Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ: କାରରୁ ଜବତ ହେଲା ୫ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା

ଭୁବନେଶ୍ଵର: ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲ୍ଲୀ ଛକ ନିକଟରେ ଆଜି ଚିତ୍ରକୋଣ୍ଡା ବ୍ଲକର ଅତିରିକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀଙ୍କ ନିକଟରୁ ଭିଜିଲାନ୍ସ ୫ ଲକ୍ଷ ୭ ହଜାର ଟଙ୍କା ଜବତ କରି ଅଟକ ରଖିଥିବା ଜଣାପଡିଛି। ଏକ କାରରେ ଲିଫ୍ଟ ମାଗି ଚିତ୍ରକୋଣ୍ଡାରୁ ଜୟପୁର ଅଭିମୁଖେ ଯାଉଥିବା ବେଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ତାଙ୍କ ନିକଟରୁ ବିପୁଳ ଟଙ୍କା ଜବତ କରି ସମ୍ପୃକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ପରେ ଭୁବନେଶ୍ୱର ଓ ଚିତ୍ରକୋଣ୍ଡା ସରକାରୀ ବାସଭବନରେ ଭିଜିଲାନ୍ସ ପକ୍ଷରୁ ତଲାସୀ କରାଯାଇଥିଲା।

ଏହି ସମୟରେ ଭୁବନେଶ୍ୱର ବାସଭବନରୁ ୧୩ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି। ମୋଟ ୧୮ ଲକ୍ଷ ୫୭ ହଜାର ଟଙ୍କା ଜବତ କରାଯାଇଥିବା ବେଳେ ଏତେ ଅର୍ଥ କେଉଁଠାରୁ ଆସିଲା ତାହାର ଉତ୍ତର ସନ୍ତୋଷଜନକ ମିଳିନଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏହାପରେ ତାଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି।

Categories
ବିଶେଷ ଖବର

ରାଜଧାନୀକୁ ଜିଲ୍ଲାର ମାନ୍ୟତା କେବେ?

ସୁବାସ କୁମାର ତାରଣିଆଁ

ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ୧୯୪୮ ମସିହା ଏପ୍ରିଲ ୧୪ ତାରିଖରେ ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠା ଦିବସର ଶିଳାନ୍ୟାସ ସ୍ଥାପନ କରିଥିଲେ। ଇତିମଧ୍ୟରେ ମନ୍ଦିରମାଳିନୀ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ପ୍ରତିଷ୍ଠା ଦିବସ ୭୭ ବର୍ଷରେ ପଦାର୍ପଣ କରିଛି। ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠା ପୂର୍ବରୁ ଐତିହାସିକ ସହର ତଥା ଓଡ଼ିଶାର ସର୍ବ ପୁରାତନ ସହର କଟକ ଥିଲା ଓଡ଼ିଶାର ରାଜଧାନୀ। କିନ୍ତୁ କଟକର ସହରର ଦୁଇପାଶ୍ୱର୍ ଦେଇ ମହାନଦୀ ଓ କାଠଯୋଡ଼ି ନଦୀ ପ୍ରବାହିତ ହେବା ତଥା ଅନ୍ୟାନ୍ୟ କାରଣ ଦୃଷ୍ଟିରୁ କଟକ ସହର ରାଜଧାନୀ ପାଇଁ ସୁରକ୍ଷିତ ନୁହେଁ ବୋଲି ମନେ ହୋଇଥିଲା।

ପରବର୍ତ୍ତୀ ସମୟରେ ୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେବା ପରେ ଭୁବନେଶ୍ୱରରେ ନୂତନ ରାଜଧାନୀ ପ୍ରତିଷ୍ଠା ହେବା ପାଇଁ ତତ୍ପରତା ପ୍ରକାଶ ପାଇଥିଲା। ଏଥିପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା। ଉକ୍ତ କମିଟି ପ୍ରଥମେ ବ୍ରହ୍ମପୁର ଓ ଗୋପାଳପୁର ମଧ୍ୟଭାଗରେ ଥିବା ରଙ୍ଗେଇଲୁଣ୍ଡାକୁ ଓଡ଼ିଶାର ରାଜଧାନୀ ସ୍ଥାପନ ନିମନ୍ତେ ଉପଯୁକ୍ତ ସ୍ଥାନ ଭାବେ ପରିକଳ୍ପନା କରିଥିଲେ। ମାତ୍ର ଉକ୍ତ କମିଟି ରଙ୍ଗେଇଲୁଣ୍ଡା ସମ୍ପର୍କରେ ସବିଶେଷ ବିଚାର ବିମର୍ଷ ପରେ ୧୯୩୭ ମସିହାରେ ଅନ୍ୟ ଏକ କମିଟି ଓ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇ ରାଜଧାନୀ ପ୍ରତିଷ୍ଠା ପାଇଁ ଅନୁଧ୍ୟାନ କରାଯାଇଥିଲା।

ମାତ୍ର ଏହି ନୂତନ କମିଟି ରଙ୍ଗେଇଲୁଣ୍ଡାର ପାରିପାର୍ଶ୍ଵିକ ପରିସ୍ଥିତିକୁ ତର୍ଜମା କରି ଏଠାରେ ରାଜଧାନୀ ସ୍ଥାପନକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରି ଦେଇଥିଲେ। ଏହାପରେ ସରକାର ପୁଣି ସ୍ଥାନ ନିରୂପଣ ପାଇଁ ଆଉ କମିଟି ଗଠନ କରିଥିଲେ ଏବଂ ଏହି କମିଟିର ପ୍ରସ୍ତାବରେ ଅନେକ ବାଧା ଓ ପ୍ରତିବନ୍ଧକ ଦେଖାଯିବାରୁ ତାକୁ ମଧ୍ୟ ବାତିଲ୍ କରିବାକୁ ପଡ଼ିଥିଲା। ସେହି ସମୟ ମଧ୍ୟରେ କଟକ ଜିଲ୍ଲାର ବାରଙ୍ଗ, ଚୌଦ୍ୱାର ସମେତ ଅନୁଗୁଳ ଓ ଖୋର୍ଦ୍ଧାରେ ରାଜ୍ୟର ନୂତନ ରାଜଧାନୀ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ପାରିତ ହୋଇଥିଲେ ମଧ୍ୟ ତାହା ସଫଳ ହୋଇପାରି ନଥିଲା।

ପରବର୍ତ୍ତୀ ଭୁବନେଶ୍ୱରର ପ୍ରାକୃତିକ ପରିବେଶ, ଐତିହାସିକ କୀର୍ତ୍ତିରାଜି, କଳାସ୍ଥାପତ୍ୟ, ଉନ୍ନତମାନର ସ୍ୱାସ୍ଥ୍ୟସେବା ସର୍ବୋପରି ଗମନା ଗମନର ସୁବିଧା ଓ ପର୍ଯ୍ୟଟନସ୍ଥଳୀ ଦୃଷ୍ଟିରୁ ରାଜଧାନୀ ପ୍ରତିଷ୍ଠା ପାଇଁ ଭୁବନେଶ୍ୱର ହିଁ ଉପଯୁକ୍ତ ସହର ବୋଲି ଗଠିତ କମିଟି ଦ୍ୱାରା ଚୟନ କରାଯାଇଥିଲା। ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ୧୯୪୮ ମସିହା ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ଭୁବନେଶ୍ୱର ଆସି ନୂତନ ରାଜଧାନୀ ପ୍ରତିଷ୍ଠା ଶିଳାନ୍ୟାସର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜଧାନୀ ପ୍ରତିଷ୍ଠା ପୂର୍ବରୁ ସେ ସମୟରେ ଭୁବନେଶ୍ୱର ଲୋକସଂଖ୍ୟା ଥିଲା କେବଳ ୧୭ ହଜାର।

୨୦୨୧ ସୁଦ୍ଧା ଭୁବନେଶ୍ୱର ଲୋକ ସଂଖ୍ୟା ୧୧ ଲକ୍ଷ ୯୪ ହଜାରରେ ପହଞ୍ôଚଥିଲା ବେଳେ ୨୦୨୨ ମସିହାରେ ୧୨ ଲକ୍ଷ ୨୬ ହଜାର, ୨୦୨୩ରେ ୧୨ ଲକ୍ଷ ୫୮ ହଜାର, ୨୦୨୪ରେ ୧୨ ଲକ୍ଷ ୮୯ ହଜାରରେ ପହଞ୍ôଚଛି। ଏହି ପରିସଂଖ୍ୟନକୁ ତର୍ଜମା କଲେ ପ୍ରତିବର୍ଷ ଭୁବନେଶ୍ୱରରେ ଲୋକସଂଖ୍ୟା ବୃଦ୍ଧି ପାଉଛି ବୋଲି ଧରିନେବାକୁ ହେବ।

ରାଜଧାନୀ ପ୍ରତିଷ୍ଠା ପୂର୍ବରୁ ଯଦି ଭୁବନେଶ୍ୱର କଥା ଆଲୋଚନା କରିବା, ତେବେ ସେତେବେଳେ ଭୁବେନଶ୍ୱରର ରାସ୍ତାଘାଟ ଏତେ ଉନ୍ନତମାନର ନଥିଲା। ଭୁବନେଶ୍ୱରରୁ କଟକ ଯିବା ପାଇଁ ଏକଥାକିଆ ଅଣଓସାରିଆ ରାସ୍ତା ଥିଲା। ଫଳରେ ଭୁବନେଶ୍ୱରରୁ କଟକ ଯିବା ଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ରାସ୍ତା ପ୍ରଶସ୍ତ ନଥିବାରୁ ଯାତ୍ରୀମାନଙ୍କୁ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ସେ ଅସୁବିଧା ଦୂର ହୋଇଯାଇଛି।

ଭୁବନେଶ୍ୱରର ରାସ୍ତାଘାଟ, ପରିବେଶ, ପରିଚ୍ଛନ୍ନତା ଓ ସହରର ସୌନ୍ଦର୍ଯ୍ୟକରଣ ଦୃତଗତିରେ ବୃଦ୍ଧି ପାଉଛି। ଯାହାକୁ ନେଇ ଭୁବନେଶ୍ୱରକୁ ‘ସ୍ମାର୍ଟ ସହରର’ର ମାନ୍ୟତା ମିଳିଛି। ଭୁବନେଶ୍ୱରକୁ ସ୍ମାର୍ଟ ସହର ମାନ୍ୟତା ମିଳିବା ପରେ ଏହି ସହର ଜାତୀୟସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବର୍ତ୍ତମାନ ବିଏମ୍‌ସି ଓ ବିଡ଼ିଏ ଭଳି ଦୁଇଟି ସଂସ୍ଥା ରାଜଧାନୀର ସର୍ବାଙ୍ଗୀନ ବିକାଶ ଓ ସୌନ୍ଦର୍ଯ୍ୟକରଣ ପ୍ରତି ଦୃଷ୍ଟି ରଖିଥିବା ବେଳେ ଏହାର ସମସ୍ୟା କିନ୍ତୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

ରାଜଧାନୀ ସ୍ଥାପନ ପୂର୍ବରୁ ଏଠାରେ ପ୍ରବାହିତ ହେଉଥିବା ୧୦/୧୧ଟି ପ୍ରାକୃତିକ ଝରଣାକୁ ଅଟକାଇ ଜୋରଜବରଦସ୍ତ ସେଠାରେ ଘରବାଡ଼ି ନିର୍ମାଣ କରାଯାଇ ଥିବାରୁ ସହରରେ ଜଳ ନିଷ୍କାସନ ସବୁଠାରୁ ବଡ଼ ସମସ୍ୟା ରୂପେ ମୁଣ୍ଡଟେକିଛି। ସହରର ଜଳ ନିଷ୍କାସନର ସମସ୍ତ ପଥ ଆଜି ଅବରୁଦ୍ଧ। ଦେଶର ପ୍ରାୟ ସମସ୍ତ ରାଜ୍ୟର ରାଜଧାନୀ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ହାସଲ କରିଥିବା ବେଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଆଜି ମଧ୍ୟ ଏହି ସୁବିଧାରୁ ବଞ୍ôଚତ ହୋଇଛି। ଅତୀତରେ ଦୀର୍ଘବର୍ଷ ଧରି ଏହା ଅବିଭକ୍ତ ପୁରୀ ଜିଲ୍ଲାର ଅନ୍ତର୍ଭୁକ୍ତ ହୋଇଥିବା ସ୍ଥଳେ ବିଗତ ଶତାବ୍ଦୀର ନବମ ଦଶକରୁ ଖୋର୍ଦ୍ଧା ଜିଲ୍ଲାର ଏକ ଅଞ୍ଚଳରେ ପରିଣତ ହୋଇଛି। ରାଜଧାନୀର ଗୁରୁତ୍ୱ ଏବଂ ଐତିହ୍ୟକୁ ଦୃଷ୍ଟିରେ ରଖି ଏହାକୁ ଖୁବ୍ ଶୀଘ୍ର ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରଦାନ କରାଗଲେ ୭୭ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟକୁ ଗୋଟିଏ ବଡ଼ ସଫଳତା ମିଳିପାରିବ।

ସେ ସମୟର ସ୍ୱଳ୍ପ ଲୋକସଂଖ୍ୟା ଦୃଷ୍ଟିରୁ ଭୁବନେଶ୍ୱର ଏକ ଛୋଟ ଏନ୍‌ଏସି ଜରିଆରେ ଦୀର୍ଘଦିନ ଧରି କାର୍ଯ୍ୟ କରି ଆସୁଥିଲା। ସମୟକ୍ରମେ ଭୁବନେଶ୍ୱରର ଲୋକସଂଖ୍ୟା ଦୃଷ୍ଟିରୁ ଭୁବନେଶ୍ୱରକୁ ମ୍ୟୁନିସିପାଲିଟିରେ ପରିଣତ କରାଯାଇଥିଲା ଓ ୩୦ଜଣ କାଉନସିଲରଙ୍କୁ ନେଇ ମ୍ୟୁନିସିପାଲିଟି କାର୍ଯ୍ୟ କରୁଥିଲା। ମାତ୍ର ରାଜଧାନୀ ପ୍ରତିଷ୍ଠା ପରେ ଭୁବନେଶ୍ୱରର ବିକାଶ ଓ ଅଭିବୃଦ୍ଧି ଦୃତଗତିରେ ବୃଦ୍ଧି ପାଇଥିଲା ଏବଂ କିଛି ବର୍ଷପରେ ଭୁବନେଶ୍ୱର ମହାନଗର ନିଗମ ପରିସରକୁ ଆସିଲା। ୬୭ କର୍ପୋରେଟ ଓ ଜଣେ ମେୟରଙ୍କୁ ନେଇ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟକାରୀ ହୋଇ ସହରର ବିକାଶ, ସୌନ୍ଦର୍ଯ୍ୟକରଣ ଓ ପରିବେଶ ଦିଗରେ କାର୍ଯ୍ୟ କରିଚାଲିଛି। ରାଜଧାନୀ ପ୍ରତିଷ୍ଠା ପରେ ଏବେ ଏହି ସହରରେ ବିଧାନସଭା, ସଚିବାଳୟ, ମୁଖ୍ୟ ଡ଼ାକଘର, ରିଜର୍ଭ ବ୍ୟାଙ୍କ, ପୋଲିସ୍ କମିଶନରେଟ କାର୍ଯ୍ୟାଳୟ, ବାଣୀବିହାର, ବିଭାଗୀୟ ମୁଖ୍ୟ ଦପ୍ତର, ବିଧାୟକ ଓ ମନ୍ତ୍ରୀମାନଙ୍କ ସରକାରୀ ବାସଭବନ ପ୍ରତିଷ୍ଠା ହେବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ଅଫିସ୍ ସମେତ ଅନେକ ସରକାରୀ ବେସରକାରୀ ସଂସ୍ଥା ଗଢିଉଠିଛି। ବିଏମ୍‌ସି ଓ ବିଡ଼ିଏ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ରାଜଧାନୀ ଭୁବନେଶ୍ୱରର ପରିବେଶ, ପରିମଳ, ସର୍ବାଙ୍ଗୀନ ବିକାଶ ଓ ସୌନ୍ଦର୍ଯ୍ୟକରଣ ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରୁଥିଲେ ମଧ୍ୟ ଦିନକୁ ଦିନ ରାଜଧାନୀ ବହୁ ସମସ୍ୟା ଦେଇ ଗତି କରୁଛି।

ଦେଶ ସ୍ୱାଧୀନ ହେବା ପରେ ତତ୍କାଳନୀ ମୁଖ୍ୟମନ୍ତ୍ରୀ ତଥା ରାଜଧାନୀ ନିର୍ମାତା ଡଃ ହରେକୃଷ୍ଣ ମହତାବ ୧୯୪୭ ମସିହା ନଭେମ୍ବର ୧୪ ତାରିଖରେ ପ୍ରଥମ ନିଳଗିରି ଗଡ଼ଜାତ ମିଶ୍ରଣ, ଡିସେମ୍ବର ୧୪ରେ ୨୪ଟି ଗଡ଼ଜାତ ମିଶ୍ରଣ ଓ ୧୯୪୮ ମସିହା ଜାନୁୟାରୀ ୧ରେ ମୟୁରଭଞ୍ଜ ଗଡ଼ଜାତ ମିଶ୍ରଣ ଏହିପରି ମୋଟ ୨୬ଟି ଗଡ଼ଜାତ ମିଶ୍ରଣ କରି ୧୩ଟି ଜିଲ୍ଲା ଗଠନ କରିଥିଲେ। ଓଡ଼ିଶାରେ ୧୩ଟି ଜିଲ୍ଲା ଗଠନର ୪୫ ବର୍ଷ ପୂର୍ତ୍ତି ପରେ, ୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ୧୩ଟି ଜିଲ୍ଲାର ଭୌଗୋଳିକ ଦୃଷ୍ଟିରେ ରଖି ତଥା ଓଡ଼ିଶାରେ ଜନସଂଖ୍ୟା ବୃଦ୍ଧି, ଓଡ଼ିଶାର ସ୍ୱାଭିମାନ ଦୃଷ୍ଟିରୁ ଓଡ଼ିଶାରେ ୧୩ରୁ ୩୦ଟି ଜିଲ୍ଲାରେ ପରିଣତ କରିଥିଲେ। ଯାହା ଆଜି ପର୍ଯ୍ୟନ୍ତି ବଳବତ୍ତର ରହିଛି । ବର୍ତ୍ତମାନ ଭୁବନେଶ୍ୱରର ଲୋକଂସଖ୍ୟା ୧୨ଲକ୍ଷ ୬୦ ହଜାରରୁ ଉର୍ଦ୍ଧ୍ୱ ଥିଲେ ମଧ୍ୟ ଓଡ଼ିଶାର ୧୨ଜିଲ୍ଲା ଯଥା ଗଜପତି, ଦେବଗଡ଼, ବୌଦ୍ଧ, ଜଗତସିଂହପୁର, ସୁବର୍ଣ୍ଣପୁର, ନୟାଗଡ଼, କନ୍ଧମାଳ, ନୂଆପଡ଼ା, ଝାରସୁଗୁଡ଼ା, ମାଲକାନଗିରି , ସମ୍ବଲପୁର, ରାୟଗଡ଼ା ଆଦି ଜିଲ୍ଲାମାନଙ୍କ ଲୋକସଂଖ୍ୟା ଭୁବନେଶ୍ୱର ଲୋକସଂଖ୍ୟା ଠାରୁ କମ୍ ଥାଇ ଜିଲ୍ଲାର ମାନ୍ୟତା ପାଇଥିବା ବେଳେ ୭୭ ବର୍ଷରେ ପଦାର୍ପଣ କରିଥିବା ଏବଂ ଜନସଂଖ୍ୟା ଦୃଷ୍ଟିରୁ ଭୁବନେଶ୍ୱରକୁ ରାଜଧାନୀର ମାନ୍ୟତା ନ ମିଳିବା ରାଜଧାନୀବାସୀଙ୍କ ମନରେ ଗଭୀର ଆଘାତ ଦେଇଛି। ଯାହାକୁ ନେଇ କିଛି ସ୍ୱେଚ୍ଛାସେବୀ ସଂଗଠନ, ଚିନ୍ତନଶୀଳ ବ୍ୟକ୍ତି, ବୁଦ୍ଧିଜୀବୀ, ସ୍ୱାମିମାନ ବ୍ୟକ୍ତି ଓ ବରିଷ୍ଠ ନାଗରିକମାନେ ରାଜଧାନୀ ଭୁବନେଶ୍ୱରକୁ ଜିଲ୍ଲାର ମାନ୍ୟତା ପ୍ରଦାନ ପାଇଁ ସ୍ୱର ଉତ୍ତୋଳନ କରି ଆସୁଥିଲେ ମଧ୍ୟ ତାହା ବାସ୍ତବରେ ପରିଣତ ହୋଇପାରି ନାହିଁ।

ସ୍ୱାଧୀନତାପ୍ରାପ୍ତି ପରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଏବଂ ଅବିଭକ୍ତ ପଞ୍ଜାବର ରାଜଧାନୀ ଚଣ୍ଡୀଗଡ଼କୁ ଦୁଇଟି ଯୋଜନାବଦ୍ଧ ସହରରେ ଗଢି ତୋଳିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିଲା। କିନ୍ତୁ ଆଜି ଚଣ୍ଡୀଗଡ଼ ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ତଥା ବିକଶିତ ସହର ରୂପେ ମୁଣ୍ଡ ଟେକି ଥିବାବେଳେ ୭୭ ବର୍ଷ ପରେ ଭୁବନେଶ୍ୱରର ସ୍ଥାନ ଯେଉଁଠି ଥିଲା, ସେଇଠି! ରାଜଧାନୀର ଦୃତ୍ତ ଭିତ୍ତିଭୂମି, ବିକାଶ, ପରିବେଶ ପରିମଳ, ପର୍ଯ୍ୟଟନସ୍ଥଳୀ ଓ ଐତିହ୍ୟ ଏବଂ ସର୍ବୋପରି ଜନସଂଖ୍ୟାକୁ ଦୃଷ୍ଟିରେ ରଖି ରାଜଧାନୀ ପ୍ରତିଷ୍ଠାର ୭୭ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱରକୁ ଜିଲ୍ଲାର ମାନ୍ୟତା ପ୍ରଦାନ କରାଗଲେ ତାହା ହିଁ ହେବ ଭୁବନେଶ୍ୱରବାସୀଙ୍କ ପ୍ରତି ଏକ ଶ୍ରେଷ୍ଠ ଉପହାର।

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

ମୋ : ୮୩୨୮୮୪୦୨୧୪

Categories
ଆଜିର ଖବର ରାଜ୍ୟ ଖବର

ଅମୃତ ଷ୍ଟେସନ ଅନ୍ତର୍ଗତ ପୁରୀ ରେଳ ଷ୍ଟେସନ ପୁନର୍ବିକାଶ: ନିରୀକ୍ଷଣ ଓ ସମୀକ୍ଷା କଲେ ରେଳମନ୍ତ୍ରୀ

ଭୁବନେଶ୍ୱର: ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ସନ୍ଧ୍ୟାରେ ପୁରୀ ରେଳ ଷ୍ଟେସନରେ ଚାଲୁରହିଥିବା ପୁନର୍ବିକାଶ କାର୍ଯ୍ୟର କରିଛନ୍ତି। ଅମୃତ ଷ୍ଟେସନ ଯୋଜନା ଅଧୀନରେ ସମଗ୍ର ଓଡ଼ିଶାରେ ପ୍ରମୁଖ ରେଳ ଭିତ୍ତିଭୂମିକୁ ଆଧୁନିକୀକରଣ କରିବା ପାଇଁ ଭାରତୀୟ ରେଳର ପ୍ରତିବଦ୍ଧତାର ଏକ ଅଂଶ ଭାବେ ପୁରୀ ରେଳ ଷ୍ଟେସନର ପୁନର୍ବିକାଶର କାର୍ଯ୍ୟ ଅନ୍ତର୍ଭୁକ୍ତ।

ନିରୀକ୍ଷଣ ସମୟରେ ଶ୍ରୀ ବୈଷ୍ଣବ ନିର୍ମାଣ କାର୍ଯ୍ୟର ଅଗ୍ରଗତି ବିଷୟରେ ବିସ୍ତୃତ ସମୀକ୍ଷା କଲେ ଏବଂ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ଓ ବାକି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ଅମୃତ ଷ୍ଟେସନ ପ୍ରକଳ୍ପ ଗୁଡିକର କାର୍ଯ୍ୟ ଗୁଡିକ ଅଗ୍ରଗତି କରୁଛି ବୋଲି ରେଳମନ୍ତ୍ରୀ କହିଛନ୍ତି। ପୁରୀ କୋଣାର୍କ ରେଳମାର୍ଗ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଅଗ୍ରଗତିରେ ଚାଲୁରହିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

ରେଳମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ପୁନର୍ବିକାଶ ହେବା ପରେ ପୁରୀ ରେଳ ଷ୍ଟେସନ ଐତିହ୍ୟ ସୌନ୍ଦର୍ଯ୍ୟ ଏବଂ ଆଧୁନିକ ଯାତ୍ରୀ ସୁବିଧାର ମିଶ୍ରଣ ସହିତ ଏକ ବିଶ୍ୱସ୍ତରୀୟ ସୁବିଧା ଭାବରେ ଦଣ୍ଡାୟମାନ ହେବ। ଷ୍ଟେସନର ପୁନର୍ବିକାଶ 2021-22 ଆର୍ଥିକ ବର୍ଷରେ ମଞ୍ଜୁର ହୋଇଥିବା ବେଳେ ସମନ୍ୱିତ ଷ୍ଟେସନ ପୁନଃବିକାଶ ଯୋଜନା ଅଧୀନରେକାର୍ଯ୍ୟ କରାଯାଉଅଛି ଯାହାର ପ୍ରକଳ୍ପ ମୂଲ୍ୟ ₹177.41 କୋଟି।

ଅମୃତ ଷ୍ଟେସନ ଯୋଜନା ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଏକ ପରିକଳ୍ପନା ଯେଉଁଥିରେ ଐତିହ୍ୟ, ସଂସ୍କୃତି ଓ ବିକାଶ ସ୍ଥାନପାଇଛି। ପୁରୀ ଷ୍ଟେସନ ବିକାଶ କ୍ଷେତ୍ରରେ ମଧ୍ୟ ଏଠିକାର ଐତିହ୍ୟ, ସଂସ୍କୃତି ସ୍ଥାନ ପାଇବ “ବିରାସତ ଭି ବିକାଶ ଭି”।

ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଏବଂ ଖୋର୍ଦ୍ଧା ରୋଡର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏଚ୍.ଏସ୍. ବାଜୱାଙ୍କ ସମେତ ବରିଷ୍ଠ ରେଳ ଅଧିକାରୀମାନେ ଏହି ନିରୀକ୍ଷଣରେ ଯୋଗ ଦେଇଥିଲେ।

ପୁନଃବିକଶିତ ପୁରୀ ଷ୍ଟେସନର ପ୍ରମୁଖ ଆକର୍ଷଣ:

* ସବୁଜ କୋଠା ଡିଜାଇନ୍ (ସ୍ୱର୍ଣ୍ଣ ମାନକ) ଯାହା ପ୍ରତି ଘଣ୍ଟା 250 କିଲୋମିଟର ବେଗ ପର୍ଯ୍ୟନ୍ତ ପବନ ବେଗ ସହ୍ୟ କରିପାରିବ।

* ଷ୍ଟେସନ ଭବନ ଏବଂ କନକୋର୍ସ କ୍ଷେତ୍ର: 24,185 ବର୍ଗ ମିଟର।

* ସର୍କୁଲେଟିଂ କ୍ଷେତ୍ର: 26,100 ବର୍ଗ ମିଟର।

* ପ୍ଲାଟଫର୍ମ କ୍ଷେତ୍ର (8 ପ୍ଲାଟଫର୍ମ): 21,600 ବର୍ଗ ମିଟର।

* ଗଠନ: ଭୂମି + 3 ମହଲା।

* ଯାତ୍ରୀ ସୁବିଧାଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ:

– ସ୍ୱୟଂଚାଳିତ ଟିକେଟ୍ ଭେଣ୍ଡିଂ ମେସିନ୍
– ବ୍ୟାଗେଜ୍ ସ୍କାନର
– ପର୍ଯ୍ୟଟକ ସୂଚନା ଏବଂ ବୁକିଂ କେନ୍ଦ୍ର
– ଖାଦ୍ୟ କୋର୍ଟ, ଜନ ଆହାର ଏବଂ ଦୋକାନ
– କେନ୍ଦ୍ରୀୟ ସିସିଟିଭି ମନିଟରିଂ
– 4 ଏସ୍କାଲେଟର, 4 ଯାତ୍ରୀ ଲିଫ୍ଟ, ଏବଂ 1 ଷ୍ଟାଫ୍ ଲିଫ୍ଟ
– 23 ଅବସର କୋଠରୀ ଏବଂ 150 ଶଯ୍ୟା ବିଶିଷ୍ଟ ଛାତ୍ରାବାସ
– 60 ଶଯ୍ୟା ବିଶିଷ୍ଟ TTE ବିଶ୍ରାମ କୋଠରୀ
– ଦେୟଯୁକ୍ତ ଲାଉଞ୍ଜ, ମାଗଣା ଅପେକ୍ଷା ଲାଉଞ୍ଜ, ଶିଶୁ ଖାଦ୍ୟ ଖାଇବା କୋଠରୀ
– ଶିଶୁ ସହାୟତା ଡେସ୍କ ଏବଂ “ମେ ଆଇ ହେଲ୍ପ ୟୁ” ବୁଥ୍

* ଦିବ୍ୟାଙ୍ଗଜନ-ଅନୁକୂଳ ବୈଶିଷ୍ଟ୍ୟଗୁଡ଼ିକ:

– ପ୍ରତିବନ୍ଧକ-ମୁକ୍ତ ପ୍ରବେଶ/ପ୍ରସ୍ଥାନ ରାମ୍ପ
– ନିର୍ଦ୍ଦିଷ୍ଟ ପାର୍କିଂ
– ନ ଖସିବା ପଦପଥ
– ପ୍ରତ୍ୟେକ ପ୍ଲାଟଫର୍ମରେ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିବା ଶୌଚାଳୟ ଏବଂ ପାନୀୟ ଜଳ ଟ୍ୟାପ୍
– ନାଭିଗେସନ୍ ପାଇଁ ଉଚ୍ଚ-ଦୃଶ୍ୟତା ସାଇନେଜ୍

ବର୍ତ୍ତମାନ ପର୍ଯ୍ୟନ୍ତ, ନିର୍ମାଣ କାର୍ଯ୍ୟର 60% ସମାପ୍ତ ହୋଇଛି, ଯାହା ଏକ ଆଧୁନିକ, ସୁଗମ ଏବଂ ଯାତ୍ରୀ-ଅନୁକୂଳ ପୁରୀ ରେଳ ଷ୍ଟେସନର ଦୃଷ୍ଟିକୋଣକୁ ବାସ୍ତବତାର ନିକଟତର କରୁଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଏମ୍‌ସ ଭୁବନେଶ୍ୱର ଗସ୍ତ କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା

ଭୁବନେଶ୍ୱର: ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଏବଂ ରସାୟନ ଏବଂ ସାର ମନ୍ତ୍ରୀ, ଜଗତ ପ୍ରକାଶ ନଡ୍ଡା ଆଜି ଏମ୍ସ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଗସ୍ତ ଏହି ଜାତୀୟ ପ୍ରତିଷ୍ଠାନର ଅଭିବୃଦ୍ଧି ଏବଂ ଉତ୍କର୍ଷତାର ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟର ସାକ୍ଷୀ ରହିବ।

ଏହି ଗସ୍ତ ଅବସରରେ, ଶ୍ରୀ ନଡ୍ଡା କେନ୍ଦ୍ରୀୟ ଗବେଷଣା ପ୍ରୟୋଗଶାଳାର ଉଦ୍‌ଘାଟନ କରିବେ। ଏହି ବ୍ୟବସ୍ଥା, ଏମ୍ସ ଭୁବନେଶ୍ୱରର ଗବେଷଣା କ୍ଷମତାକୁ ଏକ ନୂତନ ଶିଖରକୁ ନେବାର ସମ୍ଭାବନା ରଖିଛି। ଏହି ଅତ୍ୟାଧୁନିକ ପ୍ରୟୋଗଶାଳା ଡାକ୍ତର, ଗବେଷକ, ଏବଂ ଛାତ୍ରଛାତ୍ରୀଙ୍କୁ ଅଭିନବ ସ୍ୱାସ୍ଥ୍ୟସେବା ସମାଧାନ ବିକାଶ ଏବଂ ସୁଦୂରପ୍ରସାରୀ ଚିକିତ୍ସା ଗବେଷଣା କ୍ଷେତ୍ରକୁ ସଶକ୍ତ କରିବ ବୋଲି ବିଶ୍ବାସ ଥିବା ମତବ୍ୟକ୍ତ କରିଛନ୍ତି ଏମ୍‌ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ।

ଏଥିସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନଡ୍ଡା ବହୁମୁଖୀ (ଗ୍ୟାଷ୍ଟ୍ରୋନୋମି) ବ୍ଲକ୍‌ର ଶିଳାନ୍ୟାସ କରିବେ। ଏହା ପ୍ରତିଷ୍ଠାନର ଛାତ୍ରଛାତ୍ରୀ, ଚିକିତ୍ସକ, କର୍ମଚାରୀ ଏବଂ ଜନସାଧାରଣଙ୍କ ବର୍ଦ୍ଧିତ ଆବଶ୍ୟକତା ପୂରଣ କରିବା ନେଇ ଯୋଜନା କରାଯାଇଛି। ଏହି ଆଧୁନିକ ଭିତ୍ତିଭୂମି ଗୋଟିଏ ଛାତ ତଳେ ବିବିଧ ସେବା ପ୍ରଦାନ କରିବାରେ ସହାୟକ ହେବ।

ଏହି ଗସ୍ତ ଅବସରରେ, ଶ୍ରୀ ନଡ୍ଡା ଏମ୍‌ସ ଭୁବନେଶ୍ୱରର ଏକ ନୂତନ ୱେବସାଇଟ୍ ମଧ୍ୟ ଉନ୍ମୋଚନ କରିବେ। ଏହି ୱେବସାଇଟ୍‌ରେ ସାଧାରଣ ଲୋକଙ୍କୁ ସୁବିଧା ପ୍ରଦାନ ନିମନ୍ତେ ବହୁ ବ୍ୟବସ୍ଥା ରହିଛି। ସହଜରେ ଏମ୍‌ସର ବିଭିନ୍ନ ସେବା ପାଇବାକୁ ଲୋକମାନେ ଏହା ମାଧ୍ୟମରେ ସୂଚନା ପାଇପାରିବେ।

ଏହା ବ୍ୟତୀତ, ଇଏଚ୍‌ଏସ କ୍ଲିନିକ୍ ଏବଂ ଅମୃତ୍‌ ଫାର୍ମାସିକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିବେ ଶ୍ରୀ ନଡ୍ଡା। ଏହା ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ଏବଂ ସୁଲଭ ଔଷଧର ସୁଗମତାକୁ ଉନ୍ନତ କରିବ।

ଗସ୍ତ ଅବସରରେ ଶ୍ରୀ ନଡ୍ଡା ଏମ୍‌ସର ସାମଗ୍ରୀକ ବିକାଶ ନେଇ ଏକ ବିଶେଷ ସମୀକ୍ଷା ବୈଠକ କରିବେ। ମାନ୍ୟବର ମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହିତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ କହିଛନ୍ତି ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ମାର୍ଗଦର୍ଶନ ଏବଂ ଶ୍ରୀ ନଡ୍ଡା ଜୀ ଙ୍କ ଗତିଶୀଳ ନେତୃତ୍ୱରେ ଏମ୍‌ସ ଭୁବନେଶ୍ୱର ଉତ୍କର୍ଷ ପଥରେ ଆଗକୁ ବଢ଼ି ଚାଲିଛି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ୱେଭ୍ସ ୨୦୨୫ – ଥିମ୍ ମ୍ୟୁଜିକ୍ ପ୍ରତିଯୋଗିତା, କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜର ବିଜେତା ଘୋଷଣା

ମୁମ୍ବାଇ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଭାରତୀୟ ସଙ୍ଗୀତ ଶିଳ୍ପ ସହ ମିଳିତ ଭାବେ ଶୁକ୍ରବାର ୩୨ଟି ୱେଭ୍ସ- କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ସିରିଜ୍ ମଧ୍ୟରୁ ଅନ୍ୟତମ ଥିମ୍ ମ୍ୟୁଜିକ୍ ପ୍ରତିଯୋଗୀତାର ବିଜେତାଙ୍କ ନାମ ଘୋଷଣା କରିଛି। ପ୍ରଥମ ୱାର୍ଲ୍ଡ ଅଡିଓ ଆଣ୍ଡ ଭିଡିଓ ଏଣ୍ଟରଟେନମେଣ୍ଟ ସମିଟ (ୱେଭ୍ସ ୨୦୨୫) ମେ ୧ ରୁ ୪ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହେବ।

ଭାରତର ବିବିଧ ସଙ୍ଗୀତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରସ୍ତୁତ ହୋଇଥିବା ଏହି ପ୍ରତିଯୋଗିତାରେ ସାରା ଦେଶରୁ ଶତାଧିକ ଅଂଶଗ୍ରହଣକାରୀ ସାମିଲ୍ ହୋଇଥିଲେ। ବିଚାରକମଣ୍ଡଳୀ ୬ ଜଣ ବିଜେତାଙ୍କୁ ସେମାନଙ୍କର ମୌଳିକତା, ସଙ୍ଗୀତ ଦକ୍ଷତା ଏବଂ ୱେଭ୍‌ସ ବିଷୟବସ୍ତୁ ସହିତ ସାମଞ୍ଜସ୍ୟତାର କଠୋର ମୂଲ୍ୟାଙ୍କନ ପରେ ଚୟନ କରିଥିଲେ।

ପ୍ରତିଯୋଗିତାର ବିଚାରକ ମଣ୍ଡଳୀରେ ଭାରତୀୟ ସଙ୍ଗୀତ ଜଗତର ଜଣାଶୁଣା ନାମ: ସୋମେଶ କୁମାର ମାଥୁର – ହିନ୍ଦୁସ୍ତାନୀ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଏବଂ ମେଣ୍ଟର; ସନ୍ଦୀପ ବାକ୍‌ଚୁ– ପ୍ଲେବ୍ୟାକ୍ ସିଙ୍ଗର  ତଥା ଟଲିଉଡ ଅଭିନେତା; ଗୁଲରାଜ ସିଂ – ବଲିଉଡର ସଙ୍ଗୀତକାର ଏବଂ ସଙ୍ଗୀତ ପ୍ରଯୋଜକ ରହିଥିଲେ।

କୋଲକାତାର କୁନାଲ୍ କୁଣ୍ଡୁ ଓ ଆଲାପ ସରଦାର ଥିମ ସଙ୍ଗୀତ ପ୍ରତିଯୋଗୀତାର ବିଜେତା ହୋଇଛନ୍ତି। ମୁମ୍ବାଇର ବିବେକ ଦୁବେ ଓ କୋଏମ୍ବାଟୁରର ଭବଗଣେଶ ଥାମ୍ବ୍ରିଆନକୁ ଯଥାକ୍ରମେ ୧ମ ରନର୍ସ ଅପ୍ ଓ ୨ୟ ରନର୍ସ ଅପ୍ ଭାବରେ ଘୋଷଣା କରାଯାଇଛି। ସେହିପରି ଚେନ୍ନାଇର ଜୟନାଥନ୍ ଆରଙ୍କୁ ୩ୟ ରନର୍ସ ଅପ୍ ଭାବରେ ଓ ଦ୍ବିତୀୟ କମ୍ପୋଜିସନ ନିମନ୍ତେ ଜୟନାଥନ ଆରଙ୍କୁ ୪ର୍ଥ ରନର୍ସ ଅପ୍ ବିବେଚିତ କରାଯାଇଛି। ଏହି ପ୍ରତିଯୋଗୀତାରେ ପୁନେର ଦୀପ ଜୟେଶ ଦବାରେ ୫ମ ରନର୍ସ ଅପ୍ ହୋଇଛନ୍ତି।

ୱେଭ୍‌ସ  ବିଷୟରେ

ମେ ୧ରୁ ୪, ୨୦୨୫ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁମ୍ବାଇଠାରେ ଭାରତ ସରକାରଙ୍କ ଦ୍ୱାରା ଗଣମାଧ୍ୟମ ଏବଂ ମନୋରଞ୍ଜନ (ଏମ୍ ଆଣ୍ଡଇ) କ୍ଷେତ୍ର ପାଇଁ ଏକ ମାଇଲଖୁଣ୍ଟ ଇଭେଣ୍ଟ ପ୍ରଥମ ବିଶ୍ୱ ଅଡିଓ ଭିଜୁଆଲ୍ ଆଣ୍ଡ ଏଣ୍ଟରଟେନମେଣ୍ଟ୍ ସମିଟ (ୱେଭ୍ସ) ଆୟୋଜନ କରାଯିବ।

ଆପଣ ଜଣେ ଶିଳ୍ପ ପେସାଦାର, ନିବେଶକ, ନିର୍ମାତା କିମ୍ବା କ୍ରିଏଟର ହୁଅନ୍ତୁ, ଶିଖର ସମ୍ମିଳନୀ ଏମ ଆଣ୍ଡଇ ପରିଦୃଶ୍ୟକୁ ସଂଯୋଗ କରିବା, ସହଯୋଗ କରିବା, ଉଦ୍ଭାବନ କରିବା ଏବଂ ଯୋଗଦାନ କରିବା ପାଇଁ ଏକ ଉତ୍କୃଷ୍ଟ ବୈଶ୍ୱିକ ପ୍ଲାଟଫର୍ମ ପ୍ରଦାନ କରେ।

ୱେଭ୍ସ ଭାରତର ସୃଜନଶୀଳ ଶକ୍ତିକୁ ବୃଦ୍ଧି କରିବ ଏବଂ ବିଷୟବସ୍ତୁ ସୃଷ୍ଟି, ବୌଦ୍ଧିକ ସମ୍ପତ୍ତି ଏବଂ ବୈଷୟିକ ଅଭିନବତାର ଏକ କେନ୍ଦ୍ର ଭାବରେ ଏହାର ସ୍ଥିତିକୁ ବଢ଼ାଇବ। ବ୍ରଡକାଷ୍ଟିଂ, ପ୍ରିଣ୍ଟ ମିଡିଆ, ଟେଲିଭିଜନ, ରେଡିଓ, ଫିଲ୍ମ, ଆନିମେସନ, ଭିଜୁଆଲ ଇଫେକ୍ଟସ, ଗେମିଂ, କମିକ୍ସ, ସାଉଣ୍ଡ  ଆଣ୍ଡ ମ୍ୟୁଜିକ୍, ବିଜ୍ଞାପନ, ଡିଜିଟାଲ ମିଡିଆ, ସୋସିଆଲ ମିଡିଆ ପ୍ଲାଟଫର୍ମ, ଜେନେରେଟିଭ ଏଆଇ, ଏଅଗମେଣ୍ଟେଡ ଆରଏଲିଟି (ଏଆର), ଭର୍ଚୁଆଲ୍ ରିଆଲିଟି (ଭିଆର) ଏବଂ ଏକ୍ସଟେଣ୍ଡେଡ୍ ରିଆଲିଟି (ଏକ୍ସଆର) ଉପରେ ଧ୍ୟାନ ପ୍ରଦାନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ମୁମ୍ବାଇରେ ପ୍ରତିଷ୍ଠା ହେବ ଭାରତୀୟ ସୃଜନଶୀଳ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ

ମୁମ୍ବାଇ: ମୁମ୍ବାଇରେ ଏକ ଭାରତୀୟ ସୃଜନଶୀଳ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ବା ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ କ୍ରିଏଟିଭ୍‌ ନେକ୍ନୋଲୋଜି (ଆଇଆଇସିଟି) ପ୍ରତିଷ୍ଠା କରାଯିବ। ଏହି ବିଶ୍ୱସ୍ତରୀୟ ପ୍ରତିଷ୍ଠାନ ଆନିମେସନ, ଭିଜୁଆଲ ଇଫେକ୍ଟସ, ଗେମିଂ, କମିକ୍ସ ଓ ପରିବର୍ଦ୍ଧିତ ବାସ୍ତବତା (ଏଭିଜିସି-ଏକ୍ସଆର) କ୍ଷେତ୍ର ପ୍ରତି ସମର୍ପିତ ହେବ। ମୁମ୍ବାଇ ଆଇଆଇସିଟି ପାଇଁ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହିତ ମହାରାଷ୍ଟ୍ର ସରକାର, ମହାରାଷ୍ଟ୍ର ଚଳଚ୍ଚିତ୍ର, ମଞ୍ଚ ଓ ସଂସ୍କୃତି ବିକାଶ ନିଗମ ଲିଃ (ଏମଏଫଏସସିଡିସିଏଲ) ଏବଂ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ କ୍ରିଏଟିଭ୍‌ ଟେକ୍ନୋଲୋଜି (ଆଇଆଇସିଟି) ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି।

ମହାରାଷ୍ଟ୍ର ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁଶ୍ରୀ ସୁଜାତା ସୌନିକ ଏବଂ ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁଙ୍କ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ବୁଝାମଣାପତ୍ରର ବିନିମୟ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ କହିଥିଲେ ଯେ ମୁମ୍ବାଇର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ରିଏଟିଭ୍ ଟେକ୍ନୋଲୋଜି (ଆଇଆଇସିଟି) ହେଉଛି ଏଭଳି ପ୍ରଥମ ଅନୁଷ୍ଠାନ ଯାହା ସୃଜନଶୀଳ ଉଦ୍ୟୋଗରେ ପ୍ରତିଭା ଓ ନବସୃଜନକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେବ।

ଆଇଆଇସିଟି ଗୋରେଗାଓଁସ୍ଥିତ ଦାଦାସାହେବ ଫାଲକେ ଫିଲ୍ମ ସିଟି ଠାରେ ସ୍ଥାପନ କରାଯିବ ଏବଂ ଏହା ଏଭିଜିସି-ଏକ୍ସଆର କ୍ଷେତ୍ରରେ ଶିକ୍ଷା, ଗବେଷଣା, ନବୋନ୍ମେଷ ଏବଂ ଦକ୍ଷତା ବିକାଶ ପାଇଁ ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବ। ଭାରତ ଏହି କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ହେବାକୁ ଯାଉଥିବାରୁ ମୁମ୍ବାଇ ଆଇଆଇସିଟିର ପ୍ରତିଷ୍ଠା ବିକାଶ ଓ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ ଯେ, ସୃଜନଶୀଳ ଅର୍ଥବ୍ୟବସ୍ଥା ଏବଂ ମନୋରଞ୍ଜନ କ୍ଷେତ୍ରର ରାଜଧାନୀ ମୁମ୍ବାଇରେ ପ୍ରସ୍ତାବିତ ପ୍ରଥମ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ରିଏଟିଭ୍ ଟେକ୍ନୋଲୋଜି (ଆଇଆଇସିଟି) ସହରର ମନୋରଞ୍ଜନ ଶିଳ୍ପ ପାଇଁ ଏକ ଉତପ୍ରେରକ ଭାବରେ କାର୍ଯ୍ୟ କରିବ ଏବଂ ଏହାର ବିଶ୍ୱସ୍ତରୀୟ ସମ୍ପ୍ରସାରଣକୁ ସୁଗମ କରିବ।

ଅଣଲାଭକାରୀ ଧାରା ୮ କମ୍ପାନୀ ଭାବେ ଆଇଆଇସିଟିର ପ୍ରତିଷ୍ଠା କରାଯାଉଛି। ଏଥିରେ ଭାରତ ସରକାରଙ୍କର ୩୪% ଏବଂ ଏମଏଫଏସସିଡିସିଏଲ ଜରିଆରେ ମହାରାଷ୍ଟ୍ର ସରକାରଙ୍କର ୧୪% ଅଂଶଧନ ରହିବ। ଅବଶିଷ୍ଟ ୬୨% ଅଂଶଧନ ଶିଳ୍ପ ସଂସ୍ଥାଗୁଡ଼ିକ ପାଖରେ ରହିବ। ବର୍ତ୍ତମାନ ଫିକ୍କି ଓ ସିଆଇଆଇ ଭଳି ଶିଳ୍ପ ସଂଘ ଏହାର ୨୬% ଅଂଶଧନ ହାସଲ କରିସାରିଛନ୍ତି । ଭାରତ ସରକାର ଆଇଆଇସିଟି ପାଇଁ ୩୯୧.୧୫ କୋଟି ଟଙ୍କାର ବଜେଟ ଆବଣ୍ଟନ କରିସାରିଛନ୍ତି। ଏଥିପାଇଁ ୧୦ ଏକର ଜମି ମଧ୍ୟ ଲିଜରେ ଦିଆଯାଇସାରିଛି। ଏହା ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ର ପାଇଁ ଆଇଆଇଟି ଏବଂ ଆଇଆଇଏମ ଭଳି ବିଶ୍ୱସ୍ତରୀୟ ଶୀର୍ଷ ପ୍ରତିଷ୍ଠାନ ରୂପେ ବିକଶିତ ହେବ।

