Categories
ଆଜିର ଖବର ରାଜ୍ୟ ଖବର

ଲକଡ଼ାଉନରେ ଲୋକଙ୍କୁ ଜୀବିକା ସୁରକ୍ଷା ଭତ୍ତା ଯୋଗାଇ ଦିଅ ନଚେତ ହେବ ଆନ୍ଦୋଳନ: ନବନିର୍ମାଣ କୃଷକ ସଂଗଠନ

ଭୁବନେଶ୍ୱର: କରୋନା ଠାରୁ ଲକଡ଼ାଉନ ଅତ୍ୟନ୍ତ ଭୟଙ୍କର। କରୋନା କିଛି ଲୋକଙ୍କ ଜୀବନ ନେଇଛି ଓ ଆଉ କେତେକଙ୍କ ମଧ୍ୟରେ ଭୟ ସଞ୍ଚାର କରୁଛି। ହେଲେ ଲକଡ଼ାଉନ ସବୁକିଛି ଉଜାଡ଼ି ଥିଲାବାଲା ଲୋକଙ୍କୁ ବି ଦରିଦ୍ର କରି ଦାଣ୍ଡର ଭିକାରୀ କରିସାରିଲାଣି। ଯଦି ଲକଡ଼ାଉନ ଓ ସଟଡ଼ାଉନ ଏକମାତ୍ର ବିକଳ୍ପ, ତେବେ ଧାରା ୨୧ ଅନୁସାରେ ଲୋକଙ୍କ ଜୀବିକା ସୁରକ୍ଷା ଭତ୍ତା ଦିଆଯିବ ନାହିଁ କାହିଁକି?

ଜର୍ମାନ, ଆମେରିକା ଭଳି ଦେଶରେ ଲକଡ଼ାଉନ, ସଟଡ଼ାଉନ କ୍ଷତିଗ୍ରସ୍ତଙ୍କୁ ବିଶେଷକରି ସବୁବର୍ଗଙ୍କୁ ଟଙ୍କା ବଣ୍ଟାଯାଇଛି। ହେଲେ ଏଠି କେବଳ ଲୋକଙ୍କୁ ଭିକାରୀ ପରି ଚାଉଳ ଗଣ୍ଡେ ଫିଙ୍ଗିଦେଇ ସରକାର ତାଙ୍କ ନୈତିକ ଦାୟିତ୍ୱ ଶେଷ କରିଦେଉଛନ୍ତି। ଗତ ଦେଢବର୍ଷରୁ ଉର୍ଦ୍ଧ୍ୱ କରୋନା କାଳରେ ସେଲୁନ, ସ୍ପା, କ୍ଷୁଦ୍ର ବ୍ୟବସାୟୀ, ମଟର ସଂଘ, ଚାଷୀ, କଳାକାର ସମସ୍ତେ ନାହିଁ ନଥିବା ଅକଥନୀୟ ଦୁର୍ଦ୍ଦଶାର ଶିକାର ହେଉଛନ୍ତି।

ରୋଜଗାରକ୍ଷମବର୍ଗ ଦିନମଜୁରିଆଙ୍କ ହାତ ସରକାର ଗୋଟେପଟେ ବାନ୍ଧି ଦେଇଥିଲା ବେଳେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ଦୁଇଗୁଣା ବଢିଛି। ପେଟ୍ରୋଲ, ଡ଼ିଜେଲ, ଖାଇବା ତେଲ ଓ ଡ଼ାଲି ସବୁର ଅହେତୁକ ଦର ବୃଦ୍ଧି ଘଟିଛି। ଚାଷକ୍ଷେତ୍ର ଅଧିକ କ୍ଷତିଗ୍ରସ୍ତ ହୋଇଛି। କରୋନା ନାମରେ ମଣ୍ଡି ବନ୍ଦ ହୋଇଗଲା। ପରିବା ବିକ୍ରି ପାଇଁ ହାଟ ବଜାରରେ ସୁବିଧା ପାଇଲେନି ଚାଷୀ। ସେଲୁନ, ସ୍ପା, ରେଡିମେଡ଼ ଦୋକାନ ଏମାନେ କର୍ମଚାରୀଙ୍କୁ ଦରମା ଦେବା ତ ଛାଡ଼, ନିଜକୁ ଚଳାଇବାକୁ ଅନେକ ମାଲିକ ଅକ୍ଷମ। ଏ ନେଇ ସରକାର କେତେ ଆର୍ôଥକ ସମୀକ୍ଷା କରୁଛନ୍ତି।

ଆଜି ଲୋୟର ପିଏମ୍‌ଜିରେ ଚାଷୀ ସଂଗଠନ ଯୋଗାଯୋଗରେ ସମସ୍ତ ବର୍ଗର ଆନ୍ଦୋଳନକୁ ଭାଷଣ ଦେଇ ଏ ବକ୍ତବ୍ୟ ରଖିଛନ୍ତି ନବନିର୍ମାଣ କୃଷକ ସଂଗଠନର କେନ୍ଦ୍ରୀୟ ସଂଯୋଜକ ଅକ୍ଷୟ କୁମାର। ସେ କହିଛନ୍ତି ଯେ, ଦେଶ ଓ ରାଜ୍ୟ କହିଲେ ଦେଶବାସୀ ଓ ରାଜ୍ୟବାସୀଙ୍କୁ ବୁଝାଏ। ହେଲେ ଏଠି ହାତଗଣତି କର୍ମଚାରୀଙ୍କୁ ଦାୟିତ୍ୱ ନିଭାଇ ସରକାର ବସି ଯାଉଛନ୍ତି। ପ୍ରଥମ ଲକଡ଼ାଉନରେ ଲୋକେ ସଞ୍ôଚତ ପାଣ୍ଠି ଖର୍ଚ୍ଚ କରୁଥିଲେ, ଏଥର ଅବସ୍ଥା ଅସମ୍ଭାଳ।

କଳାକାର ସଂଘ, ଜିମ୍ ସଂଗଠନ, ବିୟୁଟିପାର୍ଲର ସଂଗଠନ ଓ ପରିବହନ ସଂଗଠନ ନେତା ପ୍ରମୁଖ ନିଜ ନିଜ ବ୍ୟବସାୟର ଦୁଃଖ ବର୍ଣ୍ଣନା କରି ସେମାନେ ଦୈନନ୍ଦିନ ଜୀବନରେ ନିଜକୁ ଚଳାଇବାର କିଭଳି ତୀବ୍ର ସଙ୍କଟର ସମ୍ମୁଖୀନ ହେଉଛନ୍ତି ସେ କଥା ଆଲୋଚନା କରିବା ସହିତ ସରକାର ଯଦି ସାମ୍ବିଧାନିକ ଦାୟିତ୍ୱ ଦୃଷ୍ଟିରୁ ରୋଗ ସହ ଭୋକ କଥା ନବୁଝନ୍ତି, ତେବେ ଗଣବିଦ୍ରୋହ ହେବ ବୋଲି ଘୋଷଣା କରିଥିଲେ।

ଜିମ୍ ସଂଘର ଅମ୍ରିତା ମିଶ୍ର, ଯାତ୍ରା କଳାକାର କର୍ମଚାରୀ ସଂଘର ସଭାପତି ଦୈତାରୀ ପଣ୍ଡା, ଉପଦେଷ୍ଟା ବାପି ପଣ୍ଡା, ସମ୍ପାଦକ ଆର.କେ. ହୀରାଲାଲ, ମ୍ୟାଜିକ ସଂଘର ମହେନ୍ଦ୍ର ହରିଚନ୍ଦନ, ଶୋବିତା ନିଉଲି, ବୈଶାଳୀ ମହାପାତ୍ର, ଶୋଭା ଅପା, ଭୁବନେଶ୍ୱର ବସ୍ ଆସୋସିଏସନର ବରଦା ଆଚାର୍ଯ୍ୟ ଓ କୋଚିଂ ସେଣ୍ଟରର କର୍ମକର୍ତ୍ତା ବକ୍ତବ୍ୟ ରଖିଥିଲେ।

