Categories
ଆଜିର ଖବର ରାଜ୍ୟ ଖବର

ସ୍ମାର୍ଟ ଜନପଥର ଉନ୍ନତିକରଣ ପାଇଁ ବିଏମସିର ନିଷ୍ପତ୍ତି: ରାଜଧାନୀରୁ ଉଠିବ ୩ ମନ୍ଦିର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ଅସ୍ଥାୟୀ ଭାବେ ୩ ଟି ମନ୍ଦିରକୁ ସ୍ଥାନାନ୍ତରିତ କରାଯିବ। ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ମା’ ତାରିଣୀ ମନ୍ଦିରକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ରାଜମହଲ ଛକରେ ଥିବା ଶିବ ମନ୍ଦିର ଏବଂ ପାଣ୍ଟାଲୁନ ସମ୍ମୁଖରେ ଥିବା ମା’ କାଳୀ ମନ୍ଦିରକୁ ସ୍ଥାନାନ୍ତରିତ କରାଯିବ।

ଏହି ତିନି ମନ୍ଦିରକୁ ଏବେ ଅସ୍ଥାୟୀ ଭାବେ ରାମ ମନ୍ଦିରକୁ ସ୍ଥାନାନ୍ତରିତ କରାଯିବ। ପରେ ୟୁନିଟ-୨ ରେ ଦେବାସ୍ଥଳୀ ନିର୍ମାଣ କରି ଏହି ଦେବାଦେବୀଙ୍କୁ ସେଠାରେ ଅବସ୍ଥାପିତ କରାଯିବ। ସ୍ମାର୍ଟ ଜନପଥ ଉନ୍ନତିକରଣ ଏବଂ ପ୍ରଶସ୍ତିକରଣ ପାଇଁ ଭୁବନେଶ୍ବର ମହାନଗର ନିଗମ ଏଭଳି ନିଷ୍ପତ୍ତି ନେଇଛି। ଏନେଇ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସରିଲା ରାଜ୍ୟ କ୍ୟାବିନେଟରେ ବୈଠକ: ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିଲା ମୋହର

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କଂଫରେନ୍ସ ଦ୍ଵାରା ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪ ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି।

ପ୍ରଥମତଃ ରାଜ୍ୟରେ ଟୀକା ପାଇଁ ଗ୍ଲୋବାଲ ଟେଣ୍ଡରକୁ ଅନୁମୋଦନ ମିଳିଛି। ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାରେ ସ୍ଵଦେଶୀ ଟୀକା କମ୍ପାନୀ ଭାଗ ନେଇପାରିବେ। ଦ୍ଵିତୀୟରେ ମଦ ଦୋକାନ ଏବଂ ବାରରୁ ଲାଇସେନ୍ସ ଫି’ ଛାଡ ହେବ। ଗତ ଗୋଭିଡରେ ବନ୍ଦ ଥିବା ମଦ ଦୋକାନ ଏବଂ ବାରରୁ ଲାଇସେନ୍ସ ଫି ଛାଡ ହେବ। ଗ୍ରେଡ଼େସନ କରାଯାଇ ଫି’ ଛାଡ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୧୮୬: ସୁସ୍ଥ ହେଲେ ୧୦୪୧ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୧୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୧୮୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୦୪୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୬ ହଜାର ୮୮୦ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୧୦୪୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୫୩ ହଜାର ୮୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨ ହଜାର ୬୭୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୦୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଅଙ୍ଗନବାଡ଼ି କର୍ମୀଙ୍କ ତ୍ୟାଗକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, କୋଭିଡରୁ ଗାଁ ସହ ନିଜକୁ ସୁରକ୍ଷିତ ରଖିବା ପାଇଁ ପରାମର୍ଶ

ଭୁବନେଶ୍ୱର: କେବଳ ଛୋଟ ପିଲା ଏବଂ ଗର୍ଭବତୀ ମା’ମାନଙ୍କ ପୋଷଣ ଓ ସ୍ୱାସ୍ଥ୍ୟରକ୍ଷା ପାଇଁ ନୁହେଁ, କୋଭିଡ୍‌ ପରିସ୍ଥିତି ମଧ୍ୟରେ ଗତ ଏକ ବର୍ଷରୁ ଅଧିକ ସମୟ ଧରି ଅଙ୍ଗନବାଡ଼ି କାର୍ଯ୍ୟକର୍ତ୍ତାମାନେ ଆଗଧାଡ଼ିର ଯୋଦ୍ଧା ଭାବେ କାର୍ଯ୍ୟ କରି ଚାଲିଛନ୍ତି। ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ହେଉ କିମ୍ବା ଗୃହ ପୃଥକବାସ ବା କ୍ୱାରାଣ୍ଟାଇନ୍‌ ପରିଚାଳନା ହେଉ ସବୁଥିରେ ସେମାନେ ଖୁବ୍‌ ଭଲ କାମ କରୁଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଅଙ୍ଗନବାଡି କର୍ମଚାରୀଙ୍କୁ ପ୍ରସଂଶା କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୭୦ ହଜାରରୁ ଊର୍ଦ୍ଧ ଆଇସିଡିଏସ୍‌ କର୍ମକର୍ତ୍ତାଙ୍କ ପାଇଁ ଅନୁଷ୍ଠିତ ଭର୍ଚୁଆଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଏହା କହିଛନ୍ତି। ଆସନ୍ତା ୨୪ ତାରିଖରୁ ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି କୋଭିଡ୍‌ ଲକ୍ଷଣ ଏବଂ ଗୁରୁତର ରୋଗ ଥିବା ବ୍ୟକ୍ତି ଚିହ୍ନଟ ବା ସର୍ଭେ କାର୍ଯ୍ୟ ଆରମ୍ଭ କରିବେ। ଏଥିରେ ସେମାନେ ନିଶ୍ଚିତ ଭାବେ ସଫଳ ହେବେ ଏବଂ ସେମାନଙ୍କ ମାଧ୍ୟମରେ ଗାଁକୁ ସଂକ୍ରମଣ ମୁକ୍ତ କରାଯାଇ ପାରିବ।

କରୋନା ଯୋଦ୍ଧାଙ୍କ ଦକ୍ଷତା ବୃଦ୍ଧି ଓ୍ୱବିନାର୍‌ରେ ମୁଖ୍ୟମନ୍ତ୍ରୀ କୋଭିଡ୍‌ ସମୟରେ ଏହି ଆଗଧାଡ଼ିର କାର୍ଯ୍ୟକର୍ତ୍ତାମାନଙ୍କ କ୍ରମାଗତ ପରିଶ୍ରମ ଓ ନିଷ୍ଠା ପର ଉଦ୍ୟମକୁ ପ୍ରଶଂସା କରିବା ସହ ଗାଁକୁ ସୁରକ୍ଷା ଦେବା ସହ ନିଜେ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି। ୱବିନାର୍‌ରେ କାର୍ଯ୍ୟକର୍ତ୍ତାମାନଙ୍କୁ ଉଦ୍‌ବୋଧନ ଦେଇ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ  ଟୁକୁନି ସାହୁ କହିଲେ ଯେ କୋଭିଡ୍‌ ଦ୍ୱିତୀୟ ଲହରର ଭୟାବହତାକୁ ଦେଖି ପ୍ରତ୍ୟେକ ମୂଲ୍ୟବାନ ଜୀବନକୁ ସୁରକ୍ଷିତ ରଖିବା ଆମ ପାଇଁ ସବୁଠାରୁ ବଡ଼ ଆହ୍ୱାନ। ଏହି ଆହ୍ୱାନର
ମୁକାବିଲା ଦିଗରେ ଆମର ଆଇସିଡିଏସ୍‌ କାର୍ଯ୍ୟକର୍ତ୍ତା ଏବଂ ଅଙ୍ଗନବାଡ଼ି କର୍ମୀମାନଙ୍କ ଭୂମିକା ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ।

