Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ସଂକ୍ରାନ୍ତିୟ ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଏବଂ ପର୍ଯ୍ୟବେକ୍ଷକ ମାନଙ୍କ ଉପସ୍ଥିତିରେ ନିର୍ବାଚନ ସଂକ୍ରାନ୍ତିୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ପର୍ଯ୍ୟବେକ୍ଷକମାନେ ନିର୍ବାଚନ ସଂକ୍ରାନ୍ତିୟ ବିଭିନ୍ନ ଵିଷୟରେ ଯଥା ପୋଲିଂ ବୁଥରେ କି ପ୍ରକାରର ସୁବିଧା ସୁଯୋଗ ରହିଛି। ଏଥିସହିତ ଭିନ୍ନକ୍ଷମ ଭୋଟର ମାନଙ୍କ ମତଦାନ ସାବ୍ୟସ୍ତ ଵିଷୟରେ ଏବଂ ବିଭିନ୍ନ ସ୍ଥାନରେ ଚେକିଙ୍ଗ ଯଥା ରେଳ, ବିମାନ ବନ୍ଦର ଏବଂ ଯାନବାହାନ ମାନଙ୍କରେ। ଯାନବାହନ ଯୋଗାଇ ଦେବା ଇତ୍ୟାଦି ସମିକ୍ଷା କରିଥିଲେ। ଜିଲ୍ଲାପାଳ ଏସବୁର ‌ ଉତ୍ତର ରଖିଥିଲେ।

ଏହି ବୈଠକରେ ଉପସ୍ଥିତ ଥିବା ପର୍ଯ୍ୟବେକ୍ଷକ ମାନେ ହେଲେ ଯଥାକ୍ରମେ ଯୋଗେନ୍ଦ୍ର ତ୍ରିପାଠୀ, ରଜନୀକାନ୍ତ ମିଶ୍ର, ହିମାଳିନୀ କାଶ୍ୟପ, ଜେ ଭେଙ୍କେଟ ମୁରଲୀ, ଜି ରେଖାରାଣୀ,  ଟିଭି ସୁବାସ, ୟରାମ ନେଗୀ ରେଡି, ଏଲ ଭି ଭାସ୍କର ରେଡି, ମଇମୁମ ଆଲାମ, ରାଜେନ୍ଦ୍ର ସିଂହ, ଅତୁଲ ପାଣ୍ଡେ।

ଏତଦ୍ ବ୍ୟତୀତ ୮ ଟା ନିର୍ବାଚନ ମଣ୍ଡଳୀର ସମସ୍ତ ରିଟର୍ଣ୍ଣିଙ୍ଗ ଅଫିସର/ସମସ୍ତ ଇ.ଓ/ ଏ.ଇଓ, ଉପ-ଜିଲ୍ଲାପାଳ ଏବଂ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ହିଂସ୍ରଜନ୍ତୁ ଆକ୍ରମଣରେ ଜଣେ ମୃତ, ବାଘ ଆକ୍ରମଣ ଆଶଙ୍କା

ରେଢ଼ାଖୋଲ (କନ୍ଦର୍ପ ବେହେରା): କିଛିଦିନ ତଳେ ଏକ କଲରାପତରିଆ ବାଘକୁ ଗୁଳିକରି ହତ୍ୟା କରିବା ପରେ ଗତକାଲି ନାକଟିଦେଉଳ ରେଞ୍ଜ ଅଧୀନସ୍ଥ ସାହେବି ଧଣ୍ଡାମୁଣ୍ଡା ଗ୍ରାମରେ ଜଣେ ବ୍ୟକ୍ତି କୁ ଅଜଣା ଜଙ୍ଗଲୀ ଜୀବ ମାରିପକାଇଥିବା ଜଣାପଡିଛି। ଗାଁ ଲୋକମାନେ କଲରlପତରିଆ ବାଘ ମାରିଥିବା ଅଭିଯୋଗ କରୁଥିବା ବେଳେ ବନ ବିଭାଗ ଭାଲୁ ଆକ୍ରମଣ କରିଥିବା କହୁଛି।

ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ,ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ସାହେବୀ ଧଣ୍ଡମୁଣ୍ଡା ନିକଟସ୍ଥ ମାନକୁଣ୍ଡା ଜଙ୍ଗଲ ନିକଟରେ ଜଙ୍ଗଲୀ ହିଂସ୍ର ଜନ୍ତୁ ଆକ୍ରମଣ ରେ ଜଣେ ବ୍ୟକ୍ତି ରା ମୃତ୍ୟୁ ହୋଇଥିବା ଜଣା ପଡିଛି। ବ୍ୟକ୍ତି ଜଣଙ୍କ ସାହେବୀ ଗ୍ରାମର ଧଣ୍ଡମୁଣ୍ଡା ସାହିର ସାଦ ମୁଣ୍ଡା (୫୮) ବୋଲି ଜଣା ପଡିଛି।

ସୂଚନାଯୋଗ୍ୟ ଗତ ୯ ତାରିଖ ଦିନ ସକାଳୁ ସାଦ ପୋଢ଼ ନାମକ ବ୍ୟକ୍ତି କୌଣସି କାମରେ ଜଙ୍ଗଲ କୁ ଯାଇଥିବା ବେଳେ ଆଉ ଫେରି ନଥିଲେ। ସନ୍ଧ୍ୟା ହେବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନଥିଲେ। ଆଜି ସକାଳୁ ଘରଠାରୁ ୨୦୦ ମିଟର ଦୂରରେ ଥିବା ଜଙ୍ଗଲରେ ତାଙ୍କ ମୃତ ଦେହ ପଡିଥିବାର ପରିବାର ଲୋକେ ଦେଖିଥିଲେ।  ଏହାପରେ ବନବିଭାଗ ଓ ନାକଟିଦେଉଳ ପୋଲିସ ଘଟଣା ସ୍ଥଳକୁ ପହଂଚି ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ପଠାଇଥିବା ଜଣାପଡିଛି।

ତେବେ କେଉଁ ଅଜଣା ଜନ୍ତୁ ଦ୍ୱାରା ସାଦଙ୍କ ମୃତ ହୋଇଛି ଶବ ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ବନବିଭାଗ ପକ୍ଷରୁ ପ୍ରକାଶ। ଗତ ୬ ତାରିଖରେ ଏକ କଲରାପତରିଆ ବାଘକୁ ମଣିଷ ମାରିଥିବା ବେଳେ ପ୍ରତିଶୋଧ ପରାୟଣ ହୋଇ ଏକ କଲରା ପତରିଆ ବାଘ ମଣିଷକୁ ମାରିଥିବା ଜନସାଧାରଣରେ ଚର୍ଚ୍ଚା ହେଉଛି। ବନବିଭାଗ ପକ୍ଷରୁ ଯଥାଶୀଘ୍ର କ୍ଷତି ପୂରଣ ଦେବା ପାଇଁ ସାଧାରଣରେ ଦାବୀ ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ବିଭିନ୍ନ ପ୍ରାନ୍ତକୁ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ଵର: ସମଗ୍ର ଦେଶରେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଗ୍ରୀଷ୍ମ ସମୟରେ ନିୟମିତ ଟ୍ରେନରେ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ଟ୍ରେନ ସେବା ଘୋଷଣା କରିଛି। ଏହି ଟ୍ରେନ୍ ଗୁଡିକ ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟସ୍ଥଳକୁ ସଂଯୋଗ କରିବା ସହିତ ସୁବିଧାଜନକ, ଆରାମ ଏବଂ ନିରାପଦ ଯାତ୍ରା ପ୍ରଦାନ କରାଇ ଗ୍ରୀଷ୍ମ ଋତୁ ରେ ଯାତ୍ରୀ ମାନଙ୍କୁ ସ୍ମରଣୀୟ ଯାତ୍ରା ଅନୁଭୂତି କରାଇବାକୁ ବ୍ୟବସ୍ଥା କରିଛି।

ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ଏହାର ପରିସୀମା ମଧ୍ୟରୁ ଦେଶର ବିଭିନ୍ନ ଗନ୍ତବ୍ୟସ୍ଥଳକୁ ପୂର୍ବରୁ ସ୍ୱତନ୍ତ୍ର ଟ୍ରେନ୍ ସେବା ଘୋଷଣା କରିଥିଲା। ଏହା ବିଭିନ୍ନ ଅଞ୍ଚଳର ଯାତ୍ରୀଙ୍କ ଯାତ୍ରା ଆବଶ୍ୟକତାକୁ ପୂରଣ କରିବା ସହିତ ଯାତ୍ରୀମାନେ ଯେପରି ଏକ ସୁବିଧାଜନକ ଓ ଆରାମଦାୟକ ଯାତ୍ରା ଅଭିଜ୍ଞତା ପାଇପାରିବେ ଏବଂ ସେମାନେ ନିଜସ୍ୱ ଶୈଳୀରେ ଭ୍ରମଣ କରିବାକୁ ରିଆପାଠ ଯାତ୍ରା ସୁନିଶ୍ଚିତ କରାଇଅଛି।

ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ ସେବା ସୁବିଧାଜନକ କାର୍ଯ୍ୟସୂଚୀରେ ଚଳାଚଳ କରିବ, ଯାତ୍ରୀମାନଙ୍କୁ ସେମାନଙ୍କ ପସନ୍ଦ ଅନୁଯାୟୀ ଯାତ୍ରା ଯୋଜନା କରିବାକୁ ନମନୀୟତା ପ୍ରଦାନ କରିବ। ଏହା ଏକ ୱିକେଣ୍ଡ୍ ଗେଟୱେ ହେଉ କିମ୍ବା ବର୍ଦ୍ଧିତ ଛୁଟିଦିନ, ସ୍ୱତନ୍ତ୍ର ଟ୍ରେନ୍ ସୁବିଧାଜନକ ଯାତ୍ରା ପାଇଁ ଉପଯୁକ୍ତ ପ୍ରାବଧାନ ପ୍ରଦାନ କରୁଛି।

ଏହା ପୂର୍ବରୁ ପୂର୍ବତଟ ରେଳପଥ ଦ୍ୱାରା ଘୋଷଣା କରାଯାଇଥିବା ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ ବ୍ୟତୀତ ଆହୁରି ଅଧିକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବାକୁ ପଦକ୍ଷେପ ଗ୍ରହଣ କରିଛି ଯାହାକି ବର୍ତ୍ତମାନ ଯାତ୍ରୀମାନଙ୍କ ଯାତ୍ରା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟସ୍ଥଳ ମାର୍ଗରେ ଚଳାଚଳ କରାଇବାକୁ ଯୋଜନା କରାଯାଇଅଛି। ଏହି ଟ୍ରେନ୍ ଗୁଡିକ ହେଉଛି ଭୁବନେଶ୍ୱର-ମୁମ୍ବାଇ ଏଲଟିଟି, ବ୍ରହ୍ମପୁର-ସିକନ୍ଦରାବାଦ, ବ୍ରହ୍ମପୁର-ସୁରଟ ଇତ୍ୟାଦି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ।

ଏହା ବ୍ୟତୀତ ନିୟମିତ ଟ୍ରେନ ସହିତ ସ୍ୱତନ୍ତ୍ର ଟ୍ରେନ ଗୁଡିକରେ ଯାତ୍ରୀ ପ୍ରୋଫାଇଲକୁ ସମୀକ୍ଷା କରି ପୂର୍ବତଟ ରେଳପଥ ମଧ୍ୟ ନିୟମିତ ଟ୍ରେନରେ ଯାତ୍ରୀଙ୍କ ଭିଡ଼ ଏଡ଼ାଇବା ଏବଂ ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟ ସ୍ଥଳକୁ ସିଙ୍ଗଲ୍ ଟ୍ରିପ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରୁଛି। ଯାତ୍ରୀମାନେ ମଧ୍ୟ ସେହି ଅନୁସାରେ ସେମାନଙ୍କର ଯାତ୍ରା ଯୋଜନା କରିପାରନ୍ତି ଏବଂ ସେମାନଙ୍କ ଗନ୍ତବ୍ୟ ସ୍ଥଳ ପାଇଁ ସେମାନଙ୍କ ବୋର୍ଡିଂ ପଏଣ୍ଟରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ସମୟ ସମ୍ବନ୍ଧରେ ଅବଗତ ହୋଇ ଯାତ୍ରା ଯୋଜନା କରି ପାରନ୍ତି ଯେଉଁଠାରେ ସେମାନେ ସେମାନଙ୍କର ଆରାମଦାୟକ ଯାତ୍ରା ପାଇଁ ନିଶ୍ଚିତ ଟିକେଟ୍ ପାଇପାରିବେ। ଏହି ଟ୍ରେନ୍ ଗୁଡିକ ହେଉଛି ସମ୍ବଲପୁର-କାଚେଗୁଡା, ଖୋର୍ଦ୍ଧା ରୋଡ୍-ସିକନ୍ଦରାବାଦ, ଭୁବନେଶ୍ୱର-ପୁଣେ, ଭୁବନେଶ୍ୱର-ମୁମ୍ବାଇ CSMT, ପୁରୀ-ପାଲଡିହ (ମହାରାଷ୍ଟ୍ର), ଭୁବନେଶ୍ୱର-ଚେନ୍ନାଇ, ସମ୍ବଲପୁର-ଚେନ୍ନାଇ, ଭୁବନେଶ୍ୱର-ବେଙ୍ଗାଲୁରୁ, ବ୍ରହ୍ମପୁର-କାଚେଗୁଡା ଇତ୍ୟାଦି।

08420/08419 ଭୁବନେଶ୍ୱର-ମୁମ୍ବାଇ, LTT- ଭୁବନେଶ୍ୱର ସାପ୍ତାହିକ ଗ୍ରୀଷ୍ମ ସ୍ପେଶାଲ୍ 8 ମଇରୁ 26 ଜୁନ୍ 2024 ମଧ୍ୟରେ ପ୍ରତ୍ୟେକ ବୁଧବାର ଦିନ ଭୁବନେଶ୍ୱର ଠାରୁ ରାତ୍ରି 11 ଘଟିକାରେ ଛାଡିବ। ଫେରିବା ମାର୍ଗରେ, ଏହି ଟ୍ରେନ୍ ମୁମ୍ବାଇ, LTT ରୁ 10 ମେ ରୁ 28 ଜୁନ୍ 2024 ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ଅପରାହ୍ନ 01ଘ.20ମି.ରେ ଛାଡିବ।

07035/07036 ସିକନ୍ଦରାବାଦ-ବ୍ରହ୍ମପୁର-ସିକନ୍ଦରାବାଦ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ 11 ଏବଂ 14 ମଇ 2024 ରେ ସିକନ୍ଦରାବାଦ ଠାରୁ ରାତ୍ରି 08ଘ.45ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହା ବ୍ରହ୍ମପୁରରୁ 12 ଏବଂ 15 ମଇ 2024 ରେଅପରାହ୍ନ 12ଘ.458ମି.ରେ ଛାଡିବ।

09059/09060 ସୁରଟ-ବ୍ରହ୍ମପୁର-ସୁରଟ ସ୍ପେଶାଲ 22 ମଇ ରୁ 26 ଜୁନ୍ 2024 ମଧ୍ୟରେ ପ୍ରତ୍ୟକ ବୁଧବାର ଦିନ ସୁରଟରୁ ଅପରାହ୍ନ 02ଘ.20ମି.ରେ ଛାଡିବାକୁ ଥିବାବେଳେ ଏହା ଫେରିବା ମାର୍ଗରେ 24 ମଇରୁ 28 ଜୁନ୍, 2024 ମଧ୍ୟରେ ବ୍ରହ୍ମପୁରରୁ ଭୋର 04ଘ.30ମି.ରେ ଛାଡିବ।

06107/06108 ଚେନ୍ନାଇ ଏଗମୋର୍-ଭୁବନେଶ୍ୱର-ଚେନ୍ନାଇ ଏଗମୋର ସ୍ୱତନ୍ତ୍ର ଟ୍ରେନ୍ 11 ମଇ ଏବଂ 1 ଜୁନ୍ 2024 ରେ ଚେନ୍ନାଇ ଏଗମୋରରୁ ପୂର୍ବାହ୍ନ 10ଘ.30ମି.ରେ ଛାଡିବ। ଫେରିବା ମାର୍ଗରେ ଏହି ଟ୍ରେନ 12 ମଇ ଏବଂ 7 ଜୁନ୍, 2024 ରେ ଭୁବନେଶ୍ୱରରୁ ପୂର୍ବାହ୍ନ 09ଘ.30ମି.ରେ ଛାଡି ଚେନ୍ନାଇ ଯାତ୍ରା କରିବ।

06109/06110 ଚେନ୍ନାଇ ଏଗମୋର-ସମ୍ବଲପୁର-ଚେନ୍ନାଇ ଏଗମୋର ସ୍ପେଶାଲ ଟ୍ରେନ୍ 18 ମଇ ଏବଂ 7 ଜୁନ୍ 2024 ରେ ଚେନ୍ନାଇ ଏଗମୋରରୁ ପୂର୍ବାହ୍ନ 10ଘ.30ମି.ରେ ଛାଡିବ।  ଫେରିବା ମାର୍ଗରେ ଏହି ଟ୍ରେନ 19 ମଇ ଏବଂ 8 ଜୁନ୍, 2024 ରେ ସମ୍ବଲପୁରରୁ ପୂର୍ବାହ୍ନ 11ଘ.35ମି.ରେ ଛାଡି ଚେନ୍ନାଇ ଏଗମୋର ଯାତ୍ରା କରିବ।