ଆଜିର କାର୍ଯ୍ୟକ୍ରମରେ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ରଶ୍ମିରଞ୍ଜନ ସ୍ୱାଇଁ, ନିମାଇଁ ରାୟ, ଯୁବଛାତ୍ର ସଂଯୋଜକ ମନୱର ଅଲ୍ଲୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ସମ୍ପୂର୍ଣ୍ଣ କୋଭିଡ଼ କଟକଣା ମାନି, ସାମାଜିକ ଦୂରତା ରଖି ସଂଗଠନ ପକ୍ଷରୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨ ହଜାର ୮୯୬ ଆକ୍ରାନ୍ତ: କଟକରୁ ସର୍ବାଧିକ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨ ହଜାର ୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ କଟକରୁ ୪୯୬, ଖୋର୍ଦ୍ଧାରୁ ୪୪୦, ବାଲେଶ୍ବରରୁ ୩୯୬, ମୟୂରଭଞ୍ଜରୁ ୨୧୯, ପୁରୀରୁ ୧୮୮, ଯାଜପୁରରୁ ୧୬୨, ନୟାଗଡରୁ ୧୩୦, ଭଦ୍ରକରୁ ୧୨୮, ମାଳାକାନାଗିରିରୁ ୮୮, ଜଗତସିଂହପୁରରୁ ୮୬, କେନ୍ଦ୍ରାପଡାରୁ ୭୦, କୋରାପୁଟରୁ ୪୯, ଢେଙ୍କାନାଳରୁ ୪୫, କେନ୍ଦୁଝରରୁ ୩୮, ଅନୁଗୁଳରୁ ୩୫, ସମ୍ବଲପୁରରୁ ୩୧, ନବରଙ୍ଗପୁରରୁ ୩୦, ସୁନ୍ଦରଗଡରୁ ୨୧, ରାୟଗଡାରୁ ୨୦, ସୋନପୁରରୁ ୨୦, ବୌଦ୍ଧରୁ ୧୯, ବରଗଡରୁ ୧୬, ଝାରସୁଗୁଡାରୁ ୧୬, କଳାହାଣ୍ଡିରୁ ୧୬, ଗଞ୍ଜାମରୁ ୧୫, କନ୍ଧମାଳରୁ ୧୪, ବଲାଙ୍ଗୀରିରୁ ୧୨, ନୂଆପଡାରୁ ୧୨, ଗଜପତିରୁ ୯, ଦେବଗଡରୁ ୨ ଏବଂ ଷ୍ଟେଟ ପୁଲରୁ ୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୩ ହଜାର ୧୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୨ ହଜାର ୩୩୦ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୪ ହଜାର ୬୮୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୪୧୪ କୁ ବୃଦ୍ଧି ହୋଇଛି।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା: ମହାପ୍ରଭୁଙ୍କ ନୀତିକାନ୍ତି ତଥା କୋଭିଡ ନିୟମ ପାଳନ ଉପରେ ଦେଲେ ଗୁରୁତ୍ଵ

ଭୁବନେଶ୍ବର: ଚଳିତ ବର୍ଷ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରାର ସୁପରିଚଳନା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରଥଯାତ୍ରା ପ୍ରସ୍ତୁତି ବୈଠକରୁ ଏହା ଜଣା ଯାଇଛି। ଗତବର୍ଷ ସମସ୍ତଙ୍କ ସହଯୋଗରେ ରଥଯାତ୍ରା ସୁରୁଖୁରୁରେ ଅନୁଷ୍ଠିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ଏବର୍ଷ ମଧ୍ୟ ଯେପରି ରଥଯାତ୍ରା ସୁଚାରୁ ରୂପେ ପାଳିତ ହେବ ଏବଂ ଭକ୍ତ ମାନେ ଘରେ ରହି ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ପୁରୀ ସହରବାସୀ, ସେବାୟତ ମାନଙ୍କର ସହଯୋଗ କାମନା କରିଥିଲେ।

ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଗତବର୍ଷ ପରି ଏ ବର୍ଷ ମଧ୍ୟ ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଏକ ଅସାଧାରଣ ପରିସ୍ଥିତିରେ ହେବାକୁ ଯାଉଛି। ସାରା ବିଶ୍ଵ ଟେଲିଭିଜନ ଓ ସୋସିଆଲ ମିଡିଆ ମାଧ୍ୟମରେ ହିଁ କାଳିଆ ଠାକୁରଙ୍କୁ ଦର୍ଶନ କରିବେ। ତେଣୁ ମହାପ୍ରଭୁଙ୍କ ନୀତି ଠିକ ସମୟରେ ଶେଷ ହେବା ଦରକାର। ତା ସହିତ କୋଭିଡ ନିୟମକୁ ମଧ୍ୟ ଯାତ୍ରା ସମୟରେ ଠିକ ଭାବରେ ପାଳନ କରାଯିବା ଜରୁରୀ।

କୋଭିଡ଼ ମହାମାରୀ ସମ୍ପର୍କରେ ସଚେତନ କରାଇ ମୁଖ୍ୟମନ୍ତ୍ରୀ କହିଲେ ଯେ କୋଭିଡର ଦ୍ଵିତୀୟ ଲହର କମି ଆସୁଥିଲେ ମଧ୍ୟ ବିପଦ ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ। ଚଳିତ ବର୍ଷ ରଥଯାତ୍ରା ଯେପରି ସୁରୁଖୁରୁ ରେ ଶେଷ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଥିଲେ।

ବୈଠକରେ ଯୋଗ ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ଯାଣ ମନ୍ତ୍ରୀ ନବ ଦାସ ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ଵ ଦିଆଯାଇ ସ୍ଵତନ୍ତ୍ର ବ୍ୟବସ୍ତା କରାଯାଇଛି ବୋଲି କହିଥିଲେ। ସେବାୟତ ଓ ସମସ୍ତ ସମ୍ପୃକ୍ତ ଅଧିକାରୀ ମାନଙ୍କ ପାଇଁ କୋଭିଡ଼ ଟେଷ୍ଟ, ଟୀକାକରଣ ବ୍ୟବସ୍ତା ସହିତ ଫାଷ୍ଟ ଏଡ କେନ୍ଦ୍ର, ଆମ୍ବୁଲାନ୍ସ , ମେଡ଼ିକାଲ ଏଡ ପୋଷ୍ଟ ଏବଂ ପୁରୀ ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ଜରୁରୀକାଳୀନ ଆବଶ୍ୟକତା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଥିଲେ।

ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ଗତବର୍ଷ ପରି ଏ ବର୍ଷ ମଧ୍ୟ ରଥଯାତ୍ରା ସୁରୁଖୁରୁ ରେ ଶେଷ ହେବ ବୋଲି ଆଶା ପ୍ରକାଶ କରିଥିଲେ। ଏ ବର୍ଷ ମଧ୍ୟ ସମସ୍ତଙ୍କ ସହଯୋଗରେ ରଥଯାତ୍ରା ସୁରୁଖୁରୁରେ ପାଳିତ ହେବ ବୋଲି ଆଶା ପ୍ରକାଶ କରିଥିଲେ।

