Categories
ବିଶେଷ ଖବର ରାଜ୍ୟ ଖବର

ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ କୋଭିଡ ସହାୟତା ଘୋଷଣା: କାଳିଆ ହିତାଧିକାରୀଙ୍କୁ ମିଳିବ ୧୦୦୦ ଟଙ୍କା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହାଦ୍ବାରା ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ସହରାଞ୍ଚଳର ଗରିବ ଲୋକ, ଆଦିମ ଜନଜାତି, ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ଏନ୍‌.ଆର.ଇ.ଜି.ଏ ଶ୍ରମିକ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ ମହାମାରୀ ଦ୍ବାରା ସମାଜର ସବୁ ବର୍ଗର ଲୋକଙ୍କର ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇଛି। କିନ୍ତୁ ସାମାଜିକ ତଥା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକମାନେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି। କୋଭିଡ ମହାମାରୀର ପ୍ରଥମ ଲହର ସମୟରେ ଗତବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ବିଭିନ୍ନ ସହାୟତା ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ କୋଭିଡ ମହାମାରୀର ପ୍ରତିକୂଳ ପ୍ରଭାବରୁ ବହୁ ପରିମାଣରେ ଆଶ୍ବସ୍ତି ଦେଇଥିଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ସେ ପୁଣି କହିଛନ୍ତି କୋଭିଡର ଦ୍ବିତୀୟ ଲହର ଯୋଗୁ ରାଜ୍ୟର ବିଭିନ୍ନ ଅଂଚଳରେ ପର୍ଯ୍ୟାୟକ୍ରମେ ଗତ ଦୁଇ ମାସ ହେଲା ଲକ୍‌ଡାଉନ ଜାରି ରହିଛି। ଗରିବ ତଥା ଶ୍ରମିକ ଶ୍ରେଣୀର ଲୋକମାନଙ୍କ ଆର୍ଥିକ ସ୍ଥିତିକୁ ମଧ୍ୟ ଦୁର୍ବଳ କରିଛି। ଏହାକୁ ବିଚାର କରି ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସହାୟତା ପ୍ୟାକେଜ ଘୋଷଣା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଏହି ପ୍ୟାକେଜ ଅନୁଯାୟୀ କାଳିଆ ଯୋଜନାର ହିତାଧିକାରୀ ରାଜ୍ୟର ୧୭ ଲକ୍ଷ ୮୩ ହଜାର ଭୂମିହୀନ ଚାଷୀ ପରିବାରଙ୍କୁ ପ୍ରତି ହିତାଧିକାରୀ ପିଚ୍ଛା ୧୦୦୦ ଟଙ୍କା ସ୍ବତନ୍ତ୍ର ସହାୟତା ଦିଆଯିବ। କାଳିଆ ଯୋଜନାରେ ସବୁ ଭୂମିହୀନ ଚାଷୀ ପରିବାରକୁ ମଧ୍ୟ ୩ଟି କିସ୍ତିରେ ୨୦୭ କୋଟି ଟଙ୍କା ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସେହିପରି କୋଭିଡ ଲକ୍‌ଡାଉନ ସମୟରେ ସହରାଂଚଳରେ ରହୁଥିବା ଗରିବ ଲୋକମାନଙ୍କୁ ରୋଜଗାର ଯୋଗାଇବା ପାଇଁ ରାଜ୍ୟ ସରକାର ମୁକ୍ତା ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନାରେ ରାଜ୍ୟର ୧୧୪ଟି ପୌରସଂସ୍ଥା ମାନଙ୍କରେ ରହୁଥିବା ଗରିବ ଲୋକଙ୍କୁ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ରୋଜଗାର ଯୋଗାଇବା ପାଇଁ ୨୬୦ କୋଟି ଟଙ୍କାର କାମ ଯୋଗାଇ ଦିଆଯିବ। NREGS ଯୋଜନାରେ କାମ କରୁଥିବା ଶ୍ରମିକ ମାନଙ୍କୁ ସେମାନଙ୍କର ଦୈନିକ ମଜୁରୀ ବ୍ୟତୀତ ପ୍ରତିଦିନ ଅଧିକ ୫୦ ଟଙ୍କା ମୁଖ୍ୟମନ୍ତ୍ରୀ ଙ୍କ ସହାୟତା ଭାବରେ ଦିଆଯିବ । ଅପ୍ରେଲ ୨୧ରୁ ଜୁନ୍‌ ୨୧ ମଧ୍ୟରେ ଏହି ବର୍ଦ୍ଧିତ ମଜୁରୀ ବାବଦକୁ ରାଜ୍ୟ ସରକାର ୩୦୦ କୋଟି ଟଙ୍କା ବହନ କରିବେ। ସୂଚନାଯୋଗ୍ୟ ଯେ ଏହି ସମୟ ମଧ୍ୟରେ NREGS ଯୋଜନାରେ ୬ କୋଟି ମାନବ ଦିବସ ସୃଷ୍ଟି କରାଯାଇଛି।

ଖାଦ୍ୟ ନିରାପତ୍ତା ସବୁବେଳେ ରାଜ୍ୟ ସରକାରଙ୍କର ପ୍ରାଥମିକତା ରହିଆସିଛି। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ମାନଙ୍କୁ ଜୁଲାଇରୁ ନଭେମ୍ବର ୨୧ ପର୍ଯ୍ୟନ୍ତ ୫ କେଜି ଲେଖାଏ ଚାଉଳ ପ୍ରତି ବ୍ୟକ୍ତିଙ୍କୁ ମାଗଣାରେ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ୯୨.୮୬ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଓଡିଶାରେ ଆମର ୧୩ଟି ଆଦିମ ଜନଜାତିର ୬୬,୨୧୪ ଜଣ ବ୍ୟକ୍ତି ବାସ କରୁଛନ୍ତି। ସେମାନଙ୍କୁ ଜୀବନଜୀବିକା ସହାୟତା ବାବଦରେ ପ୍ରତି ପରିବାରକୁ ୫୦୦୦ ଟଙ୍କା ଲେଖାଏ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏ ବାବଦରେ ୩୩.୧୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ଟଙ୍କା ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା କରାଯିବ। ତଫସିଲଭୁକ୍ତ ଜାତି ଓ ଜନଜାତିଙ୍କ ଛାତ୍ରଛାତ୍ରୀଙ୍କର ଅପ୍ରେଲରୁ ୨୧ରୁ ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ସେମାନଙ୍କ pre-matric ଛାତ୍ର ବୃତ୍ତିକୁ ସେମାନଙ୍କ ପିତାମାତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଦୁଇଟି ପର୍ଯ୍ୟାୟରେ ଜମା କରାଯିବ। ଏ ବାବଦରେ ୨୫୨.୩୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ୫ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ଏଥିରେ ଉପକୃତ ହେବେ।

ରାଜ୍ୟରେ ପଞ୍ଜୀକୃତ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୧୫୦୦ ଟଙ୍କା ଲେଖାଏ ସ୍ବତନ୍ତ୍ର କୋଭିଡ ସହାୟତା ଘୋଷଣା କରିଛନ୍ତି। ଏ ବାବଦରେ ୩୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ସ୍ବତନ୍ତ୍ର ବିଦ୍ୟାଳୟ ମାନଙ୍କରେ ପଢୁ ନ ଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ଦିଆଯାଉଥିବା ବାଣୀଶ୍ରୀ ଛାତ୍ରବୃତ୍ତି ଜାରି ରହିବ ଏବଂ ଅପ୍ରେଲରୁ ଜୁନ୍‌ ୨୧ ପର୍ଯ୍ୟନ୍ତ ସେମାନଙ୍କୁ ୨୦୦ରୁ ୩୫୦ ଟଙ୍କା ପର୍ଯ୍ୟନ୍ତ (ଶ୍ରେଣୀ ଅନୁସାରେ) ଛାତ୍ରବୃତ୍ତି ଯୋଗାଇ ଦିଆଯିବ। ଏହାଦ୍ବାରା ୨୬, ୪୬୫ ଛାତ୍ରଛାତ୍ରୀ ଉପକୃତ ହେବେ ଏବଂ ଏ ବାବଦରେ ୩ କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଘରେ ରହି ଅନ୍‌ଲାଇନ ଜରିଆରେ ପାଠ ପଢୁଥିବା ସ୍ବତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କର ଅପ୍ରେଲରୁ ଜୁନ୍ ୨୧ ପର୍ଯ୍ୟନ୍ତ ଖାଦ୍ୟ ଖର୍ଚ୍ଚ ବାବଦକୁ ପ୍ରତି ମାସରେ ୧୨୪୫ ଟଙ୍କା ଦିଆଯିବ। ଏହାଦ୍ବାରା ୬୪୭୧ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ ଏବଂ ଏ ବାବଦରେ ୨ କୋଟି ୪୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଅପ୍ରେଲରୁ ଜୁନ୍‌ ୨୧ ପର୍ଯ୍ୟନ୍ତ ଅଣ-ଆବାସିକ ଛାତ୍ରଛାତ୍ରୀ ମାନଙ୍କୁ ମାସିକ ୩୭୦ ଟଙ୍କା ଲେଖାଏ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏ ବାବଦରେ ୩ କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ୩୪୪ ଜଣ ଅଣ-ଆବାସିକ ଛାତ୍ରଛାତ୍ରୀମାନଙ୍କୁ ଅପ୍ରେଲ ୨୧ରୁ ଜୁନ୍‌ ୨୧ ପର୍ଯ୍ୟନ୍ତ ୩୭୦ ଟଙ୍କା ଲେଖାଏ ମାସିକ ଅନୁଦାନ ଯୋଗାଇ ଦିଆଯିବ। ଏଥିପାଇଁ ୩ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୪୧୯: ସୁସ୍ଥ ହେଲେ ୭୪୯ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୪୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୪୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୪୩ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩୭୬ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫ ହଜାର ୬୨୭ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୭୪୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୮୨ ହଜାର ୫୪୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ହଜାର ୬୭୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୯୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬ ହଜାର ୨୪୦ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬ ହଜାର ୨୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୮୫୨, କଟକରୁ ୫୦୪, ଯାଜପୁରରୁ ୪୧୩, ଅନୁଗୁଳରୁ ୩୭୨, ଭଦ୍ରକରୁ ୩୬୬, ନୟାଗଡରୁ ୩୫୧, ମୟୂରଭଞ୍ଜରୁ ୩୨୭, ପୁରୀରୁ ୩୨୧, ଢେଙ୍କାନାଳରୁ ୩୦୫, କେନ୍ଦ୍ରାପଡାରୁ ୨୫୩, ବୌଦ୍ଧରୁ ୨୪୩, ଜଗତସିଂହପୁରରୁ ୨୩୯, ବାଲେଶ୍ବରରୁ ୧୯୫, କେନ୍ଦୁଝରରୁ ୧୩୫, କୋରାପୁଟରୁ ୧୩୪, ସମ୍ବଲପୁରରୁ ୧୩୧, ରାୟଗଡାରୁ ୧୧୭, ନବରଙ୍ଗପୁରରୁ ୧୧୩, ସୁନ୍ଦରଗଡରୁ ୧୦୮, ବରଗଡରୁ ୯୮, ମାଲକାନଗିରିରୁ ୯୮, ଗଞ୍ଜାମରୁ ୬୯, ସୋନପୁରରୁ ୬୮, ବଲାଙ୍ଗୀରିରୁ ୬୫, କନ୍ଧମାଳରୁ ୫୨, କଳାହାଣ୍ଡିରୁ ୫୦, ଝାରସୁଗୁଡାରୁ ୩୪, ଗଜପତିରୁ ୩୦, ଦେବଗଡରୁ ୨୮, ନୂଆପଡାରୁ ୨୪ ଏବଂ ଷ୍ଟେଟ ପୁଲରୁ ୧୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୨୩ ହଜାର ୫୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୬୬ ହଜାର ୬୯୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୧୭ ହଜାର ୩୫୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪୭ ହଜାର ୭୯୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୪୭୦ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଲକଡାଉନ ସମୟରେ ଭୋକିଲାଙ୍କ ମୁହଁରେ ଖାଦ୍ୟ ଦେଉଛି ‘ଆହାର’: ଦିନକୁ ୪ ହଜାର ଲୋକେ ପାଉଛନ୍ତି ସୁବିଧା