ଯେହେତୁ ଆମେ ଗ୍ରୀଷ୍ମ ଋତୁରେ ବର୍ତମାନ ଉପଯୋଗ କରୁଛୁ, ପୂର୍ବତଟ ରେଳପଥ ଏହାର ମୂଲ୍ୟବାନ ଯାତ୍ରୀଙ୍କ ବିଭିନ୍ନ ଭ୍ରମଣ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରେନ୍ ସେବା ପ୍ରବର୍ତ୍ତାଇବାରେ ଆନନ୍ଦିତ ଅନୁଭବ କରୁଛି। ଏହା ଏକ ତୀର୍ଥଯାତ୍ରା ହେଉ କିମ୍ବା ଏକ ଅବକାଶ ଛୁଟି କିମ୍ବା ବ୍ୟବସାୟ ଯାତ୍ରା; ସମସ୍ତଙ୍କ ପାଇଁ ଏକ ନିରାପଦ, ଆରାମଦାୟକ ଏବଂ ସୁବିଧାଜନକ ଭ୍ରମଣ ଅଭିଜ୍ଞତା ପ୍ରଦାନ କରିବାକୁ ପୂର୍ବତଟ ରେଳପଥ ପ୍ରତିବଦ୍ଧ। ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ବ୍ୟତୀତ ପୂର୍ବ ତଟ ରେଳପଥ ଚାହିଦା ଥିବା ଲୋକପ୍ରିୟ ଟ୍ରେନ ମାନଙ୍କରେ ଅଧିକ କୋଚ୍ ସଂଯୋଗ କରାଇ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ପ୍ରୟାସ ଜାରିରଖିଛି।

Categories
ଆଞ୍ଚଳିକ

ଖୋର୍ଦ୍ଧା: ବାଣ ପ୍ରସ୍ତୁତ ସମୟରେ ବିସ୍ଫୋରଣ ଘଟି ଦୁଇ ଆହତ

ଖୋର୍ଦ୍ଧା: ବାଣ ପ୍ରସ୍ତୁତ ସମୟରେ ବିସ୍ଫୋରଣ ଘଟି ଘର ଜଳିଯିବା ସହ ଦୁଇ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ସମୟରେ ଶବ୍ଦ ଏତେ ଭୟଙ୍କର ଥିଲା ଯେ, ଆଖପାଖରେ ଆତଙ୍କ ଖେଳିଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଅନ୍ତର୍ଗତ ଲେଖନପୁର ଗାଁ ରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସେଇ ଗାଁ ର ଗୌରାଙ୍ଗ ଚରଣ ପଟ୍ଟନାୟକଙ୍କ ଘରେ ବାଣ ଭିଡୁ ଥିବା ବେଳେ ବିସ୍ଫୋରଣ ଘଟି ଘରର ଆଜବେଷ୍ଟ ଉଡ଼ି ଯାଇଛି।

ଘରର ମାଲିକ ଗୁରୁତର ଆହତ ହେବା ସହ ତାଙ୍କ ନାତୁଣୀ ମଧ୍ୟ ଆହତ ହୋଇଛି। ବାଙ୍କୀ ଏବଂ ବେଗୁନିଆରୁ ଦମକଳ ଆସି ନିଆକୁ ଆୟତ କରିଛି।

ଖବର ପାଇ ଖୋର୍ଦ୍ଧା ଏସ ଡି ପି ଓ ଦିଲ୍ଲୀପ କୁମାର ଦାସ ଏବଂ ବାଘମାରି ଆଇ ଆଇ ସି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଆହତ ବ୍ୟକ୍ତି ଙ୍କୁ ଭୁବନେଶ୍ୱର ର ଏକ ଘରୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Categories
ଆଞ୍ଚଳିକ

ଚ଼ିଲିକା ବିଜେପିର‌ ମିଶ୍ରଣ ପର୍ବ, ପଦ୍ମ ଧରିଲେ ୨୦୦ ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା

ଚ଼ିଲିକା (ସୀତାରାମ ଅଗ୍ରୱାଲ): ଚ଼ିଲିକା ବିଧାନସଭା କ୍ଷେତ୍ରର ନାଚ଼ୁଣୀ ସ୍ଥିତ ଭାଜପା କାର୍ଯ୍ୟାଳୟ‌ ଠାରେ ଗାଲୁଆ ପଞ୍ଚାୟତର ବିଜେଡ଼ି‌ କର୍ମକର୍ତ୍ତା ମହେଶ୍ବର ସ୍ବାଇଁ, ବାଣପୁର ଏନ୍ଏସିର ଯୁବ ସଂଗଠକ ସୁବ୍ରତ ରାୟ, ଦେଓଗାଁ ପଞ୍ଚାୟତର ଓ୍ବାର୍ଡ଼ମେମ୍ବର ବାଦଲ ଦାସ, ମୋରାମୋରି ପଞ୍ଚାୟତର ଓ୍ବାର୍ଡ଼ମେମ୍ବର ସେକ ଇମତିଆଜ ଅଲ୍ଲୀ, ହାଟବରଡିହ, ମାନସିଂହପୁର, ନୀଳାଦ୍ରିପ୍ରସାଦ, ବଉଳାବନ୍ଧ ପଞ୍ଚାୟତର‌ ୨୦୦ ରୁ ଉର୍ଦ୍ଧ୍ବ କର୍ମୀ ବିଜେପିରେ ଯୋଗଦେଇଛନ୍ତି। ବିଜେପି ର ନୀତି ଆଦର୍ଶ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ଓ ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ନେତୃତ୍ବକୁ ଭରଷା କରି ଭାରତୀୟ ଜନତା ପାର୍ଟିରେ ସେମାନେ ଆନୁଷ୍ଠାନିକ ଭାବେ ସାମିଲ୍ ହୋଇଥିବା କହିଛନ୍ତି।

ଦଳରେ ସାମିଲ ହୋଇଥିବା ସମସ୍ତ କର୍ମକର୍ତ୍ତା ମାନେ ଚ଼ିଲିକା ବିଧାନସଭା ଓ ପୁରୀ ଲୋକସଭା କ୍ଷେତ୍ରରେ ପଦ୍ମ ଫୁଟାଇବାକୁ ସଂକଳ୍ପ ନେଇଛନ୍ତି। ଏହି ମିଶ୍ରଣ ପର୍ବରେ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ତଥା ଚି଼ଲିକା ବିଧାନସଭା କ୍ଷେତ୍ରର ଭାଜପା ସଂଯୋଜକ ଦୁଷ୍ମନ୍ତ ହରିଚ଼ନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଚ଼ିଲିକା ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ନନ୍ଦପୁର ପଞ୍ଚାୟତର‌ ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, ବିରଜାଈ ମଣ୍ଡଳ ଭାଜପା ସଭାପତି ଜିତେନ୍ଦ୍ର କୁମାର ଭୋଳ, ମାନସିହପୁର ସରପଞ୍ଚଙ୍କ ପ୍ରତିନିଧି ରତ୍ନାକର ବେହେରା, ଦେଓଗାଁ ସରପଞ୍ଚ ଙ୍କ ପ୍ରତିନିଧି ଶରତ ଚ଼ନ୍ଦ୍ର ଛାଟୋଇ, ଜିଲ୍ଲା ଭାଜପା ଉପସଭାପତି ସୁମନ୍ତ ପଟ୍ଟନାୟକ, ଚ଼ଣ୍ଡେଶ୍ବର ମଣ୍ଡଳ ଭାଜପା ସଭାପତି ଲକ୍ଷ୍ମୀଧର ବରାଳ, ବ‌ଉଳାବନ୍ଧ‌ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦେବାଶିଷ ରଥ, ବିଜେପି ନେତା ଭରତ ଜେନା, ଦେବରାଜ ବସ୍ତି, ରାଜକିଶୋର ପଣ୍ଡା ଓ ଯୁବନେତା କାହ୍ନୁଚ଼ରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ସାମ୍ ପିତ୍ରୋଦାଙ୍କ ପରେ ଅଧୀର ରଂଜନଙ୍କ ମନ୍ତବ୍ୟକୁ ନେଇ ଅଡୁଆରେ କଂଗ୍ରେସ, ବିଜେପି କଲା ଟାର୍ଗେଟ

ନୂଆଦିଲ୍ଲୀ: ସାମ୍ ପିତ୍ରୋଦାଙ୍କ ବିବୃତ୍ତିରେ କୁହାଯାଇଛି ଯେ, ଭାରତର ପୂର୍ବରେ ଲୋକମାନେ ଚାଇନିଜ୍, ପଶ୍ଚିମର ଲୋକମାନେ ଆରବ ଭଳି ଦେଖାଯାଉଛନ୍ତି, ଉତ୍ତରରେ ଲୋକମାନେ ବୋଧହୁଏ ଗୋରାଙ୍କ ଭଳି ଏବଂ ଦକ୍ଷିଣରେ ଲୋକମାନେ ଆଫ୍ରିକୀୟଙ୍କ ପରି ଦେଖାଯାଉଛନ୍ତି। ଏହାପରେ ଅଧୀର ରଞ୍ଜନ ଚୌଧୁରୀ ଆଉ ମନ୍ତବ୍ୟ ଦେଇଛନ୍ତି, ଯାହାକୁ ନେଇ ବିଜେପି କଂଗ୍ରେସକୁ ଆକ୍ରମଣ କରିବା ଆରମ୍ଭ କରିଦେଇଛି। ଅଧୀର କହିଛନ୍ତି ଯେ, “ଆମର ପ୍ରୋଟୋ ଅଷ୍ଟ୍ରେଲଏଡସ୍ … ମୋଙ୍ଗୋଲଏଡ୍ … ନେଗ୍ରିଟୋସ୍ (ଭାରତରେ) ଅଟନ୍ତି।” ଏହା ଉପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଚର୍ମ ରଙ୍ଗ ଆଧାରରେ ଭାରତୀୟମାନଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି।

ପ୍ରୋଟୋ ଅଷ୍ଟ୍ରେଲଏଡସ୍ ଅଷ୍ଟ୍ରେଲିଆର ମୂଳ ବାସିନ୍ଦାଙ୍କ ସହିତ ଶାରୀରିକ ସମାନତାକୁ ବୁଝାଏ। ମୋଙ୍ଗୋଲଏଡ୍ ଏସିଆ, ଆମେରିକା, ୟୁରୋପ ଏବଂ ଓସେନିଆର କେତେକ ଅଞ୍ଚଳରେ ମୂଳ ଜାତି ଗୋଷ୍ଠୀକୁ ବୁଝାଏ। ନେଗ୍ରିଟୋ ହେଉଛି ମାନବ ଜାତିର ଏକ ଗୋଷ୍ଠୀ ଯାହା ଦକ୍ଷିଣ ପୂର୍ବ ଏସିଆର ଦୁର୍ଗମ ଅଞ୍ଚଳରେ ବାସ କରନ୍ତି।

ସେ କହିଥିଲେ ଯେ, ଏଥିରେ କିଛି ଫରକ ପଡ଼ିବ ନାହିଁ। ଆମେ ସମସ୍ତେ ଭାଇ ଓ ଭଉଣୀ। ଆମେ ବିଭିନ୍ନ ଭାଷା, ବିଭିନ୍ନ ଧର୍ମ, ଭିନ୍ନ ରୀତିନୀତି, ଭିନ୍ନ ଖାଦ୍ୟ ଅଭ୍ୟାସକୁ ସମ୍ମାନ କରୁ।

ସାମ୍ ପିତ୍ରୋଦାଙ୍କ ବିବୃତ୍ତିର ଗୋଟିଏ ଦିନ ପରେ ଗୁରୁବାର ଦିନ ଏକ ନୂତନ ବିବାଦ ଆରମ୍ଭ ହୋଇଛି।

ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ, “ଆମେ ପ୍ରୋଟୋ ଅଷ୍ଟ୍ରେଲଏଡ, ମୋଙ୍ଗୋଲଏଡ, ଏବଂ ନେଗ୍ରିଟୋ ଗୋଷ୍ଠୀର ଲୋକ। ହଁ, ଆମେ … ଆମ ଦେଶର ଜନସଂଖ୍ୟାରେ ବିଭିନ୍ନ ଆଞ୍ଚଳିକ ଭିନ୍ନତା ରହିଛି। କେହି ଜଣେ କ’ଣ କହିଲା? ଏହା ତାଙ୍କର ମତ … କିନ୍ତୁ ଏହା ସତ୍ୟ ଯେ କିଛି ଲୋକ ଗୋରା… ଆଉ କେତେକ କଳା ଅଟନ୍ତି।

ପିତ୍ରୋଦାଙ୍କ ଜାତିଆଣ ମନ୍ତବ୍ୟକୁ ରକ୍ଷା କରିବାକୁ ଏକ ପ୍ରୟାସ ଭାବରେ ଅଧୀର ରଂଜନ ଚୌଧୁରୀଙ୍କ ବକ୍ତବ୍ୟ ଦେଖାଯାଇଥିଲା। ବିଜେପି ଏହାକୁ ନିନ୍ଦା କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ବଙ୍ଗଳା କଂଗ୍ରେସ ମୁଖିଆ ଅଧୀରଙ୍କ ମନ୍ତବ୍ୟକୁ ନେଇ ଶାହାଜାଦ ପୁନାୱାଲା ଜୁଲାଇ ୨୦୨୨ ରେ ଟାର୍ଗେଟ କରିଥିଲେ।

ଶେହଜାଦ ପୁନାୱାଲା କହିଛନ୍ତି ଯେ, “ଏହା ଦର୍ଶାଏ ଯେ ଶବ୍ଦଗୁଡିକ ସାମ ପିତ୍ରୋଦା ଏବଂ ଚିନ୍ତାଧାରା କଂଗ୍ରେସର ଅଟେ। ଭାରତୀୟମାନଙ୍କୁ ‘ନେଗ୍ରିଟୋ’ ବୋଲି କହିବା … ଏହା ଅଙ୍କଲ ସାମ (ପିତ୍ରୋଦାଙ୍କ ଉପରେ ଏକ ବ୍ୟଙ୍ଗ) ଙ୍କ ମନ୍ତବ୍ୟକୁ ଉଚିତ ଦର୍ଶାଯାଉଛି କି? କ’ଣ ଏଥିପାଇଁ ତାଙ୍କୁ ବହିଷ୍କାର କରାଯାଉନାହିଁ? କ’ଣ ଏବେ ଅଧୀରକୁ ବହିଷ୍କାର କରାଯିବ….ଯିଏ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ”ରାଷ୍ଟ୍ରପତ୍ନୀ” କହିଥିଲେ?

କଂଗ୍ରେସ ଏପର୍ଯ୍ୟନ୍ତ ଅଧୀର ରଂଜନ ଚୌଧୁରୀଙ୍କ ମନ୍ତବ୍ୟ ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ।

ପିତ୍ରୋଦାଙ୍କ ମନ୍ତବ୍ୟ ପରେ ଯେତେବେଳେ ଅନ୍ୟ ଏକ ବିବାଦୀୟ ମନ୍ତବ୍ୟ ଆସିଲା, କଂଗ୍ରେସ ଏଥିରୁ ନିଜକୁ ଦୂରେଇ ରଖିଥିଲା, କିନ୍ତୁ ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଚର୍ମ ରଙ୍ଗ ଉପରେ ଆଧାରିତ ଅପମାନକୁ ଦେଶ ବରଦାସ୍ତ କରିବ ନାହିଁ ବୋଲି ସେ କହିଥିଲେ।

ରାହୁଲ ଗାନ୍ଧୀଙ୍କୁ “ରାଜକୁମାର” ଭାବରେ ଦୋହରାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, “ରାଜକୁମାର, ଆପଣଙ୍କୁ ଉତ୍ତର ଦେବାକୁ ପଡିବ। ଚର୍ମ ରଙ୍ଗ ଆଧାରରେ ଆମ ଦେଶବାସୀଙ୍କୁ ଅପମାନ ବରଦାସ୍ତ କରିବେ ନାହିଁ।”

ଏହି ମନ୍ତବ୍ୟର କିଛି ଘଣ୍ଟା ପରେ ପିତ୍ରୋଦା କଂଗ୍ରେସର ବିଦେଶ ୟୁନିଟ୍ ମୁଖ୍ୟ ଭାବରେ ଇସ୍ତଫା ଦେଇଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ରାହୁଲ ଦ୍ରାବିଡଙ୍କ ପରେ ଟିମ୍ ଇଣ୍ଡିଆର କିଏ ହେବେ ମୁଖ୍ୟ ପ୍ରଶିକ୍ଷକ?: ଦୌଡରେ ଏହି ୩ ବଡ ନାମ

ନୂଆଦିଲ୍ଲୀ: ରାହୁଲ ଦ୍ରାବିଡ ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ, କିନ୍ତୁ ତାଙ୍କ କାର୍ଯ୍ୟକାଳ ଟି -୨୦ ବିଶ୍ୱକପ ୨୦୨୪ ପରେ ଶେଷ ହେଉଛି। ଏହା ପରେ ଟିମ୍ ଇଣ୍ଡିଆ ଏକ ନୂତନ କୋଚ୍ ଙ୍କ ତତ୍ତ୍ୱାବଧାନରେ ସାମିଲ ହେବ। କେବଳ ଏତିକି ନୁହେଁ, ନୂତନ କୋଚ୍ ଆସିବା ପରେ କୋଚିଂ ଷ୍ଟାଫ୍ ରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ଯେ, ଭାରତୀୟ ଦଳର ପରବର୍ତ୍ତୀ କୋଚ୍ ମଧ୍ୟ ଜଣେ ବିଦେଶୀ ଖେଳାଳି ହୋଇପାରିବେ। ଏଭଳି ପରିସ୍ଥିତିରେ, ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ସମ୍ବନ୍ଧରେ ଚାଲିଥିବା ଆଲୋଚନା ମଧ୍ୟରେ ଆସନ୍ତୁ, ଏପରି ୩ ଟି ବଡ ନାମ ବିଷୟରେ ଆଲୋଚନା କରିବା, ଯାହାର ଭାରତୀୟ ଦଳରେ ଯୋଗଦେବାର ଦୃଢ ସମ୍ଭାବନା ଅଛି….