ଗ୍ରାମାଞ୍ଚଳରେ କୋଭିଡ୍‌ ସଚେତନତା ସୃଷ୍ଟି ସହ ସେମାନେ ନିଜର ଓ ନିଜ ପରିବାରର ସୁରକ୍ଷା ପ୍ରତି ମଧ୍ୟ ଯତ୍ନବାନ ହେବେ ବୋଲି କହିବା ସହ କୋଭିଡ୍‌ ସଂଗ୍ରାମରେ ପ୍ରାଣ ହରାଇଥିବା ବିଭାଗର କୋଭିଡ୍‌ ଯୋଦ୍ଧାମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ଦକ୍ଷତା ବୃଦ୍ଧି ଓ୍ୱବିନାର୍‌ର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଲେ, କୋଭିଡ୍‌ର ଦ୍ୱିତୀୟ ଲହର ପରେ ତୃତୀୟ ଲହର ଆସିବା ନେଇ ମଧ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଏଥିରେ ଶିଶୁମାନେ ଅଧିକ ପ୍ରଭାବିତ ହୋଇ ପାରନ୍ତି ବୋଲି ଆଶଙ୍କା କରାଯାଇଛି। ତେଣୁ ଏବେଠାରୁ ଲୋକଙ୍କ ନିକଟରେ କୋଭିଡ୍‌ ସଂପର୍କରେ ସଠିକ୍‌ ତଥ୍ୟ ପହଞ୍ଚାଇବା, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଶିଶୁ ଓ ମା’ମାନଙ୍କ ପୁଷ୍ଟିସାଧନକୁ ସୁନିଶ୍ଚିତ କରିବା ହେଉଛି ଅଙ୍ଗନବାଡ଼ି କାର୍ଯ୍ୟକର୍ତ୍ତାମାନଙ୍କ ଗୁରୁଦାୟିତ୍ୱ।

ଏହି ଆଗଧାଡ଼ିର କାର୍ଯ୍ୟକର୍ତ୍ତାମାନେ ଗାଁର ଆଖି ଓ କାନ ଭଳି ସଜାଗ ରହି ଗାଁକୁ ସୁରକ୍ଷା ପ୍ରଦାନ କରିବାକୁ ଆହ୍ୱାନ ଦେବା ସହ ପ୍ରମୁଖ ଶାସନ ସଚିବ ସେମାନଙ୍କ ନିରନ୍ତର କର୍ତ୍ତବ୍ୟନିଷ୍ଠାକୁ ଭୂୟସୀ ପ୍ରଶଂସା କରିଥିଲେ। ଆଜିର ଏହି ଓ୍ୱବିନାରର ବୈଷୟିକ ଅଧିବେଶନରେ ମୁଖ୍ୟତଃ ଘରକୁ ଘର ସର୍ଭେ ସମୟରେ ଅଙ୍ଗନବାଡ଼ି କାର୍ଯ୍ୟକର୍ତ୍ତାମାନଙ୍କୁ କୋଭିଡ୍‌ ସଂପର୍କିତ ତିନୋଟି ମୁଖ୍ୟ ପ୍ରସଙ୍ଗ ଯଥା: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସତର୍କତା, ପୁଷ୍ଟିସାଧନ ଏବଂ ଶିଶୁ ସୁରକ୍ଷା ଉ ପରେ ବିଶେଷଜ୍ଞ ଏବଂ ଯୋଗାଯୋଗ ବିଶାରଦମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପ ସାଗରରେ ଆସନ୍ତା କାଲି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଉପକୂଳ ଓଡ଼ିଶାରେ ଆସନ୍ତା ସପ୍ତାହରେ ପ୍ରବଳ ବର୍ଷା ହୋଇପାରେ। ଏହି ଲଘୁଚାପ ଘୂର୍ଣ୍ଣିଝଡ଼ ରେ ପରିଣତ ହେଲେ ମେ ୨୬ ତାରିଖରେ ଏହା ଓଡିଶା-ପଶ୍ଚିମ ବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗର ଆକଳନ ଅନୁଯାୟୀ ଏହି ଲଘୁଚାପ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ମେ ୨୫ ତାରିଖ ସୁଦ୍ଧା ଘୁର୍ଣ୍ଣିଝଡ଼ରେ ପରିଣତ ହେବ ବୋଲି ଆକଳନ କରାଯାଉଛି। ଏହା ମୁଖତଃ ଉତ୍ତର -ଉତ୍ତର ପଶ୍ଚିମ ଦିଗରେ ଓଡିଶା ଉପକୂଳ ମୁହାଁ ହୋଇ ଓଡିଶା -ପଶ୍ଚିମ ବଙ୍ଗ ଉପକୂଳ ଆଡକୁ ଗତି କରିବ ବୋଲି କେନ୍ଦ୍ରର ନିର୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।

ଏହି ଘୁର୍ଣ୍ଣିଝଡ଼ ଓଡିଶାର ଭଦ୍ରକ କିମ୍ବା ବାଲେଶ୍ୱର ଜିଲ୍ଲା ଅଥବା ପଶ୍ଚିମ ବଙ୍ଗ ର ଦିଘା ଉପକୂଳ ଦେଇ ଗତି କରିପାରେ ବୋଲି ସେ କହିଛନ୍ତି। ଡକ୍ଟର ସାହୁ କହିଛନ୍ତି ଯେ ଜଳବାୟୁ ବିଜ୍ଞାନ ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ର ଆଗମନ ପୂର୍ବରୁ ବଙ୍ଗୋପସାଗରରେ ଘନୀଭୂତ ହେଉଥିବା ଅଧିକାଂଶ ଲଘୁଚାପ ଓ ତହିଁରୁ ଉତ୍ପନ୍ନ ଘୂର୍ଣ୍ଣିଝଡ଼ ପଶ୍ଚିମବଙ୍ଗ ଅଥବା ବାଂଲାଦେଶ ଆଡକୁ ଗତି କରିଥାଏ।

ଏହି ଲଘୁଚାପ ହୁଏତ ପ୍ରବଳ ଘୁର୍ଣ୍ଣିଝଡ଼ କିମ୍ବା ଘୁର୍ଣ୍ଣିଝଡ଼ ର ରୂପ ନେଇ ଉପକୂଳ ଅତିକ୍ରମ କରିପାରେ ବୋଲି ସେ କହିଛନ୍ତି।

ତେବେ ବାତ୍ୟାର ଗତି ଏବଂ ପବନ ବେଗର ସ୍ପଷ୍ଟ ଚିତ୍ର ମେ ୨୪ ରେ ହିଁ ଜଣା ପଡିବ ବୋଲି ଡକ୍ଟର ସାହୁ କହିଛନ୍ତି। ମୌସୁମୀର ପ୍ରଭାବ ଯୋଗୁଁ ଏହି ଘୁର୍ଣ୍ଣିଝଡ଼ ବିଶେଷ ଭାବେ ଘନୀଭୂତ ନ ହୋଇପାରେ ବୋଲି ସେ କହିଛନ୍ତି।

ଯଦି ଏହା ବାତ୍ୟାର ରୂପ ନେଇ ଓଡିଶା ଉପକୂଳ ଦେଇ ଗତି କରେ ତେବେ ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୬୫ ରୁ ୯୦ କିଲୋମିଟର ହେବ ମାତ୍ର ଏହା ଯଦି ପ୍ରବଳ ଘୁର୍ଣ୍ଣିଝଡ଼ର ରୂପ ନିଏ ତେବେ ଏହାର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୧୦୦ କିମି ହୋଇପାରେ ବୋଲି ସେ କହିଛନ୍ତି।

