Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସବୁ କୋଭିଡ଼ ହସ୍ପିଟାଲରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ: ଏଣିକି ରୋଗୀଙ୍କୁ ସିଧାସଳଖ ଦେଖିବା ବ୍ୟବସ୍ଥା

ଭୁବନେଶ୍ବର: କୋଭିଡ଼ ହସ୍ପିଟାଲ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏକ ନିର୍ଦ୍ଦେଶନାମା ଜାରି କରିଛି। ସବୁ ହସ୍ପିଟାଲରେ ହେଲ୍ପ ଡେସ୍କକୁ ବାଧ୍ୟତାମୂଳକ କରାଯାଇଛି। ଏହି ହେଲ୍ପଡେସ୍କ ୨୪ ଘଣ୍ଟା କାର୍ଯ୍ୟ କରିବ। ଏଥିରେ ଟୋଲ ଫ୍ରି ନମ୍ବର ରହିବ। ଏହି ଟୋଲ ଫ୍ରି ନମ୍ବର ମାଧ୍ୟମରେ ସମ୍ପର୍କୀୟମାନେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ବୁଝିପାରିବେ।

ହେଲ୍ପ ଡେସ୍କରେ ମଧ୍ୟ ସୋସିଆଲ ମିଡିଆର ବ୍ୟବସ୍ଥା ରହିବ। ଏହା ମାଧ୍ୟମରେ ସମ୍ପର୍କୀୟମାନେ ରୋଗୀଙ୍କ ଫଟୋ ଚିତ୍ର ଦେଖିବା ସହ କଥା ବାର୍ତ୍ତା ମଧ୍ୟ ହୋଇପାରିବେ। ପ୍ରତ୍ୟେକ ଦିନ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଅପଡେଟ କରାଯିବ।

ତେବେ ହେଲ୍ପ ଡେସ୍କର ସୁପରିଚାଳନା ପାଇଁ ସ୍ଵେଚ୍ଛାସେବୀଙ୍କ ସହାୟତା ନିଆଯିବ। ଏହାସହ ରୋଗୀଙ୍କୁ ଦେଖିବା ପାଇଁ ଏକ ସ୍ଵତନ୍ତ୍ର ବ୍ୟବସ୍ଥା ରହିବ। ସିସିଟିଭ ମାଧ୍ୟମରେ ରୋଗୀଙ୍କୁ ତାଙ୍କ ସମ୍ପର୍କୀୟମାନେ ସିଧାସଳଖ ଦେଖିପାରିବେ। ସେଥିପାଇଁ ସ୍ଵତନ୍ତ୍ର କନଫରେନ୍ସ ହଲର ବ୍ୟବସ୍ଥା ହେବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଶିଶୁଙ୍କ ସୁରକ୍ଷା ଏବଂ ୧୮ ରୁ ୪୪ ବର୍ଷ ବର୍ଗଙ୍କୁ ଟୀକା ଲାଗି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଗଠନ କଲା କମିଟି

ଭୁବନେଶ୍ବର: କୋଭିଡ଼ର ଦ୍ଵିତୀୟ ଲହରୀରେ ଶିଶୁମାନେ ଆକ୍ରାନ୍ତ ହେଉଥିବାରୁ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଶିଶୁଙ୍କ ସୁରକ୍ଷା ଲାଗି ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏନେଇ ଏକ କମିଟି ଗଠନ କରିଛନ୍ତି। ଡିଏମଇଟିଙ୍କ ଅଧ୍ୟକ୍ଷତାରେ ୮ ଜଣିଆ କମିଟି ଗଠନ ହୋଇଛି। ପରିବାର କଲ୍ୟାଣ ନିର୍ଦ୍ଦେଶକ କମିଟିର ସଦସ୍ୟ ଆବାହକ ରହିବେ। ଏହି କମିଟି ଶିଶୁଙ୍କ କ୍ଷେତ୍ରରେ କରୋନା ସଂକ୍ରମଣକୁ ତର୍ଜମା କରିବ।

ସେହିଭଳି ୧୮ ରୁ ୪୪ ବର୍ଷ ବର୍ଗଙ୍କୁ କୋଭିଡ଼ ସୁରକ୍ଷା ପାଇଁ ମଧ୍ୟ କମିଟି ଗଠନ ହୋଇଛି। ସେଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୧୨ ଜଣିଆ କମିଟି ଗଠନ କରିଛି। ଏହି କମିଟି  ୧୮ ରୁ ୪୪ ବର୍ଷ ବର୍ଗଙ୍କୁ ଟୀକାକରଣ ପ୍ରକ୍ରିୟାକୁ ତଦାରଖ କରିବ। ସ୍ୱାସ୍ଥ୍ୟ ବିଭାଗ ପରାମର୍ଶଦାତା ଶ୍ରୀନାଥ ରେଡ୍ଡୀଙ୍କୁ ଏହି କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ଵ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମାସ ଶେଷପର୍ଯ୍ୟନ୍ତ ଲକ୍‌ଡ଼ାଉନ ବଢୁ କିନ୍ତୁ ହୋମ ଡ଼େଲିଭରୀ ମଦ ବନ୍ଦ ହେଉ: ଡଃ ଜ୍ଞାନେନ୍ଦ୍ର

ଭୁବନେଶ୍ୱର: ୯ଟି ହସ୍ପିଟାଲ ବୁଲି ଶେଷରେ ଆଖି ବୁଜିଲେ ନବବଧୁ ଭଳି ସମ୍ବାଦକୁ ଦେଖିଲା ପରେ ମନ ଭିତରେ ସ୍ୱତଃ ରାଜ୍ୟ ସରକାରଙ୍କ କଥା ଓ କାମ ଉପରେ ଏଭଳି ଏକ ବିବୃତ୍ତି ଦେବାକୁ ବାଧ୍ୟ ହେଉଛି ବୋଲି ଏକ ପ୍ରେସ୍ ବିବୃତ୍ତିରେ ବିଶିଷ୍ଟ ସମାଜସେବୀ ତଥା କଂଗ୍ରେସ ଦଳର ବରିଷ୍ଠ ନେତା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଛନ୍ତି।