ଭୁବନେଶ୍ବର: ସାରା ରାଜ୍ୟରେ କରୋନା ଯୋଗୁଁ ଲକଡାଉନ କଟକଣା ଜାରି ରହିଛି। ଆଜିଠାରୁ ରାଜ୍ୟରେ କଟକଣାକୁ କୋହଳ କରାଯାଇଥିଲେ ମଧ୍ୟ କଟକଣା ଏବେ ବି ବଳବତ୍ତର ରହିଛି। ରାଜ୍ୟରେ ସ୍ଥିତି ସାମାନ୍ୟ ହେବାକୁ ଆହୁରି ଅନେକ ଦିନ ଲାଗିବ। କରୋନା ସଂକ୍ରମଣ ହ୍ରାସ ନହେବା ଯାଏଁ କଟକଣା ବଳବତ୍ତର ରହିବ।

ତେବେ ଏଭଳି ପରିସ୍ଥିତିରେ ଗରିବ, ଅସହାୟମାନେ ଭୋକିଲା ରହିବା ସମ୍ଭାବନା ଥିବାରୁ ଭୁବନେଶ୍ଵର ମହାନଗର ଅଞ୍ଚଳର ୧୨ ଟି ‘ଆହାର’ କେନ୍ଦ୍ରରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଉଛି। ଏହି ଆହାର କେନ୍ଦ୍ରଗୁଡିକରେ ଭୋକିଲାମାନଙ୍କୁ ଖାଦ୍ୟ ଯୋଗାଯାଉଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ନିୟମ ପାଳନ ସହ ଦୈନିକ ୪ହଜାର ଭୋଜନ ଯୋଗାଇ ଦିଆଯାଉଛି। ଆହର କେନ୍ଦ୍ରଗୁଡିକରେ ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୧ ଟା ପରେ ପାର୍ସଲ କରାଯାଇ ଖାଦ୍ୟ ବଣ୍ଟନ କରାଯାଉଛି। ଲକଡଉନ ସମୟରେ ଗମନାଗମନର କଟକଣା ଥିବାରୁ ପ୍ରତ୍ୟେକ ଆହାର କେନ୍ଦ୍ରରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଭୋଜନ ଦିଆଯାଉଛି।

ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଏମ୍ସ ଠାରେ ଦୁଇଟି ଆହାର କେନ୍ଦ୍ରରେ ୩୫୦ ଲେଖାଏଁ ଭୋଜନ ଦିଆଯାଉଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ୪୫୦, ସମ୍ ନିକଟସ୍ଥ ଆହାର କେନ୍ଦ୍ରରେ ୪୦୦, କଳିଙ୍ଗ ହସ୍ପିଟାଲ ଆହାର କେନ୍ଦ୍ର ଓ ବିଏମସି ପରିସରରେ ଥିବା ଆହାର କେନ୍ଦ୍ରରେ ୩୫୦ ଲେଖାଏଁ, ରସୁଲଗଡରେ ୪୦୦, ମାଷ୍ଟର କ୍ୟାଣ୍ଟିନ ସ୍ଥିତ ସିଟି ବସ ଷ୍ଟାଣ୍ଡରେ ୩୦୦, ନୂଆପଲ୍ଲୀ ଦୂର୍ଗା ମଣ୍ଡପରେ ୩୫୦, ବରମୁଣ୍ଡା ବସ ଷ୍ଟାଣ୍ଡରେ ୨୫୦, ଅଶୋକନାଗରରେ ୩୦୦ ଏବଂ ଖାରବେଳ ନଗର ବସ ଷ୍ଟାଣ୍ଡରେ ୨୦୦ ଭୋଜନ ବିଏମସି ପକ୍ଷରୁ ଦିଆଯାଉଛି।

ତେବେ ନିୟମିତ ସମୀକ୍ଷା ପରେ କେନ୍ଦ୍ରଗୁଡ଼ିକରେ ଭୋଜନ ସଂଖ୍ୟା ପରିବର୍ତ୍ତନ କରାଯାଇଥାଏ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ପୁରୀ ବିମାନ ବନ୍ଦର ପାଇଁ ଏୟାରପୋର୍ଟ ଅଥରିଟ ଟିମର ସର୍ଭେ ଆରମ୍ଭ, ଦୁଇଟି ସ୍ଥାନ କଲେ ଅନୁଧ୍ୟାନ

ପୁରୀ, ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର  ନିର୍ମାଣ ହେବାର ପ୍ରାରମ୍ଭିକ ପଦକ୍ଷେପ ଆରମ୍ଭ ହୋଇଛି। ଆଜି ନୂଆଦିଲ୍ଲୀରୁ ଏୟାରପୋର୍ଟ ଅଥରିଟ୍ ଅଫ ଇଣ୍ଡିଆର 6 ଜଣିଆ ଟିମ ପୁରୀରେ ଜାଗା ଚିହ୍ନଟ କରିଛନ୍ତି। ପୁରୀ ଜିଲ୍ଲାପାଳ ସମର୍ଥା ବର୍ମାଙ୍କ ସହିତ ଏହି ଦଳ ବିଭିନ୍ନ ସ୍ଥାନ ଅନୁଧ୍ୟାନ କରିଛନ୍ତି।

ଏହି ଟିମ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପ୍ରସ୍ତାବିତ ସ୍ଥାନ ମଧ୍ୟରୁ ପୁରୀ-ବ୍ରହ୍ମଗିରି ରୋଡରେ ଥିବା ଜିରାଲା ଏବଂ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ ରୋଡରେ ଥିବା ସିପାସାରୁବାଲି ପରିଦର୍ଶନ କରିଥିଲେ। ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ ଏବଂ ପୁରୀ-ବ୍ରହ୍ମଗିରି ରାସ୍ତାରେ ଜିରାଲା ନିକଟ ସିପସରୁବାଲିରେ ପ୍ରସ୍ତାବିତ ବିମାନବନ୍ଦର ପାଇଁ ଜିଲ୍ଲା ପ୍ରଶାସନ ଦୁଇଟି ସ୍ଥାନ ଚିହ୍ନଟ କରିଛି। ଏହି ଦଳ ସେହି ଦୁଇଟି ସ୍ଥାନ ଅନୁଧ୍ୟାନ କରିଛନ୍ତି।

ପୁରୀର ଉକ୍ତ ବିମାନବନ୍ଦର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ, ଯାହା ବିଶ୍ୱରେ ଆଧ୍ୟାତ୍ମିକ, ଅର୍ଥନୈତିକ ଏବଂ ପର୍ଯ୍ୟଟନସ୍ଥଳୀ ହେବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ବିମାନ ବନ୍ଦରକୁ ପ୍ରାଥମିକ ପ୍ରକଳ୍ପ ଭାବରେ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ପୁରୀ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଆଧ୍ୟାତ୍ମିକ ପର୍ଯ୍ୟଟନ ତଥା ଅର୍ଥନୈତିକ ବିକାଶର ଏକ ହବ୍ ହେବାର ସମ୍ଭାବନା ରହିଛି।

