Categories
ଆଜିର ଖବର

ନୂଆଦିଲ୍ଲୀର ଆଦି ମହୋତ୍ସବ: କନ୍ଧମାଳ କଫି ଓ ପାମ୍ପଡ଼ କିଣିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଆୟୋଜିତ ହେଉଛି ଚଳିତ ବର୍ଷର ଆଦି ମହୋତ୍ସବ ସମାରୋହ। ଏଥିରେ ଓଡ଼ିଶାର ଦୁଇଟି କୃଷକ ଉତ୍ପାଦକ ସଂଗଠନ – କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି କୃଷକ ଉତ୍ପାଦକ କମ୍ପାନୀ ଲିଃ ଏବଂ ନବରଙ୍ଗପୁର ଜିଲ୍ଲାର ଭଣ୍ଡାର ଘରଣୀ କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ ଅଂଶଗ୍ରହଣ କରିଛନ୍ତି। ଆଦି ମହୋତ୍ସବ କାର୍ଯ୍ୟକ୍ରମ ଗତ ୧୬ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମ ଆଦିବାସୀ ଲୋକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି। କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ଉତ୍ପାଦିତ ହଳଦୀ, କଫି, ମାଣ୍ଡିଆ, ବାଜରା ଜାତୀୟ ଫସଲ ଏବଂ ଅନ୍ୟାନ୍ୟ ପ୍ରାକୃତିକ ଜୈବିକ ଉତ୍ପାଦ ଏହି ଦୁଇ ସଂଗଠନ ପକ୍ଷରୁ ବିକ୍ରି କରାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦି ମହୋତ୍ସବ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସେ ବିଭିନ୍ନ ଷ୍ଟଲ ବୁଲି ଦେଖିବା ସହିତ ଅଂଶଗ୍ରହଣକାରୀଙ୍କ ସହିତ ମତବିନିମୟ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ପ୍ରେରଣା ସେମାନଙ୍କୁ ଅନୁପ୍ରାଣିତ କରିଛି। ଆଗକୁ ସେମାନେ ଅଧିକ ଜୈବିକ କୃଷି ଉତ୍ପାଦ ଉତ୍ପାଦନ କରିବା ଲାଗି ପ୍ରସ୍ତୁତ ରହିଛନ୍ତି। ଆଦି ମହୋତ୍ସବ କାର୍ଯ୍ୟକ୍ରମରେ ସେମାନଙ୍କର ଅଂଶଗ୍ରହଣ ଭବିଷ୍ୟତରେ ଅଧିକ ବିକ୍ରି ଅର୍ଡର ପାଇବା ପାଇଁ ମାର୍ଗ ପ୍ରଶସ୍ତ କରିବ ବୋଲି ସେମାନେ କହିଛନ୍ତି।

ଆଦି ମହୋତ୍ସବରେ ଅଂଶଗ୍ରହଣ କରିଥିବା ଦାରିଙ୍ଗିବାଡ଼ି କୃଷକ ଉତ୍ପାଦକ କମ୍ପାନୀ ଲିଃର ବିକ୍ରେତା ତାପସ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ କିଛି ଦିନ ପୂର୍ବରୁ ଆମ ଷ୍ଟଲକୁ ଆସିଥିଲେ। ସେ ଆମ ଠାରୁ କଫି ଓ ପାମ୍ପଡ଼ କିଣିଥିଲେ। ଆମ କଫିକୁ ପସନ୍ଦ କରିବା ସହିତ ସେ ନିଜର ମତାମତ ଦେଇଥିଲେ। ଆମେ ଏହି ଷ୍ଟଲରେ ଜିଆଇ ଟ୍ୟାଗ୍‌ ବିଶିଷ୍ଟ ହଳଦୀ, ମାଣ୍ଡିଆ, ବାଜରା ଆଦି ବିକ୍ରି କରୁଛୁ। ଏଠି ଭଲ ବ୍ୟବସାୟ ହେଉଛି।

ସୁଗନ୍ଧ ଓ ହଳଦିଆ ଗୁଣ ପାଇଁ କନ୍ଧମାଳ ହଳଦୀର ବିଶ୍ବବ୍ୟାପୀ ଚାହିଦା ରହିଛି। ପ୍ରତିକୂଳ ଜଳବାୟୁରେ ମଧ୍ୟ ଏହି ହଳଦୀ ଚାଷ କରାଯାଇପାରିବ। ଶହ ଶହ ବର୍ଷ ଧରି ସ୍ଥାନୀୟ ଆଦିବାସୀମାନେ ଏହି ହଳଦୀ ଚାଷ କରି ଆସୁଛନ୍ତି।

ଏହି ଅଞ୍ଚଳରେ ଜୈବିକ ପଦ୍ଧତିରେ କଫି ଚାଷ କରାଯାଉଛି। ଏଠାକାର ପାର୍ବତ୍ୟ ଅଞ୍ଚଳର ଜଳବାୟୁ କଫି ଚାଷ ପାଇଁ ଅନୁକୂଳ। ବିଶ୍ବସ୍ତରରେ କଫିର ଚାହିଦା ରହିଥିବାରୁ ଏଭଳି ବିକ୍ରି ସୁଯୋଗ ସେମାନଙ୍କୁ ଶ୍ରେଷ୍ଠ ଅନୁଭୂତି ପ୍ରଦାନ କରିବ।

ଅନ୍ୟପଟେ ଆଦି ମହୋତ୍ସବ କାର୍ଯ୍ୟକ୍ରମ ବିଶେଷ ସଫଳ ହୋଇଥିବା ଦେଖିବାକୁ ମିଳୁଛି। ମାତ୍ର ୪ ଦିନ ମଧ୍ୟରେ ସେମାନେ ପ୍ରଥମ ପର୍ଯ୍ୟାୟରେ ଆଣିଥିବା ଉତ୍ପାଦ ପ୍ରାୟତଃ ବିକ୍ରି ହୋଇସାରିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ପରିମାଣରେ ଉତ୍ପାଦ ବିକ୍ରି ପାଇଁ ଅଣାଯାଇଛି । ଏହା ସେମାନଙ୍କ ଜୀବନରେ ଏକ ନୂଆ ଯୁଗ ଆରମ୍ଭ କରିଛି ଯାହାଫଳରେ ସେମାନେ ଆତ୍ମବିଶ୍ବାସର ସହିତ ଭବିଷ୍ୟତରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପି ରାଷ୍ଟ୍ରୀୟ ସଭାପତି ନଡ୍ଡାଙ୍କ ଦିନିକିଆ ଓଡିଶା ଗସ୍ତ, ରାଜ୍ୟ ସରକାରଙ୍କୁ ମାରିଲେ ତୀର

