Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ଆସନ୍ତାକାଲି ଠାରୁ ୩ ଦିନ ଯାଏଁ ସ୍କୁଲ ରହିବ ବନ୍ଦ

ଭୁବନେଶ୍ବର: ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟ ସରକାର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଆଜି ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି।ସେଥିପାଇଁ ତିନିଦିନ ନିମନ୍ତେ ରାଜ୍ୟ ସରକାର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି।

ସେହି ଅନୁସାରେ ଆସନ୍ତାକାଲିଠାରୁ 20 ତାରିଖ ପର୍ଯ୍ୟନ୍ତ ଓଡିଶାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବ।

Categories
ଆଞ୍ଚଳିକ

ଶ୍ରୀ ଜଗନ୍ନାଥ ସଂସ୍କୃତି ଉତ୍କଳୀୟ ଜନ ଜୀବନରେ ପ୍ରତିଫଳିତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପ୍ରୋତ୍ସାହନରେ ବାଲୁଗାଁ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱାରା ଚାଲିଥିବା ନୂତନ ଉନ୍ନତ ଅଭିଳାଷ ଓଡ଼ିଶା ଅନ୍ତର୍ଗତ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମର ଆଜି ଉଦଯାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନୀ ଅବସରରେ ଚଳିତ ମାସ ଷୋହଳ ତାରିଖରେ ଉଦଘାଟିତ ହୋଇଥିବା ଏହି ସର୍ଜନାତ୍ମକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ସଭାପତିତ୍ୱ କରିବା ସହ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ।

ଆମନ୍ତ୍ରିତ ଅତିଥି ମାନେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣ କରିବାପରେ ଛାତ୍ରୀମାନେ ସ୍ୱାଗତ ସଂଗୀତ ଓ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ। ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲ ନିଜ ବକ୍ତବ୍ୟରେ ସମଗ୍ର ବିଶ୍ୱକୁ ଓଡ଼ିଆ ଭାଷା, ଓଡ଼ିଆ ସଂସ୍କୃତି ଓ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତିର ମହାନ ଅବଦାନ ସମ୍ପର୍କରେ ବିଭିନ୍ନ ଆଲେଖ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ। ଉତ୍ସବରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ମୁଖ୍ୟ ଅତିଥି ଓ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପ୍ରାକ୍ତନ ବିଭାଗ ମୁଖ୍ୟ ଡକ୍ଟର ରଜନୀ ରାଣୀ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ବେଳେ ପ୍ରାକ୍ତନ୍ ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତ ଓ କାଉନ ସିଲର ସୁଜାତା ପଣ୍ଡା ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଶ୍ରୀଜଗନ୍ନାଥ ସକଳ ଓଡ଼ିଆଙ୍କ ବିଶ୍ୱାସର ଆଧାର ବୋଲି ମତବ୍ୟକ୍ତ କରିବା ସହ ପ୍ରତିଟି ଓଡ଼ିଆଙ୍କ ଜୀବନ ଶୈଳୀରେ କିପରି ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ପ୍ରତିଫଳିତ ହୋଇଛି ତାହାର ଦୃଷ୍ଟାନ୍ତ ଉପସ୍ଥାପିତ କରିଥିଲେ।

ଏହି ଅବସରରେ ଅଧ୍ୟକ୍ଷା ଡକ୍ଟର ଦାଶ ସମସ୍ତ ଅତିଥି ମାନଙ୍କୁ ପ୍ରୀତି ଉପହାର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହାପରେ ଅଧ୍ୟାପକ ଧୋବୀ ଚରଣ ପରିଡ଼ା ଓ ଅଧ୍ୟାପିକା ଶୁଭଦର୍ଶିନୀ ବିଶ୍ୱାଳଙ୍କ ସଂଯୋଜନାରେ ଅତିଥିମାନେ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ଧନ୍ୟବାଦ ପ୍ରଦାନ କରିଥିଲେ ଯୁକ୍ତ ତିନି ନୋଡାଲ ଅଧିକାରୀ ଝରଣା ନାଥ।

ଡକ୍ଟର କୈଳାସ ଚନ୍ଦ୍ର ମହାରଣା ମଞ୍ଚ ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମକୁ ଯୁକ୍ତ ଦୁଇ ନୋଡାଲ ଅଧିକାରୀ ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ,ଅଧ୍ୟାପକ ହିମାଂଶୁ ଶେଖର ଦାଶ, ପ୍ରବୀଣ କୁମାର ଜେନା,ସୁଧାକର ନାୟକ ପ୍ରମୁଖ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ଓଡ଼ିଆ ସାହିତ୍ୟ ଆଲୋଚନାଚକ୍ର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ପ୍ରୋତ୍ସାହନରେ ନୂଆ -ଓ ସାହିତ୍ୟ ପ୍ରତିଯୋଗିତା ଅନ୍ତର୍ଗତ ଭାଷା, ସାହିତ୍ୟ,ସଂସ୍କୃତି ସମ୍ପର୍କିତ ବିଭିନ୍ନ ଆଲୋଚନାଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ଅତିଥି ଭାବେ ଖୋର୍ଦ୍ଧାର ପ୍ରାକ୍ତନ ଜିଲ୍ଲାପାଳ ତଥା ବିଶିଷ୍ଟ ସାହିତ୍ୟିକ ନିରଞ୍ଜନ ସାହୁ,ମୁଖ୍ୟ ଅତିଥି ଓ ଅନ୍ତର୍ଜାତୀୟ ମଞ୍ଚ ଉଦଘୋଷାକ ଡକ୍ଟର ମୃତ୍ୟୁଞ୍ଜୟ ରଥ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ର ଛାତ୍ରୀଙ୍କର ସର୍ଜନାତ୍ମକ ଓ ସାଂସ୍କୃତିକ ବିକାଶ ପାଇଁ ପ୍ରେରଣାଦାୟୀ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ପରେପରେ “ମାତୃଭାଷାର ବିକାଶରେ ଡିଜିଟାଲର ଭୂମିକା “ଶୀର୍ଷକ ଦଳଗତ ଆଲୋଚନାଚକ୍ରରେ ପ୍ରଫେସର ପ୍ରଦୀପ୍ତ କୁମାର ବାରିକ, ପ୍ରଫେସର ଅହଲ୍ୟା ସ୍ୱାଇଁ ଓ ବିଶିଷ୍ଟ ଗାଳ୍ପିକ ଆଭାସ କୁମାର ବରାଳ ଯୋଗ ଦେଇ ଦୃଶ୍ୟ ଶ୍ରାବ୍ୟ ଯାନ୍ତ୍ରିକ ପଦ୍ଧତିରେ ଓଡ଼ିଆ ମାତୃଭାଷାର ବିକାଶର ବିଭିନ୍ନ ଦିଗ ଓ ଦିଗନ୍ତ ଉପରେ ଆଲୋଚନା କରିଥିଲେ।

ଏହି ଆଲୋଚନାଚକ୍ରରେ ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ କର୍ମଚାରୀ ଓ ଛାତ୍ର ଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏଥିସହିତ ସାହିତ୍ୟ ପ୍ରତିଯୋଗିତା ଅନ୍ତର୍ଗତ ଲୋକନୃତ୍ୟ, ଓଡ଼ିଆ ସୁଗମ ସଂଗୀତ, ଓଡ଼ିଆ ଭାଷା ଓ ସଂସ୍କୃତି ସମ୍ପର୍କିତ କୁଇଜ, ବକ୍ତୃତା, ବ୍ୟାକରଣ ଦକ୍ଷତା, କବିତା ଲିଖନ ଓ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର ଜୟନ୍ତୀ ସାମଲଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଗୁଡିକୁ ନୋଡାଲ ଅଧିକାରୀ, ଅଧ୍ୟାପିକା ଝରଣା ନାଥ, ଡକ୍ଟର ପୂର୍ଣଚନ୍ଦ୍ର ସାମନ୍ତରାୟ, ପ୍ରାଧ୍ୟାପକ ରାଜକିଶୋର ସାହୁ, ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ଚିତ୍ତରଞ୍ଜନ ସାହୁ, ଡକ୍ଟର ଅକ୍ଷୟ ମିଶ୍ର, ଅଧ୍ୟାପିକା ରୀନା ରାଉତ, କ୍ରୀଷ୍ଣା ସେଠୀ, ଧୋବୀ ଚରଣ ପରିଡ଼ା, ପ୍ରବୀଣ ଜେନା, ଶୁଭଦର୍ଶିନୀ ବିଶ୍ୱାଳ, ସୁନିତା ନନ୍ଦ, ଅମ୍ରିତା ନନ୍ଦ, ଶାଶ୍ଵତୀ ମହାନ୍ତି, ବିଷ୍ନୁପ୍ରିୟା ସ୍ୱାଇଁ, ଶୁଚିସ୍ମିତା ମହାପାତ୍ର ପ୍ରମୁଖ ପରିଚାଳନା କରିଥିବାବେଳେ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ମଞ୍ଚ ସଂଯୋଜନା କରିଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମର ବିଚାରକ ଭାବେ ସଂଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ ମାଝୀ ଓ ଜିତେନ୍ଦ୍ର ମହାରଣା ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ମହୁଲପାଲିରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ କେନ୍ଦ୍ରମନ୍ତ୍ରୀ

ବାମରା: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଲୋକଙ୍କ ପାଇଁ ସବୁ ପ୍ରକାର ସୁବିଧା କରିଥିବା ବେଳେ ରାଜ୍ୟ ସରକାର ପର ଘର ତିଅଣରେ ଅତିଥି ସତ୍କାର କରି ଚଞ୍ଚକତା କରିବାରେ ଧୂରନ୍ଧର ବୋଲି ସୋମବାର ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ମହୁଲପାଲିରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୨୦୨୯ ମସିହା ପର୍ଯ୍ୟନ୍ତ ଓଡ଼ିଶାର ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ମାଗଣା ଚାଉଳ ଦେବା ପାଇଁ ନିଷ୍ପତି ନେବା ପରେ ବି ରାଜ୍ୟ ସରକାର ନିଜସ୍ୱ ଯୋଜନା ନାଁରେ ମିଛ ପ୍ରଚାର କରୁଛନ୍ତି। ଗଣତନ୍ତ୍ରରେ ଏଭଳି ଚଞ୍ଚକତା ନିନ୍ଦନୀୟ। ଓଡ଼ିଶା ସରକାର ପ୍ରଚାର ସର୍ବସ୍ୱ ସରକାର। ସମ୍ବଲପୁରର କୁଚିଣ୍ଡା, ବାମରା, ମହୁଲପାଲି, କେଶାଇ ବାହାଲ, କୁନ୍ତରା, ଜମନକିରା, ଗଡପୋଷ, ଫାଶିମାଲ, କୁଲୁଣ୍ଡି ଓ ନିକ୍ତିମାଲ ଭଳି ଗ୍ରାମାଞ୍ଚଳରେ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ପଦବୀ ଅନୁସାରେ ଡାକ୍ତର ନାହାନ୍ତି। ଦେଶରେ ଆୟୁଷ୍ମାନ ଯୋଜନା ମାଧ୍ୟମରେ ମାଗଣାରେ ସ୍ବାସ୍ଥ୍ୟସେବା ମିଳୁଥିବା ବେଳେ ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ଲାଗୁ କରୁନାହାନ୍ତି। ଲୋକଙ୍କ ଟିକସ ପଇସାରେ ରାଜ୍ୟ ରାଜକୋଷକୁ ଆସୁଥିବା ଅର୍ଥର ଖର୍ଚ୍ଚ କରି କେବଳ ମିଛ ବିଜ୍ଞାପନ ଓ ବଡ ବଡ ହୋର୍ଡିଂରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବା ସୀମିତ ରହିଛି।

