Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ମିଶନ ଶକ୍ତି ଋଣ ମେଳାରେ ବାଲୁଗାଁ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ପ୍ରଥମ ସ୍ଥାନ ଅକ୍ତିଆର କରି ପୁରସ୍କୃତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ସାରା ରାଜ୍ୟରେ ମହିଳାମାନଙ୍କୁ ସ୍ଵତନ୍ତ୍ର ପ୍ରାଧାନ୍ୟ ଦେବା ସହ ସେମାନଙ୍କୁ ସ୍ଵାବଲମ୍ବି କରିବା ପାଇଁ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ମହିଳା ଗୋଷ୍ଠୀଙ୍କୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଧାନ୍ୟ ଦେଇଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଏସଏଚଜି ମହିଳା ଗ୍ରୁପ ମାନଙ୍କୁ ସମସ୍ତ ସ୍ଵିକୃତି ପ୍ରାପ୍ତ ବ୍ୟାଙ୍କମାନଙ୍କୁ ସୁଲଭ ଶୁଦ୍ଧ ହାରରେ ଋଣ ଦେବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି।

ତେବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ଏସଏଚଜି ମହିଳା ଗ୍ରୁପକୁ ଋଣ ଦେବରେ ସର୍ବାଗ୍ରେ ରହିଛି ବାଲୁଗାଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ବାଲୁଗାଁ ଶାଖା ପ୍ରବନ୍ଧକ ଅମିତ ମିଶ୍ରଙ୍କୁ ଆଜି ଖୋର୍ଦ୍ଧା ଜୟୀ ରାଜଗୁରୁ ଭବନ ପରିସରରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଋଣ ମେଳା କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି।

ଉକ୍ତ ଋଣ ମେଳାରେ ଜିଲ୍ଲାର ପ୍ରତି ବ୍ଲକରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବ୍ୟାଙ୍କକୁ ପୁରସ୍କୃତ କରାଯାଇଥିବା ବେଳେ ଚିଲିକା ବ୍ଲକରେ ଏକ ନମ୍ବର ରହିଛି ବାଲୁଗାଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ।  ବାଲୁଗାଁ ଓଡିଶା ଗ୍ରାମ୍ୟବ୍ୟାଙ୍କ ଚଳିତ ଆର୍ଥିକ ବର୍ଷରେ ଅଦ୍ୟାବଧି ୬୭ଟି ଏସଏଚଜି ଗ୍ରୁପ ଆକାଉଣ୍ଟଧାରିଙ୍କୁ ୨.୮୦କୋଟି ଋଣ ଦେଇ ସର୍ବାଗ୍ରେ ରହିଛି। ଯାହାକୁ ନେଇ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ ଅମିତ ମିଶ୍ର ଖୁସି ବ୍ୟକ୍ତ କରିଥିବା ବେଳେ ଆଗାମି ଦିନରେ ସ୍ୱାବଲମ୍ବୀ କ୍ଷେତ୍ରରେ ଅଧିକରୁ ଅଧିକ ପ୍ରୟାସ ଜାରି ରହିବା ନେଇ ଶ୍ରୀ ମିଶ୍ର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୁନ୍ଦରଗଡ଼ରେ ମିଶନ ଶକ୍ତିର ମା’ଙ୍କ ପାଇଁ ସ୍ୱତନ୍ତ୍ର ନିବେଶକ ସମ୍ମିଳନୀ: ‘ଏସଏଚଜି ଟୁ ଏସଏମଇ’ ଲକ୍ଷ୍ୟ

ସୁନ୍ଦରଗଡ଼: ମିଶନ ଶକ୍ତି ଅଧୀନରେ ପରିଚାଳିତ ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆର୍ଥିକ ବିକାଶର ଏକ ନୂଆ ଉଚ୍ଚତାକୁ ନେବା ଲାଗି ବିଶେଷ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ଆଗାମୀ ଦିନରେ ‘ଏସଏଚଜି’ରୁ ‘ଏସଏମଇ’ ବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସୃଷ୍ଟି କରିବା ପାଇଁ ମିଶନ ଶକ୍ତିର ମା’ମାନଙ୍କୁ ପ୍ରସ୍ତୁତ କରାଯାଉଛି। ଏହି ଲକ୍ଷ୍ୟ ନେଇ ‘ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ-୨୦୨୨’ ପୂର୍ବରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର ‘ନିବେଶକ ସମ୍ମିଳନୀ’ କରାଯାଉଛି। ସୋମବାର ଦିନ ସୁନ୍ଦରଗଡ଼ଠାରେ ଏହି ସମ୍ମିଳନୀ ଆୟୋଜିତ ହୋଇଯାଇଛି।

ସୁନ୍ଦରଗଡ଼ସ୍ଥିତ ବିକାଶ ଭବନଠାରେ ମିଶନ ଶକ୍ତି ବିଭାଗ ଏବଂ ଫିକି ଆନୁକୂଲ୍ୟରେ ଏହି ଜିଲ୍ଲାସ୍ତରୀୟ ନିବେଶକ ସମ୍ମିଳନୀ କରାଯାଇଥିଲା। ଏଥିରେ ବିଭାଗୀୟ ସଚିବ ସୁଜାତା ଆର୍‌ କାର୍ତ୍ତିକେୟନ୍‌ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ଜିଲ୍ଲାର ଏସଏଚଜି ମହିଳାମାନଙ୍କ ଭିତରେ ‘ଉଦ୍ୟୋଗୀ’ ମନୋଭାବ ବଢ଼ାଇବା ଲାଗି କ୍ଷେତ୍ର ପ୍ରସ୍ତୁତ କରିବା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲାର ଏସଏଚଜି ମା’ମାନେ ବିଭିନ୍ନ କ୍ଷେତ୍ରରେ ଭଲ କାମ କରୁଥିବାରୁ ଶ୍ରୀମତୀ କାର୍ତ୍ତିକେୟନ୍‌ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ୮୦ଟି ଏସଏଚଜିର ସଦସ୍ୟାମାନେ ଏଥିରେ ଯୋଗ ଦେଇଥିଲେ।

‘‘ଓଡ଼ିଶାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଆଜି ବିଭିନ୍ନ ଜୀବିକା କ୍ଷେତ୍ରରେ ପାରଦର୍ଶିତା ଦେଖାଇଛନ୍ତି। ବିଶେଷକରି ଅଣପାରମ୍ପରିକ କ୍ଷେତ୍ର ସହିତ ନୂଆ ନୂଆ ଦାୟିତ୍ୱ ନେଇ ସେମାନଙ୍କର ଅଭିନବ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଫଳରେ ଆଜି ମିଶନ ଶକ୍ତିର ସଦସ୍ୟମାନେ ରାଜ୍ୟର ଆର୍ଥିକ ବିକାଶରେ ବଡ଼ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ତେଣୁ ‘ଏସଏଚଜି ଟୁ ଏସଏମଇ’ ଲକ୍ଷ୍ୟ ମାଧ୍ୟମରେ ଆଗାମୀ ଦିନରେ ସେମାନଙ୍କୁ ସଫଳ ଉଦ୍ୟୋଗୀ ଭାବେ ପ୍ରସ୍ତୁତ କରିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏହି ମହିଳାମାନେ ଆର୍ଥିକ ଭାବେ ଆହୁରି ସଶକ୍ତ ହେଲେ ନୂତନ ଓଡ଼ିଶା ଗଠନ ସମ୍ଭବ ହୋଇପାରିବ’’, ସୁନ୍ଦରଗଡ଼ ଜିଲ୍ଲାର ଏସଏଚଜି ମା’ମାନଙ୍କୁ ସମ୍ବୋଧନ କରି କହିଛନ୍ତି ସୁଜାତା ଆର୍‌ କାର୍ତ୍ତିକେୟନ୍‌।

ଶ୍ରୀମତୀ କାର୍ତ୍ତିକେୟନ୍‌ ଆହୁରି କହିଥିଲେ, ‘‘ରାଜ୍ୟର ଗାଁ ଗହଳିରେ ଥିବା ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏସଏମଇରେ ପରିଣତ କରିବାର ସମ୍ଭାବନା ରହିଛି। ଏଥିପାଇଁ ଉପଯୁକ୍ତ ନିବେଶର ଆବଶ୍ୟକତା ରହିଛି। ସୁନ୍ଦରଗଡ଼ ଜିଲ୍ଲାର ଏସଏଚଜି ମହିଳାମାନଙ୍କ ବ୍ୟବସାୟକୁ ସୁଦୃଢ଼ କରିବା ପାଇଁ ବ୍ୟାଙ୍କ ମାଧ୍ୟମରେ ୩୦୦ କୋଟି ଟଙ୍କାର ୠଣ ବ୍ୟବସ୍ଥା କରାଯାଇଛି। ତା’ଛଡ଼ା ଏହି ମହିଳା ଉଦ୍ୟୋଗୀମାନଙ୍କୁ ଆବଶ୍ୟକ ତାଲିମ ଦେବା ସହିତ ସେମାନଙ୍କର ଉତ୍ପାଦର ବଜାର ସଂଯୋଗୀକରଣ ଲାଗି ପଦକ୍ଷେପ ନିଆଯାଉଛି। ଏହିସବୁ ଦିଗରେ ପ୍ରଶାସନ ସହିତ ସ୍ଥାନୀୟ ଶିଳ୍ପ ସଙ୍ଗଠନ, ବିଭିନ୍ନ ଘରୋଇ ଶିଳ୍ପ ଏବଂ ଫିକିର ସଦସ୍ୟମାନେ ସହଯୋଗର ହାତ ବଢ଼ାଇଲେ ଏସଏଚଜି ମା’ମାନେ ନିଜକୁ ସଫଳ ଉଦ୍ୟୋଗୀ ଭାବେ ପ୍ରତିଷ୍ଠିତ କରିପାରିବେ।’’

ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏଁ ଭୁବନେଶ୍ୱରରେ ହେବାକୁ ଥିବା ମେକ ଇନ ଓଡ଼ିଶା କନକ୍ଲେଭରେ ମିଶନ ଶକ୍ତିର ମା’ମାନଙ୍କ ପାଇଁ ସ୍ୱତନ୍ତ୍ର ଅଧିବେଶନ କରାଯାଉଛି। ଏହା ସହିତ ସେଠାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଏସଏଚଜିର ଉତ୍ପାଦ ପ୍ରଦର୍ଶନ କରାଯିବ। ତେଣୁ ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମର ଭୂମିକା ସମ୍ପର୍କରେ ଜିଲ୍ଲାର ଏସଏଚଜି ମହିଳାମାନଙ୍କୁ ଧାରଣା ଦେବା ଥିଲା ଏହି ସମ୍ମିଳନୀର ଅନ୍ୟତମ ଉଦ୍ଦେଶ୍ୟ।

‘‘ମେକ ଇନ ଓଡ଼ିଶା କନକ୍ଲେଭ ପୂର୍ବରୁ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ନିବେଶକ କାର୍ଯ୍ୟକ୍ରମରେ ଆଜି ବହୁ ସଂଖ୍ୟାରେ ଏସଏଚଜି ମହିଳା ଯୋଗ ଦେଇଥିଲେ। ସେମାନେ ସ୍ଥାନୀୟ ଉଦ୍ୟୋଗୀ ତଥା ଶିଳ୍ପ ସଙ୍ଗଠନର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। ଉଦ୍ୟୋଗ ବିକାଶ କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲାର ଏସଏଚଜି ମହିଳାମାନଙ୍କ ପାଇଁ କ’ଣ ସବୁ ସୁଯୋଗ ରହିଛି ସେ ବିଷୟରେ ସେଠାରେ ବ୍ୟାପକ ଆଲୋଚନା କରାଯାଇଥିଲା। ଏହା ସହିତ ଏସଏଚଜି ମହିଳାମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ସାମଗ୍ରୀର କିପରି ଉଚିତ ବଜାର ସଂଯୋଗୀକରଣ କରାଯାଇପାରିବ ତା’ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ଜିଲ୍ଲାର ମହିଳା ଉଦ୍ୟୋଗୀମାନଙ୍କୁ ସେମାନଙ୍କ ବ୍ୟବସାୟ ପରିଚାଳନା କ୍ଷେତ୍ରରେ ନୂଆ ଦିଗ ଦେଖାଇପାରିବ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି।

ଏହି ଜିଲ୍ଲାସ୍ତରୀୟ ସମ୍ମିଳନୀରେ ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାର ପ୍ରମୁଖ ୨୪ଟି କମ୍ପାନିର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆଇଏଫଜିଏଲ, ଏନଟିପିସି ଦର୍ଲିପାଲି, ଏନଟିପିସି ଡୁଲୁଙ୍ଗା ଏବଂ ଓସିଏଲ୍‌ କମ୍ପାନି ଏସଏଚଜି ମା’ମାନଙ୍କଠାରୁ ୧ କୋଟି ୧୨ ଲକ୍ଷ ଟଙ୍କାର ବିଭିନ୍ନ ସାମଗ୍ରୀ ଓ ଉତ୍ପାଦ କିଣିବା ପାଇଁ ଘୋଷଣା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର ଯୁଗ୍ମ ସଚିବ ବିନୋଦ ଜେନା, ସୁନ୍ଦରଗଡ଼ ଜିଲ୍ଲା‌ ପରିଷଦର ଉପାଧ୍ୟକ୍ଷ କମଲ ଲାକ୍ରା, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ‌ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ,  ଉପଜିଲ୍ଲାପାଳ ଦାଶରଥି ସରାବୁ,  ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ର, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଲମ୍ବୋଦର ବାସ୍କେ ଏବଂ ରାଉରକେଲା ଚାମ୍ବର ଅଫ କମର୍ସର ସଭାପତି ସୁବ୍ରତ ପଟ୍ଟନାୟକଙ୍କ ସହିତ ଫିକିର ଅଧିକାରୀମାନେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମ ଅବସରରେ ବିଶ୍ରା ବ୍ଲକର ଦିବ୍ୟଜ୍ୟୋତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଟାଙ୍ଗରପାଲି ବ୍ଲକର ଧନଲକ୍ଷ୍ମୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କର ସଫଳ ଏସଏଚଜି ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ସେଠାରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ଏସଏଚଜିକୁ ବିଶେଷ ସଫଳତା ପାଇଁ ସମ୍ବର୍ଦ୍ଧିତ କରିଥିଲେ। ଉପସ୍ଥିତ ସଦସ୍ୟମାନଙ୍କୁ ଉତ୍ସାହିତ କରିବାକୁ ଯାଇ ରାଜ୍ୟରେ ମିଶନ ଶକ୍ତି ମହିଳାମାନଙ୍କର ସଫଳ ଯାତ୍ରାକୁ ନେଇ ପ୍ରସ୍ତୁତ ସ୍ୱତନ୍ତ୍ର ଭିଡିଓ ପ୍ରଦର୍ଶନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ କାନ୍ଦି ପକାଇଲେ ଏହି ମହିଳା, ଜାଣନ୍ତୁ କାରଣ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଜଳସାଥୀ ମାନଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ମିଶନ ଶକ୍ତିର କିଛି ମା ମାନେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ପୁରୀର ଶ୍ରୀମତୀ ମହାପାତ୍ର ଓ ଭୁବନେଶ୍ବରର ସୁଜାତା ପଟ୍ଟନାୟକ ପ୍ରମୁଖଙ୍କ ଆଖିରେ ଥିଲା ଆନନ୍ଦର ଅଶ୍ରୁ। କୋହଭରା କଣ୍ଟରେ ସେମାନେ କହିଲେ ଯେ, ଘର ଭିତରେ ଗୃହିଣୀ ହେବା ଛଡା ଆମର ଆଉ କିଛି କରିବାର ଶକ୍ତି ଅଛି ବୋଲି ଆମେ ଜାଣି ନ ଥିଲୁ। ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଆମେ ଏକ ସ୍ବତନ୍ତ୍ର ପରିଚୟ ପାଇପାରିଛୁ। ଜୀବନର ସାର୍ଥକତା ପାଇଛୁ।