ପୁରୀର ରଥ ଯାତ୍ରା ହେଉଛି ଏକ ବିଶ୍ୱ ପ୍ରସିଦ୍ଧ ବାର୍ଷିକ କାର୍ଯ୍ୟକ୍ରମ ଯାହା ସମଗ୍ର ବିଶ୍ୱରୁ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ପବିତ୍ର ରଥ ଯାତ୍ରା 192 ଟି ଦେଶରେ ପାଳନ କରାଯାଏ ବୋଲି ନବୀନ ମୋଦୀଙ୍କୁ ଲେଖିଥିଲେ। ପ୍ରସ୍ତାବିତ ବିମାନବନ୍ଦର ଜଗନ୍ନାଥ ଭକ୍ତମାନଙ୍କୁ ପୃଥିବୀର ବିଭିନ୍ନ ସ୍ଥାନରୁ ପୁରୀକୁ ଆଣିବାରେ ସାହାଯ୍ୟ କରିବ ଏବଂ ଜଗନ୍ନାଥ ସଂସ୍କୃତିକୁ ସମଗ୍ର ବିଶ୍ୱରେ ପ୍ରସାରିତ କରିବାରେ ସାହାଯ୍ୟ କରିବ।

ପୁରୀ ନିକଟରେ ଥିବା ଲମ୍ବା ଉପକୂଳ ଏବଂ ଏହାର ନିକଟବର୍ତ୍ତୀ ଉପକୂଳ ନୂତନ ବିଶ୍ୱ ଅର୍ଥନୈତିକ କାର୍ଯ୍ୟକଳାପ, ଅବକାଶ ଏବଂ ଆତିଥ୍ୟ, ସ୍ୱାସ୍ଥ୍ୟ ଏବଂ ଆଧ୍ୟାତ୍ମିକତାକୁ ବେଶ୍ ପ୍ରୋତ୍ସାହିତ କରିବ ବୋଲି ନବୀନ ଉଲ୍ଲେଖ କରିଥିଲେ।

Categories
ଅପରାଧ ଆଜିର ଖବର ମନୋରଂଜନ

ବଡ଼ ଡକାୟତ ଯୋଜନାକୁ ପଣ୍ଡ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ: ଧରା ପଡିଲେ ୭ କୁଖ୍ୟାତ ଡକାୟତ

ଖୋର୍ଦ୍ଧା: ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଛି। ପୋଲିସ ହାତରେ ୭ କୁଖ୍ୟାତ ଡକାୟତ ଧରା ପଡିଛନ୍ତି। ଆଜି ସକାଳେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ମେଣ୍ଢାଶାଳ ପଡ଼ିଆ ନିକଟସ୍ଥ ଏକ ପରିତ୍ୟକ୍ତ ଅବସ୍ଥାରେ ଥିବା ଭଙ୍ଗା ଘର ମଧ୍ୟରେ କେତେଜଣ ଦୁର୍ବୁତ୍ତ ଡକାୟତି ଯୋଜନା କରୁଥିବାର ସୂଚନା କୌଣସିମତେ ପୋଲିସ ଜାଣିବାକୁ ପାଇଥିଲା।

ଖୋର୍ଦ୍ଧା ଏସପି ଓ ଏସଡ଼ିପିଓଙ୍କ ତତ୍ୱାବଧାନ ଏବଂ ଟାଉନ ଥାନା ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀ ଦିଗବିଜୟ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଘଟଣାସ୍ଥଳରୁ ପୋଲିସ ୭ ଜଣ ଡକାୟତଙ୍କୁ ଗିରଫ କରିଛି। ସେମାନେ ହେଲେ ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜୁରୀ ଅଞ୍ଚଳର ଶେଖ ଇବାଦୁଲ୍ଲା, ଶେଖ ଯୁସୁଫ, ଟାଉନ ଥାନା ଅନ୍ତର୍ଗତ ଜେମାଦେଇ ଅଞ୍ଚଳର ମଇନା ବେହେରା, ସନ୍ତୋଷ ସାହୁ, ଦିପୁ ପରିଡା, ଭାଲିଆବାଡ଼ି ଅଞ୍ଚଳର ବିପିନ ବେହେରା ଏବଂ ଚନ୍ଦକା ଥାନା ଅନ୍ତର୍ଗତ ହରିଡ଼ାମଡ଼ ଅଞ୍ଚଳର ଲକ୍ଷ୍ମୀଧର ବେହେରା।

ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ପୋଲିସ ଥାନାରେ ଚୋରି, ଡକାୟତି, ରାହାଜାନି ଭଳି ଏକାଧିକ ଅପରାଧିକ ମାମଲା ଥିବାର ପୋଲିସ କହିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଶେଖ ଇବାଦୁଲ୍ଲା ଏବଂ ଶେଖ ଯୁସୁଫ ପୂର୍ବରୁ ଗଡ଼ଖୋର୍ଦ୍ଧାରେ ଥିବା ଜଗନ୍ନାଥ ମନ୍ଦିରରୁ ଏବଂ ବାଟମଙ୍ଗଳା ଛକରେ ଥିବା ଏକ ପାନଦୋକାନରୁ ଚୋରି ଘଟଣାରେ ସାମିଲ ଥିବାର ପୋଲିସ ଜାଣିବାକୁ ପାଇଛି।

ଏ ସଂକ୍ରାନ୍ତରେ ଉକ୍ତ ଦୁଇ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଏକ ଚୋରା ହୁଣ୍ଡୀ ବାକ୍ସ, ବିସ୍କୁଟ, ସିଗାରେଟ, ସାନିଟାଇଜର, ଫେନୋଲ, ଟୁଥପେଷ୍ଟ ଆଦି ଜବତ କରିଛି। ତେବେ ସମସ୍ତ ସାତ ଜଣ ଡକାୟତଙ୍କ ନିକଟରୁ ଘଟଣାସ୍ଥଳରୁ ପୋଲିସ ଗୋଟାଏ ଖଣ୍ଡା, ଗୋଟେ ଫାର୍ଷା, ତିନି ଗୋଟି ଲୁହା ରଡ଼, ଚାରି ଗୋଟି ଟର୍ଚ୍ଚ ଲାଇଟ, ଦୁଇଟି ବାଇକ, ଗୋଟେ ହାତତିଆରି ନକ୍ସା ଏବଂ ଦୁଇ ଗୋଟି ମାଂସ କାଟିବା କାତି ଜବତ କରିଛି। ଉକ୍ତ ଚଢ଼ାଉରେ ଏସଆଇ ବିଜୟ କେତନ ବେହରା, ଏଏସଆଇ ଶରତ ଚନ୍ଦ୍ର ପ୍ରଧାନ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ସାମିଲ ଥିଲେ। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଖୋର୍ଦ୍ଧା ଟାଉନ ଥାନାରେ କେସ ନମ୍ବର ୨୩୯/୨୧ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରିରହିଛି ବୋଲି ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ସ୍ଥାପିତ ଘୋଡାକୁ ସ୍ଥାନାନ୍ତର ଯୋଜନା, ବିରୋଧ କଲେ କଂଗ୍ରେସ ବିଧାୟକ

ଭୁବନେଶ୍ବର, ରାଜଧାନୀର ମାଷ୍ଟର କ୍ୟାଣ୍ଟିନରେ ଶୋଭାପାଉଥିବା ପଥର ଘୋଡା ସ୍ଥାନାନ୍ତରିତ ନେଇ ବିରୋଧ କରିଛି କଂଗ୍ରେସ। ଆଜି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏହି ଘୋଡା ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କୌଣସି ପରିସ୍ଥିତିରେ ଏହି ଘୋଡାକୁ ଏଠାରୁ ହଟାଯାଇପାରିବ ନାହିଁ ବୋଲି ସେ ଦାବୀ କରିଛନ୍ତି।

ବହୁ ବର୍ଷ ଧରି ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନରେ ଶୋଭାପାଉଥିବା ପଥର ଘୋଡା ରାଜଧାନୀର ପରିଚୟ ଦେଉଛି। ଓଡିଶା ସରକାରଙ୍କ ଚିହ୍ନକୁ ଏହି ସ୍ଥାନରେ ପଥରରେ ନିର୍ମାଣ କରି ସ୍ଥାନିତ କରାଯାଇଛି। ଏହାକୁ ଯେ ନିର୍ମାଣ କରିଛନ୍ତି ସେ ହେଉଛନ୍ତି ପ୍ରଖ୍ୟାତ ପଥରଶିଳ୍ପୀ ସ୍ବର୍ଗତ ରଘୁନାଥ ମହାପାତ୍ର।

ଭୁବନେଶ୍ବରର ଏହି ପଥର ଘୋଡା ହେଉଛି ପରିଚୟ। ହେଲେ ଭୁବନେଶ୍ବର ସ୍ମାର୍ଟ ସିଟି ଯୋଜନାରେ ବର୍ତ୍ତମାନ ମାଷ୍ଟର କ୍ୟାଣ୍ଟିନରୁ ଏହି ଘୋଡାକୁ ହଟାଇବା ପାଇଁ ଯୋଜନା ହୋଇଛି। ଏୟାର ପୋର୍ଟରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାରୁ ସଂପ୍ରସାରଣ ତଥା ସୌନ୍ଦର୍ଯ୍ୟକରଣ କରାଯିବ। ସେଥିପାଇଁ ରାସ୍ତା ମଝିରେ ଶୋଭା ପାଉଥିବା ଏହି ପଥର ଘୋଡାକୁ ସ୍ଥାନାନ୍ତରିତ କରିବା ପାଇଁ ନିଷ୍ପତି ହୋଇଛି।