ମୃତକଜଣକ କାହାର ଭଉଣୀ, କାହାର ଝିଅ ଓ କାହାର ସ୍ତ୍ରୀ ହୋଇଥାଇପାରେ। କିନ୍ତୁ ରାଜ୍ୟ ସରକାର ଗଣମାଧ୍ୟମରେ ଯେଉଁ ତଥ୍ୟ ଦେଉଛନ୍ତି ଏହା ଯେ ସମ୍ପୂର୍ଣ୍ଣ ଭୁଲ୍ ତାହା ସ୍ୱର୍ଣ୍ଣଲତାଙ୍କ ଦାରୁଣ ମୃତ୍ୟୁରୁ ପ୍ରମାଣିତ ହୋଇଛି। ସରକାରଙ୍କ ସମସ୍ତ କାର୍ଯ୍ୟକୁ ଆମେ ନକରାତ୍ମକ ଦୃଷ୍ଟିରେ ଦେଖୁନାହୁଁ। କିନ୍ତୁ ତଦାରଖ ଦାୟିତ୍ୱରେ ଥିବା କର୍ମକର୍ତ୍ତାମାନେ ଆହୁରି କଠୋର ଓ ସକ୍ରିୟ ହେବାର ଆବଶ୍ୟକତା ଅଛି ବୋଲି ଡଃ ଜ୍ଞାନେନ୍ଦ୍ର କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ସରକାରଙ୍କ ସଟ୍‌ଡ଼ାଉନ ଓ ଲକ୍‌ଡ଼ାଉନ ହେବା ୧୨ ଦିନ ହୋଇଗଲା। ସଂକ୍ରମଣ କମିବାର ନାଁ ଧରୁନାହିଁ, ବରଂ ସଂକ୍ରମଣ ଗ୍ରାମାଭିମୁଖୀ ହେଲାଣି। ଏଣୁ ଲକଡ଼ାଉନ ଓ ସଟଡ଼ାଉନକୁ କଠୋର ଭାବେ କାର୍ଯ୍ୟକାରୀ କରିବା ସହ ସକାଳ କୋହଳ ସମୟକୁ ଆଉ ଦୁଇଘଣ୍ଟା କମାଇ ଦିଆଯାଉ। ଅମାନିଆଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନକୁ ସେ ଦୃଢତାର ସହ ସମର୍ଥନ ଦେଇଛନ୍ତି।

ଏଭଳି ବିପତ୍ତି ସମୟରେ ସକରାରଙ୍କ ମଦ ଘରେ ପହଞ୍ଚାଇବା ବ୍ୟବସ୍ଥାକୁ ସେ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଘରେ ବିଭିନ୍ନ ମାନସିକ ଅବସାଦ ଓ ଦୁଶ୍ଚିନ୍ତାରେ ସାଧାରଣ ପରିବାର ଲୋକ ଥିବାବେଳେ ମଦର ହୋମ୍ ଡ଼େଲିଭରି ନିଷ୍ପତ୍ତି ଏକ ବିକୃତ ମସ୍ତିଷ୍କ ନିଷ୍ପତ୍ତି ବୋଲି ଡଃ ଜ୍ଞାନେନ୍ଦ୍ର କହିବା ସହ ତୁରନ୍ତ ବନ୍ଦ କରିବା ପାଇଁ ସେ ସରକାରଙ୍କ ଠାରେ ଦୃଢ ଦାବୀ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୨ ହଜାର ୭୭ ଆକ୍ରାନ୍ତ: ସୁନ୍ଦରଗଡରୁ ସର୍ବାଧିକ ୨ ହଜାର ୭୨

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୨ ହଜାର ୭୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସୁନ୍ଦରଗଡରୁ ୨୦୭୨, ଖୋର୍ଦ୍ଧାରୁ ୧୬୧୧, କଟକରୁ ୯୧୬, ଅନୁଗୁଳରୁ ୫୮୦, ସମ୍ବଲପୁରରୁ ୫୪୩, ବରଗଡରୁ ୪୬୨, ପୁରୀରୁ ୪୫୩, ବାଲେଶ୍ବରରୁ ୪୩୭, ବଲାଙ୍ଗୀରିରୁ ୪୩୫, ନବରଙ୍ଗପୁରରୁ ୪୨୯, ଝାରସୁଗୁଡାରୁ ୪୨୫, କଳାହାଣ୍ଡିରୁ ୪୦୧, ଭଦ୍ରକରୁ ୩୮୨, ନୂଆପଡାରୁ ୨୬୧, ଗଞ୍ଜାମରୁ ୨୧୮, ନୟାଗଡରୁ୨୧୫, ସୋନପୁରରୁ ୨୧୩, କେନ୍ଦୁଝରରୁ ୨୧୦, ରାୟଗଡାରୁ ୧୭୬, ମୟୂରଭଞ୍ଜରୁ ୧୭୫, କେନ୍ଦ୍ରାପଡାରୁ ୧୫୬, ଢେଙ୍କାନାଳରୁ ୧୩୭, ଦେବଗଡରୁ ୧୩୬, ଜଗତସିଂହପୁରରୁ ୧୩୦, କୋରାପୁଟରୁ ୧୧୮, ଯାଜପୁରରୁ ୧୦୪, ଗଜପତିରୁ ୧୦୧, ବୌଦ୍ଧରୁ ୯୨, କନ୍ଧମାଳରୁ ୬୯, ମାଲକାନାଗିରିରୁ ୬୩ ଏବଂ ଷ୍ଟେଟ ପୁଲରୁ ୩୫୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୫ ଲକ୍ଷ ୧୪ ହଜାର ୫୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ୨୨୪ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି  ୯୫ ହଜାର ୩୨୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୩୧୩ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଏପ୍ରିଲରେ ହାରାହାରି ୪ଜି ଡାଉନ୍‌ଲୋଡ ସ୍ପିଡରେ ଶୀର୍ଷରେ ଜିଓ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୁପକ୍ଷ (ଟ୍ରାଇ) ଦ୍ୱାରା ନିକଟରେ ପ୍ରକାଶିତ ୪ଜି ସ୍ପିଡ୍ ଚାର୍ଟରେ ରିଲାଏନ୍ସ ଜିଓ ଏପ୍ରିଲ୍ ମାସରେ ସର୍ବାଧିକ ହାରାହାରି ଡାଉନ୍‌ଲୋଡ୍ ସ୍ପିଡ୍ ସହ ଶୀର୍ଷରେ ରହିଥିବା ଜଣାପଡିଛି। ଏପ୍ରଲ୍ ମାସରେ ସେକେଣ୍ଡ ପିଛା ସର୍ବାଧିକ ହାରାହାରି ୨୦.୧ ମେଗାବିଟ୍ ୪ଜି ଡାଉନ୍‌ଲୋଡ୍ ସ୍ପିଡ ହାସଲ କରିବା ସହିତ ଜିଓ ଏହି ସାରଣୀରେ ଶୀର୍ଷସ୍ଥାନ ଅଧିକାର କରିଛି। ଟ୍ରାଇର ମାଇଁସ୍ପିଡ ପୋର୍ଟାଲରେ ପ୍ରକାଶିତ ଏହି ତଥ୍ୟ ଅନୁଯାୟୀ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ତୁଳନାରେ ଜିଓର ତିନିଗୁଣ ଅଧିକ ହାରାହାରି ୪ଜି ଡାଉନ୍‌ଲୋଡ ସ୍ପିଡ ରହିଛି।