Categories
ଆଜିର ଖବର ଜାତୀୟ ଖବର

ବାରାଣସୀରେ ୩,୮୮୦ କୋଟିରୁ ଅଧିକ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କଲେ ପିଏମ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ବାରାଣସୀରେ ୩,୮୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି। ସଭାକୁ ସମ୍ବୋଧିତ କରି ସେ କାଶୀ ସହିତ ତାଙ୍କର ଗଭୀର ସମ୍ପର୍କ ଉପରେ ଆଲୋକପାତ କରିବା ସହ ଆଶୀର୍ବାଦ ପାଇଁ ତାଙ୍କ ପରିବାର ଓ ଅଞ୍ଚଳବାସୀଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ତାଙ୍କୁ ଏଠାରୁ ଯେଉଁ ଭଲପାଇବା ଓ ସମର୍ଥନ ମିଳିଛି, ତାହା ସ୍ୱୀକାର କରିଥିଲେ। କାଶୀ ତାଙ୍କର ଏବଂ ସେ କାଶୀର ବୋଲି କହି ସେ ଏହି ପ୍ରେମ ପାଇଁ ଋଣୀ ବୋଲି ଉଲ୍ଲେଖ କରିଥିଲେ। ଆସନ୍ତାକାଲି ହନୁମାନ ଜନ୍ମ ଉତ୍ସବର ପବିତ୍ର ଅବସର ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କାଶୀରେ ସଙ୍କଟ ମୋଚନ ମହାରାଜଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥିବାରୁ ସେଥିପାଇଁ ସମ୍ମାନ ପ୍ରକାଶ କରିଥିଲେ। ହନୁମାନ ଜନ୍ମ ଉତ୍ସବ ପୂର୍ବରୁ କାଶୀବାସୀ ଏକାଠି ହୋଇ ବିକାଶର ପର୍ବ ପାଳନ କରିଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ।

“ଗତ ୧୦ ବର୍ଷ ମଧ୍ୟରେ ବାରାଣସୀର ବିକାଶ ଏକ ନୂତନ ଗତି ହାସଲ କରିଛି”, ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ, କାଶୀ ଆଧୁନିକତାକୁ ଆପଣେଇଛି, ଏହାର ଐତିହ୍ୟକୁ ସଂରକ୍ଷିତ ରଖିଛି ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗ୍ରହଣ କରିଛି । ସେ କହିଥିଲେ ଯେ କାଶୀ ଏବେ କେବଳ ପ୍ରାଚୀନ ନୁହେଁ, ପ୍ରଗତିଶୀଳ ମଧ୍ୟ, ଯାହା ବର୍ତ୍ତମାନ ପୂର୍ବାଂଚଳର ଅର୍ଥନୈତିକ ମାନଚିତ୍ରର କେନ୍ଦ୍ରରେ ଅବସ୍ଥିତ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ସ୍ଵୟଂ ମହାଦେବଙ୍କ ଦ୍ୱାରା ପରିଚାଳିତ କାଶୀ ଏବେ ପୂର୍ବାଂଚଳର ବିକାଶର ରଥ ଚଳାଉଛି।

ଏହି କାର୍ଯ୍ୟକ୍ରମରେ କାଶୀ ଏବଂ ପୂର୍ବାଂଚଳର ବିଭିନ୍ନ ଅଞ୍ଚଳ ସହ ଜଡିତ ଅନେକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ ଭିତ୍ତିଭୂମି ପ୍ରକଳ୍ପ ମାଧ୍ୟମରେ ଯୋଗାଯୋଗକୁ ସୁଦୃଢ଼ କରିବା, ପ୍ରତ୍ୟେକ ଘରକୁ ଟ୍ୟାପ୍ ଜଳ ଯୋଗାଣ ଅଭିଯାନ ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ କ୍ରୀଡ଼ା ସୁବିଧାର ସମ୍ପ୍ରସାରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରତ୍ୟେକ ଅଞ୍ଚଳ, ପରିବାର ଓ ଯୁବବର୍ଗଙ୍କୁ ଉନ୍ନତ ସୁବିଧା ଯୋଗାଇ ଦେବାର ପ୍ରତିଶ୍ରୁତି ଉପରେ ସେ କହିଥିଲେ ଯେ ଏହି ପଦକ୍ଷେପ ପୂର୍ବାଂଚଳକୁ ଏକ ବିକଶିତ ଅଞ୍ଚଳରେ ପରିଣତ କରିବାରେ ମାଇଲଖୁଣ୍ଟ ଭାବେ କାର୍ଯ୍ୟ କରିବ। କାଶୀର ପ୍ରତ୍ୟେକ ବାସିନ୍ଦା ଏହି ଯୋଜନାଗୁଡ଼ିକ ଦ୍ୱାରା ବହୁତ ଉପକୃତ ହେବେ ବୋଲି ସେ ଉଲ୍ଲେଖ କରିଥିଲେ ଏବଂ ଏହି ବିକାଶମୂଳକ ପ୍ରୟାସ ପାଇଁ ବାରାଣସୀ ଏବଂ ପୂର୍ବାଂଚଳବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ଆଜି ମହାତ୍ମା ଜ୍ୟୋତିବା ଫୁଲେଙ୍କ ଜୟନ୍ତୀ ଅବସରରେ ସମାଜର କଲ୍ୟାଣ ଏବଂ ମହିଳା ସଶକ୍ତୀକରଣ ପାଇଁ ମହାତ୍ମା ଜ୍ୟୋତିବା ଫୁଲେଙ୍କର ଏବଂ ସାବିତ୍ରୀବାଇ ଫୁଲେଙ୍କ ଆଜୀବନ ସମର୍ପଣକୁ ମନେ ପକାଇଥିଲେ। ମହିଳା ସଶକ୍ତୀକରଣ ଦିଗରେ ସେମାନଙ୍କ ଦୃଷ୍ଟିକୋଣ ଓ ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇବା ପାଇଁ ଚାଲିଥିବା ପ୍ରୟାସ ଉପରେ ସେ ଆଲୋକପାତ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ସେମାନଙ୍କ ସରକାର ‘ସବକା ସାଥ, ସବକା ବିକାଶ’ର ମନ୍ତ୍ର ଉପରେ ଚାଲୁଛନ୍ତି। ପୂର୍ବାଂଚଳର ପଶୁପାଳନ କରୁଥିବା ପରିବାର, ବିଶେଷ କରି ପରିଶ୍ରମୀ ମହିଳା, ଯେଉଁମାନେ ଏହି ଅଞ୍ଚଳ ପାଇଁ ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି ସେ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ମହିଳାମାନଙ୍କ ଉପରେ ବିଶ୍ୱାସ କରାଯାଇଥିଲା, ଯାହା  ଇତିହାସ ରଚିଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ବନାସ ଦୁଗ୍ଧ କାରଖାନା ସହ ଜଡ଼ିତ ପଶୁପାଳନ କରୁଥିବା ପରିବାରମାନଙ୍କୁ ବୋନସ ବଣ୍ଟନ ବିଷୟରେ ଉଲ୍ଲେଖ କରିଥିଲେ । ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏହି ବୋନସ ଏକ ଉପହାର ନୁହେଁ ବରଂ ସେମାନଙ୍କ କଠିନ ପରିଶ୍ରମ ଏବଂ ନିଷ୍ଠା ପାଇଁ ଏକ ପୁରସ୍କାର, ଯାହା ସେମାନଙ୍କ ପରିଶ୍ରମ ଏବଂ ନିଷ୍ଠାର ମୂଲ୍ୟକୁ ପ୍ରତିଫଳିତ କରୁଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ହଜାର ହଜାର ପରିବାରର ଜୀବନ ଓ ଭାଗ୍ୟକୁ ନୂଆ ରୂପ ଦେଇଥିବା କାଶୀର ବନାସ ଡାଏରୀର ରୂପାନ୍ତରଣକାରୀ ପ୍ରଭାବ ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ, ଦୁଗ୍ଧ କିପରି କଠିନ ପରିଶ୍ରମକୁ ପୁରସ୍କୃତ କରିଛି ଏବଂ ଆକାଂକ୍ଷାକୁ ଉଡାଣ ଦେଇଛି। ସେ ଗର୍ବର ସହ ଉଲ୍ଲେଖ କରିଛନ୍ତି ଯେ ଏହି ପ୍ରୟାସ ପୂର୍ବାଂଚଳର ଅନେକ ମହିଳାଙ୍କୁ “ଲକ୍ଷପତି ଦିଦି” ହେବାରେ ସକ୍ଷମ କରିଛି, ଯାହା ଜୀବିକାର ଚିନ୍ତାରୁ ସମୃଦ୍ଧି ପଥକୁ ପରିବର୍ତ୍ତିତ ହୋଇଛି। କେବଳ ବାରାଣସୀ ଓ ଉତ୍ତରପ୍ରଦେଶରେ ନୁହେଁ ବରଂ ସମଗ୍ର ଦେଶରେ ଏହି ପ୍ରଗତି ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି। “ଗତ ଏକ ଦଶନ୍ଧି ମଧ୍ୟରେ ଦୁଗ୍ଧ ଉତ୍ପାଦନରେ ପ୍ରାୟ ୬୫% ବୃଦ୍ଧି ସହିତ ଭାରତ ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ରାଷ୍ଟ୍ରରେ ପରିଣତ ହୋଇଛି”, ସେ ଏହି ସଫଳତାର ଶ୍ରେୟ ଲକ୍ଷ ଲକ୍ଷ କୃଷକ ଏବଂ ପଶୁସମ୍ପଦ ମାଲିକଙ୍କୁ ଦେଇଥିଲେ ଏବଂ ସ୍ୱୀକାର କରିଥିଲେ ଯେ ଏଭଳି ସଫଳତା ହେଉଛି ଗତ ଦଶ ବର୍ଷ ମଧ୍ୟରେ ନିରନ୍ତର ପ୍ରୟାସର ଫଳ । ପଶୁସମ୍ପଦ ମାଲିକମାନଙ୍କୁ କିଷାନ କ୍ରେଡିଟ୍ କାର୍ଡ ସୁବିଧା ସହିତ ଯୋଡିବା, ଋଣ ସୀମା ବୃଦ୍ଧି କରିବା ଏବଂ ରିହାତି କାର୍ଯ୍ୟକ୍ରମ ଆରମ୍ଭ କରିବା ସମେତ ଦୁଗ୍ଧ କ୍ଷେତ୍ରକୁ ମିଶନ ମୋଡରେ ଆଗେଇ ନେବା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ସେ ଉଲ୍ଲେଖ କରିଥିଲେ । ପଶୁସମ୍ପଦର ସୁରକ୍ଷା ପାଇଁ ପାଦ ଏବଂ ପାଟି ରୋଗର ନିରାକରଣ ପାଇଁ ମାଗଣା ଟିକାକରଣ କାର୍ଯ୍ୟକ୍ରମ ଏବଂ ସଂଗଠିତ ଦୁଗ୍ଧ ସଂଗ୍ରହ ପାଇଁ ୨୦,୦୦୦ରୁ ଅଧିକ ସମବାୟ ସମିତିକୁ ପୁନରୁଦ୍ଧାର କରିବାର ପ୍ରୟାସ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ରାଷ୍ଟ୍ରୀୟ ଗୋକୁଳ ମିଶନ ଅଧୀନରେ ବିଜ୍ଞାନ ଭିତ୍ତିକ ପ୍ରଜନନ ମାଧ୍ୟମରେ ଦେଶୀ ଗୋରୁପ୍ରଜାତିର ବିକାଶ ଏବଂ ସେମାନଙ୍କର ଗୁଣବତ୍ତାରେ ଉନ୍ନତି ଆଣିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ପଶୁସମ୍ପଦ ମାଲିକମାନଙ୍କୁ ନୂତନ ବିକାଶ ପଥ, ଉନ୍ନତ ବଜାର ଏବଂ ସୁଯୋଗ ସହିତ ଯୋଡ଼ିବା ଏହି ପଦକ୍ଷେପର ଲକ୍ଷ୍ୟ । ପୂର୍ବାଂଚଳରେ ଏହି ଦୃଷ୍ଟିକୋଣକୁ ଆଗେଇ ନେବା ପାଇଁ ସେ କାଶୀର ବନାସ ଡାଏରୀ ପରିସରକୁ ପ୍ରଶଂସା କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ବନାସ ଡାଏରୀ ଏହି ଅଞ୍ଚଳରେ ଗିର୍ ଗାଈ ବଣ୍ଟନ କରିଛି, ସେମାନଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି ଏବଂ ବାରାଣସୀରେ ପଶୁଖାଦ୍ୟର ବ୍ୟବସ୍ଥା ଆରମ୍ଭ ହୋଇଛି । ପୂର୍ବାଂଚଳର ପ୍ରାୟ ଏକ ଲକ୍ଷ କୃଷକଙ୍କ ଠାରୁ କ୍ଷୀର ସଂଗ୍ରହ କରି ସେମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ଜୀବିକାକୁ ସୁଦୃଢ଼ କରିବା ପାଇଁ ସେ ଦୁଗ୍ଧ ବ୍ୟବସାୟୀମାନଙ୍କୁ ପ୍ରଶଂସା କରିଥିଲେ ।

ଅନେକ ବରିଷ୍ଠ ନାଗରିକଙ୍କୁ ଆୟୁଷ୍ମାନ ବୟ ବନ୍ଦନା କାର୍ଡ ବଣ୍ଟନ କରିବାର ସୌଭାଗ୍ୟ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେମାନଙ୍କ ମୁହଁରେ ଦେଖାଯାଉଥିବା ସନ୍ତୋଷର ଭାବନା ଉପରେ ଆଲୋକପାତ କରିବା ସହ ଏହା ଯୋଜନାର ସଫଳତାର ପ୍ରମାଣ ବୋଲି କହିଥିଲେ। ବୟସ୍କଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ପରିବାରରେ ରହୁଥିବା ଚିନ୍ତାକୁ ସେ ସ୍ୱୀକାର କରିଥିଲେ ଏବଂ ୧୦-୧୧ ବର୍ଷ ପୂର୍ବେ ଚିକିତ୍ସାକୁ ନେଇ ସମଗ୍ର ପୂର୍ବାଂଚଳରେ ଦେଖାଦେଇଥିବା ଅସୁବିଧାକୁ ମନେ ପକାଇଥିଲେ । ଏହି ଅଞ୍ଚଳରେ ବ୍ୟାପକ ଉନ୍ନତିକୁ ଉଲ୍ଲେଖ କରି ସେ କହିଥିଲେ ଯେ, “କାଶୀ ବର୍ତ୍ତମାନ ଏକ ସ୍ୱାସ୍ଥ୍ୟ ରାଜଧାନୀରେ ପରିଣତ ହେଉଛି”। ଏକଦା ଦିଲ୍ଲୀ ଓ ମୁମ୍ବାଇ ଭଳି ସହରରେ ସୀମିତ ଥିବା ଅତ୍ୟାଧୁନିକ ଡାକ୍ତରଖାନା ଏବେ ଲୋକଙ୍କ ଘର ନିକଟରେ ଉପଲବ୍ଧ ହେଉଛି । ସେ ଗୁରୁତ୍ୱାରୋପ କରିଥିଲେ ଯେ ସୁବିଧାଗୁଡ଼ିକୁ ଲୋକଙ୍କ ନିକଟତର କରିବା ହେଉଛି ବିକାଶର ପ୍ରକୃତ ଅର୍ଥ ।

ଗତ ଏକ ଦଶନ୍ଧି ମଧ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତି, କେବଳ ଡାକ୍ତରଖାନା ସଂଖ୍ୟା ବୃଦ୍ଧି ନୁହେଁ, ବରଂ ରୋଗୀଙ୍କ ସମ୍ମାନ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ଆୟୁଷ୍ମାନ ଭାରତ ଯୋଜନାକୁ ଗରିବଙ୍କ ପାଇଁ ବରଦାନ ବୋଲି ଆଲୋକପାତ କରିଥିଲେ, ଯାହା କେବଳ ଚିକିତ୍ସା ନୁହେଁ ବରଂ ଆତ୍ମବିଶ୍ୱାସ ମଧ୍ୟ ସୃଷ୍ଟି କରିଥାଏ ବୋଲି ସେ କହିଥିଲେ । ବାରାଣସୀର ହଜାର ହଜାର ଏବଂ ସମଗ୍ର ଉତ୍ତରପ୍ରଦେଶରେ ଲକ୍ଷ ଲକ୍ଷ ଲୋକ ଏହି ଯୋଜନା ଦ୍ୱାରା ଉପକୃତ ହୋଇଛନ୍ତି ଏବଂ ପ୍ରତ୍ୟେକ ଚିକିତ୍ସା, ପରିଚାଳନା ଏବଂ ରିଲିଫ ସେମାନଙ୍କ ଜୀବନର ଏକ ନୂତନ ଆରମ୍ଭ ବୋଲି ସେ କହିଥିଲେ। ଆୟୁଷ୍ମାନ ଭାରତ ଯୋଜନା ଉତ୍ତରପ୍ରଦେଶର ଲକ୍ଷ ଲକ୍ଷ ପରିବାର ପାଇଁ କୋଟି କୋଟି ଟଙ୍କା ସଞ୍ଚୟ କରିଛି, କାରଣ ସରକାର ସେମାନଙ୍କ ସ୍ୱାସ୍ଥ୍ୟସେବାର ଦାୟିତ୍ୱ ନେଇଛନ୍ତି। ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ଚିକିତ୍ସାର ପ୍ରତିଶ୍ରୁତିକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ଏହି ପଦକ୍ଷେପ ୭୦ ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ବରିଷ୍ଠ ନାଗରିକଙ୍କ ପାଇଁ ସେମାନଙ୍କ ଆୟ ନିର୍ବିଶେଷରେ ମାଗଣା ଚିକିତ୍ସା ସୁନିଶ୍ଚିତ କରେ । ସେ ମନ୍ତବ୍ୟ ଦେଇଥିଲେ ଯେ ବାରାଣସୀ ସର୍ବାଧିକ ସଂଖ୍ୟାରେ ବାୟ ବନ୍ଦନା କାର୍ଡ ଜାରି କରିଛି ଏବଂ ପାଖାପାଖି ୫୦,୦୦୦ କାର୍ଡ ବଣ୍ଟନ କରାଯାଇଛି । ଏହା କେବଳ ଏକ ପରିସଂଖ୍ୟାନ ନୁହେଁ, ବରଂ ସେବା ପ୍ରତି ପ୍ରତିବଦ୍ଧତା, ପରିବାରଗୁଡ଼ିକୁ ଜମି ବିକ୍ରି କରିବା, ଋଣ ନେବା କିମ୍ବା ଚିକିତ୍ସା ପାଇଁ ଅସହାୟତାର ସମ୍ମୁଖୀନ ହେବାର ଆବଶ୍ୟକତା ଦୂର କରିବା ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଆୟୁଷ୍ମାନ କାର୍ଡ ସହ ସେମାନଙ୍କ ସ୍ୱାସ୍ଥ୍ୟସେବାର ଆର୍ଥିକ ଦାୟିତ୍ୱ ସରକାର ବହନ କରୁଛନ୍ତି ବୋଲି ସେ ଆଶ୍ୱାସନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କାଶୀର ଭିତ୍ତିଭୂମି ଏବଂ ସୁବିଧାର ଉଲ୍ଲେଖନୀୟ ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ, ଯାହା ପର୍ଯ୍ୟଟକମାନଙ୍କ ଠାରୁ ବ୍ୟାପକ ପ୍ରଶଂସା ଲାଭ କରିଛି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ବାରାଣସୀକୁ ଯାଇ ବାବା ବିଶ୍ୱନାଥଙ୍କୁ ପୂଜାର୍ଚ୍ଚନା କରିବା ସହ ପବିତ୍ର ଗଙ୍ଗାରେ ସ୍ନାନ କରିଥାନ୍ତି ଏବଂ ସହରର ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଉପରେ ଅନେକ ମନ୍ତବ୍ୟ ଦେଇଥାନ୍ତି । ଯଦି ଏହାର ସଡ଼କ, ରେଳପଥ ଏବଂ ବିମାନ ବନ୍ଦର ଏକ ଦଶନ୍ଧି ପୂର୍ବ ଭଳି ଅବସ୍ଥାରେ ରହିଥାନ୍ତା ତେବେ କାଶୀ ପୂର୍ବରୁ ସମ୍ମୁଖୀନ ହେଉଥିବା ଆହ୍ୱାନ ଗୁଡ଼ିକ ସେହିଭଳି ରହିଥାନ୍ତା ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ସେ ଛୋଟ ଛୋଟ ଉସବ ସମୟରେ ଟ୍ରାଫିକ ଜାମ୍ କୁ ମନେ ପକାଇଲେ, ଯେଉଁଠାରେ ଯାତ୍ରୀମାନଙ୍କୁ ଧୂଳି ଏବଂ ଗରମ ସହ୍ୟ କରି ସମଗ୍ର ସହରରେ ଯାତାୟାତ କରିବାକୁ ପଡୁଥିଲା । ଦୂରତା କମ୍ କରିବା, ସମୟ ବଞ୍ଚାଇବା ସହ ଦୈନନ୍ଦିନ ଜୀବନରେ ଆଶ୍ୱସ୍ତି ଆଣିଥିବା ଫୁଲଓ୍ଵାରିଆ ଫ୍ଲାଏଓଭର ନିର୍ମାଣ ଉପରେ ସେ ମନ୍ତବ୍ୟ ଦେଇଥିଲେ। ଜୌନପୁର ଏବଂ ଗାଜିପୁରର ଗ୍ରାମାଞ୍ଚଳର ବାସିନ୍ଦା ଏବଂ ବିମାନବନ୍ଦରକୁ ଯାଉଥିବା ବାଲିଆ, ମଉ ଏବଂ ଗାଜିପୁର ଜିଲ୍ଲାର ବାସିନ୍ଦାଙ୍କ ଯାତାୟାତ ସମୟକୁ ଯଥେଷ୍ଟ ହ୍ରାସ କରିଥିବା ରିଂ ରୋଡ୍ ର ଉପକାରିତା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ।