ଏହି ସମୟରେ ଓଡିଶା ଉପକୂଳରେ ପବନର ଗତି ତୀବ୍ରତର ହେବା ସହ ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, କେନ୍ଦ୍ରାପଡ଼ା ଏବଂ ଯାଜପୁର ପ୍ରଭୃତି ଜିଲ୍ଲାରେ ମେ ୨୫ ତାରିଖ ରାତିରୁ ୨୭ ତାରିଖ ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ।

ପରବର୍ତ୍ତୀ ସମୟରେ ଏହା ବିହାର ଆଡକୁ ଗତି କରିବ ବୋଲି ଡକ୍ଟର ସାହୁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପୁରୀରେ ଲୋକାର୍ପିତ ହେଲା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

ଭୁବନେଶ୍ବର/ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀରେ ଏକ କୋଭିଡ ହସ୍ପିଟାଲକୁ ଲୋକାର୍ପଣ କରିଛନ୍ତି। ଭିଡିଓ କଂଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ହସ୍ପିଟାଲକୁ ଲୋକାର୍ପିତ କରିଛନ୍ତି। ଏହା ୧୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ହୋଇଥିବା ବେଳେ ଏଥିରେ ୨୦ ଟି ଆଇସିୟୁ, ୪୦ ଟି ଏଚଡିୟୁ ଏବଂ ୯୦ ଟି ସାଧାରଣ ଶଯ୍ୟାର ବ୍ୟବସ୍ଥା ରହିଛି। ପୁରୀର ବାଲିଗୁଆଳିରେ ଉକ୍ତ ହସ୍ପିଟାଲକୁ ନିର୍ମାଣ କରାଯାଇଛି। ସମ ହସ୍ପିଟାଲର ତତ୍ବାବଧାନରେ ଚାଲିବ ଏହି ନୂଆ କୋଭିଡ ହସ୍ପିଟାଲ।

ପୁରୀରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହା ଦ୍ଵାରା ସ୍ଥାନୀୟ ଲୋକେ ଉପକୃତ ହେବେ ବୋଲି କୁହାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ଆଇଏଫଏସ ଅଭୟକାନ୍ତ ପାଠକ କୋଭିଡରେ ହେଲେ ଆକ୍ରାନ୍ତ

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ଝାରପଡା ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ଆଇଏଫଏସ ଅଭୟକାନ୍ତ ପାଠକ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି। ଉଭୟଙ୍କୁ ଝାରପଡା ଜେଲର ଆଇସୋଲେସନ ୱାର୍ଡରେ ରଖାଯାଇଛି। ଝାରପଡା ଜେଲରେ ୧୯୫ ନମୁନା ମଧ୍ୟରୁ ୯୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବିଧାୟକ ପାଣିଗ୍ରାହୀ ଏବଂ ଅଭୟକାନ୍ତ ପଜିଟିଭ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ରମେଶ ମହାନ୍ତି
ଜଗତସିଂହପୁର: ବଙ୍ଗୋପସାଗରରେ ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓସୱାନ୍ ଭି.ସି ରୁମ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଓ ପାରାଦ୍ବୀପ ପ୍ରକଳ୍ପ ନିର୍ଦ୍ଦେଶକ, ଡି. ଆର୍.ଡି.ଏ, ଉପଜିଲ୍ଲାପାଳ, ସମସ୍ତ ବ୍ଲକର ବିଡିଓ, ତହସିଲଦାର, କ୍ଷେତ୍ର ବିଭାଗୀୟ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।

ବୈଠକରେ ଜିଲ୍ଲାପାଳ ଅଧ୍ୟକ୍ଷତା କରି କହିଲେ ସାମ୍ଭାବ୍ୟ ବାତ୍ୟା ପାଇଁ ସମସ୍ତ ଅଧିକାରୀ ପ୍ରସ୍ତୁତ ରହିବେ। ବାଲିକୁଦା, ଏରସମା, କୁଜଙ୍ଗ ଓ ତିର୍ତ୍ତୋଲ ବ୍ଳକକୁ ଅଧିକ ପ୍ରାଧାନ୍ୟ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ତଳିଆ ଓ ସମ୍ବେଦନଶୀଳ ଅଞ୍ଚଳରୁ ଜନସାଧାରଣଙ୍କୁ ସ୍ଥାନାନ୍ତରିତ କରିବା ହେଉଛି ପ୍ରଥମ ପ୍ରାଥମିକତା। ଯେହେତୁ କୋଭିଡ୍ ମହାମାରୀର ଦ୍ୱିତୀୟ ଲହରୀ ଯୋଗୁଁ ଲକଡାଉନ୍ ଘୋଷଣା କରାଯାଇଛି। ସେଥିପ୍ରତି ଦୃଷ୍ଟି ଦେଇ ଆଣ୍ଟିଜେନ୍ ଟେଷ୍ଟ ଓ କୋଭିଡ୍ ସଂକ୍ରମିତଙ୍କୁ ଅଲଗା ରହିବା ବ୍ୟବସ୍ଥା କରାଯିବ। ଏଥିପାଇଁ ସମସ୍ତ ବ୍ଲକକୁ ମାସ୍କ୍ ଓ ପିପିଇ କିଟ୍ ପ୍ରଦାନ କରାଯିବ। ସ୍ଥାନାନ୍ତରିତ ସମୟରେ ଗର୍ଭବତୀ ମହିଳା ଭିନ୍ନକ୍ଷମ ମାନଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ବିଡିଓ ମାନଙ୍କୁ ପରାମର୍ଶ ଦେଇଥିଲେ।

ସ୍ଥାନାନ୍ତରିତ ଲୋକମାନଙ୍କୁ ମାସ୍କ୍, ସାନିଟାଇଜର୍ ,ପାନୀୟଜଳ ,ବିସ୍କୁଟ୍ ଶିଶୁଙ୍କ ପାଇଁ ଛତୁଆ, ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ। ସ୍ୱତନ୍ତ୍ର ରିଲିଫ୍ ଆୟୁକ୍ତ ପରିମଳ ଓ ସୁଦ୍ଧ ପାନୀୟଜଳ ଯୋଗାଣ ଉପରେ ଗୁରୁତ୍ବ ଦେଇଛନ୍ତି। ସମସ୍ଥ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ଓ ଅନ୍ୟାନ୍ୟ ଆଶ୍ରୟସ୍ଥଳୀ ଗୁଡିକୁ ଆଜି ସୁଦ୍ଧା ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ମତ୍ସ୍ୟଜୀବୀ ମାନଙ୍କୁ ୨୨ତାରିଖ ପରେ ସମୁଦ୍ରକୁ ନଯିବା ପାଇଁ ମାଇକ୍ ମାଧ୍ୟମରେ ଚୌମୁହାଣୀ ଓ ଫିସିଙ୍ଗ୍ ହାରବର୍ ନିକଟରେ ଗୁରୁବାର ସକାଳୁ ସଚେତନ କରାଯାଇଛି। ଜିଲ୍ଲା ଜରୁରୀ ବିଭାଗ ନିୟନ୍ତ୍ରଣ କକ୍ଷ ,ବ୍ଲକ୍ ସ୍ତରରେ ଓ ଲାଇନ୍ ଡିପାର୍ଟମେଣ୍ଟ କାର୍ଯ୍ୟାଳୟରେ ନିୟନ୍ତ୍ରଣ କକ୍ଷ ୨୪ଘଣ୍ଟା କାର୍ଯ୍ୟ କରିବ। ସମସ୍ତ ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳରେ ଜେନେରେଟର, ଟାୱାରଲାଇଟ୍, ମେକାନିକାଲ କଟରମ୍ ଓ ଅନ୍ୟାନ୍ୟ ଉପକରଣ ଗୁରୁବାର ସୁଦ୍ଧା ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ପ୍ରତ୍ୟେକ ଆଶ୍ରୟସ୍ଥଳୀରେ ୩ଜଣ ଦାୟୀତ୍ୱ ସମ୍ପନ୍ନ କର୍ମଚାରୀ ନିୟୋଜିତ ରହିବେ। ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା ସ୍ତନ୍ୟଦାନ କରୁଥିବା ମହିଳା ଓ ଗର୍ଭବତୀ ମହିଳାଙ୍କୁ ସହାୟତା ପ୍ରଦାନ, ଆଶ୍ରୟସ୍ଥଳୀରେ ସମସ୍ତେ ଯେପରି ମାସ୍କ୍ ପରିଧାନ କରିବେ, ମାଗଣା ରନ୍ଧାଖାଦ୍ୟ ପ୍ରଦାନ ଓ ଉଦ୍ଧାର କାର୍ଯ୍ୟରେ ପଞ୍ଚାୟତିରାଜ ପ୍ରତିନିଧି ମାନଙ୍କୁ ଅନ୍ତର୍ଭୁକ୍ତ କରିବା ଏନ୍.ଡି.ଆର୍.ଏଫ୍ ଓ ଓଡ୍ରାଫ୍ ଟିମ୍ ମୁତୟନ ସମ୍ପର୍କରେ ଆଲୋଚନା ହୋଇଥିଲା। ବିଡିଓ ମାନେ ଅତିରିକ୍ତ ଯାନ ବ୍ୟବହାର କରିପାରିବେ। ଏନ୍.ଡି.ଆର୍.ଏଫ୍ ଓ ଓଡ୍ରାଫ୍ ଟିମ୍ ପାରାଦ୍ବୀପ, କୁଜଙ୍ଗ, ଏରସମା, ବାଲିକୁଦା ଓ ତିର୍ତ୍ତୋଲ ଅଞ୍ଚଳରେ ନିୟୋଜିତ କରାଯିବ।