ଜଳ ଜୀବନ ମିଶନରେ ସମ୍ବଲପୁର ଜିଲ୍ଲାରେ ମୋଟ ୧,୬୪,୫୭୪ ପରିବାର ମଧ୍ୟରୁ ୭୦,୬୧୦ ପରିବାରକୁ ଟ୍ୟାପ ଜଳ ସଂଯୋଗ ଦିଆଯାଇଛି। ପ୍ରତି ଘରକୁ ପାଇପ ଯୋଗେ ପାଣି ଦେବା ପାଇଁ ଅର୍ଥର ବ୍ୟବସ୍ଥା କରିବା ପରେ ବି ଗାଁରେ ପାଣି ଆସୁନି। ପଇସା ଠିକାଦାର ପକେଟକୁ ଯାଉଛି, ଏହା କଣ ଲମ୍ବା ଶାସନର ରୂପାନ୍ତରଣ କି? ମୋଦି ସରକାର ପିଏମ ଆବାସ ଯୋଜନାରେ ଗରିବଙ୍କ ପାଇଁ ପକ୍କା ଘର ପଠାଉଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳୁନଥିବା ସିଏଜି ରିପୋର୍ଟରେ ପ୍ରକାଶ ପାଇଛି। ୨୪ ବର୍ଷ ଶାସନରେ ରହିବା ପରେ ବି ଓବିସି ମାନଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସମ୍ବିଧାନ ଅନୁମୋଦିତ ଅଧିକାର ଦେଉନାହାନ୍ତି । ଲାଗୁ କଲେ କାଳେ, ମୋଦିଙ୍କ ଡବଲ ଇଞ୍ଜିନ କାଳେ ଲାଗିଯିବ, ଏଥିପାଇଁ ରାଜ୍ୟ ସରକାର ଭୟଭୀତ । ଲମ୍ବା ସମୟର ଶାସନରେ ମୌଳିକ ସୁବିଧା ଆଜି ବି ଲୋକଙ୍କ ପାଖରେ ଅପହଞ୍ଚ । ମୋଦି ସରକାର ଓଡ଼ିଶାକୁ ୧୮ ଲକ୍ଷ କୋଟି ଟଙ୍କା ଦେଇଛନ୍ତି। କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଲୋକଙ୍କୁ ମୋଦି ଗ୍ୟାରେଣ୍ଟି ଦେବାକୁ ହିଁ ପଡ଼ିବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଦେଶରେ ନିଜକୁ ଏକ ଆସ୍ଥାର କେନ୍ଦ୍ର ଭାବରେ ସ୍ଥାପିତ କରିପାରିଛନ୍ତି। ଆଜି ମୋଦିଙ୍କ ଗ୍ୟାରେଣ୍ଟିରେ ଦେଶ ଆଗକୁ ବଢୁଥିବା ବେଳେ ଗରିବ, ମହିଳା, ଚାଷୀ, ବଞ୍ଚିତ, ଓ ଯୁବକମାନେ ସଶକ୍ତ ଓ ଆତ୍ମନିର୍ଭର ହେଉଛନ୍ତି। ସମସ୍ତଙ୍କୁ ପକ୍କା ଘର, ପାଇପ ଯୋଗେ ପାନୀୟ ଜଳ, ରୋଷେଇ ଗ୍ୟାସ, ମାଗଣା ଚାଉଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସହ ମହିଳାମାନଙ୍କୁ ଲକ୍ଷପତି ବନାଇବାର ସ୍ୱପ୍ନ ପୂରଣ କରାଯାଉଛି। ଗାଁ ଗାଁରେ ରକ୍ତ ପରୀକ୍ଷା, ସିକିଲ ସେଲ୍ ପରୀକ୍ଷା ଏବଂ ଡାଇବେଟିସ ପରୀକ୍ଷା କରାଯିବା ସହ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଭଳି ସୁବିଧା ମୋଦି ସରକାର କରିଛନ୍ତି। ମୋଦିଙ୍କ ବିକାଶ ଗ୍ୟାରେଣ୍ଟିକୁ ଲୋକମାନେ ଭରସା କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ବିକଶିତ ଭାରତ ଦିଗରେ ଅଗ୍ରସର ହେଉଥିବା ବେଳେ ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଆମ ମାନଙ୍କର ଯୋଗଦାନ ଜରୁରୀ।

ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ମହୁଲପାଲିର ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ଆଶାକର୍ମୀ କୁନ୍ତଳା ସାହୁ, ଏସଏଚଜି ମହିଳା ଭାବେ କମ ସୁଧରେ ଋଣ ନେଇଥିବା ରଜନୀ ସାହୁ ଓ ବାମରାର ପିଏମ କିଷାନ ଯୋଜନାର ଲାଭାର୍ଥୀ ମୋତିରଞ୍ଜନ ପୃଷେଠଙ୍କ ସମେତ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାର କିଭଳି ଭାବେ ଉପକୃତ ହେବା ସହ ଲାଭ ପାଇଛନ୍ତି, ତାହା ଉପରେ ବର୍ଣ୍ଣନା କରିଥିଲେ, ଯାହାକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ। ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବଲପୁର ଓ ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତାମାନେ ସ୍ୱାଗତ କରିଥିଲେ।

Categories
ଆଞ୍ଚଳିକ

ବାଣପୁରରେ ଶୁଭାରମ୍ଭ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅର୍ପଣ ରଥ

ବାଣପୁର (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ବିଡ଼ିଓ ଶୀତଲ ଅଗ୍ରୱାଲଙ୍କ ତତ୍ୱାବଧାନରେ ଅର୍ପଣ ରଥର ଶୁଭାରମ୍ଭ କରାଯାଇଛି। ଆଜି ବ୍ଲକର ସାତ ଗୋଟି ପଞ୍ଚାୟତରେ ଉକ୍ତ ରଥର ଶୁଭାରମ୍ଭ ହୋଇଛି।

ନନ୍ଦପୁର ଗ୍ରାମ ପଞ୍ଚାୟତର ମଠପଟଣା ଗ୍ରାମ ଜଗନ୍ନାଥମନ୍ଦିର ନିକଟରୁ ଅର୍ପଣ ରଥକୁ ପୂଜାର୍ଚ୍ଚନା କରି ଶୁଭାରମ୍ଭ କରାଯାଇଛି। ନନ୍ଦପୁର ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, ପଞ୍ଚାୟତ ନିର୍ବାହୀ ଅଧିକାରୀ ନୃସିଂହ ପ୍ରସାଦ ଜେନାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିବା ବେଳେ ନଡ଼ିଆ ଫଟାଇ ଶ୍ରୀ ଖୁଣ୍ଟିଆ ଅର୍ପଣ ରଥକୁ ଉଦଘାଟନ କରିଥିଲେ। ସମସ୍ତ ଏମବିକେ, ସିଆରପି, ସ୍ୱୟଂ ସହାୟକ ସଙ୍ଘର ସଭାପତିଙ୍କ ସମେତ ସଙ୍ଘର କର୍ମକର୍ତ୍ତାମାନେ ଏଥିରେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ।

ହରିବୋଲ ହୁଳହୁଳି ଧ୍ୱନିରେ ରଥକୁ ଗ୍ରାମବାସୀ ସ୍ୱାଗତ କରିଥିବା ବେଳେ କର୍ମକର୍ତ୍ତା ମାନେ ଘର ଘର ବୁଲି ଚାଉଳ ଓ ଗୁଆ ସଂଗ୍ରହ କରିଥିଲେ।

ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ବିଭିନ୍ନ ପଞ୍ଚାୟତର ଅର୍ପଣ ରଥ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଅନୁରୂପ ଭାବେ ଆଜି ବାଣପୁର ଏନଏସିରେ କାର୍ଯ୍ୟନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନାଙ୍କ ତତ୍ୱାବଧାନରେ ପରିକ୍ରମା ଅର୍ପଣ ରଥର ଉଦଘାଟନ କରାଯାଇଛି। ସବୁ ସ୍ଥାନରେ ଜନସାଧାରଣଙ୍କର ଅପୂର୍ବ ଭକ୍ତିଭାବ ପରିଲକ୍ଷିତ ହେଉଥିବା ବେଳେ ଜୟ ଜଗନ୍ନାଥ ଧ୍ଵନିରେ ଗ୍ରାମ ଗୁଡିକ ପ୍ରକମ୍ପିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

“ପ୍ଲାଷ୍ଟିକ୍ ମୁକ୍ତ ପିକ୍‌ନିକ୍‌” ପାଇଁ ରାଜ୍ୟ ସରକାରଙ୍କ ଆହ୍ୱାନ: ପରିବେଶ ଅନୁକୂଳ ଜିନିଷ ବ୍ୟବହାର କରିବାକୁ ପରାମର୍ଶ

ଭୁବନେଶ୍ୱର: ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଓ ପଲିଥିନର ବହୁଳ ବ୍ୟବହାର ଆଜି ସାରା ବିଶ୍ୱରେ ବଡ଼ ଆହ୍ୱାନ ସୃଷ୍ଟି କରିଛି। ତେଣୁ ଏହାର ବ୍ୟବହାରକୁ ରୋକିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ବିଶେଷ ସଚତେନତା କାର୍ଯ୍ୟକ୍ରମ – “ପ୍ଲାଷ୍ଟିକ୍ ମୁକ୍ତ ପିକନିକ”। ଏହା ଅଧୀନରେ ରାଜ୍ୟର ପ୍ରମୁଖ ପିକନିକ ସ୍ଥାନଗୁଡ଼ିକୁ ପ୍ଲାଷ୍ଟିକ ମୁକ୍ତ କରିବା ଲାଗି ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ ଓ ସାଧାରଣ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି।

ଏବେ ପିକ୍‌ନିକ୍ ଋତୁ ଆରମ୍ଭ ହୋଇଯାଇଛି। ବଣ ଭୋଜି କରିବା ପାଇଁ ରାଜ୍ୟର ବିଭିନ୍ନ ପିକ୍‌ନିକ୍ ସ୍ପଟ୍‌ରେ ଭିଡ଼ ଜମୁଛି । ଭୋଜି ପରେ ପିକ୍‌ନିକ୍ ସ୍ପଟରେ ଏଣେତେଣେ ପ୍ଲାଷ୍ଟିକ୍ ପ୍ଲେଟ୍‌, ବାଉଲ୍‌, ଗ୍ଲାସ୍‌, ଚାମଚ, ସ୍ନାକ୍ସ ଜରି, ସୋଲୋ ଥାଳି ଓ ପଲିଥିନ୍ ପଡ଼ିରହୁଛି। ଏହା ପରିବେଶ ପାଇଁ କ୍ଷତିକାରକ ହୋଇଥିବାରୁ ବଣଭୋଜି ବେଳେ ପରିବେଶ-ଅନୁକୂଳ ସାମଗ୍ରୀ ବ୍ୟବହାର କରିବାକୁ ଅନୁରୋଧ କରାଯାଉଛି।

“ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସବୁଜ ତଥା ସୁନ୍ଦର ପରିବେଶର ଆବଶ୍ୟକତା ରହିଛି। ତେଣୁ ପରିବେଶକୁ କିପରି ସୁରକ୍ଷିତ ରଖିବା ସେଥିପାଇଁ ଏବେଠୁ ସମସ୍ତେ ଯତ୍ନବାନ ହେବାର ବେଳ ଆସିଛି। ପିକ୍‌ନିକ୍ ବେଳେ ପୁନଃବ୍ୟହାରଯୋଗ୍ୟ ସାମଗ୍ରୀ ବ୍ୟବହାର କରିବା ସହ ପରିବେଶକୁ କିପରି ସଫା ସୁତରା ରଖିବା ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଭବିଷ୍ୟତ ପିଢ଼ିଙ୍କ ପାଇଁ ସୁସ୍ଥ ବାତାବରଣ ସୃଷ୍ଟି କରିବାକୁ ସମସ୍ତେ ଆଗେଇ ଆସନ୍ତୁ”, ପ୍ଲାଷ୍ଟିକ୍ ମୁକ୍ତ ପିକନିକ ଅଭିଯାନ ଅବସରରେ ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା।

ଏଥର ପିକ୍‌ନିକ୍ ପ୍ଲାନ୍ କରିବା ବେଳେ ପ୍ଲାଷ୍ଟିକ୍ ଜିନିଷ ଓ ପଲିଥିନ ବଦଳରେ ଖଲିପତ୍ର ଏବଂ ଦନା ବ୍ୟବହାର କରିପାରିବେ। ସେହିପରି ଟିସୁ ପେପର ବଦଳରେ କପଡ଼ା ରୁମାଲ ବା ଟାୱେଲ୍ ଏବଂ କପଡ଼ା ବ୍ୟାଗ୍ ଆଦି ସାଙ୍ଗରେ ନେଇପାରିବେ। ପିକ୍‌ନିକ୍ ସ୍ଥାନରେ ଆବର୍ଜନାଗୁଡ଼ିକୁ ଏଣେତେଣେ ନପକାଇ ଡଷ୍ଟବିନ ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି।

ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ “ପ୍ଲାଷ୍ଟିକ୍ ମୁକ୍ତ ପିକ୍‌ନିକ୍‌” କାର୍ଯ୍ୟକ୍ରମ କରାଯାଉଛି। ଏଥିରେ ଓଲିଉଡ୍ ଅଭିନେତା ସବ୍ୟସାଚି ମିଶ୍ର ସାମିଲ ହୋଇ ପିକ୍‌ନିକ୍ ବେଳେ ପ୍ଲାଷ୍ଟିକ ଜିନିଷ ବର୍ଜନ କରିବାକୁ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି।

“ପ୍ଲାଷ୍ଟିକ୍ ଏବଂ ପଲିଥିନ୍ ଭଳି ପ୍ରଦୂଷଣକାରୀ ଜିନିଷ ଆମ ପରିବେଶ ପାଇଁ କ୍ଷତିକାରକ। ତେଣୁ ପ୍ରାକୃତିକ ସ୍ଥାନରେ ପିକ୍‌ନିକ୍ କରିବା ବେଳେ ଏଭଳି ସାମଗ୍ରୀ ବ୍ୟବହାର କରିବା ନାହିଁ। ଏହି ପ୍ରଦୂଷଣକାରୀ ଜିନିଷ ମଣିଷ ସମାଜକୁ ବିପଦରେ ପକାଇବା ସହିତ ଅନ୍ୟ ଜୀବଜନ୍ତୁଙ୍କୁ ମଧ୍ୟ ପ୍ରଭାବିତ କରିଥାଏ। ପ୍ଲାଷ୍ଟିକ୍ ମୁକ୍ତ ପିକ୍‌ନିକ୍ ଅଭିଯାନରେ ସାମିଲ ହୋଇ ପରିବେଶକୁ ସୁରକ୍ଷିତ ରଖନ୍ତୁ”, ଏହି ଆହ୍ୱାନ ଦେଇଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଡକ୍ଟର କେ ମୁରୁଗେସନ।