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ୍ ପ୍ରକାଶ ନଡ୍ଡା ଆଜି ଦିନିକିଆ ଓଡିଶା ଗସ୍ତରେ ଆସି ପାର୍ଟୀର ଲୋକସଭା ପ୍ରବାସ କାର୍ଯ୍ୟକ୍ରମ ଅନ୍ତର୍ଗତ କନ୍ଧମାଳ ଲୋକସଭାର ତୁମୁଡିବନ୍ଧ ଓ ପୁରୀ ଲୋକସଭାର ବାଣପୁରଠାରେ ଅନୁଷ୍ଠିତ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ।

ଜୟ ଜଗନ୍ନାଥ, ଜୟ ମାଁ ଭଗବତୀ, ଜୟ ମାଁ କାଳୀ ବୋଲି କହି ଜନସଭାକୁ ଶ୍ରୀ ନଡ୍ଡା ସମ୍ବୋଧନ କରିଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ବିଜେଡି ସରକାର କାହିଁକି ସୁରକ୍ଷିତ ରଖୁନାହାନ୍ତି ? ରତ୍ନଭଣ୍ଡାରର ଅସଲି ଚାବି କେଉଁଠି ଓ କେମିତି ହଜିଲା ? ଅନ୍ୟ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନକଲି ଚାବି ଧରି ବୁଲୁଛନ୍ତି । ନିଜେ ରାଜ୍ୟ ସରକାର ଅସଲି କି ନକଲି ଜଣା ପଡୁନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଜବାବ୍ ରଖିବା ଉଚିତ୍ ବୋଲି ଶ୍ରୀ ନଡ୍ଡା କହିଛନ୍ତି ।

ଓଡିଶାରେ ଏକ ନୂତନ ଓଡିଆ ବିଶ୍ୱବିଦ୍ୟାଳୟ ଖୋଲିବାର ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମହୋଦୟ । ଘୋଷଣାକୁ ୪ ବର୍ଷ ପୁରଣ ହୋଇ ୫ ବର୍ଷ ଅତିକ୍ରମ କରିଥିଲେ ସୁଦ୍ଧା ଏହା ସମ୍ଭବ ହୋଇପାରିଲା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି କୁଆଡେ ଗଲା ? ଗୋଟିଏ ପଟେ ନବୀନ ପଟ୍ଟନାୟକ ନିଜ ପ୍ରତିଶୃତିକୁ ପୂରଣ କରିବାରେ ବିଫଳ ହୋଇଥିବାବେଳେ ଅନ୍ୟ ପଟେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡିଶାରେ ଆଇଆଇଏମ, ଆଇଜର ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଶାସନ କାଳରେ ଏମ୍ସ ମେଡିକାଲ ପ୍ରତିଷ୍ଠା କରାଇଛନ୍ତି ।

ନୟାଗଡସ୍ଥିତ ଚିନିକଳକୁ ପୁନଃ କାର୍ଯ୍ୟକ୍ରମ କରିବାର ଘୋଷଣା କରିଥିଲେ ସୁଦ୍ଧା ବର୍ତମାନ ମଧ୍ୟ ଏହା ସମ୍ଭବ ହୋଇପାରିଲା ନାହିଁ । ଏପରିକି ସେଠାକାର କର୍ମଚାରୀମାନଙ୍କୁ ଦରମା ଦିଆଗଲା ନାହିଁ କି ଆଖୁ ଚାଷୀଙ୍କୁ ତାଙ୍କ ବକେୟା ଟଙ୍କା ଦିଆଗଲା ନାହିଁ । ଓଡିଶା ସରକାରଙ୍କୁ କିଏ ପରିଚାଳିତ କରୁଛି, ତାହା ଜଣା ପଡୁନାହିଁ । ଏହା କିପରି ସରକାର ବୋଲି ଶ୍ରୀ ନଡ୍ଡା ପ୍ରଶ୍ନ କରିଛନ୍ତି ।

ରାଜ୍ୟରେ ସୃଷ୍ଟି ହୋଇଥିବା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ମତ ରଖି ଶ୍ରୀ ନଡ୍ଡା କହିଛନ୍ତି ଯେ, ଓଡିଶାରେ ରାଜନୀତିରେ ଅପରାଧୀକରଣ ଚରମ ସୀମାରେ ପହଂଚିଛି । ଓଡିଶାରେ ଆଜି ମହିଳା ଉତ୍ପୀଡନ ସମସ୍ତ ସୀମା ଅତିକ୍ରମ କରିଛି । ମହିଳା ବିରୋଧୀ ହିଂସା ଦ୍ୱିଗୁଣିତ ହୋଇଛି । ମହିଳା ଓ ଶିଶୁ ଅପହରଣ ଏବଂ ଚାଲାଣରେ ଓଡିଶା ଆଜି ସର୍ବାଗ୍ରେ ରହିଛି । ଦଳିତ ଓ ଆଦିବାସୀଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଚାଲିଛି ।

ଓଡିଶା ପୋଲିସ ଉପରେ ଅପରାଧୀମାନଙ୍କ ପ୍ରଭାବ ଓ ଆକ୍ରମଣ ବୃଦ୍ଧି ପାଉଛି । ଓଡିଶା ପୋଲିସ ନିଜକୁ ସୁରକ୍ଷିତ ରଖିବାରେ ଅସମର୍ଥ ଥିବାବେଳେ ରାଜ୍ୟବାସୀ କେମିତି ସୁରକ୍ଷିତ ରହିବେ ? ଏମିତି ଅପାରଗ ରାଜ୍ୟ ସରକାରଙ୍କ ଶାସନ କ୍ଷମତାରେ ରହିବାର କୈାଣସି ଅଧିକାର ନାହିଁ । ରାଜ୍ୟର ସଠିକ୍ ବିକାଶ ପାଇଁ ଓଡିଶାରେ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ବିଜେପି ସରକାରକୁ ଲୋକସଭାଠାରୁ ଆରମ୍ଭ କରି ବିଧାନସଭାରେ ପଦ୍ମ ଫୁଲରେ ଚିହ୍ନରେ ମୋହର ମାରୀ ବିଜେପିକୁ ଶାସନ କ୍ଷମତା ପ୍ରଦାନ କରିବାକୁ ଶ୍ରୀ ନଡ୍ଡା ଆହ୍ୱାନ କରିଛନ୍ତି ।