ଗାଜିପୁର, ଜୌନପୁର, ମିର୍ଜାପୁର ଏବଂ ଆଜମଗଡ଼ ଭଳି ସହରକୁ ଦ୍ରୁତ ଓ ସୁବିଧାଜନକ ଭାବେ ଯାତ୍ରା କରିବା ପାଇଁ ଏହି ଅଞ୍ଚଳରେ ଉନ୍ନତ ଯୋଗାଯୋଗ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଏକଦା ଟ୍ରାଫିକ୍ ଜାମ୍ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ଏବେ ବିକାଶର ଗତି ଦେଖିବାକୁ ମିଳୁଛି। ଗତ ଦଶନ୍ଧି ମଧ୍ୟରେ ବାରାଣସୀ ଏବଂ ଆଖପାଖ ଅଞ୍ଚଳରେ ଯୋଗାଯୋଗ ବୃଦ୍ଧି ପାଇଁ ପାଖାପାଖି ୪୫,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ ଏହି ପୁଞ୍ଜିନିବେଶ କେବଳ ଭିତ୍ତିଭୂମି ନୁହେଁ ବରଂ ବିଶ୍ୱାସକୁ ମଧ୍ୟ ପରିବର୍ତ୍ତନ କରିଛି, ଯାହା କାଶୀ ଏବଂ ପଡ଼ୋଶୀ ଜିଲ୍ଲାଗୁଡିକୁ ଉପକୃତ କରିଛି । ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ସହ ଭିତ୍ତିଭୂମି ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ସେ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ବିମାନବନ୍ଦରର ଚାଲିଥିବା ସମ୍ପ୍ରସାରଣ ଏବଂ ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ବିମାନବନ୍ଦର ନିକଟରେ ଏକ ଛଅ ଲେନ୍ ବିଶିଷ୍ଟ ଭୂତଳ ଟନେଲ ନିର୍ମାଣ ଉପରେ ଆଲୋକପାତ କରିଥିଲେ । ଭଦୋହି, ଗାଜିପୁର ଓ ଜୌନପୁରକୁ ସଂଯୋଗ କରୁଥିବା ପ୍ରକଳ୍ପର ଶୁଭାରମ୍ଭ ସହ ଭିଖାରୀପୁର ଓ ମଣ୍ଡୁଆଡିହରେ ବହୁ ପ୍ରତୀକ୍ଷିତ ଫ୍ଲାଏଓଭର ନିର୍ମାଣ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ। ଏହି ଦାବି ପୂରଣ ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ବାରାଣସୀ ସହର ଏବଂ ସାରନାଥକୁ ସଂଯୋଗ କରୁଥିବା ଏକ ନୂତନ ସେତୁ ନିର୍ମାଣ କରିବାକୁ ମଧ୍ୟ ସେ ଘୋଷଣା କରିଛନ୍ତି, ଯାହା ଦ୍ୱାରା ଅନ୍ୟ ଜିଲ୍ଲାରୁ ଯାତ୍ରୀମାନଙ୍କୁ ସାରନାଥ ଅଭିମୁଖେ ଯିବା ସମୟରେ ସହର ଭିତରକୁ ପ୍ରବେଶ କରିବାର ଆବଶ୍ୟକତା ଦୂର ହେବ ।

ଆଗାମୀ କିଛି ମାସ ମଧ୍ୟରେ ଚାଲିଥିବା ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହେଲେ ବାରାଣସୀରେ ଗମନାଗମନ ଆହୁରି ସୁବିଧାଜନକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଏହି ଅଗ୍ରଗତି ଏହି ଅଞ୍ଚଳରେ ଉଭୟ ଦ୍ରୁତ ଏବଂ ବ୍ୟବସାୟିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବ ବୋଲି ଗୁରୁତ୍ୱାରୋପ କରିଥିଲେ । ଜୀବିକା ଏବଂ ସ୍ୱାସ୍ଥ୍ୟ ସେବା ଉଦ୍ଦେଶ୍ୟରେ ବାରାଣସୀକୁ ଆସୁଥିବା ଲୋକମାନଙ୍କ ପାଇଁ ସହଜତା ବୃଦ୍ଧି ଉପରେ ସେ ଆଲୋକପାତ କରିଥିଲେ । ସେ କାଶୀର ସିଟି ରୋପୱେ ପାଇଁ ପରୀକ୍ଷଣ ଆରମ୍ଭ ହୋଇଥିବା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯାହା ବାରାଣସୀକୁ ଏଭଳି ସୁବିଧା ପ୍ରଦାନ କରିବା କ୍ଷେତ୍ରରେ ବିଶ୍ୱର ବଛା ବଛା ସହର ମଧ୍ୟରେ ସ୍ଥାନିତ କରିବ ।

ବାରାଣସୀର ପ୍ରତ୍ୟେକ ଉନ୍ନୟନ ଓ ଭିତ୍ତିଭୂମି ପ୍ରକଳ୍ପ ପୂର୍ବାଂଚଳର ଯୁବକମାନଙ୍କ ପାଇଁ ଲାଭଦାୟକ ବୋଲି ଆଲୋକପାତ କରି ଶ୍ରୀ ମୋଦୀ କାଶୀର ଯୁବକମାନଙ୍କୁ କ୍ରୀଡ଼ାରେ ଉତ୍କୃଷ୍ଟ ହେବା ପାଇଁ ନିରନ୍ତର ସୁଯୋଗ ପ୍ରଦାନ ଉପରେ ସରକାରଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ବାରାଣସୀରେ ନୂତନ ଷ୍ଟାଡିୟମ ନିର୍ମାଣ ଏବଂ ଯୁବ କ୍ରୀଡାବିତ୍ ମାନଙ୍କ ପାଇଁ ଉତ୍ତମ ସୁବିଧାର ବିକାଶ ଉପରେ ସେ ମନ୍ତବ୍ୟ ଦେଇଥିଲେ। ସେ ଏକ ନୂତନ କ୍ରୀଡ଼ା କମ୍ପ୍ଲେକ୍ସ ର ଉଦଘାଟନ ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁଠାରେ ବାରାଣସୀର ଶତାଧିକ ଖେଳାଳି ପ୍ରଶିକ୍ଷଣ ନେଉଛନ୍ତି । ଏମପି କ୍ରୀଡ଼ା ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ଏହି ପଡ଼ିଆରେ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି।

ବିକାଶ ଏବଂ ଐତିହ୍ୟ ମଧ୍ୟରେ ସନ୍ତୁଳନ ପାଇଁ ଭାରତର ଯାତ୍ରା ଉପରେ ଗୁରୁତ୍ୱାରୋପ କରି, କାଶୀକୁ ଏହି ମଡେଲର ସର୍ବୋତ୍ତମ ଉଦାହରଣ ଭାବରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଗଙ୍ଗାର ପ୍ରବାହ ଏବଂ ଭାରତର ଚେତନା ଉପରେ ମନ୍ତବ୍ୟ ଦେଇଥିଲେ ଏବଂ ବର୍ଣ୍ଣନା କରିଥିଲେ ଯେ, “କାଶୀ ହେଉଛି ଭାରତର ଆତ୍ମା ଏବଂ ବିବିଧତାର ସବୁଠାରୁ ସୁନ୍ଦର ପ୍ରତିନିଧିତ୍ୱ” କରୁଥିବା ସ୍ଥାନ। ସେ କାଶୀର ପ୍ରତ୍ୟେକ ଗଳିରେ ଦୃଶ୍ୟମାନ ହେଉଥିବା ପ୍ରତ୍ୟେକ ପଡ଼ୋଶୀର ଅନନ୍ୟ ସଂସ୍କୃତି ଏବଂ ଭାରତର ସ୍ୱତନ୍ତ୍ର ରଙ୍ଗକୁ ଉଲ୍ଲେଖ କରିଥିଲେ ଏବଂ କାଶୀ – ତାମିଲ ସଙ୍ଗମମ୍ ଭଳି ପଦକ୍ଷେପ ପାଇଁ ଖୁସି ବ୍ୟକ୍ତ କରିଥିଲେ, ଯାହା ଏକତାର ସୂତ୍ରକୁ ସୁଦୃଢ଼ କରିଚାଲିଛି । ସେ କାଶୀରେ ଆଗାମୀ ଏକତା ମଲ୍ ର ଘୋଷଣା କରିଥିଲେ, ଯେଉଁଥିରେ ଗୋଟିଏ ଛାତ ତଳେ ଭାରତର ବିବିଧତା ପ୍ରଦର୍ଶନ କରାଯିବ ଏବଂ ଦେଶର ବିଭିନ୍ନ ଜିଲ୍ଲାର ଉତ୍ପାଦ ଉପଲବ୍ଧ ହେବ ।

ସାମ୍ପ୍ରତିକ ବର୍ଷଗୁଡ଼ିକରେ ଉତ୍ତରପ୍ରଦେଶରେ ହୋଇଥିବା ପରିବର୍ତ୍ତନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ରାଜ୍ୟ କେବଳ ଏହାର ଅର୍ଥନୈତିକ ଦୃଶ୍ୟପଟକୁ ବଦଳାଇ ନାହିଁ ବରଂ ଏହାର ଦୃଷ୍ଟିକୋଣକୁ ମଧ୍ୟ ବଦଳାଇ ଦେଇଛି । ସେ କହିଥିଲେ ଯେ ଉତ୍ତରପ୍ରଦେଶ ଏବେ କେବଳ ସମ୍ଭାବନାର ଭୂମି ନୁହେଁ ବରଂ ସାମର୍ଥ୍ୟ ଓ ଉପଲବ୍ଧିର ଭୂମି ପାଲଟିଛି। ବିଶ୍ୱସ୍ତରରେ ‘ମେଡ୍ ଇନ୍ ଇଣ୍ଡିଆ’ର ବୃଦ୍ଧି ପାଉଥିବା ପ୍ରତିଫଳନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଏବଂ ଭାରତରେ ନିର୍ମିତ ଉତ୍ପାଦ ଗୁଡ଼ିକ ବର୍ତ୍ତମାନ ବିଶ୍ୱସ୍ତରୀୟ ବ୍ରାଣ୍ଡରେ ପରିଣତ ହୋଇଛି ବୋଲି ​‌ସେ କହିଥିଲେ। ସେ ଭୌଗୋଳିକ ସୂଚକ (ଜିଆଇ) ଟ୍ୟାଗ୍ ଥିବା ଅନେକ ଉତ୍ପାଦର ମାନ୍ୟତା ଉଲ୍ଲେଖ କରିଥିଲେ ଏବଂ ଏହି ଟ୍ୟାଗ୍ ଗୁଡ଼ିକୁ କେବଳ ଲେବଲ୍ ନୁହେଁ, ତା’ ଠାରୁ ଅଧିକ ବୋଲି ବର୍ଣ୍ଣନା କରିଥିଲେ ଏବଂ କହିଥଲେ ଯେ.  ତାହା ଏକ ସ୍ଥାନର ପରିଚୟ ପ୍ରମାଣପତ୍ର ଅଟେ। ସେ ମନ୍ତବ୍ୟ ଦେଇଥିଲେ ଯେ ଜିଆଇ ଟ୍ୟାଗ୍ ସୂଚିତ କରେ ଯେ ଏକ ଉତ୍ପାଦ ହେଉଛି ଏହାର ମାଟିର ସୃଷ୍ଟି ଏବଂ ଯେଉଁଠାରେ ଜିଆଇ ଟ୍ୟାଗ୍ ପହଞ୍ଚିଥାଏ, ସେଠାରେ ଅଧିକ ବଜାର ସଫଳତାର ମାର୍ଗ ଖୋଲିଯାଏ।

ସମଗ୍ର ଦେଶରେ ଜିଆଇ ଟ୍ୟାଗିଂରେ ଉତ୍ତରପ୍ରଦେଶର ଅଗ୍ରଣୀ ସ୍ଥାନ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ରାଜ୍ୟର କଳା, ହସ୍ତଶିଳ୍ପ ଏବଂ ଦକ୍ଷତା ପ୍ରତି ବୃଦ୍ଧି ପାଉଥିବା ଆନ୍ତର୍ଜାତିକ ସ୍ୱୀକୃତି ବିଷୟରେ ଉଲ୍ଲେଖ କରିଥିଲେ। ବାରାଣସୀ ଏବଂ ଏହାର ଆଖପାଖ ଜିଲ୍ଲାରୁ ୩୦ରୁ ଅଧିକ ଉତ୍ପାଦକୁ ଜିଆଇ ଟ୍ୟାଗ୍ ମିଳିଛି ଏବଂ ଏହାକୁ ଏହି ସାମଗ୍ରୀ ପାଇଁ ପରିଚୟର ପାସପୋର୍ଟ ବୋଲି ବର୍ଣ୍ଣନା କରିଛନ୍ତି। ବାରାଣସୀର ତବଲା, ଶେହନାଇ, କାନ୍ଥ ଚିତ୍ର, ଥଣ୍ଡାଇ, ଷ୍ଟଫଡ ଲାଲ ଲଙ୍କା, ଲାଲ ପେଡା ଓ ତିରଙ୍ଗା ବରଫି ଭଳି ମାନ୍ୟତା ପାଇଥିବା ଏହି ଅଞ୍ଚଳର ଉତ୍ପାଦଗୁଡ଼ିକୁ ସେ ତାଲିକାଭୁକ୍ତ କରିଥିଲେ। ଜୌନପୁରର ଇମର୍ତ୍ତି, ମଥୁରାର ସାଞ୍ଜି କଳା, ବୁନ୍ଦେଲଖଣ୍ଡର କାଥିଆ ଗହମ, ପିଲିଭିଟ୍ ର ବଂଶୀ, ପ୍ରୟାଗରାଜର ମୁଞ୍ଜ କଳା, ବରେଲିର ଜର୍ଦୋଜି, ଚିତ୍ରକୁଟର କାଷ୍ଠ ଶିଳ୍ପକଳା ଏବଂ ଲକ୍ଷ୍ମୀପୁର ଖେରୀର ଥାରୁ ଜର୍ଦୋଜି ଭଳି ଉତ୍ପାଦକୁ ନିକଟରେ ଜିଆଇ ଟ୍ୟାଗ୍ ପ୍ରଦାନ କରାଯାଇଛି। ଉତ୍ତର ପ୍ରଦେଶ ମାଟିର ସୁଗନ୍ଧ ଏବେ ସୀମା ଅତିକ୍ରମ କରୁଛି ଏବଂ ଏହାର ପରମ୍ପରାକୁ ଦୂରଦୂରାନ୍ତରେ ବିସ୍ତାର କରୁଛି ବୋଲି ସେ କହିଛନ୍ତି।

କାଶୀକୁ ବଞ୍ଚାଇବାର ଅର୍ଥ ଭାରତର ଆତ୍ମାକୁ ସୁରକ୍ଷିତ ରଖିବା ବୋଲି ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କାଶୀକୁ ନିରନ୍ତର ସଶକ୍ତ କରିବା ଏବଂ ଏହାକୁ ସୁନ୍ଦର ରଖିବା ଏବଂ ଏହାର ପ୍ରାଚୀନ ଭାବନାକୁ ଏକ ଆଧୁନିକ ପରିଚୟ ସହିତ ଯୋଡ଼ିବା ପାଇଁ ସାମୂହିକ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି ଶେଷ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ବାରାଣସୀରେ ୩,୮୮୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । ଭିତ୍ତିଭୂମି ବିକାଶ, ବିଶେଷ କରି ବାରାଣସୀରେ ସଡ଼କ ଯୋଗାଯୋଗ ବୃଦ୍ଧି ଦିଗରେ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ସେ ଏହି ଅଞ୍ଚଳରେ ବିଭିନ୍ନ ସଡ଼କ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ। ବାରାଣସୀ ରିଙ୍ଗରୋଡ୍ ଓ ସାରନାଥ ମଧ୍ୟରେ ଏକ ସଡ଼କ ପୋଲ, ସହରର ଭିଖାରୀପୁର ଓ ମଣ୍ଡୁଆଡିହ ଛକରେ ଫ୍ଲାଏଓଭର ଏବଂ ବାରାଣସୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୩୧ ନମ୍ବର ଜାତୀୟ ରାଜପଥରେ ଏକ ହାଇୱେ ଅଣ୍ଡରପାସ୍ ରୋଡ୍ ଟନେଲର ଶିଳାନ୍ୟାସ କରିଛନ୍ତି।

ବିଦ୍ୟୁତ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ବାରାଣସୀ ଡିଭିଜନର ଜୌନପୁର, ଚାନ୍ଦୌଲି ଏବଂ ଗାଜିପୁର ଜିଲ୍ଲାର ୧,୦୪୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଦୁଇଟି ୪୦୦ କେଭି ଏବଂ ଗୋଟିଏ ୨୨୦ କେଭି ଟ୍ରାନ୍ସମିସନ ସବଷ୍ଟେସନ ଏବଂ ଆନୁସଙ୍ଗିକ ଟ୍ରାନ୍ସମିସନ ଲାଇନର ଉଦଘାଟନ କରିଥିଲେ । ସେ ବାରାଣସୀର ଚୌକାଘାଟରେ ୨୨୦ କେଭି ଟ୍ରାନ୍ସମିସନ ସବଷ୍ଟେସନ, ଗାଜିପୁରରେ ୧୩୨ କେଭି ଟ୍ରାନ୍ସମିସନ ସବଷ୍ଟେସନ ଏବଂ ୭୭୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବାରାଣସୀ ସହର ବିଦ୍ୟୁତ ବିତରଣ ବ୍ୟବସ୍ଥାର ଉନ୍ନତିକରଣର ଶିଳାନ୍ୟାସ କରିଥିଲେ ।

ସୁରକ୍ଷା କର୍ମୀଙ୍କ ସୁବିଧାରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀ ପୋଲିସ ଲାଇନରେ ଏକ ଟ୍ରାନଜିଟ ହଷ୍ଟେଲ ଏବଂ ପିଏସି ରାମନଗର କ୍ୟାମ୍ପସରେ ବ୍ୟାରେକକୁ ଉଦଘାଟନ କରିଥିଲେ । ଏଥିସହ ବିଭିନ୍ନ ଥାନାରେ ନୂତନ ପ୍ରଶାସନିକ କୋଠା ଓ ପୁଲିସ ଲାଇନରେ ଏକ ଆବାସିକ ହଷ୍ଟେଲର ଶିଳାନ୍ୟାସ କରିଛନ୍ତି।

ସମସ୍ତଙ୍କ ପାଇଁ ଶିକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ପିନ୍ଦ୍ରାରେ ଏକ ସରକାରୀ ପଲିଟେକନିକ୍ କଲେଜ, ବରକି ଗ୍ରାମର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସରକାରୀ ମହାବିଦ୍ୟାଳୟ, ୩୫୬ ଟି ଗ୍ରାମୀଣ ପାଠାଗାର ଏବଂ ୧୦୦ ଟି ଅଙ୍ଗନବାଡି କେନ୍ଦ୍ର ସମେତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ସ୍ମାର୍ଟ ସିଟି ମିଶନ ଅଧୀନରେ ୭୭ଟି ପ୍ରାଥମିକ ବିଦ୍ୟାଳୟ କୋଠାର ନବୀକରଣ ଏବଂ ବାରଣାସୀର ଚୋଲାପୁର ଠାରେ କସ୍ତୁରବା ଗାନ୍ଧୀ ସ୍କୁଲ ପାଇଁ ଏକ ନୂତନ କୋଠା ନିର୍ମାଣ ପାଇଁ ସେ ଶିଳାନ୍ୟାସ କରିଥିଲେ । ସହରରେ କ୍ରୀଡ଼ା ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଉଦୟ ପ୍ରତାପ କଲେଜରେ ଫ୍ଲଡ୍ ଲାଇଟ୍ ଏବଂ ଦର୍ଶକ ଗ୍ୟାଲେରୀ ସହିତ ସିନ୍ଥେଟିକ୍ ହକି ଟର୍ଫ ଏବଂ ଶିବପୁରଠାରେ ଏକ ମିନି ଷ୍ଟାଡିୟମର ଶିଳାନ୍ୟାସ କରିଥିଲେ ।

ଗଙ୍ଗା ନଦୀରେ ସାମନେ ଘାଟ ଏବଂ ଶାସ୍ତ୍ରୀ ଘାଟର ପୁନଃନିର୍ମାଣ, ୩୪୫ କୋଟିରୁ ଅଧିକ ଟଙ୍କାର ଜଳ ଜୀବନ ମିଶନ ଅଧୀନରେ ୧୩୦ଟି ଗ୍ରାମୀଣ ପାନୀୟ ଜଳ ଯୋଜନା, ବାରାଣସୀର ୬ଟି ପୌରାଞ୍ଚଳର ଉନ୍ନତି କରଣ ଏବଂ ବାରାଣସୀର ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡସ୍କେପିଂ ଏବଂ ମୂର୍ତ୍ତି ପ୍ରତିଷ୍ଠାନର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।

କାରିଗରମାନଙ୍କ ପାଇଁ ଏମଏସଏମଇ ୟୁନିଟି ମଲ୍, ମୋହନସରାଇ ଠାରେ ପରିବହନ ନଗର ଯୋଜନାର ଭିତ୍ତିଭୂମି ବିକାଶ କାର୍ଯ୍ୟ, ଡବ୍ଲୁଟିପି ଭେଲୁପୁରରେ ୧ ମେଗାୱାଟ ସୌର ଶକ୍ତି ପ୍ଲାଣ୍ଟ, ୪୦ଟି ଗ୍ରାମ ପଞ୍ଚାୟତରେ କମ୍ୟୁନିଟି ହଲ୍ ଏବଂ ବାରାଣସୀର ବିଭିନ୍ନ ପାର୍କର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିଲେ ।

ପ୍ରଧାନମନ୍ତ୍ରୀ ତବଲା, ଚିତ୍ରକଳା, ଥଣ୍ଡାଇ, ତିରଙ୍ଗା ବରଫି ସମେତ ବିଭିନ୍ନ ସ୍ଥାନୀୟ ସାମଗ୍ରୀ ଓ ଉତ୍ପାଦକୁ ଜିଓଗ୍ରାଫିକାଲ ଇଣ୍ଡିକେସନ୍ (ଜିଆଇ) ସାର୍ଟିଫିକେଟ୍ ପ୍ରଦାନ କରିଥିଲେ। ସେ ବନାସ ଡାଏରୀ ସହ ଜଡିତ ଉତ୍ତରପ୍ରଦେଶର ଦୁଗ୍ଧ ଯୋଗାଣକାରୀଙ୍କୁ ୧୦୫ କୋଟିରୁ ଅଧିକ ଟଙ୍କାର ବୋନସ ମଧ୍ୟ ପ୍ରଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସରକାରୀ କର୍ମଚାରୀଙ୍କୁ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ ପାଇଁ ପଞ୍ଚାୟତରୁ ଲୋକସଭା ଭବନ ଯାଏଁ ଉଠିଲା ଦାବି 

ଭୁବନେଶ୍ୱର: ଶୁକ୍ରବାର ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ଆନୁକୂଲ୍ୟରେ କ୍ୟାସ୍‌ଲେସ୍ ହେଲ୍‌ଥ୍ କାର୍ଡ ବା ସ୍ୱାସ୍ଥ୍ୟବୀମା ସବୁ ସରକାରୀ କର୍ମଚାରୀମାନଙ୍କ କ୍ଷେତ୍ରରେ ଲାଗୁ ନ ହୋଇଥିବାରୁ ପଞ୍ଚାୟତରୁ ଲୋକସେବା ଭବନ ଯାଏଁ ସବୁ ବର୍ଗର କର୍ମଚାରୀ ହାତରେ ପ୍ଲାକାର୍ଡ ଧରି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦୁଃଖ ଓ ଅସନ୍ତୋଷ ଫେସ୍‌ବୁକ୍ ଓ ସୋସିଆଲ୍ ମିଡ଼ିଆରେ ଜାହିର କରିଥିଲେ। ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ କି, ସବୁ ବର୍ଗର କର୍ମଚାରୀଙ୍କୁ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ ଯୋଗାଇ ଦେବାପାଇଁ।

ଗତକାଲି ରାଜ୍ୟ ସରକାର ଯୁଗାନ୍ତକାରୀ ନିଷ୍ପତ୍ତିକ୍ରମେ ଆୟୁଷ୍ମାନ୍ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତଭାବେ ଲାଗୁ କରିଛନ୍ତି। ଏଥିରେ ରାଜ୍ୟର ୩ କୋଟି ୪୬ ଲକ୍ଷ ଲୋକ ଦେଶର ୨୯ ହଜାର ଘରୋଇ ଓ ସରକାରୀ ହସ୍ପିଟାଲ୍‌ରେ ଚିକିତ୍ସା ଉପକୃତ ହେବେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଓଡ଼ିଶାରେ କାମ କରୁଥିବା ବିଭିନ୍ନ ବିଭାଗରେ ହଜାର ହଜାର ସରକାରୀ କର୍ମଚାରୀ ଏହି ଯୋଜନାରୁ ସାମିଲ୍ ହୋଇନାହାଁନ୍ତି। ସରକାରଙ୍କର ସବୁ ଯୋଜନାକୁ ସଫଳ ରୂପାୟନ କରୁଥିବା ଓ ବିକଶିତ ଓଡ଼ିଶାକୁ ଆଗକୁ ନେଉଥିବା ଏହି ଅସହାୟ କର୍ମଚାରୀଙ୍କ ପାଇଁ ଏହି ସଫଳ ଯୋଜନାକୁ ଲାଗୁ କରିବା ପାଇଁ ଆଜି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଓଡ଼ିଶାର ପାଞ୍ଚଲକ୍ଷ ସରକାରୀ କର୍ମଚାରୀ ଓ ସାଢେ ତିନି ଲକ୍ଷ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏବଂ ସେମାନଙ୍କ ପରିବାର ତରଫରୁ ଅନୁରୋଧ କରୁଛୁ।

