେପି ପ୍ରାର୍ଥୀ ଭାବରେ ସେ ପାଟକୁରା ନିର୍ବାଚନ ଲଢୁଥିଲେ ମଧ୍ୟ ତାଙ୍କୁ ଜିତାଇ ଆଣିବାକୁ ତାଙ୍କ ଦଳର ଏକ ପ୍ରଭାବଶାଳୀ ଗୋଷ୍ଠୀ ଚାହୁଁନାହାନ୍ତି। କେବଳ ନିଜସ୍ଵ ସଂଗଠନ ଓ ଲୋକପ୍ରିୟତା ଆଧାରରେ ବିଜୟ ମହାପାତ୍ର ଯାହା ଭୋଟ ପାଇବେ, ତାଠୁ ଅଧିକ କିଛି ହେବାର ସମ୍ଭାବନା ଆଉ ନାହିଁ। ଗତ ଏପ୍ରିଲ ମାସରେ ନିର୍ବାଚନ ହୋଇଥିଲେ ବିଜୟ ମହାପାତ୍ର ବିଜେଡି ପ୍ରାର୍ଥୀଙ୍କୁ କଡା ଟକ୍କର ଅବଶ୍ୟ ଦେଇଥାନ୍ତେ। ଯଦିଓ ପାଟକୁରା ଜିତିବା ବିଜୟଙ୍କ ଲାଗି ଏତେ ସହଜ ନୁହେଁ, ତଥାପି ତାଙ୍କ ସପକ୍ଷରେ କିଛିଟା ସହାନୁଭୁତି ସେତେବେଳେ ରହିଥିଲା। ପାଟକୁରାର ବିଧାୟକ ବେଦପ୍ରକାଶ ଅଗ୍ରୱାଲାଙ୍କ ମୃତ୍ୟୁ ଓ ତା ପରବର୍ତ୍ତୀ ଘଟଣାକ୍ରମ ବିଜୟଙ୍କ ରାଜନୈତିକ ସ୍ଥିତିକୁ ଅଧିକ ଦୁର୍ବଳ କରିଦେଇଛି। ସେତେବେଳେ ବିଜେପି ଓ ବିଜେଡି ଭିତରେ ପ୍ରବଳ ମୁକାବିଲାମୂଳକ ପରିସ୍ଥିତି ରହିଥିଲା। ଆଜି କେନ୍ଦ୍ର ଓ ରାଜ୍ୟରେ ବିଜେପି ବିଜେଡି ସରକାର ହୋଇ ସାରିଲା ପରେ ଏବେ ଦୁଇ ଦଳ ମଧ୍ୟରେ ବୁଝାମଣା ହେଲା ଭଳି ଲାଗୁଛି। ରାଜ୍ୟସଭାରେ ବିଜେଡି ବିଜେପିକୁ ଗୋଟେ ଆସନ ବିନା କାରଣରୁ ଛାଡିଦେବା ପରେ ଉଭୟ ଦଳ ଯେ ପରଷ୍ପରର ସହଯୋଗୀ ଭାବରେ କାମ କରୁଛନ୍ତି, ଏକଥା ଅବୁଝା ହୋଇ ରହିନାହିଁ।

ବିଜୟଙ୍କ ଲାଗି ଏବେ ଅସଲ ଆହ୍ଵାନ ବିଜେଡି ତରଫରୁ ଆସୁନାହିଁ। ବିଜେଡି ପାଖରେ ନିଜକୁ ସହଯୋଗୀ ଭାବରେ ପରିଚିତ କରାଇବାକୁ ବ୍ୟାକୁଳ ବିଜେପି ହିଁ ବିଜୟଙ୍କର ଅସଲ ସମସ୍ୟା। ଦିଲ୍ଲୀ ଓ ଭୁବନେଶ୍ବରରେ କୋଳାକୋଳି ହେଉଥିବା ବିଜେଡି-ବିଜେପି ପାଟକୁରାରେ କେବଳ ନାମକୁ ମାତ୍ର ପରଷ୍ପର ବିରୋଧରେ ଲଢିବେ। ପାଟକୁରା ବିଧାନସଭା ଉପ ନିର୍ବାଚନରେ ବିଜେଡି କୁ ସୁହାଇଲା ଭଳି ନୀରବତା ବିଜେପି ଅବଲମ୍ବନ କରିବ। ହେଲେ ବିଜୟଙ୍କର ମୂଳ ପରିଚୟ ହେଉଛି ସେ ନବୀନ ବିରୋଧୀ। ବିଜେପି ବିଜେଡି ସହିତ ବୁଝାମଣା କାଲେ ମଧ୍ୟ ବିଜୟଙ୍କୁ ବିଜେଡି ବିରୋଧରେ ଲଢିବାକୁ ପଡିବ। ତେବେ ସେ କାହା ଭରସାରେ ଏ ଲଢେଇ ଲଢିବେ? ଗତ ୨୦ ବର୍ଷ ଧରି ରାଜନୀତିରେ ସେ ପରାସ୍ତ ହୋଇ ଆସୁଛନ୍ତି। ଯେଉଁମାନେ ତାଙ୍କର ବିଶ୍ଵସ୍ତ ଥିଲେ ସେମାନେ ତାଙ୍କୁ ଛାଡି ଯାଇ ସାରିଲେଣି। ନିର୍ବାଚନର ୮ ମାସ ଆଗରୁ ସେ ଯେତେବେଳେ ବିଜେପି ରୁ ଇସ୍ତଫା ଦେଲେ ସେତେବେଳେ ବିଜେପି କହିଥିଲା- ବିଜୟଙ୍କ ଡିଏନଏ ରେ ଗୋଷ୍ଠିକନ୍ଦଳର ପ୍ରବୃତ୍ତି ରହିଛି। ବିଜେଡି କିମ୍ବା ବିଜେପି କେହି ତାଙ୍କୁ ନିଜ ଶିବିରକୁ ନେବାଲାଗି ସେତେବେଳେ ପ୍ରସ୍ତୁତ ନଥିଲେ।