ବିଜେଡି ସରକାରକୁ ଘେରିବାକୁ ଯାଇ ଶ୍ରୀ ନଡ୍ଡା କହିଛନ୍ତି ଯେ, ମୋଦି ସରକାର ଆୟୁଷ୍ମାନ ଭାରତ ଯୋଜନାରେ ୫୫ କୋଟି ଦେଶବାସୀଙ୍କୁ ମାଗଣା ସ୍ୱସ୍ଥ୍ୟ ସେବା ଯୋଗାଇ ଦେଉଥିବାବେଳେ, ଓଡିଶାବାସୀଙ୍କ ପାଇଁ ବାଧକ ସାଜିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଓଡିଶାର ଗରୀବ ଜନସାଧାରଣଙ୍କ କଣ ଦୋଷ ରହିଯାଇଛି ବୋଲି ଶ୍ରୀ ନଡ୍ଡା ପ୍ରଶ୍ନ କରିଛନ୍ତି ।

ଓଡିଶାର ସାମଗ୍ରିକ ବିକାଶ ପାଇଁ ମୋଦି ସରକାର ପ୍ରତିଶୃତିବଦ୍ଧ ଏବଂ ଏଥି ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି । ବିକାଶକୁ ପ୍ରତ୍ୟେକ ଘରେ ଘରେ ପହଂଚାଇବାର କାର୍ଯ୍ୟ କରୁଛନ୍ତି ମୋଦି ସରକାର । ପକ୍କା ଘର, ଶୈାଚାଳୟ, ପାଇପ ଯୋଗେ ପାନୀୟ ଜଳ, ମାଗଣା ରୋଷେଇ ଗ୍ୟାସ ସଂଯୋଗୀକରଣ, କୃଷକଙ୍କୁ ବାର୍ଷିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ, ସଏଲ ହେଲ୍‌ଥ କାର୍ଡ, ପିଏମ ଫସଲ ବୀମା ଯୋଜନା, ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ୮୭ଟି ଏକଲବ୍ୟ ବିଦ୍ୟାଳୟର ସ୍ଥାପନା ଭଳି ଅନେକ କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରୀ କରାଇଛନ୍ତି । ରାଷ୍ଟ୍ରୀୟ ରାଜପଥ ଓ ରେଳପଥର ବିକାଶ ତ୍ୱରାନ୍ୱିତ ହୋଇଛି ।

ପୁରୀ, ଭୁବନେଶ୍ୱର ସମେତ ରାଜ୍ୟର ଅନେକ ରେଳ ଷ୍ଟେସନର ଉନ୍ନତିକରଣ ହୋଇଛି । ପୁରୀଠାରେ ନୂତନ ଜଗନ୍ନାଥ ଷ୍ଟାଡିୟମ ଏବଂ ଜଗନ୍ନାଥ ମେଡିକାଲ କଲେଜର ନିର୍ମାଣ କରାଯାଉଛି । ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟର ସ୍ଥାପନା କରାଯାଉଛି । ପ୍ରାୟ ୮୦୦୦ କୋଟି ବ୍ୟୟରେ କୋଷ୍ଟାଲ ରାଜପଥ ନିର୍ମାଣ ହେଉଛି । ଅନ୍ୟ ପଟେ ରାଜ୍ୟରେ ବିଜେଡି ସରକାର ଚଂଚକତା କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘରର ଆଖ୍ୟା ଦେଇଛନ୍ତି । ଏହା କେଉଁ ଭଳି ରାଜନୀତି ବୋଲି ଶ୍ରୀ ନଡ୍ଡା ପ୍ରଶ୍ନ କରିଛନ୍ତି ।

ରୋଜଗାର ମେଳ ଜରିଆରେ ପ୍ରଧାନମନ୍ତ୍ରୀ ପ୍ରାୟ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରୁଛନ୍ତି । ନୂତନ ଶିକ୍ଷା ନୀତି ଜରିଆରେ ଗରୀବ ଛାତ୍ରଛାତ୍ରୀମାନେ ନିଜ ନିଜ ମାତୃଭାଷାରେ ମେଡିକାଲ ଓ ଇଂଜିନିୟରିଂ ଶିକ୍ଷା ଲାଭ କରିପାରିବେ । ଦେଶରେ ପ୍ରାୟ ୭୦୦୦୦ ନୂତନ ଷ୍ଟାର୍ଟ ଅଫ୍ ଆରମ୍ଭ ହୋଇଥିବାବେଳେ ଏଥି ମଧ୍ୟରୁ ୧୦୦ରୁ ଉର୍ଦ୍ଧ୍ୱ କେବଳ ୟୁନିକର୍ଣ୍ଣ ରହିଛି । କେମିକାଲ ରପ୍ତାନୀରେ ସମଗ୍ର ବିଶ୍ୱରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ଷ୍ଟିଲ ଉତ୍ପାଦନ ଏବଂ ମୋବାଇଲ ନିର୍ମାଣରେ ମଧ୍ୟ ଦ୍ୱିତୀୟ ସ୍ଥାନ ହାସଲ କରିବାରେ ସଫଳ ହୋଇଛି । ଅଟୋମୋବାଇଲ ଶିଳ୍ପ କ୍ଷେତ୍ରରେ ୪ର୍ଥ ଏବଂ ଫାର୍ମାସିଉଟିକାଲ୍ସ କ୍ଷେତ୍ରରେ ଉତ୍କୃଷ୍ଟ ସ୍ଥାନ ହାସଲ କରିଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି ।

ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଠ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବରିଷ୍ଠ ନେତା ମନମୋହନ ସାମଲ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ସୁକେଶୀ ଓରାମ, ଅନୀତା ଶୁଭଦର୍ଶିନୀ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ପ୍ରମୁଖ ସ୍ୱାଗତ ଜଣାଇଥିଲେ ।

ଶ୍ରୀ ନଡ୍ଡା ସିଧା କନ୍ଧମାଳର ତୁମୁଡିବନ୍ଧ ଅଭିମୁଖେ ଗସ୍ତ କରି ସାଧାରଣ ସଭାରେ ଯୋଗ ଦେବା ସହିତ ଜଳେଶପଟ୍ଟା ଆଶ୍ରମରେ ନବନିର୍ମିତ କନ୍ୟାଶ୍ରମର ଉଦ୍‌ଘାଟନ କରିଥିଲେ । ଏହା ପରେ ପୁରୀ ଲୋକସଭାର ବାଣପୁରଠାରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେବା ସହିତ ମାଁ ଭଗବତୀଙ୍କୁ ଦର୍ଶନ କରିଥିଲେ । ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀର ନାଚୁଣୀଠାରେ ଅନୁଷ୍ଠିତ କାର୍ଯ୍ୟକର୍ତା ବୈଠକରେ ଶ୍ରୀ ନଡ୍ଡା ଯୋଗ ଦେଇଛନ୍ତି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କନ୍ଧମାଳରୁ ଭୁବନେଶ୍ୱର ଯାଉଥିଲା ଗଞ୍ଜେଇ ବୋଝେଇ କାର, ବାଘମାରି ଠାରେ ମାଡି ବସିଲା ପୋଲିସ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଅଞ୍ଚଳରେ ଗଞ୍ଜେଇ ବୋଝଇ କାର ଜବତ କରି ଜଣଙ୍କୁ ଗିରଫ କରିଛି ପୋଲିସ। ଏ ନେଇ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି।