ଏହି ବୈଠକରେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ, ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧିର, ପି.ଡି ସରୋଜ କାନ୍ତ ମହାନ୍ତି, ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ସମସ୍ତ ବିଡିଓ ଓ ତହସିଲଦାର ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର: ୧୨ ଦିନର ଶିଶୁର ଜୀବନ ବଂଚାଇଲେ ଡାକ୍ତର

ଭୁବନେଶ୍ୱର: ଏକ ଜଟିଳ ଅସ୍ତ୍ରୋପଚାର ଦ୍ୱାରା ବିରଳ ଜନ୍ମଗତ ତ୍ରୁଟି ଥିବା ମାତ୍ର ୧୨ ଦିନର ନବଜାତ ଶିଶୁର ଜୀବନ ବଂଚାଇବାରେ ସକ୍ଷମ ହୋଇପାରିଛନ୍ତି ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସ୍ପିଟାଲର ଡାକ୍ତର।

ଶିଶୁଟିର ଜନ୍ମରୁ ହିଁ ନିଶ୍ୱାସ ନେବାରେ ସମସ୍ୟା ରହିଥିଲା। ଶିଶୁ ଶରୀରର ଛାତି ଓ ପେଟ ମଧ୍ୟରେ ଥିବା ଡାୟାଫ୍ରାମ ରେ ଏକ ବଡ଼ ଛିଦ୍ର ଥିବା ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଥିଲା। ଏହା ଏକ ଜନ୍ମଗତ ତ୍ରୁଟି ହୋଇଥିବା ବେଳେ ତଳିପେଟରେ ଥିବା ଅନ୍ତ୍ର ଇତ୍ୟାଦି ଛାତିକୁ ଚାଲିଯାଉଥିଲା ବୋଲି ଏହି ବିରଳ ଅସ୍ତ୍ରୋପଚାର ସମ୍ପାଦନ କରିଥିବା ହସ୍ପିଟାଲର ପେଡ଼ିଆଟ୍ରିକ ସର୍ଜରୀ ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନ ସୂଚନା ଦେଇଛନ୍ତି।

ଡକ୍ଟର ପ୍ରଧାନ କହିଛନ୍ତି ଯେ ସମ କୁ ଆସିବା ପୂର୍ବରୁ ଶିଶୁଟିର ୧୦ ଦିନ ଧରି ବାହାରେ ଚିକିତ୍ସା ହୋଇଥିଲେ ମଧ୍ୟ ହସ୍ପିଟାଲ କୁ ଆସିବା ସମୟରେ ତାର ଅବସ୍ଥା ଖୁବ ସଙ୍କଟାପନ୍ନ ଥିଲା। ମେ ୧୦ ତାରିଖ ଦିନ ହସ୍ପିଟାଲରେ ଭର୍ତି ହେବା ସମୟରେ ସେ ନିଶ୍ୱାସ ନେବାରେ ଖୁବ କଷ୍ଟ ଅନୁଭବ କରୁଥିଲା ବୋଲି ଡକ୍ଟର ପ୍ରଧାନ କହିଛନ୍ତି।

ଶିଶୁଟିର ଅମ୍ଳଜାନ ସ୍ତର ୪୦ ପ୍ରତିଶତକୁ ଖସିଆସିଥିବାରୁ ଏଭଳି ପରିସ୍ଥିତିରେ ଶିଶୁର ଜୀବନ ବଞ୍ଚାଇବା ଏକ ଚାଲେଞ୍ଜ ଆହ୍ବାନ କରିଥିଲା। ଶିଶୁଟିକୁ ଈଂଟ୍ୟୁବ୍ୱେଟେଡ଼ କରାଯାଇ ତାର ଅବସ୍ଥା ସ୍ଥିର କରାଯିବା ପରେ ମେ ୧୨ ତାରିଖ ଦିନ ଅସ୍ତ୍ରୋପଚାର କରାଯାଇଥିଲା ବୋଲି ସେ କହିଥିଲେ।

ଅପରେସନ ଦ୍ୱାରା ଶିଶୁର ଜୀବନ ବଞ୍ଚି ଯାଇଥିବା ବେଳେ ସେ ସୁସ୍ଥ ହୋଇ ଗୁରୁବାର ଦିନ ହସ୍ପିଟାଲ ରୁ ଡିସ୍ଚାର୍ଜ ହୋଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ୟଶ୍ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ, କେହି ଭୟଭୀତ ହୁଅନ୍ତୁ ନାହିଁ: ଏସଆରସି ପ୍ରଦୀପ ଜେନା

ଭୁବନେଶ୍ୱର: ଆସନ୍ତାକାଲି ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଏବଂ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ୨୪ ତାରିଖରେ ଏହା ସାମୁଦ୍ରିକ ବାତ୍ୟାରେ ପରିଣତ ହେବ। ପରେ ଏହା ୨୬ ତାରିଖ ସକାଳ ସୁଦ୍ଧା ସ୍ଥଳ ଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଏହା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବ ବୋଲି ଅନୁମାନ କରାଯାଇଛି।