ଭିଭିଏସ ଲକ୍ଷ୍ମଣ:

ଭାରତୀୟ ଦଳର ପୂର୍ବତନ ଭେଟେରାନ୍ କ୍ରିକେଟର ଭିଭିଏସ୍ ଲକ୍ଷ୍ମଣଙ୍କ ଏଥର ମୁଖ୍ୟ ପ୍ରଶିକ୍ଷକ ହେବାର ଦୃଢ ସମ୍ଭାବନା ରହିଛି। ଦ୍ରାବିଡଙ୍କ ଅନୁପସ୍ଥିତିରେ ସେ ଅନେକ ସମୟରେ ଭାରତୀୟ ଦଳର ଦାୟିତ୍ୱ ନେଉଥିବାର ନଜର ଆସିଛନ୍ତି। ଆଇପିଏଲର ଅନେକ ଦଳକୁ ପ୍ରଶିକ୍ଷଣ ଦେବାର ଲକ୍ଷ୍ମଣଙ୍କର ମଧ୍ୟ ଦକ୍ଷତା ଅଛି। ଏହା ବ୍ୟତୀତ କ୍ରିକେଟ୍ ର ତିନୋଟି ଫର୍ମାଟ୍ ଖେଳିବାର ଅଭିଜ୍ଞତା ମଧ୍ୟ ଅଛି।

ଲକ୍ଷ୍ମଣଙ୍କ କ୍ରିକେଟ୍ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ଭାରତୀୟ ଦଳ ପାଇଁ ୨୨୦ ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବାରେ ସଫଳ ହୋଇଛନ୍ତି। ଏହି ସମୟରେ ୩୦୮ ଇନିଂସରେ ତାଙ୍କ ବ୍ୟାଟରୁ ୧୧,୧୧୯ ରନ୍ ସ୍କୋର ଆସିଛି। ଲକ୍ଷ୍ମଣ ଟେଷ୍ଟ କ୍ରିକେଟର ୨୨୫ ଇନିଂସରେ ହାରାହାରି ୪୫.୫ ଏବଂ ODI ର ୮୩ ଇନିଂସରେ ହାରାହାରି ୩୦.୭୬ ରେ ୨୩୩୮ ରନ୍ ସଂଗ୍ରହ କରିଛନ୍ତି।

ଟମ୍ ମୁଡ଼ି:

ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଟମ୍ ମୁଡିଙ୍କ ନାମ ସ୍ୱତନ୍ତ୍ର ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ମୁଡି ଅନେକ ଥର ଭାରତୀୟ ଦଳର ମୁଖ୍ୟ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି, କିନ୍ତୁ ସେ ଏପର୍ଯ୍ୟନ୍ତ ସେବା କରିବାର ସୁଯୋଗ ପାଇ ନାହାଁନ୍ତି। ବର୍ତ୍ତମାନ ସେ ଅନେକ ଲିଗରେ ଅନ୍ୟ ଦଳଗୁଡିକର ପ୍ରଶିକ୍ଷଣ ଦେଉଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କର ଅପାର ଅଭିଜ୍ଞତାକୁ ବିଚାର କରି ବିସିସିଆଇ ତାଙ୍କୁ ଭାରତୀୟ ଦଳର ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକ କରିପାରେ।

ରିକି ପଣ୍ଟିଂ:

ରିପୋର୍ଟ ଅନୁଯାୟୀ, ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ବିସିସିଆଇ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକଙ୍କ ସହ କଥା ହୋଇଥିଲା, କିନ୍ତୁ କୌଣସି କାରଣରୁ ସେ ସେତେବେଳେ ମନା କରିଦେଇଥିଲେ। ଏହା ପରେ ରାହୁଲ ଦ୍ରାବିଡଙ୍କୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରାଯାଇଥିଲା। ତେବେ ତାଙ୍କ ଅଭିଜ୍ଞତାକୁ ବିଚାର କରି ତାଙ୍କ ନାମ ପୁଣି ଥରେ ଆଲୋଚନା ହେଉଛି। ପଣ୍ଟିଂଙ୍କ ଆନ୍ତର୍ଜାତୀୟ ସ୍ତରରେ ସମସ୍ତ ତିନୋଟି ଫର୍ମାଟରେ ଖେଳିବାର ଅଭିଜ୍ଞତା ଅଛି।

Categories
ଆଜିର ଖବର ଜାତୀୟ ଖବର

ଜାହାଜ ନିର୍ମାଣ କ୍ଷେତ୍ରରେ ସ୍ବଦେଶୀ ବ୍ୟବହାର ବୃଦ୍ଧି ପାଇଁ ଘରୋଇ କ୍ଷେତ୍ର ସହ ଭାରତୀୟ ତଟରକ୍ଷୀ ବାହିନୀର ବୁଝାମଣା

ନୂଆଦିଲ୍ଲୀ: ଜାହାଜ ନିର୍ମାଣରେ ସ୍ବଦେଶୀ ସାମଗ୍ରୀର ବ୍ୟବହାର ବୃଦ୍ଧି କରିବା ସହ ସ୍ବଦେଶୀ ସାମୁଦ୍ରିକ ଶ୍ରେଣୀର ଇସ୍ପାତ ଯୋଗାଣ ପାଇଁ ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ଏବଂ ଜିନ୍ଦଲ୍ ଷ୍ଟିଲ୍ ଆଣ୍ଡ ପାଓ୍ବାର୍ (ଜେଏସପିଏଲ) ୨୦୨୪ ମେ ୭ତାରିଖ ଦିନ ନୂଆଦିଲ୍ଲୀରେ ଏକ ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି। ଏହି ବୁଝାମଣାଜରିଆରେ ଉଭୟ ସଂସ୍ଥା ସ୍ବଦେଶୀକରଣ ବଢ଼ାଇବା, ଦେଶର ସ୍ବାର୍ଥ ପାଇଁ ଏହିସାମଗ୍ରୀର ଉତ୍ପାଦନ କ୍ଷମତା ଓ ଉପେଯାଗ ବୃଦ୍ଧି କରିବା ଉପରେ ଗୁରୁତ୍ବ ଦେବାକୁପ୍ରତିଶୃତିବଦ୍ଧ ହୋଇଛନ୍ତି।

ଏହି ବୁଝାମଣାରେ ସରକାରୀ-ଘରୋଇ ସହେଯାଗକୁ ପ୍ରାଥମିକତା ଦିଆଯିବା ସହଜଟିଳ ସୁରକ୍ଷା ଆହ୍ବାନର ମୁକାବିଲା ପାଇଁ ସରକାରୀ ସଂସ୍ଥା ଏବଂ ଘରୋଇ କ୍ଷେତ୍ରମଧ୍ଯରେ ସହଭାଗିତାର ଆବଶ୍ୟକତା ଉପରେ ମଧ୍ଯ ଗୁରୁତ୍ବ ପ୍ରଦାନ କରାଯାଇଛି। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସୁବିଧା ଯଥା – ଉତ୍ତମ ମାନ, ଶ୍ରେଣୀ ଓ ପରିମାପ ସହ ସାମଗ୍ରୀଉତ୍ପାଦନ ପାଇଁ ନିର୍ମିତ ଇସ୍ପାତ କାରଖାନା ସମେତ ଆଇସିଜି ପାଇଁ ସାମୁଦ୍ରିକଶ୍ରେଣୀର ଇସ୍ପାତର ସଠିକ୍ ସମୟରେ େଯାଗାଣ କରିବାକୁ ଜାହଜ ନିର୍ମାଣୟାର୍ଡଗୁଡିକୁ ପ୍ରତିଶୃତି ଦେବା ଉପରେ ମଧ୍ୟ ଏହି ବୁଝାମଣାରେ ଗୁରୁତ୍ବଦିଆଯାଇଛି।

ଆଇସିଜିର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଆଇସିଜି ଆଇଜି ଉପମହାନିଦ୍ର୍ଦେଶକ (ଉତ୍ପାଦ ଓ ପରିଚାଳନା) ଏଚ୍.କେ. ଶର୍ମା ଏବଂ ଜେଏସ୍ପିର ଚିଫ୍ମାର୍କେଟିଂ ଅଫିସର୍ ଏସ୍.କେ. ପ୍ରଧାନଙ୍କ ଦ୍ବାରା ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଜେଲରୁ ବାହାରିବେ ଅରବିନ୍ଦ କେଜ୍ରିୱାଲ, ଜୁନ୍ ୧ ଯାଏଁ ଅନ୍ତରୀଣ ଆଶ୍ଵସ୍ତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଏଏପି) ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ଵସ୍ତି ମିଳିଛି। ସୁପ୍ରିମକୋର୍ଟ ଆଜି କେଜ୍ରିୱାଲଙ୍କୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଶୁଣାଣି ସମୟରେ କୋର୍ଟ ସମସ୍ତ ଯୁକ୍ତି ଶୁଣିବା ପରେ କହିଛନ୍ତି ଯେ, ଆମେ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ଯାଉଛୁ। ଏହି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀ ବିରୋଧ ଆବେଦନ ଉପରେ ଶୁଣାଣି କରିବାକୁ ଓକିଲ ଅଭିଷେକ ମନୁ ସିଂହଭି ଦାବି କରିଥିଲେ।

ଏ ସମ୍ପର୍କରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଆସନ୍ତା ସପ୍ତାହରେ କେଜ୍ରିୱାଲଙ୍କ ଏହି ଆବେଦନ ଉପରେ ବିତର୍କ ଶେଷ କରିବାକୁ ଚେଷ୍ଟା କରିବ। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପାଙ୍କର ଦତ୍ତଙ୍କ ଖଣ୍ଡପୀଠଙ୍କୁ ଅରବିନ୍ଦ କେଜ୍ରିୱାଲଙ୍କୁ ସମୟ ଶେଷ ହେବା ପରେ ଆତ୍ମସମର୍ପଣ କରିବା ପାଇଁ ଇଡି ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ଅନୁରୋଧ କରିଥିଲେ। ଏହା ଉପରେ କୋର୍ଟ କହିଛନ୍ତି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜୁନ୍ ୨ ତାରିଖରେ ତ୍ମସମର୍ପଣ କରିବାକୁ ପଡ଼ିବ। ଅନ୍ତରୀଣ ଜାମିନ ପ୍ରଦାନ ବେଳେ ସର୍ତ୍ତ ସମ୍ପର୍କରେ କୋର୍ଟ କିଛି କହି ନାହାଁନ୍ତି।

Categories
ଆଜିର ଖବର ଜାତୀୟ ଖବର

୬ଟି ରାଜ୍ୟରେ ପ୍ରତ୍ୟକ୍ଷ ଭାବେ ମତଦାନ ପ୍ରକ୍ରିୟା ଦେଖିଲେ ୨୩ଟି ଦେଶର ୭୫ ଜଣ ପ୍ରତିନିଧି

ନୂଆଦିଲ୍ଲୀ: ଭାରତରେ ୨୦୨୪ ସାଧାରଣ ନିର୍ବାଚନରେ ମତଦାନ ପ୍ରକ୍ରିୟାକୁ ପ୍ରତ୍ୟକ୍ଷ ଭାବେ ଦେଖିଥିବାରୁ ବିଭିନ୍ନ ଦେଶରୁ ଆସିଥିବା ଅନ୍ତର୍ଜାତୀୟ ପ୍ରତିନିଧିମାନେ ଖୁସି ବ୍ୟକ୍ତ କରିଛନ୍ତି। କେତେକ ପ୍ରତିନିଧି ନିର୍ବାଚନରେ ସ୍ୱଚ୍ଛତାକୁ ପ୍ରଶଂସା କରିଥିବା ବେଳେ ଅନ୍ୟମାନେ ଗ୍ରୀନ୍ ପୋଲିଂ ଷ୍ଟେସନ ଭଳି ନିର୍ବାଚନ ଆୟୋଗଙ୍କ ପଦକ୍ଷେପକୁ ପ୍ରେରଣାଦାୟକ ବୋଲି କହିଛନ୍ତି। ଇଭିଏମ-ଭିଭିପାଟ୍ ର ରେଣ୍ଡମାଇଜେସନ୍  ସମେତ ନିର୍ବାଚନରେ ଜ୍ଞାନକୌଶଳର ବ୍ୟାପକ ବ୍ୟବହାରକୁ ପ୍ରତିନିଧିମାନେ ପ୍ରଶଂସା କରିଥିଲେ। ଗଣତାନ୍ତ୍ରିକ ଆଦର୍ଶକୁ ସୁଦୃଢ଼ କରିବା ଦିଗରେ ଭାରତୀୟ ମତଦାତାଙ୍କ ଅତୁଟ ବିଶ୍ୱାସ ଓ ପ୍ରତିବଦ୍ଧତାକୁ ନେଇ ସେମାନେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ବୋଲି କେତେକ ପ୍ରତିନିଧି କହିଛନ୍ତି। ମୋଟାମୋଟି ଭାବରେ,ଭାରତରେ ନିର୍ବାଚନ ପ୍ରକ୍ରିୟା ଏକ ଶାନ୍ତିପୂର୍ଣ୍ଣ, ସମାବେଶୀ,ସୁଲଭ ଏବଂ ଏକ ଉତ୍ସବମୁଖର ମନୋଭାବ ସହିତ ଅନୁଷ୍ଠିତ ହୁଏ ବୋଲି ଭାରତ ଗସ୍ତରେ ଆସିଥିବା ଏହି ଦେଶଗୁଡ଼ିକର ନିର୍ବାଚନ ପରିଚାଳନା ସମିତି ସଦସ୍ୟମାନେ ଏକମତ ହୋଇଥିଲେ।

ଅନ୍ତର୍ଜାତୀୟ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମ (ଆଇଇଭିପି) ଅଧୀନରେ ନିକଟରେ ଶେଷ ହୋଇଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭାରତର ସାଧାରଣ ନିର୍ବାଚନର ପ୍ରତ୍ୟକ୍ଷ ଅନୁଭବ କରିବା ପରେ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇଛି।

ତୃତୀୟ ପର୍ଯ୍ୟାୟରେ ୧୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହୋଇଥିଲା ଏବଂ ପ୍ରତିନିଧିମାନେ ୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ଦେଖିଥିଲେ, ଯେଉଁଥିରେ ବିଶ୍ୱସ୍ତରର ସବୁଠୁ ଅଧିକ ମଣିଷ ଓ ବ୍ୟବସ୍ଥାଗତ ଗତିବିଧି ଦେଖିବାକୁ ମିଳିଥିଲା।

ଆଇଇଭି ୨୦୨୪ର ତୃଣମୂଳସ୍ତରରେ ଅନୁଭୂତି

କର୍ଣ୍ଣାଟକ

କାମ୍ବୋଡିଆ, ଟ୍ୟୁନିସିଆ, ମୋଲଡୋଭା, ସେସେଲ୍ସ ଏବଂ ନେପାଳର ପ୍ରତିନିଧିମାନେ କର୍ଣ୍ଣାଟକର ବେଲଗାମ ସଂସଦୀୟ ନିର୍ବାଚନ ମଣ୍ଡଳୀ ଗସ୍ତ କରି ମତଦାନ କେନ୍ଦ୍ର ଭିତରେ ମତଦାନ ଅଧିକାରୀ ଓ ପ୍ରିଜାଇଡିଂ ଅଫିସରଙ୍କ ସହ ଆଲୋଚନା କରିଥିଲେ, ଛାୟା ମତଦାନ ବା ମକ୍ ପୋଲ୍ ଦେଖିଥିଲେ, କମାଣ୍ଡ କଣ୍ଟ୍ରୋଲ ସେଣ୍ଟର, ମିଡିଆ ମନିଟରିଂ ସୁବିଧା ପରିଦର୍ଶନ କରିଥିଲେ। ଛାୟା ମତଦାନ ବା ମକ୍ ପୋଲ୍, ମତଦାନ କେନ୍ଦ୍ର ଭିତରେ ପ୍ରାର୍ଥୀଙ୍କ ପ୍ରତିନିଧିଙ୍କ ଉପସ୍ଥିତି ଓ ସମ୍ପୃକ୍ତି ଯୋଗୁଁ ପ୍ରତିନିଧିମାନେ ସ୍ୱଚ୍ଛତାକୁ ପ୍ରଶଂସା କରିଥିଲେ।

ଗୋଆ

ଭୁଟାନ, ମଙ୍ଗୋଲିଆ ଏବଂ ଇସ୍ରାଏଲର ଏକ ଗଣମାଧ୍ୟମ ଟିମ୍ ଗୋଆର ଉଭୟ ନିର୍ବାଚନ ମଣ୍ଡଳୀରେ ମତଦାନ ଏବଂ ଆନୁସଙ୍ଗିକ ବ୍ୟବସ୍ଥା ଦେଖିଥିଲେ। ମକ୍ ପୋଲ୍, କମାଣ୍ଡ କଣ୍ଟ୍ରୋଲ ସେଣ୍ଟର, ମିଡିଆ ମନିଟରିଂ ସେଣ୍ଟର ଓ ଡେସପ୍ୟାଚ୍‌ସେଣ୍ଟର ସମ୍ପର୍କରେ ମଧ୍ୟ ସେମାନଙ୍କୁ ଅବଗତ କରାଯାଇଥିଲା। ଭୂଟାନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଏବଂ ଭୁଟାନ ଓ ମଙ୍ଗୋଲିଆର ନିର୍ବାଚନ ଅଧିକାରୀମାନେ ନିର୍ବାଚନ ପରିଚାଳନାରେ ମତଦାନ କେନ୍ଦ୍ର ଭିତରେ ରାଜନୈତିକ ଦଳ, ଗଣମାଧ୍ୟମ, ପ୍ରାର୍ଥୀଙ୍କ ପ୍ରତିନିଧିଙ୍କୁ ସାମିଲ କରିବାରେ ସ୍ୱଚ୍ଛତାକୁ ପ୍ରଶଂସା କରିଥିଲେ। ଦିବ୍ୟାଙ୍ଗ ପୋଲିଂ ଷ୍ଟେସନ ଏବଂ ପିଙ୍କ ପୋଲିଂ ଷ୍ଟେସନକୁ ପରିଦର୍ଶନ କରି ପ୍ରତିନିଧିମାନେ ଏହାକୁ ପ୍ରଶଂସା କରିବା ସହଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।