ଏସପିଙ୍କ ସୂଚନା ମୁତାବକ ଆଜି ଅପରାହ୍ନରେ ଏକ ଗଞ୍ଜେଇ ବୋଝେଇ କାର କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରୁ ଭୁବନେଶ୍ୱର ଯାଉଥିବାର ପୋଲିସ ଖବର ପାଇଥଲା। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାସ ଓ ବାଘମାରି ଆଇଆଇସି ପ୍ରଜ୍ଞା ରିତାମ୍ଭରା କର ଙ୍କ ତତ୍ୱାବଧାନରେ ଏସଆଇ ଗାୟତ୍ରୀ ଗୋଛାୟତ ଏବଂ ଏଏସଆଇ ରଞ୍ଜିତ ନାୟକଙ୍କ ମିଳିତ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଚଢ଼ାଉ ଜାରି ରହିଥିବା ବେଳେ ପରିଶେଷରେ ବାଘମାରି ବାମଡିହ ଛକ ନିକଟରୁ ଉକ୍ତ କାରଟିକୁ ଠାବ କରିଥିଲା ପୋଲିସ।

ତଲାସି ବେଳେ କାରରୁ ଦୁଇ ଗୋଟି ଜରି ବ୍ୟାଗରୁ ୩୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ବାଲିଗୁଡା ଥାନା ଅଞ୍ଚଳର ଅଭିଯୁକ୍ତ ସୁଶାନ୍ତ ଦିଗଲ (୩୫) ଙ୍କୁ ପୋଲିସ ଗିରଫ କରିଛି।

ପୋଲିସ ସୂଚନା ମୁତାବକ ଅଭିଯୁକ୍ତ ଜଣକ ନିୟମିତ ଭାବେ ବାଲିଗୁଡା ଅଞ୍ଚଳରୁ ଗଞ୍ଜେଇ ଆଣି ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ବେପାର କରୁଥିଲେ। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ବାଘମାରୀ ଥାନାରେ କେସ ନମ୍ବର ୧୧୯/୨୨ ରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡିର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା, ଜାଣନ୍ତୁ କନ୍ଧମାଳ ଜିଲ୍ଲାରେ କେଉଁମାନେ ହେଲେ ନିଯୁକ୍ତି

ଭୁବନେଶ୍ବର: ଆଜି ବିଜେଡି ତରଫରୁ କେତେକ ଜିଲ୍ଲାର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ସେହି ଅନୁସାରେ କନ୍ଧମାଳ ଜିଲ୍ଲା ପାଇଁ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି।

ଘୋଷଣା ଅନୁସାରେ କନ୍ଧମାଳ ପାଇଁ 8 ଜଣ ଉପସଭାପତି, 12 ଜଣ ସାଧାରଣ ସଂପାଦକ ସହ ଅନ୍ୟ ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଛି। ସେହି ଅନୁସାରେ ଅନ୍ୟମାନେ ହେଲେ

Categories
ବିଶେଷ ଖବର

କନ୍ଧମାଳରେ ୫୦୦ କୋଟିର ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କାମ ଠିକ୍‌ ସମୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କନ୍ଧମାଳ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୬ ଲକ୍ଷ ୫୦ ହଜାର ଲୋକ ଏହି ସୁବିଧା ପାଇବେ। ଏହାସହିତ କନ୍ଧମାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ଓ ଜୈବିକ ଫସଲ ପାଇଁ କନ୍ଧମାଳ ଜିଲ୍ଲାର ଖୁବ୍‌ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ କନ୍ଧମାଳ ହେଉଛି ସୁନାର ଭୂମି। ଜୈବିକ ଫସଲ ବିଶେଷ କରି କନ୍ଧମାଳ ହଳଦୀ ଆଜି ସାରା ଦେଶରେ ଏକ ଲୋକପ୍ରିୟ ବ୍ରାଣ୍ଡ ଭାବରେ ପ୍ରତିଷ୍ଠା ଲାଭ କରିଛି। ଜୈବିକ ଫସଲ ପାଇଁ ଏବେ ଆଗ୍ରହ ବଢୁ ଥିବାରି ଏ କ୍ଷେତ୍ରରେ କନ୍ଧମାଳର ବହୁତ ସୁଯୋଗ ରହିଛି ବୋଲି ସେ କହିଥିଲେ। ସେହିପରି ଇକୋ-ଟୁରିଜିମ୍ ପାଇଁ ମଧ୍ୟ କନ୍ଧମାଳ ସାରା ଦେଶର ପର୍ଯ୍ୟଟକ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏ ଦୁଇ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଇ କାମ କରୁଛନ୍ତି ବୋଲି କହିଥିଲେ।

ଆଜି କନ୍ଧମାଳ ପାଇଁ ମୁଖ୍ୟମନ୍ତ୍ରୀ ୨୭୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରି ଏଥିରେ ଭିତ୍ତିଭୂମି ଉପରେ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଇଛି ବୋଲି କହିଥିଲେ। ଏହି ଅବସରରେ ୫୦୪ କୋଟି ଟଙ୍କା ବିନିଯୋଗରେ କନ୍ଧମାଳରେ ୫୦୦ ଶଯ୍ୟା ବିଶିଷ୍ଟ ଏକ ମେଡିକାଲ ଏବଂ ହସ୍ପିଟାଲ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରି କହିଥିଲେ ଯେ, ଏଥିରେ ବର୍ଷକୁ ୧୦୦ ଜଣ ପିଲା ଡାକ୍ତରୀ ପାଠ ପଢିପାରିବେ। ମେଡିକାଲ କଲେଜ ନିର୍ମାଣ କାମ ଠିକ୍‌ ସମୟରେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କନ୍ଧମାଳ ଜିଲ୍ଲାରେ ବିଜୁ ସେତୁ ଯୋଜନାରେ ୧୨୦ କୋଟି ଟଙ୍କା ବିନିଯୋଗରେ ୬୯ ଗ୍ରାମ ପଞ୍ଚାୟତରେ ଯୋଗାଯୋଗର ଉନ୍ନତି କରାଯାଇଛି। ଏଥିପାଇଁ ଖୁସି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ଜିଲ୍ଲାର ୨ ଲକ୍ଷ ଲୋକ ଉପକୃତ ହେଉଛନ୍ତି।