ଏହାକୁ ମାଷ୍ଟର କ୍ୟାଣ୍ଟିନରୁ ହଟାଇ ରାଜଭବନ ଛକରେ ଥିବା ଗୋପବନ୍ଧୁ ପ୍ରତି ମୂର୍ତ୍ତି ନିକଟରେ ସ୍ଥାପନ କରାଯିବ। ଭୁବନେଶ୍ବର ସ୍ମାର୍ଟ ସିଟି କର୍ତ୍ତୁପକ୍ଷ ଏ ନେଇ ସଂସ୍କୃତି ବିଭାଗକୁ ଚିଠି ଲେଖିଛନ୍ତି। କେବଳ ସେହି ଗୋଟାଏ ନୁହେଁ ଭୁବନେଶ୍ବର ସୌନ୍ଦର୍ଯ୍ୟକରଣ ପାଇଁ ଆଉ କେତୋଟି ମହାପୁରଷଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାନାନ୍ତରିତ ହେବ ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ହେଲା ବଡ ପରିବର୍ତ୍ତନ

ଭୁବନେଶ୍ବର, ଜୁନ୍ ମାସ ଶେଷ ପଯ୍ୟନ୍ତ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ବିଶେଷ ଟ୍ରେନ ଏଣିକି ସପ୍ତାହକୁ ଚାରିଦିନ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । କୋଭିଡ଼୧୯ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ଏବଂ ଅତ୍ୟଧିକ ଖରାପ ପୃଷ୍ଠପୋଷକତା ପାଇଁ ଏହି ଟ୍ରେନକୁ ପୂର୍ବରୁ ସପ୍ତାହରେ ଦୁଇଥର ଚଲାଇବାକୁ ନିଷ୍ପତ୍ତି ନିଆଯାଇଥିଲା।ଏହାକୁ ଏବେ ପରିବର୍ତନ କରାଯାଇଅଛି ।

୦୨୮୨୩ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ବିଶେଷ ଟ୍ରେନ ଭାୟା ଟାଟା ଭୁବନେଶ୍ୱରରୁ ପ୍ରତି ମଙ୍ଗଳବାର ଏବଂ ଗୁରୁବାର ଦିନ ଚଳାଚଳ କରିବାକୁ ଥିବାବେଳେ ସୋମବାର ଏବଂ ଶୁକ୍ରବାର ଦିନ ମାନଙ୍କରେ ବାତିଲ ରହିବ।

୦୨୮୨୪ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ବିଶେଷ ଟ୍ରେନ ଭାୟା ଟାଟା ନୂଆଦିଲ୍ଲୀରୁ ପ୍ରତି  ବୁଧବାର ଏବଂ ଗୁରୁବାର ଦିନ ଚଳାଚଳ କରିବାକୁ ଥିବାବେଳେ ମଙ୍ଗଳବାର ଏବଂ ଶନିବାର ଦିନ ମାନଙ୍କରେ ବାତିଲ ରହିବ।

୦୨୮୨୫/୦୨୮୨୬ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ବିଶେଷ ଟ୍ରେନ ଭାୟା ଆଦ୍ରଓ ଭୁବନେଶ୍ୱରରୁ ରବିବାର ଏବଂ ବୁଧବାର ଦିନ ଏବଂ ନୂଆଦିଲ୍ଲୀରୁ ସୋମବାର ଏବଂ ଶୁକ୍ରବାର ଦିନ ଚଳାଚଳ କରିବ।

୦୨୮୫୫/୦୨୮୫୬ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ବିଶେଷ ଟ୍ରେନ ଭାୟା ସମ୍ବଲପୁର ସିଟି ଏବଂ ରାଉରକେଲା ଭୁବନେଶ୍ୱରରୁ ୨୬ ଜୁନ୍ (ଶନିବାର) ଏବଂ ନୂଆଦିଲ୍ଲୀରୁ  ୨୭ ଜୁନ୍, ୨୦୨୧ ତାରିଖ ଦିନ ବାତିଲ ରହିବ।

Categories
ଆଜିର ଖବର ଜାତୀୟ ଖବର

ତାମିଲନାଡୁ ଚିଡିଆଖାନାରେ କୋରନା, ଗୋଟିଏ ସିଂହର ମୃତ୍ୟୁ ସହ ନଅଟି ଆକ୍ରାନ୍ତ

ନୂଆଦିଲ୍ଲୀ,  ଚେନ୍ନାଇସ୍ଥିତ Arignar Anna Zoological Park  ଚିଡିଆଖାନାର ଆଉ ଏକ ସିଂହ କୋଭିଡ ସଂକ୍ରମଣର ଶିକାର ହୋଇଛି। ପଠାବନାଥନ୍ ନାମକ ଏହି ବାର ବର୍ଷର ସିଂହ ସାର୍ସ କୋଭ୍-ଦୁଇ ସଂକ୍ରମଣରେ ପୀଡିତ ଥିବା ଜଣାପଡିଛି। ଭୋପାଳର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହାଇ ସିକ୍ୟୁରିଟି ପଶୁ ରୋଗ ପରୀକ୍ଷାଗାରରେ ଏହି ନମୁନା ପରୀକ୍ଷା କରାଯାଇଥିଲା। ରିପୋର୍ଟ ପଜେଟିଭି ଆସିଛି।

ଫଳରେ ଏହାକୁ ମିଶାଇ ଏହି ଚିଡିଆଖାନାର ମୋଟ 9ଟି ସିଂହ କରୋନା ଭାଇରସର ଆକ୍ରାନ୍ତ ହୋଇଛନ୍ତି। ଗତ ଜୁନ 4 ତାରିଖରେ ଏକ ସିଂହର ଏହି କରୋନା କାରଣରୁ ମୃତ୍ୟୁ ହୋଇଛି। ସେହି ସିଂହର ନାମ ନୀଳା ଥିଲା।

ଏପରି ପରିସ୍ଥିତରେ ପ୍ରାଣୀ ଉଦ୍ୟାନର କର୍ମଚାରୀମାନଙ୍କୁ ଟୀକାକରଣ କରାଯାଇଛି ଏବଂ ସେମାନଙ୍କୁ କେବଳ ପିପିଇ କିଟ୍ ପିନ୍ଧି ପଶୁ ଏନକ୍ଲୋଜରରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଯୁକ୍ତ ୨ ପରୀକ୍ଷା ଫଳ: ଆଜି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ ବିଶେଷଜ୍ଞ କମିଟି

ଭୁବନେଶ୍ବର: ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜି ରାଜ୍ୟ ସରକାରଙ୍କୁ ପରୀକ୍ଷା ଫଳ ପ୍ରସ୍ତୁତି ଲାଗି ଗଠିତ ବିଶେଷଜ୍ଞ ଟିମ ରିପୋର୍ଟ ପ୍ରଦାନ କରିବେ। ଦଶମ ବୋର୍ଡ ପରୀକ୍ଷା ଫଳ ଆଧାରରେ ଯୁକ୍ତ ୨ ପରୀକ୍ଷା ଫଳ ମୂଲ୍ୟାୟନକୁ ଗୁରୁତ୍ଵ ଦିଆଯିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ମଇ ମାସରେ ୪ଜି ସ୍ପିଡ୍ ତାଲିକାରେ ଶୀର୍ଷସ୍ଥାନ ଅଧିକାର କରିଛି ଜିଓ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଭାରତୀୟ ଟେଲିକମ୍ ବଜାରରେ ନିଜର ଦବ୍‌ଦବା କାୟମ ରଖି ରିଲାଏନ୍ସ ଜିଓ ପୁଣିଥରେ ୪ଜି ସ୍ପିଡ ତାଲିକାରେ ଶୀର୍ଷ ସ୍ଥାନରେ ରହିିଛି ଏବଂ ୨୦୨୧ ମଇ ମାସରେ ସେକେଣ୍ଡ ପ୍ରତି ୨୦.୭ ମେଗାବିଟ୍ (ଏମବିପିଏସ୍‌) ହାରାହାରି ୪ଜି ସ୍ପିଡ୍ ସହିତ ନିଜର ନେତୃତ୍ୱ ସ୍ଥାନ ବଜାୟ ରଖିଥିବା ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟରେ କୁହାଯାଇଛି।

ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓର ୪ଜି ନେଟୱର୍କ ସ୍ପିଡ ପୂର୍ବ ମାସ ତୁଳନାରେ ସାମାନ୍ୟ ବୃଦ୍ଧିପାଇଛି, ତେବେ ଚଳିତ ବର୍ଷ ମଇ ମାସରେ ଏହାର ହାରାହାରି ୪ଜି ଡାଉନଲୋଡ ସ୍ପିଡ ତାହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭୋଡାଫୋନ ଆଇଡିଆ ତୁଳନାରେ ତିନିଗୁଣରୁ ଅଧିକ ରହିଥିଲା। ଏହି ମାସରେ ଭୋଡାଫୋନ ଆଇଡିଆ ହାରାହାରି ଡାଉନଲୋଡ ସ୍ପିଡ୍ ୬.୩ ଏମବିପିଏସ୍ ରହିଥିବା ବେଳେ ଭାରତୀ ଏୟାରଟେଲର ଉକ୍ତ ମାସରେ ସର୍ବନିମ୍ନ ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ୪.୭ ଏମବିପିଏସ୍ ରହିଥିବା ଏହି ତଥ୍ୟରୁ ଜଣାପଡିଛି।

