Categories
ବିଶେଷ ଖବର

୫-ଟି ଅଧ୍ୟକ୍ଷଙ୍କ ହିଞ୍ଜିଳି ଗସ୍ତ: ଆସନ୍ତା ଏକ ବର୍ଷ ମଧ୍ୟରେ ୯୯ ପ୍ରତିଶତ ଚାଷ ଜମିକୁ ଦିଆଯିବ ଜଳସେଚନ ସୁବିଧା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଆଜି ହିଞ୍ଜିଳି ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହିତ ଉନ୍ନୟନମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିଛନ୍ତି। ଏହି ଅବସରରେ ହିଞ୍ଜିଳିବାସୀ ତାଙ୍କୁ ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି ।

ଆଜି ଅପରାହ୍ନରେ ଶ୍ରୀ ପାଣ୍ଡିଆନ୍ ସର୍ବ ପ୍ରଥମେ ହିଞ୍ଜିଳିକାଟୁ ଗସ୍ତରେ ଯାଇ ପୋଚିଲିମା ଖମ୍ବେୟା ଦୋରା ଜୁନିୟର ବିଜ୍ଞାନ ମହାବିଦ୍ୟାଳୟର ରୂପାନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏଥିପାଇଁ ୧୮୧.୨୩ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି। ଏହି ରୂପାନ୍ତର ଠିକ୍‌ ସମୟରେ ଶେଷ ହୋଇ ଥିବାରୁ  ସେ ଅଧିକାରୀ ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ।

ସେହିଠାରୁ ସାରୁ ଛକ ଏବଂ ମକରଝୋଳ ଛକ ଦେଇ ଗସ୍ତ କରିବା ବେଳେ ବିପୁଳ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଉତ୍ସାହର ସହିତ ସ୍ବାଗତ ଜଣାଇଥିଲେ ।

ଶ୍ରୀ ପାଣ୍ଡିଆନ୍ ହିଞ୍ଜିଳିକାଟୁ ମିନି  ଷ୍ଟାଡିୟମ୍ ଠାରେ ହିଞ୍ଜିଳିକାଟୁ, ଶେରଗଡ ବ୍ଲକ୍ ଏବଂ ହିଞ୍ଜିଳିକାଟୁ ପୌରପରିଷଦ ଅଞ୍ଚଳ ସ୍ଥିତ ମହାବିଦ୍ୟାଳୟର ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ  । ସେହିଠାରୁ ବିଜୁ ପଟ୍ଟନାୟକ ଛକ ନିକଟରେ ସ୍ଥାପିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ  । ଖଣ୍ଡରା ଛକ, ବୁରୁପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଛକ, ମାରୁଡି ଛକ, ଗୋବିନ୍ଦପୁର, ପଥରାଭାଜି ଛକ, ସୁନାଥର ଛକ, ଶୋଳଷଳା ଛକ, ତାକରଡା, ଶେରଗଡ ଚାରିଛକ ଠାରେ ବିପୁଳ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା, ଲୋକପ୍ରତିନିଧି ଓ ସମର୍ଥକଗଣ ତାଙ୍କର ଏହି ଗସ୍ତକୁ ସ୍ବାଗତ ଜଣାଇ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ  ।

ଶେରଗଡସ୍ଥିତ ଗ୍ରାମ୍ୟ ଶିଳ୍ପ ପାର୍କ ଠାରେ ମିଶନ୍ ଶକ୍ତି ମା ମାନଙ୍କ ସହିତ ସେମାନଙ୍କ ଜୀବନ ଜୀବିକା  ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ  । ଗ୍ରାମ୍ୟ ଶିଳ୍ପ ପାର୍କର ରଣନୀତି ଓ ବିଭିନ୍ନ ସମସ୍ୟାର ସମାଧାନ କରି ଗ୍ରାମାଞ୍ଚଳରେ ବଜାର ଦ୍ବାରା ପରିଚାଳିତ ଜୀବିକା ସୁଯୋଗ ସମ୍ପର୍କରେ ସେ ଆଲୋଚନା କରିଥିଲେ  ।

ଉଦ୍ୟୋଗୀ ମାନଙ୍କୁ ଶିଳ୍ପ କ୍ଷେତ୍ରରେ ପ୍ରେରଣା, ଚାକିରୀ ସୁଯୋଗ ସୃଷ୍ଟି କରିବା ଏବଂ ରାଜ୍ୟର ଅର୍ଥ ନୈତିକ ଉନ୍ନତିର ବିକାଶ ଧାରା କିଭଳି ବୃଦ୍ଧି ହେବ ସେଥି ନିମନ୍ତେ ଉଦ୍ଦିଷ୍ଟ ଗ୍ରାମ୍ୟ ଶିଳ୍ପ ନିମନ୍ତେ ପ୍ରୋତ୍ସାହିତ କରିଥିଲେ  । ପୋଷାକ ତିଆରି କରିବା ୟୁନିଟ୍, ବଫେ କପ୍ ପ୍ଲେଟ୍ ପ୍ରସ୍ତୁତ ୟୁନିଟ୍, ଫୁଲଚାଷ, ବିୟୁଟି ପାର୍ଲର, ମକା ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍, ତୈଳ ଉତ୍ପାଦନ ୟୁନିଟ୍, ବେକରି ୟୁନିଟ୍, ଜୋତା ପ୍ରସ୍ତୁତ ୟୁନିଟ୍ ର କାର୍ଯ୍ୟରତ ସଭ୍ୟା ଏବଂ ଏହି କାର୍ଯ୍ୟରେ ଯୋଡି ହେବାକୁ ଯାଉଥିବା ସଭ୍ୟା ମାନଙ୍କ ସହିତ ଆଲୋଚନା କରିଥିଲେ  ।

ଶେରଗଡ ବ୍ଲକ୍ କାର୍ଯ୍ୟାଳୟ ଠାରେ   ଶେରଗଡ ଓ ହିଞ୍ଜିଳିକାଟୁ ବ୍ଲକ୍ ଅଞ୍ଚଳର ହିତାଧିକାରୀ କୃଷକ  ମାନଙ୍କ ସହିତ ସେମାନଙ୍କ ଚାଷ ଜମିରେ ଜଳ ଯୋଗାଣ ସମ୍ପର୍କରେ ଆଲୋଚନା କରିଥିଲେ  । ଚାଷୀ ମାନଙ୍କର ବୃହତ୍ତର ସ୍ୱାର୍ଥ ସାଧନ ତଥା ରୋଜଗାର ବୃଦ୍ଧି ଓ କର୍ମ ସଂସ୍ଥାନ ନିମନ୍ତେ ଅନ୍ୟ ରାଜ୍ୟକୁ ପଳାୟନ ରୋକିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରତି ଏକର ଜଳସେଚନ ସୁନିଶ୍ଚିତ କରାଇବା ପାଇଁ ଏକ ଯୁଗାନ୍ତକାରୀ  ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ କହିଥିଲେ ।

ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧ ବର୍ଷ ମଧ୍ୟରେ ୧୮୬.୪୭ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଜଳସେଚନ ପ୍ରକଳ୍ପ ଜରିଆରେ ଜଳସେଚିତ ଜମିର ପରିମାଣ ୯୩୧୪ ହେକ୍ଟରରୁ ୧୪୧୭୩ ହେକ୍ଟର ଅର୍ଥାତ୍ ଶତକଡା ୫୯.୫୧ରୁ ୯୦.୫୬ ହେକ୍ଟର କୁ ବୃଦ୍ଧି ନିମନ୍ତେ ୬୬ଟି ପ୍ରକଳ୍ପ ମାଧ୍ୟମରେ ୨୧ଟି ଗ୍ରାମପଞ୍ଚାୟତ ଅଞ୍ଚଳରେ କାର୍ଯ୍ୟକାରୀ କରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି  । ସେଥିମଧ୍ୟରୁ ବୃହତ୍ ଓ ମଧ୍ୟମ ଜଳସେଚନ ମାଧ୍ୟମରେ ୨୬୫୨ ହେକ୍ଟର, ହରଭଙ୍ଗୀ ଜଳସେଚନ ପ୍ରକଳ୍ପ ଦ୍ବାରା ଭୂତଳ ପାଇପ୍ ଲାଇନ୍ କ୍ଷୁଦ୍ର ଜଳସେଚନ ମାଧ୍ୟମରେ ୩୩ଟି ପ୍ରକଳ୍ପ, ବୃହତ୍ ଉଠା ଜଳସେଚନ ମାଧ୍ୟମରେ ୧୦୦୦ ହେକ୍ଟର ଓ ଉଠା ଜଳସେଚନ ୩୧ଟି ପ୍ରକଳ୍ପ ମାଧ୍ୟମରେ ୬୫୨ ହେକ୍ଟର ଜମିକୁ ଜଳସେଚନର ସୁବିଧା ଦିଆଯିବ। ସମୁଦାୟ ୨୧ଟି ଗ୍ରାମପଞ୍ଚାୟତ ଅଞ୍ଚଳରେ ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହାଦ୍ଵାରା ଶେରଗଡ ବ୍ଲକର ପ୍ରାୟ ୧୦ ହଜାର ଚାଷୀ ଉପକୃତ ହୋଇପାରିବେ।

୨ୟ ପର୍ଯ୍ୟାୟରେ ଅବଶିଷ୍ଟ  ଜମିକୁ ବିଭିନ୍ନ ଉଠା ଜଳସେଚନ ଯୋଜନା ଦ୍ୱାରା ଜଳସେଚନ କରାଯାଇ ଶତ ପ୍ରତିଶତ ଲକ୍ଷ୍ୟ ଖୁବ୍ ଶୀଘ୍ର ହାସଲ କରାଯିବ ।

ସେହିପରି ହିଞ୍ଜିଳି ପଞ୍ଚାୟତ ସମିତି ଅନ୍ତର୍ଗତ ୧୪୪୭୦ ହେକ୍ଟର ଚାଷୋପଯୋଗୀ ଜମି ମଧ୍ୟରୁ ୧୩,୭୭୯ ହେକ୍ଟର ତଥା ୯୫.୨୨ ଶତକଡା ଅଂଶ ଜମି ବିଭିନ୍ନ ଉତ୍ସ ମାଧ୍ୟମରେ ଜଳ ସେଚିତ ହେଉଅଛି  । ଅବଶିଷ୍ଟ ୬୯୧ ହେକ୍ଟର ଚାଷ ଜମି ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୬୨୧ ହେକ୍ଟର ଜମିକୁ ବିଭିନ୍ନ ବିଭାଗ ଜରିଆରେ ତଥା ବୃହତ୍ ଓ ମଧ୍ୟମ ଜଳସେଚନ ଯୋଜନା ମାଧ୍ୟମରେ ୨୧୯ ହେକ୍ଟର, କ୍ଷୁଦ୍ର ଜଳସେଚନ ମାଧ୍ୟମରେ ୧୧୦ ହେକ୍ଟର ଓ ଉଠା ଜଳସେଚନ ମାଧ୍ୟମରେ ୨୯୨ ହେକ୍ଟର ଏହିପରି ମୋଟ ଶତକଡା ୯୯.୫୦ ଭାଗ ଅଂଶରେ ଜଳସେଚନ ଯୋଗାଇ ଦେବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ନିର୍ଦ୍ଦେଶ ଦେଇଛନ୍ତି  ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ଏଥି ନିମନ୍ତେ ୨୦.୪୫ କୋଟି ବ୍ୟୟ କରାଯାଇ ମୋଟ ୧୩ ଗୋଟି ଗ୍ରାମପଞ୍ଚାୟତ ଅଞ୍ଚଳରେ ୩୭ଟି ପ୍ରକଳ୍ପ ଜରିଆରେ ଲକ୍ଷ୍ୟ ହାସଲ କରାଯିବ  । ଏହା ଦ୍ଵାରା ହିଞ୍ଜିଳି ବ୍ଲକର ପ୍ରାୟ ୨୦୦୦ ଚାଷୀ ଉପକୃତ ହେବେ। ଏହି କାର୍ଯ୍ୟ ଯେଭଳି ଉନ୍ନତ ମାନର ହେବ ଏବଂ ନିର୍ଦ୍ଧାରିତ ସମୟରେ ଶେଷ କରି କାର୍ଯ୍ୟକ୍ଷମ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ  । ଉଭୟ ବ୍ଲକ୍‌ରେ ୨୦୭ କୋଟି ଟଙ୍କା ବ୍ୟୟରେ ୧୦୨ଟି ଜଳସେଚନା ପ୍ରକଳ୍ପ କରାଯିବ ବୋଲି ଶ୍ରୀ ପାଣ୍ଡିଆନଙ୍କ ସମୀକ୍ଷାରୁ ଜଣାଯାଇଛି।

ଶେରଗଡ ଠାରୁ ବ୍ରହ୍ମପୁର ଗସ୍ତ ମଧ୍ୟରେ ଅଲାରଗଡ ଛକ, ପିପିଏମ୍ ପୁର ଗ୍ରାମ୍ୟ ଛକ, ରଙ୍ଗୁଣୀ ପାଲି ଗ୍ରାମ୍ୟ ଛକ, ବଡଖଣ୍ଡି ଆବାସ କଲୋନୀ ଛକ, ସମରଝୋଳ କାଳୀ ମନ୍ଦିର ଛକ, କୁକୁଡାଖଣ୍ଡି ଛକ, ଫାଷ୍ଟ ଗେଟ୍ ଛକ, ବିଜୁ ପଟ୍ଟନାୟକ ପାର୍କ ଠାରେ ବିପୁଳ ସ୍ଥାନୀୟ ଜନ ସାଧାରଣ ଓ ଲୋକ ପ୍ରତିନିଧି ଶ୍ରୀ ପାଣ୍ଡିଆନଙ୍କ ଏହି ଗସ୍ତକୁ ସ୍ବାଗତ ଜଣାଇବା ସହିତ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ  ।

ଶ୍ରୀ ପାଣ୍ଡିଆନ୍ ବ୍ରହ୍ମପୁର ଠାରେ ଅବସ୍ଥିତ ମା’ ବୁଢୀ ଠାକୁରାଣୀ ମନ୍ଦିର ଗସ୍ତ କରିଥିଲେ  । ଓଡିଶା ସରକାରଙ୍କ ସ୍ଥାପତ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ନିମନ୍ତେ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ମା’ ବୁଢୀ ଠାକୁରାଣୀ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ସକାଶେ ୧୮.୯୧ କୋଟି ବ୍ୟୟରେ ମନ୍ଦିର ରେଖା ଦେଉଳ ଶୈଳୀରେ, ତିନିପାର୍ଶ୍ବ ମନ୍ଦିର ପିଢା ଦେଉଳ ଶୈଳୀରେ ନିର୍ମାଣ ହେବାକୁ ଥିବା କାର୍ଯ୍ୟ ଏବଂ ମୁଖ୍ୟ ଫାଟକର ନିର୍ମାଣ, ପୂଜାରୀ କକ୍ଷ, ଦୋକାନ ଗୃହ, ବହୁବିଧ ଗୃହର ନିର୍ମାଣ ସହିତ ପାରିପାର୍ଶ୍ବିକ ଉନ୍ନତି କିଭଳି କରାଯିବ ତାହା ସମୀକ୍ଷା କରି ଏହି କାର୍ଯ୍ୟ ଯଥାଶୀଘ୍ର ତ୍ବରାନ୍ବୀତ କରିବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ  ।

୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି. କାର୍ତ୍ତିକେୟ ପାଣ୍ଡିଆନ୍  ଏହି ଗସ୍ତ ସମୟରେ ଜିଲ୍ଲାର ବହୁ ଲୋକ ପ୍ରତିନିଧି, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଙ୍କ ସମେତ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ଓ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଢେଙ୍କାନାଳ ହିନ୍ଦୋଳ ବ୍ଲକ୍‌ ଦୁଦୁରକୋରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ

ଭୁବନେଶ୍ୱର: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍‌ ଦୁଦୁରକୋଟ ପଞ୍ଚାୟତ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସଭାରେ ଉଦବୋଧନ ଦେଇ ଶ୍ରୀ ରାୟ କହିଛନ୍ତି, ସଂକଳ୍ପ ଯାତ୍ରା ଅବସରରେ ସ୍ଥାନୀୟ ଲୋକମାନେ ମୋଦୀଙ୍କ ଗ୍ୟାରେଣ୍ଟି ଗାଡ଼ିକୁ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରିବା ଉତ୍ସାହଜନକ । ଦେଶର ଅଧିକାଂଶ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗରିବ କଲ୍ୟାଣ ଯୋଜନାଗୁଡ଼ିକ ପହଞ୍ଚି ପାରୁଛି । ହିତାଧିକାରୀମାନେ ଯେଉଁସବୁ ଯୋଜନାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କର ଯାତ୍ରା ରହଣୀ ସ୍ଥଳରେ ପଞ୍ଜୀକରଣ କରାଯାଉଛି। ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କୁ ମୋଦୀଙ୍କ ଯୋଜନାର ଲାଭ ନିଶ୍ଚିତ ଭାବେ ମିଳିବ । ଏସବୁ ଯୋଜନା ସମସ୍ତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାରେ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ବିଶେଷ ଭୂମିକା ରହିଥିବା ସେ ଗୁରୁତ୍ୱାରୋପ କରି କହିଥିଲେ । ପିଏମ୍‌ ଉଜ୍ଜ୍ୱଳା, ସ୍ୱଚ୍ଛ ଭାରତ ଅଭିଯାନ ଆଦିରେ କୋଟି କୋଟି ହିତାଧିକାରୀ ଉପକୃତ ହୋଇଥିବା କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାୟ ମତବ୍ୟକ୍ତ କରିଥିଲେ।

ଯାତ୍ରା ରହଣୀ ସ୍ଥଳରେ ହିନ୍ଦୋଳ ବିଡିଓ, ସ୍ଥାନୀୟ ସରପଞ୍ଚ, ଜନପ୍ରତିନିଧି, ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ । ସମସ୍ତେ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଶପଥ ପାଠ କରିଥିଲେ । ମୋଦୀଙ୍କ ଗ୍ୟାରେଣ୍ଟି ଗାଡ଼ି ବା ଯାତ୍ରା ସଚେତନତା ରଥରେ ଲାଗିଥିବା ଏଲଇଡି ସ୍କ୍ରିନ୍‌ ଜରିଆରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା । ବିଭିନ୍ନ ଯୋଜନାର ହିତାଧିକାରୀମାନେ ଯୋଜନାର ସୁଫଳ ସମ୍ପର୍କରେ ସେମାନଙ୍କର ଅନୁଭୂତି ପ୍ରକାଶ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ବହୁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ବିକଶିତ  ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀମାନଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା ଏବଂ ମିଜୋରାମରେ ବିକଶିତ  ଭାରତ ସଂକଳ୍ପ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପାଞ୍ଚଟି ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା ଏବଂ ମିଜୋରାମରେ ବିକଶିତ  ଭାରତ ସଂକଳ୍ପ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବାର ସୁଯୋଗ ପାଇଥିବାରୁ  କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ କହିଥିଲେ ଯେ ‘ମୋଦୀ କି ଗ୍ୟାରେଣ୍ଟି’ ଯାନ ବର୍ତ୍ତମାନ ଦେଶର ସମସ୍ତ ସ୍ଥାନରେ ପହଞ୍ଚିଛି । ଏହାର ଗୋଟିଏ ମାସର ଯାତ୍ରା ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଭିବିଏସୱାଇ ହଜାର ହଜାର ଗାଁ ସହିତ ୧୫୦୦ ସହରରେ ପହଞ୍ଚିଛି ଯେଉଁଥିରେ ଛୋଟ ସହର ମଧ୍ୟ ଅନ୍ତର୍ଭୁକ୍ତ । ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି ଯୋଗୁଁ ଭିବିଏସୱାଇ ଆରମ୍ଭ ହୋଇପାରିନଥିଲା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ପାଞ୍ଚଟି ରାଜ୍ୟର ନବନିର୍ବାଚିତ ସରକାରମାନଙ୍କୁ ସେମାନଙ୍କ ରାଜ୍ୟରେ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଥିଲେ ।

ପ୍ରଧାନମନ୍ତ୍ରୀ ବିକଶିତ  ଭାରତ ଯାତ୍ରା ସଂକଳ୍ପର ଜନ ଆନ୍ଦୋଳନ ଦିଗ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, ଯଦିଓ ମୋଦୀ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି, ସତ କଥା ହେଉଛି ଆଜି ଦେଶବାସୀ ହିଁ ଏହାର ଦାୟିତ୍ୱ ନେଇଛନ୍ତି। ହିତାଧିକାରୀଙ୍କ ସହ ଆଲୋଚନା ବେଳେ ‘ମୋଦୀ କି ଗ୍ୟାରେଣ୍ଟି ଗାଡ଼ି’କୁ ସ୍ୱାଗତ କରିବା ପାଇଁ ଉତ୍ସାହ ଓ ପ୍ରତିଯୋଗିତାକୁ ସେ ଉଲ୍ଲେଖ କରିଥିଲେ।

