Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ମତଦାନ ପାଇଁ ମୁତୟନ ହେଲେ ୧୬୫ କମ୍ପାନୀ ସିଏପିଏଫ୍‌, ନିର୍ବାଚନ କମିଶନର ଦେଲେ ସୂଚନା

ଭୁବନେଶ୍ବର: ସଂପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ନିର୍ବାଚନ ପ୍ରକ୍ରିୟାର ପରିଚାଳନା ନିମନ୍ତେ ଓଡ଼ିଶାରେ ୧୬୫ କମ୍ପାନୀ ସିଏପିଏଫ୍‌ ମୁତୟନ ପାଇଁ ବ୍ୟବସ୍ଥା ହୋଇଛି। ରାଜ୍ୟରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ, ସ୍ୱଚ୍ଛ ତଥା ନିରପେକ୍ଷ ରୂପେ ପରିଚାଳନା କରିବା ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଆୟତ୍ତରେ ରଖି ଏକ ଜାତୀୟ ଉତ୍ସବର ମାହୋଲ ମଧ୍ୟରେ ମତଦାନ ବ୍ୟବସ୍ଥା ପାଇଁ ଏହି ସବୁ ସୁରକ୍ଷା ବ୍ୟବସ୍ଥା କରାଯାଉଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ମତପ୍ରକାଶ କରିଛନ୍ତି।

ସାଧାରଣ ନିର୍ବାଚନ-୨୦୧୯ରେ ଓଡ଼ିଶାରେ ମୋଟ ୧୩୩ କମ୍ପାନୀ ସିଏପିଏଫ୍‌ ମୁତୟନ ହୋଇଥିଲେ। ଏହା ମଧ୍ୟରୁ ୯୬ କମ୍ପାନୀ ଇନ୍‌ସିଟୁ ମୁତୟନ ହୋଇଥିବାବେଳେ ୩୭ କମ୍ପାନୀ ଡାଇରେକଫ ଇଣ୍ଡକସନ୍‌ ଭାବରେ ମୁତୟନ ହୋଇଥିଲେ। ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ରାଜ୍ୟରେ ୧୬୫ କମ୍ପାନୀ ସିଏପିଏଫ୍‌ ମୁତୟନ ପାଇଁ ବ୍ୟବସ୍ଥା ହୋଇଛି। ଏହା ମଧ୍ୟରୁ ୮୩ କମ୍ପାନୀ ଇନ୍‌ସିଟୁ ମୁତୟନ ଓ ୮୨ କମ୍ପାନୀ ଡାଇରେକଫ ଇଣ୍ଡକ୍‌ସନ୍‌ ମାଧ୍ୟମରେ ମୁତୟନ ହେବେ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୫ କମ୍ପାନୀ ସିଏପିଏଫ୍‌ ଜବାନ୍‌ ମୁତୟନ ହୋଇସାରିଛନ୍ତି। ସେମାନେ ବିଭିନ୍ନ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ଲକ୍ଷ୍ୟରେ ବିଶ୍ୱାସ ସୃଷ୍ଟି ପାଇଁ ଫ୍ଲାଗ୍‌ମାର୍ଚ୍ଚ ଆଦିି କରୁଛନ୍ତି। ମତଦାତାମାନେ ଏକ ସୁରକ୍ଷିତ ପରିବେଶ ମଧ୍ୟରେ ଯେଭଳି ଭାବେ ଉତ୍ସାହର ସହିତ ମତଦାନ କରିବେ ତାକୁ ଧ୍ୟାନରେ ରଖି ଏସବୁ କାର୍ଯ୍ୟ କରାଯାଉଛି।

ମଇ ୧ ତାରିଖରେ ଆହୁରି ୪୮ କମ୍ପାନୀ ଓ ମଇ ୯ ତାରିଖରେ ୪୨ କମ୍ପାନୀ ସିଏପିଏଫ୍‌ ଜବାନ୍‌ କାର୍ଯ୍ୟରେ ଯୋଗଦେବେ। ଏହା ଫଳରେ ସର୍ବମୋଟ ମୁତୟନ କମ୍ପାନୀ ୧୬୫ରେ ପହଞ୍ଚିବ । ଏହା ମଧ୍ୟରୁ ୨୫ କମ୍ପାନୀ ଷ୍ଟ୍ରଙ୍ଗ ରୁମ୍‌ର ସୁରକ୍ଷା ଦାୟିତ୍ୱରେ ରହିବେ। ଏହି ବ୍ୟବସ୍ଥା ଦ୍ୱାରା ରାଜ୍ୟରେ ସାମଗି୍ରକ ନିର୍ବାଚନ ପ୍ରକ୍ରିୟା ଶାନ୍ତିଶୃଙ୍ଖଳା ଓ ତ୍ରୁଟିଶୂନ୍ୟ ଭାବରେ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ମତପୋଷଣ କରିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ସରିଲା ୪ ଲୋକସଭା ଆସନର ପ୍ରାର୍ଥୀପତ୍ର ଯାଞ୍ଚ, ମୋଟ ଏତିକି ଜଣ ରହିଲେ ବୈଧ ପ୍ରାର୍ଥୀ, କଟିଲେ ଜଣେ

ଭୁବନେଶ୍ବର: ଗତକାଲି ଶୁକ୍ରବାରରେ ଓଡିଶାର ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ସରିଛି। ସେହି ଅନୁସାରେ ରାଜ୍ୟରେ ପ୍ରଥମେ ହେବାକୁ ଥିବା ୪ ଟି ଲୋକସଭା ପାଇଁ ମୋଟ ବୈଧ ପ୍ରାର୍ଥୀଙ୍କ ସଂଖ୍ୟା ହେଲା ୩୮। ମୋଟ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ୩୯ ଜଣ। ସେମାନଙ୍କ ମଧ୍ୟରୁ କେବଳ କୋରାପୁଟରେ ଜଣଙ୍କର ପ୍ରାର୍ଥିପତ୍ର ନାକଚ ହୋଇଛି।

ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟ ଅନୁସାରେ ବର୍ତ୍ତମାନେ ୪ ଟି ଲୋକସଭା ମଧ୍ୟରୁ ସର୍ବାଧିକ ପ୍ରାର୍ଥୀ ପତ୍ର ଦାଖଲହୋଇଥିବା ଆସନ ହେଉଛି କୋରାପୁଟ ସଂରକ୍ଷିତ ଆସନ। ଏହି ଆସନରେ ମୋଟ ୧୨ ଜଣ ବୈଧ ପ୍ରାର୍ଥୀ ଅଛନ୍ତି। ସେହିପରି ଅନ୍ୟ ଆସନଗୁଡିକର ସଂଖ୍ୟା ହେଲା ବ୍ରହ୍ମପୁର ୧୧ ଜଣ, ନବରଂଗପୁରରେ ୪ ଜଣ ଏବଂ କଳାହାଣ୍ଡିରେ ୧୧ ଜଣ ବୈଧ ପ୍ରାର୍ଥୀ ରହିଛନ୍ତି।

ତେବେ ୨୯ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଦିନ ରହିଛି। ଏହାପରେ ୪ ଟି ଲୋକସଭା ପାଇଁ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ।

 

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଅଭିଯୋଗ ଆଣିଲା ବିଜେଡି, ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ

ଭୁବନେଶ୍ବର: ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଅଭିଯୋଗ ଆଣିଛି ବିଜେଡି। ଏ ନେଇ ଦଳର ଏକ ପ୍ରତିନିଧୀ ମଣ୍ଡଳି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ତୁରନ୍ତ ନିର୍ବାଚନ ଅଧିକାରୀ ଏଥିରେ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦଳ ଦାବୀ କରିଛି।

ବିଜେଡି କହିଛି ଯେ, ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ପ୍ରଚାର ବେଳେ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରିଛନ୍ତି। ତାଙ୍କ ପ୍ରଚାରରେ ସେ ପିଲାମାନଙ୍କୁ ବ୍ୟବହାର କରିଛନ୍ତି। ଯାହା ନିୟମ ବିରୋଧ। ଧର୍ମେନ୍ଦ୍ର ଗତ 24 ତାରିଖରେ ଆଠମଲିକ ଏନଏସିରେ ପ୍ରଚାର କରୁଥିବା ବେଳେ ତାଙ୍କ ଶୋଭାଯାତ୍ରାରେ ପିଲାମାନେ ଜିନ୍ଦାବାଦ କରିଯାଉଥିଲେ।

ନିର୍ବାଚନ ଅଧିକାରୀ ଏହା ଉପରେ ତଦନ୍ତ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଜେଡି ଦାବୀ କରିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀ, ଭୁବନେଶ୍ୱରଙ୍କ କାର୍ଯ୍ୟାଳୟରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସାଧାରଣ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଯୋଗେନ୍ଦ୍ର ତି୍ରପାଠୀ (ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ), ପୋଲିସ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ରଜନୀକାନ୍ତ ମିଶ୍ର (ଅବସରପ୍ରାପ୍ତ ଭାରତୀୟ ପୁଲିସ ସେବା ଅଧିକାରୀ), ସ୍ୱତନ୍ତ୍ର ବ୍ୟୟ ପର୍ଯ୍ୟବେକ୍ଷକ ହିମାଲିନୀ କାଶ୍ୟପ (ଅବସରପ୍ରାପ୍ତ ଭାରତୀୟ ରାଜସ୍ୱ ସେବା ଅଧିକାରୀ) ଯୋଗଦେଇଥିଲେ।

ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ପ୍ରାରମ୍ଭିକ ବକ୍ତବ୍ୟ ରଖି ସମସ୍ତ ପର୍ଯ୍ୟବେକ୍ଷକଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ଶ୍ରୀ ଧଳ ଓଡ଼ିଶାରେ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ସବିଶେଷ ତଥ୍ୟ ରଖିଥିଲେ। ପିପିଟି ପ୍ରେଜେଣ୍ଟେସନ୍‌ ମାଧ୍ୟମରେ ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀ ତଥା ଅତିରିକ୍ତ ଡିଜି ସଞ୍ଜୟ କୁମାର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ୍‌. ତିରୁମାଲା ନାୟକ ପର୍ଯ୍ୟବେକ୍ଷକମାନଙ୍କୁ ସମସ୍ତ ତଥ୍ୟ ବିଷୟରେ ସୂଚନା ଦେଇଥିଲେ। ପର୍ଯ୍ୟବେକ୍ଷକମାନେ ବିଭିନ୍ନ ପ୍ରସଙ୍ଗରେ ନିଜ ନିଜର ମତ ରଖିବା ସହ ଅନେକ ପ୍ରସ୍ତାବ ମଧ୍ୟ ଦେଇଥିଲେ।

ଏହି ବୈଠକରେ ପ୍ରଚଣ୍ଡ ରୌଦ୍ରତାପରେ ନିର୍ବାଚନ ପରିଚାଳନାର ଆହ୍ୱାନ ଓ ସାମାଜିକ ଗଣମାଧ୍ୟମ ବିଷୟରେ ବିଶେଷ ଆଲୋଚନା ହୋଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ମିହିର ମହାନ୍ତି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଛଅଟି ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀଠାରେ ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ଉକ୍ତ ଛଅଟି ଜିଲ୍ଲା ଅଧିନରେ ଆସୁଥିବା ସମସ୍ତ ସଂସଦୀୟ ନିର୍ବାଚନ କ୍ଷେତ୍ର ଓ ବିଧାନସଭା ନିର୍ବାଚନ କ୍ଷେତ୍ରରେ ନିର୍ବାଚନ ପ୍ରସ୍ତୁତି ବିଷୟରେ ବ୍ୟାପକ ଆଲୋଚନା ହୋଇଥିଲା।

ସମୀକ୍ଷା ବୈଠକ ପ୍ରାରମ୍ଭରେ ଦେଶରେ ମୁକ୍ତ, ଅବାଧ, ସ୍ୱଚ୍ଛ, ନିରପେକ୍ଷ, ଶୃଙ୍ଖଳାଯୁକ୍ତ, ତ୍ରୁଟିଶୂନ୍ୟ ତଥା ସମସ୍ତଙ୍କ ଅଂଶଗ୍ରହଣରେ ପରିପୁଷ୍ଟ ଭାରତୀୟ ଗଣତନ୍ତ୍ରର ମହାନ ପର୍ବ ‘ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪’କୁ ଓଡ଼ିଶାରେ ସବୁମତେ ସଫଳ କରାଇବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଙ୍ଗୀକାରବଦ୍ଧତା ବିଷୟରେ ସ୍ପଷ୍ଟ ମତ ରଖିଥିଲେ। ଏହି ବୈଠକରେ ୬ଟି ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନେ ପିପିଟି ପ୍ରେଜେଣ୍ଟେସନ୍‌ ମାଧ୍ୟମରେ ସଂପୃକ୍ତ ଜିଲ୍ଲାଗୁଡ଼ିକର ନିର୍ବାଚନ ପ୍ରସ୍ତୁତି ବିଷୟରେ ସବିଶେଷ ତଥ୍ୟ ରଖିଥିଲେ। ସେସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।