ପ୍ରକାଶଥାଉକି, ମାନ୍ୟବର ମୁଖ୍ୟମନ୍ତ୍ର, ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ ସରକାର କୌଣସି ନିଷ୍ପତ୍ତି ନେଇନାହାଁନ୍ତି। ବିଭିନ୍ନ ରାଜ୍ୟ ଓ ରାଷ୍ଟ୍ରୀୟ ଉଦ୍ୟୋଗରେ କର୍ମଚାରୀମାନଙ୍କୁ ସ୍ୱାସ୍ଥ୍ୟବୀମା ଯୋଗାଇ ଦେଉଥିବା ବେଳେ ଓଡ଼ିଶାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ସଂଘର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏହି ପ୍ଲାକାର୍ଡ  ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ, ତା’ ପରବର୍ତ୍ତୀ କାର୍ଯ୍ୟକ୍ରମ ହିସାବରେ କଳାବ୍ୟାଚ୍ ପିନ୍ଧି ସମସ୍ତେ କାର୍ଯ୍ୟ କରିବେ ଏବଂ ସମସ୍ତ ମନ୍ତ୍ରୀ, ବିଧାୟକ, ସଚିବ ଓ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବ।  ଯଦି ରାଜ୍ୟ ସରକାର ଏକ ମାସ ଭିତରେ କ୍ୟାସ୍‌ଲେସ୍ ହେଲଥ୍‌କାର୍ଡ କର୍ମଚାରୀମାନଙ୍କ କ୍ଷେତ୍ରରେ ଲାଗୁ ନ କରନ୍ତି, ଏକ ବୃହତ୍ ଆନ୍ଦୋଳନ ପଞ୍ଚାୟତଠାରୁ ଲୋକସେବା ଭବନ ପର୍ଯ୍ୟନ୍ତ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଗଲା।

ସାମ୍ବାଦିକ ସମ୍ମିଳନୀରେ ମହାସଂଘର ଅବାହକ ବିଜୟ ମଲ୍ଲ, ପ୍ରଭାତ ମହାନ୍ତି, ଅଶ୍ୱିନୀ ଦାସ, ପ୍ରଦୀପ ପ୍ରଧାନ, ସୁଧାଂଶୁ ପାତ୍ର, କ୍ଷୀତିଶ ପଣ୍ଡା, ପ୍ରଶାନ୍ତ ରାଉତରାୟ, ସୁଭ୍ରଜିତ୍ ପ୍ରତିହାରୀ, ରାଜେନ୍ଦ୍ର ମଲ୍ଲିକ, ପ୍ରଶାନ୍ତ ରାଉତରାୟ, ପ୍ରଭାତ ତିୱାରୀ, ରାଜେଶ ମହାନ୍ତି, ବଙ୍କିମ୍ ସାଗର, ଖଗେନ୍ଦ୍ର ପାଲ୍‌, ସୁଶାନ୍ତ ବେହେରା, ବିକ୍ରମ ରଥ, ଆଦିତ୍ୟ ନାରାୟଣ ସ୍ୱାଇଁ, ଅନୀତା ବେହେରା, ଶ୍ରୀକାନ୍ତ ବାରିକ, ଡ. ଅଜୟ ଜେନା,ରଶ୍ମିରଂଜନ ପାଢୀ, ଗୁରୁ ଗୋବିନ୍ଦ ଦଳାଇ, ଅନ୍ତର୍ଯ୍ୟାମୀ ଲେଙ୍କା, ମନୋଜ ଜେନା, ବିନୋଦ ବଳ, ଶିବଶଙ୍କର ସାହୁ, ବବୁଲ୍ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳ ଗୌରବ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ: ଯୋଗ ଦେଲେ ଆଇନ ମନ୍ତ୍ରୀ

ଯାଜପୁର: ଆଜି ଯାଜପୁର ଦକ୍ଷିଣବନ୍ଧ ସ୍ଥିତ ଉତ୍କଳ ଗୌରବ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଉଦବୋଧନ ପ୍ରଦାନ କରିଥିଲେ।

ଏହି ବିଦ୍ୟାଳୟକୁ ଗଢ଼ି ତୋଳିଥିବା ସମାଜସେବୀ ଓ ଶିକ୍ଷା ପ୍ରେମୀ ମାନଙ୍କୁ ଅଶେଷ ଧନ୍ୟବାଦ୍। ବିଦ୍ୟାଳୟଟି ୫୦ ଗୋଟି ବସନ୍ତ ଅତିକ୍ରମ କରିସାରିଛି। ବିଦ୍ୟାଳୟ ହେଉଛି ମଣିଷର ଭବିଷ୍ୟତ ତିଆରି କାରଖାନା। ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିଷ୍ଠିତ କରିବାରେ ଶିକ୍ଷକ ମାନଙ୍କର ଯେତିକି ଦାୟିତ୍ଵ, ଅଭିଭାବକ ମାନଙ୍କର ମଧ୍ୟ ସେତିକି ଦାୟିତ୍ୱ ରହିବା ଆବଶ୍ୟକ। ସମାଜ ବିକଶିତ ହେଲେ, ରାଜ୍ୟ ଓ ଦେଶ ବିକଶିତ ହେବ ଏବଂ ଆମ ସମସ୍ତଙ୍କର ସମ୍ମାନ ବଢ଼ିବ।

ଉତ୍ଥାନ, ପତନ ଗୋଟିଏ ଜାତିର ଇତିହାସରେ କିଛି ନୂଆ କଥା ନୁହେଁ। ଇଂରେଜ ଶାସନ ଅମଳରେ ନିର୍ଯ୍ୟାତିତ ଓଡ଼ିଆ ଜାତି ମୂମୁର୍ଷ ଅବସ୍ଥାରେ ନିଜର ଅସ୍ତିତ୍ବ ରକ୍ଷା ପାଇଁ ସଂଗ୍ରାମରତ ଥିବାବେଳେ କେତେଜଣ ଯୋଗଜନ୍ମା ବ୍ୟକ୍ତିବିଶେଷଙ୍କ ଆବିଭାର୍ବ ଜାତୀୟ ଜୀବନରେ ଆଶାର ସଂଚ଼ାର କରିଥିଲା। ଉତ୍କଳୀୟ ସଂସ୍କୃତିର ସୁରକ୍ଷା ତଥା ରାଜନୈତିକ,ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶାକୁ ସର୍ବଭାରତୀୟ ସ୍ତରରେ ଏକ ସ୍ବତତ୍ନ ସ୍ଥାନ ଦେବା ପାଇଁ ଯେଉଁ ଯୋଗଜନ୍ମା ନିଜର ଜୀବନକୁ ତିଳତିଳ କରି ଉତ୍ସର୍ଗ କରିଥିଲେ,ସେମାନଙ୍କ ମଧ୍ୟରୁ ଦେଶପ୍ରାଣ ଉତ୍କଳଗୌରବ ମଧୁସୂଦନ ଦାସ ଅନ୍ୟତମ।ସେହି ଉତ୍କଳ ଗୈାରବଙ୍କ ନାମରେ ନାମିତ ଏହି ବିଦ୍ୟାଳୟକୁ ସରସ,ସୁନ୍ଦର ଶିକ୍ଷା କ୍ଷେତ୍ରରେ ଯାଜପୁର ଜିଲ୍ଲା ତଥା ସମଗ୍ର ଓଡ଼ିଶାରେ ସୁପରିଚିତ କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ହେବା ଆବଶ୍ୟକ।

ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ଲାଗୁ ହୋଇଛି,ଯାହାକି ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଆଧାର କରି ରାଜ୍ଯର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରି ସଶକ୍ତ ବିଦ୍ୟାର୍ଥୀ ଗଠନ କରିବାରେ ବିଶେଷ ସହାୟକ ହେବ।

ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ଜୀବନ, ଆକାଂକ୍ଷା ଓ ସ୍ପନ୍ଦନ ଏହି ବିଦ୍ୟାଳୟ ସହ ଯୋଡି ହୋଇ ରହିଛି। ଅନେକ ବ୍ୟକ୍ତିବିଶେଷଙ୍କର ଆଦିଭୂମି ଏହି ଶିକ୍ଷାନୁଷ୍ଠାନ ଦୀର୍ଘ ୫୦ ବର୍ଷ ଧରି ଅନେକ ଛାତ୍ରଛାତ୍ରୀ ବିଶେଷତଃ ସାଧାରଣ ବିଦ୍ୟାର୍ଥୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ସଫଳ ହୋଇଛି। ଏହି ସଫଳତା ପାଇଁ ବିଦ୍ୟାଳୟର ପୁରାତନ ଛାତ୍ର ସଂଘ ଓ ବିଦ୍ୟାଳୟ ସହ ଜଡିତ ସମସ୍ତଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇବା ସହ ବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ଯାଜପୁର ସାଂସଦ ଡ଼ଃ ରବିନ୍ଦ୍ର ନାରାୟଣ ବେହେରା, ବିଶିଷ୍ଟ ସମାଜସେବୀ ଗୈାତମ ରାୟ, ବବିତା ମଲ୍ଲିକଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ବୃନ୍ଦ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଆଜି ଏପ୍ରିଲ ୧୨ ତାରିଖ ଶନିବାରରେ ସାତୋଟି ରାଶି ପାଇଁ ରହିଛି ଧନ ବର୍ଷା

ମେଷ- ବିବାହ କରିବାକୁ ଯୋଗ ଫିଟିବ। ବାଣିଜ୍ୟିକ କ୍ଷେତ୍ରରେ ମଧ୍ୟ ଲାଭ ହେବ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ହୁଏତ କିଛି ସୁନ୍ଦର ସ୍ଥାନରେ ରହିବାକୁ ପଡିପାରେ । ସାଙ୍ଗମାନେ ମଧ୍ୟ ଉପକୃତ ହେବେ । ମଧ୍ୟାହ୍ନ ଭୋଜନ ପରେ, ଆପଣ କୈଣସି କାରଣରୁ ମାନସିକ ସ୍ତରରେ ଚିନ୍ତିତ ହେବେ । ଧାର୍ମିକ କାର୍ଯ୍ୟ ପଛରେ ଟଙ୍କା ଖର୍ଚ୍ଚ ଅଧିକ ରହିବ। ଖର୍ଚ୍ଚ ପରିମାଣ ଆୟଠାରୁ ଅଧିକ ହେବ । ପରିବାରରେ ଶାନ୍ତିପୂର୍ଣ୍ଣ ପରିବେଶ ରହିବ।

ବୃଷ- କୋର୍ଟ କାର୍ଯ୍ୟରେ ସଫଳତା ମିଳିବ। ପରୋପକାରୀ କାର୍ଯ୍ୟ ପଛରେ ଟଙ୍କା ଖର୍ଚ୍ଚ ହେବ। ଭଗବାନଙ୍କୁ ଉପାସନା କରିବା ଆପଣଙ୍କ ମନରେ ଶାନ୍ତି ଆଣିବ । ମଧ୍ୟାହ୍ନ ପରେ ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ସହଜରେ ସମାପ୍ତ ହେବ । ପାରିବାରିକ ଜୀବନରେ ସମନ୍ୱୟ ରହିବ । ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ଆପଣଙ୍କ କାର୍ଯ୍ୟରେ ଉଚ୍ଚ ପଦାଧିକାରୀମାନେ ମଧ୍ୟ ଖୁସି ହେବେ। ପିତା ଏବଂ ବୟସ୍କମାନଙ୍କଠାରୁ ଲାଭ ହେବାର ଆଶା ଅଛି ।

ମିଥୁନ- ଆଜି ପ୍ରତ୍ୟେକ କାର୍ଯ୍ୟ ବିନା ବାଧାରେ ସଂପୂର୍ଣ୍ଣ ହେବ । ଘରୋଇ ଜୀବନରେ ଅତ୍ୟଧିକ ସୁସ୍ଥ୍ୟ ପରିବେଶ ରହିବ । ଆପଣ ଆଧ୍ୟାତ୍ମିକ ପ୍ରବୃତ୍ତି ପାଇଁ ଆଗ୍ରହୀ ହେବେ। ମଧ୍ୟାହ୍ନ ପରେ, ଆପଣଙ୍କ ମନରେ ନକାରାତ୍ମକ ଚିନ୍ତାଧାରାର ଆକ୍ରମଣ ହେତୁ, ନିରାଶାର ମେଘ ଦେଖାଯିବ । ନିଷ୍ପତ୍ତି ଶକ୍ତିର ଅଭାବ ରହିବ । ଘରୋଇ କାମ ପଛରେ ଟଙ୍କା ଖର୍ଚ୍ଚ କରିବାର ସମ୍ଭାବନା ଅଛି । ପୁଞ୍ଜି ବିନିଯୋଗ ପାଇଁ ଷ୍ଟକ୍ ମାର୍କେଟ୍ ଆପଣଙ୍କ ପାଇଁ ଅନୁକୂଳ ହେବ ।

କର୍କଟ- ମନ ଆନନ୍ଦ ଏବଂ ମଜା ସହିତ ଆନନ୍ଦିତ ହେବ। ଏହି ଧାରାରେ, ସାଙ୍ଗମାନଙ୍କ ଉପଭୋଗ ମନୋରଂଜନର ଉପଭୋଗକୁ ଦ୍ୱିଗୁଣିତ କରିବ। ମଧ୍ୟାହ୍ନ ଭୋଜନ ପରେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଗାଡି ଚଳାଇବା ସମୟରେ ଯତ୍ନ ନିଅନ୍ତୁ ଏବଂ ଆପଣଙ୍କ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ମନେରଖନ୍ତୁ ଯେ ବକ୍ତବ୍ୟ ଆକ୍ରମଣାତ୍ମକ ନୁହେଁ । ଏକ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ଭଲ ଦିନ ନୁହେଁ।

ସିଂହ- ଘରୋଇ ଜୀବନରେ ଜଟିଳ ପ୍ରଶ୍ନର ସମାଧାନ ହେବ । ଏହା ସହିତ, ଆପଣ ପ୍ରକୃତ ସମ୍ପତ୍ତି ସହିତ ଜଡିତ କାର୍ଯ୍ୟ ସହିତ ମୁକାବିଲା କରିବାକୁ ପାଇବେ । ଭାଇଭଉଣୀଙ୍କ ସହିତ ସମ୍ପର୍କରେ ରହିବ । ମଧ୍ୟାହ୍ନ ଭୋଜନ ପରେ କାର୍ଯ୍ୟରେ ଅସୁବିଧା ବୃଦ୍ଧି ପାଇବ । ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଚିନ୍ତା ଅନୁଭବ କରିବେ । ସାମାଜିକ କ୍ଷେତ୍ରରେ ପର୍ଯ୍ୟାପ୍ତ ପରିମାଣରେ ମିଳିବ । ପରିବାର ସଦସ୍ୟଙ୍କ ସହିତ ପାର୍ଥକ୍ୟ ହୋଇପାରେ । ଟଙ୍କା କ୍ଷତିର ରାଶି ।

କନ୍ୟା- ଆଜି ଆପଣଙ୍କ ପାଇଁ ମଧ୍ୟମ ଫଳପ୍ରଦ ହେବ । ପ୍ରକୃତ ସମ୍ପତ୍ତି ଦଲିଲଗୁଡ଼ିକର ଯତ୍ନ ନିଅନ୍ତୁ । ମା’ଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ । ଧ୍ୟାନ ଦିଅନ୍ତୁ ଯେ ପରିବାରରେ କୈଣସି ବିବାଦ ହେବ ନାହିଁ । କିନ୍ତୁ ମଧ୍ୟାହ୍ନ ପରେ ସୁସ୍ଥ ଅନୁଭବ କରିବେ। ସୃଜନଶୀଳ ପ୍ରବୃତ୍ତି ପ୍ରତି ଧ୍ୟାନ ଦେବ । ଛାତ୍ରମାନଙ୍କ ପାଇଁ ସମୟ ଅନୁକୂଳ ଅଟେ ।

ତୂଳା- ପୋଷାକ ସପିଂ ଆପଣଙ୍କ ପାଇଁ ଉତ୍ସାହଜନକ ଏବଂ ଉପଭୋଗ୍ୟ ହେବ । କଳା ପ୍ରତି ତୁମର ଆଗ୍ରହ ବିଶେଷ ହେବ। ବ୍ୟବସାୟରେ ବିକାଶ ହେତୁ, ମନରେ ସୁଖ ରହିବ । ବ୍ୟବସାୟରେ ସମୟ ଅନୁକୂଳ ହେବ। ପ୍ରତିଯୋଗୀମାନେ ଜିତିବେ । ବ୍ୟବସାୟରେ ବିକାଶ ସହିତ ନୂତନ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେବ। ତଥାପି, ଆପଣଙ୍କୁ ଉଚ୍ଚ ପଦାଧିକାରୀଙ୍କ ସହ ଯୁକ୍ତିତର୍କ କରିବାକୁ ପଡିବ ନାହିଁ ।

ବିଛା- ଆଜି, ମନ ଆଧ୍ୟାତ୍ମିକ ଚିନ୍ତାଧାରା ଏବଂ ପ୍ରବୃତ୍ତିରେ ନିୟୋଜିତ ହେବ । ତଥାପି, ଛାତ୍ରମାନେ ପଢିବା ଏବଂ ଲେଖିବାରେ ଏକାଗ୍ରତା ବଜାୟ ରଖିବା ଆବଶ୍ୟକ । ମଧ୍ୟାହ୍ନ ଭୋଜନ ପରେ, ଚିନ୍ତା କମାଇବା ପାଇଁ ସମାଧାନ ଖୋଜି ମାନସିକ ଶାନ୍ତି ଅନୁଭବ କରିବେ। ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବ । ପ୍ରତିଯୋଗୀଙ୍କ ଇଚ୍ଛା ସଫଳ ହେବ ନାହିଁ।

ଧନୁ- ଆପଣଙ୍କର ଅଧ୍ୟକ୍ଷତାରେ ବୃତ୍ତିଗତ ଲୋକମାନେ ବୃତ୍ତିଗତ ଭାବରେ ଉପକୃତ ହେବେ। ଧନ ପାଇବା ପାଇଁ ଦୃଢ ସମ୍ଭାବନା ଅଛି । ଆୟ ହେତୁ ଆର୍ଥିକ ଦୃଷ୍ଟିରୁ ସୁଧ ପେରସ୍ତ ହେବ। ସେୟାର ଇତ୍ୟାଦି ମାଧ୍ୟମରେ ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି। ଆର୍ଥିକ ସଙ୍କଟ ଦୂର ହେବ । ଭଲ ପୋଷାକ ଏବଂ ଭଲ ଖାଦ୍ୟ ଆପଣଙ୍କ ମନକୁ ଖୁସି ରଖିବ । ସ୍ୱଳ୍ପ ରହଣି କିମ୍ବା ପର୍ଯ୍ୟଟନର ଭ୍ରମଣ ଯୋଗ ଅଛି।

ମକର- ମନରୁ ନକାରାତ୍ମକ ଚିନ୍ତାଧାରାକୁ ହଟାଇ ଆପଣ ନିରାଶାରୁ ବାହାରି ଆସିବେ। ଅନୈତିକ କାର୍ଯ୍ୟଗୁଡ଼ିକ ଚିନ୍ତାର କାରଣ ହୋଇପାରେ । ତେଣୁ ଯଦି ସମ୍ଭବ ସେସବୁରୁ ଦୂରରେ ରୁହନ୍ତୁ । କୌଣସି ସ୍ଥାନାନ୍ତରଣର ହେବାର ଅଛି ହେଲେ ଭଲ । ମଧ୍ୟାହ୍ନ ଭୋଜନ ପରେ ଭଲ ଟ୍ରେଣ୍ଡ ଅଛି । ତେଣୁ ମଧ୍ୟାହ୍ନ ପରେ ମାନସିକ ସ୍ଥିତି ହ୍ରାସ ପାଇବ । ଲେଖା କିମ୍ବା ସାହିତ୍ୟିକ ପ୍ରବୃତ୍ତି ପ୍ରତି ବିଶେଷ ଆଗ୍ରହ ରହିବ ।

କୁମ୍ଭ- ଆଜି ଆପଣ ବ୍ୟବସାୟର ବିକାଶ ପାଇଁ ଅଧିକ ଧ୍ୟାନ ଦେବେ। ନୂତନ ଯୋଜନା ଏବଂ ଚିନ୍ତାଧାରାର ନୂତନତ୍ୱ ସହିତ ବ୍ୟବସାୟ ପ୍ରଗତି ଆଡକୁ ଗତି କରିବ। ତଥାପି, ସଫଳତା ବିଳମ୍ବ ହୋଇପାରେ । ମଧ୍ୟାହ୍ନ ଭୋଜନ ପରେ ଏକ ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି ହେବ। ସମାନ କାମ ପାଇଁ ବାହାରକୁ ଯିବାର ସମ୍ଭାବନା ମଧ୍ୟ ଥାଇପାରେ । ପଦୋନ୍ନତି ହୋଇପାରେ ।

ମୀନ- ବ୍ୟବସାୟ ଆଶା କରାଯାଉଥିବା ସଫଳତା ହାସଲ କରିବାର ସମ୍ଭାବନା ଅଧିକ। ଆୟ ବୃଦ୍ଧି ପାଇବ। ମଜା ଏବଂ ମଜାଦାର ଧାରା ଦିନସାରା ଜାରି ରହିବ। ଆଜି ଆପଣ ଘର ସାଜସଜ୍ଜାରେ ନୂତନତା ଆଣିବେ । ଆଜି ଘର ସଜାଇବା ପାଇଁ ବ୍ୟବସ୍ଥା ମଧ୍ୟ ପରିବର୍ତ୍ତନ ହେବ। ଯାନବାହାନର ଆନନ୍ଦ ମଧ୍ୟ ମିଳିବ। ସାମାଜିକ ପ୍ରସଙ୍ଗରେ ବାହାରକୁ ଯିବାର ସମ୍ଭାବନା ରହିବ। ଏକ ମନୋରମ ସ୍ଥାନରେ ରହିବାକୁ ଉପଭୋଗ କରନ୍ତୁ ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ର ମନ୍ତ୍ରୀଙ୍କ CIPET ପରିଦର୍ଶନ: ଓଡିଶାରେ ଅଧିକ କେନ୍ଦ୍ର ସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ରସାୟନ ଓ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ସହ CIPET ପରିଦର୍ଶନରେ ଯାଇ ଓଡ଼ିଶାରେ ଏହି ପ୍ରତିଷ୍ଠାନର ଅଧିକ କେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତାବ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିକଟରେ ପେଟ୍ରୋ କେମିକାଲ୍ କ୍ଷେତ୍ରରେ ୧ ଲକ୍ଷ କୋଟି ଟଙ୍କାଠାରୁ ଅଧିକ ମୂଲ୍ୟର ନିବେଶ ପାଇଁ ଚୁକ୍ତି ସ୍ୱାକ୍ଷର ହୋଇଛି। ପୂର୍ବରୁ ଉତ୍କର୍ଷ ଓଡିଶାରେ ମଧ୍ୟ ୧୭ ଲକ୍ଷ କୋଟି ଟଙ୍କାର ନିବେଶ ସୁଯୋଗ ସୃଷ୍ଟି ହୋଇଛି। ଏହାଦ୍ୱାରା ପ୍ରାୟ ୧୩ ଲକ୍ଷ ନିଯୁକ୍ତିର ସମ୍ଭାବନା ସୃଷ୍ଟି ହୋଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପେଟ୍ରୋ କେମିକାଲ୍‌ ଶିଳ୍ପ କ୍ଷେତ୍ରରେ ଓଡିଶାରେ ବ୍ୟାପକ ଅଭିବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି। ଏଥିପାଇଁ ଅଧିକ ଦକ୍ଷ ୱାର୍କଫୋର୍ସର ଆବଶ୍ୟକତା ରହିଛି। ସେଥିପାଇଁ ଓଡିଶାର ବିଭିନ୍ନ ସ୍ଥାନରେ ସିପେଟ୍‌ର ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ରାଜ୍ୟର ବିଭିନ୍ନ ଶିଳ୍ପ କ୍ଲଷ୍ଟର ଯେପରିକି କେନ୍ଦୁଝର, ଝାରସୁଗୁଡା, କଳିଙ୍ଗନଗର, ଗୋପାଳପୁର, ଅନୁଗୁଳ ଏବଂ ରାୟଗଡା ପରି ସ୍ଥାନରେ ଏହାର ଟ୍ରେନିଂ ସେଣ୍ଟର ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ନଡ୍ଡା ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସିପେଟ୍‌ର ବିଭିନ୍ନ ଲାବ୍ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।

