Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ନୂଆ ଗାଇଡ଼ଲାଇନ ଯୋଗୁଁ ପ୍ରଥମ ଦିନ ଗ୍ରାମାଞ୍ଚଳରେ ମୋଟ ଟିକାକରଣ ହାର ୬୪ ପ୍ରତିଶତ ହାସଲ

ନୂଆଦିଲ୍ଲୀ, ସଂଶୋଧିତ ନିୟମାବଳୀ ଅନୁସାରେ ଦେଶରେ ଆରମ୍ଭ କରାଯାଇଥିବା ଟିକାକରଣର ପ୍ରଥମ ଦିନ, ଗତ ସୋମବାର ଜୁନ ୨୧ ତାରିଖ ସାରା ଦେଶରେ ମୋଟ ଯେତିକି ଟିକାକରଣ କରାଯାଇଛି ସେଥିରୁ ୬୩.୬୮ ପ୍ରତିଶତ କେବଳ ଗ୍ରାମାଞ୍ଚଳରେ ଦିଆଯାଇଛି । ସେହିଦିନ ଦିଆଯାଇଥିବା ମୋଟ କୋଭିଡ ଟିକା ମଧ୍ୟରୁ ୫୬.୦୯ ଲକ୍ଷ ଟିକା କେବଳ ଗ୍ରାମାଞ୍ଚଳରେ ବସବାସ କରୁଥିବା ହିତାଧିକାରୀମାନଙ୍କୁ ଦିଆଯାଇଛି। ଏଥିସହିତ ସହରାଞ୍ଚଳରେ ସେହିଦିନ ୩୧.୯ ଲକ୍ଷ ଲୋକ କୋଭିଡ଼ ପ୍ରତିଷେଧକ ଟିକା ଗ୍ରହଣ କରିଥିଲେ ।

ନୂଆଦିଲ୍ଲୀଠାରେ ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ନିତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି କେ ପଲ୍‍ କହିଛନ୍ତି ଯେ, ଗ୍ରାମାଞ୍ଚଳ ଟିକାକରଣ ଉପରେ ସରକାର ବିଶେଷ ଭାବେ ଗୁରୁତ୍ୱ ଆରୋପ କରୁଛନ୍ତି । “ଏବେ ଗ୍ରାମାଞ୍ଚଳରେ ବ୍ୟାପକ ଭାବେ ଟିକାକରଣ କରାଯାଉଛି ଏବଂ ଅଧିକ ମାତ୍ରାରେ ଏହି ଟିକା ଲୋକମାନଙ୍କୁ ଦିଆଯାଉଛି । ସୋମବାର (ଜୁନ ୨୧, ୨୦୨୧) ଠାରୁ ଦେଶର ଗ୍ରାମାଞ୍ଚଳ – ସହରାଞ୍ଚଳ ଟିକାକରଣ ବିଭାଜନ ସଂଖ୍ୟା ପ୍ରାୟ ସମାନ ରହିଛି । ତେଣୁ ଏହା ପ୍ରମାଣିତ କରିଛି ଯେ ଦେଶର ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ମଧ୍ୟ ସହଜରେ ଟିକାକରଣ କରାଯାଇପାରିବ ।”

ଗ୍ରାମାଞ୍ଚଳରେ ସମ୍ପୂର୍ଣ୍ଣ ରୂପେ ଟିକାକରଣ ସମ୍ଭବପର

ଡକ୍ଟର ପଲ୍‍ ଆହୁରି ସୂଚାଇଥିଲେ ଯେ ଏବେ ଦେଶରେ ଥିବା ମୋଟ ଟିକାକରଣ କେନ୍ଦ୍ରର ୭୧ ପ୍ରତିଶତ କେବଳ ଗ୍ରାମାଞ୍ଚଳରେ ରହିଛି ଏବଂ ଗତ କିଛି ସପ୍ତାହ ଧରି ନିରବଚ୍ଛିନ୍ନ ଭାବେ ଗ୍ରାମାଞ୍ଚଳରେ ମୋଟ ଟିକାକରଣର ଅର୍ଦ୍ଧାଧିକ ଟିକା ହିତାଧିକାରୀଙ୍କୁ ପ୍ରଦାନ କରାଯାଉଛି । “ ଆଇଟି ବ୍ୟବସ୍ଥାର ଅଧିକ ଉପଯୋଗ ଦ୍ୱାରା, ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ଟିକାକରଣର ଉପକାରୀତା ସଂପର୍କରେ ଅବଗତ ଓ ସଚେତନ କରାଯାଉଛି । ଲୋକମାନେ ଏହାକୁ ଗ୍ରହଣ କରୁଥିବାରୁ ଏବେ ଗ୍ରାମାଞ୍ଚଳକୁ ଅଧିକରୁ ଅଧିକ ଟିକା ପଠାଯାଉଛି । ତେଣୁ ଆମର ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇଛିଯେ ଗ୍ରାମାଞ୍ଚଳରେ ସଂପୂର୍ଣ୍ଣ ରୂପେ ଟିକାକରଣ ସମ୍ଭବପର ।” ସେ ଆହୁରି କହିଲେ ଯେ ଗତ ସୋମବାର ଦିନ ଏତେ ଅଧିକ ସଂଖ୍ୟକ (୮୮.୦୯ ଲକ୍ଷ) ଟିକା ପରିଚାଳନାରେ କୋୱିନ୍‍ ପ୍ଲାଟଫର୍ମରେ କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ହୋଇନାହିଁ ।

ଡକ୍ଟର ପଲ୍‍ ସୂଚାଇଥିଲେ ଯେ ସରକାରୀ ଟିକାକେନ୍ଦ୍ର ନୂତନ ଟିକାକରଣ ଅଭିଯାନରେ ବିରାଟ ଭୂମିକା ନିର୍ବାହ କରିଛନ୍ତି । “ ଜୁନ ୨୧, ୨୦୨୧ ଦିନ କେବଳ ସରକାରୀ କେନ୍ଦ୍ରମାନଙ୍କରୁ ୯୨ ପ୍ରତିଶତ ଟିକାଦାନ କରାଯାଇଛି । ଏହା ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସାମର୍ଥ୍ୟ, ସହନଶୀଳତା ଓ ପହଞ୍ଚକୁ ପ୍ରମାଣସିଦ୍ଧ କରିବା ସହ ଏକ ନୂତନ ଉଦାହରଣ ସୃଷ୍ଟି କରିଛି” ବୋଲି ସେ କହିଛନ୍ତି । କୋଭିଡ଼ ୧୯ ଟିକାକରଣ ଅଭିଯାନରେ ସାର୍ବଜନୀନ ଟିକାକରଣ କାର‌୍ୟ୍ୟକ୍ରମକୁ ପ୍ରବର୍ତ୍ତନ କରିବାର ଖର୍ଚ୍ଚ ମୁଣ୍ଡାଇବା ମଧ୍ୟ ବେଶ୍‍ ଜଟିଳ ବୋଲି ସେ ସୂଚାଇଥିଲେ ।

ଅଧିକରୁ ଅଧିକ ମହିଳାଙ୍କ ଟିକାକରଣ ନିମନ୍ତେ ପ୍ରବର୍ତ୍ତାଯିବା ଆବଶ୍ୟକ

ଡକ୍ଟର ପଲ୍‍ କହିଲେ ଯେ ଗତକାଲି ଯେତେ ସଂଖ୍ୟକ ଲୋକ ଟିକା ନେଇଛନ୍ତି ସେମାନଙ୍କ ମଧ୍ୟରୁ ୪୬ ପ୍ରତିଶତ ହେଉଛନ୍ତି ମହିଳା । ଅନ୍ୟ ୫୩ ପ୍ରତିଶତ ହେଉଛନ୍ତି ପୁରୁଷ । “ଯେଉଁସବୁ ସ୍ଥାନରେ ଏହି ବିଭେଦ ରହିଛି ଆମକୁ ଏଭଳି ଲିଙ୍ଗଗତ ବୈଷମ୍ୟକୁ ମଧ୍ୟ ସଂଶୋଧନ କରିବାକୁ ପଡ଼ିବ । ଅଧିକରୁ ଅଧିକ ମହିଳା ଆସି ଟିକାକରଣରେ ସାମିଲ ହେବା ଆମେ ଚାହୁଁ” ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦେବସ୍ନାନ ପାଇଁ ପ୍ରସ୍ତୁତି ଶେଷ, ସୁରକ୍ଷା ପାଇଁ ମୁତୟନ ହେବେ ୩୫ ପ୍ଲାଟୁନ ଫୋର୍ସ, ୧୪୪ ଧାରା ଲାଗୁହେଲା

ପୁରୀ, ଦେବେସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ଆଜି ରାତି ୧୦ଟାରୁ ଆସନ୍ତା ୨୫ ତାରିଖ ସକାଳ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି। ଭକ୍ତମାନେ ନ ଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ମୁତୟନ ହେବେ ୩୫ ପ୍ଲାଟୁନ ଫୋର୍ସ। ଏହି ସୁରକ୍ଷା ବ୍ୟବସ୍ଥାରେ ୫ଜଣ ଅତିରିକ୍ତ ଏସପି, ୨୩ ଜଣ ଡ଼ିଏସପି, ୪୧ ଜଣ ଇନ୍ସପେକ୍ଟର, ୧୫୦ ଜଣ ଅନ୍ୟ ଅଫିସର ମୁତୟନ ରହିବେ। କେବଳ ନୀତି ସହିତ ସମ୍ପୃକ୍ତ ସେବାୟତ ତଥା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇ ଥିବା ସେବାୟତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡାଯିବ। ଏହାସହ ସହରର ୧୫ଟି ସ୍ଥାନରେ ଲାଗିଛି ସିସିଟିଭି।