ଏହା ହେଉଛି ଚତୁର୍ଥ ଅବସର ଯେତେବେଳେ ପ୍ରଧାନମନ୍ତ୍ରୀ ଭିବିଏସୱାଇର ଯାତ୍ରା ସହିତ ଯୋଡ଼ି ହୋଇଛନ୍ତି । ସେ ଗ୍ରାମାଞ୍ଚଳର ଲୋକମାନଙ୍କ ସହିତ କଥାବାର୍ତ୍ତା ବିଷୟରେ ଉଲ୍ଲେଖ କରିଥିଲେ ଯେଉଁଠାରେ ସେ ପିଏମ କିଷାନ ସମ୍ମାନ ନିଧି, ପ୍ରାକୃତିକ କୃଷି, ଗ୍ରାମୀଣ ଅର୍ଥବ୍ୟବସ୍ଥାର ଦିଗ ଏବଂ ଭାରତର ଗ୍ରାମଗୁଡିକର ବିକାଶ ବିଷୟରେ କହିଥିଲେ । ଆଜିର କାର୍ଯ୍ୟକ୍ରମରେ ସହରାଞ୍ଚଳର ବହୁ ସଂଖ୍ୟକ ଲୋକଙ୍କ ସମ୍ପୃକ୍ତି ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜିର ଫୋକସ୍ ସହରାଞ୍ଚଳ ବିକାଶ ଉପରେ ରହିବ।

ପ୍ରଧାନମନ୍ତ୍ରୀ କହିଥିଲେ, ବିକଶିତ ଭାରତର ସଂକଳ୍ପରେ ଆମ ସହରଗୁଡ଼ିକର ବଡ଼ ଭୂମିକା ରହିଛି। ସ୍ୱାଧୀନତା ପରେ ଦୀର୍ଘ ଦିନ ଧରି ଯାହା ବି ବିକାଶ ହୋଇଥିଲା, ତାହାର ପରିସର ଦେଶର କିଛି ବଡ଼ ସହରରେ ସୀମିତ ରହିଥିଲା। କିନ୍ତୁ ଆଜି ଆମେ ଦେଶର ଟିୟର-୨ ଓ ଟିୟର-୩ ସହରର ବିକାଶ ଉପରେ ଗୁରୁତ୍ୱ ଦେଉଛୁ। ଏହା ଶକ୍ତି ଦେଉଛି। ଦେଶର ଶତାଧିକ କ୍ଷୁଦ୍ର ସହର ବିକଶିତ ଭାରତର ଭବ୍ୟ ଢାଞ୍ଚାକୁ ସୁଦୃଢ଼ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଅମୃତ ମିଶନ ଓ ସ୍ମାର୍ଟ ସିଟି ମିଶନର ଉଦାହରଣ ଦେଇ ଛୋଟ ଛୋଟ ସହରରେ ମୌଳିକ ସୁବିଧାର ଉନ୍ନତିକରଣ କରୁଛନ୍ତି । ଏହି ଉନ୍ନତି ସିଧାସଳଖ ଜୀବନଶୈଳୀ, ଯାତ୍ରା ସହଜତା ଏବଂ ବ୍ୟବସାୟ କରିବାର ସହଜତାକୁ ପ୍ରଭାବିତ କରୁଛି । ଗରିବ, ନବ-ମଧ୍ୟବିତ୍ତ, ମଧ୍ୟବିତ୍ତ କିମ୍ବା ଧନୀ ସମସ୍ତେ ଏହି ବର୍ଦ୍ଧିତ ସୁବିଧାର ଲାଭ ପାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

‘‘ପରିବାରର ଜଣେ ସଦସ୍ୟ ଭାବରେ ଆପଣଙ୍କ ସମସ୍ୟାକୁ ହ୍ରାସ କରିବା ଉପରେ ସରକାର ଧ୍ୟାନ ଦେଉଛନ୍ତି’‘, ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ । କରୋନା ମହାମାରୀ ସମୟରେ ସରକାର ପ୍ରଦାନ କରିଥିବା ସହାୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ୨୦ କୋଟି ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହଜାର ହଜାର କୋଟି ଟଙ୍କା ପ୍ରଦାନ, ମାଗଣା କରୋନା ଟିକା, ଗରିବ ପରିବାରକୁ ମାଗଣା ରାସନ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କାର ସହାୟତା ପ୍ରଦାନ ବିଷୟରେ ଉଲ୍ଲେଖ କରିଥିଲେ। ଅନ୍ୟମାନଙ୍କ ଠାରୁ ନିରାଶ ହେଲେ ମୋଦୀଙ୍କ ଗ୍ୟାରେଣ୍ଟି ଆରମ୍ଭ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ରାସ୍ତାକଡ଼ରେ ବିକ୍ରେତା ଏବଂ ବୁଲା ବିକାଳୀମାନଙ୍କୁ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ସହିତ ଯୋଡ଼ିବା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯେଉଁମାନେ ବର୍ତ୍ତମାନ ପିଏମ୍ ସ୍ୱନିଧି ଯୋଜନା ଅଧୀନରେ ସହଜରେ ଋଣ ପାଇପାରିବେ। ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଅଧୀନରେ ବର୍ତ୍ତମାନ ସୁଦ୍ଧା ୫୦ ଲକ୍ଷରୁ ଅଧିକ ଲୋକ ବ୍ୟାଙ୍କର ସହାୟତା ନେଇସାରିଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଭିବିଏସୱାଇ ମାଧ୍ୟମରେ ୧.୨୫ ଲକ୍ଷ ଲୋକ ପିଏମ ସ୍ୱନିଧି ପାଇଁ ଆବେଦନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ୭୫ ପ୍ରତିଶତରୁ ଅଧିକ ହିତାଧିକାରୀ ଦଳିତ, ପଛୁଆ ଏବଂ ଆଦିବାସୀ ସମ୍ପ୍ରଦାୟର ସଦସ୍ୟ, ଯେଉଁଥିରେ ପ୍ରାୟ ୪୫ ପ୍ରତିଶତ ମହିଳା ହିତାଧିକାରୀ ଅଛନ୍ତି ।

ସହରବାସୀଙ୍କ ସାମାଜିକ ସୁରକ୍ଷା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ସହରାଞ୍ଚଳରେ ଲୋକଙ୍କ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ଅଟଳ ପେନସନ ଯୋଜନାରେ ୬ କୋଟି ଗ୍ରାହକ ୬୦ ବର୍ଷ ବୟସ ପରେ ମାସିକ ୫ ହଜାର ଟଙ୍କା ପେନସନ ସୁନିଶ୍ଚିତ କରୁଛନ୍ତି । ପିଏମ ସୁରକ୍ଷା ବୀମା ଯୋଜନା ଏବଂ ଜୀବନ ଜ୍ୟୋତି ଯୋଜନାରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୀବନ ବୀମା ପ୍ରଦାନ କରାଯାଉଛି । ଏହି ଯୋଜନାରେ ୧୭ ହଜାର କୋଟି ଟଙ୍କାର ଦାବି ସମାଧାନ ହୋଇସାରିଛି ବୋଲି ସେ ସୂଚନା ଦେଇଛନ୍ତି। ଏହି ଯୋଜନାରେ ପଞ୍ଜୀକୃତ ହୋଇ ନିଜର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ଆୟକର ଛାଡ଼ ହେଉ କିମ୍ବା ଶସ୍ତା ଚିକିତ୍ସା ହେଉ ସହରାଞ୍ଚଳ ପରିବାର ପାଇଁ ଅର୍ଥ ସଞ୍ଚୟ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆୟୁଷ୍ମାନ ଭାରତ ଯୋଜନା ବିଷୟରେ କହିବା ବେଳେ ପ୍ରଧାନମନ୍ତ୍ରୀ ସହରାଞ୍ଚଳର କୋଟି କୋଟି ଗରିବଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରିବା ଉପରେ ଆଲୋକପାତ କରିଥିଲେ ଯେଉଁଠାରେ ଆୟୁଷ୍ମାନ କାର୍ଡ ସେମାନଙ୍କୁ ଚିକିତ୍ସା ଖର୍ଚ୍ଚରେ ୧ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିବାରେ ସାହାଯ୍ୟ କରିଛି । ଜନ ଔଷଧି କେନ୍ଦ୍ରଗୁଡ଼ିକ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ଯେଉଁଠାରେ ୮୦ ପ୍ରତିଶତ ରିହାତିରେ ଔଷଧ ଉପଲବ୍ଧ ହେଉଛି, ଯାହା ଦ୍ୱାରା ସହରରେ ରହୁଥିବା ଗରିବ ଏବଂ ମଧ୍ୟବିତ୍ତଙ୍କ ପାଇଁ ୨୫,୦୦୦ କୋଟି ଟଙ୍କାରୁ ଅଧିକ ସଞ୍ଚୟ ହୋଇପାରିଛି । ଜନ ଔଷଧି କେନ୍ଦ୍ର ସଂଖ୍ୟା ୨୫,୦୦୦କୁ ବୃଦ୍ଧି କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଉଜାଲା ଯୋଜନା ଅଧୀନରେ ଦେଶରେ ଏଲଇଡି ବଲବର ବିପ୍ଳବ ବିଷୟରେ ଶ୍ରୀ ମୋଦୀ ସ୍ପର୍ଶ କରିଥିଲେ ଯାହା ସହରୀ ପରିବାରମାନଙ୍କ ପାଇଁ ବିଦ୍ୟୁତ ବିଲ୍ କୁ ଯଥେଷ୍ଟ ହ୍ରାସ କରିଛି ।

ୱାନ୍ ନେସନ୍ ୱାନ୍ ରାସନ କାର୍ଡ କିପରି ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରୁଛି ସେ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଗତ ୯ ବର୍ଷ ମଧ୍ୟରେ ୪ କୋଟିରୁ ଅଧିକ ଆବାସ ୟୁନିଟ୍ ଗରିବ ପରିବାରକୁ ଦିଆଯାଇଛି, ଯାହାର ଏକ ଅଂଶ ସହରାଞ୍ଚଳ ଗରିବ ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି। କ୍ରେଡିଟ୍ ଲିଙ୍କ୍ ସବସିଡି ସ୍କିମ୍, ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି, ‘‘ଆମ ସରକାର ମଧ୍ୟବିତ୍ତ ପରିବାରମାନଙ୍କୁ ଘର ପାଇବାର ସ୍ୱପ୍ନ ପୂରଣ କରିବା ପାଇଁ ଯଥାସମ୍ଭବ ସହାୟତା ଯୋଗାଇ ଦେଉଛନ୍ତି’’ ଯେଉଁମାନଙ୍କର ନିଜସ୍ୱ ଘର ନାହିଁ ସେମାନଙ୍କ ପାଇଁ ଯଥାର୍ଥ ଭଡ଼ା ସୁନିଶ୍ଚିତ କରିବାର ପ୍ରୟାସ ଏବଂ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସ୍ୱତନ୍ତ୍ର କମ୍ପ୍ଲେକ୍ସ ରହିଛି ବୋଲି ମଧ୍ୟ ସେ ସୂଚନା ଦେଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ସହରରେ ଗରିବ ଓ ମଧ୍ୟବିତ୍ତ ପରିବାରକୁ ଉନ୍ନତ ଜୀବନ ପ୍ରଦାନ କରିବାର ଅନ୍ୟ ଏକ ପ୍ରମୁଖ ମାଧ୍ୟମ ହେଉଛି ସାର୍ବଜନୀନ ପରିବହନ । ବିଗତ ୧୦ ବର୍ଷ ମଧ୍ୟରେ ଆଧୁନିକ ସାର୍ବଜନୀନ ପରିବହନ ପାଇଁ ଯେଉଁ କାମ ହୋଇଛି ତାହା ଅତୁଳନୀୟ ବୋଲି ସେ ସୂଚନା ଦେଇଥିଲେ । ସେ କହିଥିଲେ, ୨୭ଟି ସହରରେ ମେଟ୍ରୋ କାମ ଶେଷ କିମ୍ବା ଚାଲିଥିବାରୁ ଗତ ୧୦ ବର୍ଷ ମଧ୍ୟରେ ୧୫ଟି ନୂଆ ସହରକୁ ମେଟ୍ରୋ ସେବା ମିଳିଛି। ପିଏମ-ଏବସ୍ ସେବା ଅଭିଯାନ ଅଧୀନରେ ଅନେକ ସହରରେ ଇଲେକ୍ଟ୍ରିକ୍ ବସ୍ ଚଳାଚଳ କରାଯାଉଛି। ମାତ୍ର ଦୁଇ ତିନି ଦିନ ତଳେ କେନ୍ଦ୍ର ସରକାର ଦିଲ୍ଲୀରେ ୫୦୦ ନୂଆ ଇଲେକ୍ଟ୍ରିକ୍ ବସ୍ ଚଳାଚଳ କରିଥିଲେ। ଏବେ ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଇଲେକ୍ଟ୍ରିକ୍ ବସ୍ ସଂଖ୍ୟା ୧୩୦୦ ଅତିକ୍ରମ କରିଛି।

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଭୟ ଯୁବକ ଓ ମହିଳାଙ୍କୁ ସଶକ୍ତ କରିବା ପାଇଁ ସହରଗୁଡ଼ିକ ଏକ ଉତ୍ତମ ମାଧ୍ୟମ ଏବଂ ‘ମୋଦୀ କି ଗ୍ୟାରେଣ୍ଟି’ ଯାନ ଉଭୟ ଯୁବ ଶକ୍ତି ଏବଂ ମହିଳାଙ୍କୁ ସଶକ୍ତ କରୁଛି। ଭିବିଏସୱାଇର ସର୍ବାଧିକ ଫାଇଦା ଉଠାଇ ଏକ ବିକଶିତ ଭାରତର ସଂକଳ୍ପକୁ ଆଗକୁ ନେବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ପୃଷ୍ଠଭୂମି

ଏହି ଯୋଜନାଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକର ସମନ୍ୱୟ ହାସଲ କରିବା ଉଦ୍ଦେଶ୍ୟରେ ସମଗ୍ର ଦେଶରେ ବିକାଶ ଭାରତ ସଂକଳ୍ପ ଯାତ୍ରା କରାଯାଉଛି ।

ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ବିକଶିତ  ଭାରତ ସଂକଳ୍ପ ଯାତ୍ରା ହିତାଧିକାରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ସ୍ତରର ପ୍ରତିନିଧି ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଟକରେ ରେଭେନ୍ସା ବାଳିକା ବିଦ୍ୟାଳୟର ‘ଉତ୍କର୍ଷର ୧୫୦ ବର୍ଷ ପୂର୍ତ୍ତି’ରେ କେନ୍ଦ୍ରମନ୍ତ୍ରୀ

କଟକ: ଆଜିକୁ ଦେଢ଼ ଶହ ବର୍ଷ ତଳେ ଉତ୍କଳ ଗୌରବ ମଧୁସୂଦନ ଦାସ ଓଡ଼ିଶାରେ ଶିକ୍ଷା ବିକାଶରେ ବିଶେଷତଃ ନାରୀଶିକ୍ଷାର ବିକାଶର ଯେଉଁ ସ୍ୱପ୍ନ ଦେଖିଥିଲେ, ତାହାର ସାକାର ରୂପ ହେଉଛି ରେଭେନ୍ସା ବାଳିକା ବିଦ୍ୟାଳୟ’ । ସମଗ୍ର ଭାରତବର୍ଷରେ ସମାଜ ନେତୃତ୍ୱରେ ଓଡିଶାରେ ନାରୀଶକ୍ତି କଳ୍ପନାର ଏହି ସ୍କୁଲ ସବୁଠୁ ବଡ ପ୍ରମାଣ ବୋଲି ଶନିବାର କଟକ ରେଭେନ୍ସା ବାଳିକା ବିଦ୍ୟାଳୟର ‘ଉତ୍କର୍ଷର ୧୫୦ ବର୍ଷ ପୂର୍ତ୍ତି’ ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପୁରାତନ ଛାତ୍ରୀ ସଂସଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ନବଜାଗରଣର ଅଭ୍ୟୁଦୋୟ ହୋଇଥିବା ସ୍ଥାନରେ ୧୮୬୯ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବାଳିକା ବିଦ୍ୟାଳୟରେ ପ୍ରଖ୍ୟାତ କବୟିତ୍ରୀ ଉତ୍କଳ ଭାରତୀ ଡକ୍ଟର କୁନ୍ତଳା କୁମାରୀ ସାବତ, ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ, ରାଜ୍ୟର ପ୍ରଥମ ମହିଳା ଶିଳ୍ପୋଦ୍ୟୋଗୀ ଡକ୍ଟର ସରସ୍ୱତୀ ପ୍ରଧାନ, ‘ସମାଜ’ର ସମ୍ପାଦିକା ସ୍ୱର୍ଗତ ମନୋରମା ମହାପାତ୍ର, ପଦ୍ମଶ୍ରୀ ଶ୍ୟମାମଣି ଦେବୀ, ପଦ୍ମଶ୍ରୀ ପ୍ରିୟମ୍ବଦା ହେଜମାଦି, ଡକ୍ଟର ନିରୁପମା ରଥ, ରଜନୀ ଦେବୀ, ଶ୍ରୀମତୀ ସୁନନ୍ଦା ପଟ୍ଟନାୟକ, ଡକ୍ଟର ଅର୍ଚ୍ଚନା ନାୟକଙ୍କ ପରି ଅନେକ ମହୀୟସୀ ମହିଳା ପାଠ ପଢି ରାଜ୍ୟ ଓ ଦେଶ ପାଇଁ ସୁନାମ ଆଣିଛନ୍ତି। ଏହି ସ୍କୁଲରେ ତାଙ୍କ ମାଆ ମଧ୍ୟ ପାଠ ପଢୁଥିଲେ। ଯିଏ ମୋତେ ଜନ୍ମ ଦେଇଛନ୍ତି, ସେ ପଢିଥିବା ସ୍କୁଲକୁ ଆସିବାର ଅପେକ୍ଷା ଓ ଆକାଂକ୍ଷା ପୂରଣ ହୋଇଥିବାରୁ ନିଜକୁ କୃତଜ୍ଞ ମନେକରୁଛି। ଆଜିର ଦିନ ମୋ ଜୀବନର ଅବିସ୍ମରଣୀୟ ଦିନ ହୋଇ ରହିବ। ଏହି ଶିକ୍ଷାନୁଷ୍ଠାନ ଓଡ଼ିଆ ସ୍ୱାଭିମାନର ପ୍ରୟୋଗଶାଳା।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏହି ବିଦ୍ୟାଳୟ ପ୍ରତିଷ୍ଠା ହେବାର ମାତ୍ର କିଛି ବର୍ଷ ପୂର୍ବରୁ ଅର୍ଥାତ୍ ୧୮୬୬ ମସିହାରେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା। କୁହାଯାଏ, ଏ ଦୁର୍ଭିକ୍ଷ ଏତେ ଭୟାବହ ଥିଲା ଯେ ଏଥିରେ ତତ୍କାଳୀନ ଓଡ଼ିଶାର ଏକ-ତୃତୀୟାଂଶ ଜନସଂଖ୍ୟା ଲୋପ ପାଇଯାଇଥିଲା । ଏଭଳି ସମୟରେ ସମାଜ ଦୋ’ ଛକିରେ ଥିବା ବେଳେ ବାଳିକା ବିଦ୍ୟାଳୟର ପ୍ରତିଷ୍ଠା ଓଡ଼ିଆ ଜାତିର ସାହାସକୁ ଦର୍ଶାଉଛି। ତେବେ ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷର ପରବର୍ତ୍ତୀ ଅବସ୍ଥାରେ ଯେଉଁ ସମସ୍ୟା ଓଡ଼ିଆ ଜାତିର ମେରୁଦଣ୍ଡ ଦୋହଲାଇ ଦେଇଥିଲା। ଆଜି ଓଡ଼ିଆ ସ୍ୱାଭିମାନର ମେରୁଦଣ୍ଡ ବି ସେହି ଅବସ୍ଥାରେ ଅଛି। ତେଣୁ ୧୮୬୯ରେ ପ୍ରତିଷ୍ଠିତ ରେଭେନ୍ସା ବାଳିକା ବିଦ୍ୟାଳୟର ପ୍ରାସଙ୍ଗିକତାକୁ ଦୃଷ୍ଟିରେ ରଖି ଆଜି ଆଉ ଥରେ ଓଡ଼ିଆ ମାନଙ୍କୁ ଏକାଠି ହେବା ପାଇଁ ପଡିବ ଓ ୨୦୩୬ ସୁଦ୍ଧା ଆମ ରାଜ୍ୟ ଓଡ଼ିଶାର ହୃତଗୌରବକୁ ଫେରାଇ ଆଣିବାର ବଜ୍ର ଶପଥ ନେବା ପାଇଁ ପଡିବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ହଜାର ହଜାର ବର୍ଷର ସହର କଟକର ଚିନ୍ତା ବାଇମୁଣ୍ଡି କରିଥିଲେ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ‘ସମାଜ’ ହେଉ କିମ୍ବା ଉତ୍କଳ କେଶରୀ ଡକ୍ଟର ମହତାବଙ୍କ ‘ପ୍ରଜାତନ୍ତ୍ର’ – ଓଡ଼ିଆ ଭାଷା ଆନ୍ଦୋଳନ ଠାରୁ ଓଡ଼ିଆ ନବଜାଗରଣ ଏବଂ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କ୍ଷେତ୍ରରେ କଟକରୁ ପ୍ରକାଶିତ ସମ୍ବାଦପତ୍ର ଓ ପତ୍ରିକା ଗୁଡ଼ିକର ଅବଦାନ ଅନେକ ରହିଛି। ତେବେ ଦିନେ ଓଡ଼ିଶାରେ ନବଜାଗରଣର ବହ୍ନି ଜଳାଇଥିବା ଖବର କାଗଜରେ ଆଜି ଦିନରେ କିଏ ଜଣେ ନିର୍ବାଚନ ଲଢ଼ିବ କି ନାହିଁ ହେଡଲାଇନ ହେବା, ଓଡିଶାରେପ୍ରସଙ୍ଗ ହେବା ଉଚିତ୍ କି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ସେହିପରି ଏହି ଭୂମିରେ ପାଳନ ହେଉଥିବା ବାଲିଯାତ୍ରା ଓଡ଼ିଆ ଜାତିର ପୁରୁଷାର୍ଥର ବଡ଼ ପରିଚୟ ଦେଉଛି। ବାଲିଯାତ୍ରା ଭଳି ଓଡ଼ିଶାର ଅନେକ ପର୍ବପର୍ବଣୀ ପରିପୂର୍ଣ୍ଣ, ସ୍ୱୟଂସମ୍ପୂର୍ଣ୍ଣ। ଏଥିପାଇଁ ଏହାର କୌଣସି ପରିଚୟ କିମ୍ବା ମାନ୍ୟତା ଦରକାର ନାହିଁ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମଧୁବାବୁଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ରେଭେନ୍ସା ବାଳିକା ବିଦ୍ୟାଳୟ ‘ରେଭେନ୍ସା’ ନାମରେ କାହିଁକି ନାମିତ? ଓଡ଼ିଆ ଜାତି ପାଇଁ କୁଳବୃଦ୍ଧ ମଧୁବାବୁ, ପଣ୍ଡିତ ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ, ରାଧାନାଥ ରାୟ ବଡ ହେବେ ନା ପରାଧୀନତାର ପ୍ରତୀକ ବଡ ହେବ? ଏହାକୁ ସମାଜ ବିଚାର କରିବାର ଆବଶ୍ୟକତା ରହିଛି। ଏକବିଂଶ ଶତାବ୍ଦୀରେ ଓଡ଼ିଆ ସ୍ୱାଭିମାନ, ଓଡ଼ିଆ ଅସ୍ମିତା ଆଜି କେଉଁ ଜାଗାରେ ଅଛି, ଆମେ ନିଜକୁ ନିଜେ ପ୍ରଶ୍ନ କରିବା ଦରକାର।