ପ୍ଲାଷ୍ଟିକ୍ ଓ ପଲିଥିନଜାତୀୟ ଆବର୍ଜନା ବର୍ଷ ବର୍ଷ ପରେ ବି ମାଟିରେ ମିଶିପାରେ ନାହିଁ। ଏହା ମାଟିର ଉର୍ବରତା ନଷ୍ଟ କରିବା ସହ ଭୂତଳ ଜଳକୁ ମଧ୍ୟ ପ୍ରଦୂଷିତ କରିଥାଏ। ଖୋଲାଜାଗାରେ ପ୍ଲାଷ୍ଟିକ୍ ଓ ପଲିଥିନ୍ ଆବର୍ଜନା ଗଦା ହେବା ଯୋଗୁଁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୁଏ। ତେଣୁ ଏସବୁ ସମସ୍ୟା ବିଷୟରେ ଲୋକମାନଙ୍କୁ ସଚେତନ କରିବାରେ “ପ୍ଲାଷ୍ଟିକ୍ ମୁକ୍ତ ପିକ୍‌ନିକ୍‌” ବିଶେଷ ସହାୟକ ହେବ।

ଚଳିତବର୍ଷ ୧୭୬ଟି ପ୍ରମୁଖ ପିକ୍‌ନିକ୍ ସ୍ଥାନରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାରକୁ ନିଷେଧ କରାଯାଇଛି। ଏ ବିଷୟରେ ସ୍ଥାନୀୟ ସ୍ୱେଚ୍ଛାସେବୀ, ଇକୋ କ୍ଲବର ସଦସ୍ୟ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଲୋକମାନଙ୍କୁ ସଚେତନ କରୁଛନ୍ତି। ତୃଣମୂଳ ସ୍ତରରେ ଏହାକୁ କାର୍ଯ୍ୟକାରୀ କରିବାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୟୁଥ୍ ଫର୍ ୱାଟର ଅଭିଯାନ ପ୍ରମୁଖ ଭୂମିକା ଗ୍ରହଣ କରୁଛି।

“ପ୍ରକୃତି ଆମକୁ ବହୁତ କିଛି ଦେଉଛି। ତେଣୁ ପ୍ଲାଷ୍ଟିକ ଓ ପଲିଥିନ ଆବର୍ଜନା ସୃଷ୍ଟି କରି ପରିବେଶକୁ ପ୍ରଦୂଷିତ କରିବା ନାହିଁ। ପ୍ରକୃତି ଏବଂ ପରିବେଶକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ଏଥିପାଇଁ ଯୁବପିଢ଼ି ସକଳ୍ପବଦ୍ଧ ହେବା ଦରକାର”, କହିଛନ୍ତି ୟୁଥ ଫର୍ ୱାଟର ଅଭିଯାନର ପ୍ରତିଷ୍ଠାତା ତଥା ଓଡ଼ିଶାର ୱାଟର ମ୍ୟାନ ଭାବେ ପରିଚିତ ରଞ୍ଜନ ପଣ୍ଡା।

ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହରାଞ୍ଚଳରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ଏବଂ ୧୨୦ ମାଇକ୍ରନରୁ କମ୍ ପତଳା ପଲିଥିନ ବ୍ୟାଗ ଆଦି ବ୍ୟବହାରକୁ ନିଷେଧ କରାଯାଇଛି। ୨୦୨୨ ଡିସେମ୍ବର ୩୧ରୁ ଏହି ନିୟମ ଲାଗୁ ହୋଇଛି। ସେହିପରି ରାଜ୍ୟର ବିଭିନ୍ନ ପିକ୍‌ନିକ୍ ସ୍ଥାନରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନିଷେଧ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

BSKY-ନବୀନ କାର୍ଡ ଶୁଭାରମ୍ଭ ପରେ ସ୍ବାସ୍ଥ୍ୟବୀମା ଯୋଜନାରେ ସାମିଲ୍ ପାଇଁ ଦାବି କଲେ ସରକାରୀ କର୍ମଚାରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଅଧିନରେ କାମ କରୁଥିବା ସବୁ ବର୍ଗର କର୍ମଚାରୀଙ୍କ ସ୍ବାସ୍ଥ୍ୟର ସୁରକ୍ଷା ନିମନ୍ତେ ତୁରନ୍ତ ସ୍ବାସ୍ଥ୍ୟବୀମା ଲାଗୁ କରିବା ପାଇଁ ଶୁକ୍ରବାର ଦିନ ୯ ତାଲା ପରିସରରେ ବିଭିନ୍ନ ସଂଘର ନେତୃମଣ୍ଡଳୀଙ୍କ ସମାବେଶରେ ଦୃଢ ଦାବି କରାଯାଇଛି।
ଓଡିଶାର ଅନ୍ୟତମ କର୍ମଚାରୀ ନେତା ତଥା ପୁରୁଣା ପେନସନ ଆନ୍ଦୋଳନର ସଭାପତି ବିଜୟ ମଲ୍ଲ, ସଚିବାଳୟ ସେବା ସଂଘର ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ, କର୍ମଚାରୀ ନେତା ପ୍ରଭାତ ମହାନ୍ତି, ସୁଧାଂଶୁ ପାତ୍ରରଶ୍ମି ରଞ୍ଜନ ପାଢ଼ୀ, ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ସଭାପତି ପ୍ରଦୀପ ପ୍ରଧାନ, ଚତୁର୍ଥ ଶ୍ରେଣୀ କର୍ମଚାରୀ ନେତା ଗଙ୍ଗାଧର ସ୍ବାଇଁ, ଶିକ୍ଷକନେତା ରାଜେନ୍ଦ୍ର ମଲ୍ଲିକ, ସୁନୀଲ ପ୍ରଧାନ ପ୍ରମୁଖ ତୁରନ୍ତ କ୍ୟାସଲେସ୍ ସ୍ବାସ୍ଥ୍ୟବୀମା ପ୍ରଚଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛନ୍ତି।

ପ୍ରକାଶ ଥାଉକି ରାଜ୍ୟରେ କାମ କରୁଥିବା କର୍ମଚାରୀ ମାନେ ଦୂରାରୋଗ୍ୟର ଶୀକାର ହୋଇ ଅର୍ଥାଭାବରୁ ଅକାଳରେ ମୃତ୍ୟୁବରଣ କରୁଛନ୍ତି। କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ସରକାରୀ କର୍ମଚାରୀ ଏବଂ ଆୟକରଦାତା ମାନଙ୍କୁ ବାଦ୍‌ ଦେଇ ଗ୍ରାମାଞ୍ଚଳର ସବୁ ପରିବାର, ଯେଉଁମାନେ ବର୍ତ୍ତମାନ BSKY ଯୋଜନା ଅଧୀନରେ ନାହାନ୍ତି ସେମାନଙ୍କ ପାଇଁ ନୂଆ BSKY-ନବୀନ କାର୍ଡ ଲାଗୁ କରିଛନ୍ତି। ଦୀର୍ଘଦିନ ଧରି ସ୍ୱାସ୍ଥ୍ୟ କାର୍ଡ ପାଇଁ ରାଜ୍ୟ ସରକାରୀ କର୍ମଚାରୀ ଅପେକ୍ଷାରତ ଥିଲେ ମଧ୍ୟ ଆଜି ସରକାରଙ୍କ ନିଷ୍ପତ୍ତି ନିମନ୍ତେ କର୍ମଚାରୀ ମହଲରେ ଅସନ୍ତୋଷର ବାତାବରଣ ଦେଖାଯାଇଛି।

ରାଜ୍ୟର ୯୦ ପ୍ରତିଶତ ଲୋକ ସ୍ୱାସ୍ଥ୍ୟ କାର୍ଡ ଯୋଜନାରେ ଲାଭବାନ ହୋଇଥିଲେ ମଧ୍ୟ, ଅଳ୍ପ ସଂଖ୍ୟକ ସରକାରୀ କର୍ମଚାରୀ ବାଦ୍ ପଡିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କର୍ମଚାରୀଙ୍କୁ ଆଶୀର୍ବାଦ ଦେଇଛନ୍ତି ତେଣୁ ମିଳିତ କର୍ମଚାରୀ ମଞ୍ଚର ସମ୍ପୂର୍ଣ୍ଣ ବିଶ୍ବାସ ଆସନ୍ତା ନୂତନ ବର୍ଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସରକାରୀ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ କାର୍ଡ ଯୋଜନା ଲାଗୁକରିବା ସହ ନିଜର ଉଦାରତା ଦେଖାଇବେ। ଏଥି ସହ ବିଜୟ ମଲ୍ଲ ୫ଟି ଅଧକ୍ଷଙ୍କ ଦ୍ରୁଷ୍ଟି ଆକର୍ଷଣ କରି ଚୁଡାନ୍ତ ନିଷ୍ପତ୍ତି ନିମନ୍ତେ ଗଣମାଧ୍ୟମ ଜରିଆରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

Categories
ବିଶେଷ ଖବର

କଳିଙ୍ଗ ଷ୍ଟାଡିୟମରେ ନିଯୁକ୍ତି ପର୍ବ: ୪୧୬୬ ଜଣ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ବିଭିନ୍ନ ବିଦ୍ୟାଳୟଗୁଡିକରେ ୪୧୬୬ ଜଣ ମାଧ୍ୟମିକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଛନ୍ତି। ଏଥିପାଇଁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଏକ ନିଯୁକ୍ତି ପର୍ବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କ ମଧ୍ୟରେ ଗଭୀର ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ନବନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଏହା ସହିତ ଆମର ମହାନ ଦେଶ, ମହାନ ଜାତି ଓ ମହାନ ସଂସ୍କୃତିକୁ ଭଲ ପାଇବା ସହିତ ଏଥିପାଇଁ ଗର୍ବ ଅନୁଭବ କରିବାକୁ ପିଲାମାନଙ୍କୁ ପ୍ରେରଣା ଦେବାପାଇଁ ସେ ପରାମର୍ଶ ଦେଇଛନ୍ତି।

ଛାତ୍ରଛାତ୍ରୀ ଯେପରି ବଡ ସ୍ୱପ୍ନ ଦେଖିବେ ଓ ନିଜର ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ ସେଥିପାଇଁ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଥିଲେ। ଏକ ବିଂଶ ଶତାବ୍ଦୀରେ ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ ବୋଲି ସେ କହିଥିଲେ।

ନବନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣଙ୍କ ସଫଳତା ପଛରେ ଆପଣଙ୍କ ପରିବାରର ସ୍ୱତନ୍ତ୍ର ଅବଦାନ ରହିଛି। ସେଥିପାଇଁ ସେ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ କହିଲେ ଯେ ଶିକ୍ଷା ପିଲାମାନଙ୍କ ମଧ୍ୟରେ ମୌଳିକ ଜ୍ଞାନ ଓ ଦକ୍ଷତା ସୃଷ୍ଟି କରେ। ସେମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିବା ସହିତ ସେମାନଙ୍କୁ ରୂପାନ୍ତରିତ ନାଗରିକରେ ପରିଣତ କରିବାରେ ସାହାଯ୍ୟ କରେ।

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଶିକ୍ଷକମାନଙ୍କ ଲକ୍ଷ୍ୟ କେବଳ ଭଲ ଛାତ୍ର ସୃଷ୍ଟି କରିବା ନୁହେଁ, ଭଲ ଛାତ୍ର ସହିତ ଭଲ ମଣିଷ ମଧ୍ୟ ସୃଷ୍ଟି କରିବା ସେମାନଙ୍କର ଲକ୍ଷ୍ୟ ହେବା ଆବଶ୍ୟକ। ଶିକ୍ଷାଦାନ କେବଳ ଏକ ବୃତ୍ତି ନୁହେଁ ବରଂ ଭବିଷ୍ୟତ ପାଇଁ ଓଡିଶାକୁ ପ୍ରସ୍ତୁତ କରିବାର ଏକ ମିଶନ ବୋଲି ସେ କହିଥିଲେ।

ଶିକ୍ଷା ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱାରୋପ କରିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ୫-ଟି ଉପକ୍ରମରେ ୬୮୮୩ଟି ହାଇସ୍କୁଲର ରୂପାନ୍ତରଣ କରାଯାଇଛି। ଏହା ଦ୍ୱାରା ସ୍କୁଲର ଭିତ୍ତିଭୂମି ଓ ସାମଗ୍ରୀକ ବାତାବରଣରେ ବିରାଟ ପରିବର୍ତ୍ତନ ଆସିଛି। ଏହା ଦ୍ୱାରା ରାଜ୍ୟର ଶିକ୍ଷା ଦୃଶ୍ୟପଟ୍ଟରେ ରୂପାନ୍ତର ଆସିଛି। ଏଥିପାଇଁ ସରକାରୀ ସ୍କୁଲଗୁଡିକରେ ନାମଲେଖା ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଛି।

ଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଯୋଜନା ଆରମ୍ଭ କରିଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଏଥିରେ ଶିକ୍ଷା ପରିବ୍ୟବସ୍ଥାରେ ଜଡିତ ସମସ୍ତଙ୍କୁ ପୁରସ୍କାର ଦେବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ବର୍ଷକୁ ୧୩୮ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ। ଏହି ପୁରସ୍କାର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ସରକାରୀ ସ୍କୁଲ, ଗ୍ରାମ ପଞ୍ଚାୟତ, ସ୍କୁଲ ପରିଚାଳନା କମିଟି, ପ୍ରାକ୍ତନ ଛାତ୍ରଛାତ୍ରୀ ଓ ଜିଲ୍ଲା ଏବଂ ବ୍ଲକସ୍ତରୀୟ ଶିକ୍ଷା ଅଧିକାରୀମାନଙ୍କୁ ଦିଆଯିବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ନବନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ ଆଜି ରାଜ୍ୟରେ ଆମ ମୁଖ୍ୟମନ୍ତ୍ରୀଙ୍କ ୫-ଟି ରୂପାନ୍ତରଣର ପର୍ବ ଜାରି ରହିଛି। ସବୁ କ୍ଷେତ୍ରରେ ରୂପାନ୍ତରଣକରି ଏକ ସଶକ୍ତ ଓଡିଶା ଗଠନ କରିବା ଆମ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସଶକ୍ତ ଓଡିଶା ସ୍ୱପ୍ନକୁ ସାକାର କରିବା ପାଇଁ ନିଷ୍ଠାର ସହ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିବାପାଇଁ ସେ ନବନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମରେ ନବନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ସହ ମତ ବିନିମୟ କରି କହିଥିଲେ ଯେ ରାଜ୍ୟରେ ପିଲାମାନଙ୍କର ଉଜ୍ଜଳ ଭବିଷ୍ୟତ ଗଠନ ଦାୟିତ୍ୱ ଆପଣମାନଙ୍କର। ପିଲାମାନଙ୍କୁ ଭଲ ପାଠ ପଢାଇ ସେମାନଙ୍କ ବାପା ମା’ମାନଙ୍କ ମନରେ ଖୁସି ଆଣିବା ପାଇଁ ସେ ପରାମର୍ଶ ଦେବା ସହିତ ବାପା ମା’ଙ୍କ ପରେ ଶିକ୍ଷକ ହେଉଛନ୍ତି ପିଲାଙ୍କ ରୋଲ୍‌ ମଡେଲ ବୋଲି କହି ସେ ପିଲାମାନଙ୍କ ପାଇଁ ସମସ୍ତ କ୍ଷେତ୍ରରେ ପ୍ରେରଣାଦାୟୀ ହୋଇ କାର୍ଯ୍ୟ କରିବା ପାଇଁ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ନବନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣ ଆଣିଛନ୍ତି। ଆମ ଶିକ୍ଷା ବ୍ୟବସ୍ଥାକୁ ସଶକ୍ତ କରିବା ପାଇଁ ଉଦ୍ୟମ କରିବାକୁ ସେ ସେମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ କୋରାପୁଟର ନବନିଯୁକ୍ତ ଶିକ୍ଷୟତ୍ରୀ ସ୍ରୋତସ୍ୱିନୀ ଲେଙ୍କା ନିଯୁକ୍ତି ସମ୍ପର୍କରେ ତାଙ୍କର ଅନୁଭୂତି ବର୍ଣ୍ଣନା କରି ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ୫-ଟି ନୀତି ଅନୁଯାୟୀ ଏହି ନିଯୁକ୍ତି ପ୍ରକ୍ରିୟା ସମାପନ କରି ଖୁବ ଶୀଘ୍ର ନିଯୁକ୍ତି ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ତ୍ୱରିତ୍ୱ ପଦକ୍ଷେପ ଯୁବ ସମାଜ ପାଇଁ ବେଶ ଉତ୍ସାହଜନକ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱଥି. ଏସ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାର ବିରୁଦ୍ଧରେ ବିଜେପିର ନାକଟିଦେଉଳ ବ୍ଲକ ଅଫିସ ଘେରାଉ

କନ୍ଦର୍ପ ବେହେରା
ରେଢାଖୋଲ: ରାଜ୍ୟରେ ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରୀ ଓ ଅଗଣତାନ୍ତ୍ରିକ ସରକାର ଚାଲିଥିବା ଅଭିଯୋଗ କରି ରାଜ୍ୟ ସରକାର ବିରୁଦ୍ଧରେ ବିଜେପି ନାକଟିଦେଉଳ ବ୍ଲକ ଅଫିସ ଘେରାଉ କରିଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରେଢ଼ାଖୋଲ ବିଧାନସଭା ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ମହିଳା ଓ ସାଧାରଣ ଜନତା ନାକଟିଦେଉଳ ହାଟପଦାରୁ ଏକ ବିଶାଳ ଶୋଭାଯାତ୍ରାରେ ନାକଟିଦେଉଳ ଛକ ଦେଇ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ବ୍ଲକ ପରିସରରେ ଏକ ପ୍ରତିବାଦ ସଭା ଆୟୋଜନ କରଯାଇଥିଲା।

ପ୍ରତିବାଦ ସଭାରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ସାହୁ ସଭାପତିତ୍ୱ କରିଥିଲେ। ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲ ଯୋଗଦେଇ ରାଜ୍ୟ ସରକାରଙ୍କ ଅପାରଗତା, ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୁଦ୍ଧରେ ଏହି ସମାବେଶ କରାଯାଇଥିବା କହିଥିଲେ ଏବଂ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଦେବେନ୍ଦ୍ର ମହାପାତ୍ରଙ୍କ ସହ ଓବିସି ରାଜ୍ୟ ବିଜେପି ମୋର୍ଚ୍ଚା ସମ୍ପାଦିକା ତଥା ସାଂସଦ ପ୍ରତିନିଧି ସସ୍ମିତା ଦେହୁରୀ, ଜୋନ -୧ ମଣ୍ଡଳ ସଭାପତି ନେତ୍ରାନନ୍ଦ ରାଉଳ, ବ୍ଲକ ଯୁବ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ଦାସ, ଅଶୋକ କୁମାର ପ୍ରଧାନ, ବିଜୟ କୁମାର ପଣ୍ଡା ପ୍ରମୁଖ ସାମିଲ ଥିଲେ। ନାକଟିଦେଉଳ ବିଡ଼ିଓ ଧନେଇ ଚରଣ ଟୁଡୁ ଆନ୍ଦୋଳନକାରିଙ୍କ ଠାରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବୀ ସମ୍ବଳିତ ଦାବିପତ୍ର ଗ୍ରହଣ କରିଥିଲେ।

Categories
ଆଞ୍ଚଳିକ

ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ବାଣପୁର ବ୍ଲକ ଘେରାଉ କଲା ବିଜେପି

ବାଣପୁର (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ ଦୀର୍ଘଦିନର ଶାସନରେ ପିସି କାରବାର, ବିନା ଗ୍ରାମସଭାରେ ପ୍ରକଳ୍ପ ସମ୍ପାଦନ, ୫-ଟି ନାମରେ ଜାଲିଆତି, ଦୁର୍ନୀତି, ଭ୍ରଷ୍ଟାଚାର ଏବଂ ବାଣପୁର ବ୍ଲକରେ ମନମୁଖୀ କାର୍ଯ୍ୟ ସହିତ ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ବିଜେପି ପକ୍ଷରୁ ଆଜି ବାଣପୁର ବ୍ଲକ ଘେରାଉ କରାଯାଇଛି।

ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ସହସ୍ରାଧିକ ବିଜେପି କାର୍ଯ୍ୟକର୍ତ୍ତା ଶ୍ରୀ ଶ୍ରୀ ଚକାଦେବଙ୍କ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ ସମ୍ମୁଖରେ ସରକାର ବିରୋଧୀ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ବ୍ଲକର ସମ୍ମୁଖ ଗେଟ ବନ୍ଦ କରି ସେଠାରେ ପ୍ରତିବାଦ ସଭା କରାଯାଇଥିଲା।

ଜନସାଧାରଣଙ୍କୁ ରାଜ୍ୟ ସରକାର ଦୀର୍ଘ ଚବିଶ ବର୍ଷ ଧରି ଶୋଷଣ କରିଚାଲିଛନ୍ତି ବୋଲି ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ କହିଥିଲେ। ତତସହିତ ଗରିବ ଲୋକଙ୍କ ପଇସା ଚିଟଫଣ୍ଡ କମ୍ପାନୀ ମାନେ ଠକିଥିବା ବେଳେ ସରକାର କର୍ପସ ଫଣ୍ଡ ଦ୍ୱାରା ଟଙ୍କା ଫେରସ୍ତର ମିଛ ପ୍ରତିଶୃତିରେ ବିମୋହିତ କରି ଭୋଟ ହାତେଇ ଥିବାବେଳେ ଟଙ୍କା ଫେରସ୍ତର ତ ଦୁରକଥା କ୍ଷତିଗ୍ରସ୍ତ ଲୋକମାନଙ୍କୁ ଆଶ୍ୱାସନା ମଧ୍ୟ ଦେଇନାହାନ୍ତି। ତେଣୁ ଆସନ୍ତା ନିର୍ବାଚନରେ ଏପରି ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାର ସରକାରକୁ ହଟେଇବା ଦରକାର ବୋଲି ମତ ରଖିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ନାଥ ଭୋଳ, ଜିଲ୍ଲା ଉପ ସଭାପତି ବିଜୟ ବିଶ୍ୱାଳ, ସରପଞ୍ଚ ସୁରେଶ ଚନ୍ଦ୍ର ବାରିକି ପ୍ରମୁଖ ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦଗାର କରିବା ସହ ବାଣପୁର ବ୍ଲକରେ ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ରଣ ହୁଙ୍କାର ଦେଇଥିଲେ।

ଆଗାମୀ ଦିନରେ ଏହିଭଳି ମନମୁଖୀ କାର୍ଯ୍ୟ ଜାରି ରହିଲେ ବାଣପୁରବାସି ସବୁଦିନ ପାଇଁ ବ୍ଲକରେ ତାଲା ପକାଇଦେବେ ବୋଲି ନେତାମାନେ ତାଗିଦ କରିଥିଲେ। ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ଭୋଳ ଆଗାମୀ ନିର୍ବାଚନରେ ବିଜେଡି ନେତା ଓ କର୍ମୀ ମାନଙ୍କୁ ଗାଁ ଗଣ୍ଡାରେ ପୁରାଇ ଦିଆଯିବନି ବୋଲି ମତ ରଖିଥିଲେ।

ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରତ୍ୟେକ ଗ୍ରାମକୁ ସ୍ୱଚ୍ଛପାଣିର ବ୍ୟବସ୍ଥା ସହ କୃଷକ ମାନଙ୍କର ଉନ୍ନତି ପାଇଁ ସରକାର ସୁବିଧା କରିବାକୁ ନେତାମାନେ ଦାବୀ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅକ୍ଟୋବର ୧୬ରୁ ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୩-୨୪ ଶିକ୍ଷାବର୍ଷ ଲାଗି “ସ୍ପଟ୍ ନାମଲେଖା” 

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ସ୍ପଟ୍ ନାମଲେଖା କରାଯିବ। ଏହି ପ୍ରକ୍ରିୟା ଅକ୍ଟୋବର ୧୬ରୁ ୩୧ ତାରିଖ ଯାଏଁ ଚାଲିବ। ଓଡ଼ିଶାର ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରି ନାମ ଲେଖାଇବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଏହି ସ୍ପଟ୍ ନାମଲେଖା ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ ଅଫ୍ ସର୍ଭିସେସ୍ ପାଠ୍ୟକ୍ରମ ଅଧୀନରେ ଥିବା ମୋଟ ୭ଟି ବିଷୟରେ କରାଯିବ। ନାମଲେଖା ପ୍ରକ୍ରିୟା ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଚାଲିବ। ତେଣୁ ପ୍ରାର୍ଥୀମାନେ ଏହାର ସୁଯୋଗ ନେବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ବିଭାଗ ଅଧୀନରେ ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍‌, ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନ୍‌, ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍‌, ମେକାଟ୍ରୋନିକ୍ସ ଏବଂ ଇଲେକ୍ଟ୍ରିକାଲ ଟେକ୍ନୋଲୋଜି ଭଳି ୫ଟି ଅତ୍ୟାଧୁନିକ ବିଷୟ ରହିଛି। ସରକାରୀ ବା ଘରୋଇ ଶିକ୍ଷାନୁଷ୍ଠାନରୁ ୨ ବର୍ଷିଆ ଆଇଟିଆଇ/ ୩ ବର୍ଷିଆ ଡିପ୍ଲୋମା ଇଞ୍ଜିନିୟରିଂ ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଏହି ୧ ବର୍ଷିଆ ପାଠ୍ୟକ୍ରମରେ ନାମ ଲେଖାଇପାରିବେ।