ତେବେ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦେବା ପରେ  ନିଜ ଲାଭକୁ ଆଖି ଆଗରେ ରଖି ସେ ବିଜୟ ମହାପାତ୍ରଙ୍କୁ ପୁଣିଥରେ ବିଜେପିକୁ ଫେରାଇ ଆଣିଥିଲେ। ବିଜୟଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ତୁଳନାରେ ବୈଜୟନ୍ତଙ୍କ ନିଜ ହିସାବ ସେ ନିଷ୍ପତ୍ତିରେ ବେଶି କାମ କରିଥିଲା। ଲୋକସଭା ନିର୍ବାଚନରେ ପାଟକୁରାରୁ ବିଜେପିକୁ ଆଗ ତୁଳନାରେ କିଛିଟା ଅଧିକ ଲାଭ ମିଳିଥିଲା। ତଥାପି ସେଠାରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ବୈଜୟନ୍ତଙ୍କଠାରୁ ୬୦୦୦ ରୁ ଅଧିକ ଭୋଟରେ ଆଗୁଆ ରହିଥିଲେ। ଏହି ପୃଷ୍ଠଭୂମିରେ ଆଜି ମଧ୍ୟ ପାଟକୁରାରେ ବିଜେଡି ହାରିବା ଭଳି ସ୍ଥିତି ନାହିଁ। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲାଙ୍କ ପ୍ରତି ସ୍ଵାଭାବିକ ଭାବରେ କିଛିଟା ସହାନୁଭୁତି ରହିଛି। ୧୧୨ ଆସନ ପାଇ ରାଜ୍ୟରେ ବିଜେଡି ସରକାର ପୁନଃ ସ୍ଥାପିତ ହୋଇଥିବାରୁ ଏହାର ପ୍ରଭାବ ପାଟକୁରା ରେ ନିଶ୍ଚୟ ପଡିବ। ବିଜୟ ଜିତିଲେ, ତାଙ୍କୁ ବିଜେପି ଭିତରେ ସେମିତି କିଛି ସମ୍ମାନଜନକ ସ୍ଥାନ ମିଳିବାର ନାହିଁ। ସବୁଠୁ ବଡ କଥା ହେଉଛି, ବିଜେଡି ବିଜେପି ପରଷ୍ପରର ସହଯୋଗୀ ହୋଇଥିବାରୁ ବିଜୟଙ୍କୁ ଆଉ ବିରୋଧୀ ବୋଲି ବିଧାନସଭାକୁ ପଠାଇବାର ଆଉ କୌଣସି କାରଣ ଭୋଟରଙ୍କ ପାଖରେ ନାହିଁ।

ନିର୍ବାଚନୀ ଗଣିତ ଦୃଷ୍ଟିରୁ ମଧ୍ୟ ବିଜୟଙ୍କ ସପକ୍ଷରେ ପାଟକୁରା ନାହିଁ। ଗତ ଚାରୋଟି ଯାକ ସାଧାରଣ ନିର୍ବାଚନରେ ପାଟକୁରାରୁ ବିଜେଡି ପ୍ରାର୍ଥୀମାନେ ପ୍ରାୟ 50% ଭୋଟ ପାଇ ଜିତି ଆସୁଛନ୍ତି। ବିଜେଡ଼ିର ବିଜୟ ବ୍ଯବଧାନ ମଧ୍ୟ ବହୁତ ବେଶି। ଗରଦପୁର ଅଞ୍ଚଳରେ ବିଜୟ ମହାପାତ୍ରଙ୍କ ଭଲ ପ୍ରଭାବ ରହିଥିବା ବେଳେ ଡେରାବିଶ ଓ ମାର୍ଶାଘାଇ ରେ ବିଜେଡି ପ୍ରଭାବ ଅଧିକ। ବର୍ତ୍ତମାନ ସ୍ଥିତିରେ ବିଜୟଙ୍କ ତ୍ରିଶଙ୍କୁ ଅବସ୍ଥା। ଆସନ୍ତା ୨୦ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ତାଙ୍କୁ ବିଜେପିର ନୈତିକ ସମର୍ଥନ ବ୍ୟତୀତ ଅଧିକ କିଛି ମିଳିବାର ନାହିଁ। ବିଜେପି ଭିତରେ ରହିଥିବା ଧର୍ମେନ୍ଦ୍ର ପ୍ରଧାନ ବିରୋଧୀ କିଛି ନେତା କେବଳ ବିଜୟଙ୍କ ପାଇଁ ପ୍ରଚାର କରିବେ। ଏପରିକି ପାଟକୁରାର ବିଜେପି ନେତା ଓ କର୍ମୀମାନେ ମଧ୍ୟ ବିଜୟଙ୍କ ସପକ୍ଷରେ ଆନ୍ତରିକତାର ସହିତ ଛିଡା ହେବାକୁ ନାରାଜ।

ଏମିତି ପରିସ୍ଥିତିରେ ସବୁଥର  ପରି ଏଥର ମଧ୍ୟ ବିଜୟ ମହାପାତ୍ର ନିଜ ଲଢେଇ ଏକୁଟିଆ ହିଁ ଲଢିବେ।

 

Categories
ଆଜିର ଖବର

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସସ୍ମିତ ପାତ୍ର ଏବଂ ଅମର ପଟ୍ଟନାୟକ, କହିଲେ ଆରମ୍ଭ ହେଲା ନୂଆ ଇନିଂସ୍

ଆଜି ବିଜେଡିର ଦୁଇ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏବଂ ଅମର ପଟ୍ଟନାୟକ ଶପଥ ନେଇଛନ୍ତି। ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ସସ୍ମିତ ପାତ୍ର ଏବଂ ଅମର ପଟ୍ଟନାୟକ ନିଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସସ୍ମିତ ବିଜେଡିର ମୁଖପାତ୍ର ଥିବା ବେଳେ ଅମର ଦଳର ଆଇଟି ସେଲର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଚଳିତ ଥର ରାଜ୍ୟସଭାର ତିନୋଟି ଆସନ ଖାଲି ହୋଇଥିଲା। ଏହି ତିନୋଟି ଆସନରେ ବିଜେଡି ଦୁଇ ଜଣ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ଜଣେ ପ୍ରାର୍ଥୀ ଦେଇଥିଲା। ବିଜେପି ତରଫରୁ ପୂର୍ବତନ ଆଇଏଏସ ଅଫିସର ତଥା ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜେପେୟୀଙ୍କ ବ୍ୟକ୍ତିଗତ ସଚିବ ଅଶ୍ବନୀ ବୈଷ୍ଣବ ପ୍ରାର୍ଥୀ କରିଥିଲା। ଅଶ୍ବନୀଙ୍କୁ ବିଜେଡି ସମର୍ଥନ କରିଥିଲା। ଫଳରେ ସେ ମଧ୍ୟ ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ସେ ପୂର୍ବରୁ ସାଂସଦ ଭାବେ ଶପଥ ନେଇ ସାରିଥିଲେ। ଶପଥ ନେବା ପରେ ସସ୍ମିତ କହିଛନ୍ତି ଯେ, ବର୍ତ୍ତମାନ ରାଜନୈତିକ କ୍ୟାରିୟରରେ ଏକ ନୂଆ ଇନିଂସ ଆରମ୍ଭ ହେଲା। ଓଡିଶାର ସମସ୍ୟା ରାଜ୍ୟସଭାରେ ଉପସ୍ଥାପନା କରି ଉନ୍ନତି କରିବା କାର୍ଯ୍ୟରେ ଲାଗିବି ବୋଲି ସସ୍ମିତ କହିଛନ୍ତି।