ପୁରୀ ଶ୍ରୀମନ୍ଦିର ଓ ମାଆ କଟକ ଚଣ୍ଡିଙ୍କ ପରି ରେଭେନ୍ସା ବାଳିକା ସ୍କୁଲ ଏକ ପବିତ୍ର ଅନୁଷ୍ଠାନ। ଏକବିଂଶ ଶତାବ୍ଦୀରେ ଆଜି ଏହି ସ୍କୁଲକୁ ଆଧାର କରି ଓଡ଼ିଶାର ସ୍ଥାନ ନାରୀ ଶିକ୍ଷାରେ କଣ ଥିଲା, ତାହା ଉପରେ ଗବେଷଣା କରିବାର ଆବଶ୍ୟକତା ରହିଛି। ଏହାକୁ ଆଗାମୀ ଦିନରେ ଆଇସିଏଚଆର ସହଯୋଗରେ ମ୍ୟୁଜିୟମର ରୂପ ଦେବା ପାଇଁ ଉଦ୍ୟମ ହେବ। ସେହିପରି ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ବେଳେ ୨୦୩୬ରେ ଓ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ୨୦୪୭ରେ ଓଡ଼ିଶାକୁ ଆଗକୁ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ “ନୂଆ ଓ” କାର୍ଯ୍ୟକ୍ରମ ର ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ଆଜି ଦିବା ୧୧.୦୦ ଘଟୀକାରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ଯକ୍ଷତା ରେ “ନୂଆ ଓ “ କାର୍ଯ୍ୟକ୍ରମର ଏକ ବୈଠକ ଓସ୍ୱାନ କକ୍ଷ, ଖୋର୍ଦ୍ଧା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକକୁ ପରିଚାଳନା କରିଥିଲେ ଜିଲ୍ଲା କ୍ରିଡା ଅଧିକାରୀ ଅଜୟ କୁମାର ବେହେରା। ଜାନୁଆରୀ ୧୦ ତାରିଖରେ ଓଡ଼ିଶା ସରକାର କ୍ରିଡା ବିଭାଗଙ୍କ ନିର୍ଦ୍ଦେଶ ଅନୁସାରେ ୟୁଥ ଫେଷ୍ଟିଭାଲ ହେବାକୁ ପ୍ରସ୍ତାବ ରଖିଥିଲେ। “ନୂଆ -ଓ” କାର୍ଯକ୍ରମ ସମସ୍ତ ୧୦୮ କଲେଜ ରେ ସାଂସ୍କୃତିକ/କ୍ରିଡା /ସୋସିଆଲ କ୍ଷେତ୍ରରେ ବିଭିନ୍ନ ଇଭେଣ୍ଟ ରେ ଛାତ୍ରୀ/ ଛାତ୍ର ମାନେ ଭାଗ ନେଇ ସର୍ବୋଚ୍ଚ ସ୍ଥାନରେ ଥିବା କୃତ୍ତି ପ୍ରତିଯୋଗୀ ଙ୍କ ମଧ୍ଯରେ ବ୍ଲକ/ ମୁନିସିପାଲିଟି /ବି. ଏମ. ସି ସ୍ତରରେ ବିଭିନ ଇଭେଣ୍ଟରେ ପ୍ରତିଯୋଗୀତା କରାଯାଇ ୩୧.୧୨ ୨୦୨୩ ରିଖ ସୁଦ୍ଧା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା କରାଯିବାକୁ ଜିଲ୍ଲାପାଳ DCO,DSO ADEO ଙ୍କୁ ପରାମର୍ଶ ଦେଇଥିଲେ।

ଏହି ପ୍ରତିଯୋଗିତାରେ ପ୍ରଫେସନାଲ ଜଜ ଙ୍କୁ ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯକୁ ସୂଚାରୁ ରୂପେ କରେଇବାକୁ ସମସ୍ତଙ୍କୁ ଅନୁରାଧ କରିଥିଲେ।

ଏହି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରି ଡ଼ ବାଦଲ କୁମାର ମହାନ୍ତି, ସି. ଡି.ଏମ.ଓ ଡ଼. ଆର୍ତ୍ତବନ୍ଧୁ ନାୟକ, ଏ. ଆର. ଟି.ଓ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଡି. ଏସ. ଡବ୍ଲୁ. ଓ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ସମସ୍ତ ବିଡିଓ ଆଭାଷୀ ରେ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ବାଲୁଗାଁ କଲେଜରେ ନୂଆ -ଓ ନୃତ୍ୟ ଓ ସଚେତନତା କାର୍ଯ୍ୟକ୍ରମ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା ନୂଆ -ଓ ତଥା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ସମାଜିକ ବିକାଶ କାର୍ଯ୍ୟକ୍ରମ ଜରିଆରେ ଆଜି ଚିଲିକା କୂଳରେ ପ୍ଲାଷ୍ଟିକସଫେଇ ସହିତ ବେଟି ପଢ଼ାଓ ଓ ବେଟି ବଚାଓ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆବାହକ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଅଧ୍ୟାପିକା ରୀନା ରାଉତ, ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ, ଧୋବୀ ପରିଡ଼ା, ଡକ୍ଟର ସନ୍ତୋଷ ରଥ, ଶିବରାମ ସିଂ, ବିଶ୍ୱଜିତ ଦାଶ, ହିମାଂଶୁ ଦାଶ ପ୍ରମୁଖଙ୍କ ତତ୍ୱାବଧାନରେ ଚିଲିକା୍କୂଳ ସଫେଇ କରି ପ୍ଲାଷ୍ଟିକ ମୁକ୍ତ ଚିଲିକା ଓ ବେଟି ପଢ଼ାଅ – ବେଟି ବଞ୍ଚାଅ ସଚେତନତା ଅଭିଯାନ କରିଥିଲେ।

ଏହି ଅବସରରେ ସ୍ବେଛାସେବୀ ମାନେ ବାଲୁଗାଁ ଏନ ଏ ସି ର ବିଭିନ୍ନ ୱାର୍ଡ଼ ଓ ପ୍ରାଥମିକ ବିଦ୍ୟାଳୟରେ ଏହି ସଚେତନତା କାର୍ଯ୍ୟ ପ୍ରସାରିତ କରିବା ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷl ସୁକାନ୍ତି ପାଇକରାୟ ଓ ଶଙ୍କର ପାଇକରାୟ ସାମିଲ ହୋଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହାକୁ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ, ଡକ୍ଟର ଜୟନ୍ତୀ ସାମଲ ଓ ନୋଡାଲ ଅଫିସର ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ପରିଚାଳନା କରିଥିଲେ। ଏହାପରେ ନୂଆ -ଓ ର ନୃତ୍ୟ ପ୍ରତିଯୋଗିତାରେ ତେରଟି ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ନେଇ ଏକ ଆନ୍ତଃ ଶ୍ରେଣୀ ଚିତ୍ତାକର୍ଷକ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିସହ ଆନ୍ତଃ ଶ୍ରେଣୀ ସାମାଜିକ ଓ ସଚେତନତା ନାଟିକା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହାପରେ ଏକକ ଶାସ୍ତ୍ରୀୟ ନୃତ୍ୟ, ଲୋକ ନୃତ୍ୟ ଓ ସମସାମୟିକ ନୃତ୍ୟ ସହ ଷ୍ଟାଣ୍ଡ ଅପ କମେଡି ଅନୁଷ୍ଠିତ ହୋଇଥିଲା।

ଏଥିରେ ଶତାଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ସେମାନଙ୍କର ନାଟକୀୟ ସର୍ଜନଶୀଳତା ଓ ନୃତ୍ୟ ବିଚକ୍ଷଣତା ପ୍ରଦର୍ଶନ କରିଥିଲେ। ଏହାକୁ ଶିକ୍ଷାର୍ଥୀମାନେ ଭରପୂର ମନୋରଞ୍ଜନ କରିଥିଲେ। ଏହାର ବିଚାରକ ଭାବେ ଯୋଗ ଦେଇଥିବା ନୃତ୍ୟ ନିର୍ଦ୍ଦେଶକ ଗୋବିନ୍ଦ ଜାଲି ଓ ଭଗବାନ ମହାରଣାଙ୍କୁ ମହାବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଆଜିର କାର୍ଯ୍ୟକ୍ରମକୁ ଅଧ୍ୟାପିକା ଡକ୍ଟର ମୋନାଲିସା ମାନସିଂହ, ବିଦ୍ୟାଧର ଜୁଝାରସିଂହ, ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ,କୀର୍ତ୍ତିମୟୀ ବାରିକ, କ୍ରୀଷ୍ଣା ସେଠୀ, ଶାଶ୍ଵତୀ ମହାନ୍ତି, ସୁନିତା ନନ୍ଦ ପ୍ରମୁଖ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମୟୂରଭଞ୍ଜ ଜିଲ୍ଲା କୁଚେଇ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା: ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଜଳ ଶକ୍ତି ଏବଂ ଜନଜାତି ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ୍ କୁଚେଇ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇଛନ୍ତି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଓ ସମୃଦ୍ଧ ରାଷ୍ଟ୍ରରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂକଳ୍ପ ନେଇଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ମୌଳିକ ସୁବିଧା ସୁଯୋଗ ହିତାଧିକାରୀଙ୍କ ନିକଟରେ କିଭଳି ପହଞ୍ଚି ପାରିବ ଏବଂ ଯେଉଁମାନଙ୍କ ପାଖରେ ଏସବୁ ସୁବିଧା ପହଞ୍ଚିଛି ସେମାନଙ୍କର ଅନୁଭୂତି ଜାଣିବା ଲାଗି ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯାଉଛି। ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଆମେ ସେସବୁ ସୁବିଧା ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ କରୁଛୁ।

ଆଜି କୁଚେଇ ପଞ୍ଚାୟତରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଛି। ଯାତ୍ରାର ସଚେତନତା ଗାଡ଼ିରେ ଲାଗିଥିବା ଏଲଇଡି ସ୍କ୍ରିନରେ ପ୍ରମୁଖ ଯୋଜନା ସମ୍ପର୍କରେ କ୍ଷୁଦ୍ର ଚଳଚ୍ଚିତ୍ର ପରିବେଷଣ କରାଯାଇଥିଲା। ହିତାଧିକାରୀମାନେ ସରକାରୀ ଯୋଜନା ସମ୍ପର୍କରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ପିଏମ୍ ଅବାସ, ଉଜ୍ଜ୍ୱଳା, ଡାକ ବିଭାଗର ସଞ୍ଚୟ ଯୋଜନା ଆଦିରେ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଥିଲା। ଏହି ଅବସରରେ ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ବହୁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

‘ଉଚ୍ଚ ସ୍ତରୀୟ କମିଟି ତଦନ୍ତ କରୁଛି, ରାଜନୀତି କରନ୍ତୁ ନାହିଁ’: ସାଂସଦମାନଙ୍କୁ ଏକ ଚିଠି ଲେଖିଲେ ବାଚସ୍ପତି ଓମ ବିର୍ଲା

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ଉଲ୍ଲଂଘନକୁ ନେଇ ବିରୋଧୀ ଆକ୍ରମଣ ମଧ୍ୟରେ ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ସାଂସଦଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେ ସାଂସଦମାନଙ୍କୁ ସଂସଦରେ ଘଟିଥିବା ଘଟଣାକୁ ନେଇ ରାଜନୀତି ନକରିବାକୁ ଅନୁରୋଧ କରିଛନ୍ତି। ବାଚସ୍ପତି ଏହା ମଧ୍ୟ କହିଛନ୍ତି ଯେ, ଗୃହ ଭିତରେ ଘଟିଥିବା ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି।

ଚିଠିରେ ଲୋକସଭାର ବାଚସ୍ପତି ଅତୀତରେ ଘଟିଥିବା ଘଟଣା ସମ୍ପର୍କରେ ଉଲ୍ଲେଖ କରି କହିଛନ୍ତି ଯେ, ସାଂସଦଙ୍କ ନିଲମ୍ବନ ଘଟଣା ଏହି ଘଟଣା ସହ ଜଡିତ ହେବା ଦୁର୍ଭାଗ୍ୟଜନକ, କିନ୍ତୁ ପୂର୍ବରୁ ମଧ୍ୟ ଏହିପରି ଅନେକ ଘଟଣା ଘଟିଛି। ଯେଉଁଥିରୁ ଦେଶ ଏହାର ସାକ୍ଷୀ ରହିଛି।’

ସେ କହିଛନ୍ତି ଯେ, ଏଭଳି ଘଟଣାର କେଉଁ ନିଷ୍ପତ୍ତି ନେବାକୁ ହେବ, ତାହା ଲୋକସଭା ବାଚସ୍ପତିଙ୍କ ଅଧିକାର ରହିଛି। ଗୃହର ସମ୍ମାନ ବଜାୟ ରଖିବା ପାଇଁ ସାଂସଦମାନଙ୍କୁ ନିଲମ୍ବନ କରିବାର କଠୋର ନିଷ୍ପତ୍ତି ନେବାକୁ ପଡ଼ିଲା, ଯେପରି ଭବିଷ୍ୟତରେ ଏପରି ଘଟଣା ଘଟିବ ନାହିଁ।

‘ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ’

ଲୋକସଭା ବାଚସ୍ପତି ଏହି ଚିଠିରେ କହିଛନ୍ତି ଯେ, “ଡିସେମ୍ବର ୧୩ ତାରିଖରେ ଗୃହ ଭିତରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ଆମେ ଗୃହରେ ଏହି ଘଟଣାକୁ ନେଇ ସାମୂହିକ ଚିନ୍ତା ପ୍ରକଟ କରିଥିଲୁ। ସେହି ଦିନ ମୁଁ ଆଲୋଚନା କରିଥିଲି ସମସ୍ତ ଦଳର ନେତାଙ୍କ ସହ। “ଆମେ କିପରି ସଂସଦରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିପାରିବା? ବୈଠକରେ ଦିଆଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି।”

Categories
ବିଶେଷ ଖବର

ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଧିନରେ ୫୯ଟି ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମରେ ରାଜ୍ୟର ୧୩ଟି ଜିଲ୍ଲାରେ ୫୯ଟି ମେଗା ଲିଫ୍ଟ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଏହା ଦ୍ୱାରା ୮୦ ହଜାର ହେକ୍ଟର ଢିପ ଜମିକୁ ଜଳସେଚନର ସୁବିଧା ମିଳି ପାରିଛି। ଏଥିପାଇଁ ୨,୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀ ୩୩ଟି ମେଗା ଲିଫ୍ଟ ପ୍ରକଳ୍ପ ପାଇଁ ଭିତ୍ତିସ୍ଥାପନ ମଧ୍ୟ କରିଛନ୍ତି। ଏ ସବୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ୯ଟି ଜିଲ୍ଲାର ୫୦ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ।

କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଚାଷୀଭାଇ ହେଉଛନ୍ତି ଦେଶର ଶ୍ରେଷ୍ଠ ସେବକ। ସେମାନେ ଆମ ଅର୍ଥନୀତିର ମେରୁଦଣ୍ଡ। ସେମାନଙ୍କ ତ୍ୟାଗ ଓ ପରିଶ୍ରମ ରାଜ୍ୟ ପାଇଁ ଅନେକ ଗୌରବ ଆଣିଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ପ୍ରତିଦିନ ତାଙ୍କ ଘରେ ଚାଷୀ ଭାଇଭଉଣୀମାନଙ୍କୁ ଭେଟୁଛନ୍ତି ଓ ସେମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା ମଧ୍ୟ କରୁଛନ୍ତି। ଚାଷୀ ଭାଇମାନେ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହେଉଥିବା ବିଷୟ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ଖୁସି ବ୍ୟକ୍ତ କରିଥିଲେ।

କୃଷକମାନଙ୍କ ପାଇଁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟ ସରକାରଙ୍କ କୃଷି ବଜେଟ୍‌ ୫ ବର୍ଷରେ ୩ ଗୁଣ ହୋଇ ଏବେ ୨୫ ହଜାର କୋଟି ଟଙ୍କାରେ ପହଞ୍ଚିଛି। ସେ କହିଥିଲେ ଯେ କାଳିଆ ଯୋଜନା ଚାଷୀ ଭାଇମାନଙ୍କ ପାଇଁ ବହୁତ ଉପକାରୀ ସାବ୍ୟସ୍ତ ହୋଇଛି। ରାଜ୍ୟ ସରକାର ଚାଷୀଭାଇମାନଙ୍କ ଫସଲବୀମାର ପ୍ରିମୟମ ପାଇଁ ୬୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିପରି ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମଧ୍ୟ ଦିଆଯାଉଛି।