ସେହିପରି ଏହି ଛଅଟି ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନେ ମଧ୍ୟ ପିପିଟି ପ୍ରେଜେଣ୍ଟେସନ୍‌ ମାଧ୍ୟମରେ ନିଜ ନିଜ ଜିଲ୍ଲାର ଆଇନଶୃଙ୍ଖଳାଜନିତ ପ୍ରସ୍ତୁତି, ଜବତ ବ୍ୟବସ୍ଥା, ଯାଞ୍ଚ ବ୍ୟବସ୍ଥା ବିଷୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମୁଖରେ ସମସ୍ତ ତଥ୍ୟ ରଖିଥିଲେ।

ଏହି ସମସ୍ତ ତଥ୍ୟର ତର୍ଜମା କରି ମୁଖ୍ୟ ନିର୍ବାଚନ ଅଧିକାରୀ ବୁଥ୍‌ସ୍ତରରୁ ତ୍ରୁଟିଶୂନ୍ୟ ନିର୍ବାଚନ ପରିଚାଳନା କରିବା ପାଇଁ ଉପସ୍ଥିତ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ, ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବରିଷ୍ଠ ପୋଲିସ ଅଧିକାରୀ ଓ ରିଟର୍ଣ୍ଣିଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଆଦର୍ଶ ନିର୍ବାଚନ ପରିଚାଳନା ପାଇଁ ସି-ଭିଜିଲ୍‌, ସୁବିଧା ପୋର୍ଟାଲ, ଏନ୍‌କୋର୍‌ ନୋଡ଼ାଲ ଆପ୍‌ର ବ୍ୟବହାର ସହ ଭିନ୍ନକ୍ଷମ ଭୋଟର ଓ ବୟୋଜେଷ୍ଠ ଭୋଟରଙ୍କ ସୁବିଧା, ପୋଷ୍ଟାଲ ବାଲାଟ୍‌, ନିର୍ବାଚନ ଆଚରଣ ବିଧିର ଯଥାର୍ଥ ଅନୁପାଳନ ଉପରେ ଦୃଷ୍ଟି ରଖିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଥିଲେ। ମହିଳା ଓ ଯୁବ ଭୋଟରମାନଙ୍କୁ ମତଦାନ ପାଇଁ ଉତ୍ସାହିତ କରିବାକୁ ଶ୍ରୀ ଧଳ ପରାମର୍ଶ ଦେଇଥିଲେ। ନିର୍ବାଚନକୁ ଦେଶର ସର୍ବବୃହତ୍‌ ପର୍ବ ରୂପେ ପାଳନ କରି ଅଧିକରୁ ଅଧିକ ଭୋଟର ଯେପରି ମତଦାନ କରିବେ ସେ ଉପରେ ବିଶେଷ ଆଲୋଚନା ହୋଇଥିଲା। ନିର୍ବାଚନ ପରିଚାଳନାରେ ‘ମତଦାତା’ମାନଙ୍କୁ କେନ୍ଦ୍ରରେ ରଖି ସମସ୍ତ କାର୍ଯ୍ୟ ସଂପାଦନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ।

ନିର୍ବାଚନ ପ୍ରସ୍ତୁତିରେ ଆଇନଶୃଙ୍ଖଳା ଦିଗ ଉପରେ ମଧ୍ୟ ବିଶେଷ ଆଲୋଚନା ହୋଇଥିଲା। ପ୍ରତିଟି ବୁଥ୍‌ ଯେପରି ସୁରକ୍ଷା ବଳୟ ମଧ୍ୟରେ ରହିବ ଓ ଇଭିଏମ୍‌-ଭିଭିପାଟ୍‌ ମତଗଣନା ପର୍ଯ୍ୟନ୍ତ ସଂପୂର୍ଣ୍ଣ ସୁରକ୍ଷା ମଧ୍ୟରେ ରହିବ ସେ ବିଷୟରେ ଆଲୋଚନା ହୋଇଥିଲା।

ନିର୍ବାଚନରେ ଆଦର୍ଶ ଆଚରଣ ବିଧିର ଉଚିତ ଅନୁପାଳନ ପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ବିଭିନ୍ନ ପ୍ରବର୍ତ୍ତନ ବିଭାଗ ଯଥା-ଅବକାରୀ, ଜିଏସ୍‌ଟି, ପରିବହନ, ଜଙ୍ଗଲ ବିଭାଗ ସମନ୍ୱିତ ଭାବରେ କାର୍ଯ୍ୟ କରିବାକୁ ଶ୍ରୀ ଧଳ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ମଧ୍ୟରେ ଓଡ଼ିଶାରେ ବିନା କୌଣସି ଜନଜୀବନ ହାନିରେ ଉଚ୍ଚ ମତଦାନ ହାରକୁ ବଜାୟ ରଖିବା ସହ ତ୍ରୁଟିଶୂନ୍ୟ ନିର୍ବାଚନ ପ୍ରକ୍ରିୟାର ଆହ୍ୱାନ ବିଷୟରେ ଅବଗତ କରାଇଥିଲେ।

ମତଦାନ ଦିବସ ଓ ମତଗଣନା ଦିବସରେ ଯେପରି ଭାବରେ ବିନା କୌଣସି ବାଧାବିଘ୍ନରେ ସମସ୍ତ କାର୍ଯ୍ୟ ସମାପନ ହେବ, ସେଥି ପାଇଁ ବିଭିନ୍ନ ବିଭାଗର ସମନ୍ୱୟ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଜୋର ଦେଇଥିଲେ।

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ମତଦାନ କେନ୍ଦ୍ରରେ ବିଶେଷ ବ୍ୟବସ୍ଥା କରାଯିବ। ପ୍ରତିଟି ମତଦାନ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ, ମହିଳା ଓ ପୁରୁଷଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ, ଧାଡ଼ିବାନ୍ଧିବା ପାଇଁ ଛାଇ, ଚୌକି ଓ ପ୍ରତୀକ୍ଷା କକ୍ଷର ବ୍ୟବସ୍ଥା ରହିବ। ଏହି ସ୍ଥାନରେ ନିରବଚ୍ଛିନ୍ନ ବିଦୁ୍ୟତ ବ୍ୟବସ୍ଥା ସହ ପଙ୍ଖା ରହିବ। ସମସ୍ତ ମତଦାନ କେନ୍ଦ୍ରରେ ଜଣେ ଲେଖାଏଁ ଆଶା କର୍ମୀ ରହିବେ। ସେମାନଙ୍କ ପାଖରେ ଅଂଶୁଘାତ ମୁକାବିଲା ପାଇଁ ଅତ୍ୟାବଶ୍ୟକ ଔଷଧପତ୍ର ରହିବ। ପ୍ରତିଟି ସେକଫର ଅଫିସରଙ୍କ ସହ ଜଣେ ପାରା-ମେଡ଼ିକାଲ କର୍ମୀ ମଧ୍ୟ ରହିବେ। ଯଦି ଦୈବାତ କେହି ଅଂଶୁଘାତର ଶିକାର ହୁଅନ୍ତି ତେବେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ପହଞ୍ଚାଯିବ। ଏଥି ପାଇଁ ମତଦାନ ଦିବସଗୁଡ଼ିକରେ ଅଧିକ ସଂଖ୍ୟକ ଆମ୍ବୁଲାନ୍ସ ମହଜୁଦ୍‌ ରଖାଯିବ। ସୂଚନା-ଶିକ୍ଷା-ପ୍ରଚାର ମାଧ୍ୟମରେ ଅଂଶୁଘାତ ସତର୍କତା ବାର୍ତ୍ତା ଜନସାଧାରଣଙ୍କ ପାଖକୁ ପହଞ୍ଚାଇ ଦିଆଯିବ। ଏହା ସହ ପ୍ରତିଟି ବୁଥ୍‌ରେ ଜଳଛତ୍ର ଖୋଲାଯିବା ସହିତ ଓଆର୍‌ଏସ୍‌ ଉପଲବ୍ଧ କରାଯିବ। ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରମାନଙ୍କ ଦ୍ୱିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ସମୟରେ ସେମାନଙ୍କୁ ଅଂଶୁଘାତ ସମ୍ବନ୍ଧୀୟ ସଚେତନତା ପ୍ରଶିକ୍ଷଣ ଡାକ୍ତରମାନେ ଦେବେ। ଏହି ସମସ୍ତ ବ୍ୟବସ୍ଥା ମାଧ୍ୟମରେ ମତଦାତାମାନଙ୍କୁ ମତଦାନର ଏକ ସ୍ମରଣୀୟ ଅନୁଭବ ଦେବା ପାଇଁ ନିରନ୍ତର ଉଦ୍ୟମ କରାଯାଉଛି ବୋଲି ଶ୍ରୀ ଧଳ ମତ ଦେଇଥିଲେ।

ଏହି କ୍ରମରେ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେଉଥିବା ସମସ୍ତ ଅଧିକାରୀଙ୍କ ପାଇଁ ଉଚିତ ବ୍ୟବସ୍ଥା କରାଯିବା ବିଷୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଭିତରେ ମଧ୍ୟ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ସମସ୍ତ ଅଧିକାରୀ ଓ ସୁରକ୍ଷା କର୍ମଚାରୀମାନେ ନିଜ ନିଜର ଦାୟିତ୍ୱ ସଂପାଦନ କରିବାକୁ ଯାଉଛନ୍ତି । ତେଣୁ ସେମାନଙ୍କ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଧଳ କହିଥିଲେ । ସେଥି ପାଇଁ ସେମାନଙ୍କ ରହିବା ବ୍ୟବସ୍ଥା, ଗମନାଗମନ ସୁବିଧା ଓ ଖାଦ୍ୟ ବ୍ୟବସ୍ଥା ବିଷୟରେ ଆଲୋଚନା ହୋଇଥିଲା । ସେମାନେ ଯେପରି ନିର୍ବାଚନ କାର୍ଯ୍ୟ କରିବା ସମୟରେ ଅଂଶୁଘାତର ଶିକାର ନ ହୁଅନ୍ତି ସେଥି ପ୍ରତି ଯନିବାନ ହେବାକୁ ପଡ଼ିବ ବୋଲି ଶ୍ରୀ ଧଳ ମତପ୍ରକାଶ କରିଥିଲେ ।

ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ମହିଳା କର୍ମଚାରୀଙ୍କ ବିଷୟରେ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା । ସମସ୍ତ ବୁଥ୍‌ର ସୁରକ୍ଷା ପାଇଁ ସୁଉଚ୍ଚ ପାଚେରିର ବ୍ୟବସ୍ଥା କରାଯାଇଛି । ଯେଉଁ ବୁଥ୍‌ଗୁଡ଼ିକ ସଖି ବୁଥ୍‌ (ସଂପୂର୍ଣ୍ଣ ରୂପେ ମହିଳା ପରିଚାଳିତ ବୁଥ୍‌) ଭାବେ ଚିହ୍ନଟ କରାଯାଇଛି, ସେଠାରେ ସୁରକ୍ଷା କର୍ମଚାରୀ ମଧ୍ୟ ମହିଳା ରହିବେ । ଓଡ଼ିଶାରେ ନିୟୋଜିତ ନିର୍ବାଚନ କର୍ମଚାରୀଙ୍କ ମଧ୍ୟରେ ପ୍ରାୟ ୩୦% ମହିଳା କର୍ମଚାରୀ ରହିଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବହୁଳ ପ୍ରଚେଷ୍ଟାରେ ଭୋଟର ତାଲିକା ପ୍ରତି ୧୦୦୦ ପୁରୁଷ ଭୋଟର ପିଛା ମହିଳା ଭୋଟରଙ୍କ ସଂଖ୍ୟା ୯୬୧ରୁ ୯୭୪କୁ ବୃଦ୍ଧି ପାଇଛି । ଏହା ଏକ ଗୌରବର ବିଷୟ ଓ ମହିଳାମାନେ ଯେପରି ପ୍ରାଥମିକତା ଭିତ୍ତିରେ ମତଦାନ କରିବେ, ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ଧଳ ପ୍ରକାଶ କରିଥିଲେ । ଏହି ସମସ୍ତ ବ୍ୟବସ୍ଥା ଯେପରି ଉପଯୁକ୍ତ ଭାବରେ ତୃଣମୂଳ ସ୍ତରେ ଲାଗୁହେବ, ସେଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଉପସ୍ଥିତ ସମସ୍ତ ବରିଷ୍ଠ ଅଧିକାରୀମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ ।

ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅତିରିକ୍ତ ପୋଲିସ ଡିଜି ତଥା ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀ ସଂଜୟ କୁମାର, କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ରଞ୍ଜନ କୁମାର ଦାସ, ପୋଲିସ କମିଶନର ସଞ୍ଜୀବ ପଣ୍ଡା, କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ସଂଜୟ କୁମାର କୌଶଲ ଓ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ୍‌. ତିରୁମାଲା ନାୟକ ମୁଖ୍ୟ ନିର୍ବାଚନ ଅଧିକାରୀ ସହ ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ସମୀକ୍ଷା କରିଥିଲେ ।

ଏହି ଅବସରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ମିହିର ମହାନ୍ତି ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ।

ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା, ଜଗତସିଂହପୁର ଜିଲ୍ଲାପାଳ ଅନୁପମ୍‌ ଶାହା, କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ନୟାଗଡ଼ ଜିଲ୍ଲାପାଳ ସ୍ୱଧାଦେବ ସିଂ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, କଟକ ଜିଲ୍ଲାପାଳ ଅରିନ୍ଦମ୍‌ ଡାକୁଆ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ, ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଅବିନାଶ କୁମାର, ଜଗତସିଂହପୁର ଆରକ୍ଷୀ ଅଧୀକ୍ଷକ ରାହୁଲ ପି.ଆର୍‌, କେନ୍ଦ୍ରାପଡ଼ା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆ, ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ୍‌, ପୁରୀ ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆଶା, ଅଙ୍ଗନବାଡି ଓ ମିଶନଶକ୍ତି ମହିଳାଙ୍କୁ ଧମକାଉଛି ବିଜେପି, ବିଜେଡି କଲା ଅଭିଯୋଗ

ଭୁବନେଶ୍ବର: ରାଜ୍ୟରେ କାର୍ଯ୍ୟରତ ଆଶା କର୍ମି, ଅଙ୍ଗନବାଡି କର୍ମି ଏବଂ ମିଶନ ଶକ୍ତି ମହିଳାଙ୍କୁ ବିଜେପି ଧମକାଉଛି। ସେମାନଙ୍କୁ ମାନସିକ ନିର୍ଯ୍ୟାତନା ଦେଉଛି। ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେଡି ଦାବୀ କରିଛି। ଆଜି ଦଳର ଏକ ପ୍ରତିନିଧୀ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହି ଅଭିଯୋଗ କରିଛନ୍ତି।

ଏହି ଅଭିଯୋଗରେ ଦଳ କହିଛି ଯେ, ଗତ କିଛିଦିନ ଧରି ବିଜେପି ନେତା ତଥା ପ୍ରାର୍ଥୀମାନେ ତୃଣମୂଳ ସ୍ତରରେ ଥିବା ସରକାରୀ ସଂଗଠନର ମହିଳାଙ୍କୁ ଧମକ ଦିଆଯାଉଛି। ସେମାନଙ୍କ ପାଇଁ କାମ କରିବାକୁ ଏକ ପ୍ରକାର ବାଧ୍ୟ କରାଯାଉଛି। ସାହାଯ୍ୟ ନ କଲେ ତମ କଥା ପରେ ବୁଝାଯିବ ବୋଲି ଧମକ ଦିଆଯାଉଛି। ଏହାଦ୍ବାରା ସେମାନେ ମାନସିକ ଚାପ ଭିତରେ ତାଙ୍କ କାମ କରିପାରୁ ନାହାଁନ୍ତି ବୋଲି ଦଳ ଅଭିଯୋଗ କରିଛି।

ନିର୍ବାଚନ କମିଶନର ଏହା ଉପରେ ତଦନ୍ତ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବିଜେଡି ଦାବି କରିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନିର୍ବାଚନ କମିଶନରଙ୍କୁ କହି ବଦଳି କରିଦେବୁ.. ବିଜେପି ନେତାଙ୍କ ଅଫିସରଙ୍କୁ ଧମକ: ବିଜେଡିର ଅଭିଯୋଗ

ଭୁବନେଶ୍ବର: ନିର୍ବାଚନରେ ସହଯୋଗ କର, ନଚେତ ନିର୍ବାଚନ କମିଶନରଙ୍କୁ କହି ବଦଳି କରିଦେବୁ। ଏହିପରି ଭାବେ ରାଜ୍ୟ ସରକାରଙ୍କ କର୍ମଚାରୀ ତଥା ପୋଲିସ ଅଧିକାରୀଙ୍କୁ ଧମକ ଦେଉଛନ୍ତି ବିଜେପି ନେତା ଓ ପ୍ରାର୍ଥୀ। ଏପରି ଏକ ଗୁରୁତର ଅଭିଯୋଗ କରିଛି ବିଜୁ ଜନତା ଦଳ। ଦଳର ମୁଖପାତ୍ର ସସ୍ମିତ ପାତ୍ର ଏକ ସାମ୍ବାଦିକର ସମ୍ମିଳନୀ କରି ଏହି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଏ ନେଇ ଦଳ ତରଫରୁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି।

ବିଜେଡି କହିଛି ଯେ, ବିଜେପି ନେତାଙ୍କର ଧମକ ଦେବା ଅଭ୍ୟାସ ବହୁ ଆଗରୁ ରହିଛି। ଗତ ନିର୍ବାଚନରେ ମଧ୍ୟ ବିଜେପି ନେତାମାନେ ବିଭିନ୍ନ ସମୟରେ ସରକାରୀ କର୍ମଚାରୀଙ୍କୁ ଧମକ ଦେଉଥିଲେ। ଏଥର ମଧ୍ୟ ସେମାନେ ସେହିପରି ଧମକ ଦେବା ଆରମ୍ଭ କରିଛନ୍ତି। ହେଲେ ନିର୍ବାଚନ କମିଶନରଙ୍କ ନାମ ନେଇ ଧମକ ଦେବା ଏକ ଗୁରୁତର ଅପରାଧ। ଏ ନେଇ ଭାରତ ନିର୍ବାଚନ କମିଶନର ତଦନ୍ତ କରନ୍ତୁ ବୋଲି ସସ୍ମିତ ଦାବୀ କରିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର ନବରଙ୍ଗପୁର ଜିଲ୍ଲା ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ନବରଙ୍ଗପୁର ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ସେ ଅତିରିକ୍ତ ପୋଲିସ ଡିଜି ତଥା ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀ ଶ୍ରୀ ସଂଜୟ କୁମାରଙ୍କ ସହ ମିଶି ନବରଙ୍ଗପୁର ଜିଲ୍ଲାର ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ସମୀକ୍ଷା କରିଥିଲେ । ଏହି ସମୀକ୍ଷାରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମୀନା ମଧ୍ୟ ଯୋଗଦେଇ ଆଇନଶୃଙ୍ଖଳା ନେଇ ସମୀକ୍ଷା କରିଥିଲେ ।

ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ଆଖି ଆଗରେ ରଖି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ନବରଙ୍ଗପୁର ଜିଲ୍ଲାର ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ସେ ନବରଙ୍ଗପୁର ଜିଲ୍ଲାର ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ସମସ୍ତ ଅଧିକାରୀଙ୍କ ସହ ସବିଶେଷ ଆଲୋଚନା କରିଥିଲେ । ଏଥିରେ ନିର୍ବାଚନ ପରିଚାଳନାର ବିଭିନ୍ନ ଦିଗ ଯଥା-ଆଇନଶୃଙ୍ଖଳା ପରିସ୍ଥିତି, ମତଦାନ ହାର ବୃଦ୍ଧି, ମତଦାନ କେନ୍ଦ୍ର, ମତଦାତାଙ୍କ ସୁବିଧା, ରାଜନୈତିକ ଦଳମାନଙ୍କ ମତାମତ ଓ ପ୍ରସ୍ତାବ, ଭାରତ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ବିଭିନ୍ନ ଆପ୍ଲିକେସନ୍‌ର ବ୍ୟବହାର ଆଦି ବିଷୟରେ ଆଲୋଚନା କରିଥିଲେ । ଏହା ସହ ସେ ସମସ୍ତ ବିଭାଗର ଅଧିକାରୀମାନଙ୍କ ସହ ନିର୍ବାଚନ ପରିଚାଳନା ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ପଚାରି ବୁଝିଥିଲେ । ଜଙ୍ଗଲ, ପରିବହନ, ପୋଲିସ, ଅବକାରୀ, ରାଜ୍ୟ ଜିଏସ୍‌ଟି ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଯେପରି ଶାନ୍ତି, ଶୃଙ୍ଖଳାର ସହ ମତଦାନ ହୋଇପାରିବ ଏବଂ ମତଗଣନା ପର୍ଯ୍ୟନ୍ତ ପରିସ୍ଥିତି ନିୟନ୍ତ୍ରଣରେ ରହିବ ସେଥି ପାଇଁ ଏଡିଜି ଶ୍ରୀ ସଂଜୟ କୁମାର ଏବଂ ଡିଆଇଜି ଶ୍ରୀ ମୀନା ଏବଂ ନବରଙ୍ଗପୁର ଏସ୍‌ପି ଶ୍ରୀ ରୋହିତ ବର୍ମାଙ୍କ ସହ ଆଲୋଚନା କରିଥିଲେ ।

ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଜିଲ୍ଲାର ଇଭିଏମ୍‌ ଓ ଭିଭିପ୍ୟାଟ୍‌ େୱୟାରହାଉସ୍‌କୁ ଯାଇ ସେଠାକାର ସୁରକ୍ଷା ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାଗୁଡ଼ିକର ସମୀକ୍ଷା କରିଥିଲେ । ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହ ଆଲୋଚନା କରି ସେ ମୁକ୍ତ, ଅବାଧ, ନିରପେକ୍ଷ ଓ ସମସ୍ତଙ୍କ ପାଇଁ ଅଂଶଗ୍ରହଣକାରୀ ନିର୍ବାଚନ ନିମନ୍ତେ ଜିଲ୍ଲା ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଛନ୍ତି ଏବଂ ରାଜ୍ୟ ନିର୍ବାଚନ ଅଧିକାରୀ ଏସବୁର ତଦାରଖ କରୁଛନ୍ତି ବୋଲି ଶ୍ରୀ ଧଳ ମତଦେଇଥିଲେ । ମତଦାନ ନେଇ ଏକ ସାମାଜିକ ସଚେତନତା ସୃଷ୍ଟି ସହ ମତଦାନକୁ ଶାନ୍ତି-ଶୃଙ୍ଖଳାର ସହ ସଂପାଦନ ନିମନ୍ତେ ଶ୍ରୀ ଧଳ ଗଣମାଧ୍ୟମର ସହଯୋଗ କାମନା କରିଥିଲେ ।

ନବରଙ୍ଗପୁର ଜିଲ୍ଲା ଗସ୍ତ ପୂର୍ବରୁ ଶ୍ରୀ ଧଳ କୋରାପୁଟ ଜିଲ୍ଲାର ଜୟପୁରଠାରେ ଥିବା ବିକ୍ରମ ଦେବ ବିଶ୍ୱବିଦ୍ୟାଳୟଠାରେ ଥିବା ମତଗଣନା କେନ୍ଦ୍ର ପରିଦର୍ଶନ ସହ ସେଠାରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାର କାର୍ଯ୍ୟ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ।

ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ୍‌. ତିରୁମାଲା ନାୟକ ରାୟଗଡ଼ା ଜିଲ୍ଲାରେ ଏବଂ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ମାଲକାନଗିରି ଜିଲ୍ଲରେ ନିର୍ବାଚନ ପ୍ରସ୍ତୁତି ନେଇ ମଧ୍ୟ ସମୀକ୍ଷା କରିଥିଲେ ।

ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଏବଂ ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀ ଶ୍ରୀ ସଂଜୟ କୁମାର କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲରେ ଚାଲିଥିବା ନିର୍ବାଚନ ପ୍ରସ୍ତୁତି ନେଇ ସନ୍ତୋଷ ପ୍ରକଟ କରିଛନ୍ତି । ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟ ନିର୍ବାଚନ ଅଧିକାରୀ ଓ ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀଙ୍କ କୋରାପୁଟ ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଓ ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀ ସଂଜୟ କୁମାର ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତରେ ଆସି ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। କୋରାପୁଟର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିବା ଏହି ସମୀକ୍ଷା ବୈଠକରେ କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି, ଚାରି ଜିଲ୍ଲାର ଏସ୍‌ପି ଓ ରିଟର୍ଣ୍ଣିଂ ଅଫିସରମାନେ ଯୋଗଦେଇଥିଲେ।