Categories
ବିଶେଷ ଖବର

ବାତ୍ୟା ବେଳେ ବି ରାଜନୀତି ଜରୁରୀ ! ବାତ୍ୟା ଆଖିରେ ପାଟକୁରା ଓ ବେଚାରା ନିର୍ବାଚନ ଅଧିକାରୀ

 କେଦାର ମିଶ୍ର

ନିର୍ବାଚନ ସରୁ ସରୁ ଓଡିଶାର ସାମାଜିକ ପରିମଣ୍ଡଳ ଟିକେ ଶାନ୍ତ ରହିବା ବୋଲି ଆମେ ବିଚାର କରୁଥିଲୁ। ହେଲେ ଠିକ ସେଇ ସମୟରେ ଗୋଟେ ଦିଗରୁ ଭୟଙ୍କର ବାତ୍ୟା “ଫନୀ” ଓଡିଶା ଉପକୂଳକୁ ମାଡି ଆସୁଛି ଓ ବାତ୍ୟାକୁ କେନ୍ଦ୍ର କରି ଓଡିଶା ରାଜନୀତିର ଘୂର୍ଣ୍ଣି ଆହୁରି ଭୟଙ୍କର ଲାଗୁଛି। ଆପାତତଃ ଶାନ୍ତିପୂର୍ଣ୍ଣ ଭାବରେ ଓଡିଶାର ଚାରୋଟି ଯାକ ପର୍ୟାୟ ନିର୍ବାଚନ ସମାହିତ କରିଥିବାରୁ ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଧନ୍ୟବାଦ ପାଇବା ପରିବର୍ତ୍ତେ ଭାରତୀୟ ଜନତା ପାର୍ଟି ଓ ଏହାର ସଦା କ୍ରୋଧିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଶର ଶିକାର ହୋଇଛନ୍ତି। ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଜଣେ ଭ୍ରଷ୍ଟ ଅଧିକାରୀ ବୋଲି ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି। ଏ ପ୍ରକାର ଅଭିଯୋଗର ଆଧାର କଣ, ସେ କଥା କାହାକୁ ଜଣାନାହିଁ। ଓଡିଶା ଯେତେବେଳେ ଏକ ବିରାଟ ପ୍ରାକୃତିକ ବିପର୍ୟୟକୁ ମୁକାବିଲା କରିବାକୁ ଯାଉଛି ସେତେବେଳେ ଏ ପ୍ରକାର ରାଜନୈତିକ ଆକ୍ଷେପ ପ୍ରତି ଆକ୍ଷେପ ବଡ ଦୁର୍ଭାଗ୍ୟଜନକ। ନିର୍ବାଚନ ଏବେ ସରିଯାଇଛି। ଆସନ୍ତା ୧୯ ତାରିଖରେ ପାଟକୁରା ଉପ ନିର୍ବାଚନ ହେବା କଥା। ତାକୁ ନେଇ ଏ ସବୁ ନାଟକ।

ଭୟଙ୍କର ବାତ୍ୟା “ଫନୀ” ଓଡିଶା ଉପକୂଳରେ କେଉଁଠି ସ୍ଥଳଭାଗ ଛୁଇଁବ ସେ କଥା ଏଯାଏ ସ୍ପଷ୍ଟ ହୋଇନି। ତେବେ ପୁରୀରୁ ଦୀଘା ମଝିରେ ଏହା କେଉଁଠି ହେଲେ ସ୍ଥଳଭାଗକୁ ପ୍ରବେଶ କରିପାରେ। ବାତ୍ୟା ମୁକାବିଲା ବର୍ତ୍ତମାନ ସମୟର ସବୁଠୁ ବଡ ଚିନ୍ତା। ସେତେବେଳେ ପାଟକୁରା ନିର୍ବାଚନ ହେବା ନହେବା, ଖୁବ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ନୁହେଁ। ତେବେ ପାଟକୁରାକୁ ନେଇ ଗତ ମାସେ ହେଲା ଅନେକ ରୋଚକ ରାଜନୈତିକ ମୋଡ ଆସିଛି। ପ୍ରଥମେ ବିଜୟ ମହାପାତ୍ର ବର୍ଷାଧିକ କାଳ ବିଜେପିଠାରୁ ଅଭିମାନ କରି ଦୂରରେ ରହିଲେ। ତାଙ୍କୁ ବିଜେପି ପୁରୁଣା ଆସବାବ ଭଳି ବ୍ୟବହାର କରୁଛି ବୋଲି କହି ସେ ବିଜେପିରୁ ଇସ୍ତଫା ଦେଇ ଚାଲିଆସିଥିଲେ। ତେବେ ହଠାତ ତାଙ୍କର ମାନଭଞ୍ଜନ ହେଲା। ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦାନ କରିବା ପରେ ସେ ପ୍ରଥମେ ବିଜୟଙ୍କୁ ନିଜ ପାଖକୁ ନେଇ ଆସିଲେ। ପୁରୁଣା ଆସବାବ ପୁଣି ଥରେ ନିଜ ଜାଗାକୁ ଫେରି ଆସିଲା। ତେବେ ପୁରୁଣା ଜାଗା କହିଲେ, ସେଇ ପାଟକୁରା। ବିଜୟଙ୍କୁ ବିଜେପି ପାଟକୁରାର ପ୍ରାର୍ଥୀ କଲା।

ବିଜୟଙ୍କ ପ୍ରତିଦ୍ବନ୍ଦ୍ବୀ ଭାବରେ ବିଜେଡି ନିଜର ବର୍ଷିୟାନ ନେତା ବେଦପ୍ରକାଶ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିଲା। ତେବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଲାପରେ ବେଦୁ ବାବୁଙ୍କ ଦେହାନ୍ତ ହେଲା। ଆମ ଜାଣିବାରେ ବେଦ ପ୍ରକାଶ ଅଗ୍ରୱାଲାଙ୍କ ଦେହାନ୍ତକୁ ଆମେ  ଆମ ସମୟର ସବୁଠୁ ବଡ ରାଜନୈତିକ ମୃତ୍ୟୁ ବୋଲି କହିପାରିବା। ବିଜେପି ଓ ବିଜୟ ଅଭିଯୋଗ କଲେ ଯେ ଜାଣିଶୁଣି ନିର୍ବାଚନ ଘୁଞ୍ଚାଇବାକୁ ଏଠାରେ ବେଦ ପ୍ରକାଶ ଅଗ୍ରୱାଲାଙ୍କୁ ବିଜେଡି ଟିକଟ ଦେଇଥିଲା। ଏହାର ସିଧା ଅର୍ଥ ହେଉଛି, ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ମତେ ବୋଧହୁଏ ଯମରାଜା ବେଦପ୍ରକାଶଙ୍କୁ ଇହ ଧାମରୁ ନେଇଗଲେ! ବିଜୟଙ୍କୁ ହଇରାଣ କରିବା ଲାଗି ଖୋଦ ଯମରାଜ ମଧ୍ୟ ନବୀନଙ୍କ ସହ ଷଡଯନ୍ତ୍ରରେ ସାମିଲ ବୋଲି ଆମେ ମାନିବାକୁ ବାଧ୍ୟ!