ବୈଠକରେ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ବୋଲି ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଜଣାଇ ଥିଲେ। କାର୍ଯ୍ୟକ୍ରମରେ ସ୍ଵାଗତ ଭାଷଣ ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଥଯାତ୍ରା ପାଇଁ କରାଯାଇଥିବା ସମସ୍ତ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ପୁରୀ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ. ପାଣ୍ଡିଆନ ଆଲୋଚନା ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି କେ ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ।

Categories
ଖେଳ ବିଶେଷ ଖବର ରାଜ୍ୟ ଖବର

ଟୋକିଓ ଅଲମ୍ପିକସ: ପଦକ ବିଜେତାଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚଳିତ ମାସ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲମ୍ପିକସ ରେ ଭାଗ ନେଉଥିବା ଓଡିଶାର ଅଲମ୍ପିୟାନ ମାନଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି କଥା ହୋଇଥଲେ ଓ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତି ଖେଳାଳିଙ୍କ ପାଇଁ ଅଲମ୍ପିକସ ହେଉଛି ଜୀବନର ଶ୍ରେଷ୍ଠ ସ୍ଵପ୍ନ। ଏହି ଅବସରରେ ଅଲମ୍ପିୟାନ ଦୁତୀ ଚାନ୍ଦ , ପ୍ରମୋଦ ଭଗତ, ଦୀପ ଗ୍ରେସ ଏକ୍କା, ନମିତା ଟପ୍ପୋ, ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତୁମମାନେ ଓଡିଶାର ଯୁବ ସମାଜ ପାଇଁ ରୋଲମଡେଲ ପାଲଟିଯାଇଛ। ତୁମ ପରିବାର ପାଇଁ ଓ ଆମ ସମସ୍ତଙ୍କ ପାଇଁ ଗର୍ବ ଆଣିଛ। କଠୋର ପରିଶ୍ରମ, ନିଷ୍ଠା ଓ ଶୃଙ୍ଖଳା ଦ୍ଵାରା ତୁମେମାନେ ନିଶ୍ଚୟ ପଦକ ଜିତିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ଏହି ଅବସରରେ ଅଲମ୍ପିକସ ପଦକ ବିଜେତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆର୍ଥିକ ପୁରସ୍କାର ଘୋଷଣା କରିଥିଲେ। ଟୋକିଓ ଅଲମ୍ପିକସରେ ସ୍ଵର୍ଣ୍ଣ ପଦକ ଜିତିଲେ ୬ କୋଟି ଟଙ୍କା , ରୌପ୍ୟ ପଦକ ଜିତିଲେ ୪ କୋଟି ଟଙ୍କା ଏବଂ କାଂସ୍ୟ ପଦକ ଜିତିଲେ ୨.୫ କୋଟି ଟଙ୍କା ରାଜ୍ୟ ସରକାରଙ୍କ ପଷରୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହାସହିତ ଅଲମ୍ପିକସ ପାଇଁ ଯୋଗ୍ୟତା ହାସଲ କରିଥିବାରୁ ପ୍ରତି ଖେଳାଳିଙ୍କ ପାଇଁ ଅଲମ୍ପିକ ପ୍ରସ୍ତୁତି ନିମନ୍ତେ ୧୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଥିଲେ।

କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଲମ୍ପିକ ରେ ସେମାନଙ୍କ ସଫଳତା କ୍ରୀଡା କ୍ଷେତ୍ରରେ ଓଡିଶାକୁ ଗୌରବ ମଣ୍ଡିତ କରିବ ବୋଲି ଆଶା ପ୍ରକାଶ କରିଥିଲେ।

ଏହି ଅବସରରେ ସମସ୍ତ ଖେଳାଳି ବ୍ୟକ୍ତିଗତ ଭାବରେ ସେମାନଙ୍କର ମତାମତ ଦେଇ ଅଲମ୍ପିକରେ ଭଲ ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ବୋଲି କହିଥିଲେ ଏବଂ ରାଜ୍ୟ ସରକାରଙ୍କ ସହଯୋଗ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଥିଲେ।।

ଖେଳାଳି ମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କେ ପାଣ୍ଡିଆନ ଖେଳାଳି ମାନଙ୍କ ଅଲମ୍ପିକସ ପ୍ରସ୍ତୁତି ଓ ଏଥି ନିମନ୍ତେ ସେମାନଙ୍କର ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ।

କ୍ରୀଡା ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ସ୍ଵାଗତ ଭାଷଣ ଦେଇଥିଲେ ଓ ସ୍ଵତନ୍ତ୍ର ସଚିବ ଶ୍ରୀ ଆର ଭିନିଲ କ୍ରିଷ୍ଣା ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର , ଉନ୍ନୟନ କମିଶନର ପି କେ ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୩୪୩: ସୁସ୍ଥ ହେଲେ ୩୨୨ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୭୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୬୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୨ ହଜାର ୬୮୮ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୩୨୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୦ ହଜାର ୯୯୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୧୮୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୪୯୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଞ୍ଚଳିକ

ଚିଲିକାରେ ଧୀମା ହେଲା ଟୀକାକରଣ: ଆସନ୍ତାକାଲି ମାତ୍ର ୫୦୦ ଡୋଜ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଚିଲିକା ନିର୍ବାଚନ ମଣ୍ଡଳୀରେ ମାତ୍ର ୫୦୦ ଲୋକଙ୍କୁ ଟୀକା ଦିଆଯିବ। ତେବେ ବାଣପୁରରେ ଉକ୍ତ ଟୀକା କେବଳ ଦ୍ଵିତୀୟ ଡୋଜ ନେବାକୁ ଥିବା ନାଗରିକମାନଙ୍କୁ ଦିଆଯିବ। କିନ୍ତୁ ଚିଲିକାର ଟୀକାକେନ୍ଦ୍ରରେ ଉଭୟ ଡୋଜ ଦିଆଯିବ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା:

ବାଣପୁର: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ)

୧- ବାଣପୁର ମାଇନର ସ୍କୁଲ- ୨୦୦ ଡୋଜ

୨- ସହିଦ କୃତିବାସ ଭବନ, ପଲଟନ ପଡିଆ- ୨୦୦ ଡୋଜ

ବାଣପୁରର ସବୁ ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଚିଲିକା:

୧- ସରକାରୀ ୟୁଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ(କୁମଣ୍ଡଳ ଗ୍ରା.ପ)- ୧୦୦ ଡୋଜ

ପ୍ରଥମ ପର୍ଯ୍ୟାୟ- ୧୮ରୁ ୪୪ ବର୍ଷ ନାଗରିକ ମାନଙ୍କ ଟୀକାକରଣ, ସମୟ- ସକାଳ ୯ ରୁ ମଧ୍ୟାହ୍ନ ୧୨ ଘଟିକା

ଦ୍ଵିତୀୟ ପର୍ଯ୍ୟାୟ- ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ ମାନଙ୍କ ଟୀକାକରଣ ( ଦ୍ଵିତୀୟ ଡୋଜ), ସମୟ- ଅପରାହ୍ନ ୧ ରୁ ୪ ଘଟିକା

କିପରି ନେବେ:

ଟୀକା କେନ୍ଦ୍ରରେ ସିଧାସଳଖ ନିଜର ଆଧାର କାର୍ଡ ନମ୍ବର ଏବଂ ପଞ୍ଜିକୃତ ମୋବାଇଲ ନମ୍ବର ଦେଇ ଟୀକା ନେଇପାରିବେ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ନୂଆ ମନ୍ତ୍ରୀମଣ୍ଡଳର ପ୍ରଥମ କ୍ୟାବିନେଟ ବୈଠକରେ ନିଷ୍ପତ୍ତି: ସ୍ଵତନ୍ତ୍ର ପାଣ୍ଠିରୁ ରାଜ୍ୟଗୁଡିକୁ ଦିଆଯିବ ଆର୍ଥିକ ସହାୟତା