ସେହିପରି କଟକ ଓ ଭୁବନେଶ୍ବରରେ Water Treatment Plant ଓ Septage Treatment Plant ପରିଚାଳନା କରୁଥିବା ତୃତୀୟ ଲିଙ୍ଗର ସଦସ୍ୟା ତନୁଶ୍ରୀ ବେହେରା ଓ ମେଘନା ପ୍ରମୁଖ କହିଥିଲେ ଯେ, ଆମ ପରିବାରରେ ବି ଆମର ସମ୍ମାନ ନ ଥିଲା। ଥିଲା କେବଳ ତିରସ୍କାର। ସମାଜ ଆମକୁ ଗ୍ରହଣ କରୁନଥିଲା। ଆଜି ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଆମେ ଆମ ନିଜର ମୂଲ୍ୟ ଅଛି ବୋଲି ଅନୁଭବ କରୁଛୁ। ନିଜର ଏକ ସ୍ବତନ୍ତ୍ର ପରିଚୟ ପାଇପାରିଛୁ। ମୁଖ୍ୟମନ୍ତ୍ରୀଙ୍କୁ କୋଟି କୋଟି ପ୍ରଣାମ।

Categories
ବିଶେଷ ଖବର

୮୫ଟି ସହରରେ ଶତପ୍ରତିଶତ ପାଇପ ଜଳ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଓଡିଶା ଦେଶର ଏକମାତ୍ର ରାଜ୍ୟ

ହୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ ସେଣ୍ଟରରେ ଜଳସାଥୀ ମାନଙ୍କ ପାଇଁ ଆୟୋଜିତ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କ ଯାତାୟତର ସୁବିଧା ପାଇଁ ସାଇକେଲ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।

ଜଳସାଥୀ ମାନେ ସରକାରଙ୍କ ଜଳଯୋଗାଣ ବିଭାଗ ଓ ଉପଭୋକ୍ତାମାନଙ୍କ ମଧ୍ୟରେ ସେତୁ ସାଜି ଉଭୟଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବାରେ ସହାୟକ ହୋଇଛନ୍ତି। ସେମାନଙ୍କ କାର୍ଯ୍ୟ ଦକ୍ଷତା ଦ୍ବାରା ଜଳଯୋଗାଣର ଗୁଣବତ୍ତା ଓ ନିର୍ଭରଶୀଳତା ପ୍ରତିପାଦିତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ସହରାଞ୍ଚଳ ପାନୀୟ ଜଳ ଯୋଗାଣ ଓ Water Treatment Plant କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମା ଏବଂ ତୃତୀୟ ଲିଙ୍ଗର ଭଉଣୀ ମାନଙ୍କୁ ଦାୟିତ୍ବ ଦିଆଯାଇଛି। ସେମାନେ ମିଟର ରିଡିଂ, ଜଳର ମାନ ପରୀକ୍ଷା, ନୂତନ ସଂଯୋଗ ଓ ବେନିୟମ ସଂଯୋଗ ଦୂର କରିବା କ୍ଷେତ୍ରରେ କାମ କରୁଛନ୍ତି। ଏଥିପାଇଁ ସେମାନଙ୍କୁ ତାଲିମ ଦିଆଯାଇଛି।

ବିକେନ୍ଦ୍ରୀକରଣ ଓ ଜନ ଭାଗିଦାରୀ (Community Partnership) ରାଜ୍ୟ ସରକାରଙ୍କ ସହରାଞ୍ଚଳ ପରିଚାଳନା ମଡେଲର ଦୁଇ ଆଖି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଳସାଥୀ ମାନେ ଏହି ଉଭୟ ଆଖିକୁ ପ୍ରତିନିଧିତ୍ବ କରୁଛନ୍ତି। ୩ ବର୍ଷ ତଳେ ୫-ଟି ଉପକ୍ରମରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଜି ସାରା ଓଡିଶାର ସହରାଞ୍ଚଳରେ ଜଳସାଥୀ ମାନେ ଜଳଯୋଗାଣ କାର୍ଯ୍ୟକ୍ରମକୁ ସଫଳତାର ପରିଚାଳନା କରୁଛନ୍ତି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ୧୧୪ଟି ସହରରୁ ୮୫ଟି ସହରରେ ଶତପ୍ରତିଶତ ପାଇପ ଜଳଯୋଗାଣର ବ୍ୟବସ୍ଥା କରାଯାଇପାରିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୪୦ ଜଣ ଜଳସାଥୀ ୮.୪୦ ଲକ୍ଷ ଉପଭୋକ୍ତାଙ୍କ ଜଳଯୋଗାଣ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏବଂ ଏ ବାବଦରେ ୬୭ କୋଟି ଟଙ୍କା ଜଳକର ଆଦାୟ କରିପାରିଛନ୍ତି । ସେମାନଙ୍କ ଦ୍ବାରା ମିଟର ରିଡିଂ, ଜଳକର ଆଦାୟ ଓ ବେନିୟମ ପାଇପ ସଂଯୋଗ ଦୂର କରିବା କାର୍ଯ୍ୟରେ ବହୁତ ଉନ୍ନତି ଆସିଛି ବୋଲି ସେ କହିଥିଲେ।

ଜଳସାଥୀ କାର୍ଯ୍ୟକ୍ରମ ସଫଳତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମିଶନ ଶକ୍ତି ଗୋଷ୍ଠୀଙ୍କୁ ସମ୍ପତ୍ତି କର ଆଦାୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଦ୍ବାରା ସହରାଞ୍ଚଳରେ ରାଜସ୍ବ ବୃଦ୍ଧି ହେବା ସହିତ ମିଶନ ଶକ୍ତି ମା ମାନଙ୍କର ଆର୍ଥିକ ଅଭିବୃଦ୍ଧି ସହିତ ସଶକ୍ତିକରଣ ହୋଇପାରିବ ବୋଲି ସେ କହିଛନ୍ତି।

ରାଜ୍ୟ ସରକାରଙ୍କ ଡ୍ରିଙ୍କ ଫ୍ରମ ଟ୍ୟାପ୍‌ କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ମାନର ପାନୀୟ ଜଳ ଦିନରାତି ୨୪ ଘଣ୍ଟା ଯୋଗାଇ ଦିଆଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି କାର୍ଯ୍ୟକ୍ରମ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଓ ଅନୁକରଣୀୟ ହୋଇପାରିଛି। ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ଓ ଜଳସାଥୀ କାର୍ଯ୍ୟକ୍ରମକୁ ଜାତୀୟ ସ୍ତରରେ ପ୍ରାଥମିକତା ଦିଆଯାଇ ଅମୃତ ୨.୦ କାର୍ଯ୍ୟକ୍ରମରେ ସବୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଜାଗା ମିଶନ ଓ ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ପରି କାର୍ଯ୍ୟକ୍ରମ ଓଡିଶାର ସହରାଞ୍ଚଳ ପାଇଁ ଏକ ସଫଳତାର କାହାଣୀ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଳସାଥୀ ପରି ଜନଭାଗିଦାରୀ କାର୍ଯ୍ୟକ୍ରମ ବିନା ଏହା ସଫଳ ହୋଇପାରି ନଥାନ୍ତା।

ମିଶନ ଶକ୍ତିର ବିଭିନ୍ନ ଗୋଷ୍ଠୀ ଓ ଜଳସାଥୀ ମାନଙ୍କ ସହିତ ଭାଗିଦାରୀ ପାଇଁ ରାଜ୍ୟ ସରକାର ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଜନଭାଗିଦାରୀ କାର୍ଯ୍ୟକ୍ରମ ଦ୍ବାରା ପ୍ରଶାସନିକ ବ୍ୟବସ୍ଥାରେ ନାଗରିକ ମାନେ ଉତ୍କୃଷ୍ଟ ସେବା ପାଇପାରିଥାନ୍ତି ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଏକ ସଶକ୍ତ ଓଡିଶା ଗଠନ ଦିଗରେ ଆମକୁ ଆଗେଇ ନେବ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଉଷା ଦେବୀ କହିଲେ ଯେ ମା ମାନଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଆଜି ସଫଳତାର ସହ କାର୍ଯ୍ୟକାରୀ ହୋଇଛି। ମହିଳା ସଶକ୍ତିକରଣ ଦିଗରେ ଏହା ଏକ ଅନନ୍ୟ ଉଦାହରଣ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାତନନ ସ୍ବାଗତ ଭାଷଣ ଦେଇ କହିଲେ ଯେ ରାଜ୍ୟର ସହରାଞ୍ଚଳର ୯୭ ଭାଗ ଲୋକ ଏବେ ପାଇପ ଜଳ ପାଇପାରୁଛନ୍ତି। ରାଜ୍ୟର ୮୫ଟି ସହରରେ ଶତପ୍ରତିଶତ ପାଇପ ଜଳଯୋଗାଣ ହୋଇଥିବା ବେଳେ, ବାକି ୨୦ଟି ସହରରେ ଡିସେମ୍ବର ୨୦୨୩ ସୁଦ୍ଧା ପାଇପ ଜଳର ବ୍ୟବସ୍ଥା ସଂପୂର୍ଣ୍ଣ ହେବ ବୋଲି ସେ କହିଥିଲେ। ବିଭାଗୀୟ ସ୍ବତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଟକ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ସଂଧ୍ୟାରେ ନବୀନ ନିବାସଠାରେ କଟକ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ । ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ମା ମାନେ ଜାତୀୟ ପତାକା ତିଆରି ଦାୟିତ୍ବ ନେଇ ଦକ୍ଷତାର ସହ ତୁଲାଇ ଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ମିଶନ ଶକ୍ତି ମା ମାନଙ୍କ କାର୍ଯ୍ୟର ପ୍ରଶଂସା କରି କହିଥିଲେ ଯେ ଆପଣମାନଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ସଂପୂର୍ଣ୍ଣ ଭରସା ରହିଛି। ଆପଣମାନେ ମଧ୍ୟ ଗାଁ ଗାଁରେ ବିକାଶର ନେତୃତ୍ବ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଓ ଭରସାକୁ ସାକାର କରିପାରିଛନ୍ତି।

ଜାତୀୟ ପତାକା ତିଆରି ପରି ଏକ ମର୍ଯ୍ୟଦାପୂର୍ଣ୍ଣ ଦାୟିତ୍ବ ଅର୍ପଣ କରିଥିବାରୁ ମିଶନ ଶକ୍ତିର ମା ମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଥିଲେ। ମିଶନ ଶକ୍ତିରେ ସାମିଲ ହୋଇ ଆମେ ଗର୍ବିତ ବୋଲି ସେମାନେ ପ୍ରକାଶ କରିବା ସହିତ ଏଥିପାଇଁ ଆଜି ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଭାର ବିକାଶ ହୋଇପାରିଛି ବୋଲି ସେମାନେ କହିଥିଲେ ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସ୍ବାଧୀନତାର ୭୫ତମ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ମିଶନ ଶକ୍ତି ମା ମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ବ ଦେଇଥିଲେ।

Categories
ବିଶେଷ ଖବର

୪ ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଏହି କାମ ପାଇଁ ଜଣାଇଲେ ଧନ୍ୟବାଦ

ଭୁବନେଶ୍ବର: ଆଜି ସଂଧ୍ୟାରେ ନବୀନ ନିବାସଠାରେ ଯାଜପୁର, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ। ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ମା ମାନେ ଜାତୀୟ ପତାକା ତିଆରି ଦାୟିତ୍ବ ନେଇ ଦକ୍ଷତାର ସହ ତୁଲାଇ ଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ମିଶନ ଶକ୍ତି ମା ମାନଙ୍କ କାର୍ଯ୍ୟର ଉଚ୍ଚପ୍ରଶଂସା କରିଥିଲେ।

ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରେ ଆସ୍ଥା ରଖି ଜାତୀୟ ପତାକା ପ୍ରସ୍ତୁତ ପରି ଏକ ଗୁରୁଦାୟିତ୍ବ ଅର୍ପଣ କରିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଥିଲେ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସ୍ବାଧୀନତାର ୭୫ତମ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ମିଶନ ଶକ୍ତି ମା ମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ବ ଦେଇଥିଲେ।

Categories
ବିଶେଷ ଖବର

ମିଶନ ଶକ୍ତିର ମା ମାନଙ୍କ ଦ୍ଵାରା ମୁଖ୍ୟମନ୍ତ୍ରୀଙ୍କୁ ହାତ ତିଆରି ଜାତୀୟ ପତାକା ପ୍ରଦାନ

ଭୁବନେଶ୍ୱର: ସ୍ୱାଧୀନତାର ପଚସ୍ତରୀ ବର୍ଷ ପାଳନ ଅବ୍ୟବହିତ ପୂର୍ବରୁ ଆଜି ରାଜ୍ୟର ବିଭିନ୍ନ ଅଂଚଳର ମିଶନ ଶକ୍ତିର ମା ମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ହାତ ତିଆରି ଜାତୀୟ ପତାକା ପ୍ରଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପତାକା ଗ୍ରହଣ କରି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଜାତୀୟ ପତାକା ତିଆରି ପରି ଏକ ମହାନ ଦାୟିତ୍ୱ ମିଶନ ଶକ୍ତି ମା ମାନଙ୍କୁ ଦେଇଥିବାରୁ ଏହା ସେମାନଙ୍କ ପାଇଁ ଗର୍ବର କଥା ବୋଲି କହିବା ସହ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସୂଚନା ଯୋଗ୍ୟ ଯେ, ସ୍ୱାଧୀନତାର ପଚସ୍ତରୀ ବର୍ଷ ଉପଲକ୍ଷେ ତିରିଶ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତି ଓ ମାଗଣାରେ ବଣ୍ଟନ ଦାୟିତ୍ୱ ରାଜ୍ୟ ସରକାର ମିଶନ ଶକ୍ତି ଗୋଷ୍ଠୀକୁ ଅର୍ପଣ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସ୍ୱଧାର ଗୃହ କାର୍ଯ୍ୟକ୍ରମ ପାଇଁ ବଜେଟ ଅନୁଦାନ ବୃଦ୍ଧି, ଉପକୃତ ହୋଇଛନ୍ତି ଓଡ଼ିଶାର ମହିଳା: କେନ୍ଦ୍ର

ଭୁବନେଶ୍ୱର: ୨ଠ୨୧-୨ଠ୨୨ରୁ ୨ଠ୨୫-୨୬ ଆର୍ଥିକ ବର୍ଷ ପାଇଁ ପଞ୍ଚଦଶ ଅର୍ଥ କମିଶନର ଅନୁମୋଦନ କ୍ରମେ ସମାଜରେ ମହିଳାମାନଙ୍କ ନିରାପତ୍ତା ଏବଂ ସଶକ୍ତିକରଣ ଦିଗରେ ‘ମିଶନ ଶକ୍ତି’ ଅଧିନରେ ବିଭିନ୍ନ କାର୍ଯ୍ୟକ୍ରମ କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁଛନ୍ତି। ‘ସମ୍ବଳ’ ଓ ‘ସାମର୍ଥ୍ୟ’ ନାମରେ ଏହି ଯୋଜନାରେ ଦୁଇଟି ଉପଯୋଜନା ରହିଛି। ‘ସମ୍ବଳ’ର ଏକ କାର୍ଯ୍ୟକ୍ରମ ଭାବରେ ‘ୱାନ ଷ୍ଟପ ସେଣ୍ଟର’ କାର୍ଯ୍ୟ କରୁଛି। ‘ସାମର୍ଥ୍ୟ’ ଅଧିନରେ ‘ସ୍ୱଧାର ଗୃହ’ କାର୍ଯ୍ୟ କରୁଛି। ଏସବୁ ‘ମିଶନ ଶକ୍ତି’ ଅନ୍ତର୍ଗତ କାର୍ଯ୍ୟକ୍ରମ। ପଞ୍ଚଦଶ ଅର୍ଥ କମିଶନ ଅବଧିରେ ମିଶନ ଶକ୍ତି ଅଧିନରେ ଥିବା ‘ସମ୍ବଳ’ କାର୍ଯ୍ୟକ୍ରମ ପାଇଁ ୨୯୪୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ପୂର୍ବରୁ ଚତୁର୍ଦ୍ଦଶ ଅର୍ଥ କମିଶନରେ ଏହି ପରିମାଣ ୧୦୦୨ କୋଟି ଟଙ୍କା ଥିଲା।