ତେବେ ଯମରାଜା ତାଙ୍କ କାମ କରିବା ପରେ ଏବେ ଇନ୍ଦ୍ର ମଧ୍ୟ ନବୀନଙ୍କ ସହ ମିଶି ବିଜୟ ଓ ବିଜେପି ବିରୋଧରେ ଷଡଯନ୍ତ୍ର ଆରମ୍ଭ କରିଛନ୍ତି। ପାଟକୁରା ନିର୍ବାଚନ ଆସନ୍ତା ମେ ୧୯ ରେ ହେବା ପୂର୍ବରୁ ଏବେ ବାତ୍ୟା “ଫନୀ” ଆସି ପହଞ୍ଚି ଯାଇଛି। ବାତ୍ୟାକୁ ଆଳ କରି ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ ବିଜେଡି ଦରଖାସ୍ତ କରିଛି ଓ ଏହା ବିରୋଧରେ ବିଜେପି ଠିଆ ହୋଇଛି। ଶେଷ ନିଷ୍ପତ୍ତି ନିର୍ବାଚନ କମିଶନ ନେବେ। ହେଲେ ସାଧାରଣ ଓଡିଆ ଭାବରେ ଆମର ପ୍ରଶ୍ନ ହେଲା, ଆଜ୍ଞାମାନେ! ୧୪୬ ଟି ବିଧାନସଭା ନିର୍ବାଚନ ସରି ତ ଗଲାଣି। ବାତ୍ୟାର କ୍ଷୟକ୍ଷତି ଭିତରେ ଆଉ ଗୋଟେ ବିଧାନସଭା ନିର୍ବାଚନ ଯଦି କିଛି ଦିନ ଘୁଞ୍ଚିଯାଏ, ତାହେଲେ କଣ ବା ଅସୁବିଧା ହେବ କି ? ହୁଏତ ଏଥିଲାଗି ଶାସକ ଦଳ ଟିକେ ଅଧିକ ସମୟ ପାଇଯିବ। ତେବେ ମେ ୨୩ ପରେ ବିଜେଡି କଣ ଶାସକ ଦଳ ହୋଇ ରହିବ ବୋଲି ବିଜେପି ମାନି ନେଇ ସାରିଛି ?

ଅସଲ କଥା ହେଉଛି, ଏ ସମ୍ପର୍କିତ ଚୂଡାନ୍ତ ନିଷ୍ପତ୍ତି ନିର୍ବାଚନ କମିଶନ ନେବେ। ତା ପୂର୍ବରୁ ପୂର୍ବରୁ ବିଜେପିର ବିଳିବିଳା ବଡ ଅରୁଚିକର ଲାଗୁଛି। ନିର୍ବାଚନ କମିଶନଙ୍କୁ ଭେଟି ଧର୍ମେନ୍ଦ୍ର କହିଛନ୍ତି- “ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ରାଜ୍ୟରେ ନିର୍ବାଚନ ଆଚରଣ ବିଧି କଟକଣା ହଟାଇବା ନେଇ ମୁଖ୍ୟଶାସନ ସଚିବଙ୍କ ସ୍କ୍ରିନିଂ କମିଟି ତରଫରୁ ଅନୁରୋଧ କରାଯାଇଥିଲା। ଯାହାକୁ କମିଶନ ଗ୍ରହଣ କରି ନିର୍ବାଚନ ଆଚରଣ ବିଧି କୋହଳ କରିଛନ୍ତି। ସମ୍ଭାବ୍ୟ ପ୍ରାକୃତିକ ଦୁର୍ବିପାକ ପରିପ୍ରେକ୍ଷୀରେ କେବଳ ବାତ୍ୟା ମୁକାବିଲା ଜନିତ ଆବଶ୍ୟକୀୟ ପଦକ୍ଷେପ ପାଇଁ ନିର୍ବାଚନ ଆଚରଣ ବିଧିକୁ କୋହଳ କରାଯାଇଥିବା ମୁଖ୍ୟ ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି। କିନ୍ତୁ ଆଚରଣ ବିଧି ହଟିବା ଆଳରେ ରାଜ୍ୟର ବିଜେଡି ସରକାର ୧୦୦୦ କୋଟି ଟଙ୍କାର ମିଛ ବିଲ୍ ଅନୁମୋଦନ କରି ଦଳୀୟ କର୍ମୀଙ୍କୁ ମାଲେମାଲ୍ କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି। ରାଜ୍ୟରେ ନିର୍ବାଚନ ସରିଛି। ଜନାଦେଶ ବିଜେପି ସପକ୍ଷରେ ଯାଇ ସାରିଛି। ନବୀନବାବୁ ଦୀର୍ଘ ୧୯ ବର୍ଷ ଧରି ଓଡି଼ଶାକୁ ଲୁଟ୍ କରିଛନ୍ତି, ଆଉ ଓଡ଼ିଶା ଲୋକଙ୍କ ଝାଳବୁହା ଅର୍ଥକୁ ତାଙ୍କୁ ଲୁଟ୍ କରିବାକୁ ଦିଆଯାଇ ପାରିବ ନାହିଁ।

ଏ କଥାର କିଛି ଅର୍ଥ ସତରେ ଅଛି କି ? ବାତ୍ୟା ସମୟରେ ୧୧ ଟି ଜିଲ୍ଲାରୁ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧି ହଟାଇ ଦେଇଛନ୍ତି। ବାତ୍ୟା ସହାୟତା ଓ ରିଲିଫ କାମ ଲାଗି ତାହା ଜରୁରୀ। ତେବେ ଏଥିରୁ ହଜାରେ କୋଟି ବିଜେଡି ସରକାର କେମିତି ଓ କେଉଁ ବାଗରେ ହଡପ କରିବେ, ଆମେ ତାହା ବୁଝି ପାରୁନାହୁଁ ? ତା ପରେ ମନ୍ତ୍ରୀଙ୍କ କଥା ମୁତାବକ ଯଦି ତାଙ୍କ ସରକାର ଆସୁଛି, ତାହେଲେ ଏ ସରକାର ଯଦି କିଛି ଗଫଲତି କରେ, ତାର ବିଲ ଅଟକା ଯାଇପାରିବ ଓ ଦୋଷୀମାନଙ୍କୁ ବନ୍ଧା ଯାଇପାରିବ।

ଦୁର୍ଦ୍ଦିନ ସମୟରେ ସବୁ ରାଜନୈତିକ ଦଳ ହାତକୁ ହାତ ମିଳାଇ ଏବେ ଲୋକଙ୍କ ସେବା କରିବାର ସମୟ ଆସିଛି। ନିର୍ବାଚନ ସରିଗଲାଣି। ଭାଷଣ ଓ ବୟାନବାଜିରେ ଜନମତ ଆଉ ପ୍ରଭାବିତ ହେବାର ନାହିଁ। ଏବେ ଅନ୍ତତଃ ରାଜନୀତିରେ ମଣିଷପଣିଆ କିଛି ତ ରହୁ !