ବାଲିଗୁଡାରେ ନିର୍ମାଣାଧୀନ ୨୨୦/୩୩ KV ଗ୍ରୀଡ ଷ୍ଟେସନ ଖୁବ୍‌ ଶିଘ୍ର ଶେଷ ହେବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା କେ. ନୂଆଗାଁ, ତୁମୁଡିବନ୍ଧ, କୋଟଗଡ, ଦାରିଙ୍ଗିବାଡି ଓ ବାଲିଗୁଡା ବ୍ଲକର ୭୦ ହଜାର ପରିବାର ଉପକାର ପାଇବେ।  ଏହାଦାରା ପାଇପ ପାଣି ଯୋଗାଣରେ ଉନ୍ନତି ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ସ୍କୁଲର ରୂପାନ୍ତର ପର୍ବର ହେଲା ଶୁଭାରମ୍ଭ, ଆଜି ୧୪୨ଟି ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତର ପର୍ବ । ୫-ଟି School Transformation କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ସ୍କୁଲର ରୂପାନ୍ତର କାଯ୍ୟ ଶେଷ ହୋଇଛି। ସାତ ଦିନ ଧରି ଚାଲିବାକୁ ଥିବା ଏହି ପର୍ବର ପ୍ରଥମ ଦିନରେ ଆଜି ସୁନ୍ଦରଗଡ, କଟକ, ନବରଙ୍ଗପୁର, କନ୍ଧମାଳ ଓ ବାଲେଶ୍ବର ଆଦି ୫ଟି ଜିଲ୍ଲାର ୧୪୨ଟି ରୂପାନ୍ତର ସ୍କୁଲକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଏଥିରେ ସୁନ୍ଦରଗଡର ୬୭ଟି, କଟକର ୩୦ଟି, ବାଲେଶ୍ବରର ୨୩ଟି, ନବରଙ୍ଗପୁରର ୨୨ଟି ଓ କନ୍ଧମାଳର ୧୦ଟି ସ୍କୁଲ ରହିଛି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲରେ ତିଆରି ହୁଏ ଦେଶର ଭବିଷ୍ୟତ। ଜାତିର ଭବିଷ୍ୟତ । କଥାରେ ଅଛି, ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ପୁରା ଭବିଷ୍ୟତ (There is a saying that Children constitute one-third of our population, but all of our future.)। ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ ବୋଲି ମତଦେଇ ସେ କହିଥିଲେ ଯେ ଏ ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଦାୟିତ୍ବ।

ମୁଖ୍ୟମନ୍ତ୍ରୀ କହିଲେ, “ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ। ପାଠ ସହ କ୍ରୀଡା, ସଂଗୀତ ସବୁ କ୍ଷେତ୍ରରେ ଓଡିଶାର ଗୌରବ ବଢାନ୍ତୁ । ନୂଆ ନୂଆ technology ବିଷୟରେ ଜାଣନ୍ତୁ । ବଡ ବଡ ସ୍ବପ୍ନ ଦେଖନ୍ତୁ ଓ ଜୀବନର ସବୁ challengeକୁ ସାମନା କରିବା ପାଇଁ ଆତ୍ମବିଶ୍ବାସର ସହ ଆଗକୁ ବଢନ୍ତୁ । ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ଲକ୍ଷ୍ୟ।”

ଓଡିଶାର ଶିକ୍ଷା ବିକାଶ କ୍ଷେତ୍ରରେ ଆଜି ଦିନଟି ସବୁବେଳେ ସ୍ବତନ୍ତ୍ର ହୋଇରହିବ। ମୁଁ ବହୁତ ଖୁସି ଯେ 5-T transformation କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରୂପାନ୍ତର ହୋଇଥିବା ୧୦୨୫ ହାଇସ୍କୁଲର ଲୋକାର୍ପଣ ଉତ୍ସବ ଆଜିଠାରୁ ଆରମ୍ଭ କରାଗଲା । ୨୪ ନଭେମ୍ବର ପର‌୍ୟ୍ୟନ୍ତ ଏହି କାର‌୍ୟ୍ୟକ୍ରମ ଜାରି ରହିବ।

୫-ଟି ନୀତି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ସ୍କୁଲ ରୂପାନ୍ତର ହେଉଛି ଆମର ୫-ଟି କାଯ୍ୟକ୍ରମର ଶ୍ରେଷ୍ଠ ଉଦାହରଣ। ୫-ଟି ହେଲା ଟେକ୍ନୋଲେଜି, ଟିମ୍ ୱାର୍କ, ଟାଇମ, ଟ୍ରାନ୍ସପାରେନ୍ସି ଓ ଟ୍ରାନ୍ସଫରମେସନ୍। ଏହା ହିଁ ରୂପାନ୍ତରକୁ ସମ୍ଭବ କରିପାରିଛି । ଟେକ୍ନୋଲେଜି ଆମକୁ ସ୍ମାର୍ଟ କ୍ଲାସ୍‌ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର ଓ ଆଧୁନିକ ଲାବୋରେଟୋରୀର ସୁବିଧା ଦେଇଛି । ସେହିପରି ଆମ ସମସ୍ତଙ୍କ ମିଳିତ ଉଦ୍ୟମ ହେଉଛି ଟିମ୍ ୱାର୍କ ।

ତୃତୀୟ ନୀତି ହେଉଛି ଟାଇମ୍ ବା ସମୟ ।. ନଭେମ୍ବର ୧୪ ସୁଦ୍ଧା ୧୦୭୨ଟି ସ୍କୁଲର ରୂପାନ୍ତର କାମ ସାରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି। ଆପଣମାନଙ୍କ ସମସ୍ତଙ୍କ ନିଷ୍ଠା ଓ ପରିଶ୍ରମ ଦ୍ବାରା ଏହା ଆଜି ଠିକ୍ ସମୟରେ ଶେଷ ହୋଇପାରିଛି ।

ଚତୁର୍ଥ ନୀତି ହେଉଛି ଟ୍ରାନ୍ସପାରେନ୍ସି ବା ସ୍ବଚ୍ଛତା । ସ୍କୁଲ ମାନଙ୍କରେ ଯାହା କିଛି ପରିବର୍ତ୍ତନ ହୋଇଛି, ତାହା ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରି କରାଯାଇଛି । ସ୍ବଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି । ଏସବୁ ଆଣିଛି ରୂପାନ୍ତର, ଯାହାକୁ ଆମେ ସମସ୍ତେ ଦେଖିପାରୁଛୁ ଓ ଅନୁଭବ ମଧ୍ୟ କରିପାରୁଛୁ ।