ନୂଆଦିଲ୍ଲୀ: କେନ୍ଦ୍ରର ନୂଆ ମନ୍ତ୍ରୀମଣ୍ଡଳ ଗଠନ ହେବା ପରେ ଆଜି ସନ୍ଧ୍ୟା ୫ ଟାରେ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ କୃଷି ଭଳି ସ୍ୱାସ୍ଥ୍ୟ ଉପରେ ମଧ୍ୟ ବଡ ନିଷ୍ପତ୍ତି ନିଆଯାଇଛି।

ଏହି ବୈଠକରେ ଜରୁରୀ ସ୍ୱାସ୍ଥ୍ୟ ସେବା ପାଇଁ ୨୩ ହଜାର କୋଟି ଟଙ୍କାକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି। ତେବେ କରୋନା ଲଢେଇ ପାଇଁ ସ୍ଵତନ୍ତ୍ର ପାଣ୍ଠିରୁ ରାଜ୍ୟଗୁଡିକୁ ସହାୟତା ପ୍ରଦାନ କରାଯିବା ନେଇ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି।

ନୂଆ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସାମ୍ବାଦିକ ସମ୍ମିଳନୀରେ ଏକ ବିବୃତ୍ତି ଦେଇଛନ୍ତି। କରୋନା ପ୍ୟାକେଜରେ ସଠିକ ଉପଯୋଗ ହୋଇଛି। ତୃତୀୟ ଲହରୀ ପାଇଁ କେନ୍ଦ୍ର ସଂପୂର୍ଣ୍ଣ ପ୍ରସ୍ତୁତ ଅଛି। ତୃତୀୟ ଲହରୀକୁ ଦେଖି ଦେଶରେ ୪ ଲକ୍ଷରୁ ଉର୍ଦ୍ଧ୍ଵ ଶଯ୍ୟା ପ୍ରସ୍ତୁତ କରି ରଖାଯାଇଛି। ଦେଶରେ ୨୦ ହଜାର ଆଇସିୟୁ ଶଯ୍ୟା ପାଇଁ ବ୍ୟବସ୍ଥା କରାଯାଉଛି। ଦେଶର ସବୁ ଜିଲ୍ଲାରେ ପିଏସୟୁ ରହିବ। ପ୍ରତ୍ୟେକ ଜିଲ୍ଲାରେ ୧୦ ହଜାର ଲିଟର ଅମ୍ଳଜାନ ରଖିବା ପାଇଁ ବ୍ୟବସ୍ଥା କରାଯାଉଛି। ବିଶେଷ କରି ତୃତୀୟ ଲହରୀ ପାଇଁ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ଗୁରୁତ୍ଵ ଦିଆଯାଉଛି। ଏନେଇ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ମୋଦୀ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି: ମଣ୍ଡି ଜରିଆରେ ଚାଷୀଙ୍କ ଖାତାକୁ ଯିବ ୧ ଲକ୍ଷ କୋଟି

ନୂଆଦିଲ୍ଲୀ: ମୋଦୀ ମନ୍ତ୍ରୀମଣ୍ଡଳର ବିସ୍ତାର ଏବଂ ଅଦଳବଦଳ ପରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟା ୫ ଟା ସମୟରେ ମୋଦୀ ସରକାରର ନୂଆ କ୍ୟାବିନେଟ ବୈଠକ ବସିଥିଲା। ବୈଠକ ଶେଷ ହେବା ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ମଣ୍ଡିଗୁଡିକର ସଶକ୍ତିକରଣ କରିବାକୁ ସରକାର ଚାହୁଁଛି। ଏହି ବୈଠକରେ ଚାଷୀଙ୍କ ପାଇଁ ଏକ ବଡ ନିଷ୍ପତ୍ତି ନିଆଯାଇଛି। ଯାହା ମଣ୍ଡି ଜରିଆରେ ୧ ଲକ୍ଷ କୋଟି ଟଙ୍କା କୃଷକଙ୍କ ପାଖରେ ପହଞ୍ଚିବ।

ସେହିଭଳି କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି ଯେ, କୃଷି ବିକାଶ ପାଇଁ ଏହି ବୈଠକରେ ଏକାଧିକ ନିଷ୍ପତ୍ତି ହୋଇଛି। ଏପିଏମସି ମଣ୍ଡିଗୁଡିକୁ ଅଧିକ ମଜବୁତ କରାଯାଉଛି। ମଣ୍ଡି ବ୍ୟବସ୍ଥା ବନ୍ଦ ହେବାର ସମ୍ଭାବନା ନାହିଁ। ନାରିକେଳ ଉନ୍ନୟନ ବୋର୍ଡରେ ନିଯୁକ୍ତି ହେବେ ସିଇଓ। କିଷାନ ସମ୍ପ୍ରଦାୟକୁ ୨ କୋଟି ଟଙ୍କାର ଋଣ ଦିଆଯିବ ବୋଲି କୃଷି ମନ୍ତ୍ରୀ କହିଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ ସ୍ଵତନ୍ତ୍ର ଟୀକାକରଣ: ଔଷଧ ଦୋକାନୀ ଏବଂ ସେବାୟତମାନଙ୍କୁ ଦିଆଗଲା ପ୍ରଥମ ଡୋଜ

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ମହାମାରୀ କବଳରୁ ରକ୍ଷା ପାଇବାକୁ ହେଲେ ଟୀକାକରଣ ଅପରିହାର୍ଯ୍ୟ ହୋଇପଡିଛି। ଏଥିନିମନ୍ତେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ସମସ୍ତ ନାଗରିକମାନଙ୍କ ଟୀକାକରଣକୁ ପ୍ରାଥମିକତା ଦେଉଛନ୍ତି। ତେବେ ଆଗଧାଡିର କରୋନା ଯୋଦ୍ଧା ତାଲିକାରେ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ରାଜ୍ୟ ସରକାର ସାମିଲ କରିଥିବା ବେଳେ ଚବିଶ ଘଣ୍ଟା ରୋଗୀଙ୍କୁ ସଂଜୀବନୀ ଯୋଗାଉଥିବା ସାରା ରାଜ୍ୟର ଔଷଧ ଦୋକାନୀମାନେ ଏଥିରୁ ବାଦ ପଡିଛନ୍ତି। ଯାହାଦ୍ୱାରା ସେମାନଙ୍କୁ ଆଗ ଧାଡ଼ିର ଯୋଦ୍ଧାଙ୍କ ଭଳି ସ୍ୱତନ୍ତ୍ର ଟୀକାକରଣରେ ସାମିଲ କରାଯାଇନଥିଲା। ହେଲେ ଏହାକୁ ତୀବ୍ର ବିରୋଧ କରିଥିଲା ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ। ଯାହାଫଳରେ ନିକଟରେ ରାଜ୍ୟ ଅତରିକ୍ତି ଶାସନ ସଚିବ ସମସ୍ତ ଜିଲ୍ଲପାଳ ଏବଂ ମ୍ୟୁନିସିପାଲ କମିଶନରମାନଙ୍କୁ ରାଜ୍ୟର ସମସ୍ତ ଔଷଧ ଦୋକାନୀ ଏବଂ ସେମାନଙ୍କ କର୍ମଚାରୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟୀକାକରଣ କରେଇବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।