( ଆଶ୍ଚର୍ଯ୍ୟ, ମୋବାଇଲ ସ୍କ୍ରିନକୁ ଘଷି ଚାଲିଲେ ବାହାରୁଛି ଖବର ପରେ ଖବର, ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ୍ )

Categories
ଆଜିର ଖବର

ବୈଜୟନ୍ତଙ୍କ ବିରୋଧରେ ବିଜେଡିର ଅଭିଯୋଗ, ପ୍ରଚାର ବନ୍ଦ ଥିବାବେଳେ ସେ ଡିଜିଟାଲ ମାଧ୍ୟମରେ ପ୍ରଚାର କରୁଛନ୍ତି କିପରି ?

ରାତିପାହିଲେ କେନ୍ଦ୍ରପଡା ନିର୍ବାଚନ ହେଲେ ଏ ପର୍ଯ୍ୟନ୍ତ ବିଜେଡି ବିଜେପି ମଧ୍ୟରେ ଛକାପଞ୍ଚା ଶେଷ ହେଉ ନାହିଁ। ବିଳମ୍ବିତ ସମୟରେ ବିଜେଡି, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି। ଦଳ ତରଫରୁ ସସ୍ମିତ ପାତ୍ର, ଲେନିନ ମହାନ୍ତି ଏବଂ ସୁଲତା ଦେଓ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ପ୍ରଚାର ବନ୍ଦ ଥିବା ବେଳେ କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଡିଜିଟାଲ ମିଡିଆରେ ପ୍ରଚାର କରୁଛନ୍ତି। ଅଭିଯୋଗ ଅନୁଯାୟୀ ବୈଜୟନ୍ତ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ତାଙ୍କୁ ଭୋଟ ଦେବା ପାଇଁ ଅପିଲ କରୁଛନ୍ତି। ଏପରିକି ଏକ ନିର୍ଦ୍ଦିଷ୍ଠ ମୋବାଇଲ ନମ୍ବରରୁ ଲୋକଙ୍କ ପାଖକୁ ଫୋନ କଲ ଆସୁଛି ଯେ, ବୈଜୟନ୍ତ ପଣ୍ଡାଙ୍କୁ ପଦ୍ମଫୁଲରେ ଭୋଟ ଦିଅନ୍ତୁ। ନିର୍ବାଚନ ଆଚରଣ ବିଧି ଅନୁସାରେ କୌଣସି ପ୍ରାର୍ଥୀ ଭୋଟ ଗ୍ରହଣର 48 ଘଣ୍ଟା ପୂର୍ବରୁ କିଛି ବି ପ୍ରଚାର କରିପାରିବେ ନାହିଁ। ହେଲେ ବୈଜୟନ୍ତ କିପରି ପ୍ରଚାର କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଏହା ଉପରେ ପଦକ୍ଷେପ ନିଅନ୍ତୁ ବୋଲି ଦଳ ଦାବୀ କରିଛି।

Categories
ବିଶେଷ ଖବର

ନିର୍ବାଚନ ପ୍ରଚାର, ସ୍ଲୋଗାନ ଯୁଦ୍ଧ ଓ ଓଡିଶାର ଆଗାମୀ ରାଜନୈତିକ ଚିତ୍ର- କେତୋଟି ଛୋଟ ଛୋଟ କାହାଣୀ

କେଦାର ମିଶ୍ର

ଆମ ରାଜ୍ୟରେ ନିର୍ବାଚନ ପ୍ରଚାର ସରିଛି। ନିର୍ବାଚନ ଘୋଷଣା ହେବା ପରର ଦେଢମାସ ଓ  ତା ପୂର୍ବର ତିନିମାସ, ଏମିତି ସାଢେ ଚାରି ମାସ ଧରି ରାଜନୈତିକ ଦଳମାନଙ୍କର ପ୍ରଚାର ସର୍କସ ଆମେ ଦେଖି ଆସିଛୁ। ଆଜିଠୁ ଆଉ ଆମ ଦାଣ୍ଡରେ ଜୋର ଜୋର ଚିତ୍କାର କରି ପ୍ରଚାର ଗାଡି ବୁଲିବାର ନାହିଁ। ସକାଳୁଆ ଖବର କାଗଜରେ ଲୋଭନୀୟ ପ୍ରତିଶୃତିର ମାୟାଜାଲ ଆଉ ବାହାରିବାର ନାଇଁ। ଲେଜର ବସ, ରୋଡ ସୋ, ଗାଳି ଗୁଲଜ, ଭାଇରାଲ ଭିଡିଓ, ଯୋଜନା ଘୋଷଣାର ଯୁଦ୍ଧ ଓ ପରସ୍ପରକୁ ନୀଚ କରି ଦେଖେଇବାର ରାଜନୀତି ଆଜିଠୁ କମିଯିବ। ଅନ୍ତତଃ ମେ ମାସ ୨୩ ତାରିଖ ଯାଏ ଟିକେ ଶାନ୍ତି। ଅନ୍ୟ  ରାଜ୍ୟମାନଙ୍କରେ ଆଉ ତିନୋଟି ଥାକରେ ନିର୍ବାଚନ ସରିବା ପର୍ୟନ୍ତ ଆମେ ଓଡିଶାରେ ଅନୁମାନ, ଆକଳନ ଓ ମିଶାଣ ଫେଡାଣ ଲାଗି ପ୍ରାୟ ୨୫ ଦିନ ସମୟ ପାଇବୁ। ଏବେ କୁହାଯାଇପାରେ, ରାଜନେତାଙ୍କ ଲାଗି ଏବେ ଛୁଟିର ସମୟ। ସେଇ ଛୁଟିର ସମୟ ଭିତରେ ନିର୍ବାଚନ ପ୍ରଚାରର କିଛି ଛୋଟ ଛୋଟ କାହାଣୀ ମନେ ପକେଇବା ଆସନ୍ତୁ।