Categories
ଆଞ୍ଚଳିକ

ଚିଲିକାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ

ଚିଲିକା: ଆଜି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଐତିହାସିକ ପଦକ୍ଷେପ ସୂରୁପ କଟକ ବାଲିଯାତ୍ରା ପଡ଼ିଆ ଠାରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଓ ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝୀଙ୍କ ଦ୍ବାରା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଚ଼ିଲିକା ବିଧାନସଭା କ୍ଷେତ୍ରର ସାତ ଗୋଟି ସ୍ଥାନରେ ଉକ୍ତ ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଚିଲିକା ବ୍ଲକର ଚାରି ଗୋଟି ସ୍ଥାନ ଏବଂ ବାଣପୁର ବ୍ଲକର ତିନି ଗୋଟି ସ୍ଥାନରେ ଉକ୍ତ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚିଲିକା ବ୍ଲକର ଜରିପଡ଼ା ପଞ୍ଚାୟତ ଅନ୍ତର୍ଗତ ଦାଶରଥି ଉଚ୍ଚ ବିଦ୍ୟାଳୟରେ, ଚାଷଙ୍ଗରା ପଞ୍ଚାୟତର ବୋରିଆ ସାହି ବାତ୍ୟା ଆଶ୍ରୟସ୍ଥଳି, ସାନନଈରୀ ପଞ୍ଚାୟତର ସାନନଈରୀ ବାତ୍ୟା ଆଶ୍ରୟସ୍ଥଳି ଏବଂ ସୋରଣ ପଞ୍ଚାୟତର ବେଣାଗଡିଆ ବାତ୍ୟା ଆଶ୍ରୟସ୍ଥଳି ରେ ଉକ୍ତ ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଦାଶରଥି ଉଚ୍ଚ ବିଦ୍ୟାଳୟରେ ଅତିଥି ଭାବେ ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା, ବିଡିଓ ପୁନମ ମହାପାତ୍ର,ଖୋର୍ଦ୍ଧା ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା ଯୋଗଦେଇଥିବା ବେଳେ ବୋରିଆ ସାହି ବାତ୍ୟା ଆଶ୍ରୟସ୍ଥଳିରେ ଅତିଥିଭାବେ ମନ୍ତ୍ରୀଙ୍କ ନିର୍ଦେଶକ୍ରମେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁମନ୍ତ ପଟ୍ଟନାୟକ, ଦିଲ୍ଲୀପ ପଟ୍ଟନାୟକ, ଚିଲିକା ତହସିଲଦାର କାଁହୁଚରଣ ଘଡେଇ, ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ ଯୋଗଦେଇଥିଲେ।

ଅନୁରୂପଭାବେ ବେଣାଗଡିଆ ବାତ୍ୟା ଆଶ୍ରୟସ୍ଥଳିରେ ଅତିଥିଭାବେ ଚିଲିକା ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ ଏବଂ ସାନନଈରୀ ବାତ୍ୟା ଆଶ୍ରୟସ୍ଥଳିରେ ଅତିଥିଭାବେ ପୁରୀ ସାଂସଦଙ୍କ ପ୍ରତିନିଧି ଦୀନବନ୍ଧୁ ସାହୁ ଏବଂ ବାଲୁଗାଁ ମେଡିକାଲ ଅଧିକାରୀ ଡାକ୍ତର ସଂଗ୍ରାମ ସାହୁ ଯୋଗଦେଇ ହିତାଧିକାରୀଙ୍କୁ ନୂତନ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିଥିଲେ। ଉକ୍ତ ଚାରି ଗୋଟି ସ୍ଥାନରେ ସମୁଦାୟ ଦଶ ଜଣ ଲେଖାଏଁ ଚାଳିଶି ଜଣ ହିତାଧିକାରୀଙ୍କୁ ଉକ୍ତ କାର୍ଡ ପ୍ରଦାନ କରାଯାଇଥିଲା।

ସେହିପରି ଭାବେ ବାଣପୁର ବ୍ଲକର ତିନି ଗୋଟି ସ୍ଥାନ ଯଥାକ୍ରମେ ହଳନ୍ଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ନୀଳାଦ୍ରିପ୍ରସାଦ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସୁନାଖେଳା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିକଟସ୍ଥ ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ପଡିଆରେ ଉକ୍ତ ଯୋଜନାର ଶୁଭାରମ୍ଭ ହୋଇଯାଇଛି। ହଳନ୍ଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଅତିଥିଭାବେ ସମାଜସେବୀ ଦୁଷ୍ମନ୍ତ ହରିଚନ୍ଦନ,ପୁରୀ ସାଂସଦଙ୍କ ପ୍ରତିନିଧି ଜଗନ ପାଟ୍ଟଶାଣୀ, ବାଣପୁର ବ୍ଲକ ଏବିଡ଼ିଓ ଯୋଗେନ୍ଦ୍ର ମହାକୁଳ, ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିଗମାନନ୍ଦ ନନ୍ଦ ଯୋଗଦେଇଥିବା ବେଳେ ନୀଳାଦ୍ରିପ୍ରସାଦ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଅତିଥିଭାବେ ସମାଜସେବୀ ଜିତେନ୍ଦ୍ର ଭୋଳ, ଆଇନ ମନ୍ତ୍ରୀଙ୍କ ପ୍ରତିନିଧି ଦିଲ୍ଲୀପ ହୋତା, ତହସିଲଦାର ଟି.ପଦ୍ମନାଭ ଦୋରା,ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ଆଦି ଯୋଗଦେଇଥିଲେ।

ସେହିପରି ଭାବେ ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟରେ ଅତିଥିଭାବେ ପୂର୍ବତନ ଚିଲିକା ବିଧାୟକ ଡାକ୍ତର ବିଭୁତି ଭୂଷଣ ହରିଚନ୍ଦନ, ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ, ବାଣପୁର ମେଡିକାଲ ଅଧିକାରୀ ଡାକ୍ତର ସଞ୍ଜୟ ମହାନ୍ତି ଆଦି ଯୋଗଦେଇ ହିତାଧିକାରୀଙ୍କୁ ନୂତନ କାର୍ଡ ପ୍ରଦାନ କରିଥିଲେ। ଉକ୍ତ ଚତିନି ଗୋଟି ସ୍ଥାନରେ ସମୁଦାୟ ଦଶ ଜଣ ଲେଖାଏଁ ତିରିଶି ଜଣ ହିତାଧିକାରୀଙ୍କୁ ଉକ୍ତ କାର୍ଡ ପ୍ରଦାନ କରାଯାଇଥିଲା। ସମସ୍ତ ସ୍ଥାନରେ ସ୍ୱାସ୍ଥ୍ୟ ଚେତନା ରଥର ଶୁଭାରମ୍ଭ ହୋଇଥିଲା ଯାହାକି ଗ୍ରାମ ଗ୍ରାମ ବୁଲି ସଚେତନ କରିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୋଆ ଆଇଭିଏସ୍‌ଏଏଚ୍ ପକ୍ଷରୁ ବିଶ୍ୱ ହୋମିଓପ୍ୟାଥି ଦିବସ ପାଳିତ

ଭୁବନେଶ୍ୱର: ପ୍ରାଣୀ ଚିକିତ୍ସା ଓ ରୋଗ ନିରାକରଣରେ ହୋମିଓପ୍ୟାଥି ଔଷଧର ପ୍ରୟୋଗକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସ ଆଣ୍ଡ ଆନିମଲ ହଜବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌) ପକ୍ଷରୁ ଶୁକ୍ରବାର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି।

ବିଶ୍ୱ ହୋମିଓପ୍ୟାଥି ଦିବସ ୨୦୨୫ ଅବସରରେ ଆୟୋଜିତ ଏହି କର୍ମଶାଳାର ପ୍ରସଙ୍ଗ ରହିଥିଲା ‘ୟୁଜ୍ ଅଫ୍ ହୋମିଓପ୍ୟାଥିକ୍ ଡ୍ରଗ୍ସ ଇନ୍ ଦ ଟ୍ରିଟମେଂଟ ଆଣ୍ଡ ପ୍ରିଭେନ୍‌ସନ୍ ଅଫ୍ ଲାଇଭଷ୍ଟକ୍ ଡିଜିଜେସ୍‌’।

ଆୟୋଜିତ ଏହି କର୍ମଶାଳାରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ହୋମିଓପ୍ୟାଥି ଔଷଧର ପାଶ୍ୱର୍ପ୍ରତିକ୍ରିୟା କମ୍ ରହିବା ସହ ଏହା ଫଳପ୍ରଦ ମଧ୍ୟ ହୋଇଥାଏ। ପ୍ରାଣୀମାନଙ୍କ କ୍ଷେତ୍ରରେ ଚିକିତ୍ସା କରିବା କଷ୍ଟକର। ତେଣୁ ସେମାନଙ୍କୁ କିଭଳି ସୁସ୍ଥ କରାଯାଇପାରିବ ସେ ଦିଗରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଏଭଳି କ୍ଷେତ୍ରରେ ହୋମିଓପ୍ୟାଥି ଚିକିତ୍ସାର ମହତ୍ୱ ରହିଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପ୍ୟାଥିକ୍ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍‌ର ପୂର୍ବତନ ଅଧ୍ୟକ୍ଷ ଡାକ୍ତର ନିରଞ୍ଜନ ମହାନ୍ତି କହିଥିଲେ ଯେ ଭାରତରେ ହୋମିଓପ୍ୟାଥି ଚିକିତ୍ସା ପରିଧି ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ପାଉଛି। ସାରା ଭାରତରେ ୩ ଲକ୍ଷ ୨୦ ହଜାର କାର୍ଯ୍ୟରତ ହୋମିଓପ୍ୟାଥି ଡାକ୍ତର ରହିଛନ୍ତି। ତେଣୁ ପ୍ରାଣୀଙ୍କ ଚିକିତ୍ସା କ୍ଷେତ୍ରରେ ହୋମିଓପ୍ୟାଥିର ପ୍ରୟୋଗ ଖୁବ୍ ଉତମ ଉଦ୍ୟମ ବୋଲି ସେ କହିଛନ୍ତି।

ଏହି ଅବସରରେ ସେଂଟ୍ରାଲ୍ କାଉନ୍‌ସିଲ ଫର ରିସର୍ଚ୍ଚ ଇନ୍ ହୋମିଓପ୍ୟାଥି (ସିସିଆର୍‌ଏଚ୍‌) ଭୁବନେଶ୍ୱରର ବୈଜ୍ଞାନିକ ଡକ୍ଟର ସୁଜାତା ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଇଭିଏସ୍‌ଏଏଚ୍‌ର ଏହି କାର୍ଯ୍ୟକୁ ପ୍ରଶଂସା କରିବା ସହ କମ୍ ଔଷଧ ପ୍ରୟୋଗ ଦ୍ୱାରା ଅଧିକ ଫଳପ୍ରଦ ଚିକିତ୍ସା ହିଁ ହେଉଛି ହୋମିଓପ୍ୟାଥିର ମୂଳମନ୍ତ୍ର ବୋଲି କହିଥିଲେ।

ହୋମିଓପ୍ୟାଥିର ଉଦ୍‌ଭାବକ କ୍ରିଷ୍ଟିଆନ୍ ଫ୍ରେଡରିକ୍ ସାମୁଏଲ୍ ହାନିମ୍ୟାନ୍‌ଙ୍କ ଜନ୍ମ ଦିନକୁ ହୋମିଓପ୍ୟାଥି ଦିବସ ଭାବେ ପାଳନ କରାଯାଏ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପ୍ୟାଥିକ୍ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍‌ର ପୂର୍ବତନ ପ୍ରଫେସର ଡକ୍ଟର ଗଗନ ବିହାରୀ ପାଣିଗ୍ରାହୀ ଏବଂ ପୂର୍ବତନ ରିଡର ଡକ୍ଟର ନିର୍ମଳ କୁମାର ମହାପାତ୍ର ହୋମିଓପ୍ୟାଥି ଚିକିତ୍ସାର ପ୍ରାଣୀମାନଙ୍କ ଉପରେ ପ୍ରୟୋଗ କେତେ ପ୍ରଭାବଶାଳୀ ସେ ନେଇ ନିଜ ଅନୁଭୂତି ବଖାଣିଥିଲେ।

କାର୍ଯ୍ୟକ୍ରମରେ ଆଇଭିଏସ୍‌ଏଏଚ୍‌ର ଡିନ୍ ପ୍ରଫେସର ଏସ୍‌.କେ ଦାସ ଅତିଥିମାନଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଲୋକମାନେ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇଛନ୍ତି, ପ୍ରତିଶ୍ରୁତି ଦେଇଥିଲୁ, ଆଜି ଲାଗୁ କଲୁ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ବିକାଶ ଇତିହାସରେ ଯୋଡିହୋଇଛି ଏକ ନୂଆ ଫର୍ଦ୍ଦ। ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି କଟକର ବାଲିଯାତ୍ରା ପଡିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ୍ଡା କହିଛନ୍ତି ଯେ, ଆୟୁଷ୍ମାନ ଭାରତ ଯୋଜନା ଏକ ଇନସୁରାନ୍‌ସ ନୁହେଁ ଏହା ହେଉଛି ଏକ ଆସ୍ୟୁରାନ୍‌ସ। ଏହା ପୃଥିବୀର ସବୁଠାରୁ ବୃହତ୍ତମ ଯୋଜନା। ବର୍ତ୍ତମାନ ସୁଦ୍ଧା ଏଥିରେ ୮କୋଟି ୯୦ ଲକ୍ଷ ଲୋକ ଉପକୃତ ହୋଇସାରିଛନ୍ତି। ନିର୍ବାଚନ ସମୟରେ ଆମେ ଏହାକୁ ଲାଗୁ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲୁ ଏବଂ ଏହାକୁ ଆଜି ଲାଗୁ ମଧ୍ୟ କଲୁ। ଓଡିଶା ଲୋକମାନେ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇଛନ୍ତି। ତେଣୁ, ଓଡିଶାରେ ଏହି ଯୋଜନା ଲାଗୁ ହୋଇପାରିଲା। ଏହାଦ୍ୱାରା ଲୋକମାନେ ଆର୍ଥିକ ସ୍ତରରେ ଲାଭବାନ ହୋଇପାରିବେ ବୋଲି ସେ କହିଛନ୍ତି।

ଓଡିଶାରେ ଶାସନ ଭାର ଗ୍ରହଣ କରିବାର ମାତ୍ର ୧୦ ମାସ ମଧ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିଥିବାରୁ ଶ୍ରୀ ନଡ୍ଡା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗଙ୍କୁ ଧନ୍ୟବାଦ ଦେବା ସହିତ ଟିବି ନିରାକରଣ ଦିଗରେ ଓଡିଶା ଉଲ୍ଲେଖନୀୟ କାର୍ଯ୍ୟ କରୁଛି ବୋଲି କହିଥିଲେ। ଏହି ଅବସରରେ ସେ ଅଧିକରୁ ଅଧିକ ହିତାଧିକାରୀ କିପରି ଏହି ଯୋଜନାରେ ସାମିଲ ହୋଇ ପାରିବେ ଏବଂ କାର୍ଡ ବନାଇବେ ସେଥିନେଇ ସଚେତନ କରିବାକୁ ପ୍ରତି ଘରୁକୁ ଯିବା ପାଇଁ ସେ ବିଧାୟକ ମାନଙ୍କୁ ଅନୁରୋଧ କରିଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଅଭିଭାଷଣରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରି କହିଲେ ଯେ ଓଡିଶା ବିକାଶ ଇତିହାସରେ ଆଜି ଆଉ ଏକ ଅଧ୍ୟାୟ ଯୋଡିହୋଇଛି।

ମୁଖ୍ୟମନ୍ତ୍ରୀ କହିଲେ ଯେ ଗତ ପ୍ରାୟ ୬ ବର୍ଷ ହେଲା ରାଜନୈତିକ କାରଣରୁ ରାଜ୍ୟବାସୀଙ୍କୁ ବଞ୍ଚିତ କରାଯାଇଥିବା ଏହି ଐତିହାସିକ ଯୋଜନା ଆଜି ଆରମ୍ଭ ହେଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସାକରି ମୁଖ୍ୟମନ୍ତ୍ରୀ କହିଲେ ଯେ, ସାର୍ବଜନୀନ ଗୁଣାତ୍ମକ ସ୍ବାସ୍ଥ୍ୟସେବା ସାମାଜିକ ଓ ଆର୍ଥିକ ପ୍ରଗତିର ଏକ ମୂଳଭିତ୍ତି। ଶାରୀରିକ ଓ ମାନସିକ ସୁସ୍ଥତା ନାଗରିକମାନଙ୍କୁ କାର୍ଯ୍ୟକ୍ଷମ, ଆତ୍ମବିଶ୍ବାସୀ ଓ ସ୍ବାଭିମାନୀ କରିବ; ଏବଂ ସ୍ବାଭିମାନୀ ନାଗରିକମାନେ ହିଁ ସମୃଦ୍ଧିର ସ୍ବପ୍ନକୁ ସାକାର କରିବେ। ଏହି ସତ୍ୟକୁ ଅନୁଭବ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଜୀ ସାରା ଦେଶରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଦୂରଦର୍ଶୀ ଯୋଜନାରୁ ଲାଭ ପାଇଥିବା କୋଟି କୋଟି ଜନତା ସେମାନଙ୍କ ଆଶୀର୍ବାଦ ଏବଂ ଆଶିଷ ତାଙ୍କ ଉପରେ ଅଜାଡ଼ି ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ଧନ୍ୟବାଦ ଜ୍ଞାପନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସମାନ ଭାବେ ଦିଲ୍ଲୀର ଜନ ସାଧାରଣଙ୍କୁ ମଧ୍ୟ ବଞ୍ଚିତ କରାଯାଇଥିବା ଏହି ଯୋଜନା, ଗତକାଲିଠାରୁ ଲାଗୁ ହୋଇସାରିଛି। ଏହା ହେଉଛି ଡବଲ ଇଞ୍ଜିନ ସରକାରର ମଡେଲ। ଏଥିରେ ବିକାଶର ଗତି ଦୁଇଗୁଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟସେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ଅର୍ଥ କେବେ ବାଧକ ହେବ ନାହିଁ।

ଏହି ଯୋଜନାରେ ଆଜି ରାଜ୍ୟର ପ୍ରାୟ ୧ କୋଟି ୩ ଲକ୍ଷ ପରିବାରର ୩ କୋଟି ୪୬ ଲକ୍ଷ ହିତାଧିକାରୀ ଉପକୃତ ହେବେ। ପ୍ରତି ପରିବାରଙ୍କୁ ସରାଦେଶର ବିଭିନ୍ନ ରାଜ୍ୟରେ ତାଲିକାଭୁକ୍ତ ୨୯ ହଜାର ଘରୋଇ ଏବଂ ସରକାରୀ ହସ୍‍ପିଟାଲରେ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ମିଳିବ। ପରିବାରର ମହିଳା ସଦସ୍ୟମାନଙ୍କ ପାଇଁ ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ମିଳିବ।

ଏହାଛଡ଼ା, ୭୦ ବା ତା’ଠୁ ଅଧିକ ବୟସ୍କ ବରିଷ୍ଠ ନାଗରିକମାନଙ୍କୁ ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନାରେ ପରିବାର ପିଛା ୫ ଲକ୍ଷ ଟଙ୍କାର ଦେୟମୁକ୍ତ ଚିକିତ୍ସା ସୁବିଧା ମିଳିବ। ଆୟୁଷ୍ଠାନ ବୟୋ-ବନ୍ଦନା ଯୋଜନାରେ ପ୍ରାୟ ୨୩ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଉପକୃତ ହେବେ। ପୂର୍ବରୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ ହୋଇଥିବା ବୟୋଜ୍ୟେଷ୍ଠ ଲୋକଙ୍କ ସହିତ ଅତିରିକ୍ତ ଛ ଲକ୍ଷ ଲୋକ କାର୍ଡ ପାଇବେ।

ଏ ସମସ୍ତ ମିଳିତ ଯୋଜନାରେ ୩କୋଟି ୫୨ଲକ୍ଷ ଲୋକ ଉପକୃତ ହେବେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଯୋଜନାରେ ପରିବାର ନୁହେଁ, ସମନ୍ୱିତ ଯୋଜନାରେ ପରିବାରର ପ୍ରତ୍ୟେକ ହିତାଧିକାରୀଙ୍କୁ ମିଳିବ ଗୋଟିଏ ଲେଖାଏ ଏକକ କାର୍ଡ।

ସେ କହିଥିଲେ ଯେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବାବଦରେ ଓଡ଼ିଶା ସରକାର ୬୦:୪୦ ଅନୁପାତରେ କେନ୍ଦ୍ରୀୟ ଅଂଶଧନ ପାଇବେ। ରାଜ୍ୟ ସରକାର ମଧ୍ୟ ଏଥିପାଇଁ ଯଥେଷ୍ଟ ବ୍ୟୟ ବରାଦ କରିଛନ୍ତି।

ସେ ପୁଣି କହିଲେ ଯେ, ଆଜିକାଲି ଅନେକ ପରିବାରର ସଦସ୍ୟ ଚାକିରି ହେଉ କିମ୍ବା ପାଠ ପଢ଼ିବା ପାଇଁ  ପରିବାର ବାହାରେ ରହୁଛନ୍ତି। ଏମିତି ବି ପରିବାର ଅଛନ୍ତି ଯାହାର ସଦସ୍ୟମାନେ ଦୁଇରୁ ଅଧିକ ସ୍ଥାନରେ ରହୁଛନ୍ତି। ତେଣୁ, ସେମାନଙ୍କୁ ଏହି ସ୍ୱାସ୍ଥ୍ୟସେବା ପାଇବା ପାଇଁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟସେବା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଅନେକ କ୍ଷେତ୍ରରେ ଦେଖା ଯାଇଛି ଯେ ଆର୍ଥିକ ଅନାଟନ ଯୋଗୁଁ, ସନ୍ତାନ ସନ୍ତତିମାନେ ନିଜ ପିତାମାତାଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରିବା ପାଇଁ ପଛଘୁଞ୍ଚା ଦେଇଥାନ୍ତି, ଏବଂ ଅଣଦେଖା ମଧ୍ୟ କରିଥାନ୍ତି। ଆଜି ଠାରୁ ପରିବାରର ବରିଷ୍ଠ ନାଗରିକଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରାଇବା ପାଇଁ ସେମାନଙ୍କୁ ଚିନ୍ତା କରିବାକୁ ପଡ଼ିବ ନାହିଁ।

ସେ ପୁଣି କହିଲେ ଯେ, ରାଜନୈତିକ କାରଣରୁ କେବଳ ସ୍ୱାସ୍ଥ୍ୟ ନୁହେଁ, ଓଡ଼ିଶାର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ନୂତନ ଶିକ୍ଷାନୀତି-୨୦୨୦ରୁ ମଧ୍ୟ ଦୂରେଇ ରଖାଯାଇଥିଲା। କିନ୍ତୁ, ଆମ ସରକାର ଆସିବା ମାତ୍ରେ ନୂତନ ଶିକ୍ଷାନୀତିକୁ ଲାଗୁ କରିସାରିଛନ୍ତି। ଏହା ଫଳରେ ଆମ ଛାତ୍ରଛାତ୍ରୀ ବହୁଳ ଭାବେ ଉପକୃତ ହେବେ ଏବଂ ତାଙ୍କର ଉଜ୍ଜ୍ଵଳ ଭବିଷ୍ୟତ ସୁନିଶ୍ଚିତ ହୋଇପାରିବ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ନୂଆ ସରକାର ଗଠନ ପରେ ବର୍ତ୍ତମାନ ସୁଦ୍ଧା ୩ ଟି ପର୍ଯ୍ୟାୟରେ ବିଭିନ୍ନ ବର୍ଗର ୪ ହଜାର ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନଙ୍କୁ ନିଯୁକ୍ତି ଦିଆଯାଇଛି। ଆଉ ଅଧିକ ୫ ହଜାର ୩୭୪ ଡାକ୍ତର ଓ ଦନ୍ତ ଚିକିତ୍ସକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବହୁତ ଶୀଘ୍ର ଆମେ ଏହି ଲକ୍ଷ୍ୟ ହାସଲ କରିବୁ।