ଚଳିତ ବର୍ଷ ବିଳମ୍ବିତ ରାତିରୁ ପ୍ରଭୃଙ୍କ ନିତିକାନ୍ତି ଆରମ୍ଭ ହେବ। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ଜାରୀ କରାଯାଇଛି ସମୟ ନିର୍ଘଣ୍ଟ। ସେହି ଅନୁସାରେ ପହଣ୍ଡି ବିଜେ- ରାତ୍ରୀ ୧ଟାରୁ ଭୋର ୪ଟା ପର୍ଯ୍ୟନ୍ତ କରାଯିବ। ମଙ୍ଗଳା ଆରତି- ଭୋର ୪ଟା ୩୦, ଜଳ ବିଜେ- ସକାଳ ୭ଟା ୩୦ ରୁ ୯ ଟା ୩୦, ନୂଆଲୁଗା ଲାଗି- ୧୦ଟା, ଛେରାପହଁରା- ୧୦ଟା ୩୦ , ହାତୀ ବେଶ- ୧୧ଟାରୁ ୧୨ ଟା ପଯ୍ୟନ୍ତ।

ହାତୀ ବେଶ ପରେ ସାହାଣ ମେଲା ବା ସାଧାରଣ ଦର୍ଶନ କରାଯାଇଥାଏ। ହେଲେ ଚଳିତ ବର୍ଷ କରୋନା ପାଇଁ ସାହଣମେଲା ବନ୍ଦ କରାଯାଇଛି। ବାହୁଡା ପହଁଣ୍ଡି- ଅପରାହ୍ନ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ନିଷ୍ପତି କରିଛି।

Categories
ଆଜିର ଖବର ଧର୍ମ

ରଥ ନିର୍ମାଣ: ତିନି ରଥର ପ୍ରଥମ ଭୁଇଁ ପଡି ଦ୍ୱିତୀୟ ଭୁଇଁର ଛକାଠ’ ଉଠିଥିଲା, ଜାଣନ୍ତୁ ଏହା କଣ

ପୁରୀ, ଆଜି ଦୁତୀୟ ଭୁଇଁ ସମ୍ପୁର୍ଣ୍ଣ ପରେ ତୃତୀୟ ଭୁଇଁ ଚାରି କାଠ ଉପରେ ପୋଟଳ ଖମ୍ବୀ ଏବଂ ପୋଟଳ ଓରା ଉଠି ତିନି ରଥରେ ତୃତୀୟ ଭୁଇଁ ସେଟିଙ୍ଗ ଶେଷ ହୋଇଅଛି। ତିନି ରଥର ଗୋଟିଏ ଲେଖାଁଏ ଆଜିଆଣି ଢମକ ଲାଗିଅଛି। ତିନି ରଥର ଗୋଟିଏ ଲେଖାଁଏ କନକ ମୁଣ୍ଡି ନିର୍ମାଣ ଶେଷ ହୋଇଅଛି। ତିନିରଥର ରୂପକାର ସେବକ ନାଟ ଗୋଡ଼ରେ ରାହୁରୂପ ଖୋଦେଇ ଜାରୀ ରଖିଛନ୍ତି।

ଆଜି ତାଳଧ୍ଵଜ ରଥର ଚାର ପରିଛାରେ ଡାଳି ଲତା ଖୋଦେଇ ସମ୍ପୁର୍ଣ୍ଣ ହୋଇ ରଥରେ ଫିଟିଙ୍ଗ କରାଯାଇ ଅଛି। ତିନିରଥର ଓଝା ବା କମାର ସେବକ ମାନେ ତିନି ରଥ ପାଇଁ ଭୁଇଁ କଣ୍ଟା,ଛିଆନ କଣ୍ଟା, ପଟଳ କଣ୍ଟା ପଟଳ ବତା କଣ୍ଟା ଏବଂ ତୃତୀୟ ଭୁଇଁ ଓରା କଣ୍ଟା ଯୋଗାଇଲା ପରେ ଏଲ,ଇଉ,ଚାନ୍ଦି, ସ୍ପୋକ କ୍ଲାମ୍ପ, ଏକ୍ସିଲ କ୍ଲାମ୍ପ ନିର୍ମାଣ କରୁଛନ୍ତି।

Categories
ଆଞ୍ଚଳିକ

ଆସନ୍ତାକାଲି ବାଣପୁରରେ ସମାନ ସଂଖ୍ୟକ ଡୋଜ, ଚିଲିକାରେ କେବଳ ଗୋଟିଏ କେନ୍ଦ୍ରରେ ହେବ ଟୀକାକରଣ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ଆଜି ପାଖାପାଖି ୨ ହଜାର ଲୋକ ଟୀକା ନେଇଥିବା ବେଳେ ଆସନ୍ତାକାଲି ପାଇଁ ଏହାର ସଂଖ୍ୟାରେ ହ୍ରାସ ପାଇବା ନେଇ ସୂଚନା ମିଳିଛି। ବାଣପୁର ବ୍ଲକ ଏବଂ ଏନଏସିରେ ଆଜି ଭଳି ଆସନ୍ତାକାଲି ସମାନ ସଂଖ୍ୟକ ଟୀକା ଲୋକଙ୍କୁ ଦିଆଯିବ।

ହେଲେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ପାଇଁ ମାତ୍ର ୧୦୦ ଟି ଟୀକା ଡୋଜର ବ୍ୟବସ୍ଥା କରାଯାଇଛି। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା:

ବାଣପୁର- ୧୮ରୁ ୪୪ ବର୍ଷ ବର୍ଗର ନାଗରିକ(ପ୍ରଥମ ଡୋଜ) ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ(ଦ୍ଵିତୀୟ ଡୋଜ)

୧- ବାଣପୁର ମାଇନର ସ୍କୁଲ- ୧୫୦ ଡୋଜ (କେବଳ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକଙ୍କ ପାଇଁ ଉଭୟ ପ୍ରଥମ ଏବଂ ଦ୍ଵିତୀୟ ଡୋଜ )

୨- ସହିଦ କୃତିବାସ ଭବନ, ପଲଟନ ପଡିଆ- ୨୦୦ ଡୋଜ (୧୮ରୁ ୪୪ ବର୍ଷ ବର୍ଗର ନାଗରିକ, ପ୍ରଥମ ଡୋଜ)

୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୨୦୦ ଡୋଜ

୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୨୦୦ ଡୋଜ

୫- ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ

୬- ହଳନ୍ଦା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ

ବାଣପୁରର ସବୁ ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଚିଲିକା:

୧- ଚିଲିକା ବ୍ଲକରେ ଅନ୍ତର୍ଗତ ଚାଷଙ୍ଗରା ଭାଲେରୀ ଉଚ୍ଚ ବିଦ୍ୟାଳୟରେ ୧୦୦ ଟି ଟୀକା ଡୋଜ ଦୁଇଟି ପର୍ଯ୍ୟାୟରେ ଦିଆଯିବ

ପ୍ରଥମ ପର୍ଯ୍ୟାୟ- ୧୮ରୁ ୪୪ ବର୍ଷ ନାଗରିକ ମାନଙ୍କ ଟୀକାକରଣ, ସମୟ– ସକାଳ ୯ ରୁ ମଧ୍ୟାହ୍ନ ୧୨ ଘଟିକା

ଦ୍ଵିତୀୟ ପର୍ଯ୍ୟାୟ- ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ ମାନଙ୍କ ଟୀକାକରଣ (ଉଭୟ ଡୋଜ),ସମୟ- ଅପରାହ୍ନ ୩ ରୁ ସନ୍ଧ୍ୟା ୬ ଘଟିକା

କିପରି ନେବେ:

ଟୀକାକେନ୍ଦ୍ରରେ ସିଧାସଳଖ ନିଜର ଆଧାର କାର୍ଡ ନମ୍ବର ଏବଂ ପଞ୍ଜିକୃତ ମୋବାଇଲ ନମ୍ବର ଦେଇ ଟୀକା ନେଇପାରିବେ।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ଦେବସ୍ନାନ ପୂର୍ଣ୍ଣିମା: ପୁରୀରେ ଲାଗିବ 144 ଧାରା, ଏଥର ମଧ୍ୟ ପୁରୀ ଗଜପତି କରିବେନି ଛେରା ପହଁରା

ପୁରୀ, ଆସନ୍ତାକାଲି ପୁରୀରେ ଅନୁଷ୍ଠିତ ହେବ ସ୍ନାନଯାତ୍ରା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ। ଏଥର ମଧ୍ୟ କରୋନା ପାଇଁ ଭକ୍ତମାନେ ପୁରୀରେ ଏକାଠି ହୋଇପାରିବେ ନାହିଁ। ସେଥିପାଇଁ ଆଜି ରାତିରୁ ପୁରୀରେ ଲାଗୁ ହେବ ୧୪୪ ଧାରା। ଆଜି ରାତି ୧୦ଟାରୁ ଆସନ୍ତା ୨୫ ତାରିଖ ସକାଳ ପର୍ଯ୍ୟନ୍ତ ଏହି୧୪୪ ଧାରା ଲାଗୁ କରାଯିବ। ଭକ୍ତମାନେ ନ ଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ମୁତୟନ ହେବେ ୩୫ ପ୍ଲାଟୁନ ଫୋର୍ସ।