କାହାଣୀ -୧ ; ପୋଡା ଟ୍ରାନ୍ସଫର୍ମର

ଏ ନିର୍ବାଚନରେ ସବୁଠୁ କଡା ଓ ବିଷାକ୍ତ ଭାଷା ଶୁଣିବାକୁ ମିଳିଥିଲା ବିଜେପି ସଭାପତି ଅମିତ ଶାହଙ୍କ ମୁହଁରୁ। ଶାହ ଯେତେଥର ଓଡିଶା ଆସିଲେ, ସେତେଥର କହିଲେ ଯେ ନବୀନ ସରକାର ଏକ ପୋଡା ଟ୍ରାନ୍ସଫର୍ମର ଓ ତାକୁ ଓପାଡି ସମୁଦ୍ରରେ ଫିଙ୍ଗିଦେବା ଦରକାର। ଶାହଙ୍କ କଥାରେ ତେଜ ଥିଲା, ହେଲେ ସରକାରକୁ ଓପାଡି ଫୋପାଡି ଦେବାକୁ ସେ ଯେଉଁ “ମିଶନ ୧୨୦+” ର ସ୍ଲୋଗାନ ଦେଇଥିଲେ, ସେଟା ଆଉ ନିର୍ବାଚନ ସମୟରେ ଶୁଣିବାକୁ ମିଳିନଥିଲା। ତେବେ କାହାଣୀ ରେ ସବୁଠୁ ବଡ ଟୁଇଷ୍ଟ ଆସିଥିଲା, ଯେତେବେଳେ ଖୋଦ ପ୍ରଧାନମନ୍ତ୍ରୀ ତାଙ୍କ ଅନୁଗତ ସଭାପତିଙ୍କୁ ଅନୁସରଣ କରି “ନବୀନ ସରକାର କା ଜାନା ତୟ ହୈ” ବୋଲି କହିଥିଲେ। ଗଣତନ୍ତ୍ରରେ ପ୍ରଧାନମନ୍ତ୍ରୀ ଓ ଶାସକ ଦଳର ସଭାପତିଙ୍କ ଭାଷଣରେ ମର୍ଯାଦାର ଅପମୃତ୍ୟୁ, ଏ କାହାଣୀର ସାରାଂଶ ବୋଲି ଆମେ କହି ପାରିବା।

କାହାଣୀ-୨; ଆପନ ମାନେ ଖୁସି ତ !

ପ୍ରଥମେ ପୁରୁଷ ବିଶ୍ଵ କପ ହକି ର ଉଦ୍ଘାଟନ ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବେତ ଜନତାଙ୍କୁ ପଚାରିଥିଲେ- ଆପନ ମାନେ ଖୁସି ତ! ବାସ, ସେଇଠୁ ସେ କଥା ପଦକ, ନିର୍ବାଚନୀ ସ୍ଲୋଗାନ ପାଲଟିଗଲା। ମୁଖ୍ୟମନ୍ତ୍ରୀଙ୍କ ଖଣ୍ଡି ଓଡିଆରେ (ଆଜି ବି ୧୯ ବର୍ଷର ଶାସନ ପରେ ତାଙ୍କ ମୁହଁ ରେ ସେଇ ଖଣ୍ଡି ଓଡିଆ ରହିଛି) ସେ କଥା ପଦକ ନିର୍ବାଚନ ପରିବେଶର ସବୁଠୁ ବଡ ସ୍ଲୋଗାନ ହୋଇ ରହିଗଲା। କେହି କେହି ତାକୁ ବିଦୃପ କଲେ, ସୋସିଆଲ ମିଡିଆରେ ତାକୁ ନେଇ ଜୋକ୍ସ ତିଆରି ହେଲା, କିନ୍ତୁ ସବୁଠି ଶୁଣାଗଲା- ଆପନ ମାନେ ଖୁସି ତ! ଏ ଖୁସି ରେ ଟଙ୍କିକିଆ ଚାଉଳ, କାଳିଆ ଯୋଜନା, ମିଶନ ଶକ୍ତି ଓ ଆହୁରି ଅନେକ କାହାଣୀ ରହିଥିଲା। ତେବେ ସେ ଖୁସି ସତ କି ମିଛ, ତାହା ମେ ୨୩ ରେ ଜଣା ପଡିଯିବ।

କାହାଣୀ-୩; ବେଇମାନ ଓ ସ୍ବାଭିମାନ

ବିଜେଡ଼ିରୁ ବହିଷ୍କୃତ ହେବା ପରେ କେନ୍ଦ୍ରାପଡାର ଲୋକସଭା ସଦସ୍ୟ ବୈଜୟନ୍ତ ପଣ୍ଡା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିତରେ ଯେଉଁ ବ୍ୟକ୍ତିଗତ କଟୁତା ଦେଖିବାକୁ ମିଳିଥିଲା, ତାହା ଥିଲା ଏ ନିର୍ବାଚନର ସବୁଠୁ ଅରୁଚିକର କାହାଣୀ। ନିର୍ବାଚନର ଅନ୍ତିମ ପର୍ଯାୟ ଆସିଲା ବେଳକୁ ବୈଜୟନ୍ତ ବାବୁ ନିଜର ସ୍ଵର୍ଗତ ପିତା ବଂଶୀଧର ପଣ୍ଡା ଓ କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ମଧ୍ୟ ଏଇ ଝଗଡା ଭିତରକୁ ଟାଣି ଆଣିଥିଲେ। ବିଜୁ ବାବୁ ବଂଶୀ ପଣ୍ଡାଙ୍କ ଦୟାରେ ନିଜ ଘର ବଞ୍ଚାଇଥିଲେ ବୋଲି କହି ବୈଜୟନ୍ତ ବହୁ ତଳ ସ୍ତରକୁ ଖସି ଆସିଥିଲେ। ସେହିପରି ନବୀନ ବାବୁ ଆଜି ପର୍ଯନ୍ତ ରାଜନୀତିରେ କେବେ କାହା ବିରୋଧରେ କହିନଥିବା ବେଳେ ପ୍ରଥମଥର ଲାଗି ସେ ଖୋଲାଖୋଲି ବୈଜୟନ୍ତଙ୍କୁ ବେଇମାନ ବୋଲି କହିଥିଲେ, ଯାହାକି ତାଙ୍କ ବ୍ୟକ୍ତିତ୍ବର ପରିପନ୍ଥୀ ବୋଲି କୁହାଯାଇପାରେ।