ପ୍ରତିନିଧିମାନେ ଇଭିଏମ୍-ଭିଭିପ୍ୟାଟର ରେଣ୍ଡମାଇଜେସନ୍ ପାଇଁ ସଫ୍ଟୱେରର ବ୍ୟବହାରକୁ ସେମାନେ ପ୍ରଶଂସା କରିଥିଲେ।

ମଧ୍ୟପ୍ରଦେଶ

ଶ୍ରୀଲଙ୍କା ଏବଂ ଫିଲିପାଇନ୍ସର ପ୍ରତିନିଧିଙ୍କୁ ନେଇ ଗଠିତ ଏକ ୧୧ ଜଣିଆ ଅନ୍ତର୍ଜାତୀୟ ଟିମ୍ ଭୋପାଳ, ବିଦିଶା, ସିହୋର ଏବଂ ରାଇସେନ ନିର୍ବାଚନ ମଣ୍ଡଳୀର ମତଦାନ କେନ୍ଦ୍ର ପରିଦର୍ଶନ କରି ଲୋକସଭା ନିର୍ବାଚନର ପ୍ରକ୍ରିୟା ସମ୍ପର୍କରେ ପ୍ରାଥମିକ ସୂଚନା ହାସଲ କରିଛନ୍ତି। ମତଦାତାଙ୍କ ସହ କଥାବାର୍ତ୍ତା କରି ସେମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାରତୀୟ ନାଗରିକଙ୍କ ଉତ୍ସାହ ଓ ସକ୍ରିୟ ଅଂଶଗ୍ରହଣକୁ ଅନୁଭବ କରିଥିଲେ। ନିଜ ଅନୁଭୂତିକୁ ପ୍ରତିଫଳିତ କରି ପ୍ରତିନିଧିମାନେ ଭାରତରେ ଦେଖିଥିବା ଜୀବନ୍ତ ଗଣତନ୍ତ୍ରକୁ ପ୍ରଶଂସା କରିଥିଲେ। ଗଣତାନ୍ତ୍ରିକ ଆଦର୍ଶକୁ ସୁଦୃଢ଼ କରିବା ଦିଗରେ ଭାରତୀୟ ଭୋଟରଙ୍କ ଅତୁଟ ବିଶ୍ୱାସ ଓ ପ୍ରତିବଦ୍ଧତାକୁ ନେଇ ସେମାନେ ବିଶେଷ ଭାବରେ ପ୍ରଭାବିତ ହୋଇଥିଲେ।

ଉତ୍ତର ପ୍ରଦେଶ

ଚିଲି, ଜର୍ଜିଆ, ମାଳଦ୍ୱୀପ, ନାମିବ୍ୟା, ପାପୁଆ ନ୍ୟୁ ଗିନି ଏବଂ ଉଜବେକିସ୍ତାନର ପ୍ରତିନିଧିମାନେ ୭ ମେ, ୨୦୨୪ରେ ଉତ୍ତରପ୍ରଦେଶର ଫତେପୁର ସିକ୍ରି ଏବଂ ଆଗ୍ରା ସଂସଦୀୟ କ୍ଷେତ୍ରରେ ମତଦାନ ଦେଖିଥିଲେ। ଏହି ଦୁଇ ନିର୍ବାଚନ ମଣ୍ଡଳୀଅଧୀନରେ ରହିଥିବା ତାଜମହଲ ଏବଂ ଫତେପୁର ସିକ୍ରିର ସ୍ଥାପତ୍ୟ ଶୈଳୀ ଦେଖିବା ପାଇଁ ଅତିଥିମାନଙ୍କୁ ନିଆଯାଇଥିଲା। ମତଦାନ ଦିନ ଏବଂ ମତଦାନ ଦିନର ପୂର୍ବ ଦିନ ସେମାନେ ବିଭିନ୍ନ ବ୍ୟବସ୍ଥା/କାର୍ଯ୍ୟକଳାପ ସମ୍ପର୍କରେ ଅବଗତ ହୋଇଥିଲେ। ଭାରତରେ ନିର୍ବାଚନ ପ୍ରକ୍ରିୟା ଏକ ଶାନ୍ତିପୂର୍ଣ୍ଣ, ସମାବେଶୀ ଏବଂ ସୁଲଭ ବୋଲି ଏହି ଦେଶଗୁଡ଼ିକର ନିର୍ବାଚନ ପରିଚାଳନା ସମିତିର ସଦସ୍ୟମାନେ ସହମତ ହୋଇଥିଲେ।

ଗୁଜରାଟ

ଅହମ୍ମଦାବାଦରେ ହେବାକୁ ଥିବା ଲୋକସଭା ନିର୍ବାଚନ ୨୦୨୪ ପାଇଁ ଫିଜି, ଅଷ୍ଟ୍ରେଲିଆ, ରୁଷ, ମାଡାଗାସ୍କର, କିର୍ଗିଜସ୍ତାନର ପ୍ରତିନିଧିମାନେ ପ୍ରାକ୍ ନିର୍ବାଚନ ବ୍ୟବସ୍ଥା ଏବଂ ମତଦାନ ପ୍ରକ୍ରିୟା ଦେଖିଥିଲେ। ଡବଲ ଲକ୍ ବ୍ୟବସ୍ଥା ଥିବା ଷ୍ଟ୍ରଙ୍ଗରୁମ୍ ଏବଂ ଇଭିଏମ୍ ର ପ୍ରଭାବଶାଳୀ ସୁରକ୍ଷା କୁ ସୁନିଶ୍ଚିତ କରିବା ପାଇଁ ସଶସ୍ତ୍ର ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥିବାରୁ ପ୍ରତିନିଧି ଦଳ ପ୍ରଭାବିତ ହୋଇଥିଲେ। ଅହମ୍ମଦାବାଦ ପୂର୍ବ ସଂସଦୀୟ କ୍ଷେତ୍ରର ସାନନ୍ଦ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମହିଳାଙ୍କ ଦ୍ୱାରା ପରିଚାଳିତ ମତଦାନ କେନ୍ଦ୍ରଗୁଡ଼ିକୁ ମଧ୍ୟ ପ୍ରତିନିଧିଙ୍କ ଦ୍ୱାରାପ୍ରଶଂସା କରାଯାଇଥିଲା। ଏହା ମହିଳାମାନଙ୍କ ଉପରେ ଆତ୍ମବିଶ୍ୱାସ ଏବଂ ସେମାନଙ୍କ ଅଂଶଗ୍ରହଣକୁ ବଢ଼ାଉଥିବା ସେମାନେ ମତପ୍ରକାଶ କରିଥିଲେ। ବୟସ୍କ ଭୋଟରଙ୍କୁ ସାହାଯ୍ୟ କରିବା ପାଇଁ ସ୍ୱେଚ୍ଛାସେବୀଙ୍କ ସହ ସବୁ ସ୍ଥାନରେ ରାମ୍ପ ଓ ହ୍ୱିଲଚେୟାରର ସୁବିଧାକୁ ମଧ୍ୟ ପ୍ରଶଂସା କରାଯାଇଥିଲା। ଦୃଷ୍ଟିହୀନ ଭୋଟରଙ୍କ ପାଇଁ ବ୍ରେଲ ବାଲଟ ପେପର ବ୍ୟବସ୍ଥାମଧ୍ୟ ଦୃଷ୍ଟିହୀନ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ଭଲ ପଦକ୍ଷେପ ବୋଲି ଅନ୍ତର୍ଜାତୀୟ ପ୍ରତିନିଧିମାନେ ପ୍ରଂସା କରିଥିଲେ।

ମହାରାଷ୍ଟ୍ର

ବାଂଲାଦେଶ, ଶ୍ରୀଲଙ୍କା, କାଜାଖସ୍ତାନ ଏବଂ ଜିମ୍ବାୱେର ନିର୍ବାଚନ ପରିଚାଳନା ସଂସ୍ଥାର ପ୍ରତିନିଧିମାନେ ମହାରାଷ୍ଟ୍ରର ରାୟଗଡ ସଂସଦୀୟ କ୍ଷେତ୍ର ପରିଦର୍ଶନ କରି ନିର୍ବାଚନ ପୂର୍ବ ବ୍ୟବସ୍ଥା, ମତଦାନ ଦଳ ଗୁଡ଼ିକର ବିସ୍ତାର ଏବଂ ଅନ୍ୟାନ୍ୟ ଲଜିଷ୍ଟିକ୍ସଦେଖିଥିଲେ। ଏହି ଦଳ ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଫିସର, ପ୍ରିଜାଇଡିଂ ଅଫିସର ଏବଂ ଅନ୍ୟ ନିର୍ବାଚନ ସମ୍ବନ୍ଧୀୟ ଅଧିକାରୀଙ୍କ ସହ ଭାରତୀୟ ନିର୍ବାଚନର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ। ମତଦାନ କେନ୍ଦ୍ରରେ ସ୍ୱଚ୍ଛତା ବ୍ୟବସ୍ଥାଦେଖି ପ୍ରତିନିଧିମାନେ ପ୍ରଭାବିତ ହୋଇଥିଲେ।

 

ପୃଷ୍ଠଭୂମି

ଅଷ୍ଟ୍ରେଲିଆ, ବାଂଲାଦେଶ ଭୁଟାନ, କାମ୍ବୋଡିଆ, ଚିଲି, ଫିଜି, ଜର୍ଜିଆ, କାଜାଖସ୍ତାନ, କିର୍ଗିଜ ପ୍ରତିନିଧି, ମାଡାଗାସ୍କର, ମାଳଦ୍ୱୀପ, ମଙ୍ଗୋଲିଆ, ମୋଲଡୋଭା, ନାମିବିଆ, ନେପାଳ, ନ୍ୟୁ ଗିନି, ଫିଲିପାଇନ୍ସ, ରୁଷିଆ, ସେସେଲ୍ସ, ଶ୍ରୀଲଙ୍କା, ଟ୍ୟୁନିସିଆ, ଉଜ୍ବେକିସ୍ତାନ, ଜିମ୍ବାୱେ ଭଳି ୨୩ଟି ଦେଶର ପ୍ରତିନିଧି ୫ ମେ ୨୦୨୪ ରେ ତୃତୀୟ ପର୍ଯ୍ୟାୟ ମତଦାନ ଦେଖିବା ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଅଧିବେଶନରେ ସେମାନେ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର ଏବଂ ଡ. ସୁଖବୀର ସିଂହ ସାନ୍ଧୁଙ୍କ ସହ ଆଲୋଚନା କରିଥିଲେ। ଏହାପରେ ପ୍ରତିନିଧିମାନେ ୬ଟି ଛୋଟ ଛୋଟ ଦଳରେ ବିଭକ୍ତ ହୋଇ ବିଭିନ୍ନ ରାଜ୍ୟ ଯଥା କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ, ଉତ୍ତରପ୍ରଦେଶ, ଗୋଆ ଓ ମଧ୍ୟପ୍ରଦେଶ ଗସ୍ତ କରିବା ସହ ଏଥିପାଇଁ ୧୩ଟି ନିର୍ବାଚନ ମଣ୍ଡଳୀର ମତଦାନ କେନ୍ଦ୍ର ପରିଦର୍ଶନ କରିଥିଲେ। ନିର୍ବାଚନ ପ୍ରସ୍ତୁତି, ଲଜିଷ୍ଟିକ୍ସ ଏବଂ ୱେବକାଷ୍ଟିଂ ବ୍ୟବସ୍ଥା ଦେଖିବା ସହ ନିର୍ବାଚନ ପୂର୍ବ ଦିନ ପୋଲିଂ ଅଫିସର ଓ ପ୍ରିଜାଇଡିଂ ଅଫିସରଙ୍କ ସହ ଯୋଗାଯୋଗ କରିବା ଏବଂ ମକ୍ ପୋଲ୍ ଦେଖିବା, ପ୍ରକୃତ ମତଦାନ ଦେଖିବା ଏବଂ ନିର୍ବାଚନ ଦିନ ଅର୍ଥାତ୍ ୭ ମେ, ୨୦୨୪ରେ ଭୋଟରଙ୍କ ସହ ଆଲୋଚନା କରିବା ପାଇଁ ରାଜ୍ୟର ସିଇଓମାନେ ଏହି ଗୋଷ୍ଠୀଗୁଡ଼ିକର ଗସ୍ତ ଆୟୋଜନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ପଞ୍ଚମ ପର୍ଯ୍ୟାୟରେ ୮ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ନିର୍ବାଚନ ଲଢ଼ିବେ ୬୯୫ ଜଣ ପ୍ରାର୍ଥୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟରେ ୮ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ୬୯୫ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ପଞ୍ଚମ ପର୍ଯ୍ୟାୟ ପାଇଁ ୮ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ୪୯ ଲୋକସଭା ନିର୍ବାଚନ ମଣ୍ଡଳୀରେ ମୋଟ୍‌ ୧୫୮୬ଟି ପ୍ରାର୍ଥିପତ୍ର ଦାଖଲ କରାଯାଇଥିଲା। ପଞ୍ଚମ ପର୍ଯ୍ୟାୟ ପାଇଁ ସମସ୍ତ ଆଠଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ୩ ମଇ, ୨୦୨୪ ଥିଲା। ଦାଖଲ କରାଯାଇଥିବା ସବୁ ନାମାଙ୍କନ ଯାଞ୍ଚ କରିବା ପରେ ୭୪୯ଟି ନାମାଙ୍କନ ବୈଧ ଥିବା ଜଣାପଡ଼ିଥିଲା।

ପଞ୍ଚମ ପର୍ଯ୍ୟାୟରେ ମହାରାଷ୍ଟ୍ରର ୧୩ଟି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ସର୍ବାଧିକ ୫୧୨ଟି ପ୍ରାର୍ଥିପତ୍ର ଦାଖଲ ହୋଇଥିବା ବେଳେ ଉତ୍ତର ପ୍ରଦେଶର ୧୪ଟି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ୪୬୬ଟି ପ୍ରାର୍ଥିପତ୍ର ଦାଖଲ କରାଯାଇଥିଲା। ଝାଡ଼ଖଣ୍ଡର ଛତ୍ରା ସଂସଦୀୟ କ୍ଷେତ୍ର ପାଇଁ ସର୍ବାଧିକ ୬୯ଟି ନାମାଙ୍କନ ଫର୍ମ ଦାଖଲ ହୋଇଥିଲା। ସେହିପରି ୩୫-ଲକ୍ଷ୍ନୌ ଲୋକସଭା ଆସନ ପାଇଁ ୬୭ଟି ନାମାଙ୍କନ ଫର୍ମ ଦାଖଲ କରାଯାଇଥିଲା। ପଞ୍ଚମ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା  କରୁଥିବା ପ୍ରାର୍ଥିଙ୍କର ସଂସଦୀୟ କ୍ଷେତ୍ର ପିଛା ହାରାହାରୀ ସଂଖ୍ୟା ହେଉଛି ୧୪।

ଲୋକସଭା ସାଧାରଣ ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ୱାରୀ ବିବରଣୀ:

 ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ପଞ୍ଚମ ପର୍ଯ୍ୟାୟ ରେ ନିର୍ବାଚନ ହେଉଥିବା ସଂସଦୀୟ କ୍ଷେତ୍ର ସଂଖ୍ୟା ପ୍ରାପ୍ତ ନାମାଙ୍କନ ଫର୍ମ ଯାଞ୍ଚ ପରେ ବୈଧ ପ୍ରାର୍ଥୀ ପ୍ରତ୍ୟାହାର ପରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ସଂଖ୍ୟା

 

ବିହାର ୧୬୪ ୮୨ ୮୦
ଜାମ୍ମୁ କାଶ୍ମୀର ୩୮ ୨୩ ୨୨
ଝାଡଖଣ୍ଡ ୧୪୮ ୫୭ ୫୪
ଲଦାଖ
ମହାରାଷ୍ଟ୍ର ୧୩ ୫୧୨ ୩୦୧ ୨୬୪
ଓଡ଼ିଶା ୮୭ ୪୧ ୪୦
ଉତ୍ତରପ୍ରଦେଶ ୧୪ ୪୬୬ ୧୪୭ ୧୪୪
ପଶ୍ଚିମବଙ୍ଗ ୧୬୩ ୯୩ ୮୮
ମୋଟ୍‌ ୪୯ ୧୫୮୬ ୭୪୯ ୬୯୫
Categories
ଆଜିର ଖବର ଜାତୀୟ ଖବର