ସ୍ନାନଯାତ୍ରାରେ ସୁରକ୍ଷା ବ୍ୟବସ୍ଥାରେ ୫ଜଣ ଅତିରିକ୍ତ ଏସପି, ୨୩ ଜଣ ଡ଼ିଏସପି, ୪୧ ଜଣ ଇନ୍ସପେକ୍ଟର, ୧୫୦ ଜଣ ଅନ୍ୟ ଅଫିସର ମୁତୟନ ରହିବେ । କେବଳ ନୀତି ସହିତ ସମ୍ପୃକ୍ତ ସେବାୟତ ତଥା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇ ଥିବା ସେବାୟତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡାଯିବ । ଏହାସହ ସହରର ୧୫ଟି ସ୍ଥାନରେ ଲାଗିଛି ସିସିଟିଭି ।

ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ସ୍ନାନଯାତ୍ରାରେ ଛେରା ପହଁରା କରିବେନି ଗଜପତି ମହାରାଜା ଦିବ୍ୟସିଂହ ଦେବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ନାନ ଯାତ୍ରାରେ ଛେରା ପହଁରା କରିବେ ନାହିଁ ବୋଲି ଗଜପତିଙ୍କ କାର୍ଯ୍ୟାଳୟରୁ ଅବଗତ କରାଯାଇଛି। ତେବେ ଗଜପତିଙ୍କ ଅନୁପସ୍ଥିତିରେ ସ୍ନାନ ଯାତ୍ରାରେ ତାଙ୍କ ମୁଦିରସ୍ତ ଛେରା ପହଁରା କରିବେ। ଗତ ବର୍ଷ ମଧ୍ୟ ସେହି ମୁଦିରସ୍ତ କରିଥିଲେ।

ଚଳିତ ବର୍ଷ ବିଳମ୍ବିତ ରାତ୍ରୀରୁ ପ୍ରଭୃଙ୍କ ନିତିକାନ୍ତି ଆରମ୍ଭ ହେବ। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ଜାରୀ କରାଯାଇଛି ସମୟ ନିର୍ଘଣ୍ଟ। ସେହି ଅନୁସାରେ ପହଣ୍ଡି ବିଜେ- ରାତ୍ରୀ ୧ଟାରୁ ଭୋର ୪ଟା ପର୍ଯ୍ୟନ୍ତ କରାଯିବ। ମଙ୍ଗଳା ଆରତି- ଭୋର ୪ଟା ୩୦, ଜଳ ବିଜେ- ସକାଳ ୭ଟା ୩୦ ରୁ ୯ ଟା ୩୦, ନୂଆଲୁଗା ଲାଗି- ୧୦ଟା, ଛେରାପହଁରା- ୧୦ଟା ୩୦ , ହାତୀ ବେଶ- ୧୧ଟାରୁ ୧୨ ଟା ପଯ୍ୟନ୍ତ।

ହାତୀ ବେଶ ପରେ ସାହାଣ ମେଲା ବା ସାଧାରଣ ଦର୍ଶନ କରାଯାଇଥାଏ। ହେଲେ ଚଳିତ ବର୍ଷ କରୋନା ପାଇଁ ସାହଣମେଲା ବନ୍ଦ କରାଯାଇଛି। ବାହୁଡା ପହଁଣ୍ଡି- ଅପରାହ୍ନ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ନିଷ୍ପତି କରିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଡବ୍ଲୁଟିସି ଫାଇନାଲ: ଦ୍ଵିତୀୟ ପାଳିରେ ଭାରତ ୧୭୦/୧୦, ନ୍ୟୁଜିଲାଣ୍ଡ ସାମ୍ନାରେ ୧୩୯ ରନର ବିଜୟ ଲକ୍ଷ୍ୟ

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପ ଫାଇନାଲ ମ୍ୟାଚ ଜାରି ରହିଛି। ଆଜି ଷଷ୍ଠ ଦିନରେ (ରିଜର୍ଭ ଡେ’) ଭାରତର ଦ୍ଵିତୀୟ ପାଳିର ଖେଳ ଶେଷ ହୋଇଯାଇଛି। ଦ୍ଵିତୀୟ ପାଳିରେ ଭାରତ ମାତ୍ର ୧୭୦ ରନରେ ସମସ୍ତ ୱିକେଟ ହରାଇଛି। ଫଳରେ ନ୍ୟୁଜିଲାଣ୍ଡ ସମ୍ମୁଖରେ ୧୩୯ ରନର ବିଜୟ ଲକ୍ଷ୍ୟ ଦେଇଛି ବିରାଟ ବାହିନୀ।

ତେବେ ନ୍ୟୁଜିଲାଣ୍ଡକୁ ଏହି ଐତିହାସିକ ମ୍ୟାଚ ଜିତିବାକୁ ହେଲେ ୫୩ ଓଭରରେ ୧୩୯ ରନ ସଂଗ୍ରହ କରିବାକୁ ଥିବା ବେଳେ ଭାରତକୁ ଚମ୍ପିୟାନ ହେବା ପାଇଁ ୧୦ ଟି ୱିକେଟ ଆବଶ୍ୟକ।

ଦ୍ଵିତୀୟ ପାଳିରେ ଭାରତ ପକ୍ଷରୁ ରୋହିତ ଶର୍ମା ୩୦ ରନ ସଂଗ୍ରହ କରିଥିବା ବେଳେ ଶୁବମାନ ଗିଲ ୮ ରନ, ଚେତେଶ୍ଵର ପୂଜାରା ୧୫ ରନ, ବିରାଟ କୋହିଲୀ ୧୩ ରନ, ଅଜିଙ୍କ୍ୟ ରାହାଣେ ୧୫ ରନ, ରିଷଭ ପନ୍ତ ୪୧ ରନ, ରବୀନ୍ଦ୍ର ଜାଡ଼େଜା ୧୬ ରନ, ରବିଚନ୍ଦ୍ରନ ଅଶ୍ଵିନୀ ୭ ରନ, ମହମ୍ମଦ ଅଶ୍ଵିନୀ ୧୩ ରନ, ଯଶପ୍ରିତ ବୁମରା ଶୂନ୍ୟରେ ଆଉଟ ହୋଇଥିଲେ।

ସେହିଭଳି ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସାଉଦୀ ସର୍ବାଧିକ ୪ ଟି ୱିକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ୩ ଟି, କାଇଲ ଜାମିସନ ୨ ଟି ଏବଂ ନୀଲ ୱାଗ୍ନର ୧ ଟି ୱିକେଟ ଅକ୍ତିଆର କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଜୁଲାଇ ମାସ ପହିଲା ଠାରୁ ପୂର୍ବତଟ ରେଳପଥ ମଧ୍ୟରୁ ୨୨ ଯୋଡ଼ା ସ୍ବତନ୍ତ୍ର ଟ୍ରେନ ସେବା ପୁଣି ଚାଲୁ ହେବ

ଭୁବନେଶ୍ବର, ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କ ଠାରୁ ପୂର୍ବ ଘୋଷଣା ଅନୁଯାୟୀ ଜୁନ ମାସ ଶେଷ ପର୍ଯ୍ୟନ୍ତ ଚଳାଚଳ କରୁଥିବା ୨୨ ଯୋଡ଼ା ସ୍ବତନ୍ତ୍ର ଟ୍ରେନ ସେବାକୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରାଇବାକୁ ରେଳମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି। ଏହି ଟ୍ରେନ ଗୁଡିକ ଜୁନ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରାଯିବାକୁ ପୂର୍ବରୁ ଘୋଷଣା କରାଯାଇଥିଲା।

ଏହି ଟ୍ରେନ୍ ଗୁଡିକ ହେଉଛି…

ପୁରୀରୁ ଛାଡୁଥିବା ବିଶେଷ ଟ୍ରେନ: 08477/08488 ପୁରୀ-ଯୋଗ ନାଗରୀ ଋଷିକେଶ-ପୁରୀ, 02866/02865 ପୁରୀ-ମୁମ୍ବାଇ ଏଲଟିଟି- ପୁରୀ, 08449/08450 ପୁରୀ-ପାଟନା-ପୁରୀ, 08419/08420 ପୁରୀ-ଜୟନଗର-ପୁରୀ, 02827/02828 ପୁରୀ-ସୁରଟ-ପୁରୀ, 02859 / 02860 ପୁରୀ-ଚେନ୍ନାଇ ସେଣ୍ଟ୍ରାଲ-ପୁରୀ ବିଶେଷ ଟ୍ରେନ୍। ଅବଶ୍ୟ, 08477/08488 ପୁରୀ-ଯୋଗ ନଗରୀ ଋଷିକେଶ-ପୁରୀ ସ୍ପେଶାଲ୍ 23 ଜୁଲାଇ ପର୍ଯ୍ୟନ୍ତ ଏବଂ ଅନ୍ୟ ଉପରୋକ୍ତ ଟ୍ରେନ୍ ଗୁଡିକ ସ୍ଥିରୀକୃତ ଦିବସ ମାନଙ୍କରେ ରଥ ଯାତ୍ରା ସମୟରେ କୋଭିଡ୍ ପ୍ରୋଟୋକଲ୍ ଦୃଷ୍ଟିରୁ ଖୋର୍ଦ୍ଧା ରୋଡ୍ ଏବଂ ପୁରୀ ମଧ୍ୟରେ ଉଭୟ ଦିଗରୁ ବାତିଲ୍ ହୋଇ ରହିବ।