ଟ୍ରାଇ ତଥ୍ୟ ମୁତାବକ ଏପ୍ରିଲରେ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ ୨୦.୧ ଏମ୍‌ବିପିଏସ୍ ରହିଥିବାବେଳେ ଏହା ପଛକୁ ଭୋଡାଫୋନର ହାରାହାରି ଡାଉନ୍‌ଲୋଡ ସ୍ପିଡ ୭ ଏମ୍‌ବିପିଏସ୍‌, ଆଇଡିଆର ୫.୮ ଏମ୍‌ବିପିଏସ୍ ଏବଂ ଭାରତୀ ଏୟାରଟେଲର ହାରାହାରି ଡାଉନ୍‌ଲୋଡ ସ୍ପିଡ ୫ ଏମ୍‌ବିପିଏସ୍ ରହିଥିଲା।

ସେହିଭଳି ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ କ୍ଷେତ୍ରରେ ଏପ୍ରିଲରେ ଭୋଡାଫୋନ୍ ୬.୭ ଏମବିପିଏସ୍ ସହିତ ଅନ୍ୟମାନଙ୍କ ଠାରୁ ଆଗରେ ରହିଥିବାବେଳେ ଏହାପଛକୁ ଆଇଡିଆ ୬.୧ ଏମ୍‌ବିପିଏସ୍‌, ଜିଓ ୪.୨ ଏମ୍‌ବିପିଏସ୍ ଏବଂ ଏୟାରଟେଲ୍ ୩.୯ ଏମ୍‌ବିପିଏସ୍ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ ହାସଲ କରିଥିବା ଟ୍ରାଇ ତଥ୍ୟରୁ ଜଣାଯାଇଛି। ଯଦିଓ ଭୋଡାଫୋନ ଏବଂ ଆଇଡିଆ ସେମାନଙ୍କର ମୋବାଇଲ ବ୍ୟବସାୟରେ ମିଶ୍ରଣ ଘଟାଇ ଭୋଡାଫୋନ ଆଇଡିଆ ଲିମିଟେଡ କରିଛନ୍ତି, ତେବେ ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ ଉଭୟ ସଂସ୍ଥା ପାଇଁ ପୃଥକ ନେଟୱର୍କ ତଥ୍ୟ ପ୍ରକାଶ କରୁଛନ୍ତି।

ଟ୍ରାଇର ମାଇଁସ୍ପିଡ ପୋର୍ଟାଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ରିଲାଏନ୍ସ ଜିଓ ୩୮.୫ ଏମ୍‌ବିପିଏସ୍ ହାରାହାରି ୪ଜି ଡାଉନ୍‌ଲୋଡ ସ୍ପିଡ ସହିତ ୪ଜି ସ୍ପିଡ ସାରଣୀରେ ସର୍ବାଗ୍ରେ ରହିଛି। ଏହା ପଛକୁ ଭୋଡାଫୋନ ଏବଂ ଏୟାରଟେଲ ଯଥାକ୍ରମେ ୬.୨ ଏମବିପିଏସ୍ ଏବଂ ୫ ଏମ୍‌ବିପିଏସ୍ ହାରାହାରି ୪ଜି ଡାଉନ୍‌ଲୋଡ୍ ସ୍ପିଡ ହାସଲ କରିଛନ୍ତି। ତେବେ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡରେ ଭୋଡାଫୋନ ୭.୭ ଏମବିପିଏସ୍  ସହିତ ଶୀର୍ଷରେ ରହିଥିବାବେଳେ ଜିଓ ୫.୬ ଏମ୍‌ବିପିଏସ୍ ଏବଂ ଏୟାରଟେଲ ୩.୧ ଏମ୍‌ବିପିଏସ୍ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ ହାସଲ କରିଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଡାଉନଲୋଡ ସ୍ପିଡ ଗ୍ରାହକଙ୍କୁ ଇଂଟରନେଟ୍‌ରେ ବ୍ରାଉଜିଂ ଏବଂ ଭିଡିଓ ଆଦି ଦେଖିବାରେ ସହାୟତା କରିଥାଏ। ଅନ୍ୟପକ୍ଷରେ ଅପ୍‌ଲୋଡ ସ୍ପିଡ ସେମାନଙ୍କୁ ସେମାନଙ୍କ ସଂଯୋଗରେ ଥିବା ବ୍ୟକ୍ତିଙ୍କୁ ଚିତ୍ର ଏବଂ ଭିଡିଓ ପଠାଇବାରେ ସହାୟତା କରିଥାଏ। ଟ୍ରାଇ ପକ୍ଷରୁ ସମଗ୍ର ଦେଶରେ ତାହାର ମାଇଁସ୍ପିଡ ଆପ୍ଲିକେସନ ସହାୟତାରେ ବାସ୍ତବ ସମୟ ଭିତିରେ ସଂଗ୍ରହ କରାଯାଉଥିବା ତଥ୍ୟ ଆଧାରରେ ହାରାହାରି ସ୍ପିଡ ହିସାବ କରାଯାଇଥାଏ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ଜଗତସିଂହପୁର ଜିଲ୍ଲାରୁ ଆଜି ୩୩୦ କରୋନା ଆକ୍ରାନ୍ତ ଚିହ୍ନଟ: ସୁସ୍ଥ ହେଲେ ୧୩୦

ରମେଶ ମହାନ୍ତି
ଜଗତସିଂହପୁର: ଦୃତ ଗତିରେ ବୃଦ୍ଧି ପାଉଥିବା କରୋନାର ଦ୍ୱିତୀୟ ଲହରୀରେ ଜଗତସିଂହପୁର ଜିଲ୍ଲାରୁ ଯେମିତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ଧରୁନି, ହୁ ହୁ ହୋଇ ବଢି ଚାଲିଛି। ଗତକାଲି ଜିଲ୍ଲାରୁ ୨୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଜିଲ୍ଲାରୁ ୩୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ପାରାଦ୍ବୀପରୁ ସର୍ବାଧିକ ୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କୁଜଙ୍ଗ ବ୍ଲକରୁ ୫୯ ଜଣ ,ଜଗତସିଂହପୁର ବ୍ଲକରୁ ୫୪ଜଣ, ତିର୍ତ୍ତୋଲ ବ୍ଳକରୁ ୩୪ଜଣ, ନାଉଗାଁ ବ୍ଲକରୁ ୩୨ଜଣ, ରଘୁନାଥପୁର ବ୍ଲକରୁ ୨୭ଜଣ, ବାଲିକୁଦା ବ୍ଲକରୁ ୧୮ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୧୪ଜଣ, ବିରିଡି ବ୍ଲକରୁ ୧୦ଜଣ ଓ ଏରସମା ବ୍ଲକରୁ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମୁଦାୟ ୧୩୨୯୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୩୮୪ ଜଣ ସୁସ୍ଥ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ସମୁଦାୟ ୪୧ ଜଣଙ୍କର ମୃତ୍ୟୁ ହୋଇଛି। ଏବଂ ଆଜି ଜିଲ୍ଲାରୁ ୧୩୦ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ୧୮୬୫ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବଢିଲା କଟକଣା ଅବଧି : ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କୁ କରିବାକୁ ପଡିବ ଅପେକ୍ଷା