ଅନୁରୂପ ଭାବେ ନିକଟରେ ସମସ୍ତ ସେବାୟତମାନଙ୍କୁ ମଧ୍ୟ ଟୀକାକରଣ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ସ୍ୱତନ୍ତ୍ର ଟୀକାକରଣର ବ୍ୟବସ୍ଥା କରାଯାଇଥିଲା। ଯେଉଁଥିରେ ବାଣପୁର ଅଞ୍ଚଳର ବହୁ ମେଡ଼ିସିନ ଦୋକାନୀ ଏବଂ ସେମାନଙ୍କ କର୍ମଚାରୀମାନେ ପ୍ରଥମ ଡୋଜ ଟୀକା ନେଇଥିଲେ। ସେହିପରି ଭାବେ ବାଣପୁର ଅଞ୍ଚଳର ବହୁ ସେବାୟତ ଏବଂ ପୂଜକମାନେ ମଧ୍ୟ ପ୍ରଥମ ଡୋଜ ଟୀକା ନେଇଛନ୍ତି।

ଉକ୍ତ କାର୍ଯ୍ୟକ୍ରମକୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ଧୂର୍ଜଟି ପ୍ରସାଦ ମହାପାତ୍ର ପରିଚାଳନା କରିଥିବା ବେଳେ ଅନ୍ୟ ମେଡିକାଲ କର୍ମଚାରୀ ମାନେ ସହଯୋଗ କରିଥିଲେ।

ଶୃଙ୍ଖଳିତ ଟୀକାକରଣ ନିମନ୍ତେ ଟୀକା କେନ୍ଦ୍ର ପରିସରରେ ମା’ ଭଗବତୀ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ବାଣପୁର-ବାଲୁଗାଁର ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ସମ୍ପାଦକ ଦିଲ୍ଲୀପ କୁମାର ହୋତା, ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପାତ୍ର ଏବଂ ଦକ୍ଷେଶ୍ୱର-ଭଗବତୀ ଏଣ୍ଡାଉମେଣ୍ଟର କର୍ମଚାରୀ ମାନେ ଉପସ୍ଥିତି ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ବେଆଇନ ଖୁଚୁରା ମେଡ଼ିସିନ କାରବାର: ଲକ୍ଷାଧୀକ ଟଙ୍କାର ଔଷଧ ଜବତ, ଦୋକାନକୁ କରାଗଲା ସିଲ୍

ଖୋର୍ଦ୍ଧା: ବେଆଇନ ଖୁଚୁରା ମେଡ଼ିସିନ ଦୋକାନ ଉପରେ ଚଢାଉ କରି ଖୋର୍ଦ୍ଧା ଡ୍ରଗ୍ସ ଇନସପେକ୍ଟର ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସମ୍ପୃକ୍ତ ଦୋକାନରୁ ଲକ୍ଷାଧୀକ ଟଙ୍କାର ଔଷଧ ଜବତ କରିବା ସହ ଦୋକାନକୁ ସିଲ୍ କରାଯାଇଛି।

ସୂଚନା ମୁତାବକ ଖୋର୍ଦ୍ଧା ବଜାରରେ ଅବସ୍ଥିତ ଥିବା ମହାବୀର ମେଡ଼ିସିନ ଷ୍ଟୋର ନାମକ ଏକ ଔଷଧ ଦୋକାନ ବିନା ଲାଇସେନ୍ସରେ ଚାଲିବା ସହ ସେଠାରେ ନିମ୍ନ ମାନର ଔଷଧ ବିକ୍ରି ହେଉଥିବାର ଅଭିଯୋଗ ହୋଇଥିଲା। ଖୋର୍ଦ୍ଧା ଡ୍ରଗସ ଇନ୍ସପେକ୍ଟର ତୁଷାର ରଞ୍ଜନ ପାଣିଗ୍ରାହୀଏହି ବିଷୟରେ ଜାଣିପାରି ସମ୍ପୃକ୍ତ ଦୋକାନ ଉପରେ ଚଢାଉ ଆରମ୍ଭ କରିଥିଲେ।

ବିନା ଲାଇସେନ୍ସ ସହ ନିମ୍ନମାନର ଔଷଧ ବିକ୍ରି କରିବା ବେଆଇନ ହୋଇଥିବାରୁ ଆଜି ମଧ୍ୟାହ୍ନରେ ସମ୍ପୃକ୍ତ ଦୋକାନ ଉପରେ ଚଢାଉ କରାଯାଇଥିଲା। ଡ୍ରଗସ ବିଭାଗ ଇନସପେକ୍ଟର ଉକ୍ତ ଦୋକାନରୁ ଲକ୍ଷାଧିକ ଟଙ୍କାର ଔଷଧ ଜବତ କରି ଦୋକାନକୁ ସିଲ କରିଛନ୍ତି ଏବଂ କେତେଗୋଟି ଔଷଧର ନମୁନା ପରୀକ୍ଷା ପାଇଁ ଲାବରେଟୋରୀକୁ ମଧ୍ୟ ପଠାଇଛନ୍ତି।

ଅନୁରୂପ ଭାବେ ସମ୍ପୃକ୍ତ ଦୋକାନୀଙ୍କ ବିରୋଧରେ ଖୋର୍ଦ୍ଧା କୋର୍ଟରେ ଏକ ଫୌଜଦାରୀ ମାମଲା ରୁଜୁ କରାଯାଇଛି ବୋଲି ଖୋର୍ଦ୍ଧା ଡ୍ରଗସ ଇନ୍ସପେକ୍ଟର ତୁଷାର ରଞ୍ଜନ ପାଣିଗ୍ରାହୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଉକ୍ତ ଚଢାଉରେ ଖୋର୍ଦ୍ଧା ଡ୍ରଗସ ଇନସପେକ୍ଟର ତୁଷାର ରଞ୍ଜନ ପାଣିଗ୍ରାହୀଙ୍କ ସମେତ ଭୁବନେଶ୍ୱର-୧ ଡ୍ରଗସ ଇନସପେକ୍ଟର ପ୍ରବେଶ କୁମାର ଲେଙ୍କା ଏବଂ ଭୁବନେଶ୍ୱର-୩ ଡ୍ରଗସ ଇନ୍ସପେକ୍ଟର ଡା. ସୁଦର୍ଶନ ବିଶ୍ୱାଳ ସାମିଲ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଆସନ୍ତା ୧୦ତାରିଖରେ ଜଗତସିଂହପୁର ଜିଲ୍ଲା କୋର୍ଟ ପରିସରରେ ହେବ ରାଷ୍ଟ୍ରୀୟ ଲୋକଅଦାଲତ

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କୋର୍ଟ ପରିସରରେ ଆସନ୍ତା ୧୦ତାରିଖ ଶନିବାର ଦିନ ଏକ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହେବ। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧୀନ ମୋକଦ୍ଦମା ଯଥା ଫୌଜଦାରୀ (ସାଲିସ୍ ଯୋଗ୍ୟ), ଚେକ୍ ବାଉନ୍ସ୍ ମାମଲା, ବ୍ୟାଙ୍କ୍ ଋଣ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ୍,ଜଳ ଓ ଅନ୍ୟାନ୍ୟ ବିଲ୍, ଦେୟ ଜନିତ ବିବାଦ (ସାଲିସ୍ ବିହିନ ବିବାଦ)କୁ ବାଦ୍ ଦେଇ ବୈବାହିକ ବିବାଦ (ଛାଡପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ଚାକିରି ସମ୍ବନ୍ଧୀୟ (ଦରମା, ଭତ୍ତା ଓ ଅବସରକାଳୀନ ପ୍ରାପ୍ୟ) ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡେନାହିଁ ଏବଂ ଲୋକ ଅଦାଲତରାୟ ବୈଧ ଓ ଚୂଡାନ୍ତ ଅଟେ।