ସ୍କୁଲ୍ ଅଫ୍ ସର୍ଭିସେସ୍ ଅଧୀନରେ ହେୟାର ଫ୍ୟାସନ ଆଣ୍ଡ ଡିଜାଇନ ଏବଂ ବ୍ୟୁଟି ୱେଲନେସ୍ ଆଣ୍ଡ ସ୍ପା ଭଳି ଦୁଇଟି ଅତ୍ୟାଧୁନିକ ବିଷୟ ରହିଛି। +୨ କିମ୍ବା କୌଣସି ବିଷୟରେ ଡିପ୍ଲୋମା କରିଥିବା ପ୍ରାର୍ଥୀମାନେ ଏଥିରେ ନାମ ଲେଖାଇପାରିବେ। ଏହି ପାଠ୍ୟକ୍ରମର ଅବଧି ରହିଛି ୧ ବର୍ଷ।

ପ୍ରାର୍ଥୀମାନେ ନିଜ ନିଜର ଆଧାରକାର୍ଡ ଏବଂ ପାସପୋର୍ଟ ଫଟୋ ସହିତ ମାଟ୍ରିକ, ଆଇଟିଆଇ କିମ୍ବା ଡିପ୍ଲୋମା ଏବଂ ସିଏଲସି ସାର୍ଟିଫିକେଟ ସାଙ୍ଗରେ ଆଣିବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ଜାତିଗତ ପ୍ରମାଣପତ୍ର ଆଣିବାକୁ ପରାମର୍ଶ ଦିଆଯାଇଛି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅନ୍ତର୍ଜାତୀୟ ଢାଞ୍ଚାର ପାଠ୍ୟକ୍ରମ ସହ ଆବଶ୍ୟକ ଭିତ୍ତିଭୂମି, ଅତ୍ୟାଧୁନିକ ଲାବୋରେଟୋରି ଏବଂ ବିଶ୍ୱସ୍ତରୀୟ ବିଭିନ୍ନ ଯନ୍ତ୍ରପାତି ରହିଛି। ଏହି କେନ୍ଦ୍ରରେ ଫିନିସିଙ୍ଗ ସ୍କୁଲ ଢାଞ୍ଚାରେ ଯୁବକ ଯୁବତୀମାନଙ୍କୁ ଆବଶ୍ୟକ ଶିକ୍ଷା ଓ ତାଲିମ ଦିଆଯାଇ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶିଳ୍ପ ଓ ସେବା କ୍ଷେତ୍ର ଲାଗି ପ୍ରସ୍ତୁତ କରାଯାଉଛି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କ ରହିବା ଲାଗି ହଷ୍ଟେଲ, ଖାଇବା, ୟୁନିଫର୍ମ ଏବଂ ଯିବା ଆସିବା ଲାଗି ବସ୍ ସୁବିଧା ଆଦି ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଦିଆଯାଉଛି। ତା’ଛଡ଼ା ଚଳିତ ଶିକ୍ଷାବର୍ଷରେ ଅନୁସୂଚିତ ଜାତି, ଜନଜାତି, ପଛୁଆ ଏବଂ ସଂଖ୍ୟାଲଘୁ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ କୋର୍ସ ଫି’ ସମ୍ପୂର୍ଣ୍ଣ ମାଗଣା ରହିଛି।

ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କୁ ବିଦେଶରେ ଯାଇ ବିଶେଷ ଅନୁଭୂତି ହାସଲ କରିବା ପାଇଁ ସୁଯୋଗ ଦିଆଯାଉଛି। ଏହି ପାଠ୍ୟକ୍ରମ ଅଧୀନରେ କେନ୍ଦ୍ରର ୪୦ ଜଣ ଛାତ୍ରଛାତ୍ରୀଙ୍କୁ ବଛାଯାଇ ଦୁଇ ସପ୍ତାହ ଲାଗି “ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ” କାର୍ଯ୍ୟକ୍ରମରେ ସିଙ୍ଗାପୁର ପଠାଯାଉଛି। ସେହିପରି ପ୍ରତିବର୍ଷ ୨୪ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ସିଙ୍ଗାପୁରର ବିଭିନ୍ନ କମ୍ପାନିରେ ପେଡ୍ ଇଣ୍ଟର୍ଣ୍ଣସିପ୍ କରିବାର ସୁଯୋଗ ଦିଆଯାଉଛି।

ଶିକ୍ଷା ଓ ତାଲିମ ଶେଷ ହେବା ପରେ ଛାତ୍ରଛାତ୍ରୀମାନେ କିପରି ଦେଶ ବିଦେଶର ବିଭିନ୍ନ ପ୍ରମୁଖ ସଂସ୍ଥାରେ ନିଯୁକ୍ତି ପାଇପାରିବେ ସେଥିପାଇଁ “ପ୍ଲେସମେଣ୍ଟ” ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ୨୦୨୨-୨୩ ବ୍ୟାଚରେ ୯୩ ପ୍ରତିଶତ ଛାତ୍ରଛାତ୍ରୀ ବିଭିନ୍ନ କମ୍ପାନିରେ ନିଯୁକ୍ତି ପାଇଛନ୍ତିୟ ତା’ ଭିତରେ ୨୫ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଜାତୀୟ ସ୍ତରରେ ନିଯୁକ୍ତି ସୁଯୋଗ ମିଳିଛି।

ଚଳିତ ବ୍ୟାଚରେ ଛାତ୍ରଛାତ୍ରୀମାନେ ଟାଟା ଟାଟା ଷ୍ଟିଲ୍‌, ଆଇଏଚସିଏଲ, ଏମରିଲ୍ ସର୍ଭିସେସ୍‌, ଇଏଫଏସ୍ ଦୁବାଇ, ଏମ/ଏନଏସ୍‌, ଜିନ୍ଦଲ, ଫୁରୁକୱା ମିଣ୍ଡା, ଟେକମେକ, ହୋଣ୍ଡା କାରସ୍ ଆଦି ପ୍ରମୁଖ କମ୍ପାନିରେ ନିଯୁକ୍ତି ପାଇଛନ୍ତି।

ଚଳିତ ବ୍ୟାଚରୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍ (ଲିଫ୍ଟ ଟେକ୍ନୋଲୋଜି) ଉପରେ ଏକ ନୂତନ ତାଲିମ ପାଠ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି ଆଧୁନିକ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ବେଷୟିକ ଶିକ୍ଷା ଓ ତାଲିମ ଦିଆଯିବ। ଫଳରେ ସେମାନେ ଲିଫ୍ଟ, ଏସ୍କାଲେଟର, ଟ୍ରାଭେଲେଟରର ସ୍ଥାପନା, କାର୍ଯ୍ୟକ୍ଷମ, ରକ୍ଷଣାବେକ୍ଷଣ, ମରାମତି ଓ ଯାଞ୍ଚ ଆଦି କାର୍ଯ୍ୟ କରିବାରେ ସକ୍ଷମ ହେବେ। ଏହି ବିଷୟରେ ତାଲିମ ନେବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଆକର୍ଷଣୀୟ ନିଯୁକ୍ତି ସୁଯୋଗ ରହିଛି।

ସ୍ପଟ୍ ନାମଲେଖା ସମ୍ପର୍କରେ ପ୍ରାର୍ଥୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରର ୱେବସାଇଟରୁ ଙ୍ଗଙ୍ଗଙ୍ଗ.ଙ୍ଗକ୍ଟକ୍ସକ୍ଷୟଗ୍ଦଳସକ୍ଷକ୍ଷମରଦ୍ଭଗ୍ଧରକ୍ସ.କ୍ଟକ୍ସଶ ଅଧିକ ସୂଚନା ପାଇପାରିବେ। ତା’ଛଡ଼ା ୧୮୦୦ ୨୬୬ ୬୦୦୨/ ୦୬୭୪ ୨୫୮୦୦୭୯ ନମ୍ବରରେ କଲ୍ କରିପାରିବେ।

Categories
ବିଶେଷ ଖବର

‘ଆମ ଓଡିଶା ନବୀନ ଓଡିଶା’ ଯୋଜନା: ପୁରୀ ଓ ନୟାଗଡ ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ପୁରୀ ଓ ନୟାଗଡ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା। ଏଥିପାଇଁ ପୁରୀ ଜିଲ୍ଲାର ୬ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୩୪ କୋଟି ଟଙ୍କା ଏବଂ ଏଥିରେ ୪୧୩୦ଟି ପ୍ରକଳ୍ପ ହେବ। ସେହିପରି ନୟାଗଡ ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ୯୭ କୋଟି ଟଙ୍କା ଏବଂ ଏଥିରେ ୨୯୨୪ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ।

ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ, ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି। ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତାର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଏହି ଯୋଜନାରେ ସଂସ୍କୃତି ସହିତ ଆଧୁନିକତାର ହେବ ସମନ୍ବୟ। ଏହି ସମନ୍ବୟରେ ଗାଁ ଗାଁ ରେ ଆସିବ ସମୃଦ୍ଧି। ଏହି ହେଉଛି ଏକବିଂଶ ଶତାଦ୍ଦୀର ଓଡିଶା ପାଇଁ ଆମର ସଂକଳ୍ପ। ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି। ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା। ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି। ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗାଁ ରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ। ଗାଁ ରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ। ବିଜ୍ଞାନ ପାର୍କ ହେବ। ଦକ୍ଷତା ବିକାଶ କେନ୍ଦ୍ର ହେବ। Works hub ହେବ । Banking  ସୁବିଧା  ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର   ପରିଚୟକୁ ଆହୁରି ଉଜ୍ଜଳ କରିବ। ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଆଜିର କାର୍ଯ୍ୟକ୍ରମ ପାଇଁ ପୁରୀର ୬ଟି ନିର୍ବାଚନମଣ୍ଡଳୀ ଓ ନୟାଗଡର ୪ଟି ନିର୍ବାଚନ ମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପୁରୀର ୬ଟି ନିର୍ବାଚନ ମଣ୍ଡଳୀର ୨୬୮ଟି ଗ୍ରାମ ପଞ୍ଚାୟତର ୪୧୩୦ଟି ପ୍ରକଳ୍ପ ପାଇଁ ୧୩୪ କୋଟି  ଟଙ୍କା ମଞ୍ଜୁର କରାଯାଇଥିବା ବେଳେ, ନୟାଗଡ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀର ୧୯୪ଟି ଗ୍ରାମ ପଞ୍ଚାୟତର  ୨୯୨୪ଟି ପ୍ରକଳ୍ପ ପାଇଁ ୯୭ କୋଟି ଟଙ୍କା ମଞ୍ଜୁର କରାଯାଇଛି।

୫-ଟି ସଚିବ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ତୃଷାରକାନ୍ତି ବେହେରା, ବିଧାୟକ ସମୀର ରଞ୍ଜନ ଦାଶ, ବିଧାୟକ ରୁଦ୍ରପ୍ରତାପ ମହାରଥୀ, ବିଧାୟକ ଉମାକାନ୍ତ ସାମନ୍ତରାୟ, ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଥିଲେ। ନୟାଗଡ ଜିଲ୍ଲା କାର୍ଯ୍ୟକ୍ରମରେ ବିଧାୟକ ସତ୍ୟନାରାୟଣ ପ୍ରଧାନ, ରମେଶଚନ୍ଦ୍ର ବେହେରା ଓ ଡଃ ଅରୁଣ କୁମାର ସାହୁଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ, ବ୍ଲକ ଅଧ୍ୟକ୍ଷ ଓ ସରପଞ୍ଚମାନେ ଯୋଗ ଦେଇ ମତାମତ ରଖିଥିଲେ। ୫-ଟି ସଚିବଙ୍କ ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଛି ବୋଲି ସେମାନେ କହିଥିଲେ।

ତାଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଅଞ୍ଚଳ ପାଇଁ ଯେଉଁ ଯେଉଁ ପ୍ରକଳ୍ପ ସବୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି, ସେ ସଂପର୍କରେ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ। ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ଲୋକଙ୍କ ପ୍ରସ୍ତାବିତ ପ୍ରକଳ୍ପ ଓ ଆବଶ୍ୟକତାକୁ ଦେଖି ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି। କାର୍ଯ୍ୟକ୍ରମରେ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ, ଶ୍ରୀ ଲିଙ୍ଗରାଜ  ମନ୍ଦିର  ଏକାମ୍ର  ପ୍ରକଳ୍ପ, ତାଳଦଣ୍ଡା କେନାଲ ଆଦି ପ୍ରମୁଖ ରୂପାନ୍ତର କାର୍ଯ୍ୟକ୍ରମର  ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏହି ରୂପାନ୍ତର ନବୀନ ଓଡିଶାର ଗୋଟିଏ ଗୋଟିଏ ନମୁନା ବୋଲି ୫-ଟି ସଚିବ ମତ ଦେଇଥିଲେ। ଏହାକୁ ସମସ୍ତେ ସ୍ବଚ୍ଛତାର ସହ ଓ ଠିକ୍‌ ସମୟରେ ଶେଷ କରିବାକୁ ସେ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବନ୍ଦ ବିଦ୍ୟାଳୟ ପୁନଃ ଖୋଲିବାକୁ ଦାବି: ଧାରଣାରେ ବସିବାକୁ ଚେତାବନୀ ଦେଲେ ଗ୍ରାମବାସୀ