ଭୁବନେଶ୍ୱରରୁ ଛାଡୁଥିବା ବିଶେଷ ଟ୍ରେନ: 02819/02820 ଭୁବନେଶ୍ୱର-ଆନନ୍ଦ ବିହାର-ଭୁବନେଶ୍ୱର, 02880/02879 ଭୁବନେଶ୍ୱର-ମୁମ୍ବାଇ ଏଲଟିଟି- ଭୁବନେଶ୍ୱର, 08479/08480 ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର, 02839/02840 ଭୁବନେଶ୍ୱର-ଚେନ୍ନାଇ ସେଣ୍ଟ୍ରାଲ-ଭୁବନେଶ୍ୱର, 02845 /02846 ଭୁବନେଶ୍ୱର-ବାଙ୍ଗାଲୋର କ୍ୟାଣ୍ଟ-ଭୁବନେଶ୍ୱର, 02898/02897 ଭୁବନେଶ୍ୱର-ପଣ୍ଡିଚେରୀ-ଭୁବନେଶ୍ୱର ଏବଂ 08496/08495 ଭୁବନେଶ୍ୱର-ରାମେଶ୍ୱରମ୍-ଭୁବନେଶ୍ୱର ବିଶେଷ ଟ୍ରେନ।

ସମ୍ବଲପୁରରୁ ଛାଡୁଥିବା ବିଶେଷ ଟ୍ରେନ:  08306/08305 ସମ୍ବଲପୁର-ହାଓଡ଼ା-ସମ୍ବଲପୁର ଏବଂ 08311/08312 ସମ୍ବଲପୁର-ମାଣ୍ଡୁଆଡିହ-ସମ୍ବଲପୁର ବିଶେଷ ଟ୍ରେନ୍।

ବିଶାଖାପାଟନମ୍ ଠାରୁ ଛାଡୁଥିବା ବିଶେଷ ଟ୍ରେନ: 02851/02852 & 02887/02888 ବିଶାଖାପାଟନମ୍-ନିଜାମୁଦ୍ଦିନ-ବିଶାଖାପାଟନମ୍, 02869/02870 ବିଶାଖାପାଟନମ୍-ଚେନ୍ନାଇ ସେଣ୍ଟ୍ରାଲ୍-ବିଶାଖାପାଟନମ୍, 02857/02858 ବିଶାଖାପାଟନମ୍-ମୁମ୍ବାଇ ଏଲଟିଟି-ବିଶାଖାପାଟନମ୍, 08501/08502 ବିଶାଖାପାଟନାମ୍-ଗାନ୍ଧୀଧାମ-ବିଶାଖାପାଟନମ, 07488/07487 ବିଶାଖାପାଟନାମ୍-କଡପ୍ପା-ବିଶାଖାପାଟନମ ଏବଂ 02831/02832 ବିଶାଖାପାଟନାମ୍-ଲିଙ୍ଗମପଲ୍ଲୀ-ବିଶାଖାପାଟନମ ବିଶେଷ ଟ୍ରେନ୍।

ଏହା ସହିତ ନିମ୍ନ ଦର୍ଶିତ ବିଶେଷ ଟ୍ରେନ ଗୁଡିକର ଗଠନରେ ମଧ୍ୟ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ ଗୁଡିକ ହେଲା – 02819/02820 ଭୁବନେଶ୍ୱର-ଆନନ୍ଦ ବିହାର-ଭୁବନେଶ୍ୱରର, 02880/02879 ଭୁବନେଶ୍ୱର-ମୁମ୍ବାଇ ଏଲଟିଟି- ଭୁବନେଶ୍ୱର, 08479/08480 ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର, 02839/02840 ଭୁବନେଶ୍ୱର-ଚେନ୍ନାଇ ସେଣ୍ଟ୍ରାଲ-ଭୁବନେଶ୍ୱର, 02845/02846 ଭୁବନେଶ୍ୱର-ବାଙ୍ଗାଲୋର କ୍ୟାଣ୍ଟ.-ଭୁବନେଶ୍ୱର, 02898/02897 ଭୁବନେଶ୍ୱର-ପଣ୍ଡିଚେରୀ-ଭୁବନେଶ୍ୱର, 08496/08495 ଭୁବନେଶ୍ୱର-ରାମେଶ୍ୱରମ୍-ଭୁବନେଶ୍ୱର, 08449/08450 ପୁରୀ-ପାଟନା-ପୁରୀ, 08419/08420 ପୁରୀ-ଜୟନଗର-ପୁରୀ, 02827/02828 ପୁରୀ-ସୁରଟ-ପୁରୀ, 02859/02860 ପୁରୀ-ଚେନ୍ନାଇ ସେଣ୍ଟ୍ରାଲ-ପୁରୀ ବିଶେଷ ଟ୍ରେନ୍।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୩୭୫: ସୁସ୍ଥ ହେଲେ ୩୮୪ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୭୫ ଆକ୍ରାନ୍ତଙ୍କ ମଧ୍ୟରୁ ୭୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩୦୦ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭ ହଜାର ୬୪୯ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୩୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୮୫ ହଜାର ୭୩୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୪୭୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୪୧୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଓଡିଶା ପୋଲିସ ମୁଖ୍ୟାଳୟରୁ ସୂଚନା ପତ୍ର ଜାରି: ଡ଼ିଜିପିଙ୍କ ଠାରୁ ପ୍ରଶଂସାପତ୍ର ପାଇବେ ଟାଙ୍ଗୀ ଥାନାଧିକାରୀ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ଥାନା ଆଇଆଇସି ବିଜୟ କୁମାର ମଲ୍ଲିକ ପାଇବେ ଓଡିଶା ଡ଼ିଜିପିଙ୍କ ଠାରୁ ପ୍ରଶଂସାପତ୍ର। ଗତ ଦୁଇ ଦିନ ତଳେ ଏ ନେଇ ଓଡିଶା ପୋଲିସ ମୁଖ୍ୟାଳୟରୁ ଏକ ସୂଚନା ପତ୍ର ଜାରି କରାଯାଇଛି।

ସୂଚନା ଥାଉକି ଶ୍ରୀ ମଲ୍ଲିକ ମାତ୍ର ଏକ ମାସ ପୂର୍ବେ ଟାଙ୍ଗୀ ଥାନାରେ ଆଇଆଇସି ଭାବେ ଯୋଗଦେବା ପରଠାରୁ ଅଞ୍ଚଳରେ ଅପରାଧିକ ଗତିବିଧି ଉପରେ ଧୀରେ ଧୀରେ ଅଙ୍କୁଶ ଲାଗୁଥିବାର ଦେଖାଯାଇଛି। ଶ୍ରୀ ମଲ୍ଲିକ ଜଣେ ଦକ୍ଷ ଏବଂ କର୍ତ୍ତବ୍ୟନିଷ୍ଠ ଅଧିକାରୀ ହୋଇଥିବା ବେଳେ ବିଗତ ଦିନରେ ଏକାଧିକ ଭଲ କାମ କରି ଡ଼ିଜିପିଙ୍କ ଠାରୁ ଉକ୍ତ ପ୍ରଶଂସାପତ୍ର ପାଇବାପାଇଁ ଯୋଗ୍ୟ ହୋଇଛନ୍ତି। ନିକଟରେ ଜଣେ କୋଭିଡ ଆକ୍ରାନ୍ତଙ୍କ ଶବ ସତ୍କାର କରି ଚର୍ଚ୍ଚାକୁ ଆସିଥିଲେ ଏହି ପୋଲିସ ଅଧିକାରୀ।

ଅନୁରୂପ ଭାବେ ଗତ ଏକ ମାସ ମଧ୍ୟରେ ଟାଙ୍ଗୀ ଥାନାର ବହୁ ଜଟିଳ ମାମଲାଗୁଡିକ ଯଥା ଅଣ୍ଡାଗାଡି ଲୁଟ ଘଟଣା, ଭାଇରଲ ଭିଡ଼ିଓ ଘଟଣା ଆଦିର ପର୍ଦ୍ଦାଫାଶ କରିବା ସହ, ଏକାଧିକ ଜୁଆ ଆଡ୍ଡାରେ ଚଢ଼ାଉ, ଚୋରା ଗୋରୁଙ୍କୁ ଉଦ୍ଧାର, ଅବକାରୀ ଚଢ଼ାଉ, ବାଇକ ଚୋରି ଗ୍ୟାଙ୍ଗକୁ ଗିରଫ କରି ଟାଙ୍ଗୀ ଥାନା ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ଟାଙ୍ଗୀ ଆଇଆଇସି।