କେବଳ ବିଚାରାଧୀନ ମୋକଦ୍ଦମା ନୁହେଁ ପ୍ରାକ୍-ମୋକଦ୍ଦମା ସ୍ତରୀୟ କଚେରୀରେ ଦାୟର ହୋଇ ନଥିବା ,ଚେକ୍ ବାଉନ୍ସ୍ ମାମଲା, ବ୍ୟାଙ୍କ୍ ଋଣ ବିବାଦ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ୍ ଦେୟ ଜନିତ ବିବାଦ(ସାଲିସ୍ ବିହିନ ବିବାଦକୁ ବାଦ୍ ଦେଇ),ଭରଣ ପୋଷଣ ବିବାଦ, ଅନ୍ୟାନ୍ୟ ସାଲିସ୍ ଯୋଗ୍ୟ ଫୌଜଦାରୀ ଓ ଅନ୍ୟାନ୍ୟ ଦେୱାନୀ ମୋକଦ୍ଦମା ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ।

ଆସନ୍ତା ୧୦ ତାରିଖରେ ସପ୍ତାହାନ୍ତ ସଟଡାଉନ୍ ଥିଲେ ମଧ୍ୟ ଲୋକ ଅଦାଲତ ନିମନ୍ତେ କୋର୍ଟ ପରିସର ମଧ୍ୟକୁ ଆସିବାକୁ କୌଣସି ବାଧା ସୃଷ୍ଟି ହେବନାହିଁ। ଏହା ଜିଲ୍ଲାର ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଦିର୍ଘଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଆଇନ ସବୁଠାରୁ ଉପରେ, ଟ୍ବିଟରକୁ ନିୟମ ମାନିବାକୁ ହେବ: ନୂଆ ଆଇଟି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

ନୂଆଦିଲ୍ଲୀ: ଦେଶରେ ନୂତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଅଶ୍ଵିନୀ ବୈଷ୍ଣବ କାର୍ଯ୍ୟଭାର ସମ୍ଭାଳିଛନ୍ତି। ନିଜର ଦାୟିତ୍ଵ ଗ୍ରହଣ କରିବା ପରେ ସୋସିଆଲ ମିଡିଆକୁ କଡା ସନ୍ଦେଶ ଦେଇଛନ୍ତି। ଭାରତ ସରକାର ଏବଂ ଟ୍ବିଟର ମଧ୍ୟରେ ଜାରି ରହିଥିବା ବିବାଦକୁ ନେଇ ସେ କଡା ପ୍ରତିକ୍ରିୟା ରଖିଛନ୍ତି।

ଅଶ୍ଵିନୀ ବୈଷ୍ଣବ କହିଛନ୍ତି ଯେ, ଦେଶରେ ଆଇନ ସବୁଠାରୁ ଉପରେ। ତେଣୁ କେନ୍ଦ୍ର ସରକାର ଦ୍ଵାରା ଲାଗୁ କରାଯାଇଥିବା ନୂଆ ଆଇନକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ମାନିବାକୁ ବାଧ୍ୟ। ଦେଶରେ ରହିବାକୁ ହେଲେ ସମସ୍ତେ ଭାରତ ସରକାରଙ୍କ ନୂଆ ଆଇନକୁ ମାନିବା ଉଚିତ ବୋଲି ଅଶ୍ଵିନୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୁଜଙ୍ଗ ପଥୁରିଆ ଛକ ନିକଟରେ ଦୁଇଟି ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା: ଜଣଙ୍କର ମୃତ୍ୟୁ

ରମେଶ ମହାନ୍ତି
ଜଗତସିଂହପୁର: କଟକ-ପାରାଦ୍ୱିପ ମୁଖ୍ୟ ରାସ୍ତାର କୁଜଙ୍ଗ ପଥୁରିଆ ଛକ ନିକଟରେ ଆଜି ସକାଳୁ ଦୁଇଟି ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ ଆଜି ସକାଳୁ ପାରାଦ୍ବୀପ ଅଭିମୁଖେ ଆସୁଥିବା ଏକ ପାଉଁରୁଟି ବୋଝେଇ ପିକଅପ୍ ଭ୍ୟାନ୍ ସହ କଟକ ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ପାକଅପ୍ ଭ୍ୟାନ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ପାଉଁରୁଟି ବୋଝେଇ ପିକଅପ୍ ଭ୍ୟାନ୍ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ କୋଇଲା ବୋଝେଇ ପିକଅପ୍ ଭ୍ୟାନର ଡ୍ରାଇଭର୍ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ମୃତ ଡ୍ରାଇଭରର ଘର ପାରାଦ୍ବୀପ ଲକ୍ ଥାନା ଅଞ୍ଚଳର ନରେନ୍ଦ୍ରପୁର ଗ୍ରାମରେ ହୋଇଥିବା ବେଳେ ସେ ରବିନ୍ଦ୍ର ମଲ୍ଲିକଙ୍କ ପୁଅ ବାଦଲ ମଲ୍ଲିକ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି।

ଖବର ପାଇ କୁଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଲେ ୯୭ ବର୍ଷୀୟା ବୃଦ୍ଧା

ଭୁବନେଶ୍ୱର: ଉପଯୁକ୍ତ ଚିକିତ୍ସା, ସେବା ଓ ଯତ୍ନ ମିଳିଲେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କରୋନା ମହାମାରୀକୁ ଅନାୟସରେ ପରାସ୍ତ କରିପାରିବେ ତାହା ପୁଣି ଥରେ ପ୍ରମାଣିତ ହୋଇଛି ଜଣେ ୯୭ ବର୍ଷୀୟା ବୃଦ୍ଧାଙ୍କ କ୍ଷେତ୍ରରେ। ସମ୍ କୋଭିଡ ହସ୍ପିଟାଲ୍‌ରୁ ପୁଣି ଜଣେ ବୟୋଜ୍ୟେଷ୍ଠ।। ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ବାଲେଶ୍ୱର ଅଂଚଳର ଶ୍ରୀମତି ଚଂଚଳା ବେହେରା ଗତ ଜୁନ୍ ମାସ ୧୮ ତାରିଖରେ କରୋନା ସଂକ୍ରମିତ ହେବା ପରେ ଭୁବନେଶ୍ୱର ସମ୍ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲ୍‌ରେ ଭର୍ତ୍ତି ହେବା ସମୟରେ ସେ ଉଚ୍ଚ ରକ୍ତଚାପ ଓ ଶ୍ୱାସଜନିତ ସମସ୍ୟା ଯୋଗୁଁ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ପୂର୍ବରୁ ହୃଦରୋଗ ଜନିତ ସମସ୍ୟା ରହିଥିବାରୁ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଆଯାଇଥିଲା।

ତେବେ ସମ୍ କୋଭିଡ୍ ଟିମ୍‌ର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଚିକିତ୍ସା, ସେବା ଓ ଯତ୍ନ ଫଳରେ ଦୀର୍ଘ ୨୦ ଦିନ ପରେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଚଂଚଳା। ସେ ସୁସ୍ଥ ହେବା ପରେ ଘରକୁ ଯିବା ସମୟରେ ସମ୍ କୋଭିଡ ଟିମ୍‌କୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ତାଙ୍କ ବୋହୁ ଶ୍ରୀମତି ତପସ୍ୱିନୀ ବେହେରା।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆରମ୍ଭ ହେଲା ୟୁଜି ଛାତ୍ରଛାତ୍ରୀଙ୍କ ପାଇଁ ଇ-ପାଠ୍ୟକ୍ରମ ବ୍ୟବସ୍ଥା