୬୫ତମ ପ୍ରତିଷ୍ଠା ଦିବସ ପାଳନ କଲା ସୀମା ସଡକ ସଂଗଠନ

ନୂଆଦିଲ୍ଲୀ: ସୀମା ସଡ଼କ ସଂଗଠନ (ବିଆରଓ) ଏହାର ୬୫ତମ ପ୍ରତିଷ୍ଠା ଦିବସ   ପାଳନ କରୁଛି। ଏହି ଦିବସ ଅବସରରେ ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା, ଯେଉଁଥିରେ ପ୍ରତିରକ୍ଷା ସଚିବ ଗିରିଧର ଅରମାନେ ଅଧ୍ୟକ୍ଷତା କରିଥିଲେ। ପ୍ରତିରକ୍ଷା ସଚିବ ତାଙ୍କ ଅଭିଭାଷଣରେ ପ୍ରତିକୂଳ ଅଞ୍ଚଳ ଏବଂ କଠିନ ପାଣିପାଗ ପରିସ୍ଥିତିରେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଥିବାରୁ ବିଆରଓକୁ ପ୍ରଶଂସା କରିଥିଲେ। ସେ ବିଆରଓକୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସଂଗଠନ ବୋଲି କହିଛନ୍ତି, ଯାହା ସୀମାନ୍ତ ଅଞ୍ଚଳରେ ଏହାର ଭିତ୍ତିଭୂମି ପ୍ରକଳ୍ପ ମାଧ୍ୟମରେ ଦେଶର ସୁରକ୍ଷାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ଦୂରଦୂରାନ୍ତରେ ଥିବା ଅଞ୍ଚଳରେ ସାମାଜିକ-ଅର୍ଥନୈତିକ ପ୍ରଗତିସୁନିଶ୍ଚିତ କରୁଛି।

ଏହି ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିଥିବାରୁ ଗିରିଧର ଅରମାନେ ବିଆରଓକୁ ପ୍ରଶଂସା କରିବା ସହ କର୍ମଯୋଗୀମାନେନିର୍ଦ୍ଦିଷ୍ଟ ରେକର୍ଡ ସମୟ ମଧ୍ୟରେ ସୀମା ଭିତ୍ତିଭୂମି ବିକାଶ ସୁନିଶ୍ଚିତ କରିବା ଜାରି ରଖିବେ ବୋଲି ବିଶ୍ୱାସ ବ୍ୟକ୍ତ କରିଥିଲେ। ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ କୌଶଳ ପ୍ରୟୋଗ କରିବାକୁ ସେ ବିଆରଓକୁ ଅନୁରୋଧ କରିଥିଲେ, ଯାହା ମାଧ୍ୟମରେ ମାନବିକ ପ୍ରୟାସକୁ ହ୍ରାସ କରାଯିବ ଏବଂ ଅଧିକ ଦକ୍ଷତାର ସହ ବ୍ୟବହାର କରାଯିବ। ଭବିଷ୍ୟତରେ ବିଆରଓ ପାଇଁ ଅଟୋମେସନ୍ ଏବଂ ଯାନ୍ତ୍ରୀକରଣ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ସେ କହିଛନ୍ତି।

ପ୍ରତିରକ୍ଷା ସଚିବ ସିଲ୍କିୟାରା ଟନେଲ ଭୁଶୁଡ଼ିବା ଏବଂ ସିକ୍କିମ ବନ୍ୟା ସମୟରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ବିଆରଓ ଯବାନଙ୍କ ମୂଲ୍ୟବାନ ଅବଦାନକୁ ମଧ୍ୟ ସ୍ମରଣ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସଂଗଠନ ଭାଇବ୍ରେଣ୍ଟ ଭିଲେଜ୍ କାର୍ଯ୍ୟକ୍ରମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଯେଉଁଥିରେ ବଛାବଛା ସୀମାବର୍ତ୍ତୀ ଗ୍ରାମଗୁଡିକର ବ୍ୟାପକ ବିକାଶ ର ପରିକଳ୍ପନା କରାଯାଇଛି।

ଏହି ଅବସରରେ ସୀମା ସଡ଼କ ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ରଘୁ ଶ୍ରୀନିବାସନ ବିଆରଓର ସମସ୍ତ ପଦବୀକୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ ଯେ ବିଆରଓର ସର୍ବଭାରତୀୟ ଉପସ୍ଥିତି ଜାତୀୟ ନିରାପତ୍ତା, ଯୋଗାଯୋଗ ଏବଂ ବିକାଶ ପ୍ରତି ଏହାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ଇନ୍ ଦି ସାଇଲେନ୍ସ ଅଫ୍ ଆୱାର ଗ୍ରେଟ୍ ମାଉଣ୍ଟେନ – ୱାର୍କ ସ୍ପିକ୍ସ’ ଟ୍ୟାଗ୍ ଲାଇନ୍ ଦେଶର ଦୁର୍ଗମ କୋଣଅନୁକୋଣରେ ରହୁଥିବା ଲୋକଙ୍କ ଜୀବନ ଉପରେ ସଂଗଠନର ସମର୍ପଣ, ଧୈର୍ଯ୍ୟ ଏବଂ ପ୍ରଭାବକୁ ଦର୍ଶାଉଛି। ‘ଲୋକଙ୍କୁ ସଂଯୋଗ କରୁଥିବା ସ୍ଥାନ’ ଜାରି ରଖିବା ଏବଂ ପ୍ରଗତି, ସମୃଦ୍ଧି ଏବଂ ଏକତାର ସ୍ଥାୟୀ ପରମ୍ପରା କୁ ଛାଡିବା ପାଇଁ ସଂକଳ୍ପକୁ ନବୀକରଣ କରିବାକୁ ସେ ସମସ୍ତ ବର୍ଗଙ୍କୁ ଆହ୍ୱାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସେଲା ଟନେଲ ଉପରେ ଏକ ସଂକଳନ ଉନ୍ମୋଚନ କରାଯିବା ସହ ପ୍ରତିରକ୍ଷା ସଚିବଙ୍କ ଦ୍ୱାରା ‘ଅନଚୀନ ସଦକେନ୍’, ‘ପଥ ପ୍ରଦର୍ଶକ’ ଏବଂ ‘ପଥ ବିକାଶ’ ଭଳି କିଛି ପୁସ୍ତକ ଉନ୍ମୋଚନ କରାଯାଇଥିଲା। ସେ ୨୦୨୩-୨୪ ବର୍ଷ ପାଇଁ ବିଆରଓ କର୍ମଚାରୀମାନଙ୍କୁ ଉତ୍କର୍ଷ ପୁରସ୍କାର ପ୍ରଦାନ କରିଥିଲେ ଏବଂ ସଂଗଠନର ମହିଳା ସଫଳତା ହାସଲକାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେଲା ଟନେଲ ଭଳି ବିଭିନ୍ନ ପ୍ରକଳ୍ପ ତଥା ସିକ୍କିମ ବନ୍ୟା ସମୟରେ କାର୍ଯ୍ୟ କରିଥିବା କାଜୁଆଲ ପେଡ୍ ଶ୍ରମିକମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

୧୯୬୦ ମସିହାରେ କେବଳ ଦୁଇଟି ପ୍ରକଳ୍ପ – ପୂର୍ବରେ ପ୍ରୋଜେକ୍ଟ ଟସ୍କର (ବର୍ତ୍ତମାନ ଉରତକ) ଏବଂ ଉତ୍ତରରେ ପ୍ରୋଜେକ୍ଟ ବିକନ୍ ସହିତ ଗଠିତ ବିଆରଓ ଆଜି ୧୧ଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟ କରୁଥିବା ୧୮ଟି ପ୍ରକଳ୍ପ ସହିତ ଏକ ଜୀବନ୍ତ ସଂଗଠନରେ ପରିଣତ ହୋଇଛି।  ଏହା ଏବେ ଉଚ୍ଚ ଓ ଦୁର୍ଗମ ବରଫଘେରିତ ଅଞ୍ଚଳରେ ଅଗ୍ରଣୀ ଭିତ୍ତିଭୂମି ନିର୍ମାଣ ଏଜେନ୍ସି ଭାବେ ନିଜର ପରିଚୟ ସୃଷ୍ଟି କରିଛି।

ବିଆରଓ ମୁଖ୍ୟତଃ ସଶସ୍ତ୍ର ବାହିନୀର ରଣନୈତିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଉତ୍ତର ଏବଂ ପଶ୍ଚିମ ସୀମାରେ ୯,୦୦୦ ଫୁଟରୁ ୧୯,୦୦୦ ଫୁଟ ପର୍ଯ୍ୟନ୍ତ ଉଚ୍ଚତାରେ ସଡ଼କ ନିର୍ମାଣ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପାଦନ କରିଥାଏ। ଛଅ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଏହା ଭାରତର ସୀମାରେ ପ୍ରତିକୂଳ ଜଳବାୟୁ ଏବଂ ଭୌଗୋଳିକ ପରିସ୍ଥିତି ତଥା ବନ୍ଧୁ ରାଷ୍ଟ୍ରମାନଙ୍କରେ ୬୨,୨୧୪ କିଲୋମିଟରରୁ ଅଧିକ ରାସ୍ତା, ୧,୦୦୫ ସେତୁ, ୭ଟି ସୁଡ଼ଙ୍ଗ ଏବଂ ୨୧ଟି ଏୟାରଫିଲ୍ଡ ନିର୍ମାଣ କରିଛି। ଏଥିରେ ଭୁଟାନ, ମିଆଁମାର, ଆଫଗାନିସ୍ତାନ ଏବଂ ତାଜିକିସ୍ତାନ ସାମିଲ ଅଛନ୍ତି, ଯାହା ଦେଶର ରଣନୈତିକ ଉଦ୍ଦେଶ୍ୟରେ ଯୋଗଦାନ କରୁଛି।

୨୦୨୩-୨୪ରେ ବିଆରଓ ୩,୬୧୧ କୋଟି ଟଙ୍କା ମୂଲ୍ୟର ମୋଟ ୧୨୫ଟି ଭିତ୍ତିଭୂମି ପ୍ରକଳ୍ପ ସମ୍ପୂର୍ଣ୍ଣ କରିଛି। ଏଥିରେ ବାଲିପଡ଼ା-ଚରଦ୍ୱାର-ତୱାଙ୍ଗ ରୋଡରେ ଅରୁଣାଚଳ ପ୍ରଦେଶରେ ସେଲା ଟନେଲ ନିର୍ମାଣ ଅନ୍ତର୍ଭୁକ୍ତ। ନିକଟରେ ଇଟାନଗରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଟନେଲକୁ ଭର୍ଚୁଆଲ ମାଧ୍ୟମରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ବିଆରଓ ଖୁବଶୀଘ୍ର ୪.୧୦ କିଲୋମିଟର ଦୀର୍ଘ ଶିନକୁନ ଲା ଟନେଲର ନିର୍ମାଣ ଆରମ୍ଭ କରିବ। ଏହା ସରିବା ପରେ ଏହି ଟନେଲ ୧୫,୮୦୦ ଫୁଟ ଉଚ୍ଚତାରେ ବିଶ୍ୱର ସର୍ବୋଚ୍ଚ ଟନେଲ ରେ ପରିଣତ ହେବ ଏବଂ ଚୀନର ମିଲା ଟନେଲକୁ ୧୫,୫୯୦ ଫୁଟରେ ଅତିକ୍ରମ କରିବ।

ବିଆରଓ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏୟାରଫିଲ୍ଡ ପ୍ରକଳ୍ପ ଯଥା ବାଗଡୋଗ୍ରା ଏବଂ ବାରାକପୁରକୁ ସମ୍ପୂର୍ଣ୍ଣ କରିଛି, ଯାହା ଏହାର ଉତ୍କର୍ଷ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ। ନିକଟରେ ରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ମୁଧ ଏୟାରଫିଲ୍ଡ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ମାତ୍ର ଦୁଇ କାର୍ଯ୍ୟ ଋତୁ ମଧ୍ୟରେ ଏହି ପ୍ରକଳ୍ପ ଶେଷ କରିବାକୁ ବିଆରଓ ଲକ୍ଷ୍ୟ ରଖିଛି।

କିଛି ବର୍ଷ ମଧ୍ୟରେ, ବିଆରଓ ବଜେଟ୍ ବ୍ୟୟରେ ଦ୍ରୁତଗତିରେ ବୃଦ୍ଧି ଘଟିଛି, ଯାହା ସାମର୍ଥ୍ୟ ଏବଂ ପ୍ରଭାବରେ ଉଲ୍ଲେଖନୀୟ ଉନ୍ନତି କୁ ଚିହ୍ନିତ କରିଛି। ଏହି ବର୍ଦ୍ଧିତ ବଜେଟ୍ ସହାୟତା ସଂଗଠନକୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହାତକୁ ନେବା, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ଏହାର ପରିଚାଳନାଗତ ପ୍ରସ୍ତୁତି ବୃଦ୍ଧି କରିବାକୁ ସଶକ୍ତ କରିଛି।

ଲିଙ୍ଗଗତ ସମାନତା ଏବଂ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବାରେ ବିଆରଓ ସବୁଠାରୁ ଆଗରେ ରହିଛି, ମହିଳାମାନଙ୍କୁ ପ୍ରମୁଖ ଭୂମିକା ଏବଂ ସୁଯୋଗ ପ୍ରଦାନ କରୁଛି। କର୍ଣ୍ଣେଲ ପୋନୁଙ୍ଗ ଡୋମିଙ୍ଗଙ୍କ ଭଳି ଅଧିକାରୀମାନେ ପୂର୍ବ ଲଦାଖରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ନେତୃତ୍ୱ ନେଉଛନ୍ତି। ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନିକିତା ଚୌଧୁରୀ ସେଲା ଟନେଲ ପ୍ରକଳ୍ପକୁ ସଫଳ ଭାବରେ ସମ୍ପୂର୍ଣ୍ଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଜ୍ଞାନ ଓ ଶିକ୍ଷାର କେନ୍ଦ୍ରସ୍ଥଳ ଭାବେ ଭାରତର ଐତିହାସିକ ଖ୍ୟାତି ଉପରେ ଆଲୋକପାତ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଜ୍ଞାନ ଓ ଶିକ୍ଷାର କେନ୍ଦ୍ରଭାବେ ଭାରତର ଐତିହାସିକ ଶ୍ରେଷ୍ଠତାକୁ ରେଖାଙ୍କିତ କରିବାକୁ ଯାଇ କହିଛନ୍ତି ଯେ ଦେଶ ନିଜର ଗତ ଗୌରବକୁ ପୁଣି  ଥରେ ହାସଲ କରିବା ମାର୍ଗରେ ଦୃଢତାର ସହିତ ଆଗକୁ ବଢୁଛି। ନାଳନ୍ଦା ଏବଂ ତକ୍ଷଶିଳା ଭଳି ସଂସ୍ଥାଗୁଡିକର ସୁନ୍ଦର ଐତିହାସିକ ଉଲ୍ଲେଖ କରି ଉପରାଷ୍ଟ୍ରପତି ସମକାଳୀନ ସମୟରେ ଭାରତର ଶୈକ୍ଷିକ ପରିଦୃଶ୍ୟରେ ଆଦର୍ଶଗତ ପରିବର୍ତ୍ତନ ଏବଂ ପୁନରୁତ୍ଥାନ ସମ୍ପର୍କରେ ଆଲୋକପାତ କରିଛନ୍ତି।

ପ୍ରାଚୀନ ଭାରତ ଶିକ୍ଷା ଏବଂ ଜ୍ଞାନର ବିଶ୍ଵ କେନ୍ଦ୍ର  ରହିଛି।

ସମଗ୍ର ବିଶ୍ଵ ଆମକୁ ଦେଖୁଥିଲା, ଯେ  ଜ୍ଞାନର ଅର୍ଥ ଭାରତ, ଶିକ୍ଷା ଅର୍ଜନ କରିବା  ଅର୍ଥାତ ଭାରତ !