ତେବେ ଡ଼ିଜିପିଙ୍କ ଠାରୁ ଉକ୍ତ ପ୍ରଶଂସାପତ୍ର ପାଇ ବେଶ ଗର୍ବ ଅନୁଭବ କରୁଛନ୍ତି ବୋଲି ଆଇଆଇସି ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ବାଣପୁରରେ ଜଳବନ୍ଦୀ ସମସ୍ୟା ନେଲାଣି ଉଗ୍ରରୁପ: ପ୍ରଶାସନର ଭାଙ୍ଗୁନି ନିଦ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏନଏସି ଦିନକୁ ଦିନ ଉନ୍ନତି କରିବା ବଦଳରେ ଉପାନ୍ତ ଅଞ୍ଚଳରେ ପରିବର୍ତ୍ତନ ହେବାକୁ ବସିଲାଣି। କେବଳ ନାମକୁ ମାତ୍ର ଏନଏସି ମାନ୍ୟତା। ସହରରେ ଅସରାଏ ବର୍ଷା ହେଲେ ଏହା କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରୁଛି।

ତେବେ ସବୁଠାରୁ ଲଜ୍ୟାଜନକ ବିଷୟ ହେଲା ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ ସ୍ଥାନୀୟ ଅବା ଜିଲ୍ଲା ପ୍ରଶାସନ କାହାର ବି ନିଦ ଭାଙ୍ଗୁନାହିଁ। ସହରର ମୁଖ୍ୟ ରାସ୍ତା ଅନ୍ତର୍ଗତ ବିଧାରପୁର ଛକରେ ଅସରାଏ ବର୍ଷା ହେଲେ ଉକ୍ତ ରାସ୍ତାରେ ମିନ ଖେଳୁଥିବାର ଦେଖାଯାଉଛି। ଉକ୍ତ ଛକର ଅନତିଦୂରରେ ବାଣପୁର ତହସିଲ, କୋର୍ଟ, ବ୍ଲକ କାର୍ଯ୍ୟାଳୟ ଏବଂ ସହର ତଥା ସମଗ୍ର ଜିଲ୍ଲାର ଗର୍ବ ଓ ଗୌରବ ଐତିହାସିକ ପଲଟନ ପଡ଼ିଆ ଅବସ୍ଥିତ।

ହେଲେ ବିଡମ୍ବନାର ବିଷୟ ଫୁଟେ ଫୁଟେ ପାଣି ଜମିବା ଯୋଗୁଁ ଜନସାଧାରଣ ମାନେ ନିଜ ଜୀବନକୁ ବିପଦରେ ପକାଇ ଉକ୍ତ ଛକ ଦେଇ ଯାତାୟାତ କରୁଛନ୍ତି। କାରଣ ଦୀର୍ଘଦିନ ହେବ ପାଣି ଜମିରହିବା ଯୋଗୁଁ ରାସ୍ତାରେ ଗତ୍ର ହୋଇଗଲାଣି ଯାହାଦ୍ୱାରା ଜନସାଧାରଣ ଦ୍ବନ୍ଦରେ ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି। ତେବେ ସବୁଠାରୁ ଅପମାନର ବିଷୟ ଏହାକି ଗତ ଦୁଇଦିନ ହେଲା ସ୍ଥାନୀୟ ପ୍ରଶାସନ ଦ୍ୱାରା ପଲଟନ ପଡ଼ିଆସ୍ଥିତ କୃତିବାସ ଭବନରେ ୧୮-୪୪ ବର୍ଷ ଯୁବପିଢ଼ିଙ୍କ ପାଇଁ ଟୀକାକରଣ ବ୍ୟବସ୍ଥା କରାଯାଇଛି କିନ୍ତୁ ବିଧାରପୁର ଛକ ଦେଇ ଉକ୍ତ ଟୀକାକେନ୍ଦ୍ରକୁ ଯିବାପାଇଁ ନାଗରିକମାନେ କେତେଯେ ହଇରାଣ ହରକତ ହେଉଛନ୍ତି ତାହା ପ୍ରଶାସନ ହୃଦୟଙ୍ଗମ କରିପାରୁନାହିଁ।

ଏପରିକି ନାଗରିକ ମାନଙ୍କ ସୁବିଧା ପାଇଁ ଗତକାଲି ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ରାତାରାତି ଟେଣ୍ଟ ଏବଂ ବ୍ୟାରିକେଡ଼ ବ୍ୟବସ୍ଥା ଟାଉନ ହଲ ଠାରେ କରାଗଲା କିନ୍ତୁ ନାଗରିକମାନଙ୍କୁ ଉକ୍ତ ଟୀକାକେନ୍ଦ୍ରକୁ ପହଂଚିବା ପାଇଁ କେତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ତାହା ପ୍ରଶାସନର ନଜରକୁ ଆସୁନାହିଁ।

ତେବେ ଏପରି ଗୁରୁତର ସମସ୍ୟାର ସମାଧାନ ଦିଗରେ ବାଣପୁର ତହସିଲଦାର, ବିଡ଼ିଓ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ପୂର୍ତ୍ତ ବିଭାଗ ଆଦି ମୌନ ରହିବା ସାଧାରଣରେ ସନ୍ଦେହ ସୃଷ୍ଟିକରୁଛି। ଉକ୍ତ ଅଧିକାରୀମାନେ ଦିନତମାମ ଏହି ରାସ୍ତା ଦେଇ ଯାତାୟାତ କରୁଥିବାବେଳେ ଉକ୍ତ ସମସ୍ୟା ପ୍ରତି ତିଳେହେଲେ ଖାତିର ନକରିବା ସାଧାରଣରେ ନାପସନ୍ଦ କରାଯାଇଛି।

ଏ ବିଷୟ ନେଇ ଆମ ପ୍ରତିନିଧି ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଉପ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ। ଉକ୍ତ ଘଟଣାରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଅପରିହାର୍ଯ୍ୟ ହୋଇପଡିଛି। ତେବେ ଯଥାଶୀଘ୍ର ଯଦି ଉକ୍ତ ସମସ୍ୟାର ସମାଧାନ ନହୁଏ ତେବେ ବାଣପୁର ଜନସାଧାରଣମାନେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି। ତତସହିତ ଯଦି ଆଗକୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ତେବେ ସେଥିପାଇଁ ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବେ ବୋଲି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ନବଜାତ ଶିଶୁକୁ କୋଭିଡରୁ ସୁସ୍ଥ କଲେ ସମ୍ ଅଲ୍ଟିମେଟ ମେଡିକେୟାରର ଡାକ୍ତର

ଭୁବନେଶ୍ୱର: କୋଭିଡ୍ ପଜିଟିଭ୍ ମା’ଙ୍କ ଠାରୁ ଜନ୍ମ ଗ୍ରହଣ କରିବା ପରେ କରୋନା ସଂକ୍ରମିତ ହୋଇଥିବା ମାତ୍ର ୧ ସପ୍ତାହର ନବଜାତ ଶିଶୁକୁ ସୁସ୍ଥ କଲେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର। ଏକ ଘରୋଇ ଡାକ୍ତରଖାନାରେ ଜନ୍ମନେଇଥିବା ଶିଶୁଟି ମାଙ୍କ ଠାରୁ କୋଭିଡ ସଂକ୍ରମିତ ହୋଇ ଗୁରୁତର ଅବସ୍ଥାରେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତ୍ତି ହୋଇଥିଲା।

ଡାକ୍ତରମାନେ ତାର ଜୀବନ ରକ୍ଷା କରିବା ପାଇଁ ଆପ୍ରାଣ ଉଦ୍ୟମ କରିବା ସହ ଉତ୍ତମ ଚିକିତ୍ସା ପ୍ରଦାନ କରି ଶିଶୁଟିକୁ ସୁସ୍ଥ କରିପାରିଛନ୍ତି। ୩୩ ସପ୍ତାହ ଗର୍ଭବତୀ ଥିବା କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିବା ମା ଠାରୁ ଶିଶୁଟି ଜନ୍ମ ଗ୍ରହଣ କରିଥିଲା। ଶିଶୁଟି ଜନ୍ମହେବାପରେ କାନ୍ଦିଥିଲା ଏବଂ ତାକୁ ମା ନିକଟକୁ ଅଣାଯାଇଥିଲା। ତେବେ ଏହାର ଦ୍ୱିତୀୟ ଦିନରେ ମା’ଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଥିଲା, ସେପଟେ ଶିଶୁଟି ମଧ୍ୟ ଅସୁସ୍ଥ ହେବା ସହ ତାକୁ ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇଥିଲା ଏବଂ ତାକୁ ତୁରନ୍ତ ଏନଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ମା’ କୁ ତୁରନ୍ତ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତ୍ତି କରାଯାଇ ଭେଂଟିଲେଟରରେ ରଖାଯାଇଥିଲା। ଶିଶୁଟିର ଅବସ୍ଥା ମଧ୍ୟ ଗୁରୁତର ହୋଇପଡ଼ିବାରୁ ତାକୁ ମଧ୍ୟ ସମ୍ ଅଲ୍ଟିମେଟ୍ ଅଣାଯାଇଥିଲା। ହସ୍ପିଟାଲର ପେଡିୟାଟ୍ରିକ ଓ ନିଓନଟୋଲୋଜି ବିଭାଗର ଆସୋସିଏଟ କନସଲଟାଂଟ ଡ. ବିଚିତ୍ରାନନ୍ଦ ରାଉତ ଏବଂ ତାଙ୍କ ଟିମ୍ ଶିଶୁଟିର ଚିକିତ୍ସା ଆରମ୍ଭ କରିବା ସହ ପରୀକ୍ଷା ନିରୀକ୍ଷା କରିଥିଲେ।