ଭୁବନେଶ୍ବର: ରାଜ୍ୟରେ ୟୁଜି ଛାତ୍ରଛାତ୍ରୀଙ୍କ ପାଇଁ ଇ-ପାଠ୍ୟକ୍ରମ ବ୍ୟବସ୍ଥା ଆରମ୍ଭ ହୋଇଛି। http://vtputkal.odisha.gov.in ମାଧ୍ୟମରେ ଛାତ୍ରଛାତ୍ରୀ ଇ-ପାଠ୍ୟକ୍ରମ ବ୍ୟବସ୍ଥାରେ ଅଂଶ ଗ୍ରହଣ କରିପାରିବେ। ଏହି ୱେବସାଇଟରେ କଳା, ବିଜ୍ଞାନ ଓ ବାଣିଜ୍ୟର ୧୧ ଟି ବିଷୟରେ ପାଠ ପଢା ବ୍ୟବସ୍ଥା ହେବ। ଏଥିରେ ପଢା ଯାଉଥିବା ବିଷୟର ଭିଡିଓକୁ ମଧ୍ୟ ଛାତ୍ରଛାତ୍ରୀ ଡାଉନଲୋଡ କରି ରଖିପାରିବେ। ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ବନବିଭାଗ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ବନବିଭାଗ ମିଳିତ ଆନୁକୂଲ୍ୟରେ ନାଲିବର ଉଚ୍ଚ ବିଦ୍ୟାଳୟ ପରିସରରେ ବନମହୋତ୍ସବ ସପ୍ତାହ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ଆନନ୍ଦ ଚନ୍ଦ୍ର ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫାମିଲି କୋର୍ଟ ଜଜ୍ ଜୀବନଜ୍ୟୋତି ରଥ ,ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୁନନ୍ଦା ପାଢୀ, ସବଜଜ୍ (ଏଲ୍.ଆର୍) ଅଭୟ କୁମାର ଦାସ, ସିଭିଲ୍ କୋର୍ଟ ରେଜିଷ୍ଟାର୍ ସଦିପା ପାତ୍ର, ମୁନସଫ୍ ବିଷ୍ଣୁ ପ୍ରସାଦ ଦେବତା, ଜେ.ଏମ୍.ଏଫ୍.ସି ଝିଲିଲିନା ନାୟକ, ଫରେଷ୍ଟ ରେଞ୍ଜ ଅଧିକାରୀ ବଳରାମ ସାହୁ, ଫରେଷ୍ଟର୍ ସୁକାନ୍ତ ବେହେରା, ବାନାମ୍ବର ବିଶ୍ୱାଳ, ବିଜୟିନୀ ବିଶ୍ୱାଳ, ନାଲିବର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉଲ୍ଲାସ ଚନ୍ଦ୍ର ନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ,ଆଇନଜୀବୀ, ପାରାଲିଗାଲ୍ ସ୍ୱେଚ୍ଛାସେବୀଗଣ ଓ କୋର୍ଟର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଚା’ ବଗିଚାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜନ ବର୍ଲା ହେଲେ କେନ୍ଦ୍ରମନ୍ତ୍ରୀ: ଶିକ୍ଷାଗତ ଯୋଗ୍ୟତା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ମୋଦୀ କ୍ୟାବିନେଟରେ ଜନ ବର୍ଲାଙ୍କୁ ସଂଖ୍ୟାଲଘୁ ସମ୍ପ୍ରଦାୟର ରାଜ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଦିଆଯାଇଛି। ଅଲିପୁରଦ୍ଵାରରୁ ବିଜେପି ସାଂସଦ ଜନ ବର୍ଲାଙ୍କ ବ୍ୟକ୍ତିଗତ ଜୀବନର କାହିଣୀ ଏକ ଅଦ୍ଭୁତ ଏବଂ ଅସାଧାରଣ ଅଟେ। କିଛି ବର୍ଷ ପର୍ଯ୍ୟନ୍ତ ସେ ଚା ବଗିଚାରେ ଶ୍ରମିକ ଭାବେ କାମ କରୁଥିଲେ।

ଏକ ସାଧାରଣ ପରିବାରରେ ଜନ୍ମ ହୋଇଥିବା ବର୍ଲାଙ୍କ ପିତାଙ୍କ ନାମ ଥୋମସ ବର୍ଲା ଅଟେ। ପଶ୍ଚିମବଙ୍ଗ ଜଲପାଇଗୁଡି ଜିଲ୍ଲା ଅନ୍ତର୍ଗତ ବନାରହାଟ ଲକ୍ଷ୍ମୀପାରା ଚା’ ବଗିଚାରେ ସେ ରହୁଥିଲେ। ଏଭଳି କି ମହାବୀର ହିନ୍ଦୀ ହାଇସ୍କୁଲରେ ଜନ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିପାରିଥିଲେ। ଅର୍ଥର ଘୋର ଅଭାବ ଯୋଗୁଁ ପାଠ ପଢା ଅଷ୍ଟମ ଶ୍ରେଣୀରେ ଛାଡି ଦେଇଥିଲେ ଏବଂ ଚା’ ବଗିଚାରେ କାମ କରିଥିଲେ। ୨୦୦୭ରେ ଚା’ ବଗିଚାରେ ଜନ ଅସ୍ଥାୟୀ ଡ୍ରାଇଭର ଭାବେ କାର୍ଯ୍ୟ କଲେ। ଦିନ ମଜୁରିଆ ଭାବେ ତାଙ୍କୁ ଦରମା ମିଳୁଥିଲା। କିନ୍ତୁ ରାଜନତୀରେ ରୁଚି ରଖିଥିବା ଜନ ୨୦୦୭ ମସିହାରେ ଗୋରଖାଲ୍ୟାଣ୍ଡ ଆନ୍ଦୋଳନରେ ସାମିଲ ହୋଇଗଲେ।

ଧୀରେ ଧୀରେ ସେ ଆଦିବାସୀ ଅଞ୍ଚଳର ଜଣେ ବଡ ନେତା ଭାବେ ପରିଚିତ ହୋଇଗଲେ। ଏହାପରେ ତରାଇ ଡୁଅର୍ସ କୋର୍ଡିନେସନ କମିଟିର ଅଧ୍ୟକ୍ଷ ଭାବେ ତାଙ୍କୁ ଆଦିବାସୀ ବିକାଶ ପରିଷଦ ମନୋନୀତ କରିଥିଲା। ତା’ପରେ ୨୦୧୪ ମସିହାରେ ଜନ ବିଜେପିରେ ସାମିଲ ହୋଇଥିଲେ। ୨୦୧୯ରେ ବିଜେପି ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢି ଆଲିପୁରଦ୍ଵାର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଗତ କୀଚଚି ଦିନ ତଳେ ଜନ ବର୍ଲା ଚର୍ଚ୍ଚାକୁ ଆସିଥିଲେ। ସେ ଉତ୍ତର ପଶ୍ଚିମବଙ୍ଗକୁ ପଶ୍ଚିମବଙ୍ଗ ଠାରୁ ପୃଥକ କରି ଅଲଗା ରାଜ୍ୟ କରିବା ପାଇଁ ଦାବି କରିଥିଲେ। ତୃଣମୂଳ କଂଗ୍ରେସ ପକ୍ଷରୁ ଜନଙ୍କ ବିରୋଧରେ ଥାନାରେ ଅନେକ ମାମଲା ରୁଜୁ କରାଯାଇଛି। ପୃଥକ ରାଜ୍ୟର ଦାବି କରୁଥିବା ଏହି ଶ୍ରମିକ ନେତାଙ୍କୁ ମୋଦୀ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜମ୍ମୁ-କାଶ୍ମୀରରେ ଭାରତୀୟ ଯବାନମାନଙ୍କୁ ବଡ ସଫଳତା: ଗତ ୨୪ ଘଣ୍ଟା ମଧ୍ୟରେ ୫ ଆତଙ୍କବାଦୀଙ୍କୁ କଲେ ସଫା