କନ୍ଦର୍ପ ବେହେରା
ରେଢାଖୋଲ: ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ କେଉଁଠି ଶିକ୍ଷକ ନାହିଁ ତ କେଉଁଠି କୋଠାଘର ନାହିଁ। ଏପରିକି ବିଦ୍ୟାଳୟ ମାନଙ୍କରେ କମ୍ ପିଲା ପଢୁଥିବାରୁ ବିଦ୍ୟାଳୟକୁ ବନ୍ଦ କରି ଦେଉଛନ୍ତି।  ଯା ଫଳରେ ଗ୍ରାମାଞ୍ଚଳର ପିଲାମାନେ ପାଠପଢାରେ ଡୋରି ବାନ୍ଧି ଦେଉଛନ୍ତି।

ସେମିତି ଏକ ବିଦ୍ୟାଳୟକୁ ସରକାର ବନ୍ଦ କରିବାରୁ ଗ୍ରାମର ସ୍ବେଚ୍ଛାସେବୀ କେତେଜଣ ମାଗଣାରେ ପାଠପଢାଉଥିବା ଜଣାପଡିଛି।

ଖବରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକ ସାହେବି ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲି ପଞ୍ଚୁ ଗ୍ରାମରେ ଥିବା ପ୍ରାଇମେରୀ ବିଦ୍ୟାଳୟଟି ଆଜକୁ ୩ ବର୍ଷ ହେଲା ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ଥିଲେ ମଧ୍ୟ ସ୍କୁଲ ଟି ସରକାର କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ଦର୍ଶାଇ ସ୍କୁଲ ଟି କୁ ବନ୍ଦ କରିଦେଇଛନ୍ତି। ଫଳରେ ଏହି ସ୍କୁଲ ରେ ପାଠ ପଢୁଥିବା ରେଙ୍ଗାଲିପଞ୍ଚୁ, ପାଟୁଳିଢିପ ଆଦି ଗ୍ରାମର ଛାତ୍ରଛାତ୍ରୀ ମାନେ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ଗ୍ରାମର ଛାତ୍ରଛାତ୍ରୀ ମାନେ ବାଧ୍ୟ ହୋଇ ସାହେବି ପ୍ରଥମିକ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଉଥିବା ଜଣା ପଡିଛି।

ବିଦ୍ୟାଳୟଟିକୁ ପୁନଃ ଖୋଲିବା ପାଇଁ ଗ୍ରାମ ବାସୀ ପୂର୍ବରୁ ନାକଟିଦେଉଳ ବିଇଓ , ବିଡ଼ିଓ, ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିୟାନ୍ ଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ କୌଣସି ଫଳ ମିଳିପାରି ନାହିଁ। ଫଳରେ ଛାତ୍ରଛାତ୍ରୀମାନେ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି।

ପ୍ରାଥମିକ ଶିକ୍ଷା ର ବିକାଶ ପାଇଁ ଗ୍ରାମବାସୀଙ୍କ ଉଦ୍ୟମ କ୍ରମେ ଏହି ରେଙ୍ଗାଲି ପଞ୍ଚୁ ପ୍ରାଥମିକ ବିଦ୍ୟାଳୟଟି ୧୯୭୧ ମସିହାରେ ସ୍ଥାପନ ହୋଇଥିଲା। ବିଦ୍ୟାଳୟ ବନ୍ଦ ହେବା ଦିନ ଠାରୁ ଗ୍ରାମବାସୀ ମାନେ ଶିକ୍ଷା ବିଭାଗଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରି ଆସିଥିଲେ ମଧ୍ୟ ସ୍କୁଲକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ପାଇ ପାରିନାହାନ୍ତି। ଗ୍ରାମରେ ଥିବା ପିଲାଙ୍କ ପାଠପଢା ବ୍ୟାହତ ହେଉଥିବାରୁ ଗ୍ରାମର ଦୁଇଜଣ ଶିକ୍ଷିତ ଯୁବକ ପାଖାପାଖି ୪୫ ଜଣ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି।

ଗୁରୁବାର ଗ୍ରାମବାସୀ ପୁଣିଥରେ ନାକଟିଦେଉଳ ବିଇଓ ବିଜୟ କୁମାର ପାତ୍ରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବା ସହ ଆଗାମୀ ୧୦ଦିନ ମଧ୍ୟରେ ସ୍କୁଲ ଟି ପୁନଃ କାର୍ଯ୍ୟକ୍ଷମ ନହେଲେ ବିଇଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିବେ ବୋଲି ପ୍ରକାଶ କରିଛନ୍ତି।

Categories
ବିଶେଷ ଖବର

ଜନଗଣନା କରିବାର ଅଧିକାର ରାଜ୍ୟ ସରକାରଙ୍କର ନାହିଁ: ସୁପ୍ରିମକୋର୍ଟରେ ବିହାର ଜାତି ସର୍ଭେକୁ କେନ୍ଦ୍ରର ବିରୋଧ

ନୂଆଦିଲ୍ଲୀ: ଜନଗଣନା କିମ୍ବା ଏଭଳି କୌଣସି ପ୍ରକ୍ରିୟା ଗ୍ରହଣ କରିବାର ଅଧିକାର ତାଙ୍କ ବ୍ୟତୀତ ଅନ୍ୟ କାହାର ନାହିଁ ବୋଲି କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟକୁ ଜଣାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ବିଚାର ପାଇଁ ସାମ୍ବିଧାନିକ ଓ ଆଇନଗତ ସ୍ଥିତିକୁ ଦୃଷ୍ଟିରେ ରଖି ବିହାରରେ ଜାତିଭିତ୍ତିକ ସର୍ଭେକୁ ଚ୍ୟାଲେଞ୍ଜ କରୁଥିବା ପିଟିସନର ଜବାବରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସଂକ୍ଷିପ୍ତ ସତ୍ୟପାଠ ଦାଖଲ କରାଯାଇଛି। ସମ୍ବିଧାନର ସପ୍ତମ ଅନୁସୂଚୀରେ ୬୯ ନମ୍ବର ସ୍ଥାନରେ ଜନଗଣନା ବିଷୟକୁ କେନ୍ଦ୍ର ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଜନଗଣନା ଆଇନ, ୧୯୪୮ କେବଳ କେନ୍ଦ୍ର ସରକାରଙ୍କୁ ଜନଗଣନା କରିବାକୁ କ୍ଷମତା ପ୍ରଦାନ କରିଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି। ଏଥିରେ ଦର୍ଶାଯାଇଛି ଯେ ସମ୍ବିଧାନ ଅନୁଯାୟୀ କିମ୍ବା ଅନ୍ୟ କୌଣସି ସଂସ୍ଥା (କେନ୍ଦ୍ର ବ୍ୟତୀତ) ଜନଗଣନା କିମ୍ବା ଏପରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ନାହିଁ।

ଭାରତୀୟ ସମ୍ବିଧାନର ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ପ୍ରଯୁଜ୍ୟ ଆଇନ ଅନୁଯାୟୀ ଏସସି/ଏସଟି/ଏସଇବିସି ଏବଂ ଓବିସିଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାର ସମସ୍ତ ସକାରାତ୍ମକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମାମଲାର ସାମ୍ବିଧାନିକ ଓ ଆଇନଗତ ସ୍ଥିତିକୁ ରେକର୍ଡରେ ରଖିବାକୁ ଚାହୁଁଛନ୍ତି ବୋଲି କହିବା ପରେ ଅଗଷ୍ଟ ୨୧ତାରିଖରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ଦାଖଲ ପାଇଁ ଏକ ସପ୍ତାହ ସମୟ ଦେଇଥିଲେ। ବିହାରରେ ଜାତିଭିତ୍ତିକ ସର୍ଭେକୁ ଚ୍ୟାଲେଞ୍ଜ କରୁଥିବା ପିଟିସନଖାରଜ କରିବା ପାଇଁ ପାଟନା ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟରେ ବହୁ ସଂଖ୍ୟାରେ ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଚ୍ୟାଲେଞ୍ଜ କରାଯାଇଛି।

ଭାରତରେ ଜନଗଣନା କରିବାର କ୍ଷମତା କେନ୍ଦ୍ରର ରହିଛି

ଏହି ଆବେଦନଗୁଡ଼ିକ ସୋମବାର ତାଲିକାଭୁକ୍ତ ହୋଇପାରିନଥିଲେ ମଧ୍ୟ ଅଗଷ୍ଟ ୨୮ରେ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିଲା। ଆବେଦନକାରୀମାନେ ସର୍ବୋଚ୍ଚ ଅଦାଲତରେ ଯୁକ୍ତି ବାଢ଼ିଥିଲେ ଯେ ସର୍ଭେ ପ୍ରକ୍ରିୟା ଗୋପନୀୟତା ଆଇନକୁ ଉଲ୍ଲଂଘନ କରୁଛି ଏବଂ ଭାରତରେ ଜନଗଣନା କରିବାର ଅଧିକାର କେବଳ କେନ୍ଦ୍ର ସରକାରଙ୍କ ପାଖରେ ଅଛି, ଜାତିଭିତ୍ତିକ ସର୍ଭେ କରିବା ଏବଂ ବିଜ୍ଞପ୍ତି ଦେବାର ବିହାର ସରକାରଙ୍କର କୌଣସି କ୍ଷମତା ନାହିଁ। ସର୍ବେକ୍ଷଣ ପ୍ରକ୍ରିୟା କିମ୍ବା ସର୍ବେକ୍ଷଣ ଫଳାଫଳ ପ୍ରକାଶନ ଉପରେ ରୋକ୍ ଲଗାଇବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଅନ୍ତରୀଣ ଆଦେଶ ଦେବାକୁ ମନା କରିଦେଇଥିଲେ, ଯଦିଓ ଯୁକ୍ତି କରାଯାଇଥିଲା ଯେ ତଥ୍ୟ ପ୍ରକାଶ ପାଇବା ପରେ ଏହି ମାମଲା ଅର୍ଥହୀନ ହୋଇଯିବ।
କ’ଣ ହେଉଛି ମାମଲା?

ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର କହିଛନ୍ତି ଯେ ବିହାରରେ ଜାତିଭିତ୍ତିକ ସର୍ଭେ ଶେଷ ହୋଇଛି ଏବଂ ଖୁବଶୀଘ୍ର ଫଳାଫଳ ସାର୍ବଜନୀନ କରାଯିବ। ଗତ ଅଗଷ୍ଟ ୧ ତାରିଖରେ ପାଟନା ହାଇକୋର୍ଟ ଦେଇଥିବା ରାୟରେ ଅନେକ ଆବେଦନକୁ ଖାରଜ କରିବା ସହ ସର୍ଭେ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସବୁଜ ସଙ୍କେତ ଦେଇଥିଲେ।

ହାଇକୋର୍ଟଙ୍କ ରାୟ ପରେ ବିହାର ସରକାର ସେହିଦିନ ପ୍ରକ୍ରିୟା ଆରମ୍ଭ କରିଥିଲେ ଏବଂ ଅବଶିଷ୍ଟ ସର୍ଭେ ପ୍ରକ୍ରିୟା ତିନି ଦିନ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଚଳିତ ବର୍ଷ ଜାନୁଆରି ୭ତାରିଖରୁ ଆରମ୍ଭ ହୋଇଥିବା ଏହି ସର୍ଭେ ମେ’ ୧୫ ତାରିଖ ସୁଦ୍ଧା ଶେଷ ହେବାର ଥିଲା, ତାହା ଉପରେ ଅନ୍ତରୀଣ ରହିତାଦେଶ ଜାରି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପରେ ହାଇକୋର୍ଟ ଅନେକ ଆବେଦନକୁ ଖାରଜ କରି କହିଥିଲେ, ଆମେ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ ବୈଧ ମନେ କରୁଛୁ, ଏହା ଯଥେଷ୍ଟ ଦକ୍ଷତା ସହିତ ଆରମ୍ଭ ହୋଇଛି ଏବଂ ଏହାର ବୈଧ ଉଦ୍ଦେଶ୍ୟ ହେଉଛି ନ୍ୟାୟ ସହିତ ବିକଶିତ ହେବ।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ଦକ୍ଷତା କେନ୍ଦ୍ରରେ ସେପ୍ଟେମ୍ବର ସେସନ ଲାଗି ନାମଲେଖା, ଆବେଦନର ଶେଷ ତାରିଖ ଅଗଷ୍ଟ ୧୫

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ୱାର୍ଲ୍ଡ ସ୍କିଲ ସେଣ୍ଟର ବା ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ତାଲିମ ପାଠ୍ୟକ୍ରମରେ ସେପ୍ଟେମ୍ବର ସେସନରେ ନାମଲେଖା ପାଇଁ ଆବେଦନର ଶେଷ ତାରିଖ ରହିଛି ଅଗଷ୍ଟ ୧୫ ତାରିଖ। ଏହି ବର୍ଷିକିଆ ପାଠ୍ୟକ୍ରମଗୁଡ଼ିକ ଲାଗି କେବଳ ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯାଉଛି।