ସେହିପରି ମିଶନ ଶକ୍ତି ଅଧିନରେ ଥିବା ‘ସାମର୍ଥ୍ୟ’ ଉପଯୋଜନା ନିମିତ୍ତ କେନ୍ଦ୍ରୀୟ ବଜେଟ ଅନୁଦାନ ୧୨,୩୧୮ କୋଟି ଟଙ୍କା ମଞ୍ଜୁର ହୋଇଛି। ଚତୁର୍ଦ୍ଦଶ ଅର୍ଥ କମିଶନ ଅବଧିରେ ଏହି ପରିମାଣ ୬୬୩୪ କୋଟି ଟଙ୍କା ଥିଲା- ବିଭିନ୍ନ ରାଜ୍ୟ ମଧ୍ୟରୁ ଓଡ଼ିଶାରେ ୨୦୨୧-୨୨ ଅବଧି ମଧ୍ୟରେ ୱାନ ଷ୍ଟପ ସେଣ୍ଟରଗୁଡ଼ିକରେ ୫୩୬୬ ଜଣ ମହିଳା ଉପକୃତ ହୋଇଛନ୍ତି। ୨୦୧୫ରୁ ୨୦୨୧ ଆର୍ଥିକ ବର୍ଷ ମଧ୍ୟରେ ଏହି ସଂଖ୍ୟା ୯୩୩୭ ଥିଲା। ଠିକ୍ ସେହିପରି ସ୍ୱଧାର ଗୃହ ଯୋଜନାରେ ୨ଠ୨ଠ-୨୧ ଆର୍ଥିକ ବର୍ଷରେ ଓଡ଼ିଶାରେ ୧୬୬୭ ମହିଳା ଉପକୃତ ହୋଇଛନ୍ତି। ୨ଠ୧୮-୧୯ ଏବଂ ୨ଠ୧୯-୨ଠ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୨୩୪ଠ ଲେଖାଏଁ ଥିଲା।

ଏହି ଯୋଜନାରେ ଜିଲ୍ଲା ଏବଂ ରାଜ୍ୟସ୍ତରରେ ମହିଳା ସଶକ୍ତିକରଣ ହବ୍ ପ୍ରତିଷ୍ଠା ତଥା ମହିଳାମାନଙ୍କ ଉନ୍ନତି ନିମିତ୍ତ ଖର୍ଚ୍ଚ କରାଯିବ। ଏଥିରେ ମହିଳାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟର ଉନ୍ନତି, ଧନ୍ଦାମୂଳକ ତାଲିମ, ଆର୍ଥିକ ଅନ୍ତର୍ଭୁକ୍ତି ତାଲିମ, ବିଭିନ୍ନ ସଂସା ସହ ସମ୍ପର୍କ ସ୍ଥାପନ, ମହିଳା କର୍ମଚାରୀଙ୍କ ନିରାପତ୍ତା ଏବଂ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି, ଡିଜିଟାଲ ସାକ୍ଷରତା ଆଦି ଦିଗରେ ମଧ୍ୟ ଅର୍ଥ ବ୍ୟୟ ହେବ।

ଏହି ଯୋଜନା ଅନ୍ତର୍ଗତ ବିଭିନ୍ନ ଉପଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ହିତାଧିକାରୀ, ଯୋଜନା କାର୍ଯ୍ୟକାରୀ କରୁଥିବା କର୍ତ୍ତୃପକ୍ଷ, ନାଗରିକ ସମାଜ ଓ ସମ୍ପୃକ୍ତ ଅନୁଷ୍ଠାନମାନଙ୍କୁ ନେଇ ଗତ ଅପ୍ରେଲ ମାସରେ ଭୁବନେଶ୍ୱର ସମେତ ଚଣ୍ଡୀଗଡ଼, ବେଙ୍ଗାଲୁରୁ, ଗୁଆହାଟୀ ଏବଂ ମୁମ୍ବାଇ ଠାରେ ସମ୍ମିଳନୀ, ଆଲୋଚନାଚକ୍ର ଆଦି ଆୟୋଜିତ ହୋଇଯାଇଛି। (ପିଆଇବି)

Categories
ବିଶେଷ ଖବର

‘ମିଶନ ଶକ୍ତି’ ନିମନ୍ତେ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କଲା ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ

ଦିଲ୍ଲୀ: ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ‘ମିଶନ ଶକ୍ତି’ ଯୋଜନା ନିମନ୍ତେ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଭାରତ ସରକାର ୧୫ଦଶ ଅର୍ଥ ଆୟୋଗର ୨୦୨୧- ୨୨ରୁ ୨୦୨୫ -୨୬ ଅବଧି  ମଧ୍ୟରେ ମହିଳା ମାନଙ୍କର ସୁରକ୍ଷା, ନିରାପତା ଏବଂ ସଶକ୍ତିକରଣ ନିମନ୍ତେ ଏକ ସମନ୍ୱିତ ଯୋଜନା ରୂପରେ ‘ମିଶନ ଶକ୍ତି’ – ଏକ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ‘ମିଶନ ଶକ୍ତି’ର ମାନଦଣ୍ଡ ଗୁଡିକ ୦୧.୦୪.୨୦୨୨ରୁ ଲାଗୁ ହେବ।

‘ମିଶନ ଶକ୍ତି’ ମିଶନ ମୋଡ ଅନ୍ତର୍ଗତ ଏକ ଯୋଜନା ଅଟେ, ଯାହାର ଉଦ୍ଦେଶ୍ୟ ହେଉଛି ମହିଳା ସୁରକ୍ଷା, ନିରାପତା ଏବଂ ସଶକ୍ତିକରଣ ନିମନ୍ତେ ହସ୍ତକ୍ଷେପକୁ ସୁଦୃଢ଼ କରିବା। ଏହା ଜୀବନ – ଚକ୍ରରେ  ନିୟମିତ ଭାବରେ ମହିଳା ମାନଙ୍କୁ ପ୍ରଭାବିତ କରୁଥିବା ସମସ୍ୟା ଗୁଡିକର ସମାଧାନ କରି ଏବଂ ସେମାନଙ୍କୁ ସମ୍ମିଳିତ କରି ଏବଂ ନାଗରିକ ଭାଗିଦାରୀ ମାଧ୍ୟମରେ ରାଷ୍ଟ୍ର – ନିର୍ମାଣ କ୍ଷେତ୍ରରେ ସମାନ ଭାଗୀଦାର କରିବା ସହିତ “ମହିଳା – ନେତୃତ୍ୱାଧୀନ ବିକାଶ” ନିମନ୍ତେ ସରକାରଙ୍କର ପ୍ରତିବଦ୍ଧତାକୁ ସାକାର କରିବାର ପ୍ରୟାସ କରିଥାଏ।

ଏହି ଯୋଜନା ମହିଳା ମାନଙ୍କୁ ହିଂସା ଏବଂ ବିପଦ ମୁକ୍ତ ପରିବେଶରେ ନିଜର ମସ୍ତିଷ୍କ ଏବଂ ଶରୀର ଉପରେ ସ୍ୱତନ୍ତ୍ର ବିକଳ୍ପର ପ୍ରୟୋଗ କରାଇ ଆର୍ôଥକ ରୂପରେ ସଶକ୍ତ କରିବା ପାଇଁ ପ୍ରୟାସ କରିଥାଏ। ଏହା ମହିଳା ମାନଙ୍କ ଉପରେ ଘରୋଇ ଦାୟିତ୍ୱ/ ଯତ୍ନର ବୋଝକୁ କମ୍ କରି ଏବଂ ଦକ୍ଷତା ବିକାଶ, କ୍ଷମତା ବିକାଶ, ବିତୀୟ ସାକ୍ଷରତା, କ୍ଷୁଦ୍ର ଋଣ (ମାଇକ୍ରୋ – କ୍ରେଡିଟ୍‌) ନିକଟରେ ପହଂଚିବା ଇତ୍ୟାଦିକୁ ପ୍ରୋତ୍ସାହିତ କରି ମହିଳା ଶ୍ରମ ଶକ୍ତିର ଭାଗୀଦାରୀତାକୁ ବୃଦ୍ଧି କରିବା ନିମନ୍ତେ ଚେଷ୍ଟା କରିଥାଏ।

ମିଶନ ଶକ୍ତିର ଦୁଇଟି ଉପ – ଯୋଜନା ରହିଛି, ସେଗୁଡିକ ହେଉଛି, ‘ସମ୍ବଳ’ ଏବଂ ‘ସାମର୍ଥ୍ୟ’। “ସମ୍ବଳ” ଉପ – ଯୋଜନା ମହିଳା ମାନଙ୍କ ସୁରକ୍ଷା ଏବଂ ନିରାପତା ନିମନ୍ତେ ରହିଥିବା ବେଳେ, “ସାମର୍ଥ୍ୟର୍ ଉପ – ଯୋଜନା ମହିଳା ମାନଙ୍କର ସଶକ୍ତିକରଣ ନିମନ୍ତେ ହୋଇଥାଏ। ‘ସମ୍ବଳ’ ଉପ – ଯୋଜନାର ଉପାଦାନ ଗୁଡିକ ମଧ୍ୟରେ ୱାନ୍ ଷ୍ଟପ୍ ସେଂଟର (ଓଏସ୍‌ସି), ମହିଳା ହେଲ୍ପ ଲାଇନ୍ (ଡବ୍ଲ୍ୟୁଏଚ୍‌ଏଲ୍‌) ବେଟୀ ବଚାଓ ବେଟୀ ପଢ଼ାଓ (ବିବିବିପି) ଯୋଜନା ଗୁଡିକ ରହିଛି, ଯେଉଁଥିରେ ଏକ ନୂତନ ଉପାଦାନ ନାରୀ ଅଦାଲତ –  ମହିଳା ମାନଙ୍କର ସାମୂହିକ ବିକଳ୍ପକୁ ପ୍ରୋତ୍ସାହିତ କରିବା ଏବଂ ସୁବିଧା ପ୍ରଦାନ କରିବା ନିମନ୍ତେ ସମାଜରେ ଏବଂ ପରିବାର ଗୁଡିକ ଭିତରେ ବିବାଦ – ସମାଧାନ ଏବଂ ଲିଙ୍ଗ ଭିତିକ ନ୍ୟାୟ ପ୍ରଦାନ ବ୍ୟବସ୍ଥା ମଧ୍ୟ ଅନ୍ତର୍ଭୁକ୍ତ ଅଟେ।

‘ସାମର୍ଥ୍ୟ’ ଉପ – ଯୋଜନାର ଉପାଦାନ ଗୁଡିକ ଭିତରେ ଉଜ୍ଜ୍ୱଳା, ସ୍ୱାଧାର ଗୃହ ଏବଂ କାମ କରୁଥିବା ମହିଳା ମାନଙ୍କ ପାଇଁ ଛାତ୍ରୀ ନିବାସ ବ୍ୟବସ୍ଥାର ପୂର୍ବବର୍ତୀ ଯୋଜନା ଗୁଡିକରେ ସଂଶୋଧନ ସହିତ ସାମିଲ୍ ଅଟେ। ଏହା ସହିତ, କାର୍ଯରତ ମାଆ ମାନଙ୍କର ଛୁଆ ମାନଙ୍କ ନିମନ୍ତେ ଜାତୀୟ କ୍ରେଚ୍ ଯୋଜନା ଏବଂ ଛତ୍ର ଆଇସିଡିଏସ୍ ଅଧୀନରେ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (ପିଏମ୍‌ଏମ୍‌ଭିୱାଇ)ର ବର୍ତମାନ ପ୍ରଚଳିତ ଯୋଜନା ଗୁଡିକୁ ସାମର୍ଥ୍ୟରେ ସାମିଲ୍ କରା ଯାଇଛି। ସାମର୍ଥ୍ୟ ଯୋଜନାରେ ବିତୀୟ ସଶକ୍ତିକରଣ ନିମନ୍ତେ ଗ୍ୟାପ୍ ଫଣ୍ଡିଂ ନାମରେ ଏକ ନୂତନ ଉପାଦାନ ଯୋଡା ଯାଇଛି।

‘ମିଶନ ଶକ୍ତି’ ଯୋଜନାର ବିସ୍ତୃତ ନିର୍ଦ୍ଦେଶାବଳୀ ଏଥିରେ ଉପଲବ୍ଧ ଅଛି।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ୬୦ ଲକ୍ଷ ମହିଳାଙ୍କ ସଶକ୍ତିକରଣ ପାଇଁ ଓଡ଼ିଶା ସରକାର ଏବଂ ୟୁଏନ୍‌ଏଫ୍‌ପିଏ ମଧ୍ୟରେ ଚୁକ୍ତିନାମା 

ଭୁବନେଶ୍ୱର: ଓଡ଼ିଶାରେ ମହିଳାମାନଙ୍କର ପ୍ରଗତିକୁ ତ୍ୱରାନ୍ୱିତ କରିବା ତଥା ଲିଙ୍ଗଗତ, ଆର୍ଥିକ ଓ ସାମାଜିକ ଅସମାନତାକୁ ଦୂର କରିବା ଦିଗରେ ପଦକ୍ଷେପ ନେଇ ଆଜି ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି ଭାରତ (ୟୁଏନ୍‌ଏଫ୍‌ପିଏ) ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ।

“ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ଓଡ଼ିଶାରେ ମହିଳାଙ୍କ ସାମାଜିକ ସଶକ୍ତିକରଣ’’ ଶୀର୍ଷକ ଏହି ପଦକ୍ଷେପ ଏକ ବିସ୍ତୃତ ଯୋଜନା ଏବଂ ସୁଦୃଢ଼ ଭିତ୍ତିଭୂମି ଦ୍ୱାରା ସମର୍ଥିତ । ଏହି ସ୍ୱତନ୍ତ୍ର ଯୋଜନା ମିଳିତ ଜାତିସଂଘର ୨୦୩୦ କାର୍ଯ୍ୟସୂଚୀ ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ(ଏସ୍‌ଡିଜି), ବିଶେଷକରି ଲକ୍ଷ୍ୟ-୩(ଉତ୍ତମ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ)ଏବଂ ଲକ୍ଷ୍ୟ-୫(ଲିଙ୍ଗଗତ ସମାନତା)କୁ ହାସଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଓଡ଼ିଶାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସାମାଜିକ ଏବଂ ଅର୍ଥନୈତିକ ବିକାଶ ସହିତ ଡିଜିଟାଲ ଏବଂ ଆର୍ଥିକ ସାକ୍ଷରତାକୁ ପ୍ରୋତ୍ସାହିତ କରିବା ଏହି ତିନି ବର୍ଷିଆ ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ।

ଡିଜିଟାଲ ସାକ୍ଷରତା ମହିଳାମାନଙ୍କୁ ଅଧିକ ସଂଯୋଜିତ, ସୂଚିତ ଏବଂ ବାହ୍ୟଜଗତ ସହିତ ଜଡ଼ିତ ଓ ଯୋଗାଯୋଗ ରକ୍ଷା କରିବାରେ ସାହାଯ୍ୟ କରିବ । ଏହି କାର୍ଯ୍ୟକ୍ରମ ମହିଳାମାନଙ୍କ ସାମାଜିକ ଏବଂ ଅର୍ଥନୈତିକ ବିକାଶ ପାଇଁ ନୂତନ ମାର୍ଗ ଖୋଜିବାରେ ସହାୟତା ଦେବା ସହ ଅନ୍‌ଲାଇନରେ ଉପଲବ୍ଧ ବିଭିନ୍ନ ସେବା ଏବଂ କଲ୍ୟାଣକାରୀ ଯୋଜନା ବିଷୟରେ ଅଧିକ ତଥ୍ୟ ଓ ସୂଚନା ପାଇବାରେ ସହାୟକ ହେବ ।