ସମୀକ୍ଷା ବୈଠକର ପ୍ରଥମ ସଂପାନରେ ମୁଖ୍ୟ ନିର୍ବାଚନ ଅଧିକାରୀ ଅବିଭକ୍ତ କୋରାପୁଟ ଜିଲ୍ଲାର ଚାରି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ସମସ୍ତ ରିଟର୍ଣ୍ଣିଂ ଅଧିକାରୀଙ୍କ ସହ ବିସ୍ତୃତ ଭାବରେ ନିର୍ବାଚନ ପ୍ରସ୍ତୁତି ବିଷୟରେ ଆଲୋଚନା କରିଥିଲେ। ସି-ଭିଜିଲ୍‌, ସୁବିଧା ପୋର୍ଟାଲ, ଏନ୍‌କୋର ନୋଡ଼ାଲ ଅଫିସର ଆଦି ଆପ୍‌ ଦ୍ୱାରା ନିର୍ବାଚନ ପରିଚାଳନା କିପରି ସହଜ ଭାବରେ ହେବ ତାହା ଆଲୋଚନା ହୋଇଥିଲା। ନକ୍ସଲ ପ୍ରଭାବିତ ଅଞ୍ଚଳ, ପୋଷ୍ଟାଲ ବାଲାଟ, ନିର୍ବାଚନ ଆଚରଣ ବିଧି ବିଷୟରେ ସବିଶେଷ ଆଲୋଚନା କରି ‘ମତଦାତା’ମାନଙ୍କୁ କେନ୍ଦ୍ରରେ ରଖି ନିର୍ବାଚନ ପରିଚାଳନା ପାଇଁ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନକୁ ଦେଶର ସର୍ବବୃହତ୍‌ ପର୍ବ ରୂପେ ପାଳନ କରି ଅଧିକରୁ ଅଧିକ ଭୋଟର ଯେପରି ମତଦାନ କରିବେ ସେ ଉପରେ ବିଶେଷ ଆଲୋଚନା ହୋଇଥିଲା। ବରିଷ୍ଠ ନାଗରିକ, ଭିନ୍ନକ୍ଷମ, ମହିଳା, ଯୁବ ଭୋଟରମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ମତଦାତା ମାର୍ଗଦର୍ଶିକାକୁ ମତଦାନର ନିମନ୍ତ୍ରଣ ପତ୍ର ଭାବରେ ପ୍ରତି ପରିବାରକୁ ପହଞ୍ଚାଇ ଏକ ଜାତୀୟ ଉତ୍ସବ ପରି ନିର୍ବାଚନକୁ ପାଳନ କରିବା ପାଇଁ ଶ୍ରୀ ଧଳ ପରାମର୍ଶ ଦେଇଥିଲେ।

ଦ୍ୱିତୀୟ ସଂପାନରେ ଅନୁଷ୍ଠିତ ବୈଠକରେ ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀ, ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି, ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ବିଶେଷ ଆଲୋଚନା କରିଥିଲେ। ନିର୍ବାଚନ ଆଚରଣ ବିଧିର ଉଚିତ ପାଳନ ଦିଗରେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ବିଭିନ୍ନ ପ୍ରବର୍ତ୍ତନ ବିଭାଗ ଯଥା-ଅବକାରୀ, ଜିଏସ୍‌ଟି, ପରିବହନ ଓ ଜଙ୍ଗଲ ବିଭାଗ ସମନ୍ୱିତ ଭାବରେ କାର୍ଯ୍ୟ କରିବାକୁ ଶ୍ରୀ ଧଳ ନିର୍ଦ୍ଦେଶ ଦେଇଥିଲେ।

ପ୍ରେସ୍‌ ବାର୍ତ୍ତା ମାଧ୍ୟମରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସମୀକ୍ଷାର ବିଭିନ୍ନ ଦିଗ ଉପରେ ମତ ରଖିଥିଲେ। କିଭଳି ଭାବରେ ବିଭିନ୍ନ ବୁଥ୍‌ରେ ସୁରକ୍ଷା ଓ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବ ତାହା ଆଲୋଚନା କରିଥିଲେ। ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରି ଭୋଟିଂ ସମୟ, ବୁଥ୍‌ରେ ପାନୀୟ ଜଳ, ଛାୟା ବ୍ୟବସ୍ଥା ଓ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଆଦି ବିଷୟରେ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକୁ ବିଚାର କରି ମତଦାତାଙ୍କ ସୁବିଧା ପାଇଁ ନିଶ୍ଚିତ ଭାବରେ ବିହିତ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ପରେ ଶ୍ରୀ ଧଳ କୋରାପୁଟ ଉପଖଣ୍ଡରେ ଥିବା ମତଗଣନା କେନ୍ଦ୍ର ବୁଲି ଦେଖିଥିଲେ। ଅବିଭକ୍ତ କୋରାପୁଟ ଜିଲ୍ଲାରେ ମୁକ୍ତ, ଅବାଧ, ନିରପେକ୍ଷ ଓ ସମସ୍ତଙ୍କ ଅଂଶଗ୍ରହଣ ଦ୍ୱାରା ନିର୍ବାଚନ ସୁପରିଚାଳନା ହେଉଛି ବୋଲି ଶ୍ରୀ ଧଳ ମତ ରଖିଥିଲେ।

ଏହି ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ୍‌. ତିରୁମାଲା ନାୟକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କରଙ୍କ ସମେତ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମୀନା, କୋରାପୁଟ ଜିଲ୍ଲାପାଳ ୱି. କୀର୍ତ୍ତି ୱାସନ୍‌, ରାୟଗଡ଼ା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ନବରଙ୍ଗପୁର ଜିଲ୍ଲାପାଳ ଡକଫର କମଳ ଲୋଚନ ମିଶ୍ର, ମାଲକାନଗିରି ଜିଲ୍ଲାପାଳ ସଚିନ ପାୱାର୍‌, କୋରାପୁଟ ଏସ୍‌ପି ଅଭିନବ ସୋନକର, ରାୟଗଡ଼ା ଏସ୍‌ପି ହରିଶ, ମାଲକାନଗିରି ଏସ୍‌ପି ନିତେଶ ୱାଧୱାନୀ, ନବରଙ୍ଗପୁର ଏସ୍‌ପି ରୋହିତ ବର୍ମା ଓ ସମସ୍ତ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନିର୍ବାଚନ ପ୍ରସ୍ତୁତି: ଜିଲ୍ଲା ନୋଡାଲ ଅଧିକାରୀଙ୍କୁ ଦିଆଗଲା ପ୍ରଯୁକ୍ତି ବିଦ୍ୟା ପ୍ରଶିକ୍ଷଣ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରଯୁକ୍ତି ବିଦ୍ୟା ଜିଲ୍ଲା ନୋଡାଲ ଅଧିକାରୀମାନଙ୍କର ଏକ ଦିନିକିଆ କର୍ମଶାଳା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ୩୦ ଜଣ ପ୍ରଯୁକ୍ତିବିଦ୍ୟା ଜିଲ୍ଲା ନୋଡାଲ ଅଧିକାରୀମାନଙ୍କୁ ନେଇ ଏହା ଅନୁଷ୍ଠିତ ହୋଇଛି।

କର୍ମଶାଳାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଯୋଗଦେଇ ନିର୍ବାଚନ ପ୍ରକ୍ରିୟାରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହାର ପ୍ରୟୋଗ ଫଳରେ ସହଜରେ ଓ ସଠିକ୍‌ ଭାବରେ କାର୍ଯ୍ୟ ପରିଚାଳିତ ହୋଇଥାଏ ବୋଲି ମତପ୍ରକାଶ କରିଥିଲେ।

ଏହାର ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ପ୍ରଯୁକ୍ତିବିଦ୍ୟା ଜିଲ୍ଲା ନୋଡାଲ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଓକାକ୍‌ରୁ ଆସିଥିବା ଦକ୍ଷ ସାଇବର ସୁରକ୍ଷା ବିଶେଷଜ୍ଞ ଶ୍ରୀ ମନମୋହନ ମହାପାତ୍ର, ଶ୍ରୀ ପ୍ରଭୁଦତ୍ତ ମହାପାତ୍ର ଓ ଶ୍ରୀ ହିମାଂଶୁ ଶେଖର ସାହୁ ପ୍ରମୁଖ ଏହି କର୍ମଶାଳାରେ ଉପସ୍ଥିତ ଥିବା ଜିଲ୍ଲା ପ୍ରଯୁକ୍ତି ବିଦ୍ୟା ଅଧିକାରୀମାନଙ୍କୁ ବିସ୍ତୃତ ଭାବେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଏନ୍‌. ଥିରୁମାଳା ନାୟକ, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶଙ୍କ ସହ ପ୍ରଯୁକ୍ତି ବିଦ୍ୟା ନୋଡ଼ାଲ ଅଧିକାରୀ ଦେବରାଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆରମ୍ଭ ହେଲା ଭୋଟର ପଞ୍ଜିକରଣ ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ପାଇଁ ନିର୍ବାଚନ କାର୍ଯ୍ୟ ପରିଚାଳନା ନିମନ୍ତେ ନିଯୁକ୍ତି ପାଇଥିବା ଭୋଟର ପଞ୍ଜିକରଣ ଅଧିକାରୀ/ସହକାରୀ ଭୋଟର ପଞ୍ଜିକରଣ ଅଧିକାରୀମାନଙ୍କର ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ ଏସ୍‌.ଆଇ.ଆର୍‌.ଡି ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଆନୁଷ୍ଠାନିକ ଭାବେ ତାଲିମ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଯେଉଁ ପ୍ରଶାସନିକ ଅଧିକାରୀମାନେ ପୂର୍ବରୁ ନିର୍ବାଚନ କାର୍ଯ୍ୟରେ ଅଂଶଗ୍ରହଣ କରିନାହାନ୍ତି କିମ୍ବା ଭୋଟର ପଞ୍ଜିକରଣ କାର୍ଯ୍ୟ କରି ନାହାନ୍ତି, ମୁଖ୍ୟତଃ ସେହି ଅଧିକାରୀମାନଙ୍କୁ ଭୋଟର ପଞ୍ଜିକରଣ ସହ ନିର୍ବାଚନ ପରିଚାଳନା ସଂପର୍କରେ ବିସ୍ତୃତ ଭାବେ ତାଲିମ ପ୍ରଦାନ କରାଯାଇଛି।

ଏତଦ୍‌ବ୍ୟତୀତ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ବାଚନ ପରିଚାଳନା ସଂପର୍କିତ ଜାରି କରାଯାଉଥିବା ନିର୍ଦ୍ଦେଶନାମା ଓ ନୂତନ ଆଇନକାନୁନ୍‌ ସଂପର୍କରେ ଅଧିକାରୀମାନଙ୍କୁ ପ୍ରାଞ୍ଜଳ ଭାବେ ତାଲିମ ଦିଆଯାଇଛି। ଫଳରେ ଆଗାମୀ ଦିନରେ ଏହି ଅଧିକାରୀମାନେ ନିର୍ବାଚନ ପରିଚାଳନାବେଳେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।

ଏହି ତାଲିମ କାର୍ଯ୍ୟକ୍ରମକୁ ଜାତୀୟ ସ୍ତରୀୟ ପ୍ରଶିକ୍ଷକ ତଥା ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ରାଜ୍ୟ ସ୍ତରୀୟ ପ୍ରଶିକ୍ଷକ ତଥା ଝାରସୁଗୁଡ଼ା ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ, ଭଦ୍ରକ ଉପଜିଲ୍ଲାପାଳ ମନୋଜ କୁମାର ପାତ୍ର, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶଙ୍କ ସମେତ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟର ଏଏସ୍‌ଇ ଇଦି୍ରଶ୍‌ ଅଲ୍ଲିଖାନ୍‌, ଏଏସ୍‌ଇ ରାମକୃଷ୍ଣ ଟୁଙ୍ଗା, ଦେବରାଜ ବେହେରା ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦେଇ ଅଧିକାରୀମାନଙ୍କୁ ନିର୍ବାଚନ ପରିଚାଳନା ସଂପର୍କରେ ବିଭିନ୍ନ କ୍ଷେତ୍ରରେ ସଠିକ୍‌ ମାର୍ଗଦର୍ଶନ କରାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଘରକୁ ଘର ବୁଲି ସର୍ବେକ୍ଷଣ