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଟକଣା ଅବଧିକୁ ପୁଣିଥରେ ବୃଦ୍ଧି କରାଯାଇଛି। କରୋନା ସଂକ୍ରମଣକୁ ଦେଖି କଟକଣା ଅବଧିକୁ ବୃଦ୍ଧି କରାଯାଇଛି। ଜୁନ୍ ୧୫ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ। କୋଭିଡ଼ ସ୍ଥିତିକୁ ନେଇ ଆଜି ବସିଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ତେଣୁ ଜୁନ୍ ୧୫ ତାରିଖ ଯାଏଁ ଶ୍ରଦ୍ଧାଳୁମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲାଗିଛି। ଏହି ସମୟରେ କେବଳ ମହାପ୍ରଭୁଙ୍କ ରୀତିକାନ୍ତି ଚାଲିବ। ଶ୍ରୀମନ୍ଦିର କାର୍ଯ୍ଯାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କରୋନାକୁ ପରାସ୍ତ କଲେ ୯୦ ବର୍ଷୀୟା ବୃଦ୍ଧା: ସମ୍ କୋଭିଡ ହସ୍ପିଟାଲରୁ ହେଲେ ସୁସ୍ଥ

ଭୁବନେଶ୍ୱର: ହାରିବ କରୋନା, ଜିତିବ ମଣିଷ। ଏ କଥାକୁ ପୁଣି ଥରେ ସାବ୍ୟସ୍ତ କରିଛନ୍ତି ୯୦ ବର୍ଷୀୟା ଜଣେ ବୃଦ୍ଧା। ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କରୋନା ସଂକ୍ରମିତ ହୋଇଥିବା ବାଉରୀ ସାହୁ। ଭୁବନେଶ୍ୱର ୟୁନିଟ ୨ ଅଂଚଳର ବାଉରୀ
ଗତ ମେ ୩ ତାରିଖରେ କୋଭିଡ ଆକ୍ରାନ୍ତ ହେବା ପରେ ସମ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ତେବେ ଏହି ହସ୍ପିଟାଲର ଡାକ୍ତର, ନର୍ସ ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ ପ୍ରଚେଷ୍ଟା ଫଳରେ ସେ ରବିବାର ଆରୋଗ୍ୟ ଲାଭ କରିବା ସହ ଘରକୁ ଫେରିଛନ୍ତି। ବୃଦ୍ଧା ଜଣଙ୍କ ସୁସ୍ଥ ହେବା ନେଇ ସମ କୋଭିଡ ହସ୍ପିଟାଲକୁ ତାଙ୍କ ପୁଅ ବିଶି ସାହୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ଗତ ୧୩ ତାରିଖରେ ଜଣେ ୯୮ ବର୍ଷୀୟା ବୃଦ୍ଧା ଅନ୍ନପୂର୍ଣ୍ଣା ବିଶ୍ୱାଳ ମଧ୍ୟ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୩୫୩: ସୁସ୍ଥ ହେଲେ ୯୩୮ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୩୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୩୫୩ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୮ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୧୩୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧ ହଜାର ୬୩୪ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୯୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୪୯ ହଜାର ୨୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨ ହଜାର ୯୦୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୯୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜମିବାଡି କଳହରୁ ହତ୍ୟାକାଣ୍ଡ: ବଡ ଭାଇର ଟାଙ୍ଗିଆ ଚୋଟରେ ମଝିଆ ଭାଇର ମୃତ୍ୟୁ

କନ୍ଦର୍ପ ବେହେରା
ରେଢାଖୋଲ: ଗୋଟିଏ ଗର୍ଭରୁ ଜନ୍ମିତ ଭାଇ ଯେ ଦିନେ ନିଜର ସାନ ଭାଇକୁ ହତ୍ୟା କରିବ ଏ କଥା କେବେ ବିଶ୍ୱାସ ଯୋଗ୍ୟ ହେଉ ନ ଥିବା ବେଳେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଜାମୁଯୋରୀ ଗ୍ରାମରେ। ନିଜର ବଡଭାଇ ସାନ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ଭଳି ଘଟଣା ଘଟି ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଗତକାଲି ରାତି ପ୍ରାୟ ୯ଟା ୩୦ ମିନିଟ୍ ସମୟରେ ଗାଁ ଛକ ପାଖରେ ସାନ ଭାଇ ଅଶୋକ ପ୍ରାଧାନ (୩୮) ଠିଆ ହୋଇଥିବା ସମୟରେ ହଠାତ୍ ଏକ ଟାଙ୍ଗିଆରେ ବଡ ଭାଇ ଅର୍ଜ୍ଜୁନ ପ୍ରଧାନ ଅତର୍କିତ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ହିଁ ଅଶୋକ ପ୍ରଧାନ ମୃତ୍ୟୁ ବରଣ କରିଥିଲେ। ଅଭିଯୁକ୍ତକୁ ଗାଁ ଲୋକେ କାବୁ କରି ନାକଟିଦେଉଳ ଥାନାକୁ ଖବର ଦେବା ପରେ ରେଢାଖୋଲ ଏସ୍‌ଡିପିଓ ହାଡିବନ୍ଧୁ ସ୍ୱାଇଁ , ନାକଟିଦେଉଳ ଥାନାର ଥାନାଧିକାରୀ ଅନୁପସ୍ଥିତ ଥିବା ବେଳେ କିସିଣ୍ଡା ଥାନାଧିକାରୀ ଚିତ୍ତରଞ୍ଜନ ନାଏକ ପ୍ରମୁଖ ସଦଳ ବଳ ଜାମୁଯୋରୀ ଗ୍ରାମକୁ ଯାଇଥିଲେ। ଅର୍ଜ୍ଜୁନ ପ୍ରଧାନଙ୍କୁ ପୋଲିସ୍ ଗିରଫ କରି ନାକଟିଦେଉଳ ଥାନାକୁ ଆଣିଥିଲା।