ତେବେ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡରେ ଭୋଡାଫୋନ ଆଇଡିଆର ମଇ ମାସରେ ସର୍ବାଧିକ ୬.୩ ଏମବିପିଏସ୍ ଥିବାବେଳେ ତାହା ପଛକୁ ରିଲାଏନ୍ସ ଜିଓର ହାରାହାରି ଅପ୍‌ଲୋଡ ସ୍ପିଡ ୪.୨ ଏମବିପିଏସ୍ ଏବଂ ଭାରତୀ ଏୟାରଟେଲର ୩.୬ ଏମବିପିଏସ୍ ରହିଥିଲା।

ଉଲ୍ଲେଖଯୋଗ୍ୟ ଯେ ଡାଉନଲୋଡ ସ୍ପିଡ ଗ୍ରାହକଙ୍କୁ ଇଂଟରନେଟରୁ ବ୍ରାଉଜ୍ କରି ବିଭିନ୍ନ ବିଷୟବସ୍ତୁର ସୁଯୋଗ ନେବାରେ ସହାୟତା କରିଥାଏ ଏବଂ ଅପ୍‌ଲୋଡ ସ୍ପିଡ ସେମାନଙ୍କୁ ସେମାନଙ୍କ ସଂଯୋଗରେ ଥିବା ବ୍ୟକ୍ତିଙ୍କ ନିକଟକୁ ଫଟୋଚିତ୍ର ଅଥବା ଭିଡିଓ ପଠାଇବା ଅଥବା ସେମାନଙ୍କ ସହିତ ଏହା ସହଭାଗିତା କରିବାରେ ସହାୟକ ହୋଇଥାଏ। ହାରାହାରି ସ୍ପିଡ୍ ଟ୍ରାଇ ପକ୍ଷରୁ ସମଗ୍ର ଦେଶରେ ମାଇଁସ୍ପିଡ୍ ଆପ୍ଲିକେସନ ସହାୟତାରେ ବାସ୍ତବ ସମୟ ଭିତ୍ତିରେ ସଂଗ୍ରହ କରାଯାଉଥିବା ତଥ୍ୟ ଆଧାରରେ ଗଣନା କରାଯାଇଥାଏ।

ଟ୍ରାଇ ପକ୍ଷରୁ ମାଇଁସ୍ପିଡ ପୋର୍ଟାଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ମଧ୍ୟ ଜିଓ ହାରାହାରି ୪ଜି ଡାଉନଲୋଡ୍ ସ୍ପିଡ ୩୬.୬ ଏମବିପିଏସ୍ ସହିତ ଏହାର ନେତୃତ୍ୱ ସ୍ଥାନ ବଜାୟ ରଖିଛି ଏବଂ ଏହା ପଛକୁ ଭୋଡାଫୋନ ଆଇଡିଆ ହାରାହାରି ୬.୩ ଏମବିପିଏସ୍ ଡାଉନଲୋଡ ସ୍ପିଡ, ଭାରତୀ ଏୟାରଟେଲ ହାରାହାରି ୪.୬ ଏମବିପିଏସ୍ ୪ଜି ଡାଉନଲୋଡ ସ୍ପିଡ୍ ହାସଲ କରିଥିବା ଜଣାପଡିଛି । ଅନୁରୂପ ଭାବରେ ରାଜ୍ୟରେ ଭୋଡାଫୋନ ଆଇଡିଆର ୭.୭ ଏମବିପିଏସ୍ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ ରହିଥିବାବେଳେ ତାହା ପଛକୁ ଜିଓର ୫.୭ ଏମବିପିଏସ୍ ହାରାହାରି ଅପ୍‌ଲୋଡ ସ୍ପିଡ ଏବଂ ଏୟାରଟେଲର ୩.୧ ଏମବିପିଏସ୍ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ ରହିଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

 ସିବିଏସଇ ପରେ ଆଇସିଏସଇ ମଧ୍ୟ କହିଲା: ଜୁଲାଇ ୩୧ ସୁଦ୍ଧା ଘୋଷଣା ହେବ ଦ୍ଵାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କୁ ସିବିଏସଇ ବୋର୍ଡ ଅବଗତ କରାଇବା ପରେ କାଉନ୍ସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ଜାମିନେସନ ମଧ୍ୟ ଦ୍ଵାଦଶ ପରୀକ୍ଷା ଫଳ ନେଇ ଘୋଷଣା କରିଛି। ଜୁଲାଇ ୩୧ ତାରିଖ ସୁଦ୍ଧା ଦ୍ଵାଦଶ ପରୀକ୍ଷା ଫଳ ପ୍ରକାଶ ହେବ ବୋଲି ସିଆଇଏସସିଇ ଘୋଷଣା କରିଛି। ଦ୍ଵାଦଶ ପରୀକ୍ଷା ଫଳ ଜୁଲାଇ ୨୦ ତାରିଖ ବଦଳରେ ଜୁଲାଇ ୩୧ ତାରିଖ ପୂର୍ବରୁ ଘୋଷଣା ହେବ ବୋଲି ଆଇସିଏସଇ ଘୋଷଣା କରିଛି। ଦ୍ଵାଦଶ ପରୀକ୍ଷା ଫଳ ସହ ଏକାଦଶର ଇଣ୍ଟରନାଲ ମାର୍କ୍ସ ଆଧାରରେ ଏହି ପରୀକ୍ଷା ଫଳ ନିର୍ଣ୍ଣୟ କରାଯିବ।

ଉଲ୍ଲେଖ ଯୋଗ୍ୟ ଯେ, ଆଜି ସୁପ୍ରିମକୋର୍ଟଙ୍କୁ ସିବିଏସଇ ବୋର୍ଡ ଦ୍ଵାଦଶ ପରୀକ୍ଷା ଫଳ ଜୁଲାଇ ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ ବୋଲି ଅବଗତ କରିଥିଲା। ଏନେଇ ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ବୋର୍ଡ ଏକ ଫର୍ମୁଲା ଉପସ୍ଥାପନ କରିଛି। ଦଶମ ଏବଂ ଏକାଦଶ ପରୀକ୍ଷା ଆଧାରରେ ପରୀକ୍ଷା ଫଳ ପ୍ରକାଶ ହେବ। ମୂଲ୍ୟାୟନ ସମୟରେ ଦଶମ ଏବଂ ଏକାଦଶ ପରୀକ୍ଷା ଫଳର ୩୦ ପ୍ରତିଶତ ନମ୍ବରକୁ ବିଚାର କରାଯିବାକୁ ଥିବା ବେଳେ ଦ୍ଵାଦଶର ପ୍ରି-ବୋର୍ଡ ପରୀକ୍ଷାର ୪୦ ପ୍ରତିଶତ ନମ୍ବରକୁ ବିଚାରକୁ ନିଆଯିବ। ଏନେଇ ସୁପ୍ରିମକୋର୍ଟଙ୍କୁ ସିବିଏସଇ ବୋର୍ଡ ଅବଗତ କରାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ପ୍ରସ୍ତୁତ ବାୟୋଲୋଜିକାଲ-ଇ ଟୀକା ହେବ ୯୦ ପ୍ରତିଶତ ପ୍ରଭାବୀ!: କରୋନା ଲଢେଇ ପାଇଁ ହୋଇପାରେ ଗେମଚେଞ୍ଜର

ନୂଆଦିଲ୍ଲୀ: ଦେଶରେ ନିର୍ମିତ ବାୟୋଲୋଜିକାଲ-ଇ ଟୀକା କୋଭିଡ଼ ବିରୋଧରେ ୯୦ ପ୍ରତିଶତ ପ୍ରଭାବୀ ହେବ ବୋଲି ସମ୍ଭାବନା ରହିଛି। ଏହା କରୋନା ମହାମାରୀ ବିରୋଧ ଲଢେଇରେ ଗେମ ଚେଞ୍ଜର ହୋଇପାରେ। ସରକାରଙ୍କ ପରାମର୍ଶଦାତା କମିଟିକୁ ଦେଶର ଜଣେ ବରିଷ୍ଠ ଡାକ୍ତର ଏନେଇ ଏହି ଅବଗତ କରାଇଛନ୍ତି।

କେନ୍ଦ୍ର ସରକାରର କୋଭିଡ଼ ୱାର୍କିଂ ଗୃପର ଅଧ୍ୟକ୍ଷ ଏନକେ ଅରୋରା କହିଛନ୍ତି ଯେ, ଏହି ଟୀକା ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ପହଞ୍ଚି ସାରିଛି। ଏବଂ ଏହା ଅକ୍ଟୋବର ମାସରେ ଉପଲବ୍ଧ ହୋଇପାରିବ। ଡା. ଅରୋରାଙ୍କ ଅନୁସାରେ, ବାୟୋଲୋଜିକାଲ-ଇ ଟୀକାକୁ କୋର୍ବେଭାକ୍ସ କୁହାଯିବ ଏବଂ ଏହା ନୋଭାଭାକ୍ସ ଭଳି ହେବ।

ସେହିହାଳି କମ୍ପାନୀର ସୂଚନା ଅନୁଯାୟୀ, କୋଭିଡ଼ର ଭ୍ୟାରିଏଣ୍ଟ ବିରୋଧରେ ନୋଭାଭାକ୍ସ ୯୦ ପ୍ରତିଶତରୁ ଅଧିକ ପ୍ରଭାବୀ। ନୋଭାଭାକ୍ସକୁ ଦେଶରେ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଦ୍ଵାରା ପ୍ରସ୍ତୁତ କରାଯିବ। ବର୍ତ୍ତମାନ ଏହି କମ୍ପାନୀ ଅକ୍ସୋଫୋର୍ଡ-ଆଷ୍ଟ୍ରୋଜୋନିକାର କୋଭିଷିଲ୍ଡ ଟୀକା ପ୍ରସ୍ତୁତ କରୁଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜୁଲାଇ ୩୧ ତାରିଖ ସୁଦ୍ଧା ସିବିଏସଇ ଦ୍ଵାଦଶ ପରୀକ୍ଷା ଫଳ: ଜାଣନ୍ତୁ କେମିତି ହେବ ମୂଲ୍ୟାୟନ