ରାଜ୍ୟରେ ଜଳସେଚନର ବିକାଶ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ୫-ଟି ଉପକ୍ରମରେ ଜଳସେଚନର ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି। ଅପର ଇନ୍ଦ୍ରାବତୀ, ଲୋୟର ଇନ୍ଦ୍ର, ଦେଓ ଏବଂ ସୁବର୍ଣ୍ଣରେଖା ପରି ବଡ ବଡ ପ୍ରକଳ୍ପରୁ ଚାଷୀମାନେ ଜଳସେଚନ ସୁବିଧା ପାଉଛନ୍ତି। ଏହା ଛଡା ଗଙ୍ଗାଧର ମେହର ପ୍ରକଳ୍ପ ଓ ଲୋୟର ସୁକତେଲ ପରି ଅନ୍ୟ ବଡ ବଡ ପ୍ରକଳ୍ପ ମଧ୍ୟ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି ସେ କହିଥିଲେ। ନଦୀଗୁଡିକରେ ସବୁଦିନ ପାଣି ମିଳିବାର ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପ କରାଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହିସବୁ ପ୍ରକଳ୍ପ ଦ୍ୱାରା ରାଜ୍ୟର କୃଷି କ୍ଷେତ୍ର ସମୃଦ୍ଧ ହେବ ଏବଂ ଚାଷୀଭାଇଙ୍କର ରୋଜଗାର ବୃଦ୍ଧି ହେବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମେଗା ଲିଫ୍ଟର ସୁପରିଚାଳନା ପାଇଁ ଓକାକ୍ ଦ୍ୱାରା ପ୍ରସ୍ତୁତ e-megalift App ର ଲୋକାର୍ପଣ କରିଥିଲେ।

ସୂଚନାଯୋଗ୍ୟ ଯେ ୨୦୧୧ ମସିହାରେ ରାଜ୍ୟରେ ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏଥିରେ ୨୦୮ଟି ପ୍ରକଳ୍ପ ସଫଳତାର ସହ ଶେଷ ହୋଇଛି ଏବଂ ଏହା ଦ୍ୱାରା ୨,୬୪,୩୩୦ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ମିଳିଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ  ୧୭୦ଟି ପ୍ରକଳ୍ପ ହାତକୁ ନିଆଯାଇଛି। ଏହା ଦ୍ୱାରା ୧,୧୩,୫୪୦ ହେକ୍ଟର ଜମି ଜଳସେଚିତ ହୋଇପାରିବ।

କାର୍ଯ୍ୟକ୍ରମରେ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ କହିଥିଲେ ଯେ ଆଜି ଜଳସମ୍ପଦ ବିଭାଗ ତଥା ଆମ ରାଜ୍ୟ ପାଇଁ ଏକ ସ୍ମରଣୀୟ ଦିନ ହୋଇ ରହିବ। ଢିପ ଅଞ୍ଚଳରେ ପାଣି ଅଭାବ ଯୋଗୁ ଚାଷୀମାନଙ୍କର ସମସ୍ୟାକୁ ଦୃଷ୍ଟିରେ ରଖି ଆରମ୍ଭ କରାଯାଇଥିବା ଆମର ଏହି ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଆଜି ମୁଖ୍ୟମନ୍ତ୍ରୀଙ୍କର ଦିଗ୍‌ଦର୍ଶନ ଓ ଆନ୍ତରିକତା ଯୋଗୁ ରାଜ୍ୟରେ ଜଳସେଚନ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିଛି। ଏ ପ୍ରକଳ୍ପ ଜରିଆରେ ଚାଷୀମାନଙ୍କର ଢିପ ଜମିରେ ଜଳସେଚନ ଠିକ୍ ଭାବରେ ହୋଇ ଜୀବନଧାରଣ ଓ ସାମଗ୍ରୀକ ବିକାଶ କ୍ଷେତ୍ରରେ ପରିବର୍ତ୍ତନ ଆସିଛି।

କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଏବଂ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଯୋଗଦେଇ କହିଥିଲେ ଯେ ଏହି ପ୍ରକଳ୍ପ କାର୍ଯ୍ୟକାରିତା ଯୋଗୁ ତାଙ୍କ ଅଞ୍ଚଳର ଚାଷୀ ଭାଇଭଉଣୀମାନେ ବହୁଳ ଭାବେ ଉପକୃତ ହେବେ ଏବଂ ମୁଖ୍ୟମନ୍ତ୍ରୀ ମେଗା ଲିଫ୍ଟ ସ୍ଥାପନ ପାଇଁ କଥା ଦେଇଥିଲେ, କଥା ରଖି ସେ ଏହାକୁ କାମରେ କରି ଦେଖାଇଦେଲେ। ଅଞ୍ଚଳବାସୀ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛନ୍ତି ବୋଲି ସେମାନେ କହିଥିଲେ।

କାର୍ଯ୍ୟକ୍ରମ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାର ଚାଷୀ ଲକ୍ଷ୍ମଣ ବାରିକ ଏବଂ ଢେଙ୍କାନାଳର ବବିତା ପାତ୍ର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନ୍‌ଫରେନ୍‌ସିଂରେ ଆଲୋଚନା ଜରିଆରେ କହିଥିଲେ ଯେ ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତା ଯୋଗୁ ଆମ ଚାଷୀକୂଳର ବହୁତ ଉନ୍ନତି ଘଟିବ ଏବଂ ଆମ ଚାଷଜମିକୁ ପାଣି ଠିକ୍‌ ଭାବରେ ମିଳିବ। ଆମେ ପନିପରିବାଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଚାଷ କାର୍ଯ୍ୟ ଠିକ୍ ଭାବରେ କରିପାରିବୁ। ଏହି ପ୍ରକଳ୍ପ କାର୍ଯକାରୀ କରିଥିବାରୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଆମେ ଧନ୍ୟବାଦ ଜଣାଉଛୁ ବୋଲି ସେମାନେ କହିଥିଲେ।

କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀଗଣ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଚାଷୀ ଭାଇଭଉଣୀମାନେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା  ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ କଲେଜରେ ଜାତୀୟ ସେମିନାର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ମହାବିଦ୍ୟାଳୟ ଇଂରାଜୀ ବିଭାଗ ପକ୍ଷରୁ ସମସାମୟିକ ଭାରତୀୟ ସାହିତ୍ୟ ଓ ସମାଜରେ ରାମାୟଣ ଓ ମହାଭାରତର ପରିବର୍ତ୍ତିତ ଦୃଷ୍ଟିକୋଣ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଜାତୀୟ ସମ୍ପାନରେ ଭାରତର ବିଭିନ୍ନ ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟାପକମାନେ ଯୋଗଦେଇ ରାମାୟଣ ଓ ମହାଭାରତର ସାମ୍ପ୍ରତିକ ପ୍ରାସଙ୍ଗିକତା ଓ ଭାରତୀୟ ସାହିତ୍ୟରେ ଏହାର ପ୍ରଭାବର ବିଭିନ୍ନ ଦିଗ ସମ୍ପର୍କରେ ପ୍ରବନ୍ଧ ଉପସ୍ଥାପନ କରିବା ସହ ଏହାକୁ ଜନମାନସରେ ବ୍ୟାପକ କରିବାକୁ ବୌଦ୍ଧିକ ଯୁକ୍ତି ବାଢ଼ିଥିଲେ।

ନିମନ୍ତ୍ରିତ ଅତିଥିମାନେ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ଅଧ୍ୟାପିକା ଡକ୍ଟର ମୋନାଲିସା ମାନସିଂହ ଅତିଥି ପରିଚୟ ପ୍ରଦାନ କରିବା ପରେ ବିଭାଗୀୟ ମୁଖ୍ୟ ତଥା ଆବାହିକା ଡକ୍ଟର ଜୟନ୍ତୀ ସାମଲ ସମ୍ପlନର ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ।

ଏହି ଅବସରରେ ଅଧ୍ୟକ୍ଷା ମଂଚାସୀନ ଅତିଥି ମାନଙ୍କୁ ଉତ୍ତରୀୟ ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ପରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହାପରେ ସମ୍ମାନିତ ଅତିଥି ଭାବେ ଡକ୍ଟର ମନୋରଞ୍ଜନ ବେହୁରା ଯୋଗଦେଇ ବିଭିନ୍ନ ଭାଷାରେ ବିଭିନ୍ନ ରଚୟିତାଙ୍କ ଦ୍ୱାରା ଲିଖିତ ଭଗବତ ଗୀତାରେ ମହାଭାରତର ଚରିତ୍ର ବିଶ୍ଳେଷଣ କରିବା ସହ ଭାରତୀୟ ସାହିତ୍ୟରେ ଚରିତ୍ରମାନଙ୍କର ପରିବର୍ତ୍ତିତ ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ।

ଏହାପରେ ମୁଖ୍ୟବକ୍ତା ନ୍ୟାସନାଲ ଡିଫେନ୍ସ ଏକାଡେମୀର ପ୍ରାକ୍ତନ ପ୍ରଫେସର ନିଶାମଣୀ କର ଓ ମୁଖ୍ୟ ଅତିଥି ଭାବେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଗୁରୁ ଚରଣ ବେହେରା ଯୋଗଦେଇ ସମସାମୟିକ ଭାରତୀୟ ଓ ବିଶ୍ୱ ସାହିତ୍ୟରେ ରାମାୟଣ ଓ ମହାଭାରତରେ ସନ୍ନିବେଷିତ ମୂଲ୍ୟବୋଧର ସାମ୍ପ୍ରତିକ ଦୃଷ୍ଟିକୋଣ ସମ୍ପର୍କରେ ସେମାନଙ୍କର ଗଭୀର ଚିନ୍ତନ ଓ ସମୀକ୍ଷା ଉପସ୍ଥାପନ କରିଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଶିକ୍ଷାର୍ଥୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଅଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ସଂଯୋଜନା କରିଥିବା ବେଳେ ଅଧ୍ୟାପକ ପତିତପାବନ ପଣ୍ଡା ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।  ଏହାପରେ ଦ୍ୱିତୀୟ ଅଧିବେଶନରେ ଡକ୍ଟର ଗଙ୍ଗାଧର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା। ଏଥିରେ ଅଧ୍ୟାପକ ବିଭୁତିଭୂଷଣ ହୋତା, ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ମନସ୍ମିନୀ ପଟ୍ଟନାୟକ, ଡକ୍ଟର ଅକ୍ଷୟ ମିଶ୍ର, ଡକ୍ଟର ଚନ୍ଦନ ପ୍ରସାଦ ଜେନା, ତ୍ରିଲୋଚନ ସାହୁ, ଡକ୍ଟର ଅନିଲ ନନ୍ଦ, ଡକ୍ଟର ସନ୍ତୋଷ ରଥ ପ୍ରମୁଖ ଆଲୋଚନାଚକ୍ରର ବିଷୟ ସମ୍ପର୍କିତ ପ୍ରବନ୍ଧ ଉପସ୍ଥାପନ କରିଥିଲେ।

ଡକ୍ଟର ଆଶୁତୋଷ ସlମନ୍ତସିଂହାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପସ୍ଥାପିତ ହୋଇଥିବା ପ୍ରବନ୍ଧ ଗୁଡିକ ଉପରେ ବିଶ୍ଳେଷଣାତ୍ମକ ବକ୍ତବ୍ୟ ପ୍ରଦାନ କରିଥିଲେ। ଛାତ୍ରୀ ଅର୍ଚିତା ପ୍ରଧାନ ଉପସଂହାର ବକ୍ତବ୍ୟ ପ୍ରଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ବେଆଇନ ଘେରି ଉଚ୍ଛେଦ ଅଭିଯାନ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ପ୍ରକୃତିମୟୀ ନିଳାମ୍ବୁ ଚିଲିକାରୁ ବେଆଇନ ଘେରି ଉଛେଦ ଅଭିଯାନ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଚିଲିକାରେ ବେଆଇନ ଘେରି ଉଚ୍ଛେଦ ଅଭିଯାନରେ ପାଖାପାଖି ୪୧୮ ହେକ୍ଟର ଅଞ୍ଚଳ ଘେରିମୁକ୍ତ ହୋଇଛି। ଉକ୍ତ ଅଭିଯାନରେ ଚିଲିକା ତହସିଲଦାର ଚକ୍ରଧର ପାଢ଼ୀ, ସିଡିଏ କର୍ମଚାରୀ, ପୋଲିସ କର୍ମଚାରୀ, ମତ୍ସ୍ୟବିଭାଗ କର୍ମଚାରୀ, ୩ ରାଜସ୍ୱ ନିରୀକ୍ଷକ, ରାଜସ୍ୱ ସୁପରଭାଇଜର ଓ ଟିମ ସାମିଲ ଥିଲେ।

ଚିଲିକା ବ୍ଲକ ଅନ୍ତର୍ଗତ ବାଲୁଗାଁ ଜେଟି ଠାରୁ ଚିଲିକା ମଧ୍ୟରେ ପ୍ରାୟତଃ ୪୧୮ ହେକ୍ଟର ଅଞ୍ଚଳକୁ ଘେରିମୁକ୍ତ କରାଯାଇଛି। ସକାଳ ୭.୩୦ ରୁ ଅପରାହ୍ନ ୧.୩୦ ପର୍ଯ୍ୟନ୍ତ ଉକ୍ତ ଉଛେଦ ଅଭିଯାନ ଚାଲିଥିବା ବେଳେ ସମୁଦାୟ ୨୦ କୁଇଣ୍ଟାଲ ଜିରୋ ନେଟ ଜବତ କରାଯାଇଥିବା ତହସିଲଦାର ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି।

Categories
ବିଶେଷ ଖବର

ମହିଳାଙ୍କ ମାଧ୍ୟମରେ ଦକ୍ଷିଣରେ ପ୍ରବେଶ କରିବ କି ବିଜେପି?

ନୂଆଦିଲ୍ଲୀ: ଦକ୍ଷିଣ ଭାରତର କର୍ଣ୍ଣାଟକ ଓ କିଛି ମାତ୍ରାରେ ତେଲେଙ୍ଗାନାକୁ ବାଦ୍ ଦେଲେ ବିଜେପି ଏପର୍ଯ୍ୟନ୍ତ କୌଣସି ରାଜ୍ୟରେ ନିଜର ଉପସ୍ଥିତି ଜାହିର କରିପାରିନାହିଁ। କିନ୍ତୁ ଏବେ ସେ ଦକ୍ଷିଣରେ ପାଦ ରଖିବା ପାଇଁ ଏକ ଫର୍ମୁଲା ବାହାର କରିଛନ୍ତି। ଏହା ହେଉଛି ‘ନାରୀ ଶକ୍ତି’ର ଫର୍ମୁଲା। ଦଶନ୍ଧି ଧରି ଚାଲିଥିବା ମହିଳା ସଂରକ୍ଷଣ ବିଲ୍ ସଂସଦରେ ପାରିତ ହେବାର ଐତିହାସିକ ସଫଳତାର ଫାଇଦା ଉଠାଇବାକୁ ଯାଉଛନ୍ତି ମୋଦି ସରକାର। ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିର ସଫଳତା ପଛରେ ମହିଳା ଭୋଟରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏବେ ଏହି ଫର୍ମୁଲା ଜରିଆରେ ଦଳ ଦକ୍ଷିଣ ଭାରତରେ ନିଜର ରାଜନୈତିକ ଭିତ୍ତିଭୂମିକୁ ମଜବୁତ କରିବାକୁ ପ୍ରସ୍ତୁତି ଚଳାଇଛି।

ଏହି ପରିପ୍ରେକ୍ଷୀରେ ଆସନ୍ତା ମାସ ୨ ତାରିଖରେ କେରଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା କାର୍ଯ୍ୟକ୍ରମ ‘ସ୍ତ୍ରୀ ଶକ୍ତି ସମାଗମ’ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଦକ୍ଷିଣ ଭାରତୀୟ ରାଜ୍ୟର ୨ ଲକ୍ଷ ମହିଳା ଅଂଶଗ୍ରହଣ କରିବେ। ସଂସଦର ଉଭୟ ଗୃହରେ ଐତିହାସିକ ମହିଳା ସଂରକ୍ଷଣ ବିଲ୍ ପାରିତ କରିଥିବାରୁ କେରଳର ମହିଳାଙ୍କ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇବା ପାଇଁ ବିଜେପିର ରାଜ୍ୟ ୟୁନିଟ୍ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

କେରଳ ବିଜେପି ସଭାପତି କେ ସୁରେନ୍ଦ୍ରନ ଦାବି କରିଛନ୍ତି ଯେ ‘ସ୍ତ୍ରୀ ଶକ୍ତି’ କାର୍ଯ୍ୟକ୍ରମ ଅଭୂତପୂର୍ବ ହେବ। ଦକ୍ଷିଣ ଭାରତର କୌଣସି ରାଜନୈତିକ ଦଳ ଏତେ ବଡ଼ ଧରଣର ମହିଳାଙ୍କୁ ଏକାଠି କରିନାହାନ୍ତି। ତ୍ରିଶୂରର ଟେକ୍କିନକାଡୁ ପଡ଼ିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯେଉଁଥିରେ ସବୁ ପୃଷ୍ଠଭୂମିର ମହିଳାମାନେ ଅଂଶଗ୍ରହଣ କରିବେ। ଗୃହିଣୀ ଓ କର୍ମଜୀବୀ ମହିଳାମାନେ ମଧ୍ୟ ରହିବେ। ଅଙ୍ଗନବାଡ଼ି କର୍ମୀଙ୍କ ସହ ଆଶା କର୍ମୀ ମଧ୍ୟ ରହିବେ। ଏଥିରେ ମହିଳା ଉଦ୍ୟୋଗୀଙ୍କ ସହ ମନରେଗା ଶ୍ରମିକ ମଧ୍ୟ ରହିବେ। ଏଥିରେ ପ୍ରାୟ ସବୁ କ୍ଷେତ୍ରର ମହିଳାମାନେ ଅଂଶଗ୍ରହଣ କରିବେ।

ଅଧା ଜନସଂଖ୍ୟାକୁ ଆକୃଷ୍ଟ କରୁଛି ବିଜେପି

ସଂସଦର ଅନୁମୋଦନ ପରେ ମଧ୍ୟ ନାରୀ ଶକ୍ତି ବନ୍ଦନ ବିଲ୍‍କୁ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଅପେକ୍ଷା କରିବାକୁ ପଡ଼ିବ। ଏହାର କାରଣ ହେଉଛି ସୀମା ନିର୍ଦ୍ଧାରଣ, ଯାହା ବିନା ମହିଳା ସଂରକ୍ଷଣ ଆଇନ କାର୍ଯ୍ୟକାରୀ ହୋଇପାରିବ ନାହିଁ। ଏହାକୁ କାର୍ଯ୍ୟକାରୀ କରିବାକୁ ଦୀର୍ଘ ସମୟ ଲାଗିପାରେ, କିନ୍ତୁ ସଂସଦରୁ ଦଶନ୍ଧି ଧରି ଅଟକି ରହିଥିବା ଏହି ବିଲ୍‍କୁ ପାରିତ କରିବା ନିଜେ ଏକ ବଡ଼ ସଫଳତା। ସେଥିପାଇଁ ବିଲ୍ ଉପରେ ଆଲୋଚନାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ କହିଥିଲେ, ବୋଧହୁଏ ଭଗବାନ ମୋତେ ଏହି କାମ ପାଇଁ ଚୟନ କରିଛନ୍ତି।

ଲୋକସଭା ନିର୍ବାଚନରେ ଏହି ପ୍ରସଙ୍ଗର ଫାଇଦା ଉଠାଇବା ପାଇଁ ବିଜେପି କୌଣସି ସୁଯୋଗ ଛାଡ଼ିବ ନାହିଁ। ଜାତିଗତ ଜନଗଣନାର ପ୍ରକୋପ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଲ୍ଲେଖ କରିଥିବା ଚାରିଟି ଜାତି ମଧ୍ୟରେ ମହିଳା ଅଛନ୍ତି। ଜାତିଗତ ଜନଗଣନାକୁ ବିଭାଜନ କରିବାର ରାଜନୀତିକୁ ବର୍ଣ୍ଣନା କରୁଥିବା ପ୍ରଧାନମନ୍ତ୍ରୀ କହନ୍ତି ଯେ ଦେଶରେ କେବଳ ୪ଟି ଜାତି ଅଛି ଯାହା ବିନା ଦେଶର ବିକାଶ ହୋଇପାରିବ ନାହିଁ ଏବଂ ସେମାନେ ଗରିବ, ଯୁବକ, ମହିଳା ଏବଂ କୃଷକ। ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିର ସଫଳତା ମହିଳା ଭୋଟରଙ୍କ ମଧ୍ୟରେ ଏହାର ଗଭୀର ପ୍ରବେଶ କାରଣରୁ ହୋଇଛି। ମଧ୍ୟପ୍ରଦେଶରେ ଦଳର ବିପୁଳ ବିଜୟର ଶ୍ରେୟ ମୁଖ୍ୟତଃ ଲାଡଲି ଲକ୍ଷ୍ମୀ, ଲାଡଲି ବେହନା, ଶିବରାଜ ସିଂହ ସରକାର ଆରମ୍ଭ କରିଥିବା ଶସ୍ତା ଗ୍ୟାସ ସିଲିଣ୍ଡର ଭଳି ଯୋଜନାକୁ ଦିଆଯାଇଛି।