ଆର୍ଥିକ ସାକ୍ଷରତା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ସଠିକ୍‌ ଜ୍ଞାନ କୌଶଳର ବ୍ୟବହାର ମାଧ୍ୟମରେ ଟଙ୍କା ପଇସାର କୁଶଳ ପରିଚାଳନା କରିବାରେ ସାହାଯ୍ୟ କରିବ । ସ୍ୱୟଂ ସହାୟିକା ସଦସ୍ୟାମାନଙ୍କର ଆର୍ଥିକ ପରିଚାଳନା ଯଥା ସଂଚୟ ଓ ନିବେଶ ଭଳି କ୍ଷମତା ବୃଦ୍ଧିରେ ସହାୟତା ପ୍ରଦାନ କରିବ ।

ଏହି ଆଭିମୁଖ୍ୟରେ ୟୁଏନ୍‌ଏଫ୍‌ପିଏ ସହିତ ସ୍ୱାକ୍ଷରିତ ଏହି ଚୁକ୍ତିନାମା ପ୍ରାୟ ୬ ଲକ୍ଷ ମହିଳାଙ୍କୁ ବିଭିନ୍ନ ଡିଜିଟାଲ ଏବଂ ଆର୍ଥିକ କୌଶଳ(ଯେପରିକି ଅନ୍‌ଲାଇନ ଜନସେବା, ବ୍ୟାଙ୍କିଙ୍ଗ୍‌ ସେବା ଏବଂ ସୋସିଆଲ ମିଡିଆ ଆଦିର ବ୍ୟବହାର)ରେ ଦକ୍ଷ କରିବ । ଡିଜି ଶକ୍ତି ଭାବରେ ପରିଚିତ ଏହି ମହିଳାମାନେ ଲକ୍ଷ ଲକ୍ଷ ମହିଳାଙ୍କୁ ସମାନ ଜ୍ଞାନକୌଶଳ ଉପରେ ତାଲିମ ଦେବେ ।

ମିଶନ୍‌ ଶକ୍ତି ପ୍ଲାଟଫର୍ମକୁ ବ୍ୟବହାର କରି ଏହି ପ୍ରକଳ୍ପ ସମାଜର ବିଶେଷ ଭାବେ ବଞ୍ଚିତ ତଥା ସାମାଜିକ ଓ ଅର୍ଥନୈତିକ ଭାବେ ଦୁର୍ବଳ ସ୍ତରର ମହିଳାଙ୍କ ସଶକ୍ତିକରଣ ଦିଗରେ ବିଶେଷ ସହାୟକ ହେବ । ଏହି ଯୋଜନା ରାଜ୍ୟବ୍ୟାପୀ କାର୍ଯ୍ୟକାରୀ ହେବା ଦ୍ୱାରା ଆଦିବାସୀ ତଥା ଅନୁସୂଚିତ ଜାତି ସମ୍ପ୍ରଦାୟ ତଥା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଗରିବ ପରିବାରର ମହିଳାମାନେ ଲାଭବାନ ହେବେ ।

ଏହି ପ୍ରକଳ୍ପ ୨,୫୦,୦୦୦ରୁ ଅଧିକ ମହିଳାଙ୍କୁ ପ୍ରଜନନ ତଥା ସେମାନଙ୍କର ସମାଜିକ ଅଧିକାର ବିଷୟରେ ସୂଚିତ କରିବା ସହିତ ସେମାନଙ୍କୁ ସାମ୍ପ୍ରଦାୟିକ ହିଂସା, ଭେଦଭାବ ଏବଂ ବାଲ୍ୟବିବାହ, ଯୌତୁକ ପରି ସାମାଜିକ କୁପ୍ରଥାର ମୁକାବିଲା କରିବା ଦିଗରେ ସହାୟତା ଦେବ ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନେ ସେମାନଙ୍କର ସାମାଜିକ ବିକାଶ ପାଇଁ ସୂଚନା ଜ୍ଞାନକୌଶଳ ସହିତ ସଶକ୍ତ ହେବା ସହିତ ସେମାନଙ୍କର ପରିବାର ବିଶେଷକରି କିଶୋରୀ ବାଳିକା ଏବଂ ବୃଦ୍ଧାଙ୍କ ଦୁର୍ବଳତାକୁ ଦୂର କରିବାରେ ସକାରାତ୍ମକ ପ୍ରଭାବ ଆଣିବ ।

ଏହି ଚୁକ୍ତି ସ୍ୱାକ୍ଷର ଅବସରରେ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ଆର୍‌. କାର୍ତ୍ତିକେୟନ କହିଛନ୍ତି “ଆମର ଅଭିଜ୍ଞତାରୁ ଜଣାଯାଏ ଯେ, ମହିଳାମାନଙ୍କର ସାମାଜିକ ଏବଂ ଆର୍ଥିକ ସଶକ୍ତିକରଣରେ ବିନିଯୋଗ ସାମୂହିକ ସାମାଜିକ ପ୍ରଗତି ସ୍ଥାନୀୟ ଆର୍ଥିକ ଅଭିବୃଦ୍ଧି ଏବଂ ବିକାଶକୁ ବିପୁଳ ଲାଭ ମିଳିଥାଏ । ମିଶନ୍‌ ଶକ୍ତି ଏବଂ ୟୁଏନ୍‌ଏଫ୍‌ପିଏ ମଧ୍ୟରେ ଏହି ସମୟାନୁବର୍ତ୍ତୀ ଓ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ‘ସଶକ୍ତ ମହିଳା, ସଶକ୍ତ ଓଡ଼ିଶା’ ଲକ୍ଷ୍ୟ ଅଭିମୁଖୀ ଯାତ୍ରା ନିମନ୍ତେ ବିଶେଷ ସହାୟକ ହେବ ।

ଏହି ଅବସରରେ ୟୁଏନ୍‌ଏଫ୍‌ପିଏ ଇଣ୍ଡିଆର ପ୍ରତିନିଧି ଆଣ୍ଡ୍ରେୟା ଏମ୍‌ େୱାଜନାର୍‌ କହିଛନ୍ତି ଯେ “ଏହି ଦୂରଦୃଷ୍ଟିକୁ ଆଖିରେ ରଖି ମିଶନ ଶକ୍ତି ପ୍ରକଳ୍ପ ସହିତ ୬୦ ଲକ୍ଷରୁ ଅଧିକ ମହିଳା ଡିଜିଟାଲ ଏବଂ ଆର୍ଥିକ ଦକ୍ଷତା ହାସଲ କରିବା ସହିତ ସେମାନଙ୍କର ପ୍ରଜନନ ସ୍ୱାସ୍ଥ୍ୟ ଉପରେ ନିୟନ୍ତ୍ରଣ ରଖିବାରେ ସମର୍ଥ ହେବେ । ଏହା ଉଭୟ ମହିଳା ଓ ଓଡ଼ିଶାର ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ନିଶ୍ଚିତ ବିଜୟ ଭାବେ ଗଣା ହେବ ।

Categories
ବିଶେଷ ଖବର ରାଜ୍ୟ ଖବର

ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ନବୀନ, ଜାଣନ୍ତୁ କଣ

ଭୁବନେଶ୍ବର: ମିଶନ ଶକ୍ତି ଆନ୍ଦୋଳନର ଗୁରୁତ୍ବ ତଥା ଗୋଷ୍ଠୀ ସହାୟକ କର୍ମଚାରୀମାନଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ବିଭିନ୍ନ ପଞ୍ଚାୟତରେ ସେବା ଯୋଗାଉଥିବା ୫୦ ହଜାର ଗୋଷ୍ଠୀ ସହାୟକ କର୍ମଚାରୀ ମାନଙ୍କ ପାଇଁ ଏକ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ତାହା ହେଲା…

୧. ସମସ୍ତ ଗୋଷ୍ଠୀ ସହାୟକ କର୍ମଚାରୀ ମାନଙ୍କୁ ବାର୍ଷିକ ପୋଷାକ ଭତ୍ତା ଭାବରେ ୧୦୦୦ ଟଙ୍କା ମିଳିବ ।

୨. ସମସ୍ତଙ୍କୁ ପରିଚୟ ପତ୍ର ଯୋଗାଇ ଦିଆଯିବ।

୩. ସେମାନଙ୍କ ପସନ୍ଦର ସ୍ମାର୍ଟ ଫୋନ କିଣିବା ପାଇଁ ଗୋଷ୍ଠୀ ସହାୟକ କର୍ମାଚାରୀମାନଙ୍କୁ ଏକକାଳୀନ ୫୦୦୦ ଟଙ୍କା ସହାୟତା ଯୋଗାଇ ଦିଆଯିବ।

୪. ସବୁ CRP- CM ମାନଙ୍କୁ ପାରିଶ୍ରମିକ ଭାବରେ ମାସିକ ୩୦୦୦ ଟଙ୍କା ପ୍ରଦାନ କରାଯିବ ।

୫. ସବୁ CRP- CM ମାନଙ୍କୁ ଗସ୍ତ ଖର୍ଚ୍ଚ ବାବଦ ମାସିକ ୩୫୦ ଟଙ୍କା ପ୍ରଦାନ କରାଯିବ ।

୬. ଟେଲିଫୋନ ଭତ୍ତା ବାବଦରେ CRP- CM ମାନଙ୍କୁ ମାସିକ ୧୫୦ ଟଙ୍କା ପ୍ରଦାନ କରାଯିବ । ଯାହାଫଳରେ ଏହା ବୃଦ୍ଧି ପାଇ ୨୫୦ ଟଙ୍କାରେ ପହଞ୍ଚିବ ।

ଏହି ପ୍ୟାକେଜକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଆବଶ୍ୟକ ଆର୍ଥିକ ବ୍ୟବସ୍ଥା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ମିଶନ ଶକ୍ତି ଆନ୍ଦୋଳନକୁ ଆହୁରି ଆଗକୁ ନେବାରେ ପଞ୍ଚାୟତ ସ୍ତରରେ କାମ କରୁଥିବା ଏହି ଗୋଷ୍ଠୀ ସହାୟକ କର୍ମଚାରୀ ମାନଙ୍କର ମହତ୍ତ୍ବପୂର୍ଣ୍ଣ ଭୂମିକା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରୂପାନ୍ତରିତ ଓଡ଼ିଶା ଗଠନ ଦିଗରେ ଅଧିକ ପରିଶ୍ରମ କରିବାକୁ ଏହି ଆର୍ଥିକ ପ୍ୟାକେଜ ସେମାନଙ୍କୁ ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପୋଷଣ କରିଛନ୍ତି ।

ମିଶନ ଶକ୍ତି ଆନ୍ଦୋଳନ ଆଜି ଓଡିଶାର ୭୦ ଲକ୍ଷ ମହିଳାମାନଙ୍କ ଜୀବନରେ ଏକ ବଡ ଧରଣର ପରିବର୍ତ୍ତନ ଆଣିଛି । ଚଳିତ ବର୍ଷ ମିଶନ ଶକ୍ତି ମା ମାନଙ୍କୁ ରେକର୍ଡ ୬୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରାଯାଇଛି। ତା ସହିତ ସୁଧ ରିହାତି ବାବଦରେ ମଧ୍ୟ ୨୦୦ କୋଟି ଟଙ୍କା ମା ମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଛି ।

ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି କ୍ରମେ ଧାନ ସଂଗ୍ରହ ଠାରୁ ଆରମ୍ଭ କରି ଡାକ୍ତରଖାନାରେ ରୋଗୀଙ୍କୁ ଖାଦ୍ୟ ଯୋଗାଣ, ଆହର କେନ୍ଦ୍ର ପରିଚାଳନା, ମାଛ ଚାଷ ଆଦି ବିଭିନ୍ନ ସରକାରୀ କାମ ମଧ୍ୟ ମିଶନ ଶକ୍ତି ମା ମାନଙ୍କୁ ଯୋଗାଇ ଦିଆଯାଇଛି ।

ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଅଧିକ ଶକ୍ତି ତଥା ଗତି ଯୋଗାଇ ଦେବା ସହିତ ସୁସମନ୍ବୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ମିଶନ ଶକ୍ତି ନାମରେ ଏକ ସ୍ବତନ୍ତ୍ର ବିଭାଗ ସୃଷ୍ଟି କରିଛନ୍ତି । ବର୍ତ୍ତମାନ ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀ ମହାସଂଘ ମାନେ ଗୋଟିଏ ପ୍ଲାଟଫର୍ମରେ କାମ କରୁଛନ୍ତି । ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୁଡିକ ହେଉଛି – ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କର ତୃଣମୂଳ ଅନୁଷ୍ଠାନ । ଏହି ମହାସଂଘ ମାନେ ସ୍ବୟଂ ସହାୟକ ଗୋଷ୍ଠୀ ଗୁଡିକୁ ସେମାନଙ୍କ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ସହିତ ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ଜୀବିକା ଓ ଦକ୍ଷତାର ବିକାଶ ତଥା ସେମାନଙ୍କର ଆନୁଷ୍ଠାନିକ ଦକ୍ଷତା ବିକାଶ ଦିଗରେ ସହାୟକ ଭୂମିକା ଗ୍ରହଣ କରିଆସୁଛି ।

ଏହି ଗ୍ରାମପଞ୍ଚାୟତସ୍ତରୀୟ ମହାସଂଘ ଗୁଡିକୁ ମାଷ୍ଟର ବୁକ୍‌ କିପର, ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର, Community Resource Person – Community Mobiliser (CRP-CM) ଆଦି ଗୋଷ୍ଠୀ ସହାୟକ କର୍ମଚାରୀମାନେ ସହାୟତା ଯୋଗାଇ ଦେଉଛନ୍ତି। ରାଜ୍ୟରେ ମିଶନ ଶକ୍ତି ଆନ୍ଦୋଳନକୁ ସୁଦୃଢ କରିବାରେ ଏହି ସହାୟକ କର୍ମଚାରୀ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।

Categories
ବିଶେଷ ଖବର ବ୍ୟବସାୟ

ମିଶନ ଶକ୍ତି ଉତ୍ପାଦିତ ଦ୍ରବ୍ୟ ବିକ୍ରୀ ପାଇଁ ଭୁବନେଶ୍ବରରେ ମିଶନ ଶକ୍ତି ବଜାର, ଅନ୍ ଲାଇନ ମାର୍କେଟିଂ ପୋର୍ଟାଲ