ଆସନ୍ତା ୨୬ ଅପରାହ୍ନରେ ଭଦ୍ରକ କିମ୍ବା ବାଲେଶ୍ୱର ଉପକୂଳ କିମ୍ବା ଏହାର ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳର ଦୀଘା ବା କଣ୍ଟାଇ ପାଖରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ। ସ୍ଥଳଭାଗ ଛୁଇଁବା ପରେ ଏହା ମୟୂରଭଞ୍ଜ, ଝାଡ଼ଖଣ୍ଡ ଦେଇ ବିହାର ଆଡ଼କୁ ଗତି କରିପାରେ। ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ। କଟକର ସାଲେପୁର, ନିଶ୍ଚିନ୍ତକୋଇଲି, ମାହାଙ୍ଗାରେ ବି ପ୍ରବଳ ବର୍ଷା ଆଶଙ୍କା ରହିଛି। ୨୪ ତାରିଖ ରାତିରୁ ବାଲେଶ୍ୱର ଓ ଆଖାପାଖ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇପାରେ। ୨୫ ଓ ୨୬ରେ ଉତ୍ତର ପୂର୍ବ ଓଡ଼ିଶାରେ ବର୍ଷା, ପବନ ଅଧିକ ରହିବ। ଏହି ସମ୍ଭାବ୍ୟ ବାତ୍ୟା ଅଧିକ ଘନୀଭୂତ ହେଲେ ଭୀଷଣ ବାତ୍ୟା (ଭେରି ସିଭିୟର) ରୂପ ନେଇପାରେ। ଏହା ବାତ୍ୟା ସ୍ଥିତିରେ ରହିଲେ ଘଣ୍ଟା ପ୍ରତି ୬୫ରୁ ୯୦ କିମି ଓ ଭୀଷଣ ବାତ୍ୟା ହେଲେ ୯୦ରୁ ୧୨୦ କିମି ବେଗରେ ପବନ ବହିବା ଆଶଙ୍କା ଅଛି।

ତେବେ ଏହାକୁ ନେଇ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ପ୍ରାକ ଆକଳନ କରିବା ସହ ସତର୍କ ରହିବାକୁ କହିଛନ୍ତି। ସେଥିପାଇଁ ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ଵତନ୍ତ୍ର ରିଲିଫ କମିଶନର ଏକ ପ୍ରସ୍ତୁତି ବୈଠକ କରିଛନ୍ତି। ଏହି ବୈଠକ ପରେ ଏସଆରସି ପୂର୍ବ ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି। ଏହି ସମୟରେ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଯେଉଁମାନେ ସମୁଦ୍ର ମଧ୍ୟରେ ରହିଯାଇଛନ୍ତି, ସେମାନଙ୍କୁ ଫେରାଇ ଅଣାଯାଉଛି। ଓଡ୍ରାଫ,  ଅଗ୍ନିଶମ  ଏବଂ ଏନଡିଆରଏଫ ଟିମକୁ ପଠାଯାଉଛି। ଗୁଜୁରାଟ ଯାଇଥିବା ୫ଟି ଏନଡିଆରଏଫର ଟିମ ଏଥିରେ ନିୟୋଜିତ ହେବେ। ସହରରେ ଲାଗିଥିବା ହାଇମାଷ୍ଟ ଲାଇଟ ତଳକୁ ଖସାଇ ଦିଆଯାଇଛି। ବିଜ୍ଞାପନ ଲାଗିଥିବା ବିଭିନ୍ନ ହୋର୍ଡିଂ, ବୋର୍ଡ ଖୋଲିବାକୁ କୁହାଯାଇଛି। କୋଭିଡ ସଙ୍କଟ ଥିବାରୁ ଅଧିକ ସଂଖ୍ୟାରେ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

ବାତ୍ୟା ଆଶ୍ରୟସ୍ଥଳୀକୁ ଯେପରି ଠିକ୍‌ ବ୍ୟବସ୍ଥାରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ, ସେ ଦିଗରେ ଗୁରୁତ୍ୱ ଦିଆଯାଇଛି। ବୟସ୍କ, ଅସୁସ୍ଥ, ଶିଶୁ, ଗର୍ଭବତୀ, ଭିନ୍ନକ୍ଷମଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ କୁହାଯାଇଛି। ଡାକ୍ତରଖାନାରେ ଜେନେରେଟର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଭାବିତ ଲୋକଙ୍କ ପାଖରେ ପିଇବା ପାଣି ପହଞ୍ଚାଇବା ପାଇଁ ନଗର ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପାଣି ଯୋଗାଣ ସ୍ୱାଭାବିକ ରହିବାକୁ ଆବଶ୍ୟକ ମୁତାବକ ଜେନେରୋଟ ମହଜୁଦ ରଖିବାକୁ କୁହାଯାଇଛି। ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ତ୍ୱରିତ ପୁନରୁଦ୍ଧାର ପାଇଁ ପ୍ରସ୍ତୁତ ରହିବାକୁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସରକାର ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି। ତେଣୁ କେହି ଆତଙ୍କିତ ନ ହେବା ପାଇଁ ଶ୍ରୀ ଜେନା ଅନୁରୋଧ କରିଛନ୍ତି।

Categories
ଫଟୋ ଖବର

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ତିରୋଧାମ ଦିବସରେ ରାହୁଳ ଗାନ୍ଧିଙ୍କର ଶ୍ରଦ୍ଧାଞ୍ଜଳି

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ତିରୋଧାମ ଦିବସରେ ରାହୁଳ ଗାନ୍ଧିଙ୍କର ଶ୍ରଦ୍ଧାଞ୍ଜଳି

Categories
ଆଜିର ଖବର ଜାତୀୟ ଖବର

ନାରଦା ମାମଲା: ଗିରଫ ତୃଣମୂଳ ନେତାଙ୍କୁ ଗୃହ ବନ୍ଦୀ ପାଇଁ ଆଦେଶ ଦେଲେ କଲିକତା ହାଇକୋର୍ଟ

କଲିକତା: ନାରଦା ମାମଲାରେ ପଶ୍ଚିମବଙ୍ଗର ଦୁଇ ଜଣ ମନ୍ତ୍ରୀ, ଜଣେ ବିଧାୟକ ଏବଂ ଆଉ ଜଣେ ପୂର୍ବତନ ମେୟର ଗିରଫ ହୋଇଛନ୍ତି। କଲିକତା ହାଇକୋର୍ଟ ଏହି ମାମଲାର ଆଜି ଜାମିନ ଆବେଦନ ଉପରେ ଶୁଣାଣି କରିଛନ୍ତି। ଆଜିର ଏହି ଶୁଣାଣିରେ ଦୁଇ ବିଚାରପତିଙ୍କ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଥିଲା।

ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲ ନେତାଙ୍କୁ ଗୃହ ବନ୍ଦୀ କରିବାକୁ ଆଦେଶ ଦେଇଥିବା ବେଳେ ବିଚାରପତି ଅର୍ଜିତ ବାନାର୍ଜୀ ଅଗ୍ରୀମ ଜାମିନ ପାଇଁ ଆଦେଶ ଦେଇଥିଲେ। ତେବେ ଗିରଫ ନେତାଙ୍କ ଜାମିନ ଆବେଦନ ପାଇଁ ତିନି ଜଣିଆ ଖଣ୍ଡପୀଠ ପରବର୍ତ୍ତୀ ଶୁଣାଣୀ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମହାମାରୀକୁ ଦେଖି ବର୍ତ୍ତମାନ ଗିରଫ ନେତାଙ୍କୁ ଗୃହ ବନ୍ଦୀ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

କରୋନା ପାଇଁ ବଢିଲା ଆୟକର ଦାଖଲ ସମୟ, ଏ ନେଇ ଜାଣନ୍ତୁ ଏହି ୧୪ଟି ପ୍ରମୁଖ ତଥ୍ୟ

ନୂଆଦିଲ୍ଲୀ: କରୋନା ମହାମାରୀର ଭୀଷଣତାକୁ ବିଚାରକୁ ନେଇ କେନ୍ଦ୍ର ସରକାର ଲୋକଙ୍କ ସୁବିଧା ପାଇଁ ଟିକସ ଓ ତତସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟର ଅନ୍ତିମ ତାରିଖକୁ ବଢାଇ ଦେଇଛନ୍ତି। ବିଭିନ୍ନ ସମ୍ପୃକ୍ତିପକ୍ଷ ଓ ବ୍ୟକ୍ତିବିଶେଷଙ୍କ ଅନୁରୋଧ କ୍ରମେ ଏହି ପଦକ୍ଷେପ ନିଆଯାଇଛି। ତଦନୁସାରେ ଆୟକର ଆଇନ ୧୯୬୧ ଅନୁସାରେ ନିମ୍ନଲିଖିତ କ୍ଷେତ୍ରରେ ଅନ୍ତିମ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