ନୂଆଦିଲ୍ଲୀ: ଜୁଲାଇ ୩୧ ତାରିଖ ସୁଦ୍ଧା ସିବିଏସଇ ଦ୍ଵାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ଏକ ଫର୍ମୁଲା ପ୍ରସ୍ତୁତ କରାଯାଇଛି। ଦଶମ ଏବଂ ଏକାଦଶ ପରୀକ୍ଷା ଆଧାରରେ ପରୀକ୍ଷା ଫଳ ପ୍ରକାଶ ହେବ। ମୂଲ୍ଯାୟାନ ସମୟରେ ଦଶମ ଏବଂ ଏକାଦଶ ପରୀକ୍ଷା ଫଳର ୩୦ ପ୍ରତିଶତ ନମ୍ବରକୁ ବିଚାର କରାଯିବାକୁ ଥିବା ବେଳେ ଦ୍ଵାଦଶର ପ୍ରି-ବୋର୍ଡ ପରୀକ୍ଷାର ୪୦ ପ୍ରତିଶତ ନମ୍ବରକୁ ବିଚାରକୁ ନିଆଯିବ। ଏନେଇ ଆଜି ସୁପ୍ରିମକୋର୍ଟଙ୍କୁ ସିବିଏସଇ ବୋର୍ଡ ଅବଗତ କରାଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର ମନୋରଂଜନ

ଗାଜିଆବାଦ ବୃଦ୍ଧଙ୍କୁ ମାରପିଟ ଘଟଣା: ବିବାଦୀୟ ଟ୍ବିଟ କରିବା ଅଭିଯୋଗରେ ଅଭିନେତ୍ରୀ ସ୍ଵରା ଭାସ୍କରଙ୍କ ନାଁରେ ଥାନାରେ ଏତଲା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦରେ ମୁସଲିମ ବୃଦ୍ଧଙ୍କ ଦାଢି କାଟିବା ମାମଲାରେ ବଲିଉଡ ଅଭିନେତ୍ରୀ ସ୍ଵରା ଭାସ୍କରଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି। ସ୍ଵରା ଭାସ୍କରଙ୍କ ସମେତ ଅରଫା ଖାନମ ଶେଖାନୀ, ଆସିଫ ଖାନ, ଟ୍ବିଟର ଇଣ୍ଡିଆ ଏବଂ ଟ୍ବିଟର ଇଣ୍ଡିଆର ମୁଖ୍ୟ ମନୀଷ ମହେଶ୍ଵରଙ୍କ ନାମରେ ମଧ୍ୟ ଏହି ଘଟଣାରେ ପୋଲିସ ଅଭିଯୋଗ ଆଣିଛି।

ଅଭିଯୋଗ ଅନୁଯାୟୀ, ବିବାଦୀୟ ଟ୍ବିଟ କରିବା ଯୋଗୁଁ ସମସ୍ତଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି। ସମସ୍ତେ ମୁସଲିମ ବୃଦ୍ଧଙ୍କ ଦାଢି କାଟିବାକୁ ବିରୋଧ କରି ଟ୍ବିଟ କରିଥିଲେ। ଯାହାଫଳରେ ଅନେକ ଲୋକ ଏହାକୁ ରିଟ୍ବିଟ କରିଥିଲେ। ଓକିଲ ଅମିତ ଆଚାର୍ଯ୍ୟ ଏମାନଙ୍କ ବିରୋଧରେ ଦିଲ୍ଲୀର ତିଲକ ମାର୍ଗ ଥାନାରେ ଅଭିଯୋଗ କରିଛନ୍ତି। ହେଲେ ବର୍ତ୍ତମାନ ଏତଲା ରୁଜୁ ହୋଇନାହିଁ। ପୋଲିସ ଏହି ଘଟଣା ଉପରେ ତଦନ୍ତ ଜାରି ରଖିଛି।

ଏହା ପୂର୍ବରୁ କେତେଜଣ ସାମ୍ବାଦିକ ଏବଂ ନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସାମ୍ବାଦିକ ରାଣା ଆୟୁବ, ସବା ନକବୀ, ଶମା ମହମ୍ମଦ, କଂଗ୍ରେସ ନେତା ସଲମନ ନିଜାମୀଙ୍କ ସମେତ ଅନେକ ଲୋକଙ୍କ ଉପରେ ଭ୍ରମିତ ପୋଷ୍ଟ କରିବାକୁ ନେଇ ପୋଲିସ ମାମଲା ରୁଜୁ କରିଛି।

ଉଲ୍ଲେଖ ଯୋଗ୍ୟ ଯେ, ଗାଜିଆବାଦର ଜଣେ ବୃଦ୍ଧଙ୍କୁ ମାରପିଟ ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ‘ଜୟ ଶ୍ରୀ ରାମ’ କହିବା ପାଇଁ ବାଧ୍ୟ କରିଥିବା ପୀଡିତ ବ୍ୟକ୍ତି ଅଭିଯୋଗ କରିଥିଲେ। ହେଲେ ଏହା କୌଣସି ସମ୍ପ୍ରଦାୟିକ ମାମଲା ହୋଇଥିବା ପୋଲିସ ମନା କରିଦେଇଛି।

ପୋଲିସ କହିବା ଅନୁଯାୟୀ, ୬ ଜଣ ହିନ୍ଦୁ-ମୁସଲିମ ଲୋକ ମିଶି ସୁଫି ଅବଦୁଲ ସମଦଙ୍କୁ ପିଟିବାରେ ସାମିଲ ଥିଲେ। ଅବଦୁଲ ବିକୁଥିବା ତାବିଜକୁ ନେଇ ଅଭିଯୁକ୍ତମାନେ ଅସନ୍ତୋଷ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୩୯ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୩୪୭୦ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩୯ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୪୭୦ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ, ଝାରସୁଗୁଡା, ପୁରୀ, ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ, ଗଞ୍ଜାମ, କଳାହାଣ୍ଡି ଓ ଜଗତସିଂହପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ସୋନପୁର ଓ ବୌଦ୍ଧ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ, ନବରଙ୍ଗପୁର,ନୂଆପଡା ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୬୬ ହଜାର ୬୯୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୧୭ ହଜାର ୩୫୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪୭ ହଜାର ୭୯୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୪୭୦ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ ହଜାର ୨୦୮ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୬୭ ହଜାର ୨୦୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୩୩୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୯୭ ଲକ୍ଷ ୩୧୩ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୯ ହଜାର ୩୬୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୩ ଲକ୍ଷ ୮୩ ହଜାର ୯୪୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୮ ଲକ୍ଷ ୨୬ ହଜାର ୭୪୦ ଆକ୍ଟିଭ୍‌ କେସ୍ ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ, ତହିଁରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନ

ଭୁବନେଶ୍ବର, ଖୁବ ଶିଘ୍ର କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ସହିତ ସଂପ୍ରସାରଣ ହେବ। ଏ ନେଇ ଜାତୀୟ ଗଣ ମାଧ୍ୟମରେ ଚାଲିଛି ଚର୍ଚ୍ଚା। ତେବେ ପ୍ରଧାନମନ୍ତ୍ରୀଙ୍କ ଘନଘନ ବୈଠକ, ମନ୍ତ୍ରୀମାନଙ୍କ ସହିତ 1-2-1  ଆଲୋଚନା ଏହି ଅଦଳବଦଳକୁ ନିଶ୍ଚିତ କରିଦେଇଛି। ଯେଉଁଦିନଠାରୁ ଏହି ଖବର ଆସିଲାଣି ସେହି ଦିନଠାରୁ କିଏ ମନ୍ତ୍ରୀ ହେବ, କିଏ ବାହାରିବ ସେ ନେଇ ଚର୍ଚ୍ଚା ଜାରୀ ରହିଛି।

ବର୍ତ୍ତମାନ ଓଡିଶାରୁ କିଏ ମନ୍ତ୍ରୀ ହେବ କିଏ ବାହାରିବ ସେ ନେଇ ମଧ୍ୟ ଆଲୋଚନା ଚାଲିଛି। ତେବେ ଏହି ଚର୍ଚ୍ଚା ଭିତରେ ସମସ୍ତଙ୍କର ନଜର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ରହିଛି। କାରଣ ଧର୍ମେନ୍ଦ୍ର 2014 ମସିହାରୁ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି ଏବଂ ମୋଦିସାହାଙ୍କ ବେଶ ଘନିଷ୍ଠ ମଧ୍ୟ ଅଛନ୍ତି।  ସେ ହେଉଛନ୍ତି ଏପରି ଜଣେ ମନ୍ତ୍ରୀ ଯେ କି ମୋଦି ସରକାରର ଦୁଇ ପାଳିରେ ଗୋଟିଏ ବିଭାଗ ଦାୟିତ୍ବରେ ରହିଛନ୍ତି।