ଅଧା ଜନସଂଖ୍ୟା – ବିଜେପିର ନୂଆ ଭୋଟ ବ୍ୟାଙ୍କ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ଗତ କିଛିବର୍ଷର ପ୍ରୟାସରେ ଧୀରେ ଧୀରେ ଏକ ନୂଆ ଭୋଟ୍ ବ୍ୟାଙ୍କ ସୃଷ୍ଟି କରିବାରେ ସଫଳ ହୋଇଛି। ଏହି ନୂଆ ଭୋଟ୍ ବ୍ୟାଙ୍କ ଜନସଂଖ୍ୟାର ଅଧା ଅର୍ଥାତ୍ ମହିଳା। ସଂସଦରେ ଐତିହାସିକ ମହିଳା ସଂରକ୍ଷଣ ବିଲ୍ ପାରିତ ହେବା ସେହି ଦିଗରେ ଏକ ବଡ଼ ପଦକ୍ଷେପ। ମୁସଲମାନ ମହିଳାମାନେ ଏକାସାଙ୍ଗରେ ତିନି ଥର ତଲାକ୍ କହି ମହିଳାଙ୍କ ସହ ସମ୍ପର୍କ ଶେଷ କରିବାର ଯନ୍ତ୍ରଣାରୁ ଉପକୃତ ହୋଇଛନ୍ତି।

କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏବଂ ରାଜ୍ୟର ଅନେକ ବିଜେପି ସରକାର ଅନେକ କଲ୍ୟାଣକାରୀ ଯୋଜନା ଚଳାଉଛନ୍ତି ଯାହା ମହିଳାମାନଙ୍କୁ ସିଧାସଳଖ ଉପକୃତ କରୁଛି। କେନ୍ଦ୍ର ସରକାରଙ୍କ ବିଷୟରେ କହିବାକୁ ଗଲେ ବେଟି ବଚାଓ ବେଟି ପଢ଼ାଓ, ସୁକନ୍ୟା ସମୃଦ୍ଧି ଯୋଜନା, ଉଜ୍ଜ୍ୱଳା ଯୋଜନା, ଜନଧନ ଖାତା, ମିଶନ ପୋଷଣ, ସୁରକ୍ଷିତ ମାତୃତ୍ୱ ନିଶ୍ଚିତତା, ମାତୃତ୍ୱ ଛୁଟି ୧୨ରୁ ୨୬ ସପ୍ତାହ ପର୍ଯ୍ୟନ୍ତ, ମାତୃବଂଶ ଯୋଜନା ଅଧୀନରେ ସନ୍ତାନ ଜନ୍ମରେ ମା’ଙ୍କୁ ୫୦୦୦ ଟଙ୍କା, ମାତୃବନ୍ଦନ ଯୋଜନା ଅଧୀନରେ ମା’ଙ୍କୁ ୫୦୦୦ ଟଙ୍କା ଆଦି ସମସ୍ତ ଯୋଜନା ଅଧା ଜନସଂଖ୍ୟା ଉପରେ କେନ୍ଦ୍ରିତ ହୋଇଛି। ସେନାରେ ମହିଳାମାନଙ୍କୁ ସ୍ଥାୟୀ କମିସନ ସମାନ ସୁଯୋଗ ଓ ସମାନ ଅଧିକାର ଦେବାକୁ ଚେଷ୍ଟା କରିଥିଲେ। ଉଜ୍ଜ୍ୱଳା ଯୋଜନାରେ ୯.୬ କୋଟି ମହିଳାମାଗଣା ଗ୍ୟାସ ସଂଯୋଗର ଲାଭ ପାଇଛନ୍ତି। ଜନଧନ ଯୋଜନାରେ ୨୭ କୋଟି ମହିଳା ବ୍ୟାଙ୍କ ଆକାଉଣ୍ଟ ଖୋଲିଛନ୍ତି। ବ୍ୟାଙ୍କରୁ ବିନା ଗ୍ୟାରେଣ୍ଟିରେ ମୁଦ୍ରା ଋଣ ଯୋଜନାର ୭୦ ପ୍ରତିଶତ ହିତାଧିକାରୀ ହେଉଛନ୍ତି ମହିଳା। ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନାର ଅଧାରୁ ଅଧିକ ହିତାଧିକାରୀ ହେଉଛନ୍ତି ମହିଳା। ନିର୍ବାଚନରେ ବିଜେପିକୁ ଏହି ସବୁ ଯୋଜନାର ଫାଇଦା ମିଳୁଛି।

ମହିଳାମାନେ ବିଜେପିକୁ ମଜବୁତ କରୁଛନ୍ତି

୨୦୧୯ ଲୋକସଭା ନିର୍ବାଚନ ବିଷୟରେ କହିବାକୁ ଗଲେ ଦେଶରେ ମୋଟ ୯୧ କୋଟି ଭୋଟର ଥିଲେ। ସେମାନଙ୍କ ମଧ୍ୟରୁ ୪୪ କୋଟି ମହିଳା ଥିଲେ। ମହିଳାମାନେ ବହୁ ସଂଖ୍ୟାରେ ନିର୍ବାଚନରେ ଭାଗ ନେଇଥାନ୍ତି। ୨୦୧୯ରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ଭୋଟ୍ ଦେଇଥିଲେ। ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ୨୦୧୯ରେ ମୋଟ ପଞ୍ଜୀକୃତ ମହିଳା ଭୋଟରଙ୍କ ମଧ୍ୟରୁ ୬୭.୧୮ ପ୍ରତିଶତ ମତଦାନ କରିଥିବାବେଳେ ପୁରୁଷଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୬୭.୦୨ ପ୍ରତିଶତ ଥିଲା। ତାମିଲନାଡୁ, କେରଳ, ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଭଳି ୧୨ଟି ରାଜ୍ୟରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ମତଦାନ ଅଧିକ ଥିଲା। ଏହି ରାଜ୍ୟଗୁଡ଼ିକରେ ୨୦୦ ଲୋକସଭା ଆସନ ରହିଛି।

ତାମିଲନାଡୁ ଓ କେରଳକୁ ବାଦ୍ ଦେଲେ ଏହି ସବୁ ରାଜ୍ୟରେ ବିଜେପି ଜବରଦସ୍ତ ପ୍ରଦର୍ଶନ କରିଥିଲା। ସିଏସଡିଏ ତଥ୍ୟ ଦର୍ଶାଉଛି ଯେ ଦେଶରେ ମହିଳାଙ୍କ ପାଇଁ ବିଜେପି ପସନ୍ଦଯୋଗ୍ୟ ଦଳ। ୨୦୧୯ରେ ସାରା ଦେଶରେ ବିଜେପିକୁ ହାରାହାରି ୩୬ ପ୍ରତିଶତ ମହିଳା ଭୋଟ୍ ମିଳିଥିଲା। କଂଗ୍ରେସକୁ ୨୦ ପ୍ରତିଶତ ଭୋଟ ମିଳିଥିବାବେଳେ ବାକି ୪୪ ପ୍ରତିଶତ ଭୋଟ ଟିଏମସି, ବିଜେଡି ଭଳି ଆଞ୍ଚଳିକ ଦଳକୁ ମିଳିଛି।

୨୦୧୯ରେ ଅତି କମରେ ୧୬୦ଟି ଲୋକସଭା ଆସନ ଥିଲା ଯେଉଁଠାରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ମତଦାନ ଅଧିକ ଥିଲା ଏବଂ ସେଥିମଧ୍ୟରୁ ଅଧିକାଂଶ ଆସନରେ ବିଜେପି ଜିତିଥିଲା। କେରଳରେ ବିଶାଳ ‘ସ୍ତ୍ରୀ ଶକ୍ତି’ କାର୍ଯ୍ୟକ୍ରମ ଜରିଆରେ ବିଜେପି ଏବେ ଦକ୍ଷିଣ ଭାରତରେ ମଧ୍ୟ ମହିଳାଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛି। କେନ୍ଦ୍ରର ଯୋଜନାରୁ ଦକ୍ଷିଣ ଭାରତର ମହିଳାମାନେ ମଧ୍ୟ ଉପକୃତ ହେଉଛନ୍ତି, କିନ୍ତୁ ସେଠାରେ ଦଳର ଉପସ୍ଥିତି ବିଶେଷ ନୁହେଁ। ଏବେ ଦଳ କେନ୍ଦ୍ରର ଯୋଜନାରୁ ଉପକୃତ ହେଉଥିବା ମହିଳାଙ୍କ ପାଖରେ ପହଞ୍ଚି ସେଠାରେ ଦୃଢ଼ ଉପସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି।

Categories
ଆଜିର ଖବର

ଦୁଇଟି ସମ୍ମାନଜନକ ଜାତୀୟ ପୁରସ୍କାର ପାଇଲା ପୂର୍ବତଟ ରେଳପଥ

ଭୁବନେଶ୍ଵର: ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟ୍ ଏବଂ ପିଏସୟୁ ପାଇଁ 21 ଟି ଶିଲ୍ଡ ସହିତ ସେମାନଙ୍କର ଉଲ୍ଲେଖନୀୟ ସେବା ପାଇଁ ସାରା ଦେଶରେ 100 ରେଳ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି।

ପୂର୍ବତଟ ରେଳପଥକୁ ଅନ୍ୟ ଜୋନାଲ ରେଳବାଇ ସହିତ ମିଳିତ ଭାବରେ ବାଣିଜ୍ୟିକ ଏବଂ ସୁରକ୍ଷା ବିଭାଗ କ୍ଷେତ୍ରରେ ଦୁଇଟି ସମ୍ମାନଜନକ ଦକ୍ଷତା ଶିଲ୍ଡ ପ୍ରଦାନ କରାଯାଇଅଛି।  ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ସହିତ ରେଳପଥର ପ୍ରମୁଖ ବାଣିଜ୍ୟିକ ପ୍ରବନ୍ଧକ ଭି ଆର ଲେନିନ୍ ବାଣିଜ୍ୟ ବିଭାଗରେ ଦକ୍ଷତା ଶିଲ୍ଡ ଗ୍ରହଣ କରିଥିବାବେଳେ ପ୍ରମୁଖ ସୁରକ୍ଷା ଆୟୁକ୍ତ  ଆଲୋକ ବୋହରାଙ୍କ ସହ ସୁରକ୍ଷା ବିଭାଗ ପାଇଁ ଦକ୍ଷତା ଶିଲ୍ଡ ମାନ୍ୟବର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଠାରୁ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ 68 ତମ ଜାତୀୟ ରେଳ ପୁରସ୍କାର ସମାରୋହରେ ସମ୍ମାନଜନକ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି।

ଏହା ବ୍ୟତୀତ, ପୂର୍ବତଟ ରେଳପଥକୁ ଗୋଟିଏ ବ୍ୟକ୍ତିଗତ ପୁରସ୍କାର “ଅତି ବିଶିଷ୍ଟ ରେଳ ସେବା ପୁରସ୍କାର” ମଧ୍ୟ ପ୍ରଦାନ କରାଯାଇ ଅଛି। ଖୋର୍ଦ୍ଧା ରୋଡ ରେଳ ମଣ୍ଡଳର ମଣ୍ଡଳ ପରିଚାଳନା ପ୍ରବନ୍ଧକ (ଡିଭିଜନାଲ ଅପରେସନ୍ ମ୍ୟାନେଜର) ରାନ୍ଦି ମନୋଜ ବାବୁ ବ୍ୟକ୍ତିଗତ ଭାବେ “ଅତି ବିଶିଷ୍ଟ ରେଳ ସେବା ପୁରସ୍କାର” ମାନ୍ୟବର ରେଳ ମନ୍ତ୍ରୀଙ୍କ ଠାରୁ ଗ୍ରହଣ କରିଛନ୍ତି।

ରେଳ କର୍ମଚାରୀଙ୍କ ମଧ୍ୟରେ ସର୍ବୋତ୍ତମ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଆଜି (15 ଡିସେମ୍ବର, 2023) କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ରେଳ କର୍ମଚାରୀଙ୍କୁ ନୂଆ ଦିଲ୍ଲୀ ସ୍ଥିତ ପ୍ରଗତି ମୈଦାନ ଠାରେ ଅବସ୍ଥିତ ଭାରତ ମଣ୍ଡପମ ଠାରେ ଅତି ବିଶିଷ୍ଟ ରେଳ ସେବା ପୁରସ୍କାର -୨୦୧୩ ପୁରସ୍କାର / ଶିଲ୍ଡ ପ୍ରଦାନ କରିଛନ୍ତି। ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ଜୋନାଲ ରେଳବାଇ / ପିଏସୟୁ ମାନଙ୍କୁ ମଧ୍ୟ ଦକ୍ଷତା ଶିଲ୍ଡ ପ୍ରଦାନ କରାଯାଇଅଛି।

ରେଳ, କୋଇଲା ଏବଂ ଖଣି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଓସାହେବ ପାଟିଲ ଦାନଭେ ଏବଂ ରେଳ ଓ ବୟନ ମନ୍ତ୍ରୀ ଦର୍ଶନା ଜାରଦୋଶଙ୍କ ସହିତ ରେଳବାଇ ବୋର୍ଡ ଚେୟାରମ୍ୟାନ୍ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ବୋର୍ଡ ସଦସ୍ୟ ମାନେ, ସମସ୍ତ ଜୋନାଲ ରେଳବାଇର ମହାପ୍ରବନ୍ଧକ ମାନେ ତଥା ରେଳବାଇର ଉତ୍ପାଦନ ୟୁନିଟ୍ ଏବଂ ରେଳବାଇର ପିଏସୟୁ ଗୁଡିକର ମୁଖ୍ୟମାନେ ମଧ୍ୟ ଏହି ଉତ୍ସବରେ ଯୋଗଦାନ କରିଥିଲେ।

ମୋଟ ଉପରେ, ବିଭିନ୍ନ ଜୋନାଲ ରେଳ, ଉତ୍ପାଦନ ୟୁନିଟ୍ ଏବଂ ରେଳ ପିଏସୟୁର 100 ରେଳ କର୍ମଚାରୀଙ୍କୁ ଅତି ବିଶିଷ୍ଟ ରେଳ ସେବା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ 21 ଟି ଦକ୍ଷତା ଶିଲ୍ଡ ଉଲ୍ଲେଖନୀୟ ସେବା ପାଇଁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

ODI ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା, ୨ ଖେଳାଳି ହେଲେ ଆଉଟ୍

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ODI ସିରିଜ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ଦୁଇଟି ବଡ଼ ଅସୁବିଧାର ସମ୍ମୁଖୀନ ହୋଇଥିଲା। ଦଳର ଦୁଇ ଦ୍ରୁତ ବୋଲରଙ୍କୁ ଆଫ୍ରିକୀୟ ଗସ୍ତରୁ ବାଦ୍ ଦିଆଯାଇଛି। ଦ୍ରୁତ ବୋଲର ଦୀପକ ଚହର ODI ସିରିଜରୁ ତାଙ୍କ ନାମ ପ୍ରତ୍ୟାହାର କରିଥିବାବେଳେ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି। ଚହର ODI ସିରିଜର ଏକ ଅଂଶ ହୋଇଥିବାବେଳେ ଶାମି ୨୬ ଡିସେମ୍ବରରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ସ୍ସାମିଲ ହେବାକୁ ଯାଉଥିଲେ। ବିସିସିଆଇ ଏକ ବିବୃତ୍ତି ଜାରି କରି ଉଭୟ ଖେଳାଳିଙ୍କୁ ଏହି ଗସ୍ତରୁ ବାଦ ଦେଇଛି। ଦୀପକ ଚହରଙ୍କ ସ୍ଥାନରେ ଆକାଶ ଦୀପ ସିଂ ଦକ୍ଷିଣ ଆଫ୍ରିକା ଗସ୍ତରେ ଟିମ୍ ଇଣ୍ଡିଆରେ ଯୋଗଦେବେ।

Categories
ଆଜିର ଖବର ଜାତୀୟ ଖବର

ହାଇକୋର୍ଟରେ ୭୬% ବିଚାରପତି ସାଧାରଣ ବର୍ଗର ୨୦୧୮ରୁ ହୋଇଥିବା ନିଯୁକ୍ତିର ତଥ୍ୟ ରାଜ୍ୟସଭାରେ ଉପସ୍ଥାପିତ

ନୂଆଦିଲ୍ଲୀ: ବିଚାରପତି ନିଯୁକ୍ତି ପାଇଁ କଲେଜିୟମ ବ୍ୟବସ୍ଥାକୁ ନେଇ ସରକାର ଓ ସୁପ୍ରିମକୋର୍ଟଙ୍କ ମଧ୍ୟରେ ଜୋରଦାର ବିବାଦ ଦେଖାଦେଇଥିଲା। ଶେଷରେ ସରକାର କଲେଜିୟମ ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଆଇନ ଆସିବା ପରେ ସୁପ୍ରିମକୋର୍ଟ ଏହାକୁ ରଦ୍ଦ କରିଥିଲେ। କୁହାଯାଉଛି ଯେ କଲେଜିୟମ ବ୍ୟବସ୍ଥା ଯୋଗୁଁ ବିଚାରପତି ନିଯୁକ୍ତିରେ ପରିବାରବାଦ ଓ ବିଚ୍ଛିନ୍ନତାର ବ୍ୟାପକ ଅନୁପ୍ରବେଶ ହେଉଛି। ୨୦୧୮ ମସିହାରୁ ହାଇକୋର୍ଟରେ ବିଚାରପତି ନିଯୁକ୍ତି ନେଇ ସରକାର ତଥ୍ୟ ପ୍ରକାଶ କରିଛନ୍ତି। ଏଥିରେ କୁହାଯାଇଛି ଯେ ୭୬% ବିଚାରପତି ନିଯୁକ୍ତି ସାଧାରଣ ବର୍ଗର କରାଯାଇଛି।

କ’ଣ କହୁଛି ପରିସଂଖ୍ୟାନ

ତଥ୍ୟ ଅନୁଯାୟୀ, ୨୦୧୮ରୁ ବିଭିନ୍ନ ହାଇକୋର୍ଟରେ ନିଯୁକ୍ତି ପାଇଥିବା ୬୫୦ ଜଣ ବିଚାରପତିଙ୍କ ମଧ୍ୟରୁ ୪୯୨ ଜଣ ସାଧାରଣ ବର୍ଗର। ଅର୍ଥାତ୍ ସମୁଦାୟ ନିଯୁକ୍ତିର ୭୬% ଅଣସଂରକ୍ଷିତ ବର୍ଗରୁ କରାଯାଇଛି। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ରାଜ୍ୟସଭାରେ କହିଛନ୍ତି ଯେ ବିଭିନ୍ନ ହାଇକୋର୍ଟର କଲେଜିୟମଦ୍ୱାରା ବିଚାରପତି ନିଯୁକ୍ତି ପାଇଁ ଓକିଲ ଏବଂ ନ୍ୟାୟିକ ଅଧିକାରୀମାନେ ଦେଇଥିବା ସୁପାରିସ ସମୟରେ ଏହି ତଥ୍ୟ ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ସଂସଦରେ ସୂଚନା ଦେଇଛନ୍ତି ଯେ ୨୦୧୮ ରୁ ଏପର୍ଯ୍ୟନ୍ତ ହାଇକୋର୍ଟରେ ମୋଟ ୫୬୯ ଜଣ ବିଚାରପତି ନିଯୁକ୍ତ ହୋଇଛନ୍ତି। ୫୬୯ ଜଣ ବିଚାରପତିଙ୍କ ମଧ୍ୟରୁ ୧୭ ଜଣ ଅନୁସୂଚିତ ଜାତି (ଏସସି), ୯ ଜଣ ଅନୁସୂଚିତ ଜନଜାତି (ଏସଟି), ୬୪ ଜଣ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଏବଂ ୧୫ ଜଣ ସଂଖ୍ୟାଲଘୁ ସମ୍ପ୍ରଦାୟର। ୨୦ ଜଣ ବିଚାରପତିଙ୍କ ସାମାଜିକ ପୃଷ୍ଠଭୂମି ସମ୍ପର୍କରେ ସୂଚନା ସରକାରଙ୍କ ପାଖରେ ଉପଲବ୍ଧ ନାହିଁ।