୧) ୨୦୨୦-୨୧ ଆର୍ଥିକବର୍ଷ ପାଇଁ ଉଦ୍ଧିଷ୍ଟ ବିତ୍ତୀୟ କାରବାର ବିବରଣୀ (ଏସ୍ଏଫ୍ଟି) ପ୍ରଦାନର ଶେଷ ତାରିଖ ଚଳିତମାସ ୩୧ତାରିଖ ଧାର୍ଯ୍ୟ ହୋଇଥିଲା। ସରକାର ଏହାକୁ ଆଉ ଏକ ମାସ ଅର୍ଥାତ୍ ଆଗାମୀ ଜୁନ ୩୦ ତାରିଖ ଯାଏ ବଢାଇ ଦେଇଛନ୍ତି।

୨) ୨୦୨୦ କ୍ୟାଲେଣ୍ଡର ବର୍ଷ ପାଇଁ ରିପୋର୍ଟେବୁଲ ଆକାଉଣ୍ଟ ଷ୍ଟେଟମେଣ୍ଟ ବା ବିବରଣୀ, ଯାହା ଚଳିତବର୍ଷ ୩୧ତାରିଖ ସୁଦ୍ଧା ଦାଖଲ କରିବା ଆୟକର ଆଇନ ଅନୁସାରେ ସ୍ଥିରୀକୃତ, ତାହାର ସମୟସୀମାକୁ ୨୦୨୧ ଜୁନ ୩୦ଯାଏ ବୃଦ୍ଧି କରାଯାଇଛି। ଜୁନ ୩୦ ଏହି ବିବରଣୀ ଦାଖଲର ଶେଷ ତାରିଖ ଧାର୍ଯ୍ୟ ହୋଇଛି।

୩) ଟିକସ୍ ଡିଡ୍କସ ଷ୍ଟେଟମେଣ୍ଟ(ଟିକସକାଟ୍ ବିବରଣୀ) ଦାଖଲ ପାଇଁ ପୂର୍ବରୁ ଯେଉଁ ଶେଷତାରିଖ ୨୦୨୧ ମେ ୩୧ ଧାର‌୍ୟ୍ୟ ହୋଇଥିଲା ତାହାକୁ ଆଉ ଏକ ମାସ ବଢାଇ ଦିଆଯାଇଛି। ଏବେ ଏହି ଟ୍ୟାକ୍ସ ଡିଡ୍କସନ ଷ୍ଟେଟମେଣ୍ଟ ୨୦୨୧ ଜୁନ ୩୦ ତାରିଖ କିମ୍ବା ତା ପୂର୍ବରୁ କରାଯାଇପାରିବ।

୪) ଫର୍ମ ନଂ-୧୬ରେ ଆୟ ଉତ୍ସରୁ କଟାଯାଇଥିବା ଟିକସ ସାର୍ଟିଫିକେଟ ଏବେ କର୍ମଚାରୀମାନେ ୨୦୨୧ ଜୁନ ୧୫ଯାଏ ଦାଖଲ କରିପାରିବେ। ପୂର୍ବରୁ ଏହି ସମୟସୀମା ମେ ୧୫ ପର‌୍ୟ୍ୟନ୍ତ ଧାର‌୍ୟ୍ୟ ହୋଇଥିଲା।

୫) ୨୦୨୧ ମେ’ ମାସ ପାଇଁ ଉଦ୍ଦିଷ୍ଟ ଟିଡିଏସ୍/ ଟିସିଏସ୍ ବୁକ୍ ଆଡଜଷ୍ଟମେଣ୍ଟ ଷ୍ଟେଟମେଣ୍ଟ ଫର୍ମ ନମ୍ବର ୨୪ଜି ରେ ୨୦୨୧ ଜୁନ ୧୫ତାରିଖ ଯାଏ ଦାଖଲ କରିହେବ। ଆହୁରି ମଧ୍ୟ ଧାରା ୩୦ ଅଧୀନ ୩୭ସି ଏ ଆଇନ ଅନୁସାରେ ଏ ସଂକ୍ରାନ୍ତ ତଥ୍ୟ ୨୦୨୧ ଜୁନ ୩୦ତାରିଖ ପର‌୍ୟ୍ୟନ୍ତ ଉପସ୍ଥାପିତ କରି ହେବ।

୬) ୨୦୨୦-୨୧ ବର୍ଷ ପାଇଁ ନିବେଶକ ପାଣ୍ଠି ଦ୍ୱାରା ଏଡାର ୟୁନିଟ୍ଧାରୀମାନଙ୍କୁ ଫର୍ମ ୬୪ଡିରେ ଦିଆଯାଇଥିବା ଆୟର ବିବରଣୀ ଦାଖଲ ସମୟକୁ ୨୦୨୧ ଜୁନ ୩୦ଯାଏ ବଢାଇ ଦିଆଯାଇଛି। ଆୟକର ନିୟମ ଧାରା ୧୨ସି.ବି ଅନୁସାରେ ପୂର୍ବରୁ ଏହାର ଶେଷ ତାରିଖ ୨୦୨୧ ଜୁନ ୧୫ରଖାଯାଇଥିଲା।

୭) ଟ୍ୟାକ୍ସ ଡିଡକସନ ଷ୍ଟେଟମେଣ୍ଟ ଯାହା ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅନୁମୋଦିତ ସୁପରଅନୁଏସନ ଫଣ୍ଡକୁ ଟ୍ରଷ୍ଟୀମାନଙ୍କ ଦ୍ୱାରା ପ୍ରଦାନ ପାଇଁ ଉଦ୍ଦିଷ୍ଟ, ସେ ସଂକ୍ରାନ୍ତ ତଥ୍ୟାବଳୀ ଦାଖଲକୁ ଏକମାସ ବଢାଇ ଦିଆଯାଇଛି। ୨୦୨୧ ମେ’ ୩୧ ପରିବର୍ତ୍ତେ ଏହି ଷ୍ଟେଟମେଣ୍ଟ ୨୦୨୧ଜୁନ ୩୦ ତାରିଖ କିମ୍ବା ତା ପୂର୍ବରୁ ଦାଖଲ କରିହେବ।

୮) ୟୁନିଟ୍ଧାରୀଙ୍କୁ ଇନ୍ଭେଷ୍ଟମେଣ୍ଟ ଫଣ୍ଡ ୨୦୨୦-୨୧ ବର୍ଷର ଦିଆଯାଇଥିବା ଆୟ ବା ଋଣ ସଂକ୍ରାନ୍ତ ଷ୍ଟେଟମେଣ୍ଟ(ଫର୍ମ ନଂ ୬୪ସି ଅନୁସାରେ) ଦାଖଲ ତାରିଖକୁ ୨୦୨୧ ଜୁଲାଇ ୧୫ତାରିଖ ଯାଏ ବୃଦ୍ଧି କରାଯାଇଛି । ଏହାର ଶେଷ ତାରିଖ ଜୁନ ୩୦ ଥିଲା।