ତେବେ ମନ୍ତ୍ରୀମଣ୍ଡଳ ଅଦଳବଦଳ ପକ୍ରିୟାରେ ଧର୍ମେନ୍ଦ୍ର ରହିବେ ନା ଯିବେ ସେ ନେଇ ବିଭିନ୍ନ ମହଲରେ ଆଲୋଚନା ଚାଲିଛି। ତେବେ ଦିଲ୍ଲୀ ଗଣମାଧ୍ୟମ ଚର୍ଚ୍ଚା ଅନୁସାରେ ଧର୍ମେନ୍ଦ୍ରଙ୍କୁ ବର୍ତ୍ତମାନ କେହି ହଲାଇ ପାରିବେ ନାହିଁ। କାରଣ ତାଙ୍କର ଦିଲ୍ଲୀରେ ଯେପରି ଦବଦବା ରହିଛି ସେଥିରେ ସେ ଆହୁରି ଶକ୍ତିଶାଳୀ ହେବା ସିନା ହଟିବେ ନାହିଁ।

ତେବେ ବିଶେଷ ସୁତ୍ରରୁ ଯାହା ଖବର ମିଳିଛି ସେହି ଅନୁସାରେ ଧର୍ମେନ୍ଦ୍ରଙ୍କ ବିଭାଗ ବଦଳି ଯାଇପାରେ। କାରଣ ସେ ଦୀର୍ଘ ବର୍ଷ ଧରି ପେଟ୍ରୋଲିୟମ ବିଭାଗ ଦାୟିତ୍ବରେ ରହିଆସିଛନ୍ତି। ବର୍ତ୍ତମାନ ଦେଶରେ ପେଟ୍ରୋଲ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଫଳରେ ଦେଶର ସାଧାରଣ ଖାଉଟି ହନ୍ତସନ୍ତ ହେଲେଣି। ଏପରି ପରିସ୍ଥିତିରେ ଲୋକଙ୍କ ବିଶ୍ବାସଭାଜନ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ବିଭାଗ ପରିବର୍ତ୍ତନ କରିପାରନ୍ତି ବୋଲି ଜଣାପଡିଛି।

ବର୍ତ୍ତମାନ ଧର୍ମେନ୍ଦ୍ରଙ୍କ ପାଖରେ ଦୁଇଟି ଗୁରତ୍ବ ପୂର୍ଣ୍ଣ ପେଟ୍ରୋଲିୟମ ଏବଂ ଇସ୍ପାତ ବିଭାଗ ରହିଛି। ଯେହେତୁ ମନ୍ତ୍ରୀ ମଣ୍ଡଳ ସଂପ୍ରସାର କରାଯାଉଛି ଏବଂ ନୂଆ ମୁହଁଙ୍କୁ ସାମିଲ କରାଯିବ, ସେଥିପାଇଁ ମନ୍ତ୍ରୀମାନଙ୍କ ହାତରେ ଆଉ ବହୁ ବିଭାଗ ରହିବ ନାହିଁ। ସେହି ଅନୁସାରେ ଧର୍ମେନ୍ଦ୍ରଙ୍କର ମଧ୍ୟ ଦୁଇଟି ବିଭାଗ ବଦଳରେ ଗୋଟିଏ ବିଭାଗର ମନ୍ତ୍ରୀ ହେବାର ସମ୍ଭାବନା ରହିଛି। ତେବେ ଏହି ଅଦଳବଦଳ ପକ୍ରିୟାରେ ଧର୍ମେନ୍ଦ୍ର ଆହୁରି ଶକ୍ତିଶାଳୀ ହେବେ ବୋଲି ଦିଲ୍ଲୀରେ ଚର୍ଚ୍ଚା ଚାଲିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ଚିହ୍ନଟ ହେଲେ ୩ ହଜାର ୬୩୧ ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୬୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୦୬୯ ଜଣ ଚିହ୍ନଟ ହୋଇଥିବା ବେଳେ ୧୫୬୨ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୬୬ ହଜାର ୬୯୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୧୭ ହଜାର ୩୫୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪୭ ହଜାର ୭୯୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୪୩୧ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୩ ହଜାର ୬୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୦୬ ଜଣ, କଟକ ଜିଲ୍ଲାରୁ ୪୩୮ ଜଣ, ଅନୁଗୁଳ ଜିଲ୍ଲାରୁ ୨୦୪ ଜଣ, ବାଲେଶ୍ଵର ଜିଲ୍ଲାରୁ ୨୬୨ ଜଣ, ବରଗଡ ଜିଲ୍ଲାରୁ ୫୦ ଜଣ, ଭଦ୍ରକ ଜିଲ୍ଲାରୁ ୧୭୮, ବଲାଙ୍ଗୀରି ଜିଲ୍ଲାରୁ ୩୬, ବୌଦ୍ଧ ଜିଲ୍ଲାରୁ ୮୪, ଦେବଗଡ ଜିଲ୍ଲାରୁ ୨୮, ଢେଙ୍କାନାଳ ଜିଲ୍ଲାରୁ ୧୧୪ ଜଣ, ଗଜପତି ଜିଲ୍ଲାରୁ ୧୮ ଜଣ, ଗଞ୍ଜାମ ଜିଲ୍ଲାରୁ ୨୭ ଜଣ, ଜଗତସିଂହପୁର ଜିଲ୍ଲାରୁ ୯୨ ଜଣ, ଯାଜପୁର ଜିଲ୍ଲାରୁ ୩୦୫ ଜଣ, ଝାରସୁଗୁଡା ଜିଲ୍ଲାରୁ ୧୯ ଜଣ, କଳାହାଣ୍ଡିରୁ ୪୧ ଜଣ, କନ୍ଧମାଳ ଜିଲ୍ଲାରୁ ୪୮ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୨୦ ଜଣ, କେନ୍ଦୁଝର ଜିଲ୍ଲାରୁ ୬୮ ଜଣ, କୋରାପୁଟ ଜିଲ୍ଲାରୁ ୮୦ ଜଣ, ମାଲକାନାଗିରି ଜିଲ୍ଲାରୁ ୫୬ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୧୨ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୦୮ ଜଣ, ନୟାଗଡ ଜିଲ୍ଲାରୁ ୧୦୬ ଜଣ, ନୂଆପଡା ଜିଲ୍ଲାରୁ ୧୯ ଜଣ, ପୁରୀ ଜିଲ୍ଲାରୁ ୧୯୯ ଜଣ, ରାୟଗଡା ଜିଲ୍ଲାରୁ ୭୯ ଜଣ, ସମ୍ବଲପୁର ଜିଲ୍ଲାରୁ ୩୭ ଜଣ, ସୋନପୁର ଜିଲ୍ଲାରୁ ୫୦ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୮୩ ଜଣ ଏବଂ ଷ୍ଟେଟ ପୁଲରୁ ୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର

ମନ୍ଦିର ଦର୍ଶନ: ପନ୍ଦର ହଜାର କେଜି ସୁନାରେ ଝଟକୁଛି ମା ଲକ୍ଷ୍ମୀଙ୍କ ମନ୍ଦିର, ଶ୍ରୀଚକ୍ର ଆକୃତିରେ ହୋଇଛି ନିର୍ମାଣ

ଚେନ୍ନାଇ, ତାମିଲନାଡୁର ଭେଲରୋରେ ରହିଛି ଏକ ଆଶ୍ଚର୍ଯ୍ୟ ମନ୍ଦିର। ଯାହାକୁ ଯେ କେହି ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି। ଏହି ମନ୍ଦିରର ନାମ ହେଉଛି ଶ୍ରୀପୁରମ ସ୍ବର୍ଣ୍ଣ ମନ୍ଦିର। ଚେନ୍ନାଇରୁ 145 କିଲୋମିଟର ଦୂରରେ ଥିବା ମାଲାଲକୋଡି ପାହାଡ ଉପରେ ଏହି ମନ୍ଦିରଟି ଅବସ୍ଥିତ। ଏହି ମନ୍ଦିରରେ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ।

ଏହି ମନ୍ଦିରର ଦୁଇଟି ବଡ ବିଶେଷତ୍ବ ରହିଛି। ତାହା ହେଉଛି ଏହାର ବିମାନମ ଏବଂ ଅର୍ଦ୍ଧ ମଣ୍ଡପମ ଦୁଇଟି ଖାଣ୍ଟି ସୁନାରେ ତିଆରି କରାଯାଇଛି। ଏହା ଭିତରକୁ ଯିବା ବେଳେ ସ୍ତମ୍ବଠାରୁ ଆରମ୍ଭ କରି ମନ୍ଦିରର କାରୁକାର୍ଯ୍ୟ ଖାଣ୍ଟି ସୁନାରେ ତିଆରି ହୋଇଛି। ଏଥିରେ 15 ହଜାର କିଲୋଗ୍ରାମର ସୁନା ଲାଗିଛି।

ପ୍ରାୟ ଶହେ ଏକର ପରିମିତ ସ୍ଥାନରେ ଥିବା ଏହି ମନ୍ଦିରର ଆଉ ଏକ ବିଶେଷତ୍ବ ହେଉଛି ଯେ ଏହା ଶ୍ରୀଚକ୍ର ଆକୃତିର ନିର୍ମାଣ କରାଯାଇଛି। ଉପରୁ ଦେଖିଲେ ଏହା ଏକ ଶ୍ରୀଚକ୍ର ପରି ଦୃଶ୍ୟମାନ ହେଉଛି। 

ଶ୍ରୀପୁରମରେ ଏକ ତାରା ଆକୃତିର ରାସ୍ତା ଅଛି ଯାହାର ଲମ୍ବ ପ୍ରାୟ 1.8 କିଲୋମିଟର । ଭକ୍ତମାନେ ଏହି ରାସ୍ତା ଚାଲିଚାଲି ମନ୍ଦିର ଭିତରକୁ ଯିବାକୁ ପଡିବ। ଏହି ରାସ୍ତାରେ ସମସ୍ତ ଧର୍ମଶାସ୍ତ୍ରର ପୁସ୍ତକ ପଢିବା ଏବଂ ଧାର୍ମିକ ଜିନିଷ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି। ମନ୍ଦିର ପରିସରରେ 27 ଫୁଟ ଉଚ୍ଚର ଦୀପ ମାଲିକା ମଧ୍ୟ ଅଛି । ଏହାକୁ ଜାଳିବା ପରେ ମନ୍ଦିର ପ୍ରକୃତରେ ମାତା ଲକ୍ଷ୍ମୀଙ୍କ ବାସସ୍ଥାନ ପରି ଦେଖାଯାଏ ।