ସଂରକ୍ଷଣ ପାଇଁ କୌଣସି ବ୍ୟବସ୍ଥା ନାହିଁ

ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମେଘୱାଲ କହିଛନ୍ତି ଯେ ସୁପ୍ରିମକୋର୍ଟ ଓ ହାଇକୋର୍ଟର ବିଚାରପତି ନିଯୁକ୍ତିରେ ସଂରକ୍ଷଣର କୌଣସି ବ୍ୟବସ୍ଥା ନାହିଁ। ହାଇକୋର୍ଟ ବିଚାରପତିମାନଙ୍କ ମଧ୍ୟରେ ଓବିସି, ଏସସି, ଏସଟି ଏବଂ ସଂଖ୍ୟାଲଘୁଙ୍କ ପ୍ରତିନିଧିତ୍ୱ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପାଖରେ କୌଣସି କେନ୍ଦ୍ରୀୟ ତଥ୍ୟ ନ ଥିଲେ ମଧ୍ୟ ନିଯୁକ୍ତି ପାଇଁ ବିଚାର କରାଯାଉଥିବାବେଳେ ସୁପାରିସକାରୀମାନେ ନିଜେ ସାମାଜିକ ପୃଷ୍ଠଭୂମି ସୂଚନା ଦେଇଥାନ୍ତି। ୨୦୧୮ରୁ ୬୫୦ ଜଣ ବିଚାରପତିଙ୍କ ମଧ୍ୟରୁ ୪୯୨ ଜଣ ସାଧାରଣ ବର୍ଗ, ୨୦ ଜଣ ଅନୁସୂଚିତ ଜାତି, ୧୨ ଜଣ ଅନୁସୂଚିତ ଜନଜାତି, ୭୭ ଜଣ ଓବିସି ଓ ୩୬ ଜଣ ସଂଖ୍ୟାଲଘୁ ବର୍ଗର ଅଛନ୍ତି। ଅବଶିଷ୍ଟ ୧୩ ଜଣ ବିଚାରପତିଙ୍କ ବିଷୟରେ କୌଣସି ସୂଚନା ମିଳିପାରିନାହିଁ।

ହାଇକୋର୍ଟରେ ବିଚାରପତି ନିଯୁକ୍ତି କିପରି ହୁଏ

ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପର୍କରେ ସରକାର କହିଛନ୍ତି ଯେ ସେମାନଙ୍କ ଜାତି ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ଡିସେମ୍ବର ୮ ତାରିଖ ସୁଦ୍ଧା ସର୍ବୋଚ୍ଚ ନ୍ୟାୟାଳୟରେ ୩୪ ଜଣ ବିଚାରପତି ଥିବାବେଳେ ହାଇକୋର୍ଟରେ ୧୧୧୪ ମଞ୍ଜୁରୀପ୍ରାପ୍ତ ପଦବୀ ତୁଳନାରେ ୭୯୦ ଜଣ ବିଚାରପତି ଥିଲେ। ସାମ୍ବିଧାନିକ ଅଦାଲତରେ ବିଚାରପତି ନିଯୁକ୍ତି ପାଇଁ ମାର୍ଗଦର୍ଶନ କରୁଥିବା ମେମୋରେଣ୍ଡମ୍ ଅଫ୍ ପ୍ରୋସିଜର ଅନୁଯାୟୀ, ହାଇକୋର୍ଟରେ ବିଚାରପତି ନିଯୁକ୍ତି ପ୍ରସ୍ତାବ ସମ୍ପୃକ୍ତ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଉପରେ ନିର୍ଭର କରେ।

ସରକାରଙ୍କ ଆବେଦନ

ହାଇକୋର୍ଟର ମୁଖ୍ୟ ବିଚାରପତିମାନେ କୌଣସି ପଦବୀ ଖାଲି ହେବାର ମାତ୍ର ୬ ମାସ ପୂର୍ବରୁ ସେହି ପଦବୀ ପୂରଣ ପାଇଁ ପ୍ରସ୍ତାବ ଆରମ୍ଭ କରିବା ଆବଶ୍ୟକ। ବିଚାରପତି ନିଯୁକ୍ତି ପାଇଁ ପ୍ରସ୍ତାବ ପଠାଇବା ସମୟରେ ଏସସି/ଏସଟି, ଓବିସି, ସଂଖ୍ୟାଲଘୁ ଓ ମହିଳାଙ୍କ ଉପଯୁକ୍ତ ପ୍ରାର୍ଥୀଙ୍କୁ ବିଚାରକୁ ନିଆଯାଉ ବୋଲି ସରକାର ମୁଖ୍ୟ ବିଚାରପତିମାନଙ୍କୁ ଅନୁରୋଧ କରିଛନ୍ତି।

ସାଧାରଣ ବର୍ଗର ଅର୍ଥ କେବଳ ଉଚ୍ଚ ଜାତି ନୁହେଁ

ମନେ ରଖନ୍ତୁ ଯେ ସାଧାରଣ ବର୍ଗରେ କେବଳ ଉଚ୍ଚ ଜାତି ନୁହଁନ୍ତି, ସବୁ ଜାତିର ଭାଗ ରହିଛି। ସାଧାରଣ ବର୍ଗ ବାସ୍ତବରେ ଏକ ଅଣସଂରକ୍ଷିତ ବର୍ଗ ଯେଉଁଥିରେ ପ୍ରତ୍ୟେକ ଜାତି, ଧର୍ମ, ସମ୍ପ୍ରଦାୟର ଅଂଶଗ୍ରହଣକାରୀଙ୍କ ଭାଗ ସମାନ। ଏହି ବର୍ଗରେ କୌଣସି ଶ୍ରେଣୀକୁ ବିଶେଷ ଗୁରୁତ୍ୱ ଦିଆଯାଉନାହିଁ। ଯଦି ସଂରକ୍ଷଣ ଅଧୀନରେ ଅନ୍ତର୍ଭୁକ୍ତ ଜାତିର ଅଂଶଗ୍ରହଣକାରୀମାନେ ସଂରକ୍ଷିତ ବର୍ଗ ପାଇଁ ଧାର୍ଯ୍ୟ କଟ୍ ଅଫ୍‍ଠାରୁ ଅଧିକ ମାର୍କ ପାଆନ୍ତି, ତେବେ ସେମାନଙ୍କୁ ସାଧାରଣ ବର୍ଗରେ ଅନ୍ତର୍ଭୁକ୍ତ କରାଯାଏ। ତେଣୁ ସଂରକ୍ଷିତ କୋଟାରେ ସଂରକ୍ଷିତ ଜାତିର ଅଂଶଗ୍ରହଣକାରୀଙ୍କ ଏକଚାଟିଆ ଅଧିକାର ଥିବାବେଳେ ଅଣସଂରକ୍ଷିତ ଅର୍ଥାତ୍ ସାଧାରଣ ବର୍ଗର ଖାଲି ପଡ଼ିଥିବା ପଦବୀ ଉପରେ ମଧ୍ୟ ସେମାନଙ୍କର ସମାନ ଅଧିକାର ରହିଛି।

Categories
ଆଜିର ଖବର ଜାତୀୟ ଖବର

ଦେଶର ସମସ୍ତ ଅଦାଲତରେ ୫ କୋଟି ମାମଲା ବିଚାରାଧୀନ: ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ, ୨୫ଟି ହାଇକୋର୍ଟ, ଜିଲ୍ଲା ଓ ଅଧୀନ ଅଦାଲତରେ ସମୁଦାୟ ୫ କୋଟି ମାମଲା ବିଚାରାଧୀନ ରହିଛି। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ଏହି ସୂଚନା ଦେଇଛନ୍ତି।

ଏକ ପ୍ରଶ୍ନର ଉତ୍ତରରେ ଆଇନମନ୍ତ୍ରୀ କହିଛନ୍ତି ଯେ ଡିସେମ୍ବର ୧ ସୁଦ୍ଧା ଦେଶର ବିଭିନ୍ନ ଅଦାଲତରେ ୫ କୋଟି ୮ ଲକ୍ଷ ୮୫ ହଜାର ୮୫୬ଟି ମାମଲାର ଶୁଣାଣି ବାକି ରହିଛି। ସେଥିମଧ୍ୟରୁ ୨୫ଟି ହାଇକୋର୍ଟରେ ୬୧ ଲକ୍ଷରୁ ଅଧିକ ମାମଲା ବିଚାରାଧୀନ ରହିଛି।
ଅର୍ଜୁନ ରାମ କହିଛନ୍ତି ଯେ ବର୍ତ୍ତମାନ ସୁପ୍ରିମକୋର୍ଟରେ ୮୦ ହଜାର ମାମଲା ବିଚାରାଧୀନ ରହିଛି । ୬ ମାସ ତଳେ ଜୁଲାଇ ପହିଲାରେ ସୁପ୍ରିମକୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା ୬୯ ହଜାର ୭୬୬ ଥିଲା । ଯାହା ଡିସେମ୍ବର ୧ରେ ୮୦ ହଜାରରୁ ଅଧିକ ହୋଇଥିଲା। ତିନି ବର୍ଷ ତଳେ ୨୦୨୦ ମାର୍ଚ୍ଚରୁ ୨୦୨୩ ଜୁଲାଇ ପର୍ଯ୍ୟନ୍ତ ୧୦ ହଜାର ବିଚାରାଧୀନ ମାମଲା ବୃଦ୍ଧି ପାଇଁ ସମୟ ଲାଗିଥିଲା।

ନ୍ୟାୟପାଳିକାରେ ସମୁଦାୟ ୨୬ ହଜାର ୫୬୮ ବିଚାରପତି

ଅର୍ଜୁନ ରାମ ମେଘୱାଲ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ନ୍ୟାୟପାଳିକାରେ ବିଚାରପତିଙ୍କ ସମୁଦାୟ ମଞ୍ଜୁରୀପ୍ରାପ୍ତ ସଦସ୍ୟ ସଂଖ୍ୟା ହେଉଛି ୨୬,୫୬୮। ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪ ରହିଛି। ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୧୧୪ ରହିଛି। ଜିଲ୍ଲା ଓ ଅଧୀନ ଅଦାଲତରେ ମଞ୍ଜୁରୀପ୍ରାପ୍ତ ବିଚାରପତି ଙ୍କ ସଂଖ୍ୟା ୨୫,୪୨୦ ରହିଛି।

ଜୁନ୍ ୧୫ ସୁଦ୍ଧା ଭିଡିଓ କନଫରେନ୍ସିଂ ଜରିଆରେ ୧.୮୦ ଲକ୍ଷ ମାମଲାର ଶୁଣାଣି ହୋଇଛି
ଲୋକସଭାରେ ବକ୍ତବ୍ୟ ରଖି ଆଇନ ମନ୍ତ୍ରୀ କହିଛନ୍ତି ଯେ ୨୦୨୩ରେ ସୁପ୍ରିମକୋର୍ଟ ମଧ୍ୟ ଜୁନ୍ ୧୫ ପର୍ଯ୍ୟନ୍ତ ଭିଡିଓ କନଫରେନ୍ସିଂ ଜରିଆରେ ମାମଲାର ଶୁଣାଣି କରିଥିଲେ।  ଯେଉଁଥିରେ ସମୁଦାୟ ୧ ଲକ୍ଷ ୮୨ ହଜାରରୁ ଅଧିକ ମାମଲାର ଶୁଣାଣୀ ହୋଇଛି କରିଥିଲେ।

ଏହାବ୍ୟତୀତ ଗୁଜରାଟ, ଗୁଆହାଟୀ, ଓଡ଼ିଶା, କର୍ଣ୍ଣାଟକ, ଝାଡ଼ଖଣ୍ଡ, ପାଟନା ଓ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ସହ ସୁପ୍ରିମକୋର୍ଟ ସାମ୍ବିଧାନିକ ଖଣ୍ଡପୀଠର କାର୍ଯ୍ୟର ସିଧା ପ୍ରସାରଣ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କୃଷ୍ଣ ଜନ୍ମଭୂମିରେ ମସଜିଦ୍ ନିର୍ମାଣ ହୋଇଛି କି ନାହିଁ ସାହି ଇଦ୍‍ଗାହ ସର୍ଭେରୁ ଜଣାପଡ଼ିବ ୩୫୦ ବର୍ଷ ପୁରୁଣା ବିବାଦ କ’ଣ?

ନୂଆଦିଲ୍ଲୀ: ମଥୁରାର ଇଦ୍‍ଗାହ ମସଜିଦ ସର୍ଭେ କରିବାରେ ମଧ୍ୟ ସୁପ୍ରିମକୋର୍ଟଙ୍କ ଆପତ୍ତି ନାହିଁ। ଡିସେମ୍ବର ୧୫ତାରିଖରେ କୋର୍ଟ ସର୍ଭେ ଉପରେ ରୋକ ଲଗାଇବା ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଥିଲେ। ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ବିରୋଧରେ ଏହି ପିଟିସନ ଦାଖଲ କରାଯାଇଥିଲା, ଯେଉଁଥିରେ ବିବାଦୀୟ ସ୍ଥାନର କମିଶନର ସର୍ଭେ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ୯ରେ ହେବ।

ମସଜିଦରେ ନିର୍ମିତ ପଦ୍ମ ଓ ଶେଷନାଗ ହିନ୍ଦୁ ପକ୍ଷର ଦାବିର ଆଧାର ପାଲଟିଛି

୧୫ ଡିସେମ୍ବର ୨୦୨୩ରେ ହିନ୍ଦୁ ପକ୍ଷ ସୁପ୍ରିମକୋର୍ଟରେ କହିଛନ୍ତି ଯେ ୟୁପି ସୁନ୍ନି ସେଣ୍ଟ୍ରାଲ ୱାକ୍‍ଫ ବୋର୍ଡ ଏବଂ ଶାହି ଇଦ୍‍ଗାହ ମସଜିଦ କମିଟି ତୁରନ୍ତ ଜବରଦଖଲ ହୋଇଥିବା ଜମି ଖାଲି କରନ୍ତୁ।

ଏହି ଜମିକୁ ଯଥାଶୀଘ୍ର ଶ୍ରୀକୃଷ୍ଣ ଜନ୍ମଭୂମି ଟ୍ରଷ୍ଟକୁ ହସ୍ତାନ୍ତର କରିବାକୁ ଆବେଦନରେ ନିବେଦନ କରାଯାଇଛି। ଏହାବ୍ୟତୀତ କୃଷ୍ଣଭୂମିକୁ ସଂଯୋଗ କରୁଥିବା ୧୩.୩୭ ଏକର ପରିସରରେ ମୁସଲମାନ ପକ୍ଷର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ଦାବି ହୋଇଛି। ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଶଙ୍କର ଜୈନ କୋର୍ଟଙ୍କୁ କହିଛନ୍ତି ଯେ ମସଜିଦର କାନ୍ଥରେ ତିଆରି କଳସ ହିନ୍ଦୁ ଶୈଳୀର। ମସଜିଦର ସ୍ତମ୍ଭ ଉପରେ ପଦ୍ମ ରହିଛି।

କାନ୍ଥରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ସମୟରେ ତାଙ୍କୁ ସୁରକ୍ଷା ଦେଇଥିବା ଶେଶନାଗ ନାମକ ଏକ କୋଠରୀ ରହିଛି। ଏହିସବୁ ପ୍ରମାଣ ଉପଲବ୍ଧ ଅଛି, କିନ୍ତୁ ତାହା ମୌଖିକ ହୋଇପାରିବ ନାହିଁ। କୋର୍ଟଙ୍କ ଜରିଆରେ ଏହାର ଭିଡିଓଗ୍ରାଫି କରି ରେକର୍ଡକୁ ଆଣିବାକୁ ଦାବି ହୋଇଛି।
ଆବେଦନକାରୀ ଦାବି କରିଛନ୍ତି ଯେ ଇଦ୍‍ଗାହ ମସଜିଦ ଔରଙ୍ଗଜେବ ୧୬୭୦ ମସିହାରେ ନିର୍ମାଣ କରିଥିଲେ। ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନରେ ଏହି ମସଜିଦ ନିର୍ମାଣ କରାଯାଇଛି। ଏହାକୁ ସେଠାରୁ ହଟାଇବାକୁ ସେମାନେ ଦାବି କରିଛନ୍ତି।

୩ ବର୍ଷ ତଳେ ଜିଲ୍ଲା ଅଦାଲତରେ ପ୍ରଥମ ପିଟିସନ, ଯେଉଁଥିରେ ମଥୁରା ବିବାଦ ଦେଖାଦେଇଥିଲା

ନଭେମ୍ବର ୨୦୧୯ରେ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ। ଏହାର ୧୦ ମାସ ପରେ ଆଉ ଏକ ବିବାଦ ଉପୁଜିଥିଲା। ସେପ୍ଟେମ୍ବର ୨୫, ୨୦୨୦ରେ ମଥୁରା ଜିଲ୍ଲା ଅଦାଲତରେ ପ୍ରଥମ ଥର ପାଇଁ ଏହି ମାମଲାରେ ଏକ ପିଟିସନ ଦାଖଲ କରାଯାଇଥିଲା।

ଏହାର ୫ ଦିନ ପରେ ସେପ୍ଟେମ୍ବର ୩୦ତାରିଖରେ ଅତିରିକ୍ତ ଜିଲ୍ଲା ଜଜ୍ ଛାୟା ଶର୍ମା ଆବେଦନକୁ ଖାରଜ କରି କହିଥିଲେ ଯେ ସାରା ବିଶ୍ୱରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଗଣିତ ଭକ୍ତ ଅଛନ୍ତି। ଯଦି ପ୍ରତ୍ୟେକ ଭକ୍ତଙ୍କ ଆବେଦନର ଶୁଣାଣି ପାଇଁ ଅନୁମତି ଦିଆଯାଏ, ତେବେ ନ୍ୟାୟିକ ଓ ସାମାଜିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ।

ଏଥିସହିତ ଜିଲ୍ଲା ଅଦାଲତ କହିଥିଲେ ଯେ ଆବେଦନକାରୀ ପକ୍ଷ କିମ୍ବା ଟ୍ରଷ୍ଟି ନୁହଁନ୍ତି, ତେଣୁ ଏହି ଆବେଦନଖାରଜ ହୋଇଛି। ବିଳମ୍ବ ନ କରି ସେପ୍ଟେମ୍ବର ୩୦ରେ ଏହି ମାମଲାରେ ରିଭ୍ୟୁ ପିଟିସନ ଦାଖଲ କରାଯାଇଥିଲା। ଉଭୟ ପକ୍ଷଶୁଣିବା ପରେ କୋର୍ଟ ଆବେଦନକୁ ଗ୍ରହଣ କରିଛନ୍ତି।

ନିମ୍ନ ଅଦାଲତରେ ଏହି ମାମଲାର ଶୁଣାଣି ଚାଲିଥିଲା ଯେ ୨୦୨୩ ମେ ୨୬ରେ ଆହ୍ଲାବାଦ ହାଇକୋର୍ଟ ମଥୁରା ବିବାଦ ସହ ଜଡିତ ସମସ୍ତ ମାମଲାନିଜକୁ ହସ୍ତାନ୍ତର କରିଥିଲେ। ୪ ମାସ ଧରି ବିଭିନ୍ନ ସମୟରେ ଶୁଣାଣି ପରେ ନଭେମ୍ବର ୧୬ତାରିଖରେ ରାୟ ସଂରକ୍ଷିତ ରଖାଯାଇଥିଲା। ଡିସେମ୍ବର ୧୪ତାରିଖରେ ହାଇକୋର୍ଟ ଇଦ୍‍ଗାହ ମସଜିଦ୍ ସର୍ଭେ ପାଇଁ ଅନୁମତି ଦେଇଥିଲେ।

ଏହାର ପରଦିନ ଅର୍ଥାତ୍ ଡିସେମ୍ବର ୧୫ତାରିଖରେ ମୁସଲିମ ପକ୍ଷ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ। ଏହି ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ମଧ୍ୟ ସର୍ଭେକୁ ଅନୁମତି ଦେଇଛନ୍ତି।

ଯେଉଁ ୨୦୨୦ ପିଟିସନ ଉପରେ ଆଦେଶ ଜାରି କରାଯାଇଥିଲା, ସେଥିରେ କ’ଣ ଦାବି କରାଯାଇଥିଲା?