୯) ୨୦୨୧-୨୨ ଆସେସମେଣ୍ଟ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ଶେଷ ତାରିଖ ୨୦୨୧ ଜୁଲାଇ ୩୧ ଆଇନତଃ ଧାର‌୍ୟ୍ୟ ହୋଇଥିଲା । ସେଇ ତାରିଖକୁ ଏବେ ୨୦୨୧ ସେପ୍ଟେମ୍ବର ୩୦ତାରିଖ ଯାଏ ବଢାଇ ଦିଆଯାଇଛି ।

୧୦) ୨୦୨୦-୨୧ ବର୍ଷ ପାଇଁ ଆୟକର ଆଇନର ବ୍ୟବସ୍ଥା ଅନୁସାରେ ଯେକୌଣସି ଅଡିଟ ରିପୋର୍ଟ ବିବରଣୀ ପ୍ରଦାନ ସମୟ ସୀମା ୨୦୨୧ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୩୧ଯାଏ ବୃଦ୍ଧି କରାଯାଇଛି ।

୧୧) ଆନ୍ତର୍ଜାତିକ କାରବାର କିମ୍ବା ନିର୍ଦ୍ଦିଷ୍ଟ ଘରୋଇ ବ୍ୟବସାୟ (ଧାରା୨୯ଇ)କ୍ଷେତ୍ରରେ ବ୍ୟକ୍ତିବିଶେଷଙ୍କ ବିବରଣୀ ଦାଖଲ କରିବା ସମୟସୀମାକୁ ୨୦୨୧ ନଭେମ୍ବର ୩୦ତାରିଖ ଯାଏ ବଢାଇ ଦିଆଯାଇଛି । ପୂର୍ବରୁ ଏହାର ସମୟସୀମା ୨୦୨୦-୨୧ ଆର୍ଥିକ ବର୍ଷର ହିସାବ କ୍ଷେତ୍ରରେ ଅକ୍ଟୋବର ୩୧ତାରିଖ ଯାଏ ଧାର‌୍ୟ୍ୟ ହୋଇଥିଲା ।

୧୨) ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ ଶେଷ ତାରିଖକୁ ଚଳିତବର୍ଷ ନଭେମ୍ବର ୩୦ଯାଏ ବୃଦ୍ଧି କରାଯାଇଛି । ଏହି ତାରିଖ ପୂର୍ବରୁ ଅକ୍ଟୋବର ୩୧ ତାରିଖ ଯାଏ ଥିଲା ।

୧୩) ୨୦୨୧-୨୨ ଆସେସମେଣ୍ଟ ବର୍ଷର ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖକୁ ୨୦୨୧ ନଭେମ୍ବର ୩୦ରୁ ଡିସେମ୍ବର ୩୧ଯାଏ ବୃଦ୍ଧି କରାଯାଇଛି । ଏହି ସମ୍ପ୍ରସାରଣ ଆୟକର ଆଇନର ଧାରା ୧୩୯, ଉପଧାରା ୧ କ୍ଷେତ୍ର ପାଇଁ କେବଳ ପ୍ରଯୁଜ୍ୟ ।

୧୪) ୨୦୨୦-୨୧ ଆସେସମେଣ୍ଟ ବର୍ଷ ପାଇଁ ଆୟକର ବିଳମ୍ବିତ ଓ ସଂଶୋଧିତ ରିଟର୍ଣ୍ଣ ଦାଖଲର ଶେଷ ତାରିଖକୁ ୨୦୨୧ ଡିସେମ୍ବର ୩୧ ପରିବର୍ତ୍ତେ ୨୦୨୨ ଜାନୁୟାରୀ ୩୧ତାରିଖ କରାଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ କ୍ଲଜ୍ (୧୦), (୧୨) ଓ (୧୩)ରେ ଶେଷତାରିଖ ସମ୍ପ୍ରସାରଣ ଆୟକର ଆଇନର ଏକ୍ସପ୍ଳାନେସନ ୧ରୁ ଧାରା ୨୩୪ଏ ପର‌୍ୟ୍ୟନ୍ତ ସମ୍ପୂର୍ଣ୍ଣ ଲାଗୁ ହେବ ନାହିଁ। ଏ କ୍ଷେତ୍ରରେ କେତେକ କଟକଣା ଓ ସର୍ତ୍ତାବଳୀ ରହିଛି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକାରେ ଗଡିଲା ରାଜସ୍ୱ ରଥ: ଘର ପାଖରେ ଲୋଗଙ୍କୁ ଯୋଗାଇବ ସେବା

ସୀତାରାମ ଅଗ୍ରୱାଲ

ଚିଲିକା: କରୋନା ମହାମାରୀ ଯୋଗୁଁ ଲକଡାଉନ ଜାରି ରହିଥିବା ବେଳେ ଏହି ସମୟରେ ଘର ପାଖରେ ଲୋକଙ୍କୁ ସେବା ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି। ଏହି ପ୍ରରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲ ପକ୍ଷରୁ ଆଜି ରାଜସ୍ବ ରଥର ଶୁଭାରମ୍ଭ ହୋଇଛି।

ତହସିଲଦାର ପୁନମ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ହରିପୁର ପଞ୍ଚାୟତରୁ ଏହାର ଶୁଭାରମ୍ଭ ହୋଇଛି। ଏଥିରେ ଅନ୍ୟତମ ଅଧିକାରୀ ଭାବେ ଅତରିକ୍ତ ତହସିଲଦାର ଅପର୍ଣ୍ଣା ଡାଙ୍ଗୁଆ, ଅଭିଲେଖପାଳ ପ୍ୟାରୀ ମୋହନ ପଟ୍ଟନାୟକ, କନିଷ୍ଠ ରାଜସ୍ବ ସହାୟକ ମଙ୍ଗରାଜ ବେହେରା ଏବଂ ଅନ୍ୟ ତହସିଲ କର୍ମଚାରୀମାନେ ଘରକୁ ଘର ଯାଇ ହିତାଧିକାରୀଙ୍କୁ ଜମି, ଘର ପଟ୍ଟା ଏବଂ ଅନ୍ୟାନ ପ୍ରମାଣପାତ୍ର ପ୍ରଦାନ କରୁଥିବାର ଦେଖାଯାଇଛି।

ତେବେ ଖବର ଲେଖା ହେଲା ବେଳଯାଏଁ ହିତାଧିକାରୀଙ୍କୁ ୧୭ ଟି ଜମି ପଟ୍ଟା ଏବଂ ୨୧ ଟି ପ୍ରମାଣପତ୍ର ବଣ୍ଟନ ସରିଥିବା ନେଇ ତହସିଲଦାର ସୁଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ତହସିଲର ଏପରି ପଦକ୍ଷେପ ଦ୍ୱାରା ହିତାଧିକାରୀ ମାନେ ବେଶ ଖୁସି ହେବା ସହ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି।

ଅପରପକ୍ଷେ ଚିଲିକାର ଜନସାଧାରଣଙ୍କୁ କରୋନା ମହାମାରୀ ସମୟରେ ଅଯଥାରେ ଘରୁ ନବାହାରିବା ତହସିଲଦାର ସୁଶ୍ରୀ ମହାପାତ୍ର କହିଛନ୍ତି। ସଦାବେଳେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବା ଓ ସାନିଟାଇଜର ବ୍ୟବହାର କରିବା ପାଇଁ ଅନୁରୋଧ କରିଛନ୍ତି ତହସିଲଦାର।

Categories
ଆଜିର ଖବର ରାଜ୍ୟ ଖବର

ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ: ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ

ଭୁବନେଶ୍ବର: ଆଜି ସନ୍ଧ୍ୟା ୫:୩୦ ମିନିଟରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କଂଫରେନ୍ସ ରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବର ସ୍ଥିତ ଝାରପଡା ଜେଲରେ ଚିହ୍ନଟ ହେଲେ ୯୬ ପଜିଟିଭ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ବର ସ୍ଥିତ ଝାରପଡା ଜେଲରୁ ୯୬ ଜଣ ପଜିଟିଭ ଚିହ୍ନଟ ଅଛନ୍ତି। ଚିହ୍ନଟ ୯୬ ଜଣଙ୍କ ମଧ୍ୟରୁ କିଛି ଜେଲ କର୍ମଚାରୀ ଏବଂ କଏଦୀ ଅଛନ୍ତି। ଝାରପଡା ଜେଲରେ ମୋଟ ୧୯୫ ଜଣଙ୍କ ଠାରୁ ସ୍ଵାବ ଟେଷ୍ଟ କରାଯାଇଥିଲା। ଯେଉଁଥିରେ ୯୬ ଜଣଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ସମସ୍ତ ଆକ୍ରାନ୍ତଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଥିବା ସୂଚନା ରହିଛି।

Categories
ଆଜିର ଖବର ଜାତୀୟ ଖବର

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ଏନକାଉଣ୍ଟରରେ ଟଳିଲେ ୧୩ ନକ୍ସଲ

ମୁମ୍ବାଇ: ମହାରାଷ୍ଟ୍ରର ଗଢଚିରେଲିରେ ସୁରକ୍ଷାକର୍ମୀଙ୍କ ସହ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗଢଚିରେଲି ଜଙ୍ଗଲରେ ମହାରାଷ୍ଟ୍ର ପୋଲିସର ସି୬୦ କମାଣ୍ଡୋ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟରେ ୧୩ ନକ୍ସଲଙ୍କ ମୃତ୍ୟୁ ହୋଇଛି। ତଦନ୍ତ ଅଭିଯାନ ଏବେ ବି ଜାରି ରହିଛି।

ସୁଚୋନା ଅନୁଯାୟୀ, କୋଟମିର ଏକ ଜଙ୍ଗଲ ଅଞ୍ଚଳରେ ମିଟିଂ ପାଇଁ ନକ୍ସଲମାନେ ଏକତ୍ରିତ ହୋଇଥିବା ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଯାହାଫଳରେ ପୋଲିସ ତଦନ୍ତ ଅଭିଯାନ ଆରମ୍ଭ କରିଦେଇଥିଲା। ପୋଲିସଙ୍କ ତଦନ୍ତ ଖବର ମିଳିବା ମାତ୍ରେ ନକ୍ସଲମାନେ ଗୁଳି ଚଳାଇଥିଲେ। ଏହାପରେ ପୋଲିସ ପକ୍ଷରୁ ପାଲଟା ଆକ୍ରମଣ ହୋଇଥିଲା। ଯାହା ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ସକାଳ ୫.୩୦ ମିନିଟ ସମୟରେ ହୋଇଥିବା ଆକ୍ରମଣରେ ୧୩ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଡିଆଇଜି ସନ୍ଦୀପ ପାଟିଲ ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବାୟୁ ସେନାର ମିଗ୍ -21 ବିମାନ ହେଲା ଦୁର୍ଘଟଣା, ପାଇଲଟ ମୃତ

ନୂଆଦିଲ୍ଲୀ, ଶୁକ୍ରବାର ଦିନ ପଞ୍ଜାବର ମୋଗା ନିକଟରେ ଏକ ମିଗ୍ -21 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଭାରତୀୟ ବାୟୁସେନାର ପାଇଲଟ ଅଭିନବ ଚୌଧୁରୀଙ୍କ ମୃତ୍ୟୁ ଘଟିଛି ବୋଲି ଅଧିକାରୀମାନେ କହିଛନ୍ତି।

ଶୁକ୍ରବାର ପ୍ରାୟ ରାତି ପ୍ରାୟ 1ଟା ସମୟରେ ପଂଜାବର ମୋଗାର ବାଗପୁରାନାର ଲାଙ୍ଗିଆନା ଗ୍ରାମରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେତେବେଳେ ଆଇଏଏଫ୍ ବିମାନଟି ଏକ ଦୈନିକ ପ୍ରଶିକ୍ଷଣ ପାଇଁ ଉଡାଣ ଭରିଥିଲା ବୋଲି ବାୟୁସେନା ଅଧିକାରୀ କହିଛନ୍ତି। ତେବେ ଏହି ଦୁର୍ଘଟଣାର କାରଣ ସଂପର୍କରେ ଜାଣିବା ପାଇଁ ବାୟୁ ସେନା ତଦନ୍ତ ନିର୍ଦ୍ଦେଶ ଦେଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ବ୍ୟବସାୟ

ଭାରତୀୟ ବଜାର ପାଇଁ ଟୟୋଟା କଂପାନୀ ଆଣୁଛି ଶସ୍ତା କାର, ଯାହାର ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ଭାରତୀୟ ବଜାର ପାଇଁ ପ୍ରତିଷ୍ଠିତ କାର ନିର୍ମାତା ଟୟୋଟା କଂପାନୀ ଏକ ଶସ୍ତା କାର ଆଣିବାକୁ ନିଷ୍ପତି କରିଛି। ଭାରତୀୟ ଗ୍ରାହକଙ୍କୁ ଲକ୍ଷ ରଖି କଂପାନୀ ଏହି କାର ଲଞ୍ଚ କରିବାକୁ ଯାଉଛି। ଏହି କାରଟି ମାରୁତି ସେଲେରିଓ ଏବଂ ହିଣ୍ଡାଇ ଗ୍ରାଣ୍ଡ ଆଇ10 କୁ ଟକ୍କର ଦେବ ବୋଲି ବଜାର ସମୀକ୍ଷକ କହିଛନ୍ତି।

ତେବେ ଟୟୋଟା ଆଣୁଥିବା ଏହି ନୂଆ ଶସ୍ତା କାରର ନାମ ରହିଛି AGYA । ଏହାର ଦାମ ପ୍ରାୟ 6 ଲକ୍ଷ ଟଙ୍କା ଭିତରେ ରହିବ ବୋଲି ଜଣାପଡିଛି। ତେବେ କଂପାନୀ ପୂର୍ବରୁ ଏହି ବ୍ରାଣ୍ଡର କାର ଅନ୍ୟ ଦେଶରେ ବିକ୍ରି କରୁଛି। ଏହି ଗାଡିରେ ଟଚ୍ ସ୍କ୍ରିନ ଇନଫୋଟେନମେଣ୍ଟ, ଅଟୋମେଟିକ କ୍ଲାଇମେଟ ନିୟନ୍ତ୍ରଣ ରହିଛି। ଏହି କାରଟି ଭାରତୀୟ ବଜାରରେ ଆଦୃତ ଲାଭ କରିବ ବୋଲି କଂପାନୀ ଆଶା ରଖିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ୫୫୧ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୫୯ ହଜାର ୫୫୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪ ହଜାର ୨୦୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୬୦ ଲକ୍ଷ ୩୧ ହଜାର ୯୯୧ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୮୮ ହଜାର ୩୪୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୨୭ ଲକ୍ଷ ୧୨ ହଜାର ୭୩୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୦ ଲକ୍ଷ ୨୭ ହଜାର ୯୨୫ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୨୫ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୨୪୩୦ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୨୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୨୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୪୦୩ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଓ କୋରାପୁଟ ଜିଲ୍ଲାରୁ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ନୂଆପଡା, ରାୟଗଡା ଓ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି କଳାହାଣ୍ଡି ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ, ବଲାଙ୍ଗୀରି, ବୌଦ୍ଧ, ଗଜପତି, ଝାରସୁଗୁଡା, ନବରଙ୍ଗପୁର, ପୁରୀ ଏବଂ ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୬୮ ହଜାର ୪୨୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୫୬ ହଜାର ୫୦୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୯ ହଜାର ୪୩୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୪୩୦ କୁ ବୃଦ୍ଧି ହୋଇଛି।