ତେବେ ଏହି ମନ୍ଦିରର କୌଣସି ପ୍ରାଚୀନତା ନ ଥିଲେ ମଧ୍ୟ ବର୍ତ୍ତମାନ ଏହା ଏକ ପ୍ରମୁଖ ତୀର୍ଥସ୍ଥଳ ପାଲଟି ଯାଇଛି। ଏହି ମନ୍ଦିରର ନିର୍ମାଣ 2000 ମସିହାର ଆରମ୍ଭ କରାଯାଇଥିଲା। ନିର୍ମାଣ ଶେଷ ହେବାକୁ ପ୍ରାୟ ସାତ ବର୍ଷ ଲାଗିଯାଇଥିଲା। 2007 ମସିହା ଅଗଷ୍ଟ 24 ତାରିଖରେ ଏହି ମନ୍ଦିର ସର୍ବସାଧାରଣ ଦର୍ଶନ ପାଇଁ ଖୋଲା ଯାଇଥିଲା।

Categories
ଆଜିର ଖବର ଧର୍ମ

ବିସ୍ତୁତ ରାଶିଫଳ: ଜୁନ 17 ତାରିଖ ଗୁରୁବାରରେ ପାଞ୍ଚୋଟି ରାଶିର ଲୋକଙ୍କର ହଠାତ ଧନ ମିଳିବ

ମେଷ: – ଆଜି ଆପଣ ଦିନଟି ଖୁସିରେ ବିତାଇବେ । ବୌଦ୍ଧିକ ପ୍ରବୃତ୍ତି ଏବଂ ଆଲୋଚନା ପାଇଁ ଦିନଟି ଭଲ । ଆଜି ତୁମେ ତୁମର କଳ୍ପନାର ସର୍ବୋତ୍ତମ ବ୍ୟବହାର କରିପାରିବ । ପିଲାଠାରୁ ଭଲ ଖବର ପାଇ ମନ ଖୁସି ହେବ ।

ବୃଷ : – ଆଜି ଏକ ଶାନ୍ତିପୂର୍ଣ୍ଣ ଦିନ ହେବ । ମନ ଚିନ୍ତିତ ରହିବ ଏବଂ ବ୍ୟକ୍ତିଗତ ସମ୍ପର୍କୀୟଙ୍କ ସହ ମତଭେଦ ହେବାର ସମ୍ଭାବନା ଅଛି। ତଥାପି କୌଣସି ଅସୁବିଧା ଘଟିବ ନାହିଁ । ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ। ଅର୍ଥ ଏବଂ ଖ୍ୟାତି ହୋଇପାରେ ।

ମିଥୁନ: – ଯଦି ଆପଣ ଆଜି ନୂତନ କାର୍ଯ୍ୟ ଆରମ୍ଭ କରନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ସଫଳତା ପାଇବେ । ସାଙ୍ଗ ଏବଂ ପ୍ରିୟଜନଙ୍କ ସହିତ ଏକ ସାକ୍ଷାତ ଅଛି । ଆପଣ କାର୍ଯ୍ୟରେ ସଫଳତା ପାଇବେ ଏବଂ ପ୍ରତିଯୋଗୀମାନଙ୍କ ଉପରେ ବିଜୟ ପାଇବେ । ଭାଗ୍ୟ ବୃଦ୍ଧି ପାଇବ ଏବଂ ଆପଣ ମଧ୍ୟ ସାମାଜିକ ସମ୍ମାନ ପାଇବେ ।

କର୍କଟ : – ଆଜି ହଠାତ୍ ମୁଦ୍ରା ଲାଭ ହୋଇପାରେ । ପରିବାର ସଦସ୍ୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି, ଯାହା ଘରକୁ ନଷ୍ଟ କରିପାରେ । ଛାତ୍ରମାନଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ପଡିବ । ନକାରାତ୍ମକ ଚିନ୍ତାଧାରା ଉପରେ ସଂଯମ ରଖନ୍ତୁ । ଦୁଃସାହସିକ ପ୍ରବୃତ୍ତି ପାଇଁ ଦିନଟି ଉପଯୁକ୍ତ ଅଟେ ।

ସିଂହ: – ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଉତ୍ସାହିତ ହେବେ । ଆର୍ଥିକ ଦୃଷ୍ଟିରୁ ଦିନଟି ଲାଭଦାୟକ ଅଟେ । ଆଧ୍ୟାତ୍ମିକତା ଏବଂ ଚିନ୍ତା ଶକ୍ତି ଭଲ ରହିବ । ସାଙ୍ଗ ଏବଂ ସମ୍ପର୍କୀୟଙ୍କଠାରୁ ଉପହାର ପାଇବାର ସମ୍ଭାବନା ଅଛି ।

କନ୍ୟା: – ଆଜି ଆପଣଙ୍କ ଭିତରେ ଏକାଗ୍ରତାର ଅଭାବ ରହିବ । ଧାର୍ମିକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହେବ । ପୁଞ୍ଜି ବିନିଯୋଗରେ ବିଶେଷ ଧ୍ୟାନ ଆବଶ୍ୟକ । ପ୍ରିୟଜନଙ୍କଠାରୁ ଦୂରରେ ରୁହନ୍ତୁ, କାରଣ ସେମାନେ ବିଚ୍ଛିନ୍ନ ହୋଇପାରନ୍ତି । କୋର୍ଟ କାର୍ଯ୍ୟରେ ସାବଧାନ ରୁହନ୍ତୁ ।

ତୂଳା: – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ । ଦିନଟି ପ୍ରିୟଜନ, ସମ୍ପର୍କୀୟ ଏବଂ ସାଙ୍ଗମାନଙ୍କ ସହିତ ସାମାଜିକ କାର୍ଯ୍ୟ କରିବାରେ ଅତିବାହିତ ହେବ । ବନ୍ଧୁମାନେ ଉପକୃତ ହେବେ ଏବଂ ସେମାନଙ୍କ ପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ। ପ୍ରାଚୀନ ଏବଂ ପ୍ରିୟଜନଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇବ ।

ବିଛା : – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ । ଆଜି ଆପଣ ନୂତନ କାର୍ଯ୍ୟଗୁଡ଼ିକର ଆୟୋଜନ କରିବେ । ନିଯୁକ୍ତ ଏବଂ ବ୍ୟବସାୟୀମାନଙ୍କ ପାଇଁ ଆଜି ଏକ ଭଲ ଦିନ । ଉଚ୍ଚ ପଦାଧିକାରୀଙ୍କ କୃପା ରହିବ। ପୁରୁଣା ଅସମାପ୍ତ କାର୍ଯ୍ୟ ସମାପ୍ତ ହେବ । ପଦୋନ୍ନତି ଆର୍ଥିକ ଲାଭ ଆଣିପାରେ ।

ଧନୁ : – ଆଜି ଆପଣଙ୍କ ପାଇଁ ମାନସିକ ଦ୍ୱନ୍ଦ୍ୱର ଦିନ ହେବ । ଶରୀର, ମନ ଏବଂ ଧନରେ ବାଧା ଆସିବ । ଆଜି କୈଣସି କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ଏବଂ ପ୍ରତିଯୋଗୀମାନଙ୍କ ସହିତ କୌଣସି ପ୍ରକାର ଆଲୋଚନାରୁ ଦୂରେଇ ରୁହନ୍ତୁ ।

ମକର : – ଆଜି ତୁମର ଦିନ ଅସୁବିଧାରେ ପରିପୂର୍ଣ୍ଣ । କୌଣସି ନୂତନ କାର୍ଯ୍ୟ ଆରମ୍ଭ ନ କରିବା ଏବଂ ଆଜି ଚିକିତ୍ସା ଏବଂ ଅସ୍ତ୍ରୋପଚାର ନ କରିବାକୁ ପରାମର୍ଶ ଦିଆଯାଇଛି। କ୍ରୋଧରୁ ଦୂରରେ ରୁହନ୍ତୁ । ସରକାରୀ କାର୍ଯ୍ୟରେ ବାଧା ଉପୁଜିବ ।

କୁମ୍ଭ : – ଆଜି ତୁମର ଦିନ ମଧ୍ୟମ ଫଳପ୍ରଦ ଅଟେ । ଘର ବ୍ୟବସାୟରେ ସାବଧାନ ରୁହନ୍ତୁ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହେବ, କିନ୍ତୁ ମନ ଆପଣଙ୍କ ସାଥୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ହେବ। କିଛି ସୁନ୍ଦର ସ୍ଥାନ ପରିଦର୍ଶନ ପାଇଁ ଯୋଗ ପ୍ରସ୍ତୁତ କରାଯାଉଛି । ହଠାତ୍ ମୁଦ୍ରା ଲାଭ ହୋଇପାରେ ।

ମୀନ: – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ । ଘରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ ଏବଂ ମନ ମଧ୍ୟ ଖୁସି ହେବ । ସୁଖଦ ଘଟଣା ଘଟିବ । ଏହି ରୋଗରେ ପୀଡିତଙ୍କ ଅବସ୍ଥାରେ ଉନ୍ନତି ସହିତ ସନ୍ତୁଷ୍ଟ ହେବାର ସମ୍ଭାବନା ରହିବ ।