ଭୁବନେଶ୍ୱର: ଆସନ୍ତାବର୍ଷ ହେବାକୁ ଥିବା ‘ସାଧାରଣ ନିର୍ବାଚନ-୨୦୨୪’କୁ ଆଖି ଆଗରେ ରଖି ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ୩୭୬୦୬ ଜଣ ବୁଥ୍‌ସ୍ତରୀୟ ଅଧିକାରୀମାନେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଜୁଲାଇ ୨୧ ତାରିଖରୁ ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ଘରକୁ ଘର ବୁଲି ନିର୍ଭୁଲ ତଥ୍ୟ ସଂଗ୍ରହ କରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ପ୍ରକାଶ କରିଛନ୍ତି।

ରାଜ୍ୟର ୩୦ ଗୋଟି ଜିଲ୍ଲାରେ ଥିବା ୧୪୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍‌ସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ଭୋଟର ତାଲିକାରେ ଥିବା ତଥ୍ୟଗୁଡ଼ିକର ତନଖି କରିବା ସହ ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ବ୍ୟକ୍ତିଙ୍କ ନାମ ଯୋଗ କରିବା, ନୂତନ ଭୋଟର ଯେଉଁମାନଙ୍କ ବୟସ ତା. ୦୧/୧୦/୨୦୨୪ ସୁଦ୍ଧା ୧୮ ବର୍ଷ ପୂର୍ଣ୍ଣ ହେଉଥିବ ସେମାନଙ୍କୁ ତାଲିକାଭୁକ୍ତ କରାଇବା, ସବୁଦିନ ପାଇଁ ନିର୍ବାଚନ ମଣ୍ଡଳୀରୁ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଥିବା ଭୋଟର ଏବଂ ମୃତ ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରୁ ବାଦ ଦେବା ସହ ସବୁଦୃଷ୍ଟିରୁ ତ୍ରୁଟିଶୂନ୍ୟ ଭୋଟର ତାଲିକ ପ୍ରସ୍ତୁତି ନିମନ୍ତେ ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବେ।

ବୁଥ୍‌ସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ଚାଲୁ ରହିଥିବା ଘରକୁ ଘର ସର୍ବେକ୍ଷଣରେ ରାଜ୍ୟର ନାଗରିକମାନେ ଅଂଶଗ୍ରହଣ କରିବା ସହ ତଥ୍ୟ ସଂଗ୍ରହକାରୀ ଅଧିକାରୀମାନଙ୍କୁ ସହଯୋଗ କରି ସଠିକ ତଥ୍ୟ ପ୍ରଦାନ କରିବା ସହ ଗଣତନ୍ତ୍ରକୁ ସୁଦୃଢ଼ କରିବା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ନାଗରିକମାନଙ୍କୁ ନିବେଦନ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ଭୋଟ ଦେବ ଝାରସୁଗୁଡା, ୧୭ ପ୍ଲାଟୁନ୍ ଆର୍ମଡ୍ ପୋଲିସ ଫୋର୍ସ ମୁତୟନ

ଭୁବନେଶ୍ବର: ଆସନ୍ତାକାଲି ବହୁ ପ୍ରତୀକ୍ଷିତ ଝାରସୁଗୁଡା ଉପନିର୍ବାଚନ ପାଇଁ ହେବ ଭୋଟ ଗ୍ରହଣ। ସେଥିପାଇଁ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଝାରସୁଗୁଡା ଇଂଜିନିୟରିଂ କଲେଜରୁ ପୁଲିଂ ପାର୍ଟିକୁ ସମସ୍ତ ବୁଥକୁ ପଠାସରିଛି। ଏହି ଉପନିର୍ବାଚନ ପାଇଁ ଏଥର ୨୫୩ଟି ବୁଥ କରାଯାଇଛି। ସେଥିମଧ୍ୟରୁ ୨୬ଟି ବୁଥକୁ ପିଙ୍କ୍ ବୁଥ ଏବଂ ୪୦ଟି ମଡେଲ ବୁଥ କରାଯାଇଛି।

ଏହି ମତଦାନ ପକ୍ରିୟାରେ ମୋଟ ୧୦୧୨ ଜଣ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହିତ ୯୬ ଜଣ ପୁଲିଂ ଅଧିକାରୀଙ୍କୁ ରିଜର୍ଭ ରଖାଯାଇଛି। ସେହିପରି ଇଭିଏମଗୁଡିକ ରାଜନୈତିକ ଦଳର ପ୍ରତିନିଧୀଙ୍କ ସମ୍ମୁଖରେ କମିସନିଂ କରାଯାଇ ବୁଥଗୁଡିକରେ ରଖାଯାଇଛି। ମେସିନ ଯେପରି କିଛି ବିଭ୍ରାଟ ନ ହୁଏ ସେଥିପାଇଁ ୬ ଜଣ ଇଜିନିଂୟରଙ୍କୁ ହାଇଦ୍ରାବାଦରୁ ଆଣାଯାଇ ଝାରସୁଗୁଡାରେ ରଖାଯାଇଛି।

ଏହି ଉପନିର୍ବାଚନରେ ଭୋଟ ଦେବା ପାଇଁ ୨,୨୧,୭୧୯ ଭୋଟର ଅଛନ୍ତି। ଯେଉଁଥିରେ ୧,୧୦,୬୧୯ ଜଣ ପୁରୁଷ ଏବଂ ୧,୧୧,୦୩୭ ଜଣ ମହିଳା ଏବଂ ୬୩ ଜଣ ତୃତୀୟ ଲିଙ୍ଗ ଏବଂ ୨୪୯ ଚାକିରୀଆ ଭୋଟର ଅଛନ୍ତି। ସେହିପରି ୨୫୩୪ ଭିନ୍ନକ୍ଷମ ଭୋଟର ଅଛନ୍ତି। ଏମାନେ ଯେପରି ସୁରକ୍ଷିତ ଭାବେ ଭୋଟ ଦେଇପାରିବେ ସେ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ବର୍ତ୍ତମାନ ଝାରସୁଗୁଡାରେ ସର୍ବାଧିକ ତାତି ରହୁଥିବାରୁ ବୁଥରେ ଭୋଟରମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ବୁଥରେ ପିଇବା ପାଣି ସହିତ ଅନ୍ୟାନ୍ୟ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଭିନ୍ନକ୍ଷମ ଥିବା ବୁଥରେ ସେମାନଙ୍କ ପାଇଁ ଯିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ମଧ୍ୟ କୁହାଯାଇଛି। ଏଥିସହିତ ୧୧୮ଟି ଅଟୋ ଏବଂ ୨୫୩ଟି ହୁଇଲ ଚ୍ୟାୟାର ଏବଂ ସ୍ବେଚ୍ଛାସେବୀଙ୍କୁ ମୁତୟନ କରାଯାଇଛି।

ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଏହି ନିର୍ବାଚନରେ ମୋଟ ୧୮୧୪ ଜଣ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୫୫ ଜଣ ପୋଲିସ୍ ଅଫିସର ଅଛନ୍ତି। ସେହିପରି ୧୭ ପ୍ଲାଟୁନ୍ ଆର୍ମଡ୍ ପୋଲିସ୍, ୩୨୩ ହାବିଳଦାର ଏବଂ କନଷ୍ଟେବଳ ଏବଂ ୨୦୫ ଜଣ ହୋମ ଗାର୍ଡଙ୍କୁ ନିଯୁକ୍ତି ଦିଆଯାଇଛି।  ୦୭  କମ୍ପାନୀ ଉଇଚୠ ନିୟୋଜିତ କରାଯାଇଛି।

ମତଦାନ ଦିନ ଅର୍ଥାତ୍ ୧୦ ମଇ ୨୦୨୩ ରେ ପ୍ରଥମେ ମକ୍ ପୋଲ୍ ସକାଳ ୫.୩୦ ରେ ଆରମ୍ଭ ହେବ ଏବଂ ତା’ପରେ ମତଦାନ ପକ୍ରିୟା ସକାଳ ୭.୦୦ଟା ରେ ଆରମ୍ଭ ହେବ।ଜନସାଧାରଣଙ୍କ ସୂଚନା ପାଇଁ ଦୁଇ ଘଣ୍ଟିଆ ଭୋଟିଂପ୍ରତିଶତ ରିପୋର୍ଟ ପ୍ରକାଶ ପାଇବ। ଏହି ନିର୍ବାଚନରେ ମୋଟ ୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଝାରସୁଗୁଡା ଉପନିର୍ବାଚନ ପରିଚାଳନା ନେଇ ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ସହ ସଂପୃକ୍ତ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଭିଡ଼ିଓ କନ୍‌ଫେରେନ୍ସିଂ ମାଧ୍ୟମରେ ଏକ ସମୀକ୍ଷା ବୈଠକ କରାଇଛନ୍ତି ।

ବିଶେଷ କରି ଉପନିର୍ବାଚନବେଳେ ସମଗ୍ର ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଆଇନ୍‌ଶୃଙ୍ଖଳା ରକ୍ଷା, ନିର୍ବାଚନ ମଣ୍ଡଳୀର ସବୁ ବୁଥ୍‌କୁ ନିର୍ବାଚନ ପାଇଁ ଭୋଟ ଗ୍ରହଣ ସାମଗ୍ରୀର ସୁବଣ୍ଟନ, କଳାବୈଶଖି ଝଡ଼ବାତ୍ୟାର ଆଗୁଆ ଆକଳନ, ଏକଜିଟ୍‌ ପୋଲ ଉପରେ ରୋକ୍‌, ଉପନିର୍ବାଚନ ପୂର୍ବ ଓ ପରବର୍ତ୍ତୀ ପ୍ରସ୍ତୁତି ଯଥା-ଷ୍ଟ୍ରଙ୍ଗ୍‌ରୁମ୍‌ ପ୍ରସ୍ତୁତି ଓ ଏହାର ସୁରକ୍ଷା, ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଣ ନିମନ୍ତେ ପ୍ରସ୍ତୁତି ଇତ୍ୟାଦି ସଂପର୍କରେ ବିସ୍ତୃତ ଭାବରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ସଂପୃକ୍ତ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏହି ଆଭାସୀ ବୈଠକରେ ଉପନିର୍ବାଚନ ନିମନ୍ତେ ନିଯୁକ୍ତି ହୋଇଥିବା ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଦେବକ୍ରିଷ୍ଣା ତିୱାରୀ (ଭା.ପ୍ର.ସେ), ପୁଲିସ ପର୍ଯ୍ୟବେକ୍ଷକ ହମିଦ୍‌ ଅଖତାର (ଭା.ପୋ.ସେ), ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ରବିରାଜ ସାହୁରାଜ ଖୋଗରେ (ଆଇ.ଆର୍‌.ଏସ୍‌) ରାଜ୍ୟ ଆଇନଶୃଙ୍ଖଳା ଆଇ.ଜି ପ୍ରବୀଣ କୁମାର (ଭା.ପୋ.ସେ), ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲି ଏସ୍‌. ନରୱାଣେ ଓ ଆରକ୍ଷୀ ଅଧୀକ୍ଷକ ସ୍ମିଥ୍‌ ପି. ପୁରୁଷୋତ୍ତମଦାସ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରତ୍ରୁଘ୍ନ କର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ଓ ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବସିଲା ନୋଡ଼ାଲ ଅଧିକାରୀଙ୍କ ବୈଠକ

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର ୭-ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ରାଜ୍ୟସ୍ତରୀୟ ନୋଡାଲ ଅଧିକାରୀମାନଙ୍କୁ ନେଇ ଏକ ବୈଠକ କରାଇଛନ୍ତି। ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ସହ ସମଗ୍ର ଝାରସୁଗୁଡ଼ା ଜିଲ୍ଲାରେ ବର୍ତ୍ତମାନ ଆଦର୍ଶ ଆଚରଣବିଧି ବଳବତ୍ତର ରହିଛି।