୨୦୨୦ରେ ଲକ୍ଷ୍ନୌର ଆଇନଜୀବୀ ରଞ୍ଜନା ଅଗ୍ନିହୋତ୍ରୀ ଅନ୍ୟ ୬ ଜଣଙ୍କ ସହ ସିଭିଲ କୋର୍ଟରେ ପିଟିସନ ଦାଖଲ କରିଥିଲେ। ସାହି ଇଦ୍‍ଗାହ ମସଜିଦକୁ ମନ୍ଦିର ପରିସରରୁ ହଟାଇବାକୁ ଆବେଦନରେ ଦାବି କରାଯାଇଛି। ରଞ୍ଜନା ଶ୍ରୀରାମ ଜନ୍ମଭୂମି ଉପରେ ଏକ ପୁସ୍ତକ ମଧ୍ୟ ଲେଖିଥିଲେ। ଶ୍ରୀକୃଷ୍ଣ ବିରାଜମାନଙ୍କ ପରିବାର ପକ୍ଷରୁ ସେ ଏହି ମାମଲା ଦାୟର କରିଥିବା ଦାବି କରିଛନ୍ତି।

ଅନ୍ୟତମ ଆବେଦନକାରୀ ମହେନ୍ଦ୍ର ସିଂହ ଯୁକ୍ତି ବାଢ଼ିଥିଲେ ଯେ ଭଗବାନ ଶ୍ରୀକୃଷ୍ଣ ଯେଉଁ ଜେଲରେ ଜନ୍ମ ଗ୍ରହଣ କରିଥିଲେ ସେହି ମୂଳ ଜେଲ୍ ଇଦ୍‍ଗାହ ମସଜିଦ ପରିଚାଳନା କମିଟିଦ୍ୱାରା ନିର୍ମିତ ନିର୍ମାଣ ତଳେ ରହିଛି। ଖନନ ପରେ ସଠିକ ତଥ୍ୟ କୋର୍ଟରେ ଆସିବ ବୋଲି ଆବେଦନକାରୀ କହିଛନ୍ତି।

ସେପ୍ଟେମ୍ବର ୨୦୨୦ରେ ବିଚାରପତି ଛାୟା ଶର୍ମା ଶୁଣାଣି ଆଧାରରେ ଆବେଦନକୁ ଖାରଜ କରିଦେଇଥିଲେ। ବିଚାରପତି କହିଥିଲେ ଯେ ଅଗ୍ନିହୋତ୍ରୀ ଏବଂ ଅନ୍ୟ ଆବେଦନକାରୀମାନଙ୍କର କୌଣସି ଠିକଣା ନାହିଁ ଏବଂ ଯେତେବେଳେ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ପୂର୍ବରୁ ଅଛନ୍ତି, ସେମାନେ ଦେବତାଙ୍କ ତତ୍କାଳ ସମ୍ପର୍କୀୟ ହୋଇପାରିବେ ନାହିଁ।
ଅଦାଲତ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ମନ୍ଦିର ଏବଂ ସାହି ଇଦ୍‍ଗାହ ମଧ୍ୟରେ ୧୯୬୮ ମସିହାରେ ଚୁକ୍ତି ହୋଇଥିଲା ଯାହା ପରେ ଅଦାଲତର ନିର୍ଦ୍ଦେଶ ମାଧ୍ୟମରେ ଆନୁଷ୍ଠାନିକ ରୂପ ଦିଆଯାଇଥିଲା।

ବିବାଦୀୟ ଜମି ଉପରେ କାହାର ଅଧିକାର ରହିଛି?

୧୯୬୫ ମସିହାରେ ପ୍ରକାଶିତ କାଶୀର ଏକ ଗେଜେଟିୟର ଅନୁଯାୟୀ, ଏହି ମସଜିଦ ଏକ ପୁରୁଣା ମନ୍ଦିର ବଦଳରେ ନିର୍ମିତ ହୋଇଥିଲା। ଏହି ଅଞ୍ଚଳକୁ ନାଜୁଲ ଜମି ଅର୍ଥାତ୍ ଅଣକୃଷି ଜମି ବୋଲି ବିବେଚନା କରାଯାଏ। ଏଥିରେ ପ୍ରଥମେ ମରାଠା ଓ ପରେ ଇଂରେଜମାନଙ୍କର ଆଧିପତ୍ୟ ଥିଲା।

ଇଦ୍‍ଗାହ ମସଜିଦ ଉପରେ ନିର୍ମିତ ଏହି ୧୩.୩୭ ଏକର ଜମିକୁ ୧୮୧୫ ମସିହାରେ ବନାରସର ରାଜା ପାଟନି ମଲ୍ ଇଷ୍ଟ ଇଣ୍ଡିଆ କମ୍ପାନିଠାରୁ ନିଲାମରେ କିଣିଥିଲେ। ରାଜା ପତ୍ନୀ ମଲଙ୍କ ବଂଶଧରମାନେ ଏହି ଜମିକୁ ଯୁଗଳ କିଶୋର ବିର୍ଲାଙ୍କୁ ବିକ୍ରି କରିଥିଲେ ଏବଂ ଏହା ପଣ୍ଡିତ ମଦନ ମୋହନ ମାଲବ୍ୟ, ଗୋସ୍ୱାମୀ ଗଣେଶ ଦତ୍ତ ଏବଂ ଭିକେନ ଲାଲଜୀ ଆଟ୍ରେୟଙ୍କ ନାମରେ ପଞ୍ଜୀକୃତ ହୋଇଥିଲା। ଜୁଗଲ କିଶୋର ଶ୍ରୀକୃଷ୍ଣ ଜନ୍ମଭୂମି ଟ୍ରଷ୍ଟ ନାମରେ ଏକ ଟ୍ରଷ୍ଟ ଗଠନ କରିଥିଲେ, ଯାହା କଟ୍ରା କେଶବ ଦେବ ମନ୍ଦିରର ମାଲିକାନା ଅଧିକାର ହାସଲ କରିଥିଲା।

ଆବେଦନକାରୀମାନେ ଯୁକ୍ତି ବାଢ଼ିଛନ୍ତି ଯେ ୧୯୬୮ ର ଚୁକ୍ତି ଜାଲିଆତି ଥିଲା ଏବଂ ଆଇନଗତ ଭାବେ ବୈଧ ନୁହେଁ।

୧୯୬୮ରେ କ’ଣ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ?

୧୯୪୬ ମସିହାରେ ଯୁଗଲ କିଶୋର ବିର୍ଲା ଏହି ଜମିର ଯତ୍ନ ନେବା ପାଇଁ ଶ୍ରୀକୃଷ୍ଣ ଜନ୍ମଭୂମି ଟ୍ରଷ୍ଟ ଗଠନ କରିଥିଲେ। ୧୯୬୭ ମସିହାରେ ଯୁଗଳ କିଶୋରଙ୍କ ଦେହାନ୍ତ ହୋଇଥିଲା। ଅଦାଲତର ରେକର୍ଡ ଅନୁଯାୟୀ, ୧୯୬୮ ପୂର୍ବରୁ ଏହି କମ୍ପ୍ଲେକ୍ସର ବିଶେଷ ବିକାଶ ହୋଇନଥିଲା। ଏଥିସହ ୧୩.୩୭ ଏକର ଜମିରେ ଅନେକ ଲୋକ ବସବାସ କରିଥିଲେ।

୧୯୬୮ମସିହାରେ ଟ୍ରଷ୍ଟ ମୁସଲମାନ ପକ୍ଷ ସହ ଚୁକ୍ତି କରିଥିଲା। ଏହା ଅଧୀନରେ ସାହି ଇଦ୍‍ଗାହ ମସଜିଦର ସମ୍ପୂର୍ଣ୍ଣ ପରିଚାଳନା ଦାୟିତ୍ୱ ମୁସଲମାନମାନଙ୍କୁ ହସ୍ତାନ୍ତର କରାଯାଇଥିଲା। ୧୯୬୮ମସିହାରେ ହୋଇଥିବା ଚୁକ୍ତି ପରେ କମ୍ପ୍ଲେକ୍ସରେ ରହୁଥିବା ମୁସଲମାନମାନଙ୍କୁ ଏହାକୁ ଖାଲି କରିବାକୁ କୁହାଯାଇଥିଲା।

ମସଜିଦ ଓ ମନ୍ଦିର ମଧ୍ୟରେ ଏକ କାନ୍ଥ ନିର୍ମାଣ କରାଯାଇ ଏକସଙ୍ଗେ କାର୍ଯ୍ୟ କରିବାକୁ କୁହାଯାଇଥିଲା। ମନ୍ଦିର ଆଡ଼କୁ ମସଜିଦର କୌଣସି ଝରକା, କବାଟ କିମ୍ବା ଖୋଲା ଡ୍ରେନ୍ ରହିବ ନାହିଁ ବୋଲି ଚୁକ୍ତିରେ ନିଷ୍ପତ୍ତି ନିଆଯାଇଛି। ଅର୍ଥାତ୍ ଏଠାରେ ଥିବା ଦୁଇଟି ପୂଜାସ୍ଥଳୀକୁ ଏକ କାନ୍ଥଦ୍ୱାରା ଅଲଗା କରାଯାଇଛି। ସେ କହିଛନ୍ତି ଯେ କୌଣସି ପରିସ୍ଥିତିରେ ଦେବତା କାର୍ଯ୍ୟରେ ସାମିଲ ନ ଥିବାରୁ ଆପୋସ ବୁଝାମଣା କରି ଦେବତାଙ୍କ ଅଧିକାରକୁ ବନ୍ଦ କରାଯାଇପାରିବ ନାହିଁ।

ଦେବତାଙ୍କ ଅଧିକାର କ’ଣ?

ଭାରତରେ ଦେବତାଙ୍କୁ ପ୍ରାକୃତିକ ବ୍ୟକ୍ତି ପରିବର୍ତ୍ତେ ନ୍ୟାୟିକ ବ୍ୟକ୍ତି ଭାବରେ ବିବେଚନା କରାଯାଏ। ଦେବଦେବୀମାନଙ୍କର ସମ୍ପତ୍ତି ଅଧିଗ୍ରହଣ, ବିକ୍ରୟ, କ୍ରୟ, ହସ୍ତାନ୍ତର ଏବଂ କୋର୍ଟ ମାମଲା ଲଢ଼ିବା ସମେତ ସମସ୍ତ ଆଇନଗତ ଅଧିକାର ରହିଛି। ଏହି ଆଧାରରେ ଅଯୋଧ୍ୟା ରାମଜନ୍ମଭୂମି ବିବାଦ ଉପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସିଥିଲା।

ଦେବତାଙ୍କୁ ନାବାଳକ ଭାବରେ ବିବେଚନା କରାଯାଏ ଏବଂ ପୁରୋହିତଙ୍କ ମାଧ୍ୟମରେ କୋର୍ଟରେ ତାଙ୍କର ମାମଲା ଲଢ଼ିପାରିବେ। ହିନ୍ଦୁ ଉତ୍ତରାଧିକାର ଆଇନ ଅନୁଯାୟୀ ହିନ୍ଦୁମାନଙ୍କର ଦେବଦେବୀମାନଙ୍କୁ ସମ୍ପତ୍ତି ଅଧିକାର ମିଳିଥାଏ।

Categories
ଆଜିର ଖବର ଜାତୀୟ ଖବର

ସମ୍ବିଧାନରେ ଉପମୁଖ୍ୟମନ୍ତ୍ରୀ ଭଳି ପଦବୀର ଉଲ୍ଲେଖ ନାହିଁ, ତା’ହେଲେ କାହିଁକି ବୃଦ୍ଧି ପାଉଛି?

ନୂଆଦିଲ୍ଲୀ: ଦେଶର ସମ୍ବିଧାନରେ ଉପମୁଖ୍ୟମନ୍ତ୍ରୀ ପଦ ବିଷୟରେ କୌଣସି ସ୍ଥାନରେ ଉଲ୍ଲେଖ ନାହିଁ। ଏହାସତ୍ତ୍ୱେ ବିଗତ କିଛିବର୍ଷ ମଧ୍ୟରେ ଏହି ପଦବୀର ଟ୍ରେଣ୍ଡ ବଢ଼ିବାରେ ଲାଗିଛି। ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ଉପମୁଖ୍ୟମନ୍ତ୍ରୀଙ୍କ ଚାହିଦା ଯଥେଷ୍ଟ ବୃଦ୍ଧି ପାଇଛି।

ଦେଶର ଇତିହାସରେ ଏପର୍ଯ୍ୟନ୍ତ ଦେଶରେ ସର୍ବାଧିକ ଉପମୁଖ୍ୟମନ୍ତ୍ରୀ

ନିକଟରେ ୪ଟି ରାଜ୍ୟରେ ନବଗଠିତ ସରକାରରେ ୭ ଜଣ ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ଏହି ପରିପ୍ରେକ୍ଷୀରେ ଦେଶର ୧୪ଟି ରାଜ୍ୟରେ ସମୁଦାୟ ୨୪ ଜଣ ଡେପୁଟି ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ଏହା ଭାରତର ରାଜନୈତିକ ଇତିହାସର ଯେକୌଣସି ମୁହୂର୍ତ୍ତରେ ସର୍ବାଧିକ ସଂଖ୍ୟକ ଉପମୁଖ୍ୟମନ୍ତ୍ରୀ। ଯଦିଓ ଜଣେ ଉପମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରରେ କ୍ୟାବିନେଟ ମନ୍ତ୍ରୀଙ୍କ ସହ ସମାନ ଅଟନ୍ତି, କିନ୍ତୁ ଏହି ପଦବୀର ଅର୍ଥ ହେଉଛି ସେହି ବ୍ୟକ୍ତି ଜଣକ କେବଳ ମୁଖ୍ୟମନ୍ତ୍ରୀଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। କିନ୍ତୁ ଏହି ପରୀକ୍ଷଣର ବାଧ୍ୟତାମୂଳକତା ବା ଏହାର ରଣନୀତିର କାରଣ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ହୋଇଥାଏ। ସେମାନେ ବିଭିନ୍ନ ଦଳରେ ଭିନ୍ନ ଭିନ୍ନ ଅଟନ୍ତି।

ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୫ ଜଣ ଉପମୁଖ୍ୟମନ୍ତ୍ରୀ ଅଛନ୍ତି

ଆନ୍ଧ୍ରପ୍ରଦେଶରେ ସର୍ବାଧିକ ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ସଂଖ୍ୟାଲଘୁ, ଓବିସି, ଏସସି, ଏସଟି ଏବଂ କାପୁ ଭଳି ୫ଟି ପ୍ରମୁଖ ସମ୍ପ୍ରଦାୟର ଜଣେ ଲେଖାଏଁ ଡେପୁଟି ସିଏମ। ଜଗନମୋହନ ରେଡ୍ଡୀ ସରକାର ରାଜ୍ୟର ପ୍ରତ୍ୟେକ ସମ୍ପ୍ରଦାୟକୁ ଜଣେ ଉପମୁଖ୍ୟମନ୍ତ୍ରୀଙ୍କ ଜରିଆରେ ପ୍ରତିନିଧିତ୍ୱ ଦେବାକୁ ଚେଷ୍ଟା କରିଛନ୍ତି, ଯେଉଁମାନଙ୍କର ଜନସଂଖ୍ୟା ଅଧିକ। ୨୦୨୨ରେ ଜଗନ ତାଙ୍କ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରି ଅମଜତ ବଶା ଶେଖ୍ ବେପାରୀଙ୍କ ବ୍ୟତୀତ ଅବଶିଷ୍ଟ ୪ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ସ୍ଥାନରେ ଅନ୍ୟ କାହାକୁ ନିଯୁକ୍ତି ଦେଇଥିଲେ।

ଜାତିଗତ ସନ୍ତୁଳନ ବଜାୟ ରଖିବାର କୌଶଳ

ନିକଟରେ ହୋଇଥିବା ବିଧାନସଭା ନିର୍ବାଚନ ପରେ ବିଜେପି ଓ କଂଗ୍ରେସ ସମାନ ରଣନୀତି ଆପଣାଇଛନ୍ତି। ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିଜେପିର ୨ ଜଣ ଲେଖାଏଁ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମଧ୍ୟପ୍ରଦେଶରେ ଜଣେ ବ୍ରାହ୍ମଣ ସମ୍ପ୍ରଦାୟରୁ ଓ ଅନ୍ୟଜଣଙ୍କୁ ଏସସି ସମ୍ପ୍ରଦାୟରୁ ଉପମୁଖ୍ୟମନ୍ତ୍ରୀ କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ଓବିସି ସମ୍ପ୍ରଦାୟରୁ କରାଯାଇଛି। ସେହିପରି ରାଜସ୍ଥାନରେ ବିଜେପି ରାଜପୁତ ଓ ଦଳିତ ସମ୍ପ୍ରଦାୟରୁ ଜଣେ ଲେଖାଏଁ ଉପମୁଖ୍ୟମନ୍ତ୍ରୀ, ବ୍ରାହ୍ମଣ ମୁଖ୍ୟମନ୍ତ୍ରୀ କରିଛି। ଛତିଶଗଡ଼ରେ ବିଜେପି ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ଏବଂ ଓବିସି ଓ ବ୍ରାହ୍ମଣ ସମ୍ପ୍ରଦାୟର ଜଣେ ଲେଖାଏଁ ଉପମୁଖ୍ୟମନ୍ତ୍ରୀ କରିଛି।

କଂଗ୍ରେସ ମଧ୍ୟ ଉପମୁଖ୍ୟମନ୍ତ୍ରୀଙ୍କ ଫର୍ମୁଲାକୁ ଗ୍ରହଣ କରିଛି। ତେଲେଙ୍ଗାନାରେ ଦଳ ରେଡ୍ଡୀ ସମ୍ପ୍ରଦାୟର ଜଣେ ମୁଖ୍ୟମନ୍ତ୍ରୀ ଏବଂ ଏସସି ସମ୍ପ୍ରଦାୟରୁ ଜଣେ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଛି।

ୟୁପିରେ ବିଜେପି ସମାନ ଜାତିଗତ ସନ୍ତୁଳନ କରିଥିଲା, ଯେଉଁଠାରେ ଦଳର କ୍ରମାଗତ ଦ୍ୱିତୀୟ ଥର ପାଇଁ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ଜଣେ ବ୍ରାହ୍ମଣ ସମ୍ପ୍ରଦାୟର, ଅନ୍ୟଜଣେ ଓବିସି ସମ୍ପ୍ରଦାୟର ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ରାଜପୁତ ସମ୍ପ୍ରଦାୟର।

ଗୋଷ୍ଠୀକନ୍ଦଳ ଦୂର କରିବାକୁ ଫର୍ମୁଲା

ଚଳିତ ବର୍ଷ କର୍ଣ୍ଣାଟକରେ ବିଜୟ ପରେ କଂଗ୍ରେସ ହାଇକମାଣ୍ଡଙ୍କ ଆଗରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା ଦୁଇ ବରିଷ୍ଠ ନେତା ସିଦ୍ଧରମୈୟା ଓ ଡିକେ ଶିବକୁମାରଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବା। ଉଭୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିଥିଲେ ଏବଂ ରାଜ୍ୟ ଭିତରେ ଦଳ ମଧ୍ୟରେ ଏକ ପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲିଥିଲା। ନିର୍ବାଚନ ଫଳାଫଳର ଏକ ସପ୍ତାହ ପରେ କଂଗ୍ରେସ ହାଇକମାଣ୍ଡ ଉଭୟ ଗୋଷ୍ଠୀକୁ ଖୁସି ଓ ସନ୍ତୁଷ୍ଟ ରଖିବା ପାଇଁ ଏକ ଫର୍ମୁଲା ପ୍ରସ୍ତୁତ କରିଥିଲେ। ଡିକେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି। ହିମାଚଳ ପ୍ରଦେଶରେ କଂଗ୍ରେସ ଗତବର୍ଷ ସମାନ ଫର୍ମୁଲା ଆପଣାଇ ଦୁଇ ବରିଷ୍ଠ ନେତା ସୁଖବିନ୍ଦର ସିଂହ ସୁଖୁ ଓ ମୁକେଶ ଅଗ୍ନିହୋତ୍ରୀଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିଥିଲା। ସୁଖୁଙ୍କୁ ମୁଖ୍ୟମନ୍ତ୍ରୀ ଓ ଅଗ୍ନିହୋତ୍ରୀଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି।