ଆଜି ପୂର୍ବାହ୍ନରେ ସମ୍ବଲପୁରରୁ ସାଇନ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଂଚି ଅନୁସନ୍ଧାନ କରି ଫେରିଯାଇଛନ୍ତି। ଏହା ଏକ ଜମିବାଡି ବିବାଦ ଘଟଣାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପୋଲିସ୍ କହିଛି। ସେପଟେ ଅଭିଯୁକ୍ତ ପ୍ରଚୁର ମଦ୍ୟପାନ କରି ଏହି ହତ୍ୟାକାଣ୍ଡ କରିଥିବା ଜଣା ପଡିଛି। ନାକଟିଦେଉଳ ପୋଲିସ୍ ଏକ କେସ୍ ରୁଜୁ କରି ଏହାର ତଦନ୍ତ କରୁଥିବା ଜଣା ପଡିଛି। ପୋଲିସ୍ ମୃତ ଶବକୁ ରେଢାଖୋଲ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ସ୍ଥଳଭାଗ ଛୁଇଁବ ବାତ୍ୟା, ଘଣ୍ଟାକୁ 11 କିଲୋମିଟର ବେଗରେ ମାଡି ଆସୁଛି ତାଉତେ

ନୂଆଦିଲ୍ଲୀ, ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବାତ୍ୟା ତାଉତେ ଆହୁରି ତୀବ୍ର ହେବ ଏବଂ ସୋମବାର ସଂଧ୍ୟାରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଆରବ ସାଗରର ପୂର୍ବ କେନ୍ଦ୍ରାଞ୍ଚଳରେ ସୃଷିଟ ହୋଇଥିବା ଏହି ବାତ୍ୟା ଘଣ୍ଟାକୁ 11 କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଛି। ମଙ୍ଗଳବାର ସକାଳେ ଗୁଜୁରାଟର ଭବନଗର ଜିଲ୍ଲାର ପୋରବନ୍ଦର ଏବଂ ମହୁଭା ମଧ୍ୟରେ ଉପକୂଳ ଅତିକ୍ରମ କରିବ ବୋଲି ଆଶା କରାଯାଉଛି।

ପାଣିପାଗ ବିଭାଗ ଅନୁଯାୟୀ, ଆରବ ସାଗରର ପୂର୍ବ କେନ୍ଦ୍ରାଞ୍ଚଳର ଉପରେ ଏକ ଭୟଙ୍କର ବାତ୍ୟା ତାଉତେ ସୃଷ୍ଟି ହୋଇଛି।  ଆଜି ସକାଳେ ଗୋଆ ପାନଜୀରୁ ପ୍ରାୟ 130 କିଲୋମିଟର ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଏବଂ ମୁମ୍ବାଇରୁ 450 କିଲୋମିଟର ଦକ୍ଷିଣରେ ଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ତୀବ୍ରତର ହୋଇ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗକୁ ଯାଇ ସୋମବାର ସନ୍ଧ୍ୟାରେ ଗୁଜୁରାଟ ଉପକୂଳରେ ପହଞ୍ଚିବ ବୋଲି ଆଶା କରାଯାଉଛି। ମଙ୍ଗଳବାର ସକାଳେ ଭବନଗର ଜିଲ୍ଲାର ପୋରବନ୍ଦର ଏବଂ ମହୁଭା ମଧ୍ୟରେ ଗୁଜୁରାଟ ଉପକୂଳ ପାର ହେବାର ସମ୍ଭାବନା ରହିଛି।

ଗୁଜୁରାଟର ବିଭିନ୍ନ ସ୍ଥାନରେ ଏହି ବାତ୍ୟାର ପ୍ରଭାବରେ ଅତି ପ୍ରବଳ ବର୍ଷା ସହ ସୋମବାର ସକାଳ ଠାରୁ ଘଣ୍ଟା ପ୍ରତି 179 କିଲୋମିଟର ପର୍ଯ୍ୟନ୍ତ ପବନ ପ୍ରବାହିତ ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। ମତ୍ସ୍ୟଜୀବୀମାନଙ୍କୁ ଉପକୂଳକୁ ଫେରିବାକୁ ଏବଂ 18 ମେ ସୁଦ୍ଧା ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

ଗୁଜୁରାଟ ସରକାରଙ୍କ ପ୍ରଶାସନ ତିବ୍ରତର  ବାତ୍ୟାକୁ ମୁକାବିଲା କରିବା ପାଇଁ ଗୁଜୁରାଟ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଏହି ସମୟରେ, ଗୃହମନ୍ତ୍ରୀ ଅମିତ ଶାହା ସାମ୍ଭବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ଆନୁଷଙ୍ଗିକ ଏଜେନ୍ସିଗୁଡ଼ିକର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସେ ଗୁଜୁରାଟ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଦାମନ, ଡିୟୁ ଏବଂ ଦାଦ୍ରା ନାଗର ହାଭେଲି ପ୍ରଶାସକଙ୍କ ସହ ଏକ ବୈଠକର ଅଧ୍ୟକ୍ଷତା କରିଥିଲେ।

ଏହି ବୈଠକରେ ଗୃହମନ୍ତ୍ରୀ ସମସ୍ତ ସ୍ୱାସ୍ଥ୍ୟ ସୁବିଧାର ମଧ୍ୟ ସମୀକ୍ଷା କରିଛନ୍ତି। ସମସ୍ତ କୋଭିଡ ଡାକ୍ତରଖାନା, ଲାବୋରେଟୋରୀ, ଟିକା ଶୃଙ୍ଖଳା ଏବଂ ଅନ୍ୟାନ୍ୟ ଚିକିତ୍ସା ସୁବିଧା, ବିଶେଷ କରି ଘୂର୍ଣ୍ଣିବଳୟ ଦ୍ୱାରା ପ୍ରଭାବିତ ହେବାର ଅଞ୍ଚଳରେ ସେମାନେ ପର୍ଯ୍ୟାପ୍ତ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାର ସମୀକ୍ଷା ମଧ୍ୟ କରିଥିଲେ।

ଗୃହ ମନ୍ତ୍ରଣାଳୟ ଏହି ସମସ୍ତ ଉପକୂଳବର୍ତ୍ତୀ ରାଜ୍ୟଗୁଡିକ ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିର ପ୍ରଥମ ଅଗ୍ରୀମ କିସ୍ତି ପ୍ରଦାନ କରିଛନ୍ତି। ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ- NDRFର 6ଟି ରାଜ୍ୟରେ ଡଙ୍ଗା, ଗଛ କଟର ଏବଂ ଟେଲିକମ୍ ଉପକରଣ ସହିତ ସଜ୍ଜିତ 42 ଟି ଦଳ ପ୍ରସ୍ତୁତ ହୋଇ ରହିଛନ୍ତି। ସେହିପରି 26 ଟି ଦଳ ରିଜର୍ଭ ଭାବରେ ରଖାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଗାମୀ ୨୪ ଘଣ୍ଟାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା: ୮ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ୮ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ କୁଆପଥର ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏନେଇ ସତର୍କ ସୂଚନା ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଗ୍ରାମାଞ୍ଚଳରେ ବ୍ୟାପୁଛି କରୋନା ସଂକ୍ରମଣ: ନୂଆ ଏସଓପି ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ବର: କରୋନା ଏବେ ଗାଁ ମୁହାଁ ହୋଇଛି। ଗ୍ରାମାଞ୍ଚଳରେ ସଂକ୍ରମଣ ବ୍ୟପୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ଏକ ନୂଆ ଏସଓପି ଜାରି କରିଛି। ଗ୍ରାମାଞ୍ଚଳ, ଆଦିବାସୀ ବହୁଳ ଓ ସହର ଉପକଣ୍ଠ ପାଇଁ ନୂଆ ଏସଓପି ଜାରି କରାଯାଇଛି। ଏହି ଅଞ୍ଚଳଗୁଡିକରେ ସର୍ଭେଲାନ୍ସ, ସ୍କ୍ରିନିଂ ଓ ଆଇସୋଲେସନ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି।