ଜମ୍ମୁ: ଜମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀଙ୍କୁ ବଡ ସଫଳତା ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ଏନକାଉଣ୍ଟର କରିଛନ୍ତି। ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ଟପ କମାଣ୍ଡରସାମିଲ ଅଛି। ଜମ୍ମୁ-କାଶ୍ମୀରର ହିଜବୁଲ ମୁଜାହିଦିନ ଟପ କମାଣ୍ଡର ସମେତ ୫ ଜଣଙ୍କୁ ସୁରକ୍ଷା ବାହିନୀ ମାରିଛନ୍ତି।

ଗତକାଲି ବିଳମ୍ବିତ ରାତିରେ ପୁଲୱାମା ଅନ୍ତର୍ଗତ ପୁଛଲ ଅଞ୍ଚଳରେ ଲସ୍କର ତୋଏବାର ଦୁଇ ଆତଙ୍କବାଦୀଙ୍କୁ ଭାରତୀୟ ଯବାନମାନେ ମାରିବାରେ ସଫଳ ହୋଇଛନ୍ତି। ବର୍ତ୍ତମାନ ସେହି ଅଞ୍ଚଳକୁ ସୁରକ୍ଷା ବାହିନୀ ଘେରାବନ୍ଦୀ କରି ତଦନ୍ତ ଅଭିଯାନ ଜାରି ରଖିଛନ୍ତି। ଗତ ୭ ଦିନ ମଧ୍ୟରେ ୧୦ ଜଣ ଆତଙ୍କିଙ୍କୁ ସୁରକ୍ଷାବାହିନୀ ଏନକାଉଣ୍ଟର କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ ୪୫ ହଜାର ୮୯୨ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୫ ହଜାର ୮୯୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୮୧୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୭ ଲକ୍ଷ ୯ ହଜାର ୫୫୭ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫ ହଜାର ୨୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୮ ଲକ୍ଷ ୪୩ ହଜାର ୮୨୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୬୦ ହଜାର ୭୦୪ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ଜାତୀୟ ଖବର

ଆଉ ନାହାନ୍ତି ବୀରଭଦ୍ର ସିଂହ: ୬ ଥର ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ତୁଲାଇଛନ୍ତି ଦାୟିତ୍ଵ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପରଲୋକ ହୋଇଯାଇଛି। ୮୭ ବର୍ଷ ବୟସରେ ତାଙ୍କର ନିଧନ ହୋଇଯାଇଛି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ବୀରଭଦ୍ର ଆଜି ଭୋର ୩ ଟା ୪୦ ମିନିଟରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ଗତ ୨ ମାସ ହେଲା ଅସୁସ୍ଥତା ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବୀରଭଦ୍ର ଦୁଇ ଦୁଇ ଥର କରୋନାକୁ ପରାସ୍ତ କରିଥିଲେ।

ହେଲେ ଗତ ଦୁଇ ଦିନ ହେଲା ସେ ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା। ସେ ୬ ଥର ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିବା ବେଳେ ୯ ଥର ବିଧାୟକ ଭାବେ ନିର୍ବାଚିତା ହୋଇଥିଲେ।

Categories
ଖେଳ ବିଶେଷ ଖବର

ଭାରତ-ଶ୍ରୀଲଙ୍କା ସିରିଜ: ଜାଣନ୍ତୁ ସମସ୍ତ ମ୍ୟାଚର ତାରିଖ ଏବଂ ସମୟ, କେଉଁ ଚ୍ୟାନେଲରେ ହେବ ସିଧା ପ୍ରସାରଣ

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପ ଫାଇନାଲ ମ୍ୟାଚରେ ହାରିବା ପରେ ଭାରତର କ୍ରିକେଟପ୍ରେମୀ ନିରାଶ ହୋଇପଡିଛନ୍ତି। କିନ୍ତୁ ଜୁଲାଇ ୧୩ ତାରିଖରେ ଆରମ୍ଭ ହେବାକୁ ଥିବା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ ଉପରେ ବର୍ତ୍ତମାନ ଖେଳପ୍ରେମୀଙ୍କ ନଜର ରହିଛି। ଶିଖର ଧବନଙ୍କ ନେତୃତ୍ଵରେ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ୩ ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ ଖେଳିବ। ଏହି ସିରିଜ ବଡ ରୋମାଞ୍ଚକ ହେବ ବୋଲି ଅନୁମାନ କରାଯାଉଛି। କାରଣ ଏହି ସିରିଜ ପାଇଁ ଅଭିଜ୍ଞ ଖେଳାଳିକୁ ବିଶ୍ରାମ ଦିଆଯାଇ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି। ଏହି ଟିମରୁ ଆଗାମୀ ଟି-୨୦ ବିଶ୍ବକପ ମ୍ୟାଚ ପାଇଁ ମଧ୍ୟ କିଛି ଖେଳାଳି ମନୋନୀତ ହୋଇପାରନ୍ତି। ତେଣୁ ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଖେଳାଳି ଜଲୱା ଦେଖାଇବା ପାଇଁ ଆତୁର ହୋଇପଡିଛନ୍ତି।

କେଉଁ ଚ୍ୟାନେଲରେ ହେବ ସିଧା ପ୍ରସାରଣ:

ଟୁର୍ଣ୍ଣାମେଣ୍ଟର ପ୍ରସାରଣ ଅଧିକାର ସୋନି ଚ୍ୟାନେଲକୁ ଦିଆଯାଇଛି। ଦିନିକିଆ ଏବଂ ଟି-୨୦ ସିରିଜର ସିଧା ପ୍ରସାରଣ ସୋନି ଟେନ-୧, ସୋନି ଟେନ-୩, ସୋନି ଟେନ-୪ ଏବଂ ସୋନି ସିକ୍ସରେ କରାଯିବ।

ଦିନିକିଆ ମ୍ୟାଚ:

୧- ପ୍ରଥମ ଦିନିକିଆ- ଜୁଲାଇ ୧୩ ତାରିଖ- ଅପରାହ୍ନ ୧ ଟା ୩୦ ମିନିଟ

୨- ଦ୍ଵିତୀୟ ଦିନିକିଆ- ୧ଜୁଲାଇ ୧୬ ତାରିଖ- ଅପରାହ୍ନ ୧ ଟା୩୦ ମିନିଟ

୩- ତୃତୀୟ ଦିନିକିଆ- ଜୁଲାଇ ୧୮ ତାରିଖ- ଅପରାହ୍ନ ୧ ଟା ୩୦ ମିନିଟ

ଟି-୨୦ ସିରିଜ:

-ପ୍ରଥମ ଟି-୨୦- ଜୁଲାଇ ୨୧ ତାରିଖ (ବୁଧବାର)- ସନ୍ଧ୍ୟା ୭ ଟା

-ଦ୍ଵିତୀୟ ଟି-୨୦- ଜୁଲାଇ ୨୩ ତାରିଖ (ଶୁକ୍ରବାର)- ସନ୍ଧ୍ୟା ୭ ଟା

-ତୃତୀୟ ତ-୨୦- ଜୁଲାଇ ୨୫ ତାରିଖ (ରବିବାର)- ସନ୍ଧ୍ୟା ୭ ଟା