 ମେଣ୍ଟ ସରକାରରେ ମଧ୍ୟ ଉପମୁଖ୍ୟମନ୍ତ୍ରୀଙ୍କ ଫର୍ମୁଲା କାମ କରେ

ଏପରିକି ମେଣ୍ଟ ସରକାରରେ ମଧ୍ୟ ଉପମୁଖ୍ୟମନ୍ତ୍ରୀଙ୍କ ଫର୍ମୁଲା ଭଲ କାମ କରିଥାଏ। ଯେତେବେଳେ ଦୁଇଦଳ ହାତ ମିଳାଇ ସରକାର ଗଠନ କରିବେ, ସେତେବେଳେ ଉଭୟଙ୍କ ମଧ୍ୟରୁ କେବଳ ଜଣଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବ। ତେଣୁ ଉଭୟ ଦଳ ସରକାରରେ ସମାନ ଅଂଶୀଦାର ବୋଲି ଦର୍ଶାଇବା ପାଇଁ ଅନ୍ୟ ଦଳରୁ ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତ କରାଯାଏ। କିଛି ରାଜ୍ୟରେ ଏହି ଫର୍ମୁଲା ବହୁତ ଭଲଭାବେ କାମ କରୁଛି।

ଗତବର୍ଷ ଅଗଷ୍ଟମାସରେ ବିହାରରେ ନୀତୀଶ କୁମାରଙ୍କ ଜେଡିୟୁ ଓ ଆରଜେଡି ଏକାଠି ହେବା ପରେ ତେଜସ୍ୱୀ ଯାଦବଙ୍କୁ ଉପମୁଖ୍ୟମନ୍ତ୍ରୀ ଆସନ ସହ ସରକାରରେ ୪ଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ମିଳିଥିଲା। ନୀତୀଶ କୁମାର ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ।

ମହାରାଷ୍ଟ୍ରରେ ମଧ୍ୟ ବିଜେପି ଉପମୁଖ୍ୟମନ୍ତ୍ରୀଙ୍କ ଫର୍ମୁଲା ଆପଣାଇଛି। ଶିବସେନାର ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଅଛନ୍ତି। ବିଜେପି ଓ ଏନସିପିର ଅଜିତ ପାୱାର ଗୋଷ୍ଠୀର ଜଣେ ଲେଖାଏଁ ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ପ୍ରଥମ ସରକାରରେ ସିନ୍ଦେ ଶିବସେନା ଓ ବିଜେପିର ନେତୃତ୍ୱ ନେଇଥିଲେ। ସେତେବେଳେ କେବଳ ଜଣେ ଉପମୁଖ୍ୟମନ୍ତ୍ରୀ ଥିଲେ, ବିଜେପିର ଦେବେନ୍ଦ୍ର ଫଡନାଭିସ ଏବଂ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇଥିଲେ। ଏହାପରେ ଚଳିତ ବର୍ଷ ଜୁଲାଇରେ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ଗୋଷ୍ଠୀ ମଧ୍ୟ ସରକାରରେ ସାମିଲ ହୋଇଥିଲେ। ଏହାପରେ ଅଜିତ ପାୱାରଙ୍କ ରୂପରେ ଫଡନାଭିସଙ୍କ ବ୍ୟତୀତ ରାଜ୍ୟକୁ ଆଉ ଜଣେ ଉପମୁଖ୍ୟମନ୍ତ୍ରୀ ମିଳିଥିଲା। ପାୱାରଙ୍କୁ ଫଡନାଭିସଙ୍କ ଭଳି କିଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ମିଳିଥିଲା।

Categories
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜନଶୁଣାଣି ପରେ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ: ପୁରୀରେ ହେବ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଜିଲ୍ଲାର ୪ ଟି ବ୍ଲକର ୭ଟି ଗ୍ରାମପଞ୍ଚାୟତରେ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ସୂଚନାଯୋଗ୍ୟ ଯେ ୫-ଟି ଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ସମୟରେ ପୁରୀ ଜିଲ୍ଲାର ବିଭିନ୍ନ ଗ୍ରାମପଞ୍ଚାୟତରେ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ପ୍ରସ୍ତାବ ଆସିଥିଲା। ଜନଶୁଣାଣୀ ପ୍ରସ୍ତାବକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାର ବ୍ରହ୍ମଗିରୀ ବ୍ଲକର ଚାପମାଣିକ, ରେବଣା-ନୂଆଗାଁ, ବଡ ଦିଆଣ୍ଡି ଗ୍ରାମପଞ୍ଚାୟତ, କୃଷ୍ଣପ୍ରସାଦ ବ୍ଲକର ନୂଆପଡା ଓ ବଡନଳା ଗ୍ରାମପଞ୍ଚାୟତ, କଣାସ ବ୍ଲକର ବିଜିପୁର ଗ୍ରାମପଞ୍ଚାୟତ ଓ ପୁରୀ ସଦର ବ୍ଲକର ରାଇଗୋରଡା ଆଦି ଗ୍ରାମପଞ୍ଚାୟତମାନଙ୍କରେ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପ୍ରତ୍ୟେକ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ୨ କୋଟି ଟଙ୍କା ହିସାବରେ ସମୁଦାୟ ୧୪ କୋଟି ଟଙ୍କା ବ୍ୟୟ କରାଯିବ। ପ୍ରସ୍ତାବିତ ଏହି ବାତ୍ୟା ଆଶ୍ରୟ ସ୍ଥଳୀଗୁଡିକର ନିର୍ମାଣ ଦାୟିତ୍ୱ ଗ୍ରାମ ଉନ୍ନୟନ ବିଭାଗକୁ ନ୍ୟସ୍ତ କରାଯାଇଛି।

ପ୍ରକାଶଯୋଗ୍ୟ ଯେ ଏହି ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ଦ୍ୱାରା ବ୍ରହ୍ମଗିରୀ ବ୍ଲକର ବୁଦ୍ଧିସାହି, ରେବଣା-ନୂଆଗାଁ ଓ ବଡ ଦିଆଣ୍ଡି, କୃଷ୍ଣପ୍ରସାଦ ବ୍ଲକର ଜହ୍ନିକୁଦା, ଖୋଲାମୁହାଣ ଓ ବାଲିନାସୀ, କଣାସ ବ୍ଲକର ନନ୍ଦିଗୋଡା ଓ ପୁରୀ ସଦର ବ୍ଲକର ରାଇଗୋରଡା ଓ ନୂଆପଡା ଗ୍ରାମବାସୀ ଉପକୃତ ହେବେ।

ସୂଚନାଯୋଗ୍ୟ ଯେ ସମୁଦ୍ର ଉପକୂଳବର୍ତ୍ତୀ ପୁରୀ ଜିଲ୍ଲା ଏକ ବାତ୍ୟାପ୍ରବଣ ଜିଲ୍ଲା। ଉପରୋକ୍ତ ୭ଟି ଗ୍ରାମପଞ୍ଚାୟତ ସମେତ ପ୍ରସ୍ତାବ ଆସିଥିବା ଜିଲ୍ଲାର ଅନ୍ୟ ସ୍ଥାନମାନଙ୍କରେ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ପାଇଁ ଉପଯୁକ୍ତ ସ୍ଥାନ ନିରୂପଣ କରିବାକୁ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ବ୍ୟବସାୟ ମନୋରଂଜନ ରାଜ୍ୟ ଖବର

ଜିଓ ପକ୍ଷରୁ ୩ଟି ନୂଆ “ଜିଓଟିଭି ପ୍ରିମିୟମ ପ୍ଲାନ୍‌’ ଉନ୍ମୋଚିତ; ପ୍ଲାନ୍ ସହ ଉପଲବ୍ଧ ହେବ ଓଟିଟି ଆପ୍ ସବ୍‌ସ୍କ୍ରିପ୍‌ସନ୍‌

ଭୁବନେଶ୍ୱର: ନୂଆବର୍ଷ ପୂର୍ବରୁ ଜିଓ ନିଜ ଗ୍ରାହକଙ୍କ ପାଇଁ ମନୋରଞ୍ଜନର ବ୍ୟାପକ ସମ୍ଭାର ଆଣିଦେଇଛି। ଜିଓଟିଭି ପ୍ରିମିୟମ ପ୍ଲାନ୍ ନାମରେ ମାଗଣା ଓଟିଟି ଆପ୍ ସବସ୍କ୍ରିପସନ୍ ସହ କମ୍ପାନି ୩ଟି ନୂଆ ମୋବାଇଲ୍ ପ୍ଲାନ୍‌ର ଶୁଭାରମ୍ଭ କରିଛି । ଏହି ପ୍ଲାନ୍ ଗୁଡିକରେ ଜିଓସିନେମା ପ୍ରିମିୟମ, ଡିଜନି ପ୍ଲସ ହଟ୍‌ଷ୍ଟାର୍‌, ଜି୫, ସୋନି-ଲିଭ ଭଳି ଜାତୀୟ ସ୍ତରର ଓଟିଟି ଏବଂ ପ୍ରାଇମ ଭିଡିଓ (ମୋବାଇଲ), ଲାୟନ୍ସଗେଟ୍ ପ୍ଲେ, ଡିସକଭରି ପ୍ଲସ,ଡକୁ-ବେ ଭଳି ଅନ୍ତର୍ଜାତୀୟ ଓଟିଟି ସବସ୍କ୍ରିପସନ ସହିତ ସନ୍ ନେକ୍ସଟ, ହୋଇଚୋଇ, ପ୍ଲାନେଟ୍ ମରାଠୀ, ଚୌପାଲ, ଏପିକଅନ୍ ଓ କଞ୍ଚା ଲଙ୍କା ଭଳି ଲୋକପ୍ରିୟ ଆଞ୍ଚଳିକ ଓଟିଟି ଆପ୍ ସମେତ ପ୍ରାୟ ୧୪ଟି ଓଟିଟି ଆପ୍ ସବସ୍କ୍ରିପସନ୍ ବିନା କୌଣସି ଅତିରିକ୍ତ ମୂଲ୍ୟରେ ଉପଲବ୍ଧ ହେବ।

ଓଟିଟି ଆପ୍ ଜରିଆରେ ଜାତୀୟ, ଅନ୍ତର୍ଜାତୀୟ ଓ ଆଞ୍ଚଳିକ ଭାଷାର ବିଷୟବସ୍ତୁ ଦେଖିବାକୁ ମିଳିବ । ଏହି ପ୍ଲାନ୍ ସହ ଯୋଡ଼ି ହୋଇଥିବା ତଥା ମାଗଣାରେ ଉପଲବ୍ଧ ହେଉଥିବା ଓଟିଟି ଆପଗୁଡ଼ିକର ସବସ୍କ୍ରିପସନର ମୂଲ୍ୟ ପାଖାପାଖି ୧୦୦୦ ଟଙ୍କା। ୩୯୮ ଟଙ୍କିଆ ପ୍ଲାନରେ ଗ୍ରାହକଙ୍କୁ ୧୨ଟି ଓଟିଟି ଆପ୍‌, ୧୧୯୮ ଟଙ୍କା ଏବଂ ୪୪୯୮ ଟଙ୍କାର ପ୍ଲାନରେ ୧୪ଟି ଓଟିଟି ଆପ୍ ମାଗଣାରେ ମିଳିବ । ପ୍ରତ୍ୟେକ ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୨ ଜିବି ହାଇ-ସ୍ପିଡ଼ ଡାଟା ମିଳିବ। ୩୯୮ ଟଙ୍କିଆ ପ୍ଲାନର ବୈଧତା ୨୮ ଦିନ ରହିଥିବା ବେଳେ ୧୧୯୮ ଟଙ୍କିଆ ପ୍ଲାନର ବୈଧତା ୮୪ ଦିନ ଏବଂ ୪୪୯୮ ଟଙ୍କିଆ ପ୍ଲାନ ବୈଧତା ୩୬୫ ଦିନ ରହିଛି।

ଜିଓଟିଭି ପ୍ରିମିୟମ ପ୍ଲାନ୍ ରିଚାର୍ଜ କଲେ ଅଲଗା ଅଲଗା ଏକାଧିକ ଓଟିଟି ସବସ୍କ୍ରିପସନ କିଣିବାର ସମସ୍ୟା ଦୂର ହେବ। ଜିଓଟିଭି ଆପ୍‌ରେ ସାଇନ୍ ଇନ୍ କରିବା ପରେ ଓଟିଟି ଆପ୍ ପାଇଁ ଅଲଗା ଲଗଇନ୍ ଓ ପାସୱାର୍ଡ ବନାଇବା ଓ ମନେ ରଖିବାର ଆବଶ୍ୟକତା ପଡ଼ିବ ନାହିଁ। ୪୪୯୮ ଟଙ୍କାର ବାର୍ଷିକ ପ୍ଲାନରେ ୱାନ-କ୍ଲିକ୍ କଷ୍ଟମର କେୟାର କଲ୍ ବ୍ୟାକ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।

Categories
ଆଜିର ଖବର ଜାତୀୟ ଖବର

ଗୁଳିଗୋଳା ଉତ୍ପାଦନରେ ଆତ୍ମନିର୍ଭରଶୀଳତା: ‘ବେଲ୍‌’ ସହିତ ପ୍ରତିରକ୍ଷା ମନ୍ତ୍ରଣାଳୟର ୫୩୩୬.୨୫ କୋଟିର ଚୁକ୍ତି

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟ ୨୦୨୩ ଡିସେମ୍ବର ୧୫ରେ ପୁଣେସ୍ଥିତ ଭାରତ ଇଲେକ୍‌ଟ୍ରୋନିକ୍ ଲିମିଟେଡ (ବେଲ୍‌)  ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଛି । ଏହି ଚୁକ୍ତି ଅନୁସାରେ ‘ବେଲ’କୁ ୫୩୩୬.୨୫ କୋଟି ଟଙ୍କା ଦେବ ଏବଂ ସମ୍ପୃକ୍ତ ସଂସ୍ଥା ଭାରତୀୟ ସେନା ପାଇଁ ଇଲେକ୍‌ଟ୍ରୋନିକ ଫ୍ୟୁଜ୍ ଉତ୍ପାନ କରି ଯୋଗାଇବ । ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେବାକୁ ଯେଉଁ ଅଭିଯାନ ଚଳାଇଛି ଏହି ଚୁକ୍ତିନାମା ତାହାର ଏକ ଅଂଶବିଶେଷ । ଆତ୍ମ ନିର୍ଭର ଭାରତ ଅଭିଯାନରେ ଭାରତୀୟ ଉଦ୍ୟୋଗଗୁଡିକ ଦେଶର ସୈନ୍ୟବାହିନୀ ପାଇଁ ଗୋଳାବାରୁଦ ଓ ଗୁଳିଗୋଳା ଉତ୍ପାଦନ କରିବେ । ଏହା କେନ୍ଦ୍ର ସରକାରଙ୍କର ଏକ ପ୍ରୟାସ ଏବଂ ଏହି ଯୋଜନାରେ ‘ବେଲ୍‌’ ୧୦ବର୍ଷ ପାଇଁ ଇଲେକ୍‌ଟ୍ରୋନିକ ଫ୍ୟୁଜ୍ ସେନାକୁ ଯୋଗାଇ ଦେବ । ଏହି ପ୍ରୟାସ ଲକ୍ଷ୍ୟ ହେଲା ସ୍ୱଦେଶୀ ଉତ୍ପାଦନ ଦ୍ୱାରା ଦେଶର ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ମହଜୁଦ ପରିମାଣ ବଢାଇ ଏ କ୍ଷେତ୍ରରେ  ଆତ୍ମନିର୍ଭରଶୀଳ ହେବା ଓ ଏସବୁ ସାମଗ୍ରୀର ଆମଦାନୀ ଉଲ୍ଲେଖନୀୟ ଭାବେ ହ୍ରାସ କରିବା । ଆହୁରି ମଧ୍ୟ କୌଣସି କାରଣରୁ ବାହ୍ୟ ଯୋଗାଣ ଶୃଙ୍ଖଳା ବ୍ୟାହତ ହେଲେ ତାହାର ପ୍ରଭାବ ଯେପରି ଦେଶର ପ୍ରତିରକ୍ଷା କ୍ଷେତ୍ରରେ ନ’ ପଡେ ସେଥିପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଓ ଅତ୍ୟାଧୁନିକ ଟେକ୍‌ନୋଲୋଜିର ବ୍ୟବହାର କରି ବିଭିନ୍ନ ସାମରିକ ଉପକରଣ ଯୋଗାଣ, ଗୁଳିଗୋଳା ଓ ଅନ୍ୟାନ୍ୟ ଅତି ଜରୁରୀ ସାମଗ୍ରୀ ଦେଶରେ ଉତ୍ପାଦନ କରି ତାହାର ମହଜୁଦ ବଢାଇବାକୁ ସରକାର ପ୍ରୟାସ କରୁଛନ୍ତି ।

ଇଲେକ୍‌ଟ୍ରୋନିକ ଫ୍ୟୁଜ ଅତି ଓଜନିଆ ଓ ମଧ୍ୟମ ଧରଣର ତୋପ କମାଣରେ ବ୍ୟବହାର ହେଉଥିବା ଏକ ଅତ୍ୟନ୍ତ ଗୁୁରୁତ୍ୱପୂର୍ଣ୍ଣ ସାମଗ୍ରୀ । ସାମରିକ ଅଭିଯାନବେଳେ ଓଜନଦାର ତୋପ ଓ କମାଣର ଗୁଳିଗୋଳା ବର୍ଷଣ ଦକ୍ଷତା ବଢାଇବା ପାଇଁ ଏହି ଇଲେକ୍‌ଟ୍ରୋନିକ୍ ଫ୍ୟୁଜ୍ ମୁଖ୍ୟତଃ  ବ୍ୟବହୃତ ହୋଇଥାଏ । ଆର୍ଟିଲାରୀ ଗନ୍ ବା ତୋପଗୁଡିକୁ ସେନା ପାହାଡ ପର୍ବତ ଘୋରା ଅଞ୍ଚଳ, ବିଶେଷକରି ଦେଶର ଉତ୍ତର ସୀମାନ୍ତରେ ଅଧିକ ବ୍ୟବହାର କରିଥାଏ । ଏହା ଫଳରେ ପାହାଡର ଅଧିକ ଉଚ୍ଚରେ ଏବଂ ଗିରିଶଙ୍କଟର ଅପରପାଶ୍ୱର୍ରେ ଥିବା ଶତ୍ରୁପକ୍ଷର ସୈନ୍ୟ ଓ ଶିବିର   ଉପରେ ନିର୍ଭୁଲଭାବେ ପ୍ରଭାବଶାଳୀ ଢଙ୍ଗରେ ଗୁଳିଗୋଳା ମାଡ କରାଯାଇଥାଏ । ଏହି ଗୁଳିଗୋଳା ପ୍ରୟୋଗ କାମକୁ ଅଧିକ ନିର୍ଭୁଲ ଓ ପ୍ରଭାବଶାଳୀ କରିବାକୁ ଆର୍ଟିଲାରୀ ଗନ୍‌ରେ ଇଲେକ୍‌ଟ୍ରୋନିକ୍ସ ଫ୍ୟୁଜ ବ୍ୟବହୃତ ହୋଇଥାଏ ।

‘ବେଲ୍‌’ ଏହି ଇଲେକଟ୍ରୋନିକ ଫ୍ୟୁଜ୍ ତାହାର ପୁଣେ କାରଖାନା ଏବଂ ନୂଆକରି ତିଆରି ହେଉଥିବା ନାଗପୁର କାରଖାନାରୁ ଉତ୍ପାଦନ କରିବ । ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ହୋଇଥିବା ଚୁକ୍ତି ଅନୁସାରେ ବେଲ୍ ଯେଉଁ ଫ୍ୟୁଜ୍ ଉତ୍ପାଦନ କରିବ ସେଥିରେ ଏକ ଲକ୍ଷ ୫୦ହଜାର ଶ୍ରମ ଦିବସ ସୃଷ୍ଟି ହେବ ଏବଂ ଉଭୟ ବୈଷୟିକ ଓ ଅଣବୈଷୟିକ ଲୋକଶକ୍ତି ଏଥିରେ ରୋଜଗାର ସୁଯୋଗ ପାଇବେ । ଆହୁରି ମଧ୍ୟ  ଭାରତୀୟ ଘରୋଇ ଉଦ୍ୟୋଗ, ବିଶେଷକରି ଏମ୍‌ଏସ୍‌ଏମଇ, ଯେଉଁମାନଙ୍କର ସାମରିକ ସାମଗ୍ରୀ ଉତ୍ପାଦନର ଅଭିଜ୍ଞତା ଓ ସୁବିଧା ରହିଛି ସେମାନେ ମଧ୍ୟ ଏହି ପ୍ରକଳ୍ପରେ ସାମିଲ ହୋଇ ଲାଭାନ୍ୱିତ ହୋଇପାରିବେ । ଏହା ମଧ୍ୟ ଦେଶର ଗୁଳିଗୋଳା ଓ ଆୟୁଧ (ଆମୁନେସନ୍ସ) ଉତ୍ପାଦନ ପରିବେଶକୁ ପ୍ରୋତ୍ସାହନ ଯୋଗାଇବ ।