ଆଦର୍ଶ ଆଚରଣବିଧିର ଅନୁପାଳନ, ନିର୍ବାଚନ ସମୟରେ ଆଇନଶୃଙ୍ଖଳା ରକ୍ଷା, ଜନଗହଳି ସ୍ଥାନରେ ଅଯଥା ଗହଳି ନକରିବା, ଟ୍ରାଫିକ୍‌ ସୁପରିଚାଳନା, ଅବକାରୀ ବିଭାଗ ଓ ପୁଲିସ ବିଭାଗର ମିଳିତ ଚଢ଼ାଉ, ନିର୍ବାଚନ ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ସମ୍ଭାବ୍ୟ ଅର୍ଥ କାରବାର ଉପରେ ରୋକ ଲଗାଇବା ଇତ୍ୟାଦି ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ବିସ୍ତୃତ ଭାବେ ଆଲୋଚନା କରିବା ସହ ଉପସ୍ଥିତ ଥିବା ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ରାଜ୍ୟ ପୁଲିସ ମୁଖ୍ୟାଳୟର ଆଇଜି ଯତୀନ୍ଦ୍ରନାଥ କୋଏଲ୍‌, ଆଇନଶୃଙ୍ଖଳା ବିଭାଗ ଆଇଜି ପ୍ରବୀନ୍‌ କୁମାର, ଆୟକର ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ବୀନୟ ଶୀଲ୍‌ ଗୌତମ, ଅବକାରୀ ବିଭାଗର ଅତିରିକ୍ତ ଅବକାରୀ କମିଶନର ରାମଚନ୍ଦ୍ର ପଳତା ଓ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜାତୀୟ ମତଦାତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୫ ତାରିଖ ଦିନ ତ୍ରୟୋଦଶ ଜାତୀୟ ମତଦାତା ଦିବସ ପାଳନ ନିମନ୍ତେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ଆୟୋଗର ପ୍ରତିଷ୍ଠା ଦିବସକୁ ସ୍ମରଣ କରିବା ସହ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ପ୍ରତିବର୍ଷ ଜାନୁଆରୀ ୨୫ ତାରିଖକୁ ଜାତୀୟ ମତଦାତା ଦିବସ ଭାବେ ଦେଶରେ ପାଳନ କରାଯାଉଛି।

ଭୋଟର ତାଲିକାରେ ଅଧିକରୁ ଅଧିକ ନାମ ପଂଜୀକରଣ, ବିଶେଷ କରି ଯୁବଭୋଟମାନଙ୍କୁ ଭୋଟର ତାଲିକାରେ ନାମ ପଂଜୀକରଣ, ନିର୍ବାଚନ ସଂପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ନିର୍ବାଚନ ପ୍ରକ୍ରିୟାରେ ଶତପ୍ରତିଶତ ଅଂଶଗ୍ରହଣ କରି ସଠିକ୍‌ ତଥା ଉପଯୁକ୍ତ ନେତା ଚୟନ କରିବା ହେଉଛି ମତଦାତା ପାଳନ ଦିବସର ଅନ୍ୟ ଏକ ମହତ୍ତର ଉଦ୍ଦେଶ୍ୟ। ପ୍ରତିବର୍ଷ ନୂତନ ଭୋଟରଙ୍କ ପଂଜୀକରଣ ନିମନ୍ତେ ନିର୍ବାଚନ ଆୟୋଗ ଭୋଟର ତାଲିକାରେ ପଂଜୀକରଣ ପାଇଁ କେତେଗୁଡ଼ିଏ ସଂସ୍କାର ଆଣିଛନ୍ତି।

ଭୋଟର ତାଲିକାରେ ନାମ ପଂଜୀକରଣ ନିମନ୍ତେ ପୂର୍ବରୁ ଗୋଟିଏ ଯୋଗ୍ୟତାସୂଚକ ତାରିଖ ଥିଲା। ବର୍ତ୍ତମାନ ତାହା ପରିବର୍ତ୍ତନ କରାଯାଇ ଗୋଟିଏ ବର୍ଷରେ ୪ ଗୋଟି ଯୋଗ୍ୟତାସୂଚକ ତାରିଖ ସ୍ଥିର କରାଯାଇଛି । ପଂଜୀକରଣ ନିମନ୍ତେ ସହଜ ଓ ସରଳ ଫର୍ମର ବ୍ୟବହାର କରାଯାଉଛି ଓ ଅଯୋଗ୍ୟ ଭୋଟରମାନଙ୍କୁ ତାଲିକାରୁ ବାଦ୍‌ ଦେବା ନିମନ୍ତେ ଭୋଟର ଫଟୋ ପରିଚୟ ପତ୍ର ସହ ଆଧାର କାର୍ଡ ସଂଯୋଗ ଇତ୍ୟାଦି ବ୍ୟବସ୍ଥାର ପ୍ରଚଳନ କରାଯାଇଛି।

ବର୍ତ୍ତମାନ ନିର୍ବାଚନ ଆୟୋଗଙ୍କ ନୂତନ ନିଷ୍ପତ୍ତି ଅନୁସାରେ ୧୭ ବର୍ଷରୁ ଊଦ୍ଧ୍ୱର୍ ବୟସର ଯୁବକଯୁବତୀମାନେ ଚାହିଁଲେ ଆଗୁଆ ଭାବେ ଭୋଟର ତାଲିକାରେ ନାମ ପଂଜୀକରଣ ପାଇଁ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। ସହଜରେ ଭୋଟର ତାଲିକାରେ ଅନ୍‌ଲାଇନ୍‌ ନାମ ପଂଜୀକରଣ ନିମନ୍ତେ ଭୋଟର ହେଲପ୍‌ ଲାଇନ୍‌ ଓ ଏନ୍‌ଭିଏସ୍‌ପି ଭଳି ଆପ୍‌ର ପ୍ରଚଳନ ନିର୍ବାଚନ ଆୟୋଗଙ୍କ ଦ୍ୱାରା କରାଯାଇଛି ।

ଜାତୀୟ ମତଦାତା ଦିବସ ପାଳନ ଅବସରରେ ଏହି ଦିନ ଅର୍ଥାତ୍‌ ଜାନୁଆରୀ ୨୫ ତାରିଖରେ ମହାବିଦ୍ୟାଳୟ ଓ ଅନ୍ୟ ଅନୁଷ୍ଠାନମାନଙ୍କର ଛାତ୍ରଛାତ୍ରୀ(୧୭ ବର୍ଷରୁ ଊଦ୍ଧ୍ୱର୍)ଙ୍କ ଦ୍ୱାରା ଶୋଭାଯାତ୍ରା, କୁଇଜ୍‌, ତର୍କ, ରଙ୍ଗୋଲି ପେଣ୍ଟିଂ ଇତ୍ୟାଦି ପ୍ରତିଯୋଗିତାମାନ ଆନୁଷ୍ଠିତ ହେବାକୁ ବୈଠକରେ ସ୍ଥିର କରାଯାଇଛି ।

ନିକଟ ଅତୀତରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କର୍ମଚାରୀମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯିବକୁ ସ୍ଥିର କରାଯାଇଛି । ସେହିଭଳି ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବୁଥ୍‌ସ୍ତରୀୟ ଅଧିକାରୀ, ରିଟର୍ଣ୍ଣିଂ ଅଧିକାରୀ, ସହକାରୀ ରିଟର୍ଣ୍ଣିଂ ଅଧିକାରୀଙ୍କୁ ସମ୍ମାନିତ କରାଯିବାକୁ ସ୍ଥିର କରାଯାଇଛି। ଏଥି ସହ ଉକ୍ତ ଦିନ ବିଭିନ୍ନ ପ୍ରକାରର ଆଦିବାସୀ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଂଘମିତ୍ରା ଶତପଥୀ ଓ ଶତ୍ରୁଘ୍ନ କର, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପି.କେ. ସ୍ୱାଇଁ, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା, ଭୁବନେଶ୍ୱର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଓଏସ୍‌ଡ଼ି ଭବାନୀ ପ୍ରସାଦ ରାୟ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଅର୍ଥ ପରାମର୍ଶଦାତା ସଂଜୟ ଲୁଗୁନ୍‌, ଭୁବନେଶ୍ୱର ମୁନିସିପାଲ୍‌ କର୍ପୋରେସନ୍‌ର ଡେପୁଟୀ କମିଶନର ସପନ କୁମାର ନନ୍ଦ ଯୋଗଦେଇଥିଲେ।

ସେହିପରି ସଂସ୍କୃତି ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଅନାମିକା ଅଧିକାରୀ, ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ଜେନା, ଡେପୁଟୀ କମିଶନର ଅଫ୍‌ ପୋଲିସ୍‌ ଆଇ.କେ. ମହାପାତ୍ର, ଭୁବନେଶ୍ୱର ସୂଚନା ଓ ଲୋକସଂପର୍କ ଅଧିକାରୀ ପଠାଣି ରାଉତ, ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍‌ ଓ ଗାଇଡ୍‌ର ରାଜ୍ୟ ସଂପାଦକ ମିହିର ରଞ୍ଜନ ପଟ୍ଟନାୟକ, ଓଡ଼ିଶା ଇଲେକ୍‌ସନ୍‌ ୱାଚର ଜ୍ୟୋତି ମହାନ୍ତି ଓ ରଞ୍ଜନ କୁମାର ମହାନ୍ତି, ଅନୁଶାସନ ସଚିବ ଶିବନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପଦ୍ମପୁରର ଅଫିସରଙ୍କୁ ବିଜେପିର ଧମକ ବିରୋଧରେ ସିଇଓଙ୍କୁ ଭେଟିଲା ବିଜେଡି

ଭୁବନେଶ୍ବର: ପଦ୍ମପୁରରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ବିଜେପି ଧମକ ଦେଉଥିବାର ଅଭିଯୋଗ ଆଣିଛି ବିଜେଡି। ଏ ନେଇ ଦଳ ତରଫରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗପତ୍ର ପ୍ରଦାନ କରାଯାଇଛି।

ଏଥିରେ କୁହାଯାଇଛି ଯେ, ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀ କରି ପଦ୍ମପୁର ଅଫିସରଙ୍କୁ ଧମକ ଦେଇଛନ୍ତି। ସେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପରି ଅଫିସରଙ୍କୁ ଧମକଚମକ ଦେଉଛନ୍ତି। ଏହା ବିରୋଧରେ ସିଇଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଜେଡି ଦାବୀ କରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପଦମ୍‌ପୁର ଉପନିର୍ବାଚନର ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ ସରିଲା, ମଇଦାନରେ କେତେ ଜଣ ରହିଲେ

ଭୁବନେଶ୍ୱର: ବରଗଡ଼ ଜିଲ୍ଲା ପଦମ୍‌ପୁର ବିଧାନସଭା ଉପନିର୍ବାଚନରେ ମୋଟରେ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବେ ବୋଲି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୋମବାର ଅର୍ଥାତ ୨୧ ନଭେମ୍ବର ୨୦୨୨ ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ।

ପଦମ୍‌ପୁର ବିଧାନସଭା ଉପନର୍ବାଚନ ପାଇଁ ସର୍ବମୋଟ ୧୩ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ ଓ ନାମାଙ୍କନ ପତ୍ର ଯାଞ୍ଚବେଳେ ୨ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିଲା । ଅବଶିଷ୍ଟ ୧୧ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନରେ ଜଣେ ପ୍ରାର୍ଥୀ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାରୁ ଅବଶିଷ୍ଟ ୧୦ ଜଣ ପ୍ରାର୍ଥୀ ଉପନିର୍ବାଚନ ଲଢ଼ିବେ ।

ଏଥର ପଦମ୍‌ପୁର ଉପନିର୍ବାଚନରେ ଭୋଟଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଚାଲିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ପୂର୍ବ ନିର୍ବାଚନଗୁଡ଼ିକ ଭଳି ଏଥର ମଧ୍ୟ ଦୃଷ୍ଟିବାଧିତ ଭୋଟରମାନଙ୍କ ପାଇଁ ବ୍ରେଲି ବାଲାଟ ପେପରର ସୁବିଧା କରାଯାଇଛି ଓ ୮୦ ବର୍ଷରୁ ଊଦ୍ଧ୍ୱର୍ ବରିଷ୍ଠ ଭୋଟର ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟଗ୍ରହଣର ସୁବିଧା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି ।