କାହାଣୀ-୪: ମେ ୨୬ ଲାଗି ନିମନ୍ତ୍ରଣ ପତ୍ର   

ନିର୍ବାଚନ ସରିନି, ଫଳ ବାହାରିବାକୁ ଆହୁରି ୨୫ ଦିନ ବାକି ଅଛି। ହେଲେ ବିଜେଡି ଓ ବିଜେପି ତରଫରୁ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣକୁ ଆସିବା ଲାଗି ନିମନ୍ତ୍ରଣ ବଣ୍ଟା ସରିଲାଣି। ବିଜେପିର ତ ମୁଖ୍ୟମନ୍ତ୍ରୀ ପାର୍ଥୀ ଘୋଷଣା ହୋଇନି। ହେଲେ ଧର୍ମେନ୍ଦ୍ର ପ୍ରଧାନ ମନେ ମନେ ମୁଖ୍ୟମନ୍ତ୍ରୀ ହୋଇ ସାରିଲେଣି। କେନ୍ଦ୍ରାପଡା ସଭାରେ ପ୍ରଧାନମନ୍ତ୍ରୀ ଯେତେବେଳେ କହିଲେ ଯେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ପଦରୁ ଯିବା ନିଧାର୍ୟ, ତାରି ଉତ୍ତରରେ ଏକ ବିଦ୍ରୁପାତ୍ମକ ଉତ୍ତର ରଖି ନବୀନ ବାବୁ କହିଲେ ଯେ ମୁଁ ମୋର ଶପଥ ଗ୍ରହଣ ସମାରୋହକୁ ମୋଦୀଙ୍କୁ ନିମନ୍ତ୍ରଣ କରୁଛି। କଥାଟି ସେତିକି ମାତ୍ର। ସତ କହିବାକୁ ଗଲେ ମେ ୨୩ ପରେ ମୋଦୀ ଯେ ପ୍ରଧାନମନ୍ତ୍ରୀ ହୋଇ ରହିବେ ବା ନବୀନ ବାବୁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ, ତାର ଗ୍ୟାରେଣ୍ଟି କେହି ଦେଇ ପାରିବେ ନାଇଁ। ଏ ପ୍ରକାର ନିମନ୍ତ୍ରଣ ପତ୍ର ଦେଖିଲେ ଲାଗୁଛି, ସତରେ ଆମ ରାଜନୀତିର ସ୍ତର କେତେ ତଳକୁ ଖସି ସରିଲାଣି। ଏଠି ନିର୍ବାଚନ ପ୍ରକ୍ରିୟା ଓ ସମ୍ବିଧାନ ଉପରେ ବୋଧହୁଏ କାହାର ଆଉ ଭରସା ନାହିଁ।

ତେବେ ଏ ସବୁ କାହାଣୀ ଭିତରେ ଆମର କାହାଣୀ ହେଲା, ଯିଏ ବି ସରକାର ଗଢୁ, ଆମର କାମ ହେଲା ସେ ସରକାର ଉପରେ ସତର୍କ ପ୍ରହରୀର ନଜର ରଖିବା ଓ ଆମେ ସେଥିଲାଗି ବଦ୍ଧ ପରିକର।

(ମୋବାଇଲରେ ଚଟାପଟ୍ ଖବର ପଢିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ମୋବାଇଲ ଆପ, ଏହାପରେ ସ୍କ୍ରିନକୁ ଘଷି ଘଷି ପଢିଚାଲନ୍ତୁ ଖବର ପରେ ଖବର)

Categories
ବିଶେଷ ଖବର

ଓଡିଶାରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ; ପରିବର୍ତ୍ତନ ନୁହଁ, ବରଂ ସ୍ଥିତାବସ୍ଥାଆଡକୁ ପୁନଶ୍ଚ ରାଜ୍ୟର ଜନମତ

କେଦାର ମିଶ୍ର

ଓଡିଶାରେ କ୍ଷମତା ପରିବର୍ତ୍ତନର ପାଦଶବ୍ଦ ଶୁଭୁଛି କି ? ବେଳେ ବେଳେ ବିରୋଧୀ ବିଜେପି ଓ କଂଗ୍ରେସର ନେତାମାନେ ଯେଉଁ ପରିବର୍ତ୍ତନର କଥା କହୁଛନ୍ତି ବା ଗୋଟେ ଅଧେ ଟେଲିଭିଜନ ଚାନେଲରେ ଯେଉଁ ପରିବର୍ତ୍ତନର ଆଲୋଚନା ଚାଲିଛି, ସାଧାରଣ ଲୋକ ତାକୁ କେମିତି ଦେଖୁଛନ୍ତି ? ଗତ ଏପ୍ରିଲ ୨ ତାରିଖରୁ ୨୬ ତାରିଖ ପର୍ୟନ୍ତ ଆମେ ପାଖାପାଖି ୩୦୦୦ କିଲୋମିଟର ଘୂରିଛୁ ଓ ଏଇ ଯାତ୍ରାରେ ଆମେ ୧୮ଟି ଲୋକସଭା ଓ ୮୪ ଟି ବିଧାନସଭା କ୍ଷେତ୍ର ବୁଲି ଦେଖିଛୁ। ରାସ୍ତାରେ, ଚା ଦୋକାନରେ, ଗାଁ ମୁଣ୍ଡ ବରଗଛ ତଳେ, ରାଲିରେ, ପେଟ୍ରୋଲ ପମ୍ପରେ ଓ ରାସ୍ତାରେ ଆମେ ଶହ ଶହ ଲୋକଙ୍କ ସହ ଭୋଟ ରାଜନୀତିକୁ ନେଇ ଚର୍ଚ୍ଚା କରିଛୁ। ଶେଷ ପର୍ୟାୟ ନିର୍ବାଚନ ହେବାକୁଥିବା କେନ୍ଦ୍ରାପଡା, ଭଦ୍ରଖ, ଜଗତସିଂପୁର, ଯାଜପୁର, ବାଲେଶ୍ଵର ଓ ମୟୂରଭଞ୍ଜ ଲୋକସଭା ନିର୍ବାଚନମଣ୍ଡଳୀର ପ୍ରାୟ ଅଧିକାଂଶ ବିଧାନସଭା କ୍ଷେତ୍ର ବୁଲି ବୁଲି ଆମେ ଜାଣିବାକୁ ଚାହିଁଛୁ ଯେ ବାସ୍ତବରେ ପରିବର୍ତ୍ତନର ସମ୍ଭାବନା ଦିଶୁଛି କି ? ଏତେ ବାଟ ବୁଲିଲା ପରେ ଗୋଟେ କଥା କହିବାକୁ ପଡିବ ଯେ, ପରିବର୍ତ୍ତନ ତ ଦୂରର କଥା ବର୍ତ୍ତମାନର ସରକାର ଉପରେ ସାମାନ୍ୟ ଆକ୍ରୋଶ କେଉଁଠି ନାହିଁ। ୧୯ ବର୍ଷ ଶାସନ କଲାପରେ ମଧ୍ୟ ନବୀନଙ୍କ ବିକଳ୍ପ ଖୋଜିବାକୁ ଲୋକେ ପ୍ରସ୍ତୁତ ନୁହନ୍ତି। ଯେମିତି ୨୦୧୪ ନିର୍ବାଚନରେ ବିଜେପିର ଚାବିକାଠି ଥିଲା “ଆଚ୍ଛେ ଦିନ” , ସେହିପରି ୨୦୧୯ ନିର୍ବାଚନରେ ଓଡିଶାର ଚାବିକାଠି ହେଉଛି “ନବୀନ ବାବୁ ଭଲଲୋକ”। ସୋସିଆଲ ମିଡିଆରେ କିମ୍ବା ଟେଲିଭିଜନରେ ନବୀନ ବାବୁଙ୍କୁ ଯେତେ ଗାଳି କଲେ ମଧ୍ୟ, ତାର ସାମାନ୍ୟ ପ୍ରଭାବ ଲୋକଙ୍କ ଉପରେ ପଡିନାହିଁ।