ତେବେ କୋଭିଡ ସଂକ୍ରମଣ ହେବାପରେ ଶିଶୁମାନଙ୍କ କ୍ଷେତ୍ରରେ ନିଓନାଟାଲ ମଲ୍ଟିସିଷ୍ଟମ ଇନଫ୍ଲାମାଟୋରୀ ସିଣ୍ଡ୍ରୋମ ଭଳି ବିରଳ ଅବସ୍ଥା ଏହି ଶିଶୁଠାରେ ଦେଖାଦେଇଥିବା ଜଣାପଡ଼ିଥିଲା। ପ୍ରାୟତଃ ନବଜାତ କୋଭିଡ ସଂକ୍ରମିତ ଶିଶୁମାନଙ୍କ କ୍ଷେତ୍ରରେ କୌଣସି ଲକ୍ଷଣ ଦେଖାଯାଇନଥାଏ ଅଥବା ସାମାନ୍ୟ ଲକ୍ଷଣ ସୃଷ୍ଟି ହୋଇଥାଏ।

ତେବେ ଅତ୍ୟଧିକ ଲକ୍ଷଣ ଅଥବା ନିଓନାଟାଲ ଏମଆଇଏସସି ଦେଖାଯିବା ଖୁବ୍ ବିରଳ
ବୋଲି ଡାକ୍ତର ରାଉତ କହିଛନ୍ତି । ଶିଶୁଟି ଉତମ ଚିକିତ୍ସା ପାଇବା ପରେ ମାତ୍ର ଦୁଇ ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ ହେବାରେ ସକ୍ଷମ ହୋଇଛି। ଚିକିତ୍ସା କରିବାର ଦ୍ୱିତୀୟ ଦିନରେ ହିଁ ଶିଶୁଟି ଖାଦ୍ୟ ଖାଇପାରିଥିଲାବୋଲି ଡାକ୍ତର ରାଉତ କହିଛନ୍ତି।

ସୂଚନାଯୋଗ୍ୟ ଯେ ଶିଶୁଟିର ମା’ଙ୍କର ସ୍ୱାସ୍ଥ୍ୟାବସ୍ଥାରେ ମଧ୍ୟ ସୁଧାର ଆସୁଛି ଏବଂ ବର୍ତ୍ତମାନ ତାଙ୍କୁ ଭେଂଟିଲେଟରରୁ ବାହାରକୁ ଅଣାଯାଇଥିବା ଜଣାପଡ଼ିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଡେଲଟା ପ୍ଲସ ଭାରିଆଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ 3ଟି ରାଜ୍ୟକୁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ନୂଆଦିଲ୍ଲୀ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଧ୍ୟପ୍ରଦେଶ, କେରଳ ଏବଂ ମହାରାଷ୍ଟ୍ରର ମୁଖ୍ୟ ସଚିବମାନଙ୍କୁ ଡେଲଟା ପ୍ଲସ୍ ଭାରିଆଣ୍ଟ ନିୟନ୍ତ୍ରଣ ପାଇଁ ଦେଲେ ନିର୍ଦ୍ଦେଶ। ଯେଉଁ ସ୍ଥାନରେ ଏହି ଭାଇରସ ଆକ୍ରାନ୍ତ ଦେଖାଯାଇଛନ୍ତି ସେହି ଅଞ୍ଚଳକୁ ତୁରନ୍ତ ନିୟନ୍ତ୍ରଣକୁ ଆଣ।  ଏହି ଭାରିଆଣ୍ଟିଟି ଚିନ୍ତାଜନକ ହୋଇଥିବାରୁ ତୁରନ୍ତ ନିୟନ୍ତ୍ରଣ ପଦକ୍ଷେପ ନେବାକୁ କହିଛନ୍ତି।

ଏହି ତିନୋଟି ରାଜ୍ୟକୁ ଗହଳି ଏବଂ ଚଲାଚଳକୁ ରୋକିବା, ଗଣପରୀକ୍ଷଣ, ଶୀଘ୍ର ଯୋଗାଯୋଗ ଅନୁସନ୍ଧାନ ଏବଂ ବିଳମ୍ବ ନକରି ପ୍ରାଥମିକତା ଭିତ୍ତିରେ ଟୀକାକରଣ ଭଳି ପଦକ୍ଷେପ ନେବାକୁ କୁହାଯାଇଛି। ମହାମାରୀ ସମ୍ବନ୍ଧୀୟ କ୍ଲିନିକାଲ ପରୀକ୍ଷଣ ପାଇଁ ନିର୍ଦ୍ଦିଷ୍ଟ ଲାବୋରେଟୋରୀକୁ ତୁରନ୍ତ ଉପଯୁକ୍ତ ପରିମାଣର ନମୁନା ପଠାଇବାକୁ ମଧ୍ୟ ରାଜ୍ୟମାନଙ୍କୁ କୁହାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଗୋଷ୍ଠୀ ଅଂଶଗ୍ରହଣ ଉପରେ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନାରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାମାରୀର ପ୍ରଭାବ ସତ୍ତ୍ବେ ଓଡିଶା ବିଭିନ୍ନ ବିପର‌୍ୟ୍ୟୟର ଉତ୍ତମ ମୁକାବିଲା କରି ବିଶ୍ବସ୍ତରରେ ପ୍ରଶଂସାର ପାତ୍ର ହୋଇପାରିଛି । ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ନୀତି ହେଉଛି ‘ସବୁ ଜୀବନ ମୂଲ୍ୟବାନ’ । ଏହାସହିତ ସରକାରଙ୍କ ସବୁ ବିଭାଗ ସମନ୍ବିତ ଭାବେ କାମ କରିବାର ଆଭିମୁଖ୍ୟ ନେଇ (Whole of Government Approach) ନେଇ ଆମର ବିପର୍ଯ୍ୟୟ ପରିଚାଳନା ନୀତି କାର‌୍ୟ୍ୟକାରୀ କରାଯାଉଛି। ଏହାଦ୍ବାରା ସବୁଠାରୁ ଭଲ ପଦକ୍ଷେପ ନିଆଯାଇ ବିପର‌୍ୟ୍ୟୟର ପ୍ରଭାବକୁ କମ୍ କରାଯାଇପାରିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଆମ ଦେଶରେ ସବୁଠାରୁ ବିପର‌୍ୟ୍ୟୟ ପ୍ରବଣ ରାଜ୍ୟ ମାନଙ୍କ ମଧ୍ୟରେ ଅନ୍ୟତମ। ବନ୍ୟା, ବାତ୍ୟା, ମରୁଡି ଆଦି ବିଭିନ୍ନ ପ୍ରକାର ବିପର‌୍ୟ୍ୟୟ ଆମେ ନିୟମିତ ଭାବରେ ସାମ୍‌ନା କରିଆସୁଛୁ । ଜଳବାୟୁ ପରିବର୍ତ୍ତନ ଯୋଗୁ ବିପର‌୍ୟ୍ୟୟର ତୀବ୍ରତା ବଢିବା ସହିତ ଅଧିକ ସଂଖ୍ୟକ ବିପର‌୍ୟ୍ୟୟ ଦେଖାଦେଉଛି । ୨୦୨୦-୨୧ରେ ଆମ ରାଜ୍ୟ ମହାବାତ୍ୟା ଅମ୍ଫନ ଓ ବାତ୍ୟା ୟାସ୍‌ର ସାମ୍‌ନା କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ବାରମ୍ବାର ଆସୁଥିବା ବାତ୍ୟା ପ୍ରତିରୋଧ ପାଇଁ ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା କରିବାକୁ ବହୁ ପରିମାଣର ଅର୍ଥ ବିନିଯୋଗର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ଏ ସଂପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛୁ ।