ଭୁବନେଶ୍ବର: ରାଜ୍ୟରେ ମିଶନ ଶକ୍ତି ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ବ୍ୟବସ୍ଥା ସହିତ ସୁଧ ରିହାତି ପ୍ରଦାନ, ଅନ୍‌ ଲାଇନ ମାର୍କେଟ ବ୍ୟବସ୍ଥାର ଶୁଭାରମ୍ଭ, କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନଙ୍କ ପୋଷାକ ପାଇଁ ଭତ୍ତା ଘୋଷଣା, ଫେଡେରେସନ ଇସି ମେମ୍ବର ମାନଙ୍କ ବୈଠକ ବାବଦ ଦେୟ ଓ ଗସ୍ତ ପାଇଁ ଭତ୍ତା ଘୋଷଣା, ଜିଲ୍ଲା ସ୍ତରରେ ମିଶନ ଶକ୍ତି ଗଠନ ପାଇଁ ପ୍ରତ୍ୟେକ ଜିଲ୍ଲାକୁ ଏକ କୋଟି ଟଙ୍କା ଲେଖାଏ ଘୋଷଣା ଆଦି ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହାଦ୍ବାରା ତୃଣମୂଳ ସ୍ତରରେ ମିଶନ ଶକ୍ତି ଆନ୍ଦୋଳନ ଆହୁରି ଜୋରଦାର ହେବା ସହିତ ଆର୍ଥିକ ଦୃଷ୍ଟିରୁ ଅଧିକ ସଶକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ମା ମାନଙ୍କ ସଶକ୍ତିକରଣ ବିନା କୌଣସି ରାଜ୍ୟ ବା ଦେଶ କିମ୍ବା ପରିବାର ଆଗେଇ ପାରିବ ନାହିଁ । ଓଡିଶା ମିଶନ ଶକ୍ତି ମା ମାନଙ୍କ ସଶକ୍ତିକରଣ ଦିଗରେ ସବୁବେଳେ ବାଟ ଦେଖାଇ ଚାଲିବ। ୨୦ ବର୍ଷ ତଳେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମ ଆଜି ୭୦ ଲକ୍ଷ ମା ମାନଙ୍କର ଏକ ବିରାଟ ଆନ୍ଦୋଳନ ହୋଇପାରିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ମିଶନ ଶକ୍ତି ମା ମାନଙ୍କ ପାଇଁ ଏକ ସ୍ବତନ୍ତ୍ର ବିଭାଗ ଅଛି। ମିଶନ ଶକ୍ତି ପାଇଁ ୫୦୦୦ କୋଟି ଟଙ୍କାର କାମ ଦେବା ପାଇଁ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଥିବା ବିଷୟ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ ରାଜ୍ୟ ସରକାରଙ୍କ ୨୧ଟି ବିଭାଗ ମିଶନ ଶକ୍ତିକୁ କାମ ଯୋଗାଇ ଦେଉଛନ୍ତି ।

ମିଶନ ଶକ୍ତିର ମା ମାନେ ଏ ବର୍ଷ ଏପର୍ଯ୍ୟନ୍ତ ୬୦୦୦ କୋଟି ଟଙ୍କାର ଋଣ ନେଲେଣି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଋଣ ପାଇଁ ସୁଧ ରିହାତି ବାବଦରେ ୨୦୦ କୋଟି ଟଙ୍କା ଦିଆଗଲା । ଏଥିପାଇଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ବ୍ୟାଙ୍କ ମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ । ଷ୍ଟେଟ ବ୍ୟାଙ୍କ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ, ପଞ୍ଜାବ ନେସ୍‌ନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ ଓ ୟୁକୋ ବ୍ୟାଙ୍କ ଆଦି ବ୍ୟାଙ୍କ ଗୁଡିକୁ ସୁଧ ରିହାତି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ଅନ୍ୟ ବ୍ୟାଙ୍କଗୁଡିକ ମାନେ ଏହିଭଳି ଭାବରେ କାମ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ମିଶନ ଶକ୍ତିର ମା ମାନଙ୍କ ଦ୍ବାରା ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ମିଶନ ଶକ୍ତି ବଜାର ପାଇଁ ଭିତ୍ତିଭୂମି ରଖିଥିଲେ । ଏହାସହିତ ମିଶନ ଶକ୍ତିର ଅନ୍‌ଲାଇନ ମାର୍କେଟିଂର ଶୁଭାରମ୍ଭ ମଧ୍ୟ କରିଥିଲେ । ଏହାଦ୍ବାରା ସାରା ବିଶ୍ବରେ ମିଶନ ଶକ୍ତି ମା ମାନଙ୍କର ଦ୍ରବ୍ୟ ବିକ୍ରୟ ହୋଇପାରିବ ଏବଂ ଆମେରିକା ଓ ଲଣ୍ଡନର ଲୋକମାନେ ମୟୁରଭଂଜ ଓ ମାଲକାନଗିରିର ମିଶନ ଶକ୍ତି ମା ମାନଙ୍କର ଦ୍ରବ୍ୟ କିଣି ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାଦ୍ବାରା ମା ମାନଙ୍କ ରୋଜଗାର ବୃଦ୍ଧି ହେବ ବୋଲି ସେ କହିଥିଲେ । ଆଗାମୀ ଦିନରେ ସାରା ରାଜ୍ୟରେ ଏଭଳି ମିଶନ ଶକ୍ତି ବଜାର ସୃଷ୍ଟି କରାଯିବ ବୋଲି ସେ ଘୋଷଣା କରିଥିଲେ ।

ଆର୍ଥିକ ଦୃଷ୍ଟିରୁ ମା ମାନଙ୍କୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯେଉଁ ଗାଁରେ ବ୍ୟାଙ୍କ ନାହିଁ, ସେଠାରେ ସ୍ବୟଂ ସହାୟକ ଗୋଷ୍ଠୀ ବ୍ୟାଙ୍କ ସଖୀ ମାନଙ୍କୁ ଦାୟିତ୍ବ ଦିଆଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ ସବୁ ପଞ୍ଚାୟତ ଓ ୱାର୍ଡରେ ମିଶନ ଶକ୍ତି ଘର ନିର୍ମାଣ କରାଯାଉଛି । ସବୁ ବ୍ଲକ୍‌ ଓ ରାଜ୍ୟ ସ୍ତରରେ ମଧ୍ୟ ମିଶନ ଶକ୍ତି ଭବନ କରାଯିବ ବୋଲି ସେ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ପ୍ରତି ଜିଲ୍ଲାରେ ଜିଲ୍ଲା ମିଶନ ଶକ୍ତି ଭବନ ନିର୍ମାଣ କରାଯିବ। ଏଥିପାଇଁ ପ୍ରତ୍ୟେକ ଜିଲ୍ଲାକୁ ଏକ କୋଟି ଟଙ୍କା ଲେଖାଏ ଦିଆଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତିର ମା ମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ସମସ୍ୟା ସମାଧାନ ପାଇଁ ବ୍ୟବସ୍ଥା କରିବାକୁ ସେ ମିଶନ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ମିଶନ ଶକ୍ତି ମା ମାନଙ୍କ ଅନୁରୋଧ ଅନୁଯାୟୀ ରାଜ୍ୟ ସରକାର ମିଶନ ଶକ୍ତି ଫେଡେରେସନର EC ସଦସ୍ୟ ମାନଙ୍କ ବୈଠକ ବାବଦ ଖର୍ଚ୍ଚ ଓ ଗସ୍ତ ପାଇଁ ଭତ୍ତା ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏଥିପାଇଁ ସେ ୨୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି କହିଥିଲେ।

ସେହିପରି ପଞ୍ଚାୟତ ସ୍ତରରେ ସବୁ କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନଙ୍କ ପୋଷାକ (Uniform) ପାଇଁ ଭତ୍ତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । କୋଭିଡ ଠାରୁ ଆରମ୍ଭ କରି ବିଭିନ୍ନ ଜରୁରୀ ସମୟରେ ମିଶନ ଶକ୍ତିର ମା ମାନେ ଭଲ କାମ କରିଛନ୍ତି । ସେଥିପାଇଁ ଓଡିଶା ଋଣୀ । ମିଶନ ଶକ୍ତିର ମା ମାନଙ୍କୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେମାନେ ମିଶନ ଶକ୍ତିର ଗୌରବ ବୃଦ୍ଧି କରିଛନ୍ତି।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀ କଥା ନୁହେଁ, କାମରେ ବିଶ୍ବାସ କରନ୍ତି । ତାଙ୍କର ଦୃଢ ନେତୃତ୍ବ ଯୋଗୁ ମିଶନ ଶକ୍ତି କାର୍ଯ୍ୟକ୍ରମ ଆଜି ଶକ୍ତିଶାଳୀ ହୋଇପାରିଛି । ଏଥିରେ ସ୍ବାଗତ ଭାଷଣ ଦେଇ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟ ଆଜି ଦିନଟିକୁ ମିଶନ ଶକ୍ତି ପାଇଁ ଏକ ଐତିହାସିକ ଦିନ ଭାବରେ ବର୍ଣ୍ଣନା କରିଥିଲେ ଏବଂ ମା ମାନେ ସରକାର ଓ ସମାଜ ମଧ୍ୟରେ ସେତୁବନ୍ଧ ଭାବରେ କାମ କରି ଆନ୍ଦୋଳନକୁ ମଜବୁତ କରିଛନ୍ତି ବୋଲି କହିଥିଲେ । ବିଭାଗୀୟ ଉପଦେଷ୍ଟା ଶ୍ରୀମତୀ ଲୋପାମୁଦ୍ରା ବକ୍‌ସିପାତ୍ର, ବରଗଡ, ନୂଆପଡା, ଗଞ୍ଜାମ ଓ ମୟୁରଭଂଜର ମିଶନ ଶକ୍ତି ବ୍ଲକ୍‌ ସଭାନେତ୍ରୀ ମାନଙ୍କ ସହିତ ମତ ବିନିମୟ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଜି ମିଶନ ଶକ୍ତିର ଇ-ମାର୍କେଟିଂ ପାଇଁ ଅନ୍‌ଲାଇନ ପୋର୍ଟାଲର ଶୁଭାରମ୍ଭ କରିବା ସହିତ ଭୁବନେଶ୍ବର SIRD campusରେ ମିଶନ ଶକ୍ତି ବଜାର ପାଇଁ ଭିତ୍ତି ରଖିଥିଲେ। ଏହାସହିତ ସୁଧ ରିହାତି ବଣ୍ଟନ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଭର୍ଚ୍ୟୁଆଲ ମାଧ୍ୟମରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ୩୧୪ ବ୍ଲକ୍‌ର ବ୍ଲକ୍‌ ଫେଡେରେସନର ସଭାନେତ୍ରୀମାନେ ଯୋଗ ଦେଇଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାୟଗଡାର ୮.୩୦ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା, ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ରାୟଗଡା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୮ ଲକ୍ଷ ୩୦ ହଜାର ଲୋକ ଏହି ସୁବିଧା ପାଇବେ। ଏହାସହିତ ରାଜ୍ୟର ୧୭ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଜନଜାତି ଭାଇ ଭଉଣୀ ମାନଙ୍କର ଉଚ୍ଚ ପ୍ରଶଂସା କରି କହିଲେ ଯେ ସେମାନେ ସରକାରଙ୍କ ବିଭିନ୍ନ ଯୋଜନାର ସୁଯୋଗ ନେଇ ନିଜ ଜୀବନଧାରଣ ମାନରେ ପରିବର୍ତ୍ତନ ଆଣିପାରିଛନ୍ତି। ସେହିପରି ଜିଲ୍ଲାରେ ମା’ ମାନେ ୪୦୦୦ ମିଶନ ଶକ୍ତି ଗ୍ରୁପରେ ସାମିଲ ହୋଇ ନିଜର ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିଛନ୍ତି ଓ ନିଜକୁ ସକ୍ଷମ କରିପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ରାୟଗଡାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୮ ଲକ୍ଷ ୩୦ ହଜାରେ ଲୋକ ସ୍ମାର୍ଟ କାର୍ଡ ପାଇବେ ବୋଲି ପ୍ରକାଶ କରି ଏହାଦ୍ବାରା ସେମାନଙ୍କର ଏକ ବଡ ସମସ୍ୟା ଦୂର ହୋଇପାରିବ ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀ କହିଲେ ଯେ, ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ। ଏହାଦ୍ବାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି। ସେମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ। ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ। ଚିକିତ୍ସା ସୁବିଧା ଏବେ ସମସ୍ତଙ୍କ ହାତ ପାଆନ୍ତାରେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାକୁ ସ୍ମାର୍ଟ ହେଲ୍‌ଥ କାର୍ଡ ସମ୍ଭବ କରିପାରିଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ। ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।

ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି।

ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ସାଂସଦ ଭାସ୍କର ରାଓ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ପ୍ରମୁଖ ଯୋଗଦେଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ରାଜ୍ୟର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ରୂପାନ୍ତର ଆଣିବାରେ ସକ୍ଷମ ହୋଇଛି ବୋଲି କହିଥିଲେ।  ବିକାଶ ତଥା କଲ୍ୟାଣ କ୍ଷେତ୍ରରେ ଓଡିଶାକୁ ଦେଶର ଏକ ମଡେଲ ରାଜ୍ୟ ଭାବରେ ମୁଖ୍ୟମନ୍ତ୍ରୀ ପ୍ରତିଷ୍ଠିତ କରିପାରିଛନ୍ତି ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମିଶନ ଶକ୍ତି ଗୋଷ୍ଠୀର ମା’ ମାନଙ୍କୁ ଅଧିକରୁ ଅଧିକ ସରକାରୀ କାମ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ ମହିଳା ମାନଙ୍କ ଅର୍ଥନୈତିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ। ମିଶନ ଶକ୍ତି ମା ମାନଙ୍କୁ ସରକାରୀ କାମ ଯୋଗାଇ ଦେବା ଏହାର ଏକ ପ୍ରମୁଖ ମାଧ୍ୟମ। ଏହାକୁ ଦୃଷ୍ଟିରେ ରଖି ଆମର ସବୁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉ। ରାଜ୍ୟ ସରକାରଙ୍କ ସବୁ ବିଭାଗ ମାନେ ଏହାକୁ ମହିଳା ଆର୍ଥିକ ସଶକ୍ତିକରଣର ଏକ ଦିଗ ଭାବେ ଗ୍ରହଣ କରି କାମ କରନ୍ତୁ। ଆବଶ୍ୟକସ୍ଥଳେ ମିଶନ ଶକ୍ତି ମା ମାନଙ୍କର ପାରିଶ୍ରମିକ ମଧ୍ୟ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ମିଶନ ଶକ୍ତି ଗୋଷ୍ଠୀର ମା’ ମାନଙ୍କୁ ବିଭିନ୍ନ ସରକାରୀ ବିଭାଗ କାମ ଯୋଗାଇ ଦେବା ସଂପର୍କରେ କୋଡ଼ିଏ ଟି ବିଭାଗର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଏହି ପରାମର୍ଶ ଦେଇଛନ୍ତି।

ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଙ୍କ ସବୁ ବିଭାଗ ମିଶନ ଶକ୍ତି ଗୋଷ୍ଠୀର ମା ମାନଙ୍କୁ କାମ ଯୋଗାଇ ଦେବାପାଇଁ ଆଗାମୀ ୩ ବର୍ଷ ପାଇଁ ଆକ୍‌ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି।

ବୈଠକରେ ମିଶନ ଶକ୍ତି ବିଭାଗ କମିଶନର-ତଥା-ସଚିବ ସୁଜାତା କାର୍ତ୍ତେକେୟ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ।

ଏହି ଉପସ୍ଥାପନା ଅନୁଯାୟୀ ୧୩ଟି ବିଭାଗ ୨୦୨୦-୨୧ ଆର୍ଥିକ ବର୍ଷରେ ୧୦୪୭୧୨ଟି ମିଶନ ଶକ୍ତି ଗୋଷ୍ଠୀର ମା ମାନଙ୍କୁ ପ୍ରାୟ ୧୨୦୦ କୋଟି ଟଙ୍କାର ବିଜିନେସ୍‌ ସରକାର ଯୋଗାଇ ଦେଇଛନ୍ତି। ମିଶନ ଶକ୍ତି ଗୋଷ୍ଠୀର ମା ମାନେ ୨୯୬ କୋଟି ଟଙ୍କାର ରୋଜଗାର ପାଇଛନ୍ତି।