ପଦମ୍‌ପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୫୭୪୭୪ ଜଣ ଭୋଟର ୩୧୯ ଗୋଟି ବୁଥ୍‌ରେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ସେଥି ମଧ୍ୟରୁ ୧୨୯୪୯୭ ଜଣ ପୁରୁଷ ଭୋଟର, ୧୨୭୯୬୫ ଜଣ ମହିଳା ଭୋଟର, ୧୨ ଜଣ ତୃତୀୟ ଲିଙ୍ଗ ଭୋଟର ଏବଂ ୧୯୯ ଜଣ ସର୍ଭିସ୍‌ ଭୋଟର ଆସନ୍ତା ଡିସେମ୍ବର ୫ ତାରିଖ ଦିନ ୩୧୯ ଗୋଟି ବୁଥ୍‌ରେ ମତଦାନ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ପଦମ୍‌ପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୭୪ ଗୋଟି ବୁଥ୍‌କୁ ଆଜି ଉତ୍ତେଜନାପ୍ରବଣ ଓ ୭୮ ଗୋଟି ବୁଥ୍‌କୁ ସମ୍ବେଦନଶୀଳ ବୁଥ୍‌ ଭାବେ ଚିହ୍ନଟ କରାଯାଇଥିବାବେଳେ ୦୯ କମ୍ପାନୀ (ସିପିଏଫ୍‌) ସେଣ୍ଟ୍ରାଲ ପାରାମିଲିଟାରୀ ଫୋର୍ସ ମୁତୟନ ହେବା ସହ ୪୧ ପ୍ଲାଟୁନ୍‌ ରାଜ୍ୟ ପୋଲିସ ବଳଙ୍କୁ ବ୍ୟାପକ ସୁରକ୍ଷା ଦୃଷ୍ଟିରୁ ମୁତୟନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି ।

ଏଥିରୁ ୧୬୦ ଗୋଟି ବୁଥ୍‌ରେ ୱେବ୍‌ କାଷ୍ଟିଂ କରାଯିବା ସହ ଉତ୍ତେଜନାପ୍ରବଣ ବୁଥ୍‌ଗୁଡ଼ିକରେ ୯୮ ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ଭାରତ ନିର୍ବାଚନ ଆୟୋଗଙ୍କ ତରଫରୁ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ମାନବେନ୍ଦ୍ର ପ୍ରତାପ ସିଂହ (୯୦୪୦୨୮୩୯୪୯) ବ୍ୟୟ ପର୍ଯ୍ୟବେକ୍ଷକ ଭାବେ ଭାରତୀୟ ରାଜସ୍ୱ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ଡି.ଏମ୍‌. ରାମପ୍ରସାଦ ଗୁପ୍ତା (୬୩୭୨୪୪୧୨୧୦) ଏବଂ ପୁଲିସ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ଭାରତୀୟ ପୋଲିସ ସେବା ଅଧିକାରୀ ଶ୍ରୀ ହେମନ୍ତ ଚୌହାନ (୯୦୪୦୨୮୩୯୩୬)ଙ୍କୁ ନିଯୁକ୍ତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଜଣାଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତ୍ରୁଘ୍ନ କର ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପଦ୍ମପୁର ଉପନିର୍ବାଚନ ନେଇ ସର୍ବଦଳୀୟ ବୈଠକ, ଭୋଟ ଗ୍ରହଣ ସମୟରେ ହେଲା ପରିବର୍ତ୍ତନ

ଭୁବନେଶ୍ୱର: ପଦମ୍‌ପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ସର୍ବଦଳୀୟ ବୈଠକରେ ଉପସ୍ଥିତ ଥିବା ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଉପନିର୍ବାଚନ ସଂପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ ।

ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ନଭେମ୍ବର ୧୦ ତାରିଖରେ ଗେଜେଟ୍‌ ନୋଟିଫିକେସନ୍‌, ୧୭ ନଭେମ୍ବର ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିବସ, ନଭେମ୍ବର ୧୮ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ, ନଭେମ୍ବର ୨୧ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ, ଡିସେମ୍ବର ୫ ତାରିଖ ଭୋଟଗ୍ରହଣ ଓ ଡିସେମ୍ବର ୮ ତାରିଖ ଦିନ ଭୋଟଗଣତି କାର୍ଯ୍ୟ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ବୈଠକରେ ଉପସ୍ଥିତ ଥିବା କର୍ମକର୍ତ୍ତାଙ୍କୁ ଜଣାଇଛନ୍ତି ।

ଏଥର ପଦମ୍‌ପୁର ଉପନିର୍ବାଚନ ନିମନ୍ତେ ପୂର୍ବ ସାଧାରଣ ନିର୍ବାଚନ-୨୦୧୯ ପରି ସକାଳ ୭ ଘଟିକାଠାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବା ପାଇଁ ନିର୍ବାଚନ ଆୟୋଗ ସମୟ ଧାର୍ଯ୍ୟ କରିଛନ୍ତି । ପଦମ୍‌ପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ତା. ୦୧/୦୧/୨୦୨୨ରିଖ ସୁଦ୍ଧା ୨୫୭୪୭୪ ଜଣ ଭୋଟର ଅଛନ୍ତି, ସେଥି ମଧ୍ୟରୁ ୧୨୯୪୯୭ ଜଣ ପୁରୁଷ ଓ ୧୨୭୯୬୫ ଜଣ ମହିଳା ଭୋଟର ଥିବାବେଳେ ୧୨ ଜଣ ତୃତୀୟଲିଙ୍ଗ ଭୋଟର ଅଛନ୍ତି । ସେହିପରି ସର୍ବମୋଟ ୨୨୩୩ ଜଣ ଦିବ୍ୟାଙ୍ଗ ଭୋଟର ଥିବାବେଳେ ୮୦ ବର୍ଷରୁ ଊଦ୍ଧ୍ୱର୍ ୪୩୯୩ ଜଣ ଭୋଟର ଓ ୧୯୯ ଜଣ ସର୍ଭିସ ଭୋଟର ରହିଛନ୍ତି ।

ପଦମ୍‌ପୁର ନିର୍ବାଚନ ମଣ୍ଡଳୀରେ ୨୭୯ ଗୋଟି ବୁଥ୍‌ରେ ଭୋଟଗ୍ରହଣ କରାଯିବ ଓ ବୁଥ୍‌ରେ ସର୍ବାଧିକ ୧୫୦୦ ଜଣ ମତଦାତା ମତଦାନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ବୈଠକରେ ଜଣାଇଛନ୍ତି । ନିର୍ବାଚନ ତାରିଖ ଘୋଷଣା ପରଠାରୁ ପଦମ୍‌ପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ସହ ସମଗ୍ର ବରଗଡ଼ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିଛି । ଏହାକୁ ସବୁ ରାଜନୈତିକ ଦଳର କର୍ମକର୍ତ୍ତା ଓ ପ୍ରାର୍ଥୀଙ୍କ ସହ ନିର୍ବାଚନ କାର୍ଯ୍ୟାଳୟ ନିୟୋଜିତ ଥିବା ସମସ୍ତ କର୍ମଚାରୀମାନେ ଅନୁପାଳନ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ଓ ଏହାର ତିଳେମାତ୍ର ଉଲ୍ଲଂଘନ ହେଲେ ଲୋକପ୍ରତିନିଧି ଆଇନ ଅନୁସାରେ ସଂପୃକ୍ତ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।

ଏଥର ଉପନିର୍ବାଚନରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନେ ସର୍ବମୋଟ ୪୦ ଜଣ ତାରକା ପ୍ରଚାରକଙ୍କୁ ଉପନିର୍ବାଚନ ପ୍ରଚାର କାର୍ଯ୍ୟରେ ନିୟୋଜିତ କରିପାରିବେ ଓ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନେ ୨୦ ଜଣ ତାରକା ପ୍ରଚାରକଙ୍କୁ ନିର୍ବାଚନ ପ୍ରଚାର କାର୍ଯ୍ୟରେ ନିୟୋଜିତ କରିପାରିବେ ଓ ଏସବୁର ତାଲିକା ବିଜ୍ଞପ୍ତି ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଦାଖଲ କରିବାକୁ ପଡ଼ିବ । ଏଥର ଉପନିର୍ବାଚନରେ ଜଣେ ବିଧାୟକ ପ୍ରାର୍ଥୀ ସର୍ବାଧିକ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିର୍ବାଚନୀ ଖର୍ଚ୍ଚ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।

ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର ନିମନ୍ତେ କରୁଥିବା ଖର୍ଚ୍ଚର ହିସାବ ରଖିବା ନିମନ୍ତେ ଏକ ଅଲଗା ରେଜିଷ୍ଟରରେ ସମସ୍ତ ଖର୍ଚ୍ଚର ହିସାବ ରଖିବେ ଓ ଫଳାଫଳ ଘୋଷଣାର ୩୦ ଦିନ ମଧ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହାକୁ ଦାଖଲ କରିବେ । ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ସେମାନଙ୍କ ସଂପର୍କରେ ଜନସାଧାରଣଙ୍କ ଅବଗତି ନିମନ୍ତେ ଅତିକମ୍‌ରେ ତିନିଥର ଖବରକାଗଜ ଓ ଟେଲିଭିଜନ୍‌ ମାଧ୍ୟମରେ ପ୍ରଚାରପ୍ରସାର କରାଇବେ ।

ସେହିପରି ସଂପୃକ୍ତ ରାଜନୈତିକ ଦଳମାନେ ମଧ୍ୟ ସେମାନଙ୍କ ପ୍ରାର୍ଥୀଙ୍କ ସଂପର୍କରେ ଦଳ ତରଫରୁ ଅତିକମ୍‌ରେ ତିନିଥର ଖବରକାଗଜ ଓ ଟେଲିଭିଜନ ମାଧ୍ୟମରେ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି ସଂପର୍କରେ ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରଚାରପ୍ରସାର କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ବୈଠକରେ ପ୍ରକାଶ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ୪ ଦିନ ମଧ୍ୟରେ, ପ୍ରାର୍ଥୀପତ୍ର ପ୍ରତ୍ୟାହାରର ୫ମରୁ ୮ମ ଦିନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ୯ମ ଦିନରୁ ପ୍ରଚାରର ଶେଷଦିନ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟରେ ପ୍ରାର୍ଥୀମାନେ ସେମାନଙ୍କର ଅପରାଧିକ କାର୍ଯ୍ୟକଳାପ ସଂପର୍କରେ ପ୍ରଚାରପ୍ରସାର କରିବେ ।

ଶାନ୍ତିଶୃଙ୍ଖଳାର ସହ ଉପନିର୍ବାଚନ କାର୍ଯ୍ୟ ପରିଚାଳନା ଲାଗି ୫୦ ପ୍ରତିଶତ ବୁଥ୍‌ରେ ୱେବ୍‌କାଷ୍ଟିଙ୍ଗ୍‌ କରାଯିବା ସହ ଉତ୍ତେଳନାପ୍ରବଣ ବୁଥ୍‌ମାନଙ୍କରେ ୩୫ ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପଦମ୍‌ପୁର ଉପନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଉପନିର୍ବାଚନରେ ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ଗୃହ ମନ୍ତ୍ରଣାଳୟ ଦ୍ୱାରା ୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସବଳ(ଈଅPଏ)ଙ୍କୁ ନିଯୁକ୍ତ କରାଯାଇଛି । ଏତଦ୍‌ବ୍ୟତୀତ ପର୍ଯ୍ୟାପ୍ତ ସଂଖ୍ୟକ ରାଜ୍ୟ ପୋଲିସ ବଳଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି ।

ଭୋଟଗ୍ରହଣ ଦିବସ ଅର୍ଥାତ୍‌ ଡିସେମ୍ବର ୫ ତାରିଖକୁ ସବୈତନିକ ଛୁଟି ଦିବସ ଭାବେ ଘୋଷଣା କରାଯାଇଛି ଓ ମତଦାନ ଦିବସ ଓ ମତଗଣନା ଦିବସକୁ ‘ଡ୍ରାଏ ଡେ’ ଭାବେ ଘୋଷଣା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି । ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଉପସ୍ଥିତ ଥିବା ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କର ସହଯୋଗ କାମନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏହି ସର୍ବଦଳୀୟ ବୈଠକରେ ବହୁଜନ ସମାଜ ପାର୍ଟିର ସାଧାରଣ ସଂପାଦକ ମଧୁସୂଦନ ଯାଦବ, ଭାରତୀୟ ଜନତା ପାର୍ଟିର ରାଜ୍ୟ ସଂପାଦକ ରମାରଞ୍ଜନ ବଳିୟାରସିଂହ ଓ ଲିଗାଲ୍‌ ସେଲର ଜୟନ୍ତ କୁମାର ଜେନା, ବିଜୁ ଜନତା ଦଳର ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ବିଜୁ ଜନତା ଦଳର ସରିତା ମହାନ୍ତି, ରଞ୍ଜୁଲତା ରାୟ, ଆଶିଷ କୁମାର ପାଠକ, ଅଟଳ ମଲ୍ଲିକ ଓ ଭାରତୀୟ ଜତୀୟ କଂଗ୍ରେସର ଶିବାନନ୍ଦ ରାୟଙ୍କ ସହ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଉପସ୍ଥିତ ଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନଭେମ୍ବର ୯ ତାରିଖରେ ହେବ ରାଜ୍ୟସ୍ତରୀୟ ଭୋଟର ସଚେତନତା ପଦଯାତ୍ରା