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ଓପନ ଲର୍ଣ୍ଣିଂ (ଏସଓଏଲ)ର ୬୨ତମ ପ୍ରତିଷ୍ଠା ଦିବସ ସମାରୋହରେ ଉଦବୋଧନ ଦେଇ ଉପରାଷ୍ଟ୍ରପତି କର୍ମଜୀବୀ ବୃତ୍ତିଜୀବୀ, ଗୃହିଣୀ ଏବଂ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବର୍ଗର ଶିକ୍ଷାର୍ଥୀମାନଙ୍କୁ ଏକ ପରିବର୍ତ୍ତନମୂଳକ ପ୍ଲାଟଫର୍ମ ପ୍ରଦାନ କରିଥିବାରୁ ଏସଓଏଲକୁ ପ୍ରଶଂସା କରିଥିଲେ।

ସେ ଆହୁରି ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ଏସଓଏଲ ପୂର୍ବରୁ ବିଭିନ୍ନ ପରିସ୍ଥିତି ଦ୍ୱାରା ଭିନ୍ନକ୍ଷମମାନଙ୍କ ପାଇଁ ଦ୍ୱାର ଖୋଲିଛି, ଯାହା ସେମାନଙ୍କୁ ସେମାନଙ୍କର ରୁଟିନ୍ରେ ବାଧା ସୃଷ୍ଟି ନକରି ଶିକ୍ଷା ଗ୍ରହଣ କରିବାକୁ ସକ୍ଷମ କରିଛି। ଯେଉଁମାନେ ପୂର୍ବରୁ ଆନୁଷ୍ଠାନିକ ଶିକ୍ଷାରୁ ବଞ୍ଚିତ ହୋଇଥିଲେ ସେମାନଙ୍କୁ ଦ୍ୱିତୀୟ ସୁଯୋଗ ପ୍ରଦାନ କରି ଜ୍ଞାନ ଏବଂ ଦକ୍ଷତା ମାଧ୍ୟମରେ ଅବହେଳିତ ସମ୍ପ୍ରଦାୟକୁ ସଶକ୍ତ କରିବା ଏବଂ ଏହା ଦ୍ୱାରା ପ୍ରକୃତ ଅନ୍ତର୍ଭୁକ୍ତୀକରଣର ବାତାବରଣ ସୃଷ୍ଟି କରିଥିବାରୁ ଶ୍ରୀ ଧନଖଡ ଏସଓଏଲକୁ ପ୍ରଶଂସା କରିଥିଲେ। ଶିକ୍ଷାନୁଷ୍ଠାନର ମର୍ଯ୍ୟାଦା ଓ ଗୁଣବତ୍ତାକୁ ଗଢ଼ି ତୋଳିବାରେ ଭିତ୍ତିଭୂମି ଅପେକ୍ଷା ଅଧ୍ୟାପକଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଶ୍ରୀ ଧନଖଡ଼ ଗୁରୁତ୍ୱାରୋପ କରିଥିଲେ।

ଶିକ୍ଷାକୁ ପରିବର୍ତ୍ତନର ସବୁଠାରୁ ପ୍ରଭାବଶାଳୀ ରୂପାନ୍ତରଣକାରୀ ବ୍ୟବସ୍ଥା ବୋଲି ଆଲୋକପାତ କରି ଶ୍ରୀ ଧନଖଡ଼ କହିଥିଲେ ଯେ ଶିକ୍ଷା କେବଳ ଜ୍ଞାନ ଅର୍ଜନକରିବାର ମାଧ୍ୟମ ନୁହେଁ; ବରଂ ଏହା ହେଉଛି ପ୍ରଗତି, ସଶକ୍ତୀକରଣ ଏବଂ ସାମାଜିକ ପରିବର୍ତ୍ତନର ମୂଳଦୁଆ। ଏହା ହେଉଛି ଚାବି ଯାହା ପ୍ରଗତି, ସମୃଦ୍ଧି ଏବଂ ସଶକ୍ତୀକରଣର ଦ୍ୱାର ଖୋଲିଥାଏ। ଶିକ୍ଷା ହେଉଛି ସବୁଠାରୁ ବଡ଼ ଅଧିକାର ଓ ଦାନ। ଶିକ୍ଷାଠାରୁ ବଡ଼ ମୌଳିକ ଅଧିକାର ଆଉ କିଛି ହୋଇପାରିବ ନାହିଁ ଏବଂ ଶିକ୍ଷାଠାରୁ କୌଣସି ଦାନ ବଡ଼ ହୋଇପାରିବ ନାହିଁ।
ଚନ୍ଦ୍ରଯାନ ଯାତ୍ରାରୁ ପ୍ରେରଣା ନେଇ ଶ୍ରୀ ଧନଖଡ଼ ଚନ୍ଦ୍ରର ଦକ୍ଷିଣ ମେରୁରେ ସୁରୁଖୁରୁରେ ଅବତରଣ କରିବା ପରେ ବିଫଳତାକୁ ସଫଳତାର ଚାବିକାଠି ଭାବେ ବିବେଚନା କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରିଥିଲେ। ଆଧୁନିକ ଦୁନିଆର ଜଟିଳତାକୁ ନେଭିଗେଟ୍ କରିବା ରେ ଏକ ଦୃଢ଼ ମାନସିକତାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଭାରତୀୟ ଶିକ୍ଷା କ୍ଷେତ୍ରରେ ନୂତନ ଶିକ୍ଷା ନୀତି (ଏନଇପି)ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ଶ୍ରୀ ଧନଖଡ଼ କହିଥିଲେ ଯେ ଏନଇପି ଏକ ପରିବର୍ତ୍ତନମୂଳକ ପରିବର୍ତ୍ତନ ଆଣିଥାଏ, ସାମଗ୍ରିକ ଶିକ୍ଷାର୍ଥୀ ବିକାଶ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରେ ଏବଂ ଏକବିଂଶ ଶତାବ୍ଦୀର ଆହ୍ୱାନ ପାଇଁ ସୁସଜ୍ଜିତ ଏକ ଜ୍ଞାନୀ ସମାଜ ଗଠନ କରେ । ନମନୀୟ ଶିକ୍ଷଣ ପଥ, ବୈଷୟିକ ସମନ୍ଵୟ, ବିବିଧ ଆବଶ୍ୟକତା ଏବଂ ଆକାଂକ୍ଷାକୁ ସ୍ୱୀକୃତି ଦେବା ଉପରେ ସେ ଏନଇପିର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ

​ସେ ଆହୁରି ମଧ୍ୟ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ସ୍କୁଲ ଅଫ୍ ଓପନ ଲର୍ଣ୍ଣିଂ ଭଳି ଶିକ୍ଷାନୁଷ୍ଠାନ ଗୁଣାତ୍ମକ ଶିକ୍ଷାର ଉପଲବ୍ଧତା ବୃଦ୍ଧି କରିବା ଏବଂ ଏନଇପି ଦ୍ୱାରା ପରିକଳ୍ପିତ ଦୀର୍ଘ ଦିନର ବ୍ୟବଧାନକୁ ଦୂର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଏହି ଅବସରରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଯୋଗେଶ ସିଂହ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଅଫ୍ ଓପନ ଲର୍ଣ୍ଣିଂର ନିର୍ଦ୍ଦେଶକ ପ୍ରଫେସର ପାୟଲ ମାଗୋଙ୍କ ସମେତ ଅଧ୍ୟାପକ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଲରାପତ୍ରିଆ ବାଘର ମୃତଦେହ ଉଦ୍ଧାର ଘଟଣା: ଜଣେ ଶିକାରୀ ଗିରଫ

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ଅନ୍ତର୍ଗତ ଲାଣ୍ଡିମାଲ ସରଂକ୍ଷିତ ଜଙ୍ଗଲର ଚମ୍ପାଳି ନଦୀ ନିକଟ ଭୀମମଣ୍ଡଳୀ ରାସ୍ତାରୁ ଦୁଇଦିନ ତଳେ କଲରା ପତରିଆ ବାଘର ମୃତ ଦେହ ବନ ବିଭାଗ ଠାବ କରିଥିଲା। ଏଥିରେ ସମ୍ପୃକ୍ତି ଥିବା ସନ୍ଦେହରେ ବନ ବିଭାଗ ପେଣ୍ଠବାହାଳ ଗ୍ରାମର ଜୈନିକ ବ୍ୟକ୍ତିକୁ ଅଟକ ରଖିଥିଲା।

ନାକଟିଦେଉଳ ରେଞ୍ଜ ଅଫିସରେ ରେଢ଼ାଖୋଲ ଡ଼ିଏଫ ଅରବିନ୍ଦ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କଲରା ପତରିଆ ବାଘକୁ ବନ୍ଧୁକ ରେ ମାରିଥିବା ବ୍ୟକ୍ତିସମ୍ପର୍କ ରେ ସୂଚନା ଦେଇଥିଲେ ଏବଂ ଆଜି ସମ୍ପୃକ୍ତ ବ୍ୟକ୍ତି କୁ କୋର୍ଟ ଚାଲାଣ କରା ଯିବ ବୋଲି ପ୍ରକାଶ କରିଥିଲେ। ଗିରଫ ବ୍ୟକ୍ତି ଠାରୁ ଏକ ଦେଶୀ ବନ୍ଧୁକ, ଏକ ବ୍ୟାଗ, ତିନୋଟି ଗୁଳି ଜବତ କରିଥିବା ଡ଼ିଏଫଓ ସୂଚନା ଦେଇଛନ୍ତି।

ସୁଚନା ଥାଉକି, ଗତ ୬ ତାରିଖ ଦିନ ପ୍ରାୟ ଅପରାହ୍ନ ଦୁଇଟା ବେଳେ ବନ କର୍ମଚାରୀ ମାନେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଭୀମ ମଣ୍ଡଳୀ ରାସ୍ତାରେ ଏକ କଲରାପତ୍ରିଆ ବାଘ ମୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସି ସି ଏଫ, ରେଢ଼ାଖୋଲ ଡି ଏଫ ଓ ଅରବିନ୍ଦ ମହାନ୍ତି, ନାକଟିଦେଉଳ ରେଞ୍ଜର ଅଶ୍ୱିନୀ କୁମାର ବେହେରା ଏବଂ ଭୁବନେଶ୍ୱର ମେଡିକାଲ ଟିମ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ କରି ଶବ ବ୍ୟବଛେଦ କରି ଜଙ୍ଗଲରେ ପୋଡିଦେଇଥିଲେ।

ତେବେ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରି ପେଣ୍ଠବାହାଲ ଗ୍ରାମରୁ ଜଣେ ବ୍ୟକ୍ତିକୁ ଅଟକ ରଖିଥିଲେ। ଆଉ ଜଣେ ଅଭିଯୁକ୍ତ ଫେରାର ଥିବା ବେଳେ ତାକୁ ଧରିବା ପାଇଁ ତଦନ୍ତ ଚାଲିଥିବା ରେଢ଼ାଖୋଲ ଡ଼ିଏଫଓ ଅରବିନ୍ଦ ମହାନ୍ତି ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।  ଦିନକୁ ଦିନ ନାକଟିଦେଉଳ ଅଂଚଳ ରେ ବାଣୁଆ ମାନେ ଅନାୟାସରେ ଶିକାର କରୁଥିବା ବେଳେ ବନବିଭାଗ ସେମାନଙ୍କୁ ଧରିବାରେ ମୁଣ୍ଡବ୍ୟଥାର କାରଣ ହେଉଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏମ୍‌ସ ଭୁବନେଶ୍ୱରରେ ବିରଳ ସିନୋଭିଆଲ୍‌ ସାର୍କୋମା ଟ୍ୟୁମର୍‌ର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ପ୍ରତିବଦ୍ଧତା, ନିଷ୍ଠାପର ପ୍ରୟାସ ଏବଂ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି ଏମ୍‌ସ ଭୁବନେଶ୍ୱର। ପଶ୍ଚିମବଙ୍ଗର ଜଣେ ୫୧ବର୍ଷ ବୟସ୍କ ପୁରୁଷ (ରବୀନ୍ଦ୍ର ବିଶୁଇ)ଙ୍କ ଖପୁରୀର ଉପର ଅଂଶ(ସ୍କାଲ୍‌ପ)ରୁ ପ୍ରାୟ ୭ କେଜି ଓଜନର ବିରଳ ସିନୋଭିଆଲ୍‌ ସାର୍କୋମା ଟ୍ୟୁମରକୁ ସଫଳତାର ସହିତ ଅସ୍ତ୍ରୋପଚାର କରାଯାଇଛି। ଦୀର୍ଘ ବର୍ଷ ହେବ ସେ ଭୋଗୁଥିବା ଏହି ମାରାତ୍ମକ ଟ୍ୟୁମର୍‌କୁ କାଢ଼ି, ଏମ୍‌ସର ଡାକ୍ତରୀଦଳ ତାଙ୍କୁ ଏକ ନୂତନ ଜୀବନ ଦେଇଥିବା ଶ୍ରୀ ବିଶୁଇ ପ୍ରକାଶ କରିଛନ୍ତି। ଖପୁରୀର ଉପର ଭାଗରେ ସାଧାରଣତଃ ଏହି ଜାତୀୟ ଟ୍ୟୁମର୍‌ ଦେଖାଯାଇନଥାଏ। ମାତ୍ର ଥରେ ହେଲେ ଏହା ପ୍ରାଣଘାତୀ ସାବ୍ୟସ୍ତ ହୋଇଥାଏ। ତେଣୁ ଅତ୍ୟନ୍ତ ସତର୍କତାର ସହିତ ଏହାକୁ କଢ଼ାନଗଲେ ରୋଗୀ ପାଇଁ ଏହା ବିପଦପୂର୍ଣ୍ଣ ପ୍ରତିପାଦିତ ହୋଇଥାଏ। ଭାରତରେ ଏପରି ଅସ୍ତ୍ରୋପଚାର ଦ୍ବିତୀୟ ଥର ପାଇଁ ସମ୍ପାଦିତ ହୋଇଥିବା କୁହାଯାଉଛି।

ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏହି ବିରଳ ଅପରେସନ୍‌ରେ ସଂପୃକ୍ତ ଥିବା ଡାକ୍ତରୀ ଦଳ ତଥା ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏମ୍‌ସ ଭୁବନେଶ୍ବର ରାଜ୍ୟ ତଥା ପଡ଼ୋଶୀ ରାଜ୍ୟବାସୀଙ୍କୁ ସର୍ବଦା ଗୁଣବତ୍ତାପୂର୍ଣ୍ଣ ସ୍ବାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ପ୍ରତିବଦ୍ଧ ଥିବା ଡ. ବିଶ୍ବାସ ପ୍ରକାଶ କରିଛନ୍ତି।

ଉକ୍ତ ରୋଗୀ ଜଣଙ୍କ ଏହି ବିରଳ ଟ୍ୟୁମ୍‌ର ଚିକିତ୍ସା ପାଇଁ ବିଭିନ୍ନ ହସ୍‌ପିଟାଲରୁ ନିରାଶ ହୋଇ ଫେରିବା ପରେ ଏମ୍‌ସ ଭୁବନେଶ୍ୱରର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗକୁ ଆସିଥିଲେ। ତେବେ ଏପରି କାର୍ଯ୍ୟକୁ ସିଦ୍ଧିରେ ପୂରଣ କରିବାକୁ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗୀୟ ମୁଖ୍ୟ ଡ. ସଞ୍ଜୟ କୁମାର ଗିରିଙ୍କ ନେତୃତ୍ବରେ ଇଣ୍ଟରଭେନ୍‌ସନାଲ ରେଡିଓଲୋଜି, ସର୍ଜିକାଲ୍ ଅଙ୍କୋଲୋଜି, ନ୍ୟୁରୋ ସର୍ଜରୀ, ପ୍ଲାଷ୍ଟିକ୍ ସର୍ଜରୀ, ଆନାସ୍ଥେସିଓଲୋଜି ଏବଂ ପାଥୋଲୋଜି ବିଶେଷଜ୍ଞଙ୍କୁ ନେଇ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇ, ଏହି ଅପରେସନ୍‌ ନିମନ୍ତେ ରଣନୀତି ପ୍ରସ୍ତୁତ ହୋଇଥିଲା।

ଶ୍ରୀ ବିଶୁଇ ଦୁଇ ଦଶନ୍ଧି ହେବ ଏହି ଟ୍ୟୁମ୍‌ରରେ ପିଡ଼ୀତ ଥିଲେ। ମାତ୍ର ଗତ କିଛି ମାସ ମଧ୍ୟରେ ଏହା ଅହେତୁକ ଭାବେ ବୃଦ୍ଧି ପାଇ ପ୍ରାୟ ୭ କେଜିରେ ପହଞ୍ଚିଥିଲା। ଯାହାକି ତାଙ୍କ ଜୀବନକୁ ଦୁର୍ବିସହ କରିପକାଇଥିଲା। ବିରଳ ସିନୋଭିଆଲ୍ ସାର୍କୋମା ଟ୍ୟୁମର୍ ଭାବରେ ଚିହ୍ନଟ ହେଲା ପରେ, ପାରମ୍ପାରିକ ଚିକିତ୍ସା ପଦ୍ଧତି ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।

ଏହି ଜଟିଳ ଅସ୍ତ୍ରୋପଚାରର ପ୍ରଥମ ସୋପାନରେ ରେଡିଓଲୋଜି ବିଭଗାର ଡ. ମନୋଜ କୁମାର ନାୟକଙ୍କ ଦ୍ବାରା ଧମନୀ ଏବଂ ବାମ ଓସିପିଟାଲ୍ ଧମନୀକୁ ଲକ୍ଷ୍ୟ କରି ରକ୍ତବାହୀଗୁଡ଼ିକ ସହିତ ସଠିକ୍ ସଂଯୋଗୀକରଣ କରାଯାଇଥିଲା। ପରେ ନ୍ୟୁରାସର୍ଜରୀ ବିଭାଗ ମୁଖ୍ୟ ଡ. ରବି ନାରାୟଣ ସାହୁ, ସର୍ଜିକାଲ୍‌ ଅଙ୍କୋଲୋଜି ବିଭାଗର ଡ. କନଭ ଗୁପ୍ତା, ଡ. ଅନିଲ କୁମାର, ଡ. ଫନୀନ୍ଦ୍ର କୁମାର ସ୍ବାଇଁ, ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗର ଡ. ଦୀନେଶ, ଡ. ସଞ୍ଜୟ କୁମାର ଗିରି, ଡ. ସାନ୍ତନୁ ସୁବା, ଡ. ରଞ୍ଜିତ କୁମାର ସାହୁ, ଡ. ଅପର୍ଣ୍ଣା କାନୁନ୍‌ଗୋ, ଡ. ଗୋପିକା ଜିତ୍‌, ଡ. ଆକାଙ୍ଖା ରାଜପୁତ ଏବଂ ଡ. ଆହାନାଙ୍କ ଦ୍ବାରା ବିଭିନ୍ନ ପ୍ରକ୍ରିୟା ସମ୍ପାଦିତ ହୋଇଥିଲା। ଅତ୍ୟନ୍ତ ଜଟିଳ ପଦ୍ଧତି ସହାୟତାରେ ଦୀର୍ଘ ୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ମାରାତ୍ମକ ଟ୍ୟୁମରର ସଫଳ ଅସ୍ତ୍ରୋପଚାର ସମାପ୍ତ ହୋଇଥିଲା।

ଅସ୍ତ୍ରୋପଚାର ପରବର୍ତ୍ତୀ ସମୟରେ ୬ୟୁନିଟ୍‌ ରକ୍ତ ସହିତ ଅନ୍ୟାନ୍ୟ ବିଭିନ୍ନ ଆବଶ୍ୟକତାକୁ ଡ. ଅପରାଜିତା ପଣ୍ଡାଙ୍କ ନେତୃତ୍ବରେ ଗଠିତ ଦଳ ପୂରଣ କରିଥିଲା।