ଗାଁ ଓ ସହରର ସ୍କୁଲ ମଧ୍ୟରେ ଥିବା ପାର୍ଥକ୍ୟ ଦୂର ଉପରେ ମତଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଏ ସ୍କୁଲ ରୂପାନ୍ତର କାର‌୍ୟ୍ୟକ୍ରମ ସହର ଓ ଗାଁ ର ସ୍କୁଲମାନଙ୍କ ଭିତରେ ଥିବା ତଫାତକୁ ଦୂର କରିଛି । ଗାଁର ସ୍କୁଲରେ ଆଜି ସହରର ଭଲ ଭଲ ବେସରକାରୀ ସ୍କୁଲର ପରିବେଶ ସୃଷ୍ଟି ହୋଇଛି ।

ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ହେଲା ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ଡାକ୍ତର, ଇଞ୍ଜିନିୟର ହେବାର ସ୍ବପ୍ନ ଯେପରି ସାକାର ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ତୁମ ମାନଙ୍କ ପାଇଁ ୧୫ ପ୍ରତିଶତ ଆସନ ସଂରକ୍ଷିତ କରିଛନ୍ତି ।

ପିଲାମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ମାତୃଭୂମି ଓ ପରିବାର ପରେ ସ୍କୁଲ ହେଉଛି ଆମର ସବୁଠାରୁ ବଡ ପରିଚୟ । ମୋର ପୁରା ବିଶ୍ବାସ, ତୁମେ ମାନେ ଭଲ ପାଠ ପଢି ଭଲ କାମ କରି, ଏ ପରିଚୟକୁ ରାଜ୍ୟର ଗୌରବରେ ପରିଣତ କରିପାରିବ।

ଏହି କାଯ୍ୟକ୍ରମରେ ୫ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସଂପର୍କରେ ନିଜର ମନ କଥା କହିଥିଲେ। ସୁନ୍ଦରଗଡର ଛ୍ରାତ୍ରୀ ସିରିନ୍ କୌସର୍‌, ନବରଙ୍ଗପୁରର ନାଗେଶ୍ବରୀ ପାଣିଗ୍ରାହୀ, ବାଲେଶ୍ବରର ଅଭିଲିପ୍‌ସା ଲେଙ୍କା, କନ୍ଧମାଳର ଇତିଶ୍ରୀ କହଁର ଓ କଟକର ଗାୟତ୍ରୀ ସାହୁ ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଭାଗ ନେଇ କହିଥିଲେ ଯେ ସ୍କଲର ପରିବେଶ ଓ ଶିକ୍ଷା ସୁବିଧାର ପରିବର୍ତ୍ତନରେ ସେମାନେ ଖୁସି ।

ଆଗ ଅପେକ୍ଷା ସ୍କୁଲ ବହୁତ ଭଲ ଲାଗୁଛି ବୋଲି ସେମାନେ କହିଥିଲେ । ମୁଖ୍ୟମନ୍ତ୍ରୀ ସେମାନେ ଭବିଷ୍ୟତରେ କଣ ହେବାକୁ ଚାହାନ୍ତି ବୋଲି ପଚାରିବାରୁ ସେମାନେ ଉତ୍ସାହିତ ହୋଇ ଆଇ.ଏ.ଏସ୍ ଅଫିସର,ଅଇ ପି ଏସ ବୈଜ୍ଞାନିକ, ଡାକ୍ତର ଇଞ୍ଜିନିୟର ହେବେ ବୋଲି କହିଥିଲେ ।

କାଯ୍ୟକ୍ରମରେ ସୁନ୍ଦରଗଡରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ସାରଦା ପ୍ରସାଦ ନାୟକ, ନବରଂଗପୁରରେ ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ବାଲେଶ୍ବରରେ ପର‌୍ୟ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କନ୍ଧମାଳରେ ସାଂସଦ ଶ୍ରୀ ଅଚ୍ୟୁତାନନ୍ଦ ସାମନ୍ତ ଏବଂ କଟକରେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଜିଲ୍ଲାର ବିଧାୟକ ମାନେ ଯୋଗ ଦେଇ ବିଦ୍ୟାଳୟ ରୂପାନ୍ତର କାର‌୍ୟ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ। ଶିକ୍ଷା କ୍ଷେତ୍ରରେ ଏହା ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ପ୍ରକାଶ କରି ସେମାନେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶିତାର ପ୍ରଶଂସା କରିଥିଲେ ।

କାଯ୍ୟକ୍ରମରେ ସ୍କୁଲ ରୂପାନ୍ତର କାର‌୍ୟ୍ୟକ୍ରମ ସଂପର୍କରେ ଭିଡିଓ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା ।

ଏହି କାଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ ।

ମୋ ସ୍କୁଲ କାର‌୍ୟ୍ୟକ୍ରମର ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସ୍ବାଗତ ଭାଷଣ ଦେଇ ଥିଲେ

Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋବ ସାଗରରେ ଘୂର୍ଣ୍ଣିବଳୟ ହେଲା ସକ୍ରିୟ, ଆଜି ରାଜ୍ୟର ୧୫ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣ ବଳୟ ସକ୍ରିୟ ହେବାରେ ଲାଗିଛି। ଫଳରେ ଏହାର ପ୍ରଭାବରେ ରାଜ୍ୟର ୧୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ସେହି ଜିଲ୍ଲାଗୁଡିକ ହେଲା ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, କନ୍ଧମାଳ, ଗଞ୍ଜାମ, ବୌଦ୍ଧ, ସମ୍ବଲପୁର, ମୟୂରଭଞ୍ଜ, ଦେବଗଡ଼ ଓ କେନ୍ଦୁଝର।

ଫଟୋ- ଆଜି ସକାଳେ ଉପଗ୍ରହରୁ ମିଳିଥିବା ଚିତ୍ର

Categories
ଆଞ୍ଚଳିକ

କନ୍ଧମାଳରେ ୭୫ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

କନ୍ଧମାଳ, ଜିଲ୍ଲା ସଦର ମହକୁମା ଫୁଲବାଣୀସ୍ଥିତ ରିଜର୍ଭ ପୋଲିସ ପଡ଼ିଆଠାରେ ଆୟୋଜିତ ୭୫ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟପାର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରୁଛନ୍ତି ।

କନ୍ଧମାଳ ଜିଲ୍ଲା ସଦର ମହକୁମାଠାରେ ଆୟୋଜିତ ୭୫ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟପାର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଜିଲ୍ଲାର କୋଭିଡ୍‌ ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି

Categories
ଆଜିର ଖବର ରାଜ୍ୟ ଖବର

ଫସଲବୀମା ସପ୍ତାହ ଅବସରରେ ଜନସଚେତନତା ବୃଦ୍ଧି ପାଇଁ ବାହାରିଲା ପ୍ରଚାର ଗାଡି

ଭୁବନେଶ୍ବର, ଫସଲବୀମା ସପ୍ତାହ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ପ୍ରଚାର ଓ ପ୍ରସାର ଏବଂ ଚାଷୀମାନଙ୍କ ମଧ୍ୟରେ ଜନସଚେତନତା ବୃଦ୍ଧି ନିମନ୍ତେ ଫସଲବୀମା ଯୋଜନା ପ୍ରଚାର ଗାଡ଼ିକୁ ଆଜି କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ୧୦ଟି ଆକାଂକ୍ଷୀ ଜିଲ୍ଲାର ୧୦ଟି ପଛୁଆ ବ୍ଲକ୍‌ରେ ଚାଷୀମାନଙ୍କୁ ଅଧିକ ସଚେତନ କରିବା ପାଇଁ ୨ଟି ପ୍ରଚାର ଗାଡ଼ିର ବ୍ୟବସ୍ଥା କରାଯାଇଛି । ପ୍ରଥମ ଗାଡ଼ିଟି ଭୁବନେଶ୍ୱରରୁ ବାହାରି ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିର ବ୍ଲକ୍‌ଗୁଡ଼ିକ ପରିକ୍ରମା କରିବ।

ଦ୍ୱିତୀୟ ଗାଡ଼ିଟି ଢେଙ୍କାନାଳରୁ ଯାତ୍ରା ଆରମ୍ଭ କରି ଢେଙ୍କାନାଳ ସମେତ ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାର ବ୍ଲକ୍‌ରେ ପ୍ରଚାର କାର୍ଯ୍ୟ କରିବ । ଫସଲ ବୀମା ଯୋଜନା ସମ୍ବନ୍ଧରେ ଚାଷୀମାନଙ୍କୁ ଅଧିକ ସଚେତନ କରିବା ନିମନ୍ତେ ଚଳିତ ବର୍ଷ ଜୁଲାଇ ମାସ ୧ରୁ ୭ ତାରିଖ ପର୍ଯ୍ୟନ୍ତ ‘ଫସଲବୀମା ସପ୍ତାହ’ ପାଳନ କରାଯାଉଛି ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାର 7 ଜଣ ନାବାଳିକାଙ୍କୁ ଚେନ୍ନାଇରୁ ଉଦ୍ଧାର କଲା ପୋଲିସ

ଫୁଲବାଣୀ, କନ୍ଧମାଳ ପୋଲିସର ଏକ ସ୍ବତନ୍ତ୍ର ଅଭିଯାନ ମାଧ୍ୟମରେ ଜିଲ୍ଲାର 7 ଜଣ ନାବାଳିକାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଏହି ନାବାଳିକାଙ୍କୁ ପୋଲିସ ଚେନ୍ନାଇରୁ ଉଦ୍ଧାର କରିଛନ୍ତି। ଏହି ନାବାଳିକାଙ୍କୁ ଦଲାଲ ମାଧ୍ୟମରେ ଚେନ୍ନାଇ ପଠାଇ ଦିଆଯାଇଥିଲା। ଖବର ପାଇଁ ପୋଲିସ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ସେମାନେ ଚେନ୍ନାଇରେ ଥିବାର ଖବର ମିଳିବା ପରେ ସେଠାରେ ପୋଲିସ ପହଁଞ୍ଚିଥିଲା। ଗତ 13 ତାରିଖରେ ସେମାନଙ୍କୁ ପୋଲିସ ଚେନ୍ନାଇରୁ ଉଦ୍ଧାର କରିଥିଲା। ପରେ ସେମାନଙ୍କୁ କନ୍ଧମାଳ ଅଣିବା ପରେ ତାଙ୍କର ପରିବାରଙ୍କୁ ହସ୍ତାନ୍ତର କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ରାତିରେ ସାତୋଟି ଜିଲ୍ଲାରେ ସୃଷ୍ଟି ହେବ ଘନ କୁହୁଡି, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି

ଭୁବନେଶ୍ବର, ଆଜି ରାତିରେ ଏବଂ ଆସନ୍ତାକାଲି ସକାଳେ ସାତୋଟି ଜିଲ୍ଲାରେ ଦେଖାଦେବ ପ୍ରବଳ କୁହୁଡି। ଏହି କୁହୁଡି ଦ୍ବାରା ରାସ୍ତାଘାଟ କିଛି ଦେଖାଯିବ ନାହିଁ। ସେଥିପାଇଁ ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିସନର। ଯାନବାହନ ଚଳାଚଳ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିବା ପାଇଁ ମଧ୍ୟ କୁହାଯାଇଛି।

ଯେଉଁ ଜିଲ୍ଲାଗୁଡିକ ଆଜି ରାତିରେ ଏବଂ ଆସନ୍ତାକାଲି ସକାଳେ କୁହୁଡି ହେବ ସେଗୁଡିକ ହେଲା ଅନୁଗୁଳ, ବୈଦ୍ଧ, କନ୍ଧମାଳ, ରାୟଗଡା, ଖୋର୍ଦ୍ଧା, କଟକ ଏବଂ ଢେଙ୍କାନାଳ। ତେବେ ଏହି ଜିଲ୍ଲାଗୁଡିକରେ କେତେକ ସ୍ଥାନରେ ଏହି ଘନ କୁହୁଡି ହେବ ବୋଲି କୁହାଯାଇଛି।

Categories
ଫଟୋ ଖବର

ଶୀତ ଆସିବା ସହିତ କନ୍ଧମାଳ ଜିଲ୍ଲା ଗ୍ରାମାଞ୍ଚଳର ଦୃଶ୍ୟ ମଧ୍ୟ ମନୋରମ ହେବାରେ ଲାଗିଛି

ଶୀତ ଆସିବା ସହିତ କନ୍ଧମାଳ ଜିଲ୍ଲା ଗ୍ରାମାଞ୍ଚଳର ଦୃଶ୍ୟ ମଧ୍ୟ ମନୋରମ ହେବାରେ ଲାଗିଛି

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାର ଏହି ଜିଲ୍ଲାରେ ସପ୍ତାହେ ପାଇଁ ସବୁ ବ୍ୟାଙ୍କ ବନ୍ଦ