ଭୁବନେଶ୍ୱର: ଚିଠା ଭୋଟର ତାଲିକା -୨୦୨୩ ପ୍ରକାଶ ପାଇବାକୁ ଯାଉଥିବା ପରିପ୍ରେକ୍ଷୀରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶାଙ୍କ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଭୋଟର ସଚେତନତା ପଦଯାତ୍ରା (ଓ୍ୱାକାଥନ୍) ଆସନ୍ତା କାଲି ନଭେମ୍ବର ୦୯ତାରିଖ ସକାଳୁ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ଠାରୁ ଆରମ୍ଭ ହେବ।

ଏହି ସଚେତନତା ପଦଯାତ୍ରାରେ ଶତାଧିକସ୍କୁଲ, କଲେଜର ଛାତ୍ରଛାତ୍ରୀ, ଏନ୍ଏସ୍ଏସ୍,ସ୍କାଉଟ୍, ଗାଇଡ୍,ଗଣମାଧ୍ୟମ ପ୍ରତିନିଧି ଓ ବରିଷ୍ଠ ପଦାଧିକାରୀମାନେ ସକାଳ ୭ଟା ସୁଦ୍ଧା ସମବେତ ହେବା ପରେ ପରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ଏହି ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ।

ଏହି ସଚେତନତା ପଦଯାତ୍ରା ମାଷ୍ଟର କ୍ୟାଣ୍ଟିନ ଛକରୁ ପିଏମଜି ଛକ ଦେଇ ରବୀନ୍ଦ୍ର ମଣ୍ଡପ ପାଖ ଦେଇ ୧୨୦ ବାଟାଲିୟନ, ପାୱାର ହାଉସ ଛକ, ଏଡିଏମ୍ ଅଫିସ୍ ହୋଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର‌୍ୟ୍ୟାଳୟରେ ଶେଷ ହେବ ।

ଏହି ଶୋଭାଯାତ୍ରା କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଯୋଗଦାନ କରିବାକୁ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛିକ୍ଷ

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

Dhamnagar Bypoll: ଆଚରଣବିଧି ଉଲ୍ଲଂଘନ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ, ସିଇଓ

ଭୁବନେଶ୍ୱର: ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ବାଚନ ତାରିଖ ଘୋଷଣା ହେଲା ଦିନଠାରୁ ଅର୍ଥାତ୍‌ ଅକେଫାବର ୩ ତାରିଖଠାରୁ ଆଦର୍ଶ ଆଚରଣବିଧି ନିର୍ବାଚନ ମଣ୍ଡଳୀ ସହ ସମଗ୍ର ଜିଲ୍ଲାରେ ଏହା ବଳବତ୍ତର ରହିଛି।

ଆଦର୍ଶ ଆଚରଣବିଧି ହେଉଛି ଏକ ନିର୍ଦ୍ଦେଶିତ ନିୟମ ଯାହାକି ନିର୍ବାଚନ ସମୟରେ ନିର୍ବାଚନ କାର୍ଯ୍ୟରେ ସଂପୃକ୍ତ ସମସ୍ତ ହିତାଧିକାରୀମାନେ ନିଶ୍ଚିତ ଭାବେ ପାଳନ କରିବେ । ଏପରିକି ନିର୍ବାଚନ ମଣ୍ଡଳୀ ମଧ୍ୟରେ ଥିବା ସମସ୍ତ ସରକାରୀ କର୍ମଚାରୀମାନେ ମଧ୍ୟ ଏହି ଆଦର୍ଶ ଆଚରଣବିଧିକୁ ମାନିବାକୁ ବାଧ୍ୟ ହୋଇଥାନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ବର୍ତ୍ତମାନ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ନିମନ୍ତେ ବିଭିନ୍ନ ରାଜନୈତିକ ଦଳମାନଙ୍କ ଦ୍ୱାରା ପ୍ରଚାର କାର୍ଯ୍ୟ ଖୁବ୍‌ ଜୋରରେ ଚାଲୁଅଛି ଓ ଏହା ମଧ୍ୟରେ ରାଜନୈତିକ ଦଳମାନଙ୍କ ଦ୍ୱାରା ନିର୍ବାଚନ ପ୍ରଚାର ସମୟରେ ଆଦର୍ଶ ଆଚରଣବିଧିର ଉଲ୍ଲଂଘନ ହେଉଥିବା ନେଇ ଅନେକଗୁଡ଼ିଏ ଅଭିଯୋଗ ଆମ ପାଖକୁ ଆସୁଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିବାବେଳେ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଜଣାଇଛନ୍ତି ।

ନିର୍ବାଚନ ସମୟରେ ବେଆଇନ କାର୍ଯ୍ୟ ଯଥା ଭୋଟରମାନଙ୍କୁ ଟଙ୍କା ଦେଇ ଭୋଟଦେବା ପାଇଁ ପ୍ରବର୍ତ୍ତାଇବା କିମ୍ବା ଭୋଟରଙ୍କୁ ନିୟମିତ ଭୟଭୀତ କରାଇ ଭୋଟଦେବା ପାଇଁ ବାଧ୍ୟ କରିବା ହେଉଛି ଜଘନ୍ୟ ଅପରାଧ। ଏସବୁ କାର୍ଯ୍ୟରେ ଯେକୌଣସି ବ୍ୟକ୍ତିବିଶେଷ କିମ୍ବା ରାଜନୈତିକ ଦଳର କର୍ମକର୍ତ୍ତା କିମ୍ବା ପ୍ରାର୍ଥୀ, ଯେକେହି ବି ଏଥିରେ ସଂପୃକ୍ତ ଥିବାର ପ୍ରମାଣ ମିଳିଲେ ସେମାନଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋର୍ଡ ଧାରା ୧୭୧(ଖ), ୧୭୧(ଗ), ୧୭୧(ଙ) ଏବଂ ୧୭୧(ଚ) ଏବଂ ଲୋକପ୍ରତିନିଧି ଆଇନ ୧୯୫୧ର ଧାରା ୧୨୩(୧) ଏବଂ ୧୨୩(୨) ଅନୁସାରେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତିା

ଆସନ୍ତା ଉପନିର୍ବାଚନ ପାଇଁ ସମସ୍ତ ପ୍ରାର୍ଥୀ, ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଆଦର୍ଶ ଆଚରଣବିଧିକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଆଜିର ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିକାରୀ ଉପଦେଶ ଦେଇଛନ୍ତି ଓ ଏହାର ବ୍ୟତିକ୍ରମ ହେଲେ ନିଶ୍ଚିତ ଭାବେ ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।

ଉପନିର୍ବାଚନ ପରିପ୍ରେକ୍ଷୀରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ସର୍ବଦଳୀୟ ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ବୈଠକରେ ଉପସ୍ଥିତ ଥିବା ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ନିର୍ବାଚନ ସମୟରେ କ’ଣ କରିବା ଓ କ’ଣ ନକରିବା  ସଂପର୍କରେ ଏକ ନିର୍ଦ୍ଦେଶାବଳୀ ପ୍ରଦାନ କରିବା ସହ ଅବଗତ କରାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ନିର୍ବାଚନ ଆୟୋଗ ସି-ଭିଜିଲ୍‌ ନାମକ ଏକ ମୋବାଇଲ୍‌ ଆପ୍‌ ଜାଗ୍ରତ ନାଗରିକମାନଙ୍କ ପାଇଁ ପ୍ରଚଳନ କରିଛନ୍ତି। ନିର୍ବାଚନବେଳେ ଯଦି କୌଣସି ପ୍ରକାରର ବେଆଇନ୍‌ କାମ ଯଥା ଭୋଟରଙ୍କୁ ଟଙ୍କା ବାଣ୍ଟିବା ବା ଧମକଚମକ ଦେଇ ଭୋଟ ଦେବା ପାଇଁ ବାଧ୍ୟ କରିବା ଇତ୍ୟାଦି କାର୍ଯ୍ୟ ହେଉଥାଏ ତାହାହେଲେ ଜାଗ୍ରତ ନାଗରିକମାନେ ନିଜ ମୋବାଇଲ୍‌ ମାଧ୍ୟମରେ ଭିଡ଼ିଓ ଚିତ୍ର ଉତ୍ତୋଳନ କରି ସଂପୃକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟକୁ ପଠାଇଲେ ୧୦୦ ମିନିଟ୍‌ ମଧ୍ୟରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।

ଜିଲ୍ଲା ପ୍ରଶାସନ ତରଫରୁ ବିଧାନସଭା ନିର୍ବାଚନ ମଣ୍ଡଳୀ ସହ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣବିଧିର କଡ଼ାକଡ଼ି ପାଳନ ନିମନ୍ତେ ସବୁ ପ୍ରକାରର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ସହ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଲଗାଇଛନ୍ତି।

ଧାମନଗର ଉପନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳମାନଙ୍କ ଦ୍ୱାରା ଗାଡ଼ିର ଅପବ୍ୟବହାର, ଡାକବାଜି ଯନ୍ତ୍ର ବ୍ୟବହାର ଆଇନର ଉଲ୍ଲଂଘନ କରିବା, ବେଆଇନ ଭାବେ ସଭାସମିତି କରିବା, ଭୋଟରଙ୍କୁ ଟଙ୍କା ଦେଇ ନିଜ ସପକ୍ଷରେ ଭୋଟଦେବା ପାଇଁ ପ୍ରବର୍ତ୍ତାଇବା ଇତ୍ୟାଦି ବାବଦରେ ଅଦ୍ୟାବଧି ସର୍ବମୋଟ ୧୦୨ ଗୋଟି ଅଭିଯୋଗ ଗ୍ରହଣ କରାଯାଇ ସବୁଗୁଡ଼ିକରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାବେଳେ ଥାନାରେ ଦୁଇଜଣଙ୍କ ବିରୁଦ୍ଧରେ ଏଫ୍‌ଆଇଆର୍‌ ଦରଜ କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ପ୍ରକାଶ କରିଛନ୍ତି।

ଆଦର୍ଶ ଆଚରଣବିଧି ଉଲ୍ଲଂଘନ କରି ଜନସାଧାରଣ ଓ ବ୍ୟକ୍ତିଗତ କୋଠାବାଡ଼ିଗୁଡ଼ିକୁ ବିକୃତ କରି ନିର୍ବାଚନ ପ୍ରଚାର (ପେଣ୍ଟିଂ ) କରିବା ଅଭିଯୋଗରେ ୧୬୧୪ ଗୋଟି କେସ୍‌ ଜିଲ୍ଲା ପ୍ରଶାସନ ନଜରକୁ ଆସିଛି । ସେହିପରି ଜନସାଧାରଣ ଓ ବ୍ୟକ୍ତିଗତ ସଂପତ୍ତି ଯଥା କୋଠାବାଡ଼ିଗୁଡ଼ିକରେ ପୋଷ୍ଟରବ୍ୟାନର, କାନ୍ଥରେ ଲେଖିବା ଇତ୍ୟାଦି ଅଭିଯୋଗରେ ୨୦୦୬ ଗୋଟି କେସ୍‌ ଧରା ପଡ଼ିବାେ ସହ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି।

ଜିଲ୍ଲା ପୋଲିସ ପ୍ରଶାସନ ଦ୍ୱାରା ଚଢ଼ାଉ କରାଯାଇ ୬୩୯ ଗୋଟି ଅସ୍ତ୍ରଶସ୍ତ୍ର ଜବତ କରାଯିବା ସହ ସିଆର୍‌ପିସି ଧାରା ୧୦୭ ଓ ୧୧୬ ଅନୁସାରେ ୨୦୧୧ ଜଣଙ୍କୁ ଅଟକ ରଖାଯାଇଛି ଓ ୧୯୬ ଜଣଙ୍କ ବିରୁଦ୍ଧରେ ଜାମିନବିହୀନ ପରୱାନା ଜାରି କରାଯାଇଛି। ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରାଇବା ପାଇଁ ଜିଲ୍ଲା ପୋଲିସ ଏବଂ ଅବକାରୀ ବିଭାଗ ଜିଲ୍ଲାର ବିଭିନ୍ନ ସ୍ଥାନରେ ମିଳିତ ଭାବେ ଚଢ଼ାଉ କରି ୧୯୭ ଗୋଟି କେସ୍‌ ରୁଜୁ କରିବା ସହ ୨୧୬ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ଓ ୧୪୦୦ ହଜାର ଲିଟର ମଦ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଶ୍ରୀ ଲୋହାନୀ ଜଣାଇଛନ୍ତି।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।