ବୈଠକରେ ସବୁ ବିଭାଗ ମାନେ ଆଗାମୀ ୩ ବର୍ଷ ପାଇଁ ସେମାନଙ୍କର କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ବ୍ୟାଙ୍କ ସୁବିଧା ନ ଥିବା ଗ୍ରାମ ପଞ୍ଚାୟତ ଗୁଡିକରେ ମିଶନ ଶକ୍ତିର ମା ମାନଙ୍କୁ ବ୍ୟାଙ୍କ କରେସପଣ୍ଡେଟ ଭାବରେ ନିଯୁକ୍ତି ଦେବା ପାଇଁ ବୈଠକରେ ଗୁରୁତ୍ବ ଆରୋପ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଏକ ଗେମ ଚେଞ୍ଜର ଭାବରେ ବର୍ଣ୍ଣନା କରି ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ରାଜ୍ୟର ୬୭୯୮ଟି ଗ୍ରାମ ପଞ୍ଚାୟତରୁ ମାତ୍ର ୨୧୪୯ଟି ଗ୍ରାମରେ ବ୍ୟାଙ୍କ ଶାଖା ରହିଛି । ବାକି ୪୬୪୯ଟି ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ଶାଖା ନାହିଁ। ଏହିସବୁ ପଞ୍ଚାୟତରେ ମିଶନ ଶକ୍ତି ଗୋଷ୍ଠୀର ମା ମାନଙ୍କୁ ବ୍ୟାଙ୍କ କରେସପଣ୍ଡେଟ ଭାବରେ ନିଯୁକ୍ତି ଦେବା ପାଇଁ ପ୍ରକ୍ରିୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୧୨୬୨ଟି ମିଶନ ଶକ୍ତି ଗୋଷ୍ଠୀର ମା ମାନଙ୍କୁ ନିଯୁକ୍ତି ଦିଆସରିଛି ଏବଂ ଆଉ ୩୫୦୮ଟି ମିଶନ ଶକ୍ତି ଗୋଷ୍ଠୀର ମା ମାନଙ୍କ ଚୟନ ପ୍ରକ୍ରିୟା ଜାରି ରହିଛି। ନିଯୁକ୍ତି ପାଇଥିବା ମିଶନ ଶକ୍ତି ଗୋଷ୍ଠୀର ମା ମାନଙ୍କୁ ତାଙ୍କ ବିଜିନେସ୍‌ରେ ସହାୟତା କରିବା ପାଇଁ ପ୍ରାରମ୍ଭିକ ଭାବରେ ସରକାରଙ୍କ ପକ୍ଷରୁ ମାସକୁ ୨୦୦୦ ଟଙ୍କା ଲେଖାଏ ଯୋଗାଇ ଦିଆଯାଉଛି ବୋଲି ମିଶନ ଶକ୍ତି ସଚିବ ସୂଚନା ଦେଇଥିଲେ। ଟେକ୍ ହୋମ୍ ରାସନ, ଆହାର, ମାଛ ଚାଷ ଓ କୃଷି ଉତ୍ପାଦକ ଗୋଷ୍ଠୀ ଆଦି କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମା ମାନେ ଭଲ ପ୍ରଦର୍ଶନ କରିଛନ୍ତି ବୋଲି ଜଣାଯାଇଛି।

କୃଷି ବିଭାଗ, ଶକ୍ତି ବିଭାଗ, ମତ୍ସ୍ୟ ଓ ପଶୁସଂପଦ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆଦି ବିଭାଗର କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରି ଏହାକୁ ଆହୁରି ଆଗେଇ ନେବା ପାଇଁ ପରାମର୍ଶ ଦେଇଥିଲେ। ନଗର ଉନ୍ନୟନ ବିଭାଗ ଦ୍ବାରା ମୁକ୍ତା ଯୋଜନା ଆନ୍ତର୍ଜାତିକ ସ୍ତରରେ 5th International Guangzhou Award ପାଇଥିବା ବେଳେ ମିଶନ ଶକ୍ତି ଗୋଷ୍ଠୀର ସମଲିଙ୍ଗୀ ମାନଙ୍କୁ କାମ ଯୋଗାଇ ଦେବା କାର୍ଯ୍ୟକ୍ରମ ପାଇଁ FICCI National Award ମିଳିଛି ବୋଲି ସୂଚନା ଦିଆଯାଇଥିଲା।

ଯେଉଁ ବିଭାଗ ମାନେ ଏପର୍ଯ୍ୟନ୍ତ ସୁଦ୍ଧା କାର୍ଯ୍ୟ ଆରମ୍ଭ କରିନାହାନ୍ତି, ସେମାନଙ୍କ ପାଇଁ ଖୁବ ଶୀଘ୍ର ଆଉ ଏକ ସମୀକ୍ଷା ବୈଠକ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ତଫସିଲଭୁକ୍ତ ଜାତି ଓ ଜନଜାତି ବିଭାଗ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟ ଚିହ୍ନଟ କରାଯାଇ ମା ମାନଙ୍କୁ କାମ ଯୋଗାଇ ଦେବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି ବୋଲି ସୂଚନା ଦିଆଯାଇଛି ବୋଲି ସୂଚନା ଦିଆଯାଇଥିଲା।

ସୂଚନାଯୋଗ୍ୟ ଯେ ୨୦୧୯ ମଇ ୨୯ରେ ପ୍ରଥମ କ୍ୟାବିନେଟ୍‌ ବୈଠକରେ ମିଶନ ଶକ୍ତିର ମା ମାନଙ୍କୁ ୫ ବର୍ଷରେ ୫୦୦୦ କୋଟି ଟଙ୍କାର କାମ ଯୋଗାଇ ଦେବା ପାଇଁ ନିଷ୍ପତ୍ତି କରାଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ॥

ଏହି ବୈଠକରେ ଉନ୍ନୟନ କମିଶନର ପି.କେ. ଜେନା ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ୬ଟି ଜିଲ୍ଲାରେ ପ୍ରତିଷ୍ଠିତ ଟିଫିନ୍‌ ସେଣ୍ଟର ପ୍ରତି ଲୋକଙ୍କ ବଢୁଛି ଆଗ୍ରହ

ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଦ୍ୱାରା ଆଭାସି ମାଧ୍ୟମରେ କେଉଁଝର ଜିଲ୍ଲାରେ ମୁକ୍ତାକାଶ ରେସ୍ତୋରାଁରେ ଓଡ଼ିଶାର ପ୍ରଥମ ସ୍ୱତନ୍ତ୍ର ମିଲେଟ୍‌ ଶକ୍ତି କାଫେ ଆଜି ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତିର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍‌ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

ମନ୍ତ୍ରୀ ଶ୍ରୀମତୀ ସାହୁ ଏହି ଅବସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ଆଶିଷ ଠାକ୍‌ରେ ଜିଲ୍ଲାରେ ଏହି ଭଳି ଆହୁରି ଅଧିକ କାଫେ ଖୋଲାଯିବ ବୋଲି କହିଥିଲେ ।

ଓଡ଼ିଶା ମିଲେଟ୍‌ ମିଶନର ବୈଷୟିକ ଏବଂ ପରିଚାଳନାଗତ ଆଭିମୁଖ୍ୟ ସଂପର୍କରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ପର୍ଯ୍ୟାପ୍ତ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଏହି ମିଲେଟ୍‌ ଶକ୍ତି କାଫେରେ ମିଲେଟ୍‌ରୁୁ ପ୍ରସ୍ତୁତ ବହୁବିଧ ଖାଦ୍ୟ ସାମଗ୍ରୀ ଯେମିତି କି ରନ୍ଧାଖାଦ୍ୟ, ଖାଇବା ସାମଗ୍ରୀ, ଅଟା, ପାନୀୟ, ଜଳଖିଆ, ବେକେରୀ ସାମଗ୍ରୀ ଆଦି ବିକ୍ରୟ କରାଯିବ ।

ରାଜ୍ୟର ସହରାଞ୍ଚଳଗୁଡ଼ିକରେ ଆଗାମୀ ଏକ ବର୍ଷ ମଧ୍ୟରେ ଏହି ଭଳି ଆହୁରି ୧୫ଟି ମିଲେଟ୍‌ ଶକ୍ତି କାଫେ ଖୋଲାଯିବ । ସିଏସ୍‌ଆଇଆର୍‌-ସିଏଫ୍‌ଟି ଆର୍‌ଆଇ, ମହୀଶୂରର ବୈଷୟିକ ତତ୍ତ୍ୱାବଧାନରେ ଓଡ଼ିଶା ମିଲେଟ୍‌ ମିଶନ ଦ୍ୱାରା ଏଥି ପାଇଁ ଆହୁରି ଉଚ୍ଚତର ପ୍ରଶିକ୍ଷଣ ପ୍ରଦାନ କରାଯିବ ଏବଂ ଏହାର ମାନକ ନିର୍ଦ୍ଧାରଣ କରାଯିବ ।

‘ରାଜ୍ୟର ଜନଜାତି ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ମିଲେଟ୍‌ର ବହୁଳ ପ୍ରଚଳନ ପାଇଁ ସ୍ୱତନ୍ତ୍ର ଯୋଜନା’ ପରିପ୍ରେକ୍ଷୀରେ ରାଜ୍ୟରେ ମିଲେଟ୍‌ର ଉତ୍ପାଦନ ବୃଦ୍ଧି ନିମନ୍ତେ ୨୦୧୭ ମସିହାରେ ଓଡ଼ିଶା ମିଲେଟ୍‌ ମିଶନର ଶୁଭାରମ୍ଭ କରାଯାଇଥିଲା । ସଂପ୍ରତି ୧୫ଟି ଜନଜାତି ଅଧ୍ୟୁଷିତ ଜିଲ୍ଲାର ୮୪ଟି ବ୍ଲକ୍‌ରେ ଏହା କାର୍ଯ୍ୟକାରୀ ହେଉଛି ।

ରାଜ୍ୟର ମହିଳାମାନଙ୍କ ସାମାଜିକ ଓ ଆର୍ଥିକ ସଶକ୍ତିକରଣ ନିମନ୍ତେ ୨୦୦୧ ମସିହାରେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ମାଧ୍ୟମରେ ୭୦ ଲକ୍ଷ ମହିଳାଙ୍କୁ ସାମିଲ କରାଯାଇଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଜୀବିକା ପ୍ରଦାନ ସହ ମିଲେଟ୍‌କୁ ଏକ ପୁଷ୍ଟିଯୁକ୍ତ ଖାଦ୍ୟ ଭାବେ ବହୁଳ ବ୍ୟବହାର ନିମନ୍ତେ ୨୦୨୦ ମସିହାରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ମିଶନ ଶକ୍ତି ଏବଂ ଓଡ଼ିଶା ମିଲେଟ୍‌ ମିଶନ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା ।

ଏହି ବୁଝାମଣା ଅନୁସାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମହାସଂଘର ସହାୟତାରେ ମିଲେଟ୍‌ ଆଧାରିତ ଖାଦ୍ୟ ସାମଗ୍ରୀର ଟିଫିନ ସେଣ୍ଟର ଏବଂ ଭ୍ରାମ୍ୟମାଣ ଖାଦ୍ୟ ଯାନ ସ୍ଥାପନ କରାଯିବା ସହ ଲୋକମାନଙ୍କୁ ସ୍ୱାସ୍ଥ୍ୟକର ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଇଦେବାର ଦେ୍ୱðତ ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ରଖାଯାଇଥିଲା । ଏହି କାର୍ଯ୍ୟକ୍ରମ ଅଧୀନରେ ଯେଉଁସବୁ ସ୍ଥାନରେ ବିକ୍ରୟ କେନ୍ଦ୍ର ଖୋଲାଯିବ ତାହାକୁ ‘ମିଲେଟ୍‌ ଶକ୍ତି’ ବ୍ରାଣ୍ଡ ନାମରେ ଅଭିହିତ କରାଯାଇଥିଲା ।

ଯୋଗ୍ୟତା ଭିତ୍ତିରେ ଜିଲ୍ଲାପାଳଙ୍କ ଚୂଡ଼ାନ୍ତ ଅନୁମୋଦନ କ୍ରମେ ବ୍ଲକ୍‌ ଏବଂ ଜିଲ୍ଲାସ୍ତରରେ କମିଟି ଦ୍ୱାରା ସ୍ଥିରୀକୃତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଟେଣ୍ଡର ଆହ୍ୱାନ କରାଯାଇ ଚୟନ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ବଲାଙ୍ଗୀର, ଗଞ୍ଜାମ, ମୟୂରଭଞ୍ଜ, ମାଲକାନଗିରି, ନୂଆପଡ଼ା ଏବଂ ରାୟଗଡ଼ା ସମେତ ୬ଟି ଜିଲ୍ଲାରେ ୧୨ଟି ବ୍ଲକ୍‌ରେ ୩୨ଟି ମିଲେଟ୍‌ ଶକ୍ତି ଟିଫିନ ସେଣ୍ଟର ଖୋଲଯାଇ ସାରିଛି ।

ଟିଫିନ୍‌ ସେଣ୍ଟର ପାଇଁ ଆବଶ୍ୟକ ରୋଷେଇ ସରଞ୍ଜାମ ଯଥା-ଖାଦ୍ୟ ରଖିବା ନିମନ୍ତେ ଘୋଡ଼ଣୀ ଥିବା ଡେକ୍‌ଚି, ରାନ୍ଧିବା ପାଇଁ ବଡ଼ କଡ଼େଇ, ଇଡ୍‌ଲି ଛାଞ୍ଚ, ବେଲଣା ପେଡ଼ି, ଗ୍ରାଇଣ୍ଡର, ପ୍ରେସ୍‌ରକୁକର, ପିଠାଖଡ଼ିକା, ପରଷିବା ନିମନ୍ତେ ଷ୍ଟିଲ ଥାଳି, ୧୦୦ ଲିଟର ପାଣିଜାର୍‌ ଆଦି କିଣିବା ନିମନ୍ତେ ଓଡ଼ିଶା ମିଲେଟ୍‌ ମିଶନ ତରଫରୁ ଏହି ୟୁନିଟ୍‌ଗୁଡ଼ିକୁ ୩୦ ହଜାର ଟଙ୍କାର ଏକକାଳୀନ ସହାୟତା ରାଶି ଯୋଗାଇ ଦିଆଯାଇଛି । ଟିଫିନ୍‌ ସେଣ୍ଟର ପାଇଁ ଆବଶ୍ୟକ ଫ୍ଲେକ୍ସ, ବ୍ୟାନର, ଫେସିଆ ଆଦି ଛପାଇବା ଏବଂ ଟାଙ୍ଗିବା ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ସର୍ବନିମ୍ନ ୧୦ ହଜାରରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରାଯାଇଛି ।

ଏହି ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମକୁ ଆଗେଇ ନେବା ନିମନ୍ତେ ଯୋଗ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଆବଶ୍ୟକୀୟ ପ୍ରଶିକ୍ଷଣ ଦିଆଯାଇଛି । ପୂର୍ବରୁ ସେମାନେ ପ୍ରସ୍ତୁତ କରୁଥିବା ମିଲେଟ୍‌ରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ସହ ରାଗିରୁ ପ୍ରସ୍ତୁତ ଇଡ୍‌ଲି, ଦୋସା, ବରା, ଆଳୁଚପ୍‌, ସିଙ୍ଗଡ଼ା ପକୋଡ଼ା, ପୁରୀ, ଉପମା, କାକରା, ମାଲପୁଆ, ଲଡ଼ୁ, ଜିଲାପି, ଖଜା, ରୋଜ୍‌କେକ୍‌ ଖାଦ୍ୟ ସାରଣୀକୁ ଅଧିକ ଆକର୍ଷଣୀୟ କରିପାରିଛି ।

ବଜାର ସଂଯୋଗୀକରଣ ପ୍ରକ୍ରିୟାରେ ମିଲେଟ୍‌ରୁ ପ୍ରସ୍ତୁତ ଅଧିକ ଦିନ ରହିପାରୁଥିବା ଖାଦ୍ୟ ଭାବେ ଖୁରମା, ମୁଡ଼ୁକି, ମିକ୍ସଚର, ସରଗମ ଲଡ଼ୁ ଆଦି ସାଧାରଣ ଲୋକଙ୍କ ଦ୍ୱାରା ବହୁଳ ଭାବେ ଆଦୃତି ଲାଭ କରିଛି । ପ୍ରତ୍ୟେକ ପ୍ଲେଟ୍‌ର ମୂଲ୍ୟ ମାତ୍ର ୫ ଟଙ୍କାରୁ ୨୫ ଟଙ୍କା ମଧ୍ୟରେ ସୀମିତ ରଖାଯାଇଛି । ସୁଲଭ ମୂଲ୍ୟରେ ଅଭିନବ ଖାଦ୍ୟସାମଗ୍ରୀ ପ୍ରସ୍ତୁତି କରି ସ୍ୱାସ୍ଥ୍ୟକର ଏବଂ ପୁଷ୍ଟିଯୁକ୍ତ ଖାଦ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବା ହେତୁ ଖୁବ୍‌ କମ୍‌ ସମୟ ମଧ୍ୟରେ ଏହି ଖାଦ୍ୟ ଲୋକଙ୍କ ନିକଟରେ ଆଦୃତ ହୋଇପାରିଛି ।