ଆଶାକର୍ମୀମାନେ ସର୍ଭେଲାନ୍ସ କରିବା ସହ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବେ। ଲକ୍ଷଣ ଥିଲେ ଫୋନ ମାଧ୍ୟମରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରୁ ପରାମର୍ଶ ନେବେ। ଯଦି କୌଣସି ବ୍ୟକ୍ତିଙ୍କ ଅମ୍ଳଜାନ ଅଭାବ କିମ୍ବା ସ୍ୱାସ୍ଥ୍ୟବସ୍ଥାରେ ଅଧିକ ସମସ୍ୟା ଅନୁଭବ କରନ୍ତି, ତେବେ ହସ୍ପିଟାଲକୁ ଯିବା ପାଇଁ ନିର୍ଦ୍ଦେଶ ରହିଛି। ସବୁ ସ୍ୱାସ୍ଥ୍ୟକେନ୍ଦ୍ରର ଓପିଡ଼ି ନିର୍ଦ୍ଦିଷ୍ଟ ସମୟରେ ଖୋଲିବା ପାଇଁ ନିର୍ଦ୍ଦେଶ ରହିଛି। ଏଏନଏମଙ୍କୁ ରାପିଡ଼ ଆଣ୍ଟିଜେନ ପରୀକ୍ଷା ପାଇ ପ୍ରଶିକ୍ଷଣ ଦେବାକୁ ନିର୍ଦ୍ଦେଶ ହୋଇଛି।

ତେବେ କୋଭିଡ଼ ପରିଚାଳନା ଉପରେ ତ୍ରୀସ୍ତରୀୟ ବ୍ୟବସ୍ଥା ଉପରେ ଗୁରୁତ୍ଵ ଦିଆଯାଇଛି। ସାମାନ୍ୟ ଲକ୍ଷଣ ଥିଲେ ସିସିସି ଯିବା ପାଇଁ ଲୋକଙ୍କୁ କୁହାଯାଇଥିବା ବେଳେ ମଧ୍ୟମ ଲକ୍ଷଣ ଥିଲେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ କୁହାଯାଇଛି। ସେହିଭଳି ଗୁରୁତର ଲୋକଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ନିର୍ଦ୍ଦେଶ ହୋଇଛି।

Categories
ଫଟୋ ଖବର

ପବିତ୍ର ଅକ୍ଷୟ ତୃତୀୟାରେ ପରଂପରା ଅନୁସାରେ ଆରମ୍ଭ ହୋଇଛି ତିନିଠାକୁରଙ୍କ ରଥ ନିର୍ମାଣ କାର୍ଯ୍ୟ

ପବିତ୍ର ଅକ୍ଷୟ ତୃତୀୟାରେ ପରଂପରା ଅନୁସାରେ ଆରମ୍ଭ ହୋଇଛି ତିନିଠାକୁରଙ୍କ ରଥ ନିର୍ମାଣ କାର୍ଯ୍ୟ

Categories
ଫଟୋ ଖବର

ଜଗନ୍ନାଥ ପରଂପରା : ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ ପାଇଁ ଆସିଲା ଶ୍ରୀଜୀୟୁଙ୍କ ଆଜ୍ଞାମାଳ

ଜଗନ୍ନାଥ ପରଂପରା : ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ ପାଇଁ ଆସିଲା ଶ୍ରୀଜୀୟୁଙ୍କ ଆଜ୍ଞାମାଳ

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ମାତ୍ର ୪୬ ବର୍ଷ ବୟସରେ ସାଂସଦ ରାଜୀବ ସାତୱଙ୍କ ନିଧନ: କରୋନାରେ ଆକ୍ରାନ୍ତ ଥିଲେ

ପୁଣେ: କଂଗ୍ରେସ ସାଂସଦ ରାଜୀବ ସାତୱଙ୍କ ଆଜି ଏକ ଘରୋଇ ହସ୍ପିଟାଲରେ ନିଧନ ହୋଇଯାଇଛି। ଏପ୍ରିଲ ୨୨ ତାରିଖକୁ ରାଜୀବ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ ମାତ୍ର ୪୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ତାଙ୍କର ବହୁତ ଭଲ ସମ୍ପର୍କ ଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଆଉ ଏକ ପ୍ରୟାସ

ବ୍ରହ୍ମପୁର: କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଆଉ ଏକ ପ୍ରୟାସ କରିଛନ୍ତି। ସେଥିପାଇଁ ଗଞ୍ଜାମବାସୀଙ୍କୁ ବିବାହ ଉତ୍ସବରେ କିଛି ନିୟମ ମାନିବାକୁ ନିବେଦନ କରିଛନ୍ତି। ବିବାହ ପାଇଁ ବର କନ୍ୟାଙ୍କ ଆଣ୍ଟିଜେନ ପରୀକ୍ଷା କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।

ବର କନ୍ୟାଙ୍କ ସମେତ ବିବାହ ଉତ୍ସବରେ ଯୋଗଦେବାକୁ ଥିବା ୫୦ ଜଣ ଅତିଥିଙ୍କୁ ଆଣ୍ଟିଜେନ ପରୀକ୍ଷା ପାଇଁ ସେ କହିଛନ୍ତି। ବିବାହ ପାଇଁ ଅନୁମତି ନେଲା ବେଳେ ଆଣ୍ଟିଜେନ ପରୀକ୍ଷା କରିବାକୁ ଶ୍ରୀ କୁଲାଙ୍ଗେ ଅନୁରୋଧ କରିଛନ୍ତି। ଏହାଦ୍ବାରା ସଂକ୍ରମଣ ବୃଦ୍ଧି ପାଇବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି।