ସେ କହିଲେ ଯେ, ଓଡ଼ିଶା ବାହାରେ ରହୁଥ‌ିବା ହିତାଧିକାରୀମାନେ ସାରା ଭାରତର ବିଭିନ୍ନ ସ୍ଥାନରେ ଥିବା ସଂପୃକ୍ତ ରାଜ୍ୟ ସରକାରଙ୍କ ଦ୍ବାରା ତାଲିକାଭୁକ୍ତ ହସ୍‍ପିଟାଲରେ ଦେୟମୁକ୍ତ ଚିକିତ୍ସା ପାଇପାରିବେ। ତାଲିକାଭୁକ୍ତ ହସ୍‍ପିଟାଲ ମାନଙ୍କର ନାମ ଓ ଠିକଣା ସ୍ୱାସ୍ଥ୍ୟ ବିଭାଗ କିମ୍ବା ଆୟୁଷ୍ମାନ ଭାରତ ୱେବ ସାଇଟ୍ ରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଉପଲବ୍‍ଧ ହେବ।

ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ଅଧୀନରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଚଳିତ ବର୍ଷ ବଜେଟ୍‌ରେ ୩ ହଜାର ୮୮୧ କୋଟି ଟଙ୍କା ଏବଂ ଆମ ହସ୍‍ପିଟାଲ ଅଧୀନରେ ୪୨୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ପର୍ଯ୍ୟାୟକ୍ରମେ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ । ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମାନ ରାଜ୍ୟରେ ୧୨ଟି ମେଡିକାଲ କଲେଜ ଅଛି। ଚଳିତ ବର୍ଷ ବଜେଟ୍‌ରେ ୪ଟି ମେଡିକାଲ କଲେଜ ପାଇଁ ଅର୍ଥ ବରାଦ କରାଯାଇଛି। ଏଗୁଡିକ ହେଲା ଜଗତସିଂହପୁର, ଭଦ୍ରକ, ନବରଙ୍ଗପୁର ଓ ଢେଙ୍କାନାଳ।।

ନୂଆ ସରକାର ଆସିବା ପରେ ବର୍ଷକ ମଧ୍ୟରେ ଅନେକ ଯୁଗାନ୍ତକାରୀ ଯୋଜନା କାର୍ଯ୍ୟକାରୀ ହୋଇଛି ବୋଲି ମତଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଗତ ବର୍ଷ ଜୁନ ୧୨ ତାରିଖ ଦିନ ଓଡ଼ିଶାରେ ନୂତନ ସୂର୍ଯ୍ୟୋଦୟ ହୋଇଛି। ସାଢ଼େ ଚାରିକୋଟି ଜନସାଧାରଣଙ୍କ ଆଶୀର୍ବାଦ ଏବଂ ସଦିଚ୍ଛା ସହିତ ତାଙ୍କର ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ କାର୍ଯ୍ୟରତ। ଗତ ୨୪ ବର୍ଷରେ ଯେଉଁକାମ ହୋଇ ନ ଥିଲା ଆମେ ତାକୁ ୨୪ ମିନିଟରେ କରିବାକୁ ସମର୍ଥ ହୋଇଥିଲୁ, ସେ ସୁଭଦ୍ରା ଯୋଜନା ହେଉ, କି ଧାନ କିଣା ବାବଦକୁ ଅଧିକ ୮୦୦ ଟଙ୍କା ପ୍ରଦାନ କରିବା, କି ଶ୍ରୀମନ୍ଦିର ପରିଚାଳନା ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ହେଉ, କି ଚାରିଦ୍ଵାର ଖୋଲା ହେଉ।

କେବଳ ସେତିକି ନୁହେଁ, ଗତ ଦଶ ମାସରେ ଅନେକ ନୂଆ ଯୋଜନା ଯେପରିକି ପଞ୍ଚାୟତ ସ୍ତରୀୟ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ, ମାଧୋ ସିଂ ହାତଖର୍ଚ୍ଚ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା, ଅନ୍ତୋଦୟ ଗୃହ ଯୋଜନା ପରି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ଏସବୁ ମୂଳରେ ଗୋଟିଏ ଲକ୍ଷ୍ୟ, ସାଧାରଣ ଜନତାଙ୍କ ଜୀବନକୁ ଅଧିକ ସ୍ଵଚ୍ଛନ୍ଦ, ସାବଲୀଳ କରିବା ଏବଂ ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା। ଆମ ସରକାର ୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ସ୍ଵପ୍ନକୁ ସାକାର କରିବେ ଏବଂ ତା’ର ବହୁ ପୂର୍ବରୁ ଓଡ଼ିଶାର ଜନ ସାଧାରଣଙ୍କୁ ବିଶ୍ଵସ୍ତରୀୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ।

ଆଜି ଏହି ଅବସରରେ କଟକରେ ସାତ ମହଲା ବିଶିଷ୍ଟ ସର୍ଦ୍ଦାର ବଲ୍ଲଭଭାଇ ପଟେଲ   ପୋଷ୍ଟ ଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ପେଡିଆଟ୍ରିକ୍‌ସ ବା ଶିଶୁ ଭବନର ନୂଆ ବିଲ୍‌ଡିଙ୍ଗ ଓ ଡାକ୍ତରମାନଙ୍କ ପାଇଁ ହଷ୍ଟେଲର ଉଦ୍‌ଘାଟନ କରାଯାଇଛି। ଏହି ନୂଆ ବିଲ୍‌ଡିଙ୍ଗରେ ଶଯ୍ୟା ସଂଖ୍ୟା ୪୨୨ରୁ ୮୪୬କୁ ବୃଦ୍ଧି ହୋଇଛି। ଏଥିରେ ୧୪୦ଟି ICU ବେଡ୍ ରହିଛି। ହଷ୍ଟେଲରେ ପ୍ରାୟ  ୧୮୦ ଜଣ ରେସିଡେଣ୍ଟ ଡାକ୍ତର ରହିପାରିବେ।

ଏହା ସହିତ ଭୁବନେଶ୍ୱରର ରାଜ୍ୟ ମେଡିକାଲ କର୍ପୋରେସନ କ୍ୟାମ୍ପସ୍‌ରେ  ଏକ ମାଇକ୍ରୋ-ବାୟୋଲୋଜିକାଲ୍ ଲାବୋରେଟୋରୀର ମଧ୍ୟ ଉଦ୍‌ଘାଟନ କରାଯାଇଛି। ଏହା ଦ୍ୱାରା ଖାଦ୍ୟ ଓ ପାଣି ସାମ୍ପଲ ଗୁଡିକର ପରୀକ୍ଷା କରାଯାଇ, ତା’ର ମାନ ନିର୍ଦ୍ଧାରଣ କରାଯାଇ ପାରିବ।

ଏହି ଅବସରରେ ସୁସ୍ଥ ଓଡ଼ିଶା-ବିକଶିତ ଓଡ଼ିଶା ଗଠନରେ ସହଯୋଗ କରି ରାଜ୍ୟକୁ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓ ବିକଶିତ  ଓଡ଼ିଶା ଭାବେ ଗଢିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ।

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଥିଲେ, ଆମ ସରକାର ଲୋକଙ୍କ ପାଇଁ କାମ କରେ। ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବା  ଦ୍ୱାରା ରାଜ୍ୟର ଆଦିବାସୀ ସମ୍ପ୍ରଦାୟର ସବୁଠାରୁ ଅଧିକ ଲୋକ ଉପକୃତ ହୋଇପାରିବେ ବୋଲି ସେ ମତ ଦେଇଥିଲେ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ କହିଥିଲେ ଯେ, ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ସାରା ଭାରତବର୍ଷରେ କାଶ୍ମୀରଠୁ ନେଇ କନ୍ୟାକୁମାରୀ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଓଡିଶାର ଲୋକମାନେ ଚିକିତ୍ସା ସେବା ପାଇ ପାରିବେ ବୋଲି ସେ କହିଥିଲେ।

ଏହି ଅବସରରେ କଟକ ସାଂସଦ ଭର୍ତ୍ତୃହରି ମହତାବ, କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଏବଂ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ ପ୍ରମୁଖ ଆୟୁଷ୍ମାନ ଭାରତ ଯୋଜନା ଓଡିଶାର ଲୋକମାନଙ୍କ ପାଇଁ କିପରି ଉପାଦେୟ ହୋଇପାରିବ ସେ ସମ୍ପର୍କରେ ନିଜ ନିଜର ଅଭିଭାଷଣ ରଖିଥିଲେ।

କାର୍ଯ୍ୟକ୍ରମରେ ଅତିଥି ଭାବରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ବିଭିନ୍ନ ବିଧାୟକ ଗଣ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ସ୍ୱାସ୍ଥ୍ୟ ସଚିବ ଅଶ୍ୱଥୀ ଏସ୍ ପ୍ରମୁଖ ଯୋଗଦେଇଥିଲେ ଏବଂ ଆଭାଷୀ ମାଧ୍ୟମରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ମନ୍ତ୍ରୀ, ସାଂସଦ ଏବଂ ବିଧାୟକ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କଲେ ମନ୍ତ୍ରୀ ପ୍ରଦୀପ ଵଳ ସାମନ୍ତ

ଖୋର୍ଦ୍ଧା: ଆଜି ଅପରାହ୍ନରେ ଓଡିଶାର ସମନ୍ୱୟ, ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସନ୍ନିକଟ ମୁକୁନ୍ଦ ପ୍ରସାଦ ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଜିଲ୍ଲାପ୍ରଶାସନ ତରଫରୁ ଆୟୋଜିତ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୁଷ୍ମାନ ଭାରତ -ପ୍ରଧାନମନ୍ତ୍ରୀ ଆରୋଗ୍ୟ ଯୋଜନା -ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନାକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଜିଲ୍ଲା ବାସୀଙ୍କ ଉଦ୍ୟଶରେ ଶୁଭାରମ୍ଭ କରିଛନ୍ତି। ମୁଖ୍ୟ ଅତିଥି ନିଜ ଅଭିଭାଷଣରେ କହିଲେ ଯେ, ୨୦୧୮ ମସିହାରୁ ଓଡିଶାରେ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଏହି ଯୁଗାନ୍ତକାରୀ ସ୍ୱାସ୍ଥ୍ୟ ଯୋଜନା ଲାଗୁ କରାଯିବା ପାଇଁ ଲଢେଇ ଜାରି ରହିଥିଲା।

ଆଜି କେନ୍ଦ୍ର ଓ ରାଜ୍ୟରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦି ଓ ଲୋକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭାଜପା ଡବଲ ଇଂଜିନ ସରକାର ଆୟୁଷ୍ମାନ ସ୍ୱାସ୍ଥ୍ୟ ସେବା କାର୍ଡ ଓଡିଶାରେ ଲାଗୁ କରି ସ୍ୱାସ୍ଥ୍ୟ ସେବାରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଆଣି ଗରିବ ମାନଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି ବୋଲି ଅଭିଭାଷଣ ରଖିଥିଲେ।

ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉଦବୋଧନରେ ଆୟୁଷ୍ମାନ ଭାରତ ଗୋପବନ୍ଧୁ ଆରୋଗ୍ୟ ଯୋଜନା ସ୍ୱାସ୍ଥ୍ୟ ସେବା ଲାଗୁ ହେବାଦ୍ୱାରା ଖୋର୍ଦ୍ଧା ଜିଲ୍ଲାବାସୀ ନିଶ୍ଚିତ ଭାବେ ସୁସ୍ଥ ଆନନ୍ଦିତ ଓ ପ୍ରସନ୍ନ ରହିବାସହ ଓଡିଶାରେ ୩.୫୦ କୋଟି ଏବଂ ଖୋର୍ଦ୍ଧା ଜିଲ୍ଲାରେ ୨୪ ଲକ୍ଷ ଲୋକ ଏହି ଯୋଜନାରେ ଉପକୃତ ହୋଇପାରିବେ ବୋଲି ପ୍ରକାଶ କରିଥିଲେ। ୭୦ ବର୍ଷରୁ ଉର୍ଦ୍ଧ୍ଵଙ୍କୁ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନାରେ ୧୦ ଲକ୍ଷ ମାଗଣା ଚିକିତ୍ସା ସେବା ମିଳିବ ବୋଲି ଉତ୍ଥାପନ କରି ଏହି ଯୋଜନାର ସଫଳ ରୁପାୟନ ପାଇଁ ଡାକ୍ତର ଠାରୁ ଆରମ୍ଭ କରି ଆଶାକର୍ମୀ ପର୍ଯ୍ୟନ୍ତ ସମସ୍ତେ ନିଷ୍ଠାର ସହ ସୁନ୍ଦର ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇ ଖୋର୍ଦ୍ଧାର ଦ୍ରୁତ ବିକାଶରେ ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଗ୍ରଣୀ ଭୂମିକା ନିର୍ବାହ କରି ଜନସାଧାରଣଙ୍କୁ ଖାଦ୍ୟ, ବସ୍ତ୍ର, ବାସଗୃହ ସହ ନିରୋଗୀ ଜୀବନଯାପନରେ ସହାୟକ ହେବ ବୋଲି ଉଦବୋଧନ ପ୍ରଦାନ କରି ଜିଲ୍ଲାପାଳଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ।

ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରା଼ଣା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନାରେ ହିତାଧିକାରୀ ମାନେ କିପରି ଇ -କେ ୱାଇ ସି, ରାଶନ କାର୍ଡ, ପୂର୍ବର କୌଣସି ସ୍ୱାସ୍ଥ୍ୟ କାର୍ଡ ଥିଲେ ଯୋଜନାରେ ପଞ୍ଜିକରଣ କରି ୫ ଲକ୍ଷ, ମହିଳା ମାନଙ୍କ କ୍ଷେତ୍ରରେ ୧୦ ଲକ୍ଷ, ୭୦ ବର୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀଙ୍କ ପାଇଁ ୧୦ ଲକ୍ଷ ଓଡିଶା ସମେତ ସାରା ଭାରତ ବର୍ଷରେ ୨୯ ହଜାର ହସ୍ପିଟାଲରେ ମାଗଣା ଚିକିତ୍ସା ସେବା ପାଇ ପାରିବେ ଏବଂ କିପରି ସେମାନେ ନିଜର ନାମ ପଞ୍ଜିକରଣ କରିବେ ସୁବିସ୍ତୃତ ପ୍ରଶାସନିକ ସେବା ତଥ୍ୟ ପ୍ରକାଶ କରିଥିଲେ।

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭାପତି ରୂପଶ୍ରୀରାଣୀ ଗୁମାନସିଂହ, ଖୋର୍ଦ୍ଧା ପୌରପରିଷଦ ଅଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷ ସୂର୍ଯ୍ୟ ରଞ୍ଜନ ମହାନ୍ତି ଏହି ଯୋଜନାରେ ସମସ୍ତେ ଫାଇଦା ନେବା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଅତିଥି ମୁକୁନ୍ଦ ପ୍ରସାଦ ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ଖୋର୍ଦ୍ଧା ପୋୖରପରିଷଦ ଅଧିନ୍ନ ବିଭିନ୍ନ ୱାର୍ଡ ର ହିତାଧିକାରୀ ଉତ୍ସବ ସାହୁ, ସନାତନ ବାରିକ, ଶତ୍ରୁଘ୍ନ ପ୍ରଧାନ, ସୌମ୍ୟା ସୁଲଗ୍ନା ଡୁଙ୍ଗଲ, ସୁମିତ୍ରା ବେହେରା, ସନ୍ତୋଷ କୁମାର ଡାକୁଆ, ସବିତା ଦାସ, ରାଜ କିଶୋର ନାୟକ, ଶଙ୍କର ପାତ୍ର ଓ ସୌବ ଅଲ୍ଲୀ ଖାନ ଙ୍କୁ ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରି ମାନ୍ୟବର ମନ୍ତ୍ରୀ ଯୋଜନାର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ୫ ଗୋଟି ଆୟୁଷ୍ମାନ ଭାରତ -ପ୍ରଧାନମନ୍ତ୍ରୀ ଆରୋଗ୍ୟ ଯୋଜନା -ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନା ସଚେତନତା ରଥକୁ ମାନ୍ୟବର ମନ୍ତ୍ରୀ, ମାନ୍ୟବର ସାଂସଦ, ମାନ୍ୟବର ବିଧାୟକ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ସେହିପରି ସେଞ୍ଚୁରୀୟାନ ୟୁନିଭରସିଟି ତରଫରୁ ଗାଡିରେ ସମସ୍ତ ସ୍ୱାସ୍ଥ୍ୟ ସେବା ୨ ଗୋଟି ଭ୍ୟାନ କୁ ମାନ୍ୟବର ମନ୍ତ୍ରୀ ଉଦ୍ଘାଟନ କରିଥିଲେ।

ଶେଷରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରାଜଶ୍ରୀ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଓ ସମସ୍ତ ସମ୍ମlନିତ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଆଜିର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲ୍ଲାମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କର ସାହୁ, ବି ଡ଼ି ଓ, ଖୋର୍ଦ୍ଧା କ୍ଷୀରାଦ୍ବି୍ ତନୟା ସାହୁ, ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ପ୍ରଶାସନ, ଅଧିକାରୀ, ପୌର ପରିଷଦ ଅଧିକାରୀ ଙ୍କ ସମେତ ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟ ସେବିକା, ଅଙ୍ଗନୱାଡି ସୁପର ଭାଇଜର, ଯୋଜନାରେ ନିଯୁକ୍ତ କର୍ମଚାରୀ, ସ୍ୱୟଂ ସାହାୟିକା ଗୋଷ୍ଠୀ, ମିଶନ ଶକ୍ତି, ସ୍ଵେଚ୍ଛାସେବୀ ସଂଗଠନ କର୍ମକର୍ତ୍ତା ଯୋଗଦେଇଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ଯୁବ ଲେଖକ ସମ୍ମିଳନୀ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ ପରିପ୍ରେକ୍ଷୀରେ ଅପ୍ରେଲ ଏକ ତାରିଖରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଓଡ଼ିଆ ପକ୍ଷର ଆଜି ଯୁବ ଲେଖକ ସମ୍ମିଳନୀ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ରାଜନୀତି ବିଜ୍ଞାନ ମୁଖ୍ୟ ଲକ୍ଷ୍ମୀ ପ୍ରସାଦ ମିଶ୍ର, ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଡକ୍ଟର ସନ୍ତୋଷ କୁମାର ରଥ ଓ ଅଧ୍ୟାପିକା ଝରଣା ନାଥ ଯୋଗଦେଇ ମହାବିଦ୍ୟାଳୟର ନବ ପ୍ରତିଭା ମାନଙ୍କୁ ନିରନ୍ତର ଲେଖନୀ ଚାଳନା କରିବାକୁ ଅନୁପ୍ରେରିତ କରିଥିଲେ। ଡକ୍ଟର ସନ୍ତୋଷ କୁମାର ରଥ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୀବନ ଓ ଦର୍ଶନ ସମ୍ପର୍କରେ ଆଲୋଚନା କରିବା ସହ ତାଙ୍କ ସାରସ୍ୱତ ସୃଷ୍ଟିର ନିର୍ଯାସ ଉପସ୍ଥାପନା କରିଥିଲେ।

କାର୍ଯ୍ୟକ୍ରମ ଟିକୁ ସଂଯୋଜନା କରିଥିଲେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା।  ପ୍ରାରମ୍ଭରେ ଅଧ୍ୟକ୍ଷ ଡଃ ଲଷ୍ମୀଧର ସୁବୁଦ୍ଧି ଶିକ୍ଷାର୍ଥୀମାନଙ୍କର ସର୍ଜନଶୀଳତା ବିକାଶ ପାଇଁ ପରାମର୍ଶ ଦେବା ସହ ଓଡ଼ିଆ ସାହିତ୍ୟିକମାନଙ୍କର ବିଭିନ୍ନ କାଳଜୟୀ ପଂକ୍ତି ଉପସ୍ଥାପନ କରିଥିଲେ।

ଏହି ଅବସରରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଅଧ୍ୟାପକ ଲଷ୍ମୀପ୍ରସାଦ ମିଶ୍ର,ଡଃ ଲଷ୍ମୀଧର ସୁବୁଦ୍ଧି, ଡଃ କୈଳାସ ଚନ୍ଦ୍ର ମହାରଣା, ଅଧ୍ୟାପିକା ଝରଣା ନାଥ, ଶୁଭଦର୍ଶିନୀ ବିଶ୍ୱାଳ, କୀର୍ତ୍ତିମୟୀ ବାରିକ, ବିମଳ କୁମାର ପଣ୍ଡା,ସ୍ନିଗ୍ଧା ରାଣୀ ମୁଦୁଲି,ସୋନାଲି କରଣ, ଗାୟତ୍ରୀ ମହାରଣା ପ୍ରମୁଖ ବହୁ ଛାତ୍ର ଛାତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ।

ଏହି ଅବସରରେ ଆୟୋଜିତ ଆଲୋଚନା ଚକ୍ରରେ ଅଧ୍ୟାପକ ଧୋବୀ ଚରଣ ପରିଡ଼ା,ଅଧ୍ୟାପିକା ସ୍ୱାତୀ ସ୍ଵାଗତିକା ସାହୁ, ପ୍ରିୟମ୍ବଦା ମହାପାତ୍ର ଅଂଶ ଗ୍ରହଣ କରିଥିଲେ।  ଅଧ୍ୟାପିକା ସ୍ନିଗ୍ଧା ରାଣୀ ମୁଦୁଲି ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଏସପି ଏବଂ ବାଣପୁର ଥାନା ଆଇଆଇସିଙ୍କୁ ପ୍ରଶଂସା ପତ୍ର ପ୍ରଦାନ କଲେ ଓଡିଶା ଡିଜିପି: ଜାଣନ୍ତୁ କାରଣ

ଖୋର୍ଦ୍ଧା: ଏକ ହତ୍ୟା ମାମଲାର ପର୍ଦ୍ଦାଫାସ କରିବା ସହ ଉତ୍କୃଷ୍ଟ ତଦନ୍ତ ଓ ବଳିଷ୍ଠ ସାକ୍ଷ୍ୟ ପ୍ରମାଣ ଲାଗି ଅଭିଯୁକ୍ତଙ୍କୁ ଆଜୀବନ କାରାଗାର ଦଣ୍ଡାଦେଶ ହୋଇଥିବାରୁ ଖୋର୍ଦ୍ଧା ଏସପି ସାଗରୀକା ନାଥ ଏବଂ ବାଣପୁର ଥାନା ଆଇଆଇସି ରମେଶ କୁମାର ଦେବତାଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି ଓଡିଶା ଡିଜିପି ୱାଇ.ବି ଖୁରାନିଆ।

ସୂଚନା ମୁତାବକ ୨୦୧୯ ମସିହାରେ କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅଞ୍ଚଳରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା। ଉକ୍ତ ଥାନା ଅଞ୍ଚଳର ରାସନ ଦୋକାନୀ ତ୍ରିନାଥ ହୋତାଙ୍କୁ ଅଭିଯୁକ୍ତ ମୁକୁ ସାନ୍ତା ଟାଙ୍ଗିଆରେ ହାଣି ମାରିଦେଇଥିବା ଅଭିଯୋଗ କରିଥିଲେ ମୃତ ତ୍ରିନାଥ ଙ୍କ ପୁତ୍ର ଡମ୍ବୁରୁଧର ହୋତା। ଏ ନେଇ ବୈପାରୀଗୁଡା ଥାନାରେ କେସ ନମ୍ବର ୪୪/୧୯ ରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ତତ୍କାଳୀନ ବୈପାରୀଗୁଡା ଥାନା ଓଆଇସି ତଥା ବର୍ତ୍ତମାନ ବାଣପୁର ଥାନା ଆଇଆଇସି ରମେଶ କୁମାର ଦେବତା ଉକ୍ତ ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ ଏବଂ ତତ୍କାଳୀନ ଜୟପୁର ଏସଡିପିଓ ତଥା ବର୍ତ୍ତମାନ ଖୋର୍ଦ୍ଧା ଏସପି ସାଗରିକା ନାଥ ଉକ୍ତ ମାମଲାକୁ ପରିଚାଳନା କରୁଥିଲେ।