ବର୍ତ୍ତମାନ ଓଡିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବ ଆରମ୍ଭ ହୋଇଗଲାଣି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜୁନ୍‌ରୁ ଅକ୍ଟୋବର ପର‌୍ୟ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସମୟ । ଏହି ସମୟରେ ବାତ୍ୟା, ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେଇପାରେ । ସମ୍ଭାବ୍ୟ ବିପର୍ଯ୍ୟୟକୁ ଆଖିଆଗରେ ରଖି ଆମର ପ୍ରସ୍ତୁତି ବ୍ୟବସ୍ଥାକୁ ସମୀକ୍ଷା କରି ଯେକୌଣସି ପ୍ରକାର ପରିସ୍ଥିତିର ସାମ୍‌ନା କରିବାକୁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ପ୍ରାକ୍ ସୂଚନା ବ୍ୟବସ୍ଥା, ଉଦ୍ଧାର ଓ ରିଲିଫ କାଯ୍ୟକ୍ରମ, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ଓ ପ୍ରାଣୀସେବା ଆଦି ସମସ୍ତ ବ୍ୟବସ୍ଥା ଠିକ୍ ଭାବେ ପ୍ରସ୍ତୁତ ରହିବା ଆବଶ୍ୟକ। ଓଡ୍ରାଫ ଓ ଅଗ୍ନିସେବା ୟୁନିଟ ଗୁଡିକ ତୁରନ୍ତ ପଦକ୍ଷେପ ନେବାପାଇଁ ସତର୍କ ହୋଇ ରହିବା ଜରୁରୀ । ବିପଦସଂକୁଳ ଓ ଅଗମ୍ୟ ଅଂଚଳରେ ଯଥେଷ୍ଟ ପରିମାଣରେ ଖାଦ୍ୟ ପଦାର୍ଥ ଏବଂ ଗୋଖାଦ୍ୟ ମହଜୁଦ କରି ରଖିବା ଜରୁରୀ । ବିପର‌୍ୟ୍ୟୟ ସମୟରେ ସବୁଜ ଗୋଖାଦ୍ୟର ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ବ ଦେବା ସହିତ ପ୍ରାଣୀସେବା କ୍ୟାମ୍ପ ଆୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ସବୁ ଜିଲ୍ଲା ଓ ସଂପୃକ୍ତ ବିଭାଗ ଗୁଡିକରେ କଣ୍ଟ୍ରୋଲ ରୁମ୍ ଗୁଡିକ ୨୪ ଘଣ୍ଟା ଖୋଲା ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ରିଲିଫ ଓ ଉଦ୍ଧାର କାର‌୍ୟ୍ୟ ସମୟରେ ଗର୍ଭବତୀ ମହିଳା, ଭିନ୍ନକ୍ଷମ ଓ ମାନସିକ ଅନଗ୍ରସର ବ୍ୟକ୍ତିବିଶେଷ, ଛୋଟପିଲା, ବିଧବା ମହିଳା ଓ ବୟୋଜ୍ୟେଷ୍ଠ ଲୋକଙ୍କୁ ସ୍ବତନ୍ତ୍ର ଧ୍ୟାନ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଲୋକଙ୍କୁ ଖୋଜିବା ଓ ଉଦ୍ଧାର କରିବା, ପ୍ରାଥମିକ ଚିକିତ୍ସା, ରିଲିଫ ବ୍ୟବସ୍ଥା, ଅତ୍ୟାବଶ୍ୟକ ସେବା ସଂପର୍କିତ ଭିତ୍ତିଭୂମିର ତୁରନ୍ତ ମରାମତି ଓ ପୁନରୁଦ୍ଧାର ଏବଂ ଉଜୁଡି ଯାଇଥିବା ଜୀବିକାର ପୁନଃସଂସ୍ଥାନ ଆଦି ସବୁ ବିଷୟ ଗୁଡିକୁ ଧ୍ୟାନ ଦେଇ ତୁରନ୍ତ କାର‌୍ୟ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ମାନବୀୟ ଦୃଷ୍ଟିକୋଣରୁ ସହାୟତା ପାଇବା ହେଉଛି ବିପର‌୍ୟ୍ୟୟ ପ୍ରଭାବିତ ଲୋକମାନଙ୍କର ଅଧିକାର । ଏହି ଆଭିମୁଖ୍ୟ ନେଇ ବିପର‌୍ୟ୍ୟୟ ପ୍ରଭାବିତ ଲୋକମାନଙ୍କୁ ଠିକ୍ ସମୟରେ ସହାୟତା ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିପର‌୍ୟ୍ୟୟ ପରିଚାଳନାରେ ଗୋଷ୍ଠୀ ଅଂଶଗ୍ରହଣ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ସମସ୍ତ ବିପର‌୍ୟ୍ୟୟ ପ୍ରବଣ ଅଂଚଳରେ ଗୋଷ୍ଠୀମାନଙ୍କର ଅଂଶଗ୍ରହଣକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିପର‌୍ୟ୍ୟୟ ପରିଚାଳନା ସଂପର୍କରେ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା ଏବଂ ସରକାରୀ କର୍ମଚାରୀ ଓ ପ୍ରତିନିଧି ମାନଙ୍କ ପ୍ରଶିକ୍ଷଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହିତ ପ୍ରକୃତିର ବିଭୀଷିକାର ମୁକାବିଲା ପାଇଁ ଆମର ସମାଜ ସବୁବେଳେ ପ୍ରସ୍ତୁତ ରଖିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଆଲୋଚନାରେ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ବିଧାୟକ ଶ୍ରୀ ନରସିଂହ ମିଶ୍ର,ବିଧାୟକ ଶ୍ରୀ ଜୟନ୍ତ ଷଡଙ୍ଗୀ, ବିଧାୟକ ଶ୍ରୀ ପ୍ରତାପ କେଶରୀ ଦେଓ, ବିଧାୟକ ଶ୍ରୀ ଅନନ୍ତ ଦାସ ପ୍ରମୁଖ ଭାଗ ନେଇ ବିପର‌୍ୟ୍ୟୟ ମୁକାବିଲା ନିମନ୍ତେ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିଲେ ।

ଅର୍ଥ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ତାଙ୍କର ପ୍ରାରମ୍ଭିକ ଭାଷଣରେ ବିପର‌୍ୟ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ. ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ବୈଠକରେ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ବିଧାୟକ, ମୁଖ୍ୟ ଶାସନ ସଚିବ ,ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ତଥା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ଅପରାଧ ଆଜିର ଖବର ଜାତୀୟ ଖବର ବ୍ୟବସାୟ

ସରକାରୀ ବ୍ୟାଙ୍କରେ ଜମା ହେଲା ପଳାତକ ଘୋଷିତ ବ୍ୟବସାୟୀଙ୍କ ୯ ହଜାର ୩୭୧ କୋଟି ଟଙ୍କା

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା, ନୀରବ ମୋଦୀ ଏବଂ ମେହୁଲ ଚୋକସିଙ୍କ ମୋଟ ୯ ହଜାର ୩୭୧ କୋଟି ଟଙ୍କାର ସମ୍ପତ୍ତିକୁ ସରକାରୀ ବ୍ୟାଙ୍କରେ ଜମା ହୋଇଯାଇଛି। ଫଳରେ ସେମାନଙ୍କ ଠକାମି ଯୋଗୁଁ ବ୍ୟାଙ୍କକୁ ହୋଇଥିବା କ୍ଷତି ଟଙ୍କାର ଭରଣ ହୋଇପାରିବ।

ଉଲ୍ଲେଖ ଯୋଗ୍ୟ ଯେ, ବିଜୟ ମାଲ୍ୟା, ନୀରବ ମୋଦୀ ଏବଂ ମେହୁଲ ଚୋକସି ପବ୍ଲିକ ସେକ୍ଟର ବ୍ୟାଙ୍କକୁ ଧୋକା ଦେଇ ୨୨ ହଜାର ୫୮୫ କୋଟି ୮୩ ଲକ୍ଷ ଟଙ୍କା ଲୁଟିନେଇ ବିଦେଶ ଚାଲିଯାଇଥିଲେ। ଏହାପରେ କେନ୍ଦ୍ର ସରକାର ପକ୍ଷରୁ ସେହି ତିନିଜଣ ବ୍ୟବସାୟୀଙ୍କୁ ପଳାତକ ଘୋଷଣା କରାଯାଇ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରୟାସ ଜାରି କରାଯାଇଥିଲା।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏନେଇ ପଳାତକଙ୍କ ସମ୍ପତ୍ତି ଉପରେ ତଦନ୍ତ କରି ୧୮ ହଜାର ୧୭୦ କୋଟି ଟଙ୍କା ଜବତ କରିଥିଲା। ଯାହାର ମୂଲ୍ୟ ବ୍ୟାଙ୍କରୁ ଲୁଟିଥିବା ମୂଲ୍ୟର ୮୦.୪୫ ପ୍ରତିଶତ ଥିଲା। ଏହି ସମ୍ପତ୍ତି ମଧ୍ୟରୁ କିଛି ସମ୍ପତ୍ତି ନକଲି କମ୍ପାନୀ, ତୃତୀୟ ପକ୍ଷ, ସମ୍ପର୍କୀୟ ଏବଂ କିଛି ଟ୍ରଷ୍ଟ ନାମରେ ସେମାନେ ରଖିଥିବା ତଦନ୍ତ ସମୟରେ ଇଡି ଜାଣିପାରିଥିଲା।

ତେବେ ଇଡି ପକ୍ଷରୁ ଜବତ ହୋଇଥିବା ମୋଟ ସମ୍ପତ୍ତି ମଧ୍ୟରୁ ୯ ହଜାର ୩୭୧ କୋଟି ୧୭ ଲକ୍ଷ ଟଙ୍କା ସରକାରୀ ବ୍ୟାଙ୍କକୁ ସ୍ଥାନାନ୍ତରିତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ହେବନି ରଥଯାତ୍ରା: ଓଡିଶା ଉଚ୍ଚ ନ୍ୟାୟାଳୟ

କଟକ: ପୁରୀ ବ୍ୟତୀତ ରାଜ୍ୟର ଆଉ କୌଣସି ସ୍ଥାନରେ ରଥଯାତ୍ରା ହେବ ନାହିଁ। ଏନେଇ ଓଡିଶା ଉଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି। ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶନାମା ମାନିବାକୁ ଉଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେଇଛନ୍ତି। ଓଡିଶା ସରରକରଙ୍କ ଏସମ୍ପର୍କିତ ବିଷୟରେ ହସ୍ତକ୍ଷେପ କରିବା ପାଇଁ ଉଚ୍ଚ ନ୍ୟାୟାଳୟ ମନା କରିଦେଇଛନ୍ତି।