ସେହିପରି  ସୂର୍ଯ୍ୟ, ଅଶୋକା, ସିବାଞ୍ଜଳି, ପ୍ରମୋଦଙ୍କୁ ନେଇ ଗଠିତ ଉତ୍ସର୍ଗୀକୃତ ନର୍ସିଂ ଦଳ ବିଶେଷ ଯତ୍ନ ନେଇଥିଲେ।

ସଫଳ ଅସ୍ତ୍ରୋପଚାର ପରେ ରୋଗୀକୁ ଅଧିକ ନିରୀକ୍ଷଣ ଏବଂ ଚିକିତ୍ସା ପ୍ରଦାନ ନିମିତ୍ତ ୱାର୍ଡକୁ ସ୍ଥାନାନ୍ତର କରିବା ପୂର୍ବରୁ ୨୪ ଘଣ୍ଟା ପାଇଁ ଆଇସିୟୁରେ ରଖାଯାଇଥିଲା। ଚିକିତ୍ସା ପ୍ରକ୍ରିୟାରେ ଡ. ପ୍ରୀତିନନ୍ଦା ମିଶ୍ର ପାଥୋଲୋଜିକାଲ୍ ମୂଲ୍ୟାଙ୍କନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ଏପରି ବିରଳ ଅସ୍ତ୍ରୋପଚାର କେବଳ ଯେ ସ୍ବାସ୍ଥ୍ୟ ବିଜ୍ଞାନର ପରାକାଷ୍ଠାକୁ ପ୍ରଦର୍ଶିତ କରିଥିଲା, ବରଂ ଏମ୍‌ସ ଭୁବେନଶ୍ବରର ବିଭିନ୍ନ ବିଭାଗ ମଧ୍ୟରେ ଥିବା ବଳିଷ୍ଠ ଟିମ୍‌ୱାର୍କ୍‌କୁ ପ୍ରମାଣିତ କରିଛି। ଏମ୍‌ସ ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା ଏପରି ଏକ ଅଦ୍ଭୁତ କାର୍ଯ୍ୟ ପାଇଁ ଡାକ୍ତରୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରେଢାଖୋଲରେ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ସାମିଲ

ରେଢାଖୋଲ (କନ୍ଦର୍ପ ବେହେରା): ଓଡ଼ିଶା ସରକାର ସ୍କୁଲରେ ରଙ୍ଗ ମାରି ଶିକ୍ଷାର ବିକାଶ ହେଉଛି ବୋଲି ମିଛ ଡିଣ୍ଡିମ ପିଟୁଛନ୍ତି। ଶିକ୍ଷାର ମୂଳ ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ରହିଥିବା ବେଳେ ଓଡ଼ିଶାର ଅନେକ ସରକାରୀ ସ୍କୁଲରେ ଆବଶ୍ୟକ ଶିକ୍ଷକ ନାହାନ୍ତି। କ୍ଷମତାସୀନ ବିଜେଡି ସରକାର ମୂଳ ପ୍ରଶ୍ନର ଉତ୍ତର ନ ଦେଇ କେବଳ ଏଣେତେଣେ ଯୁକ୍ତି ବାଢୁଛନ୍ତି ବୋଲି ରବିବାର ରେଢାଖୋଲରେ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଶୋଭାଯାତ୍ରାରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ରେଢାଖୋଲ ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ରଙ୍କ ନାମାଙ୍କନ ଶୋଭାଯାତ୍ରାରେ ସାମିଲ ହେବା ସହ ତାଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଚଳିତ ନିର୍ବାଚନରେ ପିଇବା ପାଣି, ଜଳସେଚନ, ଚିକିତ୍ସାସେବା, ଶିକ୍ଷାର ସୁବ୍ୟବସ୍ଥା, ମହିଳାଙ୍କ ସୁରକ୍ଷା, ଓବିସିଙ୍କୁ ସାମ୍ବିଧାନିକ ଅଧିକାର ପ୍ରଦାନ, ଆଦିବାସୀଙ୍କ ଧନ ଜୀବନ ସୁରକ୍ଷା ଓ ବଞ୍ଚିତ ବର୍ଗକୁ ସମ୍ମାନ ମିଳିବା ବିଜେପିର ପ୍ରମୁଖ ପ୍ରସଙ୍ଗ ହୋଇଛି। ମୋଦି ସରକାର ଓଡ଼ିଶାକୁ ୧୮ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି। ଏହା ପରେ ମଧ୍ୟ ଓଡ଼ିଶାରେ ସରକାରୀ ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ସ୍କୁଲରେ ଶିକ୍ଷକ ନାହାନ୍ତି। ଅନେକ ବିଦ୍ୟାଳୟରେ ବିଜୁଳି, ଇଣ୍ଟରନେଟ୍, ଖେଳପଡ଼ିଆ ଓ ଶୌଚାଳୟର ସୁବିଧା ନାହିଁ। ଛାତ୍ରଛାତ୍ରୀଙ୍କ ପାଇଁ ପିଇବା ପାଣିର ସୁବିଧା ନାହିଁ। ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ। କିନ୍ତୁ ଏ ସମସ୍ୟା ଉପରେ ପ୍ରଶ୍ନ କଲେ ସ୍ଥାନୀୟ ସରକାର ମୂଳ ପ୍ରଶ୍ନରୁ ବିଚ୍ୟୁତ ରହୁଛନ୍ତି।

ଏବେ ସାରା ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆସ୍ଥା ବଢୁଛି। ରାଜ୍ୟରେ ପରିବର୍ତ୍ତନର ଲହର ଦେଖାଦେଇଛି। ୨୪ ବର୍ଷ ସରକାରର ଅପାରଗତା ଓ ଦୁର୍ନୀତି କରୁଥିବା ଲୋକ ମାନଙ୍କୁ ଶାସନ ଗାଦିରୁ ହଟାଇବା ପାଇଁ ଲୋକମାନେ ମନ ବନାଇ ସାରିଛନ୍ତି। ଓଡ଼ିଶାରେ ବିକଳ୍ପ ଭାବେ ବିଜେପି ଓଡ଼ିଶାର ସେବା କରିବାର ସୁଯୋଗ ପାଇବ। ବିଜେପିର ମୁଖ୍ୟମନ୍ତ୍ରୀ ଯିଏ ହେବ ତାହାକୁ ଓଡ଼ିଶାବାସୀ ନିର୍ଣ୍ଣୟ କରିବେ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ରେଢାଖୋଲ ସମେତ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ହେବ। ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ଓ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାକୁ ଏକ ନମ୍ବର କରିବା ସହ ଡବଲ ଇଞ୍ଜିନ ସରକାର ଆଣିବା ପାଇଁ ପଦ୍ମଫୁଲରେ ଭୋଟ ଦେବାକୁ କେନ୍ଦ୍ରମନ୍ତ୍ରୀ ନାଗରିକଙ୍କୁ ନିବେଦନ କରିଛନ୍ତି।

ଏହାପୂର୍ବରୁ ଶ୍ରୀ ପ୍ରଧାନ ସମ୍ବଲପୁର ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱାଭିମାନ ସମ୍ବଲପୁର’ ଦ୍ଵାରା ଆୟୋଜିତ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ସେ କହିଥିଲେ ବିଶ୍ୱମ୍ଭର ବହିଦାରଙ୍କ ଭଳି ସମ୍ବଲପୁରର ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ରକ୍ତଦାନ ଭଳି ଏକ ମହତ କାର୍ଯ୍ୟରେ ସ୍ଥାନୀୟ ନାଗରିକ ବିଶେଷତଃ ଯୁବବର୍ଗଙ୍କ ନିଃସ୍ୱାର୍ଥପର ଯୋଗଦାନ ପ୍ରଶଂସନୀୟ। ମାନବ ସମାଜରେ ସ୍ୱାଭିମାନ ସହ ସେବା ମନୋଭାବ ତିଆରି କରିବାରେ ଆପଣଙ୍କ ସଂଗଠନ ପ୍ରେରଣାର ସ୍ରୋତ ହେଉ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ସିମାଞ୍ଚଳ ଖଟେଇ ଲୋକସଭା ପ୍ରଭାରୀ ମୁକ୍ତା ସାହୁ, ବିଧାନସଭା ପ୍ରଭାରୀ ଅର୍ଜୁନ ପଟ୍ଟନାୟକ, ଏନ‌ଏସି ଅଧ୍ୟକ୍ଷ ଶିବରାମ ସାହୁ, ଉପାଧ୍ୟକ୍ଷା ଅନୁସାୟା ପ୍ରଧାନ, ପୂର୍ବତନ ଏନ‌ଏସି ଅଧ୍ୟକ୍ଷ ସୁଷମା ମୁଣ୍ଡା, ଜିଲ୍ଲା ଉପସଭାପତି ବିଚିତ୍ରାନନ୍ଦ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନ, ବରିଷ୍ଠ ବିଜେପି ନେତା ପ୍ରମୋଦ ରଥ, ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ସସ୍ମିତା ଦେହୁରୀ, ସମିତି ସଭ୍ୟ ଜୟନ୍ତ ପ୍ରଧାନ, ରେଢ଼ାଖୋଲ ଏନ‌ଏସି କାଉନସିଲର କଳ୍ପନା ନାଏକ, ରଶ୍ମୀ ରଞ୍ଜନ ଭଞ୍ଜ, ରଞ୍ଜନ ସାହୁ, ରାମଚନ୍ଦ୍ର ସାହୁ , କୁମୁଦ ନାଗ ,ଏନ‌ଏସି ମଣ୍ଡଳ ସଭାପତି ରାମାନୁଜ ମହାପାତ୍ର, ଭୀମଭୋଇ ମଣ୍ଡଳ ସଭାପତି ସରୋଜ ପ୍ରଧାନ, କିସିଣ୍ଡା ମଣ୍ଡଳ ସଭାପତି ବିଦେଶୀ ରାଉଳ , ନାକଟିଦେଉଳ ମଣ୍ଡଳ ସଭାପତି ପ୍ରମୋଦ ସାହୁ, ଚାରମାଳ ମଣ୍ଡଳ ସଭାପତି ଟୁନା ବାଘ , ହୁମା ମଣ୍ଡଳ ସଭାପତି ଦୁଷ୍ମନ୍ତ ବିଶ୍ବାଳ, ଜୁଜୁମୁରା ମଣ୍ଡଳ ସଭାପତି ଓମ ପ୍ରକାଶ ବିଶ୍ବାଳ ପଡିଆବାହାଲ ସଭାପତି ବିନୋଦ ମେହେର।

ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଅଶ୍ଵିନୀ ମାଝି, ନଗର ଯୁବମୋର୍ଚ୍ଚା ସଭାପତି ଅମର ସିଂ, ଉପସଭାପତି ସୁର୍ଯ୍ୟ ପ୍ରକାଶ ମହାପାତ୍ରଙ୍କ ସମେତ ନିର୍ବାଚନ ମଣ୍ଡଳୀର ହଜାର ହଜାର ଜନସାଧାରଣ ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଳରାପତ୍ରିଆ ବାଘର ମୃତଦେହ ଉଦ୍ଧାର: ସଠିକ ତଥ୍ୟ ଦେଉନି ବନବିଭାଗ 

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ଅନ୍ତର୍ଗତ ଲାଣ୍ଡିମାଲ ସଂରକ୍ଷିତ ଜଙ୍ଗଲର ଚମ୍ପାଳି ନଦୀ ପାଖ ଭୀମମଣ୍ଡଳୀ ରାସ୍ତାରୁ ଏକ କଲରlପତରିଆ ବାଘର ମୃତ ଦେହ ବନ ବିଭାଗ ଠାବ କରିଛି। ସୂଚନାନୁସାରେ ଜଙ୍ଗଲରେ ବାଘ ପଡ଼ିଥିବା ଖବର ପାଇ ଘଟଣା ସ୍ଥଳକୁ ଜଙ୍ଗଲ ବିଭାଗ ଯାଇ ବାଘର ମୃତଦେହ ଠାବ କରିଥିଲେ।

ସି ସି ଏଫ, ରେଢ଼ାଖୋଲ ଡି ଏଫ ଓ ଅରବିନ୍ଦ ମହାନ୍ତି, ନାକଟିଦେଉଳ ରେଞ୍ଜର ଅଶ୍ୱିନୀ କୁମାର ବେହେରା ଏବଂ ଭୁବନେଶ୍ୱର ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ କରି ଶବ ବ୍ୟବଛେଦ କରି ପୋଡିଦେଇଥିଲେ। ଏ ସମ୍ପର୍କରେ ଡ଼ିଏଫଓ ଙ୍କୁ ପଚାରିବାରୁ ବାଘର ଆନୁମାନିକ ବୟସ ୧୦ ବର୍ଷ ହେବ ଏବଂ ମୃତ୍ୟୁର କାରଣ ତଦନ୍ତ ପରେ ଜଣାପଡିବ ବୋଲି କହିଥିଲେ।

ନାକଟିଦେଉଳ ବନାଞ୍ଚଳର ଲାଣ୍ଡିମାଲ ସଂରକ୍ଷିତ ଜଙ୍ଗଲରେ ବାଘ ମୃତ୍ୟ ପରେ ବି ବନବିଭାଗ ଚୁପ୍ କିନ୍ତୁ ବାଘ କୁ ଶୀକାର କରାଯାଇଛି ଏବଂ ବାଘ ଦେହରୁ ୩ଟି ଗୁଳି ବାହାରିଥିବା ଚର୍ଚ୍ଚା ହେଉଛି। ଶିକାରୀଙ୍କ ଗୁଳିମାଡରେ ବାଘର ମୃତ୍ୟ ହୋଇଥିବା ସ୍ଥାନିୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ଅସୁସ୍ଥ ଅବସ୍ଥାରେ ବାଘ ରାସ୍ତା ଉପରେ ପଡିଥିବା ଦେଖିବାକୁ ପାଇଥିଲା ବନବିଭାଗ।  ବାଘଟିର ସ୍ଵାଭାବିକ ମୃତ୍ୟ ହୋଇଛି ନାଁ ଶିକାରୀ ଶିକାର କରିଛି ପ୍ରଶ୍ନବାଚୀ ସୃଷ୍ଟି କରୁଛି।  ଅପରପକ୍ଷେ ବନବିଭାଗ ଗୋଟିଏ ବନ୍ଧୁକ ସହ ଦୁଇ ଜଣଙ୍କୁ ଅଟକ ରଖିଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ମୋଦି ଗ୍ୟାରେଣ୍ଟି ପାଇଁ ବିଜେପିର ସାମ୍ବାଦିକ ସମ୍ମିଳନୀ

ନୟାଗଡ (ସୁଧାକର ମିଶ୍ର): ନୟାଗଡ ବିଜେପି ବିଧାୟକ ପ୍ରାର୍ଥୀନୀ ପ୍ରତ୍ୟୁଷା ରଜେଶ୍ୱରୀଙ୍କ ନେତୃତ୍ୱରେ ନୟାଗଡର ଗୋଦାବରୀ କଲ୍ୟାଣୀ ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ରଣପୁର ବିଜେପି ବିଧାୟିକା ପ୍ରାର୍ଥୀନୀ ସୁରମା ପାଢ଼ୀ ଓ ବିଜେପି ମୁଖପାତ୍ର. ଉର୍ମିଳା ମହାପାତ୍ର ଉପସ୍ଥିତ ଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ମୋଦି ଗ୍ୟାରେଣ୍ଟି ଉପରେ ଆଲୋକପାତ କରିଥିଲେ ମୋଦିଙ୍କ ଏହି ଇସ୍ତାହାରରେ ସବୁ ବର୍ଗ ଲୋକମାନଙ୍କ ପାଇଁ ବ୍ୟବସ୍ଥା ରହିଥିବାର ଉର୍ମିଳା ମହାପତ୍ର ସୂଚନା ଦେଇଥିଲେ। ପ୍ରଧାମନ୍ତ୍ରୀ ମୋଦିଙ୍କ ୧୦ ବର୍ଷ ର ସୁଶାସନରେ ଗରିବ କଲ୍ୟାଣ ଯୋଜନା ରେ ଭାରତବର୍ଷରେ ୮୦ କୋଟି ରୁ ଉର୍ଦ୍ଧ୍ଵ ଲୋକଙ୍କୁ ମାଗଣା ରାସନ, ଏବଂ ୫୦ କୋଟିରୁ ଉର୍ଦ୍ଧ୍ଵ ନାଗରିକ ମାନଙ୍କୁ ଜନଧନ ଯୋଜନାରେ ବ୍ୟାଙ୍କ୍ ସୁବିଧା ,୩୪ କୋଟି ନାଗରିକଙ୍କ ସ୍ବାସ୍ଥ୍ୟ ବିମା, ୪ କୋଟି ରୁ ଉର୍ଦ୍ଧ୍ଵ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ୧୪ କୋଟି ରୁ ଉର୍ଦ୍ଧ୍ଵ ପରିବାରଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଉଜ୍ଜଳା ଯୋଜନାରେ ୧୦ କୋଟିରୁ ଉର୍ଦ୍ଧ୍ଵ ମହିଳାଙ୍କୁ ରନ୍ଧନ ଗ୍ୟାସ ଯୋଗାଣ, ସ୍ୱଚ୍ଛ ଭାରତ ଅଭିଯାନରେ ୧୧ କୋଟି ପରିବାରଙ୍କ ପାଇଁ ଶୌଚାଳୟ ନିର୍ମାଣ, ୯.୮କୋଟି ପରିବାରକୁ ବିଦ୍ୟୁତ୍ ଯୋଗାଣ ୧୧ କୋଟି କୃଷକଙ୍କୁ ବାର୍ଷିକ ୬ ହଜାର ଟଙ୍କାର ସହାୟତା, ଟ୍ରିପଲ ତଲାକ ଉଚ୍ଛେଦ, ଧାରା ୩୭୦ ଉଚ୍ଛେଦ ଆଦି କେତେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିବା ବେଳେ ୨୦୨୪ ନିର୍ବାଚନକୁ ଆଖିଆଗରେ ରଖି ବିଜେପି ତାର ମୋଦି ଗ୍ୟାରେଣ୍ଟି ଇସ୍ତାହାର ପ୍ରକାଶ କରିଛି।