ରାସନ୍‌ ସାମଗ୍ରୀ ଓ ପନିପରିବା କିଣିବା, କାଉଣ୍ଟର ପରିଚାଳନା କରିବା, ରେଜିଷ୍ଟରରେ ତଥ୍ୟ ଅପ୍‌ଡେଟ୍‌ କରିବା ଆଦି କାର୍ଯ୍ୟକୁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ମଧ୍ୟରେ ସମାନ ଭାବେ ବଣ୍ଟନ କରାଯାଇଛି । ପ୍ରାୟ ସମସ୍ତ ବିକ୍ରୟ କେନ୍ଦ୍ର କାର୍ଯ୍ୟକ୍ଷମ ଅଛି ଏବଂ ଏହି ଏସ୍‌ଏଚ୍‌ଜି ଗ୍ରୁପ୍‌ମାନଙ୍କ ଦ୍ୱାରା ପରିଚାଳିତ ବିକ୍ରୟ କେନ୍ଦ୍ରଗୁଡ଼ିକରେ ବାର୍ଷିକ ୧ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ଲାଭ ହେଉଛି । ପ୍ରାୟ ସମସ୍ତ ଗ୍ରାହକ ନିୟମିତ ଭାବେ ଦେୟ ପ୍ରଦାନ କରୁଥିବା ବେଳେ ରପ୍ତାନୀ ପାଇଁ ଦିଆଯାଉଥିବା ଅର୍ଡରଗୁଡ଼ିକ ପାଇଁ କିଛିଦିନ ମଧ୍ୟରେ ଅର୍ଥ ପଇଠ କରାଯାଉଛି । ପ୍ରତି ମାସର କାର୍ଯ୍ୟ ଦିବସଗୁଡ଼ିକ ଆଧାରରେ ପ୍ରତ୍ୟେକ ଏସ୍‌ଏଚ୍‌ଜି ହାରାହାରି ୭ ହଜାରରୁ ୯ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି ।

ଏହି କାର୍ଯ୍ୟକ୍ରମରେ ନିୟୋଜିତ ହେବା ଦ୍ୱାରା ଏସ୍‌ଏଚ୍‌ଜିମାନଙ୍କ କାର୍ଯ୍ୟଦକ୍ଷତା ବହୁ ପରିମାଣରେ ବୃଦ୍ଧି ପାଇଛି । “ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଅର୍ଥ ଉପାର୍ଜନ କରିବା ସହ ନିଜ ପରିବାରକୁ ସହଯୋଗ କରିବାରେ ସଫଳ ହୋଇପାରିଛୁ’’ ବୋଲି ମାଲକାନଗିରି ମା ସନ୍ତୋଷୀ ଏସ୍‌ଏଚ୍‌ଜି ମତବ୍ୟକ୍ତ କରିଛନ୍ତି ।“ଯଦିଓ ଆମର ଉତ୍ପାଦନ ବର୍ତ୍ତମାନ ବହୁତ ଅଧିକ ହୋଇନାହିଁ ତଥାପି ଅଳ୍ପ ଆୟରେ ବି ଆମେ ବହୁତ ଖୁସି ଅଛୁ । ଆମେ ଆମ ବ୍ୟବସାୟକୁ ଆହୁରି ବୃଦ୍ଧି କରିବାକୁ ଚାହୁଁଛୁ ଯାହାଫଳରେ ପୁରୁଷମାନଙ୍କ ଉପରେ ଆମର ନିର୍ଭରଶୀଳତା କମିଯିବ’’ ବୋଲି କହିଛନ୍ତି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ବ୍ଲକ୍‌ ବାବା ସିମିଲେଶ୍ୱର ଏସ୍‌ଏଚ୍‌ଜିର ସଦସ୍ୟାମାନେ ।

“ଏହି କାର୍ଯ୍ୟକ୍ରମ ଆମକୁ ପରିଚୟ ଦେଇଛି । ତେଣୁ ଆମେ ଏହାକୁ ଆହୁରି ସଂପ୍ରସାରିତ କରିବାକୁ ଚାହୁଁଛୁ’’ ବୋଲି ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକ୍‌ର ଜୟଶ୍ରୀ ଏସ୍‌ଏଚ୍‌ଜିର ସଦସ୍ୟାମାନେ କହିଛନ୍ତି ।

Categories
RakshaBandhan ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଭୁବନେଶ୍ବରର ଓରମାସ ବିକ୍ରି କରୁଛି ସ୍ବଂୟ ସହାୟକ ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ‘ଟେରାକୋଟା ରାକ୍ଷୀ’

ଭୁବନେଶ୍ବର, ଏଥର ରାକ୍ଷୀ ବଜାରକୁ ଗରମ କରିଛି ଓରମାସ ପ୍ରସ୍ତୁତ ପ୍ରାକୃତିକ ଜିନିଷର ତିଆରି ରାକ୍ଷୀ। ଭଳିକି ଭଳି ରାକ୍ଷୀ ଦେଖିଲେ ମନ ଖୋସି ହୋଇଯାଉଛି। ଏହି ରାକ୍ଷୀ ରାଜ୍ୟର ସ୍ବଂୟ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ବାରା ପ୍ରସ୍ତୁତ ହୋଇଛି। ଏହି ରାକ୍ଷୀ କିଣିବାରେ ବର୍ତ୍ତମାନ ଗ୍ରାହକଙ୍କ ବେଶ ଆଗ୍ରହ ପରିଲକ୍ଷିତ ହୋଇଛି।

ଭୁବନେଶ୍ବରର ୟୁନିଟ-8 SIRD କ୍ୟାମ୍ପସକୁ ଲାଗି ଏହି ଷ୍ଟଲ କରାଯାଇଛି। ଏଥିରେ ମହିଳାମାନେ ସବାଇ ଘାସ, ଗୋଲଡେନ ଘାସ, ଧାନ, ଝୋଟ ପ୍ରଭୃତିରେ ଏହି ରାକ୍ଷୀ ତିଆରି କରିଛନ୍ତି। ଏପରିକି ଏହି ଷ୍ଟଲରେ ଟେରାକୋଟା ରାକ୍ଷୀ ମଧ୍ୟ ବିକ୍ରି କରାଯାଉଛି। ଯାହା ଗ୍ରାହକଙ୍କ ମଧ୍ୟରେ ବେଶ୍ ଆଗ୍ରହ ସୃଷ୍ଟି ହୋଇଛି। ଏହି ଷ୍ଟଲର ନାମ ରଖାଯାଇଛି “ନିଆରା ରାକ୍ଷୀର ସମ୍ଭାର”

Categories
ଆଜିର ଖବର ରାଜ୍ୟ ଖବର

ଡିଜିଟାଲ ଜ୍ଞାନ ବ୍ୟବହାର କଲେ ମିଶନ ଶକ୍ତି ମହିଳା, ଧାନ ସଂଗ୍ରହ ପାଇଁ 320ଟି ଏସଏଚଜି ରେ ଲାଗୁ

ଭୁବନେଶ୍ବର, ବର୍ତ୍ତମାନ ଓଡିଶାର ମହିଳାମାନେ ହୋଇଛନ୍ତି ଡିଜିଟାଇଜେସନ। ଯାହାର ପ୍ରମାଣ ହେଉଛି ରାଜ୍ୟରେ ଏସଏଚଜି ମହିଳାମାନେ ଇଣ୍ଟରନେଟ ମାଧ୍ୟମରେ କାମ କରିବା। ରାଜ୍ୟରେ ଧାନ ସଂଗ୍ରହ ପାଇଁ ସରକାର ମିଶନ ଶକ୍ତିକୁ ଦାୟିତ୍ବ ଦେଇଛନ୍ତି। ଫଳରେ ଏହାର ସଂଗ୍ରହ ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ଏହି କାର୍ଯ୍ୟ କରାଯାଉଛି। ମହିଳାମାନେ ଚାଷିମାନଙ୍କ ନାମ ଅନଲାଇନ ରେଜିଷ୍ଟ୍ରେସନ କରୁଛନ୍ତି।
ବର୍ତ୍ତମାନ ରାଜ୍ୟର 11 ଟି ଜିଲ୍ଲାର 320ଟି ଏସଏଚଜି ସଂଗଠନରେ ଏହି ଡିଜିଟାଇଜେସନ ପକ୍ରିୟା ଲାଗୁ କରାଯାଇଛି। ମହିଳାମାନେ ଏହାର ତଦାରଖ କରି ଧାନ ସଂଗ୍ରହ କରିବାରେ ଲାଗିଛନ୍ତି। ପରବର୍ତ୍ତି ସମୟରେ ଏହି ସଂଖ୍ୟା ଆହୁରି ବୃଦ୍ଧି କରାଯିବ ବୋଲି ମିଶନ ଶକ୍ତି ବିଭାଗ ତରଫରୁ କୁହାଯାଇଛି।
Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଫେସବୁକରୁ ପରକୀୟା ପ୍ରୀତି, ସ୍ତ୍ରୀ ଓ ପିଲାକୁ ଛାଡି ସ୍ୱାମୀ ଫେରାର

ସୀତାରାମ ଅଗ୍ରୱାଲ

ବାଣପୁର: ଆଜିକାଲି ସାମାଜିକ ଗଣମାଧ୍ୟମ ବିନା ଲୋକଙ୍କ ବଞ୍ଚିବା କଷ୍ଟକର ହୋଇପଡୁଛି। ସାମାଜିକ ଗଣମାଧ୍ୟମ ଦ୍ଵାରା ଅନେକ ଲାଭ ମିଳୁଥିବା ବେଳେ ମାନବ ସଭ୍ୟତା ପାଇଁ ସମ ପରିମାଣରେ କ୍ଷତି ମଧ୍ୟ ହେଉଛି।

ଫେସବୁକ ଦ୍ୱାରା ବିବାହ ବନ୍ଧନରେ ଯୁବକ ଯୁବତୀ ଯୋଡି ହେଉଥିବା ବେଳେ କେତେକାଂଶରେ ଦାମ୍ପତ୍ୟ ଜୀବନରେ ମଧ୍ୟ ଝଡ଼ ସୃଷ୍ଟି ହେଉଛି। ଫେସବୁକ ଯୋଗୁଁ ଜଣେ ବିବାହିତ ପୁରୁଷ ଅନ୍ୟ ଏକ ଅଜଣା ଯୁବତୀଙ୍କୁ ପ୍ରେମ କରି ପତ୍ନୀ ଓ ପିଲାକୁ ଛାଡି ଫେରାର ହେଇଯାଉଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଅଞ୍ଚଳରେ ଠିକ ଏଭଳି ଏକ ଘଟଣା ଘଟିଯାଇଛି। ସ୍ଵାମୀ ଫେସବୁକ ମାଧ୍ୟମରେ ଜଣେ ଅଜଣା ଯୁବତୀଙ୍କୁ ପ୍ରେମ କରିବା ପରେ ନିଜ ସ୍ତ୍ରୀ ଆଉ ପିଲାକୁ ଛାଡି ଫେରାର ହୋଇଯାଇଛି। ଫଳରେ ସ୍ତ୍ରୀ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଗ୍ରାମର ଦୀପାଞ୍ଜଳି ବରାଳଙ୍କ ପାଞ୍ଚବର୍ଷ ତଳେ ପୁରୀ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ରାଧେଶ୍ୟାମ ଗୋଡିଙ୍କ ପୁତ୍ର ରବି ନାରାୟଣ ଗୋଡ଼ିଙ୍କ ସହ ହିନ୍ଦୁ ରିତିରେ ବିବାହ ହୋଇଥିଲା। ଦୀପାଞ୍ଜଳିଙ୍କ ପରିବାର ବିବାହ ନିମନ୍ତେ ବର ପକ୍ଷକୁ ବିଭିନ୍ନ ଆସବାବପତ୍ର, ଅଳଙ୍କାର ଏବଂ ନକଦ ୨ ଲକ୍ଷ ଟଙ୍କା ଦେଇଥିଲେ। ବର୍ତ୍ତମାନ ଉଭୟଙ୍କ ଏକ ଚାରି ବର୍ଷର ଝିଅ ଟିଏ ଅଛି।

ତେବେ କିଛି ମାସ ତଳେ ରବିଙ୍କ ଗୋଆରେ ଚାକିରୀ ହୋଇଯିବାରୁ ସପରିବାର ଗୋଆରେ ରହୁଥିଲେ। ଗୋଆରେ ରହିବା ସମୟରେ ଫେସବୁକ ଜରିଆରେ ରବି ନାରାୟଣଙ୍କ ଅନ୍ୟ ଏକ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା। ଏହାକୁ ନେଇ ଦୀପାଞ୍ଜଳି ପ୍ରତିବାଦ କରିବାରୁ ତାଙ୍କ ସ୍ୱାମୀ ରବି ନାରାୟଣଙ୍କ ଅନେକ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବାର ଦୀପାଞ୍ଜଳି ଅଭିଯୋଗ କରିଛନ୍ତି। ଏପରିକି ଏକଥା କାହାରିକୁ କହିଲେ ଜୀବନରେ ମାରିଦେବା ପାଇଁ ଧମକ ମଧ୍ୟ ଦେଉଥାନ୍ତି।

ପରିଶେଷରେ ଗତ ୧୨ ତାରିଖ ଦିନ ସ୍ବାମୀ ରବି ନାରାୟଣ ତାଙ୍କ ସ୍ତ୍ରୀ ଦୀପାଞ୍ଜଳି ଓ ପିଲାକୁ ନକହି ଗୋଆରେ ଛାଡିଦେଇ ଫେରାର ହେଇଯାଇଥିଲେ। ଦୀପାଞ୍ଜଳି ବାରମ୍ବାର ସ୍ୱାମୀଙ୍କୁ ଫୋନ କରିଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ। ତେବେ ବାପ ଘର ଲୋକଙ୍କ ସହଯୋଗ ଦ୍ୱାରା ଦୀପାଞ୍ଜଳି ଏବଂ ତାଙ୍କର ଚାରି ବର୍ଷର ଝିଅ ସୁଦୂର ଗୋଆରୁ ଗମ୍ଭାରୀମୁଣ୍ଡା ଆସିଛନ୍ତି।