ତେବେ ଗଞ୍ଜାମ ଜିଲ୍ଲାପାଳଙ୍କ ଏଭଳି ବାର୍ତ୍ତାକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି। କୋଭିଡ଼ ପରିଚାଳନା ପାଇଁ କିଛି ନୂଆ ନୂଆ ପଦକ୍ଷେପମାନ ନେଇ ସେ ଚର୍ଚ୍ଚାରେ ଅଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଲକଡାଉନରେ ଅଘୋଷିତ ବିଦ୍ୟୁତ କାଟ୍ ଯୋଗୁଁ ଲୋକେ ହନ୍ତସନ୍ତ: ଚିଲିକାରେ ଆନ୍ଦୋଳନ ପାଇଁ ଚେତାବନୀ

ସୀତାରାମ ଅଗ୍ରୱାଲ

ଚିଲିକା: ବର୍ତ୍ତମାନ ସାରା ରାଜ୍ୟରେ ଲକ ଡାଉନ ଜାରି ରହିଛି। ଲକଡାଉନ ସମୟରେ ଦିନତମାମ ଲୋକେ ଘରେ ରହୁଥିବା ବେଳେ ଯୁକ୍ତ ୨ ଛାତ୍ରଛାତ୍ରୀମାନେ ମଧ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ଚବିଶ ଘଣ୍ଟା ବିଦ୍ୟୁତ ସରବରାହ ଜାରି ରଖିବା ପାଇଁ ରାଜ୍ୟ ସରକାରଙ୍କ କଡା ନିର୍ଦ୍ଦେଶ ରହିଛି।

ହେଲେ ଚିଲିକାରେ ଏହାର ଘୋର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ପ୍ରତିଦିନ ବାଣପୁର ବାଲୁଗାଁ ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ ହେଉଛି। ବିଦ୍ୟୁତ କାଟ ପାଇଁ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ସମୟ ନାହିଁ।  ଦିନ ନାଇଁ କି ରାତି ନାହିଁ, କେତେବେଳେ ରାତ୍ରିରେ ତ କେତେବେଳ ଦିନ ଦ୍ବିପ୍ରହରର ଅସହ୍ୟ ଗରମ ସମୟରେ ମଧ୍ୟ ବିଦ୍ୟୁତ କାଟ୍ ହେଉଛି।

ତେବେ ଏଠି ଟିପିସିଓଡ଼ିଏଲର ପାରିବାପଣିଆ ଉପରେ ପ୍ରଶ୍ନ ଉଠୁଛି। ପ୍ରତି ମାସରେ ବିଦ୍ୟୁତ ବିଭାଗ ରକ୍ଷଣାବେକ୍ଷଣ ନାମରେ ଅନ୍ତତଃ ଗୋଟାଏ ଦିନ ପାୱାର କଟ୍ କରୁଛି। କିନ୍ତୁ ସେତିକିରେ ବି ସେମାନଙ୍କୁ ସମୟ ଅଭାବ ହେଉଛି। ଅଞ୍ଚଳରେ ସାମାନ୍ୟ ପବନ ଟିକେ ହେଲେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହୁଛି। ଆଉ ଯେଉଁଦିନ ବର୍ଷା ହେଲା ସେଦିନ କଥା ନକହିବା ଭଲ। ଏପରିକି କଙ୍କଡାକୁ ଗୋଳି ପାଣି ସୁହାଇଲା ପରି ବର୍ଷା ପବନ ବିଦ୍ୟୁତ ବିଭାଗକୁ ସୁହାଉଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ନିୟମ ଅନୁଯାୟୀ ଯଦି ବିଦ୍ୟୁତ କାଟ କରାଯିବ ତେବେ ଲୋକଙ୍କୁ ପୂର୍ବରୁ ସୂଚନା ଦିଆଯିବ।  ହେଲେ ତାହା ସେଠାରେ ଦେଖିବାକୁ ମିଳୁନି। କରୋନା ମହାମାରୀ ସମୟରେ ମଣିଷ ପ୍ରତି ମୁହୂର୍ତ୍ତରେ ଜୀବନ ଏବଂ ମୃତ୍ୟୁ ସହ ସଂଗ୍ରାମ ଜାରି ରଖିଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ ନିଆଁରେ ଘିଅ ଢାଳିଲା ପରି କାର୍ଯ୍ୟ କରୁଛି।

ସେପଟେ ସ୍ଥାନୀୟ ପ୍ରଶାସନ କଟକଣାକୁ କଡାକଡି କରି ଲୋକଙ୍କୁ ଘରେ ରହିବାକୁ ବାଧ୍ୟ କରୁଛି। ହେଲେ ଅସହ୍ୟ ଗରମ ଯୋଗୁଁ ଲୋକେ ଘରୁ ବାହାରି ଏଣେତେଣେ ବୁଲୁଥିବା ବେଳେ ସ୍ଥାନୀୟ ପ୍ରଶାସନର ହାବୁଡରେ ମଧ୍ୟ ପଡ଼ୁଛନ୍ତି। ସେଥିପାଇଁ ଲୋକଙ୍କୁ ଜରିମାନା ମଧ୍ୟ ଦେବାକୁ ପଡୁଛି। ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ଉପରେ ଲୋକେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଜରିମାନା ଆଦାୟ ପାଇଁ ସ୍ପୃହା ରଖୁଥିବା ତହସିଲଦାର, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ପୋଲିସ କାହିଁକି ଏହା ଉପରେ ଦୃଷ୍ଟି ଦେଉନାହିଁ ସେମାନେ ପ୍ରଶ୍ନ କରୁଛନ୍ତି।

ଆଉ ଏକ ଅଶୋଭନୀୟ ଘଟଣା ହେଲା ଟିପିସିଓଡ଼ିଏଲ ପକ୍ଷରୁ ଚିଲିକାରେ ଜନସାଧାରଣଙ୍କୁ ଅଭିଯୋଗ ନମ୍ବର ପ୍ରଦାନ କରାଯାଉନାହିଁ କିମ୍ବା ବାଲୁଗାଁ ବାଣପୁରରେ ଅଭିଯୋଗ ନିମନ୍ତେ ନିର୍ଦ୍ଦିଷ୍ଟ ପ୍ରକୋଷ୍ଠ ଖୋଲାଯାଉନାହିଁ। ଯାହାଦ୍ୱାରା ଜନସାଧାରଣ ମାନେ ଅଘୋଷିତ ବିଦ୍ୟୁତ କାଟର କାରଣ ଜାଣିବା ହେଉ କିମ୍ବା ଅନ୍ୟ ସମସ୍ୟା ପାଇଁ ଯୋଗାଯୋଗ କରିପାରୁନାହାନ୍ତି।