ରାଜ୍ୟରେ କେତେକ ସ୍ଥାନରେ ରଥଯାତ୍ରା କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଇଥିଲା। ହେଲେ ଉଚ୍ଚ ନ୍ୟାୟଳୟ ଏହି ସବୁ ଆବେଦନକୁ ଖାରଜ କରିଦେଇଛନ୍ତି। କେବଳ ପୁରୀରେ ରଥଯାତ୍ରା ହେବା ପାଇଁ ଉଚ୍ଚ ନ୍ୟାୟାଳୟ ସ୍ବୀକୃତି ପ୍ରକାଶ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ତୃତୀୟ ଲହରୀ ଆଣିବ କି ଡେଲ୍ଟା ପ୍ଲସ ଭ୍ୟାରିଏଣ୍ଟ?: ଦେଶରେ ଚିହ୍ନଟ ହେଲେଣି ୪୦ ଆକ୍ରାନ୍ତ, ମହାରାଷ୍ଟ୍ରରେ ସର୍ବାଧିକ

ନୂଆଦିଲ୍ଲୀ: ଦ୍ଵିତୀୟ ଲହରୀରେ କରୋନାର ଡେଲ୍ଟା ଭ୍ୟାରିଏଣ୍ଟ ଦେଶରେ ଲକ୍ଷାଧିକ ଲୋକଙ୍କ ଜୀବନ ନେଇଛି। ଏହାର ପ୍ରଭାବ ଏବେ ବି ଥମିନଥିବା ବେଳେ କରୋନାର ଡେଲ୍ଟା ପ୍ଲସ ଭ୍ୟାରିଏଣ୍ଟକୁ ନେଇ ଚିନ୍ତା ବଢାଇଛି। ଡେଲ୍ଟା ଭ୍ୟାରିଏଣ୍ଟ ଠାରୁ ଏହା ଆହୁରି ବିପଦ ଜନକ ବୋଲି କୁହାଯାଉଛି। ଡେଲ୍ଟା ପ୍ଲସ ଭ୍ୟାରିଏଣ୍ଟ ଯୋଗୁଁ ଦେଶରେ ତୃତୀୟ ଲହରୀ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ଦେଶରେ ଏହି ନୂଆ ଭ୍ୟାରିଏଣ୍ଟ ଚିହ୍ନଟ ହେବା ଦ୍ଵାରା ଲୋକଙ୍କ ମନରେ ଭୟାର ବାତାବରଣ ଦେଖାଗଲାଣି। ଦେଶରେ ଡେଲ୍ଟା ଭ୍ୟାରିଏଣ୍ଟର ଏପର୍ଯ୍ୟନ୍ତ ୪୦ ରୁ ଉର୍ଦ୍ଧ୍ଵ ମାମଲା ଚିହ୍ନଟ ହୋଇଛି।

ତନ୍ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ଦେଶର ୩ ଟି ରାଜ୍ୟରେ ଡେଲ୍ଟା ପ୍ଲସ ଭ୍ୟାରିଏଣ୍ଟ କେସ ଦେଖିବାକୁ ମିଳିଛି। କେରଳ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ଏହି ନୂଆ ଭ୍ୟାରିଏଣ୍ଟ କେସ ଚିହ୍ନଟ ହୋଇଛି।

ଏହାସହ ଅନ୍ୟ ରାଜ୍ୟକୁ ଧୀରେ ଧୀରେ ଏହି ଭୁତାଣୁ ବ୍ୟାପୁଥିବା କୁହାଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୨୧ ଜଣ ଚିହ୍ନଟ ହୋଇଥିବା ବେଳେ ମଧ୍ୟପ୍ରଦେଶରେ ୬ ଜଣ, କେରଳରେ ୩ ଜଣ, ତାମିଲନାଡୁରେ ୩ ଜଣ ଏବଂ ପଞ୍ଜାବ, ଆନ୍ଧ୍ରପ୍ରଦେଶ, ଜାମୁ-କାଶ୍ମୀରରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲିପାଟଣା ଅଞ୍ଚଳରେ ସର୍ବାଧିକ ବର୍ଷା, ଜାଣନ୍ତୁ କଟକ ଭୁବନେଶ୍ବରର କେଉଁ ସ୍ଥାନରେ କେତେ ବର୍ଷା

ଭୁବନେଶ୍ବର, ଗତ 24 ଘଣ୍ଟା ମଧ୍ୟରେ ରାଜଧାନୀରେ ପ୍ରବଳ ବର୍ଷା ଲାଗି ରହିଛି। ଭୁବନେଶ୍ବର ପାଣିପାଗ ବିଭାଗର ସୂଚନା ଅନୁସାରେ ଭୁବନେଶ୍ବରର ଏୟାରପୋର୍ଟ ଅଞ୍ଚଳରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଏହି ଅଞ୍ଚଳରେ ଗତ 24 ଘଣ୍ଟାରେ 113.2 ମିଲିମିଟର ବର୍ଷା ହୋଇଛି।

ସେହିପରି କଟକ ସହରର କଣ୍ଟାପଡାରେ 190 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସାଲେପୁରରେ ମଧ୍ୟ 101 ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍: ଦେଶରେ ୩ କୋଟି ଅତିକ୍ରମ କଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୫୦ ହଜାର ୮୪୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୩୫୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୨୮ ହଜାର ୭୩୯ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୦ ହଜାର ୬୬୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୯ ଲକ୍ଷ ୯୪ ହଜାର ୮୫୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୬ ଲକ୍ଷ ୪୩ ହଜାର ୧୯୪ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ପ୍ରବଳ ବର୍ଷା, କେନ୍ଦ୍ରାପଡାରେ ସର୍ବାଧିକ ବର୍ଷା ରେକର୍ଡ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ

ଭୁବନେଶ୍ବର, ରାଜ୍ୟରେ ଗତକାଲିଠାରୁ ପ୍ରବଳ ବର୍ଷା ଲାଗିରହିଛି। ଫଳରେ ଜନଜୀବନ ବାଧାପ୍ରାପ୍ତ ହୋଇଛି। ଭୁବନେଶ୍ବର ପାଣିପାଗବିଭାଗ ତରଫରୁ ରେକର୍ଚ କରାଯାଇଥିବା ବର୍ଷାର ପରିମାଣ ଅନୁସାରେ କେନ୍ଦ୍ରାପଡାର ସର୍ବାଧିକ ରେକର୍ଡ କରାଯାଇଛି। ମାର୍ସାଘାଇରେ ହୋଇଥିବା ରେକର୍ଡ ଅନୁସାରେ ଜିଲ୍ଲାରେ 225 ମିଲିମିଟର ବର୍ଷା ହୋଇଛି। ସେହିପରି ଗତକାଲି କଟକ ଜିଲ୍ଲାରେ 190 ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ପାଣିପାଗ ବିଭାଗ ଅନୁସାରେ ଗତକାଲି 9ଟି ଜିଲ୍ଲାରେ ଶହେ ମିଲିମିଟର ଉପରେ ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ବରରେ ଗତକାଲି 113.2 ମିଲିମିଟର ବର୍ଷା ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚଳିତ ବର୍ଷ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସିଲାବସ ୩୦ ପ୍ରତିଶତ କମିବ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: କରୋନା ଯୋଗୁଁ ଚଳିତ ବର୍ଷ ମଧ୍ୟ ଛାତ୍ରଛାତ୍ରୀଙ୍କ ସିଲାବସକୁ ୩୦ ପ୍ରତିଶତ ହ୍ରାସ କରାଯିବ। ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ୩୦ ପ୍ରତିଶତ ସିଲାବସ କମିବ। ଏନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ବର୍ତ୍ତମାନ ସାରା ରାଜ୍ୟରେ ଅନଲାଇନରେ ପାଠ ପଢା କାର୍ଯ୍ୟକ୍ରମ ଚାଲିଛି। ହେଲେ ରାଜ୍ୟରେ ସ୍କୁଲ କେବେ ଖୋଲିବ, ତାହା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। କରୋନା ସ୍ଥିତି ଦେଖି ଏହା ଉପରେ ବିଚାର କରାଯିବ ବୋଲି ଶ୍ରୀ ଦାଶ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୪୬ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୩୭୧୬ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୬ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୭୧୬ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୭ ଜଣ, ବରଗଡ, କଟକ, ପୁରୀ ଜିଲ୍ଲାରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଝାରସୁଗୁଡା, ସମ୍ବଲପୁର ଜିଲ୍ଲାରୁ ୪ ଜଣ ଲେଖାଏଁ, ଜଗତସିଂହପୁର, କଳାହାଣ୍ଡି ଏବଂ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କନ୍ଧମାଳ, କୋରାପୁଟ, ସୋନପୁର ଓ କେନ୍ଦ୍ରାପଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୬ ହଜାର ୯୪୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୪୮ ହଜାର ୯୬୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୪ ହଜାର ୨୧୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୭୧୬ କୁ ବୃଦ୍ଧି ହୋଇଛି।