ନବୀନଙ୍କ ଭଲଲୋକ ହେବାର ଛବିଟି ଏତେ ବିରାଟ ହୋଇ ଯାଇଛି ଯେ, ତା ପାଖରେ ଠିଆ ହେବାଲାଗି ଆଉ କାହାର ସାହସ ହେବା ସହଜ କଥା ନୁହଁ। ତେବେ ନବୀନଙ୍କ ସହ ତୁଳନୀୟ ଆଉ ଜଣେ ନେତାଙ୍କ କଥା ଲୋକେ ଚର୍ଚ୍ଚା କରୁଛନ୍ତି, ସେ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଛୋଟ ଛୋଟ ସହରରେ ଓ ସହରକୁ ଲାଗିଥିବା ଗାଁମାନଙ୍କରେ ନରେନ୍ଦ୍ର ମୋଦୀଙ୍କ କଥା ଲୋକେ ଚର୍ଚ୍ଚା କରୁଛନ୍ତି। ତେବେ ସେଠି ମୋଦୀ ଚର୍ଚ୍ଚାର ପରିସର ଅଲଗା। “ରାଜ୍ୟରେ ନବୀନ ଓ କେନ୍ଦ୍ରରେ ମୋଦୀ” ଭଳି ଏକ ଚର୍ଚ୍ଚା ଶୁଣିବାକୁ ମିଳିଛି। ତେବେ ଏଇ ଚର୍ଚ୍ଚାର ଆରମ୍ଭ ମଧ୍ୟ ନବୀନଙ୍କ ପାଖରୁ। ନବୀନ ଯେହେତୁ ମୋଦୀଙ୍କୁ କେବେ ବିରୋଧ କରିନାହାନ୍ତି, ତାହାର ପ୍ରଭାବ ଲୋକଙ୍କ ଭିତରକୁ ଯାଇଛି। ଆଜି ଲୋକସଭା ପାଇଁ ବିଜେଡ଼ିକୁ ଯେଉଁ ସଂଘର୍ଷ କରିବାକୁ ପଡୁଛି, ତାହାର ଏକମାତ୍ର କାରଣ ହେଉଛି, ମୋଦୀ ସରକାରର ସବୁ ଜନବିରୋଧୀ ନୀତି ଉପରେ ବିଜେଡ଼ିର ନୀରବତା। ନବୀନଙ୍କ ପ୍ରତି ରାଜ୍ୟରେ ପ୍ରଚଣ୍ଡ ଜଣ ସମର୍ଥନ ସତ୍ତ୍ୱେ ଲୋକସଭା ପାଇଁ ନରେନ୍ଦ୍ର ମୋଦୀଙ୍କ ପ୍ରତି ଆଗ୍ରହର ଏହା ଏକା ପ୍ରମୁଖ କାରଣ।

ତେବେ ପରିବର୍ତ୍ତନ ଅପେକ୍ଷା ସ୍ଥିତାବସ୍ଥା ସପକ୍ଷରେ ଆଜି ବି ଓଡିଶାରେ ପ୍ରବଳ ଜନମତ ରହିଛି। କେନ୍ଦ୍ରାପଡା ସମ୍ପର୍କରେ ଆଗରୁ ଆମେ ଆଲୋଚନା କରିଛୁ। ନବରଙ୍ଗପୁର ପରେ ଭଦ୍ରଖ ହେଉଛି ଆଉ ଏକ ଆସନ ଯେଉଁଠି କଂଗ୍ରେସ ସହିତ ବିଜେଡ଼ିର ତୀବ୍ର ମୁକାବିଲା ହେଉଛି। ସୋରୋ, ଭଣ୍ଡାରି ପୋଖରୀ ଓ ସିମୁଳିଆରେ କଂଗ୍ରେସର ସ୍ଥିତି ବେଶ ଭଲ ଜଣା ପଡୁଛି। ବାଲେଶ୍ଵର ଓ ଯାଜପୁରରେ ବିଜେଡ଼ିର ସ୍ଥିତି ଯଥା ପୂର୍ବ ରହିଥିବା ବେଳେ ମୟୂରଭଞ୍ଜରେ ବିଜେଡି ଲାଗି ବହୁ ସଙ୍କଟ ରହିଛି। ଅନେକ ଜାଗାରେ ସ୍ଥାନୀୟ ବିଜେଡି ପ୍ରାର୍ଥୀଙ୍କ ବିରୋଧରେ ଲୋକଙ୍କ ଆକ୍ରୋଶ ରହିଛି। ହେଲେ ନବୀନ ଅଜାତଶତ୍ରୁ। ତାଙ୍କ ବିରୋଧରେ କହିବାର କିଛି ନାଇଁ।

ଏହାକୁ ଆମ ରାଜନୈତିକ ମନସ୍ତତ୍ତ୍ଵରେ କଣ ବୋଲି କହିପାରିବା? ସ୍ଥିତାବସ୍ଥା ସପକ୍ଷରେ ଜନମତର ଏକ ଲମ୍ବା  ଇତିହାସ ଆମ ଦେଶରେ ରହିଛି। ଜ୍ୟୋତି ବସୁ(୨୩ ବର୍ଷ), ପବନ କୁମାର ଚାମଲିଙ୍ଗ(୨୪ ବର୍ଷ), ମାଣିକ ସରକାର(୧୯ ବର୍ଷ) ଙ୍କ ପରି ନବୀନ ବାବୁ ମଧ୍ୟ ଦୀର୍ଘ ବର୍ଷ ଶାସନରେ ରହିଲେଣି। ଏଥର ନିର୍ବାଚିତ ହେଲେ ସେ ଜ୍ୟୋତି ବସୁଙ୍କ ରେକର୍ଡ ସହ ସମକକ୍ଷ ହେବେ। ଏତେ ଦିନ କ୍ଷମତାରେ ରହିବା ପରେ ସ୍ଵାଭାବିକ ଭାବରେ ନେତୃତ୍ୱ ପରିବର୍ତ୍ତନ ଲାଗି ଲୋକଙ୍କ ମନରେ ଉଦ୍ବେଳନ ତିଆର ହେବା କଥା। ସେଥିଲାଗି ବିଜେପି ଏଥର ନିଜର ମୁଖ୍ୟ ସ୍ଲୋଗାନ ରଖିଛି- “ଏ ସରକାର ବଦଳିବା ଦରକାର”। ହେଲେ ଲୋକ ବୋଧ ହୁଏ ଚାହୁଁଛନ୍ତି- “ଏ ସରକାର ରହିଥିବା ଦରକାର”।

( ମୋବାଇଲରେ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ସ୍କ୍ରିନକୁ ଘଷି ଘଷି ପଢିଚାଲନ୍ତୁ ଖବର ପରେ ଖବର )