ଏହି ଇସ୍ତାହାରରେ ସବୁବର୍ଗର ଲୋକମାନଙ୍କ ପାଇଁ ସୁବିଧା ରଖା ଯାଇଛି। ଯୁବକ ମାନଙ୍କ ପାଇଁ ମୁଦ୍ରା ଯୋଜନାକୁ ୨ ଗୁଣିତ କରାଯାଇଛି, ସରକାରୀ ପଦ ପଦବୀ ପୂରଣ ଏବଂ କ୍ରୀଡା କ୍ଷେତ୍ରରେ ଅଲମ୍ପିକ୍ସକୁ ଅଧିକ ଗୁରୁତ୍ଵ ଦିଆଯିବା। କୃଷକ ମାନଙ୍କ ପାଇଁ ଧାନ କ୍ଵିଣ୍ଟାଲର ଦର ୩୧୦୦ କୁ ବୃଦ୍ଧି, ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ପ୍ରଦାନ, ସାଧାରଣ ଚିଟଫଣ୍ଡରେ ବୁଡି ରହିଥିବା ଟଙ୍କା ପ୍ରଦାନ, ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତିକରଣ ଓ ସ୍ମାର୍ଟ କ୍ଲାସ ରୁମ ନିର୍ମାଣ କରାଯିବା ଆଦି ଅନ୍ତର୍ଭୁକ୍ତ ହେଇଛି।

ଏହି ସମ୍ମିଳନୀରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନୂତନ ଓ ବିକଶିତ ଭାରତ ଗଢିବାର ସ୍ବପ୍ନ କୁ ନୟାଗଡ ରେ ମଧ୍ୟ ସମ୍ପୂର୍ଣ୍ଣ ରୂପରେ କାର୍ଯ୍ୟକାରୀ କରିବାପାଇଁ ପ୍ରତ୍ୟୁଷା ରଜେଶ୍ୱରି ମତ ପ୍ରକାଶ କରିଥିଲେ।ବି ଜେପି ଓଡ଼ିଶାରେ ସରକାର ଗଢିଲେ ୩ମାସ ମଧ୍ୟରେ ନୟାଗଡ ରେ ନୂତନ ଚିନି କଳ ସ୍ଥାପନ କରିବାପାଇଁ ପ୍ରତିଶୃତି ଦେଇଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଶଙ୍ଖ ମୟ ହେଲା ନୟାଗଡ଼ ସହର: ୩୦ ହଜାରରୁ ଉର୍ଦ୍ଧ୍ୱ ଜନସମାଗମ

ନୟାଗଡ଼ (ସୁଧାକର ମିଶ୍ର): ନୟାଗଡ଼ ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁଙ୍କ ନାମାଙ୍କନ ଶେଭାଯାତ୍ରା ବିରୋଧି ଦଳ ଛାତିରେ କମ୍ପନ ସୃଷ୍ଟି କରିଛି। ନୟାଗଡ଼ ସହର ଉପରେ ୩୦ ହଜାର ବିଜେଡି କର୍ମକର୍ତ୍ତାଙ୍କ ସମାଗମ ବିରୋଧିଙ୍କୁ ଛାନିଆ କରି ଦେଇଛି। ନୟାଗଡ଼ ବ୍ଲକର ୨୯ ଟି ପଞ୍ଚାୟତ, ନୟାଗଡ଼ ପୌରାଞ୍ଚଳ, ଓଡ଼ଗାଁ ବ୍ଲକ ଓ ଓଡ଼ଗାଁ ଏନଏସିର ନେତା ଓ କର୍ମୀମାନେ ଏଥିରେ ସାମିଲ ହୋଇଛନ୍ତି। ନୟାଗଡ଼ ଦୁର୍ଗାପ୍ରସାଦ ଦଳୀୟ କାର୍ଯ୍ୟାଳୟଠାରୁ ଶୋଭାଯାତ୍ରା ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଛି।

ଏହି ଶୋଭାଯାତ୍ରାରେ ଛାତ୍ର, ଯୁବ, ମହିଳା, ବରିଷ୍ଠ ନାଗରିକଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗର ବ୍ୟକ୍ତି ସାମିଲ ହୋଇଛନ୍ତି। ଅରୁଣଙ୍କ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ୩୦ ହଜାରରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ସାମିଲ ହୋଇଛନ୍ତି। ଜନସମୁଦ୍ର ପରି ନୟାଗଡ଼ ଦଳୀୟ କାର‌୍ୟ୍ୟାଳୟ ଠାରୁ କର୍ମୀ ଓ ନେତା ମାନେ ମାଡ଼ି ଆସିଥିଲେ। ନୟାଗଡ଼ ସହର ଶଙ୍ଖ ମୟ ହୋଇ ଯାଇଛି। ଅରୁଣ ସାହୁ ଜିନ୍ଦାବାଦ, ଅରୁପ ପଟ୍ଟନାୟକ ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦ, ଶଙ୍ଖ ଚିହ୍ନ ଜିନ୍ଦାବାଦ ଧ୍ୱନିରେ ପ୍ରକମ୍ପିତ ହୋଇଲା ନୟାଗଡ଼ ସହର। ବିରାଟ ଶକ୍ତି ପ୍ରଦର୍ଶନ କରିଛି ନୟାଗଡ଼ ବିଜେଡି। ଗ୍ରୀଷ୍ମ ପ୍ରବାହ ତାତିରେ ଅନେକ ଲୋକ ବିଭିନ୍ନ ସ୍ଥାନରେ ଅଟକି ରହିଥିଲେ ମଧ୍ୟ ଖରାକୁ ଖାତିର ହଜାର ହଜାର କର୍ମୀ ସାମିଲ ହୋଇଛନ୍ତି। ଅରୁଣଙ୍କ ନିର୍ବାଚନ ଫଳାଫଳ ଆଜିର ନାମାଙ୍କନ ଦାଖଲରେ ସ୍ପଷ୍ଟ ବାରି ହୋଇପଡିଛି। ବିଜୁ ଜନତା କାର‌୍ୟ୍ୟାଳୟଠାରୁ ଆରମ୍ଭ ଜିଲ୍ଲାପାଳଙ୍କ ଶୋଭାଯାତ୍ରା ଲମ୍ବିଥିବା ଦେଖାଯାଇଛି। ଅରୁଣ ନାମାଙ୍କନ ଆଳରେ ବିରାଟ ଶକ୍ତି ପଦର୍ଶନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ପୁରୀ ବିଜେଡିର ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ଜିଲ୍ଲା ମହିଳା ବିଜୁ ଜନତା ଦଳ ସଭା ନେତ୍ରୀ ବିରଜାଲକ୍ଷ୍ମୀ ସାହୁ, ଜିଲ୍ଲା ପରିଷଦ ସୁବାଷ କଅଁର, ଆଶିଷ ଅଗ୍ରୱାଲ, ସରୋଜ ରଣସିଂ, କ୍ଷୀରୋଦ ମହାପାତ୍ର, ଝିଲ୍ଲୀ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ। ଏଥି ସହିତ ନୟାଗଡ଼ ପୌରାଞ୍ଚଳର ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ସମସ୍ତ କାଉନସିଲର ଓ ନୟାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ଜନ ପ୍ରତିନିଧି ମାନେ ଏହି କାର‌୍ୟ୍ୟକ୍ରମରେ ସାମିଲ ହୋଇଥିଲେ।

ଏହି ନାମାଙ୍କନ ପତ୍ର ଦାଖଲରେ ୭ ହଜାରରୁ ଉର୍ଦ୍ଧ୍ୱ ମହିଳାଙ୍କ ଯୋଗଦାନ ରହିଥିଲା। ନୟାଗଡ଼ ବିଧାୟକ ପ୍ରାର୍ଥୀ ଡ. ସାହୁ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାରଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି।

Categories
ଆଞ୍ଚଳିକ

ଇଟାମାଟି ପଞ୍ଚାୟତ କଂଗ୍ରେସ କର୍ମୀ ସମ୍ମିଳନୀ

ନୟାଗଡ (ସୁଧାକର ମିଶ୍ର): ଇଟାମାଟି ଗ୍ରାମ ପଞ୍ଚାୟତ ଯୁବ ନେତା ପ୍ରମୋଦ କୁମାର ନାୟକଙ୍କ ସଂଯୋଜନାରେ ଇଟାମାଟି କଂଗ୍ରେସ କାର୍ଯ୍ୟାଳୟ ଠାରେ ଦଳୀୟ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ନୟାଗଡ କଂଗ୍ରେସ ବିଧାୟକ ପ୍ରାର୍ଥୀ ବରିଷ୍ଠ ଆଇନଜୀବୀ ରଣଜିତ ଦାଶ କର୍ମୀ ସମ୍ମିଳନୀରେ ଯୋଗ ଦେଇ କଂଗ୍ରେସର ଗଡ଼ ଇଟାମାଟିରେ ପୁଣି ଏକଜୁଟ ହୋଇ କଂଗ୍ରେସ ଦଳକୁ ସଶକ୍ତ କରାଇ ଭ୍ରଷ୍ଟାଚାରୀ ବିଜେଡି ବିଜେପି ବିରୁଦ୍ଧରେ ଡବଲ ହାତ ଚିହ୍ନରେ ଭୋଟ ଦେବା ପାଇଁ କର୍ମୀ ମାନଙ୍କୁ ନିବେଦନ କରିଥିଲେ।

ବିଜେଡି ଶାସନରେ ଇଟାମାଟି ପଞ୍ଚାୟତ ରେ ୫୦ କୋଟି ଟଙ୍କାର ଧାନ କିଣା ଦୁର୍ନୀତି, କୋଟି କୋଟି ଟଙ୍କାର ମନରେଗା, ଗୁହାଳ ଦୁର୍ନୀତି ହେବା ସହ ଜଣେ ପ୍ରମୁଖ ବିଜେଡି ନେତା ମାନେ ସରକାରୀ ଜମି ମାଡି ପ୍ଳଟିଙ୍ଗ କରି ବିକ୍ରି କରୁଥିବା କଂଗ୍ରେସ ପ୍ରାର୍ଥୀ ଅଭିଯୋଗ କରି ଇଟାମାଟିକୁ ଦୁର୍ନୀତିର ପାହାଡ଼ କରାଯାଇଥିବା ଅଭିଯୋଗ କରିଥିଲେ।

ପିସିସି ସାଧାରଣ ସମ୍ପାଦଜ ହୁସେନ ଖାଁ, ଡିସିସି ଉପସଭାପତି କମଳ ଚରଣ ସାହୁ ଇଟାମାଟି ରେ କଂଗ୍ରେସ କୁ ଫେରାଇ ଆଣିବା ପାଇଁ ପାଇଁ ସାହୀ ସାହୀ ଘର ଘର ବୁଲି ନିବେଦନ କରାଯିବ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ, ଡିସିସି ମୁଖପାତ୍ର ବୃନ୍ଦାବନ ନାୟକ, ଇଟାମାଟି କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନ,ଅକ୍ଷୟ ସାହୁ, ଅଧିକାରୀ ମହାରଣା, ଅନ୍ତର୍ଯ୍ୟାମୀ ସାହୁ, ଗଣେଶ ପ୍ରଧାନ, ପିଣ୍ଟୁ ସାହୁଙ୍କ ସମେତ ଇଟାମାଟି ର ପୁରୁଖା ଯୁବ ନେତା କର୍ମୀ ମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଯୋଡ଼ି ଶଙ୍ଖ ଓ ୬୦ ହଜାର ବ୍ୟବଧାନ ଆହ୍ୱାନ ଦେଲେ ପାଣ୍ଡିଆନ

ନୟାଗଡ଼ (ସୁଧାକର ମିଶ୍ର): ଓଡ଼ଗାଁଠାରେ ବିଜୁ ଜନତା ଦଳର ବିଶାଳ ପ୍ରଚାର ସଭାରେ ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ୍ ଯୋଗ ଦେଇ ୬୦ ହଜାର ବ୍ୟବଧାନ ପାଇଁ ଆହ୍ୱାନ ଦେଇଛନ୍ତି। ଯୋଡ଼ି ଶଙ୍ଖରେ ଭୋଟ ଦେଇ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ପ୍ରଚାର ସଭାରେ ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ, ନୟାଗଡ଼ ବିଧାୟକ ପ୍ରାର୍ଥୀ ଅରୁଣ ସାହୁ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଇରାନୀ ରାୟ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ନବୀନଙ୍କ ବାର୍ତ୍ତାକୁ ଉପସ୍ଥାପନ କରିଛନ୍ତି।

ନୟାଗଡ଼ ବିଧାୟକ ଡ. ସାହୁ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପ ମିଶନ ଶକ୍ତିକୁ ବନ୍ଦ କରିବାକୁ ବିରୋଧି ଚକ୍ରାନ୍ତ ଚଳାଇଥିବା କହିଛନ୍ତି। ବିଏସକେୱାଇ ଯୋଜନାକୁ ମଧ୍ୟ ବନ୍ଦ କରିବାକୁ ବିରୋଧି ଷଡ଼ଯନ୍ତ୍ର ଚଳାଇଛନ୍ତି। ଓଡ଼ଗାଁ ବାସୀ ଏହାକୁ ବିଚାର କରିବାକୁ ବିଧାୟକ ଡ. ସାହୁ ନିବେଦନ କରିଛନ୍ତି। ଏହା ସହିତ ମୁଁ ଏ ମାଟିର ଶ୍ରେଷ୍ଠ ମୁଲିଆ ବୋଲି କହିଛନ୍ତି।

ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ସେବାକୁ ଗୁରୁତ୍ୱ ଦେଇ ଆସିଥିବା ଏବଂ ଆଗାମୀ ଦିନରେ ସେବା ପାଇଁ ସୁଯୋଗ ଦେବାକୁ ଆହ୍ୱାନ ଦେଇଛନ୍ତି। ଷ୍ଟାର ପ୍ରଚାରକ ଶ୍ରୀଯୁକ୍ତ ପାଣ୍ଡିଆନ୍ ନୟାଗଡ଼ ବିକାଶର ଚିଠା ଖୋଲିବା ସହ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଆହ୍ୱାନ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଆର୍ଶିବାଦ କରିବାକୁ ଆପଣଙ୍କୁ ସୁଯୋଗ ମିଳିଛି। ଶଙ୍ଖ ଚିହ୍ନରେ ଭୋଟ ଦେଇ ଆର୍ଶିବାଦ କରନ୍ତୁ ବୋଲି କହିଛନ୍ତି। ୨୦୧୪ରେ ଗୋଟିଏ ରାଜନୈତିକ ଦଳ ୨ କୋଟି ଚାକିରୀ ଦେବାକୁ କହିଥିଲେ। କେତେ ଚାକିରୀ ଦେଇଛନ୍ତି ବୋଲି ପାଣ୍ଡିଆନ ପ୍ରଶ୍ନ କରିଛନ୍ତି। ପ୍ରେଟୋଲ ଓ ଡିଜେଲ ଦର କମ ହୋଇଛି କି ବୋଲି ପ୍ରଶ୍ନ କରିଛନ୍ତି। ଧାନ ଏମଏସପି ମୁଲ୍ୟ ଦୁଇ ଗୁଣା କରିବାକୁ କହିଥିଲେ। ୧୦ ବର୍ଷ କ୍ଷମତାରେ ରହି ଏମଏସପି ବୃଦ୍ଧି କରି ପାରିଲେ ନାହିଁ, ଏବେ ନିର୍ବାଚନ ସମୟରେ ମୋନିଫେଷ୍ଟରେ ଧାନ କ୍ୱିଣ୍ଟାଲ ମୁଲ୍ୟ ୩ ହଜାର କରିବାକୁ କହିଛନ୍ତି।

ଏହା ସହିତ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପ୍ରାର୍ଥୀ ୬୦ ହଜାର ଭୋଟ ବ୍ୟବଧାନରେ ବିଜୟୀ କରିବାକୁ ପାଣ୍ଡିଆନ୍ ଆହ୍ୱାନ ଦେଇଥିଲେ। ଏହି ପ୍ରଚାର ସଭାରେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଉପାଧ୍ୟକ୍ଷା ମୀରା ନାୟକ, ଜିଲ୍ଲା ପରିଷଦ ସଦସ୍ୟ ବିରଜା ଲକ୍ଷ୍ମୀ ସାହୁ, ଝିଲ୍ଲୀ ପ୍ରଧାନ ପ୍ରମୂଖ ଉପସ୍ଥିତ ରହିଥିଲେ। ବିଜୁ ଜନତା ଦଳ ବ୍ଲକ ସଭାପତି ସୂର୍ଯ୍ୟନାରାୟଣ ଚୈାଧୁରୀ, ଦିବାକର ନାୟକ, ବିଭୂପ୍ରସାଦ ସାହୁଙ୍କ ସମେତ ଓଡ଼ଗାଁ ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟା ଉପସ୍ଥିତ ରହିଥିଲେ। ଏହି ପ୍ରଚାର ସଭାରେ ୧୫ ହଜାରରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷଙ୍କ ସମାଗମ ହୋଇଥିଲା।