ଗ୍ରାମକୁ ଆସିଲା ପରେ ଦୀପାଞ୍ଜଳି ବାଣପୁର ଓ ଚିଲିକା ବ୍ଲକର ମିଶନ ଶକ୍ତିର କିଛି ମହିଳାଙ୍କୁ ତାଙ୍କୁ ନ୍ୟାୟ ପ୍ରଦାନ କରିବା ଦାବିରେ ଅଶ୍ରୁଳ ନିବେଦନ କରିଥିଲେ। ଯାହାଦ୍ୱାରା ଗତକାଲି ରାତିରେ ମିଶନ ଶକ୍ତିର ମହିଳାମାନଙ୍କ ଉପସ୍ଥିତିରେ ଦୀପାଞ୍ଜଳି ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ବାଣପୁର ଆଇଆଇସି କେସ ନମ୍ବର ୨୫୧/୨୧ ରେ ଦୀପାଞ୍ଜଳିଙ୍କ ସ୍ୱାମୀଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରିରଖିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ମିଶନ ଶକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ୪୫୩.୫୦ କୋଟି ଟଙ୍କାର କୋଭିଡ ପ୍ୟାକେଜ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ମିଶନ ଶକ୍ତିର ମହିଳା ମାନଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ ରାଜ୍ୟର ୩୩୮ଟି ବ୍ଲକ୍‌ସ୍ତରୀୟ ମିଶନ ଶକ୍ତି ମହାସଂଘର ନିଜସ୍ବ ଘର ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏ ୧୬୯ କୋଟି ଟଙ୍କା ପ୍ରଦାନ କରାଯିବା ସହିତ ସେମାନଙ୍କୁ ବ୍ୟବସାୟରେ ସହାୟତା ପାଇଁ ୮୪.୫୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି  ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କର ଋଣ ଉପରେ ସୁଧ ଫେରସ୍ତ ପାଇଁ ୨୦୦ କୋଟି ଟଙ୍କା ପ୍ରଦାନ କରାଯିବ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ମିଶନ ଶକ୍ତି ହେଉଛି, ଓଡିଶାର ୭୦ ଲକ୍ଷ ମା ମାନଙ୍କର ଏକ ବିରାଟ ଅନୁଷ୍ଠାନ। ଏହା ହେଉଛି ଓଡିଶାର ବିକାଶ ବାହିନୀ। ସେମାନଙ୍କ ଦକ୍ଷତା ଉପରେ ଆସ୍ଥାପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ‘ଆପଣମାନେ ଆଗକୁ ବଢନ୍ତୁ, ମୁଁ ଆପଣମାନଙ୍କ ସାଥିରେ ଅଛି।’

କୋଭିଡ ସମୟରେ ମିଶନ ଶକ୍ତିର ମା ମାନେ ବହୁତ ଭଲ କାମ କରିଛନ୍ତି ବୋଲି କହି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇ କହିଲେ ଯେ ଆଜି ହେଉଛି ଏକ ଐତିହାସିକ ଦିବସ। ବ୍ଲକ୍‌ସ୍ତରରେ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ଯେଉଁ ମିଶନ ଶକ୍ତି ଭବନ ଗଠନ ହେବ, ସେଥିରେ ମା ମାନେ ତାଲିମ ପାଇବେ, ଉତ୍ପାଦିତ ଦ୍ରବ୍ୟ ପାଇଁ ବିକ୍ରୟ କେନ୍ଦ୍ର ଖୋଲିପାରିବେ ଏବଂ ସେମାନଙ୍କ ନିଜସ୍ବ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ମା ମାନେ କୋଭିଡ ସମୟରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଚାଳନା ଠାରୁ ଆରମ୍ଭ କରି ମାସ୍କ ତିଆରି, ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଆଦି ଅନେକ ଭଲ କାମ କରି ମିଶନ ଶକ୍ତି ଆନ୍ଦୋଳନର ସୁନାମ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଲେ, ‘ମୁଁ ସବୁବେଳେ କହି ଆସିଛି, ମା ସଶକ୍ତ ହେଲେ, ପରିବାର ସଶକ୍ତ ହେବ। ସମାଜ ସଶକ୍ତ ହେବ । ଗୋଟିଏ ଜାତି ସଶକ୍ତ ହେବ। ଇତିହାସର ଧାରା ମଧ୍ୟ ବଦଳିଯିବ।’

ମିଶନ ଶକ୍ତିର ମା ମାନଙ୍କ ସଫଳତା ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଜୀବନଜୀବିକା ଠାରୁ ଆରମ୍ଭ କରି ବିଭିନ୍ନ ବିକାଶ କାମରେ ଆପଣମାନେ ସାମିଲ ହୋଇ ଭଲ କାମ କରିଛନ୍ତି। ଆଜିର ଆଲୋଚନାରେ ରାଜ୍ୟର ବିଭିନ୍ନ ଅଞ୍ଚଳର – କୋରାପୁଟର ବୋରିଗୁମା ଠାରୁ ଆରମ୍ଭ କରି କଟକର ନିଆଳୀ ପର୍ଯ୍ୟନ୍ତ, ଆମର ବ୍ଳକ୍‌ସ୍ତରୀୟ ମହାସଂଘର ମା ମାନଙ୍କର କାମ ଦେଖି ଯେ କେହି ଗର୍ବ ଅନୁଭବ କରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ‘ମୋର ବିଶ୍ବାସ, ଦିନେ ଆପଣମାନଙ୍କ ଭିତରୁ ବଡ ବଡ ଉଦ୍ୟୋଗୀ ବାହାରିବେ।’

ରାଜ୍ୟ ସରକାର ବ୍ଲକ ଲେବୁଲ ଫେଡେରେସନର ଆବର୍ତ୍ତନ ପାଣ୍ଠି ଭାବରେ ୮୪.୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ମିଶନ ଶକ୍ତିର ମା ମାନଙ୍କୁ ରାଜ୍ୟ ସରକାର ବିନା ସୁଧରେ ଋଣ ଦେଉଛନ୍ତି। ଗତ ବର୍ଷ ସୁଧ ରିହାତି ଭାବରେ ରାଜ୍ୟ ସରକାର ୧୨୫ କୋଟି ଟଙ୍କା ଦେଇଥିବା ବେଳେ, ଏବର୍ଷ ଏହାକୁ ୨୦୦ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି ବୋଲି ସେ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ ମହିଳା ଶିଶୁବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମିଶନ ଶକ୍ତିର ମହିଳା ମାନଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋକପାତ କରି କହିଥିଲେ ଯେ ଯେ କୌଣସି ବ୍ୟବସାୟ ପାଇଁ ପୁଞ୍ଜି ଯୋଗାଣ ସଞ୍ଜୀବନୀ ପରି କାର୍ଯ୍ୟ କରେ। ମହିଳା ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଆବର୍ତ୍ତନ ପାଣ୍ଠି କରିଛନ୍ତି, ତାହା ମିଶନ ଶକ୍ତିକୁ ସ୍ବାବଲମ୍ବୀ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ। ମିଶନ ଶକ୍ତି ମା ମାନଙ୍କ ପାଇଁ ଏକ ସୁବର୍ଣ୍ଣ ଯୁଗ ଆଣିଛି ବୋଲି ସେମାନେ ମତ ଦେଇଥିଲେ।

କାର୍ଯ୍ୟକ୍ରମରେ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଏବଂ ମିଶନ ଶକ୍ତିର ଉପଦେଷ୍ଟା ଡଃ ଲୋପାମୁଦ୍ରା ବକ୍‌ସିପାତ୍ର ପ୍ରମୁଖ ସେମାନଙ୍କର ମତାମତ ରଖି କହିଥିଲେ ଯେ ମିଶନ ଶକ୍ତି ଆଜି ମା ମାନଙ୍କ ସାମାଜିକ ଅର୍ଥନୈତିକ ପରିବର୍ତ୍ତନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏଭଳି ଏକ ନୀରବ ବିପ୍ଲବ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସଂପର୍ଣ୍ଣ ନେତୃତ୍ବରେ ସେମାନେ ଉଚ୍ଚପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୟୁରଭଂଜ ମୋରଡା ମିଶନ ଶକ୍ତି ମହାସଂଘର ଅଧ୍ୟକ୍ଷା ବିଷ୍ଣୁପ୍ରିୟା ଦାସ, କଟକ କଣ୍ଟାପଡା ମିଶନ ଶକ୍ତି ମହାସଂଘର ସଂପାଦିକା ବିଷ୍ଣୁପ୍ରିୟା ପାତ୍ର, ସମ୍ବଲପୁର ନାକଟିଦେଉଳ ମିଶନ ଶକ୍ତି ମହାସଂଘର ସଂପାଦିକା ଗୀତାଞ୍ଜଳି ପ୍ରଧାନ, କୋରାପୁଟ ନନ୍ଦପୁର ମିଶନ ଶକ୍ତି ମହାସଂଘର ସଂପାଦିକା ହେମଲତା ପ୍ରଧାନ ଓ ଢେଙ୍କାନାଳ ଗଁଦିଆ ମିଶନ ଶକ୍ତି ମହାସଂଘର ସଂପାଦିକା ନିର୍ମଳା ସାହୁ ପ୍ରମୁଖ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରି ଏହି ସ୍ବତନ୍ତ୍ର ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ସେମାନେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଆମେ ସମସ୍ତେ ଆଜି ନିଜର ପରିଚୟ ପାଇପାରିଛୁ। ମୁଖ୍ୟମନ୍ତ୍ରୀ ଆମ ମାନଙ୍କ ପାଖରେ, ଆମ ସୁଖଦୁଃଖରେ ସବୁବେଳେ ଠିଆ ହୋଇଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆମେ କୃତଜ୍ଞ। ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ।

ଏହି ଅବସରରେ ବ୍ରହ୍ମପୁର, ଢେଙ୍କାନାଳ ଓ ବାରିପଦାର ୩ଟି ସ୍ବୟ ସହାୟକ ଗୋଷ୍ଠୀ ମାନଙ୍କୁ ଆଚାର ବ୍ୟବସାୟ ପାଇଁ HDFC Bank ତରଫରୁ ଏକକାଳୀନ ୪୭ ଲକ୍ଷ ଟଙ୍କାର ଋଣ ଦିଆଯାଇଥିଲା। ସୂଚନାଯୋଗ୍ୟ ଯେ ସେମାନଙ୍କ ଦ୍ବାରା ଉତ୍ପାଦିତ ୧୨୦ ମେଟ୍ରିକ ଟନ୍ ଆଚାର ମିଶନ ଶକ୍ତି ଦ୍ବାରା ପରିଚାଳିତ ରାଜ୍ୟର ୧୭୭ଟି ଆହାର କେନ୍ଦ୍ରରେ ବ୍ୟବହାର ହେଉଛି।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ନିଜର ସ୍ବାଗତ ଭାଷଣ ରଖି ମିଶନ ଶକ୍ତିର କମିଶନର ତଥା ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟ କହିଲେ ଯେ ଗୋଟିଏ ଯୋଜନାକୁ ଏକ ସ୍ବତନ୍ତ୍ର ବିଭାଗ ଭାବରେ କାର୍ଯ୍ୟକାରୀ କରିବାରେ ଓଡିଶା ହେଉଛି ସାରା ଭାରତବର୍ଷରେ ଏକମାତ୍ର ରାଜ୍ୟ। ଏଥିରୁ ମହିଳା ମାନଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କେତେ ଗୁରୁତ୍ବ ଦେଉଛନ୍ତି, ତାହା ଅନୁମେୟ।

ସୂଚନାଯୋଗ୍ୟ ଯେ ଗତ ଦୁଇ ବର୍ଷରେ ମିଶନ ଶକ୍ତିର ବିଭିନ୍ନ ସ୍ବୟ ସହାୟକ ଗୋଷ୍ଠୀ ମାନଙ୍କ ଠାରୁ ୨୮୦୦ କୋଟି ଟଙ୍କାର ବିଭିନ୍ନ ଦ୍ରବ୍ୟ ଓ ସେବା କ୍ରୟ କରାଯାଇଛି। ସେ କହିଥିଲେ ଯେ ୨୦୨୧-୨୨ ବର୍ଷ ପାଇଁ ମିଶନ ଶକ୍ତିର ମା ମାନଙ୍କ ପାଇଁ ୬୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି।

ମିଶନ ଶକ୍ତିର ନିର୍ଦ୍ଦେଶିକା ଧନ୍ୟବାଦ ଅର୍ପଣ କରିଥିଲେ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏସଏଚଜି ମହିଳାଙ୍କର ଆଉ ଏକ ଭିନ୍ନ ପଦକ୍ଷେପ, ଖୋଲିଲା ମିଶନ ଶକ୍ତି କେଫ୍

ଭୁବନେଶ୍ବର, ରାଜ୍ୟରେ ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଚାଲିଛି ବିଭିନ୍ନ ପଦକ୍ଷେପ। ସେହି ଅନୁସାରେ ମିଶନ ଶକ୍ତି ବିଭାଗ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାରେ ଲାଗିଛି। ସେହିପରି ଏକ ପଦକ୍ଷେପ ହେଲା ମିସନ ଶକ୍ତି କେଫ୍। ପାରଂପାରିକ ସହିତ ଆଧୁନିକତାର ଏକ ମିଶ୍ରତ ଯୋଜନା ହେଉଛି ମିଶନ ଶକ୍ତି କେଫ୍।
ଏହି କେଫ୍ କେନ୍ଦ୍ରାପଡା ଜିଲ୍ଲାର ଗରଦରପୁର ବ୍ଲକରେ ଖୋଲାଯାଇଛି। ବ୍ଲକ ଲେବୁଲ ଫେଡେରସନ ସହଯୋଗରେ ଏହି କେଫ ଖୋଲାଯାଇଛି। ଏହି କେଫ୍ ରେ କେବେଳ ମହିଳାମାନେ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ପ୍ରସ୍ତୁତ ଖାଦ୍ୟ ସବୁ ଗରାଖମାନଙ୍କୁ ପରଶି ଦିଆଯିବ। ତେବେ ବର୍ତ୍ତମାନ ରେଷ୍ଟିରାଣ୍ଟ ଖୋଲାଯାଇ ନ ଥିବାରୁ କେବଳ ପାର୍ସଲ ପ୍ରସ୍ତୁତ କରି ପ୍ରଦାନ କରାଯାଉଛି।
Categories
ବିଶେଷ ଖବର ରାଜ୍ୟ ଖବର

ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ମିଶନ ଶକ୍ତି ମହାସଂଘମାନଙ୍କୁ ହସ୍ତାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ମାନଙ୍କ ରେ ଥିବା ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା, ବ୍ଳକ ଓ ପଞ୍ଚାୟତ ସ୍ତରରେ ଥିବା ମିଶନ ଶକ୍ତି ମହାସଂଘ ମାନଙ୍କୁ ଦୁଇ ମାସ ମଧ୍ୟରେ ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆମର ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ମାନଙ୍କରେ ରହିଛି ଅନେକ ଅବ୍ୟବହୃତ ସରକାରୀ ସମ୍ପତ୍ତି ଯଥା ସରକାରୀ କୋଠା, ଦୋକାନ ଘର ଗଡ଼ିଆ ପୋଖରୀ ଇତ୍ୟାଦି।ଏଗୁଡିକୁ ସମ୍ପୃକ୍ତ ଜିଲ୍ଲା ବ୍ଳକ ଓ ପଞ୍ଚାୟତରେ ଥିବା ମିଶନ ଶକ୍ତି ମହାସଂଘ ମାନଙ୍କୁ ଦିଆଗଲେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନେ ଏହାକୁ ସେ ଅଞ୍ଚଳ ର ସାମାଜିକ ଓ ଆର୍ଥିକ ବିକାଶ ରେ ଲଗାଇ ପାରିବେ। ସାଧାରଣ ଲୋକ ଉପକାର ପାଇବେ। ମିଶନ ଶକ୍ତିର ମା ମାନେ ତାକୁ ଆଥିର୍କ କାର୍ଯ୍ୟରେ ଲଗାଇ ପାରିବେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହିଳା ମାନଙ୍କ ସଶକ୍ତିକରଣ ସବୁବେଳେ ତାଙ୍କ ସରକାର ର ପ୍ରାଥମିକତା ରହିଆସିଛି। ମିଶନ ଶକ୍ତି ଆଜି ପରିବର୍ତନର କର୍ଣଧାର ହୋଇଛି। ମା ମାନଙ୍କ ର ଏହି ନୀରବ ଆନ୍ଦୋଳନକୁ ଆହୁରି ମଜବୁତ କରିବା ରେ ଏହି ପଦକ୍ଷେପ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ମିଶନ ଶକ୍ତି କୁ ଏକ ସ୍ବତନ୍ତ୍ର ବିଭାଗ ର ମାନ୍ୟତା ଦେଇଛନ୍ତି। ଆମର ସତୁରୀ ଲଷ ମା ମାନଙ୍କୁ ସଶକ୍ତ କରିବାରେ ଏହି ଆହୁରି ଦଷତା ର ସହ ସେବା ଯୋଗାଇବ ବୋଲି ଆଶା କରାଯାଏ।