କନ୍ଧମାଳ : କରୋନା ସଂକ୍ରମଣକୁ ଦୃଷ୍ଟିରେ ଓଡ଼ିଶାର ଏହି ଜିଲ୍ଲାରେ ସପ୍ତାହେ ପାଇଁ ବ୍ୟାଙ୍କକୁ ବନ୍ଦ କରାଯାଇଛି । କନ୍ଧମାଳ ଜିଲ୍ଲାର ସମସ୍ତ ବ୍ୟାଙ୍କ ସପ୍ତାହେ ପାଇଁ ବନ୍ଦ ।ଜିଲ୍ଲାରେ କିଛି ବ୍ୟାଙ୍କ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପଦକ୍ଷେପ ନେଇଛି । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ବ୍ୟାଙ୍କ ବନ୍ଦ କଲା ପ୍ରଶାସନ ।  ସପ୍ତାହେ ବ୍ୟାଙ୍କ ବନ୍ଦ ରଖି ସାନିଟାଇଜ୍‌ କରିବ ପ୍ରଶାସନ । ସପ୍ତାହେ ପରେ 50 ପ୍ରତିଶତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ ଖୋଲିବ । ସବୁ କର୍ମଚାରୀଙ୍କୁ ସପ୍ତାହେ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ରହିଛି । ହୋମ କ୍ବାରେଣ୍ଟିନ୍‌ ବେଳେ କିଛି ଲକ୍ଷଣ ଦେଖାଗଲେ ପ୍ରଶାସନକୁ ଜଣାଇବେ ବୋଲି ନିର୍ଦ୍ଦେଶ ରହିଛି । ସେହିପରି ଏଟିଏମ୍‌ରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ରଖିବାକୁ ସମ୍ପୃ୍କ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ  ନିର୍ଦ୍ଦେଶ ଦିଆଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

15ଟି ଜିଲ୍ଲାରୁ 146, ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 4055କୁ ବୃଦ୍ଧି

ଭୁବନେଶ୍ବର : ଆଜି ଚିହ୍ନଟ 146 ଆକ୍ରାନ୍ତ ମଧ୍ୟରେ ପଶ୍ଚିମବଙ୍ଗ ଆମ୍ପାନ୍‌ ଉଦ୍ଧାର କାର୍ଯ୍ୟରୁ ଫେରିଥିବା 9 ଜଣ ଅଗ୍ନିଶମ କର୍ମଚାରୀ  ରହିଛନ୍ତି । 15ଟି ଜିଲ୍ଲାରୁ 146 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କନ୍ଧମାଳରୁ ସର୍ବାଧିକ 48 ଜଣ ଚିହ୍ନଟ ହୋଇଥିବାବେଳେ କଟକ ଓ ଭଦ୍ରକରୁ 19 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଓ ବାଲେଶ୍ବରରୁ 8 ଜଣ ଲେଖାଏଁ ରହିଥିବାବେଳେ ଖୋର୍ଦ୍ଧାରୁ 7 ଜଣ, ଅନୁଗୁଳରୁ 6 ଜଣ, ରାୟଗଡାରୁ 5, ଜଗତସିଂହପୁର, ସୁନ୍ଦରଗଡ ଓ ନୟାଗଡରୁ 4 ଜଣ ଲେଖାଏଁ ରହିଛନ୍ତି । ସେହିପରି ସୋନପୁରରୁ 2 ଜଣ, ସମ୍ବଲପୁର, ଢେଙ୍କାନାଳ ଓ ଝାରସୁଗୁଡାରୁ ଜଣେ ଲେଖାଏଁ ରହିଛନ୍ତି ।

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ ରୋଗ)
ଗଞ୍ଜାମ 690 595 89 6 0
ଖୋର୍ଦ୍ଧା 362 236 120 4 2
କଟକ 342 139 202 1 0
ଯାଜପୁର 341 290 51 0 0
ବାଲେଶ୍ବର 212 190 21 0 1
ଭଦ୍ରକ 177 135 42 0 0
କେନ୍ଦ୍ରାପଡା 176 163 13 0 0
ଅନ୍ୟାନ୍ୟ * 158 0 158 0 0
ଜଗତସିଂହପୁର 158 86 72 0 0
ପୁରୀ 155 98 57 0 0
ବଲାଙ୍ଗିର 143 110 33 0 0
କନ୍ଧମାଳ 137 25 112 0 0
ସୁନ୍ଦରଗଡ 130 111 19 0 0
ମୟୂରଭଞ୍ଜ 121 37 84 0 0
ନୟାଗଡ 112 89 23 0 0
ଗଜପତି 99 59 40 0 0
ନୂଆପଡା 74 60 14 0 0
କେଉଁଝର 70 30 40 0 0
କଳାହାଣ୍ଡି 57 21 36 0 0
ଢେଙ୍କାନାଳ 52 32 20 0 0
ଅନୁଗୁଳ 47 31 16 0 0
ଦେବଗଡ 40 33 7 0 0
ବୌଦ୍ଧ 38 34 4 0 0
ବରଗଡ 34 16 18 0 0
ସୋନପୁର 31 29 2 0 0
ମାଲ୍‌କାନଗିରି 26 21 5 0 0
ସମ୍ବଲପୁର 24 16 8 0 0
ଝାରସୁଗୁଡା 18 9 9 0 0
କୋରାପୁଟ 17 9 8 0 0
ରାୟଗଡା 12 2 10 0 0
ନବରଙ୍ଗପୁର 2 2 0 0 0
Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟର ଆଉ 48 ପଜିଟିଭ୍‌ ଚିହ୍ନଟ, କନ୍ଧମାଳକୁ ଛୁଇଁଲା କରୋନା

ଭୁବନେଶ୍ବର : ରାଜ୍ୟରେ ଆଉ 48 ପଜିଟିଭ୍‌ ଚିହ୍ନଟ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ରାଜ୍ୟରେ ପ୍ରଥମ କରି କନ୍ଧମାଳକୁ କରୋନା ଛୁଇଁଛି। ଜିଲ୍ଲାରୁ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ରାଜ୍ୟର  22ଟି ଜିଲ୍ଲାରେ କରୋନା ପହଞ୍ଚିଥିବାବେଳେ  ଆଜି ଏହା ବୃଦ୍ଧି ହୋଇ 23ରେ ପହଞ୍ଚିଛି। ନୂତନ 48 ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରରୁ 16, ଗଞ୍ଜାମରୁ 15, ପୁରୀରୁ 4, ନୟାଗଡରୁ ତିନି, କେନ୍ଦ୍ରାପଡାରୁ ତିନି, ବଲାଙ୍ଗିର ଓ କନ୍ଧମାଳରୁ ଦୁଇ, ବୌଦ୍ଧ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।  ନୂତନ 48ଜଣଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 876କୁ ବୃଦ୍ଧି ହୋଇଛି। ଏବେ ରାଜ୍ୟରେ 652ଟି ସକ୍ରିୟ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 220 ଜଣ ଓ ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି ହୋଇଛି।