ତେବେ ଏ ସମସ୍ୟା ନେଇ ଆମ ପ୍ରତିନିଧି ଟିପିସିଓଡ଼ିଏଲ ବାଲୁଗାଁ କାର୍ଯ୍ୟନିର୍ବାହୀ ଅଧିକାରୀ ଶିବ ପ୍ରସାଦ ବଳିୟାରସିଂଙ୍କୁ ଯୋଗାଯୋଗ କରିବାରୁ ସେ ଏହାର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଆଗକୁ ଲକଡାଉନ ଆହୁରି ବଢିବାର ସମ୍ଭାବନା ଥିବା ବେଳେ ଯଦି ବିଦ୍ୟୁତ ବିଭାଗ ବେଳ ଥାଉ ଥାଉ ବେଣୀ ନବାନ୍ଧେ ତେବେ ଚିଲିକା ନିର୍ବାଚନମଣ୍ଡଳୀର ଜନସାଧାରଣ ମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏବଂ ଯଦି କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୁଏ ତେବେ ତାହାପାଇଁ କେଉଁଠିନା କେଉଁଠି ସ୍ଥାନୀୟ ଏବଂ ପୋଲିସ ପ୍ରଶାସନ ଦାୟୀ ରହିବ ବୋଲି ଜନସାଧାରଣମାନେ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲକ୍ଷାଧିକ ଟଙ୍କା ବାଟ ମାରଣା ଅଭିଯୋଗ: ଦୋଷ ସ୍ୱୀକାର କରିଥିବା ଜିଆରଏସଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମାଳିଗାଁ ଗ୍ରାମପଞ୍ଚାୟତରେ ୨୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ବାଟ ମାରଣା ହୋଇଥିବା ଅଭିଯୋଗ ବର୍ତ୍ତମାନ ଭିନ୍ନ ମୋଡ଼ ନେବାରେ ଲାଗିଛି। ହିତାଧିକାରୀମାନଙ୍କୁ ବାରମ୍ବାର ପୋଲିସ ଡ଼ାକି ପଚରା ଉଚୁରା ଜାରି ରଖିଥିବା ବେଳେ, ହିତାଧିକାରୀ ଶ୍ରମିକମାନଙ୍କୁ ଅଭିଯୁକ୍ତ ମାନେ ବନ୍ଧାହୋଇ ଫେରିଲା ପରେ ଆକ୍ରମଣ କରିବାକୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ

ରାମପୁର ଥାନା କେସ୍ ନମ୍ବର ୪୩/୨୦୨୧ ଅନୁଯାୟୀ ୪୨୦, ୪୬୭, ୪୬୮ ଏବଂ ୩୪ ଆଇପିସି ଧାରାରେ ୩ଜଣ ଅଭିଯୁକ୍ତ ଜେଲ ଯାଇଥିବା ବେଳେ ୨୦ ଲକ୍ଷ ଟଙ୍କା କେମିତି ହଡ଼ପକାରୀମାନଙ୍କ ଠାରୁ ଆଦାୟ କରାଯିବ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ଏପରି ସ୍ଥଳେ ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଜିଆରଏସ ତଥା ଗ୍ରାମ ରୋଜଗାର ସେବକ ଆଦବାରୁ ମାଝୀ ଅନାୟାସରେ ଘୁରି ବୁଲୁଛନ୍ତି। ତାଙ୍କର ଭୂମିକା ସନ୍ଦେହ ଘେରରେ ରହିଥିବା ବେଳେ ତାଙ୍କ ପାଖକୁ ଆଇନର ଲମ୍ବାହାତ କିପରି ପହଞ୍ଚି ପାରୁ ନାହିଁ ତାହା ଏଠାରେ ପ୍ରଶ୍ନବାଚି ସୃଷ୍ଟି କରୁଛି। ସମ୍ପୂର୍ଣ୍ଣ ଘଟଣାବଳୀକୁ ନିରିଖେଇ ଦେଖିଲେ ଜିଆରଏସ ଆଦବାରୁ ମାଝୀଙ୍କ ଭୂମିକା ସନ୍ଦେହ ଘେରରେ ରହିଥିବା ଜଳ ଜଳ ହୋଇ ବାରିହୋଇ ପଡୁଥିବା ବେଳେ ପ୍ରଶାସନ କାହିଁକି ହାତବାନ୍ଧି ବସିଛି ତାହା ବୁଝା ପଡୁନାହିଁ।

ଅନ୍ୟପକ୍ଷେ ଜିଆରଏସ ଆଦବାରୁ ମାଝୀ ନିଜେ ଅଙ୍ଗନବାଡି କର୍ମୀଙ୍କ ସ୍ୱାମୀଙ୍କ ଦ୍ୱାରା ପରିଚାଳିତ ହୋଇଥିବା ଦୋଷ ସ୍ୱୀକାର କରିଥିବା ସ୍ଥଳେ କାହିଁକି ପୋଲିସ ବିଭାଗ ନୀରବି ଗଲେ ତାହାନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ତେବେ ଜିଆରଏସ ଆଦବାରୁ ମାଝୀଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେବ ଓ କେବେ ଗରିବ ଲୋକମାନେ ତାଙ୍କ ପାରିଶ୍ରମିକ ମଜୁରୀ ଫେରି ପାଇବେ ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଚଳିଚ୍ଚିତ୍ର ଏବଂ ସିରିଏଲ୍ ସୁଟିଙ୍ଗ୍ ଉପରେ ଲାଗିଲା ରୋକ୍

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଦୀର୍ଘ ୧୨ ଦିନ ଧରି ଲକଡାଉନ ଜାରି ରହିଛି। କିନ୍ତୁ ସଂକ୍ରମଣ ସଂଖ୍ୟାରେ ହ୍ରାସ ହେବା ଦେଖାଯାଉନି। ରାଜ୍ୟରେ ଦୈନିକ ୧୦ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ତେବେ ଏହାକୁ ଦେଖି ରାଜ୍ୟ ସରକାର ଚଳଚ୍ଚିତ୍ର ଏବଂ ସିରିଏଲ୍ ସୁଟିଙ୍ଗ ଉପରେ ରୋକ୍ ଲଗାଇଛନ୍ତି। ସବୁ ଇନଡୋର ଏବଂ ଆଉଟଡୋର ସୁଟିଙ୍ଗକୁ ବନ୍ଦ ପାଇଁ ନିର୍ଦ୍ଦେଶ ହୋଇଛି। ସ୍ଵତନ୍ତ୍ର ରିଲିଫ କମିଶନର ଏନେଇ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାର ୧୭୦ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୧୧ ହଜାର ୧୭୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪ ହଜାର ୭୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୪୬ ଲକ୍ଷ ୮୪ ହଜାର ୭୭ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୭୦ ହଜାର ୨୮୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୭ ଲକ୍ଷ ୯୫ ହଜାର ୩୩୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୬ ଲକ୍ଷ ୧୮ ହଜାର ୪୫୮ ଆକ୍ଟିଭ୍‌ କେସ୍ ରହିଛି।