ରାଜ୍ୟର କୌଣସି ସରକାରୀ ବା ଘରୋଇ ଅନୁଷ୍ଠାନରୁ ଯେ କୌଣସି ବିଷୟରେ ୨ ବର୍ଷିଆ ଆଇଟିଆଇ ବା ୩ ବର୍ଷିଆ ପଲିଟେକ୍‌ନିକ୍‌, କିମ୍ବା ଯୁକ୍ତ ୨ ଓ ଡିପ୍ଲୋମା ପାସ୍ କରିଥିବା ଛାତ୍ରଛାତ୍ରୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ବିଷୟରେ ନାମଲେଖା ପାଇଁ ଆବେଦନ କରିପାରିବେ। ଏହି ପ୍ରକ୍ରିୟା ଶେଷ ହେବା ପରେ ଅନଲାଇନ ମାଧ୍ୟମରେ ଏକ ପ୍ରବେଶିକା ପରୀକ୍ଷା କରାଯିବ। ଏଥିରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଷୟରେ ନାମଲେଖା ପାଇଁ ଚୟନ କରାଯିବ।

ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳଠାରେ ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ର ଦେଶର ଏକ ଅଗ୍ରଣୀ ତଥା ଅଭିନବ ଦକ୍ଷତା ବିକାଶ କେନ୍ଦ୍ର ଭାବେ ପରିଚିତ। ଏଠାରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ୍ ଅଫ୍ ସର୍ଭିସେସ୍ ଭଳି ଦୁଇଟି ବିଭାଗ ରହିଛି। ଏହା ଅଧୀନରେ ମୋଟ ୭ଟି ଅତ୍ୟାଧୁନିକ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଫିନିସିଙ୍ଗ ସ୍କୁଲ ଢାଞ୍ଚାରେ ତାଲିମ ଦିଆଯାଇ ଦେଶ ବିଦେଶର ଶିଳ୍ପ ଓ ସେବା କ୍ଷେତ୍ରରେ ନିଯୁକ୍ତି ପାଇଁ ପ୍ରସ୍ତୁତ କରାଯାଉଛି।

ଏହାର ସ୍କୁଲ ଅଫ୍ ଇଞ୍ଜିନିୟରିଂ ବିଭାଗ ଅଧୀନରେ ମେକାଟ୍ରୋନିକ୍ସ, ଇଲେକ୍ଟ୍ରିକାଲ ଟେକ୍ନୋଲୋଜି, ମେକାନିକାଲ ଆଣ୍ଡ୍ ଇଲେକ୍ଟ୍ରିକାଲ ସର୍ଭିସେସ, ଏୟାର କଣ୍ଡିସନିଂ ଆଣ୍ଡ୍ ରେଫ୍ରିଜରେସନ ଏବଂ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ଭଳି ୫ଟି ଆଧୁନିକ ବିଷୟରେ ନାମଲେଖା ପାଇଁ ଆବେଦନ ଗ୍ରହଣ କରାଯାଉଛି।

ସେହିପରି ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗ ଅଧୀନରେ “ହେୟାର ଫ୍ୟାସନ ଆଣ୍ଡ ଡିଜାଇନ୍‌” ଏବଂ “ବ୍ୟୁଟି ୱେଲନେସ୍ ଆଣ୍ଡ ସ୍ପା” ଭଳି ୨ଟି ପାଠ୍ୟକ୍ରମ ରହିଛି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ ଶିଳ୍ପ-ଦକ୍ଷତା ପ୍ରଦାନ ପାଇଁ ଅନ୍ତର୍ଜାତୀୟ ଢାଞ୍ଚାର ପାଠ୍ୟକ୍ରମ ସହ ଅତ୍ୟାଧୁନିକ ଲାବୋରେଟୋରି କରାଯାଇଛି। ସେହିପରି ବିଷୟଭିତ୍ତିକ ପାଠ ଓ ତାଲିମ ଛଡ଼ା ସେମାନଙ୍କ ଜୀବନ କୌଶଳ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ଏହା ମଧ୍ୟରେ ରହିଛି ଯୋଗାଯୋଗ ଦକ୍ଷତା, କମ୍ପ୍ୟୁଟର ଓ ଡିଜିଟାଲ ପ୍ରୟୋଗ, ବ୍ୟକ୍ତିତ୍ୱ ବିକାଶ ଏବଂ ଉଦ୍ୟୋଗ ବିକାଶ ଭଳି ବିଷୟ।

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଦ୍ୱାରା ପରିଚାଳିତ ସ୍କିଲ୍ଡ ଇନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ତଥା ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଏହି କେନ୍ଦ୍ର ସ୍ଥାପନ କରାଯାଇଛି। ଏଠାରେ ଛାତ୍ରଛାତ୍ରୀଙ୍କ ଲାଗି ହଷ୍ଟେଲ ସୁବିଧା, ଖାଇବା, ୟୁନିଫର୍ମ ଏବଂ ଯିବା ଆସିବା ଲାଗି ବସ୍ ବ୍ୟବସ୍ଥା ମାଗଣାରେ ଦିଆଯାଉଛି।

ବିଶ୍ୱ ଦକ୍ଷତା କେନ୍ଦ୍ରର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ସିଙ୍ଗାପୁରଠାରେ ଦୁଇ ସପ୍ତାହ ପାଇଁ “ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ” କାର୍ଯ୍ୟକ୍ରମ ତଥା ସେଠିକାର ବିଭିନ୍ନ କମ୍ପାନିରେ ୬ ମାସିଆ ପେଡ୍‌-ଇଣ୍ଟର୍ଣ୍ଣସିପ୍ ଲାଗି ବ୍ୟବସ୍ଥା ରହିଛି। ଛାତ୍ରଛାତ୍ରୀମାନେ ଦେଶ ବିଦେଶର ପ୍ରମୁଖ ସଂସ୍ଥାରେ କିପରି ନିଯୁକ୍ତି ପାଇପାରିବେ ସେଥିପାଇଁ “ପ୍ଲେସମେଣ୍ଟ” କାର୍ଯ୍ୟକ୍ରମ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଉଛି।

ଆଗ୍ରହୀ ପ୍ରାର୍ଥୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରର ୱେବସାଇଟ www.worldskillcenter.org ମାଧ୍ୟମରେ ନାମଲେଖା ପାଇଁ ସିଧାସଳଖ ଆବେଦନ କରିପାରିବେ। ଏ ବିଷୟରେ ଅଧିକ ଜାଣିବା ପାଇଁ ୧୮୦୦ ୨୬୬ ୬୦୦୨ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ଅନୁରୋଧ କରାଯାଇଛି।

Categories
ଆଞ୍ଚଳିକ

ବାଣପୁର: ଜିଲ୍ଲାର ଏକମାତ୍ର ରୂପାନ୍ତରଣ ବିଦ୍ୟାଳୟରେ ଯୁକ୍ତ ଦୁଇ ବିଦ୍ୟାର୍ଥୀଙ୍କ ପ୍ରବେଶ ଉତ୍ସବ

ସୀତାରାମ ଅଗ୍ରୱାଲ

ବାଣପୁର: ରାଜ୍ୟ ସରକାରଙ୍କ ସ୍କୁଲକୁ କଲେଜରେ ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ ହୋଇଛି ବାଣପୁର ସ୍ଥିତ ଭେଟିନାଥ ଦେବ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ଉକ୍ତ ବିଦ୍ୟାଳୟ ଖୋର୍ଦ୍ଧା ଜିଲ୍ଲାରେ ଏକମାତ୍ର ବିଦ୍ୟାଳୟ ଯାହାକି ରୂପାନ୍ତରଣ ହୋଇ ଏଠାରେ ଯୁକ୍ତ ଦୁଇ କଳା ବିଭାଗ ଖୋଲାଯାଇଥିଲା। ସେତେବେଳେ ଅଂଚଳବାସୀ ଖୁସିହେବା ସହ ଆଖପାଖ ପଞ୍ଚାୟତ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଉକ୍ତଦିନ ଠାରୁ ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଉକ୍ତ ବିଦ୍ୟାଳୟରେ ନାମଲେଖାଇବାକୁ ବିଦ୍ୟାଳୟ କମିଟି ଓ କର୍ତ୍ତୃପକ୍ଷ ଚେଷ୍ଟା ଜାରି ରଖିଥିଲେ। ଯାହାଫଳରେ ୧୦୨ ଜଣ ଛାତ୍ରଛାତ୍ରୀ ଏକାଦଶ ଶ୍ରେଣୀରେ ନାମ ଲେଖାଇଛନ୍ତି।

ଆଜି ପ୍ରଥମ ପ୍ରବେଶ ଦିବସ ହୋଇଥିବାରୁ ସେମାନଙ୍କ ପାଇଁ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଖୋର୍ଦ୍ଧା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଅନ୍ୟ ଅତିଥିମାନଙ୍କ ଗହଣରେ ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ସାମନ୍ତରାୟ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ପ୍ରଧାନ, ସମାଜସେବୀ ଦିବାକର ଶାସମଲ ଏବଂ ପରିଚାଳନା କମିଟିର ସଦସ୍ୟ ମାନେ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୫ କୋଟି ଟଙ୍କାର ଲାଭାଂଶ ପ୍ରଦାନ

ଭୁବନେଶ୍ଵର: ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୫ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି। ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ, ପରିଚାଳନା ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ପ୍ରମୁଖ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ ତିନି ବର୍ଷର ଲାଭାଂଶ ବାବଦରେ ୫ କୋଟି ୨ ଲକ୍ଷ ୬୬ ହଜାର ଟଙ୍କାର ଲାଭାଂଶ ପ୍ରଦାନ କରିଛନ୍ତି।

ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ଲିମିଟେଡ ଏକ ରୌପ୍ୟ ବର୍ଗର ସାର୍ବଜନୀକ କ୍ଷେତ୍ରର ରାଜ୍ୟ ସରକାରଙ୍କ ଉଦ୍ୟୋଗ, ଯାହାକି କ୍ଷୁଦ୍ରଶିଳ୍ପର ପ୍ରତିଷ୍ଠା, ପ୍ରଚାର ଏବଂ ପ୍ରସାର ନିମନ୍ତେ ଅଂଗୀକାରବଦ୍ଧ। ସରକାରଙ୍କ ନିମନ୍ତେ ବିଭିନ୍ନ ସାମଗ୍ରୀର କ୍ରୟ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏତଦ୍‌ବ୍ୟତୀତ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ବିଦ୍ୟୁତିକରଣ ତଥା ନିର୍ମାଣ କାର‌୍ୟ୍ୟରେ ନିଜର ଅବଦାନ ମଧ୍ୟ ଦେଇଆସୁଅଛି।

ଏତଦ୍ବ୍ୟତୀତ କମ୍ପାନୀ ମାନଙ୍କର ସାମାଜିକ ଦାୟିତ୍ବ ପାଣ୍ଠିର ସୁବିନିଯୋଗରେ ସ୍କୁଲ ନିର୍ମାଣ, ପଶୁଧନ କେନ୍ଦ୍ର ନିର୍ମାଣ, ସ୍କୁଲ ଉପକରଣ କ୍ରୟ, ଜଳ ବିଶୋଧନ ଉପକରଣ କମ୍ପ୍ୟୁଟର କ୍ରୟ, ଫ୍ରିଜ ତଥା ବିଭିନ୍ନ କ୍ରୟ ମୋ ସ୍କୁଲ ଅଭିଯାନ। ଆଜି ବିଭିନ୍ନ କଲ୍ୟାଣ ଓ ବିକାଶ କାର‌୍ୟ୍ୟକ୍ରମ ମଧ୍ୟ ନିଗମ ପକ୍ଷରୁ କରାଯାଉଅଛି।

Categories
ଆଜିର ଖବର ରାଜ୍ୟ ଖବର

୫ଟି ସଚିବଙ୍କ ଗସ୍ତ ନେଇ ରଣପୁର ଚଳଚଂଚଳ: ବବି, ଅରୁଣଙ୍କ ଜଗନ୍ନାଥ ମନ୍ଦିର ପରିଦର୍ଶନ

ରଣପୁର: ରାଜ୍ୟ ସରକାରଙ୍କ ୫ ଟି ସଚିବ ଭି.କାର୍ତ୍ତିକେନ ପାଣ୍ଡିଆନ ଗୁରୁବାର ରଣପୁର ଆସିବାର କାର୍ଯ୍ୟକ୍ରମ ରହିଛି। ସକାଳ ୯ ଟା ବେଳେ ଜେଲ ପଡିଆ ଠାରେ ହେଲିକ୍ୟାପଟର ରୁ ଅବତରଣ କରିବା ପାଇଁ ହେଲିପ୍ୟାଡର ନିର୍ମାଣ ସରିଛି। ସେଥିପାଇଁ ଆଜି ରଣପୁର ଚଳଚଂଚଳ ହୋଇଥିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ଲୋକ ଆଜି ରଣପୁର ଆସି ପରିଦର୍ଶନ କରିଥିବାଦେଖିବାକୁ ମିଳିଛି।