ତେବେ ଉଭୟ ଅଧିକାରୀଙ୍କ ଉତ୍କୃଷ୍ଟ ତଦନ୍ତ, ପରିଚାଳନା ଓ ସାକ୍ଷ୍ୟ ପ୍ରମାଣ ବଳରେ ନିକଟରେ ଉକ୍ତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ମୁକୁ ସାନ୍ତାଙ୍କୁ ଜୟପୁର ଅତିରିକ୍ତ ଦୌରା ଜଜ ବିଦ୍ୟାଧର ପୃଷ୍ଟି ଆଜୀବନ କାରାଗାର ଓ ଦୁଇ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ହେଲେ ଅତିରିକ୍ତ ଦୁଇ ବର୍ଷର ଦଣ୍ଡାଦେଶ ଶୁଣାଇଛନ୍ତି।

ଉକ୍ତ ମାମଲାକୁ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସୁଧୀର ତ୍ରିପାଠୀ ପରିଚାଳନା କରୁଥିଲେ। ତେବେ ଉକ୍ତ ରାୟ ଦ୍ୱାରା ଓଡିଶା ପୋଲିସର ମନୋବଳ ବଢିଥିବା ବେଳେ ପୋଲିସ ଅଧିକାରୀ ମାନେ ଏହା ଦ୍ୱାରା ପ୍ରେରିତ ହୋଇ ଆଗକୁ ଆହୁରି ଦକ୍ଷତାର ସହ ମାମଲାର ତଦନ୍ତ କରିବେ ବୋଲି ଡିଜିପି ଆଶା କରିଛନ୍ତି।

ଏହି ଅବସରରେ ଓଡିଶା ଡିଜିପି ଶ୍ରୀ ଖୁରାନିଆ ଉଭୟ ଖୋର୍ଦ୍ଧା ଏସପି ସାଗରିକା ନାଥ ଓ ବାଣପୁର ଥାନା ଆଇଆଇସି ରମେଶ କୁମାର ଦେବତାଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବା ସହ ଅଭିନନ୍ଦନ ଜଣାଇଛନ୍ତି ଏବଂ ଉଭୟ ଅଧିକାରୀ ନିଜର କର୍ତ୍ତବ୍ୟ ପ୍ରତି ସମର୍ପିତ ହୋଇ କାର୍ଯ୍ୟ କରିଥିବାରୁ ଓଡିଶା ପୋଲିସ ପାଇଁ ପ୍ରେରଣା ପାଲଟିଥିବା ପ୍ରଶଂସା ପତ୍ରରେ ଉଲ୍ଲେଖ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଅକ୍ଷୟ ତୃତୀୟା ପାଇଁ ‘ଜୁଏଲ୍ସ  ଅଫ୍ ଇଣ୍ଡିଆ- ତିରୁପତି କଲେକ୍ସନ୍’ର ଦଶମ ସଂସ୍କରଣ ଉନ୍ମୋଚନ କଲା ରିଲାଏନ୍ସ ଜୁଏଲ୍ସ

ମୁମ୍ବାଇ: ଭାରତର ସବୁଠାରୁ ବିଶ୍ୱସ୍ତ ଅଳଙ୍କାର ବ୍ରାଣ୍ଡ ମଧ୍ୟରୁ ଅନ୍ୟତମ ରିଲାଏନ୍ସ ଜୁଏଲ୍ସ , ତିରୁପତିର ପବିତ୍ର ଭୂମିକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏହାର ସ୍ୱତନ୍ତ୍ର ‘ଜୁଏଲ୍ସ  ଅଫ୍ ଇଣ୍ଡିଆ’ କଲେକ୍ସନର ୧୦ମ ସଂସ୍କରଣରେ ତିରୁପତି କଲେକ୍ସନକୁ ଗର୍ବର ସହିତ ଉପସ୍ଥାପନ କରୁଛି। ଏହାର ପୌରାଣିକ ମନ୍ଦିର, ଚମତ୍କାର ସ୍ଥାପତ୍ୟ ଏବଂ ଏହାର ଇଷ୍ଟଦେବ ଭଗବାନ ବାଲାଜୀଙ୍କ ଦିବ୍ୟ ଆଭା ଦ୍ୱାରା ଅନୁପ୍ରାଣିତ ହୋଇ, ଏହି ଉତ୍କୃଷ୍ଟ ସୁନା ଏବଂ ହୀରା ଅଳଙ୍କାର ସମ୍ଭାର ଅକ୍ଷୟ ତୃତୀୟା ଉତ୍ସବ ପାଇଁ ଦିବ୍ୟ କୃପା ନେଇଆସିଛି।

ସୂକ୍ଷ୍ମ କଳାକୌଶଳରେ ନିର୍ମିତ ଏହି ଡିଜାଇନଗୁଡ଼ିକ ଭଗବାନ ବାଲାଜୀଙ୍କ ଆଧ୍ୟାତ୍ମିକ ମହିମା, ପବିତ୍ର ତିରୁମାଲା ପାହାଡ଼ ଏବଂ ଶ୍ରୀନିବାସ କଲ୍ୟାଣମ ର ସୁନ୍ଦର ଆକର୍ଷଣକୁ ପ୍ରଦର୍ଶିତ କରୁଛି। ଏହା ରାଜକୀୟ ଚୋକର୍ସ ହେଉ କିମ୍ବା ଆକର୍ଷଣୀୟ ଲମ୍ବା ହାର, ସୂକ୍ଷ୍ମ ହସ୍ତଶିଳ୍ପ ତିଆରି ଚୁଡ଼ି, କିମ୍ବା ସୁନ୍ଦର ଭାବରେ କାରୁକାର୍ଯ୍ୟପୂର୍ଣ୍ଣ କାନଫୁଲ, ପ୍ରତ୍ୟେକ ଅଳଙ୍କାର ମନ୍ଦିର ପରମ୍ପରାର କଳାତ୍ମକତାକୁ ପ୍ରତିଫଳିତ କରୁଛି, ଯାହା ଆଧୁନିକତା ସହିତ ସହଜ ଭାବରେ ଖାପ ଖୁଆଉଛି।

ଏହାର ଉତ୍କୃଷ୍ଟ ସୃଷ୍ଟି ବ୍ୟତୀତ, ‘ଜୁଏଲ୍ସ ଅଫ ଇଣ୍ଡିଆ – ତିରୁପତି’ କଲେକ୍ସନରେ ଭଗବାନ ବାଲାଜୀଙ୍କ ପବିତ୍ର ତତ୍ତ୍ୱକୁ ଦୈନନ୍ଦିନ ଜୀବନରେ ସାମିଲ କରିବା ପାଇଁ ଡିଜାଇନ୍ କରାଯାଇଥିବା ହାଲୁକା ପିନ୍ଧିବା ଯୋଗ୍ୟ ଅଳଙ୍କାରର ଏକ ଶୃଙ୍ଖଳା ମଧ୍ୟ ରହିଛି। ଏହି ସୁଲଭ, ରୁଚିପୂର୍ଣ୍ଣ ସୃଷ୍ଟି ଗ୍ରାହକମାନଙ୍କୁ ସେମାନଙ୍କ ଦୈନନ୍ଦିନ ଜୀବନରେ ଆଧ୍ୟାତ୍ମିକତା ଏବଂ ପରମ୍ପରାକୁ ସାମିଲ କରିବାକୁ ସକ୍ଷମ କରିଥାଏ, ଯେତେବେଳେ ଭବ୍ୟ ଡିଜାଇନଗୁଡ଼ିକ ବିଶେଷ ଅବସରରେ ପ୍ରମୁଖ ଆକର୍ଷଣର କେନ୍ଦ୍ର ହୋଇଥାଏ।

ଶୁଭାରମ୍ଭ ଅବସରରେ, ରିଲାଏନ୍ସ ଜୁଏଲ୍ସର ସିଇଓ ସୁନୀଲ ନାୟକ କହିଛନ୍ତି, “ଅଳଙ୍କାର କେବଳ ଏକ ଆଭୂଷଣ ନୁହେଁ; ଏହା ଐତିହ୍ୟ, ବିଶ୍ୱାସ ଏବଂ ଦିବ୍ୟ ସମ୍ବନ୍ଧର ଏକ ଶାଶ୍ୱତ ଅଭିବ୍ୟକ୍ତି। ଜୁଏଲ୍ସ ଅଫ୍ ଇଣ୍ଡିଆ ତିରୁପତି କଲେକ୍ସନ ଭଗବାନ ବାଲାଜୀଙ୍କ ପ୍ରତି ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି, ଯାହାର ପ୍ରତ୍ୟେକ ଅଂଶରେ ତାଙ୍କର ଆଶୀର୍ବାଦ ସନ୍ନିହିତ। ଏହା ଅକ୍ଷୟ ତୃତୀୟାର ଭାବନାକୁ ସୁନ୍ଦର ଭାବରେ ପ୍ରସ୍ତୁତ କରୁଛି – ଏଭଳି ଏକ ପର୍ବ ଯାହା ପ୍ରଚୁରତା ଏବଂ ମଙ୍ଗଳର ପ୍ରତୀକ। ଏହି କଲେକ୍ସନର ପ୍ରତ୍ୟେକ ଅଂଶ ସହିତ, ଆମେ ଏହି ପବିତ୍ର ଭାବନାକୁ ଜୀବନ୍ତ କରିବାକୁ ନେଇ ଗୌରବାନ୍ୱିତ।”

୨୦୧୯ ମସିହାରେ ଏହାର ପ୍ରାରମ୍ଭ ଠାରୁ, ରିଲାଏନ୍ସ ଜୁଏଲ୍ସର ‘ଜୁଏଲ୍ସ ଅଫ୍ ଇଣ୍ଡିଆ’ ପ୍ରୟାସ ଚମତ୍କାର ଅଳଙ୍କାର ସମ୍ଭାର ମାଧ୍ୟମରେ କର୍ଣ୍ଣାଟକ, ରାଜସ୍ଥାନ, ଓଡ଼ିଶା, ଉତ୍ତର ପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ମଧ୍ୟପ୍ରଦେଶ ସମେତ ବିଭିନ୍ନ ଅଞ୍ଚଳର ସମୃଦ୍ଧ କଳାତ୍ମକ ପରମ୍ପରାକୁ ଆଗକୁ ଆଣିଛି। ପ୍ରତ୍ୟେକ ଅଳଙ୍କାର ସଂସ୍କରଣ ଏହି ରାଜ୍ୟଗୁଡ଼ିକର ଐତିହ୍ୟ, ଶିଳ୍ପକଳା, କାରିଗରୀ ଏବଂ ସାଂସ୍କୃତିକ ପରମ୍ପରାକୁ ସୁନ୍ଦର ଡିଜାଇନ ଜରିଆରେ ବେଶ ସୁନ୍ଦର ଭାବରେ ପ୍ରତିଫଳିତ କରିଛି। ଏବେ ଏହାର ଦଶମ ସଂସ୍କରଣରେ, ଏହି ପ୍ରୟାସ ଭାରତର ଜୀବନ୍ତ ଐତିହ୍ୟର ଉତ୍ସବ ପାଳନ କରିବା ଜାରି ରଖିଛି, ଯାହା ସୂକ୍ଷ୍ମ କାରୁକାର୍ଯ୍ୟ ସମ୍ପନ୍ନ ଅଳଙ୍କାର ମାଧ୍ୟମରେ ତିରୁପତିର ବିଶ୍ୱାସ ଏବଂ ଦିବ୍ୟତାକୁ ଜୀବନ୍ତ କରୁଛି।

ଏହି ଅକ୍ଷୟ ତୃତୀୟାକୁ ସ୍ୱତନ୍ତ୍ର କରିବା ପାଇଁ, ରିଲାଏନ୍ସ ଜୁଏଲ୍ସ ସୀମିତ ଅବଧିର ଉତ୍ସବ ରିହାତି ପ୍ରଦାନ କରୁଛି – ସୁନା ଅଳଙ୍କାରରେ ଗଢା ମଜୁରୀ ଉପରେ ୨୫% ପର୍ଯ୍ୟନ୍ତ ରିହାତି ଏବଂ ହୀରା ଅଳଙ୍କାର ଉପରେ ୩୦% ପର୍ଯ୍ୟନ୍ତ ରିହାତି। ଗ୍ରାହକମାନେ ପୁରୁଣା ସୁନା ଉପରେ ୧୦୦% ବିନିମୟ ମୂଲ୍ୟର ଲାଭ ମଧ୍ୟ ନେଇପାରିବେ। ଏହି ସୀମିତ ସମୟର ଅଫର ମେ ୫ ତାରିଖ ପର୍ଯ୍ୟନ୍ତ ବୈଧ ରହିଛି, ଯାହାଦ୍ୱାରା ସମସ୍ତେ ଏହି ପବିତ୍ର ଦିନରେ ସୁନା ଏବଂ ଅଳଙ୍କାର ରୂପରେ ସମୃଦ୍ଧି ଆଣିବାର ଶହ ଶହ ବର୍ଷର ପୁରୁଣା ପରମ୍ପରାକୁ ଜାରି ରଖିପାରିବେ।

ଗ୍ରାହକମାନେ ଓଡ଼ିଶାର ସମସ୍ତ ରିଲାଏନ୍ସ ଜୁଏଲ୍ସ ଶୋ’ରୁମ୍ ସମେତ ସାରା ଭାରତରେ ଥିବା ରିଲାଏନ୍ସ ଜୁଏଲ୍ସ ଶୋ’ରୁମ୍‌ରେ ଭକ୍ତି, ଐତିହ୍ୟ ଏବଂ କଳାତ୍ମକତାକୁ ସୁନ୍ଦର ଭାବରେ ଯୋଡୁଥିବା ଏହି ଜଟିଳ ଡିଜାଇନ୍ ଅଳଙ୍କାରଗୁଡ଼ିକୁ ଦେଖିପାରିବେ। ଏହି କଲେକ୍ସନ ଦେଶବ୍ୟାପୀ ୧୪୦ ରୁ ଅଧିକ ଶୋ’ରୁମ୍ ଏବଂ ଅନଲାଇନ ମାଧ୍ୟମରେ ଉପଲବ୍ଧ ରହିଛି, ଯାହା ଅଳଙ୍କାର ପ୍ରେମୀଙ୍କୁ ବାସ୍ତବରେ ଏକ ଚମତ୍କାର ସପିଂ ଅନୁଭୂତି ପ୍ରଦାନ କରିଥାଏ।

Categories
ଆଜିର ଖବର ଜାତୀୟ ଖବର

ଝାଡ଼ଖଣ୍ଡରେ ବିଜେପିକୁ ବଡ ଝଟକା, ଜେଏମଏମ ରେ ଯୋଗ ଦେଲେ ପୂର୍ବତନ ରାଜ୍ୟ ସଭାପତି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଝାଡ଼ଖଣ୍ଡରେ ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟ ସଭାପତି ତାଲା ମାରାଣ୍ଡି ଦଳ ଛାଡିଛନ୍ତି। ତାଲା ମାରାଣ୍ଡି ବିଜେପି ଛାଡି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ଯୋଗ ଦେଇଛନ୍ତି। ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଲା ମାରାଣ୍ଡିଙ୍କୁ ଦଳର ସଦସ୍ୟତା ଦେଇଛନ୍ତି। ତାଲା ମାରାଣ୍ଡି ସନ୍ତାଲ ପରଗାନାର ଜଣେ ବଡ ବିଜେପି ନେତା ଥିଲେ। କୁହାଯାଉଛି ଯେ, ସେ ଆଜି ସକାଳେ ନିଜେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ ସେ ବର୍ତ୍ତମାନ ହେମନ୍ତ ସୋରେନଙ୍କ ପାର୍ଟି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ଯୋଗ ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ତାଲା ମାରାଣ୍ଡି ଦୁଇଥର ବୋରିୟୋରୁ ବିଧାୟକ ହୋଇଛନ୍ତି। ସେ ୨୦୨୪ ଲୋକସଭା ନିର୍ବାଚନରେ ​​ରାଜମହଲ ଆସନରୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ହୋଇଥିଲେ। ଏହି ନିର୍ବାଚନରେ ​​ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହା ପରେ ସେ ସନ୍ତାଲ ପରଗାନାର ବୋରିୟୋ ଆସନରୁ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିଲେ, କିନ୍ତୁ ବିଜେପି ତାଙ୍କୁ ଟିକେଟ ଦେଇନଥିଲା। ଏହା ପରେ ସେ ପାର୍ଟି ଉପରେ ଅସନ୍ତୁଷ୍ଟ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ୟୁପିରେ ଜୟନ୍ତ ଚୌଧୁରୀଙ୍କ ବଢୁଛି ଆଧିପତ୍ୟ, ସପା-ବସପା ଛାଡି ଆରଏଲଡିରେ ଯୋଗ ଦେଲେ ଶତାଧିକ କର୍ମୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାଜନୀତିରେ ପୁଣି ଥରେ ହଲଚଲ ଦେଖାଦେଇଛି। କାରଣ ସମାଜବାଦୀ ପାର୍ଟି, ବାହୁଜନ ସମାଜ ପାର୍ଟି ଏବଂ କଂଗ୍ରେସ ସହ ଜଡିତ ଶତାଧିକ କର୍ମୀ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ରେ ଯୋଗ ଦେଇଛନ୍ତି। ଏହି ସମସ୍ତ କର୍ମୀ ଫାରୁଖବାଦ୍ ଜିଲ୍ଲାରୁ ଲକ୍ଷ୍ନୌରେ ଆରଏଲଡି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ନବନିଯୁକ୍ତ ଜାତୀୟ ସାଧାରଣ ସମ୍ପାଦକ ଅନିଲ ଦୁବେଙ୍କୁ ସ୍ୱାଗତ କରିବା ସହ ଦଳରେ ଯୋଗଦେବାକୁ ଘୋଷଣା କରିଛନ୍ତି।

ଏହି ଅବସରରେ ଆରଏଲଡି ରାଜ୍ୟ ସାଧାରଣ ସମ୍ପାଦକ ରାଜୀବ ରଂଜନଙ୍କ ନେତୃତ୍ୱରେ କର୍ମୀମାନେ ଅନିଲ ଦୁବେଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ତାଙ୍କ ନିଯୁକ୍ତି ପାଇଁ ଦଳର ସଭାପତି ତଥା କେନ୍ଦ୍ର ମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ପରେ ରାଜ୍ୟ ସଭାପତି ରମାଶିଶ ରାୟ ଏବଂ ଅନିଲ ଦୁବେଙ୍କ ଉପସ୍ଥିତିରେ ସମସ୍ତ କର୍ମୀ ଆରଏଲଡି ସଦସ୍ୟତା ଗ୍ରହଣ କରିଛନ୍ତି।

କାର୍ଯ୍ୟକର୍ତ୍ତାମାନେ କହିଛନ୍ତି ଯେ, ସେମାନେ ଦୀର୍ଘ ଦିନ ଧରି ଏକ ନେତୃତ୍ୱ ଖୋଜୁଥିଲେ ଯାହା ସାମାଜିକ ନ୍ୟାୟ, କୃଷକ ଏବଂ ଶ୍ରମିକଙ୍କ ସ୍ୱରକୁ ଶକ୍ତି ପ୍ରଦାନ କରିବ, ଯାହାକୁ ସେମାନେ ଜୟନ୍ତ ଚୌଧୁରୀ ଆକାରରେ ପାଇଥିଲେ। ସେମାନେ କହିଛନ୍ତି ଯେ, ଆରଏଲଡି ଆଉ ପଶ୍ଚିମ ଉତ୍ତରପ୍ରଦେଶରେ ସୀମିତ ଦଳ ନୁହେଁ, ବରଂ ସମଗ୍ର ରାଜ୍ୟରେ ଏକ ନୂତନ ଶକ୍ତି ଭାବରେ ଉଭା ହେଉଛି।

ସୂଚନାଯୋଗ୍ୟ ଯେ, ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଲୋକ ଦଳ ନୂତନ ଶକ୍ତିର ସହିତ ସଂଗଠନକୁ ବିସ୍ତାର କରିବାକୁ ରଣନୀତି ପ୍ରସ୍ତୁତ କରିଛି। ନିକଟରେ ଦଳର ସଭାପତି ଜୟନ୍ତ ଚୌଧୁରୀ ଏନଡିଏରେ ଯୋଗ ଦେଇ କେନ୍ଦ୍ରରେ ମନ୍ତ୍ରୀ ହେବା ପରେ ଦଳ ଏକ ନୂତନ ପରିଚୟ ପାଇଛି। ବିଶ୍ୱାସ କରାଯାଏ ଯେ, ଜୟନ୍ତ ବର୍ତ୍ତମାନ ପଶ୍ଚିମ ୟୁପିରୁ ବାହାରି ସମଗ୍ର ରାଜ୍ୟରେ ଆରଏଲଡି କୁ ମଜବୁତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଯାଜପୁରରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କଲେ ଆଇନ ମନ୍ତ୍ରୀ

ଭୁବନେଶ୍ଵର: ଆଜି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଐତିହାସିକ ପଦକ୍ଷେପ ସୂରୁପ କଟକ ବାଲିଯାତ୍ରା ପଡ଼ିଆ ଠାରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଓ ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝୀଙ୍କ ଦ୍ବାରା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ସଂସ୍କୃତି ଭବନ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ଯୋଜନାର ଶୁଭାରମ୍ଭ କରିବା ସହ ସଭାକୁ ସମ୍ବୋଧିତ କରିଥିଲେ।

କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଆୟୁଷ୍ମାନ ଭାରତ ଯୋଜନାକୁ ଆଜି ଓଡ଼ିଶାରେ ଲାଗୁ ହୋଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଓଡିଶାକୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ପୂରଣ ହୋଇଛି।

ଆଜି ହେଉଛି ଆମ ସମସ୍ତଙ୍କ ପାଇଁ ଏକ ଖୁସି ତଥା ଐତିହାସିକ ଦିନ ।ଆଜି ଆମ ରାଜ୍ୟରେ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନା। ଏହି ଯୋଜନା ଅଧିନରେ ପ୍ରତ୍ୟେକ ହିତାଧିକାରୀଙ୍କୁ ମିଳିବ ସ୍ୱାସ୍ଥ୍ୟ କାର୍ଡ ।ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ପରିବାରର ମହିଳାଙ୍କ ପାଇଁ ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କା, ଅର୍ଥାତ୍‌ ବାର୍ଷିକ ୧୦ ଲକ୍ଷ ଟଙ୍କା ଚିକିତ୍ସା ସହାୟତା ପ୍ରଦାନ କରାଯିବ।

ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୭୦ ବର୍ଷ କିମ୍ବା ୭୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ମିଳିବ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ବରିଷ୍ଠ ମହିଳାଙ୍କ ପାଇଁ ପରିବାର ପିଛା ବାର୍ଷିକ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା। ଏହି ଯୋଜନା ଅଧିନରେ ୨୯ ହଜାରରୁ ଉର୍ଦ୍ଧ୍ବ ସରକାରୀ ଓ ପଞ୍ଜିକୃତ ଘରୋଇ ଚିକିତ୍ସାଳୟରେ ଚିକିତ୍ସା ସୁବିଧା ମିଳିପାରିବ।

ଆପଣମାନଙ୍କ ସହଯୋଗରେ ଏହି ଯୋଜନା କିପରି ଆହୁରି ସର୍ବବ୍ୟାପୀ ହୋଇପାରିବ ସେଥିପାଇଁ ଦେଶରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ପ୍ରୟାସ ଜାରି ରହିଛି। ପବିତ୍ର ବିରଜାଙ୍କ କ୍ଷେତ୍ର ଭାବେ ପରିଚିତ ଯାଜପୁର ଜିଲ୍ଲାରେ ୧୮ ଲକ୍ଷରୁ ଅଧିକ ଲୋକ ଏହି ଯୋଜନା ଦ୍ୱାରା ଉପକୃତ ହେବାକୁ ଯାଉଛନ୍ତି। ଭବିଷ୍ୟତରେ ଆହୁରି ଅଧିକ ହିତାଧିକାରୀ ଏହି ଯୋଜନାରେ ଯେପରି ସାମିଲ ହୋଇ ପାରିବେ ସେଥିନେଇ ଉଦ୍ୟମ ଜାରି ରହିଛି।

ଏହି କାର୍ଯ୍ୟକ୍ରମ ଅବସରରେ ଯାଜପୁର ସାଂସଦ ଶ୍ରୀ ଡ଼ଃ ରବିନ୍ଦ୍ର ନାରାୟଣ ବେହେରା, ଯାଜପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଲୋକ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହିତ ଅନ୍ୟ ପ୍ରମୁଖ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।