ଆସନ୍ତାକାଲି ସକାଳେ ୫ଟି ସଚିବ ଶ୍ରୀ ପାଣ୍ଡିଆନ ରଣପୁର ରେ ଆସିମପହଚିଂବେ। ପରେ ସେ ମଣିନାଗ ପୀଠ ଯାଇ ମା କୁ ଦର୍ଶନ କରିବା ସହ ତଳ  ମଣିନାଗ ଓ ଉପର ମଣିନାଗ ର କିଭଳି ଉନ୍ନତି ହୋଇ ପାରିବ ସେ ଉପରେ ସମିକ୍ଷା କରିବେ। ପରେ ରଣପୁର ଜଗନ୍ନାଥ ମନ୍ଦିର ଆସି  ଶ୍ରୀଜିୟୁ ଙ୍କୁ ଦର୍ଶନ କରିବେ। ଓଡିଶାର ଅନେକ ଜଗନ୍ନାଥ ମନ୍ଦିରକୁ ରାଜ୍ୟ ସରକାର ଉନ୍ନତି କରଣ ପାଇଁ ଅର୍ଥ ଯୋଗାଇ ଦେଇଥିବା ବେଳେ ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ଜଗନ୍ନାଥ ମନ୍ଦିର କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଥିଲା।

୫ ଟି ସଚିବ ଦର୍ଶନ କୁ ଆସିବା ପରେ ଜଗନ୍ନାଥ ମନ୍ଦିର ର ଉନ୍ନତି ହୋଇ ପାରିବ ବୋଲି ମତ ପ୍ରକାଶ ପାଇଛି। ନୂତନ ଭାବେ ନିର୍ମାଣ ହୋଇଥିବା ମେଡିକାଲ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ପରେ ୫ ଟି ସଚିବ ରଣପୁର ମିନିଷ୍ଟାଡିୟମ ରେ ମିଶନଶକ୍ତି ମହିଳା ମାନଙ୍କୁ ଉଦ୍ଦବୋଧନ ଦେବେ। ୫ ଟି ଗ୍ରସ୍ତ ପୂର୍ବରୁ ଆଜି ରଣପୁର ଚଲଚଂଚଲ ହୋଇଯାଇଛି।

ସକାଳେ  ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି), ନୟାଗଡ ବିଧାୟକ ଅରୁଣ ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ନୟାଗଡ ଜିଲ୍ଲାପରିଷଦ ଅଧକ୍ଷ ଦେବାଶିଷ୍ ପଟନାୟକ, ଏନଏସି ଅଧକ୍ଷା ରଙ୍ଗିନ ମହାନ୍ତି ପ୍ରମୁଖ ବିଭିନ୍ନ ମିନିଷ୍ଟାଡିୟମ ଯାଇ ତଦାରଖ କରିଥିଲେ। ସେହି ପରି ସନ୍ଧ୍ୟାରେ ନୟାଗଡ ଏସପି ରାହୁଲ ଜୈନ ରଣପୁର ଆସି ଜଗନ୍ନାଥ ଦର୍ଶନ କରିବା ସହ ବିଭିନ୍ନ ଅଚଂଳ ପରିଦର୍ଶନ କରିଥିବା ଜଣାଯାଇଛି।

ଅପରପକ୍ଷରେ ମୁଖ୍ୟ ମନ୍ତ୍ରୀ ଙ୍କର ବ୍ୟକ୍ତିଗତ ସଚିବ ତଥା ୫ ଟି ସଚିବ ଙ୍କର ରଣପୁର ଗ୍ରସ୍ତ କାର୍ଯ୍ୟକ୍ରମ ପରିପେକ୍ଷେ କଂଗ୍ରେସ ଏକ ୭ ଦଫା ଦାବି ପତ୍ର ରାଷ୍ଟିୟ ମଜଦୁର କଂଗ୍ରେସର ରାଷ୍ଟିୟ ସମ୍ପାଦକ  ସତ୍ୟବ୍ରତ ନାୟକ ଏକ ପ୍ରେସ ବ୍ରର୍ତା ଜଣାଯାଛନ୍ତି। ସେତାଙ୍କ ୭ ଦଫା ଦାବି ପତ୍ର ରେ ଚାନ୍ଦପୁର ଠାରେ ଥିବା ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟା ନିବାସକୁ ସୁପର ସ୍ପୋଲିଷ୍ଟ  ହସ୍ପିଟାଲ, ଭେଟବର ଜଳସେଚନ ପ୍ରକଳ୍ପ ପୂନ୍ନ ଉଧାର,କୃଷିଜାତ ସାମଗ୍ରିର ରକ୍ଷାଣବେକ୍ଷାଣ ପାଇଁ ଶୀତଳ ଭଣ୍ଡାର, ବାଂଛା ବନ୍ଧର ପୂର୍ଣ୍ଣ ଉଧାର, ଜଗନ୍ନାଥ ଓ ମଣିନାଗ ମନ୍ଦିର ଉନ୍ନତି ପାଇଁ ଅର୍ଥ ଅନୁଦାନ ଓ ରଣପୁର ଏକ ସବଡିଭେଜନର ମାନ୍ୟତା ଦେବାପାଇଁ  କଂଗ୍ରେସ ଦାବି କରିଛି।

କଂଗ୍ରେସ ତରଫରୁ  ୫ଟି ସଚିବ ଙ୍କ ଗ୍ରସ୍ତ ତାର ଅଭିମୁଖ୍ୟ ସ୍ପଷ୍ଟ କରିଥିବା ବେଳେ ବିଜେପି ର ପ୍ରତିକ୍ରିୟା ଜଣାପଡିନାହିଁ। ରାତି ପାହିଲେ ୫ ଟି ସଚିବ ରଣପୁର ଗ୍ରସ୍ତ କରିବେ। ବିଜେଡିର ହେବି ୱଟ ନେତା ମାନେ ରଣପୁର ଗ୍ରସ୍ତ କରି ସାରିଲେଣି କିନ୍ତୁ ଗଣମାଧ୍ୟମ ପାଖରେ ୫ ଟି ଗ୍ରସ୍ତ ନେଇ କୈାଣସି ସୂଚନା ପାଇନଥିବାରୁ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Categories
ଆଞ୍ଚଳିକ

ଚିଲିକାରୁ ଘେରି ଉଚ୍ଛେଦ ଅଭିଯାନ ଜାରି: ଆଜି ଘେରିମୁକ୍ତ ହେଲା ୬୦୦ ହେକ୍ଟର ଅଞ୍ଚଳ

ସୀତାରାମ ଅଗ୍ରୱାଲ

ଚିଲିକା: ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ପ୍ରକୃତିମୟୀ ନିଳାମ୍ବୁ ଚିଲିକାରୁ ବେଆଇନ ଘେରି ଉଚ୍ଛେଦ ଅଭିଯାନ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଚିଲିକାରେ ବେଆଇନ ଘେରି ଉଚ୍ଛେଦ ଅଭିଯାନ ଜାରି ରହିଥିବା ବେଳେ ପ୍ରଥମ ଦିନରେ ପାଖାପାଖି ୬୦୦ ହେକ୍ଟର ଅଞ୍ଚଳ ଘେରିମୁକ୍ତ ହୋଇଛି।

ଉକ୍ତ ଅଭିଯାନରେ ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡଙ୍ଗୀ, ଅତିରିକ୍ତ ତହସିଲଦାର ସମୀକ୍ଷା ପାଣି, ବାଲୁଗାଁ ପୋଲିସ କର୍ମଚାରୀ, ଚିଲିକା ମତ୍ସ୍ୟ ବିଭାଗ କର୍ମଚାରୀ, ସିଡିଏ କର୍ମଚାରୀ ଓ ଟିମ ସାମିଲ ଥିଲେ। ପ୍ରଥମ ଦିନରେ ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ଜେଟି ଠାରୁ ବାଲୁଗାଁ ପର୍ଯ୍ୟନ୍ତ ପ୍ରାୟତଃ ୬୦୦ ହେକ୍ଟର ଅଞ୍ଚଳକୁ ଘେରିମୁକ୍ତ କରାଯାଇଛି। ସକାଳ ୭.୩୦ ରୁ ଅପରାହ୍ନ ୧.୩୦ ପର୍ଯ୍ୟନ୍ତ ଉକ୍ତ ଉଚ୍ଛେଦ ଅଭିଯାନ ଚାଲିଥିବା ବେଳେ ସମୁଦାୟ ୧୨ ହଜାର ଫୁଟ ଜିରୋ ନେଟ(୨୫ କୁଇଣ୍ଟାଲ) ଉକ୍ତ ଅଞ୍ଚଳରୁ ଜବତ କରାଯାଇଥିବା ତହସିଲଦାର ଶ୍ରୀ ଷଡଙ୍ଗୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ମିଳିତ ଅମଲା ମଞ୍ଚର ଜରୁରୀ ବୈଠକ: ରାଜ୍ୟ ସରକାରଙ୍କୁ ଦେଲେ ଚେତାବନୀ

ଖୋର୍ଦ୍ଧା: ଗତକାଲି ଅପରାହ୍ନ ୫ ଘଟିକା ସମୟରେ ଖୋର୍ଦ୍ଧା ଜିଲ୍ଲା ମିଳିତ ଅମଲା ମଞ୍ଚର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ଆଶୋକ କୁମାର ପଣ୍ଡାଙ୍କ ଆହ୍ଵାନକ୍ରମେ ଜିଲ୍ଲାର ସାତ ଗୋଟି ବ୍ଲକ ଯଥା ବୋଲଗଡ଼, ବେଗୁନିଆ, ଖୋର୍ଦ୍ଧା, ଜଟଣୀ, ଟାଙ୍ଗି, ଚିଲିକା ଓ ବାଣପୁର ଅମଲାମାନଙ୍କୁ ନେଇ ଏକ ଜରୁରୀ ବୈଠକ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଯାଇଅଛି।

ତେବେ ଏହି ବୈଠକରେ ଅମଲାମାନେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାର ଯଦି ଆସନ୍ତା ୨୧ ତାରିଖ ଭିତରେ ଅମଲାମାନଙ୍କର ଏକମାତ୍ର ଦାବି ୪୨୦୦ ଗ୍ରେଡ ପେ’ ବିଚାରକୁ ନ ନିଅନ୍ତି, ତାହାଲେ ଆସନ୍ତା ୨୨ତାରିଖରୁ କଳା ବାଚ୍ ପରିଧାନ କରି ପ୍ରତିବାଦ କରାଯିବ। ଏବଂ ଜୁନ ପହିଲାରୁ ସମୂହ ଛୁଟିରେ ଯାଇ ଜିଲ୍ଲାର ସମସ୍ତ ଦପ୍ତରକୁ ଅଚଳ କରିଦିଆଯିବା ପାଇଁ ଚେତାବନୀ ଦିଆଯାଇଛି।

ଉକ୍ତ ବୈଠକରେ ଗୋବର୍ଦ୍ଧନ ପରିଡ଼ା, ସୁରମ୍ୟ ରଞ୍ଜନ ପ୍ରଧାନ, ଲଲାଟେନ୍ଦୁ କର, ସବ୍ୟସାଚୀ ଧଳ, ମନୋରଞ୍ଜନ ପଣ୍ଡା, ଅର୍ଜ୍ଜୁନ ମହାରଣା, କଳ୍ପନା ପରିଡ଼ା, ବାବୁଲି ପଟ୍ଟନାୟକ ଏପରି ୧୦୦ ରୁ ଉର୍ଦ୍ଧ୍ଵ ସମସ୍ତ ବିଭାଗରୁ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଛାତ୍ରଛାତ୍ରୀଙ୍କୁ ଖରାରୁ ମିଳିବ ମୁକ୍ତି, ଆସନ୍ତାକାଲିଠୁ ସମସ୍ତ ସ୍କୁଲ ଛୁଟି ଘୋଷଣା କଲେ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦେଖି ସରକାର ଏକ ବଡ ଘୋଷଣା କରିଛନ୍ତି। ରାଜ୍ୟ ସରକାର ଆଗୁଆ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି। ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି।

ତେବେ ଗ୍ରୀଷ୍ମକାଳୀନ ଛୁଟି କେତେ ଦିନ ରହିବ, ସେନେଇ ଖୁବଶୀଘ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ। ପ୍ରକାଶ ଯେ, ପ୍ରଚଣ୍ଡ ଗରମ ଯୋଗୁଁ ରାଜ୍ୟ ସରକାର ଗତକାଲି ଏବଂ ଆଜି ପାଇଁ ସ୍କୁଲ ଛୁଟି ଘୋଷଣା କରିଥିଲେ। କିନ୍ତୁ ତାପମାତ୍ରା ବଢୁଥିବାରୁ ରାଜ୍ୟ ସରକାର ଆସନ୍ତାକାଲି ଠାରୁ ଖରା ଛୁଟି ଘୋଷଣା କରିବାକୁ ନିଷ୍ପତ୍ତି ନେଲେ। ଏଥିସହ ପ୍ରି-ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟ ଛୁଟି ଘୋଷଣା ହୋଇଥିଲା।